My Blog List

Monday, July 13, 2026

ଗ୍ରୀକ୍ ଭାଷାକୁ ନେଇ ଦେଢ଼ ଶତାବ୍ଦୀ ଧରି ଚାଲିଥିଵା ମହାସଂଘର୍ଷର କାହାଣୀ

ପ୍ରାଚୀନ ଗ୍ରୀକ୍ ଦେଵତାମାନଙ୍କ ମଧ୍ୟରେ ଦୁଇଜଣ ଭାଇ ଥିଲେ ଏଵଂ ସେମାନେ ମାନଵ ମସ୍ତିଷ୍କ ଓ ସମାଜର ଦୁଇଟି ଵିପରୀତ ମେରୁକୁ ପ୍ରତିନିଧିତ୍ୱ କରୁଥିଲେ। ଜଣେ ହେଉଛନ୍ତି Apollo ଏଵଂ ସେ ସୂର୍ଯ୍ୟ, ଜ୍ଞାନ, ସତ୍ୟ, ଶୃଙ୍ଖଳା, ଯୁକ୍ତି ଓ ଶୁଦ୍ଧତାର ଦେଵତା ଅଟନ୍ତି। ଅନ୍ୟଜଣକ ହେଉଛନ୍ତି ଡାୟୋନିସସ୍ Dionysus ଏଵଂ ସେ ମଦ୍ୟ, ଉତ୍ସଵ, କାଳ୍ପନିକ ଉନ୍ମାଦନା, ପ୍ରକୃତିର ସହଜ ପ୍ରବୃତ୍ତି ଏଵଂ ସାଧାରଣ ଜନତାଙ୍କ ଭାବପ୍ରବଣତାର ଦେଵତା ଅଟନ୍ତି ।

ଗ୍ରୀକ୍ ପୁରାଣ ଅନୁସାରେ, ଦେଵରାଜ ଜିଉସ୍‌ଙ୍କ ଏହି ଦୁଇ ପୁତ୍ରଙ୍କ ମଧ୍ୟରେ ସର୍ଵଦା ଏକ ଅଦୃଶ୍ୟ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଆପୋଲୋ ଚାହୁଁଥିଲେ ଯେ ସଂସାର ଏକ ନିର୍ଦ୍ଦିଷ୍ଟ ନିୟମ, ସୁନ୍ଦର ଜ୍ୟାମିତିକ ଶୃଙ୍ଖଳା ଏଵଂ ଅତି ଉଚ୍ଚ ମାନସିକ ସ୍ତରରେ ପରିଚାଳିତ ହେଉ। ସେ ଥିଲେ ଭଦ୍ରଲୋକ, ଦାର୍ଶନିକ ଓ ଶାସକମାନଙ୍କର ପ୍ରେରଣା। ତାଙ୍କ ପ୍ରତିଭା ସ୍ଫଟିକ ପରି ସ୍ୱଚ୍ଛ ଓ ଅପରିଵର୍ତ୍ତନୀୟ ଥିଲା।
ଅପରପକ୍ଷରେ, ଡାୟୋନିସସ୍ ରହୁଥିଲେ ଜଙ୍ଗଲରେ, ପାହାଡ଼ରେ, ଗାଁର ମେଳା ମହୋତ୍ସଵରେ। ସେ ସାଧାରଣ ଚାଷୀ, ମୂଲିଆ ଓ ଵାଦ୍ୟକାରମାନଙ୍କ ଗହଣରେ ନାଚୁଥିଲେ। ସେ କହୁଥିଲେ ଯେ ଜୀଵନ ନିୟମର ଶିକୁଳିରେ ବନ୍ଧା ନୁହେଁ ଵରଂ ପ୍ରବାହିତ ଭାବନାର ଏକ ଝରଣା ଅଟେ। ଆପୋଲୋ ଯଦି 'ଅତୀତର ଗୌରଵ ଓ ସ୍ଥିରତା' ଥିଲେ, ତେବେ ଡାୟୋନିସସ୍ ଥିଲେ 'ଵର୍ତ୍ତମାନର ସହଜ ସତ୍ୟ ଓ ପରିଵର୍ତ୍ତନ'।

ଶୀତଦିନର ତିନି ମାସ ପାଇଁ ଆପୋଲୋ ଯେତେବେଳେ ସୂର୍ଯ୍ୟର ସନ୍ଧାନରେ ଉତ୍ତର ଦିଗକୁ ଚାଲିଯାଉଥିଲେ ସେତେବେଳେ ସେ ତାଙ୍କର ପଵିତ୍ର ମନ୍ଦିରର ଦାୟିତ୍ୱ ଡାୟୋନିସସ୍‌ଙ୍କ ହାତରେ ସମର୍ପି ଦେଉଥିଲେ। ସେହି ତିନି ମାସ ମନ୍ଦିରର ଗମ୍ଭୀର ନିରଵତା ଭାଙ୍ଗି ଲୋକକଳା ଓ ନୃତ୍ୟର ଉତ୍ସଵ ସୃଷ୍ଟି ହେଉଥିଲା। ପୁଣି ଵସନ୍ତ ଆସିଲେ ଆପୋଲୋ ଫେରୁଥିଲେ ଏଵଂ ଶୃଙ୍ଖଳା ଫେରିଆସୁଥିଲା।

ଗ୍ରୀକ୍ ଦାର୍ଶନିକମାନେ ଦର୍ଶାଇଛନ୍ତି ଯେ, ଯେପର୍ଯ୍ୟନ୍ତ ଏହି ଦୁଇ ଶକ୍ତି ମଧ୍ୟରେ ସନ୍ତୁଳନ ରହିଥାଏ, ସେପର୍ଯ୍ୟନ୍ତ ସଭ୍ୟତା ସୁରକ୍ଷିତ ରହେ। କିନ୍ତୁ ଯେତେବେଳେ ସମାଜ କେଵଳ ଅତ୍ୟଧିକ ଶୁଦ୍ଧତା ଓ ଆପୋଲୋନିଆନ୍ ଶୃଙ୍ଖଳା ଭିତରେ ନିଜକୁ ବାନ୍ଧି ରଖିଵାକୁ ଚେଷ୍ଟା କରେ ସେତେବେଳେ ତାହା ଜୀଵନ୍ତ ମନୁଷ୍ୟ ପାଇଁ ଏକ କାରାଗାର ପାଲଟିଯାଏ। ଠିକ୍ ସେହିପରି, ଯଦି ସମାଜରେ ଆପୋଲୋନିଆନ୍ ନିୟମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ, ତେବେ ଡାୟୋନିସିଆନ୍ ଉନ୍ମାଦନା ସମାଜକୁ ଧ୍ୱଂସ କରିଦିଏ।
ଭାଷା ଵିଜ୍ଞାନ ଦୃଷ୍ଟିରୁ ଦେଖିଲେ, ଗ୍ରୀସର ଗ୍ରୀକ୍ ଭାଷାର ଅତି-ମାନକ ଶାସ୍ତ୍ରୀୟ ଭାଷାଶୈଳୀ 'କାଥାରେଵୌସା' ଥିଲା ଆପୋଲୋଙ୍କ ଭଳି ଶୁଦ୍ଧ, ଅପରିଵର୍ତ୍ତନୀୟ ଓ ଗମ୍ଭୀର। ସେହିପରି ସାଧାରଣ ଜନତାଙ୍କ ମୁଖର ଗ୍ରୀକ୍ ଭାଷାଶୈଳୀ 'ଡିମୋଟିକି' ଥିଲା ଡାୟୋନିସସ୍‌ଙ୍କ ଭଳି ସହଜ, ପ୍ରଵାହିତ ଓ ଜୀଵନ୍ତ। ଊନବିଂଶ ଓ ବିଂଶ ଶତାବ୍ଦୀରେ ଯେତେବେଳେ ଏହି ଦୁଇ ଶକ୍ତି ପରସ୍ପର ସହ ସନ୍ତୁଳନ ରଖିଵା ବଦଳରେ ପରସ୍ପରକୁ ସମ୍ପୂର୍ଣ୍ଣ ଦଳିଦେଵାକୁ ଚେଷ୍ଟା କଲେ, ସେତେବେଳେ ଗ୍ରୀକ୍ ଇତିହାସରେ ଏକ ଭୟଙ୍କର ରକ୍ତାକ୍ତ ମହାଭାରତର ସୂତ୍ରପାତ ହେଲା। 

