My Blog List

Showing posts with label ଶବ୍ଦଭେଦ. Show all posts
Showing posts with label ଶବ୍ଦଭେଦ. Show all posts

Sunday, November 1, 2026

ହାଡ଼ମାଳ: ମୃତ୍ୟୁକୁ ମନେ ପକାଇ ଦେଉଥିଵା ଏକ ନିଆରା ଓଡ଼ିଆ ଶବ୍ଦ

ପ୍ରାଚୀନ ରୋମରେ ଯୁଦ୍ଧରେ ଵିଜୟୀ ସେନାପତିଙ୍କ ସମ୍ମାନାର୍ଥେ ‘Triumph’ ନାମକ ଏକ ଵିଶେଷ ଵିଜୟୋତ୍ସଵ ଅନୁଷ୍ଠିତ ହେଉଥିଲା। ଏହି ଶୋଭାଯାତ୍ରାରେ ସେନାପତି ଜଣେ ସ୍ୱତନ୍ତ୍ର ରଥରେ ଆସୁଥିଲେ, ବାଇଗଣୀ ରଙ୍ଗର ଏମ୍ବ୍ରଏଡରି ହୋଇଥିଵା ପୋଷାକ "Toga picta" ପିନ୍ଧୁଥିଲେ ଏଵଂ ପରମ୍ପରା ଅନୁଯାୟୀ ଦେଵତାଙ୍କ ପ୍ରତୀକାତ୍ମକ ବେଶଭୂଷା ଧାରଣ କରୁଥିଲେ।

ତେବେ ଏହି ରାଜକୀୟ ସମ୍ମାନ ଓ ଉଲ୍ଲାସ ମଧ୍ୟରେ ମଣିଷର ଅହଙ୍କାରକୁ ସୀମିତ ରଖିଵା ପାଇଁ ଏକ ସ୍ୱତନ୍ତ୍ର ପ୍ରଥା ରହିଥିଲା— ରଥରେ ସେନାପତିଙ୍କ ପଛରେ ଜଣେ ସରକାରୀ କ୍ରୀତଦାସ (Servus publicus) ଏକ ଭାରୀ ସୁନାର ମୁକୁଟ ଧରି ଠିଆ ହେଉଥିଲେ। ପ୍ରାଚୀନ ଇତିହାସଵିତ୍ ଟର୍ଟୁଲିଆନ୍‌ଙ୍କ ବିବରଣୀ ଅନୁଯାୟୀ, ସେ ସେନାପତିଙ୍କ କାନରେ ସତର୍କଵାଣୀ ଶୁଣାଉଥିଲେ— ଯେପରିକି ଲାଟିନ୍ ଭାଷାରେ କଥିତ “Respice post te, hominem te esse memento” (ଅର୍ଥାତ୍ "ପଛକୁ ଦେଖ, ମନେରଖ ତୁମେ ଜଣେ ମରଣଶୀଳ ମଣିଷ ମାତ୍ର")। ପରଵର୍ତ୍ତୀ କାଳରେ ‘Memento mori’("ମନେରଖ, ତୁମକୁ ଦିନେ ମରିଵାକୁ ହେଵ") ଭଳି ଵ୍ୟାପକ ଦାର୍ଶନିକ ଅଭିଵ୍ୟକ୍ତି ମାଧ୍ୟମରେ ଏହି ଚିନ୍ତାଧାରା ପାଶ୍ଚାତ୍ୟ ସାହିତ୍ୟ ଓ କଳାରେ ସ୍ଥାନ ପାଇଥିଲା।

ଇତିହାସର ଏହି ପ୍ରାଚୀନ ପରମ୍ପରା ମଣିଷର ସୁଵର୍ଣ୍ଣାଦି ଧନ ସମ୍ପତ୍ତିର ଅହଙ୍କାର ଏଵଂ ମୃତ୍ୟୁର ନଗ୍ନ ସତ୍ୟ ମଧ୍ୟରେ ଥିଵା ଚିରନ୍ତନ ଵ୍ୟଵଧାନକୁ ପ୍ରକାଶ କରିଥାଏ। କିନ୍ତୁ ଏହି ଐତିହାସିକ ପ୍ରତିଫଳନ କେଵଳ ପ୍ରାଚୀନ ରୋମରେ ନୁହେଁ ଵରଂ ସାମାଜିକ ଜୀଵନର ପ୍ରତ୍ୟେକ ସ୍ତରରେ ଏଵଂ ଭାଷାର ଗର୍ଭରେ ମଧ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବେ ଉପସ୍ଥିତ ଥାଏ। 

ଆମ ଓଡ଼ିଆ ଭାଷାରେ ମଧ୍ୟ ଏଭଳି ଏକ ଵ୍ୟଙ୍ଗାତ୍ମକ ଶବ୍ଦ ରହିଛି ଯାହା ମାନଵର ଆଡମ୍ବର ଓ ଅହଙ୍କାର ଉପରେ ପ୍ରହାର କରେ । ଇତିହାସର କେଉଁ ଏକ ଅଜ୍ଞାତ କୋଣରୁ, ଜୀଵନର କଠୋର ଵାସ୍ତଵତାରୁ ଏଵଂ ଅଭାଵର ଅଗ୍ନିକୁଣ୍ଡରୁ ଜନ୍ମ ନେଇଥିଵା ସେହି ଅତି ମର୍ମସ୍ପର୍ଶୀ ତଥା ଵ୍ୟଙ୍ଗାତ୍ମକ ଓଡ଼ିଆ ଶବ୍ଦଟି ହେଉଛି ‘ହାଡ଼ମାଳ’। ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂକଳିତ ଅମର କୃତି ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ପୃଷ୍ଠା ୯୦୫୦ରେ ଏହି ଶବ୍ଦଟି ନୀରଵରେ ଏକ ଵିରାଟ ସାମାଜିକ ସତ୍ୟକୁ ବାନ୍ଧି ରଖିଛି। ଏହି ଶବ୍ଦଟିର ଗର୍ଭରେ ଯେତିକି ଧର୍ମୀୟ ଓ ପୌରାଣିକ ଗାମ୍ଭୀର୍ଯ୍ୟ ରହିଛି, ସେତିକି ପରିମାଣରେ ରହିଛି ସାମାଜିକ ଵୈଷମ୍ୟ ଵିରୁଦ୍ଧରେ ଜଣେ କ୍ଷୁଧାର୍ତ୍ତ, ଅଵହେଳିତ ମନୁଷ୍ୟର ତୀଵ୍ର, ଜ୍ୱଳନ୍ତ ଓ ଶାଣିତ ଵ୍ୟଙ୍ଗ।
ପ୍ରଥମେ ଆମକୁ ଏହି ଶବ୍ଦର ଶାବ୍ଦିକ ଏଵଂ ପ୍ରଚଳିତ ଅର୍ଥଗୁଡ଼ିକର ଗଭୀରତାକୁ ବୁଝିଵାକୁ ପଡିଵ। ଭାଷାକୋଷ ଅନୁଯାୟୀ, ‘ହାଡ଼ମାଳ’ର ପ୍ରଥମ ଅର୍ଥ ହେଉଛି ଅସ୍ଥିମାଳା, ଅର୍ଥାତ୍ ଖଣ୍ଡ ଖଣ୍ଡ ଅସ୍ଥି ଵା ହାଡ଼ ଦ୍ୱାରା ଗୁନ୍ଥା ହୋଇଥିଵା ଏକ ମାଳା। ଏହି ଅର୍ଥଟି ସିଧାସଳଖ ଆମକୁ ନେଇଯାଏ ମହାକାଳୀଙ୍କ ସେହି ଭୀଷଣ ଓ କରୁଣ ରୂପ ପାଖକୁ, ଯାହାଙ୍କ ଗଳାରେ ଏଭଳି ଏକ ମୁଣ୍ଡମାଳ ଵା ଅସ୍ଥିମାଳ ଶୋଭାପାଏ। ଏହା କେଵଳ ଭୟର ପ୍ରତୀକ ନୁହେଁ, ଵରଂ ଏହା ମର୍ତ୍ତ୍ୟର ସମସ୍ତ ଅହଙ୍କାର, କ୍ଷମତା ଏଵଂ ସାମ୍ରାଜ୍ୟର ଚରମ ପରିଣତିକୁ ମନେ ପକାଇ ଦିଏ। ଯେତେବେଳେ ବଡ଼ ବଡ଼ ସମ୍ରାଟ ଏଵଂ ଜୟୀମାନେ ନିଜର ଵିଜୟରେ ମଦମତ୍ତ ହୁଅନ୍ତି ଆଉ ତାପରେ ଆଖିଥାଇ ବି ଅନ୍ଧ ହୋଇଯା’ନ୍ତି, ସେତେବେଳେ କାଳୀଙ୍କ ଗଳାର ଏହି ହାଡ଼ମାଳ ମୁକ ସାକ୍ଷୀ ଭାବେ ଘୋଷଣା କରେ ଯେ ଏହି ପାର୍ଥିଵ ଶରୀରର ଶେଷ ଗନ୍ତଵ୍ୟସ୍ଥଳ କେଵଳ କେତୋଟି ଶୁଖିଲା ହାଡ଼ ଛଡ଼ା ଆଉ କିଛି ନୁହେଁ। ଏହା ପରେ ଆସେ ହାଡ଼ମାଳ ଶବ୍ଦର ଦ୍ୱିତୀୟ ଅର୍ଥ, ଯାହା ଅସ୍ଥି-କଙ୍କାଳ ମାଳ ଵା ଅତି ଜୀର୍ଣ୍ଣଶୀର୍ଣ୍ଣ ଅଵସ୍ଥାକୁ ବୁଝାଏ। ଏହା ମାନଵୀୟ ଦାରିଦ୍ର୍ୟର ସବୁଠାରୁ ଦୁର୍ଦ୍ଦାନ୍ତ ରୂପ। ଯେତେବେଳେ ମଣିଷ ପେଟରେ ଦାନା ନଥାଏ, ଶରୀରର ମାଂସ ଶୁଖିଯାଇ କେଵଳ ଚର୍ମ ଓ ହାଡ଼ର ଏକ ପଞ୍ଜରା ହାଡ଼ ବାକି ରହେ, ସେତେବେଳେ ତାହା ମଧ୍ୟ ଏକ ଜୀଵନ୍ତ ହାଡ଼ମାଳ ପାଲଟିଯାଏ। ସମାଜର ଭୋକିଲା କୋଣରେ ପଡିରହିଥିଵା ଏହି ଜୀଵନ୍ତ କଙ୍କାଳଗୁଡ଼ିକ ହେଉଛନ୍ତି ସେହି ଵ୍ୟଵସ୍ଥାର ପ୍ରତୀକ, ଯାହା ସମୃଦ୍ଧିର ମିଥ୍ୟା ଆଡମ୍ଵର ତଳେ ମଣିଷକୁ ପଶୁଠାରୁ ମଧ୍ୟ ହୀନ ସ୍ଥିତିକୁ ଠେଲି ଦେଇଥାଏ।

କିନ୍ତୁ ପ୍ରକୃତ ମଜା, ଵରଂ କହିଵାକୁ ଗଲେ ମାନଵୀୟ ଵିଡମ୍ଵନାର ସବୁଠାରୁ ବଡ଼ ପ୍ରହସନଟି ଲୁଚି ରହିଛି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଥିଵା ହାଡ଼ମାଳ ଶବ୍ଦର ତୃତୀୟ ଅର୍ଥରେ। 

ଯେତେବେଳେ ସମାଜର ଜଣେ ଅଭାଵୀ, ଦୀନଦୁଃଖୀ ମଣିଷ ଦେଖେ ଯେ ଦେଶର ଧନୀ, ମହାଜନ ଵା ସାମନ୍ତମାନେ ନିଜ ଗଳାରେ କିପରି ସୁନାର ମୂଲ୍ୟଵାନ ହାର ପିନ୍ଧି ଗର୍ଵରେ ଛାତି ଫୁଲାଇ ବୁଲୁଛନ୍ତି, ସେତେବେଳେ ତା’ର ଭୋକିଲା ମନ ଏଵଂ ଶାଣିତ ବୁଦ୍ଧି ଏକ ମାର୍ମିକ ଵିଦ୍ରୋହ କରି ବସେ। ସେହି ସୁନାର ହାରକୁ ସେ ସୁନାର ହାର ବୋଲି ସ୍ୱୀକାର କରେ ନାହିଁ, ଵରଂ ତାକୁ ଅତି ଵ୍ୟଙ୍ଗାତ୍ମକ ଭାବେ ‘ହାଡ଼ମାଳ’ ବୋଲି କହିଥାଏ। ଏଠାରେ ହିଁ ଆରମ୍ଭ ହୁଏ ମାନଵୀୟ ମନସ୍ତତ୍ତ୍ଵର ଏକ ଚମତ୍କାର ନାଟକ ଆଉ ତତ୍ପରେ ଗରିଵର ଵ୍ୟଙ୍ଗ ଧନୀର ଅହଙ୍କାରକୁ ଧୂଳିସାତ୍ କରିଦିଏ।
ମଣିଷ ଜାତିର ସବୁଠାରୁ ବଡ଼ ଵିଚିତ୍ରତା ହେଉଛି ଏହାର ଆଡମ୍ଵରପ୍ରିୟତା। ଜଣେ ଧନୀ ଵ୍ୟକ୍ତି, ଯାହାଙ୍କ ପେଟ ସବୁବେଳେ ଭଲ ଭଲ ଖାଦ୍ୟରେ ପୂର୍ଣ୍ଣ ରହିଥାଏ ଏଵଂ ଯାହାଙ୍କ ଜୀଵନରେ ଶ୍ରମର କୌଣସି ଅନୁଭୂତି ନଥାଏ, ସେ ଯେତେବେଳେ ବଜାରରୁ କିଣି ଅଣାଯାଇଥିଵା କେତେ ଓଜନର ସୁନାର ହାର ଗଳାରେ ଝୁଲାଇ ରାସ୍ତାରେ ଚାଲେ, ସେତେବେଳେ ସେ ଭାବେ ଯେ ସେ ସମଗ୍ର ଵିଶ୍ଵର ମାଲିକ। ସେ ଭାବେ ଯେ ତା’ର ଗଳାର ଏହି ହଳଦିଆ ଝଲକ ତାକୁ ସାଧାରଣ ମଣିଷଠାରୁ କୌଣସି ଦେଵତା ଵା ଅମର ପ୍ରାଣୀରେ ପରିଣତ କରିଦେଇଛି। କିନ୍ତୁ ସେହି ସମୟରେ ରାସ୍ତାର କଡ଼ରେ, ଭାଙ୍ଗିଯାଇଥିଵା ଚା’ ଦୋକାନ ବେଞ୍ଚରେ ବସି କପ୍‌ରୁ ଶେଷ ଚା’ ବୁନ୍ଦା ମାରୁଥିଵା ସେହି ମଜୁରିଆ, ଯାହାର ପାପୁଲିରେ କଠୋର ପରିଶ୍ରମ ଯୋଗୁଁ ବିଣ୍ଡି ପଡ଼ିଯାଇଛି, ସେ ସେହି ଧନୀ ଵ୍ୟକ୍ତି ଆଡ଼େ ଏକ ତୀକ୍ଷ୍ଣ, ଵକ୍ର ନଜର ପକାଏ। ତା’ର ମନରେ ଟିକିଏ ବି ଈର୍ଷା ଜାତ ହୁଏ ନାହିଁ, ଵରଂ ଆସେ ଏକ ଗଭୀର, ନିର୍ମମ କରୁଣା ଏଵଂ ପ୍ରଚଣ୍ଡ ଵିଦ୍ରୁପ। ସେ ମନେ ମନେ ହସେ ଏଵଂ ନିଜ ସହକର୍ମୀଙ୍କୁ କହେ ଯେ ଦେଖ, ସେ ସାହେବ କିପରି ନିଜ ଗଳାରେ ଏକ ହାଡ଼ମାଳ ପିନ୍ଧି ବୁଲୁଛନ୍ତି।

“ଯାହାର ଗଳାରେ ସୁନାର ଏତେ ଭାର,
ସେ କି ବୁଝିପାରେ ଭୋକିଲାର ଚିତ୍କାର?
ଯାହାର ଥାଳିରେ ଅମୃତର ଅଫୁରନ୍ତ ଭୋଜନ,
ତା' ପାଇଁ କି ଜାଣିଵା ସହଜ ଅନ୍ୟର କ୍ରନ୍ଦନ?”

କିନ୍ତୁ ଏଠାରେ ପ୍ରଶ୍ନ ଉଠିପାରେ, ସୁନା ହେଉଛି ସୌଭାଗ୍ୟ, ସମୃଦ୍ଧି ଏଵଂ ସୌନ୍ଦର୍ଯ୍ୟର ପ୍ରତୀକ, ତେବେ ତାକୁ କାହିଁକି ‘ହାଡ଼ମାଳ’ କୁହାଯିଵ? ଏହାର ଉତ୍ତର ଲୁଚି ରହିଛି ସେହି ଶ୍ରମିକର ବୁଦ୍ଧିଜୀଵୀ ସତ୍ୟରେ। ଗରିଵ ଲୋକଟି ଜାଣେ ଯେ ଏହି ଧନୀମାନଙ୍କର ଗଳାରେ ଚମକୁଥିଵା ସୁନାର ଓଜନ କୌଣସି ଆକାଶରୁ ଖସିନାହିଁ କିମ୍ଵା ମାଟି ଖୋଳିଲେ ଆପେ ଆପେ ବାହାରି ଆସିନାହିଁ। ଏହି ସୁନାର ପ୍ରତ୍ୟେକଟି ଗ୍ରାମ୍ ପଛରେ ରହିଛି ଶହ ଶହ ଭୋକିଲା ଶ୍ରମିକଙ୍କର ଝାଳ, ସେମାନଙ୍କ ଶୁଖିଯାଇଥିଵା ହାଡ଼ ଏଵଂ ସେମାନଙ୍କ ପରିଵାରର ଲୁହ। ଧନୀମାନେ ଯେତେବେଳେ ସେହି ସୁନା ପିନ୍ଧି ଗର୍ଵ କରନ୍ତି, ସେତେବେଳେ ସେମାନେ ପ୍ରକୃତରେ ସେହି ଅଭାଵୀ ମନୁଷ୍ୟମାନଙ୍କର ଶୋଷିତ ହାଡ଼ ଏଵଂ ମୁଣ୍ଡଖର୍ଚ୍ଚକୁ ହିଁ ନିଜ ଗଳାରେ ଝୁଲାଇ ରଖିଥା’ନ୍ତି। ସେଥିପାଇଁ ତ ସାମାଜିକ ଵିଡମ୍ଵନାର ଏହି କୁଟିଳତାକୁ ଧରିପକାଇ ଗରିଵ ଲୋକଟି ସେହି ସୁନାର ହାରକୁ ‘ହାଡ଼ମାଳ’ ବୋଲି କହି ସେହି ଧନୀର ସମଗ୍ର ଆଡମ୍ଵରକୁ ଏକ ମୁହୂର୍ତ୍ତରେ ମାଟିରେ ମିଶାଇଦିଏ। ଏହା ଏକ ଅଦ୍ଭୁତ ମାନଵୀୟ ପ୍ରତିକ୍ରିୟା, ଯହିଁରେ ଶବ୍ଦଗୁଡ଼ିକ ତରଵାରୀଠାରୁ ମଧ୍ୟ ଅଧିକ ଶାଣିତ ହୋଇଯା’ନ୍ତି।

ମଣିଷର ଅହଙ୍କାର ଏକ ଏଭଳି ବେଲୁନ୍ ଯାହାକୁ ଫୁଟାଇଵା ପାଇଁ କୌଣସି 
ବନ୍ଧୁକର ଆଵଶ୍ୟକତା ପଡ଼େ ନାହିଁ, କେଵଳ ଗୋଟିଏ ଛୋଟ, ଶାଣିତ ଵ୍ୟଙ୍ଗାତ୍ମକ ଶବ୍ଦର ଏକ ଶୁଦ୍ଧ ସୁଚିନ୍ତିତ ପ୍ରୟୋଗ ହିଁ ଯଥେଷ୍ଟ। ଧନୀ ଵ୍ୟକ୍ତିଟି ଯେତେବେଳେ ସମାଜରେ ନିଜର ଧନ ପ୍ରଦର୍ଶନ କରିଵାକୁ ବାହାରେ, ସେ ଭାବେ ଯେ ସେ ସମସ୍ତଙ୍କୁ ପ୍ରଭାଵିତ କରୁଛି। କିନ୍ତୁ ସେ ଜାଣେ ନାହିଁ ଯେ ତା’ର ପଛରେ, ଚା’ ଦୋକାନର ଅନ୍ଧାରିଆ କୋଣରୁ କିମ୍ଵା ରାସ୍ତାର ଧୂଳିରୁ କେହି ଜଣେ ତା’ର ଏହି କୃତ୍ରିମ ଚମକକୁ ଦେଖି ମନେ ମନେ ହସୁଛି ଏଵଂ ଭାବୁଛି ଯେ ଏହି ମଣିଷଟି କେତେ ନିର୍ବୋଧ। ସେ ଜାଣେ ନାହିଁ ଯେ ସେ ଯେଉଁ ସୁନାକୁ ନେଇ ଏତେ ଗର୍ଵ କରୁଛି, କାଳର ନିୟମରେ ଆଜି ହେଉ କି କାଲି, ସେହି ଶରୀର ପୋଡ଼ା ଗଲେ କିମ୍ଵା ପୋତିଦେଵା ପରେ ତାହା ମାଟିରେ ମିଶିଯିଵ ଏଵଂ ସେତେବେଳେ ଏହି ସୁନାର ହାର କୌଣସି କାମରେ ଆସିଵ ନାହିଁ, ଵରଂ ତା’ର ଶେଷ ଅଵଶେଷ କେଵଳ କେତୋଟି ଖଣ୍ଡ ହାଡ଼ ହିଁ ହୋଇ ରହିଵ। ଏହି ପ୍ରକାରର ଵ୍ୟଙ୍ଗ କେଵଳ ଏକ ଶବ୍ଦଗତ ପ୍ରୟୋଗ ନୁହେଁ, ଵରଂ ଏହା ହେଉଛି ସାମାଜିକ ଅନ୍ୟାୟ ଵିରୁଦ୍ଧରେ ମାନଵ ମନର ଏକ ମୂକ ପ୍ରତିଵାଦ।
ଭାଷାରେ ଏହି ଵ୍ୟଙ୍ଗର ଉପସ୍ଥିତି ପ୍ରମାଣ କରେ ଯେ ମଣିଷ ଯେତେ ଅସହାୟ ହେଉନା କାହିଁକି, ସେ କେବେହେଲେ ନିଜର ଵିଵେକ ଓ ବୁଦ୍ଧିକୁ ବନ୍ଧା ପକାଏ ନାହିଁ। ଯେତେବେଳେ ରାଜା, ମହାରାଜା କିମ୍ଵା ସମାଜର ପ୍ରଭାଵଶାଳୀ ଵର୍ଗର ଲୋକମାନେ ନିଜର କ୍ଷମତାର ପ୍ରଦର୍ଶନ କରିଵା ପାଇଁ ହୀରା,ମାଣିକ୍ୟ ଓ ସୁନାର ହାର ପିନ୍ଧି ସମାଜର ଆଗରେ ଚାଲନ୍ତି, ସେତେବେଳେ ସେମାନେ ଭାବନ୍ତି ଯେ ସମସ୍ତେ ସେମାନଙ୍କୁ ଭୟ କରିବେ ଏଵଂ ଆଦର କରିବେ। କିନ୍ତୁ ସେମାନେ ଜାଣି ନଥା’ନ୍ତି ଯେ ସେମାନଙ୍କର ପଛପଟେ ସାଧାରଣ ଜନତା ସେହି ଆଡମ୍ଵରକୁ କିପରି ଏକ ହାସ୍ୟାସ୍ପଦ ନାଟକ ବୋଲି ଭାବୁଛନ୍ତି। ‘ହାଡ଼ମାଳ’ ଶବ୍ଦଟି ଏହାର ଏକ ଜ୍ୱଳନ୍ତ ପ୍ରମାଣ। ଏହା ଗୋଟିଏ ଶବ୍ଦରେ ଦୁଇଟି ଵିପରୀତ ମେରୁକୁ ଏକାଠି କରିଦିଏ, ଗୋଟିଏ ପଟେ ସୁନାର ଚମକ ଏଵଂ ଅନ୍ୟ ପଟେ ହାଡ଼ର ଶୂନ୍ୟତା। ସୁନା ଯାହା ଜୀଵନର, ଉଷ୍ମତାର ଏଵଂ ସମୃଦ୍ଧିର ପ୍ରତୀକ, ତାକୁ ଯେତେବେଳେ ହାଡ଼ ସହିତ ଯୋଡ଼ି ଦିଆଯାଏ, ସେତେବେଳେ ସେହି ସୁନାର ସମସ୍ତ ମୂଲ୍ୟ ମୁହୂର୍ତ୍ତକେ ଧୂଳିସାତ୍ ହୋଇଯାଏ। ଏହା ଗରିଵର ସେହି ମାନସିକ ଵିଜୟ, ଯହିଁରେ ସେ ଧନୀର ଅର୍ଥକୁ ପରାସ୍ତ ନକରି ପାରିଲେ ମଧ୍ୟ, ତା’ର ସେହି ଅହଙ୍କାରକୁ ଭାଷାର କୁଠାରଘାତରେ ଖଣ୍ଡଖଣ୍ଡ କରିଦିଏ।

ୟେ ହାଡ଼ମାଳ ! 
"କାହା ପାଇଁ ହାଡ଼ର ଭୟଙ୍କର ମାଳା,
କାହା ପାଇଁ ସୁନାର ଅହଙ୍କାରୀ ହାର;
କାହା ପାଇଁ ଅଭାଵର ଅନ୍ତହୀନ ବେଦନା,
କାହା ପାଇଁ ଵିଳାସର ମିଥ୍ୟା ଶୃଙ୍ଗାର।"

ତେଣୁ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ୯୦୫୦ତମ ପୃଷ୍ଠାରେ ସ୍ଥାନ ପାଇଥିଵା ‘ହାଡ଼ମାଳ’ ଶବ୍ଦଟି ମାନଵ ସମାଜର ଏକ ଚିରନ୍ତନ ସତ୍ୟର ପ୍ରତିଫଳନ। ଏହା ଆମକୁ ମନେ ପକାଇ ଦେଇଥାଏ ଯେ ମଣିଷର ଵାହ୍ୟ ଆଡମ୍ଵର ଯେତେ ଵିରାଟ କିମ୍ଵା ଚମକପୂର୍ଣ୍ଣ ହେଉନା କାହିଁକି, ଶେଷରେ ସମସ୍ତଙ୍କୁ ସେହି ମାଟିରେ ମିଶିଵାକୁ ହିଁ ପଡିଵ଼ ଏଵଂ ସେହି କଙ୍କାଳର ରୂପ ନେଵାକୁ ହେଵ । ଧନୀ ଓ ଗରିଵ ମଧ୍ୟରେ ଥିଵା ଏହି ଶାଶ୍ୱତ ଦ୍ୱନ୍ଦ୍ୱକୁ ଵ୍ୟଙ୍ଗର ମାଧ୍ୟମରେ ପ୍ରକାଶ କରିଵାରେ ଓଡ଼ିଆ ଭାଷାର ଯେଉଁ କ୍ଷମତା ରହିଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। ଯେତେବେଳେ ଜଣେ ଗରିଵ ମଣିଷ ଧନୀର ସୁନାର ହାରକୁ ‘ହାଡ଼ମାଳ’ ବୋଲି କହି ମନେ ମନେ ହସେ, ସେତେବେଳେ ସେ କେଵଳ ସେହି ଵ୍ୟକ୍ତିକୁ ନୁହେଁ, ଵରଂ ସମଗ୍ର ଅନ୍ୟାୟପୂର୍ଣ୍ଣ ସାମାଜିକ ଵ୍ୟଵସ୍ଥାକୁ ଉପହାସ କରୁଥାଏ। ଏହିଭଳି ଶବ୍ଦଗୁଡ଼ିକ ହିଁ ଭାଷାକୁ ଜୀଵନ୍ତ ରଖେ ଏଵଂ ସମାଜର ଅନ୍ଧକାର କୋଣରେ ଆଲୋକର ଏକ କ୍ଷୁଦ୍ର ଶିଖା ଜାଳି ରଖିଥାଏ, ଯାହା ଦ୍ୱାରା ଅହଙ୍କାରୀମାନେ ନିଜର ପ୍ରକୃତ ସ୍ୱରୂପକୁ ଟିକିଏ ହେଲେ ଚିହ୍ନିଵାକୁ ବାଧ୍ୟ ହୁଅନ୍ତି।

ସୁନାର ହାରକୁ ହାଡ଼ମାଳ କହିଵାର ଏହି ଭାଷାଗତ ସାହସ ହିଁ ଓଡ଼ିଆ ଲୋକପ୍ରଜ୍ଞାର ଏକ ନିଆରା ପରିଚୟ। କାରଣ ସୁନାର ଚମକ ଆଖିକୁ ଅନ୍ଧ କରିପାରେ, କିନ୍ତୁ ହାଡ଼ମାଳ ମଣିଷକୁ ତା'ର ଶେଷ ପରିଣତି ମନେ ପକାଇଦିଏ।


Sunday, October 18, 2026

କେମିତି ଟର୍ଚ୍ଚ ଯୋଗୁଁ କିଛି ଓଡ଼ିଆ ଶବ୍ଦ ସୃଷ୍ଟି ହୋଇଥିଲା ଏଵଂ ସେହି ଟର୍ଚ୍ଚ ଯୋଗୁଁ ହିଁ ହଜିଗଲା ?

 ‘Homo Sapiens’ର ଇତିହାସ, ଅନ୍ଧକାର ଵିରୋଧରେ ଏକ ନିରନ୍ତର ସଂଗ୍ରାମର ଇତିହାସ ଅଟେ । ଜୀଵଵିଜ୍ଞାନ ଦୃଷ୍ଟିରୁ ମଣିଷ ଏକ ଦିଵାଚର ପ୍ରାଣୀ, ଯାହାର ଆଖି ସୂର୍ଯ୍ୟାଲୋକରେ ଦେଖିଵା ପାଇଁ ଗଠିତ । ପ୍ରାଚୀନ କାଳରେ ରାତିର ଅନ୍ଧକାର ଆମ ପୂର୍ଵପୁରୁଷମାନଙ୍କ ପାଇଁ ଏକ ଭୟାନକ ସମୟ ଥିଲା, ଯେତେବେଳେ ହିଂସ୍ର ଜନ୍ତୁମାନେ ଶିକାର ପାଇଁ ବାହାରୁଥିଲେ । ପ୍ରାୟ ତିନି ଲକ୍ଷ ଵର୍ଷ ପୂର୍ଵେ ନିଆଁକୁ ନିୟନ୍ତ୍ରଣ କରି ନିଜ ଆଵଶ୍ୟକତା ଅନୁସାରେ ଵ୍ୟଵହାର କରିଵାର ମଣିଷର କ୍ଷମତା ତାକୁ ଅନେକ ଜୈଵିକ ସୀମାବଦ୍ଧତାରୁ ମୁକ୍ତ କରିଥିଲା।
ନିଆଁ କେଵଳ ଖାଦ୍ୟ ରାନ୍ଧିଵା ଵା ଉତ୍ତାପ ଦେଵା ପାଇଁ ନଥିଲା, ଏହା ଥିଲା ରାତିର ଅନ୍ଧକାରକୁ ଅକ୍ତିଆର କରିଵାର ପ୍ରଥମ ଵୈଷୟିକ ଅସ୍ତ୍ର । ମଶାଲ, ଦୀପ, ମହମଵତୀ,ଡିବିରି ଓ ଲଣ୍ଠନ— ଏହି ସବୁ ଥିଲା ସେହି ନିଆଁକୁ ନିୟନ୍ତ୍ରଣ କରିଵାର ଵିଭିନ୍ନ ପ୍ରାଚୀନ ଉପାୟ । କିନ୍ତୁ ଏହି ସବୁ ଉପକରଣର ଏକ ବଡ଼ ଦୁର୍ଵଳତା ଥିଲା: ସେଗୁଡ଼ିକ ଅସ୍ଥିର ଥିଲେ, ପଵନରେ ଲିଭିଯିଵାର ଭୟ ଥିଲା, ନିଆଁ ଲାଗିଵାର ଵିପଦ ଥିଲା ଏବଂ ସେଗୁଡ଼ିକୁ ସାଥୀରେ ଧରି ସହଜରେ ଦୌଡ଼ି ହେଉନଥିଲା । ଊନଵିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ମଣିଷର ରାତିର ସାମ୍ରାଜ୍ୟ ନିଆଁର ଏହି ସୀମିତ ପରିସର ମଧ୍ୟରେ ହିଁ ଆବଦ୍ଧ ଥିଲା ।
ଵୈପ୍ଳଵିକ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ମଣିଷ ଵିଦ୍ୟୁତ୍ ଶକ୍ତିକୁ କାବୁ କରିଵା ଶିଖିଲା । କିନ୍ତୁ ପ୍ରାରମ୍ଭିକ ଵିଦ୍ୟୁତ୍ ଵ୍ୟଵସ୍ଥାଗୁଡ଼ିକ ଵିଶାଳ ଥିଲା— ବଡ଼ ବଡ଼ ଜେନେରେଟର ଓ ତାରର ଜାଲ ମଧ୍ୟରେ ଆବଦ୍ଧ । ଏହାକୁ ସାଥୀରେ ନେଇ ବୁଲିଵା କିମ୍ବା ଦୌଡ଼ିଵା ଅସମ୍ଭଵ ଥିଲା । ୧୮୯୦ ଦଶକରେ ଶୁଖିଲା ବ୍ୟାଟେରୀ ଵା Dry cell ଏଵଂ ଛୋଟ Incandescent bulbର ଉଦ୍ଭାବନ ଏହି ଦିଗରେ ନୂଆ ଆଶା ସୃଷ୍ଟି କଲା । ୧୮୯୯ ମସିହାରେ ଆମେରିକାରେ ଵସଵାସ କରୁଥିଵା ଜଣେ ବ୍ରିଟିଶ୍ ଉଦ୍ଭାଵକ David Misell ପ୍ରଥମେ ଏକ ସିଲିଣ୍ଡର ଆକାରର କାଗଜ ଟ୍ୟୁବ୍ ଭିତରେ ତିନୋଟି D-size ଜିଙ୍କ୍-କାର୍ବନ୍ ବ୍ୟାଟେରୀ, ଏକ ଛୋଟ ତମ୍ବା ରିଫ୍ଲେକ୍ଟର ଏଵଂ ଗୋଟିଏ ଛୋଟ ବଲ୍ବକୁ ଯୋଡ଼ି ଏକ ନୂତନ ଯନ୍ତ୍ର ତିଆରି କଲେ । ଏହାର ଶେଷ ଭାଗରେ ଏକ କଣ୍ଟାକ୍ଟ୍ ସୁଇଚ୍ ଥିଲା । ଏହା ଥିଲା ମାନଵ ଇତିହାସରେ ହାତରେ ଧରାଯାଇପାରୁଥିଵା ପ୍ରାରମ୍ଭିକ Torch ଵା Flashlight । ମିସେଲ୍ ଏହି ପେଟେଣ୍ଟକୁ Conrad Hubert ନାମକ ଜଣେ ରୁଷୀୟ ପ୍ରବାସୀଙ୍କୁ ଦେଇଥିଲେ, ଯିଏକି ପରଵର୍ତ୍ତୀ ସମୟରେ ପ୍ରସିଦ୍ଧ Eveready କମ୍ପାନୀ ପ୍ରତିଷ୍ଠା କରିଥିଲେ ।
ପ୍ରାରମ୍ଭିକ ଅବସ୍ଥାରେ ଏହି ଯନ୍ତ୍ରଟିର ନାମକରଣ ସମାଜର ମାନସିକତା ଓ ପ୍ରଯୁକ୍ତିର ଵାସ୍ତଵତାକୁ ପ୍ରତିଫଳିତ କରୁଥିଲା । ଆମେରିକାରେ ଏହାକୁ Flashlight କୁହାଗଲା, କାରଣ ସେତେବେଳର ଜିଙ୍କ୍-କାର୍ବନ୍ ବ୍ୟାଟେରୀଗୁଡ଼ିକ ଅତ୍ୟନ୍ତ ଦୁର୍ଵଳ ଥିଲା ଏଵଂ କାର୍ବନ୍ ଫିଲାମେଣ୍ଟ୍ ବଲ୍ବ ଅଧିକ ଶକ୍ତି ଟାଣୁଥିଲା । ଫଳରେ ଏହି ଆଲୁଅକୁ କ୍ରମାଗତ ଭାବେ ଅଧିକ ସମୟ ଜଳାଇ ରଖିବା ସମ୍ଭଵ ନଥିଲା । କିଛି ସେକେଣ୍ଡ ଜଳିଵା ପରେ ବ୍ୟାଟେରୀକୁ "ଵିଶ୍ରାମ" ଦେଵାକୁ ପଡ଼ୁଥିଲା । ତେଣୁ ଵ୍ୟଵହାରକାରୀମାନେ ଅନ୍ଧାରରେ କେଵଳ ଗୋଟିଏ ଝଲକ ଵା 'ଫ୍ଲାସ୍' ଦେଖିଵା ପାଇଁ ଏହାକୁ ଵ୍ୟଵହାର କରୁଥିଲେ । ଯଦିଓ କିଛି ଦଶନ୍ଧି ପରେ ଟଙ୍ଗଷ୍ଟେନ୍ ଫିଲାମେଣ୍ଟ ଏଵଂ ଉନ୍ନତ ବ୍ୟାଟେରୀ ଆସିଵା ଫଳରେ ଏହା କ୍ରମାଗତ ଭାବେ ଜଳିବାକୁ ଲାଗିଲା, ତଥାପି ଆମେରିକୀୟ ଇଂରାଜୀରେ 'Flashlight' ନାମଟି ସବୁଦିନ ପାଇଁ ରହିଗଲା । ଅନ୍ୟପକ୍ଷରେ, ବ୍ରିଟିଶ୍ ଇଂରାଜୀରେ ଏହାକୁ 'Torch' କୁହାଗଲା । ଏହି 'Torch' ଶବ୍ଦଟି "ମଧ୍ୟ-ଇଂରାଜୀ" ଭାଷାର torch, torche (“ବଡ଼ ମହମଵତୀ; ଜଳନ୍ତା କାଠି; ରୂପକ ଅର୍ଥରେ ସୂର୍ଯ୍ୟକିରଣ”)ରୁ ଆସିଛି। ଏହାର ମୂଳ ପ୍ରାଚୀନ ଫ୍ରେଞ୍ଚ୍ torche, torque (“ମଶାଲ; ମୋଡ଼ା ହୋଇଥିଵା ନଡ଼ା/ଘାସର ବିଡ଼ା”)ରେ ମିଳେ। ଏହାର ପରଵର୍ତ୍ତୀ ଵ୍ୟୁତ୍ପତ୍ତି ଇତିହାସ ନିଶ୍ଚିତ ନୁହେଁ; ତେବେ ସମ୍ଭଵତଃ ଏହା Vulgar Latinର *torca (“ମୋଡ଼ିହୋଇଥିଵା/କୁଣ୍ଡଳାକୃତି ଵସ୍ତୁ”)ରୁ ଆସିଥିଵା ଅନୁମାନ କରାଯାଏ। ଜ୍ୱଳନଶୀଳ ପଦାର୍ଥରେ ବୁଡ଼ାଯାଇଥିବା ମୋଡ଼ା ହୋଇଥିଵା ଉଦ୍ଭିଦ-ତନ୍ତୁରେ ତିଆରି ମଶାଲକୁ ଏହି ଅର୍ଥ ସୂଚାଉଥିବା ସମ୍ଭାଵନା ରହିଛି। torca ହେଉଛି Latin torqua, ଯାହା torquis (“ମୋଡ଼ା ହୋଇଥିଵା ଧାତୁର ହାର/ବଳୟ; torque”)ର ଏକ ରୂପ। torquis ର ସମ୍ପର୍କ Latin torqueō (“ମୋଡ଼ିଵା, ଘୂରାଇଵା”) ସହିତ ରହିଛି। ଆଧୁନିକ ଭାଷାଵିଦମାନେ ତେଣୁ Torch ଶବ୍ଦର ମୂଳ ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଶବ୍ଦରୂପ *terkʷ- (“ମୋଡ଼ିଵା; ଘୂରାଇଵା”) ନିର୍ଣ୍ଣୟ କରିଛନ୍ତି । ଏ ଦୃଷ୍ଟିରୁ ସଂସ୍କୃତ ତର୍କ ଓ ତର୍କୁ(spindle ଵା ତାକୁଡ଼ୀ) ସହିତ Torch ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥାଇପାରେ ଯେହେତୁ ଏହି ଶବ୍ଦଗୁଡ଼ିକୁ ମଧ୍ୟ ଆଧୁନିକ ଭାଷାଵିଦମାନେ *terkʷ ମୂଳର ଶବ୍ଦ ବୋଲି ନିର୍ଣ୍ଣୟ କରିଛନ୍ତି। 

