My Blog List

Saturday, May 16, 2026

Villain ଶବ୍ଦର ମୂଳ ଅର୍ଥ କ’ଣ ଥିଲା ଜାଣିଛନ୍ତି କି ?

କିଛି ଶବ୍ଦର ମୂଳ ସକାରାତ୍ମକ ଅର୍ଥ ଲୋପ ପାଏ ଏଵଂ ଉକ୍ତ ଶବ୍ଦଟି କ୍ରମଶଃ ନକାରାତ୍ମକ ଅର୍ଥରେ ପ୍ରୟୋଗ ହୋଇଥାଏ ।‌ ଏହାର ଏକ ଜଣାଶୁଣା ଉଦାହରଣ Villain ଶବ୍ଦ ଅଟେ । ଆଜିକାଲି ଚଳଚ୍ଚିତ୍ର କ୍ଷେତ୍ରରେ ଏ ଶବ୍ଦର ବହୁଳ ଵ୍ୟଵହାର ହେଉଅଛି । ଭାରତୀୟ ଇଣ୍ଡିକ୍ ଭାଷାଗୁଡ଼ିକରେ ଏହାର ପ୍ରତିଶବ୍ଦ "ଖଳନାୟକ" ସୃଷ୍ଟି କରାଯାଇଥିଲେ ବି ଅନେକେ କଥିତ ଭାଷାରେ ଏହି ଵୈଦେଶିକ ଶବ୍ଦଟି ଵ୍ୟଵହାର କରିଥାନ୍ତି । ତେବେ ପ୍ରାଚୀନ କାଳରେ "Villain" ଏକ ସକାରାତ୍ମକ ଶବ୍ଦ ଥିଲା । 
 
"Villain" ଶବ୍ଦର ମୂଳ ଉତ୍ସ ହେଉଛି ଲାଟିନ୍ ଶବ୍ଦ "Villanus"। ପ୍ରାଚୀନ କାଳରେ ଏହାର ମୂଳ ଅର୍ଥ ଥିଲା "Villa" ଵା ଏକ ବଡ଼ କୃଷି ଖମାର (Farmstead) ସହ ଜଡ଼ିତ ଵ୍ୟକ୍ତି। ପୁରୁଣା ଫରାସୀ ଭାଷାରେ ଏହା "Vilein" ରୂପେ ପ୍ରଚଳିତ ଥିଲା। ସେତେବେଳେ ଏହି ଶବ୍ଦର କୌଣସି ଖରାପ ଅର୍ଥ ନଥିଲା। ଏହା କେଵଳ ଜଣେ କୃଷକ, ପରିଶ୍ରମୀ ଶ୍ରମିକ ଵା ଗ୍ରାମଵାସୀଙ୍କୁ ବୁଝାଉଥିଲା ଯିଏ ଜମିଦାରଙ୍କ ଅଧୀନରେ ରହି ଚାଷ କାମ କରୁଥିଲେ।

ମଧ୍ୟଯୁଗୀୟ ଇଉରୋପରେ ସାମନ୍ତଵାଦୀ ପ୍ରଥା ପ୍ରଚଳିତ ଥିଲା। ସମାଜ ଦୁଇ ଭାଗରେ ଵିଭକ୍ତ ଥିଲା । ଅଭିଜାତ ଵର୍ଗରେ Knights ଓ Nobles ଭଳି ଲୋକେ ଥିଲେ ଏଵଂ ଅନ୍ୟ ପକ୍ଷରେ ସାଧାରଣ କୃଷକ ଵା "Vilein" ଥିଲେ।

