୧୯୮୦ ମସିହା ଜୁନ୍ ମାସରେ ଓଡ଼ିଶାରେ କଂଗ୍ରେସ ଦଳ ବହୁମତ ସହ କ୍ଷମତାକୁ ଆସିଥିଲା ଏଵଂ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେତେବେଳେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଅଵସ୍ଥିତ ପ୍ରଯୁକ୍ତିଵିଦ୍ୟା ଵିଶ୍ୱଵିଦ୍ୟାଳୟ(ଆଗେ UCE ଏବେ VSSUT) ପୂର୍ଵ ଭାରତର ଅନ୍ୟତମ ଶ୍ରେଷ୍ଠ ଵୈଷୟିକ ଶିକ୍ଷାନୁଷ୍ଠାନ ଥିଲା। ଓଡ଼ିଶାର କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଆଦି ବିଭିନ୍ନ ଉପକୂଳ, ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାଗୁଡ଼ିକରୁ ତଥା ଓଡ଼ିଶା ବାହାରର ଛାତ୍ରମାନେ ଆସି ସେଠାରେ ପାଠ ପଢ଼ୁଥିଲେ । ଶାନ୍ତ ଓ ମନୋରମ ପରିଵେଶ ମଧ୍ୟରେ ଅଵସ୍ଥିତ ଏହି କ୍ୟାମ୍ପସ୍ର ଛାତ୍ରମାନଙ୍କ ସହ ସ୍ଥାନୀୟ ଵ୍ୟଵସାୟୀ ଓ ପୁଲିସ ପ୍ରଶାସନର ମନୋମାଳିନ୍ୟ କୌଣସି ନୂଆ କଥା ନଥିଲା।
ସ୍ଥାନୀୟ ଲୋକ ଓ ଛାତ୍ରମାନଙ୍କ ମଧ୍ୟରେ ମଝିରେ ମଝିରେ ଵିଵାଦ ଲାଗି ରହୁଥିଲା ।
ଅଶି ଦଶକର ଆରମ୍ଭରୁ ଵିଦେଶୀ ପାଣ୍ଠି ବଳରେ ଵିଚ୍ଛିନ୍ନତାଵାଦ ଧିରେଧିରେ ବଢ଼ିଵା ଆରମ୍ଭ କରିଥିଲା । ସେତେବେଳେ ସ୍ଥାନୀୟ କିଛି ଅସାମାଜିକ ତତ୍ତ୍ୱ ଓ ଵ୍ୟଵସାୟୀଙ୍କ ମଧ୍ୟରେ "ସ୍ଥାନୀୟ ଲୋକ ବନାମ ବାହାରୁ ଆସିଥିଵା ଛାତ୍ର" ଭାବନା ରହିଥିଲା। ଵ୍ୟକ୍ତିଗତ ଗଣ୍ଡଗୋଳ ସମୟରେ କିଛି ସ୍ଥାନୀୟ ଅସାମାଜିକ ଲୋକ ଏହି ଆଞ୍ଚଳିକ ସଂଵେଦନଶୀଳତାକୁ ଵ୍ୟଵହାର କରି ଛାତ୍ରମାନଙ୍କ ଵିରୁଦ୍ଧରେ ସ୍ଥାନୀୟ ଲୋକଙ୍କୁ ଉସୁକାଉଥିଲେ।
ସେତେବେଳର ବୁର୍ଲା କ୍ୟାମ୍ପସ ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ଥିଲା ଏକ ଅଗ୍ନିଗର୍ଭା ପାହାଡ଼ ପରି। ମହାଵିସ୍ଫୋରଣର ବହୁ ପୂର୍ଵରୁ ଆଗ୍ନେୟଗିରିର ଗର୍ଭରୁ ଯେପରି ମଝିରେ ମଝିରେ ଉଚ୍ଛୁଳି ପଡ଼େ ତପ୍ତ ଲାଭାର ପ୍ରଥମ କଣିକା ଏଵଂ ଵିଷାକ୍ତ ବାଷ୍ପର କଳାବାଘ ଠିକ୍ ସେହିପରି ଛୋଟବଡ଼ ଅପ୍ରୀତିକର ଘଟଣା, ଉତ୍ତେଜନାପୂର୍ଣ୍ଣ କଳାଝଗଡ଼ା ଓ ଆକ୍ରୋଶର ସ୍ଫୁଲିଙ୍ଗଗୁଡ଼ିକ ପ୍ରତିଦିନ ବୁର୍ଲାର ଵାୟୁମଣ୍ଡଳକୁ ଉତ୍ତପ୍ତ କରିଚାଲିଥିଲେ। ସେହି ପ୍ରତ୍ୟେକଟି କ୍ଷୁଦ୍ର ସଂଘର୍ଷ କେଵଳ ଗୋଟିଏ କଥାର ଚେତାଵନୀ ଦେଉଥିଲା ଯେ ଅନ୍ତଃସଲିଳା ଭାବେ ଜଳୁଥିଵା ଏହି ନିଆଁ ବେଶୀ ଦିନ ଚାପିହୋଇ ରହିଵ ନାହିଁ।
