My Blog List

Showing posts with label ଭାଷା ଆନ୍ଦୋଳନ. Show all posts
Showing posts with label ଭାଷା ଆନ୍ଦୋଳନ. Show all posts

Friday, May 1, 2026

ହାଙ୍ଗୁଲ୍ ଓ ଓଡ଼ିଆ ଲିପି: ଵୈଜ୍ଞାନିକତା, ସଂଘର୍ଷ ଓ ସ୍ଵାଭିମାନର କାହାଣୀ

କୋରିଆନ୍ ଭାଷାର ଲିପିକୁ ହାଙ୍ଗୁଲ୍ (Hangul) କୁହାଯାଏ । ଏହି ହାଙ୍ଗୁଲ୍ ଲିପିର ଇତିହାସ ଵିଶ୍ଵର ସମସ୍ତ ଲିପି ମଧ୍ୟରେ ଅତ୍ୟନ୍ତ ଅଦ୍ୱିତୀୟ, କାରଣ ଏହା ଏକମାତ୍ର ପ୍ରାଚୀନ ଲିପି ଯାହା କୌଣସି ପୁରୁଣା ଲିପିରୁ ଧୀରେ ଧୀରେ ଵିକଶିତ ହୋଇନାହିଁ ଵରଂ ଏହାକୁ ସ୍ଵତନ୍ତ୍ର ଭାବେ ଉଦ୍ଭାଵନ କରାଯାଇଛି। ଚେରୋକି(୧୮୨୦),ଓଲ୍ ଚିକି(୧୯୨୫) ଓ ସାୟୁମ୍ବି(୧୮୪୦) ଇତ୍ୟାଦି ଲିପିଗୁଡ଼ିକ ତିଆରି ହୋଇଥିଲେ ବି ଏସବୁ ଲିପି ହାଙ୍ଗୁଲ୍ ଭଳି ପ୍ରାଚୀନ ନୁହେଁ । 

ପଞ୍ଚଦଶ ଶତାବ୍ଦୀ ପୂର୍ଵରୁ କୋରିଆର ନିଜସ୍ୱ କୌଣସି ଲିପି ନଥିଲା। ଲୋକମାନେ କୋରିଆନ୍ ଭାଷା ଲେଖିଵା ପାଇଁ ଚାଇନିଜ୍ ଅକ୍ଷର — ହାଞ୍ଜା(Hanja) ଵ୍ୟଵହାର କରୁଥିଲେ। କିନ୍ତୁ ଚାଇନିଜ୍ ଲିପି ଏତେ ଜଟିଳ ଥିଲା ଯେ କେଵଳ ଉଚ୍ଚଵର୍ଗର ଧନୀ ଓ ଶିକ୍ଷିତ ଲୋକମାନେ ହିଁ ଏହାକୁ ଶିଖିପାରୁଥିଲେ। ସାଧାରଣ ଗରିବ ଲୋକ ଓ ଚାଷୀମାନେ ନିରକ୍ଷର ହୋଇ ରହୁଥିଲେ।

ଏହା ଦେଖି ଚୋସନ୍ ରାଜବଂଶର ଚତୁର୍ଥ ରାଜା, ସେଜୋଙ୍ଗ (King Sejong the Great) ବହୁତ ଦୁଃଖିତ ହେଉଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ରାଜ୍ୟର ସବୁ ଲୋକ ପଢ଼ିଵା ଓ ଲେଖିଵା ଶିଖନ୍ତୁ। ତେଣୁ ସେ ୧୪୪୩ ମସିହାରେ ଏହି ନୂତନ ଲିପିର ଉଦ୍ଭାଵନ କରିଥିଲେ। ୧୪୪୬ ମସିହାରେ ରାଜା ଏହି ଲିପି ଵିଷୟରେ ଏକ ପୁସ୍ତକ ପ୍ରକାଶ କଲେ, ଯାହାର ନାମ ଥିଲା 'ହୁନ୍‌ମିନ୍ ଜୋଙ୍ଗୁମ୍'। ଏହାର ଭାଵାର୍ଥ "ଲୋକମାନଙ୍କୁ ଶିକ୍ଷା ଦେଵାର ଉଚିତ୍ ସ୍ୱର" ଅଟେ।

ହାଙ୍ଗୁଲ୍‌ରେ ମୋଟ ୪୦ଟି ଆଧୁନିକ ଅକ୍ଷର ରହିଛି।
୧. ବ୍ୟଞ୍ଜନ ଵର୍ଣ୍ଣ (Consonants) - ମୋଟ ୧୯ଟି
ମୂଳ ବ୍ୟଞ୍ଜନ (Basic Consonants - ୧୪ଟି):
•ㄱ (gi-yeok) : /k/ ବା /ɡ/
•ㄴ (ni-eun) : /n/
•ㄷ (di-geut) : /t/ ବା /d/
•ㄹ (ri-eul) : /ɾ/ (ଶବ୍ଦ ଆରମ୍ଭରେ) ବା /l/ (ପାଚିମ୍‌ରେ)
•ㅁ (mi-eum) : /m/
•ㅂ (bi-eup) : /p/ ବା /b/
•ㅅ (si-ot) : /s/ (i ପୂର୍ବରୁ /ɕ/ ପରି)
•ㅇ (i-ung) : ଶବ୍ଦ ଆରମ୍ଭରେ ନିଶବ୍ଦ, ପାଚିମ୍‌ରେ /ŋ/
•ㅈ (ji-eut) : /tɕ/ ବା /dʑ/
•ㅊ (chi-eut) : /tɕʰ/ (ମହାପ୍ରାଣ)
•ㅋ (ki-euk) : /kʰ/ (ମହାପ୍ରାଣ)
•ㅌ (ti-eut) : /tʰ/ (ମହାପ୍ରାଣ)
•ㅍ (pi-eup) : /pʰ/ (ମହାପ୍ରାଣ)
•ㅎ (hi-eut) : /h/

ଯୁଗ୍ମ ବ୍ୟଞ୍ଜନ (Double Consonants - ୫ଟି):
(ଏଗୁଡ଼ିକ ଟେନ୍ସ (Tense) ବା ଚାପଯୁକ୍ତ ଧ୍ୱନି)
•ㄲ (ssang-giyeok) : /k͈/
•ㄸ (ssang-digeut) : /t͈/
•ㅃ (ssang-bieup) : /p͈/
•ㅆ (ssang-siot) : /s͈/
•ㅉ (ssang-jieut) : /tɕ͈/

୨. ସ୍ୱର ବର୍ଣ୍ଣ (Vowels) - ମୋଟ ୨୧ଟି
ମୂଳ ସ୍ୱର (Basic Vowels - ୧୦ଟି):
•ㅏ (a) : /a/
•ㅑ (ya) : /ja/
•ㅓ (eo) : /ʌ/
•ㅕ (yeo) : /jʌ/
•ㅗ (o) : /o/
•ㅛ (yo) : /jo/
•ㅜ (u) : /u/
•ㅠ (yu) : /ju/
•ㅡ (eu) : /ɯ/
•ㅣ (i) : /i/

ମିଶ୍ରିତ ସ୍ୱର (Complex Vowels / Diphthongs - ୧୧ଟି):
•ㅐ (ae) : /ɛ/
•ㅒ (yae) : /jɛ/
•ㅔ (e) : /e/
•ㅖ (ye) : /je/
•ㅘ (wa) : /wa/
•ㅙ (wae) : /wɛ/
•ㅚ (oe) : /ø/ (ବା /we/)
•ㅝ (wo) : /wʌ/
•ㅞ (we) : /we/
•ㅟ (wi) : /ɥi/ (ବା /wi/)
•ㅢ (ui) : /ɰi/
ହାଙ୍ଗୁଲ୍ ଲେଖିଵାର ପଦ୍ଧତି ଅନ୍ୟ ଭାଷାର ଲିପିଠାରୁ ଭିନ୍ନ। ଏଠାରେ ଅକ୍ଷରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଧାଡ଼ିରେ ନଲେଖି ଏକ ଵର୍ଗାକାର ବ୍ଲକ୍ (Syllabic Block) ମଧ୍ୟରେ ସଜାଯାଏ। ପ୍ରତି ବ୍ଲକ୍‌ରେ ଅତିକମରେ ଗୋଟିଏ ଵ୍ୟଞ୍ଜନ ଏଵଂ ଗୋଟିଏ ସ୍ୱର ରହିଵା ଅନିର୍ବାର୍ଯ୍ୟ।

ଯଦି ହଙ୍ଗୁଲ୍ ଵ୍ୟଵହାର କରି ଆମେ 'ଶିଶିର' (Sishir) ଲେଖିଵା ତେବେ 'ସ' (ㅅ) ଓ 'ଇ' (ㅣ) ମିଶି '시' (ସି/ଶି) ଲେଖିଵାକୁ ହେଵ(ହାଙ୍ଗୁଲ୍ ଲିପିରେ ଶ ଓ ଷ ନାହିଁ ତେଣୁ 'ସ'ରେ ହିଁ କାମ ଚଳାଇଵାକୁ ହେଵ)। ଶବ୍ଦର ଶେଷ ଵର୍ଣ୍ଣକୁ ସ୍ପଷ୍ଟ କରିଵା ପାଇଁ ଅନେକ ସମୟରେ 'ㅡ' (eu) ସ୍ୱରର ସାହାଯ୍ୟ ନିଆଯାଏ, ଯାହାକୁ 'ସି-ସି-ରୁ' (시시르) ଭାବେ ଲେଖାଯାଏ। ଯେତେବେଳେ ଏକ ଵ୍ୟଞ୍ଜନ ଵର୍ଣ୍ଣ ବ୍ଲକ୍‌ର ତଳ ଭାଗରେ ବସେ, ତାକୁ 'ପାଚିମ୍' କୁହାଯାଏ। ଏହା ଶବ୍ଦର ଉଚ୍ଚାରଣରେ ଗଭୀରତା ଆଣିଥାଏ।

ହାଙ୍ଗୁଲ୍‌ ଵିଶ୍ଵର ଅନ୍ୟତମ ଵୈଜ୍ଞାନିକ ଲିପି ଵିଦିତ ହୁଏ । ହାଙ୍ଗୁଲ୍‌ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ କୋରିଆନ୍ ଭାଷା ଲେଖିଵା ପାଇଁ ଅତ୍ୟନ୍ତ ଵୈଜ୍ଞାନିକ ଢଙ୍ଗରେ ତିଆରି କରାଯାଇଛି। ଏହାର ସରଳତା, ଯୌକ୍ତିକତା ଓ ଧ୍ୱନି ଵିଜ୍ଞାନ ସହିତ ଗଭୀର ସମ୍ପର୍କ ଯୋଗୁଁ ଏହାକୁ ଵିଶ୍ୱର ଅନ୍ୟତମ "ଵୈଜ୍ଞାନିକ ଲିପି" ଭାବେ ସ୍ୱୀକୃତି ଦିଆଯାଇଛି। 

ହାଙ୍ଗୁଲ୍‌ର ଵୈଜ୍ଞାନିକତାର ସବୁଠାରୁ ବଡ଼ ପ୍ରମାଣ ହେଉଛି ଏହାର ଵ୍ୟଞ୍ଜନ ଵର୍ଣ୍ଣଗୁଡ଼ିକର ଆକୃତି। ଏହା କୌଣସି କାଳ୍ପନିକ ଚିତ୍ର ନୁହେଁ ଵରଂ ସେହି ଅକ୍ଷରକୁ ଉଚ୍ଚାରଣ କଲାବେଳେ ଆମ ମୁଖର ମାଂସପେଶୀ କିପରି ରହେ, ତାହାର ଏକ ମାନଚିତ୍ର। 

ଉଦାହରଣସ୍ୱରୂପ, 'ㄴ' (ନ) ଅକ୍ଷରର ଆକୃତି ଏପରି କରାଯାଇଛି ଯେଉଁଥିରେ ଜିଭଟି ଉପର ଦାନ୍ତକୁ ଛୁଇଁଲା ପରି ଦେଖାଯାଏ। ସେହିପରି 'ㅁ' (ମ) ଅକ୍ଷରର ଵର୍ଗାକାର ରୂପ ଦୁଇ ଓଠର ମିଳନକୁ ଦର୍ଶାଏ ଏଵଂ 'ㅇ' (ଙ/ଅ) ର ଗୋଲାକାର ରୂପ ଗଳାରୁ ବାହାରୁଥିଵା ଶୂନ୍ୟ ଵା ମୁକ୍ତ ଵାୟୁକୁ ସୂଚାଏ। ପୃଥିଵୀର ଅନ୍ୟ କୌଣସି ଲିପିରେ ଅକ୍ଷରର ସ୍ଵରୂପ ଓ ତାହାର ଉଚ୍ଚାରଣ ମଧ୍ୟରେ ଏପରି ସମ୍ପର୍କ ଦେଖିଵାକୁ ମିଳେନାହିଁ।

ପୁଣି ହାଙ୍ଗୁଲ୍‌ର ଅକ୍ଷରଗୁଡ଼ିକ ଏକ ଵୈଜ୍ଞାନିକ ସୂତ୍ର (Formula) ଅନୁସାରେ କାମ କରନ୍ତି। ଗୋଟିଏ ମୂଳ ଅକ୍ଷରରୁ କିପରି ଅନ୍ୟ ଏକ ଧ୍ୱନି ତିଆରି ହେଵ, ତାହାର ନିୟମ ଅତି ସ୍ପଷ୍ଟ। ଯେତେବେଳେ ଗୋଟିଏ ଧ୍ୱନିକୁ ଅଧିକ ମହାପ୍ରାଣ(Aspiration) କରିଵାକୁ ହୁଏ, ସେତେବେଳେ ସେହି ମୂଳ ଅକ୍ଷରରେ କେଵଳ ଗୋଟିଏ ଅଧିକ ଗାର ଯୋଡ଼ି ଦିଆଯାଏ। ଉଦାହରଣସ୍ୱରୂପ, 'ㄱ' (କ) ରେ ଗୋଟିଏ ଗାର ଲଗାଇଲେ ତାହା 'ㅋ' (ଖ) ହୋଇଯାଏ। ସେହିପରି 'ㄷ' (ତ) ରେ ଗୋଟିଏ ଗାର ଲଗାଇଲେ 'ㅌ' (ଥ) ହୁଏ। ଏହି କ୍ରମବଦ୍ଧତା ଶିକ୍ଷାର୍ଥୀ ପାଇଁ ଅକ୍ଷର ଚିହ୍ନିଵା ସହଜ କରିଦିଏ, କାରଣ ଏହା ଏକ ପରିଵାର ପରି କାମ କରେ। ଅଵଶ୍ୟ ଆମ ଓଡ଼ିଆ ଲିପିରେ ମଧ୍ୟ ଏଭଳି ଉଦାହରଣ ରହିଛି ।‌ ଯେମିତି ଗ ଓ ଘ,ଚ ଓ ଛ,ଡ ଓ ଢ,ପ ଓ ଫ ଇତ୍ୟାଦି । କିନ୍ତୁ ହାଙ୍ଗୁଲର ଲିପିରେ ଏହି ଗୁଣ ମାତ୍ରାଧିକ ଦେଖାଯାଏ। 

