My Blog List

Showing posts with label ଆମେରିକା. Show all posts
Showing posts with label ଆମେରିକା. Show all posts

Friday, March 13, 2026

Salem witch trials : ଆମେରିକୀୟ ଇତିହାସର ଏକ କଳା ଅଧ୍ୟାୟ

୧୬୯୨ ମସିହାର ଶୀତଦିନ। "ମାସାଚୁସେଟ୍ସ୍‌ ବେ କଲୋନି"ର ଉତ୍ତର ସୀମାରେ ଥିଵା ଏକ ଛୋଟ ଗାଁ ଥିଲା — ସେଲମ୍ ଵିଲେଜ୍। ଚାରିପଟକୁ ଘଞ୍ଚ ଜଙ୍ଗଲ, ସଂକୀର୍ଣ୍ଣ ପଥ, ଏଵଂ ଲମ୍ଵା ଲମ୍ଵା ଶୀତ ରାତି। ଦିନରେ ମଧ୍ୟ ସୂର୍ଯ୍ୟକିରଣ ଗଛର ଘଞ୍ଚ ପତ୍ର ମଧ୍ୟରେ ଛାଣି ହୋଇ ଭୂମିରେ ପଡ଼ିଲା ବେଳେ, ଲାଗୁଥିଲା ସତେ ଯେପରି କେହି ଆଲୋକ ଉପରେ ପରଦା ପକାଇ ଦେଇଛି। ଏହି ଗାଁରେ ପ୍ୟୁରିଟାନ୍ ଲୋକମାନେ ରହୁଥିଲେ । ଏଠାକାର ସ୍ଥାନୀୟ ଲୋକମାନେ ନୈଷ୍ଠିକ ଖିରସ୍ତାନୀ ଏଵଂ ଏହି ରିଲିଜନର କଠୋର ନିୟମ ମଧ୍ୟରେ ବାନ୍ଧି ହୋଇ ଜୀଵନ ନିର୍ଵାହ କରୁଥିଲେ । ନୈଷ୍ଠିକ ଖିରସ୍ତାନୀ ହୋଇଥିଵାରୁ God ଓ Devil ମଧ୍ୟରେ ସଦାସର୍ଵଦା ଚାଲିଥିଵା ସେହି ତଥାକଥିତ ଅଦୃଶ୍ୟ ଯୁଦ୍ଧରେ ପୂର୍ଣ୍ଣ ଵିଶ୍ୱାସ ରଖୁଥିଲେ। ସେମାନଙ୍କ ପାଇଁ ଦୁନିଆ ଦୁଇଟି ଭାଗରେ ଵିଭକ୍ତ ଥିଲା — ଆଲୋକ ଓ ଅନ୍ଧକାର,God ଓ Devil, ପଵିତ୍ର ଓ ଶାପିତ।

ତେବେ ସେହିଦିନିଆ ଏହି ଗାଁରେ ଗୋଟିଏ ରାତିରେ, ଏମିତି କିଛି ଘଟିଲା ଯାହା ସବୁକିଛି ବଦଳାଇ ଦେଲା। ଫେବୃଆରୀ ମାସର ଏକ ଶୀତଳ ରାତିରେ, ପାଷ୍ଟର ସାମୁଏଲ୍ ପାରିଙ୍କ ଘରେ ଅଜବ ଚିତ୍କାର ଶୁଣାଗଲା। ତାଙ୍କ ନଅ ଵର୍ଷର ଝିଅ ବିଟି ପାରି ଏଵଂ ଏଗାର ଵର୍ଷର ଭାଣିଜୀ ଆବିଗେଲ୍ ୱିଲିୟମ୍ସ୍ ହଠାତ୍ ଅଜବ ଵ୍ୟଵହାର କରିଵାକୁ ଲାଗିଲେ। ସେମାନେ ବିଛଣାରେ ଛଟପଟ ହେଵାକୁ ଲାଗିଲେ, ସେମାନଙ୍କ ଶରୀର ବଙ୍କା ହେଵାକୁ ଲାଗିଲା, ମୁହଁରୁ ଅସ୍ପଷ୍ଟ ଓ ଭୟଙ୍କର ଶବ୍ଦ ବାହାରିଲା ଏଵଂ ବେଳେବେଳେ ସେମାନେ ଚେତା ହରାଇଲେ।

ଘର ଲୋକମାନେ ଭୟଭୀତ ହୋଇଗଲେ। ପାଷ୍ଟର ପାରି ପ୍ରଥମେ ଭାବିଲେ ଯେ ହୁଏତ ଏହା କୌଣସି ରୋଗ। ସେ ଗାଁ ଡାକ୍ତର ୱିଲିୟମ୍ ଗ୍ରିଗ୍ସ୍‌ଙ୍କୁ ଡାକିଲେ।
ଡାକ୍ତର ଉଭୟ ଝିଅଙ୍କୁ ପରୀକ୍ଷା କଲେ, ସେମାନଙ୍କ ନାଡ଼ି ପରକ୍ଷୀଲେ, ଆଖି ପରୀକ୍ଷା କଲେ, ଜ୍ୱର ଯାଞ୍ଚ କଲେ।

ତା’ପରେ ଧୀରେ କହିଲା —

"ଏହା କୌଣସି ସାଧାରଣ ରୋଗ ନୁହେଁ। ଏହା... ଶାପ ଵା କଳାଯାଦୁର ପ୍ରଭାବ ହୋଇଥାଇପାରେ।"

ଏହି ଗୋଟିଏ ଵାକ୍ୟ। ଏଵଂ ଏହି ଗୋଟିଏ ଵାକ୍ୟ ଗାଁରେ ନିଆଁ ଲଗାଇ ଦେଲା।

ପ୍ୟୁରିଟାନ୍ ସମାଜରେ ଡାହାଣୀମାନଙ୍କ ଭୟ ପୂର୍ଵରୁ ଥିଲା। ଚର୍ଚ୍ଚରେ ପାଷ୍ଟରମାନେ ଶିକ୍ଷା ଦେଉଥିଲେ ଯେ ଡେଵିଲ୍ ନିଜର ସେଵକ ଡାହାଣୀମାନଙ୍କୁ ପଠାଇ ଭଗଵାନଙ୍କ ଭକ୍ତମାନଙ୍କର କ୍ଷତି କରେ। ବାଇବେଲର ପୁରାତନ ନିୟମ Book of Exodus—22:18ରେ ଲେଖାଅଛି “Thou shalt not suffer a witch to live.” ଅର୍ଥାତ୍ ଡାହାଣୀମାନଙ୍କୁ ଵଞ୍ଚିଵାକୁ ଦେଵା ଉଚିତ୍ ନୁହେଁ।

ଏଵଂ ଏବେ — ଡାକ୍ତର ନିଜେ କହିଦେଲେ ଯେ ଏହା କଳାଯାଦୁ। ଗାଁରେ ଗୁଜବ ଵ୍ୟାପିଗଲା। ସ୍ଥାନୀୟ ଲୋକମାନେ ପରସ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖିଵାକୁ ଲାଗିଲେ। ଘରେ ରାତିରେ କଵାଟ ଵନ୍ଦ ହେଵାକୁ ଲାଗିଲା।

ସେହି witch କିଏ? ସେ କେଉଁଠି ଲୁଚିଛି?

କିଛି ଦିନ ମଧ୍ୟରେ ବିଟି ଓ ଆବିଗେଲ୍ ଭଲ ହୋଇଗଲା ପରେ ତିନି ଜଣ ମହିଳାଙ୍କ ନାଆଁ କହିଲେ। 

ପ୍ରଥମ ନାମ ଥିଲା — Tituba (ଟିଟୁବା)।
ଟିଟୁବା, ପାଷ୍ଟର ପାରିଙ୍କ ଦାସୀ ଥିଲେ, ଯିଏ ବାର୍‌ବାଡୋସ୍ ଦ୍ୱୀପରୁ ଆସିଥିଲେ। ଗାଁରେ ଶୁଣିଵାକୁ ମିଳୁଥିଲା ଯେ ସେ ପିଲାମାନଙ୍କୁ ଅତୃପ୍ତ ଆତ୍ମାମାନଙ୍କ ଵିଷୟରେ, ଅଦୃଶ୍ୟ ଶକ୍ତି ଵିଷୟରେ,ପିଶାଚ-ପିଶାଚୁଣୀ ଓ କଳାଯାଦୁର କାହାଣୀ କହୁଥିଲେ ।

ଝିଅମାନେ କହିଲେ — "ଟିଟୁବା ଆମକୁ Devilର ସେଵା କରିଵାକୁ କହୁଛି।"

ଦ୍ୱିତୀୟ ନାମ ଥିଲା — ସାରା ଗୁଡ୍। ଜଣେ ଗରିବ ଭିକାରୀ ମହିଳା, ଯାହାକୁ ଗାଁ ଲୋକେ ପୂର୍ଵରୁ ପସନ୍ଦ କରୁନଥିଲେ।

ତୃତୀୟ ନାମ ଥିଲା — ସାରା ଓସବର୍ଣ୍ଣ୍। ଜଣେ ମହିଳା ଯିଏ ସମାଜର ପାରମ୍ପରିକ ନିୟମ ମାନୁନଥିଲେ।

ଏହି ତିନି ଜଣଙ୍କୁ ଗିରଫ କରାଗଲା।

କୋର୍ଟରେ ଟିଟୁବାଙ୍କୁ ପଚରାଉଚରା କରାଗଲା।
ପ୍ରଥମେ ସେ ମନା କଲେ। ତା’ପରେ — ହୁଏତ ଭୟରୁ, ହୁଏତ ବଞ୍ଚିଵା ପାଇଁ — ସେ ଏକ ଭୟଙ୍କର କାହାଣୀ କହିଲେ।

ସେ କହିଲା —"ହଁ, ମୁଁ ଡେଵିଲ୍‌କୁ ଦେଖିଛି। ସେ ଏକ କଳା ବହି ଧରି ଆସିଥିଲା। ସେ କହିଲା — ଏଥିରେ ଦସ୍ତଖତ କର ଏଵଂ ମୁଁ ଦସ୍ତଖତ କରି ଦେଇଛି।" ସେ ଏହା ମଧ୍ୟ କହିଲା ଯେ ୟେ ଗାଁରେ ଆହୁରି ଅନେକ witch ଅଛନ୍ତି। ସେ ନାମ କହିଲା ନାହିଁ, କିନ୍ତୁ ତାହା ଯଥେଷ୍ଟ ଥିଲା।

ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି ତାଙ୍କୁ ଫାଶୀରୁ ଵଞ୍ଚାଇଲା, କାରଣ କୋର୍ଟ "ସହଯୋଗୀ ସାକ୍ଷୀ" ମାନଙ୍କୁ କ୍ଷମା କରୁଥିଲା। Tituba ଆଦାଲତରେ witchcraft କଥା ସ୍ଵୀକାର କରିଥିଵାରୁ ତାଙ୍କୁ ସହଜରେ ମାରି ଦିଆଯାଇନଥିଲା, କିନ୍ତୁ ତାଙ୍କୁ ଜେଲ୍‌ରେ ରଖାଗଲା। ସେ ୧୬୯୨ରୁ ୧୬୯୩ ପର୍ଯ୍ୟନ୍ତ ପ୍ରାୟ ଏକ ଵର୍ଷ ଜେଲ୍‌ରେ ରହିଥିଲେ। ସେ ସମୟରେ ଜେଲ୍‌ର ଖର୍ଚ୍ଚ ମଧ୍ୟ ବନ୍ଦୀଙ୍କ ମାଲିକଙ୍କୁ ଦେଵାକୁ ପଡୁଥିଲା। ତାଙ୍କ ମାଲିକ Samuel Parris ଜେଲ୍ ଖର୍ଚ୍ଚ ଦେଵାକୁ ଇଚ୍ଛା କଲେ ନାହିଁ।
ତେଣୁ ସେ ଜେଲ୍‌ରେ ରହିଗଲେ। ୧୬୯୩ରେ ଜଣେ ଅଜଣା ବ୍ୟକ୍ତି ଜେଲ୍‌ର ଖର୍ଚ୍ଚ ଦେଇ Titubaଙ୍କୁ କିଣିନେଲେ। ତାପରେ ସେ କେଉଁଠି ଗଲେ, କେମିତି ଜୀଵନ କଟାଇଲେ ଇତିହାସରେ ଏହାର ନିଶ୍ଚିତ ତଥ୍ୟ ମିଳେନି। ତେଣୁ ଐତିହାସିକମାନେ କହନ୍ତି 
Titubaଙ୍କ ଜୀବନର ପରଵର୍ତ୍ତୀ ଅଧ୍ୟାୟ ଇତିହାସରେ ଅଦୃଶ୍ୟ ହୋଇଯାଇଛି। ହୋଇପାରେ
ଅନ୍ୟତ୍ର Tituba ଦାସୀ ଭାବେ ଜୀଵନ କଟାଇଥିବେ
କିମ୍ବା କୌଣସି ଅନ୍ୟ ଦ୍ୱୀପ କିମ୍ବା ଉପନିଵେଶକୁ ନେଇଯାଇଥିବେ କିନ୍ତୁ ତାହାର ପ୍ରମାଣ ମିଳିନାହିଁ।

ତେବେ Titubaଙ୍କ ବୟାନ ପରେ କୋର୍ଟ ଉତ୍ସାହିତ ହୋଇଗଲା। ଲୋକମାନେ ଭୟଭୀତ ହୋଇଗଲେ ଏଵଂ ଅଭିଯୋଗର ଶୃଙ୍ଖଳା ଆରମ୍ଭ ହେଲା।

ସେତେବେଳେ ଏହି ଵିଚାରରେ ଏକ ପ୍ରକାରର "ପ୍ରମାଣ" ଵ୍ୟଵହାର କରାଯାଉଥିଲା ଯାହା ଆଜିର କୌଣସି କୋର୍ଟରେ ଗ୍ରହଣୀୟ ହେଵ ନାହିଁ —

"ସ୍ପେକ୍ଟ୍ରାଲ୍ ଏଭିଡେନ୍ସ ଵା ଆତ୍ମାର ପ୍ରମାଣ।" 

ମେ ୧୬୯୨ ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ ଏକ ସ୍ୱତନ୍ତ୍ର କୋର୍ଟ — କୋର୍ଟ ଅଫ୍ ଓୟର୍ ଆଣ୍ଡ୍ ଟର୍ମିନର୍ — ଗଠନ କଲେ।

ଏହି କୋର୍ଟର ସବୁଠାରୁ ବଡ଼ ଓ ମାରାତ୍ମକ ଵୈଶିଷ୍ଟ୍ୟ ଥିଲା — ସ୍ପେକ୍ଟ୍ରାଲ୍ ଏଭିଡେନ୍ସ୍‌କୁ ସ୍ୱୀକୃତି।

ଏହାର ଅର୍ଥ ଥିଲା — ଯଦି କେହି ଦାବି କରେ ଯେ ସେ କୌଣସି ଅଭିଯୁକ୍ତର "ଆତ୍ମା" କିମ୍ବା "ଛାୟା" ଦେଖିଛି ଯିଏ ତାକୁ କଷ୍ଟ ଦେଉଥିଲା — ତେବେ ଏହାକୁ କୋର୍ଟରେ ଵୈଧ ପ୍ରମାଣ ବୋଲି ମାନୁଥିଲେ।
ଏହି ପ୍ରମାଣ ଯାଞ୍ଚ କରାଯାଇପାରୁନଥିଲା, କାଟି ହେଉନଥିଲା। ଅଭିଯୁକ୍ତର ରକ୍ଷା ପାଇଁ କୌଣସି ପନ୍ଥା ନଥିଲା। ଏହି ନିୟମ ସମ୍ପୂର୍ଣ୍ଣ ଵିଚାରକୁ ଏକ ଯୁକ୍ତିହୀନ, ନିର୍ଦ୍ଦୟ ପ୍ରକ୍ରିୟାରେ ପରିଣତ କଲା।

ଅର୍ଥାତ୍ — ଯଦି କେହି କହେ, "ମୁଁ ରାତିରେ କାହାର ଆତ୍ମା ଦେଖିଲି ଯିଏ ମୋତେ କଷ୍ଟ ଦେଉଥିଲା" — ତେବେ କୋର୍ଟ ଏହାକୁ ପ୍ରମାଣ ବୋଲି ମାନୁଥିଲା।
ଏହି ନିୟମ ଶହ ଶହ ନିରୀହ ଲୋକଙ୍କୁ ଅଭିଯୁକ୍ତ କରିଦେଲା।

ଥରେ ପ୍ରକ୍ରିୟା ଆରମ୍ଭ ହେଵା ପରେ ଅଭିଯୋଗ କରିଵା ସହଜ ହୋଇଗଲା। ଯେଉଁମାନେ ଅଭିଯୋଗ କରୁଥିଲେ, ସେମାନଙ୍କୁ ସମାଜରେ "ପୀଡ଼ିତ" ର ମାନ୍ୟତା ମିଳୁଥିଲା। ଯେଉଁମାନେ ମନା କରୁଥିଲେ, ସେମାନେ ସନ୍ଦେହୀ ହୋଇଯାଉଥିଲେ। ଯେଉଁମାନେ ସ୍ୱୀକାର କରୁଥିଲେ ଏଵଂ ଅନ୍ୟମାନଙ୍କ ନାମ ନେଉଥିଲେ, ସେମାନେ ଵଞ୍ଚିଯାଉଥିଲେ। ଏହି ଵ୍ୟଵସ୍ଥା ଏକ ଭୟଙ୍କର ଚକ୍ର ସୃଷ୍ଟି କଲା।

ବାର ଵର୍ଷ ଵୟସ୍କା ଆନ୍ ପୁଟନମ୍ ଜୁନିୟର ସର୍ଵାଧିକ ଲୋକଙ୍କ ଵିରୋଧରେ ଡାହାଣୀ ଅଭିଯୋଗ କରିଥିଲା। ସେ ନିଜକୁ 'ଡାହାଣୀ ଵା Witch'ଦ୍ଵାରା ପୀଡ଼ିତ ଦେଖାଇ ଡଜନ ଡଜନ ଲୋକଙ୍କ ଉପରେ ଅଭିଯୋଗ ଆଣିଥିଲା । 

ଜୁନ୍ ୧୬୯୨ରେ ପ୍ରଥମ ଫାଶୀ ହେଲା।

ବ୍ରିଜେଟ୍ ବିଶପ୍‌ଙ୍କୁ ଗ୍ୟାଲୋସ୍ ହିଲ୍‌ରେ ଫାଶୀ ଦିଆଗଲା। ତାଙ୍କର "ଅପରାଧ" ଥିଲା — ଅଜବ ପୋଷାକ ପିନ୍ଧିଵା ଏଵଂ ରାତିରେ ଘରେ ନରହି ବାହାରେ ବୁଲିଵା। ତା’ପରେ ଜଣକ ପରେ ଜଣେ ଏହିପରି ୧୯ ଲୋକଙ୍କୁ ଏହିପରି ଫାଶୀ ମିଳିଲା।
୨୦୦ ଲୋକଙ୍କୁ witch ସନ୍ଦେହରେ ଅଭିଯୁକ୍ତ କରାଯାଇଥିଲା । ପାଞ୍ଚଜଣ ପୁରୁଷ ଓ ଚଉଦ ଜଣ ମହିଳାଙ୍କୁ ଫାଶୀ ଦିଆଗଲା । ଜଣେ ପୁରୁଷକୁ ପଥର ତଳେ ଚାପି ଦିଆଗଲା । ଅନ୍ୟ ପାଞ୍ଚଜଣ ଜେଲ୍ ମଧ୍ୟରେ ଅନାହାର ଓ ରୋଗ ଯୋଗୁଁ ମରିଥିଲେ । କେତେକଙ୍କୁ witch ସନ୍ଦେହ କରାଯାଇ ଘର ଜଳେଇ ଦିଆଗଲା । ଅନେକଙ୍କୁ ଅସଦାଚରଣ କରାଗଲା । ଛୋଟ ପିଲାମାନଙ୍କୁ witch ସନ୍ଦେହ କରାଯାଉଥିଵା ମହିଳାମାନଙ୍କ ଉପରକୁ ପଥର ଫିଙ୍ଗିଵାକୁ ଉତ୍ସାହିତ କରାଗଲା । 
ରେବେକା ନର୍ସ ୭୧ ଵର୍ଷୀୟା ମହିଳା ଥିଲେ, ଗାଁରେ ତାଙ୍କର ବହୁତ ସମ୍ମାନ ଥିଲା। ତାଙ୍କ ପରିଵାର ତାଙ୍କ ପାଇଁ ଏକ ଆଵେଦନରେ ସ୍ୱାକ୍ଷର କରିଥିଲେ ଯେଉଁଥିରେ ୩୯ ଜଣ ଲୋକ ସ୍ୱାକ୍ଷର କରିଥିଲେ। ପ୍ରଥମ ଜୁରି ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ଯେତେବେଳେ କୋର୍ଟର ଵିଚାରପତି ୱିଲିୟମ୍ ଷ୍ଟୋଟନ ଜୁରିଙ୍କୁ ପୁନଃ ଵିଚାର କରିଵାକୁ କହିଲେ, ସେତେବେଳେ ନିଷ୍ପତ୍ତି ବଦଳାଇ ଦିଆଗଲା। ଜୁଲାଇ ୧୬୯୨ ରେ ରେବେକା ନର୍ସଙ୍କୁ ଫାଶୀ ଦିଆଗଲା।

ଜର୍ଜ୍ ବରୋଜ୍‌ଙ୍କ ମାମଲା ଵିଶେଷ ଭାଵରେ ଉଲ୍ଲେଖନୀୟ ଅଟେ। ସେ ଜଣେ ପୂର୍ଵତନ ପାଷ୍ଟର ଥିଲେ। ଫାଶୀ ଘାଟିକାରେ ସେ Lord's Prayer ସମ୍ପୂର୍ଣ୍ଣ ଭାବେ ଏଵଂ ଵିନା କୌଣସି ଭୁଲ୍‌ରେ ପଢ଼ିଲେ । ସେହି ସମୟରେ ଏହା ଵିଶ୍ୱାସ କରାଯାଉଥିଲା ଯେ କୌଣସି Witch ଏହା କରିପାରିଵ ନାହିଁ। ଭିଡ଼ ଦ୍ୱିଧାବୋଧ କଲା। କିନ୍ତୁ କଟନ ମାଥର ନାମକ ଜଣେ ପ୍ରଭାଵଶାଳୀ ପାଷ୍ଟର୍ ଘୋଡ଼ା ପିଠିରେ ବସି ଭିଡ଼କୁ ବୁଝାଇଲେ ଯେ ଏହା ଡେଵିଲ୍‌ର ଏକ କୌଶଳ। ତାଙ୍କ କଥାରେ ପ୍ରଭାଵିତ ହୋଇ ଜର୍ଜ୍ ବରୋଜ୍‌ଙ୍କୁ ଫାଶୀ ଦିଆଗଲା।

ସବୁଠାରୁ ଦୁଃଖଦାୟକ କାହାଣୀ ଥିଲା ଜାଇଲ୍ସ କୋର୍‌ଙ୍କର। ଜାଇଲ୍ସ କୋର ଜଣେ ୮୦ ଵର୍ଷୀୟ ଚାଷୀ ଥିଲେ। ତାଙ୍କ ଉପରେ ମଧ୍ୟ ଅଭିଯୋଗ ଲାଗିଥିଲା। କିନ୍ତୁ ସେ କୋର୍ଟରେ plea ଦେଵାକୁ ମନା କରିଦେଲେ।

ସେହି ସମୟର ଆଇନ ଅନୁଯାୟୀ ଯେଉଁମାନେ ପ୍ଲି ଦେଉନଥିଲେ, ସେମାନଙ୍କୁ peine forte et dure ଅର୍ଥାତ୍ ଛାତିରେ ପଥର ରଖି ସ୍ୱୀକାରୋକ୍ତି କରାଇଵା ଭଳି ନିର୍ଦ୍ଦୟ ଦଣ୍ଡ ଦିଆଯାଇପାରୁଥିଲା। ୧୭ ସେପ୍ଟେମ୍ଵର ୧୬୯୨ ରେ ଜାଇଲ୍ସ କୋରଙ୍କୁ ଭୂଇଁରେ ଶୁଆଇ ତାଙ୍କ ଛାତିରେ ପଥର ରଖାଗଲା। ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିଲା। ଲୋକମାନେ କହିଲେ ଯେ ଯେତେବେଳେ ପଥର ରଖିଥିଵା ଶେରିଫ୍ ପଚାରିଲେ — "ତୁମେ Plea ଦେଉଛ କି?" — ଜାଇଲ୍ସ କୋର ପ୍ରତିଥର ସମାନ ଉତ୍ତର ଦେଲେ —

"ଆହୁରି ପଥର ରଖ।" 

ତାଙ୍କର ମୃତ୍ୟୁ ଏକ ଶାନ୍ତ ଵିଦ୍ରୋହ ଥିଲା — ସେ କୋର୍ଟକୁ ନିଜର ସମ୍ପତ୍ତି ଜଵତ କରିଵାର ସୁଯୋଗ ଦେଲେ ନାହିଁ, କାରଣ ବିନା ଵିଚାରରେ ଦୋଷୀ ସାଵ୍ୟସ୍ତ ହେଲେ ସମ୍ପତ୍ତି ପରିଵାରକୁ ମିଳୁଥିଲା।

ଏମିତି ଅନେକ ଲୋକଙ୍କୁ witch ସନ୍ଦେହ କରି ଫାଶୀ ଦିଆଗଲା । ଶେଷରେ ଅକ୍ଟୋଵର ୧୬୯୨ରେ ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ ହସ୍ତକ୍ଷେପ କଲେ।
କାରଣ ତାଙ୍କ ନିଜ ସ୍ତ୍ରୀଙ୍କୁ witch ସନ୍ଦେହ କରି ଅଭିଯୋଗ ଆସିଥିଲା। ଗଭର୍ଣ୍ଣର ୱିଲିୟମ୍ ଫିପ୍ସ୍ କୋର୍ଟ ବନ୍ଦ କଲେ। ସ୍ପେକ୍ଟ୍ରାଲ୍ ଏଭିଡେନ୍ସକୁ ଅଵୈଧ ଘୋଷଣା କଲେ। ୧୬୯୩ରେ ବାକି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଗଲା।

୧୭୦୨ରେ ମାସାଚୁସେଟ୍ସ ଵିଧାନସଭା ଏହି ଵିଚାରଗୁଡ଼ିକୁ ଅଵୈଧ ଘୋଷଣା କଲେ। ୧୭୧୧ରେ ପୀଡ଼ିତ ପରିଵାରଗୁଡ଼ିକୁ କିଛି କ୍ଷତିପୂରଣ ଦିଆଗଲା।
୧୯୫୭ରେ ମାସାଚୁସେଟ୍ସ ସରକାର ଆନୁଷ୍ଠାନିକ ଭାବେ କ୍ଷମା ମାଗିଲେ। ୨୦୦୧ରେ ଆନୁଷ୍ଠାନିକ ଭାବେ ବାକି ସମସ୍ତ ଅଭିଯୁକ୍ତଙ୍କ ନାମ ନିର୍ଦ୍ଦୋଷ ଘୋଷଣା କରାଗଲା।

ଆନ୍ ପୁଟନମ ଜୁନିୟର — ଯିଏ ସବୁଠାରୁ ଅଧିକ ଅଭିଯୋଗ ଆଣିଥିଲେ — ୧୭୦୬ରେ ଚର୍ଚ୍ଚରେ ସର୍ଵସାଧାରଣରେ କ୍ଷମା ମାଗିଲେ। ସେ କହିଲେ —

"ମୁଁ ଯାହା କରିଥିଲି ତାହା ଡେଵିଲ୍‌ର କୌଶଳରୁ ନୁହେଁ, ଵରଂ ମୋର ନିଜର ଅଜ୍ଞତା ଏଵଂ ଭ୍ରମରୁ ହୋଇଥିଲା। ଏଵଂ ମୁଁ ସେମାନଙ୍କୁ କ୍ଷମା ମାଗୁଛି ଯେଉଁମାନେ ମୋ ଯୋଗୁଁ କଷ୍ଟ ପାଇଛନ୍ତି।"

