ଭଗିଆ କିଛି ମାସ ତଳେ ପ୍ରସାରିତ ହୋଇଥିଵା ଲେଖକ ଅକ୍ଷତ ଗୁପ୍ତାଙ୍କ ଗୋଟେ ସାକ୍ଷାତକାର ଦେଖି ମନ୍ଦ ମନ୍ଦ ହସୁଥାଏ ଯେ ଏତିକିବେଳେ ମାଧଵ ସେଠି ଆସି ପହଁଞ୍ଚିଗଲା । ଭଗିଆକୁ ହସୁଥିଵାର ଦେଖି ମାଧଵ ଗମାତରେ ପଚାରିଲା “ଆଉ ଭଗଵାନ ଭାଇ କିସ ଆଜି ଭାରି ହସୁଛ ତ ! ତମେ ତ ସହଜେ ହସିଵା ଲୋକ ନୁହେଁ! ସେ ହସକଥାଟା ମୋତେ ବି ଡେଗେଇ ଦିଅନ୍ତନି, ମୁଁ ମଧ୍ୟ ଦେଖନ୍ତି ।” ଭଗିଆ ଯେମିତି ମାଧଵ କଥା ଶୁଣିଛି ତାକୁ ଆହୁରି ହସ ମାଡ଼ିଲା । ତେବେ ହସ ଚାପି ଭଗିଆ ତାକୁ କହିଲା,"ନାଇଁ ହେ ସେତା କୋଉ ହସକଥା ଵିଡିଓ ନୁହେଁ ଵା ! ହେଇ ସେ ଅକ୍ଷତ ଗୁପ୍ତାଙ୍କର ଆର୍ ଜେ ରୌନକଙ୍କ ସହିତ ସାକ୍ଷାତକାର ଦେଖୁଥିଲି ଯେ ତାଙ୍କର ଗୋଟେ କଥା ଶୁଣି ବଢ଼େ ହସ ଲାଗିଲା !”
ତାପରେ ମାଧଵକୁ ଭଗିଆ ସେ ଵିଡିଓଟି ଦେଖେଇଲା । ସେଥିରେ ଅକ୍ଷତ ଗୁପ୍ତା କହୁଥାନ୍ତି
ଅକ୍ଷତ ଗୁପ୍ତା—“एक शब्द है Mythology ...
Rj ରୌନକ୍— इस शब्द से एग्री करते हैं आप ?
ଅକ୍ଷତ ଗୁପ୍ତା—नहीं ! मैं नहीं करता
Rj ରୌନକ୍—तो Mythology है या देश का इतिहास है क्या बोलेंगे उसको ? राईट वर्ड क्या है उसके लिए?
ଅକ୍ଷତ ଗୁପ୍ତା—मेरे लिए तो सत्यलोजी है । अगर आप इसको मिथ्या मानेंगे... मिथ् और मिथ्या शब्द से Mythology बना है और मिथ्या मतलब हीं कल्पना है, कहानी है और सत्यता उसमें ज़ीरो हो जाता है ।
...
ମାଧଵକୁ ଵିଡିଓ ଏତିକି ଦେଖେଇ ଭଗିଆ କହିଲା ଦେଖିଲୁ ତ ମୁଁ ଏଇକଥା ଶୁଣି ହସୁଥିଲି !
ମାଧଵ କିଛି ବୁଝିନପାରି କହିଲା “ମଲା ଏଥିରେ ହସିଲା ଭଳିଆ କ'ଣ ଅଛି ? ଅକ୍ଷତ ଗୁପ୍ତା ତ ଠିକ୍ କଥା କହୁଛନ୍ତି,ମିଥ୍ୟାରୁ ମିଥ୍ ଆଉ ମାଇଥୋଲୋଜୀ ହୋଇଛି !”
ଭଗିଆ କହିଲା ତୁ କେମିତି ଜାଣିଲୁ? ଏଇଟା ଗୋଟେ ମିଛ କଥା !
