My Blog List

Wednesday, June 3, 2026

ଉତ୍କଳ ଭ୍ରମଣଂ ଆଲୋଚନା —୧

ସାଧାରଣତଃ ଭ୍ରମଣ ଵୃତ୍ତାନ୍ତ ଗଦ୍ୟ ଵା ପ୍ରଵନ୍ଧ ଆକାରରେ ଲେଖାଯାଏ କିନ୍ତୁ ଫକୀରମୋହନ ସମଗ୍ର 'ଉତ୍କଳ ଭ୍ରମଣଂ'କୁ ଅମିତ୍ରାକ୍ଷର ଛନ୍ଦ ଓ କାଵ୍ୟିକ ଶୈଳୀରେ ରଚନା କରିଥିଲେ। ଓଡ଼ିଆ ସାହିତ୍ୟରେ ଏଭଳି ପ୍ରୟାସ ସେ ସମୟରେ ସମ୍ପୂର୍ଣ୍ଣ ଅଭିନଵ ଥିଲା। ୧୮୯୧ ମସିହାରେ ଯେତେବେଳେ ବାଲେଶ୍ୱର ଦେଇ ପ୍ରଥମ କରି ରେଳଗାଡ଼ି ଚାଲିଲା ସେତେବେଳେ ଫକୀରମୋହନ କଟକରୁ କଲିକତା ଯାତ୍ରା କରୁଥିଲେ। ଗାଡ଼ିର ଗତି ସହିତ ତାଙ୍କ ମନରେ କଵିତା ଫୁଟିଉଠିଥିଲା ଏଵଂ ସେ ଚଳନ୍ତା ଗାଡ଼ିରେ ହିଁ ଏହି କାଵ୍ୟର ଏକ ବଡ଼ ଅଂଶ ଲେଖିପକାଇଥିଲେ। 

ଉତ୍କଳ ଭ୍ରମଣଂରେ ଫକୀରମୋହନ ସେ ସମୟର ସରକାରୀ ବାବୁ, ଅମଲା, ପୋଲିସ ତଥା ଇଂରେଜ ଅନୁକରଣରେ ମାତିଥିଵା "ଶିକ୍ଷିତ" ଓଡ଼ିଆଙ୍କୁ ପ୍ରବଳ ଵ୍ୟଙ୍ଗ କରିଛନ୍ତି। କାହାରି ନାଁ ନନେଇ ମଧ୍ୟ ସେ ସମାଜର ଦୋଷତ୍ରୁଟିକୁ ଅତି ଚମତ୍କାର ଭାବେ ପଦାରେ ପକାଇଛନ୍ତି। ଉତ୍କଳ ଭ୍ରମଣଂର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି, ଏଥିରେ ସେ ତତ୍କାଳୀନ ଓଡ଼ିଶାର ଵରପୁତ୍ର ଯଥା— ଉତ୍କଳ ଗୌରଵ ମଧୁସୂଦନ ଦାସ, କଵିଵର ରାଧାନାଥ ରାୟ, ଭକ୍ତକଵି ମଧୁସୂଦନ ରାଓ ଏଵଂ ଵିଭିନ୍ନ ଗଡ଼ଜାତର ରାଜାମାନଙ୍କର ଵ୍ୟକ୍ତିତ୍ୱକୁ ଅତି ସନ୍ତୁଳିତ ଓ ଆଦରର ସହ କଵିତା ମାଧ୍ୟମରେ ଚିତ୍ରଣ କରିଛନ୍ତି। ଉତ୍କଳ ଭ୍ରମଣଂ କେଵଳ ସ୍ଥାନର ଵିଵରଣୀ ଦିଏନାହିଁ ଵରଂ ସେ ସମୟର ଓଡ଼ିଶାର ଆର୍ଥିକ ଅଵସ୍ଥା, ଭାଷା ଆନ୍ଦୋଳନର ପୃଷ୍ଠଭୂମି ଏଵଂ ଓଡ଼ିଆ ସ୍ଵାଭିମାନର ଏକ ସ୍ପଷ୍ଟ ପ୍ରତିଫଳନ ଵହନ କରେ । ଫକୀରମୋହନଙ୍କ ସହଜ-ସରଳ ଭାଷା ଏଵଂ ସାଧାରଣ କଥିତ ଶବ୍ଦର ପ୍ରୟୋଗ ଯୋଗୁଁ 'ଉତ୍କଳ ଭ୍ରମଣଂ' ଆଜି ବି ପାଠକଙ୍କୁ ଵିଶେଷ ଆମୋଦିତ କରେ। 
ଉତ୍କଳ ଭ୍ରମଣଂର ପ୍ରଥମ କେଇ ପଦରୁ ହିଁ ଫକୀରମୋହନ ସେନାପତିଙ୍କ ଦେଶପ୍ରେମ ଜାତିପ୍ରେମ ସ୍ପଷ୍ଟ ହୋଇଯାଏ ।