ଉଚ୍ଚଵର୍ଗର ଲୋକମାନେ ନିଜକୁ ଶିଷ୍ଟାଚାରୀ, ସାହସୀ ଓ ଧାର୍ମିକ ମନେ କରୁଥିଲେ। ଅପରପକ୍ଷରେ, ଦିନରାତି ଖରା ଵର୍ଷା ଶୀତ କାକରରେ କାମ କରୁଥିଵା ଗ୍ରାମଵାସୀମାନଙ୍କୁ ସେମାନେ ଅଶିକ୍ଷିତ, ଅପରିଷ୍କାର ଓ ସଂସ୍କାରହୀନ ଭାବେ ଦେଖୁଥିଲେ। ଓଡ଼ିଶାରେ ମଧ୍ୟ ଆଗେ ଚାଷୀମାନଙ୍କୁ ଅଶିକ୍ଷିତ,ଅସଭ୍ୟ, ଅଭଦ୍ର ଇତ୍ୟାଦି ଉପଲକ୍ଷ କରି ଚଷାଭୁଷା କହୁଥିଲେ। ଗାଉଁଲି ଲୋକ ସରଳ ଥିଲେ ବୋଲି ସେମାନଙ୍କୁ ଓଲୁ ଵିତାର କରାଯାଉଥିଲା ଫଳତଃ ଗାଉଁଲି ଶବ୍ଦର ଏକ ଅର୍ଥ ହୋଇଗଲା ଓଲୁଲୋକ । ନିର୍ଵୋଧ,ଭଦ୍ରତାହୀନ,ଅଖାଡ଼ୁଆ ଓ ଓଲୁଲୋକଙ୍କୁ 
ଚଷାଣ୍ଡିଆ ସମ୍ବୋଧନ କରାଯାଉଥିଲା । ଆଧୁନିକ ଚଳଣି ସହିତ ଖାପଖୁଆଇ ପାରିନଥିଵା ଲୋକଙ୍କୁ ପରେ ମଫସଲିଆ ଓ ମଫୁ ବି କୁହାଗଲା । ଏମନ୍ତକି ପ୍ରାଚୀନ କାଳରେ ସଂସ୍କୃତ ଗ୍ରାମ୍ୟ ଶବ୍ଦର ମଧ୍ୟ ନିର୍ବୁଦ୍ଧିଆ,ନୀଚ,ଇତର,ଅଭଦ୍ର,ଅସଭ୍ୟ,ଅଶ୍ଳୀଳ ଓ ପୋଷା ଘୁଷୁରୀ ଆଦି ଅର୍ଥରେ ପ୍ରୟୋଗ ହେଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଲେଖାଅଛି । 
ତେଣୁ ଗ୍ରାମଵାସୀଙ୍କୁ ନ୍ୟୂନ,ହୀନ ମନେ କରିଵାର ଭାଵନା ଊଣାଅଧିକେ ସର୍ଵତ୍ର ଥିଲା । 

ତେଣୁ ୟୁରୋପରେ ମଧ୍ୟ ସେହିପରି ଘଟିଥିଲା ।‌ଧୀରେ ଧୀରେ "Vilein" ଶବ୍ଦଟି କେଵଳ ଜଣେ ଚାଷୀକୁ ନବୁଝାଇ, ତାଙ୍କର ସାମାଜିକ ସ୍ଥିତିକୁ ଦର୍ଶାଇଲା। ଅଭିଜାତ ଵର୍ଗଙ୍କ ଵିଚାରରେ ଯେହେତୁ ଗ୍ରାମଵାସୀମାନେ ଅଶିକ୍ଷିତ, ତେଣୁ ସେମାନଙ୍କର କୌଣସି ନୈତିକତା ନାହିଁ। ଯଦି କେହି ଖରାପ ଵ୍ୟଵହାର ଦେଖାଉଥିଲା, ତେବେ ତାକୁ ଉପହାସ କରି କୁହାଯାଉଥିଲା— "ତୁମର ଵ୍ୟଵହାର ଜଣେ ଭିଲେନ୍ (କୃଷକ) ପରି"। ଏହିଠାରୁ ହିଁ ଶବ୍ଦଟି ମନ୍ଦ ଅର୍ଥ ଆଡ଼କୁ ଗତି କଲା।

