ଜାପାନର Okayama ପ୍ରଦେଶର Tsuyama ନିକଟସ୍ଥ Kamocho Kurami ନାମକ ଏକ ଶାନ୍ତ ଆଉ ନିଛାଟିଆ ଗାଁ। ସେହି କାମୋଚୋ କୁରାମି ଗାଆଁରେ Mutsuo Toi ନାମକ ଜଣେ ପିଲା ଏକ ସମ୍ଭ୍ରାନ୍ତ ଓ ଧନୀ ପରିଵାରରେ ଜନ୍ମଗ୍ରହଣ କରିଥିଲା। କିନ୍ତୁ ପିଲାଦିନରୁ ହିଁ ତାର ଭାଗ୍ୟ ତା ସହ ଛଳନା କରିଥିଲା। ଯେତେବେଳେ ସେ ଖୁବ୍ ଛୋଟ ଥିଲା, ତାର ବାପା ଓ ମାଆ ଉଭୟଙ୍କର ଯକ୍ଷ୍ମା ରୋଗରେ ମୃତ୍ୟୁ ହୋଇଥିଲା। ସେହି ସମୟରେ ଯକ୍ଷ୍ମା ଏକ ଭୟଙ୍କର ତଥା ଅସାଧ୍ୟ ରୋଗ ଥିଲା ଏଵଂ ସମାଜରେ ଏହାକୁ ନେଇ ଅନେକ ଅନ୍ଧଵିଶ୍ୱାସ ଓ ଘୃଣା ଥିଲା।
ମାତାପିତାଙ୍କ ମୃତ୍ୟୁ ପରେ ମୁତ୍ସୁଓ ଏଵଂ ତାର ବଡ଼ ଭଉଣୀଙ୍କ ଲାଳନପାଳନ ଦାୟିତ୍ୱ ତାଙ୍କ ଜେଜେମାଆ ନେଇଥିଲେ। ମୁତ୍ସୁଓ ପାଠପଢ଼ାରେ ଅତ୍ୟନ୍ତ ମେଧାଵୀ ଥିଲା। ଶିକ୍ଷକମାନେ ତାକୁ ନେଇ ବହୁତ ଆଶା ରଖିଥିଲେ। କିନ୍ତୁ ଜେଜେମାଆ ତାକୁ ନେଇ ଅତ୍ୟନ୍ତ ସୁରକ୍ଷାତ୍ମକ ଥିଲେ। ସେ ମୁତ୍ସୁଓକୁ ଅଧିକ ପାଠ ପଢ଼ିଵାକୁ ଦେଲେ ନାହିଁ ଏଵଂ ଗାଁରେ ହିଁ ରଖିଲେ। ମୁତ୍ସୁଓର ମାନସିକ ଵିକାଶ ଏକ ସଙ୍କୁଚିତ ପରିଵେଶରେ ହେଵାକୁ ଲାଗିଲା।
ସେହି ସମୟରେ ଜାପାନର ଗ୍ରାମାଞ୍ଚଳରେ 'Yobai' ନାମକ ଏକ ପୁରୁଣା ପ୍ରଥା ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ, ଅଵିଵାହିତ ଯୁଵକମାନେ ରାତିରେ ସମ୍ମତି କ୍ରମେ ଯୁଵତୀମାନଙ୍କ ଘରକୁ ଯାଇ ପାରୁଥିଲେ। ମୁତ୍ସୁଓ ମଧ୍ୟ ଏହି ପ୍ରଥାରେ ଅଂଶଗ୍ରହଣ କରୁଥିଲା ଏଵଂ ଗାଁର କିଛି ମହିଳାଙ୍କ ସହ ତାର ସମ୍ପର୍କ ଥିଲା।
