My Blog List

Showing posts with label ଜଣା ଅଜଣା. Show all posts
Showing posts with label ଜଣା ଅଜଣା. Show all posts

Thursday, February 10, 2022

ଓଡ଼ିଶା ଓ ଅଥର୍ଵଵେଦ

   

ଆଗେ ତିନୋଟି ଵେଦ(ଋକ,ସାମ,ଯର୍ଦୁ)ହିଁ ମିଳିଥିଲା ! ଵିଶ୍ବ ଅଥର୍ଵଵେଦର ନାମ ସୁଦ୍ଧା ଜାଣିନଥିଲା ! ଜଣେ ସଂସ୍କୃତପ୍ରେମୀ ୟୁରୋପୀୟଙ୍କ ଠାରୁ ଵିଶ୍ବ ପ୍ରଥମେ ଏ ଵେଦର ପରିଚୟ ପାଇଥିଲା ଏଵଂ ଜଣେ ଭାରତୀୟ ଗଵେଷକ ତହିଁର ଶୁଦ୍ଧପାଠ ଓଡ଼ିଶାରୁ ଆଵିଷ୍କାର କରି କଳିଙ୍ଗଦେଶକୁ ଗୌରଵାନ୍ବିତ କରିଥିଲେ !

ସଂକ୍ଷେପରେ ଅଥର୍ଵଵେଦର କାହାଣୀ ଏହିପରି...

୧୮୫୪ରେ ବର୍ଲିନ୍‌ଠାରେ ୟୁରୋପର ସଂସ୍କୃତ ଵିଦ୍ୱାନ ରୁଡଲଫ୍ ରୋଥ ପ୍ରଥମେ ଅଥର୍ଵଵେଦର ଶୌନକ ସଂହିତା ପାଇ ଜଣାଇଥିଲେ !

ତେବେ ଉକ୍ତ ପାଠଟି ଅତ୍ଯନ୍ତ ଭ୍ରମାତ୍ମକ ପ୍ରମାଦପୂର୍ଣ୍ଣ ଥିଲା ଏଣୁ ରୋଥ ପ୍ରାମାଣିକ ପାଠ ଉଣ୍ଡିଵାରେ ଵ୍ରତୀ ହେଇ ଇଂରେଜ ଶାସକଙ୍କୁ ଭାରତଵର୍ଷରେ ଏହା ଡଗରେଇଵାକୁ ପ୍ରଵର୍ତ୍ତାଇଲେ ! 

ପ୍ରଵଳ ଉଦ୍ଯମ ଫଳରେ ୧୮୭୫ରେ ରୁଡଲଫ୍ ରୋଥଙ୍କୁ କାଶ୍ମୀରରୁ ଅଥର୍ଵଵେଦର ପୈପ୍ପଳାଦ ସଂହିତା ଲାଭ ହୋଇଥିଲା ।

କାଶ୍ମୀରରୁ ମିଳିଥିଵା ଏହି ଵେଦ ପାଠ ବି ପ୍ରାମାଣିକ ନଥିଲା ଏଵଂ ଏହା ଅତ୍ଯନ୍ତ ଦୟନୀୟ ଅବସ୍ଥାରେ ପ୍ରାପ୍ତ ହୋଇଥିଲା ! ଫଳରେ ଗଵେଷକଙ୍କୁ ସେତେବେଳେ ଵୈଶ୍ବିକ ପଣ୍ଡିତଵର୍ଗଙ୍କ ଵ୍ୟଙ୍ଗର ଶିକାର ହେଵାକୁ ପଡ଼ିଥିଲା ।

କାଶ୍ମୀରରୁ ଅଥର୍ଵଵେଦର ଲୁପ୍ତ ଅଂଶ ଉଦ୍ଧାର ହେଲାରୁ ଲୋକ ତତ୍ ଆଧାରରେ କାଶ୍ମୀରକୁ ଭାରତୀୟ ସଂସ୍କୃତର ମୂଳ କେନ୍ଦ୍ର ଓ ଉତ୍ତର ପଶ୍ଚିମ ଭାରତକୁ ଵୈଦିକ ସଂସ୍କୃତିର ଆଦିଭୂମି ମନେକରିଥିଲେ କିନ୍ତୁ ପରେ ଗଵେଷଣାରୁ ଜଣାଗଲା ଯେ ଦକ୍ଷିଣଭାରତ ଆଡ଼ୁ ଉକ୍ତ ଵେଦ ପାଠ ଜଣେ ପଣ୍ଡିତଙ୍କ ଦ୍ବାରା କାଶ୍ମୀର ଯାଇଥିଲା ! ଏକଥା ଜଣାପଡ଼ିଲାରୁ ଦାକ୍ଷିଣାତ୍ଯର ପଣ୍ଡିତଵର୍ଗ ଆପଣା ଭୂଖଣ୍ଡକୁ ହିଁ ସଂସ୍କୃତର ମୂଳଭୂମି ଏଵଂ ସଂସ୍କୃତର ସବୁ ଶବ୍ଦ ତାମିଳରୁ ନିଆଯାଇଥିଵା ମତ ଦେଵାକୁ ଲାଗିଲେ ।

ସ୍ବାଧିନତାପରେ ୧୯୫୪ରେ ସଂସ୍କୃତ କମିସନ୍ ଗଠନ ହେଲା ଏଵଂ ସାରା ଭାରତରେ ଏମନ୍ତକି ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଅଥର୍ଵଵେଦକୁ ଅନ୍ବେଷଣ କରାଗଲା ।

୧୯୬୩ ଖ୍ରୀଷ୍ଟାବ୍ଦରେ କଲିକତା ସଂସ୍କୃତଵେଦାଧ୍ଯାପକ ପଣ୍ଡିତ ଦୁର୍ଗାମୋହନ ଭଟ୍ଟାଚାର୍ଯ୍ଯଙ୍କୁ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ବଙ୍ଗ ଅନ୍ତର୍ଭୁକ୍ତ ଓଡ଼ିଆ ଅଞ୍ଚଳରୁ ଅଥର୍ଵବେଦର ଅଧିକାଂଶ ସଂହିତାର ପ୍ରାମାଣିକ ପାଠ ମିଳିପାରିଥିଲା ।

ଓଡ଼ିଶାର ପଣ୍ଡିତ ଵଳଦେଵ ଵିଦ୍ଯାଭୂଷଣଙ୍କ(୧୭ଶ) ଗୋପାଳ ତାପନୀ ଉପନିଷଦ ଭାଷ୍ଯରୁ ଭଟ୍ଟାଚାର୍ଯ୍ଯ ଜାଣିପାରିଥିଲେ ଯେ ଓଡ଼ିଶାର ଏହି ପନ୍ଥୀମାନେ ଅଥର୍ଵଵୈଦର ପୈପ୍ପଳାଦ ସଂପ୍ରଦାୟ ଭୁକ୍ତ ଅଟନ୍ତି ।

ପଣ୍ଡିତ ଭଟ୍ଟାଚାର୍ଯ୍ଯ ତେଣୁ ମୟୁରଭଞ୍ଜ ଓ ଏହାର ଉପାନ୍ତ ଅଞ୍ଚଳରେ ବହୁ ପୈପ୍ପଳାଦୀମାନଙ୍କୁ ଭେଟି ତାଙ୍କଠାରୁ ଓଡ଼ିଆଲିପିରେ ଅଥର୍ଵଵେଦର ଅଧିକାଂଶ ସଂହିତାର ଶୁଦ୍ଧ ଓ ପ୍ରାମାଣିକ ପାଠ ପାଇଥିଲେ ।

ଆଜିଯାଏଁ ଅଥର୍ବବେଦର ନଅଟି ଶାଖା ମିଳିଛି ଯଥା-ଗୌଡ଼,ମୌଡ଼,ଜାଳଜ,ଜଳଦ,ବ୍ରହ୍ମଵାଦ,ଚରଣବୈଦ୍ଯ,ପୈପ୍ପଳାଦ ଓ ଶୌନକ ।

ତେବେ ଭାରତୀୟ ପଣ୍ଡିତଙ୍କ ଅନୁସାରେ ଅଥର୍ଵଵେଦର ସଂଖ୍ଯା ଏହାର ପାଞ୍ଚ ଵା ଦଶଗୁଣ ଅଧିକ ଅଟେ ! କାରଣ ସ୍କନ୍ଦପୁରାଣରେ(ନାଗର ଖଣ୍ଡ,୧୭୪ତମ ଅଧ୍ଯାୟ)ରେ ଅଥର୍ଵଵେଦର ଶହେଟି ଶାଖା ଥିଵା ଉଲ୍ଲେଖ ଥିଲା ବେଳେ ମୁକ୍ତି କୋପନିଷଦର ୧୧୩ତମ ଅଧ୍ଯାୟରେ ଏହାର ମୁଖ୍ଯ ସଂଖ୍ଯା ପଚାଶ ବୋଲି କୁହାଯାଇଛି ।

(ସଚ୍ଚି ରାଉତରାୟଙ୍କ “ଓଡ଼ିଶାରେ ଅଥର୍ଵଵେଦ” ପ୍ରବନ୍ଧରୁ ପ୍ରୋକ୍ତ ତଥ୍ଯ ସଂଗୃହୀତ)

