କ୍ରିକେଟ୍ରେ ୧୧ ଜଣ ଲେଖାଏଁ ଖେଳାଳି ଗୋଟିଏ ଟିମ୍ ପକ୍ଷରୁ ଖେଳନ୍ତି, ଫୁଟବଲ ଓ ହକି ଖେଳରେ ମଧ୍ୟ ଗୋଟିଏ ଟିମ୍ରେ ୧୧ ଜଣ ଖେଳାଳି ହିଁ ଖେଳିଥାନ୍ତି। ତେବେ ଏହି '୧୧' ସଂଖ୍ୟା ପଛର ରହସ୍ୟ କ'ଣ ତାହା ଜାଣିଵା ପାଇଁ ଆମକୁ ଫୁଟବଲ ଓ କ୍ରିକେଟ୍ ଖେଳର ଇତିହାସକୁ ଜାଣିଵାକୁ ହେଵ।
ଆମେ ଆଜି ଯେଉଁ ଫୁଟବଲ୍ ଦେଖୁଛୁ, ତା'ର ପ୍ରକୃତ ମୂଳଦୁଆ ଦ୍ଵାଦଶ ଶତାବ୍ଦୀରେ ଇଂଲଣ୍ଡରେ ପଡ଼ିଥିଲା। ସେତେବେଳେ ଏହାର ସ୍ଥିତି ଅତ୍ୟନ୍ତ ଭୟଙ୍କର ଓ ଗଣ୍ଡଗୋଳିଆ ଥିଲା। ଏକ ରୋଚକ ଓ ପ୍ରଚଳିତ ଲୋକକଥା ଅନୁସାରେ, ବ୍ରିଟିଶମାନେ ଯେତେବେଳେ ଯୁଦ୍ଧରେ ଡେନମାର୍କର ସୈନିକମାନଙ୍କୁ ପରାସ୍ତ କଲେ, ସେତେବେଳେ ଵିଜୟ ଉତ୍ସଵ ପାଳିଵା ପାଇଁ ସେମାନେ ମୃତ ଶତ୍ରୁ ସୈନିକଙ୍କ କଟାମୁଣ୍ଡକୁ ପାଦରେ ଗୋଇଠା ମାରି ଖେଳିଵା ଆରମ୍ଭ କରିଥିଲେ। ପରଵର୍ତ୍ତୀ ସମୟରେ ଏହା ବଲ୍ର ରୂପ ନେଲା। ତେବେ ଏହି ଲୋକକଥାଟି ପ୍ରକୃତରେ ଫୁଟବଲ୍କୁ ଲୋକପ୍ରିୟ କରିଵା ପାଇଁ ବହୁତ ପରେ ଗଢ଼ା ଯାଇଥିଵା ଏକ ଗପ ଥିଲା ବୋଲି କେହି କେହି ଗଵେଷକ ମତ ଦିଅନ୍ତି।
ସେ ଯାହାହେଉ, ମଧ୍ୟଯୁଗୀୟ ଇଂଲଣ୍ଡରେ ପର୍ଵପର୍ଵାଣି ସମୟରେ ଦୁଇଟି ଗାଁ ମଧ୍ୟରେ ଫୁଟବଲ ଖେଳର ଏକ ଗାଉଁଲି ରୂପ ସେତେବେଳେ ଖେଳା ଯାଉଥିଲା, ଯାହାକୁ 'Mob football' ନାମ ଦିଆଯାଇଥିଲା।
ଏଥିରେ କୌଣସି ନିୟମ ନଥିଲା, ଖେଳାଳି ସଂଖ୍ୟାର ସୀମା ନଥିଲା ଏଵଂ ପଡ଼ିଆର ମଧ୍ୟ କୌଣସି ଚିହ୍ନ ନଥିଲା। ପୂରା ଗାଁ ହିଁ ପଡ଼ିଆ ପାଲଟିଯାଉଥିଲା। ପଶୁର ବ୍ଲାଡର ଵା ପରିସ୍ରା ଥଳିରେ ପବନ ପୂରାଇ ତା'ପରେ ଚମଡ଼ା ସିଲେଇ କରି ବଲ୍ ତିଆରି କରାଯାଉଥିଲା। ବଲ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଵା ପାଇଁ ହଜାର ହଜାର ଲୋକ ଏକାଠି ମାଡ଼ପିଟ୍ ହେଉଥିଲେ। ଏଥିରେ ଅନେକ ଲୋକଙ୍କର ହାତ-ଗୋଡ଼ ଭାଙ୍ଗୁଥିଲା ଏଵଂ ବେଳେବେଳେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଥିଲା। ଏହି ହିଂସାକାଣ୍ଡ ଯୋଗୁଁ ୧୩୧୪ ମସିହାରେ ଇଂଲଣ୍ଡର ରାଜା ଏଡୱାର୍ଡ ଦ୍ଵିତୀୟ (King Edward II) ଏହି ଖେଳକୁ ସମ୍ପୂର୍ଣ୍ଣ ଆଇନଗତ ଭାବେ ନିଷିଦ୍ଧ କରିଦେଇଥିଲେ। ଏହା ପରେ ମଧ୍ୟ ଅନେକ ରାଜା 'Mob football'କୁ ବ୍ୟାନ୍ କଲେ, କିନ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଖେଳ ପାଇଁ ଏତେ ପାଗଳାମି ଥିଲା ଯେ ଲୁଚାଛପାରେ 'Mob football' ତଥାପି ଖେଳା ଯାଉଥିଲା।
ଅପରପକ୍ଷରେ କ୍ରିକେଟ୍ ଏକ ସାଧାରଣ ମେଷପାଳକ ଓ ଚାଷୀମାନଙ୍କର ଖେଳ ଭାବେ ଆରମ୍ଭ ହୋଇଥିଲା। ସେହି ସମୟରେ କ୍ରିକେଟ୍ ଖେଳର କୌଣସି ନିର୍ଦ୍ଦିଷ୍ଟ ସୀମା ଵା ନିୟମ ନଥିଲା। ଯେତେ ଜଣ ଚାହୁଁଥିଲେ ପଡ଼ିଆକୁ ଓହ୍ଲାଇ ଯାଉଥିଲେ। କେତେବେଳେ ୫ ଜଣ ତ କେତେବେଳେ ୨୦ ଜଣ ମଧ୍ୟ ଏକାଠି ଖେଳୁଥିଲେ।
କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ, ଯେତେବେଳେ ତତ୍କାଳୀନ କ୍ରିକେଟ୍ ଖେଳ ଧନୀ ଓ ଜମିଦାର ଶ୍ରେଣୀର ଲୋକଙ୍କ ଦ୍ୱାରା ଆଦୃତ ହେଲା, ସେତେବେଳେ ଏହା ଉପରେ ବାଜି ଵା ଜୁଆ ଖେଳାଯିଵା ଆରମ୍ଭ ହେଲା। ଯେତେବେଳେ ଟଙ୍କାର କଥା ଆସିଲା, ସେତେବେଳେ ନିୟମର ଆଵଶ୍ୟକତା ଜରୁରୀ ମନେହେଲା। ଏହିପରି ଭାବେ ୧୭୪୪ ମସିହାରେ କ୍ରିକେଟ୍ ଜଗତର ପ୍ରଥମ ଆନୁଷ୍ଠାନିକ ଲିଖିତ ନିୟମାଵଳୀ ପ୍ରସ୍ତୁତ କରାଗଲା।
