୧୦୭୯ ମସିହାରେ ଚୀନର ସଙ୍ଗ ରାଜବଂଶର ରାଜଧାନୀ କାଇଫେଙ୍ଗ୍ ସ୍ଥିତ ରାଜଦରବାରରେ ଏକ ଅସ୍ଥିର ଓ ଉତ୍ତେଜନାପୂର୍ଣ୍ଣ ଵାତାଵରଣ ଦେଖାଦେଇଥିଲା। ସେହି ସମୟରେ ପ୍ରସିଦ୍ଧ ମନ୍ତ୍ରୀ ୱାଙ୍ଗ ଆନଶୀଙ୍କ ନେତୃତ୍ୱରେ ଦେଶରେ ଅନେକ ନୂତନ ସଂସ୍କାରଵାଦୀ ନୀତି ଲାଗୁ କରାଯାଉଥିଲା, ଯାହା ସାଧାରଣ ଜନତା ଏଵଂ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅନ୍ତଃକଳହ ସୃଷ୍ଟି କରିଥିଲା। ଏହି ସଂସ୍କାରଗୁଡ଼ିକର କଠିନ ପ୍ରୟୋଗ ଫଳରେ ସାଧାରଣ କୃଷକମାନେ କିପରି କଷ୍ଟ ଭୋଗୁଛନ୍ତି, ତାହା ଦେଖି ସୁ ଶି ନିରଵ ରହିପାରିଲେ ନାହିଁ। ଜଣେ ନିର୍ଭୀକ ଓ ସ୍ପଷ୍ଟଵାଦୀ ଅଧିକାରୀ ଭାବେ ସେ ନିଜର ଅସନ୍ତୋଷକୁ ସିଧାସଳଖ ଵାକ୍ୟରେ ପ୍ରକାଶ ନ କରି କଵିତାର ମାଧ୍ୟମ ବାଛିଲେ ଏଵଂ ତତ୍କାଳୀନ ଶାସନ ଵ୍ୟଵସ୍ଥାର ତ୍ରୁଟିକୁ ସୂକ୍ଷ୍ମ ଭାବେ ସମାଲୋଚନା କରି କିଛି ମର୍ମସ୍ପର୍ଶୀ କଵିତା ରଚନା କଲେ।
ତେବେ ଏହି କାଵ୍ଯିକ ଅଭିଵ୍ୟକ୍ତି ହିଁ ତାଙ୍କ ଜୀଵନର ସବୁଠାରୁ ବଡ଼ ଵିପଦ ହୋଇଯିଵ ବୋଲି ସୁ ଶି କଳ୍ପନା ମଧ୍ୟ କରି ନଥିଲେ। ରାଜଦରବାରରେ ଥିଵା ତାଙ୍କର ଵିରୋଧୀମାନେ ସେହି କଵିତାଗୁଡ଼ିକୁ ଏକତ୍ର କରି ସମ୍ରାଟ ଶେନଜୋଙ୍ଗଙ୍କ ନିକଟରେ ଅଭିଯୋଗ କଲେ ଯେ ଏହା ରାଜଦ୍ରୋହ ସମାନ। ଏହି ଘଟଣାକୁ ଚୀନର ଇତିହାସରେ "ୱୁତାଇ କଵିତା ମାମଲା" ଵା Wūtái Shī Àn ବୋଲି କୁହାଯାଏ, ଯାହା ଫଳରେ ସୁ ଶିଙ୍କୁ ଗିରଫ କରାଯାଇ ଜେଲରେ ରଖାଗଲା। ଏହି ଘଟଣା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ରାଜଦରବାରର ଚାକଚକ୍ୟଠାରୁ ଦୂରେଇ ଯାଇ ହୁଆଙ୍ଗଝୋଉର ଦାରିଦ୍ର୍ୟ ଓ ନିର୍ବାସନ ମଧ୍ୟରେ ହିଁ ସୁ ଶିଙ୍କର ସୃଜନଶୀଳତାର ସ୍ୱର୍ଣ୍ଣଯୁଗ ଆରମ୍ଭ ହୋଇଥିଲା ଏଵଂ ସେ ଜଗତପ୍ରସିଦ୍ଧ "ସୁ ଦୋଙ୍ଗପୋ"ରେ ପରିଣତ ହୋଇଥିଲେ।
