My Blog List

Monday, September 21, 2026

ଏକ ଯୁଦ୍ଧ ସ୍ମାରକୀ ବାଲ୍ଟିର କାହାଣୀ

ମଣିଷ ଜାତିର ଇତିହାସକୁ ଯଦି ଆପଣ ଟିକିଏ ଗଭୀର ଭାବରେ ଅଧ୍ୟୟନ କରିବେ, ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯିଵ ଯେ, ସମ୍ପୂର୍ଣ୍ଣ ବିନା କାରଣରେ ଅଥଵା ଅତି ତୁଚ୍ଛ କାରଣରୁ ରକ୍ତପାତ କରିଵାରେ ମଣିଷର ଯେଉଁ ଅସୀମ ଦକ୍ଷତା ରହିଛି, ତାହା ଆଉ କୌଣସି ପ୍ରାଣୀର ନାହିଁ। ଇତିହାସକାରମାନେ ସାଧାରଣତଃ ଏହି ବୋକାମିଗୁଡ଼ିକୁ ବଡ଼ ବଡ଼ ଶବ୍ଦରେ ଆଦର୍ଶଗତ ସଂଘର୍ଷ, ଜାତୀୟ ଗର୍ଵ, କିମ୍ବା ସାମ୍ରାଜ୍ୟ ଵିସ୍ତାର ଇତ୍ୟାଦି ନାଆଁରେ ଘୋଡ଼ାଇ ଦେଵାକୁ ଚେଷ୍ଟା କରନ୍ତି । କିନ୍ତୁ ବେଳେବେଳେ ଇତିହାସ ନିଜର ଗମ୍ଭୀର ମୁଖା ଖୋଲିଦିଏ ଏଵଂ ଆମକୁ ଦେଖାଏ ଯେ ଦୁଇଟି ସହର କିପରି ଗୋଟିଏ ପୁରୁଣା, କାଠର ପାଣି-ବାଲ୍ଟି ପାଇଁ ପରସ୍ପରର ତଣ୍ଟି କାଟିଵାକୁ ପ୍ରସ୍ତୁତ ଥିଲେ। ଅଵଶ୍ୟ, ମୁଁ ଏଠାରେ ଯେଉଁ ପ୍ରସିଦ୍ଧ ଏଵଂ ବହୁଚର୍ଚ୍ଚିତ ଯୁଦ୍ଧ ଵିଷୟରେ କହୁଛି, ତାହାର ମୂଳ କାରଣ କେଵଳ ଗୋଟିଏ ବାଲ୍ଟି ନଥିଲା। ସତ୍ୟ ସବୁବେଳେ କାହାଣୀଠାରୁ ଟିକିଏ ଅଧିକ ଜଟିଳ ଏଵଂ ଖୁବ୍ କମ୍ ରୋମାଞ୍ଚକର ହୋଇଥାଏ। ତଥାପି, ଚତୁର୍ଦ୍ଦଶ ଶତାବ୍ଦୀର ଇଟାଲୀରେ ଯାହା ଘଟିଲା, ତାହା ଏକ ସର୍ଵୋତ୍କୃଷ୍ଟ ଵ୍ୟଙ୍ଗାତ୍ମକ ନାଟକଠାରୁ କୌଣସି ଗୁଣରେ କମ୍ ନୁହେଁ।

ଘଟଣାଟି ୧୩୨୫ ମସିହାରେ ଘଟିଥିଲା ଯେତେବେଳେ ଇଟାଲୀ ଦେଶ ଆଜି ପରି ଗୋଟିଏ ଶାନ୍ତ, ପିଜା-ଖାଉଥିଵା ଏଵଂ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରୁଥିଵା ଏକକ ରାଷ୍ଟ୍ର ନଥିଲା। ସେତେବେଳେ ଏହା ଛୋଟ ଛୋଟ city-states ଵା ନଗର-ରାଜ୍ୟରେ ଵିଭକ୍ତ ଥିଲା । ସେହି ନଗର-ରାଜ୍ୟଗୁଡ଼ିକ ପଡ଼ୋଶୀ ସୁଲଭ ସୌହାର୍ଦ୍ଦ୍ୟ ଅପେକ୍ଷା କୁକୁର-ବିଲେଇ ଭଳି ଲଢ଼େଇ କରିଵାରେ ଅଧିକ ଆଗ୍ରହୀ ଥିଲେ। ଲଢ଼େଇ ପଛରେ ଥିଲା ସେହି ସମୟର ୟୁରୋପର ଦୁଇଟି ସବୁଠାରୁ ବଡ଼ ରାଜନୈତିକ ଓ ଧାର୍ମିକ ଶକ୍ତିଙ୍କ ମଧ୍ୟରେ ଥିଵା ଏକ ଵିଶାଳ ଅହଂକାରର ଲଢ଼େଇ । ଅର୍ଥାତ୍ ପଵିତ୍ର ପୋପ୍ ଓ ପଵିତ୍ର ରୋମାନ୍ ସମ୍ରାଟଙ୍କ ସମର୍ଥକମାନଙ୍କ ମଧ୍ୟରେ ଶକ୍ତି ତଥା ଆଧିପତ୍ୟର ଲଢ଼େଇ ଚାଲିଥିଲା । ପୋପଙ୍କ ସମର୍ଥକମାନଙ୍କୁ Guelph କୁହାଯାଉଥିଲା ଏଵଂ ସମ୍ରାଟଙ୍କ ସମର୍ଥକମାନଙ୍କୁ Ghibelline କୁହାଯାଉଥିଲା। ଏହି ଦୁଇ ଗୋଷ୍ଠୀର ଲୋକମାନେ ନିଜ ନିଜ ମଧ୍ୟରେ ଲଢ଼ିଵାରେ ଏତେ ଵ୍ୟସ୍ତ ଥିଲେ ଯେ, ସେମାନେ ପ୍ରକୃତରେ କାହିଁକି ଲଢୁଛନ୍ତି ତାହା ବୋଧହୁଏ ନିଜେ ମଧ୍ୟ ବୁଝିପାରୁନଥିଲେ। ଵାସ୍ତଵରେ, ଏହା ଥିଲା କ୍ଷମତା ପ୍ରକାଶ କରିଵାର ଏକ ସାର୍ଵଜନୀନ ଖେଳ ଯେଉଁଥିରେ ସାଧାରଣ ଲୋକେ ଵଳିଦାନ ଦେଉଥିଲେ ଏଵଂ ଶାସକମାନେ ତାସ ଖେଳୁଥିଲେ।

ସେତେବେଳେ Bologna ଓ Modena ନାମକ ଦୁଇଟି ପ୍ରସିଦ୍ଧ ସହର ଥିଲା । Bologna ଥିଲା ପୋପଙ୍କର ଅନ୍ଧ ସମର୍ଥକ, ଅର୍ଥାତ୍ ଏକ ଶକ୍ତିଶାଳୀ ଓ ଗର୍ଵିତ Guelph ସହର। ଅନ୍ୟପକ୍ଷରେ, ତାର ଠିକ୍ ପଡ଼ୋଶୀ Modena ଥିଲା ସମ୍ରାଟଙ୍କ ପକ୍ଷରେ ଥିଵା ଏକ ଦୃଢ଼ Ghibelline ସହର। ଯେପରି ପ୍ରତ୍ୟେକ ଭଲ ପଡ଼ୋଶୀ କରନ୍ତି, ସେମାନେ ପରସ୍ପରକୁ ହୃଦୟରୁ ଘୃଣା କରୁଥିଲେ। ସେମାନଙ୍କର ଶତ୍ରୁତା ହଠାତ୍ ଦିନେ ସକାଳେ କୌଣସି ବାଲ୍ଟି ଚୋରିରୁ ଆରମ୍ଭ ହୋଇନଥିଲା। ଏହି ଵିଵାଦ ବହୁ ପୂର୍ଵରୁ ଏକ ଧିର ନିଆଁ ପରି କୁହୁଳୁଥିଲା। 

ସୀମାନ୍ତରେ ଥିଵା ଜମି, ଛୋଟ ଛୋଟ ଦୁର୍ଗ ଏଵଂ ଵାଣିଜ୍ୟିକ ନିୟନ୍ତ୍ରଣକୁ ନେଇ ସେମାନେ ନିରନ୍ତର ସଂଘର୍ଷ କରୁଥିଲେ। କିନ୍ତୁ ମଣିଷର ସ୍ୱଭାଵ ହେଉଛି, ଗୋଟିଏ ବଡ଼ ରାଜନୈତିକ ସମସ୍ୟାକୁ ଭୁଲି ଗୋଟିଏ ଛୋଟ, ଅପମାନଜନକ କଥାକୁ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିଵଦ୍ଧ କରିଦେଵା । ଆଞ୍ଚଳିକ ଵିଵାଦ ଏଵଂ କ୍ରମାଗତ ଆକ୍ରମଣ ଯୋଗୁଁ ୧୩୨୫ ମସିହା ବେଳକୁ ପରିସ୍ଥିତି ଏପରି ସ୍ତରରେ ପହଞ୍ଚିଥିଲା ଯେ, କୌଣସି ଗୋଟିଏ ପକ୍ଷରୁ ସାମାନ୍ୟ କାଠିଟିଏ ଫୋପାଡ଼ିଲେ ମଧ୍ୟ ଏକ ଵିରାଟ ଯୁଦ୍ଧ ହେଵା ସୁନିଶ୍ଚିତ ଥିଲା। ଆଉ ଏଥିରେ ବାଲ୍ଟିର କୌଣସି ଭୂମିକା ନଥିଲା।

୧୩୨୫ ମସିହା ନଭେମ୍ବର ମାସ। ଶୀତ ଆସିଯାଇଥିଲା, କିନ୍ତୁ ଯୁଦ୍ଧର ଉତ୍ତାପ କମିନଥିଲା। Bologna ନିଷ୍ପତ୍ତି ନେଲା ଯେ Modenaକୁ ତାର ପ୍ରକୃତ ସ୍ଥାନ ଦେଖାଇଵାର ସମୟ ଆସିଯାଇଛି। ସେମାନେ ନିଜର ସମସ୍ତ ବଳ ପ୍ରୟୋଗ କରି ଏକ ଵିଶାଳ ସେନା ପ୍ରସ୍ତୁତ କଲେ। ମଧ୍ୟଯୁଗୀୟ ଇତିହାସକାରମାନେ, ଯେଉଁମାନେ ସଂଖ୍ୟାକୁ ବଢ଼ାଇ ଚଢ଼ାଇ ଲେଖିଵାରେ ଵିଶେଷଜ୍ଞ ଥିଲେ ଏଵଂ ଅନେକ ସମୟରେ ନିଜ କଳ୍ପନାକୁ ଲଗାମ ଲଗାଉନଥିଲେ, ଦାବି କରନ୍ତି ଯେ Bolognaର ସେନାରେ ପ୍ରାୟ ୩୨,୦୦୦ ସୈନିକ ଥିଲେ। ଅନ୍ୟପକ୍ଷରେ, Modena ପାଖରେ ଥିଲେ ମାତ୍ର ୭,୦୦୦ରୁ କିଛି ଅଧିକ ସୈନିକ। ଏହି ଅତିରଞ୍ଜିତ ସଂଖ୍ୟାଗୁଡ଼ିକ ଆଧୁନିକ ଇତିହାସକାରମାନଙ୍କ ପାଇଁ ସନ୍ଦେହଜନକ ହୋଇପାରେ, କିନ୍ତୁ ଗୋଟିଏ କଥା ସମ୍ପୂର୍ଣ୍ଣ ସତ୍ୟ: Bolognaର ସେନାବଳ Modena ତୁଳନାରେ ଢେର୍ ଅଧିକ ଥିଲା। ଗୋଟାଏ ଵିଶାଳ ଦୈତ୍ୟ ଏଵଂ ଜଣେ ସାଧାରଣ ମଣିଷ ମଧ୍ୟରେ ହେଵାକୁ ଥିଵା ଲଢ଼େଇ ପରି ଏହା ମନେ ହେଉଥିଲା। ନଭେମ୍ବର ୧୫ ତାରିଖ ଦିନ ସୂର୍ଯ୍ୟାସ୍ତ ସମୟରେ, ଉଭୟ ପକ୍ଷ Zappolino ନାମକ ସ୍ଥାନରେ ମୁହାଁମୁହିଁ ହେଲେ।

ଏହି ଯୁଦ୍ଧ ଥିଲା ନିଛକ ରକ୍ତପାତ ଓ ଵିଶୃଙ୍ଖଳାର ଏକ ଉତ୍କୃଷ୍ଟ ଉଦାହରଣ। Bolognaବାଲା ନିଜ ଵିରାଟ ସେନାର ସଂଖ୍ୟାଗରିଷ୍ଠତାକୁ ନେଇ ଏତେ ଆତ୍ମଵିଶ୍ୱାସୀ ଥିଲେ ଯେ, ସେମାନେ ପ୍ରସ୍ତୁତି ଅପେକ୍ଷା ଅହଂକାରକୁ ଅଧିକ ଗୁରୁତ୍ୱ ଦେଇଥିଲେ। କିନ୍ତୁ ଯୁଦ୍ଧ କ୍ଷେତ୍ରରେ କେଵଳ ଭିଡ଼ ଜମାଇଦେଲେ ଵିଜୟ ମିଳେ ନାହିଁ, ଏହା Modenaର ସୈନିକମାନେ ପ୍ରମାଣିତ କରିଦେଲେ। ଅପେକ୍ଷାକୃତ ଛୋଟ ହୋଇଥିଲେ ମଧ୍ୟ ସେମାନେ ଅତ୍ୟନ୍ତ ସୁସଂଗଠିତ, ସାହସୀ ଓ ରଣନୀତିକ ଭାବେ ଶ୍ରେଷ୍ଠ ଥିଲେ। ସୂର୍ଯ୍ୟାସ୍ତ ପରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ମାତ୍ର କିଛି ଘଣ୍ଟା ମଧ୍ୟରେ ଇତିହାସର ଏକ ବଡ଼ ଘଟଣା ଘଟିଗଲା। ଅହଂକାରୀ Bologna ସେନା ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହେଲା। ଯଦିଓ ମଧ୍ୟଯୁଗୀୟ ଗପରେ ମୃତ୍ୟୁସଂଖ୍ୟାକୁ ସର୍ଵଦା ବଢ଼ାଇ ଦିଆଯାଏ, ତଥାପି ହଜାର ହଜାର ସୈନିକ ଯେ ପ୍ରାଣ ହରାଇଲେ ଏଵଂ କ୍ଷୟକ୍ଷତିର ପରିମାଣ ଯେ ଵ୍ୟାପକ ଥିଲା, ସେଥିରେ କୌଣସି ସନ୍ଦେହ ନାହିଁ। ଜୀଵନ ବଞ୍ଚାଇଵା ପାଇଁ Bolognaର ଅଵଶିଷ୍ଟ ସୈନିକମାନେ ରଣକ୍ଷେତ୍ର ଛାଡ଼ି ଭୟରେ ନିଜ ସହର ଆଡ଼କୁ ଦୌଡ଼ିଵାକୁ ଲାଗିଲେ।

ଏହିଠାରୁ ହିଁ ପ୍ରକୃତ ଵ୍ୟଙ୍ଗ ଏବଂ କିମ୍ବଦନ୍ତୀର ଆରମ୍ଭ ହୁଏ। ଵିଜୟୀ Modena ସେନା କେବଳ Zappolinoର ଯୁଦ୍ଧଭୂମିରେ ଅଟକି ନଥିଲେ। ସେମାନେ ଛତ୍ରଭଙ୍ଗ ଦେଇଥିଵା ଶତ୍ରୁମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସିଧା Bologna ସହରର ଦ୍ୱାରଦେଶରେ ପହଞ୍ଚିଗଲେ। ଵିଜୟର ନିଶାରେ ଉନ୍ମତ୍ତ ଥିଵା Modenaର ସୈନିକମାନେ ବାହାରେ ଥାଇ Bolognaଵାସୀଙ୍କୁ ନାନାଦି ଉପହାସ କଲେ। ଶତ୍ରୁର ନିଜ ଘର ଆଗରେ ତାଙ୍କୁ ଲାଞ୍ଛିତ କରିଵାର ମଜା ହିଁ କିଛି ନିଆରା ଥାଏ। ଠିକ୍ ଏହି ସମୟରେ, ଘଣ୍ଟା ଘଣ୍ଟା ଧରି ଲଢ଼ିଵା ଓ ଦୌଡ଼ିଵା ପରେ କିଛି Modenaଵାସୀ ସୈନିକଙ୍କୁ ପ୍ରଵଳ ଶୋଷ ଲାଗିଲା। ସେମାନେ ପାଣି ଖୋଜୁ ଖୋଜୁ ସହର ବାହାରେ ଥିଵା Via San Felice ରାସ୍ତା କଡ଼ରେ ଏକ ସାଧାରଣ କୂଅ ପାଖରେ ପହଞ୍ଚିଲେ। ଏହି କୂଅରୁ ପାଣି କାଢ଼ିଵା ପାଇଁ ଏକ ମାମୁଲି କାଠର ବାଲ୍ଟି ବନ୍ଧା ହୋଇଥିଲା। ସୈନିକମାନେ ବାଲ୍ଟିରେ ପାଣି କାଢ଼ିଲେ, ଶୋଷ ମେଣ୍ଟାଇଲେ ଏଵଂ ତା’ପରେ ସେମାନଙ୍କ ମୁଣ୍ଡକୁ ଏକ ଅଦ୍ଭୁତ ବୁଦ୍ଧି ଜୁଟିଲା।

ସେମାନେ ଭାବିଲେ, ଆମେ ଏମାନଙ୍କର ଏତେ ବଡ଼ ସେନାକୁ ହରେଇ ଦେଇଛୁ ଆଉ ଭୟଭୀତ କରି ଏମାନଙ୍କ ଘର ଭିତରକୁ ତଡ଼ି ଦେଇଛୁ। ଏବେ ଖାଲି ହାତରେ ଫେରିଵା କାହିଁକି? ଆମେ ଏମାନଙ୍କର ଏହି ବାଲ୍ଟିଟିକୁ ସାଙ୍ଗରେ ନେଇଯିଵା ! ସେମାନେ ପାଣି ବିନା ଡହଳ ଵିକଳ ହେବେ ଏବଂ ଏହା ସେମାନଙ୍କର ଚରମ ଅପମାନ ହେବ। ବାସ୍, ଏତିକି କଥା। ସେମାନେ ସେହି କାଠର ପାଣି-ବାଲ୍ଟିଟିକୁ ସାଙ୍ଗରେ ଧରି, ଵିଜୟର ହସ ହସି Modenaକୁ ଫେରିଆସିଲେ।
ଏହା ଥିଲା ଏକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଓ ସାଧାରଣ ଵସ୍ତୁର ଅସାଧାରଣ ଯାତ୍ରାର ଆରମ୍ଭ। ଏହି ବାଲ୍ଟିଟିକୁ ଯୁଦ୍ଧ ଆରମ୍ଭ କରିଵାର କାରଣ ବୋଲି ଯେଉଁ ପ୍ରଚଳିତ କାହାଣୀ ରହିଛି, ତାହା ସମ୍ପୂର୍ଣ୍ଣ ଭାବେ ଇତିହାସକୁ ଓଲଟା ପଢ଼ିଵା ଭଳି କଥା। “ଯୁଦ୍ଧ ହେଲା କାରଣ ବାଲ୍ଟି ଚୋରି ହୋଇଥିଲା” ଏହା ସତ ନୁହେଁ ଵରଂ “ଯୁଦ୍ଧ ଶେଷ ହେଵା ପରେ ଵିଜୟର ଏକ ଵ୍ୟଙ୍ଗାତ୍ମକ ସ୍ମାରକୀ ସ୍ୱରୂପ ବାଲ୍ଟିଟିକୁ ନିଆଯାଇଥିଲା।” କିନ୍ତୁ ଆପଣ ତ ଜାଣନ୍ତି, ମଣିଷ ସତ୍ୟ ଅପେକ୍ଷା ରୋମାଞ୍ଚକର ଗପ ଶୁଣିଵାକୁ ଅଧିକ ଭଲ ପାଏ। ଯେତେବେଳେ ଯୁଦ୍ଧର ପ୍ରକୃତ କାରଣ—ଭୂମି ଵିଵାଦ ଓ ରାଜନୈତିକ ସମୀକରଣ—ଲୋକଙ୍କ ସ୍ମୃତିରୁ ଲିଭିଵାକୁ ଲାଗିଲା, ସେତେବେଳେ କେଵଳ ସେହି ବାଲ୍ଟିଟି ହିଁ ଲୋକକଥାର କେନ୍ଦ୍ରବିନ୍ଦୁ ପାଲଟିଗଲା।

Bolognaଵାସୀଙ୍କ ପାଇଁ ଏହି ବାଲ୍ଟି ଚୋରି ହେଵା ଥିଲା ସବୁଠାରୁ ବଡ଼ ଅପମାନ। ହଜାର ହଜାର ସୈନିକଙ୍କ ମୃତ୍ୟୁ ଅପେକ୍ଷା ସେମାନଙ୍କ ପାଇଁ ଏହି କଥାଟି ଅଧିକ ଯନ୍ତ୍ରଣାଦାୟକ ହୋଇଗଲା ଯେ, ତାଙ୍କ ପଡ଼ୋଶୀମାନେ ଆସି ତାଙ୍କ କୂଅରୁ ଗୋଟିଏ ବାଲ୍ଟି ଖୋଲି ନେଇଗଲେ ଏଵଂ ସେମାନେ କିଛି କରିପାରିଲେ ନାହିଁ। ଅପରପକ୍ଷେ, Modenaଵାସୀଙ୍କ ପାଇଁ ଏହା ଥିଲା ଏକ ଵିଶାଳ ଗର୍ଵର ଵିଷୟ। ସେମାନେ ଏହି ବାଲ୍ଟିଟିକୁ ନେଇ ସହରରେ ଏକ ମୂଲ୍ୟଵାନ war trophy ଵା ଯୁଦ୍ଧ-ସ୍ମାରକୀ ଭାବରେ ଝୁଲାଇ ଦେଲେ। ଜଣେ ଵିଦେଶୀ ପର୍ଯ୍ୟଟକ ଯେତେବେଳେ ଦେଖିଵ ଯେ ଗୋଟିଏ ଵିଶାଳ ସାମରିକ ଵିଜୟର ସ୍ମାରକୀ ସ୍ୱରୂପ କୌଣସି ସୁନା କିମ୍ବା ରୁପାର ଅସ୍ତ୍ର ନୁହେଁ ଵରଂ ଗୋଟିଏ ଶସ୍ତା କାଠ ବାଲ୍ଟି ଝୁଲୁଛି, ସେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଵ। କିନ୍ତୁ Modenaଵାସୀଙ୍କର ବାର୍ତ୍ତା ଖୁବ୍ ସ୍ପଷ୍ଟ ଥିଲା: ଆମେ ଶତ୍ରୁକୁ ଏତେ ନିର୍ଦ୍ଦୟ ଭାବରେ ହରାଇଛୁ ଯେ, ଆମେ ତାଙ୍କ ଘରୁ ଯାହା ଇଚ୍ଛା ତାହା ଉଠାଇ ଆଣିପାରିବୁ ଏଵଂ ସେମାନେ ଚୁପଚାପ୍ ଦେଖିଵା ଛଡ଼ା ଆଉ କିଛି ହେଲେ ବି କରିପାରିବେ ନାହିଁ।

କାଳକ୍ରମେ ଏହି ଘଟଣାଟି ଇଟାଲୀୟ ସାହିତ୍ୟରେ ନିଜର ଏକ ସ୍ଥାୟୀ ସ୍ଥାନ ତିଆରି କରିନେଲା। ୧୭ଶ ଶତାବ୍ଦୀରେ, ଯେତେବେଳେ ଘଟଣାର ପ୍ରାୟ ତିନିଶହ ଵର୍ଷ ବିତିଯାଇଥିଲା ସେତେବେଳେ Modenaର ଜଣେ କଵି ହେଲେ ଯାହାଙ୍କ ନାମ ଥିଲା Alessandro Tassoni। Alessandro Tassoniଙ୍କ ଭିତରେ ବୋଧହୁଏ ଜଣେ ଵ୍ୟଙ୍ଗକାର ଲୁଚି ରହିଥିଲା, ଯିଏ ମଣିଷର ଏହି ଅର୍ଥହୀନ ଶତ୍ରୁତାକୁ ଦେଖି ହସୁଥିଲା। ସେ ଏହି ଘଟଣାକୁ ନେଇ ଏକ କାଵ୍ୟ ରଚନା କଲେ, ଯାହାର ନାମ ଥିଲା La secchia rapita ଯହିଁରେ ୧୨ଟି Canto ଵା ସର୍ଗ ରହିଛି । ପରେ ଏହାର ଇଂରାଜୀ ଅନୁଵାଦ The Stolen Bucket ହୋଇଥିଲା । ଏହା ଥିଲା ଏକ mock-heroic epic, ଅର୍ଥାତ୍ ଏକ ଵ୍ଯଙ୍ଗାତ୍ମକ ଵୀରୋଚିତ କାଵ୍ଯ। ଯେପରି ହୋମରଙ୍କ ଇଲିଆଡ୍ ମହାକାଵ୍ୟରେ ହେଲେନ୍‌ଙ୍କୁ ନେଇ ଟ୍ରୟର ଵିଶାଳ ଯୁଦ୍ଧ ହୋଇଥିଲା ବୋଲି ଵର୍ଣ୍ଣନା କରାଯାଇଥିଲା, Alessandro Tassoni ଠିକ୍ ସେହିପରି ଅତିରଞ୍ଜିତ କରି ଦେଖାଇଲେ ଯେ ମାତ୍ର ଗୋଟିଏ ମାମୁଲି ବାଲ୍ଟି ପାଇଁ ରାଜା, ମହାରାଜା, ସେନାପତି ଏଵଂ ହଜାର ହଜାର ସୈନିକ କିପରି ନିଜର ଜୀଵନ ଦେଇଦେଲେ।

La secchia rapita କାଵ୍ୟଟି ଲୋକଙ୍କ ମଧ୍ୟରେ ଏତେ ଆଦୃତ ହେଲା ଯେ, ସାଧାରଣ ଲୋକେ କାଵ୍ୟର କାହାଣୀକୁ ହିଁ ପ୍ରକୃତ ଇତିହାସ ବୋଲି ଗ୍ରହଣ କରିନେଲେ। Guelph ଏବଂ Ghibelline ନାମକ ଦୁଇଟି ଶକ୍ତିଶାଳୀ ଗୋଷ୍ଠୀ ମଧ୍ୟରେ ରାଜନୈତିକ ପ୍ରାଧାନ୍ୟ ଵିସ୍ତାର ପାଇଁ ହୋଇଥିଵା ଯୁଦ୍ଧର ପ୍ରକୃତ ଇତିହାସକୁ ଲୋକେ ସମ୍ପୂର୍ଣ୍ଣ ରୂପେ ଭୁଲିଗଲେ । ସେମାନେ ଭୁଲିଗଲେ ଯେ Zappolinoର ଯୁଦ୍ଧ କେଵଳ ଜମି, ଦୁର୍ଗ ଏଵଂ ଆଞ୍ଚଳିକ ଅହଂକାରର ଲଢ଼େଇ ଥିଲା। ସମସ୍ତେ କେଵଳ ଗୋଟିଏ କଥା ମନେ ରଖିଲେ: ସୈନିକମାନେ ପ୍ରଥମେ ବାଲ୍ଟି ଚୋରି କଲେ ଏଵଂ ତା'ପରେ ଯୁଦ୍ଧ ଆରମ୍ଭ ହେଲା। କିମ୍ବଦନ୍ତୀ ଏକ ଜୀଵନ୍ତ ରାକ୍ଷସ ପରି, ଯାହା ଥରେ ମୁଣ୍ଡ ଟେକିଲେ ସତ୍ୟର ନିରୀହ ବେଙ୍ଗକୁ ସହଜରେ ଗିଳିଦିଏ। ଏଵଂ ଏହି କ୍ଷେତ୍ରରେ ତାହା ହିଁ ହେଲା। ଗୋଟିଏ ବାଲ୍ଟି ପାଇଁ ଯୁଦ୍ଧ ହୋଇଥିଲା କହିଲେ ଯେଉଁ ଏକ ମଜାଦାର ଓ ବୋକାମିଭରା ଚିତ୍ର ମନକୁ ଆସେ, ତାହା ଐତିହାସିକ ତଥ୍ୟର ଶୁଖିଲା ପୃଷ୍ଠାଠାରୁ ବହୁତ ଗୁଣରେ ଆକର୍ଷଣୀୟ ଥିଲା। ମଣିଷ ସବୁବେଳେ ସେହି କଥାକୁ ଵିଶ୍ୱାସ କରିଵାକୁ ଭଲ ପାଏ ଯାହା ଶୁଣିଵାକୁ ରୋଚକ ଲାଗେ।
ଆଜିର ଦିନରେ ମଧ୍ୟ ଆପଣ ଯଦି ଇଟାଲୀର Modena ସହରକୁ ଯାଆନ୍ତି, ତେବେ ସେଠାରେ ଥିଵା ଲୋକମାନେ ଅତ୍ୟନ୍ତ ଗର୍ଵର ସହିତ ଆପଣଙ୍କୁ ସେହି ଐତିହାସିକ ବାଲ୍ଟିର କାହାଣୀ ଶୁଣାଇବେ। ମଣିଷର ଅହଂକାର କିପରି ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚି ରହିପାରେ, ତାହାର ଏହା ଏକ ଜ୍ୱଳନ୍ତ ପ୍ରମାଣ। ସେହି ଅସଲି ବାଲ୍ଟିଟି ଏବେ ବି ସୁରକ୍ଷିତ ରହିଛି। ଆପଣ ଭାବୁଥିବେ ଏକ ସାମାନ୍ୟ କାଠ ବାଲ୍ଟିର କି ମୂଲ୍ୟ ଥାଇପାରେ ଯେ ତାକୁ କେହି ସାଇତି ରଖିଵ ? କିନ୍ତୁ Modenaଵାସୀଙ୍କ ପାଇଁ ଏହା କୌଣସି ବହୁମୂଲ୍ୟ ରତ୍ନଠାରୁ କମ୍ ନୁହେଁ। ସୁରକ୍ଷା କାରଣରୁ ମୂଳ ବାଲ୍ଟିଟିକୁ ଅତ୍ୟନ୍ତ ଯତ୍ନର ସହ Modenaର Palazzo Comunale ର Camerino dei Confirmatiରେ ସଂରକ୍ଷିତ କରି ରଖାଯାଇଛି। ସାଧାରଣ ଲୋକଙ୍କ ଦର୍ଶନ ନିମନ୍ତେ ଏଵଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଵା ପାଇଁ ଏହାର ଏକ ଅବିକଳ ପ୍ରତିକୃତି Ghirlandina Towerରେ ଝୁଲାଇ ଦିଆଯାଇଛି। ସେଠାରେ ଛିଡ଼ା ହୋଇ ସେହି ବାଲ୍ଟିକୁ ଦେଖିଲା ବେଳେ ମନରେ ଏକ ଅଦ୍ଭୁତ ଭାବନା ଜାଗ୍ରତ ହୁଏ।

ମଣିଷ ଜାତିର ଇତିହାସରେ କେତେ ନା କେତେ ସାମ୍ରାଜ୍ୟର ଉତ୍ଥାନ ଓ ପତନ ହୋଇଛି, କେତେ ସୁନା, ରୁପା ଓ କ୍ଷମତା ପାଇଁ ବଡ଼ ବଡ଼ ଯୁଦ୍ଧ ହୋଇଛି ତାହାର ହିସାବ ନାହିଁ। କିନ୍ତୁ ଗୋଟିଏ ଯୁଦ୍ଧରେ ଵିଜୟର ସ୍ମାରକୀ ରୂପେ ଏକ ଶସ୍ତା, ଭଙ୍ଗା, କାଠର ପାଣି-ବାଲ୍ଟିକୁ ନେଇ 
Modena ସହରର ଲୋକେ ଯେପରି ତାହାକୁ ଶହ ଶହ ଵର୍ଷ ଧରି ଏକ ଜାତୀୟ ଗର୍ଵର ପ୍ରତୀକ ଭାବରେ ସାଇତି ରଖିଲେ, ତାହା ପ୍ରମାଣ କରେ ଯେ ଆମ ଭିତରେ ଥିଵା ପାଗଳାମିର କୌଣସି ସୀମା ନାହିଁ। 

ସତରେ, Zappolino ଯୁଦ୍ଧ କେବେହେଲେ ସେହି ବାଲ୍ଟି ପାଇଁ ହୋଇନଥିଲା। ଯୁଦ୍ଧ ହୋଇଥିଲା ମଣିଷର ଅହଂକାର, କ୍ଷମତା ଲିପ୍ସା ଏଵଂ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଵାର ମୂର୍ଖାମୀ ପାଇଁ। ବାଲ୍ଟିଟି କେଵଳ ଏକ ନିରୀହ ଦର୍ଶକ ଥିଲା, ଯାହାକୁ ଯୁଦ୍ଧ ପରେ ଜୋର୍ ଜବରଦସ୍ତି ଘୋଷାଡ଼ି ଅଣାଯାଇଥିଲା।

ତଥାପି, ଯଦି ଆମେ ଇତିହାସରୁ ଏହି ଵ୍ୟଙ୍ଗକୁ କାଢ଼ିଦେଵା ତେବେ ଇତିହାସ କେଵଳ ତାରିଖ ଏଵଂ ମୃତକଙ୍କ ସଂଖ୍ୟାର ଏକ ନୀରସ ତାଲିକା ହୋଇ ରହିଯିଵ । ବାଲ୍ଟି ଚୋରି ହେଵା ଘଟଣାଟି କାହାଣୀରେ ଏକ ମଜାଦାର ତଡ଼କା ଲଗାଇଦେଲା। ଯାହା ଫଳରେ, ଆଜି ସାତ ଶହ ଵର୍ଷ ପରେ ମଧ୍ୟ, ଆପଣ ଓ ମୁଁ ବସି ସେହି ଚତୁର୍ଦ୍ଦଶ ଶତାବ୍ଦୀର ଇଟାଲୀୟମାନଙ୍କ ବୋକାମି ଉପରେ ଆଲୋଚନା କରୁଛୁ ଏଵଂ ମୁରୁକି ମୁରୁକି ହସୁଛୁ। ଇତିହାସର ଏହି ଛୋଟିଆ କାଠ ବାଲ୍ଟିଟି ଆମ ସମସ୍ତଙ୍କୁ ଚୁପଚାପ୍ ଗୋଟିଏ କଥା ଚେତାଇ ଦେଉଛି: ମଣିଷ ଯେତେ ବଡ଼ ବଡ଼ କଥା କହି ଯୁଦ୍ଧ କରୁ ଵା କାହିଁକି, ଶେଷରେ ସେହି ଗୋଟିଏ ମାମୁଲି ବାଲ୍ଟି ହିଁ ତାର ସମସ୍ତ ଗର୍ଵ ଅହଂକାରର ଏକମାତ୍ର ପ୍ରତୀକ ହୋଇ ରହିଯାଏ। ଏହାଠାରୁ ବଡ଼ ଐତିହାସିକ ଵ୍ୟଙ୍ଗ ଆଉ କ’ଣ ଵା ହୋଇପାରେ ?

