ଷୋଡ଼ଶ ଶତାବ୍ଦୀର କଥା। ସେତେବେଳେ ୟୁରୋପର ଆକାଶରେ ଚିନ୍ତାଧାରାର ନୂଆ ସୂର୍ଯ୍ୟୋଦୟ ହେଉଥିଲା, କିନ୍ତୁ ସେହି ସୂର୍ଯ୍ୟର ଉଜ୍ଜ୍ୱଳତାକୁ ସହ୍ୟ କରିପାରୁନଥିଲା କଟକଣାର କାରାଗାର। ଏହି ସମୟରେ ସ୍ପେନର ଆରାଗନ ଅଞ୍ଚଳରେ ଜନ୍ମ ନେଇଥିଲେ ମାଇକେଲ ନାମରେ ଜଣେ ଅସାଧାରଣ ବାଳକ।
ମାଇକେଲଙ୍କ ମନ ଥିଲା ଏକ ଵିଶାଳ ସମୁଦ୍ର ପରି। ସେ କେଵଳ ପୁସ୍ତକ ପଢ଼ୁ ନଥିଲେ ଵରଂ ତାକୁ ନେଇ ଅନେକ ପ୍ରଶ୍ନ କରୁଥିଲେ। ଗ୍ରୀକ୍, ଲାଟିନ୍ ଓ ହିବ୍ରୁ ଭାଷାରେ ପାରଙ୍ଗମ ହୋଇ ସେ ଯେତେବେଳେ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଅଧ୍ୟୟନ କଲେ, ତାଙ୍କ ମନରେ ନୂଆ ଚିନ୍ତା ଆସିଲା। ସେ ଭାବିଲେ, "ସତ୍ୟ କ’ଣ କେଵଳ ପରମ୍ପରାରେ ଲୁଚି ରହିଛି, ନା ତାହା ଅନ୍ୱେଷଣରେ ଅଛି?"
ତାଙ୍କ ଜ୍ଞାନ କେଵଳ ଧର୍ମଗ୍ରନ୍ଥରେ ସୀମିତ ରହିଲା ନାହିଁ । ସେ ଆହୁରି ଅନେକ କଥା ଜାଣିଵାକୁ ଚାହୁଁଥିଲେ । ପ୍ୟାରିସର ରାସ୍ତାରେ ଚାଲୁଥିଵା ବେଳେ ତାଙ୍କ ଆଖି ଦେଖୁଥିଲା ମଣିଷ ଶରୀରର ଅଦ୍ଭୁତ ରହସ୍ୟ। ଏକଦା, ଚିକିତ୍ସା ସମ୍ବନ୍ଧରେ ଅଧ୍ୟୟନ କରୁଥିଵା ବେଳେ ତାଙ୍କ ମସ୍ତିଷ୍କରେ ଏକ ଵିଦ୍ୟୁତ୍ ଖେଳିଗଲା। ସେ ବୁଝିପାରିଲେ ଯେ ରକ୍ତ କେଵଳ ଶରୀରରେ ବୁଲୁନାହିଁ ଵରଂ ତାହା ଫୁସଫୁସ ଦେଇ ପ୍ରଵାହିତ ହୋଇ ପ୍ରାଣଵାୟୁ ଗ୍ରହଣ କରୁଛି। ଏହା ଥିଲା ଇତିହାସର ଏକ ଵୈପ୍ଳଵିକ ଆଵିଷ୍କାର— 'ଫୁସଫୁସୀୟ ରକ୍ତ ସଞ୍ଚାଳନ'। କିନ୍ତୁ ଏହି ସତ୍ୟକୁ କହିଵା ସେତେବେଳେ ପାପ ଥିଲା ।
