My Blog List

Showing posts with label ଵିଜ୍ଞାନ. Show all posts
Showing posts with label ଵିଜ୍ଞାନ. Show all posts

Friday, September 11, 2026

ଯେଉଁ ଗେରୁଆ ରଙ୍ଗ ବାଘଠାରୁ ବଞ୍ଚାଏ, ସେଇ ଗେରୁଆ ରଙ୍ଗ ରାଜନୀତିରେ ଫସାଏ

ଆଜିକାଲି ଆମ ରାଜ୍ୟ ଓଡ଼ିଶାରେ କେତେବେଳେ କ’ଣ ଘଟୁଛି ତାହା କେହି ଅନୁମାନ କରିପାରୁନାହାନ୍ତି । କିଛି ଦିନ ତଳେ ଖବରକାଗଜ ଓ ଟେଲିଭିଜନ ପରଦାରେ ଏକ ଆଶ୍ଚର୍ଯ୍ୟଜନକ ଖବର ପ୍ରକାଶ ପାଇଲା। ଆମ ସୁନ୍ଦର ଓଡ଼ିଶା ମାଟିରେ ପାଞ୍ଚୋଟି ଵିଦେଶୀ ଅତିଥି ଧରାପଡ଼ିଲେ। ସେମାନେ କୌଣସି ସାଧାରଣ ଅତିଥି ନଥିଲେ କିମ୍ବା କୌଣସି ବହୁରାଷ୍ଟ୍ରୀୟ କମ୍ପାନୀର ପୁଞ୍ଜିପତି ନଥିଲେ, ସେମାନେ ଥିଲେ ଵିଚରା ପାଞ୍ଚୋଟି ଓରାଙ୍ଗୁଟାନ୍ ଛୁଆ। ଏବେ ପ୍ରଶ୍ନ ଉଠୁଛି, ଯେଉଁ ପ୍ରାଣୀ ଆମ ଦେଶର ନୁହେଁ, ଯାହାର ଭାରତୀୟ ନାଗରିକତ୍ୱ ନାହିଁ, ପାସପୋର୍ଟ ନାହିଁ କିମ୍ବା ଆଧାର କାର୍ଡ ତିଆରି ହୋଇନାହିଁ, ସେମାନେ ହଠାତ୍ ଦରିଆ ପାର ହୋଇ ଓଡ଼ିଶାରେ କେମିତି ପହଞ୍ଚିଗଲେ? ସାଧାରଣ ଲୋକେ କହିଲେ ଏହା ନିଶ୍ଚିତ ଭାବରେ ଅନ୍ତର୍ଜାତୀୟ ଵନ୍ୟପ୍ରାଣୀ ଚୋରାଚାଲାଣକାରୀଙ୍କ କାମ। କିନ୍ତୁ ଆମର ସାମାଜିକ ଗଣମାଧ୍ୟମରେ ସର୍ଵଦା ଜାଗ୍ରତ ଥିଵା ରାଜନୈତିକ ବୁଦ୍ଧିଜୀଵୀମାନେ ଏହାକୁ ଏତେ ସହଜରେ ଗ୍ରହଣ କରିଵାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କ ମତରେ ଏହା ନିଶ୍ଚିତ ଭାବରେ କୌଣସି ଗଭୀର ରାଜନୈତିକ ଷଡ଼ଯନ୍ତ୍ର କିମ୍ବା କୌଣସି ଶାସକ ଦଳର ରାଜନୈତିକ ଲାଭର ଏକ ଅଭିନବ କୌଶଳ ହୋଇପାରେ। ଯେତେବେଳେ ଏହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ୍ ଛୁଆଙ୍କ ଫଟୋ ସର୍ଵସାଧାରଣରେ ପ୍ରକାଶ ପାଇଲା, ସେତେବେଳେ ଗୋଟିଏ କଥା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା, ତାହା ହେଉଛି ସେମାନଙ୍କର ରଙ୍ଗ। ସେମାନଙ୍କ ଦେହର ରଙ୍ଗ ଖାଣ୍ଟି ଗେରୁଆ ଵା କମଳା ଅଟେ। ବାସ୍, ଏତିକି ଇସାରା ଯଥେଷ୍ଟ ଥିଲା ଆମ ଦେଶର ସୃଜନଶୀଳ କାର୍ଟୁନିଷ୍ଟ ଏଵଂ ଵ୍ୟଙ୍ଗ ଲେଖକମାନଙ୍କ ମସ୍ତିଷ୍କର ଘୋଡ଼ା ଦୌଡ଼ିଵା ପାଇଁ। ତୁରନ୍ତ ଇଣ୍ଟରନେଟରେ ଝଡ଼ ସୃଷ୍ଟି ହେଲା। କେହି କେହି କହିଲେ, ଏମାନେ ହେଉଛନ୍ତି ଶାସକ ଦଳର ନୂଆ ବ୍ରାଣ୍ଡ ଆମ୍ବାସାଡାର କିମ୍ବା ଵିଦେଶୀ ଶାଖାର ମୁଖ୍ୟ। ବିଜେପିର ପ୍ରିୟ ଗେରୁଆ ରଙ୍ଗ ପିନ୍ଧି ଏହି ଵିଦେଶୀ Great apeମାନେ ବୋଧହୁଏ ଭାରତରେ 'ଗେରୁଆ ଵିପ୍ଳଵ'ର ପ୍ରଚାର କରିଵାକୁ ବୋର୍ନିଓ ଜଙ୍ଗଲରୁ ସିଧାସଳଖ ଓଡ଼ିଶା ଉଡ଼ି ଆସିଛନ୍ତି। ଯେଉଁ ଦେଶରେ ଗାଈ, ଗୋବର, ମନ୍ଦିର ଏଵଂ ଵିଶେଷ କରି ରଙ୍ଗକୁ ନେଇ ସରକାର ଗଢ଼ାଯାଏ ଓ ଭଙ୍ଗାଯାଏ, ସେଠାରେ ପୂରାପୂରି ଗେରୁଆ ରଙ୍ଗର ଏକ ଜୀଵ ମିଳିଵା କିଛି ସାଧାରଣ କଥା ନୁହେଁ। ଏହାକୁ ନେଇ ଵିରୋଧୀ ଦଳମାନେ ମଧ୍ୟ ଭିତିରି ଚିନ୍ତାରେ ପଡ଼ିଗଲେଣି ଯେ କାଳେ ଏହି ଗେରୁଆ ରଙ୍ଗର ପ୍ରାଣୀମାନଙ୍କୁ ଦେଖାଇ ଶାସକ ଦଳ ନିଜର ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କକୁ ଆହୁରି ମଜବୁତ କରିଦେବେ। ଆଜିକାଲି ତ ରାଜନୀତିରେ କିଛି ବି ସମ୍ଭଵ। ହୁଏତ ଆଗକୁ ଏହି ଓରାଙ୍ଗୁଟାନ୍ ମାନଙ୍କୁ ସମ୍ମାନିତ ସଦସ୍ୟ ଭାବରେ ଦଳରେ ମଧ୍ୟ ସ୍ଥାନ ଦିଆଯାଇପାରେ। ଗଧ,ଓଧ,ଶ୍ଵାନ,ଶୃଗାଳ ଓ ମେଣ୍ଢା ଶ୍ରେଣୀୟ ମାନଵ ଯଦି ନେତା ହୋଇପାରୁଛନ୍ତି ତେବେ ଓରାଙ୍ଗ୍‌ଓଟାଙ୍ଗ୍ କାହିଁକି ହୋଇପାରିବେ ନାହିଁ । 
ସାମାଜିକ ଗଣମାଧ୍ୟମଗୁଡ଼ିକରେ ସେହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ ଛୁଆମାନଙ୍କର ମୁଖମଣ୍ଡଳର ଗାମ୍ଭୀର୍ଯ୍ୟ ଦେଖି କିଛି ଵିରୋଧୀ ତ ପ୍ରଚାର କଲେଣି ଯେ ସେମାନେ ଜନ୍ମରୁ ହିଁ କୌଣସି ରାଷ୍ଟ୍ରୀୟ ସ୍ୱୟଂସେଵକ ସଂଘର ଶାଖାରୁ କଠୋର ପ୍ରଶିକ୍ଷଣ ନେଇ ଆସିଛନ୍ତି ଏବଂ ତାଙ୍କ ଦେହର ଗେରୁଆ ରଙ୍ଗ ହିଁ ତାଙ୍କର ସବୁଠାରୁ ବଡ଼ ରାଜନୈତିକ ଯୋଗ୍ୟତା ପ୍ରମାଣପତ୍ର। ଓରାଙ୍ଗୋଟାଙ୍ଗମାନଙ୍କୁ ଓଡ଼ିଶାକୁ ଆଣି ଡବଲ ଇଞ୍ଜିନ୍ ସରକାର କେମିତି ହିନ୍ଦୁଧର୍ମ ଓ ହିନ୍ଦୁତ୍ଵ ପାଇଁ କାର୍ଯ୍ୟ କରୁଛି ତାହାର ଏହା ଏକ ରାଜନୈତିକ ପ୍ରଦର୍ଶନ ମାତ୍ର । 

କିନ୍ତୁ ସତ କହିଵାକୁ ଗଲେ, ଏହି ଵିଚରା ଓରାଙ୍ଗୁଟାଙ୍ଗମାନଙ୍କର ଆମ ଦେଶର ରାଜନୀତି, ଆଦର୍ଶଵାଦ କିମ୍ବା ସନାତନ ଧର୍ମ ସହ କୌଣସି ସମ୍ପର୍କ ନାହିଁ। 

ହଁ ସେମାନଙ୍କ ପୂର୍ଵଜ ଶିଵାପିଥିକସ୍ ନିଶ୍ଚୟ ଭାରତୀୟ ଥିଲେ । ପ୍ରାୟ ୮–୮.୫ ନିୟୁତ ଵର୍ଷ ପୂର୍ଵେ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ଶିଵାପିଥିକସ୍‌ ଭାରତରେ ଆଉ ରହିପାରିଲେ ନାହିଁ । ଜଳବାୟୁ ବଦଳିଲା, ଜଙ୍ଗଲ କମିଲା—ପ୍ରକୃତି ମଧ୍ୟ କହିଦେଲା, “ବାବୁମାନେ, ଏଠି ଆଉ ଜାଗା ନାହିଁ!”

ସେଇଠୁ ଶିଵାପିଥିକସ୍ ଦକ୍ଷିଣ ପୂର୍ଵ ଏସିଆକୁ ଚାଲିଗଲେ ଏଵଂ ସେମାନଙ୍କ ପରଵର୍ତ୍ତୀ ଵଂଶଧର ସେହି ଅଞ୍ଚଳରେ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଵାସ କଲେ । ପରଵର୍ତ୍ତୀ କାଳରେ କେଵଳ ଓରାଙ୍ଗଓଟାଙ୍ଗଙ୍କ ପୂର୍ଵଜ ହିଁ ରହିଗଲେ ଏଵଂ ଦକ୍ଷିଣ ପୂର୍ଵ ଏସିଆ ତଥା ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ବାକି ସବୁ Great apeମାନେ ଲୋପ ପାଇଗଲେ । 

କିନ୍ତୁ ଆଜି ନିଜର ପୂର୍ଵଜଙ୍କ ପୂର୍ଵଜଙ୍କର ଜନ୍ମଭୂମି ଭାରତରେ ଆସି ପହଞ୍ଚିଗଲାପରେ ଏହି ଓରାଙ୍ଗଓଟାଙ୍ଗମାନଙ୍କର ପ୍ରାକୃତିକ ରଙ୍ଗକୁ ଏକ ରାଜନୈତିକ ପତାକା ସହ ତୁଳନା କରାଯାଇ ସେମାନଙ୍କୁ ଦଳୀୟ କର୍ମୀ ସଜାଇ ଦିଆଯାଉଛି। ପ୍ରକୃତରେ ସେମାନଙ୍କର ଏହି ଗେରୁଆ ଵା କମଳା ରଙ୍ଗ ପଛରେ କୌଣସି ରାଜନୈତିକ କାରଣ ଲୁଚି ରହିନାହିଁ ଵରଂ ଅଛି ପ୍ରକୃତିର ଏହି ନିର୍ଦ୍ଦୟ ରଣଭୂମିରେ ବଞ୍ଚିରହିଵାର ଏକ ଅଦ୍ଭୁତ କୌଶଳ। ଆମ ଦେଶର ନେତାମାନେ ଯେମିତି ନିଜର ଅସଲି କଳା କାରନାମା ଲୁଚାଇଵା ପାଇଁ ଧଳା ଖଦଡ଼ ପିନ୍ଧନ୍ତି, ଠିକ୍ ସେମିତି ଓରାଙ୍ଗୁଟାଙ୍ଗମାନେ ଜଙ୍ଗଲରେ ନିଜକୁ ଶତ୍ରୁ କବଳରୁ ଲୁଚାଇଵା ପାଇଁ ଏହି କମଳା ରଙ୍ଗର ପୋଷାକ ପିନ୍ଧି ଜନ୍ମ ହୋଇଥାନ୍ତି। ଏହାକୁ ଇଂରାଜୀରେ କାମୋଫ୍ଲେଜ୍ ଵା ଛଦ୍ମାଵରଣ କୁହାଯାଏ। ଵୈଜ୍ଞାନିକମାନେ ଦୀର୍ଘ ଵର୍ଷ ଧରି ପରୀକ୍ଷାଗାରରେ ବସି, ଧାଆଁ ଦଉଡ଼ି କରି ଏଵଂ ଶହ ଶହ ବହି ପଢ଼ୁ ପଢ଼ୁ ନିଜ ମୁଣ୍ଡର ବାଳ ଛିଣ୍ଡାଇ ଏହି ରହସ୍ୟ ଉନ୍ମୋଚନ କରିଛନ୍ତି। ଵୈଜ୍ଞାନିକମାନଙ୍କର ତ କାମ ହେଲା ଖାଲି ଅଯଥା ସମୟ ନଷ୍ଟ କରିଵା। ଯେଉଁ କଥା ଆମ ରାଜନେତା ଓ ରାଜନୈତିକ ଦଳୀୟ ସମର୍ଥକମାନେ କ୍ଷଣିକ ମଧ୍ୟରେ ଦେଖି ବୁଝିଗଲେ ଯେ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ଦଳର ପଵିତ୍ର ରଙ୍ଗ, ସେହି ସାଧାରଣ କଥାଟିକୁ ବୁଝିଵା ପାଇଁ ଏହି ମୂର୍ଖ ଵୈଜ୍ଞାନିକମାନଙ୍କୁ ଶହ ଶହ ଵର୍ଷ ଲାଗି ଯାଇଥିଲା।
ଉନବିଂଶ ଶତାବ୍ଦୀର କଥା। ଆଲଫ୍ରେଡ୍ ରସେଲ୍ ୱାଲେସ୍ ନାମକ ଜଣେ ବ୍ରିଟିଶ୍ ବାବୁ ଥିଲେ। ଵିଶ୍ଵସାରା ଲୁଣ୍ଠନ କରିଥିଵା ବ୍ରିଟେନର ନାଗରିକ ହୋଇଥିଵାରୁ ଧନ ସମ୍ପତ୍ତି ପାଇଁ ଚିନ୍ତା ନଥିଲା କିମ୍ବା ରସେଲଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଯାଇଥିଲା । କୌଣସି ଏକ କାରଣରୁ ରସେଲ୍ ନିଜ ଘରୁ ବାହାରି ଯାଇ ବୋର୍ନିଓର ମାରାତ୍ମକ ଘଞ୍ଚ ଜଙ୍ଗଲରେ ବୁଲିଵାକୁ ଲାଗିଲେ। ସେଠାରେ ସେ ଉପରକୁ ଅନାଇ ଦେଖିଲେ ଯେ ଵିଶାଳକାୟ ଗେରୁଆ ରଙ୍ଗର ଓରାଙ୍ଗୋଟାଙ୍ଗ୍ ମହାଵାନରମାନେ ଗଛ ଉପରେ ବସି ଆରାମରେ ଫଳ ଖାଉଛନ୍ତି। ପ୍ରଥମେ ସେ ଭାବିଲେ, ଆରେ ଏତେ ଉଜ୍ଜ୍ୱଳ ରଙ୍ଗର ପ୍ରାଣୀ ଏତେ ସବୁଜ ଜଙ୍ଗଲରେ ତ ଅତି ସହଜରେ ଦୂରରୁ କାହା ଆଖିରେ ବି ପଡ଼ିଯିଵା କଥା, ଏମାନେ ବଞ୍ଚୁଛନ୍ତି କେମିତି? କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେ ଲକ୍ଷ୍ୟ କଲେ ଯେ ସୂର୍ଯ୍ୟାଲୋକ ପଡ଼ୁନଥିଵା ଗଛର ଉପର ଭାଗରେ ଏହି କମଳା ରଙ୍ଗ ସମ୍ପୂର୍ଣ୍ଣ ରୂପେ ଅଦୃଶ୍ୟ ହୋଇଯାଉଛି। ଯେମିତି ଏକ ଵିରାଟ ଆର୍ଥିକ ଦୁର୍ନୀତି କଲା ପରେ ଜଣେ ପ୍ରଭାଵଶାଳୀ ଵ୍ୟକ୍ତି ଵିଦେଶ ପଳାଇଲେ ଆଇନର ଲମ୍ବା ହାତ ଆଗରୁ ଅଦୃଶ୍ୟ ହୋଇଯାଆନ୍ତି ଏଵଂ ତାଙ୍କୁ ଖୋଜିଵା ଅସମ୍ଭଵ ହୋଇପଡ଼େ, ଠିକ୍ ସେମିତି। ସୂର୍ଯ୍ୟ ଆଲୋକର ଅଭାଵରେ କମଳା ରଙ୍ଗ ଆଲୁଅକୁ ଶୋଷିନିଏ ଏଵଂ ପ୍ରାୟତଃ କଳା କିମ୍ବା ମାଟିଆ ଦେଖାଯାଏ। ୱାଲେସ୍ ମହାଶୟ ବହୁତ ଖୁସି ହୋଇଗଲେ ଯେ ସେ ନିଜ ଡାଏରୀରେ ଗୋଟିଏ ବଡ଼ ଆଵିଷ୍କାର ଲେଖିଦେଲେ। 

ତା'ପରେ ଏହି ଗଵେଷଣାକୁ ଆହୁରି ଆଗକୁ ନେଵାକୁ ଆସିଲେ ଆଉ ଜଣେ ମହାନ ଗଵେଷିକା, ଡଃ ବିରୁଟେ ଗାଲ୍‌ଡିକାସ୍। ଏହି ସାହସୀ ମହିଳା ଜଣକ ୧୯୭୧ ମସିହାରୁ ସିଧା ଯାଇ ବୋର୍ନିଓ ଜଙ୍ଗଲରେ ନିଜର ଟେଣ୍ଟ୍ ପକାଇଦେଲେ। ପଚାଶ ଵର୍ଷରୁ ଅଧିକ ସମୟ ସେ ନିଜ ପରିଵାରଠାରୁ ଦୂରରେ କେଵଳ ଓରାଙ୍ଗୁଟାନ୍ ମାନଙ୍କ ସହ ବିତାଇଦେଲେ। ଆମ ଦେଶରେ ଗୋଟିଏ ମେଣ୍ଟ ସରକାର ପାଞ୍ଚ ଵର୍ଷ ବିନା କଳି ଝଗଡ଼ାରେ ତିଷ୍ଠିଵା କଷ୍ଟକର ହୋଇପଡୁଥିବା ବେଳେ, ଏହି ମହିଳା ପଚାଶ ଵର୍ଷ ଧରି ଵାନର ଓ ମହାଵାନରମାନଙ୍କ ସମାଜକୁ ବିନା ଦ୍ୱିଧାରେ ଅଧ୍ୟୟନ କଲେ। ସେ ଅନୁଧ୍ୟାନ କରି ଦେଖିଲେ ଯେ ଜଙ୍ଗଲର ଘଞ୍ଚ ଛାଇ ଭିତରେ ଓରାଙ୍ଗୋଟାଙ୍ଗ୍‌ମାନଙ୍କର ଏହି ଗେରୁଆ ରଙ୍ଗ ହିଁ ସେମାନଙ୍କର ପ୍ରକୃତ ସୁରକ୍ଷା କବଚ, କୌଣସି ରାଜନୈତିକ କବଚ ନୁହେଁ। 

ଯେମିତି କିଛି ଲୋକ ଧର୍ମ ନାମରେ ଗେରୁଆ ଵସ୍ତ୍ର ପିନ୍ଧି,ମୁଣ୍ଡରେ 'ଠ' ଆକାରର ଟୋପି ପିନ୍ଧି ତଥା ହାତେ ଲମ୍ବା ନିଶହୀନ ଦାଢ଼ି ରଖି କିମ୍ବା କୌଣସି ଧାର୍ମିକ ଚିହ୍ନ ଗଳାରେ ପିନ୍ଧି ନିଜର ସବୁ ପାପ ଓ ଦୁର୍ନୀତିକୁ ଲୁଚାଇ ଧାର୍ମିକ ସାଧୁ ଵ୍ୟକ୍ତିର ଛଦ୍ମଵେଶ ଧାରଣ କରିଦିଅନ୍ତି, ଠିକ୍ ସେହିପରି ପ୍ରକୃତି ମଧ୍ୟ ତା’ର ଏହି ନିରୀହ ପ୍ରାଣୀମାନଙ୍କୁ ଗେରୁଆ ରଙ୍ଗରେ ସଜାଇ ଦେଇଛି। ଉଦ୍ଦେଶ୍ୟ ଗୋଟିଏ—ଶିକାରୀଙ୍କ ଆଖିରେ ଧୂଳି ଦେଇ, ସେମାନଙ୍କୁ ସହଜରେ ଚିହ୍ନଟ ହେଵାରୁ ବଞ୍ଚାଇବା ଏଵଂ ନିରାପଦରେ ବଞ୍ଚିଵାର ସୁଯୋଗ ଦେଵା !

ଡଃ ଗାଲ୍‌ଡିକାସ୍ ପ୍ରମାଣ କଲେ ଯେ ଓରାଙ୍ଗୋଟାଙ୍ଗ୍‌ମାନେ ପ୍ରକୃତରେ ଅତ୍ୟନ୍ତ ଶାନ୍ତିପ୍ରିୟ ପ୍ରାଣୀ ଏଵଂ ସେମାନେ ନିଜକୁ ଗଛ ଡାଳରେ ଲୁଚାଇ ରଖିଵାକୁ ହିଁ ପସନ୍ଦ କରନ୍ତି। ସେମାନେ ନିଜର ଗେରୁଆ ରଙ୍ଗକୁ ନେଇ କୌଣସି ରାଜରାସ୍ତାରେ ଶୋଭାଯାତ୍ରା କରନ୍ତି ନାହିଁ, ସ୍ଲୋଗାନ ଦିଅନ୍ତି ନାହିଁ କିମ୍ବା ନିଜ ରଙ୍ଗକୁ ଶ୍ରେଷ୍ଠ କହି ଅନ୍ୟ କୌଣସି ଵାନରଜାତି ସହ ଧାର୍ମିକ ଦଙ୍ଗା ମଧ୍ୟ କରନ୍ତି ନାହିଁ।

ଏହାପରେ ଗଵେଷଣା ଦୁନିଆରେ ଆହୁରି ଏକ ବଡ଼ କଥା ଜଣାଗଲା। ନବେ ଦଶକରେ ଜେରାଲ୍ଡ ଜ୍ୟାକବସ୍ ନାମକ ଜଣେ ଵୈଜ୍ଞାନିକ ପ୍ରାଣୀମାନଙ୍କର ଦୃଷ୍ଟିଶକ୍ତି ଅର୍ଥାତ୍ ଆଖିର କ୍ଷମତା ଉପରେ ଗଵେଷଣା ଆରମ୍ଭ କଲେ। ଆଖିକୁ କିଏ କେମିତି ଦେଖେ ଏଵଂ ରଙ୍ଗକୁ କେମିତି ଚିହ୍ନେ, ସେଇଟା ପ୍ରକୃତିର ଗୋଟିଏ ବଡ଼ ରହସ୍ୟ। ଆମ ଭାରତୀୟ ଭୋଟରମାନେ ଯେମିତି ନିର୍ଵାଚନ ଆସିଲେ ହଠାତ୍ ଦୃଷ୍ଟିହୀନ ହୋଇଯାଆନ୍ତି, ପ୍ରାର୍ଥୀଙ୍କ ଦୋଷ ଦୁର୍ଵଳତା କିଛି ଦେଖିପାରନ୍ତି ନାହିଁ, ସବୁ କିଛି କେଵଳ ପ୍ରତିଶ୍ରୁତିର ସବୁଜ ଓ ସୁନ୍ଦର ରଙ୍ଗରେ ହିଁ ଦେଖାଯାଏ, ଠିକ୍ ସେମିତି ଜଙ୍ଗଲର ବଡ଼ ବଡ଼ ଦୁର୍ଦ୍ଧର୍ଷ ଶିକାରୀ ଯଥା ବାଘ ଵା କଲରାପତ୍ରିଆ ବାଘମାନେ ମଧ୍ୟ ଜନ୍ମରୁ ଗୋଟିଏ ପ୍ରକାରର ରଙ୍ଗ ଅନ୍ଧକାରର ଶିକାର ହୋଇଥାନ୍ତି। ଵୈଜ୍ଞାନିକ ଭାଷାରେ ଏହି ଅଵସ୍ଥାକୁ 'ଡାଇକ୍ରୋମାଟିକ୍' ଵା ଦ୍ୱି-ଵର୍ଣ୍ଣ ଦୃଷ୍ଟି କୁହାଯାଏ। ଏହାର ସିଧାସଳଖ ଅର୍ଥ ହେଲା ଯେ ଏହି ମହାବଳୀ ଶିକାରୀମାନେ ନାଲି ଓ ସବୁଜ ରଙ୍ଗ ଭିତରେ ଥିଵା ପାର୍ଥକ୍ୟ କଦାପି ଜାଣିପାରନ୍ତି ନାହିଁ। ଆମ ମଣିଷମାନଙ୍କୁ ଯେଉଁ ଓରାଙ୍ଗୋଟାଙ୍ଗ୍ ଦେହର ରଙ୍ଗ ଏକ ନିର୍ଦ୍ଦିଷ୍ଟ ଶାସକ ଦଳର ପତାକା ଭଳି ଉଜ୍ଜ୍ୱଳ ଗେରୁଆ ଦେଖାଯାଏ, ସେହି ସମାନ ରଙ୍ଗ ଗୋଟିଏ ବାଘକୁ ଗଛର ଶୁଖିଲା ମାଟିଆ ପତ୍ର କିମ୍ବା ସବୁଜ ପତ୍ର ଭଳି ହିଁ ଦେଖାଯାଏ। ବାଘ ଵିଚରା ଭୋକିଲା ପେଟରେ ତଳେ ଥାଇ ଉପରକୁ ଅନାଏ, ତାକୁ ଲାଗେ ଯେମିତି ଉପରେ କିଛି ନାହିଁ କେଵଳ ଗଛରେ ପତ୍ର ହିଁ ପତ୍ର ଅଛି। ଏଣେ ଉପରେ ଓରାଙ୍ଗୋଟାଙ୍ଗ୍ ମହାଶୟ ଡାଳରେ ବସି ନିଜର ଗେରୁଆ ରଙ୍ଗର ସମ୍ପୂର୍ଣ୍ଣ ଲାଭ ପାଇ ମହା ଆନନ୍ଦରେ ଫଳ ଗେମ୍ଫୁଥାନ୍ତି ଆଉ ତଳେ ବାଘର ମୂର୍ଖାମୀକୁ ଦେଖି ମନେ ମନେ ହସୁଥାନ୍ତି। ଏହାକୁ କହନ୍ତି ପ୍ରକୃତିର ସର୍ଵଶ୍ରେଷ୍ଠ କୂଟନୀତି ଵା ରାଜନୀତି। ଶତ୍ରୁ ଭାବୁଛି ସବୁ ଠିକ୍ ଅଛି, ଅଥଚ ତା ଆଖି ଆଗରେ ହିଁ ସବୁ ଖେଳ ଚାଲିଛି ଆଉ ସେ କିଛି ଧରିପାରୁନି।

ଆଜିକାଲିର ଆଧୁନିକ ଯୁଗରେ କମ୍ପ୍ୟୁଟର ଏଵଂ ଉନ୍ନତ ଧରଣର କ୍ୟାମେରା ମାଧ୍ୟମରେ ମଧ୍ୟ ଵୈଜ୍ଞାନିକମାନେ ଏହି କଥାକୁ ଶତ ପ୍ରତିଶତ ପ୍ରମାଣିତ କରିଦେଇଛନ୍ତି। ବ୍ରିଷ୍ଟଲ୍ ଵିଶ୍ୱଵିଦ୍ୟାଳୟର Visual Ecologyର ଗଵେଷକମାନେ କମ୍ପ୍ୟୁଟରରେ ଶିକାରୀ ପ୍ରାଣୀଙ୍କ ଆଖିର ଗୋଟିଏ ସିମ୍ୟୁଲେସନ୍ ଵା ମଡେଲ୍ ତିଆରି କରି ଦେଖିଲେ ଯେ ସତକୁ ସତ ସବୁଜ ପତ୍ରଭରା ଜଙ୍ଗଲ ଭିତରେ କମଳା ରଙ୍ଗ ସମ୍ପୂର୍ଣ୍ଣ ଭାବେ ଲୁଚିଯାଏ। ଏହି ଆଧୁନିକ ଗଵେଷଣାରୁ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହେଲା ଯେ ଓରାଙ୍ଗୋଟାଙ୍ଗ୍‌ମାନେ ନିଜେ ଜାଣିଶୁଣି ଏହି ଗେରୁଆ ରଙ୍ଗ ବାଛି ନାହାଁନ୍ତି କିମ୍ବା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରଵାଦୀ ହୋଇ ରଙ୍ଗ ମାଖି ଗେରୁଆଵର୍ଣ୍ଣ ଵାନର ହୋଇନାହାନ୍ତି। ଏହା କେଵଳ ଓରାଙ୍ଗଓଟାଙ୍ଗମାନଙ୍କର ଜଙ୍ଗଲରେ ବଞ୍ଚିଵାର ଏକ ସାଧାରଣ ସଂଘର୍ଷ, ଗୋଟିଏ ଜୈଵିକ ଆଵଶ୍ୟକତା। କିନ୍ତୁ ଵିଡ଼ମ୍ବନା ଦେଖନ୍ତୁ, ଭାରତ ଭଳି ଦେଶରେ,ଵିଶେଷ କରି ଆମ ଓଡ଼ିଶାରେ ଧରାପଡ଼ିଥିଵା ଏହି ପାଞ୍ଚୋଟି ନିରୀହ ଓରାଙ୍ଗୋଟାଙ୍ଗ୍ ଛୁଆଙ୍କ ପାଇଁ ଏହି ରଙ୍ଗ ହିଁ ଵର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହୋଇଯାଇଛି। ସେମାନେ ନିଜ ଦେଶ ବୋର୍ନିଓର ଜଙ୍ଗଲରେ ଥିଲେ ବାଘ କବଳରୁ ହୁଏତ ରକ୍ଷା ପାଇଥାନ୍ତେ, କିନ୍ତୁ ଭାରତ ଭୂଇଁରେ ପାଦ ଦେଉ ଦେଉ ସେମାନେ ଵ୍ୟଙ୍ଗକାର ଓ ରାଜନେତାମାନଙ୍କ ତୀକ୍ଷ୍ଣ ଆଖିରୁ ବର୍ତ୍ତି ପାରିଲେ ନାହିଁ। ବୋଧହୁଏ ସେମାନେ ଏବେ ଚିଡ଼ିଆଖାନାରେ ବସି ନିଜ ନିଜ ଭିତରେ ନିଜ ଭାଷାରେ ଆଲୋଚନା କରୁଥିବେ ଯେ, ହେ ଭଗଵାନ, ଆମେ ତ ଜଙ୍ଗଲରେ ଶତ୍ରୁଠାରୁ ଲୁଚିଵା ପାଇଁ ଏହି ରଙ୍ଗ ପାଇଥିଲୁ, କିନ୍ତୁ ଏହି ଆଶ୍ଚର୍ଯ୍ୟଜନକ ଦେଶରେ ଏହି ରଙ୍ଗ ତ ଲୁଚାଇଵା ପରିଵର୍ତ୍ତେ ସମସ୍ତଙ୍କୁ ଆକର୍ଷିତ କରୁଛି। ଯଦି ଆମେ ଜନ୍ମରୁ ଜାଣିଥାନ୍ତୁ ଯେ ଭାରତରେ ଗେରୁଆ ରଙ୍ଗର ଏତେ ଚାହିଦା ଏଵଂ ଏହାକୁ ଦେଖିଲେ ଲୋକେ ରାଜନୀତି କରନ୍ତି, ତେବେ ଆମେ ନିଶ୍ଚୟ ଆଉ କୌଣସି ନିରପେକ୍ଷ ରଙ୍ଗ ବାଛିଥାନ୍ତୁ। ଅନ୍ତତଃ ପକ୍ଷେ ଧଳା କିମ୍ବା କଳା, ଯାହାକୁ କେହି ଅଯଥା ରାଜନୀତି ସହ ଯୋଡ଼ି ନଥାନ୍ତେ। ତେବେ ଯାହା ବି ହେଉ, ଓରାଙ୍ଗୋଟାଙ୍ଗମାନଙ୍କର ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତିର ଖେଳ ଏଵ ମଣିଷର ରାଜନୀତି ଉଭୟ ବଡ଼ ଵିଚିତ୍ର। ଯାହା ଗୋଟିଏ ଜାଗାରେ ଜୀଵନ ରକ୍ଷାକାରୀ ଅଟେ, ଅନ୍ୟ ଜାଗାରେ ତାହା ବିନା କାରଣରେ ହାସ୍ୟସ୍ପଦ ଆଲୋଚନାର ଵିଷୟ ପାଲଟିଯାଏ। ଏହି ଵିଚରା ମହାଵାନରମାନେ ନିଶ୍ଚୟ ପ୍ରାର୍ଥନା କରୁଥିବେ ଯେ ଖୁବ୍ ଶୀଘ୍ର ଆମ ଦେଶର ଏହି ରାଜନୈତିକ ପରିଵେଶ ଶାନ୍ତ ପଡ଼ୁ ଏଵଂ ସେମାନେ ନିଜର ପ୍ରାକୃତିକ ପରିଵେଶକୁ ସକୁଶଳ ଫେରିଯାଆନ୍ତୁ । ଓରାଙ୍ଗୋଟାଙ୍ଗ୍‌ମାନଙ୍କ ରଙ୍ଗ ତାଙ୍କୁ ଗଛ ଗହଳିରେ ଲୁଚାଇଵାରେ ସାହାଯ୍ୟ କରିଵ, ଖବରକାଗଜର ମୁଖ୍ୟ ପୃଷ୍ଠାରେ ଶିରୋନାମା ପାଲଟିଵାରେ ନୁହେଁ।

କିନ୍ତୁ ଏହି ଵିଚରା ଓରାଙ୍ଗୋଟାଙ୍ଗ୍‌ମାନେ ଓଡ଼ିଶାର ରାଜନୈତିକ ଝଡ଼ରୁ ବଞ୍ଚି ନିଜ ମୂଳ ନିଵାସ 'ବୋର୍ଣିଓ' ଜଙ୍ଗଲକୁ ଫେରିଗଲେ କ’ଣ ସେଠାରେ ସୁରକ୍ଷିତ ରହିପାରିବେ? ଆଦୌ ନୁହେଁ!
ଭାରତରେ ହୁଏତ ସେମାନଙ୍କୁ ଦଳୀୟ କର୍ମୀ, ଗେରୁଆ ପ୍ରଚାରକ କିମ୍ବା ଶାସକ ଦଳର ରାଜନୈତିକ ବ୍ରାଣ୍ଡ ଆମ୍ବାସାଡାର ବୋଲି ଆଖ୍ୟା ଦିଆଯାଉଛି; କିନ୍ତୁ ନିଜ ଘର ବୋର୍ଣିଓରେ ସେମାନଙ୍କ ପାଇଁ ଆଉ ଗୋଟିଏ ବଡ଼ ଆହ୍ୱାନ ଅପେକ୍ଷା କରିଛି—ତାହା ହେଉଛି ‘ତାଳ ତେଲ’ ଵା Palm Oilର ଦୈତ୍ୟ ଏଵଂ ମଣିଷର ଅସୀମ ପେଟ ଓ ପକେଟ୍।

ବୋର୍ଣିଓ ଓ ସୁମାତ୍ରାର ଘଞ୍ଚ ଜଙ୍ଗଲରେ ହୁଏତ ସଭା-ସମିତି ନାହିଁ କି ଶାସକ-ଵିରୋଧୀଙ୍କ ଚିତ୍କାର ନାହିଁ, କିନ୍ତୁ ସେଠାରେ ଦିନରାତି ଶୁଭୁଛି 'Chainsaw'ର ଵିକଟାଳ ଶବ୍ଦ। 

ପ୍ରକୃତିପ୍ରେମୀ ମଣିଷ ନିଜର ଚିପ୍ସ, ବିସ୍କୁଟ, ସାବୁନ୍, କ୍ରିମ୍ ଓ ଜଙ୍କ୍ ଫୁଡ୍ ତିଆରି କରିଵା ପାଇଁ ବୋର୍ଣିଓର ହଜାର ହଜାର ହେକ୍ଟର ପୁରାତନ ଵର୍ଷାରଣ୍ୟକୁ କାଟି ପଦା କରିଦେଉଛି, ଯାହାଫଳରେ 'Palm Oil' ଵା ତେଲତାଳ ଚାଷ ପାଇଁ ପଥ ପରିଷ୍କାର ହୋଇପାରିଵ। ଯେଉଁ ଓରାଙ୍ଗୋଟାଙ୍ଗ୍‌ମାନେ ଗଛ ଉପରେ ବସି ନିଜର ଗେରୁଆ ରଙ୍ଗ ବଳରେ ଶତ୍ରୁ ଆଖିରୁ ଲୁଚିଵାକୁ ଚେଷ୍ଟା କରୁଛନ୍ତି, ମଣିଷ ସେହି ଗଛକୁ ହିଁ ମୂଳରୁ ହାଣି ଶେଷ କରିଦେଉଛି।

ଆଲଫ୍ରେଡ୍ ୱାଲେସ୍ ଏଵଂ ଡଃ ବିରୁଟେ ଗାଲ୍‌ଡିକାସ୍ ଗଵେଷଣା କରି ପ୍ରମାଣ କରିଥିଲେ ଯେ ଓରାଙ୍ଗୋଟାଙ୍ଗ୍‌ଙ୍କ ଗେରୁଆ ରଙ୍ଗ ବାଘ ଓ କଲରାପତ୍ରିଆ ବାଘଙ୍କ ଆଖିରୁ ସେମାନଙ୍କୁ ରକ୍ଷା କରିଥାଏ, କାରଣ ବାଘ ପାଖରେ 'ଦ୍ୱି-ଵର୍ଣ୍ଣ ଦୃଷ୍ଟି' (Dichromatic vision) ଥାଏ। କିନ୍ତୁ ଵିଜ୍ଞାନ ଵିଚରା ଏତିକି ଆକଳନ କରିପାରିନଥିଲା ଯେ ବୋର୍ଣିଓର କାଠ ମାଫିଆ, ଶିଳ୍ପପତି ଓ ବୁଲ୍‌ଡୋଜର୍ ଚାଳକଙ୍କ ଆଖିରେ କେଵଳ 'ସବୁଜ ନୋଟ୍'ର ରଙ୍ଗ ହିଁ ଦିଶେ ! 

ବୁଲ୍‌ଡୋଜର୍‌ର ଲୁହା ଦାନ୍ତ ଆଗରେ ପ୍ରକୃତିର କାମୋଫ୍ଲେଜ୍ ଵା ଛଦ୍ମାଵରଣର ଶକ୍ତି ସମ୍ପୂର୍ଣ୍ଣ ନିଷ୍ଫଳ। ଜଙ୍ଗଲରେ ନିଆଁ ଲଗାଇ ଯେତେବେଳେ ରାକ୍ଷସ ଭଳି ବୁଲ୍‌ଡୋଜର୍‌ଗୁଡ଼ିକ ମାଡ଼ିଆସନ୍ତି, ଓରାଙ୍ଗୋଟାଙ୍ଗ୍ ମା’ମାନେ ନିଜ ଛୁଆଙ୍କୁ ଛାତିରେ ଜାକି ଭୟରେ ଏଗଛରୁ ସେଗଛକୁ ଦୌଡ଼ନ୍ତି। ସେତିକି ବେଳେ ଵନ୍ୟପ୍ରାଣୀ ଚୋରାଚାଲାଣକାରୀମାନେ ନିରୀହ ମା’କୁ ଗୁଳି କରି ହତ୍ୟା କରନ୍ତି ଏଵଂ ଏହି ଅନାଥ ଛୁଆମାନଙ୍କୁ କାଠ ବାକ୍ସରେ ପୂରାଇ ଅନ୍ତର୍ଜାତୀୟ କଳାବଜାରକୁ ବିକ୍ରି କରିଦିଅନ୍ତି। ଏହିପରି ଭାବେ ହିଁ ଅନ୍ତର୍ଜାତୀୟ ସୀମା ପାର ହୋଇ ଏହି ପାଞ୍ଚୋଟି ଅତିଥି ଆମ ଓଡ଼ିଶା ମାଟିରେ ଆସି ପହଞ୍ଚିଗଲେ ଏଵଂ ଆମ ସୃଜନଶୀଳ ରାଜନେତା ଓ ନେଟିଜେନ୍‌ଙ୍କ ପାଇଁ 'ଗେରୁଆ ରାଜନୀତି'ର ଏକ ରୋଚକ କାହାଣୀ ସାଜିଗଲେ! ତେଣୁ ନିରପେକ୍ଷ ଭାବେ ଦେଖିଵାକୁ ଗଲେ, ଏହି ଵିଚରା ଓରାଙ୍ଗୋଟାଙ୍ଗ୍‌ମାନଙ୍କ ପାଇଁ ପୃଥିଵୀର କୌଣସି କୋଣରେ ବି ଶାନ୍ତି ନାହିଁ।

ନିଜ ଘର ବୋର୍ଣିଓରେ ମଣିଷ ସେମାନଙ୍କ ‘ଘର’ ଵା ଆଵାସସ୍ଥଳୀ ଛଡ଼ାଇ ନେଉଛି,
ଆଉ ଇଆଡ଼େ ଭାରତରେ ମଣିଷ ସେମାନଙ୍କ ‘ରଙ୍ଗ’ କୁ ନେଇ ରାଜନୀତି କରୁଛି। ବୋର୍ଣିଓରେ ସେମାନେ "ତାଳ ତେଲ" ପାଇଁ ବଳି ପଡୁଛନ୍ତି, ଆଉ ଓଡ଼ିଶାରେ "ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କ" ପାଇଁ ନୂଆ ପ୍ରଚାରକ ବୋଲାଉଛନ୍ତି।

ବୋର୍ଣିଓ ଜଙ୍ଗଲ ଆଜି ସୁରକ୍ଷିତ ନୁହେଁ। ଯଦି ଏହିପରି ଭାବେ ଜଙ୍ଗଲ କଟା ଚାଲେ, ତେବେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ବୋର୍ଣିଓରୁ ଓରାଙ୍ଗୋଟାଙ୍ଗ୍‌ମାନେ ସମ୍ପୂର୍ଣ୍ଣ ଲୋପ ପାଇଯିବେ। ବୋଧହୁଏ ଚିଡ଼ିଆଖାନାର ପିଞ୍ଜରା ଭିତରେ ବସି ଏହି ପାଞ୍ଚୋଟି ଓରାଙ୍ଗୋଟାଙ୍ଗ୍ ଛୁଆ ନିଜ ମନ ଭିତରେ ପ୍ରାର୍ଥନା କରୁଥିବେ—"ହେ ଈଶ୍ୱର! ବୋର୍ଣିଓର କାଠକଟା କୁରାଢ଼ୀଠାରୁ ଆମକୁ ବଞ୍ଚାଅ, ନଚେତ୍ ଭାରତର ସୃଜନଶୀଳ ରାଜନେତା, କାର୍ଟୁନିଷ୍ଟ ଓ ଟ୍ରୋଲରଙ୍କ କଲମଠାରୁ ଆମକୁ ମୁକ୍ତି ଦିଅ!"

