My Blog List

Showing posts with label ପର୍ଵପର୍ଵାଣୀ. Show all posts
Showing posts with label ପର୍ଵପର୍ଵାଣୀ. Show all posts

Sunday, November 12, 2023

ଉତ୍କଳୀୟ ଦୀପାଵଳି ଏଵଂ ଏହାର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ସମ୍ବନ୍ଧ

ଆଲୋକର ପର୍ଵ ଦୀପାଵଳି ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ପାରମ୍ପରିକ ପର୍ଵ ଭାବେ ପାଳିତ ହୋଇଥାଏ । ନେପାଳରେ ଦୀପାଵଳିକୁ ନେୱାରୀ ଲୋକେ 'ସ୍ୱାନ୍ତୀ' ପର୍ଵ ନାମରେ ପାଳନ କରିଥାନ୍ତି । ଏହା ଏକ ପାଞ୍ଚ ଦିନିଆ ପର୍ଵ, ଯେଉଁଥିରେ ପ୍ରଥମ ଦିନରେ କାଉ, ଦ୍ୱିତୀୟ ଦିନରେ କୁକୁର ଓ ତୃତୀୟ ଦିନରେ ଗାଈମାନଙ୍କୁ ଯଥାକ୍ରମେ କାଗ୍ ତିହାର୍,କୁକୁର୍ ତିହାର୍ ଓ ଗାଏ ତିହାର୍ ଅଵସରରେ ଖାଇଵାକୁ ଦିଅନ୍ତି। ଦେଵୀ ଲକ୍ଷ୍ମୀଙ୍କୁ ତୃତୀୟ ଦିନରେ ପୂଜା କରାଯାଏ । ଚତୁର୍ଥ ଦିନକୁ ଗୋଵର୍ଦ୍ଧନ ପୂଜା ତଥା ନୂଆ ଵର୍ଷ ରୂପେ ପାଳନ କରାଯାଏ ଏଵଂ ତା’ପରେ ପଞ୍ଚମ ଦିନରେ ଭାଇ ଟିକା ତିହାର୍ ପାଳିତ ହୁଏ । ମାଲେସିଆରେ ମଧ୍ୟ ଦୀପାଵଳି ପାଳନ କରାଯାଏ। ଏହା ଵ୍ୟତୀତ ଦୀପାଵଳି ଅଵସରରେ ସିଙ୍ଗାପୁରରେ ଗୋଟିଏ ଦିନର ପ୍ରଶାସନିକ ଅଵକାଶ ଦିଆଯାଏ ତଥା ଏଠାରେ ଵିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଶ୍ରୀଲଙ୍କାରେ ବି ଦୀପାଵଳି ପାଳନ କରାଯାଏ। ଏଠାକାର ତାମିଲ ସମ୍ପ୍ରଦାୟର ଲୋକମାନେ ବି ଦୀପାଵଳି ଦିନ ତେଲ ସ୍ନାନ କରିଵା ପରେ ନୂତନ ପୋଷାକ ପିନ୍ଧନ୍ତି ଏଵଂ ପୂଜା କରନ୍ତି।


ଦୀପାଵଳି ପାଳନ କେବେଠାରୁ ଆରମ୍ଭ ହୋଇଛି ତାହା ଅସ୍ପଷ୍ଟ ତେବେ ଏହା ଯେ ଏକ ପ୍ରାଚୀନ ପର୍ଵ ଏଥିରେ କେହି ବି ଦ୍ଵିମତ ହେବେ ନାହିଁ । ପୌରାଣିକ କଥାନୁସାରେ ଦୀପାଵଳି ପର୍ଵ ସତ୍ୟଯୁଗରୁ ଏଯାଵତ୍ ପାଳିତ ହେଉଅଛି । ଦୀପାଵଳି ପାଳନ ସମ୍ବନ୍ଧୀୟ ଵିଭିନ୍ନ ପୌରାଣିକ କଥାଵସ୍ତୁ ରହିଛି । 

କୁହାଯାଏ ଏହିଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଅଵତରଣ କରିଥିଲେ ତେଣୁ ଦୀପାଵଳି ଦିନରେ ଲକ୍ଷ୍ମୀଙ୍କର ପୂଜା କରାଯାଏ । କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ଵଧ କରିଵା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏଵଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇଵା ପାଇଁ ତଳେ ଶୋଇ ପଡିଥିଲେ। ଏହି ଘଟଣା ଦୀପାଵଳି ତିଥିରେ ଘଟିତ ହୋଇଥିଲା ତେଣୁ ଦୀପାଵଳିରେ କାଳି ପୂଜା ଅନୁଷ୍ଠିତ ହୋଇଥାଏ । ପୁଣି ପୌରାଣିକ ଆଖ୍ୟାନ ଅନୁସାରେ ଏହିଦିନ ଭଗଵାନ ଶ୍ରୀଵିଷ୍ଣୁ ହିରଣ୍ୟକଶିପୁକୁ ଵଧ କରିଥିଲେ। ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଭଗଵାନ ଵିଷ୍ଣୁ ଵାମନ ଅଵତାର ଧାରଣ କରି ଦୀପାଵଳି ଦିନ ରାଜା ବଳିଙ୍କ ପାଖରୁ ମାତା ଲକ୍ଷ୍ମୀଙ୍କୁ ମୁକ୍ତ କରିଥିଲେ । ରାମାୟଣ ଅନୁସାରେ ଏହି ଦୀପାଵଳି ଦିନ ୧୪ ଵର୍ଷ ଵନଵାସ ଶେଷ କରି ଭଗବାନ ଶ୍ରୀରାମ,ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଵର୍ତ୍ତନ କରିଥିଲେ । ଏହି ଆନନ୍ଦ ଅଵସରରେ ସମ୍ପୂର୍ଣ୍ଣ ଅଯୋଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଭଗଵାନ ଶ୍ରୀକୃଷ୍ଣ ନରକାସୁର ନାମକ ଅସୁରକୁ ଦୀପାଵଳି ଦିନରେ ଵଧକରି ୧୬୦୦୦ ସ୍ତ୍ରୀଙ୍କୁ ଉକ୍ତ ଅସୁର କଵଳରୁ ରକ୍ଷା କରିଥିଲେ । ଏଥିପାଇଁ ଦୀପାଵଳି ପର୍ଵକୁ ଵିଜୟ ପର୍ଵ ମଧ୍ୟ କୁହାଗଲା । ମହାଭାରତ ଅନୁସାରେ କୌରଵ ଓ ପାଣ୍ଡଵଙ୍କ ମଧ୍ୟରେ ଯେତେବେଳେ ପଶାଖେଳ ହୋଇଥିଲା ଉକ୍ତ ଖେଳରେ ପାଣ୍ଡବ ହାରି ୧୨ ଵର୍ଷ ପାଇଁ ଅଜ୍ଞାତ ବାସ ଗଲେ । ତେବେ ଏହି ଦୀପାଵଳି ଦିନ ପାଣ୍ଡଵ ଅଜ୍ଞାତ ବାସ ସମାପ୍ତ କରି ଘରବାହୁଡ଼ା ହୋଇଥିଲେ । ପାଣ୍ଡଵଙ୍କ ଲେଉଟାଣି ପରିପ୍ରେକ୍ଷୀରେ ଦୀପ ପ୍ରଜ୍ୱଳନ କରି ଦୀପାଵଳି ପାଳନ କରାଯାଇଥିଲା ।

ରାଜା ବିକ୍ରମାଦିତ୍ୟଙ୍କ ରାଜତିଳକ ମଧ୍ୟ ଦୀପାଵଳି ତିଥିରେ ସମ୍ପନ୍ନ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ସ୍ଥାପନା ମଧ୍ୟ ଏହି ଦୀପାଵଳି ଦିନ ହୋଇଥିଲା । 

ଜୈନ ଅନୁଗାମୀମାନଙ୍କ ପାଇଁ ଖ୍ରୀଷ୍ଟପୂର୍ଵ ୫୨୭ରେ ହୋଇଥିଵା ମହାଵୀରଙ୍କର ମୋକ୍ଷ ଵା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ଦୀପାଵଳିକୁ ପାଳନ କରାଯାଇଥାଏ । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାଵୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କ ପାଖରେ ବହୁ ଜୈନ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିଵୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେଵ, ଏହା ହିଁ ସେମାନେ ଚିନ୍ତାକଲେ । ତେଣୁ ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ଦିହୁଡ଼ି ଜଳାଇ ଦିଵ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେଇଵାର ପରମ୍ପରା ଜୈନମାନଙ୍କ ମଧ୍ୟରେ ଚାଳିଆସୁଛି । ଏହି ଅଵସରରେ ଜୈନମାନେ ଦୀପ ପ୍ରଜ୍ବଳନ ତଥା ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି । ଜୈନ ଵ୍ୟଵସାୟୀମାନେ ହିସାବଖାତା ଓ ମୁଦ୍ରା ପୂଜାକରନ୍ତି । ସେହିଵର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରଵର୍ତ୍ତୀ ଆଠଦିନ କୌଣସି ଵ୍ୟଵସାୟ କରନ୍ତି ନାହିଁ । ଏହାର ନଵମଦିନରେ ଜୈନ ନଵଵର୍ଷ ପାଳିତ ହୁଏ ।

