ପ୍ରାଚୀନ କାଳରୁ ଦକ୍ଷିଣ ଭାରତର ଏକ ଵିଶାଳ ଭୂଖଣ୍ଡକୁ ସ୍ଥାନୀୟ ଦ୍ରାଵିଡ଼ ଭାଷାରେ ‘କରୁନାଡୁ’ ନାମରେ ଅଭିହିତ କରାଯାଉଥିଲା, ଯାହାର ଅର୍ଥ ସେତେବେଳେ ‘ଉଚ୍ଚ ଭୂମି’ କିମ୍ବା କୃଷ୍ଣ ମୃତ୍ତିକା ଵିଶିଷ୍ଟ ଅଞ୍ଚଳ ଥିଲା। ପରଵର୍ତ୍ତୀ ସମୟରେ ମହାଭାରତ ଏଵଂ ଅନ୍ୟାନ୍ୟ ପୁରାଣରେ ଏହି ଅଞ୍ଚଳକୁ ‘କର୍ଣ୍ଣାଟ’ ଭାବରେ ଉଲ୍ଲେଖ କରାଯାଇଛି ଯାହା ମୂଳ ଦ୍ରାଵିଡ଼ ଶବ୍ଦ 'କରୁନାଡୁ'ର ଏକ ସଂସ୍କୃତ ରୂପାନ୍ତର ଅଟେ। ପ୍ରାଚୀନ କନ୍ନଡ଼ ଭାଷାରେ ମଧ୍ୟ ଏହାକୁ ಕರ್ನಾಟ (କର୍ନାଟ / Karnāṭa) ବୋଲି କୁହାଯାଉଥିଲା ଏଵଂ ଏହି ମୂଳ ଶବ୍ଦରୁ ହିଁ ଆଜିର ‘କର୍ଣ୍ଣାଟକ’ ଶବ୍ଦର ଉତ୍ପତ୍ତି ଘଟିଛି। ସେହିପରି ‘କନ୍ନଡ଼’ ଶବ୍ଦର ଉତ୍ପତ୍ତି ମଧ୍ୟ ସମାନ ପ୍ରାଚୀନ ଦ୍ରାଵିଡ଼ ମୂଳରୁ ହୋଇଛି, ଯାହା ସମୟ କ୍ରମେ ସେହି ଵିଶାଳ ଅଞ୍ଚଳର ମୁଖ୍ୟ ଭାଷା ଓ ସଂସ୍କୃତିର ପରିଚୟ ପାଲଟିଛି।
ଵର୍ତ୍ତମାନ ସମୟରେ କର୍ଣ୍ଣାଟକର ସ୍ଥାନୀୟ ଅଧିଵାସୀମାନେ ନିଜ ରାଜ୍ୟ ଓ ଭାଷାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥାନ୍ତି। କନ୍ନଡ଼ ଭାଷାରେ ରାଜ୍ୟର ନାମକୁ ಕರ್ನಾಟಕ ଲେଖାଯାଏ ଯାହାର ଠିକ୍ ଉଚ୍ଚାରଣ‘କର୍ନାଟକ’ (Karnāṭaka) ଅଟେ ଏଵଂ ଏଥିରେ ଶେଷ ଅକ୍ଷର ‘କ’ ସମ୍ପୂର୍ଣ୍ଣ ଅକାରାନ୍ତ ଭାବରେ ଉଚ୍ଚାରିତ ହୁଏ। ସେହିଭଳି ନିଜ ମାତୃଭାଷାକୁ କନ୍ନଡ଼ଭାଷୀମାନେ ಕನ್ನಡ ଲେଖନ୍ତି ଏଵଂ ଏହାର ଉଚ୍ଚାରଣ ‘କନ୍ନଡ଼’ (Kannaḍa) ହୋଇଥାଏ ଯହିଁରେ ଶେଷ ଅକ୍ଷର ‘ଡ଼’ର ଉଚ୍ଚାରଣ ମଧ୍ୟ ପୂର୍ଣ୍ଣାଙ୍ଗ ଅକାରାନ୍ତ ରହିଥାଏ। ସ୍ଥାନୀୟ ଲୋକେ କେବେହେଲେ ଏହାକୁ ଦୀର୍ଘ ସ୍ୱର ଦେଇ ‘କର୍ଣ୍ଣାଟକା’ ଵା ‘କନ୍ନଡ଼ା’ କହନ୍ତି ନାହିଁ କିମ୍ବା ଶେଷ ସ୍ୱରକୁ କାଟିଦେଇ ‘କର୍ନାଟକ୍’ ଵା ‘କନ୍ନଡ୍’ କହନ୍ତି ନାହିଁ।