୧୦୬୬ ମସିହାରେ ନର୍ମାନମାନେ ଇଂଲଣ୍ଡ ଜୟ କରିଵା ପରେ, ଫରାସୀ ଭାଷାର 'Vilain'(କୃଷକ) ଶବ୍ଦ ଇଂଲଣ୍ଡରେ ପ୍ରଚଳିତ ହେଲା। ସେତେବେଳେ ଏହାର ଅର୍ଥ ଥିଲା 'ଜଣେ ଗ୍ରାମଵାସୀ' ଵା 'କୃଷକ'।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀନ ଇଂରାଜୀ ଭାଷାରେ କୃଷକଙ୍କୁ Ceorl କୁହାଯାଉଥିଲା । ଏହା ସେହି ସମୟର ସାଧାରଣ ମୁକ୍ତ ଚାଷୀଙ୍କୁ ବୁଝାଉଥିଲା, ଯେଉଁମାନେ କୌଣସି ଦାସ ନଥିଲେ କିନ୍ତୁ ସାମାଜିକ ସ୍ତରରେ ଅଭିଜାତ ଶ୍ରେଣୀର ତଳେ ରହୁଥିଲେ। ପରଵର୍ତ୍ତୀ ସମୟରେ ଏହି ଶବ୍ଦରୁ ହିଁ ଆଧୁନିକ ଇଂରାଜୀ ଶବ୍ଦ "Churl(ଅସଭ୍ୟ,ଅଭଦ୍ର,କଠୋର ଵ୍ୟକ୍ତି)" ର ଉତ୍ପତ୍ତି ହୋଇଛି। Bōnda ଶବ୍ଦଟି ମଧ୍ୟ କୃଷକ ଅର୍ଥରେ ଵ୍ୟଵହୃତ ହେଉଥିଲା । ପରେ Bōnda ଶବ୍ଦର ଅର୍ଥ ହେଲା "ନିଜର ଘର ଵା ଜମି ଥିଵା ଵ୍ୟକ୍ତି"। ଏଥିରୁ ଆଧୁନିକ ଇଂରାଜୀ ଶବ୍ଦ "Husband" (House + Bond) ଆସିଛି, ଯାହାର ମୂଳ ଅର୍ଥ ଥିଲା "ଘରର ମାଲିକ"। ଆଜି ଏହା ସ୍ଵାମୀ ଵା ପତି ଅର୍ଥରେ ଵ୍ୟଵହୃତ ହେଉଅଛି ।‌
ପରେ ଯେତେବେଳେ ଫରାସୀ ଭାଷାର କୃଷକ ଅର୍ଥଜ 'Vilain' ଶବ୍ଦ ଆସିଲା ସେତେବେଳେ ଏହି ପ୍ରାଚୀନ ଶବ୍ଦଗୁଡ଼ିକର ମୂଳ ଅର୍ଥ ବଦଳିଗଲା । କୃଷକ ଅର୍ଥଜ Ceorl ଶବ୍ଦ ପରେ ଅସଭ୍ୟ ଅର୍ଥରେ ପ୍ରୟୋଗ କରାଗଲା । କିନ୍ତୁ କିଛି ଵର୍ଷ ମଧ୍ୟରେ ଫରାସୀ ମୂଳର କୃଷକ ଅର୍ଥଜ Vilain ଶବ୍ଦର ମୂଳ ଅର୍ଥ ମଧ୍ୟ ବଦଳି ନକାରାତ୍ମକ ହୋଇଗଲା । ଏଭଳି ନକାରାତ୍ମକ ଅର୍ଥାନ୍ତର ହେଵାର ମୂଳ କାରଣ ସାମାଜିକ ଥିଲା । 

ପ୍ରାଚୀନ କାଳରୁ ଶାସକ ଵର୍ଗ ଓ ପରେ ନର୍ମାନ ଅଭିଜାତ ଶ୍ରେଣୀ ବ୍ରିଟେନରେ କୃଷକମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ। ମଧ୍ୟଯୁଗୀୟ ଇଉରୋପର ସାମନ୍ତଵାଦୀ ପ୍ରଥାରେ କୃଷକମାନେ ସମ୍ପୂର୍ଣ୍ଣ ମୁକ୍ତ ନଥିଲେ। ସେମାନେ ଜମିଦାରଙ୍କ ଅଧୀନରେ ରହି ଚାଷ କରୁଥିଲେ ଏଵଂ ଏହା ବଦଳରେ ସୁରକ୍ଷା ଓ ଛୋଟ ଜମି ଖଣ୍ଡେ ପାଉଥିଲେ। ସେମାନଙ୍କୁ ନିଜ ଇଚ୍ଛାରେ ଗାଁ ଛାଡ଼ି ଯିଵାର ଅଧିକାର ନଥିଲା।

