Friday, May 1, 2026

ହାଙ୍ଗୁଲ୍ ଓ ଓଡ଼ିଆ ଲିପି: ଵୈଜ୍ଞାନିକତା, ସଂଘର୍ଷ ଓ ସ୍ଵାଭିମାନର କାହାଣୀ

କୋରିଆନ୍ ଭାଷାର ଲିପିକୁ ହାଙ୍ଗୁଲ୍ (Hangul) କୁହାଯାଏ । ଏହି ହାଙ୍ଗୁଲ୍ ଲିପିର ଇତିହାସ ଵିଶ୍ଵର ସମସ୍ତ ଲିପି ମଧ୍ୟରେ ଅତ୍ୟନ୍ତ ଅଦ୍ୱିତୀୟ, କାରଣ ଏହା ଏକମାତ୍ର ପ୍ରାଚୀନ ଲିପି ଯାହା କୌଣସି ପୁରୁଣା ଲିପିରୁ ଧୀରେ ଧୀରେ ଵିକଶିତ ହୋଇନାହିଁ ଵରଂ ଏହାକୁ ସ୍ଵତନ୍ତ୍ର ଭାବେ ଉଦ୍ଭାଵନ କରାଯାଇଛି। ଚେରୋକି(୧୮୨୦),ଓଲ୍ ଚିକି(୧୯୨୫) ଓ ସାୟୁମ୍ବି(୧୮୪୦) ଇତ୍ୟାଦି ଲିପିଗୁଡ଼ିକ ତିଆରି ହୋଇଥିଲେ ବି ଏସବୁ ଲିପି ହାଙ୍ଗୁଲ୍ ଭଳି ପ୍ରାଚୀନ ନୁହେଁ । 

ପଞ୍ଚଦଶ ଶତାବ୍ଦୀ ପୂର୍ଵରୁ କୋରିଆର ନିଜସ୍ୱ କୌଣସି ଲିପି ନଥିଲା। ଲୋକମାନେ କୋରିଆନ୍ ଭାଷା ଲେଖିଵା ପାଇଁ ଚାଇନିଜ୍ ଅକ୍ଷର — ହାଞ୍ଜା(Hanja) ଵ୍ୟଵହାର କରୁଥିଲେ। କିନ୍ତୁ ଚାଇନିଜ୍ ଲିପି ଏତେ ଜଟିଳ ଥିଲା ଯେ କେଵଳ ଉଚ୍ଚଵର୍ଗର ଧନୀ ଓ ଶିକ୍ଷିତ ଲୋକମାନେ ହିଁ ଏହାକୁ ଶିଖିପାରୁଥିଲେ। ସାଧାରଣ ଗରିବ ଲୋକ ଓ ଚାଷୀମାନେ ନିରକ୍ଷର ହୋଇ ରହୁଥିଲେ।

ଏହା ଦେଖି ଚୋସନ୍ ରାଜବଂଶର ଚତୁର୍ଥ ରାଜା, ସେଜୋଙ୍ଗ (King Sejong the Great) ବହୁତ ଦୁଃଖିତ ହେଉଥିଲେ। ସେ ଚାହୁଁଥିଲେ ଯେ ତାଙ୍କ ରାଜ୍ୟର ସବୁ ଲୋକ ପଢ଼ିଵା ଓ ଲେଖିଵା ଶିଖନ୍ତୁ। ତେଣୁ ସେ ୧୪୪୩ ମସିହାରେ ଏହି ନୂତନ ଲିପିର ଉଦ୍ଭାଵନ କରିଥିଲେ। ୧୪୪୬ ମସିହାରେ ରାଜା ଏହି ଲିପି ଵିଷୟରେ ଏକ ପୁସ୍ତକ ପ୍ରକାଶ କଲେ, ଯାହାର ନାମ ଥିଲା 'ହୁନ୍‌ମିନ୍ ଜୋଙ୍ଗୁମ୍'। ଏହାର ଭାଵାର୍ଥ "ଲୋକମାନଙ୍କୁ ଶିକ୍ଷା ଦେଵାର ଉଚିତ୍ ସ୍ୱର" ଅଟେ।

ହାଙ୍ଗୁଲ୍‌ରେ ମୋଟ ୪୦ଟି ଆଧୁନିକ ଅକ୍ଷର ରହିଛି।
୧. ବ୍ୟଞ୍ଜନ ଵର୍ଣ୍ଣ (Consonants) - ମୋଟ ୧୯ଟି
ମୂଳ ବ୍ୟଞ୍ଜନ (Basic Consonants - ୧୪ଟି):
•ㄱ (gi-yeok) : /k/ ବା /ɡ/
•ㄴ (ni-eun) : /n/
•ㄷ (di-geut) : /t/ ବା /d/
•ㄹ (ri-eul) : /ɾ/ (ଶବ୍ଦ ଆରମ୍ଭରେ) ବା /l/ (ପାଚିମ୍‌ରେ)
•ㅁ (mi-eum) : /m/
•ㅂ (bi-eup) : /p/ ବା /b/
•ㅅ (si-ot) : /s/ (i ପୂର୍ବରୁ /ɕ/ ପରି)
•ㅇ (i-ung) : ଶବ୍ଦ ଆରମ୍ଭରେ ନିଶବ୍ଦ, ପାଚିମ୍‌ରେ /ŋ/
•ㅈ (ji-eut) : /tɕ/ ବା /dʑ/
•ㅊ (chi-eut) : /tɕʰ/ (ମହାପ୍ରାଣ)
•ㅋ (ki-euk) : /kʰ/ (ମହାପ୍ରାଣ)
•ㅌ (ti-eut) : /tʰ/ (ମହାପ୍ରାଣ)
•ㅍ (pi-eup) : /pʰ/ (ମହାପ୍ରାଣ)
•ㅎ (hi-eut) : /h/

ଯୁଗ୍ମ ବ୍ୟଞ୍ଜନ (Double Consonants - ୫ଟି):
(ଏଗୁଡ଼ିକ ଟେନ୍ସ (Tense) ବା ଚାପଯୁକ୍ତ ଧ୍ୱନି)
•ㄲ (ssang-giyeok) : /k͈/
•ㄸ (ssang-digeut) : /t͈/
•ㅃ (ssang-bieup) : /p͈/
•ㅆ (ssang-siot) : /s͈/
•ㅉ (ssang-jieut) : /tɕ͈/

୨. ସ୍ୱର ବର୍ଣ୍ଣ (Vowels) - ମୋଟ ୨୧ଟି
ମୂଳ ସ୍ୱର (Basic Vowels - ୧୦ଟି):
•ㅏ (a) : /a/
•ㅑ (ya) : /ja/
•ㅓ (eo) : /ʌ/
•ㅕ (yeo) : /jʌ/
•ㅗ (o) : /o/
•ㅛ (yo) : /jo/
•ㅜ (u) : /u/
•ㅠ (yu) : /ju/
•ㅡ (eu) : /ɯ/
•ㅣ (i) : /i/

ମିଶ୍ରିତ ସ୍ୱର (Complex Vowels / Diphthongs - ୧୧ଟି):
•ㅐ (ae) : /ɛ/
•ㅒ (yae) : /jɛ/
•ㅔ (e) : /e/
•ㅖ (ye) : /je/
•ㅘ (wa) : /wa/
•ㅙ (wae) : /wɛ/
•ㅚ (oe) : /ø/ (ବା /we/)
•ㅝ (wo) : /wʌ/
•ㅞ (we) : /we/
•ㅟ (wi) : /ɥi/ (ବା /wi/)
•ㅢ (ui) : /ɰi/
ହାଙ୍ଗୁଲ୍ ଲେଖିଵାର ପଦ୍ଧତି ଅନ୍ୟ ଭାଷାର ଲିପିଠାରୁ ଭିନ୍ନ। ଏଠାରେ ଅକ୍ଷରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଧାଡ଼ିରେ ନଲେଖି ଏକ ଵର୍ଗାକାର ବ୍ଲକ୍ (Syllabic Block) ମଧ୍ୟରେ ସଜାଯାଏ। ପ୍ରତି ବ୍ଲକ୍‌ରେ ଅତିକମରେ ଗୋଟିଏ ଵ୍ୟଞ୍ଜନ ଏଵଂ ଗୋଟିଏ ସ୍ୱର ରହିଵା ଅନିର୍ବାର୍ଯ୍ୟ।