୧୯୮୦ ମସିହା ସେପ୍ଟେମ୍ବର ମାସର ମଧ୍ୟଭାଗ ସମୟର ଘଟଣା । ବୁର୍ଲା ବଜାରର ଏକ ଦୋକାନରେ ଜଣେ ଇଂଜିନିୟରିଂ ଛାତ୍ରଙ୍କର ସ୍ଥାନୀୟ ଦୋକାନୀଙ୍କ ସହ କୌଣସି ଜିନିଷର ଦାମ୍ କିମ୍ବା ବାକି ଟଙ୍କାକୁ ନେଇ ସାମାନ୍ୟ ଵିଵାଦ ହୋଇଥିଲା। ସେହି ସମୟରେ ଵିଵାଦ ସମାଧାନ କରିଵା ପରିଵର୍ତ୍ତେ ଵ୍ୟଵସାୟୀ ସଂଘ ଓ ଗୁଣ୍ଡାଶ୍ରେଣୀର ଵିଚ୍ଛିନ୍ନତାଵାଦୀ ଲୋକମାନେ ଏକାଠି ହୋଇ ଉକ୍ତ ଛାତ୍ରଙ୍କୁ ଦୁର୍ଵ୍ୟଵହାର କରିଥିଲେ।
ଉତ୍କଳ ଗୌରଵ ମଧୁସୁଦନ ଦାସ ଥରେ କହିଥିଲେ, "ଭିନ୍ନ ଭିନ୍ନ ଜାତୀୟ ଦୁଇଜଣଙ୍କ ମଧ୍ୟରେ କୌଣସି ଵିଵାଦ ହେଲେ ଲୋକେ ଏହି ଵିଵାଦକୁ ଦୁଇ ଜାତିଙ୍କ ମଧ୍ୟରେ ଵିଵାଦ ହେଲା ବୋଲି ସ୍ଥିର କରନ୍ତି, କିମ୍ବା ଏହି ଵ୍ୟକ୍ତିଗତ ଵିଵାଦକୁ ଜାତୀୟ ଵିଵାଦର ଫଳ ବୋଲି କହି ବୁଲନ୍ତି।"
ଠିକ୍ ସେହିପରି ଏଠି ମଧ୍ୟ ଯେତେବେଳେ ବୁର୍ଲା ପ୍ରଯୁକ୍ତିଵିଦ୍ୟା ଵିଶ୍ୱଵିଦ୍ୟାଳୟର ଛାତ୍ର ସହିତ ଜଣେ ସ୍ଥାନୀୟ ଵ୍ୟକ୍ତିର କୌଣସି ଏକ ଵ୍ୟକ୍ତିଗତ କାରଣରୁ ଝଗଡ଼ା ହେଲା ସେତେବେଳେ ତାକୁ ଵ୍ୟକ୍ତିଗତ ଝଗଡ଼ା ନ ଭାବି ଆଞ୍ଚଳିକ ଵିଦ୍ୱେଷ ଏଵଂ 'ସ୍ଥାନୀୟ ବନାମ ବାହାର'ର ରଙ୍ଗ ବୋଳି ଦିଆଗଲା।
ଜଣେ ଦୋକାନୀର ସାମାନ୍ୟ ଅହଂକାର ଏଵଂ କ୍ୟାମ୍ପସର ତରୁଣ ରକ୍ତର ସ୍ୱାଭାଵିକ ପ୍ରତିକ୍ରିୟା ମଧ୍ୟରେ ସେହିଦିନ ଯେଉଁ ତିକ୍ତତାର ସୂତ୍ରପାତ ହୋଇଥିଲା, ସେଥିରେ ବଳି ପଡ଼ିଥିଲା ସାଧାରଣ ଆପୋଷ ସୌହାର୍ଦ୍ଦ୍ୟ।
ଏହି ଖବର କ୍ୟାମ୍ପସରେ ପହଞ୍ଚିଵା ପରେ ସେହି ଵିଚ୍ଛିନ୍ନତାଵାଦୀ ଘଟଣାର ପ୍ରତିଵାଦ କରିଵାକୁ କେତେକ ଛାତ୍ର ବଜାରକୁ ଆସିଥିଲେ। କିନ୍ତୁ ବୁର୍ଲାର କିଛି ପ୍ରଭାଵଶାଳୀ ଗୋଷ୍ଠୀ ଏଵଂ ଅସାମାଜିକ ତତ୍ତ୍ୱ ଏହାକୁ ନିଜର ଆଧିପତ୍ୟ ପ୍ରତି ଆହ୍ୱାନ ଭାବେ ଗ୍ରହଣ କରିଥିଲେ। ଧୀରେ ଧୀରେ ଏହି ଉତ୍ତେଜନା କ୍ୟାମ୍ପସ ଏଵଂ ସ୍ଥାନୀୟ ଵ୍ୟଵସାୟୀଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲା।
