ଶହ ଶହ ଵର୍ଷ ପୂର୍ଵେ ଓଡ଼ିଶାର କୌଣସି ଏକ ଗାଁରେ ଵୈଶାଖ କିମ୍ବା ଜ୍ୟେଷ୍ଠ ମାସର ଏକ ଗୁଳୁଗୁଳି ଗରମ ଭରା ମଧ୍ୟାହ୍ନ ଥିଲା। ଓଡ଼ିଶାର ସେହି ପାରମ୍ପରିକ ପଲ୍ଲୀ ଗ୍ରାମର ଜମିଦାର ପ୍ରାଙ୍ଗଣରେ କୌଣସି ଏକ ବଡ଼ ସାମାଜିକ ଉତ୍ସଵର ପ୍ରୀତିଭୋଜନର ଆୟୋଜନ ଚାଲିଥାଏ। ଶତାଧିକ ଅତିଥି ଗ୍ରାମର ଚଉପାଢ଼ୀରେ ଧାଡ଼ି ହୋଇ ବସିଥାନ୍ତି। ପରଷାଳିମାନେ ଅତି ଯତ୍ନର ସହ ସବୁଜ, ଚକ୍ଚକ୍ କଦଳୀ ପତ୍ର ସବୁକୁ ବସିଥିଵା ଲୋକଙ୍କ ସମ୍ମୁଖରେ ବିଛାଇ ଚାଲିଥାନ୍ତି।
ଭୋଜନ ଆରମ୍ଭ ହେଵା ପୂର୍ଵରୁ ଏକ ପବିତ୍ର ଓ ପାରମ୍ପରିକ ନିୟମ ଅନୁଯାୟୀ, ଜଣେ ସେଵାଦାର ଏକ ପିତ୍ତଳ ଗଡ଼ୁରେ ପାଣି ଧରି ପ୍ରତି ପତ୍ର ଉପରେ ନିଜ ହାତର ଆଙ୍ଗୁଠି ସାହାଯ୍ୟରେ ସୂକ୍ଷ୍ମ ଜଳବିନ୍ଦୁ ସବୁ ଛିଞ୍ଚି ଛିଞ୍ଚି ଆଗକୁ ବଢ଼ୁଥାନ୍ତି। ଏହି ପ୍ରକ୍ରିୟାକୁ ଗ୍ରାମ୍ୟ ଭାଷାରେ 'ପତର ପାଣି' ଦେଵା କୁହାଯାଏ ।
ଠିକ୍ ସେହି ସମୟରେ, କାହିଁକି କେଜାଣି ଆକାଶରେ ସାମାନ୍ୟ ମେଘର ଛାଇ ଦେଖାଗଲା। କୌଣସି ବଡ଼ କଳାହାଣ୍ଡିଆ ମେଘ ନଥିଲା କି ବିଜୁଳି ଘଡ଼ଘଡ଼ିର ଗର୍ଜନ ନଥିଲା। ହଠାତ୍ ଆକାଶରୁ ଅତି ସୂକ୍ଷ୍ମ, ଛୋଟ ଛୋଟ ଟୋପା ଵର୍ଷା ଝରିଵାକୁ ଲାଗିଲା। ସେହି ଵର୍ଷା ଏତେ ହାଲୁକା ଥିଲା ଯେ ତାହା କାହାକୁ ଓଦା କରୁନଥିଲା କିମ୍ବା ଭୋଜିର ଆୟୋଜନରେ କୌଣସି ବାଧା ସୃଷ୍ଟି କରୁନଥିଲା। ଏହାକୁ ଦେଖି ଧାଡ଼ିରେ ବସିଥିଵା ଜଣେ ଵୃଦ୍ଧ ସ୍ମିତହାସ୍ୟ ଦେଇ କହିଉଠିଲେ:
"ଆରେ ଦେଖ, ଆମେ ଏଠି ପତ୍ରରେ ପାଣି ଛିଞ୍ଚୁଛୁ, ଆଉ ଉପରେ ବସି ଵିଧାତା ମଧ୍ୟ ଆମ ପାଇଁ ପ୍ରକୃତିର ପତ୍ରରେ 'ପତର ପାଣିଆ' ଵର୍ଷା ଢାଳି ଦେଉଛନ୍ତି!"