ପୁନଶ୍ଚ ଏହି ଦୀପାଵଳି ଦିନ ଭଗଵାନ ଗୌତମ ବୁଦ୍ଧ ୧୮ ଵର୍ଷ ପରେ ନିଜ ଜନ୍ମସ୍ଥାନ କପିଳଵସ୍ତୁକୁ ଫେରିଥିଲେ ବୋଲି ବୌଦ୍ଧମାନଙ୍କର ଲୋକଵିଶ୍ୱାସ ପ୍ରଚଳିତ । କୁହାଯାଏ କପିଳଵସ୍ତୁରେ ଗୌତମ ବୁଦ୍ଧଙ୍କ ସ୍ଵାଗତ ସତ୍କାର ପାଇଁ ଲକ୍ଷାଧିକ ଦୀପ ପ୍ରଜ୍ଵଳନ କରାଯାଇଥିଲା ଏଵଂ ସେହି ସମୟରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ "ଆପୋ ଦୀପୋ ଭଵ" ଉପଦେଶ ଦେଇଥିଲେ । ସେବେଠାରୁ ତାଙ୍କ ସ୍ମୃତିରେ ବୌଦ୍ଧମାନେ ଦୀପାଵଳି ପର୍ଵକୁ ମହତ୍ତ୍ଵ ଦେଇ ଆସିଛନ୍ତି ‌।

ସିଖ୍ ପନ୍ଥର ଲୋକେ ଦୀପାଵଳିକୁ ବନ୍ଦୀଛୋଡ଼୍ ଦିଵସ ରୂପେ ପାଳି ଥାଆନ୍ତି ।
ଔରଙ୍ଗଜେବଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋଵିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖମାନଙ୍କର ଦୃଢ଼ ସଂଗ୍ରାମ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ହରଗୋଵିନ୍ଦ ସିଂହଙ୍କୁ ସ୍ୱାଗତକରିଵା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାଵଳି ଦିନ କାରାମୁକ୍ତ ହୋଇ ଥିଵାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିଵସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି ।ପାରମ୍ପରିକ ଭାଵେ ଏହିଦିନରେ ଶିଖ‌୍‌ମାନେ ଗୋଇନ୍ଦଵାଲ୍ ସାହିଵ୍ ଗୁରୁଦ୍ୱାରାକୁ ତୀର୍ଥକରି ଯାଆନ୍ତି । 

କିଛି ଗଵେଷକ କୁହନ୍ତି ଦୀପାଵଳି ଏକ କୃଷିଭିତ୍ତିକ ପ୍ରାଚୀନ ପର୍ଵ ଏଵଂ ଭାରତର ଜଳଵାୟୁ ପ୍ରାୟତଃ ସମାନ ହୋଇଥିଵାରୁ ସର୍ଵଭାରତୀୟ ପର୍ଵ ରୂପେ ଏହା ପ୍ରତିଷ୍ଠିତ ହୋଇପାରିଛି ।  

ଦୀପାଵଳିକୁ ନେଇ ନାନା ଲୋକମତ ଥିଲେ ବି ଗଵେଷକମାନେ କୁହନ୍ତି ଏହା ପ୍ରକୃତରେ ଏକ କୃଷିଭିତ୍ତିକ ପର୍ଵ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନଵସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧିପାଏ। କାର୍ତ୍ତିକ ଅମାଵାସ୍ୟା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଵା ଯୋଗୁଁ ଜନଜୀଵନ ଅସ୍ତଵ୍ୟସ୍ତ ହୋଇପଡ଼େ। ପ୍ରାଚୀନ କାଳରେ ଅମାଵାସ୍ୟା ପୂର୍ଵ ଓ ପରକୁ ମିଶାଇ ପାଞ୍ଚଦିନ ଦିହୁଡ଼ି, ଦୀପ ଓ ଅଗ୍ନି ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିଲା। କାର୍ତ୍ତିକ ମାସଯାକ ପୁଣି ଆକାଶଦୀପ ଜଳାଇଵାର ପରମ୍ପରା ରହିଛି । ଦୀପାଵଳି ରାତିରେ କାଉଁରିଆ କାଠି ଜଳାଇଵା ପଛରେ ମଧ୍ୟ ଏହି ଉଦ୍ଦେଶ୍ୟ ଥାଇପାରେ । 

ସେ ଯାହାବି ହେଉ ଦୀପାଵଳି ଆଲୋକର, ଦୀପଦାନର ପର୍ଵ ସେଥିପାଇଁ ଦୀପ ଓ ଆଵଳି ଶବ୍ଦକୁ ନେଇ ଦୀପାଵଳି ନାମକରଣ କରାଯାଇଛି । ଏହି ଦୀପାଵଳି ଶବ୍ଦର ଆକ୍ଷରିକ ଅର୍ଥ ଦୀପପୁଞ୍ଜ ଅଟେ । ଦୀପାଵଳି ଶବ୍ଦରେ ଯେଉଁ ଆଵଳି ଶବ୍ଦ ଅଛି ତହିଁର ଅନେକ ଅର୍ଥରେ ଵ୍ୟଵହାର ରହିଛି । ଯଥା―ଶ୍ରେଣୀ; ପଂକ୍ତି ଵା ଧାଡ଼ି,ସମୂହ,ଵଂଶ ଓ ଏକସାଜ ଇତ୍ୟାଦି । ତେବେ ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ୟଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ହୋଇଅଛି । ଆମଭାଷାରେ ଦୀପାଵଳି ଶବ୍ଦ ଛଡ଼ା ଦିପାଳୀ,ଦେଆଲୀ,ଦେଵାଲୀ ଓ ଦିଆଲି ଆଦି ଦେଶଜ ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି ।

ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା । ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ୟଵହାର ହୋଇଥିଵା ଦେଖାଯାଏ
                
“ଆରେ ଛତରା ! 
 ଦଶରା ଗଲା; ଦିଆଲି ଗଲା
 ବାକି ରହିଗଲା ବାଲିଯାତରା”                                             

କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ତିଥିରେ ଆମ ଦେଶରେ ଦୀପାଵଳି ଅନୁଷ୍ଠିତ ହୋଇଥାଏ ଏଵଂ ଏହି ତିଥିର ଵିଭିନ୍ନ ନାମ ରହିଛି । ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାର ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା । ଦୀପାଵଳିରେ ଵାଣ ଫୁଟାଯାଉଥିଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଫଟାକି ଉଆଁସ କୁହାଯାଏ । ଆମ କଳିଙ୍ଗ ଦେଶରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ । ଫଳତଃ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଓଡ଼ିଶାରେ ପୟା ଅମାଵାସ୍ୟା ଵା ପିମ୍ପେଇ ଅମାଵାସ୍ୟା,ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଓଡ଼ିଶାରେ ଦୀପାଵଳି ସବୁଠାରୁ ନିଆରା ଏଵଂ ଏହାକୁ ଭିନ୍ନ ତଥା ସ୍ଵତନ୍ତ୍ର କରେ ପିମ୍ପେଇ ଅମାଵାସ୍ୟାରେ ବଡ଼ବଡ଼ୁଆ ଡକା ଆଉ ଅନ୍ୟାନ୍ୟ ଉତ୍କଳୀୟ ରୀତିନୀତି । 

