My Blog List

Showing posts with label କବିତା. Show all posts
Showing posts with label କବିତା. Show all posts

Saturday, August 5, 2023

ଗୁପ୍ତଭୋଟ୍(ଖଗେଶ୍ବର ଶେଠ୍)

(ରାଗ-କୌଶିକ)

ଭାଇ ଭୋଟର, ଗୁପ୍ତ ଭୋଟ ଦେ ନ ଯା’ରେ;

କ୍ଷମତାଭିଳାଷୀ ପଦଵୀଲାଳସୀ

ଦେଲେ ହେଲେ ତତେ ହଜାରେ। (ଘୋଷା)।


ମତଵାଦୀ ଚିହ୍ନ ଘେନି ଭିନ୍ନ ଭିନ୍ନ-

ରଙ୍ଗେ ରଞ୍ଜିତ ଯା’ ଧଜା ରେ,

ସେ କେହ୍ନେ ଜାତୀୟ-ଏକତାର ପ୍ରିୟ?

ତା ଫାନ୍ଦେ ବୁଦ୍ଧି ନ ହଜା ରେ!


ଗୁପ୍ତ ଭୋଟେ ଜିତିଵାକୁ ଯା ପ୍ରତୀତି

କୂଟନୀତି ତହିଁ ଖଞ୍ଜା ରେ;

ଭୋଟପ୍ରାର୍ଥୀ ହୋଇ ପାରିଵକି କେହି

ଟଙ୍କାହୀନ ଦୀନ ପ୍ରଜା ରେ?


ନୁହେ ଦେଶସେଵୀ ତଥାପି ମୋ ଦାବୀ

ଖେଳା ଯେଣୁ କଳାବଜାରେ,

ଜିଣିଯିଵ ଭୋଟେ ଭୋଟ କିଣି ନୋଟେ

ପ୍ରଚାରକ ମୋ ଭଣଜା ରେ!


ସତ୍ୟ-ଅହିଂସାର ରକତେ ଯାହାର

ଗଢ଼ା ହୋଇଛି କଲିଜା ରେ,

ଛାର ପଦ ପାଇଁ ସେ’ କି ହେଵ ଭାଇ

ଭୋଟଗଢ଼ା-ନାଟ-ରଜା ରେ?


ଵିଚିତ୍ର ଦୁନିଆଁ କା’ର ପେଟେ ନିଆଁ

ଦହୁଛି ଜୀଵନ-ଗଜା ରେ,

ପାଇ କେ’ ବେତନ କରୁଛି ନର୍ତ୍ତନ

ଖଜାଖିଆ ବାବୁ ମଜାରେ।


ଥାଉ ତୋ ଯୋଗ୍ୟତା କର୍ମତତ୍‌ପରତା

ତଙ୍କା ଯଦି ନାହିଁ ଲଜ୍ଜା ରେ,

ନଥିଲେ ବି’ ପଢ଼ି ପାରିବି ମୁଁ ଲଢ଼ି

ଶୋଇଥାଇ ଟଙ୍କା-ଶଯ୍ୟାରେ।


କା’ ସଙ୍ଗେ ଲଢ଼ିଵା ଆସନେ ଚଢ଼ିଵା

ଦମ୍ଭ ଥିଲେ ଟଙ୍କା-ବଜାରେ,

ଆଜି ତୁ ଭୋଟର, କାଲି ତୋ ମଟର

ଲାଗିଵ ଲାଟ ଦରଜାରେ।


••••••••••••••••••••

ଏହି କବିତାଟି ପ୍ରାୟ ୫୦ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ରହିଛି। ଖଗେଶ୍ୱର ଶେଠ(୧୯୦୬-୧୯୮୭) ବରଗଡ଼ ଜିଲ୍ଲାର ସରସରାଠାରେ ଜନ୍ମ ହୋଇଥିଲେ। ଜାତିରେ ଜଣେ କେଉଟ ହୋଇ, ଵ୍ୟକ୍ତିଗତ ଜୀଵନରେ ଦୁଃଖ କଷ୍ଟ ମଧ୍ୟରେ ରହି ସୁଦ୍ଧା ସେ ଅନେକ ବଳିଷ୍ଠ କଵିତା ରଚନା କରିଯାଇଛନ୍ତି। ସେ ଉଭୟ ଓଡ଼ିଆ ଭାଷା ଓ ସମ୍ବଲପୁରୀ ଶୈଳୀରେ କଵିତା ରଚନା କରିଥିଲେ। ତାଙ୍କ ରଚିତ କଵିତା ସଙ୍ଗଳନ ମଧ୍ୟରେ ‘ପ୍ରଣୟ ପତ୍ରିକା’, ‘ସୁରଙ୍ଗୀ’, ‘ଉତ୍କଳ କଵିତା’, ‘ଅନ୍ତିମ ଚିନ୍ତା’ ଆଦି ଅନ୍ୟତମ। ସମ୍ବଲପୁର ଵିଶ୍ୱବିଦ୍ୟାଳୟକୁ ଜ୍ୟୋତି ବିହାର ଭାବେ ନାମକରଣ

 ତାଙ୍କ ଦ୍ୱାରା ହୋଇଥିଲା।

•••••••••••••••••••••


Monday, June 26, 2023

ଉନ୍ନତିର ଗୀତ

ସଭ୍ୟତା ଓ ସଂସ୍କୃତିର ଅର୍ଥ 
ଆଜ ପୂରା ବଦଳି ଯାଇଛି । 
ପର ସଂସ୍କୃତିର ହନୁକରଣକୁ
ଵିକାଶ ବୋଲା ଯାଉଛି । 
ନିଶାଶକ୍ତ,ଝିଅଚୋର,ଭ୍ରଷ୍ଟ,
ଅଭଦ୍ର,ମୂର୍ଖ ଓ ପାଷାଣ୍ଡ । 
ଏହି ଯୁଗରେ ବୋଲାଉ ଅଛନ୍ତି 
ଏ ସରବେ ଶ୍ରେଷ୍ଠ ମୁଣ୍ଡ ‌ । 
ବିଲାତିପିଠା ଉପରେ ପୋତି 
କେତେଗୋଟି ମହମଵତୀ ।
ଜନ୍ମଦିନ ପାଳଇ ଭାରତୀୟ 
ଛାଡ଼ି ସ୍ଵଦେଶ ସଂସ୍କୃତି ।
ଯଵନଙ୍କ ପରି ମଣ୍ଡପରେ 
ଥୁଅନ୍ତି ଦୁଇଟି ସିଂହାସନ । 
ଚତୁର୍ଥୀରେ ଵରଵଧୂ ବସନ୍ତି 
ତ୍ୟାଗି ଲଜ୍ଜା ସମ୍ମାନ । 
ଯଵନଙ୍କର ଡେଉଁରିଆ ପିନ୍ଧନ୍ତି,
ମଲେ ସମାଧୀ କରନ୍ତି । 
ଗ୍ରେଗେରୀୟ ନଵଵର୍ଷ ପାଳି
ରାତ୍ରେ ବହୁତ ମାତନ୍ତି । 
ମ୍ଲେଚ୍ଛଙ୍କଠାରୁ ମାଂସ ଅଣ୍ଡା 
କିଣନ୍ତି ପ୍ରତିଦିନ । 
ତଥାପି ନିଜକୁ ହିନ୍ଦୁ ବୋଲାଇ 
ଗର୍ଵ କରନ୍ତି ସେଇ ଜନ । 
ନିଜ ଦେଶୀୟ ଭାଷାରେ ମିଶାଇ 
ପଣ ପଣ ଵୈଦେଶିକ ଶବ୍ଦ।
ଗୋଳେଇ ଘାଣ୍ଟି ଫେଣ୍ଟିଣ
ଭାଷା କରୁଛନ୍ତି ଅଶୁଦ୍ଧ । 
ଧ୍ବନିଵିଜ୍ଞାନ ଅକ୍ଷରତତ୍ତ୍ଵ
ଆଉ ମାନୁ ନାହାନ୍ତି । 
ସରଳୀକରଣର ଦ୍ଵାହିଦେଇ
ଭାଷା ଅଶାସ୍ତ୍ରୀୟ କରନ୍ତି। 
ଭାଷା ସଂସ୍କୃତି ସମାଜ
ଵିକାଶ ନାମେ କରି ଦୂଷିତ । 
ଏ ଯୁଗେରେ ଗାଉଛି ମାନଵ
ଚିତ୍କାରି ଉନ୍ନତିର ଗୀତ ...! 













Saturday, April 29, 2023

•“ସନ୍ତାନର ଉକ୍ତି” ଏକ ଅମର କୃତି•

ଉତ୍କଳ ଗୌରଵ ମଧୁସୂଦନ ଦାସଙ୍କର "ସନ୍ତାନର ଉକ୍ତି" କଵିତାଟି ପ୍ରକୃତରେ ଉତ୍କଳ ସନ୍ତାନର ଉକ୍ତି ଅଭିହିତ ହେଵା କଥା । ଏ କଵିତାରେ ଜଣେ "ଉତ୍କଳ ସନ୍ତାନ" ନିଜ ମାତୃଭୂମି ଓ ମାତୃଭାଷାର ଦୁଃସ୍ଥିତି ଦେଖି ଦୁଃଖ ପ୍ରକାଶ କରିଵା ସହିତ ଏହା ଵିପକ୍ଷରେ ସ୍ବରୋତ୍ତଳନ ପାଇଁ ଆହ୍ଵାନ ମଧ୍ୟ କରିଛି । କଵିତାର ଆରମ୍ଭରେ କଵି ନିଜ ମାତୃଭୂମି ଓ ମାତୃଭାଷାର ଦୁର୍ଦ୍ଦଶା ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...

“ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।”

ଏଠାରେ ମାଆ ବୋଇଲେ ପ୍ରକୃତରେ ମଧୁବାବୁ ଉତ୍କଳ ମାତା ଆଉ ଭାଇ ବୋଲେ ଓଡ଼ିଆ ସ୍ଵାଭିମାନୀ ଜାତିଭାଇଙ୍କ କଥା କହିଛନ୍ତି ।‌

ମଧୁବାବୁଙ୍କ ସମୟରେ ଓଡ଼ିଶା ତିନିଭାଗ ହୋଇ ତିନୋଟି ରାଜ୍ୟରେ ବାଣ୍ଟି ହୋଇ ରହିଥିଲା ସେତେବେଳେ ଓଡ଼ିଶା ଥାଇ ବି ତାହାର ଅସ୍ତିତ୍ବ ନଥିଲା । ସେତେବେଳେ ଓଡ଼ିଶାରେ ଓଡ଼ିଆମାନେ ଘରୁ ବାହାରିଲେ କାର୍ଯ୍ୟାଳୟରେ ହାଟରେ ବାଟରେ ଅଣଓଡ଼ିଆଙ୍କ ସହିତ ହିନ୍ଦୀ ବଙ୍ଗଳା ଇଂରାଜୀ ଭାଷାରେ କଥା ହେଵାକୁ ବାଧ୍ୟ ହେଉଥିଲେ । ଅଣଓଡ଼ିଆଙ୍କ ଭାଷାରେ ପାଠ ପଢ଼ୁଥିଲେ ଏଵଂ ଓଡ଼ିଆ ଭାଷାରେ ସମ୍ବାଦପତ୍ର କି ପୁସ୍ତକ ସେ ଯୁଗରେ ଛପୁନଥିଲା । ଓଡ଼ିଆ ଜାତି ଭାଷା ମାଟି ସଂସ୍କୃତି ପାଇଁ ସେ ଥିଲା ଅନ୍ଧାରୀ ଯୁଗ । 
ମଧୁବାବୁଙ୍କ ସମୟରେ ଓଡ଼ିଶାରେ ଓଡ଼ିଆ ଜାତି ଥାଇ ମଧ୍ୟ ନଥିଲା ଭଳି ଲାଗୁଥିଲା ଯେମିତି ଆଜି ଭୁବନେଶ୍ୱର କଟକ ଗଲେ ଲାଗୁଛି ତାହା ଓଡ଼ିଶାର ନୁହେଁ ଵରଂ ଉତ୍ତର ପ୍ରଦେଶ କି ବିହାରର ନଗର ! 

ସେଥିପାଇଁ ମଧୁବାବୁ ତାପରେ ଲେଖିଲେ ...