Saturday, September 19, 2026

ଜୁଲିଅସ୍ ସିଜରଙ୍କ ଦୟା

•••••••ଜୁଲିଅସ ସିଜରଙ୍କ ଦୟା•••••

ଖ୍ରୀଷ୍ଟପୂର୍ଵ ୭୫ର କଥା। ସେତେବେଳେ ଏଜିଆନ୍ ସାଗର(ଗ୍ରୀକ୍ ଓ ତୁର୍କୀ ମଧ୍ୟରେ ଅଵସ୍ଥିତ ସାଗର ଵିଶେଷ) କେଵଳ ପାଣି ଓ ଲହଡ଼ିର ସମାହାର ନଥିଲା ଵରଂ ତାହା ଥିଲା ଆଇନକାନୁନହୀନ ଏକ ମୁକ୍ତ ଵିଦ୍ୟାଳୟ ଯେଉଁଠାରେ କିଲିକୀୟ ଜଳଦସ୍ୟୁମାନେ(ଆଜିର ଦକ୍ଷିଣ ତୁର୍କୀ ଅଞ୍ଚଳର ଦସ୍ୟୁ) ସମସ୍ତଙ୍କୁ ଭୟର ପାଠ ପଢ଼ାଉଥିଲେ। ଏହି ଦସ୍ୟୁମାନେ ଏମିତି କିଛି ଲୁଚିଛପି ରହୁଥିଵା ସାଧାରଣ ଚୋର ନଥିଲେ; ସେମାନେ ଥିଲେ ସମୁଦ୍ରର ଅଘୋଷିତ ରାଜା। ସେମାନଙ୍କର ଆତଙ୍କ ଏତେ ଥିଲା ଯେ ଭଲ ଭଲ ସାମ୍ରାଜ୍ୟର ଜାହାଜଗୁଡ଼ିକ ମଧ୍ୟ ସେମାନଙ୍କ ନାମ ଶୁଣିଲେ ବାଟ ଭାଙ୍ଗି ଚାଲିଯାଉଥିଲେ। ଅପହରଣ କରିଵା, ଲୁଟତରାଜ କରିଵା ଏଵଂ ମୁକ୍ତିପଣ ଆଦାୟ କରିଵା ସେମାନଙ୍କର କୌଳିକ ଵୃତ୍ତି ପାଲଟି ଯାଇଥିଲା। ଏହିପରି ଏକ ସୁନ୍ଦର ଦିନରେ ସେମାନଙ୍କ ହାବୁଡ଼ରେ ପଡ଼ିଗଲେ ଜଣେ ୨୫ ଵର୍ଷୀୟ ରୋମାନ ଯୁବକ। ଯୁଵକ ଜଣକ ଖୁବ୍ ସୁଦର୍ଶନ, ପୋଷାକପତ୍ରରୁ ବେଶ୍ ଧନୀ ଏଵଂ ତାଙ୍କ ଆଖିରେ ଥିଲା ଏକ ଅହଂକାରଭରା ଆତ୍ମଵିଶ୍ୱାସ। ସେହି ଯୁଵକ ଜଣକ ଆଉ କେହି ନୁହେଁ ସ୍ଵୟଂ Julius Caesar ଥିଲେ ।
ସାଧାରଣତଃ ଜଳଦସ୍ୟୁମାନେ କାହାକୁ ବନ୍ଦୀ କଲେ, ବନ୍ଦୀ ଜଣକ କାନ୍ଦି କାନ୍ଦି ନିଜ ଜୀଵନ ଭିକ୍ଷା ମାଗିଵା କଥା। ସେମାନେ ଆଶା କରୁଥିଲେ ଯେ ଏହି ନୂଆ ବନ୍ଦୀ ମଧ୍ୟ ସେମାନଙ୍କ ଗୋଡ଼ ଧରିଵ ଏଵଂ କୃପା ପ୍ରାର୍ଥନା କରିଵ। ଦସ୍ୟୁମାନେ ତାଙ୍କୁ ଉପରୁ ତଳ ଯାଏଁ ଦେଖି ହିସାବ କଲେ ଯେ ଏହି ଲୋକଟି ବେଶ୍ ମୂଲ୍ୟଵାନ ଲାଗୁଛି। ନିଜର ଵ୍ୟଵସାୟିକ ଅଭିଜ୍ଞତା ଖଟାଇ ସେମାନେ Caesarଙ୍କୁ ଜଣାଇଲେ ଯେ ତାଙ୍କର ମୁକ୍ତିପଣ ବାବଦକୁ ୨୦ ଟ୍ୟାଲେଣ୍ଟ ରୂପା ଦାବି କରାଯିବ। ସେ ଯୁଗରେ ୨୦ ଟ୍ୟାଲେଣ୍ଟ ରୂପା କୌଣସି ଛୋଟମୋଟ ସହର କିଣିଵା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଏତିକି ଶୁଣିଵା ପରେ Caesar ଭୟଭୀତ ହେବା ପରିଵର୍ତ୍ତେ ଏମିତି ଠୋ ଠୋ ହୋଇ ହସିଵାକୁ ଲାଗିଲେ ।
ଜଳଦସ୍ୟୁମାନେ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ସେମାନଙ୍କର ପେସାଦାର ଜୀଵନରେ ଏମିତି କେବେ ହୋଇନଥିଲା। ଏ ଲୋକଟା ପାଗଳ ହୋଇଯାଇଛି ନା କ'ଣ? Caesar ହସ ବନ୍ଦ କରି ଅତ୍ୟନ୍ତ ତାଚ୍ଛଲ୍ୟର ସହ ସେମାନଙ୍କୁ କହିଲେ ଯେ ସେମାନେ ବୋଧହୁଏ ତାଙ୍କର ପରିଚୟ ଏଵ ତାଙ୍କର ସମ୍ମାନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। କେଵଳ ୨୦ ଟ୍ୟାଲେଣ୍ଟ? ସେ କ'ଣ କୌଣସି ସାଧାରଣ ଵ୍ୟଵସାୟୀ କିମ୍ବା ଛୋଟମୋଟ ଜମିଦାର ଯେ ତାଙ୍କର ମୂଲ୍ୟ ଏତେ ଶସ୍ତା ଲଗାଯାଉଛି ! ଏହା ତାଙ୍କର ସାମାଜିକ ମର୍ଯ୍ୟାଦା ପ୍ରତି ଘୋର ଅପମାନ ବୋଲି ସେ ଵିଵେଚନା କଲେ। ତାଙ୍କ ପାଇଁ ଅତିକମରେ ୫୦ ଟ୍ୟାଲେଣ୍ଟ(ଆଜିର ମୂଲ୍ୟରେ ପ୍ରାୟ ୧୬୫ କୋଟିରୁ ୨୫୦ କୋଟି ଟଙ୍କା) ଦାବି କରିଵାକୁ ସେ ଦସ୍ୟୁମାନଙ୍କୁ ଜିଦ୍ ଧରିଲେ।
ଅପହରଣକାରୀଙ୍କ ଇତିହାସରେ ଏହା ବୋଧହୁଏ ପ୍ରଥମ ଓ ଶେଷ ଘଟଣା ଥିଲା ଯେଉଁଠି ବନ୍ଦୀ ନିଜେ ନିଜର ଦରଦାମ୍ ବଢ଼ାଉଥିଲା ଏଵଂ ଅଧିକ ଟଙ୍କା ନ ମାଗିଲେ ଅପମାନିତ ବୋଧ କରୁଥିଲା। ଜଳଦସ୍ୟୁମାନେ ଦ୍ୱନ୍ଦ୍ୱରେ ପଡ଼ିଗଲେ ମଧ୍ୟ ସେମାନଙ୍କ ଭିତରେ ଥିଵା ଵ୍ୟଵସାୟୀ ମନ ଖୁସି ହୋଇଗଲା। ଯଦି କେହି ମାଗଣାରେ ଅଧିକ ଟଙ୍କା ଯାଚୁଛି, ତେବେ ତାକୁ ମନା କରିଵା ମୂର୍ଖାମୀ ଛଡ଼ା ଆଉ କ'ଣ ହୋଇପାରେ? ସେମାନେ ତୁରନ୍ତ ରାଜି ହୋଇଗଲେ ଏଵଂ Caesar ନିଜ ଲୋକମାନଙ୍କୁ ୫୦ ଟ୍ୟାଲେଣ୍ଟ ରୂପା ଯୋଗାଡ଼ କରି ଆଣିଵାକୁ ପଠାଇଦେଲେ।

ଏଥର ଆରମ୍ଭ ହେଲା ଏକ ଦୀର୍ଘ ଅପେକ୍ଷାର ପର୍ଵ। ପ୍ରାୟ ୩୮ ଦିନ ପର୍ଯ୍ୟନ୍ତ Caesar ସେହି ଭୟଙ୍କର କିଲିକୀୟ ଜଳଦସ୍ୟୁମାନଙ୍କ ସହ ସେହି ଜାହାଜରେ ଏକାଠି ରହିଲେ। କିନ୍ତୁ ସେହି ୩୮ ଦିନର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ନିଆରା। ସେ ବନ୍ଦୀ ଥିଲେ ନା ଜଳଦସ୍ୟୁମାନେ ତାଙ୍କର ଦରମାପ୍ରାପ୍ତ କର୍ମଚାରୀ ପାଲଟି ଯାଇଥିଲେ, ତାହା ବାହାରୁ ଦେଖୁଥିଵା ଲୋକ ପାଇଁ କହିଵା ଅସମ୍ଭଵ ଥିଲା। Caesar ଜାହାଜରେ ଏମିତି ମୁକ୍ତ ଭାବରେ ବୁଲୁଥିଲେ ଯେମିତି ସେ ନିଜର କୌଣସି ଵ୍ୟକ୍ତିଗତ ଵିଳାସପୂର୍ଣ୍ଣ ନୌକାରେ ଛୁଟି କଟାଇଵାକୁ ଆସିଛନ୍ତି। ଯେତେବେଳେ ତାଙ୍କର ଵିଶ୍ରାମ ନେଵାର ଇଚ୍ଛା ହେଉଥିଲା, ସେ ଜାହାଜରେ ଥିଵା ସମସ୍ତ ଜଳଦସ୍ୟୁମାନଙ୍କୁ ଆଦେଶ ଦେଉଥିଲେ ଯେ ସେମାନେ ଚୁପ୍ ରୁହନ୍ତୁ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସମୁଦ୍ରର ସେହି ଦୁର୍ଦ୍ଦାନ୍ତ ରକ୍ତପିପାସୁ ରାକ୍ଷସମାନେ ସତକୁ ସତ ନିଜ ନିଜ ଭିତରେ ଫୁସ୍‌ଫୁସ୍ ହୋଇ କଥା ହେଉଥିଲେ ଯେପରି ସେମାନଙ୍କର ଏହି ବନ୍ଦୀଙ୍କ ନିଦ ନ ଭାଙ୍ଗେ।

କିନ୍ତୁ କେଵଳ ଖାଇଵା ଓ ଶୋଇଵାରେ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିଵା ଲୋକ ନଥିଲେ Caesar। ସେ ଥିଲେ ଜଣେ ଉଚ୍ଚକୋଟୀର ଵକ୍ତା ଓ ସାହିତ୍ୟପ୍ରେମୀ। ସମୟ କାଟିଵା ପାଇଁ Caesar ବସି ବସି ଦୀର୍ଘ କଵିତା ଓ ଭାଷଣ ଲେଖିଵା ଆରମ୍ଭ କଲେ। କିନ୍ତୁ କଵିତା ଲେଖିଲେ ତାକୁ ଶୁଣିଵା ପାଇଁ ଶ୍ରୋତା ତ ଦରକାର ! ସମୁଦ୍ର ମଝିରେ ଶ୍ରୋତା ଆସିବେ କେଉଁଠୁ? ତେଣୁ ସେହି ଅଭାଗା ଜଳଦସ୍ୟୁମାନଙ୍କୁ ହିଁ ଶ୍ରୋତା ସାଜିଵାକୁ ପଡ଼ିଲା। Caesar ସେହି ଜଳଦସ୍ୟୁମାନଙ୍କୁ ଏକାଠି ବସାଇ ନିଜର ନୂଆ ନୂଆ ରଚିତ କଵିତା ଏଵଂ ଗମ୍ଭୀର ଭାଷଣ ଶୁଣାଉଥିଲେ। ଵିଚରା ଜଳଦସ୍ୟୁମାନେ, ଯେଉଁମାନଙ୍କର ସାହିତ୍ୟ ସହ ସମ୍ପର୍କ ଆଦୌ ନଥିଲା, ସେମାନେ ରୋମାନ ରାଜନୀତି ଓ ଦର୍ଶନର ଗଭୀରତା କିପରି ବୁଝନ୍ତେ? ଫଳରେ ସେମାନଙ୍କ ମୁହଁରେ କୌଣସି ଭାଵାନ୍ତର ଆସୁନଥିଲା କିମ୍ବା ସେମାନେ ସାହିତ୍ୟର ଠିକ୍ ମୂଲ୍ୟାୟନ କରିପାରୁନଥିଲେ। ଏଥିରେ Caesar ଭୀଷଣ ଵିରକ୍ତ ହେଉଥିଲେ। ସେ ସେହି ଦୁର୍ଦ୍ଦାନ୍ତ ଲୁଟେରାମାନଙ୍କୁ ସମାଲୋଚନା କରି ସେମାନଙ୍କୁ ଅଶିକ୍ଷିତ ଓ ଅସଭ୍ୟ ବର୍ବର ବୋଲି ଆକ୍ଷେପ କରୁଥିଲେ। ଜଳଦସ୍ୟୁମାନେ ତାଙ୍କର ଏହି ଗାଳିକୁ ଖୁବ୍ ହାଲୁକା ଭାବେ ନେଉଥିଲେ। ସେମାନେ ଭାବୁଥିଲେ ଯେ ପିଲାଟା ଟିକେ ଖାମଖିଆଲି ଏଵଂ ମାନସିକ ସ୍ତରରେ ଟିକେ ଅସ୍ଥିର, କିନ୍ତୁ ଯେହେତୁ ସେ ୫୦ ଟ୍ୟାଲେଣ୍ଟର ଏକ ଵିରାଟ ପୁଞ୍ଜି, ତେଣୁ ତା'ର ସବୁ ବଦମାସି ସହିଯିବା ହିଁ ବୁଦ୍ଧିମାନର କାମ।

ଏହି ବନ୍ଦୀ ଜୀଵନ ମଧ୍ୟରେ Caesar ସେମାନଙ୍କ ସହ ଏକ ଭୟଙ୍କର ସତ୍ୟକୁ ମଜାଳିଆ ଶୈଳୀରେ ବାରମ୍ବାର କହୁଥିଲେ। ସେ ଅତ୍ୟନ୍ତ ସ୍ୱାଭାଵିକ ଏଵଂ ଆତ୍ମଵିଶ୍ୱାସର ସହ କହୁଥିଲେ ଯେ ଯେମିତି ଥରେ ତାଙ୍କର ମୁକ୍ତିପଣର ଧନରାଶି ପହଞ୍ଚିଵ ଏଵଂ ସେ ମୁକ୍ତ ହେବେ, ସେ ତୁରନ୍ତ ସେଠାକୁ ଫେରିବେ ଏଵଂ ସେମାନଙ୍କୁ କ୍ରୁଶବିଦ୍ଧ କରିବେ। ଜଳଦସ୍ୟୁମାନେ ଏହା ଶୁଣି ହସୁଥିଲେ। ସେମାନଙ୍କୁ ଲାଗୁଥିଲା ଯେ ଏହା ସେହି ଯୁଵିକର ଆଉ ଏକ ମଜାଦାର କବିତା କିମ୍ବା ନାଟକର ସଂଳାପ। ଜଣେ ନିରସ୍ତ୍ର ବନ୍ଦୀ, ଯିଏ କି ସେମାନଙ୍କ ଦୟାରେ ବଞ୍ଚିଛି, ସେ ତାଙ୍କରି ଜାହାଜରେ ବସି ସେମାନଙ୍କୁ ମାରିଦେଵାର ଧମକ ଦେଉଛି, ଏହାଠାରୁ ବଡ଼ ପ୍ରହସନ ଆଉ କ'ଣ ହୋଇପାରେ ?

ଶେଷରେ ୩୮ ଦିନର ଦୀର୍ଘ ପ୍ରତୀକ୍ଷା ପରେ ସେହି ଖୁସିର ଦିନ ଆସି ପହଞ୍ଚିଲା। Caesarଙ୍କ ପ୍ରତିନିଧିମାନେ ୫୦ ଟ୍ୟାଲେଣ୍ଟ ରୂପାର ଵିପୁଳ ଧନରାଶି ଧରି ସେଠାରେ ଉପସ୍ଥିତ ହେଲେ। 
ଜଳଦସ୍ୟୁମାନେ ଏତେ ପରିମାଣର ରୂପା ପାଇ ଖୁସିରେ ଵିଭୋର ହୋଇଗଲେ। ସେମାନେ ତୁରନ୍ତ ଚୁକ୍ତି ମୁତାବକ Caesarଙ୍କୁ ମୁକ୍ତ କରିଦେଲେ ଏଵଂ ନିଜର ଏହି ଵ୍ୟଵସାୟିକ ସଫଳତାର ଉତ୍ସବ ପାଳନ କରିଵାରେ ବ୍ୟସ୍ତ ରହିଲେ। ସେମାନେ ଭାବିନେଲେ ଯେ କାହାଣୀଟି ଏଇଠି ଶେଷ ହେଲା।
କିନ୍ତୁ Caesar ସେଠାରୁ ମୁକ୍ତ ହେଵା ମାତ୍ରେ ସିଧା ବାହାରିଗଲେ। ଵିଶ୍ରାମ ନେବା ପରିଵର୍ତ୍ତେ Caesar ତୁରନ୍ତ କିଛି ଜାହାଜ ଓ ସୈନ୍ୟବାହିନୀ ଏକାଠି କରିଵା ଆରମ୍ଭ କଲେ। ତାଙ୍କର ଵ୍ୟକ୍ତିତ୍ୱ ଓ ନେତୃତ୍ୱ ନେଵାର କ୍ଷମତା ଏତେ ପ୍ରଭାଵଶାଳୀ ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସେ ଏକ ଛୋଟ ନୌସେନା ପ୍ରସ୍ତୁତ କରିଦେଲେ ଏଵଂ ଟିକିଏ ବି ସମୟ ନଷ୍ଟ କରି ସିଧା ସେହି ଜାଗାକୁ ବାହାରି ପଡ଼ିଲେ ଯେଉଁଠାରେ ଜଳଦସ୍ୟୁମାନେ ତାଙ୍କୁ ବନ୍ଦୀ କରି ରଖିଥିଲେ। ସେପଟେ ଜଳଦସ୍ୟୁମାନେ ସେହି ସମାନ ସ୍ଥାନରେ ମଦ୍ୟପାନ କରି ଆନନ୍ଦ ଉପଭୋଗ କରୁଥିଲେ।

ହଠାତ୍ ଜଳଦସ୍ୟୁମାନେ ଦେଖିଲେ ଯେ ସେମାନଙ୍କର ସେହି ପୁରୁଣା ବନ୍ଦୀ(ଜୁଲିଅସ୍ ସିଜର) ଗୋଟିଏ ନୌସେନା ନେଇ ସେମାନଙ୍କ ଆଗରେ ଠିଆ ହୋଇଛି। ସେମାନଙ୍କୁ କୌଣସି ପ୍ରକାର ଯୁଦ୍ଧର ସୁଯୋଗ ନ ଦେଇ Caesar ସମସ୍ତଙ୍କୁ ବନ୍ଦୀ କଲେ ଏବଂ ନିଜର ସେହି ପୁରା ୫୦ ଟ୍ୟାଲେଣ୍ଟ ମୁକ୍ତିପଣର ଅର୍ଥ କଡ଼ାଗଣ୍ଡା ହିସାବ କରି ଫେରାଇ ଆଣିଲେ।

ଏବେ ସମୟ ଆସିଥିଲା ସେହି ପ୍ରତିଶ୍ରୁତି ପୂରଣ କରିଵାର। ପ୍ରାଚୀନ ଐତିହାସିକ Plutarchଙ୍କ ଵିଵରଣୀ ଅନୁଯାୟୀ, Caesar ଆଇନଗତ ପ୍ରକ୍ରିୟାର ସମ୍ମାନ ରଖି ସମସ୍ତ ବନ୍ଦୀ ଜଳଦସ୍ୟୁଙ୍କୁ ନେଇ ସେହି ଅଞ୍ଚଳର ଶାସକଙ୍କ ପାଖକୁ ଗଲେ। କିନ୍ତୁ ଶାସକ ଜଣକ ଟାଳଟୁଳ ନୀତି ଅଵଲମ୍ବନ କଲେ। ଏହା ଦେଖି Caesar ନିଜେ ହିଁ ଵିଚାରପତି ସାଜିଵାକୁ ନିଷ୍ପତ୍ତି ନେଲେ। ସେ ନିଜର ବନ୍ଦୀ ଅଵସ୍ଥାରେ ଦେଇଥିଵା ପ୍ରତିଶ୍ରୁତିକୁ ପାଳନ କରି ନିର୍ଦ୍ଦେଶ ଦେଲେ ଯେ ସମସ୍ତ ଜଳଦସ୍ୟୁଙ୍କୁ କ୍ରୁଶବିଦ୍ଧ କରାଯାଉ।

ତେବେ, ଏଠାରେ Caesarଙ୍କ ଚରିତ୍ରର ଏକ ଅତ୍ୟନ୍ତ 'ଦୟାଳୁ' ରୂପ ଦେଖିଵାକୁ ମିଳିଥିଲା। ସେ ଭାବିଲେ, ଯେହେତୁ ଏହି ଜଳଦସ୍ୟୁମାନେ ୩୮ ଦିନ ଧରି ତାଙ୍କ ସହ ବେଶ୍ ଭଲ ଵ୍ୟଵହାର କରିଥିଲେ ଏଵଂ ତାଙ୍କର କଵିତାଗୁଡ଼ିକୁ ବିନା ଅଭିଯୋଗରେ ଚୁପ୍‌ଚାପ ଶୁଣିଥିଲେ, ତେଣୁ ଏମାନଙ୍କ ପ୍ରତି ସାମାନ୍ୟ କୃପା ଦୃଷ୍ଟି ପକାଇଵା ତାଙ୍କର କର୍ତ୍ତଵ୍ୟ। 

ସାଧାରଣତଃ କ୍ରୁଶରେ ଝୁଲାଇଲେ ଜଣେ ମଣିଷ ଯନ୍ତ୍ରଣାରେ ଛଟପଟ ହୋଇ ଦୀର୍ଘ ସମୟ କଷ୍ଟ ପାଇଵା ପରେ ମୃତ୍ୟୁଵରଣ କରେ। ତେଣୁ ନିଜର ଏହି ମହାନ ଦୟା ଦେଖାଇ Caesar ନିର୍ଦ୍ଦେଶ ଦେଲେ ଯେ କ୍ରୁଶରେ ଝୁଲାଇଵା ପୂର୍ଵରୁ ପ୍ରଥମେ ସମସ୍ତ ଜଳଦସ୍ୟୁଙ୍କ ତଣ୍ଟି କାଟି ଦିଆଯାଉ। ଫଳରେ ସେମାନେ ସାଙ୍ଗେ ସାଙ୍ଗେ ମରିଯିବେ ଏଵଂ ସେମାନଙ୍କୁ କ୍ରୁଶରେ ଦୀର୍ଘ ସମୟ ଧରି ଯନ୍ତ୍ରଣା ସହିଵାକୁ ପଡ଼ିଵ ନାହିଁ। ଆଃ ! କି ଅପୂର୍ଵ ଦୟାଭାବ! ସତରେ ଏମିତି ଦୟାଵାନ ଶତ୍ରୁ ମିଳିଵା ମଧ୍ୟ ଭାଗ୍ୟର କଥା। ତଣ୍ଟି କାଟିଦେଵା ପରେ ଜଳଦସ୍ୟୁମାନଙ୍କର ମୃତଦେହଗୁଡ଼ିକୁ ନେଇ ଶାନ୍ତିରେ କ୍ରୁଶରେ ଝୁଲାଇ ଦିଆଗଲା।

ଏହି ରୋମାଞ୍ଚକର ତଥା ଅଵିଶ୍ୱସନୀୟ କାହାଣୀ ଶୁଣିଲା ପରେ ଯେକୌଣସି ସୁସ୍ଥ ମସ୍ତିଷ୍କଯୁକ୍ତ ଵ୍ୟକ୍ତି ଭାବିଵ ଯେ ଏହା ନିଶ୍ଚୟ କୌଣସି ଆଈମାଆ କାହାଣୀ କିମ୍ବା ଆଧୁନିକ ସିନେମାର କୌଣସି ଅତିରଞ୍ଜିତ ଚିତ୍ରନାଟ୍ୟ ହୋଇଥିଵ । ଜଣେ ପଚିଶ ଵର୍ଷର ନିରସ୍ତ୍ର ଯୁଵକ ଯିଏ ନିଜେ ବନ୍ଦୀ ହୋଇଛି, ସେ ନିଜର ଦାମ୍ ବଢ଼ାଉଛି ଆଉ ଅପହରଣକାରୀଙ୍କୁ କଵିତା ଶୁଣାଇ ହଇରାଣ କରୁଛି! ଏ କଥା କ'ଣ ସତରେ ଵିଶ୍ୱାସଯୋଗ୍ୟ ? ଆମେ ଏତେ ପୁରୁଣା ଘଟଣା ଵିଷୟରେ ଜାଣିଲେ କେମିତି ଆଉ ଏହାର ପ୍ରମାଣ ଵା କ'ଣ ? ପ୍ରକୃତରେ କଥା ହେଉଛି, ଯେତେବେଳେ ଜଣେ ସାଧାରଣ ଲୋକ ରାସ୍ତାରେ ଖସିପଡ଼େ, କେହି ତାକୁ ପଚାରନ୍ତି ନାହିଁ; କିନ୍ତୁ ଯେତେବେଳେ ସେହି ଲୋକଟି ଦିନେ ଏକ ବଡ଼ ଭୂଭାଗ ଅଧିଶ୍ୱର ହୋଇଯାଏ ସେତେବେଳେ ଐତିହାସିକମାନେ ତା'ର ପିଲାଦିନର କାଶ ଓ ଛିଙ୍କର ମଧ୍ୟ ହିସାବ ରଖିଵା ଆରମ୍ଭ କରିଦିଅନ୍ତି। ଆମର ଏହି ଵିଶେଷ କାହାଣୀଟି ମଧ୍ୟ ସେହିଭଳି କିଛି ପୁରାତନ ଗ୍ରନ୍ଥର ପୃଷ୍ଠାରୁ ହିଁ ଉଦ୍ଧାର କରାଯାଇଛି, ଯାହାକୁ ଖାମଖିଆଲି ଗପ ବୋଲି ଭାବିଦେଲେ ଚଳିଵ ନାହିଁ।

ଏହି ଘଟଣାର ସବୁଠାରୁ ମସଲାଯୁକ୍ତ ତଥା ଵିସ୍ତୃତ ଵିଵରଣୀ ଆମକୁ ପ୍ରାଚୀନ ଗ୍ରୀକ୍ ଐତିହାସିକ Plutarch ପ୍ରଦାନ କରି ଯାଇଛନ୍ତି। ନିଜର ପ୍ରସିଦ୍ଧ ଗ୍ରନ୍ଥ Parallel Livesରେ Plutarch ଅତ୍ୟନ୍ତ ଆନନ୍ଦର ସହ ଵର୍ଣ୍ଣନା କରିଛନ୍ତି ଯେ କିପରି Caesar ନିଜ ମୁକ୍ତିପଣର ମୂଲ୍ୟ କୋଡ଼ିଏରୁ ପଚାଶ ଟ୍ୟାଲେଣ୍ଟକୁ ବଢ଼ାଇଥିଲେ। ସେହି ଅଶିକ୍ଷିତ ଜଳଦସ୍ୟୁମାନଙ୍କୁ ଦିନରାତି କଵିତା ଶୁଣାଇ ଅତ୍ୟାଚାର କରିଵା ଏଵଂ ପରେ ସେମାନଙ୍କୁ କ୍ରୁଶବିଦ୍ଧ କରିଵାର ସେହି ନିର୍ଲଜ୍ଜ ଧମକ ଵିଷୟରେ Plutarch ହିଁ ସବୁଠାରୁ ଭଲ ଭାବରେ ଲିପିବଦ୍ଧ କରିଛନ୍ତି। କିନ୍ତୁ କେଵଳ ଜଣେ ଐତିହାସିକଙ୍କ କଥାରେ କିଏ ଵା ଵିଶ୍ୱାସ କରିବ? ତେବେ ରୋମ୍‌ର ଆଉ ଜଣେ ଵିଶିଷ୍ଟ ଐତିହାସିକ Suetonius ମଧ୍ୟ ନିଜର ଲୋକପ୍ରିୟ ପୁସ୍ତକ The Twelve Caesarsରେ ଏହି ଅପହରଣ ନାଟକକୁ ସମର୍ଥନ କରିଛନ୍ତି। Suetonius ଵିଶେଷ ଭାବରେ ସେହି ତଥାକଥିତ 'ଦୟା' ଵା କ୍ରୁଶରେ ଝୁଲାଇଵା ପୂର୍ଵରୁ ତଣ୍ଟି କାଟିଵାର ଵ୍ୟଵସ୍ଥା ଉପରେ ଆଲୋକପାତ କରିଛନ୍ତି। ସତେ ଯେମିତି ତଣ୍ଟି କାଟିଦେଵା ଗୋଟେ ବହୁତ ବଡ଼ ଉପକାର ଥିଲା ଏଵଂ ସେଥିପାଇଁ ଜଳଦସ୍ୟୁମାନେ ଜୁଲିଅସ ସିଜରଙ୍କୁ ଧନ୍ୟଵାଦ ଦେଵା ଉଚିତ୍ ! ଏହି ଦୁଇ ମହାନୁଭଵଙ୍କ ଵ୍ୟତୀତ ଆଉ ଜଣେ ଐତିହାସିକ Velleius Paterculus ମଧ୍ୟ ନିଜର ରଚନା Roman Historyରେ ଏହି ଘଟଣାକୁ ସ୍ଥାନ ଦେଇଛନ୍ତି। ଅର୍ଥାତ୍, ଆମ ପାଖରେ ତିନି ତିନି ଜଣ ପ୍ରାଚୀନ ଵିଦ୍ୱାନଙ୍କ ଦ୍ଵାରା ଏହି ଘଟଣା ଵିଷୟରେ ଉଲ୍ଲେଖ କରାଯାଇଥିଵାର ଲିଖିତ ପ୍ରମାଣ ଅଛି ଏଵଂ ସେଥିରୁ ସ୍ପଷ୍ଟ ହୁଏ ଯେ ଏହି ପାଗଳାମୀ ସତରେ ଘଟିଥିଲା। ଏହା କୌଣସି ଦେଵତାଙ୍କର ସ୍ତୁତିଗାନ ନଥିଲା, ଵରଂ ଜଣେ ଅହଂକାରୀ ତଥା ନିଡର ଯୁଵକର ଵାସ୍ତଵିକ ଚିତ୍ର ଥିଲା। ଏହି ଘଟଣା ପ୍ରମାଣ କରେ ଯେ ଯେଉଁ ଵ୍ୟକ୍ତି ଭବିଷ୍ୟତରେ ସମଗ୍ର ରୋମାନ ସାମ୍ରାଜ୍ୟକୁ ନିଜ ଆଙ୍ଗୁଠିରେ ନଚାଇଵାର ଥିଲା, ତା'ର ଅହଂକାର ଏଵଂ ନେତୃତ୍ୱ ନେବାର ନିଶା ସେତେବେଳେ ମଧ୍ୟ ସାତ ତାଳ ଉପରେ ଥିଲା, ଯେତେବେଳେ ତା' ନିଜ ଅଣ୍ଟାରେ ଖଣ୍ଡେ ଖଣ୍ଡା ବି ନଥିଲା! ସତରେ, ଯଦି ଆପଣ ବନ୍ଦୀ ହେଵାର ଅଛି, ତେବେ ଏମିତି ଢଙ୍ଗରେ ହୁଅନ୍ତୁ ଯେମିତି ଅପହରଣକାରୀ ନିଜେ ଦ୍ୱନ୍ଦ୍ୱରେ ପଡ଼ିଯିଵ ଯେ ସେ ଆପଣଙ୍କୁ ବନ୍ଦୀ କରିଛି ନା ଆପଣଙ୍କ ପାଖରେ ଚାକିରି କରୁଛି।

Saturday, September 12, 2026

‘କର୍ଣ୍ଣାଟକ’ ଓ କନ୍ନଡ଼ କାହିଁକି ‘କର୍ଣ୍ଣାଟକା’ ଓ କନ୍ନଡ଼ା ନୁହେଁ?

ପ୍ରାଚୀନ କାଳରୁ ଦକ୍ଷିଣ ଭାରତର ଏକ ଵିଶାଳ ଭୂଖଣ୍ଡକୁ ସ୍ଥାନୀୟ ଦ୍ରାଵିଡ଼ ଭାଷାରେ ‘କରୁନାଡୁ’ ନାମରେ ଅଭିହିତ କରାଯାଉଥିଲା, ଯାହାର ଅର୍ଥ ସେତେବେଳେ ‘ଉଚ୍ଚ ଭୂମି’ କିମ୍ବା କୃଷ୍ଣ ମୃତ୍ତିକା ଵିଶିଷ୍ଟ ଅଞ୍ଚଳ ଥିଲା। ପରଵର୍ତ୍ତୀ ସମୟରେ ମହାଭାରତ ଏଵଂ ଅନ୍ୟାନ୍ୟ ପୁରାଣରେ ଏହି ଅଞ୍ଚଳକୁ ‘କର୍ଣ୍ଣାଟ’ ଭାବରେ ଉଲ୍ଲେଖ କରାଯାଇଛି ଯାହା ମୂଳ ଦ୍ରାଵିଡ଼ ଶବ୍ଦ 'କରୁନାଡୁ'ର ଏକ ସଂସ୍କୃତ ରୂପାନ୍ତର ଅଟେ। ପ୍ରାଚୀନ କନ୍ନଡ଼ ଭାଷାରେ ମଧ୍ୟ ଏହାକୁ ಕರ್ನಾಟ (କର୍ନାଟ / Karnāṭa) ବୋଲି କୁହାଯାଉଥିଲା ଏଵଂ ଏହି ମୂଳ ଶବ୍ଦରୁ ହିଁ ଆଜିର ‘କର୍ଣ୍ଣାଟକ’ ଶବ୍ଦର ଉତ୍ପତ୍ତି ଘଟିଛି। ସେହିପରି ‘କନ୍ନଡ଼’ ଶବ୍ଦର ଉତ୍ପତ୍ତି ମଧ୍ୟ ସମାନ ପ୍ରାଚୀନ ଦ୍ରାଵିଡ଼ ମୂଳରୁ ହୋଇଛି, ଯାହା ସମୟ କ୍ରମେ ସେହି ଵିଶାଳ ଅଞ୍ଚଳର ମୁଖ୍ୟ ଭାଷା ଓ ସଂସ୍କୃତିର ପରିଚୟ ପାଲଟିଛି।

ଵର୍ତ୍ତମାନ ସମୟରେ କର୍ଣ୍ଣାଟକର ସ୍ଥାନୀୟ ଅଧିଵାସୀମାନେ ନିଜ ରାଜ୍ୟ ଓ ଭାଷାକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥାନ୍ତି। କନ୍ନଡ଼ ଭାଷାରେ ରାଜ୍ୟର ନାମକୁ ಕರ್ನಾಟಕ ଲେଖାଯାଏ ଯାହାର ଠିକ୍ ଉଚ୍ଚାରଣ‘କର୍ନାଟକ’ (Karnāṭaka) ଅଟେ ଏଵଂ ଏଥିରେ ଶେଷ ଅକ୍ଷର ‘କ’ ସମ୍ପୂର୍ଣ୍ଣ ଅକାରାନ୍ତ ଭାବରେ ଉଚ୍ଚାରିତ ହୁଏ। ସେହିଭଳି ନିଜ ମାତୃଭାଷାକୁ କନ୍ନଡ଼ଭାଷୀମାନେ ಕನ್ನಡ ଲେଖନ୍ତି ଏଵଂ ଏହାର ଉଚ୍ଚାରଣ ‘କନ୍ନଡ଼’ (Kannaḍa) ହୋଇଥାଏ ଯହିଁରେ ଶେଷ ଅକ୍ଷର ‘ଡ଼’ର ଉଚ୍ଚାରଣ ମଧ୍ୟ ପୂର୍ଣ୍ଣାଙ୍ଗ ଅକାରାନ୍ତ ରହିଥାଏ। ସ୍ଥାନୀୟ ଲୋକେ କେବେହେଲେ ଏହାକୁ ଦୀର୍ଘ ସ୍ୱର ଦେଇ ‘କର୍ଣ୍ଣାଟକା’ ଵା ‘କନ୍ନଡ଼ା’ କହନ୍ତି ନାହିଁ କିମ୍ବା ଶେଷ ସ୍ୱରକୁ କାଟିଦେଇ ‘କର୍ନାଟକ୍’ ଵା ‘କନ୍ନଡ୍’ କହନ୍ତି ନାହିଁ।

ଏହି ଶବ୍ଦଦ୍ୱୟର ଉଚ୍ଚାରଣକୁ ନେଇ ଭାରତରେ ଏକ ଵୃହତ୍ ଵିଵାଦ ଦେଖାଯାଏ। ଵିଶେଷତଃ ଇଂରାଜୀ ବନାନ ‘Karnataka’ ଓ ‘Kannada’ ଲେଖାଯାଉଥିଵାରୁ ହିନ୍ଦୀ ବେଲ୍ଟର ଲୋକେ ଇଂରାଜୀର ଶେଷ 'a' କୁ 'ଆ' କାର ଭାବରେ ଗ୍ରହଣ କରିନିଅନ୍ତି ଏଵଂ ତାହାକୁ 'କର୍ଣ୍ଣାଟକା' ଓ 'କନ୍ନଡ଼ା' ବୋଲି ଭୁଲ୍ ଉଚ୍ଚାରଣ କରନ୍ତି। ଅନ୍ୟପକ୍ଷରେ, ହିନ୍ଦୀ ଭାଷାରେ ସ୍ୱାଭାଵିକ ଭାବରେ ଶବ୍ଦାନ୍ତ ଅ-କାର ଲୋପ ଵା Schwa deletion ହେଇଥିଵାରୁ ଅନେକେ ଏହାକୁ ହଳନ୍ତ ଲଗାଇ 'କର୍ନାଟକ୍' ଓ 'କନ୍ନଡ୍' ବୋଲି କହିଥାନ୍ତି। ଏହି ଉଭୟ ଉଚ୍ଚାରଣ ମୂଳ ଦ୍ରାଵିଡ଼ ଶବ୍ଦର ସମ୍ପୂର୍ଣ୍ଣ ଵିପରୀତ ଓ ତ୍ରୁଟିପୂର୍ଣ୍ଣ ଅଟେ, କାରଣ ମୂଳ ଉଚ୍ଚାରଣରେ ଶେଷ ଵର୍ଣ୍ଣଟି ଦୀର୍ଘ ସ୍ୱର ନୁହେଁ କିମ୍ବା ହଳନ୍ତ ଵିହୀନ ମଧ୍ୟ ନୁହେଁ।

କିନ୍ତୁ ଓଡ଼ିଆ ଭାଷାରେ 'କର୍ଣ୍ଣାଟକ' ଓ 'କନ୍ନଡ଼' ଲେଖିଵା ଓ କହିଵା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ତଥା ଧ୍ୱନିତତ୍ତ୍ୱ ଦୃଷ୍ଟିକୋଣରୁ ସର୍ଵାଧିକ ଠିକ୍ ଅଟେ । ପ୍ରାଚୀନ ମୂଳ ଭାରୋପୀୟ ଭାଷାଗୋଷ୍ଠୀର ଅକାରାନ୍ତ ଉଚ୍ଚାରଣ ପ୍ରକ୍ରିୟାକୁ ଆମ ଓଡ଼ିଆ ଭାଷା ସବୁଠାରୁ ନିଖୁଣ ଭାବରେ ସାଇତି ରଖିପାରିଛି।

ଭାରୋପୀୟ ଭାଷା ପରିଵାରରେ ଅକାରାନ୍ତ ଉଚ୍ଚାରଣର ଇତିହାସ ଅତ୍ୟନ୍ତ ପ୍ରାଚୀନ । ଅନ୍ତତଃ ୫୦୦୦ ଵର୍ଷ ପୁରୁଣା ପ୍ରାକ୍-ଭାରୋ-ଇରାନୀୟ ଓ ଵୈଦିକ ସଂସ୍କୃତ ଯୁଗରୁ ଆସିଛି। 

ମୂଳ ଭାରୋପୀୟ ଭାଷାରେ ଥିବା ଏକାଧିକ ସ୍ୱରଵର୍ଣ୍ଣ (e, o, a) ପରଵର୍ତ୍ତୀ ସମୟରେ ଭାରୋ-ଇରାନୀୟ ଶାଖାରେ ମିଶିଯାଇ ଏକମାତ୍ର ହ୍ରସ୍ୱ ସ୍ୱର ‘ଅ’ (a) ରେ ପରିଣତ ହୋଇଥିଲା। ଖ୍ରୀଷ୍ଟପୂର୍ଵ ୨୦୦୦ ବେଳକୁ ଵୈଦିକ ସଂସ୍କୃତରେ ଏହି ଶବ୍ଦାନ୍ତ 'ଅ' ଧ୍ୱନି ପ୍ରାମାଣିକ ରୂପ ନେଇସାରିଥିଲା। 'ରାମ' (Rāma), 'ଦେବ' (Deva) କିମ୍ବା 'ଜଳ' (Jala) ଭଳି ଶବ୍ଦଗୁଡ଼ିକ ସମ୍ପୂର୍ଣ୍ଣ ଅକାରାନ୍ତ ଥିଲା ଏଵ ପ୍ରତ୍ୟେକ ଵ୍ୟଞ୍ଜନ ଵର୍ଣ୍ଣ ଶେଷରେ ଥିଵା 'ଅ' ସ୍ୱରକୁ ସ୍ପଷ୍ଟ ଭାବରେ ପୂର୍ଣ୍ଣାଙ୍ଗ ଉଚ୍ଚାରଣ କରାଯାଉଥିଲା।

ସଂସ୍କୃତ,ପ୍ରାକୃତ ଓ ଅପଭ୍ରଂଶ ଆଦି ପ୍ରାୟ ଅଧିକାଂଶ ଭାରତୀୟ ଭାଷାରେ ଖ୍ରୀଷ୍ଟାବ୍ଦ ପ୍ରଥମ ସହସ୍ରାବ୍ଦୀ ପର୍ଯ୍ୟନ୍ତ ଏହି ଅକାରାନ୍ତ ଉଚ୍ଚାରଣ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା। ସେହି ସମୟରେ କୌଣସି ଶବ୍ଦକୁ ହଳନ୍ତ ଦେଇ ଅଧା ଉଚ୍ଚାରଣ କରିଵାର ପରମ୍ପରା ନଥିଲା। ଅଧା ଉଚ୍ଚାରଣ ଏଥିପାଇଁ ଯେ କ୍+ଅ = କ ହୁଏ । ତେଣୁ 'କ୍' ନୁହେଁ ଵରଂ 'କ' ଅକାରାନ୍ତ ଉଚ୍ଚାରଣ କରିଵା ହିଁ ପ୍ରକୃତ ଓ ସମ୍ପୂର୍ଣ୍ଣ ଉଚ୍ଚାରଣ। 