ଆଜି ସେଲମ୍, ମାସାଚୁସେଟ୍ସଠାରେ ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଅଛି — ଯେଉଁଠାରେ ପ୍ରତ୍ୟେକ ମୃତ ଵ୍ୟକ୍ତିଙ୍କ ନାମ ପାଇଁ ଏକ ପଥରର ବେଞ୍ଚ୍ ଅଛି। ଏହା ପାଖରେ ୱିଚ୍ ହାଉସ୍ ଅଛି — ଵିଚାରପତି ଜୋନାଥନ୍ କୋରୱିନ୍‌ଙ୍କ ଘର, ଯାହା ସେହି ସମୟର ଏକମାତ୍ର ଵଞ୍ଚିଯାଇଥିଵା ଘର ଅଟେ। ପ୍ରତିଵର୍ଷ ହଜାର ହଜାର ଲୋକ ସେଠାକୁ ଆସନ୍ତି।କିଛି ଇତିହାସ ଜାଣିଵାକୁ, କିଛି ଶ୍ରଦ୍ଧାଞ୍ଜଳି ଦେଵାକୁ।

ସେଲମ୍ ୱିଚ୍ ଟ୍ରାୟଲ୍ସ ମେମୋରିଆଲ୍ ଏକ ଶାନ୍ତ ଏଵଂ ମର୍ଯ୍ୟାଦାସମ୍ପନ୍ନ ସ୍ଥାନ। ଏଠାରେ ୧୯ଟି ପଥରର ବେଞ୍ଚ୍ ଅଛି, ଯେଉଁଥିରେ ପ୍ରତ୍ୟେକ ପୀଡ଼ିତଙ୍କ ନାମ ଖୋଦିତ ହୋଇଛି। ଲୋକମାନେ ସେଠାରେ ଫୁଲ ରଖନ୍ତି, ମହମଵତୀ ଜଳାନ୍ତି। ଏହା ଏମିତି ଏକ ସ୍ଥାନ ଯେଉଁଠାରେ ଅତୀତର ଯନ୍ତ୍ରଣାକୁ ମନେ ରଖାଯାଏ। ଏହି ସ୍ମାରକୀ କେଵଳ ସେହି ଲୋକମାନଙ୍କୁ ସମ୍ମାନ ଦିଏ ନାହିଁ ଯେଉଁମାନେ ପ୍ରାଣ ହରାଇଛନ୍ତି, ଵରଂ ଏହା ସେହି ସମୟର ପ୍ରତିଫଳନ ପାଇଁ ମଧ୍ୟ ଉଦ୍ଦିଷ୍ଟ — ଯେପରି କେବେ ପୁଣି ଏପରି କିଛି ନଘଟୁ।

ଆଜି ସେଲମ୍ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ଲୋକମାନେ ସେଠାକୁ କେଵଳ ଭୂତ କାହାଣୀ ଶୁଣିଵା ପାଇଁ ନୁହେଁ, ଵରଂ ପ୍ରକୃତ ଇତିହାସ ବୁଝିଵା ପାଇଁ ଆସନ୍ତି। ସେଲମ୍ ୱିଚ୍ ମ୍ୟୁଜିୟମ୍‌ରେ ପୁରୁଣା ଦଲିଲ, କଳାକୃତି ଏଵଂ ପ୍ରଦର୍ଶନୀ ଅଛି। ଲୋକମାନେ ସେହି witch trialଗୁଡ଼ିକର ଵାସ୍ତଵତା ଵିଷୟରେ ଜାଣନ୍ତି — କିପରି ଭୟ ଅହିଂସାକୁ ନଷ୍ଟ କରିଦେଇଥିଲା। ସ୍କୁଲ୍‌ର ପିଲାମାନେ ଫିଲ୍ଡ୍ ଟ୍ରିପ୍‌ରେ ଆସନ୍ତି, ଐତିହାସିକମାନେ ଗଵେଷଣା କରନ୍ତି, ଲେଖକମାନେ ପ୍ରେରଣା ଖୋଜନ୍ତି।

ପ୍ରତି ଅକ୍ଟୋଵର ମାସରେ ସେଲମ୍‌ରେ ସେଲମ୍ ୱିଚ୍ ଟ୍ରାୟଲ୍ସ ରି-ଏନେକ୍ଟ୍‌ମେଣ୍ଟ୍ ଆୟୋଜନ କରାଯାଏ। ସ୍ଥାନୀୟ ଲୋକମାନେ ସେହି ସମୟର ପୋଷାକ ପିନ୍ଧି ସେହି ଘଟଣାଗୁଡ଼ିକୁ ପୁନର୍ଵାର ଦେଖାନ୍ତି। କିନ୍ତୁ ଏହା କେଵଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଏକ ଶିକ୍ଷା — ଯେପରି ଲୋକମାନେ ସେହି ଦୁଃଖଦ ଘଟଣାର ଗୁରୁତ୍ୱ ବୁଝିପାରନ୍ତୁ।


Salem Witch Trials ଘଟଣାର ପ୍ରକୃତ କାରଣ ଵିଷୟରେ ଆଜି ପର୍ଯ୍ୟନ୍ତ ଅନେକ ଗଵେଷଣା ହୋଇଛି । ଐତିହାସିକ ଓ ଗଵେଷକମାନେ ଏହି ଘଟଣା ପଛରେ ଅନେକ କାରଣ ଖୋଜି ପାଇଛନ୍ତି । 

ସେଲ୍‌ମ ଘଟଣାର ଏକ ପ୍ରସିଦ୍ଧ ବୈଜ୍ଞାନିକ ବ୍ୟାଖ୍ୟା 1976 ମସିହାରେ ମିଳିଥିଲା। ଵୈଜ୍ଞାନିକ ଲିଣ୍ଡା ଆର. କାପୋରାଲ୍ ଏହି ତତ୍ତ୍ୱ ପ୍ରସ୍ତାବ କରିଥିଲେ ଯେ "Salem Witch Trials"ର ମୁଖ୍ୟ କାରଣ ଥିଲା ergot fungus ଵା କବକର ସଂକ୍ରମଣ। ଏହି କବକ rye ଶସ୍ୟ(Secale cereale) ଏବଂ ଅନ୍ୟାନ୍ୟ ଶସ୍ୟରେ ବଢ଼ିଥାଏ ତଥା ଏଥିରେ ergotamine ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହା LSD ସହିତ ସମାନ। LSDର ପୂରା ନାମ Lysergic Acid Diethylamide ଅଟେ । ଏହା ଏକ ଶକ୍ତିଶାଳୀ psychedelic drug — ଅର୍ଥାତ୍ ଏହା ମସ୍ତିଷ୍କ ଉପରେ ଏତେ ଗଭୀର ପ୍ରଭାଵ ପକାଏ ଯେ ଵ୍ୟକ୍ତି ଅସଲ ଜଗତ ଏଵଂ କଳ୍ପନା ମଧ୍ୟରେ ପ୍ରଭେଦ କରିପାରେ ନାହିଁ। LSD ପ୍ରଥମ ଥର 1938 ମସିହାରେ ସ୍ୱିସ୍ ରସାୟନ ଵିଜ୍ଞାନୀ Albert Hofmann ପ୍ରସ୍ତୁତ କରିଥିଲେ। ଏହା ପ୍ରଥମେ ଏକ ଔଷଧ ଭାବେ ତିଆରି ହୋଇଥିଲା, କିନ୍ତୁ ପରୀକ୍ଷା ସମୟରେ ଏହାର ତୀଵ୍ର ମନଃ-ପ୍ରଭାବ ଜଣାପଡ଼ିଲା। ଏହା ଅର୍ଗଟ୍ ଫଙ୍ଗସ୍‌ରୁ ମିଳୁଥିଵା Lysergic Acidରୁ ତିଆରି — ଏଣୁ Salem Witch Trials ସହ ଏହାର ଯୋଗସୂତ୍ର ଅଛି।

LSD ମସ୍ତିଷ୍କର serotonin receptor ଉପରେ କାର୍ଯ୍ୟ କରେ। ଏହା ଖାଇଲେ—ଅଵାସ୍ତଵ ଦୃଶ୍ୟ ଦେଖାଯାଏ ଵା visual hallucinations ହୁଏ । ରଙ୍ଗ, ଶବ୍ଦ, ସ୍ପର୍ଶ ଅଲଗା ଅନୁଭୂତ ହୁଏ । ସମୟ ଓ ସ୍ଥାନ ର ବୋଧ ନଷ୍ଟ ହୁଏ । ଗଭୀର ଭ୍ରମ ଓ ଭୟ ଆସିପାରେ । LSDର ଏକ ଛୋଟ ଡୋଜ୍ ୮–୧୨ ଘଣ୍ଟା ପର୍ଯ୍ୟନ୍ତ ମନକୁ ପ୍ରଭାଵିତ କରିଥାଏ। 

ଠିକ୍ ସେହିପରି Convulsive ergotismର ଲକ୍ଷଣଗୁଡ଼ିକ ହେଲା: ମାନସିକ ବିକୃତି ଵା Psychosis,ଭ୍ରମ ଵା Hallucinations,ଶରୀରର ମାଂସପେଶୀ ହଲଚଲ ହେଵା ଵା Muscle spasms ଏଵଂ ଚର୍ମରେ କିଛି ପୋକ ଵା ବିଛା ଚାଲୁଥିଵା ଭଳି ଲାଗିଵା ଇତ୍ୟାଦି। ଏହି ସବୁ ଲକ୍ଷଣ 1692 ମସିହାର ସେଲ୍‌ମର ଐତିହାସିକ ରେକର୍ଡରେ ଦେଖିଵାକୁ ମିଳିଛି। 

ଲିଣ୍ଡା କାପୋରାଲ୍, ସେଲ୍‌ମର ତତ୍କାଳୀନ ଲୋକଙ୍କ ଡାଏରୀରେ ଦେଖିଲେ ଯେ 1691 ମସିହାର ପାଣିପାଗ ଗରମ, ଆର୍ଦ୍ର ଓ ଵର୍ଷାଯୁକ୍ତ ଥିଲା, ଯାହା ଏର୍ଗଟ୍ କବକ ବଢ଼ିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା। ପ୍ରାୟ ସମସ୍ତ ଅଭିଯୋଗ କରିଥିଵା ଝିଅମାନେ ପଶ୍ଚିମ ସେଲମ୍ ଵିଲେଜ୍ ଅଞ୍ଚଳର ଥିଲେ, ଯେଉଁଠାରେ କବକ ବଢ଼ିଵା ପାଇଁ ଉପଯୁକ୍ତ ପରିଵେଶ ଥିଲା। ସେହି ସମୟରେ Rye ଶସ୍ୟ ସେଲମ୍‌ର ମୁଖ୍ୟ ଖାଦ୍ୟ ଶସ୍ୟ ଥିଲା।
Rye ଏକ ଶକ୍ତ cereal grain ଯାହା Poaceae ପରିଵାରର ଅନ୍ତର୍ଭୁକ୍ତ ଏଵଂ ଏହା ଗହମ ଓ ବାର୍ଲି ସହିତ ଘନିଷ୍ଠ ଭାବେ ଜଡ଼ିତ। ସମଶୀତୋଷ୍ଣ ଅଞ୍ଚଳରେ ଵିଶେଷ କରି Europe ଓ Russiaରେ ଚାଷ କରାଯାଉଥିବା rye, ଅଳ୍ପ ଉର୍ଵର ମାଟି ତଥା ଶକ୍ତ ପାଗକୁ ସହ୍ୟ କରିଵା ପାଇଁ ଜଣାଶୁଣା।

ଏହାର ପତ୍ରଗୁଡ଼ିକ ଗହମ ଅପେକ୍ଷା ଲମ୍ବା ଏଵଂ ଏହାର ଦାନାଗୁଡ଼ିକ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ ‌। ଏହା -30°C ପର୍ଯ୍ୟନ୍ତ ତାପମାତ୍ରା ଏଵଂ ଅମ୍ଳୀୟ ମାଟିକୁ ସହ୍ୟ କରିପାରେ । ଏହାର ଚେରଗୁଡ଼ିକ ବହୁତ ଗଭୀର ଭାବେ ଵିସ୍ତାରିତ ହୋଇଥାଏ, ଯାହା ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଉତ୍କୃଷ୍ଟ କରିଥାଏ । ଐତିହାସିକ ଭାବେ, ଯେଉଁ ଅଞ୍ଚଳରେ ଗହମ ଭଲ ଭାବେ ହେଉନଥିଲା, ସେହି ଶକ୍ତ ମାଟିରେ rye ଏକ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ହୋଇ ରହିଥିଲା। ଏହା Russian rye bread (ଯାହାକୁ "black bread" କୁହାଯାଏ) ଏଵଂ Polish rye whiskey ଭଳି ପାରମ୍ପରିକ ଖାଦ୍ୟର ମୁଖ୍ୟ ଆଧାର। ଏହାର ଅଧିକ fiber ଓ protein ଯୋଗୁଁ ଏହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ମନେ କରାଯାଏ।

Rye ପ୍ରଥମେ ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଆମେରିକାକୁ ୟୁରୋପୀୟମାନଙ୍କ ଦ୍ଵାରା ଆସିଥିଲା। Dutch ଲୋକମାନଙ୍କ ଦ୍ବାରା ୧୬୨୫ ଅଗଷ୍ଟ ମାସରେ Manhattan Island (New Amsterdam)ରେ ପ୍ରଥମ American-grown rye ଅମଳ କରାଯାଇଥିଲା। ଏହି ଶସ୍ୟ Lynn, Massachusetts (1633) ଓ Jamestown, Virginia (1628)ରେ ମଧ୍ୟ ଚାଷ କରାଗଲା। Rye ମୁଖ୍ୟତଃ "ଅମ୍ଳୀୟ ବାଲୁକାମୟ ହିମନଦୀୟ ମାଟି" ଵା acidic sandy glacial soils ପାଇଁ ଉପଯୁକ୍ତ ଥିଲା, ଯାହା ଆମେରିକୀୟ ପୂର୍ଵ ଉପକୂଳର ଅନେକ ଅଞ୍ଚଳରେ ଦେଖିଵାକୁ ମିଳେ। ଏହା ଶୀତ ଋତୁରେ ବହୁତ ଭଲ ଭାବରେ ବଢ଼େ ଏଵଂ ରୋଗ ପ୍ରତିରୋଧକ ଶକ୍ତି ରଖୁଥିଵାରୁ ଏହା ଏକ ଭଲ ଶୀତକାଳୀନ ଫସଲ ଥିଲା । ଅଵଶ୍ୟ ଆଧୁନିକତାର ଚାପରେ ପଡ଼ି ୧୯୫୦ ଦଶକରୁ ଆମେରିକାରେ ryeର ଵ୍ୟଵହାର ବହୁତ କମିଯାଇଛି। ଯଦିଓ rye କେବେ ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଵିଶେଷ କରି ଉତ୍ତର ଓ ପୂର୍ଵ ୟୁରୋପରେ ଏହା ଏକ ମୁଖ୍ୟ ଖାଦ୍ୟ ଭାବରେ ଆଜି ବି ଚାଷ କରାଯାଉଛି, କିନ୍ତୁ ଆମେରକୀୟ ଚାଷକ୍ଷେତ୍ରରେ ଓ ରୋଷେଇ ଘରେ ଏହାର ଵ୍ୟଵହାର ବହୁତ କମିଯାଇଛି । 
Salem Witch Trials ସମୟରେ, rye ପ୍ରକୃତରେ Massachusetts Bay Colonyର ଅନେକ ଗୋରା ଲୋକଙ୍କ ପାଇଁ ଏକ ମୁଖ୍ୟ ଶସ୍ୟ ଥିଲା, କିନ୍ତୁ ଏହା ସେମାନଙ୍କର ଏକମାତ୍ର ଵା ସବୁଠାରୁ ଭଲ ଵିକଳ୍ପ ନଥିଲା।

Rye ଥିଲା Massachusetts Bay Colonyର ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଶସ୍ୟ ଵିଶେଷ କରି ସେହି ଗୋରା ଵସତିଵାସୀଙ୍କ ପାଇଁ ଯେଉଁମାନେ ଗହମ କିଣିଵା ପାଇଁ ସକ୍ଷମ ନଥିଲେ। Purdueର ଗଵେଷଣା ଅନୁଯାୟୀ, rye "ଗହମ ଅପେକ୍ଷା ଏକ ଶସ୍ତା ଶସ୍ୟ ଥିଲା ଏବଂ ergot ଭଳି ରୋଗ ଦ୍ୱାରା ଏହା କମ୍ ପ୍ରଭାଵିତ ହେଉଥିଲା," ଯାହା ଏହାକୁ ସୀମିତ ଆର୍ଥିକ ସମ୍ବଳ ଥିଵା ସମୁଦାୟଗୁଡ଼ିକ ପାଇଁ ଏକ ସୁଲଭ ବିକଳ୍ପ ଭାବରେ ଗଢ଼ି ତୋଳିଥିଲା । 
Salemର ସାମାଜିକ ଓ ଅର୍ଥନୈତିକ ସଂରଚନା ଏହି ଶସ୍ୟ ଵ୍ୟଵହାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରଦାନ କରେ। Salem Town, ଯେଉଁଠି ଧନୀ ଵ୍ୟଵସାୟୀ ଏଵଂ ବନ୍ଦର ସହରର ଲୋକ ରହୁଥିଲେ, ସେଠାରେ ଲୋକମାନେ ଗହମ ଭଳି ଭଲ ଶସ୍ୟ କିଣିଵାକୁ ସକ୍ଷମ ଥିଲେ। କିନ୍ତୁ, Salem Village - ଯାହା ଏକ "ଦରିଦ୍ର, ଗ୍ରାମାଞ୍ଚଳ କୃଷି କ୍ଷେତ୍ର" ଥିଲା ଏଵଂ "ଅଧିକାଂଶ ଚାଷୀ ଓ ସେଵକ" ମାନେ ରହୁଥିଲେ - ସେଠାରେ ଖାଦ୍ୟର ମୁଖ୍ୟ ଉତ୍ସ rye ଥିଲା ‌। ଅର୍ଥାତ୍ Salem Villageର ଗରିବ ଗୋରା ବସତିଵାସୀମାନେ ସେମାନଙ୍କର "କେଵଳ rye କିଣିଵା" କ୍ଷମତା ଯୋଗୁଁ , ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ଭାବରେ rye ଵ୍ୟଵହାର କରୁଥିଲେ।

ଏହା କେଵଳ ଖାଦ୍ୟର ଏକ ଉତ୍ସ ନଥିଲା ଵରଂ ବସତିଵାସୀଙ୍କ ଵିଭିନ୍ନ ଅର୍ଥନୈତିକ ଶ୍ରେଣୀ ମଧ୍ୟରେ ଥିଵା ସାମାଜିକ ଓ ଆର୍ଥିକ ଅସମାନତାର ଏକ ସୂଚକ ଥିଲା। ଏହି ଦରିଦ୍ର ସମୁଦାୟଗୁଡ଼ିକ ଦ୍ୱାରା ଅଧିକ rye ଵ୍ୟଵହାରକୁ ଐତିହାସିକ ଭାବେ "ଈଶ୍ୱର ଗରିବ ଶ୍ରେଣୀକୁ ଦଣ୍ଡ ଦେଉଛନ୍ତି" ବୋଲି ଵ୍ୟାଖ୍ୟା କରାଯାଇଥିଲା । 

Salem Townର ଧନୀ ଗହମ ଵ୍ୟଵହାରକାରୀ ଏଵଂ Salem Villageର rye ଶସ୍ୟ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରେ ଥିଵା ଏହି ଅର୍ଥନୈତିକ ପାର୍ଥକ୍ୟ, ergot theory ଭଳି ଵ୍ୟାଖ୍ୟାଗୁଡ଼ିକ ସହିତ ସମାନ ଅଟେ, ଯାହା ଦର୍ଶାଏ ଯେ କିପରି ଖାଦ୍ୟ ଶସ୍ୟ Salem Witch Trials ସମୟରେ ସାମାଜିକ ଉତ୍ତେଜନା ଓ ମାନସିକ ଚାପ ସହିତ ଜଡ଼ିତ ହୋଇଥାଇପାରେ। ଅଵଶ୍ୟ ergot theoryକୁ କେତେକ ଗଵେଷକ ଗ୍ରହଣ କରନ୍ତି ନାହିଁ । 

Ergot fungus ଵା କବକ ଥିଵା ଶସ୍ୟ ଯଦି ଗାଁର ଖାଦ୍ୟରେ ଥାନ୍ତା, ତେବେ ଗାଁର ଅନେକ ଲୋକ ଏକେ ପ୍ରକାର ଲକ୍ଷଣ ଦେଖାଇଵା ଉଚିତ୍ ଥିଲା।
କିନ୍ତୁ Salem Witch Trials ସମୟରେ ଲକ୍ଷଣ ମୁଖ୍ୟତଃ କେଵଳ କିଛି ଝିଅଙ୍କ ମଧ୍ୟରେ ଦେଖାଯାଇଥିଲା। ଗାଁର ଅନ୍ୟ ଲୋକମାନେ ସେହିପରି ଲକ୍ଷଣ ଦେଖାଇନଥିଲେ। ଏହା ergot poisoning ସହ ସମ୍ପୂର୍ଣ୍ଣ ମେଳ ଖାଉନାହିଁ।

Ergot poisoning ସାଧାରଣତଃ ଦୁଇ ପ୍ରକାର । 
Convulsive ergotism (ଝଟକା, ଭ୍ରମ) ଓ 
Gangrenous ergotism (ହାତ-ପାଦ ସ୍ଥିର ନରହିଵା ) । 

ଐତିହାସିକ ରେକର୍ଡରେ Salemର ଲୋକମାନଙ୍କ ମଧ୍ୟରେ gangrene, ଅଙ୍ଗ ଶୁଷ୍କ ହେଵା ଵା ଶରୀର କଳା ହେଵା ଭଳି ଲକ୍ଷଣ ମିଳେନାହିଁ। ତେଣୁ ଅନେକ ଗଵେଷକ କହନ୍ତି ଯେ ergot poisoning ହେଲେ ଏହି ଲକ୍ଷଣ ମଧ୍ୟ ଦେଖାଯିଵା ଉଚିତ୍ ଥିଲା।

Ergot poisoning ସାଧାରଣତଃ ଖାଦ୍ୟ ଖାଇଲା ପରେ ନିୟମିତ ଭାବେ ହୁଏ। କିନ୍ତୁ Salemର ରେକର୍ଡ ଅନୁସାରେ ଝିଅମାନଙ୍କର ଲକ୍ଷଣ କେବେ ଆସୁଥିଲା କେବେ ହଠାତ୍ ଥମିଯାଉଥିଲା ।‌ ପୁଣି କେବେ ନୂଆ ଅଭିଯୋଗ ଆସିଲେ ଆଉଥରେ ଆରମ୍ଭ ହୋଇଯାଉଥିଲା ତେଣୁ ଏହା ବହୁତ ସମ୍ଭଵ ମନୋଵୃତ୍ତିକ ଅଥଵା ସାମାଜିକ ପ୍ରତିକ୍ରିୟା ଭଳି ହୃଦବୋଧ ହୁଏ ।

Ergot fungus ସାଧାରଣତଃ ଗରମ ଓ ଆର୍ଦ୍ର ସମୟରେ ବଢ଼େ। କିନ୍ତୁ Salemର ପ୍ରଥମ ଲକ୍ଷଣ ଶୀତକାଳ (February 1692)ରେ ଦେଖାଯାଇଥିଲା। ଏହା ମଧ୍ୟ ergot theory ପାଇଁ ଏକ ସନ୍ଦେହ ସାଵ୍ୟସ୍ତ ହୋଇଅଛି ।

ଅନେକ ଅଭିଯୋଗ ସଚେତନ ଭାବେ କରାଯାଇଥିଵା ସମ୍ଭାଵନା ଅଧୀକ । ଝିଅମାନେ ହୁଏତ ଧ୍ୟାନ ଆକର୍ଷଣ କରିଵାକୁ ଏଭଳି କରିଥାଇପାରନ୍ତି । ତାପରେ ସୁଯୋଗ ଦେଖି 
କିଛି ଲୋକ ଵ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଆଉ 
କିଛି ଲୋକ ସମ୍ପତ୍ତି ଦଖଲ କରିଵା ପାଇଁ
ଅଭିଯୋଗ କରିଥିଲେ। 

ଐତିହାସିକ ଓ ଗଵେଷକମାନେ ତେଣୁ Salem Witch Trials ଘଟଣାର ସାମାଜିକ-ରାଜନୈତିକ ମୂଳ କାରଣ ମଧ୍ୟ ଖୋଜିଵାକୁ ଚେଷ୍ଟା କରିଛନ୍ତି । ମୁଖ୍ୟ ସଂଘର୍ଷ ଥିଲା ପାରମ୍ପରିକ ପ୍ୟୁରିଟାନ ଜୀଵନଶୈଳୀ (ଧର୍ମପରାୟଣତା ଓ ସରଳ ଚାଷୀ ଜୀଵନ) ବନାମ ଦ୍ରୁତ ଗତିରେ ବଢ଼ୁଥିଵା ପୁଞ୍ଜିଵାଦୀ ଵ୍ୟଵସାୟିକ ଚିନ୍ତାଧାରା ମଧ୍ୟରେ। ଐତିହାସିକ ପଲ୍ ବଏର୍ ଓ ଷ୍ଟିଫେନ୍ ନିସେନବମ୍‌ଙ୍କର ବହି Salem Possessedରେ ଦର୍ଶାଇଛନ୍ତି ଯେ ଅଧିକାଂଶ ଅଭିଯୋଗକାରୀ ପୁଟନମ୍ ଗୋଷ୍ଠୀର ଥିଲେ ଯେଉଁମାନେ କୃଷି କରୁଥିଲେ। କିନ୍ତୁ ଅଧିକାଂଶ ଅଭିଯୁକ୍ତ ପୋର୍ଟର ଗୋଷ୍ଠୀର ଥିଲେ ଯେଉଁମାନେ ଵ୍ୟଵସାୟ କରୁଥିଲେ। ଏହା ଏକ ଗଭୀର ଅର୍ଥନୈତିକ ଓ ସାଂସ୍କୃତିକ ସଂଘର୍ଷର ପ୍ରତିଫଳନ ଥିଲା, ଯାହା "ଡାହାଣୀ" ଅଭିଯୋଗ ମାଧ୍ୟମରେ ସାମ୍ନାକୁ ଆସିଥିଲା।

ଏହି ଵିଚାରଗୁଡ଼ିକ ସେତେବେଳେ ହୋଇଥିଲା ଯେତେବେଳେ ଔପନିବେଶିକ ଚାର୍ଟର ସାମୟିକ ଭାବେ ବନ୍ଦ ଥିଲା ଏଵଂ ଇଂଲଣ୍ଡ ଓ ଔପନିବେଶିକ ଅଞ୍ଚଳ ମଧ୍ୟରେ ରାଜନୈତିକ ଓ ଧାର୍ମିକ ତିକ୍ତତା ଥିଲା। ୧୬୯୨ ମସିହାରେ ସେଲମ୍ ଵିଲେଜ୍‌ରେ କୌଣସି ସ୍ପଷ୍ଟ ରାଜନୈତିକ ନେତୃତ୍ୱ ନଥିଲା। ଗ୍ରାମର ନୂତନ ପାଳକ ସାମୁଏଲ୍ ପ୍ୟାରିସ୍‌ଙ୍କ ଅନୁଗାମୀ ଓ ଵିରୋଧୀଙ୍କ ମଧ୍ୟରେ ଵିଵାଦ ଥିଲା।
୧୬୮୯ ମସିହାରେ ମାସାଚୁସେଟ୍ସର ପୁରୁଣା ଚାର୍ଟର ରଦ୍ଦ ହୋଇଯାଇଥିଲା। ଦୁଇ ଵର୍ଷ ଧରି ସେଠାରେ କୌଣସି ସରକାରୀ ନିୟନ୍ତ୍ରଣ ନଥିଲା। ଏହି ଆଇନଶୂନ୍ୟତା ମଧ୍ୟରେ ସ୍ୱତନ୍ତ୍ର ଅଦାଲତଗୁଡ଼ିକ "spectral evidence" ଵା ସ୍ୱପ୍ନ ଓ ଦର୍ଶନକୁ ଆଧାର କରି ନିଷ୍ପତ୍ତି ନେଉଥିଲେ। 

ସେଲ୍‌ମ ଵିଲେଜ୍‌ର କଠୋର ଵାସ୍ତଵତା ମଧ୍ୟରେ ଥିଲା 1689 ମସିହାର King Philip's Warର ପ୍ରଭାଵ, ଯାହା Salem Witch Trials ଘଟଣା ସମୟରେ ଚାଲିଥିଲା। 

Wabanaki Confederacyର ଯୋଦ୍ଧାମାନେ ଓ ଫରାସୀ ସୈନ୍ୟମାନେ ସେ ସମୟରେ Maine, New Hampshire ଓ ଉତ୍ତର Massachusetts ଅଞ୍ଚଳରେ ବ୍ରିଟିଶ୍ ଔପନିବେଶିକମାନଙ୍କ ଗ୍ରାମ ଓ ସୀମାନ୍ତ ବସତିଗୁଡ଼ିକୁ ଆକ୍ରମଣ କରୁଥିଲେ। ଏହି ଆକ୍ରମଣ ଯୋଗୁଁ ଅନେକ ପରିଵାର ନିଜ ପ୍ରିୟଜନଙ୍କୁ ହରାଇଲେ, ଅନେକ ଘରବାଡ଼ି ଧ୍ୱଂସ ହେଲା ଏଵଂ ଅନେକ ଲୋକ ଭୟଭୀତ ଅଵସ୍ଥାରେ ଅନ୍ୟ ସୁରକ୍ଷିତ ଗ୍ରାମକୁ ପଳାଇ ଆସିଲେ।

ଏହି ପରିସ୍ଥିତି ସମାଜରେ ଏକ ସାମୂହିକ ଆଘାତ ଓ ଅସ୍ଥିରତା ସୃଷ୍ଟି କରିଥିଲା। ଲୋକମାନଙ୍କ ମନରେ ପୂର୍ଵରୁ ଭୟ, ଅନିଶ୍ଚିତତା ଓ ଆତଙ୍କ ବସା ବାନ୍ଧିଥିଲା। ଏହିପରି ଦୁର୍ଵଳ ମାନସିକ ପରିଵେଶରେ ଯେତେବେଳେ Salem Witch Trials ସମୟରେ “ଡାହାଣୀ” ଅଭିଯୋଗର କଥା ଉଠିଲା, ସେହି ଭୟ ଓ ଅସ୍ଥିରତା ତାହାକୁ ଆହୁରି ତୀଵ୍ର କରିଦେଲା। ଫଳସ୍ୱରୂପ, ସମାଜର ଏହି ଦୁର୍ଵଳ ମାନସିକ ଅଵସ୍ଥା Witch ଅଭିଯୋଗର ଵିଶୃଙ୍ଖଳାକୁ ଅତିଶୟ ଉତ୍ତେଜିତ କରିଦେଲା।

Salem Witch Trialsଗୁଡ଼ିକ ୟୁରୋପର ପଞ୍ଚଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଚାଲିଥିଵା Witch Hunts ପରମ୍ପରାର ଶେଷ ସମୟ ଥିଲା। ଇଂରେଜ ଔପନିଵେଶିକମାନେ Witch ସମ୍ବନ୍ଧୀୟ ଵିଚାରଧାରାକୁ ନିଜ ସହିତ ଆମେରିକାକୁ ନେଇ ଆସିଥିଲେ। Salem Witch Trials ପୂର୍ଵରୁ ମଧ୍ୟ ନିଉ ଇଂଲଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକରେ ଅନେକ ଲୋକଙ୍କ ଉପରେ Witch ହେଵାର ଅଭିଯୋଗ ଆସିଥିଲା।

Devil ଵା ସଇତାନ କିଛି ଲୋକଙ୍କୁ "Witch" କରି ଅନ୍ୟମାନଙ୍କୁ କଷ୍ଟ ଦେଵାର ଶକ୍ତି ଦିଏ - ଏହା ଚତୁର୍ଦ୍ଦଶ ଶତାବ୍ଦୀରୁ ୟୁରୋପରେ ଆରମ୍ଭ ହୋଇଥିଲା ଏଵଂ ନିଉ ଇଂଲଣ୍ଡର ଉପନିଵେଶଗୁଡ଼ିକରେ ଵ୍ୟାପକ ଭାବେ ଵ୍ୟାପିଥିଲା। 
ସେହି ଵିଚାରଧାରା ପରେ ଆମେରିକୀୟ ଉପନିଵେଶଗୁଡ଼ିକରେ ୟୁରୋପୀୟ ଲୋକେ ପ୍ରଚାର କଲେ । 

ଆମେରିକାରେ ଥିଵା ନ୍ୟୁ ଇଂଲ୍ୟାଣ୍ଡ ଉପନିଵେଶର ପ୍ୟୁରିଟାନ୍ ସମାଜ ଭାବୁଥିଲା ଯେ ପୃଥିଵୀରେ ଭଲ ଓ ମନ୍ଦ ଶକ୍ତିର ନିରନ୍ତର ସଂଘର୍ଷ ଚାଲିଛି। ସେମାନଙ୍କ ଵିଶ୍ୱାସ ଅନୁସାରେ Godଙ୍କ ସହିତ Devil ମଧ୍ୟ ମଣିଷମାନଙ୍କ ଜୀଵନରେ ହସ୍ତକ୍ଷେପ କରିଥାଏ। ଏହି ଧାରଣା ସେ ସମୟର ଧର୍ମପ୍ରଚାରକ ଓ ଲେଖକମାନଙ୍କ ଲେଖା ଓ ଉପଦେଶ ମାଧ୍ୟମରେ ସମାଜରେ ଆଉ ଶକ୍ତିଶାଳୀ ହୋଇଥିଲା।

ଏହି ପ୍ରଭାଵଶାଳୀ ଧର୍ମଗୁରୁମାନଙ୍କ ମଧ୍ୟରୁ ଜଣେ ଥିଲେ Cotton Mather। ସେ ନ୍ୟୁ ଇଂଲ୍ୟାଣ୍ଡର ଜଣେ ପ୍ରସିଦ୍ଧ ପ୍ୟୁରିଟାନ୍ ପାଦ୍ରୀ ଓ ଲେଖକ ଥିଲେ। ସେ ଅନେକ ଧାର୍ମିକ ପୁସ୍ତକ ଓ ଲେଖା ରଚନା କରିଥିଲେ, ଯେଉଁଥିରେ ସେ Devil ଵା ସଇତାନର ଅସ୍ତିତ୍ୱ ଓ Witch ତଥା ପିଶାଚମାନଙ୍କ କାର୍ଯ୍ୟକଳାପକୁ ଵାସ୍ତଵ ଘଟଣା ଭାବରେ ଵର୍ଣ୍ଣନା କରୁଥିଲେ। ତାଙ୍କ ଲେଖାରେ ଏହି ଧାରଣା ଦେଖାଯାଏ ଯେ କିଛି ଲୋକ ସଇତାନ ଵା Devil ସହ ଚୁକ୍ତି କରି ଅତିପ୍ରାକୃତିକ ଶକ୍ତି ପାଇଥାନ୍ତି ଏଵଂ ସେମାନେ ଅନ୍ୟ ଲୋକଙ୍କୁ କ୍ଷତି କରିପାରନ୍ତି।

ଏପରି ଲେଖା ଓ ଧାର୍ମିକ ଉପଦେଶର ପ୍ରଭାବରେ ସମାଜର ସାଧାରଣ ଲୋକମାନଙ୍କ ମନରେ ଏକ ପ୍ରକାରର ଭୟ ଓ ସନ୍ଦେହର ପରିଵେଶ ଗଢ଼ିଉଠିଲା। ଯଦି କାହାର ହଠାତ୍ ରୋଗ ହେଉଥିଲା, ଅଜଣା ଭାବରେ ଶରୀର ଯନ୍ତ୍ରଣା ହେଉଥିଲା ଵା ମହାମାରୀ ଵ୍ୟାପୁଥିଲା, ପଶୁମାନେ ମରିଯାଉଥିଲେ କିମ୍ବା ଫସଲ ନଷ୍ଟ ହେଉଥିଲା, ତେବେ ଲୋକମାନେ ସେଥିର ପ୍ରାକୃତିକ କିମ୍ବା ଵୈଜ୍ଞାନିକ କାରଣ ନଖୋଜି ବହୁତ ସମୟରେ ପିଶାଚର କାର୍ଯ୍ୟକଳାପ କିମ୍ବା “witchର ପ୍ରଭାବ” ବୋଲି ଭାବୁଥିଲେ। କାରଣ ସେମାନେ ଆଗରୁ ଧାର୍ମିକ ଶିକ୍ଷାରେ ଏହି କଥା ଶୁଣିଥିଲେ ଯେ Devil ମଣିଷମାନଙ୍କ ମଧ୍ୟରେ ପିଶାଚ ଓ ଡାହାଣୀମାନଙ୍କ ମାଧ୍ୟମରେ କାମ କରିଥାଏ।

ଏହିପରି ଭୟ, ଖିରସ୍ତାନୀ ଅନ୍ଧଵିଶ୍ୱାସ ଓ ସାମାଜିକ ସନ୍ଦେହ ମିଶି ଏକ ଏମିତି ପରିସ୍ଥିତି ସୃଷ୍ଟି କଲା ଯେ ଅନେକ ଲୋକ ଅନ୍ୟମାନଙ୍କ ଉପରେ ପିଶାଚ ଓ Witch ଵା Witch ହେଵାର ଅଭିଯୋଗ କରିଵାକୁ ଲାଗିଲେ। ଶେଷରେ ଏହା ଆମେରିକାର ଇତିହାସରେ ପ୍ରସିଦ୍ଧ ଓ ଦୁଃଖଦ ଘଟଣା ଭାବରେ ପରିଚିତ Salem Witch Trialsକୁ ଜନ୍ମ ଦେଲା। ଏହି ଅଭିଯୋଗ ଓ ଭୟର ପରିଣାମରେ ଅନେକ ନିର୍ଦୋଷ ଲୋକଙ୍କୁ ଗିରଫ କରାଗଲା, ଆଦାଲତରେ ଚାଲାଣ ହେଲା ଏଵଂ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଗଲା।
ସାମୁଏଲ୍ ପ୍ୟାରିସ୍‌ଙ୍କ ଦାସୀ ଟିଟୁବା(Tituba) ନିଜ ସ୍ୱାମୀ ଜନ୍ ଏଵଂ ପଡ଼ୋଶୀ ମେରୀ ସିବଲଙ୍କ ସହିତ ମିଶି Rye ଅଟା ଏଵଂ "ପୀଡ଼ିତା" ଝିଅମାନଙ୍କ ପରିସ୍ରା ଦ୍ୱାରା ଏକ "witch Cake" ତିଆରି କରିଥିଲେ ଏଵଂ ତାକୁ ଏକ କୁକୁରକୁ ଖୁଆଇଥିଲେ, ଯାହାଫଳରେ ଝିଅମାନଙ୍କ ଉପରେ କିଏ Witch ପ୍ରଭାବ ପକାଉଛି ତାହା ଜଣାପଡ଼ିପାରିଵ। 

ଟିଟୁବା ଗିରଫ ହେଲେ ଏଵଂ ତାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କରାଗଲା। ତାଙ୍କର ଯେଉଁ ସ୍ୱୀକାରୋକ୍ତି ସାମ୍ନାକୁ ଆସିଲା, ତାହା ସମ୍ପୂର୍ଣ୍ଣ ପରିସ୍ଥିତିକୁ ବଦଳାଇ ଦେଲା। ସେ କେଵଳ ନିଜ ଉପରେ ଥିବା ଅଭିଯୋଗ ସ୍ୱୀକାର କଲେ ନାହିଁ, ଵରଂ ଅନ୍ୟ ଅନେକ ଲୋକଙ୍କ ନାମ ମଧ୍ୟ କହିଲେ। ଟିଟୁବାଙ୍କ ଏହି ସ୍ୱୀକାରୋକ୍ତି - ଯେଉଁଥିରେ ସେ କହିଲେ ଯେ ସେ ସଇତାନ ପାଇଁ କାମ କରୁଛନ୍ତି - ବୋଧହୁଏ ସମ୍ପୂର୍ଣ୍ଣ ଘଟଣାକୁ ଏକ ଭିନ୍ନ ଦିଗକୁ ନେଇଗଲା। ଯାହା ଏକ ଛୋଟ ଘଟଣା ଭାବେ ଆରମ୍ଭ ହୋଇଥିଲା, ତାହା ଏକ ମହାମାରୀ ରୂପ ନେଇଗଲା।

ତେବେ ଯଦି "ସ୍ପେକ୍ଟ୍ରାଲ୍ ଏଭିଡେନ୍ସ" ଭଳି କାନୁନ୍ ଏଵଂ ଆଇନଗତ ଵିଫଳତା ନଥାନ୍ତା ତେବେ କେବେହେଲେ ବି Salam witch trial ହୋଇନଥାନ୍ତା । ଏହି ଵିଚାରଗୁଡ଼ିକର ଵିଶୃଙ୍ଖଳିତ ପ୍ରକୃତି ଆମେରିକୀୟ ନ୍ୟାୟିକ ପ୍ରକ୍ରିୟାରେ ଅନେକ ପରିଵର୍ତ୍ତନ ଆଣିଲା, ଯେଉଁଥିରେ ଓକିଲ ପାଇଵାର ଅଧିକାର, ଅଭିଯୋଗକାରୀଙ୍କଠାରୁ ପ୍ରଶ୍ନ କରିଵାର ଅଧିକାର ଏଵଂ "ଦୋଷୀ ସାବ୍ୟସ୍ତ ନହେଵା ପର୍ଯ୍ୟନ୍ତ ନିର୍ଦ୍ଦୋଷ" ନୀତି ଅନ୍ତର୍ଭୁକ୍ତ ଥିଲା। 

ସ୍ୱପ୍ନ ଏଵଂ ଦର୍ଶନକୁ ପ୍ରମାଣ ଭାବେ ଗ୍ରହଣ କରିଵା ମୂଳତଃ ଏକ ତ୍ରୁଟିପୂର୍ଣ୍ଣ ଵ୍ୟଵସ୍ଥା ଥିଲା। ଯେତେବେଳେ ଜଣେ କହିପାରିଵ ଯେ ସେ "କାହାର ଆତ୍ମାକୁ" ନିଜ ସ୍ୱପ୍ନରେ କଷ୍ଟ ଦେଉଥିଵାର ଦେଖିଛି, ଏଵଂ ଏହାକୁ ଅଦାଲତରେ ପ୍ରମାଣ ଭାବେ ଗ୍ରହଣ କରାଯିଵ - ତେବେ ନ୍ୟାୟ ଅସମ୍ଭଵ ହୋଇଯାଏ। 

ପୁଣି ଆଧୁନିକ ଗଵେଷକମାନେ ଵିଶ୍ୱାସ କରନ୍ତି ଯେ ପୀଡ଼ିତମାନେ Mass Conversion Disorderର ଶିକାର ଥିଲେ - ଯାହାକୁ ସାମୂହିକ ମାନସିକ ରୋଗ କିମ୍ବା ସାମୂହିକ ହିଷ୍ଟେରିଆ କୁହାଯାଏ ।ଯେତେବେଳେ କୌଣସି ଗୋଷ୍ଠୀରେ ରୋଗର ଲକ୍ଷଣ ଶୀଘ୍ର ଵ୍ୟାପିଥାଏ, ଯାହାର କୌଣସି ଜୈଵିକ କାରଣ ନଥାଏ, ତାହା ଏହି କାରଣରୁ ହୋଇଥାଏ। 

ଯେତେବେଳେ ଏକ ସମାଜରେ ଭୟ, ଅନ୍ଧଵିଶ୍ୱାସ ଏଵଂ ପରସ୍ପର ପ୍ରତି ଅବିଶ୍ୱାସ ଏକାଠି ଥାଏ ଏଵଂ ଯେତେବେଳେ ଜଣେ ଝିଅର ଲକ୍ଷଣ ଦେଖି ଅନ୍ୟ ଜଣକର ସମାନ ଲକ୍ଷଣ ଦେଖାଯାଏ ସେତେବେଳେ ଏହି ମାନସିକ ସଂକ୍ରମଣ ସତ୍ୟ ଭଳି ଅନୁଭଵ ହୁଏ। କୌଣସି ଗୋଟିଏ ଵ୍ୟାଖ୍ୟା କେବେ ବି ଏହି ଭ୍ରମର ସମ୍ପୂର୍ଣ୍ଣ ହିସାବ ଦେଇପାରିଵ ନାହିଁ। 

କିନ୍ତୁ ପ୍ରଶ୍ନ ଉଠେ ଏମିତି କ’ଣ ହେଲା ଯେ ୟୁରୋପ ଓ ଆମେରିକାରେ ପଞ୍ଚଦଶରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ଅନେକ Witch Hunt ହୋଇଥିଲା ଏଵଂ ମହିଳାମାନେ ହିଁ କାହିଁକି ଏହାର ସର୍ଵାଧିକ ଶିକାର ହୋଇଥିଲେ ?

ଐତିହାସିକ ଓ ଵୈଜ୍ଞାନିକମାନେ କୁହନ୍ତି ଏହାର ଏକ କାରଣ Little Ice Age ହୋଇଥାଇପାରେ ଯାହା ୧୩୦୦ରୁ ୧୮୫୦ ମଧ୍ୟରେ ଦେଖାଯାଇଥିଲା । ଏହି ସମୟକାଳ ମଧ୍ୟରେ ପୃଥିଵୀର ଅନେକ ଅଞ୍ଚଳ ସାଧାରଣ ତୁଳନାରେ ଅଧିକ ଥଣ୍ଡା ହୋଇଥିଲା। 

ଏହି Little Ice Age ଏକ ଛୋଟ ଶୀତଯୁଗ ନୁହେଁ, ଵରଂ ଏକ ଦୀର୍ଘ ଥଣ୍ଡା ଜଳବାୟୁ ଅଵଧି ଥିଲା।ଉତ୍ତର ଗୋଲାର୍ଦ୍ଧର ତାପମାତ୍ରା କମିଗଲା । ଗ୍ଲେସିଅର୍ ବଢ଼ିଗଲା । ବହୁତ ଦେଶରେ ଶୀତକାଳ ବହୁତ କଠିନ ହୋଇଗଲା । ସାଧାରଣତଃ ତାପମାତ୍ରା ପ୍ରାୟ 0.6°C ପର୍ଯ୍ୟନ୍ତ କମିଥିଲା। 

Little Ice Age ସମୟରେ ଵିଶ୍ୱର ଅନେକ ଅଞ୍ଚଳରେ ବଡ଼ ପରିଵର୍ତ୍ତନ ଦେଖାଗଲା। ଶୀତକାଳ ବହୁତ ଲମ୍ବା ଓ ଥଣ୍ଡା ହୋଇଥିଲା । ଗ୍ରୀଷ୍ମ ଋତୁ ମଧ୍ୟ କମ୍ ଉଷ୍ମ ଓ ଥଣ୍ଡା ଥିଲା। ବହୁତ ସ୍ଥାନରେ ବରଫ ଓ ଝଡ଼ ବଢ଼ିଗଲା । ଫସଲ ନଷ୍ଟ ହେଉଥିଲା । ଭାରତ ଭଳି ଉଷ୍ମପ୍ରଧାନ ଦେଶରେ ଵର୍ଷା କମ୍ ହେଲା, ଦୁର୍ଭିକ୍ଷ ଓ ମହାମାରୀ ଵ୍ୟାପିଲା । ପ୍ରାୟ ସର୍ଵତ୍ର ଖାଦ୍ୟ ଅଭାଵ ବଢ଼ିଥିଲା । ଆଲ୍ପସ୍ ପାହାଡ଼ର ଗ୍ଲେସିଅର୍ ଗାଁ ଓ ଜମିକୁ ଢାଙ୍କିଦେଇଥିଲା ।
ସମୁଦ୍ରର ବରଫ ବଢ଼ିଗଲା । ଭାରତ ଓ ଚୀନ ଭଳି ଦେଶର କେତେକ ସ୍ଥାନରେ ଦୀର୍ଘ ଖରା ମଧ୍ୟ ହୋଇଥିଲା । 

ଵୈଜ୍ଞାନିକମାନେ ଏହା ପଛରେ sunspot activity କମିଵା,ବଡ଼ ଆଗ୍ନେୟ ଉଦ୍ଗିରଣ, ସମୁଦ୍ରିକ ସ୍ରୋତରେ ପରିଵର୍ତ୍ତନ,ପ୍ରାକୃତିକ ଜଳଵାୟୁ ଚକ୍ରରେ ଅସନ୍ତୁଳନ ଏହାର କେତେକ ମୁଖ୍ୟ କାରଣ ଥିଲା ବୋଲି ଵିଭିନ୍ନ ପ୍ରମାଣ ଆଧାରରେ ମତ ଦିଅନ୍ତି । 

Little Ice Age ସମୟରେ ଇଉରୋପ୍ ଓ ଉତ୍ତର ଆମେରିକାର ଜଳଵାୟୁ ସାଧାରଣତଃ ଥଣ୍ଡା ହୋଇଯାଇଥିଲା। ଏହି ଦୀର୍ଘ ଥଣ୍ଡା ଅବଧି କେଵଳ ପ୍ରକୃତିକୁ ନୁହେଁ, ମାନଵସମାଜ ଓ ଲୋକମାନଙ୍କ ମନୋଭାବକୁ ମଧ୍ୟ ପ୍ରଭାଵିତ କରିଥିଲା। ଅନେକ ଐତିହାସିକ ଓ ସମାଜଶାସ୍ତ୍ରୀ କହନ୍ତି ଯେ ଏହି ଜଳଵାୟୁ ପରିଵର୍ତ୍ତନ ଏକ ପ୍ରକାର ଭୟ ଓ ଅନିଶ୍ଚିତତାର ପରିଵେଶ ସୃଷ୍ଟି କରିଥିଲା, ଯାହା Witch ଶିକାର ଵା witch hunts ବଢ଼ିଵାରେ ମଧ୍ୟ ଭୂମିକା ନେଇଥିଲା।

Little Ice Age ସମୟରେ ୟୁରୋପ ଓ ଆମେରିକାରେ ଗ୍ରୀଷ୍ମ ଋତୁ ଥଣ୍ଡା ହୋଇଯାଉଥିଲା । 
ଵର୍ଷା ଓ ବରଫ ବଢ଼ିଯାଇଥିଲା । ଶୀତକାଳ ବହୁତ କଠିନ ହୋଇଯାଇଥିଲା । ଏହାର ପରିଣାମରେ ଅନେକ ସ୍ଥାନରେ ଫସଲ ନଷ୍ଟ ହେଇଥିଲା ଓ ଖାଦ୍ୟ ଅଭାବ ଦେଖାଯାଇଥିଲା। ଯେତେବେଳେ ଲୋକମାନେ ବାରମ୍ବାର ଦୁର୍ଭିକ୍ଷ, ରୋଗ ଓ ଦୁର୍ଭାଗ୍ୟ ଦେଖୁଥିଲେ, ସେମାନେ ଏହାର କାରଣ ବୁଝିପାରୁନଥିଲେ। ସେ ସମୟରେ ଆଧୁନିକ ଵିଜ୍ଞାନ ଏତେ ଉନ୍ନତ ନଥିଲା। ଖରାପ ଜଳଵାୟୁ,ଫସଲ ନଷ୍ଟ,ହଠାତ୍ ରୋଗ ଓ ପଶୁମାନଙ୍କ ମୃତ୍ୟୁ ଆଦିର
ଵୈଜ୍ଞାନିକ କାରଣ ଲୋକମାନେ ଜାଣୁନଥିଲେ। ଅତଃ ଅନେକେ ଭାବୁଥିଲେ ଯେ Devil ବା Witchମାନେ ଏହାର ପଛରେ ଅଛନ୍ତି। ଭାରତରେ ମଧ୍ୟ ଏହି ସମୟରେ ଦୁର୍ଭିକ୍ଷ ଓ ମହାମାରୀ ବହୁତ ବଢ଼ିଵାରୁ ସମାଜରେ ଗୁଣିଗାରେଡ଼ି, ଭୂତ ପ୍ରେତ ଓ ଠାକୁରାଣୀ ରୁଷ୍ଟ ହେଵା ଯୋଗୁଁ ମହାମାରୀ ଵ୍ୟାପିଵା ଇତ୍ୟାଦି ଆନ୍ଧଵିଶ୍ଵାସ ବଢ଼ିଥିଲା । 
ତେବେ ୟୁରୋପରେ ଏହି ଭୟ ଓ ଅସୁଵିଧା ଦୀର୍ଘ ସମୟ ଚାଲିଥିଵାରୁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ବଢ଼ିଗଲା।ଯଦି କାହାର ଫସଲ ନଷ୍ଟ ହୋଇଯାଉଥିଲା,ଘରେ ରୋଗ ହୋଇଯାଉଥିଲା,ପଶୁମାନେ ମରିଯାଉଥିଲେ
ତେବେ ସେମାନେ କାହାକୁ Witch ଵା witchର କାମ ବୋଲି ଅଭିଯୋଗ କରୁଥିଲେ ।‌
୧୬ଶତାବ୍ଦୀ ଓ ୧୭ଶତାବ୍ଦୀରେ ଇଉରୋପ୍‌ର ଅନେକ ଦେଶରେ Witch ଶିକାର ଵା Witch hunts ବହୁତ ବଢ଼ିଗଲା। ହଜାର ହଜାର ଲୋକଙ୍କୁ Witch ବୋଲି ଅଭିଯୋଗ କରାଗଲା ଓ ଅନେକଙ୍କୁ ମାରି ଦିଆଗଲା। ଈହୁଦୀ,ରୋମା ତଥା ପଠାଣ ଆଦି ଅଣଖିରସ୍ତାନୀ ଏଥିର ଶିକାର ହେଲେ । ସବୁ ସମ୍ପ୍ରଦାୟର ମହିଳାମାନେ ସର୍ଵାଧିକ କ୍ଷତିଗ୍ରସ୍ତ ହେଲେ । ଏହି ପରିସ୍ଥିତିର ପ୍ରଭାବ ଆମେରିକାରେ ମଧ୍ୟ ଦେଖାଗଲା, ଯାହା ପରେ Salem Witch Trials (୧୬୯୨) ଭଳି ଘଟଣାକୁ ଜନ୍ମ ଦେଲା।

ସେଲମ୍ ଵିଲେଜ୍‌ରେ ମଧ୍ୟ ସାମାଜିକ-ଅର୍ଥନୈତିକ ତିକ୍ତତା ଥିଲା। ଅର୍ଥନୀତିଜ୍ଞ ଏମିଲି ଓଷ୍ଟର ଗଵେଷଣା କରିଥିଲେ ଯେ ଯେତେବେଳେ ଫସଲ ନଷ୍ଟ ହୁଏ ଏଵଂ ଖାଦ୍ୟର ଅଭାବ ଦେଖାଦିଏ, ସମାଜ ଏହାର ଦୋଷ କାହାର ମୁଣ୍ଡରେ ଲଦି ଦେଵାକୁ ସୁଯୋଗ ଉଣ୍ଡୁଥାଏ ଯାହାକୁ ହିନ୍ଦୀ ଭାଷାରେ बलि का बकरा ଆଉ ଇଂରାଜୀ ଭାଷାରେ scapegoats କୁହାଯାଏ। ତେଣୁ କିଛି ଲୋକଙ୍କୁ ଏଥିପାଇଁ Witch ଆଖ୍ୟା ଦେଇ ମାରିଦିଆଗଲା । ଭାରତରେ ମଧ୍ୟ ଏହି ସମୟରେ ଖରା ବଢ଼ିଵା,ଵର୍ଷା ନହେଵା,ଦୁର୍ଭିକ୍ଷ ଓ ମହାମାରୀର ଦୋଷୀ କୋକୁଆ ନାମକ ଏକ ଅଜ୍ଞାତ ପକ୍ଷୀକୁ କରାଯାଇଥିଲା ଏଵଂ କୋକୁଆ ନାଆଁରେ ଅନେକ ଅଜଣା ପକ୍ଷୀଙ୍କୁ ମାରି ଦିଆଯାଇଥିଲା । 