କିନ୍ତୁ ୧୯୩୭ ମସିହାରେ ସବୁକିଛି ବଦଳିଗଲା। ମୁତ୍ସୁଓ ନିଜେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଗଲା। ୧୯୩୦ ଦଶକର ଜାପାନରେ ଯକ୍ଷ୍ମା ରୋଗୀଙ୍କୁ ସମାଜରୁ ଏକଘରକିଆ କରିଦିଆଯାଉଥିଲା, କାରଣ ଏହା ସଂକ୍ରାମକ ଥିଲା ଏଵଂ ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିଲା। ଯେଉଁ ଗାଁ ଲୋକମାନେ ଦିନେ ତାକୁ ସମ୍ମାନ କରୁଥିଲେ, ସେମାନେ ତାକୁ ଘୃଣା କରିଵାକୁ ଲାଗିଲେ। ଯେଉଁ ମହିଳାମାନଙ୍କ ସହ ତାର ସମ୍ପର୍କ ଥିଲା, ସେମାନେ ତାକୁ ପ୍ରତ୍ୟାଖ୍ୟାନ କଲେ ଏଵଂ ତାକୁ ଅପମାନିତ କଲେ।
ଏହି ପ୍ରତ୍ୟାଖ୍ୟାନ ମୁତ୍ସୁଓର ମାନସିକ ସ୍ଥିତିକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା। ସେ ଅନୁଭଵ କଲା ଯେ ତାର ଜୀଵନର ଆଉ କୌଣସି ମୂଲ୍ୟ ନାହିଁ ଏଵଂ ଗ୍ରାମଵାସୀଙ୍କ ଏହି ଅମାନୁଷିକ ଵ୍ୟଵହାର ତାର ହୃଦୟରେ ପ୍ରତିଶୋଧର ଵହ୍ନି ଜାଳି ଦେଇଥିଲା। ମୁତ୍ସୁଓ ଜାଣି ସାରିଥିଲା ଯେ ସେ ବେଶୀ ଦିନ ବଞ୍ଚିଵ ନାହିଁ। ତେଣୁ ସେ ନିଷ୍ପତ୍ତି ନେଲା ଯେ ସେ ମରିଵା ପୂର୍ଵରୁ ସେହି ସମସ୍ତ ଲୋକଙ୍କୁ ମାରିଵ ଯେଉଁମାନେ ତାକୁ ଅପମାନିତ କରିଛନ୍ତି। ସେ ଅତ୍ୟନ୍ତ ସତର୍କତାର ସହ ନିଜର ଯୋଜନା ପ୍ରସ୍ତୁତ କଲା ।
ମୁତ୍ସୁଓ ଲୁଚି ଛପି ଅସ୍ତ୍ର କିଣିଵା ଆରମ୍ଭ କଲା। ସେ ଗୋଟିଏ ବ୍ରାଉନିଂ ସଟ୍-ଗନ୍, ଗୋଟିଏ ଜାପାନୀ ଖଣ୍ଡା ଏଵଂ ଦୁଇଟି ଛୁରୀ ଯୋଗାଡ଼ କଲା। ଏଥିପାଇଁ ତାର ବନ୍ଧୁକ ଲାଇସେନ୍ସ ମଧ୍ୟ ଜବତ କରାଯାଇଥିଲା, କିନ୍ତୁ ସେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଏକାଠି କରିଵାରେ ସଫଳ ହେଲା। ମୁତ୍ସୁଓ ରାତିରେ ଜଙ୍ଗଲକୁ ଯାଇ ଗଛଗୁଡ଼ିକ ଉପରେ ଟାର୍ଗେଟ୍ ଅଭ୍ୟାସ କରୁଥିଲା ଯାହା ଫଳରେ ତାର ଗୁଳି କଦାପି ଲକ୍ଷ୍ୟଭ୍ରଷ୍ଟ ନ ହୁଏ। ସେ ଏକ ବିସ୍ତୃତ ଚିଠି ଲେଖିଥିଲା, ଯେଉଁଥିରେ ସେ ନିଜର କ୍ରୋଧ ଏଵଂ ଗ୍ରାମଵାସୀଙ୍କ ଵ୍ୟଵହାର ଵିଷୟରେ ଵର୍ଣ୍ଣନା କରିଥିଲା। ମୁତ୍ସୁଓ ଲେଖିଥିଲା ଯେ, ଯେଉଁମାନେ ତାକୁ ସମ୍ମାନ କରିଛନ୍ତି, ସେ ସେମାନଙ୍କୁ କିଛି କରିଵ ନାହିଁ।