ଦୀପାଵଳି ଦିନ ଓଡ଼ିଶାରେ କାର୍ତ୍ତିକ ଅମାଵାସ୍ୟାରେ ପୟାଶ୍ରାଦ୍ଧ ଆୟୋଜିତ ହୋଇଥାଏ ଏଵଂ ଏଥିରେ ଲୋଡ଼ାହୁଏ ପିମ୍ପେଇ କାଠି । ସାଧାରଣତଃ କାଉଁରିଆ କାଠି,ଝୋଟ,ବାଳୁଙ୍ଗା(ନୀଵାର ଧାନ୍ୟ)ଗଛ, ରାଶିଫୁଲ ଓ ସୁଆମ ଲଈ ଦେଇ ପ୍ରସ୍ତୁତ
ହୁଏ ଏହି ପିମ୍ପେଇ କାଠି । ପ୍ରଥମେ ଏହି ପିମ୍ପେଇ କାଠିକୁ ଦୁଆର କିଂଵା ଯେଉଁଠି ପୂର୍ଵପୁରୁଷଙ୍କୁ ପିଣ୍ଡ ବଢ଼ାଯାଇଥାଏ ସେଠାକୁ ଅଣାଯାଏ ଏଵଂ ତହିଁର ବନ୍ଦାପନା ପରେ ଗୃହର ଇଶାଣରେ ଵା ଇଷ୍ଟଦେଵଙ୍କ ନିକଟରେ ରଖି ମହିଳାମାନଙ୍କ ଦ୍ଵାରା ହୁଳହୁଳି ଆଦି ମଙ୍ଗଳଧ୍ଵନି ସହ ପୁଣି ବନ୍ଦାପନା କରାଯାଏ । ତହିଁ ପରେ ଭିତରଘରେ ଵା ଇଶାଣଘରେ ଜଳୁଥିଵା ଦୀପଦ୍ଵାରା ସେଥିରେ ଅଗ୍ନି ସଂଯୋଗ ହୋଇଥାଏ । ପରିଵାର ତଥା କୁଟମ୍ଵର ଆତ୍ମୀୟ ସ୍ଵଜନ ଏଥିରୁ ଗୋଟାଏ ଗୋଟାଏ ଧରି ଦାଣ୍ଡକୁ ନିଅନ୍ତି ଓ ଯାଉଥିଵା ସମୟରେ ବଡ଼ବଡୁ଼ଆ ଡାକି ଡାକି ଯାଆନ୍ତି । ପୁଣି ଦାଣ୍ଡରେ ସମସ୍ତେ ନିଜ ନିଜ ପିମ୍ପେଇ କାଠି ରଖି ପୁନଶ୍ଚ ବଡ଼ବଡୁ଼ଆଙ୍କୁ ଡାକିଥାଆନ୍ତି ।

“ବଡ଼ ବଡ଼ୁଆ ହୋ ...                  
ଅନ୍ଧାରରେ ଆସି ଆଲୁଅରେ ଯାଅ ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”                                            

ଅଞ୍ଚଳ ଭେଦରେ ଏହି ପରମ୍ପରା ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ । କେଉଁଠି କେଉଁଠି ଦେଖାଯାଏ ଯେ ଲୋକେ କାଉଁରିଆ କାଠି ବିଡ଼ାରେ ନିଆଁ ଧରାଇ ଗାଁ ବାହାରେ ଗୋବରରେ ଲିପା ହୋଇଥିଵା ଉଚ୍ଚସ୍ଥାନରେ ପଣସ ପତ୍ରରେ ନେଇ ପିଣ୍ଡ ବାଢି଼ଥାନ୍ତି । ସେଠାରେ ପିତୃପୁରୁଷଙ୍କୁ ଅତି ଶ୍ରଦ୍ଧାର ସହିତ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆଵସ୍ତ୍ର ପିନ୍ଧି ଵିଦାୟ ସମ୍ବର୍ଦ୍ଧନା ଜଣାଇଥାନ୍ତି । ଆଉ କେତେକ ଅଞ୍ଚଳରେ
ପିମ୍ପେଇ ଅମାଵାସ୍ୟା ଦିନ ସନ୍ଧ୍ଯା ପରେ ପିଣ୍ଡଵର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଏଵଂ ତହିଁ ପରେ ବଡ଼ବଡୁ଼ଆ ଡକାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିମ୍ପେଇ ଶ୍ରାଦ୍ଧର ଏହି ରୀତିଟି ଉଲ୍ଲେଖ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର
ଅନ୍ୟ ଅନେକ ରୂପର ମଧ୍ୟ ଲେଖାଅଛି ଯଥା:ପିମ୍ପାଇ,ପିମ୍ପେଇ,ପିପାଇ,ପିପେଇ,ପିମ୍ପା ଶ୍ରାଦ୍ଧ,ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ,
ଓ ପିମ୍ପାଇ ଅମାଇସା ଇତ୍ୟାଦି ଇତ୍ୟାଦି ।

