My Blog List

Showing posts with label ମେଘ. Show all posts
Showing posts with label ମେଘ. Show all posts

Wednesday, July 5, 2023

●ଗଜାବଉଦ, ମେଘାଙ୍କୁର ଓ Cumulonimbus cloud●

ଓଡ଼ିଆ ଭାଷାରେ ଵର୍ଷା ସମ୍ବନ୍ଧୀୟ ଅନେକ ଶବ୍ଦ ଅଛି । ଏହା ଵର୍ଷାକାଳ ତେଣୁ ଅନେକ କଵି ଵର୍ଷାକୁ ନେଇ କଵିତା ବି ଲେଖନ୍ତି । ତେଣୁ ଏ ଵର୍ଷାକାଳରେ ଵର୍ଷା ସମ୍ବନ୍ଧିତ ଓଡ଼ିଆ ଶବ୍ଦଗୁଡି଼କୁ ଜାଣିଲେ ସେମାନେ ନିଶ୍ଚୟ ସେହି ସବୁ ଶବ୍ଦଗୁଡି଼କୁ ଵ୍ୟଵହାର କରିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୨୦୭୨ତମ ପୃଷ୍ଠାରେ ଵର୍ଷା ସମ୍ବନ୍ଧୀୟ ଗୋଟିଏ ଶବ୍ଦ ଅଛି "ଗଜା ବଉଦ" । 

ନୂଆ ଉଇଁଥିଵା ମେଘକୁ ଓଡ଼ିଆ ଭାଷାରେ #ଗଜାବଉଦ କୁହାଯାଏ । ଏହା ଵର୍ଷାସୂଚକ ଦିଗନ୍ତଵିସ୍ତୃତ ଵୃକ୍ଷାକାର ନୀଳ ମେଘ ଅଟେ ‌। ମହାଯାତ୍ରା କାଵ୍ୟର ତୃତୀୟ ସର୍ଗରେ କଵିଵର ରାଧାନାଥ ରାୟ ଏହି ଗଜାବଉଦ ଶବ୍ଦକୁ ପ୍ରୟୋଗ କରି ଲେଖିଛନ୍ତି ...

“ଗଜା ବଉଦର ଭ୍ରମ ଚିତ୍ତେ ଉପୁଜାଇ,
କାହିଁ ଅବା ଶିଶୁଶୈଳ ଆବରେ ଉଢ଼ାଳେ
ପୃଷ୍ଠେ ସୁଵିଶାଳ ଗିରି”

ପଲ୍ଲୀକଵି ନନ୍ଦକିଶୋର ବଳ ମଧ୍ୟ ସ୍ବରଚିତ "ଵର୍ଷା " କଵିତାରେ ଗଜା ବଉଦ ଶବ୍ଦର ପ୍ରୟୋଗ କରିଛନ୍ତି । 

“ଘୋର ଵର୍ଷାଦିନେ ଉଚ୍ଚ ଆକାଶରେ ଗଜା ବଉଦର ଶୋଭା ,
ପର୍ତଵଶିଖରେ ଧୂମାଳିଆ ମେଘ ଦିଶେ ଅତି ମନଲୋଭା।”

ଗଜାବଉଦର ଅନ୍ୟ ଏକ ନାମ 'ମେଘାଙ୍କୁର' ଅଟଇ । ଏହି ଜାତୀୟ ଏକ ପ୍ରକାରର ମେଘକୁ ଇଂରାଜୀ ଭାଷାରେ Cumulus cloud କୁହାଯାଏ ଯେହେତୁ କେତେକ ଇଂରାଜୀ ଶବ୍ଦକୋଷରେ ଏହି ମେଘ ଵିଷୟରେ ଉଲ୍ଲେଖ ଅଛି ଯେ ଏହା ଦେଖିଵାକୁ cauliflower ଵା ଫୁଲକୋବି ଭଳି ହୋଇଥାଏ । ଫୁଲକୋବି ଗୋଟିଏ ଗଛର ସାଧାରଣ ଚିତ୍ର ସଦୃଶ ଦୃଶ୍ୟମାନ ହୋଇଥାଏ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଯେ ଗଜାବଉଦ ଵା ମେଘାଙ୍କୁର ଦିଗନ୍ତଵିସ୍ତୃତ ଵୃକ୍ଷାକାର ନୀଳ ମେଘ ଅଟେ । ଏ ଦୃଷ୍ଟିରୁ ଦେଖିଲେ ଵୃକ୍ଷାକାର ଵିଶାଳ ମେଘକୁ ଇଂରାଜୀ ଭାଷାରେ Cumulonimbus cloud କୁହାଯାଏ । ତେଣୁ ସମ୍ଭଵତଃ Cumulus cloud ନୁହେଁ ଵରଂ Cumulonimbus cloudକୁ ଗଜାବଉଦ ଵା ମେଘାଙ୍କୁର କୁହାଯାଉଥିଲା । 

Cumulonimbus cloud ଗୋଟିଏ ଗଛ ଭଳି ଦେଖାଯାଏ । Cumulonimbus ଏକ ଲାଟିନ ଶବ୍ଦ ଏଵଂ ଏହି ଶବ୍ଦକୁ cumulus(ଗଦା) ଓ nimbus(ଝଡ଼ଵର୍ଷା) ଶବ୍ଦ ଯୋଡ଼ାଯାଇ ସୃଷ୍ଟି କରା ହୋଇଛି । ତେଣୁ Cumulonimbus cloudର ଆକ୍ଷରିକ ଅର୍ଥ ହେଵ ଝଡ଼ଵର୍ଷାର ଗଦା ‌। ଏହି ଜାତୀୟ ମେଘ ଆକାଶର ବହୁ ଉଚ୍ଚ ପର୍ଯ୍ୟନ୍ତ ଵିସ୍ତୃତ ହୋଇଥିଵାର ଵିଶେଷ ଵର୍ଷାର କାରଣ ହୋଇଥାଏ ‌। ଏହା ୫୦୦ ମିଟରରୁ ୧୬୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଵିସ୍ତୃତ ହୋଇପାରେ ‌।

 Cumulonimbus cloudର ସଂକ୍ଷିପ୍ତ ଇଂରାଜୀ ଶବ୍ଦରୂପ Cb. ଏଵଂ ଅର୍ଦ୍ଧବୃତ୍ତାକାର ମଧ୍ୟରେ ତ୍ରିଭୁଜର ଗୋଜିଆ ପକ୍ଷ ଯୁକ୍ତ ହୋଇଥିଵା ସାଙ୍କେତିକ ଚିହ୍ନ ଏହି ଜାତୀୟ ଵର୍ଷା ପାଇଁ ଵ୍ୟଵହୃତ ହୋଇଥାଏ ।‌ 
ଅଵଶ୍ୟ ଏହି Cumulonimbus cloudର ଜାତୀୟ ମେଘର ଵିଭିନ୍ନ ପ୍ରକାରଭେଦ ବି ରହିଛି । ସେ ଯାହାହେଉ ଵର୍ଷାକାଳ ଆରମ୍ଭ ସମୟରେ ବେଳେ ବେଳେ ଏହି ଜାତୀୟ ମେଘ ଦେଖାଯାଉଥିଵାରୁ ଆମ୍ଭ ଦେଶରେ ଏହାକୁ ଗଜାବଉଦ ଓ ମେଘାଙ୍କୁର କୁହାଯାଉଥିଲା ।