ବ୍ରିଟିଶମାନେ ଆଗେ ମଶାଲକୁ ହିଁ Torch କହୁଥିଲେ । ଯୋଉଠୁ ବ୍ୟାଟେରୀର ହାତରେ ଧରିଵା ଯୋଗ୍ୟ ବିଜୁଳି ବତି ଆସିଲା ସେଇଠୁ ବ୍ରିଟିଶମାନେ ନିଜର ପୁରୁଣା ମଶାଲର ସାଂସ୍କୃତିକ ପ୍ରତୀକକୁ ଏହି ନୂତନ ଵୈଦ୍ୟୁତିକ ଉପକରଣ ଉପରେ ଲଦିଦେଲେ ।
ଏହି ଉପକରଣଟି କେଵଳ ଏକ ଵସ୍ତୁ ନଥିଲା, ଏହା ଥିଲା ମଣିଷର ମନସ୍ତତ୍ତ୍ୱ ଓ ସାମାଜିକ ଗତିଶୀଳତାର ଏକ ଵିରାଟ ପରିଵର୍ତ୍ତନକାରୀ ଆୟୁଧ । ପୂର୍ଵରୁ ଲଣ୍ଠନ ଵା ଦୀପର ଆଲୁଅ ଚତୁର୍ଦ୍ଦିଗକୁ ଵିଚ୍ଛୁରିତ ହେଉଥିଲା, ଯାହା ଫଳରେ ଉଭୟ ଦେଖଣାହାରୀ ଏଵଂ ଦେଖାଯାଉଥିଵା ଵସ୍ତୁ ଆଲୋକିତ ହେଉଥିଲେ । କିନ୍ତୁ ଟର୍ଚ୍ଚର ଆଲୁଅ ଥିଲା ଏକତରଫା ଓ ତୀକ୍ଷ୍ଣ । ଯିଏ ଏହି ଯନ୍ତ୍ରଟିକୁ ଧରୁଥିଲା, ସେ ଅନ୍ଧକାରରେ ଲୁଚି ରହି ସାମ୍ନାର ଵ୍ଯକ୍ତି ଵା ଵସ୍ତୁ ଉପରେ ଆଲୋକ ପକାଇ ପାରୁଥିଲା । ଏହା ନିୟନ୍ତ୍ରଣ ଓ କ୍ଷମତାର ଏକ ଶକ୍ତିଶାଳୀ ମାଧ୍ୟମ ପାଲଟିଗଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଟ୍ରେଞ୍ଚ୍ ଵା ଗାତ ଭିତରେ ଲଢ଼ୁଥିଵା ସୈନ୍ୟମାନଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଅସ୍ତ୍ରରେ ପରିଣତ ହେଲା । ପୋଲିସ୍, ରାତ୍ରି ଜଗୁଆଳି ଏଵଂ ସାଧାରଣ ଲୋକଙ୍କ ପାଇଁ ଏହା ରାତିକୁ ଏକ ଭୟମୁକ୍ତ ସମୟରେ ପରିଣତ କଲା । Homo sapiens ଏବେ ଆଉ ନିଆଁର ଦାସ ହୋଇ ରହିଲା ନାହିଁ; ସେ ସୂର୍ଯ୍ୟର ଏକ କ୍ଷୁଦ୍ର ଅଂଶକୁ ନିଜ ପକେଟରେ ଧରି ବୁଲିଵାକୁ ସକ୍ଷମ ହେଲା ।

କିନ୍ତୁ ଭାରତଵର୍ଷକୁ ଏହି ଆଧୁନିକ ଉପକରଣଟିର ପ୍ରଵେଶ ଏକ ସ୍ୱାଭାଵିକ ଵାଣିଜ୍ୟିକ ପ୍ରକ୍ରିୟା ନଥିଲା ଵରଂ ଏହା ସାମ୍ରାଜ୍ୟଵାଦୀ କ୍ଷମତାର ଏକ ପ୍ରତୀକ ଭାବରେ ପ୍ରଵେଶ କରିଥିଲା । ଵିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତ ଥିଲା ବ୍ରିଟିଶ୍ ଶାସନାଧୀନ ଏକ କୃଷିପ୍ରଧାନ ତଥା ଅପେକ୍ଷାକୃତ ଅନ୍ଧକାରମୟ ଭୂଖଣ୍ଡ । କଲିକତା ଓ ବମ୍ବେ ଭଳି କେତେକ ବଡ଼ ସହରକୁ ଛାଡ଼ିଦେଲେ ସମଗ୍ର ଭାରତଵର୍ଷ ରାତି ହେଲେ କିରୋସିନି ଲଣ୍ଠନ, ଦିବିରି ଓ ମାଟି ଦୀପ ଉପରେ ନିର୍ଭର କରୁଥିଲା । ସନ୍ଧ୍ୟା ହେଵା ମାତ୍ରକେ ହିଂସ୍ରଜନ୍ତୁ ଭୟରେ ଲୋକେ ଘରୁ ବାହାରୁ ନଥିଲେ ଆଉ ଯଦି ଵା ଘରୁ ବାହରିଵା ଅତି ଆଵଶ୍ୟକ ହେଉଥିଲା ତେବେ ସେମାନେ ଲଣ୍ଠନ କିମ୍ବା ନିଆଁହୁଳା ଵା ମଶାଲ୍ ଧରି ଯାଉଥିଲେ । କିନ୍ତୁ ଵର୍ଷା ପଵନ ସମୟରେ ମଶାଲ ଓ ଲଣ୍ଠନ ଲିଭିଯିଵାର ପୁଣି ନିଆଁ ଲାଗିଯିଵାର ଭୟ ବି ରହୁଥିଲା । ଲୋକମାନେ ଏମିତି ଏକ ସୁରକ୍ଷିତ ଵ୍ୟଵସ୍ଥା ଖୋଜୁଥିଲେ ଯହିଁରେ ଏହି ଦୁଇଟି ସମସ୍ୟା ନଥିଵ କିନ୍ତୁ ଆଲୋକ ମିଳିପାରୁଥିଵ । 

ସେହି ସମୟରେ ବ୍ରିଟିଶ୍ ଅଧିକାରୀମାନେ, ପୋଲିସ୍ ପ୍ରଶାସକମାନେ ଏଵଂ ଧନୀ ଜମିଦାରମାନେ ଵିଦେଶରୁ ଆମଦାନୀ ହୋଇଥିଵା ହାତରେ ଧରାଯାଇପାରୁଥିଵା ଟର୍ଚ୍ଚ ଵ୍ୟଵହାର କରିଵା ଆରମ୍ଭ କଲେ । ଭାରତର ଦରିଦ୍ର ତଥା ଅନ୍ଧକାରରେ ବଞ୍ଚୁଥିଵା ଗ୍ରାମୀଣ ଲୋକଙ୍କ ପାଇଁ ଏହି ଯନ୍ତ୍ରଟି ଏକ ଯାଦୁକରୀ ତଥା କ୍ଷମତାର ପ୍ରତୀକ ଥିଲା । ବିନା ସଳିତା ଓ ତେଲରେ, ଏକ ଲୁହାର ନଳୀ ଭିତରୁ ଆଖି ଝଲସିଲା ଭଳି ଆଲୁଅ ବାହାରିଵା ଥିଲା ଆଧୁନିକ ଵିଜ୍ଞାନର ସବୁଠାରୁ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ।

୧୯୨୦ ଦଶକ ବେଳକୁ ନ୍ୟାସନାଲ୍ କାର୍ବନ୍ କମ୍ପାନୀ (ଯାହା ପରେ ୟୁନିୟନ୍ କାର୍ବାଇଡ୍ ଓ ଏଭରିଡି ନାମରେ ପରିଚିତ ହେଲା) ଭାରତରେ ନିଜର ଵ୍ୟାଵସାୟିକ ପେଣ୍ଠସ୍ଥଳୀ ସ୍ଥାପନ କଲା । ପ୍ରଥମେ ସେମାନେ ଆମେରିକା ଓ ବ୍ରିଟେନରୁ ବ୍ୟାଟେରୀ ଓ ଟର୍ଚ୍ଚ ଆମଦାନୀ କରି ବିକ୍ରି କରୁଥିଲେ । କିନ୍ତୁ ଭାରତୀୟ ବଜାରର ଵିଶାଳ ସମ୍ଭାଵନାକୁ ଦେଖି ୧୯୩୯ ମସିହାରେ କଲିକତାରେ ପ୍ରଥମ ବ୍ୟାଟେରୀ କାରଖାନା ସ୍ଥାପିତ ହେଲା । ଏହା ଏକ ଵିରାଟ ପରିଵର୍ତ୍ତନର ସୂତ୍ରପାତ ଥିଲା । ପୂର୍ଵରୁ ଯାହା କେଵଳ ଗୋରା ସାହେବ ଓ ଜମିଦାରମାନଙ୍କର ଵିଳାସର ସାମଗ୍ରୀ ଥିଲା ତାହା ଧୀରେ ଧୀରେ ଭାରତୀୟ ମଧ୍ୟଵିତ୍ତ ଓ ଗ୍ରାମୀଣ ସମାଜର ଦୈନନ୍ଦିନ ଜୀଵନର ଏକ ଅଵିଚ୍ଛେଦ୍ୟ ଅଙ୍ଗ ପାଲଟିଗଲା । ଟର୍ଚ୍ଚ ଲାଇଟ୍ ଆସିଵା ଫଳରେ ଗାଁ ଗହଳିରେ ରାତିର ଯାତାୟାତ ସହଜ ହେଲା, ସାପ ଓ ହିଂସ୍ର ଜନ୍ତୁଙ୍କ ଭୟ କମିଲା ଏଵଂ କୃଷକମାନେ ରାତିରେ ମଧ୍ୟ ବିଲକୁ ପାଣି ମଡ଼ାଇଵା ପାଇଁ ଯାଇପାରିଲେ । ଟର୍ଚ୍ଚ କେଵଳ ଏକ ଯନ୍ତ୍ର ନଥିଲା, ଏହା ଥିଲା ଆଧୁନିକତାର ଏକ ପ୍ରତୀକ, ଯାହା ଅନ୍ଧକାରମୟ ଗ୍ରାମ୍ୟ ଭାରତକୁ ଵିଶ୍ୱର ଶିଳ୍ପ ଵିପ୍ଳଵ ସହିତ ଯୋଡ଼ିଥିଲା ।

ଏହି ଵୈଷୟିକ ପ୍ରଵେଶର ସବୁଠାରୁ ଆକର୍ଷଣୀୟ ଅଧ୍ୟାୟ ଲୁଚି ରହିଛି ଓଡ଼ିଶାର ଭାଷାଗତ ଏବଂ ସାଂସ୍କୃତିକ ଵିଵର୍ତ୍ତନ ମଧ୍ୟରେ । ଯେତେବେଳେ କୌଣସି ଏକ ସମ୍ପୂର୍ଣ୍ଣ ଅପରିଚିତ, ନୂତନ ପ୍ରଯୁକ୍ତି ଏକ ସମାଜରେ ପ୍ରଵେଶ କରେ, ସେହି ସମାଜର ସାମୂହିକ ଚେତନା ତାହାକୁ ନିଜର ପାରମ୍ପରିକ ଶବ୍ଦଭଣ୍ଡାର ମାଧ୍ୟମରେ ବୁଝିଵାକୁ ଚେଷ୍ଟା କରେ । ଭାଷା କେଵଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ମଣିଷର ଚିନ୍ତାଧାରା ଓ ଜ୍ଞାନଗତ ପଦ୍ଧତିର ଏକ ଜୀଵନ୍ତ ପ୍ରତିଛବି । ଓଡ଼ିଶାରେ ଯେତେବେଳେ ଏହି ନୂତନ ହାତ-ଟର୍ଚ୍ଚ ପ୍ରଵେଶ କଲା, ଓଡ଼ିଆ ଭାଷାଭାଷୀ ଲୋକେ ତାକୁ କେଵଳ ଗୋଟିଏ ଵିଦେଶୀ ଶବ୍ଦରେ ଗ୍ରହଣ ନକରି, ତାହାର ଗୁଣ, କାର୍ଯ୍ୟକାରିତା ଓ ପ୍ରଯୁକ୍ତିକୁ ଭିତ୍ତି କରି ଵିଭିନ୍ନ ନାମ ଦେଇଥିଲେ । ଏହି ନାମଗୁଡ଼ିକ ଥିଲା— ଵିଜୁଳି ଵତି, ଟିପାଵତି ଓ ଚୋରାଵତି । 

ପ୍ରଥମ ନାମଟି ହେଲା 'ଵିଜୁଳି ଵତି' । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ ଏହାର ଅର୍ଥ ହେଉଛି "କୃତ୍ରିମ ଉପାୟରେ ଉତ୍ପାଦିତ ତଡ଼ିତ୍ ଶକ୍ତିରେ ପ୍ରଜ୍ୱାଳିତ ଆଲୋକମୟ ପ୍ରଦୀପ" ଏଵଂ ନିର୍ଦ୍ଦିଷ୍ଟ ଭାବେ ଏହାକୁ "ଟର୍ଚ୍ଚ ଲାଇଟ୍" ସହିତ ଯୋଡ଼ାଯାଇଛି । ଏହି ନାମଟିରେ ଏକ ଚମତ୍କାର ଦାର୍ଶନିକ ସମନ୍ୱୟ ରହିଛି । 'ଵିଜୁଳି' ଶବ୍ଦ ଆକାଶରୁ ଖସୁଥିଵା ପ୍ରାକୃତିକ ଶକ୍ତିକୁ ସୂଚାଏ, ଯାହା ମଣିଷ ପାଇଁ ଭୟ ଓ ଆଶ୍ଚର୍ଯ୍ୟର କାରଣ ଥିଲା । ଆଉ 'ଵତି' (ଯାହା ସଂସ୍କୃତ 'ଵର୍ତ୍ତି' ମୂଳର, ଅର୍ଥାତ୍ ଶଳିତା ଵା ପ୍ରଦୀପ) ଏକ ପାରମ୍ପରିକ, ଦୈନନ୍ଦିନ ଘରୋଇ ସାମଗ୍ରୀକୁ ସୂଚାଏ । ଓଡ଼ିଆ ସାମୂହିକ ଚେତନା ଏହି ଦୁଇଟି ଶବ୍ଦକୁ ଯୋଡ଼ି ଏକ ନୂତନ ଵାସ୍ତଵତାକୁ ସ୍ୱୀକାର କରିଥିଲା ଯେ, ଵର୍ତ୍ତମାନ ଆକାଶର ଭୟଙ୍କର ଵିଜୁଳିକୁ ମଣିଷ ନିଜ ହାତମୁଠାରେ ଏକ ଵତି ଵା ଦୀପ ଭଳି ନିୟନ୍ତ୍ରଣ କରିପାରୁଛି । ଏହି ଶବ୍ଦଟି ପ୍ରଯୁକ୍ତିଵିଦ୍ୟାର ମୂଳ ଉତ୍ସ (ବିଦ୍ୟୁତ୍) କୁ ନେଇ ଗଠିତ ହୋଇଥିଲା ।
ଦ୍ୱିତୀୟ ନାମଟି ଥିଲା 'ଟିପାଵତି' । ଏହି ଶବ୍ଦର ଉତ୍ପତ୍ତି ମଣିଷ ଓ ମେସିନ୍ ମଧ୍ୟରେ ଥିବା ଭୌତିକ ସମ୍ପର୍କରୁ ଆସିଛି । ଭାଷାକୋଷରେ 'ଟିପା' ଶବ୍ଦର ଅନେକ ଅର୍ଥ ଦିଆଯାଇଛି, ଯେପରିକି ଲେଖି ରଖିଥିଵା ସ୍ମାରକ, ଚିତା ଵା ଟୋପା, ଛୁଞ୍ଚିରେ ସିଲାଇ କର୍ମ ଇତ୍ୟାଦି । କିନ୍ତୁ ଏଠାରେ 'ଟିପା' ଶବ୍ଦଟି ମୁଖ୍ୟତଃ 'ଟିପିଵା' ଵା Switch ଦବାଇଵା କ୍ରିୟାରୁ ଆସିଛି । ହଜାର ହଜାର ଵର୍ଷ ଧରି ମଣିଷ ଆଲୁଅ ଜଳାଇଵା ପାଇଁ ଘର୍ଷଣ କରୁଥିଲା, ଚକମକି ପଥର ବାଡ଼ାଉଥିଲା, କିମ୍ବା ନିଆଁ ଲଗାଉଥିଲା । ଏହା ଏକ ଶାରୀରିକ ଶ୍ରମସାଧ୍ୟ ପ୍ରକ୍ରିୟା ଥିଲା । କିନ୍ତୁ ଏହି ନୂଆ ଯନ୍ତ୍ରଟି ଏକ ବଡ଼ ଜ୍ଞାନଗତ ପରିଵର୍ତ୍ତନ ଆଣିଲା— କେଵଳ ଆଙ୍ଗୁଠି ଟିପରେ ଟିକିଏ ଦବାଇଦେଲେ ଅଥଵା ଟିପିଦେଲେ ଆଲୁଅ ଜଳି ଉଠୁଥିଲା । ଏହି ସହଜ, ଯାନ୍ତ୍ରିକ ପ୍ରକ୍ରିୟାଟି ସେକାଳର ଲୋକଙ୍କ ପାଇଁ ଏତେ ଅଭିନଵ ଓ ଆଶ୍ଚର୍ଯ୍ୟଜନକ ଥିଲା ଯେ, ସେମାନେ ଯନ୍ତ୍ରଟିର ନାମକରଣ ତାହାର ଵ୍ୟଵହାର ପ୍ରକ୍ରିୟାକୁ ଭିତ୍ତି କରି ଦେଇଦେଲେ । ଯେଉଁ ଵତି ଟିପିଲେ ଜଳେ, ତାହା ହିଁ 'ଟିପାଵତି' । ଏହା ଵୈଷୟିକ ନିୟନ୍ତ୍ରଣର ଏକ ସୁନ୍ଦର ଭାଷାଗତ ପ୍ରତିଫଳନ ।
ତୃତୀୟ ଏଵଂ ସବୁଠାରୁ ଆକର୍ଷଣୀୟ ନାମଟି ହେଉଛି 'ଚୋରାବତି' । କେତେକ ଅଞ୍ଚଳରେ ଏହି ଶବ୍ଦ ଚୁରାଵତି ରୂପେ ମଧ୍ୟ ପ୍ରଚଳିତ ହୋଇଗଲା । ଭାଷାକୋଷ ଅନୁଯାୟୀ 'ଚୋରା' ଶବ୍ଦର ଅର୍ଥ ହେଉଛି ଲୁକ୍କାୟିତ, ଗୁପ୍ତ ଵା ସାଧାରଣ ନଜରରୁ ଦୂରରେ ଥିଵା (ଯେପରିକି ଚୋରାପ୍ରୀତି) । ଏହି ନାମକରଣ ପଛରେ କେଵଳ ଯନ୍ତ୍ରର ଗଠନ ନୁହେଁ ଵରଂ ଏକ ଗଭୀର ସାମାଜିକ ଦୃଷ୍ଟିକୋଣ ଲୁଚି ରହିଛି । ପ୍ରାଚୀନ କାଳରୁ ମଶାଲ,ଲଣ୍ଠନ ଵା ଦୀପ ଏକ ସାମାଜିକ ଆଲୋକ ଥିଲା । ଯେତେବେଳେ କେହି ରାତିରେ ମଶାଲ ଵା ଲଣ୍ଠନ ଧରି ଚାଲୁଥିଲା, ସମଗ୍ର ଗାଁ ଜାଣିପାରୁଥିଲା ଯେ କିଏ ଆସୁଛି, କାରଣ ଦୀପ,ଡିବିରି,ନିଆଁହୁଳା,ମଶାଲ ଓ ଲଣ୍ଠନର ଆଲୁଅ ଚାରିଆଡ଼କୁ ବ୍ୟାପୁଥିଲା ଏଵଂ ଲଣ୍ଠନ ଓ ତଶାଲକୁ ବୋହୁଥିଵା ଵ୍ୟକ୍ତି ତଥା ଦୀପ,ଡିବିରି ତଥା ନିଆଁହୁଳା ପାଖରେ ଥିଵା ଲୋକର ମୁହଁକୁ ମଧ୍ୟ ଆଲୋକିତ କରୁଥିଲା । କିନ୍ତୁ ହାତରେ ଧରାଯାଇପାରୁଥିଵା ଟର୍ଚ୍ଚର ଆଲୁଅ ଥିଲା ଭିନ୍ନ । ଏହାର ଆଲୋକ ଏକ ନିର୍ଦ୍ଦିଷ୍ଟ ଦିଗକୁ ଏକ ସିଧା ରେଖାରେ ଯାଉଥିଲା । ଯିଏ ଟର୍ଚ୍ଚ ଧରିଥାଏ, ସେ ସମ୍ପୂର୍ଣ୍ଣ ଅନ୍ଧକାରରେ ଲୁଚି ରହିପାରେ, କିନ୍ତୁ ସେ ଯାହା ଉପରେ ଆଲୁଅ ପକାଇଵ ତାକୁ ସ୍ପଷ୍ଟ ଦେଖିପାରିଵ । ଏହା ଥିଲା ଲୁକ୍କାୟିତ ଵା 'ଗୁପ୍ତ' ଭାବରେ ଦେଖିଵାର ଏକ ମାଧ୍ୟମ । ଚୋରମାନେ ଅନ୍ଧାରରେ ଲୁଚି ଆଲୁଅ ପକାଇ ଜିନିଷ ଖୋଜିଵା ପାଇଁ, କିମ୍ବା ଘର ମାଲିକମାନେ ଲୁଚିଥିଵା ଚୋରକୁ ଧରିଵା ପାଇଁ ଏହାର ଵ୍ୟଵହାର କରୁଥିଲେ । ଏହି ଗୁପ୍ତ ଓ ନିର୍ଦ୍ଦିଷ୍ଟ ଦିଗ୍‌ଦର୍ଶୀ ଆଲୋକର ପ୍ରକୃତି ଯୋଗୁଁ ଲୋକେ ଏହାକୁ 'ଚୋରାଵତି' ବୋଲି ନାମିତ କରିଥିଲେ । ଏହି ଶବ୍ଦଟି ପ୍ରମାଣ କରେ ଯେ ଓଡ଼ିଆ ଭାଷା କେତେ ସୂକ୍ଷ୍ମ ଭାବରେ ଏକ ପ୍ରଯୁକ୍ତିର ସାମାଜିକ ପ୍ରଭାବକୁ ମାପି ପାରିଥିଲା ।

କିନ୍ତୁ ସମୟକ୍ରମେ ଏହି ତିନୋଟି ଅତ୍ୟନ୍ତ ଅର୍ଥପୂର୍ଣ୍ଣ ଏଵଂ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଓଡ଼ିଆ ଶବ୍ଦ— ଵିଜୁଳିଵତି, ଟିପାଵତି ଓ ଚୋରାଵତି— ଲୋକମୁଖରୁ ଲୋପ ପାଇଗଲା ଏଵଂ ତା' ସ୍ଥାନରେ ଇଂରାଜୀ ଶବ୍ଦ 'Torch' ସ୍ଥାୟୀ ଭାବେ ଵ୍ୟଵହୃତ ହେଲା । ଏହା କିପରି ଓ କାହିଁକି ଘଟିଲା, ତାହା ଭାଷା ଵିଜ୍ଞାନ ଅପେକ୍ଷା ଵିଶ୍ୱାୟନ, ପୁଞ୍ଜିବାଦ ଓ ଵାଣିଜ୍ୟିକ ସାମ୍ରାଜ୍ୟଵାଦର କାହାଣୀ ସହିତ ଅଧିକ ଜଡ଼ିତ । ଯେତେବେଳେ କୌଣସି ଜିନିଷ ଶିଳ୍ପଭିତ୍ତିକ ବହୁଳ-ଉତ୍ପାଦନ ପ୍ରକ୍ରିୟା ମଧ୍ୟକୁ ପ୍ରଵେଶ କରେ ସେତେବେଳେ ତାହାର ସ୍ଥାନୀୟ ପରିଚୟ ନଷ୍ଟ ହେଵା ଆରମ୍ଭ ହୁଏ । ଟର୍ଚ୍ଚ ଓ ବ୍ୟାଟେରୀଗୁଡ଼ିକ ଯେତେବେଳେ କାରଖାନାରୁ ପ୍ୟାକେଟ୍ ହୋଇ ଓଡ଼ିଶାର ଗାଁ ଗହଳିର ଦୋକାନକୁ ଆସିଲା, ସେହି ପ୍ୟାକେଟ୍ ଉପରେ ବଡ଼ ବଡ଼ ଅକ୍ଷରରେ ଇଂରାଜୀରେ ଲେଖାଥିଲା 'Torch' କିମ୍ବା 'Flashlight' । ଵିଜ୍ଞାପନ, ଖବରକାଗଜ ଏଵଂ କମ୍ପାନୀର ଏଜେଣ୍ଟମାନେ ସର୍ଵଦା ଏହାକୁ 'ଟର୍ଚ୍ଚ' ବୋଲି ପ୍ରଚାର କଲେ ।

ଏତଦ୍ ଵ୍ୟତୀତ, ଊନଵିଂଶ ଓ ଵିଂଶ ଶତାବ୍ଦୀରେ ଶିକ୍ଷା ଵ୍ୟଵସ୍ଥାର ପ୍ରସାର ସହିତ ଇଂରାଜୀ ଭାଷା କ୍ଷମତା, ଆଧୁନିକତା ଏଵଂ ସମ୍ଭ୍ରାନ୍ତ ଶ୍ରେଣୀର ପ୍ରତୀକ ପାଲଟି ଯାଇଥିଲା । ସାଧାରଣ ମଣିଷର ମନସ୍ତତ୍ତ୍ୱ ହେଉଛି କ୍ଷମତାଶାଳୀର ଅନୁକରଣ କରିଵା । ଯେହେତୁ ବଡ଼ ବଡ଼ ଅଫିସର, ଡାକ୍ତର, ଏଵଂ ଇଂରାଜୀ ପଢ଼ିଥିଵା ବାବୁମାନେ ଦୋକାନକୁ ଯାଇ 'ଟର୍ଚ୍ଚ' ମାଗୁଥିଲେ, ସାଧାରଣ ଗ୍ରାମୀଣ ଲୋକ ମଧ୍ୟ ନିଜକୁ ଆଧୁନିକ ପ୍ରମାଣିତ କରିଵା ଆଶାରେ ନିଜର ଦେଶୀୟ ଶବ୍ଦ ଛାଡ଼ି 'ଟର୍ଚ୍ଚ' ଶବ୍ଦ ଵ୍ୟଵହାର କରିଵାକୁ ଶ୍ରେୟ ମଣିଲେ । ଦୋକାନୀମାନେ ମଧ୍ୟ ଵାଣିଜ୍ୟିକ ମାନକୀକରଣ କାରଣରୁ ଗୋଟିଏ ସାଧାରଣ ନାମ ବ୍ୟବହାର କରିଵା ସହଜ ମନେ କଲେ । ଭାଷାରେ ଯେତେବେଳେ ବଜାରର ନିୟନ୍ତ୍ରଣ ସ୍ଥାପିତ ହୁଏ, ସେତେବେଳେ ସୂକ୍ଷ୍ମ ଦାର୍ଶନିକ କିମ୍ବା ଵର୍ଣ୍ଣନାତ୍ମକ ଶବ୍ଦଗୁଡ଼ିକ ମରିଯାଆନ୍ତି ଏଵଂ ତା' ବଦଳରେ ବାଣିଜ୍ୟିକ ବ୍ରାଣ୍ଡ୍ ଵା ସହଜ ଆମଦାନୀକୃତ ଶବ୍ଦ ବଞ୍ଚି ରହେ ।
ଆଜି 'ଵିଜୁଳି ଵତି' ଶବ୍ଦଟି ଟର୍ଚ୍ଚ ବଦଳରେ ସାଧାରଣ ଵିଦ୍ୟୁତ୍ ଆଲୋକ ପାଇଁ ବ୍ୟଵହୃତ ହେଉଛି ଏଵଂ 'ଚୋରାଵତି' ତଥା 'ଟିପାଵତି' ଶବ୍ଦ କେଵଳ ଶବ୍ଦକୋଷର ହଳଦିଆ ପଡ଼ିଯାଇଥିଵା ପୃଷ୍ଠାଗୁଡ଼ିକରେ କିମ୍ବା ପୁରୁଣା ଲୋକଙ୍କ ସ୍ମୃତିରେ ସୀମିତ ହୋଇ ରହିଯାଇଛି । ସାପିଏନ୍ସ ନିଜର ସୁବିଧା ପାଇଁ କେଵଳ ଯେ ନିଆଁ ଓ ଅନ୍ଧକାରକୁ ଵଶୀଭୂତ କରିଛି ତାହା ନୁହେଁ ଵରଂ ଏକକ ଵିଶ୍ୱବଜାରର ସୁବିଧା ପାଇଁ ନିଜର ବହୁଵିଧ, ରଙ୍ଗୀନ ଓ ସାଂସ୍କୃତିକ ଗଭୀରତା ଥିଵା ଶବ୍ଦଗୁଡ଼ିକୁ ମଧ୍ୟ ଵଳିଦାନ ଦେଇ ଦେଇଛି । ଅନ୍ଧକାର ଉପରେ ଵିଜୟର ଏହି ଯାତ୍ରାରେ, ଓଡ଼ିଆ ଭାଷାର କେତୋଟି ସୁନ୍ଦର ଶବ୍ଦ ଚିରଦିନ ପାଇଁ ଇତିହାସର ଗର୍ଭରେ ଅନ୍ଧକାରମୟ ହୋଇଯାଇଛନ୍ତି ।

Sunday, October 4, 2026

Sea ଓ Son ମିଶି Season ହୋଇଛି କି ?

