ଆଜିକାଲି ସମ୍ବାଦପତ୍ରରେ ଶୀର୍ଷକ ରହୁଛି
ପାଣି ପାଇଁ ଲଙ୍କାକାଣ୍ଡ !
ମଦ ଦୋକାନକୁ ନେଇ ଲଙ୍କା କାଣ୍ଡ !
କିଛି ମୌଳିଵାଦୀ ଲଙ୍କାକାଣ୍ଡ ଶବ୍ଦ ପ୍ରୟୋଗ ଯୋଗୁଁ ରାମାୟଣ ତଥା ଶ୍ରୀରାମ ଓ ଶିଵଭକ୍ତ ରାଵଣଙ୍କର ଅପମାନ ହେଉଛି ବୋଲି ଭାବନ୍ତି ଏଵଂ ଏଭଳି ଏକ ଶବ୍ଦ ପ୍ରୟୋଗ ଅନୁଚିତ୍ ବୋଲି ମତ ଦେଉଛନ୍ତି ।
ତେବେ କ'ଣ ସତରେ ଲଙ୍କାକାଣ୍ଡ ଶବ୍ଦ ବି ଗୋଟିଏ ଵିଵାଦୀୟ ଶବ୍ଦ ଏଵଂ ଏହି ଶବ୍ଦର ପ୍ରୟୋଗ ଯୋଗୁଁ ଶ୍ରୀରାମ ଓ ରାମାୟଣ ଗ୍ରନ୍ଥର ଅପମାନ ହେଉଛି ?
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ
ଲଙ୍କାକାଣ୍ଡ ଶବ୍ଦଟି ସ୍ଥାନିତ ହୋଇଅଛି ଏଵଂ ଏହାର ତିନି ଚାରୋଟି ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି ।
ବାଲ୍ମୀକି ରାମାୟଣ ଗ୍ରନ୍ଥର ସାତ କାଣ୍ଡ ମଧ୍ୟରୁ ଷଷ୍ଠକାଣ୍ଡ ଵା ଯୁଦ୍ଧକାଣ୍ଡକୁ ଲଙ୍କାକାଣ୍ଡ ବି କୁହାଯାଏ ।ରାମଚନ୍ଦ୍ର ଲଙ୍କାରେ ପ୍ରଵେଶ କରି ଅସୁରଙ୍କ ସଙ୍ଗେ ଯୁଦ୍ଧ କରି ରାଵଣାଦି ରାକ୍ଷସମାନଙ୍କୁ ଵଧ କରିଥିଵା କଥା ଏହି କାଣ୍ଡରେ ଵର୍ଣ୍ଣିତ ହୋଇଅଛି।
ଲଙ୍କା ସମ୍ବନ୍ଧୀୟ କାଣ୍ଡ ଅର୍ଥାତ୍ ଲଙ୍କାରେ ଘଟିତ ଘଟଣାଵଳୀ ଆଧାରିତ କାହାଣୀକୁ ନେଇ ରାମାୟଣର ଷଷ୍ଠକାଣ୍ଡ ଯୁଦ୍ଧକାଣ୍ଡର ଵର୍ଣ୍ଣିତ ହୋଇଥିଵାରୁ ଏହାକୁ ଲଙ୍କାକାଣ୍ଡ କୁହାଯାଏ ।
ପରେ ଲଙ୍କାକାଣ୍ଡ ଶବ୍ଦଟି ଓଡ଼ିଆ ଭାଷାରେ ଲକ୍ଷଣାର୍ଥ ପ୍ରୟୋଗ ହେଵାକୁ ଲାଗିଲା । ଆମ ଭାଷାରେ ତୁମୁଳ ସଂଘର୍ଷ ଓ ଭୟଙ୍କର ଅଗ୍ନ୍ଯତ୍ପାତକୁ ଲଙ୍କାକାଣ୍ଡ କୁହାଯାଏ । ଝଗଡ଼ା, ମାରକାଟ, ହାଣକାଟ, ଘର ପୋଡ଼ି, ଭୁମିକମ୍ଫ, ଯୁଦ୍ଧ ଇତ୍ୟାଦିକୁ ଓଡ଼ିଆ ଭାଷାରେ ଶୁଭଵାଚନର ସାମାଜିକ ନିୟମ ଘେନି ଲକ୍ଷଣାର୍ଥ ଲଙ୍କାକାଣ୍ଡ କୁହାଯାଇଥାଏ ।
କିନ୍ତୁ ତୁମୁଳ ସଂଘର୍ଷ ଓ ଭୟଙ୍କର ଅଗ୍ନ୍ଯତ୍ପାତ ଆଦି ଅର୍ଥରେ ଲଙ୍କାକାଣ୍ଡ ଶବ୍ଦର ଲକ୍ଷଣାର୍ଥ ପ୍ରୟୋଗ ଯୁକ୍ତିଯୁକ୍ତ କି ?