"ଉତ୍କଳ ପଵିତ୍ର ଭୂମି ଭାରତ ମଧ୍ୟରେ ।
କରନ୍ତି ଏଥିରେ ଵାସ ପୁଣ୍ୟଵନ୍ତ ନରେ ॥"
ଅର୍ଥ:

କଵି ଏଠାରେ ଭାରତୀୟ ସନାତନ ଚେତନାରେ ଓଡ଼ିଶାର ଆଧ୍ୟାତ୍ମିକ ସ୍ଥିତିକୁ ସୂଚାଇଛନ୍ତି । ପୁରାଣ ଓ ଇତିହାସ କାଳରୁ ଓଡ଼ିଶାକୁ 'ପୁରୁଷୋତ୍ତମ କ୍ଷେତ୍ର', 'ଉତ୍କଳ' (ଉତ୍କୃଷ୍ଟ କଳାର ଦେଶ) ଵା 'କଳିଙ୍ଗ' ଭାବେ ଶ୍ରେଷ୍ଠ ଆସନ ଦିଆଯାଇଛି । ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ମଧ୍ୟ ଏହି ଭୂମିର ପଵିତ୍ରତା ଵିଷୟରେ ଵର୍ଣ୍ଣନା ରହିଛି । ଫକୀରମୋହନ କହିଵାକୁ ଚାହାନ୍ତି ଯେ ଭାରତ ଯଦି ଵିଶ୍ୱର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ହୁଏ, ତେବେ ଉତ୍କଳ ହେଉଛି ଭାରତର ହୃଦୟ ।

"ପୁଣ୍ୟବନ୍ତ ନରେ" ପଦ ମାଧ୍ୟମରେ କବି ଓଡ଼ିଆ ଜାତିର ସରଳତା, ଧାର୍ମିକତା ଓ ସାଧୁତାକୁ ପ୍ରଶଂସା କରିଛନ୍ତି । ଯେଉଁ ମାଟିରେ ମହାପ୍ରଭୁ ଜଗନ୍ନାଥ ନିଜେ ଶଵର-ବ୍ରାହ୍ମଣ ସଂସ୍କୃତିର ମିଳନରେ ପତିତପାଵନ ଭାବେ ପୂଜିତ, ସେହି ମାଟିର ଅଧିଵାସୀମାନେ ସ୍ୱଭାଵଗତ ଭାବେ ପୁଣ୍ୟଵାନ । ଏହା ଓଡ଼ିଆ ମନରେ ନିଜ ସଂସ୍କୃତି ପ୍ରତି ଏକ ଗଭୀର ସ୍ୱାଭିମାନ ଜାଗ୍ରତ କରେ ।

"ଵିଶ୍ୱଜନୀନ ଆକର୍ଷଣ ଓ ସ୍ୱର୍ଗର ଦ୍ୱାର
ଅସଂଖ୍ୟ ଅସଂଖ୍ୟ ଯାତ୍ରି ଆସୁଛନ୍ତି ଧାଇଁ ।
ଏହି ମହା ପୁଣ୍ୟକ୍ଷେତ୍ର ଦେଖିଯିଵା ପାଇଁ ॥
ଭାରତର ସର୍ଵଦେଶେ ଏମନ୍ତ ପ୍ରଚାର ।
ପଵିତ୍ର ଉତ୍କଳଭୂମି ଅଟେ ସ୍ୱର୍ଗଦ୍ଵାର ॥"

