My Blog List

Sunday, October 18, 2026

ଆଫ୍ରିକା ବାହାରର ଲୋକମାନେ ମହାଵାନର ଗରିଲା ସହିତ କେମିତି ପରିଚିତ ହେଲେ?

ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀର କଥା। ସେତେବେଳେ ପୃଥିଵୀର ମାନଚିତ୍ର ଆଜି ଭଳି ସ୍ପଷ୍ଟ ନଥିଲା। ସମୁଦ୍ରର ଅସୀମ ଜଳରାଶି ପଛରେ କେଉଁ ଦୁନିଆ ଲୁଚି ରହିଛି, ତାହା ଜାଣିଵା ପାଇଁ ମଣିଷ ମନରେ ଥିଲା ଅଦମ୍ୟ କୌତୂହଳ। ସେହି ସମୟର ଶକ୍ତିଶାଳୀ ନୌ-ଵାଣିଜ୍ୟ କେନ୍ଦ୍ର 'କାର୍ଥେଜ୍'(ଆଜିର ଟ୍ୟୁନିସିଆ)ର ଜଣେ ସାହସୀ ନାଵିକ ଥିଲେ ହାନୋ ଦି ନେଵିଗେଟର। କାର୍ଥେଜ୍‌ର ଶାସକମାନେ ତାଙ୍କୁ ଆଫ୍ରିକାର ପଶ୍ଚିମ ଉପକୂଳ ଅତିକ୍ରମ କରି ନୂଆ ଉପନିବେଶ ସ୍ଥାପନ କରିଵା ଏଵଂ ଅଜ୍ଞାତ ଭୂଖଣ୍ଡର ସନ୍ଧାନ କରିଵାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ହାନୋଙ୍କ ଏହି ଅଭିଯାନ ସାଧାରଣ ନଥିଲା। ସେ ପ୍ରାୟ ୬୦ଟି ଵିଶାଳକାୟ ବୋଇତ ଏଵଂ ପ୍ରାୟ ୩୦,୦୦୦ ପୁରୁଷ ଓ ମହିଳାଙ୍କୁ ନେଇ ସମୁଦ୍ରଯାତ୍ରା କରିଥିଲେ। ଜିବ୍ରାଲ୍ଟର୍ ପ୍ରଣାଳୀ ଅତିକ୍ରମ କରି ସେମାନେ ଯେତେବେଳେ ଆଟଲାଣ୍ଟିକ୍ ମହାସାଗରର ଅଜ୍ଞାତ ଜଳରାଶିରେ ପାଦ ଦେଲେ, ସେତେବେଳେ ପ୍ରତିଟି ମୁହୂର୍ତ୍ତ ଥିଲା ଵିପଦପୂର୍ଣ୍ଣ। ସେ ସମୟରେ ନାଵିକମାନେ ଵିଶ୍ୱାସ କରୁଥିଲେ ଯେ ସମୁଦ୍ରର ଶେଷ ପ୍ରାନ୍ତରେ ଭୟଙ୍କର ସାମୁଦ୍ରିକ ରାକ୍ଷସମାନେ ଵାସ କରନ୍ତି। କିନ୍ତୁ ହାନୋଙ୍କ ସାହସ ଆଗରେ ସବୁ ଭୟ ପରାଜିତ ହୋଇଥିଲା।

ଯାତ୍ରା ଆରମ୍ଭର ଅନେକ ଦିନ ପରେ, ହାନୋଙ୍କ ଵାହିନୀ ଆଫ୍ରିକାର ଗଭୀର ଦକ୍ଷିଣକୁ ଅଗ୍ରସର ହେଲେ। ସେଠାରେ ସେମାନେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିଵାକୁ ପାଇଲେ। କେଉଁଠି ଆକାଶଛୁଆଁ ଜ୍ୱାଳାମୁଖୀରୁ ନିଆଁ ଵାହାରୁଥିଲାବେଳେ କେଉଁଠି ଘଞ୍ଚ ସବୁଜ ଜଙ୍ଗଲରୁ ଅଦ୍ଭୁତ ଜନ୍ତୁଙ୍କ ଗର୍ଜନ ଶୁଭୁଥିଲା। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ ସେମାନେ ଏକ ଵିଶାଳ ଉପସାଗର ମଧ୍ୟରେ ଥିଵା ଏକ ଦ୍ୱୀପରେ ପହଞ୍ଚିଲେ। ସେହି ଦ୍ୱୀପର ନାମ ହାନୋ ନିଜ ଵୃତ୍ତାନ୍ତରେ 'ଦକ୍ଷିଣର ଶୃଙ୍ଗ' (Horn of the South) ବୋଲି ଉଲ୍ଲେଖ କରିଛନ୍ତି।

ଅଧିକାଂଶ ଵିଶେଷଜ୍ଞଙ୍କ ମତରେ ହାନୋଙ୍କ 'ଦକ୍ଷିଣର ଶୃଙ୍ଗ' (Horn of the South) ହେଉଛି ଵର୍ତ୍ତମାନର ଗାବନ୍ ଦେଶର ଉପକୂଳ। ଏଠାରେ ଥିଵା କ୍ରିଷ୍ଟାଲ୍ ପର୍ଵତମାଳା ଏଵଂ ଏହାର ଆଖପାଖ ଦ୍ୱୀପଗୁଡ଼ିକ ହାନୋଙ୍କ ଵର୍ଣ୍ଣନା ସହିତ ସାମ୍ୟ ରଖେ । 

ତେବେ ସେହି "ଦକ୍ଷିଣର ଶୃଙ୍ଗ" ଦ୍ୱୀପରେ ପାଦ ଦେଵା ମାତ୍ରେ ହାନୋ ଏଵଂ ତାଙ୍କ ସହକର୍ମୀମାନେ ସ୍ତମ୍ଭୀଭୂତ ହୋଇଗଲେ। ସେମାନେ ଦେଖିଲେ ଯେ ସେଠାରେ ଏମିତି କିଛି ଜୀଵ ଵାସ କରୁଛନ୍ତି, ଯାହାଙ୍କୁ ସେମାନେ ପୂର୍ଵରୁ କେବେ ଦେଖିନଥିଲେ। ସେମାନେ ଥିଲେ ଵିଶାଳକାୟ, ସେମାନଙ୍କ ଶରୀର କଳା ଲୋମରେ ଆଚ୍ଛାଦିତ ଏଵଂ ସେମାନଙ୍କ ଶରୀରର ଗଠନ ପ୍ରାୟ ମଣିଷ ଭଳି ଥିଲା। ସେମାନଙ୍କର ଶକ୍ତିଶାଳୀ ଵାହୁ ଏଵଂ କ୍ରୋଧପୂର୍ଣ୍ଣ ଚାହାଣି ନାଵିକମାନଙ୍କ ମନରେ ଛନକା ଜାତ କରି ଦେଇଥିଲା।

ହାନୋଙ୍କ ସହିତ ଥିଵା ସ୍ଥାନୀୟ ଦୋଭାଷୀମାନେ, ଯେଉଁମାନେ ଆଫ୍ରିକାର ଵିଭିନ୍ନ ଗୋଷ୍ଠୀଙ୍କ ଭାଷା ଜାଣିଥିଲେ, ସେମାନେ ସେହି ଜୀଵମାନଙ୍କୁ 'Gorillai' ବୋଲି ସମ୍ବୋଧନ କଲେ। ସେମାନଙ୍କ ଭାଷାରେ ଏହାର ଅର୍ଥ ଥିଲା "ଲୋମଶ ସ୍ତ୍ରୀ ଲୋକ"। ନାଵିକମାନେ ଭାବିଥିଲେ ସେମାନେ ହୁଏତ କୌଣସି ଜଙ୍ଗଲୀ ମଣିଷ ଜାତି, ଯେଉଁମାନେ କଥା କହିପାରନ୍ତି ନାହିଁ।

ହାନୋ ସେହି ଜୀଵମାନଙ୍କ ମଧ୍ୟରୁ କିଛିଙ୍କୁ ଜୀଵନ୍ତ ଧରି କାର୍ଥେଜ୍ ନେଇଯିଵାକୁ ଚାହୁଁଥିଲେ, ଯଦ୍ୱାରା ସେ ନିଜର ସଫଳତାର ପ୍ରମାଣ ଦେଇପାରିବେ। କିନ୍ତୁ ଏହା ସହଜ ନଥିଲା। ସେ ଯେତେବେଳେ ସେହି ଜୀଵମାନଙ୍କୁ ଘେରିଵାକୁ ଚେଷ୍ଟା କଲେ, ସେମାନେ ଅତ୍ୟନ୍ତ ଫୁର୍ତ୍ତିର ସହ ପାହାଡ଼ ଉପରକୁ ଚଢ଼ିଗଲେ। ସେମାନେ କେଵଳ ଦୌଡ଼ିଲେ ନାହିଁ, ଵରଂ ନାଵିକମାନଙ୍କ ଉପରକୁ ଵିଶାଳ ପଥର ଫିଙ୍ଗି ନିଜକୁ ରକ୍ଷା କଲେ। ହାନୋଙ୍କ ଶକ୍ତିଶାଳୀ ସୈନ୍ୟମାନେ ମଧ୍ୟ ସେହି ଵନ୍ୟ ପ୍ରାଣୀଙ୍କ ଶକ୍ତି ଆଗରେ ହାରିଗଲେ।

ଅନେକ ଚେଷ୍ଟା ପରେ ହାନୋଙ୍କ ଵାହିନୀ ତିନୋଟି ମାଈ 'ଗୋରିଲାଇ'ଙ୍କୁ ଧରିଵାରେ ସଫଳ ହେଲେ। କିନ୍ତୁ ସେମାନେ ଏତେ ହିଂସ୍ର ଭାବେ କାମୁଡ଼ିଲେ ଏଵଂ ନଖରେ ଆମ୍ପୁଡ଼ିଲେ ଯେ ସେମାନଙ୍କୁ କାବୁ କରିଵା ଅସମ୍ଭଵ ହୋଇପଡ଼ିଲା। ଶେଷରେ ଵାଧ୍ୟ ହୋଇ ହାନୋଙ୍କୁ ସେମାନଙ୍କୁ ହତ୍ୟା କରିଵାକୁ ପଡ଼ିଲା। ହାନୋ ସେମାନଙ୍କର ଲୋମଶ ଚମଡ଼ାକୁ ସାଙ୍ଗରେ ନେଇ କାର୍ଥେଜ୍ ଫେରିଲେ।

କାର୍ଥେଜ୍ ଫେରିଵା ପରେ ହାନୋ ନିଜ ଯାତ୍ରାର ସମସ୍ତ ଵିଵରଣୀ ସେଠାକାର "Baal" ମନ୍ଦିରର କାନ୍ଥରେ ଖୋଦିତ କଲେ। ସେହି ଚମଡ଼ାଗୁଡ଼ିକୁ ମଧ୍ୟ ମନ୍ଦିରରେ ପ୍ରଦର୍ଶନୀ ପାଇଁ ରଖାଗଲା, ଯାହାକୁ ଅନେକ ଵର୍ଷ ପରେ ରୋମାନ୍ ସୈନ୍ୟମାନେ ମଧ୍ୟ ଦେଖିଥିଵା କୁହାଯାଏ। ହାନୋଙ୍କ ଏହି ଵୃତ୍ତାନ୍ତ ଯେତେବେଳେ ଗ୍ରୀକ୍ ଭାଷାକୁ ଅନୁଵାଦ ହେଲା, ସେତେବେଳେ ସେହି 'Gorillai' ଶବ୍ଦଟି ଵିଶ୍ୱର ଵିଭିନ୍ନ ଭାଷାରେ ପ୍ରଚଳିତ ହେଵାକୁ ଲାଗିଲା। ପ୍ରାୟ ୨୩୦୦ ଵର୍ଷ ପର୍ଯ୍ୟନ୍ତ ଏହା କେଵଳ ଏକ କିମ୍ଵଦନ୍ତୀ ହୋଇ ରହିଥିଲା। କିନ୍ତୁ ୧୯ଶ ଶତାବ୍ଦୀରେ ଯେତେବେଳେ ଆଧୁନିକ ଵିଜ୍ଞାନ ଏହି ପ୍ରାଣୀକୁ ଆଫ୍ରିକାର ଜଙ୍ଗଲରେ ପୁଣି ଠାଵ କଲା, ସେତେବେଳେ ହାନୋଙ୍କ ଦ୍ୱାରା ଦିଆଯାଇଥିଵା ସେହି ପୁରୁଣା ଶବ୍ଦଟିକୁ ହିଁ ଏହାର ଵୈଜ୍ଞାନିକ ପରିଚୟ ଭାବେ ଗ୍ରହଣ କରାଗଲା।

ମଣିଷର ଅଜ୍ଞାତକୁ ଜାଣିଵାର ଇଚ୍ଛା ହିଁ ନୂତନ ଆଵିଷ୍କାରର ଜନନୀ। ଯଦି ସେଦିନ ହାନୋ ସେହି ଵିପଦପୂର୍ଣ୍ଣ ସମୁଦ୍ର ଯାତ୍ରାରେ ବାହାରି ନଥାନ୍ତେ, ତେବେ ହୁଏତ ଦୁନିଆ ଆଜି ଗରିଲାଙ୍କୁ ଅନ୍ୟ କୌଣସି ନାମରେ ଜାଣିଥାନ୍ତା। ତାଙ୍କର ସେହି ସାହସିକ ଯାତ୍ରା ହିଁ ମଣିଷ ଓ ଗରିଲାଙ୍କ ମଧ୍ୟରେ ଥିଵା ସମ୍ପର୍କର ପ୍ରଥମ ସେତୁ ଥିଲା।

ହାନୋ ଦି ନେଵିଗେଟରଙ୍କ ସେହି ରୋମାଞ୍ଚକର ଯାତ୍ରା ଏଵଂ କାର୍ଥେଜ୍‌ର ମନ୍ଦିରରେ ସଂରକ୍ଷିତ ସେହି ଲୋମଶ ଚମଡ଼ାଗୁଡ଼ିକ ଏକ ସମୟରେ ସାରା ଵିଶ୍ୱରେ ଚହଳ ସୃଷ୍ଟି କରିଥିଲା। କିନ୍ତୁ କାଳକ୍ରମେ କାର୍ଥେଜ୍ ସାମ୍ରାଜ୍ୟର ପତନ ଘଟିଲା ଏଵଂ ରୋମାନ୍‌ମାନଙ୍କ ଆଧିପତ୍ୟ ବଢ଼ିଲା। ଏହି ସମୟ ମଧ୍ୟରେ ହାନୋଙ୍କ ଦ୍ୱାରା ଆଵିଷ୍କୃତ ସେହି ଅଦ୍ଭୁତ 'ଗୋରିଲାଇ'ମାନଙ୍କ କାହାଣୀ ଧୀରେ ଧୀରେ ଧୂଳିସାତ୍ ହେଵାକୁ ଲାଗିଲା। ଫଳସ୍ୱରୂପ, ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀଠାରୁ ଆରମ୍ଭ କରି ପ୍ରାୟ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ, ଅର୍ଥାତ୍ ଦୀର୍ଘ ୨୦୦୦ ଵର୍ଷ ଧରି, ଵିଶ୍ୱ ଇତିହାସରେ ଗରିଲାମାନଙ୍କ ଵିଷୟରେ ଏକ ପ୍ରକାରର "ମହା-ନୀରଵତା" ଦେଖିଵାକୁ ମିଳିଥିଲା।
ଏହି ଦୀର୍ଘ ସମୟ ମଧ୍ୟରେ ୟୁରୋପୀୟ ଵା ଏସୀୟ ସଭ୍ୟତା ପାଇଁ ଆଫ୍ରିକାର ଆଭ୍ୟନ୍ତର ଭାଗ ଏକ "ଅନ୍ଧକାରମୟ ମହାଦେଶ" ହୋଇ ରହିଥିଲା। ସାହାରା ମରୁଭୂମିର ଵିଶାଳତା ଏଵଂ ସମୁଦ୍ରର ଵିପଦପୂର୍ଣ୍ଣ ସ୍ରୋତ କାରଣରୁ କେହି ହାନୋଙ୍କ ପରି ସାହସ ଦେଖାଇ ଦକ୍ଷିଣକୁ ଯିଵାକୁ ଚେଷ୍ଟା କଲେ ନାହିଁ। ଯେଉଁ ଅଳ୍ପ କିଛି ତଥ୍ୟ ସାମ୍ନାକୁ ଆସୁଥିଲା, ତାହା କେଵଳ ପାଣି ପିଇଵା ବେଳେ ଵଣିକମାନେ କହୁଥିଵା ରସାଣିତ ଗଳ୍ପ ଥିଲା। ଲୋକମାନେ ଵିଶ୍ୱାସ କରିଵାକୁ ଲାଗିଲେ ଯେ ହାନୋ ହୁଏତ କୌଣସି ରାକ୍ଷସ ଵା ଭୂତଙ୍କୁ ଦେଖିଥିଲେ, ଯେଉଁମାନଙ୍କର ଅସ୍ତିତ୍ୱ ପ୍ରକୃତରେ ନାହିଁ। ଗରିଲାମାନେ ଵିଜ୍ଞାନର ପୃଷ୍ଠାରୁ ହଜିଯାଇ କେଵଳ ଗଳ୍ପ ଓ କିମ୍ଵଦନ୍ତୀର ପାତ୍ର ହୋଇ ରହିଗଲେ।

ମଧ୍ୟଯୁଗରେ (ପ୍ରାୟ ୮ମ ରୁ ୧୪ଶ ଶତାବ୍ଦୀ) ଆରବ ଵଣିକମାନେ ପୂର୍ଵ ଓ ପଶ୍ଚିମ ଆଫ୍ରିକାର ଉପକୂଳଵର୍ତ୍ତୀ ଅଞ୍ଚଳରେ ଵାଣିଜ୍ୟ କରୁଥିଲେ। ସେମାନେ ସ୍ଥାନୀୟ ଆଫ୍ରିକୀୟ ଗୋଷ୍ଠୀଙ୍କ ସହ ସମ୍ପର୍କ ସ୍ଥାପନ କରିଵା ସମୟରେ ଜଙ୍ଗଲର ଗଭୀରରେ ରହୁଥିଵା କିଛି "ଶକ୍ତିଶାଳୀ ଜଙ୍ଗଲୀ ମଣିଷ"ଙ୍କ ଵିଷୟରେ ଶୁଣିଵାକୁ ପାଇଲେ।
ଆରବ ଭ୍ରମଣକାରୀମାନେ ନିଜର ଵୃତ୍ତାନ୍ତରେ ଲେଖିଥିଲେ ଯେ, ଆଫ୍ରିକାର ଘଞ୍ଚ ଜଙ୍ଗଲରେ ଏମିତି କିଛି Nasnas ଵା ମଣିଷ ଭଳି ଦେଖାଯାଉଥିଵା ପ୍ରାଣୀ ଅଛନ୍ତି ଯେଉଁମାନେ ଗଛ ଚଢ଼ିଵାରେ ଦକ୍ଷ ଏଵଂ ଶିକାରୀଙ୍କୁ ଧରିଲେ ଚିରି ପକାନ୍ତି। କିନ୍ତୁ ସେମାନଙ୍କ ପାଖରେ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ନଥିଲା। ସେମାନଙ୍କ ଵର୍ଣ୍ଣନାରେ ଅତିରଞ୍ଜିତ ତଥ୍ୟ ଥିଲା । ଆରବୀ ଵଣିକମାନଙ୍କ ଵର୍ଣ୍ଣନାରେ ଏହି ଜୀଵମାନେ ଅଦୃଶ୍ୟ ହୋଇପାରନ୍ତି କିମ୍ଵା ସେମାନେ ମଣିଷଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଵିଵାହ କରନ୍ତି ଇତ୍ୟାଦି ଅତିରଞ୍ଜିତ କଥା ରହିଛି । ଏହି କାହାଣୀଗୁଡ଼ିକ ଵିଜ୍ଞାନଠାରୁ ବହୁ ଦୂରରେ ଥିଲା, କିନ୍ତୁ ଏଥିରେ ଏତିକି ସୂଚନା ମିଳୁଥିଲା ଯେ ଜଙ୍ଗଲ ଭିତରେ କିଛି ଵିଶାଳକାୟ ଜୀଵ ଅଛନ୍ତି ଏଵଂ ସେମାନଙ୍କୁ ସାମ୍ନା କରିଵାକୁ ମଣିଷ ଭୟ କରେ।

୧୫ଶ ଶତାବ୍ଦୀରେ ଯେତେବେଳେ ୟୁରୋପୀୟ ଅନ୍ୱେଷଣକାରୀମାନେ ପୁଣି ଥରେ ଆଫ୍ରିକା ଉପକୂଳକୁ ଫେରିଲେ, ସେମାନେ ହାନୋଙ୍କ ସେହି ପୁରୁଣା 'ଗୋରିଲାଇ' ଶବ୍ଦକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ପର୍ତ୍ତୁଗାଲୀ ନାଵିକମାନେ ଜଙ୍ଗଲୀ ଅଞ୍ଚଳରୁ ଭୟଙ୍କର ଚିତ୍କାର ଶୁଣିଵାକୁ ପାଉଥିଲେ ଏଵଂ ସେମାନେ ଭାବୁଥିଲେ ଯେ ସେଠାରେ "Satyr" ଭଳି ଅଦ୍ଭୁତ ଅସୁରମାନେ ରହୁଛନ୍ତି।

ସେ ସମୟର ନାଵିକମାନଙ୍କ ମନରେ ଏହି ଧାରଣା ଥିଲା ଯେ ଗରିଲାମାନେ ହେଉଛନ୍ତି ପତିତ ମଣିଷ ଯେଉଁମାନେ ପାପ କାରଣରୁ ପଶୁ ପାଲଟି ଯାଇଛନ୍ତି। ସେମାନେ ଏତେ ଶକ୍ତିଶାଳୀ ଯେ ହାତରେ ହାତୀର ଶୁଣ୍ଢକୁ ମୋଡ଼ି ଦେଇପାରନ୍ତି।
ସେମାନେ ଗାଁ ଭିତରକୁ ଆସି ଶିଶୁମାନଙ୍କୁ ଚୋରାଇ ନିଅନ୍ତି। ଏହି ସମୟର କୌଣସି ଲେଖାରେ 'ଗରିଲା' ନାମର ଉଲ୍ଲେଖ ନଥିଲା। ସେମାନଙ୍କୁ କେଵଳ 'ଜଙ୍ଗଲୀ ମଣିଷ' ଵା 'ଵନ୍ୟ ରାକ୍ଷସ' ଭାବେ ଚିହ୍ନିତ କରାଯାଉଥିଲା। ଫଳରେ, ଵିଵର୍ତ୍ତନଵାଦ ଵା ପ୍ରାଣୀଵିଜ୍ଞାନ ଦୃଷ୍ଟିରୁ ଏହି ଜୀଵମାନଙ୍କ ସହିତ ଆମର ପରିଚୟ ବହୁତ ପଛରେ ପଡ଼ିଗଲା।

ଇତିହାସର ସେହି ଦୀର୍ଘ ନୀରଵତା ପରେ, ଯେତେବେଳେ ୟୁରୋପୀୟମାନେ ପୁଣିଥରେ ଆଫ୍ରିକାର ଗଭୀରତାକୁ ମାପିଵାକୁ ଚେଷ୍ଟା କଲେ, ସେତେବେଳେ ଜଣେ ଵ୍ୟକ୍ତିଙ୍କ ଅନୁଭୂତି ସାରା ଵିଶ୍ୱକୁ ଚକିତ କରିଦେଲା। ସେ ଥିଲେ ଇଂରେଜ ନାଵିକ Andrew Battel । ୧୫୮୯ ମସିହାରେ Andrew Battel ଏକ ସାମୁଦ୍ରିକ ଅଭିଯାନରେ ବାହାରିଥିଲେ, କିନ୍ତୁ ଭାଗ୍ୟର ଵିଡ଼ମ୍ଵନା ଯୋଗୁଁ ସେ ପର୍ତ୍ତୁଗାଲୀମାନଙ୍କ ଦ୍ୱାରା ବନ୍ଦୀ ହୋଇ ପ୍ରାୟ ୧୮ ଵର୍ଷ କାଳ ପଶ୍ଚିମ ଆଫ୍ରିକାର ଅଙ୍ଗୋଲା ଅଞ୍ଚଳରେ ରହିଵାକୁ ବାଧ୍ୟ ହୋଇଥିଲେ। ସେହି ବନ୍ଦୀ ଜୀଵନ ହିଁ ଗରିଲା ଓ ମଣିଷର ସମ୍ପର୍କର ତୃତୀୟ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସାଜିଲା।

ବ୍ୟାଟେଲ୍‌ଙ୍କ ଅନୁଭୂତି କେଵଳ ଶୁଣାକଥା ନଥିଲା। ବ୍ୟାଟେଲ୍‌ ନିଜେ ସେହି ଘଞ୍ଚ ଜଙ୍ଗଲରେ ରହିଵା ସମୟରେ ଏମିତି କିଛି ଦେଖିଲେ, ଯାହା ସେ ପର୍ଯ୍ୟନ୍ତ କୌଣସି ୟୁରୋପୀୟ ବହିରେ ଲେଖାଯାଇ ନଥିଲା। ଯେତେବେଳେ ସେ ସ୍ୱଦେଶକୁ ଫେରିଲେ, ତାଙ୍କର କାହାଣୀ ପ୍ରସିଦ୍ଧ ଭ୍ରମଣ ଲେଖକ ସାମୁଏଲ୍ ପର୍ଚାସ୍‌ଙ୍କ ଦ୍ୱାରା ଲୋକଲୋଚନକୁ ଆସିଲା। ବ୍ୟାଟେଲ୍ ପଶ୍ଚିମ ଆଫ୍ରିକାରେ ଦୁଇ ପ୍ରକାରର ଵିଶାଳକାୟ 'ଜଙ୍ଗଲୀ ମଣିଷ'(Great Apes)ଙ୍କ ଵିଷୟରେ କହିଥିଲେ, ଯାହାଙ୍କୁ ସ୍ଥାନୀୟ ଲୋକେ 'ପୋଙ୍ଗୋ' (Pongo) ଏଵଂ 'ଏଞ୍ଜେକୋ' (Engeco) ବୋଲି କହୁଥିଲେ। ଆଧୁନିକ ଵିଜ୍ଞାନୀମାନେ ଏହାକୁ ଵିଶ୍ଳେଷଣ କରି ଜାଣିଵାକୁ ପାଇଲେ ଯେ ଏଞ୍ଜେକୋ (Engeco) ପ୍ରକୃତରେ ସିମ୍ପାଞ୍ଜି' (Chimpanzee) ଏଵଂ ପୋଙ୍ଗୋ (Pongo) ହିଁ ଥିଲା ସେହି ରହସ୍ୟମୟ 'ଗରିଲା', ଯାହାର ସନ୍ଧାନ ହାନୋ ଖ୍ରୀଷ୍ଟପୂର୍ଵ ୫ମ ଶତାବ୍ଦୀରେ କରିଥିଲେ।

'ପୋଙ୍ଗୋ'ର ଶାରୀରିକ ଵର୍ଣ୍ଣନା ଓ ବଳ ଵିଷୟରେ
ବ୍ୟାଟେଲ୍‌ ଲେଖିଛନ୍ତି ଯେ 'ପୋଙ୍ଗୋ'ମାନେ ପ୍ରକୃତରେ ଵିଶାଳକାୟ ଥିଲେ। ସେମାନଙ୍କର ଶରୀର ମଣିଷଠାରୁ ଅଧିକ ଚଉଡ଼ା ଓ ମାଂସଳ ଥିଲା। ପୋଙ୍ଗୋମାନେ ଏତେ ଶକ୍ତିଶାଳୀ ଥିଲେ ଯେ ଜଣେ ସାଧାରଣ ମଣିଷ ସେମାନଙ୍କ ସହ କେବେ ହେଲେ ବି ସମାନ ହୋଇପାରିଵ ନାହିଁ। ବ୍ୟାଟେଲ୍‌ଙ୍କ ଏହି ତଥ୍ୟ ଯୋଗୁଁ "ଗରିଲାମାନେ ପୃଥିଵୀର ସବୁଠାରୁ ଶକ୍ତିଶାଳୀ ପ୍ରାଇମେଟ୍" ବୋଲି ୟୁରୋପୀୟମାନେ ଜାଣିପାରିଲେ ।

ପୁଣି ବ୍ୟାଟେଲ୍ ଏକ ଆଶ୍ଚର୍ଯ୍ୟଜନକ କଥା ଉଲ୍ଲେଖ କରିଥିଲେ— "ଯେତେବେଳେ ଜଙ୍ଗଲୀ ଅଞ୍ଚଳରେ ଶିକାରୀ କିମ୍ଵା ଵଣିକମାନେ ନିଆଁ ଜାଳି ଛାଡ଼ି ଯାଆନ୍ତି, ସେହି 'ପୋଙ୍ଗୋ'ମାନେ ନିଆଁ ପାଖକୁ ଚାଲି ଆସନ୍ତି। ସେମାନେ ନିଆଁର ଉତ୍ତାପକୁ ଉପଭୋଗ କରନ୍ତି ଏଵଂ ନିଜ ଶରୀରକୁ ଗରମ ରଖନ୍ତି। କିନ୍ତୁ ସେମାନଙ୍କ ପାଖରେ ନିଆଁକୁ ଜଳାଇ ରଖିଵା ପାଇଁ ବୁଦ୍ଧି ନଥାଏ, ଅର୍ଥାତ୍ ସେମାନେ ସେଥିରେ କାଠ ପକାଇଵା ଜାଣିନାହାନ୍ତି।" ଏହି ଗୋଟିଏ ଧାଡ଼ି ଵିଜ୍ଞାନ ଜଗତରେ ଏକ ବଡ଼ ଚର୍ଚ୍ଚାର ଵିଷୟ ପାଲଟିଲା, କାରଣ ଏହା ମଣିଷ ଏଵଂ ଗରିଲା ମଧ୍ୟରେ ଥିଵା ସେହି ମହତ୍ତ୍ୱପୂର୍ଣ୍ଣ ପ୍ରଭେଦକୁ ଦର୍ଶାଉଥିଲା।

ବ୍ୟାଟେଲ୍ କେଵଳ ଶାରୀରିକ ଗଠନ ନୁହେଁ ଵରଂ ଗରିଲାଙ୍କ ସ୍ୱଭାଵ ଵିଷୟରେ ମଧ୍ୟ କିଛି ରୋମାଞ୍ଚକର ତଥ୍ୟ ଦେଇଥିଲେ। ସେ ଦେଖିଥିଲେ ଯେ ପୋଙ୍ଗୋମାନେ ଦଳଗତ ଭାବେ ରହନ୍ତି। ଯେତେବେଳେ ଜଙ୍ଗଲରେ ହାତୀମାନେ ବୁଲନ୍ତି, ଗରିଲାମାନେ ସେମାନଙ୍କୁ ନିଜ ଅଞ୍ଚଳରୁ ଘଉଡ଼ାଇ ଦିଅନ୍ତି। ସେମାନେ ନିଜ ହାତରେ ଖପୁରୀ ପିଟି ଗର୍ଜନ କରନ୍ତି, ଯାହା ଶୁଣି ବଡ଼ ବଡ଼ ଜନ୍ତୁ ମଧ୍ୟ ଭୟଭୀତ ହୋଇଯାନ୍ତି।
ତାଙ୍କ ଵର୍ଣ୍ଣନାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ, ଗରିଲାମାନେ ସହଜରେ କାହା ଉପରକୁ ଆକ୍ରମଣ କରନ୍ତି ନାହିଁ, ଯେପର୍ଯ୍ୟନ୍ତ କେହି ସେମାନଙ୍କ ପରିଵାରକୁ କିମ୍ଵା ଶିଶୁମାନଙ୍କୁ ହଇରାଣ ନକରିଛି। ଯଦିଓ ବ୍ୟାଟେଲ୍ ଜଣେ ଵୈଜ୍ଞାନିକ ନଥିଲେ, ତଥାପି ତାଙ୍କର ପର୍ଯ୍ୟଵେକ୍ଷଣ ଏତେ ଯଥାର୍ଥ ଥିଲା ଯେ ପରଵର୍ତ୍ତୀ ସମୟରେ ଏହାକୁ ଭିତ୍ତି କରି ଅନେକ ଗଵେଷଣା କରାଗଲା।

ବ୍ୟାଟେଲ୍‌ଙ୍କ ଏହି ଵୃତ୍ତାନ୍ତ ଲଣ୍ଡନରେ ପ୍ରକାଶ ପାଇଲାରୁ ଅନେକ ଵିଦ୍ୱାନ ଏହାକୁ ଵିଶ୍ୱାସ କଲେ ନାହିଁ। ଜଣେ ମଣିଷ ଭଳି ଦେଖାଯାଉଥିଵା ପଶୁ ହାତୀକୁ ଡରାଇଵା କିମ୍ଵା ନିଆଁ ପାଖରେ ବସିଵା ଅସମ୍ଭଵ ବୋଲି ସେମାନେ ଵିଚାର କଲେ । କିନ୍ତୁ ଏହି "ପୋଙ୍ଗୋ" ନାମଟି ୟୁରୋପୀୟ ଶବ୍ଦକୋଷରେ ସ୍ଥାନ ପାଇଗଲା। ପଶ୍ଚିମ ଆଫ୍ରିକାର କଙ୍ଗୋ ଅଞ୍ଚଳରେ ବୋଲାଯାଉଥିବା 'କିକଙ୍ଗୋ' ଭାଷାରେ ଏକ ଶବ୍ଦ ଅଛି—'ମ୍ପୁଙ୍ଗୁ' (Mpungu), ଯାହାର ଅର୍ଥ "ଵିଶାଳ କାୟ ଵନ୍ୟ ପ୍ରାଣୀ" ଵା ବଡ଼ ଵାନର ଅଟେ । ଆଣ୍ଡ୍ରୁ ବ୍ୟାଟେଲ୍ ଏହି 'ମ୍ପୁଙ୍ଗୁ' ଶବ୍ଦକୁ ୟୁରୋପୀୟ ଉଚ୍ଚାରଣରେ 'Pongo' ବୋଲି ଲେଖିଥିଲେ। 

ଯେତେବେଳେ ପ୍ରସିଦ୍ଧ ଜୀଵଵିଜ୍ଞାନୀ Carl Linnaeus ଜୀଵମାନଙ୍କ ଶ୍ରେଣୀଵିଭାଗ କଲେ, ସେତେବେଳେ ସେ ଏହି 'ପୋଙ୍ଗୋ' ଶବ୍ଦରୁ ପ୍ରଭାଵିତ ହୋଇଥିଲେ। ସେତେବେଳେ ସେ Orangutanମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଵା ପାଇଁ ନାଆଁଟିଏ ଖୋଜୁଥିଲେ । ନିଜେ ଲିନିଅସ୍ ଏହି ବଡ଼ ବାନରମାନଙ୍କ ପାଇଁ ଆଫ୍ରିକୀୟ 'ପୋଙ୍ଗୋ' ଶବ୍ଦରୁ ପ୍ରଭାଵିତ ହୋଇ ଏହାର ନାମ Simia pygmaeus କଲେ, ଯାହା ପରେ ସମ୍ପୂର୍ଣ୍ଣ ଭାବେ ଓରାଙ୍ଗୁଟାନ ଜାତି ପାଇଁ Pongo Genus ଭାବେ ସ୍ଥାୟୀ ରୂପ ନେଲା। ତେଣୁ ଆଫ୍ରିକାରେ ଗରିଲାର ସ୍ଥାନୀୟ ନାମ ରୂପେ ପ୍ରଚଳିତ ମ୍ପୁଙ୍ଗୁ ଶବ୍ଦଟି ୟୁରୋପ ଯାଇ Pongi ହେଲା ଏଵଂ ଶେଷରେ ପୃଥିଵୀର ସବୁଠାରୁ ବୁଦ୍ଧିମାନ ମହାଵାନର 'ଓରାଙ୍ଗୋଟାଙ୍ଗ୍' ଵଂଶର ଵୈଜ୍ଞାନିକ ନାମ ରୂପେ ପ୍ରଚଳିତ ହେଲା । 

ତେବେ ଆଣ୍ଡ୍ରୁ ବ୍ୟାଟେଲ୍‌ଙ୍କ ଗରିଲା ସମ୍ବନ୍ଧୀୟ ଵିଵରଣୀ ହିଁ ପ୍ରମାଣ କଲା ଯେ ହାନୋ ଦି ନେଵିଗେଟର ଯାହା ଦେଖିଥିଲେ, ତାହା କୌଣସି କାଳ୍ପନିକ କଥା ନଥିଲା। ଏହି ଇଂରେଜ ନାଵିକଙ୍କ ମାଧ୍ୟମରେ ୨୦୦୦ ଵର୍ଷର ନୀରଵତାର ଅନ୍ତ ଘଟିଲା ଏଵଂ ପାଶ୍ଚାତ୍ୟ ଜଗତ ଆଉଥରେ ଆଫ୍ରିକାର ସେହି ଵିଶାଳକାୟ 'ଵନ୍ୟ ପ୍ରାଣୀ'ଙ୍କୁ ଖୋଜିଵା ପାଇଁ ଉତ୍ସାହିତ ହେଲା। ଏହା ହିଁ ଥିଲା ଗରିଲା ଇତିହାସର ସେହି ଗୁରୁତ୍ୱପୂର୍ଣ୍ଣ ମୋଡ଼, ଯେଉଁଠୁ ଗଳ୍ପ,କାହାଣୀ ଓ କିମ୍ବଦନ୍ତୀ ପଛରେ ରହିଗଲା ଏଵଂ ଵାସ୍ତଵିକ ଅନୁସନ୍ଧାନର ପଥ ପ୍ରଶସ୍ତ ହେଲା।

ଆଣ୍ଡ୍ରୁ ବ୍ୟାଟେଲ୍‌ଙ୍କ ସେହି ରୋମାଞ୍ଚକର ଵର୍ଣ୍ଣନା ପରେ ପାଶ୍ଚାତ୍ୟ ଜଗତରେ 'ପୋଙ୍ଗୋ' ଵା 'ଵନ୍ୟ ମଣିଷ'ଙ୍କୁ ନେଇ ଚର୍ଚ୍ଚା ହେଉଥିଲା , କିନ୍ତୁ ଵିଜ୍ଞାନ ପାଖରେ ସେତେବେଳେ କୌଣସି ଉପଯୁକ୍ତ ପ୍ରମାଣ ନଥିଲା। ସମସ୍ତେ ତଥାପି ଭାବୁଥିଲେ ଯେ ଏହା ହୁଏତ ଏକ କାଳ୍ପନିକ ଗଳ୍ପ। କିନ୍ତୁ ଊନଵିଂଶ ଶତାବ୍ଦୀର ମଧ୍ୟଭାଗରେ ଘଟିଥିଵା ଏକ ଘଟଣା ଇତିହାସର ଗତିପଥକୁ ସମ୍ପୂର୍ଣ୍ଣ ଵଦଳାଇ ଦେଲା। ଏହି ସମୟରେ ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକ ଵା ମିଶନାରୀମାନେ ଆଫ୍ରିକାର ଅଜ୍ଞାତ ଅଞ୍ଚଳକୁ ପ୍ରଵେଶ କରିଵା ଆରମ୍ଭ କରିଥିଲେ। ସେହିମାନଙ୍କ ମଧ୍ୟରୁ ଜଣେ ଥିଲେ ଆମେରିକୀୟ ମିଶନାରୀ Thomas Savage ଯିଏ ପେଶାରେ ଜଣେ ଚିକିତ୍ସକ ମଧ୍ୟ ଥିଲେ।

୧୮୪୭ ମସିହାର କଥା। ଡାକ୍ତର ସାଵେଜ୍ ଲାଇବେରିଆରୁ ଗାବନ୍ ଅଭିମୁଖେ ଯାତ୍ରା କରୁଥିଲେ। ସେହି ସମୟରେ ସେ ଗାବନ୍ ନଦୀ କୂଳରେ ଅଟକିଥିଵା ବେଳେ ସ୍ଥାନୀୟ ଲୋକଙ୍କ ପାଖରେ କିଛି ଅଦ୍ଭୁତ ଧରଣର ଵିଶାଳକାୟ ହାଡ଼ ଏଵଂ ଖପୁରୀ ଦେଖିଵାକୁ ପାଇଲେ। ଜଣେ ଚିକିତ୍ସକ ଏଵଂ ପ୍ରାକୃତିକ ଵିଜ୍ଞାନ ପ୍ରତି ଆଗ୍ରହୀ ଵ୍ୟକ୍ତି ଥିଵାରୁ ସାଵେଜ୍ ସହଜରେ ବୁଝିପାରିଲେ ଯେ, ଏହା କୌଣସି ସାଧାରଣ ଵାନର କିମ୍ବା ମଣିଷର ଖପୁରୀ ନୁହେଁ। ସେ ସ୍ଥାନୀୟ ଲୋକଙ୍କୁ ପଚାରିଵାରୁ ଜାଣିଵାକୁ ପାଇଲେ ଯେ, ଏହା ଜଙ୍ଗଲରେ ଵାସ କରୁଥିଵା ଏକ ଵିଶାଳକାୟ ପ୍ରାଣୀର, ଯାହାକୁ ସେମାନେ Mpongwe କିମ୍ବା Mpungu ଭଳି କିଛି ନାମରେ ଡାକୁଥିଲେ।

ସାଵେଜ୍ ସେଠାରୁ କିଛି ଖପୁରୀ ଓ ହାଡ଼ ସଂଗ୍ରହ କଲେ। ସେ ଜାଣିଥିଲେ ଯେ ଏହି ଆଵିଷ୍କାର ସାରା ଵିଶ୍ୱର ପ୍ରାଣୀ ଵିଜ୍ଞାନକୁ ଦୋହଲାଇ ଦେଵ। କିନ୍ତୁ ସେ ଜଣେ ଵିଶ୍ଳେଷକ ନଥିଲେ, ତେଣୁ ସେ ଏହି ସମସ୍ତ ଅସ୍ଥି ଅଵଶେଷକୁ ଆମେରିକାର ପ୍ରସିଦ୍ଧ ଶରୀରତତ୍ତ୍ୱଵିତ୍ ଓ ପ୍ରାଣୀଵିଜ୍ଞାନୀ ଜେଫ୍ରିସ୍ ୱାଇମ୍ୟାନ୍‌ଙ୍କ ପାଖକୁ ହାଵାର୍ଡ ପଠାଇଲେ। ସାଵେଜ୍ ଓ ୱାଇମ୍ୟାନ୍‌ଙ୍କ ମଧ୍ୟରେ ଚିଠିପତ୍ର ଆଦାନପ୍ରଦାନ ହେଲା। ସେମାନେ ମିଶି ସେହି ହାଡ଼ଗୁଡ଼ିକର ପୁଙ୍ଖାନୁପୁଙ୍ଖ ପରୀକ୍ଷା କଲେ। ୱାଇମ୍ୟାନ୍ ଦେଖିଲେ ଯେ, ଏହି ପ୍ରାଣୀଟି ସିମ୍ପାଞ୍ଜି ଅପେକ୍ଷା ଯଥେଷ୍ଟ ବଡ଼ ଏଵଂ ଏହାର ଦାନ୍ତର ଗଠନ ସମ୍ପୂର୍ଣ୍ଣ ଭିନ୍ନ। ଏହାର ଅସ୍ଥିଗୁଡ଼ିକ ମଣିଷର ଅସ୍ଥି ସଂରଚନା ସହ ଆଶ୍ଚର୍ଯ୍ୟଜନକ ଭାବେ ମେଳ ଖାଉଥିଲା, କିନ୍ତୁ ଏହାର ଶକ୍ତି ଏଵଂ ଆକାର ଥିଲା ଅନେକ ଗୁଣ ଅଧିକ।