ସେପ୍ଟେମ୍ବର ୨୭-୨୮ ତାରିଖ ଆଡ଼କୁ ପରିସ୍ଥିତି ଅତ୍ୟନ୍ତ ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଭାରତରେ ଅଶାନ୍ତି ସୃଷ୍ଟି କରିଵା ପାଇଁ ଵିଦେଶୀ ଶକ୍ତି ଭାରତ ସ୍ଵାଧୀନ ହେଵା ପରଠାରୁ ହିଁ ଅନେଇ ବସିଛନ୍ତି । ସେମାନେ ଯେମିତି ଦେଖିଲେ ଓଡ଼ିଶାରେ ଆଞ୍ଚଳିକ ଭେଦଭାବ ଵୃଦ୍ଧି ପାଉଛି ସଙ୍ଗେ ସଙ୍ଗେ କିଛି ଟଙ୍କା ଫୋପାଡ଼ିଦେଲେ । ଫଳତଃ ସ୍ଥାନୀୟ କିଛି ଅସାମାଜିକ ତତ୍ତ୍ୱ, ମାଫିଆ ଏଵଂ ସଂଘବଦ୍ଧ ଗୋଷ୍ଠୀ ମାରାତ୍ମକ ଅସ୍ତ୍ରଶସ୍ତ୍ର, ଲାଠି, ଠେଙ୍ଗା ଓ ଖଣ୍ଡା ଧରି ଛାତ୍ରମାନଙ୍କ ଉପରେ ଚଢ଼ାଉ କରିଥିଲେ।
ଛାତ୍ରମାନେ ନିଜକୁ ବଞ୍ଚାଇଵା ପାଇଁ ହୋଷ୍ଟେଲ ଓ ଆଖପାଖ ଅଞ୍ଚଳକୁ ଦୌଡ଼ିଥିଲେ। ମାତ୍ର ଉତ୍ତ୍ୟକ୍ତ ଗୋଷ୍ଠୀ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅନ୍ଧକାର ରାତିରେ ଜୀଵନ ଵିକଳରେ କିଛି ଛାତ୍ର ,ହିରାକୁଦ ଜଳଭଣ୍ଡାରରୁ ବାହାରିଥିବା ଦ୍ରୁତସ୍ରୋତା କେନାଲ "ବୁର୍ଲା ପାୱାର ଚ୍ୟାନେଲ୍" ଆଡ଼କୁ ଦୌଡ଼ି ଯାଇଥିଲେ। ପଛରୁ ଗୋଡ଼ାଉଥିଵା ଆକ୍ରମଣକାରୀଙ୍କ ଭୟ ଏଵଂ ପାୱାର ଚ୍ୟାନେଲର ଗଭୀର ପାଣି , ଏହି ଦୁଇଟି ମୃତ୍ୟୁଫାନ୍ଦ ମଧ୍ୟରେ ଛାତ୍ରମାନେ ଛନ୍ଦି ହୋଇପଡ଼ିଥିଲେ। ଅନେକ ଛାତ୍ରଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟି ପିଟି ମାରି ପାୱାର ଚ୍ୟାନେଲର ସ୍ରୋତରେ ଫିଙ୍ଗି ଦିଆଯାଇଥିଲା, ଆଉ କିଛି ନିଜ ଜୀଵନ ବଞ୍ଚାଇଵାକୁ ପାଣିକୁ ଡେଇଁ ବୁଡ଼ିଯାଇଥିଲେ। ଏହି ଘଟଣାର ଉଦାହରଣ ଦେଇ ଆଜି ବି ଓଡ଼ିଶାର ପଶ୍ଚିମାଞ୍ଚଳର କିଛି ଵିଚ୍ଛିନ୍ନତାଵାଦୀ ଉପକୂଳର ଲୋକଙ୍କୁ ଡରାଇ କୁହନ୍ତି ଆମେ ରାଗିଲେ ଅଶି ଦଶକ ଭଳି ହାଣୁ ଆରମ୍ଭ କରି ଆମ ଅଞ୍ଚଳରେ ଥିଵା ସବୁ ଉପକୂଳିଆଙ୍କୁ ମାରିଦେବୁ ।