Saturday, August 29, 2026

ଭାରତୀୟ ଇତିହାସରେ ଆର୍ଯ୍ୟ ଉତ୍ପତ୍ତି ଵିଵାଦ: ଏକ ପରିଵେଶଗତ ଅଧ୍ୟୟନ

ଭାରତୀୟ ଇତିହାସର ସବୁଠାରୁ ଚର୍ଚ୍ଚିତ ଓ ଵିଵାଦୀୟ ଵିଷୟଗୁଡ଼ିକ ମଧ୍ୟରୁ ଆର୍ଯ୍ୟମାନଙ୍କର ଉତ୍ପତ୍ତି ଏଵଂ ସେମାନଙ୍କର ମୂଳ ଵାସସ୍ଥାନର ସନ୍ଧାନ ଅନ୍ୟତମ। ପ୍ରାଚୀନ ଭାରତର ସବୁଠାରୁ ପ୍ରାମାଣିକ ଓ ପୁରାତନ ଗ୍ରନ୍ଥ ଋଗ୍‌ଵେଦକୁ ଭିତ୍ତି କରି ଇତିହାସକାର, ଭାଷାଵିତ୍ ଓ ପ୍ରତ୍ନତତ୍ତ୍ୱଵିତ୍‌ମାନେ ଦଶନ୍ଧି ଦଶନ୍ଧି ଧରି ଅନେକ ତତ୍ତ୍ୱ ଉପସ୍ଥାପନ କରିଛନ୍ତି। ଏହି ତତ୍ତ୍ୱଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ଵିଭକ୍ତ। ପ୍ରଥମଟି ହେଉଛି ଆର୍ଯ୍ୟ ଆକ୍ରମଣ ଵା ଆଗମନ ତତ୍ତ୍ୱ, ଯାହା ଵିଶ୍ୱାସ କରେ ଯେ ଆର୍ଯ୍ୟମାନେ କୌଣସି ଵାହ୍ୟ ଅଞ୍ଚଳ, ଵିଶେଷତଃ ମଧ୍ୟ-ଏସିଆ କିମ୍ଵା ୟୁରେସିଆରୁ ଭାରତକୁ ଆସିଥିଲେ। ଦ୍ୱିତୀୟଟି ହେଉଛି ସ୍ୱଦେଶୀ ଆର୍ଯ୍ୟ ତତ୍ତ୍ୱ, ଯାହା ଦୃଢ଼ତାର ସହ ଦାବି କରେ ଯେ ଵୈଦିକ ସଭ୍ୟତାର ନିର୍ମାତାମାନେ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଉପମହାଦେଶର ମୂଳ ବାସିନ୍ଦା ଥିଲେ। ଏହି ଵିଵାଦକୁ ସମାଧାନ କରିଵା ପାଇଁ କେଵଳ ଭାଷା କିମ୍ଵା ମାଟିତଳରୁ ମିଳୁଥିଵା ହାଣ୍ଡି ମାଠିଆର ପ୍ରମାଣ ଯଥେଷ୍ଟ ନୁହେଁ। ଏଥିପାଇଁ ଵେଦରେ ଵର୍ଣ୍ଣିତ ପ୍ରାକୃତିକ ପରିଵେଶ, ଉଦ୍ଭିଦ ଓ ଜୀଵଜନ୍ତୁମାନଙ୍କର ସୂକ୍ଷ୍ମ ଅଧ୍ୟୟନ ମଧ୍ୟ ଅତ୍ୟନ୍ତ ଆଵଶ୍ୟକ। କାରଣ ଏକ ଜନଗୋଷ୍ଠୀର ସାହିତ୍ୟ ଓ ଧର୍ମଗ୍ରନ୍ଥରେ ସେମାନେ ରହୁଥିଵା ଭୌଗୋଳିକ ପରିଵେଶର ଚିତ୍ର ସ୍ୱତଃପ୍ରଵୃତ୍ତ ଭାବରେ ପ୍ରତିଫଳିତ ହୋଇଥାଏ। 

ଋଗ୍‌ଵେଦର ରଚନା କାଳକୁ ପ୍ରାଚ୍ୟଵିଦ୍ ତଥା "ଆର୍ଯ୍ୟ ଆଗମନ ତତ୍ତ୍ଵ" ଅଥଵା "ଆର୍ଯ୍ୟ ଆକ୍ରମଣ ତତ୍ତ୍ଵ"କୁ ମାନୁଥିଵା ଲୋକେ ସାଧାରଣତଃ ୧୫୦୦ରୁ ୧୨୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ଗ୍ରହଣ କରନ୍ତି । 

ଆର୍ଯ୍ୟ ଆଗମନ ତତ୍ତ୍ୱର ସମର୍ଥକଙ୍କ ମଧ୍ୟରେ ସାଧାରଣତଃ ଅଧିକାଂଶ ଊନଵିଂଶ ଶତାବ୍ଦୀର ପାଶ୍ଚାତ୍ୟ ପ୍ରାଚ୍ୟଵିତ୍ ଏଵଂ କିଛି ଆଧୁନିକ ଇତିହାସକାର ଅଛନ୍ତି । ଏହି ସମର୍ଥକମାନେ ଉଦ୍ଭିଦ ଓ ଜୀଵଜନ୍ତୁମାନଙ୍କର ଉପସ୍ଥିତି ତଥା ଅନୁପସ୍ଥିତିକୁ ନିଜ ମତର ସବୁଠାରୁ ବଡ଼ ପ୍ରମାଣ ଭାବରେ ଉପସ୍ଥାପନ କରନ୍ତି। ସେମାନେ ସବୁଠାରୁ ପ୍ରମୁଖ ଯୁକ୍ତି ଭାବରେ ଵେଦରେ ସିଂହ ଓ ବାଘର ଵର୍ଣ୍ଣନା ସମ୍ବନ୍ଧୀୟ ଯୁକ୍ତି ଉପସ୍ଥାପନ କରନ୍ତି । ଋଗ୍‌ଵେଦରେ ସିଂହର ଵର୍ଣ୍ଣନା ଅନେକ ଥର ଦେଖିଵାକୁ ମିଳେ। ସିଂହର ଗର୍ଜନ, ତାହାର ଶକ୍ତି ଓ ପରାକ୍ରମକୁ ଦେଵତାମାନଙ୍କର ଶୌର୍ଯ୍ୟ ସହ ତୁଳନା କରାଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ, ସମଗ୍ର ଋଗ୍‌ଵେଦରେ ଵାଘର କୌଣସି ଉଲ୍ଲେଖ ନାହିଁ। ଵାଘର ଵର୍ଣ୍ଣନା ପ୍ରଥମ ଥର ପାଇଁ ପରଵର୍ତ୍ତୀ କାଳର ରଚନା ଭାବରେ ଗ୍ରହଣ କରାଯାଉଥିଵା ଅଥର୍ଵ ଵେଦରେ ଦେଖିଵାକୁ ମିଳେ। ପ୍ରାଚ୍ୟଵିତ୍‌ମାନେ ଏହି କଥାକୁ ଆଧାର କରି ଯୁକ୍ତି କରନ୍ତି ଯେ, ଵୈଦିକ ଜନଗୋଷ୍ଠୀ ପ୍ରଥମେ ଭାରତୀୟ ଉପମହାଦେଶର ବାସିନ୍ଦା ନଥିଲେ। ସେମାନଙ୍କ ମତରେ ଆର୍ଯ୍ୟମାନେ ମଧ୍ୟ-ଏସିଆରୁ ବାହାରି ଇରାନ ଓ ଆଫଗାନିସ୍ତାନ ଦେଇ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ପ୍ରଵେଶ କରିଥିଲେ। ସେହି ସମୟରେ ଇରାନ, ଆଫଗାନିସ୍ତାନ ଓ ଭାରତର ପଞ୍ଜାଵ ତଥା ଗୁଜରାଟ ଅଞ୍ଚଳରେ ଏସୀୟ ସିଂହମାନଙ୍କର ବହୁଳ ଵସଵାସ ଥିଲା। ତେଣୁ ସେମାନେ ପ୍ରଥମେ ସିଂହ ସହିତ ପରିଚିତ ହେଲେ ଏଵଂ ନିଜର ପ୍ରାରମ୍ଭିକ ଗ୍ରନ୍ଥ ଋଗ୍‌ଵେଦରେ ସିଂହର ଗୁଣଗାନ କଲେ। ପରଵର୍ତ୍ତୀ କାଳରେ, ଯେତେଵେଳେ ସେମାନେ ପଞ୍ଜାଵ ଅଞ୍ଚଳ ଅତିକ୍ରମ କରି ଭାରତର ପୂର୍ଵ ଦିଗକୁ ଅର୍ଥାତ୍ ଗଙ୍ଗା-ଯମୁନା ଉପତ୍ୟକାର ଘଞ୍ଚ ଜଙ୍ଗଲ ଆଡ଼କୁ ଅଗ୍ରସର ହେଲେ, ସେତେଵେଳେ ସେମାନେ ପ୍ରଥମ ଥର ପାଇଁ ବାଘ ସହିତ ପରିଚିତ ହେଲେ। ଗଙ୍ଗା ଉପତ୍ୟକାର ସନ୍ତସନ୍ତିଆ ଓ ଗହଳ ଜଙ୍ଗଲରେ ଵାଘମାନଙ୍କର ପ୍ରାଧାନ୍ୟ ଥିଲା। ଏହି ନୂତନ ପରିଵେଶ ସହିତ ଖାପ ଖୁଆଇଵା ପ୍ରକ୍ରିୟାରେ ହିଁ ଅଥର୍ଵ ଵେଦରେ ଵାଘ ଏକ ପ୍ରମୁଖ ହିଂସ୍ର ଜନ୍ତୁ ଭାଵରେ ସ୍ଥାନ ପାଇଲା। ଏହି କ୍ରମିକ ପରିଵର୍ତ୍ତନ ହିଁ ସେମାନଙ୍କର ପଶ୍ଚିମରୁ ପୂର୍ଵ ଦିଗକୁ ହୋଇଥିଵା ଯାତ୍ରାର ଏକ ଅକାଟ୍ୟ ପ୍ରମାଣ ବୋଲି ଆଗମନ ତତ୍ତ୍ୱର ସମର୍ଥକମାନେ ଦୃଢ଼ତାର ସହ କହିଥାନ୍ତି।
କେଵଳ ଵାଘ ଏଵଂ ସିଂହ ନୁହେଁ, ଆଗମନ ତତ୍ତ୍ୱକୁ ସମର୍ଥନ କରିଵା ପାଇଁ ଅନ୍ୟାନ୍ୟ ଜୀଵଜନ୍ତୁ ଓ ଉଦ୍ଭିଦର ମଧ୍ୟ ଉଦାହରଣ ଦିଆଯାଏ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅଶ୍ୱ ଵା ଘୋଡ଼ା। ଋଗ୍‌ଵେଦରେ ଅଶ୍ୱର ସ୍ଥାନ ଅତ୍ୟନ୍ତ ଉଚ୍ଚରେ ରହିଛି। ଆର୍ଯ୍ୟମାନଙ୍କର ଯୁଦ୍ଧ କୌଶଳ, ରଥ ଚାଳନା ଏଵଂ ସାମାଜିକ ପ୍ରତିପତ୍ତି ସମ୍ପୂର୍ଣ୍ଣ ରୂପେ ଅଶ୍ୱ ଉପରେ ନିର୍ଭରଶୀଳ ଥିଲା। ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ଘୋଡ଼ା ଭାରତୀୟ ଉପମହାଦେଶର ମୂଳ ଜୀଵ ନୁହେଁ। ଏହାର ଉତ୍ପତ୍ତି ଏଵଂ ଗୃହପାଳିତ ହେଵା ପ୍ରକ୍ରିୟା ୟୁରେସିଆର ଷ୍ଟେପ୍ସ ଅଞ୍ଚଳରେ ହୋଇଥିଲା। ସେହି ଥଣ୍ଡା ଓ ଖୋଲା ତୃଣଭୂମିରୁ ଆସିଥିଵା ଆର୍ଯ୍ୟମାନେ ନିଜ ସହିତ ଉନ୍ନତ ପ୍ରଜାତିର ଘୋଡ଼ା ଆଣିଥିଲେ, ଯାହା ବଳରେ ସେମାନେ ଭାରତର ମୂଳ ଵାସିନ୍ଦାମାନଙ୍କୁ ପରାସ୍ତ କରିପାରିଥିଲେ। ତେଣୁ ଋଗ୍‌ଵେଦରେ ଅଶ୍ୱର ଏତେ ଵ୍ୟାପକ ଵର୍ଣ୍ଣନା ଏକ ଵିଦେଶୀ ଆକ୍ରମଣ ଵା ପ୍ରଵ୍ରଜନର ସୂଚନା ଦିଏ। ସେହିପରି ଉଦ୍ଭିଦ କ୍ଷେତ୍ରରେ ସୋମ ଲତାର ଉଦାହରଣ ଦିଆଯାଏ। ଋଗ୍‌ଵେଦର ନଵମ ମଣ୍ଡଳ ସମ୍ପୂର୍ଣ୍ଣ ରୂପେ ସୋମ ଦେଵତା ଏଵଂ ସୋମ ରସ ଉଦ୍ଦେଶ୍ୟରେ ସମର୍ପିତ। ପ୍ରାଚ୍ୟଵିତ୍‌ମାନେ ଯୁକ୍ତି କରନ୍ତି ଯେ ଏହି ସୋମ ଲତା ମୂଳତଃ ଏକ ପାର୍ଵତ୍ୟ ଉଦ୍ଭିଦ, ଯାହାକି ହିନ୍ଦୁକୁଶ ଓ ଆଫଗାନିସ୍ତାନର ଉଚ୍ଚ ପର୍ଵତମାଳାରେ ଦେଖାଯାଉଥିଲା। ଯେତେବେଳେ ଆର୍ଯ୍ୟମାନେ ଭାରତର ସମତଳ ଅଞ୍ଚଳକୁ ଆସିଲେ, ସେମାନେ ଏହି ମୂଳ ଗଛକୁ ହରାଇ ବସିଲେ ଏଵଂ ପରଵର୍ତ୍ତୀ ସମୟରେ ଅନ୍ୟ ସ୍ଥାନୀୟ ଗଛକୁ ସୋମର ଵିକଳ୍ପ ଭାବରେ ଵ୍ୟଵହାର କଲେ। ଏହା ଛଡ଼ା, ମଧ୍ୟ-ଏସିଆର ଥଣ୍ଡା ଜଳଵାୟୁରେ ଦେଖାଯାଉଥିଵା ଭୂର୍ଜପତ୍ର ଗଛର ଵ୍ୟଵହାରକୁ ମଧ୍ୟ ସେମାନେ ଆର୍ଯ୍ୟମାନଙ୍କର ଉତ୍ତରୀୟ ଉତ୍ପତ୍ତିର ପ୍ରମାଣ ଭାଵରେ ଦର୍ଶାନ୍ତି।
କିନ୍ତୁ ଏହି ଆଗମନ ତତ୍ତ୍ୱର ଯୁକ୍ତିଗୁଡ଼ିକ ଉପରେ ଵିସ୍ତୃତ ଗଵେଷଣା କରିଵା ପରେ ଭାରତୀୟ ସ୍ୱଦେଶୀ ତତ୍ତ୍ୱର ସମର୍ଥକ, ଐତିହାସିକ ଓ ପରିଵେଶଵିତ୍‌ମାନେ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସ୍ୱଦେଶୀ ତତ୍ତ୍ୱ ଅନୁଯାୟୀ, ଋଗ୍‌ଵେଦର ରଚୟିତାମାନେ ବାହାରୁ ଆସିନଥିଲେ, ଵରଂ ସେମାନଙ୍କର ସାଂସ୍କୃତିକ ଵିକାଶ ଭାରତୀୟ ଉପମହାଦେଶରେ, ଵିଶେଷ କରି ସିନ୍ଧୁ ଏଵଂ ସରସ୍ୱତୀ ନଦୀର ଅଵଵାହିକାରେ ହିଁ ହୋଇଥିଲା। ଆଗମନ ତତ୍ତ୍ୱର ସବୁଠାରୁ ବଡ଼ ଯୁକ୍ତି ଅର୍ଥାତ୍ ସିଂହ ଓ ଵାଘର ଵିଵାଦକୁ ଖଣ୍ଡନ କରି ସ୍ୱଦେଶୀ ତତ୍ତ୍ୱଵାଦୀମାନେ ଅନେକ ଵଳିଷ୍ଠ ପ୍ରମାଣ ଉପସ୍ଥାପନ କରିଛନ୍ତି। 

ପ୍ରଥମତଃ, ଏକ ନିର୍ଦ୍ଦିଷ୍ଟ ପୁସ୍ତକରେ କୌଣସି ଜୀଵର ନାମ ନଥିଵାର ଅର୍ଥ ନୁହେଁ ଯେ ସେହି ଜୀଵଟି ସେହି ସମୟରେ କିମ୍ଵା ସେହି ଅଞ୍ଚଳରେ ନଥିଲା। ଯୁକ୍ତିଵିଦ୍ୟାରେ ଏହାକୁ "ଅନୁପସ୍ଥିତିର ପ୍ରମାଣ - ଅଭାଵର ପ୍ରମାଣ ନୁହେଁ" ବୋଲି କୁହାଯାଏ। ଋଗ୍‌ଵେଦ କୌଣସି ପ୍ରାଣୀଵିଜ୍ଞାନର ସଂକଳନ ନୁହେଁ, ଏହା ହେଉଛି ଦେଵତାମାନଙ୍କୁ ସନ୍ତୁଷ୍ଟ କରିଵା ପାଇଁ ରଚିତ ପ୍ରାର୍ଥନା ଏଵଂ ସ୍ତୁତିଗାନର ଏକ ସମାହାର। ସିଂହ ସର୍ଵଦା ଖୋଲା ସ୍ଥାନରେ ରହେ, ଦିନରେ ଶିକାର କରେ ଏଵଂ ଏହାର ଚେହେରା ତଥା ଗର୍ଜନରେ ଏକ ରାଜକୀୟ ଗାମ୍ଭୀର୍ଯ୍ୟ ଥାଏ। ତେଣୁ କଵି ଵା ଋଷିମାନେ ଇନ୍ଦ୍ର ଵା ଅଗ୍ନିଙ୍କ ପରାକ୍ରମକୁ ଵର୍ଣ୍ଣନା କରିଵା ପାଇଁ ସିଂହକୁ ଏକ ଉପଯୁକ୍ତ ରୂପକ ଭାବରେ ଗ୍ରହଣ କରିଥିଵା ଅଧିକ ସମ୍ଭଵ। 

ଅନ୍ୟପକ୍ଷରେ, ଵାଘ ଘଞ୍ଚ ଜଙ୍ଗଲରେ ଲୁଚି ରହେ ଏଵଂ ରାତିରେ ଶିକାର କରେ, ଯାହାକି ଛଳନା ଓ ଭୟର ପ୍ରତୀକ ଭାଵରେ ଗ୍ରହଣ କରାଯାଇପାରେ, ଯେଉଁଥିପାଇଁ ହୁଏତ ଦେଵତାମାନଙ୍କ ସ୍ତୁତିରେ ତାହାର ଵ୍ୟଵହାରକୁ ଉଚିତ୍ ମନେ କରାଯାଇନଥିଲା।

ଦ୍ୱିତୀୟତଃ, ପ୍ରାଚୀନ କାଳର ଭୌଗୋଳିକ ସ୍ଥିତିକୁ ଦେଖିଲେ ଜଣାଯାଏ ଯେ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳ, ଅର୍ଥାତ୍ ସପ୍ତସିନ୍ଧୁ ଅଞ୍ଚଳରେ ଉଭୟ ସିଂହ ଏଵଂ ଵାଘ ଏକାସାଙ୍ଗରେ ଵାସ କରୁଥିଲେ। ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାର ଖନନରୁ (ଯାହାର ସମୟକାଳ ୩୩୦୦ ରୁ ୧୩୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ବୋଲି ଧରାଯାଏ) ଅନେକ ମୋହର ମିଳିଛି, ଯେଉଁଥିରେ ବାଘର ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଭାବରେ ଖୋଦିତ ହୋଇଛି, କିନ୍ତୁ ସେହି ସ୍ଥାନରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ସିଂହର ଚିତ୍ର ଥିଵା ମୋହର ମିଳିନାହିଁ। ଯଦି ଆଗମନ ତତ୍ତ୍ୱର ଯୁକ୍ତିକୁ ସତ ବୋଲି ଧରିନିଆଯାଏ, ତେବେ ଏହା ଏକ ଅଦ୍ଭୁତ ଵିରୋଧାଭାସ ସୃଷ୍ଟି କରେ। ସିନ୍ଧୁ ସଭ୍ୟତାର ଲୋକେ ଯେଉଁ ଅଞ୍ଚଳରେ ରହୁଥିଲେ ସେମାନେ ବାଘକୁ ଜାଣିଥିଲେ କିନ୍ତୁ ସିଂହକୁ ଚିତ୍ରଣ କରୁନଥିଲେ, ଆଉ ସେହି ସମାନ ଅଞ୍ଚଳରେ ରଚିତ ଋଗ୍‌ଵେଦ ସିଂହକୁ ଜାଣିଥିଲା କିନ୍ତୁ ବାଘକୁ ନୁହେଁ। ଏହାର ସବୁଠାରୁ ସରଳ ଏଵଂ ଉପଯୁକ୍ତ ଵ୍ୟାଖ୍ୟା ହେଉଛି ଯେ, ଉଭୟ ଜୀଵ ସେହି ଅଞ୍ଚଳରେ ଥିଲେ। ହରପ୍ପାଵାସୀ ବାଘକୁ ନିଜର ପ୍ରତୀକ ଭାବରେ ଵ୍ୟଵହାର କରିଵାକୁ ପସନ୍ଦ କରୁଥିଵା ଵେଳେ ଵୈଦିକ ଋଷିମାନେ ସିଂହକୁ ନିଜର ଆଦର୍ଶ ରୂପକ ଭାବରେ ବାଛିଥିଲେ। ପରଵର୍ତ୍ତୀ କାଳରେ ଅଥର୍ଵ ଵେଦର ସମୟ ଵେଳକୁ ଵାଘର ପ୍ରଭାଵ ଵୃଦ୍ଧି ପାଇଲା ଏଵଂ ତାହା ଵେଦରେ ସ୍ଥାନ ପାଇଲା। ତେଣୁ କେଵଳ ଗୋଟିଏ ଶବ୍ଦର ଅନୁପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଜନଗୋଷ୍ଠୀର ସ୍ଥାନାନ୍ତରଣର କାହାଣୀ ଗଢ଼ିଵା ସମ୍ପୂର୍ଣ୍ଣ ଭିତ୍ତିହୀନ। ମଜାକଥା ହେଲା ଋଗ୍‌ବେଦ ୯.୯୭ର ଋଷି-ନିର୍ଦ୍ଦେଶରେ ୧୬–୧୮ ନମ୍ବର ଋଚାର ଋଷି ଵାସିଷ୍ଠ ଵ୍ୟାଘ୍ରପାଦ୍ ବୋଲି ଦିଆଯାଇଛନ୍ତି। ସାୟଣଭାଷ୍ୟ ସହିତ ଉପଲବ୍ଧ ପାଠରେ ମଧ୍ୟ ଏହି ନାମ ସ୍ପଷ୍ଟ ଅଛି । ଵ୍ୟାଘ୍ର ଏକ ଜୀଵ ରୂପେ ଉଲ୍ଲେଖ ନଥିଲେ ବି ଵ୍ୟକ୍ତିର ନାମ ରୂପେ ଏହାର ଉପସ୍ଥିତି ଦର୍ଶାଏ ଯେ ଵୈଦିକ ଋଷିମାନେ ବାଘ ସହିତ ପରିଚିତ ଥିଲେ । 

ତେବେ ସ୍ୱଦେଶୀ ତତ୍ତ୍ୱର ସମର୍ଥକମାନଙ୍କ ପାଖରେ ବ୍ରହ୍ମାସ୍ତ୍ର ସଦୃଶ ଏମିତି ଏକ ଯୁକ୍ତି ଅଛି ଯାହାର ଉତ୍ତର ଋକଵେଦକୁ ଢାଲ କରି ଆର୍ଯ୍ୟମାନଙ୍କୁ ଵିଦେଶୀ ପ୍ରମାଣ କରିଵାକୁ ଚେଷ୍ଟା କରୁଥିଵା ଲୋକଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦିଏ । 

ଋକଵେଦରେ ଏମିତି ଅନେକ ଉଦ୍ଭିଦ ଓ ପ୍ରାଣୀମାନଙ୍କର ନାଆଁ ଅଛି ଯାହା ସମ୍ପୂର୍ଣ୍ଣ ଭାଵରେ ଭାରତୀୟ ଏଵଂ ଯାହାର ସ୍ମୃତି କିମ୍ଵା ଅସ୍ତିତ୍ୱ ମଧ୍ୟ-ଏସିଆର ଥଣ୍ଡା ଅଞ୍ଚଳରେ ଆଦୌ ସମ୍ଭଵ ନୁହେଁ। ଏଥିମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି ହାତୀ। ଋଗ୍‌ଵେଦରେ ହାତୀକୁ ଏକାଧିକ ଥର ଵର୍ଣ୍ଣନା କରାଯାଇଛି। ତାହାକୁ ଇଭ, ହସ୍ତୀ କିମ୍ଵା ଵାରଣ ବୋଲି ସମ୍ବୋଧନ କରାଯାଇଛି। ହସ୍ତୀ ଅର୍ଥାତ୍ ଯାହାର ହାତ ଅଛି, ଏହି ନାମଟି ହାତୀର ଶୁଣ୍ଢକୁ ଦେଖି ତତ୍କାଳୀନ ଭାରତୀୟମାନେ ଦେଇଥିଲେ। ଗୋଟିଏ ମନ୍ତ୍ରରେ ଵର୍ଣ୍ଣନା କରାଯାଇଛି ଯେ ରାଜାମାନେ ଅତ୍ୟନ୍ତ ସୁସଜ୍ଜିତ ହୋଇ ହାତୀ ପିଠିରେ ବସି ଯାତ୍ରା କରୁଛନ୍ତି। ଆଉ ଏକ ସ୍ଥାନରେ ମୃଗ ହସ୍ତୀ ବୋଲି କୁହାଯାଇଛି, ଅର୍ଥାତ୍ ଏକ ଵିଶାଳ ପଶୁ ଯାହାର ଏକ ହାତ ଵା ଶୁଣ୍ଢ ରହିଛି। ଯଦି ଆର୍ଯ୍ୟମାନେ ସତରେ ମଧ୍ୟ-ଏସିଆର ସେହି ବରଫ ଆଵୃତ ଏଵଂ ରୁକ୍ଷ ଷ୍ଟେପ୍ସ ଅଞ୍ଚଳରୁ ଆସିଥାନ୍ତେ, ତେବେ ହାତୀ ଭଳି ଏକ ସମ୍ପୂର୍ଣ୍ଣ କ୍ରାନ୍ତୀୟ ଜଳଵାୟୁର ପ୍ରାଣୀ ସହ ସେମାନଙ୍କର ପରିଚୟ କିପରି ହେଲା? ସେମାନେ ଆସିଵାର ଅତି କମ୍ ସମୟ ମଧ୍ୟରେ କିପରି ହାତୀକୁ ପୋଷା ମନେଇଲେ, ତାହା ପିଠିରେ ବସିଵା ଶିଖିଲେ ଏଵଂ ନିଜର ସବୁଠାରୁ ପଵିତ୍ର ଗ୍ରନ୍ଥରେ ତାହାକୁ ସମ୍ମାନର ସହିତ ସ୍ଥାନ ଦେଲେ? ଏହା କେଵଳ ସେତେବେଳେ ସମ୍ଭଵ ଯେତେବେଳେ ଏକ ସଭ୍ୟତା ହଜାର ହଜାର ଵର୍ଷ ଧରି ସେହି ପରିଵେଶରେ ବଢ଼ିଥାଏ। ତା’ଛଡ଼ା, ମଧ୍ୟ-ଏସିଆର ପ୍ରମୁଖ ପଶୁ ଦ୍ୱି-କୁଜ ଵିଶିଷ୍ଟ ଓଟ ଵା Bactrian camelର କୌଣସି ଵର୍ଣ୍ଣନା ଋଗ୍‌ଵେଦରେ ନାହିଁ। ଯଦି ସେମାନେ ସେଠାରୁ ଆସିଥିଲେ, ତେବେ ନିଜର ମାତୃଭୂମିର ପ୍ରମୁଖ ଜୀଵମାନଙ୍କୁ ଭୁଲିଯାଇ ନୂଆ ଜାଗାର ଜୀଵମାନଙ୍କୁ ଏତେ ଶୀଘ୍ର ଆପଣେଇ ନେଵା ଆଦୌ ସ୍ୱାଭାଵିକ ନୁହେଁ।
ଠିକ୍ ସେହିପରି ମୟୂର ହେଉଛି ଆଉ ଏକ ଜୀଵନ୍ତ ପ୍ରମାଣ। ମୟୂର ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଉପମହାଦେଶର ଏକ ସ୍ଥାନୀୟ ପକ୍ଷୀ। ମଧ୍ୟ-ଏସିଆ କିମ୍ଵା ୟୁରୋପରେ ମୟୂରର କୌଣସି ଅସ୍ତିତ୍ୱ ନଥିଲା। କିନ୍ତୁ ଋଗ୍‌ଵେଦରେ ମୟୂରର ଵର୍ଣ୍ଣନା ଅତ୍ୟନ୍ତ ସୁନ୍ଦର ଭାବରେ କରାଯାଇଛି। ଇନ୍ଦ୍ରଙ୍କ ରଥ ଟାଣୁଥିଵା ଘୋଡ଼ାମାନଙ୍କର ଲୋମ ଏଵଂ ଲାଞ୍ଜର ରଙ୍ଗ ମୟୂର ପୁଚ୍ଛ ପରି ଚିକ୍ ଚିକ୍ କରୁଥିଲା ବୋଲି ଵର୍ଣ୍ଣନା କରାଯାଇ ସେମାନଙ୍କୁ ମୟୂରରୋମା ବୋଲି ଆଖ୍ୟା ଦିଆଯାଇଛି। ଏକ ନୂଆ ଜାଗାକୁ ଆସିଥିଵା ଆକ୍ରମଣକାରୀ ଵା ପ୍ରଵାସୀ ଗୋଷ୍ଠୀ ହଠାତ୍ ଏକ ନୂଆ ପକ୍ଷୀକୁ ଦେଖି ତାହାକୁ ନିଜର ସର୍ଵଶ୍ରେଷ୍ଠ ଦେଵତାଙ୍କ ଘୋଡ଼ାର ରଙ୍ଗ ସହିତ ତୁଳନା କରିଵା କଳ୍ପନାତୀତ। ଏହା ପ୍ରମାଣ କରେ ଯେ ଋଗ୍‌ଵେଦର ରଚୟିତାମାନେ ମୟୂର ସହିତ ବହୁ ପୁରାତନ କାଳରୁ ପରିଚିତ ଥିଲେ ଏଵଂ ଏହି ପକ୍ଷୀ ସେମାନଙ୍କ ସାଂସ୍କୃତିକ ଜୀଵନ ସହିତ ଓତପ୍ରୋତ ଭାଵେ ଜଡ଼ିତ ଥିଲା।
ଉଦ୍ଭିଦଜଗତ ଵା ଗଛଲତାମାନଙ୍କର ଵିଶ୍ଳେଷଣ କଲେ ସ୍ୱଦେଶୀ ତତ୍ତ୍ୱର ପ୍ରମାଣ ଆହୁରି ସଶକ୍ତ ହୁଏ। ଋଗ୍‌ଵେଦରେ ଅଶ୍ୱତ୍ଥ ଗଛ, ନ୍ୟଗ୍ରୋଧ ଅର୍ଥାତ୍ ଵରଗଛ, ଖଦିର ଏଵଂ ଶାଳ୍ମଳୀ ଵା ଶିମିଳି ଗଛର ବହୁଳ ଵର୍ଣ୍ଣନା ରହିଛି। ଅଶ୍ୱତ୍ଥ ଗଛକୁ ଦେଵତାମାନଙ୍କର ଵାସସ୍ଥାନ ବୋଲି କୁହାଯାଇଛି ଏଵଂ ଵୈଦିକ ଯଜ୍ଞରେ ଏହାର କାଠର ଵ୍ୟଵହାର ଅପରିହାର୍ଯ୍ୟ ଥିଲା। ଏହି ସମସ୍ତ ଗଛ କେଵଳ ଏଵଂ କେଵଳ କ୍ରାନ୍ତୀୟ ମୌସୁମୀ ଜଳଵାୟୁ ଥିଵା ଅଞ୍ଚଳରେ ହିଁ ବଢ଼ିଥାନ୍ତି। ମଧ୍ୟ-ଏସିଆର ବରଫ ଆଵୃତ ପ୍ରଦେଶ କିମ୍ଵା ୟୁରୋପରେ ଏହି ଗଛମାନେ ଵଞ୍ଚି ପାରନ୍ତି ନାହିଁ କି ସେଠାକାର ସ୍ଥାନୀୟ ଉଦ୍ଭିଦ ମଧ୍ୟ ନୁହେଁ । ଯଦି ଆର୍ଯ୍ୟମାନେ ସେହି ଥଣ୍ଡା ଅଞ୍ଚଳରୁ ଆସିଥିଲେ, ତେବେ ସେମାନଙ୍କ ସାହିତ୍ୟରେ ପାଇନ୍ ଵା ସ୍ପ୍ରୁସ୍ ଭଳି ଶୀତଳ ଅଞ୍ଚଳର ଗଛମାନଙ୍କର ସ୍ମୃତି ରହିଵା କଥା। ସେମାନେ ଯଜ୍ଞ କରିଵା ପାଇଁ ନିଜ ମୂଳ ସ୍ଥାନର ପଵିତ୍ର ଗଛକୁ ଛାଡ଼ି ହଠାତ୍ ଭାରତୀୟ ଜଙ୍ଗଲର ଅଶ୍ୱତ୍ଥ ଗଛକୁ ଏତେ ମହତ୍ତ୍ୱ କିପରି ଦେଲେ? କୌଣସି ଵି ପ୍ରଵାସୀ ଜନଗୋଷ୍ଠୀ ନିଜ ସହିତ ନିଜ ମୂଳ ଭୂମିର ସ୍ମୃତି ବୋହି ନେଇ ଯାଇଥାଏ। କିନ୍ତୁ ଋଗ୍‌ଵେଦରେ ନିଜର କୌଣସି ପୁରୁଣା ମାତୃଭୂମିକୁ ଫେରିଯିଵାର ଆକାଂକ୍ଷା ଵା ତାହାର ସ୍ମୃତିରେ ଗୋଟିଏ ବି ମନ୍ତ୍ର ନାହିଁ। ଯାହା ଅଛି, ତାହା କେଵଳ ସପ୍ତସିନ୍ଧୁ ଅଞ୍ଚଳର ନଦୀ, ପାହାଡ଼ ଓ ଜଙ୍ଗଲର ଵନ୍ଦନା ଅଟେ । ସେହିପରି ପଦ୍ମ ଫୁଲ ଯାହାକୁ ପୁଷ୍କର ବୋଲି କୁହାଯାଇଛି, ତାହା ଭାରତୀୟ ସଭ୍ୟତାର ପଵିତ୍ରତାର ସବୁଠାରୁ ବଡ଼ ପ୍ରତୀକ। ଋଗ୍‌ଵେଦରେ ଏହି କାଦୁଅରୁ ଜନ୍ମ ନେଉଥିଵା ଜଳଜ ପୁଷ୍ପକୁ ସ୍ୱର୍ଗୀୟ ସୁନ୍ଦରତା ସହିତ ଯୋଡ଼ା ଯାଇଛି। ଅଶ୍ୱିନୀ କୁମାରଙ୍କୁ ପଦ୍ମ ଫୁଲର ମାଳା ପିନ୍ଧିଥିଵାର ଵର୍ଣ୍ଣନା କରାଯାଇଛି। ପଦ୍ମ ଫୁଲ ଭଳି ଏକ ସମ୍ପୂର୍ଣ୍ଣ ଭାରତୀୟ ଏଵଂ ଉଷ୍ଣ ଜଳଵାୟୁର ଉଦ୍ଭିଦକୁ ଦେଵତାମାନଙ୍କର ଶୃଙ୍ଗାର ଭାବରେ ଵ୍ୟଵହାର କରିଵା ସ୍ପଷ୍ଟ କରେ ଯେ ସେମାନେ ଏହି ମାଟିର ସନ୍ତାନ ଥିଲେ।

ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଗାଈ ଵା ଗୋରୁମାନଙ୍କର ସ୍ଥାନ ଋଗ୍‌ଵେଦରେ ସର୍ଵୋପରି। ଆର୍ଯ୍ୟମାନଙ୍କର ସମ୍ପତ୍ତିର ମାପକାଠି ଥିଲା ଗୋଧନ। ତେବେ ଧ୍ୟାନ ଦେଵାର କଥା ହେଉଛି, ଭାରତୀୟ ଉପମହାଦେଶରେ ଦେଖାଯାଉଥିଵା କୁଜ ଥିଵା ଗୋରୁ ଵା ବୋସ୍ ଇଣ୍ଡିକସ୍ ଜାତି, ୟୁରୋପ କିମ୍ଵା ମଧ୍ୟ-ଏସିଆର କୁଜଵିହୀନ ଟରାଇନ୍ ଜାତିଠାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ଷଣ୍ଢ ଵା ଵୃଷଭର ସେହି ଉଚ୍ଚା କୁଜକୁ ଋଗ୍‌ଵେଦରେ ଇନ୍ଦ୍ରଙ୍କ ଶକ୍ତି ସହିତ ତୁଳନା କରାଯାଇଛି। ଭାରତୀୟ ଗୋରୁମାନେ ଉଷ୍ଣ ଜଳଵାୟୁରେ ବଞ୍ଚିଵା ପାଇଁ ପ୍ରାକୃତିକ ଭାବରେ ସକ୍ଷମ ଏଵଂ ସିନ୍ଧୁ ସରସ୍ବତୀ ସଭ୍ୟତାର ମୋହର ଗୁଡ଼ିକରେ ଏହି ଵିଶାଳକାୟ କୁଜ ଵିଶିଷ୍ଟ ଵୃଷଭମାନଙ୍କର ଚିତ୍ର ବହୁଳ ମାତ୍ରାରେ ମିଳିଛି। ଯଦି ଆର୍ଯ୍ୟମାନେ ବାହାରୁ ଆସିଥିଲେ, ତେବେ ସେମାନଙ୍କର ନିଜସ୍ୱ ଗୋରୁ ଜାତି କୁଆଡ଼େ ଗଲା? ସେମାନେ କିପରି ସମ୍ପୂର୍ଣ୍ଣ ରୂପେ ଏହି ଭାରତୀୟ ଗୋରୁଜାତି ଉପରେ ନିର୍ଭରଶୀଳ ହୋଇଗଲେ ଏଵଂ ତାକୁ ହିଁ ଦେଵତା ତୁଲ୍ୟ ପୂଜା କଲେ?