ତେବେ ଏହାର ଆରମ୍ଭ ୧୮୩୦ ମସିହାରୁ ହୋଇଥିଲା। ସେତେବେଳେ ପ୍ରାୟ ୪୦୦ ଵର୍ଷର ଓଟୋମାନ ସାମ୍ରାଜ୍ୟର ଦାସତ୍ୱ ଶିକୁଳିରୁ ମୁକ୍ତ ହୋଇ ଗ୍ରୀସ୍ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କଲା। ଚାରି ଶତାବ୍ଦୀର ପରାଧୀନତା ଗ୍ରୀକ୍ ସମାଜକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଵିଶେଷତଃ ଶିକ୍ଷା ଓ ଭାଷା କ୍ଷେତ୍ରରେ ଅରାଜକତା ଦେଖାଦେଇଥିଲା। ରାଜନୈତିକ ନେତା ଓ ସଂସ୍କୃତି ଵିଶେଷଜ୍ଞମାନଙ୍କ ସାମ୍ନାରେ ସବୁଠାରୁ ବଡ଼ ପ୍ରଶ୍ନ ଥିଲା — "ନୂତନ ସ୍ୱାଧୀନ ଗ୍ରୀସର ସରକାରୀ ଓ ଶିକ୍ଷା ଗତ ଭାଷା କ’ଣ ହେଵ ?"

ସେତେବେଳେ ଗ୍ରୀସର ସାଧାରଣ ଜନତା, ଚାଷୀ ଓ ମୂଲିଆମାନେ ଯେଉଁ ଗ୍ରୀକ୍ ଭାଷାଶୈଳୀ କହୁଥିଲେ, ତାହାକୁ କୁହାଯାଉଥିଲା 'ଡିମୋଟିକି' (Dimotiki), ଯାର ଅର୍ଥ "ଜନତାଙ୍କ ଭାଷା"। ଶତାବ୍ଦୀ ଶତାବ୍ଦୀ ଧରି ଏହି ଭାଷାଟି ମୁଖରୁ ମୁଖକୁ ଆସି ସ୍ୱାଭାଵିକ ଭାବେ ଵିକଶିତ ହୋଇଥିଲା। କିନ୍ତୁ ଏଥିରେ ପ୍ରଚୁର ପରିମାଣରେ ତୁର୍କ, ଆଲବାନିଆନ୍ ଓ ଇଟାଲୀୟ ଶବ୍ଦ ମିଶି ଯାଇଥିଲା। ଗ୍ରୀସର ଉଚ୍ଚ ଶିକ୍ଷିତ ଓ ଅଭିଜାତ ଶ୍ରେଣୀ ଏହି ଭାଷାକୁ "ଅଶୁଦ୍ଧ, ଅଶିକ୍ଷିତଙ୍କ ଭାଷା ଏଵଂ ଗଳିର ସ୍ଲାଙ୍ଗ୍" ଵିଚାର କରୁଥିଲେ। ସେମାନଙ୍କ ମତରେ, ଏହି ଭାଷାରେ ଦେଶ ଚାଲିଲେ ଗ୍ରୀସ୍ କେବେ ବି ପ୍ଲାଟୋ, ଆରିଷ୍ଟୋଟଲ୍‌ଙ୍କ ପ୍ରାଚୀନ ଗୌରଵକୁ ଫେରିପାଇଵ ନାହିଁ।

ଏହି ସମୟରେ ଜଣେ ପ୍ରମୁଖ ଗ୍ରୀକ୍ ପଣ୍ଡିତ ଆଗକୁ ଆସିଲେ, ଯାହାଙ୍କ ନାମ Adamantios Korais ଥିଲା । ସେ ପ୍ୟାରିସ୍‌ରେ ରହୁଥିଲେ ଏଵଂ ଗ୍ରୀକ୍ ଜାତୀୟତାଵାଦର ଜଣେ ବଡ଼ ପ୍ରଵକ୍ତା ଥିଲେ। କୋରାଏସ୍ ଏକ ମଧ୍ୟମ ମାର୍ଗ ବାହାର କଲେ। ସେ କହିଲେ ଯେ ଆମେ ପ୍ରାଚୀନ କଠିନ ଗ୍ରୀକ୍ ଭାଷାକୁ ସମ୍ପୂର୍ଣ୍ଣ ଫେରାଇ ଆଣିପାରିଵା ନାହିଁ, କିନ୍ତୁ ଆମେ ଲୋକଙ୍କ କଥିତ ଭାଷା 'ଡିମୋଟିକି'ରୁ ସମସ୍ତ ଵିଦେଶୀ ଶବ୍ଦକୁ ବାଦ୍ ଦେଇ, ତାକୁ ପ୍ରାଚୀନ ଵ୍ୟାକରଣ ନିୟମରେ ବାନ୍ଧି ଏକ ଶୁଦ୍ଧ ରୂପ ଦେଇପାରିଵା ।
ଏହିପରି ଭାବେ ଜନ୍ମ ନେଲା ଏକ ମାନକ ଗ୍ରୀକ୍ ଭାଷାଶୈଳୀର ଯାହାର ନାମ କାଥାରେଵୌସା ରଖାଗଲା ଏଵଂ ଏହାର ଆକ୍ଷରିକ ଅର୍ଥ "ଶୁଦ୍ଧ କରାଯାଇଥିଵା ଭାଷା" ଅଟେ ।

୧୮୩୦ ଦଶକରୁ ସରକାର 'କାଥାରେଵୌସା'କୁ ସାରା ଦେଶର ଏକମାତ୍ର ସରକାରୀ ଭାଷା, ସମ୍ବିଧାନର ଭାଷା, ଅଦାଲତର ଭାଷା ଏଵଂ ସ୍କୁଲ-କଲେଜ ପାଠ୍ୟପୁସ୍ତକର ଭାଷା ଭାବେ ଘୋଷଣା କଲେ।

କିନ୍ତୁ ଏହାର ପରିଣାମ ଭାଷାତାତ୍ତ୍ୱିକ ଦୃଷ୍ଟିରୁ ଏକ ବଡ଼ ଵିପତ୍ତି ସଦୃଶ ଥିଲା। ସମାଜରେ ଦ୍ୱିଭାଷା ସ୍ଥିତି ଵା Diglossia ସୃଷ୍ଟି ହେଲା। ଲୋକେ ଘରେ, ବଜାରରେ, ପ୍ରେମ କରିଵା ସମୟରେ ଵା କାନ୍ଦିଵା ସମୟରେ କଥିତ ଗ୍ରୀକ୍ ଭାଷାଶୈଳୀ 'ଡିମୋଟିକି' ଵ୍ୟଵହାର କରୁଥିଲେ କିନ୍ତୁ ସ୍କୁଲରେ ବହି ଖୋଲିଵା ମାତ୍ରେ ସେମାନଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଓ କୃତ୍ରିମ ଭାଷା 'କାଥାରେଵୌସା' ପଢ଼ିଵାକୁ ପଡ଼ୁଥିଲା।
ଶ୍ରେଣୀଗୃହଗୁଡ଼ିକ କୋମଳମତି ଶିଶୁଙ୍କ ପାଇଁ ଶାସ୍ତି ଗୃହ ପାଲଟିଗଲା। ପିଲାମାନେ ନିଜ ମନର ଭାବନା ପ୍ରକାଶ କରିପାରିଲେ ନାହିଁ। ଯଦି କୌଣସି ପିଲା ଭୁଲରେ ବହିର ପ୍ରଶ୍ନର ଉତ୍ତର ନିଜ ଘର ଭାଷାଶୈଳୀ ଡିମୋଟିକିରେ ଦେଇଦେଉଥିଲା ତେବେ ତାକୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା ଏଵଂ ଅପମାନିତ କରାଯାଉଥିଲା।

