Sunday, August 13, 2023

ମାଡ଼ହାଣ୍ଡି କଥା(ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ)

ଏକ ଦେଶରେ ଗୋଟିଏ ଚକୁଳିଆପଣ୍ଡା ଥାଏ, ସେଇଟି ଭାରି ଗରିବ । ସେ
ମାଆଟିଏ ପୁଅଟିଏ । ପୁଅ ନିତି ଭିକ ମାଗି ଯାଏ, ଛଅ ଗାଆଁ ଗଲେ ସେରେ ଆଣେ,
ନଅ ଗାଆଁ ଗଲେ ସେରେ ଆଣେ । ଇମିତିକା ଭିକ ମାଗି କରି ଯାହା ଆଣେ, ସେଥିରେ ଆପଣା ପେଟ ପୋଷେ । ମହାପ୍ରଭୁଙ୍କ ମାୟା ତ, ଦିନେ ସେ ଚକୁଳିଆପଣ୍ଡା କେତେ ଆଡ଼ ବୁଲିଲା ଯେ, ସେରକ କଥା ତେଣିକି ଥାଉ, ତାକୁ ପୋଷେ ଚାଉଳ ସୁଦ୍ଧା ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କଅଣ ? ବେଳକୁ ତାକୁ ଗାଁ ପିଲାଏ ସବୁ ଟେକା ବୋଲୁଅ ଲଦି ମାଡ଼ ମାରି ତଡ଼ି ଦେଲେ । ପଛକୁ ଚକୁଳିଆପଣ୍ଡା ଵିଚରାଟି କାନ୍ଦିବୋବେଇ ପଳେଇ ଅଇଲା । ଶୋଧ୍ ପଶ୍ଚିମଆଡ଼କୁ ଗଲା, ଵିଚାରିଲା ଆଉ ଏ ନିର୍ଲଜ ମୁହଁ ଦେଖେଇଵାକୁ ଘରକୁ ଯିବି ନାହିଁ । ୟା ବିଚାରି ଚୋରକୁ ମାନ କରି ଖପରାରେ ଖାଇଲା ଭଳିଆ କାନ୍ଧରେ ତୁଚ୍ଛା ଯାଉଁଳିଟିଏ ପକେଇ ଯାଉଥାଏ । ଯାଉଁ ଯାଉଁ ଖଣ୍ଡେ ଦୂରରେ ଦେଖିଲା ବେଳକୁ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀଟିଏ । ସେଥିରେ କଳା ଭଅଁର ଭଳି ଅଗଣ୍ଡ ପାଣି । ପୋଖରୀ ଚାରିପାଖଯାକ ଶଙ୍ଖ ମଲମଲ ପଥରରେ ପାହାଚ ବସିଛି । ୟାର ତ ସେତେବେଳେ ଭୋକଶୋଷରେ କରଡ଼ି ଜଳୁଥାଏ । ଏ କଅଣ କରିବ ? ତାକୁ ଆଉ ବୁଦ୍ଧିବାଟ ଦିଶୁ ନ ଥାଏ । ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀଵନ ଵିକଳରେ ପାଣିକୂଳ ପାହାଚ ଉପରେ ଲଥ୍‌କିନି ବସିଗଲା,
ଦେଖିଲା ଯେ କାଚକେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି, ସାତ ତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିଵ । ଚକୁଳିଆପଣ୍ଡା ସେ ପାଣିରୁ ଚଳ ଚଳ କରି ତା ଡାହାଣ ହାତରେ ଧରୁଥାଏ, ଏଣେ ମନକୁ ବାଆଁରେଇଵା ପାଇଁ
ମୁହଁରେ ମୁହଁରେ କହି ହଉଥାଏ 

“ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ,ଆମ୍ବିଳ ଖାଉଁ, ଖୁରି ଖାଉଁ, କାକରା ଖାଉଁ,ନାନମାନ ଖାଉଁ, ପୋଟଳ ଚକୁଳି ଖାଉଁ ।”