ଏହି ସମୟରେ ସେମାନଙ୍କ ମନକୁ ଆସିଲା ସେହି ପ୍ରାଚୀନ ଇତିହାସ। ସେମାନେ ହାନୋ ଦି ନେଵିଗେଟରଙ୍କ ଵୃତ୍ତାନ୍ତ ଵିଷୟରେ ପଢ଼ିଥିଲେ ଏଵଂ ହାନୋ 'Gorillai' ଶବ୍ଦ ଵ୍ୟଵହାର କରିଥିଲେ ବୋଲି ଜାଣିଥିଲେ । ସେମାନେ ଅନୁଭଵ କଲେ ଯେ, ହାନୋ ଯାହା ଦେଖିଥିଲେ, ଏହା ହିଁ ସେହି ପ୍ରାଣୀ। ଇତିହାସ ପ୍ରତି ସମ୍ମାନ ଜଣାଇ ଏଵଂ ଏକ ନୂତନ ଵୈଜ୍ଞାନିକ ପରିଚୟ ଦେଵା ପାଇଁ, ସେମାନେ ଏହି ପ୍ରାଣୀର ଵୈଜ୍ଞାନିକ ନାମକରଣ କଲେ— Troglodytes gorilla ଏଵଂ ପରଵର୍ତ୍ତୀ ସମୟରେ ଗରିଲାର ଵୈଜ୍ଞାନିକ ନାମ କେଵଳ Gorilla gorilla ହେଲା । ୧୮୪୭ ମସିହା ଅଗଷ୍ଟ ମାସରେ 'ବୋଷ୍ଟନ ସୋସାଇଟି ଅଫ୍ ନାଚୁରାଲ ହିଷ୍ଟ୍ରି'ରେ ସେମାନଙ୍କର ଏହି ଗଵେଷଣା ପତ୍ର ପ୍ରକାଶ ପାଇଲା। ଏହା ଥିଲା ଆଧୁନିକ ଵିଜ୍ଞାନ ଇତିହାସରେ ଗରିଲାଙ୍କର "ଜନ୍ମ ପ୍ରମାଣପତ୍ର"। ଏହା ପୂର୍ଵରୁ ଗରିଲାମାନେ କେଵଳ କାହାଣୀରେ ହିଁ ଥିଲେ, କିନ୍ତୁ ସାଵେଜ୍ ଓ ୱାଇମ୍ୟାନ୍ ସେମାନଙ୍କୁ ଵାସ୍ତଵିକତାର ରୂପ ଦେଲେ।

ଏହି ଆଵିଷ୍କାର ନୂଆ ଜୀଵର ସନ୍ଧାନ ସହିତ ମଣିଷର ଉତ୍ପତ୍ତି ଏଵଂ ପ୍ରକୃତି ସହ ଗରିଲାର ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କଲା। ସାଵେଜ୍ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିଥିଵା ତଥ୍ୟକୁ ଆଧାର କରି ଲେଖିଥିଲେ ଯେ, ଏହି ପ୍ରାଣୀମାନେ ଅତ୍ୟନ୍ତ ବୁଦ୍ଧିମାନ ଏଵଂ ସେମାନେ ନିଜର ଵାସସ୍ଥାନ ତିଆରି କରିଵା ପାଇଁ ଗଛର ଡାଳ ପତ୍ର ଵ୍ୟଵହାର କରନ୍ତି। ସେମାନେ ହିଂସ୍ର ନୁହଁନ୍ତି, କିନ୍ତୁ ନିଜ ପରିଵାରକୁ ରକ୍ଷା କରିଵା ପାଇଁ କୌଣସି ବି ଵିପଦର ସାମ୍ନା କରିପାରନ୍ତି। ସାଵେଜ୍ ତାଙ୍କ ଵିଵରଣୀରେ ଏକ ମୁଖ୍ୟ କଥା ଉଲ୍ଲେଖ କରିଥିଲେ ଯାହା ସାରା ୟୁରୋପକୁ ଆଶ୍ଚର୍ଯ୍ୟ କରିଥିଲା। ସେ ଲେଖିଥିଲେ ଯେ, ଗରିଲାମାନେ କେବେ ବି ପ୍ରଥମେ ଆକ୍ରମଣ କରନ୍ତି ନାହିଁ। ଯଦି କେହି ସେମାନଙ୍କ ଅଞ୍ଚଳକୁ ଆସେ, ତେବେ ପରିଵାରର ମୁଖିଆ ଵା ସିଲଵରବ୍ୟାକ୍ ଆଗକୁ ଆସି ଏକ ପ୍ରକାରର ଭୟାନକ ଶବ୍ଦ କରେ ଏଵଂ ନିଜ ଛାତିକୁ ପିଟେ। 

ସାଵେଜ୍‌ଙ୍କ ଏହି ଛାତି ପିଟିଵାର ଵର୍ଣ୍ଣନା ହିଁ ଗରିଲାଙ୍କର ସବୁଠାରୁ ବଡ଼ ସଙ୍କେତ ଭାବେ ପରିଚିତ ହେଲା। ଏହି ଆଵିଷ୍କାର ଫଳରେ ୟୁରୋପ ଓ ଆମେରିକାର ସଂଗ୍ରହାଳୟଗୁଡ଼ିକ ଗରିଲାଙ୍କ ଅଵଶେଷ ପାଇଵା ପାଇଁ ପାଗଳ ହୋଇଉଠିଲେ। ଥୋମାସ୍ ସାଵେଜ୍‌ଙ୍କ ଏହି ସାହସିକ ପଦକ୍ଷେପ ଏଵଂ ୱାଇମ୍ୟାନ୍‌ଙ୍କ ଵୈଜ୍ଞାନିକ ଵିଶ୍ଳେଷଣ ହିଁ ପ୍ରମାଣ କଲା ଯେ, ହାନୋଙ୍କ 'Gorillai' ଏକ ରୂପକଥା ନଥିଲା ଵରଂ ଏହା ଥିଲା ପ୍ରକୃତିର ଏକ ଅଦ୍ଭୁତ କୃତି ଯାହା ହଜାର ହଜାର ଵର୍ଷ ଧରି ମଣିଷ ଆଖିରୁ ଲୁଚି ରହିଥିଲା। ଏହିଠାରୁ ହିଁ ଆରମ୍ଭ ହେଲା ଗରିଲାଙ୍କୁ ନେଇ ଆଧୁନିକ ଅନ୍ୱେଷଣର ଏକ ନୂଆ ଯୁଗ ।

ଥୋମାସ୍ ସାଵେଜ୍ ଓ ଜେଫ୍ରିସ୍ ୱାଇମ୍ୟାନ୍‌ଙ୍କ ଵୈଜ୍ଞାନିକ ଘୋଷଣା ପରେ ଗରିଲା ଶବ୍ଦଟି ଵିଜ୍ଞାନ ପୁସ୍ତକରେ ସିନା ସ୍ଥାନ ପାଇଗଲା କିନ୍ତୁ ସାଧାରଣ ଜନତାଙ୍କ ପାଇଁ ଏହା ଏବେ ମଧ୍ୟ ଏକ ରହସ୍ୟମୟ କାହାଣୀ ହୋଇ ରହିଥିଲା। କେହି ଜଣେ ହେଲେ ବି ଶ୍ୱେତକାୟ ଵ୍ୟକ୍ତି ଜୀଵନ୍ତ ଗରିଲାକୁ ଜଙ୍ଗଲରେ ଦେଖିନଥିଲେ କିମ୍ଵା ତାର ସ୍ୱଭାଵ ଵିଷୟରେ ଵାସ୍ତଵିକ ତଥ୍ୟ ଦେଇପାରୁନଥିଲେ। ଏହି ଶୂନ୍ୟସ୍ଥାନକୁ ପୂରଣ କରିଵା ପାଇଁ ଇତିହାସର ରଙ୍ଗମଞ୍ଚରେ ଜଣେ ସାହସୀ ଏଵଂ ଵିଵାଦୀୟ ଚରିତ୍ରଙ୍କ ପ୍ରବେଶ ଘଟିଲା ଏଵଂ ସିଏ ଫରାସୀ-ଆମେରିକୀୟ ଅନ୍ୱେଷଣକାରୀ Paul Du Chaillu ଅଟନ୍ତି।

୧୮୫୦ ଦଶକର କଥା। ପଲ୍ ଡୁ ଚାଇଲୁ ନିଜର ଏକ ସ୍ୱପ୍ନକୁ ପିଛା କରି ଆଫ୍ରିକାର ପଶ୍ଚିମ ଉପକୂଳରେ ପହଞ୍ଚିଲେ। ସେତେବେଳେ ଆଫ୍ରିକାର ଆଭ୍ୟନ୍ତର ଭାଗ ଏତେ ଘଞ୍ଚ ଏଵଂ ଵିପଦପୂର୍ଣ୍ଣ ଥିଲା ଯେ, ବଡ଼ ବଡ଼ ସୈନ୍ୟଵାହିନୀ ମଧ୍ୟ ସେଠାକୁ ଯିଵାକୁ ଡରୁଥିଲେ। କିନ୍ତୁ ଡୁ ଚାଇଲୁ ଜଣେ ଜିଦ୍‌ଖୋର ଵ୍ୟକ୍ତି ଥିଲେ। ସେ ୧୮୫୬ ମସିହାରୁ ୧୮୫୯ ମସିହା ମଧ୍ୟରେ କେଵଳ ସ୍ଥାନୀୟ ଗୋଷ୍ଠୀଙ୍କ ସାହାଯ୍ୟରେ ଗାବନ୍ ଓ ଇକ୍ୱେଟୋରିଆଲ୍ ଗୁଏନିଆର ସେହି ଦୁର୍ଗମ ଅଞ୍ଚଳରେ ପ୍ରାୟ ୮,୦୦୦ ମାଇଲ୍ ପଦଯାତ୍ରା କରିଥିଲେ।

ସେ ଥିଲେ ପ୍ରଥମ ୟୁରୋପୀୟ, ଯିଏ ଗରିଲାମାନଙ୍କୁ ସେମାନଙ୍କର ପ୍ରାକୃତିକ ପରିଵେଶରେ ଜୀଵନ୍ତ ଅଵସ୍ଥାରେ ଦେଖିଵାର ସୁଯୋଗ ପାଇଥିଲେ। ସେ ଯେତେବେଳେ ପ୍ରଥମ ଥର ଗୋଟିଏ ଵିଶାଳକାୟ ଗରିଲାକୁ ସାମ୍ନାସାମ୍ନି ଦେଖିଲେ, ତାଙ୍କର ହୃଦସ୍ପନ୍ଦନ ବଢ଼ିଯାଇଥିଲା। ପଲ୍ ଡୁ ଚାଇଲୁ ତାଙ୍କ ଡାଏରୀରେ ଲେଖିଥିଲେ ଯେ, ସେ ପ୍ରକୃତରେ ଜଣେ "କିମ୍ଵଦନ୍ତୀର ଦୈତ୍ୟ" ଵା 'ନର୍କର ପଶୁ'କୁ ଦେଖୁଛନ୍ତି। ତାଙ୍କ ଵର୍ଣ୍ଣନାରେ ଗରିଲାମାନେ ଥିଲେ ଅତ୍ୟନ୍ତ ଭୟଙ୍କର ଏଵଂ ଶକ୍ତିଶାଳୀ। ପଲ୍ ଡୁ ଚାଇଲୁଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ନାଟକୀୟ ଏଵଂ ରୋମାଞ୍ଚକର ଥିଲା । ସେ ଵର୍ଣ୍ଣନା କରିଥିଲେ ଯେ, ଯେତେବେଳେ ଜଣେ ଶିକାରୀ ଜଙ୍ଗଲ ଭିତରକୁ ପ୍ରଵେଶ କରେ, ଗରିଲାମାନେ ହଠାତ୍ ଅଦୃଶ୍ୟ ହୋଇଯାନ୍ତି ନାହିଁ। ଦଳର ନେତା,ସବୁଠାରୁ ବଡ଼ ସିଲଵରବ୍ୟାକ୍ ଗରିଲା ସେନାପତି ପରି ସାମ୍ନାକୁ ଆସି ଛିଡ଼ା ହୋଇଯାଏ। ପଲ୍ ଡୁ ଚାଇଲୁ ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ଵିଶ୍ୱକୁ ଜଣାଇଲେ ଯେ, ଗରିଲାମାନେ କ୍ରୋଧିତ ହେଲେ କିମ୍ଵା ନିଜର ପ୍ରଭୁତ୍ୱ ଦେଖାଇଲେ ଦୁଇ ଗୋଡ଼ରେ ଛିଡ଼ା ହୋଇଯାନ୍ତି ଏଵଂ ନିଜର ଶକ୍ତିଶାଳୀ ହାତରେ ଛାତିକୁ ପିଟି ଏକ ଭୟଙ୍କର ଗର୍ଜନ କରନ୍ତି।

ପଲ୍ ଡୁ ଚାଇଲୁ ଲେଖିଥିଲେ, "ସେହି ଛାତି ପିଟିଵାର ଶବ୍ଦ କୌଣସି ଯୁଦ୍ଧ ବାଜାଠାରୁ କମ୍ ନୁହେଁ। ତାହା ଶୁଣିଲେ ମନେହୁଏ ଯେମିତି କେହି ଜଣେ ଵିଶାଳକାୟ ଢୋଲ ବଜାଉଛି।" ପଲ୍ ଡୁ ଚାଇଲୁଙ୍କର ଏହି ଗୋଟିଏ ଵର୍ଣ୍ଣନା ସାରା ଵିଶ୍ୱରେ ଗରିଲାଙ୍କ ପ୍ରତି ଥିଵା ଦୃଷ୍ଟିକୋଣକୁ ଭୟ ଓ କୌତୂହଳରେ ଭରିଦେଲା। ଲୋକମାନେ ଗରିଲାକୁ ଏକ ଶାନ୍ତ ପଶୁ ଭାବେ ନୁହେଁ ଵରଂ ଜଙ୍ଗଲର 'ଅପରାଜେୟ ଯୋଦ୍ଧା' ଭାବେ ମନେ କରିଵାକୁ ଲାଗିଲେ।

୧୮୬୧ ମସିହାରେ ଯେତେବେଳେ ଡୁ ଚାଇଲୁ ଆଫ୍ରିକାରୁ ଫେରିଲେ ସେତେବେଳେ ସେ ନିଜ ସାଙ୍ଗରେ କିଛି ମୃତ ଗରିଲାଙ୍କ ସଂରକ୍ଷିତ ଶରୀର ଓ ଖପୁରୀ ନେଇ ଆସିଥିଲେ। ସେ ଲଣ୍ଡନରେ ଏକ ଵିଶାଳ ପ୍ରଦର୍ଶନୀର ଆୟୋଜନ କଲେ। ହଜାର ହଜାର ଲୋକ ଏହି ଅଦ୍ଭୁତ 'ଵନ୍ୟ ମଣିଷ'କୁ ଦେଖିଵା ପାଇଁ ଭିଡ଼ ଜମାଇଲେ। ସେହି ସମୟର ପ୍ରଖ୍ୟାତ ଵୈଜ୍ଞାନିକମାନେ ମଧ୍ୟ ପଲ୍ ଡୁ ଚାଇଲୁଙ୍କ ତଥ୍ୟକୁ ନେଇ ଦୁଇ ଭାଗରେ ଵିଭକ୍ତ ହୋଇଗଲେ।
କିଛି ଲୋକ ଭାବୁଥିଲେ ପଲ୍ ଡୁ ଚାଇଲୁ ଜଣେ ମିଛୁଆ ଏଵଂ ସେ ନିଜର ବହି ବିକ୍ରି କରିଵା ପାଇଁ ଗରିଲାଙ୍କୁ ଅତିରଞ୍ଜିତ ଭାବେ ରାକ୍ଷସ ପରି ଵର୍ଣ୍ଣନା କରୁଛନ୍ତି। ଵିଶେଷ କରି ତତ୍କାଳୀନ ଵିଜ୍ଞାନୀ ରିଚାର୍ଡ ଓୱେନ୍ ତଥା ଥୋମାସ୍ ହକ୍ସଲେଙ୍କ ମଧ୍ୟରେ ଗରିଲା ଓ ମଣିଷର ମସ୍ତିଷ୍କର ସମାନତାକୁ ନେଇ ଏକ ବଡ଼ ଵିତର୍କ ଆରମ୍ଭ ହେଲା। କିନ୍ତୁ ପଲ୍ ଡୁ ଚାଇଲୁଙ୍କ ପୁସ୍ତକ 'Explorations and Adventures in Equatorial Africa' ସେତେବେଳର ସବୁଠାରୁ ବଡ଼ 'bestseller' ପାଲଟିଗଲା।

ଗୁମ୍ଫାରେ ରହୁଥିଵା ଦୈତ୍ୟ, ଛାତି ପିଟିଵା ଏଵଂ ଅତ୍ୟଧିକ ବଳ ଇତ୍ୟାଦି ପଲ୍ ଡୁ ଚାଇଲୁଙ୍କର ଗରିଲା ସମ୍ବନ୍ଧୀୟ ଭୟଙ୍କର ଵର୍ଣ୍ଣନାମାନ ପରଵର୍ତ୍ତୀ ସମୟରେ ପାଶ୍ଚାତ୍ୟ ପପୁଲାର୍ କଲ୍‌ଚର୍‌କୁ ବହୁତ ପ୍ରଭାଵିତ କଲା। ୧୯୩୩ ମସିହାରେ ଯେତେବେଳେ ପ୍ରସିଦ୍ଧ ଚଳଚ୍ଚିତ୍ର King Kong ନିର୍ମାଣ ହେଲା ସେତେବେଳେ ସେଥିରେ ଥିଵା ଗରିଲା ଚରିତ୍ରଟି ସମ୍ପୂର୍ଣ୍ଣ ଭାବେ ଡୁ ଚାଇଲୁଙ୍କ ଵର୍ଣ୍ଣନା ଉପରେ ଆଧାରିତ ଥିଲା। ଏକ ଭୟଙ୍କର, ନିୟନ୍ତ୍ରଣହୀନ ଓ ପରାକ୍ରମୀ ଗରିଲା, ଯିଏ ନିଜର ଶକ୍ତି ବଳରେ ସହରକୁ ଥରାଇ ଦିଏ।

ଯଦ୍ୟପି ପଲ୍ ଡୁ ଚାଇଲୁ ଗରିଲାଙ୍କୁ ଏକ 'ହିଂସ୍ର ପ୍ରାଣୀ' ଭାବେ ଚିତ୍ରଣ କରିଥିଲେ, ତଥାପି ତାଙ୍କର ଅଵଦାନକୁ ଅସ୍ୱୀକାର କରାଯାଇପାରିଵ ନାହିଁ। ସେ ହିଁ ପ୍ରଥମ ଵ୍ୟକ୍ତି ଥିଲେ ଯିଏ ପୃଥିଵୀକୁ ଜଣାଇଲେ ଯେ, ଗରିଲାମାନେ କୌଣସି କାହାଣୀ ଵର୍ଣ୍ଣିତ କାଳ୍ପନିକ ଜୀଵ ନୁହେଁ ଵରଂ ସେମାନେ ରକ୍ତ ମାଂସରେ ଗଢ଼ା ଵାସ୍ତଵିକ ଜୀଵ। ଗରିଲାମାନଙ୍କୁ ଦେଖିଵା ପାଇଁ ଏଵଂ ସେମାନଙ୍କ ସହ ସମୟ ଵିତାଇଵା ପାଇଁ ପଲ୍ ଡୁ ଚାଇଲୁ ଯେଉଁ ସାହସ ଦେଖାଇଲେ ତାହା ହିଁ ଭଵିଷ୍ୟତର Field Biology ପାଇଁ ନୂତନ ଦିଗନ୍ତ ଖୋଲିଦେଲା। ତାଙ୍କ ପରେ ହିଁ ମଣିଷ ଗରିଲାଙ୍କ ସମ୍ପର୍କରେ ଆହୁରି ଗଭୀରକୁ ଯିଵାକୁ ଚେଷ୍ଟା କଲା ଏଵଂ ଜାଣିଵାକୁ ପାଇଲା ଯେ, ବାହାରକୁ ଦୈତ୍ୟ ପରି ଦେଖାଯାଉଥିଵା ଏହି ଜୀଵଟି ପ୍ରକୃତରେ ଭିତରୁ କେତେ କୋମଳ ଓ ଶାନ୍ତ ଅଟେ।

ପଲ୍ ଡୁ ଚାଇଲୁଙ୍କ ସେହି ରୋମାଞ୍ଚକର ଏଵଂ କିଛି ମାତ୍ରାରେ ଭୟଙ୍କର ଵର୍ଣ୍ଣନା ପରେ, ଵିଶ୍ୱଵାସୀ ଭାବିଥିଲେ ଯେ ସେମାନେ ଗରିଲାଙ୍କ ଵିଷୟରେ ସବୁକିଛି ଜାଣିସାରିଛନ୍ତି। ୧୯ଶ ଶତାବ୍ଦୀର ଶେଷ ସୁଦ୍ଧା ପଶ୍ଚିମ ଆଫ୍ରିକାର ନିମ୍ନ ସମତଳ ଅଞ୍ଚଳରେ ରହୁଥିଵା "Western Lowland Gorilla" ଵୈଜ୍ଞାନିକ ମାନଚିତ୍ରରେ ନିଜର ସ୍ଥାନ ପକ୍କା କରିସାରିଥିଲେ। କିନ୍ତୁ ପ୍ରକୃତିର ଗର୍ଭରେ ଆଉ ଏକ ବଡ଼ ରହସ୍ୟ ଲୁଚି ରହିଥିଲା, ଯାହା ଵିଷୟରେ କୌଣସି ୟୁରୋପୀୟ ଅନ୍ୱେଷଣକାରୀ କଳ୍ପନା ସୁଦ୍ଧା କରିନଥିଲେ। ଏହି ରହସ୍ୟ ଥିଲା ଆଫ୍ରିକାର ପୂର୍ଵ ଭାଗରେ, ବାଦଲଘେରା ଉଚ୍ଚ ପର୍ଵତମାଳାର ଶିଖରରେ ଵାସ କରୁଥିଵା ଏକ ସମ୍ପୂର୍ଣ୍ଣ ଭିନ୍ନ ଜାତିର ଗରିଲା। ଏହି ନୂତନ ଅଧ୍ୟାୟର ଆରମ୍ଭ ହେଲା ୨୦ଶ ଶତାବ୍ଦୀର ପ୍ରାରମ୍ଭରେ, ଯେତେବେଳେ ଜଣେ ଜର୍ମାନ ଅଫିସରଙ୍କ ସାହସିକ ଯାତ୍ରା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ିଲା।

୧୯୦୨ ମସିହାର କଥା। ସେତେବେଳେ ପୂର୍ଵ ଆଫ୍ରିକାର କିଛି ଅଞ୍ଚଳ ଜର୍ମାନୀର ଉପନିଵେଶ ଥିଲା। ଜର୍ମାନ ସେନାଵାହିନୀର ଜଣେ ଦକ୍ଷ ଅଫିସର କ୍ୟାପଟେନ Robert von Beringe ରୁଆଣ୍ଡା ଓ କଙ୍ଗୋ ସୀମାରେ ଥିଵା ଭିରୁଙ୍ଗା ପର୍ଵତମାଳାର ସୀମା ନିର୍ଦ୍ଧାରଣ ଏଵଂ ଅନୁସନ୍ଧାନ ପାଇଁ ଏକ ଅଭିଯାନରେ ଵାହାରିଥିଲେ। ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ପ୍ରାୟ ୧୦,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଥିଲା ଏଵଂ ପ୍ରାୟ ସବୁ ସମୟରେ ଘଞ୍ଚ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହୁଥିଲା।
ଅକ୍ଟୋବର ୧୭ ତାରିଖରେ ବେରିଞ୍ଜେ ଏଵଂ ତାଙ୍କର ସହଯୋଗୀମାନେ Mount Sabinyo ଆରୋହଣ କରୁଥିଲେ। ସେମାନେ ନିଜର ଶିବିର ସ୍ଥାପନ କରିଵା ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଵା ବେଳେ ହଠାତ୍ ସେମାନଙ୍କର ସାମ୍ନା ହେଲା କିଛି ଅଦ୍ଭୁତ ଜୀଵଙ୍କ ସହ। ସେମାନେ ଥିଲେ ଵିଶାଳକାୟ, ସର୍ଵଶରୀର କଳା ଏଵଂ ଲମ୍ଵା ଲୋମରେ ଆଚ୍ଛାଦିତ। ଏହି ଜୀଵମାନେ ପଶ୍ଚିମ ଆଫ୍ରିକାରେ ଦେଖାଯାଉଥିଵା ଗରିଲାଙ୍କ ଅପେକ୍ଷା ଆକାରରେ ବଡ଼ ଏଵଂ ସେମାନଙ୍କ ଶରୀରରେ ଥିଵା କଳା ଲୋମ ଅଧିକ ଘଞ୍ଚ ଥିଲା।

ବେରିଞ୍ଜେ ପ୍ରଥମେ ଭାବିଥିଲେ ସେଗୁଡ଼ିକ କୌଣସି ଵନ୍ୟ ମଣିଷ ଵା ଅସୁର। କିନ୍ତୁ ସେମାନଙ୍କ ଗତିଵିଧି ଦେଖି ସେ ବୁଝିପାରିଲେ ଯେ ସେମାନେ ଗରିଲା ଜାତିର। ତଥାପି ଏକ ବଡ଼ ପ୍ରଶ୍ନ ଜାତ ହେଲା— ଏତେ ଉଚ୍ଚତାରେ ଏଵଂ ଅତ୍ୟଧିକ ଶୀତ ମଧ୍ୟରେ ଗରିଲାମାନେ କିପରି ବଞ୍ଚିଛନ୍ତି? ବେରିଞ୍ଜେ ସେହି ଦଳ ମଧ୍ୟରୁ ଦୁଇଟି ଵିଶାଳକାୟ ପ୍ରାଣୀଙ୍କୁ ଶିକାର କଲେ ଏଵଂ ସେମାନଙ୍କର ଶରୀରକୁ ପରୀକ୍ଷା ପାଇଁ ବର୍ଲିନ୍ ପଠାଇଲେ।

ଯେତେବେଳେ ଵର୍ଲିନ୍‌ର ପ୍ରାଣୀଵିଜ୍ଞାନୀମାନେ ଏହି ଅଵଶେଷଗୁଡ଼ିକ ପାଇଲେ, ସେମାନେ ସ୍ତମ୍ଭୀଭୂତ ହୋଇଗଲେ। ଏହି ନୂତନ ପ୍ରାଣୀର ଖପୁରୀ, ଦାନ୍ତ ଓ ଶରୀରର ଲୋମ ପୂର୍ଵରୁ ଜଣାଥିଵା ଗରିଲାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ୧୯୦୩ ମସିହାରେ ଵୈଜ୍ଞାନିକ Paul Matschie ଏହି ନୂତନ ଗରିଲା ଜାତିର ଆନୁଷ୍ଠାନିକ ନାମକରଣ କଲେ। ଏହାର ଆଵିଷ୍କାରକଙ୍କ ସମ୍ମାନାର୍ଥେ ଏହାର ଵୈଜ୍ଞାନିକ ନାମ ରଖାଗଲା— Gorilla beringei beringei। ଏହି ଆଵିଷ୍କାର ପରେ ଦୁନିଆ ଜାଣିଵାକୁ ପାଇଲା ଯେ ଗରିଲାମାନେ କେଵଳ କ୍ରାନ୍ତିଵୃତ୍ତରେ ଥିଵା ଜଙ୍ଗଲରେ ନୁହେଁ ଵରଂ ବରଫ ପଡ଼ୁଥିଵା ଶୀତଳ ପାହାଡ଼ ଉପରେ ମଧ୍ୟ ଵାସ କରି ପାରନ୍ତି।

୧୬୦୦ ଶତାବ୍ଦୀରୁ ୧୯୦୦ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ, ଗରିଲାଙ୍କ ପ୍ରତି ମାନଵଜାତିର ଦୃଷ୍ଟିକୋଣ କେଵଳ ଦୁଇଟି ଦିଗରେ ସୀମିତ ଥିଲା— ପ୍ରଥମଟି ଥିଲା "ଭୟ" ଏଵଂ ଦ୍ୱିତୀୟଟି "ଶିକାର"। ପଲ୍ ଡୁ ଚାଇଲୁଙ୍କ ପରି ଅନ୍ୱେଷଣକାରୀମାନେ ସେମାନଙ୍କୁ ନରହନ୍ତା ରାକ୍ଷସ ଭାବେ ଚିତ୍ରଣ କରିଥିଵା ବେଳେ, ଵିଶ୍ୱର ବଡ଼ ବଡ଼ ସଂଗ୍ରହାଳୟଗୁଡ଼ିକ କେଵଳ ସେମାନଙ୍କର ଖପୁରୀ ଏଵଂ ଚମଡ଼ା ସଂଗ୍ରହ କରିଵାରେ ଵ୍ୟସ୍ତ ଥିଲେ। କିନ୍ତୁ ୧୯୫୦ ଦଶକର ଶେଷ ଭାଗରେ ଜଣେ ଯୁଵକଙ୍କ ପ୍ରଵେଶ ଘଟିଲା, ଯିଏ ଵନ୍ଧୁକ ବଦଳରେ ଦୂରଵୀକ୍ଷଣ ଯନ୍ତ୍ର ଏଵଂ ନୋଟ୍‌ବୁକ୍ ଧରି ଜଙ୍ଗଲକୁ ଗଲେ। ସେ ହେଉଛନ୍ତି ଵିଂଶ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ଵନ୍ୟପ୍ରାଣୀ ଜୀଵଵିଜ୍ଞାନୀ George Schaller।

୧୯୫୯ ମସିହା। ସେତେବେଳେ ଵୈଜ୍ଞାନିକମାନେ ଲ୍ୟାବ୍ ଭିତରେ ବସି ପରୀକ୍ଷା କରିଵାକୁ ଅଧିକ ପସନ୍ଦ କରୁଥିଲେ। କିନ୍ତୁ ଜର୍ଜ ଶାଲର୍‌ଙ୍କ ଚିନ୍ତାଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସେ ଅନୁଭଵ କଲେ ଯେ, ଯଦି ଆମକୁ ଏହି ପ୍ରାଣୀଙ୍କ ଵିଷୟରେ ଜାଣିଵାକୁ ହେଵ, ତେବେ ସେମାନଙ୍କୁ ମାରିଵା ବଦଳରେ ସେମାନଙ୍କ ସହ ସମୟ ବିତାଇଵାକୁ ପଡ଼ିଵ। ସେ ମାତ୍ର ୨୬ ଵର୍ଷ ଵୟସରେ ନିଜ ପତ୍ନୀ 'Kay'ଙ୍କ ସହ ଆଫ୍ରିକାର କଙ୍ଗୋ ଏଵଂ ରୁଆଣ୍ଡାର ସେହି ଦୁର୍ଗମ ପର୍ଵତ ଶିଖରରେ ପହଞ୍ଚିଲେ ଯେଉଁଠାରେ ବେରିଞ୍ଜେ ପ୍ରଥମେ ପାର୍ଵତ୍ୟ ଗରିଲାଙ୍କୁ ଦେଖିଥିଲେ।

ଶାଲର୍ ପ୍ରାୟ ଦୁଇ ଵର୍ଷ କାଳ ସେହି ବାଦଲଘେରା ଜଙ୍ଗଲରେ ଗରିଲାଙ୍କ ସହ ରହିଲେ। ସେ ହେଉଛନ୍ତି ପ୍ରଥମ ଵ୍ୟକ୍ତି, ଯିଏ କୌଣସି ଅସ୍ତ୍ରଶସ୍ତ୍ର ନନେଇ ସେମାନଙ୍କ ଅତି ନିକଟକୁ ଯିଵାର ସାହସ କରିଥିଲେ। ତାଙ୍କର ଧୈର୍ଯ୍ୟ ଏତେ ଥିଲା ଯେ, ସେ ଘଣ୍ଟା ଘଣ୍ଟା ଧରି ଗୋଟିଏ ଗଛ ମୂଳେ ବସି ରହୁଥିଲେ ଯେପର୍ଯ୍ୟନ୍ତ ଗରିଲାମାନେ ତାଙ୍କୁ ସେମାନଙ୍କର ଏକ ଅଂଶ ଭାବେ ଗ୍ରହଣ ନକରିଛନ୍ତି।
ଜର୍ଜ ଶାଲର୍‌ଙ୍କ ଗଵେଷଣା ହିଁ ସେହି ମିଥ୍ୟା କାହାଣୀର ଅନ୍ତ ଘଟାଇଲା, ଯାହା ଗରିଲାଙ୍କୁ "ହିଂସ୍ର ନରଭକ୍ଷୀ" ବୋଲି କହୁଥିଲା। ସେ ନିଜର ପର୍ଯ୍ୟଵେକ୍ଷଣରୁ ଦର୍ଶାଇଲେ ଯେ ଗରିଲାମାନେ ଶାକାହାରୀ ଅର୍ଥାତ୍ ସେମାନେ ମାଂସ ଖାଆନ୍ତି ନାହିଁ। ଵରଂ ଗରିଲାମାନେ ବାଉଁଶ ଗଜା, ଜଙ୍ଗଲୀ ଫଳ ଏଵଂ ସେଲାରି ଖାଇ ବଞ୍ଚନ୍ତି। ସେମାନେ ଅତ୍ୟନ୍ତ ସନ୍ତୁଳିତ ଏଵଂ ଶାନ୍ତ ଜୀଵନ ବିତାନ୍ତି। ଆଜି ଆମେ ଜାଣନ୍ତି ଯେ ଗରିଲା ଜୀଵିତ ମହାଵାନରମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ଉଦ୍ଭିଦନିର୍ଭର ଖାଦ୍ୟାଭ୍ୟାସ ଥିଵା ଏକ ପ୍ରାଇମେଟ୍ ଜାତି । ପୁଣି ଶାଲର୍ ଦେଖିଲେ ଯେ, ଗରିଲାମାନେ ଅକାରଣରେ କାହାକୁ ଆକ୍ରମଣ କରନ୍ତି ନାହିଁ। ଯଦିଓ ସେମାନଙ୍କ ପାଖରେ ଅପାର ଶକ୍ତି ରହିଛି, ତଥାପି ସେମାନେ ସେହି ଶକ୍ତିର ଵ୍ୟଵହାର କେଵଳ ଆତ୍ମରକ୍ଷା ପାଇଁ କରନ୍ତି। ସେ ଗରିଲାଙ୍କ ମଧ୍ୟରେ ଥିଵା ସାମାଜିକ ସମ୍ପର୍କକୁ ଅତି ସୂକ୍ଷ୍ମ ଭାବେ ଵର୍ଣ୍ଣନା କଲେ। ସେ ଦେଖିଲେ କିପରି ଏକ ଶକ୍ତିଶାଳୀ 'ସିଲଭରବ୍ୟାକ୍' ଛୋଟ ପିଲାଙ୍କ ସହ ଖେଳୁଛି ଏଵଂ ସେମାନଙ୍କୁ ସୁରକ୍ଷା ଦେଉଛି।

୧୯୬୩ ମସିହାରେ ଜର୍ଜ ଶାଲର୍ ତାଙ୍କର ପ୍ରସିଦ୍ଧ ପୁସ୍ତକ 'The Mountain Gorilla: Ecology and Behavior' ପ୍ରକାଶ କଲେ। ଏହି ବହିଟି ଵିଶ୍ୱର ଵୈଜ୍ଞାନିକ ସମ୍ପ୍ରଦାୟକୁ ଚମକାଇ ଦେଲା। ସେ ପ୍ରଥମ ଥର ପାଇଁ 'ଫେସିଆଲ୍ ମାର୍କିଂ' ଵା ଗରିଲାଙ୍କ ନାକର ଗଠନ (Nose prints) ମାଧ୍ୟମରେ ସେମାନଙ୍କୁ ଚିହ୍ନିଵାର ପ୍ରକ୍ରିୟା ଆରମ୍ଭ କରିଥିଲେ। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ହିଁ ମଣିଷ ବୁଝିପାରିଲା ଯେ, ଗରିଲାମାନେ ହେଉଛନ୍ତି ଆମର ସବୁଠାରୁ ନିକଟତର ଜୈଵିକ ସମ୍ପର୍କୀୟ, ଯେଉଁମାନେ ଆମ ପରି ଭାଵନା ଓ ପ୍ରେମ ବୁଝିପାରନ୍ତି।

ଜର୍ଜ ଶାଲର୍ କେଵଳ ଜଣେ ଵୈଜ୍ଞାନିକ ନଥିଲେ, ସେ ଥିଲେ ଜଣେ ମାନଵଵାଦୀ ପରିଵେଶଵିତ୍। ସେ ଚେତାଵନୀ ଦେଇଥିଲେ, ଯଦି ଗରିଲାମାନଙ୍କ ଵାସସ୍ଥାନକୁ ସୁରକ୍ଷା ଦିଆନଯାଏ, ତେବେ ଖୁବ୍ ଶୀଘ୍ର ପୃଥିଵୀରୁ ଏହି ପ୍ରାଣୀ ଲୋପ ପାଇଯିବେ। 

କିନ୍ତୁ ଗରିଲାଙ୍କ ପ୍ରତି ମଣିଷର ଦୃଷ୍ଟିକୋଣ ବଦଳାଇଵାରେ ଆଉ ଜଣେ ମହୀୟସୀ ମହିଳାଙ୍କ ଅଵଦାନ ମଧ୍ୟ ଅତୁଳନୀୟ, ସେ ହେଉଛନ୍ତି Dian Fossey । Dianଙ୍କ ଜୀଵନର କାହାଣୀ କୌଣସି ରୋମାଞ୍ଚକର ଉପନ୍ୟାସଠାରୁ କମ୍ ନୁହେଁ। ଏହା ଏକ ଏମିତି ନାରୀର କାହାଣୀ, ଯିଏ ସଭ୍ୟ ସମାଜର କୋଳାହଳ ଛାଡ଼ି ଆଫ୍ରିକାର ଘଞ୍ଚ କୁହୁଡ଼ିଘେରା ପର୍ଵତମାଳାକୁ ନିଜର ଆସ୍ଥାନ କରିଥିଲେ।

୧୯୩୨ ମସିହାରେ ଆମେରିକାରେ ଜନ୍ମିତ Dian ପେଶାରେ ଜଣେ ଅକ୍ୟୁପେସନାଲ୍ ଥେରାପିଷ୍ଟ ଥିଲେ। କିନ୍ତୁ ତାଙ୍କ ମନ ସବୁବେଳେ ପ୍ରକୃତି ଓ ଵନ୍ୟଜନ୍ତୁଙ୍କ ପାଇଁ ଵ୍ୟାକୁଳ ହେଉଥିଲା। ୧୯୬୩ ମସିହାରେ ସେ ନିଜର ସମସ୍ତ ସଞ୍ଚିତ ପୁଞ୍ଜି ଲଗାଇ ଏକ ଶିକ୍ଷାଗତ ଭ୍ରମଣରେ ଆଫ୍ରିକା ଯାଇଥିଲେ। ସେଠାରେ ତାଙ୍କର ଭେଟ ହୋଇଥିଲା ପ୍ରଖ୍ୟାତ ମାନଵତତ୍ତ୍ୱଵିତ୍ ଲୁଇସ୍ ଲିକିଙ୍କ ସହ। ଲୁଇସ୍ ଚାହୁଁଥିଲେ ଜଣେ ଏମିତି ଵ୍ୟକ୍ତିଙ୍କୁ ଯିଏ ଦୀର୍ଘ ସମୟ ଧରି ଜଙ୍ଗଲରେ ରହି ଗରିଲାଙ୍କ ଉପରେ ଗଵେଷଣା କରିପାରିବେ। ଡାଏନ୍‌ଙ୍କ ଭିତରେ ଥିଵା ସେହି ଦୃଢ଼ ଇଚ୍ଛାଶକ୍ତି ଦେଖି ଲୁଇସ୍ ତାଙ୍କୁ ଏହି କାମ ପାଇଁ ବାଛିଲେ।

୧୯୬୬ ମସିହାରେ ଡାଏନ୍ ଆଫ୍ରିକାର କଙ୍ଗୋ ଏଵଂ ପରେ ରୁଆଣ୍ଡାର ଭିରୁଙ୍ଗା ପର୍ଵତମାଳାରେ ପହଞ୍ଚିଲେ। ସେଠାରେ ପ୍ରାୟ ୧୦,୦୦୦ ଫୁଟ ଉଚ୍ଚତାରେ ସେ ନିଜର କ୍ୟାମ୍ପ୍ 'Karisoke' ସ୍ଥାପନ କଲେ। ସେହି ସମୟରେ ଗରିଲାମାନଙ୍କୁ ଦୁନିଆର ସବୁଠାରୁ ଭୟଙ୍କର ଜୀଵ ଭାବେ ଗଣନା କରାଯାଉଥିଲା। ଶିକାରୀମାନେ ସେମାନଙ୍କୁ ଦେଖିଲେ ଗୁଳି ଚଳାଉଥିଲେ ଏଵଂ ଗରିଲାମାନେ ମଧ୍ୟ ଭୟରେ ମଣିଷଙ୍କୁ ଆକ୍ରମଣ କରୁଥିଲେ।
ଡାଏନ୍ ଅନୁଭଵ କଲେ ଯେ ଯଦି ସେ ଏହି ପ୍ରାଣୀଙ୍କ ଵିଶ୍ୱାସ ଜିତିଵାକୁ ଚାହାଁନ୍ତି, ତେବେ ତାଙ୍କୁ ସେମାନଙ୍କ ପରି ହେଵାକୁ ପଡ଼ିଵ। ସେ ଗରିଲାଙ୍କ ଭଳି ଘାସ ଚୋବାଇଵା, ସେମାନଙ୍କ ଭଳି ଶବ୍ଦ କରିଵା ଏଵଂ ନଇଁ ନଇଁ ଚାଲିଵା ଆରମ୍ଭ କଲେ। ଧୀରେ ଧୀରେ ସେହି ଵିଶାଳକାୟ ଜୀଵମାନେ ବୁଝିପାରିଲେ ଯେ ଏହି ମଣିଷ ଜଣକ ସେମାନଙ୍କର ଶତ୍ରୁ ନୁହେଁ।

ଡାଏନ୍‌ଙ୍କର ପ୍ରିୟ ଗରିଲା ଥିଲା 'Digit'। ତାଙ୍କ ହାତର ଏକ ଆଙ୍ଗୁଠି କଟା ଥିଵାରୁ ସେ ତାକୁ ଏହି ନାମ ଦେଇଥିଲେ। ଡିଜିଟ୍ ଓ ଡାଏନ୍‌ଙ୍କ ମଧ୍ୟରେ ଥିଵା ସମ୍ପର୍କ ଦେଖିଲେ ଲାଗୁଥିଲା ଯେମିତି ଦୁଇଟି ଭିନ୍ନ ଜାତିର ଜୀଵ ପରସ୍ପରର ଭାଷା ବୁଝିପାରୁଛନ୍ତି।

କିନ୍ତୁ ୧୯୭୭ ମସିହାରେ ଏକ ବଡ଼ ଦୁର୍ଘଟଣା ଘଟିଲା। ଶିକାରୀମାନେ ନିଜର ସ୍ୱାର୍ଥ ପାଇଁ ଡିଜିଟ୍‌କୁ ହତ୍ୟା କଲେ। ଏହି ଘଟଣା ଡାଏନ୍‌ଙ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। ସେ ସେହିଦିନଠାରୁ କେଵଳ ଗଵେଷକ ନୁହେଁ, ଵରଂ ଜଣେ 'ସଂରକ୍ଷଣ ଯୋଦ୍ଧା' ଭାବେ ଉଭା ହେଲେ। ସେ ଶିକାରୀଙ୍କ ଵିରୋଧରେ ଯୁଦ୍ଧ ଘୋଷଣା କଲେ ଏଵଂ ସାରା ଵିଶ୍ୱର ଦୃଷ୍ଟି ଆକର୍ଷଣ କଲେ।

୧୯୮୩ ମସିହାରେ ସେ ନିଜର ଅନୁଭୂତିକୁ ନେଇ ପୁସ୍ତକ "Gorillas in the Mist" ଲେଖିଲେ। ଏହି ବହିଟି ପଢ଼ିଵା ପରେ ଲୋକଙ୍କ ଭିତରେ ଥିଵା 'କିଙ୍ଗ କଙ୍ଗ'ର ଭୟ ଦୂର ହେଲା। ସେ ଦୁନିଆକୁ ବୁଝାଇଲେ ଯେ ଗରିଲାମାନେ ନିଜର ଶକ୍ତି ଵ୍ୟଵହାର କେଵଳ ପରିଵାରକୁ ସୁରକ୍ଷା ଦେଵା ପାଇଁ କରନ୍ତି। ସେମାନେ ଶାକାହାରୀ ଏଵଂ ଶାନ୍ତିପ୍ରିୟ। ପରିଵାରର ମୁଖିଆ 'ସିଲଵରବ୍ୟାକ୍' ନିଜ ପିଲାମାନଙ୍କ ଯତ୍ନ କିପରି ଜଣେ ମଣିଷ ପରି ନିଅନ୍ତି। 