କ୍ରିକେଟ୍ ଖେଳର ଏହି ୧୭୪୪ର ନିୟମରେ ପ୍ରଥମ କରି ସ୍ପଷ୍ଟ ଭାବେ ଉଲ୍ଲେଖ କରାଗଲା ଯେ ପ୍ରତି ଦଳରେ ୧୧ ଜଣ ଲେଖାଏଁ ଖେଳାଳି ରହିବେ। ଏହି ସଂଖ୍ୟା ବାଛିଵା ପଛରେ ଏକ ପ୍ରାକୃତିକ କାରଣ ଥିଲା। ସେତେବେଳେ ପଡ଼ିଆର ଯେଉଁ ଆକାର ରହୁଥିଲା, ତାହାକୁ ସମ୍ପୂର୍ଣ୍ଣ ଭାବେ ଘେରି ରହିଵା ଵା କଵର୍ କରିଵା ପାଇଁ ୧୦ ଜଣ ଫିଲ୍ଡର୍ ଵା ଜଗୁଆଳି ଏଵଂ ଜଣେ ବୋଲର୍ ଵା ପେଣ୍ଡୁ ନିକ୍ଷେପକାରୀ —ଏହିପରି ୧୧ ଜଣଙ୍କର ସଂଯୋଗ ସବୁଠାରୁ ଉପଯୁକ୍ତ ମନେ ହେଉଥିଲା। ଏହାଦ୍ୱାରା ଖେଳ ବହୁତ ସହଜ ହେଉନଥିଲା କି ବହୁତ କଷ୍ଟକର ମଧ୍ୟ ହେଉନଥିଲା।
କ୍ରିକେଟ୍ରେ ୧୧ ଜଣିଆ ନିୟମ ତ ତିଆରି ହୋଇଗଲା, କିନ୍ତୁ ଏହା ସମାଜରେ ଦୃଢ଼ ଭାବେ ପ୍ରତିଷ୍ଠିତ ହେଵା ପଛରେ ରହିଛି ଇଂଲଣ୍ଡର ପ୍ରସିଦ୍ଧ ବୋର୍ଡିଂ ସ୍କୁଲଗୁଡ଼ିକର ଏକ ଅଦ୍ଭୁତ ଅଵଦାନ। ଊନଵିଂଶ ଶତାବ୍ଦୀର ପ୍ରାରମ୍ଭରେ Eton, Harrow, Rugby ଓ Cambridge ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରିକେଟ୍ ଓ ଫୁଟବଲ୍ର ପ୍ରାରମ୍ଭିକ ରୂପ ଖେଳାଯାଉଥିଲା।
ସେହି ସମୟରେ ଏହି ସ୍କୁଲଗୁଡ଼ିକର ହଷ୍ଟେଲ୍ ଵା ଡର୍ମିଟୋରୀର ଗଠନ ଶୈଳୀ ବହୁତ ରୋଚକ ଥିଲା। ସାଧାରଣତଃ ପ୍ରତିଟି ହଷ୍ଟେଲ୍ ରୁମ୍ରେ ୧୦ ଜଣ ଛାତ୍ର ରହୁଥିଲେ ଏଵଂ ସେମାନଙ୍କର ଦେଖାଶୁଣା ତଥା ଶୃଙ୍ଖଳା ରକ୍ଷା କରିଵା ପାଇଁ ଜଣେ ଵୟସ୍କ ଛାତ୍ରଙ୍କୁ ଦାୟିତ୍ୱ ଦିଆଯାଉଥିଲା, ଯାହାଙ୍କୁ 'ମନିଟର୍' କିମ୍ବା 'ପ୍ରିଫେକ୍ଟ' କୁହାଯାଉଥିଲା। ଏହିପରି ଭାବେ ପ୍ରତି ରୁମ୍ରେ ୧୦ ଜଣ ଛାତ୍ର ଏଵଂ ୧ ଜଣ ପ୍ରିଫେକ୍ଟ୍ଙ୍କୁ ମିଶାଇ ସମୁଦାୟ ସଦସ୍ୟ ସଂଖ୍ୟା ୧୧ ହେଉଥିଲା।
ଯେତେବେଳେ ସ୍କୁଲ୍ ଭିତରେ କୌଣସି କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା, ସେତେବେଳେ ଗୋଟିଏ ହଷ୍ଟେଲ୍ ରୁମ୍ ଆଉ ଏକ ହଷ୍ଟେଲ୍ ରୁମ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ଏହି ସମୟରେ ନିୟମ ଥିଲା