My Blog List

Sunday, September 6, 2026

ପୃଥିଵୀ ଗୋଲ୍, କିନ୍ତୁ ଠିକଣାଟା ଭୁଲ୍ !

ଆଜ୍ଞା ଆପଣ କେବେ ସେହି ଦାଦା କିମ୍ବା ମଉସାଙ୍କ ସହ ଗାଡ଼ିରେ ବସିଛନ୍ତି କି ଯିଏ ରାସ୍ତା ଭୁଲିଯାଆନ୍ତି କିନ୍ତୁ ନିଜ 'ପୁରୁଷ ଅହଂକାର' ଵା Man ego କାରଣରୁ ପାନ ଦୋକାନୀକୁ ରାସ୍ତା ପଚାରିଵାଟାକୁ ଘୋର ଅପମାନ ବୋଲି ଭାବନ୍ତି ? ତାଙ୍କ ସ୍ତ୍ରୀ ପଛ ସିଟ୍‌ରୁ ଵିରକ୍ତ ହୋଇ କହୁଥିବେ- "ଶୁଣୁଛ, ଆଗରେ କାହାକୁ ପଚାରି ଦିଅ ରାସ୍ତାଟା।" କିନ୍ତୁ ମଉସା ଓଲଟା ରାଗିଯାଇ କହିବେ- "ଆରେ ଚୁପ୍ ବସ, ମୁଁ ସବୁ ଜାଣିଛି, ଏଇଟା ସର୍ଟକଟ୍!" ତହୁଁ ଶେଷରେ ସେ କଟକ ଯିଵା ବାଟରେ ଯାଇ ଖୋର୍ଦ୍ଧାରେ ଗାଡ଼ି ପୂରାଇ ଦେବେ। ଆଉ ତା'ପରେ ଗାଡ଼ିରୁ ଓହ୍ଲାଇ, ଲୋକଙ୍କୁ ଦେଖି ଛାତି ଫୁଲାଇ କହିବେ- "ଦେଖିଲ, ମୁଁ କହୁନଥିଲି ଏଇଟା କଟକର ନୂଆ ବଜାର ବୋଲି!"

ଠିକ୍ ଏହି ପ୍ରକାରର ଏକ ମହାନ୍ କାର୍ଯ୍ୟ କରିଥିଲେ ଜଣେ ଭଦ୍ରଲୋକ। ନାଁ ତାଙ୍କର କ୍ରିଷ୍ଟୋଫର୍ କଲମ୍ବସ୍। ଐତିହାସିକ ତଥ୍ୟ ଅନୁସାରେ ଆଜିର ଦିନରେ ଅର୍ଥାତ୍ ୬ ସେପ୍ଟେମ୍ବର ୧୪୯୨ରେ ଏହି ମହାଶୟ କାନାରୀ ଦ୍ୱୀପପୁଞ୍ଜରୁ ନିଜର ଜାହାଜ ଧରି ସିଧା ବାହାରିଲେ। ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଥିଲା- ଭାରତ ଖୋଜିଵା। କାହିଁକି? କାରଣ ଭାରତରୁ ଗୋଲମରିଚ ଇତ୍ୟାଦି ମସଲା ଆଣି ୟୁରୋପରେ ବେପାର କରିବେ।

ସମସ୍ୟା ହେଲା, ସେତେବେଳେ ତାଙ୍କ ପାଖରେ ଗୁଗଲ୍ ମ୍ୟାପ୍ ନଥିଲା, କେବଳ ଥିଲା ପର୍ଵତାକାର ଆତ୍ମଵିଶ୍ଵାସ । ସେ ହିସାବ କଲେ ଯେ ପୃଥିଵୀ ତ ଗୋଲ୍, ତେଣୁ ପଶ୍ଚିମ ଆଡ଼କୁ ସିଧା ସିଧା ଗଲେ କେଉଁଠି ନା କେଉଁଠି ଇଣ୍ଡିଆ ନିଶ୍ଚୟ ମିଳି ହିଁ ଯିଵ । ଆଜିକାଲି ଆମର Zomato Delivery Boy ଯଦି ୧୫ ମିଟର ରାସ୍ତା ଭୁଲିଯାଏ, ଆମେ ତାକୁ ଫୋନ୍ କରି କେତେ କଥା ଶୁଣାଉ, ଆଉ ଏ ମହାଶୟ ପୂରା ୧୫,୦୦୦ କିଲୋମିଟର ରାସ୍ତା ଭୁଲିଗଲେ!