Wednesday, September 29, 2021

“ଶୂନ୍ୟ ‘୦” ସଂଖ୍ୟା”

ଆଜଟେକ୍ସ, ଇନକା ଓ ଇଜିପ୍ଟର ପ୍ରାଚୀନ ମାନଵ ସଭ୍ୟତାରେ ମଧ୍ୟ ଶୂନ୍ୟ ଆକାରର ଵିଭିନ୍ନ ଚିହ୍ନ ଆଵିଷ୍କାର ହୋଇଥିଲା । ପ୍ରାଚୀନ ଇଜିପ୍ଟରେ nfr (𓄤) ବୋଲି ଏକ ଚିହ୍ନ ଵ୍ୟଵହାର ହେଉଥିଲା । ପ୍ରାଚୀନ ଇଜିପ୍ଟରେ ଏହାକୁ Nefertiti, Nefertari ଓ Neferhotep ଆଦି ଵିଭିନ୍ନ ନାମରେ ଜଣାଯାଉଥିଲା ।  ଏହା ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲା କି ନାହିଁ ସ୍ପଷ୍ଟ ନୁହେଁ ତେବେ କେତେକ ଗଵେଷକ କୁହନ୍ତି  ପ୍ରାଚୀନ ଇଜିପ୍ଟରେ ଗୃହନିର୍ମାଣ ସମୟରେ 'nfrw' ଶବ୍ଦ 'level zero'  ଓ  'nfr'  zero balance ଅର୍ଥରେ ପ୍ରୟୋଗ ହେଉଥିଲା । nfr (𓄤)ର ଅର୍ଥ ଉଦାରହୃଦୟ , ସୁନ୍ଦର,ଭଲ ଓ ଉତ୍କୃଷ୍ଟ ବୋଲି କେତେକ ଅଭିଧାନରେ ଉଲ୍ଲେଖ ରହିଛି । ଆମେରିକାର ପ୍ରାଚୀନ ମାୟା ସଭ୍ୟତାର ଗଣନ ପଦ୍ଧତିରେ 𝋠 ବୋଲି ଏକ ଚିହ୍ନ ଯାହା ଦେଖିଵାକୁ ଖାଲି ଶଙ୍ଖ 🐚 ଶାମୁକା 🦪 ଵା 🐌 ଘୁଲି ଆକାରର ,ଏହାକୁ ଶୂନ୍ୟ ଅର୍ଥରେ ଵ୍ୟଵହାର କରାଯାଉଥିଵା ଜଣାଯାଏ । ଗଵେଷକମାନେ କୁହନ୍ତି ଆମେରିକାର ପ୍ରାଚୀନ ଅଧିଵାସୀ ଲୋହିତ ଭାରତୀୟମାନେ ମଧ୍ୟଏସିଆ ଓ ସାଇବେରିଆକୁ ପାରକରି ଆଲାସ୍କା ଦେଇ ଆମେରିକାରେ ପଦାର୍ପଣ କରିଥିଲେ । ସେଠାରୁ ସେମାନେ ସାରା ଆମେରିକାରେ ଵ୍ୟାପି ଯାଇଥିଲେ ଏଵଂ ହଜାର ହଜାର ଵର୍ଷ ଵସଵାସ କଲାପରେ ସେମାନଙ୍କର ମାୟା,ଇନକା ଓ ଆଜଟେକ୍ସ ଆଦି ସଭ୍ୟତା ଗଢିଉଠିଥିଲା । ଭାରତୀୟ ପୁରାଣକଥାରେ ସପ୍ତଦ୍ଵୀପ ଵା ସାତଗୋଟି ମହାଦେଶର କଥା ରହିଛି । ପୁରାଣକୁ ଇତିହାସ ମନେକରୁଥିଵା ଲୋକେ ଵିଶ୍ଵାସ କରନ୍ତି ଯେ ଏମାନେ ପୁରାଣୋକ୍ତ ସେହି ସପ୍ତଦ୍ଵୀପ ମଧ୍ୟରେ ଦୁଇ ଦ୍ଵୀପରେ ଵାସକରୁଥିଵା ଅଧିଵାସୀ । ହୁଏତ ପ୍ରାଚୀନ କାଳରେ ଲୋହିତ ଭାରତୀୟମାନଙ୍କ ସହିତ ପୁରୁଣା ଵିଶ୍ଵର ଲୋକଙ୍କର  କୌଣସି ପ୍ରକାରେ ସମ୍ପର୍କ ରହିଥିଲା ଫଳତଃ ସେମାନେ ଶୂନ୍ୟ ତଥା ସଂଖ୍ୟାଗଣନର ଵ୍ୟଵହାର ଜାଣିଥିଲେ । ଅଦ୍ୟପି ପାଶ୍ଚାତ୍ୟ ଗଵେଷକମାନେ କୁହନ୍ତି ଯେ ସେମାନେ ଆପେ ଖାଲି  ଘୁଲି ଵା ଶଙ୍ଖର ଖୋଳପକୁ ଶୂନ୍ୟର ସଂଜ୍ଞା ଦେଇ ଏଭଳି ଏକ ଆଵିଷ୍କାର କରିଥିଲେ ।

କିଛି ଵର୍ଷ ତଳେ ଭାରତଵର୍ଷର ଗ୍ଵାଲିୟର ଦୁର୍ଗ ମଧ୍ୟରେ ଅଵସ୍ଥିତ ଏକ ଛୋଟିଆ ମନ୍ଦିର କାନ୍ଥରେ ଶୂନ୍ଯ (୦) ଅଙ୍କିତ ହୋଇଥିଵା ଜଣାପଡି଼ଲା ।  ଏହାକୁ ଶୂନ୍ଯ  ଲିଖନର ଦ୍ଵିତୀୟ ପୁରାତନ ଜ୍ଞାତ ଉଦାହରଣ ବୋଲି ଅଭିହିତ କରାଯାଇଛି । ଗଵେଷକଙ୍କ ମତରେ ଉକ୍ତ ମନ୍ଦିରରେ ସେହି ଶୂନ୍ଯକୁ ଆଜକୁ ପ୍ରାୟ ୧୫୦୦ ଵର୍ଷ ପୂର୍ଵେ ଅଙ୍କିତ କରାଯାଇଥିଲା ।

ସେହିପରି ପ୍ରାଚୀନ ବକ୍ଷାଳୀ ପାଣ୍ଡୁଲିପିରେ ଶୂନ୍ଯର ପ୍ରୟୋଗ କରାଯିଵା ସହ ସେଥିରେ ତହିଁର ସଂକେତ ମଧ୍ୟ  ନିଶ୍ଚିତ ହୋଇଥିଲା । ବକ୍ଷାଳୀ ପାଣ୍ଡୁଲିପି କେବେ ଲେଖାଯାଇଥିଲା ତାହା ଆଜି ବି ଅସ୍ପଷ୍ଟ କିନ୍ତୁ ଆର୍ଯ୍ୟଭଟ୍ଟଙ୍କ ପୂର୍ଵରୁ ଏହା ଲେଖାଯାଇଥିଵା ଜଣାଯାଏ ।

ବକ୍ଷାଳୀ ପାଣ୍ଡୁଲିପି ମଧ୍ୟରେ ଶୂନ୍ଯକୁ  ଏକ ବିନ୍ଦୁ (Dot) ରୂପରେ ନିରୂପିତ କରାଯାଇଛି ଏଵଂ ତାହାକୁ  'ଶୂନ୍ଯସ୍ଥାନ' କୁହାଯାଇଛି। ପରେ  ନାଟ୍ୟକାର ସୁବନ୍ଧୁ ତାଙ୍କର ଵାସଵଦତ୍ତା ନାଟକରେ 'ଶୂନ୍ଯବିନ୍ଦୁ' ଶବ୍ଦ ଵ୍ୟଵହାର କରିଛନ୍ତି । ଗଣିତର ଇତିହାସ ଦୃଷ୍ଟିରୁ ଵାସଵଦତ୍ତା ନାଟକ  ମହତ୍ଵପୂର୍ଣ୍ଣ କାରଣ ଏଥିରେ ସୁବନ୍ଧୁ  "ଶୂନ୍ଯବିନ୍ଦୁ" ଶବ୍ଦର ପ୍ରୟୋଗ କରିଛନ୍ତି ।   ଶୂନ୍ଯର ସ୍ଵରୂପ (ଆକାର) ଵିଷୟରେ ଉଲ୍ଲେଖ ଏହି ଗ୍ରନ୍ଥରେ ମିଳିଥାଏ ।‌

ଵିଶ୍ଵଂ ଗଣୟତୋ ଵିଧାତୁଃ ଶଶିକଠିନୀଖଣ୍ଡେନ ତମୋମଷୀଶ୍ଯାମେଽଜିନ ଇଵ ଵିୟତି ସଂସାରସ୍ଯାତିଶୂନ୍ଯତ୍ଵାତ୍ ଶୂନ୍ଯବିନ୍ଦଵ ଇଵ ଵିତତାସ୍ ତାରା ଵ୍ଯରାଜନ୍ତେତି।”