ତେବେ ଯୋଉ ରାତିରେ ଛାତ୍ରମାନଙ୍କ ଉପରେ ସ୍ଥାନୀୟ ଵିଚ୍ଛିନ୍ନତାଵାଦୀମାନେ ବର୍ବରତାର ସହିତ ଆକ୍ରମଣ କରିଥିଲେ ତାପରଦିନ ସକାଳେ ଯେତେବେଳେ ପାୱାର ଚ୍ୟାନେଲର ଜଳରାଶିରୁ ଗୋଟିଏ ପରେ ଗୋଟିଏ ଛାତ୍ରଙ୍କ ମୃତଦେହ ଭାସିଵାକୁ ଲାଗିଲା, ସାରା ସମ୍ବଲପୁର ଓ ବୁର୍ଲା ଅଞ୍ଚଳରେ ଶୋକ ଓ ଆତଙ୍କର ଛାୟା ଖେଳିଗଲା। ସରକାରୀ ଓ ବେସରକାରୀ ହିସାବ ଅନୁଯାୟୀ, ୧୪ ଜଣ ମେଧାବୀ ଇଂଜିନିୟରିଂ ଛାତ୍ରଙ୍କୁ ହତ୍ୟା କରାଯାଇଥିଲା। ବହୁ ସଂଖ୍ୟକ ଛାତ୍ର ଗୁରୁତର ଆହତ ହୋଇଥିଲେ ଏବଂ ଅନେକ ଦିନ ପର୍ଯ୍ୟନ୍ତ କିଛି ଛାତ୍ର ନିଖୋଜ ରହିଥିଲେ।
ମୃତଦେହଗୁଡ଼ିକର ଵିଭତ୍ସ ରୂପ ଦେଖି ଲୋକଙ୍କ ଆଖିରୁ ଲୁହ ଶୁଖିଯାଇଥିଲା। ଦେଶର ଭଵିଷ୍ୟତ ଗଢ଼ିଵାକୁ ଆସିଥିଵା ମେଧାବୀ ଛାତ୍ରମାନଙ୍କୁ ବାହାରିଆ ସଜେଇ ଏପରି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ଯେ ତାହା ସାରା ଓଡ଼ିଶାର ଜନସାଧାରଣଙ୍କୁ ସ୍ତବ୍ଧ ଓ ଆଘାତପ୍ରାପ୍ତ କରିଥିଲା।
ବୁର୍ଲା ହତ୍ୟାକାଣ୍ଡର ଖବର ଦାଵାନଳ ପରି ସାରା ଓଡ଼ିଶାରେ ଵ୍ୟାପିଗଲା। କଟକର ରେଭେନ୍ସା କଲେଜ, ଭୁଵନେଶ୍ୱରର ଉତ୍କଳ ଵିଶ୍ୱଵିଦ୍ୟାଳୟ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁରର ସମସ୍ତ କଲେଜ ଏଵଂ ଵିଶ୍ୱଵିଦ୍ୟାଳୟର ଛାତ୍ରସମାଜ ରାଜପଥକୁ ଓହ୍ଲାଇ ଆସିଥିଲେ। ସେତେବେଳେ ଏହାକୁ ଛାତ୍ରସମାଜ ଉପରେ ଆକ୍ରମଣ ଵିଚାର କରାଯାଇଥିଲା ତେଣୁ ସବୁ ଅଞ୍ଚଳର ଛାତ୍ର ଵିରୋଧ ଓ ଆନ୍ଦୋଳନ କଲେ । ଆନ୍ଦୋଳନକୁ ପରିଚାଳିତ କରିଵା ପାଇଁ ରାଜ୍ୟର ସମସ୍ତ ଵିଶ୍ୱଵିଦ୍ୟାଳୟ ଓ କଲେଜର ଛାତ୍ରନେତାମାନେ ଏକାଠି ହୋଇ 'ସର୍ଵ ଓଡ଼ିଶା ଛାତ୍ର ସଂଗ୍ରାମ ସମିତି' ଗଠନ କରିଥିଲେ।ରାଜ୍ୟର କୋଣସି ବି ଶିକ୍ଷାନୁଷ୍ଠାନ ଚାଲିପାରିନଥିଲା। ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍ ହୋଇଯାଇଥିଲା। ଭୁବନେଶ୍ୱରର ଵିଧାନସଭା ଆଗରେ ଏଵଂ ସମସ୍ତ ଜିଲ୍ଲା ସଦର ମହକୁମାରେ ହଜାର ହଜାର ଛାତ୍ର ଵିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକୁ ଦବାଇଵା ପାଇଁ ତତ୍କାଳୀନ କଂଗ୍ରେସ ସରକାର,ପୁଲିସ ବଳ ପ୍ରୟୋଗ କରିଥିଲା। ଅନେକ ସ୍ଥାନରେ ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ ଓ ଗୁଳିଚାଳନା ହୋଇଥିଲା। ବହୁ ଛାତ୍ରନେତାଙ୍କୁ ଜେଲ୍ରେ ପୂରାଇ ଦିଆଯାଇଥିଲା। ଫଳତଃ ଏଥିରେ ଉତ୍ତେଜନା ଆହୁରି ବଢ଼ିଲା ଏଵଂ ଏହି ଆନ୍ଦୋଳନ କେଵଳ ଛାତ୍ରମାନଙ୍କ ମଧ୍ୟରେ ସୀମାବଦ୍ଧ ହୋଇ ରହିନଥିଲା ଵରଂ ସାଧାରଣ ଜନତା, ଓକିଲ, ଶିକ୍ଷକ ଓ ବୁଦ୍ଧିଜୀଵୀମାନେ ମଧ୍ୟ ଛାତ୍ରମାନଙ୍କ ସମର୍ଥନରେ ବାହାରିଥିଲେ।