ମଧ୍ୟଯୁଗୀୟ ୟୁରୋପରେ Witch ଓ ପିଶାଚ ସନ୍ଦେହ କରି ହଜାର ମହିଳା ଓ ଈହୁଦୀମାନଙ୍କ ହତ୍ୟା କରାଯାଇଥିଲା । ବିଲେଇମାନଙ୍କୁ ମଧ୍ୟ ଡାହାଣୀର ଛଦ୍ମରୂପ କିମ୍ବା Witch ସହାୟକ ଵିଚାର କରି ଅତ୍ୟା କରାଯାଉଥିଲା । ଏହି ଚିନ୍ତାଧାରା ୟୁରୋପୀୟ ଔପନିଵେଶିକମାନଙ୍କ ସହିତ ଆମେରିକା ଆସିଲା ଯାହା Salem Witch Trials (୧୬୯୨–୧୬୯୩) ସମୟରେ ଦେଖିଵାକୁ ମିଳିଥିଲା । 
କିନ୍ତୁ Salem Witch Trialsରେ ଯେତେ ଲୋକ ଅଭିଯୁକ୍ତ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଐତିହାସିକମାନେ କହନ୍ତି ଯେ ଏହାର ପଛରେ କେଵଳ ଖିରସ୍ତାନୀ ଵିଚାର ନୁହେଁ ଵରଂ ବହୁ ପରିମାଣରେ ସାମାଜିକ ଓ ସାଂସ୍କୃତିକ କାରଣ ମଧ୍ୟ ଜଡ଼ିତ ଥିଲା।

୧୭ଶତାବ୍ଦୀର ପ୍ୟୁରିଟାନ୍ ସମାଜରେ ମହିଳାଙ୍କ ସାମାଜିକ ସ୍ଥିତି ଅତ୍ୟନ୍ତ ନିମ୍ନ ଥିଲା। ସେମାନଙ୍କୁ ସାଧାରଣତଃ ପୁରୁଷଙ୍କ ଅଧୀନ ରହିଵାକୁ ପଡୁଥିଲା । ସମ୍ପତ୍ତି ଅଧିକାର କମ୍ ଥିଲା । ସମାଜିକ ନିଷ୍ପତ୍ତିରେ ଭୂମିକା ନଥିଲା । ଏହି କାରଣରୁ ମହିଳାମାନେ ସହଜରେ ସନ୍ଦେହର ଲକ୍ଷ୍ୟ ହୋଇଯାଉଥିଲେ।

ସେ ସମୟରେ ଖିରସ୍ତାନୀ ସମାଜରେ ଵିଶ୍ୱାସ ଥିଲା ଯେ ମହିଳାମାନେ ସଇତାନଙ୍କ ପ୍ରଭାବରେ ଶୀଘ୍ର ପଡ଼ନ୍ତି । ମହିଳାମାନେ ଭାବୁକ ଓ ଦୁର୍ଵଳ । ଏହି ପ୍ରକାରର ଧାରଣା ଡାଏନ୍ ଅଭିଯୋଗକୁ ମହିଳାଙ୍କ ଉପରେ ବଢ଼ାଇଦେଲା।

ଵିଧଵା,ନିର୍ଦ୍ଧନ ମହିଳା,ସମାଜ ସହ ମିଶିନଥିଵା ମହିଳା,ଵିଵାଦ କରୁଥିଵା ମ‌ହିଳାମାନଙ୍କୁ ଅଧିକ ସନ୍ଦେହ କରାଯାଉଥିଲା। Sarah Good ଗରିବ ଭିକ୍ଷୁକୀ ଥିଲେ । Sarah Osborne ସମାଜର ପ୍ରଥା ଭଙ୍ଗ କରିଥିଲେ । Tituba ଦାସୀ ଏଵଂ ଵିଦେଶୀ ମୂଳର ଥିଲେ । ଏହି କାରଣରୁ ସେମାନେ ସହଜରେ ଅଭିଯୁକ୍ତ ହେଲେ।

କେତେକ ସମୟରେ witch ଅଭିଯୋଗ ଵ୍ୟକ୍ତିଗତ ଵିଵାଦ ସହିତ ମଧ୍ୟ ଜଡିତ ଥିଲା । ପଡ଼ୋଶୀ ସହ ଝଗଡ଼ା,ଜମି ଵିଵାଦ ଓ ପରିଵାରିକ ଶତ୍ରୁତା ଯୋଗୁଁ 
ଲୋକେ ମହିଳାଙ୍କ ଵିପକ୍ଷରେ Witch ଅଭିଯୋଗ କରୁଥିଲେ । Salem Witch Trials ସମୟରେ ଗାଁରେ ଭୟ ଓ ଗୁଜବ ଦ୍ରୁତ ଭାବେ ପ୍ରସାରିତ ହେଉଥିଲା। ଯେତେବେଳେ କେହି ଜଣେ ଅଭିଯୋଗ କରୁଥିଲେ, ଅନ୍ୟମାନେ ମଧ୍ୟ ସେହି କଥାକୁ ସମର୍ଥନ କରୁଥିଲେ। ଏଭଳି ଭାବରେ ଅନେକ ନିର୍ଦୋଷ ମହିଳା ଅଭିଯୁକ୍ତ ହୋଇଗଲେ।

ଏତଦଵ୍ୟତୀତ Salem Witch Trials ସମ୍ବନ୍ଧରେ ଅନ୍ୟ ଏକ ବିବାଦୀୟ ତତ୍ତ୍ୱ ଅନୁସାରେ ପୀଡ଼ିତ ଝିଅମାନେ Encephalitis Lethargica ରୋଗରେ ପୀଡ଼ିତ ଥିଲେ ଯାହା ପୋକ ଓ ପକ୍ଷୀଙ୍କ ଦ୍ୱାରା ବ୍ୟାପିପାରେ। ଏହାର ଲକ୍ଷଣଗୁଡ଼ିକ ହେଲା ଜ୍ଵର,ମୁଣ୍ଡବିନ୍ଧା,ଅଳସୁଆମି,ଦ୍ୱିଗୁଣ ଦୃଷ୍ଟି,ବେକରେ ଜଡ଼ତା,ଵ୍ୟଵହାରରେ ପରିଵର୍ତ୍ତନ ଓ ହାତ ଗୋଡ଼ ହଲଚଲ ହେଵା ଇତ୍ୟାଦି । ଲୌରୀ ୱିନ୍ କାର୍ଲସନ ତାଙ୍କର ୧୯୯୯ରେ ପ୍ରକାଶିତ ବହି A Fever in Salemରେ ଯୁକ୍ତି କରିଥିଲେ ଯେ ଅଭିଯୋଗକାରୀଙ୍କ ମଧ୍ୟରୁ କିଛି ଲୋକ ୧୬୯୧ ଵର୍ଷର ଶୀତଦିନ ଏଵଂ ୧୯୯୨ ଵର୍ଷର ଵସନ୍ତ ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଇଥିଲେ। ତଥାପି ଅନେକ ଐତିହାସିକ ଏହି ମତକୁ ଗ୍ରହଣ କରିନାହାନ୍ତି। 

ମୋଟ୍ ଉପରେ କହିଵାକୁ ଗଲେ Salem Witch Trials କୌଣସି ଗୋଟିଏ କାରଣରୁ ହୋଇନଥିଲା। ଏକ ଦୃଢ଼ ସଇତାନ-ବିଶ୍ୱାସ, ସେଲମ୍ ଵିଲେଜ୍‌ର ପରିଵାରଗୁଡ଼ିକ ମଧ୍ୟରେ କଳହ, ନିକଟସ୍ଥ ସେଲମ୍ ଟାଉନ୍ ସହିତ ଵିଭାଜନ, ସାମ୍ପ୍ରତିକ ଵସନ୍ତ ମହାମାରୀ ଏଵଂ ଯୁଦ୍ଧର ଭୟ ମିଶି ଏପରି ଏକ ପରିଵେଶ ସୃଷ୍ଟି କଲା ଯେ ଭୟ ଓ ଅଵିଶ୍ବାସ ମାତ୍ରାଧିକ ବଢ଼ିଗଲା। 

ଆଜି ଏହି ଘଟଣାକୁ ଜାତିଗତ ଅଜ୍ଞତା, ଖିରସ୍ତାନୀ ଅନ୍ଧଵିଶ୍ୱାସ ଏଵଂ ଦୀର୍ଘଦିନରୁ ବଢ଼ିଥିଵା ସାମାଜିକ ତିକ୍ତତାର ପରିଣାମ ଭାବେ ଦେଖାଯାଏ ।‌ଆମେରିକୀୟ ଇତିହାସରେ ଏହା ସାମାଜିକ ଵିଭାଜନ, ଖିରସ୍ତାନୀ ମୌଳିଵାଦ, ମିଥ୍ୟା ଅଭିଯୋଗ ତଥା ନ୍ୟାୟିକ ପ୍ରକ୍ରିୟାର ଵିଫଳତା ଵିଷୟରେ ଏକ ସ୍ଥାୟୀ ଶିକ୍ଷା।

ଜୁଲାଇ ୨୦୨୨ରେ, ମାସାଚୁସେଟ୍ସର ଅପିଲ୍ ଅଦାଲତ ଶେଷରେ ଏଲିଜାବେଥ୍ ଜନସନ ଜୁନିୟରଙ୍କୁ ଆଧିକାରିକ ଭାବେ ନିର୍ଦ୍ଦୋଷ ଘୋଷଣା କଲେ । ୧୬୯୨ ମସିହାରେ Witch ଭାବେ ଦୋଷୀ ସାଵ୍ୟସ୍ତ ହୋଇଥିଵା ଏଲିଜେବେଥ୍ ଜନସନ୍, ମାସାଚୁସେଟ୍ସର ଶେଷ ଵ୍ୟକ୍ତି ଥିଲେ। 

Salem Witch Trials ଆମକୁ ମନେ ପକାଇଦିଏ ଯେ ଯେତେବେଳେ ଭୟ ସତ୍ୟ ଉପରେ ଵିଜୟୀ ହୁଏ, ଯେତେବେଳେ ସାମାଜିକ ଵିଭାଜନ ନ୍ୟାୟକୁ ଅତିକ୍ରମ କରେ ଏଵଂ ଯେତେବେଳେ ଆଇନ ଦୁର୍ଵଳ ପଡ଼ିଯାଏ ସେତେବେଳେ କୌଣସି ବି ସମାଜ ଏପରି ଭୟଙ୍କର ଭୁଲ କରିପାରେ। 

ସେଲମ୍‌ର ଏହି Salem Witch Trials ଘଟଣା ଆମକୁ ଶିଖାଏ ଯେ ଭୟ ଓ ଗୁଜବ କେବେ କେବେ ସତ୍ୟଠାରୁ ଅଧିକ ଶକ୍ତିଶାଳୀ ହୋଇଯାଏ। ଯେତେବେଳେ ସମାଜରେ ସନ୍ଦେହ, ଅନ୍ଧଵିଶ୍ୱାସ ଓ ଘୃଣା ବଢ଼ିଯାଏ, ସେତେବେଳେ ସର୍ଵଧିକ କ୍ଷତି ନିର୍ଦ୍ଦୋଷ ଓ ଦୁର୍ଵଳ ଲୋକମାନଙ୍କର ହିଁ ହୋଇଥାଏ ।

ଇତିହାସର ଏହି ଦୁଃଖଦ କାହାଣୀ ଆମକୁ ସତର୍କ କରେ—ଯଦି ସମାଜ ଵିଵେକ, ସହାନୁଭୂତି ଓ ନ୍ୟାୟକୁ ହରାଇଦିଏ, ତେବେ ସମାଜ ଵିଭାଜିତ ହୋଇପାରେ ଏଵଂ ତହିଁର ଗମ୍ଭୀର ପରିଣତି ଅନେକଙ୍କୁ ଭୋଗିଵାକୁ ପଡ଼ିଥାଏ । ସେହିପାଇଁ ସେଲମ୍‌ର ସ୍ମୃତି କେଵଳ ଇତିହାସ ନୁହେଁ; ଏହା ଆଗାମୀ ପିଢ଼ି ପାଇଁ ଏକ ସତର୍କ ସନ୍ଦେଶ।



Monday, October 27, 2025

ଷ୍ଟୋନୱାଲ ଦଙ୍ଗା: ଏକ ଐତିହାସିକ ଆନ୍ଦୋଳନର କାହାଣୀ

ଷ୍ଟୋନୱାଲ ଦଙ୍ଗା ୧୯୬୯ ମସିହାରେ ଆମେରିକାର ନିଉୟର୍କ ସହରରେ ଘଟିଥିଲା ଏଵଂ ଏହା ଏକ ଏପରି ଘଟଣା ଯାହା ଵିଶ୍ୱଵ୍ୟାପୀ LGBTQ ଅଧିକାର ଆନ୍ଦୋଳନର ଆରମ୍ଭବିନ୍ଦୁ ଭାବେ ଗଣାଯାଏ। ଏହା ମାତ୍ର ଏକ ଦଙ୍ଗା ନଥିଲା ଵରଂ ଅନ୍ୟାୟ, ଦମନ ଓ ଵୈଷମ୍ୟ ଵିରୁଦ୍ଧରେ ଏକ ସମ୍ପ୍ରଦାୟର ସାହସୀ ପ୍ରତିଵାଦ ଥିଲା। ଏହି ଘଟଣା ସେହି ସମୟର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପୃଷ୍ଠଭୂମିକୁ ନେଇ ଆରମ୍ଭ ହୋଇଥିଲା । ଏକ ଛୋଟ Barରେ ଘଟିଥିଵା ଏକ ସାମାନ୍ୟ ଘଟଣା ଇତିହାସର ମୋଡ଼ ଵଦଳାଇ ଦେଇଥିଲା।

୧୯୬୦ ଦଶକର ଆମେରିକା ଏକ ପରିଵର୍ତ୍ତନଶୀଳ ସମୟରେ ଥିଲା। ନାଗରିକ ଅଧିକାର ଆନ୍ଦୋଳନ, ମହିଳା ଅଧିକାର, ଓ ଭିଏତନାମ ଯୁଦ୍ଧ ଵିରୋଧୀ ଆନ୍ଦୋଳନ ଜୋର ସୋର୍‌ରେ ଚାଲିଥିଲା । କିନ୍ତୁ ଏହି ସମୟରେ LGBTQ ସମ୍ପ୍ରଦାୟଙ୍କ ପାଇଁ ଜୀଵନ ଅତ୍ୟନ୍ତ କଠିନ ଥିଲା। ସମଲିଙ୍ଗୀ ସମ୍ପର୍କକୁ ସେତେବେଳର ଆମେରିକାରୈ ଅପରାଧ ଭାବେ ଗଣାଯାଉଥିଲା ଏଵଂ ଅଧିକାଂଶ ରାଜ୍ୟରେ ଏହା ଆଇନଗତ ଭାବେ ନିଷିଦ୍ଧ ଥିଲା। ସମାଜରେ LGBTQ ଵ୍ୟକ୍ତିମାନେ ଵୈଷମ୍ୟ, ଅପମାନ ଓ ହିଂସାର ଶିକାର ହେଉଥିଲେ।

ନିଉୟର୍କ ସହରରେ, LGBTQ ସମ୍ପ୍ରଦାୟର ଲୋକମାନେ ନିଜର ପରିଚୟ ଲୁଚାଇ ଜୀଵନଯାପନ କରୁଥିଲେ। ସେମାନଙ୍କ ପାଇଁ ନିରାପଦ ସ୍ଥାନ ବହୁତ ଅଳ୍ପ ଥିଲା। Gay Bar ଓ କ୍ଲଵଗୁଡ଼ିକ ଥିଲା ଏକମାତ୍ର ସ୍ଥାନ ଯେଉଁଠି ସେମାନେ ନିଜର ପ୍ରକୃତ ପରିଚୟକୁ ପ୍ରକାଶ କରିପାରୁଥିଲେ। କିନ୍ତୁ ଏହି Barଗୁଡ଼ିକ ମଧ୍ୟ ପୁଲିସର ନିରନ୍ତର ଚଢ଼ାଉର ଶିକାର ହେଉଥିଲା। ପୁଲିସ ପ୍ରାୟତଃ ଏହି Barଗୁଡ଼ିକ ଉପରେ ଚଢ଼ାଉ କରି ଲୋକଙ୍କୁ ଗିରଫ କରୁଥିଲା, ଅପମାନିତ କରୁଥିଲା ଏଵଂ ତାଙ୍କର ନାମ ଖଵରକାଗଜରେ ଛପାଇ ସେମାନଙ୍କ ଜୀଵନକୁ ଵିପଦରେ ପକାଉଥିଲା।


ଷ୍ଟୋନୱାଲ ଇନ୍ (Stonewall Inn) ଥିଲା ନିଉୟର୍କ ସହରର ଗ୍ରୀନୱିଚ୍ ଵିଲେଜ୍ ଅଞ୍ଚଳରେ ଅଵସ୍ଥିତ ଏକ ଛୋଟ Gay Bar । ଏହା ୧୯୬୬ ମସିହାରେ Gay Bar ଭାଵେ ଖୋଲାଯାଇଥିଲା ଏଵଂ ଏହା LGBTQ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ଜନପ୍ରିୟ ସ୍ଥାନ ଥିଲା। ଏହି Barରେ Gay, Lesbian, Transgender ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନାଚୁଥିଲେ, ଗପସପ କରୁଥିଲେ ଓ ନିଜର ପରିଚୟକୁ ସ୍ୱାଧୀନ ଭାବେ ଉପଭୋଗ କରୁଥିଲେ। କିନ୍ତୁ ଏହି Barଟି ମାଫିଆ ଦ୍ୱାରା ପରିଚାଳିତ ହେଉଥିଲା ଯେଉଁମାନେ ଏହାକୁ ଏକ ଲାଭଜନକ ଵ୍ୟଵସାୟ ଭାଵେ ଚଳାଉଥିଲେ। Barଟି ଅନେକ ସମୟରେ ଅଵୈଧ ଭାବେ ମଦ ତଥା ଅନ୍ୟାନ୍ୟ ମାଦକଦ୍ରଵ୍ୟ ଵିକ୍ରି କରୁଥିଲା, ଯାହା ପୁଲିସର ଚଢ଼ାଉର ଏକ କାରଣ ଥିଲା।

ଷ୍ଟୋନୱାଲ ଇନ୍ ଏକ ସାଧାରଣ Bar ନଥିଲା। ଏହା ଥିଲା ଏକ ଆଶ୍ରୟସ୍ଥଳ, ଯେଉଁଠି ସମାଜ ଦ୍ୱାରା ଵିତାଡ଼ିତ ଲୋକେ ନିଜକୁ ସୁରକ୍ଷିତ ଅନୁଭଵ କରୁଥିଲେ। ଏହାର ଗ୍ରାହକଙ୍କ ମଧ୍ୟରେ ଥିଲେ ଟ୍ରାନ୍ସଜେଣ୍ଡର ମହିଳା, ଯୁଵକମାନେ, ଗୃହହୀନ ଯୁଵକ ଓ କଳାଲୋକେ, ଯେଉଁମାନେ ସମାଜରେ ଵିଶେଷ ଵୈଷମ୍ୟର ଶିକାର ହେଉଥିଲେ।

୧୯୬୯ ମସିହା ଜୁନ ମାସ ୨୮ ତାରିଖ, ଶୁକ୍ରଵାର ରାତି। ଷ୍ଟୋନୱାଲ ଇନ୍‌ରେ ସବୁଦିନ ପରି ଗୀତ, ନାଚ ଓ ହସଖୁସିର ଆସର ଜମିଥିଲା। ରାତି ପ୍ରାୟ ୧:୨୦ ମିନିଟରେ ପୁଲିସ Bar ଉପରେ ଚଢ଼ାଉ କରିଥିଲା। ଏହା କୌଣସି ନୂଆ କଥା ନଥିଲା। ପୁଲିସ ପ୍ରାୟତଃ ଏହି Bar ଉପରେ ଚଢ଼ାଉ କରୁଥିଲା, କିନ୍ତୁ ଏହି ରାତିରେ କିଛି ଅଲଗା ହେଲା।

ପୁଲିସ Barରେ ପଶି ଗ୍ରାହକଙ୍କୁ ଗିରଫ କରିଵା ଆରମ୍ଭ କଲା। ପୋଲିସମାନେ ଲୋକଙ୍କୁ ଅପମାନିତ କଲେ, ମହିଳା ଓ ଟ୍ରାନ୍ସଜେଣ୍ଡର ଵ୍ୟକ୍ତିଙ୍କୁ ଅଶାଳୀନ ଢଙ୍ଗରେ ତଲାସି କଲେ। ସାଧାରଣତଃ ଏହି ଚଢ଼ାଉ ସମୟରେ ଲୋକେ ଚୁପ୍‌ଚାପ୍ ପୁଲିସର କଥା ମାନୁଥିଲେ, କିନ୍ତୁ ଏହି ରାତିରେ ସ୍ଥିତି ବଦଳିଗଲା। 

Barର ଵାହାରେ ଏକ ଜନତା ଜମା ହେଵାକୁ ଲାଗିଲା। ଯେଉଁମାନଙ୍କୁ ପୁଲିସ ଵାହାରକୁ ଛାଡ଼ି ଦେଇଥିଲା, ସେମାନେ ଚଲିଯାଇ ନଥିଲେ। ଵରଂ ସେମାନେ ରାସ୍ତାରେ ଜମା ହୋଇ ପୁଲିସର କାର୍ଯ୍ୟକୁ ପ୍ରତିଵାଦ କରିଵା ଆରମ୍ଭ କରିଦେଲେ। କିଛି ଲୋକ ପୁଲିସକୁ ଵିଦ୍ରୂପ କଲେ, ଅନ୍ୟମାନେ ଚିତ୍କାର କରି କହିଲେ, "ଆମକୁ ଏକା ଛାଡ଼ିଦିଅ ଵା Leave Us Alone !"।
ପ୍ରକୃତ ଘଟଣା କ’ଣ ଥିଲା ଯାହା ଦଙ୍ଗାକୁ ଆରମ୍ଭ କଲା, ତାହା ସ୍ପଷ୍ଟ ନୁହେଁ। କିଛି ସାକ୍ଷୀଙ୍କ କହିଵା ଅନୁଯାୟୀ, ଜଣେ ଟ୍ରାନ୍ସଜେଣ୍ଡର ମହିଳା ଯାହାଙ୍କୁ ପୁଲିସ ଗିରଫ କରୁଥିଲା, ସେ ପ୍ରତିଵାଦ କରି ଜନତାକୁ ଉତ୍ତେଜିତ କରିଥିଲେ। ଅନ୍ୟ ଏକ ମତ ଅନୁଯାୟୀ, ଜଣେ ଲେସବିୟାନ ମହିଳାଙ୍କୁ ପୁଲିସ ମାଡ଼ ମାରିଥିଲା, ଯାହା ଜନତା ମଧ୍ୟରେ ଆକ୍ରୋଶର କାରଣ ହୋଇଥିଲା। ତେବେ ଏହା ଏକ ଛୋଟ ଘଟଣା ଥିଲା ଏକ ଵିଶାଳ ପ୍ରତିଵାଦରେ ପରିଣତ ହେଲା।
ଜନତା ପୁଲିସ ଉପରେ ପଥର, ଵୋତଲ ଓ ଅନ୍ୟାନ୍ୟ ଜିନିଷ ଫୋପାଡ଼ିଵା ଆରମ୍ଭ କଲେ। ପୁଲିସ ଅଧିକାରୀମାନେ, ଯେଉଁମାନେ ଏକ ସାଧାରଣ ଚଢ଼ାଉ ପାଇଁ ଆସିଥିଲେ, ଏହି ଅପ୍ରତ୍ୟାଶିତ ପ୍ରତିଵାଦରେ ହତଵାକ୍ ହୋଇଗଲେ। ସେମାନେ ଷ୍ଟୋନୱାଲ ଇନ୍ ଭିତରେ ନିଜକୁ ଵନ୍ଦ କରି ଦେଇଥିଲେ, କିନ୍ତୁ ଜନତା ଵାହାରେ ରହି ନାରାଵାଜି ଓ ପ୍ରତିଵାଦ ଜାରି ରଖିଥିଲେ।
ଏହି ରାତିରେ ପ୍ରତିଵାଦ ଏକ ପୂର୍ଣ୍ଣାଙ୍ଗ ଦଙ୍ଗାରେ ପରିଣତ ହେଲା। ଜନତା ପୁଲିସର ଗାଡ଼ି ଉପରେ ଆକ୍ରମଣ କଲେ, ମୋଟରଗାଡ଼ି ଓ ଅନ୍ୟ ଜିନିଷରେ ନିଆଁ ଲଗାଇ ଦେଲେ। ପୁଲିସ ଅଧିକ ପୋଲିସ ଵାହିନୀ ପଠାଇଥିଲା, କିନ୍ତୁ ପ୍ରତିଵାଦୀମାନେ ପଛକୁ ହଟି ନଥିଲେ। ଏହି ଦଙ୍ଗା ରାତିସାରା ଚାଲିଥିଲା ଓ ପରଦିନ ସକାଳେ ମଧ୍ୟ ଜାରି ରହିଥିଲା।
ପ୍ରଥମ ରାତିର ଦଙ୍ଗା କେଵଳ ଆରମ୍ଭ ଥିଲା। ପରଵର୍ତ୍ତୀ କିଛି ଦିନ ଧରି ଗ୍ରୀନୱିଚ୍ ଵିଲେଜରେ ପ୍ରତିଵାଦ ଓ ଦଙ୍ଗା ଜାରି ରହିଥିଲା। LGBTQ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ରାସ୍ତାରେ ଵିକ୍ଷୋଭ କରୁଥିଲେ। ସେମାନେ Gay Power ଏଵଂ "ଆମେ ଏକା ନୁହୁଁ" ଭଳି ନାରା ଦେଉଥିଲେ। ଏହି ପ୍ରତିଵାଦରେ ଅନେକ ଟ୍ରାନ୍ସଜେଣ୍ଡର ମହିଳା ଓ କଳା ଲୋକେ ନେତୃତ୍ୱ ନେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମାର୍ଶା ପି. ଜନସନ ଓ ସିଲଵିଆ ରିଭେରା ଭଳି ଵ୍ୟକ୍ତିତ୍ୱ ଅଗ୍ରଣୀ ଥିଲେ।