ଯେ ରୁମ୍ର କୌଣସି ସଦସ୍ୟ ବାଦ୍ ପଡ଼ିବେ ନାହିଁ। ତେଣୁ, ପୂରା ରୁମ୍ର ୧୧ ଜଣ ଯାକ ସଦସ୍ୟ ଏକାଠି ପଡ଼ିଆକୁ ଓହ୍ଲାଉଥିଲେ। ପ୍ରିଫେକ୍ଟ ଜଣକ ଦଳର ଅଧିନାୟକ ଵା କ୍ୟାପ୍ଟେନ୍ ହେଉଥିଲେ ଏଵଂ ବାକି ୧୦ ଜଣ ଖେଳାଳି ତାଙ୍କ ନିର୍ଦ୍ଦେଶରେ ଖେଳୁଥିଲେ। ଧୀରେ ଧୀରେ ଏହି ସ୍କୁଲ୍ ପରମ୍ପରା ଏତେ ଶକ୍ତିଶାଳୀ ହେଲା ଯେ, ସ୍କୁଲ୍ ସୀମା ପାର ହୋଇ ଏହା ଆନ୍ତର୍ଜାତୀୟ ନିୟମର ମୂଳଦୁଆ ପାଲଟିଗଲା।
ଏବେ ପ୍ରଶ୍ନ ଆସେ, କ୍ରିକେଟ୍ରେ ୧୧ ଜଣ ଖେଳିଵା କଥା ତ ବୁଝାପଡ଼ିଲା, କିନ୍ତୁ ଫୁଟବଲ୍ରେ ଏହି ୧୧ ସଂଖ୍ୟା କେମିତି ଆସିଲା? ଏହାର ଉତ୍ତର ଲୁଚି ରହିଛି ୧୮୬୦ ଦଶକର ବ୍ରିଟିଶ୍ କ୍ରୀଡ଼ା ଇତିହାସରେ।
ସେହି ସମୟରେ ଇଂଲଣ୍ଡରେ ଫୁଟବଲ୍ ଏକ ସଂଗଠିତ ଖେଳ ନଥିଲା। ଵିଭିନ୍ନ ସ୍କୁଲ୍ ଓ କ୍ଲବ୍ ନିଜ ନିଜ ଇଚ୍ଛା ଅନୁସାରେ ନିୟମ ତିଆରି କରି ଫୁଟବଲ୍ ଖେଳୁଥିଲେ। କେଉଁଠି ୧୫ ଜଣ ତ କେଉଁଠି ୨୦ ଜଣ ମଧ୍ୟ ଗୋଟିଏ ଦଳରୁ ଫୁଟବଲ୍ ଖେଳୁଥିଲେ। ପରିସ୍ଥିତି ଏମିତି ହେଉଥିଲା ଯେ ଫୁଟବଲ୍ ଖେଳ ସମୟରେ ପଡ଼ିଆରେ କେଵଳ ଗହଳି ହିଁ ଦେଖାଯାଉଥିଲା, ଖେଳ କମ୍ ଏଵଂ ବାଡ଼ିଆପିଟା ଅଧିକ ହେଉଥିଲା।
ଏହି ସମସ୍ୟାର ସମାଧାନ ପାଇଁ ୧୮୬୩ ମସିହାରେ ଲଣ୍ଡନଠାରେ 'ଫୁଟବଲ୍ ଆସୋସିଏସନ୍' (FA) ର ପ୍ରତିଷ୍ଠା କରାଗଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଫୁଟବଲ୍ ପାଇଁ ଏକ ସାର୍ଵଜନୀନ ନିୟମାଵଳୀ ପ୍ରସ୍ତୁତ କରିବା। ଯେତେବେଳେ ଦଳର ସଦସ୍ୟ ସଂଖ୍ୟା ସ୍ଥିର କରିଵାର ସମୟ ଆସିଲା, ସେତେବେଳେ କ୍ରିକେଟ୍ର ପ୍ରଭାଵ ସବୁଠାରୁ ଅଧିକ ଦେଖିଵାକୁ ମିଳିଥିଲା।