ମାତ୍ର କିଛି ମାସ ତଳେ ଗଠିତ ହୋଇଥିଵା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ପାଇଁ ଏହା ଏକ ଵିଶାଳ ରାଜନୈତିକ ସଙ୍କଟ ଭାବେ ଛିଡ଼ା ହୋଇଥିଲା। ସରକାରଙ୍କ ଉପରେ ଚାପ ଏତେ ଵୃଦ୍ଧି ପାଇଥିଲା ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଵିପର୍ଯ୍ୟସ୍ତ ହୋଇପଡ଼ିଥିଲା।
ଦାବି ପୂରଣ ଓ ଜନଆକ୍ରୋଶକୁ ପ୍ରଶମିତ କରିଵା ପାଇଁ ସରକାର ବାଧ୍ୟ ହୋଇ ଏକ ଉଚ୍ଚସ୍ତରୀୟ ଜୁଡିସିଆଲ ତଦନ୍ତ କମିଶନ ଘୋଷଣା କରିଥିଲେ। ହାଇକୋର୍ଟର ଵିଚାରପତି ଜଷ୍ଟିସ ନିଶାମଣି ରଥଙ୍କ ନେତୃତ୍ୱରେ 'ନିଶାମଣି ରଥ କମିଶନ' ଗଠନ କରାଯାଇଥିଲା। କମିଶନ ବୁର୍ଲା ଘଟଣାର ସୂକ୍ଷ୍ମ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରେ ସ୍ଥାନୀୟ ଅସାମାଜିକ ତତ୍ତ୍ୱଙ୍କ ନିର୍ଦ୍ଦୟତା, ପୁଲିସ ପ୍ରଶାସନର ନିଷ୍କ୍ରିୟତା ଏଵଂ ଆଇନ ଶୃଙ୍ଖଳାର ଵିଫଳତାକୁ ସମାଲୋଚନା କରାଯାଇଥିଲା। ଏହା ପରେ କେତେକ ଦୋଷୀଙ୍କୁ ଗିରଫ କରାଯାଇଥିଲା ଏବଂ ପୁଲିସ ଅଫିସରଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
୧୯୮୦ର ବୁର୍ଲା ଟ୍ରାଜେଡ଼ି ଓ ପରଵର୍ତ୍ତୀ ଛାତ୍ର ଆନ୍ଦୋଳନ ଓଡ଼ିଶାର ସାମାଜିକ ଓ ରାଜନୈତିକ ଦିଗବଳୟକୁ ସଦାସର୍ଵଦା ପାଇଁ ବଦଳାଇ ଦେଇଥିଲା । ଏହି ଆନ୍ଦୋଳନ ପ୍ରମାଣିତ କରିଥିଲା ଯେ ଓଡ଼ିଶାର ଛାତ୍ରସମାଜ ଏକଜୁଟ ହେଲେ ଯେକୌଣସି ଶକ୍ତିଶାଳୀ ସରକାରଙ୍କୁ ଦୋହଲାଇ ପାରିବେ। ଏଥିରୁ ଅନେକ ଭଵିଷ୍ୟତର ରାଜନେତା ଜନ୍ମ ନେଇଥିଲେ। ତତ୍କାଳୀନ ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରଙ୍କ ଭାଵମୂର୍ତ୍ତିରେ ଏହା ଏକ ବଡ଼ ଦାଗ ହୋଇ ରହିଗଲା, ଯାହାର ପ୍ରଭାଵ ଆଗାମୀ ନିର୍ଵାଚନଗୁଡ଼ିକରେ ମଧ୍ୟ ଦେଖିଵାକୁ ମିଳିଥିଲା। ଇଂଜିନିୟରିଂ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରମାନଙ୍କ ନିରାପତ୍ତା ଏଵଂ ସ୍ଥାନୀୟ ପ୍ରଶାସନ ସହ ସମ୍ପର୍କକୁ ନେଇ କଠୋର ନିୟମାଵଳୀ ପ୍ରଣୟନ କରାଗଲା। ବୁର୍ଲା ପ୍ରଯୁକ୍ତିଵିଦ୍ୟା ଵିଶ୍ୱଵିଦ୍ୟାଳୟର ଛାତ୍ରଙ୍କର ହତ୍ୟାକାଣ୍ଡ ଘଟଣା ପରଵର୍ତ୍ତୀ ସମୟରେ ଆଞ୍ଚଳିକ ମନୋମାଳିନ୍ୟକୁ ଅଧିକ ଗଭୀର କରିଦେଇଥିଲା। ଏହି ହତ୍ୟାକାଣ୍ଡ ଏଵଂ ତା'ପରର ରାଜ୍ୟଵ୍ୟାପୀ ଉତ୍ତେଜନା ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ଥିଵା ସାମାଜିକ ଓ ସାଂସ୍କୃତିକ ଦୂରତାକୁ ବଢ଼ାଇଵାରେ ଇନ୍ଧନ ଭାବେ କାମ କରିଥିଲା, ଯାହାକୁ ପରଵର୍ତ୍ତୀ ସମୟରେ ଆଞ୍ଚଳିକ ରାଜନୀତି ଓ ପୃଥକ ରାଜ୍ୟ ଦାବିଦାରମାନେ ନିଜର ଆଲୋଚନାରେ ଵ୍ୟଵହାର କରିଥିଲେ।
କିନ୍ତୁ ବୁର୍ଲା ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀମାନଙ୍କୁ ଆଇନଗତ ଭାବେ କୌଣସି କଠୋର କିମ୍ବା ଉଦାହରଣମୂଳକ ଦଣ୍ଡ ମିଳିପାରି ନଥିଲା। ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ, ପ୍ରମାଣର ଅଭାବ ଏଵଂ ସାକ୍ଷୀମାନଙ୍କ ଭୟ ଯୋଗୁଁ ଅଧିକାଂଶ ଦୋଷୀ ବଞ୍ଚିଯାଇଥିଲେ। ଜଷ୍ଟିସ ନିଶାମଣି ରଥ କମିଶନ ନିଜ ରିପୋର୍ଟରେ ସ୍ଥାନୀୟ ଅସାମାଜିକ ତତ୍ତ୍ୱଙ୍କ ନିର୍ଦ୍ଦୟତା ଏଵଂ ସେତେବେଳର ପୁଲିସ ପ୍ରଶାସନର ଚରମ ନିଷ୍କ୍ରିୟତାକୁ ସ୍ପଷ୍ଟ ଭାବେ ଦାୟୀ କରିଥିଲେ।
କମିଶନଙ୍କ ସୁପାରିଶ ପରେ କେତେକ ସ୍ଥାନୀୟ ଅସାମାଜିକ ଲୋକଙ୍କୁ ଗିରଫ କରାଯାଇଥିଲା। ଘଟଣା ସମୟରେ ଅଵହେଳା ଦେଖାଇଥିବା କେତେକ ପୁଲିସ ଅଫିସରଙ୍କ ଵିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ (ବଦଳି ଓ ନିଲମ୍ବନ) ଗ୍ରହଣ କରାଯାଇଥିଲା। ମାମଲା ଅଦାଲତକୁ ଯିଵା ପରେ ଦୀର୍ଘ ଵର୍ଷ ଧରି ମୋକଦ୍ଦମା ଚାଲିଥିଲା। ମାତ୍ର ଶେଷରେ ନ୍ୟାୟ ମିଳିଵା ପରିଵର୍ତ୍ତେ ନିରାଶା ହିଁ ମିଳିଥିଲା । ସ୍ଥାନୀୟ ଗୁଣ୍ଡାଶ୍ରେଣୀର ଲୋକଙ୍କ ଭୟରେ ଅନେକ ପ୍ରତ୍ୟକ୍ଷଦର୍ଶୀ ଓ ସାକ୍ଷୀ ଅଦାଲତରେ ନିଜ ବୟାନରୁ ଓହରି ଯାଇଥିଲେ। ପୁଲିସ ପକ୍ଷରୁ ସଂଗୃହୀତ ପ୍ରମାଣଗୁଡ଼ିକ ଆଇନଗତ ଦୃଷ୍ଟିରୁ ଯଥେଷ୍ଟ କଠୋର ନଥିଲା। ଏହିସବୁ କାରଣରୁ ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ସନ୍ଦେହର ଲାଭ ଵା "Benefit of doubt" ଯୋଗୁଁ ଅଦାଲତରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଇଥିଲେ।