ଏହି ଦୁଇଟି ପଦରେ କଵି ଶ୍ରୀକ୍ଷେତ୍ର ପୁରୀ ଏଵଂ ସମଗ୍ର ଓଡ଼ିଶାର ଆଧ୍ୟାତ୍ମିକ ପ୍ରତିଷ୍ଠାକୁ ପ୍ରତିପାଦିତ କରିଛନ୍ତି । ପ୍ରାଚୀନ କାଳରୁ ଓଡ଼ିଶା ସାରା ଭାରତର ସାଂସ୍କୃତିକ ଏକତାର ଏକ ପ୍ରଧାନ ସୂତ୍ରଧର ଧାମ ହୋଇ ରହିଆସିଛି । ବାରାଣସୀ, ହରିଦ୍ୱାର ଵା ବୃନ୍ଦାବନ ପରି ଉତ୍କଳ ମଧ୍ୟ ଏକ ପରମ ତୀର୍ଥ । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଵା ପାଇଁ ଏଵଂ ଶ୍ରୀକ୍ଷେତ୍ରର ସାଲବେଗ, କଵିସୂର୍ଯ୍ୟ, ଜୟଦେବଙ୍କ ସାଧନା ପୀଠକୁ ଅନୁଭଵ କରିଵା ପାଇଁ ଲୋକେ ବହୁ କଷ୍ଟ ସ୍ୱୀକାର କରି ପାଦପଥରେ ମଧ୍ୟ ଆସୁଥିଲେ ।

ଫକୀରମୋହନ "ସ୍ୱର୍ଗଦ୍ଵାର" ଶବ୍ଦର ପ୍ରୟୋଗ କରିଛନ୍ତି । ପୁରୀର ସମୁଦ୍ରକୂଳରେ ଥିଵା 'ସ୍ୱର୍ଗଦ୍ୱାର'କୁ ହିନ୍ଦୁ ଧର୍ମରେ ମୋକ୍ଷର ଦ୍ୱାର ବୋଲି ଵିଶ୍ୱାସ କରାଯାଏ । କିନ୍ତୁ କଵି ଏଠାରେ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ନୁହେଁ ଵରଂ ସମଗ୍ର ଉତ୍କଳ ଭୂଇଁକୁ ସ୍ୱର୍ଗର ଦ୍ୱାର ବୋଲି ଅଭିହିତ କରିଛନ୍ତି । ଏହାର ତାତ୍ପର୍ଯ୍ୟ ହେଉଛି, ଏହି ମାଟିରେ ପାଦ ଦେଲେ ମଣିଷର କଳୁଷ ଧୋଇଯାଏ ଏଵଂ ସେ ସ୍ୱର୍ଗୀୟ ଆନନ୍ଦ ଲାଭ କରେ । ଏହା ଓଡ଼ିଶାର ସାର୍ଵଜନୀନ ଓ ସର୍ଵଭାରତୀୟ ସ୍ୱୀକୃତିର ପରିଚୟ ଦିଏ ।

"ଏମନ୍ତ ସୌନ୍ଦର୍ଯ୍ୟ ରାଶି ଭାରତେ କାହିଁଛି ?
ପ୍ରକୃତି ଯେମନ୍ତ ଶୋଭା ଏଠାରେ ମେଲିଛି ।
ପଵିତ୍ର ସଲିଳା ନଦୀ ଵନ ଉପଵନ ।
ସ୍ଥାନେ ସ୍ଥାନେ ଶୋଭା ଯେହ୍ନେ ନନ୍ଦନକାନନ ॥"

ଏହି ପଦଗୁଡ଼ିକରେ ଫକୀରମୋହନଙ୍କର ପ୍ରକୃତି-ପ୍ରୀତି ଓ ସୌନ୍ଦର୍ଯ୍ୟାନୁଭୂତିର ଏକ ନିଚ୍ଛକ ଚିତ୍ର ପ୍ରକାଶ ପାଇଛି । ଓଡ଼ିଶାର ଭୌଗୋଳିକ ସ୍ଥିତି ବଡ଼ ଵିଚିତ୍ର ଓ ମନୋରମ । ଏହାର ଏକ ପଟେ ନୀଳ ପ୍ରଶାନ୍ତ କଳିଙ୍ଗସାଗରର ଲହରୀମାଳା, ଅନ୍ୟପଟେ ଶାଳ, ପିଆଶାଳ, ଶିଶୁ ଵନରେ ଆଚ୍ଛାଦିତ ପୂର୍ଵଘାଟ ପର୍ଵତମାଳା ।
କଵି "ପଵିତ୍ର ସଲିଳା ନଦୀ" କହିଲା ବେଳେ ଓଡ଼ିଶାର ଜୀଵନରେଖା ମହାନଦୀ, ବ୍ରାହ୍ମଣୀ, ଵୈତରଣୀ,ସୂଵର୍ଣ୍ଣରେଖା,ବଂଶଧାରା, ବୁଢ଼ାବଳଙ୍ଗ,ଋଷିକୁଲ୍ୟା ଓ ଚିତ୍ରୋତ୍ପଳା ଆଦି ନଦୀଗୁଡ଼ିକୁ ସ୍ମରଣ କରିଛନ୍ତି । ଏହି ନଦୀଗୁଡ଼ିକ କେଵଳ ଶସ୍ୟଶ୍ୟାମଳା ଧରିତ୍ରୀ ଗଠନ କରନ୍ତି ନାହିଁ ଵରଂ ପ୍ରୋକ୍ତ ନଦୀଗୁଡି଼କର ପ୍ରବାହ ଓଡ଼ିଆ କାଵ୍ୟ ଓ ଚେତନାକୁ ମଧ୍ୟ ସର୍ଵଦା ସରସ କରି ରଖିଛି । ଓଡ଼ିଶାର ଵନ ଓ ଉପଵନଗୁଡ଼ିକର ଶୋଭାକୁ କଵି ସ୍ୱର୍ଗର ଦେଵରାଜ ଇନ୍ଦ୍ରଙ୍କ ଉଦ୍ୟାନ "ନନ୍ଦନକାନନ" ସହିତ ତୁଳନା କରିଛନ୍ତି । ଅର୍ଥାତ, ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାର୍ଥିଵ ଜଗତରୁ ଊର୍ଦ୍ଧ୍ୱରେ ଏଵଂ ଏହା ମଣିଷ ମନକୁ ଆଧ୍ୟାତ୍ମିକ ପ୍ରଶାନ୍ତି ପ୍ରଦାନ କରେ ।


