Saturday, August 5, 2023

ଗୁପ୍ତଭୋଟ୍(ଖଗେଶ୍ବର ଶେଠ୍)

(ରାଗ-କୌଶିକ)

ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ;

କ୍ଷମତାଭିଳାଷୀ ପଦଵୀଲାଳସୀ

ଦେଲେ ହେଲେ ତତେ ହଜାରେ। (ଘୋଷା)।


ମତଵାଦୀ ଚିହ୍ନ ଘେନି ଭିନ୍ନ ଭିନ୍ନ-

ରଙ୍ଗେ ରଞ୍ଜିତ ଯା’ ଧଜା ରେ,

ସେ କେହ୍ନେ ଜାତୀୟ-ଏକତାର ପ୍ରିୟ?

ତା ଫାନ୍ଦେ ବୁଦ୍ଧି ନ ହଜା ରେ!


ଗୁପ୍ତ ଭୋଟେ ଜିତିଵାକୁ ଯା ପ୍ରତୀତି

କୂଟନୀତି ତହିଁ ଖଞ୍ଜା ରେ;

ଭୋଟପ୍ରାର୍ଥୀ ହୋଇ ପାରିଵକି କେହି

ଟଙ୍କାହୀନ ଦୀନ ପ୍ରଜା ରେ?


ନୁହେ ଦେଶସେଵୀ ତଥାପି ମୋ ଦାବୀ

ଖେଳା ଯେଣୁ କଳାବଜାରେ,

ଜିଣିଯିଵ ଭୋଟେ ଭୋଟ କିଣି ନୋଟେ

ପ୍ରଚାରକ ମୋ ଭଣଜା ରେ!


ସତ୍ୟ-ଅହିଂସାର ରକତେ ଯାହାର

ଗଢ଼ା ହୋଇଛି କଲିଜା ରେ,

ଛାର ପଦ ପାଇଁ ସେ’ କି ହେଵ ଭାଇ

ଭୋଟଗଢ଼ା-ନାଟ-ରଜା ରେ?


ଵିଚିତ୍ର ଦୁନିଆଁ କା’ର ପେଟେ ନିଆଁ

ଦହୁଛି ଜୀଵନ-ଗଜା ରେ,

ପାଇ କେ’ ବେତନ କରୁଛି ନର୍ତ୍ତନ

ଖଜାଖିଆ ବାବୁ ମଜାରେ।


ଥାଉ ତୋ ଯୋଗ୍ୟତା କର୍ମତତ୍‌ପରତା

ତଙ୍କା ଯଦି ନାହିଁ ଲଜ୍ଜା ରେ,

ନଥିଲେ ବି’ ପଢ଼ି ପାରିବି ମୁଁ ଲଢ଼ି

ଶୋଇଥାଇ ଟଙ୍କା-ଶଯ୍ୟାରେ।


କା’ ସଙ୍ଗେ ଲଢ଼ିଵା ଆସନେ ଚଢ଼ିଵା

ଦମ୍ଭ ଥିଲେ ଟଙ୍କା-ବଜାରେ,

ଆଜି ତୁ ଭୋଟର, କାଲି ତୋ ମଟର

ଲାଗିଵ ଲାଟ ଦରଜାରେ।


••••••••••••••••••••

ଏହି କବିତାଟି ପ୍ରାୟ ୫୦ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ରହିଛି। ଖଗେଶ୍ୱର ଶେଠ(୧୯୦୬-୧୯୮୭) ବରଗଡ଼ ଜିଲ୍ଲାର ସରସରାଠାରେ ଜନ୍ମ ହୋଇଥିଲେ। ଜାତିରେ ଜଣେ କେଉଟ ହୋଇ, ଵ୍ୟକ୍ତିଗତ ଜୀଵନରେ ଦୁଃଖ କଷ୍ଟ ମଧ୍ୟରେ ରହି ସୁଦ୍ଧା ସେ ଅନେକ ବଳିଷ୍ଠ କଵିତା ରଚନା କରିଯାଇଛନ୍ତି। ସେ ଉଭୟ ଓଡ଼ିଆ ଭାଷା ଓ ସମ୍ବଲପୁରୀ ଶୈଳୀରେ କଵିତା ରଚନା କରିଥିଲେ। ତାଙ୍କ ରଚିତ କଵିତା ସଙ୍ଗଳନ ମଧ୍ୟରେ ‘ପ୍ରଣୟ ପତ୍ରିକା’, ‘ସୁରଙ୍ଗୀ’, ‘ଉତ୍କଳ କଵିତା’, ‘ଅନ୍ତିମ ଚିନ୍ତା’ ଆଦି ଅନ୍ୟତମ। ସମ୍ବଲପୁର ଵିଶ୍ୱବିଦ୍ୟାଳୟକୁ ଜ୍ୟୋତି ବିହାର ଭାବେ ନାମକରଣ

 ତାଙ୍କ ଦ୍ୱାରା ହୋଇଥିଲା।

•••••••••••••••••••••


No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...