ତେବେ ନିରୁକ୍ତକୁ ଏକ କଳ୍ପନାପ୍ରସୂତ ଵା ମନଗଢ଼ା ଉପକରଣ ଭାବରେ ଚିତ୍ରଣ କରିଵା ପ୍ରାଚୀନ ଭାରତୀୟ ଭାଷାଵିଜ୍ଞାନ ପ୍ରତି ଥିଵା ଏକ ବଡ଼ ଧରଣର ଭୁଲ୍ ବୁଝାମଣା ଏଵଂ ତତ୍ ଆଧାରିତ ଗଢ଼ି ଉଠିଥିଵା ଭ୍ରମ ଧାରଣା ଛଡ଼ା ଆଉ କିଛି ନୁହେଁ।
ନିରୁକ୍ତ ହେଉଛି ଛଅଟି ବେଦାଙ୍ଗ ମଧ୍ୟରୁ ଅନ୍ୟତମ ଏଵଂ ଏହି ନିରୁକ୍ତ-ଵିଦ୍ୟାର ଆଦି ପ୍ରଵର୍ତ୍ତକ/ଆଦିଗୁରୁ ଶିଵ ବୋଲି ପାରମ୍ପରିକ ଭାବେ ଗ୍ରହଣ କରାଯାଏ। ପ୍ରାଚୀନ ଵୈଦିକ କାଳରେ ଶାକଟାୟନ, ଗାର୍ଗ୍ୟ, ଶାକପୁଣି, ଔଦୁମ୍ବରାୟଣ ଆଦି ଅନେକ ଵ୍ୟେୟାକରଣିକ ଓ ଶବ୍ଦଵ୍ୟୁତ୍ପତ୍ତି ଚିନ୍ତକ ଏହାକୁ ସମୃଦ୍ଧ କଲେ ।
ତେବେ ମହର୍ଷି ଯାସ୍କ ଏହି ପରମ୍ପରାକୁ ସୁଵ୍ୟଵସ୍ଥିତ ଭାବରେ ଗ୍ରନ୍ଥରୂପ ଦେଇଥିଲେ। ତାଙ୍କ ରଚିତ ‘ନିରୁକ୍ତ’ ଏହି ଶାସ୍ତ୍ରର ପ୍ରାଚୀନତମ ଓ ପ୍ରମୁଖ ଉପଲବ୍ଧ ଗ୍ରନ୍ଥ ଭାବେ ପରିଗଣିତ ହୁଏ। ଵେଦରେ ଵ୍ୟଵହୃତ ଦୁର୍ବୋଧ ଓ ପ୍ରାଚୀନ ଶବ୍ଦଗୁଡ଼ିକର ଅର୍ଥ, ଵ୍ୟୁତ୍ପତ୍ତି ଓ ନିର୍ଵଚନ ବୁଝିଵାରେ 'ନିରୁକ୍ତଶାସ୍ତ୍ର'ର ଵିଶେଷ ଭୂମିକା ରହିଛି।
'ନିରୁକ୍ତ'ର ମୂଳ ଉଦ୍ଦେଶ୍ୟ ହେଉଛି ଵୈଦିକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଵା ଉତ୍ପତ୍ତିଗତ ଅର୍ଥ ନିର୍ଦ୍ଧାରଣ କରିଵା। ଲୌକିକ ସଂସ୍କୃତ ଓ ଵୈଦିକ ସଂସ୍କୃତ ମଧ୍ୟରେ ଏକ ଵିରାଟ ପାର୍ଥକ୍ୟ ରହିଛି। ଆମେ ଦୈନନ୍ଦିନ ଜୀଵନରେ ଯେଉଁ ସଂସ୍କୃତ ଶବ୍ଦ ଵ୍ୟଵହାର କରୁ, ତାହା ପ୍ରାୟତଃ 'ରୂଢ଼ି' ଶବ୍ଦ ହୋଇଥାଏ, ଅର୍ଥାତ୍ ଗୋଟିଏ ଶବ୍ଦର ଗୋଟିଏ ନିର୍ଦ୍ଦିଷ୍ଟ ଓ ସୀମିତ ଅର୍ଥ ଥାଏ। କିନ୍ତୁ ଵୈଦିକ ଭାଷାର ପ୍ରତ୍ୟେକ ଶବ୍ଦ ହେଉଛି 'ଯୌଗିକ' ଵା ଧାତୁଜ। ଅର୍ଥାତ୍ ଗୋଟିଏ ଵୈଦିକ ଶବ୍ଦ ତାର କ୍ରିୟା ଵା ଗୁଣ ଅନୁଯାୟୀ ଅନେକ ଅର୍ଥ ପ୍ରଦାନ କରିପାରେ। ଏହା କୌଣସି ଆଧୁନିକ ମନଗଢ଼ା କଥା ନୁହେଁ ଵରଂ ଏହା ହେଉଛି ଵେଦକୁ ବୁଝିଵାର ଏକମାତ୍ର ଶାସ୍ତ୍ରୀୟ ପଦ୍ଧତି।