ବୁଦ୍ଧିଜୀଵୀ ଓ ଭାଷାଵିତ୍‌ମାନେ ଦେଖିଲେ ଯେ, ଏହି ନୀତି ଯୋଗୁଁ ଦେଶର ପ୍ରାୟ ୮୦%ରୁ ଅଧିକ ଜନସଂଖ୍ୟା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ପିଲାମାନେ ମାନସିକ ସ୍ତରରେ ଦୁର୍ଵଳ ହୋଇଯାଉଛନ୍ତି, କାରଣ ସେମାନଙ୍କ ମସ୍ତିଷ୍କ ସର୍ଵଦା ଦୁଇଟି ଭାଷାର ସଂଘର୍ଷ ମଧ୍ୟରେ ଗତି କରୁଛି।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ, ଏହି ଵୈଜ୍ଞାନିକ ସତ୍ୟକୁ ନେଇ କିଛି ଲେଖକ ଓ କଵି ଆନ୍ଦୋଳନ ଆରମ୍ଭ କଲେ। ୧୮୮୮ ମସିହାରେ Ioannis Psycharis ନାମକ ଜଣେ ଭାଷାଵିତ୍ ଏକ ବହି "My Journey" ଲେଖିଲେ। ସେ ଏହି ବହିଟି ସମ୍ପୂର୍ଣ୍ଣ ଭାବେ ସାଧାରଣ କଥିତ ଗ୍ରୀକ୍ ଭାଷାଶୈଳୀ 'ଡିମୋଟିକି'ରେ ଲେଖିଲେ ଏଵଂ ଯୁକ୍ତି କଲେ:
"ଭାଷା ଏକ ଜୀଵନ୍ତ ଶରୀର। ତାକୁ ଜବରଦସ୍ତି ପ୍ରାଚୀନ କବର ଭିତରୁ ବାହାର କରି ପୋଷାକ ପିନ୍ଧାଇଲେ ତାହା ଜୀଵନ୍ତ ହେଵନାହିଁ। ଯଦି ଆମକୁ ଏକ ସୁଦୃଢ଼ ଗ୍ରୀସ୍ ଗଠନ କରିଵାର ଅଛି ତେବେ ପିଲାମାନଙ୍କୁ ସେମାନଙ୍କ ମାତୃଭାଷା 'ଡିମୋଟିକି'ରେ ହିଁ ଶିକ୍ଷା ଦେଵାକୁ ହେବ।"

ସେତେବେଳେ ଏହି ଆନ୍ଦୋଳନକୁ Demoticism କୁହାଗଲା। କିନ୍ତୁ ଅପରପକ୍ଷରେ ଥିଵା ରକ୍ଷଣଶୀଳ, ପ୍ରଫେସର ଏଵଂ ଚର୍ଚ୍ଚର ପାଦ୍ରୀମାନେ ଏହାକୁ ଦେଶଦ୍ରୋହୀ କାର୍ଯ୍ୟ ବୋଲି ଆଖ୍ୟା ଦେଲେ। ସେମାନଙ୍କର ଵିଶ୍ୱାସ ଥିଲା ଯେ ଡିମୋଟିକିକୁ ପ୍ରଶ୍ରୟ ଦେଲେ ଗ୍ରୀକ୍ ସଭ୍ୟତା ନଷ୍ଟ ହୋଇଯିଵ ଏଵଂ ସାମ୍ୟଵାଦ ଵା ନାସ୍ତିକତା ବଢ଼ିଯିଵ। ଭାଷାକୁ ନେଇ ଗ୍ରୀକ୍ ଦେଶ ଦୁଇ ଭାଗରେ ଵିଭକ୍ତ ହୋଇଗଲା।

ଏହି ବାରୁଦ ଗଦାରେ ନିଆଁ ଲଗାଇଵା ଭଳି କାମ କଲେ ଗ୍ରୀସ୍‌ର ରାଣୀ Olga । ସେ ଥିଲେ ରୁଷିଆର ସମ୍ରାଟଙ୍କ ନାତୁଣୀ ଏଵଂ ଗ୍ରୀସର ରାଜା ଜର୍ଜ ପ୍ରଥମଙ୍କ ପତ୍ନୀ।
ରାଣୀ ଓଲଗା ଅତ୍ୟନ୍ତ ଦୟାଳୁ ଓ ସମାଜସେଵୀ ଥିଲେ। ସେ ଯେତେବେଳେ ଏଥେନ୍ସର ଡାକ୍ତରଖାନା ଓ କାରାଗାରଗୁଡ଼ିକୁ ପରିଦର୍ଶନରେ ଯାଉଥିଲେ, ସେ ଦେଖିଲେ ଯେ ମୁମୂର୍ଷୁ ରୋଗୀ ଓ କଏଦୀମାନେ ଈଶ୍ୱରଙ୍କ ପଵିତ୍ର ଵାଣୀ ଵା ବାଇବେଲ୍ ପଢ଼ିଵାକୁ ଚାହୁଁଛନ୍ତି, କିନ୍ତୁ ପଢ଼ିପାରୁନାହାନ୍ତି। ଏହାର କାରଣ ଥିଲା, ସେତେବେଳେ ବାଇବେଲ୍ କେଵଳ Hellenistic Koine Greek ଵା ପ୍ରାଚୀନ ପଵିତ୍ର ଗ୍ରୀକ୍ ଭାଷାରେ ଉପଲବ୍ଧ ଥିଲା, ଯାହା ସାଧାରଣ ଲୋକଙ୍କ ପାଇଁ ଲାଟିନ୍ ଵା ସଂସ୍କୃତ ଭଳି ଅବୋଧ୍ୟ ଥିଲା।

ରାଣୀ ଭାବିଲେ, ଯଦି ବାଇବେଲ୍‌ର ନୂତନ ନିୟମ ଵା New Testamentକୁ ସାଧାରଣ ଲୋକଙ୍କ କଥିତ ଭାଷା 'ଡିମୋଟିକି'ରେ ଅନୁଵାଦ କରିଦିଆଯାଏ ତେବେ ପ୍ରତ୍ୟେକ ଗ୍ରୀକ୍ ନାଗରିକ ଭଗଵାନଙ୍କ ସହ ସିଧାସଳଖ ଯୋଡ଼ି ହୋଇପାରିବେ। ସେ ନିଜ ଵ୍ୟକ୍ତିଗତ ପାଣ୍ଠିରୁ ଅର୍ଥ ପ୍ରଦାନ କରି ତାଙ୍କର ସଚିଵଙ୍କ ଦ୍ୱାରା ଏକ ଗୁପ୍ତ ଅନୁଵାଦ କାର୍ଯ୍ୟ ଆରମ୍ଭ କଲେ।

କିନ୍ତୁ ଗ୍ରୀସର ଅର୍ଥୋଡକ୍ସ ଚର୍ଚ୍ଚ ଏଵଂ ଏଥେନ୍ସ ଵିଶ୍ୱଵିଦ୍ୟାଳୟର ପ୍ରଫେସରମାନେ ଯେତେବେଳେ ଏହି କଥା ଜାଣିଲେ, ସେମାନେ କ୍ରୋଧରେ ଜଳିଉଠିଲେ। 

ସେମାନଙ୍କ ମତ ଦେଲେ ଯେ "ବାଇବେଲ୍‌ର ପଵିତ୍ର ଶବ୍ଦଗୁଡ଼ିକୁ ରାସ୍ତାର ଅଶୁଦ୍ଧ, ଅଶ୍ଳୀଳ ଗ୍ରାମ୍ୟ ଭାଷାରେ ପରିଣତ କରିଵା ଭଗଵାନଙ୍କ ପ୍ରତି ଘୋର ଅପମାନ ଏଵଂ Blasphemy ଅଟେ" । 