“ଖୋଜିଲି ଅରଣ୍ୟେ ଜନସମାଜରେ
ଖୋଜିଲି ବାରିଧି ତଟ,
ସର୍ଵତ୍ର ଦେଖିଲି ମାତା ପଦଚିହ୍ନ
 ନ ହେଲା ମାତାର ଭେଟ ।
ଭୁବନେଶ୍ବରରେ ପଦଚିହ୍ନ ପରେ
 ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
 ହିନ୍ଦୁ ଜାତି ମଥା-ମଣି ।”

ଅର୍ଥାତ୍ ପରାଧୀନ ଓଡ଼ିଶାରେ ଉତ୍କଳ ମାତାର ପଦଚିହ୍ନ ସ୍ଵରୂପ ତାହାର ଭାଷା ସଂସ୍କୃତି ଐତିହ୍ୟ ଭାସ୍କର୍ଯ୍ୟ ମନ୍ଦିର ତ ସର୍ଵତ୍ର ରହିଛି କିନ୍ତୁ ତାକୁ ନେଇ ଯୋଉ ଜାତୀୟତାବୋଧ ଓ ସ୍ଵାଭିମାନ ଟିକିକ ରହିଵା କଥା ତାହା ଓଡ଼ିଆଙ୍କ ପାଖରେ ନାହିଁ । ଶ୍ରୀମନ୍ଦିର ଅଛି ଶ୍ରୀଜଗନ୍ନାଥ ଅଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଧରି ଯେଉଁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଆମ କାଳିଙ୍ଗ୍ୟ ଜାତୀୟବୋଧ ରୂପ ଦୁର୍ଗ ରହିଥିଲା ତାହା ଆଉ ନାହିଁ । 
ହଁ ସେହି ଜାତୀୟତାବୋଧର ଅଭାବ ଯୋଗୁଁ ତ ଓଡ଼ିଶାର ଲୋକେ ଆଜି ନିଜର ସହସ୍ରାଧିକ ଵୀର ପୂର୍ଵପୁରୁଷଙ୍କୁ ପାଶୋରି ପରର ବୋପା ଜେଜେବାପାଙ୍କର ଜୟ ଜୟ କାର କରନ୍ତି ‌। ସ୍ଵାଭିମାନହୀନ ଜାତିର ଲୋକମାନେ ଥାଇ ବି Necromancer ଭଳି ଜାତୀୟତାବୋଧ ରୂପ ଆତ୍ମା ଵିହୀନ Zombie ସଦୃଶ ହୋଇଥାନ୍ତି । ଏଥିଯୋଗୁଁ ତ କୁହାଯାଇଛି "ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି” କାରଣ କେହି ଜାତୀୟତାବୋଧ ଯୁକ୍ତ ଓଡ଼ିଆ ଭାଇ ଥିଲେ ତ ଡାକ ଶୁଣନ୍ତେ ? 

ପୁଣି ଦେଖାଯାଏ ଯେତେବେଳେ କୌଣସି ଗୃହ,ଦେଶ ଓ ସମାଜରେ ନାରୀର ସମ୍ମାନ ହୁଏନାହିଁ ତହିଁରେ ରହୁଥିଵା ଲୋକେ ଵିପଥଗାମୀ ହୁଅନ୍ତି, ନଷ୍ଟ ଚରିତ୍ର ହୁଅନ୍ତି, ହୀନ ଵିଚାର ପୋଷଣ କରି ପଶୁଵତ୍ ବଞ୍ଚୁରୁହନ୍ତି । ତେଣୁ ମଧୁବାବୁ ଲେଖିଲେ...

“ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
          ଧରା ହୁଏ ଵିଦାରଣ,
ଅପମାନ ହେତୁ ସୀତା ଦେଵୀଙ୍କର
          ମହୀହୃଦେ ଵାସସ୍ଥାନ ।
ଅପମାନ ହେତୁ ଜନନୀ ମୋହର
           ଉତ୍କଳ ଭୂମଧ୍ୟଵାସୀ
ଉତ୍କଳର ମାଟି ପଵିତ୍ର ହୋଇଛି
          ସ୍ବର୍ଗାଦପି ଗରୀୟସୀ ।”

ଆଜିର ଅଵକ୍ଷୟମୁଖୀ ସମାଜରେ ନିତି ନାରୀ ନିର୍ଯ୍ୟାତନାର ଶିକାର ହେଉଛି । ଏକ ରିପୋର୍ଟ ଅନୁସାରେ ପ୍ରତିଦିନ ଭାରତରେ ୮୬ଜଣ ମହିଳା ଆଉ ଓଡ଼ିଶାରେ ୯ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଯୋଉ ଦେଶରେ ନାରୀର ସମ୍ମାନ ହୁଏନାହିଁ ସେ ଦେଶରେ ନାରୀ ସ୍ଵରୂପା "ସର୍ଵ ଦେଶମାତା"ର ସମ୍ମାନ କିଏ ଵା କାହିଁକି କରିଵାକୁ ଯିଵ ? ସନ୍ତାନର ଉକ୍ତି କଵିତାରେ ସମାଜକୁ ଦିଆଯାଇଥିଵା ନାରୀ ସମ୍ମାନ ସମ୍ବନ୍ଧୀୟ ଵାର୍ତ୍ତା ଵିଷୟରେ ବୁଝିଵାକୁ ହେଲେ ତତ୍କାଳୀନ ସମାଜରେ ନାରୀର ସ୍ଥିତି ଵିଷୟରେ ଜାଣିଵା ନିତାନ୍ତ ଆଵଶ୍ୟକ ! 

ମଧୁସୂଦନଙ୍କ ସମୟରେ ସତୀଦାହ ପ୍ରଥା ନାମରେ ନାରୀମାନଙ୍କୁ ଜିଅନ୍ତା ଜଳାଇ ଦିଆଯାଉଥିଲା । ଅତି ଅଳ୍ପ ଵୟସରେ ନାରୀମାନଙ୍କୁ ଵିଵାହ କରି ଦିଆଯାଉଥିଲା । ନାରୀମାନଙ୍କ ପାଇଁ ଆମ ସମାଜରେ ଶିକ୍ଷାଦାନ ଵ୍ୟଵସ୍ଥା ନଥିଲା । ମଧୁବାବୁଙ୍କ ସମୟର ଭାରତରେ ନାରୀମାନେ ନିର୍ଯ୍ୟାତନାର ଶୃଙ୍ଖଳରେ ଆବଦ୍ଧ ହୋଇ ରହିଥିଲେ । ସେଥିପାଇଁ ତ ମଧୁବାବୁ କହିଲେ ଯେ ମୁଁ ଶୁଣିଛି ଶାସ୍ତ୍ରରେ ଲେଖାଅଛି ସତୀ ଅପମାନରେ ଧରା ଵିଦାରଣ ହୋଇଯାଏ ଯେମିତି ସୀତାଙ୍କର ଅପମାନ ଯୋଗୁଁ ଏ ମହୀ ଫାଟିଯାଇଥିଲା ଏଵଂ ମାତା ସୀତା ଧରଣୀମାତାଙ୍କ କୋଳକୁ ଲେଉଟି ଯାଇଥିଲେ । ସେହିପରି ଉତ୍କଳ ମାତାଙ୍କର ଏହି ଉତ୍କଳଵାସୀ ସନ୍ତାନମାନେ ନିଜ ମାତାର ସୁରକ୍ଷା କରିଵାରେ ଵିଫଳ ହେଵାରୁ ସେ ମଧ୍ୟ ଭୂମିଗତା ହୋଇଛନ୍ତି । ତେବେ ସେ ମାତା ଏବେବି ଅଛନ୍ତି ଆଉ ତାଙ୍କ ଦର୍ଶନ କେମିତି ପାଇଵା ତାହା ମଧୁବାବୁ ଏମନ୍ତ ଲେଖି ଜଣାଇଛନ୍ତି 
          
“ଜନନୀର ଦେଖା କରିଵାରେ ଇଚ୍ଛା
          ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
          ତା ଧୂଳି ଲେପ ଵଦନେ ।
ଵୀରପ୍ରସଵିନୀ କୋଟି ସୁତ ମାତା
           ପାଇଵ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
         ସନ୍ତାନ କଲେ ରୋଦନ ।
କୋଟିଏ ସନ୍ତାନ ଗୋଟିଏ ସ୍ବରରେ
          'ଜନନୀ' 'ଜନନୀ' ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
          ଯେସନେ ଡାକେ ଚାତକ ।
ଧନ, ମାନ, ଜନ ଯାହା ଉପାର୍ଜନ
           କରିଅଛ ଧରାତଳେ,
ହରଷିତ ମନେ କରତଵ୍ୟ ଜ୍ଞାନେ
           ଆଣିଦିଅ ଯଜ୍ଞସ୍ଥଳେ ।
ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ବଳିତ କର
            ସ୍ବାର୍ଥକୁ ଦିଅ ଆହୁତି,
'ସ୍ବାର୍ଥମେଧ ଯଜ୍ଞେ' ଚାରିଆଡ଼େ ନାଚ
            ଛାତିକୁ ମିଶାଇ ଛାତି ।
ଭୂମିକମ୍ପ ହେଵ ଧରଣୀ ଫାଟିଵ
            ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
           କର ସେହି ପଦପୂଜା ।”

ଅର୍ଥାତ୍ ଭୂମିଗତା ଉତ୍କଳମାତା ଵା ପରାଧୀନା ଉତ୍କଳଭୂମିର ପୂର୍ଵ ସ୍ଥିତି ଫେରାଇ ଆଣିଵାକୁ ଚାହୁଁଥିଲେ ପ୍ରଥମେ ଏହି ଉତ୍କଳଭୂମିକୁ ମାତା ମନେ କରି ତାଙ୍କର କାୟ ମନୋ ଵାକ୍ଯରେ ସମ୍ମାନ କରିଵା ଶିଖ ଏଵ ନିଜ ହୃଦୟରେ କାଳିଙ୍ଗ୍ୟ ଜାତୀୟତାବୋଧ ଜାତ କର । ତେବେ ଜଣେ ଵା ହାତଗଣତି ସନ୍ତାନ ଜାତୀୟତାଵାଦୀ ହୋଇଗଲେ ଚଳିଵ ନାହିଁ ସାରା କଳିଙ୍ଗଵାସୀ କାଳିଙ୍ଗ୍ୟ ଜାତୀୟତାବୋଧରେ ଉଦବୋଧ ହେଵା ଆଵଶ୍ୟକ ବୋଲି ମଧୁବାବୁ କହିଛନ୍ତି । ସାରା କଳିଙ୍ଗଵାସୀ ଯୋଉଦିନଠାରୁ ନିଜ ମାତୃଭୂମିକୁ ମାତା ମନେକରି ଏକ ସ୍ଵରରେ ଜନନୀ ଜନନୀ ଡାକିବେ ଅର୍ଥାତ୍ କାଳିଙ୍ଗ୍ୟ ସ୍ବାଭିମାନୀ ହେବେ ଏଵଂ ନିଜର ଧନ ଜ୍ଞାନ ଜନ ମାନ ସମ୍ମାନ କ୍ଷମତାର ଉପଯୋଗ ସେହି ଜନନୀ ସେଵାରେ ଲଗାଇବେ ସେହିଦିନଠାରୁ ଏ ଦେଶରେ ଜାତି ପ୍ରୀତି ଵହ୍ନି ପ୍ରଜ୍ଵଳିତ ହେଵ,ସ୍ଵାର୍ଥକୁ ସ୍ଵାର୍ଥମେଧ ଯଜ୍ଞରେ ବଳି ଦିଆଯିଵ ଆଉ ସେତେବେଳେ ହଁ ଠିକ୍ ସେତେବେଳେ ଯାଇ “ଭୂମିକମ୍ପ ହୋଇ ଧରଣୀ ଫାଟିଵ ଏଵଂ ଉତ୍କଳ ମାତା ସହସ୍ରଭୁଜା ରୂପେ” ଦେଖାଦେବେ ଅର୍ଥାତ୍ 
ପରାଧୀନ କଳିଙ୍ଗ ପୁଣି ନିଜର ଅସ୍ତିତ୍ବ ପୂର୍ଵ ଗୌରଵ ପୂର୍ଵ ସମ୍ମାନ ଫେରି ପାଇଵ । 

“ସନ୍ତାନର ଉକ୍ତି” କଵିତା ଓଡ଼ିଆ ଜାତିର ଏକ ଅମୂଲ୍ୟ ସମ୍ପଦ । ଏହାଠାରୁ ସୁନ୍ଦର ସରଳ ଶ୍ରେଷ୍ଠ ଜାତୀୟତାବୋଧକ ଉଦବୋଧନୀ କଵିତା ସାରା ଵିଶ୍ଵରେ ଵିରଳ । ଏହା ଏକ ଅଦ୍ୱିତୀୟ ଜାତୀୟତାଵାଦୀ କଵିତା ଏଵଂ କାଳିଙ୍ଗ୍ୟ ଜାତୀୟତାବୋଧକୁ ଜାଗ୍ରତ କରିଵା ପାଇଁ ଐଶ୍ଵରୀୟ ପ୍ରେରଣାରେ ମଧୁବାବୁଙ୍କ ଦ୍ଵାରା ରଚିତ ଏକ ଅମର ସୃଜନୀ ଅଟଇ ‌।

Thursday, October 13, 2022

•ଜାତୀୟ ସଂଗୀତ(ଶ୍ରୀକୃଷ୍ଣମୋହନ ପଟ୍ଟନାୟକ)•

୧୯୦୬ ଗ୍ରେଗୋରୀୟ ଵର୍ଷରେ ହୀରାଖଣ୍ଡ ଅଞ୍ଚଳର ସମ୍ବଲପୁରଠାରେ ଉତ୍କଳ ସମ୍ମିଳନୀର ଏକ ଅଧିଵେଶନ ଅନୁଷ୍ଠିତ ହୋଇଥିଲା । ସେହି ଅଧିଵେଶନରେ ଜାତୀୟ କଵି ଶ୍ରୀକୃଷ୍ଣମୋହନ ପଟ୍ଟନାୟକ ତାଙ୍କର ଏକ ଲୋକପ୍ରିୟ ଜାତୀୟ ଗୀତ ପଠନ କରାଯାଇଥିଲା । 

ତାହା ନିମ୍ନରେ ପ୍ରଦତ୍ତ ହେଲା ...