ବୋଧହୁଏ ଏହିପରି ଏକ ସାଧାରଣ ଅଥଚ ଗଭୀର ସାଂସ୍କୃତିକ ଦୃଶ୍ୟପଟ୍ଟରୁ ଜନ୍ମ ନେଇଥିଲା ଓଡ଼ିଆ ଭାଷାର ଏକ ଅତି ମନୋରମ ଏବଂ ଅର୍ଥପୂର୍ଣ୍ଣ ଦେଶୀୟ ଶବ୍ଦ—'ପତର ପାଣି' ଵା 'ପତର ପାଣିଆ ଵର୍ଷା'। ଓଡ଼ିଆ ଭାଷାର ପ୍ରାଣପୁରୁଷ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦ୍ୱାରା ସଂಕଳିତ ମହାନ ଭାଷାକୋଷ ''ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ''ର ପୃଷ୍ଠା ୪୫୫୦ରେ ଏହି ସୁନ୍ଦର ଦେଶଜ ଶବ୍ଦଟି ସ୍ଥାନିତ ହୋଇଛି ।
ଭାଷାକୋଷରେ ପତର ପାଣିର ଗୋଟିଏ ଅର୍ଥ ଖାଇଵା ନିମନ୍ତେ ପତର ବିଛାଇଵା ଏଵଂ ତହିଁ ଉପରେ ପାଣି ଛିଞ୍ଚିଵା ଉଲ୍ଲେଖ ଥିଵାବେଳେ, ଦ୍ଵିତୀୟ ଅର୍ଥ ଖାଇଵା ପତ୍ର ଉପରେ ପାଣି ଛିଞ୍ଚିଲା ପରି ସାମାନ୍ୟ ବିନ୍ଦୁପାତ ସହ ଵର୍ଷା ହେଵା ବୋଲି ଉଲ୍ଲେଖ ଅଛି। ସେହି ପୃଷ୍ଠାରେ 'ପତର ପାଣିଆ' ଶବ୍ଦ ମଧ୍ୟ ସ୍ଥାନ ପାଇଛି ଏଵଂ ଭାଷାକୋଷରେ ଏହି ଶବ୍ଦକୁ ମଧ୍ୟ ସମାନ ଅର୍ଥରେ ଗ୍ରହଣ କରାଯାଇଛି।
ଖାଇଵା ପତ୍ରରେ ପାଣି ଛିଞ୍ଚିଵା ଭଳି ଅତି ସାମାନ୍ୟ ଵର୍ଷାକୁ ଭାଷାକୋଷରେ ଇଂରାଜୀରେ 'Drizzle' କୁହାଯାଏ ବୋଲି ମଧ୍ୟ ଲେଖାଯାଇଛି । ତେବେ ପାଣିପାଗ ବିଜ୍ଞାନ ଅନୁଯାୟୀ, Drizzle କ୍ଷେତ୍ରରେ ସାଧାରଣତଃ ୦.୫ ମିଲିମିଟରରୁ କମ୍ ଆକାରର ଵର୍ଷା ଟୋପା ହୁଏ, ଯାହା ବାୟୁରେ ଭାସିଲା ଭଳି ଦେଖାଯାଏ। ଏଭଳି ଵର୍ଷାକୁ ଓଡ଼ିଆ ଭାଷାରେ ସାଧାରଣତଃ 'କୁଣ୍ଡାଝଡ଼ା ଵର୍ଷା' କୁହାଯାଏ।
ତେଣୁ ଭାଷାକୋଷରେ ପତରପାଣିଆ ଵର୍ଷାକୁ Drizzle କୁହାଯିଵା ସାହିତ୍ୟ ଦୃଷ୍ଟିରୁ ପ୍ରାସଙ୍ଗିକ ହେଲେ ହେଁ, ସୂକ୍ଷ୍ମ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଏଥିରେ ସାମାନ୍ୟ ପାର୍ଥକ୍ୟ ରହିଛି ।