ଠିକ୍ ଏହି ସମୟରେ,Alexandros Pallis ନାମକ ଜଣେ ଦେଶପ୍ରେମୀ ଲେଖକ ଲିଵରପୁଲ୍‌ରେ ରହି ବାଇବେଲ୍‌ର ଆଉ ଏକ ଅନୁଵାଦ ଡିମୋଟିକି ଭାଷାଶୈଳୀରେ ଗ୍ରୀସର ଏକ ପ୍ରମୁଖ ଖବରକାଗଜ 'ଆକ୍ରୋପୋଲିସ୍' ମାଧ୍ୟମରେ ଧାରାବାହିକ ଭାବେ ପ୍ରକାଶ କରିଵା ଆରମ୍ଭ କଲେ।

ନଭେମ୍ବର ପ୍ରଥମ ସପ୍ତାହରେ ଏଥେନ୍ସ ଵିଶ୍ୱଵିଦ୍ୟାଳୟର ରକ୍ଷଣଶୀଳ ପ୍ରଫେସର ଏଵଂ କାଥାରେଭୁସାର ସମର୍ଥକମାନେ ଛାତ୍ରମାନଙ୍କୁ ଉସୁକାଇଲେ। ସାରା ସହରରେ ଗୁଜବ ଵ୍ୟାପିଗଲା ଯେ ଏହି ଅନୁଵାଦ ପଛରେ ରୁଷିଆର ଏକ ବଡ଼ ଷଡ଼ଯନ୍ତ୍ର ରହିଛି, ଯାହା ଦ୍ୱାରା ଗ୍ରୀକ୍ ସଂସ୍କୃତିକୁ ନଷ୍ଟ କରି ସ୍ଲାଭିକ୍ ସାମ୍ରାଜ୍ୟ ଵିସ୍ତାର କରାଯିଵ।

୮ ନଭେମ୍ବର ୧୯୦୧ ଦିନ ପ୍ରାୟ ୮୦,୦୦୦ରୁ ଅଧିକ ଉତ୍ତ୍ୟକ୍ତ ଛାତ୍ର ଏଵଂ ରକ୍ଷଣଶୀଳ ନାଗରିକ ଏଥେନ୍ସର ଐତିହାସିକ Pillars of Olympian Zeus ନିକଟରେ ଏକତ୍ରିତ ହେଲେ। ସେମାନଙ୍କ ହାତରେ ଥିଲା ବଡ଼ ବଡ଼ ବ୍ୟାନର, ଯେଉଁଥିରେ ଲେଖାଥିଲା — "ଭାଷାର ଶୁଦ୍ଧତା ରକ୍ଷା କର", "ବାଇବେଲ୍‌ର ଅପମାନ ସହିବୁ ନାହିଁ"।

ଧୀରେ ଧୀରେ ଏହି ଶୋଭାଯାତ୍ରା ହିଂସ୍ର ରୂପ ନେଲା। ଆନ୍ଦୋଳନକାରୀମାନେ 'ଆକ୍ରୋପୋଲିସ୍' ଖବରକାଗଜର କାର୍ଯ୍ୟାଳୟ ଉପରକୁ ଆକ୍ରମଣ କଲେ, ପେଟ୍ରୋଲ ବୋମା ଫିଙ୍ଗିଲେ ଏଵଂ ବହିପତ୍ର ପୋଡ଼ିଦେଲେ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିଵାରୁ ସରକାର ସାମରିକ ଵାହିନୀ ଏବଂ ସଶସ୍ତ୍ର ପୁଲିସ ବଳ ମୁତୟନ କଲେ।
ରାସ୍ତା ଉପରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହେଲା। ପୁଲିସର ଗୁଳିଚାଳନା ଯୋଗୁଁ ରାସ୍ତା ଉପରେ ହିଁ ୮ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଲା ଏଵଂ ୮୦ ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହେଲେ।
ଏହି ରକ୍ତପାତ ସାରା ଦେଶକୁ ସ୍ତବ୍ଧ କରିଦେଲା। ଭାଷା ଵିଵାଦ ଯୋଗୁଁ ଦେଶର ନିଜ ପିଲାମାନେ ନିଜ ସରକାରର ଗୁଳିରେ ପ୍ରାଣ ହରାଇଲେ। ଏହାର ପରିଣାମ ଏତେ ଭୟଙ୍କର ଥିଲା ଯେ, ଳମାତ୍ର ୪୮ ଘଣ୍ଟା ମଧ୍ୟରେ ଗ୍ରୀସର ପ୍ରଧାନମନ୍ତ୍ରୀ Georgios Theotokisଙ୍କ ସରକାର ଭାଙ୍ଗିଗଲା, ଚର୍ଚ୍ଚର ସର୍ଵୋଚ୍ଚ ଧର୍ମଗୁରୁ "Archbishop" ଇସ୍ତଫା ଦେଲେ ଏଵଂ ରାଣୀ ଓଲଗାଙ୍କୁ ନିଜର ବାଇବେଲ୍ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଵାକୁ ପଡ଼ିଲା। ୧୯୦୧ର ଏହି ଘଟଣା ପରେ ତତ୍କାଳୀନ ଗ୍ରୀସ୍ ସରକାର ଭୟଭୀତ ହୋଇଗଲେ। ସେମାନେ ବୁଝିଗଲେ ଯେ ଭାଷା ଏକ ବଡ଼ ଵୋଟ୍-ବ୍ୟାଙ୍କ ଏଵଂ ଆଵେଗର ମାଧ୍ୟମ। କିନ୍ତୁ ଭାଷାଭିତ୍ତିକ ଏହି ହିଂସା ଏହିଠାରେ ଥମିଲା ନାହିଁ ।‌

୧୯୦୩ ମସିହାରେ ଗ୍ରୀସ୍‌ର ଜାତୀୟ ପ୍ରେକ୍ଷାଳୟରେ ପ୍ରାଚୀନ ଗ୍ରୀକ୍ ନାଟ୍ୟକାର Aeschylusଙ୍କ ପ୍ରସିଦ୍ଧ ନାଟକ 'ଓରେଷ୍ଟିଆ'କୁ 'ଡିମୋଟିକି' ଵା କଥିତ ଗ୍ରୀକ୍ ଭାଷାଶୈଳୀରେ ଅନୁଵାଦ କରି ମଞ୍ଚସ୍ଥ କରାଗଲା। କାଥାରେଵୌସାର ସମର୍ଥକ ଓ ଅତି-ରକ୍ଷଣଶୀଳ ଛାତ୍ରମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଲେ। ସେମାନଙ୍କ ଯୁକ୍ତି ଥିଲା ଯେ ପ୍ରାଚୀନ ଗୌରଵମୟ ସାହିତ୍ୟକୁ କଥିତ ଭାଷାରେ ରୂପାନ୍ତରିତ କରିଵା ହେଉଛି ପୂର୍ଵପୁରୁଷଙ୍କ ପ୍ରତି ଅପମାନ। ଏହି ଆନ୍ଦୋଳନରେ ପୁଣି ହିଂସା ହେଲା, ସେନା ମୁତୟନ ହେଲା ଏଵଂ ଜଣେ ନାଗରିକଙ୍କର ମୃତ୍ୟୁ ଘଟିଲା। ଗ୍ରୀସ୍ ପୁଣି ଦେଖିଲା କେମିତି ଆପୋଲୋନିଆନ୍ ଶୁଦ୍ଧତାର ଅନ୍ଧମୋହ ସମାଜକୁ ଅସହିଷ୍ଣୁ କରିଦେଉଛି ।

୧୯୦୧ ଓ ୧୯୦୩ର ଦଙ୍ଗା ପରେ କାଥାରେଵୌସା ଵା ଶୁଦ୍ଧ ଗ୍ରୀକ୍ ଭାଷାର ସମର୍ଥକମାନେ ଅଦାଲତର ଆଶ୍ରୟ ନେଲେ। ୧୯୦୬ ମସିହାରେ ବାଇବେଲ୍‌କୁ ଡିମୋଟିକି ଵା କଥିତ ଗ୍ରୀକ୍ ଭାଷାରେ ଅନୁଵାଦ କରିଥିଵା ପ୍ରମୁଖ ଲେଖକ Alexandros Pallis ଏଵଃ 'ଆକ୍ରୋପୋଲିସ୍' ଖବରକାଗଜର ସମ୍ପାଦକ ଭ୍ଲାସିସ୍ ଗାଭ୍ରିଲିଡିସ୍‌ଙ୍କ ଵିରୋଧରେ ଅଦାଲତରେ ଆଇନଗତ ମାମଲା ଚାଲିଲା।