ଇଂଲଣ୍ଡରେ ସେତେବେଳେ ଏକ ବଡ଼ ପରମ୍ପରା ଥିଲା ଯେ, ଯେଉଁମାନେ ଗ୍ରୀଷ୍ମ ଋତୁରେ କ୍ରିକେଟ୍ ଖେଳୁଥିଲେ, ସେମାନେ ଶୀତଦିନେ ନିଜ ଶରୀରକୁ ଫିଟ୍ ଓ ସକ୍ରିୟ ରଖିଵା ପାଇଁ ଫୁଟବଲ୍ ଖେଳୁଥିଲେ। ଅର୍ଥାତ୍, କ୍ରିକେଟ ଖେଳାଳିମାନେ ହିଁ ଶୀତଦିନର ଫୁଟବଲ ଖେଳାଳି ଥିଲେ। ଯେତେବେଳେ ଏହି କ୍ରିକେଟ୍ ଦଳଗୁଡ଼ିକ ଶୀତଦିନେ ଫୁଟବଲ୍ ଖେଳିଵାକୁ ଆସୁଥିଲେ, ସେମାନେ ନିଜର ସମ୍ପୂର୍ଣ୍ଣ ୧୧ ଜଣିଆ ଟିମ୍କୁ ସାଙ୍ଗରେ ନେଇ ଆସୁଥିଲେ।
FAର ନିୟମ ପ୍ରଣେତାମାନେ ଅନୁଭଵ କଲେ ଯେହେତୁ ଲୋକେ ପୂର୍ଵରୁ ୧୧ ଜଣିଆ ଦଳରେ ଖେଳିଵାକୁ ଅଭ୍ୟସ୍ତ ଏଵଂ ଏହି ସଂଖ୍ୟାଟି ପଡ଼ିଆରେ ସନ୍ତୁଳନ ରକ୍ଷା କରିଵା ପାଇଁ ଶ୍ରେଷ୍ଠ, ତେଣୁ ସେମାନେ କୌଣସି ନୂଆ ସଂଖ୍ୟା ଉଦ୍ଭାଵନ ନକରି କ୍ରିକେଟ୍ର ସେହି ପାରମ୍ପରିକ ୧୧ ଜଣିଆ ନିୟମକୁ ଫୁଟବଲ୍ରେ ମଧ୍ୟ ସ୍ଥାୟୀ ଭାବେ ଗ୍ରହଣ କରିନେଲେ। ୧୮୭୦ ଦଶକ ବେଳକୁ ଏହା ଏକ ବାଧ୍ୟତାମୂଳକ ନିୟମରେ ପରିଣତ ହୋଇଗଲା।
ଯେମିତି କ୍ରିକେଟ୍ ଓ ଫୁଟବଲ୍ ଇଂଲଣ୍ଡରେ ଜନ୍ମ ହୋଇଥିଲା, ଠିକ୍ ସେହିଭଳି ହକିର ଜନ୍ମ ବି ସେହି ଇଂଲଣ୍ଡରେ ହିଁ ହୋଇଥିଲା। ତେଣୁ ପୃଥିଵୀର ସର୍ଵାଧିକ ପ୍ରସିଦ୍ଧ ତିନୋଟି ଖେଳ—"ଫୁଟବଲ୍, କ୍ରିକେଟ୍ ଓ ହକି"ର ଜନ୍ମସ୍ଥାନ ସେହି ଇଂଲଣ୍ଡ ହିଁ ଅଟେ।
ଊନଵିଂଶ ଶତାବ୍ଦୀ ପୂର୍ଵରୁ ଇଂଲଣ୍ଡରେ ହକିର କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିଲା। ସେତେବେଳେ ଇଂଲଣ୍ଡର ଗ୍ରାମାଞ୍ଚଳରେ ହକିକୁ 'ବ୍ୟାଣ୍ଡି' (Bandy) କିମ୍ବା 'ଶିନି' (Shinny) ନାମରେ ଜଣାଯାଉଥିଲା। ସେତେବେଳର ହକି ଖେଳରେ କୌଣସି ପଡ଼ିଆର ସୀମା ନଥିଲା କି ରେଫରି ନଥିଲେ।