ଭାଷାକୋଷ ଅନୁସାରେ ଏହି ପିପେଇ ଵା ପିମ୍ପେଇ ଶବ୍ଦଟି ତତ୍ସମ ପୂପାଳି କିଂଵା ପୂପଦୀପ ଶବ୍ଦ ସହିତ ସମୋଦ୍ଧୃତ । ପୂପ ଓ ଆଳୀ ଶବ୍ଦ ଯୁକ୍ତ ହୋଇ ପୂପାଳୀ ଶବ୍ଦର ସୃଷ୍ଟି । ପୂପ,ପୂପଳା ଓ ପୂପାଳୀ ଶବ୍ଦର ଅର୍ଥ ପିଠା ଏଵଂ ସାଧାରଣତଃ ଘିଅପିଠାକୁ ପୂପଳା ଓ ପୂପାଳୀ କୁହାଯାଏ । ଏହି ଜାତୀୟ ପିଠାକୁ ଆଜିକାଲି ଓଡ଼ିଶାରେ ପୁଳୀ ପିଠା କୁହାଯାଏ ଏଵଂ ପୁଳୀ ଶବ୍ଦଟି ପୂପାଳୀର ଓଡ଼ିଆ ସମୋଦ୍ଧୃତ ରୂପ ।ଓଡ଼ିଆମାନଙ୍କ ମଧ୍ୟରେ ଲୋକଵିଶ୍ବାସ ପ୍ରଚଳିତ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ଅମାଵାସ୍ୟା ପର୍ଯ୍ୟନ୍ତ ମର୍ତ୍ତ୍ୟଲୋକରେ ଵାସକରି ନିଜ ଵର୍ତ୍ତମାନ ଵଂଶଜମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଅଵଲୋକନ କରିଥାନ୍ତି । ପୟାଶ୍ରାଦ୍ଧ ଦିନ ଘରେ ପିତୃପୁରୁଷଙ୍କ ନିମନ୍ତେ ସ୍ଵତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ । ଶ୍ରାଦ୍ଧ ପାଇଁ କଦଳୀ, ନଡି଼ଆ ତଥା ଚାଉଳ ଆଦିରେ ନୈଵେଦ୍ୟ ପ୍ରସ୍ତୁତ ହୁଏ । ଉଲ୍ଲେଖ ଯୋଗ୍ୟ ଯେ ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ପିମ୍ପେଇ ଅମାଵାସ୍ୟାର ମଧ୍ୟ ସମ୍ବନ୍ଧ ରହିଛି । ସାଧଵମାନଙ୍କ ଵାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ନୁହେଁ ଵରଂ ଵର୍ଷା ଚାରିମାସ ଚାଲିଗଲା ପରେ ଜଳପଥରେ ଵିଦେଶ ଯାଉଥିଲେ । କାରଣ ପୂର୍ଵକାଳରେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ସମୁଦ୍ରର ଜଳପଥ ଵିପଦପୂର୍ଣ୍ଣ ରହୁଥିଲା । ପୂର୍ଵକାଳରେ କାର୍ତ୍ତିକ ମାସରେ ମାଆ ଲକ୍ଷ୍ମୀଙ୍କୁ ଆରାଧନା କଲାପରେ କାର୍ତ୍ତିକ ଅମାଵାସ୍ୟା ଦିନ ସାଧଵ ଘରର ଵୋହୂମାନେ ବୋଇତ ପାଖକୁ ଯାଇ ତାହାର ବନ୍ଦାପନା କରୁଥିଲେ ‌। ଵାଣିଜ୍ୟପୋତ ଵ୍ୟଵସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିଵା ସମୟରେ ଓ ଵିଦେଶରୁ ଫେରିଆସିଵା ସମୟରେ ବଣିକଙ୍କ ସ୍ତ୍ରୀମାନେ ଦୁର୍ଵା,ପୁଷ୍ପ,ଶୁଭ ଫଳ ଓ ସାତଦୀପ ଆଦି ଦ୍ୱାରା ଵାଣିଜ୍ୟପୋତକୁ ବନ୍ଦାପନା କରୁଥିଲେ ସେହି ପରମ୍ପରାକୁ ବୋଇତ ବନ୍ଦାଣ ପରମ୍ପରା କୁହାଯାଉଥିଲା । ଏହି ଅଵସରରେ ଶୁଭ ମଙ୍ଗଳମୟ ବୋଇଯାତ୍ରା ସକାଶେ ଗଙ୍ଗାମାତା ଓ ମାଆମଙ୍ଗଳାଙ୍କର ଆରାଧନା କରାଯାଉଥିଲା । କାର୍ତ୍ତିକ ଅମାଵାସ୍ୟା ଦିନ ବୋଇତ ବନ୍ଦାଣ ହେଵା ପରେ ବୋଇତରେ ଵିଦେଶକୁ ଵିକ୍ରି ପାଇଁ ଯାଉଥିଵା ସୂକ୍ଷ୍ମ ଵସ୍ତ୍ର, ଭାରତୀୟ ଶସ୍ୟ ଓ ଔଷଧ ଆଦି ବୋଇତରେ ରଖାଯାଏ । କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଇତରେ ଦରଵ ଭରିଵା କାମ ଚାଲେ ଏଵଂ କାର୍ତ୍ତିକ ପୂର୍ଣ୍ଣିମା ଵା ତତ୍ପର ଦିନଠାରୁ ବୋଇତରେ ବସି ସାଧଵମାନେ ଵିଦେଶକୁ ଗମନ କରନ୍ତି । ସାଧଵମାନେ ଆଫ୍ରିକା,ଏସିଆର ଵିଭିନ୍ନ ଦେଶରେ ଵାଣିଜ୍ୟ କଲାପରେ ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ରଜସଂକ୍ରାନ୍ତି ମଧ୍ୟରେ ପୁଣି କଳିଙ୍ଗ ଅଭିମୁଖେ ବାହୁଡ଼ା ଯାତ୍ରା କରୁଥିଲେ । ଏହି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଶେଷ ପାଦଚିହ୍ନ ଓଡ଼ିଆ ଘରର କ୍ରମଶଃ ଲୁପ୍ତ ହେଵାକୁ ବସିଥିଵା ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ମଧ୍ୟରେ ରହିଯାଇଛି । ଅଵଶ୍ୟ ଆଜି ଅଧିକାଂଶ ଓଡ଼ିଆ ବୋଇତ ଭସାଣି ପର୍ଵ ପାଳନ କରୁଥିଲେ ବି ବହୁତ କମ୍ ଓଡ଼ିଆଙ୍କୁ ବୋଇତ ବନ୍ଦାଣ ଵିଷୟରେ ଜଣାଅଛି । ସାରା ଓଡ଼ିଶାର ଲୋକେ ବୋଇତ ବନ୍ଦାଣ କ'ଣ ଭୁଲିଯାଇଥିଵା ବେଳେ କେଵଳ ସାଧଵ କୁଳରେ କେତେକ ପରିଵାର ମଧ୍ୟରେ ବୋଇତ ବନ୍ଦାଣ ଏକ ସାଂସ୍କୃତିକ ଅନୁଷ୍ଠାନ ରୂପେ ବଞ୍ଚିରହିଯାଇଛି ‌ । ତେବେ ଆଗେ ଓଡ଼ିଶାର ଘରେ ଘରେ ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ଅନୁଷ୍ଠିତ ହେଉଥିଲା । ଶହେ ଵର୍ଷ ତଳର ଓଡ଼ିଆ ଭାଷାକୋଷ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ରେ ଉଲ୍ଲେଖ ଅଛି ଯେ “ଆଗେ କାର୍ତ୍ତିକ ମାସରେ ଦୀପାଵଳି (ଦେବାଲୀ) ଅମାଵାସ୍ୟାର ରାତି ନ ପାହୁଣୁ ଓଡ଼ିଶାର ହିନ୍ଦୁ ଗୃହିଣୀମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ତହିଁ ଉପରେ ଘରର ବାକ୍ସ, ସିନ୍ଦୁକ, ପେଡ଼ି, ପେଟରା ଆଦି ରଖି ଲକ୍ଷ୍ମୀପୂଜା କରୁଥିଲେ । ପୂର୍ଵେ ଏହି ସମୟରେ ଉତ୍କଳର ସାଧଵ (ମହାଜନ) ମାନେ ଵାଣିଜ୍ୟାର୍ଥ ବୋଇତରେ ଵିଦେଶଯାତ୍ରା କରୁଥିଲେ। ସେହିପରି ରଜସଂକ୍ରାନ୍ତି ତୃତୀୟ ଦିନ ମଧ୍ୟ ସ୍ତ୍ରୀ ଲୋକମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ପୂଜା କରୁଥିଲେ। ଅର୍ଥାତ୍ ରଜ ସଂକ୍ରାନ୍ତି ସୁଦ୍ଧା ବୋଇତ ଵିଦେଶରୁ ବାହୁଡ଼ି ଆସୁଥିଲା।” ଵିଭିନ୍ନ ଲୋକଗୀତ ଓ ଲୋକଗଳ୍ପର ଅଧ୍ୟୟନରୁ ଜଣାଯାଏ ଯେ ଆଗକାଳରେ ଵଣିକ ପରିଵାରର ସ୍ତ୍ରୀମାନେ ଫୁଲ ଓ ଦ୍ଵୀପ ନେଇ ବୋଇତକୁ ବନ୍ଦାପନା କରିଵାକୁ ଯାଉଥିଲେ । ଅଧୁନା କେତେକ ସାଧଵ କୁଳରେ ହିଁ କେଵଳ ବୋଇତ ବନ୍ଦାଣ ପରମ୍ପରା ଏକ ସାଂସ୍କୃତିକ ଅନୁଷ୍ଠାନ ଭାବରେ ବଞ୍ଚିରହିଛି । ଏହି ଅନୁଷ୍ଠାନର ଆରମ୍ଭରେ ମୁରୁଜ ସାହାଯ୍ୟରେ ଗୋଟିଏ ବଡ଼ ବୋଇତ ଚିତ୍ର ଅଙ୍କନ କରାଯାଏ । ବୋଇତ ଚାରିପଟେ ୩/୪ ପିଢ଼ିର ସମସ୍ତ ପୁରୁଷ ବସନ୍ତି ; ଘରର ସଵୁ ଵୋହୂମାନେ ସେଠାରେ ବୋଇତକୁ ବନ୍ଦେଇ ସାଧଵଙ୍କୁ ପାଛୋଟି ନେଇଥାନ୍ତି । ବୋଇତକୁ ଘେରି ବସିଵା ପରେ ସାଧଵଙ୍କର ଆରମ୍ଭ ହୁଏ କଉଡ଼ି ଖେଳ ; ଯିଏ ଜିତେ , ସେ ହୁଏ ସେହି ଵର୍ଷର ସଵୁଠାରୁ ଉତ୍କୃଷ୍ଟ ସାଧଵ ! ତାପରେ ବୋଇତ ନିକଟରୁ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡ଼ୁଆ ଵା ପୂର୍ଵପୁରୁଷଙ୍କୁ ଆଵାହନ କରାଯାଏ । ବୋଇତରେ ବସି ଦୂର ଦେଶକୁ ଵାଣିଜ୍ୟ ହେତୁକ ଯାତ୍ରାର ଏହା ଏକ ସାଂସ୍କୃତିକ ସନ୍ତକ । ଅଵଶ୍ୟ ଏହି ପରମ୍ପରା ଆଜି ଅନେକ ସାଧଵ ପରିଵାର ଛାଡ଼ି ସାରିଲେଣି କିନ୍ତୁ ଏହା ପ୍ରକୃତରେ ଓଡ଼ିଶାର ପ୍ରାଚୀନ ନୌଵାଣିଜ୍ୟର ସ୍ମୃତିଚିହ୍ନ ଅଟେ । ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଯେଉଁ ସବୁ ଦେଶରେ ଆଗେ କଳିଙ୍ଗର ନୌଵାଣିଜ୍ୟ ସମ୍ପର୍କ ଥିଲା ଫଳତଃ ତନ୍ମଧ୍ୟରେ ଅଧିକାଂଶ ଦେଶର ଭାଷାରେ ବୌଦ୍ଧ ଓ ସନାତନ ଧର୍ମ ଓ ପାଲି ଭାଷାର ପ୍ରଭାଵ ପଡ଼ିଥିଲା । ଏଥିପାଇଁ ଏହି ସବୁଦେଶରେ ଵୈଶାଖ ପୂର୍ଣ୍ଣିମା ଵା ମହାଵିଷୁଵ ପଣା ସଂକ୍ରାନ୍ତି ପରି ଦୀପାଵଳି ମଧ୍ୟ କେତେକ ଦେଶରେ ଜାତୀୟ ପର୍ଵ ଭାବରେ ପାଳନ କରାଯାଏ । ପୂର୍ଵେ ବୋଇତଯାତ୍ରାର ସବୁ ରୀତିନୀତିର ଆରମ୍ଭ ହେଉଥିଲା ପୟାଶ୍ରାଦ୍ଧଠାରୁ ଏଵଂ ଶେଷ ହେଉଥିଲା କାର୍ତ୍ତିକ ପୂର୍ଣ୍ଣିମା ପର ନୌଯାତ୍ରା ସମୟରେ ବୋଇତ ବନ୍ଦାଣ ଓ ବୋଇତ ଵିଦାରୁ ତେଣୁ ପ୍ରାଚୀନ ଓଡ଼ିଆ ନୌଵାଣିଜ୍ୟ ପରମ୍ପରାରେ କାର୍ତ୍ତିକ ଅମାଵାସ୍ୟା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଦିଵସ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅଵଶ୍ୟ ସାରା ଭାରତଵର୍ଷରେ ଦୀପାଵଳି ପର୍ଵକୁ ପାଳନ କରାଯାଏ କିନ୍ତୁ ଓଡ଼ିଶାର ଦୀପାଵଳି ପର୍ଵ ପ୍ରାଚୀନ ନୌଵାଣିଜ୍ୟ ସହିତ ସମ୍ବନ୍ଧିତ ଥିଵାରୁ ଏହା ସବୁଠାରୁ ନିଆରା ଓ ମୌଳିକ ହୋଇପାରିଛି । 

