Showing posts with label ବଡ଼ମଣିଷ. Show all posts
Showing posts with label ବଡ଼ମଣିଷ. Show all posts

Monday, December 15, 2025

ଓଡ଼ିଆ ଜାଗରଣର ପଥପ୍ରଦର୍ଶକ ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ

ନୀଳମଣି ଵିଦ୍ୟାରତ୍ନ ଓଡ଼ିଶାର ଜଣେ ଅମର ସନ୍ତାନ ଭାଵେ ଚିରସ୍ମରଣୀୟ ହୋଇ ରହିଛନ୍ତି ଯାହାଙ୍କର ଜୀଵନ ଓ କର୍ମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଏଵଂ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ଆନ୍ଦୋଳନରେ ଅଵିସ୍ମରଣୀୟ ଅଵଦାନ ରଖିଛି । ସେ ଜଣେ ଵିଦ୍ୱାନ ସାମ୍ଵାଦିକ ସମାଜ ସୁଧାରକ ଏଵଂ ଦେଶପ୍ରେମୀ ନେତା ଥିଲେ ଯାହାଙ୍କର ନିର୍ଭୀକ ଲେଖନୀ ଓ ସାଙ୍ଗଠନିକ କ୍ଷମତା ଓଡ଼ିଆ ଜାତିକୁ ଏକତ୍ରିତ କରିଵାରେ ମୁଖ୍ୟ ଭୂମିକା ନିର୍ଵାହ କରିଥିଲା । ଓଡ଼ିଶାର ଵିଭିନ୍ନ ଅଞ୍ଚଳ ବ୍ରିଟିଶ୍ ଶାସନ ଅଧୀନରେ ଵିଭକ୍ତ ଥିଵା ସମୟରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରି ଏକ ପ୍ରଦେଶ ଗଠନର ଆହ୍ୱାନ ଦେଇଥିଲେ । ତାଙ୍କର ସାମ୍ଵାଦିକତା ନିଷ୍ଠାପର ଏଵଂ ସତ୍ୟନିଷ୍ଠ ଥିଲା ଯାହା ତତ୍କାଳୀନ ସମାଜରେ କୁସଂସ୍କାର ଵିରୁଦ୍ଧରେ ଲଢ଼େଇ କରିଥିଲା ଏଵଂ ଓଡ଼ିଆ ଜାତିର ଜାଗରଣ ଘଟାଇଥିଲା । ନୀଳମଣି ଵିଦ୍ୟାରତ୍ନଙ୍କ ଜୀଵନ କାହାଣୀ ହେଉଛି ନିଷ୍ଠା ଅଧ୍ୟଵସାୟ ଏଵଂ ଦେଶପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ ଯାହା ଆଜି ବି ଓଡ଼ିଶାର ଯୁଵପିଢ଼ିକୁ ପ୍ରେରଣା ଯୋଗାଇଥାଏ ।


ନୀଳମଣି ଵିଦ୍ୟାରତ୍ନ ୧୮୬୭ ମସିହା ଡିସେମ୍ଵର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କି ଉପଖଣ୍ଡ ଅନ୍ତର୍ଗତ ଵୈଦେଶ୍ୱର ନିକଟସ୍ଥ ଵ୍ରଜଵିହାରୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ଜନ୍ମ ହେଵା କାରଣରୁ ତାଙ୍କୁ ବାଙ୍କୀର ଵିଦ୍ୟାରତ୍ନ ଵୋଲି ମଧ୍ୟ କୁହାଯାଏ । ତାଙ୍କର ପରିଵାର ଏକ ସାଧାରଣ ବ୍ରାହ୍ମଣ ପରିଵାର ଥିଲା ଯେଉଁଠାରେ ଶାସ୍ତ୍ର ପୁରାଣ ଏଵଂ ସାହିତ୍ୟର ପରମ୍ପରା ରହିଥିଲା । ଵାଲ୍ୟକାଳରେ ସେ ଗ୍ରାମ୍ୟ ଵିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ଏଵଂ ଘରୋଇ ଭାଵେ ସଂସ୍କୃତ ଓଡ଼ିଆ ଶାସ୍ତ୍ର ପୁରାଣ ଆଦିରେ ଗଭୀର ଜ୍ଞାନ ଆହରଣ କରିଥିଲେ । ନିଜର ଅଧ୍ୟଵସାୟ ଦ୍ୱାରା ସେ ଇଂରାଜୀ ଏଵଂ ଵଙ୍ଗଳା ଭାଷାରେ ମଧ୍ୟ ପାରଙ୍ଗମତା ଲାଭ କରିଥିଲେ । ତତ୍କାଳୀନ ସ୍କୁଲ ଇନସ୍ପେକ୍ଟର ରାଧାନାଥ ରାୟ ତାଙ୍କର ଜ୍ଞାନ ଓ ଶିକ୍ଷା ପ୍ରତି ଆଗ୍ରହ ଦେଖି ବାମଣ୍ଡା ଗଡ଼ଜାତର ଗୋପୀନାଥପୁର ପ୍ରାଥମିକ ଵିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଏହି ସମୟରେ ସେ ବାମଣ୍ଡା ରାଜ୍ୟର ରାଜା ଵାସୁଦେଵ ସୁଢଳ ଦେଵଙ୍କୁ ସାକ୍ଷାତ କରିଥିଲେ ଯାହାଙ୍କର ପ୍ରଶ୍ରୟରେ ତାଙ୍କର ଜୀଵନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।

ବାମଣ୍ଡା ରାଜା ଵାସୁଦେଵ ସୁଢଳ ଦେଵ ନୀଳମଣିଙ୍କର ପାଣ୍ଡିତ୍ୟ ଓ ଵ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ୧୮୮୯ ମସିହାରେ ସମ୍ଵଲପୁର ହିତୈଷିଣୀ ପତ୍ରିକାର ସମ୍ପାଦକ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ପତ୍ରିକା ବଡ଼ମ୍ଵାରୁ ପ୍ରକାଶିତ ହେଉଥିଲା ଏଵଂ ରାଜାଙ୍କର ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ କାରଣରୁ ଏହା ଓଡ଼ିଆ ସାହିତ୍ୟର ଵିକାଶରେ ମୁଖ୍ୟ ଭୂମିକା ନେଇଥିଲା । ନୀଳମଣି ଏହି ପତ୍ରିକା ମାଧ୍ୟମରେ ଗଙ୍ଗାଧର ମେହେର ରାଧାନାଥ ରାୟ ଆଦି କଵିଙ୍କ ରଚନା ପ୍ରକାଶ କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହା ସହିତ ସେ ନିଶାସକ୍ତି ଵାଲ୍ୟଵିଵାହ କୁସଂସ୍କାର ଅଶିକ୍ଷା ଆଦି ଵିରୁଦ୍ଧରେ ଲେଖା ପ୍ରକାଶ କରି ସମାଜ ସୁଧାରର ଆହ୍ୱାନ ଦେଇଥିଲେ । ରାଜା ତାଙ୍କର ଗୁଣକୁ ସମ୍ମାନ ଦେଇ ଵିଦ୍ୟାରତ୍ନ ଉପାଧି ପ୍ରଦାନ କରିଥିଲେ ଯାହା ତାଙ୍କର ନାମର ଅଵିଚ୍ଛେଦ୍ୟ ଅଂଶ ହୋଇଗଲା । କିନ୍ତୁ ସେ ନିର୍ଭୀକ ସାମ୍ଵାଦିକ ଥିଵାରୁ ରାଜାଙ୍କ ସହ ମତଭେଦ ହେଵାରୁ ବାମଣ୍ଡା ଏଵଂ ହିତୈଷିଣୀ ପରିତ୍ୟାଗ କରି ଗଞ୍ଜାମ ଅଞ୍ଚଳକୁ ଚାଲିଯାଇଥିଲେ ।

ଗଞ୍ଜାମର ଖଲ୍ଲିକୋଟ ରାଜ୍ୟରେ ରାଜା ହରିହର ମର୍ଦ୍ଦରାଜ ନୀଳମଣିଙ୍କର ପାଣ୍ଡିତ୍ୟ ଓ ସାଙ୍ଗଠନିକ କ୍ଷମତାକୁ ଚିହ୍ନି ରମ୍ଭା ପ୍ରେସ ପ୍ରତିଷ୍ଠା କରି ପତ୍ରିକା ପ୍ରକାଶନ ପାଇଁ ଅନୁରୋଧ କରିଥିଲେ । ୧୯୦୨ ମସିହା ଜୁନ୍ ୨୫ ତାରିଖରେ ନୀଳମଣିଙ୍କ ସମ୍ପାଦନାରେ ପ୍ରଜାବନ୍ଧୁ ସାପ୍ତାହିକ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଓଡ଼ିଆ ଵିଛିନ୍ନାଞ୍ଚଳର ଏକତ୍ରୀକରଣ ଆନ୍ଦୋଳନର ମୁଖ୍ୟ ମାଧ୍ୟମ ହୋଇଥିଲା । ଏଥିରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଭିନ୍ନ ପ୍ରଦେଶରେ ଵିଭକ୍ତ ଓଡ଼ିଆଙ୍କୁ ଏକତ୍ର କରିଵାର ଆହ୍ୱାନ ଦେଇଥିଲେ । ଗଞ୍ଜାମର ଵିଭିନ୍ନ ଗ୍ରାମରେ ପ୍ରଜାଵନ୍ଧୁ ସମିତି ଗଠନ ହୋଇଥିଲା ଯାହା ପରେ ଗଞ୍ଜାମ ଜାତୀୟ ସମିତି ରୂପ ନେଇଥିଲା । ଏହି ସମିତି ଓଡ଼ିଶା ଏକତ୍ରୀକରଣର ପ୍ରଥମ ସଂଗଠିତ ପ୍ରୟାସ ଥିଲା ଏଵଂ ଉତ୍କଳ ସମ୍ମିଳନୀର ପୂର୍ଵସୂରୀ ଭାବେ ଵିଵେଚିତ ହୋଇଥାଏ । ନୀଳମଣି ପରେ ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ମଧୁପ ଉତ୍କଳ ଦୀପିକା ଆଦି ପତ୍ରିକା ସମ୍ପାଦନା କରିଥିଲେ ଯାହା ଓଡ଼ିଆ ଜାତୀୟତାଵାଦର ପ୍ରଚାରରେ ସହାୟକ ହୋଇଥିଲା ।

ଓଡ଼ିଶାର ଏକତ୍ରୀକରଣ ଆନ୍ଦୋଳନରେ ନୀଳମଣି ଵିଦ୍ୟାରତ୍ନଙ୍କର ଭୂମିକା ଅତୁଳନୀୟ । ତତ୍କାଳୀନ ସମୟରେ ଓଡ଼ିଆ ଅଞ୍ଚଳ ବଙ୍ଗ ମଧ୍ୟପ୍ରଦେଶ ମଦ୍ରାସ ପ୍ରେସିଡେନ୍ସି ଆଦିରେ ଵିଭକ୍ତ ଥିଲା ଏଵଂ ଵିଭିନ୍ନ ସ୍ଥାନରେ ଓଡ଼ିଆ ଭାଷା ଉପରେ ଆକ୍ରମଣ ହେଉଥିଲା । ସମ୍ଵଲପୁରରେ ହିନ୍ଦୀ ଏଵଂ ଗଞ୍ଜାମରେ ତେଲୁଗୁ ଭାଷାର ପ୍ରଭାଵ ଵଢ଼ୁଥିଵା ବେଳେ ନୀଳମଣି ହିତୈଷିଣୀ ଏଵଂ ପ୍ରଜାବନ୍ଧୁ ମାଧ୍ୟମରେ ଓଡ଼ିଆ ଭାଷା ଆନ୍ଦୋଳନକୁ ଉଜ୍ଜୀଵିତ କରିଥିଲେ । ଉତ୍କଳ ଗୌରଵ ମଧୁସୂଦନ ଦାସ ଏଵଂ ଉତ୍କଳମଣି ଗୋପଵନ୍ଧୁ ଦାସ ତାଙ୍କର ସାଙ୍ଗଠନିକ ଶକ୍ତିରେ ମୁଗ୍ଧ ହୋଇଥିଲେ । ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାରେ ତାଙ୍କର ପ୍ରେରଣା ଏଵଂ ପରାମର୍ଶ ମୁଖ୍ୟ ଥିଲା । ସେ ଓଡ଼ିଆ ଭାଷାର ଶୁଦ୍ଧତା ଉଚ୍ଚାରଣ ଏଵଂ ଲେଖନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଓଡ଼ିଆ ଭାଷା ଆନ୍ଦୋଳନକୁ ସଶକ୍ତ କରିଥିଲେ । ତାଙ୍କର ଲେଖା ଦ୍ୱାରା ଅନେକ ରାଜା ମହାରାଜା ଓଡ଼ିଆ ଏକତାରେ ଯୋଗ ଦେଇଥିଲେ ଏଵଂ ଶେଷରେ ୧୯୩୬ ମସିହାରେ ଓଡ଼ିଶା ଏକ ପୃଥକ ପ୍ରଦେଶ ରୂପେ ଗଠିତ ହୋଇଥିଲା ।

