My Blog List

Showing posts with label ଵିଜ୍ଞାନ. Show all posts
Showing posts with label ଵିଜ୍ଞାନ. Show all posts

Sunday, August 9, 2026

•ଭାରତର ପ୍ରକୃତ ମୂଳନିଵାସୀ କିଏ ?•

ଆଜିକାଲି ଭାରତର କିଛି ନିର୍ଦ୍ଧିଷ୍ଟ ଵର୍ଗର ଲୋକମାନେ ନିଜକୁ ମୂଳ ନିଵାସୀ କହି ବୁଲୁଛନ୍ତି। କିନ୍ତୁ ପ୍ରକୃତରେ କ'ଣ ସେମାନେ ମୂଳନିଵାସୀ ଏଵଂ ଅନ୍ୟମାନେ ଵିଦେଶୀ ? ଏହି ପ୍ରଶ୍ନଟି ଆଜିର ସମାଜରେ ଏକ ବଡ଼ ଵିତର୍କର ଵିଷୟ ହୋଇଛି। ଯଦି ଆମେ ଏହାର ଇତିହାସକୁ ଖୋଜିଵା ତେବେ ଜାଣିଵାକୁ ପାଇଵା ଯେ ଏହି 'ମୂଳନିଵାସୀ ବନାମ ଵିଦେଶୀ'ର ତତ୍ତ୍ୱ କୌଣସି ମୌଳିକ ସାମାଜିକ ଚିନ୍ତାଧାରାରୁ ଜନ୍ମ ନେଇ ନାହିଁ ଵରଂ ଏହା ଔପନେଵେଶିକ ଶାସନ ଓ ରାଜନୈତିକ ସ୍ୱାର୍ଥର ଏକ ସୁଚିନ୍ତିତ ଉତ୍ପାଦ ଅଟେ। ପାଶ୍ଚାତ୍ୟ ଦେଶର ତଥାକଥିତ ଭାଷାଵିଦ ଓ ଐତିହାସିକମାନେ ଵିଗତ ୨୫୦ ଵର୍ଷ ଧରି ଭାରତୀୟ ଲୋକଙ୍କୁ ଏହି ଅର୍ଦ୍ଧସତ୍ୟ ହିଁ ପଢ଼ାଇ ଆସିଛନ୍ତି । ସେମାନେ ଭାରତର ସବୁ ଲୋକଙ୍କୁ ଵିଦେଶୀ ପ୍ରମାଣ କରିଛନ୍ତି ଏଵଂ ଏପରି କରିଵାର ସେତେବେଳେ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ଜାତ ହେଉଥିଵା ସ୍ଵଦେଶୀ ଭାଵନାକୁ ଦବେଇ ଦେଵା । ଗୋଟିଏ ଦେଶରେ ରହୁଥିଵା ସବୁ ଲୋକ ଯଦି ଵିଦେଶୀ ପ୍ରମାଣିତ ହୁଅନ୍ତି ତେବେ ସେ ଦେଶରେ ସ୍ଵଦେଶୀ ଭାଵନା କେବେହେଲେ ବି ସଶକ୍ତ ହେଵ ନାହିଁ ଏଵଂ ସେହି ଦେଶର ଲୋକମାନେ ଏକ ଵିଦେଶୀ ଶକ୍ତିର ଵଶତା ସ୍ଵୀକାର କରିଵାକୁ ସେତେଟା ନିନ୍ଦନୀୟ ଭାବିବେ ନାହିଁ । ଯାହାର ବାପ ଜେଜେବାପ ୧୪ ପୁରୁଷ ଭୃତ୍ୟ କାର୍ଯ୍ୟ କରିଛନ୍ତି ସେ କିବା ସେହି କୌଳିକ ଵୃତ୍ତିକୁ ହୀନ ମନେ କରେ କି ? ଏହା ଵିଚାର କରି ଏକ ସୁଚିନ୍ତିତ ରଣନୀତି ଅଵଲମ୍ବନ କରି ଭାରତର ତତ୍କାଳୀନ ଇତିହାସ ଲେଖା ଯାଇଥିଲା ‌। ତତ୍କାଳୀନ ପାଶ୍ଚାତ୍ୟ ଵିଦ୍ଵାନମାନେ ଭାଷା' ଓ 'ମଣିଷର ଵଂଶାନୁକ୍ରମ ଵା Geneticsକୁ ଏକା ବୋଲି ଭାବି ନେଇଥିଲେ । ସେତେବେଳେ ଵିଚାର କରାଯାଉଥିଲା ଯେ ପ୍ରତ୍ୟେକ ଭାଷାଭାଷୀଙ୍କ ଜାତି ଭିନ୍ନ ଭିନ୍ନ ଅଟେ । ତେଣୁ ଵିଭିନ୍ନ ତତ୍ତ୍ଵ ଆଧାରରେ ସମସ୍ତ ଭାରତୀୟଙ୍କୁ ଵିଦେଶୀ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରାଗଲା । 
ଆମେ ଜାଣନ୍ତି ଯେ ଭାରତର ସର୍ଵାଧିକ ଲୋକ ଅର୍ଥାତ୍ "ପ୍ରାୟ ୭୮%" ଲୋକ ଇଣ୍ଡୋ-ଆର୍ଯ୍ୟ ଭାଷାଗୁଡ଼ିକରେ କଥାଭାଷା ହୁଅନ୍ତି। ଭାରତର ପ୍ରାୟ ୨୦% ଲୋକ ଦ୍ରାଵିଡ଼ ଭାଷାପରିଵାରର ଭାଷା କହନ୍ତି। ଅଵଶିଷ୍ଟ ପ୍ରାୟ ୨% ଲୋକ ମୁଖ୍ୟତଃ ଅଷ୍ଟ୍ରୋ-ଏସିଆଟିକ୍ (ମୁଣ୍ଡା), ତିବ୍ବତୀ-ଵର୍ମୀ (ସିନୋ-ତିବ୍ବତୀୟ) ଓ ଅନ୍ୟାନ୍ୟ କ୍ଷୁଦ୍ର ଭାଷାପରିଵାରର ଭାଷା କହନ୍ତି। 

ପାଶ୍ଚାତ୍ୟ ଵିଦ୍ଵାନମାନେ ଇଣ୍ଡୋ-ଆର୍ଯ୍ୟ ଭାଷାଗୁଡ଼ିକରେ କଥାଭାଷା ହେଉଥିଵା ଲୋକମାନେ ୩୫୦୦ ଵର୍ଷ ତଳେ ମଧ୍ୟ ଏସିଆରୁ ଆସିଥିଲେ ବୋଲି ମତପୋଷଣ କଲେ । କିନ୍ତୁ ପରେ ଜଣାଗଲା ଯେ ଦ୍ରାଵିଡ଼ମାନଙ୍କର ପୂର୍ଵଜମାନେ ମଧ୍ୟ ପ୍ରାୟ ୧୦,୦୦୦ ରୁ ୮,୦୦୦ ଵର୍ଷ ପୂର୍ଵେ ପଶ୍ଚିମ ଏସିଆର ଜାଗ୍ରୋସ୍ ପର୍ଵତମାଳାରୁ (ଆଧୁନିକ ଇରାନ୍) ଆସି ଭାରତର ମୂଳ ସ୍ଥାନୀୟ ଅଧିଵାସୀମାନଙ୍କ ସହ ମିଶିଥିଲେ। ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିଵାର ବୋଲୁଥିଵା ମୁଣ୍ଡା ଭାଷା ଗୋଷ୍ଠୀର ଲୋକମାନଙ୍କର ପୂର୍ଵଜ ବି ଦକ୍ଷିଣ-ପୂର୍ଵ ଏସିଆ ଅର୍ଥାତ୍ ଵର୍ତ୍ତମାନର ଇଣ୍ଡୋଚୀନ୍ ଓ ଦକ୍ଷିଣ ଚୀନ୍ ଅଞ୍ଚଳରୁ ପ୍ରାୟ ୪,୦୦୦ରୁ ୩,୫୦୦ ଵର୍ଷ ପୂର୍ଵ ଦିଗରୁ ପ୍ରେଵେଶ କରିଥିଲେ । ସେହିପରି ସିନୋ-ତିବ୍ବତୀୟ ଭାଷା ପରିଵାରର ମୂଳ ସ୍ଥାନ ହେଉଛି ପୂର୍ଵ ଏସିଆର ୟେଲୋ ନଦୀ ଅଵଵାହିକା ଵା ଉତ୍ତର ଚୀନ୍ ଅଞ୍ଚଳ । ସେଠାରୁ ସେମାନେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଅଗ୍ରସର ହୋଇ ତିବ୍ବତ ଓ ମିଆଁମାର ଦେଇ ଉତ୍ତର-ପୂର୍ଵ ଭାରତ ତଥା ହିମାଳୟ ଅଞ୍ଚଳରେ ପ୍ରଵେଶ କରିଥିଲେ। ଏମାନଙ୍କର ଆଗମନ ଏକାଥରକେ ହୋଇନଥିଲା। ପ୍ରାୟ ୪,୦୦୦ ରୁ ୩,୦୦୦ ଵର୍ଷ ପୂର୍ଵେ ସିନୋ ତିବ୍ବତୀ ଭାଷାଭାଷୀମାନେ ଛୋଟ ଛୋଟ ଗୋଷ୍ଠୀ ହୋଇ ଭାରତରେ ପ୍ରଵେଶ କରିଵା ଆରମ୍ଭ କରିଥିଲେ ଏଵଂ ଏହି ପ୍ରକ୍ରିୟା ଶହ ଶହ ଵର୍ଷ ଧରି ଚାଲିଥିଲା। ତାଇ-କଦାଇ ଭାଷା ପରିଵାରର ଭାଷା ବୋଲୁଥିଵା ଲୋକମାନେ ଦକ୍ଷିଣ ଚୀନ୍ ଓ ଦକ୍ଷିଣ-ପୂର୍ଵ ଏସିଆରୁ (ମୁଖ୍ୟତଃ ମିଆଁମାର ଵା ବର୍ମାରୁ) ଆସିଥିଲେ। 
ଭାରତକୁ ଏମାନଙ୍କର ଆଗମନ ଐତିହାସିକ ଦୃଷ୍ଟିକୋଣରୁ ଅପେକ୍ଷାକୃତ ନୂତନ। ଉଦାହରଣସ୍ୱରୂପ, ତାଇ ଗୋଷ୍ଠୀର 'ଆହୋମ' ସମ୍ପ୍ରଦାୟ ତ୍ରୟୋଦଶ ଶତାବ୍ଦୀରେ (ଖ୍ରୀ.ଅ. ୧୨୨୮) ଆସାମରେ ପ୍ରଵେଶ କରିଥିଲେ। ସେହିପରି ଖାମ୍‌ତି ଓ ଫାକେ ଭଳି ସମ୍ପ୍ରଦାୟ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ (ପ୍ରାୟ ୧୭୭୫ ମସିହାରେ) ମିଆଁମାରରୁ ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମକୁ ଆସିଥିଲେ। 

ଯଦି ମୂଳ ଭାରତଭୂଖଣ୍ଡରେ ବୋଲା ଯାଉଥିଵା ପାଞ୍ଚୋଟି ଭାଷାପରିଵାରର ସମସ୍ତ ଭାଷାଭାଷୀ ଵିଦେଶରୁ ଆସିଥିଲେ ତାହେଲେ ତା ପୂର୍ଵରୁ ଭାରତରେ କେଉଁମାନେ ରହୁଥିଲେ ? କ'ଣ ୧୦୦୦୦ ଵର୍ଷ ପୂର୍ଵେ ଭାରତରେ କେଵଳ ବାଘ, ଭାଲୁ,ହାତୀ ଓ ହନୁମାଙ୍କଡ଼ ରହୁଥିଲେ କିନ୍ତୁ ମଣିଷ ରହୁନଥିଲେ ? 

ଆଜି ଆମେ ଵିଭିନ୍ନ ପ୍ରମାଣ ବଳରେ ଜାଣିଛନ୍ତି ଯେ ଭାରତୀୟ ଉପମହାଦେଶରେ ଲକ୍ଷାଧିକ ଵର୍ଷ ଧରି Homo ଵଂଶର ଏକାଧିକ ମାନଵଜାତି ବାସ କରିଥିଲେ। ଏମାନଙ୍କ ମଧ୍ୟରେ Homo erectus, Homo heidelbergensis (କିମ୍ବା ନର୍ମଦା ମାନଵ), Homo Denisovans ଓ Homo Neanderthals ଏଵଂ ଶେଷରେ Homo sapiens ଅନ୍ତର୍ଭୁକ୍ତ। ଏହାର ପ୍ରମାଣ ଜୀଵାଶ୍ମ, ପ୍ରସ୍ତର ଉପକରଣ ଓ ଆଧୁନିକ ମଣିଷଙ୍କ DNAରୁ ମିଳିଛି। ଏଥିରୁ ସ୍ପଷ୍ଟ ହୁଏ ଯେ ଭାରତ ମାନଵ ଵିଵର୍ତ୍ତନର ଏକ ପ୍ରାଚୀନ ଓ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା। 

ତେବେ ଆମ୍ଭମାନଙ୍କର ପୂର୍ଵଜ ଆଧୁନିକ ମାନଵଜାତି Homo sapiensମାନେ ଆଫ୍ରିକାରୁ ବାହାରି ଏସିଆ ଦେଇ ପ୍ରାୟ ୬୫,୦୦୦ରୁ ୫୦,୦୦୦ ଵର୍ଷ ପୂର୍ଵେ ଭାରତୀୟ ଉପମହାଦେଶରେ ପହଞ୍ଚିଥିଲେ । ଵିଜ୍ଞାନ ଭାଷାରେ ସେଇ ପ୍ରାଚୀନ ଭାରତୀୟମାନଙ୍କୁ Ancient Ancestral South Indians(AASI) ଵା 'ପ୍ରଥମ ଭାରତୀୟ' କୁହାଯାଏ।
ଆଧୁନିକ DNA ଗଵେଷଣାରୁ ପ୍ରମାଣିତ ହୋଇଛି ଯେ, ଆଜିର ତାରିଖରେ ଭାରତର ପ୍ରତ୍ୟେକ ଵ୍ୟକ୍ତିଙ୍କ ଦେହରେ (ସେ କାଶ୍ମୀରର ବ୍ରାହ୍ମଣ ହୁଅନ୍ତୁ, ଓଡ଼ିଶାର କୃଷକ ହୁଅନ୍ତୁ କିମ୍ବା ଆଣ୍ଡାମାନର ଆଦିଵାସୀ ହୁଅନ୍ତୁ) ଏହି ପ୍ରଥମ ଭାରତୀୟ 'AASI'ମାନଙ୍କର DNA ରହିଛି। ଭାରତୀୟଙ୍କ ଶରୀରରେ ସର୍ଵାଧିକ ପ୍ରାୟ ୫୦% ରୁ ୬୫% ଜିନ୍ ଏହି ମୂଳ AASI ଅଧିଵାସୀଙ୍କର ହିଁ ଅଟେ। ଏହି AASI ଜିନ୍ ହିଁ ଜଣାଇ ଦିଏ ଯେ ଭାରତରେ ସମସ୍ତେ ମୂଳ ନିଵାସୀ କେହି ଵିଦେଶୀ ନୁହେଁ ଵରଂ ସମସ୍ତଙ୍କ ଶରୀରର ଡିଏନଏ ମଧ୍ୟରେ ପ୍ରଥମ ଭାରତୀୟ 'AASI' ଜିନ୍ ଛଡ଼ା ଏକ ଵା ଏକାଧିକ ଵିଦେଶୀ ଜିନ୍ ଅପେକ୍ଷାକୃତ କମ୍ ପରିମାଣରେ ରହିଛି । 

ଡେଭିଡ୍ ରାଇକ୍,ନୀରଜ ରାୟ ଓ ବସନ୍ତ ସିନ୍ଦେଙ୍କ ଭଳି ପ୍ରସିଦ୍ଧ ଜିନ୍ ଵିଜ୍ଞାନୀମାନଙ୍କ ଗଵେଷଣା ଅନୁଯାୟୀ, ଆଧୁନିକ ଇଣ୍ଡିକ୍ ଭାଷାଭାଷୀଙ୍କ ମଧ୍ୟରେ ତିନୋଟି ମୂଳ ବଂଶାନୁକ୍ରମ ରହିଛି ।‌ ପ୍ରଥମ ଭାରତୀୟ 'AASI' ଜିନ୍ ଅଞ୍ଚଳ ଭେଦରେ ୩୦% ରୁ ୬୫% ରହିଛି । ଓଡ଼ିଆ,ମରାଠୀ, ବଙ୍ଗାଳୀ ଓ ହିନ୍ଦୀ ଆଦି ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଭାଷା ବୋଲୁଥିଵା ପୂର୍ଵ ଭାରତ (ଓଡ଼ିଶା, ବଙ୍ଗଳା), ମଧ୍ୟ ଭାରତ ଏଵଂ ଵିଭିନ୍ନ ଆର୍ଯ୍ୟ ଜନଜାତି ଓ ପଛୁଆ ଵର୍ଗଙ୍କ ମଧ୍ୟରେ ଏହି ମାତ୍ରା ସର୍ଵାଧିକ (୫୦-୬୫%ରୁ ଅଧିକ) ମିଳେ । ଉତ୍ତର-ପଶ୍ଚିମ ଭାରତରେ ଏହା ଅପେକ୍ଷାକୃତ କମ୍ (୨୦-୩୦%) ଦେଖାଯାଏ। 

ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଲୋକଙ୍କ ମଧ୍ୟରେ "ପ୍ରାଚୀନ ଇରାନୀୟ କୃଷକଗୋଷ୍ଠୀ"ର ଲୋକଙ୍କ ଜିନ୍ ଅଞ୍ଚଳ ଭେଦରେ ପ୍ରାୟ ୩୦% ରୁ ୬୦% ରହିଥିଵା ଜଣାଯାଏ । ଏହି ଗୋଷ୍ଠୀ ପ୍ରାୟ ୧୦,୦୦୦ ଵର୍ଷ ପୂର୍ଵେ ଆସି 'ପ୍ରଥମ ଭାରତୀୟ'ଙ୍କ ସହ ମିଶି "ସିନ୍ଧୁ-ସରସ୍ଵତୀ ସଭ୍ୟତା" ଗଢ଼ିଥିଲେ। ସମଗ୍ର ଭାରତୀୟଙ୍କ ଶରୀରରେ ଏହି ଜିନ୍ ଏକ ବଡ଼ ଅଂଶ ଗ୍ରହଣ କରିଥାଏ। ପଶ୍ଚିମ ଓ ଉତ୍ତର ଭାରତରେ ଏହାର ମାତ୍ରା ୫୦%ରୁ ଅଧିକ ମିଳିଥାଏ। ଏକ କ୍ଷୁଦ୍ର ସଂଖ୍ୟାରେ ଆସିଥିଵା ଷ୍ଟେପ୍ ଗୋଷ୍ଠୀର ମାନଵଙ୍କ ଜିନ୍ ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଲୋକଙ୍କ ମଧ୍ୟରେ ପ୍ରାୟ ୫% ରୁ ୩୦% ଦେଖାଯାଏ । ପଶ୍ଚିମ ଓ ଉତ୍ତର ଭାରତରେ ଏହି ଜିନ୍ ଅଧିକ ଦେଖାଯାଏ । ଦକ୍ଷିଣ ଓ ପୂର୍ଵ ଭାରତକୁ ଗଲେ ଏହାର ମାତ୍ରା କମି କମି ଯାଏ (୫-୧୦%)।

ସେହିପରି ଦ୍ରାଵିଡ଼ ଭାଷାପରିଵାରର ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ପ୍ରଥମ ଭାରତୀୟ "AASI" ଜିନ୍ ୪୦% ରୁ ୭୦% ପର୍ଯ୍ୟନ୍ତ ରହିଛି । ଦକ୍ଷିଣ ଭାରତରେ ଏଵଂ ଵିଶେଷକରି ଦ୍ରାଵିଡ଼ ଆଦିଵାସୀ ଓ ନିମ୍ନ ଵର୍ଗଙ୍କ ମଧ୍ୟରେ ଏହି ପ୍ରତିଶତ ସର୍ଵାଧିକ।
ଏହାଛଡ଼ା ଦ୍ରାଵିଡ଼ ଲୋକଙ୍କ ମଧ୍ୟରେ ପ୍ରାଚୀନ ଇରାନୀୟ କୃଷକଗୋଷ୍ଠୀ ୨୦% ରୁ ୪୦% ମିଳେ । ଏହା ସେମାନଙ୍କର ଦ୍ୱିତୀୟ ମୁଖ୍ୟ ଜିନ୍। ପୁଣି ଷ୍ଟେପ୍ ଗୋଷ୍ଠୀର ଖୁବ୍ କମ୍ ୦% ରୁ ୧୦% ପର୍ଯ୍ୟନ୍ତ ଜିନ୍ ମଧ୍ୟ ଦ୍ରାଵିଡ଼ ଲୋକଙ୍କ ମଧ୍ୟରେ ମିଳେ । 

ସାନ୍ତାଳ, ମୁଣ୍ଡା, ହୋ ଭଳି ଭାରତର ମୁଣ୍ଡା ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ପ୍ରଥମ ଭାରତୀୟ "AASI" ଜିନ୍ ୫୦% ରୁ ୭୫% ପର୍ଯ୍ୟନ୍ତ ମିଳିଥାଏ । ପ୍ରାୟ ୪,୦୦୦ ଵର୍ଷ ପୂର୍ଵେ ଇଣ୍ଡୋଚୀନ୍ (ଭିଏତନାମ୍/ଲାଓସ୍)ଆଡ଼ୁ ଆସିଥିଵା ଏହି ମୁଣ୍ଡା ଭାଷାଭାଷୀମାନଙ୍କର ପୂର୍ଵଜଙ୍କ ଜିନ୍ ୧୫% ରୁ ୩୦% ରହିଛି । ଏତଦଵ୍ୟତୀତ ଅଞ୍ଚଳ ଭେଦରେ କମ୍ ପରିମାଣରେ ଅର୍ଥାତ୍ ୦%ରୁ ୫% ପର୍ଯ୍ୟନ୍ତ ଥିଲେ ବି ପ୍ରାଚୀନ ଇରାନୀୟ କୃଷକ ଜିନ୍ ଓ ଷ୍ଟେପ୍ ଜିନ୍ ଏହି ମୁଣ୍ଡା ଭାଷାଭାଷୀମାନଙ୍କଠାରେ ବି ରହିଛି । ଉତ୍ତର-ପୂର୍ଵ ଭାରତ (ମଣିପୁର, ନାଗାଲାଣ୍ଡ, ମିଜୋରାମ) ଏଵଂ ହିମାଳୟ ଅଞ୍ଚଳରେ ଵସଵାସ କରୁଥିଵା ସିନୋ ତିବ୍ବତୀ ଲୋକଙ୍କ ମଧ୍ୟରେ "ପୂର୍ଵ ଏସୀୟ ଜିନ୍" ଅଞ୍ଚଳ ଭେଦରେ ୬୦%ରୁ ୯୦% ଦେଖାଯାଏ । ଏତଦଵ୍ୟତୀତ ଉତ୍ତର ପୂର୍ଵ ଭାରତରେ ରହୁଥିଵା ସିନୋ ତିବ୍ବତୀ ଲୋକଙ୍କ ମଧ୍ୟରେ ଅଞ୍ଚଳ ଭେଦରେ 
ପ୍ରଥମ ଭାରତୀୟ "AASI" ଓ ଅନ୍ୟାନ୍ୟ ଜିନ୍ ୧୦% ରୁ ୩୦% ଦେଖାଯାଏ । ମେଘାଳୟ, ଆସାମ କିମ୍ବା ତ୍ରିପୁରା ଭଳି ଅଞ୍ଚଳରେ ଯେଉଁମାନେ ସ୍ଥାନୀୟ ପ୍ରାଚୀନ AASI ଭାରତୀୟଙ୍କ ସହ ମିଶିଛନ୍ତି ସେମାନଙ୍କଠାରେ ଏହି ମାତ୍ରା ଟିକେ ଅଧିକ ଥାଏ। କିନ୍ତୁ ଅରୁଣାଚଳ ପ୍ରଦେଶ କିମ୍ବା ଲଦାଖରେ ଏହା ପ୍ରାୟ ନଥାଏ। ସେହିପରି ତାଇ କଦାଇ ଭାଷାପରିଵାରର ଭାଷା ବୋଲୁଥିଵା ଭାରତୀୟମାନଙ୍କ ଡିଏନଏରେ ଦକ୍ଷିଣ-ପୂର୍ଵ / ପୂର୍ଵ ଏସୀୟ ଜିନ୍ ପ୍ରାୟ ୭୦% ରୁ ୯୦%+ ଥିଲାବେଳେ ବାକି ପ୍ରତିଶତ AASI ଜିନ୍ ମିଳେ । 
ଉପରୋକ୍ତ ଜେନେଟିକ୍ ଵିଶ୍ଳେଷଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଏ ଯେ, ଊନଵିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଐତିହାସିକ ଓ ତଥାକଥିତ ଭାଷାଵିଦମାନେ ଉଦ୍ଦେଶ୍ୟମୂଳକ ଭାବେ 'ଭାଷା' ଓ 'ଵଂଶାନୁକ୍ରମ' (Race/Genetics)କୁ ଏକାକାର କରିଦେଇଥିଲେ। ଵିଜ୍ଞାନ ଦୃଷ୍ଟିରୁ ଏହା ଏକ ଚରମ ମୂର୍ଖତା। ଗୋଟିଏ ସମ୍ପ୍ରଦାୟ ନିଜର ଆଵଶ୍ୟକତା, ଵାଣିଜ୍ୟ କିମ୍ବା ଶାସକଵର୍ଗଙ୍କ ପ୍ରଭାବରେ ନିଜର ଭାଷା ବଦଳାଇ ପାରେ, କିନ୍ତୁ ନିଜ ଶରୀରର ଜିନ୍ କେବେ ବଦଳାଇ ପାରିଵ ନାହିଁ। ଯେପରି ଆଜି ଭାରତର କୋଟି କୋଟି ଲୋକ ଇଂରାଜୀ ଭାଷାରେ କଥା ହେଉଛନ୍ତି ବୋଲି ସେମାନେ ଇଂରେଜ (Anglo-Saxon) ହୋଇଯିବେ ନାହିଁ, ଠିକ୍ ସେହିପରି ଅତୀତରେ ତିନି ଚାରୋଟି ଛୋଟ ଵିଦେଶୀ ମାନଵଗୋଷ୍ଠୀମାନଙ୍କର ଭାଷାକୁ ସ୍ଥାନୀୟ "AASI" ବହୁଳ ସମାଜ ଗ୍ରହଣ କରିନେଲା ବୋଲି ସମ୍ପୂର୍ଣ୍ଣ ସମାଜ ଵିଦେଶୀ ହୋଇଯିଵ ନାହିଁ। ବାହାରୁ ଆସିଥିଵା ଖୁବ୍ କମ୍ ସଂଖ୍ୟକ ଲୋକଙ୍କ ଭାଷା ଵିଶାଳ ସ୍ଥାନୀୟ ଜନସଂଖ୍ୟା ଉପରେ ପ୍ରଭାବ ପକାଇଵାର ଏହି ପ୍ରକ୍ରିୟାକୁ ସମାଜଵିଜ୍ଞାନରେ Elite Dominance ଵା 'ପ୍ରଭାଵଶାଳୀ ଗୋଷ୍ଠୀର ଆଧିପତ୍ୟ' କୁହାଯାଏ। ତେଣୁ, ଭାଷା ଆଧାରରେ ଭାରତୀୟମାନଙ୍କୁ ଵିଦେଶୀ ସଜାଇଵା ଏକ ବ୍ରିଟିଶ୍ ରାଜନୈତିକ ଷଡ଼ଯନ୍ତ୍ର ଥିଲା, ଯାହା ଆଜି ଡିଏନ୍ଏ ଟେଷ୍ଟିଂ ମେସିନ୍ ସାମ୍ନାରେ ଧରାଶାୟୀ ହୋଇଛି।
ଏହି ଗଵେଷଣା ଭାରତର ସବୁଠାରୁ ବଡ଼ ରାଜନୈତିକ ଵିଭାଜନ "ଆର୍ଯ୍ୟ ବନାମ ଦ୍ରାବିଡ଼" ତତ୍ତ୍ୱକୁ ମଧ୍ୟ ଅର୍ଥହୀନ ପ୍ରମାଣିତ କରେ। ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଯେଉଁ କାଳ୍ପନିକ ପାଚେରୀ ଛିଡ଼ା କରାଯାଇଥିଲା, ତାହା ଭିତ୍ତିହୀନ। କାରଣ ଆଜିର ଜିନ୍ ଵିଜ୍ଞାନ କହୁଛି ଯେ, ଉତ୍ତର ଭାରତର ଲୋକଙ୍କ ଶରୀରରେ ଯେଉଁ AASI ଏଵଂ ପ୍ରାଚୀନ ଇରାନୀୟ ଜିନ୍ ରହିଛି, ଦକ୍ଷିଣ ଭାରତୀୟଙ୍କ ଶରୀରରେ ମଧ୍ୟ ସେହି ସମାନ AASI ଓ ପ୍ରାଚୀନ ଇରାନୀୟ ଜିନ୍ ରହିଛି—କେଵଳ ଏହାର ପ୍ରତିଶତର ଅଳ୍ପ ବହୁତ ତାରତମ୍ୟ ଅଛି।

ଆଜକୁ ପ୍ରାୟ ୫,୦୦୦ ରୁ ୨,୦୦୦ ଵର୍ଷ ପୂର୍ଵେ ଭାରତଵର୍ଷ ଏକ ଵିଶାଳ "Melting pot" ଵା 'ମହାମିଳନର କୁଣ୍ଡ' ସାଜିଥିଲା। ସେତେବେଳେ ସମାଜରେ ଜାତି ପ୍ରଥା ଵା ଵିଵାହଗତ କଟକଣା ଏତେ କଠୋର ନଥିଲା। ପ୍ରଥମ ଭାରତୀୟ (AASI), ପ୍ରାଚୀନ ଇରାନୀୟ, ଷ୍ଟେପ୍ ଗୋଷ୍ଠୀ, ତିବ୍ବତୀୟ ଓ ଦକ୍ଷିଣ-ପୂର୍ଵ ଏସୀୟ ଲୋକଙ୍କ ମଧ୍ୟରେ ଅବାଧରେ ମିଶ୍ରଣ ହୋଇଥିଲା। ଏହି ସାମୂହିକ ମିଶ୍ରଣର ଫଳସ୍ୱରୂପ ହିଁ ଆଜିର 'ଆଧୁନିକ ଭାରତୀୟ'ଙ୍କ ସୃଷ୍ଟି ହୋଇଛି। ପ୍ରତ୍ୟେକ ଭାରତୀୟ ହେଉଛନ୍ତି ଏକ ଜେନେଟିକ୍ କକ୍‌ଟେଲ୍ (Genetic Cocktail)। ତେଣୁ, ଆଜି କୌଣସି ଗୋଟିଏ ବି ଭାରତୀୟ ଛାତି ପିଟି କହିପାରିବେ ନାହିଁ ଯେ ସେ 'ଶୁଦ୍ଧ ଆର୍ଯ୍ୟ' କିମ୍ବା 'ଶୁଦ୍ଧ ଦ୍ରାଵିଡ଼' ଵା 'ଶୁଦ୍ଧ ମୂଳନିବାସୀ'।

ଏହି ଵିସ୍ତୃତ ଵୈଜ୍ଞାନିକ ଓ ଐତିହାସିକ ଆଲୋଚନାରୁ ଆମେ ଏକ ଅତ୍ୟନ୍ତ ସୁନ୍ଦର ତଥା ଗଭୀର ଦାର୍ଶନିକ ସତ୍ୟର ସମ୍ମୁଖୀନ ହେଉ। ଵିଜ୍ଞାନ ଆମକୁ ଯାହା ଶିଖାଏ, ତାହା ଭାରତୀୟ ଦର୍ଶନର ଵସୁଧୈଵ କୁଟୁମ୍ବକମ୍ ଭାବନା ସହିତ ଅଦ୍ଭୁତ ଭାବେ ମେଳ ଖାଏ।
ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ପ୍ରାୟତଃ ଭାରତର ସମସ୍ତ ଭାଷାପରିଵାରର ଭାଷାଗୁଡ଼ିକ ବୋଲୁଥିଵା ଲୋକଙ୍କ ମଧ୍ୟରେ ସେହି ଗୋଟିଏ ପ୍ରାଚୀନ ସୂତ୍ର ବାନ୍ଧି ହୋଇ ରହିଛି। ୬୦,୦୦୦ ବର୍ଷ ତଳେ ଆଫ୍ରିକାରୁ ଆସିଥିଵା ପ୍ରାଚୀନ ହୋମୋ ସାପିଏନ୍ସ (Homo sapiens) ଵା 'ପ୍ରଥମ ଭାରତୀୟ' (AASI) ଙ୍କ ଜିନ୍, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏଵଂ ଗୁଜୁରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ସବୁ ଭାରତୀୟଙ୍କ ଠାରେ ଊଣା ଅଧିକେ ଵିଦ୍ୟମାନ ରହିଛି। ସବୁ ଜାତି, ଧର୍ମ ଓ ବର୍ଗର ଲୋକଙ୍କ ଶିରାପ୍ରଶିରାରେ ସେହି ପ୍ରାଚୀନତମ ସ୍ଥାନୀୟ ଅଧିଵାସୀଙ୍କ ରକ୍ତ ପ୍ରଵାହିତ ହେଉଛି। ତେଣୁ ଏହି ଦୃଷ୍ଟିକୋଣରୁ ଦେଖିଲେ, ଭାରତକୁ ବାହାରୁ ଆସିଥିଵା କୌଣସି ନୂଆ ଗୋଷ୍ଠୀ ସ୍ଥାନୀୟ ଲୋକଙ୍କୁ ସମ୍ପୂର୍ଣ୍ଣ ରୂପେ ଵିନାଶ କରି ନିଜର ସାମ୍ରାଜ୍ୟ ସ୍ଥାପନ କରିନାହାଁନ୍ତି (ଯେପରି ଆମେରିକା ଵା ଅଷ୍ଟ୍ରେଲିଆରେ ୟୁରୋପୀୟମାନେ କରିଥିଲେ)। ଵରଂ ବାହାରୁ ଯିଏ ବି ଆସିଛି, ସିଏ ଏହି ମୂଳ ଜାତି ସହ ମିଶିଯାଇଛି। ଅର୍ଥାତ୍, ସବୁ ଭାରତୀୟଙ୍କ ପୂର୍ଵଜ ଏଠାକାର ମୂଳନିବାସୀ ଥିଲେ। ଏ ମାଟି ଆମ ସମସ୍ତଙ୍କର ନିଜସ୍ୱ।

କିନ୍ତୁ ସୂକ୍ଷ୍ମ ଭାବରେ ଦେଖିଲେ ଏକ ଵିପରୀତ ସତ୍ୟ ମଧ୍ୟ ଆମ ସାମ୍ନାକୁ ଆସେ। ସବୁ ଭାରତୀୟଙ୍କ ଜିନ୍‌ରେ ମୂଳନିଵାସୀ (AASI) ଙ୍କ ସହିତ ଵିଦେଶରୁ (ଇରାନ, ମଧ୍ୟ-ଏସିଆ, ଦକ୍ଷିଣ-ପୂର୍ଵ ଏସିଆ, ତିବ୍ବତ ଆଦିରୁ) ଭିନ୍ନ ଭିନ୍ନ ସମୟକାଳରେ ଆସିଥିବା ଭିନ୍ନ ଭିନ୍ନ ମାନଵଗୋଷ୍ଠୀର ଜିନ୍ ମଧ୍ୟ ମିଶି ରହିଛି। ଏପରିକି, ଯାହାଙ୍କୁ ଆମେ 'ପ୍ରଥମ ଭାରତୀୟ' ଵା ମୂଳନିଵାସୀ (AASI) ବୋଲି କହୁଛୁ, ସେମାନେ ମଧ୍ୟ ତ ଦିନେ ୬୦,୦୦୦ ଵର୍ଷ ପୂର୍ଵେ ସୁଦୂର ଆଫ୍ରିକା ଛାଡ଼ି ଭାରତକୁ ଏକାକୀ ଆସିଥିଲେ ! ତା' ପୂର୍ଵରୁ ସେମାନେ ବି ତ ଏଠାକାର ନଥିଲେ। ତେଣୁ ଏ ଦୃଷ୍ଟିରୁ ଵିଚାର କଲେ କୁହାଯାଇପାରେ ଯେ— ଭାରତରେ କେହି ବି ସମ୍ପୂର୍ଣ୍ଣ ରୂପେ 'ମୂଳନିଵାସୀ' ନୁହଁନ୍ତି।
ଆମେ ସମସ୍ତେ ପ୍ରଵାସୀ। ଏ ପୃଥିଵୀର ପ୍ରତ୍ୟେକ ମଣିଷ ହେଉଛି ନିରନ୍ତର ସ୍ଥାନାନ୍ତରଣ, ଅନ୍ୱେଷଣ ଓ ପ୍ରେମପୂର୍ଣ୍ଣ ମିଳନର ଏକ ଜୀଵନ୍ତ କାଵ୍ୟ। ଭାରତଵର୍ଷ ଏକ ନିର୍ଦ୍ଦିଷ୍ଟ ରକ୍ତ, ଜାତି କିମ୍ବା ଵର୍ଣ୍ଣର ଦେଶ ନୁହେଁ। ଏହା ହେଉଛି ମାନଵ ସଭ୍ୟତାର ଏକ ମହାସାଗର। ଏଠାକୁ ଯେଉଁ ନଦୀ ଯେଉଁ ଦିଗରୁ ଆସିଛି, ନିଜର ପରିଚୟ ହରାଇ ଏହି ଵିଶାଳ ଭାରତୀୟତାର ସାଗରରେ ଵିଲୀନ ହୋଇଯାଇଛି। ଏଠାରେ କେହି ଵିଦେଶୀ ନୁହେଁ, ପୁଣି କେହି ବି ପୂର୍ଣ୍ଣ ମୂଳନିଵାସୀ ନୁହେଁ—ଆମେ ସମସ୍ତେ କେଵଳ 'ଭାରତୀୟ'।

••••••••••••••••••••••••••••••••••••
•••••••••••••ତଥ୍ୟ ଉତ୍ସ••••••••••••••
••••••••••••••••••••••••••••••••••••
1.Who We Are and How We Got Here: Ancient DNA and the New Science of the Human Past — Reich, David (2018) 

ଏହି ପୁସ୍ତକରେ ପ୍ରାଚୀନ DNA ଗଵେଷଣା ଆଧାରରେ ଭାରତୀୟ ଜନସଂଖ୍ୟାର ପ୍ରାଚୀନ ମୂଳଦୁଆ, ଵିଶେଷକରି Ancestral North Indians (ANI), Ancestral South Indians (ASI) ଓ ପ୍ରଥମ ଭାରତୀୟ Ancient Ancestral South Indian (AASI) ଵଂଶାନୁକ୍ରମ ଵିଷୟରେ ବିସ୍ତୃତ ଵୈଜ୍ଞାନିକ ତଥ୍ୟ ଦିଆଯାଇଛି।

2.The formation of human populations in South and Central Asia. Science, 365(6457), eaat7487.—Narasimhan, V. M., Patterson, N., Moorjani, P., Rohland, N., Bernardos, R., Mallick, S., ... & Reich, D. (2019).