ହାଙ୍ଗୁଲ୍ ଲିପିର ସ୍ୱର ଵର୍ଣ୍ଣଗୁଡ଼ିକ ଜ୍ୟାମିତିକ ସରଳତା ଉପରେ ଆଧାରିତ। ରାଜା ସେଜୋଙ୍ଗ୍ ବ୍ରହ୍ମାଣ୍ଡର ତିନି ମୂଳ ଉପାଦାନ—ଆକାଶ (.), ପୃଥିଵୀ (ㅡ) ଓ ମଣିଷ (ㅣ)—କୁ ନେଇ ସ୍ୱର ଵର୍ଣ୍ଣ ଗଠନ କରିଥିଲେ। ଏହି ତିନୋଟି ମୌଳିକ ରେଖାକୁ ସାମାନ୍ୟ ପରିଵର୍ତ୍ତନ କରି 'ଆ', 'ଓ', 'ଇ', 'ଉ' ପରି ସମସ୍ତ ସ୍ୱର ସୃଷ୍ଟି କରାଯାଇଛି। ଏହି ଗଠନ ଶୈଳୀ ଏତେ ପ୍ରଭାଵଶାଳୀ ଯେ ଏହାକୁ କମ୍ପ୍ୟୁଟର କି-ବୋର୍ଡ଼ରେ ଟାଇପ୍ କରିଵା ଅନ୍ୟ ଏସୀୟ ଭାଷା (ଯଥା ଚାଇନିଜ୍ ବା ଜାପାନୀଜ୍) ତୁଳନାରେ ଅତି ଦ୍ରୁତ ହୋଇଥାଏ ।

ହାଙ୍ଗୁଲ୍‌ ଲିପିର ଆଉ ଏକ ଵୈଜ୍ଞାନିକ ଦିଗ ହେଉଛି ଏହାର ଲେଖନ ଶୈଳୀ। ଏହାକୁ ରୈଖିକ (Linear) ଭାବେ ନଲେଖି ଵ୍ୟଞ୍ଜନ ଓ ସ୍ୱରକୁ ମିଶାଇ ଗୋଟିଏ ଵର୍ଗାକାର "ବ୍ଲକ୍" ମଧ୍ୟରେ ଲେଖାଯାଏ। ଏହା ମାନଵ ମସ୍ତିଷ୍କକୁ ଶବ୍ଦର ଉଚ୍ଚାରଣ ଓ ଏହାର ଗଠନକୁ ଏକାସାଙ୍ଗରେ ବୁଝିଵାରେ ସାହାଯ୍ୟ କରେ। ଏହି ଵର୍ଗାକାର ସଂରଚନା ଯୋଗୁଁ ହାଙ୍ଗୁଲ୍ ଅକ୍ଷରଗୁଡ଼ିକ ଖୁବ୍ ସ୍ପଷ୍ଟ ଓ ସହଜରେ ପଢ଼ାଯାଇପାରେ। ଉଦାହରଣ ସ୍ୱରୂପ ଆମେ ଓଡ଼ିଆ ଲିପିରେ ରାମ ଲେଖିଲେ ରା ପାଖରେ ମକୁ ଲଗେଇ ଲେଖନ୍ତି କିନ୍ତୁ ହାଙ୍ଗୁଲ୍‌ରେ ଗୋଟିଏ ବ୍ଲକ୍ ମଧ୍ୟରେ ରାମକୁ '람' ଲେଖାଯାଏ । ଏଠାରେ ㄹ (ର/ଲ),ㅏ(ଆ) ଓ ㅁ(ମ) ଗୋଟିଏ ବ୍ଲକ୍ ମଧ୍ୟରେ ହିଁ ରହିଗଲା । 

ଉପରୋକ୍ତ ସମସ୍ତ ପ୍ରମାଣରୁ ଏହା ସ୍ପଷ୍ଟ ହୁଏ ଯେ, ହାଙ୍ଗୁଲ୍ ଏକ ଗଭୀର ଗଵେଷଣାଲବ୍ଧ ଉଦ୍ଭାଵନ। ଏହାର ଵୈଜ୍ଞାନିକ ଗୁଣ ଯୋଗୁଁ ୟୁନେସ୍କୋ (UNESCO) ଏହି ଲିପିକୁ ଵିଶ୍ୱର ସାଂସ୍କୃତିକ ଐତିହ୍ୟରେ ଅନ୍ତର୍ଭୁକ୍ତ କରିଛି। ଜଣେ ବୁଦ୍ଧିମାନ ଵ୍ୟକ୍ତି ଏହି ଲିପିକୁ ମାତ୍ର କିଛି ଘଣ୍ଟାରେ ଶିଖିପାରୁଥିଵାରୁ, ଏହାକୁ "ଶୃଙ୍ଖଳିତ ମସ୍ତିଷ୍କର ଶ୍ରେଷ୍ଠ ପ୍ରକାଶ" ଭାବେ ଅଭିହିତ କରାଯାଇଛି। ହାଙ୍ଗୁଲ୍ ପ୍ରକୃତରେ ପ୍ରମାଣିତ କରେ ଯେ ଯେତେବେଳେ ଭାଷା ଓ ଵିଜ୍ଞାନ ଏକାଠି ହୁଅନ୍ତି, ସେତେବେଳେ ଏକ ମହାନ ସଭ୍ୟତାର ପରିଚୟ ସୃଷ୍ଟି ହୁଏ। 
ତେବେ ଆମ ଭାରତରେ କିଛି ଉତ୍ତର ଭାରତୀୟ ଦେଵନାଗରୀ ଲିପିକୁ ଵିଶ୍ଵର ସବୁଠାରୁ ଵୈଜ୍ଞାନିକ ଲିପି ବୋଲି ପ୍ରଚାର କରନ୍ତି ତାହା କ’ଣ ଭୁଲ୍ ? 

ପ୍ରକୃତରେ ଭାରତୀୟ ଲିପି ସମୂହ, ଵିଶେଷ କରି ଓଡ଼ିଆ, ଦେବନାଗରୀ, ବେଙ୍ଗଲୀ ଓ ତେଲୁଗୁ ପରି ଇଣ୍ଡିକ୍ ଲିପିଗୁଡ଼ିକ ଵିଶ୍ୱର ସବୁଠାରୁ ଶୃଙ୍ଖଳିତ ଓ ଵୈଜ୍ଞାନିକ ଲିପି ମଧ୍ୟରେ ଅନ୍ୟତମ। ଏହି ଲିପିଗୁଡ଼ିକର ମୂଳ ଆଧାର ହେଉଛି ପ୍ରାଚୀନ 'ବ୍ରାହ୍ମୀ' ଲିପି। ଇଣ୍ଡିକ୍ ଲିପିଗୁଡ଼ିକର ଵୈଜ୍ଞାନିକ ମାନ୍ୟତା କୌଣସି ଆକସ୍ମିକ ଧାରଣା ନୁହେଁ ଵରଂ ଏହା ମାନଵ ଶରୀରର ଧ୍ୱନି ଵିଜ୍ଞାନ ଏବଂ ମସ୍ତିଷ୍କର ଗ୍ରହଣଶୀଳତା ଉପରେ ପର୍ଯ୍ୟଵେସିତ। 

ଇଣ୍ଡିକ୍ ଲିପିଗୁଡ଼ିକର ଵୈଜ୍ଞାନିକତାର ସବୁଠାରୁ ବଡ଼ ପ୍ରମାଣ ହେଉଛି 'ଵର୍ଣ୍ଣମାଳା'। ଵିଶ୍ୱର ଅନ୍ୟ ଭାଷା (ଯେପରିକି ଇଂରାଜୀର A, B, C...) ର କୌଣସି ନିର୍ଦ୍ଦିଷ୍ଟ ଵୈଜ୍ଞାନିକ କ୍ରମ ନଥିଵା ବେଳେ ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକରେ ଅକ୍ଷରଗୁଡ଼ିକୁ ଆମ ଗଳାରୁ ଓଠ ପର୍ଯ୍ୟନ୍ତ ଥିଵା ଉଚ୍ଚାରଣ ସ୍ଥାନ ଅନୁସାରେ ସଜାଯାଇଛି। ଉଦାହରଣ ସ୍ୱରୂପ :
•କଣ୍ଠ୍ୟ : ଅ, ଆ, କ, ଖ, ଗ, ଘ, ଙ, ହ, ଃ
•ତାଲଵ୍ୟ : ଇ, ଈ, ଚ, ଛ, ଜ, ଝ, ଞ, ଯ, ଶ
•ମୂର୍ଦ୍ଧନ୍ୟ : ଋ, ଟ, ଠ, ଡ, ଢ, ଣ, ର, ଳ, ଷ
•ଦନ୍ତ୍ୟ : ତ, ଥ, ଦ, ଧ, ନ, ଲ, ସ
•ଓଷ୍ଠ୍ୟ : ଉ, ଊ, ପ, ଫ, ବ, ଭ, ମ
•ନାସିକ୍ୟ : ଙ, ଞ, ଣ, ନ, ମ, ଂ
•କଣ୍ଠ-ତାଲଵ୍ୟ : ଏ, ଐ
•କଣ୍ଠ-ଓଷ୍ଠ୍ୟ : ଓ, ଔ
•ଦନ୍ତ-ଓଷ୍ଠ୍ୟ : ଅନ୍ତଃସ୍ଥ ଵ (ଉଚ୍ଚାରଣରେ
ଓଷ୍ଠ ଓ ଉପର ଦନ୍ତପଂକ୍ତିର ସ୍ପର୍ଶ ହୋଇଥାଏ)
•ଦ୍ଵିସ୍ଵର : ୟ (ଇ+ଅ), ୱ (ଉ+ଅ)

ଏହିପରି ଭାବେ ଗଳାରୁ ଆରମ୍ଭ କରି ଓଠ ପର୍ଯ୍ୟନ୍ତ କ୍ରମାନ୍ୱୟରେ ଅକ୍ଷରଗୁଡ଼ିକୁ ସଜାଇଵା ଏକ ସୂକ୍ଷ୍ମ ମାନଵ ଶରୀର ଵିଜ୍ଞାନର ପରିଚୟ ଦିଏ।

ଭାରତୀୟ ଲିପିଗୁଡ଼ିକରେ "ଯାହା କୁହାଯାଏ, ତାହା ହିଁ ଲେଖାଯାଏ"। ଇଂରାଜୀରେ 'C' ର ଉଚ୍ଚାରଣ କେତେବେଳେ 'କ' (Cat) ତ କେତେବେଳେ 'ସ' (City) ହୋଇଥାଏ, କିନ୍ତୁ ଓଡ଼ିଆ ତଥା ଅନ୍ୟ ଇଣ୍ଡିକ୍ ଲିପିରେ ପ୍ରତିଟି ଧ୍ୱନି ପାଇଁ ଏକ ସ୍ୱତନ୍ତ୍ର ଓ ଅପରିଵର୍ତ୍ତନୀୟ ଅକ୍ଷର ରହିଛି। ଏହି ସ୍ପଷ୍ଟତା ଯୋଗୁଁ ଏହାକୁ ପଢ଼ିଵା ବେଳେ ମସ୍ତିଷ୍କ ଉପରେ କୌଣସି ଅଯଥା ଚାପ ପଡ଼େ ନାହିଁ ଏଵଂ ବନାନ ଭୁଲ୍ ହେଵାର ସମ୍ଭାଵନା ଅତ୍ୟନ୍ତ କମ୍ ଥାଏ।

ଇଣ୍ଡିକ୍ ଲିପିଗୁଡ଼ିକରେ ସ୍ୱର ଵର୍ଣ୍ଣ ଓ ଵ୍ୟଞ୍ଜନ ଵର୍ଣ୍ଣର ଵିଭାଜନ ଅତି ସୁଚିନ୍ତିତ। ଏଠାରେ ସ୍ୱର ଵର୍ଣ୍ଣଗୁଡ଼ିକ 'ମାତ୍ରା' ରୂପରେ ଵ୍ୟଞ୍ଜନ ଵର୍ଣ୍ଣ ସହ ଯୁକ୍ତ ହୋଇ ଶବ୍ଦର ଆକାରକୁ ସୀମିତ ରଖନ୍ତି। ଉଦାହରଣସ୍ୱରୂପ, 'କ' ରେ 'ଇ' ମିଶିଲେ ତାହା 'କି' (କ + ି) ହୁଏ। ଏହି ଗାଣିତିକ ଶୈଳୀ ଯୋଗୁଁ ଅତି ଅଳ୍ପ ସ୍ଥାନରେ ଅଧିକ ତଥ୍ୟ ଲେଖାଯାଇପାରେ, ଯାହା ଏହି ଲିପିଗୁଡ଼ିକୁ ଲେଖନ କଳା ଦୃଷ୍ଟିରୁ ମଧ୍ୟ ଵୈଜ୍ଞାନିକ କରିଥାଏ।

ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକର ଗଠନ ପ୍ରଣାଳୀ ଏତେ ଯୌକ୍ତିକ ଯେ, ଏହାକୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ତଥା 'ନ୍ୟାଚୁରାଲ୍ ଲାଙ୍ଗୁଏଜ୍ ପ୍ରୋସେସିଂ' (NLP) ପାଇଁ ସବୁଠାରୁ ଅନୁକୂଳ ବୋଲି ଵିଵେଚନା କରାଯାଏ। ପାଣିନିଙ୍କ ଅଷ୍ଟାଧ୍ୟାୟୀ ପରି ଵ୍ୟାକରଣ ଗ୍ରନ୍ଥରେ ଵର୍ଣ୍ଣମାଳାର ଯେଉଁ ସୂତ୍ର ଦିଆଯାଇଛି, ତାହା ଆଧୁନିକ ଆଲଗୋରିଦମ୍‌ ପରି କାମ କରେ। ଏହି ଲିପିଗୁଡ଼ିକରେ ପ୍ରତିଟି ଅକ୍ଷରର ନିଜସ୍ୱ ଧ୍ୱନି ଓ ଗୁଣ ସ୍ଥିର ରହିଥାଏ, ଯାହା ମେସିନ୍ ଲର୍ନିଂ ପାଇଁ ଅତି ସହଜ ହୋଇଥାଏ।