Sū Shì ଯିଏ Sū Dōngpō ନାମରେ ମଧ୍ୟ ପରିଚିତ, ଚୀନର ସାଂସ୍କୃତିକ ଇତିହାସରେ ଜଣେ ମହାନ ଵ୍ୟକ୍ତିତ୍ୱ ଭାବେ ପରିଗଣିତ ହୁଅନ୍ତି । ସଙ୍ଗ ରାଜବଂଶ (୯୬୦–୧୨୭୯) ସମୟରେ ଜଣେ କଵି, ଲେଖକ, କ୍ୟାଲିଗ୍ରାଫର, ଚିତ୍ରକର ଓ ରାଜନେତା ଭାବେ "ସୁ ଶି"ଙ୍କର ଅଵଦାନ ଅତୁଳନୀୟ। ତାଙ୍କ ଜୀଵନ ବୁଦ୍ଧିମତା, ଦୁର୍ଦଶା ଓ ସ୍ଥିତିସ୍ଥାପକତାର ଏକ ଅନନ୍ୟ ମିଶ୍ରଣ, ଯାହା ସଙ୍ଗ୍ ଯୁଗର ବୌଦ୍ଧିକ ଓ କଳାତ୍ମକ ଉତ୍କର୍ଷକୁ ପ୍ରତିଫଳିତ କରେ।
ସୁ ଶିଙ୍କ ମହତ୍ତ୍ୱ ବୁଝିଵାକୁ ହେଲେ ସଙ୍ଗ ରାଜବଂଶ ସମୟର ପୃଷ୍ଠଭୂମି ହେଜିଵା ଆଵଶ୍ୟକ। ସଙ୍ଗ୍ ଯୁଗ ଚୀନର ଇତିହାସରେ ଏକ ଵୈପ୍ଳଵିକ ସମୟ ଥିଲା ଏଵଂ ଏହି ସମୟରେ ଜନସଂଖ୍ୟା ବୃଦ୍ଧି, ଅର୍ଥନୈତିକ ସମୃଦ୍ଧି ଏଵଂ ଶିକ୍ଷାର ମାନ ବୃଦ୍ଧି ଦେଖାଯାଇଥିଲା। ଏହି ଯୁଗରେ ବୌଦ୍ଧିକ ଓ କଳାତ୍ମକ କାର୍ଯ୍ୟକଳାପରେ ଅଭୂତପୂର୍ଵ ଉନ୍ନତି ହୋଇଥିଲା। ଚୀନଦେଶୀୟ ଚିତ୍ରକଳା ଵିଶେଷଜ୍ଞ ସୋଫିଆ ଝୋଉଙ୍କ ମତରେ, ସଙ୍ଗ୍ ରାଜବଂଶ ଚୀନ ଦେଶୀୟ କଳା ଇତିହାସରେ କଳାତ୍ମକ ସଫଳତାର ଶିଖରରେ ଥିଲା।
ସଙ୍ଗ ସାମ୍ରାଜ୍ୟ ମେଧାଭିତ୍ତିକ ପରୀକ୍ଷା ଓ ରାଜକୀୟ ନିଯୁକ୍ତି ମାଧ୍ୟମରେ ପରିଚାଳିତ ହେଉଥିଲା ଯାହା ଵିଦ୍ୱାନ ଅଧିକାରୀମାନଙ୍କୁ ସୃଷ୍ଟି କରିଥିଲା। ଏହି ମେଧାଭିତ୍ତିକ ଵ୍ୟଵସ୍ଥା ଚିତ୍ରକଳା ଓ କ୍ୟାଲିଗ୍ରାଫିରେ ଏକ ଅଭୂତପୂର୍ଵ ଉନ୍ନତି ଆଣିଥିଲା। ଵିଦ୍ୱାନ ଅଧିକାରୀମାନଙ୍କୁ କଳାକୃତିର ସୌନ୍ଦର୍ଯ୍ୟବୋଧକ ମୂଲ୍ୟାଙ୍କନ କରିଵାର ଦକ୍ଷତା ଥିଲା କିନ୍ତୁ ଚିତ୍ରକଳା କରିଵା ଅନିଵାର୍ଯ୍ୟ ନଥିଲା। ସୁ ଶି ଏହି ପରିଵେଶରେ ଉତ୍କର୍ଷ ଲାଭ କରିଥିଲେ ଏଵଂ ଵିଦ୍ୱାନ ଅଧିକାରୀଙ୍କ ଆଦର୍ଶକୁ ପ୍ରତିଫଳିତ କରିଥିଲେ। କଳା ସମୀକ୍ଷକ "ଆଲାଷ୍ଟେୟାର ସୁକ୍"ଙ୍କ ମତରେ, ସୁ ଶି ତାଙ୍କର ଵିଵିଧ କ୍ଷେତ୍ରରେ ଅଵଦାନ ଯୋଗୁଁ ଏକ “ପ୍ରୋଟୋ-ରେନେସାଂସ୍ ମ୍ୟାନ” ଭାବେ ଗଣାଯାଇପାରନ୍ତି, ଯଦିଓ ସେ ଲିଓନାର୍ଡୋ ଡା ଭିଞ୍ଚିଙ୍କ ଜନ୍ମର ଚାରି ଶତାବ୍ଦୀ ପୂର୍ଵରୁ ଜନ୍ମଗ୍ରହଣ କରିଥିଲେ।
ସୁ ଶି ୧୦୩୭ ମସିହାରେ ସିଚୁଆନ ର ମେଇଶାନ ଅଞ୍ଚଳରେ ଏକ ସାହିତ୍ୟିକ ପରିଵାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସୁ ଝୁନ୍(Sū Xún) ଏଵଂ ଭାଇ ସୁ ଝେ (Sū Zhé) ମଧ୍ୟ ପ୍ରସିଦ୍ଧ ଵିଦ୍ୱାନ ଥିଲେ ଯେଉଁମାନେ ତାଙ୍କ ସହିତ ତାଙ୍ଗ ଓ ସଙ୍ଗ ଯୁଗର ଆଠ ମହାନ ଗଦ୍ୟ ଲେଖକ 唐宋八大家 (Táng Sòng Bā Dà Jiā) ମଧ୍ୟରେ ଗଣା ଯାଆନ୍ତି । ୧୯ ଵର୍ଷ ଵୟସରେ ସୁ ଶି ସର୍ଵୋଚ୍ଚ ସ୍ତରୀୟ ସିଭିଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, ଯାହା ତାଙ୍କୁ ରାଜକୀୟ ଅଧିକାରୀଙ୍କ ମଧ୍ୟରେ ଏକ ଉଦୀୟମାନ ତାରକା ଭାବେ ଚିହ୍ନିତ କରିଥିଲା। ତାଙ୍କର ସ୍ପଷ୍ଟ ଓ ବାକ୍ପଟୁ ଗଦ୍ୟ ରଚନା ସମ୍ରାଟ ରେନଜୋଙ୍ଗ 仁宗 (Rénzōng) (୧୦୧୦–୧୦୬୩)ଙ୍କୁ ମୁଗ୍ଧ କରିଥିଲା। ୧୦୬୭ ମସିହାରେ ଯୁଵ ସମ୍ରାଟ ଶେନଜୋଙ୍ଗ 神宗 (Shénzōng) (୧୦୪୮–୧୦୮୫) ସିଂହାସନରେ ଆରୋହଣ କରିଵା ସମୟରେ ସୁ ଶି ରାଜଦରବାରର ଵିଦ୍ୱାନ ଅଧିକାରୀମାନଙ୍କ ମଧ୍ୟରେ ଏକ ସମ୍ମାନଜନକ ସ୍ଥାନ ଅଧିକାର କରିଥିଲେ।
ସୁ ଶିଙ୍କ ପ୍ରାରମ୍ଭିକ ରାଜନୈତିକ ଜୀଵନ ହାଙ୍ଗଝୋଉ (Hángzhōu), ମିଝୋଉ (Mìzhōu), ଝୁଝୋଉ (Xúzhōu) ଓ ହୁଝୋଉ(Húzhōu) ଆଦି ଵିଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ପ୍ରଶାସନିକ ପଦଵୀରେ କାର୍ଯ୍ୟ କରିଵା ସହ ଅତି ସଫଳ ଥିଲା। କିନ୍ତୁ ତାଙ୍କର ସ୍ପଷ୍ଟଵାଦୀ ସ୍ୱଭାଵ ଏଵଂ ରାଜଦରବାରରେ ପ୍ରଭାଵଶାଳୀ ସଂସ୍କାରଵାଦୀ ନୀତିମାନ ତାଙ୍କ ପାଇଁ ଵିପଦ ସୃଷ୍ଟି କଲା । ତତ୍କାଳୀନ ଶାସନ ଵ୍ୟଵସ୍ଥା ଓ ଶାସନ ଅଧିକାରୀଙ୍କ ସମ୍ବନ୍ଧୀୟ ତାଙ୍କ ଦ୍ବାରା ଲିଖିତ ସୂକ୍ଷ୍ମ ସମାଲୋଚିତ କଵିତା ତାଙ୍କୁ ବିପଦରେ ପକାଇଥିଲା। ୧୦୭୯ ମସିହାରେ ତାଙ୍କୁ “ୱୁତାଇ କଵିତା ମାମଲା” (Wūtái Shī Àn) ଅଧୀନରେ ଗିରଫ କରାଯାଇ ଜେଲରେ ରଖାଗଲା। ଏହି ଘଟଣା ତାଙ୍କ ଜୀଵନରେ ଏକ ମୋଡ଼ ବଦଳାଇଦେଲା ।
୧୦୮୦ ମସିହାରେ ମୁକ୍ତି ପାଇଵା ପରେ "ସୁ ଶି"ଙ୍କୁ ହୁଆଙ୍ଗଝୋଉ (Huángzhōu)କୁ ନିର୍ଵାସିତ କରାଗଲା, ଯେଉଁଠାରେ ସେ ଦାରିଦ୍ର୍ୟ ମଧ୍ୟରେ ଜୀଵନଯାପନ କରିଥିଲେ। ସେଠାରେ ସେ ଏକ ଖମାର(ନିଜଜୋତ ଜମି) ପ୍ରତିଷ୍ଠା କରିଥିଲେ, ଯାହା ପରେ ଡୋଙ୍ଗପୋ ଵା ଦୋଙ୍ଗପୋ ନାମେ ପରିଚିତ ହେଲା ଏଵଂ ପରେ ସେ ମଧ୍ୟ ନିଜକୁ ସୁ ଦୋଙ୍ଗପୋ 蘇東坡 (Sū Dōngpō) ବୋଲି ନାମକରଣ କରିଥିଲେ। ଏହି ନିର୍ଵାସନ ସମୟ କଷ୍ଟକର ଥିଲେ ମଧ୍ୟ, ଏହା ତାଙ୍କ ସର୍ଜନାତ୍ମକତାର ଏକ ସ୍ୱର୍ଣ୍ଣଯୁଗ ଥିଲା।
ହୁଆଙ୍ଗଝୋଉରେ ନିର୍ଵାସନ ସମୟରେ ସୁ ଶି ଆତ୍ମନିରୀକ୍ଷଣ ଆରମ୍ଭ କରିଥିଲେ। ସେ କନଫୁସୀୟ ଗ୍ରନ୍ଥ ଏଵଂ ବୁକ୍ ଅଫ୍ ଚେଞ୍ଜେସ୍ (Yìjīng) ପରି ପ୍ରାଚୀନ ଚୀନୀ ଗ୍ରନ୍ଥ ଅଧ୍ୟୟନ କରିଥିଲେ। ଏହି ସମୟରେ ସେ ତାଙ୍କର ଆଟ୍ ରେଡ୍ କ୍ଲିଫ୍(Chìbì Fù) ଓ ପ୍ରିଲ୍ୟୁଡ୍ ଟୁ ଦି ଓ୍ୱାଟର ମେଲୋଡି (Shuǐdiào Gētóu) ଆଦି ଅନେକ ପ୍ରସିଦ୍ଧ କଵିତା ରଚନା କରିଥିଲେ। ଚୀନୀ ଚିତ୍ରକଳା ଵିଶେଷଜ୍ଞ କିମ୍ ୟୁଙ୍କ ମତରେ, ଏହି ସମୟରେ ସୁ ଶିଙ୍କ ରଚନାରେ ଏକ ନିରାଶାଜନକ ଭାଵ ପ୍ରକାଶ ପାଇଥିଲା ଏଵଂ ଏହା ତାଙ୍କର ନିଃସଙ୍ଗ ଜୀଵନ ଓ ରାଜନୈତିକ ଅସନ୍ତୋଷକୁ ପ୍ରତିଫଳିତ କରୁଥିଲା।