ମଣିଷ ଯେତେବେଳେ କୌଣସି ଜିନିଷର ପ୍ରକୃତ ଵୈଜ୍ଞାନିକ ସତ୍ୟ ଜାଣିନଥାଏ, ସେତେବେଳେ ସେ ଅତ୍ୟନ୍ତ ଆତ୍ମଵିଶ୍ୱାସର ସହ ଗୋଟିଏ ସୁନ୍ଦର କଳ୍ପନାପ୍ରସୂତ ଗପ ତିଆରି କରିଦିଏ । ପ୍ରାଚୀନ କାଳରେ ମଣିଷ ସୂର୍ଯ୍ୟ ଚନ୍ଦ୍ର ପୃଥିଵୀର ସୃଷ୍ଟି ସମ୍ବନ୍ଧରେ ପ୍ରକୃତ ଵୈଜ୍ଞାନିକ କାରଣ ଜାଣିନଥିଲା ତେଣୁ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଅନେକ କାହାଣୀ ଗଢ଼ିଥିଲା ‌। ରୋଗର କାରଣ ଜାଣିନଥିଲା ତେଣୁ ଭୂତପ୍ରେତ ଯୋଗୁଁ ରୋଗ ହୁଏ ବୋଲି ଭାରତ ଵ୍ୟତୀତ ପୃଥିଵୀର ଅନେକ ଦେଶରେ ଅନୁମାନ କରାଯାଇଥିଲା(ଭାରତରେ ଵାତ କଫ ପିତ୍ତର 
ଅସାନତା ଯୋଗୁଁ ରୋଗ ହୁଏ ବୋଲି ଅନୁମାନ କରାଯାଇଥିଲା) । ମଣିଷ ଭୂମିକମ୍ପ କାହିଁକି ହୁଏ ତାହା ଜାଣିନଥିଲା ତେଣୁ ଜାପାନ ଭଳି ଦେଶରେ ଏକ ଵିଶାଳ କ୍ୟାଟଫିଶ୍ 'ନମାଜୁ' ଯୋଗୁଁ ଭୂମିକମ୍ପ ହୁଏ ବୋଲି ଵିଶ୍ଵାସ କରାଯାଉଥିଲା। ଭାରତରେ ଅକୂପାର କୂର୍ମ,ଅଷ୍ଟହସ୍ତି ଓ ଶେଷନାଗ ପୃଥିଵୀକୁ ଧାରଣ କରିଥିଵାର ପୌରାଣିକ ଵର୍ଣ୍ଣନା ରହିଛି । ଏମାନେ ହଲଚଲ ହେଲେ ଭୂମିକମ୍ପ ହୁଏ ବୋଲି ଭାରତର ଲୋକେ ଵିଶ୍ୱାସ କରୁଥିଲେ । ଚୀନରେ ୟିନ୍ ଓ ୟାଙ୍ଗ୍‌ର ଅସନ୍ତୁଳନ ଯୋଗୁଁ ଭୂମିକମ୍ପ ହୁଏ ବୋଲି କଳ୍ପିତ ହୋଇଥିଲା । ପ୍ରାଚୀନ ଗ୍ରୀକ୍ ଲୋକମାନେ ସମୁଦ୍ର ଦେଵତା 'ପୋସାଇଡନ୍'ଙ୍କୁ ଭୂମିକମ୍ପର କାରଣ ମାନୁଥିଲେ। ପ୍ରାଚୀନ ମଣିଷ ଯେତେବେଳେ ଵିଜ୍ଞାନର ପ୍ରକୃତ କାରଣ ଜାଣିନଥିଲା ସେତେବେଳେ ସେ ନିଜର କଳ୍ପନା ଶକ୍ତି ପ୍ରୟୋଗ କରି ନିଜେ ହିଁ ତାହାର ଉତ୍ତର ଅନୁମାନ କରିଦେଉଥିଲା । ଆଜି ବି ମଣିଷ ଅନେକ ସମୟରେ ନିଜ କଳ୍ପନା ଶକ୍ତିର ପ୍ରୟୋଗ କରି ଏମିତି ଅନେକ ଅନୁମାନ କରିଥାଏ । ଶବ୍ଦ କ୍ଷେତ୍ରରେ ମଧ୍ୟ ଏହିପରି ଉଦାହରଣ ଦେଖିଵାକୁ ମିଳେ । ଜଣେ ସାଧାରଣ ଵ୍ୟକ୍ତି ପାଠଶାଠ ପଢିନଥିଲା ତେଣୁ ସେ କହିଦେଲା ଯେ ଡିବିରି ଧରାଯାଏ ଵାମ ହାତରେ ବୋଲି ଵାମ ହାତକୁ ଡେଭିରି କୁହାଗଲା । ତେବେ ଏହା ଏକ ଅନୁମାନ ମାତ୍ର କାରଣ ପ୍ରାୟ ଅନେକ ଭାରତୀୟ ଭାଷାରେ ଏହି ଶବ୍ଦ ସହିତ ସଗୋତ୍ରୀୟ ଅନେକ ଶବ୍ଦ ରହିଛି । ପ୍ରାକୃତ ଭାଷାରେ ḍavva ଶବ୍ଦ ଥିଲା ଏଵଂ ସେଥିରୁ ଅନ୍ୟାନ୍ୟ ଆର୍ଯ୍ୟଭାଷାରେ ଵାମ ଅର୍ଥରେ ନାନା ଶବ୍ଦ ସୃଷ୍ଟି ହୋଇଛି କିନ୍ତୁ ଏହା ମୂଳତଃ ଦ୍ରାଵିଡ଼ି ଭାଷାପରିଵାରର ଶବ୍ଦ ଅଟେ । 

ସେହିପରି ନିକଟରେ କେହି ଜଣେ ମହାନୁଭଵ ଅତ୍ୟନ୍ତ ଗମ୍ଭୀରତାର ସହ ଲେଖିଲେ ଯେ ୟୁରୋପରେ ଋତୁଗୁଡ଼ିକ ସମୁଦ୍ର ଉପରେ ନିର୍ଭରଶୀଳ ଏଵଂ ପ୍ରାଚୀନ ଇଂଲଣ୍ଡର ଲୋକମାନେ ସମୁଦ୍ରର ଏହି ଚମତ୍କାର ଅନୁଭଵ କରି 'Sea' (ସମୁଦ୍ର) ଓ 'Son' (ପୁଅ) ଶବ୍ଦକୁ ଯୋଡ଼ି 'Season' ଶବ୍ଦ ଗଢ଼ିଦେଲେ, ଅର୍ଥାତ୍ ସମୁଦ୍ରର ସନ୍ତାନ ହେଉଛି ଋତୁ । ଏହି ଅଦ୍ଭୁତ ଆଵିଷ୍କାର ଶୁଣିଵା ପରେ ମନେହୁଏ, ପ୍ରାଚୀନ କାଳରେ ବୋଧହୁଏ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍‌ମାନେ କାମଦାମ ଛାଡ଼ି ସମୁଦ୍ର କୂଳରେ ବସି ଅକ୍ଷର ପସରା ମେଲାଇ ଖେଳୁଥିଲେ ଏଵଂ ଯେତେବେଳେ ବି କୌଣସି ନୂଆ ଋତୁ ଆସୁଥିଲା, ସେତେବେଳେ ସେମାନେ ସମୁଦ୍ର ଆଡ଼କୁ ଆଙ୍ଗୁଠି ଦେଖାଇ ଆନନ୍ଦରେ ନାଚି ଉଠୁଥିଲେ । ଯଦି ଏହି ଯୁକ୍ତିକୁ ସତ ବୋଲି ଧରିନିଆଯାଏ, ତେବେ କାଲି ସକାଳେ କେହି ମଧ୍ୟ ଦାବି କରିପାରନ୍ତି ଯେ 'Mushroom' ଶବ୍ଦଟି 'Mush' (କାଦୁଅ) ଏଵଂ 'Room' (ଘର ଵା ବସା)ରୁ ଆସିଛି, କାରଣ ଛତୁ କାଦୁଅରେ ଗୋଟିଏ ଘର ପରି ଠିଆ ହୁଏ, କିମ୍ବା 'Kidney' ଶବ୍ଦଟି ଗୋଟିଏ Kid ଵା ଛୋଟ ପିଲା ନିଜ Knee ଵା ଆଣ୍ଠୁରେ ଚାଲିଵା ଦୃଶ୍ୟରୁ ସୃଷ୍ଟି ହୋଇଛି । ମଣିଷର ଏପରି ଭ୍ରାନ୍ତ କଳ୍ପନାଶକ୍ତି ପ୍ରଶଂସନୀୟ ହୋଇପାରେ, କିନ୍ତୁ ଭାଷା ଵିଜ୍ଞାନ ଓ ଇତିହାସ କ୍ଷେତ୍ରରେ ଏହା କେଵଳ ହାସ୍ୟରସର ଖୋରାକ ଯୋଗାଏ । ସମୁଦ୍ର ଏଵଂ ତା'ର ପୁଅର ଏହି ସୁନ୍ଦର ସମ୍ପର୍କର କାହାଣୀ ଶୁଣିଵାକୁ ନିଶ୍ଚିତ ଭାବେ ଭଲ ଲାଗେ, କିନ୍ତୁ ଏହାର ଵାସ୍ତଵତା ସହ କୌଣସି ଦୂରସମ୍ପର୍କ ନାହିଁ । ଭାଷାର ଇତିହାସ କୌଣସି ଆଳସ୍ୟପରାୟଣ ସମୁଦ୍ରଯାତ୍ରୀର ଶବ୍ଦକ୍ରୀଡ଼ା ନୁହେଁ ଵରଂ ଏହା ମାନଵ ସଭ୍ୟତାର କ୍ରମଵିକାଶ, କୃଷି, ଯୁଦ୍ଧ, ଭାଷାଗତ ମିଶ୍ରଣ ଓ ସାମାଜିକ ପରିଵର୍ତ୍ତନର ଏକ ଦୀର୍ଘ ଜୀଵନ୍ତ କାହାଣୀ । ଋତୁ କିମ୍ବା 'Season' ଶବ୍ଦର ଜନ୍ମ ସମୁଦ୍ରର ନୀଳ ଜଳରାଶିରେ ହୋଇନଥିଲା ଵରଂ ହୋଇଥିଲା ଚାଷୀର ହାତରେ, ମାଟିର ଗନ୍ଧରେ ଏଵଂ ଵିହନ ବୁଣିଵାର ପ୍ରକ୍ରିୟାରେ । ଏହି ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରା ବୁଝିଵାକୁ ହେଲେ ଆମକୁ କାଳର ସ୍ରୋତରେ ହଜାର ହଜାର ଵର୍ଷ ପଛକୁ, ମାନଵ ସଭ୍ୟତାର ଆଦ୍ୟ ପର୍ଯ୍ୟାୟକୁ ଫେରିଯିଵାକୁ ହେଵ । 

ସେତେବେଳେ ଇଂଲଣ୍ଡ କିମ୍ବା ୟୁରୋପ ବୋଲି କୌଣସି ଆଧୁନିକ ରାଷ୍ଟ୍ର ନଥିଲା, ନଥିଲା କୌଣସି ଇଂରାଜୀ ଭାଷା । ଏହାର କାହାଣୀ ଆରମ୍ଭ ହୋଇଥିଲା ହଜାର ହଜାର ଵର୍ଷ ତଳେ ଏକ ପ୍ରାଚୀନ ଶବ୍ଦରୁ ଯାହାକୁ ଭାଷାଵିତ୍‌ମାନେ *seh₁- ବୋଲି ଚିହ୍ନଟ କରିଛନ୍ତି । ଏହି ଆଦି-ଧାତୁର ପ୍ରାଥମିକ ଅର୍ଥ ଥିଲା "ବିହନ ବୁଣିଵା" କିମ୍ବା "ମାଟିରେ ରୋପଣ କରିଵା" । କୃଷିର ଆଵିଷ୍କାର ସହିତ ମାନଵ ସଭ୍ୟତା ଯେତେବେଳେ ଵନ୍ୟ ଜୀଵନ ଓ ଶିକାର ଛାଡ଼ି ମାଟି ସହ ଯୋଡ଼ିହେଲା, ସେତେବେଳେ ତା' ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ଠିକ୍ ସମୟରେ ମାଟିରେ ଵିହନ ବୁଣିଵା । ମାଟିରେ ଵିହନ ଗଜା ହେଵା ଏଵଂ ଫସଲ ଅମଳ ହେଵା ଉପରେ ସେମାନଙ୍କର ଆହାର ଓ ଜୀଵନ ନିର୍ଭର କରୁଥିଲା । ତେଣୁ 'ବୁଣିଵା' ଵା 'ରୋପଣ' କ୍ରିୟାଟି ମାନଵ ସଂସ୍କୃତି ଓ ଚେତନାରେ ଏକ ପ୍ରାଥମିକ ସ୍ଥାନ ଗ୍ରହଣ କରିଥିଲା ।

ଭାରତଵର୍ଷରେ ଏହି ମୂଳ *seh₁ ଧାତୁ ଶବ୍ଦରୁ *sáHyakas ହେଲା ଏଵଂ ପରେ ତାହା 'ସାୟକ' ହେଲା , ଯାହାର ଅର୍ଥ ‘ଲକ୍ଷ୍ୟରେ ପ୍ରଵେଶ କରୁଥିଵା ତୀର’ ଅଟେ ।

କିନ୍ତୁ ଏପଟେ ରୋମାନ୍ ସଭ୍ୟତାର ଵିକାଶ ସହ ଲାଟିନ୍‌ରେ ଏହି *seh₁- ଧାତୁଟି ରୂପାନ୍ତରିତ ହୋଇ 'serō' କ୍ରିୟାପଦରେ ପରିଣତ ହେଲା, ଯାହାର ଅର୍ଥ ଥିଲା ଵିହନ ବୁଣିଵା । ଏହି କ୍ରିୟାର ଅତୀତ କୃଦନ୍ତ ଵା past participle ରୂପ ଥିଲା 'satum' । ଏହି 'satum' ରୁ ନିର୍ଗତ ହେଲା ଏକ ଵିଶେଷ୍ୟ ପଦ, ଯାହା ହେଉଛି 'satiō' । ଲାଟିନ୍ ଭାଷାରେ 'satiō' ର ଅର୍ଥ ଥିଲା "ବିହନ ବୁଣିଵାର କାର୍ଯ୍ୟ" କିମ୍ବା "ରୋପଣ ସମୟ" । ରୋମାନ୍ କୃଷକମାନଙ୍କ ପାଇଁ ଵର୍ଷର ସବୁ ସମୟ ସମାନ ନଥିଲା । ଯେଉଁ ନିର୍ଦ୍ଦିଷ୍ଟ ସମୟରେ ମାଟି ଓ ପାଣିପାଗ ଵିହନ ବୁଣିଵା ପାଇଁ ସବୁଠାରୁ ଉପଯୁକ୍ତ ଥିଲା, ସେହି ବୁଣିଵା ସମୟକୁ ସେମାନେ 'satiō' ବୋଲି କହିଵାକୁ ଲାଗିଲେ । ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ଶବ୍ଦଟି ଏପର୍ଯ୍ୟନ୍ତ ସମଗ୍ର ଵର୍ଷର ଛଅଗୋଟି ଋତୁକୁ ବୁଝାଉ ନଥିଲା ଵରଂ ଏହା କେଵଳ ଫସଲ ଆରମ୍ଭର ସେହି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚାଷ ସମୟକୁ ସୂଚାଉଥିଲା ।
କ୍ରମଶଃ ରୋମାନ୍ ସାମ୍ରାଜ୍ୟର ଵିଶାଳ ଵିସ୍ତାର ଘଟିଲା । ରୋମାନ୍ ସୈନ୍ୟ,ଵ୍ୟଵସାୟୀ, ଶାସକ ଏଵଂ କୃଷକମାନଙ୍କ ମୁଖରେ ଲାଟିନ୍ ଭାଷା ସମଗ୍ର ପଶ୍ଚିମ ୟୁରୋପକୁ ଵ୍ୟାପିଗଲା । ସମୟକ୍ରମେ ରୋମାନ୍ ସାମ୍ରାଜ୍ୟର ପତନ ଘଟିଲା ସତ, କିନ୍ତୁ ଲାଟିନ୍ ଭାଷା ଵିଭିନ୍ନ ପ୍ରାନ୍ତରେ ଆଞ୍ଚଳିକ ରୂପ ନେଇ ନୂତନ ଭାଷାସମୂହର ଜନ୍ମ ଦେଲା, ଯାହାକୁ ଆମେ ଆଜି ରୋମାନ୍ସ ଭାଷାସମୂହ ବୋଲି କହୁ— ଯଥା ଫ୍ରେଞ୍ଚ, ସ୍ପାନିଶ୍, ଇଟାଲୀୟ ଓ ପର୍ତ୍ତୁଗୀଜ୍ । ଭୌଗୋଳିକ ଦୂରତା, ଉଚ୍ଚାରଣର ପରିଵର୍ତ୍ତନ ଏଵଂ ସ୍ଥାନୀୟ ପ୍ରଭାବ ସହିତ ଲାଟିନ୍ ଶବ୍ଦ 'satiō' ଗାଲୋ-ରୋମାନ୍ ପରିଵେଶ ଦେଇ ପ୍ରାଚୀନ ଫ୍ରେଞ୍ଚ ଭାଷାରେ ପ୍ରଵେଶ କଲା । ସେଠାରେ ଏହା ରୂପାନ୍ତରିତ ହୋଇ 'seson' କିମ୍ବା 'saison' ରେ ପରିଣତ ହେଲା । ପ୍ରାଚୀନ ଫ୍ରାନ୍ସରେ 'saison' ର ଅର୍ଥ ହେଲା "ଵିହନ ବୁଣିଵାର ସମୟ" କିମ୍ବା "ଚାଷ କାର୍ଯ୍ୟର ନିର୍ଦ୍ଦିଷ୍ଟ ଋତୁ" । ସେତେବେଳକୁ ମାନଵ ସମାଜ ବୁଝିସାରିଥିଲା ଯେ ଵର୍ଷଟି କେତେକ ନିର୍ଦ୍ଦିଷ୍ଟ ପ୍ରାକୃତିକ ଚକ୍ରରେ ଵିଭକ୍ତ ଏଵଂ ଵିହନ ବୁଣିଵାର ସମୟଟି ହେଉଛି ସେହି ସମଗ୍ର ପ୍ରାକୃତିକ ଚକ୍ରର ପ୍ରଥମ ଓ ପ୍ରଧାନ ପର୍ଯ୍ୟାୟ ।
ଏହି ସମୟରେ ବ୍ରିଟିଶ୍ ଦ୍ୱୀପରେ କ’ଣ ଘଟୁଥିଲା? ସେତେବେଳେ ଇଂଲଣ୍ଡର ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ 'season' ଶବ୍ଦ ଵିଷୟରେ କିଛି ହେଲେ ଜାଣିନଥିଲେ । ସେମାନେ ଯେଉଁ ଭାଷା କହୁଥିଲେ, ତାହାକୁ ଆମେ ପ୍ରାଚୀନ ଇଂରାଜୀ ବୋଲି କହୁ, ଯାହା ଏକ ଜର୍ମାନୀୟ ଭାଷା ଥିଲା । ପ୍ରାଚୀନ ଇଂରାଜୀରେ ଋତୁ କିମ୍ବା ସମୟଖଣ୍ଡକୁ ବୁଝାଇଵା ପାଇଁ ସମ୍ପୂର୍ଣ୍ଣ ଭିନ୍ନ, ନିଜସ୍ୱ ଶବ୍ଦସମ୍ଭାର ରହିଥିଲା । ସେମାନେ ଵ୍ୟଵହାର କରୁଥିଲେ 'sǣl', ଯାହାର ଅର୍ଥ ଥିଲା ସମୟ, ଉପଯୁକ୍ତ ସୁଯୋଗ କିମ୍ବା ଋତୁ । ମଧ୍ୟ-ଇଂରାଜୀ ପର୍ଯ୍ୟନ୍ତ ଏହା 'sele' ରୂପରେ ଜୀଵିତ ଥିଲା । ସେହିପରି ଅନ୍ୟ ଏକ ମୂଳ ଶବ୍ଦ ଥିଲା 'tīd', ଯାହାର ଅର୍ଥ ଥିଲା ସମୟ, ସମୟସୀମା କିମ୍ବା ଋତୁ । ଆଜିର ଆଧୁନିକ ଇଂରାଜୀରେ ଆମେ ଯେଉଁ 'eventide' (ସନ୍ଧ୍ୟା ସମୟ), 'springtide'(ଵସନ୍ତ କାଳ) କିମ୍ବା 'Christmastide' (ବଡ଼ଦିନ ସମୟ) ଶବ୍ଦ ଦେଖୁ, ସେହି 'tide' ପ୍ରକୃତରେ ସମୁଦ୍ରର ଜୁଆର-ଭାଟାରୁ ଆସିନଥିଲା ଵରଂ ଏହି ପ୍ରାଚୀନ 'tīd' (ସମୟ/ଋତୁ)ରୁ ଆସିଥିଲା, ଯାହା ପରଵର୍ତ୍ତୀ ସମୟରେ ନିୟମିତ ଵ୍ୟଵଧାନରେ ଆସୁଥିଵା ସମୁଦ୍ର ଜଳସ୍ତର ପାଇଁ ମଧ୍ୟ ଵ୍ୟଵହୃତ ହେଲା । ଏହା ସହିତ, ସେହି ଆଦି ଇଣ୍ଡୋ-ୟୁରୋପୀୟ *seh₁- ଧାତୁଟି ଜର୍ମାନୀୟ ଶାଖା ଦେଇ ପ୍ରାଚୀନ ଇଂରାଜୀରେ ମଧ୍ୟ ଏକ ନିଜସ୍ୱ ରୂପ ନେଇସାରିଥିଲା । ସେଗୁଡ଼ିକ ଥିଲା 'sāwan' (ବିହନ ବୁଣିଵା) ଓ 'sǣd' (ଵିହନ) । ଅର୍ଥାତ୍ ଆଜିର ଆଧୁନିକ ଇଂରାଜୀ ଶବ୍ଦ 'seed' (ଵିହନ) ଏଵଂ ଲାଟିନ୍‌ରୁ ଫ୍ରେଞ୍ଚ ଦେଇ ଆସିଥିଵା 'season' ପ୍ରକୃତରେ ଗୋଟିଏ ମୂଳ ଧାତୁଶବ୍ଦର ଦୁଇଟି ଭିନ୍ନ ଶାଖାରେ ସୃଷ୍ଟି ହୋଇଥିଵା ସମୋଦ୍ଧୃତ ରୂପ ।

ତେବେ ଫ୍ରେଞ୍ଚ ଭାଷାର ଏହି 'saison' କିପରି ଇଂଲଣ୍ଡକୁ ଆସି ଇଂରାଜୀ ଭାଷାର ନିଜସ୍ୱ ଶବ୍ଦଗୁଡ଼ିକୁ ହଟାଇ ନିଜର ଆଧିପତ୍ୟ ଵିସ୍ତାର କଲା ? 
ଏହାର ଉତ୍ତର ଲୁଚି ରହିଛି ୧୦୬୬ ମସିହାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୋଡ଼ରେ, ଯାହାକୁ 'ନୋରମାନ୍ ଵିଜୟ' ଵା Norman Conquest କୁହାଯାଏ । ଯେତେବେଳେ ଫ୍ରାନ୍ସର ନୋରମାଣ୍ଡିର ଡ୍ୟୁକ୍ 'William the Conqueror' ଇଂଲଣ୍ଡ ଆକ୍ରମଣ କରି ହେଷ୍ଟିଙ୍ଗସ୍ ଯୁଦ୍ଧରେ ସାକ୍ସନ୍ ରାଜାଙ୍କୁ ପରାସ୍ତ କଲେ, ସେତେବେଳେ ଇଂଲଣ୍ଡର ସାମାଜିକ, ରାଜନୈତିକ ଓ ଭାଷାଗତ ଢାଞ୍ଚା ସମ୍ପୂର୍ଣ୍ଣ ବଦଳିଗଲା । ଵିଜୟୀ ନୋରମାନ୍ ଶାସକମାନେ ଇଂଲଣ୍ଡର ରାଜଦରବାର, ଶାସନ, ଆଇନ୍ ଓ ଆଭିଜାତ୍ୟର ଭାଷା ଭାବେ ଆଂଗ୍ଲୋ-ନୋରମାନ୍ ଫ୍ରେଞ୍ଚ ଭାଷାକୁ ପ୍ରତିଷ୍ଠିତ କଲେ ।
ଫଳରେ, ସାଧାରଣ ଆଙ୍ଗ୍ଲୋ-ସାକ୍ସନ୍ ଲୋକମାନେ ତଳ ସ୍ତରରେ ପ୍ରାଚୀନ ଇଂରାଜୀ କହୁଥିଵା ବେଳେ ଶାସକ ଓ ଉଚ୍ଚଶ୍ରେଣୀର ଲୋକମାନେ ଫ୍ରେଞ୍ଚ କହୁଥିଲେ । ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ଏହି ଦୁଇଟି ଭାଖା ପାଖାପାଖି ରହିଵା ପରେ ଉଭୟର ମିଶ୍ରଣରେ ସୃଷ୍ଟି ହେଲା ମଧ୍ୟ-ଇଂରାଜୀ ଵା Middle English । ଏହି ଭାଷାଗତ ମିଶ୍ରଣର ପରିଣାମ ସ୍ୱରୂପ, ସହସ୍ରାଧିକ ଫ୍ରେଞ୍ଚ ଶବ୍ଦ ଇଂରାଜୀ ଶବ୍ଦକୋଷରେ ପ୍ରଵେଶ କଲେ । ସେହିପରି ଏକ ଶବ୍ଦ ଥିଲା ଓଲ୍ଡ ଫ୍ରେଞ୍ଚର 'seson' କିମ୍ବା 'saison' । ମଧ୍ୟ-ଇଂରାଜୀ ଭାଷାରେ ଏହା ଗ୍ରହଣ କରାଗଲା 'sesoun' କିମ୍ବା 'seson' ରୂପରେ ।
ଇଂଲଣ୍ଡର ସାମାଜିକ ଜୀଵନରେ ଜଡ଼ିତ ହେଵା ପରେ ଏହି ଶବ୍ଦଟି ନିଜର ଅର୍ଥକୁ ଆହୁରି ସମ୍ପ୍ରସାରିତ କଲା । ପ୍ରଥମେ ଯାହା କେଵଳ "ଵିହନ ବୁଣିଵାର ସମୟ" କିମ୍ବା "ଚାଷର ନିର୍ଦ୍ଦିଷ୍ଟ କାଳ" ଥିଲା, ତାହା କ୍ରମଶଃ ଵର୍ଷର ଯେକୌଣସି ପ୍ରାକୃତିକ ଋତୁ— ଗ୍ରୀଷ୍ମ, ଵର୍ଷା, ଶରତ, ଶୀତ— ପାଇଁ ଵ୍ୟଵହୃତ ହେଵାକୁ ଲାଗିଲା । କାରଣ କୃଷିପ୍ରଧାନ ସମାଜରେ ପ୍ରତ୍ୟେକ ଋତୁର ନିଜସ୍ୱ କୃଷି ସମ୍ବନ୍ଧୀୟ ଦାୟିତ୍ୱ ରହିଥିଲା— ଵିହନ ବୁଣିଵା, ଫସଲର ରକ୍ଷଣାବେକ୍ଷଣ କରିଵା, ଅମଳ କରିଵା ଏଵଂ ଜମିକୁ ପରଵର୍ତ୍ତୀ ଵର୍ଷ ପାଇଁ ଵିଶ୍ରାମ ଦେଵା । ଫଳରେ 'sesoun' ଶବ୍ଦଟି ନିଜର ବୁଣିଵା ଅର୍ଥରୁ ଆଗକୁ ବଢ଼ି ଵର୍ଷର ସମସ୍ତ ପ୍ରାକୃତିକ ଵିଭାଜନକୁ ନିଜ ମଧ୍ୟରେ ସମାହିତ କରିନେଲା ।
ଏହି ପ୍ରକ୍ରିୟାରେ, ଇଂରାଜୀ ଭାଷାର ନିଜସ୍ୱ ପ୍ରାଚୀନ ଜର୍ମାନୀୟ ଶବ୍ଦଗୁଡ଼ିକ ଧୀରେ ଧୀରେ ପଛେଇ ଗଲେ । ମଧ୍ୟ-ଇଂରାଜୀର 'sele' (ଯାହା Old English ର 'sǣl' ରୁ ଆସିଥିଲା) କାଳକ୍ରମେ ଵ୍ୟଵହାରରୁ ବାହାରି ଯାଇ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇଗଲା । ସେହିପରି 'tide' ଶବ୍ଦଟି ଋତୁ ଵା ସାଧାରଣ ସମୟର ଵ୍ୟାପକ ଅର୍ଥ ହରାଇ କେଵଳ ସମୁଦ୍ରର ଜଳସ୍ତରର ଉତ୍ଥାନ-ପତନ କିମ୍ବା କେତେକ ନିର୍ଦ୍ଦିଷ୍ଟ ପାରମ୍ପରିକ ପର୍ଵପର୍ଵାଣିର ସମୟସୀମା ମଧ୍ୟରେ ସୀମିତ ହୋଇରହିଗଲା । ଫ୍ରେଞ୍ଚ ଆଗନ୍ତୁକ 'sesoun' ଆସି ଏହି ପ୍ରାଚୀନ ଶବ୍ଦଗୁଡ଼ିକୁ ସ୍ଥାନଚ୍ୟୁତ କଲା ଏଵଂ ପରଵର୍ତ୍ତୀ ସମୟରେ ବନାନର ପରିଵର୍ତ୍ତନ ଘଟି ଆଧୁନିକ ଇଂରାଜୀରେ 'season' ଭାବେ ସ୍ଥାୟୀ ଆସନ ଗ୍ରହଣ କଲା ।

ଏହା ଥିଲା Season ଶବ୍ଦର ପ୍ରକୃତ ଐତିହାସିକ ଯାତ୍ରାର କାହାଣୀ ଯାହା ନଜାଣି କେଵଳ ଶବ୍ଦର ବନାନକୁ ଦେଖି 'Sea' (ସମୁଦ୍ର) ଓ 'Son' (ପୁଅ)ର ଗପ ବାନ୍ଧୁଥିଲେ ଆମର ଜଣେ କଳ୍ପନାପ୍ରିୟ ବନ୍ଧୁ ! 

ଯଦି ଶବ୍ଦର ଉତ୍ପତ୍ତି ମଣିଷର କଳ୍ପନା ପରି ଏତେ ସହଜ ହୋଇଥାନ୍ତା, ତେବେ ବୋଧହୁଏ ପୃଥିଵୀର ସବୁ ଭାଷାଵିତ୍ ସମୁଦ୍ର କୂଳରେ ବସି କଵିତା ଲେଖୁଥାଆନ୍ତେ ଏଵଂ ଅତୀତର ସମସ୍ତ କୃଷକମାନେ ମାଟିରେ ଵିହନ ନବୁଣି କେଵଳ ସମୁଦ୍ରର ସନ୍ତାନମାନଙ୍କୁ ଗ୍ରହଣ କରିଵା ପାଇଁ ଅପେକ୍ଷା କରୁଥାଆନ୍ତେ । ପ୍ରକୃତିର ନିୟମ, ମାଟିର ଗନ୍ଧ ଏଵଂ ସଭ୍ୟତାର ଶ୍ରମରୁ ଜନ୍ମ ନେଇଥିବା ଏକ ଜୀଵନ୍ତ ଶବ୍ଦକୁ ଏପରି ଜଳଜାତ କାହାଣୀରେ ପରିଣତ କରିବା ନିଶ୍ଚିତ ଭାବେ ମାନଵୀୟ ଅଜ୍ଞତା ଓ କଳ୍ପନାଶକ୍ତିର ଏକ ରୋଚକ ନମୁନା । 

Thursday, September 24, 2026

ଅର୍ଣ୍ଣଵ: ଏକ ଶବ୍ଦର ଜୀଵନ୍ତ ଐତିହାସିକ ଯାତ୍ରା

ଭାରତରେ ପୁରୁଷମାନଙ୍କ ନାମ ଅର୍ଣ୍ଣଵ ରଖାଯାଏ ‌ । ଏହି ‘ଅର୍ଣ୍ଣଵ’ ଶବ୍ଦକୁ ସାଧାରଣତଃ ‘ସମୁଦ୍ର’ର ଗୋଟିଏ ପ୍ରତିଶବ୍ଦ ଭାବରେ ଗ୍ରହଣ କରାଯାଏ । କିନ୍ତୁ ଏହି କ୍ଷୁଦ୍ର ଶବ୍ଦଟିର ପଛରେ ଲୁଚି ରହିଛି ମାନଵୀୟ ସଂସ୍କୃତି, ଭାଷାଵିଜ୍ଞାନ, ଵୈଦିକ ଚିନ୍ତନ ଆଉ ଚେତନାର ଏକ ଦୀର୍ଘ ତଥା ରୋମାଞ୍ଚକର ଇତିହାସ।
 ଆଧୁନିକ ତୁଳନାତ୍ମକ ଭାଷାଵିଜ୍ଞାନୀମାନଙ୍କ ଅନୁସାରେ ଏହି ଶବ୍ଦର ଆଦିମ ମୂଳ କ୍ଷୁଦ୍ର ରୂପ *h₃er- ଅଟେ। ତେବେ ଏହି ମୂଳ ଧାତୁର ଅର୍ଥ କୌଣସି ସ୍ଥିର ଜଳରାଶି ନଥିଲା; ଏହାର ପ୍ରକୃତ ଅର୍ଥ ଥିଲା ଗତିଶୀଳ ହେଵା, ଉଦ୍‌ଵେଳିତ ହେବା, ଆନ୍ଦୋଳିତ ହେଵା କିମ୍ବା ଉପରକୁ ଉଠିଵା। ପ୍ରକୃତିର ଯେଉଁ ଉପାଦାନ ନିଶ୍ଚଳ ନୁହେଁ, ଯାହା ନିରନ୍ତର ଚଞ୍ଚଳ ଓ କମ୍ପିତ, ତାହାକୁ ହିଁ ଏହି ଧାତୁ ସୂଚାଉଥିଲା।

ସମୟର କ୍ରମଵିକାଶରେ ଶବ୍ଦର ଏହି ଆଦି ରୂପଟି *Harnas ରୂପ ନେଲା, ଏଵଂ ପରଵର୍ତ୍ତୀ ସମୟରେ ପ୍ରାଚୀନ ସଂସ୍କୃତ କ୍ଷେତ୍ରରେ ‘ଅର୍ଣ୍ଣ’ ରୂପରେ ଆତ୍ମପ୍ରକାଶ କଲା। ସଂସ୍କୃତ ଭାଷାରେ ‘ଅର୍ଣ୍ଣ’ ଶବ୍ଦର ପ୍ରାଥମିକ ଅର୍ଥ ଥିଲା ଅସ୍ଥିର, ତରଙ୍ଗାୟିତ, ଫେଣୟୁକ୍ତ କିମ୍ବା ଗତିଶୀଳ ଜଳ। ପରେ ସଂସ୍କୃତ ଭାଷାରେ ଏହି ଶବ୍ଦର ଅର୍ଥ ହେଲା ଜଳ, ତରଙ୍ଗ,ଶାଗୁଆନ ଗଛ ଓ ଅକାରାଦି ଅକ୍ଷର ଵା Alphabet ଇତ୍ୟାଦି । 

କିନ୍ତୁ ଯେତେବେଳେ ଏହି ‘ଅର୍ଣ୍ଣ’ ଶବ୍ଦ ସହିତ ଗତି, ପ୍ରସାର ଓ ଉପସ୍ଥିତି ସୂଚକ ପ୍ରତ୍ୟୟ ‘-ଵ’ ଯୁକ୍ତ ହେଲା, ସେତେବେଳେ ଗଠିତ ହେଲା ‘ଅର୍ଣ୍ଣଵ’। ତେଣୁ ଭାଷାଵିଜ୍ଞାନ ଦୃଷ୍ଟିରୁ ଅର୍ଣ୍ଣଵ ଶବ୍ଦର ମୂଳ ଅର୍ଥ ହେଉଛି— ଯାହା ଅସ୍ଥିରତାରେ ପରିପୂର୍ଣ୍ଣ, ଯାହା ନିରନ୍ତର ଆନ୍ଦୋଳିତ ଏଵଂ ଯାହା ପ୍ରଚଣ୍ଡ ଗତିଶୀଳ ଜଳରାଶିକୁ ଧାରଣ କରିଛି।
ପ୍ରାଚୀନ ମଣିଷ ନିଜ ଚାରିପାଖର ସୃଷ୍ଟିକୁ ଗୋଟିଏ ଜୀଵନ୍ତ ସତ୍ତା ଭାବରେ ଦେଖୁଥିଲା। ତା’ ପାଇଁ ସମୁଦ୍ର କେଵଳ ଜଳର ଗୋଟିଏ ନିର୍ଜୀଵ ଆଧାର ନଥିଲା, ଵରଂ ତାହା ଥିଲା ଏକ ଅସୀମ, ଚଞ୍ଚଳ ଓ ଉଦ୍‌ଭ୍ରାନ୍ତ ପ୍ରାଣ। ସେଥିପାଇଁ ଆଦିମ ଭାଷାରେ ‘ଅର୍ଣ୍ଣଵ’ କେଵଳ ଗୋଟିଏ ଵିଶେଷ୍ୟ ପଦ ନଥିଲା, ଏହା ଏକ ଗୁଣଵାଚକ ଵିଶେଷଣ ମଧ୍ୟ ଥିଲା, ଯାହାର ଅର୍ଥ ଥିଲା— ଅସ୍ଥିର, ଆନ୍ଦୋଳିତ କିମ୍ବା ଫେଣୟୁକ୍ତ।
ଅପରପକ୍ଷରେ, ପାରମ୍ପରିକ ଭାରତୀୟ ନିରୁକ୍ତ ଓ ଵ୍ୟାକରଣ ଶାସ୍ତ୍ର ଏହି ଶବ୍ଦଟିକୁ ଭିନ୍ନ ଏକ ଦାର୍ଶନିକ ଓ ଵିଶ୍ଲେଷଣାତ୍ମକ ଦୃଷ୍ଟିଭଙ୍ଗୀରୁ ନିରୂପଣ କରିଛନ୍ତି। 

ଭାରତୀୟ ପଣ୍ଡିତମାନେ ଶବ୍ଦକୁ କେଵଳ ଧ୍ଵନିର ଵିକାଶ ଭାବରେ ନଦେଖି, ତାହାର ଆଭ୍ୟନ୍ତରୀଣ ଅର୍ଥ ସଂରଚନାକୁ ପ୍ରାଧାନ୍ୟ ଦେଇଛନ୍ତି। ଵାଚସ୍ପତ୍ୟ ଓ ଶବ୍ଦକଳ୍ପଦ୍ରୁମ ପରି ପ୍ରାଚୀନ ଗ୍ରନ୍ଥମାନଙ୍କରେ ଅର୍ଣ୍ଣଵ ଶବ୍ଦର ଵ୍ୟୁତ୍ପତ୍ତି ଦର୍ଶାଇବାକୁ ଯାଇ କୁହାଯାଇଛି: “ଅର୍ଣ୍ଣାଂସି ସନ୍ତ୍ୟସ୍ମିନ୍” ଅର୍ଥାତ୍ ଯାହା ମଧ୍ୟରେ ଅର୍ଣ୍ଣସ୍ ଵା ଜଳରାଶି ଵିଦ୍ୟମାନ। ଏଠାରେ ‘ଅର୍ଣ୍ଣସ୍’ ଶବ୍ଦ ସହିତ ‘ଵ’ ପ୍ରତ୍ୟୟ ଯୁକ୍ତ ହୋଇ ‘ସ’ କାରର ଲୋପ ହେଵା ଫଳରେ ‘ଅର୍ଣ୍ଣଵ’ ଶବ୍ଦ ନିଷ୍ପନ୍ନ ହୋଇଛି।

ଭାରତୀୟ ନିରୁକ୍ତକାରମାନଙ୍କର ସୂକ୍ଷ୍ମତା ଦେଖିଲେ ଆଶ୍ଚର୍ଯ୍ୟ ହେଵାକୁ ପଡ଼େ। ସେମାନେ ‘ଅର୍ଣ୍ଣଵ’କୁ କେଵଳ ସମୁଦ୍ରର ସୀମା ଭିତରେ ଆଵଦ୍ଧ ରଖିନାହାନ୍ତି। ସେମାନଙ୍କ ଗ୍ରହଣଶୀଳ ମସ୍ତିଷ୍କ ଏହି ଶବ୍ଦକୁ ଏକ ଵ୍ୟାପକ କୋଷୀୟ ପରିସର ପ୍ରଦାନ କରିଛି। ଵିକ୍ରମାବ୍ଦର ବହୁ ପୂର୍ଵରୁ ରଚିତ ଵୈଦିକ ସାହିତ୍ୟରୁ ଆରମ୍ଭ କରି କାଵ୍ୟ ଯୁଗ ପର୍ଯ୍ୟନ୍ତ, ନିରୁକ୍ତକାରମାନେ ଏହି ଶବ୍ଦର ପାଞ୍ଚଟି ମୁଖ୍ୟ ଆଧାରକୁ ଚିହ୍ନଟ କରିଛନ୍ତି। ପ୍ରଥମତଃ, ଜଳର ନିତ୍ୟ ଆଧାର ହୋଇଥିଵାରୁ ଏହା ସମୁଦ୍ର। ଦ୍ଵିତୀୟତଃ, ପ୍ରଵାହିତ ଓ ଆନ୍ଦୋଳିତ ହେଉଥିଵାରୁ ଏହା ନଦୀ, ଢେଉ, କିମ୍ବା ନଈବଢ଼ି। ତୃତୀୟତଃ, ଆକାଶରେ ଵାୟୁର ଯେଉଁ ଅସୀମ ସମୁଦ୍ର ରହିଛି, ତାହାକୁ ମଧ୍ୟ ପ୍ରାଚୀନ ଋଷିମାନେ ‘ଵାୟୁରାଶି’ ବା ଆକାଶର ଅର୍ଣ୍ଣଵ ବୋଲି କହିଛନ୍ତି।

ଏତିକିରେ ନିରୁକ୍ତକାରଙ୍କ କଳ୍ପନା ଅଟକି ନଥିଲା। ଵାଚସ୍ପତ୍ୟରେ ଏକ ଅତ୍ୟନ୍ତ କୌତୁକପୂର୍ଣ୍ଣ ଓ ଦାର୍ଶନିକ ଵ୍ୟାଖ୍ୟା ମିଳେ। ସେଠାରେ ‘ଅର୍ଣ୍ଣଵ’ ଶବ୍ଦକୁ ସୂର୍ଯ୍ୟ ଓ ଇନ୍ଦ୍ରଙ୍କ ସହିତ ଯୋଡ଼ାଯାଇଛି। ପ୍ରଶ୍ନ ଉଠିପାରେ, ଜ୍ଵଳନ୍ତ ସୂର୍ଯ୍ୟ କିମ୍ବା ସ୍ଵର୍ଗର ଦେଵତା ଇନ୍ଦ୍ର କିପରି ‘ଅର୍ଣ୍ଣଵ’ ଵା ସମୁଦ୍ର ହୋଇପାରନ୍ତି? ଏହାର ଉତ୍ତରରେ ନିରୁକ୍ତକାର କହନ୍ତି ଯେ ‘ଅର୍ଣ୍ଣ’ ଅର୍ଥାତ୍ ଜଳ ଦାନ କରିଵାର ସାମର୍ଥ୍ୟ ଯାହାର ଅଛି, ସେ ହେଉଛି ଅର୍ଣ୍ଣଵ। 

