ଓଡ଼ିଆ ସାହିତ୍ୟାକାଶରେ ଦେଖା ଦେଇଥିଲା ଆଧୁନିକ ସାହିତ୍ୟ ଓ ରୀତିଯୁଗର ସାହିତ୍ୟକୁ ନେଇ ଏକ ଭୀଷଣ ସାହିତ୍ୟ ଯୁଦ୍ଧ । ସେତେଵେଳେ ଏହି ଯୁଦ୍ଧକୁ “ଇନ୍ଦ୍ରଧନୁ — ଵିଜୁଳି ଵିଵାଦ” ଆଖ୍ୟା ମିଳିଥିଲା । ଇନ୍ଦ୍ରଧନୁ ଓ ଵିଜୁଳି ପ୍ରକୃତରେ ଦୁଇଗୋଟି ସାହିତ୍ୟ ପତ୍ରିକା ଏଵଂ ଇନ୍ଦ୍ରଧନୁ କଟକରୁ ପ୍ରକାଶିତ ହେଉଥିଵା ଵେଳେ ଵିଜୁଳି ବାମଣ୍ଡା ରାଜ୍ୟରୁ ପ୍ରକାଶ ପାଉଥିଲା ।
ମହାକଵି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଅନ୍ୟ ରୀତିଯୁଗୀୟ କଵି ତାଙ୍କ କାଵ୍ୟର ପୃଷ୍ଠ ପୋଷଣ କରୁଥିଲା ଇନ୍ଦ୍ରଧନୁ ଏଵଂ ରାଧାନାଥ ରାୟଙ୍କ ପରି ଆଧୁନିକ କଵି ଓ ତାଙ୍କ କାଵ୍ଯକୁ ସମର୍ଥନ କରି ଲେଖା ଛପାଉଥିଲା ଵିଜୁଳି ପତ୍ରିକା ।
ଇନ୍ଦ୍ରଧନୁ ପକ୍ଷରେ ଗୋପବନ୍ଧୁ ଦାସ ,ନୀଳକଂଠ ଦାଶ ଇତ୍ୟାଦି ଥିଲାଵେଳେ ଵିଜୁଳି ପକ୍ଷରେ ଗୋପାଳ ଚନ୍ଦ୍ର ପ୍ରହରାଜ, ବାମଣ୍ଡା ରାଜନ, ମଧୁସୂଦନ ରାଓ ଆଦି ଥିଲେ । ପରେ ଅଵଶ୍ୟ ଏହି ଦୁଇଗୋଷ୍ଠୀ ମଧ୍ୟରେ “ଓଡ଼ିଆ ଲିପିସଂସ୍କାର” ଵା “ଓଡ଼ିଆ ଵର୍ଣ୍ଣ ଓ ମୌଳିକତା ହତ୍ୟା”କୁ ନେଇ ଵିଵାଦ ଲାଗିରହିଥିଲା ।
ଵିଜୁଳି ଇନ୍ଦ୍ରଧନୁ ଵିଵାଦର ପ୍ରାରମ୍ଭିକ କାଳର ଘଟଣା । ସେତେଵେଳେ ରାଧାନାଥ ରାୟ ଥିଲେ ଓଡ଼ିଶା ଵିଦ୍ୟାଳୟ ସମୂହର ଇନସ୍ପେକ୍ଟର । ଇନ୍ଦ୍ରଧନୁରେ ତାଙ୍କରି ଵିରୁଦ୍ଧରେ ଗୋଟିଏ ଵ୍ୟଙ୍ଗ୍ୟ କଵିତା ପ୍ରକାଶିତ ହେଲା । ରାଧାନାଥ ସେଇ କଵିତାର ଶରଵ୍ଯ । ଉକ୍ତ କଵିତାରୁ ପଦେ ବଡ଼ ହାସ୍ୟୋଦ୍ଦୀପକ ...