ନୀଳମଣି ଵିଦ୍ୟାରତ୍ନ କେଵଳ ସାମ୍ଵାଦିକ ନ ଥିଲେ ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ । ସେ ଶ୍ଳୋକ ମୁକ୍ତାଵଳୀ, ଜଳ ଚିକିତ୍ସା ଓ ଗୋ ଚିକିତ୍ସା ଆଦି ପୁସ୍ତକ ରଚନା କରିଥିଲେ ଯାହା ସାଧାରଣ ଜ୍ଞାନ ଏଵଂ ସ୍ୱାସ୍ଥ୍ୟ ଵିଜ୍ଞାନ ଉପରେ ଆଲୋକପାତ କରିଥିଲା । ତାଙ୍କର ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ସେ ଶଶୀ ଭୂଷଣ ରଥ ଆଦି ଯୁଵ ସାମ୍ଵାଦିକଙ୍କୁ ପ୍ରେରଣା ଦେଇ ଆଶା ପତ୍ରିକା ଆରମ୍ଭ କରାଇଥିଲେ ଯାହା ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା ହୋଇଥିଲା । ତାଙ୍କର ଜୀଵନ ଦେଶପ୍ରେମ ସମାଜ ସେଵା ଏଵଂ ଭାଷା ପ୍ରେମର ଏକ ଆଦର୍ଶ ଥିଲା । ୧୯୨୩ ମସିହା ଜୁଲାଇ ୨୬ ତାରିଖରେ ସେ ଇହଲୀଳା ସମ୍ଵରଣ କରିଥିଲେ କିନ୍ତୁ ତାଙ୍କର ଅଵଦାନ ଓଡ଼ିଶାର ଇତିହାସରେ ଚିର ଅମ୍ଳାନ । ଆଜି ବି ତାଙ୍କର ଜନ୍ମଦିଵସରେ ଓଡ଼ିଶାଵାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସ୍ମରଣ କରି ଓଡ଼ିଆ ଗର୍ଵର ଅନୁଭଵ କରନ୍ତି । ନୀଳମଣି ଵିଦ୍ୟାରତ୍ନଙ୍କ ଭଳି ମହାମାନଵ ଓଡ଼ିଶାର ଗର୍ଵ ଓ ଗୌରଵ ଏଵଂ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି କିନ୍ତୁ ତାଙ୍କର ଆଦର୍ଶ ଆମକୁ ସଦା ସର୍ଵଦ ପଥ ପ୍ରଦର୍ଶକ ହୋଇ ରହିଛି ।

•••••••••••••••••••••••••••••••••

ତଥ୍ୟ ଉତ୍ସ

ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ - ଗଣେଷ ରାମ ନାହାକ (୨୦୦୯)

History of Journalism in Odisha - ବିଭିନ୍ନ ଓଡ଼ିଶା ସରକାରୀ ପ୍ରକାଶନ ଏଵଂ ଓଡ଼ିଶା ରିଭ୍ୟୁ ଆଦି

Odia Press and Freedom Movement - ଵିଭିନ୍ନ ଐତିହାସିକ ଲେଖା ଏଵଂ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ ପୁସ୍ତକ ।

•••••••••••••••••••••••••••••••••

Monday, August 30, 2021

ସଂଗ୍ରାମୀକଵି ଉଦୟନାଥ ଷଡ଼ଙ୍ଗୀ

ଓଡ଼ିଶାରେ ଏମିତି ଅନେକ କଵି ଲେଖକ ଓ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଲଭିଛନ୍ତି ଯାହାଙ୍କ ଵିଷୟରେ ଵର୍ତ୍ତମାନର ଯୁଵପିଢି଼ ଜାଣିଵା ତ ଦୂରେ ଥାଉ ତାଙ୍କ ନାମ ସୁଦ୍ଧା ଜାଣି ନଥାନ୍ତି । ଏକଵିଂଶ ଶତାବ୍ଦୀରେ ଓଡ଼ିଶାର ଯୁଵପିଢି଼ କ୍ରମଶଃ ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଅଧିକ ଆକର୍ଷିତ ହେଉଥିଵାରୁ ତଥା ଓଡ଼ିଶାର ମହାପୁରୁଷଙ୍କ ଵିଷୟରେ ସର୍ଵତ୍ର ତଥ୍ୟ ମିଳୁନଥିଵାରୁ ଵା ଵିଦ୍ୟାଳୟରେ ସେମାନଙ୍କ ସମ୍ବନ୍ଧରେ ପଢ଼ା ଯାଉନଥିଵାରୁ ଆଜିର ଯୁଵସମାଜ ସେମାନଙ୍କର କୀର୍ତ୍ତି ସମ୍ପର୍କରେ ଜାଣିପାରେ ନାହିଁ ।

ସେହିପରି ଜଣେ ସ୍ଵାଭିମାନୀ ଓଡ଼ିଆଙ୍କୁ ଏ ଜାତି କ୍ରମଶଃ ପାଶୋରି ଯିଵାକୁ ବସିଛି । ସେହି ମହାମାନଵ ହେଉଛନ୍ତି ଆଧୁନିକ ଓଡିଆ ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ୰ଶ୍ରୀଉଦୟନାଥ ଷଡଙ୍ଗୀ । ଉଦୟନାଥ ଷଡ଼ଙ୍ଗୀଙ୍କର ଜନ୍ମ ୧୯୦୫ ମସିହା ମାର୍ଚ୍ଚ ୧୬ତାରିଖରେ  ଜଗତସିଂହପୁର ଜିଲ୍ଲାରେ ଅଵସ୍ଥିତ ସିପି ଗ୍ରାମରେ ହୋଇଥିଲା  । ସେ  ଏକ ସାଧାରଣ ପରିଵେଶ ମଧ୍ୟରେ ଜନ୍ମ ଲାଭ କରିଥିଲେ ମଧ୍ୟ ଵିରଳ କାଵ୍ୟ ପ୍ରତିଭାର ଅଧିକାରୀ ହୋଇଥିଲେ ।

ଵାଲ୍ୟକାଳରେ ତାଙ୍କ ସୁଗୁଣ କ୍ରମେ ଵିକଶିତ ହେଵାକୁ ଲାଗିଲା ଏଵଂ ଵୟସ ଵୃଦ୍ଧି ସହ ଉଦୟନାଥଙ୍କ ହୃଦୟରେ ଦେଶପ୍ରେମ ଵୀଜ ଅଙ୍କୁରିତ ହେଲା । ସେତେବେଳକୁ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ଚରମ ସ୍ତରରେ ପହଞ୍ଚିଯାଇଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ଦେଶଯାକର  ଅନେକ ଛାତ୍ରଛାତ୍ରୀ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ  । ଉଦୟନାଥ ମଧ୍ୟ ତନ୍ମଧ୍ୟରେ ଜଣେ ଥିଲେ ଏଵଂ ତାଙ୍କ ଘଟଣା ବହୁଳ ଜୀବନର ଏକ ଅଧ୍ୟାୟ  ସ୍ୱାଧୀନତା ସଂଗ୍ରାମର ମୁକ୍ତିତୀର୍ଥ ଅଳକାଶ୍ରମରୁ ଆରମ୍ଭ ହୋଇଥିଲା । ଅଳକାଶ୍ରମରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ଧନ୍ଦାମୂଳକଶିକ୍ଷା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ  ଦିଆଯାଉଥିଲା ।   ଏଠାରେ ରହି ଉଦୟନାଥ ଏସବୁ ଶିକ୍ଷାକୁ ଜୀଵନର ଵ୍ରତ ରୂପେ ଗ୍ରହଣ କରିନେଲେ ।  ପରଵର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଉଦୟନାଥ ଷଡ଼ଙ୍ଗୀ, ବକୁଳଵନର ଛୁରୀଅନା କୁଞ୍ଜ ତଳେ ଗଢ଼ି ଉଠିଥିଵା ସତ୍ୟଵାଦୀ ଵନଵିଦ୍ୟାଳୟର ଛାତ୍ର ହୋଇଥିଲେ ।


ସେତେବେଳେ ଆର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ଯୋଗଜନ୍ମା, ଜ୍ଞାନୀ, ଗୁଣୀ ଓ ସାରସ୍ୱତ ସାଧକମାନଙ୍କ ସଂସ୍ପର୍ଶରେ ଆସି ଶ୍ରୀଉଦୟନାଥଙ୍କ ଜୀଵନର ଗତିପଥ ବଦଳିଯାଇଥିଲା ।   ପରେ ସମାଜ ସମ୍ପାଦକ ରାଧାନାଥ ରଥଙ୍କ ସାହଚର୍ଯ୍ୟ ତାଙ୍କୁ ସାହିତ୍ୟ ସାଧନା କ୍ଷେତ୍ରରେ ଆଗକୁ ବଢ଼ିଵା ପାଇଁ ଵିଶେଷ ପ୍ରେରଣା ଦେଇଥିଲା ।

ତେବେ ଶ୍ରୀଉଦୟନାଥ ଷଡଙ୍ଗୀ କେଵଳ କବି ନୁହଁନ୍ତି, ଜଣେ ସଚ୍ଚା ସ୍ୱାଧିନତା ସଂଗ୍ରାମୀ , ଉଚ୍ଚ ଧରଣର ସ୍ତମ୍ଭକାର, ପ୍ରଖ୍ୟାତ ସାମ୍ବାଦିକ, ଵିଶିଷ୍ଟ ଅନୁଵାଦକ ଭାବେ ସେ ଖ୍ୟାତି ଅର୍ଜ୍ଜନ କରିଅଛନ୍ତି । ସେ ଜଣେ ସଫଳ ଅନୁଵାଦକ ଭାବେ ଅନୁଦିତ ସାହିତ୍ୟ କ୍ଷେତ୍ରରେ ନିଜର ଦକ୍ଷତାର ପ୍ରମାଣ ଛାଡି଼ଯାଇଛନ୍ତି । ସେ ଵିଭିନ୍ନ ଭାଷାର ଶିଶୁ ସାହିତ୍ୟକୁ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।ତାଙ୍କ ଅନୁଦିତ ପୁସ୍ତକ ମଧ୍ୟରେ ଆରବ୍ୟ ରଜନୀ, ଇଦ୍ ପର୍ଵ, ଆଲିବାବା, ସିନ୍ଦ୍ ବାବା, ଗୌତମ ବୁଦ୍ଧ ଆଦି ଉଲ୍ଲେଖ ଯୋଗ୍ୟ । କିନ୍ତୁ ଅନୁଵାଦ ସାହିତ୍ୟ ହୋଇଥିଲେ ବି "ଟମ୍ କକାଙ୍କ କୁଟୀର" ଉପନ୍ୟାସ ପାଇଁ ଶ୍ରୀଉଦୟନାଥ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ । ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆଭାଷାରେ ଏହା ଭାଵାନୁଵାଦ ଏଵଂ ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା । ଏହି ଉପନ୍ୟାସ  ତାଙ୍କଦ୍ଵାରା ଅନୁଦିତ ହୋଇଥିଲେ ମଧ୍ୟ ସବୁଥିରେ ତାଙ୍କ ନିଜସ୍ୱ ମୌଳିକତାର ଛାପ ସ୍ପଷ୍ଟ ବାରିହୋଇଯାଏ । ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears"କୁ ମଧ୍ୟ ଓଡ଼ିଆ ଭାଷାରେ ଅନୁଵାଦ କରିଥିଲେ ।