ଏହି ଶବ୍ଦଦ୍ୱୟର ଉଚ୍ଚାରଣକୁ ନେଇ ଭାରତରେ ଏକ ଵୃହତ୍ ଵିଵାଦ ଦେଖାଯାଏ। ଵିଶେଷତଃ ଇଂରାଜୀ ବନାନ ‘Karnataka’ ଓ ‘Kannada’ ଲେଖାଯାଉଥିଵାରୁ ହିନ୍ଦୀ ବେଲ୍ଟର ଲୋକେ ଇଂରାଜୀର ଶେଷ 'a' କୁ 'ଆ' କାର ଭାବରେ ଗ୍ରହଣ କରିନିଅନ୍ତି ଏଵଂ ତାହାକୁ 'କର୍ଣ୍ଣାଟକା' ଓ 'କନ୍ନଡ଼ା' ବୋଲି ଭୁଲ୍ ଉଚ୍ଚାରଣ କରନ୍ତି। ଅନ୍ୟପକ୍ଷରେ, ହିନ୍ଦୀ ଭାଷାରେ ସ୍ୱାଭାଵିକ ଭାବରେ ଶବ୍ଦାନ୍ତ ଅ-କାର ଲୋପ ଵା Schwa deletion ହେଇଥିଵାରୁ ଅନେକେ ଏହାକୁ ହଳନ୍ତ ଲଗାଇ 'କର୍ନାଟକ୍' ଓ 'କନ୍ନଡ୍' ବୋଲି କହିଥାନ୍ତି। ଏହି ଉଭୟ ଉଚ୍ଚାରଣ ମୂଳ ଦ୍ରାଵିଡ଼ ଶବ୍ଦର ସମ୍ପୂର୍ଣ୍ଣ ଵିପରୀତ ଓ ତ୍ରୁଟିପୂର୍ଣ୍ଣ ଅଟେ, କାରଣ ମୂଳ ଉଚ୍ଚାରଣରେ ଶେଷ ଵର୍ଣ୍ଣଟି ଦୀର୍ଘ ସ୍ୱର ନୁହେଁ କିମ୍ବା ହଳନ୍ତ ଵିହୀନ ମଧ୍ୟ ନୁହେଁ।
କିନ୍ତୁ ଓଡ଼ିଆ ଭାଷାରେ 'କର୍ଣ୍ଣାଟକ' ଓ 'କନ୍ନଡ଼' ଲେଖିଵା ଓ କହିଵା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ତଥା ଧ୍ୱନିତତ୍ତ୍ୱ ଦୃଷ୍ଟିକୋଣରୁ ସର୍ଵାଧିକ ଠିକ୍ ଅଟେ । ପ୍ରାଚୀନ ମୂଳ ଭାରୋପୀୟ ଭାଷାଗୋଷ୍ଠୀର ଅକାରାନ୍ତ ଉଚ୍ଚାରଣ ପ୍ରକ୍ରିୟାକୁ ଆମ ଓଡ଼ିଆ ଭାଷା ସବୁଠାରୁ ନିଖୁଣ ଭାବରେ ସାଇତି ରଖିପାରିଛି।
ଭାରୋପୀୟ ଭାଷା ପରିଵାରରେ ଅକାରାନ୍ତ ଉଚ୍ଚାରଣର ଇତିହାସ ଅତ୍ୟନ୍ତ ପ୍ରାଚୀନ । ଅନ୍ତତଃ ୫୦୦୦ ଵର୍ଷ ପୁରୁଣା ପ୍ରାକ୍-ଭାରୋ-ଇରାନୀୟ ଓ ଵୈଦିକ ସଂସ୍କୃତ ଯୁଗରୁ ଆସିଛି।