ସେତେବେଳେ ରକ୍ଷଣଶୀଳ ପ୍ରଫେସରମାନେ ଯୁକ୍ତି କଲେ ଯେ ଡିମୋଟିକି ଭାଷାର ପ୍ରସାର କରିଵାଟା "ଗ୍ରୀକ୍ ଜାତୀୟତା ଵିରୋଧୀ ଏଵଂ ରୁଷିଆର ସ୍ଲାଭିକ୍ ସାମ୍ରାଜ୍ୟଵାଦକୁ ସାହାଯ୍ୟ କରିଵା ଭଳି ଏକ ଦେଶଦ୍ରୋହ କାର୍ଯ୍ୟ ଅଟେ"। ଏହି ଆଇନଗତ ଟଣାଓଟରା ସାରା ଦେଶର ବୁଦ୍ଧିଜୀଵୀମାନଙ୍କୁ ଦୁଇ ଭାଗରେ ଵିଭକ୍ତ କରିଦେଲା ଏଵଂ ପ୍ରମାଣ କଲା ଯେ ଭାଷା ଏବେ କେଵଳ ସାହିତ୍ୟ ନୁହେଁ ଵରଂ 'ରାଷ୍ଟ୍ରୀୟ ସୁରକ୍ଷା'ର ପ୍ରସଙ୍ଗ ପାଲଟିଛି।

ଏହି ବୌଦ୍ଧିକ ଵିଵାଦ ୧୯୧୦-୧୯୧୧ ବେଳକୁ ଚରମ ସୀମାରେ ପହଞ୍ଚିଥିଲା। ୧୯୧୦ ମସିହାରେ ଆଲେକ୍ସଜାଣ୍ଡାର୍ ଡେଲ୍‌ମୁଜୋସ୍, ମାନୋଲିସ୍ ତ୍ରିଆନ୍ତାଫିଲିଡିସ୍ ଓ ଡିମିଟ୍ରିସ୍ ଗ୍ଲିନୋସ୍‌ଙ୍କ ଭଳି ମହାନ ଶିକ୍ଷାଵିତ୍‌ମାନେ ଏକତ୍ରିତ ହୋଇ 'Educational Association' ଗଠନ କଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଗ୍ରୀସ୍‌ର ଜରାଜୀର୍ଣ୍ଣ ଶିକ୍ଷା ଵ୍ୟଵସ୍ଥାକୁ ଡିମୋଟିକି ମାଧ୍ୟମରେ ଆଧୁନିକ କରିଵା।

ଏହି ସମୟରେ ମାରାସଲିୟସ୍ ଏକାଡେମୀକୁ ନେଇ ଵିଵାଦ ମୁଣ୍ଡ ଟେକିଲା। ଡେଲ୍‌ମୁଜୋସ୍ ସାଧାରଣ ଜନତାଙ୍କ ଭାଷାକୁ ଶିକ୍ଷାଦାନର ମାଧ୍ୟମ କରିଵାକୁ ଚେଷ୍ଟା କରୁଥିଵା ବେଳେ ପ୍ରଫେସର ଜର୍ଜିଓସ୍ ମିଷ୍ଟ୍ରିଓଟିସ୍ ଏହାର ତୀଵ୍ର ଵିରୋଧ କଲେ। ରକ୍ଷଣଶୀଳ ମହଲର ଚାପ ଯୋଗୁଁ ଡେଲ୍‌ମୁଜୋସ୍‌ଙ୍କୁ ପଦରୁ ହଟାଇ ଦିଆଗଲା ଏଵଂ ତାଙ୍କ ଉପରେ ମାମଲା ହେଲା। ଯଦିଓ ପରେ ସେ ଅଦାଲତରେ ନିର୍ଦ୍ଦୋଷ ସାଵ୍ୟସ୍ତ ହେଲେ କିନ୍ତୁ ଏହି ଘଟଣା ସାରା ଏଥେନ୍ସ ସହରରେ ଏକ ବଡ଼ ଆନ୍ଦୋଳନାତ୍ମକ ପରିଵେଶ ସୃଷ୍ଟି କଲା।
ଠିକ୍ ଏହି ସମୟରେ ରାଜନୈତିକ ସ୍ତରରେ ଭେନିଜେଲୋସ୍ ସରକାର ସମ୍ବିଧାନ ସଂଶୋଧନ କରୁଥିଲେ। ରାସ୍ତାରେ ମିଷ୍ଟ୍ରିଓଟିସ୍‌ଙ୍କ ସମର୍ଥକ ଛାତ୍ରମାନଙ୍କ ଆନ୍ଦୋଳନ ଏଵଂ କଲେଜଗୁଡ଼ିକରେ ଚାଲିଥିଵା ଏହି ତୀଵ୍ର ବାଦଵିଵାଦ କାରଣରୁ ହିଁ, ଦେଶକୁ ଆଉ ଏକ ରକ୍ତାକ୍ତ ଦଙ୍ଗାରୁ ରକ୍ଷା କରିଵା ପାଇଁ ଭେନିଜେଲୋସ୍ ବାଧ୍ୟ ହୋଇ ୧୯୧୧ ସମ୍ବିଧାନର Article 2 ରେ କାଥାରେଵୌସାକୁ ସରକାରୀ ଭାଷାର ମାନ୍ୟତା ଦେଲେ ଓ ବାଇବେଲ୍ ଅନୁଵାଦ ଉପରେ ପ୍ରତିବନ୍ଧକ ଲଗାଇଲେ । 
ଏହି ନୂଆ ଧାରା "Article 2"ରେ ସ୍ପଷ୍ଟ ଭାବରେ ଲେଖାଗଲା ଯେ ସରକାରଙ୍କ ଵିନା ଅନୁମତିରେ ବାଇବେଲ୍‌ର କୌଣସି ପ୍ରକାରର ଆଞ୍ଚଳିକ ଵା ସାଧାରଣ ଅନୁଵାଦ ବେଆଇନ ଅଟେ। ଏହା ପରେ ପ୍ରାୟ ୬୦ ଵର୍ଷ ପର୍ଯ୍ୟନ୍ତ ଏହି ଭାଷା-ଯୁଦ୍ଧ ଗ୍ରୀସର ଦଳୀୟ ରାଜନୀତିର ଏକ ପ୍ରମୁଖ ଅସ୍ତ୍ର ପାଲଟିଗଲା।

ଯେତେବେଳେ ବି କୌଣସି ଉଦାରଵାଦୀ ସରକାର ଶାସନକ୍ଷେତ୍ରକୁ ଆସୁଥିଲେ, ସେମାନେ ପ୍ରାଥମିକ ସ୍କୁଲରେ 'ଡିମୋଟିକି' ଲାଗୁ କରୁଥିଲେ, କିନ୍ତୁ ଶାସନ ବଦଳିଵା ମାତ୍ରେ ରକ୍ଷଣଶୀଳ ସରକାର ଆସି ପୁଣି ଥରେ ପୁରୁଣା ବହିଗୁଡ଼ିକୁ ପୋଡ଼ି ଦେଇ 'କାଥାରେଵୌସା' ବାଧ୍ୟତାମୂଳକ କରୁଥିଲେ।

