My Blog List

Showing posts with label ନକ୍ଷତ୍ର. Show all posts
Showing posts with label ନକ୍ଷତ୍ର. Show all posts

Sunday, September 17, 2023

•ତାରକାଙ୍କ ମଧ୍ୟରେ ମହାନାୟକ : ଧ୍ରୁଵତାରା(ଶିଶିର ସାହୁ ମନୋଜ)•


ଧ୍ରୁଵତାରା ଵା Polaris ଉତ୍ତର ଧ୍ରୁଵର ନିକଟରେ ଅଵସ୍ଥିତ ଥିଵାରୁ ଏହା ଏକ ନିଶ୍ଚଳ ତାରକା ପ୍ରତିଭାତ ହୋଇଥାଏ ସେଥିପାଇଁ ଭାରତୀୟମାନେ ଏହି ତାରକାର ନାମ ଧ୍ରୁ ଧାତୁରୁ ସ୍ଥିର ହେଵା ଅର୍ଥରେ ନିଷ୍ପନ୍ନ କରି ଧ୍ରୁଵ ଦେଇଥିଲେ । ଏହା ସର୍ଵଦା ସ୍ଥିର ଜଣାପଡ଼େ ଫଳତଃ ସହସ୍ରାଧିକ ଵର୍ଷ ଧରି ଏହାକୁ ଦେଖି ଅକୂଳ ସମୁଦ୍ରରେ ଓ ମରୁଭୂମିରେ ନାଵିକ ତଥା ପଥିକମାନେ ରାତିରେ ଦିଗ ଓ ଗନ୍ତଵ୍ୟ ପଥ ନିର୍ଣ୍ଣୟ କରି ଆସୁଛନ୍ତି । ପ୍ରାଚୀନ କାଳରେ ଧ୍ରୁଵତାରା ଅଧିକ ମହତ୍ତ୍ବପୂର୍ଣ୍ଣ ଥିଲା କାରଣ ଆଜି ଭଳି ସେ ଯୁଗରେ ପଥିକ ନାଵିକ ପାଇଁ ଦିଗ ନିର୍ଣ୍ଣୟ ହେତୁକ ଏତେ ଯାନ୍ତ୍ରିକ ସୁଵିଧା ସୁଯୋଗ ନଥିଲା । ସେଥିପାଇଁ କ୍ରମେ ଧ୍ରୁଵତାରାକୁ ସାଂସ୍କୃତିକ ମହତ୍ତ୍ଵ ମଧ୍ୟ ମିଳିଲା । ଭାରତରେ ଧ୍ରୁଵତାରାକୁ ନେଇ ଏକ ପୌରାଣିକ ଆଖ୍ୟାନ ରହିଛି ‌। 

ଉତ୍ତାନପାଦ ରାଜାଙ୍କର ପୁତ୍ର ଧ୍ରୁଵ ଜଣେ ପରମଵୈଷ୍ଣଵ ଭକ୍ତବାଳକ ଭାବେ ଭାରତରେ ଜଣାଶୁଣା । କୁହାଯାଏ ଏହି ଵିଷ୍ଣୁଭକ୍ତ ଧ୍ରୁଵ ଧ୍ରୁଵଯୋଗରେ ଜନ୍ମଗ୍ରହଣ କରିଥିଲେ ‌ । ଭାରତୀୟ ପୁରାଣଗାଥା ଅନୁସାରେ ସ୍ଵୟଂଭୂଵ ମନୁଙ୍କର ପୁତ୍ର ଉତ୍ତାନପାଦ ରାଜା ତାଙ୍କ କନିଷ୍ଠା ପତ୍ନୀ ସୁରୁଚିଙ୍କ ପ୍ରେରଣାରେ ତାଙ୍କର ପ୍ରଥମା ରାଣୀ ସୁନୀତିଙ୍କୁ ଵନକୁ ନିର୍ଵାସିତ କଲେ। ସୁନୀତିଙ୍କର ଵନଵାସ ସମୟରେ ଦିନେ ରାଜା ମୃଗୟାକୁ ଯାଇଥିଲେ। ସେ ପଥଭ୍ରଷ୍ଟ ହୋଇ ସୁନୀତିଙ୍କ କୁଟୀରରେ ପହଞ୍ଚିଲେ; ରାଜା ସୁନୀତିଙ୍କୁ ଆପଣା ରାଣୀ ବୋଲି ସେତେବେଳେ ଚିହ୍ନି ପାରି ନ ଥିଲେ; କିନ୍ତୁ ସୁନୀତି ରାଜାଙ୍କୁ ନିଜର ସ୍ୱାମୀ ବୋଲି ଚିହ୍ନିଲେ ଓ ତାଙ୍କୁ ଆଶ୍ରୟ ଦେଇ ଖୁବ୍ ଆଦର ଓ ସତ୍କାର କଲେ। ରାଜା ସୁନୀତିଙ୍କ କୁଟୀରରେ ଏକ ରାତ୍ର ରହିଲେ। ତତ୍ ଫଳରେ ସୁନୀତି ଗର୍ଭଵତୀ ହୋଇ ଧ୍ରୁଵଙ୍କୁ ଜନ୍ମ ଦେଲେ । ରାଜା ପରଦିନ ରାଜଧାନୀକୁ ଚାଲି ଆସିଲେ। ରାଜା ସୁନୀତିଙ୍କୁ ଭେଟିଵା ସମୟରେ ତାଙ୍କୁ ଗୋଟିଏ ଅଭିଜ୍ଞାନ ଵା ସନ୍ତକ ଦେଇଥିଲେ; ସୁନୀତି ତାହା ଧ୍ରୁଵଙ୍କ ହାତରେ ଦେଇ ତାହାଙ୍କୁ ପିତାଙ୍କ ନିକଟକୁ ପଠାଇଲେ। ରାଜା ଉକ୍ତ ସନ୍ତକ ଦେଖି ଧ୍ରୁଵଙ୍କୁ ଆପଣା ପୁତ୍ର ବୋଲି ଜାଣି କୋଳରେ ବସାଇଥିଵା ସମୟରେ ଵିମାତା ସୁରୁଚି ତାହା ଦେଖି ରାଜାଙ୍କୁ ତିରସ୍କାର କଲେ ଏଵଂ ଧ୍ରୁବଙ୍କୁ ରାଜପୁରରୁ ତଡ଼ିଦେଲେ। ଧ୍ରୁଵ ଲାଞ୍ଛନା ପାଇ ଵନକୁ ଫେରି ଆସି ମାତା ସୁନୀତିଙ୍କୁ ଏ କଥା କହିଵାରୁ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, "ଭଗଵାନ୍ ଦୁଃଖୀର ଦୁଃଖ ଦୂର କରନ୍ତି।" ବାଳକ ଧ୍ରୁଵ ପଚାରିଲେ, "ଭଗଵାନ କାହାନ୍ତି?" ମାତା କହିଲେ, "ସେ ସବୁଠାରେ ଅଛନ୍ତି। ତାଙ୍କୁ ଯେ ଡାକେ ସେ ତା ଦୁଃଖ ଦୂର କରନ୍ତି ଓ ତାକୁ ଦେଖା ଦିଅନ୍ତି।" ବାଳକ ଧ୍ରୁଵ ମାତାଙ୍କଠାରୁ ଏହା ଶୁଣି ଅରଣ୍ୟକୁ ଯାଇ ଏକାନ୍ତଚିତ୍ତରେ ହରିଙ୍କୁ ଡାକିଲେ। ହରି ବାଳକର ଭକ୍ତିରେ ଵିଗଳିତ ହୋଇ ତାଙ୍କୁ ଦେଖା ଦେଲେ। ଉତ୍ତରଦିଗର ଆକାଶରେ ଦେଖା ଯାଉଥିଵା ଧ୍ରୁବ ନକ୍ଷତ୍ରହିଁ ଏହି ଧ୍ରୁଵ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । 

ଧ୍ରୁଵତାରାର ଭାରତୀୟ ସନାତନୀ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଗୃହ୍ୟସୂତ୍ରମାନଙ୍କରେ ଵିଵାହର ୧୩ ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ଵିଵାହ ହୋମ, ଲାଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁଵଦର୍ଶନ, ଯାନାରୋହଣ, ଵିଵାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରଵେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ। ଵିଵାହର ଏହି ତେରଗୋଟି ଅଙ୍ଗ ମଧ୍ୟରେ ଗୋଟିଏ ହେଉଛି ଧ୍ରୁଵ ଦର୍ଶନ । ଏହି 'ଧ୍ରୁଵଦର୍ଶନ' ସନାତନୀମାନଙ୍କ ଵିଵାହ କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ଵକ ଵର କନ୍ୟା ଦୁହେଁ ଧ୍ରୁଵତାରାକୁ ଦର୍ଶନ କରନ୍ତି । ନଵଵିଵାହିତ ଦମ୍ପତିଙ୍କର ପ୍ରେମ ଧ୍ରୁଵତାରା ପରି ନିଶ୍ଚଳ ରହିଵ ଏହି ଉଦ୍ଦେଶ୍ୟରେ ଧ୍ରୁଵଦର୍ଶନ କରାଯାଏ । 

ଧ୍ରୁଵଲୋକ ଓ ଧ୍ରୁଵମଣ୍ଡଳ ମଧ୍ୟ ସନାତନୀମାନଙ୍କ ପାଇଁ ଏକ ପଵିତ୍ର ସ୍ଥାନ । ଵିଷ୍ଣୁ ଭକ୍ତ ଧ୍ରୁଵଙ୍କ ପାଇଁ ନିର୍ମାଣ କରିଥିଵା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମକୁ ଧ୍ରୁଵଲୋକ କୁହାଯାଏ । ସେହିପରି ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିଵା ସାତଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳକୁ ଧ୍ରୁଵମଣ୍ଡଳ ତଥା ସପ୍ତର୍ଷିମଣ୍ଡଳକୁ ଧ୍ରୁଵଦର୍ଶକ କୁହାଯାଏ। ଭାରତୀୟ ସନାତନୀମାନେ ଵିଶ୍ଵାସ କରନ୍ତି ଯେ ଧ୍ରୁଵଙ୍କ ପରି ଅତ୍ୟନ୍ତ ପୁଣ୍ୟ ତଥା ନିଶ୍ଚଳ ଭକ୍ତି କଲେ ହିଁ ଧ୍ରୁଵଲୋକରେ ସ୍ଥାନ ମିଳେ । ଓଡ଼ିଆ ଭାଗଵତର ତ୍ରୟୋଦଶ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଧ୍ରୁଵଲୋକ ତଥା ଵିଷ୍ଣୁଲୋକ ଵିଷୟରେ ସଂକ୍ଷେପରେ ଏମନ୍ତ ବୋଲାଯାଇଛି...