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ କେତେକ ଜାତୀୟତାଵାଦୀ ଓ ଦେଶାତ୍ମବୋଧକ କଵିତା ଲେଖିଛନ୍ତି କିନ୍ତୁ ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଵିଶେଷ ଲୋକପ୍ରିୟ ହୋଇଥିଲେ । ଯେଉଁମାନେ ତାଙ୍କ ଶିଶୁ ସାହିତ୍ୟ ସହିତ ପରିଚିତ ସେମାନେ କୁହନ୍ତି ତାହା ଅତ୍ୟନ୍ତ ରସଯୁକ୍ତ ଓ ପ୍ରାଣଵନ୍ତ , ତାଙ୍କର ଶିଶୁକଵିତା ପାଠକରି ଵା ଶୁଣି ଶିଶୁପ୍ରାଣ ଆତ୍ମହରା ଉଠିଵ । ଯଥାର୍ଥରେ ସେ ଥିଲେ ଶିଶୁ ପ୍ରାଣର ଆଶା,ଆକାଂକ୍ଷା ଓ ସୁଖଦୁଃଖର ସାର୍ଥକ ରୂପକାର ।



ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଟୁଉକୁମୂଷି, ଚକାଚକା ଭଉଁରୀ, ଜହ୍ନମାମୁଁ, କଥା କବିତା,ବିଲୁଆନନାର ବାହାଘର,ମିନିର ମନକଥା,ତେଲ ଲୁଣର ସଂସାର,ଓଡ଼ିଶାର ଇତିହାସ କଥା,ଭାରତର ଇତିହାସ କଥା,ପରୀରାଇଜ,ଜଳଜନ୍ତୁ ସିରିଜ୍,ଆମ ଗ୍ରହ-ଉପଗ୍ରହ, ଏମାନଙ୍କୁ ଜାଣିରଖ, ତେଲ ଲୁଣର ସଂସାର,ଜାଣିଵା କଥା ଓ ବିଚିତ୍ର ପଶୁ ଆଦି ପୁସ୍ତକ ଵିଶେଷ ଜନାଦୃତ ହୋଇଥିଲା । ତାଙ୍କର ଆତ୍ମଜୀଵନୀ “ଗାନ୍ଧି ମହାରାଜାଙ୍କ ଶିଷ୍ୟ”ରେ ତାଙ୍କ ଜୀଵନରେ ଅନେକ ଅଜଣା କଥା ଜାଣିଵାକୁ ମିଳିଥାଏ ‌ ।



ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ସାହତ୍ୟ ସାଧକ ଭାବେ ଉଦୟନାଥ ଷଡ଼ଙ୍ଗୀ ନିଜ ପାଇଁ ଏକ ନିଆରା ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର  ସାମଗ୍ରିକ ସାହିତ୍ୟ କୃତି ପାଇଁ ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଥିଲେ  । ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ପ୍ରଜାତନ୍ତ୍ର ପ୍ରଚାର ସମିତି , ଓଡ଼ିଶା ସାହିତ୍ୟ ଏକାଡ଼େମୀ , ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ଆଦି ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ ।



ଶ୍ରୀ ଷଡ଼ଙ୍ଗୀଙ୍କର ୧୯୯୯ ମସିହା ଜାନୁୟାରୀ ୮ତାରିଖରେ ତିରୋଧାନ ହୋଇଯାଇଥିଲା । ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀ ଆଜି ଆଉ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଉଦବୋଧନୀ ଵା ଦେଶାତ୍ମବୋଧକ କଵିତା ଓ ଅନ୍ୟାନ୍ୟ ସାହିତ୍ୟିକ କୃତି ଓଡ଼ିଆ ଜାତିର ଅସ୍ତିତ୍ବ ଥିଵା ଯାଏଁ ଅମର ରହିଥିଵ  ।


ମୁକର ପତ୍ରିକାରେ ବହୁ ଵର୍ଷ ତଳେ ସଂଗ୍ରାମୀକଵି ଶ୍ରୀଉଦୟନାଥ ଷଡ଼ଙ୍ଗୀଙ୍କର ଗୋଟିଏ ଜାତୀୟତାଵାଦୀ କଵିତା “ଭାସିଯାଆ ମୋର ବୋଇତ” ପ୍ରକାଶିତ ହୋଇଥିଲା ତାହା ନିମ୍ନରେ ପ୍ରଦତ୍ତ ହେଲା...



⛵⛵⛵⛵⛵⛵⛵⛵⛵⛵⛵⛵
   ⛵⛵ଭାସିଯାଆ ମୋର ବୋଇତ ⛵⛵
⛵⛵⛵⛵⛵⛵⛵⛵⛵⛵⛵⛵
     (📝କଵି—୰ଶ୍ରୀଉଦୟନାଥ ଷଡ଼ଙ୍ଗୀ)

                            (୧)
ଭାସିଯାଆ ମୋର ବୋଇତ ଭାସି ଯାଆରେ ଖରେ, ଭେଟିବୁ ଓଡ଼ିଆ ବଣିକେ ଏହି ଦରିଆ ପାରେ ।
ଦେଖିବୁ କେତେ ଯେ ବୋଇତ ଜାଭା ବୋର୍ଣ୍ଣିଓ କୂଳେ, ଚିହ୍ନିବୁ ଵିଜୟୀ-ବଣିକେ, ତୋର ଭାଇ ସକଳେ । ଚାରୁଶିଳ୍ପ-ଭୂଷା-ଉତ୍ତୁଙ୍ଗ ପାଲ ଦେଖିବୁ ଯହିଁ
ଜାଣିବୁ ସେ ପୋତ ଗଢି଼ଛି ତୋର ଓଡ଼ିଆ ଭାଇ ।
କାନ୍ଦି କନ୍ଦାଇବୁ ବଣିକେ ଓଡ଼ିଶାର ସର୍ଵସ୍ଵ
ତାଙ୍କ ଵିନେ ମାତା କାଙ୍ଗାଳୀ, ସୁଧା ହୋଇଛି ଵିଷ !

                            (୨)

ଭାସିଯାଆ ମୋର ତରୀଟି ଟେକି ତୋ  କ୍ଷୁଦ୍ର ପାଲ, ଭେଟିବୁ ସେ ଦେଶ, ଯେ ଦେଶେ ଗଲେ ଓଡ଼ିଆ-ଵୀର ଖାଇବେଳ, ଐର ସମ୍ରାଟ ମାତା ମୁକୁଟ-ମଣି,
ଦଳିଥଲେ ପରା ସଦର୍ପେ ପଞ୍ଚନଦ-ଵାହିନୀ ।
ପଵିତ୍ର ଗାଙ୍ଗେୟ ପ୍ରଦେଶୁଁ ଦୂର କୁମାରୀ ଯାଏ, ଉଡା଼ଇଲେ ଜୟ-କେତନ ତୋର ଯୋଗୁଁ ନିର୍ଭୟେ ।
ଧନ-ରତ୍ନ ପୂର୍ଣ୍ଣ ବନ୍ଦର ଉଚ୍ଚେ ଟେକିଲେ ମଥା,
ଆଜି ବାୟୁ ସଙ୍ଗେ କେଵଳ ଯହିଁ ଖେଳେ ସିକତା ।

                           (୩)
ଭାସିଯାଆ ମୋର ବୋଇତ ପଛେ ନ ଚାହାଁ ଫେରି, ମର-ବଇକୁଣ୍ଠ ହୋଇଛି ଆଜି ଵିଗତ-ଶିରୀ ।
ଏହି ତ ସେ ଦେଶ, ଯେ ଦେଶେ କାଞ୍ଚି-କାଞ୍ଚନ-ଜେମା, ଜିଣି ଆଣିଥିଲେ ଵିଜୟୀ, ଦୂରୁଁ ମର୍ତ୍ତ୍ୟର ରମା ।
ଏହି ସେ ଚିଲିକା ଯା ଵକ୍ଷ ଶତ ଓଡ଼ିଆ ତରୀ,
ଭସୁଥିଲା ଦିନେ ଉଲ୍ଲାସେ ଜୟ-କେତନ ଧରି । ସାଧଵାଣୀ ମନ ପୁଲକେ ଆଣି ଅରଘଥାଳୀ,
ନେଉଥିଲା ବଇତେ ଘରେ ବନ୍ଦାଇ ତରୀ ।

                          (୪)

ଭାସିଯାଆ ମୋର ବୋଇତ ନୋହି ନିରାଶ ତିଳେ,
ଅସିଵ ସେଦିନ, ପୂଜିଵେ ତୋତେ ଓଡି଼ଆ-ଵୀରେ । ଉଠିଵ ଓଡ଼ିଶା ଆକାଶେ ଵୀର ଓଡି଼ଆ ଗାନ,
ଉଡି଼ଵ ପଵନ ଲହରେ ତୋର ଜୟ-କେତନ ।
ନିଳାମ୍ବୁ -ଚିଲିକା ହରଷେ ଦିନେ ଉଠିଵ ନାଚି,
ଭାସିଵ ସହସ୍ର ବୋଇତ ଭାଙ୍ଗି ସାଗର ଵୀଚି । ଓଡି଼ଆ-ଗୌରଵ-ଭଣ୍ଡାର କୋଣାରକ ତ ଦିନେ,
ତେଜି ଜୀର୍ଣ୍ଣଵପୁ ହସିଵ ସେହି ଦୂର-ପୁଳୀନେ I
ଖଣ୍ଡ ଖଣ୍ଡ ଵପୁ ତାହାର ଏକ ହୋଇଵ ମିଶି,
ଭାଇ ଭାଇ ଘରେ ଆସିଵ କୋଳ  କରିଵ ହସି ।
ଗାଇବ ଵିଜୟ-ସଙ୍ଗୀତ ଉଚ୍ଚେ ଓଡ଼ିଆ ଭାଟ,
ବୋହିଵ ଓଡ଼ିଆ ଵାହୁରେ ପୂର୍ଵ ଶୋଣିତ ସ୍ରୋତ ।
ଭାସିଯାଆ ମୋର ବୋଇତ ଭାସିଯାଆ ମଉନେ, ସେତେବେଳେ ବାନ୍ଧି ଆଣିବି ମୁହିଁ ପୁଲକ ପ୍ରାଣେ ।

                ————×————

Tuesday, February 9, 2021

••••••ରାଧାନାଥ ରାୟ Vs ଗୋପବନ୍ଧୁ ଦାସ•••••

ଓଡ଼ିଆ ସାହିତ୍ୟାକାଶରେ ଦେଖା ଦେଇଥିଲା ଆଧୁନିକ ସାହିତ୍ୟ ଓ ରୀତିଯୁଗର ସାହିତ୍ୟକୁ ନେଇ ଏକ ଭୀଷଣ ସାହିତ୍ୟ ଯୁଦ୍ଧ । ସେତେଵେଳେ ଏହି ଯୁଦ୍ଧକୁ “ଇନ୍ଦ୍ରଧନୁ — ଵିଜୁଳି ଵିଵାଦ” ଆଖ୍ୟା ମିଳିଥିଲା ।  ଇନ୍ଦ୍ରଧନୁ ଓ ଵିଜୁଳି ପ୍ରକୃତରେ ଦୁଇଗୋଟି ସାହିତ୍ୟ ପତ୍ରିକା ଏଵଂ ଇନ୍ଦ୍ରଧନୁ କଟକରୁ ପ୍ରକାଶିତ ହେଉଥିଵା ଵେଳେ ଵିଜୁଳି ବାମଣ୍ଡା ରାଜ୍ୟରୁ ପ୍ରକାଶ ପାଉଥିଲା ।

ମହାକଵି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଅନ୍ୟ ରୀତିଯୁଗୀୟ କଵି ତାଙ୍କ କାଵ୍ୟର ପୃଷ୍ଠ ପୋଷଣ କରୁଥିଲା ଇନ୍ଦ୍ରଧନୁ ଏଵଂ ରାଧାନାଥ ରାୟଙ୍କ ପରି ଆଧୁନିକ କଵି ଓ ତାଙ୍କ କାଵ୍ଯକୁ ସମର୍ଥନ କରି ଲେଖା ଛପାଉଥିଲା ଵିଜୁଳି ପତ୍ରିକା ।