ଉଦାହରଣ ସ୍ୱରୂପ ଏଠାରେ 'ଗୋ' ଶବ୍ଦକୁ ନିଆଯାଇପାରେ। ସାଧାରଣ ସଂସ୍କୃତରେ 'ଗୋ' କହିଲେ ଆମେ କେଵଳ ଗାଈକୁ ବୁଝୁ। କିନ୍ତୁ ନିରୁକ୍ତ ଅନୁଯାୟୀ 'ଗୋ' ଶବ୍ଦଟି 'ଗମ୍' ଧାତୁରୁ ସୃଷ୍ଟି ହୋଇଛି, ଯାହାର ଅର୍ଥ ହେଉଛି ଗତି କରିଵା ଵା ଜ୍ଞାନ ଆହରଣ କରିଵା। ତେଣୁ ଵେଦରେ 'ଗୋ' ଶବ୍ଦର ଅର୍ଥ କେଵଳ ଗାଈ ନୁହେଁ ଵରଂ ପୃଥିଵୀ, ସୂର୍ଯ୍ୟଙ୍କ ରଶ୍ମି, ଵାଣୀ, ଜ୍ଞାନେନ୍ଦ୍ରିୟ ଓ ଜଳ ମଧ୍ୟ ହୋଇଥାଏ। ଯେତେବେଳେ ଵୈଦିକ ମନ୍ତ୍ରଗୁଡ଼ିକରେ 'ଗୋ' ଵା 'ଅଶ୍ୱ' ଭଳି ଶବ୍ଦର ପ୍ରୟୋଗ ହୁଏ, ତାର ଅର୍ଥ ପ୍ରସଙ୍ଗ ଅନୁଯାୟୀ ବଦଳିଥାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ 'ଗୋମେଧ'ର ଅର୍ଥ କୌଣସି ପଶୁର ଵଳିଦାନ ନୁହେଁ ଵରଂ ନିଜର ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିଵା ଵା ପୃଥିଵୀର ଅନ୍ନ ଓ ସମ୍ପଦକୁ ସମୃଦ୍ଧ କରିଵା। ସେହିପରି 'ଅଶ୍ୱମେଧ'ର ଅର୍ଥ ହେଉଛି ରାଷ୍ଟ୍ରର ଶକ୍ତି ଓ ସମୃଦ୍ଧି ଵୃଦ୍ଧି କରିଵା, କାରଣ 'ଅଶ୍ୱ' ଶବ୍ଦର ଅର୍ଥ ହେଉଛି ଗତିଶୀଳ ଶକ୍ତି ଵା ରାଷ୍ଟ୍ର ଏଵଂ 'ମେଧ'ର ଅର୍ଥ ହେଉଛି ସଂଗଠନ ଵା ଵୃଦ୍ଧି। ଏହି ଅର୍ଥଗୁଡ଼ିକ ଆଜିର କୌଣସି ପୃଷ୍ଠପୋଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଵିଷ୍କାର କରାଯାଇନାହିଁ ଵରଂ ଯାସ୍କଙ୍କ ନିରୁକ୍ତରେ ଏହି ନିୟମଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ଲିପିବଦ୍ଧ ହୋଇ ରହିଛି। ତେଣୁ ନିରୁକ୍ତର ଵ୍ୟଵହାରକୁ କଳ୍ପନାପ୍ରସୂତ କହିଵା ସମ୍ପୂର୍ଣ୍ଣ ଅମୂଳକ ଅଟେ।
ଇତିହାସକୁ ଲିଭାଇ ଦେଵା ଵା ସମ୍ପାଦନା କରି ନଷ୍ଟ କରିଦେଵାର ଅଭିଯୋଗ ମଧ୍ୟ କେମିତି ଭୁଲ୍ ତାହା ବୁଝିଵା ଆଵଶ୍ୟକ । ଵାମପନ୍ଥୀମାନେ କୁହନ୍ତି ଯେ ବ୍ରାହ୍ମଣମାନେ ଜାଣିଶୁଣି ମାଂସଭକ୍ଷଣର ପ୍ରସଙ୍ଗଗୁଡ଼ିକୁ ଲିଭାଇ ଦେଉଛନ୍ତି। ଏହି ଯୁକ୍ତିଟି ନିଜେ ହିଁ ଆତ୍ମଵିରୋଧୀ। ଯଦି ପ୍ରାଚୀନ କାଳରୁ ବ୍ରାହ୍ମଣ ଵା ପୁରୋହିତ ଶ୍ରେଣୀ ନିଜ ଇଚ୍ଛା ଅନୁଯାୟୀ ଇତିହାସକୁ ଲିଭାଇ ଦେଵାର କ୍ଷମତା ରଖିଥାନ୍ତେ, ତେବେ ଵାମପନ୍ଥୀମାନେ ଵେଦର ବାହାର କରି ଉଲ୍ଲେଖ କରିଥିଵା ଉଦାହରଣଗୁଡ଼ିକ ଆଜି ପର୍ଯ୍ୟନ୍ତ ଗ୍ରନ୍ଥଗୁଡ଼ିକରେ ଜୀଵିତ ରହିଥାନ୍ତା କିପରି?