ଅଶ୍ୱ ଵା ଘୋଡ଼ାର ପ୍ରସଙ୍ଗରେ ମଧ୍ୟ ଆଗମନ ତତ୍ତ୍ୱର ଯୁକ୍ତି ଅତ୍ୟନ୍ତ ଦୁର୍ଵଳ ମନେହୁଏ। ସତ କଥା ଯେ ଘୋଡ଼ା ମଧ୍ୟ-ଏସିଆର ମୁଖ୍ୟ ପ୍ରାଣୀ, କିନ୍ତୁ ନୂତନ ପ୍ରତ୍ନତାତ୍ତ୍ୱିକ ଗଵେଷଣାରୁ ଜଣାପଡ଼ିଛି ଯେ ଭାରତୀୟ ଉପମହାଦେଶରେ ମଧ୍ୟ ଅତି ପ୍ରାଚୀନ କାଳରୁ ଘୋଡ଼ାର ଉପସ୍ଥିତି ଥିଲା। ସିନ୍ଧୁ ସରସ୍ବତୀ ସଭ୍ୟତାର ସୁରକୋଟଡା ଭଳି ଅଞ୍ଚଳରୁ ଘୋଡ଼ାର ହାଡ଼ ମିଳିଛି, ଯାହାର ସମୟକାଳ ୨୦୦୦ ଖ୍ରୀଷ୍ଟପୂର୍ଵରୁ ଵି ପୁରୁଣା। ତା'ଛଡ଼ା ଋଗ୍‌ଵେଦରେ ଘୋଡ଼ାକୁ ହାତୀ, ମୟୂର ଓ ଓଟ ସହିତ ଏକତ୍ର ଵର୍ଣ୍ଣନା କରାଯାଇଛି, ଯାହାକି ଏକ ସମନ୍ୱିତ ଏଵଂ ସମ୍ପୂର୍ଣ୍ଣ ଭାରତୀୟ ଇକୋସିଷ୍ଟମ୍ କିମ୍ଵା ପରିଵେଶର ଚିତ୍ର ପ୍ରଦାନ କରେ। ଯଦି କେଵଳ ଗୋଟିଏ ପ୍ରାଣୀ ଅଶ୍ୱକୁ ନେଇ କୁହାଯିଵ ଯେ ସେମାନେ ବାହାରୁ ଆସିଛନ୍ତି, ତେବେ ଅନ୍ୟ ୯୯ ପ୍ରତିଶତ ପ୍ରାଣୀ ଓ ଉଦ୍ଭିଦ ଯାହାକି ସମ୍ପୂର୍ଣ୍ଣ ଭାରତୀୟ, ତାହାକୁ ଆଧାର କରି ଆର୍ଯ୍ୟମାନଙ୍କୁ ଭାରତର ମୂଳ ବାସିନ୍ଦା ବୋଲି କାହିଁକି କୁହାଯାଇପାରିଵ ନାହିଁ? ଆଉ ସୋମଲତାର ଯେଉଁ କଥା ଉଠାଯାଏ, ସୋମ ପ୍ରକୃତରେ କେଉଁ ଗଛ ଥିଲା ତାହା ଆଜି ପର୍ଯ୍ୟନ୍ତ କୌଣସି ଵୈଜ୍ଞାନିକ ଠିକ୍ ଭାବରେ ପ୍ରମାଣ କରିପାରି ନାହାନ୍ତି। ହିମାଳୟ ଓ କାଶ୍ମୀରର ଉଚ୍ଚ ପାର୍ଵତ୍ୟ ଅଞ୍ଚଳ ଭାରତର ହିଁ ଅଂଶ, ଯେଉଁଠାରେ ଅନେକ ଔଷଧୀୟ ଗୁଳ୍ମ ରହିଛି। ତେଣୁ ସୋମକୁ କେଵଳ ହିନ୍ଦୁକୁଶ ପର୍ଵତରୁ ଆଣିଵାର ଯୁକ୍ତିର କୌଣସି ସଶକ୍ତ ଆଧାର ନାହିଁ।

ଏହି ସବୁ ତଥ୍ୟକୁ ସମୀକ୍ଷା କଲେ ଆମ ଆଗରେ ଏକ ସ୍ପଷ୍ଟ ଚିତ୍ର ଉଭା ହୁଏ ଯେ, ଋଗ୍‌ଵେଦ କୌଣସି ଯାଯାବର ଵିଦେଶୀ ଗୋଷ୍ଠୀର ସ୍ମୃତିଲିପି ନୁହେଁ। ଏଥିରେ ଵର୍ଣ୍ଣିତ ନଦୀ, ପର୍ଵତ, ଗଛଲତା, ପଶୁପକ୍ଷୀ ଓ ଋତୁଚକ୍ର ସବୁକିଛି ଭାରତୀୟ ଜଳଵାୟୁର ଏକ ନିଖୁଣ ଚିତ୍ର ପ୍ରଦାନ କରେ। କୌଣସି ବି ସଭ୍ୟତା ଯେତେବେଳେ ନିଜର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚିନ୍ତାଧାରା ଵିକଶିତ କରେ, ସେତେବେଳେ ତାହାର ଚାରିପାଖରେ ଥିଵା ପରିଵେଶ ହିଁ ତାହାର ପ୍ରେରଣା ପାଲଟିଥାଏ। ଯଦି ଆର୍ଯ୍ୟମାନେ ବାହାରୁ ଆସିଥାନ୍ତେ, ତେବେ ସେମାନଙ୍କର ପ୍ରାର୍ଥନାରେ ବରଫ ପଡ଼ୁଥିଵା ଅଞ୍ଚଳର ଵର୍ଣ୍ଣନା ଥାନ୍ତା, ସେମାନଙ୍କ ଦେଵତାମାନେ ହାତୀ ବଦଳରେ ଓଟ ପିଠିରେ ବସିଥାନ୍ତେ ଏଵଂ ସେମାନଙ୍କର ଫୁଲ ପଦ୍ମ ନହୋଇ ଅନ୍ୟ କୌଣସି ଶୀତଳ ଅଞ୍ଚଳର ଫୁଲ ହୋଇଥାନ୍ତା। କିନ୍ତୁ ଵେଦର ପ୍ରତିଟି ଛତ୍ରରେ ଭାରତୀୟ ମାଟିର ମହକ ରହିଛି। ବାଘର ନାମ ନଥିଵା କଥାକୁ ଧରି ଆଗମନ ତତ୍ତ୍ୱର ସମର୍ଥକମାନେ ଯେଉଁ ଵୃହତ୍ ଆକ୍ରମଣର କାହାଣୀ ଗଢ଼ିଥିଲେ, ତାହା ହାତୀ, ମୟୂର, ଅଶ୍ୱତ୍ଥ ଓ ପଦ୍ମ ଫୁଲର ଓଜନଦାର ଉପସ୍ଥିତି ଆଗରେ ତିଷ୍ଠି ପାରେ ନାହିଁ। ପରିଶେଷରେ, ପରିଵେଶ ଏଵଂ ଉଦ୍ଭିଦ ଓ ପ୍ରାଣୀଜଗତର ଏହି ଅକାଟ୍ୟ ପ୍ରମାଣଗୁଡ଼ିକ ଏହି ସିଦ୍ଧାନ୍ତରେ ପହଞ୍ଚାଏ ଯେ, ଵୈଦିକ ଜନଗୋଷ୍ଠୀ ବାହାରୁ ଆସିନଥିଲେ, ଵରଂ ସେମାନେ ସହସ୍ରାଧିକ ଵର୍ଷ ଧରି ଏହି ସପ୍ତସିନ୍ଧୁ ଏଵଂ ସରସ୍ୱତୀ ନଦୀ କୂଳରେ ରହି ନିଜର ଏକ ମହାନ୍ ସଭ୍ୟତା ଗଢ଼ି ତୋଳିଥିଲେ। ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଵୈଵିଧ୍ୟ ହିଁ ସେମାନଙ୍କର ସାହିତ୍ୟ ତଥା ଦର୍ଶନର ମୂଳ ଉତ୍ସ ଥିଲା।
••••••••••••••••••••••••••••••••••••••••
ତଥ୍ୟ ଉତ୍ସ: 

(1.) Lal, B. B., The Sarasvati Flows On: The Continuity of Indian Culture, Aryan Books International.

ଏହି ପୁସ୍ତକଟି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ନତାତ୍ତ୍ୱିକ (archaeological) ପ୍ରମାଣ ଉପରେ ଆଧାରିତ। ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱଵିତ୍ ଵି. ଵି. ଲାଲ୍ ଦର୍ଶାଇଛନ୍ତି ଯେ ସିନ୍ଧୁ ସରସ୍ୱତୀ ସଭ୍ୟତା ଏଵଂ ଵୈଦିକ ସଂସ୍କୃତି ଭିନ୍ନ ନୁହେଁ, ଵରଂ ଉଭୟ ମଧ୍ୟରେ ଏକ ନିରଵଚ୍ଛିନ୍ନ ଧାରା ରହିଛି। ସରସ୍ୱତୀ ନଦୀ ଶୁଖିଯିଵା ଏଵଂ ସିନ୍ଧୁ ସଭ୍ୟତାର ଵିକାଶ ତଥା ପତନକୁ ଆଧାର କରି ସେ ଆର୍ଯ୍ୟମାନେ ବାହାରୁ ଆସିଥିଵା କଥାକୁ ଭ୍ରମାତ୍ମକ ବୋଲି ପ୍ରମାଣିତ କରିଛନ୍ତି।

(2.) Talageri, Shrikant G., The Rigvedic Aryans: A Consideration of Some Debates.

ଏହି ବହିରେ ଋଗ୍‌ଵେଦର ଶବ୍ଦ, ସୂକ୍ତ ଏଵଂ ଵିଭିନ୍ନ ମଣ୍ଡଳର ଵ୍ୟାପକ ଵିଶ୍ଳେଷଣ କରାଯାଇଛି। ତାଲାଗେରି ଭୌଗୋଳିକ ସ୍ଥାନ, ନଦୀ, ଜୀଵଜନ୍ତୁ ଓ ଵଂଶାଵଳୀର ତଥ୍ୟ ସଂଗ୍ରହ କରି ପ୍ରମାଣ କରିଛନ୍ତି ଯେ ଆର୍ଯ୍ୟମାନେ ଭାରତର ମୂଳ ଅଧିଵାସୀ ଥିଲେ। ଏଥିରେ ସେ ଯୁକ୍ତି ବାଢ଼ିଛନ୍ତି ଯେ ଵୈଦିକ ଲୋକମାନେ ବାହାରୁ ଆସିନଥିଲେ, ଵରଂ ସେମାନେ ଭାରତରୁ ପଶ୍ଚିମ (ମଧ୍ୟ ଏସିଆ ଓ ଇଉରୋପ) ଆଡ଼କୁ ସ୍ଥାନାନ୍ତରଣ କରିଥିଲେ, ଯାହାକୁ 'Out of India Theory' କୁହାଯାଏ।

(3.) Elst, Koenraad, Update on the Aryan Invasion Debate, Aditya Prakashan.

ଏହା 'ଆର୍ଯ୍ୟ ଆକ୍ରମଣ ଵିଵାଦ' ଉପରେ ଏକ ସଵିଶେଷ ସମୀକ୍ଷା। ଏଲଷ୍ଟ ଏଥିରେ ଭାଷାଵିଜ୍ଞାନ, ପ୍ରତ୍ନତତ୍ତ୍ୱ, ଜ୍ୟୋତିର୍ଵିଜ୍ଞାନ ଓ ସାହିତ୍ୟିକ ପ୍ରମାଣଗୁଡ଼ିକୁ ଏକାଠି କରି ଆର୍ଯ୍ୟ ଆକ୍ରମଣ ତତ୍ତ୍ୱର ତ୍ରୁଟିଗୁଡ଼ିକୁ ଦର୍ଶାଇଛନ୍ତି। ଉନଵିଂଶ ଶତାବ୍ଦୀରେ ୟୁରୋପୀୟମାନେ କିପରି ଏହି ତତ୍ତ୍ୱକୁ ପ୍ରତିଷ୍ଠା କରିଥିଲେ ଏଵଂ ଆଧୁନିକ ଗଵେଷଣା କିପରି ଏହାକୁ ଭୁଲ୍ ପ୍ରମାଣିତ କରୁଛି, ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଏଥିରେ ଅଛି।

(4.) Bhargava, P. L., India in the Vedic Age, D. K. Printworld.
ଏହି ପୁସ୍ତକରେ ଵୈଦିକ ଯୁଗର ଭାରତୀୟ ସମାଜ, ରାଜନୀତି, ଧର୍ମ, ସଂସ୍କୃତି ଏଵଂ ଦୈନନ୍ଦିନ ଜୀଵନଶୈଳୀର ଏକ ଐତିହାସିକ ରୂପରେଖ ଅଙ୍କନ କରାଯାଇଛି। ଵେଦ ଓ ପୁରାଣରେ ଵର୍ଣ୍ଣିତ ତଥ୍ୟଗୁଡ଼ିକୁ ଆଧାର କରି ଲେଖକ ଆର୍ଯ୍ୟମାନଙ୍କର ଇତିହାସ, ସେମାନଙ୍କର ଵିଭିନ୍ନ ଗୋଷ୍ଠୀ ଏଵଂ ପ୍ରାଚୀନ ଭାରତର ଭୌଗୋଳିକ ସୀମା ଵିଷୟରେ ଵର୍ଣ୍ଣନା କରିଛନ୍ତି।

(5.) Rajaram, Navaratna S., The Politics of History, Voice of India.

ଏହି ଵହିଟି ଇତିହାସ ଲେଖା ପଛରେ ଥିଵା 'ରାଜନୀତି' ଉପରେ ଗୁରୁତ୍ୱ ଦିଏ। ଲେଖକ ଦର୍ଶାଇଛନ୍ତି ଯେ 'ଆର୍ଯ୍ୟ-ଦ୍ରାଵିଡ଼' ଵିଭାଜନ ଏଵଂ 'ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ' ଉପନିଵେଶଵାଦୀ ଇଂରେଜ ଓ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ଭାରତୀୟମାନଙ୍କୁ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଵିଭାଜିତ କରିଵା ପାଇଁ ତିଆରି କରାଯାଇଥିଲା। ଭାରତୀୟ ଇତିହାସକୁ ଭାଷାଵିଜ୍ଞାନ ପରିଵର୍ତ୍ତେ ଵିଜ୍ଞାନ (hard science) ଏଵଂ ପ୍ରତ୍ନତତ୍ତ୍ୱ ଆଧାରରେ ଲେଖିଵାକୁ ଏହି ପୁସ୍ତକ ଆହ୍ୱାନ ଦିଏ।
••••••••••••••••••••••••••••••••••••••••

Friday, August 28, 2026

ମାନଵ ସମାଜରେ କାହିଁକି ନାରୀମାନେ ହିଁ ନିଜ ବାପଘର ଛାଡ଼ନ୍ତି ?

୨୦୧୧ ମସିହାରେ ଵିଶ୍ୱର ଅନ୍ୟତମ ପ୍ରସିଦ୍ଧ ଓ ସମ୍ମାନଜନକ ଵିଜ୍ଞାନ ପତ୍ରିକା 'Nature'ର ପୃଷ୍ଠାରେ ଏକ ଗଵେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଲା, ଯାହା ମାନଵ ଵିଵର୍ତ୍ତନ ଏଵଂ ଆମ ସାମାଜିକ ଇତିହାସକୁ ଦେଖିଵାର ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେଲା। ଏହି ଆଵିଷ୍କାରର ପଛରେ କୌଣସି ପୁରାତନ ଦୁର୍ଗର ଭଗ୍ନାଵଶେଷ, ଲିଖିତ ଶିଳାଲେଖ କିମ୍ଵା ତାଳପତ୍ର ପୋଥି ନଥିଲା; ଥିଲା କେଵଳ କିଛି ଖଣ୍ଡ ଭଙ୍ଗା, ପୁରୁଣା ଏଵଂ ମଳିନ ଦାନ୍ତ। ଗଵେଷିକା Sandi Copeland ଏଵଂ ତାଙ୍କର ଏକ ଵିଶେଷଜ୍ଞ ଅନ୍ତର୍ଜାତୀୟ ଵୈଜ୍ଞାନିକ ଦଳ ଦକ୍ଷିଣ ଆଫ୍ରିକାର ଵିଶ୍ୱଵିଦିତ 'Sterkfontein' ଓ Swartkrans ନାମକ ଦୁଇଟି ପ୍ରାଚୀନ ଗୁମ୍ଫା ଉପରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ଥିଲା ସମୟର ଏକ ଏକ ଵିଶାଳ ସିନ୍ଦୁକ ଆଉ ସେହି ସିନ୍ଧୁକଗୁଡ଼ିକ ଭିତରେ ଲକ୍ଷ ଲକ୍ଷ ଵର୍ଷର ଅନ୍ଧକାରମୟ ଇତିହାସ ଜୀଵାଶ୍ମ ରୂପରେ ସାଇତା ହୋଇ ରହିଥିଲା। ଆଜି ଏହି ଅଞ୍ଚଳକୁ 'ମାନଵ ଜାତିର ଏନ୍ତୁଡ଼ିଶାଳ'
ଵା Cradle of Humankind ବୋଲି କୁହାଯାଏ।

ସାଣ୍ଡି କୋପଲ୍ୟାଣ୍ଡ ଏଵଂ ତାଙ୍କ ଦଳ ଯେଉଁ ଦାନ୍ତଗୁଡ଼ିକୁ ନିଜର ଅତ୍ୟାଧୁନିକ ପରୀକ୍ଷାଗାରକୁ ଆଣିଥିଲେ, ତାହା କୌଣସି ସାଧାରଣ ଦାନ୍ତ ନଥିଲା କିମ୍ଵା ଆମ ଭଳି କୌଣସି ମଣିଷର ନଥିଲା। ସେହି ଦାନ୍ତଗୁଡ଼ିକର ଵୟସ ଥିଲା ପ୍ରାୟ ୧୮ ରୁ ୨୪ ଲକ୍ଷ ଵର୍ଷ। ଏହି ଵିଶାଳ ସମୟଖଣ୍ଡକୁ ଟିକିଏ ଗଭୀର ଭାବରେ ଚିନ୍ତା କଲେ ମୁଣ୍ଡ ଘୂରାଇଯାଏ। ଏହା ଏମିତି ଏକ ସମୟ ଥିଲା, ଯେତେବେଳେ ପୃଥିଵୀ ପୃଷ୍ଠରେ ଆଜିର ଆଧୁନିକ ମଣିଷ ଵା Homo sapiensର ଜନ୍ମ ମଧ୍ୟ ହୋଇନଥିଲା। ଏପରିକି ଆମର ବହୁ ପ୍ରାଚୀନ ପୂର୍ଵଜମାନେ ନିଆଁର ଵ୍ୟଵହାର କିପରି କରିଵାକୁ ହୁଏ ତାହା ଶିଖିନଥିଲେ, ଚକର ଆଵିଷ୍କାର କିମ୍ଵା ଲୁହାର ଵ୍ୟଵହାର ତ ବହୁ ଦୂରର କଥା। ସେତେବେଳେ ଭାଷା, ସଂସ୍କୃତି, ଵିଵାହ କିମ୍ଵା ପରିଵାର ଭଳି ଶବ୍ଦର କୌଣସି ଅସ୍ତିତ୍ୱ ନଥିଲା। ପ୍ରକୃତିର ନିୟମ ହିଁ ଥିଲା ଏକମାତ୍ର ଆଇନ। ସେତେବେଳେ ଦକ୍ଷିଣ ଆଫ୍ରିକାର ସେହି ଵିସ୍ତୀର୍ଣ୍ଣ ଓ ଵିପଜ୍ଜନକ ତୃଣଭୂମିରେ ଵାସ କରୁଥିଲେ "Australopithecus africanus" ଏଵଂ "Paranthropus robustus" ନାମକ ଆମର ଦୁଇ ପ୍ରାକ୍-ମାନଵ ଵା hominins ପୂର୍ଵଜ ଜୀଵଜାତି। ଏମାନେ ଦେଖିଵାକୁ କିଛି ମାତ୍ରାରେ ମଣିଷ ଏଵଂ କିଛି ମାତ୍ରାରେ Ape ଭଳି ଥିଲେ। ସେମାନେ ଦୁଇ ଗୋଡ଼ରେ ଠିଆ ହୋଇ ଚାଲିପାରୁଥିଲେ ସତ, କିନ୍ତୁ ସେମାନଙ୍କର ମସ୍ତିଷ୍କର ଆକାର ଆମ ତୁଳନାରେ ବହୁତ ଛୋଟ ଥିଲା ଏଵଂ ସେମାନେ ସମ୍ପୂର୍ଣ୍ଣ ରୂପେ ଜଙ୍ଗଲର ଵଣ୍ୟଜନ୍ତୁଙ୍କ ଭଳି ଜୀଵନଯାପନ କରୁଥିଲେ।

କିନ୍ତୁ ଏହି ଆଦିମ ପ୍ରାଣୀମାନଙ୍କର ସମାଜ କିପରି ଥିଲା? ସେମାନେ କିପରି ଵଞ୍ଚୁଥିଲେ, ଦଳ ଗଠନ କରୁଥିଲେ ଏଵଂ ନିଜର ଵଂଶଵୃଦ୍ଧି କିପରି କରୁଥିଲେ? 

ଵର୍ଷ ଵର୍ଷ ଧରି ଐତିହାସିକ ଓ ପ୍ରତ୍ନତତ୍ତ୍ୱଵିତ୍‌ମାନେ କେଵଳ ସେମାନଙ୍କର ହାଡ଼ ଏଵଂ ଖପୁରୀର ଆକାରକୁ ଦେଖି ଅନୁମାନ ଲଗାଉଥିଲେ। ହାଡ଼ରୁ ଗୋଟିଏ ପ୍ରାଣୀର ଉଚ୍ଚତା କିମ୍ଵା ରୋଗ ଵିଷୟରେ ଜଣାପଡ଼ିପାରେ, କିନ୍ତୁ ହାଡ଼ କେବେହେଲେ ତାର ସାମାଜିକ ସମ୍ପର୍କ କିମ୍ଵା ଵାସସ୍ଥାନ ପରିଵର୍ତ୍ତନର ଇତିହାସ କହିପାରେ ନାହିଁ। ଏହି ପ୍ରଶ୍ନର ଉତ୍ତର ଖୋଜିଵା ପାଇଁ ଵୈଜ୍ଞାନିକମାନଙ୍କ ପାଖରେ କୌଣସି ଲିଖିତ ଦଲିଲ ନଥିଲା। ଏହା ଆମ ସଭ୍ୟତାର ଏକ ବଡ଼ ଵିଡ଼ମ୍ଵନା ଯେ, ଅତୀତର ସବୁଠାରୁ ଗଭୀର ରହସ୍ୟକୁ ଭେଦ କରିଵା ପାଇଁ ଆମେ କୌଣସି ଵିଶାଳ ପ୍ରାସାଦ କିମ୍ଵା ସ୍ମୃତିସ୍ତମ୍ଭକୁ ନୁହେଁ ଵରଂ ଏକ ମୃତ ପ୍ରାଣୀର ଦାନ୍ତ ଭିତରେ ଥିଵା ଅଣୁଵୀକ୍ଷଣିକ ରାସାୟନିକ ଵୈଚିତ୍ର୍ୟକୁ ଅଧ୍ୟୟନ କରୁ। ସାଣ୍ଡି କୋପଲ୍ୟାଣ୍ଡଙ୍କ ଦଳ ମଧ୍ୟ ପ୍ରକୃତିର ସେହି ଅଦ୍ଭୁତ ଜ୍ଞାନକୌଶଳ ଉପରେ ନିର୍ଭର କଲେ, ଯାହା ସେହି ପ୍ରାକ୍-ମାନଵମାନଙ୍କ ଦାନ୍ତ ଭିତରେ ଲୁଚି ରହିଥିଲା।

ଏହି ରହସ୍ୟର ଉନ୍ମୋଚନ ପାଇଁ ସେମାନେ ଏକ ଅଭିନଵ ପଦ୍ଧତି ଆପଣାଇଲେ ଯାହାକୁ "ଷ୍ଟ୍ରୋନ୍ସିୟମ୍ ଆଇସୋଟୋପ୍ ଵିଶ୍ଲେଷଣ" କୁହାଯାଏ। ଷ୍ଟ୍ରୋନ୍ସିୟମ୍ ହେଉଛି ଆମ ପୃଥିଵୀର ମୃତ୍ତିକା ଏଵଂ ଶିଳାରେ ମିଳୁଥିଵା ଏକ ପ୍ରାକୃତିକ ରାସାୟନିକ ମୌଳିକ। ପୃଥିଵୀର ଭୂତାତ୍ତ୍ୱିକ ଗଠନ ଏତେ ଵୈଚିତ୍ର୍ୟମୟ ଯେ, ପ୍ରତ୍ୟେକ ଅଞ୍ଚଳର ପାହାଡ଼, ପଥର ଓ ମାଟିରେ ଥିଵା ଷ୍ଟ୍ରୋନ୍ସିୟମର ମାତ୍ରା କିମ୍ଵା ତାହାର ଆଇସୋଟୋପ୍ ଅନୁପାତ (ସାଧାରଣତଃ ଷ୍ଟ୍ରୋନ୍ସିୟମ୍-୮୭ ଏଵଂ ଷ୍ଟ୍ରୋନ୍ସିୟମ୍-୮୬ ମଧ୍ୟରେ ଥିଵା ଅନୁପାତ) ଭିନ୍ନ ଭିନ୍ନ ହୋଇଥାଏ। ଏହା ଠିକ୍ ଏକ Barcode ଭଳି କାମ କରେ, ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳର ପରିଚୟ ଵହନ କରେ। ଯେତେବେଳେ କୌଣସି ଶିଶୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜନ୍ମଗ୍ରହଣ କରେ ଏଵଂ ସେଠାରେ ବଡ଼ ହୁଏ ସେତେବେଳେ ସେ ସେହି ଅଞ୍ଚଳର ଝରଣାରୁ ପାଣି ପିଏ ଏଵଂ ସେହି ମାଟିରେ ଉଠିଥିଵା ଫଳମୂଳ, ଗଛପତ୍ର କିମ୍ଵା ଅନ୍ୟ ଛୋଟ ଜୀଵଜନ୍ତୁଙ୍କୁ ଖାଏ। ଖାଦ୍ୟ ଓ ଜଳ ମାଧ୍ୟମରେ ସେହି ଅଞ୍ଚଳର ମାଟିରେ ଥିଵା ଷ୍ଟ୍ରୋନ୍ସିୟମ୍ ସେହି ଶିଶୁର ଶରୀର ଭିତରକୁ ପ୍ରଵେଶ କରେ।

ମାନଵ ତଥା ପ୍ରାକ୍-ମାନଵମାନଙ୍କ ଶରୀରର ଜୈଵିକ ପ୍ରକ୍ରିୟା ବହୁତ ଜଟିଳ ଓ ଆଶ୍ଚର୍ଯ୍ୟଜନକ। ଶରୀର ଅନେକ ସମୟରେ ଖାଦ୍ୟରେ ଥିଵା ଷ୍ଟ୍ରୋନ୍ସିୟମ୍‌କୁ କ୍ୟାଲସିୟମ୍ ଭାବି ଗ୍ରହଣ କରିନିଏ ଏଵଂ ଶିଶୁଟିର ବଢ଼ୁଥିଵା ହାଡ଼ ତଥା ଦାନ୍ତରେ ଏହାକୁ ସଞ୍ଚୟ କରିଦିଏ। ଏଠାରେ ହାଡ଼ ଓ ଦାନ୍ତ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି। ଜୀଵନକାଳ ମଧ୍ୟରେ ହାଡ଼ରେ ଥିଵା କୋଷଗୁଡ଼ିକ ବାରମ୍ଵାର ବଦଳନ୍ତି, ତେଣୁ ହାଡ଼ ଭିତରେ ଥିଵା ରାସାୟନିକ ତତ୍ତ୍ୱ ଵୟସ ଓ ଵାସସ୍ଥାନ ବଦଳିଵା ଅନୁସାରେ ପରିଵର୍ତ୍ତିତ ହୋଇଯାଏ। କିନ୍ତୁ ଦାନ୍ତର ଏନାମେଲ୍ (ଯାହା ଶରୀରର ସବୁଠାରୁ କଠିନ ଅଂଶ) ଥରେ ଗଠିତ ହୋଇଗଲା ପରେ ତାହା ଜୀଵନ ସାରା କେବେ ବି ପରିଵର୍ତ୍ତିତ ହୁଏ ନାହିଁ। ଶିଶୁଟି ଯେଉଁ ଅଞ୍ଚଳରେ ନିଜର ଶୈଶଵ ବିତାଇଥାଏ, ସେହି ଅଞ୍ଚଳର ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ତାହାର ଦାନ୍ତର ଏନାମେଲ୍ ଭିତରେ ଏକ ଅଲିଭା ଛାପ ଭଳି ଚିରଦିନ ପାଇଁ ଲିପିଵଦ୍ଧ ହୋଇ ରହିଯାଏ। ସହଜ ଭାଷାରେ କହିଵାକୁ ଗଲେ, ପ୍ରକୃତି ପ୍ରତ୍ୟେକ ପ୍ରାଣୀର ଦାନ୍ତ ଭିତରେ ଏକ ଜୈଵିକ 'ଜିପିଏସ୍' (GPS) ଯନ୍ତ୍ର ଖଞ୍ଜିଦେଇଥାଏ। ଜଣେ ଵ୍ୟକ୍ତି ଵା ପ୍ରାଣୀ ପରଵର୍ତ୍ତୀ ସମୟରେ ପୃଥିଵୀର ଯେକୌଣସି କୋଣକୁ ଗଲେ ମଧ୍ୟ, ତାହାର ଦାନ୍ତ କହିଦେଵ ଯେ ସେ ନିଜର ପିଲାଦିନ କେଉଁଠାରେ କଟାଇଥିଲା।

ଏହି ଜୈଵିକ ଜିପିଏସ୍‌ର ତଥ୍ୟକୁ ପଢ଼ିଵା ପାଇଁ ସାଣ୍ଡି କୋପଲ୍ୟାଣ୍ଡଙ୍କ ଦଳ ପ୍ରସ୍ତୁତ ହେଲେ। ଏହି ପ୍ରକ୍ରିୟା ଅତ୍ୟନ୍ତ କଷ୍ଟକର ଥିଲା। ସେମାନେ ଷ୍ଟର୍କଫୋଣ୍ଟେନ୍ ଆଉ ସ୍ୱାର୍ଟକ୍ରାନ୍ସ ଗୁମ୍ଫାରୁ ମିଳିଥିଵା ସେହି ମୂଲ୍ୟଵାନ ଜୀଵାଶ୍ମ ଦାନ୍ତଗୁଡ଼ିକ ଉପରେ ଅତ୍ୟନ୍ତ ସାଵଧାନତାର ସହ ଲେଜର (Laser) ରଶ୍ମି ପକାଇ ତାହାର ଏନାମେଲରୁ ଏକ ଅତି କ୍ଷୁଦ୍ର ଅଂଶ ଵାଷ୍ପୀଭୂତ କଲେ। ତା'ପରେ ତାହାକୁ 'ମାସ୍ ସ୍ପେକ୍ଟ୍ରୋମିଟର୍' ନାମକ ଏକ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ଵିଶ୍ଲେଷଣ କଲେ। ଏହା ଏକ ପ୍ରକାର ରୋମାଞ୍ଚକର ଯାତ୍ରା ଥିଲା - ଏକଵିଂଶ ଶତାବ୍ଦୀର ସବୁଠାରୁ ଉନ୍ନତ ପ୍ରଯୁକ୍ତିଵିଦ୍ୟାକୁ ଵ୍ୟଵହାର କରି ୨୦ ଲକ୍ଷ ଵର୍ଷ ତଳର ଏକ ଅନ୍ଧକାରମୟ ଆଦିମ ଜୀଵନଶୈଳୀ ଉପରୁ ପରଦା ଉଠାଇଵାର ଏକ ଅଦ୍ୱିତୀୟ ପ୍ରୟାସ।

ସେହି ଆଦିମ ପ୍ରାକ୍-ମାନଵମାନଙ୍କ ମଧ୍ୟରେ ଏକ ସ୍ପଷ୍ଟ ଶାରୀରିକ ଵିଶେଷତ୍ୱ ଵା Sexual dimorphism ଦେଖିଵାକୁ ମିଳୁଥିଲା। ପୁରୁଷମାନଙ୍କର ଶରୀର ଏଵଂ ଦାନ୍ତର ଆକାର ନାରୀମାନଙ୍କ ତୁଳନାରେ ଯଥେଷ୍ଟ ବଡ଼ ଥିଲା। ଆଜିକାଲିର ଗରିଲା କିମ୍ଵା ବବୁନ୍ ମହାଵାନର ଓ ଵାନରମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ଏମିତି ଦେଖାଯାଏ। ତେଣୁ ଵୈଜ୍ଞାନିକମାନେ ବିନା କୌଣସି ଅସୁଵିଧାରେ କେଵଳ ଦାନ୍ତର ଆକାରକୁ ଦେଖି ପୁରୁଷ ଓ ନାରୀମାନଙ୍କର ଦାନ୍ତକୁ ଅଲଗା କରିପାରିଥିଲେ। ଯେତେବେଳେ କମ୍ପ୍ୟୁଟର ସ୍କ୍ରିନ୍ ଉପରେ ସେହି ଆଇସୋଟୋପ୍ ଵିଶ୍ଲେଷଣର ଫଳାଫଳ ଗୋଟିଏ ପରେ ଗୋଟିଏ ଆସିଵାକୁ ଲାଗିଲା, ସମଗ୍ର ଗଵେଷକ ଦଳ ନିଜ ଆଖିକୁ ଵିଶ୍ୱାସ କରିପାରିଲେ ନାହିଁ। ସେହି ତଥ୍ୟ କେଵଳ କିଛି ନିର୍ଜୀଵ ସଂଖ୍ୟାର ସମାହାର ନଥିଲା ଵରଂ ତାହା ଥିଲା ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ଲୁଚି ରହିଥିଵା ଏକ ଵିରାଟ ସାମାଜିକ ଵ୍ୟଵସ୍ଥାର ନିରଵ ପ୍ରମାଣ।

ପ୍ରଥମେ ସେମାନେ ଆକାରରେ ବଡ଼ ଥିଵା ଦାନ୍ତଗୁଡ଼ିକର, ଅର୍ଥାତ୍ ପୁରୁଷ ପ୍ରାକ୍-ମାନଵମାନଙ୍କ ଦାନ୍ତର ତଥ୍ୟକୁ ପରୀକ୍ଷା କଲେ। ସେମାନେ ଦେଖିଵାକୁ ପାଇଲେ ଯେ, ପାଖାପାଖି ୯୦ ପ୍ରତିଶତ ପୁରୁଷଙ୍କ ଦାନ୍ତରେ ଥିଵା ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ସେହି ଷ୍ଟର୍କଫୋଣ୍ଟେନ୍ ଓ ସ୍ୱାର୍ଟକ୍ରାନ୍ସ ଗୁମ୍ଫା ଆଖପାଖ ଅଞ୍ଚଳର ସ୍ଥାନୀୟ ମୃତ୍ତିକା ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଥିଲା। ଅର୍ଥାତ୍ ସେହି ପୁରୁଷମାନେ ଯେଉଁଠାରେ ଜନ୍ମ ହୋଇଥିଲେ, ସେହି ଗୁମ୍ଫା ଏଵଂ ଆଖପାଖ ଜଙ୍ଗଲରେ ହିଁ ନିଜର ସମ୍ପୂର୍ଣ୍ଣ ଶୈଶଵ ବିତାଇଥିଲେ ଏଵଂ ଶେଷରେ ଯୁଵାଵସ୍ଥା ଓ ଵାର୍ଦ୍ଧକ୍ୟ ଅତିକ୍ରମ କରି ସେହିଠାରେ ହିଁ ମୃତ୍ୟୁଵରଣ କରିଥିଲେ। ସେମାନେ ନିଜ ଜନ୍ମମାଟି ଏଵଂ ନିଜର ସୁରକ୍ଷିତ ଗୋଷ୍ଠୀ ଛାଡ଼ି କେବେ ବି ଅନ୍ୟ କୌଣସି ଅଚିହ୍ନା ଅଞ୍ଚଳକୁ ଵାସସ୍ଥାନ ପରିଵର୍ତ୍ତନ କରିନଥିଲେ। ସେମାନେ ନିଜ ନିଜର ଛୋଟ ଅଞ୍ଚଳରେ ଭିତରେ ସୀମିତ ହୋଇ ରହୁଥିଲେ, ଏକାଠି ଖାଦ୍ୟ ସଂଗ୍ରହ କରୁଥିଲେ ଏଵଂ ବୋଧହୁଏ ହିଂସ୍ର ଜନ୍ତୁଙ୍କ କଵଳରୁ ନିଜର ସୀମା ଓ ପରିଵାରକୁ ସୁରକ୍ଷା ଦେଉଥିଲେ। ସେମାନଙ୍କର ସମ୍ପୂର୍ଣ୍ଣ ଜୀଵନଚକ୍ର ଗୋଟିଏ ନିର୍ଦ୍ଦିଷ୍ଟ ପରିଵେଶ ଏଵଂ ମାଟିର ଗନ୍ଧ ଭିତରେ ହିଁ ଘୁରି ବୁଲୁଥିଲା।

କିନ୍ତୁ ଯେତେବେଳେ ଵୈଜ୍ଞାନିକମାନେ ଆକାରରେ ଛୋଟ ଥିଵା ଦାନ୍ତଗୁଡ଼ିକର, ଅର୍ଥାତ୍ ନାରୀମାନଙ୍କର ଦାନ୍ତର ତଥ୍ୟ ଵିଶ୍ଲେଷଣ କଲେ, ସେତେବେଳେ ସମଗ୍ର କାହାଣୀଟି ଏକ ନାଟକୀୟ ମୋଡ଼ ନେଲା। ପରୀକ୍ଷାରୁ ସ୍ପଷ୍ଟ ଜଣାପଡ଼ିଲା ଯେ, ୫୦ ପ୍ରତିଶତରୁ ଅଧିକ ନାରୀଙ୍କ ଦାନ୍ତରେ ଥିଵା ଷ୍ଟ୍ରୋନ୍ସିୟମ୍ ସ୍ୱାକ୍ଷର ସେହି ସ୍ଥାନୀୟ ଗୁମ୍ଫା ଅଞ୍ଚଳର ଭୌଗୋଳିକ ସ୍ୱାକ୍ଷର ସହ ଆଦୌ ମିଶୁନଥିଲା ! ସେହି ଦାନ୍ତଗୁଡ଼ିକରେ ଏକ ସମ୍ପୂର୍ଣ୍ଣ ଅଜଣା ଏଵଂ ଭିନ୍ନ ଭୌଗୋଳିକ ଅଞ୍ଚଳର ରାସାୟନିକ ଛାପ ଲୁଚି ରହିଥିଲା। ଏହି ତଥ୍ୟର ଏକମାତ୍ର ଐତିହାସିକ ଏଵଂ ଜୈଵିକ ଅର୍ଥ ଥିଲା ଯେ, ସେହି ନାରୀମାନେ ନିଜର ପିଲାଦିନ ଏହି ଷ୍ଟର୍କଫୋଣ୍ଟେନ୍ କିମ୍ଵା ସ୍ୱାର୍ଟକ୍ରାନ୍ସ ଅଞ୍ଚଳରେ ବିତାଇ ନଥିଲେ। ସେମାନେ ବହୁ ଦୂରରେ ଥିଵା କୌଣସି ଅନ୍ୟ ଜଙ୍ଗଲ, ପାହାଡ଼ କିମ୍ଵା ଅଚିହ୍ନା ଉପତ୍ୟକାରେ ଜନ୍ମ ହୋଇଥିଲେ। ସେମାନେ ନିଜ ଶୈଶଵରେ ଅନ୍ୟ କେଉଁଠାର ପାଣି ପିଇଥିଲେ ଏଵଂ ସେଠାକାର ଖାଦ୍ୟ ଖାଇ ବଡ଼ ହୋଇଥିଲେ। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ଵୟସରେ ପହଞ୍ଚିଵା ପରେ, ସମ୍ଭଵତଃ ଯୌଵନାଵସ୍ଥାରେ ପଦାର୍ପଣ କରିଵା ବେଳେ, ସେମାନେ ନିଜର ପରିଚିତ ଜନ୍ମମାଟି ଓ ଜନ୍ମିତ ପରିଵାରକୁ ଛାଡ଼ିଦେଇଥିଲେ।

ମାତ୍ର ୨୦ ଲକ୍ଷ ଵର୍ଷ ପୂର୍ଵେ ପ୍ରାକ୍-ମାନଵୀଟିଐ ନିଜର ଜନ୍ମିତ ମାତୃଭୂମି ଓ ଗୋଷ୍ଠୀ ଛାଡ଼ି ଅନ୍ୟ ଅଜଣା ଅଞ୍ଚଳକୁ ସ୍ଥାନାନ୍ତରିତ ହେଵା ପଛରେ କୌଣସି ସାଂସ୍କୃତିକ କିମ୍ବା ସାମାଜିକ ସଚେତନତା ନଥିଲା ଵରଂ ଏହା ଥିଲା ଜୈଵିକ ଉଦ୍ବିବର୍ତ୍ତନ (Biological Evolution) ଓ ପ୍ରାକୃତିକ ନିର୍ଵାଚନ 
(Natural Selection)ର ଏକ ସୁଚିନ୍ତିତ ଗଣିତ। ଏହି ସ୍ଥାନାନ୍ତରଣକୁ ଵିଜ୍ଞାନ ଭାଷାରେ Female-biased Dispersal ବୋଲି କୁହାଯାଏ ଏଵଂ ଏହା ପଛରେ କେତେକ ମୁଖ୍ୟ କାରଣମାନ ରହିଛି । 
‌
ଯଦି ଗୋଟିଏ ଛୋଟ ଗୋଷ୍ଠୀ ଭିତରେ ବାପା-ଝିଅ, ଭାଇ-ଭଉଣୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ହିଁ ଵଂଶବୃଦ୍ଧି ଚାଲେ, ତେବେ ଜିନ୍‌ଗତ ଦୁର୍ଵଳତା ଵା Recessive Genetic Defects ଵୃଦ୍ଧି ପାଏ। ଏହାଦ୍ବାରା ସନ୍ତାନ୍ନମାନେ ଶାରୀରିକ ଵିକଳାଙ୍ଗତା, ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଓ ମୃତ୍ୟୁର ଶିକାର ହୁଅନ୍ତି। ଵଂଶକୁ ଜିନ୍‌ଗତ ଭାବେ ସୁସ୍ଥ ଓ ସବଳ ରଖିବା ପାଇଁ ପ୍ରକୃତି ଏକ ନିୟମ ତିଆରି କରିଥିଲା ।‌ ଗୋଟିଏ ଲିଙ୍ଗର ପ୍ରାଣୀକୁ ଵୟସପ୍ରାପ୍ତ ହେଵା ପରେ ଗୋଷ୍ଠୀ ଛାଡ଼ିଵାକୁ ପଡ଼ିଵ । ଆମର ନିକଟତମ ପ୍ରାକୃତିକ ସମ୍ପର୍କୀୟ (ସିମ୍ପାଞ୍ଜି ଓ ବୋନୋବୋ) ଏଵଂ ପ୍ରାକ୍-ମାନଵଙ୍କ କ୍ଷେତ୍ରରେ ଏହି ଦାୟିତ୍ୱ ନାରୀମାନଙ୍କ ଉପରେ ପଡ଼ିଥିଲା।

ଗୋଟିଏ ଗୋଷ୍ଠୀର ପୁରୁଷମାନେ ପରସ୍ପରର ରକ୍ତ-ସମ୍ପର୍କୀୟ (ଭାଇ, ବାପା,ଦଦା, ପୁତୁରା) ଥିଲେ। ସେମାନେ ନିଜ ଜନ୍ମିତ ଅଞ୍ଚଳର ପାହାଡ଼, ଗୁମ୍ଫା, ଜଳାଶୟ ଏଵଂ ଖାଦ୍ୟ ମିଳୁଥିଵା ସ୍ଥାନ ଵିଷୟରେ ଭଲ ଭାବେ ଜାଣିଥିଲେ। ସେମାନେ ମିଳିତ ଭାବେ ଶିକାରୀ ହିଂସ୍ର ଜନ୍ତୁ ଏଵଂ ଅନ୍ୟ ଶତ୍ରୁ ଗୋଷ୍ଠୀଙ୍କ ଆକ୍ରମଣରୁ ନିଜ ଅଞ୍ଚଳକୁ ସୁରକ୍ଷିତ ରଖୁଥିଲେ। ଯଦି ପୁରୁଷମାନେ ନିଜ ଭିଟାମାଟି ଛାଡ଼ି ଚାଲିଯାଇଥାନ୍ତେ, ତେବେ ଗୋଷ୍ଠୀର ସୁରକ୍ଷା ଵ୍ୟଵସ୍ଥା ଭାଙ୍ଗିପଡ଼ିଥାନ୍ତା। ତେଣୁ ସୁରକ୍ଷିତ ଅଞ୍ଚଳ ଓ ପୁରୁଷମାନଙ୍କର ମିଳିତ ଶକ୍ତିକୁ ସ୍ଥାୟୀ ରଖିଵା ପାଇଁ ମହିଳାମାନଙ୍କୁ ନୂଆ ଗୋଷ୍ଠୀକୁ ଯିଵାକୁ ପଡ଼ୁଥିଲା।