ମାତ୍ର ଆଜକୁ ପ୍ରାୟ ୧୦୦୦ ଖ୍ରୀଷ୍ଟାବ୍ଦ ବେଳକୁ ଅପଭ୍ରଂଶ ଭାଷାଗୁଡ଼ିକରୁ ଆଧୁନିକ ଉତ୍ତର ଓ ପଶ୍ଚିମ ଭାରତୀୟ ଭାଷା ସୃଷ୍ଟି ହେଵା ସମୟରେ ମୁଖ୍ୟତଃ ଧ୍ୱନିତାତ୍ତ୍ୱିକ ପରିଵର୍ତ୍ତନ ଏବଂ ବୈଦେଶିକ ସମ୍ପର୍କ କାରଣରୁ ଶବ୍ଦାନ୍ତ 'ଅ' ଧ୍ୱନି (Schwa) ଲୋପ ପାଇଥିଲା। ପୁଣି ମଧ୍ୟଯୁଗୀୟ ଭାଷା ଵିଵର୍ତ୍ତନ ସମୟରେ ଏହି ଅଞ୍ଚଳରେ ଲୋକଙ୍କ କଥାଵାର୍ତ୍ତାରେ ଶବ୍ଦର ପ୍ରଥମ କିମ୍ବା ମଝି ଅକ୍ଷର ଉପରେ ଅଧିକ ଜୋର୍ ଵା Stress ଦେଵାର ପ୍ରଵୃତ୍ତି ବଢ଼ିଲା। ଏହା ଫଳରେ ଶବ୍ଦର ଶେଷରେ ଥିଵା ଦୁର୍ଵଳ ତଥା ହ୍ରସ୍ୱ ସ୍ୱର 'ଅ' ଧୀରେ ଧୀରେ ନିଜର ସ୍ପଷ୍ଟତା ହରାଇ ଲୋପ ପାଇଗଲା ଅର୍ଥାତ୍ ସଂସ୍କୃତ 'ରାମ' ଶବ୍ଦ ହିନ୍ଦୀରେ 'ରାମ୍' ହୋଇଗଲା । ଏହି ସମୟରେ ଉତ୍ତର ଏଵଂ ଉତ୍ତର-ପଶ୍ଚିମ ଭାରତରେ ତୁର୍କୀ, ଆଫଗାନ ଓ ମୋଗଲମାନଙ୍କ ଆଗମନ ଫଳରେ ଫାର୍ସୀ ଓ ଆରବୀ ଭାଷାର ଵ୍ୟାପକ ପ୍ରଭାଵ ପଡ଼ିଲା। ଏହି ଵିଦେଶୀ ଭାଷାଗୁଡ଼ିକର ଶବ୍ଦଗୁଡ଼ିକ ମୁଖ୍ୟତଃ ଵ୍ୟଞ୍ଜନାନ୍ତ ଵା ହଳନ୍ତ ଥିଲା। ସ୍ଥାନୀୟ ଲୋକେ ଏହି ନୂତନ ଶବ୍ଦଗୁଡ଼ିକୁ ଆପଣାଇଵା ସହିତ ନିଜ ମାତୃଭାଷାର ଅକାରାନ୍ତ ଶବ୍ଦଗୁଡ଼ିକୁ ମଧ୍ୟ ସେହିଭଳି ଅଧା ଉଚ୍ଚାରଣ କରିଵା ଆରମ୍ଭ କଲେ।

ପ୍ରାଚୀନ ସଂସ୍କୃତ ଓ ପ୍ରାକୃତରେ ଵିଭକ୍ତି ଚିହ୍ନାଇଵା ପାଇଁ ଶେଷ ସ୍ୱରର ଗୁରୁତ୍ୱ ରହୁଥିଲା। କିନ୍ତୁ ଅପଭ୍ରଂଶ ଯୁଗର ଅଵସାନ ବେଳକୁ ନୂତନ ଵିଭକ୍ତି ଚିହ୍ନ (ପରସର୍ଗ) ଓ ଅଵ୍ୟୟଗୁଡ଼ିକର ପ୍ରୟୋଗ ବଢ଼ିଲା। ଫଳରେ ଶବ୍ଦ ଶେଷରେ ଥିଵା 'ଅ' ସ୍ୱର ତାର ଵ୍ୟାକରଣିକ ଗୁରୁତ୍ୱ ହରାଇ ଅଦରକାରୀ ହୋଇପଡ଼ିଲା ଏଵଂ କ୍ରମଶଃ ଉଚ୍ଚାରଣରୁ ବାଦ୍ ପଡ଼ିଲା।

ଭାଷା ଵିଜ୍ଞାନର ସାଧାରଣ ନିୟମ ଅନୁଯାୟୀ, ମଣିଷ ସବୁବେଳେ କମ୍ ପରିଶ୍ରମରେ ଏଵଂ ଦ୍ରୁତ ଗତିରେ କଥା କହିଵାକୁ ଚାହେଁ। ଉତ୍ତର ଭାରତର ଦୈନନ୍ଦିନ କଥାଵାର୍ତ୍ତାରେ ଶୀଘ୍ର କଥା କହିଵା ବେଳେ ଶେଷ ଅକ୍ଷରର ସ୍ୱରକୁ ସମ୍ପୂର୍ଣ୍ଣ ଉଚ୍ଚାରଣ ନକରି ଅଟକି ଯିଵା ସହଜ ହେଲା, ଯାହା ପରଵର୍ତ୍ତୀ ପିଢ଼ି ପାଇଁ ଏକ ସ୍ଥାୟୀ ନିୟମରେ ପରିଣତ ହେଲା। ଏହି ଭାଷାଗତ ଆନ୍ଦୋଳନ ଏଵଂ ବିଦେଶୀ ଆକ୍ରମଣର କେନ୍ଦ୍ରସ୍ଥଳରୁ ବହୁ ଦୂରରେ ଓଡ଼ିଶା ଅଵସ୍ଥିତ ଥିଲା । ଓଡ଼ିଶାର ସ୍ୱତନ୍ତ୍ର ଭୌଗୋଳିକ ଅଵସ୍ଥିତି ଏଵଂ ଦୀର୍ଘକାଳୀନ ରାଜନୈତିକ ସ୍ୱାଧୀନତା ଯୋଗୁଁ ଓଡ଼ିଆ ଭାଷା ଉତ୍ତର ଭାରତର ପରିଵର୍ତ୍ତନଶୀଳ ଧ୍ୱନିତାତ୍ତ୍ୱିକ ପ୍ରଵାହରୁ ନିଜକୁ ସୁରକ୍ଷିତ ରଖିପାରିଥିଲା। ଯେତେବେଳେ ସମଗ୍ର ଉତ୍ତର ଭାରତ ତୁର୍କୀ ଓ ଆଫଗାନ ଶାସନାଧୀନ ହୋଇ ଫାର୍ସୀ ଭାଷାର ପ୍ରଭାଵରେ ହଳନ୍ତ ଉଚ୍ଚାରଣ ଗ୍ରହଣ କରୁଥିଲା, ଓଡ଼ିଶା ୧୫୬୮ ମସିହା ପର୍ଯ୍ୟନ୍ତ ଗଙ୍ଗ ଓ ଗଜପତି ଵଂଶ ଅଧୀନରେ ଏକ ଵିଶାଳ ସ୍ୱାଧୀନ ହିନ୍ଦୁ ସାମ୍ରାଜ୍ୟ ହୋଇ ରହିଥିଲା। ଏହା ଫଳରେ ଵିଦେଶୀ ଭାଷାର ଵ୍ୟଞ୍ଜନାନ୍ତ ପ୍ରଭାବ ଓଡ଼ିଆ ଉପରେ ପଡ଼ିପାରିନଥିଲା। ଓଡ଼ିଶା ପ୍ରାକୃତିକ ଭାବରେ ପର୍ଵତମାଳା, ଗଭୀର ଅରଣ୍ୟ ଓ ସମୁଦ୍ର ଦ୍ୱାରା ଘେରି ହୋଇ ରହିଥିଵାରୁ, ଏହା ଉତ୍ତର-ପଶ୍ଚିମ ଭାରତରୁ ଆସୁଥିଵା ଆକ୍ରମଣକାରୀଙ୍କ ସିଧାସଳଖ ଯାତାୟାତ ପଥରୁ ବହୁ ଦୂରରେ ଥିଲା। ଏହି ଆଞ୍ଚଳିକ ପୃଥକୀକରଣ ଭାଷାଗତ ମିଶ୍ରଣକୁ ଦୃଢ଼ ଭାବରେ ଅଟକାଇଥିଲା। ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ସୀମା ଦ୍ରାଵିଡ଼ ଭାଷାଗୋଷ୍ଠୀ (ଵିଶେଷତଃ ତେଲୁଗୁ) ସହ ଲାଗିରହିଛି। ଓଡ଼ିଶା ମଧ୍ୟରେ ବି କୁଇ,କୁଭି,ପେଙ୍ଗୋ,ଗୋଣ୍ଡି,କୋୟା,କୁରୁଖ୍ (ଓରାଓଁ),ପର୍ଜି,ଓଲାରି,କୋଣ୍ଡା/କୁବି,
କିସାନ୍ ଓ ମାଡ଼ିଆ/ମୁରିଆ ଭଳି ଦ୍ରାଵିଡ଼ ଭାଷା ବହୁ ପ୍ରାଚୀନ କାଳରୁ ବୋଲା ଯାଉଅଛି । ଦ୍ରାଵିଡ଼ ଭାଷାଗୁଡ଼ିକରେ ଶବ୍ଦର ଶେଷରେ ସ୍ୱରଵର୍ଣ୍ଣର ଉଚ୍ଚାରଣ ବାଧ୍ୟତାମୂଳକ। ଏହି ସାଂସ୍କୃତିକ ତଥା ଭୌଗୋଳିକ ଆଦାନପ୍ରଦାନ ଓଡ଼ିଆର ମୂଳ ଅକାରାନ୍ତ ଶୈଳୀକୁ ଆହୁରି ସୁଦୃଢ଼ କରିଵାରେ ସହାୟକ ହୋଇଥିଲା।

ଏପଟେ ଶ୍ରୀମନ୍ଦିର ଏଵଂ ବ୍ରାହ୍ମଣ ଶାସନଗୁଡ଼ିକରେ ଵେଦପାଠ ତଥା ସଂସ୍କୃତ ସାହିତ୍ୟର ନିରଵଚ୍ଛିନ୍ନ ଚର୍ଚ୍ଚା ଜାରି ରହିଥିଲା। ସଂସ୍କୃତ ଶ୍ଳୋକଗୁଡ଼ିକର ନିଖୁଣ ଓ ଶୁଦ୍ଧ ଅକାରାନ୍ତ ଉଚ୍ଚାରଣ ପରମ୍ପରା ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱକୁ ପ୍ରଦୂଷିତ ହେଵାରୁ ରକ୍ଷା କରିଥିଲା। ପଞ୍ଚଦଶ ଶତାବ୍ଦୀରେ ମାଟିଵଂଶର କଵି ସାରଳା ଦାସଙ୍କ ସମୟରୁ ହିଁ ଓଡ଼ିଆ ସାହିତ୍ୟ, ଛନ୍ଦ ଓ ଵ୍ୟାକରଣ ଏକ ସ୍ଥିର ମାନକ ରୂପ ନେଇସାରିଥିଲା। କାଵ୍ୟକବିତାରେ ଅକ୍ଷର ଵା ମାତ୍ରା ଗଣନା ପାଇଁ ଶେଷ 'ଅ' ସ୍ୱରର ଵିଶେଷ ପ୍ରୟୋଜନ ଥିଵାରୁ ଏହା କେବେହେଲେ ଉଚ୍ଚାରଣରୁ ଲୋପ ପାଇଲା ନାହିଁ। ସବୁଠାରୁ ବଡ଼ କଥା ହେଉଛି ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆମାନେ ଉତ୍ତର ଓ ପଶ୍ଚିମ ଭାରତୀୟଙ୍କର ହନୁକରଣ କରୁନଥିଲେ । ଓଡ଼ିଆମାନଙ୍କ ସମାଜ ସେତେବେଳେ ଠିକ୍ ଇଂରେଜମାନଙ୍କ ସମାଜ ପରି ରକ୍ଷଣଶୀଳ ଥିଲା‌ । ଗୋଟିଏ ସ୍ଵାଭିମାନୀ ଓ ଉନ୍ନତ ଜାତି ରୂପେ ଷୋଡ଼ଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଓଡ଼ିଆ ଜାତିର ଵିଶ୍ଵରେ ସ୍ଵାଧୀନ ପରିଚୟ ଥିଲା । ଏଥିଯୋଗୁଁ ତତ୍କାଳୀନ ଓଡ଼ିଆମାନେ ଉତ୍ତର ଓ ପଶ୍ଚିମ ଭାରତୀୟଙ୍କ ହଳନ୍ତଵତ୍ ଉଚ୍ଚାରଣର ଅନୁକରଣ କରିନଥିଲେ । ଏହି ସବୁ କାରଣରୁ ପ୍ରାଚୀନ କାଳରୁ ଏଯାଵତ୍ ଅନ୍ତତଃ ୩୦୦୦ ଵର୍ଷ ଧରି ଉଡ଼୍ରପ୍ରାକୃତରୁ ଉଡ଼୍ରଭାଷା ଏଵଂ ଶେଷରେ ଓଡ଼ିଆ ଭାଷା ରୂପେ ଆଜି ମଧ୍ୟ ଜୀଵିତ ଆମ ଭାଷାରେ ଅକାରାନ୍ତ ଉଚ୍ଚାରଣ ବଞ୍ଚି ରହିଛି ।

ତେବେ ଉତ୍ତର ତଥା ପଶ୍ଚିମ ଭାରତର ଭାଷାଗୁଡିକରେ ଅକାରାନ୍ତ ଉଚ୍ଚାରଣରେ ହୋଇଥିଵା ପରିବର୍ତ୍ତନ ଯୋଗୁଁ ଉତ୍ତର ଓ ପଶ୍ଚିମ ଭାରତୀୟମାନେ ପ୍ରାଚୀନ ଅକାରାନ୍ତ ଶବ୍ଦଗୁଡ଼ିକୁ ଵ୍ୟଞ୍ଜନାନ୍ତ ଵା ହଳନ୍ତ ଭାବରେ ଉଚ୍ଚାରଣ କରିଵା ଆରମ୍ଭ କଲେ । ଉଦାହରଣସ୍ୱରୂପ: 'ରାମ' ପାଲଟିଗଲା 'ରାମ୍' ଏଵଂ 'ଵେଦ' ପାଲଟିଗଲା 'ଵେଦ୍'। ପ୍ରାକୃତ ଭାଷାର ଉଡ଼୍ରୀ ପ୍ରାକୃତରୁ ଜନ୍ମ ନେଇଥିଵା ଓଡ଼ିଆ ଭାଷା ଏହି ମଧ୍ୟଯୁଗୀୟ ଧ୍ୱନି ପରିବର୍ତ୍ତନରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିଲା। ଭାରତୀୟ ଆର୍ଯ୍ୟଭାଷାଗୁଡ଼ିକ ମଧ୍ୟରେ ଅନେକ ଆଧୁନିକ ଭାଷା ନିଜର ମୂଳ ଅକାରାନ୍ତ ଉଚ୍ଚାରଣ ହରାଇଥିଵା ବେଳେ, ଓଡ଼ିଆ ଭାଷା ଆଜି ମଧ୍ୟ ହଜାର ହଜାର ଵର୍ଷ ତଳର ସେହି ପ୍ରାଚୀନ ଵୈଦିକ ଓ ପ୍ରାକୃତ ସମୟର ନିଖୁଣ ଶୈଳୀକୁ ଜୀଵନ୍ତ ରଖିଛି। ସେଥିପାଇଁ ଓଡ଼ିଆ ଭାଷାକୁ ପ୍ରାଚୀନ ଭାରୋପୀୟ ଧ୍ୱନିତତ୍ତ୍ୱର ଏକ ସର୍ଵୋତ୍ତମ ସୁରକ୍ଷିତ ମାଧ୍ୟମ ବୋଲି ଵିଵେଚନା କରାଯାଏ।

ତେଣୁ ଓଡ଼ିଆରେ ଯେତେବେଳେ ଆମେ 'କର୍ଣ୍ଣାଟକ' କିମ୍ବା 'କନ୍ନଡ଼' ଲେଖୁ, ଆମର ପ୍ରାକୃତିକ ଉଚ୍ଚାରଣ ପଦ୍ଧତି ଅନୁଯାୟୀ ଶେଷ ଵର୍ଣ୍ଣ 'କ' ଓ 'ଡ଼' ସମ୍ପୂର୍ଣ୍ଣ ଅକାରାନ୍ତ ହୋଇ ଉଚ୍ଚାରିତ ହୋଇଥାଏ। ଅର୍ଥାତ୍ ହିନ୍ଦୀ ପରି ଶବ୍ଦ ଶେଷରେ ଥିଵା 'ଅ' ଧ୍ୱନିକୁ ଆମେ ଲୋପ କରୁନାହିଁ। ଏହା ସହିତ ଓଡ଼ିଆ ଭାଷାର ଵର୍ଣ୍ଣଦ୍ୱିତ୍ୱକରଣ (Gemination) ନିୟମ ଅତ୍ୟନ୍ତ ସ୍ୱତନ୍ତ୍ର। ଶବ୍ଦ ଗଠନ ବେଳେ ‘ର୍’ (ରେଫ୍) ଯୁକ୍ତ ହେଲେ ପରଵର୍ତ୍ତୀ ଵ୍ୟଞ୍ଜନ ଵର୍ଣ୍ଣ ପ୍ରାୟତଃ ଦ୍ୱିତ୍ୱ ହୋଇଯାଏ, ଯେପରିକି 'ର୍' ଓ 'ଣ' ମିଶି 'ର୍ଣ୍ଣ' (rṇṇa) ସୃଷ୍ଟି ହୁଏ। ତେଣୁ 'କର୍ଣ୍ଣାଟକ' ବନାନ ଓଡ଼ିଆ ଭାଷାର ନିଜସ୍ୱ ଵ୍ୟାକରଣିକ ପରମ୍ପରାକୁ ଵହନ କରିଵା ସହ ଏହାର ମୂଳ ଉଚ୍ଚାରଣକୁ ମଧ୍ୟ ଅକ୍ଷୁଣ୍ଣ ରଖେ। ସେହିପରି 'ନ' ଵର୍ଣ୍ଣର ଦ୍ୱିତ୍ୱକରଣ ଘଟି 'ନ୍ନ' ହୋଇ 'କନ୍ନଡ଼' ଲେଖାଯାଏ। ଏଣୁ ଓଡ଼ିଆ ଭାଷାରେ ଏହି ଶବ୍ଦଗୁଡ଼ିକର ଲିଖନ ଓ ପଠନ କେଵଳ ଏକ ଆଞ୍ଚଳିକ ଶୈଳୀ ନୁହେଁ ଵରଂ ଏହା ମୂଳ ଶବ୍ଦର ପ୍ରକୃତ ସ୍ୱରୂପ ପ୍ରତି ସର୍ଵଶ୍ରେଷ୍ଠ ନ୍ୟାୟ ପ୍ରଦାନ କରିଥାଏ। ହିନ୍ଦୀ ଵା ଇଂରାଜୀ ପ୍ରଭାବରେ ପଡ଼ି ଆମ ଭାଷାରେ 'କର୍ଣ୍ଣାଟକା' ଵା 'କନ୍ନଡ଼ା' କିମ୍ବା 'କନ୍ନାଟକ୍ ଵା କନ୍ନଡ୍' ଲେଖିଵା ବୋଲିଵା ଆମର ସମୃଦ୍ଧ ଭାଷାଗତ ପରମ୍ପରାର ଅଵମାନନା କରିଵା ସଙ୍ଗେ ସମାନ। ଆମର ଅକାରାନ୍ତ ଉଚ୍ଚାରଣ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକର ଉଚ୍ଚାରଣ ଶୈଳୀ ସହ ଅଦ୍ଭୁତ ଭାବରେ ସାମଞ୍ଜସ୍ୟ ରଖିଥିଵାରୁ, ଆମ ପାଇଁ ଓଡ଼ିଆରେ 'କର୍ଣ୍ଣାଟକ ଓ କନ୍ନଡ଼' କହିଵା-ଲେଖିଵା ହିଁ ସର୍ଵଥା ଶୁଦ୍ଧ, ଵ୍ୟାକରଣ ସମ୍ମତ ଓ ପ୍ରାମାଣିକ ଅଟେ।

Friday, September 11, 2026

ଯେଉଁ ଗେରୁଆ ରଙ୍ଗ ବାଘଠାରୁ ବଞ୍ଚାଏ, ସେଇ ଗେରୁଆ ରଙ୍ଗ ରାଜନୀତିରେ ଫସାଏ

ଆଜିକାଲି ଆମ ରାଜ୍ୟ ଓଡ଼ିଶାରେ କେତେବେଳେ କ’ଣ ଘଟୁଛି ତାହା କେହି ଅନୁମାନ କରିପାରୁନାହାନ୍ତି । କିଛି ଦିନ ତଳେ ଖବରକାଗଜ ଓ ଟେଲିଭିଜନ ପରଦାରେ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଲା। ଆମ ସୁନ୍ଦର ଓଡ଼ିଶା ମାଟିରେ ପାଞ୍ଚୋଟି ଵିଦେଶୀ ଅତିଥି ଧରାପଡ଼ିଲେ। ସେମାନେ କୌଣସି ସାଧାରଣ ଅତିଥି ନଥିଲେ କିମ୍ବା କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର ପୁଞ୍ଜିପତି ନଥିଲେ, ସେମାନେ ଥିଲେ ଵିଚରା ପାଞ୍ଚୋଟି ଓରାଙ୍ଗୁଟାନ୍ ଛୁଆ। ଏବେ ପ୍ରଶ୍ନ ଉଠୁଛି, ଯେଉଁ ପ୍ରାଣୀ ଆମ ଦେଶର ନୁହେଁ, ଯାହାର ଭାରତୀୟ ନାଗରିକତ୍ୱ ନାହିଁ, ପାସପୋର୍ଟ ନାହିଁ କିମ୍ବା ଆଧାର କାର୍ଡ ତିଆରି ହୋଇନାହିଁ, ସେମାନେ ହଠାତ୍ ଦରିଆ ପାର ହୋଇ ଓଡ଼ିଶାରେ କେମିତି ପହଞ୍ଚିଗଲେ? ସାଧାରଣ ଲୋକେ କହିଲେ ଏହା ନିଶ୍ଚିତ ଭାବରେ ଅନ୍ତର୍ଜାତୀୟ ଵନ୍ୟପ୍ରାଣୀ ଚୋରାଚାଲାଣକାରୀଙ୍କ କାମ। କିନ୍ତୁ ଆମର ସାମାଜିକ ଗଣମାଧ୍ୟମରେ ସର୍ଵଦା ଜାଗ୍ରତ ଥିଵା ରାଜନୈତିକ ବୁଦ୍ଧିଜୀଵୀମାନେ ଏହାକୁ ଏତେ ସହଜରେ ଗ୍ରହଣ କରିଵାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କ ମତରେ ଏହା ନିଶ୍ଚିତ ଭାବରେ କୌଣସି ଗଭୀର ରାଜନୈତିକ ଷଡ଼ଯନ୍ତ୍ର କିମ୍ବା କୌଣସି ଶାସକ ଦଳର ରାଜନୈତିକ ଲାଭର ଏକ ଅଭିନବ କୌଶଳ ହୋଇପାରେ। ଯେତେବେଳେ ଏହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ୍ ଛୁଆଙ୍କ ଫଟୋ ସର୍ଵସାଧାରଣରେ ପ୍ରକାଶ ପାଇଲା, ସେତେବେଳେ ଗୋଟିଏ କଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ସେମାନଙ୍କର ରଙ୍ଗ। ସେମାନଙ୍କ ଦେହର ରଙ୍ଗ ଖାଣ୍ଟି ଗେରୁଆ ଵା କମଳା ଅଟେ। ବାସ୍, ଏତିକି ଇସାରା ଯଥେଷ୍ଟ ଥିଲା ଆମ ଦେଶର ସୃଜନଶୀଳ କାର୍ଟୁନିଷ୍ଟ ଏଵଂ ଵ୍ୟଙ୍ଗ ଲେଖକମାନଙ୍କ ମସ୍ତିଷ୍କର ଘୋଡ଼ା ଦୌଡ଼ିଵା ପାଇଁ। ତୁରନ୍ତ ଇଣ୍ଟରନେଟରେ ଝଡ଼ ସୃଷ୍ଟି ହେଲା। କେହି କେହି କହିଲେ, ଏମାନେ ହେଉଛନ୍ତି ଶାସକ ଦଳର ନୂଆ ବ୍ରାଣ୍ଡ ଆମ୍ବାସାଡାର କିମ୍ବା ଵିଦେଶୀ ଶାଖାର ମୁଖ୍ୟ। ବିଜେପିର ପ୍ରିୟ ଗେରୁଆ ରଙ୍ଗ ପିନ୍ଧି ଏହି ଵିଦେଶୀ Great apeମାନେ ବୋଧହୁଏ ଭାରତରେ 'ଗେରୁଆ ଵିପ୍ଳଵ'ର ପ୍ରଚାର କରିଵାକୁ ବୋର୍ନିଓ ଜଙ୍ଗଲରୁ ସିଧାସଳଖ ଓଡ଼ିଶା ଉଡ଼ି ଆସିଛନ୍ତି। ଯେଉଁ ଦେଶରେ ଗାଈ, ଗୋବର, ମନ୍ଦିର ଏଵଂ ଵିଶେଷ କରି ରଙ୍ଗକୁ ନେଇ ସରକାର ଗଢ଼ାଯାଏ ଓ ଭଙ୍ଗାଯାଏ, ସେଠାରେ ପୂରାପୂରି ଗେରୁଆ ରଙ୍ଗର ଏକ ଜୀଵ ମିଳିଵା କିଛି ସାଧାରଣ କଥା ନୁହେଁ। ଏହାକୁ ନେଇ ଵିରୋଧୀ ଦଳମାନେ ମଧ୍ୟ ଭିତିରି ଚିନ୍ତାରେ ପଡ଼ିଗଲେଣି ଯେ କାଳେ ଏହି ଗେରୁଆ ରଙ୍ଗର ପ୍ରାଣୀମାନଙ୍କୁ ଦେଖାଇ ଶାସକ ଦଳ ନିଜର ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କକୁ ଆହୁରି ମଜବୁତ କରିଦେବେ। ଆଜିକାଲି ତ ରାଜନୀତିରେ କିଛି ବି ସମ୍ଭଵ। ହୁଏତ ଆଗକୁ ଏହି ଓରାଙ୍ଗୁଟାନ୍ ମାନଙ୍କୁ ସମ୍ମାନିତ ସଦସ୍ୟ ଭାବରେ ଦଳରେ ମଧ୍ୟ ସ୍ଥାନ ଦିଆଯାଇପାରେ। ଗଧ,ଓଧ,ଶ୍ଵାନ,ଶୃଗାଳ ଓ ମେଣ୍ଢା ଶ୍ରେଣୀୟ ମାନଵ ଯଦି ନେତା ହୋଇପାରୁଛନ୍ତି ତେବେ ଓରାଙ୍ଗ୍‌ଓଟାଙ୍ଗ୍ କାହିଁକି ହୋଇପାରିବେ ନାହିଁ । 
ସାମାଜିକ ଗଣମାଧ୍ୟମଗୁଡ଼ିକରେ ସେହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ ଛୁଆମାନଙ୍କର ମୁଖମଣ୍ଡଳର ଗାମ୍ଭୀର୍ଯ୍ୟ ଦେଖି କିଛି ଵିରୋଧୀ ତ ପ୍ରଚାର କଲେଣି ଯେ ସେମାନେ ଜନ୍ମରୁ ହିଁ କୌଣସି ରାଷ୍ଟ୍ରୀୟ ସ୍ୱୟଂସେଵକ ସଂଘର ଶାଖାରୁ କଠୋର ପ୍ରଶିକ୍ଷଣ ନେଇ ଆସିଛନ୍ତି ଏବଂ ତାଙ୍କ ଦେହର ଗେରୁଆ ରଙ୍ଗ ହିଁ ତାଙ୍କର ସବୁଠାରୁ ବଡ଼ ରାଜନୈତିକ ଯୋଗ୍ୟତା ପ୍ରମାଣପତ୍ର। ଓରାଙ୍ଗୋଟାଙ୍ଗମାନଙ୍କୁ ଓଡ଼ିଶାକୁ ଆଣି ଡବଲ ଇଞ୍ଜିନ୍ ସରକାର କେମିତି ହିନ୍ଦୁଧର୍ମ ଓ ହିନ୍ଦୁତ୍ଵ ପାଇଁ କାର୍ଯ୍ୟ କରୁଛି ତାହାର ଏହା ଏକ ରାଜନୈତିକ ପ୍ରଦର୍ଶନ ମାତ୍ର । 

କିନ୍ତୁ ସତ କହିଵାକୁ ଗଲେ, ଏହି ଵିଚରା ଓରାଙ୍ଗୁଟାଙ୍ଗମାନଙ୍କର ଆମ ଦେଶର ରାଜନୀତି, ଆଦର୍ଶଵାଦ କିମ୍ବା ସନାତନ ଧର୍ମ ସହ କୌଣସି ସମ୍ପର୍କ ନାହିଁ। 

ହଁ ସେମାନଙ୍କ ପୂର୍ଵଜ ଶିଵାପିଥିକସ୍ ନିଶ୍ଚୟ ଭାରତୀୟ ଥିଲେ । ପ୍ରାୟ ୮–୮.୫ ନିୟୁତ ଵର୍ଷ ପୂର୍ଵେ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ଶିଵାପିଥିକସ୍‌ ଭାରତରେ ଆଉ ରହିପାରିଲେ ନାହିଁ । ଜଳବାୟୁ ବଦଳିଲା, ଜଙ୍ଗଲ କମିଲା—ପ୍ରକୃତି ମଧ୍ୟ କହିଦେଲା, “ବାବୁମାନେ, ଏଠି ଆଉ ଜାଗା ନାହିଁ!”

ସେଇଠୁ ଶିଵାପିଥିକସ୍ ଦକ୍ଷିଣ ପୂର୍ଵ ଏସିଆକୁ ଚାଲିଗଲେ ଏଵଂ ସେମାନଙ୍କ ପରଵର୍ତ୍ତୀ ଵଂଶଧର ସେହି ଅଞ୍ଚଳରେ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଵାସ କଲେ । ପରଵର୍ତ୍ତୀ କାଳରେ କେଵଳ ଓରାଙ୍ଗଓଟାଙ୍ଗଙ୍କ ପୂର୍ଵଜ ହିଁ ରହିଗଲେ ଏଵଂ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ବାକି ସବୁ Great apeମାନେ ଲୋପ ପାଇଗଲେ । 

କିନ୍ତୁ ଆଜି ନିଜର ପୂର୍ଵଜଙ୍କ ପୂର୍ଵଜଙ୍କର ଜନ୍ମଭୂମି ଭାରତରେ ଆସି ପହଞ୍ଚିଗଲାପରେ ଏହି ଓରାଙ୍ଗଓଟାଙ୍ଗମାନଙ୍କର ପ୍ରାକୃତିକ ରଙ୍ଗକୁ ଏକ ରାଜନୈତିକ ପତାକା ସହ ତୁଳନା କରାଯାଇ ସେମାନଙ୍କୁ ଦଳୀୟ କର୍ମୀ ସଜାଇ ଦିଆଯାଉଛି। ପ୍ରକୃତରେ ସେମାନଙ୍କର ଏହି ଗେରୁଆ ଵା କମଳା ରଙ୍ଗ ପଛରେ କୌଣସି ରାଜନୈତିକ କାରଣ ଲୁଚି ରହିନାହିଁ ଵରଂ ଅଛି ପ୍ରକୃତିର ଏହି ନିର୍ଦ୍ଦୟ ରଣଭୂମିରେ ବଞ୍ଚିରହିଵାର ଏକ ଅଦ୍ଭୁତ କୌଶଳ। ଆମ ଦେଶର ନେତାମାନେ ଯେମିତି ନିଜର ଅସଲି କଳା କାରନାମା ଲୁଚାଇଵା ପାଇଁ ଧଳା ଖଦଡ଼ ପିନ୍ଧନ୍ତି, ଠିକ୍ ସେମିତି ଓରାଙ୍ଗୁଟାଙ୍ଗମାନେ ଜଙ୍ଗଲରେ ନିଜକୁ ଶତ୍ରୁ କବଳରୁ ଲୁଚାଇଵା ପାଇଁ ଏହି କମଳା ରଙ୍ଗର ପୋଷାକ ପିନ୍ଧି ଜନ୍ମ ହୋଇଥାନ୍ତି। ଏହାକୁ ଇଂରାଜୀରେ କାମୋଫ୍ଲେଜ୍ ଵା ଛଦ୍ମାଵରଣ କୁହାଯାଏ। ଵୈଜ୍ଞାନିକମାନେ ଦୀର୍ଘ ଵର୍ଷ ଧରି ପରୀକ୍ଷାଗାରରେ ବସି, ଧାଆଁ ଦଉଡ଼ି କରି ଏଵଂ ଶହ ଶହ ବହି ପଢ଼ୁ ପଢ଼ୁ ନିଜ ମୁଣ୍ଡର ବାଳ ଛିଣ୍ଡାଇ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି। ଵୈଜ୍ଞାନିକମାନଙ୍କର ତ କାମ ହେଲା ଖାଲି ଅଯଥା ସମୟ ନଷ୍ଟ କରିଵା। ଯେଉଁ କଥା ଆମ ରାଜନେତା ଓ ରାଜନୈତିକ ଦଳୀୟ ସମର୍ଥକମାନେ କ୍ଷଣିକ ମଧ୍ୟରେ ଦେଖି ବୁଝିଗଲେ ଯେ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ଦଳର ପଵିତ୍ର ରଙ୍ଗ, ସେହି ସାଧାରଣ କଥାଟିକୁ ବୁଝିଵା ପାଇଁ ଏହି ମୂର୍ଖ ଵୈଜ୍ଞାନିକମାନଙ୍କୁ ଶହ ଶହ ଵର୍ଷ ଲାଗି ଯାଇଥିଲା।
ଉନବିଂଶ ଶତାବ୍ଦୀର କଥା। ଆଲଫ୍ରେଡ୍ ରସେଲ୍ ୱାଲେସ୍ ନାମକ ଜଣେ ବ୍ରିଟିଶ୍ ବାବୁ ଥିଲେ। ଵିଶ୍ଵସାରା ଲୁଣ୍ଠନ କରିଥିଵା ବ୍ରିଟେନର ନାଗରିକ ହୋଇଥିଵାରୁ ଧନ ସମ୍ପତ୍ତି ପାଇଁ ଚିନ୍ତା ନଥିଲା କିମ୍ବା ରସେଲଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଯାଇଥିଲା । କୌଣସି ଏକ କାରଣରୁ ରସେଲ୍ ନିଜ ଘରୁ ବାହାରି ଯାଇ ବୋର୍ନିଓର ମାରାତ୍ମକ ଘଞ୍ଚ ଜଙ୍ଗଲରେ ବୁଲିଵାକୁ ଲାଗିଲେ। ସେଠାରେ ସେ ଉପରକୁ ଅନାଇ ଦେଖିଲେ ଯେ ଵିଶାଳକାୟ ଗେରୁଆ ରଙ୍ଗର ଓରାଙ୍ଗୋଟାଙ୍ଗ୍ ମହାଵାନରମାନେ ଗଛ ଉପରେ ବସି ଆରାମରେ ଫଳ ଖାଉଛନ୍ତି। ପ୍ରଥମେ ସେ ଭାବିଲେ, ଆରେ ଏତେ ଉଜ୍ଜ୍ୱଳ ରଙ୍ଗର ପ୍ରାଣୀ ଏତେ ସବୁଜ ଜଙ୍ଗଲରେ ତ ଅତି ସହଜରେ ଦୂରରୁ କାହା ଆଖିରେ ବି ପଡ଼ିଯିଵା କଥା, ଏମାନେ ବଞ୍ଚୁଛନ୍ତି କେମିତି? କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେ ଲକ୍ଷ୍ୟ କଲେ ଯେ ସୂର୍ଯ୍ୟାଲୋକ ପଡ଼ୁନଥିଵା ଗଛର ଉପର ଭାଗରେ ଏହି କମଳା ରଙ୍ଗ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇଯାଉଛି। ଯେମିତି ଏକ ଵିରାଟ ଆର୍ଥିକ ଦୁର୍ନୀତି କଲା ପରେ ଜଣେ ପ୍ରଭାଵଶାଳୀ ଵ୍ୟକ୍ତି ଵିଦେଶ ପଳାଇଲେ ଆଇନର ଲମ୍ବା ହାତ ଆଗରୁ ଅଦୃଶ୍ୟ ହୋଇଯାଆନ୍ତି ଏଵଂ ତାଙ୍କୁ ଖୋଜିଵା ଅସମ୍ଭଵ ହୋଇପଡ଼େ, ଠିକ୍ ସେମିତି। ସୂର୍ଯ୍ୟ ଆଲୋକର ଅଭାଵରେ କମଳା ରଙ୍ଗ ଆଲୁଅକୁ ଶୋଷିନିଏ ଏଵଂ ପ୍ରାୟତଃ କଳା କିମ୍ବା ମାଟିଆ ଦେଖାଯାଏ। ୱାଲେସ୍ ମହାଶୟ ବହୁତ ଖୁସି ହୋଇଗଲେ ଯେ ସେ ନିଜ ଡାଏରୀରେ ଗୋଟିଏ ବଡ଼ ଆଵିଷ୍କାର ଲେଖିଦେଲେ। 

ତା'ପରେ ଏହି ଗଵେଷଣାକୁ ଆହୁରି ଆଗକୁ ନେଵାକୁ ଆସିଲେ ଆଉ ଜଣେ ମହାନ ଗଵେଷିକା, ଡଃ ବିରୁଟେ ଗାଲ୍‌ଡିକାସ୍। ଏହି ସାହସୀ ମହିଳା ଜଣକ ୧୯୭୧ ମସିହାରୁ ସିଧା ଯାଇ ବୋର୍ନିଓ ଜଙ୍ଗଲରେ ନିଜର ଟେଣ୍ଟ୍ ପକାଇଦେଲେ। ପଚାଶ ଵର୍ଷରୁ ଅଧିକ ସମୟ ସେ ନିଜ ପରିଵାରଠାରୁ ଦୂରରେ କେଵଳ ଓରାଙ୍ଗୁଟାନ୍ ମାନଙ୍କ ସହ ବିତାଇଦେଲେ। ଆମ ଦେଶରେ ଗୋଟିଏ ମେଣ୍ଟ ସରକାର ପାଞ୍ଚ ଵର୍ଷ ବିନା କଳି ଝଗଡ଼ାରେ ତିଷ୍ଠିଵା କଷ୍ଟକର ହୋଇପଡୁଥିବା ବେଳେ, ଏହି ମହିଳା ପଚାଶ ଵର୍ଷ ଧରି ଵାନର ଓ ମହାଵାନରମାନଙ୍କ ସମାଜକୁ ବିନା ଦ୍ୱିଧାରେ ଅଧ୍ୟୟନ କଲେ। ସେ ଅନୁଧ୍ୟାନ କରି ଦେଖିଲେ ଯେ ଜଙ୍ଗଲର ଘଞ୍ଚ ଛାଇ ଭିତରେ ଓରାଙ୍ଗୋଟାଙ୍ଗ୍‌ମାନଙ୍କର ଏହି ଗେରୁଆ ରଙ୍ଗ ହିଁ ସେମାନଙ୍କର ପ୍ରକୃତ ସୁରକ୍ଷା କବଚ, କୌଣସି ରାଜନୈତିକ କବଚ ନୁହେଁ। 

ଯେମିତି କିଛି ଲୋକ ଧର୍ମ ନାମରେ ଗେରୁଆ ଵସ୍ତ୍ର ପିନ୍ଧି,ମୁଣ୍ଡରେ 'ଠ' ଆକାରର ଟୋପି ପିନ୍ଧି ତଥା ହାତେ ଲମ୍ବା ନିଶହୀନ ଦାଢ଼ି ରଖି କିମ୍ବା କୌଣସି ଧାର୍ମିକ ଚିହ୍ନ ଗଳାରେ ପିନ୍ଧି ନିଜର ସବୁ ପାପ ଓ ଦୁର୍ନୀତିକୁ ଲୁଚାଇ ଧାର୍ମିକ ସାଧୁ ଵ୍ୟକ୍ତିର ଛଦ୍ମଵେଶ ଧାରଣ କରିଦିଅନ୍ତି, ଠିକ୍ ସେହିପରି ପ୍ରକୃତି ମଧ୍ୟ ତା’ର ଏହି ନିରୀହ ପ୍ରାଣୀମାନଙ୍କୁ ଗେରୁଆ ରଙ୍ଗରେ ସଜାଇ ଦେଇଛି। ଉଦ୍ଦେଶ୍ୟ ଗୋଟିଏ—ଶିକାରୀଙ୍କ ଆଖିରେ ଧୂଳି ଦେଇ, ସେମାନଙ୍କୁ ସହଜରେ ଚିହ୍ନଟ ହେଵାରୁ ବଞ୍ଚାଇବା ଏଵଂ ନିରାପଦରେ ବଞ୍ଚିଵାର ସୁଯୋଗ ଦେଵା !