“ଧ୍ରୁଵ ଲୋକର ଯାଏ ବାଟ ।
ଯିଵା ଆସିଵା ଲୋକେ ଭେଟ ॥
ଯିଏ ସେ ତପସ୍ୟା କରଇ ।
ଧ୍ରୁଵ ମଣ୍ତଳ ଯାଏ ଯାଇ ॥
ତେଣିକି ନ ଦିଅଇ ପଥ । 
ହସି କହନ୍ତି ଜଗନ୍ନାଥ ॥
ଧ୍ରୁବ ମଣ୍ତଳ ମାପ ହୋଇ ।
ଦ୍ୱାଦଶ ଯୂଣ ପଥ କହି ॥
ସୂଚି ମୁନରେ ସରୁ ବାଟ ।
ଯିଵାକୁ ବହୁତ ସଙ୍କଟ ॥
ଚାରି ଯୋଜନ ଦ୍ୱାରେ ଯାଇ ।
ତହୁଁ ସୂକ୍ଷ୍ମ ପଥ ଅଟଇ ॥
ପୁଣି ଚାରି ଯୋଜନ ଦ୍ୱାର ।
ତହିଁରୁ ସରୁ ପଥ ତାର ॥
ତହିଁରୁ ଚାରିଯୂଣ ବାଟ । 
ଲେଶ ପ୍ରମାଣେ ପଥ କଷ୍ଟ ॥
ତେତେକ ଯହୁଁ ଗମି ଯାଇ ।
ତେବେ ମୋ ଭୁବନେ ମିଳଇ ॥
ଯେ ଭୂମି ବିସ୍ତାର ଅପାର ।
ଚୌରାଶି କାଠି ଦୀର୍ଘ ତାର ॥
ପ୍ରତି ତା ଦଶ ଲକ୍ଷ କାଠି ।
ତହିଁ ମଧ୍ୟରେ ଯେ ବଇଠି ॥
ବଇଠି ଉପରେ ମୋ ସ୍ଥାନ ।
ଠୁଳ ଆକାରେ ମୋ ଆସନ ॥”

ଭାରତଵର୍ଷର ପ୍ରାଚୀନ ସଂସ୍କୃତିରେ ଧ୍ରୁଵତାରାକୁ ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟତ୍ର ଦେଖିଵାକୁ ମିଳେ ନାହିଁ । ଅଵଶ୍ୟ ଅନ୍ୟ ଅନେକ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ନାନା ଲୋକଗାଥା ରହିଛି କିନ୍ତୁ ଭାରତୀୟ ସଂସ୍କୃତିରେ ଯେଉଁ ଭଳି ଭାବେ ଧ୍ରୁଵତାରାକୁ ଏକ ଉଚ୍ଚ ସ୍ଥାନ ମିଳିଛି ସେଭଳି ଅନ୍ୟତ୍ର ଦେଖିଵାକୁ ମିଳିନଥାଏ । ପୃଥିଵୀର ଵିଭିନ୍ନ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଭିନ୍ନ ଭିନ୍ନ ଲୋକଗାଥାର ଵର୍ଣ୍ଣନା ରହିଛି । 

ଉତ୍ତର ଆମେରିକାର Paiute ଜନଜାତି ମଧ୍ୟରେ ଧ୍ରୁଵତାରାକୁ ନେଇ ଅନ୍ୟ ଏକ ଲୋକକଥା ପ୍ରଚଳିତ । Na-gah ନାମରେ ଏକ ପାର୍ଵତ୍ୟ ମେଷ ପର୍ଵତ ଚଢି଼ଵାକୁ ବଡ଼ ସୁଖ ପାଉଥିଲା ଏଵଂ ସେ ଏଥିରେ ବଡ଼ ସୁଦକ୍ଷ ମଧ୍ୟ ଥିଲା । ଫଳତଃ Na-gah ମେଷର ପିତା ସ୍ଵୟଂ ଭଗଵାନ ମଧ୍ୟ ତା'ର ଏହି କାମ ପାଇଁ ବଡ଼ ଗର୍ଵ ଅନୁଭଵ କରୁଥିଲେ । ଦିନେ ପର୍ଵତର ସେ ଏମିତି ଏକ ସ୍ଥାନ ଦେଖିଲା ଯୋଉଠିକି ପହଞ୍ଚିଵା ପ୍ରାୟତଃ କଷ୍ଟସାଧ୍ୟ କାର୍ଯ୍ୟ ତେବେ ସେ ଉତ୍ସୁକତାର ସହ ପର୍ଵତ ମଧ୍ୟରେ ଏକ ଗୁମ୍ଫା ପାଇ ତା ସାହାଯ୍ୟରେ ସେହି ଉଚ୍ଚ ସ୍ଥାନରେ ପହଞ୍ଚିଗଲା ‌। କିନ୍ତୁ ଦୁର୍ଭାଗ୍ୟଵଶତଃ Na-gah ମେଷ ଯେଉଁ ଗୁମ୍ପା ଦେଇ ପର୍ଵତ ଶୀର୍ଷରେ ପହଞ୍ଚିଥିଲା ସେହି ଗୁମ୍ପାଟି ଶୀର୍ଷ ଦେଶରେ ଅଵସ୍ଥିତ ପଥର ପଡ଼ି ନିବୁଜ ହୋଇଗଲା ଫଳତଃ ସେ ସେହିଠାରେ ଫସିଗଲା । ଏହା ଦେଖି Na-gah ମେଷର ପିତା ବଡ଼ ଦୁଃଖ କଲେ କାରଣ ତାଙ୍କ ପୁତ୍ର ଆଉ କେବେବି ସ୍ଵଦେହରେ ଫେରିଵ ନାହିଁ ତେଣୁ ସେ ତାକୁ ସବୁଦିନ ପାଇଁ ଅମର କରିଦେଵାକୁ ଉତ୍ତର ଆକାଶର ଧ୍ରୁଵ ତାରକା କରିଦେଲେ । 

ଆମେରିକାର ଲକୋଟା ଜନଜାତୀୟ ଲୋକେ ଧ୍ରୁଵତାରାକୁ "Wičháȟpi owáŋžila" କହୁଥିଲେ ଯାହାର ଆକ୍ଷରିକ ଅର୍ଥ "ସେହି ତାରା ଯିଏ ସର୍ଵଦା ସ୍ଥିର ରୁହେ" । ଲକୋଟା ଜନସୃତି ଅନୁସାରେ ଏହି ତାରା ଜଣେ ସ୍ଵର୍ଗର ଦେଵ ଥିଲେ ଯିଏ Tapun San Win(ଲାଲ୍ ଗାଲ ଵିଶିଷ୍ଟ ମହିଳା)କୁ ବାହା ହୋଇଥିଲେ । କୌଣସି କାରଣରୁ ତାଙ୍କର ପତ୍ନୀ ସ୍ବର୍ଗରୁ ପତିତ ହେଵାରୁ ପତ୍ନୀ ଵିୟୋଗ ଦୁଃଖରେ ତାକୁ ଉଣ୍ଡିଵାକୁ ସେ ସବୁବେଳେ ସ୍ଥିର ହୋଇ ତାକୁ ଏଯାଵତ୍ ଧରା ମଧ୍ୟରେ ଉଣ୍ଡୁଅଛନ୍ତି ‌ । 

ଆମେରିକାର ଇନ୍ୟୁତ୍ ଜନଜାତୀୟ ଲୋକେ ଧ୍ରୁଵତାରାକୁ Nuuttuittuq କହୁଥିଲେ ଯାହାର ଆକ୍ଷରିକ ଅର୍ଥ ସ୍ଥିରତାରା ଅଟେ । ଏହି ଜନଜାତିରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳକୁ ନେଇ ଏକ ଲୋକକଥା ପ୍ରଚଳିତ ଥିଲା ‌। ସାତଜଣ ଶିକାରୀ ଜଙ୍ଗଲରେ ହଜିଗଲେ ଆଉ ଘରକୁ ଯିଵାକୁ ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ । ବଡ଼ କଷ୍ଟରେ ରାତ୍ରି ପୂର୍ଵରୁ ସେମାନେ ଗୋଟିଏ ଗଛ ଉପରେ ଚଢ଼ିଗଲେ ଏଵଂ ସେମାନଙ୍କର ଦେଵତାଙ୍କୁ ସାହାଯ୍ୟ କରିଵାକୁ ପ୍ରାର୍ଥନା କଲେ । ହଠାତ୍ ଏକ ଛୋଟ ଝିଅ ସେଠାରେ ଉପସ୍ଥିତ ହୋଇ କହିଲା ମୋତେ ଦେଵତାମାନେ ତୁମମାନଙ୍କୁ ସାହାଯ୍ୟ କରିଵାକୁ ପଠାଇଛନ୍ତି ମୁଁ ତୁମକୁ ବାଟ କଢ଼ାଇ ଦେବି ତୁମେ ମୋ ପଛେ ପଛେ ଆସ । ସାତଜଣ ଶିକାରୀ ତାକୁ ପଚାରିଲେ ତୁମେ କିଏ ସେତେବେଳେ ଝିଅଟି କହିଲା ମୁଁ ଉତ୍ତର ଦିଗର ତାରା । ବହୁତ ଦିନ ପରେ ଯେତେବେଳେ ସେଇ ସାତଜଣ ଶିକାରୀଙ୍କର ଦେହାନ୍ତ ହୋଇଗଲା ସେମାନେ ଆକାଶରେ ତାରକା ହୋଇଗଲେ ଏଵଂ ସପ୍ତର୍ଷିମଣ୍ଡଳ ଭାବେ ପ୍ରତିଷ୍ଠିତ ହେଲେ ।
ଚୀନର ଦେଶର ପୁରାଣଗାଥାରେ ଧ୍ରୁଵତାରା ସମ୍ବନ୍ଧରେ ଏକ ରୋଚକ କଥା ରହିଛି । ଦେଵୀ "(ମ୍ୟାଡାମ୍) ଜି ଗୁଆଙ୍ଗ" ସ୍ଵର୍ଗର ଉଦ୍ୟାନକୁ ବୁଲି ଯାଇଥିଲେ । ସେ କମଳ ପୁଷ୍କରିଣୀ ପାଖରେ ଥିଵା ଉଷ୍ମ ଝରଣା ଦ୍ୱାରା ଆକର୍ଷିତ ହୋଇ ସେଠାରେ ସ୍ନାନ କଲେ, ହଠାତ୍ ଏକ ଚମତ୍କାର ଘଟଣା ଘଟିଲା ଓ ସେଠାରେ ନଅଟି ପଦ୍ମ ଦେଖାଗଲା ଏଵଂ କିଛି ସମୟ ପରେ ସେହି ନଵଗୋଟି ପଦ୍ମ ମଧ୍ୟରୁ ନଅଟି ଶିଶୁ ଉତ୍ପନ୍ନ ହେଲେ । ତା’ପରେ ସେହି ନଅ ଜଣ ପିଲା ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ପିଲାର ନାମ Gou Cheng Xing ( 勾 城 星 ) ରଖାଗଲା ସେ ହେଲା ସ୍ଵର୍ଗର ଧ୍ରୁଵତାରା । ତାହାର ଅନ୍ୟ ଆଠଜଣ ଭାଇ Tang Lang ( 貪 狼 ), Ju Men ( 巨门 ), Lu Cun ( 路存), Wen Qu ( 文 曲 ), Lian Zhen ( 廉 貞 ), Wu Qu ( 武 曲 ) ଓ Po Jun ( 破 君 ) ସପ୍ତର୍ଷିମଣ୍ଡଳ ଭାବରେ ତାହାର ଶାସନାଧୀନ ହୋଇ ରହିଲେ । 

ଚୀନ ଦେଶର ତାଓ ଧର୍ମରେ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳର ଅଧିଷ୍ଠାତ୍ରୀ ଦେଵୀ Dǒumǔ ବୋଲି ଲୋକଵିଶ୍ଵାସ ପ୍ରଚଳିତ । ଏହାଙ୍କର ଅନ୍ୟ ଚୀନ ଦେଶୀୟ ନାମ Dǒumǔ Yuánjūn,Dòulǎo Yuánjūn,Dàomǔ ଓ Tàiyī Yuánjūn ଅଟେ । Dǒumǔଙ୍କୁ ଧ୍ରୁଵତାରାର ଦେଵୀ ( 斗 母 元 君 ) ଅଭିହିତ କରାଯାଏ । ଚୀନଦେଶରେ ଉଭୟ ତାଓ ଧର୍ମାବଲମ୍ବୀ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଵା ଲୋକେ ଏହି ଦେଵୀଙ୍କୁ ଆରାଧନା କରିଥାନ୍ତି ‌। ଏହି ଦେଵୀ ହିଁ ସପ୍ତର୍ଷିମଣ୍ଡଳ ଓ ଧ୍ରୁଵତାରାର ଜନନୀ ଓ ନଵପୁତ୍ରଙ୍କ ମାତା ତଥା ଏହାଙ୍କର ସମ୍ପୂର୍ଣ୍ଣ ନାମ Jiu Lin Tai Miao Bai Yu Gui Tai Zu Guang Jin Jing Zu Mu Yuan Jun (九 靈 太 妙 白 玉 貴 台 祖 光 金 精 祖 母 元 君 ) ଅଟେ । ଚୀନ ଦେଶର ଲୋକେ ଧ୍ରୁଵତାରା ନିକଟରେ ଦେଵତାମାନେ ଵାସ କରୁଥିଵା ଵିଶ୍ଵାସ କରୁଥିଲେ । Ziwei Emperor ଵା Beiji Emperor ଏହି ଧ୍ରୁଵତାରାରୁ ପୃଥିଵୀର ସବୁ ଭଲ ମନ୍ଦର ଦେଖାଶୁଣା କରୁଥିଲେ । ଏଭଳି ଲୋକଵିଶ୍ଵାସ ପଛରେ ଧ୍ରୁଵତାରାର ସ୍ଥିର ଅଵସ୍ଥାନ ଏକ କାରଣ ହୋଇଥାଇପାରେ । 