ଇମିତି ଗୋଟିଏ ଦରବ ନାଆଁ ଧରୁଥାଏ, ଚଳେ ଲେଖାଏଁ ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥାଆନ୍ତି ।ଚକୁଳିଆପଣ୍ଡାର ଡାକ ତାଙ୍କ କାନରେ ବାଜିଲା । ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟକଥା ଜାଣିପାରନ୍ତି । ସେ ତ କାହା ଵିକଳ ସହିପାରନ୍ତି ନାହିଁ । ୟା ଡାକ ଶୁଣି ମନେ ମନେ ଵିଚାରିଲେ, ଏ ଚକୁଳିଆପଣ୍ଡାଟି ସିନା ଭୋକ ଵିକଳରେ
ଇମିତି ହଉଚି । ଦେଵତାଙ୍କୁ ଅବା କୋଉଁ ଦରଵ ଅପୂରୁଵ ? ସେ କଅଣ କଲେ ନା,ଚକୁଳିଆପଣ୍ଡା ଯେତେକ ଦରଵ ନାଆଁ ଧରି ଚଳାଏ ଚଳାଏ ପାଣି ପିଉଥାଏ, ସେତେକ ବାବଦ ବାବଦ କରି ଦନାଟିମାନଙ୍କରେ’ ଭରାଭର କରି ଗୋଟିଏ ହାଣ୍ଡିରେ ସଜାଡ଼ିଲେ,ହାଣ୍ଡି ଉପରକୁ ତେଲୁଣିଟିଏ କଣ୍ଟିକାଣ୍ଟି କରି ଘୋଡ଼େଇ ଦେଲେ, ଏ ଚକୁଳିଆପଣ୍ଡାଟି ଯୋଉଁଠେଇ ବସିଥିଲା, ସେଇଠେଇଁକି ତୁନି କରି ଭସେଇ ଦେଲେ । ହାଣ୍ଡି ଭାସିଭାସିକା ୟା ପାଖରେ ଆସି ଲାଗିଗଲା । ଚକୁଳିଆପଣ୍ଡା ଏ ହାଣ୍ଡିକି ଦେଖି ଭାରି ଆଚମ୍ବିତ ହେଲା, କହିଲା, ଏ ହାଣ୍ଡିଟି ଶୂନ୍ୟରୁ ଏଠେଇଁକି କୁଆଡୁ ଭାସି ଅଇଲା ? ଏଥିରେ କଅଣ ଅଛି ଦେଖେଁ । ୟା ଵିଚାରି ସେ ତେଲୁଣିଟିକି କାଢ଼ି ଦେଲାବେଳକୁ ତା ଭିତରେ ଦିଵ୍ୟ ସରୁ ଘିଅଅନ୍ନ, ଡାଲି, ମହୁର, ଆମ୍ବିଳ, କ୍ଷୀରୀ, ପିଠା ଭଳିକି ଭଳି ଖଞ୍ଜା ହୋଇଛି । ସେଥିରୁ ସବୁ ବାମ୍ଫ ବାହାରୁଛି । ୟା ଦେଖି ଆନନ୍ଦରେ ତାକୁ ଆଉ ବୁଦ୍ଧିବାଟ ଦିଶୁ ନ ଥାଏ । ସେ ହାଣ୍ଡିକି ପାହାଚ ଉପରକୁ ଉଠେଇ ଆଣିଲା । ତାକୁ ତ ଭାରି ଭୋକ
କରୁଥାଏ; ସେ ହାଣ୍ଡିରୁ ପଦାର୍ଥଯାକ କାଢ଼ି ପେଟପୂରା ଖାଇଲା । ଜଣେ ମଣିଷ ତ,କେତେ ଇମିତି ଖାଇଵ ? ଯେତେକ ଖାଇଲାର ଖାଇଲା, ଦେଖିଲା ବେଳକୁ ସେ ପଦାର୍ଥରୁ କଣେ ସୁଦ୍ଧା ସରିନଥାଏ,ଯେତେକ ବଳିଲା ସେତକ ଗୋଟି ଗୋଟି କରି ସେ ହାଣ୍ଡିରେ ପୂରାଇଲା, କହିଲା, ୟାକୁ ମୁଁ ଘରକୁ ନେବି ଯେ ମୋ ମାଆ ଖାଇଵ, ବାକି ଯାହା ବଳିଵ ଫେର୍ ଦୋଓଡ଼ା ଖାଇବି । ଖାଲି ହାତରେ ସିନା ଘରକୁ ଫେରିବି ନାହିଁ ବୋଲି ରୁଷି କରି ଘରୁ ବାହାରି ଯାଉଥିଲି, ଵର୍ତ୍ତମାନ ଏତକ ଯିମିତି ହାତରେ ପଡ଼ିଲା ସିମିତି ୟା ମନ କୁଣ୍ଢେ ମୋଟ ହୋଇଗଲା । ହାଣ୍ଡିଟିକି ମୁଣ୍ଡେଇ ଲମ୍ବେ ଲମ୍ବେ ଘରକୁ ମୋହିଁଲା । ଘରେ ପହଞ୍ଚିଲା ବେଳକୁ ମାଆ ଯାଇଥାଏ ଗାଆଁ ଭିତରକୁ ଦୁଃଖ କରିଵାକୁ । ସେ ହାଣ୍ଡିଟିକି ହାଣ୍ଡିଶାଳ ଶିକା ଉପରେ ସାଇତି ଦେଲା, ଘରେ ଖଣ୍ଡେ ମସିଣା ପାରି
ଶୋଇଲା । ମାଆ ଗାଆଁରୁ ଦୁଃଖଧନ୍ଦା କରି ପୋଷେ ଖୁଦ ପଣନ୍ତ କାନିରେ ବାନ୍ଧି ଘରେ
ଆସି ପହଞ୍ଚି ଦେଖେ ତ, ପୁଅର ପେଟ ଟୁମାଟୁମ୍ ଦିଶୁଛି, ପୁଅ ଅଚିନ୍ତା ନିଦରେ ଘୁଙ୍ଗୁଡ଼ି ମାରୁଛି, ହାଣ୍ଡିଶାଳ କବାଟ ଫିଟେଇ ଦେଖିଲା ବେଳକୁ ଶିକା ଉପରେ ହାଣ୍ଡିଟିଏ । ହାଣ୍ଡିଟିକି ଓହ୍ଲେଇ ପଲମ କାଢ଼ି ଦେଖେ ତ ହାଣ୍ଡି ଭିତରେ ଦିଵ୍ୟ ସୁବାସ ଘିଅଅନ୍ନ, ଛଅ ତିଅଣ, ନଅ ଭଜା, ଚାର ପିଠା ଭରାଭର । ବୁଢ଼ୀ ତ ଭୋକରେ ଡହଳ ଵିକଳ ହଉଥିଲା,ତାକୁ ଏବେ କୋଟିନିଧି ମିଳିଗଲା । ସେ ଆଉ ପୁଅକୁ ଉଠେଇଵ କଅଣ ? ବାଡ଼ିକୁ ଯାଇଁ ବେଏଁ ଲମ୍ବର ଖଣ୍ଡେ କଦଳୀ ପତର କାଟି ଆଣିଲା, ହାଣ୍ଡିରୁ ଗୋଟି ଗୋଟି କରି ସବୁ ପଦାର୍ଥ ବାଢ଼ିଲା, ଯେତେକ ମନ ଇଚ୍ଛା କରି ଖାଇଲା, ଆଉ ଯାହା ବଳିଲା ତାକୁ ହାଣ୍ଡିରେ ପୂରେଇ ଶିକାରେ ରଖିଦେଲା । ପୁଅ ଶୋଇଥିଲା, ଉଠି ମାଆକୁ ସବୁ କଥା କହିଲା । ଫେର୍ ଉପର ଓଳି ହାଣ୍ଡିରେ ଯାହା ଥିଲା ମାଆ ପୁଅ ଖାଇ ଅଠିଲ ହୋଇଗଲେ ।

ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତେଇ ଦେଲା, ଆରେ ପୁଅ,ଏତେ ମିହନ୍ତ କରି ଛଅ ଗାଁ ନଅ ଗାଁ ବୁଲିବୁ କିଆଁ ? କାଲି ସକାଳୁ ଫେର୍ ଯାଇ
ପୋଖରୀ କୂଳରେ ବସ, ଦେଖିଵା ଦେଖି କଅଣ ହଉଚି ? ମାଆ ପୁଅ ୟା ଵିଚରାଵିଚରି ହୋଇ ଶୋଇଲେ । ସକାଳୁ ଚକୁଳିଆପଣ୍ଡା ତ’ କାଲିର ସୁଆଦ ପାଇଛି ନା ସକାଳୁ ଉଠି ଧାଇଁଛି । ବଡ଼ି ଝଟପଟିରୁ ଉଠି, ଗାଧୋଇ, ଚିତାଚଇତନ କାଟି, ସିଧାଏ ସିଧାଏ ଯାଇ ଏକଦମ୍ ପଦ୍ମ ପୋଖରୀ କୂଳରେ ହାଜର । ଫେର୍ କାଲି ଯିମିତି ଭାତ ଖାଉଁ, ଡାଲି ଖାଉଁ,ତିଅଣ ଖାଉଁ, କରୁଥିଲା ଆଜି ସିମିତି ଚଳ ଚଳ କରି ପାଣି ପିଉଥାଏ, ଏଣେ ସିମିତି କହୁଥାଏ । ସତକୁ ସତ, କାଲିପରିକା ହାଣ୍ଡିଟିଏ ଭାସି ଆସି ତା ପାଖରେ ଲାଗିଲା, ସେ ଆପେ ଯାହା ଖାଇଵାର ଖାଇଲା, ବାକି ଯାହା ବଳିଲା, ସେତକ ଘରକୁ ଆଣି ଶିକା ଉପରେ ରଖିଦେଲା । ମାଆ ଗାଆଁରୁ ବୁଲିବାଲି ଆସି ଖାଇଲା । ଫେର୍ ରାତିକି ମାଆପୁଅ ଦିହେଁ ଢୋଲେ ଲେଖାଏଁ ଖାଇଲେ । ଇମିତି ନିତି ପୁଅ ହାଣ୍ଡିଟିମାନ ଆଣେ,
ମାଆପୁଅ ଦିହେଁ ସେତକ ଖାଇପିଇ ଖଇରି ହାକୁଟି ମାରି ଗଡ଼ଗଡ଼ଉ ଥାଆନ୍ତି । ପୁଅ ତ ଦେଖିଲା ଯେ ନିତି ଫୋକଟରେ ତାକୁ ଦିବ୍ୟ ସୁନ୍ଦର ଜୋଇଁ ଭୋଜନ ମିଳିଲା, ମାଆ ଦେଖିଲା ଯେ, ବସିଲାଠେଇଁ ତ ତାକୁ ଅଧାର ମିଳିଲା । ପୁଅ ଆଉ ଭିକ ବି ମାଗି ଗଲା ନାହିଁ, ମାଆ ବି ଦୁଃଖଧନ୍ଦା କରିଵାକୁ ଗଲା ନାହିଁ କି କୁଟା ଖଣ୍ଡକ ଦି’ଖଣ୍ଡ କଲା ନାହିଁ । ଇମିତି ମାଆପୁଅଙ୍କ ମୁହଁ ତ ମାଗଣା ଭାତରେ ଲାଗି ଯାଇଥାଏ । ଏଣେ ଗଙ୍ଗା
ମାତା ଵିଚାର କଲେ ଯେ, ଏ ମାଆ ପୁଅ ତ ନିଖଟୁ ହୋଇ ବସିଲେ, କିଛି କାମ କଲେ
ନାହିଁ, ୟାଙ୍କ ଦେଖାଦେଖି ସଂସାରଯାକ ସମସ୍ତେ ତ କର୍ମକୋଢ଼ିଆ ହୋଇଯିବେ ଆଉ
ଦୁଃଖଧନ୍ଦାକୁ ତ କେହି ଆଦରିବେ ନାହିଁ, ୟାଙ୍କ ମୁହଁ ନ ଭାଙ୍ଗିଦେଲେ ହଵ ନାହିଁ । ଏଇତା ପାଞ୍ଚି ଗଙ୍ଗାମାତା କୂଟଟିଏ ଭେଇଲେ । 

ଦିନକର କ’ଣ ହୋଇଛି ନା, ଚକୁଳିଆପଣ୍ଡା ନିତି ଯିମିତି ଯାଏ, ସେଦିନ ବଡ଼ି ସକାଳୁ ଉଠି ସ୍ନାହାନ ପ୍ରକାର କରି ସେ ପଦ୍ମ ପୋଖରୀକି ଗଲା, ପାହାଚରେ ବସି ଯିମିତି ନିତି କରେ, ସିମିତି ସେଦିନ କଲା । ପାଣି ଚଳେ ଚଳେ ପିଉଥାଏ, ଏଣେ ମିଛରେ ମିଛରେ କହି ହେଉଥାଏ, ଭାତ ଖାଉଁ, ହାପୁ ଖାଉଁ, ତିଅଣ ଖାଉଁ, ସାକର ଖାଉଁ, ଖେଚେଡ଼ି ଖାଉଁ, ଇଣ୍ଡୁରି ଖାଉଁ ଇମିତି କହୁଥାଏ । ମନେ ମନେ ଵିଚାର କରୁଥାଏ, ନିତି ଯିମିତି ହାଣ୍ଡିଟିଏ ଭାସିଆସେ, ସିମିତି ଭାସିଆସି ଆଜି ମୋ ପାଖରେ ଲାଗିଯିଵ ଯେ, ମୁଁ ସୁନାପୁଅ ଭଳିଆ ତାକୁ ନେଇ ମାଆପୁଅ ଦିହେଁ ଖାଇ ହେଣ୍ଡି ମାରି ବୁଲୁଥିବୁ। ଗଙ୍ଗା ମାତା ଵିଚାରିଲେ, ଦେଖ, ୟାର କେଡ଼େ କଥା । ମୁଁ ୟା ଵିକଳ ସହି ନ ପାରି ୟାକୁ ଖାଇଵାକୁ ଦେଲି ବୋଲି, ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିଵାକୁ ନାହାନ୍ତି । ଦିହିଁକି ଦିହେଁ ଗଣ୍ଡିଟିମାନ ବାହାର କରି ବୁଲୁଛନ୍ତି । ଆଜି ପୂଜାଟାଏ ଆଚ୍ଛା କରି ନ ଦେଲେ ଇୟେ ଚେତିବେ ନାହିଁ । ଗଙ୍ଗାମାତା ତ ସହଜେ ଦେଵତା, ତାଙ୍କୁ ଅବା କୋଉ କଥା ଉବାର ଅଛି ? ୟା ଵିଚାରି ରାଗ ତମ ତମ ହୋଇ ହାଣ୍ଡିଟି ଭିତରେ ଗୁଡ଼ିଏ ବିଧା, ଚାପୁଡ଼ା, କହୁଣୀ, ଗୋଇଠା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା ଇମିତି ଯେତେକ ମାଡ଼ ଏ ସଂସାରରେ ଅଛି, ସବୁ ପୂରେଇଲେ । ହାଣ୍ଡି ଉପରେ ତେଲୁଣିଟି କଣ୍ଟିକାଣ୍ଟି କରି ନିବୁଜ୍ଜୁ କରି ଘୋଡ଼େଇଦେଲେ, ଏ ଚକୁଳିଆପଣ୍ଡା ପାଖକୁ ଭସେଇ ଦେଲେ । ହାଣ୍ଡିଟି ଭାସିଭାସିକା ଆସି ୟା ପାଖରେ ଲାଗିଲା । ୟେ ତ ମନେ ମନେ ଆଗରୁ ମିଠେଇ ଖାଇ ବସିଛି, ହାଣ୍ଡିଟିକି କୂଳକୁ ଟେକି ନେଇ ତେଲୁଣିଟିକି କାଢ଼ି ଦେଲା ବେଳକୁ ହେଲା ତ ତା ଉପରେ ମାଡ଼ ଵୃଷ୍ଟି । ତୁଚ୍ଛା ଚାପୁଡ଼ା ଉପରେ ଚାପୁଡ଼ା, ବିଧା ଉପରେ ବିଧା, ତା ଉପରେ ଗୋଇଠା, ତା ପଛକୁ ରାମ୍ପୁଡ଼ା, କାମୁଡ଼ା, ଇମିତି ଖାଲି ତା ଅଷ୍ଟାଙ୍ଗ ଶରୀରଯାକ ଦୁମ୍‌ଦାମ୍ ଭୁସ୍‌ଭାସ୍ ଲଦି ହୋଇ ଯାଉଥାଏ । ଚଟକଣା ଖାଇ ଗାଲକୁ ଆଉଁଶି ପକେଇଲା ବେଳକୁ ପିଠିରେ ଦୁଲୁ କରି ଗୋଟାକେତେ ବିଧା ବସୁଥାଏ ! ଡହଳ ଵିକଳ ହୋଇ ପିଠି ଆଉଁଶିଲା ବେଳକୁ ଖୁଆମୁଣ୍ଡିରେ ଦି ଗୋଇଠା ! ବେଳକୁବେଳ ସମୁଦ୍ର ଜୁଆର ମାଡ଼ି ଅଇଲା ଭଳିଆ ମାଡ଼ରେ କୁଆଛୁଆ ଉଡ଼ିଗଲା । ୟାକୁ ସେତେବେଳକୁ ଗୋଟାଏ ବୁଦ୍ଧି ପଇଟିଗଲା । ଏ କ’ଣ କଲା ନା, ଛଟପଟ ଜୀଵନ ଵିକଳରେ ଏ ହାଣ୍ଡି ଉପରେ ତେଲୁଣିଟାକୁ ଘୋଡ଼େଇ ପକେଇଲା । ଯିମିତି ଘୋଡ଼େଇ ପକେଇଛି ସିମିତି କିଏ ରାଣ ଦେଲା ଭଳିଆ ଏ ମାଡ଼ବୃଷ୍ଟି ଥମ୍ବିଗଲା’ । ଏ ଟିକିଏ ନିଃଶ୍ଵାସ ମାଇଲା । ସେତେବେଳକୁ ୟା ଦିହ ହାତ ମାଡ଼ରେ ଗଡ଼ଭଳିଆ ଫୁଲିଗଲାଣି । ଏ ରାଗରେ କମ୍ପମାନ ହଉଥାଏ । କିଏ ମାଇଲା ବୋଲି ଦେଖିଛି ଯେ, କାହା ଉପରେ ଦାଉ ସାଧିଵ ? 