••••••••••••••••••••••••••
ତଥ୍ୟ: ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
(ଆଲୋକ ଚିତ୍ର : ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ )
•••••••••••••••••••••••••

ଦୀପାଵଳିରେ ବଡ଼ବଡ଼ୁଆ ଡାକ ପଛର ଵିଜ୍ଞାନ

ଅନେକଙ୍କ ମନରେ ପ୍ରଶ୍ନ ଆସେ ବଡ଼ବଡ଼ୁଆ ଡାକ ପଛରେ କ'ଣ ଵୈଜ୍ଞାନିକ କାରଣ ରହିଛି । ତେବେ କାହିଁକି ପର୍ଵ ପାଳିତ ହେଉଛି ପ୍ରଶ୍ନର ଉତ୍ତର ବି ଆମ ପରମ୍ପରା ମଧ୍ୟରେ ହିଁ ଲୁଚି ରହିଛି । ଉତ୍କଳରେ ଦୀପାଵଳି ରାତିରେ ବଡ଼ବଡ଼ୁଆଙ୍କୁ ଡାକି କାଉଁରିଆ କାଠିର ଅଗ୍ନି ଦେଖାଇ ମେଲାଣି ଦିଆଯାଏ ଏଵଂ ତା ସହିତ ଗାୟନ କରାଯାଏ : 

“ବଡ଼ବଡ଼ୁଆ ହୋ !
 ଗଙ୍ଗା ଯା ଗୟା ଯା ଶ୍ରୀପୁରୁଷୋତ୍ତମ ଯା
ଶରଧାବାଲିରେ ଗଡ଼ଗଡା଼ଉ ଥା
ବଡ଼ବଡ଼ୁଆ ହୋ…!
ଅନ୍ଧାରେ ଆସି ଆଲୁଏ ଯା ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ବଡ଼ବଡ଼ୁଆ ହୋ…! ”

ଘରେ ବନ୍ଦାପନା ପରେ ପରିଵାର ଵା କୁଟୁମ୍ବଜନମାନେ ଏକତ୍ର ଏକ ସ୍ଥାନକୁ କାଉଁରିଆ କାଠି ଧରି ଯାଆନ୍ତି ଓ ପ୍ରାଚୀନ ପୂର୍ଵଜ ଓ ହୁତାତ୍ମାମାନଙ୍କୁ ବଡ଼ବଡ଼ୁଆ ଭାବେ ସମ୍ବୋଧନ କରି ସେମାନଙ୍କୁ ଡାକିଥାନ୍ତି ତଥା ଆଲୋକ ଦେଖାଇ ବାଟ ଦେଖାଇଥାନ୍ତି । ତେଣୁ ଏହି ବଡ଼ବଡ଼ୁଆ ଡାକ ସାମାଜିକ ଐକ୍ୟର ତଥା ନିଜ ପୂର୍ଵଜ ଓ ପିତୃପୁରୁଷଙ୍କୁ ସମ୍ମାନ ଦେଵାର ଶିକ୍ଷା ଦେଇଥାଏ । ପୁଣି ଏହି ବଡ଼ବଡ଼ୁଆ ଡାକ ଆମକୁ ଆହୁରି ଗୋଟିଏ କଥା ଶିଖାଏ । ପ୍ରଥମତଃ ପୂର୍ଵଵର୍ତ୍ତୀ ପିଢ଼ିକୁ ଦିନେ ନା ଦିନେ ଫେରିଯିଵାକୁ ହିଁ ହୁଏ ଆଉ ସେତେବେଳେ ତାଙ୍କୁ ମୁଖାଗ୍ନି ଦିଅନ୍ତି ପରଵର୍ତ୍ତୀ ପିଢ଼ି । ଅର୍ଥାତ୍ ବଡ଼ବଡ଼ୁଆ ଡାକ ପଛରେ "ଜୀଵନ ନଶ୍ଵର" ଏହି ଗହନ ଵାର୍ତ୍ତା ରହିଛି ! 

କିନ୍ତୁ ଗଵେଷକମାନେ କୁହନ୍ତି ଏହା କୃଷିଭିତ୍ତିକ ପର୍ଵ ହୋଇଥିଵାରୁ ପୋକଜୋକ ନିୟନ୍ତ୍ରଣର ଏକ ସାଂସ୍କୃତିକ ଆୟୋଜନ । ଦେଖାଯାଏ କାର୍ତ୍ତିକ ମାସରେ ପୋକଜୋକ ସଂଖ୍ୟା ହଠାତ୍ ବଢ଼ିଯାଏ ।‌ ଏହାକୁ ନିୟନ୍ତ୍ରଣ କରିଵା ପାଇଁ କାର୍ତ୍ତିକ ମାସରେ 
ଆକାଶଦୀପ ପୋତାଯାଏ ଏଵଂ ଦୀପାଵଳି ପର୍ଵକୁ ପାଳନ କରାଯାଏ ।‌

କେହି କେହି କୁହନ୍ତି ଏହି ସମୟରେ ଲଳିତା ଅମଳ ହୋଇଥାଏ ଏଵଂ ତାହାର କାଉଁରିଆ କାଠି ପ୍ରାୟତଃ ଅଲୋଡ଼ା ହୋଇଯାଏ । ଉକ୍ତ କାଉଁରିଆ କାଠିକୁ କାର୍ଯ୍ୟରେ ଲଗାଇ ବଡ଼ବଡ଼ୁଆ ଡାକରେ ଵ୍ୟଵହୃତ କରାଯାଇଛି ଫଳତଃ ଚାଷୀ ଓ ବେପାରୀର ଦୁଇ ପଇସା ଲାଭ ହୋଇଛି ‌। 

 ତେବେ ଉତ୍କଳରେ ସବୁ ଋତୁ ଆଗମନକୁ ସୂଚାଇଵା ପାଇଁ ଗୋଟିଏ ଗୋଟିଏ ପର୍ଵରେ
 ତହିଁର ସୂଚନା ଦିଆଯାଇଛି । 

ମହାଵିଷୁଵ ପଣା ସଂକ୍ରାନ୍ତି ଗ୍ରୀଷ୍ମ ଆଗମନ ସମୟରେ ପାଳିତ ହୁଏ ଏଵଂ ଗ୍ରୀଷ୍ମ ଆଗମନକୁ ସୂଚାଇଵା ପାଇଁ ଏହି ଅଵସରରେ ତୁଳସୀ ବୃକ୍ଷକୁ ଜଳଦାନ ତଥା ପଣାପାନର ପରମ୍ପରା ରହିଛି । 

ବର୍ଷାଋତୁ ଆଗମନର ସୂଚନା ଦେଇ ଆସେ ରଜୋତ୍ସଵ । ରଜ ପର୍ଵ ପରେ ଵର୍ଷା ଋତୁର ଆଗମନ ହୋଇଯାଏ ଏଵଂ ଏହାକୁ ସୂଚାଇଵା ପାଇଁ ସାଧଵଵୋହୂ ପୋକଙ୍କୁ ପୂଜା କରାଯାଏ । ପୁଣି ରଜପର୍ଵ ସମୟରେ ପୃଥିଵୀ ରଜସ୍ୱଳା ହେଲାପରେ ଠାକୁରାଣୀ ଗାଧୁଆ ରୂପ ଜଳାଭିଷେକ ଵର୍ଷା ଋତୁ ଆରମ୍ଭ ହୋଇ ପୃଥିଵୀରେ ନୂତନ ଜୀଵ ଓ ପାଦପ ସୃଷ୍ଟିର ସଂକେତ ଦିଆଯାଇଛି ।‌

 ସେହିପରି ଦୀପାଵଳି ସମୟରେ ବଡ଼ବଡ଼ୁଆ ଡାକି କାଉଁରିଆ କାଠିରେ ଅଗ୍ନି ସଂଯୋଗ କରିଵା ଆଗକୁ ଆସୁଥିଵା ଶୀତ ଋତୁରେ ଶୀତଠାରୁ ସତର୍କ ରହିଵାର ସଂକେତ ରୂପେ ପାଳିତ ହୋଇଅଛି । 

 କଳିଙ୍ଗୋଡ୍ରୋ଼ତ୍କଳ ଏଥିପାଇଁ ଅନନ୍ୟ କାରଣ ଏହି ମାଟିର ପ୍ରତ୍ୟେକ ପର୍ଵ ପଛରେ ରହିଛି ଵୈଜ୍ଞାନିକ କାରଣ...