ମାଧଵ କୋଉ ମାନିଵା ଲୋକ? ସେ ସଙ୍ଗେ ସଙ୍ଗେ ଯୁକ୍ତି କଲା , “ଆଉ ତମେ ସବୁ ଜାଣିଛ ଆଉ ? ଅକ୍ଷତ ଗୁପ୍ତା କିଏ ଜାଣିଛ ? ସିଏ ହିଡେନ୍ ହିନ୍ଦୁର ଲେଖକ,କେତେ କୁଆଡେ଼ ଗଵେଷଣା କରି ସେ ଲେଖିଛନ୍ତି ଦ ନାଗା ୱାରିଅର୍ ଆଉ ତମେ ତାଙ୍କ କଥାକୁ ଭୁଲ୍ କହି ଦେଉଛ ?”
ଭଗିଆ ତାକୁ ବୁଝେଇଲା,ଦେଖେ ମିଥ୍ (myth) ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଵିଭିନ୍ନ ଵ୍ୟୁତ୍ପତ୍ତିଗତ (etymological) ମତ ରହିଛି। ଏହା ପ୍ରାୟତଃ ପ୍ରାଚୀନ ଗ୍ରୀକ୍ ଭାଷାର μῦθος (mûthos)ରୁ ଆସିଛି, ଯାହାର ଅର୍ଥ "କଥା, ଵାକ୍ୟ, ଚିନ୍ତାଵାଣୀ, କାହାଣୀ" ଇତ୍ୟାଦି। ଏହି ଗ୍ରୀକ୍ ଶବ୍ଦଟି ମଧ୍ୟୟୁଗୀୟ ଲାଟିନ୍ mythus ଓ ଫ୍ରେଞ୍ଚ୍ mythe ମାଧ୍ୟମରେ ୧୮୩୦ ମଧ୍ୟରେ ଇଂରାଜୀରେ Myth ରୂପେ ପ୍ରଵେଶ କରିଥିଲା। କିନ୍ତୁ ମୂଳ ଗ୍ରୀକ୍ mûthos ଶବ୍ଦର ଉତ୍ପତ୍ତି ଵିଷୟରେ ଭାଷାଵିଦ୍ମାନଙ୍କ ମଧ୍ୟରେ ଅନେକ ଵିଵାଦ ଓ ଵିଭିନ୍ନ ଥିଓରି ରହିଛି।
ଭାଷାଵିଦ୍ Hjalmar Friskଙ୍କ ଅନୁଯାୟୀ, mûthos ଏକ ଧ୍ୱନ୍ୟାନୁକାରୀ ଶବ୍ଦ, ଅର୍ଥାତ୍ ଏହା ଶବ୍ଦର ଅନୁକରଣରୁ ସୃଷ୍ଟି ହୋଇଛି। ଏହା ଗ୍ରୀକ୍ μῡ (mū)ରୁ ଆସିଛି, ଯାହା ଏକ ମୁଖ ଵା ନାକରୁ ସୃଷ୍ଟି ହେଉଥିଵା ଧ୍ୱନିକୁ ସୂଚିତ କରେ। ଏହି ଥିଓରି ଅନୁଯାୟୀ, ଶବ୍ଦ ଓ କାହାଣୀର ସମ୍ପର୍କରୁ ଏହା ଉଦ୍ଭଵ ହୋଇଛି।
ଭାଷାବିଦ୍ Robert S. P. Beekesଙ୍କ ମତରେ, mythos ଏକ ପ୍ରାକ୍-ଗ୍ରୀକ୍ (Pre-Greek) ମୂଳ ଶବ୍ଦ, ଯାହାର ଉତ୍ପତ୍ତି ଅଜଣା ଓ ସମ୍ଭଵତଃ ଗ୍ରୀକ୍ ଭାଷାର ବାହ୍ୟ ସ୍ରୋତରୁ ଏହା ସୃଷ୍ଟି ହୋଇଛି । ହୁଏତ ଏ ଶବ୍ଦଟି ଅଣଭାରୋପୀୟ ଭାଷାରୁ ପ୍ରାକ୍ ଗ୍ରୀକ୍ ଭାଷାରେ ଆସି ଚଳିଥିଵ ।