ଆରବୀ ପୁରାଣଗାଥାରେ ଧ୍ରୁଵତାରାକୁ ଏହା ଏକ ଦୁଷ୍ଟ ନକ୍ଷତ୍ର ଅଭିହିତ କରାଯାଇଛି ଯିଏ ଆକାଶର ମହାନ ଯୋଦ୍ଧାଙ୍କୁ ହତ୍ୟା କରିଦେଇଥିଲା । ସେହି ମୃତ ଯୋଦ୍ଧାମାନେ ଏବେ 'Funeral Bier' ନକ୍ଷତ୍ରମଣ୍ଡଳ(ସପ୍ତର୍ଷିମଣ୍ଡଳ ଓ great bear)ର କଫିନ ମଧ୍ୟରେ ଅଛନ୍ତି 
 । ନୋର୍ସ୍ ଲୋକଗାଥାରେ ଧ୍ରୁଵତାରାକୁ ଏକ କୀଳକର ଗୋଜିଆ ଭାଗରେ ଥିଵା ତାରକା ଗଣନା କରାଯାଇଛି ଏଵଂ ଏହା ଚର୍ତୁପାଶ୍ୱର୍ରେ ସାରା ଵିଶ୍ଵର ତାରକା ପରିକ୍ରମା କରୁଛନ୍ତି । ସେହିପରି ମଙ୍ଗୋଲୀୟ ଲୋକକଥା ଅନୁସାରେ ଧ୍ରୁଵତାରା ଗୋଟିଏ ଖୁଣ୍ଟ ସଦୃଶ ବ୍ରହ୍ମାଣ୍ଡର ସମସ୍ତ ତାରକାଙ୍କୁ ଧରି ରଖିଛି । 

ଏହିପରି ଭାବେ ପୃଥିଵୀର ପ୍ରାୟ ସବୁ ସଂସ୍କୃତିରେ ଧ୍ରୁଵତାରା ସମ୍ବନ୍ଧରେ ଵିଭିନ୍ନ ଗାଥା ଓ କଥା ରହିଛି । ତେବେ ଧ୍ରୁଵ ତାରା ଵା Pole star ପ୍ରକୃତରେ ଗୋଟିଏ ତାରକାର ନାମ ନୁହେଁ ଵରଂ ଏକ ପାହ୍ୟା । ପ୍ରତି ଦୁଇରୁ ତିନି ସହସ୍ରାଧିକ ଵର୍ଷ ମଧ୍ୟରେ ଧ୍ରୁଵ ତାରା ପରିଵର୍ତ୍ତିତ ହୋଇଥାଏ ।


ଵର୍ତ୍ତମାନ ସମୟରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ହେଉଛି Alpha Ursae Minoris ଵା Polaris ଯାହା ଗତ ଦୁଇ ହଜାର ଵର୍ଷ ଧରି ପୃଥିଵୀର ଧ୍ରୁଵତାରା ହୋଇ ରହିଛି । ୩୧୦୦ ଖ୍ରୀଷ୍ଟାବ୍ଦରେ Gamma Cephei ଵା Errai ନକ୍ଷତ୍ର ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ତେବେ ଵୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଏହା ଉତ୍ତର ଧ୍ରୁଵଠାରୁ ୩° ଦୂରରେ ରହିଵ । ଏହାପରେ ୫୨୦୦ ଖ୍ରୀଷ୍ଟାବ୍ଦରେ Iota Cephei ଓ ୫୯୦୦ ଖ୍ରୀଷ୍ଟାବ୍ଦରେ Beta Cephei(Alfirk) ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ହେଵେ । Cepheus ନକ୍ଷତ୍ରପୁଞ୍ଜ ୭୫୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵରେ ସବୁବେଳେ ସ୍ଥିର ରହିଥିଵା ଦେଖାଯିଵ ଏହି ନକ୍ଷତ୍ରପୁଞ୍ଜର ଉଜ୍ଜ୍ୱଳ ତାରକା Alderamin ଧ୍ରୁଵତାରା ପାହ୍ୟା ଲାଭ କରିଵ । ଏହାପରେ Alpha Cygni ଵା Deneb ୯୮୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରିଵ । Cygnus ନକ୍ଷତ୍ରପୁଞ୍ଜର Delta Cygniଵା Fawaris ୧୧,୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୃଥିଵୀର ଉତ୍ତର ଧ୍ରୁଵର ଆହୁରି ନିକଟତର ହୋଇ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ ହେଵ । Lyra ନକ୍ଷତ୍ରପୁଞ୍ଜର Vega ନକ୍ଷତ୍ର ୧୨୦୦୦ ଖ୍ରୀଷ୍ଟପୂର୍ଵରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହା ପୁଣି ୧୪୫୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଅଳଙ୍କୃତ କରିଵ ଏଵଂ ସେତେବେଳେ ଏହା ହେଵ ପୃଥିଵୀର ସବୁଠାରୁ ଉଜ୍ଵଳତମ ଧ୍ରୁଵତାରା । ଆଜକୁ ୯୦୦୦ ଖ୍ରୀଷ୍ଟପୂର୍ଵରୁ ୭୪୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Iota Herculis ନକ୍ଷତ୍ର ପୃଥିଵୀର ଉତ୍ତର ଧ୍ରୁଵତାରା ଥିଲା ଏଵଂ ପୁନଶ୍ଚ ଏହି ନକ୍ଷତ୍ର ୧୫୦୦୦ ଖ୍ରୀଷ୍ଟାବ୍ଦରେ ପୃଥିଵୀର ଧ୍ରୁଵତାରା ହୋଇ ୧୮୪୦୦ ଖ୍ରୀଷ୍ଟାବ୍ଦରେ ଉତ୍ତର ଧ୍ରୁଵଠାରୁ ମାତ୍ର ୧° ଛାଡ଼ି ଅଵସ୍ଥିତ ରହିଵ । Draco ନକ୍ଷତ୍ରପୁଞ୍ଜର Thuban ନକ୍ଷତ୍ର ଆଜକୁ ପ୍ରାୟ ୪୪୨୦ ଖ୍ରୀଷ୍ଟପୂର୍ଵଠାରୁ ୩୦୦୦ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ଥିଲା ଏଵଂ ଏହାପରେ Kochab ନକ୍ଷତ୍ର ଏହି ସ୍ଥାନ ଅଳଙ୍କୃତ କରିଥିଲା । ଵର୍ତ୍ତମାନର ଧ୍ରୁଵତାରା Alpha Ursae Minoris ଵା Polaris ପ୍ରାୟ ୧.୧୦୦ ଖ୍ରୀଷ୍ଟପୂର୍ଵଠାରୁ ଵର୍ତ୍ତମାନ ପର୍ଯ୍ଯନ୍ତ ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଧ୍ରୁଵତାରା ପାହ୍ୟା ଲାଭ କରି ରହିଛି । ପ୍ରଥମେ Polaris ଉତ୍ତର ଧ୍ରୁଵଠାରୁ ୭° ଦୂରରେ ଥିଲା କିନ୍ତୁ ଵର୍ତ୍ତମାନ ଏହା ୦.୫° ଦୂରରେ ଅଵସ୍ଥିତ ଯାହା ଏହାକୁ ପୃଥିଵୀର ଏକ ଯୋଗ୍ୟ ଧ୍ରୁଵତାରା ଭାବେ ପ୍ରତିଷ୍ଠିତ କରିଥାଏ । ଆଜକୁ ବହୁତ ପରେ ୨୭,୮୦୦ ଖ୍ରୀଷ୍ଟାବ୍ଦରେ ଆଜିର ଧ୍ରୁଵତାରା Polaris ପୁଣି ପୃଥିଵୀର ଉତ୍ତର ଧ୍ରୁଵତାରା ପାହ୍ୟା ଲାଭ କରି ଅନେକ ଵର୍ଷ ପର୍ଯ୍ଯନ୍ତ ଧ୍ରୁଵତାରା ହୋଇ ରହିଵ । ପୃଥିଵୀର Axial precession ଯୋଗୁଁ ଏହାର axis rotation cycle ପ୍ରତି ୨୬୦୦୦ ଵର୍ଷରେ ଥରେ ସମ୍ପୂର୍ଣ୍ଣ ହୋଇଥାଏ ଫଳତଃ ସମୟ ସହିତ ଧ୍ରୁଵତାରାର ପାହ୍ୟା ମଧ୍ୟ ପରିଵର୍ତ୍ତିତ ହୋଇଥାଏ । 
 