ମଇ ୨୦ ତାରିଖ ସନ୍ଧ୍ୟା। ମୁତ୍ସୁଓ ଗାଁକୁ ଆସୁଥିଵା ସମସ୍ତ ଵିଦ୍ୟୁତ୍ ତାରକୁ କାଟି ଦେଲା। ସମ୍ପୂର୍ଣ୍ଣ କାମୋଚୋ କୁରାମି ଗାଁ ଘନ ଅନ୍ଧକାରରେ ବୁଡ଼ିଗଲା। ଲୋକମାନେ ଭାବିଲେ ଏହା ଏକ ସାଧାରଣ ଵିଦ୍ୟୁତ୍ ଵିଭ୍ରାଟ, ତେଣୁ ସମସ୍ତେ ଶୋଇଵାକୁ ଚାଲିଗଲେ। ଏଠାରେ ତିରିଶ ଦଶକରେ ଜାପାନର ଏକ ଗାଆଁରେ ଵିଦ୍ୟୁତ୍ ଥିଵା କଥା ପଢ଼ି କିଛି ଲୋକ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ଏହା ଐତିହାସିକ ଭାବେ ସତ୍ୟ ଅଟେ । ୧୯୩୦ ଦଶକ ବେଳକୁ ଜାପାନ ଵିଶ୍ୱର ଅନ୍ୟତମ ଦ୍ରୁତ ଵିଦ୍ୟୁତକରଣ ହୋଇଥିଵା ଦେଶ ଥିଲା। ଊନଵିଂଶ ଶତାବ୍ଦୀର ଶେଷ ଭାଗରୁ ଜାପାନ ତାର ଶିଳ୍ପ ଓ ଭିତ୍ତିଭୂମିର ଦ୍ରୁତ ଵିକାଶ କରିଥିଲା। ୧୯୩୫ ମସିହା ସୁଦ୍ଧା, ଜାପାନର ପ୍ରାୟ ୮୯% ରୁ ୯୦% ଘରେ ଵିଦ୍ୟୁତ୍ ସଂଯୋଗ ପହଞ୍ଚି ସାରିଥିଲା। ଏଥିରେ କେଵଳ ସହର ନୁହେଁ ଵରଂ 'କାମୋଚୋ କୁରାମି' ଭଳି ଅନେକ ଦୁର୍ଗମ ଗ୍ରାମାଞ୍ଚଳ ମଧ୍ୟ ଥିଲା।
ମୁତ୍ସୁଓ ତୋଇ ଅତ୍ୟନ୍ତ ଚାଲାକ୍ ଥିଲା। ସେ ଜାଣିଥିଲା ଯେ ମାତ୍ର ଗୋଟିଏ ଗୁଳି ଶବ୍ଦ ଶୁଣିଲେ ଗାଁ ଲୋକେ ସଙ୍ଗେ ସଙ୍ଗେ ଘରର ଲାଇଟ୍ ଜଳାଇଦେବେ ଏଵଂ ତାକୁ ଚିହ୍ନି ପାରିବେ କିମ୍ବା ଆକ୍ରମଣରୁ ବର୍ତ୍ତିଵା ପାଇଁ ଲୁଚି ଯିବେ। ତେଣୁ ସେ ଗାଁକୁ ଯାଇଥିଵା ମୁଖ୍ୟ ଵିଦ୍ୟୁତ୍ ଲାଇନ୍ କାଟି ଦେଇଥିଲା, ଯାହା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ଅନ୍ଧକାରମୟ ହୋଇଯାଇଥିଲା।
