My Blog List

Showing posts with label କ୍ରିକେଟ୍. Show all posts
Showing posts with label କ୍ରିକେଟ୍. Show all posts

Tuesday, July 28, 2026

କ୍ରିକେଟ୍, ଫୁଟବଲ୍ ଓ ହକି ଖେଳରେ ଖେଳାଳି ସଂଖ୍ୟା ୧୧ କାହିଁକି?

କ୍ରିକେଟ୍‌ରେ ୧୧ ଜଣ ଲେଖାଏଁ ଖେଳାଳି ଗୋଟିଏ ଟିମ୍ ପକ୍ଷରୁ ଖେଳନ୍ତି, ଫୁଟବଲ ଓ ହକି ଖେଳରେ ମଧ୍ୟ ଗୋଟିଏ ଟିମ୍‌ରେ ୧୧ ଜଣ ଖେଳାଳି ହିଁ ଖେଳିଥାନ୍ତି। ତେବେ ଏହି '୧୧' ସଂଖ୍ୟା ପଛର ରହସ୍ୟ କ'ଣ ତାହା ଜାଣିଵା ପାଇଁ ଆମକୁ ଫୁଟବଲ ଓ କ୍ରିକେଟ୍ ଖେଳର ଇତିହାସକୁ ଜାଣିଵାକୁ ହେଵ।
ଆମେ ଆଜି ଯେଉଁ ଫୁଟବଲ୍ ଦେଖୁଛୁ, ତା'ର ପ୍ରକୃତ ମୂଳଦୁଆ ଦ୍ଵାଦଶ ଶତାବ୍ଦୀରେ ଇଂଲଣ୍ଡରେ ପଡ଼ିଥିଲା। ସେତେବେଳେ ଏହାର ସ୍ଥିତି ଅତ୍ୟନ୍ତ ଭୟଙ୍କର ଓ ଗଣ୍ଡଗୋଳିଆ ଥିଲା। ଏକ ରୋଚକ ଓ ପ୍ରଚଳିତ ଲୋକକଥା ଅନୁସାରେ, ବ୍ରିଟିଶମାନେ ଯେତେବେଳେ ଯୁଦ୍ଧରେ ଡେନମାର୍କର ସୈନିକମାନଙ୍କୁ ପରାସ୍ତ କଲେ, ସେତେବେଳେ ଵିଜୟ ଉତ୍ସଵ ପାଳିଵା ପାଇଁ ସେମାନେ ମୃତ ଶତ୍ରୁ ସୈନିକଙ୍କ କଟାମୁଣ୍ଡକୁ ପାଦରେ ଗୋଇଠା ମାରି ଖେଳିଵା ଆରମ୍ଭ କରିଥିଲେ। ପରଵର୍ତ୍ତୀ ସମୟରେ ଏହା ବଲ୍‌ର ରୂପ ନେଲା। ତେବେ ଏହି ଲୋକକଥାଟି ପ୍ରକୃତରେ ଫୁଟବଲ୍‌କୁ ଲୋକପ୍ରିୟ କରିଵା ପାଇଁ ବହୁତ ପରେ ଗଢ଼ା ଯାଇଥିଵା ଏକ ଗପ ଥିଲା ବୋଲି କେହି କେହି ଗଵେଷକ ମତ ଦିଅନ୍ତି।
ସେ ଯାହାହେଉ, ମଧ୍ୟଯୁଗୀୟ ଇଂଲଣ୍ଡରେ ପର୍ଵପର୍ଵାଣି ସମୟରେ ଦୁଇଟି ଗାଁ ମଧ୍ୟରେ ଫୁଟବଲ ଖେଳର ଏକ ଗାଉଁଲି ରୂପ ସେତେବେଳେ ଖେଳା ଯାଉଥିଲା, ଯାହାକୁ 'Mob football' ନାମ ଦିଆଯାଇଥିଲା।
ଏଥିରେ କୌଣସି ନିୟମ ନଥିଲା, ଖେଳାଳି ସଂଖ୍ୟାର ସୀମା ନଥିଲା ଏଵଂ ପଡ଼ିଆର ମଧ୍ୟ କୌଣସି ଚିହ୍ନ ନଥିଲା। ପୂରା ଗାଁ ହିଁ ପଡ଼ିଆ ପାଲଟିଯାଉଥିଲା। ପଶୁର ବ୍ଲାଡର ଵା ପରିସ୍ରା ଥଳିରେ ପବନ ପୂରାଇ ତା'ପରେ ଚମଡ଼ା ସିଲେଇ କରି ବଲ୍ ତିଆରି କରାଯାଉଥିଲା। ବଲ୍‌କୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନେଵା ପାଇଁ ହଜାର ହଜାର ଲୋକ ଏକାଠି ମାଡ଼ପିଟ୍ ହେଉଥିଲେ। ଏଥିରେ ଅନେକ ଲୋକଙ୍କର ହାତ-ଗୋଡ଼ ଭାଙ୍ଗୁଥିଲା ଏଵଂ ବେଳେବେଳେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଥିଲା। ଏହି ହିଂସାକାଣ୍ଡ ଯୋଗୁଁ ୧୩୧୪ ମସିହାରେ ଇଂଲଣ୍ଡର ରାଜା ଏଡୱାର୍ଡ ଦ୍ଵିତୀୟ (King Edward II) ଏହି ଖେଳକୁ ସମ୍ପୂର୍ଣ୍ଣ ଆଇନଗତ ଭାବେ ନିଷିଦ୍ଧ କରିଦେଇଥିଲେ। ଏହା ପରେ ମଧ୍ୟ ଅନେକ ରାଜା 'Mob football'କୁ ବ୍ୟାନ୍ କଲେ, କିନ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ଏହି ଖେଳ ପାଇଁ ଏତେ ପାଗଳାମି ଥିଲା ଯେ ଲୁଚାଛପାରେ 'Mob football' ତଥାପି ଖେଳା ଯାଉଥିଲା।
ଅପରପକ୍ଷରେ କ୍ରିକେଟ୍ ଏକ ସାଧାରଣ ମେଷପାଳକ ଓ ଚାଷୀମାନଙ୍କର ଖେଳ ଭାବେ ଆରମ୍ଭ ହୋଇଥିଲା। ସେହି ସମୟରେ କ୍ରିକେଟ୍ ଖେଳର କୌଣସି ନିର୍ଦ୍ଦିଷ୍ଟ ସୀମା ଵା ନିୟମ ନଥିଲା। ଯେତେ ଜଣ ଚାହୁଁଥିଲେ ପଡ଼ିଆକୁ ଓହ୍ଲାଇ ଯାଉଥିଲେ। କେତେବେଳେ ୫ ଜଣ ତ କେତେବେଳେ ୨୦ ଜଣ ମଧ୍ୟ ଏକାଠି ଖେଳୁଥିଲେ।
କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ, ଯେତେବେଳେ ତତ୍କାଳୀନ କ୍ରିକେଟ୍ ଖେଳ ଧନୀ ଓ ଜମିଦାର ଶ୍ରେଣୀର ଲୋକଙ୍କ ଦ୍ୱାରା ଆଦୃତ ହେଲା, ସେତେବେଳେ ଏହା ଉପରେ ବାଜି ଵା ଜୁଆ ଖେଳାଯିଵା ଆରମ୍ଭ ହେଲା। ଯେତେବେଳେ ଟଙ୍କାର କଥା ଆସିଲା, ସେତେବେଳେ ନିୟମର ଆଵଶ୍ୟକତା ଜରୁରୀ ମନେହେଲା। ଏହିପରି ଭାବେ ୧୭୪୪ ମସିହାରେ କ୍ରିକେଟ୍ ଜଗତର ପ୍ରଥମ ଆନୁଷ୍ଠାନିକ ଲିଖିତ ନିୟମାଵଳୀ ପ୍ରସ୍ତୁତ କରାଗଲା।
କ୍ରିକେଟ୍ ଖେଳର ଏହି ୧୭୪୪ର ନିୟମରେ ପ୍ରଥମ କରି ସ୍ପଷ୍ଟ ଭାବେ ଉଲ୍ଲେଖ କରାଗଲା ଯେ ପ୍ରତି ଦଳରେ ୧୧ ଜଣ ଲେଖାଏଁ ଖେଳାଳି ରହିବେ। ଏହି ସଂଖ୍ୟା ବାଛିଵା ପଛରେ ଏକ ପ୍ରାକୃତିକ କାରଣ ଥିଲା। ସେତେବେଳେ ପଡ଼ିଆର ଯେଉଁ ଆକାର ରହୁଥିଲା, ତାହାକୁ ସମ୍ପୂର୍ଣ୍ଣ ଭାବେ ଘେରି ରହିଵା ଵା କଵର୍ କରିଵା ପାଇଁ ୧୦ ଜଣ ଫିଲ୍ଡର୍ ଵା ଜଗୁଆଳି ଏଵଂ ଜଣେ ବୋଲର୍ ଵା ପେଣ୍ଡୁ ନିକ୍ଷେପକାରୀ —ଏହିପରି ୧୧ ଜଣଙ୍କର ସଂଯୋଗ ସବୁଠାରୁ ଉପଯୁକ୍ତ ମନେ ହେଉଥିଲା। ଏହାଦ୍ୱାରା ଖେଳ ବହୁତ ସହଜ ହେଉନଥିଲା କି ବହୁତ କଷ୍ଟକର ମଧ୍ୟ ହେଉନଥିଲା।
କ୍ରିକେଟ୍‌ରେ ୧୧ ଜଣିଆ ନିୟମ ତ ତିଆରି ହୋଇଗଲା, କିନ୍ତୁ ଏହା ସମାଜରେ ଦୃଢ଼ ଭାବେ ପ୍ରତିଷ୍ଠିତ ହେଵା ପଛରେ ରହିଛି ଇଂଲଣ୍ଡର ପ୍ରସିଦ୍ଧ ବୋର୍ଡିଂ ସ୍କୁଲଗୁଡ଼ିକର ଏକ ଅଦ୍ଭୁତ ଅଵଦାନ। ଊନଵିଂଶ ଶତାବ୍ଦୀର ପ୍ରାରମ୍ଭରେ Eton, Harrow, Rugby ଓ Cambridge ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ରିକେଟ୍ ଓ ଫୁଟବଲ୍‌ର ପ୍ରାରମ୍ଭିକ ରୂପ ଖେଳାଯାଉଥିଲା।
ସେହି ସମୟରେ ଏହି ସ୍କୁଲଗୁଡ଼ିକର ହଷ୍ଟେଲ୍ ଵା ଡର୍ମିଟୋରୀର ଗଠନ ଶୈଳୀ ବହୁତ ରୋଚକ ଥିଲା। ସାଧାରଣତଃ ପ୍ରତିଟି ହଷ୍ଟେଲ୍ ରୁମ୍‌ରେ ୧୦ ଜଣ ଛାତ୍ର ରହୁଥିଲେ ଏଵଂ ସେମାନଙ୍କର ଦେଖାଶୁଣା ତଥା ଶୃଙ୍ଖଳା ରକ୍ଷା କରିଵା ପାଇଁ ଜଣେ ଵୟସ୍କ ଛାତ୍ରଙ୍କୁ ଦାୟିତ୍ୱ ଦିଆଯାଉଥିଲା, ଯାହାଙ୍କୁ 'ମନିଟର୍' କିମ୍ବା 'ପ୍ରିଫେକ୍ଟ' କୁହାଯାଉଥିଲା। ଏହିପରି ଭାବେ ପ୍ରତି ରୁମ୍‌ରେ ୧୦ ଜଣ ଛାତ୍ର ଏଵଂ ୧ ଜଣ ପ୍ରିଫେକ୍ଟ୍‌ଙ୍କୁ ମିଶାଇ ସମୁଦାୟ ସଦସ୍ୟ ସଂଖ୍ୟା ୧୧ ହେଉଥିଲା।
ଯେତେବେଳେ ସ୍କୁଲ୍ ଭିତରେ କୌଣସି କ୍ରୀଡ଼ା ପ୍ରତିଯୋଗିତା ହେଉଥିଲା, ସେତେବେଳେ ଗୋଟିଏ ହଷ୍ଟେଲ୍ ରୁମ୍ ଆଉ ଏକ ହଷ୍ଟେଲ୍ ରୁମ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା। ଏହି ସମୟରେ ନିୟମ ଥିଲା ଯେ ରୁମ୍‌ର କୌଣସି ସଦସ୍ୟ ବାଦ୍ ପଡ଼ିବେ ନାହିଁ। ତେଣୁ, ପୂରା ରୁମ୍‌ର ୧୧ ଜଣ ଯାକ ସଦସ୍ୟ ଏକାଠି ପଡ଼ିଆକୁ ଓହ୍ଲାଉଥିଲେ। ପ୍ରିଫେକ୍ଟ ଜଣକ ଦଳର ଅଧିନାୟକ ଵା କ୍ୟାପ୍ଟେନ୍ ହେଉଥିଲେ ଏଵଂ ବାକି ୧୦ ଜଣ ଖେଳାଳି ତାଙ୍କ ନିର୍ଦ୍ଦେଶରେ ଖେଳୁଥିଲେ। ଧୀରେ ଧୀରେ ଏହି ସ୍କୁଲ୍ ପରମ୍ପରା ଏତେ ଶକ୍ତିଶାଳୀ ହେଲା ଯେ, ସ୍କୁଲ୍ ସୀମା ପାର ହୋଇ ଏହା ଆନ୍ତର୍ଜାତୀୟ ନିୟମର ମୂଳଦୁଆ ପାଲଟିଗଲା।
ଏବେ ପ୍ରଶ୍ନ ଆସେ, କ୍ରିକେଟ୍‌ରେ ୧୧ ଜଣ ଖେଳିଵା କଥା ତ ବୁଝାପଡ଼ିଲା, କିନ୍ତୁ ଫୁଟବଲ୍‌ରେ ଏହି ୧୧ ସଂଖ୍ୟା କେମିତି ଆସିଲା? ଏହାର ଉତ୍ତର ଲୁଚି ରହିଛି ୧୮୬୦ ଦଶକର ବ୍ରିଟିଶ୍ କ୍ରୀଡ଼ା ଇତିହାସରେ।
ସେହି ସମୟରେ ଇଂଲଣ୍ଡରେ ଫୁଟବଲ୍ ଏକ ସଂଗଠିତ ଖେଳ ନଥିଲା। ଵିଭିନ୍ନ ସ୍କୁଲ୍ ଓ କ୍ଲବ୍ ନିଜ ନିଜ ଇଚ୍ଛା ଅନୁସାରେ ନିୟମ ତିଆରି କରି ଫୁଟବଲ୍ ଖେଳୁଥିଲେ। କେଉଁଠି ୧୫ ଜଣ ତ କେଉଁଠି ୨୦ ଜଣ ମଧ୍ୟ ଗୋଟିଏ ଦଳରୁ ଫୁଟବଲ୍ ଖେଳୁଥିଲେ। ପରିସ୍ଥିତି ଏମିତି ହେଉଥିଲା ଯେ ଫୁଟବଲ୍ ଖେଳ ସମୟରେ ପଡ଼ିଆରେ କେଵଳ ଗହଳି ହିଁ ଦେଖାଯାଉଥିଲା, ଖେଳ କମ୍ ଏଵଂ ବାଡ଼ିଆପିଟା ଅଧିକ ହେଉଥିଲା।
ଏହି ସମସ୍ୟାର ସମାଧାନ ପାଇଁ ୧୮୬୩ ମସିହାରେ ଲଣ୍ଡନଠାରେ 'ଫୁଟବଲ୍ ଆସୋସିଏସନ୍' (FA) ର ପ୍ରତିଷ୍ଠା କରାଗଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଫୁଟବଲ୍ ପାଇଁ ଏକ ସାର୍ଵଜନୀନ ନିୟମାଵଳୀ ପ୍ରସ୍ତୁତ କରିବା। ଯେତେବେଳେ ଦଳର ସଦସ୍ୟ ସଂଖ୍ୟା ସ୍ଥିର କରିଵାର ସମୟ ଆସିଲା, ସେତେବେଳେ କ୍ରିକେଟ୍‌ର ପ୍ରଭାଵ ସବୁଠାରୁ ଅଧିକ ଦେଖିଵାକୁ ମିଳିଥିଲା।