ପ୍ରଥମତଃ ରାମାୟଣର ଯୁଦ୍ଧକାଣ୍ଡକୁ ଲଙ୍କାକାଣ୍ଡ କୁହାଯାଏ ଏଵଂ ଏହି କାଣ୍ଡରେ ଲଙ୍କାନଗର ମଧ୍ୟରେ ମାନଵ ତଥା ଵାନରମାନଙ୍କର ଲଙ୍କାନିଵାସୀ ରାକ୍ଷସମାନଙ୍କ ସହିତ କେମିତି ତୁମୁଳ ସଂଘର୍ଷ ଘଟିଥିଲା ତହିଁର ଉଲ୍ଲେଖ ଅଛି । ଫଳତଃ ହାଣକାଟ,ମାରିପିଟି ଓ ଭୀଷଣ ଝଗଡ଼ାକୁ ଲଙ୍କାର ଯୁଦ୍ଧ ସଙ୍ଗେ ତୁଳନା କରାଗଲା । ଅଵଶ୍ୟ ଏହା ଅନେକ ମାନନ୍ତି ଯେ ଲଙ୍କାଯୁଦ୍ଧ ପରି ଭୀଷଣ ଯୁଦ୍ଧ ଆଉ କେବେ ହୋଇନାହିଁ ଏମନ୍ତକି ମହାଭାରତ ଯୁଦ୍ଧ ମଧ୍ୟ ଲଙ୍କାର ଯୁଦ୍ଧ ସହ ତୁଳନୀୟ ନୁହେଁ ବୋଲି ଅନେକେ କୁହନ୍ତି ।
କିନ୍ତୁ ଭୟଙ୍କର ଅଗ୍ନ୍ଯତ୍ପାତ ଅର୍ଥରେ ଲଙ୍କାକାଣ୍ଡ ଶବ୍ଦ ମଧ୍ୟ କାହିଁକି ପ୍ରୟୋଗ ହୋଇଥାଏ ?
ଏହାର ସମ୍ପର୍କ ହନୁମାନ'ଙ୍କର ଲଙ୍କାଦହନ ପ୍ରସଙ୍ଗ ସହିତ ରହିଛି । ସୀତାଙ୍କୁ ଠାବ କରିଵାକୁ ଯାଇଥିଵା ଉପଲକ୍ଷରେ ହନୁମାନଙ୍କଦ୍ବାରା ଲଙ୍କାଦହନରୂପ ଭୟାଵହ ଘଟନାକୁ ରାମାୟଣରେ ଲଙ୍କା ଦହନ କୁହାଯାଇଛି ।
ହନୁମାନଙ୍କଦ୍ବାରା ସ୍ଵର୍ଣ୍ଣମୟ ଲଙ୍କା ନଗରୀ ଜଳି ପୋଡ଼ି ଧ୍ବଂସ ହୋଇଯାଇଥିଲା । ସୀତାଙ୍କୁ ଠାବ କରିସାରି ହନୁମାନ ରାଵଣର ଉଦ୍ଯାନ ଜୁର କରିଵାରୁ ତାଙ୍କୁ ରାଵଣ ଧରାଇ ନେଲା। ସେ ରାବଣକୁ ଫୁସୁଲାଇଲେ ଯେ, ମୋ ଲାଙ୍ଗୁଡ଼ରେ ଗୁଡ଼ିଏ କନା ତହିଁରେ ତେଲ ଢାଳି ସେଥିରେ ନିଆଁ ଲଗାଇଦେଲେ ମୁଁ ପୋଡ଼ିହୋଇ ମରିଯିବି। ରାଵଣ ଏହା ଵିଶ୍ବାସ କରି ହନୁମାନ'ଙ୍କର ଲାଙ୍ଗୁଡ଼ରେ କନା ଗୁଡ଼ାଇ ତହିଁରେ ତୈଳାଦି ଢାଳି ନିଆଁ ଲଗାଇ ଦେଵାରୁ ହନୁମାନ ସେହି ଜଳନ୍ତା ଲାଙ୍ଗୁଡ଼କୁ ହଲାଇ ଲଙ୍କା ନଗରୀର ଘରଗୁଡି଼କ ଉପରେ ଡ଼େଇଁଲେ ଓ ଲଙ୍କାନଗରୀ ପୋଡ଼ି ଭସ୍ମସାତ୍ ହୋଇଗଲା। ଏହି ରାମାୟଣ କଥା ଆଧାରରେ ଭୀଷଣ ଅଗ୍ନି ଉତ୍ପାତକୁ ଲଙ୍କାଦହନ ସହିତ ତୁଳନା କରି ଲଙ୍କାକାଣ୍ଡ କୁହାଯାଏ ।