ମୂଳ ଭାରୋପୀୟ ଭାଷାରେ ଥିବା ଏକାଧିକ ସ୍ୱରଵର୍ଣ୍ଣ (e, o, a) ପରଵର୍ତ୍ତୀ ସମୟରେ ଭାରୋ-ଇରାନୀୟ ଶାଖାରେ ମିଶିଯାଇ ଏକମାତ୍ର ହ୍ରସ୍ୱ ସ୍ୱର ‘ଅ’ (a) ରେ ପରିଣତ ହୋଇଥିଲା। ଖ୍ରୀଷ୍ଟପୂର୍ଵ ୨୦୦୦ ବେଳକୁ ଵୈଦିକ ସଂସ୍କୃତରେ ଏହି ଶବ୍ଦାନ୍ତ 'ଅ' ଧ୍ୱନି ପ୍ରାମାଣିକ ରୂପ ନେଇସାରିଥିଲା। 'ରାମ' (Rāma), 'ଦେବ' (Deva) କିମ୍ବା 'ଜଳ' (Jala) ଭଳି ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଅକାରାନ୍ତ ଥିଲା ଏଵ ପ୍ରତ୍ୟେକ ଵ୍ୟଞ୍ଜନ ଵର୍ଣ୍ଣ ଶେଷରେ ଥିଵା 'ଅ' ସ୍ୱରକୁ ସ୍ପଷ୍ଟ ଭାବରେ ପୂର୍ଣ୍ଣାଙ୍ଗ ଉଚ୍ଚାରଣ କରାଯାଉଥିଲା।
ସଂସ୍କୃତ,ପ୍ରାକୃତ ଓ ଅପଭ୍ରଂଶ ଆଦି ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଖ୍ରୀଷ୍ଟାବ୍ଦ ପ୍ରଥମ ସହସ୍ରାବ୍ଦୀ ପର୍ଯ୍ୟନ୍ତ ଏହି ଅକାରାନ୍ତ ଉଚ୍ଚାରଣ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। ସେହି ସମୟରେ କୌଣସି ଶବ୍ଦକୁ ହଳନ୍ତ ଦେଇ ଅଧା ଉଚ୍ଚାରଣ କରିଵାର ପରମ୍ପରା ନଥିଲା। ଅଧା ଉଚ୍ଚାରଣ ଏଥିପାଇଁ ଯେ କ୍+ଅ = କ ହୁଏ । ତେଣୁ 'କ୍' ନୁହେଁ ଵରଂ 'କ' ଅକାରାନ୍ତ ଉଚ୍ଚାରଣ କରିଵା ହିଁ ପ୍ରକୃତ ଓ ସମ୍ପୂର୍ଣ୍ଣ ଉଚ୍ଚାରଣ।
ମାତ୍ର ଆଜକୁ ପ୍ରାୟ ୧୦୦୦ ଖ୍ରୀଷ୍ଟାବ୍ଦ ବେଳକୁ ଅପଭ୍ରଂଶ ଭାଷାଗୁଡ଼ିକରୁ ଆଧୁନିକ ଉତ୍ତର ଓ ପଶ୍ଚିମ ଭାରତୀୟ ଭାଷା ସୃଷ୍ଟି ହେଵା ସମୟରେ ମୁଖ୍ୟତଃ ଧ୍ୱନିତାତ୍ତ୍ୱିକ ପରିଵର୍ତ୍ତନ ଏବଂ ବୈଦେଶିକ ସମ୍ପର୍କ କାରଣରୁ ଶବ୍ଦାନ୍ତ 'ଅ' ଧ୍ୱନି (Schwa) ଲୋପ ପାଇଥିଲା। ପୁଣି ମଧ୍ୟଯୁଗୀୟ ଭାଷା ଵିଵର୍ତ୍ତନ ସମୟରେ ଏହି ଅଞ୍ଚଳରେ ଲୋକଙ୍କ କଥାଵାର୍ତ୍ତାରେ ଶବ୍ଦର ପ୍ରଥମ କିମ୍ବା ମଝି ଅକ୍ଷର ଉପରେ ଅଧିକ ଜୋର୍ ଵା Stress ଦେଵାର ପ୍ରଵୃତ୍ତି ବଢ଼ିଲା। ଏହା ଫଳରେ ଶବ୍ଦର ଶେଷରେ ଥିଵା ଦୁର୍ଵଳ ତଥା ହ୍ରସ୍ୱ ସ୍ୱର 'ଅ' ଧୀରେ ଧୀରେ ନିଜର ସ୍ପଷ୍ଟତା ହରାଇ ଲୋପ ପାଇଗଲା ଅର୍ଥାତ୍ ସଂସ୍କୃତ 'ରାମ' ଶବ୍ଦ ହିନ୍ଦୀରେ 'ରାମ୍' ହୋଇଗଲା । ଏହି ସମୟରେ ଉତ୍ତର ଏଵଂ ଉତ୍ତର-ପଶ୍ଚିମ ଭାରତରେ ତୁର୍କୀ, ଆଫଗାନ ଓ ମୋଗଲମାନଙ୍କ ଆଗମନ ଫଳରେ ଫାର୍ସୀ ଓ ଆରବୀ ଭାଷାର ଵ୍ୟାପକ ପ୍ରଭାଵ ପଡ଼ିଲା। ଏହି ଵିଦେଶୀ ଭାଷାଗୁଡ଼ିକର ଶବ୍ଦଗୁଡ଼ିକ ମୁଖ୍ୟତଃ ଵ୍ୟଞ୍ଜନାନ୍ତ ଵା ହଳନ୍ତ ଥିଲା। ସ୍ଥାନୀୟ ଲୋକେ ଏହି ନୂତନ ଶବ୍ଦଗୁଡ଼ିକୁ ଆପଣାଇଵା ସହିତ ନିଜ ମାତୃଭାଷାର ଅକାରାନ୍ତ ଶବ୍ଦଗୁଡ଼ିକୁ ମଧ୍ୟ ସେହିଭଳି ଅଧା ଉଚ୍ଚାରଣ କରିଵା ଆରମ୍ଭ କଲେ।
ପ୍ରାଚୀନ ସଂସ୍କୃତ ଓ ପ୍ରାକୃତରେ ଵିଭକ୍ତି ଚିହ୍ନାଇଵା ପାଇଁ ଶେଷ ସ୍ୱରର ଗୁରୁତ୍ୱ ରହୁଥିଲା। କିନ୍ତୁ ଅପଭ୍ରଂଶ ଯୁଗର ଅଵସାନ ବେଳକୁ ନୂତନ ଵିଭକ୍ତି ଚିହ୍ନ (ପରସର୍ଗ) ଓ ଅଵ୍ୟୟଗୁଡ଼ିକର ପ୍ରୟୋଗ ବଢ଼ିଲା। ଫଳରେ ଶବ୍ଦ ଶେଷରେ ଥିଵା 'ଅ' ସ୍ୱର ତାର ଵ୍ୟାକରଣିକ ଗୁରୁତ୍ୱ ହରାଇ ଅଦରକାରୀ ହୋଇପଡ଼ିଲା ଏଵଂ କ୍ରମଶଃ ଉଚ୍ଚାରଣରୁ ବାଦ୍ ପଡ଼ିଲା।