ଯଦି ହଙ୍ଗୁଲ୍ ଵ୍ୟଵହାର କରି ଆମେ 'ଶିଶିର' (Sishir) ଲେଖିଵା ତେବେ 'ସ' (ㅅ) ଓ 'ଇ' (ㅣ) ମିଶି '시' (ସି/ଶି) ଲେଖିଵାକୁ ହେଵ(ହାଙ୍ଗୁଲ୍ ଲିପିରେ ଶ ଓ ଷ ନାହିଁ ତେଣୁ 'ସ'ରେ ହିଁ କାମ ଚଳାଇଵାକୁ ହେଵ)। ଶବ୍ଦର ଶେଷ ଵର୍ଣ୍ଣକୁ ସ୍ପଷ୍ଟ କରିଵା ପାଇଁ ଅନେକ ସମୟରେ 'ㅡ' (eu) ସ୍ୱରର ସାହାଯ୍ୟ ନିଆଯାଏ, ଯାହାକୁ 'ସି-ସି-ରୁ' (시시르) ଭାବେ ଲେଖାଯାଏ। ଯେତେବେଳେ ଏକ ଵ୍ୟଞ୍ଜନ ଵର୍ଣ୍ଣ ବ୍ଲକ୍‌ର ତଳ ଭାଗରେ ବସେ, ତାକୁ 'ପାଚିମ୍' କୁହାଯାଏ। ଏହା ଶବ୍ଦର ଉଚ୍ଚାରଣରେ ଗଭୀରତା ଆଣିଥାଏ।

ହାଙ୍ଗୁଲ୍‌ ଵିଶ୍ଵର ଅନ୍ୟତମ ଵୈଜ୍ଞାନିକ ଲିପି ଵିଦିତ ହୁଏ । ହାଙ୍ଗୁଲ୍‌ ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ କୋରିଆନ୍ ଭାଷା ଲେଖିଵା ପାଇଁ ଅତ୍ୟନ୍ତ ଵୈଜ୍ଞାନିକ ଢଙ୍ଗରେ ତିଆରି କରାଯାଇଛି। ଏହାର ସରଳତା, ଯୌକ୍ତିକତା ଓ ଧ୍ୱନି ଵିଜ୍ଞାନ ସହିତ ଗଭୀର ସମ୍ପର୍କ ଯୋଗୁଁ ଏହାକୁ ଵିଶ୍ୱର ଅନ୍ୟତମ "ଵୈଜ୍ଞାନିକ ଲିପି" ଭାବେ ସ୍ୱୀକୃତି ଦିଆଯାଇଛି। 

ହାଙ୍ଗୁଲ୍‌ର ଵୈଜ୍ଞାନିକତାର ସବୁଠାରୁ ବଡ଼ ପ୍ରମାଣ ହେଉଛି ଏହାର ଵ୍ୟଞ୍ଜନ ଵର୍ଣ୍ଣଗୁଡ଼ିକର ଆକୃତି। ଏହା କୌଣସି କାଳ୍ପନିକ ଚିତ୍ର ନୁହେଁ ଵରଂ ସେହି ଅକ୍ଷରକୁ ଉଚ୍ଚାରଣ କଲାବେଳେ ଆମ ମୁଖର ମାଂସପେଶୀ କିପରି ରହେ, ତାହାର ଏକ ମାନଚିତ୍ର। 

ଉଦାହରଣସ୍ୱରୂପ, 'ㄴ' (ନ) ଅକ୍ଷରର ଆକୃତି ଏପରି କରାଯାଇଛି ଯେଉଁଥିରେ ଜିଭଟି ଉପର ଦାନ୍ତକୁ ଛୁଇଁଲା ପରି ଦେଖାଯାଏ। ସେହିପରି 'ㅁ' (ମ) ଅକ୍ଷରର ଵର୍ଗାକାର ରୂପ ଦୁଇ ଓଠର ମିଳନକୁ ଦର୍ଶାଏ ଏଵଂ 'ㅇ' (ଙ/ଅ) ର ଗୋଲାକାର ରୂପ ଗଳାରୁ ବାହାରୁଥିଵା ଶୂନ୍ୟ ଵା ମୁକ୍ତ ଵାୟୁକୁ ସୂଚାଏ। ପୃଥିଵୀର ଅନ୍ୟ କୌଣସି ଲିପିରେ ଅକ୍ଷରର ସ୍ଵରୂପ ଓ ତାହାର ଉଚ୍ଚାରଣ ମଧ୍ୟରେ ଏପରି ସମ୍ପର୍କ ଦେଖିଵାକୁ ମିଳେନାହିଁ।

ପୁଣି ହାଙ୍ଗୁଲ୍‌ର ଅକ୍ଷରଗୁଡ଼ିକ ଏକ ଵୈଜ୍ଞାନିକ ସୂତ୍ର (Formula) ଅନୁସାରେ କାମ କରନ୍ତି। ଗୋଟିଏ ମୂଳ ଅକ୍ଷରରୁ କିପରି ଅନ୍ୟ ଏକ ଧ୍ୱନି ତିଆରି ହେଵ, ତାହାର ନିୟମ ଅତି ସ୍ପଷ୍ଟ। ଯେତେବେଳେ ଗୋଟିଏ ଧ୍ୱନିକୁ ଅଧିକ ମହାପ୍ରାଣ(Aspiration) କରିଵାକୁ ହୁଏ, ସେତେବେଳେ ସେହି ମୂଳ ଅକ୍ଷରରେ କେଵଳ ଗୋଟିଏ ଅଧିକ ଗାର ଯୋଡ଼ି ଦିଆଯାଏ। ଉଦାହରଣସ୍ୱରୂପ, 'ㄱ' (କ) ରେ ଗୋଟିଏ ଗାର ଲଗାଇଲେ ତାହା 'ㅋ' (ଖ) ହୋଇଯାଏ। ସେହିପରି 'ㄷ' (ତ) ରେ ଗୋଟିଏ ଗାର ଲଗାଇଲେ 'ㅌ' (ଥ) ହୁଏ। ଏହି କ୍ରମବଦ୍ଧତା ଶିକ୍ଷାର୍ଥୀ ପାଇଁ ଅକ୍ଷର ଚିହ୍ନିଵା ସହଜ କରିଦିଏ, କାରଣ ଏହା ଏକ ପରିଵାର ପରି କାମ କରେ। ଅଵଶ୍ୟ ଆମ ଓଡ଼ିଆ ଲିପିରେ ମଧ୍ୟ ଏଭଳି ଉଦାହରଣ ରହିଛି ।‌ ଯେମିତି ଗ ଓ ଘ,ଚ ଓ ଛ,ଡ ଓ ଢ,ପ ଓ ଫ ଇତ୍ୟାଦି । କିନ୍ତୁ ହାଙ୍ଗୁଲର ଲିପିରେ ଏହି ଗୁଣ ମାତ୍ରାଧିକ ଦେଖାଯାଏ। 

ହାଙ୍ଗୁଲ୍ ଲିପିର ସ୍ୱର ଵର୍ଣ୍ଣଗୁଡ଼ିକ ଜ୍ୟାମିତିକ ସରଳତା ଉପରେ ଆଧାରିତ। ରାଜା ସେଜୋଙ୍ଗ୍ ବ୍ରହ୍ମାଣ୍ଡର ତିନି ମୂଳ ଉପାଦାନ—ଆକାଶ (.), ପୃଥିଵୀ (ㅡ) ଓ ମଣିଷ (ㅣ)—କୁ ନେଇ ସ୍ୱର ଵର୍ଣ୍ଣ ଗଠନ କରିଥିଲେ। ଏହି ତିନୋଟି ମୌଳିକ ରେଖାକୁ ସାମାନ୍ୟ ପରିଵର୍ତ୍ତନ କରି 'ଆ', 'ଓ', 'ଇ', 'ଉ' ପରି ସମସ୍ତ ସ୍ୱର ସୃଷ୍ଟି କରାଯାଇଛି। ଏହି ଗଠନ ଶୈଳୀ ଏତେ ପ୍ରଭାଵଶାଳୀ ଯେ ଏହାକୁ କମ୍ପ୍ୟୁଟର କି-ବୋର୍ଡ଼ରେ ଟାଇପ୍ କରିଵା ଅନ୍ୟ ଏସୀୟ ଭାଷା (ଯଥା ଚାଇନିଜ୍ ବା ଜାପାନୀଜ୍) ତୁଳନାରେ ଅତି ଦ୍ରୁତ ହୋଇଥାଏ ।