କିନ୍ତୁ ୨୭ ଡିସେମ୍ଵର ୧୯୮୫ରେ ଡାଏନ୍‌ଙ୍କର ରହସ୍ୟମୟ ଭାଵେ ହତ୍ୟା କରାଗଲା। ତାଙ୍କ କ୍ୟାମ୍ପ୍ ଭିତରେ ହିଁ କେହି ଆତତାୟୀ ତାଙ୍କୁ ମାରି ଦେଇଥିଲା। ଅନେକଙ୍କ ଵିଶ୍ୱାସ ଯେ ଶିକାରୀ କିମ୍ଵା ଵନ୍ୟଜନ୍ତୁ ଚୋରା ଚାଲାଣକାରୀମାନେ ତାଙ୍କୁ ନିଜ ପଥରୁ ହଟାଇଵା ପାଇଁ ଏହି କାମ କରିଥିଲେ। ତାଙ୍କୁ ତାଙ୍କର ପ୍ରିୟ 'ଡିଜିଟ୍' ଏଵଂ ଅନ୍ୟ ଗରିଲାମାନଙ୍କ ସମାଧି ପାଖରେ ହିଁ କବର ଦିଆଗଲା। ଡାଏନ୍ ଫୋସି ଆଜି ଆମ ଗହଣରେ ନାହାନ୍ତି, କିନ୍ତୁ ସେ ପର୍ଵତ ଗରିଲାମାନଙ୍କୁ ଵିଲୁପ୍ତ ହେଵାରୁ ରକ୍ଷା କରିଥିଲେ। ସେ ଶିଖାଇଥିଲେ ଯେ ଯେତେବେଳେ ଆମେ ପ୍ରକୃତିର ନିକଟତର ହେଉ, ସେତେବେଳେ ଭୟ ଶେଷ ହୁଏ ଏଵଂ ଭଲପାଇଵା ଜନ୍ମ ନିଏ। ଆଜି ଆଫ୍ରିକାର ପର୍ଵତମାଳାରେ ଯେତେବେଳେ ଗୋଟିଏ ସିଲଵରବ୍ୟାକ୍ ନିଜ ପରିଵାର ସହ ଶାନ୍ତିରେ ଵସିଥାଏ, ସେଠାରେ ଡାଏନ୍‌ଙ୍କ ସଂଘର୍ଷର ଵିଜୟ ଦେଖିଵାକୁ ମିଳେ।

ଡାଏନ୍ ଫୋସିଙ୍କ ନିର୍ମମ ହତ୍ୟା ସାରା ଵିଶ୍ୱକୁ ସ୍ତଵ୍ଧ କରିଦେଵା ସହ ଆଫ୍ରିକାର ସୀମା ଡେଇଁ ପରିଵେଶ ସଂରକ୍ଷଣର ଏକ ନୂଆ ଵିପ୍ଳଵ ସୃଷ୍ଟି କଲା। ତାଙ୍କ ଦ୍ୱାରା ପ୍ରତିଷ୍ଠିତ 'ଡିଜିଟ୍ ଫଣ୍ଡ' ପରଵର୍ତ୍ତୀ ସମୟରେ 'ଡାଏନ୍ ଫୋସି ଗରିଲା ଫଣ୍ଡ'ରେ ରୂପାନ୍ତରିତ ହୋଇ ପାର୍ତ୍ୟଵ ଗରିଲାଙ୍କ ସୁରକ୍ଷାର ମୁଖ୍ୟ ଆଧାର ସାଜିଲା।

ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ନକରି ଏଵଂ ନିଜ ସହିତ ନଯୋଡ଼ି ଗରିଲାମାନଙ୍କର ସଂରକ୍ଷଣ ଅସମ୍ଭଵ ବୋଲି ଅନୁଭଵ କରିଵା ପରେ, ପୂର୍ତଵନ ଶିକାରୀମାନଙ୍କୁ ପର୍ଯ୍ୟଟନ ମାର୍ଗଦର୍ଶକ ଵା ଜଙ୍ଗଲ ଗାଇଡ୍ ଓ ପାଟ୍ରୋଲିଂ ଗାର୍ଡ ଭାବେ ନିଯୁକ୍ତି ଦିଆଗଲା।

ଗରିଲା ଦର୍ଶନ ପାଇଁ ସୀମିତ ଓ ନିୟନ୍ତ୍ରିତ ଇକୋ-ଟୁରିଜମ୍ ଚାଲୁ କରାଗଲା। ଏଥିରୁ ମିଳୁଥିଵା ରାଜସ୍ୱର ଏକ ବଡ଼ ଅଂଶ ଆଖପାଖ ଗ୍ରାମଗୁଡ଼ିକର ଵିକାଶ, ସ୍କୁଲ ଓ ଡାକ୍ତରଖାନା ନିର୍ମାଣରେ ଵିନିଯୋଗ ହେଲା। ରୁଆଣ୍ଡା, ଉଗାଣ୍ଡା ଓ କଙ୍ଗୋ (ଡିଆରସି) ମଧ୍ୟରେ ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭିରୁଙ୍ଗା ଓ ବ୍ୱିଣ୍ଡି ଜଙ୍ଗଲରେ ସାମୂହିକ ଶିକାର-ଵିରୋଧୀ ପାଟ୍ରୋଲିଂ କଡ଼ାକଡ଼ି କରାଗଲା।

ଦୀର୍ଘ ଦଶନ୍ଧିର ସଂଗ୍ରାମ ପରେ ଆଜି ଗରିଲାଙ୍କ ଜନସଂଖ୍ୟାରେ କିଛିଟା ସୁଧାର ଦେଖିଵାକୁ ମିଳିଛି, କିନ୍ତୁ ସଙ୍କଟ ସମ୍ପୂର୍ଣ୍ଣ ଟଳିନାହିଁ।

ଵିଲୁପ୍ତିର ଦ୍ୱାରଦେଶରେ ପହଞ୍ଚିଥିଵା ପାର୍ତ୍ୟଵ ଗରିଲାଙ୍କ ସଂଖ୍ୟା କଠୋର ସୁରକ୍ଷା ବଳରେ ୧,୦୦୦ରୁ ଅଧିକ ହୋଇପାରିଛି। IUCN ସେମାନଙ୍କ ସ୍ଥିତିକୁ 'ଅତିସଂକଟାପନ୍ନ' ଵା Critically Endangered ଶ୍ରେଣୀରୁ ହଟାଇ 'ସଂକଟାପନ୍ନ' ଵା Endangered ଶ୍ରେଣୀକୁ ଉନ୍ନୀତ କରିଛି।

ପଶ୍ଚିମ ଓ ପୂର୍ଵ ନିମ୍ନଭୂମି ଗରିଲା ଵା Lowland Gorillas ଏବେ ବି ଗମ୍ଭୀର ସଙ୍କଟ ଦେଇ ଗତିକରୁଛନ୍ତି। ବେଆଇନ ଖନନ (ଵିଶେଷ କରି ସ୍ମାର୍ଟଫୋନ୍ ନିର୍ମାଣରେ ଵ୍ୟଵହୃତ କୋଲଟାନ୍ ଖଣି), ଜଙ୍ଗଲ କ୍ଷୟ, ଇବୋଲା ଭୂତାଣୁ ଏଵଂ ମାଂସ ପାଇଁ ଶିକାର ସେମାନଙ୍କ ଅସ୍ତିତ୍ୱ ପ୍ରତି ବଡ଼ ଆହ୍ୱାନ ହୋଇରହିଛି।

ଲକ୍ଷ ଲକ୍ଷ ଵର୍ଷ ପୂର୍ଵେ, ଆଫ୍ରିକାର ଘଞ୍ଚ ଜଙ୍ଗଲରେ ଆମର ଓ ଗରିଲାଙ୍କ ପୂର୍ଵପୁରୁଷମାନେ ଗୋଟିଏ ଵୃକ୍ଷର ଛାୟାରେ ସହାଵସ୍ଥାନ କରୁଥିଲେ। ଵିଵର୍ତ୍ତନର ଚକ୍ରରେ ମଣିଷ କଳ୍ପନା, ଭାଷା, ଉପକରଣ ଓ ପ୍ରଯୁକ୍ତିର ସାହାରା ନେଇ ଵିଶ୍ୱର ସମସ୍ତ ଜୀଵଙ୍କ ଉପରେ କ୍ଷମତା ଜାହିର କଲା; ଅନ୍ୟପଟେ ଗରିଲାମାନେ ନିଜର ପ୍ରାକୃତିକ ସରଳତା ଧରି ଜଙ୍ଗଲର ଶାନ୍ତ କୋଳରେ ରହିଗଲେ।
ଆଜି ମଣିଷ ଆସାଧାରଣ ପ୍ରଜ୍ଞା ଓ କୃତ୍ରିମ ବୁଦ୍ଧିମତ୍ତା ବଳରେ ନୂତନ ଗ୍ରହ ନକ୍ଷତ୍ର ଜୟ କରିଵାର ସ୍ୱପ୍ନ ଦେଖୁଛି, କିନ୍ତୁ ଆମର ସବୁଠାରୁ ନିକଟତର ଜୈଵିକ ଭାଇ ଗରିଲାଙ୍କ ଆୟୁଷ ଓ ଅସ୍ତିତ୍ୱ ଆଜି ସମ୍ପୂର୍ଣ୍ଣ ଭାବେ ଆମରି ହାତର ନିଷ୍ପତ୍ତି ଉପରେ ନିର୍ଭର କରେ। ଗରିଲାଙ୍କ କାହାଣୀ କେଵଳ ଏକ ଵନ୍ୟପ୍ରାଣୀର କାହାଣୀ ନୁହେଁ—ଏହା ମାନଵଜାତିର ନୈତିକତା, ଅପାର କ୍ଷମତା ଏଵଂ ପ୍ରକୃତି ସହ ଆମ ସମ୍ପର୍କର ଏକ ପ୍ରକୃତ ପ୍ରତିଫଳନ। ଯଦି ଆମେ ନିଜ ସାମ୍ରାଜ୍ୟର ଵିସ୍ତାର ଭିତରେ ସେହି ଶାନ୍ତ ଜଙ୍ଗଲୀ ଜୀଵଙ୍କୁ ରକ୍ଷା କରିଵାରେ ଵିଫଳ ହେଵା, ତେବେ ତାହା କେଵଳ ଏକ ଜୀଵଜାତିର ଵିଲୁପ୍ତି ହେଵ ନାହିଁ,ଵରଂ ନିଜର ଵିଵେକ ଏଵଂ ଅତୀତ ସହ ମାନଵସଭ୍ୟତାର ଏକ ଅପୂରଣୀୟ ଵିଚ୍ଛେଦ ହେଵ।

କେମିତି ଟର୍ଚ୍ଚ ଯୋଗୁଁ କିଛି ଓଡ଼ିଆ ଶବ୍ଦ ସୃଷ୍ଟି ହୋଇଥିଲା ଏଵଂ ସେହି ଟର୍ଚ୍ଚ ଯୋଗୁଁ ହିଁ ହଜିଗଲା ?

 ‘Homo Sapiens’ର ଇତିହାସ, ଅନ୍ଧକାର ଵିରୋଧରେ ଏକ ନିରନ୍ତର ସଂଗ୍ରାମର ଇତିହାସ ଅଟେ । ଜୀଵଵିଜ୍ଞାନ ଦୃଷ୍ଟିରୁ ମଣିଷ ଏକ ଦିଵାଚର ପ୍ରାଣୀ, ଯାହାର ଆଖି ସୂର୍ଯ୍ୟାଲୋକରେ ଦେଖିଵା ପାଇଁ ଗଠିତ । ପ୍ରାଚୀନ କାଳରେ ରାତିର ଅନ୍ଧକାର ଆମ ପୂର୍ଵପୁରୁଷମାନଙ୍କ ପାଇଁ ଏକ ଭୟାନକ ସମୟ ଥିଲା, ଯେତେବେଳେ ହିଂସ୍ର ଜନ୍ତୁମାନେ ଶିକାର ପାଇଁ ବାହାରୁଥିଲେ । ପ୍ରାୟ ତିନି ଲକ୍ଷ ଵର୍ଷ ପୂର୍ଵେ ନିଆଁକୁ ନିୟନ୍ତ୍ରଣ କରି ନିଜ ଆଵଶ୍ୟକତା ଅନୁସାରେ ଵ୍ୟଵହାର କରିଵାର ମଣିଷର କ୍ଷମତା ତାକୁ ଅନେକ ଜୈଵିକ ସୀମାବଦ୍ଧତାରୁ ମୁକ୍ତ କରିଥିଲା।
ନିଆଁ କେଵଳ ଖାଦ୍ୟ ରାନ୍ଧିଵା ଵା ଉତ୍ତାପ ଦେଵା ପାଇଁ ନଥିଲା, ଏହା ଥିଲା ରାତିର ଅନ୍ଧକାରକୁ ଅକ୍ତିଆର କରିଵାର ପ୍ରଥମ ଵୈଷୟିକ ଅସ୍ତ୍ର । ମଶାଲ, ଦୀପ, ମହମଵତୀ,ଡିବିରି ଓ ଲଣ୍ଠନ— ଏହି ସବୁ ଥିଲା ସେହି ନିଆଁକୁ ନିୟନ୍ତ୍ରଣ କରିଵାର ଵିଭିନ୍ନ ପ୍ରାଚୀନ ଉପାୟ । କିନ୍ତୁ ଏହି ସବୁ ଉପକରଣର ଏକ ବଡ଼ ଦୁର୍ଵଳତା ଥିଲା: ସେଗୁଡ଼ିକ ଅସ୍ଥିର ଥିଲେ, ପଵନରେ ଲିଭିଯିଵାର ଭୟ ଥିଲା, ନିଆଁ ଲାଗିଵାର ଵିପଦ ଥିଲା ଏବଂ ସେଗୁଡ଼ିକୁ ସାଥୀରେ ଧରି ସହଜରେ ଦୌଡ଼ି ହେଉନଥିଲା । ଊନଵିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମଣିଷର ରାତିର ସାମ୍ରାଜ୍ୟ ନିଆଁର ଏହି ସୀମିତ ପରିସର ମଧ୍ୟରେ ହିଁ ଆବଦ୍ଧ ଥିଲା ।
ଵୈପ୍ଳଵିକ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ମଣିଷ ଵିଦ୍ୟୁତ୍ ଶକ୍ତିକୁ କାବୁ କରିଵା ଶିଖିଲା । କିନ୍ତୁ ପ୍ରାରମ୍ଭିକ ଵିଦ୍ୟୁତ୍ ଵ୍ୟଵସ୍ଥାଗୁଡ଼ିକ ଵିଶାଳ ଥିଲା— ବଡ଼ ବଡ଼ ଜେନେରେଟର ଓ ତାରର ଜାଲ ମଧ୍ୟରେ ଆବଦ୍ଧ । ଏହାକୁ ସାଥୀରେ ନେଇ ବୁଲିଵା କିମ୍ବା ଦୌଡ଼ିଵା ଅସମ୍ଭଵ ଥିଲା । ୧୮୯୦ ଦଶକରେ ଶୁଖିଲା ବ୍ୟାଟେରୀ ଵା Dry cell ଏଵଂ ଛୋଟ Incandescent bulbର ଉଦ୍ଭାବନ ଏହି ଦିଗରେ ନୂଆ ଆଶା ସୃଷ୍ଟି କଲା । ୧୮୯୯ ମସିହାରେ ଆମେରିକାରେ ଵସଵାସ କରୁଥିଵା ଜଣେ ବ୍ରିଟିଶ୍ ଉଦ୍ଭାଵକ David Misell ପ୍ରଥମେ ଏକ ସିଲିଣ୍ଡର ଆକାରର କାଗଜ ଟ୍ୟୁବ୍ ଭିତରେ ତିନୋଟି D-size ଜିଙ୍କ୍-କାର୍ବନ୍ ବ୍ୟାଟେରୀ, ଏକ ଛୋଟ ତମ୍ବା ରିଫ୍ଲେକ୍ଟର ଏଵଂ ଗୋଟିଏ ଛୋଟ ବଲ୍ବକୁ ଯୋଡ଼ି ଏକ ନୂତନ ଯନ୍ତ୍ର ତିଆରି କଲେ । ଏହାର ଶେଷ ଭାଗରେ ଏକ କଣ୍ଟାକ୍ଟ୍ ସୁଇଚ୍ ଥିଲା । ଏହା ଥିଲା ମାନଵ ଇତିହାସରେ ହାତରେ ଧରାଯାଇପାରୁଥିଵା ପ୍ରାରମ୍ଭିକ Torch ଵା Flashlight । ମିସେଲ୍ ଏହି ପେଟେଣ୍ଟକୁ Conrad Hubert ନାମକ ଜଣେ ରୁଷୀୟ ପ୍ରବାସୀଙ୍କୁ ଦେଇଥିଲେ, ଯିଏକି ପରଵର୍ତ୍ତୀ ସମୟରେ ପ୍ରସିଦ୍ଧ Eveready କମ୍ପାନୀ ପ୍ରତିଷ୍ଠା କରିଥିଲେ ।
ପ୍ରାରମ୍ଭିକ ଅବସ୍ଥାରେ ଏହି ଯନ୍ତ୍ରଟିର ନାମକରଣ ସମାଜର ମାନସିକତା ଓ ପ୍ରଯୁକ୍ତିର ଵାସ୍ତଵତାକୁ ପ୍ରତିଫଳିତ କରୁଥିଲା । ଆମେରିକାରେ ଏହାକୁ Flashlight କୁହାଗଲା, କାରଣ ସେତେବେଳର ଜିଙ୍କ୍-କାର୍ବନ୍ ବ୍ୟାଟେରୀଗୁଡ଼ିକ ଅତ୍ୟନ୍ତ ଦୁର୍ଵଳ ଥିଲା ଏଵଂ କାର୍ବନ୍ ଫିଲାମେଣ୍ଟ୍ ବଲ୍ବ ଅଧିକ ଶକ୍ତି ଟାଣୁଥିଲା । ଫଳରେ ଏହି ଆଲୁଅକୁ କ୍ରମାଗତ ଭାବେ ଅଧିକ ସମୟ ଜଳାଇ ରଖିବା ସମ୍ଭଵ ନଥିଲା । କିଛି ସେକେଣ୍ଡ ଜଳିଵା ପରେ ବ୍ୟାଟେରୀକୁ "ଵିଶ୍ରାମ" ଦେଵାକୁ ପଡ଼ୁଥିଲା । ତେଣୁ ଵ୍ୟଵହାରକାରୀମାନେ ଅନ୍ଧାରରେ କେଵଳ ଗୋଟିଏ ଝଲକ ଵା 'ଫ୍ଲାସ୍' ଦେଖିଵା ପାଇଁ ଏହାକୁ ଵ୍ୟଵହାର କରୁଥିଲେ । ଯଦିଓ କିଛି ଦଶନ୍ଧି ପରେ ଟଙ୍ଗଷ୍ଟେନ୍ ଫିଲାମେଣ୍ଟ ଏଵଂ ଉନ୍ନତ ବ୍ୟାଟେରୀ ଆସିଵା ଫଳରେ ଏହା କ୍ରମାଗତ ଭାବେ ଜଳିବାକୁ ଲାଗିଲା, ତଥାପି ଆମେରିକୀୟ ଇଂରାଜୀରେ 'Flashlight' ନାମଟି ସବୁଦିନ ପାଇଁ ରହିଗଲା । ଅନ୍ୟପକ୍ଷରେ, ବ୍ରିଟିଶ୍ ଇଂରାଜୀରେ ଏହାକୁ 'Torch' କୁହାଗଲା । ଏହି 'Torch' ଶବ୍ଦଟି "ମଧ୍ୟ-ଇଂରାଜୀ" ଭାଷାର torch, torche (“ବଡ଼ ମହମଵତୀ; ଜଳନ୍ତା କାଠି; ରୂପକ ଅର୍ଥରେ ସୂର୍ଯ୍ୟକିରଣ”)ରୁ ଆସିଛି। ଏହାର ମୂଳ ପ୍ରାଚୀନ ଫ୍ରେଞ୍ଚ୍ torche, torque (“ମଶାଲ; ମୋଡ଼ା ହୋଇଥିଵା ନଡ଼ା/ଘାସର ବିଡ଼ା”)ରେ ମିଳେ। ଏହାର ପରଵର୍ତ୍ତୀ ଵ୍ୟୁତ୍ପତ୍ତି ଇତିହାସ ନିଶ୍ଚିତ ନୁହେଁ; ତେବେ ସମ୍ଭଵତଃ ଏହା Vulgar Latinର *torca (“ମୋଡ଼ିହୋଇଥିଵା/କୁଣ୍ଡଳାକୃତି ଵସ୍ତୁ”)ରୁ ଆସିଥିଵା ଅନୁମାନ କରାଯାଏ। ଜ୍ୱଳନଶୀଳ ପଦାର୍ଥରେ ବୁଡ଼ାଯାଇଥିବା ମୋଡ଼ା ହୋଇଥିଵା ଉଦ୍ଭିଦ-ତନ୍ତୁରେ ତିଆରି ମଶାଲକୁ ଏହି ଅର୍ଥ ସୂଚାଉଥିବା ସମ୍ଭାଵନା ରହିଛି। torca ହେଉଛି Latin torqua, ଯାହା torquis (“ମୋଡ଼ା ହୋଇଥିଵା ଧାତୁର ହାର/ବଳୟ; torque”)ର ଏକ ରୂପ। torquis ର ସମ୍ପର୍କ Latin torqueō (“ମୋଡ଼ିଵା, ଘୂରାଇଵା”) ସହିତ ରହିଛି। ଆଧୁନିକ ଭାଷାଵିଦମାନେ ତେଣୁ Torch ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଶବ୍ଦରୂପ *terkʷ- (“ମୋଡ଼ିଵା; ଘୂରାଇଵା”) ନିର୍ଣ୍ଣୟ କରିଛନ୍ତି । ଏ ଦୃଷ୍ଟିରୁ ସଂସ୍କୃତ ତର୍କ ଓ ତର୍କୁ(spindle ଵା ତାକୁଡ଼ୀ) ସହିତ Torch ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥାଇପାରେ ଯେହେତୁ ଏହି ଶବ୍ଦଗୁଡ଼ିକୁ ମଧ୍ୟ ଆଧୁନିକ ଭାଷାଵିଦମାନେ *terkʷ ମୂଳର ଶବ୍ଦ ବୋଲି ନିର୍ଣ୍ଣୟ କରିଛନ୍ତି। 

ବ୍ରିଟିଶମାନେ ଆଗେ ମଶାଲକୁ ହିଁ Torch କହୁଥିଲେ । ଯୋଉଠୁ ବ୍ୟାଟେରୀର ହାତରେ ଧରିଵା ଯୋଗ୍ୟ ବିଜୁଳି ବତି ଆସିଲା ସେଇଠୁ ବ୍ରିଟିଶମାନେ ନିଜର ପୁରୁଣା ମଶାଲର ସାଂସ୍କୃତିକ ପ୍ରତୀକକୁ ଏହି ନୂତନ ଵୈଦ୍ୟୁତିକ ଉପକରଣ ଉପରେ ଲଦିଦେଲେ ।
ଏହି ଉପକରଣଟି କେଵଳ ଏକ ଵସ୍ତୁ ନଥିଲା, ଏହା ଥିଲା ମଣିଷର ମନସ୍ତତ୍ତ୍ୱ ଓ ସାମାଜିକ ଗତିଶୀଳତାର ଏକ ଵିରାଟ ପରିଵର୍ତ୍ତନକାରୀ ଆୟୁଧ । ପୂର୍ଵରୁ ଲଣ୍ଠନ ଵା ଦୀପର ଆଲୁଅ ଚତୁର୍ଦ୍ଦିଗକୁ ଵିଚ୍ଛୁରିତ ହେଉଥିଲା, ଯାହା ଫଳରେ ଉଭୟ ଦେଖଣାହାରୀ ଏଵଂ ଦେଖାଯାଉଥିଵା ଵସ୍ତୁ ଆଲୋକିତ ହେଉଥିଲେ । କିନ୍ତୁ ଟର୍ଚ୍ଚର ଆଲୁଅ ଥିଲା ଏକତରଫା ଓ ତୀକ୍ଷ୍ଣ । ଯିଏ ଏହି ଯନ୍ତ୍ରଟିକୁ ଧରୁଥିଲା, ସେ ଅନ୍ଧକାରରେ ଲୁଚି ରହି ସାମ୍ନାର ଵ୍ଯକ୍ତି ଵା ଵସ୍ତୁ ଉପରେ ଆଲୋକ ପକାଇ ପାରୁଥିଲା । ଏହା ନିୟନ୍ତ୍ରଣ ଓ କ୍ଷମତାର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଗଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଟ୍ରେଞ୍ଚ୍ ଵା ଗାତ ଭିତରେ ଲଢ଼ୁଥିଵା ସୈନ୍ୟମାନଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଅସ୍ତ୍ରରେ ପରିଣତ ହେଲା । ପୋଲିସ୍, ରାତ୍ରି ଜଗୁଆଳି ଏଵଂ ସାଧାରଣ ଲୋକଙ୍କ ପାଇଁ ଏହା ରାତିକୁ ଏକ ଭୟମୁକ୍ତ ସମୟରେ ପରିଣତ କଲା । Homo sapiens ଏବେ ଆଉ ନିଆଁର ଦାସ ହୋଇ ରହିଲା ନାହିଁ; ସେ ସୂର୍ଯ୍ୟର ଏକ କ୍ଷୁଦ୍ର ଅଂଶକୁ ନିଜ ପକେଟରେ ଧରି ବୁଲିଵାକୁ ସକ୍ଷମ ହେଲା ।

କିନ୍ତୁ ଭାରତଵର୍ଷକୁ ଏହି ଆଧୁନିକ ଉପକରଣଟିର ପ୍ରଵେଶ ଏକ ସ୍ୱାଭାଵିକ ଵାଣିଜ୍ୟିକ ପ୍ରକ୍ରିୟା ନଥିଲା ଵରଂ ଏହା ସାମ୍ରାଜ୍ୟଵାଦୀ କ୍ଷମତାର ଏକ ପ୍ରତୀକ ଭାବରେ ପ୍ରଵେଶ କରିଥିଲା । ଵିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତ ଥିଲା ବ୍ରିଟିଶ୍ ଶାସନାଧୀନ ଏକ କୃଷିପ୍ରଧାନ ତଥା ଅପେକ୍ଷାକୃତ ଅନ୍ଧକାରମୟ ଭୂଖଣ୍ଡ । କଲିକତା ଓ ବମ୍ବେ ଭଳି କେତେକ ବଡ଼ ସହରକୁ ଛାଡ଼ିଦେଲେ ସମଗ୍ର ଭାରତଵର୍ଷ ରାତି ହେଲେ କିରୋସିନି ଲଣ୍ଠନ, ଦିବିରି ଓ ମାଟି ଦୀପ ଉପରେ ନିର୍ଭର କରୁଥିଲା । ସନ୍ଧ୍ୟା ହେଵା ମାତ୍ରକେ ହିଂସ୍ରଜନ୍ତୁ ଭୟରେ ଲୋକେ ଘରୁ ବାହାରୁ ନଥିଲେ ଆଉ ଯଦି ଵା ଘରୁ ବାହରିଵା ଅତି ଆଵଶ୍ୟକ ହେଉଥିଲା ତେବେ ସେମାନେ ଲଣ୍ଠନ କିମ୍ବା ନିଆଁହୁଳା ଵା ମଶାଲ୍ ଧରି ଯାଉଥିଲେ । କିନ୍ତୁ ଵର୍ଷା ପଵନ ସମୟରେ ମଶାଲ ଓ ଲଣ୍ଠନ ଲିଭିଯିଵାର ପୁଣି ନିଆଁ ଲାଗିଯିଵାର ଭୟ ବି ରହୁଥିଲା । ଲୋକମାନେ ଏମିତି ଏକ ସୁରକ୍ଷିତ ଵ୍ୟଵସ୍ଥା ଖୋଜୁଥିଲେ ଯହିଁରେ ଏହି ଦୁଇଟି ସମସ୍ୟା ନଥିଵ କିନ୍ତୁ ଆଲୋକ ମିଳିପାରୁଥିଵ । 

ସେହି ସମୟରେ ବ୍ରିଟିଶ୍ ଅଧିକାରୀମାନେ, ପୋଲିସ୍ ପ୍ରଶାସକମାନେ ଏଵଂ ଧନୀ ଜମିଦାରମାନେ ଵିଦେଶରୁ ଆମଦାନୀ ହୋଇଥିଵା ହାତରେ ଧରାଯାଇପାରୁଥିଵା ଟର୍ଚ୍ଚ ଵ୍ୟଵହାର କରିଵା ଆରମ୍ଭ କଲେ । ଭାରତର ଦରିଦ୍ର ତଥା ଅନ୍ଧକାରରେ ବଞ୍ଚୁଥିଵା ଗ୍ରାମୀଣ ଲୋକଙ୍କ ପାଇଁ ଏହି ଯନ୍ତ୍ରଟି ଏକ ଯାଦୁକରୀ ତଥା କ୍ଷମତାର ପ୍ରତୀକ ଥିଲା । ବିନା ସଳିତା ଓ ତେଲରେ, ଏକ ଲୁହାର ନଳୀ ଭିତରୁ ଆଖି ଝଲସିଲା ଭଳି ଆଲୁଅ ବାହାରିଵା ଥିଲା ଆଧୁନିକ ଵିଜ୍ଞାନର ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ।

୧୯୨୦ ଦଶକ ବେଳକୁ ନ୍ୟାସନାଲ୍ କାର୍ବନ୍ କମ୍ପାନୀ (ଯାହା ପରେ ୟୁନିୟନ୍ କାର୍ବାଇଡ୍ ଓ ଏଭରିଡି ନାମରେ ପରିଚିତ ହେଲା) ଭାରତରେ ନିଜର ଵ୍ୟାଵସାୟିକ ପେଣ୍ଠସ୍ଥଳୀ ସ୍ଥାପନ କଲା । ପ୍ରଥମେ ସେମାନେ ଆମେରିକା ଓ ବ୍ରିଟେନରୁ ବ୍ୟାଟେରୀ ଓ ଟର୍ଚ୍ଚ ଆମଦାନୀ କରି ବିକ୍ରି କରୁଥିଲେ । କିନ୍ତୁ ଭାରତୀୟ ବଜାରର ଵିଶାଳ ସମ୍ଭାଵନାକୁ ଦେଖି ୧୯୩୯ ମସିହାରେ କଲିକତାରେ ପ୍ରଥମ ବ୍ୟାଟେରୀ କାରଖାନା ସ୍ଥାପିତ ହେଲା । ଏହା ଏକ ଵିରାଟ ପରିଵର୍ତ୍ତନର ସୂତ୍ରପାତ ଥିଲା । ପୂର୍ଵରୁ ଯାହା କେଵଳ ଗୋରା ସାହେବ ଓ ଜମିଦାରମାନଙ୍କର ଵିଳାସର ସାମଗ୍ରୀ ଥିଲା ତାହା ଧୀରେ ଧୀରେ ଭାରତୀୟ ମଧ୍ୟଵିତ୍ତ ଓ ଗ୍ରାମୀଣ ସମାଜର ଦୈନନ୍ଦିନ ଜୀଵନର ଏକ ଅଵିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା । ଟର୍ଚ୍ଚ ଲାଇଟ୍ ଆସିଵା ଫଳରେ ଗାଁ ଗହଳିରେ ରାତିର ଯାତାୟାତ ସହଜ ହେଲା, ସାପ ଓ ହିଂସ୍ର ଜନ୍ତୁଙ୍କ ଭୟ କମିଲା ଏଵଂ କୃଷକମାନେ ରାତିରେ ମଧ୍ୟ ବିଲକୁ ପାଣି ମଡ଼ାଇଵା ପାଇଁ ଯାଇପାରିଲେ । ଟର୍ଚ୍ଚ କେଵଳ ଏକ ଯନ୍ତ୍ର ନଥିଲା, ଏହା ଥିଲା ଆଧୁନିକତାର ଏକ ପ୍ରତୀକ, ଯାହା ଅନ୍ଧକାରମୟ ଗ୍ରାମ୍ୟ ଭାରତକୁ ଵିଶ୍ୱର ଶିଳ୍ପ ଵିପ୍ଳଵ ସହିତ ଯୋଡ଼ିଥିଲା ।

ଏହି ଵୈଷୟିକ ପ୍ରଵେଶର ସବୁଠାରୁ ଆକର୍ଷଣୀୟ ଅଧ୍ୟାୟ ଲୁଚି ରହିଛି ଓଡ଼ିଶାର ଭାଷାଗତ ଏବଂ ସାଂସ୍କୃତିକ ଵିଵର୍ତ୍ତନ ମଧ୍ୟରେ । ଯେତେବେଳେ କୌଣସି ଏକ ସମ୍ପୂର୍ଣ୍ଣ ଅପରିଚିତ, ନୂତନ ପ୍ରଯୁକ୍ତି ଏକ ସମାଜରେ ପ୍ରଵେଶ କରେ, ସେହି ସମାଜର ସାମୂହିକ ଚେତନା ତାହାକୁ ନିଜର ପାରମ୍ପରିକ ଶବ୍ଦଭଣ୍ଡାର ମାଧ୍ୟମରେ ବୁଝିଵାକୁ ଚେଷ୍ଟା କରେ । ଭାଷା କେଵଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ମଣିଷର ଚିନ୍ତାଧାରା ଓ ଜ୍ଞାନଗତ ପଦ୍ଧତିର ଏକ ଜୀଵନ୍ତ ପ୍ରତିଛବି । ଓଡ଼ିଶାରେ ଯେତେବେଳେ ଏହି ନୂତନ ହାତ-ଟର୍ଚ୍ଚ ପ୍ରଵେଶ କଲା, ଓଡ଼ିଆ ଭାଷାଭାଷୀ ଲୋକେ ତାକୁ କେଵଳ ଗୋଟିଏ ଵିଦେଶୀ ଶବ୍ଦରେ ଗ୍ରହଣ ନକରି, ତାହାର ଗୁଣ, କାର୍ଯ୍ୟକାରିତା ଓ ପ୍ରଯୁକ୍ତିକୁ ଭିତ୍ତି କରି ଵିଭିନ୍ନ ନାମ ଦେଇଥିଲେ । ଏହି ନାମଗୁଡ଼ିକ ଥିଲା— ଵିଜୁଳି ଵତି, ଟିପାଵତି ଓ ଚୋରାଵତି । 

ପ୍ରଥମ ନାମଟି ହେଲା 'ଵିଜୁଳି ଵତି' । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ଏହାର ଅର୍ଥ ହେଉଛି "କୃତ୍ରିମ ଉପାୟରେ ଉତ୍ପାଦିତ ତଡ଼ିତ୍ ଶକ୍ତିରେ ପ୍ରଜ୍ୱାଳିତ ଆଲୋକମୟ ପ୍ରଦୀପ" ଏଵଂ ନିର୍ଦ୍ଦିଷ୍ଟ ଭାବେ ଏହାକୁ "ଟର୍ଚ୍ଚ ଲାଇଟ୍" ସହିତ ଯୋଡ଼ାଯାଇଛି । ଏହି ନାମଟିରେ ଏକ ଚମତ୍କାର ଦାର୍ଶନିକ ସମନ୍ୱୟ ରହିଛି । 'ଵିଜୁଳି' ଶବ୍ଦ ଆକାଶରୁ ଖସୁଥିଵା ପ୍ରାକୃତିକ ଶକ୍ତିକୁ ସୂଚାଏ, ଯାହା ମଣିଷ ପାଇଁ ଭୟ ଓ ଆଶ୍ଚର୍ଯ୍ୟର କାରଣ ଥିଲା । ଆଉ 'ଵତି' (ଯାହା ସଂସ୍କୃତ 'ଵର୍ତ୍ତି' ମୂଳର, ଅର୍ଥାତ୍ ଶଳିତା ଵା ପ୍ରଦୀପ) ଏକ ପାରମ୍ପରିକ, ଦୈନନ୍ଦିନ ଘରୋଇ ସାମଗ୍ରୀକୁ ସୂଚାଏ । ଓଡ଼ିଆ ସାମୂହିକ ଚେତନା ଏହି ଦୁଇଟି ଶବ୍ଦକୁ ଯୋଡ଼ି ଏକ ନୂତନ ଵାସ୍ତଵତାକୁ ସ୍ୱୀକାର କରିଥିଲା ଯେ, ଵର୍ତ୍ତମାନ ଆକାଶର ଭୟଙ୍କର ଵିଜୁଳିକୁ ମଣିଷ ନିଜ ହାତମୁଠାରେ ଏକ ଵତି ଵା ଦୀପ ଭଳି ନିୟନ୍ତ୍ରଣ କରିପାରୁଛି । ଏହି ଶବ୍ଦଟି ପ୍ରଯୁକ୍ତିଵିଦ୍ୟାର ମୂଳ ଉତ୍ସ (ବିଦ୍ୟୁତ୍) କୁ ନେଇ ଗଠିତ ହୋଇଥିଲା ।
ଦ୍ୱିତୀୟ ନାମଟି ଥିଲା 'ଟିପାଵତି' । ଏହି ଶବ୍ଦର ଉତ୍ପତ୍ତି ମଣିଷ ଓ ମେସିନ୍ ମଧ୍ୟରେ ଥିବା ଭୌତିକ ସମ୍ପର୍କରୁ ଆସିଛି । ଭାଷାକୋଷରେ 'ଟିପା' ଶବ୍ଦର ଅନେକ ଅର୍ଥ ଦିଆଯାଇଛି, ଯେପରିକି ଲେଖି ରଖିଥିଵା ସ୍ମାରକ, ଚିତା ଵା ଟୋପା, ଛୁଞ୍ଚିରେ ସିଲାଇ କର୍ମ ଇତ୍ୟାଦି । କିନ୍ତୁ ଏଠାରେ 'ଟିପା' ଶବ୍ଦଟି ମୁଖ୍ୟତଃ 'ଟିପିଵା' ଵା Switch ଦବାଇଵା କ୍ରିୟାରୁ ଆସିଛି । ହଜାର ହଜାର ଵର୍ଷ ଧରି ମଣିଷ ଆଲୁଅ ଜଳାଇଵା ପାଇଁ ଘର୍ଷଣ କରୁଥିଲା, ଚକମକି ପଥର ବାଡ଼ାଉଥିଲା, କିମ୍ବା ନିଆଁ ଲଗାଉଥିଲା । ଏହା ଏକ ଶାରୀରିକ ଶ୍ରମସାଧ୍ୟ ପ୍ରକ୍ରିୟା ଥିଲା । କିନ୍ତୁ ଏହି ନୂଆ ଯନ୍ତ୍ରଟି ଏକ ବଡ଼ ଜ୍ଞାନଗତ ପରିଵର୍ତ୍ତନ ଆଣିଲା— କେଵଳ ଆଙ୍ଗୁଠି ଟିପରେ ଟିକିଏ ଦବାଇଦେଲେ ଅଥଵା ଟିପିଦେଲେ ଆଲୁଅ ଜଳି ଉଠୁଥିଲା । ଏହି ସହଜ, ଯାନ୍ତ୍ରିକ ପ୍ରକ୍ରିୟାଟି ସେକାଳର ଲୋକଙ୍କ ପାଇଁ ଏତେ ଅଭିନଵ ଓ ଆଶ୍ଚର୍ଯ୍ୟଜନକ ଥିଲା ଯେ, ସେମାନେ ଯନ୍ତ୍ରଟିର ନାମକରଣ ତାହାର ଵ୍ୟଵହାର ପ୍ରକ୍ରିୟାକୁ ଭିତ୍ତି କରି ଦେଇଦେଲେ । ଯେଉଁ ଵତି ଟିପିଲେ ଜଳେ, ତାହା ହିଁ 'ଟିପାଵତି' । ଏହା ଵୈଷୟିକ ନିୟନ୍ତ୍ରଣର ଏକ ସୁନ୍ଦର ଭାଷାଗତ ପ୍ରତିଫଳନ ।
ତୃତୀୟ ଏଵଂ ସବୁଠାରୁ ଆକର୍ଷଣୀୟ ନାମଟି ହେଉଛି 'ଚୋରାବତି' । କେତେକ ଅଞ୍ଚଳରେ ଏହି ଶବ୍ଦ ଚୁରାଵତି ରୂପେ ମଧ୍ୟ ପ୍ରଚଳିତ ହୋଇଗଲା । ଭାଷାକୋଷ ଅନୁଯାୟୀ 'ଚୋରା' ଶବ୍ଦର ଅର୍ଥ ହେଉଛି ଲୁକ୍କାୟିତ, ଗୁପ୍ତ ଵା ସାଧାରଣ ନଜରରୁ ଦୂରରେ ଥିଵା (ଯେପରିକି ଚୋରାପ୍ରୀତି) । ଏହି ନାମକରଣ ପଛରେ କେଵଳ ଯନ୍ତ୍ରର ଗଠନ ନୁହେଁ ଵରଂ ଏକ ଗଭୀର ସାମାଜିକ ଦୃଷ୍ଟିକୋଣ ଲୁଚି ରହିଛି । ପ୍ରାଚୀନ କାଳରୁ ମଶାଲ,ଲଣ୍ଠନ ଵା ଦୀପ ଏକ ସାମାଜିକ ଆଲୋକ ଥିଲା । ଯେତେବେଳେ କେହି ରାତିରେ ମଶାଲ ଵା ଲଣ୍ଠନ ଧରି ଚାଲୁଥିଲା, ସମଗ୍ର ଗାଁ ଜାଣିପାରୁଥିଲା ଯେ କିଏ ଆସୁଛି, କାରଣ ଦୀପ,ଡିବିରି,ନିଆଁହୁଳା,ମଶାଲ ଓ ଲଣ୍ଠନର ଆଲୁଅ ଚାରିଆଡ଼କୁ ବ୍ୟାପୁଥିଲା ଏଵଂ ଲଣ୍ଠନ ଓ ତଶାଲକୁ ବୋହୁଥିଵା ଵ୍ୟକ୍ତି ତଥା ଦୀପ,ଡିବିରି ତଥା ନିଆଁହୁଳା ପାଖରେ ଥିଵା ଲୋକର ମୁହଁକୁ ମଧ୍ୟ ଆଲୋକିତ କରୁଥିଲା । କିନ୍ତୁ ହାତରେ ଧରାଯାଇପାରୁଥିଵା ଟର୍ଚ୍ଚର ଆଲୁଅ ଥିଲା ଭିନ୍ନ । ଏହାର ଆଲୋକ ଏକ ନିର୍ଦ୍ଦିଷ୍ଟ ଦିଗକୁ ଏକ ସିଧା ରେଖାରେ ଯାଉଥିଲା । ଯିଏ ଟର୍ଚ୍ଚ ଧରିଥାଏ, ସେ ସମ୍ପୂର୍ଣ୍ଣ ଅନ୍ଧକାରରେ ଲୁଚି ରହିପାରେ, କିନ୍ତୁ ସେ ଯାହା ଉପରେ ଆଲୁଅ ପକାଇଵ ତାକୁ ସ୍ପଷ୍ଟ ଦେଖିପାରିଵ । ଏହା ଥିଲା ଲୁକ୍କାୟିତ ଵା 'ଗୁପ୍ତ' ଭାବରେ ଦେଖିଵାର ଏକ ମାଧ୍ୟମ । ଚୋରମାନେ ଅନ୍ଧାରରେ ଲୁଚି ଆଲୁଅ ପକାଇ ଜିନିଷ ଖୋଜିଵା ପାଇଁ, କିମ୍ବା ଘର ମାଲିକମାନେ ଲୁଚିଥିଵା ଚୋରକୁ ଧରିଵା ପାଇଁ ଏହାର ଵ୍ୟଵହାର କରୁଥିଲେ । ଏହି ଗୁପ୍ତ ଓ ନିର୍ଦ୍ଦିଷ୍ଟ ଦିଗ୍‌ଦର୍ଶୀ ଆଲୋକର ପ୍ରକୃତି ଯୋଗୁଁ ଲୋକେ ଏହାକୁ 'ଚୋରାଵତି' ବୋଲି ନାମିତ କରିଥିଲେ । ଏହି ଶବ୍ଦଟି ପ୍ରମାଣ କରେ ଯେ ଓଡ଼ିଆ ଭାଷା କେତେ ସୂକ୍ଷ୍ମ ଭାବରେ ଏକ ପ୍ରଯୁକ୍ତିର ସାମାଜିକ ପ୍ରଭାବକୁ ମାପି ପାରିଥିଲା ।