"ଯେ ଲୋକ ନ ଜାଣେ ଓଡ଼ିଶ୍ୟାର କାରିଗରି ।
ଦେଖୁ ସେ ଭୁବନେଶ୍ଵର ଦେଖୁ ଖଣ୍ଡଗିରି ॥"
ଏଠାରେ ଫକୀରମୋହନ ଓଡ଼ିଶାର ଗୌରଵମୟ ଇତିହାସ ଓ ସ୍ଥାପତ୍ୟ କଳାର ଜୟଗାନ କରିଛନ୍ତି । ଓଡ଼ିଶାର କାରିଗର ଵା ଶିଳ୍ପୀମାନେ ପଥରକୁ ଯେଉଁଭଳି ଭାବେ ଜୀଵନ୍ତ ରୂପ ଦେଇପାରୁଥିଲେ, ତାହା ସାରା ଵିଶ୍ୱରେ ଅତୁଳନୀୟ । କଵି ଦୁଇଟି ପ୍ରମୁଖ ଐତିହାସିକ ସ୍ଥଳର ଉଦାହରଣ ଦେଇଛନ୍ତି । 
ଭୁବନେଶ୍ୱର ଓଡ଼ିଶାର କଳିଙ୍ଗ ସ୍ଥାପତ୍ୟ ଶୈଳୀର ପ୍ରାଣକେନ୍ଦ୍ର । ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ରାଜାରାଣୀ ମନ୍ଦିର ଆଦି ପଥର ଦେହରେ ଖୋଦିତ କାଵ୍ୟ ସଦୃଶ । ଶିଳ୍ପୀର ହାତୁଡ଼ି ଓ ନିହାଣର ମୁନରେ ପ୍ରାଣ ପାଇଥିଵା ସେହି ଅପ୍ସରା, ନାୟିକା ଓ ପ୍ରକୃତିର ଚିତ୍ର ଯେକୌଣସି ଦର୍ଶକକୁ ସ୍ତମ୍ଭୀଭୂତ କରିଦିଏ ।

ଖଣ୍ଡଗିରି ଖାରବେଳଙ୍କ ସମୟର ଜୈନ ସଂସ୍କୃତି ଓ ଗୁମ୍ଫା ସ୍ଥାପତ୍ୟର ମୂକ ସାକ୍ଷୀ । ପାହାଡ଼କୁ କାଟି ସେଥିରେ ଯେଉଁଭଳି ଭାବେ ଵାସଗୃହ ଓ ସୂକ୍ଷ୍ମ କଳା ପ୍ରଦର୍ଶନ କରାଯାଇଛି ତାହା ଓଡ଼ିଆ ଜାତିର ପ୍ରାଚୀନ ଇଞ୍ଜିନିୟରିଂ ଓ କାରିଗରିର ଶ୍ରେଷ୍ଠ ପ୍ରମାଣ ।