ଆଜି ଆମେ ଶତପଥ ବ୍ରାହ୍ମଣ, ମନୁସ୍ମୃତି, ମହାଭାରତ ଵା ରାମାୟଣର ଯେଉଁ ଶ୍ଳୋକଗୁଡ଼ିକୁ ପଢ଼ି ଏହି ଵିତର୍କ କରୁଛୁ, ସେହି ଗ୍ରନ୍ଥଗୁଡ଼ିକୁ ପିଢ଼ି ପରେ ପିଢ଼ି କଣ୍ଠସ୍ଥ କରି ଓ ତାଳପତ୍ରରେ ଲେଖି ସଂରକ୍ଷଣ କରିଵାର ଦାୟିତ୍ୱ ସେହି ପାରମ୍ପରିକ ଵିଦ୍ୱାନମାନେ ହିଁ ତୁଲାଇଥିଲେ। ଯଦି ସେମାନେ ଇତିହାସକୁ ନଷ୍ଟ କରିଵାକୁ ଵା ନିଜକୁ କେଵଳ ଶାକାହାରୀ ପ୍ରମାଣିତ କରିଵାକୁ ଚାହିଁଥାନ୍ତେ, ତେବେ ଅସୁଵିଧାଜନକ ମନେ ହେଉଥିଵା ସମସ୍ତ ଶ୍ଳୋକକୁ ବହୁ ପୂର୍ଵରୁ ସହଜରେ ଵିଲୁପ୍ତ କରିଦେଇପାରିଥାନ୍ତେ। କିନ୍ତୁ ସେମାନେ ତାହା କରିନାହାଁନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଭାରତୀୟ ପରମ୍ପରାରେ ଗ୍ରନ୍ଥଗୁଡ଼ିକୁ ତାର ମୂଳ ରୂପରେ ସାଇତି ରଖିଵାର ଏକ ଅତୁଳନୀୟ ସାଧୁତା ଥିଲା, ଇତିହାସକୁ ଵିକୃତ କରିଵାର ନୁହେଁ।
ପୁଣି ଵେଦ ଭାଷ୍ୟର ଇତିହାସକୁ ଦେଖିଲେ ଜଣାଯାଏ ଯେ ପ୍ରାଚୀନ କାଳରେ ଶବ୍ଦଗୁଡ଼ିକର ତିନୋଟି ସ୍ତରରେ ଅର୍ଥ କରାଯାଉଥିଲା ଯଥା ଆଧିଭୌତିକ, ଆଧିଦୈଵିକ ଓ ଆଧ୍ୟାତ୍ମିକ। ମଧ୍ୟଯୁଗରେ ଯେତେବେଳେ ଯଜ୍ଞର କର୍ମକାଣ୍ଡ ଅଧିକ ପ୍ରାଧାନ୍ୟ ଲାଭ କଲା, ସାୟଣ ଓ ମହୀଧରଙ୍କ ଭଳି ପ୍ରସିଦ୍ଧ ଭାଷ୍ୟକାରମାନେ ଵେଦର ଅର୍ଥକୁ କେଵଳ ଯଜ୍ଞୀୟ ଵା ଆଧିଭୌତିକ ଦୃଷ୍ଟିକୋଣରୁ ଵ୍ୟାଖ୍ୟା କଲେ ଏଵଂ ସେହି ଭାଷ୍ୟଗୁଡ଼ିକର ଅର୍ଥ ପଶୁଵଳିର ପ୍ରସଙ୍ଗ ସହିତ ଯୋଡ଼ି ଦେଖାଗଲା । ଭାଷ୍ୟକାରମାନେ ଯାହା ଅର୍ଥ କରିଥିଲେ ଲୋକମାନେ ତହିଁରୁ ଭିନ୍ନ ଭିନ୍ନ ଅର୍ଥ ବାହାର କଲେ । ମଧ୍ୟଯୁଗରେ ଭାରତୀୟ ସମାଜ ଵିଦେଶୀ ଆକ୍ରାନ୍ତାଙ୍କ କଳୁଷିତ ଶାସନ ଓ ପରମ୍ପରା ଦ୍ଵାରା ପ୍ରଭାଵିତ ହୋଇଥିଲା ପୁଣି ସମାଜରେ ଵଳିପ୍ରଥ ଓ ମାଂସଭକ୍ଷଣର ପରିମାଣ ବି ବଢ଼ି ଯାଇଥିଲା । ଯେହେତୁ ସେତେବେଳେ ସମାଜ ଏକ ସଂକ୍ରାନ୍ତି କାଳରେ ଥିଲା ଏଵଂ ଲୋକମାନଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଯାଇଥିଲା ତେଣୁ ସେମାନେ ସେତେବେଳେ ସେହି ଵେଦ ମନ୍ତ୍ରଗୁଡ଼ିକର ନିଜର ପାଶଵିକ ମାନସିକତା ଆଧାରରେ ଵ୍ୟାଖ୍ୟା କଲେ ।