ଯେମିତି ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ସୁମେରୁ ଧ୍ରୁଵତାରା ଓ ସପ୍ତର୍ଷିମଣ୍ଡଳ ଦେଖାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ମଧ୍ୟ ଏକ ଧ୍ରୁଵତାରା ତଥା crux ତାରକାପୁଞ୍ଜ ଅଛି । ଵର୍ତ୍ତମାନ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା ହେଉଛି Polaris (Alpha Ursae Minoris) ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ Polaris Australis (Sigma Octantis) ହେଉଛି କୁମେରୁ ଧ୍ରୁଵତାରା । ଉତ୍ତର ଗୋଲାର୍ଦ୍ଧର ଧ୍ରୁଵ ତାରାକୁ ସୌମ୍ୟ ଧ୍ରୁଵତାରା କୁହାଯାଏ ସେହିପରି ଦକ୍ଷିଣ ଧ୍ରୁଵତାରାକୁ ଯାମ୍ୟ ଧ୍ରୁଵତାରା କହିଥାନ୍ତି । ଦକ୍ଷିଣ ଦିଗଵଳୟ ତଳେ ଥିଵାରୁ ଭାରତରୁ ଏହି ଦକ୍ଷିଣୀ ଧ୍ରୁଵତାରା ଦୃଶ୍ୟ ହୁଏନାହିଁ । ଉତ୍ତର ଗୋଲାର୍ଦ୍ଧରେ ଯେମିତି ସପ୍ତର୍ଷିମଣ୍ଡଳ(big dipper)ର କ୍ରତୁ(Dubhe) ଓ ପୁଲହ(Merak )କୁ ସଂଯୁକ୍ତ କରି ଏକ କାଳ୍ପନିକ ରେଖା ଦ୍ଵାରା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ଠାବ କରାଯାଏ ଠିକ୍ ସେହିପରି ଦକ୍ଷିଣ ଗୋଲାର୍ଦ୍ଧରେ ତ୍ରିଶଙ୍କୁମଣ୍ଡଳ(Crux) ନାମକ ଏକ ତାରକାପୁଞ୍ଜର Gacrux ତାରା ଓ Acrux ତାରା ସାହାଯ୍ୟରେ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ପ୍ରାପ୍ତ ହୋଇଥାଏ । ଅଵଶ୍ୟ ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଆମ୍ଭ କ୍ରାନ୍ତିବୃତ୍ତଵାସୀମାନଙ୍କୁ(Tropical ) ଦେଖାଯାଉନଥିଲେ ବି ତ୍ରିଶଙ୍କୁମଣ୍ଡଳ(Crux)କୁ ଆମ୍ଭେମାନେ ଆକାଶରେ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଦେଖିପାରୁଁ । ତେବେ ଉତ୍ତର ଗୋଲାର୍ଦ୍ଧରେ ଦକ୍ଷିଣ ଗୋଲାର୍ଦ୍ଧ ଅପେକ୍ଷା ଭୂଭାଗ ଅଧିକ,ଲୋକ ସଂଖ୍ୟା ଅଧିକ ଫଳତଃ ସଭ୍ୟତା ଓ ସଂସ୍କୃତିର ଵିକାଶ ଉତ୍ତର ଗୋଲାର୍ଦ୍ଧରେ ଅଧିକ ହୋଇଥିଵାରୁ ସାଧାରଣତଃ ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରାକୁ ପୃଥିଵୀରେ ଅଧିକ ମହତ୍ତ୍ଵ ମିଳିଛି । ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା Sigma Octantisର magnitude +5.42 ଯୋଗୁଁ ପୁଣି ଵର୍ତ୍ତମାନର ଆଲୋକ ପ୍ରଦୂଷଣ ହେତୁ ଏହା ଉତ୍ତର ଗୋଲାର୍ଦ୍ଧର ଧ୍ରୁଵତାରା Polaris ଅପେକ୍ଷା ଖାଲିଆଖିରେ ସହଜରେ ଦେଖାଯାଏ ନାହିଁ । ନାଵିକମାନେ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ନକ୍ଷତ୍ରକୁ ଦେଖି ଜାଣିପାରନ୍ତି । ଦକ୍ଷିଣ ଗୋଲାର୍ଦ୍ଧରେ ଵିନା ଦୂରଵିକ୍ଷଣରେ Sigma Octantis'କୁ ଠାବ କରିଵା ପାଇଁ Southern Cross (Crux) , Sigma, Chi, Tau ଓ Upsilon Octantis ଆଦି ନକ୍ଷତ୍ରଗୁଡି଼କର ସାହାଯ୍ୟ ନିଆଯାଏ ‌ । ଭଵିଷ୍ୟତରେ Gamma Chamaeleontis (୪୨୦୦ ଖ୍ରୀଷ୍ଟାବ୍ଦ), I Carinae, Omega Carinae (୫୮୦୦ ଖ୍ରୀଷ୍ଟାବ୍ଦ), Upsilon Carinae, Iota Carinae (Aspidiske, ୮୧୦୦ ଖ୍ରୀଷ୍ଟାବ୍ଦ)ଓ Delta Velorum (Alsephina,୯୨୦୦ ଖ୍ରୀଷ୍ଟାବ୍ଦ) ଇତ୍ୟାଦି ନକ୍ଷତ୍ରଗୁଡି଼କ କୁମେରୁ ଵୃତ୍ତ ନିକଟରେ ଦେଖାଯାଉଥିଵା ଯୋଗୁଁ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିବେ । ପୁଣି ଵୈଜ୍ଞାନିକମାନେ କୁହନ୍ତି ଆଜକୁ ପ୍ରାୟ ୬୦୦୦୦ ଵର୍ଷ ପରେ ପ୍ରଶ୍ଵା ଵା ଲୁବ୍ଧକ(Sirius ) ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁଵତାରା ପାହ୍ୟା ଲାଭ କରିଵ ଏଵଂ ଉତ୍ତର ଗୋଲାର୍ଦ୍ଧରେ ଆଉ ଦୃଶ୍ୟ ହେଵ ନାହିଁ । ଦକ୍ଷିଣ ଗୋଲାର୍ଦ୍ଧର ଦେଶ ବ୍ରାଜିଲର ଜାତୀୟ ପତାକାରେ ତ୍ରିଶଙ୍କୁମଣ୍ଡଳ (crux) ସହିତ ଯାମ୍ୟ ଧ୍ରୁଵତାରା ଦର୍ଶିତ ହୋଇଛି । 

ପୃଥିଵୀର ଉତ୍ତର ଗୋଲାର୍ଦ୍ଧରେ ଥିଵା ଧ୍ରୁଵ ତାରାକୁ ଖାଲି ଆଖିରେ ଦେଖିଲେ ଗୋଟିଏ ତାରକା ବୋଲି ଜଣାପଡ଼େ କିନ୍ତୁ ପ୍ରକୃତରେ 
Polaris ଏକ ତ୍ରି-ତାରକୀୟ ପ୍ରଣାଳୀ (triple star system) ଅଟେ । ଏହି ତିନିଗୋଟି ତାରକା ମଧ୍ୟରେ Polaris Aa ଏକ ଵିଶାଳକାୟ ପୀତଵର୍ଣ୍ଣ ତାରକା ଏଵଂ ଏହାଠାରୁ ଅପେକ୍ଷାକୃତ ଆକାରରେ କ୍ଷୁଦ୍ର Polaris Ab ଓ Polaris B ଏହିପରି ତିନିଗୋଟି ତାରକା ପରସ୍ପରର ଵିଚିତ୍ର ଢଙ୍ଗରେ ପରିକ୍ରମଣ କରୁଛନ୍ତି । Polaris Bକୁ ଅଗଷ୍ଟ ୧୭୭୯ରେ William Herschel ସେସମୟର ଆଧୁନିକ ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଠାଵ କରିଥିଲେ । 

କିନ୍ତୁ କେଵଳ ଯେ ପୃଥିଵୀର ହିଁ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି ତାହା ନୁହେଁ ସୌରମଣ୍ଡଳର ପ୍ରତ୍ୟେକ ଗ୍ରହର ନିଜର ଭିନ୍ନ ଭିନ୍ନ ଉତ୍ତର ଓ ଦକ୍ଷିଣ ଧ୍ରୁଵତାରା ଅଛି । 

•ବୁଧର ଉତ୍ତର ଧ୍ରୁଵତାରା 
Omicron Draconis ଓ ଦକ୍ଷିଣ ଧ୍ରୁଵତାରା Alpha Pictoris ଅଟେ ‌। 

ଶୁକ୍ରର ଉତ୍ତର ଧ୍ରୁଵତାରା"42 Draconis" ଏଵଂ ଦକ୍ଷିଣ ଧ୍ରୁଵତାରା "Eta¹ Doradus" ଅଟେ ।  

ଆମ ପୃଥିଵୀର ଉପଗ୍ରହ ଚନ୍ଦ୍ରର ଦକ୍ଷିଣ ଧ୍ରୁଵତାରା ହେଉଛି Delta Doradus" ଏଵଂ ଉତ୍ତର ଧ୍ରୁଵତାରା "Omicron Draconis" ଅଟଇ । 

ମଙ୍ଗଳଗ୍ରହର ଦକ୍ଷିଣ ଧ୍ରୁଵତାରା Kappa Velorum ହୋଇଥିଲା ବେଳେ ଏହାର ଉତ୍ତର ଧ୍ରୁଵରେ Northern Crossର ଦୁଇଗୋଟି ନକ୍ଷତ୍ର Sadr ଓ Deneb ରହିଥାଏ ଫଳତଃ ଏହି ଦୁଇଗୋଟି ତାରକାକୁ ମଙ୍ଗଳର ଉତ୍ତର ଧ୍ରୁଵତାରା କୁହାଯାଇପାରେ । 

ବୃହସ୍ପତିଙ୍କ ଦକ୍ଷିଣ ଧ୍ରୁଵରେ Zeta Draconis ଓ ଉତ୍ତର ଧ୍ରୁଵରେ Delta Doradus ରହିଥାଏ । 

ଶନିର ଉତ୍ତର ଧ୍ରୁଵଠାରୁ ଛଅ ଡିଗ୍ରୀ ଛାଡ଼ି ଆମ ଗ୍ରହର ଵର୍ତ୍ତମାନ ଧ୍ରୁଵତାରା Polaris ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵର ଧ୍ରୁଵତାରା ହେଉଛି "Delta Octantis" ନକ୍ଷତ୍ର ‌‌। 

ସେହିପରି "Eta Ophiuchi" ୟୁରାନସର ଉତ୍ତର ଧ୍ରୁଵତାରା ଏଵଂ "15 Orionis" ଏହାର ଦକ୍ଷିଣ ଧ୍ରୁଵତାରା ଅଟେ ‌ । 
ନେପଚୁନ୍‌ର ଉତ୍ତର ଧ୍ରୁଵ ନିକଟରେ Gamma Cygni ଓ Delta Cygni ଥିଲାବେଳେ ଏହାର ଦକ୍ଷିଣ ଧ୍ରୁଵରେ Gamma Velorum ଦେଖାଯାଏ । 

ମୋଟ ଉପରେ କହିଵାକୁ ଗଲେ ପ୍ରତ୍ୟେକ ଗ୍ରହର ପରିକ୍ରମଣ ଓ ଆଵର୍ତ୍ତନ ଗତି ତଥା ଏହାର ଅକ୍ଷପଥ ଭିନ୍ନ ଭିନ୍ନ ହୋଇଥାଏ ବୋଲି ସେସବୁ ଗ୍ରହର ଧ୍ରୁଵତାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏଣୁ ସବୁଗ୍ରହର ଧ୍ରୁଵତାରା ଭିନ୍ନ ଭିନ୍ନ ଅର୍ଥାତ୍ ପୃଥିଵୀର ଧ୍ରୁଵତାରା କେଵଳ ପୃଥିଵୀର ଧ୍ରୁଵତାରା ଅଟେ ଏଵଂ ଅନ୍ୟ ଗ୍ରହରେ ଭିନ୍ନ ଭିନ୍ନ ନକ୍ଷତ୍ରଗୁଡି଼କର ସେଗୁଡ଼ିକର ଦୁଇ ଧ୍ରୁଵରେ ଥିଵା ଦୃଶ୍ୟ ହୁଅନ୍ତି । 

ହଜାର ହଜାର ଵର୍ଷ ଧରି ମନୁଷ୍ୟ ପାଇଁ ରାତ୍ରି ଆକାଶରେ ପଥପ୍ରଦର୍ଶକର କାର୍ଯ୍ୟ କରି ଆସୁଥିଵା ଧ୍ରୁଵତାରାଠାରୁ ଅନେକ କଥା ଶିଖାଯାଇପାରେ । ଧ୍ରୁଵତାରା ସ୍ଥିରତାର ପ୍ରତୀକ,ଯେତେ ଝଡ଼ ଝଞ୍ଜା ଆସୁ ଧ୍ରୁଵତାରା ଭଳି ଆକାଶରେ ସ୍ଥିର ନିଶ୍ଚଳ ରହିଵାକୁ ଶିକ୍ଷା ଦିଆଯାଏ । ନିଜ ପ୍ରତି ତଥା ନିଜର ମୂଲ୍ୟବୋଧ ପ୍ରତି ସବୁବେଳେ ସଚ୍ଚୋଟ ରହିଵାକୁ ଧ୍ରୁଵତାରାଠାରୁ ଶିକ୍ଷା କରାଯାଇପାରେ। ଅନ୍ଧକାର,ଅନିଶ୍ଚିତ ଓ ନିଚ୍ଛାଟିଆ ରାତ୍ରିରେ ଯେମିତି ଧ୍ରୁଵତାରା ପଥିକ ପାଇଁ ଆଶାର କିରଣ ହୋଇଥାଏ ସେହିପରି ଆମେ ମଧ୍ୟ ନିଃସ୍ଵାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିପାରିଵା । ଯେତେ ଵିପଦ ଅସୁଵିଧା ଆସୁ ଧ୍ରୁଵତାରା ଭଳି ଅଚଳ ଅଟଳ ରହିଵାର ମଧ୍ୟ ଶିକ୍ଷା ମିଳିଥାଏ । ଧ୍ରୁଵତାରା ଭଳି ଯାହା ସତ୍ୟ ତାକୁ ଅନୁସରଣ କରିଵା ଉଚିତ୍ । 
ଧ୍ରୁଵତାରା ଯେମିତି ନିଜ ଆଲୋକ ଦ୍ଵାରା ଅନ୍ୟକୁ ମାର୍ଗଦର୍ଶନ କରିଥାଏ ଠିକ୍ ସେହିପରି ଆପଣଙ୍କ ଆଭ୍ୟନ୍ତରୀଣ ଆଲୋକ ଆପଣଙ୍କ ଯାତ୍ରାରେ ମାର୍ଗଦର୍ଶକ ହେଉ ...
••••••••••••••••••••••••••
ଲେଖକ—ଶିଶିର ସାହୁ ମନୋଜ
ଢେଙ୍କାନାଳ(କନ୍ତିଓ ପୁଟସାହି)
•••••••••••••••••••••••••••