ଏହା ଦକ୍ଷିଣ ଓ ମଧ୍ୟ ଏସିଆର ମାନବ ଜନସଂଖ୍ୟା ଗଠନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଗଵେଷଣା ପତ୍ର। ଏଥିରେ ପ୍ରଥମ ଭାରତୀୟ (AASI), ପ୍ରାଚୀନ ଇରାନୀୟ କୃଷକ ଓ ମଧ୍ୟ ଏସିଆର ଷ୍ଟେପ୍ (Steppe) ଗୋଷ୍ଠୀର ବହୁସ୍ତରୀୟ ସ୍ଥାନାନ୍ତରଣ ଓ ସେମାନଙ୍କ ଜେନେଟିକ୍ ମିଶ୍ରଣକୁ ଦର୍ଶାଯାଇଛି।

3.An Ancient Harappan Genome Lacks Ancestry from Steppe Pastoralists or Iranian Farmers. Cell, 179(3), 729-735.—Shinde, V., Narasimhan, V. M., Rohland, N., Mallick, S., Mah, M., Lipson, M., ... & Reich, D. (2019).

ହରିୟାଣାର ରାଖୀଗଢ଼ୀରୁ ମିଳିଥିଵା ସିନ୍ଧୁ ସଭ୍ୟତାର କଙ୍କାଳର DNA ଵିଶ୍ଳେଷଣ ଉପରେ ଆଧାରିତ ଏହି ଗଵେଷଣା। ଏଥିରୁ ପ୍ରମାଣିତ ହୋଇଥିଲା ଯେ ସିନ୍ଧୁ ସଭ୍ୟତାର ଲୋକଙ୍କ ନିକଟରେ AASI ଓ ପ୍ରାଚୀନ ଇରାନୀୟ ଜିନ୍ ଥିଲା, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଷ୍ଟେପ୍ (Steppe) ଗୋଷ୍ଠୀର ଜିନ୍ ନଥିଲା।

4.Early Indians: The Story of Our Ancestors and Where We Came From—Joseph, Tony (2018).

ଏହି ପୁସ୍ତକଟି ଜେନେଟିକ୍ସ, ପ୍ରତ୍ନତତ୍ତ୍ୱ ଓ ଭାଷାଵିଜ୍ଞାନକୁ ଏକତ୍ର କରି ଭାରତୀୟ ଉପମହାଦେଶକୁ ଆସିଥିବା ଚାରୋଟି ପ୍ରମୁଖ ସ୍ଥାନାନ୍ତରଣ ପ୍ରକ୍ରିୟା ଏଵଂ ଭାରତୀୟଙ୍କ ପୂର୍ଵଜଙ୍କ ଇତିହାସକୁ ସରଳ ଭାବେ ବୁଝାଇଥାଏ।

5.Genetic evidence for recent population mixture in India. The American Journal of Human Genetics, 93(3), 422-438.—Moorjani, P., Thangaraj, K., Patterson, N., Lipson, M., Loh, P. R., Govindaraj, P., ... & Reich, D. (2013).

ଏହି ଗଵେଷଣାରୁ ପ୍ରମାଣିତ ହୋଇଛି ଯେ ଆଜିରୁ ପ୍ରାୟ ୪,୨୦୦ ରୁ ୧,୯୦୦ ଵର୍ଷ ପୂର୍ଵେ (ଗୁପ୍ତ ସାମ୍ରାଜ୍ୟ ସମୟରେ ଜାତିଗତ କଟକଣା କଠୋର ହେଵା ପୂର୍ଵରୁ) ଭାରତର ଵିଭିନ୍ନ ଭାଷା, ଅଞ୍ଚଳ ଓ ସମାଜ ମଧ୍ୟରେ ଵ୍ୟାପକ ଭାବେ ଜେନେଟିକ୍ ମିଶ୍ରଣ ଘଟିଥିଲା।

6.Genomic analysis of Andamanese provides insights into ancient South Asian population history. Nature Genetics, 48(9), 1066-1010.—Mondal, M., Bergström, A., Seredych, J., Singh, P. P., Mishra, S., Javed, A., ... & Jarve, M. (2016).

ଆଣ୍ଡାମାନ ଦ୍ୱୀପପୁଞ୍ଜର ଆଦିଵାସୀଙ୍କ ଜିନୋମ୍ ଵିଶ୍ଳେଷଣ ମାଧ୍ୟମରେ ପ୍ରାଚୀନ ଭାରତୀୟ (AASI) ଵଂଶାନୁକ୍ରମ ଏଵଂ ଦକ୍ଷିଣ ଏସିଆରେ ମାନଵଜାତିର ପ୍ରାଚୀନ ଇତିହାସ ସହିତ ସେମାନଙ୍କର ଗଭୀର ସମ୍ପର୍କକୁ ଏହି ପେପର ପ୍ରକାଶ କରିଛି।

7.Population genetic structure in Indian Austroasiatic speakers: the impact of host genetics in the history of wildlife and human expansion. Molecular Biology and Evolution, 28(2), 1013-1024.—Chaubey, G., Metspalu, M., Choi, Y., Mägi, R., Romero, I. G., Soares, P., ... & Kivisild, T. (2011).

ଭାରତର ଅଷ୍ଟ୍ରୋ-ଏସିଆଟିକ୍ (ମୁଣ୍ଡା) ଭାଷାଭାଷୀ ଗୋଷ୍ଠୀ (ଯେପରି ସାନ୍ତାଳ, ମୁଣ୍ଡା, ହୋ)ଙ୍କ ଜେନେଟିକ୍ ଗଠନ, ସେମାନଙ୍କର ଦକ୍ଷିଣ-ପୂର୍ଵ ଏସିଆ ସହିତ ସମ୍ପର୍କ ଏଵଂ ସ୍ଥାନୀୟ AASI ଜନସଂଖ୍ୟା ସହ ସେମାନଙ୍କର ମିଶ୍ରଣକୁ ଏଥିରେ ଅନୁଧ୍ୟାନ କରାଯାଇଛି।

8.Languages of the Himalayas: An Ethnolinguistic Handbook of the Greater Himalayan Region.—Van Driem, George (2001).

ହିମାଳୟ ଓ ଉତ୍ତର-ପୂର୍ଵ ଭାରତୀୟ ଅଞ୍ଚଳରେ ସିନୋ-ତିବ୍ବତୀୟ ତଥା ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିଵାରର ଵିକାଶ, ସେମାନଙ୍କର ସ୍ଥାନାନ୍ତରଣ ଏଵଂ ଭାଷାଗତ ଐତିହାସିକ ପୃଷ୍ଠଭୂମି ଵିଷୟରେ ଏହି ପୁସ୍ତକରେ ପ୍ରାମାଣିକ ତଥ୍ୟ ରହିଛି।
•••••••••••••••••••••••••••••••••••••
















Tuesday, July 21, 2026

ଷ୍ଟାର୍‌ଡଷ୍ଟ୍‌ରୁ ଡଷ୍ଟ୍ ମାଇଟ୍ ପର୍ଯ୍ୟନ୍ତ ଧୂଳିକଣାର ମହାଯାତ୍ରାର କାହାଣୀ

ଊନଵିଂଶ ଶତାବ୍ଦୀର ଶେଷ ଭାଗ, ଅର୍ଥାତ୍ ୧୮୭୦ ଦଶକର କଥା। ବ୍ରିଟିଶ୍ ଗଵେଷଣା ଜାହାଜ 'ଏଚ୍.ଏମ୍.ଏସ୍. ଚ୍ୟାଲେଞ୍ଜର' ସେହି ସମୟରେ ଵିଶ୍ୱର ଵିଭିନ୍ନ ମହାସାଗରଗୁଡ଼ିକର ଗଭୀରତା ମାପିଵା ଏଵଂ ସମୁଦ୍ର ଶଯ୍ୟାର ଅଜଣା ରହସ୍ୟ ଖୋଜିଵା ପାଇଁ ଏକ ଐତିହାସିକ ଵିଶ୍ୱ ଯାତ୍ରାରେ ବାହାରିଥିଲା। ଏହି ଅଭିଯାନ ସମୟରେ ଜଣେ ପ୍ରଖ୍ୟାତ ପ୍ରକୃତିଵିଦ୍ ତଥା ମହାସାଗର ଵିଜ୍ଞାନୀ 'ଜନ୍ ମୁରେ' ସମୁଦ୍ରର ଅତଳ ଗଭୀରତାରୁ ଉଦ୍ଧାର କରାଯାଇଥିଵା ନାଲି ରଙ୍ଗର କାଦୁଅକୁ ଅଣୁଵୀକ୍ଷଣ ଯନ୍ତ୍ର ସାହାଯ୍ୟରେ ପରୀକ୍ଷା କରୁଥିଲେ। ସେହି କାଦୁଅକୁ ସୂକ୍ଷ୍ମ ଭାବେ ନିରୀକ୍ଷଣ କରିଵା ସମୟରେ ସେ ସେଥିରେ କିଛି ଅତି କ୍ଷୁଦ୍ର, ଚମକଦାର ଚୁମ୍ବକୀୟ ଗୋଲକ ଦେଖିଵାକୁ ପାଇଲେ। ସେହି କଣିକାଗୁଡ଼ିକ ପୃଥିଵୀର କୌଣସି ସାଧାରଣ ପଥର ଵା ମାଟିର ଅଂଶ ଭଳି ମନେ ହେଉନଥିଲେ। ମୁରେ ସେତେବେଳେ ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ଆଶ୍ଚର୍ଯ୍ୟଜନକ ଅନୁମାନ କରିଥିଲେ । ସେ ଅନୁମାନ କରିଥିଲେ ଯେ ଏହି କ୍ଷୁଦ୍ର ଗୋଲକଗୁଡ଼ିକ ପ୍ରକୃତରେ ମହାକାଶରୁ ଖସୁଥିଵା ଉଲ୍କାପିଣ୍ଡର ପାଉଁଶ, ଯାହା ହଜାର ହଜାର ଵର୍ଷ ଧରି ଵାୟୁମଣ୍ଡଳ ଦେଇ ଆସି ସମୁଦ୍ର ଗର୍ଭରେ ଜମା ହୋଇଛି। ମାନଵ ଇତିହାସରେ ଏହା ଥିଲା 'ଅନ୍ତରୀକ୍ଷୀୟ ଧୂଳି' ଵା Micrometeorites ଚିହ୍ନଟ କରିଵାର ପ୍ରଥମ ପ୍ରାରମ୍ଭିକ ପଦକ୍ଷେପ।
ତେବେ ଦୀର୍ଘ ଦଶନ୍ଧି ଧରି ଵୈଜ୍ଞାନିକ ସମୁଦାୟର ଏକ ଦୃଢ଼ ଧାରଣା ଥିଲା ଯେ ଏହି ମହାକାଶରୁ ଆସୁଥିଵା ଧୂଳି କେଵଳ ପ୍ରଦୂଷଣମୁକ୍ତ ଗଭୀର ସମୁଦ୍ର କିମ୍ବା ଆଣ୍ଟାର୍କଟିକାର ଜନଶୂନ୍ୟ ବରଫ ଚାଦର ତଳେ ହିଁ ମିଳିପାରିଵ। ସାଧାରଣ ମାନଵ ଜନଵସତି, କଳକାରଖାନା ଓ ଆମ ଘର ଚାରିପାଖରେ ଏହାକୁ ଖୋଜିଵା ସମ୍ପୂର୍ଣ୍ଣ ଅସମ୍ଭଵ, କାରଣ ସେଠାରେ ଗାଡ଼ିମୋଟରର ଧୂଆଁ, କଳକାରଖାନାର ପାଉଁଶ ଏଵଂ ନିର୍ମାଣ କାର୍ଯ୍ୟରୁ ବାହାରୁଥିଵା କୃତ୍ରିମ ଧୂଳି ମହାକାଶର ଏହି ସୂକ୍ଷ୍ମ ଧୂଳିକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ଦିଏ। ଏହି ପାରମ୍ପରିକ ଧାରଣାକୁ ବଦଳାଇଵା ପାଇଁ ଦ୍ୱିତୀୟ ବଡ଼ ସଫଳତା ୧୯୭୦ ମସିହାରେ ମିଳିଥିଲା। ଆମେରିକାର ଜ୍ୟୋତିର୍ଵିଜ୍ଞାନୀ ଡୋନାଲ୍ଡ ବ୍ରାଉନଲି ନାସାର ଉଚ୍ଚ-ଉଚ୍ଚତା ଵିଶିଷ୍ଟ U-2 ଵିମାନ ସାହାଯ୍ୟରେ ପୃଥିଵୀର ଵାୟୁମଣ୍ଡଳର Stratosphere ସ୍ତରରୁ ଧୂଳି ସଂଗ୍ରହ କରିଵାର ଏକ ସ୍ୱତନ୍ତ୍ର ପଦ୍ଧତି ଵିକଶିତ କଲେ। ସେଠାରେ ସେ ଯେଉଁ କ୍ଷୁଦ୍ର କଣିକାଗୁଡ଼ିକ ପାଇଲେ ସେଗୁଡ଼ିକୁ ପରଵର୍ତ୍ତୀ ସମୟରେ 'ବ୍ରାଉନଲି ପାର୍ଟିକଲ୍ସ' କୁହାଗଲା। ଏହା ପ୍ରମାଣିତ କଲା ଯେ ଆମ ସୌରମଣ୍ଡଳର ସୃଷ୍ଟିକାଳରୁ ବ୍ରହ୍ମାଣ୍ଡରେ ଭାସୁଥିଵା ପ୍ରାଚୀନ ଧୂଳି ଆମ ଵାୟୁମଣ୍ଡଳରେ ନିରନ୍ତର ପ୍ରଵେଶ କରୁଛି।
ତଥାପି, ଆମ ନିତିଦିନିଆ ଘର ଭିତରେ ଉଡ଼ୁଥିଵା ସାଧାରଣ ଧୂଳିରେ ଯେ ମହାକାଶର ଅଂଶ ଥାଇପାରେ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ଏହି ରହସ୍ୟ ଉପରୁ ପରଦା ହଟାଇଵାର ଶ୍ରେୟ ନରୱେର ଜଣେ ସଙ୍ଗୀତଜ୍ଞ ତଥା ସୌଖୀନ ଵୈଜ୍ଞାନିକ ଜନ୍ ଲାରସେନଙ୍କୁ ଦିଆଯାଏ। ୨୦୧୦ ମସିହାରେ ଜନ୍ ଲାରସେନ୍ Project Stardust ଆରମ୍ଭ କଲେ। ଦିନେ ସେ ବାହାରେ ବସି ଜଳଖିଆ ଖାଉଥିଵା ସମୟରେ ଟେବୁଲ ଉପରେ ଏକ ଅତି ଚମକଦାର କ୍ଷୁଦ୍ର କଣିକା ଦେଖିଲେ ଏଵଂ ତାଙ୍କ ମନରେ ପ୍ରଶ୍ନ ଉଠିଲା—ଏହା ମହାକାଶରୁ ଆସିଥିଵା କୌଣସି ତାରକାର ଅଵଶେଷ ହୋଇଥାଇପାରେ କି? ଵୃତ୍ତିଗତ ଵୈଜ୍ଞାନିକମାନେ ପ୍ରଥମେ ତାଙ୍କ କଥାକୁ ହସରେ ଉଡ଼ାଇ ଦେଇଥିଲେ। କିନ୍ତୁ ଲାରସେନ ହାର୍ ମାନିଲେ ନାହିଁ। ସେ ଵିଶ୍ୱର ଵିଭିନ୍ନ ପ୍ରମୁଖ ସହରର ଘର ଛାତ, ଝରକାର କୋଣ ଓ ରାସ୍ତାକଡ଼ରୁ ବହୁ ପରିମାଣର ଧୂଳି ସଂଗ୍ରହ କରି ଵର୍ଷ ଵର୍ଷ ଧରି ତାହାକୁ ଵିଶ୍ଳେଷଣ କଲେ। ଶେଷରେ, ଲଣ୍ଡନର ଇମ୍ପେରିଆଲ କଲେଜର ମାଥ୍ୟୁ ଗେଞ୍ଜ (Matthew Genge)ଙ୍କ ସହ ମିଶି ସେ ଵୈଜ୍ଞାନିକ ସ୍ତରରେ ପ୍ରମାଣ କଲେ ଯେ, ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ତଥା ଆମ ଘର ଆଖପାଖରେ ଉଡ଼ୁଥିଵା ସାଧାରଣ ଧୂଳି ଭିତରେ ମଧ୍ୟ ବ୍ରହ୍ମାଣ୍ଡର କ୍ଷୁଦ୍ର ଗୋଲକାକାର ମାଇକ୍ରୋମେଟିଓରାଇଟ୍ସ୍ ଲୁଚି ରହିଥାଏ।
ଏହି ମହାଜାଗତିକ ଆଵିଷ୍କାର ସହିତ ସମାନ୍ତରାଳ ଭାବେ, ଜୀଵଵିଜ୍ଞାନ ଓ ଚର୍ମ ଵିଜ୍ଞାନ କ୍ଷେତ୍ରରେ ମଧ୍ୟ ଏକ ଵିରାଟ ସତ୍ୟ ପ୍ରକାଶ ପାଇଥିଲା। ଵିଂଶ ଶତାବ୍ଦୀର ମଧ୍ୟଭାଗରେ ଯେତେବେଳେ ଚିକିତ୍ସା ଵିଜ୍ଞାନୀମାନେ ମାନବ ଶରୀରର ଚର୍ମ ଏବଂ କୋଷ ନଵୀକରଣ ପ୍ରକ୍ରିୟା ଉପରେ ଗଵେଷଣା କଲେ, ସେମାନେ ଜାଣିଵାକୁ ପାଇଲେ ଯେ ଆମ ଶରୀରର ଵାହ୍ୟ ଚର୍ମ ଏକ ସ୍ଥିର ଆସ୍ତରଣ ନୁହେଁ। ଏହା ପ୍ରତି ମୁହୂର୍ତ୍ତରେ ନିଜକୁ ନୂତନ କରିଥାଏ ଏଵଂ ନିର୍ଜୀଵ କୋଷଗୁଡ଼ିକୁ ଶରୀରରୁ ବାହାର କରିଦିଏ। ୧୯୬୪ ମସିହାରେ ଓଲନ୍ଦାଜ୍ ଵୈଜ୍ଞାନିକ ଆଣ୍ଟନ୍ ଵୋରହୋଷ୍ଟ ଏଵଂ ତାଙ୍କ ସହଯୋଗୀମାନେ ଆଵିଷ୍କାର କଲେ ଯେ ଘରର ଧୂଳିରେ ଥିଵା ଏହି ମୃତ ଚର୍ମ କୋଷଗୁଡ଼ିକୁ ଖାଇ ଏକ ଅଦୃଶ୍ୟ ଜୀଵ ଵଂଶବୃଦ୍ଧି କରେ, ଯାହାକୁ ଆମେ 'Dust Mites' ବୋଲି କହୁ। ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଦିଗରୁ ହୋଇଥିଵା ଆଵିଷ୍କାର—ଗୋଟିଏ ପଟେ ମହାକାଶରୁ ଆସୁଥିଵା ବ୍ରହ୍ମାଣ୍ଡୀୟ ଧୂଳି ଏଵଂ ଅନ୍ୟପଟେ ଆମ ନିଜ ଶରୀରରୁ ଝଡ଼ୁଥିଵା ଜୈଵିକ ଧୂଳି—ଆମକୁ ଏହି ସତ୍ୟ ସହ ପରିଚିତ କରାଇଲା ଯେ, ଆମ ଆଖପାଖରେ ଥିଵା ଧୂଳିକଣା ପ୍ରକୃତରେ ସୂକ୍ଷ୍ମ ଜୀଵଵିଜ୍ଞାନ ଓ ଵିଶାଳ ଜ୍ୟୋତିର୍ଵିଜ୍ଞାନର ଏକ ଅଦ୍ଭୁତ ସଙ୍ଗମ ସ୍ଥଳ।

ପ୍ରତି ଏକ ଘଣ୍ଟାରେ ଆମ ଶରୀରର ପ୍ରତ୍ୟେକ ଵର୍ଗ ସେଣ୍ଟିମିଟରରୁ ପ୍ରାୟ ୧୦୦୦ ଚର୍ମ କୋଷ ଝଡ଼ିପଡ଼ିଥାଏ। ଧରନ୍ତୁ ଜଣେ ଵୟସ୍କ ଵ୍ୟକ୍ତିଙ୍କ ଶରୀରର ହାରାହାରି ପୃଷ୍ଠ ଭାଗ ୨ ଵର୍ଗ ମିଟର, ତେବେ ପ୍ରତି ଘଣ୍ଟାରେ ପ୍ରାୟ ୨୦ କୋଟି କୋଷ ଆପଣଙ୍କ ଶରୀର ତ୍ୟାଗକରି ପରିଵେଶରେ ମିଶିଯାଏ ଏଵଂ ଏହି ସଂଖ୍ୟା ଵର୍ଷକୁ ୧୮୦ ବିଲିଅନ ଅତିକ୍ରମ କରିଥାଏ । ଅର୍ଥାତ୍ ପ୍ରତିଵର୍ଷ ଆମ ଶରୀରରୁ ନିର୍ଗତ ହେଉଥିଵା ପ୍ରାଣହୀନ କୋଷସଂଖ୍ୟା Milky way ଆକାଶଗଙ୍ଗାରେ ଥିଵା ସମୁଦାୟ ନକ୍ଷତ୍ର ସଂଖ୍ୟାଠାରୁ ମଧ୍ୟ ବହୁତ ଅଧିକ ହୋଇଥାଏ। ଆପଣଙ୍କ ଘରର ଝରକା ଦେଇ ବାହାରୁ ଆସୁଥିଵା ଆଲୋକରେ ଉଡୁଥିଵା ତନ୍ତୁଯୁକ୍ତ ଧୂଳିକୁ ଦେଖନ୍ତୁ । ଏହି ଧୂଳିର ଅଧାରୁ ଅଧିକ ଭାଗ ଆମ ଶରୀରର ନିର୍ଜୀଵ କୋଷଯୁକ୍ତ ହୋଇଥାଏ।

ଏ ମୃତ ଜୀଵକୋଷଗୁଡ଼ିକୁ Dust mites ନାମକ ଅଣୁଜୀଵ ଖାଇଥାନ୍ତି ଓ ଏମାନଙ୍କ ଆକାର ପିମ୍ପୁଡ଼ିଠାରୁ ମଧ୍ୟ ୧୦ ଗୁଣ ଛୋଟ ହୋଇଥାଏ। ହୁଏତ ସେମାନଙ୍କୁ ଖାଲି ଆଖିରେ ଦେଖିଵା ସମ୍ଭଵପର ହୋଇନପାରେ, କିନ୍ତୁ ଵର୍ତ୍ତମାନ ଆମ୍ଭମାନଙ୍କର ଖଟ ପଲଙ୍କରେ ପଡ଼ିଥିଵା କନ୍ଥା ଓ ଗଦିରେ ପାଖାପାଖି ୧ କୋଟିରୁ ଅଧିକ ଡଷ୍ଟ୍ ମାଇଟ୍ ଥାଇପାରନ୍ତି । ଡଷ୍ଟମାଇଟ୍‌ମାନେ ଆପଣଙ୍କର କିମ୍ବା ଆପଣଙ୍କ ଗୃହପାଳିତ ପଶୁଙ୍କର ଶରୀରରୁ ଝଡ଼ିପଡ଼ୁଥିଵା ନିର୍ଜୀଵ କୋଷଗୁଡ଼ିକରେ ପ୍ରଜନନ କରନ୍ତି ।‌ ବେଳେବେଳେ ଏମାନଙ୍କ ଯୋଗୁଁ ଆମ ଦେହ କୁଣ୍ଡେଇ ହୁଏ ଏଵଂ ଆଲର୍ଜି ମଧ୍ୟ ହୋଇଯାଏ । ତେବେ ଡଷ୍ଟ ମାଇଟମାନେ ଆମ କନ୍ଥା ଵସନ,ଖଟ ପଲଙ୍କ ଓ ଧୂଳିରେ ଥିଵା ନିର୍ଜୀଵ ଜୀଵକୋଷଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମନେ କରି ଜନ୍ମ ନିଅନ୍ତି,ପ୍ରଜନନ କରନ୍ତି ଓ ଶେଷରେ ସେଇଠାରେ ହିଁ ପ୍ରାଣ ତ୍ୟାଗ ମଧ୍ୟ କରନ୍ତି । 

ଘର ଭିତରେ ଉଡ଼ୁଥିଵା ଏହି ଧୂଳିରେ ଉକ୍ତ ଘରେ ରହୁଥିଵା ଲୋକ ତଥା ତାହାର ଗୃହପାଳିତ ପଶୁର ନିର୍ଜୀଵ କୋଷ ଥାଏ । ଏତଦ୍‌ଵ୍ୟତୀତ ଶିଳ୍ପୋଦ୍ୟଗରୁ ନିର୍ଗତ ସିମେଣ୍ଟ ପାଉଡର, ପଥର କ୍ଷୟ ଦ୍ୱାରା ଉତ୍ପନ୍ନ ମାଟି, ବାଲି, ଆଗ୍ନେୟଗିରିର ପାଉଁଶ, କୋଇଲା ଅଵଶିଷ୍ଟ ସମେତ ଟେକ୍ସଟାଇଲ ଫାଇବର ଇତ୍ୟାଦି ମଧ୍ୟ ଏହି ଧୂଳିରେ ମିଳିଥାଏ । ଆଙ୍ଗୁଠିଚିହ୍ନ ଭଳି ଆମ ସମସ୍ତଙ୍କ ଘରର ଧୂଳିରେ ଏକ ନିଆରା ସ୍ଵରୂପ ରହିଛି। ଭଵିଷ୍ୟତରେ ଫୋରେନସିକ୍ ଵିଶେଷଜ୍ଞମାନେ ଘଟଣାସ୍ଥଳର ଧୂଳିକୁ ଵିଶ୍ଳେଷଣ କରି ଅନେକ ସମାଧାନ ହୋଇନଥିଵା ସମସ୍ୟା ତଥା ଦୁର୍ଘଟଣାର ସମାଧାନ କରିଵାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି। ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି? ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି କେଵଳ ଏହି ପୃଥିଵୀ ହିଁ ନୁହେଁ ଵରଂ ପୃଥିଵୀ ବାହାରର ଭିନ୍ନ ଗ୍ରହ, ସୌରମଣ୍ଡଳ ଓ ଆକାଶଗଙ୍ଗାର ଅଵଶେଷ ମଧ୍ୟ ଏହି ଧୂଳିରେ ମିଳିଛି । 

ଆମ ସୂର୍ଯ୍ୟଠାରୁ ଆକାରରେ ବଡ଼ ତଥା ଅଧିକ ଭାରୀ କୌଣସି ନକ୍ଷତ୍ର ଏହାର ଜୀଵନକାଳର ଶେଷ ସମୟରେ ନିଜ କେନ୍ଦ୍ରରେ ଅମ୍ଳଜାନ,ଅଙ୍ଗାରକଠାରୁ ଆରମ୍ଭ କରି ଲୌହ ପର୍ଯ୍ୟନ୍ତ ଭାରୀ ଉପାଦାନ ସୃଷ୍ଟି କରିଥାଏ । ଯେତେବେଳେ ଉକ୍ତ ନକ୍ଷତ୍ରର ଵୟସ ବଢ଼ିଯାଏ, ଏହା ଏକ ସୁପରନୋଵା ରେ ପରିଣତ ହୁଏ ଏଵଂ ଵିରାଟ ଵିସ୍ଫୋରଣ ସହିତ ଏହାର ମୂଳରେ ସୃଷ୍ଟି ହୋଇଥିଵା ଏହି ଜୈଵିକ ତତ୍ତ୍ୱ ବ୍ରହ୍ମାଣ୍ଡରେ ଦୂର ଦୂରାନ୍ତରେ ଵିସ୍ତାରିତ ହୁଏ ତଥା ଧୂଳିର ବାଦଲ ରୂପେ ମହାକାଶରେ ଭାସୁଥାଏ । ଆକାଶଗଙ୍ଗାର କେନ୍ଦ୍ରକୁ ଆମ ସୂର୍ଯ୍ୟ ସହିତ ପ୍ରାୟ ୨୫କୋଟି ଵର୍ଷରେ ଥରେ ପରିକ୍ରମା ସମ୍ପୂର୍ଣ୍ଣ କରୁଥିଵାବେଳେ ପୃଥିଵୀ ପ୍ରାୟତଃ ଏହି ବାଦଲ ଦେଇ ଗତି କରିଥାଏ ଏଵଂ ସେତେବେଳେ ଏହି ବାଦଲରେ ଥିଵା ଵିରଳ ଉପାଦାନ ପୃଥିଵୀର ଵାୟୁମଣ୍ଡଳରେ ପ୍ରଵେଶ କରିଥାଏ ।

ଵୈଜ୍ଞାନିକମାନେ କୁହନ୍ତି ପୃଥିଵୀର ପ୍ରାରମ୍ଭିକ ସମୟକାଳରେ ଜୀଵନ ଗଠନ ପାଇଁ ଆଵଶ୍ୟକ ଜୈଵିକ ଉପାଦାନ ଏଭଳି ନକ୍ଷତ୍ରୀୟ ଧୂଳିର ବାଦଲରୁ ପୃଥିଵୀପୃଷ୍ଠରେ ପହଞ୍ଚିଥିଲା । ହୁଏତ ଏହି ଉପାଦାନଗୁଡ଼ିକ 
ପୃଥିଵୀରେ ଜୀଵନ ପ୍ରକ୍ରିୟା ଆରମ୍ଭ କରିଵାରେ ବି ସାହାଯ୍ୟ କରିଥିବେ । ଆଜି ବି ପ୍ରତିଵର୍ଷ ପୃଥିଵୀର ଵାୟୁମଣ୍ଡଳରେ ଏଭଳି ଚାଳିଶ ହଜାର ଟନ୍ ଅନ୍ତରୀକ୍ଷୀୟ ଧୂଳି ପ୍ରଵେଶ କରୁଛି। ପୃଥିଵୀର କୋରିଓଲିସ୍ ପ୍ରଭାବ ଯୋଗୁଁ ଏହି ଧୂଳି ଵାୟୁମଣ୍ଡଳରେ ଭଲ ଭାବରେ ଏକତ୍ରିତ ହୋଇଯାଏ ଏଵଂ ପ୍ରାୟତଃ ଏହି ସୌର ଧୂଳିର କିଛି ଅଂଶ ଆପଣଙ୍କର ଘରେ ପ୍ରଵେଶ କରି ଆପଣଙ୍କ ଘରର ଧୂଳିର ଅଂଶ ପାଲଟିଯାଏ ।

ନିଜ ଘରର ଧୂଳିକୁ ହାତପାପୁଲିରେ ଉଠାନ୍ତୁ ଏଵଂ ଏହି ଧୂଳିକୁ ଧ୍ୟାନ ଦେଇ ଦେଖନ୍ତୁ।
ଏହି ଧୂଳିରେ ପୃଥିଵୀଲୋକ ମଧ୍ୟ ଅଛି, ଏଵଂ ଦ୍ୟୁଲୋକ ମଧ୍ୟ ...
ଏଥିରେ ଦୈନନ୍ଦିନ ଜୀଵନର ମଧ୍ୟ ଅଂଶ ରହିଛି ଏଵଂ ସାର୍ବଜନୀନ ଜୀଵନ ମଧ୍ୟ...
ଏହି ଧୂଳିରେ ଜୀଵନ ମଧ୍ୟ ଅଛି ଏଵଂ ଜୈଵିକ ମୃତାଂଶ ମଧ୍ୟ...
ସୂକ୍ଷ୍ମଠାରୁ ଆରମ୍ଭ କରି ଵିରାଟ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ସମସ୍ତଙ୍କର ଅଵଶେଷ ଏହି ଧୂଳି ରୂପରେ ଆପଣଙ୍କ ମୁଠିରେ ବନ୍ଦ ହୋଇ ରହିଛି। ଧୂଳିରୁ ଆରମ୍ଭ ହୋଇଥିଵା ଜୀଵନ ଦିନେ ଧୂଳିରେ ହିଁ ମିଶିଯିବ।
ଜୀଵନ ଆଉ କିଛି ନୁହେଁ, କେଵଳ ଧୂଳିରୁ ଧୂଳି ହେଵାର ଏକ ଚକ୍ର ଏଵଂ ଏହାକୁ ହିଁ କୁହାଯାଏ DUST TO DUST । ଧୂଳିରୁ ସୃଷ୍ଟି ଏଵଂ ଶେଷରେ ଧୂଳିରେ ହିଁ ଵିଲୟ ନିଶ୍ଚିତ ।
ଏହି ଚିନ୍ତାଧାରା କେଵଳ ମୃତ୍ୟୁର ଵାର୍ତ୍ତା ଵହନ କରେନାହିଁ ଵରଂ ଜୀଵନର ସମଗ୍ର ସ୍ୱରୂପ, ସୃଷ୍ଟିର ନିୟମ ଏଵଂ ବ୍ରହ୍ମାଣ୍ଡ ସହ ଆମର ଗଭୀର ସମ୍ପର୍କକୁ ବୁଝାଏ।

ଆମ ରକ୍ତରେ ଥିଵା ଲୌହ, ଆମ ହାଡ଼ରେ ଥିବା କ୍ୟାଲସିୟମ୍ ଏଵଂ ଆମ ପ୍ରଶ୍ୱାସରେ ଗ୍ରହଣ କରାଉଥିଵା ଅମ୍ଳଜାନ ଆଦି ସମସ୍ତ ଉପାଦାନ କୋଟି କୋଟି ଵର୍ଷ ପୂର୍ଵେ ମହାକାଶରେ ଵିସ୍ଫୋରିତ ହୋଇଥିଵା ପ୍ରାଚୀନ ନକ୍ଷତ୍ରର Supernovaରୁ ଜାତ ପାଉଁଶ ଵା ଧୂଳିରୁ ସୃଷ୍ଟି। ସେଥିପାଇଁ ପ୍ରଖ୍ୟାତ ଜ୍ୟୋତିର୍ଵିଜ୍ଞାନୀ କାର୍ଲ ସାଗାନ୍ କହିଥିଲେ:
"We are made of star-stuff."
(ଆମେ ସମସ୍ତେ ମହାକାଶର ନକ୍ଷତ୍ରୀୟ ଧୂଳିରେ ଗଢ଼ା।)

ଅର୍ଥାତ୍, ଆମର ପ୍ରଥମ ଅସ୍ତିତ୍ୱ ଏହି ପୃଥିଵୀରେ ନୁହେଁ ଵରଂ କୋଟି କୋଟି ଵର୍ଷ ପୂର୍ଵେ ବ୍ରହ୍ମାଣ୍ଡର ଗଭୀରତାରେ ସୃଷ୍ଟି ହୋଇଥିଲା। ଆମେ ଯାହାକୁ ଆମର 'ଶରୀର' ବୋଲି ଭାବୁଛୁ, ତାହା ପ୍ରକୃତରେ ଏକାଠି ହୋଇଥିଵା ମହାଜାଗତିକ ଧୂଳିର ଏକ ସୁନ୍ଦର ରୂପ ମାତ୍ର। ଆମେ ଜୀଵିତ ଥିଵା ସମୟରେ ମଧ୍ୟ ପ୍ରତିମୁହୂର୍ତ୍ତରେ ନିଜ ଶରୀରର ମୃତ କୋଷଗୁଡ଼ିକୁ ଧୂଳି ରୂପରେ ପରିଵେଶକୁ ଫେରାଇ ଦେଉଛେ। ଆମେ ଶ୍ୱାସ ନେଵା, ଚାଲିଵା ଓ ଜୀଵନ ଜୀଇଁଵା ସମୟରେ ନିଜ ଅଜାଣତରେ ନିଜକୁ ଧୂଳିରେ ପରିଣତ କରୁଛେ। ପୁଣି ଜୀଵନର ଶେଷରେ, ଯେତେବେଳେ ଚେତନା ଶରୀର ଛାଡ଼ିଦିଏ, ଏହି ପଞ୍ଚଭୂତରେ ଗଢ଼ା ଶରୀର ପୁଣି ମାଟି,ଵାୟୁ ଓ ଧୂଳିରେ ମିଶିଯାଏ। ଏହି ଧୂଳି ପୁଣି ଗଛଲତା ପାଇଁ ପୋଷକ ତତ୍ତ୍ୱ ସାଜେ। ସେହି ଗଛରୁ ଫଳ ଓ ଶସ୍ୟ ସୃଷ୍ଟି ହୁଏ।
ତାହାକୁ ଖାଇ ଅନ୍ୟ ଏକ ନୂତନ ଜୀବ ଜନ୍ମ ନିଏ। ତେଣୁ, 'DUST TO DUST' କୌଣସି ଅନ୍ତ ନୁହେଁ; ଏହା ହେଉଛି ଜୀଵନ ଓ ପ୍ରକୃତିର ଏକ ଅଵିରତ, ଚିରନ୍ତନ ପୁନଶ୍ଚକ୍ରୀକରଣ ।

ମାନଵ ସଭ୍ୟତା ନିଜର ଜ୍ଞାନ, ପ୍ରଯୁକ୍ତିଵିଦ୍ୟା, ରାଜ୍ୟ ଓ ସମ୍ପତ୍ତିକୁ ନେଇ ଯେତେ ଅହଂକାର କଲେ ବି, ବ୍ରହ୍ମାଣ୍ଡୀୟ ଦୃଷ୍ଟିକୋଣରୁ ଆମେ ସମସ୍ତେ ଏକା ଭଳି। ଜଣେ ରାଜା ହୁଅନ୍ତୁ ଵା ପ୍ରଜା, ଧନୀ ହୁଅନ୍ତୁ ବା ଦରିଦ୍ର—ଶେଷରେ ସମସ୍ତଙ୍କର ଭାଗ୍ୟ ସେହି ସମାନ ଧୂଳିରେ ପରିଣତ ହେଵା ହିଁ ଅଟେ । ଆମର ଜନ୍ମ, ଆମର ସଂଘର୍ଷ, ଆମର ପ୍ରେମ ଏଵଂ ଆମର ଶେଷ ପରିଣତି ସବୁକିଛି ଏହି ମହାଜାଗତିକ ଧୂଳିର ନୃତ୍ୟ ମାତ୍ର। ଏହି ସତ୍ୟକୁ ବୁଝିଵା ଦ୍ୱାରା ମଣିଷ ଭିତରୁ କୃତ୍ରିମ ଅହଂକାର ନଷ୍ଟ ହୋଇଯାଏ ଏଵଂ ଏକ ଗଭୀର ନମ୍ରତା ଜାଗ୍ରତ ହୁଏ।

"ଧୂଳି କେଵଳ ମଇଳା ଆଵର୍ଜନା ନୁହେଁ, ଏହା ସମଗ୍ର ବ୍ରହ୍ମାଣ୍ଡର ଜୀଵନ୍ତ ସ୍ମୃତିସୌଧ।"