(ଅର୍ଥ - ଵିଧାତା ଵିଶ୍ଵର ଗଣନା କରନ୍ତି । ତାଙ୍କ ପାଖରେ ଚନ୍ଦ୍ରରୂପୀ ସୁଧାଖଣ୍ଡ  ଅଛି । ଅନ୍ଧକାରରୂପୀ ସ୍ଯାହୀଯୁକ୍ତ କଳା ଆକାଶରୂପୀ ମୃଗଚର୍ମ ଅଛି । ଗଣନା କରି ଵିଧାତାଙ୍କର ମନେ ହେଉଛି ଯେ ଏ ସଂସାର ଶୂନ୍ଯ ଅଟଇ ।  ଏଥିରେ କିଛି ବି ନାହିଁ ‌ । ତହୁଁ ସେହି ସୁଧାଖଣ୍ଡ ସାହାଯ୍ୟରେ ସେ ମୃଗଚର୍ମ ଉପର ତାରା ରୂପକ ଶୂନ୍ଯବିନ୍ଦୁ ସୃଷ୍ଟି କରିଅଛନ୍ତି । ସେହି ତାରା ଉକ୍ତ କାଳଵିଶେଷରେ ପ୍ରକାଶିତ ହେଉ ଥିଲେ ।)

ତେବେ ୨୦୧୭ରେ, ଵକ୍ଷାଳୀ ପାଣ୍ଡୁଲିପିରୁ  ତିନୋଟି ନମୁନା ନେଇ ତହିଁର ରେଡିଓକାର୍ବନ ଵିଶ୍ଲେଷଣ କରାଗଲା । ପରୀକ୍ଷଣରୁ ପ୍ରାପ୍ତ ପରିଣାମ ଆଶ୍ଚର୍ଯ୍ୟଜନକ ଥିଲା । କାରଣ ସେହି ତିନିଗୋଟି  ନମୁନାର ସମୟକାଳ ତିନୋଟି ଭିନ୍ନ ଭିନ୍ନ ଶତାବ୍ଦିର ବୋଲି ଜଣାପଡି଼ଥିଲା । ପ୍ରଥମ ନମୁନାଟି ୨୨୪CEରୁ  ୩୮୩CE,
ଦ୍ଵିତୀୟଟି  ୬୮୦CEରୁ–୭୭୯CE, ତଥା ତୃତୀୟ ନମୁନାଟି ୮୮୫CEରୁ–୯୯୩CEର ହୋଇଥିଵା ଜଣାପଡି଼ଲା । ଏହି ପ୍ରଶ୍ନର  ଉତ୍ତର ଆଜି ବି ମିଳିପାରିନାହିଁ ଯେ ଭିନ୍ନ ଭିନ୍ନ ଶତାବ୍ଦୀରେ ରଚିତ ଭୋଜପତ୍ର ଲିଖିତ ପୃଷ୍ଠା କେମିତି, କିପରି ,କିଏ ଓ କାହିଁକି ଏକାଠି ଯୋଡି଼ଥିଲା ।

ଵିଭିନ୍ନ ସଭ୍ୟତାରେ ଶୂନ୍ୟ ସମସାଦୃଶ୍ୟ ଚିହ୍ନ ଥିଲେ ହେଁ ଭାରତରେ ଆର୍ଯ୍ୟଭଟ୍ଟଙ୍କ ଦ୍ଵାରା ଏହାର ଵିଶେଷ ଵ୍ୟଵହାର ଵିଧିର ଆଲୋଚନା କରାଯାଇଥିଲା ।

ଗଣିତରେ ଶୂନ୍ଯ, ପ୍ରଥମ ପ୍ରାକୃତିକ ପୂର୍ଣାଙ୍କ ସଂଖ୍ଯା ଅଟେ । ଏହା ଅନ୍ଯ ସମସ୍ତ ସଂଖ୍ଯାଦ୍ଵାରା ଵିଭାଜିତ ହୋଇ ଯାଏ  । କେଵଳ ଶୂନ୍ଯ ହିଁ ଏକମାତ୍ର ସଂଖ୍ଯା ଅଟେ ଯାହା ଵାସ୍ତଵିକ, ଧନାତ୍ମକ, ଋଣାତ୍ମକ, ଏଵଂ ପୂର୍ଣତଃ କାଳ୍ପନିକ ବି ଅଟଇ ‌ ।

ଆରବୀୟମାନେ ଭାରତୀୟମାନଙ୍କ ସହିତ ଵ୍ୟାପାର ଵାଣିଜ୍ୟ କରୁଥିଵାରୁ ସୁମାରି କରିଵା ହେତୁକ ସେମାନଙ୍କୁ ଉନ୍ନତ ଗଣନ ପଦ୍ଧତିର ଆଵଶ୍ୟକତା ହୋଇଥିଲା । ଫଳତଃ ସେମାନେ ଭାରତୀୟ ଗଣନ ପଦ୍ଧତିକୁ ଅଙ୍ଗୀକାର କଲେ । ସେମାନେ ଶୂନ୍ୟ ଶବ୍ଦକୁ ନେଇ   صِفْر‎ (ṣifr, “nothing, cipher”)କହିଲେ, ପରେ ତାହା ଲାଟିନ୍ ଭାଷାରେ zephirum ହେଲା ଏଵଂ
ସ୍ପେନ, ଇଟାଲୀ ଓ ଫ୍ରାନ୍ସର ଲୋକେ ଉକ୍ତ ଶବ୍ଦକୁ ନେଇ zero ଭାବେ ଵ୍ୟଵହାର କଲେ ।

ଭାରତୀୟ ଶୂନ୍ୟ ଶବ୍ଦର ଦୁଇଗୋଟି ସମ୍ଭାଵିତ ନିରୁକ୍ତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଲେଖାଅଛି...
⚫ସୁ(ଅତିଶୟ)+ଊନ(ନ୍ଯୂନ)+ଯ => ଶୂନ୍ୟ
⚫ଶୂନା(ପ୍ରାଣୀଵଧ)+ହିତାର୍ଥେ. ଯ => ଶୂନ୍ୟ

ତେବେ ପାଶ୍ଚାତ୍ୟ ଭାଷାଵିଦମାନେ ଏହି ଶୂନ୍ୟ ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ ଧାତୁ *ḱewh₁- (“to swell”) ସହିତ ସମୋଦ୍ଧୃତ ବୋଲି ମତ ଦିଅନ୍ତି ।
Avestan ଭାଷାର  𐬯𐬏𐬭𐬀‎ (sūra) ଶବ୍ଦର ଅର୍ଥ ଗାତ,ଛିଦ୍ର ଏଵଂ ଗୋଟିଏ ସମତଳ ସ୍ଥାନରୁ କିଛି ଦ୍ରଵ୍ୟ ଖାଲି କରିଦେଲେ ଶୂନ୍ୟ କରିଦିଆଗଲେ ତାହା ଗାତ ଅଭିହିତ ହୋଇଥାଏ । ସେହିପରି Armenian ଭାଷାର սոր (sor) ଶବ୍ଦର ଅର୍ଥ ମଧ୍ୟ ଗାତ ଵା ଛିଦ୍ର । ହିନ୍ଦୀରେ ମଧ୍ୟ सुराख़ ବୋଲି ଏକ ଵୈଦେଶିକ ମୂଳର ଶବ୍ଦ ଛିଦ୍ର ଵା କଣା ଅର୍ଥରେ ଚଳୁଅଛି ।  ପାଶ୍ଚାତ୍ୟ ଭାଷାଵିଦମାନେ କୁହନ୍ତି ଶୂନ ସହିତ ଗ୍ରୀକ୍ ଭାଷାର κύλα (kúla, “holes under the eyelids”) ଓ κοῖλος (koîlos, “hollow”) ମଧ୍ୟ ସଗୋତ୍ରୀୟ ସମ୍ବନ୍ଧ ରହିଛି ‌ । ଏହିପରି ଲାଟିନ୍ cavus (“hollow”) ମୂଳର cave(ଗୁମ୍ଫା) ଶବ୍ଦଟି ମଧ୍ୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ଅର୍ଥାତ୍ ସମ ମୂଳରୁ ଉଦ୍ଧୃତ । *ḱewh₁, ଏହି ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ଏହିପରି ଆହୁରି ସହସ୍ର ସହସ୍ର ଶବ୍ଦ ଵିଭିନ୍ନ ଭାରୋପୀୟ ସୃଷ୍ଟି ହୋଇଅଛି ଏଵଂ ପାଶ୍ଚାତ୍ୟ ଭାଷାଵିଦମାନେ ସେହି ମୂଳ ଶବ୍ଦଟିକୁ Proto Indo European root ଆଖ୍ୟା ଦେଇଛନ୍ତି ।