କିନ୍ତୁ ସମୟକ୍ରମେ ଏହି ତିନୋଟି ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଏଵଂ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଓଡ଼ିଆ ଶବ୍ଦ— ଵିଜୁଳିଵତି, ଟିପାଵତି ଓ ଚୋରାଵତି— ଲୋକମୁଖରୁ ଲୋପ ପାଇଗଲା ଏଵଂ ତା' ସ୍ଥାନରେ ଇଂରାଜୀ ଶବ୍ଦ 'Torch' ସ୍ଥାୟୀ ଭାବେ ଵ୍ୟଵହୃତ ହେଲା । ଏହା କିପରି ଓ କାହିଁକି ଘଟିଲା, ତାହା ଭାଷା ଵିଜ୍ଞାନ ଅପେକ୍ଷା ଵିଶ୍ୱାୟନ, ପୁଞ୍ଜିବାଦ ଓ ଵାଣିଜ୍ୟିକ ସାମ୍ରାଜ୍ୟଵାଦର କାହାଣୀ ସହିତ ଅଧିକ ଜଡ଼ିତ । ଯେତେବେଳେ କୌଣସି ଜିନିଷ ଶିଳ୍ପଭିତ୍ତିକ ବହୁଳ-ଉତ୍ପାଦନ ପ୍ରକ୍ରିୟା ମଧ୍ୟକୁ ପ୍ରଵେଶ କରେ ସେତେବେଳେ ତାହାର ସ୍ଥାନୀୟ ପରିଚୟ ନଷ୍ଟ ହେଵା ଆରମ୍ଭ ହୁଏ । ଟର୍ଚ୍ଚ ଓ ବ୍ୟାଟେରୀଗୁଡ଼ିକ ଯେତେବେଳେ କାରଖାନାରୁ ପ୍ୟାକେଟ୍ ହୋଇ ଓଡ଼ିଶାର ଗାଁ ଗହଳିର ଦୋକାନକୁ ଆସିଲା, ସେହି ପ୍ୟାକେଟ୍ ଉପରେ ବଡ଼ ବଡ଼ ଅକ୍ଷରରେ ଇଂରାଜୀରେ ଲେଖାଥିଲା 'Torch' କିମ୍ବା 'Flashlight' । ଵିଜ୍ଞାପନ, ଖବରକାଗଜ ଏଵଂ କମ୍ପାନୀର ଏଜେଣ୍ଟମାନେ ସର୍ଵଦା ଏହାକୁ 'ଟର୍ଚ୍ଚ' ବୋଲି ପ୍ରଚାର କଲେ ।

ଏତଦ୍ ଵ୍ୟତୀତ, ଊନଵିଂଶ ଓ ଵିଂଶ ଶତାବ୍ଦୀରେ ଶିକ୍ଷା ଵ୍ୟଵସ୍ଥାର ପ୍ରସାର ସହିତ ଇଂରାଜୀ ଭାଷା କ୍ଷମତା, ଆଧୁନିକତା ଏଵଂ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ପାଲଟି ଯାଇଥିଲା । ସାଧାରଣ ମଣିଷର ମନସ୍ତତ୍ତ୍ୱ ହେଉଛି କ୍ଷମତାଶାଳୀର ଅନୁକରଣ କରିଵା । ଯେହେତୁ ବଡ଼ ବଡ଼ ଅଫିସର, ଡାକ୍ତର, ଏଵଂ ଇଂରାଜୀ ପଢ଼ିଥିଵା ବାବୁମାନେ ଦୋକାନକୁ ଯାଇ 'ଟର୍ଚ୍ଚ' ମାଗୁଥିଲେ, ସାଧାରଣ ଗ୍ରାମୀଣ ଲୋକ ମଧ୍ୟ ନିଜକୁ ଆଧୁନିକ ପ୍ରମାଣିତ କରିଵା ଆଶାରେ ନିଜର ଦେଶୀୟ ଶବ୍ଦ ଛାଡ଼ି 'ଟର୍ଚ୍ଚ' ଶବ୍ଦ ଵ୍ୟଵହାର କରିଵାକୁ ଶ୍ରେୟ ମଣିଲେ । ଦୋକାନୀମାନେ ମଧ୍ୟ ଵାଣିଜ୍ୟିକ ମାନକୀକରଣ କାରଣରୁ ଗୋଟିଏ ସାଧାରଣ ନାମ ବ୍ୟବହାର କରିଵା ସହଜ ମନେ କଲେ । ଭାଷାରେ ଯେତେବେଳେ ବଜାରର ନିୟନ୍ତ୍ରଣ ସ୍ଥାପିତ ହୁଏ, ସେତେବେଳେ ସୂକ୍ଷ୍ମ ଦାର୍ଶନିକ କିମ୍ବା ଵର୍ଣ୍ଣନାତ୍ମକ ଶବ୍ଦଗୁଡ଼ିକ ମରିଯାଆନ୍ତି ଏଵଂ ତା' ବଦଳରେ ବାଣିଜ୍ୟିକ ବ୍ରାଣ୍ଡ୍ ଵା ସହଜ ଆମଦାନୀକୃତ ଶବ୍ଦ ବଞ୍ଚି ରହେ ।
ଆଜି 'ଵିଜୁଳି ଵତି' ଶବ୍ଦଟି ଟର୍ଚ୍ଚ ବଦଳରେ ସାଧାରଣ ଵିଦ୍ୟୁତ୍ ଆଲୋକ ପାଇଁ ବ୍ୟଵହୃତ ହେଉଛି ଏଵଂ 'ଚୋରାଵତି' ତଥା 'ଟିପାଵତି' ଶବ୍ଦ କେଵଳ ଶବ୍ଦକୋଷର ହଳଦିଆ ପଡ଼ିଯାଇଥିଵା ପୃଷ୍ଠାଗୁଡ଼ିକରେ କିମ୍ବା ପୁରୁଣା ଲୋକଙ୍କ ସ୍ମୃତିରେ ସୀମିତ ହୋଇ ରହିଯାଇଛି । ସାପିଏନ୍ସ ନିଜର ସୁବିଧା ପାଇଁ କେଵଳ ଯେ ନିଆଁ ଓ ଅନ୍ଧକାରକୁ ଵଶୀଭୂତ କରିଛି ତାହା ନୁହେଁ ଵରଂ ଏକକ ଵିଶ୍ୱବଜାରର ସୁବିଧା ପାଇଁ ନିଜର ବହୁଵିଧ, ରଙ୍ଗୀନ ଓ ସାଂସ୍କୃତିକ ଗଭୀରତା ଥିଵା ଶବ୍ଦଗୁଡ଼ିକୁ ମଧ୍ୟ ଵଳିଦାନ ଦେଇ ଦେଇଛି । ଅନ୍ଧକାର ଉପରେ ଵିଜୟର ଏହି ଯାତ୍ରାରେ, ଓଡ଼ିଆ ଭାଷାର କେତୋଟି ସୁନ୍ଦର ଶବ୍ଦ ଚିରଦିନ ପାଇଁ ଇତିହାସର ଗର୍ଭରେ ଅନ୍ଧକାରମୟ ହୋଇଯାଇଛନ୍ତି ।

Sunday, October 11, 2026

ଅଵୈଧ ସନ୍ତାନ ବୋଲାଉଥିଵା ଜଣେ ଵ୍ୟକ୍ତିର ପ୍ରତିଶୋଧର କାହାଣୀ

ଆଫ୍ରିକା ମହାଦେଶର ଦକ୍ଷିଣ ଭାଗରେ ଅଵସ୍ଥିତ ଉର୍ଵର ସବୁଜ ପ୍ରାନ୍ତର ଏଵଂ ଵିଶାଳ ପାହାଡ଼ ଘେରା ଅଞ୍ଚଳରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଏକ ନୂତନ ରକ୍ତାକ୍ତ ଇତିହାସର ମୂଳଦୁଆ ପଡ଼ିଥିଲା। ସେହି ସମୟରେ ଏକ କ୍ଷୁଦ୍ର ଜୁଲୁ ଜନଜାତିର ମୁଖିଆ ଥିଲେ ସେଞ୍ଜାଙ୍ଗାଖୋନା। ଦିନେ ନିଜ ଯାତ୍ରା ସମୟରେ ସେ ପଡ଼ୋଶୀ ଲାଙ୍ଗେନି ଜନଜାତିର ଏକ ଅତ୍ୟନ୍ତ ସୁନ୍ଦରୀ ଓ ସାହସୀ ତରୁଣୀ 'ନାଣ୍ଡି'ଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଗଢି ଉଠିଥିଵା ସମ୍ପର୍କରୁ ନାଣ୍ଡି ଅଵିଵାହିତ ଅଵସ୍ଥାରେ ଗର୍ଭଵତୀ ହୋଇଥିଲେ। ସେ ସମୟରେ ଜୁଲୁ ଓ ଲାଙ୍ଗେନି ସମାଜରେ ଵିଵାହ ପୂର୍ଵରୁ ସନ୍ତାନ ଧାରଣ କରିଵା ଏକ ମହାପାପ ଏଵଂ ଘୋର ଅପମାନର ଵିଷୟ ବୋଲି ଵିଵେଚନା କରାଯାଉଥିଲା। ଯେତେବେଳେ ଲାଙ୍ଗେନି ଜନଜାତିର ଵୟସ୍କମାନେ ଜୁଲୁ ଶାସକଙ୍କ ନିକଟକୁ ଏହି ଵାର୍ତ୍ତା ପଠାଇଲେ, ସେତେବେଳେ ସେଞ୍ଜାଙ୍ଗାଖୋନା ନିଜର ଦୋଷ ଲୁଚାଇଵାକୁ ଯାଇ ଦମ୍ଭର ସହ କହିଥିଲେ ଯେ ନାଣ୍ଡି ଆଦୌ ଗର୍ଭଵତୀ ନାହାନ୍ତି ଵରଂ ତାଙ୍କ ପେଟରେ ଏକ ପ୍ରକାର ରୋଗ ଵା ପୋକ ଅଛି ଯାହାକୁ ସେମାନଙ୍କ ଭାଷାରେ 'ଇ-ଶାକା' (I-Shaka) ବୋଲି କୁହାଯାଏ। କିନ୍ତୁ ପ୍ରକୃତିର ନିୟମକୁ କିଏ ଵା ଲୁଚାଇ ପାରିଵ । ସମୟକ୍ରମେ ଯେତେବେଳେ ସତ୍ୟ ସାମ୍ନାକୁ ଆସିଲା ଏଵଂ ନାଣ୍ଡି ଏକ ସୁସ୍ଥ ପୁତ୍ର ସନ୍ତାନର ଜନନୀ ହେଲେ, ସେତେବେଳେ ସେହି ନଵଜାତ ଶିଶୁର ନାମ ରଖାଗଲା 'ଶାକା', ଯେପରି ସେ ସାରା ଜୀଵନ ସେହି ଅପମାନ ଓ କଳଙ୍କର ଭାର ବୋହିଵ । ଏହିପରି ଭାବରେ ଆଫ୍ରିକା ଇତିହାସର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ତଥା ରାଜାଙ୍କର ଜନ୍ମ ଏକ ଅଭିଶାପ ଓ ଅପମାନରୁ ଆରମ୍ଭ ହୋଇଥିଲା। ବାଧ୍ୟ ହୋଇ ସେଞ୍ଜାଙ୍ଗାଖୋନା ନାଣ୍ଡିଙ୍କୁ ନିଜର ତୃତୀୟ ପତ୍ନୀ ଭାବରେ ଗ୍ରହଣ କରିଥିଲେ ମଧ୍ୟ କେବେହେଲେ ତାଙ୍କୁ ପ୍ରଧାନ ପତ୍ନୀର ସମ୍ମାନ ଦେଇନଥିଲେ ଏଵଂ ଶାକାଙ୍କୁ ନିଜର ପ୍ରକୃତ ଉତ୍ତରାଧିକାରୀ ଭାବରେ ସ୍ୱୀକାର କରିନଥିଲେ।

ରାଜପ୍ରାସାଦର ଷଡ଼ଯନ୍ତ୍ର ଏବଂ ପିତାର ଅଵହେଳା ମଧ୍ୟରେ ଶାକାଙ୍କର ପ୍ରଥମ ଛଅ ଵର୍ଷ ବିତିଥିଲା। ଶେଷରେ ସେଞ୍ଜାଙ୍ଗାଖୋନାଙ୍କ ଅନ୍ୟ ପତ୍ନୀମାନଙ୍କର ଇର୍ଷା, ଅହଂକାର ଏଵଂ ନିରନ୍ତର ଚକ୍ରାନ୍ତ ହେତୁ ନାଣ୍ଡି ଆଉ ଶିଶୁ ଶାକାଙ୍କୁ ଜୁଲୁ ଗ୍ରାମରୁ ଅତ୍ୟନ୍ତ ଅପମାନିତ କରି ତଡ଼ି ଦିଆଯାଇଥିଲା। ନିରାଶ୍ରୟ ହୋଇ ନାଣ୍ଡି ନିଜର ଛୋଟ ପୁତ୍ରକୁ ଧରି ଅନେକ ଆଶା ନେଇ ନିଜର ପୈତୃକ ଜନଜାତି 'ଲାଙ୍ଗେନି' ନିକଟକୁ ଫେରିଆସିଥିଲେ। କିନ୍ତୁ ସେଠାରେ ସେମାନଙ୍କ ପାଇଁ କୌଣସି ଶାନ୍ତି କିମ୍ବା ଆଶ୍ରୟ ନଥିଲା। ଲାଙ୍ଗେନି ଅଞ୍ଚଳରେ ଶାକା ଓ ନାଣ୍ଡିଙ୍କର ଜୀଵନ ଏକ ଜୀଵନ୍ତ ନର୍କରେ ପରିଣତ ହୋଇଥିଲା। ଏକ ପିତାହୀନ, ଅଵୈଧ ସନ୍ତାନ ଭାବରେ ଶାକାଙ୍କୁ ପ୍ରତିଦିନ ସମାଜର ତିରସ୍କାର, ଘୃଣା ଓ ନିଷ୍ଠୁରତାର ସାମ୍ନା କରିଵାକୁ ପଡ଼ୁଥିଲା। ଲାଙ୍ଗେନି ଗ୍ରାମର ଅନ୍ୟ ପିଲାମାନେ ତାଙ୍କୁ ଘେରିଯାଇ ପଥର ଫିଙ୍ଗୁଥିଲେ, ମାଡ଼ ମାରୁଥିଲେ ଏଵଂ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ତାଙ୍କୁ କାପୁରୁଷ ଓ ଦୁର୍ବଳ କହି ପରିହାସ କରାଯାଉଥିଲା ଏଵଂ କେହି ବି ତାଙ୍କ ସହିତ ମିଶୁନଥିଲେ କି ଖେଳୁନଥିଲେ। 

ଖାଦ୍ୟାଭାଵରେ ମାଆପୁଅଙ୍କୁ ଦିନ ଦିନ ଧରି ଭୋକିଲା ରହିଵାକୁ ପଡ଼ୁଥିଲା, ଅଥଚ ଲାଙ୍ଗେନିର ଲୋକମାନେ ନିଜ ଆଖି ଆଗରେ ଏହି ମାଆ-ପୁଅଙ୍କର କଷ୍ଟ ଦେଖି ମଧ୍ୟ ଆନନ୍ଦ ଉପଭୋଗ କରୁଥିଲେ। ସବୁଠାରୁ କଷ୍ଟଦାୟକ କଥା ଥିଲା ତାଙ୍କ ମାଆ ନାଣ୍ଡିଙ୍କୁ କରାଯାଉଥିଵା ନିରନ୍ତର ଅପମାନ। ଲାଙ୍ଗେନିର ଵୟସ୍କ ଲୋକମାନେ ନାଣ୍ଡିଙ୍କୁ ଜଣେ ଚରିତ୍ରହୀନା ଵ୍ୟଭିଚାରିଣୀ କହି ତାଚ୍ଛଲ୍ୟ କରୁଥିଲେ। ଶାକାଙ୍କର କିଶୋର ମନରେ ଏହି ସମସ୍ତ ନିର୍ମମ ଘଟଣା ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା। ସେ ପ୍ରତିଦିନ ନିଜ ମାଆର ଲୁହ ଦେଖି କାନ୍ଦୁଥିଲେ, କିନ୍ତୁ ସେହି ଲୁହ ଧୀରେ ଧୀରେ ଏକ ଭୟଙ୍କର ନିଆଁ ଆଉ କ୍ରୋଧରେ ପରିଣତ ହେଉଥିଲା। ସେ ଖୁବ୍ କମ୍ ଵୟସରୁ ଅନୁଭଵ କରିନେଇଥିଲେ ଯେ ଏହି ପୃଥିଵୀରେ ଦୁର୍ଵଳ ହେଵାର ଅର୍ଥ ହେଉଛି ଵିନାଶ। ତାଙ୍କ ଭିତରେ ଏକ ଅଦମ୍ୟ ପ୍ରତିଶୋଧର ଝଡ଼ ସୃଷ୍ଟି ହେଵାକୁ ଲାଗିଲା। ସେ ମନେ ମନେ ସଂକଳ୍ପ କରିଥିଲେ ଯେ ଯେଉଁମାନେ ଆଜି ତାଙ୍କ ମାଆଙ୍କ ଆଖିରେ ଲୁହ ଆଣିଛନ୍ତି ଏଵଂ ତାଙ୍କୁ ଏକ ତୁଚ୍ଛ ପୋକ ସହିତ ତୁଳନା କରୁଛନ୍ତି, ଦିନେ ସେମାନେ ତାଙ୍କ ପାଦତଳେ ପଡ଼ି ରକ୍ତ ବାନ୍ତି କରି ପ୍ରାଣ ଭିକ୍ଷା କରିବେ। ଲାଙ୍ଗେନି ଗ୍ରାମର ଧୂଳିମାଟିରେ ନିଜର ରକ୍ତ ଓ ଲୁହ ସହିତ ଶାକା ଏକ ନିଷ୍ଠୁର ଭଵିଷ୍ୟତର ମାନଚିତ୍ର ଆଙ୍କୁଥିଲେ।

ସମୟକ୍ରମେ ଲାଙ୍ଗେନିମାନଙ୍କର ଅତ୍ୟାଚାର ଅସହ୍ୟ ହୋଇଉଠିଵା ସହ ଦୁର୍ଭିକ୍ଷ ଓ ନିର୍ଯାତନାର ଭୟ ମଧ୍ୟ ବଢ଼ିଚାଲିଥିଲା। ଏଭଳି ପରିସ୍ଥିତିରେ ନିଜ ଓ ନିଜ ପୁଅ ଶାକାଙ୍କ ଜୀଵନ ରକ୍ଷା ପାଇଁ ନାଣ୍ଡି ପୁଣିଥରେ ପଳାୟନର ପଥ ବାଛିଥିଲେ। ମାଆ-ପୁଅ ନିଜର ପରିଚୟ ଗୋପନ ରଖି ଦୀର୍ଘ ପଥ ଅତିକ୍ରମ କରି ଶେଷରେ ମଥେଥ୍ୱା ରାଜ୍ୟ(ଆଜିର KwaZulu-Natal ଅଞ୍ଚଳ)ର ଅଧୀନରେ ଥିଵା 'ଏମ୍‌ଡ୍ଲେତ୍‌ଶେନି' ଗୋଷ୍ଠୀ ନିକଟରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ଆଶ୍ରୟ ମିଳିଥିଲା ଏଵଂ ନୂଆ ପରିଵେଶରେ ଶାକାଙ୍କ ଜୀଵନ ଧୀରେ ଧୀରେ ଏକ ନୂଆ ଦିଗକୁ ଗତି କରିଵାକୁ ଲାଗିଥିଲା।

ସେତେବେଳେ ଵିଶାଳ ଓ ପ୍ରଭାଵଶାଳୀ ମଥେଥ୍ୱା ରାଜ୍ୟର ସର୍ଵୋଚ୍ଚ ଶାସକ ଥିଲେ ପ୍ରଖ୍ୟାତ ରାଜା ଡିଙ୍ଗିସ୍ୱାୟୋ। ମଥେଥ୍ୱା ସମାଜରେ ନିଜକୁ ପ୍ରତିଷ୍ଠିତ କରିଵା ସହ ଶାକା ପରେ ମଥେଥ୍ୱା ସେନାରେ ଯୋଗ ଦେଇଥିଲେ। ତାଙ୍କର ଅସାଧାରଣ ସାହସ, ଶାରୀରିକ ଦକ୍ଷତା ଓ ଯୁଦ୍ଧକୌଶଳ କ୍ରମେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲା। ଏହି ସାମରିକ ଅଭିଜ୍ଞତା ହିଁ ଶାକାଙ୍କ ଜୀଵନରେ ଏକ ନିର୍ଣ୍ଣାୟକ ମୋଡ଼ ଆଣିଥିଲା ଏଵଂ ପରଵର୍ତ୍ତୀ କାଳରେ ତାଙ୍କୁ ଜଣେ ଅସାଧାରଣ ଯୋଦ୍ଧା ଓ ସାମରିକ ନେତା ଭାବେ ଗଢ଼ି ତୋଳିଥିଲା।

ପ୍ରାୟ ୧୮୧୨ ମସିହାରେ, ଯୁଵକ ଶାକା "ଇଜିସ୍ୱେ ଵୟସ୍କ-ସେନା ରେଜିମେଣ୍ଟ"ରେ ଯୋଗ ଦେଇଥିଲେ। ପ୍ରଥମ ଯୁଦ୍ଧରେ ତାଙ୍କ ପ୍ରଦର୍ଶନ ଵିଷୟରେ ଭଲ ରିପୋର୍ଟ ପାଇଵା ପରେ ରେଜିମେଣ୍ଟର ନାୟକ Bhuza ତାଙ୍କୁ ଡିଙ୍ଗିସ୍ୱାୟୋଙ୍କ ସମ୍ମୁଖରେ ନେଇଯାଇଥିଲେ। ଡିଙ୍ଗିସ୍ୱାୟୋ ତାଙ୍କୁ କିଛି ପ୍ରଶ୍ନ କରିଵା ପରେ ତାଙ୍କ ନେତୃତ୍ୱ ଓ ବୁଦ୍ଧିମତ୍ତା ଚିହ୍ନିଥିଲେ ।‌

ପିଲାଦିନର ସେହି ଦୁର୍ଵଳ ତଥା ନିର୍ଯାତିତ ବାଳକ ଏବେ ଏକ ଛଅ ଫୁଟ ତିନି ଇଞ୍ଚ ଉଚ୍ଚତାର ଦୀର୍ଘକାୟ, ମାଂସପେଶୀବହୁଳ ଓ ନିର୍ଭୀକ ଯୁଵକରେ ପରିଣତ ହୋଇଥିଲା। ଶାକା କେଵଳ ଜଣେ ଯୋଦ୍ଧା ନଥିଲେ, ସେ ଥିଲେ ଯୁଦ୍ଧ କ୍ଷେତ୍ରର ଏକ ପ୍ରଚଣ୍ଡ ପ୍ରତିଭାଶାଳୀ ଵୈଜ୍ଞାନିକ। ସେ ଆଫ୍ରିକୀୟ ଯୁଦ୍ଧ କୌଶଳରେ ଵୈପ୍ଳଵିକ ପରିଵର୍ତ୍ତନ ଆଣିଥିଲେ। ପୂର୍ଵରୁ ଯୋଦ୍ଧାମାନେ ଦୂରରୁ ଲମ୍ବା ବର୍ଚ୍ଛା ଫିଙ୍ଗି ଏଵଂ ଢାଲ ପଛରେ ଲୁଚି ଯୁଦ୍ଧ କରୁଥିଲେ, ଯାହା ଶାକାଙ୍କୁ ଅତ୍ୟନ୍ତ ଭୀରୁତାପୂର୍ଣ୍ଣ ଏଵଂ ସମୟ ନଷ୍ଟକାରୀ ଲାଗିଲା। ସେ 'ଇକ୍ଲୱା' ନାମକ ଏକ ଛୋଟ ଓ ପ୍ରଶସ୍ତ ଫଳକ ଥିଵା ଭୟଙ୍କର ବର୍ଚ୍ଛା ଉଦ୍ଭାଵନ କଲେ, ଯାହାଦ୍ୱାରା ଶତ୍ରୁର ଅତି ନିକଟକୁ ଯାଇ ତାର ପେଟକୁ ଫାଡ଼ି ହତ୍ୟା କରାଯାଇପାରିଵ। ଯେତେବେଳେ ଏହି ଅସ୍ତ୍ର ଶତ୍ରୁର ଶରୀରରୁ ବାହାରୁଥିଲା, ସେତେବେଳେ ସେଥିରୁ ଏକ ଭୟଙ୍କର ଶବ୍ଦ ସୃଷ୍ଟି ହେଉଥିଲା, ଯେଉଁଥିପାଇଁ ଏହାର ନାମ ଇକ୍ଲୱା ରଖାଯାଇଥିଲା। ଏହା ସହିତ ସେ ଵୃହତ୍ ଆକାରର ଗାଈ ଚମଡ଼ାର ଢାଲ ଵ୍ୟଵହାର କଲେ ଏଵଂ ଵିଖ୍ୟାତ 'ଗୋରୁ-ଶିଙ୍ଘ' ଵ୍ୟୁହର ପ୍ରଚଳନ କଲେ, ଯେଉଁଥିରେ ସେନାଵାହିନୀ ତିନି ଭାଗରେ ଵିଭକ୍ତ ହୋଇ ଶତ୍ରୁକୁ ଚାରିଆଡୁ ଘେରିଯାଇ ସମ୍ପୂର୍ଣ୍ଣ ନିପାତ କରୁଥିଲା। ଶାକା ନିଜ ସୈନ୍ୟମାନଙ୍କୁ ଖାଲି ପାଦରେ କଣ୍ଟା ଓ ପଥର ଉପରେ ଦୌଡ଼ିଵାର ଅଭ୍ୟାସ କରାଇ ସେମାନଙ୍କୁ ଯେକୌଣସି ପରିସ୍ଥିତି ପାଇଁ କଠୋର କରିଦେଇଥିଲେ।
ଶାକାଙ୍କର ଏହି ନୂତନ ଯୁଦ୍ଧ କୌଶଳ ଏଵଂ ତାଙ୍କର ଅସାଧାରଣ ବର୍ବର ସାହସ ତାଙ୍କୁ ଡିଙ୍ଗିସ୍ୱାୟୋଙ୍କର ସବୁଠାରୁ ଵିଶ୍ୱସ୍ତ ଓ ଶ୍ରେଷ୍ଠ ସେନାପତିରେ ପରିଣତ କରିଥିଲା। ଯେତେବେଳେ ତାଙ୍କର ପିତା ତଥା ଜୁଲୁ ରାଜା ସେଞ୍ଜାଙ୍ଗାଖୋନାଙ୍କର ମୃତ୍ୟୁ ହେଲା, ସେତେବେଳେ ଡିଙ୍ଗିସ୍ୱାୟୋଙ୍କ ସହାୟତାରେ ଏଵଂ ନିଜ ସେନାର ବଳରେ ଶାକା ନିଜର ସାବତ ଭାଇକୁ ହତ୍ୟା କରି ଜୁଲୁ ସିଂହାସନ ଅଧିକାର କଲେ। ଏକଦା ଯେଉଁ ଜୁଲୁମାନେ ତାଙ୍କୁ ଗାଁରୁ ତଡ଼ି ଦେଇଥିଲେ, ଏବେ ସେମାନେ ତାଙ୍କର ପାଦତଳେ ମୁଣ୍ଡିଆ ମାରୁଥିଲେ। ପରଵର୍ତ୍ତୀ ସମୟରେ ଏକ ଯୁଦ୍ଧରେ ଡିଙ୍ଗିସ୍ୱାୟୋଙ୍କର ମୃତ୍ୟୁ ହେଵା ପରେ ଶାକା ମଥେଥ୍ୱା ସାମ୍ରାଜ୍ୟକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିଲେ ଏଵଂ ଆଖପାଖର ସମସ୍ତ ଜନଜାତିକୁ ନିଜର ଶାସନାଧୀନ କରି ଏକ ଵିଶାଳ ଜୁଲୁ ସାମ୍ରାଜ୍ୟର ସ୍ଥାପନା କରିଥିଲେ। ଏବେ ଶାକା କେଵଳ ଏକ ଛୋଟ ଗାଁର ମୁଖିଆ ନଥିଲେ, ସେ ଥିଲେ ଏକ ଵିଶାଳ ସାମ୍ରାଜ୍ୟର ଅଖଣ୍ଡ ଏବଂ ନିର୍ଦ୍ଦୟ ଶାସକ। ତାଙ୍କ ନାମ ଶୁଣିଲେ ଶତ୍ରୁମାନଙ୍କ ହୃଦୟ ଭୟରେ ଥରି ଉଠୁଥିଲା ଏଵଂ ଆଖପାଖର ରାଜାମାନେ ତାଙ୍କ ନିକଟରେ ଆତ୍ମସମର୍ପଣ କରିଵାକୁ ଶ୍ରେୟସ୍କର ମଣୁଥିଲେ। କିନ୍ତୁ ଏତେ ସବୁ କ୍ଷମତା, ସମ୍ପତ୍ତି ଓ ସମ୍ମାନ ପାଇଵା ପରେ ମଧ୍ୟ ତାଙ୍କ ମନରୁ ପିଲାଦିନର ସେହି ଦାଗ ଲିଭିନଥିଲା। ଲାଙ୍ଗେନିମାନଙ୍କର ସେହି କଦର୍ଯ୍ୟ ପରିହାସ, ପଥର ମାଡ଼ ଏଵଂ ମାଆ ନାଣ୍ଡିଙ୍କର ଅସହାୟ ଲୁହ ତାଙ୍କୁ ରାତିରେ ଶୋଇଵାକୁ ଦେଉନଥିଲା। ସେହି ପୁରୁଣା ହିସାବ କିତାବକୁ ସୁଝିଵାର, ପ୍ରତିଶୋଧର ନିଆଁରେ ସେହି ଗ୍ରାମକୁ ଜାଳି ଛାରଖାର କରିଦେଵାର ସମୟ ଆସିଯାଇଥିଲା। ଶକ୍ତି ଓ କ୍ଷମତାର ସର୍ଵୋଚ୍ଚ ଶିଖରରେ ପହଞ୍ଚିଵା ପରେ ଦିନେ ଶାକା ନିଜର ଦୁର୍ଦ୍ଦର୍ଷ ଏଵଂ ରକ୍ତପିପାସୁ ସେନାଵାହିନୀକୁ ଲାଙ୍ଗେନି ଅଞ୍ଚଳ ଆଡ଼କୁ ଅଗ୍ରସର ହେଵାକୁ ନିର୍ଦ୍ଦେଶ ଦେଲେ। ଜୁଲୁ ସେନାର ପଦଚାଳନାରେ ସମଗ୍ର ଭୂମି କମ୍ପି ଉଠିଥିଲା। ଖବର ପାଇ ଲାଙ୍ଗେନିର ଲୋକମାନେ ଭୟରେ ଆତଙ୍କିତ ହୋଇପଡ଼ିଲେ। ସେମାନେ ଜାଣିଥିଲେ ଯେ ଯେଉଁ ଶାକା ଦିନେ ଏକ ଅସହାୟ ବାଳକ ଥିଲା, ଆଜି ସେ ଦକ୍ଷିଣ ଆଫ୍ରିକାର ସବୁଠାରୁ କ୍ରୂର ସମ୍ରାଟ ଏଵଂ ସେ କେବେହେଲେ କ୍ଷମା କ’ଣ ଜାଣିନାହାନ୍ତି। ଯେତେବେଳେ ଶାକାଙ୍କର ଵିଶାଳ ସେନା ଲାଙ୍ଗେନି ଗ୍ରାମକୁ ଚାରିଆଡୁ ଘେରିଗଲେ, ସେତେବେଳେ ସେଠାରେ ମୃତ୍ୟୁର ଏକ ଭୟଙ୍କର ନୀରଵତା ଖେଳିଗଲା। କାହାରି ପାଟିରୁ ପଦେ କଥା ବାହାରୁନଥିଲା। ଶାକା ନିଜର ଵିଶେଷ ରାଜକୀୟ ବେଶଭୂଷାରେ ସଜ୍ଜିତ ହୋଇ, ନିଜର ପ୍ରିୟ ଅସ୍ତ୍ର ଧରି ଏକ ଉଚ୍ଚ ସ୍ଥାନରେ ଛିଡ଼ା ହେଲେ। ତାଙ୍କ ଆଖିରେ ଥିଲା ପ୍ରତିଶୋଧର ରକ୍ତାକ୍ତ ନିଆଁ। ସେ ନିର୍ଦ୍ଦେଶ ଦେଲେ ଯେ ଲାଙ୍ଗେନିର ସମସ୍ତ ବାସିନ୍ଦା- ଆବାଳବୃଦ୍ଧଵନିତା ବିନା କୌଣସି ଅସ୍ତ୍ରଶସ୍ତ୍ରରେ ତାଙ୍କ ସାମ୍ନାରେ ଏକତ୍ରିତ ହେବେ। ସମସ୍ତେ ମୁଣ୍ଡ ତଳକୁ କରି ଭୟରେ ଥରି ଥରି ଆସି ରୁଣ୍ଡ ହେଲେ। ତା'ପରେ ଶାକା ନିଜର ପ୍ରଚଣ୍ଡ ସ୍ୱରରେ ଏକ ଦୀର୍ଘ ଭାଷଣ ଦେଵା ଆରମ୍ଭ କଲେ। ସେ ସେହି ଅତୀତର ଦିନଗୁଡ଼ିକୁ ମନେ ପକାଇଲେ ଯେତେବେଳେ ତାଙ୍କ ପାଖରେ ଖାଇଵାକୁ ମୁଠାଏ ଦାନା ନଥିଲା ଏଵଂ କେହି ଜଣେ ହେଲେ ତାଙ୍କ ମାଆଙ୍କୁ ଆଶ୍ରୟ ଦେଇନଥିଲେ। ସେ ଗୋଟି ଗୋଟି କରି ସେହି ଘଟଣାଗୁଡ଼ିକର ଵର୍ଣ୍ଣନା କଲେ ଯେତେବେଳେ ତାଙ୍କୁ 'କାପୁରୁଷ', 'ଅନାଥ', 'କୁକୁର' ଏବଂ 'ବିନା ବାପାର ପିଲା' କହି ଛେପ ପକାଯାଇଥିଲା। ସେ ଗର୍ଜନ କରି କହିଲେ ଯେ ଆଜି ସେହି ଶାକା ଏଠାରେ ଛିଡ଼ା ହୋଇଛି, ଯାହାକୁ ସେମାନେ ନିଜ ଗୋଡ଼ ତଳର ଧୂଳିଠାରୁ ମଧ୍ୟ ହୀନ ବୋଲି ଭାବୁଥିଲେ। ଶାକା କହିଲେ ଯେ ଆଜି ତାଙ୍କର ଛାୟା ସେମାନଙ୍କ ଉପରେ ଏକ ମୃତ୍ୟୁଦୂତ ପରି ଘେରି ରହିଛି ଏଵଂ ଆଜି ଲାଙ୍ଗେନିର ପାପର ଘଟ ପୂର୍ଣ୍ଣ ହୋଇଯାଇଛି।

ଜନସୃତି କହେ ତାପରେ ଶାକା ନିଜ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ଲାଙ୍ଗେନିର ଲୋକମାନଙ୍କୁ ଦୁଇ ଭାଗରେ ଵିଭକ୍ତ କଲେ। ଯେଉଁ ଅଳ୍ପ କିଛି ଲୋକ ପିଲାଦିନେ ତାଙ୍କ ପ୍ରତି କିମ୍ବା ତାଙ୍କ ମାଆଙ୍କ ପ୍ରତି ସାମାନ୍ୟ ସହାନୁଭୂତି ଦେଖାଇଥିଲେ କିମ୍ବା ଅତି କମରେ ତାଙ୍କୁ ହଇରାଣ କରିନଥିଲେ, ସେମାନଙ୍କୁ ଗୋଟିଏ ସୁରକ୍ଷିତ ପାର୍ଶ୍ୱରେ ରଖାଗଲା। ଉଦାହରଣ ସ୍ୱରୂପ, ଜଣେ ଦରିଦ୍ର ଵୃଦ୍ଧ ଯିଏ ଦିନେ କ୍ଷୁଧାର୍ତ୍ତ ବାଳକ ଶାକାଙ୍କୁ ଖଣ୍ଡେ ସିଝା ମାଂସ ଖାଇଵାକୁ ଦେଇଥିଲେ ଏଵଂ ଅନ୍ୟ ଜଣେ ଵ୍ୟକ୍ତି ଯିଏ ତାଙ୍କୁ ପିଇଵାକୁ ପାଣି ଦେଇଥିଲେ, ସେମାନଙ୍କୁ ଶାକା ଚିହ୍ନି ପାରିଥିଲେ ଏଵଂ ସେମାନଙ୍କୁ ମୂଲ୍ୟଵାନ ଗୋରୁଗାଈ ଦେଇ ପୁରସ୍କୃତ କରିଥିଲେ। କିନ୍ତୁ ଅନ୍ୟ ପାର୍ଶ୍ୱରେ ଥିଲେ ସେହି ଅସଂଖ୍ୟ ଲୋକ ଯେଉଁମାନେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ, ତାଙ୍କ ମାଆଙ୍କ ଚରିତ୍ର ସଂହାର କରିଥିଲେ ଏଵଂ ତାଙ୍କୁ ଗାଁରୁ ବାହାର କରିଦେଵାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶାକାଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା ଯେ ସେ ଭିଡ଼ ଭିତରୁ ଗୋଟି ଗୋଟି କରି ନିଜର ଅତ୍ୟାଚାରୀମାନଙ୍କୁ ଚିହ୍ନଟ କରିଥିଲେ। ଦଶନ୍ଧି ବିତିଯାଇଥିଲେ ମଧ୍ୟ ସେ କାହାରି ଚେହେରା ଭୁଲିନଥିଲେ। ସେହି ଅପରାଧୀମାନଙ୍କୁ ଯେତେବେଳେ ଅଲଗା କରାଗଲା, ସେତେବେଳେ ସେମାନେ ଜାଣିସାରିଥିଲେ ଯେ ଆଜି ସେମାନଙ୍କର ଶେଷ ଦିନ।

ଏହାପରେ ଆରମ୍ଭ ହୋଇଥିଲା ଆଫ୍ରିକୀୟ ଇତିହାସର ସବୁଠାରୁ ଲୋମହର୍ଷଣକାରୀ, ନିର୍ଦ୍ଦୟ ଓ ବର୍ବର ପ୍ରତିଶୋଧ। ଶାକା ନିଜର ଏହି ପୁରୁଣା ଶତ୍ରୁମାନଙ୍କୁ କୌଣସି ସାଧାରଣ ମୃତ୍ୟୁଦଣ୍ଡ ଦେଵାକୁ ଚାହୁଁନଥିଲେ, ଯେଉଁଥିରେ ଗୋଟିଏ ଚୋଟରେ ଜୀଵନ ଚାଲିଯାଏ। ସେ ଚାହୁଁଥିଲେ ଯେ ସେମାନେ ଠିକ୍ ସେହିପରି ତିଳ ତିଳ ହୋଇ କଷ୍ଟ ପାଆନ୍ତୁ, ଯେପରି ସେ ନିଜ ପିଲାଦିନେ ପାଇଥିଲେ। ସେ ତାଙ୍କର ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ଦୋଷୀ ସାଵ୍ୟସ୍ତ ହୋଇଥିଵା ପ୍ରତ୍ୟେକ ଵ୍ୟକ୍ତିଙ୍କୁ ଜୀଵନ୍ତ ଶୂଳିରେ ବସାଇ ଦିଆଯାଉ। ସେହି ଦିନ ଲାଙ୍ଗେନିର ଭୂମି ଶଵ ଓ ରକ୍ତରେ ରଞ୍ଜିତ ହୋଇଯାଇଥିଲା। ଅତି ତୀକ୍ଷ୍ଣ କରାଯାଇଥିଵା ଲମ୍ବା କାଠର ଶୂଳିଗୁଡ଼ିକୁ ପ୍ରସ୍ତୁତ କରାଗଲା। ତା'ପରେ ଜଣକ ପରେ ଜଣେ ଲୋକଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି, ସେମାନଙ୍କ ହାତଗୋଡ଼ ବାନ୍ଧି ସେହି ତୀକ୍ଷ୍ଣ ଶୂଳି ଉପରେ ବସାଇ ଦିଆଗଲା। ଶରୀରର ଓଜନ ତଥା ମାଧ୍ୟାକର୍ଷଣ ଶକ୍ତି ହେତୁ ସେହି କାଠର ଶୂଳିଟି ମଳଦ୍ୱାର ଦେଇ ଶରୀର ଭିତରକୁ ପଶି ଯାଉଥିଲା ଏଵଂ ଧୀରେ ଧୀରେ ଭିତରର ଅଙ୍ଗପ୍ରତ୍ୟଙ୍ଗକୁ ଫାଡ଼ିଦେଇ ଛାତି କିମ୍ବା ବେକ ପାଖରୁ ବାହାରକୁ ବାହାରି ଆସୁଥିଲା। ଏହି ଯନ୍ତ୍ରଣା ଏତେ ଅକଥନୀୟ ଓ ଭୟଙ୍କର ଥିଲା ଯେ ମଣିଷ ତୁରନ୍ତ ମରୁନଥିଲା ଵରଂ ନିଜର ଅନ୍ତବୁଜୁଳା ଫାଟିଯିଵାର କଷ୍ଟ ଅନୁଭଵ କରି ଘଣ୍ଟା ଘଣ୍ଟା ଧରି ଆଉ ବେଳେବେଳେ ଦୁଇ ତିନି ଦିନ ଧରି ପ୍ରଖର ଖରାରେ ଛଟପଟ ହୋଇ, ରକ୍ତ ବାନ୍ତି କରି ଶେଷରେ ପ୍ରାଣ ତ୍ୟାଗ କରୁଥିଲା। ପୁରା ଅଞ୍ଚଳରେ ଚାରିଆଡ଼େ କେଵଳ ଚିତ୍କାର, ଭୟଙ୍କର କାନ୍ଦଣା ଏଵଂ ପ୍ରାଣବିକଳରେ କରାଯାଉଥିଵା ପ୍ରାର୍ଥନା ଶୁଭୁଥିଲା। ଶାକା ଏକ ଵିଶାଳ ପଥରର ଆସନ ଉପରେ ବସି ନିଜ ଆଖି ଆଗରେ ଏହି ମୃତ୍ୟୁର ତାଣ୍ଡଵକୁ ଅତି ଆରାମରେ ଦେଖୁଥିଲେ। ତାଙ୍କ ମୁହଁରେ କୌଣସି ଦୟା, ଵିଚଳିତ ଭାଵ କିମ୍ବା ଅନୁତାପର ଚିହ୍ନ ନଥିଲା। ଯେତେବେଳେ କୌଣସି ଲୋକ ଯନ୍ତ୍ରଣାରେ ଅତ୍ୟଧିକ ଚିତ୍କାର କରୁଥିଲା, ଶାକା ହସି ହସି ତାକୁ ସେହି ଦିନଗୁଡ଼ିକ କଥା ମନେ ପକାଇ ଦେଉଥିଲେ ଯେତେବେଳେ ସେମାନେ ଏକ ଛୋଟ ପିଲାକୁ ଗୋଇଠା ମାରି ତାର କଷ୍ଟକୁ ଦେଖି ଉଲ୍ଲାସ କରୁଥିଲେ। ଲାଙ୍ଗେନି ଗ୍ରାମର ନୀଳ ଆକାଶ ମାଂସାସୀ ପକ୍ଷୀ ଏଵଂ ଶାଗୁଣାମାନଙ୍କର କୋଳାହଳରେ କଳା ପଡ଼ିଯାଇଥିଲା। ଯେଉଁ ଗାଁ ଦିନେ ନାଣ୍ଡି ଓ ଶାକାଙ୍କୁ ରାତିକ ପାଇଁ ଆଶ୍ରୟ ଦେଵାକୁ ମନା କରିଥିଲା, ଆଜି ସେହି ଗାଁ ଏକ ଵିଶାଳ ମୁକ୍ତ ଶ୍ମଶାନରେ ପରିଣତ ହୋଇଯାଇଥିଲା। ଶାକା ପ୍ରମାଣ କରିଦେଇଥିଲେ ଯେ ତାଙ୍କୁ ଏଵଂ ତାଙ୍କ ମାଆଙ୍କୁ ଆଘାତ କରିଥିଵା କୌଣସି ଵ୍ୟକ୍ତି ଏ ପୃଥିଵୀରେ ନିଶ୍ୱାସ ନେଵାର ଅଧିକାର ରଖେ ନାହିଁ। ଏହି ଭୟଙ୍କର ଗଣହତ୍ୟା ଏଵଂ ନିର୍ମମ ପ୍ରତିଶୋଧ କେଵଳ ଲାଙ୍ଗେନିମାନଙ୍କୁ ଦଣ୍ଡ ଦେଵା ପାଇଁ ନଥିଲା, ଏହା ଥିଲା ଶାକାଙ୍କର କ୍ଷମତାର ଏକ ସ୍ପଷ୍ଟ ଵାର୍ତ୍ତା। ସେ ସମଗ୍ର ଆଫ୍ରିକାକୁ ଜଣାଇ ଦେଵାକୁ ଚାହୁଁଥିଲେ ଯେ ଜୁଲୁ ସାମ୍ରାଜ୍ୟର ସମ୍ରାଟଙ୍କୁ ଵିରୋଧ କରିଵାର କିମ୍ବା ତାଙ୍କ ସହିତ ଶତ୍ରୁତା କରିଵାର ପରିଣାମ କେତେ ଭୟାଵହ ହୋଇପାରେ। ଏହି ଘଟଣା ପରେ ଶାକାଙ୍କର ନିଷ୍ଠୁରତା ଏଵଂ ସାମ୍ରାଜ୍ୟ ଵିସ୍ତାରର କ୍ଷୁଧା ଆହୁରି ବଢ଼ିଯାଇଥିଲା। ତାଙ୍କ ମାଆ ନାଣ୍ଡି ହିଁ ଥିଲେ ତାଙ୍କ ଜୀଵନର ଏକମାତ୍ର ଵ୍ୟକ୍ତି ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ ଏଵଂ ଭଗଵାନଙ୍କ ପରି ପୂଜା କରୁଥିଲେ। ନାଣ୍ଡିଙ୍କୁ ସବୁ ପ୍ରକାର ସୁରକ୍ଷା ଦେଵା, ତାଙ୍କୁ ରାଜମାତାର ସର୍ଵୋଚ୍ଚ ସମ୍ମାନ ପ୍ରଦାନ କରିଵା ଏଵଂ ତାଙ୍କର ପ୍ରତ୍ୟେକଟି ଇଚ୍ଛାକୁ ପୂରଣ କରିଵା ଶାକାଙ୍କ ଜୀଵନର ମୁଖ୍ୟ ଉଦ୍ଦେଶ୍ୟ ପାଲଟିଯାଇଥିଲା। 