ରାତି ପ୍ରାୟ ୧:୩୦। ମୁତ୍ସୁଓ ଏକ ଭୟଙ୍କର ବେଶ ଧାରଣ କଲା। ସେ ଏକ କଳା ରଙ୍ଗର ସାର୍ଟ ଓ ପ୍ୟାଣ୍ଟ ପିନ୍ଧିଲା। ଅନ୍ଧାରରେ ଦେଖିଵା ପାଇଁ ସେ ନିଜ ମୁଣ୍ଡରେ ଦୁଇଟି ଫ୍ଲାସଲାଇଟ୍ (Flashlight) ବାନ୍ଧିଲା, ଯାହା ତାକୁ ଏକ ଜାପାନୀ ଦୈତ୍ୟ (Oni) ଭଳି ଦେଖାଉଥିଲା। ଛାତିରେ ଗୋଟିଏ ସାଇକେଲ୍ ଲ୍ୟାମ୍ପ୍ ଝୁଲାଇଲା, ହାତରେ ବ୍ରାଉନିଂ ଗନ୍ ଏଵଂ ଅଣ୍ଟାରେ ଖଣ୍ଡା ଓ ଛୁରୀ ରଖିଲା।
ଵିଦ୍ୟୁତ୍ କାଟିଦେଵା ପରେ ଗାଁରେ ଯେଉଁ ଘନ ଅନ୍ଧକାର ସୃଷ୍ଟି ହେଲା, ସେଥିରେ କେଵଳ ମୁତ୍ସୁଓ ପାଖରେ ଆଲୁଅ ଥିଲା। ସେ ମୁଣ୍ଡରେ ବାନ୍ଧିଥିଵା ଦୁଇଟି ଫ୍ଲାସଲାଇଟ୍ କାରଣରୁ ନିଜ ଶିକାରମାନଙ୍କୁ ସ୍ପଷ୍ଟ ଦେଖିପାରୁଥିଲା, କିନ୍ତୁ ନିଦରୁ ଉଠିଥିଵା ଆତଙ୍କିତ ଗ୍ରାମଵାସୀ ଅନ୍ଧାରରେ କିଛି ବୁଝିପାରୁନଥିଲେ କି ବାଟ ପାଇନଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ବିଚଳିତ କଲାଭଳି ତଥ୍ୟ ହେଉଛି, ତାର ପ୍ରଥମ ଶିକାର ଥିଲେ ତାର ୭୬ ଵର୍ଷୀୟା ଜେଜେମାଆ। ମୁତ୍ସୁଓ ଶୋଇଥିଵା ଅଵସ୍ଥାରେ ନିଜ ଜେଜେମାଆଙ୍କ ମୁଣ୍ଡକୁ କାଟି ଦେଇଥିଲା। ସୁଇସାଇଡ୍ ନୋଟ୍ ଅନୁଯାୟୀ, ମୁତ୍ସୁଓ ଏହା ଏଥିପାଇଁ କରିଥିଲା କାରଣ ସେ ଚାହୁଁନଥିଲା ଯେ ଏକ 'ଖୁନୀର ଜେଜେମାଆ' ଭାବରେ ସେ ସମାଜରେ ବଞ୍ଚି ରହି ଲୋକଙ୍କ ଘୃଣା ଓ ଲାଞ୍ଛନା ସହନ୍ତୁ। ତା ଦୃଷ୍ଟିରେ ଏହା ଥିଲା ଏକ "ନିଷ୍ଠୁର ଦୟା" ।
ଜେଜେମାଆଙ୍କୁ ହତ୍ୟା କରିଵା ପରେ ମୁତ୍ସୁଓ ଘରୁ ବାହାରିଲା। ସେହି ଘନ ଅନ୍ଧକାର ରାତିରେ, ମୁଣ୍ଡରେ ଦୁଇଟି ଆଲୁଅ ଜଳାଇ ସେ ଗୋଟିଏ ପରେ ଗୋଟିଏ ଘରକୁ ପଶିଵାକୁ ଲାଗିଲା। ତାର ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା— ସେ କେଵଳ ସେହି ଘରଗୁଡ଼ିକୁ ଟାର୍ଗେଟ୍ କରିଥିଲା ଯେଉଁମାନେ ତାକୁ ଅପମାନିତ କରିଥିଲେ କିମ୍ବା ପ୍ରତ୍ୟାଖ୍ୟାନ କରିଥିଲେ।