‘‘ଶାଶୂ ମାରୁଥାଏ ବୋହୂକୁ, ବୋହୂ ଛାର ହୋଇ କାହାକୁ ମାରିଵ ମାରୁଥାଏ ଚୁଲି ମୁହଁକୁ ।’’

ସିମିତି ଚକୁଳିଆପଣ୍ଡା ତା ମା ଉପରେ ରାଗରେ ଜରଜର ହଉଥାଏ, ତା ମନ କଥା ମନରେ ଥାଏ, ସେ ହାଣ୍ଡିଟିକି ଉଠେଇ ଘରକୁ ପଳେଇଲା । ନିତି ଯିମିତି ନେଇ ଶିକା ଉପରେ ଥୋଇଦିଏ, ସିମିତି ହାଣ୍ଡିଟିକି ଶିକା ଉପରେ ରଖିଦେଇ ଭିକ ମାଗିଵାକୁ ଗଲା ବାହାରି । ତା ମାଆ ତ ଘରେ ନ ଥାଏ । ଏବେ ତ ପୁଅ ହାଣ୍ଡି ଆଣିଲା ଦିନଠଉଁ ମାଆ ଜମାରୁ ଦୁଃଖ ଧନ୍ଦା କରିଵାକୁ ନାହିଁ । ଗାଆଁଯାକ ଅଷ୍ଟଦଣ୍ଡପାଟ ଭଳିଆ ଦାଣ୍ଡି ମାରୁଥାଏ । ଘରକୁ ଆସି ଶିକାରୁ ହାଣ୍ଡି କାଢ଼ି ଭୋଜନ ମାରୁଥାଏ । ଆଜି ଆସି ଦେଖିଲା ବେଳକୁ ପୁଅ ଘରେ ନାହିଁ, ଘର
ଭିତରକୁ ପଶି ଚାହିଁଲାବେଳକୁ ଶିକାରେ ହାଣ୍ଡିଟି ନିତି ଭଳିଆ ଥୁଆ ହୋଇଛି ସେ ତ
ମାଇପି ଲୋକ । ଏତେ ଛନ୍ଦମନ୍ଦ ଅବା କାହୁଁ ଜାଣିଵ ? ହାଣ୍ଡିଟିକି ଶିକାରୁ ଥିରିକରି ଓହ୍ଲେଇ ଆଣି ଯିମିତି ତେଲୁଣିଟିକି ସେ ହାଣ୍ଡି ମୁହଁରୁ କାଢ଼ିଛି, ଆଉ ବୁଢ଼ୀ ଯାଏ କୁଆଡ଼େ । ହେଲା ତ ମାଡ଼ ଉପରେ କୁଆପଥର ଛେଚିଲା ଭଳିଆ ମାଡ଼ । ଦୁଲ୍‌ଦାଲ୍ ଗୋଟାକ ଉପରେ ଗୋଟେ ବାଜି ଯାଉଥାଏ। ଇଲୋ ବାପ ଲୋ ! ମରିଗଲି ଲୋ, ହେଲା ବେଳକୁ ପିଠିରେ ଫେର୍ ଦିଇଟା ବସୁଥାଏ । ଆଲୋ ମାଆ ଲୋ, ମରିଗଲି ଲୋ ! ହେଲା ବେଳକୁ କଙ୍କାଳ ବାହିରେ ପୁଣି ପୁଞ୍ଜାଏ ବସି ଯାଉଥାଏ । ଏଣେ ଶୂନ୍ୟ ଶଵଦ ହଉଥାଏ, କେତେ ଖାଇବୁ ଖାଆ, ଖାଆ କ୍ଷୀରୀ ବୋଲି ବିଧାଏ, ଖାଆ ପିଠା ବୋଲି ଗୋଇଠେ, ଖାଆ ମହୁର ବୋଲି ବ୍ରହ୍ମ ଜାବୁଡ଼ାଏ ! ବୁଢ଼ୀ ଵିକଳରେ ଦିହ ହାତ ଆଉଁଶି ପକାଉଥାଏ, ଏଣେ ମଲାଭଳିଆ ଛଟପଟ ହୋଇ ଗଡ଼ି ଯାଉଥାଏ । ପଛକୁ ବୁଢ଼ୀକି ଗୋଟାଏ ବୁଦ୍ଧି ଦିଶିଗଲା । ବୁଢ଼ୀ ଉଠିପଡ଼ି ସେ ପଲମଟାକୁ ହାଣ୍ଡି ଉପରେ ଉଗୁଡ଼େଇ ପକେଇଲା । ହାଣ୍ଡି ଉପରେ ଢାଙ୍କୁଣୀ ପଡ଼ିଗଲାରୁ ବୁଢ଼ୀ ଉପରେ ମାଡ଼-ଅସରା ବନ୍ଦ ହୋଇଗଲା । ବୁଢ଼ୀ ଟିକିଏ ନିଃଶ୍ଵାସ ମାଇଲା, କହିଲା ଓହୋ ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲି ? ଆଜି ପରା ଦିନରେ ମାଡ଼ ଖାଇଲି । ୟା ବିଚାରି ସେ ହାଣ୍ଡିକି ନେଇ ତା ବାଡ଼ିଆଡ଼ ଖତକୁଢ଼ ଗଦାରେ ଲଥ୍‌‌କିନି ରଖିଦେଲା, ବାଡ଼ି କବାଟ କିଳି ଦେଇ ଘରେ ଆସି ମୁହଁ ମାଡ଼ିକରି ଶୋଇଲା । ହାଣ୍ଡିଟି ଉପରେ ପଲମ’ ଘୋଡ଼ିଆ ହୋଇଥାଏ ।