ପ୍ରାକ୍-ମାନଵମାନେ ଶିକାରୀ ଓ ସଂଗ୍ରାହକ ଥିଲେ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ମିଳୁଥିଵା ଫଳ, ମୂଳ, ସରିସୃପ କିମ୍ବା କ୍ଷୁଦ୍ର ଜୀଵଙ୍କ ସଂଖ୍ୟା ସୀମିତ ଥିଲା। ଯଦି ଗୋଟିଏ ଗୋଷ୍ଠୀର ସମସ୍ତ ଝିଅ ବଡ଼ ହୋଇ ସେହି ଗୋଷ୍ଠୀରେ ରହି ସନ୍ତାନ ଜନ୍ମ କରନ୍ତେ, ତେବେ ସ୍ଥାନୀୟ ସମ୍ବଳ ଉପରେ ବିରାଟ ଚାପ ପଡ଼ିଥାନ୍ତା। ଯୁଵତୀମାନେ ଅନ୍ୟ ଗୋଷ୍ଠୀକୁ ସ୍ଥାପାନ୍ତରିତ ହେଵା ଦ୍ବାରା ପ୍ରାକୃତିକ ସମ୍ବଳର ସମାନ ଵିଭାଜନ ହୋଇପାରୁଥିଲା।

ତେବେ ପ୍ରାକ୍-ମାନଵୀମାନେ ପୁରୁଷମାନଙ୍କ ଚାପରେ ନିଜ ଗୋଷ୍ଠୀ ଛାଡ଼ୁ ନଥିଲେ ଵରଂ ଏହା ପଛରେ ଶାରୀରିକ ଓ ମାନସିକ କାରଣ ଥିଲା ବୋଲି ଜଣାପଡି଼ଛି। ଉପଲବ୍ଧ ତଥ୍ୟ ଅନୁସାରେ ପ୍ରାକ୍-ମାନଵୀମାନେ ଯେତେବେଳେ ଯୌଵନାଵସ୍ଥାରେ ପଦାର୍ପଣ କରୁଥିଲେ ସେତେବେଳେ ସେମାନଙ୍କ ଶରୀରରେ ହେଉଥିଵା ଜୈଵ-ରାସାୟନିକ ଵା Hormonal ପରିଵର୍ତ୍ତନ ସେମାନଙ୍କ ମନରେ ନିଜ ନିକଟ ସମ୍ପର୍କୀୟ ପୁରୁଷଙ୍କ ପ୍ରତି ଏକ ପ୍ରକାରର "ଲିଙ୍ଗଗତ ଅରୁଚି" ସୃଷ୍ଟି କରୁଥିଲା ଯାହାକୁ ଵିଜ୍ଞାନର ଭାଷାରେ Westermarck effect ଵା Inbreeding avoidance କୁହାଯାଏ । ଏହି ପ୍ରାକୃତିକ ପ୍ରଵୃତ୍ତି ସେମାନଙ୍କୁ ଅଜଣା, ନୂଆ ଏବଂ ଭିନ୍ନ ଜିନ୍‌ବିଶିଷ୍ଟ ଗୋଷ୍ଠୀର ପୁରୁଷଙ୍କ ପ୍ରତି ଆକର୍ଷିତ କରୁଥିଲା, ଯାହା ସେମାନଙ୍କୁ ସ୍ବତଃପ୍ରଵୃତ୍ତ ଭାବେ ନୂତନ ଅଞ୍ଚଳର ସନ୍ଧାନ କରିଵାକୁ ବାଧ୍ୟ କରୁଥିଲା।

ତେଣୁ ୨୦ ଲକ୍ଷ ଵର୍ଷ ତଳର ମହିଳାମାନଙ୍କର ଏହି ଭୟଙ୍କର ଓ ଵିପଜ୍ଜନକ ଯାତ୍ରା କୌଣସି ସାମାଜିକ ପ୍ରଥା ନଥିଲା ଵରଂ ପ୍ରାକ୍-ମାନଵ ଜାତିକୁ ଲୋପ ପାଇଵାରୁ ରକ୍ଷା କରିଵା ପାଇଁ ପ୍ରକୃତି ଦ୍ବାରା ନିର୍ଦ୍ଧାରିତ ଏକ ଜୈଵିକ ସୁରକ୍ଷା କବଚ ଵା Evolutionary Survival Strategy ଥିଲା।

କିନ୍ତୁ ଜଣେ "ପ୍ରାକ୍-ମାନଵୀ" ପାଇଁ ୨୦ ଲକ୍ଷ ଵର୍ଷ ପୂର୍ଵେ, ଆଫ୍ରିକାର ସେହି ଖୋଲା ତୃଣଭୂମିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଵା ଆଦୌ ସହଜ ନଥିଲା। ପଦେ ପଦେ ମୃତ୍ୟୁର ଭୟ ଥିଲା। ସେତେବେଳେ ସେହି ଅଞ୍ଚଳରେ Dinofelis ଭଳି ଭୟଙ୍କର saber-tooth ବିରାଡ଼ି ଜାତୀୟ ହିଂସ୍ର ଜନ୍ତୁମାନେ ଘୁରି ବୁଲୁଥିଲେ, ଯେଉଁମାନେ ଆଖିପିଛୁଳାକେ ଏହି ଦୁର୍ଵଳ ପ୍ରାକ୍-ମାନଵମାନଙ୍କୁ ଶିକାର କରିପାରୁଥିଲେ। ତଥାପି, ନିଜ ଜୀଵନକୁ ଏତେ ବଡ଼ ଵିପଦରେ ପକାଇ, ସେହି ନାରୀମାନେ ଏକ ଦୀର୍ଘ ଏଵଂ ଵିପଜ୍ଜନକ ଯାତ୍ରା କରି ଏହି ନୂତନ ଅଞ୍ଚଳକୁ ଆସିଥିଲେ। ସେମାନେ ସ୍ଥାନୀୟ ପୁରୁଷମାନଙ୍କର ଗୋଷ୍ଠୀରେ ମିଶି ଯାଇଥିଲେ ଏଵଂ ନିଜର ବାକି ଜୀଵନ ସେହିଠାରେ ହିଁ ବିତାଇଥିଲେ, ଯେଉଁଠାରେ ଶେଷରେ ସେମାନଙ୍କର ମୃତ୍ୟୁ ହୋଇଥିଲା ଓ ସେମାନଙ୍କ ଦାନ୍ତଗୁଡ଼ିକ ମାଟି ତଳେ ପୋତିହୋଇ ଆଜି ଜୀଵାଶ୍ମରେ ପରିଣତ ହୋଇସାରିଛି। ଏହି ଗୋଟିଏ ତଥ୍ୟ, ମଣିଷ ସମାଜର ଉତ୍ପତ୍ତି ଏଵଂ ପରିଵାରର ଢାଞ୍ଚା ଵିଷୟରେ ରହିଥିଵା ଆମର ସମସ୍ତ ପୁରୁଣା ଧାରଣାକୁ ମୂଳରୁ ଦୋହଲାଇ ଦେଇଥିଲା।

ଏହି ଆଵିଷ୍କାର କେଵଳ କେତୋଟି ଦାନ୍ତର ରାସାୟନିକ ଵିଶ୍ଲେଷଣ ନଥିଲା, ଵରଂ ଏହା ଥିଲା ମାନଵ ଇତିହାସର ଏକ ବହୁ ପ୍ରଚଳିତ ଧାରଣାର ମୂଳପୋଚ୍ଛ। ଆମେ ସାଧାରଣତଃ ଭାବିଥାଉ ଯେ, ସମାଜରେ ପରିଵାରର ଗଠନ, ଵିଵାହ ପ୍ରଥା ଏଵଂ ଵିଶେଷକରି 'ପିତୃସ୍ଥାନିକତା' (Patrilocality) ଵା ନାରୀଟିଏ ଵିଵାହ ପରେ ପୁରୁଷର ଘରକୁ ଯିଵାର ପରମ୍ପରା ଏକ ଆଧୁନିକ ସାଂସ୍କୃତିକ ଉଦ୍ଭାଵନ। ଅନେକ ଐତିହାସିକ ଓ ସମାଜଵିଜ୍ଞାନୀ ମାନିଆସୁଥିଲେ ଯେ, ପାଖାପାଖି ଦଶ ହଜାର ଵର୍ଷ ପୂର୍ଵେ କୃଷିର ଵିକାଶ ଏଵଂ ଵ୍ୟକ୍ତିଗତ ସମ୍ପତ୍ତିର ଧାରଣା ସୃଷ୍ଟି ହେଵା ପରେ ହିଁ ପୁରୁଷମାନେ ନିଜ ଜମି ଓ ସମ୍ପତ୍ତି ପାଖରେ ରହିଵାକୁ ଉଚିତ୍ ମଣିଲେ ଏଵଂ ନାରୀମାନଙ୍କୁ ସ୍ଥାନାନ୍ତରିତ ହେଵାକୁ ପଡ଼ିଲା। କିନ୍ତୁ ସାଣ୍ଡି କୋପଲ୍ୟାଣ୍ଡଙ୍କ ଗଵେଷଣା ଏହି ସମସ୍ତ ତତ୍ତ୍ୱକୁ ଏକାବେଳକେ ଭୁଲ୍ ପ୍ରମାଣିତ କରିଦେଲା। ଏହା ସ୍ପଷ୍ଟ କରିଦେଲା ଯେ, ପିତୃସ୍ଥାନିକତା କୌଣସି ରାଜା, ପୁରୋହିତ କିମ୍ଵା ଆଧୁନିକ ସମାଜ ଦ୍ୱାରା ତିଆରି ହୋଇଥିଵା କୌଣସି କୃତ୍ରିମ ନିୟମ ନୁହେଁ। ଵରଂ ଏହା ମାନଵ ଜାତିର ଉତ୍ପତ୍ତିର ଲକ୍ଷ ଲକ୍ଷ ଵର୍ଷ ପୂର୍ଵରୁ ଆମର ଜୈଵିକ ଏଵଂ ଵିଵର୍ତ୍ତନ ପ୍ରକ୍ରିୟାରେ ଗଭୀର ଭାବରେ ଚେର ଲମ୍ଵେଇ ସାରିଥିଲା। ଆମର ସେହି ଆଦିମ ପୂର୍ଵଜମାନେ, ଯେଉଁମାନେ ଠିକ୍ ଭାବରେ କଥା ମଧ୍ୟ କହିପାରୁନଥିଲେ କିମ୍ଵା ଶରୀରକୁ ଢାଙ୍କିଵା ପାଇଁ ପତ୍ରର ଵ୍ୟଵହାର ମଧ୍ୟ ଶିଖିନଥିଲେ, ସେମାନେ ମଧ୍ୟ ଏହି ଜଟିଳ ସାମାଜିକ ଗଠନର ଅନୁସରଣ କରୁଥିଲେ।

ସବୁଠାରୁ ବଡ଼ କଥା ହେଲା ଏହା ପ୍ରାକୃତିକ କାରଣରୁ ଆରମ୍ଭ ହୋଇଥିଲା ଏଵଂ ପ୍ରକୃତି ଏପରି ଏକ ଵ୍ୟଵସ୍ଥା ସୃଷ୍ଟି କଲା ଉତ୍ତରଟି ଅନ୍ତର୍ପ୍ରଜନନ' ଵା 'Inbreeding'ରୁ ରକ୍ଷା ପାଇଵା ପାଇଁ। ପ୍ରକୃତିର ଏକ ଅଲିଖିତ ନିୟମ ହେଉଛି, ଗୋଟିଏ ରକ୍ତ ସମ୍ପର୍କ ଭିତରେ କିମ୍ଵା ନିଜ ପରିଵାର ଭିତରେ ଵଂଶଵୃଦ୍ଧି ହେଲେ ତାହା ଭଵିଷ୍ୟତ ପିଢ଼ି ପାଇଁ ମାରାତ୍ମକ ଜିନ୍‌ଗତ ରୋଗ ଏଵଂ ଦୁର୍ଵଳତାର କାରଣ ହୋଇଥାଏ। ସୁସ୍ଥ ଓ ସଵଳ ସନ୍ତାନ ପାଇଁ ଜିନ୍‌ଗତ ଵିଵିଧତା ନିତାନ୍ତ ଆଵଶ୍ୟକ। ଏହି ଦୁର୍ଵଳତାକୁ ଏଡ଼ାଇଵା ପାଇଁ ପ୍ରାୟତଃ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ କ୍ଷେତ୍ରରେ ଗୋଟିଏ ଲିଙ୍ଗର ପ୍ରାଣୀକୁ ଵୟସପ୍ରାପ୍ତ ହେଵା ପରେ ନିଜ ଜନ୍ମିତ ଗୋଷ୍ଠୀ ଛାଡ଼ି ଅନ୍ୟତ୍ର ଯିଵାକୁ ପଡ଼ିଥାଏ। କିନ୍ତୁ କିଏ ଗୋଷ୍ଠୀ ଛାଡ଼ିଵ, ତାହା ଵିଭିନ୍ନ ପ୍ରାଣୀଙ୍କ କ୍ଷେତ୍ରରେ ଭିନ୍ନ ହୋଇଥାଏ। ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀ, ଯେପରିକି ସିଂହ, ହାତୀ, ଗରିଲା ଏଵଂ ଅଧିକାଂଶ ମାଙ୍କଡ଼ ଜାତିରେ ଅଣ୍ଡିର ପ୍ରାଣୀମାନଙ୍କୁ ଦଳରୁ ବାହାର କରିଦିଆଯାଏ। ମାଈ ପ୍ରାଣୀମାନେ ଏକାଠି ରହନ୍ତି ଏଵଂ ଅଣ୍ଡିର ପ୍ରାଣୀମାନଙ୍କୁ ଏକାକୀ ନୂଆ ଦଳ ଖୋଜିଵାକୁ ପଡ଼େ। କିନ୍ତୁ ଆମର ସବୁଠାରୁ ନିକଟତମ ସମ୍ପର୍କୀୟ— ସିମ୍ପାଞ୍ଜି ଓ ବୋନୋବୋମାନଙ୍କ କ୍ଷେତ୍ରରେ ଏହାର ଓଲଟା ଘଟିଥାଏ। ସେମାନଙ୍କ ସମାଜରେ ମାଈମାନେ ଵୟସପ୍ରାପ୍ତ ହେଵା ପରେ ନିଜ ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯାଆନ୍ତି ଏଵଂ ଅଣ୍ଡିରାମାନେ ଆଜୀଵନ ନିଜ ମା' ଓ ଭାଇମାନଙ୍କ ସହ ଏକାଠି ରହନ୍ତି। ଦକ୍ଷିଣ ଆଫ୍ରିକାର ସେହି ଗୁମ୍ଫାରୁ ମିଳିଥିଵା ଦାନ୍ତଗୁଡ଼ିକ ପ୍ରମାଣ କଲା ଯେ, ଆମର ପ୍ରାକ୍-ମାନଵ ପୂର୍ଵଜମାନେ ଠିକ୍ ସିମ୍ପାଞ୍ଜିମାନଙ୍କ ଭଳି ସମାନ ସାମାଜିକ ଵିଵର୍ତ୍ତନ ଧାରାକୁ ଆପଣେଇଥିଲେ।
ଏହି ଗୋଟିଏ ନିଷ୍ପତ୍ତି ଵା ପ୍ରାକୃତିକ ନିର୍ଵାଚନ ମାନଵ ଇତିହାସର ଗତିପଥକୁ କିପରି ବଦଳାଇ ଦେଇଥିଲା, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଯେହେତୁ ପୁରୁଷମାନେ କେବେ ବି ନିଜ ଦଳ ଛାଡ଼ୁନଥିଲେ, ତେଣୁ ଗୋଟିଏ ଗୋଷ୍ଠୀରେ ଥିଵା ସମସ୍ତ ପୁରୁଷ ପରସ୍ପରର ରକ୍ତ ସମ୍ପର୍କୀୟ ଥିଲେ। ସେମାନେ ଥିଲେ ବାପା, ଭାଇ, କକା ଏଵଂ ପୁତୁରା। ରକ୍ତ ସମ୍ପର୍କ କାରଣରୁ ସେମାନଙ୍କ ମଧ୍ୟରେ ଏକ ପ୍ରାକୃତିକ ଏକତା ଓ ଵିଶ୍ୱାସ ଗଢ଼ି ଉଠିଥିଲା। ସେମାନେ ଏକାଠି ମିଶି ଶିକାର କରୁଥିଲେ, ଖାଦ୍ୟ ସଂଗ୍ରହ କରୁଥିଲେ ଏଵଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନ୍ୟ ଦଳର ପୁରୁଷ କିମ୍ଵା ହିଂସ୍ର ଜନ୍ତୁଙ୍କ ଆକ୍ରମଣରୁ ନିଜ ଅଞ୍ଚଳକୁ ମିଳିତ ଭାବରେ ସୁରକ୍ଷା ଦେଉଥିଲେ। ଏହି 'ପୁରୁଷ ମେଣ୍ଟ' ଵା 'Male Coalition' ଥିଲା ଆମ ରାଜନୈତିକ ଓ ସାମରିକ ଇତିହାସର ପ୍ରଥମ ମୂଳଦୁଆ। ନିଜ ଭାଇ ଓ ସମ୍ପର୍କୀୟମାନଙ୍କ ସହ ମିଶି ଶତ୍ରୁ ସହ ଲଢ଼ିଵାର ଏହି ଆଦିମ ପ୍ରଵୃତ୍ତି ପରଵର୍ତ୍ତୀ ସମୟରେ ଵିଵର୍ତ୍ତିତ ହୋଇ ଆଧୁନିକ ମାନଵର ସୈନ୍ୟଵାହିନୀ, ରାଷ୍ଟ୍ର ଗଠନ ଓ ଯୁଦ୍ଧ ଭଳି ଵ୍ୟଵସ୍ଥାରେ ରୂପାନ୍ତରିତ ହୋଇଛି। ଯଦି ଆମର ପୂର୍ଵଜମାନେ ଗରିଲାଙ୍କ ଭଳି ପୁରୁଷମାନଙ୍କୁ ଦଳରୁ ବାହାର କରିଦେଉଥାନ୍ତେ, ତେବେ ବୋଧହୁଏ ମାନଵ ଇତିହାସରେ ଏତେ ବଡ଼ ବଡ଼ ସାମ୍ରାଜ୍ୟ ଏଵଂ ମିଳିତ ସାମରିକ ଶକ୍ତିର ଉତ୍ଥାନ କେବେ ହେଲେ ସମ୍ଭଵ ହୋଇପାରିନଥାନ୍ତା।
ଅନ୍ୟପକ୍ଷରେ, ନାରୀମାନଙ୍କ ପାଇଁ ଏହି ଵ୍ୟଵସ୍ଥା ଥିଲା ଅତ୍ୟନ୍ତ କଠିନ ଏଵଂ ସଂଘର୍ଷପୂର୍ଣ୍ଣ। ଏକ ଯୁଵାଵସ୍ଥାର ନାରୀ ପ୍ରାକ୍-ମାନଵୀର କଳ୍ପନା କରନ୍ତୁ। ଦିନେ ତାକୁ ନିଜର ପରିଚିତ ଜଙ୍ଗଲ, ନିଜର ମା', ଭଉଣୀ ଏଵଂ ପିଲାଦିନର ଖେଳସାଥୀମାନଙ୍କୁ ଚିରଦିନ ପାଇଁ ଛାଡ଼ିଵାକୁ ପଡ଼ୁଥିଲା। ଏକ ଅଜଣା ଭଵିଷ୍ୟତ ଆଡ଼କୁ ଏକାକୀ ପାଦ ବଢ଼ାଇଵାକୁ ପଡ଼ୁଥିଲା, ଯେଉଁଠି ପଦେ ପଦେ ଵିପଦ ଛପି ରହିଥିଲା। ଯେତେବେଳେ ସେ ଦୀର୍ଘ ପଥ ଅତିକ୍ରମ କରି ଏକ ନୂଆ ଗୋଷ୍ଠୀରେ ପହଞ୍ଚୁଥିଲା, ସେଠାରେ ତାର କୌଣସି ରକ୍ତ ସମ୍ପର୍କୀୟ ନଥିଲେ। ସେ ଥିଲା ସମ୍ପୂର୍ଣ୍ଣ ରୂପେ ଏକାକୀ ଏଵଂ ଜଣେ ଵିଦେଶିନୀ। ନୂଆ ଦଳର ଅନ୍ୟ ନାରୀମାନେ ମଧ୍ୟ ଵିଭିନ୍ନ ଅଞ୍ଚଳରୁ ଆସିଥିଲେ, ତେଣୁ ସେମାନଙ୍କ ମଧ୍ୟରେ କୌଣସି ପାରିଵାରିକ ସମ୍ପର୍କ ନଥିଲା। ଏପରି ଏକ ଅଚିହ୍ନା ଏଵଂ ବେଳେବେଳେ ଶତ୍ରୁତାପୂର୍ଣ୍ଣ ପରିଵେଶରେ ବଞ୍ଚି ରହିଵା ପାଇଁ କେଵଳ ଶାରୀରିକ ବଳ ନୁହେଁ, ଵରଂ ତୀକ୍ଷ୍ଣ ବୁଦ୍ଧିର ଆଵଶ୍ୟକତା ଥିଲା। ସେହି ନାରୀଟିକୁ ନୂଆ ଦଳର ନିୟମ ବୁଝିଵାକୁ ପଡ଼ୁଥିଲା, ନୂଆ ବନ୍ଧୁ ତିଆରି କରିଵାକୁ ପଡ଼ୁଥିଲା ଏଵଂ କ୍ଷମତାଶାଳୀ ପୁରୁଷ ଵା ନାରୀମାନଙ୍କର ଅନୁଗ୍ରହ ଲାଭ କରିଵାକୁ ପଡ଼ୁଥିଲା। ଫଳତଃ ଏହି ସାମାଜିକ ଚାପ ଆମ ପୂର୍ଵଜଙ୍କ ମସ୍ତିଷ୍କର ଵିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଏକ ନୂତନ ପରିଵେଶରେ ନିଜକୁ ଖାପ ଖୁଆଇଵା ଏଵଂ ବିନା ଭାଷାରେ ଅନ୍ୟର ମନୋଭାଵକୁ ବୁଝିଵାର ଏହି କ୍ରମାଗତ ପ୍ରୟାସ, ପ୍ରାକ୍-ମାନଵମାନଙ୍କ ମଧ୍ୟରେ 'ସାମାଜିକ ବୁଦ୍ଧିମତ୍ତା' ଵା 'Social Intelligence'ର ଵିକାଶ କରାଇଲା। ନାରୀମାନଙ୍କୁ ଏକ ଅଚିହ୍ନା ଦଳ ଭିତରେ ରାଜନୀତି କରିଵାକୁ ପଡ଼ୁଥିଲା ଏଵଂ ପୁରୁଷମାନଙ୍କୁ ଅନ୍ୟ ଗୋଷ୍ଠୀ ସହ ଲଢ଼ିଵା ପାଇଁ ରଣନୀତି ପ୍ରସ୍ତୁତ କରିଵାକୁ ପଡ଼ୁଥିଲା। ଅନ୍ୟାନ୍ୟ ଅନେକ କାରଣ ସହିତ ଏହି ଜଟିଳ ସାମାଜିକ ନେଟୱର୍କ କାରଣରୁ ମଧ୍ୟ ଆମ ପୂର୍ଵଜମାନଙ୍କର ମସ୍ତିଷ୍କର ଆକାର ଧୀରେ ଧୀରେ ଵୃଦ୍ଧି ପାଇଵାକୁ ଲାଗିଲା। ସମୟକ୍ରମେ ଏହି ଛୋଟ ଛୋଟ ପରିଵର୍ତ୍ତନଗୁଡ଼ିକ ମିଶି ଏକ ଵିରାଟ ଵୌଦ୍ଧିକ ଵିପ୍ଳଵର ମୂଳଦୁଆ ପକାଇଥିଲା, ଯାହା ଶେଷରେ Homo sapiens ଭଳି ଏକ ଅତ୍ୟାଧୁନିକ ଚିନ୍ତାଶୀଳ ପ୍ରାଣୀର ସୃଷ୍ଟିର କାରଣ ପାଲଟିଲା।

ତେଣୁ ଏହି ସମସ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ମାନଵ ସମାଜରେ ନାରୀମାନେ ନିଜ ବାପଘରକୁ ଛାଡ଼ିଵାର ପ୍ରକ୍ରିୟାଟି ସାରା ଵିଶ୍ଵରେ ସବୁ ଦେଶରେ ବିନା କାରଣରେ ପ୍ରଚଳିତ ହୋଇନାହିଁ ଵରଂ ଏହା ଲକ୍ଷ ଲକ୍ଷ ଵର୍ଷରୁ ହିଁ ଆମ ମାନଵ ସମାଜ ତଥା ଆମ ପୂର୍ଵଜଙ୍କ କ୍ଷେତ୍ରରେ ରହିଆସିଛି । ଏହା କୌଣସି ଆଧୁନିକ ସାଂସ୍କୃତିକ କଳ୍ପନା, ଧାର୍ମିକ କର୍ମକାଣ୍ଡ କିମ୍ବା ପୁରୁଷକେନ୍ଦ୍ରିକ କ୍ଷମତାର କୃତ୍ରିମ ସୃଷ୍ଟି ନୁହେଁ। ଏହା ହେଉଛି ଆମ ଜୈଵିକ ସ୍ୱଭାଵ ଓ ଜିନ୍‌ଗତ ଵିଵର୍ତ୍ତନର ସେହି ଅଦୃଶ୍ୟ ମାନଚିତ୍ର, ଯାହା ଲକ୍ଷ ଲକ୍ଷ ଵର୍ଷ ଧରି ମାନଵ ଜାତିର ନୀରଵ ପରିଚାଳକ ହୋଇ ରହିଆସିଛି। ଆମେ ପ୍ରାୟତଃ ଆମର ସାମାଜିକ ନିୟମଗୁଡ଼ିକୁ କେବଳ ସଂସ୍କୃତିର ପ୍ରଭାଵ ବୋଲି ଭାବି ଭୁଲ୍ କରିଥାଉ, କିନ୍ତୁ ଵାସ୍ତଵତା ହେଉଛି ଆମର ଶ୍ରେଷ୍ଠ ଆଭିଜାତ୍ୟ, ଆଇନ ଓ ପରମ୍ପରାଗୁଡ଼ିକ ପ୍ରକୃତିର ସେହି ଆଦିମ ଆଵଶ୍ୟକତା ଉପରେ ହିଁ ନିର୍ମିତ।
ଯେଉଁ ଦିନ ପ୍ରାକ୍-ମାନଵୀଟିଏ ନିଜର ଶରୀରରେ କେଵଳ ଏକ ହୋର୍ମୋନ୍‌ଗତ ପରିଵର୍ତ୍ତନ ଅନୁଭଵ କରି ନିଜର ନିରାପଦ ଗୋଷ୍ଠୀ ଓ ଜନ୍ମମାଟିକୁ ଛାଡ଼ି ଅଜଣା ଜଙ୍ଗଲ ଆଡ଼କୁ ପାଦ ବଢ଼ାଇଥିଲା, ସେଦିନ ସେ କେଵଳ ନିଜ ଵାସସ୍ଥାନ ବଦଳାଇ ନଥିଲା, ଵରଂ ମାନବ ଜାତିର ଭଵିଷ୍ୟତକୁ ସୁରକ୍ଷିତ କରିଥିଲା। ତାହାର ସେହି ଵିପଜ୍ଜନକ ଓ ସାହସିକ ଯାତ୍ରା ନଥିଲେ ଅନ୍ତପ୍ରଜନନର ଦୁର୍ଵଳତା ଆମ ମାନଵଜାତିକୁ କେଉଁ କାଳରୁ ମାଟିରେ ମିଶାଇ ସାରନ୍ତାଣି। ନାରୀର ଏହି ଅଜଣା ପରିଵେଶକୁ ଆପଣେଇଵାର ବୌଦ୍ଧିକ ଦକ୍ଷତା ମାନଵ ମସ୍ତିଷ୍କକୁ ଜଟିଳ ସାମାଜିକ ଜାଲ ବୁଣିଵାକୁ ଶିଖାଇଲା ଏଵଂ ପୁରୁଷମାନଙ୍କର ନିଜ ଜନ୍ମମାଟିରେ ରହି ମେଣ୍ଟ ବାନ୍ଧିଵାର ପ୍ରଵୃତ୍ତି ଆମକୁ ସୈନ୍ୟଵାହିନୀ ଓ ରାଷ୍ଟ୍ର ଗଢ଼ିଵାର କ୍ଷମତା ଦେଲା। ଆଜି ଆମେ ଵ୍ୟଵହାର କରୁଥିଵା ଆଧୁନିକ ପରିଵାର,ଵିଵାହ ଓ ସାମାଜିକ ଢାଞ୍ଚା ସେହି ଜୈଵିକ ସୁରକ୍ଷା କଵଚର ହିଁ ଏକ ପରିଵର୍ତ୍ତିତ ରୂପ। ଆମେ ନିଜକୁ ଯେତେ ସଭ୍ୟ ଓ ଆଧୁନିକ ବୋଲି ଦାବି କଲେ ମଧ୍ୟ, ଆମ ଜୀଵନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ପଛରେ ଆଜି ବି ୨୦ ଲକ୍ଷ ଵର୍ଷ ତଳର ସେହି ଆଦିମ ପ୍ରାକୃତିକ କାହାଣୀ ହିଁ ଗୁଞ୍ଜରିତ ହେଉଛି।


Wednesday, August 26, 2026

ପ୍ରତ୍ୟେକ ପିଢ଼ି କାହିଁକି ପରଵର୍ତ୍ତୀ ପିଢ଼ିକୁ ଖରାପ ଭାବେ?

ପ୍ରାୟ ସତୁରୀ ହଜାର ଵର୍ଷ ପୂର୍ଵେ, ଆଫ୍ରିକାର ଵିସ୍ତୀର୍ଣ୍ଣ ଘାସଭୂମିରେ "Homo Sapiens"ର ଏକ ଛୋଟ ଦଳ ଖାଦ୍ୟ ସନ୍ଧାନରେ ବୁଲୁଥିଲେ। ସେହି ସମୟରେ ମାନଵର ଜୀଵନ ଅତ୍ୟନ୍ତ କଠିନ ଥିଲା। ଆଜି ପରି ସେତେବେଳେ କୌଣସି ଵିଦ୍ୟାଳୟ, ଲାଇବ୍ରେରୀ କିମ୍ବା ଇଣ୍ଟରନେଟ୍ ନ ଥିଲା। ଜ୍ଞାନର ଏକମାତ୍ର ଭଣ୍ଡାର ଗୋଷ୍ଠୀର ଵୟସ୍କ ଲୋକମାନେ ହିଁ ଥିଲେ । କେଉଁ ଋତୁରେ କେଉଁ ଫଳ ଖାଇଵା ନିରାପଦ, କେଉଁ ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ଭୟ ଅଛି ଏଵଂ ନିଆଁକୁ କିପରି ଜଳାଇ ରଖିଵାକୁ ହେଵ ଇତ୍ୟାଦି ଜୀଵନରକ୍ଷକ ତଥ୍ୟ ଵୟସ୍କମାନଙ୍କ ମସ୍ତିଷ୍କରେ ହିଁ ସାଇତା ହୋଇ ରହିଥିଲା। ସେହି ପ୍ରାଚୀନ ଯୁଗରେ, ଯୁଵପିଢ଼ି ପାଇଁ ଵୟସ୍କମାନଙ୍କର ପ୍ରତ୍ୟେକଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଵା ଥିଲା ବଞ୍ଚିଵାର ଏକମାତ୍ର ଉପାୟ। ଯଦି କୌଣସି ଯୁଵକ ନିଜର ନୂଆ ବୁଦ୍ଧି ଖଟାଇ ଵୟସ୍କଙ୍କ କଥାକୁ ଅଵମାନନା କରୁଥିଲା ଏଵଂ କୌଣସି ଅଜଣା ଫଳ ଖାଇଦେଉଥିଲା, ତେବେ ତାର ମୃତ୍ୟୁ ସୁନିଶ୍ଚିତ ଥିଲା। ତେଣୁ ଵିଵର୍ତ୍ତନ ଦୃଷ୍ଟିରୁ ମାନଵ ମସ୍ତିଷ୍କ ଏପରି ଭାବେ ଗଠିତ ହେଲା ଯେ, ଵୟସ୍କମାନେ ସବୁବେଳେ ଯୁଵପିଢ଼ିଙ୍କର ନୂତନତା କିମ୍ବା ଵିଦ୍ରୋହକୁ ଵିପଦ ଭାବେ ଦେଖିଵାକୁ ଲାଗିଲେ। ପରିଵର୍ତ୍ତନର ଅର୍ଥ ଥିଲା ଵିପଦ ଏଵଂ ପରମ୍ପରାର ଅର୍ଥ ଥିଲା ସୁରକ୍ଷା। ଇତି ମଧ୍ୟରେ ହଜାର ହଜାର ଵର୍ଷ ବିତିଯାଇଛି। ଆମେ ଜଙ୍ଗଲ ଛାଡ଼ି ଆସି ମହାନଗରୀ ଗଢ଼ିଛୁ, ଚନ୍ଦ୍ରପୃଷ୍ଠରେ ପାଦ ଥାପିଛୁ ଏଵଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଉଦ୍ଭାଵନ କରିଛୁ। କିନ୍ତୁ ଆମ ଖପୁରୀ ଭିତରେ ଥିଵା ମସ୍ତିଷ୍କର ହାର୍ଡୱେର୍ ଆଜି ବି ସେହି ପ୍ରସ୍ତର ଯୁଗର ହିଁ ରହିଛି। ଆମ ଭିତରେ ଥିବା ସେହି ପ୍ରାଚୀନ ଆଶଙ୍କା ଆଜି ମଧ୍ୟ ଜୀଵିତ। ତେଣୁ ଆଜିକାଲିର ପିଲାମାନେ ଗୁରୁଜନଙ୍କୁ ସମ୍ମାନ ଦେଉନାହାନ୍ତି କି ପରିଶ୍ରମ କରିଵାକୁ ଚାହୁଁନାହାନ୍ତି ! ଆମ ସମୟରେ ଆମେ ଏମିତି ନ ଥିଲୁ... ଏହି ଧାଡ଼ିଟି ଆପଣ କେବେ ନା କେବେ ନିଜ ଘର, ଚା’ ଦୋକାନ କିମ୍ବା କୌଣସି ପାରିଵାରିକ ସଭାରେ ଵୟସ୍କମାନଙ୍କ ମୁହଁରୁ ନିଶ୍ଚୟ ଶୁଣିଥିବେ। ପ୍ରତ୍ୟେକ ପିଢ଼ି ନିଜ ପରଵର୍ତ୍ତୀ ଯୁଵପିଢ଼ିକୁ ନୈତିକତା, ଗୁଣଵତ୍ତା ଓ ପରିଶ୍ରମ ଦିଗରୁ ଦୁର୍ଵଳ ବୋଲି ଭାବିଵା ଏକ ଅତ୍ୟନ୍ତ ପୁରୁଣା ଅଭ୍ୟାସ। କିନ୍ତୁ ପ୍ରଶ୍ନ ଉଠେ— ଵାସ୍ତଵରେ ପ୍ରତ୍ୟେକ ନୂଆ ପିଢ଼ି ପୂର୍ଵ ପିଢ଼ି ତୁଳନାରେ ଖରାପ ହୋଇଯାଉଛନ୍ତି, ନା ଏହା ମାନବ ମନର ଏକ ଭ୍ରମ?

୨୦୧୯ ମସିହାରେ ପ୍ରସିଦ୍ଧ ଵୈଜ୍ଞାନିକ ପତ୍ରିକା "Science Advances"ରେ ଏକ ଯୁଗାନ୍ତକାରୀ ଗଵେଷଣାପତ୍ର ପ୍ରକାଶିତ ହୋଇଥିଲା। କାଲିଫୋର୍ନିଆ ଵିଶ୍ୱଵିଦ୍ୟାଳୟର ମନୋଵିଜ୍ଞାନୀ Dr. John Protzko) ଓ Jonathan Schooler ଦୀର୍ଘ ପରୀକ୍ଷଣ କରି ପ୍ରୋକ୍ତ ମାନସିକ ଭ୍ରମର ନାମ ଦେଇଥିଲେ— "Kids these days" effect। ମାନଵ ପ୍ରକୃତିର ଏହି ଅଦ୍ଭୁତ ଦିଗକୁ ବୁଝିଵା ପାଇଁ ସେମାନେ ହଜାର ହଜାର ଵୟସ୍କ ଵ୍ଯକ୍ତିଙ୍କ ଉପରେ ପରୀକ୍ଷା କରି ଦେଖିଥିଲେ ଯେ, ପିଲାମାନଙ୍କର ତିନୋଟି ମୁଖ୍ୟ ଗୁଣ— ଶୃଙ୍ଖଳା/ମାନ୍ୟତା, ବୁଦ୍ଧିମତ୍ତା/ସାହିତ୍ୟ ପ୍ରତି ଆଗ୍ରହ ଏଵଂ ପରିଶ୍ରମ କରିଵାର କ୍ଷମତାକୁ ନେଇ ଵୟସ୍କମାନେ ସଦାସର୍ଵଦା ନକାରାତ୍ମକ ମତାମତ ଦେଇଥାନ୍ତି। ଵୟସ୍କମାନଙ୍କୁ ଯେତେବେଳେ ପଚରାଗଲା, ସେମାନେ ନିର୍ଦ୍ୱନ୍ଦ୍ୱରେ କହିଲେ ଯେ ଵର୍ତ୍ତମାନର ଯୁଵକମାନେ ଆଦୌ ପରିଶ୍ରମୀ ନୁହଁନ୍ତି, ସେମାନଙ୍କର ବହି ପଢ଼ିଵାରେ ରୁଚି ନାହିଁ ଏଵଂ ସେମାନେ ଗୁରୁଜନଙ୍କର ସମ୍ମାନ କରୁନାହାନ୍ତି। ଏହି ଫଳାଫଳ ଆମକୁ ସେହି ଆଦିମ ମାନଵର କାହାଣୀ ମନେପକାଇଦିଏ, ଯିଏ ନିଜ ଗୋଷ୍ଠୀର ସୁରକ୍ଷା ପାଇଁ ପରମ୍ପରାକୁ ଜାବୁଡ଼ି ଧରି ରହିଥିଲା ଏଵଂ ନୂତନତାକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା।

ମାନଵ ମସ୍ତିଷ୍କର କାମ କରିଵାର ଶୈଳୀ ଅତ୍ୟନ୍ତ ଜଟିଳ ଏଵଂ ଏହା ନିଜର ଅହଂକାରକୁ ସୁରକ୍ଷା ଦେଵା ପାଇଁ ଅନେକ ସମୟରେ ନିଜ ସହିତ ଛଳନା କରିଥାଏ। ଡକ୍ଟର ପ୍ରୋଟଜକୋ ଓ ସ୍କୁଲରଙ୍କ ଅନୁସାରେ, ଏହି ପ୍ରଭାଵ ପଛରେ ଦୁଇଟି ମୁଖ୍ୟ ମାନସିକ ପ୍ରକ୍ରିୟା ରହିଛି। ପ୍ରଥମଟି ହେଲା ଅତୀତର ଆଦର୍ଶୀକରଣ ଓ ସ୍ମୃତି-ଭ୍ରମ ଵା Memory Illusion। ଵୟସ୍କମାନେ ନିଜର ପିଲାଦିନକୁ ମନେ ପକାଇଲା ବେଳେ ନିଜର ଭୁଲ୍, ଅଶୃଙ୍ଖଳିତ ଆଚରଣ କିମ୍ବା ଆଳସ୍ୟକୁ ସମ୍ପୂର୍ଣ୍ଣ ଭୁଲିଯାନ୍ତି। ସେମାନେ ଆଜି ବୟସ୍କ ହେଵା ପରେ ଯେଉଁ ଜ୍ଞାନ, ଶୃଙ୍ଖଳା ଓ ପରିପକ୍ୱତା ଲାଭ କରିଛନ୍ତି, ତାହାକୁ ନିଜ ପିଲାଦିନର ସ୍ୱଭାଵ ଭାବି ନିଅନ୍ତି। ଫଳରେ, ସେମାନେ ନିଜର ଆଜିର ପରିପକ୍ୱ ରୂପ ସହିତ ଆଜିର ପିଲାମାନଙ୍କର ଅପରିପକ୍ୱତାକୁ ତୁଳନା କରିଥାନ୍ତି। ଆମର ସ୍ମୃତି କୌଣସି ଵିଡିଓ ରେକର୍ଡିଂ ନୁହେଁ ଯାହାକି ଅଵିକଳ ସତ୍ୟକୁ ଧରି ରଖିଵ। ସ୍ମୃତି ହେଉଛି ଆମ ମସ୍ତିଷ୍କ ଦ୍ୱାରା ଲିଖିତ ଏକ କାହାଣୀ, ଯେଉଁଥିରେ ଆମେ ନିଜକୁ ସବୁବେଳେ ହିରୋ ଭାବେ ଉପସ୍ଥାପନ କରିଵାକୁ ଚାହୁଁ। ଯେତେବେଳେ ଜଣେ ଷାଠିଏ ଵର୍ଷର ଵ୍ୟକ୍ତି ତାଙ୍କର କୋଡ଼ିଏ ଵର୍ଷ ଵୟସକୁ ମନେ ପକାନ୍ତି, ସେ ତାଙ୍କର ସେତେବେଳର ଅପରିପକ୍ୱ ନିଷ୍ପତ୍ତିଗୁଡ଼ିକୁ ଭୁଲିଯାଇ କେଵଳ ତାଙ୍କର ସଫଳତା ଓ ଶୃଙ୍ଖଳାକୁ ହିଁ ମନେ ରଖନ୍ତି। ଏହା ଵିଵର୍ତ୍ତନର ଏକ ଉପହାର, କାରଣ ଯଦି ଆମେ ସବୁବେଳେ ନିଜର ଅତୀତର ଭୁଲ୍‌କୁ ମନେ ରଖି କଷ୍ଟ ପାଉଥାନ୍ତୁ, ତେବେ ଆମେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାନ୍ତୁ। କିନ୍ତୁ ନିଜ ଅତୀତକୁ ଉଜ୍ଜ୍ୱଳ କରି ଦେଖିଵାର ଏହି ପ୍ରଵୃତ୍ତି ଆମକୁ ଵର୍ତ୍ତମାନର ଯୁଵକମାନଙ୍କ ପ୍ରତି କଠୋର କରିଦିଏ।