ଇଂଲଣ୍ଡରେ ସେତେବେଳେ ଏକ ବଡ଼ ପରମ୍ପରା ଥିଲା ଯେ, ଯେଉଁମାନେ ଗ୍ରୀଷ୍ମ ଋତୁରେ କ୍ରିକେଟ୍ ଖେଳୁଥିଲେ, ସେମାନେ ଶୀତଦିନେ ନିଜ ଶରୀରକୁ ଫିଟ୍ ଓ ସକ୍ରିୟ ରଖିଵା ପାଇଁ ଫୁଟବଲ୍ ଖେଳୁଥିଲେ। ଅର୍ଥାତ୍, କ୍ରିକେଟ ଖେଳାଳିମାନେ ହିଁ ଶୀତଦିନର ଫୁଟବଲ ଖେଳାଳି ଥିଲେ। ଯେତେବେଳେ ଏହି କ୍ରିକେଟ୍ ଦଳଗୁଡ଼ିକ ଶୀତଦିନେ ଫୁଟବଲ୍ ଖେଳିଵାକୁ ଆସୁଥିଲେ, ସେମାନେ ନିଜର ସମ୍ପୂର୍ଣ୍ଣ ୧୧ ଜଣିଆ ଟିମ୍‌କୁ ସାଙ୍ଗରେ ନେଇ ଆସୁଥିଲେ।
FAର ନିୟମ ପ୍ରଣେତାମାନେ ଅନୁଭଵ କଲେ ଯେହେତୁ ଲୋକେ ପୂର୍ଵରୁ ୧୧ ଜଣିଆ ଦଳରେ ଖେଳିଵାକୁ ଅଭ୍ୟସ୍ତ ଏଵଂ ଏହି ସଂଖ୍ୟାଟି ପଡ଼ିଆରେ ସନ୍ତୁଳନ ରକ୍ଷା କରିଵା ପାଇଁ ଶ୍ରେଷ୍ଠ, ତେଣୁ ସେମାନେ କୌଣସି ନୂଆ ସଂଖ୍ୟା ଉଦ୍ଭାଵନ ନକରି କ୍ରିକେଟ୍‌ର ସେହି ପାରମ୍ପରିକ ୧୧ ଜଣିଆ ନିୟମକୁ ଫୁଟବଲ୍‌ରେ ମଧ୍ୟ ସ୍ଥାୟୀ ଭାବେ ଗ୍ରହଣ କରିନେଲେ। ୧୮୭୦ ଦଶକ ବେଳକୁ ଏହା ଏକ ବାଧ୍ୟତାମୂଳକ ନିୟମରେ ପରିଣତ ହୋଇଗଲା।
ଯେମିତି କ୍ରିକେଟ୍ ଓ ଫୁଟବଲ୍ ଇଂଲଣ୍ଡରେ ଜନ୍ମ ହୋଇଥିଲା, ଠିକ୍ ସେହିଭଳି ହକିର ଜନ୍ମ ବି ସେହି ଇଂଲଣ୍ଡରେ ହିଁ ହୋଇଥିଲା। ତେଣୁ ପୃଥିଵୀର ସର୍ଵାଧିକ ପ୍ରସିଦ୍ଧ ତିନୋଟି ଖେଳ—"ଫୁଟବଲ୍, କ୍ରିକେଟ୍ ଓ ହକି"ର ଜନ୍ମସ୍ଥାନ ସେହି ଇଂଲଣ୍ଡ ହିଁ ଅଟେ।
ଊନଵିଂଶ ଶତାବ୍ଦୀ ପୂର୍ଵରୁ ଇଂଲଣ୍ଡରେ ହକିର କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିଲା। ସେତେବେଳେ ଇଂଲଣ୍ଡର ଗ୍ରାମାଞ୍ଚଳରେ ହକିକୁ 'ବ୍ୟାଣ୍ଡି' (Bandy) କିମ୍ବା 'ଶିନି' (Shinny) ନାମରେ ଜଣାଯାଉଥିଲା। ସେତେବେଳର ହକି ଖେଳରେ କୌଣସି ପଡ଼ିଆର ସୀମା ନଥିଲା କି ରେଫରି ନଥିଲେ।
ସେତେବେଳେ ଇଂଲଣ୍ଡର ଗ୍ରାମାଞ୍ଚଳରେ ଗୋଟିଏ ଗାଁର ଲୋକେ ଅନ୍ୟ ଗାଁର ଲୋକଙ୍କ ସହ ଯେଉଁ ଗାଉଁଲି ହକି ଖେଳୁଥିଲେ, ସେଥିରେ ଗୋଟିଏ ଦଳରୁ ୫୦ ରୁ ୧୦୦ ଜଣ ପର୍ଯ୍ୟନ୍ତ ଲୋକ ଖେଳୁଥିଲେ। ଲୋକମାନେ ଗଛର ବଙ୍କା ଡାଳକୁ ବାଡ଼ି ଭାବରେ ଵ୍ୟଵହାର କରି କାଠର ଗୋଟିଏ ଖଣ୍ଡକୁ ବଲ୍ ଭାବରେ ଜୋରରେ ପିଟୁଥିଲେ। ଏହା ଏକ ଖେଳ ଅପେକ୍ଷା ମାରପିଟ୍ ଵା ଗଣ୍ଡଗୋଳ ବେଶୀ ଲାଗୁଥିଲା। ମୁଣ୍ଡ ଫାଟିଵା କିମ୍ବା ରକ୍ତାକ୍ତ ହେଵା ଏକ ସାଧାରଣ କଥା ଥିଲା।
ଊନଵିଂଶ ଶତାବ୍ଦୀର ପ୍ରାରମ୍ଭ ଆଡ଼କୁ ଇଟନ୍ ଓ ହାରୋ ଭଳି ଇଂଲଣ୍ଡର ପ୍ରସିଦ୍ଧ ପବ୍ଲିକ ସ୍କୁଲଗୁଡ଼ିକ ଏହି ଅସଙ୍ଗଠିତ ହକି ଖେଳ ପ୍ରତି ଆକୃଷ୍ଟ ହେଲେ। ସ୍କୁଲର ଛାତ୍ରମାନେ ପଡ଼ିଆରେ ନିଜ ନିଜ ଭିତରେ ଖେଳିଵା ପାଇଁ ଏହାକୁ ଟିକେ ଶୃଙ୍ଖଳିତ କରିବାକୁ ଚେଷ୍ଟା କଲେ। ସେମାନେ ହିଂସା କମାଇଵା ପାଇଁ କିଛି ସାଧାରଣ ଘରୋଇ ନିୟମ ତିଆରି କଲେ, ଯାହା ହକିକୁ ପ୍ରଥମ ଥର ପାଇଁ ଏକ କ୍ରୀଡ଼ାର ମାନ୍ୟତା ଦେଵା ଦିଗରେ ପ୍ରାରମ୍ଭିକ ପଦକ୍ଷେପ ଥିଲା।
ଆଧୁନିକ ହକିର ପ୍ରକୃତ ଜନ୍ମ ଏଵଂ ସଭ୍ୟ ନିୟମର ପ୍ରଚଳନ ୧୮୬୧ ମସିହାରେ ଆରମ୍ଭ ହେଲା, ଯେତେବେଳେ ଇଂଲଣ୍ଡରେ Teddington Hockey Club ପ୍ରତିଷ୍ଠା ହେଲା। କ୍ରିକେଟ୍ ଭଳି ହକିକୁ ମଧ୍ୟ ଏକ ସମ୍ମାନଜନକ "Gentleman's Game" କରିଵା ପାଇଁ ଏହି କ୍ଲବ୍ କିଛି କଡ଼ା ନିୟମ ଲାଗୁ କଲା। ଵିପଜ୍ଜନକ କାଠ ଵା କ୍ରିକେଟ୍ ବଲ୍ ବଦଳରେ ସେମାନେ ପ୍ରଥମେ ଗୋଲାକାର ରବର ବଲର ପ୍ରଚଳନ କଲେ, ଯାହା ଆଘାତ କମାଇ ଦେଇଥିଲା। ଖେଳକୁ ସୁରକ୍ଷିତ କରିଵା ପାଇଁ ନିୟମ ହେଲା ଯେ, କୌଣସି ଖେଳାଳି ନିଜ ହକି ଷ୍ଟିକ୍‌କୁ କାନ୍ଧରୁ ଉପରକୁ ଉଠାଇ ପାରିବେ ନାହିଁ। ଏକ ନିର୍ଦ୍ଦିଷ୍ଟ ସୀମା ଵା ଡି (D) ଭିତରୁ ହିଁ ବଲ୍‌କୁ ବାଡ଼େଇ ଗୋଲ୍ କରିହେଵ ବୋଲି ନିୟମ କରାଗଲା, ଯାହା ଖେଳକୁ ଅଧିକ କୌଶଳପୂର୍ଣ୍ଣ କଲା।
୧୮୮୬ ମସିହା ଜାନୁଆରୀ ୧୮ ତାରିଖରେ ହକି ନିଜର ଚୂଡ଼ାନ୍ତ ଆଧୁନିକ ରୂପ ପାଇଲା। ଇଂଲଣ୍ଡରେ ଗଠିତ ହେଲା 'The Hockey Association'। କ୍ରିକେଟ୍ ଓ ଫୁଟବଲ୍‌ରୁ ଅନୁପ୍ରାଣିତ ହୋଇ ଏହି ସଂସ୍ଥା ପ୍ରଥମ ଥର ପାଇଁ ଵିଧିବଦ୍ଧ ଭାବେ ଘୋଷଣା କଲା ଯେ ପ୍ରତ୍ୟେକ ଦଳରେ କେଵଳ ୧୧ ଜଣ ଖେଳାଳି ରହିବେ। ପଡ଼ିଆର ମାପ, ଗୋଲ୍ ପୋଷ୍ଟର ଆକାର ଓ ପେନାଲ୍ଟି ନିୟମ ସବୁ ଲିପିବଦ୍ଧ ହେଲା। ପରେ ଏହା ବ୍ରିଟିଶ ସେନା ଅଧିକାରୀମାନଙ୍କ ମାଧ୍ୟମରେ ଵିଶ୍ୱର କୋଣ ଅନୁକୋଣକୁ ଵ୍ୟାପିଗଲା। ଵିଶେଷ କରି ଭାରତ ଭଳି ଦେଶରେ ପୂର୍ଵରୁ ଡାବଲପୁଆ ଭଳି ଖେଳ ଗ୍ରାମାଞ୍ଚଳରେ ବହୁତ ଖେଳାଯାଉଥିଵାରୁ ଭାରତୀୟମାନେ କ୍ରିକେଟ୍, ହକି ଏଵଂ ପରେ ଇଂଲଣ୍ଡର Rounders ଖେଳରୁ ଆମେରିକାରେ ଜନ୍ମ ହୋଇଥିଵା ବେସବଲ୍ ପ୍ରତି ଵିଶେଷ ଆକୃଷ୍ଟ ହୋଇଥିଲେ (ଉଭୟ ଖେଳରେ ଖେଳାଳି ସଂଖ୍ୟା ପିଚ୍‌ର ଛୋଟ ଆକାର ଦୃଷ୍ଟିରୁ ୯ ରହୁଥିଲା)।
କ୍ରିକେଟ୍, ଫୁଟବଲ୍ ଓ ହକି ଖେଳ ଛଡ଼ା ଆମେରିକାନ୍ ଫୁଟବଲ୍ ଓ ବ୍ୟାଣ୍ଡିରେ ବି ୧୧ ଜଣ ଖେଳାଳି ପଡ଼ିଆରେ ଖେଳନ୍ତି ଏଵଂ ଏହି ସମସ୍ତ ଖେଳର ଇତିହାସ ଇଂଲଣ୍ଡ ସହିତ ଜଡ଼ିତ। ରଗବୀ ଖେଳ ଏହାର ଵ୍ୟତିକ୍ରମ ରୂପେ ଇଂଲଣ୍ଡରେ ଫୁଟବଲରୁ ଅଲଗା ହୋଇ ଏକ ନୂତନ ଖେଳ ରୂପେ ଵିକଶିତ ହୋଇଥିଲେ ବି ଏଥିରେ ୧୩ରୁ ୧୫ ଜଣ ଲେଖାଏଁ ଖେଳାଳି ଖେଳିଥାନ୍ତି।
ତେବେ କ୍ରିକେଟ୍, ଫୁଟବଲ୍ ଓ ହକି ଖେଳରେ ଖେଳାଳି ସଂଖ୍ୟା '୧୧' ରହିଵା ପଛରେ ଏକ ଵ୍ୟଵହାରିକ ଓ ଵୈଜ୍ଞାନିକ ଦୃଷ୍ଟିକୋଣ ମଧ୍ୟ ରହିଛି। ଗୋଟିଏ ମାନକ ଫୁଟବଲ୍ କିମ୍ବା କ୍ରିକେଟ୍ ପଡ଼ିଆର ଆକାର ଯଥେଷ୍ଟ ବଡ଼ ହୋଇଥାଏ।
ଯଦି ଏହି ପଡ଼ିଆରେ ୧୧ ଜଣରୁ କମ୍ ଖେଳାଳି (ଧରାଯାଉ ୭ କିମ୍ବା ୮ ଜଣ) ରହିବେ, ତେବେ ପଡ଼ିଆର ଅଧିକାଂଶ ସ୍ଥାନ ଖାଲି ରହିବ। ଖେଳାଳିମାନଙ୍କୁ ବହୁତ ଅଧିକ ଦୌଡ଼ିଵାକୁ ପଡ଼ିଵ ଏଵଂ ସେମାନେ ବହୁତ ଶୀଘ୍ର ଥକିଯିବେ। ଖେଳର ଗତି ମଧ୍ୟ ମନ୍ଥର ହୋଇଯିଵ। ଅନ୍ୟପକ୍ଷରେ, ଯଦି ୧୧ ଜଣରୁ ଅଧିକ ଖେଳାଳି (ଧରାଯାଉ ୧୫ କିମ୍ବା ୧୮ ଜଣ) ପଡ଼ିଆକୁ ଓହ୍ଲାଇବେ, ତେବେ ପଡ଼ିଆରେ ପ୍ରଵଳ ଗହଳି ହୋଇଯିଵ। ବଲ୍‌କୁ ପାସ୍ କରିଵା କିମ୍ବା ରଣନୀତି ଅନୁସାରେ ଖେଳିଵା ଅସମ୍ଭଵ ହୋଇଯିଵ ଏଵଂ ଖେଳାଳିମାନେ ପରସ୍ପର ସହ ଧକ୍କା ହେଵାର ସମ୍ଭାଵନା ବଢ଼ିଯିଵ।
ତେଣୁ, ୧୦ ଜଣ ଫିଲ୍ଡ ଖେଳାଳି ଏଵଂ ଜଣେ ଵିଶେଷଜ୍ଞ (ଫୁଟବଲ୍‌ରେ ଗୋଲକିପର ଏଵଂ କ୍ରିକେଟ୍‌ରେ ବୋଲର/ୱିକେଟକିପର)—ଏହି ୧୧ ଜଣଙ୍କର ସଂଶ୍ଳେଷଣ ପଡ଼ିଆର ଖାଲି ସ୍ଥାନ ଏଵଂ ମାନଵୀୟ ଦୌଡ଼ିଵା କ୍ଷମତା ମଧ୍ୟରେ ଏକ ଅଦ୍ଭୁତ ସନ୍ତୁଳନ ସୃଷ୍ଟି କରେ। ଏହା ଖେଳକୁ ଅଧିକ ପ୍ରତିଯୋଗିତାମୂଳକ, ଦ୍ରୁତ ଏଵଂ ଦର୍ଶକମାନଙ୍କ ପାଇଁ ଦେଖିଵାକୁ ମନୋରଞ୍ଜନଧର୍ମୀ କରିଥାଏ।
କ୍ରିକେଟ୍, ଫୁଟବଲ୍ ଓ ହକିର ଇତିହାସକୁ ପଢ଼ିଲେ ଜଣାପଡ଼େ ଯେ ଯେଉଁ ନିୟମଗୁଡ଼ିକୁ ଆମେ ଆଜି ଅତ୍ୟନ୍ତ ଆଧୁନିକ ବୋଲି ଭାବୁଛୁ, ସେଗୁଡ଼ିକ ପ୍ରକୃତରେ ସମୟର ସ୍ରୋତରେ ଏଵଂ ସାଧାରଣ ମାନଵୀୟ ଅଭ୍ୟାସରୁ ଧୀରେ ଧୀରେ ଗଢ଼ି ଉଠିଛି। ଇଂଲଣ୍ଡର ସେହି ପୁରୁଣା ହଷ୍ଟେଲ୍ ରୁମ୍‌ର ଜଣେ ପ୍ରିଫେକ୍ଟ ଏଵଂ ୧୦ ଜଣ ଛାତ୍ରଙ୍କର ସେହି ଆମୋଦପ୍ରମୋଦର ନିୟମ ଆଜି ଵିଶ୍ୱର ସବୁଠାରୁ ପ୍ରସିଦ୍ଧ ତିନୋଟି ଖେଳର ବଡ଼ ଷ୍ଟାଡିୟମ୍‌ଗୁଡ଼ିକରେ କୋଟି କୋଟି ପ୍ରଶଂସକଙ୍କୁ ଆନନ୍ଦ ଦେଉଛି। ଏହିପରି ଭାବେ, '୧୧' କେଵଳ ଏକ ସଂଖ୍ୟା ହୋଇ ରହିନାହିଁ ଵରଂ ଏହା ସାରା ଵିଶ୍ୱର କ୍ରୀଡ଼ା ଇତିହାସର ଏକ ଅମର ଓ ରୋଚକ ପ୍ରତୀକ ପାଲଟିଯାଇଛି।