ଏହି ଦଙ୍ଗା କେଵଳ ଏକ ରାତିର ଘଟଣା ନଥିଲା। ଏହା ଏକ ଆନ୍ଦୋଳନର ଆରମ୍ଭ ଥିଲା। ଷ୍ଟୋନୱାଲ ଦଙ୍ଗା ପରେ LGBTQ ସମ୍ପ୍ରଦାୟରେ ଏକ ନୂଆ ସାହସ ଓ ଏକତାର ଭାଵନା ଜାଗି ଉଠିଥିଲା। ସେମାନେ ନିଜର ଅଧିକାର ପାଇଁ ଲଢ଼ିଵାକୁ ସ୍ଥିର କରିଥିଲେ।
ଷ୍ଟୋନୱାଲ ଦଙ୍ଗା ପରେ ଅନେକ LGBTQ ସଂଗଠନ ଗଠନ ହେଲା। ଗେ ଲିବରେସନ ଫ୍ରଣ୍ଟ (Gay Liberation Front) ଓ ଗେ ଆକ୍ଟିଭିଷ୍ଟ ଆଲାୟାନ୍ସ (Gay Activists Alliance) ଭଳି ସଂଗଠନଗୁଡ଼ିକ LGBTQ ଅଧିକାର ପାଇଁ ଲଢ଼େଇ ଆରମ୍ଭ କଲେ। ୧୯୭୦ ମସିହାରେ, ଷ୍ଟୋନୱାଲ ଦଙ୍ଗାର ପ୍ରଥମ ଵାର୍ଷିକୀ ଉପଲକ୍ଷେ, ନିଉୟର୍କରେ ପ୍ରଥମ ଗେ ପ୍ରାଇଡ ପରେଡ ଆୟୋଜିତ ହେଲା। ଏହା ପରେ ଵିଶ୍ୱର ଅନେକ ସହରରେ ପ୍ରାଇଡ ପରେଡ ଆରମ୍ଭ ହେଲା, ଯାହା LGBTQ ସମ୍ପ୍ରଦାୟର ଗୌରଵ ଓ ଏକତାର ପ୍ରତୀକ ହେଲା।
ଷ୍ଟୋନୱାଲ ଦଙ୍ଗା ଆମେରିକାରେ LGBTQ ଅଧିକାର ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା। ଏହା ପରେ ଅନେକ ଆଇନଗତ ଓ ସାମାଜିକ ପରିଵର୍ତ୍ତନ ହେଲା। ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମାନିଵା ଆଇନ ଧୀରେ ଧୀରେ ବଦଳିଗଲା, ଏଵଂ LGBTQ ଵ୍ୟକ୍ତିଙ୍କ ପାଇଁ ସମାଜରେ ଗ୍ରହଣୀୟତା ଵଢ଼ିଲା।

ଷ୍ଟୋନୱାଲ ଦଙ୍ଗାରେ ଅନେକ ଵ୍ୟକ୍ତି ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମାର୍ଶା ପି. ଜନସନ, ଜଣେ ଟ୍ରାନ୍ସଜେଣ୍ଡର ମହିଳା, ଓ ସିଲଵିଆ ରିଭେରା, ଜଣେ ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ, ଏହି ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେମାନେ କେଵଳ ଷ୍ଟୋନୱାଲରେ ପ୍ରତିଵାଦ କରିନଥିଲେ ଵରଂ ପରେ ଟ୍ରାନ୍ସଜେଣ୍ଡର ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ। ଅନେକ ଅଜଣା ନାୟକ ମଧ୍ୟ ଏହି ଦଙ୍ଗାରେ ଅଂଶଗ୍ରହଣ କରିଥିଲେ। ସେମାନେ ଥିଲେ ସାଧାରଣ ଲୋକ, ଯେଉଁମାନେ ନିଜର ଅଧିକାର ପାଇଁ ସାହସର ସହିତ ଲଢ଼ିଥିଲେ।

ଷ୍ଟୋନୱାଲ ଦଙ୍ଗା ଏକ ସାମାଜିକ ଆନ୍ଦୋଳନର ଆରମ୍ଭ ମାତ୍ର ନୁହେଁ, ଏହା ଏକ ଉତ୍ସଵ ମଧ୍ୟ। ଏହା LGBTQ ସମ୍ପ୍ରଦାୟର ସାହସ, ଏକତା ଓ ଗୌରଵର ପ୍ରତୀକ। ପ୍ରତିଵର୍ଷ ଜୁନ ମାସରେ, ଵିଶ୍ୱଵ୍ୟାପୀ ପ୍ରାଇଡ ମାସ ଭାଵେ ପାଳନ କରାଯାଏ, ଯାହା ଷ୍ଟୋନୱାଲ ଦଙ୍ଗାର ସ୍ମୃତିକୁ ଜୀଵନ୍ତ ରଖିଥାଏ।

ଷ୍ଟୋନୱାଲ ଦଙ୍ଗା ଥିଲା ଏକ ସାଧାରଣ Barରେ ଆରମ୍ଭ ହୋଇଥିଵା ଏକ ଵିଦ୍ରୋହ, ଯାହା ଏକ ଵିଶ୍ୱଵ୍ୟାପୀ ଆନ୍ଦୋଳନରେ ପରିଣତ ହେଲା। ଏହା LGBTQ ସମ୍ପ୍ରଦାୟକୁ ନିଜର ଅଧିକାର ପାଇଁ ଲଢ଼ିଵାକୁ ପ୍ରେରଣା ଦେଇଥିଲା ଓ ସମାଜରେ ସମାନତା ଓ ଗ୍ରହଣୀୟତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା। ଆଜି ମଧ୍ୟ ଷ୍ଟୋନୱାଲର ସ୍ମୃତି ଲୋକଙ୍କୁ ଅନ୍ୟାୟ ଵିରୁଦ୍ଧରେ ଲଢ଼ିଵାକୁ ପ୍ରେରଣା ଦେଉଛି।


Saturday, July 5, 2025

ବାର୍ବରା ମାକଲ୍‌ଙ୍କ ଅପହରଣ : ଏକ ଜିଅନ୍ତା କବରର କାହାଣୀ

୧୯୬୮ ମସିହା ଡିସେମ୍ବର ୧୭ ତାରିଖ, ସକାଳ ପ୍ରାୟ ୪ଟା ବେଳେ ଆମେରିକାର ଜର୍ଜିଆ ରାଜ୍ୟରେ ଥିଵା ଆଟଲାଣ୍ଟା ସହରର ରୋଡୱେ ଇନ୍‌ ନାମକ ମୋଟେଲରେ ଏକ ଅଭାଵନୀୟ ଘଟଣା ଘଟିଲା। ଏହି ଘଟଣାକୁ 
"Kidnapping of Barbara Mackle" ନାମରେ ଜଣାଯାଏ । 

ବାର୍ବାରା ମାକଲ୍‌, ଏକ ସମ୍ଭ୍ରାନ୍ତ ପରିଵାରରେ ଜନ୍ମିତ ୨୦ ଵର୍ଷୀୟା ଯୁଵତୀ, ସେତେବେଳେ ଆଟଲାଣ୍ଟାର ଏମୋରୀ ଵିଶ୍ୱଵିଦ୍ୟାଳୟରେ ପାଠ ପଢୁଥିଲେ। ତାଙ୍କ ପିତା ରବର୍ଟ ମାକଲ୍‌ ଥିଲେ ଫ୍ଲୋରିଡାର ଜଣେ ଧନୀ ପ୍ରୋପର୍ଟି ଡେଵ୍‌ଲପର୍ ଏଵଂ ଡେଲ୍‌ଟୋନା କର୍ପୋରେସନ୍‌ର ସହ-ପ୍ରତିଷ୍ଠାତା, ଯାହାର ମୂଲ୍ୟ ସେତେବେଳେ ପ୍ରାୟ ୬୫ ନିୟୁତ ଡଲାର(ଵର୍ତ୍ତମାନ ଏହା ପ୍ରାୟ ୫୫୨.୫ ନିୟୁତ ଡଲାର ସହିତ ସମାନ) ଥିଲା। ବାର୍ବାରାଙ୍କୁ ହଂକଂ ଫ୍ଲୁ ରୋଗ ହେଵାରୁ ତାଙ୍କ ମାଆ ଜେନ୍‌ ତାଙ୍କୁ କ୍ରିସ୍‌ମାସ ଛୁଟିରେ ଘରକୁ ଫେରାଇ ନେଵା ପାଇଁ ଆଟଲାଣ୍ଟା ଆସିଥିଲେ। ସେମାନେ ରୋଡୱେ ଇନ୍‌ରେ ଏକ ରୁମ୍‌ରେ ରହିଥିଲେ।

ସେହି ରାତିରେ, ମାଆ ଓ ଝିଅ ଶୟନ ପୂର୍ଵରୁ ଘରକଥା ହେଉଥିଲେ ଏତିକିବେଳେ କେହି ଜଣେ ରୁମ୍‌ର କବାଟ ଠକ୍ ଠକ୍ କଲା। ଜଣେ ଵ୍ୟକ୍ତି ନିଜକୁ ଡିଟେକ୍ଟିଵ୍ ବୋଲି ପରିଚୟ ଦେଇ କହିଲା ଯେ ବାର୍ବାରାଙ୍କ ପ୍ରେମିକ ଷ୍ଟୁଆର୍ଟ ହଣ୍ଟ ୱୁଡୱାର୍ଡଙ୍କର ଏକ କାର ଦୁର୍ଘଟଣା ଘଟିଛି। ଏହା ଶୁଣି ବାର୍ବରାଙ୍କ ମାଆ ଜେନ୍‌ ଭୟଭୀତ ହୋଇ କବାଟ ଖୋଲିଦେଲେ।

ପ୍ରକୃତରେ ସେମାନେ ଡିଟେକ୍ଟିଵ୍ ନୁହେଁ ଦୁଇ ଅପରାଧୀ ଥିଲେ । ମୁଖ୍ୟ ଅପରାଧି ଗ୍ୟାରୀ ଷ୍ଟିଵେନ୍‌ କ୍ରିଷ୍ଟ ଜଣେ କୁଖ୍ୟାତ ଜେଲ୍‌-ଫେରାର ଅପରାଧୀ ଏଵଂ ତାହାର ମହିଳା ସାଥି ରୁଥ୍‌ ଆଇସେମାନ୍‌-ଶିଅର୍‌ ମାସ୍କ ପିନ୍ଧି ରୁମ୍ କବାଟ ଠକ୍ ଠକ୍ କରୁଥିଲେ । 

ତେବେ ଜେନ୍ ଯେମିତି କବାଟ ଖେଲି ଦେଇଛନ୍ତି ହଠାତ୍ ଦୁଇଜଣ ଲୋକ ରୁମ୍ ଭିତରକୁ ପଶିଆସି ଏକ ବନ୍ଧୁକ ଧରି ଜେନ୍‌ଙ୍କୁ କ୍ଲୋରୋଫର୍ମ ଦେଇ ଅଚେତ କରିଦେଲେ ଓ ତାଙ୍କ ହାତପାଦ ବାନ୍ଧି ପକାଇଲେ। ବାର୍ବାରାଙ୍କୁ ବନ୍ଧୁକ ଦେଖାଇ ଯୋର୍ କରି ଏକ ନୀଳ ରଙ୍ଗର ଵଲଵୋ ଷ୍ଟେସନ୍‌ ୱାଗନ୍‌ରେ ବସାଇ ନେଇଗଲେ। ସେମାନେ ବାର୍ବାରାଙ୍କୁ ଆଟ୍‌ଲାଣ୍ଟାରୁ ପ୍ରାୟ ୨୦ ମାଇଲ ଦୂରରେ ଗ୍ୱିନେଟ୍‌ କାଉଣ୍ଟିର ଏକ ଘଞ୍ଚ ପାଇନ୍‌ ଜଙ୍ଗଲକୁ ନେଇଗଲେ। ସେଠାରେ ପୂର୍ଵରୁ ଖୋଳା ହୋଇଥିଵା ଗୋଟାଏ ଗାଡ଼ରେ ଏକ ଫାଇବରଗ୍ଲାସ୍‌-ସୁରକ୍ଷିତ ବାକ୍ସ ରହିଥିଲା। ଏହି ବାକ୍ସ ଭିତରେ ଥିଲା ଏକ ଏୟାର ପମ୍ପ, ବ୍ୟାଟେରୀ-ଚାଳିତ ଲାମ୍ପ, ଔଷଧ ମିଶା ପାଣି ଓ କିଛି ଖାଦ୍ୟ। ବାର୍ବାରାଙ୍କୁ ଏହି ବାକ୍ସ ଭିତରେ ଶୋଇଵାକୁ ବାଧ୍ୟ କରାଗଲା। ସେ କାନ୍ଦି କାନ୍ଦି ଅନୁନୟ କଲେ, କିନ୍ତୁ ଅପହରଣକାରୀମାନେ ତାଙ୍କୁ କ୍ଲୋରୋଫର୍ମ ଦେଇ ବାକ୍ସ ଭିତରେ ପୁରାଇ ଢାଙ୍କୁଣୀ ବନ୍ଦ କରିଦେଲେ। ତା’ପରେ ସେମାନେ ବାକ୍ସ ଉପରେ ମାଟି ପକାଇ ବାର୍ବାରାଙ୍କୁ ଜୀଅନ୍ତା ପୋତି ଦେଲେ।

ବାର୍ବାରା ଅନ୍ଧକାର ବାକ୍ସ ଭିତରେ ଏକା ଥିଲେ। ତାଙ୍କ ମନରେ ଭୀଷଣ ଭୟ ଜାତ ହେଉଥିଲେ ବି ସେ ଏହି ଵିପତ୍ତିକୁ ମୁକୁଳିଯିବେ ବୋଲି ଆଶା ରଖିଥିଲେ। 

ବାର୍ବରା ମାଟିତଳେ ବାକ୍ସ ମଧ୍ୟରେ ପୋତି ହୋଇ ନିଜକୁ ଶାନ୍ତ ରଖିଵା ପାଇଁ କ୍ରିସ୍‌ମାସ ସମୟରେ ପରିଵାର ସହ ଆନନ୍ଦ କରୁଥିଵାର କଳ୍ପନା କରୁଥିଲେ। ସେ ନିଶ୍ଚିତ ଥିଲେ ଯେ ତାଙ୍କୁ ଉଦ୍ଧାର କରାଯିଵ। 

ଅପହରଣକାରୀମାନେ ବାର୍ବାରାଙ୍କ ପିତାଙ୍କୁ ୫୦୦,୦୦୦ ଡଲାର (୨୦୨୫ ମୂଲ୍ୟରେ ପ୍ରାୟ ୪.୬ ନିୟୁତ ଡଲାର) ମୁକ୍ତିପଣ(ransom) ଦାବି କଲେ। ରବର୍ଟ ମାକଲ୍‌ ତୁରନ୍ତ ଏହା ଦେଵାକୁ ରାଜି ହେଲେ। ପ୍ରଥମ ମୁକ୍ତିପଣ(ransom) ପ୍ରୟାସ ଵିଫଳ ହେଲା କାରଣ ଦୁଇ ପୋଲିସ୍‌ ଅଫିସର ଅଜାଣତରେ ସେହି ସ୍ଥାନ ଦେଇ ଗାଡ଼ି ଚଲାଇ ଚାଲିଯାଇଥିଲେ ଫଳତଃ ତାହା ଦେଖି ଅପହରଣକାରୀମାନେ ଗାଡ଼ି ଛାଡ଼ି ପଳାଇଲେ। 

ଅପହରଣର ଏଫ୍‌ବିଆଇ ତଦନ୍ତ ଆରମ୍ଭ କଲା। ଅପହରଣକାରୀମାନେ ଛାଡ଼ିଥିଵା ଗାଡ଼ିରୁ କିଛି ପ୍ରମାଣ ମିଳିଲା—ଫୋଟୋ, କ୍ଲୋରୋଫର୍ମ ଓ ଜର୍ଜ ଡିକନ୍‌ ନାମକ ଜଣେ ଵ୍ୟକ୍ତି ନାମରେ ଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇଥିଵାର ଜଣାପଡ଼ିଲା । ପରେ ତଦନ୍ତରୁ ଜଣାପଡ଼ିଲା ଯେ ଜର୍ଜ ଡିକନ୍‌ ଗାରୀ କ୍ରିଷ୍ଟର ଛଦ୍ମନାମ ନାମ ଥିଲା । ୧୯୬୬ରେ କାଲିଫର୍ଣ୍ଣିଆର ଏକ ଜେଲରୁ ପଳାୟନ କଲାପରେ ଗାରୀ କ୍ରିଷ୍ଟ୍ ଏହି ଛଦ୍ମନାମ ରଖି ଜାଲ୍ କାଗଜପତ୍ର କରିଥିଲା। ଦ୍ୱିତୀୟ ମୁକ୍ତିପଣ(ransom) ପ୍ରୟାସ ସଫଳ ହେଲା ଏଵଂ ବାର୍ବରାଙ୍କ ବାପା ରବର୍ଟ ମାକଲ୍‌ ମିଆମିର ଏକ ସ୍ଥାନରେ ଟଙ୍କା ରଖି ଆସିଲେ। ଏହାପରେ ଅପହରଣକାରୀ କ୍ରିଷ୍ଟ ଏଫ୍‌ବିଆଇକୁ ଫୋନ୍‌ କରି ବାର୍ବାରାଙ୍କ ଅଵସ୍ଥାନର ଏକ ଅସ୍ପଷ୍ଟ ଵିଵରଣୀ ଦେଲା। 

୮୩ ଘଣ୍ଟାର ନିଷ୍ଠୁର ଅନ୍ଧକାର ଓ ନିର୍ଜନତା ପରେ, ୧୦୦ରୁ ଅଧିକ ଏଫ୍‌ବିଆଇ ଏଜେଣ୍ଟଙ୍କ ଅକ୍ଲାନ୍ତ ଖୋଜାଖୋଜି ଫଳଦାୟୀ ହେଲା। ଡିସେମ୍ବର ୨୦, ୧୯୬୮ରେ ସେମାନେ ଗ୍ୱିନେଟ୍‌ କାଉଣ୍ଟିର ଏକ ଜଙ୍ଗଲରେ ବାର୍ବାରାଙ୍କୁ ଖୋଳି ବାହାର କଲେ। ବାର୍ବରା ଶାରୀରିକ ଭାବେ ଅକ୍ଷତ ଥିଲେ କିନ୍ତୁ ଭୟଙ୍କର ମାନସିକ ଆଘାତ ଅନୁଭଵ କରୁଥିଲେ। ତେବେ ବାର୍ବରାଙ୍କ ଅଦମ୍ୟ ଆଶା ଓ ଧୈର୍ଯ୍ୟ ତାଙ୍କୁ ଏହି ଭୟଙ୍କର ଅଵସ୍ଥାରୁ ବଞ୍ଚାଇଥିଲା। 

୧୭ରୁ ୨୦ ଡିସେମ୍ବର ପର୍ଯ୍ୟନ୍ତ ପ୍ରାୟ ୮୩ ଘଣ୍ଟା ଧରି ବାର୍ବରା ମାକଲ୍ ମାଟି ତଳେ ଏକ ବାକ୍ସ ମଧ୍ୟରେ ପୋତା ହୋଇ ରହିଥିଲେ ।‌ ତାଙ୍କର ମୁକ୍ତିର ଦୁଇ ପରେ ୧୯୬୮ ଡିସେମ୍ବର ୨୨ରେ ଗ୍ୟାରୀ କ୍ରିଷ୍ଟକୁ ଫ୍ଲୋରିଡାର ହଗ୍ ଆଇଲ୍ୟାଣ୍ଡରୁ ଧରାଗଲା । 

ଅପହରଣର ୭୯ ଦିନ ପରେ,ଓକ୍ଲାହୋମାରେ ଏକ ହସ୍ପିଟାଲରେ ଚାକିରି ଆଵେଦନ ଦେଵାକୁ ଆସିଥିଵା ଗ୍ୟାରୀ କ୍ରିଷ୍ଟର ମହିଳା ସାଥି ରୁଥ୍‌ ଆଇସେମାନ୍‌-ଶିଅର୍‌କୁ ୧୯୬୯ ମାର୍ଚ୍ଚ ୫ରେ ଓକଲାହୋମାରୁ ଗିରଫ କରାଗଲା । ମୁଖ୍ୟ ଅପରାଧି କ୍ରିଷ୍ଟକୁ ଆଜୀଵନ କାରାଦଣ୍ଡ ଦିଆଗଲା, କିନ୍ତୁ ୧୦ ଵର୍ଷ ପରେ ସେ ପାରୋଲ୍‌ରେ ମୁକ୍ତି ପାଇଲା। ରୁଥ୍‌କୁ ମଧ୍ୟ ଦଣ୍ଡ ମିଳିଲା, କିନ୍ତୁ ସେ କିଛି ଵର୍ଷ ପରେ ମୁକ୍ତ ହେଲା। 

ବାର୍ବାରା ନିଜର ଅନୁଭଵକୁ ଏକ ପୁସ୍ତକ “83 Hours Till Dawn”ରେ ଲେଖିଲେ, ଯାହା ୧୯୭୧ରେ ପ୍ରକାଶିତ ହେଲା। ଏହା ଦୁଇଟି ଟେଲିଭିଜନ୍‌ ଚଳଚ୍ଚିତ୍ରର ଆଧାର ହେଲା। ସେ ପରେ ଷ୍ଟୁଆର୍ଟ ୱୁଡୱାର୍ଡଙ୍କୁ ଵିଵାହ କଲେ, ଦୁଇ ସନ୍ତାନର ମାଆ ହେଲେ ଏଵଂ ଆଟଲାଣ୍ଟାରେ ଶାନ୍ତି ସହକାରେ ଜୀଵନ ଯାପନ କଲେ। ତାଙ୍କ ସାହସ ଓ ଧୈର୍ଯ୍ୟର ଏହି କାହାଣୀ ମଣିଷର ଅଦମ୍ୟ ଇଚ୍ଛାଶକ୍ତିର ଏକ ଜ୍ୱଳନ୍ତ ଉଦାହରଣ।

••••••••••••••••••••••••••••••••••
ବାର୍ବରା ୮୩ ଘଣ୍ଟା ଧରି ଏକ ଅନ୍ଧକାର, ସଙ୍କୁଚିତ ଫାଇବରଗ୍ଲାସ୍ ବାକ୍ସରେ ପୋତା ହୋଇ ରହିଥିଲେ, ଯେଉଁଥିରେ ଅକ୍ସିଜେନ, ଖାଦ୍ୟ, ଓ ପାଣିର ଅଭାବ ଥିଲା। ଏତେ ଭୟଙ୍କର ପରିସ୍ଥିତିରେ ମଧ୍ୟ ସେ ନିଜକୁ ଶାନ୍ତ ରଖିଵା ପାଇଁ ପରିଵାର ସହ କ୍ରିସ୍‌ମାସ ଉତ୍ସବର କଳ୍ପନା କରୁଥିଲେ। ଏହା ମନୋଵିଜ୍ଞାନରେ ସହନଶୀଳ ପଦ୍ଧତି(coping mechanism)ର ଏକ ଉଦାହରଣ। ଏହା ସକାରାତ୍ମକ ଵୀକ୍ଷଣ(positive visualization) ଓ ମାନସିକ ସ୍ଥିତିସ୍ଥାପକତା (mental resilience) ଦର୍ଶାଏ, ଯାହା ମଣିଷକୁ ଚରମ ମାନସିକ ଚାପ ମଧ୍ୟରେ ବି ବଞ୍ଚିଵାରେ ସାହାଯ୍ୟ କରେ।

ସେହିପରି ବାର୍ବରା ୮୩ ଘଣ୍ଟା ଧରି ସୀମିତ ଅକ୍ସିଜେନ, ଖାଦ୍ୟ, ଓ ପାଣି ସହ ବାକ୍ସରେ ବଞ୍ଚିଥିଲେ। ଏହା ମାନଵ ଶରୀରର ଦୈହିକ ସ୍ଵୀକରଣ(physiological adaptation) ଦର୍ଶାଏ। ପୁଣି ସୀମିତ ଅକ୍ସିଜେନ ଓ ଖାଦ୍ୟ ସତ୍ତ୍ୱେ ବାର୍ବରା ଜୀଵିତ ରହିଥିଲେ, ଯାହା ମାନଵ ଶରୀରର ଚୟାପଚୟୀ ପ୍ରତିକ୍ରିୟା (metabolic response) ଓ ଷ୍ଟ୍ରେସ୍ ହରମୋନ୍ (stress hormones ଯେମିତି cortisol) ର ଭୂମିକା ଦର୍ଶାଏ। ଏହି ଘଟଣାର ଅଧ୍ୟୟନରେ ହାଇପୋକ୍ସିଆ (hypoxia) ଓ ଡିହାଇଡ୍ରେସନ୍(dehydration) ପରି ଅଵସ୍ଥାରେ ଶରୀର କିପରି କାର୍ଯ୍ୟ କରେ, ତାହା ବୁଝାଯାଇପାରେ।
  
ଅପହରଣକାରୀମାନେ ବାର୍ବରାଙ୍କୁ ରଖିଵା ପାଇଁ ଏକ ଫାଇବରଗ୍ଲାସ୍-ସୁରକ୍ଷିତ ବାକ୍ସ ତିଆରି କରିଥିଲେ, ଯେଉଁଥିରେ ଏୟାର ପମ୍ପ୍, ବ୍ୟାଟେରୀ-ଚାଳିତ ଲାମ୍ପ ,ପାଣି ଓ ଖାଦ୍ୟ ରହିଥିଲା। ଏଥିରୁ ଜଣାଯାଏ ଯେ ଅପରାଧୀଙ୍କୁ ମେକାନିକାଲ ଇଞ୍ଜିନିୟରିଂ ଓ ବାୟୋଇଞ୍ଜିନିୟରିଂ ଵିଷୟରେ ଜଣାଥିଲା । ବାକ୍ସଟି ଏକ ସୀମିତ ପରିବେଶରେ ମଣିଷକୁ ଜୀଵନ୍ତ ରଖିଵା ପାଇଁ ଡିଜାଇନ୍ କରାଯାଇଥିଲା, ଯେଉଁଥିରେ ଅକ୍ସିଜେନ ଯୋଗାଣ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ସରଳ ପ୍ରଯୁକ୍ତି ଵ୍ୟଵହାର ହୋଇଥିଲା। ତେବେ ଵର୍ଷ ଵର୍ଷ ଧରି ପରିଶ୍ରମ କରି ଅର୍ଜିଥିଵା ଵୈଜ୍ଞାନିକ ଓ ପ୍ରଯୁକ୍ତିଗତ ଜ୍ଞାନର ଦୁରୁପଯୋଗ କରି ଅପରାଧୀମାନେ ଶେଷରେ ଦଣ୍ଡ ଭୋଗିଲେ । ବାର୍ବରା ମାକଲ୍‌ଙ୍କ ଅପହରଣ ଘଟଣାରୁ ଏହା ମଧ୍ୟ ଶିକ୍ଷା ମିଳେ ଯେ ଜ୍ଞାନର ସଦା ସର୍ଵଦା ସଦୁପଯୋଗ ହେଵା ଉଚିତ ଅନ୍ୟଥା ଶେଷରେ ଦଣ୍ଡ ଭୋଗିଵା ସାର ହୁଏ । 

ଏଫ୍‌ବିଆଇର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକା ଏକ ସରକାରୀ ତାଲିକା ଯେଉଁଥିରେ ଏଫ୍‌ବିଆଇ ଗୁରୁତର ଅପରାଧ ସହ ଜଡ଼ିତ ଓ ଫେରାର ଅପରାଧୀମାନଙ୍କୁ ରଖିଥାଏ, ଯାହାଙ୍କୁ ଧରିଵା ପାଇଁ ଜନସାଧାରଣଙ୍କ ସହାୟତା ଆଵଶ୍ୟକ ହୋଇଥାଏ। ଏହି ତାଲିକାରେ ସ୍ଥାନ ପାଇଵା ଅର୍ଥ ଅପରାଧୀଙ୍କ ଅପରାଧ ଗୁରୁତର ଏଵଂ ତାଙ୍କୁ ଧରିଵା ଅତ୍ୟନ୍ତ ଜରୁରୀ। ୧୯୬୮ ପର୍ଯ୍ୟନ୍ତ ଏଫ୍‌ବିଆଇର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ କୌଣସି ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ବାର୍ବରା ମ୍ୟାକଲ୍‌ଙ୍କ ଅପହରଣ ମାମଲାରେ ରୁଥ୍‌ ଆଇସେମାନ୍‌-ଶିଅର୍‌କୁ ଜଡ଼ିତ ଥିଵା କାରଣରୁ ସେ ଏହି ତାଲିକାରେ ୧୯୬୮ ଡିସେମ୍ବର ୨୦ରେ ପ୍ରଥମ ମହିଳା ଭାବେ ସ୍ଥାନ ମିଳିଥିଲା । କଥାରେ ଅଛି ମନ୍ଦିର ତୋଳିଲେ ନାଆଁ ବାଟରେ ଵିଷ୍ଟା ତ୍ୟାଗକରି ବି ନାଆଁ । ସେହି ନ୍ୟାୟରେ ଅପହରଣକାରିଣୀ ରୁଥ୍ ଅପରାଧ କରି ବି ଇତିହାସରେ ନିଜର ନାଆଁ ଲେଖାଇଵାରେ ସଫଳ ହୋଇଯାଇଛି । 
•••••••••••••••••••••••••••••••••
 

Friday, May 12, 2023

ରାତ୍ରୀ କାଳରେ କିଛି ଜୀଵଙ୍କ ଆଖି ଜଳିଲା ଭଳିଆ କାହିଁକି ଦେଖାଯାଏ ?