ତାଙ୍କର ଚିତ୍ରକଳା, ଯେପରିକି ଉଡ୍ ଆଣ୍ଡ ରକ୍ (Kūmù Guàishí Tú), ମଧ୍ୟ ଏହି ସମୟରେ ସୃଷ୍ଟି ହୋଇଥିଲା। ରାଜକୀୟ ଚିତ୍ରକଳା ଏକାଡେମୀର ପେସାଦାର୍ ଚିତ୍ରକରମାନଙ୍କ ଵିସ୍ତୃତ ଓ ବାସ୍ତଵଵାଦୀ ଶୈଳୀଠାରୁ ଭିନ୍ନ, ସୁ ଶିଙ୍କ ଚିତ୍ରକଳା ଇମ୍ପ୍ରେସନିଷ୍ଟିକ୍ ଓ ଭାଵପ୍ରଵଣ ଥିଲା। ସେ କହିଥିଲେ, “ଯଦି କେହି ଚିତ୍ରକଳାକୁ କେଵଳ ଆକୃତିଗତ ସାମଞ୍ଜସ୍ୟ ଆଧାରରେ ବି ଵିଚାର କରେ, ତେବେ ସେ ଏକ ଶିଶୁଠାରୁ ଅଧିକ ଭିନ୍ନ ନୁହେଁ।” ତାଙ୍କର ବାଉଁଶ, ପଥର ଓ ଶୁଷ୍କ ଗଛର ଚିତ୍ର ଚୀନୀ ପ୍ରତୀକଵାଦରେ ସ୍ଥିତିସ୍ଥାପକତାର ପ୍ରତୀକ ଥିଲା, ଯାହା ତାଙ୍କ ନିଜର ଦୁର୍ଦଶା ମଧ୍ୟରେ ସହନଶୀଳତାକୁ ପ୍ରତିଫଳିତ କରୁଥିଲା।
ସୁ ଶିଙ୍କ ଲିଚୁ ଫଳ(lìzhī) ସହିତ ସମ୍ପର୍କ ତାଙ୍କ ଜୀଵନରେ ଏକ ଆକର୍ଷଣୀୟ ଦିଗ ଯୋଡ଼ିଥାଏ। ତାଙ୍କର ଦ୍ୱିତୀୟ ନିର୍ଵାସନ ସମୟରେ ହୁଇଝୋଉ(ଵର୍ତ୍ତମାନର ଗୁଆଙ୍ଗଡୋଙ୍ଗ ପ୍ରଦେଶ) ଓ ଡାନଝୋଉ (ହାଇନାନ ଦ୍ୱୀପ)ରେ ସେ ଲିଚୁ ଫଳ ସହିତ ପରିଚିତ ହୋଇଥିଲେ। ଏହି ଫଳ ଚୀନୀ ସଂସ୍କୃତିରେ ନିଜର ମିଠା ସ୍ଵାଦ ଓ ଵିରଳତା ପାଇଁ ପ୍ରସିଦ୍ଧ । ତେବେ ଲିଚୁଫଳ ସୁ ଶିଙ୍କ ପାଇଁ ନିର୍ଵାସନ ଏଵଂ ସାଦାସିଧା ଜୀଵନରେ ଆନନ୍ଦ ଖୋଜିଵାର ପ୍ରତୀକ ହୋଇଉଠିଥିଲା।
ତାଙ୍କର ଓଡ୍ ଟୁ ଲିଚି (Lìzhī Sòng) କବିତାରେ ସେ ଏହି ଫଳର ସୌମ୍ୟ ସ୍ୱାଦ ଓ ଉଜ୍ଜ୍ୱଳ ନାଲି ରଙ୍ଗକୁ ଵର୍ଣ୍ଣନା କରିଛନ୍ତି ତଥା ଏହାକୁ ଏକ ଵିରଳ ରତ୍ନ ସହ ତୁଳନା କରିଛନ୍ତି। ସେ ଲେଖିଛନ୍ତି, “ଦକ୍ଷିଣର ଲିଚୁ ଏକ ରତ୍ନ ପରି, ଏହାର ସ୍ୱାଦ ଅନ୍ୟ ସମସ୍ତ ଫଳକୁ ଅତିକ୍ରମ କରେ।” ଏହି ପ୍ରଶଂସା କେବଳ ଖାଦ୍ୟଗତ ନଥିଲା; ଲିଚୁ ତାଙ୍କ ନିର୍ଵାସନର ଦକ୍ଷିଣାଞ୍ଚଳ ସହ ସମ୍ପର୍କକୁ ପ୍ରତିନିଧିତ୍ୱ କରୁଥିଲା, ଯାହା ସଙ୍ଗ୍ ରାଜଦରବାରର ମାନଦଣ୍ଡ ଅନୁସାରେ ଦୁର୍ଗମ ଓ ଅସମ୍ଭଵ ଥିଲା। ଡାନଝୋଉରେ, ଯେଉଁଠାରେ ମ୍ୟାଲେରିଆର ପ୍ରକୋପ ଥିଲା, ସୁ ଶିଙ୍କ ବଞ୍ଚିଵା ଆଶ୍ଚର୍ଯ୍ୟଜନକ ଥିଲା ଏଵଂ ଲିଚୁ ପ୍ରତି ତାଙ୍କର ପ୍ରୀତି ତାଙ୍କର ସ୍ଥିତିସ୍ଥାପକତା ଓ ଅନୁକୂଳନକ୍ଷମତାକୁ ପ୍ରତିଫଳିତ କରୁଥିଲା।
ଲିଚୁ ଚୀନୀ ସଂସ୍କୃତିରେ ତାଙ୍ଗ୍ ରାଜବଂଶର ଉପପତ୍ନୀ ୟାଙ୍ଗ ଗୁଇଫେଇ 楊貴妃 (Yáng Guìfēi)ଙ୍କ ସହ ମଧ୍ୟ ଜଡ଼ିତ, ଯିଏ ଏହି ଫଳ ପାଇଁ ଏତେ ଆସକ୍ତ ଥିଲେ ଯେ ସମ୍ରାଟ ଝୁଆନଜୋଙ୍ଗ 玄宗 (Xuánzōng) ଏହାକୁ ଦକ୍ଷିଣରୁ ରାଜଧାନୀକୁ ମହାର୍ଘ ମୂଲ୍ୟରେ ଆଣିଥିଲେ। ସୁ ଶିଙ୍କ ଲିଚୁ ସମ୍ବନ୍ଧୀୟ କଵିତା ଏହି ଐତିହାସିକ ସମ୍ପର୍କକୁ ସ୍ମରଣ କରାଇଥାଏ, ଯାହା ଵ୍ୟକ୍ତିଗତ ଅନୁଭଵକୁ ସାଂସ୍କୃତିକ ସ୍ମୃତି ସହ ମିଶ୍ରିତ କରିଥାଏ।
୧୦୮୬ ମସିହାରେ ରାଜନୈତିକ ଶକ୍ତିର ପରିଵର୍ତ୍ତନ ପରେ ସୁ ଶିଙ୍କୁ ରାଜଧାନୀକୁ ପ୍ରତ୍ୟାହାର କରାଗଲା, । ରାଣୀ ମାତା ସଂରକ୍ଷଣଶୀଳ ଗୋଷ୍ଠୀ ପ୍ରତି ଅଧିକ ସହାନୁଭୂତି ପୋଷଣ କରୁଥିଲେ, ଯେଉଁମାନଙ୍କ ମଧ୍ୟରେ ସୁ ଶି ଜଣେ ବରିଷ୍ଠ ପ୍ରତିନିଧି ଥିଲେ। କିନ୍ତୁ ୧୦୯୪ ମସିହାରେ ତାଙ୍କୁ ପୁନର୍ଵାର ହୁଇଝୋଉ ଓ ଡାନଝୋଉକୁ ନିର୍ଵାସିତ କରାଗଲା। ଏହି ଅଞ୍ଚଳ ସଙ୍ଗ୍ ଯୁଗରେ ମ୍ୟାଲେରିଆ ପ୍ରଵଣ ଓ ପଛୁଆ ଅଞ୍ଚଳ ଭାବେ ଗଣାଯାଉଥିଲା ଏଵଂ ଏଠାକୁ ନିର୍ଵାସନ ଏକ ମୃତ୍ୟୁଦଣ୍ଡ ଭାବେ ଦେଖାଯାଉଥିଲା। ତଥାପି, ସୁ ଶି ବଞ୍ଚିଥିଲେ ଏବଂ ୧୧୦୦ ମସିହାରେ କ୍ଷମା ପାଇଥିଲେ। ୧୧୦୧ ମସିହାରେ ଚାଙ୍ଗଝୋଉ 常州 (Chángzhōu) ଅଭିମୁଖେ ଯାତ୍ରା