ଇନ୍ଦ୍ରଧନୁ ପକ୍ଷରେ ଗୋପବନ୍ଧୁ ଦାସ ,ନୀଳକଂଠ ଦାଶ ଇତ୍ୟାଦି ଥିଲାଵେଳେ ଵିଜୁଳି ପକ୍ଷରେ ଗୋପାଳ ଚନ୍ଦ୍ର ପ୍ରହରାଜ, ବାମଣ୍ଡା ରାଜନ, ମଧୁସୂଦନ ରାଓ ଆଦି ଥିଲେ । ପରେ ଅଵଶ୍ୟ ଏହି ଦୁଇଗୋଷ୍ଠୀ ମଧ୍ୟରେ “ଓଡ଼ିଆ ଲିପିସଂସ୍କାର” ଵା “ଓଡ଼ିଆ ଵର୍ଣ୍ଣ ଓ ମୌଳିକତା ହତ୍ୟା”କୁ ନେଇ  ଵିଵାଦ ଲାଗିରହିଥିଲା ।

ଵିଜୁଳି ଇନ୍ଦ୍ରଧନୁ ଵିଵାଦର ପ୍ରାରମ୍ଭିକ କାଳର ଘଟଣା । ସେତେଵେଳେ ରାଧାନାଥ ରାୟ ଥିଲେ ଓଡ଼ିଶା ଵିଦ୍ୟାଳୟ ସମୂହର ଇନସ୍ପେକ୍ଟର । ଇନ୍ଦ୍ରଧନୁରେ ତାଙ୍କରି ଵିରୁଦ୍ଧରେ ଗୋଟିଏ ଵ୍ୟଙ୍ଗ୍ୟ କଵିତା ପ୍ରକାଶିତ ହେଲା । ରାଧାନାଥ ସେଇ କଵିତାର ଶରଵ୍ଯ । ଉକ୍ତ କଵିତାରୁ ପଦେ ବଡ଼ ହାସ୍ୟୋଦ୍ଦୀପକ ...

“କିଛି ଦୂରେ ଛ’ନ୍ତି ଧଡି଼ଆ ପଣ୍ଡିତମନ୍ୟ
ବାଉରୀ ସାହିରେ ଶୃଗାଳ କେଶରୀ
ପରି, ହେଉଥାନ୍ତି ଗଣ୍ୟ” 😂😂😂

ଏ କଵିତା  କିଏ ଲେଖିଛି ସେ ଵିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଗଲା ଏଵଂ ଜଣାଗଲା ଯେ ପୁରୀ ଜିଲ୍ଲାସ୍କୁଲର ଜଣେ ଛାତ୍ର ଗୋପବନ୍ଧୁ ଦାସ ଏ କଵିତା ଲେଖିଅଛନ୍ତି । ତହୁଁ ହଠାତ୍ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନରେ ଗଲେ ତତ୍କାଳୀନ ଓଡ଼ିଶା ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟ ।

ଗୋପବନ୍ଧୁ ଉକ୍ତ ଵ୍ୟଙ୍ଗ୍ୟ କଵିତାଟି ଲେଖିଥିଵାରୁ ସେ ଦଣ୍ଡିତ ହେଲେ । ତାଙ୍କର ବୃତ୍ତି କାଟିଦିଆଗଲା ଏଵଂ ଶ୍ରେଣୀଗୃହର ବେଞ୍ଚ ଉପରେ ସେ ଛିଡ଼ା ହୋଇ ପାଠ ପଢି଼ଵେ ବୋଲି ଆଦେଶ ହେଲା ।

ଏ ଘଟଣା ଶୁଣିଲା କ୍ଷଣି ଶ୍ରୀରାମଚନ୍ଦ୍ର ଦାସ ହେଡମାଷ୍ଟର ଶ୍ରୀଗୋପାଳ ଦାସ ସରକାରଙ୍କ ନିକଟକୁ ଯାଇ ଵିଦ୍ୟାଳୟରୁ ଗୋପବନ୍ଧୁଙ୍କ ସାର୍ଟିଫିକେଟ ଆଣିଵାକୁ ଦାଵି କଲେ । ହେଡମାଷ୍ଟର ବାବୁ ଇନ୍ସପେକ୍ଟରଙ୍କୁ ଜଣେଇଲେ ସେଇଠୁ ଏହାର ଗୋଟିଏ ସମାଧାନ ହେଲା ଯେ ଗୋପବନ୍ଧୁ ବେଞ୍ଚରେ ଛିଡ଼ା ହେଵେନି କିନ୍ତୁ ତାଙ୍କୁ ମିଳୁଥିଵା ବୃତ୍ତି ଆଉ ମିଳିଵ ନାହିଁ ।

ଗୋପବନ୍ଧୁ ବାଲ୍ୟକାଳରୁ କିପରି ଵୈପ୍ଳଵିକ ମନୋଵୃତ୍ତିର ଅଧିକାରୀ ଥିଲେ ଏଇ ଘଟଣା ତାହାର ଏକ ଉଦାହରଣ ମାତ୍ର । ସେ ଯାହା ହେଉ ପରେ ଗୋପବନ୍ଧୁଙ୍କର ରାଧାନାଥଙ୍କ ସହିତ ସମ୍ପର୍କ ନିଵିଡ଼ ହୋଇଥିଲା ଏଵଂ ଏକ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି "ଇନ୍ଦ୍ରଧନୁ ଵିଜୁଳି କଳି" ବି ଥମିଯାଇଥିଲା । ତେଵେ ଏ ଵିଵାଦ ଆଜି ବି ଵେଳେ ଵେଳେ ଦେଖାଯାଏ ଯେ କେଉଁ ସାହିତ୍ୟ ଶ୍ରେଷ୍ଠ ?

Friday, June 19, 2020

ମାଣ୍ଡେଲା ପ୍ରଭାଵ କ'ଣ ଜାଣିଛନ୍ତି କି ?

ଲୋକେ ଵେଳେ ଵେଳେ ନୂଆ ଶବ୍ଦ ସୃଷ୍ଟି କରିଦିଅନ୍ତି ଵା ତାଙ୍କ ଦ୍ଵାରା ଆପଣାଛାଏଁ ଶବ୍ଦ ସୃଷ୍ଟି ହୋଇଯାଏ । ସାଧାରଣତଃ ସାହିତ୍ଯିକ ଓ ଵୈଜ୍ଞାନିକମାନେ ଏଭଳି କରିଥାଆନ୍ତି ଓ ତାଙ୍କ ଶବ୍ଦ ଧୀରେ ଧୀରେ ଆନ ଲୋକେ ମଧ୍ୟ ଵ୍ଯଵହାର କରିଥାଆନ୍ତି ।

ଆମେମାନେ ଅଂଶୁଘାତ,ସଙ୍ଗଣକ,ଵର୍ଣ୍ଣଫଳକ,ଭୀଡ଼ ହତ୍ଯା ଓ ସଙ୍ଗରୋଧ ଇତ୍ୟାଦି ନୂତନ ଶବ୍ଦ ସବୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପ୍ରାଚୀନ ଶବ୍ଦକୋଷରେ  ପାଇନଥାନ୍ତି ।

ପୁଣି ଦୂରଦର୍ଶନ ଭଳି ଶବ୍ଦ ବି ରହିଛି ଯାହା ଆଜି television ଯନ୍ତ୍ର ପାଇଁ ଵ୍ଯଵହାର ହେଉଅଛି କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅର୍ଥ ୧୦୦ ଵର୍ଷ ତଳେ ଉଲ୍ଲେଖ କରାଯାଇଥିଲା "ଦୂରଦୃଷ୍ଟି" ।

ଆଜି ସାହିତ୍ଯିକ,ବଡ଼ବଡି଼ଆ ଲୋକ,ଵୈଜ୍ଞାନିକ, ଚଳଚ୍ଚିତ୍ରଜଗତ ଓ ଗଣମାଧ୍ୟମ ନୂଆ ନୂଆ ଶବ୍ଦ ସୃଷ୍ଟି କରି ପ୍ରଚଳନ କରୁଅଛନ୍ତି କିଛି କ୍ଷେତ୍ରରେ ସିଧାସଳଖ ଵୈଦେଶିକ ଶବ୍ଦ ମଧ୍ୟ ପ୍ରୟୋଗ ହେଉଅଛି ।

ଇଂରାଜୀରେ ଏଇ ଧରଣର ଅନେକ ଶବ୍ଦ ସୃଷ୍ଟି ହୋଇଛି । ତନ୍ମଧ୍ୟରୁ ଗୋଟାଏ ହେଲା "the Mandela effect" ! ଏହାକୁ ଓଡ଼ିଆ ଲୋକେ "ମାଣ୍ଡେଲା ପ୍ରଭାଵ" କହିପାରନ୍ତି ।

ଯେଉଁମାନେ ୨୦୧୯ରେ ଏଇନାମର ହଲିଓଡ଼ ଚଳଚ୍ଚିତ୍ର ଦେଖିସାରିଛନ୍ତି କିଂଵା ୟୁଟ୍ୟବ୍'ରେ "ମାଣ୍ଡେଲା ପ୍ରଭାଵ" ଵିଷୟକ ଵିଡି଼ଓ ଦେଖିଥିଵେ ତାଙ୍କୁ ଏ ଵିଷୟରେ ନିଶ୍ଚୟ ଅଳ୍ପବହୁତେ ଜଣାଥିଵ ।

୨୦୦୯ରେ ସର୍ଵପ୍ରଥମେ ଆମେରିକୀୟ ଲେଖିକା Fiona Broome ଏ ଶବ୍ଦର ପ୍ରୟୋଗ କରିଥିଲେ । ଏକ ସ୍ଥାନରେ ସେ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ଖ୍ଯାତ ନେଲସନ୍ ନିଜର ଏକ ମିଥ୍ଯାନୁସ୍ମରଣ(false memory) ଵିଷୟରେ ଉଲ୍ଲେଖ କରିଥିଲେ । ସେ ଏହାକୁ  "the Mandela effect" କହିଥିଲେ ।

Fiona Broomeଙ୍କୁ ଲାଗୁଥିଲା ଯେ ସେ ୧୯୮୦ରେ ନେଲସନ୍ ମାଣ୍ଡେଲାଙ୍କର ଶଵଯାତ୍ରା ଟିଭିରେ ଦେଖିସାରିଛନ୍ତି । ତାଙ୍କ କଥା ପଢି଼ ଆହୁରି ଅନେକ ଲୋକ ବି ସମାନ ମତ ରଖିଵା ଆରମ୍ଭ କରିଦେଇଥିଲେ । ପ୍ରକୃତରେ ନେଲସନ୍ ମାଣ୍ଡେଲା ୧୯୧୮ରେ ଜନ୍ମଗ୍ରହଣକରିଥିଲେ ଏଵଂ  ୧୦୧୩ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Fiona Broome ଓ ତାଙ୍କ ଭଳି ଅନେକ ଲୋକଙ୍କ ଦ୍ଵାରା ୧୯୮୦ ମସିହାରେ ନେଲସନ୍ ମାଣ୍ଡେଲାଙ୍କ ଶଵଯାତ୍ରା ଦେଖିଥିଵା କଥା ପ୍ରଚାରିତ ହେଵାପରେ ବୁଦ୍ଧିଜୀଵୀ ଓ ଗଵେଷକ ମହଲରେ ଦୁଇଟି ଘଟଣା ଘଟିତ ହୋଇଥିଲା ଏଵଂ ମୁଖ୍ୟତଃ ଦୁଇଗୋଟି ଭିନ୍ନ ଭିନ୍ନ ମତ ପ୍ରକାଶ ହେଵାକୁ ଲାଗିଲା ।