ସଂକ୍ଷେପରେ କହିଲେ, ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକ କେଵଳ ଭାବ ପ୍ରକାଶର ମାଧ୍ୟମ ନୁହେଁ, ବରଂ ଏହା ମାନଵ ସ୍ବରଯନ୍ତ୍ର ଓ ଧ୍ୱନି ତରଙ୍ଗର ଏକ ଗଭୀର ସମନ୍ୱୟ। ଉଚ୍ଚାରଣର ସ୍ଥାନ, ଶବ୍ଦର ସ୍ପଷ୍ଟତା ତଥା ଗାଣିତିକ ସଂରଚନା ଇଣ୍ଡିକ୍ ଲିପିଗୁଡ଼ିକୁ ଵିଶ୍ୱର ଶ୍ରେଷ୍ଠ ଵୈଜ୍ଞାନିକ ଐତିହ୍ୟ ଭାବେ ପ୍ରମାଣିତ କରେ। ଏହି କାରଣରୁ ହିଁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଏହି ଲିପିଗୁଡ଼ିକ ନିଜର ପ୍ରାସଙ୍ଗିକତା ବଜାୟ ରଖିଛନ୍ତି।

କିନ୍ତୁ ଉତ୍ତର ଭାରତୀୟମାନେ ସମସ୍ତ ଇଣ୍ଡିକ୍ ଲିପିଗୁଡ଼ିକୁ ଵୈଜ୍ଞାନିକ ନକହି କେଵଳ ଦେଵନାଗରୀ ଲିପିକୁ ଵୈଜ୍ଞାନିକ ଲିପି ବୋଲି ଯେଉଁ ଅପପ୍ରଚାର କରୁଛନ୍ତି ତାହା ଠିକ୍ ନୁହେଁ । ଦେଵନାଗରୀ ଏଵଂ ଅନ୍ୟାନ୍ୟ କୌଣସି ଇଣ୍ଡିକ୍ ଲିପିରେ Wକୁ ପ୍ରକାଶ କରିଵା ପାଇଁ କୌଣସି ସ୍ଵତନ୍ତ୍ର ଅକ୍ଷର ନାହିଁ କିନ୍ତୁ ଓଡ଼ିଆ ଲିପିରେ ଏଥିପାଇଁ ଦ୍ଵିସ୍ଵର 'ୱ(ଉ+ଅ)' ଭଳି ଏକ ସ୍ଵତନ୍ତ୍ର ଅକ୍ଷର ଅଛି । ଓଡ଼ିଆ ଲିପିରେ 
ଅନ୍ତଃସ୍ଥ 'ଯ' ଓ ଦ୍ଵିସ୍ଵର 'ୟ' ଉଭୟ ଅଛି କିନ୍ତୁ ଦେଵନଗରୀରେ କେଵଳ ଅନ୍ତଃସ୍ଥ 'ଯ(य)' ଅଛି ଯାହାକୁ ଉତ୍ତର ଭାରତୀୟ ଦ୍ଵିସ୍ଵର 'ୟ' ପରି ଉଚ୍ଚାରଣ କରନ୍ତି । ତେଣୁ ଅନ୍ତତଃ ଓଡ଼ିଆଲିପିଠାରୁ ଦେଵନାଗରୀ ଲିପି ସେତେ ଵୈଜ୍ଞାନିକ ନୁହେଁ । 

ଅଧିକନ୍ତୁ ଭାରତୀୟ ଲିପିଗୁଡ଼ିକରେ ଵିଶ୍ଵର ସମସ୍ତ ଭାଷାକୁ ଲେଖାଯାଇପାରେ କିନ୍ତୁ କୋରିଆନୀୟ ହାଙ୍ଗୁଲ୍ ଲିପି କେଵଳ କୋରିଆନୀୟ ଭାଷା ଲେଖିଵାକୁ ତିଆରି ହୋଇଛି । ଉଦାହରଣ ସ୍ୱରୂପ ଶିଶିର ସାହୁକୁ କୋରିଆନ୍ ହାଙ୍ଗୁଲ୍ ଲିପିରେ 시시르 (Si-si-reu) 사후 (Sa-hu) ଲେଖାଯିଵ ।‌ ଶିଶିର ନାଆଁର Si-si-reu(ସିସିରେଉ) ହେଇଯାଉଥିଵାରୁ ସ୍ପଷ୍ଟ ହୁଏ ଯେ ହାଙ୍ଗୁଲ୍ ଲିପିରେ ସବୁ ଭାଷାର ଶବ୍ଦ ଠିକ୍ ଭାବରେ ଲେଖାଯାଇପାରିଵ ନାହିଁ । କିନ୍ତୁ ଇଣ୍ଡିକ୍ ଲିପିଗୁଡ଼ିକରେ କୋରିଆନ୍ ଭାଷାକୁ ସହଜରେ ଲେଖାଯାଇପାରେ । 

ଅସ୍ତୁ ପୂର୍ଵ ଏସୀୟ ଲିପିଗୁଡ଼ିକ ମଧ୍ୟରେ ହାଙ୍ଗୁଲ୍ ନିଶ୍ଚିତ ଭାବରେ ଏକ ଵୈଜ୍ଞାନିକ ଲିପି ଅଟେ । 
ଏହି ହାଙ୍ଗୁଲ୍ ଲିପି ଆଜି କୋରିଆର ଗର୍ଵ ହୋଇଥିଲେ ମଧ୍ୟ ଏହାର ଜନ୍ମକାଳ ଏଵଂ ପ୍ରାରମ୍ଭିକ ଯାତ୍ରା ଆଦୌ ସହଜ ନଥିଲା। ଏକ ଵୈଜ୍ଞାନିକ ଲିପି ଭାବରେ ସ୍ୱୀକୃତି ପାଇଵା ପୂର୍ବରୁ ଏହାକୁ ଶତାବ୍ଦୀ ଶତାବ୍ଦୀ ଧରି ଅଵହେଳା, ଅପମାନ ତଥା କଠୋର ଵିରୋଧର ସାମ୍ନା କରିଵାକୁ ପଡ଼ିଥିଲା। ଏହି ଵିରୋଧ ପଛରେ ସାମାଜିକ ସଂରଚନା, ଶ୍ରେଣୀଗତ ଅହଂକାର ଓ ରାଜନୈତିକ କାରଣମାନ ରହିଥିଲା।

୧୫ଶ ଶତାବ୍ଦୀରେ କୋରିଆର ଉଚ୍ଚଵର୍ଗର ଶିକ୍ଷିତ ପଣ୍ଡିତ (Yangban) ମାନେ ଚାଇନିଜ୍ ଅକ୍ଷର ଵା 'ହାଞ୍ଜା' (Hanja) ଵ୍ୟଵହାର କରୁଥିଲେ। ସେମାନଙ୍କ ପାଇଁ ଚାଇନିଜ୍ ଲିପି ଶିଖିଵା ଏକ ବୌଦ୍ଧିକ ଶ୍ରେଷ୍ଠତାର ପ୍ରତୀକ ଥିଲା। ଯେତେବେଳେ ରାଜା ସେଜୋଙ୍ଗ୍ ସରଳ 'ହାଙ୍ଗୁଲ୍' ଲିପି ପ୍ରଚଳନ କଲେ, ଏହି ପଣ୍ଡିତମାନେ ଭୟ କଲେ ଯେ ଯଦି ସାଧାରଣ ଚାଷୀ ଓ ମୂଲିଆମାନେ ଲେଖାପଢ଼ା ଶିଖିଯିବେ, ତେବେ ସମାଜରେ ସେମାନଙ୍କର ପ୍ରତିପତ୍ତି କମିଯିଵ। ଚୋଇ ମାନ୍-ରି (Choe Man-ri) ଙ୍କ ପରି ଜଣେ ପ୍ରଭାଵଶାଳୀ ପଣ୍ଡିତ ରାଜାଙ୍କୁ କହିଥିଲେ ଯେ, ଏହି ନୂଆ ଲିପି ଶିଖିଵା ଦ୍ୱାରା କୋରିଆ ଚୀନ୍ ପରି ଏକ ସଭ୍ୟ ଦେଶଠାରୁ ଵିଚ୍ୟୁତ ହୋଇ "ବର୍ବରଦେଶ" ପାଲଟିଯିଵ ।

ହାଙ୍ଗୁଲ୍ ଅତି ସହଜ ହୋଇଥିଵାରୁ ଉଚ୍ଚଵର୍ଗର ଲୋକମାନେ ଏହାକୁ ତୁଚ୍ଛ ମନେ କରୁଥିଲେ। ସେମାନେ ଏହାକୁ ତାତ୍ସଲ୍ୟ କରି 'ଅନମୁନ୍' (Eonmun) ବୋଲି କହୁଥିଲେ, ଯାହାର ଅର୍ଥ ହେଉଛି "ଅଶିକ୍ଷିତଙ୍କ ଭାଷା"। ସେହିପରି ଏହାକୁ 'ଆମ୍‌ଗୁଲ୍' (Amgeul) ମଧ୍ୟ କୁହାଯାଉଥିଲା, ଯାହାର ଅର୍ଥ "ମହିଳାଙ୍କ ଲିପି"। ସେ ସମୟରେ ମହିଳାମାନଙ୍କୁ ଚାଇନିଜ୍ ପରି ଜଟିଳ ଲିପି ଶିଖିଵାକୁ ବାରଣ କରାଯାଉଥିଵାରୁ, ସେମାନେ ନିଜ ନିଜ ମଧ୍ୟରେ ଭାବ ଵିନିମୟ ପାଇଁ ହାଙ୍ଗୁଲ୍ ଵ୍ୟଵହାର କରୁଥିଲେ। ପଣ୍ଡିତମାନଙ୍କ ପାଇଁ ଏହା ଏକ ନିମ୍ନମାନର ଲିପି ଥିଲା।

ହାଙ୍ଗୁଲ୍‌ର ଲୋକପ୍ରିୟତା ବଢ଼ିଵା ସହିତ ଏହା କର୍ତ୍ତୃପକ୍ଷଙ୍କ ପାଇଁ ଵିପଦ ସାଜିଲା। ୧୫୦୪ ମସିହାରେ ରାଜା ୟୋନସାନଗୁନ୍ (Yeonsangun) ହାଙ୍ଗୁଲ୍ ଲିପିର ଵ୍ୟଵହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଦେଲେ। କାରଣ ସେସମୟର ଚୋସନ୍‌(ପ୍ରାଚୀନ ଅଵିଭକ୍ତ କୋରିଆ)ରେ ଲୋକମାନେ ହାଙ୍ଗୁଲ୍ ଲିପି ଵ୍ୟଵହାର କରି କାନ୍ଥବାଡ଼ରେ ରାଜାଙ୍କ ଵିରୋଧରେ ପୋଷ୍ଟର ମାରିଵା ସହ ତାଙ୍କୁ ସମାଲୋଚନା କରି କଵିତା ଲେଖିଵା ଆରମ୍ଭ କରିଥିଲେ। ରାଜା ୟୋନସାନଗୁନ୍ ହାଙ୍ଗୁଲ୍ ଶିଖିଵା ଓ ଵ୍ୟଵହାର କରିଵାକୁ ଅପରାଧ ଭାବେ ଘୋଷଣା କରି ଏହି ଲିପିରେ ଲେଖାଯାଇଥିଵା ପୁସ୍ତକଗୁଡ଼ିକୁ ପୋଡ଼ି ଦେଇଥିଲେ। ପରଵର୍ତ୍ତୀ କିଛି ରାଜା ମଧ୍ୟ ହାଙ୍ଗୁଲ୍ ପ୍ରତି ସେତେଟା ସହାୟକ ନଥିଲେ।

ତେବେ ହାଙ୍ଗୁଲ୍ (Hangul) ଲିପିର ପୁନରୁଦ୍ଧାର କୌଣସି ଚମତ୍କାରଠାରୁ କମ୍ ନଥିଲା। ଯେଉଁ ଲିପିକୁ ଶତାବ୍ଦୀ ଶତାବ୍ଦୀ ଧରି ରାଜକୀୟ ଅଵହେଳା ଓ ପଣ୍ଡିତମାନଙ୍କ ତିରସ୍କାର ସହିଵାକୁ ପଡ଼ିଥିଲା, ତାହା ୧୯ଶ ଶତାବ୍ଦୀର ଶେଷ ଭାଗରେ କୋରିଆର ଆତ୍ମସମ୍ମାନ ଓ ଜାତୀୟତାର ପ୍ରତୀକ ଭାବେ ପୁନର୍ଜନ୍ମ ଲଭିଲା। ଏହି ପୁନରୁଦ୍ଧାର ପ୍ରକ୍ରିୟା ପଛରେ ଦେଶପ୍ରେମ, ସାମାଜିକ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମର ଏକ ପ୍ରେରଣାଦାୟୀ କାହାଣୀ ରହିଛି।

୧୮୯୪ ମସିହାରେ କୋରିଆରେ 'କାବୋ ସଂସ୍କାର' ନାମକ ଏକ ବଡ଼ ଧରଣର ସାମାଜିକ ଓ ପ୍ରଶାସନିକ ପରିବର୍ତ୍ତନ ଦେଖାଗଲା। ଏହି ସମୟରେ ପ୍ରଥମ କରି ଚାଇନିଜ୍ ହାଞ୍ଜା ଲିପି ବଦଳରେ ହାଙ୍ଗୁଲ୍‌କୁ ସରକାରୀ ଦଲିଲ୍ ଓ ପ୍ରଶାସନିକ କାର୍ଯ୍ୟରେ ଵ୍ୟଵହାର କରିଵା ପାଇଁ ନିଷ୍ପତ୍ତି ନିଆଗଲା। ଏହା ହାଙ୍ଗୁଲ୍ ପାଇଁ ଏକ ବଡ଼ ଵିଜୟ ଥିଲା, କାରଣ ଏତଦ୍ୱାରା ହାଙ୍ଗୁଲ୍ ତା'ର ହରାଇଥିଵା ସମ୍ମାନ ଫେରି ପାଇଲା ଏଵଂ କେଵଳ "ମହିଳାଙ୍କ ଲିପି" ନହୋଇ ସମଗ୍ର ଜାତିର ଲିପିରେ ପରିଣତ ହେଲା।

ହାଙ୍ଗୁଲ୍‌କୁ ଲୋକପ୍ରିୟ କରିଵାରେ 'ଦ ଇଣ୍ଡିପେଣ୍ଡେଣ୍ଟ' (The Independent / Dongnip Sinmun) ନାମକ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୮୯୬ରେ ପ୍ରକାଶିତ ଏହି ସମ୍ବାଦପତ୍ର କେଵଳ ହାଙ୍ଗୁଲ୍ ଲିପି ଵ୍ୟଵହାର କରୁଥିଲା, ଯାହାଫଳରେ ସାଧାରଣ ଜନତା ଦେଶ ଵିଦେଶର ଖବର ପଢ଼ିଵାକୁ ସକ୍ଷମ ହେଲେ। 

ଏଥିସହିତ ପାଶ୍ଚାତ୍ୟ ମିଶନାରୀମାନେ ବାଇବେଲ୍‌କୁ ହାଙ୍ଗୁଲ୍‌ରେ ଅନୁଵାଦ କରିବା ଦ୍ୱାରା ଏହି ଲିପି ଗାଁ ଗାଁରେ ପହଞ୍ଚିଗଲା। ଲୋକମାନେ ଅନୁଭଵ କଲେ ଯେ ନିଜସ୍ୱ ଲିପି ଵିନା ଦେଶର ଵିକାଶ ସମ୍ଭଵ ନୁହେଁ।

୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆ ଜାପାନର ଶାସନାଧୀନ ଥିଲା। ଜାପାନୀମାନେ କୋରିଆର ସଂସ୍କୃତିକୁ ନଷ୍ଟ କରିଵା ପାଇଁ ସ୍କୁଲଗୁଡ଼ିକରେ କୋରିଆନ୍ ଭାଷା ଓ ହାଙ୍ଗୁଲ୍ ଲିପି ଉପରେ କଟକଣା ଲଗାଇଲେ। କିନ୍ତୁ ଏହା କୋରିଆଵାସୀଙ୍କ ମଧ୍ୟରେ ଜାତୀୟତାଵାଦକୁ ଆହୁରି ଉଗ୍ର କଲା। କୋରିଆନ୍ ଭାଷାଵିଦମାନେ ଗୋପନରେ 'କୋରିଆନ୍ ଲାଙ୍ଗୁଏଜ୍ ସୋସାଇଟି' ଗଠନ କରି ହାଙ୍ଗୁଲ୍‌ର ଵ୍ୟାକରଣ ଓ ଅଭିଧାନ ପ୍ରସ୍ତୁତ କଲେ। ହାଙ୍ଗୁଲ୍ ଶିଖିଵା ଓ ଶିଖାଇଵା ସେତେବେଳେ ଦେଶପ୍ରେମର ଏକ ବଡ଼ କାମ ଥିଲା। ସଂଗ୍ରାମୀମାନେ ଅନୁଭବ କଲେ ଯେ "ଭାଷା ଓ ଲିପି ବଞ୍ଚିଲେ ହିଁ ଜାତି ବଞ୍ଚିଵ"।

୧୯୪୫ ମସିହାରେ ଜାପାନର ଶାସନରୁ ସ୍ୱାଧୀନ ହେଵା ପରେ, କୋରିଆ (ଉଭୟ ଉତ୍ତର ଓ ଦକ୍ଷିଣ) ହାଙ୍ଗୁଲ୍‌କୁ ନିଜର ଏକମାତ୍ର ସରକାରୀ ଲିପି ଭାବେ ଗ୍ରହଣ କଲେ। ସରକାରୀ ସ୍ତରରେ ଵ୍ୟାପକ ସାକ୍ଷରତା ଅଭିଯାନ ଚଲାଗଲା, ଯାହାଫଳରେ ମାତ୍ର କିଛି ଦଶନ୍ଧି ମଧ୍ୟରେ କୋରିଆର ପ୍ରତିଟି ନାଗରିକ ଶିକ୍ଷିତ ହୋଇପାରିଲେ। ରାଜା ସେଜୋଙ୍ଗ୍‌ଙ୍କ ସ୍ୱପ୍ନ ଆଧୁନିକ ଯୁଗରେ ସଫଳ ହେଲା।

ଆଜି ହାଙ୍ଗୁଲ୍ ଏତେ ସରଳ ଯେ କୁହାଯାଏ, "ଜଣେ ଜ୍ଞାନୀ ଵ୍ୟକ୍ତି ଏହାକୁ ସକାଳ ଜଳଖିଆ ପୂର୍ଵରୁ ଶିଖିପାରିବେ ଏଵଂ ଜଣେ ସାଧାରଣ ଵ୍ୟକ୍ତି ମଧ୍ୟ ଏହାକୁ ଗୋଟିଏ ରାତିରେ ଶିଖିପାରିବେ।"
ହାଙ୍ଗୁଲ୍‌ର ଏହି ଗୁରୁତ୍ୱ ପାଇଁ ୟୁନେସ୍କୋ (UNESCO) 'କିଙ୍ଗ ସେଜୋଙ୍ଗ ଲିଟେରାସି ପ୍ରାଇଜ୍' ମଧ୍ୟ ପ୍ରଦାନ କରିଥାଏ।

ହାଙ୍ଗୁଲ୍‌ର ପୁନରୁଦ୍ଧାର ଏକ ଜାତିର ନିଜସ୍ୱ ପରିଚୟ ଖୋଜିଵାର କାହାଣୀ। ଯେଉଁ ଲିପିକୁ ଦମନ କରିଵାକୁ ଚେଷ୍ଟା କରାଯାଇଥିଲା, ତାହା ଶେଷରେ ଵିଜୟୀ ହେଲା। ହାଙ୍ଗୁଲ୍ ଲିପିର ଅସ୍ତିତ୍ୱ ବଞ୍ଚାଇଵାର ସଂଘର୍ଷ କାହାଣୀ ଆମକୁ ଓଡ଼ିଆ ଲିପିର ଅସ୍ତିତ୍ୱ ବଞ୍ଚାଇଵାର ସଂଘର୍ଷ କାହାଣୀ ମନେ ପକେଇ ଦିଏ । ଭାରତର ସବୁଠାରୁ ଵୈଜ୍ଞାନିକ ଲିପି ହୋଇ ବି ଦକ୍ଷିଣରେ ଗଞ୍ଜାମ ଓ କନ୍ଧମାଳରୁ ଓଡ଼ିଆ ଲିପି ଓ ଭାଷା ଲୋପ କରିଵାକୁ ତେଲେଙ୍ଗାମାନେ କୁଚେଷ୍ଟା କରିଥିଲେ । ଉତ୍ତର ଓଡ଼ିଶା ତଥା ଉପକୂଳ ଓଡ଼ିଶାରୁ ଓଡ଼ିଆ ଭାଷା ଓ ଲିପିକୁ ମାରି ଦେଵାକୁ ବଙ୍ଗାଳୀମାନେ ଚକ୍ରାନ୍ତ କରିଥିଲେ । ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଉତ୍ତର ଵିଚ୍ଛିନ୍ନାଞ୍ଚଳରୁ ଓଡ଼ିଆ ଭାଷା ଓ ଲିପି ଉଠେଇ ଦେଵାର ଭୀଷଣ ଷଡ଼ଯନ୍ତ୍ର ହିନ୍ଦୀଭାଷୀ କରିଥିଲେ ଏଵଂ ଆଜି ମଧ୍ୟ କରୁଛନ୍ତି । ତଥାପି ତତ୍କାଳୀନ ଓଡ଼ିଆ ସ୍ଵାଭିମାନୀମାନେ ମସିଯୁଦ୍ଧ ଚଳାଇ ଆନ୍ଦୋଳନ କରି ଓଡ଼ିଆ ଭାଷା ଓ ଲିପିକୁ ବଞ୍ଚାଇଵାରେ ସଫଳ ହୋଇଥିଲେ ।‌ ଯେମିତି 
କୋରିଆର ହାଙ୍ଗୁଲ୍ ଲିପି ଓ କୋରିଆନ୍ ଭାଷା ପାଇଁ "ଦ ଇଣ୍ଡିପେଣ୍ଡେଣ୍ଟ(୧୮୯୬)" ସଞ୍ଜିଵନୀ ଭଳି କାମ କରିଥିଲା ଠିକ୍ ସେହିପରି ୧୮୬୬ ମସିହା ପରେ ଓଡ଼ିଆ ଜାତି ଭାଷା ଓ ଲିପି ପାଇଁ ଉତ୍କଳ ଦୀପିକା ପତ୍ରିକାର ଭୂମିକା ମହତ୍ତ୍ୱପୂର୍ଣ୍ଣ । ସେ ସମୟରେ ଓଡ଼ିଶାରେ ରହୁଥିଵା ବଙ୍ଗାଳୀମାନେ ପ୍ରାଣପଣେ ଓଡ଼ିଆ ଲିପି ମାରି ଦେଵାକୁ ଚେଷ୍ଟା କରିଥିଲେ । ଓଡ଼ିଆ ଲିପିରେ ସେତେ ପୁସ୍ତକ ନଥିଵାରୁ ଲୋକେ ବଙ୍ଗାଳୀ ଲିପିରେ ଛପା ବହି ପଢ଼ୁଥିଲେ ‌। ଓଡ଼ିଶାର ଶିକ୍ଷିତ ସମାଜ ମଧ୍ୟରେ ବଙ୍ଗାଳୀ ଲିପିର ମହତ୍ତ୍ୱ ବଢ଼ି ଯାଇଥିଲା । ଏହାର ପ୍ରଭାଵ ଏତେ ଅଧିକ ଥିଲା ଯେ କଟକ ପୁରୀ ଭଳି ଅଞ୍ଚଳର ଶିକ୍ଷିତଙ୍କ ମଧ୍ୟରେ ନବେ ଦଶକ ପର୍ଯ୍ୟନ୍ତ ବଙ୍ଗାଳୀ ଲିପିର ପ୍ରଭାଵ ଦେଖାଯାଉଥିଲା । କିନ୍ତୁ ଉତ୍କଳ ଦୀପିକାକୁ ଓଡ଼ିଆ ଭାଷା ଓ ଲିପିରେ ଛପାଯିଵା ପରେ ସବୁକିଛି ବଦଳିଗଲା । ଏହାପରେ ଆହୁରି ଅନେକ ପୁସ୍ତକ ଓ ପତ୍ରପତ୍ରିକା ଓଡ଼ିଆ ଭାଷା ଓ ଲିପିରେ ଛପାଗଲା । ସେତେବେଳେ ଅନେକ ଓଡ଼ିଶାଵାସୀ ବଙ୍ଗାଳୀମାନେ ଓଡ଼ିଆ ଲିପି ଛାଡ଼ି ବଙ୍ଗାଳୀ ଲିପି ଵ୍ୟଵହାର କରିଵାକୁ ସମସ୍ତଙ୍କୁ ପ୍ରଵର୍ତ୍ତାଇଥିଲେ । କିଛି ତଥାକଥିତ ଓଡ଼ିଶାଵାସୀ ବଙ୍ଗାଳୀ ସାହିତ୍ୟିକ ତ କଵିତା ଓ ପ୍ରବନ୍ଧ ଲେଖି ଓଡ଼ିଆ ଲିପିର ଦୋଷ ଦୁର୍ଵଳତା ଵିଷୟରେ ଲେଖିଥିଲେ , ଵ୍ୟଙ୍ଗ୍ୟ କଵିତା ଲେଖିଥିଲେ । ଉଦାହରଣ ସ୍ୱରୂପ କଟକଷ୍ଟାର୍ ପତ୍ରିକାରେ ଉମାଚରଣ ହଳଦାର୍ ଭଳି ବଙ୍ଗାଳୀ ବଂଶୋଦ୍ଭଵମାନେ ଲେଖା ଛପେଇ କୈଥୀ ଲିପି ଯେମିତି ବିହାରରୁ ଉଠି ଦେଵନାଗରୀ ଚଳିଲା ଠିକ୍ ସେହିପରି ଓଡ଼ିଶାରୁ ଓଡ଼ିଆ ଲିପି ଉଠେଇ ବଙ୍ଗାଳୀ ଲିପି ଚଳାଇଵାକୁ ଯୁକ୍ତି ସହିତ ଲେଖା ଛପାଯାଇଥିଲା । ସେତେବେଳେ ଗୌରୀଶଙ୍କର ରାୟଙ୍କ ଭଳି ମସିଯୋଦ୍ଧାମାନେ ସେମାନଙ୍କ ଵିପକ୍ଷରେ ଭୀଷଣ ମସି ଚାଳନା କରିଥିଲେ।
ତତ୍କାଳୀନ ସ୍ଵାଭିମାନୀ ଓଡ଼ିଆମାନେ ମସିଯୁଦ୍ଧ ଚଳାଇ ସେମାନଙ୍କର ଉପଯୁକ୍ତ ଉତ୍ତର ଦେଇଥିଲେ ଏଵଂ ଓଡ଼ିଆ ଲିପି ନିଜର ମହତ୍ତ୍ୱ ବଞ୍ଚାଇଵାରେ ସଫଳ ହୋଇଥିଲା ‌। ଓଡ଼ିଶାରେ ଓଡ଼ିଆ ଲିପି ଓ ଭାଷା ସୁରକ୍ଷିତ ହେଵାର ଦେଢ଼ ଦଶନ୍ଧି ପରେ କୋରିଆ ସ୍ଵାଧୀନ ହେଲା ଏଵଂ ହାଙ୍ଗୁଲ୍ ଲିପିକୁ ତାହାର ନାର୍ଯ୍ୟ ଅଧିକାର ମିଳିଲା । ସେବେଠାରୁ ଏବେ ଯାଏଁ ଅଵିଭକ୍ତ କୋରିଆରେ ହାଙ୍ଗୁଲ୍ ଲିପିର ଆଦର ବହୁତ ବଢ଼ିଛି । ଅନେକ ଵର୍ଷ ଚୀନର କରଦରାଜ୍ୟ ରହି, ଜାପାନ ଦ୍ଵାରା ପରାଧୀନ ହୋଇ ଏଵଂ ଇଂରାଜୀ ଭଳି ଵୈଦେଶିକ ଭାଷା ଓ ସଂସ୍କୃତି ଦ୍ଵାରା ପ୍ରଭାଵିତ ହୋଇ ମଧ୍ୟ କୋରିଆର ଲୋକମାନେ କୌଣସି ଵିଦେଶୀ ଲିପି ନୁହେଁ ଵରଂ ନିଜ ଦେଶର ହାଙ୍ଗୁଲ୍ ଲିପିରେ ଲେଖିଵାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଅନେକ ଓଡ଼ିଆମାନେ ଅନଲାଇନରେ ଚାଟିଂ କଲାବେଳେ ଆଜି ବି ଲାଟିନ୍ ଲିପିରେ ଓଡ଼ିଆ ଲେଖୁଛନ୍ତି । ଦସ୍ତଖତ ଓଡ଼ିଆ ପରିଵର୍ତ୍ତେ ଲାଟିନ୍ ଲିପିରେ କରୁଛନ୍ତି । ନାଆଁର ସୂଚୀ ଓଡ଼ିଆ ଲିପିରେ ନକରି ଲାଟିନ୍ ଲିପିରେ କରୁଛନ୍ତି । ଏମନ୍ତକି ଓଡ଼ିଆ ଚଳଚ୍ଚିତ୍ର ଓ ଧାରାଵାହିକର ନାଆଁ ଲାଟିନ୍ ଲିପିରେ ରଖାଯାଉଛି । ଚୋସନ୍ ଶାସନକାଳରେ କୋରିଆଵାସୀ ପଣ୍ଡିତମାନେ ନିଜ ମାଟିର ଲିପି ହାଙ୍ଗୁଲ୍‌କୁ ଯେମିତି ଅନାଦର କରିଥିଲେ ଠିକ୍ ସେହିପରି ଆଜିର ଶିକ୍ଷିତ-ମୂର୍ଖ ଭୂଷପଣ୍ଡିତମାନେ ଓଡ଼ିଆ ଲିପିକୁ ହେୟଜ୍ଞାନ କରି ଲାଟିନ୍ ଲିପିରେ ଲେଖି ନିଜର ପାଣ୍ଡିତ୍ୟ ଦେଖାଉଛନ୍ତି । 