ଏହି ଵିଵାଦର ସବୁଠାରୁ କଠୋର ଓ ଅପ୍ରାକୃତିକ ରୂପ ୧୯୬୭ ମସିହାରେ ଦେଖିଵାକୁ ମିଳିଲା ଯେତେବେଳେ ଗ୍ରୀସରେ ଗଣତନ୍ତ୍ରର ହତ୍ୟା କରି ଏକ ସାମରିକ ଏକଛତ୍ରଵାଦୀ ଶାସନ ପ୍ରତିଷ୍ଠା ହେଲା। ଏହି ଶାସକମାନେ ଅତ୍ୟଧିକ ଜାତୀୟତାଵାଦୀ ଓ ରକ୍ଷଣଶୀଳ ଥିଲେ । ସେମାନେ ଆସିଵା ମାତ୍ରେ ପ୍ରଥମେ ଶିକ୍ଷା ଵିଭାଗ ଉପରେ ଚାବୁକ ଚଲାଇଲେ। ସେମାନେ ପ୍ରାଥମିକ ସ୍କୁଲରୁ ମଧ୍ୟ 'ଡିମୋଟିକି'କୁ ସମ୍ପୂର୍ଣ୍ଣ ବ୍ୟାନ କରିଦେଲେ। ସ୍କୁଲର ପ୍ରଥମ ଶ୍ରେଣୀରୁ କେଵଳ କଠିନ 'କାଥାରେଵୌସା'ରେ ପଢ଼ାଇଵାକୁ ନିର୍ଦ୍ଦେଶ ଦିଆଗଲା। ଶିକ୍ଷକମାନଙ୍କୁ କୁହାଗଲା ଯେ, ଯଦି ସେମାନେ ଶ୍ରେଣୀଗୃହରେ ସାଧାରଣ ଭାଷା କହିବେ, ତେବେ ସେମାନଙ୍କୁ ଚାକିରିରୁ ବାହାର କରି ଜେଲ୍ ପଠାଇ ଦିଆଯିଵ। ସାମରିକ ଶାସନର ଯୁକ୍ତି ଥିଲା ଯେ, "କାଥାରେଵୌସା ହିଁ ଗ୍ରୀସ୍‌ର ପ୍ରାଚୀନ-ପଵିତ୍ର ଭାଷା ଏଵଂ ଦେଵତାମାନଙ୍କର ଉପହାର ଅଟେ । ଏହାକୁ ଅଶୁଦ୍ଧ କରୁଥିଵା ଲୋକେ ଗ୍ରୀସର ଶତ୍ରୁ ଅଟନ୍ତି ।"

ଏହାର ପରିଣାମ ସ୍ୱରୂପ, ୧୯୬୭ରୁ ୧୯୭୪ ସାମରିକ ଶାସନର ସେହି ୭ ଵର୍ଷ ମଧ୍ୟରେ ଗ୍ରୀସର ଶିକ୍ଷା ଵ୍ୟଵସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲା। ପିଲାମାନେ ପାଠ ପଢ଼ିଵା ଛାଡ଼ିଦେଲେ, ଫେଲ୍ ହେଵା ହାର ଶତପ୍ରତିଶତ ବଢ଼ିଗଲା ଏଵଂ ସମାଜରେ ଏକ ବଡ଼ ବୌଦ୍ଧିକ ଶୂନ୍ୟତା ସୃଷ୍ଟି ହେଲା।

୧୯୭୪ ମସିହାରେ ସାମରିକ ଏକଛତ୍ରଵାଦୀ ଶାସନର ପତନ ଘଟିଲା ଏଵଂ ଗ୍ରୀସରେ ପୁନର୍ଵାର ଗଣତନ୍ତ୍ର ପ୍ରତିଷ୍ଠିତ ହେଲା। ନୂଆ ପ୍ରଧାନମନ୍ତ୍ରୀ Konstantinos Karamanlis ବୁଝିଗଲେ ଯେ,ଦେଶକୁ ଆଧୁନିକ ୟୁରୋପୀୟ ସଂଘର ସଦସ୍ୟ କରିଵାକୁ ହେଲେ ପ୍ରଥମେ ଏହି ୧୫୦ ଵର୍ଷର ପୁରୁଣା ମାନସିକ ରୋଗ ଓ ଭାଷା-ଯୁଦ୍ଧର ସ୍ଥାୟୀ ସମାଧାନ କରିଵାକୁ ପଡ଼ିଵ।

୧୯୭୬ ମସିହାରେ ଗ୍ରୀସ୍ ଦେଶର ଶିକ୍ଷା ମନ୍ତ୍ରୀ Georgios Rallisଙ୍କ ନେତୃତ୍ୱରେ ସଂସଦରେ ଏକ ଐତିହାସିକ ବିଲ୍ ପାସ୍ କରାଗଲା। ଏହି ଆଇନ ବଳରେ ୧୫୦ ଵର୍ଷ ଧରି ଚାଲିଥିଵା 'କାଥାରେଵୌସା'ର ସରକାରୀ ବାଧ୍ୟତାମୂଳକତାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦିଆଗଲା। ସାଧାରଣ ଜନତାଙ୍କ ଭାଷା 'ଡିମୋଟିକି'କୁ ଗ୍ରୀସର ଏକମାତ୍ର ସରକାରୀ, ଶିକ୍ଷାଗତ ଓ ଜାତୀୟ ଭାଷା ଭାବେ ମାନ୍ୟତା ଦିଆଗଲା। କିନ୍ତୁ ଏହି ସଂଶୋଧନ ଭାବପ୍ରଵଣ ହୋଇ ନିଆଯାଇନଥିଲା ଵରଂ ଏହା ଥିଲା ଅତ୍ୟନ୍ତ ଵୈଜ୍ଞାନିକ। ଭାଷାଵିତ୍‌ମାନେ 'ଡିମୋଟିକି'କୁ ସରକାରୀ ଭାଷା କରିଵା ସମୟରେ ତାର ଏକ ନୂଆ ମାନକ ରୂପ ପ୍ରସ୍ତୁତ କଲେ, ଯାହାକୁ ମାନକ ଆଧୁନିକ ଗ୍ରୀକ୍ ଵା Standard Modern Greek କୁହାଗଲା । ଆଜି ଏହି ଭାଷାକୁ ହିଁ ଲୋକେ ଆଧୁନିକ ଗ୍ରୀକ୍ ଭାଷା ରୂପେ ଜାଣନ୍ତି । 

ତେବେ ସେ ସମୟର ଗ୍ରୀକ୍ ଲୋକମାନେ ଲୋକଙ୍କ କଥିତ ଶୈଳୀକୁ ଗ୍ରହଣ କଲେ, କିନ୍ତୁ ତହିଁରେ 'କାଥାରେଵୌସା'ର ସମସ୍ତ ଭଲ ଵ୍ୟାକରଣ ନିୟମ,ଵୈଜ୍ଞାନିକ ପରିଭାଷା ଏଵଂ ପ୍ରଶାସନିକ ଶବ୍ଦକୋଷକୁ ଅତି ସୁନ୍ଦର ଭାବେ ସମନ୍ୱୟ କଲେ। ଫଳରେ ଏକ ନୂତନ, ସମୃଦ୍ଧ ଓ ମାନକ ଭାଷାର ଜନ୍ମ ହେଲା, ଯହିଁରେ ଆଜିର ଆଧୁନିକ ଗ୍ରୀସ୍ ସଫଳତାର ସହ ଆଗକୁ ବଢ଼ିଚାଲିଛି ।

୧୯୮୨ ମସିହାରେ ସରକାର ଆଉ ଏକ ବଡ଼ ସଂଶୋଧନ କରି ପ୍ରାଚୀନ ଓ ଜଟିଳ 'ବହୁ-ସ୍ୱରଚିହ୍ନ ପ୍ରଣାଳୀ' ଵା Polytonic Systemକୁ ହଟାଇ ସରଳ 'ଏକ-ସ୍ୱରଚିହ୍ନ ପ୍ରଣାଳୀ' ଵାMonotonic Systemକୁ ପ୍ରଣୟନ କଲେ। ଏହା ଫଳରେ ପିଲାମାନଙ୍କ ପାଇଁ ଲେଖିଵା ଓ ଶିଖିଵା ଅଧିକ ସହଜ ହୋଇଗଲା।