ଦ୍ୱିତୀୟ ମୁଖ୍ୟ କାରଣଟି ହେଲା ଵିଶେଷଜ୍ଞତା ପକ୍ଷପାତିତା ଵା Specialty Bias। ମାନଵ ସମାଜ ଯେତେବେଳେ କୃଷି ବିପ୍ଳଵ ଦେଇ ଗତି କଲା ଏଵଂ ବଡ଼ ବଡ଼ ସାମ୍ରାଜ୍ୟ ଗଠନ ହେଲା, ସେତେବେଳେ ସମାଜରେ ଵିଭିନ୍ନ ଵୃତ୍ତିର ସୃଷ୍ଟି ହେଲା। କିଏ କୃଷକ ହେଲା, କିଏ ଯୋଦ୍ଧା ହେଲା ତ କିଏ ପଣ୍ଡିତ ହେଲା। ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶିତା ଲାଭ କଲା, ସେ ତାହାରି ମାନଦଣ୍ଡରେ ସାରା ଦୁନିଆକୁ ଵିଚାର କରିଵ ଆରମ୍ଭ କଲା। ଗଵେଷଣାରୁ ଜଣାପଡ଼ିଲା ଯେ, ଜଣେ ଵୟସ୍କ ଵ୍ୟକ୍ତି ଯେଉଁ ଵିଶେଷ ଗୁଣରେ ନିଜେ ଶ୍ରେଷ୍ଠ, ସେ ଅନ୍ୟମାନଙ୍କ ମଧ୍ୟରେ ସେହି ଗୁଣର ଅଭାଵକୁ ଅଧିକ ଲକ୍ଷ୍ୟ କରନ୍ତି। ଯେଉଁ ଵୟସ୍କ ବ୍ୟକ୍ତି ନିଜେ ବହି ପଢ଼ିଵାକୁ ଭଲପାଆନ୍ତି, ସେ ଭାବନ୍ତି "ଆଜିକାଲିର ପିଲାମାନେ ଆଦୌ ପଢ଼ୁନାହାନ୍ତି"। ଯେଉଁମାନେ ଅଧିକ ଶୃଙ୍ଖଳିତ, ସେମାନେ ଭାବନ୍ତି "ଆଜିର ପିଲାମାନେ ଅଵିନୟୀ"। ଏହି ପକ୍ଷପାତିତା ପ୍ରମାଣ କରେ ଯେ ଆମେ ଅନ୍ୟମାନଙ୍କୁ ଵସ୍ତୁନିଷ୍ଠ ଭାବେ ଵିଚାର କରିପାରୁନାହୁଁ ଵରଂ ନିଜର ଦକ୍ଷତାର ଚଷମା ଦ୍ବାରା ହିଁ ସମାଜକୁ ଦେଖୁ। ଜଣେ ସାହିତ୍ୟିକ ଭାବିଵ ଯେ ନୂଆ ପିଢ଼ିର ଭାଷାଜ୍ଞାନ ନଷ୍ଟ ହୋଇଯାଉଛି, କିନ୍ତୁ ସେହି ସମୟରେ ହୁଏତ ସେହି ନୂଆ ପିଢ଼ି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୁଗାନ୍ତକାରୀ ପରିଵର୍ତ୍ତନ ଆଣୁଥିବେ, ଯାହାକୁ ସେହି ସାହିତ୍ୟିକ ଜଣକ ଦେଖିପାରୁନଥିବେ ।

ଏହି ଦୃଷ୍ଟିକୋଣ ଆଜିର ନୁହେଁ । ଯଦି କେହି ଭାବୁଛି ଯେ କେଵଳ ଇଣ୍ଟରନେଟ୍ ଆସିଵା ପରେ କିମ୍ବା ଆଧୁନିକ ଯୁଗରେ ହିଁ ଵୟସ୍କମାନେ ଏଭଳି ଅଭିଯୋଗ କରୁଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ଭୁଲ୍। ଖ୍ରୀଷ୍ଟପୂର୍ଵ ଅଷ୍ଟମ ଶତାବ୍ଦୀରେ ପ୍ରାଚୀନ ଗ୍ରୀକ୍ କଵି Hesiod ଲେଖିଥିଲେ, "ମୁଁ ଆଜିକାଲିର ଯୁବପିଢ଼ିଙ୍କୁ ଦେଖିଲେ ନିରାଶ ହୋଇପଡ଼େ। ସେମାନେ ଅଵିନୟୀ, ଦାୟିତ୍ୱହୀନ ଓ ଅସଭ୍ୟ।" ସେହିପରି ଖ୍ରୀଷ୍ଟପୂର୍ଵ ଚତୁର୍ଥ ଶତାବ୍ଦୀରେ ଦାର୍ଶନିକ ଆରିଷ୍ଟୋଟଲ୍ ମଧ୍ୟ ଯୁଵକମାନଙ୍କୁ କ୍ରୋଧୀ, ଆଵେଗପୂର୍ଣ୍ଣ ଓ ସଂଯମହୀନ ବୋଲି ସମାଲୋଚନା କରିଥିଲେ। ଅର୍ଥାତ୍, ପ୍ରତ୍ୟେକ ଯୁଗର ଵୟସ୍କମାନେ ଭାବିଛନ୍ତି ଯେ ସେମାନଙ୍କ ପରଵର୍ତ୍ତୀ ପିଢ଼ି ସବୁକିଛି ନଷ୍ଟ କରିଦେଉଛନ୍ତି। ହେସିଓଡ୍ ଓ ଆରିଷ୍ଟୋଟଲଙ୍କ ସମୟରେ ସ୍ମାର୍ଟଫୋନ୍ ନଥିଲା କି ଭିଡିଓ ଗେମ୍ସ ନଥିଲା । ତଥାପି ସେମାନଙ୍କର ଅଭିଯୋଗ ଠିକ୍ ଆଜିର କୌଣସି ଜେଜେବାପାଙ୍କ ଅଭିଯୋଗ ସହ ସମାନ ଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଏହି ସମସ୍ୟା ଟେକ୍ନୋଲୋଜିର ନୁହେଁ ଵରଂ ଏହା ହେଉଛି ମାନଵ ମସ୍ତିଷ୍କର ସେହି ଆଦିମ ସଫ୍ଟୱେର୍, ଯାହା ପ୍ରତ୍ୟେକ ପିଢ଼ିରେ ପୁନରାବୃତ୍ତି ହୋଇଥାଏ। Homo sapiens ନିଜର ସାମାଜିକ ଗଠନକୁ ଏପରି ଭାବେ ତିଆରି କରିଛି ଯେ ଵୟସ ବଢ଼ିଵା ସହ ତାର ସ୍ଥିତାଵସ୍ଥା ଵା Status Quo ବଜାୟ ରଖିଵାର ଇଚ୍ଛା ପ୍ରଵଳ ହୋଇଯାଏ ଏଵଂ ନୂତନ ପିଢ଼ିର ଅସ୍ଥିରତା ତାକୁ ଭୟଭୀତ କରେ। ଯଦି 'Kids These Days" Effect' ଵା ପ୍ରଭାଵ ଵ୍ୟକ୍ତିଗତ ମାନସିକ ସ୍ମୃତି-ଭ୍ରମ ହୋଇଥାଏ, ତେବେ 'Juvenoia' ହେଉଛି ତାହାରି ଆଧାରରେ ଗଢ଼ିଉଠିଥିଵା ଏକ ଵ୍ୟାପକ ସାମାଜିକ ସଂଶୟ, ଅଵିଶ୍ୱାସ ଓ ଭୟ। ଵ୍ୟକ୍ତିଗତ ମାନସିକତା ଯେତେବେଳେ ଏକାଠି ହୋଇ ସମାଜର ମିଳିତ ଚିନ୍ତାଧାରାରେ ପରିଣତ ହୁଏ, ସେତେବେଳେ ତାହା ଏକ ସାଂସ୍କୃତିକ ଭୟର ରୂପ ନିଏ। 

୨୦୧୧ ମସିହାରେ ଆମେରିକାର ନ୍ୟୁ ହ୍ୟାମ୍ପସାୟାର୍ ଵିଶ୍ୱଵିଦ୍ୟାଳୟର ପ୍ରସିଦ୍ଧ ସମାଜଶାସ୍ତ୍ରୀ Dr. David Finkelhor ପ୍ରଥମ କରି 'Juvenoia' ଶବ୍ଦଟିର ସଂଜ୍ଞା ଦେଇଥିଲେ। ଏହି ଶବ୍ଦଟି 'Juvenile' (ଯୁଵକ/ପିଲା) ଏଵଂ 'Paranoia' (ଅଯଥା ସଂଶୟ କିମ୍ବା ଭୟ)ର ସଂମିଶ୍ରଣରୁ ତିଆରି ହୋଇଛି। ମାନଵ ଇତିହାସରେ କାହାଣୀ ଓ ଵିଶ୍ୱାସର ଏକ ଵିରାଟ ଭୂମିକା ରହିଛି। ଆମେ କେଵଳ ଭୌତିକ ଜଗତରେ ବଞ୍ଚୁନାହୁଁ, ଆମେ ଆମ ସମାଜ ଦ୍ୱାରା ତିଆରି କରାଯାଇଥିଵା କାହାଣୀଗୁଡ଼ିକ ଭିତରେ ବଞ୍ଚୁଛୁ। 

ଯେତେବେଳେ ସମାଜର ସବୁ ଵୟସ୍କ ଲୋକ ଏକାଠି ହୋଇ ଏକ ନକାରାତ୍ମକ କାହାଣୀ ଉପରେ ଵିଶ୍ୱାସ କରିଵା ଆରମ୍ଭ କରନ୍ତି ସେତେବେଳେ ତାହା ହିଁ Juvenoiaରେ ପରିଣତ ହୁଏ। ଡକ୍ଟର ଫିଙ୍କେଲହୋରଙ୍କ ଅନୁସାରେ, ସମାଜରେ ନୂତନ ପ୍ରଯୁକ୍ତିଵିଦ୍ୟା, ମାଧ୍ୟମ କିମ୍ବା ଜୀଵନଶୈଳୀ ଆସିଵା ସମୟରେ ଵୟସ୍କମାନଙ୍କ ମଧ୍ୟରେ ଯେଉଁ ଅତିରଞ୍ଜିତ ଆଶଙ୍କା ସୃଷ୍ଟି ହୁଏ, ତାହାକୁ Juvenoia କୁହାଯାଏ। 
ଵୟସ୍କମାନେ ଆଶଙ୍କା କରନ୍ତି ଯେ ଏହି ନୂଆ ପରିଵର୍ତ୍ତନଗୁଡ଼ିକ ଯୁଵପିଢ଼ିଙ୍କ ମାନସିକ, ଶାରୀରିକ କିମ୍ବା ନୈତିକ ଚରିତ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଵ। ମାନଵ ଵିଵର୍ତ୍ତନର ଏକ ଵିଡ଼ମ୍ବନା ହେଉଛି, ଆମେ ନିଜେ ହିଁ ନୂଆ ପ୍ରଯୁକ୍ତିଵିଦ୍ୟାର ଉଦ୍ଭାଵନ କରୁ କିନ୍ତୁ ସେହି ଉଦ୍ଭାଵନ ଯେତେବେଳେ ସମାଜର ସାଧାରଣ ନିୟମକୁ ବଦଳାଇଵା ଆରମ୍ଭ କରେ, ଆମେ ସେଥିରେ ଆତଙ୍କିତ ହୋଇପଡ଼ୁ। ଏହାର କାରଣ ହେଉଛି ସାଂସ୍କୃତିକ ଵିଵର୍ତ୍ତନ, ଜୈଵିକ ଵିଵର୍ତ୍ତନ ତୁଳନାରେ ବହୁତ ଦ୍ରୁତ ଗତିରେ ଘଟିଥାଏ। ଗୋଟିଏ Homo sapiensକୁ ନିଜର ଶାରୀରିକ ଗଠନ ବଦଳାଇଵାକୁ ଲକ୍ଷ ଲକ୍ଷ ଵର୍ଷ ଲାଗିଥିଵା ବେଳେ, ମାତ୍ର କିଛି ଦଶନ୍ଧି ଭିତରେ ସେ ଘୋଡ଼ାଗାଡ଼ିରୁ ଆସି ସ୍ପେସ୍-ସଟଲ୍ ତିଆରି କରିଦେଇପାରିଲା। ଏତେ ଦ୍ରୁତ ପରିଵର୍ତ୍ତନକୁ ଗ୍ରହଣ କରିଵା ପୁରୁଣା ପିଢ଼ି ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼େ, କାରଣ ସେମାନଙ୍କ ମସ୍ତିଷ୍କର ନ୍ୟୁରାଲ୍ ନେଟୱର୍କ ଗୋଟିଏ ନିର୍ଦ୍ଦିଷ୍ଟ ପରିଵେଶରେ ତିଆରି ହୋଇ ସାରିଥାଏ। ତେଣୁ ସେମାନେ ନୂଆ ପରିବେଶରେ ପରିଵର୍ଦ୍ଧିତ ହେଉଥିଵା ପିଲାମାନଙ୍କୁ ଦେଖିଲେ ଏକ ଅଜ୍ଞାତ ଭୟର ଶିକାର ହୁଅନ୍ତି।

ଇତିହାସକୁ ଅନୁଧ୍ୟାନ କଲେ ଜୁଵେନୋଇଆର ଅନେକ ହାସ୍ୟରସାତ୍ମକ ଓ ଚିତ୍ତାକର୍ଷକ ଉଦାହରଣ ମିଳେ। ମହାନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଭୟ କରିଥିଲେ ଯେ ଲେଖିଵା ଶିଖିଵା ଦ୍ୱାରା ଯୁଵକମାନଙ୍କର ସ୍ମରଣ ଶକ୍ତି ନଷ୍ଟ ହୋଇଯିଵ ଏଵଂ ସେମାନେ ଜ୍ଞାନହୀନ ହୋଇଯିବେ। ତାଙ୍କ ମତରେ ଲିଖିତ ଶବ୍ଦ କେଵଳ ଏକ ମୃତ ସ୍ମୃତି ଥିଲା। ସେହିପରି ଅଷ୍ଟାଦଶ ଶତାବ୍ଦୀରେ ଉପନ୍ୟାସ ଓ ବହିକୁ ନେଇ ଭୟ ସୃଷ୍ଟି ହୋଇଥିଲା। ଯେତେବେଳେ କାହାଣୀ ବହି କିମ୍ବା ଉପନ୍ୟାସ ପଢ଼ିଵା ଲୋକପ୍ରିୟ ହେଲା, ସେତେବେଳର ଵୟସ୍କମାନେ ଚିନ୍ତା ପ୍ରକାଶ କରିଥିଲେ ଯେ ଅଧିକ ବହି ପଢ଼ିଵା ଦ୍ୱାରା ଯୁଵତୀ ଓ ଯୁଵକମାନେ କଳ୍ପନାଜଗତରେ ହଜିଯିବେ ଏଵଂ ସେମାନଙ୍କ ମାନସିକ ସନ୍ତୁଳନ ବିଗିଡ଼ିଯିଵ ! ଲୋକମାନେ ଭାବିଲେ ଯେ ବହି ପଢ଼ିଵା ଏକ ନିଶା ଏଵଂ ଏହା ସମାଜର ମୂଲ୍ୟବୋଧକୁ ଧ୍ୱଂସ କରିଦେଵ । ଆଜି ଆମକୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ଯେ ବହି ପଢ଼ିଵାକୁ ନେଇ କିପରି ସମାଜ ଆତଙ୍କିତ ହୋଇପାରେ, କିନ୍ତୁ ସେହି ସମୟର ସାମାଜିକ ଗଠନ ପାଇଁ ଏକ ନୂତନ ମାଧ୍ୟମ ପ୍ରକୃତରେ ଏକ ଭୟର କାରଣ ଥିଲା।

ଵିଂଶ ଶତାବ୍ଦୀରେ ଏହି ଜୁଵେନୋଇଆ ଏକ ନୂଆ ରୂପ ନେଲା। ଵିଂଶ ଶତାବ୍ଦୀର କାମିକ୍ସ ବୁକ୍ସକୁ ନେଇ ଆମେରିକାରେ ଵିରାଟ ହଟ୍ଟଗୋଳ ସୃଷ୍ଟି ହେଲା। ୧୯୫୦ ଦଶକରେ ଚିତ୍ରାଵଳୀ ଵା କାମିକ୍ ବୁକ୍ସ (Comic books)କୁ ନେଇ ଆମେରିକା ଓ ୟୁରୋପରେ ଏତେ ଭୟ ସୃଷ୍ଟି ହୋଇଥିଲା ଯେ ଅନେକ ସମାଜଶାସ୍ତ୍ରୀ ଦାବି କରିଥିଲେ— "କାମିକ୍ସ ପଢ଼ି ପିଲାମାନେ ଅପରାଧୀ ହୋଇଯାଉଛନ୍ତି।" ଆମେରିକାର ସିନେଟ୍ କମିଟି ଏହା ଉପରେ ଵିଚାର କରି କାମିକ୍ ବୁକ୍ ଉପରେ କଟକଣା ମଧ୍ୟ ଲଗାଇଥିଲା। ଏହା ପରେ ଆସିଲା ଟେଲିଵିଜନ୍ ଓ ଵିଡିଓ ଗେମ୍ସର ଯୁଗ। ପରବଳଵର୍ତ୍ତୀ ସମୟରେ ଟିଵି ଦେଖିଵା ଏଵଂ ଵିଡିଓ ଗେମ୍ସ୍ ଖେଳିଵାକୁ ନେଇ ସମାନ ଆଶଙ୍କା ପ୍ରକାଶ ପାଇଥିଲା ଯେ ଏହା ପିଲାଙ୍କ ମସ୍ତିଷ୍କକୁ ନିଷ୍କ୍ରିୟ କରିଦେଵ।

ପ୍ରତ୍ୟେକ ଥର ସୂଚନା ଓ ଵିନୋଦନର ନୂଆ ମାଧ୍ୟମ ଆସିଲା ବେଳେ ପୁରୁଣା ପିଢ଼ି ଭାବିଲେ ଯେ ଏହି ଥର ପ୍ରକୃତରେ ଯୁଵପିଢ଼ି ଧ୍ୱଂସ ଆଡ଼କୁ ଗତି କରୁଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆକୁ ନେଇ ଵୟସ୍କମାନଙ୍କ ମଧ୍ୟରେ ଯେଉଁ ତୀଵ୍ର ଚିନ୍ତା ଦେଖାଯାଉଛି, ତାହା 'ଜୁଵେନୋଇଆ'ର ସାମ୍ପ୍ରତିକ ରୂପ। ଆଜି ଯେଉଁମାନେ ସୋସିଆଲ୍ ମିଡିଆକୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ତାଙ୍କ ପିତାମାତା ତାଙ୍କୁ ଟିଵି ଦେଖିଵାକୁ ନେଇ ଠିକ୍ ସେହିପରି ସମାଲୋଚନା କରୁଥିଲେ ଏଵଂ ତାଙ୍କର ଜେଜେବାପା ମଧ୍ୟ ତାଙ୍କ ବାପାଙ୍କ ଦ୍ୱାରା ରେଡିଓ ଶୁଣିଵାଵା ଉପନ୍ୟାସ ପଢ଼ିଵାକୁ ନେଇ ସମାନ ଆଶଙ୍କା ଵ୍ୟକ୍ତ କରୁଥିଲେ।

ଏହି ସମସ୍ତ ତଥ୍ୟରୁ ଏହା ସ୍ପଷ୍ଟ ଯେ, Kids These Days' ପ୍ରଭାଵ ଏଵଂ 'Juvenoia' ପରସ୍ପରର ହାତ ଧରାଧରି ହୋଇ ଚାଲନ୍ତି। ଏହି ଦୁଇଟି ଧାରଣା ମାନଵ ମନର ଵ୍ୟକ୍ତିଗତ ଓ ସାମୂହିକ ଦିଗକୁ ଦର୍ଶାଏ। କାରଣ ଓ ପରିଣାମ ଦୃଷ୍ଟିରୁ ଦେଖିଲେ, 'Kids These Days' ପ୍ରଭାଵ ଵ୍ୟକ୍ତିଗତ ମନସ୍ତତ୍ତ୍ୱରେ "ପିଲାମାନେ ଅଯୋଗ୍ୟ ହୋଇଗଲେଣି" ବୋଲି ଏକ ଭ୍ରମ ଜନ୍ମ ଦିଏ। ଏହି ଭ୍ରମ ଯେତେବେଳେ ସମାଜରେ ନୂଆ ଟେକ୍ନୋଲୋଜି କିମ୍ବା ବଦଳୁଥିଵା ସଂସ୍କୃତି ସହ ମିଶିଯାଏ, ତାହା 'ଜୁଵେନୋଇଆ' ରୂପକ ଵ୍ୟାପକ ସାମାଜିକ ଭୟ ଜନ୍ମ ଦିଏ। ହୋମୋ ସାପିଏନ୍ସ ସବୁବେଳେ କାହାଣୀ ଶୁଣିଵକୁ ଓ ଵିଶ୍ୱାସ କରିଵାକୁ ଭଲପାଏ। ଯେତେବେଳେ ଏକାଧିକ ଵୟସ୍କ ଲୋକ ନିଜର ଵ୍ୟକ୍ତିଗତ ଭ୍ରମକୁ ଏକାଠି କରି ଏକ ଵିରାଟ ସାମାଜିକ ସମସ୍ୟାର ରୂପ ଦିଅନ୍ତି, ସେତେବେଳେ ଗୋଟିଏ ପୂରା ପିଢ଼ିକୁ ଅପରାଧୀ କିମ୍ବା ଅଯୋଗ୍ୟ ବୋଲି ଘୋଷଣା କରିଦିଆଯାଏ। ଏହା ମାନଵ ସମାଜର ଏକ ଅଦ୍ଭୁତ ଵିରୋଧାଭାସ ଯେ ଯେଉଁ ଜୀଵଜାତି ନିଜର ବୁଦ୍ଧି ଓ ପରିଵର୍ତ୍ତନଶୀଳତା ବଳରେ ପୃଥିଵୀରେ ରାଜତ୍ବ କରୁଛି, ସେହି ଜୀଵଜାତିର ଲୋକେ ହିଁ ପରିଵର୍ତ୍ତନକୁ ସବୁଠାରୁ ଅଧିକ ଭୟ କରୁଛନ୍ତି।
ଏହି ସମଗ୍ର ପ୍ରକ୍ରିୟାରେ ଵୟସ୍କମାନେ ଏକ ବହୁତ ବଡ଼ ଭୁଲ୍ କରନ୍ତି ଏଵଂ ତାହା ଅନୁକୂଳନ କ୍ଷମତାକୁ କମ୍ ଆକଳନ କରିଵା ଅଟେ । ଗଵେଷକ ଫିଙ୍କେଲହୋର୍ ଦର୍ଶାଇଛନ୍ତି ଯେ ଵୟସ୍କମାନେ ନୂଆ ପିଢ଼ିର ଅନୁକୂଳନ କ୍ଷମତା ଵା adaptabilityକୁ କମ୍ ଆକଳନ କରନ୍ତି। ଯୁଵପିଢ଼ି ନୂଆ ପରିଵେଶ ଓ ନୂଆ ପ୍ରଯୁକ୍ତି ସହ ନିଜକୁ ଖାପଖୁଆଇ ନୂଆ କୌଶଳ ଶିଖିଵାରେ ସମର୍ଥ ହୁଅନ୍ତି, ଯାହା ପୁରୁଣା ପିଢ଼ି ସହଜରେ ବୁଝିପାରନ୍ତି ନାହିଁ। ହୋମୋ ସାପିଏନ୍ସର ସବୁଠାରୁ ବଡ଼ ଶକ୍ତି ହେଉଛି ତା'ର ତୀଵ୍ର ବେଗରେ ଅନୁକୂଳନ ହେଵାର କ୍ଷମତା। ନିଆଁର ଵ୍ୟଵହାରଠାରୁ ଆରମ୍ଭ କରି କୃଷି, ଚକ, ଷ୍ଟିମ୍ ଇଞ୍ଜିନ୍ ଏଵଂ ଆଜିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ— ପ୍ରତ୍ୟେକ ଥର ଯେତେବେଳେ ନୂଆ ଟେକ୍ନୋଲୋଜି ଆସିଛି, ନୂଆ ପିଢ଼ି ତାହାକୁ ଅତି ସହଜରେ ଆପଣେଇ ନେଇଛି ଏଵଂ ସେହି ଅନୁଯାୟୀ ନିଜ ମସ୍ତିଷ୍କକୁ ପ୍ରସ୍ତୁତ କରିନେଇଛି। ପୁରୁଣା ପିଢ଼ିର ଲୋକମାନେ ନିଜର ଅତୀତର ମାନଦଣ୍ଡରେ ନୂଆ ପିଢ଼ିକୁ ଵିଚାର କରି ଭାବନ୍ତି ଯେ ସେମାନେ ତଳକୁ ଖସିଯାଉଛନ୍ତି, କିନ୍ତୁ ଵାସ୍ତଵରେ ନୂଆ ପିଢ଼ି ସେହି ଆଦିମ ଅନୁକୂଳନ କ୍ଷମତାର ଵ୍ୟଵହାର କରି ଏକ ନୂଆ ଦୁନିଆ ପାଇଁ ନିଜକୁ ପ୍ରସ୍ତୁତ କରୁଥାନ୍ତି।

ଏହି ଦୁଇଟି ସିଦ୍ଧାନ୍ତ ଆମକୁ ଶିଖାଏ ଯେ ପିଢ଼ିଗତ ଵ୍ୟଵଧାନ ଵା Generation Gap କୌଣସି ଅସ୍ୱାଭାବିକ କଥା ନୁହେଁ। ଏହା ମାନବ ସଭ୍ୟତାର ଏକ ନିରନ୍ତର ଚକ୍ର। ଵିଵର୍ତ୍ତନ କେଵଳ ଶରୀରର ହୁଏ ନାହିଁ, ଚିନ୍ତାଧାରାର ମଧ୍ୟ ହୁଏ। ଆମର ମସ୍ତିଷ୍କ ଏହି ଚକ୍ରାକାର ପଥରେ ଘୁରିଵା ପାଇଁ ହିଁ ପ୍ରୋଗ୍ରାମ୍ ହୋଇଛି। ପ୍ରତ୍ୟେକ ଯୁଵକ ଦିନେ ଵୃଦ୍ଧ ହେଵ ଏଵଂ ପ୍ରତ୍ୟେକ କ୍ରାନ୍ତିକାରୀ ଵିଚାରଧାରା ଦିନେ ରକ୍ଷଣଶୀଳ ପରମ୍ପରାରେ ପରିଣତ ହେବ। ଆଜି ଯେଉଁ ଯୁଵପିଢ଼ି ଅଯୋଗ୍ୟ କିମ୍ବା ପିଲାଳିଆ ବୋଲି ସମାଲୋଚିତ ହେଉଛନ୍ତି, କିଛି ଦଶନ୍ଧି ପରେ ସେମାନେ ନିଜେ ଵୟସ୍କ ହେଵା ପରେ ନିଜ ପରଵର୍ତ୍ତୀ ପିଢ଼ିକୁ ଦେଖି ପୁଣିଥରେ ସେହି ସମାନ ଧାଡ଼ି ଦୋହରାଇବେ— "ଆମ ସମୟର ପିଲାମାନେ କେତେ ଶୃଙ୍ଖଳିତ ଥିଲେ, ଆଜିକାଲିର ପିଲାମାନେ କିଛି ଶିଖୁନାହାନ୍ତି!"। ଏହା ହିଁ ମାନଵ ସଭ୍ୟତାର ଶାଶ୍ୱତ ନିୟମ। ଯେପର୍ଯ୍ୟନ୍ତ ହୋମୋ ସାପିଏନ୍ସ ପୃଥିଵୀରେ ବଞ୍ଚିଥିଵ, ତାର ସ୍ମୃତି-ଭ୍ରମ ଓ ନୂତନତା ପ୍ରତି ଥିଵା ଭୟ ଏହି ମନୋରଞ୍ଜକ ପିଢ଼ିଗତ ନାଟକକୁ ଜାରି ରଖିଥିଵ।

•••
ତଥ୍ୟ ଉତ୍ସ:
•••
1.Science Advances (ଗଵେଷଣା ପତ୍ରିକା, ୨୦୧୯) — "The kids these days effect" ଶୀର୍ଷକ ଗଵେଷଣାପତ୍ର — Dr. John Protzko ଓ Jonathan Schooler (କାଲିଫୋର୍ନିଆ ଵିଶ୍ୱଵିଦ୍ୟାଳୟ)

2."Juvenoia" ସଂଜ୍ଞା ସମ୍ଵନ୍ଧୀୟ ଗଵେଷଣା (୨୦୧୧) — Dr. David Finkelhor (ନ୍ୟୁ ହ୍ୟାମ୍ପସାୟାର୍ ଵିଶ୍ୱଵିଦ୍ୟାଳୟ)

3.Works and Days (ପ୍ରାଚୀନ ଗ୍ରୀକ୍ କାଵ୍ୟ, ଖ୍ରୀଷ୍ଟପୂର୍ଵ ଅଷ୍ଟମ ଶତାବ୍ଦୀ) — Hesiod

4.Rhetoric (ଦାର୍ଶନିକ ରଚନା, ଖ୍ରୀଷ୍ଟପୂର୍ଵ ଚତୁର୍ଥ ଶତାବ୍ଦୀ) — Aristotle
Phaedrus (ସଂଵାଦମୂଳକ ରଚନା, ଲେଖିଵା ଵିରୋଧରେ ମତ) — Socrates (ପ୍ଲାଟୋଙ୍କ ଲିଖନରେ ଉଲ୍ଲିଖିତ)

5.ଆମେରିକୀୟ ସିନେଟ୍ ଉପକମିଟି ରିପୋର୍ଟ (୧୯୫୪) — କାମିକ୍ ବୁକ୍ସ ଓ ଯୁଵ ଅପରାଧ ସମ୍ପର୍କିତ ତଦନ୍ତ (Comic Books and Juvenile Delinquency ଶୀର୍ଷକ ଆଲୋଚନା)
•••

Friday, August 21, 2026

ମାଧଵ ଭଗିଆ ସମ୍ବାଦ(ସମନ୍ଵୟ)

ଗାଁ ମୁଣ୍ଡ ବରଗଛ ମୂଳ ଚା' ଦୋକାନ। ମାଧଵ ନିଜ କାନ୍ଧରୁ କୋଦାଳଟାକୁ ଗଛ ମୂଳେ ଆଉଜାଇ ରଖିଲା। ବିଲରୁ ଫେରି ଖରା ତାତିରେ ସେ ପୂରା ଝାଳନାଳ। ମୁଣ୍ଡରୁ ଗାମୁଛା ଫିଟାଇ ବିଞ୍ଚି ହେଉ ହେଉ ଦୋକାନୀ ଟୋକାକୁ କହିଲା, "ଆରେ ବାବୁ, କଡ଼ା ଚା' ଗିଲାସେ ଦେଲୁ, ମୁଣ୍ଡଟା ପୂରା ଫାଟିଯାଉଛି।"
ତା'ପରେ ସେ ଟିକେ ଦୂରରେ ବସିଥିଵା ଗାଁର ପାଠୁଆ ଯୁଵକ ଭଗିଆ ଆଡ଼କୁ ଚାହିଁଲା। ଭଗିଆ ସବୁବେଳେ ଦୁନିଆ ଯାକର ଖବର ରଖେ। ମାଧବ କହିଲା, "କିହୋ ଭଗିଆ! ସେଇ ସକାଳୁ ଦେଖୁଛି ତମେ ସେହି କାଚ ଆଲମାରୀ ଭଳିଆ ମୋବାଇଲ୍‌ଟାକୁ ଚାହିଁ ବସିଛ। କଣ ଏତେ ସେଥିରେ ଅଛି ଯେ ଦୁନିଆଯାକର ଜ୍ଞାନ ଵିଜ୍ଞାନ ତମ ମୁଣ୍ଡ ଭିତରେ ପଶିଯାଉଛି?"

ଭଗିଆ ମୋବାଇଲ୍‌ରୁ ଆଖି ନହଟାଇ ହସିଲା ଆଉ କହିଲା, "ମାଧବ କକା, ତମେ ବୁଝିପାରିବନି। ମୁଁ ପଢ଼ୁଥିଲି ଯେ ଵୈଜ୍ଞାନିକମାନେ କୃତ୍ରିମ ବୁଦ୍ଧିମତା ଵା AI ଟେକ୍ନୋଲୋଜି ତିଆରି କଲେଣି। ଏହା ମଣିଷ ଭଳି ଵିଭିନ୍ନ ତଥ୍ୟକୁ ପଢ଼ି ଉତ୍ତର ଦେଇପାରୁଛି, ଡାକ୍ତରୀ ତଥ୍ୟ ଵିଶ୍ଳେଷଣ କରିଵାରେ ସାହାଯ୍ୟ କରୁଛି। ଟେକ୍ନୋଲୋଜି କେତେ ଆଗକୁ ଗଲାଣି ଦେଖୁଛ?"

ମାଧଵ ଚା' ଗିଲାସଟାକୁ ହାତକୁ ନେଇ କହିଲା, "ହଁ ହୋ, ତମର ସେଇ ଵିଜ୍ଞାନ! ମୁଣ୍ଡ ଖେଳାଇ ଖେଳାଇ ମଣିଷକୁ ଏବେ ପାଗଳ କରିଦେଲାଣି। ଛୋଟ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ମୋବାଇଲ୍ ଧରି ବସିଛନ୍ତି। କାହା ଭିତରେ ଟିକେ ମାନଵିକତା ନାହିଁ କି ପରସ୍ପର ସହ କଥା ହେଵାକୁ ସମୟ ନାହିଁ। ବୁଦ୍ଧି ଛାଡ଼ି ହୃଦୟ ଲଗାଇଵା ଦରକାର। ତମେ ସେଇ ଯେଉଁ ଖବରଟା ଶୁଣିଲନି? କେତେକ ପାଠୁଆ ଓ ବୁଦ୍ଧିଆ ଲୋକ ମନ୍ଦିରର ଦାନବାକ୍ସରୁ ଟଙ୍କା ଲୁଟି ଧରାପଡ଼ିଲେ। ଖାଲି ବୁଦ୍ଧି ଥିଲେ କଣ ହେଵ, ହୃଦୟରେ ପଵିତ୍ରତା ନାହିଁ!"
ଭଗିଆ ମୋବାଇଲ୍‌ଟାକୁ ପକେଟ୍‌ରେ ରଖିଲା। ସେ ଜାଣିଥିଲା ମାଧବ କକାଙ୍କର ଜୀଵନର ଅଭିଜ୍ଞତା ବହୁତ, କିନ୍ତୁ ଵିଜ୍ଞାନକୁ ସେ କେଵଳ ମେସିନ୍ ବୋଲି ଭାବନ୍ତି। ଭଗିଆ ଶାନ୍ତ ସ୍ୱରରେ କହିଲା, "କକା, ବୁଦ୍ଧି ଓ ଵିଜ୍ଞାନକୁ ଏତେ ତୁଚ୍ଛ ଭାବନ୍ତୁନି। ଆଜି ଆପଣ ଯେଉଁ ଦୁର୍ନୀତି କଥା କହୁଛନ୍ତି, ସେସବୁ ଧରାପଡ଼ିଲା କେମିତି? ସେଇ ସିସିଟିଭି କ୍ୟାମେରା ଆଉ ବ୍ୟାଙ୍କ୍ ଟ୍ରାକିଂ ଯୋଗୁଁ ତ? ଅର୍ଥାତ୍ ଖରାପ ଲୋକ ନିଜ ବୁଦ୍ଧି ଲଗାଇ ଚୋରି କଲା, କିନ୍ତୁ ତାକୁ ଧରିଲା କିଏ? ସେଇ ଉନ୍ନତ ପ୍ରଯୁକ୍ତିଵିଦ୍ୟା।"

ମାଧଵ ଟିକେ ଚିଡ଼ିଗଲା। "ଆରେ, ତମେ ଖାଲି ଯନ୍ତ୍ରପାତି କଥା କହୁଛ! ମୁଁ କହୁଛି ମଣିଷର ଦୟା ଓ ଧର୍ମ କଥା। ଆଗକାଳରେ ମଣିଷ ପାଖରେ ଵିଜ୍ଞାନ ନଥିଲା, କିନ୍ତୁ ସେ ଶାନ୍ତିରେ ବଞ୍ଚୁଥିଲା।"

ଭଗିଆ ବୁଝାଇଲା, "ଶାନ୍ତିରେ ବଞ୍ଚୁଥିଲା ସତ, କିନ୍ତୁ ଆୟୁଷ କେତେ ଥିଲା? ଆଜିଠୁ ଶହେ ଵର୍ଷ ତଳେ ଗୋଟିଏ ହଇଜା କିମ୍ବା ବସନ୍ତ ରୋଗ ଆସିଲେ ପୂରା ଗାଁ ସଫା ହୋଇଯାଉଥିଲା। ଡାକ୍ତରୀ ଵିଜ୍ଞାନ, ପରିମଳ ଵ୍ୟଵସ୍ଥା ଓ ଟିକା ଆସିଲା ପରେ ଯାଇ ଲୋକଙ୍କ ଆୟୁଷ ବଢ଼ିଲା। ତେବେ ଆଗକାଳରେ ବି ମଣିଷ ପାଖରେ ଵିଜ୍ଞାନ ଥିଲା । ହଳ ଲଙ୍ଗଳ,ଚକ,ଖଣ୍ଡା,ଧନୁ ତୀରଠାରୁ ତମର ସେ କୋଦାଳ ପର୍ଯ୍ୟନ୍ତ ସବୁକିଛି ଯାହା ଆଜି ଦେଖୁଛ ସେସବୁ ଆଉ କ'ଣ କି ? ସେଗୁଡ଼ିକ ସବୁ ଯନ୍ତ୍ର ଏଵଂ ଯେଉଁ ଜ୍ଞାନ ବଳରେ ସେସବୁ ଲାଭ ହୋଇଛି ତାହା ଵିଜ୍ଞାନ ଅଟେ । ଦେଖ ଥୋକେ ଖିରସ୍ତାନୀ ଓ ପଠାଣ ଆଗେ କହୁଥିଲେ ଯେ ପୃଥିଵୀ ମାତ୍ର ୬୦୦୦ ଵର୍ଷ ତଳେ ତିଆରି ହୋଇଥିଲା କିନ୍ତୁ ଵିଜ୍ଞାନ ଯୋଗୁଁ ଆମେ ଜାଣିଲେ ଯେ ପ୍ରାୟ ୩୫୦ କୋଟି ଵର୍ଷରୁ ଅଧିକ ସମୟ ପୂର୍ଵେ ପୃଥିଵୀରେ ସରଳ ଜୀଵନର ଅସ୍ତିତ୍ୱ ଥିଲା । ତା'ପରେ ଅସଂଖ୍ୟ ପିଢ଼ିର କୋଟି କୋଟି ଵର୍ଷର ଜୀଵଵିଵର୍ତ୍ତନ ମାଧ୍ୟମରେ ଆଜିର ଵିଵିଧ ଜୀଵଜଗତ ଗଠିତ ହୋଇଛି ବୋଲି ଵିଜ୍ଞାନ ଆମକୁ ଜଣାଇଲା ।"

"ମାନେ ଆମେ ମାଙ୍କଡ଼ରୁ ଆସିଲେ?" ମାଧଵ ହସିଲା।

"ଠିକ୍ ମାଙ୍କଡ଼ ନୁହେଁ କକା, କିନ୍ତୁ ଆମେ ଓ ଆଜିର ଵାନରମାନେ ଗୋଟିଏ ସାଧାରଣ ପୂର୍ଵଜଙ୍କଠାରୁ ଆସିଛୁ," ଭଗିଆ କହିଲା।
"ଆମର ନିଅଣ୍ଡରଥାଲ୍ ଓ ଡୋନେସୋଵାନ ଭଳି ଅନ୍ୟ ମାନଵଜାତି ମଧ୍ୟ ଥିଲେ, ସେମାନେ ବି ନିଜ ପରିଵାର ଗଢ଼ୁଥିଲେ। କିନ୍ତୁ ଆମେ Homo sapiensମାନେ ଆଜିଯାଏଁ ବଞ୍ଚି ରହିଵାର ମୁଖ୍ୟ କାରଣ ହେଉଛି ଆମର ପରସ୍ପରକୁ ସହଯୋଗ କରିଵାର କ୍ଷମତା, ଜଟିଳ ଭାଷା ଏଵଂ ସାମାଜିକ ସଂଗଠନ। ପ୍ରକୃତିରେ ଯେଉଁ ଜୀଵମାନେ ନିଜ ପରିଵେଶ ସହ ଅଧିକ ସଫଳତାରେ ଖାପ ଖୁଆଇ ପ୍ରଜନନ କରିପାରନ୍ତି, ସେମାନଙ୍କର ଵଂଶଧାରା ତିଷ୍ଠି ରହିଵାର ସମ୍ଭାଵନା ଅଧିକ।"

ମାଧଵ ନିଜ ବିଡ଼ିରେ ନିଆଁ ଲଗାଇଲା। "ହଉ, ତମର ସେଇ ପୁରୁଣା ଯୁଗ କଥା ଛାଡ଼। ସହରରେ ସେହି ବୁଦ୍ଧିଆ ଲୋକମାନେ କେମିକାଲ୍ ଦିଆ ଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି। ଆଉ ଆମେ ଗାଁରେ ଏଇ ଯେଉଁ 'ପଖାଳ ଭାତ' ଆଉ 'ଆଳୁ ପୋଡ଼ା' ଖାଉଛେ, ଏଥିରେ କେଉଁ ଵିଜ୍ଞାନ ଅଛି? ଏଇଟା ତ ଆମ ପୂର୍ଵାପୁରୁଷରୁ ଚାଲି ଆସିଥିଵା ଖାଦ୍ୟ ପରମ୍ପରା ଆଉ ସ୍ନେହ ମମତାର ମିଶ୍ରଣରେ ପରିପୂର୍ଣ୍ଣ !"

ଭଗିଆ ଜୋରରେ ହସିଉଠିଲା। "କକା! ପଖାଳ ଭାତ ହେଉଛି ଜୀଵଵିଜ୍ଞାନ ଵି ବାୟୋଟେକ୍ନୋଲୋଜିର ଗୋଟିଏ ଚମତ୍କାର ଉଦାହରଣ। ଭାତରେ ପାଣି ଦେଇ ରାତିସାରା ରଖିଲେ ସେଥିରେ କିଣ୍ୱନ ଵା ଫରମେଣ୍ଟେସନ୍ ପ୍ରକ୍ରିୟା ହୁଏ। ଏହା ଫଳରେ ଖାଦ୍ୟର ଅମ୍ଳତା ଏଵଂ କେତେକ ପୋଷକତତ୍ତ୍ୱର bioavailability ଵା ଶରୀରଦ୍ୱାରା ଗ୍ରହଣ କରିଵାର କ୍ଷମତା ବଦଳିଥାଏ।"

"ଆଉ ଆଳୁ ପୋଡ଼ା?" ମାଧଵ ଆଶ୍ଚର୍ଯ୍ୟ ହୋଇ ପଚାରିଲା।

"ଆଳୁକୁ ନିଆଁରେ ପୋଡ଼ିଲେ ତା' ଭିତରେ ଥିବା reducing sugars ଏଵଂ amino compounds ମଧ୍ୟରେ ଏକ ଜଟିଳ ରାସାୟନିକ ପ୍ରତିକ୍ରିୟା ହୁଏ, ଯାହାକୁ 'Maillard reaction' କୁହାଯାଏ। ସେଥିପାଇଁ ଆଳୁ ପୋଡ଼ା ଵା ସେକା ହୋଇଥିଵା ଜିନିଷରୁ ଏତେ ବଢ଼ିଆ ବାସ୍ନା ଓ ସ୍ୱାଦ ଆସେ। ତେଣୁ ଵିଜ୍ଞାନ ଖାଲି ପରୀକ୍ଷାଗାରରେ କିମ୍ବା ଯନ୍ତ୍ର ମଧ୍ୟରେ ନାହିଁ, ଆପଣଙ୍କ ପଖାଳ କଂସାରେ ବି ଅଛି!"