ଏକଦା ଉତ୍କଳ ଦୀପିକାରେ ଛଦ୍ମନାମରେ ଗୌରୀଶଙ୍କର ରାୟ ଗୋଟିଏ ପଦ୍ୟ ଓଡ଼ିଆ ଲିପି ଓ ଭାଷାକୁ ଓଡ଼ିଶାରୁ ଉଚ୍ଛେଦ କରିଵାକୁ ଚେଷ୍ଟା କରୁଥିଵା ବଙ୍ଗାଳୀଙ୍କ ପ୍ରତି ଵ୍ୟଙ୍ଗ୍ୟ କରି ଛପାଇଥିଲେ । 

“ସଙ୍ଗାତ କି ଶୁଣିଲି ଆତମ୍ବିତ । 
ନାହିଁ ଏଥୁଁ ବଳି ଆଚମ୍ବିତରେ 
ଓଡ଼ିଆ ପାଇଁକି ଯାହାଙ୍କ ପଡ଼ିୟା 
କରମ ବଟିୟା ହେଲା, 
ବଣା କଲା ତାଙ୍କୁ ଓଡ଼ିଆ ଅକ୍ଷର
ଭାଷା ଅଡ଼ୁଆ ଲାଗିଲାରେ ।୧।
ଶିଖି ନାନା ଜ୍ଞାନ ବୋଲାନ୍ତି ସୁଜାଣ
ବୁଦ୍ଧି ହୋଇଛି ନିବାଡ଼
ଏକି ହଟହଟା ଅକ୍ଷର କେତେଟା
ମଣୁଛନ୍ତି କଣ୍ଟା ବାଡ଼ରେ ।୨।
ଟାଣପଣେ ଜଣେ ସିହାଣରୁ ଭାଣ୍ଡ
ଯତନେ ପିହାଣ ଫେଡ଼ି, 
ବଙ୍ଗଳା ଅକ୍ଷରେ ଓଡ଼ିଆ ଲେଖିଵା
ଵିଧିକି ଦେଇଛି ଇଡ଼ିରେ ।୩।
ପାଇ ଏ ଵିଧାନ ଚାଟଙ୍କ ପ୍ରଧାନ(ଅଧ୍ୟାପକ)
କରୁଛନ୍ତି ଯେତେ ନାଟ
ତା ଦେଖି ମୁଁ ଭାଳେ ପରଚଛୁ ଦେଲେ 
କଣାଙ୍କୁ ଦିଶିଵ ବାଟରେ ।୪।”

ଦୁର୍ଭାଗ୍ୟକୁ ଆଜି ଭୂଷପଣ୍ଡିତ ଓଡ଼ିଆମାନେ “ଲାଟିନ୍ ଅକ୍ଷରେ ଓଡ଼ିଆ ଲେଖୁଛନ୍ତି” ଆଉ ଓଡ଼ିଆ ଲିପିରେ କେହି ଚାଟିଂ କଲେ ତାକୁ ଅଶିକ୍ଷିତ ମନେ କରୁଛନ୍ତି। ସେହି ଶିକ୍ଷିତମୂର୍ଖଙ୍କ ପାଇଁ ଆଜି ଓଡ଼ିଶାରେ ଓଡ଼ିଆ ଭାଷା ଓ ଲିପି ଅଵହେଳିତ । 

ହାଙ୍ଗୁଲ୍ ହେଉ କିମ୍ବା ଓଡ଼ିଆ—ଲିପି କେଵଳ କେତେକ ଚିହ୍ନ ଵା ଗାରର ସମାହାର ନୁହେଁ, ଵରଂ ଏହା ଏକ ଜାତିର ସଂସ୍କୃତିର ମେରୁଦଣ୍ଡ । କୋରିଆଵାସୀ ନିଜ ଲିପିକୁ "ଅଶିକ୍ଷିତଙ୍କ ଭାଷା" ଵା "ମହିଳାଙ୍କ ଲିପି" କୁହାଯିଵାର ଅପମାନରୁ ବାହାର କରି ଆଜି ବିଶ୍ୱ ଦରବାରରେ ଏକ ଗର୍ଵିତ ପରିଚୟ ଭାବେ ଠିଆ କରିପାରିଛନ୍ତି । ସେମାନେ ବୁଝିପାରିଛନ୍ତି ଯେ, ଯେଉଁ ଜାତି ନିଜର ମାଟିର ଅକ୍ଷରକୁ ସମ୍ମାନ ଦିଏ ନାହିଁ, ସେ ଜାତି ଵିଶ୍ୱ ଇତିହାସରେ କେବଳ ଏକ "ପ୍ରତିଲିପି" (Copy) ହୋଇ ରହିଯାଏ, "ମୂଳଲିପି" ହୋଇପାରେନାହିଁ ।
ଆଜିର ଵୈଷୟିକ ଯୁଗରେ ଓଡ଼ିଆ ଲିପିକୁ 'ଅପ୍ରାସଙ୍ଗିକ' ବୋଲି ଭାବିଵା ଏକ ବଡ଼ ଭୁଲ୍ । ଯଦି କୋରିଆଵାସୀ ହାଙ୍ଗୁଲ୍ ଵ୍ୟଵହାର କରି ଵିଜ୍ଞାନ ଓ ଵାଣିଜ୍ୟ କ୍ଷେତ୍ରରେ ଶୀର୍ଷସ୍ଥାନକୁ ପହଞ୍ଚିପାରୁଛନ୍ତି, ତେବେ ଆମେ ଓଡ଼ିଆ ଲିପି ଵ୍ୟଵହାର କରି କାହିଁକି ପଛରେ ପଡ଼ିଵା ? ଲାଟିନ୍ ଲିପିରେ ଓଡ଼ିଆ ଲେଖିଵା ହେଉଛି ନିଜ ମା'କୁ ଅନ୍ୟର ପୋଷାକରେ ଦେଖିଵା ସଦୃଶ । ଡିଜିଟାଲ୍ ଦୁନିଆରେ ଓଡ଼ିଆ କି-ବୋର୍ଡ଼ର ସୁବିଧା ଥାଇ ମଧ୍ୟ ଲାଟିନ୍ ଲିପିର ଵ୍ୟଵହାର ଆମର ଆଧୁନିକତା ନୁହେଁ ଵରଂ ଆମର ମାନସିକ ଦାସତ୍ୱର ପରିଚୟ ଦିଏ ।

ସମୟ ଆସିଛି, ଆମକୁ ଆମର "ଭୂଷପଣ୍ଡିତ" ମାନସିକତାକୁ ତ୍ୟାଗ କରିଵାକୁ ହେବ । ଗୌରୀଶଙ୍କର ରାୟ, ଫକୀର ମୋହନ ଓ ମଧୁସୂଦନଙ୍କ ସେହି ସଂଗ୍ରାମକୁ ଆମକୁ ମନେ ପକାଇଵାକୁ ହେବ, ଯେଉଁମାନେ ଆମ ପାଇଁ ଆମ ଭାଷା ଓ ଲିପିକୁ ବଞ୍ଚାଇଥିଲେ । ଓଡ଼ିଆ ଲିପିକୁ ଵ୍ୟଵହାର କରିଵା କୌଣସି ଅଶିକ୍ଷିତର ପରିଚୟ ନୁହେଁ ଵରଂ ଏହା ଏକ ଉନ୍ନତ ସଭ୍ୟତାର ଉତ୍ତରାଧିକାରୀ ହେଵାର ସ୍ଵାଭିମାନ ଅଟେ ।
ଯଦି ଆମେ ଆଜି ସଚେତନ ନହେଵା, ତେବେ ଭଵିଷ୍ୟତର ବଂଶଧରମାନେ ଆମକୁ କ୍ଷମା କରିବେ ନାହିଁ । ସେଥିପାଇଁ ଆସନ୍ତୁ, କୋରିଆର ହାଙ୍ଗୁଲ୍‌ଠାରୁ ଶିକ୍ଷା ନେଇ ଆମର ମୌଳିକ, ଵୈଜ୍ଞାନିକ ଓ ସୁନ୍ଦର ଓଡ଼ିଆ ଲିପିକୁ ପ୍ରତିଟି କ୍ଷେତ୍ରରେ ଵ୍ୟଵହାର କରିବା । ମନେ ରଖନ୍ତୁ— "ଲିପି ବଞ୍ଚିଲେ ଭାଷା ବଞ୍ଚିଵ, ଆଉ ଭାଷା ବଞ୍ଚିଲେ ହିଁ ଓଡ଼ିଆ ଜାତିର ଅସ୍ତିତ୍ୱ ବଞ୍ଚିଵ ।"
•••••••••••••••••••••••••••••••••••••
ତଥ୍ୟ ଉତ୍ସ :
1.The Korean Alphabet: Its History and Structure – Young-Key Kim-Renaud

2.A History of the Korean Language – Ki-Moon Lee & S. Robert Ramsey

3.The Story of Hangul – Sang-Oak Lee

4.The World's Writing Systems – Peter T. Daniels & William Bright

5.ଶତାବ୍ଦୀର ସୂର୍ଯ୍ୟ — ସୁରେନ୍ଦ୍ର ମହାନ୍ତି

6.ଓଡ଼ିଆ ଭାଷା ଆନ୍ଦୋଳନ— ବଂଶୀଧର ମହାନ୍ତି 
••••••••••••••••••••••••••••••••••••••



Saturday, February 21, 2026

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ମୂଳ ନିବାସୀ ହେଲେ ସେଇ ମାଟି ପାଣି ପଵନକୁ ସମ୍ମାନ ଦେଇ ନିଜ ମୂଳ ପରିଚୟ ଛାଡ଼ି ଦେବେ । ଉଭୟ ନିଜ ନିଜ ସ୍ଥାନରେ ଠିକ୍ । ବଙ୍ଗାଳୀ ଜାତିଟି ଠିକ୍ ଡ୍ରାଗନଫ୍ଲାଇ୍ ଵା କଙ୍କିପରି । Meganeura ଜାତୀୟ କଙ୍କି ଆଜକୁ ପ୍ରାୟ ୩୫୯–୨୯୯ ମିଲିଅନ୍ ଵର୍ଷ ପୂର୍ଵେ Carboniferous periodରେ ଅମ୍ଳଜାନର ଆଧିକ୍ୟ ହେତୁ ସତୁରୀ ସେଣ୍ଟିମିଟର ଲମ୍ବ ହେଉଥିଲେ କିନ୍ତୁ ଆଜି ଭଳି ଦେଖାଯାଉଥିଲେ । କ୍ରମେ ଵିଵର୍ତ୍ତନ ଯୋଗୁଁ ସେମାନଙ୍କର ନିଜ ଆକାର ୩ରୁ ୧୨ ସେଣ୍ଟିମିଟର ପର୍ଯ୍ୟନ୍ତ ଛୋଟ କଲେ କିନ୍ତୁ ସ୍ବରୂପ ଛାଡି଼ଲେ ନାହିଁ । ବଙ୍ଗାଳୀ ଜାତି ଠିକ୍ ସେହିପରି ଯୋଉଠିକୁ ଯାଆନ୍ତି ସେଠିକା ଭାଷା ଶିଖନ୍ତି କୁହନ୍ତି ସବୁ କରନ୍ତି କିନ୍ତୁ ନିଜ ବଙ୍ଗାଳୀ ପରିଚୟ ଛାଡ଼ନ୍ତି ନାହିଁ ‌ । ସେହିପରି ଓଡ଼ିଆ ଜାତି ପ୍ରାଇମେଟ୍ସ୍ ପରି , ଯୋଉଠିକି ଗଲେ ସେଠିକାର ଜଳଵାୟୁ ଆଧାରରେ ଅନୁକୁଳିତ ହେଲେ ଏଵଂ ନିଜର ସ୍ଵରୂପ ବଦଳାଇ ଦେଲେ । 

ପଞ୍ଚଦଶ ଶତାବ୍ଦୀରୁ ବଙ୍ଗାଳୀ ଓଡ଼ିଶାରେ ଆସି ରହୁଛନ୍ତି କିନ୍ତୁ ଇଂରେଜ ଶାସନ କାଳରେ ସେମାନେ ବହୁ ସଂଖ୍ୟକ ଆସିଲେ । ଓଡ଼ିଶାରେ ଅନେକ ପିଢ଼ି ଧରି ରହିଵା ପରେ ବି ସେମାନେ ନିଜର ବଙ୍ଗାଳୀ ପରିଚୟ ନେଇ ଗର୍ଵିତ । ତାଙ୍କୁ ତୁମେ ଓଡ଼ିଆ ଭାଷାକୁ କେମିତି ବଙ୍ଗାଳୀ ମାରିଵାକୁ ଚେଷ୍ଟା କରିଥିଲେ ସେକଥା କୁହ ସେମାନେ ତମ ଉପରେ ଭୀଷଣ ଭାବରେ ରାଗିଯିବେ । ଏଇ କିଛି ଦିନ ତଳେ ବଙ୍ଗାଳୀ ମାଇକିନିଆକୁ ବାହା ହୋଇଥିଵା ଜଣେ ଓଡ଼ିଆ ପଣ୍ଡା ସାଙ୍ଗିଆଧାରୀ ବ୍ରାହ୍ମଣ କହୁଥିଲା "ବଙ୍ଗାଳୀମାନେ ଓଡ଼ିଆ ଭାଷାକୁ ଶୁଦ୍ଧ କରିଵାକୁ ଚେଷ୍ଟା କରିଥିଲେ,ଵରଂ ଓଡ଼ିଆମାନେ ୧୯୭୧ରେ ବଙ୍ଗାଳୀମାନଙ୍କ ଉପରେ ଅତ୍ୟାଚାର କରିଥିଲେ ସେଥିପାଇଁ ବଙ୍ଗଳାଦେଶ ଭାରତରୁ ଅଲଗା ହୋଇଗଲା !”

ଆଉ ଜଣେ କଲିକତୀ ବଙ୍ଗାଳୁଣୀ କହୁଥିଲା " ଆମର ସେପଟେ ଓଡ଼ିଆଙ୍କୁ ଘୃଣା କରନ୍ତି,ଉଡ଼େ ଉଡ଼େ ଡାକନ୍ତି!" 