'DUST TO DUST' ଆମକୁ ଏହି ଗୂଢ଼ ଦର୍ଶନ ଶିଖାଏ ଯେ, ଆମେ ଏହି ବ୍ରହ୍ମାଣ୍ଡଠାରୁ ଅଲଗା କେହି ନୁହେଁ; ଆମେ ନିଜେ ହିଁ ଏକ ଜୀଵନ୍ତ ବ୍ରହ୍ମାଣ୍ଡ। ଆପଣଙ୍କ ହାତପାପୁଲିରେ ଥିଵା ସାଧାରଣ ଧୂଳିରେ ଯେପରି କୋଟି କୋଟି ଆଲୋକଵର୍ଷ ଦୂରରୁ ଆସିଥିଵା ନକ୍ଷତ୍ରର ଅଂଶ ରହିଛି, ସେହିପରି ଆପଣଙ୍କ ନିଜ ଶରୀରର ଜୈଵିକ ଅଂଶ ମଧ୍ୟ ରହିଛି। ଏହା ପ୍ରମାଣ କରେ ଯେ କ୍ଷୁଦ୍ରତମ ଜୀଵ ଏଵଂ ଵିଶାଳତମ ବ୍ରହ୍ମାଣ୍ଡ ଗୋଟିଏ ସୂତ୍ରରେ ବନ୍ଧା।
ଜୀଵନ କେଵଳ ଧୂଳିରୁ ଗଢ଼ି ଉଠିଥିଵା ଏକ ଚେତନାର ତରଙ୍ଗ, ଯାହା କିଛି ସମୟ ପାଇଁ ନାଚିସାରିଵା ପରେ ପୁଣି ସେହି ଶାନ୍ତ ମହାଜାଗତିକ ସମୁଦ୍ରରେ ମିଶିଯାଏ। ଏହି ଚକ୍ରକୁ ସହଜ ଭାବେ ଗ୍ରହଣ କରିଵା ହିଁ ପ୍ରକୃତ ଜ୍ଞାନ—ଯାହା ଆମକୁ ଅହଂକାରମୁକ୍ତ କରିଵା ସହ, ଜୀଵନର ପ୍ରତିଟି ମୁହୂର୍ତ୍ତକୁ ଆଶ୍ଚର୍ଯ୍ୟ, ଶ୍ରଦ୍ଧା ଓ ଵିସ୍ମୟର ସହ ଦେଖିଵାକୁ ପ୍ରେରଣା ଦିଏ।







Saturday, July 11, 2026

ଶିଵାପିଥିକସ୍: ଭାରତର ହଜିଯାଇଥିଵା ଏକ ମହାଵାନରର ସଂକ୍ଷିପ୍ତ ଇତିହାସ(Sivapithecus: A Brief History of India's Lost Great Ape)

ଊନଵିଂଶ ଶତାବ୍ଦୀର ଶେଷ ଆଡ଼କୁ, ଅଵିଭକ୍ତ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଥିଵା ଶିଵାଲିକ୍ ପାର୍ଵତ୍ୟାଞ୍ଚଳ କେଵଳ ଏକ ଶୁଷ୍କ ଓ ପଥରୁଆ ପାହାଡ଼ିଆ ଅଞ୍ଚଳ ଭାବେ ଜଣାଯାଉଥିଲା। କିନ୍ତୁ ଭୂତତ୍ତ୍ୱଵିତ୍ ଓ ପ୍ରକୃତିପ୍ରେମୀମାନଙ୍କ ପାଇଁ ଏହି ମାଟି ଏକ ପ୍ରାଚୀନ ରହସ୍ୟର ଭଣ୍ଡାର ଥିଲା। ଏହି ସମୟରେ ଜୀଵାଶ୍ମ ଵିଜ୍ଞାନୀମାନେ ପୃଥିଵୀର ଵିଵର୍ତ୍ତନ ଇତିହାସ ଖୋଜିଵା ପାଇଁ ଶିଵାଲିକ୍ ପାହାଡ଼ର ପଥର ସ୍ତରଗୁଡ଼ିକୁ ଅନୁଧ୍ୟାନ କରୁଥିଲେ।


ଜୀଵାଶ୍ମ ଵିଜ୍ଞାନର ଏକ ସରଳ ନିୟମ ହେଉଛି—ଜୀଵାଶ୍ମ ପ୍ରାୟତଃ ଆଗ୍ନେୟଗିରିର ଲାଭାରୁ ତିଆରି ପଥର ଵା Igneous Rocksରେ ମିଳେନାହିଁ, କାରଣ ସେଠାରେ ଅତ୍ୟଧିକ ଉତ୍ତାପରେ ସବୁ ଜଳିଯାଏ। ଏହା ସବୁବେଳେ ଅବସାଦୀ ପଥର ଵା Sedimentary Rocksରେ ମିଳିଥାଏ। ଭୂତତ୍ତ୍ୱଵିତ୍‌ମାନେ ଜାଣିଥିଲେ ଯେ ଶିଵାଲିକ୍ ପାହାଡ଼ଗୁଡ଼ିକ ମୂଳତଃ ପ୍ରାଚୀନ ନଦୀଗୁଡ଼ିକ ଦ୍ୱାରା ବୋହି ଆସିଥିବା ବାଲି, କାଦୁଅ ଓ ଗୋଡ଼ି ଜମା ହୋଇ ତିଆରି ହୋଇଛି। ଯେତେବେଳେ କୌଣସି ଜୀଵ ମରେ, ନଦୀର ବାଲି ଓ କାଦୁଅ ସେମାନଙ୍କୁ ସଙ୍ଗେ ସଙ୍ଗେ ପୋତି ଦିଏ, ଯାହା ଫଳରେ ଲକ୍ଷ ଲକ୍ଷ ଵର୍ଷ ପରେ ତାହା ଜୀଵାଶ୍ମରେ ପରିଣତ ହୁଏ। ଏହି ପ୍ରକାରର ପଥର ସ୍ତର ଦେଖି ଵୈଜ୍ଞାନିକମାନେ ନିଶ୍ଚିତ ହୋଇଥିଲେ ଯେ ଏଠାରେ ପ୍ରାଚୀନ ଜୀଵଙ୍କ ସାକ୍ଷୀ ମିଳିପାରିଵ।


ସେହି ସମୟରେ ୟୁରୋପରେ ଚାର୍ଲ୍ସ ଲାଇଲ୍‌ଙ୍କ ଭୂତତ୍ତ୍ୱ ଵିଜ୍ଞାନର ନିୟମ ଖୁବ୍ ପ୍ରସିଦ୍ଧ ହୋଇଥିଲା। ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ଜଳଵାୟୁ ଓ ଭୂଗୋଳର ପରିଵର୍ତ୍ତନକୁ ବୁଝିଵାକୁ ହେଲେ ପୃଥିଵୀର ଯେଉଁ ଅଞ୍ଚଳରେ ହିମାଳୟ ପରି ନୂଆ ପର୍ଵତ ତିଆରି ହୋଇଛି ଵା ହେଉଛି  ସେଠାରେ ଖନନ କରିଵାକୁ ହେଵ। ଏହି ଵୈଜ୍ଞାନିକ ଜିଜ୍ଞାସା ଯୋଗୁଁ "Geological Survey of India"ର ଗଵେଷକମାନେ ନିର୍ଦ୍ଦିଷ୍ଟ ଭାବେ ଶିଵାଲିକ୍ ଶ୍ରେଣୀକୁ ନିଜର ଗଵେଷଣାର କେନ୍ଦ୍ରବିନ୍ଦୁ କରିଥିଲେ।


ହିମାଳୟର ସବୁଠାରୁ ବାହାର ପାର୍ଶ୍ୱ ଵା ପାଦଦେଶରେ ଶିଵାଲିକ୍ ପାର୍ଵତ୍ୟାଞ୍ଚଳ ରହିଛି । ଯେତେବେଳେ ହିମାଳୟର ଉତ୍ଥାନ ହେଉଥିଲା, ସେତେବେଳେ ଭୂଗର୍ଭରେ ଲୁଚି ରହିଥିଵା ପ୍ରାଚୀନ ପଥର ସ୍ତରଗୁଡ଼ିକ ଉପରକୁ ଟେକି ହୋଇ ଆସିଲା। ତା’ପରେ ପ୍ରଚୁର ଵର୍ଷା ଓ ନଦୀର ସ୍ରୋତ ଯୋଗୁଁ ସେହି ପାହାଡ଼ଗୁଡ଼ିକର ଉପର ମାଟି ଧୋଇହୋଇ ଭିତରେ ଥିଵା ପ୍ରାଚୀନ ସ୍ତରଗୁଡ଼ିକ ବାହାରକୁ ଦେଖାଗଲା। ଏହି ପ୍ରାକୃତିକ କ୍ଷୟ ଯୋଗୁଁ ଅନେକ ସମୟରେ ପଥର ତଳେ ଦବି ରହିଥିଵା ପ୍ରାଚୀନ ପଶୁମାନଙ୍କର ବଡ଼ ବଡ଼ ହାଡ଼ ଆପେ ଆପେ ମାଟି ଉପରକୁ ବାହାରି ପଡ଼ୁଥିଲା, ଯାହା ସହଜରେ ଵୈଜ୍ଞାନିକମାନଙ୍କ ନଜରରେ ପଡ଼ିଥିଲା।


ତେବେ ଵୈଜ୍ଞାନିକମାନେ ଶିଵାଲିକ୍ ପର୍ଵତମାଳାରେ ପହଞ୍ଚିବା ପୂର୍ଵରୁ ସେହି ଅଞ୍ଚଳର ପାର୍ଵତ୍ୟ ସମୁଦାୟ ଓ ଗ୍ରାମଵାସୀମାନେ ପ୍ରାୟତଃ ପାହାଡ଼ ଖୋଳିଵା ବେଳେ ଵା ଵର୍ଷା ଦିନେ ମାଟି ଧୋଇଯିଵା ପରେ ଵିଶାଳକାୟ ଜୀଵଙ୍କର ଦାନ୍ତ ଓ ହାଡ଼ ପାଉଥିଲେ। ସେମାନେ ସେଗୁଡ଼ିକୁ କୌଣସି ପ୍ରାଚୀନ ଦୈତ୍ୟ, ରାକ୍ଷସ କିମ୍ବା ମହାଭାରତର 'ଭୀମ' ଵା 'ଘଟୋତ୍କଚ'ଙ୍କ ଭଳି ମହାବୀରମାନଙ୍କର ଅସ୍ଥି ବୋଲି ଭାବି ପୂଜା କରୁଥିଲେ କିମ୍ବା ନିଜ ପାଖରେ ରଖୁଥିଲେ।

ଊନବିଂଶ ଶତାବ୍ଦୀରେ ଯେତେବେଳେ ହ୍ୟୁ ଫାଲକନର ଓ ପ୍ରୋଟଲି କଟଲେଙ୍କ ଭଳି ବ୍ରିଟିଶ ଅଧିକାରୀ ଓ ଭୂତତ୍ତ୍ୱଵିତ୍‌ମାନେ ସେହି ଅଞ୍ଚଳ ଭ୍ରମଣ କଲେ ସେତେବେଳେ ସେମାନେ ସ୍ଥାନୀୟ ଲୋକଙ୍କ ମୁହଁରୁ ଏହି 'ରାକ୍ଷସ ହାଡ଼' ଵିଷୟରେ ଶୁଣିଵାକୁ ପାଇଲେ। ଯେତେବେଳେ ଵୈଜ୍ଞାନିକମାନେ ସେହି ହାଡ଼ଗୁଡ଼ିକୁ ଦେଖିଲେ, ସେମାନେ ବୁଝିଗଲେ ଯେ ଏଗୁଡ଼ିକ କୌଣସି ପୁରାଣ କାହାଣୀର ମହାଵୀର କିମ୍ବା ଦୈତ୍ୟ ନୁହେଁ ଵରଂ ଲକ୍ଷ ଲକ୍ଷ ଵର୍ଷ ପୂର୍ଵର ଵିଲୁପ୍ତ ହାତୀ Gomphotheres ଓ Mastodons ଭଳି ଗଣ୍ଡା ତଥା ପ୍ରାଚୀନ ମହାଵାନରମାନଙ୍କର ପ୍ରକୃତ ଜୀଵାଶ୍ମ ଅଟେ ।


ତେବେ ୧୮୭୯ ମସିହାରେ ବ୍ରିଟିଶ ଜୀଵାଶ୍ମ ଵିଜ୍ଞାନୀ ରିଚାର୍ଡ଼ ଲାଇଡେକର୍‌ ଶିଵାଲିକ୍ ଅଞ୍ଚଳରୁ କିଛି ଆଶ୍ଚର୍ଯ୍ୟଜନକ ଜୀଵାଶ୍ମ ପାଇଲେ। ସେଗୁଡ଼ିକ ମଧ୍ୟରେ ଥିଲା ଏକ ପ୍ରାଚୀନ ଜୀଵର ଉପର ହନୁ ହାଡ଼ ଏଵଂ କିଛି ଦାନ୍ତ। ପ୍ରଥମେ ଦେଖିଲେ ମନେହେଵ ଏହା କୌଣସି ସାଧାରଣ ଵାନରର ଦାନ୍ତ, କିନ୍ତୁ ସେଗୁଡ଼ିକୁ ଗଭୀର ଭାବେ ନିରୀକ୍ଷଣ କରିଵା ପରେ ଜଣାପଡ଼ିଲା ଯେ ଏହାର ଗଠନ ସାଧାରଣ ମାଙ୍କଡ଼ଠାରୁ ବହୁତ ଭିନ୍ନ ଏଵଂ ଏଥିରେ Great Apes ଵା ମହାଵାନରର ଲକ୍ଷଣ ରହିଛି। ୧୮୭୯ ମସିହାରେ ରିଚାର୍ଡ ଲାଇଡେକର ଏହି ଜୀଵାଶ୍ମର ଆଧାରରେ Sivapithecus indicus ନାମ ପ୍ରସ୍ତାଵ କଲେ। ଭାରତୀୟ ସଂସ୍କୃତି ଓ ହିମାଳୟ ସହ ଜଡ଼ିତ ଭଗଵାନ ଶିବଙ୍କ ନାମ ଅନୁସାରେ ଏହି ପ୍ରାଚୀନ ଜୀଵର ବଂଶଗତ ନାମ "Sivapithecus" ରଖାଗଲା, ଯାହାର ଅର୍ଥ  "ଶିଵଙ୍କ ଵାନର" ଅଟେ। କିନ୍ତୁ ଏହି କାହାଣୀ ଏତିକିରେ ସରିଯାଇନଥିଲା। ପ୍ରକୃତ ଆଲୋଡ଼ନ ୧୯୩୦ ଦଶକରେ ଦେଖାଗଲା, ଯେତେବେଳେ ୟେଲ୍ ଵିଶ୍ୱଵିଦ୍ୟାଳୟର ଜଣେ ଯୁଵ ଗଵେଷକ ଜି. ଏଡୱାର୍ଡ ଲୁଇସ୍,ଶିଵାଲିକ୍ ପାହାଡ଼ରୁ ଆଉ ଏକ ଛୋଟ ଜୀଵାଶ୍ମ ପାଇଲେ, ଯାହାକୁ ସେ "Ramapithecus" ବୋଲି ନାମିତ କଲେ। 


ଏହାପରେ ଦୀର୍ଘ ଦଶନ୍ଧି ଧରି ଵୈଜ୍ଞାନିକ ମହଲରେ ଏହାକୁ ନେଇ ଵିତର୍କ ଚାଲିଲା ଯେ ରାମାପିଥିକସ୍ ହିଁ ମଣିଷର ସିଧାସଳଖ ପ୍ରଥମ ପୂର୍ଵପୁରୁଷ। କିନ୍ତୁ ପରଵର୍ତ୍ତୀ ସମୟରେ, ଵିଶେଷତଃ ୧୯୭୦ ଓ ୧୯୮୦ ଦଶକରେ ପ୍ରସିଦ୍ଧ ଜୀଵାଶ୍ମ ଵିଜ୍ଞାନୀ ଡେଵିଡ୍ ପିଲ୍‌ବିମ୍ ଏଵଂ ତାଙ୍କ ଦଳ ପାକିସ୍ତାନର ପୋଟହାର ମାଳଭୂମିରେ ଗଵେଷଣା ଆରମ୍ଭ କଲେ । 

ଉଲ୍ଲେଖଯୋଗ୍ୟ ଯେ ପୋଟହାର ମାଳଭୂମି ଶିଵାଲିକ୍ ପାର୍ଵତ୍ୟାଞ୍ଚଳର ଅଂଶ ଅଟେ ।  ପୋଟହାର୍ ମାଳଭୂମି ଅଞ୍ଚଳରେ ଵ୍ୟାପକ ଖନନ କରି ଶିଵାପିଥିକସ୍‌ର ଏକ ପ୍ରାୟ ସମ୍ପୂର୍ଣ୍ଣ ମୁହଁର ଜୀବାଶ୍ମ ଆଵିଷ୍କାର କଲେ ଯାହାର ନାମ GSP 15000 ରଖାଗଲା । ଏହି ଆଵିଷ୍କାର ଵିଶ୍ୱ ଵିଜ୍ଞାନ ଜଗତର ପୂର୍ଵ ଧାରଣାଗୁଡ଼ିକୁ ବଦଳାଇ ଦେଲା। ଵର୍ତ୍ତମାନର ପ୍ରମୁଖ ଵୈଜ୍ଞାନିକ ମତ ଅନୁସାରେ, ରାମାପିଥିକସ୍‌କୁ ଆଉ ଏକ ପୃଥକ୍ ବଂଶ ଭାବେ ଗ୍ରହଣ କରାଯାଏ ନାହିଁ ଵରଂ ଏହାକୁ ଶିଵାପିଥିକସ୍‌ର ହିଁ ଅଂଶ ବୋଲି ଧରାଯାଏ। କିଛି ଗଵେଷକଙ୍କ ମତରେ ଏହି ଆକାରର ପାର୍ଥକ୍ୟ ସମ୍ଭଵତଃ ଏକା ଶିଵାପିଥିକସ୍ ଜାତିର ପୁରୁଷ ଓ ମହିଳା ମଧ୍ୟରେ ଥିଵା ଶାରୀରିକ ଭିନ୍ନତା ଯୋଗୁଁ ହୋଇଥାଇପାରେ। ସବୁଠାରୁ ବଡ଼ କଥା ହେଲା, ଏହି ଜୀଵାଶ୍ମର ଅଧ୍ୟୟନରୁ ଜଣାପଡ଼ିଲା ଯେ ମୁହଁର ଗଠନରେ ଏହାର ଏସିଆର "ଓରାଙ୍ଗୁଟାନ୍" ସହ ଉଲ୍ଲେଖନୀୟ ସାଦୃଶ୍ୟ ରହିଛି । ଵର୍ତ୍ତମାନର ଅଧିକାଂଶ ଗଵେଷକ କେତେକ ଦୃଢ଼ ପ୍ରମାଣ ଆଧାରରେ ମନେ କରନ୍ତି ଯେ ଶିଵାପିଥିକସ୍ ହେଉଛି ଆଧୁନିକ ଓରାଙ୍ଗୁଟାନ୍ ବଂଶ (Ponginae)ର ଏକ ପ୍ରାଚୀନ ସଦସ୍ୟ କିମ୍ବା ଅତି ନିକଟ ସମ୍ପର୍କୀୟ, ମଣିଷର ପ୍ରତ୍ୟକ୍ଷ ପୂର୍ଵଜ ନୁହେଁ। ଏହିପରି ଭାବେ, ଶିଵାଲିକ୍‌ର ଶୁଷ୍କ ପାହାଡ଼ ତଳୁ ମିଳିଥିଵା ସେହି କେତେକ ଦାନ୍ତ ଓ ହାଡ଼ର ଖଣ୍ଡ ପୃଥିଵୀର ପ୍ରାଇମେଟ୍ ଵିଵର୍ତ୍ତନର ଇତିହାସକୁ ଏକ ନୂଆ ଦିଗ ଦେଇଥିଲା।


କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଏହି ଶିଵାପିଥିକସ୍ ମହାଵାନରମାନେ ଭାରତକୁ କୁଆଡ଼ୁ ଆସିଥିଲେ ଏଵଂ ଭାରତରେ କାହିଁକି ଲୁପ୍ତ ହୋଇଗଲେ ପୁଣି ସେମାନଙ୍କର ଵର୍ତ୍ତମାନ ବଂଶଧରମାନେ କିମ୍ବା ନିକଟ ସମ୍ପର୍କୀୟମାନେ ଭାରତର ବହୁତ ଦୂରରେ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜକୁ କେମିତି ଯାଇ ଓରାଙ୍ଗ‌ଓଟାଙ୍ଗ୍ ମହାଵାନର ହେଲେ ? 


ଏହି ସବୁ ପ୍ରଶ୍ନର ଉତ୍ତର ଲୁଚିଛି ପ୍ରାଚୀନ ଇତିହାସରେ ଯାହା ପ୍ରତ୍ନତତ୍ତ୍ଵଵିଦମାନେ ପ୍ରାଚୀନ ପ୍ରସ୍ତରର ସ୍ତରଗୁଡ଼ିକର ଗର୍ଭରେ ଲୁଚି ରହିଥିଵା ଜୀଵାଶ୍ମରୁ ଆଵିଷ୍କାର କରିଛନ୍ତି। ଲକ୍ଷ ଲକ୍ଷ ଵର୍ଷ ତଳର ପଥର ସ୍ତରକୁ ଖୋଦନ କରି ସେଥିରୁ ମିଳିଥିଵା ଶିଵାପିଥିକସ୍‌ର ଦାନ୍ତ ଓ ଖପୁରିର ଗଠନକୁ ଆଧୁନିକ ମହାଵାନରଙ୍କ ସହ ତୁଳନା କରାଯାଇ ଏହି ସମ୍ପର୍କ ଵିଷୟରେ ଜଣାପଡ଼ିଛି। ପ୍ରାଚୀନ ପଥର ଓ ଜୀଵାଶ୍ମଗୁଡ଼ିକର ଵୈଜ୍ଞାନିକ ଉପାୟରେ ଵୟସ ନିରୂପଣ କରି ଵିଜ୍ଞାନୀମାନେ ଶିଵାପିଥିକସ୍‌ମାନଙ୍କର ଭାରତ ଆଗମନ ଓ ଵିଲୁପ୍ତିର ଠିକ୍ ସମୟକାଳ ଜାଣିପାରିଛନ୍ତି।ସେହି ସମୟର ପଥରର ରସାୟନିକ ସଂରଚନାରୁ ପ୍ରାଚୀନ ଜଳଵାୟୁ ପରିବର୍ତ୍ତନ ଏଵଂ ଘଞ୍ଚ ଜଙ୍ଗଲ ନଷ୍ଟ ହୋଇ ଘାସପଡ଼ିଆ ସୃଷ୍ଟି ହେଵାର ସ୍ପଷ୍ଟ ପ୍ରମାଣ ପାଇଛନ୍ତି।

ପୃଥିବୀର ପ୍ରାଚୀନ ଭୂଗୋଳ ଏଵଂ ସମୁଦ୍ର ପତନର ହ୍ରାସ-ବୃଦ୍ଧିର ଗଵେଷଣାରୁ ସେମାନେ କେଉଁ ସ୍ଥଳପଥ ଦେଇ ଦ୍ୱୀପପୁଞ୍ଜକୁ ଗଲେ, ତାର ରହସ୍ୟ ଉନ୍ମୋଚନ କରିଛନ୍ତି ।‌ ତାହେଲେ ସେତେବେଳେ କ'ଣ ହୋଇଥିଲା ବୋଲି ଗଵେଷକମାନେ କୁହନ୍ତି? 


ଆଜି ଆମେ ଭାରତୀୟ ଉପମହାଦ୍ୱୀପକୁ ଯେଉଁ ଭୌଗୋଳିକ ରୂପରେ ଦେଖୁଛୁ, ଆଜକୁ ପ୍ରାୟ ୧ କୋଟି ୭୦ ଲକ୍ଷ ଵର୍ଷ ପୂର୍ଵେ ପ୍ରାରମ୍ଭିକ Miocene ଯୁଗରେ ପୃଥିଵୀର ମାନଚିତ୍ର ସେପରି ନଥିଲା। ଵର୍ତ୍ତମାନର ଵୈଜ୍ଞାନିକ ପ୍ରମାଣ ଅନୁସାରେ, ମାନବ ଓ ମହାଵାନର ଵା Great Apesମାନଙ୍କର ପ୍ରାରମ୍ଭିକ ଵିଵର୍ତ୍ତନ ଆଫ୍ରିକାରେ ହିଁ ହୋଇଥିଲା। ସେହି ସମୟରେ ଆଫ୍ରିକାର ଉଷ୍ମ ଓ ଆଦ୍ର ପରିଵେଶରେ ପ୍ରାଇମେଟ୍‌ମାନଙ୍କର ଵିଵର୍ତ୍ତନ ଅତି ଦ୍ରୁତ ଗତିରେ ଚାଲିଥିଲା। ସେଠାରେ ଵାସ କରୁଥିଵା କେତେକ ଆଦିମ Anthropoid ଜୀଵଙ୍କୁ ଆଧୁନିକ ଗ୍ରେଟ୍ ଏପ୍ସମାନଙ୍କର ପ୍ରାରମ୍ଭିକ ବଂଶର ସଦସ୍ୟ ବୋଲି ଧରାଯାଏ।

ତେବେ ପ୍ରଶ୍ନ ଉଠେ, ଆଫ୍ରିକାରେ ଥିଵା ଏହି ଜୀଵମାନଙ୍କର ବଂଶଧରମାନେ ଏସିଆ ଵା ଭାରତ ପର୍ଯ୍ୟନ୍ତ ଵିସ୍ତାରିତ ହେଲେ କେମିତି? ପ୍ରକୃତରେ ଏହି ମହାଦ୍ୱୀପାନ୍ତର ପ୍ରସାରଣ ପଛରେ ଥିଲା ପୃଥିଵୀର ଭୂଗର୍ଭୀୟ ଅସ୍ଥିରତା ଏଵଂ ଜଳବାୟୁର ଏକ ମହାଜାଗତିକ ଖେଳ।


Miocene ଯୁଗର ପ୍ରାରମ୍ଭରେ, ଆଜକୁ ପ୍ରାୟ ୧ କୋଟି ୮୦ ଲକ୍ଷରୁ ୧ କୋଟି ୭୦ ଲକ୍ଷ ଵର୍ଷ ପୂର୍ଵେ ଆଫ୍ରିକୀୟ ଆରବୀୟ ପ୍ଲେଟ୍ ଧୀରେ ଧୀରେ ଉତ୍ତଗ ଦିଗକୁ ଗତି କରି ୟୁରେସିଆ ପ୍ଲେଟ୍ ସହିତ ଧକ୍କା ହେଲା। ଏହି ଭୂଗର୍ଭୀୟ ଘଟଣା ଯୋଗୁଁ "Gomphotherium ସ୍ଥଳ-ସେତୁ ସୃଷ୍ଟି ହେଲା। ଏହା ପୂର୍ଵରୁ ଆଫ୍ରିକା ଏବଂ ଏସିଆ ମଧ୍ୟରେ ଟେଥିସ୍ ସମୁଦ୍ରର ଏକ ଅଂଶ ଵ୍ୟଵଧାନ ସୃଷ୍ଟି କରଉଥିଲା ଏଵଂ ତାହା ପ୍ରାଇମେଟ୍‌ମାନଙ୍କ ଯାତ୍ରା ପାଇଁ ବାଧା ଥିଲା।


ଏହି ଦୁଇଟି ଵିଶାଳ ଭୂଖଣ୍ଡର ମିଳନ ଯୋଗୁଁ ଆଧୁନିକ ମଧ୍ୟ-ପ୍ରାଚ୍ୟ ଦେଇ ଏକ ସ୍ଥଳପଥ ଉନ୍ମୁକ୍ତ ହେଲା। ଗଵେଷକମାନେ ମନେ କରନ୍ତି ଯେ ତତ୍କାଳୀନ ଉଷ୍ମ ଜଳଵାୟୁ ଯୋଗୁଁ ଏହି ସ୍ଥଳପଥ ଅଞ୍ଚଳରେ ଏକ ସମ୍ଭାଵ୍ୟ ଵନ୍ୟ ସଂଯୋଗ ପଥ ଵା Forest Corridor ଗଢ଼ିଉଠିଥିଲା, ଯାହା ଜୀଵମାନଙ୍କକୁ ଆଗକୁ ବଢ଼ିଵାରେ ସାହାଯ୍ୟ କଲା।


ଗଛରେ ରହୁଥିଵା ପ୍ରାଇମେଟ୍‌ମାନେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଯାତ୍ରା ଵା ପ୍ରଵାସ କରନ୍ତି ନାହିଁ। ସେମାନେ କେଵଳ ନିଜର ଵାସସ୍ଥାନର ପ୍ରାକୃତିକ ସମ୍ପ୍ରସାରଣ ଏଵଂ ଖାଦ୍ୟର ସନ୍ଧାନରେ ଧୀରେ ଧୀରେ ଆଗକୁ ବଢ଼ୁଥିଲେ।

ଆଧୁନିକ ଯୁଗରେ ବି ତାହା ଘଟୁଥିଵାର ଆମେ ଲକ୍ଷ୍ୟ କରୁଛନ୍ତି । ଉଦାହରଣ ସ୍ୱରୂପ ଜଙ୍ଗଲ ହ୍ରାସ ଯୋଗୁଁ ହନୁମାଙ୍କଡ଼ ଓ ପାତିମାଙ୍କଡ଼ ଆଜି ଗ୍ରାମାଞ୍ଚଳରେ ଵାସ କରୁଛନ୍ତି । 


ଵୈଜ୍ଞାନିକମାନଙ୍କ ଅନୁମାନ ଅନୁସାରେ, ଆଫ୍ରିକାରୁ ଏସିଆକୁ ପ୍ରାଚୀନ ମହାଵାନରମାନଙ୍କର ଏହି ଵିସ୍ତାର ପ୍ରାୟ ୧.୭ ରୁ ୧.୬ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଏହି ସମୟରେ ଶିଵାପିଥିକସ୍‌ର ସମ୍ଭାଵ୍ୟ ପୂର୍ଵଜ ଵା ନିକଟ ସମ୍ପର୍କୀୟ Kenyapithecus କିମ୍ବା Griphopithecus ଭଳି ଜୀଵମାନେ ଏହି ଵନ୍ୟ ସଂଯୋଗ ପଥ ଦେଇ ଧୀରେ ଧୀରେ ଏସିଆ ଆଡ଼କୁ ଅଗ୍ରସର ହୋଇଥିଲେ।


ପିଢ଼ି ପିଢ଼ି ଧରି, ପ୍ରାୟ ଲକ୍ଷ ଲକ୍ଷ ଵର୍ଷର ସମୟକାଳ ମଧ୍ୟରେ ଏହି ପ୍ରାଇମେଟ୍‌ମାନେ ପୂର୍ଵ ଆଫ୍ରିକାରୁ ବାହାରି ଆରବ ପ୍ରଦେଶ ଓ ଇରାନୀୟ ମାଳଭୂମିର ଅନୁକୂଳ ପରିଵେଶ ଦେଇ ଶେଷରେ ଭାରତୀୟ ଉପମହାଦ୍ୱୀପର ପଶ୍ଚିମ ଦ୍ୱାରରେ ପହଞ୍ଚିଲେ।


ଆଜକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଵର୍ଷ ପୂର୍ଵର ସମୟ ସୁଦ୍ଧା ସେମାନେ ଭାରତୀୟ ଉପମହାଦ୍ୱୀପରେ ସଫଳତାର ସହ ସ୍ଥାପିତ ହୋଇସାରିଥିଲେ, କାରଣ ଏହି ସମୟରୁ ହିଁ ଆମକୁ ଶିଵାପିଥିକସ୍‌ର ସ୍ପଷ୍ଟ ଜୀଵାଶ୍ମ ମିଳିଵା ଆରମ୍ଭ ହୁଏ। ସେହି ସମୟରେ ଭାରତୀୟ ପ୍ଲେଟ୍ ଏସିଆ ସହ ଧକ୍କା ହେଵା ଫଳରେ ଉତ୍ତରରେ ହିମାଳୟ ସୃଷ୍ଟି ହେଉଥିଲା ଏଵଂ ଏହାର ପାଦଦେଶରେ ଥିଵା ଶିଵାଲିକ୍ ଅଞ୍ଚଳରେ ଏକ ଵିଶାଳ, ଘନ କ୍ରାନ୍ତୀୟ ଵର୍ଷାଵନ ଵା Subtropical Rainforest  ଗଢ଼ିଉଠିଥିଲା।


ଏହି ନୂଆ ଓ ସମୃଦ୍ଧ ପରିଵେଶରେ ପ୍ରାକୃତିକ ଚୟନର ପ୍ରକ୍ରିୟା ଅତି ପ୍ରଭାଵଶାଳୀ ଭାବେ କାମ କଲା। ବଦଳୁଥିଵା ପରିଵେଶରେ ଉପଲବ୍ଧ ଶକ୍ତ ଫଳ ଵା ବାଦାମ ଜାତୀୟ ଖାଦ୍ୟ ଖାଇଵା ପାଇଁ ଯେଉଁ ଜୀଵମାନଙ୍କର ଦାନ୍ତରେ ମୋଟା ଏନାମେଲ୍ ଥିଲା ସେମାନେ ଜୀଵନ ସଂଗ୍ରାମରେ ଅଧିକ ସଫଳ ହେଲେ ଏଵଂ ସେମାନଙ୍କର ବଂଶ ବୃଦ୍ଧି ପାଇଲା। ଏହି ଵିଵର୍ତ୍ତନର ପରିଣାମ ସ୍ୱରୂପ ଭାରତୀୟ ଉପମହାଦ୍ୱୀପରେ ଶିଵାପିଥିକସ୍ ବଂଶର ପ୍ରତିନିଧିମାନଙ୍କର ଉଦ୍ଭଵ ଓ ଵିକାଶ ହୋଇଥିଲା। 


ଜୀଵାଶ୍ମରୁ ମିଳିଥିଵା ହାଡ଼ର ଗଠନକୁ ଆଧାର କରି ମାନଵ ଵିଜ୍ଞାନୀମାନେ ଶିଵାପିଥିକସ୍‌ର ଏକ ଆନୁମାନିକ ଶାରୀରିକ ରୂପ ପ୍ରସ୍ତୁତ କରିଛନ୍ତି। ଏମାନଙ୍କର ସାମଗ୍ରିକ ଶରୀରିକ ଆକାର ଆଧୁନିକ ଚିମ୍ପାଞ୍ଜି କିମ୍ବା ଛୋଟ ଓରାଙ୍ଗୁଟାନ୍ ସହ ପ୍ରାୟ ସମାନ ଥିଲା। ଯେହେତୁ ଏହି ବଂଶର ଜାତିଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ ଲିଙ୍ଗୀୟ ଦ୍ୱିରୂପତା ଵା Sexual Dimorphismର ପ୍ରମାଣ ମିଳେ, ତେଣୁ ସେମାନଙ୍କ ଓଜନରେ ଲିଙ୍ଗଭେଦ ଆଧାରିତ ବଡ଼ ପାର୍ଥକ୍ୟ ଥିଲା। ଗଵେଷଣା ଅନୁସାରେ, ମାଈ ଶିଵାପିଥିକସ୍‌ର ଓଜନ ପ୍ରାୟ ୨୫ ରୁ ୩୫ କିଲୋଗ୍ରାମ ଥିଵାବେଳେ ଅଣ୍ଡିର ଶିଵାପିଥିକସ୍‌ମାନଙ୍କ ଓଜନ ପ୍ରାୟ ୪୦ ରୁ ୭୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥିଵାର ଅନୁମାନ କରାଯାଏ।


ଶିଵାପିଥିକସ୍‌ମାନଙ୍କର ସବୁଠାରୁ ବଡ଼ ଵୈଶିଷ୍ଟ୍ୟ ଥିଲା ଏମାନଙ୍କର ମୁଣ୍ଡ ଓ ମୁହଁର ଗଠନ। ପାକିସ୍ତାନରୁ ମିଳିଥିଵା ପ୍ରସିଦ୍ଧ ଜୀବାଶ୍ମ "GSP 15000"ର ଅଧ୍ୟୟନରୁ ମୁହଁର ଗଠନରେ ଓରାଙ୍ଗୁଟାନ୍ ସହ ଉଲ୍ଲେଖନୀୟ ସାଦୃଶ୍ୟ ଦେଖାଯାଏ। ଏମାନଙ୍କର ଆଖିର କୋଟର (Orbits) ଗୁଡ଼ିକ ଆଧୁନିକ ମଣିଷ ଵା ଗରିଲ୍ଲାଙ୍କ ଭଳି ଗୋଲାକାର ନହୋଇ, ଉପର-ତଳକୁ ଲମ୍ବା ଵା ଅଣ୍ଡାକୃତି ଥିଲା। ଦୁଇ ଆଖି ମଧ୍ୟରେ ଥିଵା ହାଡ଼ର ଦୂରତା ଅତି ସଂକୀର୍ଣ୍ଣ ଥିଲା। ଯଦି ପାର୍ଶ୍ୱଦୃଶ୍ୟରୁ ଦେଖାଯାଏ, ତେବେ ଏମାନଙ୍କର ମୁହଁର ମଝି ଅଂଶ ସାମାନ୍ୟ ଅବଵଳ ଥିଲା ଏବଂ ପାଟିଟି ଆଗକୁ ବାହାରିଥିଲା, ଯାହାର ଆଧୁନିକ ଓରାଙ୍ଗୁଟାନ୍‌ର ଶରୀରଗଠନ ସହିତ ସାମଞ୍ଜସ୍ୟ ରହିଛି ।


ଶିଵାପିଥିକସ୍‌ର ଅଧ୍ୟୟନ ଵିଵର୍ତ୍ତନ ଵିଜ୍ଞାନୀମାନଙ୍କ ପାଇଁ 'ମୋଜାଇକ୍ ଵିଵର୍ତ୍ତନ'ର ଏକ ଶ୍ରେଷ୍ଠ ଉଦାହରଣ। ଏହି ପ୍ରକ୍ରିୟା ଅନୁସାରେ ଗୋଟିଏ ଜୀଵର ଶରୀରର ସମସ୍ତ ଅଙ୍ଗ ଏକ ସମାନ୍ତରାଳ ଗତିରେ ବଦଳେ ନାହିଁ ଵରଂ ଵିଭିନ୍ନ ଅଙ୍ଗର ଵିଵର୍ତ୍ତନ ଭିନ୍ନ ଭିନ୍ନ ସମୟ ଓ ବେଗରେ ହୋଇଥାଏ।


ଶିଵାପିଥିକସ୍‌ର ମୁହଁର ଗଠନ ଓରାଙ୍ଗୁଟାନ୍ ଭଳି ଥିଲେ ମଧ୍ୟ, ଯେତେବେଳେ ସେମାନଙ୍କର କାନ୍ଧ ଓ ହାତ-ଗୋଡ଼ର ଅସ୍ଥି ଅଂଶ ମିଳିଲା, ସେତେବେଳେ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଲା। ଆଧୁନିକ ଓରାଙ୍ଗୁଟାନ୍‌ମାନେ ଗଛର ଡାଳରୁ ହାତରେ ଝୁଲି ଝୁଲି ଗତି କରିଵା ପାଇଁ  ସମ୍ପୂର୍ଣ୍ଣ ଅନୁକୂଳିତ ତେଣୁ ସେମାନଙ୍କର କାନ୍ଧର ଗଣ୍ଠି ଅତି ନମନୀୟ ଏଵଂ ହାତ ଲମ୍ବା ହୋଇଥାଏ। କିନ୍ତୁ ଶିଵାପିଥିକସ୍‌ର କାନ୍ଧ ଓ କୋଣିଆ ଗଣ୍ଠିର ଗଠନରୁ ଜଣାଯାଏ ଯେ ସେମାନଙ୍କର ଚଳପ୍ରଚଳ ଶୈଳୀ ଓରାଙ୍ଗୁଟାନ୍ ଭଳି ଝୁଲିଵା ପ୍ରକାରର ନଥିଲା। ସେମାନେ ସମ୍ଭଵତଃ ଚାରି ଗୋଡ଼ ଵ୍ୟଵହାର କରି ଗଛର ମୋଟା ଡାଳ ଉପରେ ଚାଲୁଥିଲେ । ଏହି ଆଵିଷ୍କାର ପ୍ରମାଣିତ କରେ ଯେ Ponginae ଉପବଂଶର ଵିଵର୍ତ୍ତନ ଇତିହାସରେ ପ୍ରଥମେ 'ମୁହଁର ଗଠନ' ଓରାଙ୍ଗୁଟାନ୍ ସଦୃଶ ହୋଇଥିଲା ଏଵଂ ଗଛରେ ଝୁଲିଵାର ଶାରୀରିକ ଦକ୍ଷତା ତାହାର ପରଵର୍ତ୍ତୀ ପର୍ଯ୍ୟାୟରେ ଵିକଶିତ ହୋଇଥିଲା।