୧୩୪୮-୫୦ ମସିହାରେ ମହାମାରୀ ଯୋଗୁଁ ଅନେକ ଲୋକ ମୃତ୍ୟୁଵରଣ କଲେ, ଯାହା ଫଳରେ ଶ୍ରମିକ ଅଭାଵ ଦେଖାଦେଲା। କୃଷକମାନେ ଅଧିକ ମଜୁରୀ ଦାବି କଲେ, କିନ୍ତୁ ସରକାର ଆଇନ କରି ମଜୁରୀ ବଢ଼ାଇଵାକୁ ମନା କରିଦେଲେ। ଯୁଦ୍ଧ ଖର୍ଚ୍ଚ ଭରଣା କରିଵା ପାଇଁ ସରକାର ପ୍ରତ୍ୟେକ ଵ୍ୟକ୍ତିଙ୍କ ଉପରେ ସମାନ ପରିମାଣର ଟିକସ ଲଦିଦେଲେ, ଯାହା ଗରିବ କୃଷକଙ୍କ ପାଇଁ ଅସହ୍ୟ ଥିଲା। କୃଷକମାନେ ଦାସତ୍ୱ ଶୃଙ୍ଖଳରୁ ମୁକ୍ତି ଏଵଂ ସମାନ ଅଧିକାର ଦାବି କରି ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ। 
୧୩୮୧ର Peasants' Revolt ନାମରେ ଖ୍ୟାତ ଏହି କୃଷକ ଵିଦ୍ରୋହର ମୁଖ୍ୟ ନାୟକ Wat Tyler ଥିଲେ । 
୧୩୮୧ ମସିହାର କୃଷକ ଵିଦ୍ରୋହ ପରେ, ଇଂଲଣ୍ଡର ଉଚ୍ଚଵର୍ଗର ଲୋକେ ଚାଷୀ ଵା 'Villain' ମାନଙ୍କୁ କେବଳ ଗରିବ ନୁହେଁ, ବରଂ 'ଭୟଙ୍କର' ଓ 'ଅମାନୁଷିକ' ବୋଲି ଭାବିବାକୁ ଲାଗିଲେ। ସେମାନଙ୍କ ମତରେ, ଯେଉଁମାନଙ୍କର ଉଚ୍ଚବଂଶୀୟ ଶିଷ୍ଟାଚାର ନାହିଁ, ସେମାନେ ହିଁ ଦୁଷ୍ଟ ଵା ଅଧର୍ମୀ। ଏହି ମାନସିକତା ଯୋଗୁଁ 'ଚାଷୀ' ଅର୍ଥଜ 'Villain' ଶବ୍ଦଟି 'ଦୁଷ୍ଟ' ଅର୍ଥରେ ଵ୍ୟଵହୃତ ହେଵାକୁ ଲାଗିଲା।

ପ୍ରାୟ ପଞ୍ଚଦଶ ଶତାବ୍ଦୀ ବେଳକୁ, "Villain" ଶବ୍ଦର ମୂଳ ଅର୍ଥ (କୃଷକ) ସମ୍ପୂର୍ଣ୍ଣ ରୂପେ ହଜିଗଲା। ସମାଜରେ ଏହା ଏପରି ଏକ ଵ୍ୟକ୍ତିକୁ ବୁଝାଇଲା, ଯିଏ ଅଧର୍ମୀ, କ୍ରୂର ଓ ଦୁଷ୍ଟ ଅଟେ। ସାହିତ୍ୟ ଓ ନାଟକଗୁଡ଼ିକରେ ନାୟକର ଵିପରୀତ ଚରିତ୍ରକୁ "Villain" କୁହାଗଲା, କାରଣ ସେତେବେଳେ ଵିଶ୍ୱାସ କରାଯାଉଥିଲା ଯେ କେଵଳ ଉଚ୍ଚବଂଶଜ ଲୋକ ହିଁ ନାୟକ ହୋଇପାରିବେ ଏଵଂ ନିମ୍ନଵର୍ଗର ଲୋକମାନେ ସ୍ୱଭାବତଃ ମନ୍ଦ ଅଟନ୍ତି ।

