My Blog List

Showing posts with label ଵୃକ୍ଷରୋପଣ. Show all posts
Showing posts with label ଵୃକ୍ଷରୋପଣ. Show all posts

Thursday, January 5, 2023

ଭାରତୀୟ ସଂସ୍କୃତିରେ ଵୃକ୍ଷରୋପଣର ମହତ୍ତ୍ଵ




ଵିଦେଶରେ Christmas ନାମରେ ପ୍ରତିଵର୍ଷ କିଛି ଦିନ ମଧ୍ୟରେ ୧୨ କୋଟିରୁ ଅଧିକ ମୂଲ୍ୟଵାନ ଵୃକ୍ଷ ସାମୁହିକ ଭାବରେ କାଟିଦିଆଯାଏ । ଯେଉଁ ପାଇନ୍ ଓ ଫର୍ ଆଦି ମୂଲ୍ୟଵାନ ଗଛକୁ କ୍ରିସମାସ୍ ନାମରେ କଟାଯାଏ ସେସବୁ ଗଛ ବଡ଼ ହେଵାକୁ ଅନେକ ସମୟ ନେଇଥାନ୍ତି ।‌‌‌‌‌‌ ଭାରତୀୟ ସଂସ୍କୃତିରେ କଦଳୀ ଭଳି କାଷ୍ଠହୀନ ପାଦପକୁ କେତେକ ନିର୍ଦ୍ଦିଷ୍ଟ ଦିନରେ କଟାଯାଏ କିନ୍ତୁ କାଷ୍ଠଯୁକ୍ତ ମୂଲ୍ୟଵାନ ପାଦପକୁ କାଟି ପର୍ଵପାଳନର ପରମ୍ପରା ସନାତନ ସଂସ୍କୃତିରେ ନାହିଁ  । ଭାରତୀୟ ସଂସ୍କୃତିରେ ଵରଂ ଵିଭିନ୍ନ ଶାସ୍ତ୍ରମଧ୍ୟରେ ଵୃକ୍ଷରୋପଣର ନିର୍ଦ୍ଦେଶ ରହିଛି ।‌

ସ୍କନ୍ଦ ପୁରାଣରେ ଏ ସମ୍ବନ୍ଧରେ ଗୋଟିଏ  ସୁନ୍ଦର ଶ୍ଲୋକ ଅଛି

“ଅଶ୍ଵତ୍ଥମେକମ୍ ପିଚୁମନ୍ଦମେକମ୍ 
ନ୍ୟଗ୍ରୋଧମେକମ୍ ଦଶ ଚିଞ୍ଚିଣିକାନ୍ । 
କପିତ୍ଥବିଲ୍ଵାଽଽମଳକତ୍ରୟଞ୍ଚ ପଞ୍ଚାଽଽମ୍ରମୁପ୍ତ୍ଵା ନରକନ୍ନ ପଶ୍ୟେତ୍ ॥”

ଅଶ୍ଵତ୍ଥ ଗଛ,ପିଚୁମନ୍ଦ ଵା ଲିମ୍ଵଗଛ,ନ୍ୟଗ୍ରୋଧ ଵା ବରଗଛ,ଚିଞ୍ଚିଣୀ ଵା ତେନ୍ତୁଳି,କପିତ୍ଥ ଵା କଇଁଥ,ବିଲ୍ଵ ଵା ବେଲ,ଆମଳକ ଵା ଅଅଁଳା,ଆମ୍ର ଵା ଆମ୍ଵ ଗଛ । ଯିଏ ଏହି ଗଛମାନଙ୍କୁ ରୋପଣ କରିଵ ଏଵଂ ସେମାନଙ୍କୁ ଜଳ ଦାନ ପୂର୍ଵକ ବଢ଼ାଇଵ ସେ କେବେବି ନର୍କର ଦର୍ଶନ କରିଵ ନାହିଁ । 

ସ୍ଵର୍ଗ ଓ ନର୍କ ଏହି ପୃଥିଵୀରେ ହିଁ ଅଛି । ପୃଥିଵୀକୁ ନର୍କ କରିଵାକୁ ଚାହୁଁନଥିଲେ ଏହିସବୁ ଵୃକ୍ଷରୋପଣ କର ବୋଲି ଆମ ପୂର୍ଵଜମାନେ ବହୁ ପ୍ରାଚୀନ କାଳରୁ ଜଣାଇ ଦେଇଥିଲେ । 