ମିଓସିନ୍ ଯୁଗର ଶିଵାଲିକ୍ ଅଞ୍ଚଳ ଜୈଵ ଵିଵିଧତାରେ ପରିପୂର୍ଣ୍ଣ ଏକ ସମୃଦ୍ଧ କ୍ରାନ୍ତୀୟ ଆଦ୍ର ଜଙ୍ଗଲ ଥିଲା। ଏହି ପରିଵେଶରେ ଶିଵାପିଥିକସ୍‌ର ଦୈନନ୍ଦିନ ଜୀଵନ ଓ ଆହାର ଶୈଳୀ ସମ୍ପର୍କରେ ସେମାନଙ୍କର ଦାନ୍ତରୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ମିଳେ। ଏମାନଙ୍କର ଦାନ୍ତର ଏନାମେଲ୍ ଅତି ମୋଟା ଥିଲା ଏଵଂ ହନୁ ହାଡ଼ର ଗଠନ ଶକ୍ତ ଥିଲା। ପ୍ରାକୃତିକ ଚୟନର ଫଳରେ ଏହି ପ୍ରକାର ଗଠନ ଥିଵା ପ୍ରାଇମେଟ୍ ଜୀଵମାନେ ଶୁଷ୍କ କିମ୍ବା ଋତୁଭିତ୍ତିକ ପରିଵର୍ତ୍ତନ ସମୟରେ ଜଙ୍ଗଲର କଠିନ ଉଦ୍ଭିଦ ଅଂଶ, ଶକ୍ତ ମଞ୍ଜି ଓ କନ୍ଦମୂଳ ଚୋଵାଇଵାରେ ଅଧିକ ସଫଳ ହୋଇଥିଲେ। ତେବେ ସେମାନଙ୍କର ପ୍ରମୁଖ ଖାଦ୍ୟରେ ଵିଭିନ୍ନ ପ୍ରକାରର ଫଳ, ମଞ୍ଜି, କଠିନ ଉଦ୍ଭିଦ ଅଂଶ ଏଵଂ କେବେ କେବେ ପତ୍ର ମଧ୍ୟ ଥିଲା।

ଶିଵାପିଥିକସ୍‌ମାନେ ଜୀଵନର ଅଧିକାଂଶ ସମୟ ଗଛ ଉପରେ ବିତାଉଥିଵା ଵୃକ୍ଷଵାସୀ(Arboreal) ପ୍ରାଣୀ ଥିଲେ, ଯଦିଓ ଆଵଶ୍ୟକତା ପଡ଼ିଲେ ଭୂମିକୁ ମଧ୍ୟ ଆସୁଥିଵାର ସମ୍ଭାଵନା ରହିଛି। ସେହି ସମୟର ଶିଵାଲିକ୍ ଜଙ୍ଗଲରେ Machairodonts ବିରାଡ଼ୀ ଜାତୀୟ ପ୍ରାଚୀନ ମାଂସାସୀ ପ୍ରାଣୀ ମଧ୍ୟ ସକ୍ରିୟ ଥିଲେ। ଏଭଳି ପରିଵେଶରେ ଗଛ ଉପରେ ଅଧିକ ସମୟ ରହିଵା ଶିବାପିଥିକସ୍‌କୁ ସେହି ଶିକାରୀ ପ୍ରାଣୀମାନଙ୍କଠାରୁ ତୁଳନାମୂଳକ ସୁରକ୍ଷା ଦେଉଥିଵାର ସମ୍ଭାବନା ରହିଛି।


ମିଓସିନ୍ ଯୁଗର ଶେଷ ଆଡ଼କୁ ଆଜକୁ ପ୍ରାୟ ୮୦ ଲକ୍ଷରୁ ୭୦ ଲକ୍ଷ ଵର୍ଷ ପୂର୍ଵେ ଭାରତୀୟ ଉପମହାଦ୍ୱୀପରେ ଏକ ଵିଶାଳ ଭୌଗୋଳିକ ପରିଵର୍ତ୍ତନ ଘଟିଵାକୁ ଲାଗିଲା। ଭାରତୀୟ ପ୍ଲେଟ୍ ଏସିଆ ସହ କ୍ରମାଗତ ଭାବେ ଧକ୍କା ହେଵା ଫଳରେ ହିମାଳୟ ପର୍ଵତମାଳାର ଉଚ୍ଚତା ହଠାତ୍ ବହୁତ ବଢ଼ିଗଲା। ଏହି ଉତ୍ଥାନ ସାରା ଏସିଆ ମହାଦ୍ୱୀପର ଜଳଵାୟୁ ଓ ମୌସୁମୀ ଚକ୍ରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଲା। ହିମାଳୟ ଏତେ ଉଚ୍ଚ ହୋଇଗଲା ଯେ ଏହା ତିବ୍ଦତ ଓ ଉତ୍ତର ଦିଗରୁ ଆସୁଥିଵା ଶୀତଳ, ଶୁଷ୍କ ବାୟୁକୁ ଅଟକାଇବା ସହ ଭାରତୀୟ ମୌସୁମୀ ଵାୟୁର ଗତିପଥରେ ବାଧା ସୃଷ୍ଟି କଲା। ଏହାର ପରିଣାମ ସ୍ୱରୂପ ଶିଵାଲିକ୍ ଏଵଂ ତାହାର ଆଖପାଖ ଅଞ୍ଚଳରେ ଵୃଷ୍ଟିପାତର ପରିମାଣ ଧୀରେ ଧୀରେ କମିଵାକୁ ଲାଗିଲା। ଵର୍ଷସାରା ହେଉଥିଵା ଵର୍ଷା ବଦଳରେ କେଵଳ କିଛି ନିର୍ଦ୍ଦିଷ୍ଟ ମାସରେ ମୌସୁମୀ ଵର୍ଷା ହେଲା, ଯାହା ଫଳରେ ବାକି ସମୟ ପରିଵେଶ ଅତ୍ୟନ୍ତ ଶୁଷ୍କ ଓ ଥଣ୍ଡା ରହିଲା। ଶିଵାପିଥିକସ୍ ଵାସ କରୁଥିଵା ସେହି ପ୍ରାଚୀନ, ସଦାସର୍ଵଦା ଓଦାଳିଆ ଓ ଘନ କ୍ରାନ୍ତୀୟ ଜଙ୍ଗଲଗୁଡ଼ିକ ଏହି ଶୁଷ୍କତା ସହ୍ୟ କରିପାରିଲେ ନାହିଁ।


ଏହି ଜଙ୍ଗଲ ନଷ୍ଟ ହେବାର ସବୁଠାରୁ ବଡ଼ ଵୈଜ୍ଞାନିକ ପ୍ରମାଣ ସେହି ସମୟର ପ୍ରାଗୈତିହାସିକ ମୃତ୍ତିକା ଏଵଂ ପ୍ରାଣୀମାନଙ୍କ ଜୀଵାଶ୍ମର ଦାନ୍ତରୁ ମିଳିଥାଏ । ରସାୟନ ଵିଜ୍ଞାନର ସ୍ଥିର କାର୍ବନ ଆଇସୋଟୋପ୍ ଵିଶ୍ଳେଷଣରୁ ଜଣାପଡ଼େ ଯେ ପ୍ରାୟ ୭୫ ଲକ୍ଷ ଵର୍ଷ ପୂର୍ଵେ ଭାରତୀୟ ଉପମହାଦ୍ୱୀପର ଉଦ୍ଭିଦ ଜଗତରେ ଏକ ମହାପରିଵର୍ତ୍ତନ ଘଟିଥିଲା।


ଘନ ଜଙ୍ଗଲର ବଡ଼ ଗଛମାନେ କାର୍ବନ ଗ୍ରହଣ ପାଇଁ C₃ Pathway ଵ୍ୟଵହାର କରନ୍ତି, କିନ୍ତୁ ଶୁଷ୍କ ଓ ଖୋଲା ପରିଵେଶରେ ବଢ଼ୁଥିଵା ପ୍ରାନ୍ତୀୟ ଘାସମାନେ C₄ Pathway ଵ୍ୟଵହାର କରନ୍ତି। ଵୈଜ୍ଞାନିକମାନେ ଦେଖିଲେ ଯେ Miocene ଯୁଗର ଶେଷ ଆଡ଼କୁ ଶିଵାଲିକ୍ ସ୍ତରରେ ହଠାତ୍ ¹³C ଆଇସୋଟୋପ୍‌ର ମାତ୍ରା ପ୍ରଚୁର ଭାବେ ବଢ଼ିଗଲା। ଏହା ସହିତ ସେହି ସମୟର ପଥରରୁ ମିଳିଥିଵା ଜୀଵାଶ୍ମ ପରାଗ ରେଣୁରୁ ଜଙ୍ଗଲର ଗଛର ପରାଗ ସରିଗଲା ଏଵଂ କେଵଳ ଘାସ ଵଂଶ "Poaceae"ର ପରାଗ ଦେଖିଵାକୁ ମିଳିଲା। ଏହା ସ୍ପଷ୍ଟ ପ୍ରମାଣିତ କରେ ଯେ ଶିଵାପିଥିକସ୍‌ର ସେହି ସବୁଜ ସ୍ୱର୍ଗ ଧୀରେ ଧୀରେ ନଷ୍ଟ ହୋଇ ଏକ ଖୋଲା ତୃଣଭୂମି ଵା ସାଭାନାରେ ପରିଣତ ହୋଇଯାଇଥିଲା।


ଜଙ୍ଗଲ ସଙ୍କୁଚିତ ହେଵା ସହିତ ଶିଵାପିଥିକସ୍‌ ପାଇଁ ଵାସସ୍ଥାନ ଓ ଆହାରର ଘୋର ସଙ୍କଟ ଦେଖାଦେଲା। ଯେଉଁ ଜୀଵମାନେ ଗଛର ଫଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ, ସେମାନଙ୍କ ପାଇଁ ଏହି ଖଣ୍ଡ-ଵିଖଣ୍ଡିତ ଘାସଭୂମିରେ ବଞ୍ଚିଵା କଷ୍ଟକର ହୋଇପଡ଼ିଲା। ଏହି ସମୟରେ ଏହି ଵଂଶର ଦୁଇଟି ଭିନ୍ନ ପରିଣତି ଦେଖିଵାକୁ ମିଳିଥିଲା । 


ଜଳଵାୟୁ ବଦଳିଵା ସହିତ କ୍ରାନ୍ତୀୟ ଆଦ୍ର ଜଙ୍ଗଲଗୁଡ଼ିକ ଭାରତୀୟ ଉପମହାଦ୍ୱୀପରୁ ସଙ୍କୁଚିତ ହୋଇ ଧୀରେ ଧୀରେ ଦକ୍ଷିଣ ଓ ଦକ୍ଷିଣ-ପୂର୍ଵ ଏସିଆ (ଆଧୁନିକ ମାଲେସିଆ, ଇଣ୍ଡୋନେସିଆ, ସୁମାତ୍ରା ଓ ବୋର୍ଣ୍ଣିଓ ଅଞ୍ଚଳ) ଆଡ଼କୁ ଚାଲିଗଲା। ଗଵେଷକମାନଙ୍କ ମତରେ, ଶିଵାପିଥିକସ୍ ଵଂଶର (Ponginae ଉପବଂଶର) କେତେକ ଗୋଷ୍ଠୀ ଅନୁକୂଳ ପରିଵେଶ ସନ୍ଧାନରେ ସେହି ସବୁଜ ଜଙ୍ଗଲ ସହିତ ଦକ୍ଷିଣ-ପୂର୍ଵ ଏସିଆ ଆଡ଼କୁ ସ୍ଥାନାନ୍ତରିତ ହୋଇଥିଲେ। ସେହି ସ୍ଥାନାନ୍ତରିତ ଶାଖାରୁ ହିଁ ପରଵର୍ତ୍ତୀ ସମୟରେ Khoratpithecus ଏଵଂ ଶେଷରେ ଆଧୁନିକ ଓରାଙ୍ଗୁଟାନ୍(Pongo)ଙ୍କର ଵିଵର୍ତ୍ତନ ହୋଇଥିଲା।


ଭାରତୀୟ ଉପମହାଦ୍ୱୀପରେ ରହିଯାଇଥିଵା ଶିବାପିଥିକସ୍‌ର ଅଵଶିଷ୍ଟ ପ୍ରତିନିଧିମାନେ ବଦଳୁଥିଵା ଶୁଷ୍କ ପରିବେଶ ଓ ଖୋଲା ଘାସଭୂମି ସହ ନିଜକୁ ଖାପଖୁଆଇ ପାରିଲେ ନାହିଁ। ଏହି ସମୟରେ ଜୀଵଜନ୍ତୁଙ୍କ ପ୍ରକାରରେ ମଧ୍ୟ ଏକ ବଡ଼ ପରିଵର୍ତ୍ତନ ଘଟିଲା। ଘାସଭୂମିରେ ରହିପାରୁଥିଵା ଏବଂ ଶୁଷ୍କ ଘାସ ଚୋବାଇ ପାରୁଥିଵା ଆଧୁନିକ ଘୋଡ଼ାର ପୂର୍ଵପୁରୁଷ - 'Hipparion' ଏଵଂ ଅଞ୍ଚଳର ଅନ୍ୟାନ୍ୟ ଛୋଟ ମାଙ୍କଡ଼(ବବୁନ୍ ଵା ଲଙ୍ଗୁର ଜାତୀୟ ପ୍ରାଇମେଟ୍‌ଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏହି ନୂଆ ଜୀଵମାନେ ସୀମିତ ସମ୍ପଦ ପାଇଁ ଶିଵାପିଥିକସ୍ ସହ ପ୍ରତିଯୋଗିତା ବଢ଼ାଇଦେଲେ । ପରିଣାମସ୍ୱରୂପ, ପ୍ରାୟ ୭୦ ଲକ୍ଷ ଵର୍ଷ ପୂର୍ଵେ ଶିଵାପିଥିକସ୍‌ର ଶେଷ ସଦସ୍ୟ ମଧ୍ୟ ଭାରତୀୟ ମାଟିରୁ ସମ୍ପୂର୍ଣ୍ଣ ଭାବେ ଵିଲୁପ୍ତ ହୋଇଗଲେ।

ଏହି ପରିପ୍ରେକ୍ଷୀରେ, ଭାରତର ଅନେକ ଲୋକଙ୍କ ମନରେ ଏକ ସାଧାରଣ ଭୁଲ୍ ଧାରଣା ରହିଥାଏ ଯେ ଶିଵାପିଥିକସ୍‌ ହେଉଛି ଭାରତୀୟ ମନୁଷ୍ୟ ଵା ମାନଵ ଜାତିର ପ୍ରତ୍ୟକ୍ଷ ପୂର୍ଵପୁରୁଷ। କିନ୍ତୁ ଵିଜ୍ଞାନ ଓ ଜୀଵାଶ୍ମର ସ୍ପଷ୍ଟ ପ୍ରମାଣ ଆଗରେ ଏହି ଧାରଣା ସମ୍ପୂର୍ଣ୍ଣ ଭାବେ ଭୁଲ୍ ପ୍ରମାଣିତ ହୁଏ।

ପ୍ରଥମତଃ, ସମୟକାଳର ଏକ ଵିରାଟ ଵ୍ୟଵଧାନ ଏହି ଦୁଇ ଵଂଶ ମଧ୍ୟରେ ପ୍ରାଚୀର ଭଳି ଠିଆ ହୋଇଛି। ଆମେ ଜାଣୁ ଯେ ପ୍ରାୟ ୭୦ ଲକ୍ଷ ଵର୍ଷ ପୂର୍ଵେ ଶିଵାପିଥିକସ୍‌ର ଶେଷ ସଦସ୍ୟ ମଧ୍ୟ ଭାରତୀୟ ମାଟିରୁ ସମ୍ପୂର୍ଣ୍ଣ ଭାବେ ଵିଲୁପ୍ତ ହୋଇଯାଇଥିଲେ। ଅପରପକ୍ଷରେ, ଆଧୁନିକ ମାନଵ ବଂଶ ଵା Homo lineageର ଵିକାଶ ଏହାର ବହୁ ସମୟ ପରେ ଆଫ୍ରିକା ଭୂଖଣ୍ଡରେ ଆରମ୍ଭ ହୋଇଥିଲା। ଶିଵାପିଥିକସ୍‌ମାନଙ୍କର ଵିଲୁପ୍ତିର ପ୍ରାୟ ୫୦ରୁ ୫୫ ଲକ୍ଷ ଵର୍ଷ ପରେ ଅର୍ଥାତ୍ ଆଜକୁ ପ୍ରାୟ ୧୦ରୁ ୧୫ ଲକ୍ଷ ଵର୍ଷ ତଳେ 

ଆଦିମ ମାନଵ Homo erectusମାନେ ଭାରତୀୟ ଉପମହାଦ୍ୱୀପରେ ପହଞ୍ଚିଥିଲେ। ସେହିପରି ଆଜକୁ ମାତ୍ର ୬୦ରୁ ୭୦ ହଜାର ଵର୍ଷ ତଳେ ଆମ Homo sapiensଙ୍କ ପୂର୍ଵଜ 

ଆଫ୍ରିକାରୁ ଭାରତକୁ ଆସିଥିଲେ। 

ତେଣୁ,Sivapithecus ଓ Homo ଏହି ଦୁଇ ଜୀଵଙ୍କ ମଧ୍ୟରେ କୌଣସି ସାଂସ୍କୃତିକ କିମ୍ବା ଵଂଶଗତ ସିଧାସଳଖ ଉତ୍ସ ନାହିଁ। ଦ୍ଵିତୀୟତଃ, ଜୈଵିକ ଗଠନର ଗଭୀର ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଶିଵାପିଥିକସ୍ ମାନଵ ବଂଶର ନୁହେଁ ଵରଂ ଏସିଆର ମହାଵାନର ଓରାଙ୍ଗୁଟାନ୍ ଵଂଶର ଏକ ପ୍ରାଚୀନ ଶାଖା। ତେଣୁ, ଶିଵାପିଥିକସ୍‌କୁ ଭାରତୀୟ ମାନଵର ପୂର୍ଵପୁରୁଷ ଭାବିଵା କେଵଳ ଏକ ଆଵେଗିକ ଭ୍ରମ ଅଟୈ ଵୈଜ୍ଞାନିକ ସତ୍ୟ ନୁହେଁ।


ପୃଥିଵୀର ସାମଗ୍ରିକ ଇତିହାସ ହେଉଛି ପରିଵର୍ତ୍ତନର ଏକ ଅନନ୍ତ ଓ ନୀରଵ କାହାଣୀ। ଯେଉଁ ମାଟି ଉପରେ ଆଜି ଆମେ ସଭ୍ୟତାର ଅହଂକାର ଏଵଂ  ସ୍ମୃତିର ସଜଳ ସ୍ଵାକ୍ଷର ନେଇ ଠିଆ ହୋଇଛୁ, ସେହି ମାଟି ଦିନେ ଆଉ କାହାର ସାମ୍ରାଜ୍ୟ ଥିଲା ଏଵଂ ଆଉ କାହାର କୋଳାହଳରେ କମ୍ପିତ ହେଉଥିଲା। ସମୟର ଅଦୃଶ୍ୟ ସ୍ରୋତରେ ଜୀଵନର ଏମିତି କେତେ ରଙ୍ଗ ଆସିଛି ଏଵଂ କେତେ ଶୂନ୍ୟରେ ମିଳେଇ ଯାଇଛି, ତାହାର ନିର୍ଭୁଲ ହିସାବ କେଵଳ ପଥରର ଅନ୍ଧାରୀ ସ୍ତରଗୁଡ଼ିକ ହିଁ ସାଇତି ରଖିଛନ୍ତି।

ପ୍ରକୃତି କାହାକୁ ଚିରସ୍ଥାୟୀ କରେନାହିଁ; ତା’ ପାଇଁ ପ୍ରାସାଦର ପରିଧି ଓ ଅରଣ୍ୟର ସୀମା ସବୁ ସମାନ। ଵିଵର୍ତ୍ତନର ଏହି ଵିଶାଳ ରଙ୍ଗମଞ୍ଚରେ ଆମେ ମନୁଷ୍ୟମାନେ କେଵଳ ଏକ କ୍ଷଣସ୍ଥାୟୀ ଅଧ୍ୟାୟ ମାତ୍ର, ସମଗ୍ର ବହିଟି ନୁହଁ। ମାଟି ତଳୁ ମିଳୁଥିଵା ପ୍ରାଚୀନ ଜୀଵନର ଏହି ନିଶ୍ଚଳ ଅଵଶେଷଗୁଡ଼ିକ ଆମକୁ ଅହରହ ମନେ ପକାଇ ଦିଅନ୍ତି ଯେ, ସୃଷ୍ଟିରେ କୌଣସି ଶକ୍ତି କିମ୍ବା ଵଂଶ ଅମର ନୁହେଁ। ଯିଏ ଦିନେ ନିଜ ପରିଵେଶର ସର୍ଵେସର୍ଵା ଥିଲା, ସେ ମଧ୍ୟ ସମୟର ଚକ୍ରରେ ଦିନେ ଧୂଳି ହୋଇଯାଏ। ବୋଧହୁଏ, ଏହି ଅନିତ୍ୟତା ଓ କ୍ରମାଗତ ରୂପାନ୍ତର ହିଁ ସଂସାରର ସବୁଠାରୁ ବଡ଼ ସତ୍ୟ ଏଵଂ ପ୍ରକୃତିର ସବୁଠାରୁ ସୁନ୍ଦର ଵୈଚିତ୍ର୍ୟ।

Thursday, July 9, 2026

ପୃଥିଵୀର ଭୂ-ତାତ୍ତ୍ଵିକ ଇତିହାସ ଓ ସୁପରକଣ୍ଟିନେଣ୍ଟର ଭଙ୍ଗାଗଢ଼ା ଚକ୍ରର କାହାଣୀ

ପୃଥିଵୀ ସୃଷ୍ଟିର ପ୍ରଥମ ୫୦ କୋଟି ଵର୍ଷକୁ (୪୫୦ କୋଟିରୁ ୪୦୦ କୋଟି ଵର୍ଷ) ଭୂ-ଵୈଜ୍ଞାନିକ ଭାଷାରେ Hadean Eon କୁହାଯାଏ। ଏହି ସମୟରେ ପୃଥିଵୀ ପୃଷ୍ଠରେ କେଵଳ ଲାଭାର ସମୁଦ୍ର ଥିଲା। ଧୀରେ ଧୀରେ ଵାହ୍ୟ ଆସ୍ତରଣ ଶୀତଳ ହେଵା ଫଳରେ ଏକ ପତଳା ବାସାଲ୍ଟ୍ ଆସ୍ତରଣ ଵା ପ୍ରାଥମିକ ଭୂତ୍ୱକ ସୃଷ୍ଟି ହେଲା । କିନ୍ତୁ ଏହି ଭୂତ୍ୱକ ଅତି ଗରମ ଓ ଭାରୀ ଥିଵାରୁ ପୃଥିଵୀର ଅଭ୍ୟନ୍ତରକୁ ବାରମ୍ବାର ବୁଡ଼ି ଯାଉଥିଲା।
ପ୍ରାୟ ୪୦୦ କୋଟି ଵର୍ଷ ପୂର୍ଵେ Archean Eonର ପ୍ରାରମ୍ଭରେ, ପୃଥିଵୀର ଭିତର ଭାଗରୁ ହାଲୁକା ସିଲିକା-ସମୃଦ୍ଧ ଗ୍ରାନାଇଟ୍ ଜାତୀୟ ମ୍ୟାଗ୍ମା ଉପରକୁ ଉଠି ଆସି ପ୍ରଥମ ସ୍ଥିର ସ୍ଥଳଭାଗ ସୃଷ୍ଟି କଲା, ଯାହାକୁ ଭୂ-ଵିଜ୍ଞାନରେ Cratons (କ୍ରାଟନ୍) କୁହାଯାଏ। ଏହି କ୍ରାଟନ୍‌ଗୁଡ଼ିକ ଆଜିର ମହାଦେଶଗୁଡ଼ିକର "ପ୍ରାଚୀନ ଭୂ-ତାତ୍ତ୍ଵିକ ମଞ୍ଜି" ଵା ମୂଳଦୁଆ ଥିଲା। ଏହି କ୍ରାଟନ୍‌ଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆର Pilbara, ଦକ୍ଷିଣ ଆଫ୍ରିକାର Kaapvaal ଏଵଂ ଭାରତର Singhbhum କ୍ରାଟନ୍ ଅନ୍ୟତମ। ସେହି ସମୟରେ ପୃଥିଵୀ ମୁଖ୍ୟତଃ ଏକ ଜଳମୟ ସଂସାର ଥିଲା ଏଵଂ ପ୍ରାଚୀନ ସମୁଦ୍ର ଭିତରୁ ଛୋଟ ଛୋଟ ଗ୍ରାନାଇଟ୍ ଦ୍ୱୀପ ଭଳି ଏହି କ୍ରାଟନ୍‌ଗୁଡ଼ିକ ଉପରକୁ ମୁଣ୍ଡ ଟେକିଥିଲେ।

ସ୍ଥଳଭାଗର ପ୍ରଥମ ଏକତ୍ରୀକରଣ ପ୍ରାୟ ୩୬୦ କୋଟି ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଭୂ-ଵୈଜ୍ଞାନିକ ପ୍ରମାଣ ଅନୁସାରେ ପୃଥିଵୀର ସର୍ଵପ୍ରଥମ ପ୍ରାଥମିକ ସୁପରକଣ୍ଟିନେଣ୍ଟ Vaalbara ଥିଲା। ଏହି ଵାଲବାରା ନାମଟି ଦକ୍ଷିଣ ଆଫ୍ରିକାର 'କାପ୍‌ଵାଲ୍' ଏଵଂ ପଶ୍ଚିମ ଅଷ୍ଟ୍ରେଲିଆର 'ପିଲ୍‌ବାରା' କ୍ରାଟନ୍‌କୁ ନେଇ ଗଠିତ (Vaal+Bara)। ଵୈଜ୍ଞାନିକ ଗଵେଷଣାରୁ ଜଣାପଡ଼ିଛି ଯେ ଏହି ଦୁଇ ଦୂରଵର୍ତ୍ତୀ ଅଞ୍ଚଳରେ ଥିଵା ପ୍ରାଚୀନ ଶିଳାଗୁଡ଼ିକର ଵୟସ ଏବଂ ସେଗୁଡ଼ିକର ଚୁମ୍ବକୀୟ ଗୁଣ (Paleomagnetism) ସମ୍ପୂର୍ଣ୍ଣ ସମାନ, ଯାହା ପ୍ରମାଣ କରେ ଯେ ପୂର୍ଵେ ଏହି ଦୂଇ ଭୂଭାଗ ଏକାଠି ଜଡ଼ିତ ଥିଲେ।

ଵାଲବାରା ପରେ ପୃଥିଵୀ ପୃଷ୍ଠରେ ଆତ୍ମପ୍ରକାଶ କଲା 'Ur' (ଉର୍) ମହାଦେଶ। ଜର୍ମାନ ଭାଷାରେ 'ଉର୍'ର ଅର୍ଥ "ଆଦିମ" ଅଟେ। ଏହା ଆକାରରେ ଵର୍ତ୍ତମାନର ଅଷ୍ଟ୍ରେଲିଆ ମହାଦେଶଠାରୁ ମଧ୍ୟ ସାନ ଥିଲା, କିନ୍ତୁ ସେତେବେଳ ପାଇଁ ଏହା ପୃଥିଵୀର ଏକମାତ୍ର ବଡ଼ ସ୍ଥଳଭାଗ ଥିଲା। ଏହି 'ଉର୍' ମହାଦେଶ ମଧ୍ୟରେ ଆଜିର ଭାରତର ଦକ୍ଷିଣ ଓ ପୂର୍ଵ ଭାଗ, ପଶ୍ଚିମ ଅଷ୍ଟ୍ରେଲିଆ ଓ ମାଡାଗାସ୍କାରର କ୍ରାଟନ୍‌ଗୁଡ଼ିକ ଏକତ୍ର ସଂଲଗ୍ନ ଥିଲେ।

ଆର୍କିଆନ୍ ଯୁଗର ଶେଷ ଆଡ଼କୁ ଏଵଂ Proterozoic Eonର ପ୍ରାରମ୍ଭରେ, ପୃଥିଵୀର Plate Tectonics ପ୍ରକ୍ରିୟା ଅଧିକ ସକ୍ରିୟ ହେଵାକୁ ଲାଗିଲା। ଏହାର ପରିଣାମ ସ୍ୱରୂପ ପ୍ରାୟ ୨୭୦ କୋଟି ଵର୍ଷ ପୂର୍ଵେ Kenorland ନାମକ ଏକ ପ୍ରକୃତ ସୁପରକଣ୍ଟିନେଣ୍ଟ ଗଠିତ ହେଲା।କେନୋରଲ୍ୟାଣ୍ଡ ମୁଖ୍ୟତଃ ପୃଥିଵୀର ଵିଷୁଵରେଖା ନିକଟରେ ଗଠିତ ହୋଇଥିଲା। ଏଥିରେ ଆଜିର ଉତ୍ତର ଆମେରିକାର ଏକ ବଡ଼ ପ୍ରାଚୀନ ଅଂଶ "Laurentia", ଗ୍ରୀନଲ୍ୟାଣ୍ଡ, ସ୍କାଣ୍ଡିନେଵିୟା (Baltica) ଓ କାଲାହାରୀର କେତେକ ଭୂଭାଗ ଏକାଠି ଯୋଡ଼ି ହୋଇ ରହିଥିଲେ।

ପ୍ରାୟ ୨୪୦ କୋଟି ଵର୍ଷ ପୂର୍ଵେ କେନୋରଲ୍ୟାଣ୍ଡ ସମ୍ପୂର୍ଣ୍ଣ ଭାବେ ଵିଖଣ୍ଡିତ ହୋଇଗଲା। ଏହି ଵିଖଣ୍ଡନ ସମୟରେ ବହୁ ସଂଖ୍ୟାରେ ଜ୍ୱାଳାମୁଖୀ ଵିସ୍ଫୋରଣ ହୋଇ ଵାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍‌ର ମାତ୍ରା ବଦଳିଵା ଏଵଂ ସମୁଦ୍ରରେ ସ୍ୟାନୋବ୍ୟାକ୍ଟେରିଆ ଦ୍ୱାରା ପ୍ରଚୁର ଅମ୍ଳଜାନ ସୃଷ୍ଟି ହେଵା ଫଳରେ ପୃଥିଵୀରେ "ହୁରୋନିଆନ୍ ବରଫ ଯୁଗ" (Huronian Glaciation) ଦେଖା ଦେଇଥିଲା, ଯାହା ପୃଥିଵୀକୁ ଦୀର୍ଘ ଵର୍ଷ ଧରି ବରଫାବୃତ୍ତ କରି ରଖିଥିଲା।

ତେବେ ଏହି ବରଫ ଯୁଗ ସମୟରେ କେନୋରଲ୍ୟାଣ୍ଡର ଵିଖଣ୍ଡନ ପରେ, ପୃଥିଵୀର ଖଣ୍ଡ ବିଖଣ୍ଡିତ ଭୂଭାଗଗୁଡ଼ିକ ପ୍ରାୟ ୩୦ କୋଟି ଵର୍ଷ ଧରି ମହାସାଗରରେ ପୃଥକ ଭାବେ ଗତି କଲେ। ଏହାପରେ Plate Tectonicsର ସଂଵହନ ସ୍ରୋତ ସେଗୁଡ଼ିକୁ ପୁଣି ଏକାଠି ଆଣିଲା, ଯାହା ଫଳରେ ଗଠିତ ହେଲା Columbia (କୋଲମ୍ବିଆ) ସୁପରକଣ୍ଟିନେଣ୍ଟ, ଯାହାକୁ ଆନ୍ତର୍ଜାତୀୟ ସ୍ତରରେ Nuna (ନୁନା) ମଧ୍ୟ କୁହାଯାଏ।

କୋଲମ୍ବିଆ ପୃଥିଵୀ ଇତିହାସର ପ୍ରଥମ ଵିଶ୍ୱଵ୍ୟାପୀ ଵୃହତ ସ୍ତରର ସୁପରକଣ୍ଟିନେଣ୍ଟ ଥିଲା। ଏହି ସୁପରକଣ୍ଟିନେଣ୍ଟରେ ସେତେବେଳର ପ୍ରାୟ ୯୦% ସ୍ଥଳଭାଗ ଏକାଠି ଯୋଡ଼ି ହୋଇ ଏକ ଵିଶାଳ ଭୂଖଣ୍ଡ ଗଠିତ ହୋଇଥିଲା। ଏହାର ସର୍ଵାଧିକ ଲମ୍ବ ପ୍ରାୟ ୧୨,୯୦୦ କିଲୋମିଟର ଥିଲା। ଏହି କୋଲମ୍ବିଆ ଵା ନୁନା ସୁପରକଣ୍ଟିନେଣ୍ଟର କେନ୍ଦ୍ରରେ ଉତ୍ତର ଆମେରିକା ଓ ଗ୍ରୀନଲ୍ୟାଣ୍ଡ ଥିଲା। ଏହାର ଉତ୍ତର ପାର୍ଶ୍ୱରେ ସାଇବେରିଆ ଓ ବାଲ୍ଟିକା ଯୋଡ଼ି ହୋଇଥିଵା ବେଳେ, ପଶ୍ଚିମ ଉପକୂଳ ସହ ପ୍ରାଚୀନ ଭାରତୀୟ ଉପଦ୍ୱୀପ ଓ ଅଷ୍ଟ୍ରେଲିଆର କ୍ରାଟନ୍‌ଗୁଡ଼ିକ ସଂଲଗ୍ନ ଥିଲେ। କିନ୍ତୁ ଏହି ସମୟରେ ମଧ୍ୟ ପୃଥିଵୀର ସ୍ଥଳଭାଗରେ କୌଣସି ଜୀଵନ ନଥିଲା। ଏହା କେଵଳ ନାଲି ଓ କଳା ରଙ୍ଗର ପଥର ଓ ମାଟିର ଏକ ଶୁଷ୍କ ମରୁଭୂମି ଥିଲା। ପ୍ରାୟ ୧୫୦ କୋଟି ଵର୍ଷ ପୂର୍ଵେ ଏହି ମହାଦେଶରେ ମଧ୍ୟ ଫାଟ ସୃଷ୍ଟି ହେଲା ଏଵଂ ଏହା ଭାଙ୍ଗିଗଲା।

କୋଲମ୍ବିଆ ଭାଙ୍ଗିଵା ପରେ ପୃଥିଵୀରେ ପୁଣି ଏକ ନୂଆ ଚକ୍ର ଆରମ୍ଭ ହେଲା। ପ୍ରାୟ ୧୧୦ କୋଟି ଵର୍ଷ ପୂର୍ଵେ ପୃଥିଵୀର ପ୍ରାୟ ସମସ୍ତ ଭୂଭାଗ ଦକ୍ଷିଣ ମେରୁ ଓ ବିଷୁବରେଖା ମଧ୍ୟରେ ଏକାଠି ହେଲେ ଏଵଂ ତାକୁ Rodinia ସୁପରକଣ୍ଟିନେଣ୍ଟ ନାମ ଦିଆଯାଇଛି । ରୋଡିନିଆ ଚାରିପାଖରେ ଏକ ଵିଶାଳ ମହାସାଗର ଥିଲା, ଯାହାକୁ Mirovia ନାମ ଦିଆଯାଇଛି। ରୋଡିନିଆର ଗଠନ ଏଭଳି ଥିଲା ଯେ ଉତ୍ତର ଆମେରିକା ମଝିରେ ଥିଲା ଏଵଂ ଭାରତ ଓ ଅଷ୍ଟ୍ରେଲିଆ ତା'ର ପାର୍ଶ୍ୱରେ ଯୋଡ଼ି ହୋଇ ଦକ୍ଷିଣ ମେରୁ ଆଡ଼କୁ ମୁହାଁଇଥିଲେ।

ମାତ୍ର ଆଜକୁ ପ୍ରାୟ ୭୫ କୋଟି ଵର୍ଷ ପୂର୍ଵେ ରୋଡିନିଆ ଭାଙ୍ଗିଵା ଆରମ୍ଭ କଲା। ଭୂଖଣ୍ଡଗୁଡ଼ିକ ପରସ୍ପରଠାରୁ ଅଲଗା ହେଵା ଫଳରେ ସମୁଦ୍ର ଉପକୂଳର ପଥରଗୁଡ଼ିକର ଅଧିକ କ୍ଷୟ ହେଲା, ଫଳତଃ ଵାୟୁମଣ୍ଡଳରୁ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍‌ ଶୋଷଣ ହୋଇଗଲା। ଏଥିଯୋଗୁଁ ଗ୍ରୀନ୍ ହାଉସ୍ ପ୍ରଭାବ କମିଗଲା ଏଵଂ ପୃଥିଵୀର ଇତିହାସରେ ସବୁଠାରୁ ଭୟଙ୍କର ବରଫ ଯୁଗ "Cryogenian Period" ଆସିଲା, ଯେଉଁଥିରେ ଵିଷୁଵରେଖା ପର୍ଯ୍ୟନ୍ତ ସମଗ୍ର ପୃଥିଵୀ ବରଫ ଚାଦରରେ ଢାଙ୍କି ହୋଇଗଲା ଯାହାକୁ 'Snowball Earth' କୁହାଯାଏ ।

ରୋଡିନିଆର ଭାଙ୍ଗିଵା ଓ ପୁନର୍ଗଠନ ମଧ୍ୟରେ ଅତି ସ୍ୱଳ୍ପ ସମୟ ପାଇଁ ଅର୍ଥାତ୍ ପ୍ରାୟ ୬୦ କୋଟିରୁ ୫୫ କୋଟି ଵର୍ଷ ପୂର୍ଵେ ଦକ୍ଷିଣ ମେରୁ ନିକଟରେ ସମସ୍ତ ଭୂଖଣ୍ଡ ପୁଣି ଏକାଠି ହୋଇ Pannotia ସୁପରକଣ୍ଟିନେଣ୍ଟ ଗଠନ କରିଥିଲେ। କିନ୍ତୁ ଏହା ଅତି ଦ୍ରୁତ ଗତିରେ ଭାଙ୍ଗିଯାଇ ଗଣ୍ଡଓ୍ବାନା, ଲରେନ୍ସିଆ, ବାଲ୍ଟିକା ଓ ସାଇବେରିଆ ଇତ୍ୟାଦି ଚାରୋଟି ବଡ଼ ସ୍ୱତନ୍ତ୍ର ମହାଦେଶ ସୃଷ୍ଟି ହେଲା।