ସେତେବେଳେ ଇଂଲଣ୍ଡର ଗ୍ରାମାଞ୍ଚଳରେ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଲୋକଙ୍କ ସହ ଯେଉଁ ଗାଉଁଲି ହକି ଖେଳୁଥିଲେ, ସେଥିରେ ଗୋଟିଏ ଦଳରୁ ୫୦ ରୁ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ଖେଳୁଥିଲେ। ଲୋକମାନେ ଗଛର ବଙ୍କା ଡାଳକୁ ବାଡ଼ି ଭାବରେ ଵ୍ୟଵହାର କରି କାଠର ଗୋଟିଏ ଖଣ୍ଡକୁ ବଲ୍ ଭାବରେ ଜୋରରେ ପିଟୁଥିଲେ। ଏହା ଏକ ଖେଳ ଅପେକ୍ଷା ମାରପିଟ୍ ଵା ଗଣ୍ଡଗୋଳ ବେଶୀ ଲାଗୁଥିଲା। ମୁଣ୍ଡ ଫାଟିଵା କିମ୍ବା ରକ୍ତାକ୍ତ ହେଵା ଏକ ସାଧାରଣ କଥା ଥିଲା।
ଊନଵିଂଶ ଶତାବ୍ଦୀର ପ୍ରାରମ୍ଭ ଆଡ଼କୁ ଇଟନ୍ ଓ ହାରୋ ଭଳି ଇଂଲଣ୍ଡର ପ୍ରସିଦ୍ଧ ପବ୍ଲିକ ସ୍କୁଲଗୁଡ଼ିକ ଏହି ଅସଙ୍ଗଠିତ ହକି ଖେଳ ପ୍ରତି ଆକୃଷ୍ଟ ହେଲେ। ସ୍କୁଲର ଛାତ୍ରମାନେ ପଡ଼ିଆରେ ନିଜ ନିଜ ଭିତରେ ଖେଳିଵା ପାଇଁ ଏହାକୁ ଟିକେ ଶୃଙ୍ଖଳିତ କରିବାକୁ ଚେଷ୍ଟା କଲେ। ସେମାନେ ହିଂସା କମାଇଵା ପାଇଁ କିଛି ସାଧାରଣ ଘରୋଇ ନିୟମ ତିଆରି କଲେ, ଯାହା ହକିକୁ ପ୍ରଥମ ଥର ପାଇଁ ଏକ କ୍ରୀଡ଼ାର ମାନ୍ୟତା ଦେଵା ଦିଗରେ ପ୍ରାରମ୍ଭିକ ପଦକ୍ଷେପ ଥିଲା।
ଆଧୁନିକ ହକିର ପ୍ରକୃତ ଜନ୍ମ ଏଵଂ ସଭ୍ୟ ନିୟମର ପ୍ରଚଳନ ୧୮୬୧ ମସିହାରେ ଆରମ୍ଭ ହେଲା, ଯେତେବେଳେ ଇଂଲଣ୍ଡରେ Teddington Hockey Club ପ୍ରତିଷ୍ଠା ହେଲା। କ୍ରିକେଟ୍ ଭଳି ହକିକୁ ମଧ୍ୟ ଏକ ସମ୍ମାନଜନକ "Gentleman's Game" କରିଵା ପାଇଁ ଏହି କ୍ଲବ୍ କିଛି କଡ଼ା ନିୟମ ଲାଗୁ କଲା। ଵିପଜ୍ଜନକ କାଠ ଵା କ୍ରିକେଟ୍ ବଲ୍ ବଦଳରେ ସେମାନେ ପ୍ରଥମେ ଗୋଲାକାର ରବର ବଲର ପ୍ରଚଳନ କଲେ, ଯାହା ଆଘାତ କମାଇ ଦେଇଥିଲା। ଖେଳକୁ ସୁରକ୍ଷିତ କରିଵା ପାଇଁ ନିୟମ ହେଲା ଯେ, କୌଣସି ଖେଳାଳି ନିଜ ହକି ଷ୍ଟିକ୍କୁ କାନ୍ଧରୁ ଉପରକୁ ଉଠାଇ ପାରିବେ ନାହିଁ। ଏକ ନିର୍ଦ୍ଦିଷ୍ଟ ସୀମା ଵା ଡି (D) ଭିତରୁ ହିଁ ବଲ୍କୁ ବାଡ଼େଇ ଗୋଲ୍ କରିହେଵ ବୋଲି ନିୟମ କରାଗଲା, ଯାହା ଖେଳକୁ ଅଧିକ କୌଶଳପୂର୍ଣ୍ଣ କଲା।