୧୯୮୨ ମସିହାରେ ଯେତେବେଳେ ସରଳ 'ଏକ-ସ୍ୱରଚିହ୍ନ ପ୍ରଣାଳୀ' ଵା Monotonic System ପ୍ରଣୟନ ହେଲା, ତାହା ଥିଲା ପ୍ରାୟ ୧୫୦ ଵର୍ଷର ଭାଷା-ଯୁଦ୍ଧର ଶେଷ ଵିଧିବଦ୍ଧ ସଂଶୋଧନ। ଏହା ପରେ, ଗ୍ରୀକ୍ ସମାଜ, ଶିକ୍ଷା, ସାହିତ୍ୟ ଓ ପ୍ରଶାସନରେ ଵ୍ୟାପକ ସାମାଜିକ ଓ ସାଂସ୍କୃତିକ ପରିଵର୍ତ୍ତନ ଦେଖାଦେଲା। ଡିମୋଟିକି ଯେତେବେଳେ ମାନକ ଆଧୁନିକ ଗ୍ରୀକ୍ ଭାଷା ଭାବେ ସମ୍ପୂର୍ଣ୍ଣ ଭାବେ ଶାସନ ଓ ଜୀଵନର ମାଧ୍ୟମ ହେଲା ସେତେବେଳେ ଗ୍ରୀକ୍ ସମାଜରେ ଅନେକ ପରିଵର୍ତ୍ତନ ଦେଖାଗଲା । 

୧୯୮୨ ପୂର୍ଵରୁ ଗ୍ରୀକ୍ ପିଲାମାନଙ୍କୁ କେଵଳ ଭୁଲ୍ ସ୍ୱରଚିହ୍ନ ଵା Accents ଏଵଂ ପ୍ରାଚୀନ ଵ୍ୟାକରଣ ନିୟମ ପାଇଁ କଠୋର ଶାସ୍ତି ମିଳୁଥିଲା। ୧୯୮୨ ପରେ ଶ୍ରେଣୀଗୃହଗୁଡ଼ିକ ଭୟମୁକ୍ତ ହେଲା। ପିଲାମାନେ ଯେଉଁ ଭାଷାରେ ଚିନ୍ତା କରୁଥିଲେ, ସେହି ଭାଷାରେ ଲେଖିଵା ଓ ପଢ଼ିଵା ଆରମ୍ଭ କଲେ, ଯାହାଫଳରେ ସ୍କୁଲ୍‌ରେ ଫେଲ୍ ହେଵା ହାର ଆଶ୍ଚର୍ଯ୍ୟଜନକ ଭାବେ କମିଗଲା।

ପ୍ରାଚୀନ କାଥାରେଵୌସା ଗ୍ରୀକ ଶୈଳୀର ଜଟିଳତା ଯୋଗୁଁ ସମାଜର ଏକ ବଡ଼ ଚାଷୀ ଓ ମୂଲିଆ ଶ୍ରେଣୀ ଶିକ୍ଷାରୁ ଦୂରେଇ ରହୁଥିଲେ। ଡିମୋଟିକିକୁ ମାନକ ଗ୍ରୀକ୍ ଭାଷା କଲା ପରେ ଵୟସ୍କ ଶିକ୍ଷା ଓ ସାଧାରଣ ସାକ୍ଷରତା ହାର ପ୍ରାୟ ୧୦୦% ନିକଟତର ହେଲା।

ପୁଣି ସାଧାରଣ ଲୋକଙ୍କ ପାଇଁ ଆଇନ ମଧ୍ୟ ସହଜ ହେଲା । ୧୯୮୨ ପୂର୍ଵରୁ କୋର୍ଟର ରାୟ, ସରକାରୀ ଗେଜେଟ୍ ଏଵଂ ଆଇନଗତ ଦଲିଲ୍ କେଵଳ କାଥାରେଵୌସାରେ ଲେଖାଯାଉଥିଲା, ଯାହା ସାଧାରଣ ନାଗରିକଙ୍କ ପାଇଁ ଅବୋଧ୍ୟ ଥିଲା। ୧୯୮୨ ପରେ ପ୍ରଶାସନିକ ଶବ୍ଦାଵଳୀକୁ ସରଳ କରାଗଲା। ଜଣେ ସାଧାରଣ ଚାଷୀ ଵା ଶ୍ରମିକ ନିଜ ଆଇନଗତ ଅଧିକାର ଓ ସରକାରୀ ନିୟମକୁ ନିଜେ ପଢ଼ି ବୁଝିପାରିଲେ। ଏହା ଗ୍ରୀକ୍ ଗଣତନ୍ତ୍ରକୁ ପ୍ରକୃତ ଅର୍ଥରେ ସୁଦୃଢ଼ କଲା।

୧୯୮୦ ଦଶନ୍ଧିର ମଧ୍ୟଭାଗରେ ଗ୍ରୀସ୍‌ରେ ବେସରକାରୀ ଟେଲିଭିଜନ ଓ ରେଡିଓ ଚ୍ୟାନେଲ୍‌ଗୁଡ଼ିକୁ ଅନୁମତି ମିଳିଲା। ଡିମୋଟିକି ମାନ୍ୟତା ପାଇସାରିଥିଵାରୁ ଗଣମାଧ୍ୟମ ସମ୍ପୂର୍ଣ୍ଣ ଭାବେ ଜନତାଙ୍କ ଭାଷାରେ ପ୍ରସାରଣ ଆରମ୍ଭ କଲା।
ସମ୍ବାଦ ପରିଵେଷଣରେ ଥିଵା ସେହି ପୁରୁଣା, କୃତ୍ରିମ ଗାମ୍ଭୀର୍ଯ୍ୟ ବଦଳରେ ଏକ ଜୀଵନ୍ତ, ସ୍ୱାଭାଵିକ ଓ ଆଧୁନିକ ଆଲୋଚନା ଶୈଳୀ ଜନ୍ମ ନେଲା। ସାହିତ୍ୟ, ସିନେମା ଓ ସଙ୍ଗୀତ କ୍ଷେତ୍ରରେ ସ୍ଥାନୀୟ ଲୋକକଳା ତଥା ସହଜ ଭାଷାର ପ୍ରୟୋଗ ବହୁଗୁଣିତ ହେଲା।

ଦୀର୍ଘ ଦେଢ଼ ଶତାବ୍ଦୀ ଧରି ଗ୍ରୀକ୍ ଜନମାନସରେ ଏକ 'ହୀନମନ୍ୟତା' ଵା ଭୟ ଥିଲା । ସାଧାରଣ ଗ୍ରୀକ୍ ଲୋକଟିଏ ଭାବୁଥିଲା ଯେ ସେ ଯେଉଁ ଭାଷା ଡିମୋଟିକି ଗ୍ରୀକ୍‌ରେ କଥାଭାଷା ହେଉଛି, ତାହା ଅଶୁଦ୍ଧ ଓ ଭୁଲ୍। ୧୯୮୨ ପରେ ଏହି ସାମାଜିକ ଦ୍ୱନ୍ଦ୍ୱର ସମାପ୍ତି ଘଟିଲା। ଜନସାଧାରଣ ନିଜ କଥିତ ରୂପକୁ ନେଇ ଗର୍ଵ ଅନୁଭଵ କଲେ ଏଵଂ ଅଭିଜାତ ଶ୍ରେଣୀର ସେହି "ଶୁଦ୍ଧତାର ଅହଂକାର" ଧୀରେ ଧୀରେ ମଉଳିଗଲା।

ତେବେ, ଏହାର କିଛି ନକାରାତ୍ମକ ଦିଗ ବା ବୌଦ୍ଧିକ ଚିନ୍ତା ମଧ୍ୟ ଦେଖାଦେଲା । ଯଦ୍ୟପି ଏହି ସଂସ୍କାର ଅତ୍ୟନ୍ତ ଜରୁରୀ ଓ ପ୍ରଗତିଶୀଳ ଥିଲା, ୧୯୯୦ ଦଶନ୍ଧି ବେଳକୁ କିଛି ପଣ୍ଡିତ ଏଵଂ ଜର୍ଜିଓସ୍ ବାବିନିଓଟିସ୍‌ଙ୍କ ପରି ଭାଷାଵିଦ୍ ଏକ ନୂତନ ସମସ୍ୟା ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କଲେ । 