ସେଦିନ ଦଇବ ଯୋଗକୁ ରାତି ଅଧ ହେଲାଣି, ଗାଆଁଯାକ ସମସ୍ତେ ଖାଇ ପିଇ ନିର୍ଜନ ହୋଇ ଶୋଇଲେଣି, ପଞ୍ଝାଏ ଚୋର କୋଉ ଗାଆଁରୁ ସିନ୍ଦୁକଟାଏ ଚୋରେଇ ଆଣି ବାଣ୍ଟ କରିବେ ବୋଲି ବୁଢ଼ୀ ବାରି ଦୁଆରେ ଆସି ବସିଲେ । ତାଙ୍କ ଭିତରେ ଭାଗ
ବାଣ୍ଟ ଵିଚାର ଲାଗିଛି, ଏହି ସମୟରେ ଜଣେ ଚୋରର ଆଖି ଏ ହାଣ୍ଡିଟି ଉପରେ ପଡ଼ିଲା । ସେ ବିଚାରିଲା, ୟା ଭିତରେ କଅଣ ଅଛି ଦେଖନ୍ତେଇ । ୟା ବିଚାରି ସେ ହାଣ୍ଡିଟିକି ଖତଗଦାରୁ ଉଠେଇ ଆଣି ସବୁ ଚୋରଙ୍କ ମଝିରେ ଥୋଇଦେଲା । ଯିମିତି
ସେ ପଲମଟିକି କାଢ଼ି ଦେଇଛି, ଆଉ ଏ ଚୋର ପଞ୍ଜାକ ଯିବେ କୋଉ ଗାଆଁକୁ ? ହେଲା ତ ସମସ୍ତଙ୍କ ଉପରେ ମାଡ଼, ତୁଚ୍ଛା ମାଡ଼, ଖାଲି ମାଡ଼, ଫେର ଗୋଗୋଛବାଡ଼ିଆ ମାଡ଼, ମାଡ଼ରେ ଗୋରୁ ଚରିଗଲେ । ଏ ଚୋରଯାକ ଆଉ ଟଙ୍କାଟୋକର ବାଣ୍ଟିବେ କଅଣ ? ମାଡ଼ରେ କଲେଇ ବଲେଇ ହେଇ କିଏ କୁଆଡ଼େ ଛାଟିପିଟି ହୋଇ ପଳେଇଗଲେ । ‘ବୋଉ ଲୋ ! ବୋଉ ଲୋ ।’ ହେଇ ପଳାଉଥାନ୍ତି, ତାଙ୍କ ପଛେ ପଛେ ମାଡ଼ଯାକ ଗୋଡ଼େଇ ତୁଚ୍ଛା ଖୋବି ପକଉ ଥାଆନ୍ତି । ମାଡ଼ରେ ଧୂଳା ଉଡ଼ି ଯାଉଥାଏ । ଯୋଉଁ ଚୋର ଗୋଟାକେତେ ପୂରୁବ ଆଡ଼କୁ ପଳେଇଲେ, ତାଙ୍କୁ ଚାପୁଡ଼ାଯାକ ଗୋଡ଼େଇ ଗୋଡ଼େଇ ଗଲେ । ଯେ ପଚ୍ଛିମକୁ ପଳେଇଲେ, ତାଙ୍କ ସାଙ୍ଗରେ ବିଧାଯାକ ଗୋଡ଼େଇ ଗୋଡ଼େଇକା ଗଲେ, ଯେ ଉତ୍ତରକୁ ଗଲେ ତାଙ୍କୁ ଗୋଇଠାଯାକ ଗୋଡ଼େଇଲେ, ଯେ ଦକ୍ଷିଣକୁ ଗଲେ ତାଙ୍ଗ ସଙ୍ଗରେ ମୁଖିଯାକ ଗଲେ ।