ଦେଢ଼ ଘଣ୍ଟା ଧରି ଗାଁରେ ମୃତ୍ୟୁର ନୃତ୍ୟ ଚାଲିଲା। ନିଦ୍ରାରେ ଥିଵା ଲୋକମାନେ କିଛି ବୁଝିଵା ପୂର୍ଵରୁ ହିଁ ମୁତ୍ସୁଓର ଗୁଳି ଓ ଖଣ୍ଡା ଚୋଟରେ ଟଳି ପଡୁଥିଲେ। ମୁତ୍ସୁଓ ସର୍ଵମୋଟ୍ ୧୧ଟି ଘରେ ପ୍ରଵେଶ କରିଥିଲା।
କେତେକଙ୍କୁ ସେ ସଟ୍-ଗନ୍ରେ ଗୁଳି କରି ହତ୍ୟା କଲାବେଳେ ଆଉ କେତେକଙ୍କୁ ଖଣ୍ଡାରେ ଅତି ନିର୍ଦ୍ଦୟ ଭାବେ ହାଣି ପକାଇଲା।
ଗୋଟିଏ ଘରେ ସେ ଜଣେ ଵୃଦ୍ଧଙ୍କୁ ଛାଡି଼ ଦେଇଥିଲା କାରଣ ସେହି ଵୃଦ୍ଧ ଜଣକ ତାକୁ କେବେହେଲେ ଖରାପ କଥା କହି ନଥିଲେ। ମୁତ୍ସୁଓ ତାଙ୍କ ଆଗରେ ଠିଆ ହୋଇ କହିଥିଲା, "ତୁମେ ମୋତେ କେବେ କଷ୍ଟ ଦେଇନାହଁ, ତେଣୁ ତୁମେ ବଞ୍ଚି ରହିଵ।" ଏହି ଘଟଣା ପ୍ରମାଣ କରେ ଯେ ସେ ପାଗଳ ନଥିଲା ଵରଂ ସମ୍ପୂର୍ଣ୍ଣ ଚେତନା ଏଵଂ ହିସାବ ସହ ହତ୍ୟା କରୁଥିଲା।
ମାତ୍ର ୯୦ ମିନିଟ୍ ଭିତରେ ସେ ୨୭ ଜଣଙ୍କୁ ଘଟଣାସ୍ଥଳରେ ହିଁ ହତ୍ୟା କରିଥିଲା ଏଵଂ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ପରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଛୋଟ ପିଲାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଥିଲେ। ଏହି ଭୟଙ୍କର ନରସଂହାରରେ ସମ୍ପୂର୍ଣ୍ଣ ଗାଁର ଜନସଂଖ୍ୟାର ଏକ ବଡ଼ ଅଂଶ ନିଶ୍ଚିହ୍ନ ହୋଇଯାଇଥିଲା।
ଏହି ହତ୍ୟାକାଣ୍ଡ ସମୟରେ ମୁତ୍ସୁଓ ତୋଇ ମୋଟ୍ ୧୧ଟି ଘରେ ପ୍ରଵେଶ କରି ସେଠାକାର ଲୋକଙ୍କୁ ଆକ୍ରମଣ କରିଥିଲା। ସେହି ସମୟରେ ସେହି କ୍ଷୁଦ୍ର ଗାଁରେ ମୋଟ୍ ୨୨ରୁ ୨୩ଟି ପରିଵାର ଵାସ କରୁଥିଲେ, ଯାହା ଭିତରୁ ପ୍ରାୟ ଅଧାଅଧି ଅର୍ଥାତ୍ ୧୧ଟି ପରିଵାରର ଲୋକେ ଏହି ଜଘନ୍ୟକାଣ୍ଡର ଶିକାର ହୋଇଥିଲେ।