ତା’ପରେ ଆଧୁନିକ ସମୟରେ ଯେତେବେଳେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଭଳି ଵିଦ୍ୱାନମାନେ ଵେଦର ଭାଷ୍ୟ କଲେ ସେତେବେଳେ ସେମାନେ ନୂଆ କିଛି ଆଵିଷ୍କାର କରିନଥିଲେ ଵରଂ ମହର୍ଷି ଯାସ୍କଙ୍କ 'ନିରୁକ୍ତ'ର ପୁନରୁଦ୍ଧାର କରି ଵେଦର ପ୍ରକୃତ ଆଧ୍ୟାତ୍ମିକ ଓ ଆଧିଦୈଵିକ ଦିଗକୁ ପୁଣିଥରେ ପଦାକୁ ଆଣିଥିଲେ। ଏହାକୁ ଇତିହାସକୁ ଲିଭାଇଵା କୁହାଯାଇନପାରେ ଵରଂ ଏହା ହେଉଛି ଭୁଲ୍ ବୁଝାମଣାର ଶିକାର ହୋଇଥିଵା ଏକ ପ୍ରାଚୀନ ଜ୍ଞାନପଦ୍ଧତିର ଯଥାର୍ଥ ପୁନଃସ୍ଥାପନା।
ଭାରତୀୟ ସମାଜରେ ଖାଦ୍ୟପେୟର ଵିଵର୍ତ୍ତନ ଏକ ସ୍ୱାଭାଵିକ ଓ ଦୀର୍ଘ ଐତିହାସିକ ପ୍ରକ୍ରିୟା ଅଟେ। ପ୍ରାଚୀନ କାଳରେ କୃଷିର ପୂର୍ଣ୍ଣ ଵିକାଶ ପୂର୍ଵରୁ ଏଵଂ କଠିନ ଭୌଗୋଳିକ ପରିସ୍ଥିତିରେ ରହୁଥିଵା ସମାଜରେ ଵନଵାସ ଵା ଯୁଦ୍ଧ ସମୟରେ ମାଂସଭକ୍ଷଣ ଜୀଵନଯାପନର ଏକ ଅଂଶ ହୋଇଥାଇପାରେ। କିନ୍ତୁ ସମୟକ୍ରମେ ଅହିଂସା ଭାରତୀୟ ଦର୍ଶନର ମୁଖ୍ୟ ଆଧାର ପାଲଟିଲା। ଉପନିଷଦର ଆଧ୍ୟାତ୍ମିକତା, ଜୈନ ଓ ବୌଦ୍ଧ ଧର୍ମର ପ୍ରଭାଵ, ସାତ୍ତ୍ୱିକ ଜୀଵନଯାପନ ପ୍ରତି ଆକର୍ଷଣ ଏଵଂ ପଶୁପାଳନ ତଥା କୃଷି ଅର୍ଥନୀତିର ଵ୍ୟାପକ ଵିକାଶ ଫଳରେ ସମାଜରେ ଗୋମାଂସ ତଥା ଅନ୍ୟାନ୍ୟ ମାଂସ ଭକ୍ଷଣ ଉପରେ ସ୍ୱତଃ କଟକଣା ଆସିଲା। ଵେଦରେ ଗାଈକୁ ତାର ଅପରିସୀମ ଉପଯୋଗିତା ପାଇଁ 'ଅଘ୍ନ୍ୟା' ଅର୍ଥାତ୍ ହତ୍ୟା ନକରିଵା ଯୋଗ୍ୟ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।
ତେଣୁ ପ୍ରତ୍ୟେକ ଵୈଦିକ ରୂପକ ଵା ଅଳଙ୍କାରକୁ କେଵଳ ମାଂସ କିମ୍ବା ହିଂସା ଅର୍ଥରେ ଗ୍ରହଣ କରିଵା ଏଵଂ ତାହାର ଗଭୀର ଆଧ୍ୟାତ୍ମିକ ଅର୍ଥ ପ୍ରଦାନ କରୁଥିଵା 'ନିରୁକ୍ତ' ଭଳି ସର୍ଵମାନ୍ୟ ଶାସ୍ତ୍ରୀୟ ପ୍ରମାଣକୁ ଆଜିର କୌଣସି ପୁଞ୍ଜିପତି ଵା ଫଣ୍ଡର୍ସଙ୍କ ଷଡ଼ଯନ୍ତ୍ର ବୋଲି କହିଵା ପ୍ରକୃତ ଵିଦ୍ୱତ୍ତା ନୁହେଁ ଵରଂ ଏହା ନିଜର ସୀମିତ ବୁଝାମଣାକୁ ଅନ୍ୟ ଉପରେ ଲଦି ଦେଵାର ଏକ ପ୍ରୟାସ ମାତ୍ର ଅଟେ।