‘ଆଦିତ୍ୟାଜ୍ଜାୟତେ ଵୃଷ୍ଟିଃ’— ସୂର୍ଯ୍ୟ ନିଜର ଉତ୍ତାପ ଦ୍ଵାରା ଜଳକୁ ବାଷ୍ପୀଭୂତ କରି ମେଘରେ ପରିଣତ କରନ୍ତି ଏଵଂ ଇନ୍ଦ୍ର ସେହି ମେଘରୁ ଵର୍ଷା କରାନ୍ତି। ତେଣୁ ଜଳର ପ୍ରଜନକ ଓ ଦାତା ଭାବରେ ସୂର୍ଯ୍ୟ ଓ ଇନ୍ଦ୍ରଙ୍କୁ ମଧ୍ୟ ଵେଦରେ ‘ଅର୍ଣ୍ଣଵ’ ବୋଲି ଆଖ୍ୟା ଦିଆଯାଇଛି। ଋଗ୍‌ଵେଦର ମନ୍ତ୍ରରେ ସୂର୍ଯ୍ୟଙ୍କୁ “ସଭାନୁରର୍ଣ୍ଣଵୋ ନୃଚକ୍ଷାଃ” ଏଵଂ ଇନ୍ଦ୍ରଙ୍କୁ “ଶତକ୍ରତୁମର୍ଣ୍ଣଵଂ ଶାକିୟଂ ନରମ୍” ବୋଲି କୁହାଯିଵା ଏହି ଚିନ୍ତନର ଏକ ଜ୍ଵଳନ୍ତ ପ୍ରମାଣ।

ଅତଏଵ ପ୍ରାଚୀନ ଭାରତୀୟ ସଂସ୍କୃତି ଏ ଶବ୍ଦର କେଵଳ ଶାବ୍ଦିକ ଅର୍ଥକୁ ନୁହେଁ, ଵରଂ ତାହାର କାର୍ଯ୍ୟକାରୀ ଓ ପ୍ରାକୃତିକ ସମ୍ବନ୍ଧକୁ ମଧ୍ୟ ନିରୁକ୍ତ ଭିତରେ ଗୃହୀତ କରାଯାଇଥିଲା। ପଣ୍ଡିତମାନେ ଵ୍ୟାକରଣର ସୂତ୍ର ଜାଲ ବିଛାଇ ଶବ୍ଦର ପ୍ରତ୍ୟେକଟି ଅକ୍ଷରକୁ ଖଣ୍ଡ ଖଣ୍ଡ କରି ଵିଚାର କରୁଥିଵା ବେଳେ, ପ୍ରକୃତି ନିଜ ବାଟରେ ନିଜର ଵିଶାଳତାକୁ ପ୍ରକାଶ କରୁଥିଲା।

ଶବ୍ଦର ଏହି ଐତିହାସିକ ଯାତ୍ରା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ ଅଟକି ରହିନାହିଁ। ଯଦି ଆମେ ସମୟର ନଦୀରେ ପଛକୁ ଭାସିଯିଵା, ତେବେ ଦେଖିଵା ଯେ ଵୈଦିକ ଯୁଗରୁ ଆରମ୍ଭ କରି ଆଜିର ଆଧୁନିକ ପ୍ରାନ୍ତୀୟ ଭାଷାଗୁଡ଼ିକ ପର୍ଯ୍ୟନ୍ତ ଏହି ଶବ୍ଦର ଅର୍ଥଗତ ପରିଵର୍ତ୍ତନ କିପରି ଘଟିଛି।

ଵୈଦିକ କାଳରେ, ଯେତେବେଳେ ମାନଵ ଜାତି ପ୍ରକୃତିର ପ୍ରତିଟି ରୂପକୁ ଵିସ୍ମୟକର ଆଖିରେ ଦେଖୁଥିଲା, ସେତେବେଳେ ‘ଅର୍ଣ୍ଣଵ’ ଶବ୍ଦଟି ଅତ୍ୟନ୍ତ ନମନୀୟ ଥିଲା। ଏହା କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ଜଳାଶୟକୁ ବୁଝାଉ ନଥିଲା। ସନ୍ଧ୍ୟା ମନ୍ତ୍ରର “ତତଃ ସମୁଦ୍ରାଦର୍ଣ୍ଣଵାତ୍” କିମ୍ବା ଋଗ୍‌ଵେଦର “ତିରଃ ସମୁଦ୍ରମର୍ଣ୍ଣଵମ୍” ପରି ମନ୍ତ୍ରଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ସେତେବେଳେ ‘ସମୁଦ୍ର’ ଓ ‘ଅର୍ଣ୍ଣଵ’ ଦୁଇଟି ପୃଥକ୍ ଵିଶେଷତାକୁ ସୂଚାଉଥିଲେ। ‘ସମୁଦ୍ର’ ଅର୍ଥାତ୍ ଯାହା ଜଳର ସମ୍ୟକ୍ ଆଧାର ଏଵଂ ‘ଅର୍ଣ୍ଣଵ’ ଅର୍ଥାତ୍ ଯାହା ଆନ୍ଦୋଳିତ ଓ ଅସ୍ଥିର। ଅର୍ଥାତ୍, ‘ଅର୍ଣ୍ଣଵ’ ସେତେବେଳେ ସମୁଦ୍ରର ଏକ ଗୁଣାତ୍ମକ ଵିଶେଷଣ ଭାଵରେ ଵ୍ୟଵହୃତ ହେଉଥିଲା। ସୃଷ୍ଟିର ଆଦିମ ଅଵସ୍ଥା, ଯେତେବେଳେ ଚାରିଆଡ଼େ କେଵଳ ପ୍ରଳୟଙ୍କରୀ ଅଶାନ୍ତ ଜଳରାଶି ଓ ଆକାଶଵ୍ୟାପୀ ବାୟୁର ଆନ୍ଦୋଳନ ଥିଲା, ସେହି ମହାଜାଗତିକ ସ୍ଥିତିକୁ ଦର୍ଶାଇଵା ପାଇଁ ଋଷିମାନେ ‘ମହାନ୍ ଅର୍ଣ୍ଣଵ’ ଶବ୍ଦର ପ୍ରୟୋଗ କରୁଥିଲେ।
ସମୟ ଗଡ଼ିଚାଲିଲା। ନଦୀର ସ୍ରୋତ ପରି ଭାଷାର ପ୍ରଵାହ ମଧ୍ୟ ବଦଳିଲା। ଵୈଦିକ ଯୁଗରୁ ଶାସ୍ତ୍ରୀୟ ଵା ଲୌକିକ ସଂସ୍କୃତ ଯୁଗକୁ ଆସିଵା ବେଳକୁ ଶବ୍ଦଟି ନିଜର ଵ୍ୟାପକ ଗୁଣାତ୍ମକ ଅର୍ଥକୁ ହରାଇ କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଵିଶେଷ୍ୟ ପଦରେ ସୀମିତ ହୋଇଗଲା। କାଳିଦାସଙ୍କ ରଘୁଵଂଶ କାଵ୍ୟରେ ଯେତେବେଳେ କୁହାଗଲା— “ଅଧୃଷ୍ୟଶ୍ଚାଭିଗମ୍ୟଶ୍ଚ ଯାଦୋରତ୍ନୈରିଵାର୍ଣ୍ଣଵଃ”, ସେତେବେଳେ ‘ଅର୍ଣ୍ଣଵ’ କହିଲେ ସୀମାହୀନ ସମୁଦ୍ରକୁ ହିଁ ବୁଝାଗଲା, ଯାହା ଜଳଚର ଜୀଵ ଓ ରତ୍ନରାଶିରେ ପରିପୂର୍ଣ୍ଣ। ମାଘଙ୍କ ଶିଶୁପାଳଵଧ କାଵ୍ୟରେ ମଧ୍ୟ ‘କୃଷ୍ଣାର୍ଣ୍ଣଵ’ ଶବ୍ଦର ଵ୍ୟଵହାର ଦେଖିଵାକୁ ମିଳେ। ଏହି ଯୁଗକୁ ଆସିଵା ବେଳକୁ ‘ଅର୍ଣ୍ଣଵ’ ନିଜର ଅସ୍ଥିରତା ଓ ଵାୟୁରାଶିର ଅର୍ଥକୁ ପଛରେ ପକାଇ, ସମୁଦ୍ରର ସମାନାର୍ଥକ ଭାବରେ ସାହିତ୍ୟରେ ପ୍ରତିଷ୍ଠିତ ହୋଇସାରିଥିଲା।
ଏହି କାଳଖଣ୍ଡ ମଧ୍ୟରେ ଶବ୍ଦଟି କେଵଳ ନିଜର ମୂଳ ଅର୍ଥରେ ସୀମିତ ନରହି, କିଛି ମାନସିକ ଓ କଳ୍ପନାତ୍ମକ ପ୍ରତୀକ ଭାବରେ ମଧ୍ୟ ଵିକଶିତ ହେଲା। ପ୍ରାଚୀନ ଭାରତୀୟ ଗଣିତ ଓ ଜ୍ୟୋତିଷ ଶାସ୍ତ୍ରରେ ସଂଖ୍ୟାଗୁଡ଼ିକୁ ସାହିତ୍ୟିକ ସଙ୍କେତ ଦ୍ଵାରା ପ୍ରକାଶ କରିଵାର ଏକ ସୁନ୍ଦର ପରମ୍ପରା ଥିଲା। ସେହି କ୍ରମରେ ‘ଅର୍ଣ୍ଣଵ’ ଶବ୍ଦକୁ ଚାରି ସଂଖ୍ୟାର ପ୍ରତୀକ ଭାବରେ ଗ୍ରହଣ କରାଗଲା। କାରଣ ଭାରତୀୟ ପୌରାଣିକ ଭୂଗୋଳ ଅନୁସାରେ ପୃଥିଵୀ ଚାରୋଟି ମହାସାଗର ଵା ଚତୁଃସମୁଦ୍ର ଦ୍ଵାରା ପରିଵେଷ୍ଟିତ। ତେଣୁ କୌଣସି ଶ୍ଲୋକରେ ‘ଅର୍ଣ୍ଣଵ’ ଲେଖାହେଲେ, ଗଣିତଜ୍ଞମାନେ ସେଥିରୁ ‘ଚାରି’ ସଂଖ୍ୟାକୁ ବୁଝିନେଉଥିଲେ। ଭାଷାର ଏହି କ୍ରୀଡ଼ା ସୂଚାଏ ଯେ ମଣିଷ କିପରି ପ୍ରକୃତିର ଗମ୍ଭୀରତାକୁ ନିଜର ବୌଦ୍ଧିକ ଓ ଗାଣିତିକ ସଂରଚନା ଭିତରେ ଵ୍ୟଵହାର କରିପାରୁଥିଲା।

ସଂସ୍କୃତ ସାହିତ୍ୟର ସୀମା ପାର ହୋଇ ଯେତେବେଳେ ଭାରତୀୟ ଉପମହାଦ୍ଵୀପରେ ପ୍ରାକୃତ, ପାଲି, ଏଵଂ ପରଵର୍ତ୍ତୀ ସମୟରେ ଆଞ୍ଚଳିକ ଭାଷାଗୁଡ଼ିକର ଅଭ୍ୟୁଦୟ ଘଟିଲା, ସେତେବେଳେ ‘ଅର୍ଣ୍ଣଵ’ ଶବ୍ଦଟି ଏକ ନୂତନ ଜାତୀୟ ଓ ଆନ୍ତର୍ଜାତୀୟ ରୂପାନ୍ତର ଭିତର ଦେଇ ଗତିକଲା। ବୌଦ୍ଧ ଧର୍ମର ପ୍ରଚାର ସହିତ ପାଲି ଭାଷାରେ ଏହା ‘ଅଣ୍ଣଵ’ (aṇṇava) ରୂପ ଧାରଣ କଲା। ପ୍ରାକୃତ ଭାଷାର ସହଜତା ଓ ମୁଖସୁଖ ପ୍ରଵୃତ୍ତି ଯୋଗୁଁ ସଂସ୍କୃତର ‘ର୍ଣ୍ଣ’ ଧ୍ଵନି ବଦଳି ‘ଣ୍ଣ’ ହୋଇଗଲା।
ଏହି ଶବ୍ଦଟିର ସବୁଠାରୁ ଆଶ୍ଚର୍ଯ୍ୟଜନକ ଯାତ୍ରା ହେଉଛି ଏହାର ଭୌଗୋଳିକ ପ୍ରସାର। ଭାରତର ସୀମା ଡେଇଁ ବୌଦ୍ଧ ଭିକ୍ଷୁ, ଵ୍ୟଵସାୟୀ ଏଵଂ ସଂସ୍କୃତିର ଵାହକମାନଙ୍କ ସହିତ ଏହି ଶବ୍ଦ ଦକ୍ଷିଣ-ପୂର୍ଵ ଏସିଆକୁ ସଞ୍ଚାରିତ ହେଲା। ବର୍ମା ଵା ମ୍ୟାନମାରର ବର୍ମୀଜ ଭାଷାରେ ଏହା ‘ଅଣ୍ଣଵା’ (anna.wa) ରୂପରେ ସ୍ଥାନ ପାଇଲା। ଦ୍ରାଵିଡ଼ ଭାଷା ପରିଵାରର ତାମିଲ ଭାଷାରେ ଏହା ‘ଅରୁଣଵମ୍’ କିମ୍ବା ‘ଅନ୍ନଵମ୍’ ରୂପରେ ଗ୍ରହଣ କରାଗଲା, ଏଵଂ ତେଲୁଗୁରେ ‘ଅର୍ଣ୍ଣଵମୁ’ ଭାବରେ ପ୍ରଵିଷ୍ଟ ହେଲା।
ଉତ୍ତର ଓ ପୂର୍ଵ ଭାଷା ପରିବାରରେ, ଯେପରିକି ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ମରାଠୀ ଭାଷାରେ, ଏହା ତତ୍ସମ ଵା ତତ୍ସମ-ସଦୃଶ ରୂପରେ ‘ଅର୍ଣ୍ଣଵ’ ଭାଵରେ ନିଜର ସ୍ଥାନ ବଜାୟ ରଖିଲା। ଵିଶେଷ କରି ଓଡ଼ିଆ ଭାଷାର ଶବ୍ଦକୋଷ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଓଡ଼ିଆ ସାହିତ୍ୟ ଓ ଭାଷାଵିତ୍‌ମାନେ ଏହି ଶବ୍ଦର ସମସ୍ତ ପ୍ରାଚୀନ ଓ ଅର୍ଥାନ୍ତରିତ ରୂପକୁ ଅତ୍ୟନ୍ତ ଯତ୍ନର ସହିତ ସଂରକ୍ଷିତ କରି ରଖିଛନ୍ତି। ଓଡ଼ିଆ ଭାଷାରେ ‘ଅର୍ଣ୍ଣଵ’ କହିଲେ ସମୁଦ୍ର, ନଦୀ, ଢେଉ, ନଈବଢ଼ି, ଚାରି ସଂଖ୍ୟା ଓ ଵାୟୁରାଶିକୁ ବୁଝାଇଵା ସହିତ ଵିଶେଷଣ ରୂପରେ ଆନ୍ଦୋଳିତ, ଅସ୍ଥିର, ଓ ଫେଣଯୁକ୍ତ ଅଭିପ୍ରାୟକୁ ମଧ୍ୟ ସ୍ଵୀକାର କରାଯାଇଛି।

ମାତ୍ର ଏହି ଦୀର୍ଘ ଐତିହାସିକ ପ୍ରକ୍ରିୟା ଭିତରେ ଗୋଟିଏ ବଡ଼ ସାମାଜିକ ଓ ସାଂସ୍କୃତିକ ପରିଵର୍ତ୍ତନ ଘଟିଲା। ଯେଉଁ ଶବ୍ଦଟି ଦିନେ ସମୁଦ୍ରର ଵିଶାଳତା, ଅଶାନ୍ତତା ଏଵଂ ପ୍ରକୃତିର ନିୟନ୍ତ୍ରଣହୀନ ରୂପକୁ ସୂଚାଉଥିଲା ସେହି ଶବ୍ଦଟି ଵିଂଶ ଓ ଏକଵିଂଶ ଶତାବ୍ଦୀକୁ ଆସିଵା ବେଳକୁ ମାନଵୀୟ ନାମକରଣର ଏକ ପ୍ରିୟ ବ୍ରାଣ୍ଡ୍‌ରେ ପରିଣତ ହୋଇଗଲା।
ଆଜିର ସମାଜରେ ଶିଶୁଙ୍କର ନାମ ‘ଅର୍ଣ୍ଣଵ’ ରଖାଯାଉଛି। କିନ୍ତୁ କୌତୁକର ଵିଷୟ ହେଉଛି, ଯେଉଁ ପିତାମାତା ନିଜ ସନ୍ତାନର ନାମ ‘ଅର୍ଣ୍ଣଵ’ ରଖୁଛନ୍ତି, ସେମାନେ ହୁଏତ ସ୍ଵପ୍ନରେ ସୁଦ୍ଧା ଭାବୁନାହାନ୍ତି ଯେ ସେମାନେ ନିଜ ସନ୍ତାନକୁ ‘ଅସ୍ଥିର’, ‘ଫେଣଯୁକ୍ତ’ କିମ୍ବା ‘ଉଦ୍‌ଭ୍ରାନ୍ତ ତରଙ୍ଗ’ ବୋଲି ଡାକୁଛନ୍ତି। ସେମାନଙ୍କ ପାଇଁ ଏହା କେଵଳ ସମୁଦ୍ର ପରି ଵିଶାଳତାର ସଙ୍କେତ କିମ୍ବା ଗୋଟିଏ ଶ୍ରୁତିମଧୁର ସଂସ୍କୃତ ଲୋକପ୍ରିୟ ନାମ। ମାନଵ ସଂସ୍କୃତିର ଏହା ହିଁ ସବୁଠାରୁ ବଡ଼ ଵିରୋଧାଭାସ। ମଣିଷ ନିଜର ଭାଷା ଭିତରେ ପ୍ରକୃତିର ସବୁଠାରୁ ଭୟଙ୍କର ଓ ଅଶାନ୍ତ ରୂପକୁ ଆଣି ନିଜର କୋମଳ ଶିଶୁର ନାମରେ ବାନ୍ଧିଦିଏ, ଆଉ ଭାବେ ଯେ ସେ ଏକ ସୁନ୍ଦର ଶାନ୍ତ ନାମ ପ୍ରଦାନ କରିଛି।
ଏହିପରି ଭାବରେ, ଗୋଟିଏ କ୍ଷୁଦ୍ର ଶବ୍ଦ ‘ଅର୍ଣ୍ଣଵ’ ନିଜ ଭିତରେ ଵହନ କରି ଚାଲିଛି ହଜାର ହଜାର ଵର୍ଷର ମାନଵ ଚେତନାର ଵିକାଶ ଗାଥା। ଏହା ଆମକୁ ମନେପକାଇ ଦିଏ ଯେ ଶବ୍ଦଗୁଡ଼ିକ କେଵଳ କାଗଜ ଉପରେ ଲେଖାହୋଇଥିଵା କିଛି କଳା ଗାର ନୁହନ୍ତି; ସେଗୁଡ଼ିକ ଜୀଵନ୍ତ ଇତିହାସ। ଶବ୍ଦ ଜନ୍ମ ନିଅନ୍ତି, ଵୃଦ୍ଧି ପାଆନ୍ତି, ରୂପ ବଦଳାନ୍ତି, ଦେଶ ଦେଶାନ୍ତର ଭ୍ରମଣ କରନ୍ତି ଏଵଂ ସମୟକ୍ରମେ ନିଜର ମୂଳ ଅର୍ଥକୁ ପଛରେ ପକାଇ ନୂତନ ପୋଷାକ ପିନ୍ଧି ସମାଜରେ ବୁଲନ୍ତି।
ଆଜି ଯେତେବେଳେ ଆମେ ‘ଅର୍ଣ୍ଣଵ’ ଶବ୍ଦଟିକୁ ଉଚ୍ଛାରଣ କରୁ, ଆମେ ଅଜାଣତରେ ସେହି ପ୍ରାଚୀନ ମାନଵର ଭୟ, ଵୈଦିକ ଋଷିଙ୍କର ଵିସ୍ମୟ, ପାଣିନି ଓ ନିରୁକ୍ତକାରଙ୍କ ଗ୍ରନ୍ଥାଗାରର ପ୍ରଦୀପ, ଆଉ ମ୍ୟାନମାରର ବୌଦ୍ଧ ମଠର ପ୍ରାର୍ଥନାକୁ ଏକାଠି ଉଚ୍ଚାରଣ କରିଥାଉ। ଶବ୍ଦଟି ହୁଏତ ଆଜି ଶାନ୍ତ ଦିଶୁଛି, କିନ୍ତୁ ତା’ର ଗଭୀରତା ଭିତରେ ଆଜି ମଧ୍ୟ ସେହି ଆଦିମ, ଅସ୍ଥିର, ଆନ୍ଦୋଳିତ ମହାସାଗରର ଗର୍ଜନ ଶୁଣାଯାଉଛି, ଯାହାକୁ କୌଣସି ଶବ୍ଦକୋଷ କେବେହେଲେ ସମ୍ପୂର୍ଣ୍ଣ ଭାବରେ ନୀରଵ କରିପାରିନାହିଁ।

Thursday, August 27, 2026

ମିଷ୍ଟାନୁଭୂତି: ସଂସ୍କୃତି ଓ ସୀମା ଡେଇଁଥିଵା ଶବ୍ଦଗାଥା

ମଣିଷର ଇତିହାସରେ କେତେକ ଶବ୍ଦ ସେନାଵାହିନୀଠାରୁ ମଧ୍ୟ ଦୂରକୁ ଯାତ୍ରା କରିଛନ୍ତି। ସେ ଶବ୍ଦମାନ କୌଣସି ରାଜ୍ୟ ଜୟ କରିନାହାନ୍ତି, କୌଣସି ସାମ୍ରାଜ୍ୟ ଗଢ଼ିନାହାନ୍ତି। ସେହି ଶବ୍ଦଗୁଡ଼ିକ କେଵଳ ଗୋଟିଏ ଜିନିଷ ସହିତ ଯାତ୍ରା କରିଛନ୍ତି—ମଣିଷର ଆକାଙ୍କ୍ଷା।

ମିଠା ଖାଇବାର ଆକାଙ୍କ୍ଷା ! ସେହି ଶବ୍ଦଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ସଂସ୍କୃତର 'ଖଣ୍ଡ' ଶବ୍ଦ । ଆଜି ଆମେ ‘ଖଣ୍ଡ’ କହିଲେ ଗୋଟିଏ ଭଙ୍ଗା ଅଂଶ, ଟୁକୁଡ଼ା କିମ୍ବା ଭାଗ ବୁଝୁ। କିନ୍ତୁ ପ୍ରାଚୀନ ଭାରତରେ ଏହି ଶବ୍ଦ ଚିନିର ଖଣ୍ଡ କିମ୍ବା ଜମା ହୋଇଥିଵା ମିଠା ପଦାର୍ଥ ସହିତ ମଧ୍ୟ ଜଡ଼ିତ ହେଲା। ଆଖୁର ରସକୁ ଫୁଟାଇ, ଘନ କରି, ଜମାଇ ତିଆରି ହେଉଥିଵା ସେହି କଠିନ ମିଠା ଖଣ୍ଡଗୁଡ଼ିକ ଶବ୍ଦଟିକୁ ଏକ ନୂଆ ଜୀବନ ଦେଲା। ତା'ପରେ ଆରମ୍ଭ ହେଲା ଯାତ୍ରା।

ଭାରତ କେଵଳ ମସଲାର ଦେଶ ନଥିଲା। ଏହା ଥିଲା ଚିନି ପ୍ରସ୍ତୁତିର ଜ୍ଞାନ ଓ ଆଖୁ ଚାଷର ଏକ ପ୍ରାଚୀନ କେନ୍ଦ୍ର। ଵ୍ୟାପାରୀମାନେ ଯେତେବେଳେ ସାମଗ୍ରୀ ନେଇ ସମୁଦ୍ର ଓ ସ୍ଥଳପଥରେ ଯାତ୍ରା କଲେ, ସେମାନେ କେଵଳ ଚିନି ନେଇଯାଇନଥିଲେ। ସେମାନେ ଚିନିର ନାମ ମଧ୍ୟ ନେଇଯାଇଥିଲେ।

ସଂସ୍କୃତ ଖଣ୍ଡ (khaṇḍa) ପଶ୍ଚିମ ଦିଗକୁ ଯାଇ ଇରାନୀ ଭାଷାଜଗତରେ କନ୍ଦ (kand) ରୂପ ନେଲା। ଏହା ଏକ ସାଧାରଣ ଧ୍ୱନିଗତ ଯାତ୍ରାର କାହାଣୀ—ଗୋଟିଏ ଭାଷାର ଧ୍ୱନି ଅନ୍ୟ ଭାଷାର ମୁହଁରେ ପହଞ୍ଚି ନିଜର ପୁରୁଣା ପୋଷାକ ବଦଳାଇଦିଏ। ତେବେ ଏଠାରେ ଧ୍ୟାନ ଦେଵାର ଵିଷୟ ହେଲା ସଂସ୍କୃତ ଭାଷାରେ ବି ଗୋଟିଏ କନ୍ଦ ଶବ୍ଦ ଥିଲା ଯାହା ମିଠା କନ୍ଦମୂଳକୁ ବୁଝାଇଥାଏ । ଏହାର ସମ୍ପର୍କ ସଂସ୍କୃତ ଖଣ୍ଡ ଶବ୍ଦ ସହିତ ନାହିଁ । ପାରମ୍ପରିକ ସଂସ୍କୃତ ନିରୁକ୍ତି ଅନୁସାରେ କନ୍ଦ ଶବ୍ଦଟି କନ୍ଦ୍ ଧାତୁରୁ ଆର୍ଦ୍ର ହେଵା ଅର୍ଥରେ ନିଷ୍ପନ୍ନ ହୋଇଅଛି । ତେବେ ଆଧୁନିକ ଭାଷାଵିଦମାନେ କୁହନ୍ତି ଯେ ସଂସ୍କୃତ 'କନ୍ଦ ଏକ ପ୍ରାଚୀନ ଶବ୍ଦ, କିନ୍ତୁ ତାହାର ଶେଷ ଉତ୍ସ ନିଶ୍ଚିତ ନୁହେଁ। ଏହାକୁ ସମ୍ଭାଵ୍ୟ Proto-Indo-European *ken-d- “ଚାପିବା, ଚିପିବା” ସହ ଯୋଡ଼ାଯାଇଛି, କିନ୍ତୁ ଏହି ସମ୍ପର୍କ ଵିଵାଦହୀନ ନୁହେଁ।

ତେଣୁ ଅନ୍ତତଃ ପକ୍ଷେ ଏତିକି କୁହାଯାଇପାରେ ଯେ ସଂସ୍କୃତ 'ଖଣ୍ଡ' ଶବ୍ଦଟି ସହିତ ସଂସ୍କୃତ 'କନ୍ଦ'ର କୌଣସି ସମ୍ପର୍କ ନାହିଁ କି ପାର୍ସୀରେ ଯାଇ ସଂସ୍କୃତ 'ଖଣ୍ଡ' ଶବ୍ଦଟି 'Kand' ହୋଇ ଭାରତକୁ 'କନ୍ଦ' ରୂପେ ଫେରି ନାହିଁ । ଵରଂ ପ୍ରାଚୀନ କାଳରେ ପାର୍ସୀ 'kand' ଶବ୍ଦଟି 
ଆରବୀ ଭାଷାଜଗତକୁ ଯାଇ قند (qand) ହୋଇଅଛି ।‌ قند (qand) ଶବ୍ଦ ଆରବରେ ମୁଖ୍ୟତଃ ଚିନିର କଠିନ ଖଣ୍ଡ କିମ୍ବା sugar candy ଅର୍ଥରେ ପ୍ରୟୋଗ ହେଲା । ଯେତେବେଳେ ସେ ଶବ୍ଦଟି ଆରବକୁ ପହଞ୍ଚିଲା, ସେତେବେଳେ ତାହା କେଵଳ ଭାଷାର ଶବ୍ଦ ନଥିଲା ଵରଂ ତାହା ପଛରେ ଥିଲା ଆଖୁ ଚାଷ, ଚିନି ତିଆରିର ପ୍ରଯୁକ୍ତି ଓ ଦୂରଦୂରାନ୍ତର ଵାଣିଜ୍ୟର ଇତିହାସ।

କିନ୍ତୁ ଇତିହାସ କେବେ ସିଧା ରାସ୍ତାରେ ଚାଲେ ନାହିଁ। ଶତାବ୍ଦୀ ପରେ ଏହି ଶବ୍ଦ ପୁଣି ପାର୍ସୀ ଭାଷାରେ ପ୍ରଵଳ ଭାବେ ଦେଖାଦେଲା—قند (qand) ରୂପରେ। ପୁରୁଣା ପାର୍ସୀ ରୂପ کند (kand) କିମ୍ବା کاند (kând) ଥିଲା ବୋଲି ଶବ୍ଦକୋଷୀୟ ପରମ୍ପରାରେ ଉଲ୍ଲେଖ ମିଳେ; ପରଵର୍ତ୍ତୀ କାଳରେ ଆରବୀ ପ୍ରଭାଵିତ qand ରୂପ ପ୍ରମୁଖ ହୋଇଗଲା। 

ଏବେ ଆସେ ଏହି କାହାଣୀର ସବୁଠାରୁ ସ୍ୱାଦିଷ୍ଟ ଅଂଶ। ପାର୍ସୀରେ ଯେତେବେଳେ qandର ଅର୍ଥ ହେଲା ଚିନି କିମ୍ବା ମିଠା ଖଣ୍ଡ, ସେହି ମିଠା ଜଗତକୁ କେନ୍ଦ୍ର କରି ଗଢ଼ିଉଠିଲା ଏକ ପେଶାବାଚକ ଶବ୍ଦ—قناد (qannād)। ଅର୍ଥାତ୍— ଯିଏ ଚିନିରୁ ମିଠା ତିଆରି କରେ। ଯିଏ ମିଠାକୁ ଦୋକାନରେ ସଜାଇ ରଖେ। ଯିଏ ମିଠା ବିକ୍ରି କରେ।
ଏପଟେ ଓଡ଼ିଶାରେ ଲୋକେ ଗୁଡ଼ରୁ ମିଷ୍ଟାନ୍ନ ତିଆରି କରି ବିକୁଥିଲେ ତେଣୁ ସେମାନଙ୍କୁ ଗୁଡ଼ିଆ କୁହାଗଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗୁଡ଼ିଆ ଶବ୍ଦ ତଳେ ଏହାର ଇଂରାଜୀ ଭାଵାର୍ଥ 
Confectioner ଲେଖା ହୋଇଛି ।

କିନ୍ତୁ ଏହି Confectioner ଶବ୍ଦର ଆଉ ଏକ ରୋଚକ ପାର୍ଶ୍ୱ ଅଛି। ଆଜି ଇଂରାଜୀରେ ମିଠା, କ୍ୟାଣ୍ଡି, ଚକୋଲେଟ୍ କିମ୍ବା ଅନ୍ୟାନ୍ୟ ମିଠା ପଦାର୍ଥ ପ୍ରସ୍ତୁତକାରୀଙ୍କୁ confectioner କୁହାଯାଏ। କିନ୍ତୁ ଏହି ଶବ୍ଦର ମୂଳରେ ପ୍ରଥମେ “ମିଠା” ନଥିଲା।
Confectioner ଶବ୍ଦଟି ଇଂରାଜୀରେ ପ୍ରାୟ ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ପ୍ରଚଳିତ ହେଲା। ଏହା ଆସିଛି confection ଶବ୍ଦରୁ। ଆଉ confectionର ଅର୍ଥ ମଧ୍ୟଯୁଗୀୟ ଇଂରାଜୀରେ ଥିଲା "ଵିଭିନ୍ନ ଉପାଦାନକୁ ମିଶାଇ ପ୍ରସ୍ତୁତ କରାଯାଇଥିଵା କୌଣସି ଜିନିଷ" । ଏହି ଶବ୍ଦଟି ପୁରୁଣା ଫରାସୀ confeccion ମାଧ୍ୟମରେ ମଧ୍ୟଯୁଗୀୟ ଲାଟିନ confectioରୁ ଆସିଥିଲା। ଲାଟିନରେ ଏହାର ଅର୍ଥ ଥିଲା—ପ୍ରସ୍ତୁତି, ତିଆରି କରିଵା, ମିଶାଇ ଗୋଟିଏ ପଦାର୍ଥ ତିଆରି କରିଵା । ଆଉ ଏହାର ଆଦି କ୍ରିୟା ଥିଲା conficere—ଅର୍ଥାତ୍ “ଏକାଠି କରି ତିଆରି କରିଵା” କିମ୍ବା “ସମ୍ପୂର୍ଣ୍ଣ କରିଵା”। ଏହାର ଭିତରେ ଥିଲା ଦୁଇଟି ଧାରଣା—

con- = ସହିତ, ଏକାଠି
facere = କରିଵା, ତିଆରି କରିଵା।
ଅର୍ଥାତ୍ ଆଦି ଅର୍ଥରେ confection ଥିଲା—“ଵିଭିନ୍ନ ଜିନିଷକୁ ଏକାଠି କରି ତିଆରି ହୋଇଥିଵା ପ୍ରସ୍ତୁତି”।

ସେଥିପାଇଁ ମଧ୍ୟଯୁଗରେ ଏହି ଶବ୍ଦ କେଵଳ ମିଠା ପାଇଁ ଵ୍ୟଵହୃତ ହେଉନଥିଲା। ଔଷଧରେ ମଧ୍ୟ ଵିଭିନ୍ନ ଉପାଦାନ ମିଶାଇ ତିଆରି କରାଯାଇଥିଵା ଔଷଧୀୟ ପ୍ରସ୍ତୁତିକୁ confection କୁହାଯାଉଥିଲା। ସେହି କାରଣରୁ ପ୍ରାୟ 1600 ମସିହା ପାଖାପାଖି confectionerର ଅର୍ଥ ଜଣେ ଔଷଧୀୟ ମିଶ୍ରଣ ପ୍ରସ୍ତୁତକାରୀ ମଧ୍ୟ ହୋଇପାରୁଥିଲା।
କିନ୍ତୁ ଧୀରେ ଧୀରେ ଶବ୍ଦର ସ୍ୱାଦ ବଦଳିଗଲା।
ଚିନି, ସିରା ଓ ଅନ୍ୟାନ୍ୟ ଉପାଦାନ ମିଶାଇ ତିଆରି ହେଉଥିଵା ମିଠା ପଦାର୍ଥକୁ confection କୁହାଯିଵା ଆରମ୍ଭ ହେଲା। ଚତୁର୍ଦ୍ଦଶ ଶତାବ୍ଦୀର ଶେଷଭାଗରୁ “ଚିନି କିମ୍ବା ସିରାରେ ପ୍ରସ୍ତୁତ ମିଠା ପଦାର୍ଥ” ଅର୍ଥ ଦେଖାଦେଲା। ଷୋଡ଼ଶ ଶତାବ୍ଦୀରେ ଆସି ଏହି ଅର୍ଥ ଏତେ ପ୍ରଭାଵଶାଳୀ ହେଲା ଯେ confection ପ୍ରାୟତଃ candy, bonbon ଓ ହାଲୁକା ମିଠା pastryର ଜଗତ ସହ ଜଡ଼ିତ ହୋଇଗଲା। ତା'ପରେ ସ୍ୱାଭାବିକ ଭାବରେ ଜନ୍ମ ନେଲା—
confection + -er = confectioner
ଅର୍ଥାତ୍—ଯିଏ confection ତିଆରି କରେ।

ଆଚ୍ଛା ହିନ୍ଦୀଭାଷୀ ମିଠା ପ୍ରସ୍ତୁତକାରୀଙ୍କୁ ହଲୱାଇ କୁହନ୍ତି । ହଲୱା ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଦରଵର ନାମ କିନ୍ତୁ ଆଜି ଆମେ ହଲୱାଇ କହିଲେ କେଵଳ ହଲୱା ତିଆରି କରୁଥିଵା ଲୋକକୁ ବୁଝୁନାହୁଁ ଵରଂ ମିଷ୍ଟାନ୍ନ ପ୍ରସ୍ତୁତକାରୀ, ମିଠା ଦୋକାନୀ କିମ୍ବା confectionerକୁ ବୁଝୁ। କିନ୍ତୁ ଏହି ଶବ୍ଦଟିର ମୂଳ ମଧ୍ୟ ଭାରତରେ ନୁହେଁ। ଏହାର ଭିତରେ ଲୁଚିଛି ଆରବ, ପାର୍ସିଆ ଓ ଭାରତର ଦୀର୍ଘ ସାଂସ୍କୃତିକ ଯାତ୍ରା।
ଏହି ଶବ୍ଦର ଦୂର ମୂଳ ଆରବୀ ଭାଷାର حلو (ḥulw) ସହ ଜଡ଼ିତ, ଯାହାର ମୂଳ ଅର୍ଥ—ମିଠା, ସୁମଧୁର। ଏହି ଶବ୍ଦପରିଵାରରୁ ଗଢ଼ିଉଠିଲା حلوى (ḥalwā / ḥalwā)—ଅର୍ଥାତ୍ ମିଠା ପଦାର୍ଥ କିମ୍ବା sweetmeat।
ତା'ପରେ ଏହି ମିଠା ଶବ୍ଦଟି ପାର୍ସୀ ଭାଷାଜଗତକୁ ପହଞ୍ଚିଲା। ପାର୍ସୀରେ حلوا (halwā) ରୂପେ ଏହା ପ୍ରଚଳିତ ହେଲା। କାଳକ୍ରମେ ହଲୱା କେଵଳ ଗୋଟିଏ ନିର୍ଦ୍ଦିଷ୍ଟ ଖାଦ୍ୟର ନାମ ହୋଇ ରହିଲା ନାହିଁ; ଏହା ଵିଭିନ୍ନ ପ୍ରକାରର ମିଠା ପଦାର୍ଥର ସାଂସ୍କୃତିକ ଜଗତର ଏକ ପରିଚିତ ଶବ୍ଦ ହୋଇଉଠିଲା।
ତା'ପରେ ଶବ୍ଦଟି ସହ ଯୋଡ଼ି ହୋଇଗଲା ପାର୍ସୀ-ପ୍ରଭାଵିତ -ī / -īy ପ୍ରତ୍ୟୟ। ଏହିପରି ଗଢ଼ିଉଠିଲା ḥalwāʾī / halwāī ଶବ୍ଦ ଅର୍ଥାତ୍— ହଲୱା ସହ ଜଡ଼ିତ ଵ୍ୟକ୍ତି ଅର୍ଥରୁ ହଲୱା ପ୍ରସ୍ତୁତକାରୀ ଏଵଂ ଶେଷରେ ହଲୱାଇ ଶବ୍ଦର ଅର୍ଥ ମିଷ୍ଟାନ୍ନ ପ୍ରସ୍ତୁତକାରୀ ହେଲା । ପରେ ପାର୍ସୀ ଭାଷା ଓ ସଂସ୍କୃତିର ଦୀର୍ଘ ସମ୍ପର୍କ ମାଧ୍ୟମରେ ଏହି ଶବ୍ଦଟି ଭାରତୀୟ ଉପମହାଦେଶକୁ ପହଞ୍ଚିଲା। ହିନ୍ଦୁସ୍ତାନୀ, ହିନ୍ଦୀ ଓ ଅନ୍ୟାନ୍ୟ ଉତ୍ତର ଭାରତୀୟ ଭାଷାରେ ଏହା ହେଲା—
हलवाई। ଆଜି ଉତ୍ତର ଭାରତରେ ହଲୱାଇ କେଵଳ ହଲୱା ନୁହେଁ—ଲଡ୍ଡୁ, ଜିଲେବି, ବରଫି, ପେଡ଼ା, ରସଗୋଲା ଓ ଅନ୍ୟାନ୍ୟ ମିଷ୍ଟାନ୍ନ ପ୍ରସ୍ତୁତ କରୁଥିଵା କାରିଗରଙ୍କ ନାମ ହୋଇ ଯାଇଛି ।

ଏହି ସମସ୍ତ ଭାଷାଗତ ଯାତ୍ରା ପଛରେ ଲୁଚି ରହିଛି ମାନଵ ଜାତିର ଏକ ଗଭୀର, ଚିରନ୍ତନ ସତ୍ୟ। ଆମେ କେଵଳ ଖାଦ୍ୟ ଓ ଵ୍ୟଵସାୟର ଆଦାନପ୍ରଦାନ କରିନାହୁଁ ଵରଂ ଶବ୍ଦ ମାଧ୍ୟମରେ ନିଜର ଆକାଙ୍କ୍ଷା, ସଂସ୍କୃତି ଓ ସଭ୍ୟତାକୁ ପୃଥିଵୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବୋହି ନେଇଛୁ।
ମାଟିର ଭୌଗୋଳିକ ସୀମାରେଖା, ରାଜନୈତିକ ସାମ୍ରାଜ୍ୟ, ଶାସକଙ୍କ ପତନ ଓ ଶତାବ୍ଦୀ ଶତାବ୍ଦୀର ଭାଷାଗତ ଵ୍ୟଵଧାନକୁ ଅତିକ୍ରମ କରି ସଂସ୍କୃତର ‘ଖଣ୍ଡ’ ଆରବୀର ‘qand’, ପାର୍ସୀର ‘ହଲୱାଇ’ କିମ୍ବା ଲାଟିନ୍‌ର ‘confection’ ଭାବେ ରୂପାନ୍ତରିତ ହୋଇସାରିଛି। ରାଜାମାନଙ୍କ ଶାସନକାଳ ଶେଷ ହୋଇଯାଇଛି, ପ୍ରାଚୀନ ଵାଣିଜ୍ୟ ପଥସବୁ ସମୟ ସ୍ରୋତରେ ମିଶିଯାଇଛି; କିନ୍ତୁ ଗୋଟିଏ ମିଠା ଖଣ୍ଡର ସ୍ୱାଦ ଚାଖିଵାର ଏଵଂ ସେହି ମିଠାକୁ ଏକାଠି ବାଣ୍ଟିଵାର ଯେଉଁ ଆଦିମ ମାନଵୀୟ ଇଚ୍ଛା, ତାହା ଅପରିଵର୍ତ୍ତିତ ରହିଛି। ଶେଷରେ, ଶବ୍ଦଗୁଡ଼ିକ କେଵଳ ଭାଷାର ଅଂଶ ହୋଇ ରହିନାହାନ୍ତି—ସେଗୁଡ଼ିକ ପାଲଟିଛନ୍ତି ମଣିଷର ନିରନ୍ତର ସମ୍ପର୍କ, ସଂଯୋଗ ଓ ସୀମାହୀନ କଳ୍ପନାଶକ୍ତିର ଜୀଵନ୍ତ ସ୍ମାରକୀ। ଆଜି ଆମେ ଯେତେବେଳେ କୌଣସି ମିଷ୍ଟାନ୍ନର ଆସ୍ବାଦନ କରୁ, ଆମେ କେଵଳ କିଛି ଚିନି କିମ୍ବା ଗୁଡ଼ ଖାଉନାହୁଁ ଵରଂ ମାନଵ ସଭ୍ୟତାର ହଜାର ହଜାର ଵର୍ଷର ଏକ ମିଠା ମହାଯାତ୍ରାକୁ ନିଜ ଓଷ୍ଠରେ ଅନୁଭଵ କରୁ।



Monday, August 24, 2026

ସଧୀରେ ଶବ୍ଦଟି ଵ୍ୟାକରଣ ଦୃଷ୍ଟିରୁ ଭୁଲ୍ କି ?