ହାଙ୍ଗୁଲ୍‌ ଲିପିର ଆଉ ଏକ ଵୈଜ୍ଞାନିକ ଦିଗ ହେଉଛି ଏହାର ଲେଖନ ଶୈଳୀ। ଏହାକୁ ରୈଖିକ (Linear) ଭାବେ ନଲେଖି ଵ୍ୟଞ୍ଜନ ଓ ସ୍ୱରକୁ ମିଶାଇ ଗୋଟିଏ ଵର୍ଗାକାର "ବ୍ଲକ୍" ମଧ୍ୟରେ ଲେଖାଯାଏ। ଏହା ମାନଵ ମସ୍ତିଷ୍କକୁ ଶବ୍ଦର ଉଚ୍ଚାରଣ ଓ ଏହାର ଗଠନକୁ ଏକାସାଙ୍ଗରେ ବୁଝିଵାରେ ସାହାଯ୍ୟ କରେ। ଏହି ଵର୍ଗାକାର ସଂରଚନା ଯୋଗୁଁ ହାଙ୍ଗୁଲ୍ ଅକ୍ଷରଗୁଡ଼ିକ ଖୁବ୍ ସ୍ପଷ୍ଟ ଓ ସହଜରେ ପଢ଼ାଯାଇପାରେ। ଉଦାହରଣ ସ୍ୱରୂପ ଆମେ ଓଡ଼ିଆ ଲିପିରେ ରାମ ଲେଖିଲେ ରା ପାଖରେ ମକୁ ଲଗେଇ ଲେଖନ୍ତି କିନ୍ତୁ ହାଙ୍ଗୁଲ୍‌ରେ ଗୋଟିଏ ବ୍ଲକ୍ ମଧ୍ୟରେ ରାମକୁ '람' ଲେଖାଯାଏ । ଏଠାରେ ㄹ (ର/ଲ),ㅏ(ଆ) ଓ ㅁ(ମ) ଗୋଟିଏ ବ୍ଲକ୍ ମଧ୍ୟରେ ହିଁ ରହିଗଲା । 

ଉପରୋକ୍ତ ସମସ୍ତ ପ୍ରମାଣରୁ ଏହା ସ୍ପଷ୍ଟ ହୁଏ ଯେ, ହାଙ୍ଗୁଲ୍ ଏକ ଗଭୀର ଗଵେଷଣାଲବ୍ଧ ଉଦ୍ଭାଵନ। ଏହାର ଵୈଜ୍ଞାନିକ ଗୁଣ ଯୋଗୁଁ ୟୁନେସ୍କୋ (UNESCO) ଏହି ଲିପିକୁ ଵିଶ୍ୱର ସାଂସ୍କୃତିକ ଐତିହ୍ୟରେ ଅନ୍ତର୍ଭୁକ୍ତ କରିଛି। ଜଣେ ବୁଦ୍ଧିମାନ ଵ୍ୟକ୍ତି ଏହି ଲିପିକୁ ମାତ୍ର କିଛି ଘଣ୍ଟାରେ ଶିଖିପାରୁଥିଵାରୁ, ଏହାକୁ "ଶୃଙ୍ଖଳିତ ମସ୍ତିଷ୍କର ଶ୍ରେଷ୍ଠ ପ୍ରକାଶ" ଭାବେ ଅଭିହିତ କରାଯାଇଛି। ହାଙ୍ଗୁଲ୍ ପ୍ରକୃତରେ ପ୍ରମାଣିତ କରେ ଯେ ଯେତେବେଳେ ଭାଷା ଓ ଵିଜ୍ଞାନ ଏକାଠି ହୁଅନ୍ତି, ସେତେବେଳେ ଏକ ମହାନ ସଭ୍ୟତାର ପରିଚୟ ସୃଷ୍ଟି ହୁଏ। 
ତେବେ ଆମ ଭାରତରେ କିଛି ଉତ୍ତର ଭାରତୀୟ ଦେଵନାଗରୀ ଲିପିକୁ ଵିଶ୍ଵର ସବୁଠାରୁ ଵୈଜ୍ଞାନିକ ଲିପି ବୋଲି ପ୍ରଚାର କରନ୍ତି ତାହା କ’ଣ ଭୁଲ୍ ? 

ପ୍ରକୃତରେ ଭାରତୀୟ ଲିପି ସମୂହ, ଵିଶେଷ କରି ଓଡ଼ିଆ, ଦେବନାଗରୀ, ବେଙ୍ଗଲୀ ଓ ତେଲୁଗୁ ପରି ଇଣ୍ଡିକ୍ ଲିପିଗୁଡ଼ିକ ଵିଶ୍ୱର ସବୁଠାରୁ ଶୃଙ୍ଖଳିତ ଓ ଵୈଜ୍ଞାନିକ ଲିପି ମଧ୍ୟରେ ଅନ୍ୟତମ। ଏହି ଲିପିଗୁଡ଼ିକର ମୂଳ ଆଧାର ହେଉଛି ପ୍ରାଚୀନ 'ବ୍ରାହ୍ମୀ' ଲିପି। ଇଣ୍ଡିକ୍ ଲିପିଗୁଡ଼ିକର ଵୈଜ୍ଞାନିକ ମାନ୍ୟତା କୌଣସି ଆକସ୍ମିକ ଧାରଣା ନୁହେଁ ଵରଂ ଏହା ମାନଵ ଶରୀରର ଧ୍ୱନି ଵିଜ୍ଞାନ ଏବଂ ମସ୍ତିଷ୍କର ଗ୍ରହଣଶୀଳତା ଉପରେ ପର୍ଯ୍ୟଵେସିତ। 

ଇଣ୍ଡିକ୍ ଲିପିଗୁଡ଼ିକର ଵୈଜ୍ଞାନିକତାର ସବୁଠାରୁ ବଡ଼ ପ୍ରମାଣ ହେଉଛି 'ଵର୍ଣ୍ଣମାଳା'। ଵିଶ୍ୱର ଅନ୍ୟ ଭାଷା (ଯେପରିକି ଇଂରାଜୀର A, B, C...) ର କୌଣସି ନିର୍ଦ୍ଦିଷ୍ଟ ଵୈଜ୍ଞାନିକ କ୍ରମ ନଥିଵା ବେଳେ ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକରେ ଅକ୍ଷରଗୁଡ଼ିକୁ ଆମ ଗଳାରୁ ଓଠ ପର୍ଯ୍ୟନ୍ତ ଥିଵା ଉଚ୍ଚାରଣ ସ୍ଥାନ ଅନୁସାରେ ସଜାଯାଇଛି। ଉଦାହରଣ ସ୍ୱରୂପ :
•କଣ୍ଠ୍ୟ : ଅ, ଆ, କ, ଖ, ଗ, ଘ, ଙ, ହ, ଃ
•ତାଲଵ୍ୟ : ଇ, ଈ, ଚ, ଛ, ଜ, ଝ, ଞ, ଯ, ଶ
•ମୂର୍ଦ୍ଧନ୍ୟ : ଋ, ଟ, ଠ, ଡ, ଢ, ଣ, ର, ଳ, ଷ
•ଦନ୍ତ୍ୟ : ତ, ଥ, ଦ, ଧ, ନ, ଲ, ସ
•ଓଷ୍ଠ୍ୟ : ଉ, ଊ, ପ, ଫ, ବ, ଭ, ମ
•ନାସିକ୍ୟ : ଙ, ଞ, ଣ, ନ, ମ, ଂ
•କଣ୍ଠ-ତାଲଵ୍ୟ : ଏ, ଐ
•କଣ୍ଠ-ଓଷ୍ଠ୍ୟ : ଓ, ଔ
•ଦନ୍ତ-ଓଷ୍ଠ୍ୟ : ଅନ୍ତଃସ୍ଥ ଵ (ଉଚ୍ଚାରଣରେ
ଓଷ୍ଠ ଓ ଉପର ଦନ୍ତପଂକ୍ତିର ସ୍ପର୍ଶ ହୋଇଥାଏ)
•ଦ୍ଵିସ୍ଵର : ୟ (ଇ+ଅ), ୱ (ଉ+ଅ)

ଏହିପରି ଭାବେ ଗଳାରୁ ଆରମ୍ଭ କରି ଓଠ ପର୍ଯ୍ୟନ୍ତ କ୍ରମାନ୍ୱୟରେ ଅକ୍ଷରଗୁଡ଼ିକୁ ସଜାଇଵା ଏକ ସୂକ୍ଷ୍ମ ମାନଵ ଶରୀର ଵିଜ୍ଞାନର ପରିଚୟ ଦିଏ।

ଭାରତୀୟ ଲିପିଗୁଡ଼ିକରେ "ଯାହା କୁହାଯାଏ, ତାହା ହିଁ ଲେଖାଯାଏ"। ଇଂରାଜୀରେ 'C' ର ଉଚ୍ଚାରଣ କେତେବେଳେ 'କ' (Cat) ତ କେତେବେଳେ 'ସ' (City) ହୋଇଥାଏ, କିନ୍ତୁ ଓଡ଼ିଆ ତଥା ଅନ୍ୟ ଇଣ୍ଡିକ୍ ଲିପିରେ ପ୍ରତିଟି ଧ୍ୱନି ପାଇଁ ଏକ ସ୍ୱତନ୍ତ୍ର ଓ ଅପରିଵର୍ତ୍ତନୀୟ ଅକ୍ଷର ରହିଛି। ଏହି ସ୍ପଷ୍ଟତା ଯୋଗୁଁ ଏହାକୁ ପଢ଼ିଵା ବେଳେ ମସ୍ତିଷ୍କ ଉପରେ କୌଣସି ଅଯଥା ଚାପ ପଡ଼େ ନାହିଁ ଏଵଂ ବନାନ ଭୁଲ୍ ହେଵାର ସମ୍ଭାଵନା ଅତ୍ୟନ୍ତ କମ୍ ଥାଏ।