ମାଧଵ କିଛି ସମୟ ଗୁମ୍ ମାରି ବସିଲା। ପଖାଳ ଆଉ ଆଳୁପୋଡ଼ା ଭିତରେ ବି ଵିଜ୍ଞାନ ଥାଇପାରେ ବୋଲି ସେ କେବେ ଭାବି ନଥିଲା। ତଥାପି ସେ ନିଜର ମୂଳ କଥାକୁ ଫେରିଲା। "ହେଲେ ଭଗିଆ, ମାଆର ଛୁଆ ପ୍ରତି ସ୍ନେହ, ଦୁଃଖୀକୁ ଦେଖିଲେ ମନରେ ଆସୁଥିଵା କଷ୍ଟ—ଏସବୁ କ'ଣ ଵିଜ୍ଞାନ? ଏଇଟା ତ ହୃଦୟର କଥା। ତମ ଵିଜ୍ଞାନ କ'ଣ ହୃଦୟର ଭାଵନାକୁ ତିଆରି କରିପାରିଵ?"

ଭଗିଆ ଶ୍ରଦ୍ଧାର ସହ ବୁଝାଇଲା, "କକା,ଜୈଵିକ ଭାବରେ ହୃଦୟର ମୁଖ୍ୟ କାମ ହେଉଛି ଶରୀର ସାରା ରକ୍ତ ସଞ୍ଚାଳନ କରାଇଵା। ହଁ, ଆମର ଭାବନା ଓ ଆଵେଗ କ୍ଷେତ୍ରରେ ମସ୍ତିଷ୍କ, ସ୍ନାୟୁତନ୍ତ୍ର, ହରମୋନ୍ ଏଵଂ ଶରୀରର ଅନ୍ୟାନ୍ୟ ପ୍ରଣାଳୀ ପରସ୍ପର ସହ ମିଶି କାମ କରନ୍ତି। ଉଦାହରଣ ସ୍ୱରୂପ, ମାଆ ଓ ଛୁଆର ପାରସ୍ପରିକ ସମ୍ପର୍କରେ ଅକ୍ସିଟୋସିନ୍ ଭଳି ହରମୋନ୍‌ର ଭୂମିକା ଥାଏ। ତେବେ ମଣିଷର ସଂସ୍କୃତି, ନୈତିକତା ଓ ସାମାଜିକ ବନ୍ଧନ ଏତେ ଜଟିଳ ଯେ ତାହା କେଵଳ କିଛି ରାସାୟନିକ ପଦାର୍ଥରେ ସୀମିତ ନୁହେଁ। ମାନଵିକତା ହିଁ ଆମକୁ ଏକ ସୁନ୍ଦର ସମାଜ ଗଢ଼ିଵାରେ ସାହାଯ୍ୟ କରେ।"

ମାଧବ ଆଉ ଏକ ପ୍ରଶ୍ନ କଲା, "ତାହେଲେ ଆମେ ଦୟା କରୁଛୁ, ଆଉ ପଶୁମାନେ ଖାଲି ଲଢେଇ କରୁଛନ୍ତି?"

"ନା କକା, ତାହା ବି ସମ୍ପୂର୍ଣ୍ଣ ସତ ନୁହେଁ," ଭଗିଆ କହିଲା। "ଅନେକ ପଶୁଙ୍କ ଭିତରେ ମଧ୍ୟ ସହଯୋଗ, ସ୍ନେହ ଓ ସମସ୍ୟା ସମାଧାନର ପ୍ରଵୃତ୍ତି ଦେଖିଵାକୁ ମିଳେ। କିନ୍ତୁ ମଣିଷର ଵିଶେଷତା ହେଉଛି ଅତ୍ୟନ୍ତ ଜଟିଳ ଭାଷା, ପ୍ରତୀକାତ୍ମକ ଚିନ୍ତାଧାରା ଏଵଂ ସାମୂହିକ ସଂସ୍କୃତି, ଯାହା ଆମକୁ ଏକ ଭିନ୍ନ ସ୍ତର ପ୍ରଦାନ କରେ।"

ଏତିକିବେଳେ ହଠାତ୍ ଜୋରରେ ପଵନ ବହିଲା। ଆକାଶ କଳାହାଣ୍ଡିଆ ମେଘରେ ଢାଙ୍କି ହୋଇଗଲା। ଦୋକାନୀ ଟୋକା କହିଲା, "ମାଧଵ କକା, ଆସ, ପାଖ ଚଉପାଢ଼ୀ ଭିତରକୁ ପଳାଇଵା, ନହେଲେ ପୂରା ଭିଜିଯିଵା ।"

ସମସ୍ତେ ଯାଇ ଚଉପାଢ଼ୀର ବାଉଁଶ ଖଟିରେ ବସିଲେ। ଝିପିଝିପି ଵର୍ଷା ଆରମ୍ଭ ହେଲା। ଖଟି ଉପରେ ଥିଵା ଇଲେକ୍ଟ୍ରି ବଲ୍‌ବଟି ଜଳିଉଠିଲା।
ଭଗିଆ ଆଲୁଅକୁ ଦେଖାଇ କହିଲା, "ଦେଖନ୍ତୁ କକା, ଯେମିତି ଏହି ଆଲୁଅ! ଏହି କୃତ୍ରିମ ଵିଦ୍ୟୁତ ବାହାର କରିଵା ପାଇଁ ଫାରାଡେ, ଟେସଲା ଏଵଂ ଅନେକ ଵୈଜ୍ଞାନିକ ଓ ଇଞ୍ଜିନିୟର ନିଜ ଶ୍ରମ ଲଗାଇଦେଲେ। ଵିଜ୍ଞାନ ଓ ପ୍ରଯୁକ୍ତି ଆମକୁ ଶକ୍ତି ଆଉ ସାଧନ ଦେଲା। କିନ୍ତୁ ସେହି ଆଲୁଅରେ ଆମେ ବସି କାହାର ଉପକାର କରିଵା ନା କାହାର କ୍ଷତି କରିଵା—ସେଇଟା ଵିଜ୍ଞାନ ସ୍ଥିର କରେନି, ସେଇଟା ମଣିଷର ନୈତିକତା ସ୍ଥିର କରେ।"
ମାଧଵର ମୁହଁରେ ଶେଷରେ ଏକ ସ୍ମିତହାସ୍ୟ ଖେଳିଗଲା। ସେ ବୁଝିପାରିଲା ଯେ ଵିଜ୍ଞାନ ଓ ମାନଵିକତା ପରସ୍ପରର ଶତ୍ରୁ ନୁହନ୍ତି।
ମାଧଵ କହିଲା, "ଆରେ ଭଗିଆ! ତୁ ଠିକ୍ କହିଲୁ। ଵିଜ୍ଞାନ ଆମକୁ ଶକ୍ତି ଦେଉଛି ଯେ 'ଆମେ କ'ଣ କରିପାରିଵା', କିନ୍ତୁ ମାନଵିକତା ଶିଖାଉଛି ଯେ 'ଆମେ କ'ଣ କରିଵା ଉଚିତ୍'।"
ଭଗିଆ ହସି ହସି ସମ୍ମତି ଜଣାଇଲା। ଗାଁ ଚଉପାଢ଼ୀର ସେହି ଵର୍ଷା ଭିଜା ସନ୍ଧ୍ୟାରେ, ମାଧଵ ଆଉ ଭଗିଆ ଦୁହେଁ ମିଶି ନୂଆ ଏକ ଦୃଷ୍ଟିକୋଣ ପାଇଲେ। ଵିଜ୍ଞାନ ଏବଂ ନୈତିକତା—ଦୁଇଟି ଯାକ ସାଥୀ ହୋଇ ଚାଲିଲେ ହିଁ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ହୋଇପାରିଵ । ଵର୍ଷା ଛାଡ଼ିଵା ପରେ, ଦୁହେଁ ମୋବାଇଲ୍ ଫ୍ଲାସ୍ ଲାଇଟ୍ ସାହାଯ୍ୟରେ ଗାଁର କାଦୁଅ ରାସ୍ତା ଦେଇ ହସି ହସି ନିଜ ଘର ଆଡ଼କୁ ଚାଲିଲେ।

Thursday, August 13, 2026

ମହାଜାଗତିକ ଆଲୋକ ଓ ମାନଵିକ ଦୃଷ୍ଟିକୋଣ: Perseidsର ଏକ ଐତିହାସିକ ଯାତ୍ରା

ଆକାଶରୁ ଖସୁଥିଵା ତାରାକୁ ଦେଖିଵା ମାତ୍ରେ ଆଖି ବନ୍ଦ କରି ନିଜର ଏକ ଇଚ୍ଛା ପ୍ରକଟ କରିଵାର ପ୍ରଵୃତ୍ତି ଆମ ମଣିଷ ସମାଜରେ ବହୁ ପୁରାତନ କାଳରୁ ରହିଆସିଛି। ରାତ୍ରିର ଅନ୍ଧକାରରେ ଯେତେବେଳେ ହଠାତ୍ ଗୋଟିଏ ଆଲୋକର ରେଖା ଆକାଶକୁ ଚିରି ତଳକୁ ଖସି ଆସେ, ତାହା ଦେଖିଵା ମାତ୍ରେ ମନରେ ଏକ ଆଶ୍ଚର୍ଯ୍ୟ ଓ ଭୟ ମିଶ୍ରିତ ଭାଵନା ଜାଗ୍ରତ ହେଵା ସ୍ୱାଭାଵିକ କଥା । ଏହି ଆଲୋକ ରେଖାଗୁଡ଼ିକ ମଧ୍ୟରୁ ସବୁଠାରୁ ଆକର୍ଷଣୀୟ ଓ ନିୟମିତ ଭାବରେ ଦେଖାଯାଉଥିଵା ଏକ ମହାଜାଗତିକ ଘଟଣା Perseids ଅଟେ । ପ୍ରତିଵର୍ଷ ଅଗଷ୍ଟ ମାସର ୧୧ରୁ ୧୩ ତାରିଖ ମଧ୍ୟରେ ପୃଥିଵୀଵାସୀ ଏହି ଅଦ୍ଭୁତ ଦୃଶ୍ୟର ସାକ୍ଷୀ ହୋଇଥାନ୍ତି। କିନ୍ତୁ ଏହି ଆଲୋକ ଖେଳ ପଛର ସତ୍ୟତା କ'ଣ ଏଵଂ ଆମର ପୂର୍ଵଜମାନେ ଏହାକୁ କିପରି ଦେଖୁଥିଲେ, ତାହାର ଇତିହାସ ଏଵଂ ମାନଵ ଚିନ୍ତାଧାରାର କ୍ରମଵିକାଶ ଅତ୍ୟନ୍ତ ରୋମାଞ୍ଚକର।
ପ୍ରଥମେ ଆମକୁ ବୁଝିଵାକୁ ହେଵ ଯେ Perseids ପ୍ରକୃତରେ କ'ଣ। ଯଦିଓ ଆମେ ସାଧାରଣ ଭାବରେ ଏହାକୁ ଉଲ୍କାପାତ ବୋଲି କହିଥାଉ, ଵାସ୍ତଵରେ ଏହା ମହାକାଶରେ ଘୂରି ବୁଲୁଥିଵା ଧୂଳି, ବରଫ ଓ ପଥରର ଛୋଟ ଛୋଟ କଣିକାର ପୃଥିଵୀ ଉପରେ ଵର୍ଷା ଅଟେ । ଏହି କଣିକାଗୁଡ଼ିକ ଏକ ଵିଶାଳ ଧୂମକେତୁରୁ ସୃଷ୍ଟି ହୋଇଛି, ଯାହାର ନାମ ହେଉଛି Comet Swift-Tuttle। ଏହି ଧୂମକେତୁ ସୂର୍ଯ୍ୟଙ୍କ ଚାରିପଟେ ନିଜର ଏକ ଅଣ୍ଡାକୃତି କକ୍ଷପଥରେ ପରିକ୍ରମା କରୁଛି ଏଵଂ ଏକ ଥର ସମ୍ପୂର୍ଣ୍ଣ ଘୂରି ଆସିଵା ପାଇଁ ଏହାକୁ ପ୍ରାୟ ୧୨୩ ଵର୍ଷ ଲାଗିଥାଏ। ନିଜର ମହାଜାଗତିକ ଯାତ୍ରା ସମୟରେ ଏହା ମହାକାଶରେ ପ୍ରଚୁର ପରିମାଣର ଧୂଳି ଓ ଭଗ୍ନାଵଶେଷ ଛାଡି଼ଯାଏ। ପ୍ରତିଵର୍ଷ ଅଗଷ୍ଟ ମାସରେ ଆମ ପୃଥିଵୀ ନିଜ କକ୍ଷପଥରେ ଗତି କରୁଥିଵା ବେଳେ Comet Swift-Tuttle ଦ୍ୱାରା ଛଡ଼ାଯାଇଥିଵା ଏହି ଧୂଳିପୂର୍ଣ୍ଣ ମାର୍ଗ ଦେଇ ଅତିକ୍ରମ କରିଥାଏ। ଏହି ସମୟରେ ଧୂମକେତୁର ଏହି ଅଗଣିତ ଛୋଟ ଛୋଟ କଣିକାଗୁଡ଼ିକ ପୃଥିଵୀର ଵାୟୁମଣ୍ଡଳରେ ଅତି କ୍ଷିପ୍ର ଗତିରେ ପ୍ରଵେଶ କରନ୍ତି। ଵାୟୁମଣ୍ଡଳର ଗ୍ୟାସ୍ ସହିତ ପ୍ରଵଳ ଘର୍ଷଣ ହେଵା ଫଳରେ ଏହି କଣିକାଗୁଡ଼ିକ ଅତ୍ୟଧିକ ଉତ୍ତାପରେ ଜଳି ଉଠନ୍ତି ଏଵଂ ଆମକୁ ଆକାଶରେ ଏକ ଉଜ୍ଜ୍ୱଳ ଆଲୋକର ରେଖା ଦେଖାଯାଏ। ଯେହେତୁ ଆକାଶରେ ଏହି ଉଲ୍କାଗୁଡ଼ିକ ମୁଖ୍ୟତଃ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରୁ, ଅର୍ଥାତ୍ ଉତ୍ତର ଆକାଶରେ ଥିଵା Perseus ନକ୍ଷତ୍ରମଣ୍ଡଳରୁ ଵିଚ୍ଛୁରିତ ହୋଇ ଆସୁଥିଵା ପରି ମନେହୁଏ, ତେଣୁ ଵିଜ୍ଞାନ ସମ୍ମତ ଭାବରେ ଏହି ଉଲ୍କାପାତକୁ Perseids ବୋଲି ନାମକରଣ କରାଯାଇଛି ।‌

ଵର୍ତ୍ତମାନ ପ୍ରଶ୍ନ ଉଠୁଛି, ମଣିଷ ପ୍ରଥମେ ଏହି ମହାଜାଗତିକ ଘଟଣା ସହିତ କିପରି ପରିଚିତ ହେଲା? ଆଜିର ଆଧୁନିକ ମଣିଷ ସହରର କୃତ୍ରିମ ଆଲୋକରେ ଘେରି ହୋଇ ରହିଛି, ତେଣୁ ରାତିର ଅନ୍ଧକାର ଆକାଶକୁ ଉପଭୋଗ କରିଵା ପାଇଁ ତା' ପାଖରେ ସୁଯୋଗ ଵା ସମୟ ବହୁତ କମ୍। କିନ୍ତୁ ଆମର ପ୍ରାଚୀନ ପୂର୍ଵଜମାନଙ୍କର ସାମାଜିକ ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ଅଲଗା ଥିଲା। ସେମାନଙ୍କର ରାତିର ଆକାଶ ଥିଲା ସମ୍ପୂର୍ଣ୍ଣ ପ୍ରାକୃତିକ, ଅନ୍ଧକାରମୟ ଏଵଂ ଅଗଣିତ ତାରାଗୁଡ଼ିକରେ ସଜ୍ଜିତ। ପ୍ରାଚୀନ ମଣିଷ ପାଇଁ ଖୋଲା ଆକାଶ ଏକ ରହସ୍ୟମୟ ପୁସ୍ତକ ଥିଲା। ଜଙ୍ଗଲରେ ଫଳମୂଳ ସଂଗ୍ରହ କରୁଥିଵା ଵା ଖୋଲା ପଡ଼ିଆରେ ଗୋଷ୍ଠୀଗତ ଭାଵରେ ନିଆଁ ଜାଳି ବସିଥିଵା ମଣିଷ ଯେତେବେଳେ ମୁଣ୍ଡ ଟେକି ଉପରକୁ ଅନାଇଥିଲା, ସେତେଵେଳେ ଆକାଶରେ ଘଟୁଥିଵା ପ୍ରତ୍ୟେକଟି ସାମାନ୍ୟ ଘଟଣା ମଧ୍ୟ ତାକୁ ଗଭୀର ଭାବରେ ପ୍ରଭାଵିତ କରୁଥିଲା। ହଜାର ହଜାର ଵର୍ଷ ଧରି ମାନଵ ସଭ୍ୟତା ଏହି Perseidsକୁ ଦେଖିଆସୁଛି। କିନ୍ତୁ ସେହି ଆଦିମ ମଣିଷମାନେ ଜାଣି ନଥିଲେ ଯେ ଏହା ଏକ ଵିଶାଳ ଧୂମକେତୁର ମାତ୍ର କିଛି ଭଗ୍ନାଵଶେଷ। ନିଜର ସୀମିତ ବୁଝାମଣା ଆଧାରରେ, ଏହି ଉଜ୍ଜ୍ୱଳ ଆଲୋକ ରେଖାଗୁଡ଼ିକ ସେମାନଙ୍କ ପାଇଁ କୌଣସି ଅଲୌକିକ ଓ ଦୈଵୀ ଶକ୍ତିର ପ୍ରଦର୍ଶନ ଥିଲା।
ପ୍ରାଚୀନ ମଣିଷ ଏହି ଘଟଣାକୁ ନିଜର ପ୍ରଚଳିତ ଵିଶ୍ୱାସ ଏଵଂ ସାମାଜିକ କଳ୍ପନା ଅନୁସାରେ ଵ୍ୟାଖ୍ୟା କରିଵା ଆରମ୍ଭ କଲା। ପ୍ରାଥମିକ ସ୍ତରରେ ମଣିଷ ଭାବୁଥିଲା ଯେ ପ୍ରକୃତିର ପ୍ରତ୍ୟେକ ଵସ୍ତୁର ନିଜସ୍ୱ ଏକ ସ୍ୱତନ୍ତ୍ର ଜୀଵନ ଵା ଆତ୍ମା ଅଛି। ତେଣୁ ଆକାଶରୁ ଖସୁଥିଵା ଏହି ଆଲୋକକୁ ସେମାନେ ସ୍ୱର୍ଗୀୟ ଦେଵତାମାନଙ୍କର ଯାଦୁକରୀ ଶକ୍ତି, ଭୂମି ଆଡକୁ ଫୋପଡା ଯାଉଥିଵା ନିଆଁର ତୀର, କିମ୍ଵା ଆକାଶରୁ ପୃଥିଵୀ ପୃଷ୍ଠକୁ ଖସି ଆସୁଥିଵା ଆତ୍ମା ବୋଲି ଵିଚାର କରୁଥିଲେ। କିଛି ପ୍ରାଚୀନ ସମାଜରେ ଏହା ଗଭୀର ଭାବରେ ଵିଶ୍ୱାସ କରାଯାଉଥିଲା ଯେ ଯେତେଵେଳେ ଆକାଶରେ ଅଦୃଶ୍ୟ ରୂପରେ ରହୁଥିଵା ଦେଵତାମାନେ ପୃଥିଵୀର ମଣିଷମାନଙ୍କର ଅଵସ୍ଥା ଦେଖିଵା ପାଇଁ ସ୍ୱର୍ଗର ଛାତକୁ ସାମାନ୍ୟ ଟିକିଏ ଖୋଲି ଦିଅନ୍ତି, ସେହି ଖୋଲା ବାଟ ଦେଇ ସ୍ୱର୍ଗର କିଛି ଅଂଶ ଵା ଦିଵ୍ୟ ଆଲୋକ ତଳକୁ ଖସିଆସେ, ଯାହାକୁ ଆମେ ଖସୁଥିଵା ତାରା ଵା ଉଲ୍କା ବୋଲି କହୁ। ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ଦେଵତାମାନେ ସିଧାସଳଖ ମଣିଷର କଥା ଶୁଣିପାରିବେ ବୋଲି ଵିଶ୍ୱାସ ସୃଷ୍ଟି ହୋଇଥିଲା ଏଵଂ ସେହି କାରଣରୁ ମଣିଷ ତାରା ଖସିଵା ସମୟରେ ଆଖି ବନ୍ଦ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଵା ଆରମ୍ଭ କଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରୀତି ନୀତି ଭାବରେ ରହିଆସିଛି।

ସମୟ କ୍ରମେ ମଣିଷର ଏହି ପ୍ରାଥମିକ କଳ୍ପନା ଅନେକ ଜଟିଳ କାହାଣୀରେ ରୂପାନ୍ତରିତ ହେଲା ଏଵଂ ଵିଭିନ୍ନ ଭୌଗୋଳିକ ସ୍ଥାନରେ ନୂଆ ନୂଆ ଲୋକକଥାମାନ ସୃଷ୍ଟି ହେଲା। ଗ୍ରୀକ୍ ପୁରାଣରେ Perseus ଜଣେ ଅତ୍ୟନ୍ତ ମହାନ ଵୀର ଏଵଂ ଦେଵପୁତ୍ର ରୂପେ ଵର୍ଣ୍ଣିତ ହୋଇଛନ୍ତି । Perseus ନିଜର ଅସାଧାରଣ ସାହସ ବଳରେ ଭୟଙ୍କର ରାକ୍ଷସୀ ମେଡୁସାକୁ ଵଧ କରିଥିଲେ। ସେହି ଅପରାଜେୟ ଵୀରଙ୍କ ସ୍ମୃତିରେ ଆକାଶରେ ଥିଵା ଵିଶାଳ ନକ୍ଷତ୍ରମଣ୍ଡଳରୁ ଉତ୍ପନ୍ନ ହେଉଥିଵା ଏହି ଉଲ୍କାପାତକୁ କିଛି ପୌରାଣିକ ଵର୍ଣ୍ଣନାରେ ଦେଵତାମାନଙ୍କର ସୁଵର୍ଣ୍ଣ ଵୃଷ୍ଟି ବୋଲି ମଧ୍ୟ କୁହାଗଲା। ସେହିପରି ୟୁରୋପୀୟ ଖିରସ୍ତାନୀ ସମାଜରେ ଏହି ଉଲ୍କାପାତକୁ ନେଇ ଆହୁରି ଏକ ଅତି କରୁଣ ଓ ଧାର୍ମିକ ଲୋକକଥା ପ୍ରଚଳିତ ହେଲା। ସାଧାରଣତଃ ଅଗଷ୍ଟ ମାସର ଦଶ ତାରିଖ ପାଖାପାଖି ଏହି ଵିଶେଷ ଉଲ୍କାପାତ ଏହାର ଚରମ ସୀମାରେ ପହଞ୍ଚିଥାଏ ଏଵଂ ସର୍ଵାଧିକ ଦୃଶ୍ୟମାନ ହୋଇଥାଏ। ଐତିହାସିକ ତଥ୍ୟ ଅନୁସାରେ, ତୃତୀୟ ଶତାବ୍ଦୀରେ ରୋମ୍ ଦେଶରେ St. Lawrence ନାମକ ଜଣେ ଧାର୍ମିକ ନେତାଙ୍କୁ ଜୀଵନ୍ତ ଦଗ୍ଧ କରି ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତାଙ୍କର ଶହୀଦ ଦିଵସ ମଧ୍ୟ ଠିକ୍ ଅଗଷ୍ଟ ମାସ ଦଶ ତାରିଖରେ ପଡିଥାଏ। ତେଣୁ ପରଵର୍ତ୍ତୀ ସମୟରେ କ୍ୟାଥୋଲିକ୍ ସମ୍ପ୍ରଦାୟର ଲୋକମାନେ ଦୃଢ଼ ଭାବରେ ଵିଶ୍ୱାସ କରିଵାକୁ ଲାଗିଲେ ଯେ ଆକାଶରୁ ଖସୁଥିଵା ଏହି ଅଗ୍ନିମୟ ଉଜ୍ଜ୍ୱଳ ଆଲୋକ କଣିକାଗୁଡ଼ିକ ପ୍ରକୃତରେ St. Lawrence ଙ୍କର ପଵିତ୍ର ଲୁହ, ଯିଏ ମୃତ୍ୟୁ ପରେ ସ୍ୱର୍ଗରୁ ନିଜର ଅସହ୍ୟ ଯନ୍ତ୍ରଣା ଏଵଂ ମାନଵ ଜାତିର ପାପ ଦେଖି ଵିଳାପ କରୁଛନ୍ତି। ତେଣୁ ଏହି Perseids କୁ ୟୁରୋପର ଵିଭିନ୍ନ ଅଞ୍ଚଳରେ Tears of St. Lawrence ବୋଲି ବହୁଳ ଭାବରେ କୁହାଯିଵାକୁ ଲାଗିଲା।
ମଧ୍ୟଯୁଗୀୟ ଇତିହାସକାର ଏଵଂ ଵିଭିନ୍ନ ଆଶ୍ରମର ଧର୍ମଯାଜକମାନେ ରାତି ଆକାଶରେ ଘଟୁଥିଵା ପ୍ରତ୍ୟେକଟି ଵିଶେଷ ଘଟଣାକୁ ଲିପିବଦ୍ଧ କରି ରଖିଵାରେ ସିଦ୍ଧହସ୍ତ ଥିଲେ। ସେମାନେ ଏହିସବୁ ମହାଜାଗତିକ ଦୃଶ୍ୟକୁ କେଵଳ ପ୍ରାକୃତିକ ଘଟଣା ଭାବରେ ଗ୍ରହଣ ନକରି, ଏହାକୁ ସିଧାସଳଖ ଈଶ୍ୱରଙ୍କର ଗୁପ୍ତ ଵାର୍ତ୍ତା ଵା ଭଵିଷ୍ୟତରେ ଘଟିଵାକୁ ଥିଵା କୌଣସି ମହାମାରୀ, ଯୁଦ୍ଧ କିମ୍ଵା ଅଶୁଭ ଘଟଣାର ସଙ୍କେତ ଭାଵରେ ଦେଖୁଥିଲେ। ଆକାଶରୁ ଉଲ୍କା ଖସିଵା, ଗ୍ରହଣ ଲାଗିଵା, କିମ୍ଵା ରଙ୍ଗ ପରିଵର୍ତ୍ତନ ହେଵା ଵିଷୟରେ ସେମାନେ ନିଜର ଦସ୍ତାବିଜରେ ଅତି ନିଖୁଣ ଭାବରେ ଵର୍ଣ୍ଣନା କରିଛନ୍ତି। ଆକାଶର ଅଦ୍ଭୁତ ଘଟଣାଵଳୀର ଐତିହାସିକ ଲିପିବଦ୍ଧତାର ଏକ ଜ୍ୱଳନ୍ତ ଉଦାହରଣ ସ୍ୱରୂପ ତତ୍କାଳୀନ ଇଂରେଜ ଐତିହାସିକ Gervasius Dorobornensis ଏହି କଥାକୁ ସେ ଏହିପରି ଲେଖିଥିଲେ “the upper horn [of the moon] split in two.From the midpoint of t[...]” ଯାହାକି ସେହି ସମୟର ଲୋକମାନଙ୍କର ମହାକାଶ ପ୍ରତି ଥିଵା ତୀକ୍ଷ୍ଣ, ଭୟଭୀତ ଦୃଷ୍ଟି ଏଵଂ ତାହାକୁ ନିଜସ୍ୱ ଧାର୍ମିକ ରୂପରେ ଵ୍ୟାଖ୍ୟା କରିଵାର ନିଆରା ଶୈଳୀକୁ ଦର୍ଶାଏ। କେଵଳ ୟୁରୋପ ନୁହେଁ, ଵରଂ ପ୍ରାଚ୍ୟ ଦେଶଗୁଡ଼ିକରେ ମଧ୍ୟ ସମାନ ଚିତ୍ର ଦେଖିଵାକୁ ମିଳିଥିଲା। ଚୀନ୍ ଓ କୋରିଆର ପ୍ରାଚୀନ ରାଜକୀୟ ଜ୍ୟୋତିର୍ଵିଦମାନେ ନିଜର ଦରଵାରୀ ନଥିପତ୍ରରେ ଖ୍ରୀଷ୍ଟାବ୍ଦ ୩୬ ମସିହା ବେଳକୁ ହିଁ ଏହି ଅଗଷ୍ଟ ମାସର ପ୍ରଵଳ ଉଲ୍କାପାତ ଵିଷୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିସାରିଥିଲେ। ସେମାନେ ଏହି ଘଟଣାଗୁଡ଼ିକୁ ସତର୍କତାର ସହିତ ଗଣନା କରୁଥିଲେ ଏଵଂ ଲିପିବଦ୍ଧ କରୁଥିଲେ ସତ, କିନ୍ତୁ ଏହା ପଛର ଵାସ୍ତଵିକ ଵୈଜ୍ଞାନିକ କାରଣ ସେତେଵେଳେ ସମଗ୍ର ମାନଵ ସମାଜ ପାଇଁ ଅଜ୍ଞାତ ଥିଲା।

କିନ୍ତୁ ମାନଵ ଜାତିର ଚିନ୍ତାଧାରା କେବେହେଲେ ଚିରକାଳ ଗୋଟିଏ ଵିଶ୍ୱାସରେ ସ୍ଥିର ହୋଇ ରହିପାରିଵ ନାହିଁ। କାହାଣୀ, ପୁରାଣ ଓ ଅନ୍ଧଵିଶ୍ୱାସର କୁହୁଡ଼ିରୁ ବାହାରି ଏକ ଦୃଢ଼, ପ୍ରମାଣଭିତ୍ତିକ ସତ୍ୟର ସନ୍ଧାନ କରିଵା ଆମ ମାନଵଜାତିର ଏକ ମୌଳିକ ଓ ଅନ୍ତର୍ନିହିତ ଗୁଣ। ଅଷ୍ଟାଦଶ ଓ ଊନଵିଂଶ ଶତାବ୍ଦୀ ବେଳକୁ ମଣିଷ ନିଜର ଆଖି ସହିତ ବୌଦ୍ଧିକ ମସ୍ତିଷ୍କର ଏକ ନୂତନ ସମ୍ପର୍କ ସ୍ଥାପନ କରିଵା ଆରମ୍ଭ କଲା। ମଣିଷ ବୁଝିଵାକୁ ଚେଷ୍ଟା କଲା ଯେ ଆକାଶର ଏହି ରହସ୍ୟମୟ ଘଟଣାଗୁଡ଼ିକ କୌଣସି କ୍ରୋଧିତ ଦେଵତାର ଅଶ୍ରୁ ନୁହେଁ କିମ୍ଵା ପ୍ରକୃତିର ଖାମଖିଆଲି ଖେଳ ନୁହେଁ ଵରଂ ଏହି ଵିଶାଳ ବ୍ରହ୍ମାଣ୍ଡ ପଛରେ ଏକ ଅତ୍ୟନ୍ତ ଶୃଙ୍ଖଳିତ ଓ ନିର୍ଦ୍ଦିଷ୍ଟ ପ୍ରାକୃତିକ ନିୟମ ରହିଛି। ଵିଜ୍ଞାନ କିପରି ଏହି ଵିଶାଳ ଉଲ୍କାପାତର ସତ୍ୟତା ଵିଷୟରେ ଜାଣିଲା ଏଵଂ ସମଗ୍ର ଵିଶ୍ୱକୁ ଜଣେଇଲା, ତାହାର ପ୍ରକ୍ରିୟା ଥିଲା ଧୈର୍ଯ୍ୟ, ପର୍ଯ୍ୟଵେକ୍ଷଣ ଓ ଗଣିତର ଏକ ଅଦ୍ଭୁତ ମିଶ୍ରଣ। ଵିଭିନ୍ନ ଦେଶର ଵୈଜ୍ଞାନିକମାନେ ପୃଥକ ପୃଥକ ସ୍ଥାନରୁ ସୁଦୂର ଆକାଶକୁ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିଵା ଆରମ୍ଭ କଲେ।

ଊନଵିଂଶ ଶତାବ୍ଦୀର ପ୍ରାରମ୍ଭରେ ବେଲଜିୟମ୍‌ର ଜଣେ ପରିସଂଖ୍ୟାନଵିତ୍ ତଥା ଜ୍ୟୋତିର୍ଵିଜ୍ଞାନୀ Adolphe Quetelet ଏଵଂ ଆମେରିକାର Edward Herrick ଏହି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଆଵିଷ୍କାର କଲେ। ସେମାନେ ଶହ ଶହ ଵର୍ଷର ଵିଭିନ୍ନ ଐତିହାସିକ ନଥିପତ୍ର ଏଵଂ ନିଜର ଦୀର୍ଘକାଳୀନ ପର୍ଯ୍ୟଵେକ୍ଷଣରୁ ଦୃଢ଼ତାର ସହିତ ପ୍ରମାଣ କଲେ ଯେ ଏହି ଉଲ୍କାପାତ ଆଦୌ କୌଣସି ଆକସ୍ମିକ ଘଟଣା ନୁହେଁ। ଵରଂ ଏହା ପ୍ରତିଵର୍ଷ ଅଗଷ୍ଟ ମାସରେ ହିଁ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଭାଵ୍ବରେ ଘଟିଥାଏ ଏଵଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ଏହି ସମସ୍ତ ଆଲୋକ ରେଖାଗୁଡ଼ିକ ଆକାଶର ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁ, ଅର୍ଥାତ୍ ଠିକ୍ Perseus ନକ୍ଷତ୍ରମଣ୍ଡଳ ଆଡୁ ସମାନ୍ତରାଳ ଭାବରେ ଆସୁଥିଵାର ସ୍ପଷ୍ଟ ଜଣାପଡ଼େ। ଏହି ଆଵିଷ୍କାର ମାନଵିକ ଦୃଷ୍ଟିକୋଣରେ ଏକ ବଡ଼ ପରିଵର୍ତ୍ତନ ଥିଲା। ଏଥିରୁ ମଣିଷ ସମାଜ ବୁଝିଲା ଯେ ପୃଥିଵୀ ବାହାରେ ମଧ୍ୟ ଶୃଙ୍ଖଳା ଅଛି ଏଵଂ ସେଠାରେ ଵିଶ୍ୱସ୍ତରୀୟ ଗଣିତ ଏଵଂ ପଦାର୍ଥ ଵିଜ୍ଞାନର ନିୟମ ହିଁ ନିରନ୍ତର କାର୍ଯ୍ୟ କରୁଛି।
ପରେ ଇଟାଲୀର ଜଣେ ଅତ୍ୟନ୍ତ ପ୍ରଖ୍ୟାତ ଜ୍ୟୋତିର୍ଵିଜ୍ଞାନୀ Giovanni Schiaparelli ଏହି ଅଧ୍ୟୟନ ଦିଗରେ ଆହୁରି ଏକ ବଡ଼ ଓ ନିର୍ଣ୍ଣାୟକ ପଦକ୍ଷେପ ନେଲେ। ସମୟ ଚକ୍ରରେ ୧୮୬୨ ମସିହାରେ ଆମେରିକାର ଦୁଇ ଜଣ ଜ୍ୟୋତିର୍ଵିଦ୍ Lewis Swift ଏଵଂ Horace Parnell Tuttle ନିଜ ଦୂରଵୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମିଳିତ ଭାବରେ ଆକାଶରେ ଏକ ନୂତନ ଧୂମକେତୁ ଆଵିଷ୍କାର କରିଥିଲେ, ଯାହାର ନାମ ନିୟମାନୁସାରେ ସେମାନଙ୍କ ନାମ ଅନୁଯାୟୀ Comet Swift-Tuttle ଦିଆଯାଇଥିଲା। Giovanni Schiaparelli କଠିନ ଗାଣିତିକ ସୂତ୍ର ଵ୍ୟଵହାର କରି Perseids ଉଲ୍କାଗୁଡ଼ିକର ମହାକାଶରେ କକ୍ଷପଥ ଏଵଂ ସେଗୁଡ଼ିକର ପ୍ରକୃତ ଗତିଵିଧିର ଟିକିନିଖି ହିସାବ କଲେ। Giovanni ଯେତେବେଳେ ନିଜର ଦୀର୍ଘ ଗଣନା ପରେ ଫଳାଫଳକୁ ଦେଖିଲେ, ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। Giovanni ସ୍ପଷ୍ଟ ଭାବରେ ଲକ୍ଷ୍ୟ କଲେ ଯେ ଏହି ଉଲ୍କା କଣିକାଗୁଡ଼ିକର ଯାତ୍ରାପଥ ସମ୍ପୂର୍ଣ୍ଣ ରୂପେ ନିକଟରେ ଆଵିଷ୍କୃତ ହୋଇଥିଵା Comet Swift-Tuttleର କକ୍ଷପଥ ସହିତ ଅଵିକଳ ମେଳ ଖାଉଛି। ଏହା କୌଣସି ସାଧାରଣ ସାମଞ୍ଜସ୍ୟ ନଥିଲା। Giovanni ସମଗ୍ର ଦୁନିଆକୁ ଜଣାଇଲେ ଯେ ଆମେ ଯାହାକୁ ହଜାର ହଜାର ଵର୍ଷ ଧରି ଖସୁଥିଵା ତାରା, ଦେଵତାଙ୍କର କୋପ ଵା ଶହୀଦ ସନ୍ଥମାନଙ୍କର ଲୁହ ବୋଲି ଅନ୍ଧ ଭାଵରେ ଭାବି ଆସୁଛୁ, ତାହା ଵାସ୍ତଵରେ ଅନ୍ୟ କିଛି ନୁହେଁ ଵରଂ ସୌରମଣ୍ଡଳରେ ଯାତ୍ରା କରୁଥିଵା ଗୋଟିଏ ଵିଶାଳକାୟ ଧୂମକେତୁ ନିଜ ପଛରେ ତ୍ୟାଗ କରିଥିଵା ମାମୁଲି ବରଫ, ଧୂଳି ଓ ପଥରର ଛୋଟ ଛୋଟ ଟୁକୁଡ଼ା ମାତ୍ର। ଯେତେବେଳେ ପୃଥିଵୀ ନିଜ ଵାର୍ଷିକ କକ୍ଷପଥରେ ଘୂରି ଘୂରି ମହାକାଶର ସେହି ଅଞ୍ଚଳ ଦେଇ ଗତି କରେ ଯେଉଁଠାରେ ଏହି ଟୁକୁଡାଗୁଡ଼ିକ ଭାସମାନ ଅଵସ୍ଥାରେ ଥାଆନ୍ତି, ସେତେବେଳେ ପୃଥିଵୀର ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ସେଗୁଡ଼ିକୁ ନିଜ ଆଡକୁ ପ୍ରଵଳ ଵେଗରେ ଟାଣି ଆଣେ। ସେଗୁଡ଼ିକ ଘଣ୍ଟାପ୍ରତି ହଜାର ହଜାର କିଲୋମିଟର ଵେଗରେ ଵାୟୁମଣ୍ଡଳରେ ପ୍ରଵେଶ କରନ୍ତି ଏଵଂ ଵାୟୁକଣା ସହିତ ଭୟଙ୍କର ଘର୍ଷଣ ହେଵା ଫଳରେ ସେଗୁଡ଼ିକ କ୍ଷଣିକ ପାଇଁ ଉଜ୍ଜ୍ୱଳ ହୋଇ ଜଳିଉଠନ୍ତି ଓ ପାଉଁଶ ହୋଇଯାଆନ୍ତି।

ଏହି ସରଳ କିନ୍ତୁ ଗଭୀର ଵୈଜ୍ଞାନିକ ସତ୍ୟର ଉନ୍ମୋଚନ ମାନଵଜାତିର ସାମଗ୍ରିକ ଇତିହାସରେ ଏକ ଅତି ଵିଶେଷ ଓ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଏହା କେଵଳ ରାତି ଆକାଶର ଏକ ରହସ୍ୟକୁ ପଦାରେ ପକାଇଲା ନାହିଁ, ଵରଂ ଏକ ଜୀଵଜାତି ଭାବରେ ମଣିଷର ନିଜ ପ୍ରତି ଏଵଂ ନିଜ ଚାରିପଟେ ଥିଵା ପରିଵେଶ ପ୍ରତି ଥିଵା ଦୃଷ୍ଟିକୋଣକୁ ମୂଳରୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଯେଉଁ ସାମାନ୍ୟ ଧୂଳିକଣାର ଦୃଶ୍ୟକୁ ଦେଖି ଦିନେ ପ୍ରାଚୀନ ମଣିଷ ଅଜଣା ଭୟରେ ଥରୁଥିଲା ଏଵଂ ଅଦୃଶ୍ୟ ଦେଵତାଙ୍କୁ ସନ୍ତୁଷ୍ଟ କରିଵା ପାଇଁ ହାତ ଯୋଡ଼ୁଥିଲା ଵା ଵଳି ଦେଉଥିଲା, ସେହି ସମାନ ଧୂଳିକଣାକୁ ଆଧୁନିକ ମଣିଷ ନିଜର ଉନ୍ନତ ଦୂରଵୀକ୍ଷଣ ଯନ୍ତ୍ର ଏଵଂ ସ୍ପେକ୍ଟ୍ରୋସ୍କୋପି ସାହାଯ୍ୟରେ ମାପିଵା ଏଵଂ ତାହାର ରାସାୟନିକ ଗଠନର ଵିଶ୍ଳେଷଣ କରିଵା ଆରମ୍ଭ କଲା। ସମାଜର ମନରୁ ପୁରାତନ କାହାଣୀ ଏଵଂ କଳ୍ପନାର ସ୍ଥାନ ଧୀରେ ଧୀରେ ନେଵାକୁ ଲାଗିଲା ଜଟିଳ ଗଣିତ ଓ ପଦାର୍ଥ ଵିଜ୍ଞାନ। ମହାକାଶର ଅଜ୍ଞାତକୁ ଅନ୍ଧ ଭାବରେ ଭୟ କରିଵା ପରିଵର୍ତ୍ତେ ମଣିଷ ଏବେ ସେହି ଅଜ୍ଞାତକୁ ଅନୁସନ୍ଧାନ କରିଵାର ଅଦମ୍ୟ ସାହସ ଜୁଟାଇ ପାରିଲା। ଦେଵତାମାନଙ୍କର ଉପସ୍ଥିତି ଏଵଂ ସ୍ୱର୍ଗର ଦ୍ୱାର ଖୋଜୁଥିଵା ଆଖିଗୁଡ଼ିକ ଏବେ ମହାକାଶର ଭୌତିକ ନିୟମ ଏଵଂ ନକ୍ଷତ୍ରଗୁଡ଼ିକର ଜୀଵନଚକ୍ର ଖୋଜିଵାକୁ ଲାଗିଲା।