ଆଜି ସାଗରେ ଭୂଧରେ ପ୍ରାନ୍ତରେ
ଅମ୍ବରେ ଶୁଭୁ ଉତ୍କଳର ଜୟଗୀତି ।୦। 

ଯାଇଛି ଅତୀତ ହଜିନାହିଁ ଵୀଣା
ଦବି ନାହିଁ ତାନ ହେଲେହେଁ ପ୍ରାଚୀନା,
ନଵ ଜାଗରଣେ ନଵ ଗୁଞ୍ଜରଣେ
ଉଠ ସେ ତନ୍ତୁରେ ନଵ ସ୍ଫୀତି ।୧। 

ଡାକି ହିମାଚଳ କହୁ ସୀମାଚଳେ
କି ସଙ୍ଗୀତ ସ୍ଫୁରେ ଚିଲିକା କଲ୍ଲୋଳେ,
ମୋ ହିମ ଗଳଇ ତୋ ସୀମା ଟଳଇ ଦେଖି ଉତ୍କଳର ପୁଣ୍ୟପ୍ରୀତି ।୨। 

ଶିଶୁ ଦେଉ ତାର ଉଷାରୁଣ ଵିଭା
ଦେଉ ଯୁଵାଜନ ମଧ୍ୟାନ୍ନ-ପ୍ରତିଭା,
ଜ୍ଞାନରଶ୍ମୀ ଶେଷ ଦେଉ ପକ୍ଵ-କେଶ ଭାଙ୍ଗୁ ସାଧନାର ଭ୍ରାନ୍ତ ରୀତି ।୩। 

ଶରତ ସଜାଉ ଚାରୁ ପକ୍ଵଶାଳୀ
ଵସନ୍ତ ବଜାଉ ଦୋଳ ଘଣ୍ଟାଵଳି
ଶୁଭାଶିଷ ଘେନି ରଵି ଶଶି ବେନି
 ଉଠନ୍ତୁ ବୁଡ଼ନ୍ତୁ ନିତି ନିତି ।୪। 

ଅଛି ହୀରାଖଣ୍ଡ ଅଛି ସ୍ବର୍ଣ୍ଣରେଖା
ମନ୍ଦିରେ ମନ୍ଦିରେ ଇତିହାସ ଲେଖା
କୈଵଲ୍ୟ ଵିଧାନେ ଏବେ ହେଁ ଶ୍ରୀଧାମେ ଅଛି ପ୍ରଚାରିତ ସାମ୍ୟନୀତି ‌ ।୫। 





Wednesday, September 14, 2022

ଗଙ୍ଗାଧର ମେହେରଙ୍କ ସାରସ୍ଵତ ସଂଗ୍ରାମ

ହିନ୍ଦୀ କଵଳରେ ପଡ଼ି ଭୀଷଣ ଦୁର୍ଦ୍ଦଶା ଭୋଗୁଥିଲେ ଅଵିଭକ୍ତ ସମ୍ବଲପୁର ଵା ହୀରାଖଣ୍ଡ ଅଞ୍ଚଳର ଲୋକେ । ସେ ସମୟରେ ଗଙ୍ଗାଧର ମେହେର Hindi Imposition ଵା ହିନ୍ଦୀ ଆରୋପଣ ଵିପକ୍ଷରେ ଏକ ଅତୁଳନୀୟ ସାରସ୍ଵତ ଵିପ୍ଲଵ ଆରମ୍ଭ କରିଥିଲେ । ଗତ ୭୫ ଵର୍ଷ ମଧ୍ୟରେ ମଧ୍ୟପ୍ରଦେଶ ତଥା ଛତିଶଗଡ଼ର ଅଂଶ ହେଵା ଯୋଗୁଁ ମହାସମୁନ୍ଦ,ଯଶପୁର,ଵସ୍ତର ଆଦି ଅଞ୍ଚଳରୁ ଓଡ଼ିଆ ଭାଷା ଓ ଲିପିକୁ ଯେଉଁଭଳି ଭାବେ ହିନ୍ଦିଆମାନେ ପ୍ରାୟତଃ ଲୋପ କରିସାରିଛନ୍ତି ସେହିପରି ଭାବେ ୧୮୮୦ରୁ ୧୯୦୫ ମସିହା ଯାଏଁ ହିରାଖଣ୍ଡ ଅଞ୍ଚଳରେ କରିଵାକୁ ତତ୍କାଳୀନ ଓଡ଼ିଶାଵାସୀ ହିନ୍ଦିଆ କର୍ମଚାରୀମାନେ ଚକ୍ରାନ୍ତ କରିଥିଲେ । 

ଯେତେବେଳେ ପରାଧୀନ ହୀରାଖଣ୍ଡର ପ୍ରଶାସନରେ ଓଡିଆ ଭାଷା ଲୋପ କରାଯାଇ ହିନ୍ଦୀ ପ୍ରଚଳିତ ହେଲା । ସେତେବେଳେ ଏଥିରେ ଵ୍ୟଥିତ ହୋଇ ଗଙ୍ଗାଧର ଲେଖିଥିଲେ—

“ସମ୍ବଲପୁରରୁ ଉତ୍କଳ ନିର୍ମୂଳ ହେଵାର କାରଣ ଏହି,
ରାଜକର୍ମଚାରୀ ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି । 
ସେମାନଙ୍କ ଜ୍ଞାନ ଉତ୍କଳରେ ଶୂନ୍ୟ ହେଵାରୁ ହେଲା ସଙ୍କଟ,
ଏଥିପାଇଁ ଏବେ ଉତ୍କଳ ନିର୍ମୂଳ 
ହିନ୍ଦୀ ହୋଇଵ ପ୍ରକଟ ।
ସମ୍ବଲପୁରର ଅଧିଵାସୀମାନେ 
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇଵା ସେଠାରେ 
ଶୁଣି ସର୍ଵେ ହତଜ୍ଞାନ ।”

କିନ୍ତୁ ସେ ପୁଣି ସେହି Hindi Imposition ଵିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିଵାକୁ ଓଡ଼ିଆ ଜାତିର ଵରପୁତ୍ରମାନଙ୍କୁ ଆହ୍ଵାନ ଦେଇଥିଲେ । 

“ବାବୁ ଶ୍ରୀ ଧରଣୀ ଘେନ ଚିନ୍ତାମଣି ବିଦ୍ୟାଭୂଷଣକୁ ମୋର
କୃଷ୍ଣ ନୀଳାମ୍ବର ଲକ୍ଷ୍ମଣଙ୍କୁ ନେଇ ସମ୍ମୁଖେ କର ସମର ।
ରାମ ଵନମାଳୀ ଦାଶ ଦୀନବନ୍ଧୁ ତୁମ୍ଭେ ତ ଯୋଗ୍ୟ ନନ୍ଦନ
ପଣ୍ଡା ଜନାର୍ଦ୍ଦନ ହେ ଵ୍ରଜମୋହନ କର ଶତ୍ରୁ ଵିମର୍ଦ୍ଦନ ।“

 ଗଙ୍ଗାଧର ସେତିକିରେ ଅଟକି ଯାଇନଥିଲେ । ସେ ସେସମୟର ଓଡ଼ିଆ ଲୋକଙ୍କୁ ନିଜର ଉଦବୋଧନୀ କଵିତାଦ୍ଵାରା ଚେତାଇଥିଲେ ପୁଣି ତତ୍କାଳୀନ ହିନ୍ଦୀ ତଥା ଇଂରାଜୀ ଶାସନପ୍ରେମୀ ବୁଦ୍ଧିଜୀଵୀ ଓ ରାଜନ୍ୟଵର୍ଗଙ୍କୁ କଟୁ ଭର୍ତ୍ସନା ମଧ୍ୟ କରିଥିଲେ । 

ଗଙ୍ଗାଧର ମେହେର ଉତ୍କଳ ଜନନୀଙ୍କ ମୁଖରେ ସେହି ମାତୃଭୂମି ଵିମୁଖ ସନ୍ତାନମାନଙ୍କ ପ୍ରତି ଉକ୍ତି ଶୁଣାଇଥିଲେ 

“ଛନ୍ଦ ବାବୁ ମୋର କୋମଳ ଵସନ
ଅଙ୍ଗକୁ ଯହିଁରେ ନହେଵ ପୀଡ଼ା  
ଦେଵା ହେଲେ ଦିଅ ଏମନ୍ତ ଭୂଷଣ 
ଯାହା ଘେନି ମୋର ନ ହେଵ ଵ୍ରୀଡ଼ା ।

ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ ପରିଚ୍ଛଦ ଯୋଗୁ ନ କାଟ ଦେହ
କଟା ହେଲେ ହେଵ ଜୀଵନ ଵିପଦ 
ନ କର ମାତାକୁ ସେପରି ସ୍ନେହ ।

ରୋଗ ଥିଲେ ଦେହେ ପ୍ରତିକାର କର ପ୍ରକୃତିସ୍ଥ ହେଉ ଜୀଵନ ମୋର
ଭିନ୍ନ ଵର୍ଣ୍ଣେ ଯଦି ରଞ୍ଜ କଳେଵର 
ହେଵ ମାତ୍ର ତାହା ଵିଭତ୍ସ ଘୋର ।

ତୁମେ ମୋତେ ଯେଉଁ ବେଶେ ସଜାଇଵ 
ସେ ବେଶ ଦେଖିଵେ ଜଗତ ଜନେ
ତୁମେ ମୋତେ ଯଦି ଯତନେ ମାଜିଵ
 ମାର୍ଜିତ ଉଜ୍ଜ୍ଵଳ ହେଵ ଭୁଵନେ ।

ଦେଉଁ ଦେଉଁ ମୋର ନୟନେ ଅଞ୍ଜନ 
ମୁଖ ଯଦି ହେଵ କଳିମାମୟ
ପୋଛ ଗଣ୍ଡ କାଳି ନ ଦେଇ ଗଞ୍ଜନ
ହେଵ ମନୋହର କାନ୍ତି ଉଦୟ ।

ପାଇଥିଲେ ଦିଅ ଵିଦେଶୀ ପ୍ରସୂନ 
ଥାଏ ଯଦି ତହିଁ କିଛି ସୌରଭ
ସୌରଭ ନ ଥିଲେ, କାନ୍ତିରେ ନିଉନ ନଥିଲେ ବଢ଼ିଵ ସିନା ଗୌରଵ !

ମସ୍ତକେ ମୋ ଟୋପି ନଦେଵ ବାବାରେ 
ନ କାଢ଼ିଵ ମୋର କରୁ କଙ୍କଣ
ସିନ୍ଦୁର ବିନ୍ଦୁ ମୋ ଭାଲେ ରଖିଵରେ ନିରନ୍ତର ମନେ ଥିଵ ସ୍ମରଣ ।“
 

ଗଙ୍ଗାଧର ନିଜ କଲମ ବଳରେ ତତ୍କାଳୀନ ରାଜାମାନଙ୍କୁ ମଧ୍ୟ Hindi Imposition ଵିଷୟରେ ଚୁପ୍ ରହିଵା ଯୋଗୁଁ 
ସମାଲୋଚନା କରିଛନ୍ତି । ନିଜମାତୃଭୂମି ବରପାଲିର ରାଜାଙ୍କ ଭର୍ତ୍ସନା କରି ଗଙ୍ଗାଧର ମେହେର ଉତ୍କଳ ଜନନୀଙ୍କ କଣ୍ଠରେ କୁହାଇଥିଲେ,

“ବରପଲ୍ଲୀପତି ଜାଣଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିଵ ପଦେଅଧେ ଵଚନ?
ହରିହର ସିଂହ ତୁମ୍ଭେ ତ କିଛି କହିଵ ନାହିଁ
କହିଲେ ଅଵା ଉପାଧିଟି ରାଜେ ନେବେ ଛଡ଼ାଇ !” 

ପୁଣି ବଲାଙ୍ଗିରର ପାଟଣା ମହାରାଜାଙ୍କୁ ମଧ୍ୟ ଗଙ୍ଗାଧର ମେହେର ଆକ୍ଷେପ କରି କହିଥିଲେ,

“ରାମଚନ୍ଦ୍ର ଦେଵ ପାଟଣା ମହିମଣ୍ଡଳେ ଶୂର
ବାଘମାରିଵାକୁ ବୁଲୁଛ ବଣେ ନିଶିଵାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମ୍ଭର କିଛି ନଜର ନାହିଁ ?
ଏ ଗାଈଟି ମଲେ ମିଳିଵ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାଣ ଵୀର !”

ପୁଣି ନିଜ କଵିତାଦ୍ଵାରା ଗଙ୍ଗାଧର ମେହେର କଳାହାଣ୍ଡିର ତତ୍କାଳୀନ ମହାରାଜାଙ୍କୁ କ୍ଷୋଭଭରା ଵାର୍ତ୍ତା ପଠାଇଥିଲେ –

“ଦେଖା କି ନା ରଘୁ କିଶୋର କଳାହାଣ୍ଡି ଭୂପତି
ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳଭାରତୀ?
ସେହି ଭାତହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇଵାକୁ ଏବେ ପଡିବ ଶୁଖା କର୍କଶ ରୁଟି ।“

ମହାରାଜା ଶ୍ରୀ ସୁଢ଼ଳଦେଵ Hindi Imposition ସଂକ୍ରାନ୍ତରେ ଵିଶେଷ କିଛି ନକହି ନକରୁଥିଵା ଜାଣି ପାରି କଵି ଉତ୍କଳମାତାଙ୍କ କଣ୍ଠରେ ସୁଢ଼ଳଦେଵଙ୍କ ପ୍ରତି କୁହାଇଥିଲେ

“ସୁଢଳ ଦେଵ ହେ ଵିଵିଧ ଗୁଣେ ହୋଇ ପଣ୍ଡିତ
ଉପାଧିମାଳରେ ନାମକୁ କରି ଅଛ ମଣ୍ଡିତ ।
ହୋଇଅଛ ଆଜ ଭାରତେ ରାଜବଂଶର ମୁନି
ଦେଖି ଦେଖି ମୋର ଏ ଦଶା କିମ୍ପା ହୋଇଛ ତୁନି?
ସ୍ଵହସ୍ତରେ ରଚି ଯତନେ ନାନାଵିଧ ଭୂଷଣ
ଯା’ ଅଙ୍ଗରେ ମଣ୍ଡିଦେଉଛ ସହି କେତେ କଷଣ ।
ରାଜ୍ୟ ଛାଡ଼ି ଆଜି ଦୁଃଖେ ସେ ଯାଉଅଛି ବାହାରି
ତାହା ପାଇଁ ପଦେ କହିଵା ଏବେ ହେଲାକି ଭାରି ?”