ଇଣ୍ଡିକ୍ ଲିପିଗୁଡ଼ିକରେ ସ୍ୱର ଵର୍ଣ୍ଣ ଓ ଵ୍ୟଞ୍ଜନ ଵର୍ଣ୍ଣର ଵିଭାଜନ ଅତି ସୁଚିନ୍ତିତ। ଏଠାରେ ସ୍ୱର ଵର୍ଣ୍ଣଗୁଡ଼ିକ 'ମାତ୍ରା' ରୂପରେ ଵ୍ୟଞ୍ଜନ ଵର୍ଣ୍ଣ ସହ ଯୁକ୍ତ ହୋଇ ଶବ୍ଦର ଆକାରକୁ ସୀମିତ ରଖନ୍ତି। ଉଦାହରଣସ୍ୱରୂପ, 'କ' ରେ 'ଇ' ମିଶିଲେ ତାହା 'କି' (କ + ି) ହୁଏ। ଏହି ଗାଣିତିକ ଶୈଳୀ ଯୋଗୁଁ ଅତି ଅଳ୍ପ ସ୍ଥାନରେ ଅଧିକ ତଥ୍ୟ ଲେଖାଯାଇପାରେ, ଯାହା ଏହି ଲିପିଗୁଡ଼ିକୁ ଲେଖନ କଳା ଦୃଷ୍ଟିରୁ ମଧ୍ୟ ଵୈଜ୍ଞାନିକ କରିଥାଏ।

ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକର ଗଠନ ପ୍ରଣାଳୀ ଏତେ ଯୌକ୍ତିକ ଯେ, ଏହାକୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ତଥା 'ନ୍ୟାଚୁରାଲ୍ ଲାଙ୍ଗୁଏଜ୍ ପ୍ରୋସେସିଂ' (NLP) ପାଇଁ ସବୁଠାରୁ ଅନୁକୂଳ ବୋଲି ଵିଵେଚନା କରାଯାଏ। ପାଣିନିଙ୍କ ଅଷ୍ଟାଧ୍ୟାୟୀ ପରି ଵ୍ୟାକରଣ ଗ୍ରନ୍ଥରେ ଵର୍ଣ୍ଣମାଳାର ଯେଉଁ ସୂତ୍ର ଦିଆଯାଇଛି, ତାହା ଆଧୁନିକ ଆଲଗୋରିଦମ୍‌ ପରି କାମ କରେ। ଏହି ଲିପିଗୁଡ଼ିକରେ ପ୍ରତିଟି ଅକ୍ଷରର ନିଜସ୍ୱ ଧ୍ୱନି ଓ ଗୁଣ ସ୍ଥିର ରହିଥାଏ, ଯାହା ମେସିନ୍ ଲର୍ନିଂ ପାଇଁ ଅତି ସହଜ ହୋଇଥାଏ।

ସଂକ୍ଷେପରେ କହିଲେ, ଭାରତୀୟ ଇଣ୍ଡିକ୍ ଲିପିଗୁଡ଼ିକ କେଵଳ ଭାବ ପ୍ରକାଶର ମାଧ୍ୟମ ନୁହେଁ, ବରଂ ଏହା ମାନଵ ସ୍ବରଯନ୍ତ୍ର ଓ ଧ୍ୱନି ତରଙ୍ଗର ଏକ ଗଭୀର ସମନ୍ୱୟ। ଉଚ୍ଚାରଣର ସ୍ଥାନ, ଶବ୍ଦର ସ୍ପଷ୍ଟତା ତଥା ଗାଣିତିକ ସଂରଚନା ଇଣ୍ଡିକ୍ ଲିପିଗୁଡ଼ିକୁ ଵିଶ୍ୱର ଶ୍ରେଷ୍ଠ ଵୈଜ୍ଞାନିକ ଐତିହ୍ୟ ଭାବେ ପ୍ରମାଣିତ କରେ। ଏହି କାରଣରୁ ହିଁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଏହି ଲିପିଗୁଡ଼ିକ ନିଜର ପ୍ରାସଙ୍ଗିକତା ବଜାୟ ରଖିଛନ୍ତି।

କିନ୍ତୁ ଉତ୍ତର ଭାରତୀୟମାନେ ସମସ୍ତ ଇଣ୍ଡିକ୍ ଲିପିଗୁଡ଼ିକୁ ଵୈଜ୍ଞାନିକ ନକହି କେଵଳ ଦେଵନାଗରୀ ଲିପିକୁ ଵୈଜ୍ଞାନିକ ଲିପି ବୋଲି ଯେଉଁ ଅପପ୍ରଚାର କରୁଛନ୍ତି ତାହା ଠିକ୍ ନୁହେଁ । ଦେଵନାଗରୀ ଏଵଂ ଅନ୍ୟାନ୍ୟ କୌଣସି ଇଣ୍ଡିକ୍ ଲିପିରେ Wକୁ ପ୍ରକାଶ କରିଵା ପାଇଁ କୌଣସି ସ୍ଵତନ୍ତ୍ର ଅକ୍ଷର ନାହିଁ କିନ୍ତୁ ଓଡ଼ିଆ ଲିପିରେ ଏଥିପାଇଁ ଦ୍ଵିସ୍ଵର 'ୱ(ଉ+ଅ)' ଭଳି ଏକ ସ୍ଵତନ୍ତ୍ର ଅକ୍ଷର ଅଛି । ଓଡ଼ିଆ ଲିପିରେ 
ଅନ୍ତଃସ୍ଥ 'ଯ' ଓ ଦ୍ଵିସ୍ଵର 'ୟ' ଉଭୟ ଅଛି କିନ୍ତୁ ଦେଵନଗରୀରେ କେଵଳ ଅନ୍ତଃସ୍ଥ 'ଯ(य)' ଅଛି ଯାହାକୁ ଉତ୍ତର ଭାରତୀୟ ଦ୍ଵିସ୍ଵର 'ୟ' ପରି ଉଚ୍ଚାରଣ କରନ୍ତି । ତେଣୁ ଅନ୍ତତଃ ଓଡ଼ିଆଲିପିଠାରୁ ଦେଵନାଗରୀ ଲିପି ସେତେ ଵୈଜ୍ଞାନିକ ନୁହେଁ । 

ଅଧିକନ୍ତୁ ଭାରତୀୟ ଲିପିଗୁଡ଼ିକରେ ଵିଶ୍ଵର ସମସ୍ତ ଭାଷାକୁ ଲେଖାଯାଇପାରେ କିନ୍ତୁ କୋରିଆନୀୟ ହାଙ୍ଗୁଲ୍ ଲିପି କେଵଳ କୋରିଆନୀୟ ଭାଷା ଲେଖିଵାକୁ ତିଆରି ହୋଇଛି । ଉଦାହରଣ ସ୍ୱରୂପ ଶିଶିର ସାହୁକୁ କୋରିଆନ୍ ହାଙ୍ଗୁଲ୍ ଲିପିରେ 시시르 (Si-si-reu) 사후 (Sa-hu) ଲେଖାଯିଵ ।‌ ଶିଶିର ନାଆଁର Si-si-reu(ସିସିରେଉ) ହେଇଯାଉଥିଵାରୁ ସ୍ପଷ୍ଟ ହୁଏ ଯେ ହାଙ୍ଗୁଲ୍ ଲିପିରେ ସବୁ ଭାଷାର ଶବ୍ଦ ଠିକ୍ ଭାବରେ ଲେଖାଯାଇପାରିଵ ନାହିଁ । କିନ୍ତୁ ଇଣ୍ଡିକ୍ ଲିପିଗୁଡ଼ିକରେ କୋରିଆନ୍ ଭାଷାକୁ ସହଜରେ ଲେଖାଯାଇପାରେ । 

ଅସ୍ତୁ ପୂର୍ଵ ଏସୀୟ ଲିପିଗୁଡ଼ିକ ମଧ୍ୟରେ ହାଙ୍ଗୁଲ୍ ନିଶ୍ଚିତ ଭାବରେ ଏକ ଵୈଜ୍ଞାନିକ ଲିପି ଅଟେ । 
ଏହି ହାଙ୍ଗୁଲ୍ ଲିପି ଆଜି କୋରିଆର ଗର୍ଵ ହୋଇଥିଲେ ମଧ୍ୟ ଏହାର ଜନ୍ମକାଳ ଏଵଂ ପ୍ରାରମ୍ଭିକ ଯାତ୍ରା ଆଦୌ ସହଜ ନଥିଲା। ଏକ ଵୈଜ୍ଞାନିକ ଲିପି ଭାବରେ ସ୍ୱୀକୃତି ପାଇଵା ପୂର୍ବରୁ ଏହାକୁ ଶତାବ୍ଦୀ ଶତାବ୍ଦୀ ଧରି ଅଵହେଳା, ଅପମାନ ତଥା କଠୋର ଵିରୋଧର ସାମ୍ନା କରିଵାକୁ ପଡ଼ିଥିଲା। ଏହି ଵିରୋଧ ପଛରେ ସାମାଜିକ ସଂରଚନା, ଶ୍ରେଣୀଗତ ଅହଂକାର ଓ ରାଜନୈତିକ କାରଣମାନ ରହିଥିଲା।