Monday, June 29, 2026

କାହିଁକି କାଶ୍ମୀରରେ ୧୯୮୬ ପରେ କୌଣସି ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯାଉ ନାହିଁ?

୧୯୮୩ ଜୁନ୍ ମାସରେ କପିଳ ଦେଵଙ୍କ ନେତୃତ୍ୱରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌କୁ ହରାଇ ପ୍ରଥମ ଥର ପାଇଁ ଵିଶ୍ୱକପ୍ ଜିତିଥିଲା। ଏହା ପରେ ପରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତରେ ଆସିଥିଲା। ସେହି ଦ୍ଵିପାକ୍ଷିକ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍ ଶ୍ରୀନଗରରେ ଆୟୋଜନ କରାଯାଇଥିଲା। କାଶ୍ମୀରରେ ଆୟୋଜିତ ତାହା ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଥିଲା।

ମ୍ୟାଚ୍ ଦେଖିଵା ପାଇଁ ଷ୍ଟାଡିୟମରେ ପ୍ରଵଳ ଭିଡ଼ ହୋଇଥିଲା। କିନ୍ତୁ ଖେଳ ଆରମ୍ଭ ହେଵା ମାତ୍ରେ ସ୍ଥାନୀୟ ଦର୍ଶକଙ୍କ ମଧ୍ୟରୁ ଏକ ବଡ଼ ଦଳ ଭାରତୀୟ ଖେଳାଳିମାନଙ୍କୁ ହୁଟିଂ କରିଵା ସହ ୱେଷ୍ଟଇଣ୍ଡିଜ୍ ଦଳକୁ ଭୀଷଣ ସମର୍ଥନ କରିଵା ଆରମ୍ଭ କରି ଦେଇଥିଲେ।
ସ୍ଥାନୀୟ କାଶ୍ମୀର ପଠାଣମାନେ ୱେଷ୍ଟଇଣ୍ଡିଜ୍‌ର ପ୍ରତ୍ୟେକ ଚୌକା, ଛକା ଏଵଂ ଭାରତୀୟ ୱିକେଟ୍ ପତନରେ ମର୍କଟଙ୍କ ପରି ଡେଇଁ କୁଦି ଭାରି ଖୁସି ହେଉଥିଲେ। କିଛି ସ୍ଥାନୀୟ ଦର୍ଶକ ଷ୍ଟାଡିୟମ ଭିତରକୁ ପାକିସ୍ତାନୀ କ୍ରିକେଟରଙ୍କ ପୋଷ୍ଟର ଏଵଂ ପାକିସ୍ତାନର ସବୁଜ ପତାକା ମଧ୍ୟ ଆଣିଥିଲେ, ଯାହା ସେତେବେଳେ ସେଠାକାର ରାଜନୈତିକ ଓ ଵିଚ୍ଛିନ୍ନତାଵାଦୀ ମାନସିକତାକୁ ଦର୍ଶାଉଥିଲା।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମ୍ୟାଚ୍‌ର ମଧ୍ୟାନ୍ତର ଵା Innings break ସମୟରେ କିଛି ଲୋକ ପଡ଼ିଆ ଭିତରକୁ ପଶି ଆସି ଖେଳ ଚାଲିଥିଵି ପିଚ୍‌କୁ ଖୋଳିଵାକୁ ଚେଷ୍ଟା କରିଥିଲେ। ଭାରତୀୟ ଅଧିନାୟକ କପିଳ ଦେବ ନିଜେ ଏହି ଵିଷୟରେ ପରଵର୍ତ୍ତୀ ସମୟରେ କହିଥିଲେ ଯେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇଵା ପୂର୍ଵରୁ ସେମାନେ ପିଚ୍‌ ଉପରକୁ ମାଡ଼ି ଆସିଥିଲେ।

ପ୍ରତ୍ୟକ୍ଷରେ ଏ ଘଟଣା ପଛରେ ପାକିସ୍ତାନର ହାତ ଥିଲା ବୋଲି ସାର୍ଵଜନୀକ ଭାବରେ ଅନେକେ ସ୍ଵୀକାର କରୁନଥିଲେ ବି କେତେକ କଥାରୁ ଏହା ପଛରେ ପାକିସ୍ତାନର ପରୋକ୍ଷ ଓ ପ୍ରତ୍ୟକ୍ଷ ହାତ ଥିଲା ବୋଲି କୁହାଯାଏ। ପାକିସ୍ଥାନ ସର୍ଵଦା କାଶ୍ମୀରର ଆତଙ୍କଵାଦୀ ସଂଗଠନ ଓ ଵିଚ୍ଛିନ୍ନତାଵାଦୀମାନଙ୍କୁ ଵିଭିନ୍ନ ଉପାୟରେ ଟଙ୍କା ଓ ଟ୍ରେନିଂ ଦେଉଥିଲା । ସ୍ଥାନୀୟ କାଶ୍ମୀରର ଲୋକଙ୍କୁ ଭାରତ ଵିପକ୍ଷରେ କରିଵା ପାଇଁ ବି ପାକିସ୍ତାନ ନାନା ଉପାୟ ଲଗାଇଥିଲା । 
ସେହି ସମୟରେ କାଶ୍ମୀରର ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ରେଡିଓ ଓ Propaganda ଟେଲିଵିଜନର ପ୍ରସାରଣ ଖୁବ୍ ସହଜରେ ଉପଲବ୍ଧ ହେଉଥିଲା। ପାକିସ୍ତାନ ସର୍ଵଦା କାଶ୍ମୀରୀ ଯୁଵକମାନଙ୍କୁ ଭାରତ ଵିରୋଧରେ ଉସୁକାଇଵା ପାଇଁ ଏହାର ଵ୍ୟଵହାର କରୁଥିଲା। ଷ୍ଟାଡିୟମ ଭିତରେ କିଛି ଦର୍ଶକଙ୍କ ହାତରେ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ପୋଷ୍ଟର ଏଵଂ ପାକିସ୍ତାନୀ ପତାକା ରହିଵା ଦର୍ଶାଉଥିଲା ଯେ, ସେଠାକାର କିଛି ଗୋଷ୍ଠୀ ପାକିସ୍ତାନର ଭାବଧାରା ଦ୍ୱାରା ପ୍ରଭାଵିତ ଥିଲେ।

ମ୍ୟାଚ୍ ପରେ ଗୋଇନ୍ଦା ଵିଭାଗ ଓ ପୋଲିସ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ପିଚ୍ ଖୋଳିଵା ଏଵଂ ଭାରତ ଵିରୋଧୀ ସ୍ଲୋଗାନ ଦେଵା ପଛରେ ସ୍ଥାନୀୟ ସଂଗଠନ 'ଜାମାତ-ଇ-ଇସଲାମୀ'ର ଯୁଵ ଶାଖା ଇସଲାମୀ ଜମିଅତ୍ ଏ ତୁଲାବାର ପ୍ରମୁଖ ହାତ ଥିଲା। ଏହି ସଂଗଠନଗୁଡ଼ିକର ଚିନ୍ତାଧାରା ସର୍ଵଦା ପାକିସ୍ତାନ ଆଡ଼କୁ ଢଳି ରହିଥିଲା ଏଵଂ ସେମାନଙ୍କୁ ସୀମା ପାର୍ଶ୍ୱରୁ ପରୋକ୍ଷ ସମର୍ଥନ ମିଳୁଥିଲା ବୋଲି ଅଭିଯୋଗ ହୋଇଥିଲା। ସେମାନେ ଏହି ଆନ୍ତର୍ଜାତୀୟ ମ୍ୟାଚ୍‌କୁ ଏକ ସୁଯୋଗ ଭାବେ ଵ୍ୟଵହାର କରି ଵିଶ୍ୱ ସମୁଦାୟ ଆଗରେ ଭାରତ ଵିରୋଧୀ ମାନସିକତା ପ୍ରଦର୍ଶନ କରିଵାକୁ ଚାହୁଁଥିଲେ।

ତେବେ ସେତେବେଳେ ଭାରତୀୟ ଖେଳାଳିମାନେ ନିଜ ଦେଶରେ ଏଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସ୍ତବ୍ଧ ହୋଇଯାଇଥିଲେ। କପିଳ ଦେଵ, ସୁନୀଲ ଗାଭାସ୍କର ଓ ସନ୍ଦୀପ ପାଟିଲ୍‌ଙ୍କ ଭଳି ଖେଳାଳିମାନେ ଅନୁଭଵ କରିଥିଲେ ଯେ ସେମାନେ ଯେମିତି କୌଣସି ବିଦେଶୀ ମାଟିରେ ଖେଳୁଛନ୍ତି। ୱେଷ୍ଟଇଣ୍ଡିଜ୍‌ର କିମ୍ବଦନ୍ତୀ ଖେଳାଳି ବିଭ୍ ରିଚାର୍ଡସ ମଧ୍ୟ ଏହି ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏଵଂ ମ୍ୟାଚ୍ ପରେ କହିଥିଲେ ଯେ ସେମାନଙ୍କୁ ଲାଗୁଥିଲା ଯେମିତି ସେମାନେ ନିଜ ଘରୋଇ ଗ୍ରାଉଣ୍ଡ ବାର୍ବାଡୋସ୍‌ରେ ଖେଳୁଛନ୍ତି।