Sunday, May 28, 2023

ପ୍ରାଚୀନ ଧ୍ରୁଵତାରା Thuban ଵା ଯମ

ପ୍ଲୋଟୋ ଵାମନଗ୍ରହର ଭାରତୀୟ ନାମ 'ଯମ' ଦିଆଯାଇଛି କିନ୍ତୁ ପ୍ରାଚୀନ ଭାରତୀୟମାନେ Thuban ନକ୍ଷତ୍ରକୁ ପୂର୍ଵେ 'ଯମ' ନାମ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Thubanର ଯମ ନାମ ଉଲ୍ଲେଖ ଅଛି ।‌

Thuban ନକ୍ଷତ୍ର ଅପେକ୍ଷାକୃତ ଅଳ୍ପ ଉଜ୍ଜ୍ୱଳ ତେଣୁ ଏହାକୁ ଦେଖିଵାକୁ ନିର୍ମଳ ଓ ଅନ୍ଧକାର ରାତ୍ର ଆକାଶ ଆଵଶ୍ୟକ । ବାଇନାକୁଲର ଓ ଦୂରଵିକ୍ଷଣ ସାହାଯ୍ୟରେ ସହଜରେ ଏହି ନକ୍ଷତ୍ରକୁ ଦେଖାଯାଇପାରେ ।

 ଏହି ତାରକାକୁ ଠାବ କରିଵା ପାଇଁ Big dipper (ସପ୍ତର୍ଷିମଣ୍ଡଳ)ର Mizar(ଵଶିଷ୍ଠ) ତାରକାଠାରୁ little dipper (ଧ୍ରୁଵମତ୍ସ୍ୟ)ର Pherkad ତାରକାକୁ ଏକ କାଳ୍ପନିକ ସରଳରେଖା ଦ୍ଵାରା ଯୋଡି଼ଲେ ସେହି ସରଳରେଖା ମଧ୍ୟରେ Thuban ଵା ଯମ ଦୃଶ୍ୟ ହେଇଥାଏ । 


ଆଜକୁ ପ୍ରାୟ ୫୦୦୦ ଵର୍ଷ ତଳେ ଯେତେବେଳେ ମିଶରରେ ପିରାମିଡ୍ ନିର୍ମାଣ ଚାଲିଥିଲା ସେତେବେଳେ Thuban ଵା ଯମ ଥିଲା ପୃଥିଵୀର ଧ୍ରୁଵତାରା । ଏହାପରେ kochab ଏଵଂ ଵର୍ତ୍ତମାନ Polaris ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଛି ‌।


୩୯୪୨ ଖ୍ରୀଷ୍ଟପୂର୍ଵରୁ ୧୭୯୩ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Thuban ପୃଥିଵୀର ଧ୍ରୁଵତାରା ଥିଲା ଏଵଂ ୨୮୩୦ ଖ୍ରୀଷ୍ଟପୂର୍ଵ ବେଳକୁ ଏହା ଉତ୍ତର ଧ୍ରୁଵର ସବୁଠାରୁ ନିକଟରେ ୦.୨°ରେ ଅଵସ୍ଥିତ ଥିଲା । ତେବେ ଏହା ଅନ୍ୟାନ୍ୟ ଧ୍ରୁଵତାରାଗୁଡ଼ିକ ଅପେକ୍ଷା ପୃଥିଵୀ ଆକାଶରେ ସବୁଠାରୁ ଅଳ୍ପ ଉଜ୍ଜ୍ୱଳ ଜଣାପଡ଼େ । Thuban ଆମଠାରୁ ୩୦୩ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ପ୍ରକୃତରେ ଗୋଟିଏ ନୁହେଁ ଵରଂ ଦୁଇଗୋଟି ତାରକା Alpha Draconis A ଓ Alpha Draconis B ସେଠାରେ ପ୍ରତି ୫୧.୫ ଦିନରେ ପରସ୍ପରକୁ ପ୍ରଦକ୍ଷିଣା କରୁଛନ୍ତି । Alpha Draconis A ମୁଖ୍ୟ ତାରକାର ପାରମ୍ପରିକ ନାମThuban ଏଵଂ ଏହା A0III ପ୍ରକାର ଵିଶାଳ ଶୁଭ୍ର ଧଵଳ ତାରକା ଅଟଇ । ଏହାର ସୂର୍ଯ୍ୟଠାରୁ ଓଜନ ୨.୮ ଗୁଣ ଅଧିକ ଏଵଂ ସୂର୍ଯ୍ୟଠାରୁ ଏହା ୪୭୯ଗୁଣ ଅଧିକ ଉଜ୍ଜଳ ନକ୍ଷତ୍ର ଅଟେ । ଏହି ନକ୍ଷତ୍ରର ଆକାର ସୂର୍ଯ୍ୟ ଅପେକ୍ଷା ୩.୪ ଗୁଣ ଅଧିକ । ତେବେ ପୃଥିଵୀଠାରୁ ବହୁ ଦୂରରେ ଅଵସ୍ଥିତ ଥିଵାରୁ ଏହି ତାରକାଟି ପୃଥିଵୀପୃଷ୍ଠରୁ ସେତେ ଉଜ୍ଜ୍ୱଳ ଜଣାପଡ଼ିନାହିଁ । Alpha Draconis B ସୂର୍ଯ୍ୟ ଅପେକ୍ଷା ୨.୪ ଗୁଣ ଅଧିକ ଓଜନିଆ ଏଵଂ ୪୦ଗୁଣ ଅଧିକ ଉଜ୍ଵଳତମ । ଵୈଜ୍ଞାନିକମାନେ ଏହା Spectral A² ତାରକା ହୋଇଥିଵା ଅନୁମାନ କରନ୍ତି । 


 ପୃଥିଵୀର ଗୋଟିଏ ପୂର୍ଣ୍ଣ ଵିଷୁଵ ଅଗ୍ରଗମନ( Precession of the equinoxes)କୁ ୨୬୦୦୦ ଵର୍ଷ ସମୟ ଲାଗିଥାଏ ଏଵଂ ଯୋଗୁଁ ପ୍ରତି ଦୁଇ ତିନି ହଜାର ଵର୍ଷରେ ଧ୍ରୁଵତାରାର ପାହ୍ୟା ବଦଳିଥାଏ ।‌ ଫଳତଃ ୨୦୩୪୬ ଖ୍ରୀଷ୍ଟାବ୍ଦରେ ପୁଣି thuban ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ।

Sunday, May 14, 2023

ଏକ ପ୍ରାଚୀନ ନକ୍ଷତ୍ର ସ୍ବାତୀ

ରାତ୍ରି ଆକାଶରେ ସପ୍ତର୍ଷିମଣ୍ଡଳକୁ ଠାବ କରନ୍ତୁ ଏଵଂ ତହିଁରେ ଥିଵା ସାତଗୋଟି ନକ୍ଷତ୍ର ମଧ୍ୟରେ ଵଶିଷ୍ଠରୁ ମରିଚି ନକ୍ଷତ୍ର ଆଡ଼କୁ ଏକ ସାମାନ୍ୟ ଵକ୍ର କାଳ୍ପନିକ ରେଖା ଟାଣି ତାକୁ ଆହୁରି ଟିକିଏ ଲମ୍ବାଇ ଦିଅନ୍ତୁ । ବାସ୍ ! ଯେଉଁ ଉଜ୍ଵଳ ନକ୍ଷତ୍ର ପାଇବେ ତାହା ସ୍ଵାତୀ ନକ୍ଷତ୍ର ଅଟେ । 

ୟୁରୋପରେ ସ୍ଵାତୀ ନକ୍ଷତ୍ରକୁ Arcturus କୁହାଯାଏ। ସ୍ଵାତୀ ନକ୍ଷତ୍ରର ଏହି Arcturus ନାମଟି ଏକ ଗ୍ରୀକ୍ ନାମ Ἀρκτοῦρος (Arktouros)ର ଆଧୁନିକ ରୂପ ଅଟଇ । ଗ୍ରୀକ୍ ଭାଷାରେ , ἄρκτος (arktos)ର ଅର୍ଥ “ଭାଲୁ” ଓ οὖρος (ouros)ର ଅର୍ଥ “ପାଳକ” ଵା “ଜଗୁଆଳି ଅଟେ । The great bear ନାମରେ ଜଣାଶୁଣା Ursa major ନକ୍ଷତ୍ରପୁଞ୍ଜ ନିକଟରେ ଵିଶେଷତଃ ଏହାର ପୁଚ୍ଛରୂପ ସପ୍ତର୍ଷିମଣ୍ଡଳ ନିକଟରେ ଦେଖାଯାଉଥିଵାରୁ ଗ୍ରୀକମାନେ ଏହି ନକ୍ଷତ୍ରର ଏଭଳି ନାମକରଣ କରିଥିଲେ । ଏହି ନାମକରଣ ଵିଷୟରେ ଏକ ଗ୍ରୀକ୍ ଲୋକଗାଥା ରହିଛି । 

ଜିଅସ ଓ କାଲିଷ୍ଟୋଙ୍କର ଗୋଟିଏ ପୁତ୍ର ଥିଲା ଯାହାର ନାମ ଆର୍କସ୍ ଥିଲା । ସେମାନେ ଦେଵୀ ଆର୍ଟେମିସଙ୍କର ଅନୁଗାମୀ ଥିଲେ । ସ୍ଵର୍ଗର ଦେଵତା ଜିଅସ୍ ,କାଲିଷ୍ଟୋଙ୍କ ରୂପରେ ମୋହିତ ହୋଇ ଛଦ୍ମଵେଶ ଧାରଣ କରି ତାଙ୍କ ସହିତ ପ୍ରଣୟ କଲେ । ଆର୍କସଙ୍କର ଜନ୍ମର ବହୁଦିନ ପରେ ଯେତେବେଳେ ଜିଉସଙ୍କର ପତ୍ନୀ ହେରା ଏ ଵିଷୟରେ ଜାଣିଲେ, ସେ କ୍ରୋଧିତ ହୋଇ କଲିଷ୍ଟୋଙ୍କୁ ଭାଲୁରେ ରୂପାନ୍ତରିତ କରିଦେଲେ । ସେହି ଭାଲୁ ରୂପା କାଲିଷ୍ଟୋ କାଳେ ଆର୍କାସଙ୍କର କିଏ କ୍ଷତି ଘଟାଇଵ ଏହି ଭୟରେ ଜିଅସ୍ ତାଙ୍କୁ ସେହି ଅଞ୍ଚଳରେ ଲୁଚାଇ ରଖିଥିଲେ ଯାହା ପରେ ତାଙ୍କ ନାମରେ ଆର୍କାଡିଆ ଭାବେ ନାମିତ ହୋଇଥିଲା । ଏହି ଘଟଣାର ବହୁତ ଦିନ ପରେ ଆର୍କସ୍ ରାଜା ହେଲେ ଏଵଂ ନିଜ ଦେଶର ସର୍ଵୋତ୍ତମ ଶିକାରୀ ଭାବରେ ମଧ୍ୟ ପରିଚିତ ହେଲେ । ଦିନେ ସେ ଜଙ୍ଗଲରେ ଭାଲୁ ରୂପରେ ପରିଵର୍ତ୍ତିତା କଲିଷ୍ଟୋଙ୍କୁ ହାବୁଡ଼ିଗଲେ ।‌ ପୁଅକୁ ଚିହ୍ନି ପାରି କାଲିଷ୍ଟୋ ତାଙ୍କୁ ଆଲିଙ୍ଗନ କରିଵାକୁ ଆଗେଇ ଆସିଲେ କିନ୍ତୁ ଆର୍କସ୍ ନିଜ ମାଆଙ୍କୁ ଚିହ୍ନିପାରିଲେ ନାହିଁ ଏଵଂ କେଵଳ ଏକ ଭାଲୁ ତାଙ୍କ ଆଡ଼କୁ ମାଡି଼ ଆସୁଥିଵାର ଦେଖି ନିଜର ଧନୁ ଉଠାଇ ତୀରଟିଏ ମାରିଦେଲେ । ପୁତ୍ର ହସ୍ତରେ ମାତାର ହତ୍ୟା ସହିନପାରି ସ୍ଵର୍ଗର ଦେଵତା ଜିଅସ୍ ଏଥିରେ ହସ୍ତକ୍ଷେପ କରି ମାଆ ଓ ପୁଅକୁ ନକ୍ଷତ୍ରପୁଞ୍ଜରେ ପରିଣତ କରିଦେଲେ ଯାହାକୁ ପରେ Boötes ଓ Ursa Major କୁହାଗଲା ।  