୧୫ଶ ଶତାବ୍ଦୀରେ କୋରିଆର ଉଚ୍ଚଵର୍ଗର ଶିକ୍ଷିତ ପଣ୍ଡିତ (Yangban) ମାନେ ଚାଇନିଜ୍ ଅକ୍ଷର ଵା 'ହାଞ୍ଜା' (Hanja) ଵ୍ୟଵହାର କରୁଥିଲେ। ସେମାନଙ୍କ ପାଇଁ ଚାଇନିଜ୍ ଲିପି ଶିଖିଵା ଏକ ବୌଦ୍ଧିକ ଶ୍ରେଷ୍ଠତାର ପ୍ରତୀକ ଥିଲା। ଯେତେବେଳେ ରାଜା ସେଜୋଙ୍ଗ୍ ସରଳ 'ହାଙ୍ଗୁଲ୍' ଲିପି ପ୍ରଚଳନ କଲେ, ଏହି ପଣ୍ଡିତମାନେ ଭୟ କଲେ ଯେ ଯଦି ସାଧାରଣ ଚାଷୀ ଓ ମୂଲିଆମାନେ ଲେଖାପଢ଼ା ଶିଖିଯିବେ, ତେବେ ସମାଜରେ ସେମାନଙ୍କର ପ୍ରତିପତ୍ତି କମିଯିଵ। ଚୋଇ ମାନ୍-ରି (Choe Man-ri) ଙ୍କ ପରି ଜଣେ ପ୍ରଭାଵଶାଳୀ ପଣ୍ଡିତ ରାଜାଙ୍କୁ କହିଥିଲେ ଯେ, ଏହି ନୂଆ ଲିପି ଶିଖିଵା ଦ୍ୱାରା କୋରିଆ ଚୀନ୍ ପରି ଏକ ସଭ୍ୟ ଦେଶଠାରୁ ଵିଚ୍ୟୁତ ହୋଇ "ବର୍ବରଦେଶ" ପାଲଟିଯିଵ ।

ହାଙ୍ଗୁଲ୍ ଅତି ସହଜ ହୋଇଥିଵାରୁ ଉଚ୍ଚଵର୍ଗର ଲୋକମାନେ ଏହାକୁ ତୁଚ୍ଛ ମନେ କରୁଥିଲେ। ସେମାନେ ଏହାକୁ ତାତ୍ସଲ୍ୟ କରି 'ଅନମୁନ୍' (Eonmun) ବୋଲି କହୁଥିଲେ, ଯାହାର ଅର୍ଥ ହେଉଛି "ଅଶିକ୍ଷିତଙ୍କ ଭାଷା"। ସେହିପରି ଏହାକୁ 'ଆମ୍‌ଗୁଲ୍' (Amgeul) ମଧ୍ୟ କୁହାଯାଉଥିଲା, ଯାହାର ଅର୍ଥ "ମହିଳାଙ୍କ ଲିପି"। ସେ ସମୟରେ ମହିଳାମାନଙ୍କୁ ଚାଇନିଜ୍ ପରି ଜଟିଳ ଲିପି ଶିଖିଵାକୁ ବାରଣ କରାଯାଉଥିଵାରୁ, ସେମାନେ ନିଜ ନିଜ ମଧ୍ୟରେ ଭାବ ଵିନିମୟ ପାଇଁ ହାଙ୍ଗୁଲ୍ ଵ୍ୟଵହାର କରୁଥିଲେ। ପଣ୍ଡିତମାନଙ୍କ ପାଇଁ ଏହା ଏକ ନିମ୍ନମାନର ଲିପି ଥିଲା।

ହାଙ୍ଗୁଲ୍‌ର ଲୋକପ୍ରିୟତା ବଢ଼ିଵା ସହିତ ଏହା କର୍ତ୍ତୃପକ୍ଷଙ୍କ ପାଇଁ ଵିପଦ ସାଜିଲା। ୧୫୦୪ ମସିହାରେ ରାଜା ୟୋନସାନଗୁନ୍ (Yeonsangun) ହାଙ୍ଗୁଲ୍ ଲିପିର ଵ୍ୟଵହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଦେଲେ। କାରଣ ସେସମୟର ଚୋସନ୍‌(ପ୍ରାଚୀନ ଅଵିଭକ୍ତ କୋରିଆ)ରେ ଲୋକମାନେ ହାଙ୍ଗୁଲ୍ ଲିପି ଵ୍ୟଵହାର କରି କାନ୍ଥବାଡ଼ରେ ରାଜାଙ୍କ ଵିରୋଧରେ ପୋଷ୍ଟର ମାରିଵା ସହ ତାଙ୍କୁ ସମାଲୋଚନା କରି କଵିତା ଲେଖିଵା ଆରମ୍ଭ କରିଥିଲେ। ରାଜା ୟୋନସାନଗୁନ୍ ହାଙ୍ଗୁଲ୍ ଶିଖିଵା ଓ ଵ୍ୟଵହାର କରିଵାକୁ ଅପରାଧ ଭାବେ ଘୋଷଣା କରି ଏହି ଲିପିରେ ଲେଖାଯାଇଥିଵା ପୁସ୍ତକଗୁଡ଼ିକୁ ପୋଡ଼ି ଦେଇଥିଲେ। ପରଵର୍ତ୍ତୀ କିଛି ରାଜା ମଧ୍ୟ ହାଙ୍ଗୁଲ୍ ପ୍ରତି ସେତେଟା ସହାୟକ ନଥିଲେ।

ତେବେ ହାଙ୍ଗୁଲ୍ (Hangul) ଲିପିର ପୁନରୁଦ୍ଧାର କୌଣସି ଚମତ୍କାରଠାରୁ କମ୍ ନଥିଲା। ଯେଉଁ ଲିପିକୁ ଶତାବ୍ଦୀ ଶତାବ୍ଦୀ ଧରି ରାଜକୀୟ ଅଵହେଳା ଓ ପଣ୍ଡିତମାନଙ୍କ ତିରସ୍କାର ସହିଵାକୁ ପଡ଼ିଥିଲା, ତାହା ୧୯ଶ ଶତାବ୍ଦୀର ଶେଷ ଭାଗରେ କୋରିଆର ଆତ୍ମସମ୍ମାନ ଓ ଜାତୀୟତାର ପ୍ରତୀକ ଭାବେ ପୁନର୍ଜନ୍ମ ଲଭିଲା। ଏହି ପୁନରୁଦ୍ଧାର ପ୍ରକ୍ରିୟା ପଛରେ ଦେଶପ୍ରେମ, ସାମାଜିକ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମର ଏକ ପ୍ରେରଣାଦାୟୀ କାହାଣୀ ରହିଛି।

୧୮୯୪ ମସିହାରେ କୋରିଆରେ 'କାବୋ ସଂସ୍କାର' ନାମକ ଏକ ବଡ଼ ଧରଣର ସାମାଜିକ ଓ ପ୍ରଶାସନିକ ପରିବର୍ତ୍ତନ ଦେଖାଗଲା। ଏହି ସମୟରେ ପ୍ରଥମ କରି ଚାଇନିଜ୍ ହାଞ୍ଜା ଲିପି ବଦଳରେ ହାଙ୍ଗୁଲ୍‌କୁ ସରକାରୀ ଦଲିଲ୍ ଓ ପ୍ରଶାସନିକ କାର୍ଯ୍ୟରେ ଵ୍ୟଵହାର କରିଵା ପାଇଁ ନିଷ୍ପତ୍ତି ନିଆଗଲା। ଏହା ହାଙ୍ଗୁଲ୍ ପାଇଁ ଏକ ବଡ଼ ଵିଜୟ ଥିଲା, କାରଣ ଏତଦ୍ୱାରା ହାଙ୍ଗୁଲ୍ ତା'ର ହରାଇଥିଵା ସମ୍ମାନ ଫେରି ପାଇଲା ଏଵଂ କେଵଳ "ମହିଳାଙ୍କ ଲିପି" ନହୋଇ ସମଗ୍ର ଜାତିର ଲିପିରେ ପରିଣତ ହେଲା।