ଵୈଦିକ ସାହିତ୍ୟର ଅନୁଵାଦ କୌଣସି ସାଧାରଣ ଗଳ୍ପ ବହିର ଅନୁଵାଦ ନୁହେଁ। ଏଥିପାଇଁ ଛଅଟି ଵେଦାଙ୍ଗ ଯଥା ଶିକ୍ଷା, କଳ୍ପ, ଵ୍ଯାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷର ଗଭୀର ଜ୍ଞାନ ଆବଶ୍ୟକ। ଯେଉଁମାନେ ଏହି ଵୈଦିକ ଵ୍ୟାକରଣର ଗଭୀରତାକୁ ବୁଝନ୍ତି ନାହିଁ କିମ୍ବା ପାଶ୍ଚାତ୍ୟ ଅନୁଵାଦକମାନଙ୍କର ଅକ୍ଷରିକ ଅନୁଵାଦ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି, ସେମାନେ ଶବ୍ଦର କେଵଳ ଵାହ୍ୟ ଅର୍ଥକୁ ଦେଖି ଵିଭ୍ରାନ୍ତ ହୁଅନ୍ତି। ବ୍ରାହ୍ମଣମାନେ ଵା ସନାତନୀମାନେ ନିରୁକ୍ତର ସାହାରା ନେଇ ଇତିହାସରୁ କିଛି ଲୁଚାଉ ନାହାଁନ୍ତି ଵରଂ ସେମାନେ ପ୍ରାଚୀନ ଭାରତର ସର୍ଵଶ୍ରେଷ୍ଠ ଭାଷାଵିଜ୍ଞାନ ଆଧାରରେ ଵେଦର ପ୍ରକୃତ ସନ୍ଦେଶକୁ ସମାଜ ଆଗରେ ରଖିଵାକୁ ଚେଷ୍ଟା କରୁଛନ୍ତି। ଇତିହାସକୁ ଵିକୃତ କରିବାର ଅଭିଯୋଗ ସେତେବେଳେ ଆପଣାଛାଏଁ ଖଣ୍ଡନ ହୋଇଯାଏ, ଯେତେବେଳେ ଆମେ ଦେଖୁ ଯେ ଭିନ୍ନ ଭିନ୍ନ ମତ, ସ୍ତର ଓ ପ୍ରଥାର ଵିଵରଣୀ ଥିଵା ଏହି ଶାସ୍ତ୍ରଗୁଡ଼ିକ ଆଜି ମଧ୍ୟ ଦେଶସାରା ବିନା କୌଣସି ବାଧାରେ ଉପଲବ୍ଧ ଅଛି।
ତେବେ ନିରୁକ୍ତ ଉପରେ ଵାମପନ୍ଥୀମାନେ ଏଭଳି ଆକ୍ରମଣ କରିଵା ପଛରେ ଥିଵା ଗୂଢ଼ କାରଣ ମଧ୍ୟ ଏଠାରେ ଜାଣିନେଵା ଉଚିତ୍ ହେଵ । ଵାମପନ୍ଥୀ ଵିଚାରଧାରାରେ ଧର୍ମ କର୍ମ ଓ ସଂସ୍କୃତି ସମ୍ବନ୍ଧୀୟ ସମସ୍ତ ଉପାଦାନକୁ ଵିରୋଧ କରିଵାର ନୀତି ରହିଛି । ଆରମ୍ଭରେ ୟୁରୋପ, ଆମେରିକା ଓ ରୁଷିଆରୁ ଵାମପନ୍ଥୀଙ୍କୁ ସମାଜକୁ ନାସ୍ତିକ କରିଵା ପାଇଁ ଟଙ୍କା ମିଳୁଥିଲା । ସେତେବେଳେ ଵିଦେଶୀ ଖିରସ୍ତାନୀ ଡିପଷ୍ଟେଟ୍ ଚାହୁଁଥିଲେ ଯେ ଭାରତୀୟ ସମାଜ ନାସ୍ତିକ ହୋଇ ହିନ୍ଦୁ ଧର୍ମ ତ୍ୟାଗକରି ଦେଲେ ପରେ ସେମାନଙ୍କୁ ଖିରସ୍ତାନୀ ରୂପେ ଧର୍ମାନ୍ତରୀତ କରିଵା ସହଜ ହେଵ । ତେଣୁ ଵିଦେଶରୁ ଟଙ୍କା ଆସିଲା ଏଵଂ କିଛି ମୁଖ୍ୟ ମୁଖ୍ୟ ଵାମପନ୍ଥୀ ଲୋକଙ୍କୁ ନାସ୍ତିକ କଲେ ଏଵଂ ପରଵର୍ତ୍ତୀକାଳରେ ସେହି ନାସ୍ତିକ ଵାମପନ୍ଥୀମାନେ ସମସ୍ତ ପୂଜାପଦ୍ଧତି, ଗ୍ରନ୍ଥ ଓ ପୁରାଣଗାଥାକୁ ଵିରୋଧ କଲେ । କ୍ରମେ ଏହା ଏକ କର୍କଟ ରୋଗ ଭଳି ଵାମପନ୍ଥୀ ଵିଚାରଧାରର ଅଙ୍ଗ ହୋଇଗଲା । କିନ୍ତୁ ସମୟ ସହିତ ଵାମପନ୍ଥୀଙ୍କୁ ବଡ଼ ପରିମାଣରେ ପାଣ୍ଠି ଚୀନ ଓ ପଠାଣ ଦେଶଗୁଡ଼ିକରୁ ମିଳିଵାକୁ ଲାଗିଲା । ଚୀନର ଉଦ୍ଦେଶ୍ୟ ଥିଲା ଭାରତୀୟମାନଙ୍କର ମନୋବଳ ଦୃଢ଼ ନହେଉ ଏଵଂ ପଠାଣମାନଙ୍କ ଉଦ୍ଦେଶ୍ୟ ଥିଲା ଵାମପନ୍ଥୀମାନେ ହିନ୍ଦୁ ଧର୍ମ ଉପରେ ଆକ୍ରମଣ ଜାରି ରଖି ଭାରତରେ ପଠାଣ ମଜହବର ପ୍ରଚାର ପ୍ରସାରର ରାସ୍ତା ପ୍ରଶସ୍ତ କରନ୍ତୁ । ତେଣୁ ଵାମପନ୍ଥୀମାନେ ହିନ୍ଦୁ ଧର୍ମ ଉପରେ ଆକ୍ରମଣର କୌଣସି ଅଵସର ଛାଡ଼ନ୍ତି ନାହିଁ ।
କିନ୍ତୁ 'ନିରୁକ୍ତ' ଵିପକ୍ଷରେ ଆକ୍ରମଣ କରି ଵାମପନ୍ଥୀଙ୍କୁ ମିଳିଵ କ’ଣ ?
ପ୍ରାଚୀନ ଭାରତୀୟ ଭାଷାଚିନ୍ତା ଏଵଂ 'ନିରୁକ୍ତ'ଶାସ୍ତ୍ର ଆଧୁନିକ ଭାଷାଵିଜ୍ଞାନ, ଵିଶେଷକରି ଐତିହାସିକ-ତୁଳନାତ୍ମକ ଭାଷାଵିଜ୍ଞାନ ଵା Historical-Comparative Linguistics, ରୂପତତ୍ତ୍ୱ ଵା Morphology ଓ ଅର୍ଥଵିଜ୍ଞାନର ଵା Semantics ଵିକାଶରେ ଏକ ଗୂଢ଼ ଓ ମହତ୍ତ୍ୱପୂର୍ଣ୍ଣ ପ୍ରଭାଵ ପକାଇଛି। ନିରୁକ୍ତଶାସ୍ତ୍ରର ମୌଳିକ ସିଦ୍ଧାନ୍ତ ଯେ "ସମସ୍ତ ନାମପଦ ଵା ଵିଶେଷ୍ୟ କୌଣସି ନା କୌଣସି କ୍ରିୟାମୂଳ ଵା ଧାତୁରୁ ଵା Verbal roots ସୃଷ୍ଟି", ଆଧୁନିକ ଇଣ୍ଡୋ-ୟୁରୋପୀୟ ଭାଷାଵିଜ୍ଞାନର ମୂଳଦୁଆ ସାଜିଥିଲା। ପରଵର୍ତ୍ତୀ କାଳରେ ୟୁରୋପୀୟ ଭାଷାଵିଜ୍ଞାନୀମାନେ ଵିଭିନ୍ନ ଭାଷାର ଶବ୍ଦଗୁଡ଼ିକର ମୂଳ ରୂପ ଵା 'Proto-Roots' ଖୋଜିଵା ପାଇଁ ଏହି ପଦ୍ଧତିରୁ ପ୍ରେରଣା ପାଇଥିଲେ। ପୁଣି ନିରୁକ୍ତଶାସ୍ତ୍ରରେ ଶବ୍ଦଗୁଡ଼ିକୁ ଚାରୋଟି ମୁଖ୍ୟ ଵର୍ଗରେ ଵିଭକ୍ତ କରାଯାଇଛି— ନାମ(Noun), ଆଖ୍ୟାତ (Verb), ଉପସର୍ଗ (Preposition/Prefix) ଓ ନିପାତ (Particle)। ଏହି ସ୍ପଷ୍ଟ ଓ ଵୈଜ୍ଞାନିକ ଶ୍ରେଣୀଵିଭାଗ ଆଧୁନିକ ଵ୍ୟାକରଣ ଓ ସଂରଚନାଵାଦୀ (Structuralist) ଭାଷାଵିଜ୍ଞାନର ଵର୍ଗୀକରଣକୁ ଗଭୀର ଭାବରେ ପ୍ରଭାଵିତ କରିଛି।