ମାତୃଭାଷା ପାଇଁ Hindi Imposition ଵିପକ୍ଷରେ ଯୁଦ୍ଧର ଡାକରା ଦେଵାର ସତ୍ ସାହସ ନିଜସ୍ଵ ସ୍ଵଭାବ ଗଙ୍ଗାଧରଙ୍କର ଥିଲା । ସେଥିପାଇଁ ଉତ୍କଳେ ସେ ସ୍ଵଭାଵ କଵି ବୋଲାଇଲେ । ତେବେ ଦୁଃଖର ଵିଷୟ ଅତୀତର ଇତିହାସରୁ ଓଡ଼ିଶାର ଲୋକେ କିଛି ଶିଖନ୍ତି ନାହିଁ । ଓଡ଼ିଆମାନେ ସ୍ଵାଧୀନତା ପରେ ପରେ ହିନ୍ଦୀଭାଷୀଙ୍କ ପୂର୍ଵ କୃତ୍ୟ ପ୍ରାୟତଃ ଭୁଲିଗଲେ ହେଲେ ହିନ୍ଦିଆମାନେ ଭିତରେ ଭିତରେ ଓଡ଼ିଶାର ଵିଭାଜନ ତଥା ଓଡ଼ିଆ ଭାଷା ହତ୍ୟାର ଵିଵିଧ ଷଡ଼ଯନ୍ତ୍ର ରଚି ଚାଲିଲେ । 

ଆଜି ବି ଓଡ଼ିଶାର ବୁଦ୍ଧିଜୀଵୀ,ଧନିକଜନ ଓ ରାଜନେତା ଇତ୍ୟାଦି Hindi Imposition ସମ୍ବନ୍ଧରେ ପଦେ କହିଵାକୁ ସୁଦ୍ଧା ସାହସ କରୁନାହାନ୍ତି ଵିରୋଧ କରିଵା ତ ବହୁତ ଦୂରର କଥା । ସେତେବେଳେ ଯୋର୍ ଯବର କରି ଓଡ଼ିଆ ଅଞ୍ଚଳରେ ହିନ୍ଦୀ ପ୍ରଚଳନ କରି ଓଡ଼ିଆ ଭାଷାକୁ ମାରି ଦେଵା ପାଇଁ ହିନ୍ଦିଭାଷୀ ଲାଗିଥିଲେ ଆଉ ଆଜି ଓଡ଼ିଆ ଲୋକଙ୍କ ମଧ୍ୟରେ ଆଞ୍ଚଳିକଵାଦ ସୃଷ୍ଟି କରି ଓଡ଼ିଆ ଅଞ୍ଚଳ ତଥା ଓଡ଼ିଆ ଶୈଳୀ ଛଡ଼ାଇ ନେଵାକୁ ଚକ୍ରାନ୍ତ କରୁଅଛନ୍ତି । 

 ସ୍ଵଭାଵ କଵି ଗଙ୍ଗାଧର ମେହେରଙ୍କ ଦ୍ଵାରା ରଚିତ ଆଉ ଏକ ଜନପ୍ରିୟ କଵିତା ହେଉଛି “ଭାରତୀ ରୋଦନ” । ଓଡ଼ିଆ ଜାତି ପ୍ରତି ଉତ୍ତର ଭାରତୀୟ ଲୋକଙ୍କ ଦ୍ଵାରା କରାଯାଇଥିଵା ପାତର ଅନ୍ତର,ଅନ୍ୟାୟ ଓ ଶୋଷଣକୁ ମନେ ପକାଇଵାର ଦିନଟିଏ ହେଉଛି ଆଜି । ଆଜିର ଏହି ଦିନରେ ଉକ୍ତ “ଭାରତୀ ରୋଦନ” କଵିତାଟି ଏଠାରେ ସମ୍ପୂର୍ଣ୍ଣ ପ୍ରଦତ୍ତ ହେଲା...



   ×••••••••••••••••••••••••
         ଭାରତୀ ରୋଦନ
       (ଗଙ୍ଗାଧର ମେହେର)
     ••••••••••••••••••••••••×
ଉତ୍କଳ ଭାରତୀ ରୋଦନ କରୁଛି କାତରେ ସମ୍ବଲପୁରେ,
ସେ ଵିକଳ ଧ୍ଵନି କର୍ଣ୍ଣରେ ପଡି଼ଲେ ନୟନେ ଲୋତକ ପୂରେ ।

ବୋଲଇ ଦୁଃଖିନୀ କେତେ କେତେ କଷ୍ଟ ସହି ମୋ କୋଳରେ ଧରି,
କୁମାରଙ୍କୁ ମୋର ପାଳନ କରୁଛି ପ୍ରାଣାଧିକ ସ୍ନେହ କରି ।

ପୁତ୍ରମାନେ ମୋର ବଢି଼ଆସୁଛନ୍ତି ଶୁକ୍ଳପକ୍ଷେ ଯଥା ଶଶୀ ,
ଶ୍ରଵଣକୁ ମୋର ତୋଷୁଥାନ୍ତି କହି ମୃଦୁଵାକ୍ୟେ ହସି ହସି । 

ନାନା ଉପହାରେ ପୂଜିବେ ମୋ ପାଦେ ଏହି ଆଶା ଥିଲା ମନେ,
ଦାଵାନଳ ଆସି ଲାଗିଯାଉଅଛି ସେ ଆଶା କୁସୁମଵନେ ।

ଫୁଟି-ଆସୁଅଛି ଆହା କି ! ସୁନ୍ଦର ସୁନ୍ଦର କୁସୁମମାନ,
କେତେ ଵୃକ୍ଷ ଅଵା ଫଳମାନ ଫଳି ହୋଇଅଛି ସାନ ସାନ ।

ଏହି ସୁଖମୟ ସମୟେ ଦଗଧ ହେଉଅଛି ଏହି ଵନ,
ଦେଖି ଵିସ୍ମୟରେ ହାହାକାର କରୁଛନ୍ତି ମୋ କୁସୁମଗଣ । 

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି କରିଵ ପରା ରାଜତ୍ୱ,
ମୋ ଆଶା କାନନ ଭସ୍ମରାଶି ହେଵ ତା ନଵ ଉଦ୍ଯାନେ ଖତ ।

ଉପମାତା ଆସି ଗର୍ଭଧାରିଣୀର ମସ୍ତକେ ଚରଣ ଦେବଵ
ଏ ଦଶା ଦେଖିଲେ କେଁଉ ସନ୍ତାନର ମନରେ ଦୁଃଖ ନହେବ । 

ତା’ କୁନ୍ତ ପ୍ରହାରେ ଜୀଵନ ନ ଯିଵ
ହେଉଥିବି କଲବଲ 
ମୋହ ରକ୍ଷା ପାଇଁ ଵିକଳ ମୋ ପୁଏ ମୁଖେ ଦେଉଥିବେ ଜଳ ।

ଏ କଥା ସୁମରୀ ସୁମରୀ ମୋ’ ତନୁ ହୋଇ ଆସିଲାଣି କ୍ଷୀଣ,
ଚିନ୍ତା-ଜ୍ଵର ମୋତେ ଘୋଟି ଆସିଲାଣି ରହିଵ କି ଚିର ଦିନ ?

ଆହା ରେ ଦଇଵ ଏହି କଷ୍ଟ ଦଶା
ଲେଖିଅଛୁ କି ମୋ ଭାଲେ,
ପଥର ଵର୍ଷଣ ହେଵ କି ଅକାଳେ
ମଲ୍ଲିକା କୁସୁମମାଳେ ।

କର ଯୋଡ଼ି ଏହି ପ୍ରାଥନା କରୁଛି 
କୃପାମୟ ରାଜରାଜ,
କାହିଁକି ମୋଠାରେ କୃପା ଊଣା ହେଲା ଏତେ ଦିନ ପରେ ଆଜ । 

ମୋହ ଜାଣିଵାରେ ଶ୍ରୀଛାମୁରେ ମୁହିଁ କରିନାହିଁ କିଛି ଦୋଷ,
ନୀତି-ପରାୟଣ କେଉଁ କାରଣରେ ଅଭାଗିନୀ ପ୍ରତି ରୋଷ ?

ମହା କାକୁସ୍ଥରେ ଉଚ୍ଚୈସ୍ଵରେ ଦେଖ କାନ୍ଦୁଛନ୍ତି ମୋର ପୁଏ,
ଅରକ୍ଷ ରକ୍ଷକ ଏମାନଙ୍କ ପ୍ରତି କାହିଁକି କୃପା ନହୁଏ ?

ଜ୍ଞାନ କଳାକର ଶୀତଳ ଧଵଳ
ଵିଶୁଦ୍ଧ ଜ୍ଞାନ କିରଣ
ଜଗଜ୍ଜନ ହିତ କାରଣ ସତତ କରୁଛି ଵିତରଣ । 

ସେ କିରଣମାଳେ ହେଉଅଛି ଆଜ ଜଗତ ଆଲୋକମୟ,
ମୋହ ଭାଗ୍ୟେ କିମ୍ପା ଘୋଟିଆସୁଅଛି ନିଵିଡ଼ ତିମିରଚୟ । 

ଆସ ବାପଧନ ନୃପରାଜ ସିଂହ
ବରପଲ୍ଲୀ ଅଧୀଶ୍ଵର,
ତୁମ୍ଭ ପରା ଲୋକ ସହାୟ ନ ହେଲେ ହେଲି ସିନା ହତାଦର ।

କାହାକୁ କହିବି ଆଉ କେ ମୋ ଅଛି ? ଜାଣିଵାକୁ ମନକଥା,
ତୁମ୍ଭମାନେ ଯେବେ ମନ ଲଗାଇଵ 
ଘୁଞ୍ଚିପାରେ ମୋର ଵ୍ୟଥା । 

ଆସ ଆସ ମୋର ପ୍ରିୟ ହରିହର
ସିଂହ ରାୟ ବାହାଦୂର,
ଵଚନରେ ମୋର କାଳି ଲାଗୁଅଛି 
ଯତ୍ନେ ବେଗେ କର ଦୂର ।

ବେଳ ଥାଉଁ ଥାଉଁ ଯତ୍ନ କର ବେଗେ ଆସ ମୋ କୁମାରଗଣ,
ପାଣି ବୋହିଗଲେ ବନ୍ଧ ବାନ୍ଧିଵାର ହେଵ ସିନା ଅକାରଣ । 

ଵିନୟ ଭାଵରେ ନିଵେଦନ କର
ସର୍ଵେ ହୋଇ ଏକମୁଖ,
ଧର୍ମ ଅଵତାର ରାଜ ରାଜେଶ୍ଵର
ଅଵଶ୍ୟ ଶୁଣିବେ ଦୁଃଖ ।

ମହତ ଛାମୁରେ ପ୍ରାଥନା କରିଵା 
ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ ନ ହେଲେ ନ ହେଵ ନୀଚେ ନ ଯାଚିଵ କଦା ‌ ।

ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,
ତତେ ଘେନି ମୁହିଁ ପୁତ୍ରଵତୀ ଏକା
ତୁ ମୋର ଯୋଗ୍ୟ କୁମର ।

ଆଉ କେତେଜଣ ଅଛନ୍ତି ଵତ୍ସରେ
ତୋହ ଗୁଣ ଅନୁସରି,
ଚୀରଜୀଵୀ ହୁଅ ସୁଖୀ ହୋଇଥିବି 
ତୁମ୍ଭଙ୍କୁ କୋଳରେ ଧରି । 

ଆଉ କେତେଗୋଟି ମହାତ୍ମା ଅଛନ୍ତି ସ୍ଵାର୍ଥପର ସିନା ସର୍ଵେ,
ଆଜି ଯାଏଁ ମୋତେ ଚିହ୍ନିନାହାନ୍ତି
ସେ ପଦ ମଦ ଧନ ଗର୍ଵେ । 

ଧନ ଯଉଵନ ନିତ୍ୟ ନୁହେଁ ବାବୁ 
ପଦ୍ମଦଳେ ଜଳ ଯଥା,
ଯେ ଯାହା କରିଵ ଚିରଦିନ ପାଇଁ ରହିଯିଵ ସିନା କଥା । 

    ו••••••••••••••••••••×

Sunday, April 10, 2022

କଳାମାଣିକରେ


••••••••••••••••••••••••••


ଧୀରେ ଘେନ କାନନରେ କୃଷ୍ଣ ଵିଳମ୍ବିତ, 
ଵାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ। 

କଳାମାଣିକ ରେ ||୧||


ନିଧନ ସଙ୍ଖାଳି ମୋର ଦରିଦ୍ର ପସରା, ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା । 

କଳାମାଣିକ ରେ ॥୨|| 

ମୋ ଜୀଵ ଜୀଵନ ତୁହି ନୟନ ପ୍ରତିମା, ତୋତେ କି ପାସୋରି ହେଵ, ମୋର ସୁଖ ସୀମା !