ହତ୍ୟାକାଣ୍ଡ ଶେଷ ହେଵା ପରେ, ସକାଳ ପାହି ଆସୁଥିଲା। ମୁତ୍ସୁଓ ତୋଇ ନିଜ ଘରକୁ ଆଉ ଫେରିଲା ନାହିଁ। ସେ ରକ୍ତଭିଜା ଅଵସ୍ଥାରେ ପାଖରେ ଥିଵା ଏକ ପାହାଡ଼ ଉପରକୁ ଚଢ଼ିଲା। ସେଠାରେ ସେ ଶାନ୍ତ ଭାବରେ ବସିଲା।
ସେ ନିଜର ଶେଷ ଚିଠି ରୂପେ ନିଜର Suicide Note କାଢ଼ିଲା ଏଵଂ ସେଥିରେ ଆଉ କିଛି ଧାଡ଼ି ଯୋଡ଼ିଲା। ସେ ଲେଖିଥିଲା:
"ମୁଁ ଯାହା କରିଵାକୁ ଚାହୁଁଥିଲି, ତାହା କରିସାରିଛି। ଏବେ ମୋର ମରିଵାର ସମୟ ଆସିଯାଇଛି। ମୁଁ ଜାଣେ ମୁଁ ଏକ ବଡ଼ ପାପ କରିଛି, କିନ୍ତୁ ସେମାନେ ମଧ୍ୟ ନିର୍ଦ୍ଦୋଷ ନଥିଲେ। ମୋର ଏକମାତ୍ର ଦୁଃଖ ଯେ, କିଛି ଲୋକଙ୍କୁ ମୁଁ ମାରିପାରିଲି ନାହିଁ କାରଣ ସେମାନେ ଆଜି ଗାଁରେ ନଥିଲେ।"
ଏହା ପରେ, ସେ ନିଜ ସଟ୍-ଗନ୍ର ବ୍ୟାରେଲକୁ ନିଜ ଛାତି ଆଡ଼କୁ କଲା ଏଵଂ ଟ୍ରିଗର ଦବାଇ ଦେଲା। ୨୧ ଵର୍ଷୀୟ ମୁତ୍ସୁଓ ତୋଇର କାହାଣୀ ସେହି ପାହାଡ଼ ଉପରେ ଶେଷ ହୋଇଗଲା।
ସୁୟାମା ହତ୍ୟାକାଣ୍ଡ ଜାପାନ ଇତିହାସରେ ଏକ ସବୁଠାରୁ କଳା ଅଧ୍ୟାୟ ହୋଇ ରହିଗଲା। ଏହି ଘଟଣା ସେହି ସମୟରେ ଜାପାନ ସରକାରଙ୍କୁ ଦୋହଲାଇ ଦେଇଥିଲା। ଏହା କେଵଳ ଏକ ହତ୍ୟାକାଣ୍ଡ ନଥିଲା ବରଂ ଏହା ଥିଲା ଏକ ମନସ୍ତାତ୍ତ୍ୱିକ ଦୁର୍ଵିପାକର ପରିଣାମ।
ସାମାଜିକ ଅଵହେଳା, ରୋଗ ପ୍ରତି ଥିଵା ଲୋକଙ୍କ ଅନ୍ଧଵିଶ୍ୱାସ ଏଵଂ ଜଣେ ଵ୍ୟକ୍ତିକୁ କ୍ରମାଗତ ଭାବେ ମାନସିକ ସ୍ତରରେ ନିର୍ଯାତନା ଦେଲେ ତାର ପରିଣାମ କେତେ ଭୟାନକ ହୋଇପାରେ, ଏହା ତାର ଏକ ଜୀଵନ୍ତ ତଥା ରକ୍ତାକ୍ତ ପ୍ରମାଣ ଥିଲା। ସମ୍ପୂର୍ଣ୍ଣ ଗାଁର ସାମାଜିକ ସ୍ଥିତି ଏହି ଘଟଣା ପରେ ଭୁଶୁଡ଼ି ପଡ଼ିଥିଲା।