ଆମେ ଯଦି ପଛକୁ ଫେରି ଅତୀତରୁ ଆରମ୍ଭ କରି ଆଜିର ଡିଜିଟାଲ୍ ଯୁଗ ପର୍ଯ୍ୟନ୍ତର ଏହି ଦୀର୍ଘ ଯାତ୍ରାକୁ ଵିଶ୍ଳେଷଣ କରିଵା, ତେବେ ସ୍ପଷ୍ଟ ହୋଇଯିଵ ଯେ ଏହା କେଵଳ ଗୋଟିଏ ପ୍ରତିଵର୍ଷ ଘଟୁଥିଵା ମହାଜାଗତିକ ଘଟଣାର ସାଧାରଣ ଵ୍ୟାଖ୍ୟା ନୁହେଁ। ଵରଂ ଏହା ହେଉଛି ମାନଵିକ ବୁଦ୍ଧିମତ୍ତା, ଅନୁସନ୍ଧାନ ଓ ଚିନ୍ତାଧାରାର ଵିଵର୍ତ୍ତନର ଏକ ଅନନ୍ୟ ଇତିହାସ। କୋଟି କୋଟି ଵର୍ଷ ଧରି ଏହି ଶୂନ୍ୟ ମହାକାଶରେ ଘୂରି ବୁଲୁଥିଵା ସେହି ଧୂଳି ଓ ବରଫ କଣିକାଗୁଡ଼ିକର ମୌଳିକ ସ୍ୱରୂପ କିମ୍ଵା ଵେଗ କେବେହେଲେ ବଦଳି ନାହିଁ। କିନ୍ତୁ ଆମେ ମଣିଷମାନେ ନିଶ୍ଚିତ ଭାବରେ ବଦଳି ଯାଇଛୁ। ଆମର ଚିନ୍ତା କରିଵାର ପରିସୀମା ଏଵଂ ପ୍ରକୃତିକୁ ବୁଝିଵାର କ୍ଷମତା ଅନେକ ଗୁଣ ଵିସ୍ତାରିତ ହୋଇଛି। ଗୋଟିଏ ସାଧାରଣ ସ୍ତନ୍ୟପାୟୀ ପ୍ରାଣୀ, ଯିଏ ଦିନେ ଆଫ୍ରିକାର ଘଞ୍ଚ ଜଙ୍ଗଲରେ କେଵଳ ବଞ୍ଚିଵା ପାଇଁ ସଂଘର୍ଷ କରୁଥିଲା ଏଵଂ ଆକାଶର ଵଜ୍ରପାତ ଵା ଉଲ୍କାପାତକୁ ଦେଵତାର କ୍ରୋଧ ବୋଲି ମାନି ନେଉଥିଲା, ସେ ଆଜି ନିଜର ମସ୍ତିଷ୍କ ପ୍ରୟୋଗ କରି ଗୋଟିଏ ଉଲ୍କାପାତର ଗତି, ଆକାର ଓ ଉତ୍ପତ୍ତିସ୍ଥଳର ଠିକ୍ ଗାଣିତିକ ହିସାବ କରିପାରୁଛି। ତଥାପି, ଏହି ନିଷ୍ଠୁର ଵୈଜ୍ଞାନିକ ସତ୍ୟ ଜାଣିଵା ପରେ ମଧ୍ୟ ଏକଥା ସତ୍ୟ ଯେ Perseidsକୁ ନିଜ ଆଖିରେ ଖସୁଥିଵାର ଦେଖିଲେ ଆଜି ବି ଆମ ମନରେ ସେହି ପୁରାତନ ଏଵଂ ଆଦିମ ଆଶ୍ଚର୍ଯ୍ୟ ହିଁ ସର୍ଵପ୍ରଥମେ ଜାଗ୍ରତ ହୁଏ। ଯେତେବେଳେ ନିସ୍ତଵ୍ଧ ରାତିର ଆକାଶରୁ ହଠାତ୍ ଗୋଟିଏ ତାରା ଖସିଵାର ଦିଵ୍ୟ ଦୃଶ୍ୟ ଆମ ଆଖିରେ ପଡ଼େ, ଆମର ଅଜାଣତରେ ଆମ ହୃଦୟର ସ୍ପନ୍ଦନ କିଛି ମୁହୂର୍ତ୍ତ ପାଇଁ ଅଟକିଯାଏ ଏଵଂ ମୁଖରୁ ଏକ ଆଶ୍ଚର୍ଯ୍ୟର ଶବ୍ଦ ବାହାରି ଆସେ। କାରଣ ଆଜି ଆମେ ଦୃଢ଼ ଭାବରେ ଜାଣୁ ଯେ ଆମେ ଯାହା ଦେଖୁଛୁ ତାହା କେଵଳ ଵାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ଜଳୁଥିଵା ମାମୁଲି ଧୂଳିକଣା ନୁହେଁ, ତାହା ହେଉଛି ଆମର ଏହି ଵିଶାଳ, ରହସ୍ୟମୟ ବ୍ରହ୍ମାଣ୍ଡ ସହିତ ଥିଵା ଏକ ଅତ୍ୟନ୍ତ ନିଵିଡ଼ ଓ ପ୍ରାଚୀନ ସମ୍ପର୍କର ଜ୍ୱଳନ୍ତ ପ୍ରମାଣ। ଏହା ଆମକୁ ବାରମ୍ଵାର ମନେ ପକାଇଦିଏ ଯେ ଆମେ କେଵଳ ଏହି ଛୋଟ ପୃଥିଵୀ ନାମକ ଗ୍ରହର ଏକାକୀ ଅଧିଵାସୀ ନୋହୁଁ, ଆମେ ମଧ୍ୟ ଏହି ଅନନ୍ତ ମହାକାଶର ଏକ କ୍ଷୁଦ୍ର, ଗୁରୁତ୍ୱପୂର୍ଣ୍ଣ ଓ ଅଵିଚ୍ଛେଦ୍ୟ ଅଂଶ। ଆମର ମାନଵିକ ଶରୀରରେ ଥିଵା କାର୍ବନ, ଲୌହ ଏଵଂ ଅନ୍ୟାନ୍ୟ ଉପାଦାନଗୁଡ଼ିକ ମଧ୍ୟ କୌଣସି ଏକ ସମୟରେ ଏହିପରି ତାରାଗୁଡ଼ିକର ଗର୍ଭରୁ ହିଁ ସୃଷ୍ଟି ହୋଇଥିଲା। ତେଣୁ ଯେତେବେଳେ Perseidsର ଗୋଟିଏ ଛୋଟିଆ କଣିକା ପୃଥିଵୀର ଵାୟୁମଣ୍ଡଳରେ ଆତ୍ମାହୁତି ଦେଇ ଜଳିଉଠେ, ତାହାକୁ ଦେଖିଵା ମାନେ ଏକ ପ୍ରକାର ନିଜର ବହୁ ପୁରାତନ ଅତୀତ ଏଵଂ ମହାକାଶୀୟ ଉତ୍ପତ୍ତିକୁ ଦର୍ପଣରେ ଦେଖିଵା ସହିତ ସମ୍ପୂର୍ଣ୍ଣ ସମାନ। ଆକାଶର ଏହି ନିରନ୍ତର ଆଲୋକ ଖେଳ ଏଵଂ ମଣିଷର ତାହାକୁ ବୁଝିଵା ପାଇଁ ଥିଵା ଅସରନ୍ତି ପ୍ରୟାସ ଏକତ୍ର ମିଶି ଏକ ଏପରି ମହାନ ଐତିହାସିକ କାହାଣୀ ସୃଷ୍ଟି କରନ୍ତି, ଯାହା ସମଗ୍ର ମାନଵ ଜାତିର ଚିନ୍ତାଧାରା ଏଵଂ ଵିଜ୍ଞାନ କ୍ଷେତ୍ରରେ ସବୁଠାରୁ ବଡ଼ ଉପଲଵ୍ଧି ଅଟେ।



Wednesday, August 12, 2026

ଆମେ କ'ଣ ପ୍ରକୃତରେ ସ୍ଵାଧୀନ?

ଯେତେବେଳେ ଆମେ ବ୍ରହ୍ମାଣ୍ଡକୁ "ଭୌତିକ ଵିଜ୍ଞାନ" ଓ "ରସାୟନ ଵିଜ୍ଞାନ"ର ଦୃଷ୍ଟିକୋଣରୁ ଦେଖୁ, ସେତେବେଳେ ସ୍ଵାଧୀନତା ଵା ମୁକ୍ତି ନାମକ କୌଣସି ଧାରଣାର ଅସ୍ତିତ୍ଵ ନଥାଏ। ଅଣୁ ଓ ପରମାଣୁଗୁଡ଼ିକ ତାପଗତିଵିଜ୍ଞାନ ଵା Thermodynamicsର ନିୟମକୁ ଅନ୍ଧ ଭାବରେ ପାଳନ କରନ୍ତି, ସେଗୁଡି଼କର କୌଣସି ଇଚ୍ଛାଶକ୍ତି ନଥାଏ। ତଥାପି, ଆଫ୍ରିକାର ଵିସ୍ତୀର୍ଣ୍ଣ ତୃଣଭୂମିରେ ବୁଲୁଥିଵା ଏକ ନିର୍ଦ୍ଦିଷ୍ଟ ଜୀଵଜାତିର ଜୀଵ କାଳକ୍ରମେ ନିଜକୁ ଏହା ଵିଶ୍ଵାସ କରାଇଵାରେ ସଫଳ ହେଲା ଯେ ତା' ପାଖରେ ସ୍ଵାଧୀନତା ନାମକ ଏକ ଅମୂଲ୍ୟ ସମ୍ପତ୍ତି ଅଛି। ଏହା କିପରି ସମ୍ଭଵ ହେଲା? ସ୍ଵାଧୀନତା କାହିଁକି ଏତେ ମହତ୍ତ୍ଵପୂର୍ଣ୍ଣ ଏଵଂ ମଣିଷ କେବେ ଏହାର ପ୍ରକୃତ ମୂଲ୍ୟ ବୁଝିଵାକୁ ଆରମ୍ଭ କଲା, ଏହା ବୁଝିଵାକୁ ହେଲେ ଆମକୁ ଆଜିର ରାଜନୈତିକ ଵିତର୍କରୁ ବାହାରି ଲକ୍ଷ ଲକ୍ଷ ଵର୍ଷ ପୁରୁଣା ଇତିହାସର ଏକ ଵିଶାଳ ପୃଷ୍ଠଭୂମିକୁ ଦେଖିଵାକୁ ହେଵ । ସ୍ଵାଧୀନତାର କାହାଣୀ କେଵଳ ଏକ ରାଜନୈତିକ କାହାଣୀ ନୁହେଁ; ଏହା ହେଉଛି ଏକ ଜାତିର ଜୈଵିକ, ବୌଦ୍ଧିକ ଏଵଂ ଅତ୍ୟନ୍ତ ଦୁଃଖଦାୟକ କାହାଣୀ, ଯିଏ ନିଜେ ତିଆରି କରିଥିଵା ଅଦୃଶ୍ୟ ପଞ୍ଜୁରୀରୁ ଖସିଯିଵାକୁ ନିରନ୍ତର ସଂଘର୍ଷ କରିଆସିଛି।

କିନ୍ତୁ ସ୍ଵାଧୀନତା ଵିଷୟରେ ଆଲୋଚନା କରିଵା ପୂର୍ଵରୁ, ଆମକୁ "Charles Darwin" ଏଵଂ ଆଧୁନିକ "ଆନୁଵଂଶିକ ଵି ଜ୍ଞାନ ଵା Genetics" ଦ୍ୱାରା ଵର୍ଣ୍ଣିତ ଆମର ଉତ୍ପତ୍ତିର କାହାଣୀକୁ ବୁଝିଵାକୁ ହେଵ। ଲକ୍ଷ ଲକ୍ଷ ଵର୍ଷ ଧରି ପୃଥିଵୀରେ ଵିଭିନ୍ନ Homo ଜାତିର ମଣିଷ ଵାସ କରୁଥିଲେ। "Homo erectus" ଠାରୁ ଆରମ୍ଭ କରି ବଳିଷ୍ଠ "Neanderthals" ପର୍ଯ୍ୟନ୍ତ, ଏହି ପ୍ରାଣୀମାନଙ୍କର ଜୀଵନ ସମ୍ପୂର୍ଣ୍ଣ ରୂପେ ସେମାନଙ୍କର "ଜୀଵଵିଜ୍ଞାନ" ଏଵଂ "ପରିସ୍ଥିତିଵିଜ୍ଞାନ ଵା Ecology" ଦ୍ୱାରା ନିୟନ୍ତ୍ରିତ ଥିଲା। ସେମାନେ ପ୍ରକୃତରେ ପ୍ରାଣୀ ଥିଲେ, ଯେଉଁମାନେ ସେମାନଙ୍କର "DNA" ରେ ଥିଵା ମୌଳିକ ସଂକେତ ଦ୍ୱାରା ପରିଚାଳିତ ହେଉଥିଲେ: ଵଞ୍ଚି ରହିଵା ଏଵଂ ଵଂଶ ଵୃଦ୍ଧି କରିଵା। ଏହି ପ୍ରାଥମିକ ଅଵସ୍ଥାରେ, 'ସ୍ଵାଧୀନତା' ଏକ ଅଚିହ୍ନା ତଥା ଅର୍ଥହୀନ ଧାରଣା ଥିଲା। ଗୋଟିଏ ସିଂହ ଘାସ ଖାଇଵ ନା ମାଂସ ଖାଇଵ ତାହା ବାଛିଵା ପାଇଁ ଯେପରି ସ୍ଵାଧୀନ ନୁହେଁ, ଠିକ୍ ସେହିପରି ପ୍ରାଚୀନ ମାନଵମାନେ ମଧ୍ୟ ସେମାନଙ୍କର ଜୈଵିକ ଆଵଶ୍ୟକତା ଦ୍ୱାରା ବାନ୍ଧି ହୋଇ ରହିଥିଲେ। ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କ ମସ୍ତିଷ୍କରେ ଥିଵା "Dopamine" ଓ "Serotonin" ଭଳି ସ୍ନାୟୁ-ସନ୍ଦେଶଵାହକ ରାସାୟନିକ ପଦାର୍ଥର ପରିଵର୍ତ୍ତନ ଦ୍ୱାରା ପରିଚାଳିତ ହେଉଥିଲା। ସେମାନେ ଵର୍ତ୍ତମାନର ମୁହୂର୍ତ୍ତରେ ବଞ୍ଚୁଥିଲେ, ହିଂସ୍ର ଜନ୍ତୁମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ହେଉଥିଲେ, ଆଶ୍ରୟ ଖୋଜୁଥିଲେ ଏଵଂ ଖାଦ୍ୟ ସଂଗ୍ରହ କରୁଥିଲେ। ଭଵିଷ୍ୟତରେ ଜୀଵନଶୈଳୀ କିଛି ଅଲଗା ହୋଇପାରେ ବୋଲି ସେମାନଙ୍କର କୌଣସି ଧାରଣା ନଥିଲା, ତେଣୁ ଵର୍ତ୍ତମାନର ଅଵସ୍ଥାରୁ ମୁକ୍ତି ପାଇଵାର କୌଣସି ଇଚ୍ଛା ମଧ୍ୟ ସେମାନଙ୍କ ଭିତରେ ଜାଗ୍ରତ ହୋଇନଥିଲା।
ଏହି ସମ୍ପୂର୍ଣ୍ଣ ଜୈଵିକ ଅସ୍ତିତ୍ଵରେ ଏକ ବଡ଼ ଧରଣର ପରିଵର୍ତ୍ତନ ଆସିଲା ପ୍ରାୟ ସତୁରୀ ହଜାର ଵର୍ଷ ପୂର୍ଵେ, ଯାହାକୁ ଵିଵର୍ତ୍ତନଵାଦୀ ଜୀଵଵିଜ୍ଞାନୀ ଏଵଂ ଐତିହାସିକମାନେ "ଜ୍ଞାନାତ୍ମକ ଵିପ୍ଳଵ ଵା Cognitive Revolution" ବୋଲି କହନ୍ତି। ଏକ ଆକସ୍ମିକ ଆନୁଵଂଶିକ ଉତ୍ପରିଵର୍ତ୍ତନ ଵା Genetic Mutations "Homo sapiens"ର ମସ୍ତିଷ୍କର ସ୍ନାୟୁଗତ ପ୍ରଣାଳୀକୁ ସାମାନ୍ୟ ପରିଵର୍ତ୍ତନ କରିଦେଲା। ଏହା ଆମର ପୂର୍ଵଜମାନଙ୍କୁ ଏକ ଏପରି ଅଲୌକିକ ଶକ୍ତି ପ୍ରଦାନ କଲା ଯାହା ଅନ୍ୟ କୌଣସି ପ୍ରାଣୀ ପାଖରେ ନଥିଲା । ଫଳତଃ ତତ୍କାଳୀନ Homo sapiensମାନେ ଯାହାର ଭୌତିକ ଅସ୍ତିତ୍ଵ ନାହିଁ, ସେହି ଵିଷୟରେ କଳ୍ପନା କରିଵା ଏଵଂ କଥାଵାର୍ତ୍ତା କରିଵାର କ୍ଷମତା ଲାଭ କଲେ । ଗୋଟିଏ ସାଧାରଣ ଵାନର କେଵଳ ନଦୀ କୂଳରେ ସିଂହ ଅଛି ବୋଲି ନିଜ ଦଳକୁ ସତର୍କ କରିପାରୁଥିଲା କିନ୍ତୁ ଜ୍ଞାନାତ୍ମକ ଵିପ୍ଳଵ ପରେ "Homo sapiens" ଏକ କାହାଣୀ କହିପାରୁଥିଲା ଯେ ଏକ ସିଂହ-ଦେଵତା ସେମାନଙ୍କ ଜନଜାତିକୁ ରକ୍ଷା କରୁଛନ୍ତି। ଏହି ମିଳିତ କଳ୍ପନା—ପୁରାଣ, ଦେଵତା ଏଵଂ କାଳ୍ପନିକ ଵାସ୍ତଵତା—ସୃଷ୍ଟି କରିଵାର କ୍ଷମତା ଥିଲା ସମ୍ପୂର୍ଣ୍ଣ ଜୈଵିକ ଜଗତରୁ ବାହାରିଵାର ପ୍ରଥମ ପଦକ୍ଷେପ। କିନ୍ତୁ ଵିଡ଼ମ୍ଵନାର ଵିଷୟ ହେଉଛି, ଏହା ଏକ ନୂତନ ପ୍ରକାରର କାରାଗାର ଭିତରକୁ ପ୍ରଵେଶ କରିଵାର ପ୍ରଥମ ପଦକ୍ଷେପ ମଧ୍ୟ ଥିଲା, ଯେଉଁ କାରାଗାରର ପ୍ରାଚୀର ଇଟା ଵା ପଥରରେ ନୁହେଁ, ଵରଂ ମଣିଷର ଵିଶ୍ଵାସରେ ତିଆରି ହୋଇଥିଲା।
ନୂତନ ବୌଦ୍ଧିକ କ୍ଷମତା ଲାଭ କରିଵା ପରେ, "Homo sapiens" ସମଗ୍ର ଵିଶ୍ୱରେ ଵ୍ୟାପିଵାକୁ ଲାଗିଲେ। ଏହାପରେ ପ୍ରାୟ ପଚାଶରୁ ଷାଠିଏ ହଜାର ଵର୍ଷ ଧରି ସେମାନେ ଶିକାରୀ ଏଵଂ ଖାଦ୍ୟ ସଂଗ୍ରହକାରୀ ଭାବରେ ଜୀଵନଯାପନ କଲେ। ଆଧୁନିକ ନୃତତ୍ତ୍ୱଵିଜ୍ଞାନ ଵା "Anthropology" ଅନେକ ସମୟରେ ଏହି ପ୍ରାଚୀନ ଶିକାରୀମାନଙ୍କୁ ଅନୁଧ୍ୟାନ କରି ଆଶ୍ଚର୍ଯ୍ୟ ହୁଏ ଯେ ସେମାନେ କ'ଣ ଇତିହାସର ସବୁଠାରୁ ସ୍ଵାଧୀନ ମଣିଷ ଥିଲେ? ସେମାନଙ୍କର କୌଣସି ରାଜା ନଥିଲେ, କୌଣସି ରାଷ୍ଟ୍ର ନଥିଲା, ଟିକସ ନଥିଲା ଏଵଂ କୌଣସି ଲିଖିତ ଆଇନ ନଥିଲା। ସେମାନେ ଦିନକୁ ବୋଧହୁଏ ଚାରିରୁ ଛଅ ଘଣ୍ଟା ଶିକାର ଓ ଖାଦ୍ୟ ସଂଗ୍ରହ କରିଵାରେ ବିତାଉଥିଲେ ଏଵଂ ବାକି ସମୟ ପରସ୍ପର ସହ ମିଳାମିଶା କରିଵାରେ, ଗପସପ କରିଵାରେ ଏଵଂ ଵିଶ୍ରାମ ନେଵାରେ କାଟୁଥିଲେ। ସେମାନଙ୍କର ଖାଦ୍ୟ ଵିଵିଧ ଓ ପୁଷ୍ଟିକର ଥିଲା ଏଵଂ ସେମାନେ ସାଧାରଣତଃ ସେହି ଭୟଙ୍କର ମହାମାରୀରୁ ମୁକ୍ତ ଥିଲେ ଯାହା ପରଵର୍ତ୍ତୀ ସମୟରେ ଜନଗହଳି ପୂର୍ଣ୍ଣ ସହରଗୁଡ଼ିକୁ ଧ୍ୱଂସ କରିଦେଇଥିଲା। ଏକ ଭୌତିକ ଓ ସମୟଗତ ଦୃଷ୍ଟିକୋଣରୁ, ଏକ ପ୍ରାଚୀନ ଶିକାରୀ ବୋଧହୁଏ ଏପରି ସ୍ତରର ଵ୍ୟକ୍ତିଗତ ସ୍ଵାଧୀନତା ଅନୁଭଵ କରୁଥିଲା ଯାହା ଆଜିର କାରଖାନା ଶ୍ରମିକ କିମ୍ଵା ଅଫିସ୍ କର୍ମଚାରୀ କେଵଳ ସ୍ୱପ୍ନରେ ଦେଖିପାରିବେ। ତଥାପି, ଏହି ସ୍ଵାଧୀନତା ପ୍ରକୃତି ଦ୍ୱାରା କଠୋର ଭାବରେ ସୀମିତ ଥିଲା। ଏକ ଭୟଙ୍କର ଶୀତଋତୁ, ଏକ ଦୀର୍ଘକାଳୀନ ମରୁଡ଼ି, କିମ୍ଵା ଏକ ଶକ୍ତିଶାଳୀ ହିଂସ୍ର ଜନ୍ତୁ ଵା ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ସହିତ ସାମ୍ନାସାମ୍ନି ସେମାନଙ୍କର ଅସ୍ତିତ୍ୱକୁ ମୁହୂର୍ତ୍ତକ ମଧ୍ୟରେ ଶେଷ କରିଦେଇପାରୁଥିଲା। ଏହା ଵ୍ୟତୀତ, ଯେଉଁ କଳ୍ପନାଗୁଡ଼ିକ ସେମାନଙ୍କୁ ଏକାଠି ବଞ୍ଚିଵାର ଶକ୍ତି ଦେଇଥିଲା, ସେହି କଳ୍ପନାଗୁଡ଼ିକ ହିଁ ସେମାନଙ୍କୁ ବାନ୍ଧି ରଖିଥିଲା। ଜନଜାତିର ପ୍ରଥା, ନିଷେଧାଜ୍ଞା ଏଵଂ କ୍ରୋଧିତ ଆତ୍ମାମାନଙ୍କର ଭୟ ସେମାନଙ୍କ କାର୍ଯ୍ୟକଳାପ ଚାରିପାଖରେ ଅଦୃଶ୍ୟ ସୀମାରେଖା ଟାଣିଦେଇଥିଲା। ତେଣୁ, ସେମାନଙ୍କର ସ୍ଵାଧୀନତା ସେହି ଦାର୍ଶନିକ ମୁକ୍ତି ନଥିଲା ଯାହା ଆମେ ଆଜି ଖୋଜୁଛୁ; ଏହା କେଵଳ ଆନୁଷ୍ଠାନିକ ମାନଵିକ ନିର୍ଯାତନାର ଅନୁପସ୍ଥିତି ଥିଲା।

ମାନଵ ସ୍ଵାଧୀନତା ଉପରେ ସବୁଠାରୁ ଭୟଙ୍କର ଆଘାତ—ଏଵଂ ବୋଧହୁଏ ଇତିହାସର ସବୁଠାରୁ ବଡ଼ ଧୋକା—ପ୍ରାୟ ବାର ହଜାର ଵର୍ଷ ପୂର୍ଵେ ଘଟିଥିଲା, ଯାହାକୁ ଆମେ "କୃଷି ଵିପ୍ଳଵ ଵା Agricultural Revolution" ବୋଲି କହୁ। ଯେଉଁ କାରଣରୁ ବି ହେଉ, ଭାରତ ଓ ମଧ୍ୟପ୍ରାଚ୍ୟରେ "Homo sapiens"ଙ୍କର କିଛି ଗୋଷ୍ଠୀ ସ୍ଥାୟୀ ଭାବରେ ଵସଵାସ କରିଵା ଆରମ୍ଭ କଲେ ଏଵଂ କିଛି ନିର୍ଦ୍ଦିଷ୍ଟ ଉଦ୍ଭିଦ ଜାତିମାନଙ୍କର ଜୀଵନଚକ୍ରକୁ ନିୟନ୍ତ୍ରଣ କରିଵାକୁ ଲାଗିଲେ। ଆମେ ପ୍ରାୟତଃ ନିଜକୁ ଗର୍ଵିତ ମନେକରୁ ଯେ ଆମେ ଏହି ଉଦ୍ଭିଦମାନଙ୍କୁ ପୋଷା ମନାଇଲୁ। କିନ୍ତୁ ଵାସ୍ତଵରେ, ଵିଵର୍ତ୍ତନଵାଦୀ ଦୃଷ୍ଟିକୋଣରୁ ଵିଚାର କଲେ, ଏହି ଉଦ୍ଭିଦମାନେ ହିଁ ଆମକୁ ପୋଷା ମନାଇଥିଲେ। କୃଷି ପୂର୍ଵରୁ, ଜଣେ ମଣିଷ ନିଜ ଇଚ୍ଛାରେ ଯେକୌଣସି ସ୍ଥାନକୁ ଯାଇପାରୁଥିଲା। କୃଷି ଆରମ୍ଭ ହେଵା ପରେ, ମଣିଷ ମାଟିର ଏକ ନିର୍ଦ୍ଦିଷ୍ଟ ଖଣ୍ଡ ସହିତ ବାନ୍ଧି ହୋଇଗଲା। ସେମାନଙ୍କୁ ଜଙ୍ଗଲ ସଫା କରିଵାକୁ ପଡ଼ିଲା, ପ୍ରଖର ଖରାରେ ଘାସ ବାଛିଵାକୁ ପଡ଼ିଲା, ପାଣି ବୋହିଵାକୁ ପଡ଼ିଲା ଏଵଂ ପାଗକୁ ନେଇ ସବୁବେଳେ ଚିନ୍ତା କରିଵାକୁ ପଡ଼ିଲା। "Homo sapiens"ର ଜୈଵିକ ଶରୀର ଗଛ ଚଢ଼ିଵା ଏଵଂ ହରିଣ ପଛରେ ଦୌଡ଼ିଵା ପାଇଁ ଵିଵର୍ତ୍ତିତ ହୋଇଥିଲା, କୃଷିର ପୁନରାଵୃତ୍ତିପୂର୍ଣ୍ଣ ଓ କଷ୍ଟଦାୟକ ଶାରୀରିକ ପରିଶ୍ରମ ପାଇଁ ନୁହେଁ। ଏହି ପରିଵର୍ତ୍ତନ ଫଳରେ ମେରୁଦଣ୍ଡ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ଵାତ ଓ ହାର୍ନିଆ ଭଳି ରୋଗ ଆଧିକ ଦେଖାଦେଲା। ଆମେ ଏକ ଵିଵିଧ ଓ ରୋମାଞ୍ଚକର ଜୀଵନ ବଦଳରେ ଏକ ନିରସ ତଥା କଠିନ ପରିଶ୍ରମର ଜୀଵନକୁ ଆପଣେଇ ନେଲୁ।

ତେଵେ ମଣିଷ କାହିଁକି ସ୍ଵାଧୀନତାର ଏହି ଵିଶାଳ କ୍ଷତିକୁ ଗ୍ରହଣ କଲା?

 "କୃଷି ଵିପ୍ଳଵ ଵା Agricultural Revolution" ଏକ ନିର୍ଦ୍ଦିଷ୍ଟ ଵିଵର୍ତ୍ତନଵାଦୀ ଲାଭ ଆଣିଦେଲା: ଏହା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଖାଦ୍ୟର ପରିମାଣରେ ଵ୍ୟାପକ ଵୃଦ୍ଧି ଘଟାଇଲା, ଯାହା ଫଳରେ ଜନସଂଖ୍ୟାରେ ଏକ ଵିସ୍ଫୋରଣ ଦେଖାଦେଲା। "ଵିଵର୍ତ୍ତନ ଵା Evolution"ର ଦୃଷ୍ଟିକୋଣରୁ, ସଫଳତା ଵ୍ୟକ୍ତିଗତ ସୁଖ କିମ୍ଵା ସ୍ଵାଧୀନତା ଦ୍ୱାରା ମାପ କରାଯାଏ ନାହିଁ, ଵରଂ ନିଜର "DNA" ର କେତେ କପି ଵା ନକଲ ପରଵର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରାଯାଇପାରିଲା ତାହା ଦ୍ୱାରା ମପାଯାଏ। ଏହି ଦୃଷ୍ଟିରୁ, କୃଷି ସମଗ୍ର ମାନଵଜାତି ପାଇଁ ଏକ ସଫଳତା ଥିଲା, କିନ୍ତୁ ଜଣେ ସାଧାରଣ ଵ୍ୟକ୍ତି ପାଇଁ ଏହା ଏକ ଵିପର୍ଯ୍ୟୟ ଥିଲା। ସ୍ଥାୟୀ କୃଷି ସହିତ ଉଦ୍ଵୃତ୍ତ (ବଳକା) ଖାଦ୍ୟର ଧାରଣା ଆସିଲା ଏଵଂ ଉଦ୍ଵୃତ୍ତ ଖାଦ୍ୟ ସହିତ ଵ୍ୟକ୍ତିଗତ ସମ୍ପତ୍ତିର ଧାରଣା ଜନ୍ମ ନେଲା। ଇତିହାସରେ ପ୍ରଥମ ଥର ପାଇଁ, ମଣିଷ ପୃଥିଵୀ ପୃଷ୍ଠରେ କାଳ୍ପନିକ ରେଖା ଟାଣି କହିଲା, "ଏହା ମୋର।" ଥରେ ସମ୍ପତ୍ତି ଉଦ୍ଭାଵନ ହେଵା ପରେ, ଏହାକୁ ରକ୍ଷା କରିଵାର ଆଵଶ୍ୟକତା ସୃଷ୍ଟି ହେଲା। ଏଥିପାଇଁ ପାଚେରୀ, ପ୍ରହରୀ ଏଵଂ ଶେଷରେ ସୈନ୍ୟଵାହିନୀର ଆଵଶ୍ୟକତା ପଡ଼ିଲା। ଆଉ ଯଦି ଜଣେ ଜମି ଓ ପଶୁମାନଙ୍କର ମାଲିକ ହୋଇପାରିଵ, ତେବେ ଅନ୍ୟ ମଣିଷମାନଙ୍କର ମାଲିକ କାହିଁକି ହୋଇନପାରିଵ? ସମ୍ପତ୍ତିର ଏହି କୃଷିଭିତ୍ତିକ ତର୍କ ଏଵଂ ଶ୍ରମିକମାନଙ୍କର ଅଭାବରୁ ଦାସପ୍ରଥାର ଜନ୍ମ ହେଲା। ଅଧିକାଂଶ ମଣିଷ କୃଷକରେ ପରିଣତ ହେଲେ, ଯେଉଁମାନେ ଜମି ସହିତ ବାନ୍ଧି ହୋଇ ରହିଲେ ଏଵଂ ଋତୁଚକ୍ର ତଥା ଟିକସ ଆଦାୟକାରୀଙ୍କ ଦୟା ଉପରେ ନିର୍ଭର କରିଵାକୁ ବାଧ୍ୟ ହେଲେ । ଅପରପକ୍ଷରେ ଏକ କ୍ଷୁଦ୍ର ଗୋଷ୍ଠୀ ସମାଜର ଶୀର୍ଷରେ ବସି ଶାସକ ସାଜିଲେ।

ଯେହେତୁ ଗ୍ରାମଗୁଡ଼ିକ ସହରରେ ଏଵଂ ସହରଗୁଡ଼ିକ ଵିଶାଳ ନଗରୀରେ ପରିଣତ ହେଲା, ବହୁ ସଂଖ୍ୟକ ଲୋକଙ୍କୁ ଏକାଠି ଵାନ୍ଧି ରଖିଵା ପାଇଁ "ଜ୍ଞାନାତ୍ମକ ଵିପ୍ଳଵ ଵା Cognitive Revolution" ସମୟରେ ସୃଷ୍ଟି ହୋଇଥିଵା ମିଳିତ କଳ୍ପନାଗୁଡ଼ିକୁ ଅଧିକ ଜଟିଳ କରିଵାକୁ ପଡ଼ିଲା। ମଣିଷ ଏହାପରେ 'ରାଷ୍ଟ୍ର', 'ରାଜ୍ୟ' ଏଵଂ 'ସାମ୍ରାଜ୍ୟ' ଭଳି ନୂତନ ଧାରଣାଗୁଡ଼ିକ ଉଦ୍ଭାଵନ କଲା। ଏଗୁଡ଼ିକ ଭୌତିକ ଵାସ୍ତଵତା ନଥିଲା କାରଣ ଏକ ଅଣୁଵୀକ୍ଷଣ ଯନ୍ତ୍ର ତଳେ ଆପଣ କୌଣସି ରାଷ୍ଟ୍ରକୁ ଦେଖିପାରିଵେ ନାହିଁ। ତେଣୁ ଏଗୁଡ଼ିକ ଥିଲା ଆନ୍ତଃ-ଵ୍ୟକ୍ତିଗତ ଵାସ୍ତଵତା, ଏପରି ଶକ୍ତିଶାଳୀ କଳ୍ପନା ଯାହା ଉପରେ ସମସ୍ତେ ଵିଶ୍ୱାସ କରୁଥିଲେ। ଏହି ଵିଶାଳ ସାମ୍ରାଜ୍ୟଗୁଡ଼ିକୁ ପରିଚାଳନା କରିଵା ପାଇଁ ଆଵଶ୍ୟକ ଵିପୁଳ ପରିମାଣର ତଥ୍ୟ—ଶସ୍ୟ ଭଣ୍ଡାର, ଟିକସ ରେକର୍ଡ, ଜନଗଣନା ତଥ୍ୟ—ସଂରକ୍ଷଣ କରିଵା ପାଇଁ ଏକ ନୂତନ ଉପକରଣ ଉଦ୍ଭାଵନ କରାଗଲା: ଲିପି ଵା ଲେଖା। ଲିପିର ଉଦ୍ଭାଵନ ସହିତ, ମଣିଷ ଆଉ କେଵଳ ଜୀଵନ୍ତ ପ୍ରାଣୀ ହୋଇ ରହିଲା ନାହିଁ । ମଣିଷ ମାଟି ଵା କାଠର ଫଳକରେ କିମ୍ଵା ପାପିରସ୍ ଅଥଵା ଭୋଜ ଓ ତାଳ ଆଦି ପତ୍ରରେ କେଵଳ ତଥ୍ୟ ବିନ୍ଦୁରେ ପରିଣତ ହେଲା। ଏହା ଵ୍ୟକ୍ତିଗତ ସ୍ଵାଧୀନତାର ଆଉ ଏକ ଗଭୀର କ୍ଷତିର ସୂଚନା ଦେଇଥିଲା।

ଆକାଡିଆନ୍, ରୋମାନ୍ କିମ୍ଵା ମୌର୍ଯ୍ୟ ସାମ୍ରାଜ୍ୟ ଭଳି ଵିଶାଳ ସାମ୍ରାଜ୍ୟର ପ୍ରଶାସନ ପାଇଁ କଠୋର ପଦାନୁକ୍ରମର ଆଵଶ୍ୟକତା ଥିଲା। ସମାଜକୁ କଠୋର ଶ୍ରେଣୀରେ ଵିଭକ୍ତ କରାଯାଇଥିଲା—ରାଜା, ପୁରୋହିତ, ଯୋଦ୍ଧା, ଵ୍ୟଵସାୟୀ ଓ ଦାସ। ମାନଵିକ ଅଧିକାରର ଧାରଣା ସେତେବେଳେ ଆଦୌ ନଥିଲା। ଯଦି ଆପଣ ଦାସ ହୋଇ ଜନ୍ମ ହୋଇଛନ୍ତି, ତେବେ ତାହା ହିଁ ଆପଣଙ୍କର ଭାଗ୍ୟ ବୋଲି ଧରିନିଆଯାଉଥିଲା, ଯାହାକୁ ଅନେକ ସମୟରେ ତତ୍କାଳୀନ ଧାର୍ମିକ କିମ୍ଵା ସାଂସ୍କୃତିକ କାହାଣୀଗୁଡ଼ିକ ଦ୍ୱାରା ଯୁକ୍ତିଯୁକ୍ତ ବୋଲି ପ୍ରମାଣିତ କରାଯାଉଥିଲା। ପିରାମିଡ୍ ନିର୍ମାଣ କରିଵା, ପ୍ରାସାଦ ତିଆରି କରିଵା ଏଵଂ ନୂତନ ଭୂଖଣ୍ଡ ଜୟ କରିଵା ପାଇଁ Elite ଵା ଶାସକ ଗୋଷ୍ଠୀର ସ୍ଵାଧୀନତା ସମ୍ପୂର୍ଣ୍ଣ ରୂପେ ସାଧାରଣ ଜନତାଙ୍କ ସ୍ଵାଧୀନତାର ସମ୍ପୂର୍ଣ୍ଣ ଅପହରଣ ଉପରେ ନିର୍ଭର କରୁଥିଲା।

କୃଷିଭିତ୍ତିକ ସାମ୍ରାଜ୍ୟର ଏହି ସୁଦୀର୍ଘ, ଅନ୍ଧକାରମୟ ସମୟ ମଧ୍ୟରେ, ମଣିଷ କ'ଣ ପ୍ରକୃତରେ ସ୍ଵାଧୀନତାର ମୂଲ୍ୟ ବୁଝିପାରିଥିଲା? 