୧)କିଛି ଲୋକ କହିଲେ ଏହା ସମୟଯାତ୍ରା ଵା time travel କିଂଵା
parallel universe ଵା ସମାନାନ୍ତର ବ୍ରହ୍ମାଣ୍ଡରେ କେତେକ ନିର୍ଦ୍ଦିଷ୍ଟ ପରିଵର୍ତ୍ତନ ଯୋଗୁଁ ଘଟିତ ହୋଇଥିଵା ଘଟଣା ହୋଇଥାଇପାରେ । ଏ ମତଵାଦର ସମର୍ଥକ ମତ ଦିଅନ୍ତି ଯେ ନିଶ୍ଚୟ କେହି ଅତୀତରେ ଯାଇ ୧୯୮୦ ମସିହାରେ ଜେଲରେ ମରିଯାଇଥିଵା ନେଲସନ୍ ମାଣ୍ଡେଲାଙ୍କୁ ବଞ୍ଚାଇ ଦେଇଥାଇପାରେ ।

୨)ଆଉ କେତେକଙ୍କ ମତରେ  false memory phenomena" ଵା "ମିଥ୍ୟା ସ୍ମୃତି ପ୍ରତିଭାସ" ଯୋଗୁଁ ଏଭଳି ଅନୁଭଵ ହୋଇଥାଏ । ଏହା 
"false memory syndrome" ଵା "ମିଥ୍ଯାନୁସ୍ମରଣ ସଂଲକ୍ଷଣ"ର ଏକ ଅଂଶଵିଶେଷ ଅଟଇ । ଏ କ୍ଷେତ୍ରରେ କିଛି ଗଵେଷକ ଅନେକ ଲୋକଙ୍କ ସହ ପରୀକ୍ଷା କରି ପ୍ରମାଣିତ କରିଥିଲେ ଯେ ମନୁଷ୍ୟମାନେ ଅନେକ ଘଟଣାର ସମାନତା ଯୋଗୁଁ ଵେଳେଵେଳେ  ଏକ ଘଟଣା ସହ ଅନ୍ୟ ଘଟଣାକୁ ମନେ ରଖିନିଅନ୍ତି ଓ ଧୀରେ ଧୀରେ ସେମାନେ ସେ ଉଭୟ ଘଟଣାକୁ ଏକ କରିଦିଅନ୍ତି ।

ଉଦାହରଣ ସ୍ୱରୂପ ...
ମହାତ୍ମା ଗାନ୍ଧୀ,ମାର୍ଟିନ୍ ଲୁଥର କିଙ୍ଗ୍  ଓ ନେଲସନ୍ ମାଣ୍ଡେଲାଙ୍କ ମଧ୍ୟରେ ସମାନତା ଉପରେ ଦୃଷ୍ଟି ଦିଆଯାଉ

୧)ସେ ତିନିହେଁ ଗୋରାଲୋକଙ୍କ ଦୃଷ୍ଟିରେ କଳାଲୋକ ଥିଲେ ।
୨)ତିନି ଜଣ ଯାକ ଅହିଂସା ଆନ୍ଦୋଳନ କରିଥିଲେ ।
୩)ମାର୍ଟିନ୍ ଲୁଥର କିଙ୍ଗ୍ ରଙ୍ଗଭେଦ କରୁଥିଵା ଗୋରା ସରକାର ସହିତ ଆନ୍ଦୋଳନ କରିଥିଲାଵେଳେ ମହାତ୍ମାଗାନ୍ଧୀ ଓ ନେଲସନ୍ ମାଣ୍ଡେଲା ଇଂରେଜମାନଙ୍କ ଵିରୋଧରେ ଆନ୍ଦୋଳନ କରିଥିଲେ ।

ଫଳତଃ ଅନେକ ଗୋରାଲୋକଙ୍କ ମନରେ ଏ ତିନି ଲୋକ ଏକ ବୋଲି ଧାରଣା ଜନ୍ମିଥିଵ । ୧୯୮୦ ମସିହା ଵେଳକୁ ସାରା ଵିଶ୍ଵରେ ଦୂରଦର୍ଶନ କ୍ରାନ୍ତି ଆରମ୍ଭ ହୋଇଥିଲା । ୧୯୮୦ରେ ଯେତେବେଳେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ କରି ନେଲସନ୍ ମାଣ୍ଡେଲା ଜେଲ୍ ଗଲେ ତାଙ୍କର "ମହାତ୍ମା ଗାନ୍ଧୀ" ଓ ଆମେରିକୀୟ ସାମାଜିକ କାର୍ଯ୍ୟକର୍ତ୍ତା  "ମାର୍ଟିନ୍ ଲୁଥର କିଙ୍ଗ୍"ଙ୍କ ସହିତ ତୁଳନା ହେଵାକୁ ଲାଗିଲା ।

ସେତେଵେଳେ ଗାନ୍ଧୀ ଓ ୧୯୬୮ରେ ଦେହାନ୍ତ ହୋଇଥିଵା ମାର୍ଟିନ୍ ଲୁଥର କିଙ୍ଗ୍'ଙ୍କ ଵିଷୟରେ ଆଉଥରେ ଆଲୋଚନା ହେଵା ଆରମ୍ଭ ହୋଇଥିଲା । ଏଇ ଚର୍ଚ୍ଚା ସମୟରେ ଯେଉଁମାନେ ଗାନ୍ଧୀ,କିଙ୍ଗ୍ ଓ ତାଙ୍କ ଶଵଯାତ୍ରା ଦେଖିଥିଵେ  ସେମାନେ ତାହା "ନେଲସନ୍ ମାଣ୍ଡେଲା"ଙ୍କ ଜେଲ୍ ଯିଵା ଓ ମୃତ୍ୟୁ ହେଵା ଘଟଣା ସହ ମିଶାଇ ଆପଣା ମନରେ ଏକ ଵିଚାର କରି ଭ୍ରମ ଧାରଣା ପାଳିନେଇଥିଵା ଅଧିକ ସମ୍ଭଵ ଅଟେ ।

ତେଵେ ସେ ଯାହା ହେଉ ଆଜି ଇଂରାଜୀରେ ଦୁଇଟି ଘଟଣାକୁ ଏକ ଵିଚାର କରି ବହୁତ ଲୋକେ ତାଙ୍କ ମନରେ ଯେଉଁ ମିଥ୍ୟାନୁସ୍ମରଣର  ଭ୍ରମଧାରଣା ପାଳିଥାଆନ୍ତି ତାକୁ the Mandela effect କୁହାଯାଉଅଛି ।

©ଶିଶିର ସାହୁ ମନୋଜ

Tuesday, April 28, 2020

ଦାସତ୍ବପ୍ରଥା ଵିରୋଧୀ ଅଶ୍ଵେତ ମହିଳାଯୋଦ୍ଧା ହାରିଏଟ୍ ଟବମେନ୍

ଏ କାହାଣୀ ଗୋଟିଏ ଅଶ୍ଵେତ ଝିଅ Mintyର...

ସେ ଦାସତ୍ବ ପ୍ରଥାରେ କଵଳିତ ଇଂରେଜମାନଙ୍କ ଦ୍ଵାରା ପରାଧୀନ ଆମେରିକାରେ ଜନମିଥିଲା । ସେଇ ଝିଅକୁ ଯେତେଵେଳେ ମାତ୍ର ୧୩ ଵର୍ଷ ହୋଇଥାଏ ତା ମୁଣ୍ଡ ଉପରେ ତାହାର ମାଲିକର ପୁଅ ଶକ୍ତ ଲୁହା ଦଣ୍ଡରେ ପିଟି ଦେଇଥିଲା ।

ତେଵେ ସେ ଝିଅ ଜୀଵନଯୁଦ୍ଧରେ ହାରିଯାଇନଥିଲା । ସେ ଲଢି଼ଥିଲା ଆଉ ବଞ୍ଚିଯାଇଥିଲା କାରଣ ଭଵିଷ୍ଯତରେ ସେ ଅନେକ ଅଶ୍ଵେତ ଦାସଙ୍କୁ ଦାସତ୍ବରୁ ମୁକୁଳେଇଵାର ଲକ୍ଷ୍ୟ ନେଇ ସଂସାରକୁ ଆସିଥିଲା ନା...

ସେଇ ଝିଅଟି ଆମେରିକାର ଜଣେ ଲୋକପ୍ରିୟ ମହିଳା  Harriet Tubman  । ସେ ଥିଲେ ଜଣେ ଦାସପ୍ରଥା ଵିରୋଧୀ ଅଶ୍ବେତ ଆମେରିକୀୟ ମହିଳା ଯୋଦ୍ଧା ।

ସେ ଆମେରିକାର ମେରିଲ୍ଯାଣ୍ଡ୍ ଅଞ୍ଚଳରେ ୧୮୨୨ ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ପ୍ରାରମ୍ଭିକ ନାମ Araminta Ross ଥିଲା ଓ ଏହାଙ୍କର ପରିଵାର ଅଶ୍ଵେତ ଦାସ ଥିଲେ ।  ୧୮୪୯-୫୦ ସମୟରେ ସେ ମେରିଲ୍ଯାଣ୍ଡ୍ ରୁ ଲୁଚିକି ଵଣ ଜଙ୍ଗଲ ଦୁର୍ଗମ ପଥ ପାରକରି ପ୍ରାୟ ୧୦୦ କି.ମି ଦୂର  ଫିଲେଡେଲ୍ଫିଆକୁ ଚାଲି ଚାଲି ଯାଇଥିଲେ ।

ଫିଲେଡେଲ୍ଫିଆରେ ଏକ ଵର୍ଷ ରହି ସେ ପୁଣି ମେରିଲ୍ଯାଣ୍ଡ୍ ଫେରିଥିଲେ ଏଵଂ ନିଜ ପରିଵାରର ୯ ଲୋକଙ୍କୁ ସାଙ୍ଗରେ ଫିଲେଡେଲ୍ଫିଆ ନେଇ ଆସି ସେମାନଙ୍କୁ ଦାସତ୍ବରୁ ମୁକୁଳାଇ ଥିଲେ ।

ନିଜ ଜୀଵନକାଳରେ ମହିୟସୀ ହାରିଏଟ୍ ୧୩ଟି ମିସନ୍ ରେ ପ୍ରାୟ ୭୦ଜଣ ଅଶ୍ଵେତ ଦାସଙ୍କୁ ମୁକୁଳାଇଥିଲେ ।

ସେତେଵେଳେ ସାରା ଆମେରିକାରେ ତାଙ୍କୁ moses ନାମରେ ଜଣାଯାଉଥିଲା ଏଵଂ ଏହାଙ୍କୁ ଧରିଵାକୁ ଅନେକ ଚେଷ୍ଟା ମଧ୍ୟ ହୋଇଥିଲା । ତତ୍କାଳୀନ ଇଂରେଜ ସରକାର ଏହାଙ୍କୁ ଧରାଇଦେଲେ ୩୦୦ ଡଲାର ପ୍ରଦାନ କରାଯିଵ ବୋଲି ଘୋଷଣା କରିଥିଲେ । ତେଵେ ତାଙ୍କୁ ଧରିଵାର ସବୁ ଯୋଜନା ଅସଫଳ ହୋଇଥିଲା ।

ଆମେରିକାର ଗୃହଯୁଦ୍ଧ ସମୟରେ ହାରିଏଟ୍ ସ୍କାଉଟ୍ ରେ ଯୋଗ ଦେଇଥିଲେ ଏଵଂ ପ୍ରାୟ ୧୫୦ଜଣ ଅଶ୍ଵେତ ସୈନିକଙ୍କର ନେତୃତ୍ୱ ବି କରିଥିଲେ । ଉକ୍ତ ସୈନିକ ଦଳ ଦ୍ଵାରା ହାରିଏଟ୍' ଙ୍କ ନେତୃତ୍ୱରେ ପ୍ରାୟ ୭୦୦ରୁ ଅଧିକ ଅଶ୍ଵେତଙ୍କୁ ଦାସତ୍ବରୁ ମୁକ୍ତି ମିଳିଥିଲା ।  ଗୃହଯୁଦ୍ଧ ସମୟରେ ହାରିଏଟ୍ civil army ପାଇଁ ଜଣେ spy ଭାବେ କାର୍ଯ୍ୟ କରିଥିଲେ ।

ଗୃହଯୁଦ୍ଧ ପରେ ହାରିଏଟ୍ ନିଜ ଘରକୁ ଫେରି ଆସି ନିଜ ପରିଵାରଜନଙ୍କ ସହିତ ରହିଵାକୁ ଲାଗିଲେ ଓ ଆଜୀଵନ ମାନଵ ତଥା ମହିଳା ଅଧିକାର ପାଇଁ ଲଢିଥିଲେ ।