 କଳାମାଣିକ ରେ ।୩।
 ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁପାଇଁ ସାରୁ !
 କଳାମାଣିକ ରେ ॥୪॥
ଵୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, 
ହୃଦତାପ ଵିନାଶନେ ତୁ ହରିଚନ୍ଦନ।

 କଳାମାଣିକ ରେ ॥୫॥
 ଗୋଟିକା, ଅଧାମ, ସର ନ ରୁଚଇ ତୋତେ, 
 ନାଚି ଲାଞ୍ଚ ମାଗୁଥାଉ ଲବଣି କେମନ୍ତେ !
 କଳାମାଣିକ ରେ ।୬। 
ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ଵଳ ଦେଖି କାହିଁ ପଶିବଇଁ ମୁହିଁ !

 କଳାମାଣିକ ରେ ॥ ୭ ॥ 
ଡାକିନୀ ଲୋଭାନ୍ତି ବୋଲି ଡରୁଥାଇ ମନେ,
 ବାର ବାର ବାରୁଥାଇ ଯିଵା ପାଇଁ ଵନେ ! 
କଳାମାଣିକ ରେ ||୮|| 

ନିଶାଚର ମାତିଵାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ଵନକୁ କାହିଁକି ! 

କଳାମାଣିକ ରେ ॥୯॥ 

ଝାଳ ବହୁଥିଵ ଅଙ୍ଗୁ ଲାଗି, 
ଝାଞ୍ଜି ଖରା, ଶ୍ରମ ପାଇ ତରୁତଳେ ବସିଥିବୁ ପରା ! 

କଳାମାଣିକ ରେ ।।୧୦|| 

ନେଲୁ ନାହିଁ କାହିଁ ପାଇଁ ତୋ’ କଠାଉ ଛତା, 
ଵନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।

 କଳାମାଣିକ ରେ ॥୧୧॥ 
କାନ ଡେରିଥାଇ ଏକା ତୋ’ ବେଣୁ ଗୀତକୁ, 
ଆଜ କିମ୍ପା ଶୁଭୁ ନାହିଁ ଭାବୁଛି ମନକୁ ! 

କଳାମାଣିକ ରେ ॥୧୨॥

•••••••••••••••••••••••••••

‘କଳାମାଣିକରେ’ କଵିତାଟି ଵିଦଗ୍ଧ ଚିନ୍ତାମଣି କାଵ୍ୟର ସତଷଠି ଛାନ୍ଦରୁ ଅଣାଯାଇଛି । ଏଥିରେ ଶ୍ରୀକୃଷ୍ଣ ସନ୍ଧ୍ୟାସମୟରେ ଗାଈଗୋଠ ଧରି ଫେରିଵାରେ ଵିଳମ୍ବ ହେଵାରୁ ମାତା ଯଶୋଦାଙ୍କ ମନରେ ଵ୍ୟସ୍ତତା ଦେଖା ଦେଇଛି । ଏହି କଵିତାରେ ଵାତ୍ସଲ୍ୟମୟୀ ମାତୃହୃଦୟର ଆଵେଗକୁ ସୁନ୍ଦରଭାବେ ଵର୍ଣ୍ଣନା କରାଯାଇଛି । 

       • "କଵି ପରିଚୟ" •
ଅଭିମନ୍ୟୁ ସାମନ୍ତସିଂହାର : ଓଡ଼ିଆ ସାହିତ୍ୟର ରୀତିଯୁଗୀୟ କଵିମାନଙ୍କ ମଧ୍ୟରେ ଅଭିମନ୍ୟୁ ସାମନ୍ତସିଂହାର ଜଣେ ପ୍ରମୁଖ ସ୍ରଷ୍ଟା । ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିଵାରରେ ସେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ଅଭିମନ୍ୟୁ ସରଳ ଗାଉଁଲୀ ଭାଷାରେ ସୁନ୍ଦର କଵିତା ରଚନା କରୁଥିଲେ । ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାଵ୍ୟ କଵିତାମାନ ରଚନା କରିଥିଲେ । ଵିଦଗ୍ଧ ଚିନ୍ତାମଣି, ପ୍ରେମକଳା, ରସଵତୀ, ସୁଲକ୍ଷଣା, ବାଘଗୀତ, ଚଢ଼େଇଗୀତ, ବୋଲେ ହୁଁ ଟି ଇତ୍ୟାଦି ତାଙ୍କର କେତୋଟି ଲୋକପ୍ରିୟ ସୃଷ୍ଟି ।

(ସଂଗ୍ରହ : ବହୁ ଵର୍ଷ ଧରି ଏହି କଵିତାଟି ସପ୍ତମ ଶ୍ରେଣୀରେ ପଢ଼ାଯାଉଅଛି । )

Wednesday, November 17, 2021

ସବୁରି ଚିତ୍ତଚୋର(ଗୋଦାଵରୀଶ ମହାପାତ୍ର)

ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ  ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି ।  କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି ...

  🔵🔵🔵🔵ସବୁରି ଚିତ୍ତଚୋର🔵🔵🔵🔵
🟠🟠🟠(ଗୋଦାବରୀଶ ମହାପାତ୍ର)🟠🟠🟠

ବାଜେ କରତାଳି, ବାଜେ ମାଦଳ,
ଥରିଉଠେ ନୀଳ ଗଗନ ତଳ,
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
ସବୁରି ଵଦନେ ପୂରିଛି ଆଶା,
  ପୁଲକି ଉଠଇ ମରମ ଭାଷା,
  ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ ।

ଜନଗଣ ମନ କାମନା ଜାଣି
ଵିଜେକଲେ ଅଵା ଅଭୟପାଣି,
ଲୋଚ଼ନ କୋଣରେ ଉଠେ ଉଜାଣି
ସବୁରି ଅଧରେ କଥା,
  ଶୋହେ କରେ କରେ କୁସୁମ ମାଳା,

ଦିଏ ହୁଳହୁଳି ପଲ୍ଲୀବାଳା,
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା ।

ସେ ତ କୋଟି ଜନ ପରାଣସାଇଁ,
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ
ମାଳାଭାରେ ଗଳା ପଡ଼ିଚି ଲଇଁ
ଚିନ୍ତିତ ଭଗବାନ,
ନାଶିବେ ଦେଶର କଳି-କଳୁଷ,
ଯେତେ ଏ ଦଳିତ-ଦୀନ-ମଣିଷ
ଯୋଡ଼ି କର ଯୁଗ ଯାଚେ ଆଶିଷ
ସୁନ୍ଦର ମହୀୟାନ !!

କେଉଁ ଗାଆଁ, କେଉଁ କୁଟୀର ଛାଡ଼ି
ଆସିଥିଲେ ବୁଲି ଦୁଇଟି ବୁଢ଼ୀ,
ସେ ଲୋକ ଗହଳେ ରହିଲେ ବୁଡ଼ି
କି ବା ସେ ଦେଖିଲେ ତହିଁ,
କିଏ ଗୀତ ଗାଏ, କିଏସେ ହସେ,
ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ
କାହା କାନେ କିଏ କି କଥା ଭାଷେ,
କି କଥା ଦେଖିଲି ମୁହିଁ !

ଏତିକି ବାଜଣା,
ଏତିକି ଗୋଳ ମଲା ଯା ଏତିକି ନାଟ !
ସବାରି ଭିତରେ ଏ ବୁଢ଼ା ବର
ଏଥିପାଇଁ କିଆଁ ଏତେ ଚହଳ,
ଏନ୍ତୁଡ଼ିଶାଳେ ନ ଚିପି ତୋଟି
କିଏ ରଖିଥିଲା କାହା ଝିଅଟି,
ଆଖି ଯାହା ଦେଖି ନଗଲା ଫୁଟି
ଗାଆଁରେ ବସିଛି ହାଟ !!

କହିଲା ଆରେକ ହୁଅ ଗୋ ତୁନି,
ବେଦୀରେ ବସିଵ ଏ ବୁଢ଼ା ପୁଣି !
କୁଶେ ବାନ୍ଧିଵେ କାହାର ପାଣି,
କିଏ ସେହି ଅଭାଗିନୀ

ଏତେ ଵରଜାତି,
ଏଡ଼ିକି ଭିଡ଼,
ଏ ବୁଢ଼ା ଵରକୁ ଏତିକି ମାଳ !

ଭିକମଗା ଆଜି ଛାଡ଼ିଲେ ଛାଡ଼,
ଦେଖିଵା ଚାଲ ଗୋ ନାନି ।
  ବସିଲା ଏ କାଳେ ସେ ଜନସଭା
  ଜମାଟ ଧରିଲା ଜଳଦ ଅଵା,
 
   ସଜ୍ଜିତ ପୀଠେ ହୋଇଲେ ଉଭା
   ସେଇ ଚିନ୍ତିତ ଵୀର,
    ଅଭୟ ଵରଦ ଶ୍ରୀକର ଟେକି
     ବେଗ-ଉଦ୍‌ବେଗ
   ଜନତା ଦେଖି କହିଲେ
   ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର ।
  
ଚାଲ, ଚାଲ, ଆଜି ଚାଲ ରେ ବେଗେ,
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ,
ମାନଵ ଭିତରେ ଦେଵତା ଜାଗେ,
ରମଣୀ ଭିତରେ ରମା,
ଉନ୍ନତ କର ଆନତ ଶିର
ଏଇ ତୋ ବିଜୟ-ପତାକା ଧର,
ଭୁଲ ତୋ ଭିତରେ ଆପଣା ପର,
ଛାଡ଼ ବନ୍ଧନ ସୀମା ।

ଏଇ ମାଟିତଳ ଦଳିତ ଜାତି,
ଏଇ ଧରଣୀର ଗଭୀର ରାତି,
ଏଇ ଏ ଜାତିର ପତଳା ଛାତି,
ଏଇ ମାଟିଘେରା ଗାଆଁ,
ଏଇ ଜନତାର ଏକଇ ଡାକେ
ଭେଦି ଗିରିଵନ ଦିଗ୍‌ଵିଦିକେ
ନଵ କଳେଵର ନଵୀନ ଲୋକେ
ବାରେ ତୁ ଆଗକୁ ଚାହାଁ ।

ଏଇ ଯେ ଗାଆଁର ଗରିବ ‘ବିନ’,
ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’,
ଏଇ କୁଲି, ଏଇ ବାଉରି, ପାଣ,
ଏଇ ଭିକାରୁଣୀ ବୁଢ଼ୀ,
  ଏଇ ତୋ ଜାତିର ଅସ୍ଥିମଜ୍ଜା
   ନଵୀନ ଜୀଵନେ କର ତୁ ତାଜା,

ପର ବୋଲେ ତୁହି ନିଜେ ନ ହଜା,
ମରିବୁ ଅକୂଳେ ବୁଡ଼ି ।
କରତାଳି ତାଳ ଉଠିଲା ନାଡ଼ି;
ସନ୍ଧାନ କଲେ ସଵ୍ୟସାଚୀ
  ପ୍ରତି ମନ ତଳେ ବଚନ ଯୋଡ଼ି,
ବିଜୁଳି ଖେଳିଲା ସତେ !

ଦେଲେ ହୁଳହୁଳି ରମଣୀକୁଳ,
ଚମକିଲା ନର-ସାଗର କୂଳ,
ସେଇ ସମାକୁଳ ଭକ୍ତକୁଳ
ବନ୍ଦିଲେ ଯୋଡ଼ ହାତେ ।

ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ
ପଳିତ ଗଣ୍ଡେ ଲୋତକ ଢାଳି
ଯୋଡ଼ି କରଯୁଗ କହିଲେ ଖାଲି
ଆହା ଲୋ ଭଉଣୀ ମୋର,
ଏଇ ଯେ ବେଦୀରେ ବସିଚି ଵର
ଏ ଵର ନୁହେ ତ ଜଣେ କାହାର,
କାହା ହୃଦମଣି କାହା ଦୋସର
  ସବୁରି ଚିତ୍ତଚୋର !!

............................................................