 ଇମିତି ଇମିତି ବୁଢ଼ୀ ବାରିଆଡ଼ୁ ଘଡ଼ିକରେ ମାଡ଼ ଆଉ ଚୋରଯାକ ବି ଗଲେ, ଏଣେ ବୁଢ଼ୀ ତ ମାଡ଼ ଖାଇକରି ତା ଅଷ୍ଟାଙ୍ଗ ଶରୀର ପରାସ ହୋଇ ଧକଉଥାଏ, ତାକୁ ଆଉ ରାତିଯାକ ନିଦ ମାଡ଼ିଵାକୁ ନାହିଁ । ସେ ଘର ଭିତରେ କତରାରେ ପଡ଼ି ଏକଡ଼ ସେକଡ଼ ହେଉଥାଏ । ବୁଢ଼ୀ ଘର ଭିତରେ ଥାଇ ଗାଲିପାଡ଼ି ଏ ସବୁ ବାରିଆଡ଼ର ରବୟାଯାକ ଶୁଣୁଥାଏ । ଯିମିତି ଏ ଚୋରଯାକ ପଳେଇଲେ ବୁଢ଼ୀ ଉଠିକରି ବାଡ଼ି କବାଟ ଧୁଡୁକିନି ଫିଟେଇଲା,
ଦେଖିଲା ବେଳକୁ ତା ବାଡ଼ି ପନ୍ଦାଡ଼ରେ ସିନ୍ଧୁକଟିଏ ଥୁଆ ହୋଇଛି ! ବୁଢ଼ୀ ସେ ସିନ୍ଦୁକ ପାଖକୁ ଯାଇ ଥୁରିକିନା ସେ ସିନ୍ଦୁକ କବାଟକୁ ଟେକୁଥାଏ, କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ପୁଣି ଯେମିତି କିଛି ନ ବାହାରେ । ପଛକୁ ଦେଖିଲା ଯେ, ସେ ସିନ୍ଦୁକ ଭିତରୁ ଆଉ କିଛି ସୋରସାର ହେଲା ନାହିଁ । ସେଇଥିରୁ ସିନ୍ଦୁକକୁ ମେଲା କରି ଦେଖିଲା ବେଳକୁ ତା ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି,ଗହଣାଗାଣ୍ଠି, ଟଙ୍କାଟୋକର ସିନ୍ଦୁକେ ଭରତି ହୋଇଛି । ୟା ଦେଖି ବୁଢ଼ୀର ମାଡ଼ଦରଜ କୁଆଡ଼େ ଉଭେଇ ଗଲା । ବୁଢ଼ୀ ତ ଏକୁଟିଆ ସେ ସିନ୍ଦୁକ ଟେକି ପାରିବ ନାହିଁ । ଘରୁ
ପାଚିଆଟିଏ ଆଣି ପାଚିଆ’ ପାଚିଆ କରି ପୁଳି ପୁଳି କରି ନଇଁ ନଇଁ କରି ସିନ୍ଦୁକରୁ ଧନ ଦରବତକ ରାତିକାରାତି ବୋହି ଲାଗିଲା । ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହଉଚି, ପୁଅ ଆସି ପହଞ୍ଚିଲା । ମାଆ ପୁଅ ଆଉ କାଲିର ମାଡ଼କଥା କ’ଣ କଥାଭାଷା ହେବେ କି ? ପୁଅକୁ ମାଆ ଏ ଧନ ଦଉଲତତକ
ଦେଖେଇଲା । ମାଆ ପୁଅ ଦିହେଁ ଟେକାଟେକି କରି ସିନ୍ଦୁକକୁ ଘର ଭିତରକୁ ଆଣିଲେ । ତହିଁ ଆର ଦିନ ସକାଳୁ ସେ ଅସରପିତକ ମାପିବେ ବୋଲି ବୁଢ଼ୀ ଆସି ଆମ ଘରୁ ଆମ ଛଅ ସୋରିଆ ଗଉଣୀଟି ମାଗି ନେଇଥିଲା ଯେ, ମୁଁ ମନେ ମନେ ପାଞ୍ଚିଲି,ୟାଙ୍କରତ ଅଇର ଖପରା ବଇରି ବା, ୟେ କଅଣ ମାପିଵାକୁ ଗଉଣୀ ନେଲେ ମ ? ୟା ଵିଚାରି ଦିହରୁ ବୁଦ୍ଧି କାଢ଼ି ଆମ ଗଉଣୀ ପେଟରେ ଟିକିଏ ମହୁସିଠା ମାଡ଼ି ଦେଇଥିଲି ଯେ, ବୁଢ଼ୀ ଆମ ଗଉଣୀ ଫେରେଇ ଦେଲାବେଳକୁ ଦେଖେଁ ତ ଗଉଣୀ ପେଟରେ ବନହଳଦୀ ଭଳି ଅସଲ ଜଇପୁରୀ ମଉଡ଼ଟିଏ ଲାଗିଛି । ମୁଁ ତାକୁ ନେଇ ଆମ ଗୁରୁଵାର ମାଣ ଦିହରେ ରଖୁଦେଲି । ଚକୁଳିଆପଣ୍ଡା ଘରକୁ ବାଆଁରା ବାଆଁରି ହେଇ ବୁଲଚାଲ ହୋଇକରି ଗଲି । ମାଆ ପୁଅ ଦିହିଁକି ଦିହେଁ ମତେ ଆଉ ପାଟି ଫିଟେଇଲେ ନାହିଁ । ମୁଁ ତେଣୁ ଆସି ବଣିଆକୁ ଡକେଇ ସେ ମଉଡ଼କଟା ସୁନାରେ ପୁଅ, ଝିଅ, ନାତିନାତୁଣୀଙ୍କ ପାଇଁ କାନକୁ, ନାକକୁ, ବେକକୁ, ମୁଣ୍ଡକୁ, ଜାତିଜାତିକା ଅଳଙ୍କାର ଗଢ଼େଇଲି । ଘର ଦୁଆର କରି ରହିଲି । ମୋ କଥାଟି ସଇଲା, ଫୁଲଗଛଟି ମଲା ।
•••••••••••••••••••••••••••••
         -----ଶବ୍ଦାର୍ଥ -----
•••••••••••••••••••••••••••••
•ଶୋଧ୍— ଶୁଧ;ଦିଗ ବାଚକ ଶବ୍ଦ ସଙ୍ଗେ ଯୁକ୍ତ କେଵଳ(Mere; only.) ଅର୍ଥଜ ଶବ୍ଦ 
(ଯଥା— ଶୁଧ୍/ଶୋଧ୍ ଉତ୍ତର, ଶୁଧ୍/ଶୋଧ୍ ପୂର୍ଵ) । ଏହାର ଅନ୍ୟ ରୂପ ଶୁଉଦୁ ଏଵଂ ସମ୍ପୂର୍ଣ୍ଣ,ପୂରା ଅର୍ଥରେ ପ୍ରୟୋଗ କରାଯାଏ(ଯଥା— ନଟିଆ ଶୁଉଦୁ ମିଛୁଆଟେ)