ଓଡ଼ିଶାଵାସୀ ବଙ୍ଗାଳୀମାନେ କେବେହେଲେ ବି ନିଜ ପୂର୍ଵଜଙ୍କ କଲା କୁକର୍ମ ଵିରୋଧରେ ଶୁଣି ପାରନ୍ତି ନାହିଁ । କିଛି ଵର୍ଷ ତଳେ ଜଣେ ଜଣାଶୁଣା ଓଡ଼ିଶାଵାସୀ ବାସୁ ସାଙ୍ଗିଆଧାରୀ ବଙ୍ଗାଳୁଣୀ ମୋତେ କହିଲା " ତମେ ବଙ୍ଗାଳୀ ଜାତି ଵିରୁଦ୍ଧରେ କାହିଁକି ଲେଖିଲ ? ଓଡ଼ିଆ ଭାଷାକୁ ବଙ୍ଗାଳୀମାନେ କେବେହେଲେ ବି ମାରିଵାକୁ ଚେଷ୍ଟା କରି ନାହାଁନ୍ତି। ଏସବୁ ମିଛକଥା ବଦନାମ କରିଵାର ଷଡ଼ଯନ୍ତ୍ର!" ତାପରେ ସେ ମୋତେ ବ୍ଲକ୍ କଲା । ତେବେ ନିଜକୁ ମହାନ ଦେଖାଇଵା ପାଇଁ ସେ କହେ ମୋର ଦୁଇଟି ମାତୃଭାଷା। ମୋର ଦୁଇଟି ମାତୃଭୂମି ! 

ଠିକ୍ ଅଛି ତମର ଦୁଇଟି ମାତୃଭାଷା,ଦୁଇଟି ମାତୃଭୂମି କିଛି ଅସୁଵିଧା ନାହିଁ । କିନ୍ତୁ କାନ୍ତିପ୍ରଦର ଓଡ଼ିଆ ଏକଟା ସ୍ଵତନ୍ତ୍ର ଭାଷା ନଏ ପୁସ୍ତକ କ’ଣ ମିଛ ? ବଙ୍ଗାଳୀମାନଙ୍କର ଓଡ଼ିଆ ଭାଷା ଉଠେଇ ଦେଵାର ଚକ୍ରାନ୍ତ କ'ଣ ମିଛ ? ଯାହା ସତ୍ୟ ତାକୁ କାହିଁକି ଗ୍ରହଣ କରୁନା ? 

ଆମେ ଜାଣନ୍ତି ଯେ ବଙ୍ଗାଳୀ ସେହି ଜାତି ଥିଲା ଯିଏ ଇଂରେଜ ଜାତିକୁ ବାଜା ବଜେଇ ସ୍ଵାଗତ କଲା । ଇଂରେଜମାନେ ବି ଖୁସି ହୋଇ ସେଇ ବଙ୍ଗର କଲିକତାଠାରେ ନିଜ ମୁଖ୍ୟ ରାଜଧାନୀ କଲେ । ବଙ୍ଗାଳୀଙ୍କ ପ୍ରତିପତ୍ତି ଏତେ ବଢ଼ିଲା ଯେ ସେମାନେ 
ଓଡ଼ିଆଙ୍କ ଜମିଦାର,ଶାସକ ହୋଇ ଆସିଲେ । ସୂର୍ଯ୍ୟାସ୍ତ ଆଇନବଳରେ ଇଂରେଜମାନେ ବଙ୍ଗାଳୀଙ୍କୁ ଓଡ଼ିଶାର ଜମିଦାରୀ ଦେଲେ । ସେତେବେଳେ ଦେ,ବାସୁ, ଚୌଧୁରୀ,ରାୟ,ଦାସ ଆଦି ସାଙ୍ଗିଆଧାରୀ ବଙ୍ଗାଳୀ ଜମିଦାରମାନେ ଓଡ଼ିଶାରେ ଓଡ଼ିଆଙ୍କର ଲୁଣ୍ଠନ କଲେ । ଓଡ଼ିଆମାନେ ସେମାନଙ୍କର ଜାତି ଭାଇ ନଥିଲେ ତେଣୁ ଓଡ଼ିଆଙ୍କର ଲୁଣ୍ଠନ ସମୟରେ ସେମାନଙ୍କର କୌଣସି ଅନୁଶୋଚନା ଜାତ ହେଲା ନାହିଁ କି ଆଜି ମଧ୍ୟ ତାଙ୍କର ବଂଶଧରମାନଙ୍କୁ ହୁଏ ନାହିଁ। କ୍ରମେ ଓଡ଼ିଶାର କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଅନେକ ଭୂମି ବଙ୍ଗରେ ସ୍ଥାନେ ସ୍ଥାନେ ନିଲାମ ହେଲା । ତାକୁ ମଧ୍ୟ ବଙ୍ଗାଳୀମାନେ କିଣି ଓଡ଼ିଶା ଆସିଲେ । 
ପରେ ଇଂରେଜମାନେ ବଙ୍ଗାଳୀ ବାବୁମାନଙ୍କୁ ଓଡ଼ିଆଙ୍କୁ ଶାସନ କରିଵାକୁ ପଠାଇଲେ । ଅନେକ ବଙ୍ଗାଳୀ ଶିକ୍ଷକ ବି ଆସିଲେ । ସେମାନେ ଓଡ଼ିଆ ଭାଷାରେ ଅନେକ ଯାଗାରେ ଠାକିଲେ । ବଙ୍ଗାଳୀଠାରୁ ଓଡ଼ିଆ ଅନେକଗୁଣ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା । ସେମାନେ ଓଡ଼ିଆ ଭାଷାର କଠୋର ଷତ୍ଵ ଓ ଣତ୍ଵ ଵିଧି ନିୟମ,ଵର୍ଣ୍ଣଦ୍ଵିତକରଣ, କଠୋର ଯୁକ୍ତାକ୍ଷର ନୀତି,ଅକାରାନ୍ତ ଉଚ୍ଚାରଣ,ଣ ଓ ଳ ବହୁଳତା ତଥା ଉତ୍କ୍ଷିପ୍ତ ଉଚ୍ଚାରଣ(ଡ଼,ଢ଼) ଆଦି ଦେଖି ଚିନ୍ତାରେ ପଡ଼ିଲେ । ଓଡ଼ିଆ ଭାଷାରେ ଅକୃତକାର୍ଯ୍ୟ ହେଵାରୁ ଏ ଭାଷା ପ୍ରତି ସେମାନଙ୍କର ଭୀଷଣ ଘୃଣା ଜାତ ହେଲା । ସେମାନେ ଓଡ଼ିଆ ଭାଷାକୁ ଓଡ଼ିଶାରୁ ହଟେଇଵାକୁ ପ୍ରାଣପଣେ ଚେଷ୍ଟା ଚଳାଇଲେ । 

ଓଡ଼ିଆ ଜାତିକୁ ମାରି ଦେଵା ପାଇଁ ଇଂରେଜମାନଙ୍କ ସହିତ ମିଶି ନଅ ଅଙ୍କ ଦୁର୍ଭିକ୍ଷ ଘଟାଇଲେ ଯାହା ବୁମେରାଂ ସାଵ୍ୟସ୍ତ ହେଲା ଏଵଂ ବଙ୍ଗରେ ମଧ୍ୟ ଅନେକ ଲୋକ ମଲେ । ତେବେ ଏହା ପରେ ଓଡ଼ିଆ ଜାତି ତେଜିଲା ଜାଗିଲା ଏଵଂ ଓଡ଼ିଆ ଭାଷା ଆନ୍ଦୋଳନ କଲା । 

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପାଇଁ ଓଡ଼ିଆମାନେ ଲାଗିପଡ଼ିଲେ । ଫଳ ଏମନ୍ତ ହେଲା ଯେ ଖଣ୍ଡେ ଖଣ୍ଡେ ଓଡ଼ିଆ ଅଞ୍ଚଳ ଆସି ଓଡ଼ିଶାରେ ମିଶିଲା । ସେତେବେଳେ ଓଡ଼ିଶାର ପୁରୀ, ବାଲେଶ୍ଵର ଓ କଟକ ଅଞ୍ଚଳ ବଙ୍ଗରେ ଥିଲା । ବଙ୍ଗ ପ୍ରେସିଡେନ୍ସିରେ ଖଣ୍ଡେ ଖଣ୍ଡେ ଓଡ଼ିଆ ଅଞ୍ଚଳ ଆସି ମିଶିଵାରୁ ଏହାର ଆକାର ବଡ଼ ହୋଇଗଲା । ଇଂରେଜମାନେ ବଙ୍ଗକୁ ଧର୍ମ ଓ ମଜହବ ଆଧାରରେ ବାଣ୍ଟିଦେଲେ । ପୂର୍ଵବଙ୍ଗ(ଆଜିର ବଙ୍ଗଳାଦେଶ) ଓ ପଶ୍ଚିମବଙ୍ଗ(ଆଜିର ଭାରତୀୟ ବଙ୍ଗାଳୀ ରାଜ୍ୟ) । ଭୀଷଣ ବଙ୍ଗଭଙ୍ଗ ଆନ୍ଦୋଳନ ହେଲା ଫଳରେ ଇଂରେଜ ସରକାର ନୋଇଁଲେ ଏଵଂ ପୁଣି ବଙ୍ଗ ଅଖଣ୍ଡ ହୋଇଗଲା । ତେବେ ଇଂରେଜମାନେ ସେଇଦିନ ହିଁ ବଙ୍ଗାଳୀ ଜାତିର ଦୁର୍ଗତିର ଵୀଜ ରୋପଣ କରି ଦେଇଥିଲେ । ପାଞ୍ଚ ଵର୍ଷ ପରେ ବଙ୍ଗରୁ ରାଜଧାନୀ ଦିଲ୍ଲୀ ଚାଲିଗଲା । ଦଶ ଵର୍ଷ ପରେ ମୁଠଲିମ୍ ଲୀଗ୍ ଗଠିତ ହେଲା । ପଠାଣମାନେ ବଙ୍ଗଭଙ୍ଗ ଘଟଣାରୁ ବୁଝିପାରିଥିଲେ ଯେ ଧର୍ମ ଓ ମଜହବ ନାଆଁରେ ଦେଶ ଵିଭାଜନ ସମ୍ଭଵ । ତେଣୁ ସେମାନେ ସ୍ଵତନ୍ତ୍ର ପାକିସ୍ତାନ ଦେଶ ଗଠନ ପାଇଁ ଅଣ୍ଡି ଭିଡ଼ିଲେ । ବଙ୍ଗ ଓ କାଶ୍ମୀରଠାରୁ ସିନ୍ଧ ଓ ବଲୁଚିସ୍ତାନ ପର୍ଯ୍ୟନ୍ତ ଅଞ୍ଚଳରେ ପରଵର୍ତ୍ତୀ କୋଡ଼ିଏ ଵର୍ଷ ମଧ୍ୟରେ ଅନୃକ ଦଙ୍ଗା ହେଲା । ଶେଷରେ ୧୯୪୬ କଲିକତା ଦଙ୍ଗା ପରଠାରୁ ଭାରତ ଵିଭାଜନ ପାଇଁ ସମସ୍ତେ ବାଧ୍ୟ ହୋଇ ରାଜି ହେଲେ । 
ଭାରତ ଵିଭାଜନ ପରେ ପୂର୍ଵବଙ୍ଗ ପାକିସ୍ତାନରେ ମିଶିଲା । ସେଠି ଉର୍ଦ୍ଦୂ ଜାତୀୟ ଭାଷା ହେଲା । ବଙ୍ଗାଳୀକୁ କୌଣସି ସମ୍ମାନ ଦିଆଯାଉନଥିଲା । ବଙ୍ଗାଳୀଙ୍କୁ ପାକିସ୍ତାନରେ ସମାନ ନାଗରିକ ଵିଚାର କରାଯାଉନଥିଲା । ବଙ୍ଗାଳୀମାନେ ଯେଉଁ ଅତ୍ୟାଚାର ଓଡ଼ିଆଙ୍କ ସହିତ କରିଥିଲେ ସେହି ଅତ୍ୟାଚାର ବୁମେରାଂ ହୋଇ ସେମାନଙ୍କ ପଶ୍ଚାତଭାଗରେ ଗଭୀରତାକୁ ଗଳି ଯାଇଥିଲା । ପରେ ଭାରତର ହସ୍ତକ୍ଷେପ ଯୋଗୁଁ ସେମାନେ ସ୍ଵତନ୍ତ୍ର ବଙ୍ଗଳାଦେଶ ଗଢ଼ିପାରିଲେ । 

ବଙ୍ଗାଳୀମାନେ ଯଦି ଓଡ଼ିଆ ଭାଷା ମାରିଵାକୁ ଚେଷ୍ଟା କରିନଥାନ୍ତେ ତେବେ ଓଡ଼ିଆମାନେ ନିଜ ଭାଷା ଜାତି ସଂସ୍କୃତି ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିନଥାନ୍ତେ କି ଓଡ଼ିଆ ଅଞ୍ଚଳ ଆସି ବଙ୍ଗରେ ମିଶିନଥାନ୍ତା । ଓଡ଼ିଆ ଅଞ୍ଚଳ ଆସି ବଙ୍ଗରେ ମିଶିନଥିଲେ ଇଂରେଜମାନେ ବଙ୍ଗର ଵିଭାଜନ ଧର୍ମ ଓ ମଜହବ ନାଆଁରେ କରିନଥାନ୍ତେ । ବଙ୍ଗଭଙ୍ଗ ନହୋଇଥିଲେ ପଠାଣମାନେ ଭାରତ ଵିଭାଜନ ପାଇଁ ପ୍ରେରିତ ହୋଇନଥାନ୍ତେ । ମୁଠଲୀମ୍ ଲୀଗ୍ ଗଠନ ହୋଇନଥାନ୍ତା କି ଭାରତ ଵିଭାଜନ ହୋଇନଥାନ୍ତା । 

ତେଣୁ ଭାରତ ଵିଭାଜନ ପାଇଁ କିଏ ପ୍ରକୃତରେ ଦାୟୀ । ଦୀପୁ ଚନ୍ଦ୍ର ଦାସ ଭଳି ବଙ୍ଗାଳୀଙ୍କର ସର୍ଵ ସମ୍ମୁଖରେ ପୋଡ଼ାଯିଵା ପାଇଁ କିଏ ଦାୟୀ ହେବେ ? 
ବଙ୍ଗାଳୀ ନିଜେ ! ସେମାନେ ହିଁ ନିଜର ଭାଗ୍ୟକୁ ନିଜେ ଲେଖିଛନ୍ତି । ଯେମିତି ଜଣେ ଵ୍ୟକ୍ତିର କୁକର୍ମର ଫଳ ତାକୁ ଭୋଗ କରିଵାକୁ ହୁଏ ଠିକ୍ ସେହିପରି ଏକ ମାନଵଜାତିକୁ ବି କୁକର୍ମର ଫଳ ଭୋଗ କରିଵାକୁ ହିଁ ହୁଏ । ଇଂରେଜମାନେ ବି ଆଜି ନିଜର ଦେଶରେ ହିଁ ହଜାର ହଜାର ପଠାଣଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି । ଧର୍ମ ଆଗରେ ଵ୍ୟକ୍ତି ଜାତି ସମାନ । ସମସ୍ତେ କୁକର୍ମ ପାଇଁ ଦଣ୍ଡିତ ହୋଇଛନ୍ତି ହେବେ । ଏହା ହିଁ ସତ୍ୟ ଥିଲା ଅଛି ରହିଵ !