ଏହି ଘଟଣା ସେତେବେଳର ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିଵା କେନ୍ଦ୍ର ସରକାର ଏଵଂ ଜମ୍ମୁ-କାଶ୍ମୀରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ମଧ୍ୟରେ ତିକ୍ତତା ବଢ଼ାଇ ଦେଇଥିଲା। କେନ୍ଦ୍ର ସରକାର ଏହାକୁ ସୁରକ୍ଷା ଓ ଗୋଇନ୍ଦା ଵିଭାଗର ବଡ଼ ଵିଫଳତା ଭାବେ ଗ୍ରହଣ କରିଥିଲେ। ମ୍ୟାଚ୍ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପିଚ୍ ଖୋଳିଵାକୁ ଚେଷ୍ଟା କରିଥିବା ଏଵଂ ଦେଶଵିରୋଧୀ ସ୍ଲୋଗାନ ଦେଇଥିଵା ଅଭିଯୋଗରେ 'ଜାମାତ-ଇ-ଇସଲାମୀ' ସଂଗଠନର ଅନେକ ସ୍ଥାନୀୟ ଯୁଵକ ଓ କର୍ମୀଙ୍କୁ ଗିରଫ କରିଥିଲା।

ତେବେ ଏହି ଘଟଣାଟି ହିଁ ଦର୍ଶାଇଥିଲା ଯେ କାଶ୍ମୀର ଭିତରେ ପାକିସ୍ତାନର ପରୋକ୍ଷ ଇନ୍ଧନ କେତେ ଗଭୀରକୁ ଚାଲିଗଲାଣି, ଯାହା ପରଵର୍ତ୍ତୀ ସମୟରେ ୧୯୮୯ ମସିହାରେଏକ ବଡ଼ ସଶସ୍ତ୍ର ଆତଙ୍କଵାଦର ରୂପ ନେଇଥିଲା। ପାକିସ୍ଥାନ ଆହୁରି ଧନ ଓ ବଳ ଖର୍ଚ୍ଚ କରି ସ୍ଥାନୀୟ ଲୋକଙ୍କୁ ଭାରତ ଵିରୋଧୀ କଲା । ଅନେକ କାଶ୍ମୀରୀ ଯୁଵକ ଯୁଵତୀଙ୍କୁ ଆତଙ୍କଵାଦୀ ସଜାଇଥିଲା ଯାହା ପରେ କାଶ୍ମୀର ହିନ୍ଦୁଙ୍କର ଜନସଂହାରର କାରଣ ହୋଇଥିଲା । ସେ ସମୟର ସରକାର ଯଦି ମ୍ୟାଚ୍ ପରେ ହିଁ ସ୍ଥିତି ବୁଝି ପାକିସ୍ଥାନ ସହିତ ସମ୍ପୂର୍ଣ୍ଣ ଵ୍ୟାପାର ବନ୍ଦ କରିଥାନ୍ତା,ମିଡିଆ ପ୍ରସାରଣ ଉପରେ ବ୍ୟାନ୍ ଲଗାଇଥାନ୍ତା ଏଵଂ ସିନ୍ଧୁ ଜଳସନ୍ଧିଙ୍କୁ ରଦ୍ଦକରି ଉଚିତ୍ ପଦକ୍ଷେପ ନେଇଥାନ୍ତା ତେବେ କେବେହେଲେ ବି କାଶ୍ମୀରରେ ଆତଙ୍କଵାଦ ପଢ଼ିନଥାନ୍ତା । 
କିନ୍ତୁ ତତ୍କାଳୀନ ଅପାରଗ ସରକାର ସେତେବେଳେ ଉଚିତ୍ ପଦକ୍ଷେପ ନେଲା ନାହିଁ । ଅଶି ଦଶକର ମଧ୍ୟାଵର୍ତ୍ତୀ ସମୟରୁ ନବେ ଦଶକର ମଧ୍ୟାଵର୍ତ୍ତୀ ସମୟ ପର୍ଯ୍ୟନ୍ତ କାଶ୍ମୀରର ରାସ୍ତାଘାଟରେ ଆତଙ୍କଵାଦୀମାନେ ବନ୍ଧୁକ ଧରି ବୁଲୁଥିଲେ । କାଶ୍ମୀରର ସ୍ଥିତି ଆଦୌ ଭଲ ନଥିଲା । 

ତେବେ କାଶ୍ମୀରରେ ଶେଷ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ୯ ସେପ୍ଟେମ୍ବର ୧୯୮୬ରେ ଶ୍ରୀନଗରର ସେହି ସେର-ଇ-କାଶ୍ମୀର ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ଆୟୋଜନ କରାଯାଇଥିଲା। ପୂର୍ଵ ଅପ୍ରିତୀକର ଘଟଣାକୁ ସ୍ମରଣ କରି ଏହି ମ୍ୟାଚ୍ ସମୟରେ ସୁରକ୍ଷା ଵ୍ୟଵସ୍ଥା ଅତି କଡ଼ାକଡ଼ି କରାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଵିଜୟୀ ହୋଇଥିଲା କିନ୍ତୁ ସେତେବେଳେ ବି ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାଵିକ ନଥିଲା।

୧୯୮୬ ମ୍ୟାଚ୍ ପରେ, କାଶ୍ମୀରରେ ଵିଚ୍ଛିନ୍ନତାଵାଦ ଓ ଆତଙ୍କବାଦୀ କାର୍ଯ୍ୟକଳାପ ବହୁତ ମାତ୍ରାରେ ବଢ଼ିଗଲା। ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରକୁ ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିଵାର ମାନ୍ୟତାରୁ ବଞ୍ଚିତ କରାଗଲା। ପରଵର୍ତ୍ତୀ ପ୍ରାୟ ୪ ଦଶନ୍ଧି ଧରି ସେଠାରେ କୌଣସି ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯାଇ ନାହିଁ।

୧୯୮୯-୯୦ ମସିହାରେ କାଶ୍ମୀର ଉପତ୍ୟକାରେ ସଶସ୍ତ୍ର ଆତଙ୍କବାଦ ଚରମ ସୀମାରେ ପହଞ୍ଚିଵା ପରେ, ସେର-ଇ-କାଶ୍ମୀର କ୍ରିକେଟ୍ ଷ୍ଟାଡିୟମକୁ କେନ୍ଦ୍ରୀୟ ସରକ୍ଷା ବାହିନୀ "CRPF" ନିଜ ନିୟନ୍ତ୍ରଣକୁ ନେଇଥିଲା। ବହୁ ଵର୍ଷ ଧରି ଏହି ସୁନ୍ଦର କ୍ରିକେଟ୍ ଷ୍ଟାଡିୟମଟି କ୍ରିକେଟ୍ ବଦଳରେ ଏକ ବଡ଼ ସୈନ୍ୟ କ୍ୟାମ୍ପ ଵା ବଙ୍କର ଭାବରେ ଵ୍ୟଵହୃତ ହେଲା।

କାରଗିଲ ଯୁଦ୍ଧରେ ପାକିସ୍ଥାନକୁ ପିଟି ପିଟି ଛାଲ ଉତାରିଵା ପରେ ୨୦୦୦ ମସିହା ପରଵର୍ତ୍ତୀ କାଳରେ ଶେର୍ ଇ ଷ୍ଟାଡିୟମକୁ ସୁରକ୍ଷା ଵାହିନୀଙ୍କଠାରୁ ପୁଣି ନିଆଗଲା ଏଵଂ ଧୀରେ ଧୀରେ ଏହାର ପୁନରୁଦ୍ଧାର କରାଗଲା। ରଣଜୀ ଟ୍ରଫି ଭଳି ଘରୋଇ କ୍ରିକେଟ୍ ମ୍ୟାଚ୍ ସେଠାରେ ପୁଣି ଆରମ୍ଭ ହେଲା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାରେ ସ୍ଥିତି ବଦଳିଛି। ନିକଟରେ ସେଠାରେ 'ଲେଜେଣ୍ଡ୍ସ ଲିଗ୍ କ୍ରିକେଟ୍— "LLC" ଭଳି ଟୁର୍ନାମେଣ୍ଟ ଆୟୋଜନ କରାଯାଇଛି ଏଵଂ ହଜାର ହଜାର ସ୍ଥାନୀୟ ଦର୍ଶକ ଷ୍ଟାଡିୟମକୁ ଆସି ଗୌତମ ଗମ୍ଭୀର, ସୁରେଶ ରାଇନା ଭଳି ଭାରତୀୟ ପୂର୍ଵତନ ଖେଳାଳିମାନଙ୍କୁ ଵିଶେଷ ସମର୍ଥନ ଓ ସ୍ୱାଗତ କରୁଥିଵାର ଦେଖିଵାକୁ ମିଳିଛି।

୧୯୮୩ରେ ଯେଉଁ କ୍ରିକେଟ୍ ପଡ଼ିଆଟି ଵିଭାଜନ ଓ ଵିଦ୍ୱେଷର ପ୍ରତୀକ ପାଲଟିଥିଲା ଆଜି ସେହି କ୍ରିକେଟ୍ ପଡ଼ିଆ କାଶ୍ମୀରୀ ଯୁଵପିଢ଼ିକୁ ଭାରତର ମୂଳସ୍ରୋତ ସହ ଯୋଡ଼ିବାର ଏକ ବଡ଼ ମାଧ୍ୟମ ସାଜିଛି।

ଗତ କିଛି ବର୍ଷ ମଧ୍ୟରେ କାଶ୍ମୀର ଉପତ୍ୟକାରୁ ପରଭେଜ୍ ରସୁଲ୍, ଉମ୍ରାନ ମଲିକ ଓ ଅବଦୁଲ ସମଦଙ୍କ ଭଳି ପ୍ରତିଭାଵାନ ଖେଳାଳିମାନେ ଆସି ଭାରତୀୟ ଜାତୀୟ ଦଳ ଏବଂ IPLରେ ନିଜର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଜିର କାଶ୍ମୀରୀ ଯୁଵକମାନେ ଷ୍ଟାଡିୟମରେ ପାକିସ୍ତାନୀ ପତାକା ଧରିଵା ବଦଳରେ ହାତରେ ବ୍ୟାଟ୍ ଓ ବଲ୍ ଧରି ନିଜକୁ ଜଣେ ଜଣେ ଗର୍ଵିତ ଭାରତୀୟ ଖେଳାଳି ଭାବେ ଗଢ଼ିତୋଳିଵାକୁ ସ୍ୱପ୍ନ ଦେଖୁଛନ୍ତି। ଏହା ସୀମା ପାର୍ଶ୍ୱରୁ ଆସୁଥିଵା ନକାରାତ୍ମକ ପ୍ରୋପାଗାଣ୍ଡା ଉପରେ ଏକ ବଡ଼ ଶକ୍ତ ଚାପୁଡ଼ା।

କାଶ୍ମୀର କ୍ରିକେଟ୍ ବ୍ୟାଟ୍ ପ୍ରସ୍ତୁତି ପାଇଁ ଵିଶ୍ୱପ୍ରସିଦ୍ଧ। ଧାରା ୩୭୦ ହଟିଵା ତଥା ସୁରକ୍ଷା ଓ ଶାନ୍ତି ଫେରିଵା ପରେ 'କାଶ୍ମୀରୀ ଉଇଲୋ'ରେ ପ୍ରସ୍ତୁତ ବ୍ୟାଟ୍ ଏବେ ଆନ୍ତର୍ଜାତୀୟ ସ୍ତରରେ ଏମନ୍ତକି ଵିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକରେ ମଧ୍ୟ ଵ୍ୟଵହୃତ ହେଉଛି। ଏହା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିଵା ସହ ହଜାର ହଜାର କାଶ୍ମୀରୀଙ୍କୁ ରୋଜଗାର ଦେଇଛି, ଯାହାଫଳରେ ସେମାନେ ଆଉ ପଥରମାଡ଼ କରୁନାହାନ୍ତି କି ବନ୍ଧୁକ ଧରି ସହରର ରାସ୍ତାରେ ବୁଲୁନାହାନ୍ତି ଏଵଂ ଵିଚ୍ଛିନ୍ନତାବାଦର କଳା ଅନ୍ଧାରରୁ ବାହାରି ଏକ ସମୃଦ୍ଧ ଭଵିଷ୍ୟତ ଆଡ଼କୁ ଗତି କରୁଛନ୍ତି।

୧୯୮୩ ଅକ୍ଟୋବର ୧୩ର ସେହି ଦୁର୍ଭାଗ୍ୟଜନକ ଦିନଟି ଏକ ଶିକ୍ଷା ଥିଲା ଯେ, ଯେତେବେଳେ ପ୍ରଶାସନିକ ଶିଥିଳତା ଏଵଂ ସୀମାପାର ଶତ୍ରୁର କୁତ୍ସିତ ପ୍ରୟାସକୁ ଅଣଦେଖା କରାଯାଏ, ତାହାର ପରିଣାମ କେତେ ଭୟଙ୍କର ହୋଇପାରେ। କାଶ୍ମୀର ସେହି ଭୁଲ୍ ପାଇଁ ଦୀର୍ଘ ୪୦ ଵର୍ଷର କଷ୍ଟ ଭୋଗିଛି। କିନ୍ତୁ ସମୟ ଚକ୍ର ବଦଳିଛି। ଶେର୍-ଇ-କାଶ୍ମୀର ଷ୍ଟାଡିୟମରେ ଆଜି ଆଉ ଦେଶଵିରୋଧୀ ସ୍ଲୋଗାନ ଶୁଭୁନାହିଁ ଵରଂ 'ଭାରତ ମାତାଙ୍କ ଜୟ' ଏଵଂ ଭାରତୀୟ ଖେଳାଳିଙ୍କ ପାଇଁ କରତାଳିର ଗୁଞ୍ଜରଣ ଶୁଣିଵାକୁ ମିଳୁଛି। ବୁଲେଟ୍ ଓ ବଙ୍କରର ଯୁଗ ଶେଷ ହୋଇ ଏବେ ବ୍ୟାଟ୍, ବଲ୍ ଓ ଵିକାଶର ଏକ ନୂଆ ସକାଳ ଆସିଛି। କାଶ୍ମୀରର ଏହି ରୂପାନ୍ତରଣ ପ୍ରମାଣ କରେ ଯେ, ଜାତୀୟତା ଏଵଂ ଶାନ୍ତି ଆଗରେ ଵିଚ୍ଛିନ୍ନତାଵାଦୀ ଚିନ୍ତାଧାରା ଆଜି ସମ୍ପୂର୍ଣ୍ଣ ପରାଜିତ।

Tuesday, June 16, 2026

ଫୁଟବଲ ଵିଶ୍ଵକପ୍‌ରେ ଭାରତ ଖେଳୁ ନାହିଁ ଏଥିପାଇଁ କ'ଣ କ୍ରିକେଟ୍ ଓ ବିସିସିଆଇ ଦାୟୀ କି ?

ଫୁଟବଲ୍ ବିଶ୍ୱକପ୍‌ରେ ଭାରତର ସ୍ଥାନ ନାହିଁ ଦେଖି କୋଟି କୋଟି ଭାରତୀୟଙ୍କ ହୃଦୟ ଵ୍ୟଥିତ ହେଉଅଛି । କିଛି ଭାରତୀୟ ଅଵଶ୍ୟ ମଜାଳିଆ ଢଙ୍ଗରେ କୁହନ୍ତି ଯେ ଯେହେତୁ ଫୁଟବଲ ଵିଶ୍ଵକପ୍‌ରେ ପାକିସ୍ଥାନ ନାହିଁ ତେଣୁ ଭାରତୀୟମାନେ ବି ସେଥିରେ ଯୋଗ ଦେଵାକୁ କେବେ ଉତ୍ସାହିତ ହୋଇନାହାନ୍ତି । ତେବେ ମହାଭାରତୀୟ ସମାଜର ଏକ ବଡ଼ ଵର୍ଗ ଫୁଟବଲ ଵିଶ୍ଵକପ୍‌ରେ ଭାରତ ନରହିଵା ନେଇ କ୍ରିକେଟ୍ ଓ BCCI ଉପରେ ଦୋଷ ଲଦି ଦେଉଛନ୍ତି । 

ଅଧିକାଂଶ ଲୋକେ ସେଇ ଗୋଟିଏ ଵାକ୍ୟ କୁହନ୍ତି ଯେ "କ୍ରିକେଟ୍ ଯୋଗୁଁ ଭାରତରେ ଅନ୍ୟ ଖେଳ ବୁଡ଼ିଗଲା।" ସମାଲୋଚକମାନେ ଅତି ସହଜରେ ସମସ୍ତ ଦୋଷ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏଵଂ ଦେଶର କ୍ରିକେଟ୍ ପାଗଳାମି ମୁଣ୍ଡରେ ଲଦି ଦିଅନ୍ତି। ଅଭିଯୋଗ ହୁଏ ଯେ କ୍ରିକେଟ୍ ସବୁ ପାଣ୍ଠି, ପ୍ରଚାର ଓ ସମ୍ପ୍ରସାରଣକୁ ଗ୍ରାସ କରି ଦେଇଛି, ଯାହାଫଳରେ ଫୁଟବଲ୍, ହକି କିମ୍ବା ଆଥଲେଟିକ୍ସ ଭଳି ଖେଳଗୁଡ଼ିକ ଅବହେଳିତ ହୋଇ ରହିଗଲେ। କିନ୍ତୁ ଏହି ଯୁକ୍ତି କେତେଦୂର ସତ୍ୟ? ଯଦି ଆମେ ଭାରତର କ୍ରୀଡ଼ା ଇତିହାସ, ସାମାଜିକ ସଂରଚନା ଏବଂ ବିଗତ ଦଶନ୍ଧିଗୁଡ଼ିକର ଅର୍ଥନୈତିକ ସ୍ଥିତିକୁ ଗଭୀର ଭାବେ ଅନୁଧ୍ୟାନ କରିଵା ତେବେ ଜଣାପଡ଼ିବ ଯେ ଏହି ଦୋଷାରୋପ ସମ୍ପୂର୍ଣ୍ଣ ଭିତ୍ତିହୀନ। ପ୍ରକୃତ କାରଣ କ୍ରିକେଟର ସଫଳତା ନୁହେଁ ଵରଂ ଆମର ସାମୂହିକ ମାନସିକତା, ଭୌଗୋଳିକ ସୀମାବଦ୍ଧତା ଏଵଂ ଦାରିଦ୍ର୍ୟର ପୃଷ୍ଠଭୂମି ଅଟେ ଯାହା ଭାରତୀୟ ଜନମାନସକୁ କ୍ରିକେଟ୍ ଆଡ଼କୁ ଆପେ ଆପେ ଆକର୍ଷିତ କରିଥିଲା।

ଆଜି BCCI କୁ ଵିଶ୍ୱର ସବୁଠାରୁ ଧନୀ ଓ ଶକ୍ତିଶାଳୀ କ୍ରୀଡ଼ା ସଂଗଠନ ଭାବେ ଦେଖି ଅନେକେ ଭାବନ୍ତି ଯେ ଏହା ସଦାସର୍ଵଦା ଏମିତି ଥିଲା। କିନ୍ତୁ ଇତିହାସ ସାକ୍ଷୀ ଅଛି, ୧୯୮୩ ମସିହାରେ ଯେତେବେଳେ କପିଳ ଦେଵଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଵିଶ୍ୱକପ୍ ଜିତି ଦେଶକୁ ଗୌରଵମୟ କରିଥିଲା, ସେତେବେଳେ ସେହି ଵିଶ୍ୱଵିଜେତା ଖେଳାଳିମାନଙ୍କୁ ପୁରସ୍କାର ରାଶି ତଥା ଉଚିତ ପାରିଶ୍ରମିକ ଦେଵାକୁ ବି BCCI ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା। ସେହି ସମୟରେ ଲତା ମଙ୍ଗେସକରଙ୍କ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରି ଖେଳାଳିମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଵାକୁ ପଡ଼ିଥିଲା।

୧୯୮୩ କିମ୍ବା ତା’ ପୂର୍ଵରୁ ଯେତେବେଳେ BCCIର କୌଣସି ଆଧିପତ୍ୟ ନଥିଲା, କୌଣସି ଅର୍ଥବଳ ନଥିଲା, ସେତେବେଳେ ଭାରତ ଅନ୍ୟ ଖେଳଗୁଡ଼ିକରେ କେତେ ଆଗରେ ଥିଲା? 

ସେତେବେଳେ ଓଲିମ୍ପିକ୍ସରେ ଆମେ କାହିଁକି ଵ୍ୟକ୍ତିଗତ ସ୍ୱର୍ଣ୍ଣ ପଦକର ଵନ୍ୟା ସୃଷ୍ଟି କରିପାରୁନଥିଲୁ? ସେହି ସମୟରେ ଭାରତ କାହିଁକି ଭଲିବଲ୍,ବେସବଲ୍,ବାସ୍କେଟବଲ୍ ,ରଗବି ଓ ଫୁଟବଲ ଆଦି ଖେଳଗୁଡ଼ିକରେ ଵିଶ୍ୱସ୍ତରୀୟ ପ୍ରଗତି କରିପାରିଲାନି? 
ହକି ଖେଳରେ ମଧ୍ୟ ଭାରତ ଶେଷଥର ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣ ୧୯୮୦ ମସିହାରେ ଏଵଂ ଵିଶ୍ୱକପ୍ କପ୍ ୧୯୭୫ ମସିହାରେ ଜିତିଥିଲା। ଏହାପରେ ହକି ଖେଳରେ ଭାରତ କେବେହେଲେ ବି ବଡ଼ ଵିଜୟ ଲାଭ କରିନାହିଁ । ନବେ ଦଶକର ପ୍ରାରମ୍ଭ ପର୍ଯ୍ୟନ୍ତ BCCI ଆଦୌ ଧନୀ ନଥିଲା। ଏପରିକି ଭାରତରେ ମ୍ୟାଚ୍ ପ୍ରସାରଣ କରିଵା ପାଇଁ BCCIକୁ Doordarshanକୁ ଓଲଟା ଟଙ୍କା ଦେଵାକୁ ପଡ଼ୁଥିଲା। ନବେ ଦଶକର ଶେଷ ଆଡ଼କୁ (୧୯୯୯ ବେଳକୁ)BCCI ଆର୍ଥିକ ଦୃଷ୍ଟିରୁ ଏକ ଆତ୍ମନିର୍ଭରଶୀଳ ଓ ଲାଭଜନକ ସଂସ୍ଥା ପାଲଟି ସାରିଥିଲା କିନ୍ତୁ ତାହା ଆଜି ଭଳି 'ମହାଶକ୍ତି' ଵା ଅତି ମାତ୍ରାରେ ଧନୀ କ୍ରୀଡ଼ା ସଂଗଠନ ନଥିଲା। ୨୦୦୬ ପରେ ହିଁ BCCI ଏକ ଧନୀ କ୍ରୀଡ଼ା ସଂଗଠନ ହେଵାକୁ ଲାଗିଲା । ତାହେଲେ ୧୯୮୦ରୁ ୨୦୦୬ ପର୍ଯ୍ୟନ୍ତ ହକି ଖେଳରେ ଭାରତ କାହିଁକି ଗୋଟିଏ ବି ଅଲମ୍ପିକ୍ସ ସ୍ଵର୍ଣ୍ଣ ପଦକ ଵା ହକି ଵିଶ୍ଵକପ୍ ଜିତିପାରିଲା ନାହିଁ ? ଏଥିପାଇଁ ବି କ'ଣ BCCIକୁ ଦାୟୀ କରାଯିଵ କି ? 

ଯଦି କ୍ରିକେଟ୍ ହିଁ ଅନ୍ୟ ଖେଳର ପ୍ରତିବନ୍ଧକ ହୋଇଥାନ୍ତା, ତେବେ କ୍ରିକେଟର ଦରିଦ୍ରତା ସମୟରେ ଅନ୍ୟ ଖେଳଗୁଡ଼ିକ ଶୀର୍ଷରେ ରହିଵା କଥା। କିନ୍ତୁ ଵାସ୍ତଵତା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏଥିରୁ ସ୍ପଷ୍ଟ ହୁଏ ଯେ ସମସ୍ୟା କ୍ରିକେଟ୍ ମଧ୍ୟରେ ନାହିଁ, ସମସ୍ୟା ଆମର ଵ୍ୟଵସ୍ଥା, ଭିତ୍ତିଭୂମି ତଥା ସାମୂହିକ ଆଗ୍ରହ ମଧ୍ୟରେ ହିଁ ରହିଛି ।

ଭାରତୀୟ କ୍ରୀଡ଼ା ସମୀକ୍ଷକମାନେ ପ୍ରାୟତଃ ଗୋଟିଏ କଥା ଭୁଲିଯାଆନ୍ତି ଯେ, ନବେ ଦଶକ ପର୍ଯ୍ୟନ୍ତ ଫୁଟବଲ୍ ଓ ହକି ଭଳି ଖେଳଗୁଡ଼ିକ ଭାରତର ଗ୍ରାମାଞ୍ଚଳ ପାଇଁ ଅପହଞ୍ଚ ଏଵଂ ଏକ ପ୍ରକାର ମହଙ୍ଗା ଥିଲା। ଏହି ଖେଳଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ଉପକରଣର ଆଵଶ୍ୟକତା ପଡ଼ୁଥିଲା। ଏକ ଭଲ ଗୁଣଵତ୍ତାର ଫୁଟବଲ୍, ଯେଉଁଥିରେ ପଵନ ଭରି ଖେଳାଯାଇପାରିଵ କିମ୍ବା ଏକ ଆଧୁନିକ ହକି ଷ୍ଟିକ ଏଵଂ କଠିନ କର୍କ ବଲ୍ କିଣିଵା ଗାଁ-ଗହଳିର ସାଧାରଣ ପରିଵାର କିମ୍ବା ପିଲାମାନଙ୍କ ପାଇଁ ଆଦୌ ସହଜ ନଥିଲା।

ପ୍ରଥମ କଥା ହେଉଛି, ଏହି ଖେଳ ସାମଗ୍ରୀଗୁଡ଼ିକ ସହଜରେ ସ୍ଥାନୀୟ ବଜାରରେ ମିଳୁନଥିଲା। ଯଦି କେବେ ଛୋଟ ଓ ମଧ୍ୟମ ଶ୍ରେଣୀର ସହରରେ ମିଳୁଥିଲା, ତାହାର ମୂଲ୍ୟ ଏତେ ଅଧିକ ଥିଲା ଯେ ଗ୍ରାମୀଣ ଅର୍ଥନୀତି ତାହାକୁ ଗ୍ରହଣ କରିପାରୁନଥିଲା। ଗ୍ରାମୀଣ ଅଞ୍ଚଳର ଲୋକେ ନବେ ଦଶକ ପୂର୍ଵରୁ ବଡ଼ ସହରଗୁଡ଼ିକୁ ସେତେ ଯାଉନଥିଲେ ଏଵଂ ଯଦ୍ୟପି ଯାଉଥିଲେ ସେମାନଙ୍କ ପାଖରେ ସୀମିତ ଅର୍ଥଥିଵାରୁ ଏହି ମହଙ୍ଗା ଖେଳର ଵସ୍ତୁ କିଣିପାରୁନଥିଲେ ।

ହକି ପାଇଁ ସମତଳ ଏବଂ ସୁନ୍ଦର ପଡ଼ିଆ କିମ୍ବା ପରଵର୍ତ୍ତୀ ସମୟରେ ଆଷ୍ଟ୍ରୋଟର୍ଫ୍‌ର ଆଵଶ୍ୟକତା ପଡ଼ିଲା, ଯାହା କେଵଳ ସହରୀ କ୍ରୀଡ଼ା ସଂଘ ଵା ବଡ଼ ବଡ଼ କ୍ଲବ୍ ମଧ୍ୟରେ ସୀମିତ ରହିଗଲା। ଫୁଟବଲ୍ ପାଇଁ ମଧ୍ୟ ଏକ ବଡ଼, ପ୍ରଶସ୍ତ ଏଵଂ ସମତଳ ଘାସ ପଡ଼ିଆର ଆବଶ୍ୟକତା ଥାଏ। ଫଳରେ, ଏହି ଖେଳଗୁଡ଼ିକ କେଵଳ କିଛି ନିର୍ଦ୍ଦିଷ୍ଟ ଧନୀକ ଵ୍ୟକ୍ତି, ସହରୀ ଶିକ୍ଷାନୁଷ୍ଠାନ କିମ୍ବା ଧନୀ ପରିଵାରର ଖେଳ ଭାବେ ସୀମିତ ରହିଗଲେ। ଗ୍ରାମାଞ୍ଚଳର ସାଧାରଣ ଜନତା ଏହାକୁ ସାମୂହିକ ଭାବେ ଆପଣେଇ ପାରିଲେ ନାହିଁ।