ଚୀନ ଦେଶରେ ସ୍ଵାତୀ ନକ୍ଷତ୍ରକୁ 大角星(Dàjiǎo xīng) ଓ takio କୁହାଯାଏ ।‌ ଚୀନ ଦେଶର ଲୋକେ ସ୍ଵାତୀ(Arcturus) ତଥା ଏହା ନିକଟରେ ଦୃଶ୍ୟ ହେଉଥିଵା ଚିତ୍ରା(Spica) ନକ୍ଷତ୍ରଦ୍ଵୟକୁ Azure Dragonର ଶିଙ୍ଗ ଵିଚାର କରୁଥିଲେ । ପୁଣି ଚୀନ ଦେଶର ଲୋକେ ସ୍ଵାତୀ ନକ୍ଷତ୍ରକୁ ଦେଵତା ତଥା ସମ୍ରାଟମାନଙ୍କର ଵାସସ୍ଥଳୀ ମନେକରୁଥିଲେ । 
ଉତ୍ତର ଆମେରିକାର ଏସ୍କିମୋମାନେ ସ୍ଵାତୀ ନକ୍ଷତ୍ରକୁ "Sibwudl କହୁଥିଲେ । ଡିସେମ୍ବର ଏବଂ ଜାନୁଆରୀର ରାତିରେ ମାଛ ଧରିବା ସମୟରେ ସ୍ଵାତୀ ନକ୍ଷତ୍ର ଦିଗ ତଥା ସମୟ ନିର୍ଦ୍ଧାରଣ ଆଦି କାର୍ଯ୍ୟ ପାଇଁ ଉପାଦେୟ ହେଉଥିଲା । ଏହି ଉଜ୍ଜ୍ୱଳ ତାରାର ଅଵସ୍ଥିତି ପୁଣି ଧ୍ରୁଵ ଚାରିପଟେ ଏହା ଘୂରି ବୁଲୁଥିଵାରୁ ଏସ୍କିମୋମାନେ ରାତିର ସମୟ ଵିଷୟରେ ଜାଣିପାରୁଥିଲେ । ଏସ୍କିମୋମାନଙ୍କର ଏକ ଭାଷା Inuitରେ ସ୍ଵାତୀ ନକ୍ଷତ୍ରକୁ Uttuqalualuk(ଵୃଦ୍ଧତାରା) ଓ Sivulliik(ପ୍ରଥମ ତାରା) କୁ଼ହାଯାଉଥିଲା । 
‌ସେହିପରି କାନାଡ଼ାର Miꞌkmaq ଜନଜାତି ସ୍ଵାତୀ ନକ୍ଷତ୍ରକୁ Kookoogwéss କୁହନ୍ତି ଯାହାର ଅର୍ଥ ପେଚା ଅଟଇ । 

Polynesian ଲୋକେ ସ୍ଵାତୀ ନକ୍ଷତ୍ରକୁ Hōkūleʻa କହୁଥିଲେ ଯାହାର ଅର୍ଥ ଆନନ୍ଦ ପ୍ରଦାୟକ ତାରା ଅଟେ । Polynesian ନାଵିକମାନେ ସ୍ଵାତୀ ଓ ପ୍ରଶ୍ଵା ନକ୍ଷତ୍ର ସାହାଯ୍ୟରେ ସମୁଦ୍ରରେ ଯାତ୍ରା କରୁଥିଲେ । 

ଆରବୀମାନେ ଚିତ୍ରା ଓ ସ୍ଵାତୀ ନକ୍ଷତ୍ର ଦ୍ଵୟକୁ ସ୍ଵର୍ଗ ରକ୍ଷକ ଭାବେ ଅଵତାରଣା କରି al-simāk ତଥା ħāris al-samā ନାମ ଦେଇଥିଲେ । ଆରବରେ  
 ସ୍ଵାତୀ ନକ୍ଷତ୍ରକୁ Al-simak-al-Ramih ମଧ୍ୟ କୁହାଯାଉଥିଲା । 
 
ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ଵ ଅଞ୍ଚଳର Wotjobaluk Koori ଜନଜାତୀୟ ଲୋକେ ସ୍ଵାତୀ ନକ୍ଷତ୍ରକୁ Marpean-kurrk ନାମ ଦେଇଥିଲେ ଏଵଂ ସେମାନଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏହି ନକ୍ଷତ୍ର Djuit (Antares) ଓ Weet-kurrk (Muphrid)ର ଜନ୍ମଦାତ୍ରୀ ଅଟେ । ଏ ଅଞ୍ଚଳରେ ସ୍ଵାତୀ ନକ୍ଷତ୍ର ଉତ୍ତରରେ ଦେଖାଦେଲେ Formica rufa (wood ant) ନାମକ ଏକ ଜନ୍ଦା ଲାର୍ଭା ଦେଉଥିଲା ଏଵଂ ଏହାର ଦକ୍ଷିଣରେ‌ ଅସ୍ତ ସହିତ ଏମାନଙ୍କର ଲାର୍ଭା ଦେଵା ମଧ୍ୟ ବନ୍ଦ ହୋଇଯାଉଥିଲା ।  

ଆମେରିକାର ଲୁମ୍ମୀ ଓ ସ୍ପୋକନେ ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁଯାୟୀ ସ୍ଵାତୀ ନକ୍ଷତ୍ର ଏକ ଶୃଗାଳ ଜାତୀୟ ଜୀଵ Coyoteର ଗୋଟିଏ ଆଖି ଅଟେ ।‌ ଉକ୍ତ କାହାଣୀ ଅନୁସାରେ Coyote (ଆମେରିକୀୟ କୋକିଶିଆଳି) ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ସେ ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗୁଥିଲା ଏଵଂ ପୁଣି ତାକୁ ଧରି ଉଦ୍ଭଟ ଖେଳ ଦେଖାଉଥିଲା । ଦିନେ କୟୋଟେ ଯେତେବେଳେ ସେ ସେମାନଙ୍କ ଆଗରେ ଏହି ଖେଳ ଦେଖାଉଥିଲା ସେତେବେଳେ ସେ ନିଜର ଗୋଟିଏ ଆଖିକୁ ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତାହା ଆକାଶରେ ଅଟକି ଗଲା ଏଵଂ ଏକ ତାରକା ହୋଇଗଲା ଆଉ ସେହି ତାରକାଟି ସ୍ଵାତୀ ନକ୍ଷତ୍ର ହୋଇଗଲା ।‌ 

ଭାରତୀୟମାନେ ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ଵସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ଵଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ଵିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ଵାଷାଢ଼ା, ଉତ୍ତରାଷାଢା, ଶ୍ରଵଣା, ଧନିଷ୍ଠା, ଶତଭିଷା, ପୂର୍ଵଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେଵତୀ ଆଦି ୨୭ଗୋଟି ଉଜ୍ଜ୍ୱଳ ନକ୍ଷତ୍ରକୁ ଚନ୍ଦ୍ରଙ୍କର ପତ୍ନୀ ଅଭିହିତ କରିଥାନ୍ତି ।  

ଏ ଵିଷୟରେ ସାରଳା ମହାଭାରତର ଵନପର୍ଵରେ ଏମନ୍ତ ଉଲ୍ଲେଖ ଅଛି 

“ଚନ୍ଦ୍ର ଦେଵତାଙ୍କୁ ଦିଲା ସତାଇଶ କୁମାରୀ
କାମ୍ୟେକ ପୁରୁଷ ବୋଲି ଦିଲା ସେ ବିଚାରି ॥
ଅଶ୍ୱିନୀ ଦ୍ୱିଜା ଯେ କୃତ୍ତିକା ରୋହିଣୀ ମୃଗଶିରା
ଆର୍ଦ୍ରା ପୁନର୍ଵାସୁ ପୁଷ୍ୟା ଅଶ୍ଲେଷା ମଘା ପୂର୍ଵଫାଲଗୁନୀ ଉତ୍ତରଫାଲଗୁନୀ ହସ୍ତା ଚିତ୍ରା ॥
ସ୍ୱାତୀ ଵିଶାଖା ଅନୁରାଧା ଜ୍ୟେଷ୍ଠା ୟେତେକ ପୁଣି
ମୂଳା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଶ୍ରବଣା ଧନିଷ୍ଠୋୟେ ଘେନି ॥
ଶତଭିଷା ପୂର୍ଵଭୋଦୋ ଉତ୍ତରଭୋଦୋ ଯେ ରେଵତୀ
ୟେମନ୍ତେ ସତାଇଶ କନ୍ୟା ଚନ୍ଦ୍ରଙ୍କୁ ଦିଲାକ ଦକ୍ଷ ପ୍ରଜାପତି ॥”

ପ୍ରାଚୀନ ଭାରତୀୟମାନେ ସ୍ବାତୀ ନକ୍ଷତ୍ର ଵିଷୟରେ ତତ୍କାଳୀନ ଵିଜ୍ଞାନ ଆଧାରରେ ଶାସ୍ତ୍ରରେ ଲେଖିଯାଇଛନ୍ତି । ପ୍ରାଚୀନ ଭାରତୀୟମାନଙ୍କ ଅନୁସାରେ ସ୍ଵାତୀ ନକ୍ଷତ୍ର କୁଙ୍କୁମାରୁଣଵର୍ଣ୍ଣ ଓ ଏକତାରକାଯୁକ୍ତ।ଏହାର ଅଧିଦେଵତା ପଵନ। ଏହି ନକ୍ଷତ୍ରଯୁକ୍ତ ତିଥିରେ ପଵନ ଵା ବତାସ ବହେ ଓ ଵୃଷ୍ଟି ହୁଏ ବୋଲି ଭାରତରେ ଲୌକିକ ଵିଶ୍ଵାସ ପ୍ରଚଳିତ । ଅମାଵାସ୍ୟା, ଶନିଵାର ଓ ସ୍ୱାତି ନକ୍ଷତ୍ର ଏହି ତିନିଙ୍କର ଏକତ୍ର ସଂଯୋଗ ମହାଵାତ୍ୟାସୂଚକ ବୋଲି ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ । ଭାରତୀୟ ପୁରାଣରେ ଉକ୍ତ ଅଛି ଯେ, ସ୍ୱାତି ନକ୍ଷତ୍ରରେ ହେଵା ଵର୍ଷା ଵା ଜଳବିନ୍ଦୁ ସାମୁକାରେ ମୁକ୍ତା, ବାଉଁଶରେ ବଂଶଲୋଚନ ଓ ସର୍ପଙ୍କଠାରେ ଵିଷ ଉତ୍ପାଦନ କରେ। 