ଐତିହାସିକମାନେ ମତ ଦିଅନ୍ତି ଯେ ଶାକାଙ୍କର ଏହି ଅତ୍ୟଧିକ କ୍ରୂରତା, ରକ୍ତପାତ ଏଵଂ ମାନସିକ ଅସ୍ଥିରତା ତାଙ୍କର ସେହି ଅଭିଶପ୍ତ ଓ ନିର୍ଯାତିତ ପିଲାଦିନର ସିଧାସଳଖ ପରିଣାମ ଥିଲା। ଯଦି ଲାଙ୍ଗେନି ସମାଜ ତାଙ୍କୁ ଏଵଂ ତାଙ୍କ ମାଆଙ୍କୁ ସ୍ନେହ, ଆଶ୍ରୟ ଓ ସମ୍ମାନର ସହିତ ଗ୍ରହଣ କରିଥାନ୍ତା, ତେବେ ବୋଧହୁଏ ଦକ୍ଷିଣ ଆଫ୍ରିକାର ଇତିହାସ କିଛି ଅଲଗା ହୋଇଥାନ୍ତା। ଗୋଟିଏ ସମାଜ ନିଜର ଅହଂକାର, ପରମ୍ପରାର ଗର୍ଵ ଓ କୁସଂସ୍କାର ଵଶଵର୍ତ୍ତୀ ହୋଇ ଏକ ନିଷ୍ପାପ ଶିଶୁ ପ୍ରତି ଯେଉଁ ଅମାନଵୀୟ ଆଚରଣ ପ୍ରଦର୍ଶନ କରିଥିଲା, ତାହା ହିଁ ଶେଷରେ ସେହି ସମାଜକୁ ଗିଳି ଦେଇଥିଵା ଏକ ଭୟଙ୍କର ଦାନଵର ଜନ୍ମ ଦେଇଥିଲା। ଶାକା ଜୁଲୁଙ୍କର ଏହି ପ୍ରତିଶୋଧ କେଵଳ ଲାଙ୍ଗେନି ଗ୍ରାମର ଲୋକମାନଙ୍କର ଵିନାଶ ନଥିଲା, ଏହା ଥିଲା ମାନଵିକତାର ସେହି ଅନ୍ଧକାର ଦିଗର ଏକ ଜ୍ୱଳନ୍ତ ଉଦାହରଣ ଯେଉଁଠାରେ ନିରନ୍ତର ଅତ୍ୟାଚାରରୁ ହିଁ ପୃଥିଵୀର ସବୁଠାରୁ ଭୟଙ୍କର ଅତ୍ୟାଚାରୀର ସୃଷ୍ଟି ହୋଇଥାଏ। ପରଵର୍ତ୍ତୀ ସମୟରେ ତାଙ୍କର ଵିଶାଳ ସାମ୍ରାଜ୍ୟ ଵିସ୍ତାରର ପ୍ରକ୍ରିୟାରେ ହଜାର ହଜାର ନିରୀହ ଲୋକ ପ୍ରାଣ ହରାଇଥିଲେ ଏଵଂ ଅଗଣିତ ଗ୍ରାମ ଧ୍ୱଂସ ହୋଇଯାଇଥିଲା ଯାହାକୁ ଆଫ୍ରିକୀୟ ଇତିହାସରେ 'ମଫେକାନେ' (Mfecane - ମହାଵିପର୍ଯ୍ୟୟ ଵା ଵିନାଶ) ବୋଲି କୁହାଯାଏ। କିନ୍ତୁ ସେହି ସମସ୍ତ ଯୁଦ୍ଧ, ହାହାକାର ଓ ରକ୍ତପାତର ମୂଳ ଉତ୍ସ ଥିଲା ଲାଙ୍ଗେନି ଗ୍ରାମର ସେହି ଧୂଳିମୟ ଦିନଗୁଡ଼ିକରେ ଲୁଚି ରହିଥିଵା ଜଣେ କୁନି ପିଲାର ଅପମାନ, ଭୋକ ଏଵଂ ତା'ର ମାଆର ଅଵିଶ୍ରାନ୍ତ ଲୁହ।
••••••••••••••••••••••••••••••••••••••••••••
(ଵି:ଦ୍ର:—ରାଜା ଶାକାଙ୍କ ଜନ୍ମ ସମୟରେ ତାଙ୍କ ପିତାଙ୍କ ଦ୍ୱାରା 'ଇ-ଶାକା' (ପେଟର ରୋଗ ଵା ପୋକ) ବୋଲି କୁହାଯିଵା, ଲାଙ୍ଗେନି ଗ୍ରାମଵାସୀଙ୍କ ଦ୍ୱାରା ଶୈଶଵରେ ହେଉଥିଵା ଅତିମାତ୍ରାରେ ଅମାନୁଷିକ ନିର୍ଯାତନା ଏଵଂ ପରେ ସେହି ଗ୍ରାମର ଲୋକମାନଙ୍କୁ ଏକାଠି କରି ଜୀଵନ୍ତ ଶୂଳିରେ ବସାଇ ଭୟଙ୍କର ପ୍ରତିଶୋଧ ନେଵା ଭଳି କେତେକ ଲୋମହର୍ଷଣକାରୀ ଵର୍ଣ୍ଣନାକୁ ଆଧୁନିକ ଐତିହାସିକମାନେ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରନ୍ତି ନାହିଁ । କେତେକ ଐତିହାସିକଙ୍କ ମତରେ, ୟୁରୋପୀୟ ଉପନିଵେଶକାରୀମାନେ ଏଵଂ ପରଵର୍ତ୍ତୀ ସମୟର ଲେଖକମାନେ ଶାକାଙ୍କ ଵ୍ୟକ୍ତିତ୍ୱକୁ ଅତିମାତ୍ରାରେ କ୍ରୂର, ନିର୍ଦ୍ଦୟ ଓ ରକ୍ତପିପାସୁ ଭାବରେ ପ୍ରତିପାଦନ କରିଵା ପାଇଁ ଏପରି ଅନେକ କିମ୍ବଦନ୍ତୀ ଓ ଜନଶ୍ରୁତିର ଆଶ୍ରୟ ନେଇଥିଲେ। ତେବେ ପ୍ରଚଳିତ ଇତିହାସ ଓ କିମ୍ବଦନ୍ତୀ ମଧ୍ୟରେ ଶାକା ଜୁଲୁଙ୍କ ସମ୍ବନ୍ଧରେ ଯେଉଁ କାହାଣୀ ରହିଛି ସେସବୁକୁ ଏକାଠି କରି ଏହି ପ୍ରବନ୍ଧଟି ପ୍ରସ୍ତୁତ କରାଯାଇଛି)

Thursday, October 8, 2026

ଚାରିଆଖିଆ ଅନ୍ଧଙ୍କ ଭାଷା-ଵିଚାର

ଯଦି ଜଣେ ଶଲ୍ୟଚିକିତ୍ସକ ଦାବି କରନ୍ତି ଯେ ମଣିଷ ଶରୀରରେ ଦୁଇଟି ଆଖି, ଦୁଇଟି କାନ ଏଵଂ ଦୁଇଟି ଫୁସଫୁସ ରହିଵା ଅତ୍ୟନ୍ତ ଜଟିଳ ଓ ଅନାଵଶ୍ୟକ, ତେଣୁ ଗୋଟିଏ ଆଖି ଫୋଡ଼ି ଦେଇ ଏଵଂ ଗୋଟିଏ କାନ କାଟି ଦେଲେ ମଣିଷ ଅଧିକ 'ସରଳ' ଓ 'ଆଧୁନିକ' ହୋଇଯିଵ, ତେବେ ଆମେ ତାଙ୍କୁ ଵିଜ୍ଞ ଚିକିତ୍ସକ ନ କହି କୌଣସି ପାଗଳଖାନାର ଆଜୀଵନ ଅନ୍ତେଵାସୀ କରିଵା କଥା। କିନ୍ତୁ ଆମ ଭାଷା ସାହିତ୍ୟର ଆକାଶରେ ଏମିତି କିଛି 'ଭୁଷପଣ୍ଡିତ' ବୁଲୁଛନ୍ତି, ଯେଉଁମାନେ ଓଡ଼ିଆ ଭାଷାର ସହସ୍ର ଵର୍ଷର ଶାସ୍ତ୍ରୀୟ ସମୃଦ୍ଧି ଓ ସୂକ୍ଷ୍ମ ଧ୍ୱନିଵିଜ୍ଞାନକୁ ଦୋଷ ବୋଲି ପ୍ରଚାର କରି ଏହାର ଅଙ୍ଗଚ୍ଛେଦ କରିଵାକୁ ଖଣ୍ଡା ଧରି ଗୋଡ଼ାଉଛନ୍ତି। ଏହି ଭାଷାର ଗୁଣହନ୍ତା ତଥା ଵର୍ଣ୍ଣହତ୍ୟାକାରୀମାନଙ୍କ ମୂଳ ଯୁକ୍ତି ହେଉଛି— ଯେହେତୁ ଇଂରାଜୀ କିମ୍ବା ହିନ୍ଦୀରେ କିଛି ନାହିଁ, ତେଣୁ ଓଡ଼ିଆରେ ସେଗୁଡ଼ିକ ରହିଵା ଗୋଟାଏ ବଡ଼ ଅପରାଧ ! ନିଜ ଭାଷାର ଅସୀମ ସୂକ୍ଷ୍ମତାକୁ ନ ବୁଝି, ପର ଭାଷାର ଭଙ୍ଗା ଚଷମା ପିନ୍ଧି ସ୍ୱଦେଶୀ ସମ୍ପଦକୁ କୁରୂପ ବୋଲି କହିଵା ହେଉଛି ଆମ ସମୟର ସବୁଠାରୁ ବଡ଼ ପ୍ରହସନ।

ଏହି ସ୍ଵଘୋଷିତ ତଥାକଥିତ ସୁଧାରକମାନଙ୍କର ପ୍ରଥମ ପ୍ରହାର ଓଡ଼ିଆ ଭାଷାର ତିନୋଟି ସିସ୍କାରୀ ଧ୍ୱନି— 'ଶ', 'ଷ' ଓ 'ସ' ଉପରେ ହୋଇଥାଏ । ସେମାନେ ନାକ ଟେକି କୁହନ୍ତି, ଓଡ଼ିଆରେ ତ ତିନିଟାଯାକ ଶ, ଷ, ସ ର ଉଚ୍ଚାରଣ ସମାନ, ତେଣୁ ଦୁଇଟିକୁ ହତ୍ୟା କରି କେଵଳ ଗୋଟିଏ 'ସ' ରଖାଯାଉ। ଏମାନଙ୍କୁ କେଵଳ ଏତିକି କୁହାଯାଇପାରେ ଯେ, ନିଜେ 'ଗଣେଶ' ବୋଲିଲା ବେଳେ ଆପେ ଦାନ୍ତକୁ ଜିଭ ଯାଉଛି ନା ତାଳୁକୁ ଯାଉଛି, ତାହା ଦର୍ପଣ ସାମ୍ନାରେ ଛିଡ଼ା ହୋଇ ପରୀକ୍ଷା କରି ଦେଖନ୍ତୁ। ଓଡ଼ିଆ ଭାଷାରେ ତାଳଵ୍ୟ 'ଶ', ମୂର୍ଦ୍ଧନ୍ୟ 'ଷ' ଏଵଂ ଦନ୍ତ୍ୟ 'ସ'ର ଉଚ୍ଚାରଣଗତ ପାର୍ଥକ୍ୟ ଅତ୍ୟନ୍ତ ସୂକ୍ଷ୍ମ ଓ ଵୈଜ୍ଞାନିକ। 

ଆପଣଙ୍କ ଜିଭ ଯଦି ଅଳସୁଆ ହୋଇଯାଇଛି, ତେବେ ସେଥିପାଇଁ ହଜାର ଵର୍ଷର ଭାଷାଵିଜ୍ଞାନ ଦାୟୀ ନୁହେଁ। ଏହି ଵର୍ଣ୍ଣହତ୍ୟାକାରୀମାନେ ଭାବନ୍ତି ଇଂରାଜୀରେ ତ କେଵଳ ଗୋଟିଏ 'S' ଅଛି, ଆମର କାହିଁକି ତିନୋଟି ରହିଵ ? କିନ୍ତୁ ଏହି ଆଖିଥିଵା ଅନ୍ଧମାନେ ଦେଖିପାରନ୍ତି ନାହିଁ ଯେ ଇଂରାଜୀରେ ସେହି ଧ୍ୱନି ପ୍ରକାଶ କରିଵାକୁ s, sh, ss, sc, c, ti ଭଳି ଅନ୍ତତଃ ଛଅଟି ପ୍ରକାରର ଅକ୍ଷର ଗୋଷ୍ଠୀ ସୃଷ୍ଟି କରିଵାକୁ ପଡ଼ିଛି। 'sugar'ରେ s କାହିଁକି 'ଶ' ହୁଏ, 'chef'ରେ ch କାହିଁକି 'ଶ' ହୁଏ, କିମ୍ବା 'station'ରେ ti କାହିଁକି 'ଶ' ହୁଏ— ଏହାର କୌଣସି ଵୈଜ୍ଞାନିକ ନିୟମ ଇଂରାଜୀ ପାଖରେ ନାହିଁ। ଇଂରାଜୀ ନିଜର ୨୬ଟି ଅକ୍ଷରକୁ ନେଇ କସରତ କରୁଥିଵା ବେଳେ, ଆମ ସର୍ଵଜ୍ଞ ପଣ୍ଡିତମାନେ ଓଡ଼ିଆର ପରିପୂର୍ଣ୍ଣ ଧ୍ୱନିଵିଜ୍ଞାନକୁ କାଟି ଇଂରାଜୀ ଭଳି ଦରିଦ୍ର କରିଵାକୁ ପରାମର୍ଶ ଦେଉଛନ୍ତି।

ପୁଣି ସେମାନେ 'ଜ', 'ଯ' ଓ 'ୟ' କୁ ନେଇ ବି ପ୍ରଶ୍ନଵାଚୀ ସୃଷ୍ଟି କରନ୍ତି । ଆମର 'ଜ୍ଞାନୀ' ସୁଧାରକମାନେ ଦାବି କରନ୍ତି ଯେ 'ଯ' ର କୌଣସି ଆଵଶ୍ୟକତା ହିଁ ନାହିଁ, 'ଯ' କୁ ଉଠାଇ ଦେଇ କେଵଳ 'ୟ' ରଖାଯାଉ। ପ୍ରକୃତରେ ଏମାନେ ନିଜେ ଭ୍ରମର ମହାସମୁଦ୍ରରେ ବୁଡ଼ି ରହିଛନ୍ତି। ସଂସ୍କୃତର ଅବର୍ଗ୍ୟ 'ଯ' (ଯାହାର ମୂଳ ଉଚ୍ଚାରଣ 'ଜ୍ୟ' ଭଳି) ଓଡ଼ିଆରେ ନିଜର ଆର୍ଯ୍ୟ ଧ୍ୱନି ସଂରକ୍ଷିତ ରଖିଛି। ଆଜି ବି ଓଡ଼ିଆ ଭାଷାରେ ଆର୍ଯ୍ୟ ଓ ସୂର୍ଯ୍ୟ ଭଳି ଶବ୍ଦରେ ଅଵର୍ଗ୍ୟ 'ଯ'ର ମୂଳ ଉଚ୍ଚାରଣ ବଞ୍ଚି ରହିଛି। କିନ୍ତୁ ହିନ୍ଦୀରେ आर्य -सूर्य କହିଲାବେଳେ ସେହି ଉଚ୍ଚାରଣ ଦୃଶ୍ୟ ହୁଏନାହିଁ । ହିନ୍ଦୀରେ ଦେଵନାଗରୀ 'य' କୁ ହିନ୍ଦୀଭାଷୀମାନେ 'ୟ' ପରି ଉଚ୍ଚାରଣ କରନ୍ତି ସତ, କିନ୍ତୁ ଓଡ଼ିଆ ଭାଷାର ଗ୍ରାଫେମିକ୍ ଵା ଲିପିଗତ ସ୍ୱାତନ୍ତ୍ର୍ୟ ହେଉଛି ଯେ, ଓଡ଼ିଆ ହିଁ ଭାରତର ଏକମାତ୍ର ଭାଷା ଯାହା ଦ୍ୱିସ୍ୱରୀୟ ଗ୍ଲାଇଡ୍ 'ୟ' (ଇ + ଅ = ୟ) ପାଇଁ 'ୟ' ବୋଲି ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଲିପୀମ ସୃଷ୍ଟି କରିଛି। ହିନ୍ଦୀରେ ଗୋଟିଏ 'ଜ' ରହିଛି ବୋଲି ଭାବି ଆମର ଅଳସୁଆ ପଣ୍ଡିତମାନେ ଆତ୍ମଵିଭୋର ହୁଅନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ହିନ୍ଦୀକୁ ମଧ୍ୟ ଅନ୍ୟ ଭାଷାର ଧ୍ୱନି ପ୍ରକାଶ କରିଵାକୁ 'ଜ' ତଳେ ବିନ୍ଦୁ ଵା ନୁଖ୍ତା ଦେଇ 'ज़' (ଗଜ଼ଲ, ଫର୍ଜ, ଫିଜ଼ା) ଲେଖିଵାକୁ ପଡ଼େ। ଇଂରାଜୀରେ G, J, S, Z, Scz ଆଦିକୁ ଏହି ସମସ୍ୱନିମ ଭାବେ ଵ୍ୟଵହାର କରାଯାଏ। ଓଡ଼ିଆରେ ଵର୍ଗ୍ୟ 'ଜ', ଅଵର୍ଗ୍ୟ 'ଯ' ଏଵଂ ଦ୍ଵିସ୍ଵର 'ୟ' ର ସହାଵସ୍ଥାନ ହେଉଛି ଓଡ଼ିଆ ଧ୍ୱନିଵିଜ୍ଞାନର ସବୁଠାରୁ ବଡ଼ ଵିଜୟ, ଯାହା ଏହାକୁ ହିନ୍ଦୀ, ସଂସ୍କୃତ ଓ ଅନ୍ୟ ଭାରତୀୟ ଭାଷା ସମୂହଠାରୁ ଏକ ଭିନ୍ନ ଓ ଉଚ୍ଚତର ପରିଚୟ ପ୍ରଦାନ କରେ। କିନ୍ତୁ ଆମର ଶବ୍ଦ-ହନ୍ତାମାନେ ଏହି ମୌଳିକ ଵୈଶିଷ୍ଟ୍ୟକୁ ହତ୍ୟା କରିଵାର ଷଡ଼ଯନ୍ତ୍ରରେ ମାତିଛନ୍ତି।

ଅନ୍ୟତମ ଦୋଷ ରୂପେ ଏହି ଗଣ୍ଡମୂର୍ଖମାନେ ଆଙ୍ଗୁଠି ଦେଖାନ୍ତି ଓଡ଼ିଆର 'ଳ' ଵର୍ଣ୍ଣ ଉପରେ। ସେମାନଙ୍କ ଯୁକ୍ତି ହେଲା, ହିନ୍ଦୀ, ଇଂରାଜୀ କିମ୍ବା ବଙ୍ଗଳାରେ 'ଳ' ନାହିଁ, ତେଣୁ ଓଡ଼ିଆରେ 'ଳ' ରହିଵା ଏକ ଅସଭ୍ୟତା ! ଏହି ମୂର୍ଖମାନେ ବୁଝିଵା ଉଚିତ୍ ଯେ ମାନବ ଜାତିର ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଋଗ୍‌ଵେଦର ପ୍ରଥମ ମନ୍ତ୍ର "ଅଗ୍ନିମୀଳେ ପୁରୋହିତଂ" ରେ ହିଁ ମୂର୍ଦ୍ଧନ୍ୟ 'ଳ' ଵିରାଜମାନ। ହିନ୍ଦୀ କିମ୍ବା ବଙ୍ଗଳା ଭାଷାରେ କାଳକ୍ରମେ ଧ୍ୱନି-ଵିକାର ଘଟି 'ଳ' ଲୁପ୍ତ ହୋଇଗଲା ବୋଲି ଓଡ଼ିଆ କାହିଁକି ନିଜର ଵୈଦିକ ଶୁଦ୍ଧତାକୁ ଵିସର୍ଜନ ଦେବ? ଆଜି ବି ଗୁଜରାଟୀ, ମରାଠୀ, ମଲୟାଲମ୍, ତାମିଲ୍ ଓ କନ୍ନଡ଼ ଭଳି ଶାସ୍ତ୍ରୀୟ ଭାଷାଗୁଡ଼ିକରେ 'ଳ' ର ଉଚ୍ଚାରଣ ଅତ୍ୟନ୍ତ ଜୀଵନ୍ତ। ଅନ୍ୟ ଭାଷା ନିଜର ଦାନ୍ତ ଭାଙ୍ଗି ଦେଇଛନ୍ତି ବୋଲି ଓଡ଼ିଆ ନିଜର ସୁସ୍ଥ ଦାନ୍ତକୁ ଉପୁଡ଼ାଇ ଫିଙ୍ଗିଦେଵ— ଏହା କେଵଳ ଜଣେ ମତିଭ୍ରଷ୍ଟ ଵ୍ୟକ୍ତି ହିଁ ଚିନ୍ତା କରିପାରେ।

ଓଡ଼ିଆ ଭାଷାର ଆଉ ଏକ ସୁନ୍ଦର ପ୍ରାଚୀନ ଗୁଣ ହେଉଛି ଵର୍ଣ୍ଣଦ୍ୱିତ ଵା କଂସୋନାଣ୍ଟ ଗେମିନେସନ୍। 'ଵର୍ଣ୍ଣ' କୁ 'ଵର୍ଣ୍ଣ' ବୋଲି ନ ଲେଖି ହିନ୍ଦୀ ଭଳି 'वर्ण(ଵର୍ଣ)' ଲେଖିଦେଲେ କାମ ଚଳିଯିଵ ବୋଲି ଯେଉଁମାନେ କୁହନ୍ତି, ସେମାନେ ପ୍ରାଚୀନ ସଂସ୍କୃତ ଵ୍ୟାକରଣର 'ରେଫ୍' ପରଶର୍ତ୍ତୀ ଵର୍ଣ୍ଣଦ୍ୱିତ ନିୟମ ଵିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ପାଣିନିଙ୍କ ଵ୍ୟାକରଣ ଅନୁସାରେ ରେଫ୍ ପରେ ଵର୍ଣ୍ଣର ଦ୍ୱିତ୍ୱ ଉଚ୍ଚାରଣ ଓ ଲେଖନ ଏକ ସିଦ୍ଧ ଓ ଶାସ୍ତ୍ରୀୟ ପ୍ରକ୍ରିୟା। ପ୍ରାକ୍-ଭାରୋପୀୟ ଭାଷାର ଯେଉଁ ଧ୍ୱନିଗତ ଵୈଶିଷ୍ଟ୍ୟ ଅନ୍ୟ ଭାଷାରୁ ହଜିଯାଇଛି, ତାହା ଆଜି ବି ଓଡ଼ିଆରେ ଜୀଵନ୍ତ ରହିଛି। ଏହା ଓଡ଼ିଆର ଦୋଷ ନୁହେଁ ଵରଂ ଏହାର ଅପରିଵର୍ତ୍ତିତ ପ୍ରାଚୀନତାର ପ୍ରମାଣ।
ସେହିପରି ଅକ୍ଷର ସଂଖ୍ୟାକୁ ନେଇ ଆଉ ଏକ ହାସ୍ୟାସ୍ପଦ କୁମ୍ଭୀର କାନ୍ଦଣା ଶୁଣାଯାଏ। "ଓଡ଼ିଆରେ ୫୦ ରୁ ୫୪ ଟି ଅକ୍ଷର! ଇଂରାଜୀ ଭଳି ଏହାକୁ ୨୬ କର !"— ଏହି ଯୁକ୍ତି କରୁଥିଵା ଲୋକଙ୍କର ଗଣିତ ଜ୍ଞାନ ଶୂନ୍ୟ। ଇଂରାଜୀରେ ବଡ଼ ହାତ (Capital) ଓ ସାନ ହାତ (Small) ଅକ୍ଷର ମିଶାଇଲେ ୨୬ × ୨ = ୫୨ ଟି ଅଲଗା ଅଲଗା ଲିପିଚିହ୍ନ ଶିଖିଵାକୁ ପଡ଼ିଥାଏ। ତା’ପରେ ବି ଯେତେବେଳେ ଇଂରାଜୀ ଭାଷାରେ ଗଣିତ, ଭୌତିକଵିଜ୍ଞାନ କିମ୍ବା ରସାୟନଵିଜ୍ଞାନ ଲେଖାଯାଏ, ସେତେବେଳେ ସେମାନଙ୍କର ୨୬ଟି ଅକ୍ଷର ନିଅଣ୍ଟ ପଡ଼େ। ସେମାନେ ଗ୍ରୀକ୍ ଭାଷାରୁ ଆଲଫା, ବିଟା, ଗାମା, ଥେଟା, ଡେଲଟା, ପାଇ ଆଦି ହଜାରେ ଵର୍ଣ୍ଣ ଉଧାର ଆଣି ନିଜ ଭାଷାକୁ 'ଵୈଜ୍ଞାନିକ' ବୋଲି କୁହନ୍ତି। ଆମ ଭାଷାରେ ପ୍ରଥମରୁ ହିଁ ପ୍ରତ୍ୟେକ ଧ୍ୱନି ପାଇଁ ଗୋଟିଏ ଲେଖାଁଏ ନିର୍ଦ୍ଦିଷ୍ଟ ଅକ୍ଷର ରହିଛି। ଓଡ଼ିଆ ଭାଷାର ଏହି ପରିପୂର୍ଣ୍ଣତାକୁ ବୁଝିଵା ପରିଵର୍ତ୍ତେ, ଆମ ଵିଜ୍ଞ ସୁଧାରକମାନେ ଅକ୍ଷର କାଟି ଭାଷାକୁ ଭିକ୍ଷାଥାଳି ଧରାଇଵାକୁ ଚାହୁଁଛନ୍ତି।

ସେହିପରି ସ୍ୱରଵର୍ଣ୍ଣର ହ୍ରସ୍ୱ ଓ ଦୀର୍ଘ (ଇ, ଈ ଏବଂ ଉ, ଊ) ଉଚ୍ଚାରଣକୁ ନେଇ ମଧ୍ୟ ଅପପ୍ରଚାର କରାଯାଏ। କୁହାଯାଏ ଓଡ଼ିଆରେ ସବୁ ହ୍ରସ୍ୱ ଉଚ୍ଚାରଣ ହୁଏ। କିନ୍ତୁ ଜଣେ ଓଡ଼ିଆ ଶାଶୁ ଯେତେବେଳେ 'ଵୋହୂ' କୁ ଡାକେ ଏଵଂ ଗୋଟିଏ ପିଲା ତା’ 'ବୋଉ(ମାଆ)' କୁ ଡାକେ, ସେତେବେଳେ ଉଚ୍ଚାରଣର ଦୀର୍ଘତା ଓ ସ୍ୱରଘାତର ପ୍ରଭେଦ କେଵଳ ଜଣେ କାନ ଥିଵା ଲୋକ ହିଁ ଶୁଣିପାରିଵ । ଇଂରାଜୀରେ ଗଵେଷକମାନେ ସ୍ୱରତତ୍ତ୍ୱ (Phonetics) ର ଅଧ୍ୟୟନ କରି ee, oo, ea, au, ou ଆଦି ଵ୍ୟଵହାର କରି ଦୀର୍ଘସ୍ୱର ଦେଖାଉଛନ୍ତି, କିନ୍ତୁ ଆମର 'ପଣ୍ଡିତ'ମାନେ ନିଜ ସ୍ୱରବର୍ଣ୍ଣକୁ ମାରିଵାକୁ ଯୋଜନା କରୁଛନ୍ତି।

ଵୈଦେଶିକ ଶବ୍ଦ ଗ୍ରହଣ କରିଵାରେ ଓଡ଼ିଆ ଭାଷାର ଯେଉଁ ଅଦ୍ଭୁତ ଵୈଜ୍ଞାନିକ ସାମର୍ଥ୍ୟ ରହିଛି, ତାହାକୁ ମଧ୍ୟ ଏହି ମୂର୍ଖମାନେ ଦୋଷ ବୋଲି ଗ୍ରହଣ କରନ୍ତି। 'ଷ୍ଟାମ୍ପ', 'ଷ୍ଟୁଲ' ଆଦି ଶବ୍ଦରେ ଷତ୍ୱ ଵିଧିର ପ୍ରୟୋଗ କିମ୍ବା 'ୱାସିଂଟନ୍', 'ତାୱା', 'ହାୱା' ଆଦି ଲେଖିଵା ପାଇଁ 'ୱ' ର ଵ୍ୟଵହାରକୁ ସେମାନେ ଅଦରକାରୀ ମନେକରନ୍ତି। ସମଗ୍ର ଭାରତରେ ଓଡ଼ିଆ ହିଁ ଏମିତି ଏକ ଵିଚକ୍ଷଣ ଲିପି, ଯାହା ପାଖରେ B (ବ), V (ଵ) ଏବଂ W (ୱ)ର ସୂକ୍ଷ୍ମ ଉଚ୍ଚାରଣଗତ ପ୍ରଭେଦକୁ ସ୍ପଷ୍ଟ ଭାବେ ଲେଖିଵାର କ୍ଷମତା ଅଛି। ହିନ୍ଦୀ କିମ୍ବା ବଙ୍ଗଳା ଆଦି ଭାଷାରେ B, V, W ଭିତରେ ଗୋଳମାଳ ହୋଇଯାଏ। ହିନ୍ଦୀରେ W ପାଇଁ ବି ଅଵର୍ଗ୍ୟ 'व'(ଵ) ଵ୍ୟଵହାର କରାଯାଏ(ଉ- Wicket-विकेट) ଯାହା ଠିକ୍ ନୁହେଁ। 

କିନ୍ତୁ ଓଡ଼ିଆ ଲିପିରେ ଅତ୍ୟନ୍ତ ନିରୁପଦ୍ରବ ଭାବେ 'W'କୁ 'ୱ' ରୂପେ ପ୍ରକାଶ କରାଯାଇପାରେ । ଏହା ଓଡ଼ିଆଭାଷାର ଦୋଷ ନୁହେଁ ଵରଂ ଏହାର ଅତ୍ୟାଧୁନିକ ଧ୍ୱନିଵିଜ୍ଞାନର ଜ୍ୱଳନ୍ତ ପ୍ରମାଣ।

ଅଯଥା ଯୁକ୍ତାକ୍ଷର ପ୍ରୟୋଗ ଓଡ଼ିଆର ଅନ୍ୟ ଏକ 'ଦୋଷ' ବୋଲି ଵର୍ଣ୍ଣହତ୍ୟାକାରୀମାନେ ଚିତ୍କାର କରନ୍ତି। ଯେହେତୁ ହିନ୍ଦୀରେ ଯୁକ୍ତାକ୍ଷର କମ୍ ଏଵଂ ଅନୁସ୍ୱାର (ଂ) ମାରି କାମ ଚଳାଇ ଦିଆଯାଏ, ତେଣୁ ଓଡ଼ିଆରେ ସଂସ୍କୃତନିଷ୍ଠ ଯୁକ୍ତାକ୍ଷର (ଯଥା: ଙ୍କ, ଞ୍ଚ, ଣ୍ଡ, ନ୍ତ) ଲେଖିଵା ନାକେଦମ୍ ବୋଲି ସେମାନେ କୁହନ୍ତି। ଏହି ତଥାକଥିତ ଭାଷା ସୁଧାରକମାନେ ବୁଝନ୍ତି ନାହିଁ ଯେ ଏହି ଯୁକ୍ତାକ୍ଷରଗୁଡ଼ିକ ଭାଷାର ସଂସ୍କୃତନିଷ୍ଠ ଶାସ୍ତ୍ରୀୟ ଗୁଣ ଓ ଧ୍ୱନିଗତ ସ୍ପଷ୍ଟତାକୁ ବଜାୟ ରଖନ୍ତି। ସେହିପରି, ଓଡ଼ିଆ ଭାଷାର ସବୁଠାରୁ ବଡ଼ ମହାନତା ହେଉଛି ଏହାର 'ଅକାରାନ୍ତ ଉଚ୍ଚାରଣ' (Inherent Vowel Retention)। ଓଡ଼ିଆରେ ଶବ୍ଦର ଶେଷ ଅକ୍ଷରକୁ ପୂର୍ଣ୍ଣ ଅକାରାନ୍ତ ଭାବେ ଉଚ୍ଚାରଣ କରାଯାଏ, ଯାହା ଭାଷାକୁ ଏକ ସଂଗୀତମୟ ସାନ୍ଦ୍ରତା ଦିଏ। ହିନ୍ଦୀରେ ହଳନ୍ତ ଵ୍ୟଵହାର କରି ଶବ୍ଦର ଶେଷକୁ କାଟି ଦିଆଯାଏ (ଶ୍ୱା-କର୍ତ୍ତନ ଵା Schwa-syncope)।
ସଂସ୍କୃତ ଵ୍ୟାକରଣର ନିୟମ ଅନୁସାରେ ଏହା ଏକ ଅଶାସ୍ତ୍ରୀୟ ଗୁଣ କାରଣ କ୍+ଅ = କ ହୁଏ । ଅର୍ଥାତ୍ 'କ୍' ଧ୍ଵନିରେ 'ଅ' ମିଶିଗଲାପରେ ହିଁ ତାହା ପୂର୍ଣ୍ଣାଙ୍ଗ 'କ' ଵର୍ଣ୍ଣ ରୂପେ ପ୍ରକଟିତ ହୁଏ । ପ୍ରାଚୀନ ଆର୍ଯ୍ୟଭାଷା, ଵୈଦିକ,ଶାସ୍ତ୍ରୀୟ ଓ ଲୌକିକ ସଂସ୍କୃତ ତଥା ପ୍ରାକୃତ ଭାଷାରେ ଅକାରାନ୍ତ ଉଚ୍ଚାରଣ ରହିଥିଲା ଯାହା ପରଵର୍ତ୍ତୀ କାଳରେ ଲୋପ ପାଇଗଲା । ଵିଶ୍ଵରେ ଓଡ଼ିଆ ଏକମାତ୍ର ଭାଷା ଯହିଁରେ ସର୍ଵାଧିକ ଅକାରାନ୍ତ ଉଚ୍ଚାରଣ ଆଜି ବି ଵିଦ୍ୟମାନ ଅଛି । ଏହା ଓଡ଼ିଆ ଭାଷାର ଦୋଷ ନୁହେଁ ଵରଂ ସବୁଠାରୁ ଶ୍ରେଷ୍ଠ ଓ ପ୍ରାଚୀନ ଗୁଣ ଅଟେ । କିନ୍ତୁ ଆମର ଵର୍ଣ୍ଣହତ୍ୟାକାରୀମାନେ ହିନ୍ଦୀ ପ୍ରଭାଵରେ ତହିଁର ସେହି ହଳନ୍ତ-ମାର୍କା ଉଚ୍ଚାରଣକୁ ଶ୍ରେଷ୍ଠ ମାନକ ଭାବି ଓଡ଼ିଆର ସଂଗୀତମୟ ଶାସ୍ତ୍ରୀୟତାକୁ ହୀନ ମନେ କରନ୍ତି।
ପ୍ରକୃତରେ, ଯେଉଁମାନଙ୍କୁ ଓଡ଼ିଆ ଭାଷାର ଏହି ସମସ୍ତ ଉତ୍ତମ ଶାସ୍ତ୍ରୀୟ ଗୁଣ ଦୋଷ ପରି ପ୍ରତୀୟମାନ ହୁଏ, ସେମାନେ ହିନ୍ଦୀ ଓ ଇଂରାଜୀ ଭଳି ଅଶାସ୍ତ୍ରୀୟ କିମ୍ବା ଧ୍ୱନିଗତ ଭାବେ ଅପୂର୍ଣ୍ଣ ଭାଷାର ଶସ୍ତା ଚଷମା ପିନ୍ଧି ଓଡ଼ିଆ ଭାଷାର ଆକଳନ କରୁଛନ୍ତି। ଜନ୍ମରୁ ଆଖି ନଥିଵା ଅନ୍ଧକୁ ହୁଏତ ଆଲୋକ ଵିଷୟରେ ବୁଝାଇ ଦିଆଯାଇପାରେ, କିନ୍ତୁ ଆଖି ଥାଇ ଅନ୍ଧାରର ନାଟକ କରୁଥିଵା ଏହି ଚାରିଆଖିଆ ଅନ୍ଧଙ୍କୁ ବୁଝାଇଵା ସଂପୂର୍ଣ୍ଣ ଅସମ୍ଭଵ ।

ଯଦି ଆମେ ଏହି ମାନଵୀୟ ପ୍ରଵୃତ୍ତିକୁ ଏକ ଵୃହତ୍ ଆନ୍ତଃ-ସାଂସ୍କୃତିକ ଓ ଵିଵର୍ତ୍ତନଗତ ପରିପ୍ରେକ୍ଷୀରେ ନିରୀକ୍ଷଣ କରିଵା, ତେବେ ଦେଖିଵା ଯେ ଏହି 'ଭୁଷପଣ୍ଡିତ' ଵା 'ଵର୍ଣ୍ଣହତ୍ୟାକାରୀ'ମାନଙ୍କର ଆଵିର୍ଭାଵ କୌଣସି ଆକସ୍ମିକ ଘଟଣା ନୁହେଁ। ଆଧୁନିକ ଭାଷାଵିଜ୍ଞାନ, ସାଂସ୍କୃତିକ ମାନଵଵିଜ୍ଞାନ ଏଵଂ ଜ୍ଞାନାତ୍ମକ ସମାଜଵିଜ୍ଞାନରେ ଏହି ମାନସିକତାକୁ 'Linguistic self-colonization' ଵା ଭାଷାଗତ ଆତ୍ମ-ଉପନିଵେଶଵାଦ) କିମ୍ବା 'Prescriptivist phonetic reductionism' ଵା ସ୍ୱର-ନ୍ୟୂନୀକରଣଵାଦ କୁହାଯାଏ।
Homo sapiensର ଇତିହାସ ପ୍ରମାଣ କରେ ଯେ, ଯେତେବେଳେ କୌଣସି ଏକ ଜନଗୋଷ୍ଠୀ ନିଜର ଆର୍ଥ-ସାମାଜିକ କ୍ଷମତା ହରାଏ ଏଵଂ କୌଣସି ଅନ୍ୟ ପ୍ରଭାଵଶାଳୀ ରାଜନୈତିକ ଵା ଅର୍ଥନୈତିକ ସାମ୍ରାଜ୍ୟର (ସେ ଇଂରେଜ ହୁଅନ୍ତୁ ଵା କେନ୍ଦ୍ରୀୟ ହିନ୍ଦୀ-ବଳୟ) ଅଧୀନକୁ ଆସେ, ସେତେବେଳେ ସେହି ଗୋଷ୍ଠୀର ସୌଖୀନ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଏକ ଜଟିଳ ମାନସିକ ସଂକ୍ରମଣ ଦେଖାଦିଏ। ସେମାନେ ପ୍ରଭୁ-ଶ୍ରେଣୀର ଭାଷାରେ ଥିଵା ସରଳୀକରଣ, ଅପୂର୍ଣ୍ଣତା ଏଵଂ ଲିପିଗତ କାର୍ଯ୍ୟଦକ୍ଷତାର ଅଭାବକୁ 'ଆଧୁନିକତା' ଓ 'ଵୈଜ୍ଞାନିକତା'ର ଆଖ୍ୟା ଦିଅନ୍ତି। ଅପରପକ୍ଷରେ, ନିଜ ଭାଷାରେ ହଜାର ହଜାର ଵର୍ଷର ଜ୍ଞାନ-ଵିକାଶ ଫଳରେ ସୃଷ୍ଟି ହୋଇଥିଵା ଅତି-ସୂକ୍ଷ୍ମ ଧ୍ୱନିଗତ ଵିଵିଧତା ଓ ଜଟିଳତାକୁ ସେମାନେ 'ପ୍ରଗତିର ପ୍ରତିବନ୍ଧକ' ଵା 'ଦୋଷ' ଭାବେ ଦେଖିଵାକୁ ଆରମ୍ଭ କରନ୍ତି। ଏହା ହେଉଛି ଜାତିଗତ ଆତ୍ମ-ସଂଶୟ। ଗୋଟିଏ ସଂସ୍କୃତି ଯେତେବେଳେ ନିଜର ସାଂସ୍କୃତିକ ସ୍ମୃତିଭ୍ରଂଶ ଵା Cultural Amnesiaର ଶିକାର ହୁଏ, ସେତେବେଳେ ସେ ନିଜର ସବୁଠାରୁ ଉନ୍ନତ ଜ୍ଞାନାତ୍ମକ ଉପକରଣଗୁଡ଼ିକ ସେହିମାନଙ୍କ ହାତରେ ସମର୍ପି ଦିଏ, ଯେଉଁମାନେ ସେଗୁଡ଼ିକର ଵ୍ୟଵହାର ସୁଦ୍ଧା ଜାଣନ୍ତି ନାହିଁ। ଆମର ଏହି ଵର୍ଣ୍ଣହତ୍ୟାକାରୀମାନେ ପ୍ରକୃତରେ ସେହି ବୋକା ସାପିଏନ୍ସ, ଯେଉଁମାନେ ଶିକାର କରିଵା ପାଇଁ ନିଜର ଶାଣିତ ଧାରୁଆ ପଥରର ଅସ୍ତ୍ରକୁ ଭାଙ୍ଗି କୋଣାର୍କର କାରୁକାର୍ଯ୍ୟକୁ ସମତଳ କରିଦେଵାକୁ ଚାହାଁନ୍ତି, ଯେପରି ସେଥିରେ ଧୂଳି ଜମିଵ ନାହିଁ। ଏମାନେ ସଂସ୍କୃତିର ଵିଵର୍ତ୍ତନ ନୁହଁନ୍ତି ଵରଂ ଜ୍ଞାନର ଅଵକ୍ଷୟର ଜୀଵନ୍ତ ସ୍ମାରକୀ। 

Sunday, October 4, 2026

Sea ଓ Son ମିଶି Season ହୋଇଛି କି ?