ଏହାର ସମ୍ପୂର୍ଣ୍ଣ ଵିପରୀତ ଥିଲା କ୍ରିକେଟ୍ ଖେଳର ଚରିତ୍ର। କ୍ରିକେଟ୍ ଦେଖିଵାକୁ ଏକ ଵିଦେଶୀ ଓ ସାହେବୀ ଖେଳ ଭଳି ମନେହେଲେ ମଧ୍ୟ ଭାରତୀୟମାନେ ଏହାକୁ ଅତି ସହଜରେ 'ସ୍ୱଦେଶୀକରଣ' ଵା ଆପଣାର କରିଦେଲେ। କ୍ରିକେଟ୍ ଖେଳିଵା ପାଇଁ କୌଣସି ନିର୍ଦ୍ଦିଷ୍ଟ, ମହଙ୍ଗା ସରଞ୍ଜାମର କଡ଼ାକଡ଼ି ଆଵଶ୍ୟକତା ଗାଁ ପିଲାଙ୍କ ପାଇଁ ନଥିଲା। ଭାରତୀୟମାନଙ୍କ ଭିତରେ ଥିବା 'ଜୁଗାଡ଼' ବୁଦ୍ଧି କ୍ରିକେଟକୁ ପ୍ରତିଟି ଗଳି ଓ ପଡ଼ିଆକୁ ନେଇଗଲା।

ବ୍ୟାଟ୍ ଵା ବଲ୍ ପାଇଁ ଦୋକାନ ଉପରେ ନିର୍ଭର କରିବାକୁ ପଡ଼ୁନଥିଲା। ଯଦି ବ୍ୟାଟ୍ ଦରକାର, ଗାଁର କୌଣସି କାଠ ମିସ୍ତ୍ରୀ ପାଖରୁ କିମ୍ବା ନିଜେ କାଠ ପଟା ଵା ଗଛର କାଠକୁ କାଟି ସୁନ୍ଦର ବ୍ୟାଟ୍ ତିଆରି କରାଯାଇପାରୁଥିଲା। ଅଶିରୁ ନବେ ଦଶକ ପର୍ଯ୍ୟନ୍ତ ଓଡ଼ିଶାର ଗ୍ରାମାଞ୍ଚଳରେ ମାଟିଘର ବହୁତ ଥିଲା ଏଵଂ ଚାଳଛପର ହେଉଥିଲା । ଚାଳଛପର କ୍ଷେତ୍ରରେ ନଡ଼ା ଓ ତାଳବରଡ଼ା ପତ୍ର ଲାଗୁଥିଲା । ତାଳବରଡ଼ାର ବାହୁଙ୍ଗାରୁ ତାଳଦଉଡ଼ି ବାହାର କରାଯାଉଥିଲା ଏଵଂ ତାକୁ କୁରୁଟ ଵା କୋରଟ ଓ ତାଳଦାଢ଼ି ଇତ୍ୟାଦି କହୁଥିଲେ ଯାହା ଚାଳଛପର ପାଇଁ ଵ୍ୟଵହୃତ ହେଉଥିଲା ।‌ ତେବେ ସେହି ତାଳ ବାହୁଙ୍ଗାର ଆକାର ଦୃଷ୍ଟିରୁ ତାକୁ ପିଲାଏ କାଟି ତହିଁରୁ କ୍ରିକେଟ୍ ଖେଳ ପାଇଁ ବ୍ଯାଟ୍ କରୁଥିଲେ । ତାଳ ବାହୁଙ୍ଗାରୁ ଗାଉଁଲି ବେସ୍ ବଲ୍ ପାଇଁ ଅପେକ୍ଷାକୃତ ଛୋଟ ଆକାରର ବ୍ୟାଟ୍ ମଧ୍ୟ ତିଆରି କରାଯାଉଥିଲା । ପୁଣି ଛୋଟ ପିଲାଙ୍କ ପାଇଁ ତାଳବାହୁଙ୍ଗାରୁ ତାଳଫୋଟକା ବାଜା ମଧ୍ୟ ପ୍ରସ୍ତୁତ ହେଉଥିଲା । ଗାଆଁପିଲାମାନେ‌
ତାଳପତ୍ରରେ ପେଣ୍ଡୁ ତିଆରି କରୁଥିଲେ। କେହି କେହି ତାଳପେଣ୍ଡୁ ତିଆରି କରି ତା ଉପରେ ସାଇକେଲ ଟ୍ଯୁବ୍‌ର ରବର ଗୁଡ଼ାଇ ତହିଁରୁ କ୍ରିକେଟ୍ ବଲ୍ ତିଆରି କରୁଥିଲେ । 

ୱିକେଟ୍ ପାଇଁ ବାଉଁଶ କିମ୍ବା ଅମରୀ ଗଛର ବାଡ଼ି, କାନ୍ଥରେ କୋଇଲାରେ ଅଙ୍କାଯାଇଥିବା ତିନୋଟି ଗାର କିମ୍ବା କେଵଳ ଦୁଇଟି ଇଟା ହିଁ ଯଥେଷ୍ଟ ଥିଲା। ଏହି ସହଜଲବ୍ଧତା କାରଣରୁ କ୍ରିକେଟ୍ ଭାରତର ଗରିବ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଅତି ପ୍ରିୟ ହୋଇପାରିଲା। ଗରିବ ଦେଶର ଵିଶାଳ ଜନସଂଖ୍ୟା ସେହି ଖେଳକୁ ହିଁ ବାଛିନେଲା, ଯାହା ସେମାନଙ୍କ ପକେଟକୁ ସୁହାଇଲା ଏଵଂ ଯେଉଁଥିରେ ଆନନ୍ଦ ଅସୀମ ଥିଲା। କ୍ରିକେଟ୍ ପ୍ରକୃତରେ ଭାରତୀୟ ଗରିବଙ୍କ ଖେଳ ପାଲଟିଗଲା।

ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଭାରତ ଦରିଦ୍ର ଓ ସୀମିତ ସମ୍ବଳର ଦେଶ ଥିଲା। ଏକ ଵିଶାଳ ଜନସଂଖ୍ୟା ନିଜର ଦୈନନ୍ଦିନ ଗୁଜରାଣ ମେଣ୍ଟାଇଵା ପାଇଁ ସଂଘର୍ଷ କରୁଥିଲା। ଏଭଳି ପରିସ୍ଥିତିରେ ଯେକୌଣସି ସମାଜ ସେହି କ୍ରୀଡ଼ାକୁ ପ୍ରଶ୍ରୟ ଦିଏ, ଯାହା ଅତି କମ୍ ସମ୍ବଳରେ ଏଵଂ ସର୍ବାଧିକ ଲୋକଙ୍କ ସହଭାଗିତାରେ ଖେଳାଯାଇପାରେ। ଭାରତର ଲୋକମାନେ ସେଥିପାଇଁ କବାଡି ଓ କ୍ରିକେଟକୁ ଅକୁଣ୍ଠ ଭାବେ ଭଲପାଇବା ଦେଲେ।

କବାଡି ପାଇଁ ତ କୌଣସି ସରଞ୍ଜାମର ଆଵଶ୍ୟକତା ହିଁ ନଥିଲା । କବାଡ଼ି ପାଇଁ କେଵଳ ମାଟି ପଡ଼ିଆ ଏଵଂ ଦେହର ଶକ୍ତି ହିଁ ଯଥେଷ୍ଟ ଥିଲା। ସେହିପରି କ୍ରିକେଟ୍ ମଧ୍ୟ କମ୍ ଜାଗାରେ, ଗଳି-କନ୍ଦିରେ, ଅମଳ ହୋଇସାରିଥିଵା ଧାନ ବିଲରେ ଅତି ସହଜରେ ଖେଳାଯାଇପାରୁଥିଲା। ଗୋଟିଏ ବ୍ୟାଟ୍ ଏବ୍ଵଂ ଗୋଟିଏ ବଲରେ ପୂରା ଗାଁର ୨୦-୩୦ ଜଣ ପିଲା ମିଶି ଦିନସାରା ଖେଳିପାରୁଥିଲେ। ଅଳ୍ପ ପିଲାରେ ମଧ୍ୟ କ୍ରିକେଟ୍ ଖେଳି ହୁଏ । ମାତ୍ର ଦୁଇ ତିନି ଜଣ ମଧ୍ୟ କ୍ରିକେଟ୍ ଖେଳି ପାରୁଥିଲେ । କେଵଳ ଜଣେ ଵ୍ୟକ୍ତି ମଧ୍ୟ ଗୋଟିଏ କାନ୍ଥରେ ପେଣ୍ଡୁ ମାରି ଫିଲ୍ଡିଙ୍ଗ୍ ,ବ୍ୟାଟିଂ ଓ ବୋଲିଂ କରି କ୍ରିକେଟ୍ ଖେଳି ପାରୁଥିଲା । ଅନ୍ୟପଟେ, ଫୁଟବଲ୍ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ପାଖରେ ଭଲ ଜୋତା ରହିଵା ଆଵଶ୍ୟକ, କାରଣ ଖାଲି ପାଦରେ କଠିନ ଚମଡ଼ା ବଲକୁ କିକ୍ ମାରିଲେ ଆଘାତ ଲାଗିଵାର ଭୟ ଥାଏ। ଏହି ସବୁ ଆର୍ଥିକ ଏଵଂ ଭୌତିକ କାରଣ ଯୋଗୁଁ କ୍ରିକେଟ୍ ପ୍ରତିଟି ଭାରତୀୟର ମାନସିକତା ସହ ଯୋଡ଼ି ହୋଇଗଲା।

ତେବେ ବ୍ରାଜିଲ୍ ମଧ୍ୟ ଏକ ଦରିଦ୍ର ଦେଶ ଥିଲା ତଥାପି ବ୍ରାଜିଲ୍‌ର ଲୋକେ କାହିଁକି କ୍ରିକେଟ୍ ନୁହେଁ ଵରଂ ଫୁଟବଲ୍‌କୁ ଗ୍ରହଣ କଲେ ବୋଲି କେହି କେହି ପ୍ରଶ୍ନ କରିପାରନ୍ତି । 

ପ୍ରକୃତରେ ବ୍ରାଜିଲରେ ପିଲାମାନେ ଗଳିରେ ଖେଳିବା ପାଇଁ କୌଣସି ଜୋତା କିମ୍ବା ଅସଲି ଫୁଟବଲ୍‌ର ଅପେକ୍ଷା କରୁନଥିଲେ। ସେମାନେ ପୁରୁଣା କପଡ଼ାକୁ ଗୁଡ଼େଇ, ମୋଜା ଭିତରେ ପୁରାଇ କିମ୍ବା ପ୍ଲାଷ୍ଟିକ୍ ବୋତଲକୁ ମୋଡ଼ି ଗୋଲ୍ ବଲ୍ ତିଆରି କରୁଥିଲେ ଏଵଂ ଖାଲି ପାଦରେ ହିଁ ଖେଳୁଥିଲେ। ସେମାନଙ୍କ ପାଇଁ ଫୁଟବଲ୍ କେଵଳ ଏକ ଖେଳ ନଥିଲା, ତାହା ସେମାନଙ୍କ ନୃତ୍ୟ (Samba) ଏଵଂ ଜୀଵନଶୈଳୀର ଏକ ଅଂଶ ଥିଲା। ଭାରତର ପିଲାମାନେ ମଧ୍ୟ ଠିକ୍ ସେହିଭଳି ଦାରିଦ୍ର୍ୟ ମଧ୍ୟରେ ଜୁଗାଡ଼ କଲେ, କିନ୍ତୁ ସେମାନେ ତାହା ବହୁତ ପରେ ଅଶି ନବେ ଦଶକ ସମୟରେ ବେସ୍‌ବଲ୍ ଓ କ୍ରିକେଟ୍ ପାଇଁ କଲେ। ଗଛର ଡାଳ ଵା କାଠ ପଟାକୁ ବ୍ୟାଟ୍ ଏଵଂ ଟେନିସ୍ କିମ୍ବା ପ୍ଲାଷ୍ଟିକ୍ ବଲ୍‌ରେ ସେମାନେ କ୍ରିକେଟ୍ ଖେଳିଲେ। ବ୍ରାଜିଲର ପିଲାମାନେ ଯେଉଁ ସହଜତା ଫୁଟବଲରେ ପାଇଲେ, ଭାରତୀୟ ପିଲାମାନେ ସେହି ସହଜତା କ୍ରିକେଟରେ ପାଇଲେ।

ଭାରତ ଦୀର୍ଘ ଵର୍ଷ ଧରି ବ୍ରିଟିଶ୍ ଶାସନରେ ଥିଲା। ଇଂରେଜମାନେ ଭାରତକୁ କ୍ରିକେଟ୍ ଖେଳ ଆଣିଥିଲେ। ଆମର ସାମାଜିକ ଗଠନ ଏମିତି ହେଲା ଯେ, ବ୍ରିଟିଶମାନଙ୍କୁ କ୍ରିକେଟରେ ହରାଇଵା ଏକ ସ୍ୱାଭିମାନର ଵିଷୟ ପାଲଟିଗଲା । ରାଜା-ମହାରାଜାମାନେ ମଧ୍ୟ କ୍ରିକେଟକୁ ପ୍ରଶ୍ରୟ ଦେଲେ। ତେଣୁ ସ୍ୱାଧୀନତା ପୂର୍ବରୁ ହିଁ କ୍ରିକେଟ୍ ପ୍ରତି ଏକ ଆନୁଷ୍ଠାନିକ ଆକର୍ଷଣ ତିଆରି ହୋଇସାରିଥିଲା। ତେବେ କ୍ରିକେଟ୍ ଭାରତରେ ଅଶି ଦଶକ ପର୍ଯ୍ୟନ୍ତ ସହରାଞ୍ଚଳରେ ହିଁ ସୀମିତ ଥିଲା । ଭାରତର ଗାଆଁଗଣ୍ଡାରେ ଅଶି ଦଶକରେ କ୍ରିକେଟ୍‌ର ଲୋକପ୍ରିୟତା ବୃଦ୍ଧି ପାଇଲା । 

ସେପଟେ ବ୍ରାଜିଲ୍ ଓ ଆର୍ଜେଣ୍ଟିନା ଭଳି ଦେଶଗୁଡ଼ିକରେ ୟୁରୋପୀୟ ପ୍ରଵାସୀ ତଥା ସ୍ଥାନୀୟ ଲୋକମାନେ ଫୁଟବଲକୁ ଅତି ଶୀଘ୍ର ଏକ ସାମୂହିକ ଖେଳ ଭାବେ ଗ୍ରହଣ କରିନେଇଥିଲେ। ସେଠାରେ କ୍ରିକେଟର କୌଣସି ପ୍ରଭାବ ନଥିଲା। 
ଫୁଟବଲ୍ ଏକ ଅତ୍ୟନ୍ତ କଠିନ, ଶାରୀରିକ ସଂଘର୍ଷ ଏଵଂ ନିରନ୍ତର ଦୌଡ଼ିଵାର ଖେଳ। ଏଥିପାଇଁ ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏବଂ ଶାରୀରିକ ଶକ୍ତିର ଆବଶ୍ୟକତା ଅଧିକ ଥାଏ। ଲାଟିନ୍ ଆମେରିକୀୟ ଦେଶଗୁଡ଼ିକର ଖାଦ୍ୟପେୟରେ ମାଂସର ମାତ୍ରା ଅଧିକ ଥାଏ, ଯାହା ଗରିବ ଲୋକଙ୍କୁ ମଧ୍ୟ ଏକ ପ୍ରକାର ଶାରୀରିକ ସାମର୍ଥ୍ୟ ଦିଏ। 