କରୁଥିଵା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୁ ଶିଙ୍କ ଉତ୍ତରାଧିକାର ତାଙ୍କର ସାହିତ୍ୟ, କଳା ଓ ଦାର୍ଶନିକ ଅଵଦାନ ମାଧ୍ୟମରେ ଚିରସ୍ଥାୟୀ। ସେ ତାଙ୍ଗ୍ ଓ ସଙ୍ଗ୍ ଯୁଗର ଆଠ ମହାନ ଗଦ୍ୟ ଲେଖକଙ୍କ ମଧ୍ୟରେ ଗଣାଯାଇଥାନ୍ତି। ତାଙ୍କର କ୍ୟାଲିଗ୍ରାଫି ସଙ୍ଗ୍ ଯୁଗର ଚାରି ମାଷ୍ଟର 宋四家 (Sòng Sì Jiā) ମଧ୍ୟରେ ସ୍ଥାନ ପାଇଛି। ତାଙ୍କର "ଚେରିଶିଙ୍ଗ ଦି ପାଷ୍ଟ" 念奴嬌 (Niànnú Jiāo) ଓ "ଆଟ୍ ରେଡ୍ କ୍ଲିଫ୍" ପରି କବିତା ମିଙ୍ଗ୍ ଓ କ୍ୟିଙ୍ଗ୍ ରାଜବଂଶରେ ଅନେକ ଚିତ୍ରକଳା ଓ କାବ୍ୟିକ ଚିତ୍ରଣକୁ ପ୍ରେରଣା ଦେଇଥିଲା।
ସୁ ଶିଙ୍କ କଳା ଦୃଷ୍ଟିକୋଣ ତାଙ୍କ ସମୟ ପାଇଁ ଵିପ୍ଳଵୀ ଥିଲା। ସେ କଵିତା ଓ ଚିତ୍ରକଳାର ଅନ୍ତଃସମ୍ପର୍କକୁ ପ୍ରୋତ୍ସାହନ ଦେଇଥିଲେ, କହିଥିଲେ, “କଵିତାରେ ଚିତ୍ରକଳା ଅଛି ଓ ଚିତ୍ରକଳାରେ କଵିତା ଅଛି।” ତାଙ୍କର ଏହି ଧାରଣା ଯେ କଳା କେଵଳ ଵାହ୍ୟ ଚିତ୍ରଣ ନୁହେଁ ଵରଂ କଳାକାରର ଅନ୍ତର୍ନିହିତ ଅନୁଭଵର ଅଭିବ୍ୟକ୍ତି, ଅଵାସ୍ତଵବାଦୀ ଓ ମାନସିକ ଅଭିଵ୍ୟକ୍ତିମୂଳକ କଳାକୁ ପ୍ରୋତ୍ସାହନ ଦେଇଥିଲା। ତାଙ୍କର "ଉଡ୍ ଆଣ୍ଡ ରକ୍" ଚିତ୍ର, ଯେଉଁଥିରେ ତାଙ୍କ ବନ୍ଧୁ ମି ଫୁ 米芾 (Mǐ Fú)ଙ୍କ କଵିତା ଲିପିବଦ୍ଧ ହୋଇଛି, ଏହି ଦର୍ଶନକୁ ପ୍ରତିଫଳିତ କରେ। ଶୁଷ୍କ ଗଛ ଓ ପଥରର ଚିତ୍ରଣ ତାଙ୍କର ନିର୍ଵାସନ ସମୟର ମାନସିକ ଅଵସ୍ଥାକୁ ପ୍ରତିଫଳିତ କରେ।
ସୋଫିଆ ଝୋଉ ଚୀନୀ କଳାରେ “କାଳିରେ ପାଞ୍ଚ ରଙ୍ଗ” 五色墨 (Wǔsè Mò) ଧାରଣାକୁ ଉଲ୍ଲେଖ କରିଛନ୍ତି, ଯାହା ସୁ ଶିଙ୍କ ଵିଶ୍ୱାସକୁ ପ୍ରତିପାଦନ କରେ ଯେ କାଳି ଏକାକୀ ମାନଵୀୟ ଅନୁଭବର ସମସ୍ତ ରଙ୍ଗ ପ୍ରକାଶ କରିପାରେ। ତାଙ୍କର ବ୍ରଶ୍ କାର୍ଯ୍ୟ, ଯାହା ସୁନ୍ଦର ଓ ବଳୀୟ ରେଖାରେ ପରିପୂର୍ଣ୍ଣ, ସମସାମୟିକ ଚିତ୍ରକରମାନଙ୍କ ଵିସ୍ତୃତ ଵାସ୍ତଵବାଦୀ ଶୈଳୀଠାରୁ ଭିନ୍ନ ଥିଲା। ଏହା ପରଵର୍ତ୍ତୀ ଯୁଆନ, ମିଙ୍ଗ ଓ କ୍ୟିଙ୍ଗ ରାଜବଂଶର ଵିଦ୍ୱାନ ଚିତ୍ରକରମାନଙ୍କୁ ପ୍ରେରଣା ଦେଇଥିଲା।