ପାନୋଟିଆ ଭାଙ୍ଗିଯିଵା ପରେ କାମ୍ବ୍ରିଆନ୍ ଯୁଗରେ ପୃଥିଵୀର ଜଳଵାୟୁ ଗରମ ହେଲା ଏଵଂ ସମୁଦ୍ରରେ ଜୀଵନର ଦ୍ରୁତ ଵିକାଶ ହେଲା, ଯାହାକୁ 'Cambrian Explosion' କୁହାଯାଏ। ଏହି ସମୟରେ ପୃଥିଵୀରେ ବାଲ୍ଟିକା, ଲରେନ୍ସିଆ ଓ ସାଇବେରିଆ ଉତ୍ତର ଆଡ଼େ ଥିଵା ବେଳେ ଏକ ଵିଶାଳ ଭୂଖଣ୍ଡ Gondwana ଦକ୍ଷିଣରେ ରହିଥିଲା।

ପ୍ରାୟ ୩୫ କୋଟି ଵର୍ଷ ପୂର୍ଵେ କାର୍ବୋନିଫେରସ୍ ଯୁଗରେ ଏହି ସମସ୍ତ ମହାଦେଶ ପୁଣି ପରସ୍ପର ଆଡ଼କୁ ଆକର୍ଷିତ ହେଲେ। ଲରେନ୍ସିଆ ଓ ବାଲ୍ଟିକା ମିଶି ପ୍ରଥମେ 'ୟୁରାମେରିକା' ଗଠନ କଲେ ଏଵଂ ପରେ ଏହା ଵିଶାଳ ଗଣ୍ଡଓ୍ବାନା ସହ ଧକ୍କା ହେଲା। ଏହି ମହା-ସଂଘର୍ଷରୁ ପ୍ରାୟ ୩୦ କୋଟି ବର୍ଷ ପୂର୍ଵେ ଜନ୍ମ ନେଲା ପୃଥିଵୀ ଇତିହାସର ସବୁଠାରୁ ପ୍ରସିଦ୍ଧ ସୁପରକଣ୍ଟିନେଣ୍ଟ Pangea ।

ଗ୍ରୀକ୍ ଭାଷାରେ Pan ଶବ୍ଦର ଅର୍ଥ "ସମଗ୍ର" କିମ୍ବା "ସବୁଯାକ" ଅଟେ। ସେହିପରି Gaia ଵା Gaeaର ଅର୍ଥ "ଧରିତ୍ରୀ" କିମ୍ବା "ଭୂମି" ଅଟେ। ଏହି ଦୁଇଟି ଶବ୍ଦ ମିଶି ହେଲା "Pangea", ଯାହାର ସରଳ ଵୈଜ୍ଞାନିକ ଅର୍ଥ ହେଉଛି "ସମଗ୍ର ପୃଥିଵୀ" କିମ୍ବା "ଅଖଣ୍ଡ ସ୍ଥଳଭାଗ"। ସେହିପରି ଏହାକୁ ଘେରି ରହିଥିଵା ଵିଶାଳ ମହାସାଗରକୁ Panthalassa ନାମ ଦିଆଯାଇଥିଲା, ଯାହାର ଅର୍ଥ "ସମଗ୍ର ସମୁଦ୍ର" ଅଟେ।

୧୯୧୨ ମସିହାରେ ଆଲଫ୍ରେଡ୍ ୱେଗ୍ନେର ପ୍ରଥମ କରି ଦୁନିଆ ସାମ୍ନାକୁ ତାଙ୍କର ପ୍ରସିଦ୍ଧ ସିଦ୍ଧାନ୍ତ "ମହାଦେଶୀୟ ସଂଚଳନଵାଦ" ଵା "Continental Drift Theory" ଆଣିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ଅତୀତରେ ସବୁ ଦେଶ ଏକାଠି ଯୋଡ଼ି ହୋଇ ରହିଥିଲେ। ତେବେ ସେହି ସମୟରେ ସେ ତାଙ୍କ ଜର୍ମାନ ଭାଷାର ଲେଖାରେ ଏହାକୁ "Urkontinent" ଵା ଆଦିମ ମହାଦେଶ ବୋଲି ଲେଖିଥିଲେ। ୧୯୧୫ ମସିହାରେ ଯେତେବେଳେ ୱେଗ୍ନର୍ ତାଙ୍କର ସେହି ଯୁଗାନ୍ତକାରୀ ବହି "The Origin of Continents and Oceans" ପ୍ରକାଶ କଲେ, ସେଥିରେ ସେ ପ୍ରଥମ କରି ଏହି ଵିଶାଳ ଅଖଣ୍ଡ ଭୂଖଣ୍ଡ ପାଇଁ "Pangea" ଶବ୍ଦର ଵ୍ୟଵହାର କରିଥିଲେ।
ୱେଗ୍ନେର ଯେତେବେଳେ ପ୍ରଥମ କରି 'ପାଞ୍ଜିଆ' ଏଵଂ ମହାଦେଶୀୟ ସଂଚଳନର ଧାରଣା ଦେଲେ, ସେତେବେଳର ପ୍ରତିଷ୍ଠିତ ଭୂ-ଵିଜ୍ଞାନୀମାନେ ତାଙ୍କୁ ତୀଵ୍ର ସମାଲୋଚନା ଓ ପରିହାସ କରିଥିଲେ। କାରଣ ୱେଗ୍ନେର ମୂଳତଃ ଜଣେ ପାଣିପାଗ ଵିଜ୍ଞାନୀ ଵା Meteorologist ଥିଲେ, ତେଣୁ ସେହି ସମୟର ରକ୍ଷଣଶୀଳ ଭୂ-ଵିଜ୍ଞାନୀମାନେ କହିଲେ, "ଜଣେ ପାଣିପାଗବାଲା ଆମକୁ ଭୂଗୋଳ କିମ୍ବା ଭୂ-ଵିଜ୍ଞାନ ଶିଖାଇ ପାରିଵ ନାହିଁ।" ସେମାନେ ୱେଗ୍ନେରଙ୍କ ପ୍ରସ୍ତାଵିତ 'ପାଞ୍ଜିଆ' ନାମକୁ ମଧ୍ୟ ସହଜରେ ଗ୍ରହଣ କରିଵାକୁ ମନା କରିଦେଇଥିଲେ।
ଦୁର୍ଭାଗ୍ୟଵଶତଃ, ୧୯୩୦ ମସିହାରେ ଗ୍ରୀନଲ୍ୟାଣ୍ଡରେ ଏକ ଵୈଜ୍ଞାନିକ ଅଭିଯାନ ସମୟରେ ଅତ୍ୟଧିକ ଶୀତ ଓ ପ୍ରତିକୂଳ ପାଣିପାଗ ଯୋଗୁଁ ମାତ୍ର ୫୦ ଵର୍ଷ ଵୟସରେ ୱେଗ୍ନେରଙ୍କ ଅକାଳ ମୃତ୍ୟୁ ହୋଇଗଲା। ଫଳତଃ ୱେଗ୍ନର୍ ନିଜ ଜୀଵଦ୍ଦଶାରେ ତାଙ୍କର ଏହି କାଳଜୟୀ ସିଦ୍ଧାନ୍ତ ଓ 'ପାଞ୍ଜିଆ' ନାମକରଣକୁ ଵିଶ୍ୱସ୍ତରୀୟ ସ୍ୱୀକୃତି ମିଳିବା ଦେଖିପାରି ନଥିଲେ। କିନ୍ତୁ ପରଵର୍ତ୍ତୀ ସମୟରେ, ଵିଶେଷତଃ ୧୯୫୦ ଓ ୧୯୬୦ ଦଶକରେ ଯେତେବେଳେ ସମୁଦ୍ର ଶଯ୍ୟାର ପ୍ରସାରଣ ସମ୍ପର୍କରେ ଗଵେଷଣା ହେଲା ଏଵଂ ଆଧୁନିକ Plate Tectonicsର ଅକାଟ୍ୟ ଵୈଜ୍ଞାନିକ ପ୍ରମାଣ ମିଳିଲା, ସେତେବେଳେ ସାରା ଵିଶ୍ୱ ସ୍ୱୀକାର କଲା ଯେ ୱେଗ୍ନେରଙ୍କ ପରିକଳ୍ପନା ସମ୍ପୂର୍ଣ୍ଣ ଠିକ୍ ଥିଲା। ମୃତ୍ୟୁର ବହୁ ଵର୍ଷ ପରେ ଆଲଫ୍ରେଡ୍ ୱେଗ୍ନେରଙ୍କୁ ତାଙ୍କର ସେହି ଅଦ୍ଭୁତପୂର୍ଵ ଆଵିଷ୍କାର ପାଇଁ ଉପଯୁକ୍ତ ସମ୍ମାନ ମିଳିଲା ଏଵଂ ତାଙ୍କ ଦ୍ୱାରା ଦିଆଯାଇଥିଵା ଗ୍ରୀକ୍ ଶବ୍ଦ 'ପାଞ୍ଜିଆ'କୁ ସମଗ୍ର ଵିଶ୍ୱ ଆଦରର ସହ ଗ୍ରହଣ କଲା।
ପାଞ୍ଜିଆ ଦେଖିବାକୁ ଏକ ଵିଶାଳ ଅର୍ଦ୍ଧଚନ୍ଦ୍ରାକାର ଵା କେଶର ପିନ୍ ଆକାରର ଥିଲା। ଏହାର ଉତ୍ତର ଭାଗକୁ ଲରେସିଆ ଏଵଂ ଦକ୍ଷିଣ ଭାଗକୁ ଗଣ୍ଡଓ୍ବାନାଲ୍ୟାଣ୍ଡ କୁହାଯାଉଥିଲା। ଏହି ଦୁଇ ଭୂଖଣ୍ଡର ମଝିରେ ଥିଵା ସମୁଦ୍ରକୁ ଟେଥିସ୍ ଦେଵୀଙ୍କ ନାମରେ ଟେଥିସ୍ ସାଗର କୁହାଯାଉଥିଲା।
ପାଞ୍ଜିଆ ସମୟରେ ସ୍ଥଳଭାଗରେ ପ୍ରଥମ କରି ବଡ଼ ବଡ଼ ଜଙ୍ଗଲ, ସରୀସୃପ ଏଵଂ ପରଵର୍ତ୍ତୀ ସମୟରେ ଡାଇନୋସରମାନଙ୍କର ରାଜତ୍ୱ ଆରମ୍ଭ ହୋଇଥିଲା। ସମଗ୍ର ପୃଥିଵୀର ସ୍ଥଳଭାଗ ଯୋଡ଼ି ହୋଇଥିଵାରୁ ଜୀଵଜନ୍ତୁମାନେ ବିନା ବାଧାରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଯାଇପାରୁଥିଲେ।

ତେବେ ଆଜକୁ ପ୍ରାୟ ୨୦ କୋଟି ଵର୍ଷ ପୂର୍ଵେ ଟ୍ରାୟାସିକ୍ ଯୁଗର ଶେଷ ଆଡ଼କୁ ପୃଥିଵୀର ଅଭ୍ୟନ୍ତରରୁ ପ୍ରଵଳ ଗରମ ମ୍ୟାଗ୍ମାର ସ୍ରୋତ ଉପରକୁ ଉଠି ପାଞ୍ଜିଆର ମଝି ଭାଗରେ ଫାଟ ସୃଷ୍ଟି କଲା। ଏହା ହିଁ ଥିଲା ଆଜିର ଆଧୁନିକ ମାନଚିତ୍ର ଗଠନର ପ୍ରାରମ୍ଭ। ପାଞ୍ଜିଆ ପ୍ରଥମେ ଦୁଇ ଭାଗରେ ଵିଭକ୍ତ ହେଲା। ଟେଥିସ୍ ସାଗର ପଶ୍ଚିମ ଆଡ଼କୁ ପ୍ରସାରିତ ହୋଇ ଲରେସିଆକୁ ଗଣ୍ଡଓ୍ବାନାରୁ ଅଲଗା କଲା। ଏହି ସମୟରେ ଉତ୍ତର ଆଟଲାଣ୍ଟିକ ମହାସାଗରର ସୃଷ୍ଟି ହେଲା।
ଦକ୍ଷିଣରେ ଥିଵା ଗଣ୍ଡଓ୍ବାନାଲ୍ୟାଣ୍ଡ ମଧ୍ୟ ସ୍ଥିର ରହିଲା ନାହିଁ। ଏହା ଭିତରେ ଫାଟ ସୃଷ୍ଟି ହେଵା ଫଳରେ ଦକ୍ଷିଣ ଆମେରିକା ଓ ଆଫ୍ରିକା ପରସ୍ପରଠାରୁ ଦୂରେଇ ଗଲେ, ଯାହା ଦ୍ୱାରା ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଜନ୍ମ ନେଲା। ଆଣ୍ଟାର୍କଟିକା ଓ ଅଷ୍ଟ୍ରେଲିଆ ଦକ୍ଷିଣ ଆଡ଼କୁ ଗତି କଲେ। ଭାରତୀୟ ସ୍ଥଳଭାଗ ଓ ମାଡାଗାସ୍କାର ଆଫ୍ରିକାରୁ ଅଲଗା ହୋଇ ପୂର୍ଵ ଆଡ଼କୁ ଚାଲିଗଲେ।

ପ୍ରାୟ ୯ କୋଟି ଵର୍ଷ ପୂର୍ଵେ ଭାରତୀୟ ଭୂଖଣ୍ଡ ମାଡାଗାସ୍କାରଠାରୁ ମଧ୍ୟ ଅଲଗା ହୋଇଗଲା ଏଵଂ ବାର୍ଷିକ ପ୍ରାୟ ୧୫ରୁ ୨୦ ସେଣ୍ଟିମିଟରର ଅଦ୍ଭୁତ ଦ୍ରୁତ ଗତିରେ ଉତ୍ତର ଆଡ଼କୁ ଅର୍ଥାତ୍ ଏସିଆ ଆଡ଼କୁ ଗତି କରିଵାକୁ ଲାଗିଲା। ଏହା ଭୂ-ଵିଜ୍ଞାନ ଇତିହାସରେ ସବୁଠାରୁ ଦ୍ରୁତ ମହାଦେଶୀୟ ସଂଚଳନ ଥିଲା।

ଆଜକୁ ପ୍ରାୟ ୫ କୋଟି ଵର୍ଷ ପୂର୍ଵେ, ଭାରତୀୟ ଭୂଭାଗ ଯାଇ ଵିଶାଳ ୟୁରେସୀୟ ଭୂଭାଗ ସହ ସରଳ ରେଖାରେ ପ୍ରଚଣ୍ଡ ଧକ୍କା ହେଲା। ୟୁରେସିଆ ଓ ଭାରତୀୟ ସ୍ଥଳଭାଗର ମଧ୍ୟରେ ଥିଵା ଟେଥିସ୍ ସାଗରର ସମସ୍ତ ପଟୁମାଟି ଓ ଶିଳାସ୍ତର ଏହି ପ୍ରବଳ ଚାପ ଯୋଗୁଁ ଭାଙ୍ଗି ହୋଇ ଉପରକୁ ଉଠିଵାକୁ ଲାଗିଲା। ଏହି ପ୍ରକ୍ରିୟାରେ ପୃଥିଵୀର ସବୁଠାରୁ ଉଚ୍ଚ ଏକ ତରୁଣ ଭଙ୍ଗିଳ ପର୍ଵତମାଳା - "ହିମାଳୟ ପର୍ଵତମାଳା" ଜନ୍ମ ନେଲା।

ଉତ୍ତରରେ ଲରେସିଆ ମଧ୍ୟ ଭାଙ୍ଗିଯାଇ ଉତ୍ତର ଆମେରିକା ଓ ଇଉରୋପକୁ ପରସ୍ପରଠାରୁ ଅଲଗା କଲା, ଯାହା ଦ୍ୱାରା ଗ୍ରୀନଲ୍ୟାଣ୍ଡ ଏକ ସ୍ୱତନ୍ତ୍ର ଦ୍ୱୀପ ଭାବେ ରହିଗଲା। ଅଷ୍ଟ୍ରେଲିଆ ଆଣ୍ଟାର୍କଟିକାଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇ ଉତ୍ତର ଆଡ଼କୁ ଗତି କଲା ଏଵଂ ଆଣ୍ଟାର୍କଟିକା ସମ୍ପୂର୍ଣ୍ଣ ଦକ୍ଷିଣ ମେରୁରେ ସ୍ଥିର ହୋଇ ବରଫାଵୃତ୍ତ ହୋଇଗଲା।

ଆଜିର ସାତଟି ମହାଦେଶର ସ୍ୱରୂପ
ଏହି କୋଟି କୋଟି ଵର୍ଷର ଭଙ୍ଗାଗଢ଼ା ଖେଳ ପରେ ଆଜି ଆମେ ଯେଉଁ ପୃଥିଵୀକୁ ଦେଖୁଛୁ, ତାହା ସାତଟି ମହାଦେଶରେ ସୁସଜ୍ଜିତ ହୋଇଛି । 

ଏସିଆ ମହାଦେଶ ପୃଥିଵୀର ସବୁଠାରୁ ବଡ଼ ମହାଦେଶ, ଯାହାର ଦକ୍ଷିଣ ଭାଗ (ଭାରତ) ଗଣ୍ଡଓ୍ବାନାରୁ ଏଵଂ ଉତ୍ତର ଭାଗ ଲରେସିଆରୁ ଆସିଛି। ଆଫ୍ରିକା ମହାଦେଶ ଗଣ୍ଡଓ୍ବାନାଲ୍ୟାଣ୍ଡର ସେହି କେନ୍ଦ୍ରୀୟ ଅଂଶ, ଯାହା ନିଜ ସ୍ଥାନରେ ପ୍ରାୟ ସ୍ଥିର ରହିଛି।
ଉତ୍ତର ଆମେରିକା ମହାଦେଶ ପ୍ରାଚୀନ ଲରେନ୍ସିଆର ମୁଖ୍ୟ ଅଂଶ, ଯାହା ଆଜି ପଶ୍ଚିମ ଗୋଲାର୍ଦ୍ଧରେ ଅଛି। ଦକ୍ଷିଣ ଆମେରିକା ମହାଦେଶ ଗଣ୍ଡଓ୍ବାନାରୁ ଅଲଗା ହୋଇ ପଶ୍ଚିମକୁ ଗତି କରିଥିଵା ଭୂଖଣ୍ଡ। ଆଣ୍ଟାର୍କଟିକା ମହାଦେଶ ପୃଥିଵୀର ଦକ୍ଷିଣ ମେରୁର ବରଫାବୃତ୍ତ ନିର୍ଜନ ମହାଦେଶ। 
ଅଷ୍ଟ୍ରେଲିଆ ମହାଦେଶ ଗଣ୍ଡଓ୍ବାନାରୁ ବାହାରି ସବୁଠାରୁ ଦୂରରେ ସ୍ୱତନ୍ତ୍ର ଭାବେ ରହିଥିଵା ଦ୍ୱୀପ ମହାଦେଶ। ଇଉରୋପ ମହାଦେଶ ଲରେସିଆର ପଶ୍ଚିମ ଭାଗ, ଯାହା ଆଜି ଏସିଆ ସହ ସଂଯୁକ୍ତ ହୋଇ ରହିଛି।

କିନ୍ତୁ ପୃଥିଵୀର ଏହି ଭଙ୍ଗାଗଢ଼ା ଇତିହାସ ଆଜି ମଧ୍ୟ ବନ୍ଦ ହୋଇନାହିଁ। ଆମେ ଜାଣିପାରୁ ନାହୁଁ, କିନ୍ତୁ ଆଜି ମଧ୍ୟ ମହାଦେଶଗୁଡ଼ିକ ପ୍ରତିଵର୍ଷ କିଛି ସେଣ୍ଟିମିଟର ଲେଖାଏଁ ଗତି କରୁଛନ୍ତି, ଯେମିତି ଆମ ହାତରେ ନଖ ବଢ଼ିଥାଏ। ପ୍ରଶାନ୍ତ ମହାସାଗର ଧୀରେ ଧୀରେ ସଙ୍କୁଚିତ ହେଉଛି ଏଵଂ ଆଟଲାଣ୍ଟିକ ମହାସାଗର ପ୍ରସାରିତ ହେଉଛି। ଭାରତୀୟ ପ୍ଲେଟ୍ ଆଜି ମଧ୍ୟ ଏସିଆକୁ ଧକ୍କା ଦେଉଛି, ଯାହା ଯୋଗୁଁ ହିମାଳୟର ଉଚ୍ଚତା ପ୍ରତିଵର୍ଷ କିଛି ମିଲିମିଟର ବଢ଼ୁଛି।

ଭୂ-ଵିଜ୍ଞାନୀମାନଙ୍କ ମତରେ, ଆଜିଠାରୁ ପ୍ରାୟ ୨୫ କୋଟି ଵର୍ଷ ପରେ ପୃଥିଵୀର ସମସ୍ତ ମହାଦେଶ ପୁଣି ଏକାଠି ହୋଇଯିବେ ଏଵଂ ଏକ ନୂତନ ସୁପରକଣ୍ଟିନେଣ୍ଟ ଗଠନ କରିବେ, ଯାହାର ନାମ ଦିଆଯାଇଛି Pangea Ultima (ପାଞ୍ଜିଆ ଅଲ୍ଟିମା) କିମ୍ବା Amasia (ଆମାସିଆ)। ପୃଥିଵୀର ଏହି ଅନନ୍ତ ଚକ୍ର ଏମିତି ହିଁ ଚାଲିରହିଵ।

ପୃଥିଵୀର ଏହି ୪୫୦ କୋଟି ଵର୍ଷର ସୁଦୀର୍ଘ ଇତିହାସ ଆଗରେ ମାନଵ ସଭ୍ୟତାର ଆୟୁଷ ମାତ୍ର କେଇ ସେକେଣ୍ଡର ପଲକ ସଦୃଶ।ଆଶ୍ଚର୍ଯ୍ୟ ଲାଗେ, ମାଂସପେଶୀ ଓ ଶାରୀରିକ ଶକ୍ତି ଦୃଷ୍ଟିରୁ ଏହି ଗ୍ରହର ଏକ ଅତି ଦୁର୍ଵଳ ଜୀଵ ହୋଇ ମଧ୍ୟ, ମାନଵ ଜାତି କେଵଳ ନିଜ କୌତୁହଳ ଓ ପ୍ରଜ୍ଞା ବଳରେ ପୃଥିଵୀର ପ୍ରାଚୀନ ଗର୍ଭର ଗୁପ୍ତ କାହାଣୀକୁ ଖୋଜି ବାହାର କରିପାରିଛି। ଆମେ କେଵଳ ଅତୀତର 'ଵାଲବାରା' କିମ୍ବା 'ପାଞ୍ଜିଆ'କୁ ଚିହ୍ନିନାହୁଁ ଵରଂ ନିଜ ଆଖି ଆଗରେ କୋଟି କୋଟି ଵର୍ଷର ଭୂ-ତାତ୍ତ୍ଵିକ ନୃତ୍ୟକୁ ଅନୁଭଵ ମଧ୍ୟ କରିଛନ୍ତି। କିନ୍ତୁ ଏହି ଜ୍ଞାନ ସହ ଏକ ଵିରାଟ ପ୍ରଶ୍ନଵାଚୀ ମଧ୍ୟ ସୃଷ୍ଟି ହୁଏ । ଆଜି ଆମେ ଵୈଜ୍ଞାନିକ ସୂତ୍ର ଆଧାରରେ ୨୫ କୋଟି ଵର୍ଷ ପରେ ଗଠିତ ହେଵାକୁ ଥିଵା ସୁପରକଣ୍ଟିନେଣ୍ଟର ନାମକରଣ ଏବେଠାରୁ 'ପାଞ୍ଜିଆ ଅଲ୍ଟିମା' ବୋଲି କରି ଦେଇଛନ୍ତି ସତ, ହେଲେ ସେତେବେଳେ ଏହି ନାମ ଡାକିଵା ପାଇଁ କ'ଣ ମାନଵ ଜାତି ନିଜେ ଥିଵ? ଯେଉଁ ପ୍ରକୃତିର ନିୟମ ସାମ୍ନାରେ ଵିଶାଳକାୟ ଡାଇନୋସର ଏଵଂ କେତେ କେତେ ସାମ୍ରାଜ୍ୟ ଧୂଳିସାତ୍ ହୋଇଗଲେ ସେଠାରେ ପ୍ରକୃତିର ଏହି ଆଗାମୀ ମହା-ମିଳନକୁ ଦେଖିଵା ପାଇଁ ମାନଵ ସଭ୍ୟତା ବଞ୍ଚି ରହିଥିଵ ତ?

ହୁଏତ ମହାଦେଶଗୁଡ଼ିକର ଏହି ପୁନର୍ଗଠନ ଚକ୍ରରେ ପଥର ଓ ମାଟି ପୁଣି ଏକାଠି ଯୋଡ଼ି ହୋଇଯିଵେ, କିନ୍ତୁ ଆମେ ଛାଡ଼ି ଯାଇଥିଵା କୋଠାବାଡ଼ି, ସହର ଏଵଂ ଅହଂକାରର ଚିହ୍ନ ଵର୍ଣ୍ଣ ବି ନଥିଵ। ସେତେବେଳେ ମାନଵ ଇତିହାସ ହୁଏତ ଅନ୍ୟ କୌଣସି ନୂତନ ଜୀଵ ପାଇଁ କ୍ରାଟନ୍‌ ଭିତରେ ଲୁଚି ରହିଥିଵା ଏକ ପତଳା ଜୀଵାଶ୍ମର ସ୍ତର ପାଲଟି ସାରିଥିଵ। ଏହି ଅନନ୍ତ କାଳଚକ୍ର ଆମକୁ ଏହା ହିଁ ଶିଖାଏ ଯେ "ମହାଦେଶ ଭାଙ୍ଗିଵା ଓ ଗଢ଼ିଵା ପ୍ରକୃତିର ଏକ ଚିରନ୍ତନ ନିୟମ, ଆଉ ଆମେ ଏହି ଵିଶାଳ ରଙ୍ଗମଞ୍ଚରେ କେଵଳ କିଛି ମୁହୂର୍ତ୍ତର ଅତିଥି ମାତ୍ର।" 


Monday, June 8, 2026

ପାରା, ପ୍ରୌଢ଼ ଓ ପ୍ରେମିକା

କିଛି ଵର୍ଷ ପୂର୍ଵର କଥା। ସେଦିନ ରମେଶ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ତା'ର ପ୍ରେମିକା ତାକୁ ଗୋଟାଏ ଚନ୍ଦାମୁଣ୍ଡିଆ ଅଧାବୁଢ଼ା ମାରୁଆଡ଼ି ପାଇଁ ଛାଡ଼ି ଚାଲିଯାଇଥିଲା । ସାରା ପୃଥିଵୀଟା ରମେଶ ପାଇଁ ନିରାଶାରେ ଭରିଗଲା ଭଳି ମନେହେଉଥିଲା।

ରମେଶ ଭୁଵନେଶ୍ୱର ସହରର ରାସ୍ତାରେ ନିରୁଦ୍ଦେଶ୍ୟରେ ବୁଲୁଥିଵା ବେଳେ ଏକ ଅପୂର୍ଵ ଦୃଶ୍ୟ ଦେଖିଲା। ଜଣେ ପ୍ରୌଢ଼ ଵ୍ୟକ୍ତି ଛକର ଏକ ପାର୍ଶ୍ୱରେ ବସି ପାରାମାନଙ୍କୁ ଖାଦ୍ୟ ଦେଉଥିଲେ। ତାଙ୍କ ଚାରିପାଖରେ ଅସଂଖ୍ୟ ପାରା ଘେରି ରହିଥିଲେ; କିଛି ତାଙ୍କ କାନ୍ଧରେ, ଆଉ ଦୁଇ-ତିନୋଟି ତାଙ୍କ କୋଳରେ ମଧ୍ୟ ବସିଥିଲେ।

ହଠାତ୍ ସେ ରମେଶ ଆଡ଼କୁ ଚାହିଁ ପ୍ରୌଢ଼ ଵ୍ୟକ୍ତିଜଣକ ମୃଦୁ ହସଟିଏ ହସିଦେଲେ। ସେହି ହସ ଏତେ ନିର୍ମଳ ଓ ପ୍ରସନ୍ନତାଭରା ଥିଲା ଯେ ରମେଶ କିଛି କ୍ଷଣ ପାଇଁ ସ୍ତଵ୍ଧ ହୋଇଗଲା।

ତା'ପରେ ରମେଶ ଭାବିଲା ନିଶ୍ଚିତ, ଏହି ଭଦ୍ରଲୋକଙ୍କର କୌଣସି ପ୍ରେମିକା କିମ୍ବା ପତ୍ନୀ ନାହାନ୍ତି ନୋହିଲେ ସେ ଏତେ ହସ ହସ ବଦନରେ ୩୬ ଦାନ୍ତ ଦେଖେଇ ହସୁ ନଥାନ୍ତେ । 

ଏଵଂ ଆଶ୍ଚର୍ଯ୍ୟର କଥା, ଏହି ଗୋଟିଏ ସାଧାରଣ ଭାବନା ରମେଶର ଓଠରେ ମଧ୍ୟ ଏକ ଅଜଣା ହସ ଫୁଟାଇଦେଲା; ଜୀଵନଟା ହଠାତ୍ ତାକୁ ପୂର୍ଵ ଅପେକ୍ଷା ବହୁତ ସହଜ ଓ ହାଲୁକା ମନେହେଲା।

•••••••••••••••••••••••••••••••••
ପ୍ରାଚୀନ କାଳରେ ଯେତେବେଳେ ମଣିଷ ଜଙ୍ଗଲରେ ରହୁଥିଲା, ସେତେବେଳେ ଆଜି ଭଳି ସହର, ଟଙ୍କା-ପଇସା, କୋର୍ଟ-କଚେରୀ କିମ୍ବା ପୁଲିସ୍ ନଥିଲେ। ସେତେବେଳେ ଜୀଵନ ଥିଲା ଅତି ଵିପଜ୍ଜନକ। ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଏଵଂ ଅନ୍ୟ ଗୋଷ୍ଠୀର ମଣିଷମାନଙ୍କ ଭୟ ସବୁବେଳେ ରହୁଥିଲା।
ସେହି ସମୟରେ ଜଣେ ମହିଳା ଯେତେବେଳେ ଗର୍ଭଵତୀ ହେଉଥିଲେ କିମ୍ବା ତାଙ୍କର ଛୋଟ ସନ୍ତାନ ସନ୍ତତି ରହୁଥିଲେ, ସେତେବେଳେ ସେ ଶାରୀରିକ ଭାବେ ଦୁର୍ଵଳ ହୋଇପଡ଼ୁଥିଲେ। ସେ ନିଜେ ଶିକାର କରିଵା କିମ୍ବା ନିଜକୁ ରକ୍ଷା କରିଵା କଷ୍ଟକର ଥିଲା। ସେଥିପାଇଁ ଵିଵର୍ତ୍ତନ କ୍ରମରେ ମହିଳାମାନଙ୍କ ମସ୍ତିଷ୍କରେ ପ୍ରାକୃତିକ ଭାବେ ଏକ ଚୟନ ପ୍ରକ୍ରିୟା ପ୍ରତିଷ୍ଠିତ ହେଲା । ସେମାନେ ସେହି ପୁରୁଷକୁ ନିଜର ସାଥୀ ଵା ଜୀଵନସାଥୀ ଭାବେ ବାଛୁଥିଲେ ଯିଏ ଶାରୀରିକ ଭାବେ ଶକ୍ତିଶାଳୀ ଥିଵ ଵା ଅନ୍ୟମାନଙ୍କଠାରୁ ରକ୍ଷା କରିପାରିଵ । ଜଣେ ଭଲ ଶିକାରୀ ହୋଇଥିବ ଯିଏ ପ୍ରଚୁର ମାଂସ ଵା ଖାଦ୍ୟ ଆଣି ଦେଇପାରିଵ ଯାହାକୁ ଵିଜ୍ଞାନର ଭାଷାରେ Resources ଵା ସମ୍ପଦ କୁହାଯାଏ। ଆଦିମ କାଳରେ ସାଥୀ ଚୟନର ମୂଳ ଉଦ୍ଦେଶ୍ୟ "ବଞ୍ଚି ରହିଵା ଏଵଂ ନିଜର ଵଂଶ ରକ୍ଷା କରିଵା ଥିଲା ।"

ଆଜି ମଣିଷ ଜଙ୍ଗଲ ଛାଡ଼ି ଗାଆଁ ଓ ସହରରେ ରହୁଛି। ଆଜି ଆମକୁ ଶିକାର କରିଵାକୁ ପଡ଼ୁନାହିଁ କିମ୍ବା ଜଙ୍ଗଲୀ ପଶୁଙ୍କ ଭୟ ନାହିଁ। କିନ୍ତୁ ଵିର୍ତ୍ତନର ଯେଉଁ ନିୟମ ଆମ ମସ୍ତିଷ୍କରେ ଲକ୍ଷେ ଵର୍ଷ ଧରି ଲିଖିତ ହୋଇ ରହିଛି, ତାହା ହଠାତ୍ ବଦଳିଯାଏନାହିଁ। ଆଜି ସେହି "ଜଙ୍ଗଲୀ ନିୟମ" ଏକ ସାମାଜିକ ଓ ଆର୍ଥିକ ରୂପ ନେଇଛି । ଆଦିମ କାଳର "ଭଲ ଶିକାରୀ/ଶକ୍ତିଶାଳୀ ପୁରୁଷ" ଆଜିର ଦୁନିଆରେ "ଧନୀ, ପ୍ରତିଷ୍ଠିତ ଵା ସଫଳ ଵ୍ୟକ୍ତି"ରେ ପରିଣତ ହୋଇଛି। ଆଦିମ କାଳର "ମାଂସ,ଫଳମୂଳ ଓ ଗୁମ୍ଫା" ଆଜିର ଦୁନିଆରେ "ବ୍ୟାଙ୍କ ବାଲାନ୍ସ, ଗାଡ଼ି ଓ ଆରାମଦାୟକ ଘର"ରେ ପରିଣତ ହୋଇଛି।
ଆଜି ମଧ୍ୟ ଜଣେ ମହିଳା ନିଜର ସନ୍ତାନ ଏଵଂ ନିଜ ଭଵିଷ୍ୟତ ପାଇଁ ଅଜାଣତରେ ଏକ "ନିରାପଦ ପରିଵେଶ" ଖୋଜିଥାଏ।

ରମେଶ ଜଣେ ସାଧାରଣ ଯୁଵକ । ତାଙ୍କ ପାଖରେ ହୁଏତ ପ୍ରଚୁର ଭାଵପ୍ରଵଣତା ଓ ପ୍ରେମ ଥିଲା, କିନ୍ତୁ ସେ ଜୀଵନରେ ସେତେଟା ସଫଳ କିମ୍ବା ପ୍ରତିଷ୍ଠିତ ହୋଇନଥିଲେ। ଅପରପକ୍ଷରେ, ଯେଉଁ ଚନ୍ଦାମୁଣ୍ଡିଆ ଅଧାବୁଢ଼ା ଵ୍ୟକ୍ତିଜଣକଙ୍କ କଥା କୁହାଯାଇଛି ତାଙ୍କ ପାଖରେ ଆର୍ଥିକ ସ୍ୱଚ୍ଛଳତା ଓ ସାମାଜିକ ପ୍ରତିଷ୍ଠା ଥିଲା। ରମେଶଙ୍କ ପ୍ରେମିକା ଯେତେବେଳେ ରମେଶଙ୍କୁ ଛାଡ଼ି ସେହି ପ୍ରତିଷ୍ଠିତ ଵ୍ୟକ୍ତିଙ୍କ ପାଖକୁ ଚାଲିଗଲେ, ସେତେବେଳେ ସେହି ଝିଅଟି ନିଜ ଅଜାଣତରେ ସେହି ଆଦିମ ଵିଵର୍ତ୍ତନଵାଦୀ ନିୟମ ଅନୁସାରେ ହିଁ କାମ କଲେ। ସେ ନିଜର ଆଗାମୀ ଭଵିଷ୍ୟତ ଓ ଆର୍ଥିକ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଲେ। ଏହାକୁ ହିଁ କୁହାଯାଏ "ସାମାଜିକ-ଆର୍ଥିକ ସ୍ଥିତି ଭାବପ୍ରବଣତା ଉପରେ ଭାରି ପଡ଼ିଵା ।" ଅର୍ଥାତ୍, ଆଜିର ସମାଜରେ ମଧ୍ୟ କେଵଳ ମନର ଭାଵନା ଵା ପ୍ରେମ ଅପେକ୍ଷା ଜୀଵନର ଵାସ୍ତଵତା, ଆର୍ଥିକ ସୁରକ୍ଷା ଓ ସମ୍ପଦ ହିଁ ସାଥୀ ଚୟନ ପ୍ରକ୍ରିୟାରେ ଏକ ବଡ଼ ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।

ଏହି ସାମାଜିକ ଓ ଵିଵର୍ତ୍ତନଵାଦୀ ସତ୍ୟ କେଵଳ ଏକ କାଳ୍ପନିକ ଚିନ୍ତାଧାରା ନୁହେଁ ଵରଂ ଵିଶିଷ୍ଟ ଵିଵର୍ତ୍ତନଵାଦୀ ମନୋଵିଜ୍ଞାନୀ David Bussଙ୍କ ଵ୍ୟାପକ ଗଵେଷଣା ଦ୍ୱାରା ପ୍ରମାଣିତ। ୧୯୮୯ ମସିହାରେ ପ୍ରକାଶିତ ତାଙ୍କର ସବୁଠାରୁ ପ୍ରସିଦ୍ଧ ଅଧ୍ୟୟନରେ David Buss ପୃଥିଵୀର ୩୭ଟି ଭିନ୍ନ ଭିନ୍ନ ସଂସ୍କୃତି ଓ ଦେଶର ଲୋକଙ୍କ ଉପରେ ଏକ ବଡ଼ ସର୍ଭେ କରିଥିଲେ। ସେହି ଗଵେଷଣାରୁ ଜଣାପଡ଼ିଥିଲା ଯେ, ସଂସ୍କୃତି ଓ ଭୂଗୋଳ ବଦଳିଲେ ମଧ୍ୟ ମଣିଷର କିଛି ହାରାହାରି ପ୍ରଵଣତା ଵା Average tendencies ସବୁଠି ସମାନ ଥାଏ।

ତାଙ୍କ ଗଵେଷଣାର ପ୍ରଥମ ମୁଖ୍ୟ ନିଷ୍କର୍ଷ ଥିଲା ଯେ, ହାରାହାରି ଭାବରେ ମହିଳାମାନେ ସାଥୀ ଚୟନ ସମୟରେ ପୁରୁଷର ଆର୍ଥିକ କ୍ଷମତା, ଉଚ୍ଚାକାଙ୍କ୍ଷା, ପରିଶ୍ରମ ଓ ସାମାଜିକ ସ୍ଥିତିକୁ ଅଧିକ ମୂଲ୍ୟ ଦେଇଥାନ୍ତି। କାହାଣୀର ପ୍ରେମିକା ଜଣକ ରମେଶଙ୍କୁ ଛାଡ଼ି ଜଣେ ପ୍ରତିଷ୍ଠିତ ଵ୍ୟକ୍ତିଙ୍କ ପାଖକୁ ଚାଲିଯିଵା ପଛରେ David Bussଙ୍କ ଏହି ପ୍ରମାଣିତ ସୂତ୍ର ହିଁ କାମ କରୁଛି। ତେଣୁ ପ୍ରାଗୈତିହାସିକ କାଳରୁ ସନ୍ତାନର ସୁରକ୍ଷା ଓ ସମ୍ପଦ ସଂଗ୍ରହ ପାଇଁ ମହିଳାମାନଙ୍କ ମନରେ ଯେଉଁ ଅଵଚେତନ ପ୍ରଵୃତ୍ତି ଵିକଶିତ ହୋଇଛି, ତାହା ଆଜିର ସମାଜରେ ଆର୍ଥିକ ସ୍ୱଚ୍ଛଳତା ଓ ପ୍ରତିଷ୍ଠା ଖୋଜିଵା ଆକାରରେ ପ୍ରକାଶ ପାଉଛି।
ଅପରପକ୍ଷରେ David Buss ଏହା ମଧ୍ୟ ଦର୍ଶାଇଥିଲେ ଯେ ପୁରୁଷମାନେ ହାରାହାରି ଭାବେ ସାଥୀର ଯୌଵନ ଓ ଶାରୀରିକ ଆକର୍ଷଣକୁ ଅଧିକ ଗୁରୁତ୍ୱ ଦିଅନ୍ତି, ଯାହା ଵିଵର୍ତ୍ତନ କ୍ରମରେ ସୁସ୍ଥ ଵଂଶବୃଦ୍ଧିର ସଙ୍କେତ ବୋଲି ଧରାଯାଏ। ରମେଶଙ୍କ କାହାଣୀରେ ସେହି ଵୟସ୍କ ଵ୍ୟକ୍ତିଜଣକ ("ଅଧାବୁଢ଼ା ମାରୁଆଡ଼ି") ଜଣେ ଯୁଵତୀଙ୍କୁ ନିଜର ସାଥୀ କରିଵା ପଛରେ ମଧ୍ୟ ପୁରୁଷର ସେହି ସହଜାତ ଵିଵର୍ତ୍ତନଵାଦୀ ପ୍ରଵୃତ୍ତିର ପ୍ରତିଫଳନ ଦେଖିଵାକୁ ମିଳେ।

ତେବେ David Bussଙ୍କ ଏହି ସିଦ୍ଧାନ୍ତକୁ ନିଷ୍ଠୁର ଭାବେ ଗ୍ରହଣ କରିଵା ଅନୁଚିତ। ସେ ସ୍ପଷ୍ଟ କରିଥିଲେ ଯେ ଉଭୟ ଲିଙ୍ଗ ପାଇଁ ଦୟାଳୁ ସ୍ୱଭାଵ, ବୁଦ୍ଧିମତା, ଵିଶ୍ୱସ୍ତତା ଓ ପ୍ରେମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ସେ ଏହା କହିନଥିଲେ ଯେ ସମସ୍ତ ମହିଳା କେଵଳ ଧନୀ ପୁରୁଷଙ୍କୁ ହିଁ ବାଛନ୍ତି କିମ୍ବା ପ୍ରେମର କୌଣସି ମୂଲ୍ୟ ନାହିଁ। ଵରଂ, ଏହା ହେଉଛି କେଵଳ କିଛି ସାଧାରଣ ଵା ହାରାହାରି ପାର୍ଥକ୍ୟ, ଯାହାକୁ ମାନଵ ଵିକାଶଵାଦୀ ଇତିହାସ ଦ୍ୱାରା ଵ୍ୟାଖ୍ୟା କରାଯାଇପାରେ।
ଏଥିସହିତ, David Buss ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଵ୍ୟକ୍ତିଗତ ପସନ୍ଦ, ଶିକ୍ଷା, ସଂସ୍କୃତି ଓ ସାମାଜିକ ପରିସ୍ଥିତି ଭଳି ଵାହ୍ୟ କାରକଗୁଡ଼ିକ ମଧ୍ୟ ସାଥୀ ଚୟନ ପ୍ରକ୍ରିୟାକୁ ବହୁ ପରିମାଣରେ ପ୍ରଭାଵିତ ଓ ପରିଵର୍ତ୍ତିତ କରିଥାନ୍ତି। ତେଣୁ ରମେଶଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା କୌଣସି ସାର୍ଵଜନୀନ ଵାଧ୍ୟତାମୂଳକ ନିୟମ ନୁହେଁ ଵରଂ ଜୀଵଵିଜ୍ଞାନ ଓ ସାମାଜିକ ପରିସ୍ଥିତିର ଏକ ହାରାହାରି ପ୍ରଵଣତାର ଉଦାହରଣ ମାତ୍ର।


Thursday, May 14, 2026

ମଣିଷମାନେ ବ୍ଲାକ୍ ହୋଲ୍ ଵିଷୟରେ କେମିତି ଜାଣିଲେ?

୧୭୮୩ ମସିହାର କଥା। ଇଂଲଣ୍ଡର ଏକ ଛୋଟ ଗାଁର ଚର୍ଚ୍ଚରେ ପାଦ୍ରୀ ଜନ୍ ମିଚେଲ୍ (John Michell) ରହୁଥିଲେ। ଦିନରେ ସେ ଈଶ୍ୱରଙ୍କ ପ୍ରାର୍ଥନା କରୁଥିଲେ, କିନ୍ତୁ ରାତି ହେଲେ ତାଙ୍କ ଆଖି ମହାକାଶର ନକ୍ଷତ୍ରମାନଙ୍କ ଉପରେ ରହୁଥିଲା। ଖାଲି ସମୟରେ ସେ ଜଣେ ଗଣିତଜ୍ଞ ଓ ଭୂଵିଜ୍ଞାନୀ ଭଳି କାର୍ଯ୍ୟ କରୁଥିଲେ । ସେଇଦିନିଆ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ଚାରିଆଡ଼େ ଚର୍ଚ୍ଚାର ଵିଷୟ ହୋଇଥିଲା। ମିଚେଲ୍‌ଙ୍କ ମନରେ ପ୍ରଶ୍ନ ଆସିଲା— "ଯଦି ପୃଥିଵୀରୁ ଗୋଟିଏ ପଥର ଫିଙ୍ଗିଲେ ତାହା ମାଧ୍ୟାକର୍ଷଣ ଯୋଗୁଁ ତଳକୁ ଖସି ପଡ଼ୁଛି, ତେବେ ଆଲୋକ ସହିତ କ’ଣ ହେଵ?" ସେତେବେଳେ ଆଲୋକକୁ କ୍ଷୁଦ୍ର କଣିକା ବୋଲି ଧରାଯାଉଥିଲା।
ମିଚେଲ୍ କାଗଜ-କଲମ ଧରି ହିସାବ କରିଵାକୁ ଲାଗିଲେ। ସେ କଳ୍ପନା କଲେ ଯେ ଯଦି ଗୋଟିଏ ନକ୍ଷତ୍ରର ଓଜନ ସୂର୍ଯ୍ୟଠାରୁ ୫୦୦ ଗୁଣ ଅଧିକ ହୁଏ ଏଵଂ ତାହା ବହୁତ ଘନ ଵା dense ହୁଏ, ତେବେ ତା’ର ମାଧ୍ୟାକର୍ଷଣ ଶକ୍ତି ଏତେ ପ୍ରବଳ ହେଵ ଯେ ତହିଁରୁ ଆଲୋକ ବି ବାହାରକୁ ବାହାରି ପାରିଵ ନାହିଁ। ଆଲୋକ ବାହାରକୁ ଆସିପାରିଵ ନାହିଁ ଅର୍ଥାତ୍ ଆମେ ସେହି ନକ୍ଷତ୍ରକୁ ଦେଖିପାରିଵା ନାହିଁ।
ସେ ଏହାକୁ "Dark Stars" ନାମ ଦେଲେ। ସେତେବେଳେ ଲୋକେ ଏହାକୁ ଏକ କଳ୍ପନା ବୋଲି ଭାବିଥିଲେ, କିନ୍ତୁ ଏହା ହିଁ ଥିଲା ଆଧୁନିକ 'ବ୍ଲାକ୍ ହୋଲ୍' ଧାରଣାର ପ୍ରଥମ ଵିଜ୍ଞାନଭିତ୍ତିକ ଧାରଣା । 

ଜନ୍ ମିଚେଲ୍ (John Michell) ଯେତେବେଳେ ୧୭୮୩ ମସିହାରେ 'Dark Stars' ଵା 'କୃଷ୍ଣ ନକ୍ଷତ୍ର'ର ଧାରଣା ଦେଇଥିଲେ, ସେତେବେଳେ ଵୈଜ୍ଞାନିକ ମହଲରେ ଏହାକୁ ନେଇ କୌଣସି ବଡ଼ ଧରଣର ଆଲୋଡ଼ନ ସୃଷ୍ଟି ହୋଇନଥିଲା। 

ମିଚେଲ୍‌ଙ୍କ ଯୁକ୍ତି ଥିଲା ଯେ ଯଦି କୌଣସି ନକ୍ଷତ୍ର ସୂର୍ଯ୍ୟଠାରୁ ୫୦୦ ଗୁଣ ବଡ଼ ହୁଏ ଏଵଂ ତା’ର ସାନ୍ଧ୍ରତା ସମାନ ରହେ, ତେବେ ତହିଁର ମାଧ୍ୟାକର୍ଷଣ ଆଲୋକକୁ ଅଟକାଇ ଦେଵ। ସେତେବେଳର ଵୈଜ୍ଞାନିକମାନେ ଏହାକୁ ଗାଣିତିକ ଦୃଷ୍ଟିକୋଣରୁ ଠିକ୍ ବୋଲି ମାନିଲେ ସତ, କିନ୍ତୁ ଵାସ୍ତଵରେ ଏତେ ବଡ଼ ନକ୍ଷତ୍ର ଥାଇପାରେ ବୋଲି କେହି ଵିଶ୍ୱାସ କଲେ ନାହିଁ।

ସେତେବେଳେ ଵିଜ୍ଞାନ ଜଗତରେ ଆଇଜାକ୍ ନ୍ୟୁଟନ୍‌ଙ୍କ ପ୍ରଭାବ ବହୁତ ଥିଲା। ନ୍ୟୁଟନ୍ ମତ ଦେଲେ - ଆଲୋକ ହେଉଛି କ୍ଷୁଦ୍ର କଣିକା ଵା corpusclesର ସମାହାର। ମିଚେଲ୍‌ଙ୍କ ଧାରଣା ଏହି କଣିକା ସିଦ୍ଧାନ୍ତ ଉପରେ ଆଧାରିତ ଥିଲା। କିନ୍ତୁ କିଛି ଵର୍ଷ ପରେ ଯେତେବେଳେ ଆଲୋକ ଏକ 'ତରଙ୍ଗ' ଵା wave ବୋଲି ପ୍ରମାଣିତ ହେଲା , ସେତେବେଳେ ଵୈଜ୍ଞାନିକମାନେ ମାଧ୍ୟାକର୍ଷଣ ଶକ୍ତି ଆଲୋକ ତରଙ୍ଗ ଉପରେ କୌଣସି ପ୍ରଭାବ ପକାଇ ପାରିଵ ନାହିଁ ବୋଲି ଭାବିଲେ । ଫଳରେ ମିଚେଲ୍‌ଙ୍କ ଧାରଣାକୁ ସମସ୍ତେ ଭୁଲିଗଲେ।

ତେବେ ଫ୍ରାନ୍ସର ପ୍ରସିଦ୍ଧ ଗଣିତଜ୍ଞ ପିଅରେ ସାଇମନ ଲାପ୍ଲାସ୍ (Pierre-Simon Laplace) ମଧ୍ୟ ୧୭୯୬ରେ ସମାନ ଧାରଣା ନିଜ ବହିରେ ଲେଖିଥିଲେ। କିନ୍ତୁ ପରଵର୍ତ୍ତୀ ସଂସ୍କରଣରେ ସେ ଏହି ଅଂଶଟିକୁ ବହିରୁ ବାହାର କରିଦେଲେ। ବୋଧହୁଏ ସେ ନିଜେ ମଧ୍ୟ ଅନୁଭଵ କଲେ ଯେ ଏହି 'ଅଦୃଶ୍ୟ ନକ୍ଷତ୍ର' କଥାଟି ବହୁତ ଅଜବ ଏଵଂ ଏହାର କୌଣସି ଵାସ୍ତଵ ପ୍ରମାଣ ନାହିଁ।

ସେତେବେଳେ ଵୈଜ୍ଞାନିକମାନଙ୍କ ପାଖରେ ଏମିତି କୌଣସି ଦୂରଵୀକ୍ଷଣ ଯନ୍ତ୍ର ଵା ଵୈଷୟିକ ସୁଵିଧା ନଥିଲା ଯାହା ଦ୍ୱାରା ସେମାନେ ମହାକାଶର ଏହି ଗଭୀର ରହସ୍ୟକୁ ପରୀକ୍ଷା କରିପାରିବେ। ତେଣୁ ସେମାନେ ମିଚେଲ୍‌ଙ୍କ କଥାକୁ ଏକ "କଳ୍ପନା" ବୋଲି ଭାବି ପ୍ରାୟ ୧୦୦ ଵର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଗ୍ରହଣ କଲେ ନାହିଁ।

ଆଇନଷ୍ଟାଇନଙ୍କ ଭୂମିକା ଏହି କାହାଣୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ। ୧୯୧୫ ମସିହାରେ ଆଇନଷ୍ଟାଇନ ଯେତେବେଳେ ତାଙ୍କର General Theory of Relativity (ସାଧାରଣ ଆପେକ୍ଷିକତା ତତ୍ତ୍ୱ) ଉପସ୍ଥାପନ କଲେ, ସେ ବ୍ରହ୍ମାଣ୍ଡକୁ ଦେଖିଵାର ଦୃଷ୍ଟିକୋଣ ହିଁ ବଦଳାଇ ଦେଲେ। କିନ୍ତୁ ବ୍ଲାକ୍ ହୋଲ୍‌କୁ ନେଇ ତାଙ୍କର ମତାମତ ବହୁତ ଜଟିଳ ଥିଲା । ଆଇନଷ୍ଟାଇନ କହିଲେ ଯେ ମହାକାଶ (Space) ଏକ ଖାଲି ସ୍ଥାନ ନୁହେଁ ଵରଂ ଏହା ଏକ ନମନୀୟ ଚାଦର ପରି। ଯେତେବେଳେ କୌଣସି ଭାରୀ ବସ୍ତୁ (ଯଥା ସୂର୍ଯ୍ୟ ଵା ଗ୍ରହ) ଏହା ଉପରେ ରହେ, ସେହି ଚାଦରଟି ବଙ୍କେଇ ଯାଏ। ଏହି ବକ୍ରତାକୁ ହିଁ ଆମେ ମାଧ୍ୟାକର୍ଷଣ ବୋଲି କହୁ।

ଆଇନଷ୍ଟାଇନଙ୍କ ସମୀକରଣଗୁଡ଼ିକ ସୂଚନା ଦେଉଥିଲା ଯେ ଯଦି କୌଣସି ଵସ୍ତୁର ଓଜନ ବହୁତ ଅଧିକ ହୁଏ ଏଵଂ ତାହା ଏକ କ୍ଷୁଦ୍ର ବିନ୍ଦୁରେ ସୀମିତ ରହେ, ତେବେ ସ୍ପେସ୍-ଟାଇମ୍ ଚାଦରରେ ଏକ "ଅସୀମ ଗାତ" ସୃଷ୍ଟି ହେଵ। ଏହି ଗାତରୁ କିଛି ବି ବାହାରି ପାରିବ ନାହିଁ। ରୋଚକ କଥା ହେଉଛି, ନିଜ ଗଣିତ ବ୍ଲାକ୍ ହୋଲ୍‌ର ସମ୍ଭାବନା ଦେଖାଉଥିଲେ ବି ଆଇନଷ୍ଟାଇନ ଭାବୁଥିଲେ ଯେ ପ୍ରକୃତିରେ ଏମିତି ହେଵା ଅସମ୍ଭଵ। ସେ ଭାବୁଥିଲେ ଯେ ନକ୍ଷତ୍ରଗୁଡ଼ିକ ଏତେ ମାତ୍ରାରେ ସଂକୁଚିତ ହୋଇପାରିବେ ନାହିଁ।
ବ୍ରହ୍ମାଣ୍ଡରେ ଏମିତି କିଛି ଵସ୍ତୁ ଥାଇପାରେ ଯାହାର ମାଧ୍ୟାକର୍ଷଣ ଅସୀମ, ଏହା ତାଙ୍କୁ ଏକ "ଗାଣିତିକ ଭୁଲ୍" ପରି ମନେହେଉଥିଲା।

ଆଇନଷ୍ଟାଇନଙ୍କ ତତ୍ତ୍ୱ ଅନୁସାରେ ବ୍ଲାକ୍ ହୋଲ୍‌ର କେନ୍ଦ୍ରରେ ଏକ 'ସିଙ୍ଗୁଲାରିଟି' ଥାଏ, ଯେଉଁଠି ପଦାର୍ଥ ଵିଜ୍ଞାନର ସବୁ ନିୟମ କାମ କରିଵା ବନ୍ଦ କରିଦିଏ। ଆଇନଷ୍ଟାଇନ ଏହି ଧାରଣାକୁ ନେଇ ସନ୍ତୁଷ୍ଟ ନଥିଲେ। ଆଇନଷ୍ଟାଇନ ୧୯୩୯ ମସିହାରେ ଏକ ଗଵେଷଣା ପତ୍ର (paper) ମଧ୍ୟ ପ୍ରକାଶ କରିଥିଲେ, ଯେଉଁଥିରେ ସେ ପ୍ରମାଣ କରିଵାକୁ ଚେଷ୍ଟା କରିଥିଲେ ଯେ ଵାସ୍ତଵ ଦୁନିଆରେ ବ୍ଲାକ୍ ହୋଲ୍ ଗଠନ ହୋଇପାରିବ ନାହିଁ।

କିନ୍ତୁ ଆଉଜଣେ ଵିଜ୍ଞାନୀ ଯୁଦ୍ଧକ୍ଷେତ୍ରରେ ଥାଇ ଵିଶ୍ଵକୁ ଏହାର ସମାଧାନ ଜଣାଇଦେଲେ । ପ୍ରଥମ ଵିଶ୍ୱଯୁଦ୍ଧ ସମୟର କଥା । ୧୯୧୬ ମସିହାରେ, ଯେତେବେଳେ କାର୍ଲ ଶ୍ୱାର୍ଜସ୍କାଲ୍ଡ(Karl Schwarzschild) ନାମରେ ଜଣେ ଗଵେଷକ ରୁଷିଆ ସୀମାରେ ଜର୍ମାନ ସେନା ପାଇଁ ଯୁଦ୍ଧ କରୁଥିଲେ, ସେହି ସମୟରେ ସେ ବୋମା ଵର୍ଷା ମଧ୍ୟରେ ବସି ଆଇନଷ୍ଟାଇନଙ୍କ ଜଟିଳ ସମୀକରଣଗୁଡ଼ିକୁ ସମାଧାନ କରିଥିଲେ।

ତହୁଁ କାର୍ଲ ଶ୍ୱାର୍ଜସ୍କାଲ୍ଡ ପ୍ରମାଣ କଲେ ଯେ ଯଦି କୌଣସି ଵସ୍ତୁକୁ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚାପି ଦିଆଯାଏ ତେବେ ତାହା ବ୍ଲାକ୍ ହୋଲ୍ ହୋଇଯିଵ। ଏହି ନିର୍ଦ୍ଦିଷ୍ଟ ଦୂରତାକୁ ପରେ 'ଶ୍ୱାର୍ଜସ୍କାଲ୍ଡ ଵ୍ୟାସାର୍ଦ୍ଧ' କୁହାଗଲା । କାର୍ଲ ଶ୍ୱାର୍ଜସ୍କାଲ୍ଡ ସରଳ ଉଦାହରଣ ସହିତ ନିଜ ମତ ରଖିଵାକୁ ଯାଇ ଲେଖିଥିଲେ ଯେ ଯଦି ଆମ ପୃଥିଵୀକୁ ଏକ ଛୋଟ 'ମଟର ଦାନା' (ପ୍ରାୟ ୯ ମିଲିମିଟର) ଆକାରକୁ ଚାପି ଦିଆଯାଏ, ତେବେ ପୃଥିଵୀ ଏକ ବ୍ଲାକ୍ ହୋଲ୍‌ରେ ପରିଣତ ହେବ। ଯଦି ସୂର୍ଯ୍ୟକୁ ମାତ୍ର ୩ କିଲୋମିଟର ଵ୍ୟାସାର୍ଦ୍ଧ ଵିଶିଷ୍ଟ ଏକ ଗୋଲକରେ ସୀମିତ କରାଯାଏ, ତେବେ ସୂର୍ଯ୍ୟ ମଧ୍ୟ ବ୍ଲାକ୍ ହୋଲ୍ ହୋଇଯିଵ।

ଶ୍ୱାର୍ଜସ୍କାଲ୍ଡଙ୍କ ଗଣିତରୁ ଜଣାପଡ଼ିଲା ଯେ ବ୍ଲାକ୍ ହୋଲ୍ ଚାରିପଟେ ଏକ ଅଦୃଶ୍ୟ ଗୋଲାକାର ସୀମା ରହିଛି। କାର୍ଲ ଶ୍ୱାର୍ଜସ୍କାଲ୍ଡଙ୍କ ମତରେ ଏହି ସୀମା ଭିତରକୁ ଯାହା ବି ଯିଵ ସେଠାରେ 'Escape Velocity' (ମୁକ୍ତି ବେଗ) ଆଲୋକର ବେଗଠାରୁ ଅଧିକ ହୋଇଯିଵ। ଯେହେତୁ ଆଲୋକଠାରୁ କେହି ଅଧିକ ବେଗରେ ଗତି କରିପାରିବେ ନାହିଁ, ତେଣୁ ସେଠାରୁ କିଛି ବି ଫେରିଵ ସମ୍ଭଵ ନୁହେଁ।

ଶ୍ୱାର୍ଜସ୍କାଲ୍ଡ ଏକ 'ସିଙ୍ଗୁଲାରିଟି' (Singularity)ର ଧାରଣା ଦେଲେ। ସେ ଦର୍ଶାଇଲେ ଯେ ବ୍ଲାକ୍ ହୋଲ୍‌ର କେନ୍ଦ୍ରରେ ସବୁ ପଦାର୍ଥ ଏକ କ୍ଷୁଦ୍ର ବିନ୍ଦୁରେ ଜମା ହୋଇ ରହେ, ଯେଉଁଠାରେ ମାଧ୍ୟାକର୍ଷଣ ଶକ୍ତି ଏଵଂ ସ୍ପେସ୍-ଟାଇମ୍ ବକ୍ରତା ଅସୀମ (Infinite) ହୋଇଥାଏ।

କାର୍ଲ ଶ୍ୱାର୍ଜସ୍କାଲ୍ଡ ଯେଉଁ ସମାଧାନ ଦେଇଥିଲେ, ତାହା ଏକ ସ୍ଥିର (Non-rotating) ଏଵଂ ବିଦ୍ୟୁତ୍ ଚାର୍ଜ ନଥିଵା ବ୍ଲାକ୍ ହୋଲ୍ ପାଇଁ ଥିଲା। ଏହାକୁ ଆଜି ମଧ୍ୟ ପଦାର୍ଥ ଵିଜ୍ଞାନରେ 'ଶ୍ୱାର୍ଜସ୍କାଲ୍ଡ ବ୍ଲାକ୍ ହୋଲ୍' କୁହାଯାଏ।

ଶ୍ୱାର୍ଜସ୍କାଲ୍ଡ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୁଦ୍ଧ କ୍ଷେତ୍ରରୁ ଆଇନଷ୍ଟାଇନଙ୍କ ପାଖକୁ ଚିଠି ଲେଖି ପଠାଇଥିଲେ। 

ଆଇନଷ୍ଟାଇନ ଯେତେବେଳେ ଶ୍ୱାର୍ଜସ୍କାଲ୍ଡଙ୍କ ଚିଠି ପାଇଲେ, ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଵିଶ୍ୱାସ କରିପାରୁନଥିଲେ ଯେ ଯୁଦ୍ଧର ସେହି ଭୟଙ୍କର ପରିସ୍ଥିତି ମଧ୍ୟରେ କେହି ଜଣେ ତାଙ୍କର ଏତେ ଜଟିଳ ସମୀକରଣର ଏତେ ନିର୍ଭୁଲ୍ ଭାବରେ ସମାଧାନ ବାହାର କରିପାରିଵ।

ଆଇନଷ୍ଟାଇନ ଶ୍ୱାର୍ଜସ୍କାଲ୍ଡଙ୍କୁ ଚିଠି ଲେଖି କହିଥିଲେ, "ମୁଁ ଆଶା କରିନଥିଲି ଯେ କେହି ଜଣେ ଏତେ ସହଜରେ ଏଵଂ ନିର୍ଭୁଲ୍ ଭାବେ ଏହି ସମୀକରଣର ସମାଧାନ କରିପାରିଵ।" ସେ ଶ୍ୱାର୍ଜସ୍କାଲ୍ଡଙ୍କ କାମକୁ ନିଜେ ପ୍ରୁସିଆନ୍ ଏକାଡେମୀ ଅଫ୍ ସାଇନ୍ସରେ ଉପସ୍ଥାପନ କରିଥିଲେ।

ଯଦିଓ ଆଇନଷ୍ଟାଇନ ଗଣିତକୁ ଠିକ୍ ବୋଲି ମାନିଲେ, କିନ୍ତୁ ଶ୍ୱାର୍ଜସ୍କାଲ୍ଡ ବାହାର କରିଥିଵା 'ସିଙ୍ଗୁଲାରିଟି' (ଯେଉଁଠି ମାଧ୍ୟାକର୍ଷଣ ଅସୀମ ହୋଇଯାଏ)କୁ ସେ ଵାସ୍ତଵରେ ଗ୍ରହଣ କରିପାରିଲେ ନାହିଁ। ସେ ଭାବିଲେ ଏହା କେଵଳ ଗଣିତରେ ସମ୍ଭଵ । ପ୍ରକୃତିରେ ଏମିତି କୌଣସି ଵସ୍ତୁ ନଥାଇପାରେ ଯାହା ନିଜେ ନିଜ ମଧ୍ୟରେ ସଂକୁଚିତ ହୋଇ ଗୋଟିଏ ବିନ୍ଦୁ ପାଲଟିଯିଵ।

କିନ୍ତୁ ଦୁର୍ଭାଗ୍ୟଵଶତଃ, ଏହି ଆଵିଷ୍କାରର ମାତ୍ର କିଛି ମାସ ପରେ ଯୁଦ୍ଧ କ୍ଷେତ୍ରରେ ଏକ ଵିରଳ ଚର୍ମ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଆଇନଷ୍ଟାଇନ ତାଙ୍କ ମୃତ୍ୟୁରେ ମର୍ମାହତ ହୋଇଥିଲେ ଏଵଂ ତାଙ୍କ କାମକୁ ଵିଜ୍ଞାନ ଜଗତ ଆଗରେ ଉପସ୍ଥାପନ କରିଥିଲେ।

ଶ୍ୱାର୍ଜସ୍କାଲ୍ଡଙ୍କ ପରେ ଏହି ଵିଷୟରେ ସବୁଠାରୁ ବଡ଼ ପ୍ରମାଣ ଦେଇଥିଲେ ଜଣେ ଭାରତୀୟ ଵୈଜ୍ଞାନିକ ଯିଏ ମାତ୍ର ୧୯ ଵର୍ଷ ଵୟସରେ ଜାହାଜରେ ଯାତ୍ରା କରୁଥିଵା ସମୟରେ ଏକ ଏମିତି ତଥ୍ୟ ବାହାର କରିଥିଲେ ଯାହା ଵିଜ୍ଞାନ ଜଗତକୁ ଚକିତ କରି ଦେଇଥିଲା । 

୧୯୩୦ ମସିହାରେ, ୧୯ ଵର୍ଷର ଜଣେ ଭାରତୀୟ ଯୁଵକ ସୁବ୍ରମଣ୍ୟମ ଚନ୍ଦ୍ରଶେଖର (S. Chandrasekhar) ଭାରତରୁ ଇଂଲଣ୍ଡକୁ ଜାହାଜରେ ଯାତ୍ରା କରୁଥିଲେ। ସେହି ୧୮ ଦିନର ଦୀର୍ଘ ଯାତ୍ରା ସମୟରେ ସେ କେଵଳ କାଗଜ ଓ କଲମ ଧରି ବସିଥିଲେ ଏଵଂ ନକ୍ଷତ୍ରଗୁଡ଼ିକର ମୃତ୍ୟୁ ଵିଷୟରେ ଗଣିତ ଦ୍ଵାରା ସମାଧାନର ବାଟ ଖୋଜୁଥିଲେ। ସେଠାରେ ସେ ଯେଉଁ ତଥ୍ୟ ବାହାର କଲେ, ତାହା ପୂରା ଵିଜ୍ଞାନ ଜଗତକୁ ହଲେଇ ଦେଇଥିଲା।

ସେତେବେଳେ ଵେଜ୍ଞାନିକମାନେ ଭାବୁଥିଲେ ଯେ ସବୁ ନକ୍ଷତ୍ର ମରିଵା ପରେ 'White Dwarf' ବା ଶ୍ୱେତ ଵାମନ ନକ୍ଷତ୍ରରେ ପରିଣତ ହୋଇ ଶାନ୍ତ ହୋଇଯାଆନ୍ତି। କିନ୍ତୁ ଚନ୍ଦ୍ରଶେଖର ଗଣିତ କରି ଦେଖାଇଲେ ଯେ ଏହା ସବୁ ନକ୍ଷତ୍ରଙ୍କ ପାଇଁ ସତ ନୁହେଁ। ଚନ୍ଦ୍ରଶେଖରଙ୍କ ମତରେ କୌଣସି ମୃତ ନକ୍ଷତ୍ରର ଓଜନ ସୂର୍ଯ୍ୟଙ୍କ ଓଜନର ୧.୪୪ ଗୁଣରୁ ଅଧିକ ହୁଏ, ତେବେ ତାହା କେବେ ବି ସ୍ଥିର ହୋଇ ରହିପାରିଵ ନାହିଁ। ନିଜର ପ୍ରବଳ ମାଧ୍ୟାକର୍ଷଣ ଯୋଗୁଁ ନକ୍ଷତ୍ରଟି ଭିତରକୁ ସଂକୁଚିତ ହେଵାକୁ ଲାଗିଵ ଏଵଂ ଶେଷରେ ଏକ ବ୍ଲାକ୍ ହୋଲ୍ ସୃଷ୍ଟି କରିଵ। ଏହି ୧.୪୪ ସଂଖ୍ୟାକୁ ଆଜି ଆମେ 'ଚନ୍ଦ୍ରଶେଖର ସୀମା' ବୋଲି କହୁ।

ଚନ୍ଦ୍ରଶେଖର ଯେତେବେଳେ କେମ୍ବ୍ରିଜ୍ ଵିଶ୍ୱଵିଦ୍ୟାଳୟରେ ନିଜର ଏହି ରିସର୍ଚ୍ଚ ଉପସ୍ଥାପନ କଲେ, ସେତେବେଳର ସବୁଠାରୁ ପ୍ରଭାଵଶାଳୀ ଜ୍ୟୋତିର୍ଵିଜ୍ଞାନୀ ସାର୍ ଆର୍ଥର ଏଡିଙ୍ଗଟନ୍ ତାଙ୍କୁ ସର୍ଵସମ୍ମୁଖରେ ପରିହାସ କରିଥିଲେ। ଏଡିଙ୍ଗଟନ୍ କହିଥିଲେ, "ପ୍ରକୃତିରେ ଏମିତି କିଛି ଅଜବ ନିୟମ ଥାଇପାରେ ଯାହା ନକ୍ଷତ୍ରକୁ ଏମିତି ପାଗଳ ଭଳି ସଂକୁଚିତ ହେଵାରୁ ଅଟକାଇ ଦେଵ।" ସେ ଭାବୁଥିଲେ ବ୍ଲାକ୍ ହୋଲ୍ ଭଳି ଜିନିଷ ପ୍ରକୃତିରେ ସମ୍ଭଵ ହିଁ ନୁହେଁ।

ତେବେ ଏହି ଅପମାନ ଯୋଗୁଁ ଚନ୍ଦ୍ରଶେଖର ବହୁତ ଦୁଃଖିତ ହୋଇଥିଲେ ଏଵଂ ନିଜର ଗଵେଷଣାର ଦିଗ ବଦଳାଇ ଦେଇଥିଲେ। କିନ୍ତୁ ସମୟ ସବୁଠାରୁ ବଡ଼ ସାକ୍ଷୀ। ଚନ୍ଦ୍ରଶେଖରଙ୍କର ଏହି ଗଣିତ ଶହେ ପ୍ରତିଶତ ଠିକ୍ ଥିଲା। ପ୍ରାୟ ୫୦ ଵର୍ଷ ପରେ, ୧୯୮୩ ମସିହାରେ, ତାଙ୍କର ଏହି କାମ ପାଇଁ ତାଙ୍କୁ ନୋବେଲ୍ ପୁରସ୍କାରରେ ସମ୍ମାନିତ କରାଗଲା।

ସେହି ୧୯୩୦ ଦଶକରେ ଵୈଜ୍ଞାନିକ କାର୍ଲ ଜାନସ୍କି ଲକ୍ଷ୍ୟ କଲେ ଯେ ଅନ୍ତରୀକ୍ଷର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ ଅଦ୍ଭୁତ 'ସାଇଁ ସାଇଁ' ଶବ୍ଦ ଶୁଭୁଛି। ଏହା ଥିଲା ମହାକାଶର ଏକ ସଙ୍କେତ, କିନ୍ତୁ ସେତେବେଳେ କେହି ଜାଣି ନଥିଲେ ଯେ ସେହି ଶବ୍ଦ ପଛରେ ଏକ 'ଅଦୃଶ୍ୟ ମହାଵିରାଟ ବ୍ଲାକ୍‌ହୋଲ୍' ରହିଛି। ସେହି ସଙ୍କେତ ଆକାଶରେ Sagittarius ଵା ଧନୁରାଶି ଥିଵା ଅଞ୍ଚଳରୁ ଆସୁଥିଲା ‌। ପରେ ଷାଠିଏରୁ ସତୁରୀ ଦଶକରେ ଜଣାପଡ଼ିଲା ଯେ ଏହି ସଂକେତ ଆମ ଆକାଶଗଙ୍ଗାର କେନ୍ଦ୍ର ଅଞ୍ଚଳରୁ ଆସୁଅଛି । 

୧୯୬୦ ଦଶକ ପର୍ଯ୍ୟନ୍ତ ବ୍ଲାକ୍ ହୋଲ୍‌ର ଧାରଣା କେଵଳ କାଗଜ କଲମରେ ଥିଲା। ସେହି ସମୟରେ ମଣିଷ ନୂଆ କରି ମହାକାଶକୁ ରେଡିଓ ଟେଲିସ୍କୋପ୍ ସାହାଯ୍ୟରେ ଦେଖିଵା ଆରମ୍ଭ କରିଥିଲା। ଏଲିଅନ ସମ୍ବନ୍ଧୀୟ ସଂକେତ ଖୋଜିଵାକୁ କିଛି ଲୋକ ଦିନରାତି ଲାଗିପଡ଼ିଥିଲେ । ଏହି ପରିପ୍ରେକ୍ଷୀରେ 
୧୯୬୩ ମସିହାରେ Roy Kerr ନାମକ ଜଣେ ଵୈଜ୍ଞାନିକ ପ୍ରମାଣ କଲେ ଯେ ବ୍ରହ୍ମାଣ୍ଡରେ ଥିଵା ବ୍ଲାକ୍ ହୋଲ୍‌ଗୁଡ଼ିକ ସ୍ଥିର ନୁହନ୍ତି ଵରଂ ସେଗୁଡ଼ିକ ଅତି ବେଗରେ ଘୂର୍ଣ୍ଣନ (Spin) କରନ୍ତି। ଏହାପରେ ବ୍ଲାକ୍ ହୋଲ୍‌ର ଏକ ନୂଆ ରୂପ ସାମ୍ନାକୁ ଆସିଲା। ତେବେ ସେ ସମୟର ଅନେକ ଲୋକ ଏହାକୁ ଏଲିଅନମାନଙ୍କର ସଂକେତ ମନେ କରୁଥିଲେ ‌ । 

୧୯୬୭ ମସିହାରେ ବୈଜ୍ଞାନିକ ଜୋସେଲିନ୍ ବେଲ୍ ବର୍ନେଲ୍ (Jocelyn Bell Burnell) ପ୍ରଥମ କରି ଏକ ଅତି ନିୟମିତ ଵ୍ୟଵଧାନରେ ଆସୁଥିଵା ରେଡିଓ ସଂକେତ ପାଇଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରକୃତିରେ ଏତେ ନିର୍ଭୁଲ୍ ଓ ନିୟମିତ ସଂକେତ ମିଳିଵା ସେତେବେଳେ ସମ୍ଭବ ବୋଲି କେହି ଭାବି ନଥିଲେ। ପରେ ଜଣାପଡ଼ିଲା ଯେ ତାହା ଏକ Pulsarରୁ ଆସୁଥିଵା ସଂକେତ ଥିଲା । କିନ୍ତୁ ଏହି ସଂକେତଗୁଡ଼ିକ ଏତେ ନିର୍ଭୁଲ୍ ଥିଲା ଯେ ସେତେବେଳେ ଵୈଜ୍ଞାନିକମାନେ ଥଟ୍ଟାରେ ଵା ଗମ୍ଭୀର ହୋଇ ଏହାର ନାମ ରଖିଥିଲେ LGM-1 (Little Green Men)। ସେମାନଙ୍କୁ ଲାଗିଲା ଯେ କୌଣସି ଏକ ଉନ୍ନତ ସଭ୍ୟତା ଵା ଏଲିଆନମାନେ ଆମ ପାଖକୁ ସଂକେତ ପଠାଉଛନ୍ତି। 
୧୯୭୧ରେ ଵୈଜ୍ଞାନିକମାନେ Cygnus X-1 ନାମକ ଏକ ସ୍ଥାନରୁ ଅତ୍ୟଧିକ ଶକ୍ତିଶାଳୀ ଏକ୍ସ-ରେ ବାହାରୁଥିଵା ଦେଖିଲେ। ସେମାନେ ଦେଖିଲେ ଯେ ଗୋଟିଏ ଵିଶାଳ ନୀଳ ନକ୍ଷତ୍ର (HDE 226868) ଏକ ଅଦୃଶ୍ୟ ଵସ୍ତୁ ଚାରିପଟେ ବହୁତ ଜୋରରେ ଘୂରି ବୁଲୁଛି। ସେହି ଅଦୃଶ୍ୟ ଵସ୍ତୁଟି ନକ୍ଷତ୍ରର ଗ୍ୟାସ୍‌କୁ ନିଜ ଆଡ଼କୁ ଟାଣୁଥିଲା। ସେହି ଗ୍ୟାସ୍ ବ୍ଲାକ୍ ହୋଲ୍ ଭିତରକୁ ଯିଵା ପୂର୍ଵରୁ ଏକ ଘୂର୍ଣ୍ଣାୟମାନ ଥାଳି ପରି ହୋଇ ପ୍ରବଳ ଗରମ ହୋଇଯାଉଥିଲା ଏଵଂ ସେଥିରୁ ହିଁ ଏକ୍ସ-ରେ ବାହାରୁଥିଲା। ଏହା ପ୍ରମାଣ କଲା ଯେ ସେଠାରେ ଏକ ବ୍ଲାକ୍ ହୋଲ୍ ଅଛି।

୧୯୭୪ ମସିହାରେ ବ୍ରୁସ୍ ବାଲିକ୍ ଓ ରବର୍ଟ ବ୍ରାଉନ୍ ନାମରେ ଦୁଇଜଣ ଗଵେଷକ ଵୈଜ୍ଞାନିକ କାର୍ଲ ଜାନସ୍କିଙ୍କ ପରି ଧନୁରାଶୀ ଆଡ଼ୁ ଆସୁଥିଵା ସଂକେତ ଵିଷୟରେ ଗଵେଷଣା କରୁଥିଲେ । ଧନୁ ରାଶି ଆଡ଼ୁ ସେମାନେ ଏକ ଅତି ତୀଵ୍ର ଓ କ୍ଷୁଦ୍ର ରେଡିଓ ତରଙ୍ଗ ଉତ୍ସ ଖୋଜି ପାଇଲେ। ସେହି ସମୟରେ ଏତେ ଶକ୍ତିଶାଳୀ ସଂକେତ ଏକ କ୍ଷୁଦ୍ର ବିନ୍ଦୁରୁ ଆସିଵା ଅସମ୍ଭବ ମନେ ହେଉଥିଲା। ସାଧାରଣତଃ ଏତେ ଶକ୍ତି କୌଣସି ନକ୍ଷତ୍ରରୁ ଆସେନାହିଁ। ତେଣୁ ଵୈଜ୍ଞାନିକମାନେ ଭାବିଲେ କାଳେ କୌଣସି ବାହାର ଦୁନିଆର ଜୀଵମାନେ ଆମ ସହିତ ସମ୍ପର୍କ ସ୍ଥାପନ କରିଵାକୁ ଚେଷ୍ଟା କରୁଛନ୍ତି।

ବ୍ରୁସ୍ ବାଲିକ୍ ଓ ରବର୍ଟ ବ୍ରାଉନ୍ ରେଡିଓ ସଂକେତ ଆସୁଥିଵା ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରି ତାହାର ନାମ ଧନୁରାଶିର ନାମ ଅନୁସାରେ Sagittarius A* ରଖିଲେ । ଏହା ଏମିତି ଏକ ସ୍ଥାନ ଥିଲା, ଯେଉଁଠାରୁ ପ୍ରବଳ ଶକ୍ତି ବାହାରୁଥିଲା, କିନ୍ତୁ କୌଣସି ଦୂରବୀକ୍ଷଣ ଯନ୍ତ୍ରରେ ସେଠାରେ କିଛି ଦେଖାଯାଉ ନଥିଲା। ତଥାପି ସେତେବେଳେ ଏହା ଏକ ମହାଵିରାଟ କୃଷ୍ଣଵିଵର ବୋଲି କେହି ଅନୁମାନ କରିନଥିଲେ । 

ସେହି ଵର୍ଷ ଅର୍ଥାତ୍ ୧୯୭୪ରେ ଷ୍ଟିଫେନ୍ ହକିଂ ବ୍ଲାକ୍ ହୋଲ୍ ଵିଷୟରେ ଏମିତି କିଛି କହିଲେ ଯାହା କେହି କଳ୍ପନା କରିନଥିଲେ। ସେ ପର୍ଯ୍ୟନ୍ତ ଵିଶ୍ୱାସ କରାଯାଉଥିଲା ଯେ ବ୍ଲାକ୍ ହୋଲ୍ କେଵଳ ସବୁ କିଛି ଗିଳିଥାଏ, କିନ୍ତୁ ହକିଂ କହିଲେ ଯେ ବ୍ଲାକ୍ ହୋଲ୍‌ରୁ କିଛି ବାହାରି ମଧ୍ୟ ପାରେ। ହକିଂ ପ୍ରମାଣ କଲେ ଯେ Quantum Mechanicsର ପ୍ରଭାବ ଯୋଗୁଁ ବ୍ଲାକ୍ ହୋଲ୍‌ରୁ ଅତି ସୂକ୍ଷ୍ମ କଣିକାଗୁଡ଼ିକ ଵିକିରଣ ଵା Radiation ରୂପରେ ବାହାରକୁ ଆସନ୍ତି। ଏହାକୁ 'ହକିଂ ରେଡିଏସନ୍' କୁହାଯାଏ। ଯଦି ବ୍ଲାକ୍ ହୋଲ୍‌ରୁ ଶକ୍ତି ବାହାରକୁ ଆସିଵ ତେବେ ଏହାର ଓଜନ ଧୀରେ ଧୀରେ କମିଵ। ହକିଂଙ୍କ ମତ ଥିଲା କୋଟି କୋଟି ଵର୍ଷ ପରେ ବ୍ଲାକ୍ ହୋଲ୍ ଗୁଡ଼ିକ ଧୀରେ ଧୀରେ ଛୋଟ ହୋଇ ଶେଷରେ ଏକ ଵିରାଟ ଵିସ୍ଫୋରଣ ସହିତ ସମ୍ପୂର୍ଣ୍ଣ ଭାବେ ବ୍ରହ୍ମାଣ୍ଡରୁ ଅଦୃଶ୍ୟ ହୋଇଯିବେ।
କିନ୍ତୁ ଯଦି ବ୍ଲାକ୍ ହୋଲ୍ ଅଦୃଶ୍ୟ ହୋଇଯିଵ, ତେବେ ସେ ଗିଳିଥିବା ସବୁ ଜିନିଷର ସୂଚନା (Information) କୁଆଡ଼େ ଯିଵ ? ଏହା ଆଜି ମଧ୍ୟ ଵିଜ୍ଞାନ ଜଗତ ପାଇଁ ଏକ ବଡ଼ ପ୍ରଶ୍ନ ହୋଇ ରହିଛି।

ମାତ୍ର ୧୯୭୪ରେ ଷ୍ଟିଫେନ୍ ହକିଂ ଏଵଂ ପଦାର୍ଥ ଵିଜ୍ଞାନୀ Kip Thorneଙ୍କ ମଧ୍ୟରେ Cygnus X-1କୁ ନେଇ ଏକ ବାଜି ପଡ଼ିଥିଲା। ହକିଂ ବାଜି ଲଗାଇଥିଲେ ଯେ Cygnus X-1 ଏକ ବ୍ଲାକ୍ ହୋଲ୍ ନୁହେଁ (ଯଦିଓ ସେ ଜାଣିଥିଲେ ଯେ ଏହା ଏକ ବ୍ଲାକ୍ ହୋଲ୍)। ସେ ଚାହୁଁଥିଲେ ଯେ ଯଦି ତାଙ୍କର ବ୍ଲାକ୍ ହୋଲ୍ ଉପରେ କରାଯାଇଥିଵା ସାରା ଜୀଵନର ପରିଶ୍ରମ ବେକାର ଯାଏ, ତେବେ ଅତିକମରେ ସେ ବାଜି ତ ଜିତିବେ ! କିନ୍ତୁ ୧୯୯୦ ମସିହାରେ ସେ ନିଜର ପରାଜୟ ସ୍ୱୀକାର କଲେ ଏଵଂ ମାନିଲେ ଯେ ତାହା ପ୍ରକୃତରେ ଏକ ବ୍ଲାକ୍ ହୋଲ୍।
ଏହାର ଅନେକ ଵର୍ଷ ପରେ ଆମ ନିଜ ଆକାଶଗଙ୍ଗାର ମଧ୍ୟଭାଗରେ ଥିଵା Super Massive Black hole ଵା ମହାଵିରାଟ କୃଷ୍ଣଵିଵର Sagittarius A*ର ପ୍ରକୃତ ସତ୍ୟ ୧୯୯୦ ଦଶକରେ ଉନ୍ମୋଚିତ ହେଲା । ଦୁଇଜଣ ଜିଜ୍ଞାସୁ ଵୈଜ୍ଞାନିକ, ରେନହାର୍ଡ ଜେଞ୍ଜେଲ୍ ଓ ଆଣ୍ଡ୍ରିଆ ଘେଜ୍, ନିଜ ନିଜ ଦଳ ସହିତ ଆକାଶଗଙ୍ଗାର ସେହି ରହସ୍ୟମୟ କେନ୍ଦ୍ରକୁ ଵର୍ଷ ଵର୍ଷ ଧରି ନିରୀକ୍ଷଣ କଲେ। ସେମାନେ ଦେଖିଲେ ଯେ ସେଠାରେ ଥିଵା S2 ଭଳି ନକ୍ଷତ୍ରଗୁଡ଼ିକ କୌଣସି ଏକ ଅଦୃଶ୍ୟ ବିନ୍ଦୁ ଚାରିପଟେ ଅତି ପ୍ରବଳ ବେଗରେ ଘୂରୁଛନ୍ତି। ସତେ ଯେମିତି କୌଣସି ଶକ୍ତିଶାଳୀ ଅଜ୍ଞାତ ଶକ୍ତିଉତ୍ସ ସେହି ନକ୍ଷତ୍ରଗୁଡ଼ିକୁ ନିଜ ଆଡ଼କୁ ଜୋରରେ ଟାଣୁଛି। ସେମାନେ ଗଣିତ ସାହାଯ୍ୟରେ ହିସାବ କରି ଦେଖିଲେ ଯେ, ସେହି ଅଦୃଶ୍ୟ ବିନ୍ଦୁଟିର ଓଜନ ଆମ ସୂର୍ଯ୍ୟଠାରୁ ୪୦ ଲକ୍ଷ ଗୁଣ ଅଧିକ। ଏତେ ଵିଶାଳ ଓଜନ ଏକ କ୍ଷୁଦ୍ର ସ୍ଥାନରେ ରହିଵା ଅର୍ଥ ତାହା ଏକ 'ସୁପରମାସିଭ୍ ବ୍ଲାକ୍ ହୋଲ୍' ହୋଇପାରେ ବୋଲି ଅନୁମାନ କରାଗଲା ।

ଵିଂଶ ଶତାବ୍ଦୀର ଶେଷ ଭାଗରେ ବ୍ଲାକ୍ ହୋଲ୍‌ ଵିଷୟରେ ଆମର ଜ୍ଞାନ ସମ୍ପୂର୍ଣ୍ଣ ରୂପେ ବଦଳିଗଲା।
ଵୈଜ୍ଞାନିକମାନେ ଜାଣିଥିଲେ ଯେ ବ୍ଲାକ୍ ହୋଲ୍ ନିଜେ ଦେଖାଯାଏ ନାହିଁ, କିନ୍ତୁ ତା’ର ପାର୍ଶ୍ୱଵର୍ତ୍ତୀ ଅଞ୍ଚଳରେ ଥିଵା ପ୍ରଭାବରୁ ତାକୁ ଚିହ୍ନଟ କରାଯାଇପାରିଵ।

ନବେ ଦଶକରେ ଵୈଜ୍ଞାନିକମାନେ ଜାଣିଵାକୁ ପାଇଲେ ଯେ ବ୍ଲାକ୍ ହୋଲ୍ କେଵଳ ମୃତ ନକ୍ଷତ୍ରରୁ ସୃଷ୍ଟି ହୁଏ ନାହିଁ,ଵରଂ ପ୍ରତ୍ୟେକ ବଡ଼ ଗାଲାକ୍ସିର କେନ୍ଦ୍ରରେ ଏକ "ରାକ୍ଷସ" ଭଳି ଵିଶାଳକାୟ ବ୍ଲାକ୍ ହୋଲ୍ ରହିଛି । ଏଥିରୁ ସ୍ପଷ୍ଟ ହୋଇଗଲା ଯେ ଆମ ଗାଲାକ୍ସି 'ମିଲ୍କି ୱେ' (Milky Way) ର ମଝିରେ ଥିଵା 
Sagittarius A* ମଧ୍ୟ ଏକ ବିଶାଳ ବ୍ଲାକ୍ ହୋଲ୍ ଅଟେ । 

ଆଣ୍ଡ୍ରିଆ ଘେଜ୍ ଓ ରେନହାର୍ଡ ଗେଞ୍ଜେଲ୍ ଦଶନ୍ଧି ଧରି ଆମ ଗାଲାକ୍ସିର କେନ୍ଦ୍ରରେ ଥିଵା ନକ୍ଷତ୍ରଗୁଡ଼ିକର ଗତିଵିଧିକୁ ଲକ୍ଷ୍ୟ କରି ପ୍ରମାଣ କଲେ ଯେ ସେଠାରେ ଏକ ଅଦୃଶ୍ୟ ଵସ୍ତୁ ଅଛି ଯାହା ସୂର୍ଯ୍ୟଠାରୁ ୪୦ ଲକ୍ଷ ଗୁଣ ଅଧିକ ଭାରୀ। ଏଥିପାଇଁ ସେମାନଙ୍କୁ ୨୦୨୦ରେ ନୋବେଲ୍ ପୁରସ୍କାର ମିଳିଥିଲା।

ତଥାପି ବ୍ଲାକ୍ ହୋଲ୍‌କୁ ଦେଖିଵା କଷ୍ଟକର ଥିଲା କିନ୍ତୁ ଵୈଜ୍ଞାନିକମାନେ ତାଙ୍କର "ଶବ୍ଦ" ଶୁଣିଵାରେ ସଫଳ ହେଲେ। ୧.୩ ବିଲିୟନ ଵର୍ଷ ପୂର୍ଵେ ଦୁଇଟି ବ୍ଲାକ୍ ହୋଲ୍ ପରସ୍ପର ସହ ଧକ୍କା ହୋଇଥିଲେ। ସେଥିରୁ ସୃଷ୍ଟି ହୋଇଥିଵା ମହାକର୍ଷଣ ତରଙ୍ଗ ଵା Gravitational Waves ୨୦୧୫ ସେପ୍ଟେମ୍ବର ୧୪ରେ ପୃଥିଵୀରେ ପହଞ୍ଚିଲା। LIGO ଡିଟେକ୍ଟର ଏହି କମ୍ପନକୁ ଧରିଵାରେ ସଫଳ ହେଲା। ଏହା ଥିଲା ବ୍ଲାକ୍ ହୋଲ୍‌ର ଅସ୍ତିତ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରମାଣ। ଏହା ପ୍ରମାଣ କଲା ଯେ ଆଇନଷ୍ଟାଇନଙ୍କ କଥା ସମ୍ପୂର୍ଣ୍ଣ ସତ ଥିଲା।

୨୦୧୧ରେ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲାନ୍ (Christopher Nolan) ତାଙ୍କର ଚଳଚ୍ଚିତ୍ର 'Interstellar' ପାଇଁ ଏକ ଏମିତି ବ୍ଲାକ୍ ହୋଲ୍ Gargantuaର ଦୃଶ୍ୟ ତିଆରି କରିଵାକୁ ଚାହୁଁଥିଲେ, ଯାହା ପୂର୍ଵରୁ କେବେ କେହି ଦେଖି ନଥିବେ। କିନ୍ତୁ ତାଙ୍କର ଏକ ସର୍ତ୍ତ ଥିଲା— ସେଥିରେ କୌଣସି "ନକଲି କଳ୍ପନା" ରହିଵ ନାହିଁ।

ନୋଲାନ୍ ପ୍ରଥମେ ପ୍ରସିଦ୍ଧ ପଦାର୍ଥ ଵିଜ୍ଞାନୀ କିପ୍ ଥର୍ଣ୍ଣଙ୍କ ପାଖକୁ ଗଲେ। ସେ ତାଙ୍କୁ କହିଲେ, "ମୁଁ ଚାହୁଁଛି ଦର୍ଶକମାନେ ଏକ ପ୍ରକୃତ ବ୍ଲାକ୍ ହୋଲ୍ ଦେଖନ୍ତୁ।" ଥର୍ଣ୍ଣ ମଧ୍ୟ ରାଜି ହେଲେ, କିନ୍ତୁ ସେ ନୋଲାନ୍‌ଙ୍କୁ ଏକ ଚେତାବନୀ ଦେଲେ— "ମୁଁ ଯେଉଁ ଗଣିତ ଦେବି, ତାକୁ ତୁମକୁ ସମ୍ମାନ ଦେଵାକୁ ପଡ଼ିଵ, ଵିଜୁଆଲ୍ ଇଫେକ୍ଟସ୍ ପାଇଁ ସେଥିରେ କୌଣସି ପରିଵର୍ତ୍ତନ କରିପାରିଵ ନାହିଁ।"
କିପ୍ ଥର୍ଣ୍ଣ ବ୍ଲାକ୍ ହୋଲ୍ ଚାରିପଟେ ଆଲୋକ କିପରି ବଙ୍କିଯାଏ, ସେଥିପାଇଁ ଶତାଧିକ ପୃଷ୍ଠାର ଗାଣିତିକ ସମୀକରଣ ଲେଖିଲେ। ସେହି ତଥ୍ୟକୁ ନେଇ ସେତେବେଳେ Double Negative ନାମକ ଏକ VFX ଟିମ୍‌କୁ ଦିଆଗଲା। ସେହି ଟିମ୍ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ପ୍ରୋଗ୍ରାମ ଲେଖିଲେ, ଯାହା ଆଲୋକର ଗତିପଥକୁ ହିସାବ କରୁଥିଲା। ଯେତେବେଳେ ପ୍ରଥମ ଥର ପାଇଁ ସେହି ଗଣିତରୁ ଏକ ଚିତ୍ର ବାହାରିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବ୍ଲାକ୍ ହୋଲ୍ ଚାରିପଟେ ଏକ ଆଲୋକର ବଳୟ କେଵଳ ମଝିରେ ନଥିଲା ଵରଂ ତାହା ଉପରେ ଏଵଂ ତଳେ ମଧ୍ୟ ବଙ୍କି ରହିଥିଲା। ନୋଲାନ୍ ଏହା ଦେଖି ପ୍ରଥମେ ଦ୍ୱିଧାରେ ଥିଲେ, କିନ୍ତୁ ଥର୍ଣ୍ଣ ବୁଝାଇଲେ ଯେ ଵାସ୍ତଵରେ ଆଲୋକ ଏମିତି ହିଁ ଦେଖାଯିଵ। 
ଗୋଟିଏ ଗୋଟିଏ ଫ୍ରେମ୍ ତିଆରି କରିଵା ପାଇଁ ଶତାଧିକ କମ୍ପ୍ୟୁଟରକୁ ଏକାସାଙ୍ଗରେ କାମ କରିଵାକୁ ପଡ଼ିଲା। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରରେ Gargantua ବ୍ଲାକ୍ ହୋଲ୍‌କୁ ଜୀଵନ୍ତ କରିବା ପାଇଁ ପ୍ରାୟ ୮୦୦ ଟେରାବାଇଟ୍ ଡାଟା ଵ୍ୟଵହୃତ ହୋଇଥିଲା। ଯେତେବେଳେ ଫିଲ୍ମଟି ପରଦାକୁ ଆସିଲା, ଦର୍ଶକମାନେ ଏକ ଅଭୂତପୂର୍ଵ ଦୃଶ୍ୟ ଦେଖିଲେ।
ଏହିପରି ଭାବରେ, ନିର୍ଦ୍ଦେଶକଙ୍କ ଜିଦ୍ ଏବଂ ଜଣେ ଵୈଜ୍ଞାନିକଙ୍କ ଗଣିତ ମିଶି Gargantua ବ୍ଲାକ୍ ହୋଲ୍‌ର ଏକ ଏମିତି ଚିତ୍ର ତିଆରି କଲା ଯାହା ପ୍ରକୃତ ବ୍ଲାକ୍ ହୋଲ୍ ସହିତ ସମାନ ଥିଲା । 

ଶେଷରେ ବ୍ଲାକ୍ ହୋଲ୍ ଇତିହାସର ସବୁଠାରୁ ବଡ଼ ସଫଳତା ୨୦୧୯ ଏପ୍ରିଲ ୧୦ରେ ମିଳିଲା ।
ପୃଥିଵୀର ଵିଭିନ୍ନ ସ୍ଥାନରେ ଥିଵା ୮ଟି ରେଡିଓ ଟେଲିସ୍କୋପ୍‌କୁ ଏକାଠି କରି ଏକ "ପୃଥିଵୀ ଆକାରର" ଭର୍ଚୁଆଲ୍ ଟେଲିସ୍କୋପ୍ ତିଆରି କରାଗଲା।

ଏହି ଟେଲିସ୍କୋପ୍ M87 ଗାଲାକ୍ସିର କେନ୍ଦ୍ରରେ ଥିଵା ବ୍ଲାକ୍ ହୋଲ୍‌ର ପ୍ରଥମ ଐତିହାସିକ ଫଟୋ ଉତ୍ତୋଳନ କଲା। ଏହି ଫଟୋରେ ବ୍ଲାକ୍ ହୋଲ୍ ଚାରିପଟେ ଥିଵା ଆଲୋକର ବଳୟ ଵା Accretion Disk ଏଵଂ ମଝିରେ ଥିଵା କଳା ଅଂଶ ସ୍ପଷ୍ଟ ଦେଖାଗଲା।

ବ୍ରହ୍ମାଣ୍ଡର ରହସ୍ୟମୟ ବ୍ଲାକ୍ ହୋଲ୍ ଜଣେ ପାଦ୍ରୀଙ୍କ ଗାଣିତିକ କଳ୍ପନାରୁ ଆରମ୍ଭ ହୋଇ ଆଜି ଆଧୁନିକ ଵିଜ୍ଞାନର ସବୁଠାରୁ ବଡ଼ ସତ୍ୟ ଭାବେ ପ୍ରମାଣିତ ହୋଇଛି। ଆଇନଷ୍ଟାଇନ, ଶ୍ୱାର୍ଜସ୍କାଲ୍ଡ ଓ ଚନ୍ଦ୍ରଶେଖରଙ୍କ ଭଳି ଵୈଜ୍ଞାନିକଙ୍କ କଠିନ ପରିଶ୍ରମ ଓ ଜିଜ୍ଞାସା ବଳରେ ଆମେ ଏହି ଅଦୃଶ୍ୟ ଶକ୍ତିକୁ ବୁଝିଵାରେ ସଫଳ ହୋଇଛେ। ଶେଷରେ 'ଇଣ୍ଟରଷ୍ଟେଲାର' ଭଳି ସିନେମାର ଦୂରଦୃଷ୍ଟି ଏଵଂ ୨୦୧୯ର ପ୍ରକୃତ ଫଟୋ ମଣିଷର ଅଜ୍ଞେୟକୁ ଜାଣିଵାର ଅଦମ୍ୟ ସାହସକୁ ସାରା ଵିଶ୍ୱ ଆଗରେ ଉନ୍ମୋଚିତ କରିଛି।

Monday, May 11, 2026

La Planète des singes: ସଭ୍ୟତାର ସଂଘର୍ଷ ଓ ଵିଵର୍ତ୍ତନର ଵ୍ୟଙ୍ଗ୍ୟ

Planet of the Apes ଚଳଚ୍ଚିତ୍ର ସହିତ ଅନେକେ ପରିଚିତ ଥିବେ । ଆଜି ପର୍ଯ୍ୟନ୍ତ ମୋଟ ଦଶଗୋଟି ଚଳଚ୍ଚିତ୍ର ଏଵଂ ଏକାଧିକ ଆନିମେସନ୍ ତଥା ସିରିଜ୍ ଏହି ନାମରେ ମୁକ୍ତିଲାଭ କରିଛି । ତେବେ ଏହି Planet of the Apes ଚଳଚ୍ଚିତ୍ରଗୁଡ଼ିକ ଫରାସୀ ଲେଖକ Pierre Boulleଙ୍କ ଫରାସୀ ଭାଷାରେ ଲିଖିତ ଏକ ଉପନ୍ୟାସରୁ ପ୍ରେରିତ । ଏହା ପ୍ରଥମ କରି ୧୯୬୩ ମସିହାରେ ଫରାସୀ ଭାଷାରେ 'La Planète des singes' ନାମରେ ପ୍ରକାଶିତ ହୋଇଥିଲା । ଗ୍ରୀକ୍ simos ତଥା ଲାଟିନ୍ simius ମୂଳର ଫରାସୀ ଶବ୍ଦ singesର ଅର୍ଥ Apes ଵା ଵାନର ଅଟେ । ତେଣୁ ଇଂରାଜୀ ଭାଷାରେ ଅନୁଵାଦ ସମୟରେ Planète des singes ଉପନ୍ୟାସର ନାମ Planet of the Apes ରଖାଗଲା ଏଵଂ ଏହି ନାମରେ ଵିଶ୍ଵଵିଖ୍ୟାତ ହେଲା । 

୧୯୬୩ ମସିହାରେ ହିଁ La Planète des singes ଫରାସୀ ଉପନ୍ୟାସର ପ୍ରଥମ ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା। ଆମେରିକାରେ ଏହା 'Planet of the Apes' ଏଵଂ ବ୍ରିଟେନରେ 'Monkey Planet' ନାମରେ ପ୍ରକାଶିତ ହୋଇଥିଲା। ଏହି ଉପାଖ୍ୟାନଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଵିଶ୍ଵର ଅନେକ ଭାଷାରେ ଏହାର ଅନୁଵାଦ କରାଯାଇଥିଲା ଏଵଂ ୧୯୬୮ ଏହାକୁ ନେଇ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା । ଚଳଚ୍ଚିତ୍ର ନିର୍ମାଣ ହୋଇଯିଵା ପରେ ଵାନରମାନଙ୍କର ମନୁଷ୍ୟ ସମ୍ରାଜ୍ୟ ଉପରେ ଆଧିପତ୍ୟ ଵିଷୟଟି ଏକ ଵିଶ୍ୱସ୍ତରୀୟ 'Pop Culture'ରେ ପରିଣତ କରିଦେଲା।

 'La Planète des singes' ଉପନ୍ୟାସର କାହାଣୀ ମହାକାଶର ଅଥଳ ଶୂନ୍ୟତା ମଧ୍ୟରେ ଆରମ୍ଭ ହୁଏ। ଜେଫ୍ ଓ ଫିଲିସ୍ ଦମ୍ପତି ନିଜର ମହାକାଶ ଯାନରେ ବୁଲୁଥିଵା ସମୟରେ ଏକ କାଚ ବୋତଲ ପାଆନ୍ତି, ଯାହା ଭିତରେ କିଛି କାଗଜ ଗୁଡ଼ା ହୋଇ ରହିଥାଏ। ସେହି କାଗଜରେ ଲେଖାଥିଲା ୟୁଲିସ୍ ମେରୋ (Ulysse Mérou) ନାମକ ଜଣେ ସାମ୍ଵାଦିକଙ୍କର ଆଶ୍ଚର୍ଯ୍ୟଜନକ ଅନୁଭୂତି, ଯିଏ ଵ୍ରହ୍ମାଣ୍ଡର ଏକ ଅଜଣା ଗ୍ରହରେ ମାନଵଜାତିର ପତନ ନିଜ ଆଖିରେ ଦେଖିଥିଲେ।

ସମୟ ପ୍ରାୟ ୨୫୦୦ ମସିହା। ପ୍ରଫେସର ଏନ୍‌ଟେଲ୍‌, ସାମ୍ଵାଦିକ ୟୁଲିସ୍ ଏଵଂ ଜଣେ ଯୁଵକ ଆର୍ଥର ଏକ ଆଧୁନିକ ମହାକାଶ ଯାନରେ ପୃଥିଵୀଠାରୁ ବହୁ ଦୂରରେ ଥିଵା ଆଦ୍ରା ଵା Betelgeuse ନକ୍ଷତ୍ର ମଣ୍ଡଳ ଅଭିମୁଖେ ଯାତ୍ରା କରନ୍ତି। ସେଠାରେ ସେମାନେ ଏକ ଗ୍ରହ ଆଵିଷ୍କାର କରନ୍ତି, ଯାହାର ନାମ ରଖନ୍ତି 'ସୋରୋର' (Soror)। ଦୂରରୁ ଏହି ଗ୍ରହଟି ପୃଥିଵୀ ଭଳି ଅଵିକଳ ସୁନ୍ଦର ଓ ଶାନ୍ତ ଦେଖାଯାଉଥିଲା।

ସେମାନେ ଯେତେବେଳେ ସୋରୋର ଗ୍ରହରେ ଓହ୍ଲାନ୍ତି, ସେମାନେ ଦେଖନ୍ତି ଯେ ସେଠାରେ ମଣିଷ ଅଛନ୍ତି, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବୁଦ୍ଧିହୀନ ଓ ଉଲଗ୍ନ। ସେମାନେ କଥା କହିପାରନ୍ତି ନାହିଁ ଏଵଂ ଜଙ୍ଗଲୀ ପଶୁଙ୍କ ଭଳି ଵ୍ୟଵହାର କରନ୍ତି। ୟୁଲିସ୍ ସେଠାରେ ନୋଭା ନାମକ ଏକ ସୁନ୍ଦରୀ ଯୁଵତୀଙ୍କୁ ଭେଟନ୍ତି।
ଠିକ୍ ସେତିକି ବେଳେ ଶିକାରୀମାନଙ୍କର ଏକ ଦଳ ଆସି ପହଞ୍ଚନ୍ତି। ୟୁଲିସ୍ ଆଶ୍ଚର୍ଯ୍ୟ ହୋଇ ଦେଖନ୍ତି ଯେ ସେହି ଶିକାରୀମାନେ ମଣିଷ ନୁହନ୍ତି ଵରଂ ଵନ୍ଧୁକ ଧରିଥିଵା ଏଵଂ ପୋଷାକ ପିନ୍ଧିଥିଵା ଗରିଲା ଅଟନ୍ତି ! ସେଠାରେ ମଣିଷମାନଙ୍କୁ ପଶୁ ଭଳି ଶିକାର କରାଯାଉଥିଲା। ଏହି ଆକ୍ରମଣରେ ଆର୍ଥରଙ୍କର ମୃତ୍ୟୁ ହୁଏ ଏଵଂ ୟୁଲିସ୍ ବନ୍ଦୀ ହୋଇ ଵାନରମାନଙ୍କ ସହରକୁ ଆସନ୍ତି।

ୟୁଲିସ୍‌ଙ୍କୁ ଏକ ଵୈଜ୍ଞାନିକ ଗଵେଷଣାଗାରରେ ରଖାଯାଏ ଯେଉଁଠି ମଣିଷମାନଙ୍କ ଉପରେ ପରୀକ୍ଷା କରାଯାଉଥିଲା। ଏଠାରେ ଵାନର ସମାଜର ତିନୋଟି ଶ୍ରେଣୀ ଥିଲେ । ଗରିଲାମାନେ ଶାସକ ଓ ସୈନ୍ୟ ଥିଲେ । ଓରାଙ୍ଗୁଟାନମାନେ ପୁରାତନ ଚିନ୍ତାଧାରାର ପଣ୍ଡିତ ଥିଲେ ଏଵଂ ସିମ୍ପାଞ୍ଜିଭାନେ ପ୍ରଗତିଶୀଳ ଵୈଜ୍ଞାନିକ ଥିଲେ ।

ୟୁଲିସ୍ ଜଣେ ସିମ୍ପାଞ୍ଜି ଵୈଜ୍ଞାନିକ ଜିରାଙ୍କୁ ନିଜର ବୁଦ୍ଧିମତା ପ୍ରମାଣ କରି ଦେଖାନ୍ତି। ସେ କାଗଜରେ ଜ୍ୟାମିତିକ ଚିତ୍ର ଆଙ୍କନ୍ତି ଏଵଂ ଗାଣିତିକ ସୂତ୍ର ଲେଖନ୍ତି। ଜିରା ବୁଝିପାରନ୍ତି ଯେ ୟୁଲିସ୍ ଜଣେ ବୁଦ୍ଧିମାନ ପ୍ରାଣୀ। ଜିରା ଆଉ ତାଙ୍କ ପ୍ରେମିକ କର୍ଣ୍ଣେଲିଅସ୍, ୟୁଲିସ୍‌ଙ୍କୁ ସାହାଯ୍ୟ କରିଵାକୁ ଆଗେଇ ଆସନ୍ତି।

ୟୁଲିସ୍ ଵାନରମାନଙ୍କ ଭାଷା ଶିଖନ୍ତି ଏଵଂ ଏକ ସର୍ଵସାଧାରଣ ସଭାରେ କଥା କହି ସମସ୍ତଙ୍କୁ ଚମକାଇ ଦିଅନ୍ତି। କିନ୍ତୁ ଓରାଙ୍ଗୁଟାନ ନେତା ଡକ୍ଟର ଜାୟସ୍ ଏହାକୁ ଵିପଜ୍ଜନକ ବୋଲି ଭାବନ୍ତି। ଜିରା ଓ କର୍ଣ୍ଣେଲିଅସ୍ ୟୁଲିସ୍‌ଙ୍କୁ ନେଇ ଏକ ପୁରାତନ ସ୍ଥଳୀକୁ ଯାଆନ୍ତି, ଯେଉଁଠି ଖନନ ସମୟରେ ମଣିଷମାନଙ୍କର ପୁରାତନ ପୋଷାକ ଓ ଖେଳନା ମିଳିଥାଏ। ଏଥିରୁ ପ୍ରମାଣିତ ହୁଏ ଯେ ହଜାର ହଜାର ଵର୍ଷ ପୂର୍ଵେ ସୋରୋର ଗ୍ରହରେ ମଣିଷମାନେ ଶାସନ କରୁଥିଲେ ଏଵଂ ଵାନରମାନେ ସେମାନଙ୍କର ଦାସ ଥିଲେ। କିନ୍ତୁ ମଣିଷ ନିଜର ଆଳସ୍ୟ ଓ ଵୈଜ୍ଞାନିକ ଭୁଲ୍ ଯୋଗୁଁ ବୁଦ୍ଧି ହରାଇ ଵସିଲେ ଏଵଂ ଵାନରମାନେ ସେମାନଙ୍କ ସ୍ଥାନ ଦଖଲ କରିନେଲେ।

ୟୁଲିସ୍ ସେହି ଗ୍ରହରେ ଅଧିକ ସମୟ ରହିଵା ନିରାପଦ ନୁହେଁ ବୋଲି ଅନୁଭଵ କରନ୍ତି। ସେ ନୋଭା ଏଵଂ ସେମାନଙ୍କର ନଵଜାତ ପୁଅ ସହ ସେହି ମହାକାଶ ଯାନରେ ପୃଥିଵୀକୁ ଫେରିଆସନ୍ତି। ୟୁଲିସ୍ ଆଶା କରିଥିଲେ ଯେ ସେ ନିଜ ପ୍ରିୟ ପୃଥିଵୀରେ ମଣିଷମାନଙ୍କ ଗହଣରେ ଶାନ୍ତିରେ ରହିବେ।

କିନ୍ତୁ ଯେତେବେଳେ ସେମାନଙ୍କର ଯାନ ପ୍ୟାରିସ୍‌ର ଏକ ଵିମାନ ବନ୍ଦରରେ ଓହ୍ଲାଏ, ୟୁଲିସ୍ ଦେଖନ୍ତି ଯେ ଜିପ୍ ଗାଡ଼ି ଚଳାଇ ସେମାନଙ୍କୁ ପାଛୋଟି ନେଵାକୁ ଆସିଥିଵା ଅଫିସର୍ ଜଣକ ମଣିଷ ନୁହେଁ, ଵରଂ ଏକ ଗରିଲା ଅଟେ ! ୟୁଲିସ୍ ବୁଝିପାରନ୍ତି ଯେ ସେ ମହାକାଶରେ ଅତିଵାହିତ କରିଥିଵା ସମୟ ମଧ୍ୟରେ ପୃଥିଵୀରେ ମଧ୍ୟ ହଜାର ହଜାର ଵର୍ଷ ଵିତିଯାଇଛି ଏଵଂ ପୃଥିଵୀରେ ବି ମଣିଷର ଶାସନ ଶେଷ ହୋଇ ଵାନରମାନଙ୍କ ରାଜୁତି ଆରମ୍ଭ ହୋଇସାରିଛି।

କାହାଣୀ ପୁଣି ସେହି ଆରମ୍ଭକୁ ଫେରିଆସେ। ମହାକାଶରେ ଯାତ୍ରା କରୁଥିଵା ଜେଫ୍ ଏଵଂ ଫିଲିସ୍ ଏହି ଚିଠିଟି ପଢ଼ି ହସନ୍ତି। ସେମାନେ ପରସ୍ପରକୁ କୁହନ୍ତି, "କେହି ମଣିଷ କ’ଣ କେବେ ଏତେ ବୁଦ୍ଧିମାନ ହୋଇପାରେ ଯେ ସେ ଏତେ କଥା ଲେଖିପାରିଵ?" ଠିକ୍ ସେତିକି ବେଳେ ପାଠକ ଜାଣେ ଯେ ଜେଫ୍ ଏଵଂ ଫିଲିସ୍ ମଧ୍ୟ ସିମ୍ପାଞ୍ଜି ହିଁ ଥିଲେ ! ଏଠାରେ 'La Planète des singes'ର କାହାଣୀ ଶେଷ ହୋଇଯାଇଛି । 
ପିଏର୍ ବୁଲେ (Pierre Boulle) ଏହି କାଳଜୟୀ ଉପନ୍ୟାସ La Planète des singes' ଲେଖିଵା ପାଇଁ ଅନେକ ଦିଗରୁ ପ୍ରେରିତ ହୋଇଥିଲେ । 

ବୁଲେ ଥରେ ଚିଡ଼ିଆଖାନାରେ ଗରିଲାମାନଙ୍କୁ ଦେଖିଵାକୁ ଯାଇଥିଲେ। ସେଠାରେ ସେ ଲକ୍ଷ୍ୟ କଲେ ଯେ ସେମାନଙ୍କର ମୁଖଭଙ୍ଗୀ ଓ ଆଚରଣ ମଣିଷ ସହ ବହୁତ ସମାନ। ଏହା ଦେଖି ସେ ଚିନ୍ତା କରିଥିଲେ ଯେ, ଯଦି ସମୟ କ୍ରମେ ଵାନର ଵା ଗରିଲାମାନେ ମଣିଷ ପରି ବୁଦ୍ଧିମାନ ହୋଇଯାନ୍ତେ ଏଵଂ ମଣିଷ ସେମାନଙ୍କ ପରି ପଶୁ ପାଲଟି ଯାନ୍ତା, ତେବେ ପୃଥିଵୀ କିପରି ଦେଖାଯାନ୍ତା ?

ସେତେବେଳେ ମଣିଷ ନିଜକୁ ସବୁଠାରୁ ଶ୍ରେଷ୍ଠ ଓ ବୁଦ୍ଧିମାନ ବୋଲି ଭାବୁଥିଲା ଏଵଂ ଜୀଵଵିଜ୍ଞାନ ଦୃଷ୍ଟି ଏହା ସତ୍ୟ ମଧ୍ୟ ଅଟଇ । କିନ୍ତୁ ବୁଲେ ଏହି ଧାରଣାକୁ ଚ୍ୟାଲେଞ୍ଜ କରିଵାକୁ ଚାହୁଁଥିଲେ। ସେ ଦର୍ଶାଇଵାକୁ ଚାହୁଁଥିଲେ ଯେ ସଭ୍ୟତା ଓ ବୁଦ୍ଧି ସ୍ଥାୟୀ ନୁହେଁ; ଯଦି ମଣିଷ ନିଜର ବୁଦ୍ଧି ହରାଇ ଵସେ, ତେବେ ଵାନର ପରି ଅନ୍ୟ କୌଣସି ଜାତି ସ୍ଥାନ ଦଖଲ କରିପାରନ୍ତି।

ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟରେ ବୁଲେ ଜଣେ ଯୁଦ୍ଧବନ୍ଦୀ ଭାବରେ ସମୟ ବିତାଇଥିଲେ। ସେହି ସମୟରେ ସେ ମଣିଷର କ୍ରୂରତା ଓ ସାମାଜିକ ଶୃଙ୍ଖଳାକୁ ନିକଟରୁ ଦେଖିଥିଲେ। ଏହି ଅଭିଜ୍ଞତା ତାଙ୍କୁ ସମାଜର ଢାଞ୍ଚା ଏଵଂ "କିଏ କାହାକୁ ଶାସନ କରେ" ସେହି ଵିଷୟରେ ଲେଖିଵାକୁ ଖୋରାକ ଯୋଗାଇଥିଲା।

ସେ ଏହି ଵହିଟିକୁ କୌଣସି ଗମ୍ଭୀର ଵିଜ୍ଞାନ ଭିତ୍ତିକ ଗଳ୍ପ (Science Fiction) ଅପେକ୍ଷା ଏକ 'ସାମାଜିକ ଵ୍ୟଙ୍ଗ' ଵା Social Satire ଭାଵରେ ଲେଖିଵାକୁ ଅଧିକ ପସନ୍ଦ କରିଥିଲେ।

ପିଏର୍ ବୁଲେ ଯଦିଓ ଏହାକୁ ଏକ କଳ୍ପନାପ୍ରସୂତ ଗଳ୍ପ ବୋଲି କହିଥିଲେ, କିନ୍ତୁ ଅନେକ ଵିଦ୍ୱାନ ଏହାକୁ ସେହି ସମୟର ଉପନିବେଶଵାଦ ଓ ଜାତିଭେଦ ସହ ଯୋଡ଼ି ଦେଖନ୍ତି।

ପିଏର୍ ବୁଲେ ଦ୍ୱିତୀୟ ଵିଶ୍ୱଯୁଦ୍ଧ ସମୟରେ ଦକ୍ଷିଣ-ପୂର୍ଵ ଏସିଆରେ ରବର ବଗିଚାରେ କାମ କରୁଥିଲେ। ସେଠାରେ ସେ ୟୁରୋପୀୟ ଗୋରା ମାଲିକ ଆଉ ଏସୀୟ ଶ୍ରମିକମାନଙ୍କ ମଧ୍ୟରେ ଥିଵା ପ୍ରଭେଦକୁ ନିକଟରୁ ଦେଖିଥିଲେ। ଯେତେବେଳେ ଜାପାନୀମାନେ ସେହି ଅଞ୍ଚଳ ଦଖଲ କଲେ, ସେତେବେଳେ ଗୋରାଲୋକମାନେ ବନ୍ଦୀ ହୋଇଗଲେ। ଏହି ଘଟଣା ବୁଲେଙ୍କୁ ବୁଝାଇଥିଲା ଯେ "ଶାସକ" ଓ "ଶାସିତ" ମଧ୍ୟରେ ଥିଵା ପରିଧି କେତେ ଦୁର୍ଵଳ । ଯେକୌଣସି ମୁହୂର୍ତ୍ତରେ ଦୁର୍ଵଳ ଅଶିକ୍ଷିତ ମନେ କରାଯାଉଥିଵା ଶାସିତ ଶ୍ରେଣୀ ଶାସକ ସାଜିପାରନ୍ତି।

ଉପନ୍ୟାସରେ ଵାନରମାନେ ମଣିଷମାନଙ୍କୁ ପଶୁ ଭଳି ଵ୍ୟଵହାର କରିଵା, ସେମାନଙ୍କ ଉପରେ ଵୈଜ୍ଞାନିକ ପରୀକ୍ଷା କରିଵା ଏଵଂ ସେମାନଙ୍କୁ ଶିକୁଳିରେ ଵାନ୍ଧି ରଖିଵା ପ୍ରସଙ୍ଗ ରହିଛି। ସମାଲୋଚକମାନଙ୍କ ମତରେ ଏହା ଆଫ୍ରିକୀୟ ଦାସ ପ୍ରଥାର ଏକ ପ୍ରତିଫଳନ ସଦୃଶ। ଯେଉଁ ଗୋରା ଲୋକମାନେ ନିଜକୁ ସଭ୍ୟ ଏଵଂ ଅନ୍ୟ ଏସୀୟ ଓ ଆଫ୍ରିକୀୟ ଜାତିର ଲୋକଙ୍କୁ ନିମ୍ନ ସ୍ତରର ବୋଲି ଭାବୁଥିଲେ ଦ୍ଵିତୀୟ ଵିଶ୍ଵଯୁଦ୍ଧ ପରେ ସେସବୁ ଲୋକେ ସ୍ଵାଧୀନ ହେଲେ ଏଵଂ ନିଜର ସ୍ଵତନ୍ତ୍ର ସତ୍ତା ପ୍ରକାଶ କଲେ । ୧୯୪୫ ପରେ ଏସିଆ ଓ ଆଫ୍ରିକାକୁ ମିଶାଇ ୮୦ରୁ ଅଧିକ ନୂଆ ସ୍ୱାଧୀନ ରାଷ୍ଟ୍ର ଗଠିତ ହୋଇଥିଲେ । ଏହି ନୂତନ ଭାବେ ସ୍ଵାଧୀନତା ପାଇଥିଵା ଦେଶଗୁଡ଼ିକ ଶୀତଯୁଦ୍ଧ ସମୟରେ କୌଣସି ପକ୍ଷରେ ନରହି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରି ତୃତୀୟ ଵିଶ୍ଵ(NAM)ର ଗଠନ କଲେ । ୧୯୫୫ରେ ଇଣ୍ଡୋନେସିଆର ବାନ୍ଦୁଙ୍ଗଠାରେ ବାନ୍ଦୁଙ୍ଗ୍ ସମ୍ମିଳନୀରେ ପ୍ରଥମ ଥର ପାଇଁ ୨୯ଟି ଏସୀୟ ଓ ଆଫ୍ରିକୀୟ ଦେଶ ଏକାଠି ହୋଇଥିଲେ। ଏହା ଇତିହାସରେ ଏମିତି ଏକ ଘଟଣା ଥିଲା ଯେଉଁଠି କୌଣସି ଗୋରା ଵା ପାଶ୍ଚାତ୍ୟ ଦେଶର ନିମନ୍ତ୍ରଣ ନଥିଲା। ସେମାନେ ସାମ୍ରାଜ୍ୟଵାଦ ଓ ଵର୍ଣ୍ଣଵୈଷମ୍ୟ ଵିରୋଧରେ ଏକଜୁଟ ହୋଇଥିଲେ, ଯାହା ପାଶ୍ଚାତ୍ୟ ଜଗତ କେବେ କଳ୍ପନା କରିନଥିଲା। 
୧୯୫୬ରେ ମିଶରର ରାଷ୍ଟ୍ରପତି ନାସିର ଯେତେବେଳେ ସୁଏଜ୍ କେନାଲ୍‌ର ଜାତୀୟକରଣ କଲେ, ସେତେବେଳେ ବ୍ରିଟେନ ଓ ଫ୍ରାନ୍ସ ଆକ୍ରମଣ କରିଥିଲେ ମଧ୍ୟ ସେମାନଙ୍କୁ ପଛକୁ ହଟିଵାକୁ ପଡ଼ିଥିଲା। ଏହା ପ୍ରମାଣ କରିଥିଲା ଯେ ଏସିଆ-ଆଫ୍ରିକାର ଦେଶଗୁଡ଼ିକ ନିଜର ପ୍ରାକୃତିକ ସମ୍ପଦ ଉପରେ ନିଜେ ଅଧିକାର ସାଵ୍ୟସ୍ତ କରିଵାକୁ ସକ୍ଷମ। ଶହ ଶହ ଵର୍ଷର ପରାଧୀନତା ପରେ ଏସୀୟ ଓ ଆଫ୍ରିକୀୟ ଦେଶଗୁଡ଼ିକ ନିଜର ହଜିଯାଇଥିଵା ସଂସ୍କୃତି, ଭାଷା ଓ ଇତିହାସକୁ ପୁଣି ଜୀଵନ୍ତ କରିଥିଲେ। ପାଶ୍ଚାତ୍ୟ ଦେଶଗୁଡ଼ିକର ଜନତା ଭାବୁଥିଲେ ଯେ ସେମାନଙ୍କ ଵିନା ଏହି ଦେଶଗୁଡ଼ିକର ଶିକ୍ଷା ଓ ଶାସନ ଵ୍ୟଵସ୍ଥା ଭୁଶୁଡ଼ି ପଡ଼ିଵ, କିନ୍ତୁ ଏହି ଦେଶଗୁଡ଼ିକ ନିଜର ସ୍ୱଦେଶୀ ଜ୍ଞାନକୌଶଳ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବଳରେ ନିଜର ସ୍ଵତନ୍ତ୍ର ଅସ୍ତିତ୍ବକୁ ଆଉଥରେ ଗଢ଼ି ତୋଳିଥିଲେ। ଭାରତ, ଦକ୍ଷିଣ କୋରିଆ, ଚୀନ ଓ ଜାପାନ ଭଳି ଦେଶରେ ବଡ଼ ବଡ଼ ପ୍ରକଳ୍ପମାନ ନିର୍ମାଣ କରାଗଲା ‌। ଭାରତରେ ଭାକ୍ରା-ନାଙ୍ଗଲ ପ୍ରକଳ୍ପ, ହିରାକୁଦ ଜଳଭଣ୍ଡାର ହେଲା । ୧୯୫୬ରେ ଭାରତ ନିଜସ୍ୱ ଜ୍ଞାନକୌଶଳରେ ଏସିଆର ପ୍ରଥମ ପରମାଣୁ ରିଆକ୍ଟର ତିଆରି କଲା। ୧୯୬୦ ଦଶକରେ ଚୀନ ଏକ ଅତି କଷ୍ଟସାଧ୍ୟ ନିର୍ମାଣ କାର୍ଯ୍ୟ Red Flag Canal ନିର୍ମାଣ କରିଥିଲା, ଯାହାକୁ 'ପୃଥିଵୀର ଅଷ୍ଟମ ଆଶ୍ଚର୍ଯ୍ୟ' କୁହାଯାଏ। କୌଣସି ଆଧୁନିକ ମେସିନ୍ ନଥାଇ କେଵଳ ପାରମ୍ପରିକ ହାତହତିଆର ସାହାଯ୍ୟରେ ହଜାର ହଜାର ଶ୍ରମିକ ଦୁର୍ଗମ ତାଇହାଙ୍ଗ ପର୍ଵତ କାଟି ୧୫୦୦ କିଲୋମିଟର ଲମ୍ବା କେନାଲ୍ ତିଆରି କରିଥିଲେ। ପାଶ୍ଚାତ୍ୟ ଇଞ୍ଜିନିୟରମାନେ ଭାବୁଥିଲେ ଏହି କାମ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଦରକାର, କିନ୍ତୁ ଚୀନର ସାଧାରଣ ଜନତା ନିଜ ଶ୍ରମବଳରେ ଏହା କରି ଦେଖାଇଲେ। ୧୯୬୦ ଦଶକ ଆରମ୍ଭରୁ ଦକ୍ଷିଣ କୋରିଆର ଲୋକମାନେ Gyeongbu Expressway ପରି ଵିଶାଳ ହାଇୱେ ଓ ଵୃହତ୍ ଇସ୍ପାତ କାରଖାନା (POSCO) ଛିଡ଼ା କଲେ। ଯେଉଁ ଦେଶକୁ ପାଶ୍ଚାତ୍ୟ ଦେଶମାନେ "ଏକ ଶହ ଵର୍ଷ ପର୍ଯ୍ୟନ୍ତ ଗରିବ ଦେଶ ରହିଵ" ବୋଲି ଭଵିଷ୍ୟଵାଣୀ କରିଥିଲେ, ସେହି ଦେଶ ମାତ୍ର ଦୁଇ ଦଶନ୍ଧି ମଧ୍ୟରେ ଏକ ଶିଳ୍ପ ସମ୍ରାଟ ଭାବେ ଉଭା ହେଲା। ଜାପାନରେ ୧୮୪୫ର ପରାଜୟ ପରେ ଦୃତଗତିରେ ଵୈଷୟିକ କ୍ଷେତ୍ରରେ ପ୍ରଗତି ହେଲା । ସେହି ସମୟରେ ଜାପାନ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଆରମ୍ଭ କରିଥିଲା । ଭାରତ ଓ ଚୀନ ଭଳି ଦେଶ ପରମାଣୁ ଶକ୍ତି ସମ୍ପନ୍ନ ହେଵାକୁ ଚେଷ୍ଟା ଆରମ୍ଭ କରିଥିଲେ । ହୋମି ଜାହାଙ୍ଗୀର ଭାବାଙ୍କ ଭଳି ଵୈଜ୍ଞାନିକ ଭାରତ ତଥା ଅନ୍ୟାନ୍ୟ ଏସୀୟ ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଦେଖାଦେଲେ । ଏସବୁ ଘଟଣାଗୁଡ଼ିକୁ ଦେଖି ପାଶ୍ଚାତ୍ୟ ଦେଶଗୁଡ଼ିକର ଲୋକମାନଙ୍କର ଚିନ୍ତା ବଢ଼ିଥିଲା । ଫରାସୀ ଲେଖକ ପିଏର୍ ବୁଲେ ମଧ୍ୟ ଏସବୁ ଘଟଣାଗୁଡ଼ିକୁ ଦେଖି ଶକ୍ତିକେନ୍ଦ୍ରର ପରିଵର୍ତ୍ତନ କେମିତି ପଶ୍ଚିମରୁ ପୂର୍ଵ ଆଡ଼କୁ ଗତି କରିପାରେ ତାହାର ଆଶଙ୍କା କରିଥିବେ ଯାହା ତାଙ୍କର ଉପନ୍ୟାସ Planète des singes'ରେ ପ୍ରତିଫଳିତ ହୋଇଛି ବୋଲି ସମାଲୋଚକମାନେ ଅନୁମାନ କରନ୍ତି । କିଛି ସମାଲୋଚକ ତ କୁହନ୍ତି ଯେ ପିଏର୍ ବୁଲେ ବହୁତ ସମ୍ଭଵ ମନୁଷ୍ୟମାନଙ୍କୁ ଗୋରାଲୋକ ଏଵଂ ଵାନରମାନଙ୍କୁ ଆନ ଜାତୀୟ ଲୋକଙ୍କ ମଧ୍ୟରେ ଵର୍ଗୀକରଣ କରି ଲେଖିଥିଲେ । 
କାରଣ ସେହି ସମୟରେ ଗୋରା ଲୋକଙ୍କ ମନରେ ଏକ ପ୍ରକାର ଭୟ ଥିଲା ଯେ, ଯେଉଁମାନଙ୍କୁ ସେମାନେ ଶତାଧିକ ଵର୍ଷଧରି ଦମନ କରି ରଖିଥିଲେ, ସେମାନେ ଦିନେ ସଶକ୍ତ ହୋଇ ୟୁରୋପୀୟମାନଙ୍କୁ ସେମାନଙ୍କ ସ୍ଥାନରୁ ହଟାଇ ଦେବେ। କିଛି ଲୋକ ଭାଵନ୍ତି ଯେ ବୁଲେ ଏହି ଵହି ମାଧ୍ୟମରେ ସତର୍କ କରାଇଥିଲେ ଯେ, ଯେଉଁମାନଙ୍କୁ "ପଛୁଆ" ବୋଲି ଭାଵାଯାଉଛି, ସେମାନେ ଶେଷରେ ଶକ୍ତିଶାଳୀ ହୋଇ ଉଭା ହେବେ।

ପୁଣି Planète des singes' ଉପନ୍ୟାସରେ ଵାନରମାନଙ୍କ ମଧ୍ୟରେ ମଧ୍ୟ ଏକ ଭେଦଭାଵ ଥିଲା । ସେଥିରେ ଗରିଲାମାନେ ଶାସକ ଓ ସେନା, ଓରାଙ୍ଗୁଟାନମାନେ ନେତା ଓ ପଣ୍ଡିତ ଏଵଂ ଚିମ୍ପାଞ୍ଜିମାନେ ଵୈଜ୍ଞାନିକ ଥିଲେ। ଏହା ମଣିଷ ସମାଜରେ ଥିଵା ଜାତି ଏଵଂ ଵର୍ଣ୍ଣ ପ୍ରଥାର ଏକ କଠୋର ଵ୍ୟଙ୍ଗ ଚିତ୍ର ଥିଲା। ସମାଲୋଚକମାନଙ୍କ ମତରେ, ଏହି ଉପନ୍ୟାସଟି କେଵଳ ମାଙ୍କଡ଼ ଵନାମ ମଣିଷର ଲଢ଼େଇ ନୁହେଁ ଵରଂ ଏହା "ସଭ୍ୟ ଗୋରା ସମାଜ" ର ଅହଂକାର ଉପରେ ଏକ ପ୍ରହାର ଥିଲା। ଏହା ସେହି ସମୟର ପରାଧୀନ ଜାତିଗୁଡ଼ିକର ଵିଦ୍ରୋହ ତଥା ଶକ୍ତି ପ୍ରଦର୍ଶନକୁ ଏକ ରୂପକ ଵା Metaphor ଭାଵରେ ଉପସ୍ଥାପନ କରିଥିଲା।

ତେବେ ପିଏର୍ ବୁଲେଙ୍କ ଏହି Planète des singes' ଉପନ୍ୟାସକୁ ନେଇ କେଵଳ ସାମାଜିକ ଵା ରାଜନୈତିକ ନୁହେଁ, ଵରଂ ଦାର୍ଶନିକ ଏଵଂ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଅନେକ ରୋଚକ ଅନୁମାନ କରାଯାଏ। 

ଏହି ଉପନ୍ୟାସରେ ମୁଖ୍ୟ ପ୍ରଶ୍ନ ହେଉଛି—କେଵଳ ଦେଖିଵାକୁ ମଣିଷ ଭଳି ହେଲେ କ’ଣ ଜଣେ 'ମଣିଷ' ହୋଇଯାଏ?

ଅନେକ ସମାଲୋଚକ ମାନନ୍ତି ଯେ, ବୁଲେ ଦର୍ଶାଇଵାକୁ ଚାହୁଁଥିଲେ ଯେ ଯଦି ମଣିଷ ନିଜର ବୁଦ୍ଧି, ସଂସ୍କୃତି ଓ ଭାଷା ହରାଇ ବସେ, ତେବେ ସେ ପଶୁଠାରୁ ଭିନ୍ନ ନୁହେଁ। ଅର୍ଥାତ୍, "ମାନଵିକତା" ଏକ ଶାରୀରିକ ଗୁଣ ନୁହେଁ ଵରଂ ଏକ ଵୈଦ୍ଧିକ ଅଵସ୍ଥା ଅଟେ ।

ଏହି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁମାନ ରହିଛି ଯେ ସଭ୍ୟତା ଏକ ଚକ୍ର ଭଳି ଘୁରେ । ମଣିଷ ଯେତେବେଳେ ନିଜର ଶୀର୍ଷରେ ପହଞ୍ଚେ, ସେତେବେଳେ ସେ ନିଜର ଅହଂକାର କିମ୍ଵା ଵୈଜ୍ଞାନିକ ଭୁଲ୍ ଯୋଗୁଁ ନିଜର ପତନ ଘଟାଏ। ଏହାପରେ ଵାନର ଭଳି କୌଣସି ଆନ ଜାତି ଶାସନକୁ ଆସେ। ଏହା ଏକ ପ୍ରକାରର "ନୈରାଶ୍ୟଵାଦୀ ଦର୍ଶନ" ଯେ ମଣିଷ ନିଜର ଧ୍ୱଂସ ପାଇଁ ନିଜେ ଦାୟୀ।

Planète des singes' ଉପନ୍ୟାସରେ ଲେଖକ ପିଏର୍ ବୁଲେ ଡାର୍ଉଇନ୍‌ଙ୍କ ଵିଵର୍ତ୍ତନଵାଦର ଓଲଟା ଚିତ୍ର ପ୍ରଦାନ କରିଛନ୍ତି ‌ଯାହାକୁ ଵୈଜ୍ଞାନିକ ଭାଷାରେ Reverse Evolution କୁହାଯାଏ। ସାଧାରଣତଃ ଆମେ ଭାବୁ ଯେ ଵିଵର୍ତ୍ତନ ସବୁବେଳେ ଉନ୍ନତି ଆଡ଼କୁ ଗତି କରେ। କିନ୍ତୁ ଏହି ଉପନ୍ୟାସ ଏକ ଭିନ୍ନ ଅନୁମାନ ପ୍ରଦାନ କରେ। ପିଏର୍ ବୁଲେ ଦର୍ଶାଇଛନ୍ତି ଯେ ଵିଵର୍ତ୍ତନ ଓଲଟା ମଧ୍ୟ ହୋଇପାରେ। ଯଦି ମଣିଷ ଅତିମାତ୍ରାରେ ମେସିନ୍ ଵା ଯନ୍ତ୍ର ଉପରେ ନିର୍ଭରଶୀଳ ହୋଇଯାଏ ଏଵଂ ନିଜର ମସ୍ତିଷ୍କ ଚଳାଇଵା ଵନ୍ଦ କରିଦିଏ, ତେବେ ସେ ପୁଣିଥରେ ଵାନର ସ୍ତରକୁ ଖସି ଆସିପାରେ। ଏହାକୁ 'De-evolution' ବୋଲି ମଧ୍ୟ କୁହାଯାଏ।

ମନୁଷ୍ୟର ଵୈଜ୍ଞାନିକ ଅହଂକାର ଵିପକ୍ଷରେ ଚେତାଵନୀ ଦେଇ Planète des singes' ଉପନ୍ୟାସରେ ପିଏର୍ ବୁଲେ ଏକ ସମାନ୍ତରାଳ ଚିତ୍ର ପ୍ରଦାନ କରିଛନ୍ତି । ଵାନରମାନେ ମଣିଷମାନଙ୍କ ଉପରେ ଯେଉଁଭଳି ନିର୍ମମ ଵୈଜ୍ଞାନିକ ପରୀକ୍ଷା କରନ୍ତି, ତାହା ପ୍ରକୃତରେ ମଣିଷମାନେ ପଶୁମାନଙ୍କ ଉପରେ କରୁଥିଵା ଅତ୍ୟାଚାରର ଏକ ପ୍ରତିଛଵି। ଏହା ଅନୁମାନ କରାଯାଏ ଯେ ଲେଖକ ଵୈଜ୍ଞାନିକ ପ୍ରଗତି ନାମରେ କରାଯାଉଥିଵା ଅନୈତିକ କାର୍ଯ୍ୟକୁ ଉପନ୍ୟାସର କାହାଣୀ ମାଧ୍ୟମରେ ସମାଲୋଚନା କରିଥିଲେ।

Planète des singes' ଉପନ୍ୟାସରେ ଯେତେବେଳେ ନାୟକ କଥା କହିଵାକୁ ଚେଷ୍ଟା କରେ, ଵାନରମାନେ ଆଶ୍ଚର୍ଯ୍ୟ ହୁଅନ୍ତି। ସମାଲୋଚକମାନଙ୍କ ମତରେ, ବୁଲେ ଏଠାରେ ଅନୁମାନ କରିଛନ୍ତି ଯେ ଭାଷା ହିଁ ଶକ୍ତିର ମୂଳ ଆଧାର। ଯେଉଁ ଜାତି ପାଖରେ ଭାଷା ଓ ଯୁକ୍ତି କରିଵାର ଶକ୍ତି ଅଛି, ସେ ହିଁ ଦୁନିଆ ଶାସନ କରିଵ।

ପିଏର୍ ବୁଲେଙ୍କ ମୂଳ ଉପନ୍ୟାସର ଶେଷ ଭାଗଟି ହଲିଉଡ୍ ସିନେମାଠାରୁ ସମ୍ପୂର୍ଣ୍ଣ ଅଲଗା ଏଵଂ ଅଧିକ ଭୟଙ୍କର ଥିଲା, ଯାହା ମଣିଷ ଜାତିର ସମ୍ପୂର୍ଣ୍ଣ ପତନକୁ ଅଧିକ ସ୍ପଷ୍ଟ ଭାଵରେ ଦର୍ଶାଇଥିଲା। ଅନେକ ଅନୁମାନ କରନ୍ତି ଯେ ବୁଲେ ସେତେବେଳର "ଶୀତ ଯୁଦ୍ଧ" ଓ ପରମାଣୁ ବୋମାର ଵିପଦକୁ ନେଇ ମଧ୍ୟ ଚିନ୍ତିତ ଥିଲେ।

କିନ୍ତୁ ପିଏର୍ ବୁଲେଙ୍କ Planète des singes' ଏକ କଳ୍ପନାପ୍ରସୂତ ଉପନ୍ୟାସ (Science Fiction) ହୋଇଥିଵାରୁ, ଏଥିରେ ଥିଵା ଅନେକ ଧାରଣାକୁ ଆଧୁନିକ ଵିଜ୍ଞାନର ତଥ୍ୟ ସହିତ ସମାଲୋଚକମାନେ ଯୁକ୍ତିଦ୍ଵାରା ଖଣ୍ଡନ ମଧ୍ୟ କରିଛନ୍ତି।

ଉପନ୍ୟାସରେ କୁହାଯାଇଛି ଯେ କିଛି ହଜାର ଵର୍ଷ ମଧ୍ୟରେ ଵାନରମାନେ ମଣିଷ ପରି ବୁଦ୍ଧିମାନ ହୋଇଗଲେ ଏଵଂ ମଣିଷ ପଶୁ ପାଲଟିଗଲା। ମାତ୍ର ଏହା ହେଵା ଆଦୌ ସହଜ ନୁହେଁ ଵରଂ ବହୁତ କଷ୍ଟକର। ଵିଵର୍ତ୍ତନ ଏକ ଅତି ଧୀର ପ୍ରକ୍ରିୟା। ମଣିଷର ମସ୍ତିଷ୍କ ଏହି ସ୍ତରକୁ ଆସିଵା ପାଇଁ ଲକ୍ଷ ଲକ୍ଷ ଵର୍ଷ ଲାଗିଥିଲା। ପ୍ରାକୃତିକ ଚୟନ ଵାଷNatural Selection ମାଧ୍ୟମରେ କୌଣସି ଜୀଵଜାତିର ଶାରୀରିକ ଓ ମାନସିକ ଗଠନ ଏତେ ଶୀଘ୍ର ବଦଳିଵା ଅସମ୍ଭଵ।

ଉପନ୍ୟାସରେ ଵର୍ଣ୍ଣିତ ହୋଇଛି ଯେ ଵାନରମାନେ ମଣିଷ ଭଳି ସ୍ପଷ୍ଟ ଭାବେ କଥା କହିପାରୁଛନ୍ତି। ମାତ୍ର ଵୈଜ୍ଞାନିକମାନଙ୍କ ମତରେ, ଵାନରମାନଙ୍କର ସ୍ୱରତନ୍ତ୍ର ଵା Larynx ଏଵଂ ମୁଖ ଗହ୍ଵରର ଗଠନ ମଣିଷ ଭଳି ଜଟିଳ ଶବ୍ଦ ଉଚ୍ଚାରଣ କରିଵା ପାଇଁ ଉପଯୁକ୍ତ ନୁହେଁ। ସେମାନେ ସାଙ୍କେତିକ ଭାଷା ଶିଖିପାରନ୍ତି, କିନ୍ତୁ ମଣିଷ ଭଳି ଵ୍ୟାକରଣ ସହ କଥା କହିଵା ପାଇଁ ସେମାନଙ୍କ ପାଖରେ ଶାରୀରିକ କ୍ଷମତା ନାହିଁ। ମଣିଷ ଭଳି କଥା କହିଵା ପାଇଁ ତଥା ମଣିଷ ସଦୃଶ ବୁଦ୍ଧିମତା ଲାଭ କରିଵା ପାଇଁ ଵାନରମାନଙ୍କୁ ଲକ୍ଷ ଲକ୍ଷ ଵର୍ଷର ଵିଵର୍ତ୍ତନ ପ୍ରକ୍ରିୟା ଦେଇ ଗତି କରିଵାକୁ ହେଵ । ହଜାର ଦି ହଜାର କିମ୍ବା ପାଞ୍ଚ ହଜାର ଵର୍ଷ ମଧ୍ୟରେ ଵାନରମାନେ ଵିଵର୍ତ୍ତିତ ହୋଇ ମଣିଷ ଭଳି କଥା କହିଵା ଯୋଗ୍ୟ ହେଵା ଵିଵର୍ତ୍ତନଵାଦ ଦୃଷ୍ଟି ଅସମ୍ଭଵ ।‌

ଲେଖକ ଉପନ୍ୟାସରେ ଦର୍ଶାଇଛନ୍ତି ଯେ ମଣିଷ ପୁଣିଥରେ ଵାନର ପରି ବୁଦ୍ଧିହୀନ ପଶୁ ପାଲଟିଗଲା।
ଵିଜ୍ଞାନରେ 'Dollo's Law of Irreversibility' ଅନୁଯାୟୀ, ଵିଵର୍ତ୍ତନ କେବେ ଓଲଟା ଦିଗରେ ଗତି କରେ ନାହିଁ। ଯଦି ଗୋଟିଏ ଜାତି 'ବଡ଼ ମସ୍ତିଷ୍କ' ତଥା କଥା କରିପାରିଵା ଯୋଗ୍ୟ ଉନ୍ନତ ସ୍ଵରଯନ୍ତ୍ର ଭଳି ଜଟିଳ ଅଙ୍ଗ ଵିକଶିତ କରିସାରିଛି, ତେବେ ତାହା ହଠାତ୍ ପୂର୍ଵ ସ୍ଥିତିକୁ ଫେରିଯାଏ ନାହିଁ।

The Great Filter ସିଦ୍ଧାନ୍ତ ଅନୁସାରେ ଆତ୍ମ-ଵିନାଶକାରୀ ଵୈଷୟିକ ଜ୍ଞାନ,ପରିଵେଶ ଓ ସମ୍ବଳ କ୍ଷୟ,ମହାକାଶୀୟ ଵିପତ୍ତି କିମ୍ବା ଵୈଶ୍ଵିକ ମହାମାରୀ ଯୋଗୁଁ ମାନଵୀୟ ସଭ୍ୟତାର ପତନ ହୋଇପାରେ, କିନ୍ତୁ ମଣିଷମାନେ ଜୈଵିକ ଭାବେ ପୁଣି ପଶୁ ହେଵା ସମ୍ଭଵ ନୁହେଁ। ମଣିଷ ଜାତି ଵିଭିନ୍ନ ଵିପତ୍ତିକୁ ଜୟ କରି ହିଁ ଵିଶ୍ଵ ଵିଜେତା ହୋଇଅଛି ତେଣୁ ବହୁତ ସମ୍ଭଵ ଏସବୁ ଵିପତ୍ତିକୁ ଜୟ କରି ବି ମଣିଷ ଜାତି ନିଜର ଅସ୍ତିତ୍ୱ ବଞ୍ଚାଇ ପାରେ । 

ସେହିପରି ଵାନରଙ୍କ ମସ୍ତିଷ୍କର ଆକାର ମଣିଷ ତୁଳନାରେ ଛୋଟ। କେତେକ ପ୍ରାକୃତିକ କାରଣରୁ ଵାନରମାନଙ୍କର ମସ୍ତିଷ୍କ ବଡ଼ ହୋଇଗଲା ତେଣୁ ସେମାନେ ବୁଦ୍ଧିମାନ ହୋଇଗଲେ ବୋଲି ଲେଖକ ପରୋକ୍ଷରେ କହିଛନ୍ତି । ହେଲେ କେଵଳ ମସ୍ତିଷ୍କ ବଡ଼ ହେଲେ ବୁଦ୍ଧି ବଢ଼େ ନାହିଁ ଵରଂ 'Prefrontal Cortex'ରେ ଥିଵା ନ୍ୟୁରୋନଗୁଡ଼ିକର ସଂଯୋଗ ଗୁରୁତ୍ୱପୂର୍ଣ୍ଣ। ଵାନରମାନଙ୍କ ମସ୍ତିଷ୍କରେ ମଣିଷ ଭଳି ଜଟିଳ ସାମାଜିକ ସଂରଚନା ଓ ଟେକ୍ନୋଲୋଜି ତିଆରି କରିଵାର କ୍ଷମତା ପାଇଁ ଆଵଶ୍ୟକୀୟ ନ୍ୟୁରୋନ ଘନତ୍ୱ ନାହିଁ। ଏସବୁ ଵିକଶିତ କରିଵା ପାଇଁ ବି ଵାନରଙ୍କୁ ଆହୁରି ଲକ୍ଷାଧିକ ଵର୍ଷର ଵିଵର୍ତ୍ତନ ପ୍ରକ୍ରିୟା ଦେଇ ଗତି କରିଵାକୁ ପଡ଼ିଵ । 

ଅନେକ ସମାଲୋଚକ ଯୁକ୍ତି କରନ୍ତି ଯେ ବୁଲେଙ୍କ Planète des singes ଉପନ୍ୟାସରେ ଵର୍ଣ୍ଣିତ ଵାନର ସମାଜ ମଧ୍ୟ ସମ୍ପୂର୍ଣ୍ଣ ରୂପେ "ୟୁରୋପୀୟ ସମାଜ" ଭଳି ଅଟେ। ମାନେ ମଣିଷ ଭଳି ପୋଷାକ ପିନ୍ଧୁଛନ୍ତି, କୋର୍ଟ କଚେରୀ କରୁଛନ୍ତି। ଵିଜ୍ଞାନ କହେ, ଯଦି ଅନ୍ୟ କୌଣସି ଭିନ୍ନ ଜାତି ବୁଦ୍ଧିମାନ ହୁଅନ୍ତି, ତେବେ ସେମାନଙ୍କ ସଭ୍ୟତା ସମ୍ପୂର୍ଣ୍ଣ ଭିନ୍ନ ହେଵ। ସେମାନେ କାହିଁକି ମଣିଷର ନକଲ କରିବେ? ଏହା ଲେଖକଙ୍କର ଏକ ମାନଵୀୟ କଳ୍ପନା ଥିଲା, ଯାହା ପ୍ରାକୃତିକ ସତ୍ୟ ନୁହେଁ। ଉପନ୍ୟାସରେ ଵାନରମାନେ ମଣିଷ ଭଳି ଵନ୍ଧୁକ, କ୍ୟାମେରା ଏଵଂ ଗାଡ଼ି ଵ୍ୟଵହାର କରୁଛନ୍ତି। ମଣିଷ ପାଖରେ ଥିଵା 'Opposable Thumbs' (ବୁଢ଼ା ଆଙ୍ଗୁଠି ଯାହା ଅନ୍ୟ ଆଙ୍ଗୁଠିକୁ ଛୁଇଁପାରେ) ଏଵଂ ସୂକ୍ଷ୍ମ କାମ କରିଵାର କ୍ଷମତା ଵାନରଙ୍କ ପାଖରେ ସେତେଟା ଵିକଶିତ ନୁହେଁ। ସେମାନଙ୍କ ହାତର ଗଠନ ଯୋଗୁଁ ସେମାନେ ଜଟିଳ ମେସିନ୍ ଵା ସୂକ୍ଷ୍ମ ଯନ୍ତ୍ରପାତି ତିଆରି କରିଵା କିମ୍ଵା ଵ୍ୟଵହାର କରିଵା ଅତ୍ୟନ୍ତ କଷ୍ଟକର। ଏଥିପାଇଁ ମଧ୍ୟ ଵାନରମାନଙ୍କୁ ଲକ୍ଷାଧିକ ଵର୍ଷର ଵିଵର୍ତ୍ତନ ପ୍ରକ୍ରିୟା ଦେଇ ଗତି କରିଵାକୁ ହେଵ । 

ତେବେ ପିଏର୍ ବୁଲେଙ୍କ ଏହି Planète des singes ଉପନ୍ୟାସରେ ମଣିଷର ପତନ ପଛରେ କୌଣସି ବାହ୍ୟ ଶତ୍ରୁ ଵା ମହାମାରୀ ନଥିଲା ଵରଂ ଥିଲା ମଣିଷର ନିଜସ୍ୱ 'ଆଳସ୍ୟ'। ଲେଖକ ଦର୍ଶାଇଛନ୍ତି ଯେ, ଯେତେବେଳେ ମଣିଷ ନିଜର ସମସ୍ତ କାର୍ଯ୍ୟ ପାଇଁ ଯନ୍ତ୍ର କିମ୍ବା ପୋଷା ଜୀବ ବାନରମାନଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଗଲା, ସେତେବେଳେ ତାର ମସ୍ତିଷ୍କ ତାର ସୃଜନଶୀଳତା ହରାଇ ବସିଲା। ଏହା ଆଧୁନିକ ସମାଜ ପାଇଁ ଏକ ବଡ଼ ସଂକେତ। ଆଜିର ଯୁଗରେ ଆମେ ଯେଉଁଭଳି ଭାବେ କୃତ୍ରିମ ବୁଦ୍ଧିମତା "AI" ଏଵଂ ସ୍ୱୟଂଚାଳିତ ଯନ୍ତ୍ର ଉପରେ ନିର୍ଭର କରୁଛୁ, ତାହା ଭଵିଷ୍ୟତରେ ଆମର ମୌଳିକ ଦକ୍ଷତାକୁ ହ୍ରାସ କରିପାରେ ବୋଲି ଅନେକ ଆଶଙ୍କା କରନ୍ତି। ବୁଲେଙ୍କ କାହାଣୀରେ ଵାନରମାନେ ମଣିଷକୁ ହରାଇ ନଥିଲେ ଵରଂ ମଣିଷ ନିଜେ ନିଜର ସ୍ଥାନ ଛାଡ଼ି ଦେଇଥିଲା।

କାହାଣୀର ଶେଷରେ ଅନ୍ତରୀକ୍ଷରେ ସିମ୍ପାଞ୍ଜି ଦମ୍ପତି ଏକ ମନୁଷ୍ୟଦ୍ଵାରା ଲିଖିତ ଚିଠି ପଢ଼ି ମଣିଷ ବି କ’ଣ ଏତେ ବୁଦ୍ଧିମାନ ହୋଇପାରେ ଯେ ଏତେ କଥା ଲେଖିପାରେ ବୋଲି ଵିଚାର କରି ହସି ଦେଇଥିଲେ ଏଵଂ ସେହି ହସ ଆଜି ବି ପାଠକର କାନରେ ପ୍ରତିଧ୍ୱନିତ ହୁଏ । ସେହି ହସ ପାଠକକୁ ସତର୍କ କରାଇ ଦିଏ । 

ପାଠକ ଯଦି ଗୋରାଲୋକ ହୋଇଥାଏ ତେବେ Planète des singes ତାକୁ କହେ ଯେ ଏବେ ବି ସମୟ ଅଛି ନିଜକୁ ସମୟ ସହିତ ସମ୍ଭାଳି ନିଅ ନହେଲେ ତମେ ଯେଉଁ ଆଫ୍ରିକୀୟ ଓ ଏସୀୟ ଲୋକମାନଙ୍କୁ ଦିନେ ପରାଧୀନ ରଖିଥିଲ ସେମାନେ ତମଠାରୁ ବହୁତ ଆଗକୁ ବଢ଼ିଯିବେ । 

ପାଠକ ଯଦି ଜଣେ Homo Sapiens ଭାବରେ Planète des singes ଉପନ୍ୟାସ ପଢ଼ୁଥାଏ ତେବେ ଉପନ୍ୟାସ ତାକୁ ସତର୍କ କରି କହେ ଯେ ସମୟର ଚକ୍ରରେ ଯଦି ଆମେ ମଣିଷମାନେ ସଜାଗ ନରହିଵା ତେବେ ଆମେ ମଧ୍ୟ ଭଵିଷ୍ୟତର କୌଣସି "ସୁପରିଚିତ ଜୀଵ" ପାଇଁ ଏକ କୌତୁହଳପୂର୍ଣ୍ଣ କାହାଣୀ ହୋଇ ରହିଯିଵା ।