Monday, July 7, 2025

~ଇଂରାଜୀଭାଷା ଆନ୍ଦୋଳନର ଇତିହାସ ଏଵଂ ଵିଶ୍ଵରେ ଏହାର ପ୍ରଭାଵ~

୧୦୬୬ରେ ଇଂଲଣ୍ଡର ରାଜା ଏଡୱାର୍ଡ୍ ଦି କନଫେସର୍ ନିଃସନ୍ତାନ ଅଵସ୍ଥାରେ ମୃତ୍ୟୁଵରଣ କରିଥିଲେ। ତାଙ୍କ ଉତ୍ତରାଧିକାରୀକୁ ନେଇ ଵିଵାଦ ଦେଖାଦେଇଥିଲା। ହାରୋଲ୍ଡ ଗଡ଼ୱିନସନ (Harold Godwinson) ନିଜକୁ ରାଜା ଘୋଷଣା କରିଥିଲେ କିନ୍ତୁ ନର୍ମାଣ୍ଡିର ଡ୍ୟୁକ୍ William the Conqueror" ଦାବି କରିଥିଲେ ଯେ ଇଂଲଣ୍ଡର ରାଜା ଏଡୱାର୍ଡ ତାଙ୍କୁ ସିଂହାସନ ପ୍ରାପ୍ତ ହେଵାର ପ୍ରତିଶ୍ରୁତି ଦେଇଥିଲେ। ତେବେ ଇଂଲଣ୍ଡରେ ଏହି ଦାବିକୁ କେହି ମାନିଲେ ନାହିଁ ତେଣୁ ନର୍ମାଣ୍ଡିର ଡ୍ୟୁକ୍ ଉଇଲିୟମ୍ ଏକ ବଡ଼ ସୈନ୍ୟଵାହିନୀ ନେଇ ଇଂଲଣ୍ଡ ଆକ୍ରମଣ କରିଥିଲେ। ଏହି ଯୁଦ୍ଧର ମୁଖ୍ୟ ଘଟଣା ଥିଲା ହେଷ୍ଟିଂସ ଯୁଦ୍ଧ (Battle of Hastings), ଯାହା ୧୪ ଅକ୍ଟୋବର ୧୦୬୬ରେ ହୋଇଥିଲା। ଏହି ଯୁଦ୍ଧରେ ଉଇଲିୟମ୍‌ଙ୍କ ନର୍ମାନ୍ ସୈନ୍ୟ ହାରୋଲ୍ଡଙ୍କ ଆଙ୍ଗ୍ଲୋ-ସାକ୍ସନ ସୈନ୍ୟଙ୍କୁ ପରାସ୍ତ କରି ଦେଇଥିଲେ । ପରିଣାମ ସ୍ଵରୂପ ହାରୋଲ୍ଡ ଯୁଦ୍ଧରେ ମୃତ୍ୟୁଵରଣ କରିଥିଲେ। 


ନର୍ମାଣ୍ଡିର ନର୍ମାନମାନେ ପ୍ରକୃତରେ Viking ଵଂଶୋଦ୍ଭଵ ଥିଲେ ଏଵଂ ନଵମ ଓ ଦଶମ ଶତାବ୍ଦୀରେ ସ୍କାଣ୍ଡିନେଭିଆ (ଵର୍ତ୍ତମାନର ଡେନମାର୍କ, ନରୱେ ଓ ସ୍ୱୀଡେନ୍)ରୁ ଉତ୍ତର ଫ୍ରାନ୍ସକୁ ଆସିଥିଲେ। ଏହି Vikingମାନେ ଫ୍ରାନ୍ସର ନର୍ମାଣ୍ଡି ଅଞ୍ଚଳରେ ଵସତି ସ୍ଥାପନ କରିଥିଲେ ଏଵଂ ଧୀରେ ଧୀରେ ଫରାସୀ ସଂସ୍କୃତି, ଭାଷା (ଫରାସୀ, ଯାହା ଲାଟିନରୁ ଉଦ୍ଭବ) ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ନର୍ମାନ ପରିଚୟ ଗଢ଼ିଥିଲେ। 


ଅସ୍ତୁ ୧୦୬୬ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ଉପରେ ନର୍ମାନ୍‌ମାନଙ୍କ ଵିଜୟ ପରେ ଯୁଦ୍ଧରେ ସେମାନଙ୍କର ନେତୃତ୍ୱ ନେଇଥିଵା ଉଇଲିୟମ୍ ଇଂଲଣ୍ଡର ରାଜା ହେଲେ ଏଵଂ "William ପ୍ରଥମ" ନାମରେ ଖ୍ୟାତ ହେଲେ । ତାଙ୍କୁ "William the Conqueror" ମଧ୍ୟ କୁହାଗଲା।
  
"William ପ୍ରଥମ"ଙ୍କ ଶାସନ ସମୟରେ ଇଂଲଣ୍ଡରେ ସାମନ୍ତଵାଦୀ ଵ୍ୟଵସ୍ଥା ପ୍ରଚଳିତ ହୋଇଥିଲା ଏଵଂ ଲାଟିନ ଭାଷାରୁ ଉଦ୍ଭଵ ହୋଇଥିଵା ଫରାସୀ ଭାଷା ଇଂଲଣ୍ଡର ପ୍ରଶାସନିକ ଭାଷା ହୋଇଥିଲା । ଫରାସୀ ଭାଷା ଇଂଲଣ୍ଡର ଅଭିଜାତ ଶ୍ରେଣୀରେ ପ୍ରଭାଵ ଵିସ୍ତାର କରି ପରେ ସାଧାରଣ ଵର୍ଗଙ୍କୁ ମଧ୍ୟ ପ୍ରଭାଵିତ କରିଥିଲା ଫଳତଃ ଇଂରାଜୀ ଭାଷାରେ ଅନେକ ଫରାସୀ ଓ ଲାଟିନ ଶବ୍ଦ ପ୍ରଚଳିତ ହୋଇଥିଲା ।

ନର୍ମାନ ବିଜୟର ପ୍ରଭାବ ଇଂରାଜୀ ଭାଷାରେ ଶବ୍ଦ ପରିଵର୍ତ୍ତନରେ ସ୍ପଷ୍ଟ ଦେଖାଯାଏ। ଉଦାହରଣ ସ୍ଵରୂପ ପ୍ରାଚୀନ ଇଂରାଜୀରେ ପର୍ଵତ ଵା ପାହାଡ଼କୁ ବୁଝାଇଵା ପାଇଁ "beorg" ଓ "dūn" ଶବ୍ଦ ଵ୍ୟଵହୃତ ହେଉଥିଲା କିନ୍ତୁ ଜର୍ମାନ ଶାସନ ପରେ ଫରାସୀ ଭାଷା ଦେଇ ଲାଟିନ ମୂଳର mountain(ଲାଟିନ mons/montisରୁ ଉତ୍ପନ୍ନ) ଚଳିଲା। ସେହିପରି, swīn(ଶୁକର) ଶବ୍ଦ ବଦଳରେ pig(ଫରାସୀ porcusରୁ) ଶବ୍ଦ ଜନପ୍ରିୟ ହେଲା। ଅନ୍ୟ ଏକ ଉଦାହରଣ ହେଉଛି justice(ନ୍ୟାୟ), ଯାହା ଫରାସୀ/ଲାଟିନ justitiaରୁ ଆସିଥିଲା, ପ୍ରାଚୀନ ଇଂରାଜୀ ଶବ୍ଦ rihtwīsnesକୁ ଵିସ୍ଥାପିତ କରିଥିଲା। 

ଏହି ଶବ୍ଦ ପରିଵର୍ତ୍ତନ କେଵଳ ଭାଷାରେ ସୀମିତ ନଥିଲା ଵରଂ ଏହା ନର୍ମାନମାନଙ୍କ ସାଂସ୍କୃତିକ ଓ ପ୍ରଶାସନିକ ଆଧିପତ୍ୟକୁ ପ୍ରତିଫଳିତ କରୁଥିଲା। ଫରାସୀ ଭାଷା, ଯାହା ଅଭିଜାତ ଶ୍ରେଣୀରେ ଵ୍ୟଵହୃତ ହେଉଥିଲା, ଧୀରେ ଧୀରେ ସାଧାରଣ ଜନତାଙ୍କ ଭାଷାରେ ମଧ୍ୟ ପ୍ରଭାଵ ପକାଇଥିଲା। ଖ୍ରୀଷ୍ଟିଆନ ଧର୍ମର ପ୍ରସାର ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା, କାରଣ ଚର୍ଚ୍ଚରେ ଲାଟିନ ଭାଷାର ଵ୍ୟଵହାର ଅନେକ ଲାଟିନ ଶବ୍ଦକୁ ଇଂରାଜୀରେ ପ୍ରଚଳିତ କରାଇଥିଲା।

ଭାଷା ଵିଜ୍ଞାନ ଦୃଷ୍ଟିକୋଣରୁ, ଏହି ଧରଣର ଶବ୍ଦ ପରିଵର୍ତ୍ତନକୁ "ଶବ୍ଦ ଋଣ"(Lexical Borrowing) ଵା "ଶବ୍ଦ ଗ୍ରହଣ" (Borrowing) କୁହାଯାଏ। ଯେତେବେଳେ ଗ୍ରହଣ କରାଯାଇଥିଵା ଶବ୍ଦ ମୂଳ ଭାଷାର ଶବ୍ଦକୁ ସମ୍ପୂର୍ଣ୍ଣ ଵା ଆଂଶିକ ଭାବେ ଵିସ୍ଥାପିତ କରେ, ତାହାକୁ "ଶବ୍ଦ ଵିସ୍ଥାପନ" (Lexical Replacement) କୁହାଯାଏ। ନର୍ମାନ ଵିଜୟ ପରିପ୍ରେକ୍ଷୀରେ ଏହି ପ୍ରକ୍ରିୟାକୁ "ସାଂସ୍କୃତିକ ଋଣ" (Cultural Borrowing) ରୂପେ ଵିଵେଚନା କରାଯାଏ, କାରଣ ଏହା ସାଂସ୍କୃତିକ, ରାଜନୈତିକ ଓ ସାମାଜିକ ପ୍ରଭାବ ଯୋଗୁଁ ଘଟିଥିଲା। ଗ୍ରହଣ କରାଯାଇଥିବା ଶବ୍ଦଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଭାଷାରେ ଅନୁକୂଳିତ ହୋଇଥାଏ, ଯାହାକୁ "ଅନୁକୂଳନ" (Adaptation) କୁହାଯାଏ। ଅନେକ ଲାଟିନ ଓ ଫରାସୀ ଶବ୍ଦ ଏହି ସମୟରେ ସ୍ଥାନୀୟ ଇଂରାଜୀ ଭାଷାରେ ଅନୁକୂଳିତ ହୋଇ ନିଜ ମୂଳ ରୂପରୁ ସାମାନ୍ୟ ଭିନ୍ନ ହୋଇ ଆଜି ଵିଶ୍ଵରେ ଇଂରାଜୀ ଶବ୍ଦ ରୂପେ ପରିଚିତ ହେଉଛି। 

୧୦୬୬ ଖ୍ରୀଷ୍ଟାବ୍ଦର ନର୍ମାନ ଵିଜୟ ପରେ ନର୍ମାନମାନେ ଇଂଲଣ୍ଡ ଉପରେ ପ୍ରାୟ ୩୦୦ ଵର୍ଷ ଧରି ରାଜନୈତିକ ଓ ସାଂସ୍କୃତିକ ଅଧିକାର ବଜାୟ ରଖିଥିଲେ, ଯାହା ପ୍ରାୟ ୧୦୬୬ରୁ ୧୩୬୦ ଵା ୧୪୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚାଲିଥିଲା । ଉଇଲିୟମ୍ ଦି କଙ୍କରର (William the Conqueror)ଙ୍କଠାରୁ ଇଂଲଣ୍ଡରେ ନର୍ମାନ ରାଜବଂଶର ଶାସନ ଆରମ୍ଭ ହୋଇଥିଲା । ଉଇଲିୟମ ପ୍ରଥମ ଓ ତାଙ୍କ ବଂଶଧରମାନେ, ଯେପରିକି ଉଇଲିୟମ୍ ଦ୍ଵିତୀୟ, ହେନେରୀ ପ୍ରଥମ ଓ ଷ୍ଟିଫେନ୍, ପ୍ରାୟ ୮୮ ବର୍ଷ (୧୦୬୬-୧୧୫୪) ଧରି ଶାସନ କରିଥିଲେ। ଏହି ସମୟରେ ଫରାସୀ ଭାଷା ଓ ନର୍ମାନ ସଂସ୍କୃତି ଇଂଲଣ୍ଡରେ ଆଧିପତ୍ୟ ଵିସ୍ତାର କରିଥିଲା।


ନର୍ମାନ ରାଜବଂଶ ପରେ ଆଞ୍ଜେଭିନ୍ (Angevin) ଵା ପ୍ଲାଣ୍ଟାଜେନେଟ୍ (Plantagenet) ରାଜବଂଶ ୧୧୫୪ରୁ ଇଂଲଣ୍ଡରେ ଶାସନ ଆରମ୍ଭ କରିଥିଲା। ଏହି ରାଜବଂଶର ରାଜାମାନେ, ଯେପରିକି ହେନେରୀ ଦ୍ଵିତୀୟ, ରିଚାର୍ଡ ପ୍ରଥମ ଓ ଜନ୍ ଆଦି ନର୍ମାଣ୍ଡି ସମେତ ଫ୍ରାନ୍ସର ଵିଭିନ୍ନ ଅଞ୍ଚଳରେ ଅଧିକାର ରଖିଥିଲେ। ଏହି ସମୟରେ ଫରାସୀ ଭାଷା ଓ ସଂସ୍କୃତି ଇଂଲଣ୍ଡରେ ପ୍ରଭାଵ ବଜାୟ ରଖିଥିଲା କିନ୍ତୁ ୧୨୦୪ରେ ନର୍ମାଣ୍ଡି ଫ୍ରାନ୍ସ ଦ୍ୱାରା ଦଖଲ ହେଵା ପରେ ନର୍ମାନ ଅଧିକାର ଦୁର୍ଵଳ ହେଵାକୁ ଲାଗିଲା। ତ୍ରୟୋଦଶ ଶତାବ୍ଦୀ ବେଳକୁ ଇଂଲଣ୍ଡରେ ଫ୍ରାନ୍ସ ଓ ଫରାସୀ ଵିରୋଧୀ ମନୋଭାଵ ଦେଖା ଦେଇଥିଲା ଯାହା ଜାତୀୟ ଆନ୍ଦୋଳନର ରୂପ ନେଇଥିଲା । 

ଇଂରେଜ ଜନତା ଫରାସୀ ଭାଷାର ଆଧିପତ୍ୟ ଵିପକ୍ଷରେ ଏକ ଭାଷା ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହା ଇଂରାଜୀ ଭାଷାର ପୁନରୁଦ୍ଧାର ଏଵଂ ଜାତୀୟ ପରିଚୟର ପୁନଃସ୍ଥାପନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 