ସେହିପରି ଶବ୍ଦର ପ୍ରକୃତ ଅର୍ଥ କିପରି ସମୟକ୍ରମେ, ସନ୍ଦର୍ଭ ଅନୁଯାୟୀ ଵା ରୂପକ (Metaphor) ମାଧ୍ୟମରେ ପରିଵର୍ତ୍ତିତ ହୁଏ, ତାହାର ଆଲୋଚନା ନିରୁକ୍ତିରେ ପ୍ରଥମ କରି କରାଯାଇଥିଲା। ଏହା ଆଧୁନିକ ଅର୍ଥଵିଜ୍ଞାନରେ ଶବ୍ଦାର୍ଥ ପରିଵର୍ତ୍ତନର ଧାରା ଵା Semantic Shift ଅଧ୍ୟୟନ ପାଇଁ ପଥପ୍ରଦର୍ଶକ ସାଜିଛି। ଶବ୍ଦ ଗଠନ ସମୟରେ ଧ୍ୱନିର ଆଗମ, ଲୋପ, ଵିକାର ଓ ସନ୍ଧିଜନିତ ପରିଵର୍ତ୍ତନଗୁଡ଼ିକୁ ନିରୁକ୍ତଶାସ୍ତ୍ରରେ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ଵିଶ୍ଳେଷଣ କରାଯାଇଛି। ଏହି ଵିଶ୍ଳେଷଣରୁ ପ୍ରଭାଵିତ ହୋଇ ଆଧୁନିକ ଐତିହାସିକ ଧ୍ୱନିଵିଜ୍ଞାନ ଓ ରୂପତତ୍ତ୍ୱର ତୁଳନାତ୍ମକ ଅଧ୍ୟୟନର ମୂଳଦୁଆ ରଖାଯାଇଛି । ଊନଵିଂଶ ଶତାବ୍ଦୀରେ ଯେତେବେଳେ ଫ୍ରାଞ୍ଜ ବପ୍ ଓ ମ୍ୟାକ୍ ମୁଲର ଭଳି ତଥାକଥିତ ୟୁରୋପୀୟ ପଣ୍ଡିତମାନେ ସଂସ୍କୃତ ଭାଷା ତଥା ଭାରତୀୟ ଵ୍ୟାକରଣ-ନିରୁକ୍ତି ପରମ୍ପରାର ସଂସ୍ପର୍ଶରେ ଆସିଲେ, ସେମାନେ ଭାଷାକୁ କେଵଳ କହିଵାର ମାଧ୍ୟମ ଭାବେ ନୁହେଁ ଵରଂ ଏକ ନିୟମଵଦ୍ଧ ଓ ଵିଵର୍ତ୍ତନଶୀଳ ବୈଜ୍ଞାନିକ ଵ୍ୟଵସ୍ଥା ଭାବେ ଅଧ୍ୟୟନ କରିଵାକୁ ପ୍ରେରଣା ପାଇଲେ। ଅର୍ଥାତ୍ ଭାରତୀୟ ପ୍ରାଚୀନ ନିରୁକ୍ତଶାସ୍ତ୍ର ଏଵଂ ଭାରତୀୟ ଶାସ୍ତ୍ରୀୟ ଵ୍ୟାକରଣ ହିଁ ଭାଷାର ଉତ୍ପତ୍ତି, ଅର୍ଥ ଓ ଵିଵର୍ତ୍ତନକୁ ତର୍କସମ୍ମତ ଭାବେ ବୁଝିଵା ପାଇଁ ଵୈଜ୍ଞାନିକ ଦୃଷ୍ଟିକୋଣ ପ୍ରଦାନ କରିଥିଲା ଏଵଂ ତାହା ଆଧୁନିକ ଭାଷାଵିଜ୍ଞାନର ଵିକାଶ ପାଇଁ ଏକ ସଶକ୍ତ ଭିତ୍ତିଭୂମି ସାଜିଛି।