ପତରପାଣିଆ ଵର୍ଷାର ଜଳଟୋପା Drizzle ଅପେକ୍ଷା କିଛି ବଡ଼ ଏଵଂ ସାଧାରଣ ମୂଷଳଧାରା ଵର୍ଷାଠାରୁ ଛୋଟ ବୋଲି ଅନୁମାନ କରାଯାଇପାରେ।
ଇଂରାଜୀ ଵ୍ୟଵହାରିକ ଦୃଷ୍ଟିରୁ ଏହାକୁ Light sprinkle, Brief light shower, Fine rain କିମ୍ବା Sprinkling rain ଭଳି ଵର୍ଣ୍ଣନାମୂଳକ ଶବ୍ଦ ଵା Descriptive expressions ଭାବେ ଗ୍ରହଣ କରାଯାଇପାରେ, ଯଦିଓ ଏଗୁଡ଼ିକ ଵିଶ୍ୱ ପାଣିପାଗ ସଂଗଠନ (WMO)ର କୌଣସି ଆନୁଷ୍ଠାନିକ ପାଣିପାଗ ଶ୍ରେଣୀଭୁକ୍ତ ନୁହନ୍ତି।
ଗ୍ରୀଷ୍ମ ଦିନେ ପ୍ରଚଣ୍ଡ ଖରା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଵାୟୁ ଗରମ ହୋଇ ଉପରକୁ ଉଠେ। ଯଦି ଵାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ନଥାଏ, ତେବେ ଏପରି ପରିସ୍ଥିତିରେ ବଡ଼ କଳାହାଣ୍ଡିଆ ମେଘ ଵା Cumulonimbus Clouds ବଦଳରେ ଅତି ପତଳା ଓ ଛୋଟ Shallow Cumulus ମେଘ ସୃଷ୍ଟି ହୋଇପାରେ। ଏହି ମେଘଗୁଡ଼ିକର ଉଚ୍ଚତା ଓ ଘନତ୍ୱ ବହୁତ କମ୍ ଥାଏ, ଯାହାଫଳରେ ଏଥିରେ ଥିଵା ଜଳବିନ୍ଦୁଗୁଡ଼ିକ ବଡ଼ ଆକାର ଧାରଣ କରିଵା ପାଇଁ ଆବଶ୍ୟକ ସମୟ ଵା ଅନୁକୂଳ ପରିବେଶ ପାଆନ୍ତି ନାହିଁ।
ଯେତେବେଳେ ଏହି ଛୋଟ ଜଳବିନ୍ଦୁଗୁଡ଼ିକ ମେଘରୁ ତଳକୁ ଖସନ୍ତି, ସେମାନଙ୍କୁ ତଳେ ଥିଵା ପ୍ରଚଣ୍ଡ ଗରମ ଓ ଶୁଷ୍କ ବାୟୁମଣ୍ଡଳ ଦେଇ ଗତି କରିଵାକୁ ପଡ଼ିଥାଏ। ଏହି ଗରମ ପଵନ ସଂସ୍ପର୍ଶରେ ଆସିଵା ଯୋଗୁଁ ତଳକୁ ଖସୁଥିଵା ଜଳବିନ୍ଦୁଗୁଡ଼ିକର ବାହ୍ୟ ପାର୍ଶ୍ୱ ବାଟରେ ହିଁ ଵାଷ୍ପୀଭୂତ ହେଵାକୁ ଲାଗେ।