ଏପଟେ ଭାରତର ଅଧିକାଂଶ ଗ୍ରାମୀଣ ଅଞ୍ଚଳରେ ଦାରିଦ୍ର୍ୟ କାରଣରୁ ପୁଷ୍ଟିହୀନତା ଏକ ବଡ଼ ସମସ୍ୟା ଥିଲା। କାର୍ବୋହାଇଡ୍ରେଟ୍ ପ୍ରଧାନ ଭାତ ଓ ରୁଟି ଭଳି ଖାଦ୍ୟ ଯୋଗୁଁ ୯୦ ମିନିଟ୍ ଧରି କ୍ରମାଗତ ସ୍ପ୍ରିଣ୍ଟ୍ ମାରିଵା ଭଳି ଷ୍ଟାମିନା ତୃଣମୂଳ ସ୍ତରରେ ପ୍ରସ୍ତୁତ ହେଵା କଷ୍ଟକର ଥିଲା। କ୍ରିକେଟ୍ ଏକ ଦକ୍ଷତା-ଭିତ୍ତିକ ଵା Skill-based ଖେଳ ଏଵଂ ଏହି ଖେଳରେ ଜଣେ ଖେଳାଳି ଶାରୀରିକ ଭାବେ ଅତି ବଳବାନ ନହେଲେ ମଧ୍ୟ କେଵଳ କୌଶଳ ଓ ବୁଦ୍ଧି ବଳରେ ସଚିନ ତେନ୍ଦୁଲକରଙ୍କ ଭଳି ଵିଶ୍ୱର ଶ୍ରେଷ୍ଠ ଖେଳାଳି ହୋଇପାରିଵ । 

୧୯୫୮ ମସିହାରେ ମାତ୍ର ୧୭ ଵର୍ଷ ଵୟସରେ ପେଲେ ବ୍ରାଜିଲକୁ ଵିଶ୍ୱକପ୍ ଜିତାଇଲେ। ତା’ପରେ ୧୯୬୨ ଓ ୧୯୭୦ରେ ମଧ୍ୟ ଜିତିଲେ। ବ୍ରାଜିଲର ପ୍ରତିଟି ଗରିବ ପିଲା ଦେଖିଲା ଯେ ଫୁଟବଲ୍ ଖେଳିଲେ ଦାରିଦ୍ର୍ୟରୁ ମୁକ୍ତି ମିଳିପାରିଵ ଏଵଂ ଵିଶ୍ୱରେ ନାଁ ହେଵ।
ଭାରତରେ ସେହି କାମ ହକିରେ ୧୯୮୦ ପର୍ଯ୍ୟନ୍ତ ହେଲା କିନ୍ତୁ ହକି କେଵଳ ଧନୀକ ଲୋକଙ୍କ ମଧ୍ୟରେ ତଥା ସହରାଞ୍ଚଳରେ ହିଁ ସୀମିତ ଥିଲା । ଭାରତର ସଂଖ୍ୟାଗରିଷ୍ଠ ଗ୍ରାମ୍ୟ ଲୋକେ କୌଣସି ଗୋଟିଏ ଖେଳକୁ ପାଗଳ ଭଳି ଭଲ ପାଉନଥିଲେ ଯେମିତି ବ୍ରାଜିଲରେ ପଚାଶ ଷାଠିଏ ଦଶକରୁ ଥିଲା । 

ତେବେ ୧୯୮୩ରେ କପିଳ ଦେଵ କ୍ରିକେଟ୍ ଵିଶ୍ଵକପ୍ ଜିତିଵାରୁ ତାହା ଗାଆଁ ଓ ସହର ଚାରିଆଡେ଼ ଚର୍ଚ୍ଚିତ ହେଲା । ଲୋକମାନେ କ୍ରିକେଟ୍ ପ୍ରତି ଆକୃଷ୍ଟ ହେଲେ । ୧୯୮୯ ପରେ ସଚିନ ତେନ୍ଦୁଲକଙ୍କର ଵିସ୍ଫୋରକ ଖେଳ ପ୍ରତିଟି ଭାରତୀୟ ପିଲା ପାଇଁ ପ୍ରେରଣାର ଉତ୍ସ ପାଲଟିଗଲା । ଯଦି ଭାରତ ୧୯୫୦ କିମ୍ବା ୬୦ ଦଶକରେ ଫୁଟବଲରେ କୌଣସି ବଡ଼ ଆନ୍ତର୍ଜାତୀୟ ସଫଳତା ପାଇଥାନ୍ତା, ତେବେ ଆଜି ଚିତ୍ର ବଦଳିଯାଇଥାନ୍ତା।

ବ୍ରାଜିଲର ଅଧିକାଂଶ ସହର‌ ସମୁଦ୍ର କୂଳରେ କିମ୍ବା ସମତଳ ଅଞ୍ଚଳରେ ଅଵସ୍ଥିତ ଯେଉଁଠି ଖୋଲା ପଡ଼ିଆ ଵା ବେଳାଭୂମି ସହଜରେ ଉପଲବ୍ଧ। ଭାରତ ଏକ କୃଷିପ୍ରଧାନ ଦେଶ। ଏଠାରେ ଜମିଗୁଡ଼ିକ ଚାଷ ପାଇଁ ଵ୍ୟଵହାର ହୁଏ। ଗାଁ ଗହଳିରେ ଖେଳିଵା ପାଇଁ ବଡ଼ ଖୋଲା ପଡ଼ିଆ ଅପେକ୍ଷା ଛୋଟ ଜାଗା କିମ୍ବା ଗଳି ଅଧିକ ମିଳେ, ଯାହା ଗଳି-କ୍ରିକେଟ୍ ପାଇଁ ଅଧିକ ଉପଯୁକ୍ତ।

ଦାରିଦ୍ର୍ୟ ଉଭୟ ଭାରତ ଓ ବ୍ରାଜିଲ୍ ଦେଶରେ ଥିଲା। କିନ୍ତୁ ବ୍ରାଜିଲ୍ ନିଜର ଦାରିଦ୍ର୍ୟକୁ ଫୁଟବଲ୍ ମାଧ୍ୟମରେ ଅଭିଵ୍ୟକ୍ତ କଲା ଏଵଂ ଭାରତ ନିଜର ଦାରିଦ୍ର୍ୟ ଓ ସୀମିତ ସମ୍ବଳକୁ କ୍ରିକେଟ୍ ମାଧ୍ୟମରେ ପ୍ରକାଶ କଲା। ତେଣୁ ବ୍ରାଜିଲର ସଫଳତା ଏହା ପ୍ରମାଣିତ କରେ ନାହିଁ ଯେ ଭାରତରେ ଫୁଟବଲ୍ ନହେଵା ପଛରେ କ୍ରିକେଟ୍ ଦୋଷୀ ଵରଂ ଏହା ଦର୍ଶାଏ ଯେ ପ୍ରତିଟି ଦେଶର ଜନମାନସ ନିଜ ପରିସ୍ଥିତି ଅନୁସାରେ ନିଜର ପ୍ରିୟ ଖେଳ ବାଛିନିଏ।

ପୁଣି ଆମ ଭାରତୀୟ ସମାଜରେ ଏକ ସାଧାରଣ ପ୍ରଵୃତ୍ତି ଅଛି ଯେ ଆମେ ସଫଳତାକୁ ପୂଜା କରୁ। ୧୯୮୩ ଵିଶ୍ୱକପ୍ ଵିଜୟ ପରେ ଭାରତୀୟ ଗଣମାଧ୍ୟମ ଵିଶେଷ କରି ତତ୍କାଳୀନ Doordarshan, କ୍ରିକେଟକୁ ପ୍ରତିଟି ଘରର ଵୈଠକଖାନାରେ ପହଞ୍ଚାଇ ଦେଲା। ଯେତେବେଳେ ଜଣେ ଗରିବ କିମ୍ବା ମଧ୍ୟଵିତ୍ତ ପରିଵାରର ପିଲା ଦେଖିଲା ଯେ କ୍ରିକେଟ୍ ଖେଳି ଜଣେ ଦେଶର ହିରୋ ହୋଇପାରୁଛି, ସେତେବେଳେ ତା’ର ସ୍ୱପ୍ନ କ୍ରିକେଟ୍ ଚାରିପାଖରେ ହିଁ ବୁଲିଲା।
ସୁନୀଲ ଗାଭାସ୍କର, କପିଳ ଦେବ ଏଵଂ ପରେ ସଚିନ ତେନ୍ଦୁଲକରଙ୍କ ଭଳି ମହାନାୟକଙ୍କ ଆଵିର୍ଭାଵ ଭାରତୀୟ ଜନମାନସରେ କ୍ରିକେଟର ସ୍ଥାନକୁ ଅଦଳବଦଳ କରିଦେଲା। ଅନ୍ୟପଟେ, ଫୁଟବଲ୍ ଵା ଅନ୍ୟ କ୍ରୀଡ଼ାରେ ଆମ ପାଖରେ ସେଭଳି କୌଣସି ବଡ଼ ଆନ୍ତର୍ଜାତୀୟ ସଫଳତା ନଥିଲା, ଯାହା ସମଗ୍ର ଦେଶକୁ ଏକାଠି ବାନ୍ଧି ରଖିପାରିଵ। ୧୯୮୦ ପରେ ଭାରତ ହକିଖେଳରେ କୌଣସି ବଡ଼ ସଫଳତା ପାଇନଥିଲା । ଲୋକମାନେ ସାମୂହିକ ଭାବେ ଫୁଟବଲ ଓ ହକିକୁ କେବେ ସେଭଳି ଗ୍ରହଣ କଲେନାହିଁ କାରଣ ସେମାନେ ସେହି ଖେଳରେ କୌଣସି ବଡ଼ ଭାରତୀୟ ସଫଳତାର ସାକ୍ଷୀ ହୋଇପାରିନଥିଲେ।

ଏଠାରେ BCCI ର ସଫଳତାର ରହସ୍ୟକୁ ବୁଝିବାକୁ ହେଵ। BCCI ସରକାରଙ୍କ ଠାରୁ କୌଣସି ଆର୍ଥିକ ଅନୁଦାନ ନେଇ ଚାଲେନାହିଁ। ଏହା ଏକ ସ୍ୱୟଂଶାସିତ ସଂସ୍ଥା। ୧୯୮୦ ଓ ୯୦ ଦଶକରେ ଯେତେବେଳେ ଭାରତୀୟ ଅର୍ଥନୀତି ଉଦାରୀକରଣ ଆଡ଼କୁ ଗଲା ସେତେବେଳେ BCCI ମାର୍କେଟିଂ, ଟେଲିଭିଜନ ବ୍ରଡକାଷ୍ଟିଙ୍ଗ୍ ରାଇଟ୍ସ ଓ ସ୍ପନ୍ସରସିପରର ଠିକ୍ ଵ୍ୟଵହାର କରି ନିଜକୁ ଧନୀ କରିଦେଲା । BCCI ଏକ ଵ୍ୟଵସାୟିକ ମଡେଲ୍ ତିଆରି କଲା ଯାହା ଆଜି IPL ଭଳି ଏକ ଵିଶାଳ ବ୍ରାଣ୍ଡରେ ପରିଣତ ହୋଇଛି।
କିନ୍ତୁ ଅନ୍ୟପଟେ, ଭାରତୀୟ ଫୁଟବଲ୍ ମହାସଂଘ (AIFF) କିମ୍ବା ହକି ଇଣ୍ଡିଆ ଭଳି ସଂଗଠନଗୁଡ଼ିକ ଦୀର୍ଘ ଦଶନ୍ଧି ଧରି ଆଭ୍ୟନ୍ତରୀଣ ରାଜନୀତି, ଦୁର୍ନୀତି ତଥା ଅପ୍ରଶାସନର ଶିକାର ହୋଇ ରହିଲେ। ସେମାନେ ତୃଣମୂଳ ସ୍ତରରୁ ପ୍ରତିଭା ଖୋଜିପାରିଲେ ନାହିଁ କି ଖେଳକୁ ମାର୍କେଟିଂ କରି ପ୍ରାୟୋଜକ ଵା Sponsors ଆଣିପାରିଲେ ନାହିଁ। ଯେତେବେଳେ BCCI ନିଜର ପରିଶ୍ରମ ଓ ଵ୍ୟଵସାୟିକ ଦୂରଦୃଷ୍ଟି ଯୋଗୁଁ ଆଗକୁ ବଢ଼ିଲା, ତାକୁ ଦୋଷ ଦେଵା ଅପେକ୍ଷା ଅନ୍ୟ ସଂଘଗୁଡ଼ିକର ଵିଫଳତାକୁ ସମାଲୋଚନା କରିଵା ଅଧିକ ଯୁକ୍ତିଯୁକ୍ତ। ଆପଣ ନିଜେ ଅପାରଗ ବୋଲି ଅନ୍ୟର ସଫଳତାକୁ ଅଭିଶାପ ଦେଇପାରିବେ ନାହିଁ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଭାରତ, ଫୁଟବଲ୍ ଵିଶ୍ୱକପ୍ ନଖେଳିଵା ପଛରେ କ୍ରିକେଟ୍‌ଖେଳର କୌଣସି ହାତ ନାହିଁ। ଦୋଷ ଆମ ସାମାଜିକ ସଂରଚନାରେ ଅଛି । ଆମେ ଦୀର୍ଘ ଦଶନ୍ଧି ଧରି କ୍ରୀଡ଼ାକୁ ଏକ କ୍ୟାରିୟର ଭାବେ ଗ୍ରହଣ କରିପାରିନଥିଲୁ। ଦୋଷ ଆମର ଦାରିଦ୍ର୍ୟ ଓ ଭିତ୍ତିଭୂମିର ଅଭାବରେ ଅଛି ଯାହା ଗାଁର ପିଲାମାନଙ୍କୁ ଫୁଟବଲ୍ କିମ୍ବା ହକି ଷ୍ଟିକ ବଦଳରେ କାଠ ବ୍ୟାଟ୍ ଧରିଵାକୁ ବାଧ୍ୟ କରିଥିଲା। ଆଜି ସମୟ ବଦଳୁଛି। ଭାରତର ଆର୍ଥିକ ସ୍ଥିତି ସୁଧୁରୁଛି। ଗ୍ରାମାଞ୍ଚଳରେ ମଧ୍ୟ ଏବେ ଫୁଟବଲ୍, କବାଡି ଏଵଂ ଅନ୍ୟାନ୍ୟ କ୍ରୀଡ଼ା ପାଇଁ ଆଗ୍ରହ ଓ ସୁବିଧା ସୁଯୋଗ ସୃଷ୍ଟି ହେଉଛି। ତେଣୁ କ୍ରିକେଟ୍‌କୁ ଶତ୍ରୁ ଭାବେ ନଦେଖି, କ୍ରିକେଟର ସେହି ସଫଳ ପରିଚାଳନାଗତ ମଡେଲକୁ ଅନ୍ୟ କ୍ରୀଡ଼ାରେ ପ୍ରୟୋଗ କରିଵାର ଆଵଶ୍ୟକତା ରହିଛି। ଯେଉଁଦିନ ଭାରତୀୟ ସମାଜ ଓ ସରକାର ଫୁଟବଲ୍‌କୁ ତୃଣମୂଳ ସ୍ତରରୁ ସେତିକି ଭଲପାଇଵା ଓ ସୁବିଧା ଦେବେ, ସେଦିନ ଭାରତ ନିଶ୍ଚିତ ଭାବେ ଵିଶ୍ୱକପ୍ ମଞ୍ଚରେ ଜଗତ ଜିତିଵ। କ୍ରିକେଟକୁ ନିନ୍ଦା କରି ଅନ୍ୟ ଖେଳର ଉନ୍ନତି କେବେ ବି ସମ୍ଭଵ ନୁହେଁ।