•ବୋଲୁଅ—,ଵୃହଦାକାର ଲୋଷ୍ଟ୍ର; ଢେଲା; ମାଟିର ବଡ଼ ଟେଳାକୁ ବୋଲୁଅ କୁହାଯାଏ । 
ଟେକାଠାରୁ ଟେଳା ବଡ଼. ଟେଳାଠାରୁ ବୋଲୁଅ ବଡ଼। 

•କରଡ଼ି— ବାଉଁଶଗଜା,ବାଉଁଶଗଜାରୁ ପ୍ରସ୍ତୁତ ଏକପ୍ରକାରର ତିଅଣ,ଗଛରୁ ଆପେ ପଡ଼ୁଥିଵା ଆମ୍ବ,ବିରୀ ଓକୋଳଥ ଆଦି ଶସ୍ୟର ଛୁଇଁରୁ ଶସକାଢ଼ି ନେଲାରୁ ଯେଉଁ ଚୋପା ଆଦି ରହେ ତାକୁ କରଡ଼ି କୁହାଯାଏ। କିନ୍ତୁ ଏଠାରେ ଜଠରାଗ୍ନି ଅର୍ଥରେ କରଡ଼ି ଶବ୍ଦ ପ୍ରୟୋଗ କରାଯାଇଛି । 

•ବାଆଁରେଇଵା— ଛଳନା କରିଵା,ବାହାନା କରିଵା,କଥାଦ୍ୱାରା ଭୁଲାଇଵା,ଭଣ୍ଡିଵା,ପ୍ରବଞ୍ଚନା କରିଵା, ଗୋଟିଏ କଥା ଚାଲିଥିଲାବେଳେ କୌଶଳ କରି ଆଉ ଗୋଟିଏ କଥା ଆରମ୍ଭ କରିଵା

•ନାନମାନ—ପୂରପୂର୍ଣ୍ଣ ଘୃତପକ୍ୱ ପିଷ୍ଟକଵିଶେଷ । ଏହା ଗଢ଼ିଵା ପାଇଁ ଚାଉଳ ଅଟାକୁ ଗୁଡ଼ରେ ପାଗକରି ଖଳି କରାଯାଏ। ଖଳି ମଧ୍ୟରେ ପୂର ଦେଇ ପେଣ୍ଡୁପରି ଗୋଲ ପିଠା କରି ତାହା ଘିଅରେ ଛଣାଯାଏ ।

•ବାବଦ ବାବଦ— ଅଲଗା ଅଲଗା
•ଦନା—ଚଉପଦି/ଚଉପତା ଵା ପତ୍ରଠୋଲା
•ଭରାଭର—ପରିପୂର୍ଣ୍ଣ
•କଣ୍ଟିକାଣ୍ଟି— ମାପକରି
•ଖଞ୍ଜା—ସଜା
•ସରି—ଶେଷ ହେଵା 
•ଦୋଓଡ଼ା—ଦ୍ଵିତୀୟଥର
•ବେଏଁ—ବିଏଁ, ଦୁଇହାତକୁ ଭୂମି ସହିତ ସମାନ୍ତରାଳ କରି ରଖିଲେ ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡ ମଧ୍ୟସ୍ଥ ଦୂରତା,
•ଅଠିଲ—ନାକେଦମ୍, ପୂରା ଖୁସ୍ 
•ତୁନି— ଚୁପ୍ ଚାପ୍
•ଦୁଃଖ କରିଵାକୁ ଯିଵା,ଦୁଃଖଧନ୍ଦା କରିଵାକୁ ଯିଵା— ଅନ୍ୟ ଘରେ ବାସନ ମାଜିଵା ଇତ୍ୟାଦି ଘରକରଣା କାମ କରିଵାକୁ ଯିଵା
•ମୋହିଁଵା— ଫେରିଵା,ମୁହାଁଇଵା
•ଟୁମାଟୁମ୍—ଅତି ଭୋଜନରେ ପୂର୍ଣ୍ଣ ଵା ଫୁଲିଥିଵା(ପେଟ), ଜଳପୂର୍ଣ୍ଣ ଜଳାଶୟ ଵା ପାତ୍ର । ଏହାର ଅନ୍ୟରୂପ ଟୁମ୍‌ଟୁମ୍ । 
•ମିହନ୍ତ(ଵୈ)—ପରିଶ୍ରମ
•ବଡ଼ି ଝଟପଟି—ଉଷା,ଭୋର ଵା ଆନ୍ଧାରୁଆ ସକାଳକୁ ଝଟଝଟି ଓ ଝଟପଟି କୁହାଯାଏ । ସେହିପରି ପ୍ରତ୍ୟୁଷକୁ ଓଡ଼ିଆ ଭାଷାରେ ବଡ଼ି ଝଟ୍ ଝଟ୍, ବଡ଼ିଭୋର୍, ବଡ଼ି ସକାଳ, ବଡ଼୍ଡିଭୋର୍, ବଡ଼୍ଡିସକାଳ, ବଡ଼୍ଡି ଝଟ୍ ପଟି, ବଡ଼ିବନ୍ଧାର(ରି) ଓ ବଡ଼ି(ଡ଼୍ଡି) ଅନ୍ଧାରିଆ ଇତ୍ୟାଦି କୁହାଯାଏ । 
•ଢୋଲେ ମାରିଵା—ପେଟ ପୂରା କରି ଭୋଜନ କରିଵା(ଵ୍ୟଙ୍ଗ୍ୟାର୍ଥ)
•ଅଧାର—ଆହାର,ଖାଦ୍ୟ
•ନିଖଟୁ— ଵିନା ପରିଶ୍ରମରେ (ଅଳସୁଆ ହେଵା)
•ଏଇତା— ଏତା,ଏୟା, ଏମନ୍ତ,ଏମିତି,ଇମିତି
•ଭେଇଵା— ଭିଆଇଵା
•ହେଣ୍ଡି ମାରି ବୁଲିଵା—ହେଣ୍ଡି ମାରିଵାର ଏକ ଅର୍ଥ ଵିଶେଷ ଆନନ୍ଦ ଵା ନିଶ୍ଚିନ୍ତତା ପ୍ରକାଶ କରିଵା ; ଆନନ୍ଦରେ ନାଚିଵା ତେବେ ଏଠାରେ ନିଷ୍କର୍ମା ଓ ନିଶ୍ଚିନ୍ତ ହୋଇ ବୁଲିଵା ଅର୍ଥରେ ପ୍ରୟୋଗ କରାଯାଇଛି। 
•ଉବାର—ନିଷେଧ,ମନା, ନିବାରଣ,ଅଜଣା,ଅଜ୍ଞାତ,ଗୋପନ, ଅଜ୍ଞାତ, ଗୁପ୍ତ, ଲୁକ୍କାୟିତ,ଅପୂର୍ଵ
•କୁଆଛୁଆ ଉଡ଼ିଵା— ଭୀଷଣ ପ୍ରହାର ହେଵା
•ପଇଟିଵା— ଜୁଟିଵା
•ଥମ୍ବିବା— ଥମିଯିଵା,ରହିଯିଵା
•ଅଷ୍ଟଦଣ୍ଡପାଟ—ବାତରା, ବାନା, ବୁଲା ,ଛତରା; ଯେ ଚାରିଆଡ଼େ ଵିନା କାମରେ ବୁଲୁ ଥାଏ
•ଉଗୁଡ଼େଇଵା—ମୁହଁ ମଡ଼ାଇ ରଖିଵା; ଲେଉଟାଇ ଦେଵା
•କଲେଇ ବଲେଇ— କଲବଲ
•ପରାସ—ଦେହର କୌଣସି ଅଂଶର ଦରଜ; ଵ୍ୟଥା,ଦୁଃଖ,କଷ୍ଟ, ଦୁଃଖଦାୟକ,ଵ୍ୟଥାଯୁକ୍ତ,କୌଣସି ସ୍ଥାନରୁ ଫିଙ୍ଗାଯିବା ଟେକା ଵା ଶର ଵା ଗୋଳା ଆଦି ପଡ଼ିଵାର ଦୂରତ୍ୱ । ତେବେ ଏଠାରେ ଵ୍ୟଥା ଅର୍ଥରେ ପ୍ରୟୋଗ କରାଯାଇଛି। 
•ଗାଲିପାଡ଼ି— ମୁହଁର ଗୋଟିଏ ପାଖକୁ ଲଗାଇପଡ଼ି ରହି ଶୋଇଥିଵାର ଛଳନା କରିବା; ଚେଇଁ ଶୋଇଵା,ଲୁକ୍କାୟିତ ଭାବରେ କୌଣସି କଥା ଶୁଣିଵା