ଯଦି ଵାୟୁ ଅତ୍ୟଧିକ ଶୁଷ୍କ ଥାଏ, ତେବେ ଟୋପାଗୁଡ଼ିକ ଭୂପୃଷ୍ଠରେ ପହଞ୍ଚିବା ପୂର୍ବରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାନ୍ତି, ଯାହାକୁ ଜଳଵାୟୁ ଵିଜ୍ଞାନରେ Virga କୁହାଯାଏ।
କିନ୍ତୁ ପତରପାଣିଆ ଵର୍ଷା କ୍ଷେତ୍ରରେ, ଜଳବିନ୍ଦୁଗୁଡ଼ିକ ସମ୍ପୂର୍ଣ୍ଣ ଅଦୃଶ୍ୟ ନହୋଇ ବାଟରେ ଆଂଶିକ ଵାଷ୍ପୀଭୂତ ହେଵା ଯୋଗୁଁ ଅପେକ୍ଷାକୃତ ଛୋଟ ଆକାରରେ ଭୂପୃଷ୍ଠରେ ପହଞ୍ଚିଥାନ୍ତି। ଏହି ଵର୍ଷା ଠିକ୍ ହାତରେ ପାଣି ଛିଞ୍ଚିବା ପରି ଅନୁଭୂତ ହୁଏ। ଏହି ମେଘଗୁଡ଼ିକ କୌଣସି ବଡ଼ ମୌସୁମୀ ଵାୟୁ ଅଥଵା ଵାତ୍ୟା ଦ୍ୱାରା ଆସିନଥାନ୍ତି। ଏଗୁଡ଼ିକ କେଵଳ ସ୍ଥାନୀୟ ଉତ୍ତପ୍ତ ଵାୟୁ ଯୋଗୁଁ କିଛି ସମୟ ପାଇଁ ତିଆରି ହୋଇଥାନ୍ତି। ମେଘରେ ଥିଵା ସୀମିତ ଜଳକଣା ଶେଷ ହୋଇଯିଵା ମାତ୍ରେ କିମ୍ବା ଆଖପାଖର ଗରମ ପଵନ ଯୋଗୁଁ ମେଘଟି ତୁରନ୍ତ ମିଳେଇଯାଏ, ତେଣୁ ଏହି ଵର୍ଷା ମାତ୍ର କେଇ ମିନିଟ୍ ପାଇଁ ହିଁ ହୋଇଥାଏ।
ତେବେ ଭାଷାକୋଷର ଉଲ୍ଲେଖରୁ ସ୍ପଷ୍ଟ ହୁଏ ଯେ, 'ପତର ପାଣି' ମୂଳତଃ ଏକ ସାମାଜିକ କ୍ରିୟା ଵା ରୀତି ଥିଲା। ପୁରାତନ ଓଡ଼ିଶାରେ ମାଟି ଉପରେ ବସି କଦଳୀ ପତ୍ର, ଶାଳ ପତ୍ର ଵା ପୁରୁଡ଼ୁ ପତ୍ରରେ ଖାଇଵାର ପରମ୍ପରା ଥିଲା। ଖାଇଵା ପୂର୍ବରୁ ପତ୍ରଟିକୁ ସଫା କରିଵା ଏଵଂ ସେଥିରେ ଏକ ପ୍ରକାର ଆଧ୍ୟାତ୍ମିକ ଶୁଦ୍ଧତା ଆଣିଵା ପାଇଁ ହାତରେ ପାଣି ଛିଞ୍ଚାଯାଉଥିଲା। ଏହି କ୍ରିୟାର ସାଦୃଶ୍ୟକୁ ନେଇ ଯେତେବେଳେ ଆକାଶରୁ ଅତି କମ୍ ପରିମାଣର, ଛୋଟ ଛୋଟ ଜଳବିନ୍ଦୁ ଖସେ, ତାହାକୁ 'ପତର ପାଣିଆ ଵର୍ଷା' କୁହାଗଲା।