Monday, October 2, 2023

•ଶ୍ରୀକ୍ଷେତ୍ରର ନିଆରା ବଳିପୂଜା ଓ ନେତପିଲା ପରମ୍ପରା•

ଶ୍ରୀମନ୍ଦିର ସେଵକମାନଙ୍କର କୁମାରୀ ଝିଅମାନେ ବଳିପୂଜା ନାମକ ଏକ ଵ୍ରତ ପାଳନ କରନ୍ତି । ଜଗତ ମାତା ପାର୍ଵତୀ ମହାଦେଵଙ୍କୁ ସ୍ୱାମୀ ରୂପେ ପାଇଵାକୁ ଭୀଷଣ ତପସ୍ୟା କରିଥିଲେ । ଠିକ୍ ସେହିପରି ଶ୍ରୀକ୍ଷେତ୍ରରେ ସେଵାୟତ ମାନଙ୍କର କୁନି କୁନି କୁମାରୀ କନ୍ୟାମାନେ ସଦାଶିଵଙ୍କ ପରି ଭଲ ବର ପାଇଵାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର ଵ୍ରତ ପାଳନ କରିଥାନ୍ତି ।

 ସେଵାୟତଙ୍କ କନ୍ୟାମାନେ ଏହି ଅଵସରରେ ପାଟ ସହ ନାନା ପ୍ରକାରରେ ଆଭୂଷଣ ଓ ବେଶରେ ଦେଵୀଙ୍କ ଭଳି ସଜ୍ଜିତ ହୋଇ ଗୁରୁଜନଙ୍କ ସହ ଯାଇ ମାର୍କଣ୍ଡେୟଙ୍କୁ ପୂଜା କରନ୍ତି । ପ୍ରାୟ ୨୧ ଦିନ ପୂର୍ଵରୁ ବଳି ପୂଜନ କରିଵା ପରେ ତିନିଦିନ ଧରି ଵିଭିନ୍ନ ବେଶଭୂଷାରେ ସଜ୍ଜିତ ହୋଇ ମାର୍କଣ୍ଡ ପୋଖରୀଠାରେ ନେତପିଲାମାନେ ମାଆ ଵୃନ୍ଦାଵତୀଙ୍କ ପୂଜା କରି ବଳି ଗୀତ ଗାଇଥାନ୍ତି ।

ସେଵୟତ ପରିଵାର କନ୍ୟାମାନେ ମୁଖ୍ୟତଃ ବାପାମାଆଙ୍କ ଆୟୁଷ ବୃଦ୍ଧି ତଥା ଭଲ ବର ଵା ସ୍ୱାମୀ ପାଇଵା ଉଦ୍ଦେଶ୍ୟରେ ଏହି ପର୍ଵକୁ ପାଳନ କରିଥାନ୍ତି । 

ଏହି ଵ୍ରତ ପାଳନ ପାଇଁ କନ୍ୟାମାନଙ୍କର ଆଈ ଘରୁ ନୂଆ ପାଟ, ରୂପା ଫରୁଆ ସହ ମୁଣ୍ଡରେ ସିନ୍ଥି, ଅଳକା, ପାନପତର,ବେଣୀରେ ଝୁମ୍ପା, ହାତରେ ବଟଫଳ,ମୁଦି ଆଦି ବହୁମୂଲ୍ୟ ଅଳଙ୍କାର ଆସିଥାଏ । ପ୍ରୋକ୍ତ ଵସନ ଓ ଅଳଙ୍କାର ଧାରଣ କରି ସେଵାୟତ କନ୍ୟାମାନେ ବାଉଁଶିଆରେ ପାଣି କଖାରୁ,ମକା, ଗୁଆ, ଜହ୍ନି ଆଦି ସାତପ୍ରକାର ଫଳ ନେଇ ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀ କୂଳରେ ବଳି ଵା ହରପାର୍ଵତୀ ପୂଜା କରିଥାନ୍ତି ।

ମାର୍କଣ୍ଡ ପୁଷ୍କରିଣୀରେ ନେତପିଲାମାନେ ମାଆ ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ସହ ସେଠାରେ ବଳି ଗୀତ ଗାଇଥାନ୍ତି ।
ଉକ୍ତ ବଳିପୂଜା ଗୀତଟି ହେଲା :

“ବଳିରେ ବଳି, ନ କର କଳି
କାଲି ଆଣିଦେବି ସରୁ ଚକୁଳି
ସରୁ ଚକୁଳିର ଉପରେ ମହୁ
ଧୂପ ଖଟିଗଲେ ରାଜାଙ୍କ ଵୋହୂ
ରାଜାଙ୍କ ଵୋହୂ ଯେ ବିକନ୍ତି କୋଳି
ଈଶ୍ବର ମାଇଲେ ଦାଣ୍ଡର ଧୂଳି
ଦାଣ୍ଡର ଧୂଳି ଯେ ଦାଣ୍ଡକୁ ଯାଉ
ବାପା ଭାଇଙ୍କର ଆୟୁଷ ହେଉ ।”

କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ବଳିପୂଜାରେ ଭାଗ ନେଉଥିଵା ସେଵାୟତ କନ୍ୟାମାନଙ୍କୁ ନେତପିଲା କାହିଁକି କୁହାଯାଏ ?

ନେତ ଶବ୍ଦର ସାଧାରଣ ଅର୍ଥ ପତକା ଵା ପତାକା କିନ୍ତୁ କନ୍ୟାମାନଙ୍କର ଏକ ଧରଣର ଵସ୍ତ୍ରକୁ ମଧ୍ୟ ନେତ କୁହାଯାଏ ।‌ ପତାକା ଛଡ଼ା ଅଳ୍ପଵୟସ୍କା କନ୍ୟାମାନଙ୍କର ଵସ୍ତ୍ରକୁ ମଧ୍ୟ ସଂସ୍କୃତ ଭାଷାରେ ନେତ୍ର କୁହାଯାଏ । 

ଶିଶୁକନ୍ୟାମାନଙ୍କର ଵସ୍ତ୍ର ଅର୍ଥରେ ନେତ ଶବ୍ଦଟି ପ୍ରାଚୀନ ସାହିତ୍ୟରେ ମଧ୍ୟ ପ୍ରୟୋଗ କରାଯାଇଛି । ଯଥା : 

“କେ କାଛି ପିନ୍ଧିଅଛି ନେତ”(ଭୁପତି, ପ୍ରେମପଞ୍ଚାମୃତ।)

ତେଣୁ ଵଳିଵ୍ରତ କରୁଥିଵା କନ୍ୟାମାନଙ୍କୁ ଏହି କାରଣରୁ ନେତପିଲା କୁହାଯାଏ ‌। ହରପାର୍ଵତୀଙ୍କ ଵ୍ରତ ପାଳନ ସହିତ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିଵାର ଵିଧି ରହିଛି । ନେତପିଲାମାନେ ଏହି ଏକୋଇଶି ଦିନର ଶେଷ ଚାରିଦିନ ପାରମ୍ପରିକ ବେଶ ସହ ଵିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି । ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ଵ ପାଳନ ହେଉଥିଵା ବେଳେ ସେବାୟତମାନଙ୍କ ଘର ଉତ୍ସଵ ମୁଖର ହୋଇ ଉଠିଥାଏ ।

•••••••••••••••••••••••••••
✍️ଶିଶିର ସାହୁ ମନୋଜ,କନ୍ତିଓ ପୁଟସାହି, ଢେଙ୍କାନାଳ(ତଥ୍ୟ ଉତ୍ସ — ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ତର୍ଜାଲ)
•••••••••••••••••••••••••••

Wednesday, March 22, 2023

ସନାତନୀମାନଙ୍କର ନଵଵର୍ଷ

ଭାରତରେ ସନାତନୀମାନଙ୍କର ଏକାଧିକ ନଵଵର୍ଷ ଅଛି ଏଵଂ ସେ ସମସ୍ତ ନଵଵର୍ଷ ସନାତନୀ ନଵଵର୍ଷ ଅଟେ । ସେହିସବୁ ସନତାନୀ ନଵଵର୍ଷ ମଧ୍ୟରେ କୌଣସି ଗୋଟିଏ ନଵଵର୍ଷକୁ ସମସ୍ତଙ୍କ ଉପରେ ଲଦିଦେଵା ଠିକ୍ ନୁହେଁ । 