ଡଃ ଗାଲ୍‌ଡିକାସ୍ ପ୍ରମାଣ କଲେ ଯେ ଓରାଙ୍ଗୋଟାଙ୍ଗ୍‌ମାନେ ପ୍ରକୃତରେ ଅତ୍ୟନ୍ତ ଶାନ୍ତିପ୍ରିୟ ପ୍ରାଣୀ ଏଵଂ ସେମାନେ ନିଜକୁ ଗଛ ଡାଳରେ ଲୁଚାଇ ରଖିଵାକୁ ହିଁ ପସନ୍ଦ କରନ୍ତି। ସେମାନେ ନିଜର ଗେରୁଆ ରଙ୍ଗକୁ ନେଇ କୌଣସି ରାଜରାସ୍ତାରେ ଶୋଭାଯାତ୍ରା କରନ୍ତି ନାହିଁ, ସ୍ଲୋଗାନ ଦିଅନ୍ତି ନାହିଁ କିମ୍ବା ନିଜ ରଙ୍ଗକୁ ଶ୍ରେଷ୍ଠ କହି ଅନ୍ୟ କୌଣସି ଵାନରଜାତି ସହ ଧାର୍ମିକ ଦଙ୍ଗା ମଧ୍ୟ କରନ୍ତି ନାହିଁ।

ଏହାପରେ ଗଵେଷଣା ଦୁନିଆରେ ଆହୁରି ଏକ ବଡ଼ କଥା ଜଣାଗଲା। ନବେ ଦଶକରେ ଜେରାଲ୍ଡ ଜ୍ୟାକବସ୍ ନାମକ ଜଣେ ଵୈଜ୍ଞାନିକ ପ୍ରାଣୀମାନଙ୍କର ଦୃଷ୍ଟିଶକ୍ତି ଅର୍ଥାତ୍ ଆଖିର କ୍ଷମତା ଉପରେ ଗଵେଷଣା ଆରମ୍ଭ କଲେ। ଆଖିକୁ କିଏ କେମିତି ଦେଖେ ଏଵଂ ରଙ୍ଗକୁ କେମିତି ଚିହ୍ନେ, ସେଇଟା ପ୍ରକୃତିର ଗୋଟିଏ ବଡ଼ ରହସ୍ୟ। ଆମ ଭାରତୀୟ ଭୋଟରମାନେ ଯେମିତି ନିର୍ଵାଚନ ଆସିଲେ ହଠାତ୍ ଦୃଷ୍ଟିହୀନ ହୋଇଯାଆନ୍ତି, ପ୍ରାର୍ଥୀଙ୍କ ଦୋଷ ଦୁର୍ଵଳତା କିଛି ଦେଖିପାରନ୍ତି ନାହିଁ, ସବୁ କିଛି କେଵଳ ପ୍ରତିଶ୍ରୁତିର ସବୁଜ ଓ ସୁନ୍ଦର ରଙ୍ଗରେ ହିଁ ଦେଖାଯାଏ, ଠିକ୍ ସେମିତି ଜଙ୍ଗଲର ବଡ଼ ବଡ଼ ଦୁର୍ଦ୍ଧର୍ଷ ଶିକାରୀ ଯଥା ବାଘ ଵା କଲରାପତ୍ରିଆ ବାଘମାନେ ମଧ୍ୟ ଜନ୍ମରୁ ଗୋଟିଏ ପ୍ରକାରର ରଙ୍ଗ ଅନ୍ଧକାରର ଶିକାର ହୋଇଥାନ୍ତି। ଵୈଜ୍ଞାନିକ ଭାଷାରେ ଏହି ଅଵସ୍ଥାକୁ 'ଡାଇକ୍ରୋମାଟିକ୍' ଵା ଦ୍ୱି-ଵର୍ଣ୍ଣ ଦୃଷ୍ଟି କୁହାଯାଏ। ଏହାର ସିଧାସଳଖ ଅର୍ଥ ହେଲା ଯେ ଏହି ମହାବଳୀ ଶିକାରୀମାନେ ନାଲି ଓ ସବୁଜ ରଙ୍ଗ ଭିତରେ ଥିଵା ପାର୍ଥକ୍ୟ କଦାପି ଜାଣିପାରନ୍ତି ନାହିଁ। ଆମ ମଣିଷମାନଙ୍କୁ ଯେଉଁ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ନିର୍ଦ୍ଦିଷ୍ଟ ଶାସକ ଦଳର ପତାକା ଭଳି ଉଜ୍ଜ୍ୱଳ ଗେରୁଆ ଦେଖାଯାଏ, ସେହି ସମାନ ରଙ୍ଗ ଗୋଟିଏ ବାଘକୁ ଗଛର ଶୁଖିଲା ମାଟିଆ ପତ୍ର କିମ୍ବା ସବୁଜ ପତ୍ର ଭଳି ହିଁ ଦେଖାଯାଏ। ବାଘ ଵିଚରା ଭୋକିଲା ପେଟରେ ତଳେ ଥାଇ ଉପରକୁ ଅନାଏ, ତାକୁ ଲାଗେ ଯେମିତି ଉପରେ କିଛି ନାହିଁ କେଵଳ ଗଛରେ ପତ୍ର ହିଁ ପତ୍ର ଅଛି। ଏଣେ ଉପରେ ଓରାଙ୍ଗୋଟାଙ୍ଗ୍ ମହାଶୟ ଡାଳରେ ବସି ନିଜର ଗେରୁଆ ରଙ୍ଗର ସମ୍ପୂର୍ଣ୍ଣ ଲାଭ ପାଇ ମହା ଆନନ୍ଦରେ ଫଳ ଗେମ୍ଫୁଥାନ୍ତି ଆଉ ତଳେ ବାଘର ମୂର୍ଖାମୀକୁ ଦେଖି ମନେ ମନେ ହସୁଥାନ୍ତି। ଏହାକୁ କହନ୍ତି ପ୍ରକୃତିର ସର୍ଵଶ୍ରେଷ୍ଠ କୂଟନୀତି ଵା ରାଜନୀତି। ଶତ୍ରୁ ଭାବୁଛି ସବୁ ଠିକ୍ ଅଛି, ଅଥଚ ତା ଆଖି ଆଗରେ ହିଁ ସବୁ ଖେଳ ଚାଲିଛି ଆଉ ସେ କିଛି ଧରିପାରୁନି।

ଆଜିକାଲିର ଆଧୁନିକ ଯୁଗରେ କମ୍ପ୍ୟୁଟର ଏଵଂ ଉନ୍ନତ ଧରଣର କ୍ୟାମେରା ମାଧ୍ୟମରେ ମଧ୍ୟ ଵୈଜ୍ଞାନିକମାନେ ଏହି କଥାକୁ ଶତ ପ୍ରତିଶତ ପ୍ରମାଣିତ କରିଦେଇଛନ୍ତି। ବ୍ରିଷ୍ଟଲ୍ ଵିଶ୍ୱଵିଦ୍ୟାଳୟର Visual Ecologyର ଗଵେଷକମାନେ କମ୍ପ୍ୟୁଟରରେ ଶିକାରୀ ପ୍ରାଣୀଙ୍କ ଆଖିର ଗୋଟିଏ ସିମ୍ୟୁଲେସନ୍ ଵା ମଡେଲ୍ ତିଆରି କରି ଦେଖିଲେ ଯେ ସତକୁ ସତ ସବୁଜ ପତ୍ରଭରା ଜଙ୍ଗଲ ଭିତରେ କମଳା ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲୁଚିଯାଏ। ଏହି ଆଧୁନିକ ଗଵେଷଣାରୁ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହେଲା ଯେ ଓରାଙ୍ଗୋଟାଙ୍ଗ୍‌ମାନେ ନିଜେ ଜାଣିଶୁଣି ଏହି ଗେରୁଆ ରଙ୍ଗ ବାଛି ନାହାଁନ୍ତି କିମ୍ବା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରଵାଦୀ ହୋଇ ରଙ୍ଗ ମାଖି ଗେରୁଆଵର୍ଣ୍ଣ ଵାନର ହୋଇନାହାନ୍ତି। ଏହା କେଵଳ ଓରାଙ୍ଗଓଟାଙ୍ଗମାନଙ୍କର ଜଙ୍ଗଲରେ ବଞ୍ଚିଵାର ଏକ ସାଧାରଣ ସଂଘର୍ଷ, ଗୋଟିଏ ଜୈଵିକ ଆଵଶ୍ୟକତା। କିନ୍ତୁ ଵିଡ଼ମ୍ବନା ଦେଖନ୍ତୁ, ଭାରତ ଭଳି ଦେଶରେ,ଵିଶେଷ କରି ଆମ ଓଡ଼ିଶାରେ ଧରାପଡ଼ିଥିଵା ଏହି ପାଞ୍ଚୋଟି ନିରୀହ ଓରାଙ୍ଗୋଟାଙ୍ଗ୍ ଛୁଆଙ୍କ ପାଇଁ ଏହି ରଙ୍ଗ ହିଁ ଵର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହୋଇଯାଇଛି। ସେମାନେ ନିଜ ଦେଶ ବୋର୍ନିଓର ଜଙ୍ଗଲରେ ଥିଲେ ବାଘ କବଳରୁ ହୁଏତ ରକ୍ଷା ପାଇଥାନ୍ତେ, କିନ୍ତୁ ଭାରତ ଭୂଇଁରେ ପାଦ ଦେଉ ଦେଉ ସେମାନେ ଵ୍ୟଙ୍ଗକାର ଓ ରାଜନେତାମାନଙ୍କ ତୀକ୍ଷ୍ଣ ଆଖିରୁ ବର୍ତ୍ତି ପାରିଲେ ନାହିଁ। ବୋଧହୁଏ ସେମାନେ ଏବେ ଚିଡ଼ିଆଖାନାରେ ବସି ନିଜ ନିଜ ଭିତରେ ନିଜ ଭାଷାରେ ଆଲୋଚନା କରୁଥିବେ ଯେ, ହେ ଭଗଵାନ, ଆମେ ତ ଜଙ୍ଗଲରେ ଶତ୍ରୁଠାରୁ ଲୁଚିଵା ପାଇଁ ଏହି ରଙ୍ଗ ପାଇଥିଲୁ, କିନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଦେଶରେ ଏହି ରଙ୍ଗ ତ ଲୁଚାଇଵା ପରିଵର୍ତ୍ତେ ସମସ୍ତଙ୍କୁ ଆକର୍ଷିତ କରୁଛି। ଯଦି ଆମେ ଜନ୍ମରୁ ଜାଣିଥାନ୍ତୁ ଯେ ଭାରତରେ ଗେରୁଆ ରଙ୍ଗର ଏତେ ଚାହିଦା ଏଵଂ ଏହାକୁ ଦେଖିଲେ ଲୋକେ ରାଜନୀତି କରନ୍ତି, ତେବେ ଆମେ ନିଶ୍ଚୟ ଆଉ କୌଣସି ନିରପେକ୍ଷ ରଙ୍ଗ ବାଛିଥାନ୍ତୁ। ଅନ୍ତତଃ ପକ୍ଷେ ଧଳା କିମ୍ବା କଳା, ଯାହାକୁ କେହି ଅଯଥା ରାଜନୀତି ସହ ଯୋଡ଼ି ନଥାନ୍ତେ। ତେବେ ଯାହା ବି ହେଉ, ଓରାଙ୍ଗୋଟାଙ୍ଗମାନଙ୍କର ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତିର ଖେଳ ଏଵ ମଣିଷର ରାଜନୀତି ଉଭୟ ବଡ଼ ଵିଚିତ୍ର। ଯାହା ଗୋଟିଏ ଜାଗାରେ ଜୀଵନ ରକ୍ଷାକାରୀ ଅଟେ, ଅନ୍ୟ ଜାଗାରେ ତାହା ବିନା କାରଣରେ ହାସ୍ୟସ୍ପଦ ଆଲୋଚନାର ଵିଷୟ ପାଲଟିଯାଏ। ଏହି ଵିଚରା ମହାଵାନରମାନେ ନିଶ୍ଚୟ ପ୍ରାର୍ଥନା କରୁଥିବେ ଯେ ଖୁବ୍ ଶୀଘ୍ର ଆମ ଦେଶର ଏହି ରାଜନୈତିକ ପରିଵେଶ ଶାନ୍ତ ପଡ଼ୁ ଏଵଂ ସେମାନେ ନିଜର ପ୍ରାକୃତିକ ପରିଵେଶକୁ ସକୁଶଳ ଫେରିଯାଆନ୍ତୁ । ଓରାଙ୍ଗୋଟାଙ୍ଗ୍‌ମାନଙ୍କ ରଙ୍ଗ ତାଙ୍କୁ ଗଛ ଗହଳିରେ ଲୁଚାଇଵାରେ ସାହାଯ୍ୟ କରିଵ, ଖବରକାଗଜର ମୁଖ୍ୟ ପୃଷ୍ଠାରେ ଶିରୋନାମା ପାଲଟିଵାରେ ନୁହେଁ।

କିନ୍ତୁ ଏହି ଵିଚରା ଓରାଙ୍ଗୋଟାଙ୍ଗ୍‌ମାନେ ଓଡ଼ିଶାର ରାଜନୈତିକ ଝଡ଼ରୁ ବଞ୍ଚି ନିଜ ମୂଳ ନିଵାସ 'ବୋର୍ଣିଓ' ଜଙ୍ଗଲକୁ ଫେରିଗଲେ କ’ଣ ସେଠାରେ ସୁରକ୍ଷିତ ରହିପାରିବେ? ଆଦୌ ନୁହେଁ!
ଭାରତରେ ହୁଏତ ସେମାନଙ୍କୁ ଦଳୀୟ କର୍ମୀ, ଗେରୁଆ ପ୍ରଚାରକ କିମ୍ବା ଶାସକ ଦଳର ରାଜନୈତିକ ବ୍ରାଣ୍ଡ ଆମ୍ବାସାଡାର ବୋଲି ଆଖ୍ୟା ଦିଆଯାଉଛି; କିନ୍ତୁ ନିଜ ଘର ବୋର୍ଣିଓରେ ସେମାନଙ୍କ ପାଇଁ ଆଉ ଗୋଟିଏ ବଡ଼ ଆହ୍ୱାନ ଅପେକ୍ଷା କରିଛି—ତାହା ହେଉଛି ‘ତାଳ ତେଲ’ ଵା Palm Oilର ଦୈତ୍ୟ ଏଵଂ ମଣିଷର ଅସୀମ ପେଟ ଓ ପକେଟ୍।

ବୋର୍ଣିଓ ଓ ସୁମାତ୍ରାର ଘଞ୍ଚ ଜଙ୍ଗଲରେ ହୁଏତ ସଭା-ସମିତି ନାହିଁ କି ଶାସକ-ଵିରୋଧୀଙ୍କ ଚିତ୍କାର ନାହିଁ, କିନ୍ତୁ ସେଠାରେ ଦିନରାତି ଶୁଭୁଛି 'Chainsaw'ର ଵିକଟାଳ ଶବ୍ଦ। 

ପ୍ରକୃତିପ୍ରେମୀ ମଣିଷ ନିଜର ଚିପ୍ସ, ବିସ୍କୁଟ, ସାବୁନ୍, କ୍ରିମ୍ ଓ ଜଙ୍କ୍ ଫୁଡ୍ ତିଆରି କରିଵା ପାଇଁ ବୋର୍ଣିଓର ହଜାର ହଜାର ହେକ୍ଟର ପୁରାତନ ଵର୍ଷାରଣ୍ୟକୁ କାଟି ପଦା କରିଦେଉଛି, ଯାହାଫଳରେ 'Palm Oil' ଵା ତେଲତାଳ ଚାଷ ପାଇଁ ପଥ ପରିଷ୍କାର ହୋଇପାରିଵ। ଯେଉଁ ଓରାଙ୍ଗୋଟାଙ୍ଗ୍‌ମାନେ ଗଛ ଉପରେ ବସି ନିଜର ଗେରୁଆ ରଙ୍ଗ ବଳରେ ଶତ୍ରୁ ଆଖିରୁ ଲୁଚିଵାକୁ ଚେଷ୍ଟା କରୁଛନ୍ତି, ମଣିଷ ସେହି ଗଛକୁ ହିଁ ମୂଳରୁ ହାଣି ଶେଷ କରିଦେଉଛି।

ଆଲଫ୍ରେଡ୍ ୱାଲେସ୍ ଏଵଂ ଡଃ ବିରୁଟେ ଗାଲ୍‌ଡିକାସ୍ ଗଵେଷଣା କରି ପ୍ରମାଣ କରିଥିଲେ ଯେ ଓରାଙ୍ଗୋଟାଙ୍ଗ୍‌ଙ୍କ ଗେରୁଆ ରଙ୍ଗ ବାଘ ଓ କଲରାପତ୍ରିଆ ବାଘଙ୍କ ଆଖିରୁ ସେମାନଙ୍କୁ ରକ୍ଷା କରିଥାଏ, କାରଣ ବାଘ ପାଖରେ 'ଦ୍ୱି-ଵର୍ଣ୍ଣ ଦୃଷ୍ଟି' (Dichromatic vision) ଥାଏ। କିନ୍ତୁ ଵିଜ୍ଞାନ ଵିଚରା ଏତିକି ଆକଳନ କରିପାରିନଥିଲା ଯେ ବୋର୍ଣିଓର କାଠ ମାଫିଆ, ଶିଳ୍ପପତି ଓ ବୁଲ୍‌ଡୋଜର୍ ଚାଳକଙ୍କ ଆଖିରେ କେଵଳ 'ସବୁଜ ନୋଟ୍'ର ରଙ୍ଗ ହିଁ ଦିଶେ ! 

ବୁଲ୍‌ଡୋଜର୍‌ର ଲୁହା ଦାନ୍ତ ଆଗରେ ପ୍ରକୃତିର କାମୋଫ୍ଲେଜ୍ ଵା ଛଦ୍ମାଵରଣର ଶକ୍ତି ସମ୍ପୂର୍ଣ୍ଣ ନିଷ୍ଫଳ। ଜଙ୍ଗଲରେ ନିଆଁ ଲଗାଇ ଯେତେବେଳେ ରାକ୍ଷସ ଭଳି ବୁଲ୍‌ଡୋଜର୍‌ଗୁଡ଼ିକ ମାଡ଼ିଆସନ୍ତି, ଓରାଙ୍ଗୋଟାଙ୍ଗ୍ ମା’ମାନେ ନିଜ ଛୁଆଙ୍କୁ ଛାତିରେ ଜାକି ଭୟରେ ଏଗଛରୁ ସେଗଛକୁ ଦୌଡ଼ନ୍ତି। ସେତିକି ବେଳେ ଵନ୍ୟପ୍ରାଣୀ ଚୋରାଚାଲାଣକାରୀମାନେ ନିରୀହ ମା’କୁ ଗୁଳି କରି ହତ୍ୟା କରନ୍ତି ଏଵଂ ଏହି ଅନାଥ ଛୁଆମାନଙ୍କୁ କାଠ ବାକ୍ସରେ ପୂରାଇ ଅନ୍ତର୍ଜାତୀୟ କଳାବଜାରକୁ ବିକ୍ରି କରିଦିଅନ୍ତି। ଏହିପରି ଭାବେ ହିଁ ଅନ୍ତର୍ଜାତୀୟ ସୀମା ପାର ହୋଇ ଏହି ପାଞ୍ଚୋଟି ଅତିଥି ଆମ ଓଡ଼ିଶା ମାଟିରେ ଆସି ପହଞ୍ଚିଗଲେ ଏଵଂ ଆମ ସୃଜନଶୀଳ ରାଜନେତା ଓ ନେଟିଜେନ୍‌ଙ୍କ ପାଇଁ 'ଗେରୁଆ ରାଜନୀତି'ର ଏକ ରୋଚକ କାହାଣୀ ସାଜିଗଲେ! ତେଣୁ ନିରପେକ୍ଷ ଭାବେ ଦେଖିଵାକୁ ଗଲେ, ଏହି ଵିଚରା ଓରାଙ୍ଗୋଟାଙ୍ଗ୍‌ମାନଙ୍କ ପାଇଁ ପୃଥିଵୀର କୌଣସି କୋଣରେ ବି ଶାନ୍ତି ନାହିଁ।

ନିଜ ଘର ବୋର୍ଣିଓରେ ମଣିଷ ସେମାନଙ୍କ ‘ଘର’ ଵା ଆଵାସସ୍ଥଳୀ ଛଡ଼ାଇ ନେଉଛି,
ଆଉ ଇଆଡ଼େ ଭାରତରେ ମଣିଷ ସେମାନଙ୍କ ‘ରଙ୍ଗ’ କୁ ନେଇ ରାଜନୀତି କରୁଛି। ବୋର୍ଣିଓରେ ସେମାନେ "ତାଳ ତେଲ" ପାଇଁ ବଳି ପଡୁଛନ୍ତି, ଆଉ ଓଡ଼ିଶାରେ "ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କ" ପାଇଁ ନୂଆ ପ୍ରଚାରକ ବୋଲାଉଛନ୍ତି।

ବୋର୍ଣିଓ ଜଙ୍ଗଲ ଆଜି ସୁରକ୍ଷିତ ନୁହେଁ। ଯଦି ଏହିପରି ଭାବେ ଜଙ୍ଗଲ କଟା ଚାଲେ, ତେବେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବୋର୍ଣିଓରୁ ଓରାଙ୍ଗୋଟାଙ୍ଗ୍‌ମାନେ ସମ୍ପୂର୍ଣ୍ଣ ଲୋପ ପାଇଯିବେ। ବୋଧହୁଏ ଚିଡ଼ିଆଖାନାର ପିଞ୍ଜରା ଭିତରେ ବସି ଏହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ୍ ଛୁଆ ନିଜ ମନ ଭିତରେ ପ୍ରାର୍ଥନା କରୁଥିବେ—"ହେ ଈଶ୍ୱର! ବୋର୍ଣିଓର କାଠକଟା କୁରାଢ଼ୀଠାରୁ ଆମକୁ ବଞ୍ଚାଅ, ନଚେତ୍ ଭାରତର ସୃଜନଶୀଳ ରାଜନେତା, କାର୍ଟୁନିଷ୍ଟ ଓ ଟ୍ରୋଲରଙ୍କ କଲମଠାରୁ ଆମକୁ ମୁକ୍ତି ଦିଅ!"

Wednesday, September 9, 2026

ଓଡ଼ିଆ ଭାଷାର ଶାଳୀନତା: ଏକ ଉତ୍ତମ ସମାଜର ପ୍ରତିବିମ୍ବ

ଆମ ଦୈନନ୍ଦିନ ଜୀଵନରେ ଭାଷା କେଵଳ ଭାଵ ଵିନିମୟର ଏକ ମାଧ୍ୟମ ହୋଇନଥାଏ, ଵରଂ ଏହା ଏକ ସମାଜର ମାନସିକତା, ସଂସ୍କୃତି, ପରମ୍ପରା ଓ ସାମାଜିକ ମୂଲ୍ୟବୋଧର ଏକ ଜୀଵନ୍ତ ଦର୍ପଣ ଅଟେ। ଉଦାହରଣସ୍ୱରୂପ, ହିନ୍ଦୀ ଭାଷାରେ ଯେତେବେଳେ ଜଣେ କାହାଣୀକାର କହୁଛନ୍ତି, "एक राजा था इतना ताकतवर कि उसका हुकुम समंदर तक मानते थे", ସେତେବେଳେ ସେ ରାଜାଙ୍କ ଵ୍ୟକ୍ତିଗତ ପରିଚୟ ପାଇଁ "था" (ଥିଲା) ଓ "उसका" (ତାର) ଭଳି ଏକଵଚନ ଵା ସାଧାରଣ ସମ୍ବୋଧନ ଵ୍ୟଵହାର କରୁଛନ୍ତି, ଅଥଚ ତାଙ୍କର ପ୍ରଭାଵକୁ ଦର୍ଶାଇଵାକୁ ଯାଇ ଭାରତ ମହାସାଗର, କଳିଙ୍ଗ ସାଗର ଓ ସିନ୍ଧୁସାଗର ଆଦି ସାଗରଗୁଡ଼ିକ ରାଜାଙ୍କ କଥା मानते थे(ମାନୁଥିଲେ) ବୋଲି କହୁଛନ୍ତି।

କିନ୍ତୁ ସମାନ କଥାକୁ ଓଡ଼ିଆରେ କହିଲାବେଳେ ଆମେ ସ୍ୱତଃପ୍ରଵୃତ୍ତ ଭାବରେ କହୁ— "ଜଣେ ରାଜା ଏତେ ଶକ୍ତିଶାଳୀ ଥିଲେ ଯେ ସମୁଦ୍ର ମଧ୍ୟ ତାଙ୍କ ଆଜ୍ଞା ପାଳନ କରୁଥିଲା।" ଏହି ଗୋଟିଏ ଵାକ୍ୟରୁ ଉଭୟ ଭାଷାର ପ୍ରକୃତି ଏଵଂ ସେହି ଭାଷା ଵ୍ୟଵହାର କରୁଥିଵା ଲୋକଙ୍କ ସାମାଜିକ ତଥା ସାଂସ୍କୃତିକ ଚିନ୍ତାଧାରାରେ ଥିଵା ଆକାଶ ପାତାଳ ପ୍ରଭେଦ ସ୍ପଷ୍ଟ ବାରି ହୋଇପଡ଼େ। ଓଡ଼ିଆ ଭାଷାରେ ଜଣେ ରାଜା ଵା କୌଣସି ସମ୍ମାନନୀୟ ଵ୍ୟକ୍ତିଙ୍କ ପାଇଁ "ଥିଲା" ପରିଵର୍ତ୍ତେ "ଥିଲେ" ଏଵଂ "ତାର" ପରିଵର୍ତ୍ତେ "ତାଙ୍କ" କିମ୍ବା "ତାଙ୍କର" ଵ୍ୟଵହାର କରିଵାର ଏହି ଯେଉଁ ଅଦ୍ଭୁତ ଗୁଣ ରହିଛି, ତାହା କୌଣସି ଆକସ୍ମିକ ଘଟଣା ନୁହେଁ କି ଗୋଟିଏ ଦିନରେ ଵା କିଛି ଵର୍ଷ ମଧ୍ୟରେ ସୃଷ୍ଟି ହୋଇନାହିଁ । ଏହା ପଛରେ ଏକ ସୁଦୀର୍ଘ ଭାଷାଗତ, ସାମାଜିକ, ସାଂସ୍କୃତିକ ଓ ମନୋଵୈଜ୍ଞାନିକ ଇତିହାସ ରହିଛି, ଯାହା ଓଡ଼ିଆ ସମାଜକୁ ଏକ ଉତ୍ତମ ଓ ସଂସ୍କାରଯୁକ୍ତ ସମାଜ ଭାବରେ ପ୍ରତିଷ୍ଠିତ କରେ।

ଓଡ଼ିଆ ଭାଷାରେ ସମ୍ବୋଧନ ପ୍ରଣାଳୀ ସାମାଜିକ ସମ୍ପର୍କ, ଵୟସ ଓ ମର୍ଯ୍ୟାଦା ଉପରେ ସମ୍ପୂର୍ଣ୍ଣ ଭାବେ ଆଧାରିତ। ଦ୍ୱିତୀୟ ପୁରୁଷରେ ଵ୍ୟଵହୃତ ହେଉଥିଵା 'ତୁ', 'ତୁମେ' ଓ 'ଆପଣ'— ଏହି ତିନୋଟି ଶବ୍ଦ କେଵଳ ସର୍ଵନାମ ନୁହନ୍ତି, ଏଗୁଡ଼ିକ ସହିତ ଯୋଡ଼ିହୋଇଥିଵା କ୍ରିୟାପଦର ରୂପ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ। ନିଜଠାରୁ ସାନ, ସ୍ନେହର ପିଲା କିମ୍ବା ଅତି ଘନିଷ୍ଠ ସାଙ୍ଗମାନଙ୍କୁ ସମ୍ବୋଧନ କରିଵା ବେଳେ 'ତୁ' ଵ୍ୟଵହାର କରାଯାଏ, ଯାହା ସହିତ 'ତୁ କରୁଛୁ' କିମ୍ବା 'ତୁ ଯାଉଛୁ' ଭଳି କ୍ରିୟାପଦ ଯୋଡ଼ାଯାଏ। ସେହିପରି ସମଵୟସ୍କ କିମ୍ବା ସାଧାରଣ ପରିଚିତ ଵ୍ୟକ୍ତିଙ୍କ ପାଇଁ 'ତୁମେ' ଵ୍ୟଵହୃତ ହୁଏ ଏଵଂ ସେଠାରେ କ୍ରିୟାପଦ 'ତୁମେ କରୁଛ' କିମ୍ବା 'ତୁମେ ଯାଉଛ' ରୂପ ନିଏ। ଯେତେବେଳେ ଜଣେ ଵୟୋଜ୍ୟେଷ୍ଠ, ପୂଜ୍ୟପୂଜକ କିମ୍ବା ଅପରିଚିତ ଵ୍ୟକ୍ତିଙ୍କୁ ସମ୍ମାନର ସହ କଥା ହେଵାକୁ ପଡ଼େ, ସେତେବେଳେ 'ଆପଣ' ଵ୍ୟଵହାର କରାଯାଏ ଏଵଂ କ୍ରିୟାପଦ 'ଆପଣ କରୁଛନ୍ତି' କିମ୍ବା 'ଆପଣ ଯାଉଛନ୍ତି' ଭାବରେ ବଦଳିଯାଏ।
ତୃତୀୟ ପୁରୁଷ ଵା ଅନ୍ୟ ଵ୍ୟକ୍ତିଙ୍କ ଵିଷୟରେ କହିଵା ବେଳେ ମଧ୍ୟ ଏହି ସମ୍ମାନାର୍ଥକ ଭାବ ସ୍ପଷ୍ଟ ପ୍ରକାଶ ପାଏ। ଏଠାରେ ସର୍ଵନାମ 'ସେ' କିମ୍ବା 'ସିଏ' ସମାନ ରହିଥିଲେ ମଧ୍ୟ ଵ୍ୟକ୍ତିଙ୍କ ମର୍ଯ୍ୟାଦା ଅନୁସାରେ କ୍ରିୟାପଦର ଶେଷ ରୂପ ବଦଳିଯାଏ। ଜଣେ ସାନ ଵା ସାଧାରଣ ଵ୍ୟକ୍ତିଙ୍କ ପାଇଁ ଆମେ କହୁ 'ସେ କରୁଛି' କିମ୍ବା 'ସିଏ ଯାଉଛି'। କିନ୍ତୁ ସେହି 'ସେ' ଶବ୍ଦଟି ଯେତେବେଳେ ଜଣେ ଶିକ୍ଷକ, ବାପା କିମ୍ବା ସମ୍ମାନିତ ଵ୍ୟକ୍ତିଙ୍କ ପାଇଁ ପ୍ରୟୋଗ ହୁଏ, ସେତେବେଳେ ଆମେ କହୁ 'ସେ କରୁଛନ୍ତି' କିମ୍ବା 'ସେ ଯାଉଛନ୍ତି'। ଅତୀତ ଓ ଭଵିଷ୍ୟତ କାଳରେ ମଧ୍ୟ ଏହି ପାର୍ଥକ୍ୟ ସ୍ପଷ୍ଟ ଦେଖାଯାଏ; ଯେପରି ସାଧାରଣ ଅର୍ଥରେ 'ସେ ଗଲା' କିମ୍ବା 'ସେ ଖାଇବ' ହେଉଥିଵା ବେଳେ, ସମ୍ମାନାର୍ଥେ 'ସେ ଗଲେ' କିମ୍ବା 'ସେ ଖାଇବେ' ବୋଲି କୁହାଯାଏ। ବ୍ୟାକରଣଗତ ଦୃଷ୍ଟିରୁ ଦେଖିଲେ, ଓଡ଼ିଆ ଭାଷାରେ ତୃତୀୟ ପୁରୁଷ ସମ୍ମାନାର୍ଥକ ଏକଵଚନ ପାଇଁ ପ୍ରାୟତଃ ବହୁଵଚନର କ୍ରିୟାପଦ ଵ୍ୟଵହୃତ ହୋଇଥାଏ। ଯେପରି 'ସେମାନେ ଯାଉଛନ୍ତି' ଏଵଂ 'ମହାଶୟ ଯାଉଛନ୍ତି'— ଦୁଇଟିଯାକ କ୍ଷେତ୍ରରେ 'ଯାଉଛନ୍ତି' କ୍ରିୟାପଦଟି ସମାନ ରହେ। ଏହାଛଡ଼ା ଦ୍ୱିତୀୟ ପୁରୁଷର ସମ୍ମାନସୂଚକ 'ଆପଣ' ଏଵଂ ତୃତୀୟ ପୁରୁଷର ସମ୍ମାନସୂଚକ 'ସେ'— ଏହି ଦୁଇଟିଯାକ କ୍ଷେତ୍ରରେ କ୍ରିୟାପଦର ରୂପ ଏକାଭଳି ହୋଇଥାଏ, ଯେପରି 'ଆପଣ କରୁଛନ୍ତି' ଏଵଂ 'ସେ କରୁଛନ୍ତି'। ଅର୍ଥାତ୍, କେଵଳ କ୍ରିୟାପଦର ବଦଳୁଥିଵା ରୂପରୁ ହିଁ ଓଡ଼ିଆ ଭାଷାର ସମ୍ମାନ ଓ ଶାଳୀନତାର ସ୍ତର ସହଜରେ ବୁଝିହୁଏ।

କିନ୍ତୁ ହିନ୍ଦୀରେ ଅନେକ ସମୟରେ ଲୋକକଥା ଵା କାହାଣୀ କହିଲାବେଳେ କଥନର ସୁବିଧା ପାଇଁ ଵା କାହାଣୀରେ ଏକ ନାଟକୀୟତା ଆଣିଵା ପାଇଁ ରାଜା, ମହାରାଜା କିମ୍ବା ଐତିହାସିକ ଚରିତ୍ରମାନଙ୍କୁ ସାଧାରଣ ଏକଵଚନ 'था' ମାଧ୍ୟମରେ ସମ୍ବୋଧନ କରାଯାଇଥାଏ। ବୋଧହୁଏ ହିନ୍ଦୀ ଭାଷାରେ କାହାଣୀ ଶୁଣାଉଥିଵା ବ୍ୟକ୍ତି ଏକ ଅଦୃଶ୍ୟ ଚରିତ୍ର ପ୍ରତି ନିଜର ଆତ୍ମୀୟତା ଵା ସାଧାରଣ ସଂଯୋଗ ଦର୍ଶାଇଵାକୁ ଏଭଳି କରିଥାଏ। 

ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ପ୍ରେମଚନ୍ଦଙ୍କ ଲିଖିତ कलम, तलवार और त्याग (1939)ରେ ଲେଖକ ତୋଡ୍ଡରମଲ୍ଲଙ୍କ ଵିଷୟରେ ଲେଖିଛନ୍ତି ...