“କିଛି ଦୂରେ ଛ’ନ୍ତି ଧଡି଼ଆ ପଣ୍ଡିତମନ୍ୟ
ବାଉରୀ ସାହିରେ ଶୃଗାଳ କେଶରୀ
ପରି, ହେଉଥାନ୍ତି ଗଣ୍ୟ” 😂😂😂
ଏ କଵିତା କିଏ ଲେଖିଛି ସେ ଵିଷୟରେ ଅନୁସନ୍ଧାନ ଆରମ୍ଭ ହୋଇଗଲା ଏଵଂ ଜଣାଗଲା ଯେ ପୁରୀ ଜିଲ୍ଲାସ୍କୁଲର ଜଣେ ଛାତ୍ର ଗୋପବନ୍ଧୁ ଦାସ ଏ କଵିତା ଲେଖିଅଛନ୍ତି । ତହୁଁ ହଠାତ୍ ପୁରୀ ଜିଲ୍ଲା ସ୍କୁଲ ପରିଦର୍ଶନରେ ଗଲେ ତତ୍କାଳୀନ ଓଡ଼ିଶା ସ୍କୁଲ ଇନ୍ସପେକ୍ଟର ରାଧାନାଥ ରାୟ ।
ଗୋପବନ୍ଧୁ ଉକ୍ତ ଵ୍ୟଙ୍ଗ୍ୟ କଵିତାଟି ଲେଖିଥିଵାରୁ ସେ ଦଣ୍ଡିତ ହେଲେ । ତାଙ୍କର ବୃତ୍ତି କାଟିଦିଆଗଲା ଏଵଂ ଶ୍ରେଣୀଗୃହର ବେଞ୍ଚ ଉପରେ ସେ ଛିଡ଼ା ହୋଇ ପାଠ ପଢି଼ଵେ ବୋଲି ଆଦେଶ ହେଲା ।
ଏ ଘଟଣା ଶୁଣିଲା କ୍ଷଣି ଶ୍ରୀରାମଚନ୍ଦ୍ର ଦାସ ହେଡମାଷ୍ଟର ଶ୍ରୀଗୋପାଳ ଦାସ ସରକାରଙ୍କ ନିକଟକୁ ଯାଇ ଵିଦ୍ୟାଳୟରୁ ଗୋପବନ୍ଧୁଙ୍କ ସାର୍ଟିଫିକେଟ ଆଣିଵାକୁ ଦାଵି କଲେ । ହେଡମାଷ୍ଟର ବାବୁ ଇନ୍ସପେକ୍ଟରଙ୍କୁ ଜଣେଇଲେ ସେଇଠୁ ଏହାର ଗୋଟିଏ ସମାଧାନ ହେଲା ଯେ ଗୋପବନ୍ଧୁ ବେଞ୍ଚରେ ଛିଡ଼ା ହେଵେନି କିନ୍ତୁ ତାଙ୍କୁ ମିଳୁଥିଵା ବୃତ୍ତି ଆଉ ମିଳିଵ ନାହିଁ ।
ଗୋପବନ୍ଧୁ ବାଲ୍ୟକାଳରୁ କିପରି ଵୈପ୍ଳଵିକ ମନୋଵୃତ୍ତିର ଅଧିକାରୀ ଥିଲେ ଏଇ ଘଟଣା ତାହାର ଏକ ଉଦାହରଣ ମାତ୍ର । ସେ ଯାହା ହେଉ ପରେ ଗୋପବନ୍ଧୁଙ୍କର ରାଧାନାଥଙ୍କ ସହିତ ସମ୍ପର୍କ ନିଵିଡ଼ ହୋଇଥିଲା ଏଵଂ ଏକ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି "ଇନ୍ଦ୍ରଧନୁ ଵିଜୁଳି କଳି" ବି ଥମିଯାଇଥିଲା । ତେଵେ ଏ ଵିଵାଦ ଆଜି ବି ଵେଳେ ଵେଳେ ଦେଖାଯାଏ ଯେ କେଉଁ ସାହିତ୍ୟ ଶ୍ରେଷ୍ଠ ?
No comments:
Post a Comment