(କ)ଚୈତ୍ର ପ୍ରତିପଦା —
ମରାଠୀ,ତେଲୁଗୁ, କଶ୍ମୀରୀ, କର୍ଣ୍ଣାଟକୀ ଲୋକଙ୍କ ପାରମ୍ପରିକ ନଵଵର୍ଷ । ମହାରାଷ୍ଟ୍ରରେ ଏହାକୁ ଗୁଡି଼ ପଡ଼ଵା, ଅଵିଭକ୍ତ ତେଲୁଗୁ ଦେଶରେ ଉଗାଦୀ ତଥା କର୍ଣ୍ଣାଟକରେ ୟୁଗାଦୀ କୁହାଯାଏ । ବାଲି ଦ୍ଵୀପରେ ଏହି ଦିନକୁ Nyepi ଭାବରେ ସ୍ଥାନୀୟ ହିନ୍ଦୁମାନେ ପାଳିଥାଆନ୍ତି । କାଶ୍ମୀର ହିନ୍ଦୁମାନେ ଏହି ଦିନକୁ ସେମାନଙ୍କର ନଵଵର୍ଷ ଭାବେ Navreh ନାମରେ ପାଳିଥାଆନ୍ତି । ସିନ୍ଧି ହିନ୍ଦୁମାନଙ୍କର ମଧ୍ୟ ଏହା ପାରମ୍ପରିକ ନଵଵର୍ଷ ଏଵଂ cheti chand ନାମରେ ଏହି ପର୍ଵକୁ ସିନ୍ଧିମାନେ ପାଳନ କରିଥାନ୍ତି । ସେହିପରି ମଣିପୁରରେ କେତେକ ଅଞ୍ଚଳରେ Sajibu Nongma Panbaକୁ ନଵଵର୍ଷ ଭାବେ ପାଳନ କରାଯାଏ ଯାହା ମୈତେଇ କ୍ୟାଲେଣ୍ଡର ଅନୁସାରେ ଚୈତ୍ର ଦ୍ଵିତୀୟା ଦିନ ପାଳିତ ହୋଇଥାଏ । 

(ଖ)ଚୈତ୍ର ନଵରାତ୍ର
ବିହାର,ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ଚୈତ୍ର ନଵରାତ୍ରର ଶେଷ ଦିନ ରାମ ନଵମୀକୁ ପାରମ୍ପରିକ ନଵଵର୍ଷ ଵିଚାର କରାଯାଇଥାଏ । ଏହି ସବୁ ଅଞ୍ଚଳରେ ଚୈତ୍ର ନଵରାତ୍ରୀ ଏଵଂ ଵିଶେଷତଃ ରାମ ନଵମୀ ଦିନଟିକଙ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଵିଵେଚନା କରାଯାଏ । ଭଗଵାନ ରାମଚନ୍ଦ୍ରଙ୍କ ଜନ୍ମଠାରୁ ନୂତନ ଵର୍ଷର ଆରମ୍ଭ ଗଣନା କରାଯିଵାର ପରମ୍ପରା ହିନ୍ଦୀ ଭାଷା ବେଲ୍ଟରେ ଅଧିକ ଲୋକପ୍ରିୟ ଯେହେତୁ ଏ ଅଞ୍ଚଳରେ ରାମଙ୍କର ଓ ରାମରାଜ୍ୟର ପ୍ରଭାଵ ସର୍ଵାଧିକ ପଡି଼ଥିଲା ତେଣୁ ଏସବୁ ଅଞ୍ଚଳରେ ରାମନଵମୀକୁ ପାରମ୍ପରିକ ନଵଵର୍ଷ ଭାବେ ଗ୍ରହଣ କରାଯାଇଛି । 

(ଗ)ଵିଷୁଵ ସଂକ୍ରାନ୍ତି/ମେଷ ସଂକ୍ରାନ୍ତି

ମହା ଵିଷୁଵ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ଭାବେ ଜଣାଯାଏ । 

ପଞ୍ଜାଵରେ ଏହା ଵୈଶାଖୀ ନାମରେ ପରିଚିତ ଥିଲାବେଳେ ଏହା ନେପାଳର ଆଧିକାରିକ ନଵଵର୍ଷ ଭାବେ ମଧ୍ୟ ପରିଚିତ । 
ଆସାମରେ ବୋହାଗ ବିହୁ ,Tai Phake, Tai Aiton, ଓ Turung ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵିଭିନ୍ନ ଜନଜାତିର ଲୋକେ ପାଳିଥାଆନ୍ତି । ନେପାଳରେ ଵୈଶାଖ ଏକ ଗାତେ ଵା ବିସକେତ୍ ଯାତ୍ରା ,ବଙ୍ଗାଳୀ ହିନ୍ଦୁମାନଙ୍କ ମଧ୍ୟରେ ପୋହେଲା ବୈଶାଖ୍ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୋଇଥାଏ । ସଙ୍ଗକେନ୍;ଖାମତି;ସିଂହଫୋ;ଖାମ୍‌ୟାଙ୍ଗ୍ ଓ ତାଙ୍ଗ୍‌ସା ନାମରେ ଅରୁଣାଚଳ ପ୍ରଦେଶରେ ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ବୋଡୋଲ୍ୟାଣ୍ଡ ଅଞ୍ଚଳର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି Bwisagu ନାମରେ ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଥାଏ । ତ୍ରିପୁରାର ହିନ୍ଦୁମାନେ Buisu ନାମରେ ଏଵଂ ମିଜୋରାମର ଚକମାମାନେ 
Bizhu ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ପାଳିଥାଆନ୍ତି ‌। ପୂର୍ଵଭାରତରେ ଓଡ଼ିଆ ଲୋକମାନଙ୍କର ଏହା ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହୁଏ । ମୈଥିଳୀଭାଷୀ ଜୁର୍ ଶୀତଲ ନାମରେ ମାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳିଥାନ୍ତି । ସେହିପରି ଦକ୍ଷିଣ ଭାରତରେ ତାମିଲମାନେ ପୁଥାଣ୍ଡୁ,ମଳ଼ୟାଳମ଼ ଭାଷୀ ଵିଷୁ,ତୁଲୁଭାଷୀ ଵିଷୁ ନାମରେ ମହା ଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବରେ ପାଳନ କରିଥାନ୍ତି । ଭାରତ ବାହାରେ ଶ୍ରୀଲଙ୍କାରରେ Aluth Avurudda, ମିଆଁମାରରେ Thingyan,ଲାଓସରେ
Pi Mai, ଥାଇଲାଣ୍ଡରେ 
Songkran, କାମ୍ବୋଡିଆରେ
Choul Chnam Thmey ଵା Moha Sankranti ଓ ଚୀନ ଦେଶର ୟେନାନ୍ ରାଜ୍ୟରେ 
Water-Sprinkling Festival ଭାବେ ମହାଵିଷୁଵ ପଣା ସଂକ୍ରାନ୍ତି ପାଳିତ ହୁଏ। ଏହି ସବୁ ଅଞ୍ଚଳରେ ଵିଶେଷକରି ବୌଦ୍ଧମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳି ଥାଆନ୍ତି । ଭାରତ ଭିତରେ ଓ ଭାରତ ବାହାରେ ସର୍ଵାଧିକ ଲୋକପ୍ରିୟ ସନାତନୀ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ।‌

(ଘ)Losoong 

ସିକିମରେ ସାଧାରଣତଃ ଭୁଟିଆ,ଲେପଚା ଆଦି କେତେକ ଜନଜାତୀୟ ଲୋକେ ଆମର ନୂଆଖାଇ ଭଳି ଏକ ପର୍ଵ Losoongକୁ ତାଙ୍କର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ଏହି ପର୍ଵ ଚାଷ କାମ ଅମଳ ହୋଇ ସାରିଵା ପରେ ନୂଆଖାଇ ଭଳି ପାଳିତ ହୋଇଥାଏ । 

(ଙ)Galdan Namchot
ଲଦାଖରେ ସନାତନୀ ବୌଦ୍ଧମାନଙ୍କର ପାରମ୍ପରିକ ନଵଵର୍ଷ ଭାବେ
Galdan Namchot ପାଳିତ ହୋଇଥାଏ । ତିବତ୍ତରେ ବୌଦ୍ଧ ଧର୍ମର ଅନ୍ଯତମ ଗୁରୁ ଭାବେ ଜଣାଶୁଣା Je Tsongkhapa (1357–1419 AD)ଙ୍କ ନିର୍ଵାଣ ଦିନଟିକୁ ମନେ ରଖିଵାକୁ ପରେ ପରେ ଏହି ଦିନଠାରୁ ଵର୍ଷଗଣନା ଆରମ୍ଭ ହୋଇଥିଲା । ନେପାଳ,ଚୀନ, ତିବତ୍ତ ଓ ମଙ୍ଗୋଲିଆର ଅନେକ ବୌଦ୍ଧମାନେ ଏହି ଦିନଟିକୁ ନଵଵର୍ଷ ଭାବେ ପାଳନ କରିଥାନ୍ତି । 

(ଚ)ଆଷାଢି଼ ବିଜ୍
ଆଷାଢ଼ ମାସ ପ୍ରଥମ ଦିନକୁ ଗୁଜରାଟର କଚ୍ଛରେ ନଵଵର୍ଷ ଭାବେ ପାଳନ କରାଯାଏ । ଏହାକୁ କଚ୍ଛ ଅଞ୍ଚଳରେ ashadhi bij କୁହାଯାଇଥାଏ । ଏ ଵର୍ଷ ଗ୍ରେଗରୀୟ କ୍ୟାଲେଣ୍ଡର ଅନୁସାରେ ୧୯ ଜୁନରେ ଏହି ପର୍ଵ ପାଳିତ ହେଵାକୁ ଯାଉଛି । 

(ଛ)ବାଳି ପ୍ରତିପଦା
ଗୁଜରାଟୀ ଓ ମାରୁୱାଡ଼ୀମାନଙ୍କ ନଵଵର୍ଷ ଦୀପାଵଳିର ଚତୁର୍ଥ ଦିନ କାର୍ତ୍ତିକ ମାସର ପ୍ରଥମ ଦିନ ବାଳି ପ୍ରତିପଦାଠାରୁ ଆରମ୍ଭ ହୋଇଥାଏ । ଏହାକୁ Bestu Varas, Varsha Pratipada,Bali Padwa ମଧ୍ୟ କୁହାଯାଏ । ଏହାକୁ ଵ୍ଯାପାରୀମାନଙ୍କର ନଵଵର୍ଷ ବି କୁହାଯାଏ କାରଣ ଦୀପାଵଳି ପୂର୍ଵରୁ ଦୋକାନକୁ ସଫାସୁତୁରା କରି ପୁରୁଣା ଖାତାରୁ ହିସାବ କିତାବ ସାରି ଏହି ଦିନଠାରୁ ସାରା ଭାରତରେ ଵ୍ୟାପାରୀମାନେ ନୂଆ ଖାତା ଚଳାଇଥାଆନ୍ତି । 

(ଜ)ଚିଙ୍ଗମ୍ - କେରଳୀ ନଵଵର୍ଷ 
Kolla Varsham ପଞ୍ଜିକା ଅନୁସାରେ ଏ ଵର୍ଷ କେରଳୀ ନଵଵର୍ଷ chingam ପୌଷମାସ ପୁତ୍ରଦା ଏକଦଶୀ ତିଥିରେ କେରଳୀ ନଵଵର୍ଷ ପାଳିତ ହେଵାକୁ ଯାଉଛି । ୮୨୫ ଖ୍ରୀଷ୍ଟାବ୍ଦରେ ଏହି Kolla Varsham ପଞ୍ଜିକାର ପ୍ରଚଳନ କେରେଳରେ ହୋଇଥିଲା । କେରଳରେ ଦୁଇଜାତୀୟ କ୍ୟାଲେଣ୍ଡର ଵ୍ୟଵହାର ହୋଇଥାଏ । Medam Varsham ମଲାୟଲୀ ପଞ୍ଜିକା ଅନୁସାରେ ଵିଷୁ ଵା ମହା ଵିଷୁଵ ସଂକ୍ରାନ୍ତି ହେଉଛି କେରଳୀ ନଵଵର୍ଷ ସେହିପରି Kolla Varsham ପଞ୍ଜିକା ଅନୁସାରେ chingam ହେଉଛି ମଳୟାଳ଼ମୀ ନଵଵର୍ଷ ‌ । ସୌରରାଶି ଓ ସୌରମାସ ସିଂହର ନାମାନୁସାରେ chingam ହୋଇଅଛି । ପ୍ରକୃତରେ ସିଂହର ପରିଵୃତ୍ତ ରୂପ chingam ଅଟେ । 

(ଝ) ଉତ୍କଳୀୟ ନଵଵର୍ଷ ସୁନିଆଁ
ଓଡ଼ିଆ ନଵଵର୍ଷ ହେଉଛି ମହା ଵିଷୁଵ ପଣା ସଂକ୍ରାନ୍ତି ଏଵଂ ଏହା ପ୍ରାୟତଃ ଦୁଇହଜାର ଵର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ପାରମ୍ପରିକ ନଵଵର୍ଷ ଭାବେ ପାଳିତ ହେଉଛି । ତେବେ ସୁନିଆକୁ ଉତ୍କଳୀୟ ନଵଵର୍ଷ ଅଭିହିତ କରାଯାଏ । 
ଭାଦ୍ରମାସ ଶୁକ୍ଳ ଦ୍ୱାଦଶୀ ତିଥିରେ ଏହି ଉତ୍କଳୀୟ ନଵଵର୍ଷ ସୁନିଆଁ ଦିନ ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ଅଙ୍କର ପରିଵର୍ତ୍ତନ ହୋଇଥାଏ । ଏ ଦିନ ଆଗେ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ଵା ସନ ଆରମ୍ଭ ହେଉଥିଲା । ରାଜା ଓ ଜମିଦାରମାନେ ସେ ଦିନ ସିରସ୍ତା ପୂଜା କରୁଥିଲେ ଏବଂ ପ୍ରଜାମାନେ ଜମିଦାରଙ୍କୁ ଭେଟି ଓ ସଲାମି ଦେଉଥିଲେ । ପୂର୍ଵତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିଵା ଵିଧିରୁ ଏହି ଶବ୍ଦର ସୃଷ୍ଟି ହୋଇଅଛି । 

ଆଗେ ସ୍ୱର୍ଣ୍ଣମୁଦ୍ରା, ମଉଡ଼ ଵା ମୋହରକୁ ସୁନିଆ କୁହାଯାଉଥିଲା । ଗଞ୍ଜାମର କଵି କୃଷ୍ଣ ସିଂହଙ୍କ କୃଷ୍ଣ ମହାଭାରତରେ ସୁନିଆ ଶବ୍ଦଟି ସ୍ଵର୍ଣ୍ଣମୋହର ଅର୍ଥରେ ପ୍ରୟୋଗ କରାଯାଇଛି । 

ସହସ୍ରେ ସୁନିଆରେ ଶିକାଟାଏ ଅଛି, 
ସରୁ ରତ୍ନମାନଙ୍କେ ଭୁଷିତ ହୋଇଛି। (କୃଷ୍ଣସିଂହ, ମହାଭାରତ, ସଭା। )

ନାଗର ଘେନି ଯେବେ ଅସିବ ସୁନିଆ, ତେବେ ତାକୁ ଦେଖିଲେ ହୋଇବି ମୁଁ ନିଆଁ। (କୃଷ୍ଣସିଂହ, ମହାଭାରତ, ଶାନ୍ତି।)

ଉତ୍କଳୀୟ ସନ୍ ଓ ପୁରୀ ରାଜାଙ୍କ ମାସ ଓ ଦିଵସର ଗଣନା ସୌର ମାସର ଗଣନା କ୍ରମେ ହୁଏ କିନ୍ତୁ ସନ ଵା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ। ଏହି 'ସୁନିଆ' ପୂଜା ଓ ଗଣନା ଓଡ଼ିଶାର ଵିଶେଷତ୍ୱ। ଏହା ଉତ୍କଳୀୟମାନଙ୍କର ସ୍ଵତନ୍ତ୍ର ନଵ ବର୍ଷାରମ୍ଭ ଉତ୍ସଵ । ଆଜକୁ ପ୍ରାୟ ୧୪୦୦ରୁ ୧୫୦୦ ଵର୍ଷ ତଳେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା । 

ଭାରତରେ ହିନ୍ଦୁମାନଙ୍କର ଚୈତ୍ର ପ୍ରତିପଦା,
ରାମନଵମୀ,ମହାଵିଷୁଵ ପଣା ସଂକ୍ରାନ୍ତି,
ଆଷାଢ଼ି ବିଜ୍,ବେସ୍ତୁ ବରସ୍,ଚିଙ୍ଗମ୍ ଓ
ସୁନିଆଁ ଭଳି ସାତଗୋଟି ପାରମ୍ପରିକ ନଵଵର୍ଷ ଅଛି । ଏଥିମଧ୍ୟରୁ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଭାରତରେ ହିନ୍ଦୁ ,ସିଖ୍ ଓ ବୌଦ୍ଧ ତଥା ଭାରତ ବାହାରେ ଶ୍ରୀଲଙ୍କା,ବ୍ରହ୍ମଦେଶ,ଲାଓସ, ଭିଏତନାମ, କାମ୍ବୋଡି଼ଆ ଓ ଚୀନ(ପଶ୍ଚିମ) ଆଦି ଦେଶର ବୌଦ୍ଧ ମାନେ ନିଜର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରିଥାନ୍ତି । ସେଥିପାଇଁ ମହାବିଷୁବ ପଣା ସଂକ୍ରାନ୍ତିକୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ ମଧ୍ୟ କୁହାଯାଏ। 

ଯଦି କେଵଳ ଚୈତ୍ର ପ୍ରତିପଦା ହିଁ ହିନ୍ଦୁ ନଵଵର୍ଷ ତାହେଲେ ବାକି ସବୁ ହିନ୍ଦୁ ନଵଵର୍ଷଗୁଡି଼କୁ କ'ଣ ମୁସ୍ଲିମ ଓ ଖ୍ରୀଷ୍ଟିଆନ ନଵଵର୍ଷ କହିଵା କି ?