ହାଙ୍ଗୁଲ୍‌କୁ ଲୋକପ୍ରିୟ କରିଵାରେ 'ଦ ଇଣ୍ଡିପେଣ୍ଡେଣ୍ଟ' (The Independent / Dongnip Sinmun) ନାମକ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୮୯୬ରେ ପ୍ରକାଶିତ ଏହି ସମ୍ବାଦପତ୍ର କେଵଳ ହାଙ୍ଗୁଲ୍ ଲିପି ଵ୍ୟଵହାର କରୁଥିଲା, ଯାହାଫଳରେ ସାଧାରଣ ଜନତା ଦେଶ ଵିଦେଶର ଖବର ପଢ଼ିଵାକୁ ସକ୍ଷମ ହେଲେ। 

ଏଥିସହିତ ପାଶ୍ଚାତ୍ୟ ମିଶନାରୀମାନେ ବାଇବେଲ୍‌କୁ ହାଙ୍ଗୁଲ୍‌ରେ ଅନୁଵାଦ କରିବା ଦ୍ୱାରା ଏହି ଲିପି ଗାଁ ଗାଁରେ ପହଞ୍ଚିଗଲା। ଲୋକମାନେ ଅନୁଭଵ କଲେ ଯେ ନିଜସ୍ୱ ଲିପି ଵିନା ଦେଶର ଵିକାଶ ସମ୍ଭଵ ନୁହେଁ।

୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆ ଜାପାନର ଶାସନାଧୀନ ଥିଲା। ଜାପାନୀମାନେ କୋରିଆର ସଂସ୍କୃତିକୁ ନଷ୍ଟ କରିଵା ପାଇଁ ସ୍କୁଲଗୁଡ଼ିକରେ କୋରିଆନ୍ ଭାଷା ଓ ହାଙ୍ଗୁଲ୍ ଲିପି ଉପରେ କଟକଣା ଲଗାଇଲେ। କିନ୍ତୁ ଏହା କୋରିଆଵାସୀଙ୍କ ମଧ୍ୟରେ ଜାତୀୟତାଵାଦକୁ ଆହୁରି ଉଗ୍ର କଲା। କୋରିଆନ୍ ଭାଷାଵିଦମାନେ ଗୋପନରେ 'କୋରିଆନ୍ ଲାଙ୍ଗୁଏଜ୍ ସୋସାଇଟି' ଗଠନ କରି ହାଙ୍ଗୁଲ୍‌ର ଵ୍ୟାକରଣ ଓ ଅଭିଧାନ ପ୍ରସ୍ତୁତ କଲେ। ହାଙ୍ଗୁଲ୍ ଶିଖିଵା ଓ ଶିଖାଇଵା ସେତେବେଳେ ଦେଶପ୍ରେମର ଏକ ବଡ଼ କାମ ଥିଲା। ସଂଗ୍ରାମୀମାନେ ଅନୁଭବ କଲେ ଯେ "ଭାଷା ଓ ଲିପି ବଞ୍ଚିଲେ ହିଁ ଜାତି ବଞ୍ଚିଵ"।

୧୯୪୫ ମସିହାରେ ଜାପାନର ଶାସନରୁ ସ୍ୱାଧୀନ ହେଵା ପରେ, କୋରିଆ (ଉଭୟ ଉତ୍ତର ଓ ଦକ୍ଷିଣ) ହାଙ୍ଗୁଲ୍‌କୁ ନିଜର ଏକମାତ୍ର ସରକାରୀ ଲିପି ଭାବେ ଗ୍ରହଣ କଲେ। ସରକାରୀ ସ୍ତରରେ ଵ୍ୟାପକ ସାକ୍ଷରତା ଅଭିଯାନ ଚଲାଗଲା, ଯାହାଫଳରେ ମାତ୍ର କିଛି ଦଶନ୍ଧି ମଧ୍ୟରେ କୋରିଆର ପ୍ରତିଟି ନାଗରିକ ଶିକ୍ଷିତ ହୋଇପାରିଲେ। ରାଜା ସେଜୋଙ୍ଗ୍‌ଙ୍କ ସ୍ୱପ୍ନ ଆଧୁନିକ ଯୁଗରେ ସଫଳ ହେଲା।

ଆଜି ହାଙ୍ଗୁଲ୍ ଏତେ ସରଳ ଯେ କୁହାଯାଏ, "ଜଣେ ଜ୍ଞାନୀ ଵ୍ୟକ୍ତି ଏହାକୁ ସକାଳ ଜଳଖିଆ ପୂର୍ଵରୁ ଶିଖିପାରିବେ ଏଵଂ ଜଣେ ସାଧାରଣ ଵ୍ୟକ୍ତି ମଧ୍ୟ ଏହାକୁ ଗୋଟିଏ ରାତିରେ ଶିଖିପାରିବେ।"
ହାଙ୍ଗୁଲ୍‌ର ଏହି ଗୁରୁତ୍ୱ ପାଇଁ ୟୁନେସ୍କୋ (UNESCO) 'କିଙ୍ଗ ସେଜୋଙ୍ଗ ଲିଟେରାସି ପ୍ରାଇଜ୍' ମଧ୍ୟ ପ୍ରଦାନ କରିଥାଏ।