"यद्यपि राजा बहुत ही साधु-स्वभाव और शुद्ध निश्छल हृदय का व्यक्ति था, फिर भी १५८९ ई० में किसी दुश्मन ने उस पर तलवार चढ़ाई। सौभाग्यवश वह तो बाल-बाल बच गया, पर उसका 
फल एक अभागे खत्री बच्चे को भुगतना पड़ा। गहरा सन्देह है कि यह किसी द्वेष रखनेवाले सरदार वा अधिकारी का इशारा था पर संभवतः यह हमला मौत का ही था। क्योंकि इस घटना के थोड़े ही दिन बाद राजा को इस लोक विदा हो जाना पड़ा। निर्दयी ने दूसरा हमला ज्वर के रूप में किया और अबकी जान लेकर ही छोड़ा।"

ଏହି ସମାନ ଲେଖାକୁ ଯଦି କେହି ଓଡ଼ିଆ ଲେଖକ ଲେଖିଥାନ୍ତେ ତେବେ ସେ ତୋଡ୍ଡରମଲ୍ଲଙ୍କ ପାଇଁ କେତେକ ସମ୍ମାନ ସୂଚକ ଶବ୍ଦ ଵ୍ୟଵହାର କରିଥାନ୍ତେ । 

ହିନ୍ଦୀରେ ତ ଏହା ଏତେ ସାଧାରଣ ଯେ 
एक था राजा ନାମରେ ଏକ ଚଳଚ୍ଚିତ୍ର ତଥା एक था राजा एक थी रानी ଭଳି ଗୀତ ବି ନିର୍ମିତ ହେଇଥିଲା । 

କିନ୍ତୁ ଓଡ଼ିଆ ଵ୍ୟାକରଣ ଓ ଶବ୍ଦଵିନ୍ୟାସରେ ସମ୍ମାନ ପ୍ରଦର୍ଶନ ଏତେ ଗଭୀର ଭାବରେ ଗୁନ୍ଥା ହୋଇଛି ଯେ, ଯେକୌଣସି ପଦଵୀ, ଵୟସ କିମ୍ବା ସମ୍ମାନର ଅଧିକାରୀ ଥିଵା ଵ୍ୟକ୍ତିଙ୍କ ଵିଷୟରେ କହିଲାବେଳେ ଭାଷା ଆପେ ଆପେ ବହୁଵଚନ ଵା ସମ୍ମାନସୂଚକ କ୍ରିୟା (ଥିଲେ, କହିଲେ, ଗଲେ) ଆଡ଼କୁ ଢଳିପଡ଼େ।

ଓଡ଼ିଆରେ ଯଦି କେହି କାହାଣୀରେ "ଜଣେ ରାଜା ଥିଲା" ବୋଲି କହେ, ତେବେ ଶ୍ରୋତାଙ୍କୁ ତାହା କାନରେ ଅତ୍ୟନ୍ତ କର୍କଶ ଓ ଅଶୋଭନୀୟ ଲାଗେ। ଏହା ପ୍ରମାଣ କରେ ଯେ ଓଡ଼ିଆ ଭାଷାର ଗଠନ ହିଁ ପାରସ୍ପରିକ ସମ୍ମାନ ଉପରେ ଆଧାରିତ।

ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଵିଶ୍ଳେଷଣ କଲେ ଏହାର ଚେର ଆମ ମାଟିର ପରମ୍ପରା ସହିତ ନିଵିଡ଼ ଭାବେ ଜଡ଼ିତ ଥିଵାର ଦେଖାଯାଏ। ଓଡ଼ିଶାର ସଂସ୍କୃତି ମୁଖ୍ୟତଃ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟଵସିତ। ଆମ ସମାଜରେ ରାଜାଙ୍କୁ ସାଧାରଣ ମଣିଷ ଭାବରେ ଗ୍ରହଣ କରାଯାଏ ନାହିଁ। ଓଡ଼ିଶାର ଗଜପତି ମହାରାଜାଙ୍କୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେଵକ ତଥା ଚଳନ୍ତି ପ୍ରତିମା ରୂପେ ସମ୍ମାନ ଦିଆଯାଏ। ରାଜାଙ୍କ ପ୍ରତି ଥିଵା ଏହି ଭକ୍ତିଭାବ ଏଵଂ ଅପାର ସମ୍ମାନ କେଵଳ ଗୋଟିଏ ରାଜପରିଵାର ମଧ୍ୟରେ ସୀମିତ ନରହି ସମଗ୍ର ଓଡ଼ିଆ ଜନମାନସରେ 'ରାଜା' ଶବ୍ଦଟି ପ୍ରତି ଏକ ପଵିତ୍ର ଧାରଣା ସୃଷ୍ଟି କରିଛି। ତେଣୁ କୌଣସି ଗପ ଵା କାହାଣୀର ରାଜା ହେଲେ ମଧ୍ୟ ଓଡ଼ିଆ ଲୋକଟିଏ ନିଜ ସଂସ୍କୃତିର ଅଵଚେତନ ମନର ପ୍ରଭାଵରେ ତାଙ୍କୁ ତୁଚ୍ଛାର୍ଥରେ ଵା ସାଧାରଣ ଭାବରେ 'ଥିଲା' କହିପାରେ ନାହିଁ। 

ପୁଣି ଓଡ଼ିଆ ସମାଜ ସର୍ଵଦା ମୁରବୀମାନଙ୍କୁ ସର୍ଵୋଚ୍ଚ ସମ୍ମାନ ଦେଇଆସିଛି। ଵୟସ, ପଦଵୀ ଓ ଜ୍ଞାନରେ ବଡ଼ ଥିଵା ଵ୍ୟକ୍ତିଙ୍କ ପାଇଁ ଆପଣାଛାଏଁ ମୁଣ୍ଡ ନଇଁଯିଵା ଆମ ପରିଵାର ଵ୍ୟଵସ୍ଥାର ମୂଳଦୁଆ। ଆମ ସଂସ୍କୃତି ଶିଖାଏ ଯେ ସମ୍ମାନ କାହାକୁ ମାଗିଵାକୁ ପଡ଼େନାହିଁ ଵରଂ ନିଜ ଆଚରଣରେ ତାହା ଦେଖାଇଵା ଆମର କର୍ତ୍ତଵ୍ୟ । ଏହି ସାଂସ୍କୃତିକ ନମ୍ରତା ଓଡ଼ିଆ ଭାଷାକୁ ଏତେ ମଧୁର ଓ ଶାଳୀନ କରିଛି ଯେ ଏକ କାଳ୍ପନିକ କାହାଣୀରେ ମଧ୍ୟ ରାଜାଙ୍କ ସମ୍ମାନ କ୍ଷୁର୍ଣ୍ଣ ହେଵାକୁ ଦିଆଯାଏ ନାହିଁ।

ମନୋଵୈଜ୍ଞାନିକ ଦୃଷ୍ଟିକୋଣରୁ ଭାଷା ମଣିଷର ଚିନ୍ତାଧାରାକୁ ସିଧାସଳଖ ନିୟନ୍ତ୍ରଣ କରିଥାଏ ବୋଲି ଵିଭିନ୍ନ ଗଵେଷଣାରୁ ପ୍ରମାଣିତ ହୋଇଛି। ଯେତେବେଳେ ଜଣେ ଵ୍ୟକ୍ତି ନିରନ୍ତର ଭାବରେ ନିଜ ଭାଷାରେ 'ଆପଣ', 'ଆଜ୍ଞା', 'ଥିଲେ', 'କରୁଥିଲେ' ଭଳି ସମ୍ମାନସୂଚକ ଶବ୍ଦର ଵ୍ୟଵହାର କରେ, ତା'ର ମନୋଵିଜ୍ଞାନ ସ୍ୱତଃ ଶାନ୍ତ, ସହନଶୀଳ ଓ ସମ୍ବେଦନଶୀଳ ହୋଇଯାଏ। 
ପିଲାଦିନରୁ ଯେତେବେଳେ ଗୋଟିଏ ଓଡ଼ିଆ ପିଲା ଜେଜେମାଆଙ୍କ ଠାରୁ ଗପ ଶୁଣେ, ସେ ଶୁଣେ "ଗୋଟେ ରାଇଜରେ ଜଣେ ରାଜା ଥିଲେ।" ଏହି ଛୋଟିଆ ଵାକ୍ୟଟି ପିଲାର ଅଵଚେତନ ମନରେ ଏକ ଵାର୍ତ୍ତା ଛାଡ଼ିଯାଏ ଯେ, କ୍ଷମତା ଓ ଗରିମାକୁ ସର୍ଵଦା ସମ୍ମାନ ଜଣାଇଵା ଉଚିତ୍ ଏଵଂ କାହା ପଛରେ ମଧ୍ୟ ତାଙ୍କୁ ନ୍ୟୁନ କରି କହିଵା ଅନୁଚିତ। ହିନ୍ଦୀରେ କିମ୍ବା ଅନ୍ୟ କେତେକ ଭାଷାରେ ଯେତେବେଳେ ତୃତୀୟ ପୁରୁଷ ଵା ଅନୁପସ୍ଥିତ ଵ୍ୟକ୍ତିଙ୍କ ପାଇଁ ଏକଵଚନ ଵା ସାଧାରଣ ଶବ୍ଦର ପ୍ରୟୋଗ ହୁଏ, ତାହା ମାନସିକ ସ୍ତରରେ ଏକ ପ୍ରକାର ଅହଂକାର କିମ୍ବା ଖାମଖିଆଲି ମନୋଭାବ ସୃଷ୍ଟି କରିଵାର ଆଶଙ୍କା ଥାଏ। କିନ୍ତୁ ଓଡ଼ିଆ ଭାଷାର ଏହି ସମ୍ମାନସୂଚକ ପ୍ରୟୋଗ ଵ୍ୟକ୍ତିର ମନରୁ ଉଦ୍ଧତପଣକୁ ଦୂର କରି ତାକୁ ଅଧିକ ଵିନୟୀ କରାଏ। ଭାଷାରେ ସମ୍ମାନ ଦେଵାର ଅଭ୍ୟାସ ମଣିଷର ଚରିତ୍ରରେ ସମ୍ମାନ ଦେଵାର ଗୁଣକୁ ଵିକଶିତ କରେ, ଯାହା ମନୋଵୈଜ୍ଞାନିକ ସ୍ତରରେ ଏକ ସୁସ୍ଥ ଓ ସକାରାତ୍ମକ ଵ୍ୟକ୍ତିତ୍ୱ ଗଠନ କରିଵାରେ ସାହାଯ୍ୟ କରେ।

ଏହି ସମସ୍ତ କାରଣକୁ ଭିତ୍ତି କରି ବିଚାର କଲେ ଜଣାଯାଏ ଯେ ଓଡ଼ିଆ ଭାଷାର ଏହି ଵିଶେଷ ଗୁଣଟି କିପରି ଏକ ଉତ୍ତମ ସମାଜର ପ୍ରତୀକ ଅଟେ। ଏକ ଉତ୍ତମ ସମାଜ କେଵଳ ଉଚ୍ଚ ଅଟ୍ଟାଳିକା, ଅର୍ଥନୈତିକ ସମୃଦ୍ଧି କିମ୍ବା ଵୈଷୟିକ ଜ୍ଞାନକୌଶଳରୁ ସୃଷ୍ଟି ହୁଏନାହିଁ ଵରଂ ଏହା ସେଠାରେ ଵାସ କରୁଥିଵା ଲୋକଙ୍କ ଆଚରଣ, ଉଚ୍ଚାରଣ ଓ ପାରସ୍ପରିକ ଵ୍ୟଵହାରରୁ ସୃଷ୍ଟି ହୋଇଥାଏ। ଯେଉଁ ସମାଜ କାଳ୍ପନିକ କାହାଣୀରେ ଥିଵା ଏକ ଅଦୃଶ୍ୟ ଚରିତ୍ର (ରାଜା) ପ୍ରତି ଏତେ ଶ୍ରଦ୍ଧା ଓ ସମ୍ମାନ ଦେଖାଇପାରେ, ସେହି ସମାଜ ଵାସ୍ତଵ ଜୀଵନରେ ନିଜ ଚାରିପାଖରେ ଥିବା ଜୀଵିତ ମଣିଷମାନଙ୍କୁ କେତେ ମାତ୍ରାରେ ସମ୍ମାନ ଦେଉନଥିଵ ତାହା ସହଜରେ ଅନୁମେୟ। ଓଡ଼ିଆ ଭାଷା ଆମକୁ ଶିଖାଏ ଯେ ସମ୍ମାନ କେଵଳ ଭୟରୁ ଆସେନାହିଁ ଵରଂ ଏହା ଭଲପାଇଵା ଓ ସଂସ୍କାରରୁ ଆସେ। ଓଡ଼ିଆରେ ରାଜାଙ୍କ କ୍ଷମତା ଥାଉ ବା ନଥାଉ, ତାଙ୍କର ପଦଵୀ ପାଇଁ ତାଙ୍କୁ "ଥିଲେ" କୁହାଯିଵ । ଏହା ପ୍ରମାଣ କରେ ଯେ ଓଡ଼ିଆ ସମାଜରେ ମଣିଷର ସମ୍ମାନ ତା'ର ଭୌତିକ କ୍ଷମତା ଉପରେ ନିର୍ଭର ନକରି ତା'ର ସାମାଜିକ ଅବସ୍ଥିତି ଉପରେ ନିର୍ଭର କରେ। ଏହି ଗୁଣ ଏକ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ମୂଲ୍ୟବୋଧଭିତ୍ତିକ ସମାଜର ମୂଳଦୁଆ ଅଟେ।

ଅସ୍ତୁ, ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଭାଷା କେଵଳ କେତୋଟି ଶବ୍ଦର ସମାହାର ନୁହେଁ, ଏହା ହେଉଛି ଆମ ପୂର୍ଵଜମାନଙ୍କର ସାଧନା, ସଂସ୍କାର ଓ ସାମାଜିକ ଦୃଷ୍ଟିକୋଣର ଶ୍ରେଷ୍ଠ ଅଵଦାନ। ହିନ୍ଦୀ ଏବଂ ଓଡ଼ିଆ ଭିତରେ ଥିଵା ଏହି ଛୋଟ ପାର୍ଥକ୍ୟ ଵାସ୍ତଵରେ ଆମ ସାଂସ୍କୃତିକ ଉତ୍କର୍ଷତାର ଏକ ଵିରାଟ ପ୍ରମାଣ। ଓଡ଼ିଆମାନେ ନିଜ ଭାଷାରେ ଅନ୍ୟକୁ ଯେଉଁଭଳି ମର୍ଯ୍ୟାଦା ପ୍ରଦାନ କରନ୍ତି, ତାହା ଭାରତୀୟ ପରମ୍ପରାର ସର୍ଵୋଚ୍ଚ ଆଦର୍ଶକୁ ପ୍ରତିଫଳିତ କରିଥାଏ। ଜଣେ ରାଜାଙ୍କ ପାଇଁ ଓଡ଼ିଆରେ 'ଥିଲେ' ଓ 'ତାଙ୍କର' ଭଳି ଶବ୍ଦର ପ୍ରୟୋଗ କେଵଳ ଵ୍ୟାକରଣଗତ ନିୟମ ନୁହେଁ, ଏହା ହେଉଛି ଆମର ନମ୍ରତା, ଆମର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଭାଵ ଏଵଂ ଆମର ଏକ ସୁନ୍ଦର, ସୁସ୍ଥ ଓ ଉତ୍ତମ ସମାଜ ନିର୍ମାଣ ଦିଗରେ ରହିଥିଵା ମାନସିକତାର ଜୀଵନ୍ତ ଉଦାହରଣ। ଆମ ଭାଷାର ଏହି ମହାନ ଗୁଣ ହିଁ ଆମକୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର ଓ ଶ୍ରେଷ୍ଠ ପ୍ରମାଣିତ କରେ, ଯାହା ଆଗାମୀ ପିଢ଼ି ପାଇଁ ମଧ୍ୟ ଏକ ଗର୍ଵ ଏଵଂ ଶିକ୍ଷାର ଵିଷୟ ହୋଇ ରହିଵ। 

Tuesday, September 8, 2026

ପାକିସ୍ଥାନୀଙ୍କ ଦିଲ୍ଲୀ ଵିଜୟର ସ୍ବପ୍ନ କେମିତି କାଦୁଅ ଭାଙ୍ଗିଦେଲା ?

୧୯୬୫ ମସିହାର ଆରମ୍ଭରେ ପାକିସ୍ତାନର ଭାଗ୍ୟଵିଧାତା, ସୁଦୃଢ଼ ସାମରିକ ପୋଷାକରେ ସଜ୍ଜିତ ସେନାପତି ଆୟୁବ ଖାନ୍ ନିଜର ଆଇନା ସାମ୍ନାରେ ଛିଡ଼ା ହୋଇ ଯେତେବେଳେ ନିଜର ଗାମ୍ଭୀର୍ଯ୍ୟ ପରଖୁଥିଲେ, ସେତେବେଳେ ପୂର୍ଵପଟେ ଥିଵା ଭାରତୀୟ ସୀମା ତାଙ୍କୁ ଏକ ସହଜ, ନଗଣ୍ୟ ଖେଳପଡ଼ିଆ ପରି ମନେହେଉଥିଲା। ତାଙ୍କ ଦୃଷ୍ଟିରେ ଭାରତର ନୂତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଥିଲେ କେଵଳ ଜଣେ କ୍ଷୁଦ୍ରକାୟ, ନମ୍ର, ଧୋତି ପିନ୍ଧା ଶାକାହାରୀ ମଣିଷ, ଯାହାଙ୍କୁ ସାମରିକ ବୁଟ୍‌ର କଠୋର ଶବ୍ଦରେ ହିଁ ଭୟଭୀତ କରାଯାଇପାରିଵ। ଶାସ୍ତ୍ରୀଙ୍କର ସାଧାରଣ ଜୀଵନଶୈଳୀ, ଶାନ୍ତ ଆଚରଣ ଓ ନମ୍ରତାକୁ ପାକିସ୍ତାନୀ ଶାସକଵର୍ଗ ନିଜର ଦୂରଦର୍ଶିତା ଅଭାବରୁ ଭାରତର ଦୁର୍ଵଳତା ବୋଲି ଧରିନେଇଥିଲେ। ସେମାନେ ଅତି ଆତ୍ମଵିଶ୍ୱାସୀ ହୋଇ ଭାବିଥିଲେ ଯେ ଯେଉଁ ଦେଶର ନେତା ଶାନ୍ତି ଓ ଅହିଂସାର କଥା କୁହନ୍ତି, ସେହି ଦେଶର ସେନା ଆଧୁନିକ ଗୋଳାବାରୁଦର ଗର୍ଜନ ସାମ୍ନାରେ ମୁହୂର୍ତ୍ତକ ପାଇଁ ବି ଛିଡ଼ା ହୋଇପାରିଵ ନାହିଁ।
ଏହି ମିଥ୍ୟା ଅହଂକାରକୁ ଅଧିକ ପ୍ରଜ୍ୱଳିତ କରିଵା ପାଇଁ ଆଟଲାଣ୍ଟିକ୍ ସମୁଦ୍ର ସେପାରିରୁ ଆସିଥିଲା ମହାଶକ୍ତିଶାଳୀ ଆମେରିକୀୟ ସାମରିକ ଉପହାର। ଶୀତଳ ଯୁଦ୍ଧର ସମୀକରଣରେ ପାକିସ୍ତାନକୁ ନିଜର ଵିଶ୍ୱସ୍ତ ସହଯୋଗୀ ମନେକରି ଆମେରିକା ସେମାନଙ୍କ ହାତରେ ସମର୍ପି ଦେଇଥିଲା "ପ୍ୟାଟନ୍ ଟ୍ୟାଙ୍କ" ନାମକ ଅତ୍ୟାଧୁନିକ ଲୌହ ଦାନବଗୁଡ଼ିକୁ। ସେହି ଟ୍ୟାଙ୍କଗୁଡ଼ିକ ଆମେରିକୀୟ ଇଞ୍ଜିନିୟରିଂର ଶ୍ରେଷ୍ଠ ଅହଂକାର ଥିଲା। ସେଥିରେ ଲଗାଯାଇଥିଲା କମ୍ପ୍ୟୁଟରାଇଜ୍‌ଡ୍ ରେଞ୍ଜଫାଇଣ୍ଡର, ସ୍ୱୟଂଚାଳିତ ଚିହ୍ନଟ ପ୍ରଣାଳୀ, ଅତ୍ୟାଧୁନିକ ନାଇଟ୍-ଭିଜନ୍ ଏଵଂ ଏପରି ଏକ ମୋଟା କଵଚ ଯାହାକୁ କୌଣସି ଭାରତୀୟ ଗୋଳା ଭେଦ କରିପାରିଵ ନାହିଁ ବୋଲି ଦାବି କରାଯାଉଥିଲା। ପାକିସ୍ତାନୀ ଜେନେରାଲମାନେ ଏହି ଶୀତଳ, ଚକମକିଆ ଟ୍ୟାଙ୍କଗୁଡ଼ିକର ଆରାମଦାୟକ କୁଶନ-ସିଟ୍ ଉପରେ ବସି ନିଜକୁ ଏସିଆର ଅପରାଜେୟ ଯୋଦ୍ଧା ମନେକରୁଥିଲେ। ସେମାନଙ୍କର ଧାରଣା ଥିଲା ଯେ ଏହି ଉନ୍ନତ ଵିଶ୍ୱସ୍ତରୀୟ ଖେଳଣାଗୁଡ଼ିକ ଆଗରେ ଭାରତର ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟର ପୁରୁଣା ଟ୍ୟାଙ୍କଗୁଡ଼ିକ କେଵଳ ନିମିତ୍ତ ମାତ୍ର।
ରାବଲପିଣ୍ଡିର ଶୀତାତାପ ନିୟନ୍ତ୍ରିତ ମୁଖ୍ୟାଳୟରେ ବସି ସାମରିକ ଯୋଜନାକାରୀମାନେ ନିଜର କାଗଜପତ୍ରରେ ଏପରି ଏକ ଆକ୍ରମଣର ନକ୍ସା ଆଙ୍କିଥିଲେ, ଯାହା ଶୁଣିଲେ ମନେହେଉଥିଲା ଯେପରି ସେମାନେ ପଞ୍ଜାବ ସୀମାରେ ଯୁଦ୍ଧ କରିଵାକୁ ନୁହେଁ, ଵରଂ ଏକ ରାଜକୀୟ ଶୋଭାଯାତ୍ରାରେ ବାହାରିଛନ୍ତି। ସେମାନଙ୍କର ଦୃଢ଼ ଗଣନା ଥିଲା ଯେ ସେପ୍ଟେମ୍ବର ଆଠ ତାରିଖରେ ସେମାନଙ୍କର ପ୍ରଥମ ଆର୍ମଡ୍ ଡିଭିଜନ୍ ସୀମା ପାର ହୋଇ ସେହିଦିନ ସନ୍ଧ୍ୟା ସୁଦ୍ଧା ଵ୍ୟାସ ନଦୀ ପାର ହୋଇଯିଵ, ଗ୍ରାଣ୍ଡ୍ ଟ୍ରଙ୍କ୍ ରୋଡ୍ ଅଧିକାର କରିଵ ଏଵଂ ପରଦିନ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀର ଲାଲକିଲ୍ଲାରେ ପାକିସ୍ତାନୀ ଜାତୀୟ ପତାକା ଉଡ଼ାଇ ଵିଜୟୀ ଚା'-ପାନର ଆସର ଜମାଇଵ। ସେମାନେ ଗଭୀର ଭାବେ ମନେକରୁଥିଲେ ଯେ ଯୁଦ୍ଧ କେଵଳ ଟ୍ୟାଙ୍କର ଚମକ, ଇଞ୍ଜିନର ଆକର୍ଷଣୀୟ ହର୍ସପାୱାର ଏଵଂ ଵିଦେଶୀ ଚିଠିପତ୍ରର ବଳରେ ଜିତାଯାଏ ଏଵଂ ଶତ୍ରୁକୁ ସ୍ଵତ୍ଵଃ ଚିହ୍ନଟ କରିପାରୁଥିଵା ଆମେରିକୀୟ କମ୍ପ୍ୟୁଟର ସାମ୍ନାରେ କୌଣସି ମାନଵୀୟ ସାହସ ତିଷ୍ଠି ପାରିଵ ନାହିଁ।

ଏହିପରି ଗର୍ଵ ଓ ମିଥ୍ୟା ଆଶ୍ୱାସନାର ଅନ୍ଧକାରରେ ଆଚ୍ଛାଦିତ ହୋଇ, ସେପ୍ଟେମ୍ବର ଆଠ ତାରିଖର ସୂର୍ଯ୍ୟୋଦୟ ପୂର୍ଵରୁ, ପାକିସ୍ତାନୀ ଵାହିନୀ ନିଜର ପ୍ରାୟ ପ୍ରଥମ ଆର୍ମଡ୍ ଡିଭିଜନ୍ ଏଵଂ ଶହ ଶହ ପ୍ୟାଟନ୍ ଟ୍ୟାଙ୍କ ନେଇ ପଞ୍ଜାବର ଖେମକରଣ ସେକ୍ଟର ଅନ୍ତର୍ଗତ 'ଅସଲ୍ ଉତ୍ତର' ନାମକ ଏକ ଶାନ୍ତ ଗ୍ରାମ ଆଡ଼କୁ ଅଗ୍ରସର ହେଲେ। ପାକିସ୍ତାନୀମାନଙ୍କର ଯୋଜନା ଥିଲା ନିଶ୍ଚିତ, ସରଳ ଏବଂ ସମ୍ପୂର୍ଣ୍ଣ ରୂପେ ଅହଂକାରପୂର୍ଣ୍ଣ। ପାକିସ୍ତାନୀମାନେ ଭାବିଥିଲେ ଯେ ସେମାନଙ୍କର ଏହି ଗୁରୁଗମ୍ଭୀର ଲୌହ ଅସୁରଗୁଡ଼ିକର ଗର୍ଜନ ଶୁଣି ଭାରତୀୟ ସେନା ନିଜର ଆସ୍ଥାନ ଛାଡ଼ି ପଳାୟନ କରିଵ। କିନ୍ତୁ ଭାରତୀୟ ସେନାର ନାୟକମାନେ ଫାଙ୍କା ଗର୍ଜନ ଅପେକ୍ଷା ମାଟିର ଗୁଣକୁ ଭଲ ଭାବେ ବୁଝୁଥିଲେ। ସେମାନେ ଜାଣିଥିଲେ ଯେ କାଗଜର ବାଘ ହେଉ କିମ୍ବା ଆମେରିକାର ଗଢ଼ା ଲୌହ ଅସୁର, ପୃଥିଵୀର ମାଧ୍ୟାକର୍ଷଣ ଏଵଂ ପାଣି-ମାଟିର ସଂଯୋଗ ସାମ୍ନାରେ ସମସ୍ତେ ସମାନ। ଭାରତୀୟ ସେନାପତିମାନେ କୌଣସି ଆକାଶଛୁଆଁ ପ୍ରତିଜ୍ଞା କଲେ ନାହିଁ କିମ୍ବା ନିଜର ଅତ୍ୟାଧୁନିକତାର ଡିଣ୍ଡିମ ପିଟିଲେ ନାହିଁ। ଵରଂ ସେମାନେ ନିଜର ଚତୁର ବୁଦ୍ଧି ପ୍ରୟୋଗ କରି ଏକ ନୀରଵ ଜାଲ ବିଛାଇଲେ, ଯାହା ଇତିହାସରେ ହାସ୍ୟରସ ଓ ରଣନୀତିର ଏକ ଅପୂର୍ଵ ସଙ୍ଗମ ଭାବେ ଲିପିବଦ୍ଧ ହୋଇରହିଲା।
ଅସଲ୍ ଉତ୍ତର ଗ୍ରାମର ଚାରିପାଖରେ ଥିଵା ସମୃଦ୍ଧ ଆଖୁ କିଆରୀଗୁଡ଼ିକ ଥିଲା ସେମାନଙ୍କର ରଙ୍ଗମଞ୍ଚ। ଭାରତୀୟ ସୈନ୍ୟମାନେ ଗ୍ରାମର ନିକଟସ୍ଥ କେନାଲ ଏଵଂ ରୋହି ନାଳର ବନ୍ଧଗୁଡ଼ିକୁ କାଟି ଦେଇ ସମଗ୍ର ଆଖୁ କିଆରୀ ଏଵଂ ପଡ଼ିଆଗୁଡ଼ିକୁ ପାଣିରେ ପରିପୂର୍ଣ୍ଣ କରିଦେଲେ। ମୁହୂର୍ତ୍ତକ ମଧ୍ୟରେ ସେହି ଶୁଖିଲା ସୁନ୍ଦର ଚାଷଜମି ଏକ ନରମ, ସୁଦୃଢ଼ ଓ ଗଭୀର କାଦୁଅର ହ୍ରଦରେ ପରିଣତ ହୋଇଗଲା। ଉପରୁ ଦେଖିଲେ ମନେହେଉଥିଲା ଯେପରି କେଵଳ ଲମ୍ବ ଲମ୍ବ ଆଖୁ ଗଛଗୁଡ଼ିକ ସବୁଜ ପତ୍ର ହଲାଇ ଅତିଥିମାନଙ୍କୁ ସ୍ୱାଗତ କରୁଛନ୍ତି, କିନ୍ତୁ ତଳେ ଲୁଚି ରହିଥିଲା ସେହି ଗଭୀର କାଦୁଅର ମାୟାଜାଲ, ଯାହା ଅହଂକାରୀ ଲୌହ ଯନ୍ତ୍ରଗୁଡ଼ିକୁ ଗ୍ରାସ କରିଵାକୁ ପ୍ରସ୍ତୁତ ଥିଲା।

ସେପ୍ଟେମ୍ବର ଆଠ ତାରିଖ ସକାଳେ, ଯେତେବେଳେ ପାକିସ୍ତାନୀ ପ୍ୟାଟନ୍ ଟ୍ୟାଙ୍କଗୁଡ଼ିକ ପୂର୍ଣ୍ଣ ଗର୍ଵର ସହ ଗର୍ଜନ କରି, ଭାରତୀୟ ସୀମା ମଧ୍ୟକୁ ପ୍ରଵେଶ କଲେ, ସେତେବେଳେ ସେଗୁଡ଼ିକର ଚାଳକମାନେ ନିଜକୁ କୌଣସି ଅଜେୟ ଦେଵତା ଭାବୁଥିଲେ। ସେମାନେ ଆଖୁ କିଆରୀଗୁଡ଼ିକ ମଧ୍ୟରେ ନିଜର ଵିଶାଳ ଚକଗୁଡ଼ିକୁ ଗଡ଼ାଇଦେଲେ। କିନ୍ତୁ କିଛି ବାଟ ଯାତ୍ରା କରିଵା ପରେ, ସେମାନଙ୍କର ଗୋଟିଏ ପରେ ଗୋଟିଏ ଟ୍ୟାଙ୍କ କାଦୁଅ ମଧ୍ୟରେ ଦବିଵାକୁ ଲାଗିଲା। ସେହି ଶହ ଶହ ଟନ୍ ଓଜନର ଵିଶାଳକାୟ ଲୌହ ଯନ୍ତ୍ରଗୁଡ଼ିକ ସାରା ଵିଶ୍ୱକୁ ଜିତିଵାର ଦାବି କରୁଥିଲେ ବି ସେଗୁଡ଼ିକ ସେଦିନ ମାଟି ଓ ପାଣିର ସାଧାରଣ ମିଶ୍ରଣ ମଧ୍ୟରେ ଅଚଳ ହୋଇଗଲେ। ଟ୍ୟାଙ୍କର ଚକଗୁଡ଼ିକ ଯେତେ ବେଗରେ ଘୁରୁଥିଲା, ସେଗୁଡ଼ିକ ସେତେ ଅଧିକ ଗଭୀରତାକୁ କାଦୁଅ ଭିତରକୁ ଧସିଯାଉଥିଲା।

ଏହା ଥିଲା ଏକ ଵିଚିତ୍ର ଓ ହାସ୍ୟାସ୍ପଦ ଦୃଶ୍ୟ। ଆମେରିକାର ଅତ୍ୟାଧୁନିକ ଇଞ୍ଜିନିୟରିଂର ଶ୍ରେଷ୍ଠ ନମୁନାଗୁଡ଼ିକ କାଦୁଅ ଭିତରେ ଫସିଯାଇ ଛଟପଟ ହେଉଥିଵା ଵିଶାଳକାୟ କଚ୍ଛପ ପରି ଦେଖାଯାଉଥିଲେ। ପ୍ୟାଟନ୍ ଟ୍ୟାଙ୍କ୍‌ଗୁଡ଼ିକର ଗୋଳାବାରୁଦ, ଗୁଳି ଚାଳନା ପ୍ରଣାଳୀ ଓ ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି—ସବୁକିଛି ସେହି ଦେଶୀ କାଦୁଅ ସାମ୍ନାରେ ସମ୍ପୂର୍ଣ୍ଣ ଵ୍ୟର୍ଥ ପ୍ରମାଣିତ ହୋଇଥିଲା। ପାକିସ୍ତାନୀମାନେ ଆଗକୁ ବଢ଼ିପାରିଲେ ନାହିଁ, କି ପଛକୁ ଫେରିପାରିଲେ ନାହିଁ। ସେହି ଲୌହ ଅସୁରମାନ ନିଜର ଓଜନ ଯୋଗୁଁ ନିଜେ ହିଁ କାଦୁଅର ବନ୍ଦୀ ହୋଇଗଲେ।
ଏହି ସମୟରେ, ଆଖୁ କିଆରୀଗୁଡ଼ିକର ଆଢ଼ୁଆଳରେ ଓ କାଦୁଅରୁ ସୁରକ୍ଷିତ ଉଚ୍ଚ ସ୍ଥାନଗୁଡ଼ିକରେ ଛପି ରହିଥିଵା ଭାରତୀୟ ସୈନ୍ୟମାନେ ନିଜର କାର୍ଯ୍ୟ ଆରମ୍ଭ କଲେ। ଭାରତୀୟ ସେନାର ଶେରଶାହ, ପରମଵୀର ଚକ୍ର ଵିଜେତା କମ୍ପାନୀ କ୍ୱାର୍ଟର ମାଷ୍ଟର ହାବିଲଦାର ଅବଦୁଲ ହାମିଦଙ୍କ ପରି ଵୀରମାନେ ନିଜର ସାଧାରଣ, କିନ୍ତୁ ଅତ୍ୟନ୍ତ ପ୍ରଭାବଶାଳୀ ରୋକଲେସ୍ ଗନ୍ (RCL Gun) ସହିତ ଜିପ୍ ଉପରେ ଚଢ଼ି ସାମ୍ନାକୁ ଆସିଲେ। ଯେଉଁ ଟ୍ୟାଙ୍କଗୁଡ଼ିକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ପାକିସ୍ତାନୀମାନେ ଗର୍ଵ କରୁଥିଲେ, ସେହି ନିଶ୍ଚଳ, କାଦୁଅରେ ଫସିରହିଥିଵା ଟ୍ୟାଙ୍କଗୁଡ଼ିକୁ ଭାରତୀୟ ସୈନ୍ୟମାନେ ଗୋଟିଏ ପରେ ଗୋଟିଏ ଚିହ୍ନଟ କରି ଧ୍ୱଂସ କରିଵାକୁ ଲାଗିଲେ। ଅବଦୁଲ ହାମିଦ ନିଜର ବୁଦ୍ଧି ଓ ସାହସ ବଳରେ ଏକାକୀ ଏକାଧିକ ପ୍ୟାଟନ୍ ଟ୍ୟାଙ୍କକୁ ଜଳାଇ ଛାରଖାର କରିଦେଲେ।
ପାକିସ୍ତାନୀ ସୈନ୍ୟ ଓ ଚାଳକମାନଙ୍କର ଗର୍ଵ ମୁହୂର୍ତ୍ତକ ମଧ୍ୟରେ ଭୟ ଓ ହତାଶାରେ ପରିଣତ ହେଲା। ସେମାନେ ବୁଝିପାରିଲେ ନାହିଁ ଯେ କିପରି ସେମାନଙ୍କର ଏହି କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯୁଦ୍ଧ ଜାହାଜଗୁଡ଼ିକ କେଵଳ ପାଣି ଓ ମାଟିର ପାଣିଆ ମିଶ୍ରଣରେ ଅସହାୟ ହୋଇପଡ଼ିଛି। 

ଅନେକ ପାକିସ୍ତାନୀ ସୈନ୍ୟ ନିଜର ଜୀଵନ ବଞ୍ଚାଇଵା ପାଇଁ ସେହି ଟ୍ୟାଙ୍କଗୁଡ଼ିକୁ ସମ୍ପୂର୍ଣ୍ଣ ଚାଲୁ ସ୍ଥିତିରେ, କାଦୁଅ ମଧ୍ୟରେ ଛାଡ଼ି ପଳାୟନ କଲେ। ସେମାନେ ନିଜର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏଵଂ ବହୁମୂଲ୍ୟ ଯନ୍ତ୍ରପାତିକୁ ସେହିପରି ଅଵସ୍ଥାରେ ଛାଡ଼ି ଦୌଡ଼ିଵାକୁ ଶ୍ରେୟସ୍କର ମଣିଲେ।
ସେପ୍ଟେମ୍ବର ଆଠରୁ ଦଶ ତାରିଖ ପର୍ଯ୍ୟନ୍ତ ଚାଲିଥିଵା ଏହି "ଅସଲ୍ ଉତ୍ତର ଯୁଦ୍ଧ" ଶେଷରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ଵିଶ୍ଵ ସମରିକ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲା। ପ୍ରାୟ ଶହେରୁ ଉର୍ଦ୍ଧ୍ୱ ପାକିସ୍ତାନୀ ଟ୍ୟାଙ୍କ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା କିମ୍ବା ଭାରତୀୟ ସେନା ଦ୍ୱାରା ଅକ୍ଷତ ଅଵସ୍ଥାରେ ଜବତ କରାଯାଇଥିଲା । ଯୁଦ୍ଧ ସମାପ୍ତ ହେଵା ପରେ ଯେଉଁ ଆଖୁ କ୍ଷେତରେ ଟ୍ୟାଙ୍କ ଫସିଥିଲା ସେଠାରେ ତହିଁର ଆଖପାଖ ଅଞ୍ଚଳରେ କେଵଳ ଧ୍ୱଂସପ୍ରାପ୍ତ ଏଵଂ କାଦୁଅରେ ପୋତି ହୋଇଥିଵା ପ୍ୟାଟନ୍ ଟ୍ୟାଙ୍କଗୁଡ଼ିକ ଦୃଶ୍ୟମାନ ହେଉଥିଲେ।

ଭାରତୀୟ ସେନା ଏହି ଜବତ ଓ ନଷ୍ଟ ହୋଇଥିଵା ଟ୍ୟାଙ୍କଗୁଡ଼ିକୁ ଏକାଠି କରି ଏକ ଵିଶାଳ ପ୍ରଦର୍ଶନୀ ସଦୃଶ ସ୍ଥାନରେ ଛିଡ଼ା କରାଇଲେ। ସେହି ସ୍ଥାନକୁ ପରେ "ପ୍ୟାଟନ୍ ନଗର" ବୋଲି ନାମିତ କରାଗଲା। ଯେଉଁ ପ୍ୟାଟନ୍ ଟ୍ୟାଙ୍କର ନାମ ଶୁଣି ଶତ୍ରୁ ଗର୍ଵରେ ଫୁଲିଉଠୁଥିଲା, ସେହି ନାମରେ ଏକ ନଗରୀ ଗଢ଼ିଉଠିଲା, କିନ୍ତୁ ତାହା କୌଣସି ଗୌରଵର ନଗରୀ ନଥିଲା ଵରଂ ତାହା ଥିଲା ଆମେରିକୀୟ ପ୍ରଯୁକ୍ତିବିଦ୍ୟା ଏଵଂ ପାକିସ୍ତାନୀ ଅହଂକାରର ଏକ ମଜାଳିଆ ସମାଧିସ୍ଥଳ।
ସମସ୍ତ ପ୍ରାମାଣିକ ଦସ୍ତାବେଜ ଓ ଯୁଦ୍ଧ ଇତିହାସ ଏହି ସତ୍ୟକୁ ସ୍ୱୀକାର କରେ ଯେ ଅସଲ୍ ଉତ୍ତରର ଯୁଦ୍ଧ କେଵଳ ଅସ୍ତ୍ରଶସ୍ତ୍ରର ଯୁଦ୍ଧ ନଥିଲା, ଏହା ଥିଲା କୌଶଳ ବନାମ ଯାନ୍ତ୍ରିକ ଗର୍ଵର ଏକ ନିର୍ଣ୍ଣାୟକ ପରୀକ୍ଷା। ପ୍ୟାଟନ୍ ନଗରର ସେହି ଦୃଶ୍ୟ ଦେଖିଵାକୁ ଅନେକ ଦେଶୀ ଓ ଵିଦେଶୀ ସାମ୍ବାଦିକ ଆସିଥିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଯେ କିପରି ସାଧାରଣ ମାଟି ଓ ପାଣିର ଏକ ସରଳ ଚକ୍ରାନ୍ତ ସାମ୍ନାରେ ଵିଶ୍ୱର ସବୁଠାରୁ ମହଙ୍ଗା ଯୁଦ୍ଧଜାହାଜଗୁଡ଼ିକ ନିଜର ଆଣ୍ଠୁ ଭାଙ୍ଗି ପଡ଼ିଯାଇଥିଲେ।


Monday, September 7, 2026

କୋଟ୍ ଭିତରେ ମୋନାଲିସା,ହାଜତ ଭିତରେ ପିକାସୋ

ଚୋରି ଏକ ସାଧାରଣ ଘଟଣା, କିନ୍ତୁ ଯେତେବେଳେ କୌଣସି ମହାନ୍ ଜିନିଷ ଚୋରି ହୁଏ, ତାହା ଇତିହାସ ପାଲଟିଯାଏ। ଆମ ଗାଆଁ ଗହଳିରେ କାହାର ସାଇକେଲ୍ ଚୋରି ହେଲେ ପୋଲିସ୍ FIR ଲେଖିଵାକୁ ହୁଏତ କୁଣ୍ଠାବୋଧ କରିପାରେ। କିନ୍ତୁ ଯଦି ଗୋଟାଏ ସାଇକେଲ୍‌କୁ ଲିଓନାର୍ଡୋ ଦା ଭିନ୍ସି ଚଳାଉଥାନ୍ତେ, ତେବେ ସେହି ସାଇକେଲ୍ ଚୋରି ଆନ୍ତର୍ଜାତୀୟ ଷଡ଼ଯନ୍ତ୍ରର ରୂପ ନେଇଥାନ୍ତା। ଠିକ୍ ସେହିପରି ଏକ ଘଟଣା ଘଟିଥିଲା ୧୯୧୧ ମସିହାରେ, ଯେତେବେଳେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ର ସୁରକ୍ଷିତ Louvre Museumରୁ 'ମୋନାଲିସା' ଫେରାର୍ ହୋଇ ଯାଇଥିଲେ। ଥାନାରେ କେଶ୍ ହେଲା, "ମୋନାଲିସା ନିଖୋଜ।" ପୋଲିସ୍ ଭାବିଲା, କୌଣସି ଝିଅ ବୋଧହୁଏ ପ୍ରେମିକ ସହ ଫେରାର୍ ହୋଇଯାଇଛି। କିନ୍ତୁ ଯେତେବେଳେ ଜଣାପଡ଼ିଲା ଯେ ଫେରାର୍ ହୋଇଥିଵା ମହିଳା ଜଣକ ରକ୍ତମାଂସର ନୁହେଁ ଵରଂ କାନ୍ଥରେ ଟଙ୍ଗା ହୋଇଥିଵା ଏକ ଚିତ୍ର, ସେତେବେଳେ ଫରାସୀ ସରକାରଙ୍କ ହୋସ୍ ଉଡ଼ିଗଲା।

ମୋନାଲିସା ବିଷୟରେ କୁହାଯାଏ ଯେ ତାଙ୍କ ହସରେ ଏକ ରହସ୍ୟ ଅଛି। ସେ କାହିଁକି ହସୁଛନ୍ତି, ତାହା ଆଜି ପର୍ଯ୍ୟନ୍ତ କେହି ବୁଝିପାରି ନାହାନ୍ତି। ମୋର ତ ସନ୍ଦେହ ହୁଏ, ସେ ବୋଧହୁଏ ପ୍ୟାରିସ୍ ପୋଲିସ୍‌ର ବୋକାମୀକୁ ଦେଖି ସେବେଠାରୁ ହସୁଛନ୍ତି। ୧୯୧୧ ମସିହା ଅଗଷ୍ଟ ୨୧ ତାରିଖ ସକାଳେ ଏକ ସାଧାରଣ ଲୋକ ଲୁଵର୍ ମ୍ୟୁଜିୟମରେ ପଶିଲା, କାନ୍ଥରୁ ମୋନାଲିସାଙ୍କ ଚିତ୍ରଟି କାଢ଼ିଲା, କୋଟ୍ ଭିତରେ ଲୁଚାଇଲା ଆଉ ସିଧା ବାହାରକୁ ଖସି ପଳାଇଲା । କେହି ଦେଖିଲେ ନାହିଁ, କେହି ପଚାରିଲେ ନାହିଁ। ଆମ ଦେଶରେ ମନ୍ଦିର ବାହାରୁ ଜୋତା ଚୋରି କଲାବେଳେ ବି ଲୋକେ ଧରାପଡ଼ି ଛେଚା ଖାଆନ୍ତି, କିନ୍ତୁ ଏଠି ଵିଶ୍ୱର ସବୁଠାରୁ ଦାମୀ କଳାକୃତି ଏତେ ଆରାମରେ ଚୋରି ହୋଇଗଲା ଯେମିତି କିଏ ନିଜ ଶ୍ୱଶୁର ଘରୁ ଆଚାର ଡବାଟିଏ ଉଠାଇ ନେଇଯାଉଛି।