୧୮୮୬ ମସିହା ଜାନୁଆରୀ ୧୮ ତାରିଖରେ ହକି ନିଜର ଚୂଡ଼ାନ୍ତ ଆଧୁନିକ ରୂପ ପାଇଲା। ଇଂଲଣ୍ଡରେ ଗଠିତ ହେଲା 'The Hockey Association'। କ୍ରିକେଟ୍ ଓ ଫୁଟବଲ୍ରୁ ଅନୁପ୍ରାଣିତ ହୋଇ ଏହି ସଂସ୍ଥା ପ୍ରଥମ ଥର ପାଇଁ ଵିଧିବଦ୍ଧ ଭାବେ ଘୋଷଣା କଲା ଯେ ପ୍ରତ୍ୟେକ ଦଳରେ କେଵଳ ୧୧ ଜଣ ଖେଳାଳି ରହିବେ। ପଡ଼ିଆର ମାପ, ଗୋଲ୍ ପୋଷ୍ଟର ଆକାର ଓ ପେନାଲ୍ଟି ନିୟମ ସବୁ ଲିପିବଦ୍ଧ ହେଲା। ପରେ ଏହା ବ୍ରିଟିଶ ସେନା ଅଧିକାରୀମାନଙ୍କ ମାଧ୍ୟମରେ ଵିଶ୍ୱର କୋଣ ଅନୁକୋଣକୁ ଵ୍ୟାପିଗଲା। ଵିଶେଷ କରି ଭାରତ ଭଳି ଦେଶରେ ପୂର୍ଵରୁ ଡାବଲପୁଆ ଭଳି ଖେଳ ଗ୍ରାମାଞ୍ଚଳରେ ବହୁତ ଖେଳାଯାଉଥିଵାରୁ ଭାରତୀୟମାନେ କ୍ରିକେଟ୍, ହକି ଏଵଂ ପରେ ଇଂଲଣ୍ଡର Rounders ଖେଳରୁ ଆମେରିକାରେ ଜନ୍ମ ହୋଇଥିଵା ବେସବଲ୍ ପ୍ରତି ଵିଶେଷ ଆକୃଷ୍ଟ ହୋଇଥିଲେ (ଉଭୟ ଖେଳରେ ଖେଳାଳି ସଂଖ୍ୟା ପିଚ୍ର ଛୋଟ ଆକାର ଦୃଷ୍ଟିରୁ ୯ ରହୁଥିଲା)।
କ୍ରିକେଟ୍, ଫୁଟବଲ୍ ଓ ହକି ଖେଳ ଛଡ଼ା ଆମେରିକାନ୍ ଫୁଟବଲ୍ ଓ ବ୍ୟାଣ୍ଡିରେ ବି ୧୧ ଜଣ ଖେଳାଳି ପଡ଼ିଆରେ ଖେଳନ୍ତି ଏଵଂ ଏହି ସମସ୍ତ ଖେଳର ଇତିହାସ ଇଂଲଣ୍ଡ ସହିତ ଜଡ଼ିତ। ରଗବୀ ଖେଳ ଏହାର ଵ୍ୟତିକ୍ରମ ରୂପେ ଇଂଲଣ୍ଡରେ ଫୁଟବଲରୁ ଅଲଗା ହୋଇ ଏକ ନୂତନ ଖେଳ ରୂପେ ଵିକଶିତ ହୋଇଥିଲେ ବି ଏଥିରେ ୧୩ରୁ ୧୫ ଜଣ ଲେଖାଏଁ ଖେଳାଳି ଖେଳିଥାନ୍ତି।
ତେବେ କ୍ରିକେଟ୍, ଫୁଟବଲ୍ ଓ ହକି ଖେଳରେ ଖେଳାଳି ସଂଖ୍ୟା '୧୧' ରହିଵା ପଛରେ ଏକ ଵ୍ୟଵହାରିକ ଓ ଵୈଜ୍ଞାନିକ ଦୃଷ୍ଟିକୋଣ ମଧ୍ୟ ରହିଛି। ଗୋଟିଏ ମାନକ ଫୁଟବଲ୍ କିମ୍ବା କ୍ରିକେଟ୍ ପଡ଼ିଆର ଆକାର ଯଥେଷ୍ଟ ବଡ଼ ହୋଇଥାଏ।