କୁହାଯାଏ ଏହାଙ୍କୁ ଭଵିଷ୍ଯତରେ ହେଵାକୁ ଥିଵା ଘଟଣାର ପୂର୍ଵାଭାସ ହେଇଯାଉଥିଲା ଏଵଂ ୟେ ମାର୍ଚ୍ଚ ମାସରେ ଜନ୍ମ ହୋଇ ସେଇ ମାର୍ଚ୍ଚ ମାସର ଦଶ ତାରିଖ ୧୯୧୩ ମସିହାରେ ସ୍ଵର୍ଗଵାସୀ ହୋଇଥିଲେ ।

୨୦ ଏପ୍ରିଲ ୨୦୧୬ରେ ଆମେରିକାର ଟ୍ରେଜରୀ ଵିଭାଗ ଦ୍ଵାରା ହାରିଏଟ୍'ଙ୍କର ସମ୍ମାନାର୍ଥେ ୨୦ ଡଲାରର ନୋଟରେ ଏହାଙ୍କ ଫୋଟୋ ସ୍ଥାନ ପାଇଵାର ଘୋଷଣା କରିଥିଲେ ।

ଆମେରିକୀୟ ନୋଟରେ ସ୍ଥାନ ଲାଭ କରିଥିଵା ପ୍ରଥମ ଆଫ୍ରିକୀୟ ଆମେରିକୀୟ ଵ୍ଯକ୍ତି ଅଟନ୍ତି ହାରିଏଟ୍ ।

ହାରିଏଟ୍'ଙ୍କ ନାମରେ ମୁକ୍ତିଲାଭ କରିଥିଵା ହାରିଏଟ୍ ଚଳଚ୍ଚିତ୍ରରେ ଏହାଙ୍କ ଜୀଵନୀ ଓ ସଂଘର୍ଷକୁ ସୁନ୍ଦର ଭାଵେ ଚିତ୍ରଣ କରାଯାଇଛି ।

ସେ କହିଯାଇଥିଵା କେତେକ ସୂକ୍ତି ଆଜି ବି ଆମେରିକାରେ ସ୍ମରଣୀୟ,  ନିମ୍ନରେ ତହିଁରୁ କେତୋଟି ଏଠାରେ ପ୍ରଦତ୍ତ ହେଲା...

"Every great dream begins with a dreamer. Always remember, you have within you the strength, the patience, and the passion to reach for the stars to change the world."

"I had reasoned this out in my mind, there was one of two things I had a right to, liberty or death; if I could not have one, I would have the other.
I grew up like a neglected weed - ignorant of liberty, having no experience of it."

"I had crossed the line. I was free; but there was no one to welcome me to the land of freedom. I was a stranger in a strange land."

"Twant me, ’twas the Lord. I always told him, “I trust to you. I don’t know where to go or what to do, but I expect you to lead me,” and he always did."

"I would fight for my liberty so long as my strength lasted, and if the time came for me to go, the Lord would let them take me."

"Quakers almost as good as colored. They call themselves friends and you can trust them every time."

Saturday, January 25, 2020

ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ଵିପ୍ଳଵୀ କୃଷ୍ଣଭଞ୍ଜ

ଯେତେବେଳେ ସର୍ଵଭାରତୀୟ ସ୍ଥରରେ ସ୍ଵତନ୍ତ୍ରତା ସଂଗ୍ରାମ କଣ୍ ବୋଲି ସାଧାରଣ ଲୋକ ଜାଣିନଥିଲେ ସେତେବେଳେ ସେ ଓଡ଼ିଶାରେ ପ୍ରଥମ ସ୍ଵାଧୀନତା ସଂଗ୍ରାମର ଶଂଖନାଦ କରିଥିଲେ । ଯିଏ ଏହି ଶଙ୍ଖନାଦର ଆଦ୍ଯ ଉଦ୍ଘୋଷକ ସେହି ମହାପୁରୁଷଙ୍କ ଜନ୍ମ ଅଵିଭକ୍ତ ଗଞ୍ଜାମର ଘୁମୁସର ରାଜବଂଶରେ ୧୭୧୯ ମସିହାରେ ହୋଇଥିଲା ।

ତାଙ୍କୁ ସମସ୍ତେ ଵିପ୍ଳଵୀ କୃଷ୍ଣଭଞ୍ଜ ନାମରେ ଜାଣନ୍ତି । ସେ ଥିଲେ ଜଣେ ସ୍ଵାଧୀନ ଚେତା ଵୀରପୁରୁଷ । ସେତେଵେଳେ ମରାଠାମାନଙ୍କ ଅଧିନରେ ଓଡ଼ିଶାର ଅନେକ ଅଞ୍ଚଳ ସମେତ ଘୁମୁସର ମଧ୍ୟ ରହିଥିଲା । ମରାଠାମାନେ ୧୭୫୩ମସିହାରେ ଘୁମୁସର ଅଞ୍ଚଳକୁ ସେଠାକାର ରାଜା ଓ ପ୍ରଜାଙ୍କ ଅନୁମତି ନ ନେଇ ଫରାସୀମାନଙ୍କୁ ଵିକ୍ରି କରିଦେଇଥିଲେ ।

ଫରାସୀମାନେ ଘୁମୁସର ରାଜ୍ୟର ସର୍ଵେସର୍ଵା ହୋଇଗଲେ ଫଳରେ କୃଷ୍ଣଭଞ୍ଜ ସମେତ ଅନେକ ସ୍ଵାଧୀନଚେତା ଲୋକେ ସେମାନଙ୍କ ଵିପକ୍ଷରେ ସେସି ଵର୍ଷ ଯୁଦ୍ଧ ଘୋଷଣା କରିଥିଲେ ।

ଇତିହାସରେ ଏହି ଯୁଦ୍ଧ ପ୍ରଥମ ଘୁମୁସର ଯୁଦ୍ଧ ନାମରେ ଉଲ୍ଲେଖ ହେଵା ଯୋଗ୍ଯ କାରଣ ଓଡ଼ିଶାରେ ଏହା ପୂର୍ଵରୁ କେଉଁଠି ବି ଵୈଦେଶିକ ଶାସକଙ୍କ ଵିପକ୍ଷରେ ଏଭଳି ଯୁଦ୍ଧ ହୋଇନଥିଲା ।

ଏ ଯୁଦ୍ଧରେ ଫରାସୀମାନଙ୍କର ଅନେକ କ୍ଷତି ହେଲା ଫଳରେ ବାଧ୍ଯ ହୋଇ ସେମାନେ ଵିପ୍ଳଵୀମାନଙ୍କର ସନ୍ଧି କଲେ ।  ସନ୍ଧି ଅନୁସାରେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କୁ ଘୁମୁସର ରାଜ୍ୟର ରାଜଭାର ପୁନଃ ପ୍ରଦାନକରାଯାଇଥିଲା କିନ୍ତୁ ପ୍ରକୃତରେ ଶାସନର ସବୁ କ୍ଷମତା ଫରାସୀମାନଙ୍କ ହାତରେ ହିଁ ରହିଥିଲା ।

ତେଵେ ଵିପ୍ଳଵୀ କୃଷ୍ଣଭଞ୍ଜ ଫରାସୀମାନଙ୍କୁ ଏ ଦେଶରୁ ଵିତାଡି଼ତ କରିଵାର ତାଙ୍କ ଭଵିଷ୍ଯତ ଯୋଜନା କାର୍ଯ୍ୟକାରୀ କରିଵା ପାଇଁ ଜାଣିଶୁଣି ଏଭଳି ସନ୍ଧି କରିଥିଲେ ।

ଚାରିଵର୍ଷ ପରେ ୧୭୫୭ ମସିହାରେ ଫରାସୀ ଜେନେରାଲ୍ ଡି. ବସ୍ ଗଞ୍ଜାମର ଵିଭିନ୍ନ ଜମିଦାର ଓ ରାଜାମାନଙ୍କଠାରୁ ସେମାନଙ୍କ ବକାୟା ପାଉଣା ଦେଵାକୁ ବାଧ୍ୟ କଲେ ଏଣେ ସାଧାରଣ ଜନତାଙ୍କ ଉପରେ ମଧ୍ୟ ସେମାନଙ୍କ ଅତ୍ଯାଚାର ଦିନୁଁ ଦିନ ବଢିବାରେ ଲାଗିଥିଲା ।

ସେଇ ଵର୍ଷ ନଭେମ୍ବର ମାସରେ ଅନେକ ଜମିଦାର ,ଓଡ଼,ବେଣାଏତ ଓ କାଳାଞ୍ଜୀ ଯୋଦ୍ଧା ତଥା ସ୍ଥାନୀୟ ଵିପ୍ଳଵୀମାନେ କୃଷ୍ଣଭଞ୍ଜଙ୍କ ନେତୃତ୍ୱରେ  ଫରାସୀଵାହିନୀଙ୍କ ଵିପକ୍ଷରେ ଭୀଷଣ ଯୁଦ୍ଧ କରିଥିଲେ ।

ଫରାସୀଵାହିନୀକୁ କୌଣସି ପ୍ରକାରେ ଘୁମୁସରର ଘନ ଜଙ୍ଗଲ ମଧ୍ୟକୁ ଆଣି ସେମାନଙ୍କୁ ଗରିଲା ଯୁଦ୍ଧ ବଳରେ ପ୍ରତିହତ କରିଵାର ଯୋଜନା ହୋଇଥାଏ । ପ୍ରଥମେ ପ୍ରଥମେ ଏଥିଯୋଗୁଁ ଫରାସୀଵାହିନୀକୁ ଅନେକ କ୍ଷତି ସହିଵାକୁ ହେଲା । ଫରାସୀମାନେ ଵିପ୍ଳଵୀ କୃଷ୍ଣଭଞ୍ଜଙ୍କ ଜଣେ ଚାକରକୁ ଧନଲୋଭ ଦେଇ ତାହାଠାରୁ ଵିପ୍ଳଵୀମାନଙ୍କ ଜଙ୍ଗଲଦୁର୍ଗ ଵିଷୟରେ ସବୁ ଜାଣିଲେ ।

ଯୁଗେ ଯୁଗେ ଵିଶ୍ଵାସଘାତକଙ୍କ ଯୋଗୁଁ ବଡ଼ ବଡ଼ ଯୁଦ୍ଧରେ ଵିଜୟୀ ପକ୍ଷ ପରାଜିତ ହୋଇଛି । ଵିପ୍ଳଵୀ କୃଷ୍ଣଭଞ୍ଜ ମଧ୍ୟ ନିଜ ଵିଶ୍ଵାସଘାତକ ଭୃତ୍ଯ ଯୋଗୁଁ ବନ୍ଦୀ ହେଲେ ଓ  
୧୭୭୩ ମସିହାରେ ତାଙ୍କର ଦେହାଵସାନ ହୋଇଥିଲା ।
ରାଜା କୃଷ୍ଣଭଞ୍ଜଙ୍କର ସୁପୁତ୍ର ଵିକ୍ରମ ଭଞ୍ଜ ଏହାର କେତେକ ଵର୍ଷପରେ ଇଂରେଜମାନଙ୍କ ଵିପକ୍ଷରେ ଆନ୍ଦୋଳନ କରି ଦୁଇଵର୍ଷକାଳ ସେମାନଙ୍କୁ ହନ୍ତସନ୍ତ କରିପକାଇଥିଲେ । ସେ ଥରେ ଏକାକି ପଡୋ଼ଶୀ ମରହଟ୍ଟା ଅଞ୍ଚଳରେ ଆତର୍କିତ ଆକ୍ରମଣ କରି କୋଡି଼ଏ ଜଣ ଇଂରେଜ ସୈନିକ ସମେତ ଅନେକ ସିପାହୀଙ୍କୁ ମାରିଦେଇଥିଲେ ।

ଅଵଶ୍ୟ ଓଡ଼ିଶାର ଘୁମୁସର ଭଳି ତାମିଲନାଡୁରେ ମଧ୍ୟ ୧୭୫୭ ମସିହାରେ  ଵିପ୍ଳଵୀ Maveeran Alagumuthu Kone ୧୭୫୭ରେ ଇଂରେଜମାନଙ୍କ ଵିପକ୍ଷରେ ଯୁଦ୍ଧ କରି ନିହତ ହୋଇଥିଲେ ।