ଭାଷା ଵିଜ୍ଞାନର ସାଧାରଣ ନିୟମ ଅନୁଯାୟୀ, ମଣିଷ ସବୁବେଳେ କମ୍ ପରିଶ୍ରମରେ ଏଵଂ ଦ୍ରୁତ ଗତିରେ କଥା କହିଵାକୁ ଚାହେଁ। ଉତ୍ତର ଭାରତର ଦୈନନ୍ଦିନ କଥାଵାର୍ତ୍ତାରେ ଶୀଘ୍ର କଥା କହିଵା ବେଳେ ଶେଷ ଅକ୍ଷରର ସ୍ୱରକୁ ସମ୍ପୂର୍ଣ୍ଣ ଉଚ୍ଚାରଣ ନକରି ଅଟକି ଯିଵା ସହଜ ହେଲା, ଯାହା ପରଵର୍ତ୍ତୀ ପିଢ଼ି ପାଇଁ ଏକ ସ୍ଥାୟୀ ନିୟମରେ ପରିଣତ ହେଲା। ଏହି ଭାଷାଗତ ଆନ୍ଦୋଳନ ଏଵଂ ବିଦେଶୀ ଆକ୍ରମଣର କେନ୍ଦ୍ରସ୍ଥଳରୁ ବହୁ ଦୂରରେ ଓଡ଼ିଶା ଅଵସ୍ଥିତ ଥିଲା । ଓଡ଼ିଶାର ସ୍ୱତନ୍ତ୍ର ଭୌଗୋଳିକ ଅଵସ୍ଥିତି ଏଵଂ ଦୀର୍ଘକାଳୀନ ରାଜନୈତିକ ସ୍ୱାଧୀନତା ଯୋଗୁଁ ଓଡ଼ିଆ ଭାଷା ଉତ୍ତର ଭାରତର ପରିଵର୍ତ୍ତନଶୀଳ ଧ୍ୱନିତାତ୍ତ୍ୱିକ ପ୍ରଵାହରୁ ନିଜକୁ ସୁରକ୍ଷିତ ରଖିପାରିଥିଲା। ଯେତେବେଳେ ସମଗ୍ର ଉତ୍ତର ଭାରତ ତୁର୍କୀ ଓ ଆଫଗାନ ଶାସନାଧୀନ ହୋଇ ଫାର୍ସୀ ଭାଷାର ପ୍ରଭାଵରେ ହଳନ୍ତ ଉଚ୍ଚାରଣ ଗ୍ରହଣ କରୁଥିଲା, ଓଡ଼ିଶା ୧୫୬୮ ମସିହା ପର୍ଯ୍ୟନ୍ତ ଗଙ୍ଗ ଓ ଗଜପତି ଵଂଶ ଅଧୀନରେ ଏକ ଵିଶାଳ ସ୍ୱାଧୀନ ହିନ୍ଦୁ ସାମ୍ରାଜ୍ୟ ହୋଇ ରହିଥିଲା। ଏହା ଫଳରେ ଵିଦେଶୀ ଭାଷାର ଵ୍ୟଞ୍ଜନାନ୍ତ ପ୍ରଭାବ ଓଡ଼ିଆ ଉପରେ ପଡ଼ିପାରିନଥିଲା। ଓଡ଼ିଶା ପ୍ରାକୃତିକ ଭାବରେ ପର୍ଵତମାଳା, ଗଭୀର ଅରଣ୍ୟ ଓ ସମୁଦ୍ର ଦ୍ୱାରା ଘେରି ହୋଇ ରହିଥିଵାରୁ, ଏହା ଉତ୍ତର-ପଶ୍ଚିମ ଭାରତରୁ ଆସୁଥିଵା ଆକ୍ରମଣକାରୀଙ୍କ ସିଧାସଳଖ ଯାତାୟାତ ପଥରୁ ବହୁ ଦୂରରେ ଥିଲା। ଏହି ଆଞ୍ଚଳିକ ପୃଥକୀକରଣ ଭାଷାଗତ ମିଶ୍ରଣକୁ ଦୃଢ଼ ଭାବରେ ଅଟକାଇଥିଲା। ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ସୀମା ଦ୍ରାଵିଡ଼ ଭାଷାଗୋଷ୍ଠୀ (ଵିଶେଷତଃ ତେଲୁଗୁ) ସହ ଲାଗିରହିଛି। ଓଡ଼ିଶା ମଧ୍ୟରେ ବି କୁଇ,କୁଭି,ପେଙ୍ଗୋ,ଗୋଣ୍ଡି,କୋୟା,କୁରୁଖ୍ (ଓରାଓଁ),ପର୍ଜି,ଓଲାରି,କୋଣ୍ଡା/କୁବି,