ଆମେରିକାର ଉତ୍ତର ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ଲୁମ୍ମି(Lummi) ତଥା ସ୍ପୋକନେ(Spokane) ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁସାରେ କୌଣସି କାରଣରୁ ଗୋଟିଏ Coyote (ଆମେରିକୀୟ କୋକିଶିଆଳି) ଅନେକ ଦିନ ପର୍ଯ୍ୟନ୍ତ ନିଃସଙ୍ଗ ଜୀଵନ କଟାଉଥିଲା । ତେବେ Coyote ନିଜ ଜୀଵନରେ କିଛି ପରିଵର୍ତ୍ତନ ଚାହୁଁଥିଲା କିନ୍ତୁ ଏଥିପାଇଁ ଜଣେ କିଏ ସାଥୀ ଆଵଶ୍ୟକ ଵିଚାର କରି ସେ ଦିନେ ନିକଟରେ ଥିଵା ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ଚେଷ୍ଟା କଲା। Coyote ଅନେକ ପ୍ରକାରର ଖେଳ କୌତୁକ ଦେଖାଇଲା କିନ୍ତୁ ଝିଅମାନେ କୋଉଥିରେ ପ୍ରଭାଵିତ ହେଲେ ନାହିଁ । ଶେଷରେ Coyote ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗିଲା ଏଵଂ ପୁଣି ତାକୁ ଧରି ଏକ ଉଦ୍ଭଟ ଖେଳ ଦେଖାଇଲା । ଯେତେଥର Coyote ତାହାର ଆଖି ଦୁଇଟିକୁ ଉପରକୁ ଫିଙ୍ଗୁଥିଲା ଝିଅମାନେ ଆନନ୍ଦରେ ତାଳି ମାରି ହସୁଥିଲେ ।‌ ଅତଃ Coyote ଏଥିରେ ଉତ୍ସାହିତ ହୋଇ ଆଉ ଟିକିଏ ଉପରକୁ ଆଖି ଦୁଇଟି ଫିଙ୍ଗିଲା । ଏଥିରେ ଝିଅମାନେ ଆହୁରି ଅଧିକ ସୁଖ ପାଇଲେ ଏଵଂ ତାଳି ବଜାଇ ନାଚିଲେ । ଏହିପରି ଅନେକ ଥର ହେଲା ଆଉ ଶେଷରେ Coyote ତାହାର ଆଖି ଦୁଇଟି ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତନ୍ମଧ୍ୟରୁ ଗୋଟିଏ ଆଖି ଆକାଶରେ ଅଟକି ଗଲା ଏଵଂ ତାହା ଏକ ତାରକା ହୋଇଗଲା ।‌ Coyoteର ଆକାଶରେ ଠାକିଯାଇଥିଵା ସେହି ଆଖିଟି ପରେ ସ୍ଵାତୀ ଵା Arcturus ନକ୍ଷତ୍ର ହୋଇଗଲା ।‌ ଏହା ଦେଖି ହସି ନାଚି ତାଳି ବଜାଉଥିଵା ଝିଅମାନେ ଚୁପ୍ ହେଇଗଲେ ଏଵଂ ଭୟରେ ସେଠାରୁ ଦୌଡ଼ି ପଳାଇଲେ । ଦୁଃଖରେ ଭାଙ୍ଗି ପଡି଼ ନିଜର ବଞ୍ଚିଯାଇଥିଵା ଗୋଟିଏ ଆଖିକୁ ଘେନି Coyote ସେଠାରୁ ଜଙ୍ଗଲକୁ ଚାଲିଗଲା । 

ହଁ ସ୍ଥୂଳ ଭାବେ କୁହାଯାଇପାରେ ଯେ ଏହା ଏକ ଜନଜାତୀୟ କାହାଣୀ ଛଡ଼ା ଆଉ କିସ ହୋଇପାରେ ! 
କିନ୍ତୁ ସୂକ୍ଷ୍ମ ଭାବେ ବୁଝିଲେ ଜାଣିହୁଏ ଯେ ଏହି କାହାଣୀ ମାଧ୍ୟମରେ ପ୍ରାଚୀନ ଆମେରକୀୟ ଜନଜାତୀୟ ଲୋକେ ନିଜ ଯୁଵପିଢ଼ିଙ୍କୁ ଶିକ୍ଷା ଦେଵାକୁ ଚେଷ୍ଟା କରିଛନ୍ତି ଯେ ଅନ୍ୟ କାହାକୁ(ଵିଶେଷତଃ ଝିଅମାନଙ୍କୁ) ପ୍ରଭାଵିତ କରିଵା ଚେଷ୍ଟାରେ ଏତେ ପ୍ରାଣପଣେ ଲାଗିପଡ଼ନାହିଁ ନହେଲେ Coyote ନିଜର ଆଖି ହରାଇଵା ଭଳି ଅସୁଵିଧାରେ ପଡି଼ଵା ସାର ହେଵ । Coyote, କୋକିଶିଆଳି, ବିଲୁଆ ଏମନ୍ତକି ବିଲେଇ ଭଳି ଜୀଵମାନଙ୍କର ଆଖି ଅନ୍ଧାରରେ ଆମକୁ ଜଳିଲା ଭଳି ଦେଖାଯାଏ । ତେଣୁ ଏହି ଲୋକକଥାଟି ସେଇ ଆଧାରରେ କଳ୍ପିତ ହୋଇଥିଲା । 

ତେବେ ଏଠାରେ ମନକୁ ପ୍ରଶ୍ନ ଆସୁଛି କିଛି ଜୀଵମାନଙ୍କର ଆଖି ଆମକୁ ଜଳିଲା ଜଳିଲା ଭଳି କାହିଁକି ଦେଖାଯାଏ 🤔

ଅନେକ ଜୀଵମାନଙ୍କର ଅକ୍ଷିପଟ ଵା ଦୃଷ୍ଟିପଟଳ(Retina) ପଛରେ ଏକ ସ୍ୱତନ୍ତ୍ର, ପ୍ରତିଫଳିତ ପୃଷ୍ଠ ଅଛି ଯାହାକୁ Tapetum lucidum କୁହାଯାଏ । ଏହି Tapetum lucidum ପୃଷ୍ଠ ଥିଵା ଯୋଗୁଁ ସେମାନଙ୍କ ଆଖି ଆମକୁ ଜଳିଲା ଭଳି ଦେଖାଯାଏ । ଅଵଶ୍ୟ ମଣିଷମାନଙ୍କ ଆଖିରେ Tapetum lucidum ପୃଷ୍ଠଟି ନାହିଁ ତେଣୁ ଆମ ଆଖି ଜଳିଵା ଭଳି ଦେଖାଯାଏ ନାହିଁ । Tapetum lucidum ପଶୁମାନଙ୍କୁ ରାତ୍ରିକାଳରେ ଦେଖିଵାର ସାମର୍ଥ୍ୟ ପ୍ରଦାନ କରିଥାଏ 
କିନ୍ତୁ ଦିନରେ ଏହା ଦୃଶ୍ୟ କ୍ଷମତାକୁ କମାଇ ଦିଏ । ତେଣୁ ଦୁଃଖ କରିଵାର କିଛି ନାହିଁ ,ଆମେ ମଣିଷମାନେ ଅନ୍ଧକାରରେ ଖାଲି ଆଖିରେ ଦେଖିପାରିଵା ନାହିଁ ସତ ହେଲେ ଦିନରେ ଆମେ ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରୁଁ । ଫଳତଃ ଦିଵସ କାଳର ଏହି ସ୍ପଷ୍ଟ ଦୃଶ୍ୟ ଶକ୍ତି , ତୀକ୍ଷ୍ଣ ବୁଦ୍ଧି, ନିରନ୍ତର ଵୈଜ୍ଞାନିକ ଅଧ୍ୟଵସାୟ ତଥା ପିଢ଼ି ପିଢ଼ି ଧରି ଅନ୍ଧକାର ସହିତ ସଂଘର୍ଷ ପରେ ଆମ୍ଭେମାନେ ଆଜି ରାତ୍ରିକାଳରେ ମଧ୍ୟ ଆଲୋକ ସୃଷ୍ଟି କରିପାରିଵାରେ ସକ୍ଷମ ହୋଇଛୁ ଯାହା ପୃଥିଵୀର ଅନ୍ୟ କୌଣସି ଜୀଵ କରିପାରିନାହାନ୍ତି । 

Monday, April 3, 2023

●୧୫୦୪ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଓ କଲମ୍ବସ ●

ଖ୍ରୀଷ୍ଟୋଫର୍ କଲମ୍ବସ୍ ୧୪୯୨ରେ ସମୁଦ୍ର ପଥରେ ଏସିଆ ମହାଦେଶକୁ ଉଣ୍ଡୁ ଉଣ୍ଡୁ ଭୁଲ୍‌ଵଶତଃ ଆମେରିକା ମହାଦେଶକୁ ପାଇଯାଇଥିଲେ ବୋଲି ସମସ୍ତଙ୍କୁ ଜଣାଥିଵ । ତେବେ ସେହି କଲମ୍ବସ୍ ୧୨ ମଇ ୧୫୦୨ ମସିହାରେ ସ୍ପେନରୁ New World 'ଆମେରିକା' ଅଭିମୁଖେ ତାଙ୍କର ଚତୁର୍ଥ ଯାତ୍ରା ଆରମ୍ଭ କରିଥିଲେ। ଏକଵର୍ଷ ପରେ ଜୁନ୍ ୨୫, ୧୫୦୩ରେ କଲମ୍ବସ୍ ଗୋଟିଏ ସାମୁଦ୍ରିକ ଦ୍ୱୀପରେ ଆଶ୍ରୟ ନେଵାକୁ ବାଧ୍ୟ ହୋଇଥିଲେ ଯାହା ଵର୍ତ୍ତମାନ ଆଧୁନିକ ଜଗତରେ ‘ଜାମାଇକା’ ନାମରେ ଜଣାଶୁଣା ।‌ ସାହାଯ୍ୟ ଲାଭ ପାଇଁ ଏକ ଦଳକୁ ପଠାଇଵା ପରେ କଲମ୍ବସ୍ ସ୍ଥାନୀୟ ଟାଇନୋ ଜନଜାତିଙ୍କ ସହ ବନ୍ଧୁତା ସ୍ଥାପନ କରିଵା ଏଵଂ ଖାଦ୍ୟ ଆଦି ଲାଭ କରିଵା ସହିତ ଅନ୍ୟାନ୍ୟ ସହାୟତା ପାଇଵା ପାଇଁ ଵ୍ୟଵସ୍ଥା କରିଥିଲେ । ପ୍ରଥମେ ପ୍ରଥମେ, ନିରୀହ ସ୍ଥାନୀୟ ଟାଇନୋ ଲୋକମାନେ ଏହି ୟୁରୋପୀୟ ନଵାଗତ ଅତିଥିମାନଙ୍କୁ ସବୁପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ । କିନ୍ତୁ ୮ ମାସ ପର୍ଯ୍ୟନ୍ତ ବାହାରୁ କୌଣସି ସାହାଯ୍ୟ ଆସିଲା ନାହିଁ । କ୍ରମେ ସ୍ଥାନୀୟ ଟାଇନୋ ଜନଜାତୀୟ ଲୋକେ ଦେଖିଲେ ଯେ ସେମାନେ ନିଜ ପାଇଁ ବି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୁଟାଇ ପାରୁନାହାନ୍ତି ତେଣୁ ସେମାନେ ୨୬ ଫେବୃଆରୀ ୧୯୦୪ରେ କଲମ୍ବସ୍ ଓ ତାଙ୍କର ୟୁରୋପୀୟ ଦଳକୁ ଖାଦ୍ୟ ଯୋଗାଇ ପାରିବେନି ବୋଲି ସଵିନୟ ମନା କରିଦେଲେ । 

ଧୂର୍ତ୍ତ କଲମ୍ବସଙ୍କ ପାଖରେ ଜଣେ ଜର୍ମାନ ଜ୍ୟୋତିର୍ଵିଜ୍ଞାନୀଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଥିଲା ଯେଉଁଥିରେ ଆଗାମୀ କିଛି ଵର୍ଷ ମଧ୍ୟରେ ଘଟିଵାକୁ ଯାଉଥିଵା କେତେକ ଖଗୋଳୀୟ ଘଟଣାର ଭଵିଷ୍ୟତଵାଣୀ ଲେଖାଯାଇଥିଲା । ସୌଭାଗ୍ୟଵଶତଃ ଏହି ପୁସ୍ତକଟିରେ ତିନିଦିନ ଭିତରେ ହେଵାକୁ ଯାଉଥିଵା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଵିଷୟରେ ମଧ୍ୟ ଉଲ୍ଲେଖ ଥିଲା । କଲମ୍ବସ୍‌ଙ୍କ ମୁଣ୍ଡକୁ ଏକ କୁବୁଦ୍ଧି ଯୁଟିଲା ଏଵଂ ସେ ଟାଇନୋ ଲୋକଙ୍କୁ ଡାକି ଘୋଷଣା କଲେ...
 
“ଯେହେତୁ ... ତୁମ୍ଭେମାନେ‌ ଈଶ୍ବରଙ୍କ ପ୍ରିୟ ପୁତ୍ର କଲମ୍ବସକୁ ଖାଦ୍ୟ ଦେଵାକୁ ମନା କରିଦେଇଛ ତେଣୁ ଆମର ଭଗଵାନ ... ଅର୍ଥାତ୍ ଖ୍ରୀଷ୍ଟିଆନମାନଙ୍କ ଭଗଵାନ... ତୁମ ଉପରେ ଅତ୍ୟଧିକ କୁପିତ ହୋଇ ଯାଇଛନ୍ତି ! ଆମ ଭଗଵାନ ତୁମର ଭଗଵାନ ‘Atabey(ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ)’ଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ତେଣୁ ତିନି ଦିନ ପରେ ଆମର ଭଗଵାନ ତାଙ୍କ କ୍ରୋଧର ରକ୍ତଵର୍ଣ୍ଣରେ ଚନ୍ଦ୍ରକୁ ରକ୍ତରଞ୍ଜିତ କରିବେ ଆଉ ତାପରେ ତୁମମାନଙ୍କ ଉପରେ ସେ ପରମେଶ୍ବର ପ୍ରତିଶୋଧ ନେଵା ଆରମ୍ଭ କରିଦେବେ ।”


ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ Atabey ଥିଲେ ଟାଇନୋ ଜନଜାତୀୟ ଲୋକଙ୍କ ମୁଖ୍ୟ ଦେଵତା ‌। ଟାଇନୋ'ମାନେ ନିଜକୁ Atabeyଙ୍କ ସନ୍ତାନ ସନ୍ତତି ମନେ କରୁଥିଲେ। ଟାଇନୋ ଜନଜାତିର ଲୋକେ ଵିଶ୍ଵାସ କରୁଥିଲେ ଯେ ପୋଖରୀ,ହ୍ରଦ,ସମୁଦ୍ର ,ଜୁଆର ଓ ସମସ୍ତ ପ୍ରକାରର ଜୀଵଙ୍କ ଆତ୍ମାର ମୂଳ ସ୍ରୋତ ଓ ଶକ୍ତି ଉତ୍ସ ସ୍ବୟଂ Atabey ଅଟନ୍ତି । ଵିଜ୍ଞାନ ଦୃଷ୍ଟିରୁ ମଧ୍ୟ ଚନ୍ଦ୍ର ସହିତ ପୃଥିଵୀ ଜଳର ସମ୍ପର୍କ ଅଛି । ଚନ୍ଦ୍ର ଜଳକୁ ଆକର୍ଷଣ କରିଵା ଯୋଗୁଁ ଜୁଆର ସୃଷ୍ଟି ହୁଏ ପୁଣି ଚନ୍ଦ୍ର ପୃଥିଵୀ ସହିତ tidally locked ହୋଇଥିଵାରୁ ଏଵଂ ପୃଥିଵୀର ଘୂର୍ଣ୍ଣନକୁ ସନ୍ତୁଳିତ କରୁଥିଵାରୁ ପୃଥିଵୀରେ ଜୀଵଜଗତ ତିଷ୍ଠିପାରିଛି ।‌ ବୋଧହୁଏ ଏହାକୁ ଲକ୍ଷ୍ୟକରି ଟାଇନୋ ଜନଜାତିର ଲୋକେ Atabeyଙ୍କୁ ଚନ୍ଦ୍ରର ଅଧିଷ୍ଠାତ୍ରୀ ଦେଵୀ କଳ୍ପନା କରିଥିଲେ । Atabeyଙ୍କୁ ସୁନ୍ଦର,ସୁସ୍ଥ ସନ୍ତାନ ସନ୍ତତି ଲାଭ ପାଇଁ ତଥା ସୁଖ ଶାନ୍ତି ସମୃଦ୍ଧି ଲାଭ ହେତୁକ ଟାଇନୋ ଜନଜାତିର ଲୋକେ ଆରାଧନା କରୁଥିଲେ । 

 ଆଠ ମାସ କାଳ ଟାଇନୋ ଲୋକଙ୍କ ସହିତ ରହିଥିଵା ଯୋଗୁଁ କଲମ୍ବସଙ୍କୁ ଏସବୁ କଥା ଜଣାଥିଲା ତେଣୁ ସେ ସିଧା ଟାଇନୋ ଲୋକଙ୍କ ମୁଖ୍ୟ ଦେଵତାଙ୍କ ନାଆଁ ନେଇ ସେହି ସରଳ ସ୍ଥାନୀୟ ଲୋକଙ୍କୁ ଡରାଇଵାକୁ ଚେଷ୍ଟା କରିଥିଲେ । 

କଲମ୍ବସ୍‌ଙ୍କଠାରୁ ତିନିଦିନ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା କଥା ଶୁଣିଵା ପରେ ସ୍ଥାନୀୟ ଲୋକ ଦ୍ୱନ୍ଦ୍ୱରେ ପଡ଼ିଗଲେ ଏଵଂ ମନେ ମନେ ଭୟଭୀତ ମଧ୍ୟ ହେଲେ । ବୋଧହୁଏ ସେମାନେ ଚନ୍ଦ୍ରର ଲାଲ୍ ରଙ୍ଗ ସହିତ Atabey ଦେଵତାଙ୍କ ରକ୍ତ ଓ ହତ୍ୟା ତଥା ଭଵିଷ୍ୟତରେ ହେଵାକୁ ଥିଵା ଦୁର୍ଗତିକୁ ନେଇ ଶଙ୍କିତ ହୋଇପଡ଼ିଥିଲେ । 

ସେ ଯାହା ହେଉ ତିନି ଦିନ ପରେ ୨୯ ଫେବୃଆରୀ ୧୫୦୪ରେ କଲମ୍ବସ୍ କହିଵା ଅନୁଯାୟୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେଲା ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ଆଚ୍ଛାଦିତ ହୋଇଗଲା । ସତେ ଯେପରି କେହି ଚନ୍ଦ୍ରକୁ ମାରି ରକ୍ତ ଯୁଡ଼ୁବୁଡ଼ୁ କରିଦେଇଛି ‌! ସ୍ଥାନୀୟ ଲୋକମାନେ ଏହା ଦେଖି ଅତ୍ୟନ୍ତ ଭୟଭୀତ ହୋଇ କଲମ୍ବସଙ୍କ ପାଦ ତଳେ ପଡି଼ଗଲେ ଏଵଂ ତାଙ୍କର ସବୁ ସର୍ତ୍ତରେ ରାଜି ହୋଇଗଲେ ।

 କିନ୍ତୁ ସେହିଦିନଠାରୁ ଜାମାଇକା ଓ ଏହାର ଆଖପାଖ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନଙ୍କର ଦୁଷ୍କାଳ ଆରମ୍ଭ ହୋଇଗଲା । ସହସ୍ରାଧିକ ସ୍ଥାନୀୟ ଅଧିଵାସୀ ଦାସ ହେଲେ,ଶହ ଶହ ନାରୀ ବଳାତ୍କାରର ଶିକାର ହେଲେ ଓ ଅନେକ ଵିରୋଧ କରି ମୃତ୍ୟୁ ମୁଖରେ ପଡ଼ିଲେ । ସେମାନେ ଥିଲେ 'ଟାଇନୋ' ଜନଜାତି 
ଯୋଉମାନଙ୍କର ୟୁରୋପୀୟମାନେ ସେମାନଙ୍କର ଜାତି ଓସଂସ୍କୃତି ହିଁ ଲୋପ କରିଦେଇଥିଲେ ଏଵଂ ତାଙ୍କ ଦେଶକୁ ପରାଧୀନ କରି ଶତାଧିକ ଵର୍ଷ ପର୍ଯ୍ଯନ୍ତ ଶୋଷଣ କରିଥିଲେ। ଅଵଶ୍ୟ ଅଧୁନା ନଅ ହଜାର ପାଖାପାଖି ଲୋକ ନିଜକୁ ଟାଇନୋ ଜନଜାତି ମୂଳର ଲୋକ ବୋଲି ପରିଚୟ ଦେଉଛନ୍ତି ଏଵଂ କାରବିୟାନ୍ ଅଞ୍ଚଳରେ ଵସଵାସ କରୁଥିଵା ସ୍ଥାନୀୟ ଅଧିଵାସୀମାନେ ଏହି ଟାଇନୋ ଜନଜାତିର ଵର୍ତ୍ତମାନ ବଂଶଜ ବୋଲି ୨୦୧୮ର ଏକ DNA ସମ୍ବନ୍ଧୀୟ ଅନୁସନ୍ଧାନରୁ ଜଣାପଡି଼ଛି । ତେବେ ଆଧୁନିକ ଟାଇନୋ ବଂଶଜମାନେ ଵର୍ଣ୍ଣସଂକର କାରଣ ଆଫ୍ରିକୀୟ କଳାଲୋକ ତଥା ୟୁରୋପୀୟ ଗୋରାଲୋକଙ୍କ ସହିତ ଵିଜାତୀୟ ସାମାଜିକ ସମ୍ବନ୍ଧ ଯୋଗୁଁ ସେମାନଙ୍କର ମୂଳଜାତି ଓ ମୂଳ ସଂସ୍କୃତି ଲୋପ ହୋଇଯାଇଛି। ୟୁରୋପୀୟମାନଙ୍କ କୁକୃତ୍ୟ ଯୋଗୁଁ ଆଜି Taino ଭାଷା ମଧ୍ୟ ଲୁପ୍ତ ହୋଇଯାଇଅଛି ଏଵଂ ଏହି ଭାଷା ମୂଳର କେତେକ ଶବ୍ଦ ମାତ୍ର ବଞ୍ଚିଯାଇଛି । ହାଇତୀ,ବାହାମା,କ୍ୟୁବା ଓ ଜାମାଇକା ଭଳି କେତେ କାରିବିୟାନ୍ ଦେଶ ଓ ସ୍ଥାନର ନାମ ଏହି ଟାଇନୋ ଭାଷା ମୂଳର ସେହିପରି ଇଂରାଜୀ ଭାଷାରେ ପ୍ରଚଳିତ barbecue(ଏକ ଜାତୀୟ ରନ୍ଧନ ଶୈଳୀ), caiman(ଏକ ଜାତୀୟ କୁମ୍ଭୀର), canoe(ଏକ ଜାତୀୟ ଡଙ୍ଗା), cassava(Manihot esculenta; ଏକ ଜାତୀୟ କନ୍ଦ), cay(ଏକ ଜାତୀୟ ଛୋଟ ଶୈଵାଳ ଦ୍ଵୀପ), guava(ପିଜୁଳି), hammock(ଏକ ଜାତୀୟ ଝୁଲା), hurricane(ଆମେରିକାରେ ଦେଖାଯାଉଥିଵା ଵାତ୍ୟା ଵିଶେଷ), hutia(Capromys;ଏକ ଜାତୀୟ ମୂଷା), iguana(ଏକଜାତୀୟ ସରଟ), macana(ଏକ ଜାତୀୟ ଅସ୍ତ୍ର), maize(ମକା), manatee(Trichechus; ସମୁଦ୍ର ଗାଈ), mangrove(ହେନ୍ତାଳ), maroon(ବାଦାମୀ ଲାଲରଙ୍ଗ), potato(ଆଳୁ), savanna(ସାଭାନା),Papaya(ଅମୃତଭଣ୍ଡା) ଓ tobacco(ତମାଖୁ) ଇତ୍ୟାଦି ଶବ୍ଦ ମୂଳତଃ ଟାଇନୋ ଭାଷାରୁ ଗୃହୀତ ହୋଇଛି । 

ଜମାଇକା ଦ୍ଵୀପରେ ମୂଳତଃ ଟାଇନୋ ଜନଜାତିର ଲୋକମାନେ ଵସଵାସ କରୁଥିଲେ, ୧୪୯୪ ମସିହାରେ କ୍ରିଷ୍ଟୋଫର କଲମ୍ବସଙ୍କ ଆଗମନ ପରେ ଏହି ଦ୍ୱୀପ ସ୍ପେନିଶ ଶାସନ ଅଧୀନରେ ଆସିଥିଲା । ଅନେକ ଟାଇନୋ ଜନଜାତୀୟ ଲୋକଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ରୋଗରେ ମୃତ୍ୟୁଵରଣ କରିଥିଲେ । ଏହା ପରେ ସ୍ପାନିଶମାନେ ବହୁ ସଂଖ୍ୟକ ଆଫ୍ରିକୀୟ ଦାସଙ୍କୁ ଶ୍ରମିକ ଭାବରେ ଜାମାଇକାକୁ ଆଣିଥିଲେ । ଯେଉଁ ଟାଇନୋ ଜନଜାତୀୟ ଲୋକମାନେ ବଞ୍ଚିଯାଇଥିଲେ ସେମାନଙ୍କର ଗୋରା ଓ କଳାଲୋକଙ୍କ ସଂସର୍ଗରୁ ଆଧୁନିକ ବଂଶଧର ଜାତ ହୋଇଛନ୍ତି । ୧୬୫୫ ମସିହା ପର୍ଯ୍ୟନ୍ତ ଜାମାଇକା ଦ୍ୱୀପ ସ୍ପେନ୍ ଅଧୀନରେ ରହିଥିଲା, ଯେତେବେଳେ ଇଂଲଣ୍ଡ ଏହାକୁ ସ୍ପାନିଶ୍‌ମାନଙ୍କ ହରାଇ ଜିତିଲା ଏହାର ନାମ ବଦଳାଇ ଜାମାଇକା ରଖାଗଲା । ଜାମାଇକାକୁ ଟାଇନୋ ଜନଜାତିର ଲୋକେ Xaymaca କହୁଥିଲେ ଯାହାର ଆକ୍ଷରିକ ଅର୍ଥ ଜଳ ଓ କାଠର ଭୂମି । 

 ବ୍ରିଟିଶ ଔପନିବେଶିକ ଶାସନ ଅଧୀନରେ ଜାମାଇକା ଏକ ପ୍ରମୁଖ ଚୀନୀ ରପ୍ତାନିକାରୀ ଅଞ୍ଚଳ ପାଲଟିଥିଲା, ଯାହାର ଚାଷ ଏଠାକୁ ଅଣାଯାଇଥିଵା ଆଫ୍ରିକୀୟ ଦାସ ଏଵଂ ସେମାନଙ୍କର ବଂଶଧରଙ୍କ ଉପରେ ନିର୍ଭର କରୁଥିଲା । ୧୮୩୮ ମସିହାରେ ଇଂରେଜମାନେ ସମସ୍ତ ଦାସଙ୍କୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ କରିଥିଲେ ଏବଂ ସେହି ମୁକ୍ତ କଳାଲୋକଙ୍କ ମଧ୍ୟରେ ଅନେକେ ଗୋରାଲୋକଙ୍କ ଆଖୁ ଆଦିର ଖେତରେ କାମ କରିଵା ପରିଵର୍ତ୍ତେ ଜୀଵିକା ନିର୍ଵାହ ପାଇଁ ନିଜସ୍ବ କୃଷିକ୍ଷେତ୍ର ଓ ଫାର୍ମକୁ ବାଛିଥିଲେ । ୧୮୪୦ ଦଶକର ପ୍ରାରମ୍ଭରେ ଇଂରେଜମାନେ କୃଷିକ୍ଷେତ୍ରରେ କାମ କରିଵା ପାଇଁ ଚୀନ ଓ ଭାରତରୁ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଵ୍ୟଵହାର କରିବା ଆରମ୍ଭ କରିଥିଲେ ଯେଉଁମାନଙ୍କୁ ସେତେବେଳେ ଓଡ଼ିଶାରେ ଗିରମାଟିଆ ଓ ଦାଦନ କୁହାଯାଉଥିଲା । ତେବେ ପ୍ରାୟ ପାଞ୍ଚଶହ ଵର୍ଷ ୟୁରୋପୀୟମାନଙ୍କ ଦ୍ଵାରା ପରାଧୀନ ହେଲାପରେ ଜାମାଇକା ଦ୍ୱୀପ ୬ ଅଗଷ୍ଟ ୧୯୬୨ରେ ବ୍ରିଟେନଠାରୁ ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ସେହି ପାଞ୍ଚଶହ ଵର୍ଷ ମଧ୍ୟରେ ଜାମାଇକାର ମୂଳ ସଂସ୍କୃତି ଆଉ ଭାଷା ଲୁପ୍ତ ହୋଇସାରିଥିଲା । 

କଲମ୍ବସଙ୍କ ଭଳି ଅଯୋଗ୍ୟଙ୍କ ହାତରେ ଯଦି ଜ୍ଞାନ ଥାଏ ତେବେ ତାହା ଅନ୍ୟମାନଙ୍କ ପାଇଁ ଵିପଜ୍ଜନକ ହୋଇଯାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଓ ଚନ୍ଦ୍ର ରକ୍ତଵର୍ଣ୍ଣରେ ପରିଵର୍ତ୍ତିତ ହେଵା ଵିଷୟ କଲମ୍ବସଙ୍କ ଭଳି ଧୂର୍ତ୍ତଙ୍କୁ ଜଣାଥିଵାରୁ ସିନା ସେ ସ୍ଥାନୀୟ ଟାଇନୋ ଜନଜାତିର ଲୋକଙ୍କୁ ଭୁଆଁ ବୁଲେଇଵାରେ ସକ୍ଷମ ହୋଇପାରିଲେ । 

କିନ୍ତୁ ଏବେବି ଗୋଟିଏ ପ୍ରଶ୍ନର ଉତ୍ତର ବାକି ରହିଗଲା । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ବେଳେ ବେଳେ ଚନ୍ଦ୍ର ଲାଲ ରଙ୍ଗର କାହିଁକି ଦେଖାଯାଏ ?