ବହୁ ଶତାବ୍ଦୀ ପୂର୍ଵେ ପ୍ରାଚୀନ ଗ୍ରୀକ୍ କଵି ହୋମର ତାଙ୍କର ପ୍ରସିଦ୍ଧ ମହାକାଵ୍ୟ 'ଇଲିଆଡ୍' ରଚନା କରିଥିଲେ। ଏହି ମହାକାଵ୍ୟରେ ଟ୍ରୟ ନଗରୀର ଵିଶାଳତା, ଏହାର ଅଭେଦ୍ୟ ପ୍ରାଚୀର ଏଵଂ ସେଠାରେ ସଂଘଟିତ ହୋଇଥିଵା ଏକ ଭୟଙ୍କର ଯୁଦ୍ଧର ଵିସ୍ତୃତ ଵର୍ଣ୍ଣନା ରହିଥିଲା। ହଜାର ହଜାର ଵର୍ଷ ଧରି ଵିଶ୍ୱର ବଡ଼ ବଡ଼ ଐତିହାସିକ, ପ୍ରତ୍ନତତ୍ତ୍ୱଵିତ୍ ଓ ଭାଷା ସମାଲୋଚକମାନେ ଏକଥାକୁ ଦୃଢ଼ତାର ସହ ଵିଶ୍ବାସ କରୁଥିଲେ ଯେ ଟ୍ରୟ ନଗରୀର କୌଣସି ଵାସ୍ତଵ ଅସ୍ତିତ୍ୱ ନାହିଁ। ସେମାନଙ୍କ ମତରେ ଏହା ଥିଲା କେଵଳ କଵି ହୋମରଙ୍କ କଳ୍ପନାପ୍ରସୂତ ଏକ ମିଥ୍ୟା କାହାଣୀ କିମ୍ବା ଏକ କାଵ୍ୟିକ ଅତିରଞ୍ଜନ ମାତ୍ର। ଅଷ୍ଟାଦଶ ଓ ଉନଵିଂଶ ଶତାବ୍ଦୀର ପଣ୍ଡିତମାନେ ବୌଦ୍ଧିକ ଅହଙ୍କାରରେ ଏକଥା ଘୋଷଣା କରିଦେଇଥିଲେ ଯେ ଇଲିଆଡ୍‌ରେ ଵର୍ଣ୍ଣିତ ଘଟଣାଵଳୀକୁ ଇତିହାସ ବୋଲି ଗ୍ରହଣ କରିଵା ଏକ ବଡ଼ ଭୁଲ୍। ସେମାନେ ନିଜର ସୀମିତ ଜ୍ଞାନ ଏଵଂ ପୋଥିଗତ ନିୟମ ଆଧାରରେ ଟ୍ରୟ ନଗରୀର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରିଦେଇଥିଲେ। ସେମାନେ ଯୁକ୍ତି କରୁଥିଲେ ଯେ କଵିମାନେ ନିଜର ସୃଜନଶୀଳ ସ୍ୱାଧୀନତା ବା 'ପୋଏଟିକ୍ ଲାଇସେନ୍ସ' ବଳରେ ଅନେକ ଅସମ୍ଭଵ ଵିଷୟକୁ ଲେଖିଦିଅନ୍ତି, ତେଣୁ ତାହା ଵାସ୍ତଵିକ ନୁହେଁ। କିନ୍ତୁ ଉନଵିଂଶ ଶତାବ୍ଦୀର ଶେଷ ଭାଗରେ ହେନରିକ୍ ସ୍ଲିମାନ୍ ନାମକ ଜଣେ ଜର୍ମାନ ଵ୍ୟଵସାୟୀ ତଥା ସୌଖୀନ ପ୍ରତ୍ନତତ୍ତ୍ୱଵିତ୍ ଏହି ପ୍ରତିଷ୍ଠିତ ପଣ୍ଡିତମାନଙ୍କର ମତକୁ ଆହ୍ୱାନ ଦେଇଥିଲେ। ସେ ପଣ୍ଡିତମାନଙ୍କର ପୋଥିଗତ ନିୟମ ଉପରେ ନୁହେଁ ଵରଂ କଵି ହୋମରଙ୍କ ଲେଖା ଉପରେ ଗଭୀର ଵିଶ୍ବାସ ରଖିଥିଲେ। ହୋମରଙ୍କ ଵର୍ଣ୍ଣନାକୁ ଏକ ନିର୍ଦ୍ଦିଷ୍ଟ ମାନଚିତ୍ର ଭାବରେ ଗ୍ରହଣ କରି ସେ ଵର୍ତ୍ତମାନର ତୁର୍କୀ ଦେଶ ଅନ୍ତର୍ଗତ ହିସାର୍ଲିକ୍ ନାମକ ଏକ ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ କଲେ। ତାଙ୍କର ନିରଵଚ୍ଛିନ୍ନ ପ୍ରୟାସ ଏଵଂ ଦୃଢ଼ ଵିଶ୍ବାସର ଫଳସ୍ୱରୂପ, ସମଗ୍ର ପୃଥିଵୀର ବୁଦ୍ଧିଜୀଵୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ମାଟି ତଳୁ ଆଵିଷ୍କୃତ ହେଲା ପ୍ରାଚୀନ ଟ୍ରୟ ନଗରୀର ଭଗ୍ନାଵଶେଷ। ଯାହାକୁ ଵର୍ଷ ଵର୍ଷ ଧରି ଐତିହାସିକ ଓ ପଣ୍ଡିତମାନେ କେଵଳ ଏକ 'ଭୁଲ୍ ଧାରଣା' କିମ୍ବା 'କାଵ୍ୟିକ କଳ୍ପନା' ବୋଲି କହି ପରିହାସ କରୁଥିଲେ, ତାହା ଏକ ନିଚ୍ଛକ ସତ୍ୟ ରୂପେ ଦଣ୍ଡାୟମାନ ହେଲା।

ପଣ୍ଡିତମାନେ ଭୁଲ୍ ପ୍ରମାଣିତ ହେଲେ କାରଣ ସେମାନେ ପ୍ରକୃତ ସତ୍ୟର ଅନୁସନ୍ଧାନ ନକରି କେଵଳ ନିଜର ବଦ୍ଧମୂଳ ଧାରଣା ଉପରେ ନିର୍ଭର କରିଥିଲେ। ଏହି ଘଟଣାଟି ପ୍ରମାଣ କରେ ଯେ, ଯେତେବେଳେ କୌଣସି ଵିଷୟ ଦୀର୍ଘକାଳ ଧରି ଲୋକମାନସରେ କିମ୍ବା ସାହିତ୍ୟରେ ନିରଵଚ୍ଛିନ୍ନ ଭାବରେ ପ୍ରଵାହିତ ହେଉଥାଏ, ତାର କିଛି ନା କିଛି ଵାସ୍ତଵ ଭିତ୍ତି ନିଶ୍ଚୟ ରହିଥାଏ। କେଵଳ କିଛି କଠୋର ନିୟମ ଦ୍ୱାରା ତାହାକୁ 'ଭୁଲ୍' ବୋଲି ଆଖ୍ୟା ଦେଇଦେଲେ ସତ୍ୟ ଲୁଚିଯାଏ ନାହିଁ।

ଏହି ଐତିହାସିକ ଦୃଷ୍ଟାନ୍ତଟି ଆମ ମାତୃଭାଷା ଓଡ଼ିଆର ସାହିତ୍ୟରେ ଵ୍ୟଵହୃତ ଏକ ବହୁପ୍ରଚଳିତ ତଥା ବହୁଚର୍ଚ୍ଚିତ ଶବ୍ଦ 'ସଧୀରେ' କ୍ଷେତ୍ରରେ ଅକ୍ଷରେ ଅକ୍ଷରେ ପ୍ରଯୁଜ୍ୟ ଅଟେ। ଆଧୁନିକ କାଳର କିଛି କଠୋର ଵ୍ୟାକରଣଵିତ୍ ଏଵଂ ନିୟମଵାଦୀ ଭାଷା ସମାଲୋଚକମାନେ ଟ୍ରୟ ନଗରୀକୁ ଅସ୍ୱୀକାର କରୁଥିଵା ସେହି ପଣ୍ଡିତମାନଙ୍କ ଭଳି ଵ୍ୟଵହାର କରିଆସିଛନ୍ତି। ସେମାନେ ନିଜର ସୀମିତ ଵ୍ୟାକରଣିକ ନିୟମର ପରିଧି ଭିତରେ ରହି 'ସଧୀରେ' ଶବ୍ଦକୁ ଏକ ଅଶୁଦ୍ଧ, ଅପଭ୍ରଷ୍ଟ ଏଵଂ ଵ୍ୟାକରଣଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୁଲ୍ ଶବ୍ଦ ବୋଲି ଘୋଷଣା କରିଦେଇଛନ୍ତି। ସେମାନଙ୍କର ଏହି ଭୁଲ୍ ଧାରଣା ପଛରେ ଥିଵା ଯୁକ୍ତିଟି ହେଉଛି ଅତ୍ୟନ୍ତ ସାଧାରଣ ଓ ଯାନ୍ତ୍ରିକ। ସେମାନେ କହନ୍ତି ଯେ ମୂଳ ଶବ୍ଦଟି ହେଉଛି 'ଧୀର', ଯାହାର ଅର୍ଥ ହେଉଛି ଧୈର୍ଯ୍ୟଶୀଳ କିମ୍ବା ମନ୍ଥର। ଯେତେବେଳେ କୌଣସି କାର୍ଯ୍ୟ ମନ୍ଥର ଗତିରେ ଵା ଶାନ୍ତ ଭାବରେ କରାଯିଵାର ସୂଚନା ଦିଆଯାଏ, ସେତେବେଳେ ଆମେ ତାହାକୁ କ୍ରିୟାଵିଶେଷଣ ରୂପେ 'ଧୀରେ' ବୋଲି ଲେଖିଥାଉ। ଅନ୍ୟପକ୍ଷରେ, 'ଧୀର' ଶବ୍ଦ ପୂର୍ଵରୁ ଯଦି ଆମେ 'ସ' ଉପସର୍ଗ ଯୋଡ଼ିଦେଉ, ତେବେ ତାହା 'ସଧୀର' ପାଲଟିଯାଏ। ସଂସ୍କୃତ ନିୟମ ଅନୁସାରେ 'ସଧୈର୍ଯ୍ୟ' ରୂପେ ଏହାର ଅର୍ଥ ହେଉଛି ଧୈର୍ଯ୍ୟର ସହିତ। ତେଣୁ ସେମାନଙ୍କର ଯୁକ୍ତି ହେଉଛି, ଯେତେବେଳେ 'ସଧୀର' ଶବ୍ଦ ଭିତରେ ପୂର୍ଵରୁ ହିଁ 'ସହିତ' ଅର୍ଥ ଲୁଚି ରହିଛି, ସେତେବେଳେ ତା' ଶେଷରେ ପୁଣି ଏକ 'ଏ' କାର ଯୋଗ କରି ତାକୁ 'ସଧୀରେ' କହିଵା ଏକ ସମ୍ପୂର୍ଣ୍ଣ ଅନାବଶ୍ୟକ ପ୍ରୟୋଗ। 

ଵ୍ୟାକରଣପରିଭାଷାରେ ସେମାନେ ଏହାକୁ ଦ୍ୱିରୁକ୍ତି ଦୋଷ ଵା ବାହୁଲ୍ୟ ଦୋଷ ବୋଲି ଦର୍ଶାନ୍ତି। ଉଦାହରଣ ସ୍ୱରୂପ, ଯେପରି କେହି 'ଆନନ୍ଦରେ' କହିଵା ବଦଳରେ 'ସାନନ୍ଦରେ' କହିଲେ ତାହା ଵ୍ୟାକରଣଦୃଷ୍ଟିରୁ ଭୁଲ୍ ବୋଲି ଧରାଯାଏ, ଠିକ୍ ସେହିପରି 'ଧୀରେ' ସ୍ଥାନରେ 'ସଧୀରେ' ପ୍ରୟୋଗ କରିଵା ଏକ ଭ୍ରମାତ୍ମକ ପ୍ରୟାସ ବୋଲି ସେମାନେ ଯୁକ୍ତି ବାଢ଼ନ୍ତି। ଏହି ପଣ୍ଡିତମାନେ ଆହୁରି ମଧ୍ୟ ଅନୁମାନ କରନ୍ତି ଯେ ପ୍ରାଚୀନ ଓଡ଼ିଆ କଵିମାନେ କେଵଳ ନିଜ କଵିତାର ପାଦ ଵା ଛନ୍ଦ ମେଳାଇଵା ପାଇଁ, ଅକ୍ଷର ସଂଖ୍ୟାକୁ ସମାନ କରିଵା ଉଦ୍ଦେଶ୍ୟରେ ଏଭଳି ଏକ ଶବ୍ଦ ନିଜ ମନରୁ ଗଢ଼ି ଦେଇଥିଲେ। ସେମାନେ ଏହାକୁ କଵିଙ୍କର ନିରଙ୍କୁଶ ସ୍ୱାଧୀନତା ଆଳରେ ଏଡ଼ାଇ ଦେଵାକୁ ଚେଷ୍ଟା କରନ୍ତି।

କିନ୍ତୁ ସେହି ସମାଲୋଚକମାନେ ଗୋଟିଏ ସାଧାରଣ ସତ୍ୟ ଭୁଲିଯାଆନ୍ତି ଯେ, ଭାଷା ଵ୍ୟାକରଣରୁ ଜନ୍ମ ନିଏ ନାହିଁ ଵରଂ ଵ୍ୟାକରଣ ହିଁ ଜୀଵନ୍ତ ଭାଷାର ପ୍ରଵାହରୁ ନିଜର ନିୟମ ସଂଗ୍ରହ କରେ। କୌଣସି ଏକ ଓଡ଼ିଆ ଶବ୍ଦର ଔଚିତ୍ୟ ଓ ପ୍ରାମାଣିକତାକୁ ମାପିଵା ପାଇଁ ଆମକୁ କେଵଳ ଗୋଟିଏ ଯାନ୍ତ୍ରିକ ନିୟମ ଉପରେ ନିର୍ଭର ନକରି ସେହି ଭାଷାର ସର୍ଵଵୃହତ୍ ଅଭିଧାନ ଏଵଂ ତାହାର ଐତିହାସିକ ଵ୍ୟଵହାର ଉପରେ ନିର୍ଭର କରିଵାକୁ ପଡ଼ିଵ। ଏହି ଦିଗରେ ଓଡ଼ିଆ ଭାଷାର ସର୍ଵଶ୍ରେଷ୍ଠ ଏଵଂ ସର୍ଵାଧିକ ପ୍ରାମାଣିକ କୋଷଗ୍ରନ୍ଥ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସମ୍ପାଦିତ 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ର ତଥ୍ୟ ଆମ ଆଖି ଖୋଲିଦିଏ। 

ଭାଷାକୋଷରେ 'ସଧୀର' ଏଵଂ 'ସଧୀରେ' ଶବ୍ଦକୁ କେବଳ କୌଣସି ଅପଭ୍ରଷ୍ଟ ବା କାଵ୍ୟିକ କଳ୍ପନା ଭାବରେ ଗ୍ରହଣ କରାଯାଇନାହିଁ, ବରଂ ଦୁଇଟି ପୃଥକ୍ ଏଵଂ ସ୍ୱୀକୃତିପ୍ରାପ୍ତ ଦେଶଜ ଶବ୍ଦ ଭାବରେ ସ୍ଥାନ ଦିଆଯାଇଛି। ଭାଷାକୋଷ ଅନୁସାରେ 'ସଧୀର' ହେଉଛି ଏକ ଦେଶଜ ଵିଶେଷଣ ଯାହାର ସଂସ୍କୃତ ମୂଳ ସଧୈର୍ଯ୍ୟ ଅଟେ ଏଵଂ ଯାହାର ସ୍ପଷ୍ଟ ଅର୍ଥ ହେଉଛି 'ଧୈର୍ଯ୍ୟଶୀଳ' କିମ୍ବା ଇଂରାଜୀରେ Patient । ତା' ସହିତ, ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଶବ୍ଦ ଭାବରେ 'ସଧୀରେ'କୁ ଏକ ଦେଶଜ କ୍ରିୟାଵିଶେଷଣର ମାନ୍ୟତା ଦିଆଯାଇଛି। ଏହାର ଦୁଇଟି ସ୍ପଷ୍ଟ ଅର୍ଥ ମଧ୍ୟ ଉଲ୍ଲେଖ କରାଯାଇଛି: ପ୍ରଥମଟି ହେଲା 'ଧୈର୍ଯ୍ୟ ସହକାରେ' ଏଵଂ ଦ୍ୱିତୀୟଟି ହେଲା 'ଆସ୍ତେ ଆସ୍ତେ କିମ୍ବା ଧୀରେ ଧୀରେ'। ଏହି ପ୍ରମାଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ, ଭାଷାକୋଷକାର ମହାଶୟ 'ସଧୀରେ'କୁ କୌଣସି ଦ୍ୱିରୁକ୍ତି ଦୋଷ ବୋଲି ଦର୍ଶାଇ ନାହାନ୍ତି କିମ୍ବା କେଵଳ କଵିଙ୍କର ଛନ୍ଦ-ସୃଷ୍ଟି ବୋଲି ଉପେକ୍ଷା କରିନାହାନ୍ତି। ଅର୍ଥାତ୍, ଏହା ଓଡ଼ିଆ ଭାଷାର ଏକ ନିଜସ୍ୱ, ସ୍ୱାଭାଵିକ ଓ ପାରମ୍ପରିକ ଶବ୍ଦ, ଯାହା ଶତାବ୍ଦୀ ଶତାବ୍ଦୀ ଧରି ଲୋକମାନଙ୍କ ମୁଖରେ ଓ ସାହିତ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଆସିଛି।

ତେବେ ଏହି ସଧୀର ଓ ସଧୀରେ ଶବ୍ଦର ମୂଳ ଏକ ସଂସ୍କୃତ ଶବ୍ଦ “ସଧୈର୍ଯ୍ୟ” ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସଧୈର୍ଯ୍ୟ ଶବ୍ଦଟି ଓଡ଼ିଆର ନିଜସ୍ୱ ନୂଆ ଗଢ଼ା ଶବ୍ଦ ନୁହେଁ ଵରଂ ଏହାର ମୂଳ ସଂସ୍କୃତ ଭାଷାରେ ରହିଛି। ସଂସ୍କୃତରେ ଏହାର ରୂପ ‘सधैर्यम्’ ଏଵଂ କେତେକ ଅଭିଧାନରେ ‘सधैर्य’ ମଧ୍ୟ ଦେଖିଵାକୁ ମିଳେ। କାଳକ୍ରମରେ ଏହି ଶବ୍ଦଟି ଓଡ଼ିଆ ଭାଷାରେ ପ୍ରଵେଶ କରି ନିଜର ମୂଳ ଅର୍ଥକୁ ସମ୍ପୂର୍ଣ୍ଣ ହରାଇନଥିଲେ ହେଁ, ଏହାର ଅର୍ଥରେ ଏକ ସାମାନ୍ୟ ପରିଵର୍ତ୍ତନ ଵା ଅର୍ଥ-ଵିଶେଷୀକରଣ ଘଟିଛି।
ସଂସ୍କୃତର ପ୍ରସିଦ୍ଧ ମୋନିୟର୍-ୱିଲିୟମ୍ସ ସଂସ୍କୃତ-ଇଂରାଜୀ ଅଭିଧାନରେ ‘सधैर्यम्’କୁ ଏକ ଅଵ୍ୟୟ ଭାବରେ ଗ୍ରହଣ କରାଯାଇ ଏହାର ଅର୍ଥ ‘ଦୃଢ଼ତା ସହିତ’, ‘ଦୃଢ଼ ଭାବରେ’ ଓ ‘ଗମ୍ଭୀର ଭାବରେ’ ବୋଲି ଦର୍ଶାଯାଇଛି। ଅର୍ଥାତ୍ ସଂସ୍କୃତରେ ଏହି ଶବ୍ଦଟିର ଅର୍ଥକ୍ଷେତ୍ର କେଵଳ ଧୈର୍ଯ୍ୟ ମଧ୍ୟରେ ସୀମିତ ନଥିଲା ଵରଂ ଦୃଢ଼ତା, ସ୍ଥିରତା ଓ ଗମ୍ଭୀରତା ସହିତ କୌଣସି କାର୍ଯ୍ୟ କରିଵାର ଭାବ ମଧ୍ୟ ଏଥିରେ ନିହିତ ଥିଲା। ସେହିପରି Schmidt ସଂସ୍କୃତ ଜର୍ମାନ୍ ଅଭିଧାନରେ ‘सधैर्य’କୁ ଏକ ଵିଶେଷଣ ପଦ ଭାବରେ ଦର୍ଶାଇ ଏହାର ଜର୍ମାନ ଅର୍ଥ ‘fest’ ଅର୍ଥାତ୍ ଦୃଢ଼, ସ୍ଥିର ଵା ଅଚଳ ବୋଲି ଉଲ୍ଲେଖ କରାଯାଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ, ସଂସ୍କୃତରେ ଶବ୍ଦଟିର ମୂଳ ଭାବ ଥିଲା ଧୈର୍ଯ୍ୟ ଓ ମାନସିକ ସ୍ଥିରତାରୁ ଉତ୍ପନ୍ନ ଦୃଢ଼ତା।

କିନ୍ତୁ ଓଡ଼ିଆ ଭାଷାରେ ଶବ୍ଦଟିର ପ୍ରଵେଶ ପରେ ତାହାର ଅର୍ଥ ଅଧିକ ନିର୍ଦ୍ଦିଷ୍ଟ ହୋଇଯାଇଛି। ଓଡ଼ିଆ ଅଭିଧାନଗୁଡ଼ିକରେ ସଧୈର୍ଯ୍ୟ ଶବ୍ଦକୁ ଏକ ଦେଶଜ କ୍ରିୟାଵିଶେଷଣ ଭାବରେ ଗ୍ରହଣ କରାଯାଇ ଏହାର ଅର୍ଥ ‘ଧୀରତା ସହକାରେ’ ଏଵଂ ‘ଧୈର୍ଯ୍ୟ ସହକାରେ’ ବୋଲି ପ୍ରଦାନ କରାଯାଇଛି(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ- ପୃ. ୮୦୭୯) । ଯେତେବେଳେ କୌଣସି ସଂସ୍କୃତ ମୂଳର ଶବ୍ଦ ଓଡ଼ିଆ ଭାଷାରେ ସ୍ଵତନ୍ତ୍ର ଅର୍ଥରେ ଵ୍ୟଵହୃତ ହୁଏ ତାହାର ସେହି ଅର୍ଥ ଘେନି ତାକୁ ଦେଶଜ ରୂପେ ଗ୍ରହଣ କରାଯାଏ । ଉଦାହରଣ ସ୍ଵରୂପ 'ଘର' ଏକ ସଂସ୍କୃତ ଶବ୍ଦ ଯାହାର ମୁଖ୍ୟ ଅର୍ଥ ଗୃହ କିନ୍ତୁ ଓଡ଼ିଆ ଭାଷାରେ ଏହାର ଅନେକ ଦେଶଜ ଵ୍ୟଵହାର ଅଛି ଏମନ୍ତକି ହାତୀ ଘୋଡ଼ା ବହୁମୂଲ୍ୟର ଜୀଵ ହୋଇଥିଵାରୁ ଲୋକେ ଏତେ ଗୋଟା ହାତୀ ଵା ଘୋଡ଼ା ନ କହି ଏତେ ଘର ହାତୀ ଵା ଘୋଡ଼ା ବୋଲି କହନ୍ତି(ଯଥା—ଆମ ରଜାଙ୍କର ଦୁଇଘର ହାତୀ ଅଛନ୍ତି।)। ଏ କ୍ଷେତ୍ରରେ ଘର ଶବ୍ଦଟି ଆଉ ସଂସ୍କୃତ ଶବ୍ଦ ନୁହେଁ ଵରଂ ଓଡ଼ିଆ ଦେଶଜ ଶବ୍ଦ ରୂପେ ଉଲ୍ଲେଖ କରାଯାଏ । 

ତେବେ ସଧୈର୍ଯ୍ୟ ଶବ୍ଦର ଅପେକ୍ଷାକୃତ ଵ୍ୟାପକ ସଂସ୍କୃତ ଅର୍ଥଗୁଡ଼ିକ (ଯଥା: ଦୃଢ଼ତା ସହିତ ଵା ଗମ୍ଭୀର ଭାବରେ) ଓଡ଼ିଆରେ କ୍ରମେ ସଂକୁଚିତ ହୋଇ କେଵଳ ଧୀରତାର ସହିତ ଓ ଧୈର୍ଯ୍ୟର ସହିତ ଅର୍ଥରେ ପ୍ରମୁଖ ହୋଇପାରିଛି। ଭାଷାଵିଜ୍ଞାନ ଦୃଷ୍ଟିରୁ ଏହାକୁ ଏକ ପ୍ରକାରର ଅର୍ଥ-ସଂକୋଚନ ଵା ଅର୍ଥ-ଵିଶେଷୀକରଣ (semantic narrowing) କୁହାଯାଇପାରେ।
ଅତଏଵ ସାମଗ୍ରିକ ଭାବେ ଵିଚାର କଲେ, ସଂସ୍କୃତର “ସଧୈର୍ଯ୍ୟ” ଶବ୍ଦଟି ଓଡ଼ିଆରେ ଆସି ନିଜର ମୂଳ ଭାବ ଯଥା ସ୍ଥିରତା ଓ ଧୈର୍ଯ୍ୟକୁ ବଜାୟ ରଖିଛି, କିନ୍ତୁ ଦୃଢ଼ତା ଓ ଗମ୍ଭୀରତା ପରି ଵ୍ୟାପକ ଅର୍ଥଗୁଡ଼ିକ ପଛକୁ ଛାଡ଼ିଦେଇ ଓଡ଼ିଆ ଭାଷାରେ ଏହା ମୁଖ୍ୟତଃ ‘ଧୀରତା ସହକାରେ’ କିମ୍ବା ‘ଧୈର୍ଯ୍ୟ ସହକାରେ’ ଅର୍ଥରେ ହିଁ ବହୁଳ ଭାବରେ ପ୍ରଚଳିତ ହେଉଛି।

ଯେତେବେଳେ ଏହି ସଧୈର୍ଯ୍ୟ ଶବ୍ଦଟି ଆହୁରି ସରଳ ହୋଇ ଓଡ଼ିଆ ଭାଷାରେ ସଧୀର ଓ ସଧୀରେ ହେଲା ସେତେବେଳେ ସାହିତ୍ୟିକମାନେ ତାକୁ ବହୁଳ ଭାବରେ ଵ୍ୟଵହାର କଲେ । ଵିଶେଷତଃ ସଧୀରେ ଶବ୍ଦ ବହୁଳ ଭାବରେ ଵ୍ୟଵହାର କରାଗଲା ।‌
ଏହି ସଧୀରେ ଶବ୍ଦର ପ୍ରକୃତ ଶକ୍ତି ଏଵଂ ଵ୍ୟାପକ ଗ୍ରହଣୀୟତାକୁ ହୃଦୟଙ୍ଗମ କରିଵାକୁ ହେଲେ ଆମକୁ ଓଡ଼ିଆ ସାହିତ୍ୟର ସମୃଦ୍ଧ ଇତିହାସ ଏଵଂ ମହାକଵିମାନଙ୍କର କାଳଜୟୀ ସୃଷ୍ଟିର ପୃଷ୍ଠା ଉଲ୍ଲେଖ କରିଵାକୁ ପଡ଼ିଵ। ଆଦିକଵି ସାରଳା ଦାସଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ଯୁଗର ଶ୍ରେଷ୍ଠ ସ୍ରଷ୍ଟାମାନେ ଏହି ଶବ୍ଦକୁ ନିଜର ରଚନାରେ ସସମ୍ମାନେ ସ୍ଥାନ ଦେଇଛନ୍ତି। ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସ ତାଙ୍କର ଅମର କୃତି 'ସାରଳା ମହାଭାରତ'ରେ ଵର୍ଣ୍ଣନା କରିଛନ୍ତି, 

"ମୁଖେ ପାଣି ସିଞ୍ଚିଣ ସେ ସଚେତ କରାଇ ସଧୀରେ ଵଚନ ସେ ଯେ ସ୍ୱାମୀକି ଭାଷଇ ।"

ସାରଳା ଦାସଙ୍କ ଭାଷା ଥିଲା ଖାଣ୍ଟି ମାଟିର ଭାଷା, ସାଧାରଣ କୃଷକ ଓ ପଲ୍ଲୀଵାସୀଙ୍କ ଭାଷା। ସେ କୌଣସି ସଂସ୍କୃତ ଵ୍ୟାକରଣର କଠୋର ଛାଞ୍ଚରେ ବାନ୍ଧି ହୋଇ ନଥିଲେ। ମୁର୍ଚ୍ଛା ଯାଇଥିଵା ଵ୍ୟକ୍ତିର ମୁହଁରେ ପାଣି ସିଞ୍ଚି ଚେତା କରାଇଵା ପରେ ଅତି ସ୍ନେହ, ଧୈର୍ଯ୍ୟ ଏଵଂ ଯତ୍ନର ସହିତ ସ୍ୱାମୀଙ୍କୁ କଥା କହିଵାର ଯେଉଁ ଆଵେଗପୂର୍ଣ୍ଣ ଚିତ୍ର ଏଠାରେ ରହିଛି, ତାହାକୁ 'ସଧୀରେ' ଶବ୍ଦଟି ଅତ୍ୟନ୍ତ ଜୀଵନ୍ତ କରିପାରିଛି।

ତାଙ୍କ ପରଵର୍ତ୍ତୀ ସମୟରେ, ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ପଞ୍ଚସଖା ଯୁଗରେ ଏହି ଶବ୍ଦର ବହୁଳ ଆଦୃତି ଦେଖିଵାକୁ ମିଳେ। ଓଡ଼ିଆ ଜାତିର ପରମ ଆରାଧ୍ୟ ଗ୍ରନ୍ଥ ଶ୍ରୀମଦ୍ ଭାଗଵତର ସ୍ରଷ୍ଟା ଅତିବଡ଼ୀ ଜଗନ୍ନାଥ ଦାସ ତାଙ୍କର ତୃତୀୟ ସ୍କନ୍ଧରେ ଲେଖିଛନ୍ତି, 

"ଦେଖିଲି ସରସ୍ୱତୀତୀରେ ।
ଏକାନ୍ତ-ଆସନ ସଧୀରେ ॥ 
ଶ୍ୟାମସୁନ୍ଦର ତନୁ ଵର୍ଣ୍ଣ । ପ୍ରଶାନ୍ତ-ଅରୁଣଲୋଚନ ॥"

ଭାଗଵତର ସୁଲଳିତ ନଵାକ୍ଷରୀ ଵୃତ୍ତରେ ଭଗଵାନଙ୍କର ଶାନ୍ତ, ପ୍ରଶାନ୍ତ ଏଵଂ ଧ୍ୟାନମଗ୍ନ ରୂପକୁ ଵର୍ଣ୍ଣନା କରିଵା ବେଳେ ଏକାନ୍ତ ଆସନରେ ଅତି ଧୀରସ୍ଥିର ଭାବରେ ବସିଵାର ଯେଉଁ ଗାମ୍ଭୀର୍ଯ୍ୟ ରହିଛି, ତାହାକୁ ଜଗନ୍ନାଥ ଦାସ 'ସଧୀରେ' ମାଧ୍ୟମରେ ହିଁ ପ୍ରକାଶ କରିଛନ୍ତି। ଏଵଂ କେଵଳ ଏହି ଗୋଟିଏ ସ୍ଥାନରେ ନୁହେଁ ଵରଂ ଭାଗଵତର ଅନେକ ସ୍ଥାନରେ ଏହି ସଧୀରେ ଶବ୍ଦଟି ଵ୍ୟଵହାର କରାଯାଇଛି । 

ସେହିପରି ବଳରାମ ଦାସ ତାଙ୍କର ଲୋକପ୍ରିୟ ରଚନା 'ମାଣବସା ଲକ୍ଷ୍ମୀପୁରାଣ'ରେ ଦେଵୀ ଲକ୍ଷ୍ମୀଙ୍କର ସ୍ନେହପୂର୍ଣ୍ଣ ଵଚନକୁ ଉଦ୍ଧାର କରି ଲେଖିଛନ୍ତି, 

"ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ । 
ଶୁଣ ସାଧଵାଣୀ ଵ୍ୟତ ହୁଏ ଏ ଵିଧିରେ ।"