Monday, August 30, 2021

ସଂଗ୍ରାମୀକଵି ଉଦୟନାଥ ଷଡ଼ଙ୍ଗୀ

ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଥିଵାରୁ ତଥା ଓଡ଼ିଶାର ମହାପୁରୁଷଙ୍କ ଵିଷୟରେ ସର୍ଵତ୍ର ତଥ୍ୟ ମିଳୁନଥିଵାରୁ ଵା ଵିଦ୍ୟାଳୟରେ ସେମାନଙ୍କ ସମ୍ବନ୍ଧରେ ପଢ଼ା ଯାଉନଥିଵାରୁ ଆଜିର ଯୁଵସମାଜ ସେମାନଙ୍କର କୀର୍ତ୍ତି ସମ୍ପର୍କରେ ଜାଣିପାରେ ନାହିଁ ।

ସେହିପରି ଜଣେ ସ୍ଵାଭିମାନୀ ଓଡ଼ିଆଙ୍କୁ ଏ ଜାତି କ୍ରମଶଃ ପାଶୋରି ଯିଵାକୁ ବସିଛି । ସେହି ମହାମାନଵ ହେଉଛନ୍ତି ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ୰ଶ୍ରୀଉଦୟନାଥ ଷଡଙ୍ଗୀ । ଉଦୟନାଥ ଷଡ଼ଙ୍ଗୀଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ  ଜଗତସିଂହପୁର ଜିଲ୍ଲାରେ ଅଵସ୍ଥିତ ସିପି ଗ୍ରାମରେ ହୋଇଥିଲା  । ସେ  ଏକ ସାଧାରଣ ପରିଵେଶ ମଧ୍ୟରେ ଜନ୍ମ ଲାଭ କରିଥିଲେ ମଧ୍ୟ ଵିରଳ କାଵ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ ।

ଵାଲ୍ୟକାଳରେ ତାଙ୍କ ସୁଗୁଣ କ୍ରମେ ଵିକଶିତ ହେଵାକୁ ଲାଗିଲା ଏଵଂ ଵୟସ ଵୃଦ୍ଧି ସହ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ଵୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଚରମ ସ୍ତରରେ ପହଞ୍ଚିଯାଇଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶଯାକର  ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ  । ଉଦୟନାଥ ମଧ୍ୟ ତନ୍ମଧ୍ୟରେ ଜଣେ ଥିଲେ ଏଵଂ ତାଙ୍କ ଘଟଣା ବହୁଳ ଜୀବନର ଏକ ଅଧ୍ୟାୟ  ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା । ଅଳକାଶ୍ରମରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ  ଦିଆଯାଉଥିଲା ।   ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀଵନର ଵ୍ରତ ରୂପେ ଗ୍ରହଣ କରିନେଲେ ।  ପରଵର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଉଦୟନାଥ ଷଡ଼ଙ୍ଗୀ, ବକୁଳଵନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିଵା ସତ୍ୟଵାଦୀ ଵନଵିଦ୍ୟାଳୟର ଛାତ୍ର ହୋଇଥିଲେ ।


ସେତେବେଳେ ଆର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ଶ୍ରୀଉଦୟନାଥଙ୍କ ଜୀଵନର ଗତିପଥ ବଦଳିଯାଇଥିଲା ।   ପରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଵିଶେଷ ପ୍ରେରଣା ଦେଇଥିଲା ।

ତେବେ ଶ୍ରୀଉଦୟନାଥ ଷଡଙ୍ଗୀ କେଵଳ କବି ନୁହଁନ୍ତି, ଜଣେ ସଚ୍ଚା ସ୍ୱାଧିନତା ସଂଗ୍ରାମୀ , ଉଚ୍ଚ ଧରଣର ସ୍ତମ୍ଭକାର, ପ୍ରଖ୍ୟାତ ସାମ୍ବାଦିକ, ଵିଶିଷ୍ଟ ଅନୁଵାଦକ ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ସେ ଜଣେ ସଫଳ ଅନୁଵାଦକ ଭାବେ ଅନୁଦିତ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତାର ପ୍ରମାଣ ଛାଡି଼ଯାଇଛନ୍ତି । ସେ ଵିଭିନ୍ନ ଭାଷାର ଶିଶୁ ସାହିତ୍ୟକୁ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।ତାଙ୍କ ଅନୁଦିତ ପୁସ୍ତକ ମଧ୍ୟରେ ଆରବ୍ୟ ରଜନୀ, ଇଦ୍ ପର୍ଵ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଆଦି ଉଲ୍ଲେଖ ଯୋଗ୍ୟ । କିନ୍ତୁ ଅନୁଵାଦ ସାହିତ୍ୟ ହୋଇଥିଲେ ବି "ଟମ୍ କକାଙ୍କ କୁଟୀର" ଉପନ୍ୟାସ ପାଇଁ ଶ୍ରୀଉଦୟନାଥ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆଭାଷାରେ ଏହା ଭାଵାନୁଵାଦ ଏଵଂ ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା । ଏହି ଉପନ୍ୟାସ  ତାଙ୍କଦ୍ଵାରା ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇଯାଏ । ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears"କୁ ମଧ୍ୟ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେତେକ ଜାତୀୟତାଵାଦୀ ଓ ଦେଶାତ୍ମବୋଧକ କଵିତା ଲେଖିଛନ୍ତି କିନ୍ତୁ ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଵିଶେଷ ଲୋକପ୍ରିୟ ହୋଇଥିଲେ । ଯେଉଁମାନେ ତାଙ୍କ ଶିଶୁ ସାହିତ୍ୟ ସହିତ ପରିଚିତ ସେମାନେ କୁହନ୍ତି ତାହା ଅତ୍ୟନ୍ତ ରସଯୁକ୍ତ ଓ ପ୍ରାଣଵନ୍ତ , ତାଙ୍କର ଶିଶୁକଵିତା ପାଠକରି ଵା ଶୁଣି ଶିଶୁପ୍ରାଣ ଆତ୍ମହରା ଉଠିଵ । ଯଥାର୍ଥରେ ସେ ଥିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖଦୁଃଖର ସାର୍ଥକ ରୂପକାର ।



ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା,ବିଲୁଆନନାର ବାହାଘର,ମିନିର ମନକଥା,ତେଲ ଲୁଣର ସଂସାର,ଓଡ଼ିଶାର ଇତିହାସ କଥା,ଭାରତର ଇତିହାସ କଥା,ପରୀରାଇଜ,ଜଳଜନ୍ତୁ ସିରିଜ୍,ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର,ଜାଣିଵା କଥା ଓ ବିଚିତ୍ର ପଶୁ ଆଦି ପୁସ୍ତକ ଵିଶେଷ ଜନାଦୃତ ହୋଇଥିଲା । ତାଙ୍କର ଆତ୍ମଜୀଵନୀ “ଗାନ୍ଧି ମହାରାଜାଙ୍କ ଶିଷ୍ୟ”ରେ ତାଙ୍କ ଜୀଵନରେ ଅନେକ ଅଜଣା କଥା ଜାଣିଵାକୁ ମିଳିଥାଏ ‌ ।



ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର  ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ  । ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ପ୍ରଜାତନ୍ତ୍ର ପ୍ରଚାର ସମିତି , ଓଡ଼ିଶା ସାହିତ୍ୟ ଏକାଡ଼େମୀ , ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।



ଶ୍ରୀ ଷଡ଼ଙ୍ଗୀଙ୍କର ୧୯୯୯ ମସିହା ଜାନୁୟାରୀ ୮ତାରିଖରେ ତିରୋଧାନ ହୋଇଯାଇଥିଲା । ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀ ଆଜି ଆଉ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଉଦବୋଧନୀ ଵା ଦେଶାତ୍ମବୋଧକ କଵିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତି ଓଡ଼ିଆ ଜାତିର ଅସ୍ତିତ୍ବ ଥିଵା ଯାଏଁ ଅମର ରହିଥିଵ  ।


ମୁକର ପତ୍ରିକାରେ ବହୁ ଵର୍ଷ ତଳେ ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଗୋଟିଏ ଜାତୀୟତାଵାଦୀ କଵିତା “ଭାସିଯାଆ ମୋର ବୋଇତ” ପ୍ରକାଶିତ ହୋଇଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...



⛵⛵⛵⛵⛵⛵⛵⛵⛵⛵⛵⛵
   ⛵⛵ଭାସିଯାଆ ମୋର ବୋଇତ ⛵⛵
⛵⛵⛵⛵⛵⛵⛵⛵⛵⛵⛵⛵
     (📝କଵି—୰ଶ୍ରୀଉଦୟନାଥ ଷଡ଼ଙ୍ଗୀ)

                            (୧)
ଭାସିଯାଆ ମୋର ବୋଇତ ଭାସି ଯାଆରେ ଖରେ, ଭେଟିବୁ ଓଡ଼ିଆ ବଣିକେ ଏହି ଦରିଆ ପାରେ ।
ଦେଖିବୁ କେତେ ଯେ ବୋଇତ ଜାଭା ବୋର୍ଣ୍ଣିଓ କୂଳେ, ଚିହ୍ନିବୁ ଵିଜୟୀ-ବଣିକେ, ତୋର ଭାଇ ସକଳେ । ଚାରୁଶିଳ୍ପ-ଭୂଷା-ଉତ୍ତୁଙ୍ଗ ପାଲ ଦେଖିବୁ ଯହିଁ
ଜାଣିବୁ ସେ ପୋତ ଗଢି଼ଛି ତୋର ଓଡ଼ିଆ ଭାଇ ।
କାନ୍ଦି କନ୍ଦାଇବୁ ବଣିକେ ଓଡ଼ିଶାର ସର୍ଵସ୍ଵ
ତାଙ୍କ ଵିନେ ମାତା କାଙ୍ଗାଳୀ, ସୁଧା ହୋଇଛି ଵିଷ !

                            (୨)

ଭାସିଯାଆ ମୋର ତରୀଟି ଟେକି ତୋ  କ୍ଷୁଦ୍ର ପାଲ, ଭେଟିବୁ ସେ ଦେଶ, ଯେ ଦେଶେ ଗଲେ ଓଡ଼ିଆ-ଵୀର ଖାଇବେଳ, ଐର ସମ୍ରାଟ ମାତା ମୁକୁଟ-ମଣି,
ଦଳିଥଲେ ପରା ସଦର୍ପେ ପଞ୍ଚନଦ-ଵାହିନୀ ।
ପଵିତ୍ର ଗାଙ୍ଗେୟ ପ୍ରଦେଶୁଁ ଦୂର କୁମାରୀ ଯାଏ, ଉଡା଼ଇଲେ ଜୟ-କେତନ ତୋର ଯୋଗୁଁ ନିର୍ଭୟେ ।
ଧନ-ରତ୍ନ ପୂର୍ଣ୍ଣ ବନ୍ଦର ଉଚ୍ଚେ ଟେକିଲେ ମଥା,
ଆଜି ବାୟୁ ସଙ୍ଗେ କେଵଳ ଯହିଁ ଖେଳେ ସିକତା ।

                           (୩)
ଭାସିଯାଆ ମୋର ବୋଇତ ପଛେ ନ ଚାହାଁ ଫେରି, ମର-ବଇକୁଣ୍ଠ ହୋଇଛି ଆଜି ଵିଗତ-ଶିରୀ ।
ଏହି ତ ସେ ଦେଶ, ଯେ ଦେଶେ କାଞ୍ଚି-କାଞ୍ଚନ-ଜେମା, ଜିଣି ଆଣିଥିଲେ ଵିଜୟୀ, ଦୂରୁଁ ମର୍ତ୍ତ୍ୟର ରମା ।
ଏହି ସେ ଚିଲିକା ଯା ଵକ୍ଷ ଶତ ଓଡ଼ିଆ ତରୀ,
ଭସୁଥିଲା ଦିନେ ଉଲ୍ଲାସେ ଜୟ-କେତନ ଧରି । ସାଧଵାଣୀ ମନ ପୁଲକେ ଆଣି ଅରଘଥାଳୀ,
ନେଉଥିଲା ବଇତେ ଘରେ ବନ୍ଦାଇ ତରୀ ।

                          (୪)

ଭାସିଯାଆ ମୋର ବୋଇତ ନୋହି ନିରାଶ ତିଳେ,
ଅସିଵ ସେଦିନ, ପୂଜିଵେ ତୋତେ ଓଡି଼ଆ-ଵୀରେ । ଉଠିଵ ଓଡ଼ିଶା ଆକାଶେ ଵୀର ଓଡି଼ଆ ଗାନ,
ଉଡି଼ଵ ପଵନ ଲହରେ ତୋର ଜୟ-କେତନ ।
ନିଳାମ୍ବୁ -ଚିଲିକା ହରଷେ ଦିନେ ଉଠିଵ ନାଚି,
ଭାସିଵ ସହସ୍ର ବୋଇତ ଭାଙ୍ଗି ସାଗର ଵୀଚି । ଓଡି଼ଆ-ଗୌରଵ-ଭଣ୍ଡାର କୋଣାରକ ତ ଦିନେ,
ତେଜି ଜୀର୍ଣ୍ଣଵପୁ ହସିଵ ସେହି ଦୂର-ପୁଳୀନେ I
ଖଣ୍ଡ ଖଣ୍ଡ ଵପୁ ତାହାର ଏକ ହୋଇଵ ମିଶି,
ଭାଇ ଭାଇ ଘରେ ଆସିଵ କୋଳ  କରିଵ ହସି ।
ଗାଇବ ଵିଜୟ-ସଙ୍ଗୀତ ଉଚ୍ଚେ ଓଡ଼ିଆ ଭାଟ,
ବୋହିଵ ଓଡ଼ିଆ ଵାହୁରେ ପୂର୍ଵ ଶୋଣିତ ସ୍ରୋତ ।
ଭାସିଯାଆ ମୋର ବୋଇତ ଭାସିଯାଆ ମଉନେ, ସେତେବେଳେ ବାନ୍ଧି ଆଣିବି ମୁହିଁ ପୁଲକ ପ୍ରାଣେ ।

                ————×————

Thursday, July 1, 2021

ଉତ୍ଥାନ ସଙ୍ଗୀତ (ଫକୀରମୋହନ ସେନାପତି)

ଵ୍ୟାସକଵି ଫକୀରମୋହନ ସେନାପତିଙ୍କ "ଉତ୍ଥାନ ସଙ୍ଗୀତ" ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଛୋଟିଏ ଏଵଂ ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ ।

    🔴🔴🔴🔴ଉତ୍ଥାନ ସଙ୍ଗୀତ🔴🔴🔴🔴
                       (ନଟଵାଣୀ ଵୃତ୍ତ)
         ଵ୍ୟାସକଵି ଫକୀରମୋହନ ସେନାପତି