ଆସନ୍ତୁ ଏହା ପଛର ଵିଜ୍ଞାନକୁ ବୁଝିଵା !!!
  
ଯେଉଁ କାରଣରୁ ଆମର ଆକାଶ ଆମକୁ ନୀଳ ଆଉ ଉଦୟ-ଅସ୍ତ ହେଵା ସମୟରେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯାଆନ୍ତି ସେହି କାରଣ ଯୋଗୁଁ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ବେଳେ ବେଳେ ରକ୍ତଵର୍ଣ୍ଣ ଦେଖାଯାଇଥାନ୍ତି ‌ 

ସରଳ ଶବ୍ଦରେ କହିଲେ...
ଆଲୋକ ଵିଭିନ୍ନ ପ୍ରକାରର wave ଵା ତରଙ୍ଗ ମଧ୍ୟରେ ଏକ ପ୍ରକାରର ତରଙ୍ଗ ଅଟେ ‌। ଯେତେବେଳେ କଣିକାର ଗତି Energy ଵା ଶକ୍ତିର ଗତି ସହିତ ସମକୋଣ ଵା ଲମ୍ଵଵତ୍ ହୋଇଥାଏ ସେତେବେଳେ ଉକ୍ତ ତରଙ୍ଗ ଆଲୋକରେ ପରିଵର୍ତ୍ତିତ ହୋଇଥାଏ ‌। ଏ ପ୍ରକାରର ତରଙ୍ଗକୁ transverse wave ଵା ଅନୁପ୍ରସ୍ଥ ତରଙ୍ଗ କୁହାଯାଏ । ଆଲୋକ ଏହି ଅନୁପ୍ରସ୍ଥ ତରଙ୍ଗ ଶ୍ରେଶୀର ତରଙ୍ଗ ଅଟଇ ।

 ଲାଲ୍ ତରଙ୍ଗ ସବୁଠାରୁ ଅଧିକ ମୋଟା ଵା ସ୍ଥୂଳ ଏଵଂ ନୀଳ ତରଙ୍ଗ ସର୍ଵାଧିକ ସୂକ୍ଷ୍ମ । ଯେତେବେଳେ ସୂର୍ଯ୍ୟାଲୋକ ଆମ ଵାୟୁମଣ୍ଡଳରେ ପ୍ରଵେଶ କରେ ସେତେବେଳେ ଅତି ସୂକ୍ଷ୍ମ ଅମ୍ଳଜାନ-ଯଵକ୍ଷାରଜାନର କଣିକା ସହ ଆଲୋକର ନୀଳ ତରଙ୍ଗ ବାଧାପ୍ରାପ୍ତ ହେଵାର ଯୋଗୁଁ ତାହା ବିଛୁରିତ ହୋଇ ଆମ ପାଖରେ ପହଞ୍ଚେ, ଫଳତଃ ଆକାଶ ନୀଳ ଦେଖାଯାଏ। 

ସେହିପରି ସୂର୍ଯଉଦୟ ଵା ଅସ୍ତ ସମୟରେ ସୂର୍ଯ୍ୟଙ୍କର ସ୍ଥିତି horizon ଵା ଦିଗ୍‌ବଳୟରେ ଥିଵାରୁ, ସେହି ସମୟରେ ଆଲୋକକୁ ଆମ ପାଖକୁ ପହଞ୍ଚିଵାକୁ ଆହୁରି ଅଧିକ ଵାୟୁକଣିକାକୁ ପାର କରିଵାକୁ ପଡ଼ିଥାଏ । ଅଧିକ କଣିକା ପାର କରିଵା ଅର୍ଥ ରଶ୍ମିର ଅଧିକ ଵିକିରଣ... ଏତେ ଵିକିରଣ ଯେ ଏହା ଆମ ଆଖିରେ ପହଞ୍ଚିଵା ପର୍ଯ୍ୟନ୍ତ ଆଲୋକରେ ଲାଲ ତରଙ୍ଗ ଵ୍ୟତୀତ ଆଉ କିଛି ବଞ୍ଚିଯାଇନଥାଏ ‌।ଏହି କାରଣରୁ ସୂର୍ଯ୍ୟ ଉଦୟ ଓ ଅସ୍ତ ହେଵକ ସମୟରେ ହଳଦିଆ-ଲାଲ ମିଶା ରଙ୍ଗର ଦେଖାଯାଇଥାଏ।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ପୃଥିଵୀ ,ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ରହିଥାଏ। ସେହି ସମୟରେ ଚନ୍ଦ୍ରରେ ପହଞ୍ଚୁଥିଵା ସୂର୍ଯ୍ୟକିରଣକୁ ପ୍ରଥମେ ପୃଥିଵୀର ଵାୟୁମଣ୍ଡଳ ଦେଇ ଅତିକ୍ରମ କରି ପୁଣି ଏହି ବାୟୁମଣ୍ଡଳ ଦେଇ ଫେରିଵାକୁ ବି ପଡ଼ିଥାଏ। ଏହି ଦ୍ବିତୀୟ ଵିକିରଣ କାରଣରୁ ଚନ୍ଦ୍ରକୁ ଆଘାତ ଦେଇ ଆମ ଆଖି ପର୍ଯ୍ଯନ୍ତ ପହଞ୍ଚୁଥିଵା ଆଲୋକରେ ମୁଖ୍ୟତଃ ଲାଲ ତରଙ୍ଗ ରହିଯାଇଥାଏ, ଯେଉଁକାରଣରୁ ଚନ୍ଦ୍ର ଲାଲ ଦେଖାଯାଏ ।

ସତ କହିବାକୁ ଗଲେ, ୭୦୦ ନାନୋମିଟର ଆଲୋକ ଲାଲ ହୋଇଥାଏ କାରଣ ଆପଣଙ୍କ ଆଖିରେ ଥିଵା ଵିଶେଷ କୋଷଗୁଡ଼ିକ ଏହି ମୋଟାପଣର ଆଲୋକ ତରଙ୍ଗଦୈର୍ଘ୍ୟକୁ "ଲାଲ" ଭାବରେ ଧରିଵା ପାଇଁ ପ୍ରୋଗ୍ରାମ୍ କରାଯାଇଛି । ଵାସ୍ତଵରେ ନା ଆକାଶ ନୀଳ, ନା ସୂର୍ଯ୍ୟ ନା ଚନ୍ଦ୍ର ଲାଲ... ସମସ୍ତ ଖେଳ ଆପଣଙ୍କ ଇନ୍ଦ୍ରିୟର ଅଟେ । ଯଦି ଆପଣଙ୍କର ଇନ୍ଦ୍ରିୟରେ ଏ‌ହି ଵିଶେଷ ସାମର୍ଥ୍ୟ ନଥାନ୍ତା, ତେବେ ଏହି ଜଗତ ଆପଣଙ୍କୁ ସମ୍ପୂର୍ଣ୍ଣ ରଙ୍ଗହୀନ ଦେଖାଯାଆନ୍ତା । ରଙ୍ଗ କେଵଳ ମନୁଷ୍ୟ ଇନ୍ଦ୍ରିୟରୁ ସୃଷ୍ଟି ହୋଇଥିବା ଏକ ଭ୍ରମ । ଭିନ୍ନ ଭିନ୍ନ ଜୀଵଙ୍କୁ ସେମାନଙ୍କର ଆଖିରେ ଥିଵା ଵିଶେଷ କୋଷିକା ଯୋଗୁଁ ଵିଭିନ୍ନ ରଙ୍ଗ ଦେଖାଯାଏ । ଗୋଟିଏ ଜୀଵ କେଉଁ କେଉଁ ଓ କେତୋଟି ରଙ୍ଗକୁ ଦେଖିଵାକୁ ଯୋଗ୍ୟ ତାହା ଉକ୍ତ ଜୀଵର ଆଖି ମଧ୍ୟରେ ଥିଵା ରଙ୍ଗ-ସଂଵେଦନଶୀଳ ପିଗମେଣ୍ଟରେ ସଂଯୋଜନ ଓ ମସ୍ତିଷ୍କ ଦ୍ଵାରା ତତ୍ ଆଧାରିତ ପ୍ରସଂସ୍କରଣ ପର ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ କୁକୁର କେଵଳ ହଳଦିଆ ଓ ନୀଳ ରଙ୍ଗକୁ ଦେଖିପାରୁଥିଵାବେଳେ ମନୁଷ୍ୟମାନେ ଲାଲ,ନୀଳ ଓ ହଳଦିଆ ରଙ୍ଗ ଦେଖିପାରନ୍ତି । Mentis shrimp ଭଳି ସାମୁଦ୍ରିକ ଚିଙ୍ଗୁଡ଼ି ତ ବାରପ୍ରକାରର ରଙ୍ଗ ସହିତ ଅତିବାଇଗଣି ରଶ୍ମି (ultra violet Ray) ଓ ଧ୍ରୁଵୀକୃତ ଆଲୋକ (polarised light) ମଧ୍ୟ ଦେଖିପାରନ୍ତି । ତେଣୁ ଭଵିଷ୍ୟତରେ କେବେ ରକ୍ତଵର୍ଣ୍ଣର ଚନ୍ଦ୍ର ଦେଖିଲେ ମନେ ରଖିବେ... 
“ଆମେ ଲାଲ୍ ରଙ୍ଗର ଚନ୍ଦ୍ର ଦେଖୁଛନ୍ତି କାରଣ ଆମ୍ଭମାନେ ମନୁଷ୍ୟ” !!!

Saturday, November 26, 2022

ଲଙ୍କାମରିଚର ଇତିହାସ


ପୋଡ଼ା କି ସିଜା ପରିଵା'କୁ ଚକଟି ଲୁଣ ଓ ଲଙ୍କାମରିଚ ଦେଇ ଓଡ଼ିଆମାନେ ପଖାଳ ଭାତ ଖାଆନ୍ତି । ପଖାଳ ଭାତ ଖାଇଲାବେଳେ ଲଙ୍କାମରିଚଟିଏ ଅଧିକାଂଶଙ୍କୁ ଲୋଡ଼ା ହୋଇଥାଏ ।‌ ପଖାଳଖିଆ ଓଡ଼ିଆ ଜାତି ପାଇଁ ଲଙ୍କାମରିଚ ଗୋଟିଏ ଅତି ଆଵଶ୍ୟକ ଖାଦ୍ୟ ଦରଵ ହୋଇଯାଇଛି । 

କଵିଵର ରାଧାନାଥ ରାୟ ତାଙ୍କର ଏକ କୃଷି ସମ୍ବନ୍ଧୀୟ କଵିତାରେ ଲଙ୍କାମରିଚ ଵିଷୟରେ ଲେଖିଥିଲେ

"ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ
କଟୁ ହୋଇ ରସନା ରଞ୍ଜକରେ ପଟୁ
ଶାଳୀ ଗାଳି ପରାଏ ,ଆଦର ତାହାର
ଘରେ ଘରେ ଵ୍ୟଞ୍ଜନେ ଅଞ୍ଜନେ 
,ସର୍ଵଦା ଵ୍ୟଵହାର ।"

ସେହିପରି ହାସ୍ୟ କଲ୍ଲୋଳରେ କଵିସୂର୍ଯ୍ୟ ଵଳଦେଵ ରଥ ଲଙ୍କାମରିଚର କଥା ପ୍ରସଙ୍ଗ କ୍ରମେ ଉଲ୍ଲେଖ କରିଛନ୍ତି

“କପିରାଜ ଜଣାଇଲେ , ‘ ମଣିମା ! ଲଙ୍କାମରିଚ ରାଗ , କଳାହାଣ୍ଡିଆ ତାଳ , ପିଲାମାନଙ୍କର ମାଆ ନ ଥାଇ ଲୟେ , କଳ୍ପ - ପ୍ରେମାଳଙ୍କାରରେ ଦତ୍ତ ସରସ ଚଉପଦୀ ବୋଲା ଯାଉଅଛି ।”

ଓଡ଼ିଶାରେ ଲଙ୍କାମରିଚ ଵା Red pepperର ଅନେକ ନାଆଁ । ଯଥା — ଆମିରି,କାଁଚ୍ମାରି,ଝାଳ ଵା ଝାଲ,ଲକା,ଲଙ୍କା,ନଙ୍କା,ନଂକମାରିଚ,
ନକମାରିଚ,ମିରି,ମର୍ଚି,ମିରିଚା,ମରିଚି,ମରିଚ,ନାଲିମରିଚ,ରଙ୍ଗମରିଚ,ଲଙ୍କା ମାରିଚ,ଲାଲ୍ ମିର୍ଚା ଓ ଲଙ୍କ ମାରିଚ ଇତ୍ୟାଦି । ତେବେ ମାନକ ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଛି । 

ତେବେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏ ଦେଶରେ ଆଜକୁ ୬୦୦ ଵର୍ଷ ତଳେ କୌଣସି ଲଙ୍କାମରିଚ ପାଦପ ନଥିଲା । କାରଣ ଲଙ୍କାମରିଚ ମୂଳତଃ ଏକ ଆମେରିକୀୟ ପାଦପ ଏଵଂ ୟୁରୋପୀୟମାନେ ଏହା ଭାରତକୁ ଆଣିଥିଲେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ “ଲଙ୍କାମରିଚ ନାମଟି ଏକ ଆଧୁନିକ ନାମ। ସଂସ୍କୃତରେ ପୂର୍ଵେ 'ମରିଚ'ର ଅର୍ଥ ଗୋଲମରିଚ ଵା କଳାମରିଚ ଥିଲା । ଲଙ୍କାମରିଚର ନାମ ୩୦୦ ଵର୍ଷ ପୂର୍ଵର ପ୍ରାଚୀନ ଵୈଦ୍ଯକ ଗ୍ରନ୍ଥମାନଙ୍କ (ଯଥା, ଭାଵପ୍ରକାଶ)ରେ ନାହିଁ। ଆଧୁନିକ କେତେକ ଵୈଦ୍ଯକ ଗ୍ରନ୍ଥରେ ଲଙ୍କାମରିଚ ପାଇଁ (ଯଥା— ଵୈଦ୍ଯକ ଶବ୍ଦ ସିନ୍ଧୁ କୋଷ) କୁମରିଚ ଓ ଜ୍ୱାଳାମରିଚ ଶବ୍ଦର ପ୍ରୟୋଗ ଦେଖାଯାଇଛି। ଏ ଗୁଳ୍ମର ଆଦି ନିଵାସ ଆମେରିକା ଏଵଂ ସେଠାରୁ ପର୍ଟୁଗୀଜ୍ ମାନେ ପ୍ରଥମେ ଏହାକୁ ଦକ୍ଷିଣ ଭାରତର ଗୋଆ, କାଲିକଟ ଆଦି ସ୍ଥାନକୁ ଆଣିଲେ। ସେହିଠାରୁ ଏହାର ଚାଷ ଭାରତରେ ଵିସ୍ତୃତ ହେଲା।”



କେତେକ ଭାଷାଵିଦ୍ କୁହନ୍ତି ଏ ଗଛ ଯେହେତୁ ଇନକା,ଆଜଟେକ୍ସ,ମାୟା ସଭ୍ୟତାର ଦେଶ ଆମେରିକା ମହାଦେଶଦ୍ଵୟରୁ ଆସିଥିଲା ଏଵଂ ସେ ସବୁ ଭୂଭାଗର ପ୍ରାଚୀନ ଅଧିଵାସୀଙ୍କ ଵିଷୟରେ ଜାଣିଵା ପରେ ଭାରତୀୟମାନେ ସେମାନଙ୍କୁ ପୁରାଣୋକ୍ତ ଅସୁରରାଜ୍ୟ କଳ୍ପନା କରିଥିଲେ । ତେଣୁ ଏ ଗଛର ନାମ ଆମଭାଷାରେ ରକ୍ଷନଗରୀ ଲଙ୍କାପୁରୀ ଆଧାରରେ ଲଙ୍କାମରିଚ ଦିଆଯାଇଛି । ତେବେ ଲଙ୍କା ମରିଚ ନକହି ହିନ୍ଦୀଭାଷୀମାନେ ସାଧାରଣତଃ chilli pepper କୁ ଲାଲ୍ ମିର୍ଚ୍ଚ କୁହନ୍ତି ।

କେତେକ ଗଵେଷକଙ୍କ ମତରେ ଲଙ୍କାମରିଚ ଶବ୍ଦରେ ଥିଵା ଲଙ୍କା ଶବ୍ଦଟି ଆଷ୍ଟ୍ରିକ ଭାଷା ମୂଳର ଶବ୍ଦ ଏଵଂ ଦକ୍ଷିଣ ଓଡ଼ିଶାରେ ଏହି ଲଙ୍କା ଶବ୍ଦ ଆଗେ ଓଡ଼ିଆ ଭାଷାରେ ଦୂର ଓ ଦୂରସ୍ଥାନ ଅର୍ଥରେ ପ୍ରଚଳିତ ଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲଙ୍କା ଶବ୍ଦର‌ ଦେଶଜ ଅର୍ଥ ଲେଖାଅଛି "ଯଥେଷ୍ଟ" ଏଵଂ ଏ ଶବ୍ଦ ତତ୍କାଳୀନ ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ଥିଲା ବୋଲି ମଧ୍ୟ ଉଲ୍ଲେଖ ରହିଛି । ସମ୍ଭଵତଃ ପୂର୍ଵେ ଓଡ଼ିଶାରେ ଲଙ୍କା ଶବ୍ଦଟି ଦୂର,ଦୂରସ୍ଥାନ ଅର୍ଥରେ ଵ୍ୟଵହୃତ ହେଉଥିଲା କିନ୍ତୁ ସମୟ ସହିତ ଏହା ଯଥେଷ୍ଟ ଅର୍ଥରେ ପ୍ରୟୋଗ ହେଵାକୁ ଲାଗିଲା । ସମୁଦ୍ର ପାର ଦୂରସ୍ଥାନରୁ ଅଣାଯାଇ ଭାରତରେ ଲଗାଯାଇ ଥିଵା କେତେକ ଗଛକୁ ଏହି ଆଧାରରେ ଲଙ୍କା ଶବ୍ଦ ଯୁକ୍ତ କରି ଅଭିହିତ କରାଯାଇଅଛି ‌। 

ଓଡ଼ିଆ ଭାଷାରେ Red pepperକୁ କାହିଁକି ଲଙ୍କାମରିଚ କୁହାଯାଏ ତାହା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ଭାଷାକୋଷ ଅନୁଯାୟୀ— "Red pepper ଦକ୍ଷିଣ ଦିଗରୁ ଦରିଆପାରିରୁ ଏ ଦେଶକୁ ପ୍ରଥମେ ଆସିଥିଵାରୁ ଓଡ଼ିଆମାନେ ଏହା ଲଙ୍କାଦ୍ଵୀପରୁ ଆସିଥିଵା ଅନୁମାନ କରି ଏହାକୁ ଲଙ୍ଗାମରିଚ ନାମ ଦେଇ ଅଛନ୍ତି। ଏହିପରି ପୂର୍ଵେ ଵିଦେଶରୁ ଆସିଥିଵା ଲଙ୍କା ଆମ୍ବ, ଲଙ୍କା ସିଝୁ, ଲଙ୍କା ପଣସ, ଲଙ୍କା ଗବ ଶବ୍ଦମାନ ଭାଷାରେ ଚଳିଅଛି।”

କେହି କେହି କୁହନ୍ତି ଶ୍ରୀଲଙ୍କାର ନାମରୁ ଲଙ୍କା ଶବ୍ଦ ସୃଷ୍ଟି ହୋଇଛି, ଶ୍ରୀରାମଚନ୍ଦ୍ରଙ୍କ ସହିତ ଵା ତାଙ୍କ ପଛେ ପଛେ ଭାରତକୁ ଚାଲିଆସିଥିଵା କିଛି ସିଂହଳଵାସୀ ଶ୍ରୀଲଙ୍କାରୁ ଲଙ୍କାମରିଚ ଗଛ ଭାରତକୁ ଆଣିଥିଲେ । କିନ୍ତୁ ଏହି ମତ ସମ୍ପୂର୍ଣ୍ଣ ଅମୂଳକ ,ଅଵୈଜ୍ଞାନିକ ତଥା ପ୍ରମାଣହୀନ । ଲଙ୍କାମରିଚ ମୂଳତଃ ଆମେରିକୀୟ ପାଦପ ଵିଶେଷତଃ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଏ ଗଛ ହଜାର ହଜାର ଵର୍ଷ ଧରି "ଆଦିମ ଲୋହିତ ଭାରତୀୟ"ଙ୍କ ଦ୍ଵାରା ଚାଷ ହେଉଥିଲା । ଓଡ଼ିଆ ଭାଷାରେ Red pepperକୁ ଲଙ୍କାମରିଚ କୁହାଯାଉଥିଵାରୁ ଏହି ଗଛକୁ ନେଇ ଏଭଳି ଭ୍ରାନ୍ତ ଧାରଣା ଜନ୍ମ ନେଇଛି । ଲଙ୍କାମରିଚ ଶବ୍ଦ ସହିତ ଶ୍ରୀଲଙ୍କାର କୌଣସି ସମ୍ପର୍କ ନାହିଁ ଵରଂ ଭାରତ ଭଳି ଶ୍ରୀଲଙ୍କାକୁ ମଧ୍ୟ ୟୁରୋପୀୟମାନେ ଲଙ୍କାମରିଚ ନେଇ ଯାଇଥିଲେ।

ଆଜକୁ ପ୍ରାୟ 13.8 ନିୟୁତ ଵର୍ଷ ପୂର୍ଵେ, ଦକ୍ଷିଣ / ମଧ୍ୟ ଆମେରିକାର Solanaceae ପାଦପ ପରିଵାରର ଏକ ଉଦ୍ଭିଦ "କ୍ୟାପସାଇସିନଏଡ୍ ପ୍ରୋଟିନ୍" ଯୁକ୍ତ କୋଳି ଆକାର ପରି ଫଳ ସୃଷ୍ଟି କରିଥିଲା ! କ୍ୟାପସାଇସିନଏଡ୍ ଯୋଗୁଁ ଲଙ୍କାମରିଚର ରଙ୍ଗ ଲାଲ୍ ହୋଇଥାଏ ‌ । ଏହି କୋଳି ରାଗ ଥିଵା ଯୋଗୁଁ ସ୍ତନ୍ୟପାୟୀ ପ୍ରାଣୀମାନେ ଖାଇପାରୁନଥିଲେ କିନ୍ତୁ ପକ୍ଷୀମାନେ ସେ କୋଳିକୁ ସହଜରେ ଖାଇପାରୁଥିଲେ । ସେହି ପ୍ରାଚୀନ ମୂଳ ପାଦପରୁ ପରେ Capsicum ପ୍ରଜାତି(Genus)ର କୋଡ଼ିଏରୁ ଶତେଇଶ ଗୋଟି ଲଙ୍କାମରିଚ ଜାତି(species) ସୃଷ୍ଟି ହୋଇଛି । ସାରା ଵିଶ୍ଵରେ ଵ୍ୟାପକ ଭାବରେ ଚାଷ ହେଵାରୁ ଲଙ୍କାମରିଚଗଛର ଇତିମଧ୍ୟରେ ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ମଧ୍ୟ ମାନଵକୃତ ପରିଵର୍ତ୍ତନ ତଥା Capsicum ଜାତୀୟ ଗଛଗୁଡ଼ିକ ମଧ୍ୟରେ ସଙ୍କର କିସମ ସୃଷ୍ଟି କରିଵାର ପ୍ରାକୃତିକ କ୍ଷମତା ଯୋଗୁଁ ସୃଷ୍ଟି ହୋଇଛି । ପରିଣାମ ସ୍ବରୂପ "ଭୁତ୍ ଜଲକିଆ ଵା ନାଗା ଜଲକିଆ" ଭଳି ଅତି ରାଗ ଲଙ୍କା ଭାରତର ପୂର୍ଵୋତ୍ତର ରାଜ୍ୟ ଆସାମରେ ଵିକଶିତ ହୋଇପାରିଛି‌ । 