ଲକ୍ଷ୍ମୀପୁରାଣ ଭଳି ଏକ ପଵିତ୍ର ଓଷାବ୍ରତ କଥାରେ ଦେଵୀଙ୍କର କଥା କହିଵାର କୋମଳ ଓ ଶାନ୍ତ ଢଙ୍ଗକୁ ଏହି ଶବ୍ଦଟି ପରିପୂର୍ଣ୍ଣତା ପ୍ରଦାନ କରିଛି। ବଳରାମ ଦାସଙ୍କ ଅନ୍ୟ ଏକ ଶ୍ରେଷ୍ଠ କୃତି 'ବଟ ଅବକାଶ'ରେ ମଧ୍ୟ ପ୍ରଭୁଙ୍କର ବିଜେ କରିଵା ଦୃଶ୍ୟ ଵର୍ଣ୍ଣିତ ହୋଇଛି, 

"ଵିଭୀଷଣ ଵଚନ ପ୍ରଭୁ ମନରେ ସୁମରି । ଗରୁଡ଼ ପିଠିରେ ପ୍ରଭୁ ସଧୀରେ ବିଜେ କରି ।"

ଶ୍ରୀରାମଚନ୍ଦ୍ରଙ୍କର ଗରୁଡ଼ ପୃଷ୍ଠରେ ଶାନ୍ତ, ଧୈର୍ଯ୍ୟଵାନ୍ ଓ ଗମ୍ଭୀର ଭାବରେ ଆରୋହଣ କରିଵା ଅଵସ୍ଥାକୁ ଏହା ଦର୍ଶାଉଛି। ପଞ୍ଚସଖା ଯୁଗର ଅନ୍ୟତମ ମହାନ ସାଧକ ଅଚ୍ୟୁତାନନ୍ଦ ଦାସ ମଧ୍ୟ ତାଙ୍କର 'ଜଗନ୍ନାଥ ତତ୍ତ୍ୱ ଚଉତିଶା'ରେ ମହାପ୍ରଭୁଙ୍କ ଦର୍ଶନ ଵିଷୟରେ ଲେଖିଛନ୍ତି, 

"ଛାମୁ ଦର୍ଶନକୁ ବାଟ ପଡ଼ିଛି ସଧୀରେ ଜଗନ୍ନାଥ ମହାପ୍ରଭୁ ସିଂହାସନ ପରେ ।"

ଆଉ ତାଙ୍କର 'ହରିଵଂଶ' ଗ୍ରନ୍ଥରେ ଉଲ୍ଲେଖ ଅଛି, 

"ନିତ୍ୟକର୍ମ ସାରିଵାରୁ ଉଛୁର ଯେ ବେଳ ସଧୀରେ ଚଳନ୍ତି ମହାଦେଈ ପ୍ରାତଃକାଳ ।"

ଏଠାରେ ମହାଦେଈଙ୍କର ଚାଲିଵାର ମନ୍ଥରତା ଓ ରାଜକୀୟ ଶାଳୀନତା ପ୍ରକାଶ କରିଵା ପାଇଁ ଏହି ଶବ୍ଦର ପ୍ରୟୋଗ ହୋଇଛି। ଯଦି ଏହି ଶବ୍ଦଟି ଵ୍ୟାକରଣଦୃଷ୍ଟିରୁ ଏତେ ବଡ଼ ଦୋଷ ହୋଇଥାନ୍ତା, ତେବେ ଷୋଡ଼ଶ ଶତାବ୍ଦୀର ଏତେଗୁଡ଼ିଏ ଵିଶିଷ୍ଟ ଧର୍ମଗ୍ରନ୍ଥ ଓ କାଵ୍ୟରେ ଏହାର ବାରମ୍ବାର ପ୍ରୟୋଗ କେବେହେଲେ ହୋଇପାରିନଥାନ୍ତା।

ଏହା ପରେ ଆସେ ଓଡ଼ିଆ ସାହିତ୍ୟର ରୀତିଯୁଗ ଵା ଭଞ୍ଜଯୁଗ, ଯେତେବେଳେ କି କାଵ୍ୟର ଶବ୍ଦବିନ୍ୟାସ, ଅଳଙ୍କାର ଏଵଂ ଵ୍ୟାକରଣଗତ ଉତ୍କର୍ଷତା ତାର ଶୀର୍ଷରେ ପହଞ୍ଚିଥିଲା। ଏହି ଯୁଗର କଵିମାନେ ଶବ୍ଦ ଓ ଵ୍ୟାକରଣ ଵିଷୟରେ ଅତ୍ୟନ୍ତ ସଚେତନ ଥିଲେ। କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଜଣେ ପ୍ରକାଣ୍ଡ ପଣ୍ଡିତ ଏଵଂ ଶବ୍ଦର ଯାଦୁକର ମଧ୍ୟ ତାଙ୍କର ଶ୍ରେଷ୍ଠ କାଵ୍ୟ 'ଵୈଦେହୀଶ ଵିଳାସ'ରେ 'ସଧୀରେ' ଶବ୍ଦକୁ ଅତ୍ୟନ୍ତ ସମ୍ମାନର ସହ ଅନେକ ସ୍ଥାନରେ ଵ୍ୟଵହାର କରି ଗ୍ରହଣ କରିଛନ୍ତି। ଵୈଦେହୀଶ ଵିଳାସର ଏକ ସ୍ଥାନରେ ସେ ଲେଖିଛନ୍ତି, 

"ବନାଳୀ ପ୍ରଭୁ କରିଣ କର ସମ୍ଭାଵନା ଯେ । ଵ୍ୟାଘ୍ରଗତିରେ ସଧୀରେ କହନ୍ତି ଵୀର ସେ ।"

ଏଠାରେ ଵୀରତ୍ୱର ଦର୍ପ ସହିତ ଯେଉଁ ଧୈର୍ଯ୍ୟ ଏଵଂ ଗାମ୍ଭୀର୍ଯ୍ୟର ମିଶ୍ରଣ ରହିଛି, ତାହା ଵର୍ଣ୍ଣନାତୀତ। ସେହିପରି ଅନ୍ୟ ଏକ ପଦରେ ସେ ଵର୍ଣ୍ଣନା କରିଛନ୍ତି, 

"ବଞ୍ଚିଲାଇଁ ତୋଷ ରଚି ଵାନରେ ସଧୀରେ ନାଚି ରଣସ୍ଥାନେ ପୁଷ୍ପସିଞ୍ଚି ବିଲୋକି ସୁରେ ।"

ରଣକ୍ଷେତ୍ରରେ ଵାନରମାନଙ୍କର ଆନନ୍ଦ ଉଲ୍ଲାସ ମଧ୍ୟରେ ଥିଵା ଧୀରସ୍ଥିର ନୃତ୍ୟର ଏକ ସୁନ୍ଦର ଦୃଶ୍ୟ ଏଠାରେ ଅଙ୍କିତ ହୋଇଛି। ଉପେନ୍ଦ୍ର ଭଞ୍ଜଙ୍କ ଭଳି ଜଣେ ଵ୍ୟାକରଣ-ନିଷ୍ଠାଵାନ୍ କଵି କେବେହେଲେ ଏକ ଭୁଲ୍ ଶବ୍ଦକୁ ନିଜର ସର୍ଵଶ୍ରେଷ୍ଠ କାଵ୍ୟରେ ସ୍ଥାନ ଦେଵାର କଳ୍ପନା ମଧ୍ୟ କରାଯାଇନପାରେ। 

ସେହି ଯୁଗର ଅନ୍ୟତମ କଵି ଦୀନକୃଷ୍ଣ ଦାସ ତାଙ୍କର 'ରସ କଲ୍ଲୋଳ'ରେ ଅତି ଚମତ୍କାର ଭାବରେ ଲେଖିଛନ୍ତି, 

"କେମନ୍ତ ମନ୍ଦ, ହସ କହିଵା ଚତୁରତା କେମନ୍ତ ପ୍ରକାରେ ନାଚଇ ସଧୀରେ କାମଧନୁଜିତା ଭ୍ରୂଲତା ।"

ନାୟିକାର ଭ୍ରୂଲତାର ଧୀର, ମନ୍ଥର ଏଵଂ ଆକର୍ଷଣୀୟ ଚାଳନାକୁ ପ୍ରକାଶ କରିଵାକୁ ଯାଇ ଦୀନକୃଷ୍ଣ 'ସଧୀରେ' ଶବ୍ଦଟି ବାଛିଛନ୍ତି, ଯାହାକି ଶବ୍ଦଗତ ମାଧୁର୍ଯ୍ୟରେ ପରିପୂର୍ଣ୍ଣ। ଏହା ସହିତ ଭକ୍ତ କଵି ଭକ୍ତ ଚରଣ ଦାସଙ୍କ 'କଳା କଳେବର ଚଉତିଶା'ର ପଦ ରହିଛି 

"ସଧୀରେ ପଵନ ବହଇ ସରୁ କଟିମେଖଳା , ଶିବ ଡ଼ମରୁ କି କୈଳାସୁଁ ଶ୍ୟାମ ବଦନ କଳା"

ଏଵଂ ଏହି ପଦକୁ ଵିଚାର କଲେ ମୃଦୁମନ୍ଦ ସମୀରଣର ଶାନ୍ତ ପ୍ରଵାହ ଅନୁଭୂତ ହୁଏ। ନାଥ ଧର୍ମାଵଲମ୍ବୀ ଯୋଗୀନ୍ଦ୍ର ଵିପ୍ର ତାଙ୍କର 'ଟୀକା ଗୋବିନ୍ଦ ଚନ୍ଦ୍ର'ରେ ସଧୀରେ ଶବ୍ଦଟି ଵ୍ୟଵହାର କରି ଲେଖିଛନ୍ତି 

"କୈଳାସ କନ୍ଦରେ ପ୍ରଵେଶ ହୋଇଣ ତ‌ହିଁ ନିଶ୍ଚିନ୍ତେ ରହିଲେ,
ଗୋଵିନ୍ଦକୁ ଚାହିଁ ମୁକ୍ତାଦେଇ ରାଣୀ ସଧୀରେ ଵଚନ ବୋଲେ ॥"

ଏଵଂ ଏଠାରେ କଵି ରାଣୀଙ୍କର ଧୈର୍ଯ୍ୟପୂର୍ଣ୍ଣ ଵାକ୍ୟାଳାପକୁ ପ୍ରକାଶ କରିଛନ୍ତି। 

ଆମର ସାମାଜିକ ଜୀଵନ ସହ ଜଡ଼ିତ ଗୋପୀନାଥ ଦାସଙ୍କ 'ଖୁଦୁରୁକୁଣୀ ଓଷା'ରେ ମଧ୍ୟ ଵର୍ଣ୍ଣନା ଅଛି, 

“ସୁଵର୍ଣ୍ଣ କଳସ ପୀଢ଼ାରେ । 
ପତାକା ଉଡ଼ଇ ସଧୀରେ ॥ 
ଧନ୍ୟ ସେ ନ‌ଗର ଉତ୍ତମ । 
ସମସ୍ତ ଘର ଲୋକ ସମ ॥”

ଏଵଂ ଏଠାରେ ଶାନ୍ତ ପଵନରେ ପତାକା ଆସ୍ତେ ଆସ୍ତେ ଉଡ଼ିଵାର ଚିତ୍ର ଉପସ୍ଥାପିତ।

ପ୍ରାଚୀନ ଏଵଂ ମଧ୍ୟଯୁଗର କାଵ୍ୟକଵିତା ପରେ ଉନଵିଂଶ ଶତାବ୍ଦୀର ମହିମା ଧର୍ମର ମହାକଵି ଭୀମଭୋଇ ମଧ୍ୟ ନିଜର ଦର୍ଶନରେ ଏହି ଶବ୍ଦର ମହତ୍ତ୍ୱକୁ ସ୍ୱୀକାର କରିଛନ୍ତି। ତାଙ୍କର 'ପରଚେ ହୋଇ ପାରିଲେ' ଭଜନରେ ସେ ଉଦଘୋଷଣା କରିଛନ୍ତି, 

"ବ୍ରହ୍ମ ଅନଳ ଦିହୁଡି ଜାଳି ଫିଟାଅ କୁହୁଡି ଅର୍ଗଳୀ କବାଟ ଫିଟିଯିଵ ସଧୀରେ ।"

 ଅଜ୍ଞାନର ଅନ୍ଧକାର ଦୂର ହେଲେ କିପରି ଜ୍ଞାନର ଆଲୋକ ଧୀରେ ଧୀରେ ଉନ୍ମୋଚିତ ହୁଏ, ଏହି ଗଭୀର ଆଧ୍ୟାତ୍ମିକ ଭାବନା ଏହି ପଦରେ ନିହିତ। ସେହିପରି ତାଙ୍କର 'ଚଉତିଶା ମଧୁଚକ୍ର'ରେ ସେ ଲେଖିଛନ୍ତି, 

"ସତ ଶାନ୍ତି ଦୟା କ୍ଷମା ନ ପାଳି... ସଧୀରେ ସୁନ୍ଦର ରୂପକୁ ଚାହିଁ ସେ, ସରିଲାଣି ସର୍ଵ ଆସି ଯେ ।"

ଭୀମଭୋଇ ଯିଏକି ନିଜର ସହଜ ସରଳ ଏଵଂ ଲୋକମୁଖର ଭାଷା ପାଇଁ ପରିଚିତ ଥିଲେ, ତାଙ୍କ ଦ୍ୱାରା ଏହି ଶବ୍ଦର ପ୍ରୟୋଗ ପ୍ରମାଣ କରେ ଯେ ଏହା ସାଧାରଣ ଜନଜୀଵନର ଏକ ଅଭିଚ୍ଛେଦ୍ୟ ଅଙ୍ଗ ଥିଲା। କେଵଳ ସେତିକି ନୁହେଁ, ଆଧୁନିକ ଜାତୀୟତାଵାଦୀ ସାହିତ୍ୟର ଅନ୍ୟତମ କର୍ଣ୍ଣଧାର ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ପ୍ରସିଦ୍ଧ କଵିତା 'କାଠଯୋଡ଼ି ତୀରେ ସନ୍ଧ୍ୟା'ରେ ଲେଖିଛନ୍ତି, 

"କ୍ରମେ କ୍ରମେ ଏବେ ହୋଇଲା ଆସି ମୁହଁ ଅନ୍ଧାରି, କଳନାଚ ରଚି ସଧୀରେ ବହେ ତଟିନୀ-ଵାରି ।"

ଗୋପବନ୍ଧୁଙ୍କ ପରି ଜଣେ ଉଚ୍ଚଶିକ୍ଷିତ ତଥା ସଂସ୍କୃତ ଓ ଓଡ଼ିଆରେ ଅଗାଧ ପାଣ୍ଡିତ୍ୟ ଥିଵା ଵ୍ୟକ୍ତି ଯଦି ଏହି ଶବ୍ଦକୁ ନିଜର କଵିତାରେ ସ୍ଥାନ ଦେଇଛନ୍ତି, ତେବେ ଏହାକୁ ଭୁଲ୍ କହିଵା କିପରି ସମୀଚୀନ ହେଵ? ଯଦି ଏହା କେଵଳ ଏକ ଛନ୍ଦଗତ ଦୋଷ କିମ୍ବା ଵ୍ୟାକରଣିକ ଭୁଲ୍ ହୋଇଥାନ୍ତା, ତେବେ ଛଅ ଶହ ଵର୍ଷ ଧରି ଵିଭିନ୍ନ ଯୁଗର ଏତେଜଣ ଵିଶିଷ୍ଟ କଵି ଏହାକୁ କ୍ରମାଗତ ଭାବରେ ଵ୍ୟଵହାର କରିନଥାନ୍ତେ।

ଗୋଟିଏ ଵା ଦୁଇଟି କଵିତାରେ ସଧୀରେ ଶବ୍ଦଟି ଆସିଥିଲେ ଆମେ ତାହାକୁ ସାମୟିକ କଳ୍ପନା ବୋଲି ମାନିନେଇଥାନ୍ତେ, କିନ୍ତୁ ଯେତେବେଳେ ଭିନ୍ନ ଭିନ୍ନ ସମୟର, ଭିନ୍ନ ଭିନ୍ନ ଶୈଳୀର ଶ୍ରେଷ୍ଠ ସ୍ରଷ୍ଟାମାନେ ଏହାକୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ସୁସଙ୍ଗତ ଭାବରେ ଵ୍ୟଵହାର କରିଆସିଛନ୍ତି, ସେତେବେଳେ ଏହାର ଐତିହାସିକ ଵୈଧତା ଅସ୍ୱୀକାର୍ଯ୍ୟ ହୋଇଯାଏ। ଵାସ୍ତଵରେ ଓଡ଼ିଆ ଭାଷାର ଗଠନ ଏଵଂ ଵିକାଶ କେବଳ ସଂସ୍କୃତ ଵ୍ୟାକରଣ ଉପରେ ଆଧାରିତ ନୁହେଁ ଵରଂ ଏଥିରେ ପାଲି, ପ୍ରାକୃତ, ଉଡ୍ରପ୍ରାକୃତ ଏଵଂ ଅପଭ୍ରଂଶର ଵ୍ୟାପକ ପ୍ରଭାବ ରହିଛି। ଭାଷାର ନିଜସ୍ୱ ଏକ ପ୍ରଵାହ ଥାଏ ଏଵଂ ଶବ୍ଦର ଅର୍ଥ ଓ ଵ୍ୟଵହାର ସେହି ପ୍ରଵାହ ଅନୁଯାୟୀ ରୂପାନ୍ତରିତ ହୁଏ। 'ସଧୀରେ' ଶବ୍ଦଟି ସେହିଭଳି ଏକ ସ୍ୱାଭାଵିକ ପ୍ରକ୍ରିୟା ଦେଇ ଗତି କରି ଆଜି ଏକ ମାନ୍ୟତାପ୍ରାପ୍ତ ଶବ୍ଦ ରୂପେ ଦଣ୍ଡାୟମାନ।

ସବୁଠାରୁ ବଡ଼ କଥା ହେଲା ଓଡ଼ିଆ ଦେଶଜ ଶବ୍ଦ ରୂପେ ଗୃହୀତ ଓ ଵ୍ୟଵହୃତ ଶବ୍ଦଗୁଡ଼ିକୁ ଭୁଲ୍ କିମ୍ବା ଅଶୁଦ୍ଧ ବୋଲାଯାଏ ନାହିଁ । ସଧୀରେ ଶବ୍ଦଟି ସଂସ୍କୃତ ମୂଳର ସୈଧର୍ଯ୍ୟ ଶବ୍ଦରୁ ଆସିଥିଵାରୁ ଏହାକୁ ଏକ ଓଡ଼ିଆ ଦେଶଜ ରୂପେ ହିଁ ଗ୍ରହଣ କରାଯିଵା ଉଚିତ୍ । ଯଦି ସଂସ୍କୃତ ମୂଳର ସବୁ ଓଡ଼ିଆ ଦେଶଜ ଶବ୍ଦଗୁଡ଼ିକୁ ଵ୍ୟାକରଣ ଦୃଷ୍ଟିରୁ ଅଶୁଦ୍ଧ ଵା ଭୁଲ୍ ଶବ୍ଦ ବୋଲି କହିଵା ତେବେ ଗାଈ(ଗାଭୀ),ଆମ୍ବ(ଆମ୍ର),ବଣ(ଵନ),ଅକୁଟା(ଅକୁଟ୍ଟିତ),ହିଞ୍ଜିଡ଼ା(ହୀନଜଟା),ନିକାଞ୍ଚନ(ନିଷ୍କାଞ୍ଚନ) ଓ ଯାଉଁଳି(ଯୁଗଳ) ଆଦି ଶବ୍ଦଗୁଡ଼ିକୁ ମଧ୍ୟ ଅଶୁଦ୍ଧ ବୋଲିଵାକୁ ପଡ଼ିଵ । ଯଦି ଏମନ୍ତ ଅନ୍ଧ ଭାବରେ ଏ ସମସ୍ତ ଓଡ଼ିଆ ଶବ୍ଦଗୁଡ଼ିକୁ ଅଶୁଦ୍ଧ ବୋଲି ତ୍ୟାଗ କରିଦିଆଯାଏ ତେବେ ଆମ ଭାଷାରେ ଆଉ କେଉଁ ଶବ୍ଦ ରହିଯିଵ ? 

ତେଣୁ, ଆଧୁନିକ ଵ୍ୟାକରଣର ଏକ ସଙ୍କୁଚିତ ନିୟମକୁ ଅସ୍ତ୍ର କରି ଏତେ ବଡ଼ ଐତିହାସିକ ପ୍ରମାଣ ଥିଵା ଶବ୍ଦକୁ ଅଶୁଦ୍ଧ କହିଵା ଭାଷାର ପ୍ରକୃତ ଇତିହାସକୁ ଅପମାନିତ କରିଵା ସହ ସମାନ। ଏହା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ, ଅର୍ଥପୂର୍ଣ୍ଣ ଏଵଂ ଓଡ଼ିଆ ଭାଷାର ଗୌରଵୋଜ୍ଜ୍ୱଳ ପରମ୍ପରାର ପ୍ରତୀକ ଅଟେ। 

ଯେପରି ମାଟି ତଳୁ ଉଦ୍ଧାର ହୋଇଥିଵା ଟ୍ରୟ ନଗରୀର ସତ୍ୟତା ଦିନେ ପଣ୍ଡିତମାନଙ୍କର ବୌଦ୍ଧିକ ଅହଙ୍କାରକୁ ଧୂଳିସାତ୍ କରିଦେଇଥିଲା, ଠିକ୍ ସେହିପରି ଓଡ଼ିଆ ସାହିତ୍ୟର ପୃଷ୍ଠାରୁ ମିଳୁଥିଵା ଏହି ଅକାଟ୍ୟ ପ୍ରମାଣଗୁଡ଼ିକ କଠୋର ଵ୍ୟାକରଣଵିତ୍‌ଙ୍କ ସଂକୀର୍ଣ୍ଣ ଯୁକ୍ତିକୁ ଖଣ୍ଡନ କରେ। ହୋମରଙ୍କ ମହାକାଵ୍ୟ ପରି ଆମ ମହାକଵିମାନଙ୍କ ରଚନା ଏଵଂ ଭାଷାକୋଷ ହିଁ ଏଠାରେ ସେହି 'ଖନନ-ସତ୍ୟ', ଯାହା ସ୍ପଷ୍ଟ ପ୍ରମାଣ କରେ ଯେ କୌଣସି ଯାନ୍ତ୍ରିକ ନିୟମ ଏକ ଜୀଵନ୍ତ ଭାଷାର ଐତିହାସିକ ପ୍ରଵାହକୁ କେବେହେଲେ ମିଥ୍ୟା ସାଵ୍ୟସ୍ତ କରିପାରିଵ ନାହିଁ । 

Tuesday, August 4, 2026

ଜଳଛବି କାହାକୁ କୁହାଯାଏ ?

ଭାଷା ଏକ ବହୁମୁଖୀ ପ୍ରଵାହ ଏଵଂ ତହିଁରେ ଗୋଟିଏ ଶବ୍ଦର ସ୍ରୋତ ସମୟ ସହିତ ବହିଯାଇ ଭିନ୍ନ ଭିନ୍ନ ତୁଠରେ ନୂଆ ରୂପ ଓ ରଙ୍ଗ ଗ୍ରହଣ କରେ। ଓଡ଼ିଆ ଭାଷାରେ ଏମିତି ଏକ ଆକର୍ଷଣୀୟ ଓ ସ୍ମୃତି-ଓଦା କରିଦେଲା ଭଳି ଶବ୍ଦ ହେଉଛି ‘ଜଳଛବି’ ଵା ‘ପାଣିଛବି’। ପିଲାଦିନର ନିଷ୍ପାପ ସ୍ମୃତି ସହିତ ଜଡ଼ିତ ଏହି ସାଧାରଣ ଶବ୍ଦଟି ଖେଳ କାଗଜରୁ ବାହାରି କେତେବେଳେ ସାହିତ୍ୟର ଗହନ ରୂପକ ପାଲଟିଯାଏ ତ କେତେବେଳେ ପ୍ରଯୁକ୍ତିଵିଦ୍ୟାର ସୁରକ୍ଷା କଵଚ ସାଜିଯାଏ, ତାହାର ଶବ୍ଦଭେଦ ଯାତ୍ରା ଵାସ୍ତଵରେ ଅତି ରୋଚକ ଅଟେ ।

ଓଡ଼ିଆ ଭାଷାର ପ୍ରାଣବିନ୍ଦୁ କୁହାଯାଉଥିଵା ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପୃଷ୍ଠା ଓଲଟାଇଲେ ଏହି ଜଳଛବି ଶବ୍ଦର ମୂଳ ସତ୍ତା ସମ୍ପର୍କରେ ଏକ ସୁନ୍ଦର ସୂଚନା ମିଳେ। ମହାନ ଶବ୍ଦଶିଳ୍ପୀ ଗୋପାଳ ଚନ୍ଦ୍ର ପ୍ରହରାଜ ଏହାକୁ ଏକ ଦେଶଜ ଵିଶେଷ୍ୟ ଭାବେ ଚିହ୍ନିତ କରିଛନ୍ତି। ଭାଷାକୋଷର ଵ୍ୟାଖ୍ୟା ଅନୁଯାୟୀ, ‘ପାଣିଛବି’ ଵା ‘ଜଳଛବି’ (ଜଳଛପା) ହେଉଛି ସେହି ସ୍ୱତନ୍ତ୍ର ଚିତ୍ର, ଯାହା ଜଳର ସାହାଯ୍ୟ ନେଇ ଗୋଟିଏ କାଗଜରୁ ଅନ୍ୟ ଏକ କାଗଜ ଉପରକୁ ଉଠାଇ ନିଆଯାଏ, ଯାହାକୁ ଇଂରାଜୀରେ ‘Transfer-picture’ କୁହାଯାଏ। ଏହା ଶୁଣିଵା ମାତ୍ରେ ମନରେ ସ୍ୱତଃ ପିଲାଦିନର ଚିତ୍ରଟିଏ ଆଙ୍କି ହୋଇଯାଏ କାରଣ ଆଗେ ଆମେ ଓଦା ହାତରେ ସେହି ଜଳଛପା କାଗଜଟିକୁ ଖାତା କିମ୍ବା କାନ୍ଥରେ ଚାପି ଧରୁଥିଲୁ ଏଵଂ କିଛି ସେକେଣ୍ଡର ଉତ୍କଣ୍ଠା ପରେ ମଲାଟ ଉପରେ କାର୍ଟୁନ୍ ଚିତ୍ରଟି ସ୍ପଷ୍ଟ ଭାବେ ଉଭା ହୋଇଯାଉଥିଲା। ଏହି ମୂଳ ଅଭିଧାନିକ ଅର୍ଥଟି ଆମକୁ ଭାଷାର ସେହି ପୁରୁଣା ଦିନକୁ ଫେରାଇ ନିଏ, ଯେତେବେଳେ ପାଣି ଓ ରଙ୍ଗର ଏକ ସରଳ ମିଳନରୁ କଳାର ସୃଷ୍ଟି ହେଉଥିଲା।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଉରୋପରେ, ଵିଶେଷତଃ ଇଂଲଣ୍ଡରେ, ସୁନ୍ଦର ଚିନାମାଟି ବାସନକୁସନର ପ୍ରବଳ ଚାହିଦା ଥିଲା। କିନ୍ତୁ ସେହି ସମୟରେ ବାସନ ଉପରେ ଚିତ୍ରାଙ୍କନ କେଵଳ କୁଶଳୀ କାରିଗରମାନଙ୍କ ଦ୍ୱାରା ହାତରେ କରାଯାଉଥିଲା। ଏହା ଥିଲା ଅତ୍ୟନ୍ତ ଵ୍ୟୟବହୁଳ ଓ ସମୟ ସାପେକ୍ଷ। ଦିନକୁ ଦିନ ବଢୁଥିଵା ବଜାର ଚାହିଦାକୁ ମେଣ୍ଟାଇଵା ପାଇଁ ହାତ-ଅଙ୍କା ଚିତ୍ର ପରିଵର୍ତ୍ତେ ଏକ ଦ୍ରୁତ ଵିକଳ୍ପର ସନ୍ଧାନ ଚାଲିଥିଲା। ଏହି ସମସ୍ୟା ହିଁ ଜଳଛବି ଉଦ୍ଭାଵନର ମୁଖ୍ୟ ପ୍ରେରଣା ସାଜିଥିଲା।
     (Simon Francois Ravenet)
 ପ୍ରାୟ ୧୭୫୬ ମସିହା ବେଳକୁ ଇଂଲଣ୍ଡରେ କାମ କରୁଥିବା ବେଳେ ଉତ୍କୀର୍ଣ୍ଣକ(Engraver) ସାଇମନ୍ ଫ୍ରାନ୍ସୁଆ ରାଵେନେଟ୍ ଏକ ନୂତନ ପ୍ରଣାଳୀ ଉଦ୍ଭାଵନ କଲେ ଯାହାକୁ "Transfer printing" କୁହାଗଲା। ପ୍ରଥମେ "ସାଇମନ୍ ରାଵେନେଟ୍" ତମ୍ବା ପ୍ଲେଟ୍ ଉପରେ ଚିତ୍ର ଖୋଦେଇ କରୁଥିଲେ। ତା’ପରେ ସେହି ପ୍ଲେଟରେ ସ୍ୱତନ୍ତ୍ର ରଙ୍ଗ ଲଗାଇ ଏକ ଅତି ପତଳା Tissue paper ଉପରେ ତାର ଛାପ ଉଠାଉଥିଲେ। ସେହି ରଙ୍ଗିନ ଟିସୁ ପେପରଟିକୁ ନେଇ କଞ୍ଚା ଚିନାମାଟି ବାସନ ଉପରେ ଚାପି ଦିଆଯାଉଥିଲା। ପାଣି ଓ ଉତ୍ତାପ ପ୍ରୟୋଗ କଲା ପରେ କାଗଜଟି ଧୋଇ ହୋଇଯାଉଥିଲା ଏଵଂ ଚିତ୍ରଟି ବାସନ ଉପରେ ସ୍ଥାୟୀ ହୋଇ ରହିଯାଉଥିଲା।
(Simon François Ravenet Paintings & Artworks)
ରାଵେନେଟ୍ ଏହି ପଦ୍ଧତିର ନାମ ଦେଇଥିଲେ "décalquer" ଯାହା ଏକ ଫରାସୀ ଶବ୍ଦ ଏଵଂ ଏହାର ଅର୍ଥ "ନକଲ କରିଵା ଵା ଛାପ ଉଠାଇଵା" ଅଟେ। କାରଖାନାର ସୀମା ଡେଇଁ ଏହି ଜଳଛବି ପ୍ରକ୍ରିୟା ଊନବିଂଶ ଶତାବ୍ଦୀରେ ଏକ ନୂଆ ମୋଡ଼ ନେଲା। ୧୮୬୦ ମସିହା ବେଳକୁ ଫ୍ରାନ୍ସ ଓ ଵିକ୍ଟୋରିଆନ୍ ଇଂଲଣ୍ଡରେ ଏହା ଏକ ପାଗଳାମି ଵା Crazeରେ ପରିଣତ ହେଲା। ଲୋକମାନେ ନିଜ ଘରର ଆସବାବପତ୍ର, କାଚ, ପିଆନୋ, ବାକ୍ସ ଓ କାନ୍ଥରେ ଵିଭିନ୍ନ ରଙ୍ଗିନ ଚିତ୍ରକୁ ପାଣି ସାହାଯ୍ୟରେ ସ୍ଥାନାନ୍ତର କରିଵାକୁ ଲାଗିଲେ। ଏହି ଅତ୍ୟଧିକ ଲୋକପ୍ରିୟତାକୁ ଦେଖି ଫରାସୀ ଭାଷାର 'Décalquer' (ଛାପ ଉଠାଇଵା) ଓ 'Manie' (ପାଗଳାମି ଵା Mania) ଶବ୍ଦକୁ ମିଶାଇ ଏକ ନୂଆ ଶବ୍ଦ ସୃଷ୍ଟି କରାଗଲା ଏଵଂ ଉକ୍ତ ଶବ୍ଦଟି Decalcomania ଥିଲା । ଇଂରାଜୀରେ ଆଜି ଆମେ ଯାହାକୁ ସଂକ୍ଷେପରେ Decal (ଡେକାଲ୍) କହୁଛୁ, ତାହା ଏହି ଶବ୍ଦରୁ ହିଁ ଆସିଛି।
ପ୍ରଥମେ ଏହି ଜଳଛବି କେଵଳ ଗୋଟିଏ ରଙ୍ଗରେ ହେଉଥିଲା। କିନ୍ତୁ ଜର୍ମାନୀରେ ଲିଥୋଗ୍ରାଫି ପ୍ରିଣ୍ଟିଂ କୌଶଳର ଉନ୍ନତି ହେଵା ପରେ, ଏକାଧିକ ରଙ୍ଗବେରଙ୍ଗର 'ଜଳଛବି' ଵା 'Water-slide decals' ତିଆରି ଆରମ୍ଭ ହେଲା। ଏହି ସମୟରେ ଏକ ସ୍ୱତନ୍ତ୍ର କାଗଜ ପ୍ରସ୍ତୁତ କରାଗଲା। କାଗଜ ଉପରେ ପାଣିରେ ମିଳାଇ ଯାଉଥିଵା ଏକ ପ୍ରକାର ଷ୍ଟାର୍ଚ୍ଚ ଅଠାର ପ୍ରଲେପ ଦିଆଗଲା ଏଵଂ ତା ଉପରେ ଚିତ୍ର ଛପାଗଲା। ପାଣି ଲଗାଇଵା ମାତ୍ରେ ଅଠାଟି ତରଳି ଯାଇ ଛବିଟିକୁ କାଗଜରୁ ଅଲଗା କରିଦେଉଥିଲା ଏଵଂ ଅନ୍ୟ ପୃଷ୍ଠରେ ଲାଗିଵାରେ ସାହାଯ୍ୟ କରୁଥିଲା। ଏହା ଥିଲା ଆମେ ପିଲାଦିନେ ଦେଖିଥିଵା 'ଜଳଛବି'ର ଵୈଷୟିକ ରୂପ। ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଜଳଛବି କେଵଳ ବଡ଼ମାନଙ୍କ ସାଜସଜ୍ଜାର ଵସ୍ତୁ ହୋଇ ରହିଲା ନାହିଁ। ଏହା ଶିଶୁମାନଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ପାଲଟିଗଲା।

ଆମେରିକାରେ ୧୯୦୦ ଦଶକ ଆଡ଼କୁ Cracker Jack ଭଳି ଵିଭିନ୍ନ କମ୍ପାନୀ ପିଲାମାନଙ୍କୁ ଆକୃଷ୍ଟ କରିଵା ପାଇଁ ପ୍ୟାକେଟ୍ ଭିତରେ ଉପହାର ସ୍ୱରୂପ ଛୋଟ ଛୋଟ ଜଳଛବି ଦେଵା ଆରମ୍ଭ କଲେ। ପିଲାମାନେ ଏହାକୁ କେଵଳ କାଗଜରେ ନୁହେଁ, ହାତରେ ମଧ୍ୟ ଲଗାଇଵା ଆରମ୍ଭ କଲେ, ଯାହା ପରଵର୍ତ୍ତୀ ସମୟରେ 'Temporary Tattoo' ଵା ଅସ୍ଥାୟୀ ଟାଟୁର ରୂପ ନେଲା।
୧୮୫୦ ମସିହାରେ ଇଂଲଣ୍ଡର କାରଖାନାରେ ଚିନାମାଟି ବାସନରେ ସାଜସଜ୍ଜା ପାଇଁ ଆଵିଷ୍କୃତ ହୋଇଥିବା ଏକ ପ୍ରଯୁକ୍ତି, ବିଶ୍ୱ ପରିକ୍ରମା କରି ବିଂଶ ଶତାବ୍ଦୀ ବେଳକୁ ଓଡ଼ିଶାର ନଗରାଞ୍ଚଳରେ ପହଞ୍ଚି "ପାଣିଛବି" ଵା "ଜଳଛବି" ନାମରେ ପରିଚିତ ହେଲା। ଗୋପାଳ ଚନ୍ଦ୍ର ପ୍ରହରାଜ ଯେତେବେଳେ ତାଙ୍କ ଭାଷାକୋଷରେ ଏହାକୁ ସ୍ଥାନ ଦେଲେ, ସେତେବେଳକୁ ଏହା ଓଡ଼ିଶାର ନଗରାଞ୍ଚଳରେ ପହଞ୍ଚି ସାରିଥିଲା।
(ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା—୨୯୨୫)