ହନୁମାନ ଲଙ୍କାଦହନ କରିଥିଵାରୁ ଓଡ଼ିଶାରେ ତାଙ୍କର ଏକ ଦେଶଜ ନାମ “ଲଙ୍କାପୋଡ଼ା” ଚଳୁଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି । କଥିତ ଅଛି ,ଲଙ୍କା ପୋଡ଼ିଯିଵା ପରେ ହନୁମାନ ଆପଣା ଲାଙ୍ଗୁଡ଼ରେ ଜଳୁଥିଵା ଅଗ୍ନିକୁ ଲିଭାଇ ଦେଇ ହାତରେ ସେ ପାଉଁଶକୁ ମଳି, ମୁହଁରେ ମାରିହୋଇ ଲଙ୍କାରୁ ଫେରି ଆସିଲେ। ହନୁ ମାଙ୍କଡ଼ଙ୍କ ମୁହଁ ଓ ଲେଡ଼ି (କରତଳ) ଓ ପାଦତଳ କଳା ଥିବା ଦେଖି ଲୋକେ କହନ୍ତି ଯେ, ଲଙ୍କାପୋଡ଼ି କାଳରେ ପାଉଁଶବୋଳାର ଏହି ଚିହ୍ନ ହନୁମାନ'ଙ୍କର ବଂଶଧରମାନଙ୍କଠାରେ ରହିଯାଇଅଛି।
ମାତ୍ର ଗଣମାଧ୍ୟମରେ ଲଙ୍କାକାଣ୍ଡ ଶବ୍ଦର ଝଗଡ଼ା, ମାରକାଟ, ହାଣକାଟ, ଘର ପୋଡ଼ି, ଭୁମିକମ୍ଫ, ଯୁଦ୍ଧ ଇତ୍ୟାଦି ଲକ୍ଷଣାର୍ଥ ପ୍ରୟୋଗ ନୂଆ ନୁହେଁ ।
ମଧୁସୂଦନ ରାଓ ତାଙ୍କର ଏକ ଵ୍ୟଙ୍ଗ୍ଯ କଵିତାରେ ଏ ଶବ୍ଦ ପ୍ରୟୋଗ କରିଥିଵା ଭାଷାକୋଷରେ କୁହାଯାଇଛି ।
“ଆରେ ଲାଲରାୟ ଚେଲା !
ହୁଅ ସାବଧାନ, ନୋହିଲେ ହୋଇବ
ଲଙ୍କାକାଣ୍ଡର ଵିଧାନ ।।”
ସେହିପରି ଓଡ଼ିଆ ଭାଷାରେ ରାମାୟଣ ଗ୍ରନ୍ଥ ଓ ଲକ୍ଷଣାର୍ଥ ବହୁତ ବଡ଼ ଗ୍ରନ୍ଥକୁ ଲଙ୍କାପୋଥା ତଥା ଲଙ୍କା ପୋଥି ମଧ୍ୟ କୁହାଯାଇଥାଏ ।
କଵି ବ୍ରଜନାଥ ବଡ଼ଜେନା ସମରତରଙ୍ଗରେ ବଡ଼ ଆକାରର ପୋଥି ଅର୍ଥରେ ଲଙ୍କାପୋଥି ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି
“କେତେ ଏହି ମତେ କେ ତା କହିବ,
କହିଲେତ ଲଙ୍କା ପୋଥି ହୋଇବ ।”
ସେ ଯାହାହେଉ ଲଙ୍କାକାଣ୍ଡ ଶବ୍ଦ ପ୍ରୟୋଗ ଦ୍ଵାରା ରାମାୟଣ କି ଶ୍ରୀରାମଙ୍କର ଅପମାନ ହେଲା ଭଳି ଲାଗୁନାହିଁ । ଲଙ୍କାକାଣ୍ଡ ଶବ୍ଦର ପ୍ରୟୋଗ ନୂଆ ନୁହେଁ ତେଣୁ ସ୍ପଷ୍ଟ ଯେ ଏହା ଅର୍ଵାଚୀନ ପ୍ରୟୋଗ ନୁହେଁ ଏଣୁ ଏ ଶବ୍ଦ ଵ୍ୟଵହାରରେ ଦୋଷ ଥିଲା ପରି ହୃଦବୋଧ ହୁଏନାହିଁ ।
No comments:
Post a Comment