ଉଠ ଭାଇମାନେ, ଚାହଁ ଆଖି ମଳି,
                   ଜାତିର ଦୁର୍ଦ୍ଦଶା ପଡ଼ିଲା ଯେ ବଳି ।
ଶୁଣ ହାହାକାର ପଡ଼ିଛି ଦେଣରେ,
               ହା ଅନ୍ନ ! ହା ଅନ୍ନ ! ସକଳ ମୁଖରେ ।
ଗଞ୍ଜନା ଭର୍ତ୍ସନା ଅନ୍ୟ ଜାତିଠାରେ
               ପାଇ ଶୁଣି କି ହେ ନ ଭାଳୁଛ ବାରେ ?
ପଢ଼ ରାଜଭାଷା ଅଛି ତହିଁ ଲାଭ,
                   ମାତ୍ର ନ ହରାଅ ଜାତୀୟ ସ୍ଵଭାଵ ।
ହେଵ ଭାଳ କାଳେ ସଭ୍ୟ ଭଵ୍ୟ ପରା ?
                     ଆବୋରି ନ ବସ ପରର ପସରା ।
ନ କରିଲେ ମାତୃଭାଷାର ଉନ୍ନତି,
                    ଘୁଞ୍ଚିଵ କି କେବେ ଦେଶର ଦୁର୍ଗତି ?
ଉଠ ଉଠ କର ସାହସ ସମ୍ବଳ,
                    ସାଧିଵ ସ୍ଵକାର୍ଯ୍ୟ ଆପଣେ କେଵଳ

🔵🔵🔵🔵🔵🔵🔵🔵🔵🔵🔵🔵

(ଵି:ଦ୍ର—ପ୍ରୋକ୍ତ ଗୀତିକଵିତା ରଚନା ସମୟରେ ଇଂରାଜୀ ଭାରତର ମୁଖ୍ୟ ରାଜଭାଷା ଥିଲା । )

Sunday, March 28, 2021

ଦୋଳ ପୂର୍ଣ୍ଣିମା

ସଵୁଜ ଯୁଗର ପ୍ରଖ୍ୟାତ କଵି ଵୈକୁଣ୍ଠନାଥ ପଟ୍ଟନାୟକଙ୍କ କଵିତା
“ଦୋଳ ପୂର୍ଣ୍ଣିମା” ମଧ୍ୟରେ ଚିତ୍ରିତ ହୋଇଅଛି ପୃଥିଵୀର ସବୁଠାରୁ ସୁନ୍ଦର ଋତୁ ଵସନ୍ତ ଋତୁର ଚିତ୍ର ! ଦୋଳ ପର୍ଵ ସହିତ ହୋଲୀ ସହ ଵସନ୍ତ ଋତି କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତାହା ଏହି କଵିତା ପାଠକଲେ ହୃଦୟଙ୍ଗମ କରି ହୁଏ । ଵସନ୍ତ ଋତୁ ବିନା ଦୋଳ ଓ ହୋଲିଖୋଳର ରଙ୍ଗ ଫିକା ପଡି଼ଯିଵ । ପୃଥିଵୀରେ ପ୍ରତିଵର୍ଷ  ଵସନ୍ତ ଋତୁ ନ ଆସିଲେ ଆମେ କୋଇଲି,ଆମ୍ବ ଠାରୁ ଶହ ଶହ ପୁଷ୍ପ ଯାଏଁ ସବୁକିଛି ହରେଇ ଦେଵା ...

ଏବେ ବି ସମୟ ଅଛି ଚାଲନ୍ତୁ ପୃଥିଵୀର ଏହି ସବୁଜିମାର ରକ୍ଷାର ଶପଥ ନେଵା । ଜଙ୍ଗଲ ଜଳେଇ ଦେଲେ ଵସନ୍ତ ଋତୁର ଏହି ଅଲୌକିକ ସୌନ୍ଦର୍ଯ୍ୟ କେବେ ବି ଦେଖି ହେଵ ନାହିଁ ଵରଂ ଅଧିକରୁ ଅଧିକ ଗଛ ଲଗାଇ ଚାଲନ୍ତୁ ଆମେ ପୃଥିଵୀ ଓ ତାହାର ଏହି ମନୋହର ଵସନ୍ତ ଋତୁକୁ “ଵିଶ୍ଵତାପନ” ଠାରୁ ରକ୍ଷା କରିଵାର ମହନୀୟ କର୍ମରେ ଵ୍ରତୀ ହେଵା !!!

            ••••√“ଦୋଳ ପୂର୍ଣ୍ଣିମା”√••••

ଫଗୁଣ ପୂନିଅ ଚାନ୍ଦ !
ବାନ୍ଧ ସଜନି ବାନ୍ଧ,
ପୀରତି ନିଵିଡ଼ ଭୁଜ ବନ୍ଧନେ
ଲୟ ହେଉ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵ କଣ୍ଠୁ ଆଜି ,
ସଙ୍ଗୀତ ଉଠେ ବାଜି !
ଏଇତ ଛନ୍ଦ ଗୀତି,
ଆଦର ମମତା ପ୍ରୀତି,
ଆଦର ମମତା ପ୍ରୀତି,
କଳ୍ପନା କାହିଁ ଧାଏଁ,
ଅନ୍ତରେ ପୁଣି
ବାହାରେ ଖେଳଇ
ଜୋଚ୍ଛନାର ଆହାଲଦ
ଫଗୁଣ ପୂନିଅ ଚାନ୍ଦ !

କେଉଁ ସଜେ ଆଜି ପରଶି ଗଲାଣି
ଚୋରା ମଳୟର ଵାଣୀ
ଶୂନ୍ୟେ ଭାସଇ ଅମୃତ ପରା
ପିଅ ଗୋ ସଜନୀ ଛାଣି ।

ଜୋଛନା ପ୍ଲାଵନେ ସରଗ ମର୍ତ୍ତ୍ୟ
ପଡ଼ ନାହିଁ କିଛି ବୁଝା
ମୁକ୍ତ ପଵନେ ଗଗନେ ଭୁଵନେ
ନଵ ଵସନ୍ତ ପୂଜା !

ଗୋଲାପ ମଦିରା-ରାଗେ,
ତୁମେ ନଵ ଅନୁରାଗେ,
ରଞ୍ଜିତ କର ପ୍ରାଣ,
ଆଣ ଗୋ ଅଵିର ଆଣ,
ଦିଅ ବୋଳି ମୋର ଦେହେ,
ନଵ ଵସନ୍ତ ସ୍ନେହେ !
ଅନ୍ତର ଭର ଵାସେ
ମନ୍ଦ ସୁନ୍ଦର ହାସେ !

ମାତି ଉଠୁ ପ୍ରାଣ ଵିଶ୍ଵ ସହିତେ
ଭୁଲି ସଂଶୟ ଵାଦ !
ଫଗୁଣ ପୂନିଅ ଚାନ୍ଦ !

ଆଜି ଜୋଛନାରେ ଫୁଟିଛି ଗୋଲାପ
ଫୁଟିଛି ମଧୁର ମଲ୍ଲୀ
ଯୌଵନ ଵନେ ନଵ-ଵସନ୍ତ
ଉତ୍ସଵ ନୁହେଁ କଳି ।

ଭୁଲ ଭୁଲ ସବୁ  ସଂଶୟ ଦୁଃଖ
ଆନନ୍ଦ ନିଅ ବାରି !
କ୍ଷଣକର ପ୍ରୀତି ପୁଲକେ ନିଅ ଗୋ
ଜୀଵନ ଅମର କରି

ଉଜାଡ଼ କର ଗୋ ମାଧଵୀ ଜୋଛନା
ନାହିଁ ଭୟ ପରମାଦ
ଫଗୁଣ ପୂନିଅ ଚାନ୍ଦ !

କୋକିଳ ଉଠଇ ଗାଇ,
ଵକୁଳ ଗନ୍ଧରେ ବାଇ,

ପରାଣେ ତା ଚପଳତା
ପୀରତି ମଧୁର ଵ୍ୟଥା
ଚାରୁ କିଶଳୟେ ଲତା—
ପାଦପର ମାଦକତା
ଅକଳନ ଆଜି
କିଂଶୁକ ଵନେ
ଗରଵେ ତୋଳିଛି ମଥା !
ନାହିଁ ନାହିଁ ଅଵସାଦ !
ଫଗୁଣ ପୂନିଅ ଚାନ୍ଦ !

ଵିଶ୍ଵର ନରନାରୀ
ସକଳେ ଆମେ ଗୋ ଆଳି !
ଵୃଦ୍ଧ ତରୁଣ ଯାତ୍ରୀ,
ଉଠ ଆନନ୍ଦେ ମାତି !
ନଵ ଵସନ୍ତେ କଵି,
ରଞ୍ଜିତ ଵାଳ ରଵି,
ଆହ୍ଵାନ କରେ ମଧୁ ଉତ୍ସଵେ
ଖୋଲ ଗୋ ଦୁଆର ଖୋଲ
ଆଜି ପିରତୀର ଦୋଳ !

ଆସ ଗୋ ଆସ ଗୋ ଶିଶୁ
ତୁମ ସଂଗୀତ ମିଶୁ,
ଏ ମୋର କ୍ଷୁଵ୍ଧ ପ୍ରାଣେ,
ଉଛୁଳି ଜୀଵନ ଗାନେ,
ପୌଷ ମରଣ ଭୟ
ଅଵହେଳେ ଆଜି ଜୟ !
ମୁକ୍ତ କର ଗୋ ପ୍ରାଣ;
ଭର ଵସନ୍ତ ଗାନ,

ମଞ୍ଜୁ କୁସୁମ ଗନ୍ଧ,
ମନ୍ଦ ମଳୟ ଛନ୍ଦ,
ଉଜ୍ବଳ ଦିଗ ଭାଗ,
ଜୀଵନ ଦେଵତା ଜାଗ !

ନଵୀନ କୁନ୍ଜେ ଶୁଭଇ କାହାର
ମନ୍ଦ ମୂରଲୀ ନାଦ
ଫଗୁଣ ପୂନିଅ ଚାନ୍ଦ !

©ଵୈକୁଣ୍ଠନାଥ ପଟ୍ଟନାୟକ








Sunday, February 21, 2021

ଉଦବୋଧନୀ(ଉତ୍କଳମଣି ଗୋପବନ୍ଧୁ ଦାସ)


ହେଲଣି ତ ଏତେ ସରି ହେ ସୋଦର
ପୂର୍ଵ ଯଶୋରାଶି କାଳବଳେ ଆସି
ଗଲାଣି ତ ସବୁ ସରି ।ଘୋଷା ।

ତ୍ରିଵେଣୀ ତଟରୁ ଗୋଦାଵରୀ ଯାଏ
ଦିନେ ଭାଗ୍ୟ ଗରଵିନୀ,
ଆମ୍ଭ କର୍ମ ଦୋଷେ ଆଜି ସେ ଜନନୀ
ଆହା ପଥ ଭିକାରିଣୀ ।।୧।।

ପୂର୍ଵ କାରିଗରି ଵିହିନେ ସୁନ୍ଦରୀ
ଦିଶଇ କେଡେ଼ ମଳିନ

କାହିଁ ପୂର୍ଵ ଧନ
କାହିଁ ପୂର୍ଵ ପୁଣ୍ୟ
ଶୁଖିଛି ମୁଖ ନଳିନ ।।୨।।

ଅତୀତ କୀରତି ଅତୀତ ଵିଭୂତି
କି ହେଵ ଗାଇ କେଵଳ,
ପୂର୍ଵ ଆଦରଶେ ନଵୀନ ସାହସେ
ଦେଖାଇଵା ନିଜ ବଳ ।।୩।

ନକର ଆଳସ୍ଯ , ନ ହୁଅ ହତାଶ
ଶୁଭ ଯୋଗ ଉପଗତ
ଦେଖ ନଵଯୁଗେ ମହାକର୍ମ ଯୋଗେ
ମତ୍ତ ସମସ୍ତ ଜଗତ ।।୪।।

©ଉତ୍କଳ ମଣି ଗୋପବନ୍ଧୁ ଦାସ

ଵି;ଦ୍ର:-  ଏହି ଉଦବୋଧନୀ କଵିତାଟି ୧୯୦୩ରେ ପ୍ରକାଶିତ ଶ୍ରୀନୀଳମଣି ଵିଦ୍ଯାରତ୍ନଙ୍କ ଦ୍ଵାରା ସଂକଳିତ “ଜାତୀୟ ସଂଗୀତ” ପୁସ୍ତକରୁ ଗୃହିତ ହୋଇଅଛି । ଏହି ପୁସ୍ତକରେ ଉତ୍କଳମଣିଙ୍କର ଦୁଇଗୋଟି ଜାତୀୟ ସଂଗୀତ ମଧ୍ୟରେ ଏହା ଅନ୍ଯତମ ଅଟେ ।

Thursday, January 14, 2021

ମୁଁ କି କେବେ ଦୀନ ହୀନ (ଛନ୍ଦକଵି ରାଧାମୋହନ ଗଡ଼ନାୟକ)

ମୁଁ ଉଚ୍ଚ ଵିଦ୍ୟାଳୟରେ ପଢି଼ଲାଵେଳେ ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କ "ମାଟି" କଵିତାଟି ସାହିତ୍ୟ ବହିରେ ପଢା଼ଯାଉଥିଲା  । ଆମ ଅନଗୁଳର ସେହି କଵିଙ୍କର ଏକ ଲୋକପ୍ରିୟ କଵିତା ନିମ୍ନରେ ପ୍ରଦତ୍ତ ହେଲା ...