Ernštedt (୧୯୫୩: ୫୫-୫୭) ଯୁକ୍ତି ଦେଇଥିଲେ ଯେ mythos ସମ୍ଭଵତଃ ଇଜିପ୍ଶିୟାନ୍ mdwt ("ଶବ୍ଦ, ବାଣୀ, କାର୍ଯ୍ୟ")ରୁ ଉଦ୍ଭବ ହୋଇଛି। ଯଦି ଏହା ସତ୍ୟ, ତେବେ ଏହା କପ୍ଟିକ୍ ⲙⲉⲧ- (met-)ର ସଗୋତ୍ରୀୟ ଶବ୍ଦ ଓ ⲙⲟⲩⲧⲉ (moute) ସହିତ ସମ୍ପର୍କିତ ହୋଇଥାଇପାରେ ।
ତେବେ Myth ଶବ୍ଦ ସହିତ ସାମ୍ୟ ଥିଵାରୁ
କିଛି ଭାଷାଵିଦ୍ମାନେ ମତ ଦିଅନ୍ତି ଯେ, mythos ପ୍ରାକ୍-ସ୍ଲାଭିକ୍ *myslь ("ଆଇଡିଆ, ଥଟ୍", ଅର୍ଥାତ୍ "ଚିନ୍ତା ଵା ଵିଚାର")ରୁ ସୃଷ୍ଟି ହୋଇଛି। ଏହା ପ୍ରଟୋ-ଇଣ୍ଡୋ-ଇଉରୋପୀୟ *mewHdʰ- ("କିଛି ଵିଷୟରେ ଅଭିଯୋଗ କରିଵା ଵା ଚିନ୍ତା କରିଵା") ମାଧ୍ୟମରେ ସମ୍ପର୍କିତ। ପ୍ରାକ୍ ଭାରୋପୀୟ *mewHdʰ ଶବ୍ଦରୁ ଅନ୍ୟ ଏକ ଦିଗରେ ସଂସ୍କୃତ ଶବ୍ଦ ମିଥ୍ୟା (mithyā, "ମିଥ୍ୟା, ଅସତ୍ୟ, ମାୟାଜାଳ") ବି ସୃଷ୍ଟି ହୋଇଛି । ଏକ ବଡ଼ ଵର୍ଗ ଏହି ମତକୁ ସମର୍ଥନ କରେ ।
ତେବେ ଏହି ସମସ୍ତ ମତ ମଧ୍ୟରେ ସର୍ଵାଧିକ ପ୍ରଚଳିତ ହେଉଛି Beekesଙ୍କର Pre-Greek ଥିଓରି, ଯାହା ଅଧିକାଂଶ ଆଧୁନିକ ଵ୍ୟୁତ୍ପତ୍ତିକୋଷରେ ଗ୍ରହଣ କରାଯାଏ। ଅନ୍ୟାନ୍ୟ ଥିଓରିଗୁଡ଼ିକ ଵିକଳ୍ପ ଵା ଵିଵାଦାସ୍ପଦ, କିନ୍ତୁ ଏଗୁଡ଼ିକ ଭାଷାର ଵିଵର୍ତ୍ତନର ଵିଭିନ୍ନ ଦିଗକୁ ପ୍ରକାଶ କରେ।
ଭଗିଆର ଏତେ ବଡ଼ ଭାଷାତାତ୍ତ୍ୱିକ ଵ୍ୟାଖ୍ୟାନ ଶୁଣି ମାଧଵର ମୁଣ୍ଡ ଟିକେ ବୁଲାଇଦେଲା। ସେ କିଛି ସମୟ ଗୁମ୍ ମାରି ବସିଲା, ତା’ପରେ ନିଜ ଗାମୁଛାଟାକୁ କାନ୍ଧରେ ପକାଇ ପୁଣି ଯୁକ୍ତି ବାଢ଼ି କହିଲା— "ହଉ ହେ ଭଗଵାନ ଭାଇ! ତମେ ତ ଗ୍ରୀକ୍, ଲାଟିନ୍, ଇଜିପ୍ଟ ସବୁ ଦେଶ ବୁଲି ଆସିଲଣି। କିନ୍ତୁ ଶେଷ କଥାଟାରେ ତମେ ନିଜେ କହିଲ ଯେ ସଂସ୍କୃତ 'ମିଥ୍ୟା' ଶବ୍ଦ ସହିତ ଏହି 'Myth'ର ସମ୍ପର୍କ ଥାଇପାରେ ବୋଲି କିଛି ପଣ୍ଡିତ କହୁଛନ୍ତି। ତା’ହେଲେ ଅକ୍ଷତ ଗୁପ୍ତା ଯାହା କହିଲେ, ସେଥିରେ ଭୁଲ୍ କୋଉଠି ରହିଲା? ମିଥ୍ୟାରୁ ହିଁ ତ ମାଇଥୋଲୋଜୀ ଆସିଲା ବୋଲି ପ୍ରମାଣ ହେଉଛି!"