ଫକୀରମୋହନ ଏଠାରେ "ଓଡ଼ିଶ୍ୟାର" ଶବ୍ଦ ଵ୍ୟଵହାର କରିଛନ୍ତି, ଯାହା ସେ ସମୟର ଆଞ୍ଚଳିକ ଉଚ୍ଚାରଣର ଏକ ରୂପ । ଏହି ପଦଗୁଡ଼ିକ ମାଧ୍ୟମରେ ସେ ବାହାର ଦୁନିଆକୁ ଓଡ଼ିଶାର କଳାତ୍ମକ ଵାହୁବଳ ଓ ପ୍ରଜ୍ଞାକୁ ଚିହ୍ନିଵା ପାଇଁ ଏକ ପ୍ରକାର ଆହ୍ୱାନ ଦେଇଛନ୍ତି ।

"କେତେ କୀର୍ତ୍ତି ଲୋପକରି ପାରିନାହିଁ କାଳ ।
ଜଣାଯାଏ ପାଣିମାପ ଦେଖି ପଦ୍ମନାଳ !!"

ଏହି ଦୁଇଟି ଧାଡ଼ି କେଵଳ କାଵ୍ୟିକ ଦୃଷ୍ଟିରୁ ନୁହେଁ ଵରଂ ଦାର୍ଶନିକ ଓ ଐତିହାସିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗଭୀର ଓ ଚିନ୍ତାକର୍ଷକ । ଫକୀରମୋହନ ଏଠାରେ ଏକ ସୁନ୍ଦର ଲୋକଭାଷା ଵା ଦୃଷ୍ଟାନ୍ତ ଅଳଙ୍କାରର ("ଜଣାଯାଏ ପାଣିମାପ ଦେଖି ପଦ୍ମନାଳ") ପ୍ରୟୋଗ କରିଛନ୍ତି ।
ଓଡ଼ିଶାର ଇତିହାସ ଅନେକ ଉତ୍ଥାନ-ପତନ, ଵିଦେଶୀ ଆକ୍ରମଣ (ଆଫଗାନ, ମୁଗଲ, ମରହଟ୍ଟା ଓ ବ୍ରିଟିଶ) ତଥା ପ୍ରାକୃତିକ ଵିପର୍ଯ୍ୟୟ ଦେଇ ଗତି କରିଛି । ଅନେକ ମନ୍ଦିର ଭାଙ୍ଗିଯାଇଛି, କୋଣାର୍କ ପରି ଵିଶ୍ୱଵିଖ୍ୟାତ ସୂର୍ଯ୍ୟ ମନ୍ଦିରର ମୁଖଶାଳା ମାତ୍ର ବଞ୍ଚି ରହିଛି, ପୁରୀ ମନ୍ଦିର ଉପରେ ବାରମ୍ବାର ଆକ୍ରମଣ ହୋଇଛି । କିନ୍ତୁ ସେ ସବୁ ସତ୍ତ୍ୱେ ଯାହା କିଛି ଆଜି ଅଵଶିଷ୍ଟ ରହିଛି ତାହା ହିଁ ଓଡ଼ିଆ ଜାତିର ସେହି ଅତୀତ ସୁଵର୍ଣ୍ଣ ଯୁଗର ପ୍ରମାଣ ଦିଏ ।
ଯେମିତି ଵନ୍ୟା ଜଳ ବଢ଼ିଲେ ପଦ୍ମନାଳ ନିଜକୁ ପ୍ରସାରିତ କରି ପଦ୍ମଫୁଲକୁ ପାଣି ଉପରେ ଭସାଇ ରଖେ ଏଵଂ ନାଳର ଦୈର୍ଘ୍ୟ ପାଣିର ଗଭୀରତା ମାପିଵାରେ ସାହାଯ୍ୟ କରେ, ସେହିପରି ଆଜିର ଅର୍ଦ୍ଧପତିତ ଓଡ଼ିଶାରେ ଠିଆ ହୋଇଥିଵା ଭଗ୍ନ କଳାକୃତିଗୁଡ଼ିକ ପ୍ରମାଣ କରନ୍ତି ଯେ ଦିନେ ଓଡ଼ିଶାର ସାଂସ୍କୃତିକ ଓ ଅର୍ଥନୈତିକ ଗଭୀରତା କେତେ ଅତୁଳନୀୟ ଥିଲା । ସମୟର କରାଳ ଗ୍ରାସ ମଧ୍ୟ ଓଡ଼ିଆର ସ୍ୱାଭିମାନ ଓ ସ୍ଥାପତ୍ୟର ମୂଳଦୁଆକୁ ସମ୍ପୂର୍ଣ୍ଣ ରୂପେ ଵିଲୁପ୍ତ କରିପାରି ନାହିଁ ।

କ୍ରମଶଃ...

No comments:

Post a Comment