ଅଧିକାଂଶ ସମୟରେ, ସେମାନେ ସେମାନଙ୍କର ପରାଧୀନତାକୁ ଵ୍ରହ୍ମାଣ୍ଡର ପ୍ରାକୃତିକ ନିୟମ ଭାଵରେ ଗ୍ରହଣ କରିନେଇଥିଲେ। ସେହି ସମୟର ପୁରାଣ ଓ ଧର୍ମଗୁଡ଼ିକ କର୍ତ୍ତଵ୍ୟ, ଆଜ୍ଞାପାଳନ ଓ ଭାଗ୍ୟଵାଦ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଥିଲେ। ଯଦି ଜଣେ କୃଷକ ଭାବରେ ଆପଣ କଷ୍ଟ ପାଉଛନ୍ତି, ତେବେ ତାହା ଈଶ୍ଵରଙ୍କ ଇଚ୍ଛା କିମ୍ଵା ଆପଣଙ୍କର ପୂର୍ଵ ଜନ୍ମର କର୍ମର ଫଳ ବୋଲି କୁହାଯାଉଥିଲା। ଵ୍ୟକ୍ତିକୁ ଏକ ଵିଶାଳ ବ୍ରହ୍ମାଣ୍ଡିକ ଯନ୍ତ୍ରର ଏକ ଛୋଟ ଅଂଶ ବୋଲି ଧରିନିଆଯାଉଥିଲା। ତଥାପି, ମାନଵିକ ଦୁଃଖକଷ୍ଟର ଅତ୍ୟଧିକ ନିଷ୍ଠୁରତା ଶେଷରେ ଦାର୍ଶନିକ ଜାଗରଣ ଆଣିଦେଲା।

ଭାରତରେ ଏହି ଦାର୍ଶନିକ ପରମ୍ପରାର ଜନ୍ମ ହେଵାରୁ ମୁନି ଋଷି ସନ୍ୟାସୀ ଆଦି ଦେଖାଦେଲେ ଏଵଂ ସେମାନେ ନଶ୍ଵର ସଂସାର ତ୍ୟାଗକରି ମଧ୍ୟ ମାନସିକ ଶାନ୍ତି ମିଳିପାରେ ବୋଲି ସମାଜକୁ ଶିକ୍ଷା ଦେଲେ । 
ଭାରତରେ ଏସବୁ ଦାର୍ଶନିକ ଜାଗରଣ ଘଟିଵାର ବହୁତ ପରେ ଆଜକୁ ପ୍ରାୟ ଅଢ଼େଇ ହଜାର ଵର୍ଷ ପୂର୍ଵେ ପୃଥିଵୀରେ Axial Age ଦେଖାଦେଲା ଏଵଂ ଵିଶ୍ୱର ଵିଭିନ୍ନ ପ୍ରାନ୍ତରେ ଚିନ୍ତାନାୟକମାନେ ସାଂସାରିକ ପରାଧିନତା ମଧ୍ୟରେ ମିଳୁଥିଵା ଦୁଃଖକଷ୍ଟ ଉପରେ ପ୍ରଶ୍ନ ଉଠାଇଵା ଆରମ୍ଭ କଲେ। ଯଦିଓ ସେମାନେ ତୁରନ୍ତ ଆଧୁନିକ ଗଣତାନ୍ତ୍ରିକ ଅର୍ଥରେ ରାଜନୈତିକ ସ୍ଵାଧୀନତା ଦାବି କରିନଥିଲେ, କିନ୍ତୁ ସେମାନେ ଆଧ୍ୟାତ୍ମିକ ଓ ମାନସିକ ମୁକ୍ତିର ସନ୍ଧାନ କରିଥିଲେ। ସାରା ଵିଶ୍ଵର ମାନଵମାନେ ଅନୁଭଵ କଲେ ଯେ ଭୌତିକ ଜଗତ ବନ୍ଧନରେ ପୂର୍ଣ୍ଣ। ଏହା ଥିଲା ବୋଧହୁଏ ମଣିଷର ନିଜ ଜୀଵନରେ ସ୍ଵାଧୀନତାର ଘୋର ଅଭାଵକୁ ଚିହ୍ନିଵାର ପ୍ରଥମ କ୍ଷୀଣ ଆଲୋକ। ସେମାନେ ବୁଝିଵାକୁ ଆରମ୍ଭ କଲେ ଯେ ଯଦିଓ ସେମାନେ ସେମାନଙ୍କୁ ଶାସନ କରୁଥିଵା ସାମ୍ରାଜ୍ୟଗୁଡ଼ିକୁ ନିୟନ୍ତ୍ରଣ କରିପାରିବେ ନାହିଁ ତଥାପି ସେମାନେ ନିଜ ମନକୁ ନିୟନ୍ତ୍ରଣ କରି ନିଜ ପାଇଁ ଏକ ପ୍ରକାରର ମୁକ୍ତି ଖୋଜିପାରିଵେ। ତଥାପି, ବହୁସଂଖ୍ୟକ "Homo sapiens" ପାଇଁ, ଜୀଵନ କଠୋର ଓ ନିର୍ଦ୍ଦୟ ପଦାନୁକ୍ରମ ଭିତରେ ବଞ୍ଚି ରହିଵାର ଏକ ନିଷ୍ଠୁର ସଂଘର୍ଷ ହୋଇ ରହିଥିଲା।
"କୃଷି ଵିପ୍ରଵ ଵା Agricultural Revolution" ପରର ହଜାର ହଜାର ଵର୍ଷ ଧରି, ମାନଵ ସମାଜର ମୌଳିକ ଗଠନ ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର ରହିଥିଲା। ସାମ୍ରାଜ୍ୟଗୁଡ଼ିକର ଉତ୍ଥାନ ଓ ପତନ ହେଲା, ପୁରୁଣା ରାଜାମାନଙ୍କୁ ହଟାଇ ନୂଆ ରାଜାମାନେ ସିଂହାସନରେ ଵସିଲେ, କିନ୍ତୁ ଜଣେ ସାଧାରଣ କୃଷକ ଓ ଦାସର ମୌଳିକ ଵାସ୍ତଵତାରେ କୌଣସି ଆଖିଦୃଶିଆ ପରିଵର୍ତ୍ତନ ହୋଇନଥିଲା। ସେତେବେଳେ ଏକ ସବୁଠାରୁ ବଡ଼ ମିଥ୍ୟା ମାନଵ ସମାଜରେ ଭରି ଥିଲା — ମାନଵିକ ପଦାନୁକ୍ରମ ହେଉଛି ପ୍ରାକୃତିକ ଓ ଅପରିଵର୍ତ୍ତନୀୟ। ପ୍ରତ୍ୟେକ ଵ୍ୟକ୍ତିଗତ ମଣିଷର ନିଜ ଭାଗ୍ୟ ନିଜେ ନିର୍ଦ୍ଧାରଣ କରିଵାର ସମାନ ଅଧିକାର ଅଛି—ଏହି ଧାରଣା ପ୍ରାଚୀନ ଇଜିପ୍ଟର ଜଣେ ଫାରୋ କିମ୍ଵା ମଧ୍ୟଯୁଗର ଜଣେ ସାମନ୍ତରାଜାଙ୍କ ପାଇଁ ସମ୍ପୂର୍ଣ୍ଣ ପାଗଳାମୀ ଭଳି ଶୁଣାଯାଇଥାନ୍ତା। ମଣିଷର ମନ ତାର ନିଜସ୍ୱ ଜୈଵିକ ପ୍ରକୃତିର ସୀମା, କୃଷି ଅର୍ଥନୀତିର କଠୋର ଵାସ୍ତଵତା ଏଵଂ ସାମାଜିକ କାହାଣୀଗୁଡ଼ିକର ଅଦମ୍ୟ ଶକ୍ତି ଦ୍ୱାରା ଆବଦ୍ଧ ହୋଇ ରହିଥିଲା। କିନ୍ତୁ ଵାହ୍ୟ ଶାନ୍ତ ଆଵରଣ ତଳେ, "Homo sapiens"ର ବୌଦ୍ଧିକ ଯନ୍ତ୍ରପାତି ଅଵିରତ ଭାବରେ କାମ କରୁଥିଲା। ଵିକଳ୍ପ ଵାସ୍ତଵତା କଳ୍ପନା କରିଵାର ଯେଉଁ କ୍ଷମତା ସେମାନଙ୍କୁ ପ୍ରଥମେ କୃଷି ଏଵଂ ସାମ୍ରାଜ୍ୟଵାଦୀ ଵ୍ୟଵସ୍ଥାରେ ଫସାଇ ଦେଇଥିଲା, ତାହା ଏଵେ ବି ଜୀଵନ୍ତ ଥିଲା। ଏହା କେଵଳ ସମୟର କଥା ଥିଲା ଯେବେ ମଣିଷ ଏପରି ଏକ ନୂଆ ଵାସ୍ତଵତାର କଳ୍ପନା କରିଵା ଆରମ୍ଭ କରିଵ ଯେଉଁଠାରେ ସେମାନେ ଆଉ କାହାର ପ୍ରଜା ଵା ଦାସ ନୁହଁନ୍ତି, ଵରଂ ନିଜ ଭାଗ୍ୟର ନିୟନ୍ତା ନିଜେ ହେବେ । ବହୁ ଶତାବ୍ଦୀ ଧରି ପରାଧୀନତାର ଚାପ ଜମା ହେଵାରେ ଲାଗିଥିଲା, କେଵଳ ଉପଯୁକ୍ତ ବୌଦ୍ଧିକ ଓ ଵୈଷୟିକ ସ୍ଫୁଲିଙ୍ଗକୁ ଅପେକ୍ଷା କରିଥିଲା ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର ଵିପ୍ଳଵ ଆରମ୍ଭ କରିଵା ପାଇଁ—ଏପରି ଏକ ଵିପ୍ଳଵ ଯାହା ଶେଷରେ ଵ୍ୟକ୍ତିଗତ ସ୍ଵାଧୀନତାର ଧାରଣାକୁ ମାନଵ ଇତିହାସର କେନ୍ଦ୍ରବିନ୍ଦୁରେ ଆଣି ଛିଡ଼ା କରାଇଵ।
ତହୁଁ ଆଜକୁ ପ୍ରାୟ ପାଞ୍ଚ ଶହ ଵର୍ଷ ପୂର୍ଵେ ମାନଵ ଇତିହାସରେ ଏପରି ଏକ ବୌଦ୍ଧିକ ଭୂମିକମ୍ପ ସୃଷ୍ଟି ହେଲା, ଯାହା ମଣିଷର ନିଜ ପ୍ରତି ଏଵଂ ଵ୍ରହ୍ମାଣ୍ଡ ପ୍ରତି ଥିଵା ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ଏହି ଯୁଗାନ୍ତକାରୀ ଘଟଣାକୁ ଆମେ "Scientific Revolution" ଵା "ଵୈଜ୍ଞାନିକ ଵିପ୍ଳଵ" ବୋଲି କହୁ। ଏହି ଵୈଜ୍ଞାନିକ ଵିପ୍ଳଵର ମୂଳଦୁଆ କୌଣସି ନୂତନ ଜ୍ଞାନର ଆଵିଷ୍କାର ଉପରେ ପର୍ଯ୍ୟଵେସିତ ନଥିଲା, ଵରଂ ଏହା ଏକ ଵିରାଟ ଅଜ୍ଞାନତାର ସ୍ୱୀକୃତି ଉପରେ ଆଧାରିତ ଥିଲା। ସେହି ସମୟ ପର୍ଯ୍ୟନ୍ତ ଵିଭିନ୍ନ ଧର୍ମଗ୍ରନ୍ଥ ଓ ପୁରାଣଗୁଡ଼ିକ ଧରି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକମାନେ ଦାବି କରୁଥିଲେ ଯେ ସେମାନଙ୍କ ପାଖରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଅଛି। କିନ୍ତୁ ଯେତେବେଳେ "Homo sapiens"ମାନେ ପ୍ରଥମ ଥର ପାଇଁ ସ୍ୱୀକାର କଲେ ଯେ, "ଆମେ ସବୁକିଛି ଜାଣି ନାହୁଁ," ସେତେବେଳେ ସତ୍ୟର ସନ୍ଧାନ ପାଇଁ ଏକ ନୂଆ ରାସ୍ତା ଖୋଲିଗଲା। "Galileo Galilei", "Isaac Newton" ଓ "Charles Darwin"ଙ୍କ ଭଳି ଵୈଜ୍ଞାନିକମାନେ ପ୍ରମାଣ କରିଦେଲେ ଯେ ବ୍ରହ୍ମାଣ୍ଡ କୌଣସି ଈଶ୍ୱରଙ୍କର ମନମୁଖୀ ଇଚ୍ଛାରେ ନୁହେଁ ଵରଂ ନିର୍ଦ୍ଦିଷ୍ଟ ଗାଣିତିକ ଓ ଭୌତିକ ନିୟମ ଅନୁଯାୟୀ ପରିଚାଳିତ ହେଉଛି। ଯଦି ବ୍ରହ୍ମାଣ୍ଡକୁ ବୁଝିଵା ଓ ନିୟନ୍ତ୍ରଣ କରିଵା ମଣିଷ ପକ୍ଷରେ ସମ୍ଭଵ, ତେଵେ ସମାଜ ଓ ରାଜନୀତିକୁ କାହିଁକି ନୁହେଁ? ଏହି ଗୋଟିଏ ପ୍ରଶ୍ନ ହିଁ ରାଜାମାନଙ୍କର ଦୈଵୀ ଅଧିକାରର ମୂଳଦୁଆକୁ ଦୋହଲାଇ ଦେଲା। ଯଦି ଵର୍ଷା ଦେଵତାଙ୍କ କ୍ରୋଧରୁ ନୁହେଁ ଵରଂ ପାଣିପାଗର ଚକ୍ର ଯୋଗୁଁ ହେଉଛି, ତେବେ ରାଜା ମଧ୍ୟ ଭଗଵାନଙ୍କ ପ୍ରତିନିଧି ନୁହଁନ୍ତି, ସେ କେଵଳ ମଣିଷ ତିଆରି ଏକ ଵ୍ୟଵସ୍ଥାର ଅଂଶ ମାତ୍ର। ଏହି ଚିନ୍ତାଧାରାରୁ ଜନ୍ମ ନେଲା "Humanism" ଵା ମାନଵଵାଦ, ଯାହା ମାନଵ ଇତିହାସରେ ପ୍ରଥମ ଥର ପାଇଁ ଵ୍ୟକ୍ତିଗତ ମଣିଷକୁ ଏଵଂ ତାର ଅନୁଭୂତିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଲା।

"Humanism" ର ଵିକାଶ ସହିତ Homo sapiensମାନେ ଅଷ୍ଟାଦଶ ଶତାବ୍ଦୀର ଜ୍ଞାନୋଦୟ ଵା The Age of Enlightenmentକୁ ଦେଖିଵାକୁ ପାଆନ୍ତି । 
ସେହି ସମୟରେ"John Locke", "Voltaire" ଓ "Jean-Jacques Rousseau"ଙ୍କ ଭଳି ଦାର୍ଶନିକମାନେ ଯୁକ୍ତି କଲେ ଯେ ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ କିଛି ପ୍ରାକୃତିକ ଅଧିକାର ନେଇ ଜନ୍ମ ହୋଇଥାଏ। ରାଷ୍ଟ୍ର ଵା ସରକାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଵ୍ୟକ୍ତିର ସେହି ସ୍ଵାଧୀନତା ଓ ଅଧିକାରକୁ ସୁରକ୍ଷା ପ୍ରଦାନ କରିଵା। ଯଦି ସରକାର ଏପରି କରିଵାରେ ଵିଫଳ ହୁଏ, ତେବେ ତାକୁ ବଦଳାଇଦେଵାର ପୂର୍ଣ୍ଣ ସ୍ଵାଧୀନତା ଜନସାଧାରଣଙ୍କର ଅଛି। ଏହା ଥିଲା ଇତିହାସରେ ବଡ଼ ବଡ଼ ପରିଵର୍ତ୍ତନର ସମୟ । ହଜାର ହଜାର ଵର୍ଷ ଧରି ଲୋକଙ୍କୁ ଶିଖାଯାଇଥିଲା ଯେ ଵ୍ୟକ୍ତିର କର୍ତ୍ତଵ୍ୟ ହେଉଛି ରାଷ୍ଟ୍ର ଵା ରାଜାଙ୍କ ସେଵା କରିଵା। କିନ୍ତୁ ଏବେ କୁହାଗଲା ଯେ ରାଷ୍ଟ୍ରର କର୍ତ୍ତଵ୍ୟ ହେଉଛି ଵ୍ୟକ୍ତିର ସେଵା କରିଵା। ଏହି ଦାର୍ଶନିକ ଵିତର୍କ ଖୁବ୍ ଶୀଘ୍ର ରକ୍ତାକ୍ତ ଵିପ୍ଳଵର ରୂପ ନେଲା। ୧୭୭୬ ମସିହାରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ଏଵଂ ୧୭୮୯ ମସିହାର ଫରାସୀ ଵିପ୍ଳଵ କେଵଳ କ୍ଷମତା ପରିଵର୍ତ୍ତନ ନଥିଲା; ଏହା ଥିଲା ସ୍ଵାଧୀନତାର ଧାରଣାକୁ କାଗଜପତ୍ରରୁ ବାହାର କରି ଆଇନ ଓ ସମ୍ଵିଧାନରେ ପରିଣତ କରିଵାର ପ୍ରଥମ ପ୍ରୟାସ। "ସମସ୍ତ ମଣିଷ ସମାନ ଭାବରେ ସୃଷ୍ଟି ହୋଇଛନ୍ତି" ବୋଲି ଘୋଷଣା କରାଗଲା। ଅଵଶ୍ୟ, ଏହି ସ୍ଵାଧୀନତା ପ୍ରାରମ୍ଭିକ ପର୍ଯ୍ୟାୟରେ ଅତ୍ୟନ୍ତ ପକ୍ଷପାତପୂର୍ଣ୍ଣ ଥିଲା। ଯେଉଁମାନେ ସ୍ଵାଧୀନତାର ଘୋଷଣାନାମା ଲେଖୁଥିଲେ, ସେମାନଙ୍କ ମଧ୍ୟରୁ ଅନେକ ନିଜ ଘରେ ଆଫ୍ରିକୀୟ ଦାସମାନଙ୍କୁ ଶୃଙ୍ଖଳିତ କରି ରଖିଥିଲେ ଏଵଂ ମହିଳାମାନଙ୍କୁ ଭୋଟ୍ ଦେଵାର ଅଧିକାର ଦେଵା କଥା ସେମାନେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ତଥାପି, ଏହି ଵିପ୍ଳଵଗୁଡ଼ିକ ମଣିଷ ମନରେ ସ୍ଵାଧୀନତାର ଏକ ଏପରି ଭୂତାଣୁ ପ୍ରଵେଶ କରାଇଦେଲେ ଯାହାକୁ ଆଉ ନଷ୍ଟ କରାଯାଇପାରିଵ ନାହିଁ। ପରଵର୍ତ୍ତୀ ଦୁଇ ଶହ ଵର୍ଷର ଇତିହାସ ହେଉଛି ଏହି ସ୍ଵାଧୀନତାର ପରିସରକୁ ଵୃଦ୍ଧି କରି ଦାସ, ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚାଇଵାର ଏକ ନିରନ୍ତର ସଂଘର୍ଷ।

ରାଜନୈତିକ ସ୍ଵାଧୀନତା ସହିତ ସମାନ୍ତରାଳ ଭାବରେ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଏକ ଵିରାଟ ପରିଵର୍ତ୍ତନ ଘଟିଲା। "Industrial Revolution" ଵା "ଶିଳ୍ପ ଵିପ୍ଳଵ" ଏଵଂ "ପୁଞ୍ଜିବାଦ ଵା Capitalism"ର ଵିକାଶ ସାମନ୍ତଵାଦୀ ଅର୍ଥଵ୍ୟଵସ୍ଥାକୁ ଧ୍ୱଂସ କରିଦେଲା। "Adam Smith"ଙ୍କ ଭଳି ଅର୍ଥନୀତିଜ୍ଞମାନେ ମୁକ୍ତ ବଜାର ଵା Free marketର ଧାରଣା ଦେଲେ। ପ୍ରଥମ ଥର ପାଇଁ, ଲୋକମାନଙ୍କୁ ସେମାନଙ୍କର ପୈତୃକ ଵୃତ୍ତି ଗ୍ରହଣ କରିଵାକୁ ବାଧ୍ୟ କରାଗଲା ନାହିଁ। ଜଣେ କୃଷକର ପୁଅ ଚାହିଁଲେ ସହରକୁ ଯାଇ ଵ୍ୟଵସାୟ କରିପାରିଵ, ନିଜ ପସନ୍ଦର ଜୀଵନସାଥୀ ବାଛିପାରିଵ ଏଵଂ ନିଜ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନରେ ଵାସ କରିପାରିଵ। ଵ୍ୟକ୍ତିଵାଦ ଵା Individualism ଏକ ନୂତନ ଧର୍ମରେ ପରିଣତ ହେଲା। କିନ୍ତୁ ପ୍ରତ୍ୟେକ କ୍ରାନ୍ତି ଭଳି, ଏହାର ମଧ୍ୟ ଏକ ଅନ୍ଧକାର ଦିଗ ଥିଲା। ଯଦିଓ ପୁରୁଣା ଶିକୁଳିଗୁଡ଼ିକ ଖୋଲିଯାଇଥିଲା, ତଥାପି ଶିଳ୍ପାୟନ ମଣିଷକୁ ଯନ୍ତ୍ରର ଏକ ଛୋଟ Parts ଵା ଅଂଶରେ ପରିଣତ କରିଦେଲା। କୋଇଲା ଖଣି ଆଉ ଲୁଗା କଳଗୁଡ଼ିକରେ କାମ କରୁଥିଵା ଶ୍ରମିକମାନଙ୍କର ଜୀଵନ ପ୍ରାଚୀନ ଦାସମାନଙ୍କଠାରୁ କୌଣସି ଗୁଣରେ ଭଲ ନଥିଲା। "Karl Marx"ଙ୍କ ଭଳି ଦାର୍ଶନିକମାନେ ଯୁକ୍ତି କଲେ ଯେ ପୁଞ୍ଜିଵାଦ ଯେଉଁ ସ୍ଵାଧୀନତାର ପ୍ରତିଶ୍ରୁତି ଦେଉଛି ତାହା ଏକ ଭ୍ରମ। ଯଦି ଜଣେ ଶ୍ରମିକକୁ ବଞ୍ଚିଵା ପାଇଁ ଦିନକୁ ଚଉଦ ଘଣ୍ଟା ଅମାନଵୀୟ ପରିସ୍ଥିତିରେ ଖଟିଵାକୁ ପଡୁଛି, ତେବେ ତା' ପାଖରେ କି ସ୍ଵାଧୀନତା ଅଛି? ଏହି ଵିଚାରଵିମର୍ଶରୁ ଜନ୍ମ ନେଲା ସାମ୍ୟଵାଦ ଏଵଂ ଵିଂଶ ଶତାବ୍ଦୀର ଵିଭିନ୍ନ ଶ୍ରମିକ ଆନ୍ଦୋଳନ। ଵିଂଶ ଶତାବ୍ଦୀ ପ୍ରକୃତରେ ମାନଵିକ ସ୍ଵାଧୀନତାର ସଂଜ୍ଞା ନିର୍ଦ୍ଧାରଣ କରିଵା ପାଇଁ ଏକ ଭୟଙ୍କର ପରୀକ୍ଷାଗାର ଥିଲା। ଫାସିଵାଦୀମାନେ ଵ୍ୟକ୍ତିଗତ ସ୍ଵାଧୀନତାକୁ ଘୃଣା କରୁଥିଲେ ଏଵଂ ରାଷ୍ଟ୍ର ଵା ଜାତି ପାଇଁ ସର୍ବୋଚ୍ଚ ଵଳିଦାନକୁ ଗୁରୁତ୍ୱ ଦେଉଥିଲେ। ସାମ୍ୟଵାଦୀମାନେ ଵ୍ୟକ୍ତିଗତ ସ୍ଵାଧୀନତା ଅପେକ୍ଷା ସାମାଜିକ ସମାନତା ଉପରେ ଅଧିକ ଗୁରୁତ୍ବ ଦେଲେ। କିନ୍ତୁ ଶେଷରେ Liberalism ଵା ଉଦାରଵାଦ ହିଁ ଵିଜୟୀ ହେଲା। ଉଦାରଵାଦ ଵିଶ୍ୱାସ କରେ ଯେ ଵ୍ୟକ୍ତିଗତ ମଣିଷର ଇଚ୍ଛା ହିଁ ସର୍ବୋଚ୍ଚ ପ୍ରାଧିକାରଣ; ଗ୍ରାହକ ସର୍ଵଦା ଠିକ୍ ଏଵଂ ଭୋଟର ହିଁ ସବୁଠାରୁ ବଡ଼ ନିଷ୍ପତ୍ତିକର୍ତ୍ତା। ଏହି ଚିନ୍ତାଧାରା ଵିଶ୍ୱଵ୍ୟାପୀ ଗ୍ରହଣୀୟ ହେଲା କାରଣ ଯେଉଁ ଦେଶଗୁଡ଼ିକ ଵ୍ୟକ୍ତିଗତ ସ୍ଵାଧୀନତା ପ୍ରଦାନ କଲେ, ସେଠାରେ ଵୈଜ୍ଞାନିକ ଉଦ୍ଭାଵନ ଏଵଂ ଅର୍ଥନୈତିକ ଅଭିଵୃଦ୍ଧି ସବୁଠାରୁ ଦ୍ରୁତ ଗତିରେ ହେଲା।
ଏକଵିଂଶ ଶତାବ୍ଦୀର ଆରମ୍ଭ ଵେଳକୁ ଏପରି ଲାଗୁଥିଲା ଯେମିତି ମଣିଷ ନିଜ ସ୍ଵାଧୀନତାର ସର୍ଵୋଚ୍ଚ ଶିଖରରେ ପହଞ୍ଚିଯାଇଛି। ଆମେ ଯାହା ଚାହୁଁ ତାହା ପଢ଼ିପାରିବୁ, ଯେକୌଣସି ଜାଗାକୁ ଯାତ୍ରା କରିପାରିବୁ ଏଵଂ ନିଜର ମତ ସ୍ୱାଧୀନ ଭାବରେ ପ୍ରକାଶ କରିପାରିବୁ। ତେବେ ଠିକ୍ ଏହି ସମୟରେ, ମଣିଷ ନିଜେ ତିଆରି କରିଥିଵା ଵିଜ୍ଞାନ ଆଉ ଏକ ନୂଆ ଓ ଅଦୃଶ୍ୟ ପଞ୍ଜୁରୀର ନିର୍ମାଣ ଆରମ୍ଭ କରିଦେଇଥିଲା। ଆଧୁନିକ "ସ୍ନାୟୁବିଜ୍ଞାନ ଵା Neuroscience", "ଆନୁଵଂଶିକ ଵିଜ୍ଞାନ ଵା Genetics" ଏଵଂ "ସଙ୍ଗଣକ ଵିଜ୍ଞାନ ଵା Computer Science"ର ଵିକାଶ ଆମର ଏହି ପ୍ରିୟ ଧାରଣା ଉପରେ ଏକ ପ୍ରଚଣ୍ଡ ଆଘାତ କରିଛି ଯେ ଆମ ଭିତରେ 'ମୁକ୍ତ ଇଚ୍ଛା' ଵା "Free Will" ନାମକ କିଛି ଅଛି। ଵୈଜ୍ଞାନିକମାନେ ପ୍ରମାଣ କରିଛନ୍ତି ଯେ ଆମର ଇଚ୍ଛାଗୁଡ଼ିକ କୌଣସି ଅଭୌତିକ ଆତ୍ମା ଵା ସ୍ୱାଧୀନ ଚେତନାରୁ ଆସେ ନାହିଁ। ଵରଂ ଆମର ପ୍ରତିଟି ନିଷ୍ପତ୍ତି—ଆମେ କାହାକୁ ଭଲ ପାଇବୁ, କେଉଁ ଖାଦ୍ୟ ଖାଇବୁ କିମ୍ଵା କାହାକୁ ଭୋଟ୍ ଦେବୁ—ତାହା ଆମ ମସ୍ତିଷ୍କରେ ଘଟୁଥିଵା ଲକ୍ଷ ଲକ୍ଷ Neuron ଵା ସ୍ନାୟୁକୋଷର ଵୈଦ୍ୟୁତିକ ଓ ରାସାୟନିକ ପ୍ରତିକ୍ରିୟାର ଫଳାଫଳ ମାତ୍ର। ଏହି ଜୈଵିକ ପ୍ରକ୍ରିୟାଗୁଡ଼ିକ ଆମର ଡିଏନଏ, ଆମର ଅତୀତର ଅନୁଭୂତି ଏଵଂ ପରିଵେଶ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଅର୍ଥାତ୍, ଆମର ଭାଵନା ଏଵଂ ଇଚ୍ଛାଗୁଡ଼ିକ ପ୍ରକୃତରେ ଜଟିଳ ଜୈଵିକ "କ୍ରମଵିଧି ଵା Algorithms" ଛଡ଼ା ଆଉ କିଛି ନୁହେଁ। ଯେପର୍ଯ୍ୟନ୍ତ ଏହି ଆଲଗୋରିଦମ୍ ଵା କ୍ରମଵିଧିଗୁଡ଼ିକ ଏକ ରହସ୍ୟ ଥିଲା, ସେପର୍ଯ୍ୟନ୍ତ ଆମେ ନିଜକୁ ସ୍ଵାଧୀନ ମନେ କରୁଥିଲୁ। କିନ୍ତୁ ଵର୍ତ୍ତମାନ "Biotech" ଵା ଜୈଵ-ପ୍ରଯୁକ୍ତିଵିଦ୍ୟା ତଥା "Infotech" ଵା ସୂଚନା-ପ୍ରଯୁକ୍ତିଵିଦ୍ୟାର ଏକ ଭୟଙ୍କର ମିଶ୍ରଣ ଘଟୁଛି।

ଆଜିର ଦୁନିଆରେ "Big Data" ଏଵଂ "Artificial Intelligence" ଵା "କୃତ୍ରିମ ବୁଦ୍ଧିମତା" ଆମ ମସ୍ତିଷ୍କର ଜୈଵିକ ପ୍ରକ୍ରିୟାକୁ ଭେଦ କରିଵା ଵା Hack କରିଵାର କ୍ଷମତା ଲାଭ କରିସାରିଲେଣି। ଯେତେଵେଳେ ଆପଣ ଇଣ୍ଟରନେଟରେ କିଛି ଖୋଜୁଛନ୍ତି, କୌଣସି Video ଵା ଚଳଦୃଶ୍ୟ ଦେଖୁଛନ୍ତି କିମ୍ଵା କୌଣସି ଉପସ୍ଥାପନ ଵା Postକୁ ପସନ୍ଦ କରୁଛନ୍ତି, ଵିଭିନ୍ନ କମ୍ପାନୀ ଏଵଂ ସରକାରଙ୍କ କ୍ରମଵିଧି(Algorithm) ଆପଣଙ୍କ ଵିଷୟରେ ଵିପୁଳ ପରିମାଣର ତଥ୍ୟ ସଂଗ୍ରହ କରୁଛନ୍ତି। ଆପଣ ନିଜକୁ ଯେତିକି ଜାଣିନାହାନ୍ତି, "AI" ଆପଣଙ୍କୁ ତା'ଠାରୁ ବହୁତ ଅଧିକ ଜାଣିସାରିଲାଣି। ଏହା ଜାଣିଛି ଆପଣଙ୍କର ଦୁର୍ଵଳତା କ'ଣ, ଆପଣ କେଉଁଥିରେ ରାଗନ୍ତି, ଏଵଂ କେଉଁ ଜିନିଷ ଦେଖିଲେ ଆପଣଙ୍କ ମସ୍ତିଷ୍କରେ ଆନନ୍ଦଦାୟକ ରସାୟନ କ୍ଷରିତ ହୁଏ। ଯେତେବେଳେ ଏକ ଵାହ୍ୟ ପ୍ରଣାଳୀ ଆପଣଙ୍କ ଇଚ୍ଛାକୁ ଆପଣଙ୍କଠାରୁ ଭଲ ଭାବରେ ବୁଝିପାରେ ଏଵଂ ଆପଣଙ୍କ ଅଜାଣତରେ ତାହାକୁ ନିୟନ୍ତ୍ରଣ କରିପାରେ, ସେତେଵେଳେ 'ସ୍ଵାଧୀନତା' ର ଅର୍ଥ କ'ଣ ରହିଯାଏ? ଭଵିଷ୍ୟତରେ ହୁଏତ ବନ୍ଧୁକ ମୁନରେ ଏକଛତ୍ରଵାଦୀ ଶାସନ କରିଵାର ଆଵଶ୍ୟକତା ପଡ଼ିଵ ନାହିଁ। ଵରଂ, Algorithm ଵା କ୍ରମଵିଧିଗୁଡ଼ିକ ଏତେ ଚତୁରତାର ସହ ଆମର ଇଚ୍ଛାକୁ ରୂପାନ୍ତରିତ କରିବେ ଯେ ଆମେ ନିଶ୍ଚିନ୍ତରେ ନିଜର ସ୍ଵାଧୀନତାକୁ ପ୍ରଯୁକ୍ତି ଵା Technology ହାତରେ ଟେକିଦେବୁ। କିଛି ଚିନ୍ତାନାୟକ ଏହାକୁ "Dataism" ଵା ତଥ୍ୟଵାଦ ବୋଲି ଆଖ୍ୟା ଦେଇଛନ୍ତି, ଯହିଁରେ ମଣିଷ କେଵଳ ତଥ୍ୟ ପ୍ରକ୍ରିୟାକରଣ କରିଵାର ଏକ ମାଧ୍ୟମରେ ପରିଣତ ହୋଇଯିଵ ଏଵଂ ପ୍ରକୃତ ନିଷ୍ପତ୍ତି Machine ଵା ଯନ୍ତ୍ରଗୁଡ଼ିକ ନେବେ । ଆମେ କୃଷି ଵିପ୍ଳଵ ସମୟରେ ପ୍ରକୃତିରୁ ଵିଚ୍ଛିନ୍ନ ହୋଇ ଜମିର ଦାସ ସାଜିଲୁ, ଶିଳ୍ପ ଵିପ୍ଳଵ ସମୟରେ ଯନ୍ତ୍ରର ଦାସ ସାଜିଲୁ ଏଵଂ ଏବେ ତଥ୍ୟ ଵିପ୍ଳଵ ସମୟରେ ଆମେ ଆମ ନିଜ ସୃଷ୍ଟି କରିଥିଵା କୃତ୍ରିମ ବୁଦ୍ଧିମତ୍ତାର ଦାସ ସାଜିଵାକୁ ଯାଉଛୁ ତାହା ବି ଏକ ସ୍ୱେଚ୍ଛାକୃତ ଦାସତ୍ୱ ଯେଉଁଥିରେ ଆମେ ନିଜକୁ ସ୍ଵାଧୀନ ବୋଲି ଭାବିଵାର ଏକ ମିଥ୍ୟା ଆନନ୍ଦ ପାଉଛୁ।

ଏହି ସମସ୍ତ ଵୈଜ୍ଞାନିକ ତଥ୍ୟ ଏଵଂ ଐତିହାସିକ ଵିଶ୍ଳେଷଣ ପରେ ଗୋଟିଏ ପ୍ରଶ୍ନ ମନକୁ ଆସେ ଯେ " ତେଵେ ସ୍ଵାଧୀନତା କାହିଁକି ମହତ୍ତ୍ଵପୂର୍ଣ୍ଣ? ଯଦି ଵ୍ରହ୍ମାଣ୍ଡରେ ସ୍ଵାଧୀନତାର କୌଣସି ଅସ୍ତିତ୍ଵ ନାହିଁ, ଯଦି "Free Will" କେଵଳ ଏକ ଜୈଵିକ ଭ୍ରମ, ଏଵଂ ଯଦି ଆମର ନିଷ୍ପତ୍ତିଗୁଡ଼ିକ Algorithm ଵା କ୍ରମଵିଧିଗୁଡ଼ିକ ଦ୍ୱାରା ପରିଚାଳିତ, ତେବେ ମଣିଷ କାହିଁକି ଏହି ଧାରଣା ପାଇଁ ଏତେ ରକ୍ତପାତ କରିଛି ଏଵଂ ଏତେ ସଂଘର୍ଷ କରିଛି ?" 

ଏହାର ଉତ୍ତର ହେଉଛି—ମାନଵ ସମାଜ ମିଥ୍ୟା କିମ୍ଵା କାଳ୍ପନିକ କାହାଣୀ ବିନା ତିଷ୍ଠି ପାରିଵ ନାହିଁ। ଅର୍ଥ, ଵ୍ୟଵସାୟ, ଆଇନ, ରାଷ୍ଟ୍ର—ଏସବୁ କେଵଳ ମଣିଷର କଳ୍ପନା ପ୍ରସୂତ। ସ୍ଵାଧୀନତା ହେଉଛି "Homo sapiens" ଦ୍ୱାରା ଉଦ୍ଭାଵିତ ସର୍ଵଶ୍ରେଷ୍ଠ ଏଵଂ ସବୁଠାରୁ ଉପଯୋଗୀ କାହାଣୀ। ଯଦିଓ ଏହା ପଦାର୍ଥଵିଜ୍ଞାନର କୌଣସି ନିୟମ ନୁହେଁ, ତଥାପି ଏହି ଗୋଟିଏ କାହାଣୀ ହିଁ ପୃଥିଵୀରୁ ଅକଳ୍ପନୀୟ ମାତ୍ରାରେ ମାନଵିକ ଯନ୍ତ୍ରଣା ଏଵଂ ଦୁଃଖକଷ୍ଟକୁ ହ୍ରାସ କରିପାରିଛି । 

ଯେତେଵେଳେ ମଣିଷ ନିଜକୁ ସ୍ଵାଧୀନ ବୋଲି ଵିଶ୍ୱାସ କଲା, ସେତେବେଳେ ସେ ଦାସପ୍ରଥା ଉଚ୍ଛେଦ କଲା, ଏକଚ୍ଛତ୍ରଵାଦକୁ ଵିରୋଧ କଲା ଏଵଂ ଏପରି ଏକ ସମାଜ ଗଠନ କଲା ଯେଉଁଠି ଦୁର୍ଵଳ ଵ୍ୟକ୍ତିର ମଧ୍ୟ କିଛି ମୂଲ୍ୟ ରହିଛି। ଆମର ଜୈଵିକ ଇଚ୍ଛାଗୁଡ଼ିକ ହୁଏତ ସ୍ଵାଧୀନ ନହୋଇପାରେ, କିନ୍ତୁ ଆମେ ଅନୁଭଵ କରୁଥିଵା ଦୁଃଖ ଓ କଷ୍ଟ ସମ୍ପୂର୍ଣ୍ଣ ଵାସ୍ତଵ । ଯେତେବେଳେ ଜଣେ ଵ୍ୟକ୍ତିକୁ ଶିକୁଳିରେ ବାନ୍ଧି ଦିଆଯାଏ କିମ୍ଵା ତା'ର ମତ ପ୍ରକାଶର ଅଧିକାର ଛଡ଼ାଇ ନିଆଯାଏ, ସେତେବେଳେ ସେ ଯେଉଁ ଯନ୍ତ୍ରଣା ଅନୁଭଵ କରେ, ତାହା କୌଣସି କଳ୍ପନା ନୁହେଁ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇଵାର ଏକମାତ୍ର ମାଧ୍ୟମ ହେଉଛି 'ସ୍ଵାଧୀନତା'ର ଧାରଣା ଉପରେ ଦୃଢ଼ ଵିଶ୍ୱାସ।
ଆଜିର ଏକଵିଂଶ ଶତାବ୍ଦୀରେ ମଣିଷର ପ୍ରକୃତ ସ୍ଵାଧୀନତା ଆଉ କୌଣସି ଵିଦେଶୀ ସାମ୍ରାଜ୍ୟ କିମ୍ଵା ସ୍ଥାନୀୟ ଶାସକ ଵିରୁଦ୍ଧରେ ସଂଗ୍ରାମ କରିଵାରେ ସୀମିତ ନାହିଁ।

ଵର୍ତ୍ତମାନର ସବୁଠାରୁ ବଡ଼ ସଂଘର୍ଷ ହେଉଛି ଆମର ମନୋଵିଜ୍ଞାନକୁ Hack କରୁଥିଵା Technology ଵା ପ୍ରଯୁକ୍ତିଠାରୁ ନିଜକୁ ରକ୍ଷା କରିଵା। ଯଦି ଆମେ ଵାସ୍ତଵରେ ସ୍ଵାଧୀନ ହେଵାକୁ ଚାହୁଁ, ତେଵେ ଆମକୁ ନିଜର ଦୁର୍ଵଳତା, ଆମର ଭୟ, ଏଵଂ ଆମର ଇଚ୍ଛାଗୁଡ଼ିକୁ "Artificial Intelligence ଵା କୃତ୍ରିମ ବୁଦ୍ଧିମତା"ଠାରୁ ଅଧିକ ଗଭୀର ଭାବରେ ଚିହ୍ନିଵାକୁ ହେଵ।

ଅତି ପ୍ରାଚୀନ କାଳରେ ତୃଣଭୂମିରେ ଚାଲ୍ ବୁଲ୍ କରୁଥିଵା ମଣିଷଟିଏ ପ୍ରଥମେ ପ୍ରକୃତିର ଦାସ ଥିଲା, ତା'ପରେ ସେ ନିଜେ ତିଆରି କରିଥିଵା ସାମ୍ରାଜ୍ୟର ଦାସ ହେଲା ଏଵଂ ଆଜି ସେ ନିଜର ଵୈଷୟିକ ଜ୍ଞାନର ଦାସ ହେଵାକୁ ଯାଉଛି। ତେଣୁ ସ୍ଵାଧୀନତାର ଯାତ୍ରା କେବେ ଶେଷ ହୁଏ ନାହିଁ। ଏହା ହେଉଛି ସଚେତନତାର ଏକ ନିରନ୍ତର ସଂଗ୍ରାମ। ସ୍ଵାଧୀନତା କୌଣସି ସ୍ଥାୟୀ ଵସ୍ତୁ ନୁହେଁ ଯାହା ଥରେ ମିଳିଗଲେ ସବୁଦିନ ପାଇଁ ରହିଵ; ଏହା ହେଉଛି ଏକ ଦାର୍ଶନିକ ଓ ପ୍ରାୟୋଗିକ ପ୍ରକ୍ରିୟା, ଯାହାକୁ ପ୍ରତିଟି ପିଢ଼ିକୁ ନିଜ ନିଜ ଢଙ୍ଗରେ ପୁନଃ-ଆଵିଷ୍କାର ଓ ରକ୍ଷା କରିଵାକୁ ପଡ଼ିଵ। ମଣିଷ ସ୍ଵାଧୀନତାର ମୂଲ୍ୟ ସେବେ ବୁଝିଲା ଯେବେ ସେ ଅନୁଭଵ କଲା ଯେ ତାର କାହାଣୀ ଲେଖିଵାର କଲମ ତା' ନିଜ ହାତରେ ଅଛି; ଆଉ ଭଵିଷ୍ୟତରେ ମଣିଷର ସ୍ଵାଧୀନତା ସେବେ ବଞ୍ଚିଵ, ଯେବେ ସେ ନିଶ୍ଚିତ କରିଵ ଯେ ସେହି କଲମ ଆଉ କାହା ହାତକୁ କିମ୍ବା କୌଣସି ମେସିନ୍ ପାଖକୁ ଚାଲିଯାଇ ନାହିଁ।
•••••••••••••••••••••••••••••••••••••
ସୂଚନା ଓ ଆଧାର ଗ୍ରନ୍ଥ (References):
•••••••••••••••••••••••••••••••••••••
ଏହି ପ୍ରବନ୍ଧଟି କୌଣସି ନିର୍ଦ୍ଦିଷ୍ଟ ପୁସ୍ତକର ଏକ ପ୍ରବନ୍ଧର ପୂର୍ଣ୍ଣତଃ ଅନୁବାଦ ନୁହେଁ। ଵିଶିଷ୍ଟ ଇତିହାସଵିତ୍ ତଥା ଚିନ୍ତକ ୟୁଵାଲ୍ ନୋଆ ହାରାରିଙ୍କ ଵିଭିନ୍ନ ପୁସ୍ତକରେ ଵର୍ଣ୍ଣିତ ମାନଵ ଵିଵର୍ତ୍ତନ ଓ ଭଵିଷ୍ୟତର ଚିନ୍ତାଧାରାଠାରୁ ପ୍ରେରଣା ଲାଭ କରି ଏହାକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ମୌଳିକ ଓଡ଼ିଆ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଅଵଶ୍ୟ ପ୍ରବନ୍ଧର ଶୈଳୀ ୟୁଵାଲ୍ ନୋଆ ହାରାରିଙ୍କ ପୁସ୍ତକ ଶୈଳୀରେ ହିଁ ଲେଖାଯାଇଛି । ଏହା ସମ୍ବନ୍ଧରେ ଆହୁରି ଵିସ୍ତାର ଭାବରେ ପଢ଼ିଵାକୁ ଚାହୁଁଥିଲେ ୟୁଵାଲ୍ ନୋଆ ହାରାରିଙ୍କର ମୁଖ୍ୟତଃ ଚାରିଗୋଟି ପୁସ୍ତକ ପଢ଼ିପାରନ୍ତି । 

(1.)Sapiens: A Brief History of Humankind(2011). 
ଏଥିରୁ ଜ୍ଞାନାତ୍ମକ ଵିପ୍ଳଵ, କୃଷି ଵିପ୍ଳଵ ଏଵଂ ମାନଵ ସମାଜର ଵିଵର୍ତ୍ତନ ସମ୍ବନ୍ଧୀୟ ତଥ୍ୟ ଗ୍ରହଣ କରାଯାଇଛି।

(2.)Homo Deus: A Brief History of Tomorrow(2016)
ମଣିଷର ଜୈଵିକ ଆଲଗୋରିଦମ୍ , ମୁକ୍ତ ଇଚ୍ଛା (Free Will)ର ଭ୍ରମ ଏଵଂ ଡାଟାବାଦ (Dataism) ସମ୍ପର୍ଣ୍ଣ ଦାର୍ଶନିକ ଵିଶ୍ଳେଷଣ ଏଥିରୁ ଗୃହୀତ ହୋଇଛି ।

(3.)21 Lessons for the 21st Century(2018)
ଆଧୁନିକ ପ୍ରଯୁକ୍ତିଵିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା (AI) ଏଵଂ ମାନଵ ମନୋଵିଜ୍ଞାନକୁ ହ୍ୟାକ୍ କରିଵାର ପ୍ରସଙ୍ଗ ଏଥିରେ ଵର୍ଣ୍ଣିତ ଏଵଂ ତହିଁର ସାର ଏହି ପ୍ରବନ୍ଧରେ ଗୃହୀତ ହୋଇଛି ।

(4.) Nexus: A Brief History of Information Networks from the Stone Age to AI(2024)
ପ୍ରାଚୀନ ପଥର ଯୁଗରୁ କୃତ୍ରିମ ବୁଦ୍ଧିମତ୍ତା ପର୍ଯ୍ୟନ୍ତ ସୂଚନା ନେଟୱାର୍କର ଇତିହାସ ଏଥିରେ ଵର୍ଣ୍ଣିତ ଏଵଂ ଏଥିରେ ଥିଵା ଲିପିର ଉଦ୍ଭାଵନ ତଥା ସୂଚନା ପ୍ରଯୁକ୍ତିର ପ୍ରଭାବ ସମ୍ବନ୍ଧୀୟ ଚିନ୍ତାଧାରାର ସାର ପ୍ରବନ୍ଧରେ ଗୃହୀତ ହୋଇଛି ।
•••••••••••••••••••••••••••••••••••••