ଆଜି ବି ଅପରାଧ ଵିଜ୍ଞାନୀ ଓ ମନୋଵିଜ୍ଞାନୀମାନେ ମୁତ୍ସୁଓ ତୋଇର କାର୍ଯ୍ୟକଳାପକୁ ନେଇ ଗଵେଷଣା କରିଥାନ୍ତି।
ଗୋଟିଏ ଗାଁର ଲୋକେ ମିଶି ଜଣକୁ ମାନସିକ ସ୍ତରରେ ମାରିଦେଲେ ଏଵଂ ସେହି ଗୋଟିଏ ଲୋକ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ଗାଁକୁ ମୃତ୍ୟୁର ତାଣ୍ଡଵ ଦେଖାଇ ଦେଲା। ଇତିହାସର ଏହି ସତ୍ୟ ଘଟଣା ଯେକୌଣସି କାଳ୍ପନିକ ଥ୍ରିଲର୍ ଠାରୁ ମଧ୍ୟ ଅଧିକ ଭୟଙ୍କର ଅଟେ ।
ପରେ ୧୯୩୮ର ଏହି କାମୋଚୋ କୁରାମି ଗଣହତ୍ୟା (ସୁୟାମା ହତ୍ୟାକାଣ୍ଡ) ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ଜାପାନର ଜଣାଶୁଣା ରହସ୍ୟ ଉପନ୍ୟାସକାର ସେଇସି ୟୋକୋମାଜୋ ଏକ ଉପନ୍ୟାସ ଲେଖିଥିଲେ ଯାହାର ନାଆଁ "The Village of Eight Graves" (ଜାପାନୀ- Yatsuhaka-mura) ଥିଲା । ସୁୟାମା ହତ୍ୟାକାଣ୍ଡ କାହାଣୀ ଉପରେ ଆଧାରିତ ହୋଇ ୧୯୮୩ ମସିହାରେ ଏକ ପ୍ରସିଦ୍ଧ ଜାପାନୀ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା।
ଏହି ଫିଲ୍ମଟିର ନାମ ହେଉଛି "Village of Doom" (ଜାପାନୀ-Ushimitsu no mura)। ଏହି ଚଳଚ୍ଚିତ୍ରକୁ ଜଣାଶୁଣା ଜାପାନୀ ନିର୍ଦ୍ଦେଶକ ନୋବୋରୁ ତାନାକା ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ମୁତ୍ସୁଓ ତୋଇଙ୍କ ଜୀଵନ, ସାମାଜିକ ବାସନ୍ଦ, ଯକ୍ଷ୍ମା ରୋଗର ଭୟ ଏଵଂ ତା'ର ମାନସିକ ଅଵକ୍ଷୟ କାରଣରୁ କିପରି ସେ ଏଭଳି ଏକ ଜଘନ୍ୟ ଗଣହତ୍ୟା ଘଟାଇଥିଲା, ତାହାକୁ ଅତି ନିଖୁଣ ଓ ମର୍ମନ୍ତୁଦ ଭାବେ ପ୍ରଦର୍ଶନ କରିଛି। ଏହି ଭୟାନକ ଘଟଣାକୁ ନେଇ Japan's Darkest Night - Tsuyama Massacre documentary ଭଳି କିଛି ଵୃତ୍ତଚିତ୍ର ମଧ୍ୟ ରହିଛି ।