ମଣିଷ ଯେତେବେଳେ କୌଣସି ଜିନିଷର ପ୍ରକୃତ ଵୈଜ୍ଞାନିକ ସତ୍ୟ ଜାଣିନଥାଏ, ସେତେବେଳେ ସେ ଅତ୍ୟନ୍ତ ଆତ୍ମଵିଶ୍ୱାସର ସହ ଗୋଟିଏ ସୁନ୍ଦର କଳ୍ପନାପ୍ରସୂତ ଗପ ତିଆରି କରିଦିଏ । ପ୍ରାଚୀନ କାଳରେ ମଣିଷ ସୂର୍ଯ୍ୟ ଚନ୍ଦ୍ର ପୃଥିଵୀର ସୃଷ୍ଟି ସମ୍ବନ୍ଧରେ ପ୍ରକୃତ ଵୈଜ୍ଞାନିକ କାରଣ ଜାଣିନଥିଲା ତେଣୁ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଅନେକ କାହାଣୀ ଗଢ଼ିଥିଲା ‌। ରୋଗର କାରଣ ଜାଣିନଥିଲା ତେଣୁ ଭୂତପ୍ରେତ ଯୋଗୁଁ ରୋଗ ହୁଏ ବୋଲି ଭାରତ ଵ୍ୟତୀତ ପୃଥିଵୀର ଅନେକ ଦେଶରେ ଅନୁମାନ କରାଯାଇଥିଲା(ଭାରତରେ ଵାତ କଫ ପିତ୍ତର 
ଅସାନତା ଯୋଗୁଁ ରୋଗ ହୁଏ ବୋଲି ଅନୁମାନ କରାଯାଇଥିଲା) । ମଣିଷ ଭୂମିକମ୍ପ କାହିଁକି ହୁଏ ତାହା ଜାଣିନଥିଲା ତେଣୁ ଜାପାନ ଭଳି ଦେଶରେ ଏକ ଵିଶାଳ କ୍ୟାଟଫିଶ୍ 'ନମାଜୁ' ଯୋଗୁଁ ଭୂମିକମ୍ପ ହୁଏ ବୋଲି ଵିଶ୍ଵାସ କରାଯାଉଥିଲା। ଭାରତରେ ଅକୂପାର କୂର୍ମ,ଅଷ୍ଟହସ୍ତି ଓ ଶେଷନାଗ ପୃଥିଵୀକୁ ଧାରଣ କରିଥିଵାର ପୌରାଣିକ ଵର୍ଣ୍ଣନା ରହିଛି । ଏମାନେ ହଲଚଲ ହେଲେ ଭୂମିକମ୍ପ ହୁଏ ବୋଲି ଭାରତର ଲୋକେ ଵିଶ୍ୱାସ କରୁଥିଲେ । ଚୀନରେ ୟିନ୍ ଓ ୟାଙ୍ଗ୍‌ର ଅସନ୍ତୁଳନ ଯୋଗୁଁ ଭୂମିକମ୍ପ ହୁଏ ବୋଲି କଳ୍ପିତ ହୋଇଥିଲା । ପ୍ରାଚୀନ ଗ୍ରୀକ୍ ଲୋକମାନେ ସମୁଦ୍ର ଦେଵତା 'ପୋସାଇଡନ୍'ଙ୍କୁ ଭୂମିକମ୍ପର କାରଣ ମାନୁଥିଲେ। ପ୍ରାଚୀନ ମଣିଷ ଯେତେବେଳେ ଵିଜ୍ଞାନର ପ୍ରକୃତ କାରଣ ଜାଣିନଥିଲା ସେତେବେଳେ ସେ ନିଜର କଳ୍ପନା ଶକ୍ତି ପ୍ରୟୋଗ କରି ନିଜେ ହିଁ ତାହାର ଉତ୍ତର ଅନୁମାନ କରିଦେଉଥିଲା । ଆଜି ବି ମଣିଷ ଅନେକ ସମୟରେ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଏମିତି ଅନେକ ଅନୁମାନ କରିଥାଏ । ଶବ୍ଦ କ୍ଷେତ୍ରରେ ମଧ୍ୟ ଏହିପରି ଉଦାହରଣ ଦେଖିଵାକୁ ମିଳେ । ଜଣେ ସାଧାରଣ ଵ୍ୟକ୍ତି ପାଠଶାଠ ପଢିନଥିଲା ତେଣୁ ସେ କହିଦେଲା ଯେ ଡିବିରି ଧରାଯାଏ ଵାମ ହାତରେ ବୋଲି ଵାମ ହାତକୁ ଡେଭିରି କୁହାଗଲା । ତେବେ ଏହା ଏକ ଅନୁମାନ ମାତ୍ର କାରଣ ପ୍ରାୟ ଅନେକ ଭାରତୀୟ ଭାଷାରେ ଏହି ଶବ୍ଦ ସହିତ ସଗୋତ୍ରୀୟ ଅନେକ ଶବ୍ଦ ରହିଛି । ପ୍ରାକୃତ ଭାଷାରେ ḍavva ଶବ୍ଦ ଥିଲା ଏଵଂ ସେଥିରୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଵାମ ଅର୍ଥରେ ନାନା ଶବ୍ଦ ସୃଷ୍ଟି ହୋଇଛି କିନ୍ତୁ ଏହା ମୂଳତଃ ଦ୍ରାଵିଡ଼ି ଭାଷାପରିଵାରର ଶବ୍ଦ ଅଟେ । 

ସେହିପରି ନିକଟରେ କେହି ଜଣେ ମହାନୁଭଵ ଅତ୍ୟନ୍ତ ଗମ୍ଭୀରତାର ସହ ଲେଖିଲେ ଯେ ୟୁରୋପରେ ଋତୁଗୁଡ଼ିକ ସମୁଦ୍ର ଉପରେ ନିର୍ଭରଶୀଳ ଏଵଂ ପ୍ରାଚୀନ ଇଂଲଣ୍ଡର ଲୋକମାନେ ସମୁଦ୍ରର ଏହି ଚମତ୍କାର ଅନୁଭଵ କରି 'Sea' (ସମୁଦ୍ର) ଓ 'Son' (ପୁଅ) ଶବ୍ଦକୁ ଯୋଡ଼ି 'Season' ଶବ୍ଦ ଗଢ଼ିଦେଲେ, ଅର୍ଥାତ୍ ସମୁଦ୍ରର ସନ୍ତାନ ହେଉଛି ଋତୁ । ଏହି ଅଦ୍ଭୁତ ଆଵିଷ୍କାର ଶୁଣିଵା ପରେ ମନେହୁଏ, ପ୍ରାଚୀନ କାଳରେ ବୋଧହୁଏ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍‌ମାନେ କାମଦାମ ଛାଡ଼ି ସମୁଦ୍ର କୂଳରେ ବସି ଅକ୍ଷର ପସରା ମେଲାଇ ଖେଳୁଥିଲେ ଏଵଂ ଯେତେବେଳେ ବି କୌଣସି ନୂଆ ଋତୁ ଆସୁଥିଲା, ସେତେବେଳେ ସେମାନେ ସମୁଦ୍ର ଆଡ଼କୁ ଆଙ୍ଗୁଠି ଦେଖାଇ ଆନନ୍ଦରେ ନାଚି ଉଠୁଥିଲେ । ଯଦି ଏହି ଯୁକ୍ତିକୁ ସତ ବୋଲି ଧରିନିଆଯାଏ, ତେବେ କାଲି ସକାଳେ କେହି ମଧ୍ୟ ଦାବି କରିପାରନ୍ତି ଯେ 'Mushroom' ଶବ୍ଦଟି 'Mush' (କାଦୁଅ) ଏଵଂ 'Room' (ଘର ଵା ବସା)ରୁ ଆସିଛି, କାରଣ ଛତୁ କାଦୁଅରେ ଗୋଟିଏ ଘର ପରି ଠିଆ ହୁଏ, କିମ୍ବା 'Kidney' ଶବ୍ଦଟି ଗୋଟିଏ Kid ଵା ଛୋଟ ପିଲା ନିଜ Knee ଵା ଆଣ୍ଠୁରେ ଚାଲିଵା ଦୃଶ୍ୟରୁ ସୃଷ୍ଟି ହୋଇଛି । ମଣିଷର ଏପରି ଭ୍ରାନ୍ତ କଳ୍ପନାଶକ୍ତି ପ୍ରଶଂସନୀୟ ହୋଇପାରେ, କିନ୍ତୁ ଭାଷା ଵିଜ୍ଞାନ ଓ ଇତିହାସ କ୍ଷେତ୍ରରେ ଏହା କେଵଳ ହାସ୍ୟରସର ଖୋରାକ ଯୋଗାଏ । ସମୁଦ୍ର ଏଵଂ ତା'ର ପୁଅର ଏହି ସୁନ୍ଦର ସମ୍ପର୍କର କାହାଣୀ ଶୁଣିଵାକୁ ନିଶ୍ଚିତ ଭାବେ ଭଲ ଲାଗେ, କିନ୍ତୁ ଏହାର ଵାସ୍ତଵତା ସହ କୌଣସି ଦୂରସମ୍ପର୍କ ନାହିଁ । ଭାଷାର ଇତିହାସ କୌଣସି ଆଳସ୍ୟପରାୟଣ ସମୁଦ୍ରଯାତ୍ରୀର ଶବ୍ଦକ୍ରୀଡ଼ା ନୁହେଁ ଵରଂ ଏହା ମାନଵ ସଭ୍ୟତାର କ୍ରମଵିକାଶ, କୃଷି, ଯୁଦ୍ଧ, ଭାଷାଗତ ମିଶ୍ରଣ ଓ ସାମାଜିକ ପରିଵର୍ତ୍ତନର ଏକ ଦୀର୍ଘ ଜୀଵନ୍ତ କାହାଣୀ । ଋତୁ କିମ୍ବା 'Season' ଶବ୍ଦର ଜନ୍ମ ସମୁଦ୍ରର ନୀଳ ଜଳରାଶିରେ ହୋଇନଥିଲା ଵରଂ ହୋଇଥିଲା ଚାଷୀର ହାତରେ, ମାଟିର ଗନ୍ଧରେ ଏଵଂ ଵିହନ ବୁଣିଵାର ପ୍ରକ୍ରିୟାରେ । ଏହି ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରା ବୁଝିଵାକୁ ହେଲେ ଆମକୁ କାଳର ସ୍ରୋତରେ ହଜାର ହଜାର ଵର୍ଷ ପଛକୁ, ମାନଵ ସଭ୍ୟତାର ଆଦ୍ୟ ପର୍ଯ୍ୟାୟକୁ ଫେରିଯିଵାକୁ ହେଵ । 

ସେତେବେଳେ ଇଂଲଣ୍ଡ କିମ୍ବା ୟୁରୋପ ବୋଲି କୌଣସି ଆଧୁନିକ ରାଷ୍ଟ୍ର ନଥିଲା, ନଥିଲା କୌଣସି ଇଂରାଜୀ ଭାଷା । ଏହାର କାହାଣୀ ଆରମ୍ଭ ହୋଇଥିଲା ହଜାର ହଜାର ଵର୍ଷ ତଳେ ଏକ ପ୍ରାଚୀନ ଶବ୍ଦରୁ ଯାହାକୁ ଭାଷାଵିତ୍‌ମାନେ *seh₁- ବୋଲି ଚିହ୍ନଟ କରିଛନ୍ତି । ଏହି ଆଦି-ଧାତୁର ପ୍ରାଥମିକ ଅର୍ଥ ଥିଲା "ବିହନ ବୁଣିଵା" କିମ୍ବା "ମାଟିରେ ରୋପଣ କରିଵା" । କୃଷିର ଆଵିଷ୍କାର ସହିତ ମାନଵ ସଭ୍ୟତା ଯେତେବେଳେ ଵନ୍ୟ ଜୀଵନ ଓ ଶିକାର ଛାଡ଼ି ମାଟି ସହ ଯୋଡ଼ିହେଲା, ସେତେବେଳେ ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ଠିକ୍ ସମୟରେ ମାଟିରେ ଵିହନ ବୁଣିଵା । ମାଟିରେ ଵିହନ ଗଜା ହେଵା ଏଵଂ ଫସଲ ଅମଳ ହେଵା ଉପରେ ସେମାନଙ୍କର ଆହାର ଓ ଜୀଵନ ନିର୍ଭର କରୁଥିଲା । ତେଣୁ 'ବୁଣିଵା' ଵା 'ରୋପଣ' କ୍ରିୟାଟି ମାନଵ ସଂସ୍କୃତି ଓ ଚେତନାରେ ଏକ ପ୍ରାଥମିକ ସ୍ଥାନ ଗ୍ରହଣ କରିଥିଲା ।

ଭାରତଵର୍ଷରେ ଏହି ମୂଳ *seh₁ ଧାତୁ ଶବ୍ଦରୁ *sáHyakas ହେଲା ଏଵଂ ପରେ ତାହା 'ସାୟକ' ହେଲା , ଯାହାର ଅର୍ଥ ‘ଲକ୍ଷ୍ୟରେ ପ୍ରଵେଶ କରୁଥିଵା ତୀର’ ଅଟେ ।

କିନ୍ତୁ ଏପଟେ ରୋମାନ୍ ସଭ୍ୟତାର ଵିକାଶ ସହ ଲାଟିନ୍‌ରେ ଏହି *seh₁- ଧାତୁଟି ରୂପାନ୍ତରିତ ହୋଇ 'serō' କ୍ରିୟାପଦରେ ପରିଣତ ହେଲା, ଯାହାର ଅର୍ଥ ଥିଲା ଵିହନ ବୁଣିଵା । ଏହି କ୍ରିୟାର ଅତୀତ କୃଦନ୍ତ ଵା past participle ରୂପ ଥିଲା 'satum' । ଏହି 'satum' ରୁ ନିର୍ଗତ ହେଲା ଏକ ଵିଶେଷ୍ୟ ପଦ, ଯାହା ହେଉଛି 'satiō' । ଲାଟିନ୍ ଭାଷାରେ 'satiō' ର ଅର୍ଥ ଥିଲା "ବିହନ ବୁଣିଵାର କାର୍ଯ୍ୟ" କିମ୍ବା "ରୋପଣ ସମୟ" । ରୋମାନ୍ କୃଷକମାନଙ୍କ ପାଇଁ ଵର୍ଷର ସବୁ ସମୟ ସମାନ ନଥିଲା । ଯେଉଁ ନିର୍ଦ୍ଦିଷ୍ଟ ସମୟରେ ମାଟି ଓ ପାଣିପାଗ ଵିହନ ବୁଣିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା, ସେହି ବୁଣିଵା ସମୟକୁ ସେମାନେ 'satiō' ବୋଲି କହିଵାକୁ ଲାଗିଲେ । ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଶବ୍ଦଟି ଏପର୍ଯ୍ୟନ୍ତ ସମଗ୍ର ଵର୍ଷର ଛଅଗୋଟି ଋତୁକୁ ବୁଝାଉ ନଥିଲା ଵରଂ ଏହା କେଵଳ ଫସଲ ଆରମ୍ଭର ସେହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଷ ସମୟକୁ ସୂଚାଉଥିଲା ।
କ୍ରମଶଃ ରୋମାନ୍ ସାମ୍ରାଜ୍ୟର ଵିଶାଳ ଵିସ୍ତାର ଘଟିଲା । ରୋମାନ୍ ସୈନ୍ୟ,ଵ୍ୟଵସାୟୀ, ଶାସକ ଏଵଂ କୃଷକମାନଙ୍କ ମୁଖରେ ଲାଟିନ୍ ଭାଷା ସମଗ୍ର ପଶ୍ଚିମ ୟୁରୋପକୁ ଵ୍ୟାପିଗଲା । ସମୟକ୍ରମେ ରୋମାନ୍ ସାମ୍ରାଜ୍ୟର ପତନ ଘଟିଲା ସତ, କିନ୍ତୁ ଲାଟିନ୍ ଭାଷା ଵିଭିନ୍ନ ପ୍ରାନ୍ତରେ ଆଞ୍ଚଳିକ ରୂପ ନେଇ ନୂତନ ଭାଷାସମୂହର ଜନ୍ମ ଦେଲା, ଯାହାକୁ ଆମେ ଆଜି ରୋମାନ୍ସ ଭାଷାସମୂହ ବୋଲି କହୁ— ଯଥା ଫ୍ରେଞ୍ଚ, ସ୍ପାନିଶ୍, ଇଟାଲୀୟ ଓ ପର୍ତ୍ତୁଗୀଜ୍ । ଭୌଗୋଳିକ ଦୂରତା, ଉଚ୍ଚାରଣର ପରିଵର୍ତ୍ତନ ଏଵଂ ସ୍ଥାନୀୟ ପ୍ରଭାବ ସହିତ ଲାଟିନ୍ ଶବ୍ଦ 'satiō' ଗାଲୋ-ରୋମାନ୍ ପରିଵେଶ ଦେଇ ପ୍ରାଚୀନ ଫ୍ରେଞ୍ଚ ଭାଷାରେ ପ୍ରଵେଶ କଲା । ସେଠାରେ ଏହା ରୂପାନ୍ତରିତ ହୋଇ 'seson' କିମ୍ବା 'saison' ରେ ପରିଣତ ହେଲା । ପ୍ରାଚୀନ ଫ୍ରାନ୍ସରେ 'saison' ର ଅର୍ଥ ହେଲା "ଵିହନ ବୁଣିଵାର ସମୟ" କିମ୍ବା "ଚାଷ କାର୍ଯ୍ୟର ନିର୍ଦ୍ଦିଷ୍ଟ ଋତୁ" । ସେତେବେଳକୁ ମାନଵ ସମାଜ ବୁଝିସାରିଥିଲା ଯେ ଵର୍ଷଟି କେତେକ ନିର୍ଦ୍ଦିଷ୍ଟ ପ୍ରାକୃତିକ ଚକ୍ରରେ ଵିଭକ୍ତ ଏଵଂ ଵିହନ ବୁଣିଵାର ସମୟଟି ହେଉଛି ସେହି ସମଗ୍ର ପ୍ରାକୃତିକ ଚକ୍ରର ପ୍ରଥମ ଓ ପ୍ରଧାନ ପର୍ଯ୍ୟାୟ ।
ଏହି ସମୟରେ ବ୍ରିଟିଶ୍ ଦ୍ୱୀପରେ କ’ଣ ଘଟୁଥିଲା? ସେତେବେଳେ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ 'season' ଶବ୍ଦ ଵିଷୟରେ କିଛି ହେଲେ ଜାଣିନଥିଲେ । ସେମାନେ ଯେଉଁ ଭାଷା କହୁଥିଲେ, ତାହାକୁ ଆମେ ପ୍ରାଚୀନ ଇଂରାଜୀ ବୋଲି କହୁ, ଯାହା ଏକ ଜର୍ମାନୀୟ ଭାଷା ଥିଲା । ପ୍ରାଚୀନ ଇଂରାଜୀରେ ଋତୁ କିମ୍ବା ସମୟଖଣ୍ଡକୁ ବୁଝାଇଵା ପାଇଁ ସମ୍ପୂର୍ଣ୍ଣ ଭିନ୍ନ, ନିଜସ୍ୱ ଶବ୍ଦସମ୍ଭାର ରହିଥିଲା । ସେମାନେ ଵ୍ୟଵହାର କରୁଥିଲେ 'sǣl', ଯାହାର ଅର୍ଥ ଥିଲା ସମୟ, ଉପଯୁକ୍ତ ସୁଯୋଗ କିମ୍ବା ଋତୁ । ମଧ୍ୟ-ଇଂରାଜୀ ପର୍ଯ୍ୟନ୍ତ ଏହା 'sele' ରୂପରେ ଜୀଵିତ ଥିଲା । ସେହିପରି ଅନ୍ୟ ଏକ ମୂଳ ଶବ୍ଦ ଥିଲା 'tīd', ଯାହାର ଅର୍ଥ ଥିଲା ସମୟ, ସମୟସୀମା କିମ୍ବା ଋତୁ । ଆଜିର ଆଧୁନିକ ଇଂରାଜୀରେ ଆମେ ଯେଉଁ 'eventide' (ସନ୍ଧ୍ୟା ସମୟ), 'springtide'(ଵସନ୍ତ କାଳ) କିମ୍ବା 'Christmastide' (ବଡ଼ଦିନ ସମୟ) ଶବ୍ଦ ଦେଖୁ, ସେହି 'tide' ପ୍ରକୃତରେ ସମୁଦ୍ରର ଜୁଆର-ଭାଟାରୁ ଆସିନଥିଲା ଵରଂ ଏହି ପ୍ରାଚୀନ 'tīd' (ସମୟ/ଋତୁ)ରୁ ଆସିଥିଲା, ଯାହା ପରଵର୍ତ୍ତୀ ସମୟରେ ନିୟମିତ ଵ୍ୟଵଧାନରେ ଆସୁଥିଵା ସମୁଦ୍ର ଜଳସ୍ତର ପାଇଁ ମଧ୍ୟ ଵ୍ୟଵହୃତ ହେଲା । ଏହା ସହିତ, ସେହି ଆଦି ଇଣ୍ଡୋ-ୟୁରୋପୀୟ *seh₁- ଧାତୁଟି ଜର୍ମାନୀୟ ଶାଖା ଦେଇ ପ୍ରାଚୀନ ଇଂରାଜୀରେ ମଧ୍ୟ ଏକ ନିଜସ୍ୱ ରୂପ ନେଇସାରିଥିଲା । ସେଗୁଡ଼ିକ ଥିଲା 'sāwan' (ବିହନ ବୁଣିଵା) ଓ 'sǣd' (ଵିହନ) । ଅର୍ଥାତ୍ ଆଜିର ଆଧୁନିକ ଇଂରାଜୀ ଶବ୍ଦ 'seed' (ଵିହନ) ଏଵଂ ଲାଟିନ୍‌ରୁ ଫ୍ରେଞ୍ଚ ଦେଇ ଆସିଥିଵା 'season' ପ୍ରକୃତରେ ଗୋଟିଏ ମୂଳ ଧାତୁଶବ୍ଦର ଦୁଇଟି ଭିନ୍ନ ଶାଖାରେ ସୃଷ୍ଟି ହୋଇଥିଵା ସମୋଦ୍ଧୃତ ରୂପ ।

ତେବେ ଫ୍ରେଞ୍ଚ ଭାଷାର ଏହି 'saison' କିପରି ଇଂଲଣ୍ଡକୁ ଆସି ଇଂରାଜୀ ଭାଷାର ନିଜସ୍ୱ ଶବ୍ଦଗୁଡ଼ିକୁ ହଟାଇ ନିଜର ଆଧିପତ୍ୟ ଵିସ୍ତାର କଲା ? 
ଏହାର ଉତ୍ତର ଲୁଚି ରହିଛି ୧୦୬୬ ମସିହାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୋଡ଼ରେ, ଯାହାକୁ 'ନୋରମାନ୍ ଵିଜୟ' ଵା Norman Conquest କୁହାଯାଏ । ଯେତେବେଳେ ଫ୍ରାନ୍ସର ନୋରମାଣ୍ଡିର ଡ୍ୟୁକ୍ 'William the Conqueror' ଇଂଲଣ୍ଡ ଆକ୍ରମଣ କରି ହେଷ୍ଟିଙ୍ଗସ୍ ଯୁଦ୍ଧରେ ସାକ୍ସନ୍ ରାଜାଙ୍କୁ ପରାସ୍ତ କଲେ, ସେତେବେଳେ ଇଂଲଣ୍ଡର ସାମାଜିକ, ରାଜନୈତିକ ଓ ଭାଷାଗତ ଢାଞ୍ଚା ସମ୍ପୂର୍ଣ୍ଣ ବଦଳିଗଲା । ଵିଜୟୀ ନୋରମାନ୍ ଶାସକମାନେ ଇଂଲଣ୍ଡର ରାଜଦରବାର, ଶାସନ, ଆଇନ୍ ଓ ଆଭିଜାତ୍ୟର ଭାଷା ଭାବେ ଆଂଗ୍ଲୋ-ନୋରମାନ୍ ଫ୍ରେଞ୍ଚ ଭାଷାକୁ ପ୍ରତିଷ୍ଠିତ କଲେ ।
ଫଳରେ, ସାଧାରଣ ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ ତଳ ସ୍ତରରେ ପ୍ରାଚୀନ ଇଂରାଜୀ କହୁଥିଵା ବେଳେ ଶାସକ ଓ ଉଚ୍ଚଶ୍ରେଣୀର ଲୋକମାନେ ଫ୍ରେଞ୍ଚ କହୁଥିଲେ । ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ଦୁଇଟି ଭାଖା ପାଖାପାଖି ରହିଵା ପରେ ଉଭୟର ମିଶ୍ରଣରେ ସୃଷ୍ଟି ହେଲା ମଧ୍ୟ-ଇଂରାଜୀ ଵା Middle English । ଏହି ଭାଷାଗତ ମିଶ୍ରଣର ପରିଣାମ ସ୍ୱରୂପ, ସହସ୍ରାଧିକ ଫ୍ରେଞ୍ଚ ଶବ୍ଦ ଇଂରାଜୀ ଶବ୍ଦକୋଷରେ ପ୍ରଵେଶ କଲେ । ସେହିପରି ଏକ ଶବ୍ଦ ଥିଲା ଓଲ୍ଡ ଫ୍ରେଞ୍ଚର 'seson' କିମ୍ବା 'saison' । ମଧ୍ୟ-ଇଂରାଜୀ ଭାଷାରେ ଏହା ଗ୍ରହଣ କରାଗଲା 'sesoun' କିମ୍ବା 'seson' ରୂପରେ ।
ଇଂଲଣ୍ଡର ସାମାଜିକ ଜୀଵନରେ ଜଡ଼ିତ ହେଵା ପରେ ଏହି ଶବ୍ଦଟି ନିଜର ଅର୍ଥକୁ ଆହୁରି ସମ୍ପ୍ରସାରିତ କଲା । ପ୍ରଥମେ ଯାହା କେଵଳ "ଵିହନ ବୁଣିଵାର ସମୟ" କିମ୍ବା "ଚାଷର ନିର୍ଦ୍ଦିଷ୍ଟ କାଳ" ଥିଲା, ତାହା କ୍ରମଶଃ ଵର୍ଷର ଯେକୌଣସି ପ୍ରାକୃତିକ ଋତୁ— ଗ୍ରୀଷ୍ମ, ଵର୍ଷା, ଶରତ, ଶୀତ— ପାଇଁ ଵ୍ୟଵହୃତ ହେଵାକୁ ଲାଗିଲା । କାରଣ କୃଷିପ୍ରଧାନ ସମାଜରେ ପ୍ରତ୍ୟେକ ଋତୁର ନିଜସ୍ୱ କୃଷି ସମ୍ବନ୍ଧୀୟ ଦାୟିତ୍ୱ ରହିଥିଲା— ଵିହନ ବୁଣିଵା, ଫସଲର ରକ୍ଷଣାବେକ୍ଷଣ କରିଵା, ଅମଳ କରିଵା ଏଵଂ ଜମିକୁ ପରଵର୍ତ୍ତୀ ଵର୍ଷ ପାଇଁ ଵିଶ୍ରାମ ଦେଵା । ଫଳରେ 'sesoun' ଶବ୍ଦଟି ନିଜର ବୁଣିଵା ଅର୍ଥରୁ ଆଗକୁ ବଢ଼ି ଵର୍ଷର ସମସ୍ତ ପ୍ରାକୃତିକ ଵିଭାଜନକୁ ନିଜ ମଧ୍ୟରେ ସମାହିତ କରିନେଲା ।
ଏହି ପ୍ରକ୍ରିୟାରେ, ଇଂରାଜୀ ଭାଷାର ନିଜସ୍ୱ ପ୍ରାଚୀନ ଜର୍ମାନୀୟ ଶବ୍ଦଗୁଡ଼ିକ ଧୀରେ ଧୀରେ ପଛେଇ ଗଲେ । ମଧ୍ୟ-ଇଂରାଜୀର 'sele' (ଯାହା Old English ର 'sǣl' ରୁ ଆସିଥିଲା) କାଳକ୍ରମେ ଵ୍ୟଵହାରରୁ ବାହାରି ଯାଇ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇଗଲା । ସେହିପରି 'tide' ଶବ୍ଦଟି ଋତୁ ଵା ସାଧାରଣ ସମୟର ଵ୍ୟାପକ ଅର୍ଥ ହରାଇ କେଵଳ ସମୁଦ୍ରର ଜଳସ୍ତରର ଉତ୍ଥାନ-ପତନ କିମ୍ବା କେତେକ ନିର୍ଦ୍ଦିଷ୍ଟ ପାରମ୍ପରିକ ପର୍ଵପର୍ଵାଣିର ସମୟସୀମା ମଧ୍ୟରେ ସୀମିତ ହୋଇରହିଗଲା । ଫ୍ରେଞ୍ଚ ଆଗନ୍ତୁକ 'sesoun' ଆସି ଏହି ପ୍ରାଚୀନ ଶବ୍ଦଗୁଡ଼ିକୁ ସ୍ଥାନଚ୍ୟୁତ କଲା ଏଵଂ ପରଵର୍ତ୍ତୀ ସମୟରେ ବନାନର ପରିଵର୍ତ୍ତନ ଘଟି ଆଧୁନିକ ଇଂରାଜୀରେ 'season' ଭାବେ ସ୍ଥାୟୀ ଆସନ ଗ୍ରହଣ କଲା ।

ଏହା ଥିଲା Season ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରାର କାହାଣୀ ଯାହା ନଜାଣି କେଵଳ ଶବ୍ଦର ବନାନକୁ ଦେଖି 'Sea' (ସମୁଦ୍ର) ଓ 'Son' (ପୁଅ)ର ଗପ ବାନ୍ଧୁଥିଲେ ଆମର ଜଣେ କଳ୍ପନାପ୍ରିୟ ବନ୍ଧୁ ! 

ଯଦି ଶବ୍ଦର ଉତ୍ପତ୍ତି ମଣିଷର କଳ୍ପନା ପରି ଏତେ ସହଜ ହୋଇଥାନ୍ତା, ତେବେ ବୋଧହୁଏ ପୃଥିଵୀର ସବୁ ଭାଷାଵିତ୍ ସମୁଦ୍ର କୂଳରେ ବସି କଵିତା ଲେଖୁଥାଆନ୍ତେ ଏଵଂ ଅତୀତର ସମସ୍ତ କୃଷକମାନେ ମାଟିରେ ଵିହନ ନବୁଣି କେଵଳ ସମୁଦ୍ରର ସନ୍ତାନମାନଙ୍କୁ ଗ୍ରହଣ କରିଵା ପାଇଁ ଅପେକ୍ଷା କରୁଥାଆନ୍ତେ । ପ୍ରକୃତିର ନିୟମ, ମାଟିର ଗନ୍ଧ ଏଵଂ ସଭ୍ୟତାର ଶ୍ରମରୁ ଜନ୍ମ ନେଇଥିବା ଏକ ଜୀଵନ୍ତ ଶବ୍ଦକୁ ଏପରି ଜଳଜାତ କାହାଣୀରେ ପରିଣତ କରିବା ନିଶ୍ଚିତ ଭାବେ ମାନଵୀୟ ଅଜ୍ଞତା ଓ କଳ୍ପନାଶକ୍ତିର ଏକ ରୋଚକ ନମୁନା । 

Thursday, September 24, 2026

ଅର୍ଣ୍ଣଵ: ଏକ ଶବ୍ଦର ଜୀଵନ୍ତ ଐତିହାସିକ ଯାତ୍ରା

ଭାରତରେ ପୁରୁଷମାନଙ୍କ ନାମ ଅର୍ଣ୍ଣଵ ରଖାଯାଏ ‌ । ଏହି ‘ଅର୍ଣ୍ଣଵ’ ଶବ୍ଦକୁ ସାଧାରଣତଃ ‘ସମୁଦ୍ର’ର ଗୋଟିଏ ପ୍ରତିଶବ୍ଦ ଭାବରେ ଗ୍ରହଣ କରାଯାଏ । କିନ୍ତୁ ଏହି କ୍ଷୁଦ୍ର ଶବ୍ଦଟିର ପଛରେ ଲୁଚି ରହିଛି ମାନଵୀୟ ସଂସ୍କୃତି, ଭାଷାଵିଜ୍ଞାନ, ଵୈଦିକ ଚିନ୍ତନ ଆଉ ଚେତନାର ଏକ ଦୀର୍ଘ ତଥା ରୋମାଞ୍ଚକର ଇତିହାସ।
 ଆଧୁନିକ ତୁଳନାତ୍ମକ ଭାଷାଵିଜ୍ଞାନୀମାନଙ୍କ ଅନୁସାରେ ଏହି ଶବ୍ଦର ଆଦିମ ମୂଳ କ୍ଷୁଦ୍ର ରୂପ *h₃er- ଅଟେ। ତେବେ ଏହି ମୂଳ ଧାତୁର ଅର୍ଥ କୌଣସି ସ୍ଥିର ଜଳରାଶି ନଥିଲା; ଏହାର ପ୍ରକୃତ ଅର୍ଥ ଥିଲା ଗତିଶୀଳ ହେଵା, ଉଦ୍‌ଵେଳିତ ହେବା, ଆନ୍ଦୋଳିତ ହେଵା କିମ୍ବା ଉପରକୁ ଉଠିଵା। ପ୍ରକୃତିର ଯେଉଁ ଉପାଦାନ ନିଶ୍ଚଳ ନୁହେଁ, ଯାହା ନିରନ୍ତର ଚଞ୍ଚଳ ଓ କମ୍ପିତ, ତାହାକୁ ହିଁ ଏହି ଧାତୁ ସୂଚାଉଥିଲା।

ସମୟର କ୍ରମଵିକାଶରେ ଶବ୍ଦର ଏହି ଆଦି ରୂପଟି *Harnas ରୂପ ନେଲା, ଏଵଂ ପରଵର୍ତ୍ତୀ ସମୟରେ ପ୍ରାଚୀନ ସଂସ୍କୃତ କ୍ଷେତ୍ରରେ ‘ଅର୍ଣ୍ଣ’ ରୂପରେ ଆତ୍ମପ୍ରକାଶ କଲା। ସଂସ୍କୃତ ଭାଷାରେ ‘ଅର୍ଣ୍ଣ’ ଶବ୍ଦର ପ୍ରାଥମିକ ଅର୍ଥ ଥିଲା ଅସ୍ଥିର, ତରଙ୍ଗାୟିତ, ଫେଣୟୁକ୍ତ କିମ୍ବା ଗତିଶୀଳ ଜଳ। ପରେ ସଂସ୍କୃତ ଭାଷାରେ ଏହି ଶବ୍ଦର ଅର୍ଥ ହେଲା ଜଳ, ତରଙ୍ଗ,ଶାଗୁଆନ ଗଛ ଓ ଅକାରାଦି ଅକ୍ଷର ଵା Alphabet ଇତ୍ୟାଦି । 

କିନ୍ତୁ ଯେତେବେଳେ ଏହି ‘ଅର୍ଣ୍ଣ’ ଶବ୍ଦ ସହିତ ଗତି, ପ୍ରସାର ଓ ଉପସ୍ଥିତି ସୂଚକ ପ୍ରତ୍ୟୟ ‘-ଵ’ ଯୁକ୍ତ ହେଲା, ସେତେବେଳେ ଗଠିତ ହେଲା ‘ଅର୍ଣ୍ଣଵ’। ତେଣୁ ଭାଷାଵିଜ୍ଞାନ ଦୃଷ୍ଟିରୁ ଅର୍ଣ୍ଣଵ ଶବ୍ଦର ମୂଳ ଅର୍ଥ ହେଉଛି— ଯାହା ଅସ୍ଥିରତାରେ ପରିପୂର୍ଣ୍ଣ, ଯାହା ନିରନ୍ତର ଆନ୍ଦୋଳିତ ଏଵଂ ଯାହା ପ୍ରଚଣ୍ଡ ଗତିଶୀଳ ଜଳରାଶିକୁ ଧାରଣ କରିଛି।
ପ୍ରାଚୀନ ମଣିଷ ନିଜ ଚାରିପାଖର ସୃଷ୍ଟିକୁ ଗୋଟିଏ ଜୀଵନ୍ତ ସତ୍ତା ଭାବରେ ଦେଖୁଥିଲା। ତା’ ପାଇଁ ସମୁଦ୍ର କେଵଳ ଜଳର ଗୋଟିଏ ନିର୍ଜୀଵ ଆଧାର ନଥିଲା, ଵରଂ ତାହା ଥିଲା ଏକ ଅସୀମ, ଚଞ୍ଚଳ ଓ ଉଦ୍‌ଭ୍ରାନ୍ତ ପ୍ରାଣ। ସେଥିପାଇଁ ଆଦିମ ଭାଷାରେ ‘ଅର୍ଣ୍ଣଵ’ କେଵଳ ଗୋଟିଏ ଵିଶେଷ୍ୟ ପଦ ନଥିଲା, ଏହା ଏକ ଗୁଣଵାଚକ ଵିଶେଷଣ ମଧ୍ୟ ଥିଲା, ଯାହାର ଅର୍ଥ ଥିଲା— ଅସ୍ଥିର, ଆନ୍ଦୋଳିତ କିମ୍ବା ଫେଣୟୁକ୍ତ।
ଅପରପକ୍ଷରେ, ପାରମ୍ପରିକ ଭାରତୀୟ ନିରୁକ୍ତ ଓ ଵ୍ୟାକରଣ ଶାସ୍ତ୍ର ଏହି ଶବ୍ଦଟିକୁ ଭିନ୍ନ ଏକ ଦାର୍ଶନିକ ଓ ଵିଶ୍ଲେଷଣାତ୍ମକ ଦୃଷ୍ଟିଭଙ୍ଗୀରୁ ନିରୂପଣ କରିଛନ୍ତି। 

ଭାରତୀୟ ପଣ୍ଡିତମାନେ ଶବ୍ଦକୁ କେଵଳ ଧ୍ଵନିର ଵିକାଶ ଭାବରେ ନଦେଖି, ତାହାର ଆଭ୍ୟନ୍ତରୀଣ ଅର୍ଥ ସଂରଚନାକୁ ପ୍ରାଧାନ୍ୟ ଦେଇଛନ୍ତି। ଵାଚସ୍ପତ୍ୟ ଓ ଶବ୍ଦକଳ୍ପଦ୍ରୁମ ପରି ପ୍ରାଚୀନ ଗ୍ରନ୍ଥମାନଙ୍କରେ ଅର୍ଣ୍ଣଵ ଶବ୍ଦର ଵ୍ୟୁତ୍ପତ୍ତି ଦର୍ଶାଇବାକୁ ଯାଇ କୁହାଯାଇଛି: “ଅର୍ଣ୍ଣାଂସି ସନ୍ତ୍ୟସ୍ମିନ୍” ଅର୍ଥାତ୍ ଯାହା ମଧ୍ୟରେ ଅର୍ଣ୍ଣସ୍ ଵା ଜଳରାଶି ଵିଦ୍ୟମାନ। ଏଠାରେ ‘ଅର୍ଣ୍ଣସ୍’ ଶବ୍ଦ ସହିତ ‘ଵ’ ପ୍ରତ୍ୟୟ ଯୁକ୍ତ ହୋଇ ‘ସ’ କାରର ଲୋପ ହେଵା ଫଳରେ ‘ଅର୍ଣ୍ଣଵ’ ଶବ୍ଦ ନିଷ୍ପନ୍ନ ହୋଇଛି।

ଭାରତୀୟ ନିରୁକ୍ତକାରମାନଙ୍କର ସୂକ୍ଷ୍ମତା ଦେଖିଲେ ଆଶ୍ଚର୍ଯ୍ୟ ହେଵାକୁ ପଡ଼େ। ସେମାନେ ‘ଅର୍ଣ୍ଣଵ’କୁ କେଵଳ ସମୁଦ୍ରର ସୀମା ଭିତରେ ଆଵଦ୍ଧ ରଖିନାହାନ୍ତି। ସେମାନଙ୍କ ଗ୍ରହଣଶୀଳ ମସ୍ତିଷ୍କ ଏହି ଶବ୍ଦକୁ ଏକ ଵ୍ୟାପକ କୋଷୀୟ ପରିସର ପ୍ରଦାନ କରିଛି। ଵିକ୍ରମାବ୍ଦର ବହୁ ପୂର୍ଵରୁ ରଚିତ ଵୈଦିକ ସାହିତ୍ୟରୁ ଆରମ୍ଭ କରି କାଵ୍ୟ ଯୁଗ ପର୍ଯ୍ୟନ୍ତ, ନିରୁକ୍ତକାରମାନେ ଏହି ଶବ୍ଦର ପାଞ୍ଚଟି ମୁଖ୍ୟ ଆଧାରକୁ ଚିହ୍ନଟ କରିଛନ୍ତି। ପ୍ରଥମତଃ, ଜଳର ନିତ୍ୟ ଆଧାର ହୋଇଥିଵାରୁ ଏହା ସମୁଦ୍ର। ଦ୍ଵିତୀୟତଃ, ପ୍ରଵାହିତ ଓ ଆନ୍ଦୋଳିତ ହେଉଥିଵାରୁ ଏହା ନଦୀ, ଢେଉ, କିମ୍ବା ନଈବଢ଼ି। ତୃତୀୟତଃ, ଆକାଶରେ ଵାୟୁର ଯେଉଁ ଅସୀମ ସମୁଦ୍ର ରହିଛି, ତାହାକୁ ମଧ୍ୟ ପ୍ରାଚୀନ ଋଷିମାନେ ‘ଵାୟୁରାଶି’ ବା ଆକାଶର ଅର୍ଣ୍ଣଵ ବୋଲି କହିଛନ୍ତି।

ଏତିକିରେ ନିରୁକ୍ତକାରଙ୍କ କଳ୍ପନା ଅଟକି ନଥିଲା। ଵାଚସ୍ପତ୍ୟରେ ଏକ ଅତ୍ୟନ୍ତ କୌତୁକପୂର୍ଣ୍ଣ ଓ ଦାର୍ଶନିକ ଵ୍ୟାଖ୍ୟା ମିଳେ। ସେଠାରେ ‘ଅର୍ଣ୍ଣଵ’ ଶବ୍ଦକୁ ସୂର୍ଯ୍ୟ ଓ ଇନ୍ଦ୍ରଙ୍କ ସହିତ ଯୋଡ଼ାଯାଇଛି। ପ୍ରଶ୍ନ ଉଠିପାରେ, ଜ୍ଵଳନ୍ତ ସୂର୍ଯ୍ୟ କିମ୍ବା ସ୍ଵର୍ଗର ଦେଵତା ଇନ୍ଦ୍ର କିପରି ‘ଅର୍ଣ୍ଣଵ’ ଵା ସମୁଦ୍ର ହୋଇପାରନ୍ତି? ଏହାର ଉତ୍ତରରେ ନିରୁକ୍ତକାର କହନ୍ତି ଯେ ‘ଅର୍ଣ୍ଣ’ ଅର୍ଥାତ୍ ଜଳ ଦାନ କରିଵାର ସାମର୍ଥ୍ୟ ଯାହାର ଅଛି, ସେ ହେଉଛି ଅର୍ଣ୍ଣଵ। 