“କୁଙ୍କୁମାରୁଣତରୈକତାରକେ ଵାୟୁଭେ ସୁଦତି ମୌଳିମାଗତେ । ଶାୟକାମ୍ବରଚରାଚଳାଃ କଳାଶ୍ଚଞ୍ଚଳାକ୍ଷି ଜଗଦୁର୍ମୃଗୋଦୟାତ୍ ॥” 
 (॥କାଳିଦାସକୃତ ରାତ୍ରିଲଗ୍ନ ନିରୂପକଗ୍ରନ୍ଥ,ଦଂ ୩ । ୧୫ ॥)

କୋଷ୍ଠୀପ୍ରଦୀପ ଶାସ୍ତ୍ର ଅନୁଯାୟୀ 
ସ୍ଵାତୀ ନକ୍ଷତ୍ରରେ ଜାତ ଵ୍ୟକ୍ତି କନ୍ଦର୍ପପରି ରୂପଵାନ୍ କାନ୍ତାଜନପ୍ରିୟ, ରତିପ୍ରସନ୍ନ, ମହାମତି ଓ ବିଭୂତିଶାଳୀ ହୁଅନ୍ତି ।‌

“କନ୍ଦର୍ପରୂପପ୍ରଭୟା ସମେତଃ କାନ୍ତାଜନପ୍ରୀତିରତିପ୍ରସନ୍ନଃ । ସ୍ଵାତିଃ ପ୍ରସୂତୌ ଯଦି ନିତ୍ଯଂ ସ୍ଵାତ୍ ମହାମତିଃ ପ୍ରାତଵିଭୂତିଯୋଗଃ ॥” 
(॥ କୋଷ୍ଠୀପ୍ରଦୀପ ॥ )

ଭାରତୀୟ ଜ୍ୟୋତିଷଶାସ୍ତ୍ରରେ 
ସ୍ୱାତୀ ଯୋଗ ବୋଲି ଏକ ଯୋଗର ଉଲ୍ଲେଖ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଚନ୍ଦ୍ରଙ୍କର ସ୍ୱାତି ନକ୍ଷତ୍ର ସଙ୍ଗେ ସଂଯୋଗକୁ ସ୍ବାତୀଯୋଗ କୁହାଯାଏ ।‌ ପୁଣି 
ରଵିଵାର, ଶନିଵାର ଵା ମଙ୍ଗଳଵାର ଦିନ ଅମାଵାସ୍ୟା ହେଵା ଓ ସେ ଦିନ ରଵିଙ୍କର ସ୍ୱାତି ନକ୍ଷତ୍ରରେ ଅଵସ୍ଥିତି ରୂପ ଜ୍ୟୋତିଷିକ ଯୋଗକୁ ବି ସ୍ଵାତୀଯୋଗ କହିଥାନ୍ତି । 

ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ ଯେ ସ୍ୱାତୀ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳତିଥିରେ ରାତ୍ରିର ପ୍ରଥମ ପ୍ରହରରେ ବୃଷ୍ଟି ହେଲେ ଶସ୍ୟ ବୃଦ୍ଧି ହୁଏ; ଦ୍ୱିତୀୟ ପ୍ରହରରେ ତିଳାଦି ଶସ୍ୟ ପ୍ରଚୁର ହୁଏ; ତୃତୀୟ ପ୍ରହରରେ ଗ୍ରୀଷ୍ମକାଳୀନ ଶସ୍ୟ ପ୍ରଚୁର ହୁଏ। ଦିଵସର ପ୍ରଥମ ତୃତୀୟ ଓ ଚତୁର୍ଥ ଭାଗରେ ଵୃଷ୍ଟି ହେଲେ ହିତକର ହୁଏ, ଅନ୍ଯଥା ଅଶୁଭ ।‌
ଦ୍ୱିଜା ଆର୍ଦ୍ରା, ଅଶ୍ଳେଷା, ସ୍ୱାତି, ଜ୍ୟେଷ୍ଠା ଓ ଶତଭିକ୍ଷା ଏହି ଛଅ ନକ୍ଷତ୍ରକୁ ପ୍ରାଚୀନ ଭାରତରେ ଜଘନ୍ୟଭ କୁ଼ହାଯାଉଥିଲା । 

ଫଳିତ ଜ୍ୟୋତିଷ ମତରେ ଅନୁରାଧା, ଧନିଷ୍ଠା, ହସ୍ତା, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଶତଭିଷା ଓ ରେଵତୀ ଆଦି ନକ୍ଷତ୍ର ନାଟକ ଆରମ୍ଭ କରିଵା ପାଇଁ ଶୁଭ ନକ୍ଷତ୍ର ଅଟନ୍ତି । 

ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖା ଅଛି ଯେ ସ୍ୱାତୀ ନକ୍ଷତ୍ର ଯୋଗ ଦିନ ଵର୍ଷା ହେଵା ସମୟରେ ସାମୁକା ପାଣିରେ ପାଟି ମେଲା କରି ପହଁରୁ ଥାଏ ଓ ସେହି ଦିନ ତାହା ଗର୍ଭରେ ଵର୍ଷା ବିନ୍ଦୁ ପଡ଼ିଲେ ତାହା ମୋତି ପାଲଟି ଯାଏ।

ସ୍ଵଭାଵ କଵି ଗଙ୍ଗାଧର ମେହେର ତାଙ୍କର ତପସ୍ଵିନୀ କାଵ୍ୟର ପଞ୍ଚମ ସର୍ଗରେ ଏହି କଥାକୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରିଛନ୍ତି । 

“ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିଵା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି ।”

ଖ୍ରୀଷ୍ଟପୂର୍ଵ ୫୨୭ରେ ଜୈନଗୁରୁ ମହାଵୀର କାର୍ତ୍ତିକ ମାସ ସ୍ୱାତୀ ନକ୍ଷତ୍ରରେ ଅମାଵାସ୍ୟା ଦିନ ରାତ୍ରି ଶେଷରେ ନିର୍ଵାଣ ପ୍ରାପ୍ତ ହୋଇ ଥିଲେ ଫଳତଃ ଜୈନମାନଙ୍କ ପାଇଁ ସେହିଦିନଠାରୁ ଦୀପାଵଳି ଏକ ପଵିତ୍ର ଦିଵସ ଭାବେ ପରିଗଣିତ ହେଉଅଛି । 

ସ୍ଵାତି ନକ୍ଷତ୍ରର ଅନ୍ୟତମ ଭାରତୀୟ ନାମ ଅନିଳ ଅଟେ ‌। ପଵନଙ୍କର ଅନ୍ୟନାମ ଅନିଳ ଅଟେ ଏଵଂ ଯେହେତୁ ସ୍ବାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ପଵନ ଅଟନ୍ତି ତେଣୁ ସ୍ଵାତୀ ନକ୍ଷତ୍ରର ଏକ ନାମ ଅନିଳ ହୋଇଅଛି । ମେସୋପୋଟାମିଆର ପ୍ରାଚୀନ ସୁମେରୀୟମାନେ ସେମାନଙ୍କର Enlil,Elil ଓ Nunamnir ନାମରେ ଜଣାଶୁଣା ଜଣେ ଦେଵତାଙ୍କୁ ମଧ୍ୟ ସ୍ଵାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ଭାବରେ ଅଭିହିତ କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ନାମଟି ଵାୟୁଦେଵଙ୍କର ଭାରତୀୟ ନାମ ଅନିଳ ସହିତ ମିଶିଯାଉଛି । ଭାରତରେ ଯେମିତି ପଵନ ଦେଵଙ୍କୁ ଵାୟୁ ଓ ଝଡ଼ର ଅଧିଷ୍ଠାତା ଦେଵତା ଵିଚାର କରାଯାଏ ଠିକ୍ ସେହିପରି ପ୍ରାଚୀନ ସୁମେରୀୟମାନେ Enlil ଵା Elilଙ୍କୁ ପଵନ,ଵାୟୁ,ଝଡ଼ ଓ ପୃଥିଵୀର ଅଧିଷ୍ଠାତା ଦେଵତା ଵିଚାର କରୁଥିଲେ । 

ତେବେ ଆଧୁନିକ ଯୁଗରେ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ଵ ଗଵେଷଣା ଓ ଅଧ୍ୟୟନ ଯୋଗୁଁ ଆମ୍ଭମାନଙ୍କୁ ସ୍ଵାତୀ ନକ୍ଷତ୍ର ଵିଷୟରେ ଆହୁରି ଅନେକ ତଥ୍ୟ ପ୍ରାପ୍ତ ହୋଇଛି । 

ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟଠାରୁ ପ୍ରାୟ ୩୬.୭ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ଏହାର ପାଶ୍ଚାତ୍ୟ ନାମ Arcturus ଓ alpha Boötis ଅଟଇ । ସ୍ଵାତୀ ନକ୍ଷତ୍ରର ଵୟସ ୭.୧ ଅବ୍ରୁତ ଵର୍ଷ ଅନୁମାନ କରାଯାଇଛି ଏଵଂ ଏହା ଏକ ଲାଲ୍ ଦାନଵ ନକ୍ଷତ୍ର ଅଟେ ।‌ ଦ୍ରଵ୍ୟମାଣ ଦୃଷ୍ଟିରୁ ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟ ଓଜନର ପାଖାପାଖି ହୋଇଥିଲେ ବି ଆକାରରେ ୨୫ଗୁଣ ବଡ଼ ତଥା ଆଲୋକ ଦୃଷ୍ଟିରୁ ୧୭୦ ଗୁଣ ଅଧିକ ଉଜ୍ଵଳ ଅଟେ । ସ୍ଵାତୀ ନକ୍ଷତ୍ରର ଵ୍ୟାସ ପ୍ରାୟ ୩୫ ନିୟୁତ କିଲୋମିଟର ଥିଵା ଜଣାପଡି଼ଛି । ସ୍ଵାତୀ ନକ୍ଷତ୍ର ଆମର ନକ୍ଷତ୍ର ସୂର୍ଯ୍ୟ(୪.୬ ଅବ୍ରୁତ ଵର୍ଷ ଵୟସ୍କ) ଅପେକ୍ଷା ଵୟସରେ ଅର୍ଦ୍ଧାଧିକ ପୁରାତନ ନକ୍ଷତ୍ର ଏଵଂ ସୂର୍ଯ୍ୟ ଆଖପାଖରେ ଏଭଳି ଅତି ଵୟସ୍କ ନକ୍ଷତ୍ର କମ୍ ହିଁ ରହିଛି ।‌ 

ସ୍ଵାତୀ ଵା Arcturusକୁ "Arcturus moving group" ଵା Arcturus stream ନାମରେ କେତେଗୁଡ଼ିଏ ତାରକା ସମୂହର ଏକ ତାରକା ଭାବେ ଗଣନା କରାଯାଏ ।‌ ଏହି ତାରକା ସମୂହରେ Arcturus ଛଡ଼ା Anser (Alpha Vulpeculae), 27 Cancri ଓ Kappa Gruis ଭଳି ପ୍ରାୟ ୫୨ରୁ ଅଧିକ ତାରକା ଅଛନ୍ତି । ଅନୁମାନ କରାଯାଏ ଏହି ତାରକା ସମୂହରେ ଥିଵା ତାରକାଗୁଡି଼କ Milky way galaxyକୁ ଅତି ପ୍ରାଚୀନ କାଳରେ ଏକ ଉପ-ଛାୟାପଥ(Satellite Galaxy)ରୁ ଆସିଥିଲେ । 