ଏକ ତଥ୍ୟ ଅନୁସାରେ ଅଶ୍ଵତ୍ଥ ଗଛ ୧୦୦ ଭାଗ କାର୍ଵନ ଡାଇଅକ୍ସାଇଟ୍ ଵା ଅଙ୍ଗାରକାମ୍ଳ ଶୋଷଣ କରେ,ପିଚୁମନ୍ଦ ଵା ଲିମ୍ଵ ୮୦ ଭାଗ,ବଟଵୃକ୍ଷ ଵା ବରଗଛ ୮୦ ଭାଗ, ତେନ୍ତୁଳି ୮୦ ଭାଗ,କପିତ୍ଥ ୮୦ ଭାଗ ,ବେଲ ଗଛ ୮୫ଭାଗ,ଆମଳକ ଵା ଅଅଁଳା ୭୪ଭାଗ ଏଵଂ ଆମ୍ର ଵା ଆମ୍ବ ୭୦ ଭାଗ ଅଙ୍ଗାରକାମ୍ଳ ଶୋଷଣ କରିଥାଏ ।‌

ତେଣୁ ଏସବୁ ଗଛ ଲଗାଇଵା ଦ୍ଵାରା ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଦ୍ଵାରା ଦୂଷିତ ହୁଏନାହିଁ କି ପୃଥିଵୀରେ ଵିଶ୍ଵତାପନ ସମସ୍ୟା ଉତ୍ପନ୍ନ ହୋଇ ପୃଥିଵୀର ଅଵସ୍ଥା ନର୍କ ସମ ହୁଏନାହିଁ । 

ଏହି ପ୍ରାଚୀନ ଶାସ୍ତ୍ରଵାକ୍ୟର ଅନୁସରଣ ନକରିଵା ଯୋଗୁଁ ଆଜି ପୃଥିଵୀରେ ହିଁ ଆମେ ନର୍କର ଦର୍ଶନ କରୁଅଛନ୍ତି ଏଵଂ ଵିଶ୍ଵତାପନ ଯୋଗୁଁ ପୃଥିଵୀର ସ୍ଥିତି ନର୍କମୟ ହେଵାକୁ ଲାଗିଲାଣି । 

ଏବେ ବି ସମୟ ଅଛି ଵୃକ୍ଷରୋପଣ କରନ୍ତୁ ପୃଥିଵୀର ପ୍ରାଣୀଜଗତକୁ ରକ୍ଷା କରି ନିଜର କର୍ତ୍ତଵ୍ୟ ପାଳନ କରନ୍ତୁ । ମନୁଷ୍ୟ ଭଳି ଏକ ଶାରୀରିକ ଦୁର୍ଵଳ କିନ୍ତୁ ବୁଦ୍ଧିମାନ ଜୀଵ ସୃଷ୍ଟି ପଛରେ ପ୍ରକୃତିର ଗୋଟିଏ ମହାନ ଉଦ୍ଦେଶ୍ୟ ରହିଛି । ସେହି ଉଦ୍ଦେଶ୍ୟଟି ହେଲା "ପ୍ରାଣୀଜଗତକୁ କୌଣସି ପ୍ରକାରରେ ରକ୍ଷା" । 

ମାନଵ ହିଁ ଭଵିଷ୍ୟତରେ ସୋଲାର୍ ୱିଣ୍ଡ୍ ,ମାଗ୍ନେଟାର୍,ସୁପରନୋବା ଇକ୍ସପ୍ଲୋଜନ୍,ଆଷ୍ଟ୍ରୋଏଡ୍ ବ୍ଲାଷ୍ଟ,ଜୋମ୍ବି ଷ୍ଟାର୍ କି ଜୋମ୍ବି ପ୍ଲାନେଟ୍ ଆକ୍ରମଣ ଏଵଂ ଜଳପ୍ରଳୟ ଆଦି ଯୋଗୁଁ ହେଉଥିଵା Max Extinction ଵା
ମହାପ୍ରଳୟରୁ ନିଜ ସହିତ ପୃଥିଵୀର ପ୍ରାଣୀଜଗତକୁ ନିଜର ବୁଦ୍ଧିବଳ ଖଟାଇ ଵିଜ୍ଞାନ ବଳରେ ବଞ୍ଚାଇପାରିଵ । 

ଭାରତୀୟ ସଂସ୍କୃତି କେବେ ମୂଲ୍ୟଵାନ ଵୃକ୍ଷକର୍ତ୍ତନ କରି ପର୍ଵ ନାମରେ ଘରେ ସଜାଇଵାର ଶିକ୍ଷା ଦେଇନାହିଁ ଵରଂ ସନାତନ ସଂସ୍କୃତି ସବୁବେଳେ ଵୃକ୍ଷରୋପଣର ଶିକ୍ଷା ଦେଇଛି ।