‘ଆଦିତ୍ୟାଜ୍ଜାୟତେ ଵୃଷ୍ଟିଃ’— ସୂର୍ଯ୍ୟ ନିଜର ଉତ୍ତାପ ଦ୍ଵାରା ଜଳକୁ ବାଷ୍ପୀଭୂତ କରି ମେଘରେ ପରିଣତ କରନ୍ତି ଏଵଂ ଇନ୍ଦ୍ର ସେହି ମେଘରୁ ଵର୍ଷା କରାନ୍ତି। ତେଣୁ ଜଳର ପ୍ରଜନକ ଓ ଦାତା ଭାବରେ ସୂର୍ଯ୍ୟ ଓ ଇନ୍ଦ୍ରଙ୍କୁ ମଧ୍ୟ ଵେଦରେ ‘ଅର୍ଣ୍ଣଵ’ ବୋଲି ଆଖ୍ୟା ଦିଆଯାଇଛି। ଋଗ୍‌ଵେଦର ମନ୍ତ୍ରରେ ସୂର୍ଯ୍ୟଙ୍କୁ “ସଭାନୁରର୍ଣ୍ଣଵୋ ନୃଚକ୍ଷାଃ” ଏଵଂ ଇନ୍ଦ୍ରଙ୍କୁ “ଶତକ୍ରତୁମର୍ଣ୍ଣଵଂ ଶାକିୟଂ ନରମ୍” ବୋଲି କୁହାଯିଵା ଏହି ଚିନ୍ତନର ଏକ ଜ୍ଵଳନ୍ତ ପ୍ରମାଣ।

ଅତଏଵ ପ୍ରାଚୀନ ଭାରତୀୟ ସଂସ୍କୃତି ଏ ଶବ୍ଦର କେଵଳ ଶାବ୍ଦିକ ଅର୍ଥକୁ ନୁହେଁ, ଵରଂ ତାହାର କାର୍ଯ୍ୟକାରୀ ଓ ପ୍ରାକୃତିକ ସମ୍ବନ୍ଧକୁ ମଧ୍ୟ ନିରୁକ୍ତ ଭିତରେ ଗୃହୀତ କରାଯାଇଥିଲା। ପଣ୍ଡିତମାନେ ଵ୍ୟାକରଣର ସୂତ୍ର ଜାଲ ବିଛାଇ ଶବ୍ଦର ପ୍ରତ୍ୟେକଟି ଅକ୍ଷରକୁ ଖଣ୍ଡ ଖଣ୍ଡ କରି ଵିଚାର କରୁଥିଵା ବେଳେ, ପ୍ରକୃତି ନିଜ ବାଟରେ ନିଜର ଵିଶାଳତାକୁ ପ୍ରକାଶ କରୁଥିଲା।

ଶବ୍ଦର ଏହି ଐତିହାସିକ ଯାତ୍ରା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ଅଟକି ରହିନାହିଁ। ଯଦି ଆମେ ସମୟର ନଦୀରେ ପଛକୁ ଭାସିଯିଵା, ତେବେ ଦେଖିଵା ଯେ ଵୈଦିକ ଯୁଗରୁ ଆରମ୍ଭ କରି ଆଜିର ଆଧୁନିକ ପ୍ରାନ୍ତୀୟ ଭାଷାଗୁଡ଼ିକ ପର୍ଯ୍ୟନ୍ତ ଏହି ଶବ୍ଦର ଅର୍ଥଗତ ପରିଵର୍ତ୍ତନ କିପରି ଘଟିଛି।

ଵୈଦିକ କାଳରେ, ଯେତେବେଳେ ମାନଵ ଜାତି ପ୍ରକୃତିର ପ୍ରତିଟି ରୂପକୁ ଵିସ୍ମୟକର ଆଖିରେ ଦେଖୁଥିଲା, ସେତେବେଳେ ‘ଅର୍ଣ୍ଣଵ’ ଶବ୍ଦଟି ଅତ୍ୟନ୍ତ ନମନୀୟ ଥିଲା। ଏହା କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ଜଳାଶୟକୁ ବୁଝାଉ ନଥିଲା। ସନ୍ଧ୍ୟା ମନ୍ତ୍ରର “ତତଃ ସମୁଦ୍ରାଦର୍ଣ୍ଣଵାତ୍” କିମ୍ବା ଋଗ୍‌ଵେଦର “ତିରଃ ସମୁଦ୍ରମର୍ଣ୍ଣଵମ୍” ପରି ମନ୍ତ୍ରଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ସେତେବେଳେ ‘ସମୁଦ୍ର’ ଓ ‘ଅର୍ଣ୍ଣଵ’ ଦୁଇଟି ପୃଥକ୍ ଵିଶେଷତାକୁ ସୂଚାଉଥିଲେ। ‘ସମୁଦ୍ର’ ଅର୍ଥାତ୍ ଯାହା ଜଳର ସମ୍ୟକ୍ ଆଧାର ଏଵଂ ‘ଅର୍ଣ୍ଣଵ’ ଅର୍ଥାତ୍ ଯାହା ଆନ୍ଦୋଳିତ ଓ ଅସ୍ଥିର। ଅର୍ଥାତ୍, ‘ଅର୍ଣ୍ଣଵ’ ସେତେବେଳେ ସମୁଦ୍ରର ଏକ ଗୁଣାତ୍ମକ ଵିଶେଷଣ ଭାଵରେ ଵ୍ୟଵହୃତ ହେଉଥିଲା। ସୃଷ୍ଟିର ଆଦିମ ଅଵସ୍ଥା, ଯେତେବେଳେ ଚାରିଆଡ଼େ କେଵଳ ପ୍ରଳୟଙ୍କରୀ ଅଶାନ୍ତ ଜଳରାଶି ଓ ଆକାଶଵ୍ୟାପୀ ବାୟୁର ଆନ୍ଦୋଳନ ଥିଲା, ସେହି ମହାଜାଗତିକ ସ୍ଥିତିକୁ ଦର୍ଶାଇଵା ପାଇଁ ଋଷିମାନେ ‘ମହାନ୍ ଅର୍ଣ୍ଣଵ’ ଶବ୍ଦର ପ୍ରୟୋଗ କରୁଥିଲେ।
ସମୟ ଗଡ଼ିଚାଲିଲା। ନଦୀର ସ୍ରୋତ ପରି ଭାଷାର ପ୍ରଵାହ ମଧ୍ୟ ବଦଳିଲା। ଵୈଦିକ ଯୁଗରୁ ଶାସ୍ତ୍ରୀୟ ଵା ଲୌକିକ ସଂସ୍କୃତ ଯୁଗକୁ ଆସିଵା ବେଳକୁ ଶବ୍ଦଟି ନିଜର ଵ୍ୟାପକ ଗୁଣାତ୍ମକ ଅର୍ଥକୁ ହରାଇ କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଵିଶେଷ୍ୟ ପଦରେ ସୀମିତ ହୋଇଗଲା। କାଳିଦାସଙ୍କ ରଘୁଵଂଶ କାଵ୍ୟରେ ଯେତେବେଳେ କୁହାଗଲା— “ଅଧୃଷ୍ୟଶ୍ଚାଭିଗମ୍ୟଶ୍ଚ ଯାଦୋରତ୍ନୈରିଵାର୍ଣ୍ଣଵଃ”, ସେତେବେଳେ ‘ଅର୍ଣ୍ଣଵ’ କହିଲେ ସୀମାହୀନ ସମୁଦ୍ରକୁ ହିଁ ବୁଝାଗଲା, ଯାହା ଜଳଚର ଜୀଵ ଓ ରତ୍ନରାଶିରେ ପରିପୂର୍ଣ୍ଣ। ମାଘଙ୍କ ଶିଶୁପାଳଵଧ କାଵ୍ୟରେ ମଧ୍ୟ ‘କୃଷ୍ଣାର୍ଣ୍ଣଵ’ ଶବ୍ଦର ଵ୍ୟଵହାର ଦେଖିଵାକୁ ମିଳେ। ଏହି ଯୁଗକୁ ଆସିଵା ବେଳକୁ ‘ଅର୍ଣ୍ଣଵ’ ନିଜର ଅସ୍ଥିରତା ଓ ଵାୟୁରାଶିର ଅର୍ଥକୁ ପଛରେ ପକାଇ, ସମୁଦ୍ରର ସମାନାର୍ଥକ ଭାବରେ ସାହିତ୍ୟରେ ପ୍ରତିଷ୍ଠିତ ହୋଇସାରିଥିଲା।
ଏହି କାଳଖଣ୍ଡ ମଧ୍ୟରେ ଶବ୍ଦଟି କେଵଳ ନିଜର ମୂଳ ଅର୍ଥରେ ସୀମିତ ନରହି, କିଛି ମାନସିକ ଓ କଳ୍ପନାତ୍ମକ ପ୍ରତୀକ ଭାବରେ ମଧ୍ୟ ଵିକଶିତ ହେଲା। ପ୍ରାଚୀନ ଭାରତୀୟ ଗଣିତ ଓ ଜ୍ୟୋତିଷ ଶାସ୍ତ୍ରରେ ସଂଖ୍ୟାଗୁଡ଼ିକୁ ସାହିତ୍ୟିକ ସଙ୍କେତ ଦ୍ଵାରା ପ୍ରକାଶ କରିଵାର ଏକ ସୁନ୍ଦର ପରମ୍ପରା ଥିଲା। ସେହି କ୍ରମରେ ‘ଅର୍ଣ୍ଣଵ’ ଶବ୍ଦକୁ ଚାରି ସଂଖ୍ୟାର ପ୍ରତୀକ ଭାବରେ ଗ୍ରହଣ କରାଗଲା। କାରଣ ଭାରତୀୟ ପୌରାଣିକ ଭୂଗୋଳ ଅନୁସାରେ ପୃଥିଵୀ ଚାରୋଟି ମହାସାଗର ଵା ଚତୁଃସମୁଦ୍ର ଦ୍ଵାରା ପରିଵେଷ୍ଟିତ। ତେଣୁ କୌଣସି ଶ୍ଲୋକରେ ‘ଅର୍ଣ୍ଣଵ’ ଲେଖାହେଲେ, ଗଣିତଜ୍ଞମାନେ ସେଥିରୁ ‘ଚାରି’ ସଂଖ୍ୟାକୁ ବୁଝିନେଉଥିଲେ। ଭାଷାର ଏହି କ୍ରୀଡ଼ା ସୂଚାଏ ଯେ ମଣିଷ କିପରି ପ୍ରକୃତିର ଗମ୍ଭୀରତାକୁ ନିଜର ବୌଦ୍ଧିକ ଓ ଗାଣିତିକ ସଂରଚନା ଭିତରେ ଵ୍ୟଵହାର କରିପାରୁଥିଲା।

ସଂସ୍କୃତ ସାହିତ୍ୟର ସୀମା ପାର ହୋଇ ଯେତେବେଳେ ଭାରତୀୟ ଉପମହାଦ୍ଵୀପରେ ପ୍ରାକୃତ, ପାଲି, ଏଵଂ ପରଵର୍ତ୍ତୀ ସମୟରେ ଆଞ୍ଚଳିକ ଭାଷାଗୁଡ଼ିକର ଅଭ୍ୟୁଦୟ ଘଟିଲା, ସେତେବେଳେ ‘ଅର୍ଣ୍ଣଵ’ ଶବ୍ଦଟି ଏକ ନୂତନ ଜାତୀୟ ଓ ଆନ୍ତର୍ଜାତୀୟ ରୂପାନ୍ତର ଭିତର ଦେଇ ଗତିକଲା। ବୌଦ୍ଧ ଧର୍ମର ପ୍ରଚାର ସହିତ ପାଲି ଭାଷାରେ ଏହା ‘ଅଣ୍ଣଵ’ (aṇṇava) ରୂପ ଧାରଣ କଲା। ପ୍ରାକୃତ ଭାଷାର ସହଜତା ଓ ମୁଖସୁଖ ପ୍ରଵୃତ୍ତି ଯୋଗୁଁ ସଂସ୍କୃତର ‘ର୍ଣ୍ଣ’ ଧ୍ଵନି ବଦଳି ‘ଣ୍ଣ’ ହୋଇଗଲା।
ଏହି ଶବ୍ଦଟିର ସବୁଠାରୁ ଆଶ୍ଚର୍ଯ୍ୟଜନକ ଯାତ୍ରା ହେଉଛି ଏହାର ଭୌଗୋଳିକ ପ୍ରସାର। ଭାରତର ସୀମା ଡେଇଁ ବୌଦ୍ଧ ଭିକ୍ଷୁ, ଵ୍ୟଵସାୟୀ ଏଵଂ ସଂସ୍କୃତିର ଵାହକମାନଙ୍କ ସହିତ ଏହି ଶବ୍ଦ ଦକ୍ଷିଣ-ପୂର୍ଵ ଏସିଆକୁ ସଞ୍ଚାରିତ ହେଲା। ବର୍ମା ଵା ମ୍ୟାନମାରର ବର୍ମୀଜ ଭାଷାରେ ଏହା ‘ଅଣ୍ଣଵା’ (anna.wa) ରୂପରେ ସ୍ଥାନ ପାଇଲା। ଦ୍ରାଵିଡ଼ ଭାଷା ପରିଵାରର ତାମିଲ ଭାଷାରେ ଏହା ‘ଅରୁଣଵମ୍’ କିମ୍ବା ‘ଅନ୍ନଵମ୍’ ରୂପରେ ଗ୍ରହଣ କରାଗଲା, ଏଵଂ ତେଲୁଗୁରେ ‘ଅର୍ଣ୍ଣଵମୁ’ ଭାବରେ ପ୍ରଵିଷ୍ଟ ହେଲା।
ଉତ୍ତର ଓ ପୂର୍ଵ ଭାଷା ପରିବାରରେ, ଯେପରିକି ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ମରାଠୀ ଭାଷାରେ, ଏହା ତତ୍ସମ ଵା ତତ୍ସମ-ସଦୃଶ ରୂପରେ ‘ଅର୍ଣ୍ଣଵ’ ଭାଵରେ ନିଜର ସ୍ଥାନ ବଜାୟ ରଖିଲା। ଵିଶେଷ କରି ଓଡ଼ିଆ ଭାଷାର ଶବ୍ଦକୋଷ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଓଡ଼ିଆ ସାହିତ୍ୟ ଓ ଭାଷାଵିତ୍‌ମାନେ ଏହି ଶବ୍ଦର ସମସ୍ତ ପ୍ରାଚୀନ ଓ ଅର୍ଥାନ୍ତରିତ ରୂପକୁ ଅତ୍ୟନ୍ତ ଯତ୍ନର ସହିତ ସଂରକ୍ଷିତ କରି ରଖିଛନ୍ତି। ଓଡ଼ିଆ ଭାଷାରେ ‘ଅର୍ଣ୍ଣଵ’ କହିଲେ ସମୁଦ୍ର, ନଦୀ, ଢେଉ, ନଈବଢ଼ି, ଚାରି ସଂଖ୍ୟା ଓ ଵାୟୁରାଶିକୁ ବୁଝାଇଵା ସହିତ ଵିଶେଷଣ ରୂପରେ ଆନ୍ଦୋଳିତ, ଅସ୍ଥିର, ଓ ଫେଣଯୁକ୍ତ ଅଭିପ୍ରାୟକୁ ମଧ୍ୟ ସ୍ଵୀକାର କରାଯାଇଛି।

ମାତ୍ର ଏହି ଦୀର୍ଘ ଐତିହାସିକ ପ୍ରକ୍ରିୟା ଭିତରେ ଗୋଟିଏ ବଡ଼ ସାମାଜିକ ଓ ସାଂସ୍କୃତିକ ପରିଵର୍ତ୍ତନ ଘଟିଲା। ଯେଉଁ ଶବ୍ଦଟି ଦିନେ ସମୁଦ୍ରର ଵିଶାଳତା, ଅଶାନ୍ତତା ଏଵଂ ପ୍ରକୃତିର ନିୟନ୍ତ୍ରଣହୀନ ରୂପକୁ ସୂଚାଉଥିଲା ସେହି ଶବ୍ଦଟି ଵିଂଶ ଓ ଏକଵିଂଶ ଶତାବ୍ଦୀକୁ ଆସିଵା ବେଳକୁ ମାନଵୀୟ ନାମକରଣର ଏକ ପ୍ରିୟ ବ୍ରାଣ୍ଡ୍‌ରେ ପରିଣତ ହୋଇଗଲା।
ଆଜିର ସମାଜରେ ଶିଶୁଙ୍କର ନାମ ‘ଅର୍ଣ୍ଣଵ’ ରଖାଯାଉଛି। କିନ୍ତୁ କୌତୁକର ଵିଷୟ ହେଉଛି, ଯେଉଁ ପିତାମାତା ନିଜ ସନ୍ତାନର ନାମ ‘ଅର୍ଣ୍ଣଵ’ ରଖୁଛନ୍ତି, ସେମାନେ ହୁଏତ ସ୍ଵପ୍ନରେ ସୁଦ୍ଧା ଭାବୁନାହାନ୍ତି ଯେ ସେମାନେ ନିଜ ସନ୍ତାନକୁ ‘ଅସ୍ଥିର’, ‘ଫେଣଯୁକ୍ତ’ କିମ୍ବା ‘ଉଦ୍‌ଭ୍ରାନ୍ତ ତରଙ୍ଗ’ ବୋଲି ଡାକୁଛନ୍ତି। ସେମାନଙ୍କ ପାଇଁ ଏହା କେଵଳ ସମୁଦ୍ର ପରି ଵିଶାଳତାର ସଙ୍କେତ କିମ୍ବା ଗୋଟିଏ ଶ୍ରୁତିମଧୁର ସଂସ୍କୃତ ଲୋକପ୍ରିୟ ନାମ। ମାନଵ ସଂସ୍କୃତିର ଏହା ହିଁ ସବୁଠାରୁ ବଡ଼ ଵିରୋଧାଭାସ। ମଣିଷ ନିଜର ଭାଷା ଭିତରେ ପ୍ରକୃତିର ସବୁଠାରୁ ଭୟଙ୍କର ଓ ଅଶାନ୍ତ ରୂପକୁ ଆଣି ନିଜର କୋମଳ ଶିଶୁର ନାମରେ ବାନ୍ଧିଦିଏ, ଆଉ ଭାବେ ଯେ ସେ ଏକ ସୁନ୍ଦର ଶାନ୍ତ ନାମ ପ୍ରଦାନ କରିଛି।
ଏହିପରି ଭାବରେ, ଗୋଟିଏ କ୍ଷୁଦ୍ର ଶବ୍ଦ ‘ଅର୍ଣ୍ଣଵ’ ନିଜ ଭିତରେ ଵହନ କରି ଚାଲିଛି ହଜାର ହଜାର ଵର୍ଷର ମାନଵ ଚେତନାର ଵିକାଶ ଗାଥା। ଏହା ଆମକୁ ମନେପକାଇ ଦିଏ ଯେ ଶବ୍ଦଗୁଡ଼ିକ କେଵଳ କାଗଜ ଉପରେ ଲେଖାହୋଇଥିଵା କିଛି କଳା ଗାର ନୁହନ୍ତି; ସେଗୁଡ଼ିକ ଜୀଵନ୍ତ ଇତିହାସ। ଶବ୍ଦ ଜନ୍ମ ନିଅନ୍ତି, ଵୃଦ୍ଧି ପାଆନ୍ତି, ରୂପ ବଦଳାନ୍ତି, ଦେଶ ଦେଶାନ୍ତର ଭ୍ରମଣ କରନ୍ତି ଏଵଂ ସମୟକ୍ରମେ ନିଜର ମୂଳ ଅର୍ଥକୁ ପଛରେ ପକାଇ ନୂତନ ପୋଷାକ ପିନ୍ଧି ସମାଜରେ ବୁଲନ୍ତି।
ଆଜି ଯେତେବେଳେ ଆମେ ‘ଅର୍ଣ୍ଣଵ’ ଶବ୍ଦଟିକୁ ଉଚ୍ଛାରଣ କରୁ, ଆମେ ଅଜାଣତରେ ସେହି ପ୍ରାଚୀନ ମାନଵର ଭୟ, ଵୈଦିକ ଋଷିଙ୍କର ଵିସ୍ମୟ, ପାଣିନି ଓ ନିରୁକ୍ତକାରଙ୍କ ଗ୍ରନ୍ଥାଗାରର ପ୍ରଦୀପ, ଆଉ ମ୍ୟାନମାରର ବୌଦ୍ଧ ମଠର ପ୍ରାର୍ଥନାକୁ ଏକାଠି ଉଚ୍ଚାରଣ କରିଥାଉ। ଶବ୍ଦଟି ହୁଏତ ଆଜି ଶାନ୍ତ ଦିଶୁଛି, କିନ୍ତୁ ତା’ର ଗଭୀରତା ଭିତରେ ଆଜି ମଧ୍ୟ ସେହି ଆଦିମ, ଅସ୍ଥିର, ଆନ୍ଦୋଳିତ ମହାସାଗରର ଗର୍ଜନ ଶୁଣାଯାଉଛି, ଯାହାକୁ କୌଣସି ଶବ୍ଦକୋଷ କେବେହେଲେ ସମ୍ପୂର୍ଣ୍ଣ ଭାବରେ ନୀରଵ କରିପାରିନାହିଁ।

Monday, September 21, 2026

ଏକ ଯୁଦ୍ଧ ସ୍ମାରକୀ ବାଲ୍ଟିର କାହାଣୀ

ମଣିଷ ଜାତିର ଇତିହାସକୁ ଯଦି ଆପଣ ଟିକିଏ ଗଭୀର ଭାବରେ ଅଧ୍ୟୟନ କରିବେ, ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯିଵ ଯେ, ସମ୍ପୂର୍ଣ୍ଣ ବିନା କାରଣରେ ଅଥଵା ଅତି ତୁଚ୍ଛ କାରଣରୁ ରକ୍ତପାତ କରିଵାରେ ମଣିଷର ଯେଉଁ ଅସୀମ ଦକ୍ଷତା ରହିଛି, ତାହା ଆଉ କୌଣସି ପ୍ରାଣୀର ନାହିଁ। ଇତିହାସକାରମାନେ ସାଧାରଣତଃ ଏହି ବୋକାମିଗୁଡ଼ିକୁ ବଡ଼ ବଡ଼ ଶବ୍ଦରେ ଆଦର୍ଶଗତ ସଂଘର୍ଷ, ଜାତୀୟ ଗର୍ଵ, କିମ୍ବା ସାମ୍ରାଜ୍ୟ ଵିସ୍ତାର ଇତ୍ୟାଦି ନାଆଁରେ ଘୋଡ଼ାଇ ଦେଵାକୁ ଚେଷ୍ଟା କରନ୍ତି । କିନ୍ତୁ ବେଳେବେଳେ ଇତିହାସ ନିଜର ଗମ୍ଭୀର ମୁଖା ଖୋଲିଦିଏ ଏଵଂ ଆମକୁ ଦେଖାଏ ଯେ ଦୁଇଟି ସହର କିପରି ଗୋଟିଏ ପୁରୁଣା, କାଠର ପାଣି-ବାଲ୍ଟି ପାଇଁ ପରସ୍ପରର ତଣ୍ଟି କାଟିଵାକୁ ପ୍ରସ୍ତୁତ ଥିଲେ। ଅଵଶ୍ୟ, ମୁଁ ଏଠାରେ ଯେଉଁ ପ୍ରସିଦ୍ଧ ଏଵଂ ବହୁଚର୍ଚ୍ଚିତ ଯୁଦ୍ଧ ଵିଷୟରେ କହୁଛି, ତାହାର ମୂଳ କାରଣ କେଵଳ ଗୋଟିଏ ବାଲ୍ଟି ନଥିଲା। ସତ୍ୟ ସବୁବେଳେ କାହାଣୀଠାରୁ ଟିକିଏ ଅଧିକ ଜଟିଳ ଏଵଂ ଖୁବ୍ କମ୍ ରୋମାଞ୍ଚକର ହୋଇଥାଏ। ତଥାପି, ଚତୁର୍ଦ୍ଦଶ ଶତାବ୍ଦୀର ଇଟାଲୀରେ ଯାହା ଘଟିଲା, ତାହା ଏକ ସର୍ଵୋତ୍କୃଷ୍ଟ ଵ୍ୟଙ୍ଗାତ୍ମକ ନାଟକଠାରୁ କୌଣସି ଗୁଣରେ କମ୍ ନୁହେଁ।

ଘଟଣାଟି ୧୩୨୫ ମସିହାରେ ଘଟିଥିଲା ଯେତେବେଳେ ଇଟାଲୀ ଦେଶ ଆଜି ପରି ଗୋଟିଏ ଶାନ୍ତ, ପିଜା-ଖାଉଥିଵା ଏଵଂ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରୁଥିଵା ଏକକ ରାଷ୍ଟ୍ର ନଥିଲା। ସେତେବେଳେ ଏହା ଛୋଟ ଛୋଟ city-states ଵା ନଗର-ରାଜ୍ୟରେ ଵିଭକ୍ତ ଥିଲା । ସେହି ନଗର-ରାଜ୍ୟଗୁଡ଼ିକ ପଡ଼ୋଶୀ ସୁଲଭ ସୌହାର୍ଦ୍ଦ୍ୟ ଅପେକ୍ଷା କୁକୁର-ବିଲେଇ ଭଳି ଲଢ଼େଇ କରିଵାରେ ଅଧିକ ଆଗ୍ରହୀ ଥିଲେ। ଲଢ଼େଇ ପଛରେ ଥିଲା ସେହି ସମୟର ୟୁରୋପର ଦୁଇଟି ସବୁଠାରୁ ବଡ଼ ରାଜନୈତିକ ଓ ଧାର୍ମିକ ଶକ୍ତିଙ୍କ ମଧ୍ୟରେ ଥିଵା ଏକ ଵିଶାଳ ଅହଂକାରର ଲଢ଼େଇ । ଅର୍ଥାତ୍ ପଵିତ୍ର ପୋପ୍ ଓ ପଵିତ୍ର ରୋମାନ୍ ସମ୍ରାଟଙ୍କ ସମର୍ଥକମାନଙ୍କ ମଧ୍ୟରେ ଶକ୍ତି ତଥା ଆଧିପତ୍ୟର ଲଢ଼େଇ ଚାଲିଥିଲା । ପୋପଙ୍କ ସମର୍ଥକମାନଙ୍କୁ Guelph କୁହାଯାଉଥିଲା ଏଵଂ ସମ୍ରାଟଙ୍କ ସମର୍ଥକମାନଙ୍କୁ Ghibelline କୁହାଯାଉଥିଲା। ଏହି ଦୁଇ ଗୋଷ୍ଠୀର ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼ିଵାରେ ଏତେ ଵ୍ୟସ୍ତ ଥିଲେ ଯେ, ସେମାନେ ପ୍ରକୃତରେ କାହିଁକି ଲଢୁଛନ୍ତି ତାହା ବୋଧହୁଏ ନିଜେ ମଧ୍ୟ ବୁଝିପାରୁନଥିଲେ। ଵାସ୍ତଵରେ, ଏହା ଥିଲା କ୍ଷମତା ପ୍ରକାଶ କରିଵାର ଏକ ସାର୍ଵଜନୀନ ଖେଳ ଯେଉଁଥିରେ ସାଧାରଣ ଲୋକେ ଵଳିଦାନ ଦେଉଥିଲେ ଏଵଂ ଶାସକମାନେ ତାସ ଖେଳୁଥିଲେ।

ସେତେବେଳେ Bologna ଓ Modena ନାମକ ଦୁଇଟି ପ୍ରସିଦ୍ଧ ସହର ଥିଲା । Bologna ଥିଲା ପୋପଙ୍କର ଅନ୍ଧ ସମର୍ଥକ, ଅର୍ଥାତ୍ ଏକ ଶକ୍ତିଶାଳୀ ଓ ଗର୍ଵିତ Guelph ସହର। ଅନ୍ୟପକ୍ଷରେ, ତାର ଠିକ୍ ପଡ଼ୋଶୀ Modena ଥିଲା ସମ୍ରାଟଙ୍କ ପକ୍ଷରେ ଥିଵା ଏକ ଦୃଢ଼ Ghibelline ସହର। ଯେପରି ପ୍ରତ୍ୟେକ ଭଲ ପଡ଼ୋଶୀ କରନ୍ତି, ସେମାନେ ପରସ୍ପରକୁ ହୃଦୟରୁ ଘୃଣା କରୁଥିଲେ। ସେମାନଙ୍କର ଶତ୍ରୁତା ହଠାତ୍ ଦିନେ ସକାଳେ କୌଣସି ବାଲ୍ଟି ଚୋରିରୁ ଆରମ୍ଭ ହୋଇନଥିଲା। ଏହି ଵିଵାଦ ବହୁ ପୂର୍ଵରୁ ଏକ ଧିର ନିଆଁ ପରି କୁହୁଳୁଥିଲା। 

ସୀମାନ୍ତରେ ଥିଵା ଜମି, ଛୋଟ ଛୋଟ ଦୁର୍ଗ ଏଵଂ ଵାଣିଜ୍ୟିକ ନିୟନ୍ତ୍ରଣକୁ ନେଇ ସେମାନେ ନିରନ୍ତର ସଂଘର୍ଷ କରୁଥିଲେ। କିନ୍ତୁ ମଣିଷର ସ୍ୱଭାଵ ହେଉଛି, ଗୋଟିଏ ବଡ଼ ରାଜନୈତିକ ସମସ୍ୟାକୁ ଭୁଲି ଗୋଟିଏ ଛୋଟ, ଅପମାନଜନକ କଥାକୁ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିଵଦ୍ଧ କରିଦେଵା । ଆଞ୍ଚଳିକ ଵିଵାଦ ଏଵଂ କ୍ରମାଗତ ଆକ୍ରମଣ ଯୋଗୁଁ ୧୩୨୫ ମସିହା ବେଳକୁ ପରିସ୍ଥିତି ଏପରି ସ୍ତରରେ ପହଞ୍ଚିଥିଲା ଯେ, କୌଣସି ଗୋଟିଏ ପକ୍ଷରୁ ସାମାନ୍ୟ କାଠିଟିଏ ଫୋପାଡ଼ିଲେ ମଧ୍ୟ ଏକ ଵିରାଟ ଯୁଦ୍ଧ ହେଵା ସୁନିଶ୍ଚିତ ଥିଲା। ଆଉ ଏଥିରେ ବାଲ୍ଟିର କୌଣସି ଭୂମିକା ନଥିଲା।

୧୩୨୫ ମସିହା ନଭେମ୍ବର ମାସ। ଶୀତ ଆସିଯାଇଥିଲା, କିନ୍ତୁ ଯୁଦ୍ଧର ଉତ୍ତାପ କମିନଥିଲା। Bologna ନିଷ୍ପତ୍ତି ନେଲା ଯେ Modenaକୁ ତାର ପ୍ରକୃତ ସ୍ଥାନ ଦେଖାଇଵାର ସମୟ ଆସିଯାଇଛି। ସେମାନେ ନିଜର ସମସ୍ତ ବଳ ପ୍ରୟୋଗ କରି ଏକ ଵିଶାଳ ସେନା ପ୍ରସ୍ତୁତ କଲେ। ମଧ୍ୟଯୁଗୀୟ ଇତିହାସକାରମାନେ, ଯେଉଁମାନେ ସଂଖ୍ୟାକୁ ବଢ଼ାଇ ଚଢ଼ାଇ ଲେଖିଵାରେ ଵିଶେଷଜ୍ଞ ଥିଲେ ଏଵଂ ଅନେକ ସମୟରେ ନିଜ କଳ୍ପନାକୁ ଲଗାମ ଲଗାଉନଥିଲେ, ଦାବି କରନ୍ତି ଯେ Bolognaର ସେନାରେ ପ୍ରାୟ ୩୨,୦୦୦ ସୈନିକ ଥିଲେ। ଅନ୍ୟପକ୍ଷରେ, Modena ପାଖରେ ଥିଲେ ମାତ୍ର ୭,୦୦୦ରୁ କିଛି ଅଧିକ ସୈନିକ। ଏହି ଅତିରଞ୍ଜିତ ସଂଖ୍ୟାଗୁଡ଼ିକ ଆଧୁନିକ ଇତିହାସକାରମାନଙ୍କ ପାଇଁ ସନ୍ଦେହଜନକ ହୋଇପାରେ, କିନ୍ତୁ ଗୋଟିଏ କଥା ସମ୍ପୂର୍ଣ୍ଣ ସତ୍ୟ: Bolognaର ସେନାବଳ Modena ତୁଳନାରେ ଢେର୍ ଅଧିକ ଥିଲା। ଗୋଟାଏ ଵିଶାଳ ଦୈତ୍ୟ ଏଵଂ ଜଣେ ସାଧାରଣ ମଣିଷ ମଧ୍ୟରେ ହେଵାକୁ ଥିଵା ଲଢ଼େଇ ପରି ଏହା ମନେ ହେଉଥିଲା। ନଭେମ୍ବର ୧୫ ତାରିଖ ଦିନ ସୂର୍ଯ୍ୟାସ୍ତ ସମୟରେ, ଉଭୟ ପକ୍ଷ Zappolino ନାମକ ସ୍ଥାନରେ ମୁହାଁମୁହିଁ ହେଲେ।

ଏହି ଯୁଦ୍ଧ ଥିଲା ନିଛକ ରକ୍ତପାତ ଓ ଵିଶୃଙ୍ଖଳାର ଏକ ଉତ୍କୃଷ୍ଟ ଉଦାହରଣ। Bolognaବାଲା ନିଜ ଵିରାଟ ସେନାର ସଂଖ୍ୟାଗରିଷ୍ଠତାକୁ ନେଇ ଏତେ ଆତ୍ମଵିଶ୍ୱାସୀ ଥିଲେ ଯେ, ସେମାନେ ପ୍ରସ୍ତୁତି ଅପେକ୍ଷା ଅହଂକାରକୁ ଅଧିକ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଯୁଦ୍ଧ କ୍ଷେତ୍ରରେ କେଵଳ ଭିଡ଼ ଜମାଇଦେଲେ ଵିଜୟ ମିଳେ ନାହିଁ, ଏହା Modenaର ସୈନିକମାନେ ପ୍ରମାଣିତ କରିଦେଲେ। ଅପେକ୍ଷାକୃତ ଛୋଟ ହୋଇଥିଲେ ମଧ୍ୟ ସେମାନେ ଅତ୍ୟନ୍ତ ସୁସଂଗଠିତ, ସାହସୀ ଓ ରଣନୀତିକ ଭାବେ ଶ୍ରେଷ୍ଠ ଥିଲେ। ସୂର୍ଯ୍ୟାସ୍ତ ପରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ମାତ୍ର କିଛି ଘଣ୍ଟା ମଧ୍ୟରେ ଇତିହାସର ଏକ ବଡ଼ ଘଟଣା ଘଟିଗଲା। ଅହଂକାରୀ Bologna ସେନା ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହେଲା। ଯଦିଓ ମଧ୍ୟଯୁଗୀୟ ଗପରେ ମୃତ୍ୟୁସଂଖ୍ୟାକୁ ସର୍ଵଦା ବଢ଼ାଇ ଦିଆଯାଏ, ତଥାପି ହଜାର ହଜାର ସୈନିକ ଯେ ପ୍ରାଣ ହରାଇଲେ ଏଵଂ କ୍ଷୟକ୍ଷତିର ପରିମାଣ ଯେ ଵ୍ୟାପକ ଥିଲା, ସେଥିରେ କୌଣସି ସନ୍ଦେହ ନାହିଁ। ଜୀଵନ ବଞ୍ଚାଇଵା ପାଇଁ Bolognaର ଅଵଶିଷ୍ଟ ସୈନିକମାନେ ରଣକ୍ଷେତ୍ର ଛାଡ଼ି ଭୟରେ ନିଜ ସହର ଆଡ଼କୁ ଦୌଡ଼ିଵାକୁ ଲାଗିଲେ।

ଏହିଠାରୁ ହିଁ ପ୍ରକୃତ ଵ୍ୟଙ୍ଗ ଏବଂ କିମ୍ବଦନ୍ତୀର ଆରମ୍ଭ ହୁଏ। ଵିଜୟୀ Modena ସେନା କେବଳ Zappolinoର ଯୁଦ୍ଧଭୂମିରେ ଅଟକି ନଥିଲେ। ସେମାନେ ଛତ୍ରଭଙ୍ଗ ଦେଇଥିଵା ଶତ୍ରୁମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସିଧା Bologna ସହରର ଦ୍ୱାରଦେଶରେ ପହଞ୍ଚିଗଲେ। ଵିଜୟର ନିଶାରେ ଉନ୍ମତ୍ତ ଥିଵା Modenaର ସୈନିକମାନେ ବାହାରେ ଥାଇ Bolognaଵାସୀଙ୍କୁ ନାନାଦି ଉପହାସ କଲେ। ଶତ୍ରୁର ନିଜ ଘର ଆଗରେ ତାଙ୍କୁ ଲାଞ୍ଛିତ କରିଵାର ମଜା ହିଁ କିଛି ନିଆରା ଥାଏ। ଠିକ୍ ଏହି ସମୟରେ, ଘଣ୍ଟା ଘଣ୍ଟା ଧରି ଲଢ଼ିଵା ଓ ଦୌଡ଼ିଵା ପରେ କିଛି Modenaଵାସୀ ସୈନିକଙ୍କୁ ପ୍ରଵଳ ଶୋଷ ଲାଗିଲା। ସେମାନେ ପାଣି ଖୋଜୁ ଖୋଜୁ ସହର ବାହାରେ ଥିଵା Via San Felice ରାସ୍ତା କଡ଼ରେ ଏକ ସାଧାରଣ କୂଅ ପାଖରେ ପହଞ୍ଚିଲେ। ଏହି କୂଅରୁ ପାଣି କାଢ଼ିଵା ପାଇଁ ଏକ ମାମୁଲି କାଠର ବାଲ୍ଟି ବନ୍ଧା ହୋଇଥିଲା। ସୈନିକମାନେ ବାଲ୍ଟିରେ ପାଣି କାଢ଼ିଲେ, ଶୋଷ ମେଣ୍ଟାଇଲେ ଏଵଂ ତା’ପରେ ସେମାନଙ୍କ ମୁଣ୍ଡକୁ ଏକ ଅଦ୍ଭୁତ ବୁଦ୍ଧି ଜୁଟିଲା।

ସେମାନେ ଭାବିଲେ, ଆମେ ଏମାନଙ୍କର ଏତେ ବଡ଼ ସେନାକୁ ହରେଇ ଦେଇଛୁ ଆଉ ଭୟଭୀତ କରି ଏମାନଙ୍କ ଘର ଭିତରକୁ ତଡ଼ି ଦେଇଛୁ। ଏବେ ଖାଲି ହାତରେ ଫେରିଵା କାହିଁକି? ଆମେ ଏମାନଙ୍କର ଏହି ବାଲ୍ଟିଟିକୁ ସାଙ୍ଗରେ ନେଇଯିଵା ! ସେମାନେ ପାଣି ବିନା ଡହଳ ଵିକଳ ହେବେ ଏବଂ ଏହା ସେମାନଙ୍କର ଚରମ ଅପମାନ ହେବ। ବାସ୍, ଏତିକି କଥା। ସେମାନେ ସେହି କାଠର ପାଣି-ବାଲ୍ଟିଟିକୁ ସାଙ୍ଗରେ ଧରି, ଵିଜୟର ହସ ହସି Modenaକୁ ଫେରିଆସିଲେ।
ଏହା ଥିଲା ଏକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଓ ସାଧାରଣ ଵସ୍ତୁର ଅସାଧାରଣ ଯାତ୍ରାର ଆରମ୍ଭ। ଏହି ବାଲ୍ଟିଟିକୁ ଯୁଦ୍ଧ ଆରମ୍ଭ କରିଵାର କାରଣ ବୋଲି ଯେଉଁ ପ୍ରଚଳିତ କାହାଣୀ ରହିଛି, ତାହା ସମ୍ପୂର୍ଣ୍ଣ ଭାବେ ଇତିହାସକୁ ଓଲଟା ପଢ଼ିଵା ଭଳି କଥା। “ଯୁଦ୍ଧ ହେଲା କାରଣ ବାଲ୍ଟି ଚୋରି ହୋଇଥିଲା” ଏହା ସତ ନୁହେଁ ଵରଂ “ଯୁଦ୍ଧ ଶେଷ ହେଵା ପରେ ଵିଜୟର ଏକ ଵ୍ୟଙ୍ଗାତ୍ମକ ସ୍ମାରକୀ ସ୍ୱରୂପ ବାଲ୍ଟିଟିକୁ ନିଆଯାଇଥିଲା।” କିନ୍ତୁ ଆପଣ ତ ଜାଣନ୍ତି, ମଣିଷ ସତ୍ୟ ଅପେକ୍ଷା ରୋମାଞ୍ଚକର ଗପ ଶୁଣିଵାକୁ ଅଧିକ ଭଲ ପାଏ। ଯେତେବେଳେ ଯୁଦ୍ଧର ପ୍ରକୃତ କାରଣ—ଭୂମି ଵିଵାଦ ଓ ରାଜନୈତିକ ସମୀକରଣ—ଲୋକଙ୍କ ସ୍ମୃତିରୁ ଲିଭିଵାକୁ ଲାଗିଲା, ସେତେବେଳେ କେଵଳ ସେହି ବାଲ୍ଟିଟି ହିଁ ଲୋକକଥାର କେନ୍ଦ୍ରବିନ୍ଦୁ ପାଲଟିଗଲା।

Bolognaଵାସୀଙ୍କ ପାଇଁ ଏହି ବାଲ୍ଟି ଚୋରି ହେଵା ଥିଲା ସବୁଠାରୁ ବଡ଼ ଅପମାନ। ହଜାର ହଜାର ସୈନିକଙ୍କ ମୃତ୍ୟୁ ଅପେକ୍ଷା ସେମାନଙ୍କ ପାଇଁ ଏହି କଥାଟି ଅଧିକ ଯନ୍ତ୍ରଣାଦାୟକ ହୋଇଗଲା ଯେ, ତାଙ୍କ ପଡ଼ୋଶୀମାନେ ଆସି ତାଙ୍କ କୂଅରୁ ଗୋଟିଏ ବାଲ୍ଟି ଖୋଲି ନେଇଗଲେ ଏଵଂ ସେମାନେ କିଛି କରିପାରିଲେ ନାହିଁ। ଅପରପକ୍ଷେ, Modenaଵାସୀଙ୍କ ପାଇଁ ଏହା ଥିଲା ଏକ ଵିଶାଳ ଗର୍ଵର ଵିଷୟ। ସେମାନେ ଏହି ବାଲ୍ଟିଟିକୁ ନେଇ ସହରରେ ଏକ ମୂଲ୍ୟଵାନ war trophy ଵା ଯୁଦ୍ଧ-ସ୍ମାରକୀ ଭାବରେ ଝୁଲାଇ ଦେଲେ। ଜଣେ ଵିଦେଶୀ ପର୍ଯ୍ୟଟକ ଯେତେବେଳେ ଦେଖିଵ ଯେ ଗୋଟିଏ ଵିଶାଳ ସାମରିକ ଵିଜୟର ସ୍ମାରକୀ ସ୍ୱରୂପ କୌଣସି ସୁନା କିମ୍ବା ରୁପାର ଅସ୍ତ୍ର ନୁହେଁ ଵରଂ ଗୋଟିଏ ଶସ୍ତା କାଠ ବାଲ୍ଟି ଝୁଲୁଛି, ସେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଵ। କିନ୍ତୁ Modenaଵାସୀଙ୍କର ବାର୍ତ୍ତା ଖୁବ୍ ସ୍ପଷ୍ଟ ଥିଲା: ଆମେ ଶତ୍ରୁକୁ ଏତେ ନିର୍ଦ୍ଦୟ ଭାବରେ ହରାଇଛୁ ଯେ, ଆମେ ତାଙ୍କ ଘରୁ ଯାହା ଇଚ୍ଛା ତାହା ଉଠାଇ ଆଣିପାରିବୁ ଏଵଂ ସେମାନେ ଚୁପଚାପ୍ ଦେଖିଵା ଛଡ଼ା ଆଉ କିଛି ହେଲେ ବି କରିପାରିବେ ନାହିଁ।