ପରଦିନ ଯେତେବେଳେ ମ୍ୟୁଜିୟମ ଖୋଲିଲା, କର୍ମଚାରୀମାନେ ଦେଖିଲେ କାନ୍ଥ ଖାଲି। ସରକାରୀ କର୍ମଚାରୀଙ୍କ ମାନସିକତା ସବୁଠି ସମାନ। ଯେ ପର୍ଯ୍ୟନ୍ତ ନିଆଁ ନ ଲାଗିଛି, ସେ ପର୍ଯ୍ୟନ୍ତ ସମସ୍ତେ ଶୋଇଥାନ୍ତି। ଶେଷରେ ଯେତେବେଳେ ନିଶ୍ଚିତ ହେଲା ଯେ ଚୋରି ହୋଇଛି, ପ୍ୟାରିସ୍‌ରେ ଆତଙ୍କ ଖେଳିଗଲା। ମ୍ୟୁଜିୟମ୍ ଡାଇରେକ୍ଟରଙ୍କୁ ଚାକିରିରୁ ବିଦା କରାଗଲା। ଖବରକାଗଜଗୁଡ଼ିକ ସରକାରଙ୍କ ମୁଣ୍ଡ ଖାଇଵା ଆରମ୍ଭ କଲେ। ପୋଲିସ୍ ଉପରେ ଚାପ ପଡ଼ିଲା।

ଏବେ ପୋଲିସର ନିୟମ ହେଉଛି— ଯଦି ପ୍ରକୃତ ଚୋର ମିଳୁନାହିଁ, ତେବେ ଏମିତି କାହାକୁ ଧର ଯାହାକୁ ଦେଖିଲେ ଲୋକେ ଭାବିବେ ଯେ ହଁ, ଏଇ ଲୋକଟା ହିଁ ଚୋରି କରିଥିଵ। 

କିନ୍ତୁ ଆପଣ ଭାବୁଥିବେ ସେତେବେଳେ ପୋଲିସ୍ କାହାକୁ ସନ୍ଦେହ କରିବ? କୌଣସି ପେସାଦାର ଚୋର, ମାଫିଆ ଵା ଗୁଣ୍ଡାକୁ ? ନା! ପୋଲିସ୍ ସନ୍ଦେହ କଲା ଜଣେ କଵି ଉପରେ। ତାଙ୍କ ନାମ ଥିଲା Guillaume Apollinaire। ସେ ଥିଲେ ଜଣେ ପ୍ରସିଦ୍ଧ ଫରାସୀ କଵି ଏଵଂ କଳା ସମାଲୋଚକ।
ଵର୍ତ୍ତମାନ ପ୍ରଶ୍ନ ଉଠୁଛି, କଵିଙ୍କୁ କାହିଁକି ସନ୍ଦେହ କରାଗଲା? ସମାଜରେ କଵି, ଲେଖକ ଓ ବୁଦ୍ଧିଜୀଵୀମାନଙ୍କର ସ୍ଥିତି ବଡ଼ ଅଜବ। ସେମାନେ ନିଜ କଵିତାରେ ଏତେ ଗୁଡ଼ାଏ ଵିପ୍ଳଵ, ଭଙ୍ଗାରୁଜା ଓ ପୁରୁଣା ପରମ୍ପରାକୁ ନଷ୍ଟ କରିଵାର କଥା ଲେଖିଥାନ୍ତି ଯେ ପୋଲିସ୍ ଭାବେ, "ଶଳା ଏଇଟା ହିଁ ଅସଲ ଆତଙ୍କଵାଦୀ।" ଆପୋଲିନେୟାର ଥରେ ଏକ ପ୍ରବନ୍ଧରେ ଲେଖିଥିଲେ ଯେ, "ଲୁଵର୍ ମ୍ୟୁଜିୟମକୁ ଜାଳି ଦେଵା ଉଚିତ୍!" କଵି ଲୋକ, ଭାବପ୍ରଵଣ ହୋଇ କିଛି ଗୋଟେ ବୌଦ୍ଧିକ କଥା ଲେଖିଦେଇଥିଲେ। ତାଙ୍କର କହିଵାର ଅର୍ଥ ଥିଲା ଯେ ପୁରୁଣା କଳାକୁ ଛାଡ଼ି ନୂଆ କଳା ସୃଷ୍ଟି କରିଵା ଦରକାର। କିନ୍ତୁ ଦରମାଖିଆ ପୋଲିସ୍ ଇନ୍ସପେକ୍ଟର କ'ଣ ଏହି ରୂପକ ଅଳଙ୍କାର ବୁଝିଵ ? ସେ ଭାବିଲା, ଯିଏ ମ୍ୟୁଜିୟମ୍ ଜାଳିଦେଵା କଥା କହୁଛି, ସିଏ ନିଶ୍ଚୟ ମୋନାଲିସାଙ୍କ ଚିତ୍ରଟି ଚୋରି କରିଥିବ। ଆଉ ଏକ କାରଣ ମଧ୍ୟ ଥିଲା। ଆପୋଲିନେୟାରଙ୍କର ଜଣେ ପୂର୍ଵତନ ସେକ୍ରେଟାରୀ ଥିଲା ଯିଏକି ଆଗରୁ ଲୁଵର୍ ମ୍ୟୁଜିୟମରୁ କିଛି ଛୋଟମୋଟ ମୂର୍ତ୍ତି ଚୋରି କରି ଆଣିଥିଲା ଏଵଂ ଆପୋଲିନେୟାର ସେଗୁଡ଼ିକୁ ନିଜ ଘରେ ରଖିଥିଲେ। ବାସ୍, ପୋଲିସ୍ ପାଇଁ ଏତିକି ପ୍ରମାଣ ଯଥେଷ୍ଟ ଥିଲା। ସେପ୍ଟେମ୍ବର ୭, ୧୯୧୧ ମସିହାରେ ପୋଲିସ୍ ଯାଇ ଆପୋଲିନେୟାରଙ୍କ ଘରେ ପହଞ୍ଚିଲା।
"ଚାଲ ବାବୁ, ଥାନାକୁ।"
"କିନ୍ତୁ ମୁଁ ଜଣେ କଵି, ମୁଁ ଜଣେ ସମାଲୋଚକ!" ଆପୋଲିନେୟାର ଯୁକ୍ତି କଲେ।
"ଥାନାରେ ପହଞ୍ଚିଵା ପରେ ତୁମର ସବୁ ସମାଲୋଚନା ଆମେ ବାହାର କରିଦେବୁ, ଆସ।" ପୋଲିସ୍ ବାବୁ କହିଲେ।

ପୋଲିସ ହାଜତ ଏକ ଏମିତି ଜାଗା ଯେଉଁଠି ବଡ଼ ବଡ଼ ଦାର୍ଶନିକଙ୍କ ଦର୍ଶନ ଵିଫଳ ହୋଇଯାଏ। ଯେଉଁ କଵିମାନେ କଵିତାରେ ଛାତି ଦେଖାଇ ଗୁଳି ଖାଇଵାକୁ ପ୍ରସ୍ତୁତ ଥାଆନ୍ତି, ପୋଲିସର ଗୋଟିଏ ଚାପୁଡ଼ାରେ ସେମାନେ ନିଜ ଜେଜେବାପାଙ୍କଠାରୁ ଆରମ୍ଭ କରି ପଡ଼ୋଶୀ କୁକୁରର ନାମ ପର୍ଯ୍ୟନ୍ତ ସବୁ ସତ ଓଗାଳି ଦିଅନ୍ତି। ଆପୋଲିନେୟାରଙ୍କ ଅଵସ୍ଥା ମଧ୍ୟ ସେହିପରି ହେଲା।

ଆପୋଲିନେୟାର ଥିଲେ ସୁକୁମାର ବୁଦ୍ଧିଜୀବୀ। କଫି ହାଉସ୍‌ରେ ବସି ସିଗାରେଟ୍ ଟାଣି ଟାଣି କଳା ଉପରେ ଘଣ୍ଟା ଘଣ୍ଟା ଭାଷଣ ଦେଵା ଅଲଗା କଥା ଏଵଂ ପୋଲିସ୍ ଇନ୍ସପେକ୍ଟରର ଲାଲ୍ ଆଖି ସାମ୍ନାରେ ଛିଡ଼ା ହେଵା ଅଲଗା କଥା। ପୋଲିସ୍ ତାଙ୍କୁ ଜେରା ଆରମ୍ଭ କଲା।

"କୁହ କଵି, ମୋନାଲିସା କେଉଁଠି ଅଛି?"
"ମୁଁ ଜାଣିନି ଆଜ୍ଞା। ମୁଁ କେଵଳ କଳାର ପୂଜାରୀ।"
"ତୁମେ ନିଜେ ଲେଖିଥିଲ ଲୁଵର୍ ମ୍ୟୁଜିୟମ୍ ଜାଳିଦେଵ ବୋଲି?"
"ଆଜ୍ଞା, ସେଟା ଗୋଟେ 'ମେଟାଫର୍' (Metaphor) ଥିଲା। ସାହିତ୍ୟିକ ଭାଷା।"
"ଥାନାରେ କୌଣସି ମେଟାଫର୍ ଚାଲେନି, କେଵଳ ମାଡ଼ ଚାଲେ। ସତ କୁହ, ନହେଲେ ତମ କଵିତାକୁ ଫଵିତା କରିଦେବି।"
ଏତିକି ଶୁଣିଲା ମାତ୍ରେ ଆପୋଲିନେୟାରଙ୍କ ଭିତରେ ଥିଵା ଵୀର ରସର କଵିତା ଶାନ୍ତ ରସରେ ପରିଣତ ହୋଇଗଲା। ଭୟରେ ତାଙ୍କର ପ୍ୟାଣ୍ଟ୍ ଓଦା ହୋଇଗଲା। ସେ ବୁଝିଗଲେ ଯେ ଏହି ମୂର୍ଖ ପୋଲିସ୍‌ବାଲାମାନେ ତାଙ୍କୁ ହିଁ ମୋନାଲିସା ଚୋର ସଜାଇ ଦେବେ। ମଣିଷ ଯେତେବେଳେ ବୁଡ଼ିଵାକୁ ବସେ, ସେତେବେଳେ ସେ କୁଟା ଖିଅଟିକୁ ବି ଧରେ। ଆଉ ଯଦି କୁଟା ନମିଳେ, ତେବେ ନିଜର ସବୁଠାରୁ ପ୍ରିୟ ସାଙ୍ଗର ଗୋଡ଼ ଟାଣେ।
ଆପୋଲିନେୟାର ଭାବିଲେ, ମୁଁ ଏକୁଟିଆ କାହିଁକି ମରିବି? ଯଦି ବୁଡ଼ିବି, ତେବେ ମୋ ସାଙ୍ଗକୁ ବି ସାଥିରେ ନେଇ ବୁଡ଼ିବି। ସେ ପୋଲିସକୁ କହିଲେ, "ଦେଖନ୍ତୁ ସାର୍, ମୁଁ ଏଥିରେ ନାହିଁ। କିନ୍ତୁ ମୋର ଏକ ସାଙ୍ଗ ଅଛି, Pablo Picasso। ସେ ଟିକେ ଆଡ଼ବାଇଆ ଚିତ୍ରକର। ସେ ବଙ୍କା ଟେହେଣା ମୁହଁ ଥିଵା ଲୋକଙ୍କର ଚିତ୍ର ଆଙ୍କେ। ତା'ର କଳା ପ୍ରତି ଭାରି ନିଶା। ହୁଏତ ସେ ହିଁ ମୋନାଲିସାକୁ ଚୋରି କରିଥିଵ।"

ବାସ୍! ଏତିକି ଦରକାର ଥିଲା। ସଙ୍କଟ ସମୟରେ ହିଁ ପ୍ରକୃତ ବନ୍ଧୁତାର ପରୀକ୍ଷା ହୁଏ ବୋଲି କୁହାଯାଏ। କିନ୍ତୁ ଆମର ଏଠି ବନ୍ଧୁ ହିଁ ବନ୍ଧୁକୁ ସଙ୍କଟ ଭିତରକୁ ଠେଲି ଦେଲା। ପୋଲିସ୍ ତୁରନ୍ତ ଏକ ଟିମ୍ ପଠାଇଲା ଏଵଂ ପାବ୍ଲୋ ପିକାସୋଙ୍କୁ ଉଠାଇ ଆଣିଲା।

ପାବ୍ଲୋ ପିକାସୋଙ୍କ ନାମଟି ଶୁଣିଲେ ଆଜି ଲୋକେ ଭକ୍ତିରେ ମୁଣ୍ଡିଆ ମାରନ୍ତି। ତାଙ୍କର ଗୋଟିଏ ଗୋଟିଏ ଚିତ୍ର ଆଜି ଶହ ଶହ କୋଟି ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ୧୯୧୧ ମସିହାରେ ପିକାସୋ କେଵଳ ଜଣେ ସଂଘର୍ଷରତ, ଅଳ୍ପ-ପରିଚିତ ଆଧୁନିକ ଚିତ୍ରକର ଥିଲେ। ସେ ପ୍ୟାରିସ୍‌ର ଏକ ଶସ୍ତା ଘରେ ରହୁଥିଲେ। ତାଙ୍କର ଚିତ୍ର ଆଙ୍କିଵାର କ୍ୟୁବିଜିମ୍ ଶୈଳୀ ଦେଖି ସାଧାରଣ ଲୋକେ ଭାବୁଥିଲେ ଯେ ଲୋକଟା ନିଶ୍ଚୟ ପାଗଳ। ଗୋଟିଏ ମୁହଁରେ ଆଖି କେଉଁଠି ତ ନାକ ଆଉ କେଉଁଠି।

ଯେତେବେଳେ ପୋଲିସ୍ ଯାଇ ପିକାସୋଙ୍କ ଦ୍ୱାର ବାଡ଼େଇଲା, ପିକାସୋ ବୋଧହୁଏ ଭାବିଥିବେ କିଏ ଗ୍ରାହକ ଆସିଛି। କିନ୍ତୁ ପୋଲିସକୁ ଦେଖି ତାଙ୍କର ରଙ୍ଗ-ତୁଳୀ ଖସିପଡ଼ିଲା। "ଆପଣଙ୍କୁ ଆପୋଲିନେୟାର ଫସାଇଛନ୍ତି, ଚାଲନ୍ତୁ ଥାନାକୁ।"
ପିକାସୋ ଥିଲେ ଜଣେ ସ୍ପେନୀୟ ନାଗରିକ ଏଵଂ ଫ୍ରାନ୍ସରେ ରହୁଥିଲେ। ଵିଦେଶୀ ଲୋକ, ତା' ଉପରେ ପୋଲିସ୍‌ର ଧରପକଡ଼। ପିକାସୋଙ୍କର ଅଵସ୍ଥା ଶୋଚନୀୟ ହୋଇଗଲା। କୁହାଯାଏ, ମଣିଷର ଅସଲ ଚରିତ୍ର ଭୟ ସମୟରେ ହିଁ ବାହାରକୁ ଆସେ। ପିକାସୋ ନିଜ ଚିତ୍ର ମାଧ୍ୟମରେ ସମାଜର ନିୟମକୁ ଭାଙ୍ଗିଵାର ସାହସ ଦେଖାଉଥିଲେ, ପୋଲିସ୍ ଗାଡ଼ିରେ ବସିଲା ବେଳେ ଏକ ଭୟଭୀତ ଛୁଆ ପରି ଥରୁଥିଲେ। ସେ ଭାବୁଥିଲେ, ଏହି ଫରାସୀ ପୋଲିସ୍ ତାଙ୍କୁ ସ୍ପେନ୍‌କୁ ତଡ଼ିଦେବେ କିମ୍ବା ଆଜୀଵନ ଜେଲ୍‌ରେ ପୂରାଇଦେବେ।

ପ୍ୟାରିସ୍‌ର ଏକ ପୋଲିସ୍ ଷ୍ଟେସନ୍‌ରେ ପୋଲିସ ଅଫିସର ଜଣକ ପିକାସୋଙ୍କୁ ଚାହିଁ ପଚାରିଲେ, "ତେବେ, ତୁମେ ହିଁ ମୋନାଲିସାକୁ ଚୋରି କରିଛ?"
ପିକାସୋଙ୍କ କଣ୍ଠରୁ ସ୍ୱର ବାହାରୁ ନଥାଏ। ଡରିଯାଇ ସେ କହିଲେ, "ନାଇଁ ଆଜ୍ଞା, ମୁଁ ଚୋରି କରିନି।"
ଅଫିସର ଆପୋଲିନେୟାରଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, "କିନ୍ତୁ ତୁମର ଏହି ସାଙ୍ଗ କହୁଛି ଯେ ତୁମେ ହିଁ ଚୋର।"
ଏବେ ଆସିଲା ସେହି ମୁହୂର୍ତ୍ତ, ଯାହା ଇତିହାସର ସବୁଠାରୁ ହାସ୍ୟାସ୍ପଦ ଓ କରୁଣ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ। ପିକାସୋ, ଆପୋଲିନେୟାରଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ, ଯାହାଙ୍କ ସହ ସେ ପ୍ରତିଦିନ ଖାଉଥିଲେ, ପିଉଥିଲେ ଏଵଂ କଳା ଉପରେ ଚର୍ଚ୍ଚା କରୁଥିଲେ, ସେହି ପିକାସୋ ଆପୋଲିନେୟାରଙ୍କ ଆଡ଼କୁ ଏମିତି ଅପରିଚିତ ଭାବରେ ଚାହିଁଲେ ଯେମିତି କିଏ ମଙ୍ଗଳ ଗ୍ରହରୁ ଆସିଛି।

ପିକାସୋ କାନ୍ଦ କାନ୍ଦ ହୋଇ, ପୋଲିସ୍ ଅଫିସରଙ୍କୁ କହିଲେ, "ମୁଁ ଏ ଲୋକଙ୍କୁ ଜାଣିନାହିଁ! ମୁଁ ଏହାଙ୍କୁ ଜୀଵନରେ କେବେବି ଦେଖିନାହିଁ!"

ଏକଥା ଶୁଣି ଆପୋଲିନେୟାରଙ୍କ ମୁଣ୍ଡରେ ଵଜ୍ର ପଡ଼ିଲା। ଯେଉଁ ସାଙ୍ଗକୁ ସେ ନିଜେ ଫସାଇଥିଲେ, ସେ ତାଙ୍କୁ ଚିହ୍ନିଵାକୁ ମନା କରିଦେଲା ! ଏବେ ଦୁଇ ମହାନ କଳାକାରଙ୍କ ମଧ୍ୟରେ ଯେଉଁ ନାଟକ ଆରମ୍ଭ ହେଲା, ତାହା ଦେଖି ସେକ୍ସପିୟର ବି ଲଜ୍ଜିତ ହୋଇଯାଇଥାନ୍ତେ ।

ଆପୋଲିନେୟାର କାନ୍ଦିଵାକୁ ଲାଗିଲେ। ପିକାସୋ ବି ଭୋ ଭୋ ହୋଇ କାନ୍ଦିଵା ଆରମ୍ଭ କଲେ। ଦୁଇ ବୁଦ୍ଧିଜୀଵୀ, ଦୁଇ ବିପ୍ଳଵୀ କଳାକାର, ପୋଲିସ୍ ଷ୍ଟେସନରେ ଛୋଟ ପିଲାଙ୍କ ପରି ଲୁହ ଗଡ଼ାଇ କହିଵାକୁ ଲାଗିଲେ, "ମୁଁ ନିର୍ଦ୍ଦୋଷ, ଏଇଟା ମିଛ କହୁଛି, ମୁଁ ଏହାକୁ ଜାଣିନି।"

ଭାବନ୍ତୁ ତ, ଆଜି ଆମେ ଏହି ଦୁଇ ଜଣଙ୍କ ଉପରେ କେତେ ଗବେଷଣା କରୁଛୁ। ଛାତ୍ରଛାତ୍ରୀମାନେ PhD କରୁଛନ୍ତି। ପିକାସୋଙ୍କ ପେଣ୍ଟିଂକୁ ବୁଝିଵା ପାଇଁ ଲୋକେ ମୁଣ୍ଡ ଖରାପ କରୁଛନ୍ତି। ଆଉ ସେହି ଵ୍ୟକ୍ତି ନିଜ ପ୍ରାଣ ଵିକଳରେ ନିଜର ସବୁଠାରୁ ଭଲ ସାଙ୍ଗକୁ ଚିହ୍ନିଵାକୁ ମନା କରୁଥିଲା। ଏହାକୁ ହିଁ କହନ୍ତି ମାନଵ ଚରିତ୍ରର ପ୍ରକୃତ ରୂପ। ଦର୍ଶନ, କଳା, ଆଦର୍ଶ—ଏ ସବୁ କେଵଳ ପେଟ ପୂରିଥିଵା ବେଳେ ଏଵଂ ସୁରକ୍ଷିତ ଥିଵା ବେଳେ ମନେପଡ଼େ। ଯେତେବେଳେ ଥାନାର ବେତ ପିଠି ପାଖରେ ପହଞ୍ଚେ, ସେତେବେଳେ Socialism,Idealism,Capitalism,Communism ଓ ‌Pacifism ଇତ୍ୟାଦି ସବୁ 'ଇଜିମ୍' (Ism) ବାଷ୍ପ ହୋଇ ଉଡ଼ିଯାଏ, ବଳିପଡ଼େ କେଵଳ ବଞ୍ଚିଵାର ଇଚ୍ଛା। ମୋତେ ଲାଗେ, ସେଦିନ ପିକାସୋ ନିଜ ଜୀଵନର ସବୁଠାରୁ ଵାସ୍ତଵଵାଦୀ ଅଭିନୟ କରିଥିଲେ।
ଦୁଇ କଳାକାରଙ୍କ ଏହି କାନ୍ଦଣା, ପରସ୍ପରକୁ ଦୋଷାରୋପ ଏଵଂ ଅତ୍ୟଧିକ ଭୟ ଦେଖି ମାମଲାର ତଦନ୍ତ କରୁଥିଵା ଵିଚାରପତି ଆନ୍ରି ଡ୍ରିଓଙ୍କ ମୁଣ୍ଡ ଘୂରାଇଲା। ସେ ଜଣେ ଅଭିଜ୍ଞ ଲୋକ ଥିଲେ। ସେ ଭାବିଲେ, ଯେଉଁ ଲୋକମାନେ ନିଜ ସାଙ୍ଗକୁ ଚିହ୍ନିଵାକୁ ଭୟ କରୁଛନ୍ତି, ଯେଉଁମାନେ ପୋଲିସ୍ ଷ୍ଟେସନରେ ଏମିତି ରଡ଼ି ପକାଇ କାନ୍ଦୁଛନ୍ତି, ସେମାନେ ଜୀଵନରେ ଆଉ ଯାହା ବି କରିପାରନ୍ତି, କିନ୍ତୁ ଵିଶ୍ୱର ସବୁଠାରୁ ବଡ଼ ମ୍ୟୁଜିୟମରୁ ଵିଶ୍ୱର ସବୁଠାରୁ ପ୍ରସିଦ୍ଧ ଚିତ୍ରକୁ ଏତେ ଚତୁରତାର ସହ ଚୋରି କରିପାରିବେ ନାହିଁ। ଏହି ଅକର୍ମା ବୁଦ୍ଧିଜୀଵୀମାନଙ୍କର ଏତେ ସାହସ ହିଁ ନାହିଁ। ଏମାନେ କେଵଳ କାଗଜରେ ବାଘ, ଵାସ୍ତଵରେ ମୂଷା। ଏହି ସିଦ୍ଧାନ୍ତରେ ପହଞ୍ଚିଵା ପରେ,ଵିଚାରପତି ଦୁଇ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଲେ। ପ୍ରମାଣ ଅଭାବରୁ ଏଵଂ ସେମାନଙ୍କର ଅତ୍ୟଧିକ ଭୟଭୀତ ଆଚରଣ ଯୋଗୁଁ ସେମାନେ ରକ୍ଷା ପାଇଗଲେ। କିନ୍ତୁ ଖଲାସ ହେଵା ପରେ ଯେତେବେଳେ ସେମାନେ ଥାନା ବାହାରକୁ ଆସିଲେ, ସେମାନଙ୍କ ବନ୍ଧୁତାରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା, ତାହା ସହଜରେ ଯୋଡ଼ି ହେଲା ନାହିଁ। ପିକାସୋ ସାରା ଜୀଵନ ଏହି ଘଟଣାକୁ ନେଇ ଲଜ୍ଜିତ ରହିଥିଲେ। ପରଵର୍ତ୍ତୀ ସମୟରେ ସେ କେବେବି ଏହି ଵିଷୟରେ ଖୋଲାଖୋଲି କଥା ହେଵାକୁ ପସନ୍ଦ କରୁନଥିଲେ। କିଏ ଵା ନିଜର କାପୁରୁଷତାକୁ ଡେଙ୍ଗୁରା ପିଟି କହିଵ ?
କିନ୍ତୁ ଯଦି ଆପୋଲିନେୟାର ଓ ପିକାସୋ ଚୋର ନଥିଲେ, ତେବେ ଚୋର କିଏ ଥିଲା? ଫରାସୀ ପୋଲିସ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲାଉଥିଲା କିନ୍ତୁ ଏହି ପ୍ରଶ୍ନର କୌଣସି ଉତ୍ତର ମିଳିପାରିନଥିଲା । ସେମାନେ ଭାବୁଥିଲେ ଏହା କୌଣସି ଆନ୍ତର୍ଜାତୀୟ ଗ୍ୟାଙ୍ଗ୍‌ର କାମ। କୌଣସି କୋଟିପତି କିମ୍ବା ଅବ୍ଜପତି(Billionaire) ଏହାକୁ କିଣି ନେଇଛି। କିନ୍ତୁ ସତ କଥା ଥିଲା ଅତ୍ୟନ୍ତ ସାଧାରଣ ଏଵଂ ପୋଲିସର ମୁହଁରେ ଶକ୍ତ ଚାପୁଡ଼ା ସଦୃଶ।

୧୯୧୩ ମସିହା। ମୋନାଲିସା ଚୋରି ହେଵାର ପୂରା ଦୁଇ ଵର୍ଷ ବିତିଯାଇଥାଏ। ଇଟାଲୀର ଫ୍ଲୋରେନ୍ସ ସହରର ଜଣେ ଆର୍ଟ ଡିଲର୍‌ଙ୍କ ପାଖକୁ ଏକ ଚିଠି ଆସିଲା। ଚିଠି ଲେଖିଥିଵା ଵ୍ୟକ୍ତି ଜଣକ କହିଲେ ଯେ ତାଙ୍କ ପାଖରେ ଅସଲି 'ମୋନାଲିସା' ଅଛି ଏଵଂ ସେ ତାକୁ ଇଟାଲୀକୁ ଫେରାଇ ଦେଵାକୁ ଚାହୁଁଛନ୍ତି, କିନ୍ତୁ କିଛି ପୁରସ୍କାର ରାଶି ବଦଳରେ। ଡିଲର୍ ଜଣକ ପୋଲିସ୍ ନେଇ ପହଞ୍ଚିଲେ ଏଵଂ ଏକ ହୋଟେଲ୍ ରୁମ୍‌ରେ ଧରାପଡ଼ିଲା ପ୍ରକୃତ ଚୋର। ଚୋରର ନାମ ଥିଲା Vincenzo Peruggia। ସେ କୌଣସି ଅନ୍ତର୍ଜାତୀୟ ମାଫିଆ କିମ୍ବା ବଡ଼ କଳା ସମାଲୋଚକ ନଥିଲା। ସେ ଥିଲା ଲୁଵର୍ ମ୍ୟୁଜିୟମରେ କାମ କରୁଥିଵା ଜଣେ ସାଧାରଣ ଇଟାଲୀୟ କାରିଗର । ସେ ସେହି ଗ୍ଲାସ୍ ବାକ୍ସ ତିଆରି କରିଵାରେ ସାହାଯ୍ୟ କରିଥିଲା ଯେଉଁଥିରେ ଚିତ୍ରଗୁଡ଼ିକ ରଖାଯାଉଥିଲା।

Vincenzo କିପରି ଚୋରି କଲା? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କୌଣସି ହଲିଉଡ୍ ସିନେମା ଭଳି ଲେଜର୍ ବିମ୍, ହେଲିକପ୍ଟର କିମ୍ବା ବୋମା ଵିସ୍ଫୋରଣ ନଥିଲା। ସେ ସେଦିନ ମ୍ୟୁଜିୟମ୍ ବନ୍ଦ ହେଵା ବେଳେ ଏକ ଝାଡ଼ୁ ରଖାଯାଉଥିଵା ଆଲମିରା ଭିତରେ ଲୁଚି ରହିଲା। ରାତି ସାରା ସେଇଠି ଶୋଇଲା। ସକାଳେ ଯେତେବେଳେ କେହି ନଥିଲେ, ସେ ବାହାରକୁ ଆସିଲା। କାନ୍ଥରୁ ମୋନାଲିସା ଚିତ୍ରଟି କାଢ଼ିଲା। ଫ୍ରେମ୍ ଖୋଲିଲା। କାନ୍ଭାସ୍‌ଟିକୁ ନିଜର କାମ କରିଵା ବେଳେ ପିନ୍ଧୁଥିଵା ଲମ୍ବା କୋଟ୍ ଭିତରେ ଲୁଚାଇଲା ଆଉ ସିଧା ମୁଖ୍ୟ ଦ୍ୱାର ଦେଇ ବାହାରକୁ ଚାଲିଆସିଲା। ଗେଟ୍‌ରେ ଥିଵା ସିକ୍ୟୁରିଟି ଗାର୍ଡ ତାକୁ ସୁପ୍ରଭାତ ମଧ୍ୟ କହିଥିଲା! ଦୁଇ ଵର୍ଷ ଧରି ସେହି ଵିଶ୍ୱପ୍ରସିଦ୍ଧ ମୋନାଲିସା ଚିତ୍ରଟି ପ୍ୟାରିସ୍‌ରେ ଥିଵଖ ତା'ର ଏକ ଛୋଟ ଭଡ଼ା ଘରର ଏକ ଟ୍ରଙ୍କ୍ ଭିତରେ ଲୁଚି ରହିଥିଲା, ଆଉ ପୋଲିସ୍ ପୂରା ଦୁନିଆରେ ପିକାସୋଙ୍କ ପରି ଲୋକଙ୍କୁ ଧରି ପିଟୁଥିଲା।
ଵିନ୍‌ସେଞ୍ଜୋର ଯୁକ୍ତି କ'ଣ ଥିଲା? ସେ କହିଲା ଯେ ଲିଓନାର୍ଡୋ ଦା ଭିନ୍ସି ଥିଲେ ଇଟାଲୀୟ। ତେଣୁ ତାଙ୍କର କଳାକୃତି ଇଟାଲୀର ସମ୍ପତ୍ତି। ନେପୋଲିଅନ୍ ଏହାକୁ ଚୋରି କରି ଫ୍ରାନ୍ସ ନେଇଯାଇଥିଲେ। ସେ କେଵଳ ଇଟାଲୀର ଗୌରଵକୁ ଫେରାଇ ଆଣିଵାକୁ ଚେଷ୍ଟା କରୁଥିଲା। (ସତ କଥା ହେଉଛି ଲିଓନାର୍ଡୋ ନିଜେ ହିଁ ମୋନାଲିସା ଚିତ୍ରଟିକୁ ଫ୍ରାନ୍ସର ରାଜାଙ୍କୁ ବିକ୍ରି କରିଥିଲେ, ନେପୋଲିଅନ୍ ଚୋରି କରିନଥିଲେ। କିନ୍ତୁ ଦେଶଭକ୍ତିର ନିଶା ଥିଵା ଲୋକଙ୍କୁ ଇତିହାସ ପଢ଼ାଇଵା ଯାହା, କାନ୍ଥରେ ମୁଣ୍ଡ ପିଟିଵା ତାହା ।ଇଟାଲୀୟମାନେ ତାକୁ ଜଣେ ରାଷ୍ଟ୍ରୀୟ ହିରୋ ଭାବେ ଗ୍ରହଣ କଲେ, ଏଵଂ ତାକୁ ମାତ୍ର କିଛି ମାସର ଜେଲ୍ ଦଣ୍ଡ ମିଳିଲା।

ଯଦି ଆମେ ଏହି ପୂରା ଘଟଣାକୁ ଦେଖିବା, ତେବେ ଏହା କୌଣସି କ୍ରାଇମ୍ ଥ୍ରୀଲର୍ ନୁହେଁ, ଵରଂ ଏକ ଶ୍ରେଷ୍ଠ ଵ୍ୟଙ୍ଗ୍ୟ କାହାଣୀ ଵିଵେଚିତ ହେଵ । ଦୁନିଆ ଯାହାକୁ ମହାନ୍ ବୋଲି ଭାବେ, ଵାସ୍ତଵରେ ତାହା କେତେ ଦୃଢ଼, ଏ ଘଟଣା ତାର ପ୍ରମାଣ ଦିଏ। 

ମୋନାଲିସା ଚୋରି ହେଵା ପୂର୍ଵରୁ ଏତେ ପ୍ରସିଦ୍ଧ ନଥିଲା। ଏହା ଲୁଵର୍‌ର ଶହ ଶହ ଚିତ୍ର ମଧ୍ୟରୁ ଗୋଟିଏ ଥିଲା। କିନ୍ତୁ ଯେତେବେଳେ ଏହା ଚୋରି ହୋଇଗଲା, ଖବରକାଗଜମାନେ ଏହାକୁ ଏତେ ବଢ଼ାଇ ଚଢ଼ାଇ ଲେଖିଲେ ଯେ, ଏହା ରାତାରାତି ଏକ ଵିଶ୍ୱସ୍ତରୀୟ 'ସେଲିବ୍ରିଟି' ପାଲଟିଗଲା। ଲୋକେ ଖାଲି କାନ୍ଥ ଦେଖିଵା ପାଇଁ ଟିକେଟ୍ କିଣିଵାକୁ ଲାଗିଲେ! ଅର୍ଥାତ୍ ଲୋକେ କଳାକୁ ସମ୍ମାନ କରୁନାହାନ୍ତି ଵରଂ 'ପ୍ରସିଦ୍ଧି' ଓ ଚାଞ୍ଚଲ୍ୟକୁ ସମ୍ମାନ କରୁଛନ୍ତି । ଏକ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ତାହା ଆମ ପାଖରେ ନଥାଏ।

ଆଉ ସେହି କାନ୍ଭାସ୍ ଭିତରେ ବନ୍ଦୀ ଥିଵା ମହିଳା ଜଣକ ସବୁ ଦେଖୁଥିଲା। ସେ ଦେଖିଲା କିପରି ଜଣେ ଇଟାଲୀୟ ତାକୁ କୋଟ୍‌ରେ ଗୁଡ଼ାଇ ନେଇଗଲା, କିପରି ପ୍ୟାରିସ୍ ପୋଲିସ୍ ଖାଲି ହାତରେ ମାଛି ମାରିଲା ଏଵଂ କିପରି ପିକାସୋଙ୍କ ଭଳି ମହାନ୍ ଲୋକେ ତା ପାଇଁ ଥାନାରେ କାନ୍ଦି କାନ୍ଦି ନିଜ ସମ୍ମାନ ହରାଇଲେ। ବୋଧହୁଏ, ମୋନାଲିସାର ସେହି ରହସ୍ୟମୟୀ ହସ ପଛରେ ଏହି ଭଵିଷ୍ୟତର ଘଟଣାକୁ ଦେଖି ଆଗୁଆ ହସିଵାର ଲକ୍ଷଣ ଲୁଚି ରହିଥିଲା। ଅଵଶ୍ୟ ପିକାସୋ ପରେ ଦୁନିଆର ସବୁଠାରୁ ବଡ଼ ଚିତ୍ରକର ହେଲେ। ଆପୋଲିନେୟାର କଵିତାରେ ନୂଆ ଯୁଗ ସୃଷ୍ଟି କଲେ। ଲୁଵର୍ ମ୍ୟୁଜିୟମର ସୁରକ୍ଷା କଡ଼ାକଡ଼ି କରାଗଲା। କିନ୍ତୁ ଇତିହାସର ପୃଷ୍ଠାରେ ସେହି ୧୯୧୧ ମସିହା ସେପ୍ଟେମ୍ବର ୭ ତାରିଖର ଦିନଟି ସବୁଦିନ ପାଇଁ ଲିପିବଦ୍ଧ ହୋଇଗଲା—ଯେଉଁ ଦିନ କଳା ଜଗତର 'ବାଘ'ମାନେ ପୋଲିସ୍ ଷ୍ଟେସନରେ 'ବିରାଡ଼ି' ପାଲଟି ଯାଇଥିଲେ। ଯଦି ଵ୍ୟଙ୍ଗ୍ୟସମ୍ରାଟ୍ ହରିଶଙ୍କର ପରସାଇ ଆଜି ଥାଆନ୍ତେ, ସେ ହୁଏତ ଏହି ଘଟଣା ଉପରେ ଏତିକି କହିଥାନ୍ତେ, "ମହାପୁରୁଷମାନଙ୍କୁ କେଵଳ ପୁସ୍ତକରେ ମହାନ୍ ରହିଵାକୁ ଦିଅ। ଯଦି ସେମାନଙ୍କୁ ଥାନାକୁ ନେଇଆସିଵ, ତେବେ ସେମାନେ ତୁମ ସାହିର ଭିକାରିଠାରୁ ବି ଅଧିକ ଦୟନୀୟ ଦେଖାଯିବେ।"

Sunday, September 6, 2026

ପୃଥିଵୀ ଗୋଲ୍, କିନ୍ତୁ ଠିକଣାଟା ଭୁଲ୍ !

ଆଜ୍ଞା ଆପଣ କେବେ ସେହି ଦାଦା କିମ୍ବା ମଉସାଙ୍କ ସହ ଗାଡ଼ିରେ ବସିଛନ୍ତି କି ଯିଏ ରାସ୍ତା ଭୁଲିଯାଆନ୍ତି କିନ୍ତୁ ନିଜ 'ପୁରୁଷ ଅହଂକାର' ଵା Man ego କାରଣରୁ ପାନ ଦୋକାନୀକୁ ରାସ୍ତା ପଚାରିଵାଟାକୁ ଘୋର ଅପମାନ ବୋଲି ଭାବନ୍ତି ? ତାଙ୍କ ସ୍ତ୍ରୀ ପଛ ସିଟ୍‌ରୁ ଵିରକ୍ତ ହୋଇ କହୁଥିବେ- "ଶୁଣୁଛ, ଆଗରେ କାହାକୁ ପଚାରି ଦିଅ ରାସ୍ତାଟା।" କିନ୍ତୁ ମଉସା ଓଲଟା ରାଗିଯାଇ କହିବେ- "ଆରେ ଚୁପ୍ ବସ, ମୁଁ ସବୁ ଜାଣିଛି, ଏଇଟା ସର୍ଟକଟ୍!" ତହୁଁ ଶେଷରେ ସେ କଟକ ଯିଵା ବାଟରେ ଯାଇ ଖୋର୍ଦ୍ଧାରେ ଗାଡ଼ି ପୂରାଇ ଦେବେ। ଆଉ ତା'ପରେ ଗାଡ଼ିରୁ ଓହ୍ଲାଇ, ଲୋକଙ୍କୁ ଦେଖି ଛାତି ଫୁଲାଇ କହିବେ- "ଦେଖିଲ, ମୁଁ କହୁନଥିଲି ଏଇଟା କଟକର ନୂଆ ବଜାର ବୋଲି!"