ଯଦି ଏହି ପଡ଼ିଆରେ ୧୧ ଜଣରୁ କମ୍ ଖେଳାଳି (ଧରାଯାଉ ୭ କିମ୍ବା ୮ ଜଣ) ରହିବେ, ତେବେ ପଡ଼ିଆର ଅଧିକାଂଶ ସ୍ଥାନ ଖାଲି ରହିବ। ଖେଳାଳିମାନଙ୍କୁ ବହୁତ ଅଧିକ ଦୌଡ଼ିଵାକୁ ପଡ଼ିଵ ଏଵଂ ସେମାନେ ବହୁତ ଶୀଘ୍ର ଥକିଯିବେ। ଖେଳର ଗତି ମଧ୍ୟ ମନ୍ଥର ହୋଇଯିଵ। ଅନ୍ୟପକ୍ଷରେ, ଯଦି ୧୧ ଜଣରୁ ଅଧିକ ଖେଳାଳି (ଧରାଯାଉ ୧୫ କିମ୍ବା ୧୮ ଜଣ) ପଡ଼ିଆକୁ ଓହ୍ଲାଇବେ, ତେବେ ପଡ଼ିଆରେ ପ୍ରଵଳ ଗହଳି ହୋଇଯିଵ। ବଲ୍କୁ ପାସ୍ କରିଵା କିମ୍ବା ରଣନୀତି ଅନୁସାରେ ଖେଳିଵା ଅସମ୍ଭଵ ହୋଇଯିଵ ଏଵଂ ଖେଳାଳିମାନେ ପରସ୍ପର ସହ ଧକ୍କା ହେଵାର ସମ୍ଭାଵନା ବଢ଼ିଯିଵ।
ତେଣୁ, ୧୦ ଜଣ ଫିଲ୍ଡ ଖେଳାଳି ଏଵଂ ଜଣେ ଵିଶେଷଜ୍ଞ (ଫୁଟବଲ୍ରେ ଗୋଲକିପର ଏଵଂ କ୍ରିକେଟ୍ରେ ବୋଲର/ୱିକେଟକିପର)—ଏହି ୧୧ ଜଣଙ୍କର ସଂଶ୍ଳେଷଣ ପଡ଼ିଆର ଖାଲି ସ୍ଥାନ ଏଵଂ ମାନଵୀୟ ଦୌଡ଼ିଵା କ୍ଷମତା ମଧ୍ୟରେ ଏକ ଅଦ୍ଭୁତ ସନ୍ତୁଳନ ସୃଷ୍ଟି କରେ। ଏହା ଖେଳକୁ ଅଧିକ ପ୍ରତିଯୋଗିତାମୂଳକ, ଦ୍ରୁତ ଏଵଂ ଦର୍ଶକମାନଙ୍କ ପାଇଁ ଦେଖିଵାକୁ ମନୋରଞ୍ଜନଧର୍ମୀ କରିଥାଏ।
କ୍ରିକେଟ୍, ଫୁଟବଲ୍ ଓ ହକିର ଇତିହାସକୁ ପଢ଼ିଲେ ଜଣାପଡ଼େ ଯେ ଯେଉଁ ନିୟମଗୁଡ଼ିକୁ ଆମେ ଆଜି ଅତ୍ୟନ୍ତ ଆଧୁନିକ ବୋଲି ଭାବୁଛୁ, ସେଗୁଡ଼ିକ ପ୍ରକୃତରେ ସମୟର ସ୍ରୋତରେ ଏଵଂ ସାଧାରଣ ମାନଵୀୟ ଅଭ୍ୟାସରୁ ଧୀରେ ଧୀରେ ଗଢ଼ି ଉଠିଛି। ଇଂଲଣ୍ଡର ସେହି ପୁରୁଣା ହଷ୍ଟେଲ୍ ରୁମ୍ର ଜଣେ ପ୍ରିଫେକ୍ଟ ଏଵଂ ୧୦ ଜଣ ଛାତ୍ରଙ୍କର ସେହି ଆମୋଦପ୍ରମୋଦର ନିୟମ ଆଜି ଵିଶ୍ୱର ସବୁଠାରୁ ପ୍ରସିଦ୍ଧ ତିନୋଟି ଖେଳର ବଡ଼ ଷ୍ଟାଡିୟମ୍ଗୁଡ଼ିକରେ କୋଟି କୋଟି ପ୍ରଶଂସକଙ୍କୁ ଆନନ୍ଦ ଦେଉଛି। ଏହିପରି ଭାବେ, '୧୧' କେଵଳ ଏକ ସଂଖ୍ୟା ହୋଇ ରହିନାହିଁ ଵରଂ ଏହା ସାରା ଵିଶ୍ୱର କ୍ରୀଡ଼ା ଇତିହାସର ଏକ ଅମର ଓ ରୋଚକ ପ୍ରତୀକ ପାଲଟିଯାଇଛି।
No comments:
Post a Comment