ସର୍ଭେଟସ୍ ଯେତେବେଳେ ଲେଖିଲେ 'Christianismi Restitutio', ସେଥିରେ ସେ ତତ୍କାଳୀନ ଧାର୍ମିକ ଵିଶ୍ୱାସର ଭିତ୍ତିଭୂମିକୁ ଦୋହଲାଇ ଦେଲେ। ତାଙ୍କର ସ୍ୱାଧୀନ ମତଵାଦ ତାଙ୍କୁ ୟୁରୋପର ଏକ ପାଦଚାରୀ କରିଦେଲା। କ୍ୟାଥୋଲିକ୍ ହୁଅନ୍ତୁ ଵା ପ୍ରୋଟେଷ୍ଟାଣ୍ଟ, ଉଭୟ ଶକ୍ତି ତାଙ୍କ ପିଛା କଲେ। ସେ ଵେଶ ପରିଵର୍ତ୍ତନ କରି, ନାମ ବଦଳାଇ ସାରା ୟୁରୋପ ବୁଲିଲେ, କିନ୍ତୁ ତାଙ୍କର ଏକମାତ୍ର ଅପରାଧ ଥିଲା ଯେ ସେ ନିଜର ଚିନ୍ତାଧାରାକୁ ଗୋପନ ରଖିପାରିଲେ ନାହିଁ।
ମାଇକେଲ୍ ସର୍ଭେଟସ୍ ନିଜର ପରିଚୟ ଗୋପନ ରଖି 'ମାଇକେଲ୍ ଦି ଵିଲାନୁଏଵା' ନାମରେ ରହୁଥିଲେ। ୧୫୫୩ ମସିହା ଅଗଷ୍ଟ ମାସରେ ସେ ସ୍ୱିଜରଲ୍ୟାଣ୍ଡର ଜେନିଵା ଦେଇ ଯାଉଥିଲେ। ସେତେବେଳେ ଜେନିଵାରେ ଜିନ୍ କାଲଭିନ୍ଙ୍କର ଶକ୍ତିଶାଳୀ ପ୍ରଭାଵ ଥିଲା ଯିଏ ସର୍ଭେଟସ୍ଙ୍କ ଧର୍ମୀୟ ଵିଚାରର କଠୋର ଵିରୋଧୀ ଥିଲେ।
ଜେନିଭାର ଏକ ଚର୍ଚ୍ଚରେ ରଵିଵାର ଦିନ ପ୍ରାର୍ଥନା ଚାଲିଥିଲା। ସେହି ସମୟରେ ଜଣେ ଵ୍ୟକ୍ତି ସର୍ଭେଟସ୍ଙ୍କୁ ତାଙ୍କୁ ଚିହ୍ନି ପକାଇଲେ। ସର୍ଭେଟସ୍ ପୂର୍ଵରୁ କାଲଭିନ୍ଙ୍କ ସହ ଚିଠିପତ୍ର ମାଧ୍ୟମରେ ଧର୍ମଗତ ଵିଵାଦ କରୁଥିଲେ, ତେଣୁ ସେ ଜେନିଵାରେ ଥିଵାର ଜଣାପଡ଼ିଵା ମାତ୍ରେ କାଲଭିନ୍ଙ୍କ ସମର୍ଥକମାନେ ତୁରନ୍ତ ତାଙ୍କୁ ଗିରଫ କରାଇଲେ।
ଅଗଷ୍ଟ ୧୩, ୧୫୫୩ ତାରିଖରେ ସର୍ଭେଟସ୍ ଧରାପଡ଼ିଲେ ଏବଂ ତାଙ୍କୁ କାରାଗାରରେ ରଖାଗଲା।
ସେ କାରାଗାରରେ ପ୍ରାୟ ୭୫ ଦିନ ବନ୍ଦୀ ହୋଇ ରହିଥିଲେ। କାରାଗାରର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିଲା। ସେଠାରେ ସେ ଶୀତ, ଅନ୍ଧକାର ଓ ଅପରିଷ୍କାର ପରିଵେଶ ମଧ୍ୟରେ କାଳାତିପାତ କରିଥିଲେ। ତାଙ୍କୁ ସମ୍ମାନଜନକ ପୋଷାକ କିମ୍ବା ପୁସ୍ତକ ମଧ୍ୟ ମିଳୁନଥିଲା। ସର୍ଭେଟସ୍ଙ୍କ ବିଚାର ଏକ ସାଧାରଣ ଆଇନଗତ ଵିଚାର ନଥିଲା ବରଂ ଏହା ଏକ ଧର୍ମୀୟ ଵିଚାର ଵା Religious Trial ଥିଲା।