Sunday, January 11, 2026

ପିଚ୍‌ରେ ଷ୍ଟ୍ରିଟ୍ ଫାଇଟ୍ : ପାକିସ୍ତାନରେ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପଟେନ୍ ଉପରେ ଆକ୍ରମଣର ଐତିହାସିକ ଘଟଣା

ପାକିସ୍ତାନ ବନାମ ଭାରତ, ପ୍ରଥମ ଟେଷ୍ଟ ନଭେମ୍ବର ୧୫-୨୦, ୧୯୮୯ ଦିନ ପାକିସ୍ତାନର କରାଚୀ ନ୍ୟାସନାଲ୍ ଷ୍ଟାଡିଅମ୍‌ରେ ଖେଳା ଯାଉଥାଏ । ସେ ସମୟରେ ଭାରତୀୟ କ୍ୟାପ୍ଟେନ୍ ଥାଆନ୍ତି କୃଷ୍ଣମାଚାରୀ ଶ୍ରୀକାନ୍ତ ଏଵଂ ସେହି ମ୍ୟାଚ୍ ସଚିନ୍ ତେନ୍ଦୁଲକରଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା ।‌

ମ୍ୟାଚ୍ ସାଧାରଣ ଭାବରେ ଆରମ୍ଭ ହୋଇଥିଲା। ପାକିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିଵା ବେଳେ ଭାରତୀୟ ଖେଳାଳିମାନେ ଫିଲ୍ଡିଂ କରୁଥିଲେ। ହଠାତ୍ ଏକ ଅଭାବନୀୟ ଘଟଣା ଘଟିଲା।

ଧୂସର ପଥାନୀ ସୁଟ୍ ପିନ୍ଧିଥିଵା ଜଣେ ଦର୍ଶକ ଆସନରୁ ସିଧା ପିଚ୍ ଭିତରକୁ ପଶି ଆସିଲା। ସେ ଭାରତ ଵିରୋଧି ସ୍ଲୋଗାନ୍ ଦେଉଥିଲା ଏଵଂ ଭାରତୀୟ ଦଳକୁ ଏହି ଗସ୍ତ ନ ଆସିଵା ପାଇଁ କହୁଥିଲା। ଏହି ଵ୍ୟକ୍ତି ଏକ ମଜହବୀ ଦଳର ସକ୍ରିୟ ସଦସ୍ୟ ଥିଲା ବୋଲି କୁହାଯାଏ।

ସେ ମଜହବୀ ଲୋକଟା ସିଧା ଭାରତୀୟ କ୍ୟାପ୍ଟେନ୍ କୃଷ୍ଣମାଚାରୀ ଶ୍ରୀକାନ୍ତଙ୍କ ଆଡ଼କୁ ଦୌଡ଼ିଗଲା। ଶ୍ରୀକାନ୍ତଙ୍କୁ ଧରି ଟାଣି ଧରିଲା ଆଉ ଟଣାଟଣି ଭିତରେ ତାଙ୍କ ଜର୍ସି ଚିରି ଦେଲା – ବୋତାମ ଛିଡ଼ିଗଲା ଏଵଂ ଏକ ଛୋଟ ଧରଣର ଝଗଡ଼ା ହେଲା। ଏହାକୁ ଅନେକେ "ପିଚ୍ ଉପରେ ଷ୍ଟ୍ରିଟ୍ ଫାଇଟ୍" ଭାବରେ ଵର୍ଣ୍ଣନା କରନ୍ତି । ଶ୍ରୀକାନ୍ତ ନିଜକୁ ରକ୍ଷା କରିଵାକୁ ଚେଷ୍ଟା କରିଥିଲେ ଏବଂ କିଛି ଛୋଟ ଧରଣର ଆଘାତ ପାଇଥିଲେ ମଧ୍ୟ ଗୁରୁତର ଆହତ ହୋଇନଥିଲେ।

ଶୀଘ୍ର ପାକିସ୍ତାନୀ ଖେଳାଳିମାନେ (ଵିଶେଷକରି ଇମ୍ରାନ୍ ଖାନ୍ ଭଳି ସିନିୟର ଖେଳାଳି) ଏଵଂ ସୁରକ୍ଷାକର୍ମୀମାନେ ଦୌଡ଼ିଆସି ଆକ୍ରମଣକାରୀକୁ ଧରି ବାହାର କରିଦେଲେ। ଶ୍ରୀକାନ୍ତ କିଛି ସମୟ ପାଇଁ ଫିଲ୍ଡ ଛାଡ଼ି ବାହାରକୁ ଯାଇଥିଲେ କିନ୍ତୁ ପରେ ମ୍ୟାଚ୍ ପୁନଃ ଆରମ୍ଭ ହେଲା ଏଵଂ ଖେଳ ସ୍ଵାଭାବିକ ଭାବରେ ଜାରି ରହିଲା।

କେହି କେହି କହନ୍ତି ଧାରୁଆ ଛୁରୀ ଧରି ଆକ୍ରମଣକାରୀ ଆସିଥିଲା ତେବେ ଆଉ କିଛି ଲୋକ ଏହାର ଖଣ୍ଡନ କରିଥାନ୍ତି । ଇଣ୍ଟରନେଟରେ ଏ ସମ୍ବନ୍ଧରେ ଥିଵା ଚିତ୍ରରୁ ଏଭଳି ଅନୁମାନ କରାଯାଉଛି । 
ସଞ୍ଜୟ ମଞ୍ଜରେକର ତାଙ୍କ ବହିରେ ଲେଖିଛନ୍ତି ଯେ ସେ ମିଡ୍-ଅଫ୍ ପୋଜିସନରେ ଥିଵା ବେଳେ ଆକ୍ରମଣକାରୀ ଵ୍ୟକ୍ତି ତାଙ୍କୁ ପାର କରି ପିଚ୍ ଆଡ଼କୁ ଯାଉଥିଵା ଦେଖିଥିଲେ। ବହିରେ ସେ ଉଲ୍ଲେଖ କରିଛନ୍ତି ପ୍ରଥମେ ଆକ୍ରମଣକାରୀ ଵ୍ୟକ୍ତି ଶାନ୍ତ ଭାବରେ ପିଚ୍ ଭିତରକୁ ପଶିଥିଲା ପରେ ଭାରତ ଵିରୋଧୀ ସ୍ଲୋଗାନ ଦେଵା ଆରମ୍ଭ କରିଦେଲା ।

ଏହି ଘଟଣା ସତ୍ତ୍ୱେ ମ୍ୟାଚ୍ ଡ୍ର ହୋଇଥିଲା । କରାଚୀ ନ୍ୟାସନାଲ୍ ଷ୍ଟାଡିଅମ୍‌ରେ ଖେଳାଯାଇଥିଵା ଏହି ପ୍ରଥମ ଟେଷ୍ଟ ମ୍ୟାଚ୍ ଭାରତ-ପାକିସ୍ତାନ କ୍ରିକେଟ୍ ଇତିହାସରେ ଏକ ଅଵିସ୍ମରଣୀୟ ଘଟଣା ଭାବରେ ରହିଛି, କାରଣ ଏହା ସଚିନ୍ ତେନ୍ଦୁଲକର ଓ ଓ୍ୱାକର ୟୁନିସ୍‌ଙ୍କର ଟେଷ୍ଟ ପଦାର୍ପଣ ମ୍ୟାଚ୍ ରୂପେ ସ୍ମରଣୀୟ ହୋଇଥିଲା । ଝଗଡ଼ା ଛଡ଼ା ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଘଟିଥିଲା ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୦୯ ରନ୍ କରିଥିଲା । କ୍ୟାପ୍ଟେନ୍ ଇମ୍ରାନ୍ ଖାନ୍ ୧୦୯ ରନ୍‌ର ଏକ ଦୃଢ଼ ଶତକ ମାରିଥିଲେ, ଯାହା ଦଳକୁ ଏକ ସଶକ୍ତ ଭିତ୍ତି ପ୍ରଦାନ କରିଥିଲା । ଶୋଏବ ମହମ୍ମଦ ୬୭ ଓ ଜାଭେଦ ମିଆଁଦାଦ ୭୮ ରନ୍ କରିଥିଲେ । ଭାରତୀୟ ବୋଲରଙ୍କ ମଧ୍ୟରୁ ମନୋଜ ପ୍ରଭାକର ୫/୧୦୪ ଓ କପିଲ ଦେଵ୍ ୪/୬୯ ରନ୍ ନେଇ ଉତ୍ତମ ପ୍ରଦର୍ଶନ କରିଥିଲେ । ଏହି ଇନିଂସରେ ପାକିସ୍ତାନ ଏକ ଭଲ ସ୍କୋର ଗଢ଼ିଥିଲା ।

ଭାରତ ପ୍ରଥମ ଇନିଂସରେ ୨୬୨ ରନ୍‌ରେ ଅଲଆଉଟ୍ ହୋଇଥିଲା, ଯାହାଦ୍ୱାରା ପାକିସ୍ତାନ ପ୍ରଥମ ଇନିଂସରେ ୧୪୭ ରନ୍‌ର ଲିଡ୍ ନେଇଥିଲା । ଭାରତୀୟ ଇନିଂସରେ କିରଣ ମୋରେ ୫୮* ରନ୍ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନଥିଲେ । ୱାକର ୟୁନିସ୍ ୪/୮୦ ରନ୍ ନେଇ ପାକିସ୍ତାନୀ ବୋଲିଂକୁ ନେତୃତ୍ୱ ଦେଇଥିଲେ ।

ଦ୍ୱିତୀୟ ଇନିଂସରେ ପାକିସ୍ତାନ ୩୦୫/୫ ରନ୍‌ରେ ଡିକ୍ଲେୟାର କରିଥିଲା, ଯାହାଦ୍ୱାରା ଭାରତକୁ ୪୫୩ ରନ୍‌ର ଏକ ବିଶାଳ ଟାର୍ଗେଟ୍ ମିଳିଥିଲା । ସଲିମ୍ ମଲିକ ୧୦୨* ରନ୍‌ର ଏକ ଅପରାଜିତ ଶତକ କରିଥିଲେ । କପିଲ ଦେବ ୩/୮୨ ରନ୍ ନେଇ ଭାରତୀୟ ବୋଲିଂକୁ ନିୟନ୍ତ୍ରଣରେ ରଖିଥିଲେ ।

ରନ୍ ଚେଜ୍ କରିଵା ସମୟରେ ଭାରତ ୩୦୩/୩ ରନ୍ କରି ଡ୍ର କରିଥିଲା । ସଞ୍ଜୟ ମଞ୍ଜରେକର ୧୧୩* ରନ୍‌ର ଏକ ଅପରାଜିତ ଶତକ କରିଥିଲେ, ଯାହା ଦଳର ସ୍ଥିତି ସୁରକ୍ଷିତ କରିଥିଲା । ଏହି ମ୍ୟାଚ୍‌ରେ କପିଲ ଦେଵ୍‌ଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ଭାବରେ ପୁରସ୍କାର ଦିଆଯାଇଥିଲା, କାରଣ ସେ ପ୍ରଥମ ଇନିଂସରେ ୪/୬୯ ଓ ଦ୍ୱିତୀୟରେ ୩/୮୨ ରନ୍ ନେଇଥିଲେ ଏଵଂ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେଇଥିଲେ । ଏହା ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ୍ ଥିଲା ଏବଂ ସେ ୩୫୦ତମ ୱିକେଟ୍ ମଧ୍ୟ ନେଇଥିଲେ ।

ଏହି ମ୍ୟାଚ୍ ରାଜନୈତିକ ଉତ୍ତେଜନା ମଧ୍ୟରେ ଖେଳାଯାଇଥିଲା, କିନ୍ତୁ ଖେଳାଳିମାନେ ନିଜ ନିଜର ପ୍ରଦର୍ଶନ ଉପରେ ଧ୍ୟାନ ଦେଇଥିଲେ । ପିଚ୍ ଇନଵେଡର ଘଟଣା ହେଲା ସବୁଠାରୁ ବଡ଼ ହାଇଲାଇଟ୍, କିନ୍ତୁ ଇମ୍ରାନ୍‌ଙ୍କ ଶତକ, ମଞ୍ଜରେକରଙ୍କ ଅପରାଜିତ ଇନିଂସ ଓ କପିଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ମ୍ୟାଚ୍‌କୁ ଏକ ରୋମାଞ୍ଚକର ଡ୍ର କରିଥିଲା । ଏହି ସିରିଜ୍ ଶେଷରେ ୦-୦ରେ ଡ୍ର ହୋଇଥିଲା, ଯାହା ଉଭୟ ଦଳଙ୍କର ସମାନ ଶକ୍ତିକୁ ଦର୍ଶାଇଥିଲା ।