ଭଗିଆ (ମନ୍ଦ ମନ୍ଦ ହସି) ବୁଝେଇଲା "ଆରେ ମାଧଵରେ! ତୁ କଥାଟାର ଚେରକୁ ନ ଦେଖି ଖାଲି ପତ୍ରକୁ ଦେଖି ଡେଉଁଛୁ। ଭାଷା ଵିଜ୍ଞାନରେ 'ସଗୋତ୍ରୀୟ' (cognate) ହେଵା ଏଵଂ 'ଗୋଟିଏ ଶବ୍ଦରୁ ଅନ୍ୟ ଶବ୍ଦ ବାହାରିଵା' ଭିତରେ ଆକାଶ ପାତାଳ ତଫାତ ଅଛି।"
"ସେ କେମିତି? ଟିକେ ସହଜ କରି ବୁଝାଅ, ମୋ ଓଡ଼ିଆ ମୁଣ୍ଡରେ ଏ ବିଦେଶୀ ପାଠ ପଶୁନି। ମାଧଵ ବୁଝିନପାରି ପଚାରିଲା "
ଭଗିଆ କହିଲା "ଶୁଣ ମାଧିଆ, ଯଦି ସେହି ପ୍ରାକ୍-ଭାରୋପୀୟ (Proto-Indo-European) ମୂଳ ଶବ୍ଦ mewHd^h କୁ ଆମେ ଗ୍ରହଣ କରିଵା, ତେବେ ତା’ର ଅର୍ଥ ଥିଲା 'ଚିନ୍ତା କରିଵା' ଵା 'ଭାବିଵା'। ସେହି ଗୋଟିଏ ମୂଳ ଶବ୍ଦରୁ ଗ୍ରୀକ୍ ଭାଷାରେ ବାହାରିଲା 'mûthos' (ଯାହାର ଅର୍ଥ କାହାଣୀ ଵା ବିଚାର) ଏଵଂ ସଂସ୍କୃତରେ ବାହାରିଲା 'ମିଥ୍ୟା' (ଯାହାର ଅର୍ଥ ପ୍ରଥମେ ପ୍ରତିପକ୍ଷ ଵା ଵିପରୀତ ଥିଲା, ପରେ ଅସତ୍ୟ ହେଲା)। ଅର୍ଥାତ୍ 'ମିଥ୍' ଓ 'ମିଥ୍ୟା' ଦୁଇଟିଯାକ ଶବ୍ଦ ଯଦି ଦୁଇ ଭାଇ-ଭଉଣୀ ପରି ହୁଅନ୍ତି ତେବେ ଉଭୟ ଶବ୍ଦର ବାପା ଜଣେ। କିନ୍ତୁ ଅକ୍ଷତ ଗୁପ୍ତା କହୁଛନ୍ତି 'ମିଥ୍ୟା' ଶବ୍ଦରୁ 'ମିଥ୍' ଜନ୍ମ ହୋଇଛି,ମାନେ ଜଣେ ଭାଇଠାରୁ ତା ଭଉଣୀ ଜନମ ହୋଇଛି । କେବେ ଏମିତି ବଦ୍ଧ ପାଗଳାମି କଥା କେବେ ଶୁଣିଛୁ କହ ? ସଂସ୍କୃତ 'ମିଥ୍ୟା' ଶବ୍ଦ ୟୁରୋପ ଯାଇ 'Myth' ହୋଇନାହିଁ।"
ଆଉ ଏକ ସହଜ ଉଦାହରଣ ଦେଉଛି ଭଲ ଭାବରେ ମନୋଯୋଗ ଦେଇ ଶୁଣ ।