ପଞ୍ଚଦଶ ଶତାବ୍ଦୀ ପରେ ଯାଇ ଆଧୁନିକ ଇଂରାଜୀ ଭାଷାରେ କୃଷକଙ୍କ ପାଇଁ Farmer ଶବ୍ଦ ପ୍ରଚଳିତ ହେଲା ଏଵଂ ଏହି ଶବ୍ଦଟି ମଧ୍ୟ ଫରାସୀ ଭାଷା ମୂଳର ଶବ୍ଦ ଥିଲା । 

ଅସ୍ତୁ "Villain" ଶବ୍ଦର ଏହି ଅର୍ଥାନ୍ତର ଯାତ୍ରା ଆମକୁ ଶିଖାଏ ଯେ କିପରି ସାମାଜିକ ପକ୍ଷପାତୀତା ଗୋଟିଏ ସକାରାତ୍ମକ ଶବ୍ଦକୁ ଅପମାନଜନକ ଶବ୍ଦରେ ପରିଣତ କରିଦେଇପାରେ। ଯେଉଁ ଶବ୍ଦ ଦିନେ ଭୂମିପୁତ୍ର କୃଷକକୁ ବୁଝାଉଥିଲା, ଆଜି ତାହା କେଵଳ ଅପରାଧ ଓ ଦୁଷ୍ଟାମିର ପରିଚାୟକ ହୋଇ ରହିଯାଇଛି। ଏହା ସମୟର ଏକ ଵିଚିତ୍ର ଵିଡ଼ମ୍ବନା ଛଡ଼ା ଆଉ କିଛି ନୁହେଁ ।

ଏହିପରି ଯେତେବେଳେ ଏକ ଶବ୍ଦର ମୂଳ ସକାରାତ୍ମକ ବା ସମ୍ମାନଜନକ ଅର୍ଥ ସମୟକ୍ରମେ ନକାରାତ୍ମକ, ଅପମାନଜନକ କିମ୍ବା ନିମ୍ନ ଅର୍ଥରେ ପରିଣତ ହୁଏ ତାକୁ ଭାଷାଵିଜ୍ଞାନରେ Pejoration କୁହାଯାଏ । Villain ଓ Ceorl ମୂଳର Churl ଭଳି ଶବ୍ଦଗୁଡ଼ିକ Pejoration ଜାତୀୟ ଶବ୍ଦ କାରଣ ଏଗୁଡ଼ିକର ମୂଳ ସକାରାତ୍ମକ ଅର୍ଥ ଲୋପ ହୋଇ ନକାରାତ୍ମକ ଅର୍ଥ ପ୍ରଚଳିତ ହୋଇଅଛି । 

ଆଜି Semantic Shift ଯୋଗୁଁ Villain' ଶବ୍ଦଟିର ଅର୍ଥ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି କିନ୍ତୁ ଓଡ଼ିଆ'ଗାଉଁଲି' ଶବ୍ଦଟି ତାର ପୁରୁଣା ଅର୍ଥକୁ ଏବେ ବି ଛାଡ଼ି ନାହିଁ। ଯଦି ଗୋଟିଏ ଶବ୍ଦର ମୂଳ ସକାରାତ୍ମକ ଅର୍ଥ ଓ ପରଵର୍ତ୍ତୀ ନକାରାତ୍ମକ ଅର୍ଥ ଉଭୟ ପ୍ରଚଳିତ ଥାଏ ତେବେ ସେଭଳି ଶବ୍ଦଗୁଡ଼ିକୁ ଭାଷା ବିଜ୍ଞାନରେ Polysemy କୁହାଯାଏ। 