କିନ୍ତୁ ସମୟ ସହିତ ଜଳଛବି ଶବ୍ଦର ସୀମା କେଵଳ ଏହି କାଗଜ ଖେଳ ମଧ୍ୟରେ ସୀମିତ ରହିନାହିଁ। ଭାଷାର ରସାଳ ଯାତ୍ରାରେ ଏହି ଶବ୍ଦଟି ଏକ ଗଭୀର ମାନସିକ ସ୍ତରକୁ ପ୍ରଵେଶ କରିଛି। ଯେତେବେଳେ କୌଣସି ସ୍ମୃତି, କାହାଣୀ କିମ୍ବା ଅନୁଭୂତି ସମୟର ଧୂଳି ସତ୍ତ୍ୱେ ମନରେ ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଯାଏ, ସେତେବେଳେ ଓଡ଼ିଆ କଥାଭାଷା ଓ ସାହିତ୍ୟରେ ଆମେ କହୁ, "ତାହା ମୋ ମନରେ ଜଳଛବି ପରି ସ୍ପଷ୍ଟ ଅଛି।" ପାଣି ପରି ସ୍ୱଚ୍ଛ ଏଵଂ ଆଖି ସାମ୍ନାରେ ତତ୍କାଳ ଭାସି ଉଠୁଥିଵା ଏହି ଅନୁଭୂତି ପାଇଁ ‘ଜଳଛବି’ର ଏହି ଵ୍ୟଞ୍ଜନାତ୍ମକ ପ୍ରୟୋଗ ସାହିତ୍ୟକୁ ଅଧିକ ପ୍ରାଣବନ୍ତ ଓ ଭାବପୂର୍ଣ୍ଣ କରିଥାଏ।
ଏହି ଭାବରୁ ଯଦି ଆମେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଡ଼କୁ ଚାହିଁଵା ତେବେ ‘ଜଳଛବି’ ନିଜ ଶାବ୍ଦିକ ଅର୍ଥର ଶୀର୍ଷ ସ୍ପର୍ଶ କରିଥାଏ। ସ୍ଥିର, ନିର୍ମଳ ଓ ସ୍ୱଚ୍ଛ ଜଳରାଶିରେ ଯେତେବେଳେ ପାଖରେ ଥିଵା ସବୁଜ ପାହାଡ଼, ନୀଳ ଆକାଶ କିମ୍ବା କୁହୁକ ଜହ୍ନର ପ୍ରତିବିମ୍ବ ପଡ଼େ, ସେହି ପ୍ରତିଫଳିତ ପ୍ରତିଛବିକୁ ପ୍ରକୃତିର ସ୍ୱହସ୍ତ ଲିଖିତ ‘ଜଳଛବି’ କୁହାଯାଏ।
ଏଠାରେ ପ୍ରତିବିମ୍ବଟି ପାଣି ଉପରେ ଏକ କ୍ଷଣସ୍ଥାୟୀ ଚିତ୍ର ପରି ଭାସି ରହିଥାଏ, ଯାହା ଭାଷାକୋଷର ଲିଖିତ 'Transfer-picture' ଭଳି ପ୍ରକୃତିର କ୍ୟାନଭାସରୁ ଆମ ଆଖିର କ୍ୟାନଭାସକୁ ସ୍ଥାନାନ୍ତରିତ ହୋଇଯାଏ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭୂମିରୁ ଆରମ୍ଭ ହୋଇଥିଵା ଏହି ଦେଶଜ ଶବ୍ଦଟି ଆଜି ଇଣ୍ଟରନେଟ୍ ଓ ଆଧୁନିକ ପ୍ରଯୁକ୍ତିଵିଦ୍ୟାରେ ନିଜର ଏକ ସ୍ଥାନ ପକ୍କା କରିପାରିଛି। ଇଂରାଜୀର ‘Watermark’ ଶବ୍ଦଟିକୁ ଓଡ଼ିଆରେ ଠିକ୍ ଭାବେ ପ୍ରକାଶ କରିଵାକୁ ଯାଇ ଏହାକୁ ଆଜି ‘ଜଳଛବି’ କୁହାଯାଉଛି। ଯେତେବେଳେ କୌଣସି ଡିଜିଟାଲ୍ ଫଟୋ, ସରକାରୀ ଦସ୍ତାବିଜ୍ ଵା ଟଙ୍କା ନୋଟ୍ ଉପରେ ଏକ ଅତି ସ୍ୱଚ୍ଛ ଓ ଅଦୃଶ୍ୟ ପ୍ରାୟ ଚିହ୍ନ ଵ୍ୟଵହାର କରାଯାଏ, ଯାହା ନକଲ ରୋକିବାରେ ସାହାଯ୍ୟ କରେ ସେତେବେଳେ ତାହାକୁ ଜଳଛବି ବୋଲି କୁହାଯାଏ। ପୂର୍ଵେ ପାଣି ଲଗାଇ ଯେଉଁ ଚିତ୍ରକୁ ଉଠାଯାଉଥିଲା, ଆଜି ଡିଜିଟାଲ୍ ସ୍ୱତ୍ତ୍ଵର ସୁରକ୍ଷା ପାଇଁ ସେହି 'ଜଳଛବି' ଫଟୋ ଵା କାଗଜ ପଛରେ ସୁରକ୍ଷା କଵଚ ସାଜି ରହିଛି।
ଏହିପରି ଭାବରେ ଦେଖିଲେ, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷରେ ଲିଖିତ ‘ପାଣିଛବି’ର ସେହି ସରଳ ସଂଜ୍ଞା, କେଵଳ ଏକ ପିଲାଦିନର ଖେଳ ସାମଗ୍ରୀ ହୋଇ ରହିନାହିଁ। ଏହା ସମୟର ପରିଵର୍ତ୍ତନ ସହିତ ନିଜ ଭିତରେ ସାହିତ୍ୟିକ ସୌନ୍ଦର୍ଯ୍ୟ, ପ୍ରାକୃତିକ ପ୍ରତିବିମ୍ବ ଏବଂ ଆଧୁନିକ ଵୈଷୟିକ ଜ୍ଞାନକୌଶଳର ଅର୍ଥକୁ ଆଦରି ନେଇଛି। ଶବ୍ଦଭେଦର ଏହି ସୁନ୍ଦର ଯାତ୍ରା ପ୍ରମାଣ କରେ ଯେ, ଓଡ଼ିଆ ଶବ୍ଦଗୁଡ଼ିକ କେତେ ପ୍ରାଣଵନ୍ତ ଓ ଯୁଗୋପଯୋଗୀ ଅଟେ ।



Friday, July 17, 2026

ଓଡ଼ିଆ ଭାଷାର ଏକ ନିଆରା ଵ୍ୟଙ୍ଗୋକ୍ତି: 'ଘିନି ଉଡ଼ିଵା' ଶବ୍ଦର ତାତ୍ପର୍ଯ୍ୟ, ଵ୍ୟୁତ୍ପତ୍ତି ଓ ପ୍ରୟୋଗ

ଆମ ଓଡ଼ିଆ ଭାଷା ଅତ୍ୟନ୍ତ ସମୃଦ୍ଧ, ଭାଵପ୍ରଵଣ ଓ ଵିଵିଧତାରେ ଭରା ଏକ ପ୍ରକୃତ ଶାସ୍ତ୍ରୀୟ ଭାଷା। ପ୍ରତିଦିନର କଥାଵାର୍ତ୍ତାରେ, ଗାଁ ଗହଳିର ଖଟିରେ କିମ୍ଵା ବନ୍ଧୁମାନଙ୍କ ମେଳରେ ଵ୍ୟଵହାର ହେଉଥିଵା ଅନେକ ଢଗଢମାଳି ଓ ରୂଢ଼ି ଓଡ଼ିଆ ସାମାଜିକ ଜୀଵନର ଜୀଵନ୍ତ ଚିତ୍ର ଵହନ କରିଥାନ୍ତି। ଭାଷାରେ ଶବ୍ଦଗୁଡ଼ିକ କେଵଳ ଅଭିଧାନିକ ଅର୍ଥରେ ସୀମିତ ନ ରହି, ବେଳେବେଳେ ସମୟ, ପରିସ୍ଥିତି ଓ ମାନଵୀୟ ମନସ୍ତତ୍ତ୍ୱ ଅନୁସାରେ ନୂଆ ରୂପ ନେଇଥାନ୍ତି। ଏହି କ୍ରମରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନିତ ହୋଇଥିଵା ଏକ ଅତ୍ୟନ୍ତ ରୋଚକ, ସ୍ଥାନୀୟ ଓ ଵ୍ୟଙ୍ଗାତ୍ମକ କ୍ରିୟାଶବ୍ଦ ହେଉଛି 'ଘିନି ଉଡ଼ିଵା'। ଏହି କ୍ରିୟାଟି ମୁଖ୍ୟତଃ କୌଣସି ଵ୍ୟକ୍ତିକୁ ସାମାନ୍ୟ ଚିଡ଼ାଇଵା, ଥଟ୍ଟା କରିଵା କିମ୍ଵା ତାଙ୍କ ସାଜସଜ୍ଜାକୁ ନେଇ ରହସ୍ୟ ଵା ଗମାତ କରିଵା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ। ଏହାର ସିଧାସଳଖ ଅର୍ଥ 'ଅତି ସୁନ୍ଦର ଓ ଚମତ୍କାର ଦେଖାଯିଵା' ହୋଇଥିଲେ ମଧ୍ୟ, ଏହା ପ୍ରଶଂସା ଅପେକ୍ଷା ଵ୍ୟଙ୍ଗ ଵା କଟାକ୍ଷ ଆକାରରେ ଅଧିକ ପ୍ରୟୋଗ ହୋଇଥାଏ।

ସାଧାରଣତଃ ଯେତେବେଳେ କୌଣସି ଵ୍ୟକ୍ତି ନିଜ ଵୟସ, ଅଵସ୍ଥା କିମ୍ଵା ପରିଵେଶ ସହିତ ଖାପ ଖାଉନଥିଵା ଭଳି କୌଣସି ଅତି-ଆକର୍ଷଣୀୟ ଵା ରଙ୍ଗୀନ ପୋଷାକ ପିନ୍ଧିଥାନ୍ତି, ସେତେବେଳେ ତାଙ୍କୁ ଦେଖି ଲୋକମାନେ ଆମୋଦିତ ହୋଇ ଏହି ପଦଟିର ଵ୍ୟଵହାର କରନ୍ତି। ଉଦାହରଣ ସ୍ୱରୂପ, ଆଗକାଳରେ ଗାଁରେ ଯଦି କେହି ଵୟସ୍କ କିମ୍ଵା ବୁଢ଼ାଵୟସର ଵ୍ୟକ୍ତି ହଠାତ୍ ଗୋଟିଏ ଉଜ୍ଜ୍ୱଳ ରଙ୍ଗର ପାଟଖଦି ଵା ବହୁମୂଲ୍ୟ ଵସ୍ତ୍ର ପିନ୍ଧି ଦାଣ୍ଡକୁ ଵାହାରୁଥିଲେ, ତେବେ ସାହି ପଡ଼ିଶା କିମ୍ଵା ସମଵୟସ୍କ ସାଙ୍ଗମାନେ ତାଙ୍କୁ ଦେଖେଇ କରି ମଜାରେ କହୁଥିଲେ, "ଏ ବୁଢ଼ାଵୟସକୁ ରଙ୍ଗୀନ ପାଟଖଦି ଭାରି ଘିନି ଉଡ଼ୁଛି ହୋ।" ଏଠାରେ 'ଘିନି ଉଡ଼ିଵା'ର ଅର୍ଥ କେଵଳ ସୁନ୍ଦର ଦେଖାଯିଵା ନୁହେଁ, ଵରଂ ଵୟସର ଅପରାହ୍ନରେ ଏତେ ଚକମକିଆ ଵସ୍ତ୍ରର ଚୟନ ଯେ ଟିକେ ଅସ୍ୱାଭାଵିକ ଓ ଆଖିଦୃଶିଆ ହୋଇପଡ଼ିଛି, ତାହା ଦର୍ଶାଇଵା ଅଟେ। ଏହା ଏକ ପ୍ରକାରର ନିଷ୍ପାପ ଥଟ୍ଟା ଵା ଗମାତ, ଯାହା ଓଡ଼ିଆ ସମାଜର ପାରସ୍ପରିକ ସ୍ନେହ ଓ ସାମାଜିକ ଵନ୍ଧନର ଗଭୀରତାକୁ ପ୍ରମାଣିତ କରିଥାଏ।

'ଘିନି ଉଡ଼ିଵା' ଶବ୍ଦଟି ଦୁଇଟି ସ୍ୱତନ୍ତ୍ର କ୍ରିୟାପଦର ମିଶ୍ରଣରୁ ସୃଷ୍ଟି ହୋଇଛି, ଯଥା 'ଘିନିଵା' ଏଵଂ 'ଉଡ଼ିଵା'। ପ୍ରଥମେ 'ଘିନିଵା' ଵା 'ଘେନିଵା' ଶବ୍ଦର ଉତ୍ପତ୍ତି ଵିଷୟରେ ଆଲୋଚନା କଲେ ଜଣାଯାଏ ଯେ, ଏହା ସଂସ୍କୃତର 'ଗ୍ରହ' (ଗ୍ରହଣ କରିଵା) ଧାତୁରୁ ଵିଵର୍ତ୍ତିତ ହୋଇ ଆସିଛି। ପ୍ରାକୃତ ଭାଷାରେ ଏହା 'ଗେହ୍ଣ' କିମ୍ଵା 'ଗଣ୍ହ' ରୂପ ନେଇଥିଲା ଏଵଂ କାଳକ୍ରମେ ଓଡ଼ିଆ ଭାଷାରେ ଏହା 'ଘେନିଵା' କିମ୍ଵା ଗ୍ରାମ୍ୟ ପ୍ରୟୋଗରେ 'ଘିନିଵା'ରେ ପରିଣତ ହେଲା। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, 'ଘେନିଵା'ର ଅନେକଗୁଡ଼ିଏ ଅର୍ଥ ରହିଛି। ଏହା ଧାରଣ କରିଵା, ମଞ୍ଜୁର କରିଵା, ଦେହରେ ଭରିଵା ଵା ପିନ୍ଧିଵା, ସମ୍ମାନ ଦେଵା ଠାରୁ ଆରମ୍ଭ କରି କୌଣସି କଥାକୁ ଵିଵେଚନା କରିଵା ପର୍ଯ୍ୟନ୍ତ ଵିଭିନ୍ନ ପ୍ରସଙ୍ଗରେ ଵ୍ୟଵହୃତ ହୁଏ। ଵିଶେଷ କରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଷଷ୍ଠ ଅର୍ଥଟି  'ମାନିଵା, ଶୋଭା ପାଇଵା କିମ୍ଵା ସୁନ୍ଦର ଦେଖାଯିଵା' ଉଲ୍ଲେଖ ଅଛି । ଉଦାହରଣସ୍ୱରୂପ "ନ ଘେନିଲା ପରି..." ଅର୍ଥାତ୍ ଯାହା ଶୋଭା ପାଉନାହିଁ। ସେହିପରି ଦେହରେ ଵସ୍ତ୍ର ଵା ମାଳା ଧାରଣ କରିଵା ଅର୍ଥରେ ମଧ୍ୟ "ମାଳ ଘେନିଲେ ଜଣେ ଜଣେ" ବୋଲି ପ୍ରୟୋଗ କରାଯାଏ। ତେଣୁ 'ଘିନିଵା'ର ମୂଳ ଉଦ୍ଦେଶ୍ୟ ହେଲା ନିଜ ସହିତ କିଛି ଯୋଡ଼ିଵା ଵା ଗ୍ରହଣ କରିଵା, ଯାହାଦ୍ୱାରା ଦେହର ଶୋଭା ଵର୍ଦ୍ଧନ ହୋଇଥାଏ।

ଏଠାରେ ଆଞ୍ଚଳିକ ଭାଷାଗତ ଵୈଚିତ୍ର୍ୟକୁ ମଧ୍ୟ ଧ୍ୟାନ ଦେଵା ନିତାନ୍ତ ଆଵଶ୍ୟକ। ଅଵିଭକ୍ତ ସମ୍ଵଲପୁରର ଵିଭିନ୍ନ ଅଞ୍ଚଳରେ 'ଘିନିଵା' ଶବ୍ଦଟି 'କିଣିଵା' ଵା To purchase ଅର୍ଥରେ ବହୁଳ ଭାବରେ ପ୍ରଚଳିତ।  'ଘିନି ଆନ୍ଵା' (କିଣିଆଣିଵା), 'ଘିନି ଖାଇଵା' (ଆହାରୀୟ ଦ୍ରଵ୍ୟ କିଣି ଖାଇଵା) ଏଵଂ 'ଘିନିଲା ଲୋକ' (କିଣାଦାସ ଵା ଅନୁଗତ ଵ୍ୟକ୍ତି) ଇତ୍ୟାଦି ଶବ୍ଦଗୁଡ଼ିକର ଆଜି ବି ପ୍ରଚଳନ ଅଛି । ଆଶ୍ଚର୍ଯ୍ୟର କଥା ହେଉଛି, ସମ୍ଵଲପୁରୀ ପ୍ରୟୋଗରେ ମଧ୍ୟ 'ଘିନି ଖାଇଵା' ଶବ୍ଦଟିକୁ ବେଳେବେଳେ ଵ୍ୟଙ୍ଗାର୍ଥରେ 'ସୁନ୍ଦର ଦେଖାଯିଵା' ଵା 'ଶୋଭା ପାଇଵା' ପ୍ରସଙ୍ଗରେ ଵ୍ୟଵହାର କରାଯାଏ। ଏହା ପ୍ରମାଣିତ କରେ ଯେ, ଓଡ଼ିଶାର ଵିଭିନ୍ନ ପ୍ରାନ୍ତରେ ଶବ୍ଦଗୁଡ଼ିକର ଉଚ୍ଚାରଣ ଏଵଂ ପ୍ରାଥମିକ ଅର୍ଥରେ ଭିନ୍ନତା ଥିଲେ ହେଁ, ସେଗୁଡ଼ିକର ଲାକ୍ଷଣିକ କିମ୍ଵା ଵ୍ୟଙ୍ଗାତ୍ମକ ପ୍ରୟୋଗରେ ଏକ ଅଦୃଶ୍ୟ ସାମଞ୍ଜସ୍ୟ ରହିଛି।


ଘିନି ଉଡ଼ିଵା କ୍ରିୟାରେ ଥିଵା ଦ୍ୱିତୀୟ ଶବ୍ଦଟି ହେଉଛି 'ଉଡ଼ିଵା', ଯାହା ସଂସ୍କୃତ ଶବ୍ଦ 'ଉଡ୍ଡୀନ' ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ ଏଵଂ ଏହାର ମୂଳ ଭାରୋ-ଇରାନୀୟ ରୂପ  *udᶻdiHyáti ଥିଲା । ଉଡ଼ିଵା କ୍ରିୟାର ସାଧାରଣ ଅର୍ଥ ହେଉଛି ଆକାଶମାର୍ଗରେ ଗତି କରିଵା। କିନ୍ତୁ ଭାଷାକୋଷ ଅନୁସାରେ ଏହାର ଅନେକ ଲାକ୍ଷଣିକ ଅର୍ଥ ମଧ୍ୟ ରହିଛି; ଯେପରିକି ଅଦୃଶ୍ୟ ହେଵା, ଶୂନ୍ୟରେ ଚାଳିତ ହେଵା, ମନ ଵା ହୃଦୟ ଅସ୍ଥିର ହେଵା, କଥା ଚାରିଆଡ଼େ ପ୍ରଚାରିତ ହେଵା, କିମ୍ଵା ଅତି ଵେଗରେ ଗତି କରିଵା। ଯେତେବେଳେ 'ଘିନିଵା' (ଶୋଭା ପାଇଵା ଵା ଦେହରେ ଧାରଣ କରିଵା) ସହିତ 'ଉଡ଼ିଵା' (ଶୂନ୍ୟରେ ଉଡ଼ିଵା ଵା ଚାଳିତ ହେଵା) ଶବ୍ଦ ଯୋଡ଼ି ହୋଇଯାଏ, ସେତେବେଳେ ଏକ ଅଦ୍ଭୁତ ଅର୍ଥଗତ ଚମତ୍କାରିତା ସୃଷ୍ଟି ହୁଏ।


ଏହି ମିଶ୍ରଣର ମନସ୍ତାତ୍ତ୍ୱିକ ଅର୍ଥ ହେଉଛି, ଵ୍ୟକ୍ତି ଜଣକ ଯେଉଁ ଵସ୍ତ୍ର ଵା ଅଳଙ୍କାର ଧାରଣ କରିଛନ୍ତି, ତାହା ଏତେ ମାତ୍ରାରେ ଉଜ୍ଜ୍ୱଳ ଵା ଅସାଧାରଣ ଯେ, ତାହା କେଵଳ ଦେହରେ 'ଘେନି' ନାହିଁ, ଵରଂ ଦେଖଣାହାରୀଙ୍କ ଆଖିକୁ ଝଲସାଇ ଦେଇ ଶୂନ୍ୟରେ 'ଉଡ଼ୁଛି'। ଅର୍ଥାତ୍ ତାଙ୍କର ସାଜସଜ୍ଜା ଏତେ ଉତ୍କଟ ଭାବରେ ଆକର୍ଷଣୀୟ ଯେ, ତାହା ପରିଵେଶରେ ଏକପ୍ରକାର ଅସ୍ଥିରତା ଵା ଆଲୋଡ଼ନ ସୃଷ୍ଟି କରୁଛି। ଇଂରାଜୀରେ ଯାହାକୁ ଆମେ 'Over the top' କିମ୍ଵା 'Loud dressing' ବୋଲି କହୁ, 'ଘିନି ଉଡ଼ିଵା' ହେଉଛି ତାର ଏକ ଖାଣ୍ଟି ଓଡ଼ିଆ ରୂପାନ୍ତର। ଯେତେବେଳେ ସେହି ବୁଢ଼ା ଲୋକଟି ରଙ୍ଗୀନ ପାଟ ପିନ୍ଧି ଆସନ୍ତି, ତାଙ୍କର ଵୟସର ଗାମ୍ଭୀର୍ଯ୍ୟ ତୁଳନାରେ ସେହି ପାଟର ଉଜ୍ଜ୍ୱଳତା ଅଧିକ ପ୍ରତିଫଳିତ ହୁଏ, ସତେ ଯେମିତି ପୋଷାକଟି ଵ୍ୟକ୍ତିତ୍ୱକୁ ଟପି ନିଜେ ଉଡ଼ି ବୁଲୁଛି!


ଏହି ଗୋଟିଏ ଛୋଟିଆ କ୍ରିୟାପଦରୁ ଆମେ ପ୍ରାଚୀନ ଓଡ଼ିଶାର ଗ୍ରାମ୍ୟ ଜୀଵନର ସାମାଜିକ ସ୍ଥିତି ଵିଷୟରେ ଅନେକ କିଛି ଅନୁମାନ କରିପାରିଵା। ଆମ ସମାଜରେ ଵୟସ ଓ ପରିସ୍ଥିତି ଅନୁସାରେ ଆଚରଣ ତଥା ପରିଧାନର ଏକ ଅଲିଖିତ ନିୟମ ରହିଆସିଛି। ଵୟସ ବଢ଼ିଵା ସହିତ ଲୋକମାନେ ଶାନ୍ତ, ସରଳ ଓ ନିରାଡ଼ମ୍ଵର ଵସ୍ତ୍ର ପିନ୍ଧିଵାକୁ ସମାଜ ଆଶା କରିଥାଏ। ଯେତେବେଳେ କେହି ଏହି ଅଲିଖିତ ନିୟମକୁ ଭାଙ୍ଗି ଏକ ଭିନ୍ନ ସାଜରେ ବାହାରକୁ ଆସନ୍ତି, ସମାଜ ତାଙ୍କୁ ତୀଵ୍ର ସମାଲୋଚନା କରିଵା ପରିଵର୍ତ୍ତେ ଏହିଭଳି ରସାତ୍ମକ ଵ୍ୟଙ୍ଗ ମାଧ୍ୟମରେ ସଚେତନ କରିଥାଏ। 'ଘିନି ଉଡ଼ିଵା' କେଵଳ ଏକ ଶବ୍ଦ ନୁହେଁ, ଏହା ହେଉଛି ମଣିଷର ଲୁଚି ରହିଥିଵା ଯୌଵନର ଇଚ୍ଛା ଏଵଂ ସମାଜର ମୃଦୁ ଶାସନ ମଧ୍ୟରେ ଥିଵା ଏକ ମଧୁର ସଂଘର୍ଷର ପ୍ରତୀକ।


ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନିତ ହୋଇଥିଵା ଏହି 'ଘିନି ଉଡ଼ିଵା' ପ୍ରୟୋଗଟି ଓଡ଼ିଆ ଭାଷାର ପ୍ରକାଶିକା ଶକ୍ତି ଏଵଂ ଵ୍ୟଞ୍ଜନା ଧର୍ମର ଏକ ପ୍ରକୃଷ୍ଟ ଉଦାହରଣ। ଗୋଟିଏ ପଟେ ଏହା ମୂଳ ସଂସ୍କୃତ ଧାତୁରୁ କ୍ରମଵିକଶିତ ହୋଇ ଓଡ଼ିଆ ଭାଷାରେ ନିଜର ଆଞ୍ଚଳିକ ପରିଚୟ ସୃଷ୍ଟି କରିପାରିଛି ଏଵଂ ଅନ୍ୟ ପଟେ ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ଆଚରଣକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରକାଶ କରିଵା ପାଇଁ ଏକ ଉପଯୁକ୍ତ ଅସ୍ତ୍ର ପାଲଟିଛି। ଆଧୁନିକତାର ପ୍ରଭାଵରେ ହୁଏତ ଆଜିକାଲିର ସହରୀ ପରିଵେଶରେ ଏହିଭଳି ଖାଣ୍ଟି ଶବ୍ଦମାନଙ୍କର ଵ୍ୟଵହାର କମି କମି ଯାଉଛି, କିନ୍ତୁ ଏହାର ଵ୍ୟୁତ୍ପତ୍ତି ଓ ପ୍ରୟୋଗ ଶୈଳୀକୁ ଅନୁଧ୍ୟାନ କଲେ ଆମେ ଆମର ମାତୃଭାଷାର ଅତୁଳନୀୟ ଗଭୀରତା ଏଵଂ ଆମ ପୂର୍ଵଜମାନଙ୍କର ସୂକ୍ଷ୍ମ ରସବୋଧକୁ ସହଜରେ ଉପଲଵ୍ଧି କରିପାରିଵା। ଵାସ୍ତଵରେ, ଏଭଳି ଶବ୍ଦଗୁଡ଼ିକ ହିଁ ଓଡ଼ିଆ ଭାଷାର ପ୍ରକୃତ ଅଳଙ୍କାର, ଯାହାକି ସର୍ଵଦା ଆମ ସାହିତ୍ୟ ଓ ସଂସ୍କୃତିର ଆକାଶରେ ଚମତ୍କାର ଭାବରେ 'ଘିନି ଉଡ଼ୁଥିଵ'।

Tuesday, July 14, 2026

ପତରପାଣିଆ ଵର୍ଷା କ'ଣ?

ଶହ ଶହ ଵର୍ଷ ପୂର୍ଵେ ଓଡ଼ିଶାର କୌଣସି ଏକ ଗାଁରେ ଵୈଶାଖ କିମ୍ବା ଜ୍ୟେଷ୍ଠ ମାସର ଏକ ଗୁଳୁଗୁଳି ଗରମ ଭରା ମଧ୍ୟାହ୍ନ ଥିଲା। ଓଡ଼ିଶାର ସେହି ପାରମ୍ପରିକ ପଲ୍ଲୀ ଗ୍ରାମର ଜମିଦାର ପ୍ରାଙ୍ଗଣରେ କୌଣସି ଏକ ବଡ଼ ସାମାଜିକ ଉତ୍ସଵର ପ୍ରୀତିଭୋଜନର ଆୟୋଜନ ଚାଲିଥାଏ। ଶତାଧିକ ଅତିଥି ଗ୍ରାମର ଚଉପାଢ଼ୀରେ ଧାଡ଼ି ହୋଇ ବସିଥାନ୍ତି। ପରଷାଳିମାନେ ଅତି ଯତ୍ନର ସହ ସବୁଜ, ଚକ୍‌ଚକ୍ କଦଳୀ ପତ୍ର ସବୁକୁ ବସିଥିଵା ଲୋକଙ୍କ ସମ୍ମୁଖରେ ବିଛାଇ ଚାଲିଥାନ୍ତି।
ଭୋଜନ ଆରମ୍ଭ ହେଵା ପୂର୍ଵରୁ ଏକ ପବିତ୍ର ଓ ପାରମ୍ପରିକ ନିୟମ ଅନୁଯାୟୀ, ଜଣେ ସେଵାଦାର ଏକ ପିତ୍ତଳ ଗଡ଼ୁରେ ପାଣି ଧରି ପ୍ରତି ପତ୍ର ଉପରେ ନିଜ ହାତର ଆଙ୍ଗୁଠି ସାହାଯ୍ୟରେ ସୂକ୍ଷ୍ମ ଜଳବିନ୍ଦୁ ସବୁ ଛିଞ୍ଚି ଛିଞ୍ଚି ଆଗକୁ ବଢ଼ୁଥାନ୍ତି। ଏହି ପ୍ରକ୍ରିୟାକୁ ଗ୍ରାମ୍ୟ ଭାଷାରେ 'ପତର ପାଣି' ଦେଵା କୁହାଯାଏ ।
ଠିକ୍ ସେହି ସମୟରେ, କାହିଁକି କେଜାଣି ଆକାଶରେ ସାମାନ୍ୟ ମେଘର ଛାଇ ଦେଖାଗଲା। କୌଣସି ବଡ଼ କଳାହାଣ୍ଡିଆ ମେଘ ନଥିଲା କି ବିଜୁଳି ଘଡ଼ଘଡ଼ିର ଗର୍ଜନ ନଥିଲା। ହଠାତ୍ ଆକାଶରୁ ଅତି ସୂକ୍ଷ୍ମ, ଛୋଟ ଛୋଟ ଟୋପା ଵର୍ଷା ଝରିଵାକୁ ଲାଗିଲା। ସେହି ଵର୍ଷା ଏତେ ହାଲୁକା ଥିଲା ଯେ ତାହା କାହାକୁ ଓଦା କରୁନଥିଲା କିମ୍ବା ଭୋଜିର ଆୟୋଜନରେ କୌଣସି ବାଧା ସୃଷ୍ଟି କରୁନଥିଲା। ଏହାକୁ ଦେଖି ଧାଡ଼ିରେ ବସିଥିଵା ଜଣେ ଵୃଦ୍ଧ ସ୍ମିତହାସ୍ୟ ଦେଇ କହିଉଠିଲେ:
"ଆରେ ଦେଖ, ଆମେ ଏଠି ପତ୍ରରେ ପାଣି ଛିଞ୍ଚୁଛୁ, ଆଉ ଉପରେ ବସି ଵିଧାତା ମଧ୍ୟ ଆମ ପାଇଁ ପ୍ରକୃତିର ପତ୍ରରେ 'ପତର ପାଣିଆ' ଵର୍ଷା ଢାଳି ଦେଉଛନ୍ତି!"

ବୋଧହୁଏ ଏହିପରି ଏକ ସାଧାରଣ ଅଥଚ ଗଭୀର ସାଂସ୍କୃତିକ ଦୃଶ୍ୟପଟ୍ଟରୁ ଜନ୍ମ ନେଇଥିଲା ଓଡ଼ିଆ ଭାଷାର ଏକ ଅତି ମନୋରମ ଏବଂ ଅର୍ଥପୂର୍ଣ୍ଣ ଦେଶୀୟ ଶବ୍ଦ—'ପତର ପାଣି' ଵା 'ପତର ପାଣିଆ ଵର୍ଷା'। ଓଡ଼ିଆ ଭାଷାର ପ୍ରାଣପୁରୁଷ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂಕଳିତ ମହାନ ଭାଷାକୋଷ ''ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ''ର ପୃଷ୍ଠା ୪୫୫୦ରେ ଏହି ସୁନ୍ଦର ଦେଶଜ ଶବ୍ଦଟି ସ୍ଥାନିତ ହୋଇଛି ।‌
(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପୃଷ୍ଠା ୪୫୫୦ର ଚିତ୍ର)

ଭାଷାକୋଷରେ ପତର ପାଣିର ଗୋଟିଏ ଅର୍ଥ ଖାଇଵା ନିମନ୍ତେ ପତର ବିଛାଇଵା ଏଵଂ ତହିଁ ଉପରେ ପାଣି ଛିଞ୍ଚିଵା ଉଲ୍ଲେଖ ଥିଵାବେଳେ, ଦ୍ଵିତୀୟ ଅର୍ଥ ଖାଇଵା ପତ୍ର ଉପରେ ପାଣି ଛିଞ୍ଚିଲା ପରି ସାମାନ୍ୟ ବିନ୍ଦୁପାତ ସହ ଵର୍ଷା ହେଵା ବୋଲି ଉଲ୍ଲେଖ ଅଛି। ସେହି ପୃଷ୍ଠାରେ 'ପତର ପାଣିଆ' ଶବ୍ଦ ମଧ୍ୟ ସ୍ଥାନ ପାଇଛି ଏଵଂ ଭାଷାକୋଷରେ ଏହି ଶବ୍ଦକୁ ମଧ୍ୟ ସମାନ ଅର୍ଥରେ ଗ୍ରହଣ କରାଯାଇଛି।

ଖାଇଵା ପତ୍ରରେ ପାଣି ଛିଞ୍ଚିଵା ଭଳି ଅତି ସାମାନ୍ୟ ଵର୍ଷାକୁ ଭାଷାକୋଷରେ ଇଂରାଜୀରେ 'Drizzle' କୁହାଯାଏ ବୋଲି ମଧ୍ୟ ଲେଖାଯାଇଛି । ତେବେ ପାଣିପାଗ ବିଜ୍ଞାନ ଅନୁଯାୟୀ, Drizzle କ୍ଷେତ୍ରରେ ସାଧାରଣତଃ ୦.୫ ମିଲିମିଟରରୁ କମ୍ ଆକାରର ଵର୍ଷା ଟୋପା ହୁଏ, ଯାହା ବାୟୁରେ ଭାସିଲା ଭଳି ଦେଖାଯାଏ। ଏଭଳି ଵର୍ଷାକୁ ଓଡ଼ିଆ ଭାଷାରେ ସାଧାରଣତଃ 'କୁଣ୍ଡାଝଡ଼ା ଵର୍ଷା' କୁହାଯାଏ।

ତେଣୁ ଭାଷାକୋଷରେ ପତରପାଣିଆ ଵର୍ଷାକୁ Drizzle କୁହାଯିଵା ସାହିତ୍ୟ ଦୃଷ୍ଟିରୁ ପ୍ରାସଙ୍ଗିକ ହେଲେ ହେଁ, ସୂକ୍ଷ୍ମ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଏଥିରେ ସାମାନ୍ୟ ପାର୍ଥକ୍ୟ ରହିଛି ।

ପତରପାଣିଆ ଵର୍ଷାର ଜଳଟୋପା Drizzle ଅପେକ୍ଷା କିଛି ବଡ଼ ଏଵଂ ସାଧାରଣ ମୂଷଳଧାରା ଵର୍ଷାଠାରୁ ଛୋଟ ବୋଲି ଅନୁମାନ କରାଯାଇପାରେ।

ଇଂରାଜୀ ଵ୍ୟଵହାରିକ ଦୃଷ୍ଟିରୁ ଏହାକୁ Light sprinkle, Brief light shower, Fine rain କିମ୍ବା Sprinkling rain ଭଳି ଵର୍ଣ୍ଣନାମୂଳକ ଶବ୍ଦ ଵା Descriptive expressions ଭାବେ ଗ୍ରହଣ କରାଯାଇପାରେ, ଯଦିଓ ଏଗୁଡ଼ିକ ଵିଶ୍ୱ ପାଣିପାଗ ସଂଗଠନ (WMO)ର କୌଣସି ଆନୁଷ୍ଠାନିକ ପାଣିପାଗ ଶ୍ରେଣୀଭୁକ୍ତ ନୁହନ୍ତି।

ଗ୍ରୀଷ୍ମ ଦିନେ ପ୍ରଚଣ୍ଡ ଖରା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଵାୟୁ ଗରମ ହୋଇ ଉପରକୁ ଉଠେ। ଯଦି ଵାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ନଥାଏ, ତେବେ ଏପରି ପରିସ୍ଥିତିରେ ବଡ଼ କଳାହାଣ୍ଡିଆ ମେଘ ଵା Cumulonimbus Clouds ବଦଳରେ ଅତି ପତଳା ଓ ଛୋଟ Shallow Cumulus ମେଘ ସୃଷ୍ଟି ହୋଇପାରେ। ଏହି ମେଘଗୁଡ଼ିକର ଉଚ୍ଚତା ଓ ଘନତ୍ୱ ବହୁତ କମ୍ ଥାଏ, ଯାହାଫଳରେ ଏଥିରେ ଥିଵା ଜଳବିନ୍ଦୁଗୁଡ଼ିକ ବଡ଼ ଆକାର ଧାରଣ କରିଵା ପାଇଁ ଆବଶ୍ୟକ ସମୟ ଵା ଅନୁକୂଳ ପରିବେଶ ପାଆନ୍ତି ନାହିଁ।
ଯେତେବେଳେ ଏହି ଛୋଟ ଜଳବିନ୍ଦୁଗୁଡ଼ିକ ମେଘରୁ ତଳକୁ ଖସନ୍ତି, ସେମାନଙ୍କୁ ତଳେ ଥିଵା ପ୍ରଚଣ୍ଡ ଗରମ ଓ ଶୁଷ୍କ ବାୟୁମଣ୍ଡଳ ଦେଇ ଗତି କରିଵାକୁ ପଡ଼ିଥାଏ। ଏହି ଗରମ ପଵନ ସଂସ୍ପର୍ଶରେ ଆସିଵା ଯୋଗୁଁ ତଳକୁ ଖସୁଥିଵା ଜଳବିନ୍ଦୁଗୁଡ଼ିକର ବାହ୍ୟ ପାର୍ଶ୍ୱ ବାଟରେ ହିଁ ଵାଷ୍ପୀଭୂତ ହେଵାକୁ ଲାଗେ।