କିସାନ୍ ଓ ମାଡ଼ିଆ/ମୁରିଆ ଭଳି ଦ୍ରାଵିଡ଼ ଭାଷା ବହୁ ପ୍ରାଚୀନ କାଳରୁ ବୋଲା ଯାଉଅଛି । ଦ୍ରାଵିଡ଼ ଭାଷାଗୁଡ଼ିକରେ ଶବ୍ଦର ଶେଷରେ ସ୍ୱରଵର୍ଣ୍ଣର ଉଚ୍ଚାରଣ ବାଧ୍ୟତାମୂଳକ। ଏହି ସାଂସ୍କୃତିକ ତଥା ଭୌଗୋଳିକ ଆଦାନପ୍ରଦାନ ଓଡ଼ିଆର ମୂଳ ଅକାରାନ୍ତ ଶୈଳୀକୁ ଆହୁରି ସୁଦୃଢ଼ କରିଵାରେ ସହାୟକ ହୋଇଥିଲା।
ଏପଟେ ଶ୍ରୀମନ୍ଦିର ଏଵଂ ବ୍ରାହ୍ମଣ ଶାସନଗୁଡ଼ିକରେ ଵେଦପାଠ ତଥା ସଂସ୍କୃତ ସାହିତ୍ୟର ନିରଵଚ୍ଛିନ୍ନ ଚର୍ଚ୍ଚା ଜାରି ରହିଥିଲା। ସଂସ୍କୃତ ଶ୍ଳୋକଗୁଡ଼ିକର ନିଖୁଣ ଓ ଶୁଦ୍ଧ ଅକାରାନ୍ତ ଉଚ୍ଚାରଣ ପରମ୍ପରା ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱକୁ ପ୍ରଦୂଷିତ ହେଵାରୁ ରକ୍ଷା କରିଥିଲା। ପଞ୍ଚଦଶ ଶତାବ୍ଦୀରେ ମାଟିଵଂଶର କଵି ସାରଳା ଦାସଙ୍କ ସମୟରୁ ହିଁ ଓଡ଼ିଆ ସାହିତ୍ୟ, ଛନ୍ଦ ଓ ଵ୍ୟାକରଣ ଏକ ସ୍ଥିର ମାନକ ରୂପ ନେଇସାରିଥିଲା। କାଵ୍ୟକବିତାରେ ଅକ୍ଷର ଵା ମାତ୍ରା ଗଣନା ପାଇଁ ଶେଷ 'ଅ' ସ୍ୱରର ଵିଶେଷ ପ୍ରୟୋଜନ ଥିଵାରୁ ଏହା କେବେହେଲେ ଉଚ୍ଚାରଣରୁ ଲୋପ ପାଇଲା ନାହିଁ। ସବୁଠାରୁ ବଡ଼ କଥା ହେଉଛି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆମାନେ ଉତ୍ତର ଓ ପଶ୍ଚିମ ଭାରତୀୟଙ୍କର ହନୁକରଣ କରୁନଥିଲେ । ଓଡ଼ିଆମାନଙ୍କ ସମାଜ ସେତେବେଳେ ଠିକ୍ ଇଂରେଜମାନଙ୍କ ସମାଜ ପରି ରକ୍ଷଣଶୀଳ ଥିଲା । ଗୋଟିଏ ସ୍ଵାଭିମାନୀ ଓ ଉନ୍ନତ ଜାତି ରୂପେ ଷୋଡ଼ଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଓଡ଼ିଆ ଜାତିର ଵିଶ୍ଵରେ ସ୍ଵାଧୀନ ପରିଚୟ ଥିଲା । ଏଥିଯୋଗୁଁ ତତ୍କାଳୀନ ଓଡ଼ିଆମାନେ ଉତ୍ତର ଓ ପଶ୍ଚିମ ଭାରତୀୟଙ୍କ ହଳନ୍ତଵତ୍ ଉଚ୍ଚାରଣର ଅନୁକରଣ କରିନଥିଲେ । ଏହି ସବୁ କାରଣରୁ ପ୍ରାଚୀନ କାଳରୁ ଏଯାଵତ୍ ଅନ୍ତତଃ ୩୦୦୦ ଵର୍ଷ ଧରି ଉଡ଼୍ରପ୍ରାକୃତରୁ ଉଡ଼୍ରଭାଷା ଏଵଂ ଶେଷରେ ଓଡ଼ିଆ ଭାଷା ରୂପେ ଆଜି ମଧ୍ୟ ଜୀଵିତ ଆମ ଭାଷାରେ ଅକାରାନ୍ତ ଉଚ୍ଚାରଣ ବଞ୍ଚି ରହିଛି ।
ତେବେ ଉତ୍ତର ତଥା ପଶ୍ଚିମ ଭାରତର ଭାଷାଗୁଡିକରେ ଅକାରାନ୍ତ ଉଚ୍ଚାରଣରେ ହୋଇଥିଵା ପରିବର୍ତ୍ତନ ଯୋଗୁଁ ଉତ୍ତର ଓ ପଶ୍ଚିମ ଭାରତୀୟମାନେ ପ୍ରାଚୀନ ଅକାରାନ୍ତ ଶବ୍ଦଗୁଡ଼ିକୁ ଵ୍ୟଞ୍ଜନାନ୍ତ ଵା ହଳନ୍ତ ଭାବରେ ଉଚ୍ଚାରଣ କରିଵା ଆରମ୍ଭ କଲେ । ଉଦାହରଣସ୍ୱରୂପ: 'ରାମ' ପାଲଟିଗଲା 'ରାମ୍' ଏଵଂ 'ଵେଦ' ପାଲଟିଗଲା 'ଵେଦ୍'। ପ୍ରାକୃତ ଭାଷାର ଉଡ଼୍ରୀ ପ୍ରାକୃତରୁ ଜନ୍ମ ନେଇଥିଵା ଓଡ଼ିଆ ଭାଷା ଏହି ମଧ୍ୟଯୁଗୀୟ ଧ୍ୱନି ପରିବର୍ତ୍ତନରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲା। ଭାରତୀୟ ଆର୍ଯ୍ୟଭାଷାଗୁଡ଼ିକ ମଧ୍ୟରେ ଅନେକ ଆଧୁନିକ ଭାଷା ନିଜର ମୂଳ ଅକାରାନ୍ତ ଉଚ୍ଚାରଣ ହରାଇଥିଵା ବେଳେ, ଓଡ଼ିଆ ଭାଷା ଆଜି ମଧ୍ୟ ହଜାର ହଜାର ଵର୍ଷ ତଳର ସେହି ପ୍ରାଚୀନ ଵୈଦିକ ଓ ପ୍ରାକୃତ ସମୟର ନିଖୁଣ ଶୈଳୀକୁ ଜୀଵନ୍ତ ରଖିଛି। ସେଥିପାଇଁ ଓଡ଼ିଆ ଭାଷାକୁ ପ୍ରାଚୀନ ଭାରୋପୀୟ ଧ୍ୱନିତତ୍ତ୍ୱର ଏକ ସର୍ଵୋତ୍ତମ ସୁରକ୍ଷିତ ମାଧ୍ୟମ ବୋଲି ଵିଵେଚନା କରାଯାଏ।