ତେଵେ ଦୁଃଖ ଓ ପରିତାପର ଵିଷୟ ଆଜି ତାମିଲ୍ ଯୋଦ୍ଧା Maveeran Alagumuthu Koneଙ୍କ ନାଆଁଟି ଅଳ୍ପବହୁତେ ଜଣାଶୁଣା ଥିଵାଵେଳେ ଓଡ଼ିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ରାଜାକୃଷ୍ଣଚନ୍ଦ୍ର ଭଞ୍ଜଙ୍କ ନାମ ଭାରତ କଣ୍ ଓଡ଼ିଶାରେ ସୁଦ୍ଧା ଅନେକ ଲୋକଙ୍କୁ ଜଣାନଥିଵ । ଓଡ଼ିଶାର ଏହି ଵୀର ସଂଗ୍ରାମୀଙ୍କ ଵିଷୟରେ କେମିତି ଅଧିକରୁ ଅଧିକ ଜାଣିଵେ ସେଥିପାଇଁ ସର୍ଵଭାରତୀୟ ସ୍ଥରରେ ପ୍ରଚେଷ୍ଟା କରିଵା ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତଵ୍ଯ ।

Thursday, June 20, 2019

ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ୍ ଶ୍ରୀ ଗୋପୀନାଥ ନନ୍ଦଶର୍ମାଙ୍କ ସୂକ୍ତି


୧.ସଂସ୍କୃତରୁ ଵିକୃତିପ୍ରାପ୍ତ ପ୍ରାକୃତ ଶବ୍ଦାଦି ଓଡ଼ିଆରେ ଯେତେ ଵ୍ଯଵହୃତ,ଅନ୍ଯ ଅନେକ ଭାଷାରେ ସେଥେ ଦେଖିଵାକୁ ମିଳେ ନାହିଁ ।

୨.ପ୍ରାକୃତ ଵ୍ଯାକରଣ ଲକ୍ଷଣମାନ ଓଡ଼ିଆ ଭାଷାରେ ଯେତେ ପରିମାଣରେ ଅନ୍ଵିତ,ଅନ୍ଯ ଭାଷାମାନଙ୍କରେ ସମ୍ଭଵତଃ ସେତେ ନୁହେଁ ।

୩.ନାନା ଦେଶୀୟ ଭାଷାମାନଙ୍କର ସମଷ୍ଟି ପ୍ରାକୃତ ଯେପରି ଗୋଟିଏ ସ୍ଵତନ୍ତ୍ର ଭାଷା, ଓଡ଼ିଆ ମଧ୍ଯ ସେହିପରି ସ୍ଵତନ୍ତ୍ର । ଓଡ଼ିଆ ରାଜ୍ୟରେ ଏହାର ଅକ୍ଷୁଣ୍ଣ ଅଧିକାର ।

୪.ଓଡି଼ଆରେ ସାଂସ୍କୃତିକ ଶବ୍ଦ ମାନଙ୍କର ମୌଳିକ ଆକାର ଯେପରି ପ୍ରାୟ ଅକ୍ଷୁଣ୍ଣ ରହେ,ତୈଲଙ୍ଗ ପ୍ରଭୃତିରେ  ସେପରି  ନୁହେଁ । ଏହାର କାରଣ ପ୍ରଥମା ଏକଵଚନ ଵିଭକ୍ତି ପ୍ରତ୍ଯୟର ଅଭାଵ ଓ ସଦ୍ଭାଵ । ତୈଲଙ୍ଗ ପ୍ରଭୃତିରେ ପ୍ରଥମା ଏକଵଚନ ଵିଭକ୍ତି ଯୋଗ ହୋଇଯାଉଥିଵାରୁ ତତ୍ସମ ଶବ୍ଦର କିଞ୍ଚିତ୍ ଭିନ୍ନାକୃତି ଜଣାଯାଏ । ଓଡ଼ିଆ ଭାଷାରେ ତାହା ନଥିଵାରୁ ତତ୍ସମ ଶବ୍ଦ ଅଵିକଳ ସଂସ୍କୃତ ପରି ପ୍ରତିପନ୍ନ ହୋଇଥାଏ ।

୫.ଵିକୃତ ପ୍ରକ୍ରିୟା ଦେଶୀୟ ଭାଷାମାନଙ୍କର ପ୍ରଧାନ ହୃତପିଣ୍ଡ ସ୍ଵରୂପ। ଏସବୁ ନଜାଣି ଲୋକେ ଅନେକ ସମୟରେ ଅଶ୍ରୁତ ତଦ୍ଭଵ ଶବ୍ଦଟିଏ ଶୁଣିଲେ,ତାକୁ ଅପରିଶୁଦ୍ଧ ମନେ କରନ୍ତି । ସେମାନେ କୌଣସି ପ୍ରକାର ଯେଵେ ତା’ର  ମୂଳ ଶବ୍ଦଟି ଜାଣିପାରନ୍ତି,ତେଵେ ସେହି ମୂଳ ପ୍ରକୃତିର ରୂପାନୁସାରୀ ଵା ସମାନରୂପ କରୁଣାର୍ଥ ପରିଶୋଧନ କରିଵାକୁ ଚେଷ୍ଟା କରନ୍ତି । କିନ୍ତୁ ସେପରି କରିଵା ଵିହିତ ନୁହେଁ । ସେହି ଶବ୍ଦଟି ପ୍ରାକୃତର ନିୟମିତ ବିକୃତି ପ୍ରକ୍ରିୟାରେ ସାଧୁ ଅଟେ ।

୬.ସଂସ୍କୃତ ଶବ୍ଦ ଓ ପଦର ନିଷ୍ପତ୍ତି ସକାଶେ ଯାଦୃଶ ନିୟମମାନ ପ୍ରଯୋଜ୍ଯ, ଓଡ଼ିଆ ସକାଶେ ମଧ୍ୟ ସେହିପରି । ଓଡ଼ିଆ ନିଜେ ନିର୍ନିୟମ ଭାଷା ନୁହେଁ । ଏହା ଖୁବ୍ ନିୟମବଦ୍ଧ । ନିଯମ ଵ୍ଯତିରିକ୍ତ କୌଣସି ଭାଷାରେ ଶବ୍ଦାଦି ସାଧୁ ହୋଇ ନପାରେ ।

୭.ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ ।

୮.ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ତାତ୍କାଳିକ ଉଡ୍ର ଵା ଓଡ଼ିଆ ଭାଷା ଯାହା, ଆଧୁନିକ ଓଡ଼ିଆ ଭାଷା (ଅବିକଳ) ତା’ ନହେଲେ ସୁଦ୍ଧା ତାହା କେଵଳ କାଳକ୍ରମେ ଏହି ରୂପରେ ପରିଣତ ଓ ପରିଵର୍ତ୍ତିତ ହୋଇଅଛି । ଅତଏଵ ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅବିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।

୯.କୌଣସି ଦେଶୀୟ ଭାଷା ତତ୍ର ପ୍ରଚଳିତ ତତ୍ସମ ଅର୍ଥାତ୍ ଶବ୍ଦଗୁଡ଼ିକୁ ଏଵଂ ଵିଜାତୀୟ ଦେଶଜ ଶବ୍ଦଗୁଡ଼ିକୁ ନିଜର ମୂଳ ସମ୍ପତ୍ତି ବୋଲି ଦାଵି କରିନପାରେ । ସଂସ୍କୃତ ଶବ୍ଦ ସମୁଦାୟରେ ସମଗ୍ର ଦେଶୀୟ ଭାଷାମାନଙ୍କର ସମାନ ଅଧିକାର ଓ ତୁଲ୍ଯ ସମ୍ପର୍କ । ଭାଷାର ସ୍ଵୀୟ ଶବ୍ଦସମ୍ପତ୍ତି ପ୍ରଦର୍ଶନ କଲାଵେଳେ ତଦୀୟ ତଦ୍ଭଵ ଶବ୍ଦନିଚୟ ଏଵଂ ସଜାତୀୟ ଦେଶଜ ଶବ୍ଦସନ୍ଦୋହ କେଵଳ ଧାର୍ଯ୍ୟ ହେଵା ଵିହିତ ।

୧୦.ଓଡି଼ଆ ଶବ୍ଦତତ୍ଵପରିଶୀଳଞ ସଂସ୍କୃତ ଓ ପ୍ରାକୃତ—ଉଭୟ ଭାଷାରେ ଅଭିଜ୍ଞତାର ସାପେକ୍ଷ । ସେଥିପାଇଁ ସେହି ଉଭୟ ଭାଷାରେ ପାଣ୍ଡିତ୍ୟ ଦରକାର ।

୧୧.ଯଥାଯଥ ଵର୍ଣ୍ଣଵିନ୍ଯାସ ହେଲେ ଭାଷା ଶୁଦ୍ଧ ଏଵଂ ଅଯଥା ଵର୍ଣ୍ଣଵିନ୍ଯାସରେ ଭାଷା ଅଶୁଦ୍ଧ ହୁଏ । ମୁଖରେ ଏକପ୍ରକାର ଉଚ୍ଚାରଣ କରି ଅନ୍ୟ ପ୍ରକାରର ଲେଖିଵା ବଡ଼ ବାଡ଼ମ୍ଵନା । ଏହା ସର୍ଵଭାଷାଵିତ୍’ମାନଙ୍କର ମତ ।

୧୨.ଭାଷାର ମୌଳିକ ସତ୍ତା କେଵଳ ଜାତୀୟତାର ପ୍ରାଣ ।

୧୩.ଯେଉଁ ଭାଷାରେ ଦେଶଜ ଜାତୀୟ ଶବ୍ଦ ଯେତେ ଅଧିକ,ସେହି ଭାଷା ସେତେ ପରିମାଣରେ ଶକ୍ତିଶାଳିନୀ । ଏହା ଏକପ୍ରକାରେ ସମସ୍ତ ଦେଶର ଭାଷାଵିତ୍ ସମାଜରେ ସର୍ଵଵାଦିସମ୍ମତ । ଦେଶଜ ଶବ୍ଦର ବହୁଳତା ଏଵଂ ପରିପୁଷ୍ପତାରୁ ଜାତୀୟ ପ୍ରାଣର ପୂର୍ଣ୍ଣତା ଏଵଂ ବହୁମୁଖୀ ଚିନ୍ତାର ପରିଚୟ ମିଳେ ।

୧୪.ଜାତୀୟ ପ୍ରାଣର ନୈସର୍ଗିକ ଭାଵଵ୍ଯଞ୍ଜନ ଶବ୍ଦଗୁଡ଼ିକ ଲୋପ ପାଇଗଲେ ଜାତୀୟ ଶକ୍ତିର ଯେ କି ଅନିଷ୍ଟ ହୁଏ, ତାହା ସାମାନ୍ୟ ଚିନ୍ତା କଲେ ଅନାୟସରେ ଜଣାପଡ଼ିଵ ।

୧୫.ଯେଉଁ ଜାତି ସମ୍ଯକ୍ ଉଦୀୟମାନ ହେଲାପରେ ନିଜର ଭାଷା ପ୍ରତି ଓ ନୈସର୍ଗିକ ସତ୍ତାରେ ଗଠିତ ଵିଶୁଦ୍ଧ ଜାତୀୟ ଶବ୍ଦମାନଙ୍କ ପ୍ରତି ସମ୍ଯକ୍ ଆସ୍ଥା ଓ ଅଭିମାନ ରଖେ ନାହିଁ ସେହି ଜାତିର ତାଦୃଶ ଶବ୍ଦମାନ କିଛିକାଳପରେ ଵନ୍ଯ କ୍ଷୁଦ୍ର କ୍ଷୁଦ୍ର ଉଦ୍ଭିଦପ୍ରାୟ ଵିଲୁପ୍ତ ହୋଇଯାଏ ।