ଓଡ଼ିଆ ସାହିତ୍ୟ ଓ ଭାଷାତତ୍ତ୍ୱର ଏହା ଏକ ଅନନ୍ୟ ଵୈଶିଷ୍ଟ୍ୟ ଯେ ଏଠାରେ ପ୍ରକୃତିକୁ କେଵଳ ଭୟ ଵା ଵିସ୍ମୟର ସହ ଦେଖାଯାଇନାହିଁ, ଵରଂ ତାକୁ ଅତି ଆପଣାର କରି ଘରକରଣା ଶବ୍ଦରେ ବାନ୍ଧି ଦିଆଯାଇଛି। ପତର ପାଣିଆ ଵର୍ଷା ହେଉଛି ପ୍ରକୃତିର ସବୁଠାରୁ ଶାନ୍ତ, ସୌମ୍ୟ ଓ କୋମଳ ରୂପ। ଵର୍ଷା ଋତୁର ପ୍ରବଳ ଵାରିପାତ ଯାହାକୁ ଆମେ ମୂଷଳଧାରା ଵର୍ଷା କହୁ କିମ୍ବା ଆଶ୍ୱିନ ମାସର ଛେଚା ବର୍ଷା ଠାରୁ ଏହି 'ପତର ପାଣିଆ' ଵର୍ଷା ସମ୍ପୂର୍ଣ୍ଣ ଭିନ୍ନ। ଏହା ଆସେ, କିଛି ସମୟ ପାଇଁ ଧରିତ୍ରୀକୁ ନିଜର ଶୀତଳ ସ୍ପର୍ଶ ଦିଏ ଏଵଂ ଚାଲିଯାଏ।
ଗ୍ରୀଷ୍ମର ପ୍ରକୋପରେ ଯେତେବେଳେ ମାଟି ଫାଟିଯାଏ ଏଵଂ ଗଛଲତାମାନ ଧୂଳିଧୂସରିତ ହୋଇପଡ଼ନ୍ତି, ସେତେବେଳେ ଏହି ପତର ପାଣିଆ ଵର୍ଷା ସେମାନଙ୍କ ଉପରେ ଏକ ନୂତନ ସଞ୍ଜୀଵନୀ ଭଳି କାମ କରେ। ଏହା ଧୂଳିକୁ ଶାନ୍ତ କରିଦିଏ ଏଵଂ ଚାରିଆଡ଼େ ଏକ ମନୋହର ମାଟିର ବାସ୍ନା "Petrichor" ଭରିଦିଏ, ଯାହାକୁ ଦେଶୀୟ ଭାଷାରେ "ପିତାପାଣିଆ ଗନ୍ଧ" ମଧ୍ୟ କୁହାଯାଏ । ଏ ଧରଣର ଵର୍ଷା ଯଦି ଵର୍ଷାଦିନର ଆରମ୍ଭରେ ହୁଏ ଏଵଂ ତହିଁରୁ ପିତାପାଣିଆ ଗନ୍ଧ ବାହାରେ, ତେବେ ସେ ଧରଣର ଵର୍ଷାକୁ 'ପିତାପାଣିଆ ଵର୍ଷା' କୁହାଯାଏ । ପତରପାଣି ଵର୍ଷା ଵା ପତରପାଣିଆ ଵର୍ଷା ଵର୍ଷର ଯେକୌଣସି ସମୟରେ ହୋଇପାରେ, ତେବେ ଵର୍ଷା ଋତୁ ଆରମ୍ଭରେ ଅଧିକ ଦେଖାଯାଏ ଏଵଂ ଏଥିରେ ସାମାନ୍ୟ ପରିମାଣରେ ଵର୍ଷା ହୋଇଥାଏ। ବେଳେବେଳେ ଅଦିନିଆ ଵର୍ଷା ସମୟରେ ମଧ୍ୟ ଏଭଳି ଵର୍ଷା ଦେଖାଯାଏ ।
ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତିରେ ପତରପାଣିଆ ଵର୍ଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଅକ୍ଷୟ ତୃତୀୟା ପରେ ଯେତେବେଳେ ଚାଷୀ ବିଲରେ ଗୁଣ୍ଠି ବୁଣେ, ସେତେବେଳେ ପ୍ରଵଳ ଵର୍ଷା ହେଲେ ବିହନ ସବୁ ଧୋଇଯିଵାର ଭୟ ଥାଏ। ମାତ୍ର ଵର୍ଷା ଋତୁର ଆରମ୍ଭରେ ଏହି ପତର ପାଣିଆ ଵର୍ଷା ହେଵାରୁ ମାଟିକୁ ଉପରୁ ସାମାନ୍ୟ ଓଦା କରି ବିହନ ଗଜା ହେଵାରେ ସାହାଯ୍ୟ କରିଥାଏ। ଏହି ଵର୍ଷା କାହାକୁ ଗୃହବନ୍ଦୀ କରେନାହିଁ। ବାଟୋଇଟିଏ ନିଜ ବାଟରେ ଚାଲିପାରେ, ପିଲାମାନେ ବାହାରେ ଖେଳିପାରନ୍ତି ଏଵଂ ପକ୍ଷୀମାନେ ନିଜ ଡେଣା ସାମାନ୍ୟ ଭିଜାଇ ଆନନ୍ଦରେ ଗୀତ ଗାଇପାରନ୍ତି। ଏହା ପ୍ରକୃତିର ଏକ ଅତି ସୂକ୍ଷ୍ମ ଆଶୀର୍ଵାଦ।
ଯେକୌଣସି ଭାଷାର ସମୃଦ୍ଧି ତା’ର ଶବ୍ଦଭଣ୍ଡାରରୁ ଜଣାପଡ଼େ। ଓଡ଼ିଆ ଭାଷାରେ ପ୍ରକୃତିର ପ୍ରତିଟି ଗତିଵିଧି ପାଇଁ ସ୍ୱତନ୍ତ୍ର ଶବ୍ଦ ଅଛି। ଏହି କ୍ରମରେ 'ପତର ପାଣି' ଵା 'ପତର ପାଣିଆ' ଶବ୍ଦଟି କେଵଳ ଏକ ଆଞ୍ଚଳିକ ଶବ୍ଦ ନୁହେଁ, ଵରଂ ଏହା ପଛରେ ରହିଛି ପ୍ରଭୂତ ଯୁକ୍ତିଯୁକ୍ତତା ଏଵଂ ମାନସିକ ସାଦୃଶ୍ୟ।
ଯେତେବେଳେ ଆମେ ହାତରେ ପାଣି ନେଇ କୌଣସି ସ୍ଥାନରେ ଛିଞ୍ଚୁ, ସେତେବେଳେ ପାଣିର ଟୋପାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଧାରାରେ ନପଡ଼ି ଵିଚ୍ଛିନ୍ନ ଏଵଂ ଅତି କ୍ଷୁଦ୍ର ଆକାରରେ ପଡ଼ିଥାନ୍ତି। ପତର ପାଣିଆ ଵର୍ଷା ସମୟରେ ଆକାଶରୁ ଖସୁଥିବା ଜଳବିନ୍ଦୁଗୁଡ଼ିକୁ ଦେଖିଲେ ଠିକ୍ ସେହିପରି ଅନୁଭୂତି ହୁଏ, ତେଣୁ ସେଥିପାଇଁ ଏହାକୁ 'ପତର ପାଣିଆ' କହିଵା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।
ଓଡ଼ିଆ ଭାଷାରେ ଏପରି ସାଂସ୍କୃତିକ ସାଦୃଶ୍ୟ ଆଧାରିତ ନାମକରଣ ଏକ ଅନନ୍ୟ ଵୈଶିଷ୍ଟ୍ୟ। ଇଂରାଜୀରେ 'Drizzle' ଭଳି ଵୈଜ୍ଞାନିକ ଶବ୍ଦ ନିଶ୍ଚୟ ଅଛି କିନ୍ତୁ ତାହା କେଵଳ ଶୁଷ୍କ ଵୈଜ୍ଞାନିକ ଅର୍ଥକୁ ବୁଝାଏ ।