        
••••••••••ମୁଁ କି କେବେ ଦୀନ ହୀନ ?•••••••••••

              (୧)

ଯେ ଦେଶର ପ୍ରଭୁ ଜଗତର ନାଥ,
ନଦୀ ଯା'ର ମହାନଦୀ,

ଶୈଳ ଯା ମହା ଇନ୍ଦ୍ର ମେଘାସନ,
ପାଦ ଧୁଏ ମହୋଦଧି ।

ଇତିହାସ ଯା'ର ନଈ ନାଳ ବିଲ
ଵନ ପ୍ରାନ୍ତରରେ ଵିକୀର୍ଣ୍ଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୨)
ଯେ ଦେଶର ପୁଅ ଚନ୍ଦ୍ରଶେଖର
କାଠି ଖଣ୍ଡେ ଧରି ହାତେ

ସୌରଜଗତ ଅଜ୍ଞାତ କଥା
କହିଲା ଏଇ ଜଗତେ ।

ଜୟଦେଵ ଗୀତେ  ମତାଇ ଦେଲାରେ
ପଲ୍ଲୀ ପୁର ଵିପିନ
ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                    (୩)

ଯେ ଦେଶର ଵୀର ଶିଳ୍ପୀ ଦିନେ ରେ
ଚକିତ କରିଲା ଧରା

ପାଷାଣର ବୁକେ ଦେଖାଇ ଦେଲାରେ
ଚକିତ ଚିତ୍ର କଳା

ପାଷାଣ ଖଣ୍ଡେ ଉଠାଇ ଯହିଁରେ
ଵିଜ୍ଞାନ ହେଲା ମଳିନ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

                      (୪)

ଯେ ଦେଶର ଵୀର କଥା କଥାକେ
ଦେଲାରେ, ନେଲାରେ ମଥା

ଅମ୍ବରଚୁମ୍ବୀ କଣ୍ଠେ ଗାଇଲା
ସଂଗୀତ ରକତତତା ।

ସେହି ରକତ ତ ମୋ ଦେହେ ବହୁଛି
ହେଉ ପଛେ ଯେଡେ଼ କ୍ଷୀଣ

ସେଇ ଦେଶ କୋଳେ ଜନମ ମୋରରେ
ମୁଁ କି କେବେ ଦୀନ ହୀନ ?

************
*********
****
ଛନ୍ଦକଵି ରାଧାମୋହନ ଗଡ଼ନାୟକଙ୍କର
ଏହି କଵିତାଟି ପ୍ରଥମେ ଗଡ଼ଜାତଵାସିନୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି କଵିତାଟି ସେହି କଳିଙ୍ଗ ଅଧିଵାସୀମାନେ ପାଠ କରନ୍ତୁ ଯେଉଁମାନେ ବାହାର ରାଜ୍ୟକୁ ଗଲେ ନିଜକୁ କଳିଙ୍ଗୀ କହିଵାକୁ ଲଜ୍ଜା କରୁଛନ୍ତି ‌ । କଵିତାର ଆରମ୍ଭ ଶ୍ରୀଜଗନ୍ନାଥଙ୍କ ସ୍ମରଣରୁ ହୋଇଅଛି କାରଣ ସେ ହିଁ ହେଉଛନ୍ତି କଳିଙ୍ଗ ଦେଶର ପ୍ରକୃତ ରାଜା । ପୁନଶ୍ଚ କଳିଙ୍ଗ ଦେଶର ସର୍ଵୋଚ୍ଚ ପର୍ଵତ ମେଘାସନର ମଧ୍ଯ ନାମୋଲ୍ଲେଖ କରାଯାଇଛି । କେଵଳ ପର୍ବତ ହିଁ ନୁହେଁ କଳିଙ୍ଗର କୋଣେ କୋଣେ ପ୍ରତିଟି ସ୍ଥାନ ଐତିହାସିକ ତଥ୍ଯପୂର୍ଣ୍ଣ ବୋଲି କଵି ସ୍ପଷ୍ଟ କରିଅଛନ୍ତି । ଚନ୍ଦ୍ରଶେଖର ପଠାଣି ସାମନ୍ତ କେଵଳ ଓଡ଼ିଶା ନୁହେଁ ସାରା ଭାରତ ଓ ଵିଶ୍ଵର ଜଣେ ଵିରଳ ଵ୍ୟକ୍ତିତ୍ଵ ଥିଲେ । କୁହାଯାଏ ସେ ଦୁଇଗୋଟି ବାଉଁଶ କାଠିଦ୍ଵାରା ଯେକୌଣସି ଦୂରସ୍ଥ ଵସ୍ତୁକୁ ମାପି ପାରୁଥିଲେ । ଜୟଦେବ ଙ୍କ ସମୟରେ ଓଡ଼ିଶାରେ ଵୈଷ୍ଣଵ ମତଵାଦର ପ୍ରଚାର ପ୍ରସାର କ୍ରମେ ଦୃତ ହୋଇଥିଲା ଏଵଂ ସ୍ଵୟଂ ଜୟଦେବ ତହିଁର ଦ୍ଵାୟିତ୍ଵ ଗ୍ରହଣ କରିଥିଲେ । ଜୟଦେବଙ୍କ ଗୀତଗୋଵିନ୍ଦ ତତ୍କାଳୀନ କଳିଙ୍ଗୋତ୍କଳରେ ଵୈଷ୍ଣଵ ମତଵାଦକୁ ଲୋକପ୍ରିୟ କରିଥିଲା । ଏ ଦେଶର ଵୀର ଶିଳ୍ପୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଗଢି଼ ସାରା ଵିଶ୍ଵକୁ ଚକିତ କରିଦେଇଥିଲା ତେବେ ଇଂରେଜମାନେ ଏହି ମନ୍ଦିରର ଦଶାଵତାର ମୂର୍ତ୍ତିକୁ ବହୁ ପ୍ରଚେଷ୍ଟା କରି ସେ ସମୟର ଆଧୁନିକ ଵୈଷୟିକ ଵିଦ୍ୟା ପ୍ରୟୋଗରେ ନେଵାକୁ ପ୍ରୟାସ କରିଥିଲେ ହେଁ ଵିଫଳ ହୋଇଥିଲେ । ଆମ ପୂର୍ଵଜ ସହସ୍ରାଧିକ ଵର୍ଷଧରି ଏ ଦେଶକୁ ବଞ୍ଚାଇ ଆସିଛନ୍ତି ଏଵଂ କ୍ଷୀଣ ହେଲେ ବି ତାଙ୍କ ରକ୍ତ ଆମ ଶୀରା ପ୍ରଶିରାରେ ପ୍ରଵାହିତ ହେଉଅଛି । ଆମେ ଓ ଆମ ଜାତି ଦୀନ ହୀନ ନୁହେଁ ତେଣୁ ହେ କଳିଙ୍ଗଵାସୀ ଵିଦେଶରେ ମଥାନତ କରି ବଞ୍ଚିଵା ଓ ନିଜ ଜାତିର ପରିଚୟ ଲୁଚେଇଵା ଭଳି ନିକୁଚ୍ଛିଆପଣ ତ୍ୟାଗକରନ୍ତୁ । ଗର୍ଵରେ କହିଵା ଆମେ କଳିଙ୍ଗୀ ଆମ ରାଷ୍ଟ୍ର କଳିଙ୍ଗୋଡ୍ରୋତ୍କଳ !!!

Wednesday, January 6, 2021

ତୁମ ଗାଆଁ : କିଆଫୁଲ(କଥା ସମ୍ରାଟ ମନୋଜ ଦାସ)

ତୁମ ଗାଆଁ କିଆଵନ, ଘନ ତା'ର ନିର୍ଜନ ଯୁବକ
ହଠାତ୍ ପ୍ରଭାତେ ଦିନେ ଦେଖିଥିଲି ତିନୋଟି ଚମକ,
ତିନୋଟି ପବିତ୍ର ,ଶୁଭ୍ର କିଆଫୁଲ,ତିନି ନମସ୍କାର,
ଆକାଶର ହୃଦୟରେ କରିଥିଲେ ସ୍ନେହର ସଞ୍ଚାର ।

ବାକି ସବୁଦିନ ଭଳି ସେଦିନ ବି ସହର ନଗର,
ବ୍ୟାପି ରହିଥିଲେ କେତେ ଜ୍ଞାନୀ,ଗୁଣି, ମନ୍ତ୍ରୀ ଧୁରନ୍ଧର ,
କିନ୍ତୁ ମୁଁ ସୌଭାଗ୍ୟକ୍ରମେ ଦେଖିନେଲି ଗୋଟିଏ ପଲକେ
ସୂର୍ଯ୍ୟର ଵିଚିତ୍ର ରୀତି, ସମ୍ପାଦିତ ଗୋଟିଏ ଝଲକେ—
ସନ୍ତର୍ପଣେ ଛୁଟିଆସି ଉଦ୍ୟମର ପ୍ରଥମ କିରଣ
ସେ ତିନୋଟି କିଆଫୁଲେ ଆଙ୍କିଦେଲେ ତିନୋଟି ଚୁମ୍ବନ !

ସେଦିନ ମୁଁ ବୁଝିଥିଲି ପୃଥିବୀର ସବୁ କୋଳାହଳ
ଅନ୍ତରାଳେ ଚାଲିଥାଏ କେତେ ସୂକ୍ଷ୍ମ ଲୁଚକାଳି ଖେଳ !

©କଥାସମ୍ରାଟ ମନୋଜଦାସ

Tuesday, August 18, 2020

ସର୍ଵେଷାଂ ଜନନୀ ଭାରତ

ସର୍ଵେଷାଂ ନୋ ଜନନୀ ଭାରତ
                  ଧରଣୀକଳ୍ପଲତେୟଂ ,
ଜନନୀ ଵତ୍ସଳ ତନୟଗଣୈସ୍ତତ୍
                  ସମ୍ୟକ ଶର୍ମ୍ମ ଵିଧେୟଂ ।ଧ୍ରୁବଂ।


ହିମଗିରି - ସୀମନ୍ତିତ - ମସ୍ତକମିଦ
                  ମମ୍ବୁଧିପରିଗତ ପାର୍ଶ୍ଵମ୍ ,
ଅସ୍ମଜନ୍ମଦମନ୍ନଦମନିଶଂ
                  ଶ୍ରୌତପୁରାତନମାର୍ଷମ୍ । ୨।



ଵିଜନିତହର୍ଷଂ ଭାରତବର୍ଷଂ
                    ଵିଶ୍ୟୋତ୍କର୍ଷନିଦାନମ୍ ,
ଭାରତଶର୍ମ୍ମଣି କୃତମସ୍ମାଭି
                    ର୍ନଵମିଦମୈକ୍ୟ ଵିଧାନମ୍ ।୩।



ଉତ୍କଳଗୌଡା଼ନ୍ଧ୍ରୀୟାଃ ସଂସଦି
                     ଯେ ଵୟମତ୍ର ସମେତାଃ ,
ଏତେ ଚାପରଜନପଦଜା ନନୁ
                      ଭାରତ-ଵିହିତ-ନିକେତାଃ ।୪।



ଭାରତହିତ ସମ୍ପାଦନମେଵ ହି
                       କାର୍ଯ୍ୟ ମିଷ୍ଟମଵିପାକମ୍ ,
ଭାରତଵର୍ଜ୍ଜଂ କିମପି ନ କାର୍ଯ୍ୟଂ
                       ନିଶ୍ଚିତମିତ୍ୟସ୍ମାକମ୍ ।୫।



ଭାରତପଙ୍କଜଦଳମିଦମୁତ୍କଳ
                       ମଣ୍ଡଳମିତି ଵିଦିତଂ ଯତ୍ ,
ତସ୍ୟ କୃତେ ଵୟମତ୍ର ସମେତା 
                      ଵିହିତାତ୍ରୋତ୍କଳ - ସଂସତ୍  ।୬।



ଭାରତମେକା ଗତିରସ୍ମାକଂ
                        ନାପରାସ୍ତି ଭୁଵି ନାମ ,
ସର୍ଵାଦୌ ପରିଷଦ୍ କର୍ମଣି ତତ୍
                         ଭାରତ ମେଵ ନମାମଃ ।୭। 



ଗର୍ଜିତ ଫେନିଳ-ନୀଳ-ନୀର ନିଧି
                             ସିକତା ସ୍ତୁପ ଵିଚିତ୍ରେ ,
ଇନ୍ଦ୍ରଦ୍ୟୁମ୍ନାଙ୍ଗଭୀମ ନୃପ
                             ଶାଶ୍ଵତ କୀର୍ତ୍ତି ପଵିତ୍ରେ ।୮।



ଚୈତନ୍ୟାଦିକ ଭକ୍ତଵୃନ୍ଦ ପଦ
                            ରଜସା ଚିରପରିପୂତେ ,
ପଦ୍ମନାଭ କୃତ ସଦ୍ମତୟା
                           ତୀର୍ଥାନାଂ ତୀର୍ଥୀଭୂତେ ।୯।



ନୀଳାଚଳନଗରେ ପରିଗୀତଂ
                            ଭାରତ ଭକ୍ତି ପରାଣାଂ ,
ଭାରତବନ୍ଦନ ମିଦମସ୍ମାକଂ
                        ମୁଦମାବହୁତୁ ନରାଣାଂ ।୧୦।

©କଵିଵର ରାଧାନାଥ ରାୟ