ଭାରତର ନିରୁକ୍ତଶାସ୍ତ୍ର ଓ ଶାସ୍ତ୍ରୀୟ ଵ୍ୟାକରଣ ସହିତ ପରିଚିତ ହେଲା ପୂର୍ଵରୁ ଵିଦେଶୀମାନେ କେଵଳ ଭାଷା କହୁଥିଲେ ଏଵଂ ସାହିତ୍ୟ ନାଆଁରେ କିଛି ବହି ଲେଖିଥିଲେ । ଭାରତ ହିଁ ସେମାନଙ୍କୁ ଆଧୁନିକ ଭାଷାଵିଜ୍ଞାନ ପାଇଁ ପ୍ରେରିତ କରିଥିଲା । ଚିନ୍ତା କରନ୍ତୁ ଏହି କଥାଟି ଜାଣିଵା ପରେ ଭାରତୀୟମାନଙ୍କର ନିଜ ଶାସ୍ତ୍ର ଓ ସଂସ୍କୃତି ତଥା ପ୍ରାଚୀନ ପୂର୍ଵଜମାନଙ୍କ ପ୍ରତି ଆସ୍ଥା କେତେ ଵୃଦ୍ଧି ପାଇଵ ? ତେଣୁ ଵାମପନ୍ଥୀମାନେ ଏହି କାରଣରୁ ନିରୁକ୍ତଶାସ୍ତ୍ରକୁ ଦୋଷ ଦେଉଛନ୍ତି।
ନିରୁକ୍ତଶାସ୍ତ୍ର ଉପରେ କରାଯାଉଥିଵା ଆକ୍ରମଣ କେଵଳ ଏକ ଗ୍ରନ୍ଥ କିମ୍ବା ଶାସ୍ତ୍ରପଦ୍ଧତି ଉପରେ ଆକ୍ରମଣ ନୁହେଁ ଵରଂ ଏହା ଭାରତର ଆତ୍ମଵିଶ୍ୱାସ, ସଂସ୍କୃତି ଓ ଆର୍ଷ ଜ୍ଞାନପରମ୍ପରାକୁ ଦୁର୍ଵଳ କରିଵାର ଏକ ସୁଚିନ୍ତିତ ସୁଯୋଗ। ଯେଉଁ ସମୟରେ ଵିଶ୍ୱର ଅନ୍ୟ ସଭ୍ୟତାଗୁଡ଼ିକ ଭାଷାର ପ୍ରାଥମିକ ଵ୍ୟଵହାର ଶିଖୁଥିଲେ, ସେହି ସମୟରେ ଭାରତୀୟ ମହର୍ଷିମାନେ ଶବ୍ଦର ଗଠନ, ଧାତୁଜ ଵ୍ୟୁତ୍ପତ୍ତି (Verbal Roots) ଓ ସୂକ୍ଷ୍ମ ଅର୍ଥତତ୍ତ୍ୱ (Semantics)ର ଵିଜ୍ଞାନ ପ୍ରସ୍ତୁତ କରିସାରିଥିଲେ। ନିରୁକ୍ତଶାସ୍ତ୍ର ହେଉଛି ଭାରତୀୟ ବୌଦ୍ଧିକ ପ୍ରତିଭାର ଏକ ସାକ୍ଷୀ। ତେଣୁ ଏହାକୁ କେଵଳ 'ହିଂସା ଲୁଚାଇଵାର ବାହାନା' କହି ପ୍ରତ୍ୟାଖ୍ୟାନ କରିଵା ଦ୍ୱାରା ପ୍ରାଚୀନ ଭାରତୀୟ ଭାଷାଵିଜ୍ଞାନର ପ୍ରକୃତ ସାମର୍ଥ୍ୟ ଉପରେ ପରଦା ପଡ଼ିପାରିବ ନାହିଁ। 'ନିରୁକ୍ତଶାସ୍ତ୍ର' ଏଵଂ ପାଣିନିଙ୍କ 'ଅଷ୍ଟାଧ୍ୟାୟୀ' ଭଳି ଗ୍ରନ୍ଥଗୁଡ଼ିକ ଆଜି ବି ଵିଶ୍ୱର ସମସ୍ତ ଭାଷାଵିଜ୍ଞାନୀଙ୍କ ପାଇଁ ଏକ ଶ୍ରେଷ୍ଠ ଆଶ୍ଚର୍ଯ୍ୟ।
ତେଣୁ ଏହା ସ୍ପଷ୍ଟ ଯେ ଵେଦର ସନ୍ଦେଶ କୌଣସି ସୀମିତ ଇତିହାସ କିମ୍ବା ଭୌତିକ ସ୍ୱାର୍ଥ ଭିତରେ ଆବଦ୍ଧ ନୁହେଁ। ଵେଦାଙ୍ଗ 'ନିରୁକ୍ତ'ର ସାହାଯ୍ୟରେ ଯେତେବେଳେ ଆମେ ତାହାର ଆଧ୍ୟାତ୍ମିକ ଓ ତାର୍କିକ ଅର୍ଥକୁ ବୁଝିଵାକୁ ଚେଷ୍ଟା କରୁ, ସେତେବେଳେ ଯେକୌଣସି ମନଗଢ଼ା ପ୍ରଚାର କିମ୍ବା ରାଜନୈତିକ ଭ୍ରମଜାଲ ସ୍ବୟଂ ହିଁ ଦୂର ହୋଇଯାଏ। ଭାରତୀୟ ସଂସ୍କୃତିର ମୂଳଦୁଆ ଏତେ ସତ୍ୟ ଓ ଜ୍ଞାନ-ସମ୍ମତ ଯେ ଏହାକୁ ଵିକୃତ କରିଵାର ସମସ୍ତ ପ୍ରୟାସ କାଳକ୍ରମେ ଵ୍ୟର୍ଥ ହେଵାକୁ ବାଧ୍ୟ।
No comments:
Post a Comment