ଯଦି ଵାୟୁ ଅତ୍ୟଧିକ ଶୁଷ୍କ ଥାଏ, ତେବେ ଟୋପାଗୁଡ଼ିକ ଭୂପୃଷ୍ଠରେ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାନ୍ତି, ଯାହାକୁ ଜଳଵାୟୁ ଵିଜ୍ଞାନରେ Virga କୁହାଯାଏ।
କିନ୍ତୁ ପତରପାଣିଆ ଵର୍ଷା କ୍ଷେତ୍ରରେ, ଜଳବିନ୍ଦୁଗୁଡ଼ିକ ସମ୍ପୂର୍ଣ୍ଣ ଅଦୃଶ୍ୟ ନହୋଇ ବାଟରେ ଆଂଶିକ ଵାଷ୍ପୀଭୂତ ହେଵା ଯୋଗୁଁ ଅପେକ୍ଷାକୃତ ଛୋଟ ଆକାରରେ ଭୂପୃଷ୍ଠରେ ପହଞ୍ଚିଥାନ୍ତି। ଏହି ଵର୍ଷା ଠିକ୍ ହାତରେ ପାଣି ଛିଞ୍ଚିବା ପରି ଅନୁଭୂତ ହୁଏ। ଏହି ମେଘଗୁଡ଼ିକ କୌଣସି ବଡ଼ ମୌସୁମୀ ଵାୟୁ ଅଥଵା ଵାତ୍ୟା ଦ୍ୱାରା ଆସିନଥାନ୍ତି। ଏଗୁଡ଼ିକ କେଵଳ ସ୍ଥାନୀୟ ଉତ୍ତପ୍ତ ଵାୟୁ ଯୋଗୁଁ କିଛି ସମୟ ପାଇଁ ତିଆରି ହୋଇଥାନ୍ତି। ମେଘରେ ଥିଵା ସୀମିତ ଜଳକଣା ଶେଷ ହୋଇଯିଵା ମାତ୍ରେ କିମ୍ବା ଆଖପାଖର ଗରମ ପଵନ ଯୋଗୁଁ ମେଘଟି ତୁରନ୍ତ ମିଳେଇଯାଏ, ତେଣୁ ଏହି ଵର୍ଷା ମାତ୍ର କେଇ ମିନିଟ୍ ପାଇଁ ହିଁ ହୋଇଥାଏ।
ତେବେ ଭାଷାକୋଷର ଉଲ୍ଲେଖରୁ ସ୍ପଷ୍ଟ ହୁଏ ଯେ, 'ପତର ପାଣି' ମୂଳତଃ ଏକ ସାମାଜିକ କ୍ରିୟା ଵା ରୀତି ଥିଲା। ପୁରାତନ ଓଡ଼ିଶାରେ ମାଟି ଉପରେ ବସି କଦଳୀ ପତ୍ର, ଶାଳ ପତ୍ର ଵା ପୁରୁଡ଼ୁ ପତ୍ରରେ ଖାଇଵାର ପରମ୍ପରା ଥିଲା। ଖାଇଵା ପୂର୍ବରୁ ପତ୍ରଟିକୁ ସଫା କରିଵା ଏଵଂ ସେଥିରେ ଏକ ପ୍ରକାର ଆଧ୍ୟାତ୍ମିକ ଶୁଦ୍ଧତା ଆଣିଵା ପାଇଁ ହାତରେ ପାଣି ଛିଞ୍ଚାଯାଉଥିଲା। ଏହି କ୍ରିୟାର ସାଦୃଶ୍ୟକୁ ନେଇ ଯେତେବେଳେ ଆକାଶରୁ ଅତି କମ୍ ପରିମାଣର, ଛୋଟ ଛୋଟ ଜଳବିନ୍ଦୁ ଖସେ, ତାହାକୁ 'ପତର ପାଣିଆ ଵର୍ଷା' କୁହାଗଲା।
ଓଡ଼ିଆ ସାହିତ୍ୟ ଓ ଭାଷାତତ୍ତ୍ୱର ଏହା ଏକ ଅନନ୍ୟ ଵୈଶିଷ୍ଟ୍ୟ ଯେ ଏଠାରେ ପ୍ରକୃତିକୁ କେଵଳ ଭୟ ଵା ଵିସ୍ମୟର ସହ ଦେଖାଯାଇନାହିଁ, ଵରଂ ତାକୁ ଅତି ଆପଣାର କରି ଘରକରଣା ଶବ୍ଦରେ ବାନ୍ଧି ଦିଆଯାଇଛି। ପତର ପାଣିଆ ଵର୍ଷା ହେଉଛି ପ୍ରକୃତିର ସବୁଠାରୁ ଶାନ୍ତ, ସୌମ୍ୟ ଓ କୋମଳ ରୂପ। ଵର୍ଷା ଋତୁର ପ୍ରବଳ ଵାରିପାତ ଯାହାକୁ ଆମେ ମୂଷଳଧାରା ଵର୍ଷା କହୁ କିମ୍ବା ଆଶ୍ୱିନ ମାସର ଛେଚା ବର୍ଷା ଠାରୁ ଏହି 'ପତର ପାଣିଆ' ଵର୍ଷା ସମ୍ପୂର୍ଣ୍ଣ ଭିନ୍ନ। ଏହା ଆସେ, କିଛି ସମୟ ପାଇଁ ଧରିତ୍ରୀକୁ ନିଜର ଶୀତଳ ସ୍ପର୍ଶ ଦିଏ ଏଵଂ ଚାଲିଯାଏ।

ଗ୍ରୀଷ୍ମର ପ୍ରକୋପରେ ଯେତେବେଳେ ମାଟି ଫାଟିଯାଏ ଏଵଂ ଗଛଲତାମାନ ଧୂଳିଧୂସରିତ ହୋଇପଡ଼ନ୍ତି, ସେତେବେଳେ ଏହି ପତର ପାଣିଆ ଵର୍ଷା ସେମାନଙ୍କ ଉପରେ ଏକ ନୂତନ ସଞ୍ଜୀଵନୀ ଭଳି କାମ କରେ। ଏହା ଧୂଳିକୁ ଶାନ୍ତ କରିଦିଏ ଏଵଂ ଚାରିଆଡ଼େ ଏକ ମନୋହର ମାଟିର ବାସ୍ନା "Petrichor" ଭରିଦିଏ, ଯାହାକୁ ଦେଶୀୟ ଭାଷାରେ "ପିତାପାଣିଆ ଗନ୍ଧ" ମଧ୍ୟ କୁହାଯାଏ । ଏ ଧରଣର ଵର୍ଷା ଯଦି ଵର୍ଷାଦିନର ଆରମ୍ଭରେ ହୁଏ ଏଵଂ ତହିଁରୁ ପିତାପାଣିଆ ଗନ୍ଧ ବାହାରେ, ତେବେ ସେ ଧରଣର ଵର୍ଷାକୁ 'ପିତାପାଣିଆ ଵର୍ଷା' କୁହାଯାଏ । ପତରପାଣି ଵର୍ଷା ଵା ପତରପାଣିଆ ଵର୍ଷା ଵର୍ଷର ଯେକୌଣସି ସମୟରେ ହୋଇପାରେ, ତେବେ ଵର୍ଷା ଋତୁ ଆରମ୍ଭରେ ଅଧିକ ଦେଖାଯାଏ ଏଵଂ ଏଥିରେ ସାମାନ୍ୟ ପରିମାଣରେ ଵର୍ଷା ହୋଇଥାଏ। ବେଳେବେଳେ ଅଦିନିଆ ଵର୍ଷା ସମୟରେ ମଧ୍ୟ ଏଭଳି ଵର୍ଷା ଦେଖାଯାଏ ।
ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତିରେ ପତରପାଣିଆ ଵର୍ଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଅକ୍ଷୟ ତୃତୀୟା ପରେ ଯେତେବେଳେ ଚାଷୀ ବିଲରେ ଗୁଣ୍ଠି ବୁଣେ, ସେତେବେଳେ ପ୍ରଵଳ ଵର୍ଷା ହେଲେ ବିହନ ସବୁ ଧୋଇଯିଵାର ଭୟ ଥାଏ। ମାତ୍ର ଵର୍ଷା ଋତୁର ଆରମ୍ଭରେ ଏହି ପତର ପାଣିଆ ଵର୍ଷା ହେଵାରୁ ମାଟିକୁ ଉପରୁ ସାମାନ୍ୟ ଓଦା କରି ବିହନ ଗଜା ହେଵାରେ ସାହାଯ୍ୟ କରିଥାଏ। ଏହି ଵର୍ଷା କାହାକୁ ଗୃହବନ୍ଦୀ କରେନାହିଁ। ବାଟୋଇଟିଏ ନିଜ ବାଟରେ ଚାଲିପାରେ, ପିଲାମାନେ ବାହାରେ ଖେଳିପାରନ୍ତି ଏଵଂ ପକ୍ଷୀମାନେ ନିଜ ଡେଣା ସାମାନ୍ୟ ଭିଜାଇ ଆନନ୍ଦରେ ଗୀତ ଗାଇପାରନ୍ତି। ଏହା ପ୍ରକୃତିର ଏକ ଅତି ସୂକ୍ଷ୍ମ ଆଶୀର୍ଵାଦ।

ଯେକୌଣସି ଭାଷାର ସମୃଦ୍ଧି ତା’ର ଶବ୍ଦଭଣ୍ଡାରରୁ ଜଣାପଡ଼େ। ଓଡ଼ିଆ ଭାଷାରେ ପ୍ରକୃତିର ପ୍ରତିଟି ଗତିଵିଧି ପାଇଁ ସ୍ୱତନ୍ତ୍ର ଶବ୍ଦ ଅଛି। ଏହି କ୍ରମରେ 'ପତର ପାଣି' ଵା 'ପତର ପାଣିଆ' ଶବ୍ଦଟି କେଵଳ ଏକ ଆଞ୍ଚଳିକ ଶବ୍ଦ ନୁହେଁ, ଵରଂ ଏହା ପଛରେ ରହିଛି ପ୍ରଭୂତ ଯୁକ୍ତିଯୁକ୍ତତା ଏଵଂ ମାନସିକ ସାଦୃଶ୍ୟ।
ଯେତେବେଳେ ଆମେ ହାତରେ ପାଣି ନେଇ କୌଣସି ସ୍ଥାନରେ ଛିଞ୍ଚୁ, ସେତେବେଳେ ପାଣିର ଟୋପାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଧାରାରେ ନପଡ଼ି ଵିଚ୍ଛିନ୍ନ ଏଵଂ ଅତି କ୍ଷୁଦ୍ର ଆକାରରେ ପଡ଼ିଥାନ୍ତି। ପତର ପାଣିଆ ଵର୍ଷା ସମୟରେ ଆକାଶରୁ ଖସୁଥିବା ଜଳବିନ୍ଦୁଗୁଡ଼ିକୁ ଦେଖିଲେ ଠିକ୍ ସେହିପରି ଅନୁଭୂତି ହୁଏ, ତେଣୁ ସେଥିପାଇଁ ଏହାକୁ 'ପତର ପାଣିଆ' କହିଵା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।
ଓଡ଼ିଆ ଭାଷାରେ ଏପରି ସାଂସ୍କୃତିକ ସାଦୃଶ୍ୟ ଆଧାରିତ ନାମକରଣ ଏକ ଅନନ୍ୟ ଵୈଶିଷ୍ଟ୍ୟ। ଇଂରାଜୀରେ 'Drizzle' ଭଳି ଵୈଜ୍ଞାନିକ ଶବ୍ଦ ନିଶ୍ଚୟ ଅଛି କିନ୍ତୁ ତାହା କେଵଳ ଶୁଷ୍କ ଵୈଜ୍ଞାନିକ ଅର୍ଥକୁ ବୁଝାଏ । 
ପତରପାଣିଆ ଵର୍ଷା ପାଇଁ Light sprinkle, Brief light shower, Fine rain କିମ୍ବା Sprinkling rain ଭଳି ଵର୍ଣ୍ଣନାମୂଳକ ଶବ୍ଦ ଶବ୍ଦ ବି ଇଂରାଜୀ ଭାଷାରେ ଵ୍ୟଵହାର କରାଯାଇପାରେ ମାତ୍ର ଏସବୁ ଶବ୍ଦଗୁଡ଼ିକର ସାଂସ୍କୃତିକ ମହତ୍ତ୍ଵ ନାହିଁ । 'ପତର ପାଣିଆ' ଶବ୍ଦଟି ଉଚ୍ଚାରଣ କଲା ସାଙ୍ଗେ ସାଙ୍ଗେ ଓଡ଼ିଆ ଗୃହର ପାରମ୍ପରିକ ଆତିଥେୟତା ଏଵଂ ଭୋଜିଭାତର ସ୍ମୃତି ଆଖି ଆଗକୁ ଚାଲିଆସେ।
ଓଡ଼ିଆ ଜନଜୀଵନ ପ୍ରକୃତିକୁ ନିଜ ପରିଵାରର ଏକ ଅଂଶ ଭାବେ ଗ୍ରହଣ କରିଛି। ଆକାଶ ଯେତେବେଳେ ଅଳ୍ପ ଵର୍ଷା କରେ, ସେତେବେଳେ ଓଡ଼ିଆ ମନେକରେ ଯେ ପ୍ରକୃତି ମାଆ ସତେ ଯେମିତି ସାରା ସଂସାର ରୂପକ ପତ୍ର ଉପରେ ଶୀତଳତାର ପାଣି ଛିଞ୍ଚି ଦେଉଛି।

'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ର ୪୫୫୦ ପୃଷ୍ଠାରେ ସ୍ଥାନିତ ଏହି କ୍ଷୁଦ୍ର ଶବ୍ଦ 'ପତରପାଣି ଵା ପତର ପାଣିଆ' ପ୍ରକୃତରେ ଆମ ଭାଷାର ଏକ ଵିରାଟ ଵୈଭଵକୁ ପ୍ରଦର୍ଶନ କରେ। ଏହା କେଵଳ ଏକ ପାଣିପାଗର ଅଵସ୍ଥାକୁ ସୂଚାଉ ନାହିଁ, ଵରଂ ଏହା ଭିତରେ ଲୁଚି ରହିଛି ଓଡ଼ିଆ ମାଟିର ବାସ୍ନା, ଓଡ଼ିଆ ସଂସ୍କୃତିର ପରମ୍ପରା ଏଵଂ ପ୍ରକୃତିକୁ ଦେଖିଵାର ଏକ ସୂକ୍ଷ୍ମ ଵୈଜ୍ଞାନିକ ଦୃଷ୍ଟିକୋଣ। ସମୟ ବଦଳିଵା ସହ ଆଜି କଂକ୍ରିଟ୍ ସହରର ବନ୍ଦ କୋଠରୀରେ ହୁଏତ କଦଳୀ ପତ୍ରର 'ପତର ପାଣି' ହଜିଯାଇଥାଇପାରେ, ମାତ୍ର ଯେତେବେଳେ ଆକାଶରୁ ସୂକ୍ଷ୍ମ ଜଳକଣା ଝରିଵ, ସେତେବେଳେ ପ୍ରତିଟି ଓଡ଼ିଆ ପ୍ରାଣ ଆପେ ଆପେ ଗାଇଉଠିଵ—ଏହା କେଵଳ ଵର୍ଷା ନୁହେଁ, ଏହା ହେଉଛି ଆମ ମାଟିର ଆପଣାର 'ପତର ପାଣିଆ ଵର୍ଷା'।

Saturday, June 13, 2026

ମାଧଵ ଭଗିଆ ସମ୍ବାଦ —୫(Myth ଓ ମିଥ୍ୟା)

ଭଗିଆ କିଛି ମାସ ତଳେ ପ୍ରସାରିତ ହୋଇଥିଵା ଲେଖକ ଅକ୍ଷତ ଗୁପ୍ତାଙ୍କ ଗୋଟେ ସାକ୍ଷାତକାର ଦେଖି ମନ୍ଦ ମନ୍ଦ ହସୁଥାଏ ଯେ ଏତିକିବେଳେ ମାଧଵ ସେଠି ଆସି ପହଁଞ୍ଚିଗଲା । ଭଗିଆକୁ ହସୁଥିଵାର ଦେଖି ମାଧଵ ଗମାତରେ ପଚାରିଲା “ଆଉ ଭଗଵାନ ଭାଇ କିସ ଆଜି ଭାରି ହସୁଛ ତ ! ତମେ ତ ସହଜେ ହସିଵା ଲୋକ ନୁହେଁ! ସେ ହସକଥାଟା ମୋତେ ବି ଡେଗେଇ ଦିଅନ୍ତନି, ମୁଁ ମଧ୍ୟ ଦେଖନ୍ତି ।” ଭଗିଆ ଯେମିତି ମାଧଵ କଥା ଶୁଣିଛି ତାକୁ ଆହୁରି ହସ ମାଡ଼ିଲା । ତେବେ ହସ ଚାପି ଭଗିଆ ତାକୁ କହିଲା,"ନାଇଁ ହେ ସେତା କୋଉ ହସକଥା ଵିଡିଓ ନୁହେଁ ଵା ! ହେଇ ସେ ଅକ୍ଷତ ଗୁପ୍ତାଙ୍କର ଆର୍ ଜେ ରୌନକଙ୍କ ସହିତ ସାକ୍ଷାତକାର ଦେଖୁଥିଲି ଯେ ତାଙ୍କର ଗୋଟେ କଥା ଶୁଣି ବଢ଼େ ହସ ଲାଗିଲା !”
ତାପରେ ମାଧଵକୁ ଭଗିଆ ସେ ଵିଡିଓଟି ଦେଖେଇଲା । ସେଥିରେ ଅକ୍ଷତ ଗୁପ୍ତା କହୁଥାନ୍ତି 

ଅକ୍ଷତ ଗୁପ୍ତା—“एक शब्द है Mythology ...
Rj ରୌନକ୍— इस शब्द से एग्री करते हैं आप ?
ଅକ୍ଷତ ଗୁପ୍ତା—नहीं ! मैं नहीं करता
Rj ରୌନକ୍—तो Mythology है या देश का इतिहास है क्या बोलेंगे उसको ? राईट वर्ड क्या है उसके लिए?
ଅକ୍ଷତ ଗୁପ୍ତା—मेरे लिए तो सत्यलोजी है । अगर आप इसको मिथ्या मानेंगे... मिथ् और मिथ्या शब्द से Mythology बना है और मिथ्या मतलब हीं कल्पना है, कहानी है और सत्यता उसमें ज़ीरो हो जाता है । 
...

ମାଧଵକୁ ଵିଡିଓ ଏତିକି ଦେଖେଇ ଭଗିଆ କହିଲା ଦେଖିଲୁ ତ ମୁଁ ଏଇକଥା ଶୁଣି ହସୁଥିଲି ! 
ମାଧଵ କିଛି ବୁଝିନପାରି କହିଲା “ମଲା ଏଥିରେ ହସିଲା ଭଳିଆ କ'ଣ ଅଛି ? ଅକ୍ଷତ ଗୁପ୍ତା ତ ଠିକ୍ କଥା କହୁଛନ୍ତି,ମିଥ୍ୟାରୁ ମିଥ୍ ଆଉ ମାଇଥୋଲୋଜୀ ହୋଇଛି !”

ଭଗିଆ କହିଲା ତୁ କେମିତି ଜାଣିଲୁ? ଏଇଟା ଗୋଟେ ମିଛ କଥା ! 

ମାଧଵ କୋଉ ମାନିଵା ଲୋକ? ସେ ସଙ୍ଗେ ସଙ୍ଗେ ଯୁକ୍ତି କଲା , “ଆଉ ତମେ ସବୁ ଜାଣିଛ ଆଉ ? ଅକ୍ଷତ ଗୁପ୍ତା କିଏ ଜାଣିଛ ? ସିଏ ହିଡେନ୍ ହିନ୍ଦୁର ଲେଖକ,କେତେ କୁଆଡେ଼ ଗଵେଷଣା କରି ସେ ଲେଖିଛନ୍ତି ଦ ନାଗା ୱାରିଅର୍ ଆଉ ତମେ ତାଙ୍କ କଥାକୁ ଭୁଲ୍ କହି ଦେଉଛ ?”

ଭଗିଆ ତାକୁ ବୁଝେଇଲା,ଦେଖେ ମିଥ୍ (myth) ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଵିଭିନ୍ନ ଵ୍ୟୁତ୍ପତ୍ତିଗତ (etymological) ମତ ରହିଛି। ଏହା ପ୍ରାୟତଃ ପ୍ରାଚୀନ ଗ୍ରୀକ୍ ଭାଷାର μῦθος (mûthos)ରୁ ଆସିଛି, ଯାହାର ଅର୍ଥ "କଥା, ଵାକ୍ୟ, ଚିନ୍ତାଵାଣୀ, କାହାଣୀ" ଇତ୍ୟାଦି। ଏହି ଗ୍ରୀକ୍ ଶବ୍ଦଟି ମଧ୍ୟୟୁଗୀୟ ଲାଟିନ୍ mythus ଓ ଫ୍ରେଞ୍ଚ୍ mythe ମାଧ୍ୟମରେ ୧୮୩୦ ମଧ୍ୟରେ ଇଂରାଜୀରେ Myth ରୂପେ ପ୍ରଵେଶ କରିଥିଲା। କିନ୍ତୁ ମୂଳ ଗ୍ରୀକ୍ mûthos ଶବ୍ଦର ଉତ୍ପତ୍ତି ଵିଷୟରେ ଭାଷାଵିଦ୍‌ମାନଙ୍କ ମଧ୍ୟରେ ଅନେକ ଵିଵାଦ ଓ ଵିଭିନ୍ନ ଥିଓରି ରହିଛି। 

ଭାଷାଵିଦ୍ Hjalmar Friskଙ୍କ ଅନୁଯାୟୀ, mûthos ଏକ ଧ୍ୱନ୍ୟାନୁକାରୀ ଶବ୍ଦ, ଅର୍ଥାତ୍ ଏହା ଶବ୍ଦର ଅନୁକରଣରୁ ସୃଷ୍ଟି ହୋଇଛି। ଏହା ଗ୍ରୀକ୍ μῡ (mū)ରୁ ଆସିଛି, ଯାହା ଏକ ମୁଖ ଵା ନାକରୁ ସୃଷ୍ଟି ହେଉଥିଵା ଧ୍ୱନିକୁ ସୂଚିତ କରେ। ଏହି ଥିଓରି ଅନୁଯାୟୀ, ଶବ୍ଦ ଓ କାହାଣୀର ସମ୍ପର୍କରୁ ଏହା ଉଦ୍ଭଵ ହୋଇଛି।

ଭାଷାବିଦ୍ Robert S. P. Beekesଙ୍କ ମତରେ, mythos ଏକ ପ୍ରାକ୍-ଗ୍ରୀକ୍ (Pre-Greek) ମୂଳ ଶବ୍ଦ, ଯାହାର ଉତ୍ପତ୍ତି ଅଜଣା ଓ ସମ୍ଭଵତଃ ଗ୍ରୀକ୍ ଭାଷାର ବାହ୍ୟ ସ୍ରୋତରୁ ଏହା ସୃଷ୍ଟି ହୋଇଛି । ହୁଏତ ଏ ଶବ୍ଦଟି ଅଣଭାରୋପୀୟ ଭାଷାରୁ ପ୍ରାକ୍ ଗ୍ରୀକ୍ ଭାଷାରେ ଆସି ଚଳିଥିଵ । 

Ernštedt (୧୯୫୩: ୫୫-୫୭) ଯୁକ୍ତି ଦେଇଥିଲେ ଯେ mythos ସମ୍ଭଵତଃ ଇଜିପ୍ଶିୟାନ୍ mdwt ("ଶବ୍ଦ, ବାଣୀ, କାର୍ଯ୍ୟ")ରୁ ଉଦ୍ଭବ ହୋଇଛି। ଯଦି ଏହା ସତ୍ୟ, ତେବେ ଏହା କପ୍ଟିକ୍ ⲙⲉⲧ- (met-)ର ସଗୋତ୍ରୀୟ ଶବ୍ଦ ଓ ⲙⲟⲩⲧⲉ (moute) ସହିତ ସମ୍ପର୍କିତ ହୋଇଥାଇପାରେ ।

ତେବେ Myth ଶବ୍ଦ ସହିତ ସାମ୍ୟ ଥିଵାରୁ 
କିଛି ଭାଷାଵିଦ୍‌ମାନେ ମତ ଦିଅନ୍ତି ଯେ, mythos ପ୍ରାକ୍-ସ୍ଲାଭିକ୍ *myslь ("ଆଇଡିଆ, ଥଟ୍", ଅର୍ଥାତ୍ "ଚିନ୍ତା ଵା ଵିଚାର")ରୁ ସୃଷ୍ଟି ହୋଇଛି। ଏହା ପ୍ରଟୋ-ଇଣ୍ଡୋ-ଇଉରୋପୀୟ *mewHdʰ- ("କିଛି ଵିଷୟରେ ଅଭିଯୋଗ କରିଵା ଵା ଚିନ୍ତା କରିଵା") ମାଧ୍ୟମରେ ସମ୍ପର୍କିତ। ପ୍ରାକ୍ ଭାରୋପୀୟ *mewHdʰ ଶବ୍ଦରୁ ଅନ୍ୟ ଏକ ଦିଗରେ ସଂସ୍କୃତ ଶବ୍ଦ ମିଥ୍ୟା (mithyā, "ମିଥ୍ୟା, ଅସତ୍ୟ, ମାୟାଜାଳ") ବି ସୃଷ୍ଟି ହୋଇଛି ‌। ଏକ ବଡ଼ ଵର୍ଗ ଏହି ମତକୁ ସମର୍ଥନ କରେ । 

ତେବେ ଏହି ସମସ୍ତ ମତ ମଧ୍ୟରେ ସର୍ଵାଧିକ ପ୍ରଚଳିତ ହେଉଛି Beekesଙ୍କର Pre-Greek ଥିଓରି, ଯାହା ଅଧିକାଂଶ ଆଧୁନିକ ଵ୍ୟୁତ୍ପତ୍ତିକୋଷରେ ଗ୍ରହଣ କରାଯାଏ। ଅନ୍ୟାନ୍ୟ ଥିଓରିଗୁଡ଼ିକ ଵିକଳ୍ପ ଵା ଵିଵାଦାସ୍ପଦ, କିନ୍ତୁ ଏଗୁଡ଼ିକ ଭାଷାର ଵିଵର୍ତ୍ତନର ଵିଭିନ୍ନ ଦିଗକୁ ପ୍ରକାଶ କରେ।

ଭଗିଆର ଏତେ ବଡ଼ ଭାଷାତାତ୍ତ୍ୱିକ ଵ୍ୟାଖ୍ୟାନ ଶୁଣି ମାଧଵର ମୁଣ୍ଡ ଟିକେ ବୁଲାଇଦେଲା। ସେ କିଛି ସମୟ ଗୁମ୍ ମାରି ବସିଲା, ତା’ପରେ ନିଜ ଗାମୁଛାଟାକୁ କାନ୍ଧରେ ପକାଇ ପୁଣି ଯୁକ୍ତି ବାଢ଼ି କହିଲା— "ହଉ ହେ ଭଗଵାନ ଭାଇ! ତମେ ତ ଗ୍ରୀକ୍, ଲାଟିନ୍, ଇଜିପ୍ଟ ସବୁ ଦେଶ ବୁଲି ଆସିଲଣି। କିନ୍ତୁ ଶେଷ କଥାଟାରେ ତମେ ନିଜେ କହିଲ ଯେ ସଂସ୍କୃତ 'ମିଥ୍ୟା' ଶବ୍ଦ ସହିତ ଏହି 'Myth'ର ସମ୍ପର୍କ ଥାଇପାରେ ବୋଲି କିଛି ପଣ୍ଡିତ କହୁଛନ୍ତି। ତା’ହେଲେ ଅକ୍ଷତ ଗୁପ୍ତା ଯାହା କହିଲେ, ସେଥିରେ ଭୁଲ୍ କୋଉଠି ରହିଲା? ମିଥ୍ୟାରୁ ହିଁ ତ ମାଇଥୋଲୋଜୀ ଆସିଲା ବୋଲି ପ୍ରମାଣ ହେଉଛି!"

ଭଗିଆ (ମନ୍ଦ ମନ୍ଦ ହସି) ବୁଝେଇଲା "ଆରେ ମାଧଵରେ! ତୁ କଥାଟାର ଚେରକୁ ନ ଦେଖି ଖାଲି ପତ୍ରକୁ ଦେଖି ଡେଉଁଛୁ। ଭାଷା ଵିଜ୍ଞାନରେ 'ସଗୋତ୍ରୀୟ' (cognate) ହେଵା ଏଵଂ 'ଗୋଟିଏ ଶବ୍ଦରୁ ଅନ୍ୟ ଶବ୍ଦ ବାହାରିଵା' ଭିତରେ ଆକାଶ ପାତାଳ ତଫାତ ଅଛି।"

"ସେ କେମିତି? ଟିକେ ସହଜ କରି ବୁଝାଅ, ମୋ ଓଡ଼ିଆ ମୁଣ୍ଡରେ ଏ ବିଦେଶୀ ପାଠ ପଶୁନି। ମାଧଵ ବୁଝିନପାରି ପଚାରିଲା "

ଭଗିଆ କହିଲା "ଶୁଣ ମାଧିଆ, ଯଦି ସେହି ପ୍ରାକ୍-ଭାରୋପୀୟ (Proto-Indo-European) ମୂଳ ଶବ୍ଦ mewHd^h କୁ ଆମେ ଗ୍ରହଣ କରିଵା, ତେବେ ତା’ର ଅର୍ଥ ଥିଲା 'ଚିନ୍ତା କରିଵା' ଵା 'ଭାବିଵା'। ସେହି ଗୋଟିଏ ମୂଳ ଶବ୍ଦରୁ ଗ୍ରୀକ୍ ଭାଷାରେ ବାହାରିଲା 'mûthos' (ଯାହାର ଅର୍ଥ କାହାଣୀ ଵା ବିଚାର) ଏଵଂ ସଂସ୍କୃତରେ ବାହାରିଲା 'ମିଥ୍ୟା' (ଯାହାର ଅର୍ଥ ପ୍ରଥମେ ପ୍ରତିପକ୍ଷ ଵା ଵିପରୀତ ଥିଲା, ପରେ ଅସତ୍ୟ ହେଲା)। ଅର୍ଥାତ୍ 'ମିଥ୍' ଓ 'ମିଥ୍ୟା' ଦୁଇଟିଯାକ ଶବ୍ଦ ଯଦି ଦୁଇ ଭାଇ-ଭଉଣୀ ପରି ହୁଅନ୍ତି ତେବେ ଉଭୟ ଶବ୍ଦର ବାପା ଜଣେ। କିନ୍ତୁ ଅକ୍ଷତ ଗୁପ୍ତା କହୁଛନ୍ତି 'ମିଥ୍ୟା' ଶବ୍ଦରୁ 'ମିଥ୍' ଜନ୍ମ ହୋଇଛି,ମାନେ ଜଣେ ଭାଇଠାରୁ ତା ଭଉଣୀ ଜନମ ହୋଇଛି । କେବେ ଏମିତି ବଦ୍ଧ ପାଗଳାମି କଥା କେବେ ଶୁଣିଛୁ କହ ? ସଂସ୍କୃତ 'ମିଥ୍ୟା' ଶବ୍ଦ ୟୁରୋପ ଯାଇ 'Myth' ହୋଇନାହିଁ।"
ଆଉ ଏକ ସହଜ ଉଦାହରଣ ଦେଉଛି ଭଲ ଭାବରେ ମନୋଯୋଗ ଦେଇ ଶୁଣ । 
ସଂସ୍କୃତର 'ମାତୃ', ଲାଟିନର 'mater' ଏଵଂ ଇଂରାଜୀର 'Mother' — ଏସବୁ ସଗୋତ୍ରୀୟ ଶବ୍ଦ। ଏହାର ଅର୍ଥ ନୁହେଁ ଯେ ସଂସ୍କୃତ ମାତୃ ଶବ୍ଦରୁ ଇଂରାଜୀ ମଦର ଶବ୍ଦଟି ସୃଷ୍ଟି ହୋଇଛି। ଏ ସମସ୍ତ ଶବ୍ଦ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରୁ ଭିନ୍ନ ଭିନ୍ନ ଭାଷାରେ ଵିଵର୍ତ୍ତିତ ହୋଇଛନ୍ତି।

ମାଧଵ ଏସବୁ ଶୁଣି ଟିକେ ନରମି ଯାଇ କହିଲା "ହଉ, ଏଇଟା ନହେଲେ ଭାଷାଗତ ଭୁଲ୍ ହେଲା। କିନ୍ତୁ ଅକ୍ଷତ ଗୁପ୍ତା ଯେଉଁ ଭାବନା ପଛରେ ଏକଥା କହିଲେ, ସେଇଟା ତ ଠିକ୍ ନା? ଆମ ଇତିହାସ, ଆମ ରାମାୟଣ-ମହାଭାରତକୁ ଇଂରେଜମାନେ 'Mythology' କହି କାଳ୍ପନିକ ଵା ମିଛ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ତାକୁ 'ସତ୍ୟଲୋଜୀ' କହିଵାରେ ଅସୁବିଧା କଣ?"

ଭଗିଆ ବୁଝେଇଲା —"ଦେଖେ ମାଧଵ, ଭାବନାତ୍ମକ ଭାବେ ତୁ ଵା ଅକ୍ଷତ ବାବୁ ଯାହା କହୁଛ, ସେଥିପାଇଁ ମୋର ଆଦର ଅଛି। କିନ୍ତୁ ଗୋଟେ ଭୁଲ୍ ଯୁକ୍ତି ଦେଇ ନିଜକୁ ଠିକ୍ ପ୍ରମାଣ କରିଵା ହେଉଛି ଅଜ୍ଞତା। 'Mythology' ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦର ମିଶ୍ରଣରୁ ସୃଷ୍ଟି । mûthos (କାହାଣୀ/ପରମ୍ପରା) ଓ logia (ଅଧ୍ୟୟନ)। ଅର୍ଥାତ୍, କୌଣସି ସଂସ୍କୃତିର ପାରମ୍ପରିକ ଓ ସାଂସ୍କୃତିକ କାହାଣୀଗୁଡ଼ିକର ଵୈଜ୍ଞାନିକ ଅଧ୍ୟୟନକୁ 'Mythology' କୁହାଯାଏ। ଏହାର ଅର୍ଥ 'ମିଛର ଅଧ୍ୟୟନ' ନୁହେଁ।"

ମାଧଵ ପୁଣି ପଚାରିଲା — "ତା’ହେଲେ ଆମେରିକା, ୟୁରୋପରେ ଏହାକୁ କାଳ୍ପନିକ କାହିଁକି କୁହାଯାଏ?"

ଭଗିଆ କହିଲା — "ସେଇଟା ହେଉଛି ଶବ୍ଦର ଵ୍ୟଵହାରିକ ଅପଭ୍ରଂଶ। ସମୟକ୍ରମେ ସାଧାରଣ ଲୋକେ 'Myth' ଶବ୍ଦକୁ 'ଭ୍ରମ ଵା ମିଥ୍ୟା ଧାରଣା' ଅର୍ଥରେ ଵ୍ୟଵହାର କଲେ। ଯେମିତି ଆମେ ଓଡ଼ିଆରେ କହୁ— 'ଏଇଟା ଗୋଟେ ଗପ'। ଏହାର ମୂଳ ଅର୍ଥ ଗଳ୍ପ, କିନ୍ତୁ ଵ୍ୟଵହାରରେ ଆମେ କହୁ 'ମୋତେ ଗପ ଶୁଣାଅନି' (ଅର୍ଥାତ୍ ମିଛ କୁହନି)। ଠିକ୍ ସେମିତି! କିନ୍ତୁ ଶାସ୍ତ୍ରୀୟ ସ୍ତରରେ ଗ୍ରୀକ୍ 'Muthos'ର ମହତ୍ତ୍ୱ ବହୁତ ଅଧିକ ଥିଲା। ଆରିଷ୍ଟୋଟଲ୍ ନିଜ ନାଟ୍ୟଶାସ୍ତ୍ର (Poetics)ରେ ନାଟକର ମୂଳ କାହାଣୀ ଵା ପ୍ଲଟ୍(Plot)କୁ 'Muthos' ବୋଲି କହିଛନ୍ତି। ସେଠି ତା’ର ଅର୍ଥ ମିଛ ନଥିଲା ଵରଂ ଜୀଵନର ସତ୍ୟକୁ ପ୍ରକାଶ କରିଵାର ଏକ ମାଧ୍ୟମ ଥିଲା।"

ମାଧଵ ଆଶ୍ଚର୍ଯ୍ୟ ହୋଇ ନିଜ ମୁଣ୍ଡ କୁଣ୍ଡାଇ କହିଲା "ବାପ୍ ରେ ବାପ୍! ଏତେ କଥା ଅଛି ଏଇ ଶବ୍ଦ ପଛରେ? ତା’ହେଲେ ଅକ୍ଷତ ଗୁପ୍ତା 'Myth' କୁ 'ମିଥ୍ୟା' ସହିତ ଯୋଡ଼ି ଖାଲି ଶବ୍ଦ-ଖେଳ (Wordplay) କରୁଥିଲେ?"

ଭଗିଆ— "ହଁ ମାଧଵ! ସେ ପୁରାଣକୁ ଇତିହାସ ପ୍ରମାଣ କରିଵା ଆଵେଗରେ ଏତେ ଭାସିଗଲେ ଯେ, ଭାଷା ଵିବିଜ୍ଞାନର ସୀମା ଡେଇଁ ନିଜ ମନଗଢ଼ା ଵ୍ୟୁତ୍ପତ୍ତି ତିଆରି କରିଦେଲେ। 'ମିଥ୍' ଓ 'ମିଥ୍ୟା' ଶବ୍ଦ ଶୁଣିଵାକୁ ଏକା ଭଳି ଲାଗିପାରେ, କିନ୍ତୁ ଉଭୟ ଶବ୍ଦର ଅର୍ଥ ଓ ଵିଵର୍ତ୍ତନର ଇତିହାସ ସମ୍ପୂର୍ଣ୍ଣ ଅଲଗା। ସେଥିପାଇଁ ମୁଁ ହସୁଥିଲି ଯେ, ଆଜିକାଲି ଇଣ୍ଟରନେଟ୍‌ରେ ଜ୍ଞାନୀ ଲୋକମାନେ ମଧ୍ୟ କେମିତି କିଛି ନବୁଝି 'ମିଥ୍ ଓ ମିଥ୍ୟା'ର ଏକ ନୂଆ 'Myth' ଵା ଭ୍ରମ ସୃଷ୍ଟି କରୁଛନ୍ତି!"
ମାଧଵ ଏଥର ସନ୍ତୁଷ୍ଟ ହେଲା। ସେ ଭଗିଆ ପିଠିକୁ ଥାପୁଡ଼ାଇ କହିଲା, "ମାନିଲି ଭଗଵାନ ଭାଇ, ତମେ ସତରେ ଆମ ଗାଁର ଚଳନ୍ତି ଅଭିଧାନ! 

ଠିକ୍ ସେତିକିବେଳକୁ କାଳଵୈଶାଖୀ ମେଘ ଆସି ପହଞ୍ଚିଲା ଏଵଂ ଘଡ଼ଘଡ଼ି ଚଡ଼ଚଡ଼ିରେ ନିଜର ଉପସ୍ଥିତି ଜଣେଇ ଦେଲା । ମାଧଵ ଯେମିତି ମେଘ ହେଵ ବୋଲି ଜାଣିଲା ଛାତ ଉପରକୁ ଶୁଖା ଯାଇଥିଵା କପଡ଼ା ଆଣିଵାକୁ ଧାଇଁ ଗଲା । 

କ୍ରମଶଃ...