ଅସ୍ତୁ ଶୂନ୍ୟ ଶବ୍ଦଟି ଭାରତୀୟ ମାନକ ଶାସ୍ତ୍ରୀୟ ଭାଷା ସଂସ୍କୃତ ତଥା ଓଡ଼ିଆରେ ରିକ୍ତତାସୂଚକ ବିନ୍ଦୁ 'ଠ' ସଂଖ୍ଯା ଵା ନଥିଵାର ପରିଚାୟକ ମୁଣ୍ଡଳା ଵ୍ୟତୀତ ଆହୁରି ଅନେକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ଆକାଶକୁ ଶୂନ୍ୟ କୁହାଯାଏ ପୁନଶ୍ଚ ଶୂନ୍ୟ ମଣ୍ଡଳ ଶବ୍ଦର ମଧ୍ୟ ଆମ୍ଭ ଭାଷାରେ ଵ୍ୟଵହାର ରହିଛି । ବାୟୁ ଵା ଅନ୍ଯଵସ୍ତୁ ରହିତ ରିକ୍ତ ସ୍ଥାନ ଯଥା ଅନ୍ତରୀକ୍ଷକୁ ଶୂନ୍ୟ କୁହାଯାଏ । ଅଭାଵ, ରିକ୍ତତା,ନିର୍ଜ୍ଜନସ୍ଥାନ,ଅନଵସ୍ଥିତି ଆଦି ଅର୍ଥରେ ଶୂନ୍ୟ ଶବ୍ଦଟି ଏକ ଵିଶେଷ୍ୟ ଶବ୍ଦ ପରି ପ୍ରୟୋଗ ହେଉଥିଵା ବେଳେ ଏ ଶବ୍ଦ ଵିଶେଷଣ ଭାବେ  ରିକ୍ତ,ଖାଲି, ଫମ୍ପା,ନିର୍ଜ୍ଜନ,ନିସ୍ତଵ୍ଧ,ତୁଚ୍ଛ, ଅନଵସ୍ଥିତ ଵା ସ୍ଥିତିରହିତ,ଵିଷର୍ଣ୍ଣ, ଅପକ୍ଷାପାତ,କପଟତା ହୀନ ଓ ନିରର୍ଥକ ଅର୍ଥରେ ଵ୍ୟଵହୃତ ହୋଇଥାଏ । ହୀନ ଅର୍ଥରେ
ଅନ୍ୟ ଶବ୍ଦ ସଙ୍ଗେ ଶୂନ୍ୟ ଶବ୍ଦ ଯକ୍ତ ହୋଇଥାଏ ଯଥା—ଧନଶୂନ୍ୟ; ପ୍ରାଣଶୂନ୍ୟ ଇତ୍ୟାଦି ।

ଓଡ଼ିଆ ଭାଷାରେ ଶୂନ୍ୟ ଶବ୍ଦଟି ଚାରିଗୋଟି ସ୍ବତନ୍ତ୍ର ଅର୍ଥରେ ଵ୍ୟଵହୃତ ହୋଇଥାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ଓଡ଼ିଆ ଭାଷାରେ ଵିଶେଷ୍ୟ ଭାବେ ବିନ୍ଦୁ ଅର୍ଥରେ ଶୂନ୍ୟ ଶବ୍ଦର ଵ୍ୟଵହାର ହୋଇଛି ।

ତୋ ଵର୍ଣ୍ଣ ବେଦରୁ ବାହାର,
ଠୁଳ ଶୂନ୍ୟରୁ ଅଭ୍ଯନ୍ତର।”
( ଭୂପତି ରାୟ, ପ୍ରେମ ପଞ୍ଚାମୃତ)

ଵିଶେଷଣ ଶବ୍ଦ ଭାବେ ଶୂନ୍ୟ ଶବ୍ଦଟି ଓଡ଼ିଆ ଭାଷାରେ ତିନୋଟି ଅର୍ଥରେ ଵ୍ୟଵହାର ହୋଇଥାଏ ।
(କ)ଯହିଁରେ କୌଣସି କାରଣ ନିର୍ଣ୍ଣୟ କରାୟାଇ ନ ପାରେ ସେ ସ୍ଥିତିକୁ ଆମ ଭାଷାରେ ଶୂନ୍ୟ କୁହାଯାଏ । ସାଧାରଣତଃ ଏ ଅର୍ଥରେ ଶୂନ୍ୟ ଶବ୍ଦଟି ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇଥାଏ ଯଥା—ଶୂନ୍ୟଫୋଟକା, ଶୂନ୍ୟଫୁଲା।

(ଖ)ଆକାଶରୁ ଶୁଣାଯିଵାକୁ ଶୂନ୍ୟ କୁହାଯାଏ ।
  ଯଥା — ଶୂନ୍ୟଵାଣୀ,ଶୂନ୍ୟଶବଦ ଇତ୍ୟାଦି
  । ଶୂନ୍ୟ ଶବଦ ଏହା ଶୁଣି ।
   ଆନନ୍ଦେ କର୍ଣ୍ଣ ବୀରମଣି ।
   ଦାଢ୍ୟତା ଭକ୍ତି,କର୍ଣ୍ଣରାଜା ସମ୍ବାଦ

(ଗ)ଯନ୍ତ୍ର ପରିଚାଳିତ, ଯାହା ଦୃଶ୍ଯମାନ ଜୀଵଜନ୍ତୁଙ୍କଦ୍ବାରା ଚାଳିତ ନୁହେଁ ତାକୁ ଶୂନ୍ୟ କୁହାଯାଏ
ଯଥା—ଶୂନ୍ୟଗାଡ଼ି ଵା ଶୂନଗାଡି଼

ଭାରତ ଓ ଵିଶ୍ଵର ଵିଭିନ୍ନ ଭାଷାରେ ଭାରତୀୟ ଶୂନ୍ୟ ଶବ୍ଦ ସହିତ ସମୋଦ୍ଧୃତ ସମ ଅର୍ଥଜ ପ୍ରତିଶବ୍ଦ ପ୍ରଚଳିତ ହୋଇଅଛି । ନିମ୍ନରେ ସେହିପରି କିଛି ଶବ୍ଦର ସୂଚୀ ପ୍ରଦାନ କରାଗଲା ।

ସଂସ୍କୃତ—ଶୂନ୍ୟ
ଓଡ଼ିଆ— ଶୂନ,ଶୁ‘ଉ’ନୁ(କଥିତ ଓଡ଼ିଆ),ଶୂନ୍ୟ
ଅହମିଆ— সূঞ (xuñ)
ବଙ୍ଗାଳୀ— শূন্য (śunjô)
ଧୀଵେଶୀ—ސުން‎ (sun̊)
ପାଲୀ— suñña
ଵର୍ମୀ—သုည (su.nya)
ମୋନ(Mon)—သုည
ଥାଇ— สูญ (sǔun, “ଶୂନ,ଖାଲି, ଅଦୃଶ୍ୟ”),ศูนย์ (sǔun)
ଲୂ(Lü)—ᦉᦳᧃ (ṡun, “ଶୂନ୍ୟ , ଅଦୃଶ୍ୟ”)
ପଞ୍ଜାବୀ— ਸੁੰਨ (sunn)
ସିଂହଳୀ— ශුන්යය (śunyaya)
ଆରବିକ୍— صِفْر‎ (ṣifr)
ଲାଓ—ສູນ (sūn)
କନ୍ନଡ଼ —ಸುನ್ನ (sunna) ଓ ಸೊನ್ನೆ (sonne)
ତେଲୁଗୁ—శూన్యము (śūnyamu),సున్న  (sunna)
ସ୍ଵାହିଲୀ —sifuri(ଆରବୀ ଦେଇ)
ଆର୍ମାଇକ୍— ציפר‎ m (ṣīpar) ଓ ܨܺܝܦܰܪ‎ (ṣīpar)
ଅଜରବୈଜାନୀ— sıfır
ଆର୍ମେନୀୟ—զրո(zro; ଲାଟିନ୍ ଦେଇ)
ଅଷ୍ଟୀୟ—cero
କବର୍ଡୀୟ— зыри (zəri)
ଲାଟିନ୍—,zerum ,zephirum, cifra
ମାଳୟୀ(ରୁମୀ ଶୈଳୀ)— kosong, sifar
ପସ୍ତୋ—صفر‎(séfәr)
ପାର୍ସୀ—صِفر‎(sefr)
ସାମୋଆନ୍— selo

ପୁରାତନ ଵିଶ୍ଵରେ(ଆଫ୍ରିକା,ୟୁରେସିଆ) ଶୂନ୍ୟ ଵା “କିଛି ନଥିଵା”କୁ ପ୍ରକାଶ କରିଵାପାଇଁ କୌଣସି
ଚିହ୍ନ ନଥିଲା । ଲୋହିତ ଭାରତୀୟମାନେ ଖାଲି ଘୁଲି ଵା ଗେଣ୍ଡା ଅଥଵା ଶଙ୍ଖର ଖୋଳାପାକୁ ଶୂନ୍ୟର ସଂଜ୍ଞା ଦେଇଥିଲେ ବି ତାହା ପୁରାତନ ଵିଶ୍ଵରେ ପହଞ୍ଚିପାରିନଥିଲା । କିନ୍ତୁ ଭାରତୀୟମାନେ  “କିଛି ନାହିଁ” ସଂଜ୍ଞାକୁ ସୂଚାଇଵା ହେତୁକ  ‘୦’ ର ଵ୍ୟଵହାର କଲେ । ଫଳତଃ ଶୂନ୍ୟର ‘୦’ ପ୍ରତୀକ ହେତୁ ଗଣିତର ଚରମ ଵିକାଶ ସମ୍ଭଵପର ହୋଇପାରିଛି  ।