ଠିକ୍ ଏହି ପ୍ରକାରର ଏକ ମହାନ୍ କାର୍ଯ୍ୟ କରିଥିଲେ ଜଣେ ଭଦ୍ରଲୋକ। ନାଁ ତାଙ୍କର କ୍ରିଷ୍ଟୋଫର୍ କଲମ୍ବସ୍। ଐତିହାସିକ ତଥ୍ୟ ଅନୁସାରେ ଆଜିର ଦିନରେ ଅର୍ଥାତ୍ ୬ ସେପ୍ଟେମ୍ବର ୧୪୯୨ରେ ଏହି ମହାଶୟ କାନାରୀ ଦ୍ୱୀପପୁଞ୍ଜରୁ ନିଜର ଜାହାଜ ଧରି ସିଧା ବାହାରିଲେ। ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଥିଲା- ଭାରତ ଖୋଜିଵା। କାହିଁକି? କାରଣ ଭାରତରୁ ଗୋଲମରିଚ ଇତ୍ୟାଦି ମସଲା ଆଣି ୟୁରୋପରେ ବେପାର କରିବେ।

ସମସ୍ୟା ହେଲା, ସେତେବେଳେ ତାଙ୍କ ପାଖରେ ଗୁଗଲ୍ ମ୍ୟାପ୍ ନଥିଲା, କେବଳ ଥିଲା ପର୍ଵତାକାର ଆତ୍ମଵିଶ୍ଵାସ । ସେ ହିସାବ କଲେ ଯେ ପୃଥିଵୀ ତ ଗୋଲ୍, ତେଣୁ ପଶ୍ଚିମ ଆଡ଼କୁ ସିଧା ସିଧା ଗଲେ କେଉଁଠି ନା କେଉଁଠି ଇଣ୍ଡିଆ ନିଶ୍ଚୟ ମିଳି ହିଁ ଯିଵ । ଆଜିକାଲି ଆମର Zomato Delivery Boy ଯଦି ୧୫ ମିଟର ରାସ୍ତା ଭୁଲିଯାଏ, ଆମେ ତାକୁ ଫୋନ୍ କରି କେତେ କଥା ଶୁଣାଉ, ଆଉ ଏ ମହାଶୟ ପୂରା ୧୫,୦୦୦ କିଲୋମିଟର ରାସ୍ତା ଭୁଲିଗଲେ!

ଭାରତ ଖୋଜିଵାକୁ ବାହାରିଥିଵା ଲୋକ ମାସେ ପରେ (ଅକ୍ଟୋବର ୧୨ ତାରିଖରେ) ଯାଇ ପହଞ୍ଚିଗଲେ ଆମେରିକାର ବାହାମାସ୍ ଦ୍ୱୀପରେ। ଯଦି ସେ ଜଣେ ସାଧାରଣ ଓ ସଚ୍ଚୋଟ ଲୋକ ହୋଇଥାନ୍ତେ, ତେବେ ମୁଣ୍ଡ କୁଣ୍ଡାଇ କହିଥାନ୍ତେ- "କ୍ଷମା କରିଵ ଭାଇମାନେ,ଆମେ ଭୁଲ୍ ଠିକଣାରେ ପହଞ୍ଚିଗଲେ । ଏଇଟା ଇଣ୍ଡିଆ ନୁହେଁ।"

କିନ୍ତୁ ନା! କଲମ୍ବସ୍ ଥିଲେ ଅଲଗା ପ୍ରକୃତିର ମଣିଷ, ସମ୍ପୂର୍ଣ୍ଣ 'Male ego'ର ଜ୍ଵଳନ୍ତ ଉଦାହରଣ। ସେ ସେଠାକାର ସ୍ଥାନୀୟ ଲୋକଙ୍କୁ ଦେଖିଲେ, ଯେଉଁମାନେ ଆଦୌ ଭାରତୀୟଙ୍କ ପରି ଦିଶୁନଥିଲେ କି ମସଲା ବେପାର ଵିଷୟରେ କିଛି ଜାଣିନଥିଲେ। ତଥାପି କଲମ୍ବସ୍ ନିଜ ଜିଦ୍‌ରେ ଅଟଳ। ସେ ସେମାନଙ୍କୁ ଦେଖି ଘୋଷଣା କଲେ- "ମିଳିଗଲା ଇଣ୍ଡିଆ! ଆଉ ତୁମେ ସବୁ ହେଉଛ ଇଣ୍ଡିଆନ୍!" ସେବେଠାରୁ ସେହି ଵିଚରା ଆମେରିକାର ମୂଳ ନିଵାସୀମାନେ ବିନା ଦୋଷରେ 'ରେଡ୍ ଇଣ୍ଡିଆନ୍ସ' ହୋଇଯାଇଛନ୍ତି।
ଭାବନ୍ତୁ ତ ଥରେ, କେଡ଼େ ବଡ଼ ଧୃଷ୍ଟତା! ଲୋକଟି ଅନ୍ଧାରରେ ବାଡ଼ି ବୁଲାଇଲା, ବାଡ଼ି ଯାଇ ବାଜିଲା ଆମେରିକା ମୁଣ୍ଡରେ, ଆଉ ସେ ସେହି ଦେଶକୁ ଭାରତ ବୋଲି ରେଜିଷ୍ଟ୍ରି କରିଦେଲା ! ସବୁଠୁ ମଜାଦାର କଥା ହେଉଛି, ଆଜୀଵନ ସେ ଏହି ଭ୍ରମରେ ବଞ୍ଚିଲା ଯେ ସେ ଭାରତକୁ ଯିଵାର ସର୍ଟକଟ୍ ବାହାର କରିଦେଇଛି। ୧୫୦୬ ମସିହାରେ ମଲା ବେଳକୁ ବି ତା'ର ଦୃଢ଼ ଧାରଣା ଥିଲା ଯେ ସେ ଯେଉଁ ଜାଗା ବୁଲିକି ଆସିଛି, ତାହା ଏସିଆର ହିଁ କୌଣସି ନା କୌଣସି ଅଂଶ।

ଏଥିରୁ ପ୍ରମାଣିତ ହୁଏ ଯେ, ଦୁନିଆର ଇତିହାସ ବଡ଼ ଵିଚିତ୍ର। ଯଦି ଆପଣ ଛୋଟ ଭୁଲ୍ କରିବେ, ତେବେ ଲୋକେ ଆପଣଙ୍କୁ ବୋକା କହିବେ। କିନ୍ତୁ ଯଦି ଆପଣ ଏତେ ବଡ଼ ଭୁଲ୍ କରିବେ ଯେ ପୂରା ମାନଵ ସମାଜର ମାନଚିତ୍ର ବଦଳିଯିଵ, ତେବେ ଇତିହାସ ବହିରେ ଆପଣଙ୍କ ନାଁ ସ୍ଵର୍ଣ୍ଣ ଅକ୍ଷରରେ ଲେଖାଯିବ ଆଉ ସ୍କୁଲ୍ ପିଲାମାନେ ଆପଣଙ୍କୁ 'ମହାନ୍ ଆଵିଷ୍କାରକ' ବୋଲି ଘୋଷିବେ!

Thursday, September 3, 2026

ସୁୟାମା ହତ୍ୟାକାଣ୍ଡ (୧୯୩୮): ଏକ ଐତିହାସିକ ରକ୍ତାକ୍ତ ଅଧ୍ୟାୟର ମନସ୍ତାତ୍ତ୍ୱିକ ଵିଶ୍ଳେଷଣ

ଜାପାନର Okayama ପ୍ରଦେଶର Tsuyama ନିକଟସ୍ଥ Kamocho Kurami ନାମକ ଏକ ଶାନ୍ତ ଆଉ ନିଛାଟିଆ ଗାଁ। ସେହି କାମୋଚୋ କୁରାମି ଗାଆଁରେ Mutsuo Toi ନାମକ ଜଣେ ପିଲା ଏକ ସମ୍ଭ୍ରାନ୍ତ ଓ ଧନୀ ପରିଵାରରେ ଜନ୍ମଗ୍ରହଣ କରିଥିଲା। କିନ୍ତୁ ପିଲାଦିନରୁ ହିଁ ତାର ଭାଗ୍ୟ ତା ସହ ଛଳନା କରିଥିଲା। ଯେତେବେଳେ ସେ ଖୁବ୍ ଛୋଟ ଥିଲା, ତାର ବାପା ଓ ମାଆ ଉଭୟଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇଥିଲା। ସେହି ସମୟରେ ଯକ୍ଷ୍ମା ଏକ ଭୟଙ୍କର ତଥା ଅସାଧ୍ୟ ରୋଗ ଥିଲା ଏଵଂ ସମାଜରେ ଏହାକୁ ନେଇ ଅନେକ ଅନ୍ଧଵିଶ୍ୱାସ ଓ ଘୃଣା ଥିଲା।
ମାତାପିତାଙ୍କ ମୃତ୍ୟୁ ପରେ ମୁତ୍ସୁଓ ଏଵଂ ତାର ବଡ଼ ଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କ ଜେଜେମାଆ ନେଇଥିଲେ। ମୁତ୍ସୁଓ ପାଠପଢ଼ାରେ ଅତ୍ୟନ୍ତ ମେଧାଵୀ ଥିଲା। ଶିକ୍ଷକମାନେ ତାକୁ ନେଇ ବହୁତ ଆଶା ରଖିଥିଲେ। କିନ୍ତୁ ଜେଜେମାଆ ତାକୁ ନେଇ ଅତ୍ୟନ୍ତ ସୁରକ୍ଷାତ୍ମକ ଥିଲେ। ସେ ମୁତ୍ସୁଓକୁ ଅଧିକ ପାଠ ପଢ଼ିଵାକୁ ଦେଲେ ନାହିଁ ଏଵଂ ଗାଁରେ ହିଁ ରଖିଲେ। ମୁତ୍ସୁଓର ମାନସିକ ଵିକାଶ ଏକ ସଙ୍କୁଚିତ ପରିଵେଶରେ ହେଵାକୁ ଲାଗିଲା।
ସେହି ସମୟରେ ଜାପାନର ଗ୍ରାମାଞ୍ଚଳରେ 'Yobai' ନାମକ ଏକ ପୁରୁଣା ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ, ଅଵିଵାହିତ ଯୁଵକମାନେ ରାତିରେ ସମ୍ମତି କ୍ରମେ ଯୁଵତୀମାନଙ୍କ ଘରକୁ ଯାଇ ପାରୁଥିଲେ। ମୁତ୍ସୁଓ ମଧ୍ୟ ଏହି ପ୍ରଥାରେ ଅଂଶଗ୍ରହଣ କରୁଥିଲା ଏଵଂ ଗାଁର କିଛି ମହିଳାଙ୍କ ସହ ତାର ସମ୍ପର୍କ ଥିଲା।
କିନ୍ତୁ ୧୯୩୭ ମସିହାରେ ସବୁକିଛି ବଦଳିଗଲା। ମୁତ୍ସୁଓ ନିଜେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଗଲା। ୧୯୩୦ ଦଶକର ଜାପାନରେ ଯକ୍ଷ୍ମା ରୋଗୀଙ୍କୁ ସମାଜରୁ ଏକଘରକିଆ କରିଦିଆଯାଉଥିଲା, କାରଣ ଏହା ସଂକ୍ରାମକ ଥିଲା ଏଵଂ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ଯେଉଁ ଗାଁ ଲୋକମାନେ ଦିନେ ତାକୁ ସମ୍ମାନ କରୁଥିଲେ, ସେମାନେ ତାକୁ ଘୃଣା କରିଵାକୁ ଲାଗିଲେ। ଯେଉଁ ମହିଳାମାନଙ୍କ ସହ ତାର ସମ୍ପର୍କ ଥିଲା, ସେମାନେ ତାକୁ ପ୍ରତ୍ୟାଖ୍ୟାନ କଲେ ଏଵଂ ତାକୁ ଅପମାନିତ କଲେ।
ଏହି ପ୍ରତ୍ୟାଖ୍ୟାନ ମୁତ୍ସୁଓର ମାନସିକ ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା। ସେ ଅନୁଭଵ କଲା ଯେ ତାର ଜୀଵନର ଆଉ କୌଣସି ମୂଲ୍ୟ ନାହିଁ ଏଵଂ ଗ୍ରାମଵାସୀଙ୍କ ଏହି ଅମାନୁଷିକ ଵ୍ୟଵହାର ତାର ହୃଦୟରେ ପ୍ରତିଶୋଧର ଵହ୍ନି ଜାଳି ଦେଇଥିଲା। ମୁତ୍ସୁଓ ଜାଣି ସାରିଥିଲା ଯେ ସେ ବେଶୀ ଦିନ ବଞ୍ଚିଵ ନାହିଁ। ତେଣୁ ସେ ନିଷ୍ପତ୍ତି ନେଲା ଯେ ସେ ମରିଵା ପୂର୍ଵରୁ ସେହି ସମସ୍ତ ଲୋକଙ୍କୁ ମାରିଵ ଯେଉଁମାନେ ତାକୁ ଅପମାନିତ କରିଛନ୍ତି। ସେ ଅତ୍ୟନ୍ତ ସତର୍କତାର ସହ ନିଜର ଯୋଜନା ପ୍ରସ୍ତୁତ କଲା ‌।
ମୁତ୍ସୁଓ ଲୁଚି ଛପି ଅସ୍ତ୍ର କିଣିଵା ଆରମ୍ଭ କଲା। ସେ ଗୋଟିଏ ବ୍ରାଉନିଂ ସଟ୍-ଗନ୍, ଗୋଟିଏ ଜାପାନୀ ଖଣ୍ଡା ଏଵଂ ଦୁଇଟି ଛୁରୀ ଯୋଗାଡ଼ କଲା। ଏଥିପାଇଁ ତାର ବନ୍ଧୁକ ଲାଇସେନ୍ସ ମଧ୍ୟ ଜବତ କରାଯାଇଥିଲା, କିନ୍ତୁ ସେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଏକାଠି କରିଵାରେ ସଫଳ ହେଲା। ମୁତ୍ସୁଓ ରାତିରେ ଜଙ୍ଗଲକୁ ଯାଇ ଗଛଗୁଡ଼ିକ ଉପରେ ଟାର୍ଗେଟ୍ ଅଭ୍ୟାସ କରୁଥିଲା ଯାହା ଫଳରେ ତାର ଗୁଳି କଦାପି ଲକ୍ଷ୍ୟଭ୍ରଷ୍ଟ ନ ହୁଏ। ସେ ଏକ ବିସ୍ତୃତ ଚିଠି ଲେଖିଥିଲା, ଯେଉଁଥିରେ ସେ ନିଜର କ୍ରୋଧ ଏଵଂ ଗ୍ରାମଵାସୀଙ୍କ ଵ୍ୟଵହାର ଵିଷୟରେ ଵର୍ଣ୍ଣନା କରିଥିଲା। ମୁତ୍ସୁଓ ଲେଖିଥିଲା ଯେ, ଯେଉଁମାନେ ତାକୁ ସମ୍ମାନ କରିଛନ୍ତି, ସେ ସେମାନଙ୍କୁ କିଛି କରିଵ ନାହିଁ।

ମଇ ୨୦ ତାରିଖ ସନ୍ଧ୍ୟା। ମୁତ୍ସୁଓ ଗାଁକୁ ଆସୁଥିଵା ସମସ୍ତ ଵିଦ୍ୟୁତ୍ ତାରକୁ କାଟି ଦେଲା। ସମ୍ପୂର୍ଣ୍ଣ କାମୋଚୋ କୁରାମି ଗାଁ ଘନ ଅନ୍ଧକାରରେ ବୁଡ଼ିଗଲା। ଲୋକମାନେ ଭାବିଲେ ଏହା ଏକ ସାଧାରଣ ଵିଦ୍ୟୁତ୍ ଵିଭ୍ରାଟ, ତେଣୁ ସମସ୍ତେ ଶୋଇଵାକୁ ଚାଲିଗଲେ। ଏଠାରେ ତିରିଶ ଦଶକରେ ଜାପାନର ଏକ ଗାଆଁରେ ଵିଦ୍ୟୁତ୍ ଥିଵା କଥା ପଢ଼ି କିଛି ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ଏହା ଐତିହାସିକ ଭାବେ ସତ୍ୟ ଅଟେ । ୧୯୩୦ ଦଶକ ବେଳକୁ ଜାପାନ ଵିଶ୍ୱର ଅନ୍ୟତମ ଦ୍ରୁତ ଵିଦ୍ୟୁତକରଣ ହୋଇଥିଵା ଦେଶ ଥିଲା। ଊନଵିଂଶ ଶତାବ୍ଦୀର ଶେଷ ଭାଗରୁ ଜାପାନ ତାର ଶିଳ୍ପ ଓ ଭିତ୍ତିଭୂମିର ଦ୍ରୁତ ଵିକାଶ କରିଥିଲା। ୧୯୩୫ ମସିହା ସୁଦ୍ଧା, ଜାପାନର ପ୍ରାୟ ୮୯% ରୁ ୯୦% ଘରେ ଵିଦ୍ୟୁତ୍ ସଂଯୋଗ ପହଞ୍ଚି ସାରିଥିଲା। ଏଥିରେ କେଵଳ ସହର ନୁହେଁ ଵରଂ 'କାମୋଚୋ କୁରାମି' ଭଳି ଅନେକ ଦୁର୍ଗମ ଗ୍ରାମାଞ୍ଚଳ ମଧ୍ୟ ଥିଲା।

ମୁତ୍ସୁଓ ତୋଇ ଅତ୍ୟନ୍ତ ଚାଲାକ୍ ଥିଲା। ସେ ଜାଣିଥିଲା ଯେ ମାତ୍ର ଗୋଟିଏ ଗୁଳି ଶବ୍ଦ ଶୁଣିଲେ ଗାଁ ଲୋକେ ସଙ୍ଗେ ସଙ୍ଗେ ଘରର ଲାଇଟ୍ ଜଳାଇଦେବେ ଏଵଂ ତାକୁ ଚିହ୍ନି ପାରିବେ କିମ୍ବା ଆକ୍ରମଣରୁ ବର୍ତ୍ତିଵା ପାଇଁ ଲୁଚି ଯିବେ। ତେଣୁ ସେ ଗାଁକୁ ଯାଇଥିଵା ମୁଖ୍ୟ ଵିଦ୍ୟୁତ୍ ଲାଇନ୍ କାଟି ଦେଇଥିଲା, ଯାହା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାରମୟ ହୋଇଯାଇଥିଲା।

ରାତି ପ୍ରାୟ ୧:୩୦। ମୁତ୍ସୁଓ ଏକ ଭୟଙ୍କର ବେଶ ଧାରଣ କଲା। ସେ ଏକ କଳା ରଙ୍ଗର ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଲା। ଅନ୍ଧାରରେ ଦେଖିଵା ପାଇଁ ସେ ନିଜ ମୁଣ୍ଡରେ ଦୁଇଟି ଫ୍ଲାସଲାଇଟ୍ (Flashlight) ବାନ୍ଧିଲା, ଯାହା ତାକୁ ଏକ ଜାପାନୀ ଦୈତ୍ୟ (Oni) ଭଳି ଦେଖାଉଥିଲା। ଛାତିରେ ଗୋଟିଏ ସାଇକେଲ୍ ଲ୍ୟାମ୍ପ୍ ଝୁଲାଇଲା, ହାତରେ ବ୍ରାଉନିଂ ଗନ୍ ଏଵଂ ଅଣ୍ଟାରେ ଖଣ୍ଡା ଓ ଛୁରୀ ରଖିଲା।

ଵିଦ୍ୟୁତ୍ କାଟିଦେଵା ପରେ ଗାଁରେ ଯେଉଁ ଘନ ଅନ୍ଧକାର ସୃଷ୍ଟି ହେଲା, ସେଥିରେ କେଵଳ ମୁତ୍ସୁଓ ପାଖରେ ଆଲୁଅ ଥିଲା। ସେ ମୁଣ୍ଡରେ ବାନ୍ଧିଥିଵା ଦୁଇଟି ଫ୍ଲାସଲାଇଟ୍ କାରଣରୁ ନିଜ ଶିକାରମାନଙ୍କୁ ସ୍ପଷ୍ଟ ଦେଖିପାରୁଥିଲା, କିନ୍ତୁ ନିଦରୁ ଉଠିଥିଵା ଆତଙ୍କିତ ଗ୍ରାମଵାସୀ ଅନ୍ଧାରରେ କିଛି ବୁଝିପାରୁନଥିଲେ କି ବାଟ ପାଇନଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ବିଚଳିତ କଲାଭଳି ତଥ୍ୟ ହେଉଛି, ତାର ପ୍ରଥମ ଶିକାର ଥିଲେ ତାର ୭୬ ଵର୍ଷୀୟା ଜେଜେମାଆ। ମୁତ୍ସୁଓ ଶୋଇଥିଵା ଅଵସ୍ଥାରେ ନିଜ ଜେଜେମାଆଙ୍କ ମୁଣ୍ଡକୁ କାଟି ଦେଇଥିଲା। ସୁଇସାଇଡ୍ ନୋଟ୍ ଅନୁଯାୟୀ, ମୁତ୍ସୁଓ ଏହା ଏଥିପାଇଁ କରିଥିଲା କାରଣ ସେ ଚାହୁଁନଥିଲା ଯେ ଏକ 'ଖୁନୀର ଜେଜେମାଆ' ଭାବରେ ସେ ସମାଜରେ ବଞ୍ଚି ରହି ଲୋକଙ୍କ ଘୃଣା ଓ ଲାଞ୍ଛନା ସହନ୍ତୁ। ତା ଦୃଷ୍ଟିରେ ଏହା ଥିଲା ଏକ "ନିଷ୍ଠୁର ଦୟା" ।

ଜେଜେମାଆଙ୍କୁ ହତ୍ୟା କରିଵା ପରେ ମୁତ୍ସୁଓ ଘରୁ ବାହାରିଲା। ସେହି ଘନ ଅନ୍ଧକାର ରାତିରେ, ମୁଣ୍ଡରେ ଦୁଇଟି ଆଲୁଅ ଜଳାଇ ସେ ଗୋଟିଏ ପରେ ଗୋଟିଏ ଘରକୁ ପଶିଵାକୁ ଲାଗିଲା। ତାର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା— ସେ କେଵଳ ସେହି ଘରଗୁଡ଼ିକୁ ଟାର୍ଗେଟ୍ କରିଥିଲା ଯେଉଁମାନେ ତାକୁ ଅପମାନିତ କରିଥିଲେ କିମ୍ବା ପ୍ରତ୍ୟାଖ୍ୟାନ କରିଥିଲେ।

ଦେଢ଼ ଘଣ୍ଟା ଧରି ଗାଁରେ ମୃତ୍ୟୁର ନୃତ୍ୟ ଚାଲିଲା। ନିଦ୍ରାରେ ଥିଵା ଲୋକମାନେ କିଛି ବୁଝିଵା ପୂର୍ଵରୁ ହିଁ ମୁତ୍ସୁଓର ଗୁଳି ଓ ଖଣ୍ଡା ଚୋଟରେ ଟଳି ପଡୁଥିଲେ। ମୁତ୍ସୁଓ ସର୍ଵମୋଟ୍ ୧୧ଟି ଘରେ ପ୍ରଵେଶ କରିଥିଲା।
କେତେକଙ୍କୁ ସେ ସଟ୍-ଗନ୍‌ରେ ଗୁଳି କରି ହତ୍ୟା କଲାବେଳେ ଆଉ କେତେକଙ୍କୁ ଖଣ୍ଡାରେ ଅତି ନିର୍ଦ୍ଦୟ ଭାବେ ହାଣି ପକାଇଲା।

ଗୋଟିଏ ଘରେ ସେ ଜଣେ ଵୃଦ୍ଧଙ୍କୁ ଛାଡି଼ ଦେଇଥିଲା କାରଣ ସେହି ଵୃଦ୍ଧ ଜଣକ ତାକୁ କେବେହେଲେ ଖରାପ କଥା କହି ନଥିଲେ। ମୁତ୍ସୁଓ ତାଙ୍କ ଆଗରେ ଠିଆ ହୋଇ କହିଥିଲା, "ତୁମେ ମୋତେ କେବେ କଷ୍ଟ ଦେଇନାହଁ, ତେଣୁ ତୁମେ ବଞ୍ଚି ରହିଵ।" ଏହି ଘଟଣା ପ୍ରମାଣ କରେ ଯେ ସେ ପାଗଳ ନଥିଲା ଵରଂ ସମ୍ପୂର୍ଣ୍ଣ ଚେତନା ଏଵଂ ହିସାବ ସହ ହତ୍ୟା କରୁଥିଲା।

ମାତ୍ର ୯୦ ମିନିଟ୍ ଭିତରେ ସେ ୨୭ ଜଣଙ୍କୁ ଘଟଣାସ୍ଥଳରେ ହିଁ ହତ୍ୟା କରିଥିଲା ଏଵଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଛୋଟ ପିଲାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଥିଲେ। ଏହି ଭୟଙ୍କର ନରସଂହାରରେ ସମ୍ପୂର୍ଣ୍ଣ ଗାଁର ଜନସଂଖ୍ୟାର ଏକ ବଡ଼ ଅଂଶ ନିଶ୍ଚିହ୍ନ ହୋଇଯାଇଥିଲା।
ଏହି ହତ୍ୟାକାଣ୍ଡ ସମୟରେ ମୁତ୍ସୁଓ ତୋଇ ମୋଟ୍ ୧୧ଟି ଘରେ ପ୍ରଵେଶ କରି ସେଠାକାର ଲୋକଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ସେହି କ୍ଷୁଦ୍ର ଗାଁରେ ମୋଟ୍ ୨୨ରୁ ୨୩ଟି ପରିଵାର ଵାସ କରୁଥିଲେ, ଯାହା ଭିତରୁ ପ୍ରାୟ ଅଧାଅଧି ଅର୍ଥାତ୍ ୧୧ଟି ପରିଵାରର ଲୋକେ ଏହି ଜଘନ୍ୟକାଣ୍ଡର ଶିକାର ହୋଇଥିଲେ।  

ହତ୍ୟାକାଣ୍ଡ ଶେଷ ହେଵା ପରେ, ସକାଳ ପାହି ଆସୁଥିଲା। ମୁତ୍ସୁଓ ତୋଇ ନିଜ ଘରକୁ ଆଉ ଫେରିଲା ନାହିଁ। ସେ ରକ୍ତଭିଜା ଅଵସ୍ଥାରେ ପାଖରେ ଥିଵା ଏକ ପାହାଡ଼ ଉପରକୁ ଚଢ଼ିଲା। ସେଠାରେ ସେ ଶାନ୍ତ ଭାବରେ ବସିଲା।

ସେ ନିଜର ଶେଷ ଚିଠି ରୂପେ ନିଜର Suicide Note କାଢ଼ିଲା ଏଵଂ ସେଥିରେ ଆଉ କିଛି ଧାଡ଼ି ଯୋଡ଼ିଲା। ସେ ଲେଖିଥିଲା:
"ମୁଁ ଯାହା କରିଵାକୁ ଚାହୁଁଥିଲି, ତାହା କରିସାରିଛି। ଏବେ ମୋର ମରିଵାର ସମୟ ଆସିଯାଇଛି। ମୁଁ ଜାଣେ ମୁଁ ଏକ ବଡ଼ ପାପ କରିଛି, କିନ୍ତୁ ସେମାନେ ମଧ୍ୟ ନିର୍ଦ୍ଦୋଷ ନଥିଲେ। ମୋର ଏକମାତ୍ର ଦୁଃଖ ଯେ, କିଛି ଲୋକଙ୍କୁ ମୁଁ ମାରିପାରିଲି ନାହିଁ କାରଣ ସେମାନେ ଆଜି ଗାଁରେ ନଥିଲେ।"
ଏହା ପରେ, ସେ ନିଜ ସଟ୍-ଗନ୍‌ର ବ୍ୟାରେଲକୁ ନିଜ ଛାତି ଆଡ଼କୁ କଲା ଏଵଂ ଟ୍ରିଗର ଦବାଇ ଦେଲା। ୨୧ ଵର୍ଷୀୟ ମୁତ୍ସୁଓ ତୋଇର କାହାଣୀ ସେହି ପାହାଡ଼ ଉପରେ ଶେଷ ହୋଇଗଲା।
ସୁୟାମା ହତ୍ୟାକାଣ୍ଡ ଜାପାନ ଇତିହାସରେ ଏକ ସବୁଠାରୁ କଳା ଅଧ୍ୟାୟ ହୋଇ ରହିଗଲା। ଏହି ଘଟଣା ସେହି ସମୟରେ ଜାପାନ ସରକାରଙ୍କୁ ଦୋହଲାଇ ଦେଇଥିଲା। ଏହା କେଵଳ ଏକ ହତ୍ୟାକାଣ୍ଡ ନଥିଲା ବରଂ ଏହା ଥିଲା ଏକ ମନସ୍ତାତ୍ତ୍ୱିକ ଦୁର୍ଵିପାକର ପରିଣାମ।

ସାମାଜିକ ଅଵହେଳା, ରୋଗ ପ୍ରତି ଥିଵା ଲୋକଙ୍କ ଅନ୍ଧଵିଶ୍ୱାସ ଏଵଂ ଜଣେ ଵ୍ୟକ୍ତିକୁ କ୍ରମାଗତ ଭାବେ ମାନସିକ ସ୍ତରରେ ନିର୍ଯାତନା ଦେଲେ ତାର ପରିଣାମ କେତେ ଭୟାନକ ହୋଇପାରେ, ଏହା ତାର ଏକ ଜୀଵନ୍ତ ତଥା ରକ୍ତାକ୍ତ ପ୍ରମାଣ ଥିଲା। ସମ୍ପୂର୍ଣ୍ଣ ଗାଁର ସାମାଜିକ ସ୍ଥିତି ଏହି ଘଟଣା ପରେ ଭୁଶୁଡ଼ି ପଡ଼ିଥିଲା। 

ଆଜି ବି ଅପରାଧ ଵିଜ୍ଞାନୀ ଓ ମନୋଵିଜ୍ଞାନୀମାନେ ମୁତ୍ସୁଓ ତୋଇର କାର୍ଯ୍ୟକଳାପକୁ ନେଇ ଗଵେଷଣା କରିଥାନ୍ତି।
ଗୋଟିଏ ଗାଁର ଲୋକେ ମିଶି ଜଣକୁ ମାନସିକ ସ୍ତରରେ ମାରିଦେଲେ ଏଵଂ ସେହି ଗୋଟିଏ ଲୋକ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ଗାଁକୁ ମୃତ୍ୟୁର ତାଣ୍ଡଵ ଦେଖାଇ ଦେଲା। ଇତିହାସର ଏହି ସତ୍ୟ ଘଟଣା ଯେକୌଣସି କାଳ୍ପନିକ ଥ୍ରିଲର୍ ଠାରୁ ମଧ୍ୟ ଅଧିକ ଭୟଙ୍କର ଅଟେ ।

ପରେ ୧୯୩୮ର ଏହି କାମୋଚୋ କୁରାମି ଗଣହତ୍ୟା (ସୁୟାମା ହତ୍ୟାକାଣ୍ଡ) ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ଜାପାନର ଜଣାଶୁଣା ରହସ୍ୟ ଉପନ୍ୟାସକାର ସେଇସି ୟୋକୋମାଜୋ ଏକ ଉପନ୍ୟାସ ଲେଖିଥିଲେ ଯାହାର ନାଆଁ "The Village of Eight Graves" (ଜାପାନୀ- Yatsuhaka-mura) ଥିଲା ।‌ ସୁୟାମା ହତ୍ୟାକାଣ୍ଡ କାହାଣୀ ଉପରେ ଆଧାରିତ ହୋଇ ୧୯୮୩ ମସିହାରେ ଏକ ପ୍ରସିଦ୍ଧ ଜାପାନୀ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।
ଏହି ଫିଲ୍ମଟିର ନାମ ହେଉଛି "Village of Doom" (ଜାପାନୀ-Ushimitsu no mura)। ଏହି ଚଳଚ୍ଚିତ୍ରକୁ ଜଣାଶୁଣା ଜାପାନୀ ନିର୍ଦ୍ଦେଶକ ନୋବୋରୁ ତାନାକା ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ମୁତ୍ସୁଓ ତୋଇଙ୍କ ଜୀଵନ, ସାମାଜିକ ବାସନ୍ଦ, ଯକ୍ଷ୍ମା ରୋଗର ଭୟ ଏଵଂ ତା'ର ମାନସିକ ଅଵକ୍ଷୟ କାରଣରୁ କିପରି ସେ ଏଭଳି ଏକ ଜଘନ୍ୟ ଗଣହତ୍ୟା ଘଟାଇଥିଲା, ତାହାକୁ ଅତି ନିଖୁଣ ଓ ମର୍ମନ୍ତୁଦ ଭାବେ ପ୍ରଦର୍ଶନ କରିଛି। ଏହି ଭୟାନକ ଘଟଣାକୁ ନେଇ Japan's Darkest Night - Tsuyama Massacre documentary ଭଳି କିଛି ଵୃତ୍ତଚିତ୍ର ମଧ୍ୟ ରହିଛି । 

ସୁୟାମା ହତ୍ୟାକାଣ୍ଡରୁ ଅନ୍ତତଃ ଏତିକି ଶିକ୍ଷା ମିଳେ ଯେ ଜଣେ ଵ୍ୟକ୍ତି ଵିରୁଦ୍ଧରେ ସମଗ୍ର ସମାଜର ମିଳିତ ଅଵହେଳା, ଉପହାସ ଓ ନିର୍ଯାତନା କେଵଳ ଏକ ଵ୍ୟକ୍ତିଗତ ଅନ୍ୟାୟ ନୁହେଁ ଵରଂ ଏହା ସାମାଜିକ ଚେତନାର ଏକ ଗଭୀର ପତନ ଅଟେ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିଵାରୁ ତାର ଅସ୍ତିତ୍ୱ, ଆତ୍ମସମ୍ମାନ ଓ ମାନସିକ ସନ୍ତୁଳନ ପାଇଁ ସମାଜର ସହାନୁଭୂତି ଓ ଆଶ୍ରୟ ଅପରିହାର୍ଯ୍ୟ। କିନ୍ତୁ ଯେତେବେଳେ ବହୁସଂଖ୍ୟକ ଲୋକ ମିଶି ଜଣେ ଦୁର୍ଵଳ ଵା ଅସହାୟ ଵ୍ୟକ୍ତିକୁ କ୍ରମାଗତ ଭାବେ ଲାଞ୍ଛିତ, ଅପମାନିତ ଓ ନିର୍ଯାତନାର ଶିକାର କରନ୍ତି, ସେତେବେଳେ ସେମାନେ ଅଜାଣତରେ ହିଂସାର ଏକ ଏପରି ଅଗ୍ନି ପ୍ରଜ୍ୱଳିତ କରନ୍ତି ଯାହା ଶେଷରେ ସମଗ୍ର ଵ୍ୟଵସ୍ଥାକୁ ଗ୍ରାସ କରିନିଏ।

କୌଣସି ଵ୍ୟକ୍ତିକୁ ମାନସିକ ସ୍ତରରେ ଯନ୍ତ୍ରଣା ଦେଇ ଦେଇ ମାରିଦେଵା ଶାରୀରିକ ହିଂସାଠାରୁ ମଧ୍ୟ ଅଧିକ ଭୟଙ୍କର। ଯେତେବେଳେ ସମାଜ ଜଣେ ମଣିଷର ମାନଵିକତାକୁ ଅସ୍ୱୀକାର କରି ତାକୁ ବାସନ୍ଦ କରେ, ସେତେବେଳେ ସେହି ଵ୍ୟକ୍ତି ଭିତରେ ଥିଵା ସକରାତ୍ମକ ଜୀଵନବୋଧ ନଷ୍ଟ ହୋଇଯାଇ ପ୍ରତିଶୋଧର ଵିକୃତ ଵିଷ ଵଳୟ ସୃଷ୍ଟି ହୁଏ। ତେଣୁ ଅନ୍ୟର ପ୍ରତି ସମ୍ବେଦନଶୀଳତା, କ୍ଷମା ଓ ମାନବିକ ମର୍ଯ୍ୟାଦା ବଜାୟ ରଖିଵା କେଵଳ ଏକ ନୈତିକ କର୍ତ୍ତଵ୍ୟ ନୁହେଁ ଵରଂ ନିଜର ଅସ୍ତିତ୍ୱକୁ ସୁରକ୍ଷିତ ରଖିଵାର ଏକମାତ୍ର ଉପାୟ। କାହାରିକୁ ମାନସିକ ସ୍ତରରେ ଅତିଷ୍ଠ କରିଵା ମାନେ ନିଜ ପାଇଁ ଏକ ଵିନାଶକାରୀ ଝଡ଼କୁ ଆମନ୍ତ୍ରଣ କରିଵା ସହିତ ସମାନ।