ତାଙ୍କ ବିରୋଧରେ ମୁଖ୍ୟତଃ ଦୁଇଟି ଅଭିଯୋଗ ଥିଲା । ପ୍ରଥମଟି 'ତ୍ରିତ୍ୱବାଦ' (Trinity) କୁ ଅସ୍ୱୀକାର କରିବା ଏବଂ ଦ୍ୱିତୀୟଟି ଶିଶୁ ବାପ୍ଟିଜମ୍ ଵା Infant Baptismକୁ ଵିରୋଧ କରିଵା ଥିଲା ।
ଜିନ୍ କାଲଭିନ୍ ଏହି ଵିଚାରରେ ମୁଖ୍ୟ ଅଭିଯୋଗକାରୀ ଭୂମିକାରେ ଥିଲେ। କାଲଭିନ୍ ସର୍ଭେଟସ୍ଙ୍କ ଲିଖିତ ଚିଠି ଓ ପୁସ୍ତକଗୁଡ଼ିକୁ ପ୍ରମାଣ ଭାବେ ଉପସ୍ଥାପନ କରିଥିଲେ।
ସର୍ଭେଟସ୍ ନିଜର ଦର୍ଶନକୁ ସମର୍ଥନ କରିଵା ପାଇଁ ବାଇବେଲରୁ ଯୁକ୍ତି ବାଢ଼ିଥିଲେ। ସେ ସ୍ୱୀକାର କଲେ ନାହିଁ ଯେ ସେ ଭୁଲ୍ କରିଛନ୍ତି। ଵରଂ ସର୍ଭେଟସ୍ ନିଜର ମତ ଉପରେ ଦୃଢ଼ ରହିଲେ ଯାହା ଵିଚାରକମାନଙ୍କୁ ଆହୁରି କ୍ରୋଧିତ କରିଥିଲା।
ଵିଚାରାଳୟରେ ଠିଆ ହୋଇ ସର୍ଭେଟସ୍ ନିଜର ଦର୍ଶନକୁ ସମର୍ଥନ କରି କହିଲେ, "ସତ୍ୟକୁ ଜାଳି ଦିଆଯାଇପାରେ, କିନ୍ତୁ ମାରି ଦିଆଯାଇପାରେ ନାହିଁ।"
କିନ୍ତୁ ଵିଚାରପତିମାନେ ସର୍ଭେଟସ୍ଙ୍କ କଥା ଶୁଣିଲେ ନାହିଁ। ସର୍ଭେଟସ୍ଙ୍କୁ ସ୍ୱିଜରଲ୍ୟାଣ୍ଡର ଜେନିଭା ସହରରେ ପ୍ଲେନପାଲାଇସ୍ ନାମକ ସ୍ଥାନରେ ଜୀଵନ୍ତ ଅଵସ୍ଥାରେ ଜାଳିଦେଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ଦଣ୍ଡାଦେଶ ୧୫୫୩ ମସିହା ଅକ୍ଟୋବର ୨୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା। ସର୍ଭେଟସ୍ଙ୍କୁ ଜିଅନ୍ତା ଜାଳିଵା ସହିତ ତାଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକୁ ମଧ୍ୟ ଅଗ୍ନିରେ ଜାଳି ଦିଆଯାଇଥିଲା। ଏହି ଦଣ୍ଡ କେଵଳ ସର୍ଭେଟସ୍ଙ୍କର ଶାରୀରିକ ମୃତ୍ୟୁ ନୁହେଁ ଵରଂ ତାଙ୍କର ଚିନ୍ତାଧାରାକୁ ସମାପ୍ତ କରିଵା ପାଇଁ ଏକ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଥିଲା।