ଓଡ଼ିଆଭାଷାର ଅନେକ ପୁରାତନ ସାହିତ୍ୟରେ ଶୂନ୍ୟ ଶବ୍ଦଟି ଵିଶେଷ ଭାବେ ଵ୍ୟଵହାର ହୋଇଅଛି ।

ଓଡ଼ିଶାର ମହାକଵି ସାରଳା ଦାସ ଅନ୍ତରୀକ୍ଷ ଓ ଶ୍ରୀଭଗଵାନଙ୍କୁ ଶୂନ୍ୟ ଵିଚାର କରି ଲେଖିଛନ୍ତି

“ଆଦି ହୁଂ ଶୂନ୍ୟ
ଶୂନ୍ୟହୁଂ ଜାତ ପବନ
ପବନ ହୁଂ ଜାତ ହୋଇଲେ
ଯୋଗପୁରୁଷ ଶୂନ୍ୟ ।”

ସେହିପରି ଜଗନ୍ନାଥ ଦାସ ଵିରଚିତ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ନାନା ଅର୍ଥରେ ଶୂନ୍ୟ ଶବ୍ଦ ଵ୍ୟଵହୃତ ହୋଇଅଛି ...
ଯଥା—

“ଯେ ଶୁକ ଏକାନ୍ତ ଗମନ ।
କରିଣ ଦେହ କଲେ ଶୂନ୍ୟ ॥”
(ପ୍ରଥମ ସ୍କନ୍ଧ,ଭାଗଵତ)

“ନାଭିରୁ ପ୍ରକାଶେ ଗଗନ ।
ଗୁଣଙ୍କ ବୃତ୍ତି ଘେନି ଶୂନ୍ୟ ।”
(ତୃତୀୟ ସ୍କନ୍ଧ,ଭାଗଵତ)

“କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ଵହି । ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ।”
(ଚତୁର୍ଥ ସ୍କନ୍ଧ,ଭାଗଵତ)

“କେମନ୍ତେ ଧରିବୁ ଜୀଵନ ।
ଦିଶଇ ଦଶଦିଗ ଶୂନ୍ୟ । ”
(ସପ୍ତମ ସ୍କନ୍ଧ,ଭାଗଵତ)

“ଶୂଳ ଆସନ୍ତେ ଶୂନ୍ୟ ପଥେ ।
ଵାସଵ ଧନୁ ଧରି ହସ୍ତେ ।”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ଧୂମ ପୂରିତ ଶୂନ୍ୟ ମଧ୍ୟେ ।
ବେଗେ ଧାଇଁଲା ଘୋରନାଦେ ॥”
(ନବମ ସ୍କନ୍ଧ,ଭାଗଵତ)

“ରୋହିଣୀ ନାମ ଵିଦ୍ୟମାନ ।
ତାହାର ଗର୍ଭ ଅଛି ଶୂନ୍ୟ ॥”
(ଦଶମ ସ୍କନ୍ଧ,ଭାଗଵତ)

“ଶୂନ୍ୟ ମଣ୍ଡଳେ ରଥେ ଥାଇ ।
କପୋଳେ ଵେନିକର ଦେଇ ॥”
(ଏକାଦଶ ସ୍କନ୍ଧ,ଭାଗଵତ)

ଜଗନ୍ନାଥ ଦାସଙ୍କ ପରେ ନିଜର ସହ ସହ ଗୀତିକଵିତାରେ ଭୀମଭୋଇ, ଅଚ୍ୟୁତାନନ୍ଦ ଦାସ ଓ ଵନମାଳୀ ଦାସ ଆଦି ଅନେକ କଵି ଶୂନ୍ୟ ଶବ୍ଦର ଵ୍ୟଵହାର କରିଯାଇଛନ୍ତି । ଯଥା—

“ଗୁରୁୟେ ବୋଇଲେ ତୋର ପିତା ମାତା ଶୂନ୍ୟ ।
ଆଜ‌ହୁଂ ହୋଇଲ ମୋର ଧର୍ମର ନନ୍ଦନ ହେ । ”
(ଵନମାଳୀ ଦାସ)

“ଶୂନ୍ୟ କୁଞ୍ଜରୁ ଏ ବାଜଇ ଵୀଣା ।
କେଉଁଠାରେ ଅଛି ଗୋପ ପାଟଣା ।
(ଗୋପ)ଧ୍ୟାନ ଲାଗିଛିରେ
ଅନାହତ ଧ୍ୱନି-ଘରେ ।
ନିଶବଦ ଘରୁ ଶବଦ ହୋଇଲା
ରାତ୍ର ତିନି ଘଡ଼ିଠାରେ ॥”
( କଵି ଗୋଵିନ୍ଦ)

“ଶୂନ୍ୟ ସ୍ୱରୂପ ହେ,
ଘୋଟିଅଛ ତ୍ରିଭୁଵନ ମହୀ,
ସୁଜ୍ଞାନୀ ଜନଙ୍କୁ ଚିତ୍ତରେ ଅଦୃଶ
କୁଜ୍ଞାନୀକି ପଥ ଦିଶୁନାହିଁ ।”
( ଭୀମଭୋଇ)

“ଶୂନ୍ୟ ବ୍ରହ୍ମକୁ ହେ,
ଦେଖିଵ ଯେମନ୍ତେ ଜ୍ଞାନ ଡୋଳେ ।
କଳ୍ପନାକୁ କାଟି ଜନ୍ମ ମୃତ୍ୟୁ ମେଣ୍ଟି
ଏକ୍ୱୈଶ ପୁରକୁ ଜିଣିଗଲେ ।”
(ଭୀମଭୋଇ)

“ଅଶୂନ୍ୟ ହୋଇଣ ଯେ ଥିଲାକ ଏକ ସ୍ଥାନ
ଅଦଭୁତ ସ୍ୱରୂପେ ହୋଇଲା ଏକ ଶୂନ୍ୟ ।
ସେହି ଶୂନ୍ୟ ମଧ୍ୟରେ ଯେ ନିରାକାର ସ୍ଥିତି
ନିରାକାର ଅଙ୍ଗରୁ ପରମ ବ୍ରହ୍ମମୂର୍ତ୍ତି ।”
(ଅଚ୍ୟୁତାନନ୍ଦ ଦାସ)

ଏ ମାଟି ପଥର ଏ ଜଳ ପଵନ
ଏମାନେ ନ ଥିଲେ କେହି,
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
  ଅନ୍ଧକାର ଥିଲା ନିଶବଦ ହୋଇ ।”
(ଅଠସ୍ତରୀ ବୋଲି, ଭୀମଭୋଇ)

ତେବେ ପୃଥିଵୀରେ ଏମିତି ଅନେକ ଭାଷା ରହିଛି ଯେଉଁଥି ଶୂନ୍ୟପାଇଁ ମୌଳିକ ଶବ୍ଦ ପ୍ରଚଳିତ ଅଛି ।

ଓଡ଼ିଆ ଭାଷାରେ ଶୂନ୍ୟ , ଶୂନ୍,ଶୂନ ଓ ଶୂନୁ ଛଡ଼ା ଆଳୁ,ଗୋଲ ଆଳୁ ଓ ମୁଣ୍ଡୁଳା ଆଦି ଶବ୍ଦ ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ହୋଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଓଡି଼ଆ ଭାଷାରେ ନାସ୍ତି ଶବ୍ଦର ମଧ୍ୟ ଶୂନ୍ୟ ଅର୍ଥରେ ଵ୍ୟଵହାର ରହିଛି । ଯଥା —
“ଟଙ୍କା ଶୁନ୍ ଅଣା ନାସ୍ତି ତିନି ପାହୁଲା।”  ପୁନଶ୍ଚ ଆକାଶ,ଖ,ଗଗନ,ଗୋଳ,ଅମ୍ବର,ହ ଓ ଵିନ୍ଦୁ ଆଦି ଶବ୍ଦ ଶୂନ୍ୟସଂଖ୍ୟା ଅର୍ଥରେ ମଧ୍ୟ ପୁରାତନ ଭାରତୀୟ ଗଣିତଜ୍ଞମାନେ ଵ୍ୟଵହାର କରିଛନ୍ତି । ସମ୍ଭଵତଃ “ଫଳ” ଶବ୍ଦପରି ଶୂନ୍ୟ ଶବ୍ଦର ଭାରତରେ “୦ ସଂଖ୍ୟା” ଅର୍ଥରେ ବହୁଳ ଵ୍ୟଵହାର ଯୋଗୁଁ ଏହାର ଅନ୍ୟ ପ୍ରତିଶବ୍ଦ ସୃଷ୍ଟି କରିଵାର ଆଵଶକ୍ୟତା ପଡ଼ିନଥିଲା ।