ପତରପାଣିଆ ଵର୍ଷା ପାଇଁ Light sprinkle, Brief light shower, Fine rain କିମ୍ବା Sprinkling rain ଭଳି ଵର୍ଣ୍ଣନାମୂଳକ ଶବ୍ଦ ଶବ୍ଦ ବି ଇଂରାଜୀ ଭାଷାରେ ଵ୍ୟଵହାର କରାଯାଇପାରେ ମାତ୍ର ଏସବୁ ଶବ୍ଦଗୁଡ଼ିକର ସାଂସ୍କୃତିକ ମହତ୍ତ୍ଵ ନାହିଁ । 'ପତର ପାଣିଆ' ଶବ୍ଦଟି ଉଚ୍ଚାରଣ କଲା ସାଙ୍ଗେ ସାଙ୍ଗେ ଓଡ଼ିଆ ଗୃହର ପାରମ୍ପରିକ ଆତିଥେୟତା ଏଵଂ ଭୋଜିଭାତର ସ୍ମୃତି ଆଖି ଆଗକୁ ଚାଲିଆସେ।
ଓଡ଼ିଆ ଜନଜୀଵନ ପ୍ରକୃତିକୁ ନିଜ ପରିଵାରର ଏକ ଅଂଶ ଭାବେ ଗ୍ରହଣ କରିଛି। ଆକାଶ ଯେତେବେଳେ ଅଳ୍ପ ଵର୍ଷା କରେ, ସେତେବେଳେ ଓଡ଼ିଆ ମନେକରେ ଯେ ପ୍ରକୃତି ମାଆ ସତେ ଯେମିତି ସାରା ସଂସାର ରୂପକ ପତ୍ର ଉପରେ ଶୀତଳତାର ପାଣି ଛିଞ୍ଚି ଦେଉଛି।
'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ'ର ୪୫୫୦ ପୃଷ୍ଠାରେ ସ୍ଥାନିତ ଏହି କ୍ଷୁଦ୍ର ଶବ୍ଦ 'ପତରପାଣି ଵା ପତର ପାଣିଆ' ପ୍ରକୃତରେ ଆମ ଭାଷାର ଏକ ଵିରାଟ ଵୈଭଵକୁ ପ୍ରଦର୍ଶନ କରେ। ଏହା କେଵଳ ଏକ ପାଣିପାଗର ଅଵସ୍ଥାକୁ ସୂଚାଉ ନାହିଁ, ଵରଂ ଏହା ଭିତରେ ଲୁଚି ରହିଛି ଓଡ଼ିଆ ମାଟିର ବାସ୍ନା, ଓଡ଼ିଆ ସଂସ୍କୃତିର ପରମ୍ପରା ଏଵଂ ପ୍ରକୃତିକୁ ଦେଖିଵାର ଏକ ସୂକ୍ଷ୍ମ ଵୈଜ୍ଞାନିକ ଦୃଷ୍ଟିକୋଣ। ସମୟ ବଦଳିଵା ସହ ଆଜି କଂକ୍ରିଟ୍ ସହରର ବନ୍ଦ କୋଠରୀରେ ହୁଏତ କଦଳୀ ପତ୍ରର 'ପତର ପାଣି' ହଜିଯାଇଥାଇପାରେ, ମାତ୍ର ଯେତେବେଳେ ଆକାଶରୁ ସୂକ୍ଷ୍ମ ଜଳକଣା ଝରିଵ, ସେତେବେଳେ ପ୍ରତିଟି ଓଡ଼ିଆ ପ୍ରାଣ ଆପେ ଆପେ ଗାଇଉଠିଵ—ଏହା କେଵଳ ଵର୍ଷା ନୁହେଁ, ଏହା ହେଉଛି ଆମ ମାଟିର ଆପଣାର 'ପତର ପାଣିଆ ଵର୍ଷା'।
No comments:
Post a Comment