୧୪ ଜଣ ମେଧାବୀ ଇଂଜିନିୟରିଂ ଛାତ୍ରଙ୍କ ଜୀବନ ଚାଲିଗଲା ଏବଂ ୧୪ଟି ପରିବାର ସାରା ଜୀବନ ପାଇଁ ଅନ୍ଧକାର ଭିତରକୁ ଠେଲିହୋଇଗଲେ, ମାତ୍ର ସେମାନଙ୍କୁ ମାରିଥିଵା ଅପରାଧୀମାନେ ଆଇନର ଗ୍ରାସରୁ ଖସିଯିଵାରେ ସଫଳ ହୋଇଥିଲେ।
ଏହି କାରଣରୁ, ଓଡ଼ିଶାର ଇତିହାସ ଓ ଜନମାନସରେ ୧୯୮୦ର ବୁର୍ଲା ଟ୍ରାଜେଡ଼ି ଆଜି ବି "ଅପୂରଣୀୟ ନ୍ୟାୟ" ଵା Undelivered Justiceର ଏକ ନିଷ୍ଠୁର ଉଦାହରଣ ହୋଇ ରହିଯାଇଛି। ପୁଣି ଏହି ଘଟଣାରୁ ଜାତ ହୋଇଥିଵା ଆଞ୍ଚଳିକଵାଦ ଓ ଆଞ୍ଚଳିକଵାଦୀ ପରଵର୍ତ୍ତୀ କାଳରେ ଵିଚ୍ଛିନ୍ନତାଵାଦକୁ ଆହୁରି ସଶକ୍ତ କଲେ । ସ୍ଥାନୀୟ ଲୋକ ଭାବରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ହାଣି ମାରି ଦେଲେ ବି ଆଇନ୍ ସେମାନଙ୍କର କିଛି କରିପାରିଵ ନାହିଁ ବୋଲି ଏକ ଭ୍ରାନ୍ତ ଧାରଣା ଓ ଆଇନ ପ୍ରତି ଭୟହୀନତା କେତେକ ସଂକୀର୍ଣ୍ଣ ଗୋଷ୍ଠୀ ତଥା ଵ୍ୟକ୍ତିଙ୍କ ମନରେ ଦୃଢ଼ୀଭୂତ ହୋଇଗଲା। ନ୍ୟାୟ ନମିଳିଵାର ଏହି ଚରମ ପ୍ରଶାସନିକ ଓ ଆଇନଗତ ଵିଫଳତା କେଵଳ ଅପରାଧୀଙ୍କ ସାହସ ବଢ଼ାଇନଥିଲା ଵରଂ ଗୋଟିଏ ମାଟିର ସନ୍ତାନମାନଙ୍କ ମଧ୍ୟରେ ଅଵିଶ୍ୱାସ ଓ ସନ୍ଦେହର ଏକ ବଡ଼ ସୀମାରେଖା ଟାଣିଦେଇଥିଲା। ଜାତୀୟ ଏକତା ଓ ସୌହାର୍ଦ୍ଦ୍ୟର ଯେଉଁ ସୂକ୍ଷ୍ମ ଡୋରି ଓଡ଼ିଶାର ସଂସ୍କୃତିକୁ ବାନ୍ଧି ରଖିଥିଲା, ସେଥିରେ ଆଞ୍ଚଳିକତା ଓ ଵିଚ୍ଛିନ୍ନତାଵାଦର ଵିଷାକ୍ତ କୀଟ ଦଂଶନ କରିସାରିଥିଲା। ନ୍ୟାୟର ଆଲୋକରୁ ବଞ୍ଚିତ ହୋଇଥିଵା ସେହି ରକ୍ତାକ୍ତ ସ୍ମୃତି, ସମାଜରେ ଶାନ୍ତି ପ୍ରତିଷ୍ଠା କରିଵା ପରିଵର୍ତ୍ତେ, ଆଞ୍ଚଳିକ ଵିଦ୍ୱେଷର ନିଆଁକୁ ଵର୍ଷ ଵର୍ଷ ଧରି ଭିତରେ ଭିତରେ ଜଳାଇ ରଖିଵାରେ ଇନ୍ଧନ ସାଜିଲା।