ଭାରତରେ ଅନେକ ପ୍ରକାରର ଲଙ୍କାମରିଚ କିସମ ଥିଵାରୁ ଅନେକେ ଵିଶ୍ଵାସ କରନ୍ତି ନାହିଁ ଯେ ଲଙ୍କାମରିଚ ଏକ ଵୈଦେଶିକ ପାଦପ । ତେବେ
ଦକ୍ଷିଣ ଆମେରିକାରେ ଛଅରୁ ସାତ ହଜାର ଵର୍ଷ ପୂର୍ଵେ ଲଙ୍କାମରିଚ ଚାଷ ହେଉଥିଵାର ଵୈଜ୍ଞାନିକ ପ୍ରମାଣ ମିଳିଛି । ପଶୁମାନେ ଉତ୍କଟ ରାଗ ଯୋଗୁଁ ସିନା ଲଙ୍କାମରିଚ ଖାଇପାରନ୍ତି ନାହିଁ କିନ୍ତୁ ପକ୍ଷୀମାନେ ଲଙ୍କାମରିଚ ଖାଇଵାର ଦୃଶ୍ୟ ହୋଇଥାଏ ‌ । ତେଣୁ କେହି କେହି ଅନୁମାନ କରନ୍ତି ଯେ ପକ୍ଷୀମାନଙ୍କ ଦ୍ଵାରା କୋଡ଼ିଏରୁ ସତେଇଶ ଗୋଟି ଲଙ୍କାମରିଚ ଜାତୀୟ ଗଛ ମଧ୍ୟରୁ କେତେକ ଲଙ୍କାମରିଚ ଜାତୀୟ ଗଛର ମଞ୍ଜି ଦକ୍ଷିଣ ଆମେରିକାରୁ ମଧ୍ୟ ଆମେରିକାରେ ଆସି ପହଞ୍ଚିଥିଲା । ଦକ୍ଷିଣ ଓ ମଧ୍ୟ ଆମେରିକାରେ ରହୁଥିଵା ପ୍ରାଚୀନ ଅଧିଵାସୀମାନେ ହଜାର ହଜାର ଵର୍ଷ ଧରି ଲଙ୍କାମରିଚକୁ ଖାଦ୍ୟ ତଥା ଔଷଧ ଭାବରେ ଵ୍ୟଵହାର କରୁଥିଲେ । ପ୍ରାଚୀନ ଆମେରିକୀୟ ଜନଜାତୀୟ ସଂସ୍କୃତିରେ ଲଙ୍କାମରିଚ ମହତ୍ତ୍ୱପୂର୍ଣ୍ଣ ଥିଲା । 

ପୂର୍ଵେ ୟୁରୋପରେ ସେତେ ମସଲାଦ୍ରଵ୍ୟର ଚାଷ ହେଉନଥିଲା ଵରଂ ୟୁରୋପୀୟମାନେ ଵିଭିନ୍ନ ମସଲାଦ୍ରଵ୍ୟ ପାଇଁ ଭାରତ ଉପରେ ନିର୍ଭରଶୀଳ ଥିଲେ । ୟୁରୋପୀୟମାନେ ଭାରତୀ ମରିଚ କଳାମରିଚ ଵା ଗୋଲମରିଚ ତଥା ପିପ୍ପଳୀକୁ Pepper କହୁଥିଲେ ‌ । ଏହି Pepper ଶବ୍ଦଟି ସଂସ୍କୃତର ପିପ୍ପଳୀରୁ ସୃଷ୍ଟି ହୋଇଛି । ପ୍ରକୃତରେ ଉଭୟ ଗୋଲମରିଚ ଓ ପିପ୍ପଳୀକୁ ପାଶ୍ଚାତ୍ୟ ସଂସ୍କୃତି ର ଲୋକେ ଆଗେ pepper କହୁଥିଲେ । ଯେହେତୁ ଏ ଉଭୟ ଏକ ପରିଵାରର ପାଦପ ପୁଣି ପ୍ରାୟ ଏକା ପ୍ରକାରର ଗୁଣ ଵହନ କରନ୍ତି
ତେଣୁ ୟୁରୋପୀୟମାନେ ଏଭଳି ନାମକରଣ କରିଥିଲେ । ଭାରତୀୟ ମାନେ ଆଗେ ଗୋଲମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ଗଛର ମଞ୍ଜି) ଆଦିର ଵ୍ୟଵହାରରେ ଖାଦ୍ୟ ତିକ୍ତ ସ୍ଵାଦ ପାଇଁ କରୁଥିଲେ । ଦକ୍ଷିଣ ଏସିଆ ରେ ପ୍ରାୟ ୨୦୦୦ ଖ୍ରୀଷ୍ଟପୂର୍ଵରୁ କଳାମରିଚ,ପିପ୍ପଳୀ ଓ ଧଳାମରିଚ ଆଗରୁ ବ୍ୟବହାର ହୋଇ ଆସୁଛି । 

ଐତିହାସିକ J. Innes Miller ଲେଖିଛନ୍ତି
  “while pepper was grown in southern Thailand and in Malaysia, its most important source was India, particularly the Malabar Coast, in what is now the state ofKerala”

କେରଳର ପ୍ରାଚୀନ ଲୁପ୍ତ ବନ୍ଦର Muzirisin
ଗୋଲମରିଚ ରପ୍ତାନୀ ପାଇଁ ସାରା ଵିଶ୍ଵରେ
ଲୋକପ୍ରିୟ ଥିଵା ଅନେକ ଵୈଦେଶିକ ଐତିହାସିକ ତଥ୍ୟାତ୍ମକ ପାଣ୍ଡୁଲିପି ଗୁଡିକରୁ ମିଳୁଅଛି । କୁହାଯାଏ କଳାମରିଚ ଲଙ୍କାମରିଚ ଜଗତକୁ ମିଳିଵା ପୂର୍ଵରୁ "black gold" ର ଆଖ୍ୟା ଲାଭ କରିଥିଲା ଏମନ୍ତକି ଆଗେ ଗୋଲମରିଚର ଵ୍ୟଵହାର commodity money ଭାବରେ ବି ହେଉଥିଲା ।

ଷୋହଳଶହ ଶତାବ୍ଦୀ ପୂର୍ଵରୁ ଗୋଲମରିଚ ଓ ପିପ୍ପଳୀ ଜାଵା,ସୁନ୍ଦା, ସୁମାତ୍ରା, ମାଡାଗାସ୍କର, ମାଲେସିଆ ,ଭାରତ ଓ ଚୀନ ଆଦି ଦେଶର ଖାଦ୍ୟଦ୍ରଵ୍ୟର ଏକ ମୁଖ୍ୟ ଅଙ୍ଗ ଥିଲା । ଗୋଲମରିଚକୁ ହିଁ ଆଗେ କେଵଳ ମରିଚ କୁହାଯାଉଥିଲା ତେଣୁ ପ୍ରାଚୀନ ସାହିତ୍ୟ ତଥା ପୁରାଣାଦି ଗ୍ରନ୍ଥରେ ଆମ୍ଭେମାନେ ଯେଉଁ ମରିଚ ଶବ୍ଦ ଉଲ୍ଲେଖ ଥିଵା ଦେଖନ୍ତି ତାହା ପ୍ରକୃତରେ ଗୋଲମରିଚ ଅର୍ଥରେ ପ୍ରୟୋଗ କରାଯାଇଥିଲା । 

ଉଦାହରଣ ସ୍ୱରୂପ ବଳରାମ ଦାସଙ୍କ ଜଗମୋହନ ରାମାୟଣରେ ମରିଚ ଶବ୍ଦ ପ୍ରୟୋଗ କରାଯାଇଛି 

"ବସିଲା ଘୃତ ଆବର ଦେଲେ ଅଦା ଲୁଣ । ନିରମିଷ ଆମିଷ ଯେ ଅନେକ ତିଉଣ॥ 
ହେଙ୍ଗୁ ଜିରା ମରିଚ ନଡ଼ିଆ ଦୁଧ ଛେନା । 
ଘୃତରେ କରି ନାନାଦି ପିଷ୍ଟକ ରଚନା ॥”

ଏଠାରେ ଵ୍ୟଵହାର ହୋଇଥିଵା ମରିଚ ଶବ୍ଦର ଅର୍ଥ ଗୋଲମରିଚ ଅଟେ କାରଣ ବଳରାମ ଦାସଙ୍କ ସମୟରେ ଵା ତାପରେ ଲଙ୍କାମରିଚ ନୂଆ ନୂଆ ଭାରତକୁ ଆସିଥିଵାରୁ ସର୍ଵତ୍ର ଲୋକପ୍ରିୟ ହୋଇନଥିଵା ସହଜେ ଵିଶ୍ଵାସଯୋଗ୍ୟ । 

ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ 'ମରିଚଂ' ଶବ୍ଦର ନିରୁକ୍ତି ଲେଖାଅଛି “ମ୍ରିୟତେ ନଶ୍ଯତି ଶ୍ଲେଷ୍ମାଦିକମନେନେତି । ମୃ + ବାହୁଳକାତ୍ ଇଚଃ ।” ଗୋଲମରିଚର ସଂସ୍କୃତ ପର୍ଯ୍ୟାୟଵାଚକ ଶବ୍ଦଗୁଡ଼ିକ ହେଲା ପଵିତମ୍, ଶ୍ଯାମମ୍,କୋଳମ୍ ,ଵଲ୍ଲୀଜମ୍ ,ଊଷଣମ୍ ,ଯଵନେଷ୍ଟମ୍ ,ଵୃତ୍ତଫଳମ୍ ,ଶାକାଙ୍ଗମ୍ ,ଧର୍ମ୍ମପତ୍ତନମ୍ , କଟୁକମ୍ , ଶିରୋଵୃତ୍ତମ୍ , ଵୀରମ୍ , କଫଵିରୋଧି ,ମୃଷମ୍ ,ସର୍ଵ୍ଵହିତମ୍ ,କୃଷ୍ଣମ୍ ଓ ଵେଲ୍ଲଜମ୍ ଇତ୍ୟାଦି । ସୁଶ୍ରୁତଙ୍କ ସୂତ୍ରସ୍ଥାନର ୩୮ ଅଧ୍ଯାୟରେ ଗୋଲମରିଚକୁ ହିଁ ମରିଚ ଭାବେ ଉଲ୍ଲେଖ କରାଯାଇଛି
 “ପିପ୍ପଳୀମରିଚଶୃଙ୍ଗଵେରାଣି ତ୍ରିକଟୁକମ୍ ॥” 
 
ମୁସଲମାନମାନେ କନସ୍ଟାଣ୍ଡିନୋପଲ୍ ଅଧିକାର କରିନେଲା ପରେ ଦକ୍ଷିଣ ଏସୀୟ ବାଣିଜ୍ୟ ପଥ  
 ଦେଇ ଆଉ ଇଉରୋପରେ ଭାରତୀୟ ମସଲା ଵିଶେଷ କରି ଗୋଲମରିଚ ଓ ପିପ୍ପଳୀ ସହଜରେ ପହଞ୍ଚି ପାରିଲା ନାହିଁ । ଯଦି ଵା କିଛି ପରିମାଣରେ ପହଞ୍ଚିଲା ତାହାର ମୂଲ୍ୟ ଆକାଶଛୁଆଁ ହେଲା । ତେଣୁ ନିଜ ଥଣ୍ଡା ଦେଶରେ ଜନ୍ମିତ ଶରୀରକୁ କଟୁ ରାଗ ରସ ଆସ୍ଵାଦ ସୁଖରେ
ରେ ଭରିଵା ପାଇଁ ଇଉରୋପୀୟ ମାନେ ଅନେକ ଗୁଡିଏ ଜଳଯାତ୍ରା କରିଥିଲେ । ସଵୁ ୟୁରୋପୀୟ ଜାତିମାନଙ୍କ ମଧ୍ୟରେ ସ୍ପେନ ତଥା ପର୍ତ୍ତୁଗୀଜମାନେ ସର୍ଵାଧିକ ଜଳଯାତ୍ରା କରୁଥିଲେ । 

କଲମ୍ବସ ଭାରତକୁ ଉଣ୍ଡୁ ଉଣ୍ଡୁ ଆମେରିକାର ଭୂଭାଗ ପାଇଵା ପରେ ପର୍ତ୍ତୁଗୀଜମାନେ ହାଇତି ଦ୍ଵୀପରେ ପ୍ରଥମେ ଲଙ୍କାମରିଚ ଜାତୀୟ ଏକ ଗଛ ଜାତିର ସନ୍ଧାନ ପାଇ ଏହାର ନାମ ଦେଇଥିଲେ pimiento , ଏହି pimiento ଭାରତୀୟ ଗୋଲମରିଚର ୟୁରୋପୀୟ ପ୍ରତିଶବ୍ଦ ଥିଲା । ଆଜିକାଲି ସାଧାରଣତଃଶିମିଳା ଲଙ୍କାକୁ pimiento କୁହାଯାଉଛି ।

 ଇଂରାଜୀରେ ଲଙ୍କାମରିଚକୁ Chili pepper କୁହାଯାଏ ଏଵଂ ଏହି Chili ଶବ୍ଦଟି ଆଜଟେକ୍ ମୂଳ ଆମେରିକୀୟ ଆଦିଵାସୀମାନଙ୍କର Nahuatl ଭାଷାରୁ ନିଆଯାଇଛି । ଏହାର ମୂଳରୂପ chīlli ଥିଲା । ପର୍ତ୍ତୁଗୀଜମାନେ ଭାରତ,ପାରସ୍ୟ, ଇଣ୍ଡୋନେସିଆ ଆଦି ଅନେକ ଦେଶରେ ଲଙ୍କାମରିଚ ଗଛକୁ ପ୍ରଥମେ ପହଞ୍ଚାଇଥିଲେ । କିନ୍ତୁ ଲଙ୍କାମରିଚ ଭାରତରେ ଏଭଳି ଭାବେ ଵ୍ୟାପିଗଲା ଯେ ପାଞ୍ଚଶହ ଵର୍ଷ ମଧ୍ୟରେ ଗୋଲମରିଚ ଵା କଳାମରିଚ,ପିପ୍ପଳି ତଥା ଧଳାମରିଚ(ସଜନା ମଞ୍ଜି)ର ସ୍ଥାନ ସମ୍ପୂର୍ଣ୍ଣ ଭାବରେ ନେଇଗଲା ।

ଲଙ୍କାମରିଚ ଏକ ଅଦ୍ଭୁତ ପାଦପ । ଏଥିରେ ଗୋଟିଏ ଯାଦୁ ଵା କିମିଆ ଅଛି ବୋଲି ପ୍ରାଚୀନ ଆମେରିକୀୟ ମୂଳନିଵାସୀ ଵିଶ୍ଵାସ କରୁଥିଲେ । ସେମାନଙ୍କ ଅନୁମାନ ସତ ବି ହୋଇଛି କାରଣ ପୃଥିଵୀର ଆଦ୍ର ତଥା ଶୁଷ୍କ ମରୁଭୂମି ଅଞ୍ଚଳଗୁଡି଼କୁ ଛାଡ଼ିଦେଲେ ପୃଥିଵୀରେ ପ୍ରାୟ ସର୍ଵତ୍ର ଲଙ୍କାମରିଚର ଚାଷ ହେଉଅଛି । ପୁଣି ପୃଥିଵୀର ସବୁ ଦେଶର ଲୋକେ ଲଙ୍କାମରିଚ ସହିତ ପରିଚିତ । ପୃଥିଵୀର ଏମିତି କୌଣସି ଦେଶ ନଥିଵ ଯେଉଁ ଦେଶରେ ଲଙ୍କାମରିଚ ମିଳୁନଥିଵ । 
ଲଙ୍କାମରିଚ ପ୍ରଜାତି Capsicumରେ ମୁଖ୍ୟତଃ ୨୦ରୁ ୨୭ଗୋଟି ମୂଳ ଜାତି ତଥା ୫୦୦୦୦ରୁ ଅଧିକ cultivar ଵା ଚାଷ କିସମ ରହିଛି । ମାତ୍ର ପାଞ୍ଚଶହ ଵର୍ଷ ମଧ୍ୟରେ ଲଙ୍କାମରିଚର ୨୦ରୁ ୨୭ଟି ମୂଳ ପାଦପଜାତି ମଧ୍ୟରୁ ପଚାଶ ହଜାରରୁ ଅଧିକ ଚାଷ କିସମ କେମିତି ସୃଷ୍ଟି ହୋଇଗଲା ତାହା ଆଜି ବି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । 

ଵୈଜ୍ଞାନିକମାନେ କୁହନ୍ତି ଏହି ୫୦୦୦୦ ଲଙ୍କାମରିଚ ଚାଷକିସମ ଵା cultivar ମଧ୍ୟରେ କେଵଳ ଚାରିହଜାର ଚାଷକିସମ(cultivar) ଲଙ୍କାମରିଚ ଜାତି Capsicum annuum ସହିତ ସମ୍ପର୍କିତ । ସେହିପରି ୬୦୦୦ରୁ ଅଧିକ ଲଙ୍କାମରିଚ ଚାଷ କିସମର ମୂଳ ଲଙ୍କାମରିଚ ଜାତି ଵିଷୟରେ ସମ୍ପୂର୍ଣ୍ଣ ଦ୍ଵନ୍ଦ୍ଵହୀନ ତଥ୍ୟ ମିଳିପାରିନାହିଁ । ଏଥିରୁ ସହଜେ ହୃଦବୋଧ ହୁଏ ଯେ କେତେ ଭୀଷଣ ଭାବରେ ଗତ ପାଞ୍ଚଶହ ଶତାବ୍ଦୀ ମଧ୍ୟରେ ନାନା ଚାଷକିସମ ସୃଷ୍ଟି ହୋଇଛି । କେତେକ ଜଣାଶୁଣା ଲଙ୍କାମରିଚ ଚାଷକିସମ ଓଡ଼ିଶାରେ ବହୁଳ ଭାବରେ ଲଗାଯାଏ ଯଥା — କୋଳିଲଙ୍କାମରିଚ,ଠିଆଲଙ୍କାମରିଚ,ଧଳାଲଙ୍କାମରିଚ,ରାଗ ଲଙ୍କାମରିଚ ଵା ଜହରି ଲଙ୍କାମରିଚ,ସଜି ଲଙ୍କାମରିଚ,ଦକ୍ଷିଣୀ ଲଙ୍କାମରିଚ ଓ ଧାନୁଆ ଲଙ୍କାମରିଚ ଇତ୍ୟାଦି । 

ଲଙ୍କାମରିଚ ତୀଵ୍ର, କଟୁରସ, ଉଷ୍ଣଵୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ରୁଚିକର। ପ୍ରାୟ ସମସ୍ତ ରୋଗପକ୍ଷରେ ଏହା ଅନିଷ୍ଟକର କିନ୍ତୁ ଭାରତୀୟମାନେ ଏହାକୁ ଅଧୁନା ଏତେ ପରିମାଣରେ ଵ୍ୟଵହାର କରୁଛନ୍ତି ଯେ ହୃଦରୋଗ, ମଧୁମେହ,ଅର୍ଶାଦି ଵିଭିନ୍ନ ରୋଗ ଭୋଗ କରୁଛନ୍ତି । ଲଙ୍କାମରିଚ ଗୋଟିଏ ଦୁଇଧାରିଆ ଖଣ୍ଡାପରି ଏହାକୁ ବୁଝି ଵିଚାରି ଖାଦ୍ଯଦ୍ରଵ୍ୟରେ ଵ୍ୟଵହାର କଲେ ଏଵଂ ଯଥା ସମ୍ଭଵ ଭାରତୀୟ ମରିଚ କଳାମରିଚ ଵା ଗୋଲମରିଚକୁ ମହତ୍ତ୍ଵ ଦେଲେ ଭାରତୀୟମାନେ ନିରୋଗ ରହିପାରନ୍ତେ ।

Tuesday, April 28, 2020

ଦାସତ୍ବପ୍ରଥା ଵିରୋଧୀ ଅଶ୍ଵେତ ମହିଳାଯୋଦ୍ଧା ହାରିଏଟ୍ ଟବମେନ୍

ଏ କାହାଣୀ ଗୋଟିଏ ଅଶ୍ଵେତ ଝିଅ Mintyର...

ସେ ଦାସତ୍ବ ପ୍ରଥାରେ କଵଳିତ ଇଂରେଜମାନଙ୍କ ଦ୍ଵାରା ପରାଧୀନ ଆମେରିକାରେ ଜନମିଥିଲା । ସେଇ ଝିଅକୁ ଯେତେଵେଳେ ମାତ୍ର ୧୩ ଵର୍ଷ ହୋଇଥାଏ ତା ମୁଣ୍ଡ ଉପରେ ତାହାର ମାଲିକର ପୁଅ ଶକ୍ତ ଲୁହା ଦଣ୍ଡରେ ପିଟି ଦେଇଥିଲା ।

ତେଵେ ସେ ଝିଅ ଜୀଵନଯୁଦ୍ଧରେ ହାରିଯାଇନଥିଲା । ସେ ଲଢି଼ଥିଲା ଆଉ ବଞ୍ଚିଯାଇଥିଲା କାରଣ ଭଵିଷ୍ଯତରେ ସେ ଅନେକ ଅଶ୍ଵେତ ଦାସଙ୍କୁ ଦାସତ୍ବରୁ ମୁକୁଳେଇଵାର ଲକ୍ଷ୍ୟ ନେଇ ସଂସାରକୁ ଆସିଥିଲା ନା...

ସେଇ ଝିଅଟି ଆମେରିକାର ଜଣେ ଲୋକପ୍ରିୟ ମହିଳା  Harriet Tubman  । ସେ ଥିଲେ ଜଣେ ଦାସପ୍ରଥା ଵିରୋଧୀ ଅଶ୍ବେତ ଆମେରିକୀୟ ମହିଳା ଯୋଦ୍ଧା ।

ସେ ଆମେରିକାର ମେରିଲ୍ଯାଣ୍ଡ୍ ଅଞ୍ଚଳରେ ୧୮୨୨ ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରାରମ୍ଭିକ ନାମ Araminta Ross ଥିଲା ଓ ଏହାଙ୍କର ପରିଵାର ଅଶ୍ଵେତ ଦାସ ଥିଲେ ।  ୧୮୪୯-୫୦ ସମୟରେ ସେ ମେରିଲ୍ଯାଣ୍ଡ୍ ରୁ ଲୁଚିକି ଵଣ ଜଙ୍ଗଲ ଦୁର୍ଗମ ପଥ ପାରକରି ପ୍ରାୟ ୧୦୦ କି.ମି ଦୂର  ଫିଲେଡେଲ୍ଫିଆକୁ ଚାଲି ଚାଲି ଯାଇଥିଲେ ।

ଫିଲେଡେଲ୍ଫିଆରେ ଏକ ଵର୍ଷ ରହି ସେ ପୁଣି ମେରିଲ୍ଯାଣ୍ଡ୍ ଫେରିଥିଲେ ଏଵଂ ନିଜ ପରିଵାରର ୯ ଲୋକଙ୍କୁ ସାଙ୍ଗରେ ଫିଲେଡେଲ୍ଫିଆ ନେଇ ଆସି ସେମାନଙ୍କୁ ଦାସତ୍ବରୁ ମୁକୁଳାଇ ଥିଲେ ।

ନିଜ ଜୀଵନକାଳରେ ମହିୟସୀ ହାରିଏଟ୍ ୧୩ଟି ମିସନ୍ ରେ ପ୍ରାୟ ୭୦ଜଣ ଅଶ୍ଵେତ ଦାସଙ୍କୁ ମୁକୁଳାଇଥିଲେ ।

ସେତେଵେଳେ ସାରା ଆମେରିକାରେ ତାଙ୍କୁ moses ନାମରେ ଜଣାଯାଉଥିଲା ଏଵଂ ଏହାଙ୍କୁ ଧରିଵାକୁ ଅନେକ ଚେଷ୍ଟା ମଧ୍ୟ ହୋଇଥିଲା । ତତ୍କାଳୀନ ଇଂରେଜ ସରକାର ଏହାଙ୍କୁ ଧରାଇଦେଲେ ୩୦୦ ଡଲାର ପ୍ରଦାନ କରାଯିଵ ବୋଲି ଘୋଷଣା କରିଥିଲେ । ତେଵେ ତାଙ୍କୁ ଧରିଵାର ସବୁ ଯୋଜନା ଅସଫଳ ହୋଇଥିଲା ।

ଆମେରିକାର ଗୃହଯୁଦ୍ଧ ସମୟରେ ହାରିଏଟ୍ ସ୍କାଉଟ୍ ରେ ଯୋଗ ଦେଇଥିଲେ ଏଵଂ ପ୍ରାୟ ୧୫୦ଜଣ ଅଶ୍ଵେତ ସୈନିକଙ୍କର ନେତୃତ୍ୱ ବି କରିଥିଲେ । ଉକ୍ତ ସୈନିକ ଦଳ ଦ୍ଵାରା ହାରିଏଟ୍' ଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଅଧିକ ଅଶ୍ଵେତଙ୍କୁ ଦାସତ୍ବରୁ ମୁକ୍ତି ମିଳିଥିଲା ।  ଗୃହଯୁଦ୍ଧ ସମୟରେ ହାରିଏଟ୍ civil army ପାଇଁ ଜଣେ spy ଭାବେ କାର୍ଯ୍ୟ କରିଥିଲେ ।

ଗୃହଯୁଦ୍ଧ ପରେ ହାରିଏଟ୍ ନିଜ ଘରକୁ ଫେରି ଆସି ନିଜ ପରିଵାରଜନଙ୍କ ସହିତ ରହିଵାକୁ ଲାଗିଲେ ଓ ଆଜୀଵନ ମାନଵ ତଥା ମହିଳା ଅଧିକାର ପାଇଁ ଲଢିଥିଲେ ।

କୁହାଯାଏ ଏହାଙ୍କୁ ଭଵିଷ୍ଯତରେ ହେଵାକୁ ଥିଵା ଘଟଣାର ପୂର୍ଵାଭାସ ହେଇଯାଉଥିଲା ଏଵଂ ୟେ ମାର୍ଚ୍ଚ ମାସରେ ଜନ୍ମ ହୋଇ ସେଇ ମାର୍ଚ୍ଚ ମାସର ଦଶ ତାରିଖ ୧୯୧୩ ମସିହାରେ ସ୍ଵର୍ଗଵାସୀ ହୋଇଥିଲେ ।

୨୦ ଏପ୍ରିଲ ୨୦୧୬ରେ ଆମେରିକାର ଟ୍ରେଜରୀ ଵିଭାଗ ଦ୍ଵାରା ହାରିଏଟ୍'ଙ୍କର ସମ୍ମାନାର୍ଥେ ୨୦ ଡଲାରର ନୋଟରେ ଏହାଙ୍କ ଫୋଟୋ ସ୍ଥାନ ପାଇଵାର ଘୋଷଣା କରିଥିଲେ ।

ଆମେରିକୀୟ ନୋଟରେ ସ୍ଥାନ ଲାଭ କରିଥିଵା ପ୍ରଥମ ଆଫ୍ରିକୀୟ ଆମେରିକୀୟ ଵ୍ଯକ୍ତି ଅଟନ୍ତି ହାରିଏଟ୍ ।

ହାରିଏଟ୍'ଙ୍କ ନାମରେ ମୁକ୍ତିଲାଭ କରିଥିଵା ହାରିଏଟ୍ ଚଳଚ୍ଚିତ୍ରରେ ଏହାଙ୍କ ଜୀଵନୀ ଓ ସଂଘର୍ଷକୁ ସୁନ୍ଦର ଭାଵେ ଚିତ୍ରଣ କରାଯାଇଛି ।

ସେ କହିଯାଇଥିଵା କେତେକ ସୂକ୍ତି ଆଜି ବି ଆମେରିକାରେ ସ୍ମରଣୀୟ,  ନିମ୍ନରେ ତହିଁରୁ କେତୋଟି ଏଠାରେ ପ୍ରଦତ୍ତ ହେଲା...

"Every great dream begins with a dreamer. Always remember, you have within you the strength, the patience, and the passion to reach for the stars to change the world."

"I had reasoned this out in my mind, there was one of two things I had a right to, liberty or death; if I could not have one, I would have the other.
I grew up like a neglected weed - ignorant of liberty, having no experience of it."

"I had crossed the line. I was free; but there was no one to welcome me to the land of freedom. I was a stranger in a strange land."

"Twant me, ’twas the Lord. I always told him, “I trust to you. I don’t know where to go or what to do, but I expect you to lead me,” and he always did."

"I would fight for my liberty so long as my strength lasted, and if the time came for me to go, the Lord would let them take me."

"Quakers almost as good as colored. They call themselves friends and you can trust them every time."