ସୁୟାମା ହତ୍ୟାକାଣ୍ଡରୁ ଅନ୍ତତଃ ଏତିକି ଶିକ୍ଷା ମିଳେ ଯେ ଜଣେ ଵ୍ୟକ୍ତି ଵିରୁଦ୍ଧରେ ସମଗ୍ର ସମାଜର ମିଳିତ ଅଵହେଳା, ଉପହାସ ଓ ନିର୍ଯାତନା କେଵଳ ଏକ ଵ୍ୟକ୍ତିଗତ ଅନ୍ୟାୟ ନୁହେଁ ଵରଂ ଏହା ସାମାଜିକ ଚେତନାର ଏକ ଗଭୀର ପତନ ଅଟେ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିଵାରୁ ତାର ଅସ୍ତିତ୍ୱ, ଆତ୍ମସମ୍ମାନ ଓ ମାନସିକ ସନ୍ତୁଳନ ପାଇଁ ସମାଜର ସହାନୁଭୂତି ଓ ଆଶ୍ରୟ ଅପରିହାର୍ଯ୍ୟ। କିନ୍ତୁ ଯେତେବେଳେ ବହୁସଂଖ୍ୟକ ଲୋକ ମିଶି ଜଣେ ଦୁର୍ଵଳ ଵା ଅସହାୟ ଵ୍ୟକ୍ତିକୁ କ୍ରମାଗତ ଭାବେ ଲାଞ୍ଛିତ, ଅପମାନିତ ଓ ନିର୍ଯାତନାର ଶିକାର କରନ୍ତି, ସେତେବେଳେ ସେମାନେ ଅଜାଣତରେ ହିଂସାର ଏକ ଏପରି ଅଗ୍ନି ପ୍ରଜ୍ୱଳିତ କରନ୍ତି ଯାହା ଶେଷରେ ସମଗ୍ର ଵ୍ୟଵସ୍ଥାକୁ ଗ୍ରାସ କରିନିଏ।
କୌଣସି ଵ୍ୟକ୍ତିକୁ ମାନସିକ ସ୍ତରରେ ଯନ୍ତ୍ରଣା ଦେଇ ଦେଇ ମାରିଦେଵା ଶାରୀରିକ ହିଂସାଠାରୁ ମଧ୍ୟ ଅଧିକ ଭୟଙ୍କର। ଯେତେବେଳେ ସମାଜ ଜଣେ ମଣିଷର ମାନଵିକତାକୁ ଅସ୍ୱୀକାର କରି ତାକୁ ବାସନ୍ଦ କରେ, ସେତେବେଳେ ସେହି ଵ୍ୟକ୍ତି ଭିତରେ ଥିଵା ସକରାତ୍ମକ ଜୀଵନବୋଧ ନଷ୍ଟ ହୋଇଯାଇ ପ୍ରତିଶୋଧର ଵିକୃତ ଵିଷ ଵଳୟ ସୃଷ୍ଟି ହୁଏ। ତେଣୁ ଅନ୍ୟର ପ୍ରତି ସମ୍ବେଦନଶୀଳତା, କ୍ଷମା ଓ ମାନବିକ ମର୍ଯ୍ୟାଦା ବଜାୟ ରଖିଵା କେଵଳ ଏକ ନୈତିକ କର୍ତ୍ତଵ୍ୟ ନୁହେଁ ଵରଂ ନିଜର ଅସ୍ତିତ୍ୱକୁ ସୁରକ୍ଷିତ ରଖିଵାର ଏକମାତ୍ର ଉପାୟ। କାହାରିକୁ ମାନସିକ ସ୍ତରରେ ଅତିଷ୍ଠ କରିଵା ମାନେ ନିଜ ପାଇଁ ଏକ ଵିନାଶକାରୀ ଝଡ଼କୁ ଆମନ୍ତ୍ରଣ କରିଵା ସହିତ ସମାନ।
No comments:
Post a Comment