ସେଦିନ ଜେନିଭାର ଆକାଶରେ ଧୂଆଁର କୁଣ୍ଡଳୀ ଉଠିଥିଲା। ସେହି ଧୂଆଁରେ କେଵଳ ଜଣେ ଵ୍ୟକ୍ତିଙ୍କ ଶରୀର ପୋଡ଼ି ନଥିଲା ଵରଂ ମାନଵୀୟ ଚିନ୍ତାର ଏକ ସାହସିକ ଜ୍ୟୋତିକୁ ଲିଭାଇ ଦେଵାର ପ୍ରୟାସ କରାଯାଇଥିଲା। କିନ୍ତୁ ଇତିହାସର ଚକ୍ର ବୁଲିଲା। ଆଜି ସେହି 'ଧର୍ମଦ୍ରୋହୀ' ମାଇକେଲ ସର୍ଭେଟସ୍ଙ୍କୁ ଵିଶ୍ୱ ଜଣେ ଦାର୍ଶନିକ,ଵୈଜ୍ଞାନିକ ତଥା ମାନଵଵାଦର ପ୍ରଥମ ଶହିଦ ଭାବରେ ମନେ ରଖିଛି।
ତେବେ ଯେଉଁ ଜିନ୍ କାଲଭିନ୍ଙ୍କ ଯୋଗୁଁ ମାଇକେଲ୍ ସର୍ଭେଟସ୍ଙ୍କୁ ଜିଅନ୍ତା ଜାଳି ଦିଆଯାଇଥିଲା ତାଙ୍କ ମୃତ୍ୟୁ ମଧ୍ୟ ଵିଭିନ୍ନ ରୋଗରେ ପୀଡ଼ିତ ହୋଇ କଷ୍ଟ ଭୋଗି ଭୋଗି ହୋଇଥିଲା । ଜିନ୍ କାଲଭିନ୍ ତାଙ୍କ ଜୀଵନର ଶେଷ ଭାଗରେ ବହୁ ଶାରୀରିକ ସମସ୍ୟାରେ ପୀଡ଼ିତ ଥିଲେ। ସେ ଅସ୍ଥମା, ଗାଉଟ ଏଵଂ ଅନ୍ୟାନ୍ୟ ପାଚନ ସମ୍ବନ୍ଧୀୟ ରୋଗରେ ବହୁ ଵର୍ଷ ପର୍ଯ୍ୟନ୍ତ ପୀଡ଼ିତ ଥିଲେ ଏଵଂ ୫୪ ଵର୍ଷ ଵୟସରେ ୧୫୬୪ ମସିହା ମେ ୨୭ ତାରିଖରେ ଜେନିଭାଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ମୃତ୍ୟୁ ପରେ କାଲଭିନଙ୍କ ଶଵକୁ କୌଣସି ଜାକଜମକପୂର୍ଣ୍ଣ ସ୍ମାରକୀ କିମ୍ବା ମୁଖ୍ୟ ସ୍ଥାନରେ ସମାଧି ଦିଆଯାଇନଥିଲା । କାଲଭିନଙ୍କ ଶଵକୁ ଜେନିଭାର ଏକ ସାଧାରଣ କବରସ୍ଥାନରେ ବିନା କୌଣସି ଚିହ୍ନ ଵା ସମାଧି ପଥରରେ ସମାଧି ଦିଆଯାଇଥିଲା। ଯେଉଁ ଧାର୍ମିକ ଅହଂ ଘେନି କାଲଭିନ୍ ଆଇନ ବଳରେ ସର୍ଭେଟସ୍ଙ୍କର ହତ୍ୟା କରାଇଲେ ସେହି ଆଇନ ହୁଏତ ପରେ ତାଙ୍କର କିଛି କରିପାରିଲା ନାହିଁ କିନ୍ତୁ ଶେଷ ଜୀଵନରେ ସେ ପ୍ରକୃତି ଦ୍ଵାରା ନିଜ କୃତକର୍ମର ଫଳ ଭୋଗିଲେ ଏଵଂ ନାନା ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ସହି ସହି ମଲେ ।
No comments:
Post a Comment