ୟୁରୋପର ଵିଭିନ୍ନ ଭାଷାରେ ଶୂନ୍ୟ ସଂଖ୍ୟା ପାଇଁ ନିମ୍ନଲିଖିତ ଶବ୍ଦମାନ ଵ୍ୟଵହାର ହୋଇଥାଏ ।

ବେଲାରୁଷି— нуль(nulʹ)
ବୁଲଗେରୀ— ну́ла(núla)
ଚେଜ୍— nula
ଡନିଶ୍— nul
ଡଚ୍— nul
ଫିନ୍ନିଶ୍—nolla
ଇଉରୋଜୀୟ— ნული (ଜର୍ଜିଆ)
ଜର୍ମାନ— null (de), Null (de)
ଆଇରିଶ୍— neamhní, nialas, náid
ରୁଷିଭାଷା—нуль (nul), ноль (nolʹ)

ଏ ସବୁ ଶବ୍ଦ  Proto-Italic *ne oinolos ମୂଳର ବୋଲି ପାଶ୍ଚାତ୍ୟ ଭାଷାଵିଦମାନେ ମତ ଦିଅନ୍ତି ।

ne (“ନାହିଁ”) ଓ  *oinos (“ଏକ”) କିଂଵା
ūllus (“କୌଣସି”) ଯୁକ୍ତ କରାଯାଇ ଶବ୍ଦଟି ଅତୀତରେ ସୃଷ୍ଟି ହୋଇଥିଲା । ପ୍ରାକ୍ ଇଟାଲିକ୍ ଶବ୍ଦ oinosର
ପ୍ରାଚୀନ ଗ୍ରୀକ୍ οἶος (oîos) ଓ ସଂସ୍କୃତ ଏକ (éka) ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ସେହିପରି ପ୍ରାକ୍ ଇଟାଲିକ୍ ne ର ମଧ୍ୟ ଇଂରାଜୀ No ,ସଂସ୍କୃତ ନାସ୍ତି ତଥା ଓଡ଼ିଆ ନାହିଁ ସହିତ ସମୋଦ୍ଧୃତଗତ ସମ୍ପର୍କ ଥିଵା ଜଣାଯାଏ ।

ଚୀନ ଦେଶରେ ଶୂନ୍ୟ ସଂଖ୍ୟକୁ ଶବ୍ଦରେ ପ୍ରକାଶ କରିଵା ପାଇଁ କାଣ୍ଟୋନିଜ୍‌ରେ 零 (ling4),ଡୁଂଗାନ୍‌ରେ лин (lin),ଗାନ୍ ଭାଷାରେ 零 (lin4 / liang4),ହାକ୍କାରେ
零 (làng),ଜିନ୍ ଭାଷାରେ Jin 零 (ling1), ମାଣ୍ଡାରିନରେ 零 (líng),ମିନ୍ ବେଇରେ 零 (lâing),ମିନ୍ ଡଙ୍ଗ୍‌ରେ 零 (lìng),ମିନ୍ ନାନ୍‌ରେ 空 (zh-min-nan) ଓ 零 (lêng / lân),ତିଓଚେଓରୈ空 (kang3) ଓ 零 (lêng5),ୱୁ(Wu) ଭାଷାରେ  零 (lin) ତଥା ଜି଼ଆଙ୍ଗ୍‌ଭାଷାରେ(Xiang) 零 (lin2)
କୁହାଯାଇଥାଏ ଏଵଂ ଚୀନରେ “〇” ଚିହ୍ନଦ୍ଵାରା ଶୂନ୍ୟକୁ ପ୍ରକାଶ କରାଯାଏ ।

କୋରିଆରେ yeong ,ryeong ଓ gong ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଲାବେଳେ ଜାପାନରେ
零(れい, rei) ଓ  ゼロ (zero) ଶବ୍ଦର ଵ୍ୟଵହାର ରହିଛି ।

ଏତଦଵ୍ୟତୀତ ପୃଥିଵୀରେ ଅନେକ ଭାଷା ମଧ୍ୟ ଅଛି ଯହିଁରେ ଶୂନ୍ୟକୁ ପ୍ରକାଶ କରିଵାପାଇଁ ମୌଳିକ ଶବ୍ଦ ସୃଷ୍ଟି ହୋଇଅଛି
ଯଥା—
ଚାମ୍ମୋରେ— tåya’
ଚେରୋକି— ᎧᏂᎩᏛ (kanigidv) ଓ Ꮭ ᎪᎱᏍᏗ (tla gohusdi)
ହିବ୍ରୁ—אֶפֶס‎(éffes)
ହୱାଇ ଭାଷା— ʻole
ଇଗାଲା— òfo
ଇଗବୁ— efu
ଲକୋଟା— tákuni
ମାଲାଗାସୀ— aotra (mg)
ମଳୟାଳ଼ମ—പൂജ്യം (pūjyaṃ)
ମଙ୍ଗୋଲୀୟ—тэг (teg) ଓ бинт(bint)
ଖ୍ଵେ଼ଚୁଆ(Quechua)—ch'usaq
ସିନ୍ଧି—ٻُڙِي‎(buri)
ଅମହାରିକ୍: ባዶ (bado)

ଓଡ଼ିଶାରେ ଷାଠିଏରୁ ଅଧିକ ଜନଜାତୀୟ ଭାଷା ପ୍ରଚଳିତ ଅଛି ତେବେ  ହୋ ଭାଷାରେ ‘ଟଂ’ ,ସଉରା ଭାଷାରେ ‘ତେଡେର୍’ ତଥା ବଣ୍ଡା ଭାଷାରେ ‘ମାସାଆରାଗ୍’ ଆଦି ଶବ୍ଦ ଶୂନ୍ୟ ଅର୍ଥରେ ଵ୍ୟଵହାର ହେଉଥିଵା ପ୍ରୋକ୍ତ ଭାଷାଗୁଡି଼କର ଅଭିଧାନରୁ ଜଣାଯାଏ । ଏତଦଵ୍ୟତୀତ ଓଡ଼ିଶାରେ ପ୍ରାୟତଃ ଏଠାକାର ଅଧିକାଂଶ ଅଧିଵାସୀ ସେମାନଙ୍କ କଥିତ ଭାଷାରେ ଶୂନ୍, ଶୂନ,ଶୁଏନ୍ ,ଶୂଇନ୍ ଓ ଶୂନୁ ଆଦି ଶବ୍ଦ ଵ୍ୟଵହାର କରୁଥିଵା ଦୃଶ୍ୟ ହୋଇଥାଏ ।

ଅସ୍ତୁ,ଵିଶ୍ଵର ଅନେକ ପ୍ରାଚୀନ ସଭ୍ୟତାରେ “ନାସ୍ତି” ଵା “Nothing”କୁ ପ୍ରକାଶ କରିଵା ପାଇଁ ଚିହ୍ନ ଥିଲା କିନ୍ତୁ ଭାରତରେ ପ୍ରଥମେ ଶୂନ୍ୟର ଗଣିତରେ ପ୍ରୟୋଗ ହୋଇଥିଲା । ମାୟା ସଭ୍ୟତାର ଘୁଲି ଖୋଳପାରୁ କଳ୍ପିତ ଶୂନ୍ୟ ଚିହ୍ନ ଆଶ୍ଚର୍ଯ୍ୟଜନକ ଭାବେ ଭାରତର ଶୂନ୍ୟ ସହିତ ମିଶିଯାଏ । ମାତ୍ର ଲୋହିତ ଭାରତୀୟମାନଙ୍କର ୟୁରେସିଆ ତଥା ଆଫ୍ରିକାର ଲୋକଙ୍କ ସହିତ ପ୍ରାଚୀନ କାଳରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ସମ୍ବନ୍ଧ ନଥିଲା ବୋଲି ପାଶ୍ଚାତ୍ୟ ଗଵେଷକ ମତ ଦିଅନ୍ତି  । ଫଳତଃ ଵର୍ତ୍ତମାନକାଳରେ ପ୍ରଚଳିତ ଶୂନ୍ୟ ଚିହ୍ନ ଵିଶ୍ଵକୁ ଭାରତଠାରୁ ମିଳିଥିଲା ବୋଲି କୁହାଯାଇଥାଏ  ।

Thursday, May 27, 2021

ଓଡ଼ିଆ ଓ ହିନ୍ଦୀ

ଓଡ଼ିଆ ଏଵଂ ହିନ୍ଦୀ ଭାଷା ମଧ୍ୟରେ କେଉଁ ଭାଷା କେଉଁ କେଉଁ ଗୁଣରେ କାହାଠାରୁ ଆଗରେ ଚାଲନ୍ତୁ ଜାଣିଵା...

✔️କେଉଁ କେଉଁ ଗୁଣରେ ଓଡ଼ିଆ ଭାଷା ହିନ୍ଦୀଠାରୁ ଆଗରେ...