ସେ ସମୟର ଇଂଲଣ୍ଡରେ ଅଭିଜାତ ଵର୍ଗର ଲୋକମାନେ ଫରାସୀ ଭାଷାରେ କଥାଵାର୍ତ୍ତା କରୁଥିଲେ ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଇଂରାଜୀ ଭାଷାର ଵ୍ୟଵହାରକୁ ହ୍ରାସ କରିଥିଲା। ଫରାସୀ ଭାଷାକୁ ପ୍ରଶାସନିକ ଭାଷା କରାଯାଇଥିଲା ଏଵଂ ଲୋକଙ୍କୁ ଫରାସୀ ଭାଷାର ଅଧିକରୁ ଅଧିକ ଵ୍ୟଵହାର ପାଇଁ ପ୍ରୋତ୍ସାହିତ କରାଯାଉଥିଲା । ଇଂରେଜ ସମାଜରେ ମଧ୍ୟରେ ଏହା ଏକ ସାଂସ୍କୃତିକ ଓ ଭାଷାଗତ ଵିଚ୍ଛିନ୍ନତା ସୃଷ୍ଟି କରିଥିଲା। କିନ୍ତୁ ଦ୍ୱାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ଇଂରେଜମାନେ ତାଙ୍କ ଭାଷା ଓ ପରିଚୟକୁ ପୁନରୁଦ୍ଧାର କରିଵା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଧୀରେ ଧୀରେ ଏକ ଜାତୀୟ ଚେତନାର ରୂପ ନେଇଥିଲା, ଯାହା ଇଂରାଜୀ ଭାଷାକୁ ପୁନଃସ୍ଥାପନ କରିଵା ସହ ଫରାସୀ ଭାଷାର ଆଧିପତ୍ୟକୁ ଖୋଲା ଆହ୍ଵାନ କରିଥିଲା।

ଏହି ଭାଷା ଆନ୍ଦୋଳନର ଆରମ୍ଭ ମୁଖ୍ୟତଃ ମଧ୍ୟଯୁଗୀୟ ଇଂଲଣ୍ଡରେ ଜାତୀୟତାବାଦୀ ଭାଵନାର ଉଦୟ ସହ ଜଡ଼ିତ ଥିଲା। ତ୍ରୟୋଦଶ ଶତାବ୍ଦୀରେ, ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ରାଜନୈତିକ ସଂଘର୍ଷ, ଯେପରିକି ଶତଵର୍ଷୀୟ ଯୁଦ୍ଧ (Hundred Years' War, ୧୩୩୭-୧୪୫୩), ଇଂରେଜ ଜନତାଙ୍କ ମଧ୍ୟରେ ଫରାସୀ ସଂସ୍କୃତି ଓ ଭାଷା ଵିପକ୍ଷରେ ଏକ ପ୍ରତିଵାଦୀ ମନୋଭାଵ ସୃଷ୍ଟି କରିଥିଲା। ଏହି ସମୟରେ ଇଂରେଜୀ ଭାଷାକୁ ସାହିତ୍ୟ ଓ ପ୍ରଶାସନରେ ପୁନଃପ୍ରଚଳନ କରିଵା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ଚତୁର୍ଦଶ ଶତାବ୍ଦୀରେ ଜେଫ୍ରୀ ଚସର୍ (Geoffrey Chaucer) ଙ୍କ ପରି ଲେଖକମାନେ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରି ଏହାର ମର୍ଯ୍ୟାଦା ବୃଦ୍ଧି କରିଥିଲେ। ତାଙ୍କର "The Canterbury Tales" ଇଂରାଜୀ ଭାଷାରେ ଲେଖାଯାଇଥିଵା ଏକ ମହତ୍ ସାହିତ୍ୟ କୃତି ଥିଲା, ଯାହା ଇଂରାଜୀ ଭାଷାର ସାମାଜିକ ଓ ସାଂସ୍କୃତିକ ଗୁରୁତ୍ୱକୁ ପୁନଃସ୍ଥାପନ କରିଥିଲା। 

ଏହି ଆନ୍ଦୋଳନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ପ୍ରଶାସନିକ ଓ ଆଇନଗତ କ୍ଷେତ୍ରରେ ଇଂରାଜୀ ଭାଷାର ପୁନଃପ୍ରଚଳନ। ଚତୁର୍ଦଶ ଶତାବ୍ଦୀରେ, ୧୩୬୨ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପାର୍ଲାମେଣ୍ଟରେ ଇଂରାଜୀ ଭାଷାରେ ଵିତର୍କ କରିବାର ଆଇନ(Statute of Pleading) ପାସ୍ ହୋଇଥିଲା, ଯାହା ଅଦାଲତରେ ଇଂରାଜୀ ଭାଷାର ଵ୍ୟଵହାରକୁ ପ୍ରୋତ୍ସାହିତ କରିଥିଲା। ଏହା ଫରାସୀ ଭାଷାରୁ ଇଂରାଜୀ ଭାଷାକୁ ପ୍ରଶାସନିକ କାର୍ଯ୍ୟରେ ପୁନଃସ୍ଥାପନ କରିଵାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ସହ ଇଂରେଜୀ ଭାଷାରେ ଶିକ୍ଷା ଓ ଧାର୍ମିକ ଗ୍ରନ୍ଥର ଅନୁଵାଦ ମଧ୍ୟ ଆରମ୍ଭ ହୋଇଥିଲା। ଜନ୍ ୱିକ୍ଲିଫ୍(John Wycliffe) ପରି ଧାର୍ମିକ ସମାଜ ସୁଧାରକମାନେ ବାଇବେଲକୁ ଇଂରାଜୀରେ ଅନୁଵାଦ କରିଥିଲେ, ଯାହା ଇଂରାଜୀ ଭାଷାର ଜନପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି କରିଥିଲା। ଏହି ପ୍ରୟାସଗୁଡ଼ିକ ଇଂରେଜ ଜନତାଙ୍କ ମଧ୍ୟରେ ଜାତୀୟ ଚେତନା ଓ ଭାଷାଗତ ଗର୍ଵକୁ ଜାଗ୍ରତ କରିଥିଲା।

ଏହି ଇଂରାଜୀ ଭାଷା ଆନ୍ଦୋଳନ ସାମାଜିକ ଓ ସାଂସ୍କୃତିକ ଦିଗରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଫରାସୀ ଭାଷା ଅଭିଜାତ ଶ୍ରେଣୀରେ ସୀମିତ ହୋଇଥିଵା ବେଳେ, ସାଧାରଣ ଜନତା ଇଂରାଜୀ ଭାଷାରେ କଥାଵାର୍ତ୍ତା କରୁଥିଲେ। ଏହି ଭାଷାଗତ ଵିଭାଜନ ସାମାଜିକ ଅସନ୍ତୋଷ ସୃଷ୍ଟି କରିଥିଲା, ଯାହା ଇଂରାଜୀ ଭାଷାର ପୁନରୁଦ୍ଧାର ପାଇଁ ଏକ ଜନମତ ଗଠନ କରିଥିଲା। ପଞ୍ଚଦଶ ଶତାବ୍ଦୀ ସୁଦ୍ଧା, ଇଂରାଜୀ ଭାଷା ପୁନଃ ପ୍ରଶାସନ, ଶିକ୍ଷା ଓ ସାହିତ୍ୟରେ ଏକ ପ୍ରମୁଖ ଭାଷା ହୋଇଥିଲା। ହେନେରୀ ପଞ୍ଚମ(Henry V)ଙ୍କ ପରି ଇଂରାଜୀ ପ୍ରେମୀ ରାଜାଙ୍କର ଶାସନ ସମୟରେ ଭାଷାର ଵ୍ୟଵହାରକୁ ପ୍ରୋତ୍ସାହନ ଦିଆଗଲା ଫଳତଃ ଇଂଲଣ୍ଡରେ ଫରାସୀ ଭାଷାର ଆଧିପତ୍ୟ ଆହୁରି ହ୍ରାସ ହୋଇଥିଲା। ଏହି ସମୟରେ ଇଂରାଜୀ ଭାଷାରେ ଅନେକ ନୂଆ ଶବ୍ଦ ଓ ଵ୍ୟାକରଣଗତ ଗଠନ ଵିକଶିତ ହୋଇଥିଲା ଯାହା ଆଧୁନିକ ଇଂରାଜୀ ଭାଷାର ଭିତ୍ତିଭୂମି ସ୍ଥାପନ କରିଥିଲା। ଇଂରେଜମାନେ ଏହି ଜାତୀୟତାକୁ ମୂଳ ପୁଞ୍ଜି କରି ନିଜ ଦେଶକୁ ସୁଦୃଢ଼ କରିଵା କାମରେ ଲାଗି ପଡ଼ିଲେ । ପଞ୍ଚଦଶ ଶତାବ୍ଦୀର ଇଂଲଣ୍ଡ ୟୁରୋପର ଅନ୍ୟ ଅଞ୍ଚଳ ଅପେକ୍ଷା ସେତେ ସମୃଦ୍ଧ ନଥିଲା ତେବେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଉପନିଵେଶୀକରଣ ଓ ଵାଣିଜ୍ୟ ମାଧ୍ୟମରେ ଇଂଲଣ୍ଡ ଏକ ଵିଶ୍ୱ ଶକ୍ତି ଭାବେ ଉଭା ହୋଇଥିଲା। ଇଂରେଜମାନେ ୧୬୦୭ରେ ଭର୍ଜିନିଆର ଜେମ୍ସଟାଉନରେ(USA) ପ୍ରଥମ ସ୍ଥାୟୀ ଉପନିଵେଶ ସ୍ଥାପନ କରିଥିଲେ। ହାପରେ ଵିଶ୍ଵର ଵିଭିନ୍ନ ଦେଶକୁ ଇଂରେଜମାନେ ପରାଧୀନ କରିଵା ଆରମ୍ଭ କରିଥିଲେ । 

ଭାରତଵର୍ଷ(ଭାରତ,ପାକିସ୍ତାନ,ବଙ୍ଗଳାଦେଶ, ଶ୍ରୀଲଙ୍କା,ବର୍ମା ଇତ୍ୟାଦି) ଛଡ଼ା ଇଂରେଜମାନେ 
ଅଣ୍ଟିଗୁଆ,ବରମୁଡା,ଅଷ୍ଟ୍ରେଲିଆ,ବହାମାସ୍,ବାର୍‌ବାଡୋସ୍,ବେଲିଜ୍,ବୋଟ୍‌ସ୍ୱାନା,ବ୍ରୁନୋଇ,କାନାଡା,ସାଇପ୍ରସ୍,ଡୋମିନିକା,ମିଶର,ଫିଜି ,ଗାମ୍ବିଆ,ଘାନା,ଗ୍ରେନେଡା,ଗୁୟାନା,ହଂକଂ,ଆୟାରଲ୍ୟାଣ୍ଡ,ଜାମାଇକା,ଜୋର୍ଡାନ୍,କେନିଆ,କିରିବାଟି,କୁଏତ୍,ଲେସୋଥୋ,ମାଲାୱୀ,ମାଲେସିଆମାଳଦ୍ଵୀପ,ମାଲ୍‌ଟା,ମରିସସ୍,ନାମିଭିଆ,ନାଉରୁ  
,ନାଇଜେରିଆ,ନିଉଜିଲ୍ୟାଣ୍ଡ ,ଓମାନ, ଇସ୍ରାଏଲର ଅଞ୍ଚଳ,କତାର,ସାଉଦି ଆରବ,
,ସେଚେଲସ,ସିଏରାଲିଓନ୍,ସିଙ୍ଗାପୁର ,ସୋଲୋମନ ଆଇଲ୍ୟାଣ୍ଡ,ଦକ୍ଷିଣ ଆଫ୍ରିକା,ସୁଦାନ  
,ସ୍ୱାଜିଲାଣ୍ଡ(ଏସ୍ୱାତିନୀ),ତାଞ୍ଜାନିଆ,ଟୋଙ୍ଗା,ତ୍ରିନିଦାଦ ଓ ଟୋବାଗୋ,ଟୁଭାଲୁ,ୟୁଗାଣ୍ଡା,ୟୁଏଇ,ଯୁକ୍ତରାଷ୍ଟ୍ର (୧୩ଟି ଉପନିଵେଶ),ଭାନୁଆତୁ,ଜାମ୍ବିଆ ଓ
ଜିମ୍ବାବେ (ରୋଡେସିଆ) ଆଦି ଦେଶକୁ ପରାଧୀନ କରିଥିଲେ ‌। ୧୯୨୦ ଦଶକ ବେଳକୁ ବ୍ରିଟିଶ ସାମ୍ରାଜ୍ୟ ଏତେ ଵିସ୍ତୃତ ଥିଲା ଯେ ଏ ସାମ୍ରାଜ୍ୟରେ କେବେ ସୂର୍ଯ୍ୟୋଦୟ ହେଉନଥିଲା। ୧୯୨୦ ସୁଦ୍ଧା ଇଂରେଜମାନେ ପୃଥିଵୀର ପ୍ରାୟ ୨୫% ଭୂମି ଅଞ୍ଚଳକୁ ପରାଧୀନ କରି ରଖିଥିଲେ। ଏହା ପ୍ରାୟ ୩୫.୫ ନିୟୁତ ଵର୍ଗ କିଲୋମିଟର ଅଞ୍ଚଳ ଥିଲା, ଯାହା ପୃଥିଵୀର ମୋଟ ଭୂମି ଅଞ୍ଚଳର ଚତୁର୍ଥାଂଶ ଭାବରେ ଗଣାଯାଏ। ଏହି ସାମ୍ରାଜ୍ୟ ଵିଶ୍ୱର ଵିଭିନ୍ନ ମହାଦେଶରେ, ଯଥା ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏଵଂ ଓସେଆନିଆରେ ଵ୍ୟାପିଥିଲା। ଆଜକୁ ମାତ୍ର ଶହେ ଵର୍ଷ ତଳେ ପୃଥିଵୀର ଚାରିଭାଗରୁ ଭାଗେ ଭୂଭାଗକୁ ପରାଧୀନ କରି ରଖିଥିଵା ବ୍ରିଟେନ୍ ମଧ୍ୟ ଏକଦା ସ୍ଵୟଂ ପରାଧୀନ ଥିଲା ବୋଲି ହୁଏତ ଅନେକେ ଜାଣିନଥିବେ ତେବେ ଏହା ସତ୍ୟ । ଇଂରାଜୀ ଭାଷା ଶିଖି ଇଂରେଜ ଜାତିର ଏହି ସତ୍ୟ ଇତିହାସ ଜାଣିଵା ପରେ ଅନେକ ଦେଶରେ ସ୍ଵାଧୀନତା ସଂଗ୍ରାମୀମାନେ ଜାତୀୟତାଵାଦୀ ଆନ୍ଦୋଳନ କରିଵାକୁ ପ୍ରେରିତ ହୋଇଥିଲେ ।