ତେଣୁ ଭାଷା କେଵଳ ଭାବ ଵିନିମୟର ମାଧ୍ୟମ ନୁହେଁ ଵରଂ ଏହା ସମାଜର ମାନସିକତା ତଥା କ୍ଷମତା ସଂଘର୍ଷର ଏକ ପ୍ରତିଫଳନ। "Villain" ଶବ୍ଦର ଏହି ରୂପାନ୍ତରଣ ପ୍ରମାଣ କରେ ଯେ, ସମାଜର ଶାସକ କିମ୍ବା ଅଭିଜାତ ଶ୍ରେଣୀ ଯେତେବେଳେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଵାକୁ ଚାହାନ୍ତି, ସେତେବେଳେ ସେମାନେ ସାଧାରଣ ଲୋକଙ୍କ ସହ ଜଡ଼ିତ ଶବ୍ଦଗୁଡ଼ିକୁ ହୀନାର୍ଥରେ ଵ୍ୟଵହାର କରିଵାକୁ ପଛାନ୍ତି ନାହିଁ। 

ତେବେ ଆଶାର କଥା ଏହି ଯେ, ଆଧୁନିକ ସମାଜରେ ଶିକ୍ଷା ଓ ସଚେତନତା ଯୋଗୁଁ ଏହି ମାନସିକତାରେ ପରିଵର୍ତ୍ତନ ଆସୁଛି। ଆଜି ଆଉ ଇଂରାଜୀ ଭାଷାରେ Farmer ଶବ୍ଦର ନକାରାତ୍ମକ ଅର୍ଥାନ୍ତର ଘଟିନାହିଁ କିମ୍ବା ଓଡ଼ିଆ ଭାଷାରେ "ଗାଉଁଲି" କହିଲେ କେଵଳ ଅପରିଷ୍କାର ଵା ଅଶିକ୍ଷିତ ଲୋକକୁ ବୁଝାଯାଉନାହିଁ । ଗାଉଁଲି କହିଲେ ଗ୍ରାମଵାସୀଙ୍କୁ ମଧ୍ୟ ବୁଝାଯାଉଛି । ସେହିପରି "ଚଷା" ଶବ୍ଦଟି ଆଜି ଅପମାନଜନକ ଶବ୍ଦର ଶୃଙ୍ଖଳ ଭାଙ୍ଗି "ଅନ୍ନଦାତା" ର ସମ୍ମାନଜନକ ପରିଚୟ ନେଇ ଆତ୍ମପ୍ରକାଶ କରିଛି।

ଶବ୍ଦର ଅର୍ଥ ବଦଳିପାରେ, କିନ୍ତୁ ସେହି ଶବ୍ଦ ସହ ଜଡ଼ିତ ମଣିଷର ଗୁରୁତ୍ୱ କେବେ କମିଯାଏ ନାହିଁ। ଭାଷା ଵିଜ୍ଞାନର ଏହି 'Pejoration' ଵା 'Polysemy' ପ୍ରକ୍ରିୟା ଆମକୁ ସତର୍କ କରାଏ ଯେ, ଆମେ କଥାଵାର୍ତ୍ତା ବେଳେ ଵ୍ୟଵହାର କରୁଥିଵା ଶବ୍ଦ ପଛରେ ଯେଉଁ ଇତିହାସ ଲୁଚି ରହିଛି, ତାହା ଜାଣିଵା ନିତାନ୍ତ ଆଵଶ୍ୟକ। କାରଣ ଅନେକ ସମୟରେ ଏକ ଭୁଲ୍ ଧାରଣାରୁ ଜନ୍ମ ନେଇଥିଵା ଶବ୍ଦ, ସମୟକ୍ରମେ ସତ୍ୟର ମୁଖା ପିନ୍ଧି ସମାଜରେ ପ୍ରଚଳିତ ହୋଇଯାଏ। ତେଣୁ ଶବ୍ଦର ମୂଳ ଉତ୍ସକୁ ଖୋଜିଵା ଅର୍ଥ ହେଉଛି ନିଜର ସାମାଜିକ ଵିଵର୍ତ୍ତନର ଇତିହାସକୁ ପଢ଼ିଵା ।

No comments:

Post a Comment