ସ୍ୱରଚିହ୍ନଗୁଡ଼ିକର ସମ୍ପୂର୍ଣ୍ଣ ଵିଲୋପ ଏଵଂ କାଥାରେଵୌସାର ସମ୍ପୂର୍ଣ୍ଣ ଵିଦାୟ ଯୋଗୁଁ ନୂଆ ପିଢ଼ିର ପିଲାମାନଙ୍କ ପାଇଁ ପ୍ଲାଟୋ, ଆରିଷ୍ଟୋଟଲ୍ ଵା ହୋମରଙ୍କ ମୂଳ ପ୍ରାଚୀନ ଗ୍ରୀକ୍ ସାହିତ୍ୟ ପଢ଼ିଵା ଅଧିକ କଠିନ ହୋଇଗଲା। ନୂଆ ପିଢ଼ି ନିଜର ମୂଳଭାଷା ଓ ସଂସ୍କୃତିଠାରୁ ସାମାନ୍ୟ ଦୂରେଇ ଯାଉଥିଵା ଅନୁଭବ କରାଗଲା । କିଛି ଆଲୋଚକଙ୍କ ମତରେ, କାଥାରେଵୌସାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଵା ଦ୍ବାରା ଅନେକ ସୁନ୍ଦର, ଦାର୍ଶନିକ ଓ ଗଭୀର ଅର୍ଥବୋଧକ ଶବ୍ଦ ଆଧୁନିକ ଵ୍ୟଵହାରରୁ ହଜିଗଲା, ଯାହା ଆଧୁନିକ ଗ୍ରୀକ୍ ଶବ୍ଦଭଣ୍ଡାରକୁ ସାମାନ୍ୟ ସୀମିତ କରିଦେଲା।

ଫଳତଃ ଏହି ବୌଦ୍ଧିକ ଚିନ୍ତା ଯୋଗୁଁ ୧୯୯୦ ଓ ୨୦୦୦ ଦଶନ୍ଧିରେ ଗ୍ରୀକ୍ ସ୍କୁଲ୍ ପାଠ୍ୟକ୍ରମରେ ପୁଣି ଥରେ ସାମାନ୍ୟ ପରିଵର୍ତ୍ତନ କରାଗଲା। ଏଥର କୌଣସି ରାଜନୈତିକ ଜବରଦସ୍ତି ନଥିଲା ଵରଂ ଏହା ଥିଲା ଏକ ସ୍ୱାଭାବିକ ପ୍ରକ୍ରିୟା । ସ୍କୁଲ୍‌ଗୁଡ଼ିକରେ ପ୍ରାଚୀନ ଗ୍ରୀକ୍ ଭାଷାର ଇତିହାସ ଓ କିଛି ଵ୍ୟାକରଣ ନିୟମକୁ କେଵଳ ଏକ ସାଂସ୍କୃତିକ ଐତିହ୍ୟ ଭାବେ ପଢ଼ାଇଵା ଆରମ୍ଭ କରାଗଲା।
ସାଧାରଣ ଲୋକେ ମଧ୍ୟ ନିଜ କଥାଵାର୍ତ୍ତାରେ ଡିମୋଟିକି ଵ୍ୟଵହାର କଲେ ସୁଦ୍ଧା, ଲେଖାଲେଖି ଓ ବୌଦ୍ଧିକ ଚର୍ଚ୍ଚା ସମୟରେ କାଥାରେଵୌସାର ଅନେକ ଉପାଦେୟ ପ୍ରଶାସନିକ ଓ ଵୈଜ୍ଞାନିକ ଶବ୍ଦକୁ ସ୍ୱତଃସ୍ଫୁର୍ତ୍ତ ଭାବେ ଗ୍ରହଣ କରିନେଲେ।

ଏହି ଐତିହାସିକ ଵିଵର୍ତ୍ତନର ସବୁଠାରୁ ବଡ଼ ଦାର୍ଶନିକ ସତ୍ୟ ହେଉଛି — ଭାଷା କୌଣସି ପଥରର ମୂର୍ତ୍ତି ନୁହେଁ ଯାହାକୁ କାଚଘରେ ସଜେଇ ରଖାଯିଵ ଵରଂ ଏହା ଏକ ପ୍ରଵହମାନ ନଦୀ ଭଳି ଯାହା ନିଜ ଗତିପଥ ନିଜେ ପ୍ରସ୍ତୁତ କରେ। ଗ୍ରୀସର ଏହି ୧୫୦ ଵର୍ଷର ରକ୍ତାକ୍ତ ସଂଘର୍ଷ ପ୍ରମାଣ କଲା ଯେ ମାନଵ ସମାଜରେ କେଵଳ 'ଆପୋଲୋ'ଙ୍କ ଅତ୍ୟଧିକ ଶୃଙ୍ଖଳା ଓ ଶୁଦ୍ଧତାର ଅହଂକାର ଚାଲିପାରିଵ ନାହିଁ କି 'ଡାୟୋନିସସ୍'ଙ୍କ ସମ୍ପୂର୍ଣ୍ଣ ନିୟମହୀନ ଉନ୍ମାଦନା ମଧ୍ୟ ଉପଯୁକ୍ତ ହୋଇପାରିଵ ନାହିଁ ।
ଯେତେବେଳେ ପ୍ରଶାସନ ବନ୍ଧୁକ ମୁନରେ ଭାଷାକୁ ଅପରିଵର୍ତ୍ତନୀୟ କରିଵାକୁ ଚେଷ୍ଟା କଲା ସେତେବେଳେ ସମାଜର ଶ୍ବାସରୁଦ୍ଧ ହୋଇପଡ଼ିଲା। ଆଉ ଯେତେବେଳେ କେଵଳ ଭାଵପ୍ରଵଣତାକୁ ପ୍ରଶ୍ରୟ ଦିଆଗଲା ସେତେବେଳେ ଜ୍ଞାନର ଗଭୀରତା ହଜିଯିଵାର ଭୟ ସୃଷ୍ଟି ହେଲା। କିନ୍ତୁ ପ୍ରକୃତିର ନିୟମ ଅନୁସାରେ, ସମୟ ସବୁବେଳେ ନିଜର ସନ୍ତୁଳନ ଖୋଜିନିଏ। ଆଧୁନିକ ମାନକ ଗ୍ରୀକ୍ ଭାଷା ହେଉଛି ସେହି ପରମ ସନ୍ତୁଳନର ପ୍ରତୀକ ଏଵଂ ଏହାର ଇତିହାସକୁ ଜାଣିଲେ ଲାଗେ ସତେ ଯେମିତି ଶେଷରେ ଆପୋଲୋଙ୍କ ଵୈଜ୍ଞାନିକ ଶୃଙ୍ଖଳା ଓ ଡାୟୋନିସସ୍‌ଙ୍କ ଜୀଵନ୍ତ ଆଵେଗ ପରସ୍ପର ସହ ହାତ ମିଳାଇଛନ୍ତି। ଶେଷରେ, ଏହି ଦ୍ୱନ୍ଦ୍ୱର ସମାପ୍ତି କୌଣସି ଗୋଟିଏ ପକ୍ଷର ଵିଜୟରେ ହୋଇନାହିଁ ଵରଂ ଦୁଇ ଶକ୍ତିର ପରସ୍ପର ସହ ସମନ୍ୱୟରେ ହୋଇଛି। ପ୍ରାଚୀନ ଗ୍ରୀକ୍ ମନ୍ଦିରର ସେହି ଦର୍ଶନ ଆଜି ବି ସତ୍ୟ — ସଭ୍ୟତାର ସୌନ୍ଦର୍ଯ୍ୟ କେଵଳ ଶୁଦ୍ଧତାର କାରାଗାରରେ ନଥାଏ କି ସ୍ଵେଚ୍ଛାଚାରିତାର ଅରାଜକତାରେ ନଥାଏ, ତାହା କେଵଳ ଏହି ଦୁଇ ଵିପରୀତ ମେରୁର ମଧ୍ୟବର୍ତ୍ତୀ ସନ୍ତୁଳନରେ ହିଁ ଜୀଵନ୍ତ ରହେ।

No comments:

Post a Comment