୧)ଓଡ଼ିଆ ଏକ ପୁରାତନ ଭାଷା ହିନ୍ଦୀ ଏକ ଅର୍ଵାଚୀନ ଭାଷା ।
୨) ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ହିନ୍ଦୀ ଏକ କଳୁଷିତ ଭାଷା ।
୩) ଓଡ଼ିଆ ଭାଷାକୁ ଭରତକୃତ ନାଟ୍ୟଶାସ୍ତ୍ରରେ ଉଡ୍ରମାଗଧୀ ଓ ଉଡ୍ରଵିଭାଷା ଭାବେ ଉଲ୍ଲେଖ କରାଯାଇଛି ମାତ୍ର ଏହି ୨୦୦୦ ଵର୍ଷ ପୁରାତନ ଗ୍ରନ୍ଥରେ ହିନ୍ଦୀର ଉଲ୍ଲେଖ ନାହିଁ ।
୪) ଓଡ଼ିଆ ଭାଷା ସଂସ୍କୃତର ଵ୍ୟାକରଣ ଅର୍ଥାତ୍ ଭାରତର ମାନକ ଵ୍ୟାକରଣ ଵ୍ୟାକରଣକୁ ଶତକଡ଼ା ୧୦୦ ଅନୁସରଣ କରିଥାଏ ମାତ୍ର ହିନ୍ଦୀରେ ଷତ୍ଵଵିଧି ଣତ୍ଵଵିଧି ଆଦି ଅନେକ ସଂସ୍କୃତ ଵ୍ୟାକରଣ ନିୟମ ପାଳନ ସବୁସମୟରେ ସବୁ ଶବ୍ଦ କ୍ଷେତ୍ରରେ କରାଯାଏ ନାହିଁ ।
୫) ଓଡ଼ିଆ ଭାଷା ସଂସ୍କୃତ ଶବ୍ଦମୟ ଏଵଂ ସଂସ୍କୃତ ଭାଷାର ଯେକୌଣସି ଶବ୍ଦ ଓଡ଼ିଆରେ ପ୍ରୟୋଗ କରାଯାଇପାରେ ମାତ୍ର ହିନ୍ଦୀରେ ପଣପଣ ଆରବୀ- ପାର୍ସୀ- ତୁର୍କ ଵୈଦେଶିକ ଶବ୍ଦ ଭରି ରହିଥିଵାରୁ ଏଥିରେ ସବୁ  ସଂସ୍କୃତ ଶବ୍ଦ ଵ୍ୟଵହାର ହୋଇପାରେ ନାହିଁ ।
୬) ଓଡ଼ିଆ ଭାଷାର ସ୍ଵତନ୍ତ୍ର ସୁନ୍ଦର ଲିପି ରହିଛି ମାତ୍ର ହିନ୍ଦୀ ଭାଷାକୁ ସଂସ୍କୃତର ଦେଵନାଗରୀ ଲିପିରେ ଲେଖାଯାଇଥାଏ ।
୭) ଓଡ଼ିଆ ଭାଷାରେ ସାରଳା ମହାଭାରତଠାରୁ ଵୈଦେହୀଶ ଵିଳାସ ଯାଏଁ ଶତାଧିକ ପ୍ରାଚୀନ ଗ୍ରନ୍ଥ ରହିଛି ମାତ୍ର ହିନ୍ଦୀରେ ତହିଁର ଦଶଭାଗ ପ୍ରାଚୀନ ସାହିତ୍ୟ ବି ଦୃଶ୍ୟ ହୁଏନାହିଁ । ଅଵଧୀ, ମୈଥିଳୀ  ଆଦି ଭାଷାର ପୁରାତନ ଗ୍ରନ୍ଥଗୁଡି଼କୁ ହିନ୍ଦୀ ସାହିତ୍ୟ ଭାବେ ଵିଵେଚିତ କରାଯାଉଥିଲେ ହେଁ ସେସବୁ ଭାଷା ହିନ୍ଦୀର ବହୁପୂର୍ଵରୁ ଵିଦ୍ୟମାନ ଏଵଂ ହିନ୍ଦୀଠାରୁ ସ୍ଵତନ୍ତ୍ର ଭାଷା ଅଟଇ ।
୮) ସଂସ୍କୃତ ପରେ ଓଡ଼ିଆ ଭାଷାରେ ସର୍ଵାଧିକ ପାଣ୍ଡୁଲିପି ରହିଛି କିନ୍ତୁ ଏ କ୍ଷେତ୍ରରେ ହିନ୍ଦୀ ଓଡ଼ିଆ ପଛରେ ରହିଛି ।
୯) ଓଡ଼ିଆ ଭାଷାର ତତ୍ସମ,ତଦ୍ଭଵ ଓ ଦେଶଜ ଶବ୍ଦଯୁକ୍ତ ଶବ୍ଦଵିଭଵ ହିନ୍ଦୀର ଵୈଦେଶିକ ଧାରଶବ୍ଦ ଯୁକ୍ତ ଶବ୍ଦଭଣ୍ଡାର ତୁଳନାରେ ଅନେକଗୁଣ ଅଧିକ ।
୧୦) ଓଡ଼ିଆ ଭାଷା ଉପରେ ତିନୋଟି ଭାଷାପରିଵାର ଆଷ୍ଟ୍ରୋଏସୀୟ,ଦ୍ରାଵିଡ଼ୀୟ ଓ ଭାରୋପୀୟ ଭାଷାପରିଵାରର ପ୍ରଭାଵ ପଡି଼ଛି କିନ୍ତୁ ହିନ୍ଦୀରେ କେଵଳ ଭାରୋପୀୟ ଭାଷାର ପ୍ରଭାଵ ପରିଲକ୍ଷିତ ହୋଇଥାଏ ।
୧୧) ଓଡ଼ିଆ ଭାଷାର ତିରିଶରୁ ଅଧିକ ନିଜସ୍ବ ଶୈଳୀ ଥିଲାବେଳେ ହିନ୍ଦୀଭାଷା ଆଧୁନିକ ହୋଇ ସୁଦ୍ଧା ଅଵଧୀ,ମୈଥିଳୀ,ମଗହୀ ଆଦି ଅନେକ ପୁରାତନ ଭାରୋପୀୟ ଭାଷାକୁ ଯୋର କରି ଏହାର ଶୈଳୀ ଭାବେ ପ୍ରତିପାଦିତ କରାଯାଇଛି ।
୧୨) ଓଡ଼ିଆ ଭାଷାରେ ଳ ଵର୍ଣ୍ଣର ଵ୍ୟଵହାର ପ୍ରାଚୀନ କାଳରୁ ଏଯାଵତ୍ ଯଥାଵତ୍ ଥିଲାବେଳେ ହିନ୍ଦୀଭାଷାରେ 'ଳ' ର ଚଳନ ପ୍ରାୟତଃ ଉଠିଯାଇଛି
୧୩) ଓଡ଼ିଆ ଭାଷାରେ ଅନ୍ତ୍ୟସ୍ଥ 'ଯ'ର ଅକ୍ଷର ଓ ସୂର୍ଯ୍ୟ,ଆର୍ଯ୍ୟ ତଥା କାର୍ଯ୍ୟ ଆଦି ଶବ୍ଦରେ ଏହାର ମୂଳ ଉଚ୍ଚାରଣ ଏବେ ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀରେ ଅନ୍ତ୍ୟସ୍ଥ 'ଯ'ଯୁକ୍ତ ଶବ୍ଦଗୁଡ଼ିକୁ ଦ୍ଵିସ୍ଵର ୟ ଭଳି ଉଚ୍ଚାରଣ କରାଯାଏ ।
୧୪) ଓଡ଼ିଆ ଭାଷାରେ ପ୍ରାଚୀନ ଆର୍ଯ୍ୟଭାଷାର ଅକାରାନ୍ତ ଉଚ୍ଚାରଣ ଆଜି ସୁଦ୍ଧା ବଞ୍ଚିରହିଛି କିନ୍ତୁ ହିନ୍ଦୀ ମାତ୍ରାଧିକ ଵୈଦେଶିକ ଭାଷାଦ୍ଵାରା ପ୍ରଭାଵିତ ହେଵା ଯୋଗୁଁ ସେଥିରୁ ଏହିଗୁଣ ସମ୍ପୂର୍ଣ୍ଣ ଲୋପପାଇ ଉକ୍ତ ଭାଷା ପ୍ରାୟତଃ ହଳନ୍ତଵତ୍ ଉଚ୍ଚାରିତ ହେଉଅଛି ।
୧୫) ଓଡ଼ିଆ ଭାଷାରେ ଵର୍ଗ୍ୟ ବ, ଅଵର୍ଗ୍ୟ ଵ ଓ ଦ୍ଵିସ୍ଵର ୱ ଏହିପରି ତିନୋଟି ଅକ୍ଷର ରହିଛି । ଓଡ଼ିଆ ଭାଷାରେ ଵୈଦେଶିକ ତାୱା ହାୱା ଆଦି ଶବ୍ଦକୁ ଲେଖିଵାପାଇଁ ଦ୍ଵିସ୍ଵର ୱ ଵ୍ୟଵହାର ହୋଇଥାଏ କିନ୍ତୁ ହିନ୍ଦୀରେ ଵୈଦେଶିକ ଦ୍ଵିସ୍ଵର ୱ ଯୁକ୍ତ ଉଚ୍ଚାରଣ ହେଉଥିଵା ଶବ୍ଦଗୁଡି଼କରେ ଧ୍ଵନିତତ୍ତ୍ଵର ନିୟମଭଙ୍ଗ କରି ଅଵର୍ଗ୍ୟ ଵ ଵ୍ୟଵହାର କରାଯାଏ ଓ ସେହିପରି ଉଚ୍ଚାରଣ କରାଯାଏ ।
୧୬) ଓଡ଼ିଆ ଭାଷା ସନାତନୀ ଜଗନ୍ନାଥ ସଂସ୍କୃତି ଆଧାରିତ ସାଂସ୍କୃତିକ ଶବ୍ଦଦ୍ଵାରା ପୃଷ୍ଟ ମାତ୍ର ହିନ୍ଦୀରେ ଵୈଦେଶିକ ମୁସଲମାନ ଧର୍ମ ଓ ଆରବୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଶବ୍ଦାଧିକ୍ୟ ରହିଛି ।
୧୭) ଓଡ଼ିଆ ଭାଷାରେ ଆଠଦିଗ ପାଇଁ ସ୍ଵତନ୍ତ୍ର ବୋଇତିଆ ଶବ୍ଦ ରହିଛି ମାତ୍ର ହିନ୍ଦୀରେ ସେଭଳି ଶବ୍ଦ ଥିଵା ଜଣାଯାଏ ନାହିଁ ।
୧୮)ଜଣେ ଓଡ଼ିଆ ଭାଷା ବୋଲୁଥିଵା ଲୋକ ହିନ୍ଦୀ ସହଜରେ ବୁଝିପାରେ ମାତ୍ର ହିନ୍ଦୀଭାଷା ଯେଉସମାନଙ୍କର ମାତୃଭାଷା ସେମାନେ ହଠାତ୍ ଓଡ଼ିଆ ବୁଝିପାରନ୍ତି ନାହିଁ ।
୧୯) ଓଡ଼ିଆ ଭାଷାରେ ହିନ୍ଦୀ ଅପେକ୍ଷା ଅନେକ ଯୁକ୍ତାକ୍ଷର ଵ୍ୟଵହୃତ ହୋଇଥାଏ କିନ୍ତୁ ହିନ୍ଦୀରେ क्ष,ज्ञ,ङ्ग ଆଦି ଅଳ୍ପ କେତୋଟି ଯୁକ୍ତାକ୍ଷର ରହିଛି । ହିନ୍ଦୀରେ ଯୁକ୍ତାକ୍ଷର ପରିଵର୍ତ୍ତେ  ଅନସ୍ଵାର ଓ ଅଳ୍ପ କେତୋଟି ଶବ୍ଦରେ ଚନ୍ଦ୍ରଵିନ୍ଦୁ ଵ୍ୟଵହାର ହୋଇଥାଏ ।
୨୦)