ଭାରତ ଖୋଜିଵାକୁ ବାହାରିଥିଵା ଲୋକ ମାସେ ପରେ (ଅକ୍ଟୋବର ୧୨ ତାରିଖରେ) ଯାଇ ପହଞ୍ଚିଗଲେ ଆମେରିକାର ବାହାମାସ୍ ଦ୍ୱୀପରେ। ଯଦି ସେ ଜଣେ ସାଧାରଣ ଓ ସଚ୍ଚୋଟ ଲୋକ ହୋଇଥାନ୍ତେ, ତେବେ ମୁଣ୍ଡ କୁଣ୍ଡାଇ କହିଥାନ୍ତେ- "କ୍ଷମା କରିଵ ଭାଇମାନେ,ଆମେ ଭୁଲ୍ ଠିକଣାରେ ପହଞ୍ଚିଗଲେ । ଏଇଟା ଇଣ୍ଡିଆ ନୁହେଁ।"

କିନ୍ତୁ ନା! କଲମ୍ବସ୍ ଥିଲେ ଅଲଗା ପ୍ରକୃତିର ମଣିଷ, ସମ୍ପୂର୍ଣ୍ଣ 'Male ego'ର ଜ୍ଵଳନ୍ତ ଉଦାହରଣ। ସେ ସେଠାକାର ସ୍ଥାନୀୟ ଲୋକଙ୍କୁ ଦେଖିଲେ, ଯେଉଁମାନେ ଆଦୌ ଭାରତୀୟଙ୍କ ପରି ଦିଶୁନଥିଲେ କି ମସଲା ବେପାର ଵିଷୟରେ କିଛି ଜାଣିନଥିଲେ। ତଥାପି କଲମ୍ବସ୍ ନିଜ ଜିଦ୍‌ରେ ଅଟଳ। ସେ ସେମାନଙ୍କୁ ଦେଖି ଘୋଷଣା କଲେ- "ମିଳିଗଲା ଇଣ୍ଡିଆ! ଆଉ ତୁମେ ସବୁ ହେଉଛ ଇଣ୍ଡିଆନ୍!" ସେବେଠାରୁ ସେହି ଵିଚରା ଆମେରିକାର ମୂଳ ନିଵାସୀମାନେ ବିନା ଦୋଷରେ 'ରେଡ୍ ଇଣ୍ଡିଆନ୍ସ' ହୋଇଯାଇଛନ୍ତି।
ଭାବନ୍ତୁ ତ ଥରେ, କେଡ଼େ ବଡ଼ ଧୃଷ୍ଟତା! ଲୋକଟି ଅନ୍ଧାରରେ ବାଡ଼ି ବୁଲାଇଲା, ବାଡ଼ି ଯାଇ ବାଜିଲା ଆମେରିକା ମୁଣ୍ଡରେ, ଆଉ ସେ ସେହି ଦେଶକୁ ଭାରତ ବୋଲି ରେଜିଷ୍ଟ୍ରି କରିଦେଲା ! ସବୁଠୁ ମଜାଦାର କଥା ହେଉଛି, ଆଜୀଵନ ସେ ଏହି ଭ୍ରମରେ ବଞ୍ଚିଲା ଯେ ସେ ଭାରତକୁ ଯିଵାର ସର୍ଟକଟ୍ ବାହାର କରିଦେଇଛି। ୧୫୦୬ ମସିହାରେ ମଲା ବେଳକୁ ବି ତା'ର ଦୃଢ଼ ଧାରଣା ଥିଲା ଯେ ସେ ଯେଉଁ ଜାଗା ବୁଲିକି ଆସିଛି, ତାହା ଏସିଆର ହିଁ କୌଣସି ନା କୌଣସି ଅଂଶ।

ଏଥିରୁ ପ୍ରମାଣିତ ହୁଏ ଯେ, ଦୁନିଆର ଇତିହାସ ବଡ଼ ଵିଚିତ୍ର। ଯଦି ଆପଣ ଛୋଟ ଭୁଲ୍ କରିବେ, ତେବେ ଲୋକେ ଆପଣଙ୍କୁ ବୋକା କହିବେ। କିନ୍ତୁ ଯଦି ଆପଣ ଏତେ ବଡ଼ ଭୁଲ୍ କରିବେ ଯେ ପୂରା ମାନଵ ସମାଜର ମାନଚିତ୍ର ବଦଳିଯିଵ, ତେବେ ଇତିହାସ ବହିରେ ଆପଣଙ୍କ ନାଁ ସ୍ଵର୍ଣ୍ଣ ଅକ୍ଷରରେ ଲେଖାଯିବ ଆଉ ସ୍କୁଲ୍ ପିଲାମାନେ ଆପଣଙ୍କୁ 'ମହାନ୍ ଆଵିଷ୍କାରକ' ବୋଲି ଘୋଷିବେ!

No comments:

Post a Comment