ହାଙ୍ଗୁଲ୍‌ର ପୁନରୁଦ୍ଧାର ଏକ ଜାତିର ନିଜସ୍ୱ ପରିଚୟ ଖୋଜିଵାର କାହାଣୀ। ଯେଉଁ ଲିପିକୁ ଦମନ କରିଵାକୁ ଚେଷ୍ଟା କରାଯାଇଥିଲା, ତାହା ଶେଷରେ ଵିଜୟୀ ହେଲା। ହାଙ୍ଗୁଲ୍ ଲିପିର ଅସ୍ତିତ୍ୱ ବଞ୍ଚାଇଵାର ସଂଘର୍ଷ କାହାଣୀ ଆମକୁ ଓଡ଼ିଆ ଲିପିର ଅସ୍ତିତ୍ୱ ବଞ୍ଚାଇଵାର ସଂଘର୍ଷ କାହାଣୀ ମନେ ପକେଇ ଦିଏ । ଭାରତର ସବୁଠାରୁ ଵୈଜ୍ଞାନିକ ଲିପି ହୋଇ ବି ଦକ୍ଷିଣରେ ଗଞ୍ଜାମ ଓ କନ୍ଧମାଳରୁ ଓଡ଼ିଆ ଲିପି ଓ ଭାଷା ଲୋପ କରିଵାକୁ ତେଲେଙ୍ଗାମାନେ କୁଚେଷ୍ଟା କରିଥିଲେ । ଉତ୍ତର ଓଡ଼ିଶା ତଥା ଉପକୂଳ ଓଡ଼ିଶାରୁ ଓଡ଼ିଆ ଭାଷା ଓ ଲିପିକୁ ମାରି ଦେଵାକୁ ବଙ୍ଗାଳୀମାନେ ଚକ୍ରାନ୍ତ କରିଥିଲେ । ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାର ଉତ୍ତର ଵିଚ୍ଛିନ୍ନାଞ୍ଚଳରୁ ଓଡ଼ିଆ ଭାଷା ଓ ଲିପି ଉଠେଇ ଦେଵାର ଭୀଷଣ ଷଡ଼ଯନ୍ତ୍ର ହିନ୍ଦୀଭାଷୀ କରିଥିଲେ ଏଵଂ ଆଜି ମଧ୍ୟ କରୁଛନ୍ତି । ତଥାପି ତତ୍କାଳୀନ ଓଡ଼ିଆ ସ୍ଵାଭିମାନୀମାନେ ମସିଯୁଦ୍ଧ ଚଳାଇ ଆନ୍ଦୋଳନ କରି ଓଡ଼ିଆ ଭାଷା ଓ ଲିପିକୁ ବଞ୍ଚାଇଵାରେ ସଫଳ ହୋଇଥିଲେ ।‌ ଯେମିତି 
କୋରିଆର ହାଙ୍ଗୁଲ୍ ଲିପି ଓ କୋରିଆନ୍ ଭାଷା ପାଇଁ "ଦ ଇଣ୍ଡିପେଣ୍ଡେଣ୍ଟ(୧୮୯୬)" ସଞ୍ଜିଵନୀ ଭଳି କାମ କରିଥିଲା ଠିକ୍ ସେହିପରି ୧୮୬୬ ମସିହା ପରେ ଓଡ଼ିଆ ଜାତି ଭାଷା ଓ ଲିପି ପାଇଁ ଉତ୍କଳ ଦୀପିକା ପତ୍ରିକାର ଭୂମିକା ମହତ୍ତ୍ୱପୂର୍ଣ୍ଣ । ସେ ସମୟରେ ଓଡ଼ିଶାରେ ରହୁଥିଵା ବଙ୍ଗାଳୀମାନେ ପ୍ରାଣପଣେ ଓଡ଼ିଆ ଲିପି ମାରି ଦେଵାକୁ ଚେଷ୍ଟା କରିଥିଲେ । ଓଡ଼ିଆ ଲିପିରେ ସେତେ ପୁସ୍ତକ ନଥିଵାରୁ ଲୋକେ ବଙ୍ଗାଳୀ ଲିପିରେ ଛପା ବହି ପଢ଼ୁଥିଲେ ‌। ଓଡ଼ିଶାର ଶିକ୍ଷିତ ସମାଜ ମଧ୍ୟରେ ବଙ୍ଗାଳୀ ଲିପିର ମହତ୍ତ୍ୱ ବଢ଼ି ଯାଇଥିଲା । ଏହାର ପ୍ରଭାଵ ଏତେ ଅଧିକ ଥିଲା ଯେ କଟକ ପୁରୀ ଭଳି ଅଞ୍ଚଳର ଶିକ୍ଷିତଙ୍କ ମଧ୍ୟରେ ନବେ ଦଶକ ପର୍ଯ୍ୟନ୍ତ ବଙ୍ଗାଳୀ ଲିପିର ପ୍ରଭାଵ ଦେଖାଯାଉଥିଲା । କିନ୍ତୁ ଉତ୍କଳ ଦୀପିକାକୁ ଓଡ଼ିଆ ଭାଷା ଓ ଲିପିରେ ଛପାଯିଵା ପରେ ସବୁକିଛି ବଦଳିଗଲା । ଏହାପରେ ଆହୁରି ଅନେକ ପୁସ୍ତକ ଓ ପତ୍ରପତ୍ରିକା ଓଡ଼ିଆ ଭାଷା ଓ ଲିପିରେ ଛପାଗଲା । ସେତେବେଳେ ଅନେକ ଓଡ଼ିଶାଵାସୀ ବଙ୍ଗାଳୀମାନେ ଓଡ଼ିଆ ଲିପି ଛାଡ଼ି ବଙ୍ଗାଳୀ ଲିପି ଵ୍ୟଵହାର କରିଵାକୁ ସମସ୍ତଙ୍କୁ ପ୍ରଵର୍ତ୍ତାଇଥିଲେ । କିଛି ତଥାକଥିତ ଓଡ଼ିଶାଵାସୀ ବଙ୍ଗାଳୀ ସାହିତ୍ୟିକ ତ କଵିତା ଓ ପ୍ରବନ୍ଧ ଲେଖି ଓଡ଼ିଆ ଲିପିର ଦୋଷ ଦୁର୍ଵଳତା ଵିଷୟରେ ଲେଖିଥିଲେ , ଵ୍ୟଙ୍ଗ୍ୟ କଵିତା ଲେଖିଥିଲେ । ଉଦାହରଣ ସ୍ୱରୂପ କଟକଷ୍ଟାର୍ ପତ୍ରିକାରେ ଉମାଚରଣ ହଳଦାର୍ ଭଳି ବଙ୍ଗାଳୀ ବଂଶୋଦ୍ଭଵମାନେ ଲେଖା ଛପେଇ କୈଥୀ ଲିପି ଯେମିତି ବିହାରରୁ ଉଠି ଦେଵନାଗରୀ ଚଳିଲା ଠିକ୍ ସେହିପରି ଓଡ଼ିଶାରୁ ଓଡ଼ିଆ ଲିପି ଉଠେଇ ବଙ୍ଗାଳୀ ଲିପି ଚଳାଇଵାକୁ ଯୁକ୍ତି ସହିତ ଲେଖା ଛପାଯାଇଥିଲା । ସେତେବେଳେ ଗୌରୀଶଙ୍କର ରାୟଙ୍କ ଭଳି ମସିଯୋଦ୍ଧାମାନେ ସେମାନଙ୍କ ଵିପକ୍ଷରେ ଭୀଷଣ ମସି ଚାଳନା କରିଥିଲେ।
ତତ୍କାଳୀନ ସ୍ଵାଭିମାନୀ ଓଡ଼ିଆମାନେ ମସିଯୁଦ୍ଧ ଚଳାଇ ସେମାନଙ୍କର ଉପଯୁକ୍ତ ଉତ୍ତର ଦେଇଥିଲେ ଏଵଂ ଓଡ଼ିଆ ଲିପି ନିଜର ମହତ୍ତ୍ୱ ବଞ୍ଚାଇଵାରେ ସଫଳ ହୋଇଥିଲା ‌। ଓଡ଼ିଶାରେ ଓଡ଼ିଆ ଲିପି ଓ ଭାଷା ସୁରକ୍ଷିତ ହେଵାର ଦେଢ଼ ଦଶନ୍ଧି ପରେ କୋରିଆ ସ୍ଵାଧୀନ ହେଲା ଏଵଂ ହାଙ୍ଗୁଲ୍ ଲିପିକୁ ତାହାର ନାର୍ଯ୍ୟ ଅଧିକାର ମିଳିଲା । ସେବେଠାରୁ ଏବେ ଯାଏଁ ଅଵିଭକ୍ତ କୋରିଆରେ ହାଙ୍ଗୁଲ୍ ଲିପିର ଆଦର ବହୁତ ବଢ଼ିଛି । ଅନେକ ଵର୍ଷ ଚୀନର କରଦରାଜ୍ୟ ରହି, ଜାପାନ ଦ୍ଵାରା ପରାଧୀନ ହୋଇ ଏଵଂ ଇଂରାଜୀ ଭଳି ଵୈଦେଶିକ ଭାଷା ଓ ସଂସ୍କୃତି ଦ୍ଵାରା ପ୍ରଭାଵିତ ହୋଇ ମଧ୍ୟ କୋରିଆର ଲୋକମାନେ କୌଣସି ଵିଦେଶୀ ଲିପି ନୁହେଁ ଵରଂ ନିଜ ଦେଶର ହାଙ୍ଗୁଲ୍ ଲିପିରେ ଲେଖିଵାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଅନେକ ଓଡ଼ିଆମାନେ ଅନଲାଇନରେ ଚାଟିଂ କଲାବେଳେ ଆଜି ବି ଲାଟିନ୍ ଲିପିରେ ଓଡ଼ିଆ ଲେଖୁଛନ୍ତି । ଦସ୍ତଖତ ଓଡ଼ିଆ ପରିଵର୍ତ୍ତେ ଲାଟିନ୍ ଲିପିରେ କରୁଛନ୍ତି । ନାଆଁର ସୂଚୀ ଓଡ଼ିଆ ଲିପିରେ ନକରି ଲାଟିନ୍ ଲିପିରେ କରୁଛନ୍ତି । ଏମନ୍ତକି ଓଡ଼ିଆ ଚଳଚ୍ଚିତ୍ର ଓ ଧାରାଵାହିକର ନାଆଁ ଲାଟିନ୍ ଲିପିରେ ରଖାଯାଉଛି । ଚୋସନ୍ ଶାସନକାଳରେ କୋରିଆଵାସୀ ପଣ୍ଡିତମାନେ ନିଜ ମାଟିର ଲିପି ହାଙ୍ଗୁଲ୍‌କୁ ଯେମିତି ଅନାଦର କରିଥିଲେ ଠିକ୍ ସେହିପରି ଆଜିର ଶିକ୍ଷିତ-ମୂର୍ଖ ଭୂଷପଣ୍ଡିତମାନେ ଓଡ଼ିଆ ଲିପିକୁ ହେୟଜ୍ଞାନ କରି ଲାଟିନ୍ ଲିପିରେ ଲେଖି ନିଜର ପାଣ୍ଡିତ୍ୟ ଦେଖାଉଛନ୍ତି । 

ଏକଦା ଉତ୍କଳ ଦୀପିକାରେ ଛଦ୍ମନାମରେ ଗୌରୀଶଙ୍କର ରାୟ ଗୋଟିଏ ପଦ୍ୟ ଓଡ଼ିଆ ଲିପି ଓ ଭାଷାକୁ ଓଡ଼ିଶାରୁ ଉଚ୍ଛେଦ କରିଵାକୁ ଚେଷ୍ଟା କରୁଥିଵା ବଙ୍ଗାଳୀଙ୍କ ପ୍ରତି ଵ୍ୟଙ୍ଗ୍ୟ କରି ଛପାଇଥିଲେ । 