ସଂସ୍କୃତର 'ମାତୃ', ଲାଟିନର 'mater' ଏଵଂ ଇଂରାଜୀର 'Mother' — ଏସବୁ ସଗୋତ୍ରୀୟ ଶବ୍ଦ। ଏହାର ଅର୍ଥ ନୁହେଁ ଯେ ସଂସ୍କୃତ ମାତୃ ଶବ୍ଦରୁ ଇଂରାଜୀ ମଦର ଶବ୍ଦଟି ସୃଷ୍ଟି ହୋଇଛି। ଏ ସମସ୍ତ ଶବ୍ଦ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରୁ ଭିନ୍ନ ଭିନ୍ନ ଭାଷାରେ ଵିଵର୍ତ୍ତିତ ହୋଇଛନ୍ତି।
ମାଧଵ ଏସବୁ ଶୁଣି ଟିକେ ନରମି ଯାଇ କହିଲା "ହଉ, ଏଇଟା ନହେଲେ ଭାଷାଗତ ଭୁଲ୍ ହେଲା। କିନ୍ତୁ ଅକ୍ଷତ ଗୁପ୍ତା ଯେଉଁ ଭାବନା ପଛରେ ଏକଥା କହିଲେ, ସେଇଟା ତ ଠିକ୍ ନା? ଆମ ଇତିହାସ, ଆମ ରାମାୟଣ-ମହାଭାରତକୁ ଇଂରେଜମାନେ 'Mythology' କହି କାଳ୍ପନିକ ଵା ମିଛ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି। ତେଣୁ ତାକୁ 'ସତ୍ୟଲୋଜୀ' କହିଵାରେ ଅସୁବିଧା କଣ?"
ଭଗିଆ ବୁଝେଇଲା —"ଦେଖେ ମାଧଵ, ଭାବନାତ୍ମକ ଭାବେ ତୁ ଵା ଅକ୍ଷତ ବାବୁ ଯାହା କହୁଛ, ସେଥିପାଇଁ ମୋର ଆଦର ଅଛି। କିନ୍ତୁ ଗୋଟେ ଭୁଲ୍ ଯୁକ୍ତି ଦେଇ ନିଜକୁ ଠିକ୍ ପ୍ରମାଣ କରିଵା ହେଉଛି ଅଜ୍ଞତା। 'Mythology' ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦର ମିଶ୍ରଣରୁ ସୃଷ୍ଟି । mûthos (କାହାଣୀ/ପରମ୍ପରା) ଓ logia (ଅଧ୍ୟୟନ)। ଅର୍ଥାତ୍, କୌଣସି ସଂସ୍କୃତିର ପାରମ୍ପରିକ ଓ ସାଂସ୍କୃତିକ କାହାଣୀଗୁଡ଼ିକର ଵୈଜ୍ଞାନିକ ଅଧ୍ୟୟନକୁ 'Mythology' କୁହାଯାଏ। ଏହାର ଅର୍ଥ 'ମିଛର ଅଧ୍ୟୟନ' ନୁହେଁ।"
ମାଧଵ ପୁଣି ପଚାରିଲା — "ତା’ହେଲେ ଆମେରିକା, ୟୁରୋପରେ ଏହାକୁ କାଳ୍ପନିକ କାହିଁକି କୁହାଯାଏ?"