Thursday, June 13, 2019

କଵି ଓ ତାଙ୍କ ଉପାଧି

ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍ତି ।

(୧) କଵିଚନ୍ଦ୍ର ନାରାୟଣ ଶର୍ମା

●କଵିଚନ୍ଦ୍ର ନାରାୟଣ ଶର୍ମା ଅଷ୍ଟମ ଶତାଦ୍ଦୀର ଜନୈକ କଵି । ଏ 'ଏକାମ୍ରଚନ୍ଦ୍ରିକା' ଗ୍ରନ୍ଥର ପ୍ରଣେତା ଅଟନ୍ତି ।

(୨) କଵିଚନ୍ଦ୍ର ରଘୁନାଥ ପରୀକ୍ଷା

●କଵିଚନ୍ଦ୍ର ରଘୁନାଥ ପରୀକ୍ଷା ଜଣେ ଓଡ଼ିଆ ପ୍ରାଚୀନ କବି । ଏହାଙ୍କ ବାସସ୍ଥାନ ଅଵିଭକ୍ତ ଗଞ୍ଜାମ ଜିଲାର ପାରଳାଖେମଣ୍ଡି ଅଟେ । ସେ 'ଗୋପୀନାଥ— ବଲ୍ଲଭ' ନାମକ ନାଟକର ରଚୟିତା ଅଟନ୍ତି ।

(୩)କଵିଚନ୍ଦ୍ର ବାସୁଦେବ ବଡ଼ ପଣ୍ଡା

●କଵିଚନ୍ଦ୍ର ଵାସୁଦେବ ବଡ଼ପଣ୍ଡା ତତ୍କାଳୀନ କେନ୍ଦୁଝର ରାଜ୍ୟର ଆନନ୍ଦପୁର ଅନ୍ତର୍ଗତ ବଳଭଦ୍ରପୁର ଶାସନଵାସୀ ଜନୈକ ସ୍ବର୍ଗୀୟ ପଣ୍ଡିତ ଥିଲେ । ଏ ସରସ ସଙ୍ଗୀତ ରଚନାରେ ଓ ପ୍ରାଚୀନ ଓଡ଼ିଆ ଗୀତମାନଙ୍କର ଅର୍ଥ କରିବାରେ ପଟୁଥିଲେ। ଶ୍ରୀଯୁକ୍ତ କେଶଵ ମିଶ୍ର ତାଙ୍କ ବୈତରଣୀ ପଦ୍ଯର ତୃତୀୟ ସର୍ଗରେ ଏହାଙ୍କ ଵିଷୟରେ ଵର୍ଣ୍ଣନା କରି ଅଛନ୍ତି ।

(୪) କଵିଚନ୍ଦ୍ର ଭୁବନେଶ୍ବର

●ଏ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହିଞ୍ଜଳ ଗ୍ରାମର ଲୋକ, ଜାତିରେ ବ୍ରାହ୍ମଣ । ସେ ୧୮୪୬ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୮୯୨ ଖ୍ରୀଷ୍ଟାବ୍ଦରେ ସ୍ବର୍ଗାରୋହଣ କରିଥିଲେ । ତାଙ୍କ ଚରିତ ଗ୍ରନ୍ଥମାନଙ୍କ ମଧ୍ଯରେ 'ସୀତାବିଳାସ' 'ଵାସୁଦେଵ ଵିଳାସ' ମହାଦେଵ ଓ ଵିଷ୍ଣୁଙ୍କ ସ୍ତଵ ପୁସ୍ତିକା ଓ 'ପ୍ରବନ୍ଧମାଳା' ପ୍ରଧାନ ଅଟେ ।

କବିଚନ୍ଦ୍ରର ଭାଵାର୍ଥ କବିଶ୍ରେଷ୍ଠ ଅଟେ । ଯେ କଵିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଵିଵେଚିତ ହେଉଥିଲେ ତାଙ୍କୁ ଏ ଉପାଧି ପ୍ରଦାନ କରାଯାଉଥିଲା । କଵିରଵି,କଵିସୂର୍ଯ୍ୟ ଓ କଵିଗୁରୁ ଆଦି ଉପାଧିରେ ମଧ୍ୟ ଏହି ଭାଵାର୍ଥ ରହିଛି ।

କଵିରଵି/କଵିସୂର୍ଯ୍ୟ କହିଲେ ସାଧାରଣତଃ କଵି ଵଳଦେଵ ରଥଙ୍କୁ ବୁଝାଇ ଥାଏ ତେବେ ଆଉ ଜଣେ କଵିସୂର୍ଯ୍ୟ ମଧ୍ୟ ଏ ମାଟିରେ ଜନ୍ମଲାଭ କରିଥିଲେ ସେ ହେଉଛନ୍ତି କଵିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା । ସେ ୧୮ଶ ଶତାବ୍ଦୀର ଶେଷ ଭାଗରେ ନୂଆଗଡ଼ ଗଡ଼ଜାତରେ ଜନ୍ମଲାଭ କରିଥିଲେ । ସେ ଜଣେ ବ୍ରାହ୍ମଣ ଵୈଷ୍ଣଵ କଵି ଥିଲେ । ସେ 'ନାମଚିନ୍ତାମଣି', 'ପ୍ରେମପଞ୍ଚାମୃତ' ଓ 'ପ୍ରେମଲହରୀ' ପ୍ରଭୃତି ଗ୍ରନ୍ଥର ପ୍ରଣେତା ଅଟନ୍ତି ।
କଵିଜ୍ୟୈଷ୍ଠ ଓ କଵିଗୁରୁ ଆଦି ଉପାଧି ଆଦିକଵି ଵାଲ୍ମିକୀଙ୍କୁ ପ୍ରଦାନ କରାଯାଇଛି । ତାଙ୍କ ସମ ଵିଦ୍ଵାନ କଵିମାନଙ୍କୁ ଏ ଉପାଧି ପ୍ରାପ୍ତ ହୋଇଥାଏ ।

ସେହିପରି କଵିରାଜ ଉପାଧିରେ ଶ୍ରୀ କେଶଵ ରଥ ଓ ଶ୍ରୀହରେକୃଷ୍ଣ ପୁରୋହିତ
ଭୁଷିତ ହୋଇଅଛନ୍ତି । ଏହାର ଭାଵାର୍ଥ ମଧ୍ୟ ଶ୍ରେଷ୍ଠ କବି ଅଟେ । ତେବେ ବୈଦ୍ଯ; ଆୟୁର୍ବେଦୀୟ ଚିକିତ୍ସକ,ଆୟୁର୍ବେଦିକ ପଣ୍ଡିତ ଓ ଆଶୁକଵି ଵା ଭାଟ ମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା । ସଂସ୍କୃତଜ କଵି ଶବ୍ଦର 'ଭବିଷ୍ଯଦ୍ଦ୍ରଷ୍ଟା ବ୍ଯକ୍ତି'(ପ୍ରାଚୀନ କାଳରୁ ଗୁଣିଗାରେଡି ସାଧକମାନେ ଭଵିଷ୍ୟଵକ୍ତା ହେଵା ସହିତ ଔଷଧ ଶାସ୍ତ୍ରରେ ପାରଙ୍ଗମ ହେଉଥିଲେ ।),ବିଦ୍ବାନ,ପଣ୍ଡିତ,ସର୍ବଜ୍ଞ,ଚିନ୍ତାଶୀଳ, ଜ୍ଞାନବାନ୍,ବହୁଦର୍ଶୀ,ପ୍ରଶଂସ୍ଯ,ଚତୁର ଓ ପାରଗ ଆଦି ଅର୍ଥ ଆଧାରରେ ବହୁଶାସ୍ତ୍ର ଵିଶେଷତଃ ଜ୍ୟୋତିଷ ଓ ଆୟୁର୍ବେଦ ଶାସ୍ତ୍ରର ଜ୍ଞାତା ପଣ୍ଡିତ ମାନଙ୍କୁ ମଧ୍ୟ କଵିରାଜ ଉପାଧି ପ୍ରଦାନ କରାଯାଉଥିଲା ।

ଓଡ଼ିଶାର କଵିମାନଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜ ସର୍ଵାଧିକ ପାଞ୍ଚଗୋଟି ଉପାଧି ଲାଭ କରିଥିଲେ ।

(୧)ପ୍ରଥମେ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉପେନ୍ଦ୍ର ଭଞ୍ଜ 'ଵୀରଵର' ଉପାଧିରେ ଭୁଷିତ ହୋଇଥିଲେ ।
(୨)ଓଡ଼ିଶାର କଵିମାନଙ୍କ ମଧ୍ୟରେ ରାଜା ଉପେନ୍ଦ୍ର ଭଞ୍ଜଙ୍କୁ ଶ୍ରେଷ୍ଠ ମନେକରି ତାଙ୍କୁ କଵି ସମ୍ରାଟ ଉପାଧି ପ୍ରଦାନ କରାଯାଇଥିଲା ।

(୩)ଓଡ଼ିଶାର କଵିମାନଙ୍କ ମଙ୍ଗୁଆଳ ଵିଵେଚନା କରି ଉପେନ୍ଦ୍ର ଭଞ୍ଜଙ୍କୁ ମଙ୍ଗରାଜ ଉପାଧି ପ୍ରଦାନ କରାଯାଇଥିଲା।

(୪)ଓଡ଼ିଶାର ଶ୍ରେଷ୍ଠ କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଶୈଳୀ ଅତି ଉଚ୍ଚକୋଟୀର ହୋଇଥିଵାରୁ ତାଙ୍କୁ କଵି ସାର୍ବଭୌମ ଉପାଧି ପ୍ରଦାନ କରାଯାଇଥିଲା।

(୫)ଓଡ଼ିଆ ସାହିତ୍ୟର କଵିଙ୍କ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କୁ ରାଜା ଭାଵେ ଵିଵେଚନା କରାଯାଇ ତାଙ୍କୁ କଵିକୁଳ କେଶରୀ ଉପାଧି ପ୍ରଦାନ କରାଯାଇଥିଲା।

ଆଉ କେତେକ ଉପାଧି ଓ ଉକ୍ତ ଉପାଧିଧାରୀ କଵିମାନଙ୍କ ନାମୋଲ୍ଲେଖ କରାଗଲା ।

●ଆଦି କବି ସାରଳା ଦାସ
●ବ୍ୟାସ କବି ଫକୀରମୋହନ ସେନାପତି
●ସ୍ଵଭାବ କବି ଗଙ୍ଗାଧର ମେହେର
●କବି ବର ରାଧାନାଥ ରାୟ
●କବି ଶେଖର ଚିନ୍ତାମଣୀ ମହାନ୍ତି
●କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବାସୁ
●କିଶୋର କବି ଶ୍ୟାମସୁନ୍ଦର ଦାସ
●କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
●ଜାତୀୟ କବି ବୀରକିଶୋର ଦାସ
●ପ୍ରେମ କବି ମାୟାଧର ମାନସିଂହ
●ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର
●ସନ୍ଥ କବି ଭୀମ ଭୋଇ
●ଗଣ କବି ବୈଷ୍ଣବ ପାଣି
●ଗୀତ କବି ଗୋପାଳ କୃଷ୍ଣ ପଟ୍ଟନାୟକ
●ଭକ୍ତ କବି ମଧୁସୂଦନ ରାଓ
●ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର
●ଅତିବଡ଼(ଡୀ଼) ଜଗନ୍ନାଥ ଦାସ
●ପଲ୍ଲୀ କବି ନନ୍ଦ କିଶୋର ବଳ
●ଗାଥା କବି ଗୋଦାବରୀଶ ମିଶ୍ର
●ନାରୀ କବି କୁନ୍ତଳା କୁମାରୀ ସାବତ
●କୋକିଳ କବି ଭଗବାନ ପତି
●ବ୍ୟଙ୍ଗ କବି ଗୋଦାବରିଶ ମହାପାତ୍ର
●ବିପ୍ଳବୀ କବି ରବି ସିଂହ
●କବି ରତ୍ନ ପୁରୁଷୋତ୍ତମ ମିଶ୍ର
●କବି ଭୂଷଣ ଗୋପୀନାଥ ପାତ୍ର
●କବି କଳାହଂସ ଗୋପାଳ କୃଷ୍ଣ ପଟ୍ଟନାୟକ

(ତଥ୍ୟ;ଉପସ୍ଥାପନା―ଶିଶିର ସାହୁ ମନୋଜ )