Wednesday, September 2, 2026

ଜୌହର: ଅଵିନଶ୍ୱର ଆତ୍ମସମ୍ମାନର ପ୍ରଜ୍ୱଳିତ ଶିଖା

ମଣିଷ ଜାତିର ଇତିହାସକୁ ଟିକିଏ ଦୂରରୁ ନିରୀକ୍ଷଣ କଲେ ଗୋଟିଏ କଥା ସ୍ପଷ୍ଟ ଜଣାପଡ଼େ ଯେ ନିଜର ସଭ୍ୟତା ଵା ଉନ୍ନତିକୁ ନେଇ ଅହଂକାର କରୁଥିଵା ଆକ୍ରାନ୍ତାମାନେ ସଦାସର୍ଵଦା ଭାବୁଥିଲେ ଯେ ତରବାରି ଧାରରେ ମହଲ ଜିତିନେଲେ ସମ୍ପୂର୍ଣ୍ଣ ଵିଜୟ ମିଳିଯାଏ। ଉନ୍ମତ୍ତ ଵିଦେଶୀ ସେନା ଯେତେବେଳେ ଦୁର୍ଗ ବାହାରେ ଘେରାଉ କରି ନିଜର ଆଗାମୀ ଲୁଟ୍‌ତରାଜ୍‌ ଓ ପାଶବିକ ଉଲ୍ଲାସର ହିସାବ କିତାବ କରୁଥିଲେ, ସେତେବେଳେ ସେମାନେ ଆଶା କରିଥିଲେ ଯେ ଵିଜେତା ଭାବେ ଦୁର୍ଗ ଦ୍ୱାର ଖୋଲିଲେ ସେମାନଙ୍କୁ ପ୍ରଚୁର ସମ୍ପତ୍ତି ଓ ବନ୍ଦୀ ମହିଳାଙ୍କ ଦାସତ୍ୱର ଉପହାର ମିଳିଵ। କିନ୍ତୁ ରାଜପୁତାନାର ମାଟିରେ ଵିଜେତାମାନଙ୍କର ସେହି କାମନା ଜଳିପୋଡ଼ି ଛାରଖାର ହୋଇଯାଉଥିଲା।
ପିଶାଚ ଅଲାଉଦ୍ଦୀନ ଖିଲଜି ଭଳି ଡକାୟତ ଚିତ୍ତୋଡ଼ଗଡ଼ ଦୁର୍ଗ ବାହାରେ ମାସ ମାସ ଧରି ତମ୍ବୁ ଗାଡ଼ି ବସିଥିଲା, ମନରେ କେଵଳ ଗୋଟିଏ ଅଭିଳାଷ—ରୂପସୀ ରାଣୀ ପଦ୍ମିନୀଙ୍କୁ ବନ୍ଦୀ କରି ନିଜର ଵିଜୟର ପ୍ରତୀକ କରିଵ। କିନ୍ତୁ ଯେତେବେଳେ ଦୁର୍ଗର କପାଟ ଖୋଲିଲା, ସେତେବେଳେ ସେ ଵିଜେତା ପାଇଲା କ’ଣ? କେଵଳ ଗୋଟିଏ ଵିଶାଳ ଅଗ୍ନିକୁଣ୍ଡର ଶୀତଳ ଧୂଆଁ ଏଵଂ କିଛି ମୁଠା ଭସ୍ମ। ଯେଉଁ ସାମ୍ରାଜ୍ୟଵାଦୀ ଅହଙ୍କାର ଭାବୁଥିଲା ଯେ ନାରୀର ଦେହ ଓ ସମ୍ମାନକୁ ଖଣ୍ଡା ଧାରରେ ଛଡ଼ାଇ ନିଆଯାଇପାରେ, ତାହା ଆଗରେ ଛିଡ଼ା ହୋଇଥିଲା ଜୌହରର ପ୍ରଜ୍ୱଳିତ ଅଗ୍ନି ଶିଖା। ସଂସ୍କୃତର 'ଜତୁଗୃହ' ଵା ଅତ୍ୟନ୍ତ ଶୀଘ୍ର ପ୍ରଜ୍ୱଳିତ ହେଉଥିଵା ଲାଖଘରର ସାଦୃଶ୍ୟରୁ କାଳକ୍ରମେ ଭାଷାଗତ ପରିଵର୍ତ୍ତନ ମାଧ୍ୟମରେ 'ଜୌହର' ଶବ୍ଦର ଉତ୍ପତ୍ତି ହୋଇଥିଵା ଏହି ପରମ୍ପରା କୌଣସି ଆତ୍ମହତ୍ୟାର ଦୁର୍ଵଳତା ନଥିଲା, ତାହା ଥିଲା ଆକ୍ରମଣକାରୀଙ୍କ ମୁହଁରେ ଶେଷ ଥର ପାଇଁ ବସାଯାଇଥିଵା ନିର୍ଘାତ ଚାପୁଡ଼ା।
ଆଜିର ଏକଵିଂଶ ଶତାବ୍ଦୀର ଆରାମଦାୟକ ସୋଫାରେ ବସି, ହାତରେ ଚା’ ଚଷକ ଧରି ଇତିହାସ ଚର୍ଚ୍ଚା କରୁଥିଵା ଆଧୁନିକ ମାନଵସେଵୀ ଓ ଆଲୋଚକମାନେ ଏହି ଵିଷୟରେ ବଡ଼ ବଡ଼ ଜ୍ଞାନ ବାଣ୍ଟନ୍ତି। ଆମର ତ୍ରୁଟିପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଓ ଦରବାରୀ ଇତିହାସକାରମାନଙ୍କର ଛଳନା ମଧ୍ୟ ଏହି ଆଧୁନିକ ଅଜ୍ଞାନତାର ଏକ ବଡ଼ କାରଣ। ଯେଉଁମାନେ ନିଜ କଲମ ମୁନରେ ଇତିହାସ ଲେଖିଲେ, ସେମାନେ ମଧ୍ୟ-ଏସିଆରୁ ଆସିଥିଵା ନିଷ୍ଠୁର ଲୁଟେରାମାନଙ୍କୁ 'ଦରଦୀ ପ୍ରେମିକ', 'କଳାର ପୂଜାରୀ' ଏଵଂ 'ଶ୍ରେଷ୍ଠ ପ୍ରଶାସକ' ଭାଵରେ ଚିତ୍ରଣ କଲେ। ପାଠ୍ୟପୁସ୍ତକରେ ପିଲାମାନଙ୍କୁ ଏକପାଖିଆ ଭାଵେ ପଢ଼ାଗଲା ଯେ ଆକ୍ରାନ୍ତାମାନେ ଆସି ଆମକୁ ସଭ୍ୟତା ଶିଖାଇଥିଲେ! କିନ୍ତୁ ସେହି ଵିଶାଳ ଐତିହାସିକ କୋଠାବାଡ଼ିର ମୂଳଦୁଆ ତଳେ କେତେ ନିରୀହଙ୍କ ରକ୍ତ ଓ କେତେ ସତୀମାନଙ୍କର ଲୁହ ଲୁଚି ରହିଛି, ତାହା ବେଶ୍ ଚତୁରତାର ସହ ଲୁଚାଇ ଦିଆଗଲା।
ସେହି ମାନଵସେଵୀଙ୍କ ମତରେ, ରାଜପୁତ ମହିଳାମାନେ ଆକ୍ରାନ୍ତାଙ୍କ ସହ ବୁଝାମଣା କରିନେଵା ଉଚିତ୍ ଥିଲା, ନିଜର ଆତ୍ମସମ୍ମାନକୁ ବିକି ଦେଇ ଜୀଵନ ବଞ୍ଚାଇଵା ଵରଂ ଉପଯୁକ୍ତ ପଦକ୍ଷେପ ହୋଇଥାନ୍ତା! ସେହି ଜ୍ଞାନୀମାନଙ୍କୁ ପଚାରିଵାକୁ ଇଚ୍ଛା ହୁଏ—ଦୁର୍ଗ ବାହାରେ ଖଣ୍ଡା ଧରି ଛିଡ଼ା ହୋଇଥିଵା ଵିଦେଶୀ ସେନାପତିମାନେ କୌଣସି ମାନଵାଧିକାର କମିଶନର ପ୍ରତିନିଧି ନଥିଲେ, କିମ୍ବା ସାଂସ୍କୃତିକ ଆଲୋଚନା ପାଇଁ ଆସିନଥିଲେ। ସେମାନେ ଥିଲେ ଏପରି କ୍ରୂର ଵିଜେତା ଯାହାଙ୍କ ପାଇଁ ପରାଜିତ ଦେଶର ନାରୀମାନଙ୍କୁ ଦାସୀ କରି ବିକ୍ରି କରିଵା ଏଵଂ ସେମାନଙ୍କ ଉପରେ ପାଶଵିକ ଅତ୍ୟାଚାର କରିଵା ଥିଲା ଵିଜୟର ପ୍ରକୃତ ସ୍ୱାଦ। ଏପରି ନିର୍ଦ୍ଦୟ ପରିସ୍ଥିତିରେ, ଯେଉଁଠି ଗୋଲାମି ଏଵଂ ସମ୍ପୂର୍ଣ୍ଣ ଅପମାନ ସୁନିଶ୍ଚିତ ଥିଲା, ସେଠାରେ ସ୍ୱେଚ୍ଛାରେ ଅଗ୍ନିକୁ ନିଜର ରକ୍ଷାକଵଚ କରିନେଵା କୌଣସି ହାରିଯିଵା ନୁହେଁ ଵରଂ ନିଜ ଆତ୍ମାର ସ୍ୱାଧୀନତାର ଚୂଡ଼ାନ୍ତ ଘୋଷଣା ଥିଲା।
ଏହି ମହାନ ଵଳିଦାନ କେଵଳ ନାରୀମାନଙ୍କ ମଧ୍ୟରେ ସୀମିତ ନଥିଲା। ଯେତେବେଳେ ଦୁର୍ଗ ଭିତରୁ ଜୌହରର ଧୂଆଁ ଆକାଶକୁ ଉଠୁଥିଲା, ସେତେବେଳେ ଦୁର୍ଗର ଯୋଦ୍ଧାମାନେ ବୁଝିଯାଉଥିଲେ ଯେ ସେମାନଙ୍କ ପାଖରେ ଆଉ ହରାଇଵା ପାଇଁ କିଛି ନାହିଁ। ସେତେବେଳେ ସେମାନେ ମୁଣ୍ଡରେ ଗେରୁଆ ପଗଡ଼ି ଏଵଂ ଦେହରେ ଗେରୁଆ ଵସ୍ତ୍ର ପିନ୍ଧି କେଶରିଆ ଵ୍ରତ ଧାରଣ କରୁଥିଲେ। ଦୁର୍ଗର ଦ୍ୱାର ପ୍ରଶସ୍ତ ଭାବେ ଖୋଲି ଦିଆଯାଉଥିଲା। ଵିଜୟର କୌଣସି ଆଶା ନରଖି, କେଵଳ ଶତ୍ରୁକୁ ଅଧିକରୁ ଅଧିକ ସଂହାର କରି ପ୍ରାଣଵଳି ଦେଵାର ଏହି ଯୁଦ୍ଧ ଥିଲା ଅତ୍ୟନ୍ତ ଭୀଷଣ। 'ଜୌହର' ଓ 'କେଶରିଆ'ର ଏହି ମିଳିତ ସମର୍ପଣକୁ ଇତିହାସରେ 'ସାକା' କୁହାଯାଉଥିଲା। ଅର୍ଥାତ୍ 'ସାକା'ରେ କେଵଳ ନାରୀ ହିଁ ନୁହେଁ ପୁରୁଷମାନେ ମଧ୍ୟ ପ୍ରାଣଵଳି ଦେଉଥିଲେ।

୧୩୦୧ ଖ୍ରୀଷ୍ଟାବ୍ଦରେ ରଣଥମ୍ଭୋରର ପ୍ରଥମ ସାକା ସମୟରେ ରାଜା ହମ୍ମୀର ଦେଵ ଶରଣାଗତ ଧର୍ମ ପାଳନ କରି ନିଜର ସର୍ଵସ୍ୱ ବାଜି ଲଗାଇଦେଇଥିଲେ। ସେଠାରେ ଅଗ୍ନି ଜୌହର ସହିତ ରାଣୀ ରଙ୍ଗାଦେଵୀଙ୍କ ନେତୃତ୍ୱରେ 'ଜଳ ଜୌହର'ର ଏକ ଵିଶେଷ ଦୃଶ୍ୟ ଦେଖିଵାକୁ ମିଳିଥିଲା ଏଵଂ ନାରୀମାନେ ପଦ୍ମ ପୋଖରୀର ଆବଦ୍ଧ ଜଳରେ ଡେଇଁ ପ୍ରାଣ ତ୍ୟାଗ କରିଥିଲେ ପଛକେ ଶତ୍ରୁ ଆଗରେ ମୁଣ୍ଡ ନୁଆଁଇ ନଥିଲେ।
ସେହିପରି ଚିତ୍ତୋଡ଼ଗଡ଼ ଦୁର୍ଗ ତିନୋଟି ମହାନ 'ସାକା'ର ସାକ୍ଷୀ ରହିଥିଲା। ୧୩୦୩ରେ ଅଲାଉଦ୍ଦୀନ ଖିଲଜି ଵିରୁଦ୍ଧରେ ରାଣୀ ପଦ୍ମିନୀଙ୍କ ନେତୃତ୍ୱରେ ପ୍ରଥମ ଜୌହର, ୧୫୩୫ରେ ଗୁଜରାଟର ସୁଲତାନ ବାହାଦୁର ଶାହ୍'ର ଆକ୍ରମଣ ସମୟରେ ରାଣୀ କର୍ଣ୍ଣାଵତୀଙ୍କ ନେତୃତ୍ୱରେ ଦ୍ୱିତୀୟ ଜୌହର, ଏଵଂ ୧୫୬୮ରେ ମୋଗଲ ସମ୍ରାଟ ଅକବର'ର ଆକ୍ରମଣ ସମୟରେ ଜୟମଲ୍ଲ ଓ ପତ୍ତା ସିସୋଦିଆଙ୍କ ଵୀରତ୍ୱ ସହ ବହୁ ସଂଖ୍ୟକ ମହିଳାଙ୍କ ଦ୍ୱାରା ହୋଇଥିଵା ତୃତୀୟ ଜୌହର।

ତେବେ କେଵଳ ରାଜସ୍ଥାନ ହିଁ ନୁହେଁ ଵରଂ ଭାରତ ଓ ଵିଶ୍ଵର ଵିଭିନ୍ନ ଦେଶରେ ମୁସଲମାନ ଆକ୍ରମଣକାରୀଙ୍କ ଅତ୍ୟାଚାରଠାରୁ ନିଜକୁ ବଞ୍ଚାଇଵା ପାଇଁ ମହିଳାମାନେ ସାମୁହିକ ଆତ୍ମଦାହ କରିଛନ୍ତି । 

୭୧୨ ଖ୍ରୀଷ୍ଟାବ୍ଦରେ ଆରବ ସେନାପତି ମହମ୍ମଦ ବିନ୍ କାସିମ୍‌'ର ଆକ୍ରମଣ ସମୟରେ ଯୁଦ୍ଧକ୍ଷେତ୍ରରେ ରାଜା ଦାହିରଙ୍କ ମୃତ୍ୟୁ ଘଟିଥିଲା। ପରାଜୟ ସୁନିଶ୍ଚିତ ଜାଣିଵା ପରେ ରାଣୀ ଏଵଂ ଦୁର୍ଗର ଅନ୍ୟ ମହିଳାମାନେ ଆକ୍ରମଣକାରୀଙ୍କ ହାତରେ ବନ୍ଦୀ ନହେଵା ପାଇଁ ଆତ୍ମଦାହ କରିଥିଵାର ଐତିହାସିକ ଉଲ୍ଲେଖ ରହିଛି।

୧୩୨୭ ଖ୍ରୀଷ୍ଟାବ୍ଦରେ ମୁହମ୍ମଦ ବିନ୍ ତୁଘଲକ'ର ସେନା କାମ୍ପିଲି (ବର୍ତ୍ତମାନର କର୍ଣ୍ଣାଟକ ଅଞ୍ଚଳ) ଦଖଲ କରିଥିଲା। ଉପଲବ୍ଧ ଐତିହାସିକ ଵର୍ଣ୍ଣନା ଏଵଂ କେତେକ ତଥ୍ୟ ଉତ୍ସ ଅନୁଯାୟୀ, ଦୁର୍ଗ ପତନ ହେଵା ପୂର୍ଵରୁ ସେଠାକାର ମହିଳାମାନେ ସାମୁହିକ ଆତ୍ମଦାହ କରିଥିଲେ।

୧୫୨୮ ଖ୍ରୀଷ୍ଟାବ୍ଦରେ ମୋଗଲ ଆକ୍ରମଣକାରୀ ବାବର ଚନ୍ଦେରୀ ଦୁର୍ଗ ଉପରେ ଆକ୍ରମଣ କରିଥିଲା। ଦୁର୍ଗର ପତନ ନିଶ୍ଚିତ ହେଵା ପରେ ରାଜପୁତ ମହିଳାମାନେ ଜୌହର କରିଥିଵାର ଵର୍ଣ୍ଣନା ମିଳେ। ନିଜେ ବାବର ନିଜ ଆତ୍ମଜୀଵନୀ 'ବାବରନାମା'ରେ ଶେଷ ଯୁଦ୍ଧରେ ରାଜପୁତମାନଙ୍କର ଏହି ଭୟଙ୍କର ପ୍ରତିରୋଧ ଓ ମୃତ୍ୟୁର ଉଲ୍ଲେଖ କରିଯାଇଛି ।
ୟେ ପାମରମାନଙ୍କୁ ଏଥିରୁ ସୁଖ ମିଳୁଥିଲା ଏବଂ ସେମାନେ କେତେ ହିନ୍ଦୁ ମାରିଥିଲେ ତାକୁ ଲେଖିଵାକୁ ଓ କହିଵାକୁ ବଡ଼ ସୁଖ ପାଉଥିଲେ । 

୧୮୦୩ ଖ୍ରୀଷ୍ଟାବ୍ଦରେ ଅଟୋମାନ ଶାସକ ଅଲ୍ଲୀ ପାଶା'ର ସେନା ଆକ୍ରମଣ କରିଵା ସମୟରେ, ଗ୍ରୀସ୍‌ର Souliote ସମ୍ପ୍ରଦାୟର ମହିଳା ଏବଂ ଶିଶୁମାନଙ୍କର ସାମୂହିକ ମୃତ୍ୟୁ ଘଟିଥିଲା। ପ୍ରଚଳିତ ଐତିହାସିକ ସ୍ମୃତି ଓ ଵର୍ଣ୍ଣନା ଅନୁସାରେ, ବନ୍ଦୀ ହେଵାରୁ ବଞ୍ଚିଵା ପାଇଁ ସେମାନେ ହାତ ଧରାଧରି ହୋଇ ଗୀତ ଗାଇ ଗାଇ ପାହାଡ଼ରୁ ଡେଇଁ ପଡ଼ିଥିଲେ। ଭାରତୀୟ ପରିପ୍ରେକ୍ଷୀରେ ଏହାକୁ ଏକ 'ଜୌହର ସଦୃଶ' ଘଟଣା ଭାବରେ ଦେଖାଯାଇପାରେ।

୧୮୨୨ ଖ୍ରୀଷ୍ଟାବ୍ଦରେ ଗ୍ରୀସ୍ ସ୍ୱାଧୀନତା ସଂଗ୍ରାମ ସମୟରେ ଅଟୋମାନ ସେନା ଦ୍ବାରା Naousa ସହର ଧ୍ୱଂସ କରାଯାଇଥିଲା। ଏହି ସମୟରେ ଅନେକ ମହିଳା ଶତ୍ରୁ ସୈନ୍ୟଙ୍କ ହାତରେ ବନ୍ଦୀ ହେଵା ଅପେକ୍ଷା ଶିଶୁମାନଙ୍କ ସହ Arapitsa ଜଳପ୍ରପାତକୁ ଡେଇଁ ପଡ଼ିଥିଵାର ଉଲ୍ଲେଖ ଗ୍ରୀକ୍ ଇତିହାସରେ ମିଳେ।

ଇତିହାସର ଏହି ଅଧ୍ୟାୟଗୁଡ଼ିକୁ ବୁଝିଵା ପାଇଁ ଆତ୍ମସମ୍ମାନର ଗଭୀରତା ଆଵଶ୍ୟକ। ମୋଗଲ ସମ୍ରାଟ ଅକବରକୁ ଆଜିର ଅନେକ ଇତିହାସକାର ଅତି ସହଜରେ "ମହାନ" ବୋଲି ଆଖ୍ୟା ଦିଅନ୍ତି, କିନ୍ତୁ ୧୫୬୮ରେ ଚିତ୍ତୋଡ଼ ଜିତିଵା ପରେ ସେହି ଦୁର୍ଗ ମଧ୍ୟରେ ଥିଵା ତିରିଶ ହଜାର ନିରସ୍ତ୍ର ସାଧାରଣ ନାଗରିକଙ୍କୁ ଗଣସଂହାର କରିଵାର ଯେଉଁ କ୍ରୂରତା ସେ ଦେଖାଇଥିଲା, ତାହା ପ୍ରମାଣ କରେ ଯେ ରାଜପୁତ ମହିଳାମାନଙ୍କର ଜୌହର ନିଷ୍ପତ୍ତି କେତେ ଦୂରଦୃଷ୍ଟିସମ୍ପନ୍ନ ଓ ଵାସ୍ତଵିକ ଥିଲା।

ଚଳଚ୍ଚିତ୍ର ଜଗତର କଥା ଉଠିଛି ଯେତେବେଳେ ସେମାନଙ୍କର ଦୋମୁହାଁ ନୀତିକୁ ମଧ୍ୟ ଉନ୍ମୋଚନ କରିଵା ନିତାନ୍ତ ଆଵଶ୍ୟକ। ପରଦା ଉପରେ ଏହି ନିର୍ଦ୍ଦେଶକମାନେ ଆକ୍ରମଣକାରୀମାନଙ୍କୁ ସୁନ୍ଦର, ଆକର୍ଷଣୀୟ ଓ ଶକ୍ତିଶାଳୀ ନାୟକ ଭାଵରେ ପ୍ରଦର୍ଶନ କରନ୍ତି। ଖିଲଜି ଭଳି ପିଶାଚକୁ ଏକ ରହସ୍ୟମୟ ଵୀରର ରୂପ ଦିଆଯାଏ, ଆଉ ଅକବରକୁ ଏକ ଦରଦୀ ପ୍ରେମିକ ଭାଵରେ ସଜାଇ ଆମ ମନମସ୍ତିଷ୍କରେ ଭରିଦିଆଯାଏ। ଅଥଚ ଯେଉଁ ରାଜପୁତ ଯୋଦ୍ଧାମାନେ ମାତୃଭୂମି ପାଇଁ ହସି ହସି ପ୍ରାଣ ଦେଲେ, ସେମାନଙ୍କୁ କଠୋର, ଅନ୍ଧଵିଶ୍ୱାସୀ କିମ୍ବା ପଛୁଆ ଵିଚାରଧାରାର ଲୋକ ଭାବରେ ଚିତ୍ରଣ କରିଵାକୁ ଏମାନେ ତିଳେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ। ଆଜିକାଲିର କିଛି ତଥାକଥିତ ବୁଦ୍ଧିଜୀଵୀ ଏଵଂ ଚଳଚ୍ଚିତ୍ର ଜଗତରେ କାମକରୁଥିଵା ବାରାଙ୍ଗନାମାନେ ଜୌହରକୁ କେଵଳ ଏକ ଅନ୍ଧଵିଶ୍ୱାସୀ କୁପ୍ରଥା ତଥା ଜୌହରରେ ଭାଗ ନେଉଥିଵା ମହିଳାମାନଙ୍କୁ ଡରକୁଳୀ ବୋଲି କହି ନିଜର ଆପାତତଃ ବୁଦ୍ଧିମତ୍ତାର ପରିଚୟ ଦିଅନ୍ତି।
ସେମାନେ ହୁଏତ ଭାବନ୍ତି ଯେ ଷୋଡ଼ଶ ଶତାବ୍ଦୀର ଯୁଦ୍ଧକ୍ଷେତ୍ରରେ ଆକ୍ରମଣକାରୀ ସେନାପତିମାନେ ଗୋଲାପ ଫୁଲ ଧରି ଆଶ୍ୱାସନା ଦେଵାକୁ ଛିଡ଼ା ହୋଇଥିଲେ! ସେହି ସମାଲୋଚକମାନେ ଭୁଲିଯାଆନ୍ତି ଯେ ଜୌହର କୌଣସି ନିୟମିତ ପ୍ରଥା ନଥିଲା, ଏହା ଥିଲା ଧର୍ମ, ସମ୍ମାନ ଓ ସ୍ୱାଧୀନତାର ଅନ୍ତିମ ପ୍ରତିରୋଧ। ଯେତେବେଳେ ଵିକଳ୍ପ କେଵଳ ଦୁଇଟି ଥିଲା—ଦାସତ୍ୱ କିମ୍ବା ମୃତ୍ୟୁ, ସେତେବେଳେ ରାଜପୁତ ରମଣୀମାନେ ଅଗ୍ନିକୁ ବାଛିନେଇ ଆକ୍ରମଣକାରୀଙ୍କୁ ଶୂନ୍ୟତା ଉପହାର ଦେଇଥିଲେ। ଵିଦେଶୀ ଵିଜେତାମାନେ ଵିଜୟର ବ୍ୟାନର ସିନା ଉଡ଼ାଇଲେ, କିନ୍ତୁ ପାଇଲେ କେଵଳ ଭଗ୍ନାଵଶେଷ।

ଆଜିର ବଲିଉଡର ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି, ଦାମୀ କଫି ପିଇ, କ୍ୟାମେରା ଆଗରେ ନକଲି ଲୁହ ଗଡ଼ାଉଥିଵା ଅଭିନେତ୍ରୀ ସ୍ୱରା ଭାସ୍କର ଭଳି କିଛି ତଥାକଥିତ 'ପ୍ରଗତିଶୀଳ' ମହିଳା ଯେତେବେଳେ ସେହି ଅଗ୍ନିସ୍ନାତା ଦେଵୀମାନଙ୍କୁ 'ଡରକୁଳୀ' ବୋଲି ସମ୍ବୋଧନ କରନ୍ତି, ସେତେବେଳେ ସେମାନଙ୍କର ବୌଦ୍ଧିକ ଦରିଦ୍ରତା ଉପରେ କେଵଳ ହସ ମାଡ଼େ। 
ଯେଉଁମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମରେ କେହି ପଦେ କଟୁ କଥା କହିଦେଲେ ମାନସିକ ଅଵସାଦ (Depression) ଆସିଯାଏ, ସେମାନେ ଆସିଛନ୍ତି ଇତିହାସର ସବୁଠାରୁ ଭୟଙ୍କର ଅଗ୍ନିପରୀକ୍ଷା ଦେଇଥିଵା ନାରୀମାନଙ୍କ ଵୀରତ୍ୱର ଓଜନ ମାପିଵାକୁ ! ଏହା ତ ସମ୍ପୂର୍ଣ୍ଣ ରୂପେ "ଓଲଟା ଦାସେ ଘୋଡ଼ା ଚଢ଼ିଵା" ଭଳି ହାସ୍ୟାସ୍ପଦ କଥା ଅଟେ। ନିଜ ସ୍ୱାଭିମାନକୁ ବଜାରରେ ବିକ୍ରି କରିଦେଇଥିଵା, ନିଜର ଧର୍ମ ଛାଡ଼ି ପର ମଜହବର ଲୋକକୁ ବାହା ହୋଇ ମାନସିକ ଓ ଶାରୀରିକ ଗୋଲାମ ସାଜିଥିଵା ଲୋକେ ପୁଣି ଵଳିଦାନର ପ୍ରମାଣପତ୍ର ବାଣ୍ଟୁଛନ୍ତି।

ଆଜିର ଏହି ତଥାକଥିତ 'ନାରୀଵାଦୀ'ମାନଙ୍କ ପାଇଁ ନାରୀ ସଶକ୍ତିକରଣର ସଂଜ୍ଞା କେଵଳ ପାଶ୍ଚାତ୍ୟ ପୋଷାକ ପିନ୍ଧିଵା, ସର୍ଵସାଧାରଣରେ ଉଚ୍ଛୃଙ୍ଖଳତା ପ୍ରଦର୍ଶନ କରିଵା କିମ୍ବା ପାରିଵାରିକ ବନ୍ଧନକୁ ଭାଙ୍ଗିଵାରେ ସୀମିତ ହୋଇଯାଇଛି। 'My Body, My Choice' ର ଫମ୍ପା ସ୍ଲୋଗାନ ଦେଉଥିଵା ଏହି ଖୋଳପା-ପିନ୍ଧା ନାରୀଵାଦୀମାନେ ଭୁଲିଯାଆନ୍ତି ଯେ, ସେହି ଅନ୍ଧକାରମୟ ଯୁଗରେ ନିଜ ଶରୀର ଓ ସମ୍ମାନ ଉପରେ କୌଣସି ପଶୁର ଅଧିକାର ସାଵ୍ୟସ୍ତ ହେଵାକୁ ନଦେଵା ହିଁ ଥିଲା ସବୁଠାରୁ ବଡ଼ 'Choice'। ଜୌହର କେଵଳ କୌଣସି ଆତ୍ମଦାହ ନଥିଲା, ତାହା ଥିଲା ପୁରୁଷତାନ୍ତ୍ରିକ ତଥା ସାମ୍ରାଜ୍ୟଵାଦୀ ଅହଂକାର ଉପରେ ଏକ ନାରୀର ସର୍ଵୋଚ୍ଚ, ସ୍ୱାଧୀନ ଓ ଅପରାଜେୟ ନିଷ୍ପତ୍ତି। ଯେଉଁମାନେ ଶରୀରକୁ ହିଁ ସର୍ଵସ୍ୱ ମଣନ୍ତି, ସେମାନେ ଆତ୍ମାର ଏହି ଵିଶାଳତାକୁ କିପରି ଵା ବୁଝିବେ?

ଏହି ଆଧୁନିକ ସମାଲୋଚକମାନଙ୍କର ଇତିହାସ ଜ୍ଞାନ ଏତେ ସୀମିତ ଯେ, ସେମାନେ ହୁଏତ ଭାବନ୍ତି ଖିଲଜି କିମ୍ବା ବାହାଦୁର ଶାହର ଉନ୍ମତ୍ତ ସୈନିକମାନେ ବଲିଉଡ୍ ଚଳଚ୍ଚିତ୍ର ବାଦଶାହ ଅକବରର ଋତିକ ରୋଶନ୍ ଭଳି ସୁନ୍ଦର,ସାଧୁ, ନ୍ୟାୟଵାନ ଓ ଭଦ୍ର ଥିଲେ ! ସେମାନଙ୍କୁ କିଏ ବୁଝାଇଵ ଯେ, ଯେଉଁ ଆକ୍ରମଣକାରୀମାନଙ୍କ ପାଇଁ ପରାଜିତ ସୈନିକଙ୍କ କଟାମୁଣ୍ଡର ପାହାଡ଼ ତିଆରି କରିଵା ଆଉ ହାରିଯାଇଥିଵା ରାଜ୍ୟର ମହିଳାମାନଙ୍କୁ ଶିକୁଳିରେ ବାନ୍ଧି ମଧ୍ୟ-ଏସିଆର ବଜାରରେ ଦୁଇ କଉଡ଼ିରେ ଦାସୀ କରି ବିକିଵା ଏକ ଖେଳ ଥିଲା, ସେମାନଙ୍କ ସାମ୍ନାରେ ଆତ୍ମସମର୍ପଣ କରିଵା ବୁଦ୍ଧିମାନର କାମ ନଥିଲା। ଯଦି ପାଶଵିକ ବଳାତ୍କାରର ଶିକାର ହୋଇ, ଶତ୍ରୁର ହାରେମ୍‌ରେ ସାରା ଜୀଵନ ଏକ ପୋଷା ଜୀଵ ପରି ବଞ୍ଚି ରହିଵାକୁ ଏହି ସିନେମା ଜଗତର ନାୟିକାମାନେ 'ସାହସିକତା' ବୋଲି ଭାବୁଛନ୍ତି, ତେବେ ଧନ୍ୟ ସେହି ରାଜପୁତ ରମଣୀମାନେ ଯେଉଁମାନେ ଏପରି 'ସାହସୀ' ହେଵା ପରିଵର୍ତ୍ତେ 'ଡରକୁଳୀ' ହୋଇ ନିଜକୁ ଜୀଵନ୍ତ ଅଗ୍ନିରେ ଆହୁତି ଦେଵା ଶ୍ରେୟସ୍କର ମଣିଲେ।

କଳ୍ପନା କରନ୍ତୁ, ରୋଷେଇ ଘରେ ଆଙ୍ଗୁଠିରେ ଟିକିଏ ନିଆଁ ଲାଗିଗଲେ ଆମର ପ୍ରାଣ ଛଟପଟ ହୋଇଯାଏ। ଆଉ ଯେଉଁ ନାରୀମାନେ ହସି ହସି, ନିଜର ଛୋଟ ଛୋଟ କୁନି ପିଲାମାନଙ୍କୁ ଛାତିରେ ଜାବୁଡ଼ି ଧରି, ଇଷ୍ଟଦେଵୀଙ୍କୁ ସ୍ମରଣ କରି ଵିରାଟ ଅଗ୍ନିକୁଣ୍ଡ ଭିତରକୁ ଡେଇଁପଡ଼ୁଥିଲେ, ସେମାନଙ୍କୁ 'ଡରକୁଳୀ' କହିଵା ପାଇଁ ଜଣେ କେତେ ନିର୍ଲଜ୍ଜ ଓ ମୂର୍ଖ ହେଵା ଦରକାର? କ୍ୟାମେରା ଆଗରେ ନିଜର ଦେହ ପ୍ରଦର୍ଶନ କରିଵାକୁ ଯେଉଁମାନେ 'ସ୍ୱାଧୀନତା' ଓ 'ନାରୀ ସଶକ୍ତିକରଣ'ର ନାମ ଦିଅନ୍ତି, ସେମାନେ କେବେହେଲେ ରାଣୀ ପଦ୍ମିନୀ କିମ୍ବା ରାଣୀ କର୍ଣ୍ଣାଵତୀଙ୍କ ତ୍ୟାଗର ଗଭୀରତାକୁ ବୁଝିପାରିବେ ନାହିଁ। କାଚ କଣ୍ଢେଇ ପରି ସଜା ହୋଇଥିଵା ଏହି ଚଳଚ୍ଚିତ୍ର ତାରକାମାନଙ୍କର ସେହି ଯୋଗ୍ୟତା ନାହିଁ ଯେ ସେମାନେ ସେହି ଅଗ୍ନିସ୍ନାତାମାନଙ୍କ ପାଦର ଧୂଳି ସହ ସମାନ ହୋଇପାରିବେ।

ଅସ୍ତୁ, ଇତିହାସ କେଵଳ ଘଟଣାଵଳୀର ସୂଚୀପତ୍ର ନୁହେଁ ଵରଂ ଜାତୀୟ ଚରିତ୍ରର ଦର୍ପଣ ଅଟେ । ଆକ୍ରମଣକାରୀ ଆସିଲେ, ଦୁର୍ଗର ପ୍ରାଚୀର ଭାଙ୍ଗିଲେ, କିନ୍ତୁ ଯେଉଁ ଦେହକୁ ପଶୁଵତ୍ ରାମ୍ପି ବିଦାରି ଖାଇଵାର ଲାଳସା ନେଇ ସେମାନେ ଆସିଥିଲେ, ତାହାର ଛାଇ ମଧ୍ୟ ସେମାନେ ଛୁଇଁ ପାରିଲେ ନାହିଁ। ଏହା ହିଁ ଥିଲା ସନାତନ ନାରୀର ଚୂଡ଼ାନ୍ତ ଵିଜୟ। ଚିତ୍ତୋଡ଼ର ସେହି ମାଟି ଆଜି ବି ପଵିତ୍ର, ଯେଉଁଠି ପାଉଁଶ ତଳେ ଅଗ୍ନିର ଫୁଲିଙ୍ଗ ଲୁଚି ରହିଛି। ଆଜିର ମୂଲ୍ୟହୀନ ସମାଜରେ ଛିଡ଼ା ହୋଇ ନିଜର ପ୍ରାସଙ୍ଗିକତା ଖୋଜୁଥିଵା କିଛି ଅହଂକାରୀ ପିଶାଚ-ପିଶାଚୁଣୀଙ୍କର ଶବ୍ଦବାଣ, ଚିତ୍ତୋଡ଼ର ସେହି ପଵିତ୍ର ଭସ୍ମର ମର୍ଯ୍ୟାଦାକୁ କେବେ ମଳିନ କରିପାରିଵ ନାହିଁ। ଆଜିର ପିଢ଼ି ଯଦି ସେହି ଭସ୍ମରୁ ଟିକିଏ ନିଜ ମଥାରେ ଲଗାଇବେ, ତେବେ ହୁଏତ ବୁଝିପାରିବେ ଯେ ସ୍ୱାଭିମାନର ମୂଲ୍ୟ କେତେ! ଜୌହର କୌଣସି ପଳାୟନ ନଥିଲା; ତାହା ଥିଲା ଧର୍ମାନ୍ଧ ଶତ୍ରୁର ମୁହଁରେ ଏକ ଜ୍ୱଳନ୍ତ ପଦାଘାତ, ଯାହାର ତାପ ଓ ତେଜ ଆଜି ବି ଏହି ନକଲି ବୁଦ୍ଧିଜୀଵୀମାନଙ୍କ ଚେହେରାକୁ ନିରନ୍ତର ପୋଡ଼ି ଚାଲିଛି ଏଵଂ ଭାରତୀୟ ସଂସ୍କୃତିର ଆକାଶରେ ଚିରକାଳ ଧ୍ରୁବତାରା ହୋଇ ଜଳୁଥିଵ।

ମାଟିର ଋଣ

ଜାଗରେ ଓଡ଼ିଆ ଜାଗ ଆଜି ତୁମେ, ଜନ୍ମମାଟିର ହେ ଵୀର ସନ୍ତାନ,
ରକ୍ଷା କର ଆଜି ମାତୃଭୂମିର ସେ,
ଚିର ଗୌରଵ ଓ ମାନ ସମ୍ମାନ।

                      .୧.
କେବେ ତୁମେ କରିଵ ହେ ଆନ୍ଦୋଳନ, 
ଅଖଣ୍ଡ ଓଡ଼ିଶା ଗଢ଼ିଵା ପାଇଁ?
ଅସରପା, ଝିଟିପିଟି ସମ ହେଵାକୁ, 
ଛଟପଟ ତୁମେ ହେଉଛ କାହିଁ?
ଖାଣ୍ଟି ଓଡ଼ିଆର ରକ୍ତ କେବେ ତୁମ,
ଶିରା ପ୍ରଶିରାରେ ଉଠିଵ ବହି?
ପର ପାଇଁ ଖଟି ନିଜ ଜନ୍ମମାଟି,
ଦୁଃଖକୁ କେତେ ଦିନ ଯିଵ ସହି?
ବାଜା, ପାପୁଲି, ଫୁଲ, ନାଲିଆ ଷଣ୍ଢ, 
ଚିହ୍ନ ପଛେ ଆଜି ଗୋଡ଼ାଇଛ,
ପହଁରା ଦଳର ଓକିଲାତି କରି,
ନିଜ ସ୍ୱାର୍ଥକୁ ହିଁ ସାଉଁଟିଛ।

ଜାଗରେ ଓଡ଼ିଆ ଜାଗ ଆଜି ତୁମେ, ଜନ୍ମମାଟିର ହେ ଵୀର ସନ୍ତାନ...

                       .୨.
କେଉଁଦିନ କହିଵ ଓଡ଼ିଆର କଥା,
କେବେ ସ୍ୱାଭିମାନେ ଲେଖିଵା ଶିଖିଵ ?
ଓଡ଼ିଶାର କାମ କରିଵା ପାଇଁକି,
କେଉଁଦିନ ତୁମେ ଆଗେଇଵ ?
ଦିନରାତି ଫେସବୁକ ପାଚେରୀରେ,
ଦଳ ପାଇଁ ଖଟୁଅଛ ଗୋତର,
ଅନ୍ଧଦ୍ୱେଷ ଆଉ ଅନ୍ଧଭକ୍ତିରେ ହିଁ, 
ବୁଡ଼ାଇ ଦେଉଛ ନିଜ ସଂସାର।
ମାଟି ମାଆ ଆଜି ଲୁହ ଝରାଉଛି,
ତୁମେ ପରା ତା'ର ଆଖି କାନ,
ଏମିତି ଶୋଇଲେ କେମିତି ସୁଝିଵ, 
ଏ ଜନ୍ମମାଟିର ଋଣମାନ?
            
ଜାଗରେ ଓଡ଼ିଆ ଜାଗ ଆଜି ତୁମେ, ଜନ୍ମମାଟିର ହେ ଵୀର ସନ୍ତାନ...
                        
                      .୩.
ସ୍ୱାର୍ଥର ସିଂହାସନେ ବସି ରହିଛ ହେ, 
ଭୁଲି ନିଜ ଭାଷା ଓ ସଂସ୍କୃତି,
ପରର ପାଦକୁ ପୂଜା କରୁଛ ତୁମେ,
ହରାଇ ନିଜର ଆତ୍ମସ୍ମୃତି।
ଜାଗିଉଠ ଆଜି ଓଡ଼ିଆର ପୁଅ,
ନ କର ଏଡ଼େ ବଡ଼ ପ୍ରମାଦ,
ମାଟିର ଡାକକୁ ନ ଶୁଣିଲେ କାଲି,
ଇତିହାସ ଦେଵ ଅଭିଶାପ।
ପଦଵୀ ଓ ପ୍ରତିଷ୍ଠା ଲୋଭରେ ଅନ୍ଧ ହେଇ, ବିକୁଛ ନିଜ ସ୍ୱାଭିମାନ,
କାହାର ଗୋଲାମୀ କରିଵା ପାଇଁକି,
ପାଇଛ ଏ ଧରା ପ୍ରାଣଦାନ?
             
ଜାଗରେ ଓଡ଼ିଆ ଜାଗ ଆଜି ତୁମେ, ଜନ୍ମମାଟିର ହେ ଵୀର ସନ୍ତାନ...
                       •୪.
କଲମ ତୁମର ଓଡ଼ିଶା ପାଇଁ ଗର୍ଜୁ,
ଵାଣୀ ହେଉ ତୁମ ସିଂହନାଦ,
ଦଳୀୟ ସେଵାକୁ ତ୍ୟାଗ କରି ଆଜି,
ଦୂର କର ମାଟି-ଅପଵାଦ।
ହୁଅ ଏ ଜାତିର ଆଖି, କାନ, ପାଟି, ହାତ, ତୁମେ ପରା ଵୀର ସନ୍ତାନ,
ତୁମରି ହାତରେ ସୁରକ୍ଷିତ ହେଵ,
ଏ ମାଟିର ସବୁ ମାନ ସମ୍ମାନ।
ଭେଦଭାବ ଭୁଲି ଏକ ହୁଅ ଆଜି,
ରଚିଵାକୁ ନୂଆ ଏକ ଇତିହାସ,
ଅଖଣ୍ଡ ଓଡ଼ିଶାର ସ୍ୱପ୍ନ ସଫଳ ହେଉ,
ଏତିକି ରଖିଣ ମନେ ଵିଶ୍ୱାସ।
           
ଜାଗରେ ଓଡ଼ିଆ ଜାଗ ଆଜି ତୁମେ, ଜନ୍ମମାଟିର ହେ ଵୀର ସନ୍ତାନ,
ରକ୍ଷା କର ଆଜି ମାତୃଭୂମିର ସେ, ଚିର ଗୌରଵ ଓ ମାନ ସମ୍ମାନ।