ତେଣୁ ଓଡ଼ିଆରେ ଯେତେବେଳେ ଆମେ 'କର୍ଣ୍ଣାଟକ' କିମ୍ବା 'କନ୍ନଡ଼' ଲେଖୁ, ଆମର ପ୍ରାକୃତିକ ଉଚ୍ଚାରଣ ପଦ୍ଧତି ଅନୁଯାୟୀ ଶେଷ ଵର୍ଣ୍ଣ 'କ' ଓ 'ଡ଼' ସମ୍ପୂର୍ଣ୍ଣ ଅକାରାନ୍ତ ହୋଇ ଉଚ୍ଚାରିତ ହୋଇଥାଏ। ଅର୍ଥାତ୍ ହିନ୍ଦୀ ପରି ଶବ୍ଦ ଶେଷରେ ଥିଵା 'ଅ' ଧ୍ୱନିକୁ ଆମେ ଲୋପ କରୁନାହିଁ। ଏହା ସହିତ ଓଡ଼ିଆ ଭାଷାର ଵର୍ଣ୍ଣଦ୍ୱିତ୍ୱକରଣ (Gemination) ନିୟମ ଅତ୍ୟନ୍ତ ସ୍ୱତନ୍ତ୍ର। ଶବ୍ଦ ଗଠନ ବେଳେ ‘ର୍’ (ରେଫ୍) ଯୁକ୍ତ ହେଲେ ପରଵର୍ତ୍ତୀ ଵ୍ୟଞ୍ଜନ ଵର୍ଣ୍ଣ ପ୍ରାୟତଃ ଦ୍ୱିତ୍ୱ ହୋଇଯାଏ, ଯେପରିକି 'ର୍' ଓ 'ଣ' ମିଶି 'ର୍ଣ୍ଣ' (rṇṇa) ସୃଷ୍ଟି ହୁଏ। ତେଣୁ 'କର୍ଣ୍ଣାଟକ' ବନାନ ଓଡ଼ିଆ ଭାଷାର ନିଜସ୍ୱ ଵ୍ୟାକରଣିକ ପରମ୍ପରାକୁ ଵହନ କରିଵା ସହ ଏହାର ମୂଳ ଉଚ୍ଚାରଣକୁ ମଧ୍ୟ ଅକ୍ଷୁଣ୍ଣ ରଖେ। ସେହିପରି 'ନ' ଵର୍ଣ୍ଣର ଦ୍ୱିତ୍ୱକରଣ ଘଟି 'ନ୍ନ' ହୋଇ 'କନ୍ନଡ଼' ଲେଖାଯାଏ। ଏଣୁ ଓଡ଼ିଆ ଭାଷାରେ ଏହି ଶବ୍ଦଗୁଡ଼ିକର ଲିଖନ ଓ ପଠନ କେଵଳ ଏକ ଆଞ୍ଚଳିକ ଶୈଳୀ ନୁହେଁ ଵରଂ ଏହା ମୂଳ ଶବ୍ଦର ପ୍ରକୃତ ସ୍ୱରୂପ ପ୍ରତି ସର୍ଵଶ୍ରେଷ୍ଠ ନ୍ୟାୟ ପ୍ରଦାନ କରିଥାଏ। ହିନ୍ଦୀ ଵା ଇଂରାଜୀ ପ୍ରଭାବରେ ପଡ଼ି ଆମ ଭାଷାରେ 'କର୍ଣ୍ଣାଟକା' ଵା 'କନ୍ନଡ଼ା' କିମ୍ବା 'କନ୍ନାଟକ୍ ଵା କନ୍ନଡ୍' ଲେଖିଵା ବୋଲିଵା ଆମର ସମୃଦ୍ଧ ଭାଷାଗତ ପରମ୍ପରାର ଅଵମାନନା କରିଵା ସଙ୍ଗେ ସମାନ। ଆମର ଅକାରାନ୍ତ ଉଚ୍ଚାରଣ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକର ଉଚ୍ଚାରଣ ଶୈଳୀ ସହ ଅଦ୍ଭୁତ ଭାବରେ ସାମଞ୍ଜସ୍ୟ ରଖିଥିଵାରୁ, ଆମ ପାଇଁ ଓଡ଼ିଆରେ 'କର୍ଣ୍ଣାଟକ ଓ କନ୍ନଡ଼' କହିଵା-ଲେଖିଵା ହିଁ ସର୍ଵଥା ଶୁଦ୍ଧ, ଵ୍ୟାକରଣ ସମ୍ମତ ଓ ପ୍ରାମାଣିକ ଅଟେ।