•ରବୟା(ଵୈ)—,ଅଵସ୍ଥା,ଦେଶକାଳ ପାତ୍ରଗତ ଅଵସ୍ଥା ଵା ଘଟନା,ଚଳଣ,ଆଚରଣ । ଏଠାରେ ଦେଶକାଳ ପାତ୍ରଗତ ଅଵସ୍ଥା ଵା ଘଟଣା ଅର୍ଥରେ ପ୍ରୟୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗଡ଼ଜାତରେ ପାର୍ସୀ ମୂଳର ଅନ୍ୟ ଏକ ରବୟା ଶବ୍ଦ ହଇଜା ଅର୍ଥରେ ଆଗେ ପ୍ରୟୋଗ କରାଯାଉଥିଲା। 

•ପନ୍ଦାଡ଼— ଘରର ଓଳି,ଓଳିତଳ,ଘରର ହାତିଅନ୍ଧ ତଳେ ଥିଵା ପାଆ ଭାଗ ଵା ପିଣ୍ଡାର ଶେଷଭାଗ,ପନ୍ତାଡ଼,ବାରଣ୍ଡା
•ସୋରସାର— ସୋର୍ ଶବଦ;କୌଣସି ପ୍ରକାରର ଶବ୍ଦ
•ପାଚିଆ—ବାଉଁଶ ପାତିଆ, ତାଳ ବା ଖଜୁରି ପତ୍ର, କାଇଁଶ ଆଦିରେ ବୁଣା ଛୋଟ ଟୋକେଇ; ବାଉଁଶିଆ
•ଜାଙ୍ଗୁଲୁ ଜାଙ୍ଗୁଲୁ— ଅନ୍ଧାରୁଆ,ତ୍ରିସନ୍ଧ୍ୟାର ଅଵ୍ୟଵହିତ ପରର ଅନ୍ଧାର,ମାଛିଅନ୍ଧାର,ପାହି ଆସୁଥିଵା ରାତି,ପହାନ୍ତିଆ ସମୟ,ଭୋର ସମୟ । ଏଠାରେ ଭୋର ସମୟ ଅର୍ଥରେ ପ୍ରୟୋଗ କରାଯାଇଛି । 
•ଅସରପି(ଵୈ)—ଆରବ ଦେଶୀୟ ସ୍ଵର୍ଣ୍ଣମୁଦ୍ରାକୁ أَشْرَفِيّ • (ʔašrafiyy) କୁହାଯାଉଥିଲା । ମାମଲୁକ୍ ସୁଲ୍ତାନ୍ Al-ʾAšraf Sayf ad-Dīn Barsabayଙ୍କ ନାମାନୁସାରେ ଏହି ମୁଦ୍ରାର ନାମକରଣ ହୋଇଥିଲା । ଇଂରାଜୀ ଭାଷାରେ ଏହାକୁ ashrafee, asharfi, ushrufee ଓ xeriff ଆଦି କୁହାଯାଉଥିଲା । ଭାରତରେ ଵୈଦେଶିକ ଶାସନକାଳରେ ସ୍ଵର୍ଣ୍ଣମୁଦ୍ରାକୁ ଅସରପି କୁହାଯିଵାରୁ ପରେ ଯେକୌଣସି ସ୍ଵର୍ଣ୍ଣମୁଦ୍ରାକୁ ବି ଲୋକେ ଅସରପି କହିଵାକୁ ଲାଗିଲେ । 
•ଅଇରି ଖପରା ବଇରି ବା—ଏହା ଓଡ଼ିଆ ଭାଷାର ଏକ ଵିଶିଷ୍ଟ ଵାକ୍ୟ ଏଵଂ 
ଅତ୍ୟନ୍ତ ନିର୍ଦ୍ଧନ ଓ ଅଭାଵଗ୍ରସ୍ତ ଅଵସ୍ଥାକୁ ବୁଝାଇଥାଏ । ଯାହାର ନିର୍ଦ୍ଧନତା ଵା ଅଭାଵ ଯୋଗୁଁ ଘରେ ପ୍ରତିଦିନ ଚୁଲି ଜଳେ ନାହିଁ ଓ ଘରେ ଧାତୁପାତ୍ର ଖଣ୍ଡିଏ ନ ଥାଏ, ଲୋକେ କହନ୍ତି, "ତାର ଅଇରି ଖପରା ବଇରି ବା ହେଲାଣି"। 
   ••••••••••••••••••••••••••
•••••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...