"ସୁ ଶି"ଙ୍କ "ମି ଫୁ"ଙ୍କ ସହ କବିତା ଓ କ୍ୟାଲିଗ୍ରାଫି ଆଦାନପ୍ରଦାନ ସଙ୍ଗ୍ ସମାଜରେ ସାଂସ୍କୃତିକ ପୁଞ୍ଜିର ମହତ୍ତ୍ୱକୁ ଦର୍ଶାଇଥାଏ। ଏହି ଆଦାନପ୍ରଦାନ କେଵଳ କଳାତ୍ମକ ନୁହେଁ ଵରଂ ସାମାଜିକ ମଧ୍ୟ ଥିଲା, ଯାହା ବୌଦ୍ଧିକ ଓ ସାଂସ୍କୃତିକ ନେଟୱାର୍କ ଗଢ଼ିଵାରେ ସାହାଯ୍ୟ କରିଥିଲା। "ଉଡ୍ ଆଣ୍ଡ ରକ୍"ରେ ମି ଫୁଙ୍କ ଲିପିବଦ୍ଧ କଵିତା ସୁ ଶିଙ୍କ କଳାକୃତିର ଭାବନାତ୍ମକ ଗଭୀରତା ଏଵଂ ଏହାର ସମୟ ଓ ସ୍ଥାନ ଅତିକ୍ରମ କରି ଵ୍ୟକ୍ତିମାନଙ୍କୁ ସଂଯୋଗ କରିଵାର କ୍ଷମତାକୁ ଦର୍ଶାଇଥାଏ ।
ସୁ ଶି 蘇軾 (Sū Shì) ଚୀନୀ ସଂସ୍କୃତିରେ ଏକ ଅତୁଳନୀୟ ଵ୍ୟକ୍ତିତ୍ୱ ଯିଏ ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ଥିତିସ୍ଥାପକତା ପାଇଁ ସମ୍ମାନିତ। ତାଙ୍କର ସାହିତ୍ୟ, କଳା ଓ ଦାର୍ଶନିକ ଅଵଦାନ ଚୀନୀ ସାହିତ୍ୟ ଓ କଳାକୁ ଅମର କରିଛି। ଲିଚୁ ଫଳ ପ୍ରତି ତାଙ୍କର ପ୍ରୀତି ତାଙ୍କର ଦୁର୍ଦଶା ମଧ୍ୟରେ ସୌନ୍ଦର୍ଯ୍ୟ ଓ ଅର୍ଥ ଖୋଜିଵାର କ୍ଷମତାକୁ ପ୍ରତିଫଳିତ କରେ। କଳାକୁ ମାନସିକ ଅଭିଵ୍ୟକ୍ତିର ମାଧ୍ୟମ ଭାବେ ଉପସ୍ଥାପନ କରି "ସୁ ଶି" ତତ୍କାଳୀନ ସଙ୍ଗ୍ ଯୁଗର ସାଂସ୍କୃତିକ ପରିଦୃଶ୍ୟକୁ ପରିଵର୍ତ୍ତନ କରିଥିଲେ। ତାଙ୍କର "ଆଟ୍ ରେଡ୍ କ୍ଲିଫ୍" ଓ "ଉଡ୍ ଆଣ୍ଡ ରକ୍" ପରି କୃତିଗୁଡ଼ିକ ଆଜି ମଧ୍ୟ ସମାଜକୁ ପ୍ରେରଣା ଦେଇଚାଲିଛି ଯାହା ତାଙ୍କୁ ଏକ ସାଂସ୍କୃତିକ ମହାନାୟକ ଭାବେ ସ୍ଥାପନ କରିଛି।
No comments:
Post a Comment