✔️କେଉଁ କେଉଁ ଗୁଣରେ ହିନ୍ଦୀ ଓଡ଼ିଆ ଭାଷାଠାରୁ ଆଗରେ

୧)ହିନ୍ଦୀଭାଷା ଵିଶ୍ଵରେ ଓଡ଼ିଆ ଅପେକ୍ଷା ଅଧିକ ବୋଲାଯାଏ ଓ ଲୋକପ୍ରିୟ ।
୨)ହିନ୍ଦୀରେ ଓଡ଼ିଆ ଅପେକ୍ଷା ଅଧିକ ଅଧୁନା ଅଧିକ ସାହିତ୍ୟ ରଚନା ହୋଇଥାଏ ।
୩) ଓଡ଼ିଆ ଅପେକ୍ଷା ହିନ୍ଦୀଭାଷାରେ ଅନେକଗୁଣ ଅଧିକ ଚଳଚ୍ଚିତ୍ର, ପୁସ୍ତକ ଓ ଜାଲସ୍ଥଳ ଉପଲବ୍ଧ ।
୪)କେନ୍ଦ୍ରୀୟ ଶାସନ କ୍ଷେତ୍ରରେ ହିନ୍ଦୀ ଭାଷା ଇଂରାଜୀ ସହ ଏକ ପ୍ରମୁଗ ସରକାରୀ ଭାଷାର ମାନ୍ୟତା ପାଇଥିଲାବେଳେ ଓଡ଼ିଆ ଭାଷାକୁ କେଵଳ ଓଡ଼ିଶାରେ ସରକାରୀ ଭାଷାର ମାନ୍ୟତା ମିଳିଅଛି ।
୫) ଓଡ଼ିଆ ଭାଷାକୁ ଅନେକ ଜାଲସ୍ଥଳ ଓ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ହତାଦର କରାଯାଉଥିଲାବେଳେ ହିନ୍ଦୀକୁ ଇଂରାଜୀ ସହ ସଦାସର୍ଵଦା ଅଗ୍ରାଧିକାର ମିଳିଥାଏ ।
୬)ଭାରତରେ ଅନେକ ଲୋକ ହିନ୍ଦୀ ବୁଝିପାରନ୍ତି ମାତ୍ର ଓଡ଼ିଆ ଭାଷାକୁ ଭାରତରେ ସମସ୍ତେ ବୁଝିପାରନ୍ତି ନାହିଁ ।
୭)ଭାରତରେ ହିନ୍ଦୀ ଏକ ସମ୍ପର୍କ ଭାଷା ଭାବରେ ଆଜି ଅନେକ ଭାଷାକୁ ପ୍ରଭାଵିତ କରି ଵୈଦେଶିକ ଓ ଦେଶଜ ଶବ୍ଦଦ୍ଵାରା କଳୁଷିତ
କରୁଅଛି ମାତ୍ର ଓଡ଼ିଆ ଭାଷା ଏ ଦିଗରେ ବହୁ ପଛରେ ରହିଛି ।
୮)ଓଡ଼ିଆ ଭାଷାର କୁଡ଼ମଲୀ,ଲରିଆ ଓ ସାଦ୍ରୀଭାଷାକୁ ହିନ୍ଦୀଭାଷା ଚୋରାଇ ନେଇଛି କିନ୍ତୁ ଓଡ଼ିଆ ଭାଷା ହିନ୍ଦୀର କୌଣସି ଶୈଳୀ ଚୋରାଇ ନାହିଁ ।
୯)ହିନ୍ଦୀଭାଷାରେ କେତୋଟି ଵ୍ୟତିକ୍ରମକୁ ଛାଡି଼ଦେଲେ ଅଵର୍ଗ୍ୟ ଵ ଯୁକ୍ତ ଅଧିକାଂଶ ତତ୍ସମ ଶବ୍ଦରେ ଥିଵା ଅନ୍ତ୍ୟସ୍ଥ ଵ କୁ ଠିକ୍ ଉଚ୍ଚାରଣ କରାଯାଏ କିନ୍ତୁ ଓଡ଼ିଆ ଭାଷାରେ ଅଵର୍ଗ୍ୟ ଵ କୁ ଵର୍ଗ୍ଯ ବ ପରି ଉଚ୍ଚାରଣ କରାଯାଇଥାଏ ଏଵଂ ‘ଵା' ,‘ହେଵା’ ଆଦି ଅଳ୍ପ କେତୋଟି ଦେଶଜ ଶବ୍ଦରେ ଅଵର୍ଗ୍ୟ ଵ ର ଉଚ୍ଚାରଣ ଦୃଶ୍ୟ ହୋଇଥାଏ ।

✔️ଉଭୟ ଭାଷାରେ ସମାନତା କ'ଣ କ'ଣ ?

୧) ଓଡ଼ିଆ ଏଵଂ ହିନ୍ଦୀ ଉଭୟ ଭାରତୀୟ ଭାଷା ଓ ଏ ଉଭୟ ଭାଷାର ଅନେକ ଶବ୍ଦ ସଂସ୍କୃତ ତଥା ପ୍ରାକୃତ ଭାଷାରୁ ଗ୍ରହଣ କରାଯାଇଛି ।
୨)ଉଭୟ ଭାଷା ଆର୍ଯ୍ୟଭାଷା ଵା ଇଣ୍ଡିକଭାଷା ଏଵଂ ଭାରୋପୀୟ ଭାଷା ପରିଵାରର ଭାଷା ଅଟଇ ।
୩) ଓଡ଼ିଆ ଏଵଂ ହିନ୍ଦୀରେ ଅନେକ ସମଦ୍ଧୃତଗତ ଦେଶଜ ,ତଦ୍ଭଵ ଓ ତତ୍ସମ ଶବ୍ଦ ସମ ଅର୍ଥରେ ଵା ସାମାନ୍ୟ ଭିନ୍ନ ଅର୍ଥରେ ଵ୍ୟଵହୃତ ହୋଇଥାଏ ।
୪)ଉଭୟ ଭାଷା ଵିଶ୍ଵର ସର୍ଵାଧିକ କଥିତ ଵୈଶ୍ଵିକ ଭାଷା ମଧ୍ୟରେ "ମୋଟ୍ ୨୦" ମଧ୍ୟରେ ରହିଛି ।
୫) ହିନ୍ଦୀ ଓ ଓଡ଼ିଆ ଭାଷା ଏ ଉଭୟ ଭାଷାରେ ଵ୍ୟଵହୃତ ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଅଛି ।