My Blog List

Showing posts with label ସୂକ୍ତି. Show all posts
Showing posts with label ସୂକ୍ତି. Show all posts

Saturday, September 18, 2021

ମଧୁଵାଣୀ(ଉତ୍କଳ ଗୌରଵ ମଧୁସୂଦନ ଦାସ)


ମଧୁସୂଦନ ଦାସ ତାଙ୍କର ଵିଭିନ୍ନ ଭାଷଣ ମଧ୍ୟରେ କହିଥିଵା କେତେକ ଵିଶିଷ୍ଟ ଵାଣୀ ମଧୁଵାଣୀ...

🔵ଆମ୍ଭେମାନେ ସମସ୍ତେ କାର୍ଯ୍ୟ କଲାବେଳେ ଥରେ ଆମ୍ଭମାନଙ୍କର ଭାବିଵା ଉଚିତ୍ ଯେ, ମୋ କାର୍ଯ୍ୟଦ୍ବାରା ମୋ ଜାତିର ମାନ ବଢ଼ୁଛି କି ନାହିଁ ।


🔵ଭଗବାନଙ୍କଠାରେ ଵିଶ୍ଵାସ ରଖି ସତ୍ୟପଥରେ ଏକନିଷ୍ଠ ଭାବରେ ନାନା କାର୍ଯ୍ୟରେ ଲାଗିପଡ଼ । ପଡ଼ୋଶୀ ଜାତିଙ୍କ ଚିତ୍ତକୁ ତୁମେ ନିଶ୍ଚୟ ଆକର୍ଷଣ କରିପାରିଵ ।

🔵ମୋ ଜାତିର ପୀଠରେ ତୁମର ଜୀଵନକୁ ଵଳିଦାନ କର । ପୂର୍ଵେ ଏ ଜାତି ଯେଉଁ ଗୌରବର ଅଧିକାରୀ ହୋଇଥିଲା, ସେ ଗୌରବ ଲାଭ କର ।

🔵ଅନ୍ୟକୁ ସାହାଯ୍ୟ କରିଵାପାଇଁ ସର୍ଵଦା ପ୍ରସ୍ତୁତ ରୁହ। ଶେଷ ସମୟରେ ଭଗଵାନଙ୍କ ଦ୍ଵାରରେ ତୁମ କାର୍ଯ୍ୟର ମୂଲ୍ୟାୟନ ହେଵ : ତୁମେ ଯଦି ଭଲ କରିଥିଵ, ତେବେ ତୁମ ଆଗକୁ ଭଗଵାନ ଆସି କହିଵେ—ଆସ, ମୋର ପ୍ରିୟ ଶିଶୁ ! ତୁମକୁ ମୁଁ ଜୀଵନର ମୁକୁଟ ଦେବି ।

🔵ନିଜ ସକାଶେ ଜୀବନ ଧାରଣ କରିଵା ମନୁଷ୍ୟ ଜୀଵନର କଦାପି ଉଦ୍ଦେଶ୍ୟ ନୁହେଁ । ଈଶ୍ବର ଏ ଉଦ୍ଦେଶ୍ୟରେ କାହାକୁ ସୃଷ୍ଟି କରିନାହାନ୍ତି ।

🔵ମୁଁ ଵିଶ୍ବାସ କରେ ନାହିଁ ସେ ଈଶ୍ବରଙ୍କ ଜଗତର କେହି ମନୁଷ୍ୟ ସ୍ୱାର୍ଥପର ହୋଇପାରେ । ଯେ ସ୍ବାର୍ଥପର, ସେ ଈଶ୍ବରଙ୍କ ଆଜ୍ଞା ଲଙ୍ଘନ କରିଅଛି । ଈଶ୍ବର କାହାରିକୁ ସ୍ଵାର୍ଥପର ହେଵାକୁ ଦିଅନ୍ତି ନାହିଁ ।

🔵ଆଜି ତୁମ୍ଭେ ଓ ଆମ୍ଭେ ଅଛୁ, କାଲି ତୁମ୍ଭେ ଓ ଆମ୍ଭେ ଚାଲଯିଵା । ତଥାପି ମନୁଷ୍ୟ ଶରୀର ପରି ଆମ୍ଭର ଜାତି ଦିନକୁ ଦିନ ବଢୁ଼ ଥିଵ । ଜନନୀ ସେଵାରେ ଆତ୍ମଗର୍ଵ, ସ୍ବାର୍ଥପରତା ତ୍ୟାଗ କରିଵାକୁ ହେଵ । ମୁଁ ଵା ତୁମ୍ଭେମାନେ କାଲି ଏହି ସଂସାରରୁ ଚାଲଯିଵା, କିନ୍ତୁ ଜାତି ଅମର ଓ ଚିରଜୀବୀ ।

🔵ଯଦି ଉନ୍ନତି ଲଭିଵାକୁ ଇଚ୍ଛାକର, ଵୀଜ ଯେପରି ନୀଚକୁ ଯାଇ ଵୃକ୍ଷକୁ ଉଚ୍ଚକୁ ଉଠାଏ, ସେହିପରି ନିଜେ ନୀଚକୁ ଯାଅ ଓ ଜାତିରୁ ଉଚ୍ଚକୁ ଉଠାଅ ।

🔵ଦୋଷ ଗୁଣ ଦେଖିବା ସମ୍ବନ୍ଧରେ ମୋର ଵକ୍ତଵ୍ୟ ଏହି ଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖି ଖୋଲି ରଖ । ବନ୍ଦ ଆଖିରେ ଜାତିର ଦୋଷଗୁଡ଼ିକ ଦେଖ । ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ।

Thursday, December 31, 2020

ଓଡ଼ିଆ ଭାଷା ଵିଷୟରେ ଡକ୍ଟର ଧନେଶ୍ୱର ମହାପାତ୍ରଙ୍କ ଉକ୍ତି

ଡକ୍ଟର ଧନେଶ୍ୱର ମହାପାତ୍ର ତାଙ୍କ "କଟକ ଜିଲ୍ଲାର ଭାଷା" ପ୍ରବନ୍ଧରେ ଓଡ଼ିଆ ଭାଷା ଵିଷୟରେ ନିମ୍ନୋକ୍ତ କଥାମାନ ଲେଖିଅଛନ୍ତି ...

(୧)ଵର୍ତ୍ତମାନ ଭାରତରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ମରାଠୀ,ଗୁଜରାଟୀ ପ୍ରଭୃତି ଯେତେ ଆଧୁନିକ ଆର୍ଯ୍ୟ ଭାଷା ପ୍ରଚଳିତ ଅଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷା ସର୍ଵାଧିକ ପ୍ରାଚୀନ । କାରଣ (ସଂସ୍କୃତ ଭିନ୍ନ) ଅନ୍ୟ ଅର୍ଯ୍ୟଭାଷାରେ ପ୍ରାଚୀନତମ ନମୁନା ଖ୍ରୀ. ଦ୍ଵାଦଶ ଶତାବ୍ଦୀ ପୂର୍ଵରୁ ମିଳୁନଥିଵାବେଳେ  ଓଡ଼ିଆ ଭାଷାର ପ୍ରାଚୀନତମ ନମୁନା ଖ୍ରୀଷ୍ଟାବ୍ଦ ଦଶମ ଶତାବ୍ଦୀରୁ ମିଳୁଛି ।

(୨) ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ଯେତେ ବିପୁଳ ଵିଶାଳ, ଅନ୍ୟ କୌଣସି ଆର୍ଯ୍ଯଭାଷାର ଶବ୍ଦ ଭଣ୍ଡାର ସେତେ ଵିଶାଳ ଵିପୁଳ ନୁହେଁ । ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ତାହାର ପ୍ରମାଣ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ ଅନେକ ଓଡ଼ିଆ ଶବ୍ଦ ସନ୍ନିଵେଶିତ ହୋଇନାହିଁ ।

(୩)ସମସ୍ତେ ଜାଣନ୍ତି , ସଂସ୍କୃତ ଭାଷାର ଅଭିଵ୍ଯକ୍ତି ଶୈଳୀ ଅନନ୍ୟ ସାଧାରଣ । ଓଡ଼ିଆ ଭାଷା ଏପର୍ଯ୍ୟନ୍ତ ସଂସ୍କୃତର ଯେତିକି ନିକଟଵର୍ତ୍ତୀ ହୋଇ ରହିଛି , ଅନ୍ୟ କୌଣସି ଭାରତୀୟ ଭାଷା ଏତେ ନିକଟଵର୍ତ୍ତୀ ହୋଇ ରହିନାହିଁ ।

(୪) ସଂସ୍କୃତର ନିକଟଵର୍ତ୍ତୀ ଏଵଂ ଵିପୁଳ ଶବ୍ଦ ଭଣ୍ଡାରଶାଳୀ ହୋଇଥିଵାରୁ ଓଡ଼ିଆ ଭାଷାର ଭାଷା ପ୍ରକାଶନୀ ଶକ୍ତି ଅସୀମ । ଏପରି କୌଣସି ଭାଵ,ଜ୍ଞାନ ଵା ଚିନ୍ତା ନାହିଁ ,ଯାହାକି ଓଡ଼ିଆ ଭାଷାରେ ପ୍ରକାଶ କରିହେଵ ନାହିଁ ‌।

(୫) ପ୍ରତ୍ୟେକ ଭାଷାର ଵିଭିନ୍ନ ଆଞ୍ଚଳିକ ସ୍ଵରୂପ ରହିଛି । ଓଡ଼ିଶାର ଦକ୍ଷିଣ, ଉତ୍ତର ଓ ପଶ୍ଚିମରେ ଓଡ଼ିଆ ଭାଷାର ସ୍ଵରୂପ ଵିଭିନ୍ନ ।  କିନ୍ତୁ ସେ ସମସ୍ତଙ୍କୁ ଓଡ଼ିଆ ଭାଷା କୁହାଯାଏ ଯେପରି ବଙ୍ଗଦେଶରେ ପ୍ରଚଳିତ ବଙ୍ଗଳା ଭାଷାର ସମସ୍ତ କଥିତ ସ୍ଵରୂପକୁ ବଙ୍ଗଳା କୁହାଯାଏ, ହିନ୍ଦୀ ଭାଷାର ସମସ୍ତ ଆଞ୍ଚଳିକ ସ୍ଵରୂପକୁ ହିନ୍ଦୀ ହିଁ କୁହାଯାଏ ଇତ୍ୟାଦି...

Saturday, June 6, 2020

ପରସାଈ ସୂକ୍ତି ସଂଗ୍ରହ―୧

● ଯେଉଁମାନେ ଏକଦା ମୋର ନିନ୍ଦା ଓ ଉପହାସ କରି ବଡ଼ ହେଇଯାଉଥିଲେ ସେଇମାନେ ଏଵେ ମୋ ଦର୍ଶନ କରିଛନ୍ତି କହି ବଡ଼ ହେଵାକୁ ଚେଷ୍ଟା କରୁଛନ୍ତି



●କ୍ରୋଧ ବଡ଼ ମୂଲ୍ଯଵାନ ଓ ଉପାଦେୟ ଅସ୍ତ୍ର । ମାଛିଙ୍କ ଉପରେ ତାହାର ଵୃଥା ପ୍ରୟୋଗ ସର୍ଵଥା ଅନୁଚିତ ଅଟଇ ।



●ସଚେଷ୍ଟ ଵ୍ଯକ୍ତି ମଲାଯାଏଁ ଶିଖିଵା,ଶିକ୍ଷା କରିଵା ଛାଡେ଼ନାହିଁ । ଯେଉଁମାନେ ଶିଖିଵା ଵୟସରେ ହିଁ ଶିଖିଵା ଛାଡି଼ଦିଅନ୍ତି ସେମାନେ ମୂର୍ଖତା ଓ ଅହଙ୍କାରଯୁକ୍ତ ଦୟନୀୟ ଜୀଵ ପାଲଟିଯାଆନ୍ତି ।


●ଥରେ ମୁଁ କୋଉଠି ଲେଖିଥିଲି ଆତ୍ମଵିଶ୍ଵାସ ଅନେକ ପ୍ରକାରର ହୋଇପାରେ । ଧନର,ଵଳର ,ଜ୍ଞାନର କିନ୍ତୁ ସବୁଠାରୁ ଭୀଷଣ ଆତ୍ମଵିଶ୍ଵାସ ମୂର୍ଖାଣ୍ଡିଆପଣର ହୋଇଥାଏ ।


●ଶିଖିଵା ତ ଜୀଵନର ଶେଷ କ୍ଷଣଯାଏଁ ସରେ ନାହିଁ । କିନ୍ତୁ ଵୟସର ଏମିତି ଏକ ସ୍ଥିତି ଆସେ ଯେତେଵେଳେ ଶିଖେଇଲା ଲୋକେ ପ୍ରତି ଚିଡ଼ ଆସିଯାଏ ।


●ଦୁଇ ପ୍ରକାରର ମାନସିକ ରୋଗ ଦେଖାଯାଏ । ଗୋଟେ ହେଲା sadism ଏଥିରେ ଅନ୍ଯକୁ ଦୁଃଖ ଯାତନା ଦେଇ ଲୋକ ଯହ ସୁଖ ଲଭନ୍ତି । ଆଉ ଗୋଟାଏ ମାନସିକ ରୋଗ ହେଉଛି masochism ଏଥିରେ ନିଜକୁ ସ୍ଵୟଂ ଦୁଃଖ ଦେଇ ତହିଁର ବହେ ଧେଣ୍ଡୁରା ପିଟି ପ୍ରଚାର କରନ୍ତି ଆଉ ତହିଁରୁ ପରମ ମାନସିକ ସୁଖ ଭୋଗନ୍ତି ।


●ଏହା ସତ୍ୟ ଯେ ସୃଜନର ଆନ୍ତରିକ ପୀଡା଼ ବଡ଼ ଵିକଟ କିନ୍ତୁ ପଦ୍ଯମୟ ପ୍ରଣୟଵାଦୀ ଵିଷପାନ ? ଏହା ପୀଡା଼ଦାୟକ କିନ୍ତୁ ନିତାନ୍ତ ହାସ୍ୟାସ୍ପଦ । ଆପଣଙ୍କୁ କିଏ କହିଥିଲା ମେଚ୍ଛ ଦାଢି଼ ବଢା଼ନ୍ତୁ,ବାଳ ଛାଡ଼ନ୍ତୁ,ଅଖିଆଅପିଆ ହେଇକିନା ଶୁକୁଟାକୁମାର ହୁଅନ୍ତୁ କି ଚିଡ଼ଚିଡା଼ ହେଇଯାଆନ୍ତୁ ? କାହା ପାଇଁ ? କାହା ପାଇଁ ଏତେ ଉପକାର ରୂପ ସୁନାକଳସୀ ଢାଳୁଛନ୍ତି ? ଆଉ ଆପଣ ସୃଜନ କ'ଣ କରୁଛନ୍ତି ?
"କଳାଵତୀ ସ୍ତ୍ରୀ ଏମିତି ଚିତ୍କାର କରୁଛି ସତେ ଯେମିତି ଗର୍ଭରୁ ଭୀମସେନକୁ ଭୂମିଷ୍ଠ କରୁଛି,କିନ୍ତୁ ବାହାରିଲା ପରେ ଜଣାପଡେ଼ ସେଇଟା ମୂଷାଛୁଆ" 😂😂😂


●ଗୃହସ୍ଥୀ ଜଞ୍ଜାଳ ମଧ୍ୟରେ ଵିଵେକର ଅର୍ଥ ହାନୀ-ଲାଭର ସୁମାରି କରି  ନିଜ ସୁରକ୍ଷାକୁ ସୁନିଶ୍ଚିତ କଲାଭଳି ବୋଧଶକ୍ତି।

●ଵିକାଶଶୀଳ ଵ୍ଯକ୍ତି କ୍ଷେତ୍ରରେ ଧନର ଵ୍ଯଵସ୍ଥା କଲାପରେ ଯାଇ ତାହାର ଵିଵାହ ଠିକ୍ କରାଯାଏ । 


(ଵ୍ଯଙ୍ଗ୍ଯସମ୍ରାଟ ହରିଶଙ୍କର ପରସାଈଙ୍କ ହମ୍ ଇକ୍ ଉମ୍ର ସେ ୱାକିଫ଼୍ ହୈଁରୁ କେତେକ ଵାକ୍ୟର ଓଡ଼ିଆ ଭାଵାନୁଵାଦ)

Tuesday, May 26, 2020

ଉତ୍କଳମଣି ସୂକ୍ତିମାଳା ୧

୧)ଯେଉଁମାନେ ଉତ୍କଳ ଵା ଓଡ଼ିଶାରେ ସମାନ ଆଶା ଆକାଙ୍କ୍ଷା ଧରି ଜନ୍ମ ମରଣରେ ସମ୍ମାନ ଶ୍ରେୟଃ ସ୍ଵାର୍ଥରେ  ଵିଜଡି଼ତ,ସେମାନେ ସମସ୍ତେ ଓଡ଼ିଆ ଜାତି ।

୨)କେହି କେହି ଉତ୍କଳ ଓ ଓଡ଼ିଶା ମଧ୍ୟରେ ପାର୍ଥକ୍ୟ କରନ୍ତି । ଯଥାର୍ଥରେ ଏ ଉଭୟରେ କୌଣସି ପାର୍ଥକ୍ୟ ନାହିଁ କିଂଵା ରହିଵା ଉଚିତ୍ ନୁହେଁ ।

୩)ବଙ୍ଗଳାର ହୁଅନ୍ତୁ ଵା ପଞ୍ଜାଵର ହୁଅନ୍ତୁ,ମାରଵାର୍'ର ହୁଅନ୍ତୁ ଵା ମାନ୍ଦ୍ରାଜର ହୁଅନ୍ତୁ,ହିନ୍ଦୁ ହୁଅନ୍ତୁ ଵା ମୁସଲମାନ ହୁଅନ୍ତୁ,ଆର୍ଯ୍ୟ ହୁଅନ୍ତୁ ଵା ଆଦିମ ଆଦିଵାସୀ ହୁଅନ୍ତୁ, ଯେ ଉତ୍କଳ ଵା ଓଡ଼ିଶା ସଙ୍ଗେ ଆପଣାର ସମସ୍ତ ସତ୍ଵ ଓ ସ୍ଵାର୍ଥ ମିଳାଇଦେଇଛନ୍ତି , ଓଡ଼ିଶା ତାଙ୍କର ସେ ଓଡ଼ିଶାର...

୪)ପୃଥିଵୀରେ ଏପରି ପ୍ରାୟ ସ୍ଥାନ ନାହିଁ ଯେଉଁଠାରେ ଭିନ୍ନ ଭିନ୍ନ ଜାତି ରହୁନାହାନ୍ତି । ମାତ୍ର ସେମାନଙ୍କର ସ୍ଵାର୍ଥର କେନ୍ଦ୍ର ଏକ । ତେଣୁ କାଳକ୍ରମେ ଏକୀଭୂତ ହେଵା  ସେମାନଙ୍କ ପକ୍ଷେ ସ୍ଵାଭାଵିକ ଓ ଶ୍ରେୟସ୍କର ।

୫)ଭାଇ ଉତ୍କଳଵାସୀ, ତୁମେ ଯେ ହୁଅ, ବଙ୍ଗାଳୀ, ଓଡ଼ିଆ,ତେଲେଙ୍ଗା,ହିନ୍ଦୁସ୍ତାନୀ(ହିନ୍ଦିଆ),କୋଲ୍ହ,ହିନ୍ଦୁ, ଖ୍ରୀଷ୍ଟାନ,ମୁସଲମାନ ଯେ ହୁଅ, ଉତ୍କଳ ଭୂମି ତୁମକୁ ଆପଣା ଶରୀରରେ ବହି ତୁମର କେତେ ଅଳି ଅର୍ଦ୍ଦଳି ସହୁଛନ୍ତି । ତୁମ୍ଭେ ଓଡି଼ଆ,ତୁମ୍ଭେ ଉତ୍କଳୀ, ଉତ୍କଳ ସମ୍ମିଳନୀରେ ତୁମ୍ଭ ନିମନ୍ତେ ପ୍ରଶସ୍ତ ସ୍ଥାନ ରହିଅଛି । ଉତ୍କଳମାତା ମଧ୍ୟ ତୁମ୍ଭର ସେଵା ପୂଜା ଗ୍ରହଣ କରିଵାକୁ ସତୃଷ୍ଣ ନୟନରେ ଅନାଇ ରହିଛନ୍ତି ।

୬)ଭାରତରେ ଜାତୀୟତା ଗଠନର ନାନା ଅନ୍ତରାୟ ରହିଅଛି । ନାନା ଭାଷା, ନାନା ଧର୍ମ, ନାନା ଵିଧି ନାନା ଆଚାର ଵ୍ଯଵହାର ଯୋଗୁଁ ଭାରତୀୟମାନଙ୍କ ମଧ୍ୟରେ ଏତେ ପାର୍ଥକ୍ୟ ରହିଅଛି ଯେ,ଭାରତ ଜାତୀୟତା କେହି କେହି ଅସମ୍ଭଵ ମନେ କରନ୍ତି; ସେଥିରେ ପୁଣି କୌଣସି ଏକ ପ୍ରଦେଶ ଵା  ଅଞ୍ଚଳରେ ସେହି ପ୍ରକାରର ଭେଦ ଘଟିଲେ ଭଖରତର ଜାତୀୟ ସମସ୍ଯା ଅଧିକ ଦୁଃସାଧ୍ୟ ଓ ଜଟିଳ ହେଵ ।

୭)ଏ ପ୍ରଦେଶରେ ଵାସ କରି ସମସ୍ତ ଶ୍ରେୟ ― ସ୍ଵାର୍ଥ ― ମମତା ତହିଁ ସଙ୍ଗେ ମିଶାଇ ନଦେଇ ଯେଉଁମାନେ ସ୍ଵତନ୍ତ୍ର ଓ ସତ୍ଵ ଦାଵୀ କରନ୍ତି ସେମାନେ ସେ ପ୍ରଦେଶର ଉନ୍ନତି ପଥରେ କଣ୍ଟକ ସ୍ଵରୂପ । ନିଜର ଆପାତ ସ୍ଵାର୍ଥ ଲାଗି ଅନ୍ୟ ଜାତିର ଉନ୍ନତିର ଅନ୍ତରାୟ ଏକ ପ୍ରଦେଶ ମଧ୍ୟରେ ସ୍ଵାର୍ଥର ଅନୈକ୍ୟ ଘଟାଇଵା ଦ୍ଵାରା ଭାରତର ସମୂହ କଲ୍ଯାଣର ସେମାନେ ଶତ୍ରୁ; ସୁତରାଂ ଆତ୍ମଘାତୀ ।

୮)କେହି କେହି ପଣ୍ଡିତ ମନୁଷ୍ୟକୁ ରାଜନୈତିକ ପ୍ରାଣୀ ବୋଲି କହିଅଛନ୍ତି । ଯେଉଁମାନେ କୁହନ୍ତି ପରାଧୀନ ଜାତିର ରାଜନୀତି ନାହିଁ ସେମାନେ ମାନଵ ଜୀଵନକୁ ପୂର୍ଣ୍ଣ ଭାଵରେ ଦେଖନ୍ତି ନାହିଁ । ପରାଧୀନ ହେଉ ଵା ସ୍ଵାଧୀନ ଯେଉଁ ଜାତି ଵା ସମାଜ କୌଣସି ରାଜ୍ୟରେ ଵାସକରେ ଏଵଂ କୌଣସି ସୁଗଠିତ ଓ ଶୃଙ୍ଖଳାବଦ୍ଧ ଶାସନଶକ୍ତିର କର୍ତ୍ତୃତ୍ଵ ସ୍ଵୀକାର କରେ,ତାହାର କୌଣସି ନା କୌଣସି ପ୍ରକାରେ ରାଜନୀତି ରହିଵ ।

୯)ଭାରତୀୟ ଆକାଙ୍କ୍ଷା ସହିତ ଉତ୍କଳୀୟ ଆକାଙ୍କ୍ଷାର ସାମଞ୍ଜସ୍ୟ ରହିଵା ଉଚିତ୍ । ଭାରତ ସଙ୍ଗେ ଉତ୍କଳର ନିତ୍ୟ ସମ୍ବନ୍ଧ ରହିଵ ହିଁ ରହିଵ । ଏ ସମ୍ବନ୍ଧ ଚିରଦିନ ରହିଅଛି ।

୧୦)ମନେ ରଖିଵାକୁ ହେଵ,ଆମ୍ଭେମାନେ (ଭାରତ)ଭାରତୀୟ ଜାତିର ଅନ୍ତର୍ଗତ । ଭାରତ ଏକ (ଉପ)ମହାଦେଶ । (ତେଣୁ) ସେଥିରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଜାତି,ପ୍ରାଦେଶିକ ପାର୍ଥକ୍ୟ ଅନୁସାରେ କାଳକ୍ରମେ ଉଦ୍ଭଵ ହୋଇଛନ୍ତି;ମାତ୍ର ସେ ସମସ୍ତଙ୍କ ଭାଗ୍ଯ ଭାରତର 
ଭାଗ୍ଯ ସଙ୍ଗେ ସୀମାବଦ୍ଧ ।

୧୧)ଜାତୀୟତାର ଲକ୍ଷ୍ୟରେ ଉଦାର ମାନଵିକତା,ସମଗ୍ର ସାରତଵର୍ଷରେ କେଵଳ ଓଡ଼ିଆ ହିଁ ବୁଝିଥିଲେ ।

୧୨)ଵିଶ୍ଵପ୍ରୀତି ହିଁ ଓଡ଼ିଆର ଜାତୀୟତା,ପୂର୍ଣ୍ଣପ୍ରାଣ ଓଡ଼ିଶାର ମନୁଷ୍ଯତା।

୧୩)ଓଡ଼ିଆର ଜାତୀୟତା, ଦେଶାନୁରାଗ କେଵେ ଜଡ଼, ନିର୍ଜୀଵ, ନୀରସ ଓ ସ୍ୱାର୍ଥ କଳୁଷିତ ନୁହେଁ । ରାଜ୍ୟଲାଭ ଵା ରକ୍ତପାରେ ଏହାର ପ୍ରତିଷ୍ଠାୁ ନୁହେଁ। ଗଭୀର ଧର୍ମଭାଵ ଏଵଂ ଦୃଢ଼ଵିଶ୍ୱାସ ଏହାର ଭିିତ୍ତି। ସାମ୍ୟ, ମୈତ୍ରୀ, ସ୍ୱାଧିନତା ଏହାର ଵିଗ୍ରହ। ଓଡ଼ିଆର ଏହି ଭାଵ ନୀଳାଚଳାଧାମରେ ପ୍ରକଟିତ, ତେଣୁ ଜଗନ୍ନାଥ ଓଡ଼ିଆର ଜାତୀୟ ଦେଵତା । ବଦ୍ରୀନାଥ, ରାମନାଥ,ଦ୍ଵାରିକାନାଥ ସ୍ଥାନ ଵିଶେଷର 'ନାଥ', ମାତ୍ର ଜଗତର ନାଥ ନୁହନ୍ତି। ପ୍ରାଚୀନ କାଶୀଧାମରେ ଵିଶ୍ୱନାଥ ଅଛନ୍ତି, କିନ୍ତୁ ସମଗ୍ରଵିଶ୍ୱକୁ ଆଲିଙ୍ଗନ କରିଵାର ଉଦାରତା ସେଠାରେ ନାହିଁ ।

୧୪) ନୀଳାଚଳର ନୀତିରେ କ୍ଷୁ୍ଦ୍ର ବୃହତ୍ ନାହିଁ, ରାଜା ପ୍ରଜା ନାହିଁ, ବ୍ରାହ୍ମଣ-ଚାଣ୍ଡାଳ ନାହିଁ, ପାମର-ପ୍ରେମିକ ନାହିଁ, ଏମନ୍ତ କି ହିନ୍ଦୁବୌଦ୍ଧର ଭେଦ ନାହିଁ। ପରଵର୍ତ୍ତୀ  ଚୈତନ୍ଯଯୁଗରେ ମଧ୍ଯ ହିନ୍ଦୁ ମହମ୍ମଦୀୟ ଭେଦ ପର୍ଯ୍ୟନ୍ତ ଏଠାରେ ଲୁଚିଯାଇଥିଲା । ଏହି ଉଦାରତାର ମାନଵିକତା ଏବଂ ମହାଭାରତୀୟତାର ବୀଜ ନୀଳାଚଳ ଧାମରେ ଅଛି ବୋଲି  ତ କାଳେକାଳେ ଭାରତର ଦଦିଦିଗନ୍ତରୁ ସିଦ୍ଧସାଧକ ଓ ମହାପୁରୁଷମାନେ ଆକୃଷ୍ଟ ହୋଇ ଆସିଛନ୍ତି ।

୧୫)ଓଡ଼ିଆ କେଵେ କାହାକୁ ଵିଦ୍ଵେଷ ଦୃଷ୍ଟିରେ ଦେଖି ନାହିଁ।

୧୬)ଭାଇ ଓଡ଼ିଆ, ଵର୍ତ୍ତମାନ ତୁମ୍ଭେ ଯାହା ହୁଅ କି ତୁମ୍ଭଙ୍କୁ ଅନ୍ୟ ଯାହାବୋଲି ମନେକେରୁ ପଛକେ, ଯେତେଦିନ ଯାଏଁ ନୀଳାଚଳରେ ସାମ୍ୟ-ମୈତ୍ରୀର ଧ୍ଵଜା ଉଡ଼ୁଥିଵ, ସେତେଦିନ ଯାଏଁ ଓଡ଼ିଶା ସମଗ୍ର ଭାରତର ଏକତାର କେନ୍ଦ୍ରଭୂମି ହୋଇ ଵିରାଜୁଥିଵ । ତୁମ୍ଭେ ଏହି ଭାରତୀୟ ଜାତୀୟତା କେନ୍ଦ୍ରରେ ଅଧିକାରୀ । ଏ ଅଧିକାରର ଉପଯୁକ୍ତ କାର୍ଯ୍ୟ  କଲେ ଆମ୍ଭମାନଙ୍କୁ ଭାରତ  ନିକଟରେ ଅପମାନିତ ହେଵାକୁ ହେଵ ଏଵଂ ଭବିଷ୍ୟତ ପୁରୁଷମାନେ ଆମ୍ଭମାନଙ୍କର ସଂର୍କୀର୍ଣ୍ଣତା ଓ ଅଦୂରଦର୍ଶିାତର  ନିନ୍ଦା କରିଵେ ।

(ଉତ୍କଳ ସମ୍ମିଳନୀର ଏକ ଅଭିଭାଷଣରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା କଥିତ ମୁଖ୍ୟ ମୁଖ୍ୟ ମତ)

Saturday, May 23, 2020

ପ୍ରହରାଜ ସୂକ୍ତି ସଂଗ୍ରହ ୧

ଓଡ଼ିଆ ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର  ବିଶୁ ମହାରଣା ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଏକ ପ୍ରବନ୍ଧରୁ ସଂଗୃହୀତ କେତେକ ମୁଖ୍ୟ ମୁଖ୍ୟ ସୂକ୍ତି ...

୧)ଭାରତର ପ୍ରାଦେଶିକ ଭାଷା ମାନଙ୍କ ମଧ୍ୟରେ ଓଡ଼ିଆ ଗୋ ପୁରାତନ ଓ ଶବ୍ଦବହୁଳ ଭାଷା ଅଟେ

୨)ହିନ୍ଦୀ ଓ ବଙ୍ଗାଳୀଭାଷାରେ ଶବ୍ଦ ଶେଷରେ ଥିଵା ଅକାରାନ୍ତ ଵର୍ଣ୍ଣର ଉଚ୍ଚାରଣ ଵିଷୟରେ ଵିଭ୍ରାଟ ଦେଖାଯାଏ ପୁନଶ୍ଚ ଏହି ନିୟମ ତତ୍ତତ୍ ଭାଷାରେ ସର୍ଵତ୍ର ପାଳିତ ହୁଏ ନାହିଁ । ହିନ୍ଦୀରେ ଅନସ୍ଵାର ଓ ଚନ୍ଦ୍ରଵିନ୍ଦୁର ଵ୍ଯଵହାର ଓ ଉଚ୍ଚାରଣରେ ଵିଭ୍ରାଟ ଦେଖାଯାଏ । ହିନ୍ଦୀରେ ଓ ବଙ୍ଗାଳୀରେ ଳ ଓ ଣ ଉଚ୍ଚାରଣର ଅସ୍ତିତ୍ୱ ନାହିଁ । ହିନ୍ଦୀରେ ଯ ଓ ୟ ର ପୃଥକ୍ ଉଚ୍ଚାରଣ ପରିଲକ୍ଷିତ ହୁଏ ନାହିଁ । ଓଡ଼ିଆ ଭାଷାରେ ଏସବୁ ଦୋଷ ପରିଲକ୍ଷିତ ହୁଏନାହିଁ  ।

୩)ମୋର ସମସ୍ତଙ୍କଠାରେ ନିଵେଦନ ଏହିକି,ଆମ ମାତୃଭାଷାର (ଏହି) ଵୈଶିଷ୍ଟ୍ଯଗୁଡ଼ିକୁ ଆମ୍ଭେମାନେ ଛାଡି଼ଵା ନାହିଁ ଓ ଯଥାଶକ୍ତି ଉଚ୍ଚାରଣ ସାଙ୍ଗେ  ଲେଖାର ସମତା ରକ୍ଷା କରିଵା ।

୪)ସଂସ୍କୃତ ସଙ୍ଗେ ଓଡ଼ିଆ ଭାଷାର ଦୃଢ଼ ସମ୍ବନ୍ଧ ଥିଵା କଥା କେହି ଅସ୍ଵୀକାର କରିଵେ ନାହିଁ । ଏପରି ସ୍ଥଳରେ  ଅନେକ ଵିଷୟରେ ସଂସ୍କୃତ ଵ୍ଯାକରଣର ନିୟମଗୁଡି଼କୁ ବରାବର ଵର୍ଜନ କରି ଓଡ଼ିଆ ଭାଷା ଵ୍ଯଵହାର କରିଵା
ଉଚିତ୍ ନୁହେଁ ବୋଲି ମୋ ମତ ।

୫)ଅନସ୍ଵାର ପ୍ରେମର ପ୍ରଗତି ପହଞ୍ଚିଲାଣି ମାନସିଂହ ସ୍ଥଳରେ ମାନସିଂ ଵ୍ଯଵହାରରେ...
       (ଵର୍ଣ୍ଣହତ୍ଯାକାରୀଙ୍କ ପ୍ରତି କଟାକ୍ଷ 😂)

୬)କେତେକ ଆଧୁନିକ କଵିତା ରଚକ ଯେଉଁ ଛନ୍ଦରେ ଓ ଭାଷାରେ କଵିତା ରଚନା କରୁଅଛନ୍ତି ତାହା ଓଡ଼ିଆ ସଂସ୍କୃତି ଭିତ୍ତି ଉପରେ ପ୍ରତିଷ୍ଠିତ ନହେଵାରୁ ଲେଖକମାନଙ୍କର କେଵଳ ମନବୋଧ ହେଉଅଛି ,କିନ୍ତୁ ତାହା ସାଧାରଣଙ୍କ ସୁଖସେଵ୍ଯ ହେଉନାହିଁ (କାଳଜୟୀ 🤗)  ।

୭)"ଵାସଃ ପ୍ରଧାନଂ ଖଳୁ ଯୋଗ୍ଯତାୟାଃ" ! ଯୋଗ୍ଯତା ଵିଚାରରେ ପରିଧାନ ପ୍ରଥମ ସ୍ଥାନ ଅଧିକାର କରିଥାଏ । ଭାଷା ଓ ଛନ୍ଦ କଵିତାର ପରିଧାନ; ଏ ଦୁଇଟି ଚିତ୍ତାକର୍ଷକ ନହେଲେ ପାଠକ ଓ ଶ୍ରୋତାଙ୍କ ମନୋରଞ୍ଜନ କରିଵାକୁ ଅସମର୍ଥ ହୁଏ ଓ ଫଳତଃ ପତ୍ରିକାରେ ପ୍ରକାଶିତ କଵିତା ପୃଷ୍ଠାଗୁଡ଼ିକ ପୋଟଳି ବଣିଆଙ୍କ ଗୁଜରାଣ ଚଳାଇଵାରେ ଲାଗେ ...

୮)ଆମ୍ଭମାନଙ୍କୁ ଅଵଶ୍ଯ ଏହା ସ୍ଵୀକାର କରିଵାକୁ ହେଵ ଯେଉଁ ଯେଉଁ ଶବ୍ଦ ନାହିଁ, ଵିଜ୍ଞାନ ଆଦିର ଆଲୋଚନା ତଥା ଶିକ୍ଷାଵିସ୍ତାର ଫଳରେ ଯେଉଁ ଯେଉଁ ଵୈଜ୍ଞାନିକ ଏଵଂ ପାରିଭାଷିକ ଶବ୍ଦମାନ ହାବୁଡେ଼ ପଡି଼ଛି ତାକୁ ସବୁ ଅନ୍ୟ ଭାଷାରୁ ନ ଆଣିଲେ ଚରିଵ ନାହିଁ ।  କିନ୍ତୁ ଏ ଯୁକ୍ତିର ଦ୍ଵାହି ଦେଇ ବିନା ଆଲୋଚନାରେ ଓ ବିନା ଵିଚାରରେ  ଯେଚ୍ଛାତା ଆଣି ଆମ ଭାଷାରେ ପୂରାଇଵା ଉଚିତ୍ ଵା ସୁନ୍ଦର ନୁହେଁ ।

୯)ଯେଉଁ ଯେଉଁ ଵୈଦେଶିକ ଶବ୍ଦ ଓଡ଼ିଆ ଭାଷାରେ ଵ୍ଯଵହାର ନକଲେ ନଚଳେ ତତ୍ତଦ୍ ଶବ୍ଦଗୁଡ଼ିକର ଵୈଦେଶିକ ଆକାରକୁ କଥାରେ ଓ ଲେଖାରେ ସମାନ ରଖିଵା ଉଚିତ୍ ।

୧୦)ଓଡ଼ିଆ ଭାଷାରେ ଅଵର୍ଗ୍ଯ ‛ଵ’ ପାଇଁ ଗୋଟିଏ ସ୍ଵତନ୍ତ୍ର ଅକ୍ଷର ନପୂରାଇଲେ କାମ ଚଳିଵ ନାହିଁ ...

(ଶ୍ରୀପ୍ରହରାଜଙ୍କ ଆଶା ପୂରଣ ହୋଇଛି; ଆଜି ଅଵର୍ଗ୍ଯ ଵ ଵର୍ଣ୍ଣ ପାଇଁ ପାଇଁ ଆମ ପାଖରେ “ଵ” ଅକ୍ଷର ରହିଛି)

୧୧)ସାହିତ୍ୟ ଓ ପତ୍ରିକା କ୍ଷେତ୍ରରେ ଯେଉଁମାନେ ପ୍ରତିଷ୍ଠା ଲାଭ କରିଅଛନ୍ତି ସେମାନଙ୍କ ଉପରେ ଦେଶର ନଵ୍ଯ ଲେଖକମାନଙ୍କ ଲେଖାର ରୀତି ଓ ଶୁଦ୍ଧି ଅନେକ ପରିମାଣରେ ନିର୍ଭର କରୁଅଛି । ସେମାନେ ଅସଂଯତ ହେଲେ ଭାଷାର ନିୟାମକ ହେଵ କିଏ ?
(ଵର୍ଣ୍ଣହତ୍ଯାକାରୀ ଦଳଙ୍କୁ ଉପଦେଶ 😉)

୧୨)ପ୍ରଥମରେ ଭାଷାର,ତାପରେ ଲେଖାର ସୃଷ୍ଟି ,ଏହା ଭାଷାତତ୍ତ୍ଵଵିଦ୍'ମାନେ ସ୍ଥିର କରିଅଛନ୍ତି ।  ଵ୍ଯାକରଣକାର ତୁଳନାମୂଳକ ଗଵେଷଣା ସାହାଯ୍ୟରେ ଭାଷାରୁ ଓ ଲେଖାରୁ ଵ୍ଯାକରଣ ପାଇଁ ନିୟମମାନ ସଙ୍କଳନ କରନ୍ତି ।  ଵ୍ଯାକରଣ ସଂକଳନ ପରେ ଭାଷା ଓ ସାହିତ୍ୟ ଛାଞ୍ଚରେ ପଡି଼ଯାଏ ।  ଵ୍ଯାକରଣଦ୍ଵାରା (ଭାଷାରେ) ଉଚ୍ଛୃଙ୍ଖଳତାର  ବାଟବୁଜା ହୋଇଯାଏ; ଵିଵାକ୍ ବୁଜା ହୋଇନଗଲେ ମଧ୍ୟ ସେ ବାଟରେ ଡିଆଁ(style) ବସିଯାଏ ।

୧୩)ସମାଲୋଚକଙ୍କ ଆସନ  ଅତି ଉଚ୍ଚ ଓ ପଵିତ୍ର । ସମାଲୋଚକଙ୍କ ଲେଖନୀ ଜିଘାଂସୁର ଅସି ନୁହେଁ,କିଂଵା ରଡ଼ ସାଧିଵାର ଠେଙ୍ଗଣୀ ନୁହେଁ । ଉଚ୍ଛୃଙ୍ଖଳତା ନିଵାରଣ କରିଵା ଓ ସୁଲେଖକଙ୍କୁ ସମୁତ୍ସାହିତ କରିଵା ସମାଲୋଚକଙ୍କ କାର୍ଯ୍ୟ । ସମାଲୋଚନାର ସୌରଭ ଭାଷାକୁ ଓ ସାହିତ୍ୟକୁ ଆମୋଦିତ କରେ ।

୧୪)ଚାଲନ୍ତୁ ସମସ୍ତେ ମିଶି ମାତୃଭାଷାର ଉନ୍ନତି କରିଵା ଦିନେ ଆମ ମାତୃଭାଷା―ପ୍ରତିଵେଶୀଙ୍କ ଦ୍ଵାରା ଅଵହେଳିତ ଓଡ଼ିଆ ଭାଷା , ଆନ୍ତର୍ଜାତୀୟ ଭାଷା ସଂସଦରେ ଵିଶିଷ୍ଟ ଓ ମହନୀୟ ଆସନ ଅଧିକାର କରିଵ । ଭଗଵାନ୍ ଏ ଦିନ ଚଞ୍ଚଳ ଆଣନ୍ତୁ ଓ ତାଙ୍କ ମଙ୍ଗଳମୟ ପ୍ରେରଣା ଦ୍ଵାରା ଆମ ଦେଶ ,ଆମ ଜାତି,ଆମ ଭାଷା ଓ ସାହିତ୍ୟ ଗୌରଵମଣ୍ଡିତ ହେଉ...

............................
.....................................
...............................................
.........................................................
...................................................................

Wednesday, June 26, 2019

ଵିଶ୍ଵକୁ ଆଲୋକିତ କରିଵାର ଦୁଇଟି ପନ୍ଥା

“There are two ways of spreading light: to be the candle, or the mirror that reflects it.”

Edith Wharton ଙ୍କ ଅନୁସାରେ ସମସ୍ତ ବିଶ୍ବକୁ ଆଲୋକରେ ଆଲୋକିତ କରିବାକୁ ଚାହୁଁଥିଲେ ତୁମ ପାଖରେ ଦୁଇଟି ରାସ୍ଥା ଅଛି ।

୧.ନିଜେ ମହମବତୀ ହୋଇଯାଅ


କିମ୍ବା


୨.ସେଇ ଦର୍ପଣ ହୁଅ ଯିଏ ମହମବତୀର ଆଲୋକକୁ ଅନ୍ୟତ୍ର ପ୍ରତିଫଳିତ କରିପାରେ ।



ଏଇକଥାକୁ ସିଧାସଳଖ କହିବାକୁ ହେଲେ
ଆମେ କହିପାରିବା ....


ତୁମେ ନିଜେ ଭଗବାନ ହୋଇଯାଅ


କିମ୍ବା 


ଭଗବାନଙ୍କ ଭକ୍ତ ହୋଇ ତାଙ୍କ ନାମ ସଂକୀର୍ତ୍ତନ କର ...