ଭଗିଆ କହିଲା — "ସେଇଟା ହେଉଛି ଶବ୍ଦର ଵ୍ୟଵହାରିକ ଅପଭ୍ରଂଶ। ସମୟକ୍ରମେ ସାଧାରଣ ଲୋକେ 'Myth' ଶବ୍ଦକୁ 'ଭ୍ରମ ଵା ମିଥ୍ୟା ଧାରଣା' ଅର୍ଥରେ ଵ୍ୟଵହାର କଲେ। ଯେମିତି ଆମେ ଓଡ଼ିଆରେ କହୁ— 'ଏଇଟା ଗୋଟେ ଗପ'। ଏହାର ମୂଳ ଅର୍ଥ ଗଳ୍ପ, କିନ୍ତୁ ଵ୍ୟଵହାରରେ ଆମେ କହୁ 'ମୋତେ ଗପ ଶୁଣାଅନି' (ଅର୍ଥାତ୍ ମିଛ କୁହନି)। ଠିକ୍ ସେମିତି! କିନ୍ତୁ ଶାସ୍ତ୍ରୀୟ ସ୍ତରରେ ଗ୍ରୀକ୍ 'Muthos'ର ମହତ୍ତ୍ୱ ବହୁତ ଅଧିକ ଥିଲା। ଆରିଷ୍ଟୋଟଲ୍ ନିଜ ନାଟ୍ୟଶାସ୍ତ୍ର (Poetics)ରେ ନାଟକର ମୂଳ କାହାଣୀ ଵା ପ୍ଲଟ୍(Plot)କୁ 'Muthos' ବୋଲି କହିଛନ୍ତି। ସେଠି ତା’ର ଅର୍ଥ ମିଛ ନଥିଲା ଵରଂ ଜୀଵନର ସତ୍ୟକୁ ପ୍ରକାଶ କରିଵାର ଏକ ମାଧ୍ୟମ ଥିଲା।"
ମାଧଵ ଆଶ୍ଚର୍ଯ୍ୟ ହୋଇ ନିଜ ମୁଣ୍ଡ କୁଣ୍ଡାଇ କହିଲା "ବାପ୍ ରେ ବାପ୍! ଏତେ କଥା ଅଛି ଏଇ ଶବ୍ଦ ପଛରେ? ତା’ହେଲେ ଅକ୍ଷତ ଗୁପ୍ତା 'Myth' କୁ 'ମିଥ୍ୟା' ସହିତ ଯୋଡ଼ି ଖାଲି ଶବ୍ଦ-ଖେଳ (Wordplay) କରୁଥିଲେ?"
ଭଗିଆ— "ହଁ ମାଧଵ! ସେ ପୁରାଣକୁ ଇତିହାସ ପ୍ରମାଣ କରିଵା ଆଵେଗରେ ଏତେ ଭାସିଗଲେ ଯେ, ଭାଷା ଵିବିଜ୍ଞାନର ସୀମା ଡେଇଁ ନିଜ ମନଗଢ଼ା ଵ୍ୟୁତ୍ପତ୍ତି ତିଆରି କରିଦେଲେ। 'ମିଥ୍' ଓ 'ମିଥ୍ୟା' ଶବ୍ଦ ଶୁଣିଵାକୁ ଏକା ଭଳି ଲାଗିପାରେ, କିନ୍ତୁ ଉଭୟ ଶବ୍ଦର ଅର୍ଥ ଓ ଵିଵର୍ତ୍ତନର ଇତିହାସ ସମ୍ପୂର୍ଣ୍ଣ ଅଲଗା। ସେଥିପାଇଁ ମୁଁ ହସୁଥିଲି ଯେ, ଆଜିକାଲି ଇଣ୍ଟରନେଟ୍ରେ ଜ୍ଞାନୀ ଲୋକମାନେ ମଧ୍ୟ କେମିତି କିଛି ନବୁଝି 'ମିଥ୍ ଓ ମିଥ୍ୟା'ର ଏକ ନୂଆ 'Myth' ଵା ଭ୍ରମ ସୃଷ୍ଟି କରୁଛନ୍ତି!"
ମାଧଵ ଏଥର ସନ୍ତୁଷ୍ଟ ହେଲା। ସେ ଭଗିଆ ପିଠିକୁ ଥାପୁଡ଼ାଇ କହିଲା, "ମାନିଲି ଭଗଵାନ ଭାଇ, ତମେ ସତରେ ଆମ ଗାଁର ଚଳନ୍ତି ଅଭିଧାନ!
ଠିକ୍ ସେତିକିବେଳକୁ କାଳଵୈଶାଖୀ ମେଘ ଆସି ପହଞ୍ଚିଲା ଏଵଂ ଘଡ଼ଘଡ଼ି ଚଡ଼ଚଡ଼ିରେ ନିଜର ଉପସ୍ଥିତି ଜଣେଇ ଦେଲା । ମାଧଵ ଯେମିତି ମେଘ ହେଵ ବୋଲି ଜାଣିଲା ଛାତ ଉପରକୁ ଶୁଖା ଯାଇଥିଵା କପଡ଼ା ଆଣିଵାକୁ ଧାଇଁ ଗଲା ।
କ୍ରମଶଃ...
No comments:
Post a Comment