କାଳକ୍ରମେ ଏହି ଘଟଣାଟି ଇଟାଲୀୟ ସାହିତ୍ୟରେ ନିଜର ଏକ ସ୍ଥାୟୀ ସ୍ଥାନ ତିଆରି କରିନେଲା। ୧୭ଶ ଶତାବ୍ଦୀରେ, ଯେତେବେଳେ ଘଟଣାର ପ୍ରାୟ ତିନିଶହ ଵର୍ଷ ବିତିଯାଇଥିଲା ସେତେବେଳେ Modenaର ଜଣେ କଵି ହେଲେ ଯାହାଙ୍କ ନାମ ଥିଲା Alessandro Tassoni। Alessandro Tassoniଙ୍କ ଭିତରେ ବୋଧହୁଏ ଜଣେ ଵ୍ୟଙ୍ଗକାର ଲୁଚି ରହିଥିଲା, ଯିଏ ମଣିଷର ଏହି ଅର୍ଥହୀନ ଶତ୍ରୁତାକୁ ଦେଖି ହସୁଥିଲା। ସେ ଏହି ଘଟଣାକୁ ନେଇ ଏକ କାଵ୍ୟ ରଚନା କଲେ, ଯାହାର ନାମ ଥିଲା La secchia rapita ଯହିଁରେ ୧୨ଟି Canto ଵା ସର୍ଗ ରହିଛି । ପରେ ଏହାର ଇଂରାଜୀ ଅନୁଵାଦ The Stolen Bucket ହୋଇଥିଲା । ଏହା ଥିଲା ଏକ mock-heroic epic, ଅର୍ଥାତ୍ ଏକ ଵ୍ଯଙ୍ଗାତ୍ମକ ଵୀରୋଚିତ କାଵ୍ଯ। ଯେପରି ହୋମରଙ୍କ ଇଲିଆଡ୍ ମହାକାଵ୍ୟରେ ହେଲେନ୍‌ଙ୍କୁ ନେଇ ଟ୍ରୟର ଵିଶାଳ ଯୁଦ୍ଧ ହୋଇଥିଲା ବୋଲି ଵର୍ଣ୍ଣନା କରାଯାଇଥିଲା, Alessandro Tassoni ଠିକ୍ ସେହିପରି ଅତିରଞ୍ଜିତ କରି ଦେଖାଇଲେ ଯେ ମାତ୍ର ଗୋଟିଏ ମାମୁଲି ବାଲ୍ଟି ପାଇଁ ରାଜା, ମହାରାଜା, ସେନାପତି ଏଵଂ ହଜାର ହଜାର ସୈନିକ କିପରି ନିଜର ଜୀଵନ ଦେଇଦେଲେ।

La secchia rapita କାଵ୍ୟଟି ଲୋକଙ୍କ ମଧ୍ୟରେ ଏତେ ଆଦୃତ ହେଲା ଯେ, ସାଧାରଣ ଲୋକେ କାଵ୍ୟର କାହାଣୀକୁ ହିଁ ପ୍ରକୃତ ଇତିହାସ ବୋଲି ଗ୍ରହଣ କରିନେଲେ। Guelph ଏବଂ Ghibelline ନାମକ ଦୁଇଟି ଶକ୍ତିଶାଳୀ ଗୋଷ୍ଠୀ ମଧ୍ୟରେ ରାଜନୈତିକ ପ୍ରାଧାନ୍ୟ ଵିସ୍ତାର ପାଇଁ ହୋଇଥିଵା ଯୁଦ୍ଧର ପ୍ରକୃତ ଇତିହାସକୁ ଲୋକେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ । ସେମାନେ ଭୁଲିଗଲେ ଯେ Zappolinoର ଯୁଦ୍ଧ କେଵଳ ଜମି, ଦୁର୍ଗ ଏଵଂ ଆଞ୍ଚଳିକ ଅହଂକାରର ଲଢ଼େଇ ଥିଲା। ସମସ୍ତେ କେଵଳ ଗୋଟିଏ କଥା ମନେ ରଖିଲେ: ସୈନିକମାନେ ପ୍ରଥମେ ବାଲ୍ଟି ଚୋରି କଲେ ଏଵଂ ତା'ପରେ ଯୁଦ୍ଧ ଆରମ୍ଭ ହେଲା। କିମ୍ବଦନ୍ତୀ ଏକ ଜୀଵନ୍ତ ରାକ୍ଷସ ପରି, ଯାହା ଥରେ ମୁଣ୍ଡ ଟେକିଲେ ସତ୍ୟର ନିରୀହ ବେଙ୍ଗକୁ ସହଜରେ ଗିଳିଦିଏ। ଏଵଂ ଏହି କ୍ଷେତ୍ରରେ ତାହା ହିଁ ହେଲା। ଗୋଟିଏ ବାଲ୍ଟି ପାଇଁ ଯୁଦ୍ଧ ହୋଇଥିଲା କହିଲେ ଯେଉଁ ଏକ ମଜାଦାର ଓ ବୋକାମିଭରା ଚିତ୍ର ମନକୁ ଆସେ, ତାହା ଐତିହାସିକ ତଥ୍ୟର ଶୁଖିଲା ପୃଷ୍ଠାଠାରୁ ବହୁତ ଗୁଣରେ ଆକର୍ଷଣୀୟ ଥିଲା। ମଣିଷ ସବୁବେଳେ ସେହି କଥାକୁ ଵିଶ୍ୱାସ କରିଵାକୁ ଭଲ ପାଏ ଯାହା ଶୁଣିଵାକୁ ରୋଚକ ଲାଗେ।
ଆଜିର ଦିନରେ ମଧ୍ୟ ଆପଣ ଯଦି ଇଟାଲୀର Modena ସହରକୁ ଯାଆନ୍ତି, ତେବେ ସେଠାରେ ଥିଵା ଲୋକମାନେ ଅତ୍ୟନ୍ତ ଗର୍ଵର ସହିତ ଆପଣଙ୍କୁ ସେହି ଐତିହାସିକ ବାଲ୍ଟିର କାହାଣୀ ଶୁଣାଇବେ। ମଣିଷର ଅହଂକାର କିପରି ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚି ରହିପାରେ, ତାହାର ଏହା ଏକ ଜ୍ୱଳନ୍ତ ପ୍ରମାଣ। ସେହି ଅସଲି ବାଲ୍ଟିଟି ଏବେ ବି ସୁରକ୍ଷିତ ରହିଛି। ଆପଣ ଭାବୁଥିବେ ଏକ ସାମାନ୍ୟ କାଠ ବାଲ୍ଟିର କି ମୂଲ୍ୟ ଥାଇପାରେ ଯେ ତାକୁ କେହି ସାଇତି ରଖିଵ ? କିନ୍ତୁ Modenaଵାସୀଙ୍କ ପାଇଁ ଏହା କୌଣସି ବହୁମୂଲ୍ୟ ରତ୍ନଠାରୁ କମ୍ ନୁହେଁ। ସୁରକ୍ଷା କାରଣରୁ ମୂଳ ବାଲ୍ଟିଟିକୁ ଅତ୍ୟନ୍ତ ଯତ୍ନର ସହ Modenaର Palazzo Comunale ର Camerino dei Confirmatiରେ ସଂରକ୍ଷିତ କରି ରଖାଯାଇଛି। ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଏଵଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଵା ପାଇଁ ଏହାର ଏକ ଅବିକଳ ପ୍ରତିକୃତି Ghirlandina Towerରେ ଝୁଲାଇ ଦିଆଯାଇଛି। ସେଠାରେ ଛିଡ଼ା ହୋଇ ସେହି ବାଲ୍ଟିକୁ ଦେଖିଲା ବେଳେ ମନରେ ଏକ ଅଦ୍ଭୁତ ଭାବନା ଜାଗ୍ରତ ହୁଏ।

ମଣିଷ ଜାତିର ଇତିହାସରେ କେତେ ନା କେତେ ସାମ୍ରାଜ୍ୟର ଉତ୍ଥାନ ଓ ପତନ ହୋଇଛି, କେତେ ସୁନା, ରୁପା ଓ କ୍ଷମତା ପାଇଁ ବଡ଼ ବଡ଼ ଯୁଦ୍ଧ ହୋଇଛି ତାହାର ହିସାବ ନାହିଁ। କିନ୍ତୁ ଗୋଟିଏ ଯୁଦ୍ଧରେ ଵିଜୟର ସ୍ମାରକୀ ରୂପେ ଏକ ଶସ୍ତା, ଭଙ୍ଗା, କାଠର ପାଣି-ବାଲ୍ଟିକୁ ନେଇ 
Modena ସହରର ଲୋକେ ଯେପରି ତାହାକୁ ଶହ ଶହ ଵର୍ଷ ଧରି ଏକ ଜାତୀୟ ଗର୍ଵର ପ୍ରତୀକ ଭାବରେ ସାଇତି ରଖିଲେ, ତାହା ପ୍ରମାଣ କରେ ଯେ ଆମ ଭିତରେ ଥିଵା ପାଗଳାମିର କୌଣସି ସୀମା ନାହିଁ। 

ସତରେ, Zappolino ଯୁଦ୍ଧ କେବେହେଲେ ସେହି ବାଲ୍ଟି ପାଇଁ ହୋଇନଥିଲା। ଯୁଦ୍ଧ ହୋଇଥିଲା ମଣିଷର ଅହଂକାର, କ୍ଷମତା ଲିପ୍ସା ଏଵଂ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଵାର ମୂର୍ଖାମୀ ପାଇଁ। ବାଲ୍ଟିଟି କେଵଳ ଏକ ନିରୀହ ଦର୍ଶକ ଥିଲା, ଯାହାକୁ ଯୁଦ୍ଧ ପରେ ଜୋର୍ ଜବରଦସ୍ତି ଘୋଷାଡ଼ି ଅଣାଯାଇଥିଲା।

ତଥାପି, ଯଦି ଆମେ ଇତିହାସରୁ ଏହି ଵ୍ୟଙ୍ଗକୁ କାଢ଼ିଦେଵା ତେବେ ଇତିହାସ କେଵଳ ତାରିଖ ଏଵଂ ମୃତକଙ୍କ ସଂଖ୍ୟାର ଏକ ନୀରସ ତାଲିକା ହୋଇ ରହିଯିଵ । ବାଲ୍ଟି ଚୋରି ହେଵା ଘଟଣାଟି କାହାଣୀରେ ଏକ ମଜାଦାର ତଡ଼କା ଲଗାଇଦେଲା। ଯାହା ଫଳରେ, ଆଜି ସାତ ଶହ ଵର୍ଷ ପରେ ମଧ୍ୟ, ଆପଣ ଓ ମୁଁ ବସି ସେହି ଚତୁର୍ଦ୍ଦଶ ଶତାବ୍ଦୀର ଇଟାଲୀୟମାନଙ୍କ ବୋକାମି ଉପରେ ଆଲୋଚନା କରୁଛୁ ଏଵଂ ମୁରୁକି ମୁରୁକି ହସୁଛୁ। ଇତିହାସର ଏହି ଛୋଟିଆ କାଠ ବାଲ୍ଟିଟି ଆମ ସମସ୍ତଙ୍କୁ ଚୁପଚାପ୍ ଗୋଟିଏ କଥା ଚେତାଇ ଦେଉଛି: ମଣିଷ ଯେତେ ବଡ଼ ବଡ଼ କଥା କହି ଯୁଦ୍ଧ କରୁ ଵା କାହିଁକି, ଶେଷରେ ସେହି ଗୋଟିଏ ମାମୁଲି ବାଲ୍ଟି ହିଁ ତାର ସମସ୍ତ ଗର୍ଵ ଅହଂକାରର ଏକମାତ୍ର ପ୍ରତୀକ ହୋଇ ରହିଯାଏ। ଏହାଠାରୁ ବଡ଼ ଐତିହାସିକ ଵ୍ୟଙ୍ଗ ଆଉ କ’ଣ ଵା ହୋଇପାରେ ?

Saturday, September 19, 2026

ଜୁଲିଅସ୍ ସିଜରଙ୍କ ଦୟା

•••••••ଜୁଲିଅସ ସିଜରଙ୍କ ଦୟା•••••

ଖ୍ରୀଷ୍ଟପୂର୍ଵ ୭୫ର କଥା। ସେତେବେଳେ ଏଜିଆନ୍ ସାଗର(ଗ୍ରୀକ୍ ଓ ତୁର୍କୀ ମଧ୍ୟରେ ଅଵସ୍ଥିତ ସାଗର ଵିଶେଷ) କେଵଳ ପାଣି ଓ ଲହଡ଼ିର ସମାହାର ନଥିଲା ଵରଂ ତାହା ଥିଲା ଆଇନକାନୁନହୀନ ଏକ ମୁକ୍ତ ଵିଦ୍ୟାଳୟ ଯେଉଁଠାରେ କିଲିକୀୟ ଜଳଦସ୍ୟୁମାନେ(ଆଜିର ଦକ୍ଷିଣ ତୁର୍କୀ ଅଞ୍ଚଳର ଦସ୍ୟୁ) ସମସ୍ତଙ୍କୁ ଭୟର ପାଠ ପଢ଼ାଉଥିଲେ। ଏହି ଦସ୍ୟୁମାନେ ଏମିତି କିଛି ଲୁଚିଛପି ରହୁଥିଵା ସାଧାରଣ ଚୋର ନଥିଲେ; ସେମାନେ ଥିଲେ ସମୁଦ୍ରର ଅଘୋଷିତ ରାଜା। ସେମାନଙ୍କର ଆତଙ୍କ ଏତେ ଥିଲା ଯେ ଭଲ ଭଲ ସାମ୍ରାଜ୍ୟର ଜାହାଜଗୁଡ଼ିକ ମଧ୍ୟ ସେମାନଙ୍କ ନାମ ଶୁଣିଲେ ବାଟ ଭାଙ୍ଗି ଚାଲିଯାଉଥିଲେ। ଅପହରଣ କରିଵା, ଲୁଟତରାଜ କରିଵା ଏଵଂ ମୁକ୍ତିପଣ ଆଦାୟ କରିଵା ସେମାନଙ୍କର କୌଳିକ ଵୃତ୍ତି ପାଲଟି ଯାଇଥିଲା। ଏହିପରି ଏକ ସୁନ୍ଦର ଦିନରେ ସେମାନଙ୍କ ହାବୁଡ଼ରେ ପଡ଼ିଗଲେ ଜଣେ ୨୫ ଵର୍ଷୀୟ ରୋମାନ ଯୁବକ। ଯୁଵକ ଜଣକ ଖୁବ୍ ସୁଦର୍ଶନ, ପୋଷାକପତ୍ରରୁ ବେଶ୍ ଧନୀ ଏଵଂ ତାଙ୍କ ଆଖିରେ ଥିଲା ଏକ ଅହଂକାରଭରା ଆତ୍ମଵିଶ୍ୱାସ। ସେହି ଯୁଵକ ଜଣକ ଆଉ କେହି ନୁହେଁ ସ୍ଵୟଂ Julius Caesar ଥିଲେ ।
ସାଧାରଣତଃ ଜଳଦସ୍ୟୁମାନେ କାହାକୁ ବନ୍ଦୀ କଲେ, ବନ୍ଦୀ ଜଣକ କାନ୍ଦି କାନ୍ଦି ନିଜ ଜୀଵନ ଭିକ୍ଷା ମାଗିଵା କଥା। ସେମାନେ ଆଶା କରୁଥିଲେ ଯେ ଏହି ନୂଆ ବନ୍ଦୀ ମଧ୍ୟ ସେମାନଙ୍କ ଗୋଡ଼ ଧରିଵ ଏଵଂ କୃପା ପ୍ରାର୍ଥନା କରିଵ। ଦସ୍ୟୁମାନେ ତାଙ୍କୁ ଉପରୁ ତଳ ଯାଏଁ ଦେଖି ହିସାବ କଲେ ଯେ ଏହି ଲୋକଟି ବେଶ୍ ମୂଲ୍ୟଵାନ ଲାଗୁଛି। ନିଜର ଵ୍ୟଵସାୟିକ ଅଭିଜ୍ଞତା ଖଟାଇ ସେମାନେ Caesarଙ୍କୁ ଜଣାଇଲେ ଯେ ତାଙ୍କର ମୁକ୍ତିପଣ ବାବଦକୁ ୨୦ ଟ୍ୟାଲେଣ୍ଟ ରୂପା ଦାବି କରାଯିବ। ସେ ଯୁଗରେ ୨୦ ଟ୍ୟାଲେଣ୍ଟ ରୂପା କୌଣସି ଛୋଟମୋଟ ସହର କିଣିଵା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଏତିକି ଶୁଣିଵା ପରେ Caesar ଭୟଭୀତ ହେବା ପରିଵର୍ତ୍ତେ ଏମିତି ଠୋ ଠୋ ହୋଇ ହସିଵାକୁ ଲାଗିଲେ ।
ଜଳଦସ୍ୟୁମାନେ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ସେମାନଙ୍କର ପେସାଦାର ଜୀଵନରେ ଏମିତି କେବେ ହୋଇନଥିଲା। ଏ ଲୋକଟା ପାଗଳ ହୋଇଯାଇଛି ନା କ'ଣ? Caesar ହସ ବନ୍ଦ କରି ଅତ୍ୟନ୍ତ ତାଚ୍ଛଲ୍ୟର ସହ ସେମାନଙ୍କୁ କହିଲେ ଯେ ସେମାନେ ବୋଧହୁଏ ତାଙ୍କର ପରିଚୟ ଏଵ ତାଙ୍କର ସମ୍ମାନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। କେଵଳ ୨୦ ଟ୍ୟାଲେଣ୍ଟ? ସେ କ'ଣ କୌଣସି ସାଧାରଣ ଵ୍ୟଵସାୟୀ କିମ୍ବା ଛୋଟମୋଟ ଜମିଦାର ଯେ ତାଙ୍କର ମୂଲ୍ୟ ଏତେ ଶସ୍ତା ଲଗାଯାଉଛି ! ଏହା ତାଙ୍କର ସାମାଜିକ ମର୍ଯ୍ୟାଦା ପ୍ରତି ଘୋର ଅପମାନ ବୋଲି ସେ ଵିଵେଚନା କଲେ। ତାଙ୍କ ପାଇଁ ଅତିକମରେ ୫୦ ଟ୍ୟାଲେଣ୍ଟ(ଆଜିର ମୂଲ୍ୟରେ ପ୍ରାୟ ୧୬୫ କୋଟିରୁ ୨୫୦ କୋଟି ଟଙ୍କା) ଦାବି କରିଵାକୁ ସେ ଦସ୍ୟୁମାନଙ୍କୁ ଜିଦ୍ ଧରିଲେ।
ଅପହରଣକାରୀଙ୍କ ଇତିହାସରେ ଏହା ବୋଧହୁଏ ପ୍ରଥମ ଓ ଶେଷ ଘଟଣା ଥିଲା ଯେଉଁଠି ବନ୍ଦୀ ନିଜେ ନିଜର ଦରଦାମ୍ ବଢ଼ାଉଥିଲା ଏଵଂ ଅଧିକ ଟଙ୍କା ନ ମାଗିଲେ ଅପମାନିତ ବୋଧ କରୁଥିଲା। ଜଳଦସ୍ୟୁମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ ମଧ୍ୟ ସେମାନଙ୍କ ଭିତରେ ଥିଵା ଵ୍ୟଵସାୟୀ ମନ ଖୁସି ହୋଇଗଲା। ଯଦି କେହି ମାଗଣାରେ ଅଧିକ ଟଙ୍କା ଯାଚୁଛି, ତେବେ ତାକୁ ମନା କରିଵା ମୂର୍ଖାମୀ ଛଡ଼ା ଆଉ କ'ଣ ହୋଇପାରେ? ସେମାନେ ତୁରନ୍ତ ରାଜି ହୋଇଗଲେ ଏଵଂ Caesar ନିଜ ଲୋକମାନଙ୍କୁ ୫୦ ଟ୍ୟାଲେଣ୍ଟ ରୂପା ଯୋଗାଡ଼ କରି ଆଣିଵାକୁ ପଠାଇଦେଲେ।

ଏଥର ଆରମ୍ଭ ହେଲା ଏକ ଦୀର୍ଘ ଅପେକ୍ଷାର ପର୍ଵ। ପ୍ରାୟ ୩୮ ଦିନ ପର୍ଯ୍ୟନ୍ତ Caesar ସେହି ଭୟଙ୍କର କିଲିକୀୟ ଜଳଦସ୍ୟୁମାନଙ୍କ ସହ ସେହି ଜାହାଜରେ ଏକାଠି ରହିଲେ। କିନ୍ତୁ ସେହି ୩୮ ଦିନର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ନିଆରା। ସେ ବନ୍ଦୀ ଥିଲେ ନା ଜଳଦସ୍ୟୁମାନେ ତାଙ୍କର ଦରମାପ୍ରାପ୍ତ କର୍ମଚାରୀ ପାଲଟି ଯାଇଥିଲେ, ତାହା ବାହାରୁ ଦେଖୁଥିଵା ଲୋକ ପାଇଁ କହିଵା ଅସମ୍ଭଵ ଥିଲା। Caesar ଜାହାଜରେ ଏମିତି ମୁକ୍ତ ଭାବରେ ବୁଲୁଥିଲେ ଯେମିତି ସେ ନିଜର କୌଣସି ଵ୍ୟକ୍ତିଗତ ଵିଳାସପୂର୍ଣ୍ଣ ନୌକାରେ ଛୁଟି କଟାଇଵାକୁ ଆସିଛନ୍ତି। ଯେତେବେଳେ ତାଙ୍କର ଵିଶ୍ରାମ ନେଵାର ଇଚ୍ଛା ହେଉଥିଲା, ସେ ଜାହାଜରେ ଥିଵା ସମସ୍ତ ଜଳଦସ୍ୟୁମାନଙ୍କୁ ଆଦେଶ ଦେଉଥିଲେ ଯେ ସେମାନେ ଚୁପ୍ ରୁହନ୍ତୁ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସମୁଦ୍ରର ସେହି ଦୁର୍ଦ୍ଦାନ୍ତ ରକ୍ତପିପାସୁ ରାକ୍ଷସମାନେ ସତକୁ ସତ ନିଜ ନିଜ ଭିତରେ ଫୁସ୍‌ଫୁସ୍ ହୋଇ କଥା ହେଉଥିଲେ ଯେପରି ସେମାନଙ୍କର ଏହି ବନ୍ଦୀଙ୍କ ନିଦ ନ ଭାଙ୍ଗେ।

କିନ୍ତୁ କେଵଳ ଖାଇଵା ଓ ଶୋଇଵାରେ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିଵା ଲୋକ ନଥିଲେ Caesar। ସେ ଥିଲେ ଜଣେ ଉଚ୍ଚକୋଟୀର ଵକ୍ତା ଓ ସାହିତ୍ୟପ୍ରେମୀ। ସମୟ କାଟିଵା ପାଇଁ Caesar ବସି ବସି ଦୀର୍ଘ କଵିତା ଓ ଭାଷଣ ଲେଖିଵା ଆରମ୍ଭ କଲେ। କିନ୍ତୁ କଵିତା ଲେଖିଲେ ତାକୁ ଶୁଣିଵା ପାଇଁ ଶ୍ରୋତା ତ ଦରକାର ! ସମୁଦ୍ର ମଝିରେ ଶ୍ରୋତା ଆସିବେ କେଉଁଠୁ? ତେଣୁ ସେହି ଅଭାଗା ଜଳଦସ୍ୟୁମାନଙ୍କୁ ହିଁ ଶ୍ରୋତା ସାଜିଵାକୁ ପଡ଼ିଲା। Caesar ସେହି ଜଳଦସ୍ୟୁମାନଙ୍କୁ ଏକାଠି ବସାଇ ନିଜର ନୂଆ ନୂଆ ରଚିତ କଵିତା ଏଵଂ ଗମ୍ଭୀର ଭାଷଣ ଶୁଣାଉଥିଲେ। ଵିଚରା ଜଳଦସ୍ୟୁମାନେ, ଯେଉଁମାନଙ୍କର ସାହିତ୍ୟ ସହ ସମ୍ପର୍କ ଆଦୌ ନଥିଲା, ସେମାନେ ରୋମାନ ରାଜନୀତି ଓ ଦର୍ଶନର ଗଭୀରତା କିପରି ବୁଝନ୍ତେ? ଫଳରେ ସେମାନଙ୍କ ମୁହଁରେ କୌଣସି ଭାଵାନ୍ତର ଆସୁନଥିଲା କିମ୍ବା ସେମାନେ ସାହିତ୍ୟର ଠିକ୍ ମୂଲ୍ୟାୟନ କରିପାରୁନଥିଲେ। ଏଥିରେ Caesar ଭୀଷଣ ଵିରକ୍ତ ହେଉଥିଲେ। ସେ ସେହି ଦୁର୍ଦ୍ଦାନ୍ତ ଲୁଟେରାମାନଙ୍କୁ ସମାଲୋଚନା କରି ସେମାନଙ୍କୁ ଅଶିକ୍ଷିତ ଓ ଅସଭ୍ୟ ବର୍ବର ବୋଲି ଆକ୍ଷେପ କରୁଥିଲେ। ଜଳଦସ୍ୟୁମାନେ ତାଙ୍କର ଏହି ଗାଳିକୁ ଖୁବ୍ ହାଲୁକା ଭାବେ ନେଉଥିଲେ। ସେମାନେ ଭାବୁଥିଲେ ଯେ ପିଲାଟା ଟିକେ ଖାମଖିଆଲି ଏଵଂ ମାନସିକ ସ୍ତରରେ ଟିକେ ଅସ୍ଥିର, କିନ୍ତୁ ଯେହେତୁ ସେ ୫୦ ଟ୍ୟାଲେଣ୍ଟର ଏକ ଵିରାଟ ପୁଞ୍ଜି, ତେଣୁ ତା'ର ସବୁ ବଦମାସି ସହିଯିବା ହିଁ ବୁଦ୍ଧିମାନର କାମ।

ଏହି ବନ୍ଦୀ ଜୀଵନ ମଧ୍ୟରେ Caesar ସେମାନଙ୍କ ସହ ଏକ ଭୟଙ୍କର ସତ୍ୟକୁ ମଜାଳିଆ ଶୈଳୀରେ ବାରମ୍ବାର କହୁଥିଲେ। ସେ ଅତ୍ୟନ୍ତ ସ୍ୱାଭାଵିକ ଏଵଂ ଆତ୍ମଵିଶ୍ୱାସର ସହ କହୁଥିଲେ ଯେ ଯେମିତି ଥରେ ତାଙ୍କର ମୁକ୍ତିପଣର ଧନରାଶି ପହଞ୍ଚିଵ ଏଵଂ ସେ ମୁକ୍ତ ହେବେ, ସେ ତୁରନ୍ତ ସେଠାକୁ ଫେରିବେ ଏଵଂ ସେମାନଙ୍କୁ କ୍ରୁଶବିଦ୍ଧ କରିବେ। ଜଳଦସ୍ୟୁମାନେ ଏହା ଶୁଣି ହସୁଥିଲେ। ସେମାନଙ୍କୁ ଲାଗୁଥିଲା ଯେ ଏହା ସେହି ଯୁଵିକର ଆଉ ଏକ ମଜାଦାର କବିତା କିମ୍ବା ନାଟକର ସଂଳାପ। ଜଣେ ନିରସ୍ତ୍ର ବନ୍ଦୀ, ଯିଏ କି ସେମାନଙ୍କ ଦୟାରେ ବଞ୍ଚିଛି, ସେ ତାଙ୍କରି ଜାହାଜରେ ବସି ସେମାନଙ୍କୁ ମାରିଦେଵାର ଧମକ ଦେଉଛି, ଏହାଠାରୁ ବଡ଼ ପ୍ରହସନ ଆଉ କ'ଣ ହୋଇପାରେ ?

ଶେଷରେ ୩୮ ଦିନର ଦୀର୍ଘ ପ୍ରତୀକ୍ଷା ପରେ ସେହି ଖୁସିର ଦିନ ଆସି ପହଞ୍ଚିଲା। Caesarଙ୍କ ପ୍ରତିନିଧିମାନେ ୫୦ ଟ୍ୟାଲେଣ୍ଟ ରୂପାର ଵିପୁଳ ଧନରାଶି ଧରି ସେଠାରେ ଉପସ୍ଥିତ ହେଲେ। 
ଜଳଦସ୍ୟୁମାନେ ଏତେ ପରିମାଣର ରୂପା ପାଇ ଖୁସିରେ ଵିଭୋର ହୋଇଗଲେ। ସେମାନେ ତୁରନ୍ତ ଚୁକ୍ତି ମୁତାବକ Caesarଙ୍କୁ ମୁକ୍ତ କରିଦେଲେ ଏଵଂ ନିଜର ଏହି ଵ୍ୟଵସାୟିକ ସଫଳତାର ଉତ୍ସବ ପାଳନ କରିଵାରେ ବ୍ୟସ୍ତ ରହିଲେ। ସେମାନେ ଭାବିନେଲେ ଯେ କାହାଣୀଟି ଏଇଠି ଶେଷ ହେଲା।
କିନ୍ତୁ Caesar ସେଠାରୁ ମୁକ୍ତ ହେଵା ମାତ୍ରେ ସିଧା ବାହାରିଗଲେ। ଵିଶ୍ରାମ ନେବା ପରିଵର୍ତ୍ତେ Caesar ତୁରନ୍ତ କିଛି ଜାହାଜ ଓ ସୈନ୍ୟବାହିନୀ ଏକାଠି କରିଵା ଆରମ୍ଭ କଲେ। ତାଙ୍କର ଵ୍ୟକ୍ତିତ୍ୱ ଓ ନେତୃତ୍ୱ ନେଵାର କ୍ଷମତା ଏତେ ପ୍ରଭାଵଶାଳୀ ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସେ ଏକ ଛୋଟ ନୌସେନା ପ୍ରସ୍ତୁତ କରିଦେଲେ ଏଵଂ ଟିକିଏ ବି ସମୟ ନଷ୍ଟ କରି ସିଧା ସେହି ଜାଗାକୁ ବାହାରି ପଡ଼ିଲେ ଯେଉଁଠାରେ ଜଳଦସ୍ୟୁମାନେ ତାଙ୍କୁ ବନ୍ଦୀ କରି ରଖିଥିଲେ। ସେପଟେ ଜଳଦସ୍ୟୁମାନେ ସେହି ସମାନ ସ୍ଥାନରେ ମଦ୍ୟପାନ କରି ଆନନ୍ଦ ଉପଭୋଗ କରୁଥିଲେ।

ହଠାତ୍ ଜଳଦସ୍ୟୁମାନେ ଦେଖିଲେ ଯେ ସେମାନଙ୍କର ସେହି ପୁରୁଣା ବନ୍ଦୀ(ଜୁଲିଅସ୍ ସିଜର) ଗୋଟିଏ ନୌସେନା ନେଇ ସେମାନଙ୍କ ଆଗରେ ଠିଆ ହୋଇଛି। ସେମାନଙ୍କୁ କୌଣସି ପ୍ରକାର ଯୁଦ୍ଧର ସୁଯୋଗ ନ ଦେଇ Caesar ସମସ୍ତଙ୍କୁ ବନ୍ଦୀ କଲେ ଏବଂ ନିଜର ସେହି ପୁରା ୫୦ ଟ୍ୟାଲେଣ୍ଟ ମୁକ୍ତିପଣର ଅର୍ଥ କଡ଼ାଗଣ୍ଡା ହିସାବ କରି ଫେରାଇ ଆଣିଲେ।

ଏବେ ସମୟ ଆସିଥିଲା ସେହି ପ୍ରତିଶ୍ରୁତି ପୂରଣ କରିଵାର। ପ୍ରାଚୀନ ଐତିହାସିକ Plutarchଙ୍କ ଵିଵରଣୀ ଅନୁଯାୟୀ, Caesar ଆଇନଗତ ପ୍ରକ୍ରିୟାର ସମ୍ମାନ ରଖି ସମସ୍ତ ବନ୍ଦୀ ଜଳଦସ୍ୟୁଙ୍କୁ ନେଇ ସେହି ଅଞ୍ଚଳର ଶାସକଙ୍କ ପାଖକୁ ଗଲେ। କିନ୍ତୁ ଶାସକ ଜଣକ ଟାଳଟୁଳ ନୀତି ଅଵଲମ୍ବନ କଲେ। ଏହା ଦେଖି Caesar ନିଜେ ହିଁ ଵିଚାରପତି ସାଜିଵାକୁ ନିଷ୍ପତ୍ତି ନେଲେ। ସେ ନିଜର ବନ୍ଦୀ ଅଵସ୍ଥାରେ ଦେଇଥିଵା ପ୍ରତିଶ୍ରୁତିକୁ ପାଳନ କରି ନିର୍ଦ୍ଦେଶ ଦେଲେ ଯେ ସମସ୍ତ ଜଳଦସ୍ୟୁଙ୍କୁ କ୍ରୁଶବିଦ୍ଧ କରାଯାଉ।

ତେବେ, ଏଠାରେ Caesarଙ୍କ ଚରିତ୍ରର ଏକ ଅତ୍ୟନ୍ତ 'ଦୟାଳୁ' ରୂପ ଦେଖିଵାକୁ ମିଳିଥିଲା। ସେ ଭାବିଲେ, ଯେହେତୁ ଏହି ଜଳଦସ୍ୟୁମାନେ ୩୮ ଦିନ ଧରି ତାଙ୍କ ସହ ବେଶ୍ ଭଲ ଵ୍ୟଵହାର କରିଥିଲେ ଏଵଂ ତାଙ୍କର କଵିତାଗୁଡ଼ିକୁ ବିନା ଅଭିଯୋଗରେ ଚୁପ୍‌ଚାପ ଶୁଣିଥିଲେ, ତେଣୁ ଏମାନଙ୍କ ପ୍ରତି ସାମାନ୍ୟ କୃପା ଦୃଷ୍ଟି ପକାଇଵା ତାଙ୍କର କର୍ତ୍ତଵ୍ୟ। 

ସାଧାରଣତଃ କ୍ରୁଶରେ ଝୁଲାଇଲେ ଜଣେ ମଣିଷ ଯନ୍ତ୍ରଣାରେ ଛଟପଟ ହୋଇ ଦୀର୍ଘ ସମୟ କଷ୍ଟ ପାଇଵା ପରେ ମୃତ୍ୟୁଵରଣ କରେ। ତେଣୁ ନିଜର ଏହି ମହାନ ଦୟା ଦେଖାଇ Caesar ନିର୍ଦ୍ଦେଶ ଦେଲେ ଯେ କ୍ରୁଶରେ ଝୁଲାଇଵା ପୂର୍ଵରୁ ପ୍ରଥମେ ସମସ୍ତ ଜଳଦସ୍ୟୁଙ୍କ ତଣ୍ଟି କାଟି ଦିଆଯାଉ। ଫଳରେ ସେମାନେ ସାଙ୍ଗେ ସାଙ୍ଗେ ମରିଯିବେ ଏଵଂ ସେମାନଙ୍କୁ କ୍ରୁଶରେ ଦୀର୍ଘ ସମୟ ଧରି ଯନ୍ତ୍ରଣା ସହିଵାକୁ ପଡ଼ିଵ ନାହିଁ। ଆଃ ! କି ଅପୂର୍ଵ ଦୟାଭାବ! ସତରେ ଏମିତି ଦୟାଵାନ ଶତ୍ରୁ ମିଳିଵା ମଧ୍ୟ ଭାଗ୍ୟର କଥା। ତଣ୍ଟି କାଟିଦେଵା ପରେ ଜଳଦସ୍ୟୁମାନଙ୍କର ମୃତଦେହଗୁଡ଼ିକୁ ନେଇ ଶାନ୍ତିରେ କ୍ରୁଶରେ ଝୁଲାଇ ଦିଆଗଲା।

ଏହି ରୋମାଞ୍ଚକର ତଥା ଅଵିଶ୍ୱସନୀୟ କାହାଣୀ ଶୁଣିଲା ପରେ ଯେକୌଣସି ସୁସ୍ଥ ମସ୍ତିଷ୍କଯୁକ୍ତ ଵ୍ୟକ୍ତି ଭାବିଵ ଯେ ଏହା ନିଶ୍ଚୟ କୌଣସି ଆଈମାଆ କାହାଣୀ କିମ୍ବା ଆଧୁନିକ ସିନେମାର କୌଣସି ଅତିରଞ୍ଜିତ ଚିତ୍ରନାଟ୍ୟ ହୋଇଥିଵ । ଜଣେ ପଚିଶ ଵର୍ଷର ନିରସ୍ତ୍ର ଯୁଵକ ଯିଏ ନିଜେ ବନ୍ଦୀ ହୋଇଛି, ସେ ନିଜର ଦାମ୍ ବଢ଼ାଉଛି ଆଉ ଅପହରଣକାରୀଙ୍କୁ କଵିତା ଶୁଣାଇ ହଇରାଣ କରୁଛି! ଏ କଥା କ'ଣ ସତରେ ଵିଶ୍ୱାସଯୋଗ୍ୟ ? ଆମେ ଏତେ ପୁରୁଣା ଘଟଣା ଵିଷୟରେ ଜାଣିଲେ କେମିତି ଆଉ ଏହାର ପ୍ରମାଣ ଵା କ'ଣ ? ପ୍ରକୃତରେ କଥା ହେଉଛି, ଯେତେବେଳେ ଜଣେ ସାଧାରଣ ଲୋକ ରାସ୍ତାରେ ଖସିପଡ଼େ, କେହି ତାକୁ ପଚାରନ୍ତି ନାହିଁ; କିନ୍ତୁ ଯେତେବେଳେ ସେହି ଲୋକଟି ଦିନେ ଏକ ବଡ଼ ଭୂଭାଗ ଅଧିଶ୍ୱର ହୋଇଯାଏ ସେତେବେଳେ ଐତିହାସିକମାନେ ତା'ର ପିଲାଦିନର କାଶ ଓ ଛିଙ୍କର ମଧ୍ୟ ହିସାବ ରଖିଵା ଆରମ୍ଭ କରିଦିଅନ୍ତି। ଆମର ଏହି ଵିଶେଷ କାହାଣୀଟି ମଧ୍ୟ ସେହିଭଳି କିଛି ପୁରାତନ ଗ୍ରନ୍ଥର ପୃଷ୍ଠାରୁ ହିଁ ଉଦ୍ଧାର କରାଯାଇଛି, ଯାହାକୁ ଖାମଖିଆଲି ଗପ ବୋଲି ଭାବିଦେଲେ ଚଳିଵ ନାହିଁ।

ଏହି ଘଟଣାର ସବୁଠାରୁ ମସଲାଯୁକ୍ତ ତଥା ଵିସ୍ତୃତ ଵିଵରଣୀ ଆମକୁ ପ୍ରାଚୀନ ଗ୍ରୀକ୍ ଐତିହାସିକ Plutarch ପ୍ରଦାନ କରି ଯାଇଛନ୍ତି। ନିଜର ପ୍ରସିଦ୍ଧ ଗ୍ରନ୍ଥ Parallel Livesରେ Plutarch ଅତ୍ୟନ୍ତ ଆନନ୍ଦର ସହ ଵର୍ଣ୍ଣନା କରିଛନ୍ତି ଯେ କିପରି Caesar ନିଜ ମୁକ୍ତିପଣର ମୂଲ୍ୟ କୋଡ଼ିଏରୁ ପଚାଶ ଟ୍ୟାଲେଣ୍ଟକୁ ବଢ଼ାଇଥିଲେ। ସେହି ଅଶିକ୍ଷିତ ଜଳଦସ୍ୟୁମାନଙ୍କୁ ଦିନରାତି କଵିତା ଶୁଣାଇ ଅତ୍ୟାଚାର କରିଵା ଏଵଂ ପରେ ସେମାନଙ୍କୁ କ୍ରୁଶବିଦ୍ଧ କରିଵାର ସେହି ନିର୍ଲଜ୍ଜ ଧମକ ଵିଷୟରେ Plutarch ହିଁ ସବୁଠାରୁ ଭଲ ଭାବରେ ଲିପିବଦ୍ଧ କରିଛନ୍ତି। କିନ୍ତୁ କେଵଳ ଜଣେ ଐତିହାସିକଙ୍କ କଥାରେ କିଏ ଵା ଵିଶ୍ୱାସ କରିବ? ତେବେ ରୋମ୍‌ର ଆଉ ଜଣେ ଵିଶିଷ୍ଟ ଐତିହାସିକ Suetonius ମଧ୍ୟ ନିଜର ଲୋକପ୍ରିୟ ପୁସ୍ତକ The Twelve Caesarsରେ ଏହି ଅପହରଣ ନାଟକକୁ ସମର୍ଥନ କରିଛନ୍ତି। Suetonius ଵିଶେଷ ଭାବରେ ସେହି ତଥାକଥିତ 'ଦୟା' ଵା କ୍ରୁଶରେ ଝୁଲାଇଵା ପୂର୍ଵରୁ ତଣ୍ଟି କାଟିଵାର ଵ୍ୟଵସ୍ଥା ଉପରେ ଆଲୋକପାତ କରିଛନ୍ତି। ସତେ ଯେମିତି ତଣ୍ଟି କାଟିଦେଵା ଗୋଟେ ବହୁତ ବଡ଼ ଉପକାର ଥିଲା ଏଵଂ ସେଥିପାଇଁ ଜଳଦସ୍ୟୁମାନେ ଜୁଲିଅସ ସିଜରଙ୍କୁ ଧନ୍ୟଵାଦ ଦେଵା ଉଚିତ୍ ! ଏହି ଦୁଇ ମହାନୁଭଵଙ୍କ ଵ୍ୟତୀତ ଆଉ ଜଣେ ଐତିହାସିକ Velleius Paterculus ମଧ୍ୟ ନିଜର ରଚନା Roman Historyରେ ଏହି ଘଟଣାକୁ ସ୍ଥାନ ଦେଇଛନ୍ତି। ଅର୍ଥାତ୍, ଆମ ପାଖରେ ତିନି ତିନି ଜଣ ପ୍ରାଚୀନ ଵିଦ୍ୱାନଙ୍କ ଦ୍ଵାରା ଏହି ଘଟଣା ଵିଷୟରେ ଉଲ୍ଲେଖ କରାଯାଇଥିଵାର ଲିଖିତ ପ୍ରମାଣ ଅଛି ଏଵଂ ସେଥିରୁ ସ୍ପଷ୍ଟ ହୁଏ ଯେ ଏହି ପାଗଳାମୀ ସତରେ ଘଟିଥିଲା। ଏହା କୌଣସି ଦେଵତାଙ୍କର ସ୍ତୁତିଗାନ ନଥିଲା, ଵରଂ ଜଣେ ଅହଂକାରୀ ତଥା ନିଡର ଯୁଵକର ଵାସ୍ତଵିକ ଚିତ୍ର ଥିଲା। ଏହି ଘଟଣା ପ୍ରମାଣ କରେ ଯେ ଯେଉଁ ଵ୍ୟକ୍ତି ଭବିଷ୍ୟତରେ ସମଗ୍ର ରୋମାନ ସାମ୍ରାଜ୍ୟକୁ ନିଜ ଆଙ୍ଗୁଠିରେ ନଚାଇଵାର ଥିଲା, ତା'ର ଅହଂକାର ଏଵଂ ନେତୃତ୍ୱ ନେବାର ନିଶା ସେତେବେଳେ ମଧ୍ୟ ସାତ ତାଳ ଉପରେ ଥିଲା, ଯେତେବେଳେ ତା' ନିଜ ଅଣ୍ଟାରେ ଖଣ୍ଡେ ଖଣ୍ଡା ବି ନଥିଲା! ସତରେ, ଯଦି ଆପଣ ବନ୍ଦୀ ହେଵାର ଅଛି, ତେବେ ଏମିତି ଢଙ୍ଗରେ ହୁଅନ୍ତୁ ଯେମିତି ଅପହରଣକାରୀ ନିଜେ ଦ୍ୱନ୍ଦ୍ୱରେ ପଡ଼ିଯିଵ ଯେ ସେ ଆପଣଙ୍କୁ ବନ୍ଦୀ କରିଛି ନା ଆପଣଙ୍କ ପାଖରେ ଚାକିରି କରୁଛି।