ସମୟର ଵିଶାଳ ସ୍ରୋତରେ ସେପ୍ଟେମ୍ବରର ସେହି ରକ୍ତାକ୍ତ ତାରିଖଗୁଡ଼ିକ ହୁଏତ ଇତିହାସର ସୁଖିଯାଇଥିଵା ସ୍ୟାହି ଭଳି ଧୀରେ ଧୀରେ ଫିକା ପଡ଼ିଯାଇପାରେ ମାତ୍ର ବୁର୍ଲାର ପାୱାର ଚ୍ୟାନେଲର ନିଶବ୍ଦ ଜଳରାଶି ଆଜି ବି ସେହି କାଳରାତ୍ରିର ଆତଙ୍କିତ ଚିତ୍କାରକୁ ନିଜ ବୁକୁରେ ସାଉଁଟି ରଖିଛି।
ସେଦିନ ଯେଉଁ ଚଉଦ ଜଣ ମେଧାଵୀ ତରୁଣ ନିଜ ଆଖିରେ ସୁନେଲି ସ୍ୱପ୍ନର ଜାଲ ବୁଣି ଏହି ଵିଦ୍ୟାପୀଠକୁ ଆସିଥିଲେ, ସେମାନେ କୌଣସି ଜାତି, ଧର୍ମ କିମ୍ବା ଆଞ୍ଚଳିକ ପ୍ରାଚୀରର ପ୍ରତୀକ ନଥିଲେ। ସେମାନେ ଥିଲେ ଏହି ମାଟିର ସୁଯୋଗ୍ୟ ସନ୍ତାନ, ଦେଶର ନିର୍ମାତା ଏଵଂ ନିଜ ନିଜ ମା'ର ଆଖିର ତାରା। ସେମାନେ ଆସିଥିଲେ ସେତୁ ଓ ପ୍ରାସାଦ ଗଢ଼ିଵାକୁ ମାତ୍ର ମଣିଷ-ମଣିଷ ମଧ୍ୟରେ ଗଢ଼ିଉଠିଥିଵା ଆଞ୍ଚଳିକ ସଂକୀର୍ଣ୍ଣତାର କ୍ଷୁଦ୍ର ମାନସିକତା ସେମାନଙ୍କ ଜୀଵନର ଅସମାପ୍ତ ସ୍ୱପ୍ନଗୁଡ଼ିକୁ କ୍ଷଣକ ମଧ୍ୟରେ ନିର୍ଦ୍ଦୟ ଭାବେ ଚୂରମାର୍ କରିଦେଲା।
ଯେଉଁ ବାପାମାଆଙ୍କ କୋଳରୁ ସେମାନଙ୍କ ପୁଅ ସଦାଦିନ ପାଇଁ ଛଡ଼ାଇ ନିଆଗଲା, ସେହି ପୁତ୍ରହରା ବାପାମାଆମାନଙ୍କ ଆଖିର ଲୁହ କୌଣସି ଭାଷା କିମ୍ବା ଆଞ୍ଚଳିକ ସୀମା ବୁଝୁନଥିଲା। ଲୁହ ଓ ଲହୁର ରଙ୍ଗ ସବୁଠି ସମାନ ଏଵଂ ନିରପରାଧୀ ସନ୍ତାନଙ୍କ ସ୍ମୃତିରେ ଝୁରୁଥିଵା ସେହି ମା'ମାନଙ୍କର ନୀରଵ କାନ୍ଦଣା ଆଜି ବି ଆମ ସମାଜର ଵିବେକକୁ ପ୍ରଶ୍ନ କରେ ଯେ "ଆଇନର ଦଲିଲ୍ରେ ହଜିଯାଇଥିଵା ସେହି ନ୍ୟାୟ ଆଉ କେବେ ଆସିଵ ?"
ଇତିହାସ ଆମକୁ ଏହି ନିଷ୍ଠୁର ସତ୍ୟ ଶିଖାଏ ଯେ ଵିଭାଜନ ଓ ଵିଦ୍ୱେଷର ନିଆଁ ଲଗାଇଲେ କେଵଳ ଅନ୍ୟର ଘର ଜଳେନାହିଁ ଵରଂ ସମଗ୍ର ସଭ୍ୟତା, ଭାଇଚାରା ଓ ସଂସ୍କୃତିର ଆତ୍ମା ଦଗ୍ଧ ହୋଇଯାଏ। ବୁର୍ଲାର ସେହି ୧୪ଟି କୋମଳ ପ୍ରାଣର ଆହୁତି ଆମକୁ ସଦାସର୍ଵଦା ଏହି ଚେତାବନୀ ଦେଉଥିଵ ଯେ, ଯେପର୍ଯ୍ୟନ୍ତ ଆମେ ମାଟି ଓ ଆଞ୍ଚଳିକତାର ସୀମାରୁ ଉପରକୁ ଉଠି 'ମଣିଷପଣିଆ'କୁ ନିଜର ଆଦ୍ୟ ପରିଚୟ ନକରିଛେ, ସେପର୍ଯ୍ୟନ୍ତ ପ୍ରକୃତ ନ୍ୟାୟ ଓ ସୌହାର୍ଦ୍ଦ୍ୟର ସୂର୍ଯ୍ୟୋଦୟ ଅସମ୍ଭଵ। ସେମାନଙ୍କର ଅସମାପ୍ତ ଆଶା ଏଵଂ ନୀରଵ ପ୍ରଶ୍ନଗୁଡ଼ିକ ଆଜି ବି ବୁର୍ଲାର ପଵନରେ ଏକ କରୁଣ ପ୍ରତିଧ୍ୱନି ହୋଇ ଭାସିବୁଲୁଛି...।
No comments:
Post a Comment