“ସଙ୍ଗାତ କି ଶୁଣିଲି ଆତମ୍ବିତ । 
ନାହିଁ ଏଥୁଁ ବଳି ଆଚମ୍ବିତରେ 
ଓଡ଼ିଆ ପାଇଁକି ଯାହାଙ୍କ ପଡ଼ିୟା 
କରମ ବଟିୟା ହେଲା, 
ବଣା କଲା ତାଙ୍କୁ ଓଡ଼ିଆ ଅକ୍ଷର
ଭାଷା ଅଡ଼ୁଆ ଲାଗିଲାରେ ।୧।
ଶିଖି ନାନା ଜ୍ଞାନ ବୋଲାନ୍ତି ସୁଜାଣ
ବୁଦ୍ଧି ହୋଇଛି ନିବାଡ଼
ଏକି ହଟହଟା ଅକ୍ଷର କେତେଟା
ମଣୁଛନ୍ତି କଣ୍ଟା ବାଡ଼ରେ ।୨।
ଟାଣପଣେ ଜଣେ ସିହାଣରୁ ଭାଣ୍ଡ
ଯତନେ ପିହାଣ ଫେଡ଼ି, 
ବଙ୍ଗଳା ଅକ୍ଷରେ ଓଡ଼ିଆ ଲେଖିଵା
ଵିଧିକି ଦେଇଛି ଇଡ଼ିରେ ।୩।
ପାଇ ଏ ଵିଧାନ ଚାଟଙ୍କ ପ୍ରଧାନ(ଅଧ୍ୟାପକ)
କରୁଛନ୍ତି ଯେତେ ନାଟ
ତା ଦେଖି ମୁଁ ଭାଳେ ପରଚଛୁ ଦେଲେ 
କଣାଙ୍କୁ ଦିଶିଵ ବାଟରେ ।୪।”

ଦୁର୍ଭାଗ୍ୟକୁ ଆଜି ଭୂଷପଣ୍ଡିତ ଓଡ଼ିଆମାନେ “ଲାଟିନ୍ ଅକ୍ଷରେ ଓଡ଼ିଆ ଲେଖୁଛନ୍ତି” ଆଉ ଓଡ଼ିଆ ଲିପିରେ କେହି ଚାଟିଂ କଲେ ତାକୁ ଅଶିକ୍ଷିତ ମନେ କରୁଛନ୍ତି। ସେହି ଶିକ୍ଷିତମୂର୍ଖଙ୍କ ପାଇଁ ଆଜି ଓଡ଼ିଶାରେ ଓଡ଼ିଆ ଭାଷା ଓ ଲିପି ଅଵହେଳିତ । 

ହାଙ୍ଗୁଲ୍ ହେଉ କିମ୍ବା ଓଡ଼ିଆ—ଲିପି କେଵଳ କେତେକ ଚିହ୍ନ ଵା ଗାରର ସମାହାର ନୁହେଁ, ଵରଂ ଏହା ଏକ ଜାତିର ସଂସ୍କୃତିର ମେରୁଦଣ୍ଡ । କୋରିଆଵାସୀ ନିଜ ଲିପିକୁ "ଅଶିକ୍ଷିତଙ୍କ ଭାଷା" ଵା "ମହିଳାଙ୍କ ଲିପି" କୁହାଯିଵାର ଅପମାନରୁ ବାହାର କରି ଆଜି ବିଶ୍ୱ ଦରବାରରେ ଏକ ଗର୍ଵିତ ପରିଚୟ ଭାବେ ଠିଆ କରିପାରିଛନ୍ତି । ସେମାନେ ବୁଝିପାରିଛନ୍ତି ଯେ, ଯେଉଁ ଜାତି ନିଜର ମାଟିର ଅକ୍ଷରକୁ ସମ୍ମାନ ଦିଏ ନାହିଁ, ସେ ଜାତି ଵିଶ୍ୱ ଇତିହାସରେ କେବଳ ଏକ "ପ୍ରତିଲିପି" (Copy) ହୋଇ ରହିଯାଏ, "ମୂଳଲିପି" ହୋଇପାରେନାହିଁ ।
ଆଜିର ଵୈଷୟିକ ଯୁଗରେ ଓଡ଼ିଆ ଲିପିକୁ 'ଅପ୍ରାସଙ୍ଗିକ' ବୋଲି ଭାବିଵା ଏକ ବଡ଼ ଭୁଲ୍ । ଯଦି କୋରିଆଵାସୀ ହାଙ୍ଗୁଲ୍ ଵ୍ୟଵହାର କରି ଵିଜ୍ଞାନ ଓ ଵାଣିଜ୍ୟ କ୍ଷେତ୍ରରେ ଶୀର୍ଷସ୍ଥାନକୁ ପହଞ୍ଚିପାରୁଛନ୍ତି, ତେବେ ଆମେ ଓଡ଼ିଆ ଲିପି ଵ୍ୟଵହାର କରି କାହିଁକି ପଛରେ ପଡ଼ିଵା ? ଲାଟିନ୍ ଲିପିରେ ଓଡ଼ିଆ ଲେଖିଵା ହେଉଛି ନିଜ ମା'କୁ ଅନ୍ୟର ପୋଷାକରେ ଦେଖିଵା ସଦୃଶ । ଡିଜିଟାଲ୍ ଦୁନିଆରେ ଓଡ଼ିଆ କି-ବୋର୍ଡ଼ର ସୁବିଧା ଥାଇ ମଧ୍ୟ ଲାଟିନ୍ ଲିପିର ଵ୍ୟଵହାର ଆମର ଆଧୁନିକତା ନୁହେଁ ଵରଂ ଆମର ମାନସିକ ଦାସତ୍ୱର ପରିଚୟ ଦିଏ ।

ସମୟ ଆସିଛି, ଆମକୁ ଆମର "ଭୂଷପଣ୍ଡିତ" ମାନସିକତାକୁ ତ୍ୟାଗ କରିଵାକୁ ହେବ । ଗୌରୀଶଙ୍କର ରାୟ, ଫକୀର ମୋହନ ଓ ମଧୁସୂଦନଙ୍କ ସେହି ସଂଗ୍ରାମକୁ ଆମକୁ ମନେ ପକାଇଵାକୁ ହେବ, ଯେଉଁମାନେ ଆମ ପାଇଁ ଆମ ଭାଷା ଓ ଲିପିକୁ ବଞ୍ଚାଇଥିଲେ । ଓଡ଼ିଆ ଲିପିକୁ ଵ୍ୟଵହାର କରିଵା କୌଣସି ଅଶିକ୍ଷିତର ପରିଚୟ ନୁହେଁ ଵରଂ ଏହା ଏକ ଉନ୍ନତ ସଭ୍ୟତାର ଉତ୍ତରାଧିକାରୀ ହେଵାର ସ୍ଵାଭିମାନ ଅଟେ ।
ଯଦି ଆମେ ଆଜି ସଚେତନ ନହେଵା, ତେବେ ଭଵିଷ୍ୟତର ବଂଶଧରମାନେ ଆମକୁ କ୍ଷମା କରିବେ ନାହିଁ । ସେଥିପାଇଁ ଆସନ୍ତୁ, କୋରିଆର ହାଙ୍ଗୁଲ୍‌ଠାରୁ ଶିକ୍ଷା ନେଇ ଆମର ମୌଳିକ, ଵୈଜ୍ଞାନିକ ଓ ସୁନ୍ଦର ଓଡ଼ିଆ ଲିପିକୁ ପ୍ରତିଟି କ୍ଷେତ୍ରରେ ଵ୍ୟଵହାର କରିବା । ମନେ ରଖନ୍ତୁ— "ଲିପି ବଞ୍ଚିଲେ ଭାଷା ବଞ୍ଚିଵ, ଆଉ ଭାଷା ବଞ୍ଚିଲେ ହିଁ ଓଡ଼ିଆ ଜାତିର ଅସ୍ତିତ୍ୱ ବଞ୍ଚିଵ ।"
•••••••••••••••••••••••••••••••••••••
ତଥ୍ୟ ଉତ୍ସ :
1.The Korean Alphabet: Its History and Structure – Young-Key Kim-Renaud

2.A History of the Korean Language – Ki-Moon Lee & S. Robert Ramsey

3.The Story of Hangul – Sang-Oak Lee

4.The World's Writing Systems – Peter T. Daniels & William Bright

5.ଶତାବ୍ଦୀର ସୂର୍ଯ୍ୟ — ସୁରେନ୍ଦ୍ର ମହାନ୍ତି

6.ଓଡ଼ିଆ ଭାଷା ଆନ୍ଦୋଳନ— ବଂଶୀଧର ମହାନ୍ତି 
••••••••••••••••••••••••••••••••••••••



ହାଙ୍ଗୁଲ୍ ଓ ଓଡ଼ିଆ ଲିପି: ଵୈଜ୍ଞାନିକତା, ସଂଘର୍ଷ ଓ ସ୍ଵାଭିମାନର କାହାଣୀ

କୋରିଆନ୍ ଭାଷାର ଲିପିକୁ ହାଙ୍ଗୁଲ୍ (Hangul) କୁହାଯାଏ । ଏହି ହାଙ୍ଗୁଲ୍ ଲିପିର ଇତିହାସ ଵିଶ୍ଵର ସମସ୍ତ ଲିପି ମଧ୍ୟରେ ଅତ୍ୟନ୍ତ ଅଦ୍ୱିତୀୟ, କାରଣ ଏହା ଏକମାତ୍ର ପ୍ରା...