ସୂର୍ଯ୍ୟ ଏବଂ ସୁପରନୋଭା ଵ୍ୟତୀତ ସ୍ଵାତୀ ଵା Arcturus ପ୍ରଥମ ତାରା ଥିଲା ଯାହା ଦିନ ସମୟରେ ଟେଲିସ୍କୋପ ସାହାଯ୍ୟରେ ଦେଖାଯାଇଥିଲା । ୧୬୩୫ ମସିହାରେ ଫ୍ରାନ୍ସର ଜ୍ୟୋତିର୍ଵିଜ୍ଞାନୀ ଓ ଗଣିତଜ୍ଞ ଜାନ୍-ବାପ୍ଟିଷ୍ଟ ମୋରିନ୍ ପ୍ରଥମ ଵ୍ୟକ୍ତି ଭାବେ ଏହି କାର୍ଯ୍ୟ କରି ଦେଖାଇଥିଲେ । ବେଳେ ବେଳେ ସୂର୍ଯ୍ୟ ଅସ୍ତ ହେଵାର ଠିକ୍ ପୂର୍ଵରୁ ଖାଲି ଆଖିରେ ମଧ୍ୟ ସ୍ଵାତୀ ନକ୍ଷତ୍ର ଦୃଶ୍ୟ ହୋଇଥାଏ । 

ଆମ ସୂର୍ଯ୍ୟ ଅପେକ୍ଷା ଵୟସରେ ସ୍ଵାତୀ ନକ୍ଷତ୍ର ବହୁତ ପୁରୁଣା ନକ୍ଷତ୍ର ଏଵଂ ଵୈଜ୍ଞାନିକମାନେ ଏହାର ଆକାର, ଦ୍ରଵ୍ୟମାଣ ଓ ଵର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଅନୁମାନ କରନ୍ତି ଯେ ଏହି ନକ୍ଷତ୍ରଟି କିଛି ଶହ ନିୟୁତ ଵର୍ଷ ପରେ ଏକ ଶୁଭ୍ର ଵାମନ ତାରକା(white dwarf star)ରେ ପରିଣତ ହୋଇ ଶେଷରେ କୃଷ୍ଣ ଵାମନ ତାରକା( black dwarf star)ରେ ପରିଵର୍ତ୍ତିତ ହେଵ ଏଵଂ ମୃତ୍ୟୁଵରଣ କରିଵ । ପାଞ୍ଚ ଵା ଛଅ ଅବ୍ରୁତ ଵର୍ଷ ପରେ ଆମ ସୂର୍ଯ୍ୟର ମଧ୍ୟ ସମଦଶା ହେଵ ଫଳତଃ ଵୈଜ୍ଞାନିକମାନେ ଏହି ତାରକା ଵିଷୟରେ ଅଧିକରୁ ଅଧିକ ଗଵେଷଣା କରୁଛନ୍ତି । 

ଅନେକେ ଏହା ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ପ୍ରାୟ ଅର୍ଦ୍ଧ ନିୟୁତ ଵର୍ଷ ପୂର୍ଵେ ସ୍ଵାତୀ ଵା Arcturus ନକ୍ଷତ୍ର ପୃଥିଵୀରୁ ଖାଲି ଆଖିରେ ଦେଖାଯାଉନଥିଲା । ଏହା ଵର୍ତ୍ତମାନ ଆମ ସୌରଜଗତ ଆଡ଼କୁ ଗତି କରୁଛି ଏଵଂ ସୂର୍ଯ୍ୟ ତୁଳନାରେ ୧୨୨ କିଲୋମିଟର/ସେକେଣ୍ଡ ବେଗରେ ଗତି କରି ସୌରମଣ୍ଡଳର ପ୍ରାୟ ନିକଟତମ ବିନ୍ଦୁରେ ପହଞ୍ଚିଛି । ପାଖାପାଖି ୪,୦୦୦ ଵର୍ଷ ମଧ୍ୟରେ ଏହା ଆହୁରି ନିକଟତର ହେଵ । ଵୈଜ୍ଞାନିକମାନେ କୁହନ୍ତି ସ୍ଵାତୀ ନକ୍ଷତ୍ର ଏକ ଆଲୋକ ଵର୍ଷର କିଛି ଶହ ଭାଗ ଵର୍ତ୍ତମାନ ତୁଳନାରେ ନିକଟତର ହେଵ ଏଵଂ ତାପରେ ଏହା ଦକ୍ଷିଣ ଦିଗରେ ଗତି କରିଵା ଆରମ୍ଭ କରିଦେଵ ତଥା ଆଉ ୧,୫୦,୦୦୦ ଵର୍ଷ ପରେ ପୃଥିଵୀରୁ ଖାଲି ଆଖିରେ ଦୃଶ୍ୟମାନ ହେଵ ନାହିଁ । ତେବେ ଵର୍ତ୍ତମାନ ସମୟରେ ସ୍ଵାତୀ ନକ୍ଷତ୍ର ପୃଥିଵୀର ରାତ୍ରୀ ଆକାଶରେ ତୃତୀୟ ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଅଭିହିତ ହେଉଅଛି । 

ସତରେ ଆମେ ଭାଗ୍ୟଵାନ ଯେ ଏଭଳି ଏକ ପ୍ରାଚୀନ ନକ୍ଷତ୍ରକୁ ଆମ୍ଭେମାନେ ପୃଥିଵୀର ରାତ୍ରି ଆକାଶରେ ଦେଖିପାରୁଛନ୍ତି । 

Saturday, May 6, 2023

●ଲୋକଗାଥାର ନାୟକ : ଅଗସ୍ତ୍ୟ ନକ୍ଷତ୍ର●

ସ୍ପେନ ଦେଶର ଜଣେ ଜ୍ୟୋତିର୍ବିଜ୍ଞାନୀ ତଥା ଗଣିତଜ୍ଞ ଇବ୍ନ୍ ରସଦ୍ ୧୧୫୩ ମସିହାରେ ମାରାକେଶଠାରେ ‌ଗୋଟିଏ ଅତି ଉଜ୍ଜଳ ନକ୍ଷତ୍ରକୁ ଦେଖିଥିଲେ ଏଵଂ ନିଜ ଦେଶକୁ ଫେରିଵା ପଥରେ ଏହାର ଗତି ଉପରେ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ତାରକାଟି ଇବ୍ନ୍ ରସଦ୍ ନିଜ ଜନ୍ମଭୂମି ସ୍ପେନର କର୍ଡୋବା(Córdoba) ପର୍ଯ୍ଯନ୍ତ ପହଞ୍ଚିଲାବେଳକୁ ରାତ୍ରି ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା । ଫଳତଃ ସେ ଏହି ପର୍ଯ୍ୟଵେକ୍ଷଣକୁ ଵ୍ୟଵହାର କରି ଆରିଷ୍ଟଟଲଙ୍କ ଦାବି ସପକ୍ଷରେ ଯୁକ୍ତି କରି କହିଥିଲେ ଯେ ପୃଥିଵୀ ସମତଳ ନୁହେଁ ଵରଂ ଗୋଲାକାର ଅଟେ । ଇବ୍ନ୍ ରସଦ୍ ଆଧୁନିକ ମରକ୍କୋ ଦେଶର ମାରାକେଶ ନଗରଠାରେ ଯେଉଁ ନକ୍ଷତ୍ରଟିକୁ ପ୍ରଥମେ ଦେଖିଥିଲେ ସେହି ନକ୍ଷତ୍ରଟି ଆମର ଅତି ପରିଚିତ ଦକ୍ଷିଣ ଆକାଶର ତାରକା 'ଅଗସ୍ତ୍ୟ' ଅଟେ । 'ଅଗସ୍ତ୍ୟ' ଦକ୍ଷିଣ ଗୋଲାର୍ଦ୍ଧର ତାରକା ହୋଇଥିଵାରୁ ଅତି ଉତ୍ତରରେ ଥିଵା ଦେଶଗୁଡି଼କରେ ଏହି ନକ୍ଷତ୍ର ଦୃଶ୍ୟ ହୁଏ ନାହିଁ । ଏହି କାରଣରୁ 
ଜ୍ୟୋତିର୍ଵିଜ୍ଞାନୀ ଇବ୍ନ୍ ରସଦ୍ ଏହି ଅଗସ୍ତ୍ୟ ତାରକାକୁ ସ୍ପେନରେ ଦେଖିପାରିନଥିଲେ ।

ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ୫୮ଟି ସବୁଠାରୁ ଉଜ୍ଵଳ ନକ୍ଷତ୍ରଗୁଡି଼କ ମଧ୍ୟରେ ଦ୍ଵିତୀୟ ଉଜ୍ଵଳତମ ତାରକା ଅଟେ । ଫଳରେ ଏହି ନକ୍ଷତ୍ର ସମ୍ବନ୍ଧରେ ଵିଭିନ୍ନ ଦେଶରେ ନାନା ଲୋକଗାଥା କାହାଣୀ ପ୍ରଚଳିତ ଅଛି । 

ନ୍ୟୁଜିଲାଣ୍ଡର ପ୍ରାଚୀନ ମାଓରୀ ଜନଜାତି ଅଗସ୍ତ୍ୟ ନକ୍ଷତ୍ରକୁ Atutahi କହୁଥିଲେ ଏଵଂ ଏହା ସେମାନଙ୍କ ପାଇଁ ସବୁଠାରୁ 'Tapu' ଵା ପଵିତ୍ର ନକ୍ଷତ୍ର ଥିଲା । ମାଓରୀ ଜନଜାତିର ଲୋକେ ଆଦ୍ରାଵଳି ନକ୍ଷତ୍ରପୁଞ୍ଜର ଅନ୍ୟତମ ତାରକା Rigel (Puanga) ତଥା ଅଗସ୍ତ୍ୟ ନକ୍ଷତ୍ରକୁ ପୂର୍ଵ ଆକାଶରେ ଦେଖିଲେ ଶୁଭ ଵିଚାର କରୁଥିଲେ । ଏହାପରେ ସେମାନେ 'କୁମାରା' ନାମକ ମାଟିଆଳୁ ଲଗାଇ ଚାଷକାର୍ଯ୍ୟ ଆରମ୍ଭ କରୁଥିଲେ । ମାଓରୀ ପୁରାଣଗାଥାରେ Atutahi ଵା ଅଗସ୍ତ୍ୟ ନକ୍ଷତ୍ର ସମ୍ପର୍କିତ ଦୁଇଗୋଟି କାହାଣୀ ରହିଛି । ଗୋଟିଏ କାହାଣୀ ଅନୁସାରେ ଜଙ୍ଗଲ ଓ ପକ୍ଷୀମାନଙ୍କର ଦେଵତା Tane ଯେତେବେଳେ ମହାକାଶରେ ତାରାଗୁଡ଼ିକୁ ନେଇ ନିଜର ଟୋକେଇ(Milky way ଛାୟାପଥ) ବୁଣୁଥିଲେ ସେତେବେଳେ ଏହି Atutahi ଵା ଅଗସ୍ତ୍ୟ ତାରକାଟି ତହିଁରୁ ବାହାରେ ବଳକା ରହିଯାଇଥିଲା । Atutahi ଵା ଅଗସ୍ତ୍ୟ ନକ୍ଷତ୍ରକୁ ନେଇ ମାଓରୀ ଜନଜାତୀୟ ଲୋକଙ୍କର ଅନ୍ୟ ଏକ କଥା ବି ଅଛି । ମାଓରୀ ଲୋକଗାଥା ଅନୁସାରେ Rangi ଓ Papa ହେଉଛନ୍ତି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପ୍ରଥମ ଦମ୍ପତି । ଏହି ଦୁଇଜଣ ସମସ୍ତ ଜୀଵ, ନକ୍ଷତ୍ର ସୃଷ୍ଟି କରିଛନ୍ତି । ଯେତେବେଳେ ବଡ଼ଦେଵତା Rangi ଆକାଶରେ Milky way ଛାୟାପଥ ଗଢି଼ଲେ ସେ ସେତେବେଳେ ତହିଁରେ Atutahiକୁ ରହିଵାକୁ ନିର୍ଦ୍ଦଶ ଦେଲେ କିନ୍ତୁ ସେ ତାହା ଅଗ୍ରାହ୍ୟ କରିଦେଲେ ଫଳତଃ ସେଇ ଦିନଠାରୁ ତାକୁ ପରିଵାରରୁ ବାସନ୍ଦ କରିଦିଆଗଲା । 

ଆମେରିକାର ପଶ୍ଚିମରେ ଅଵସ୍ଥିତ ହୱାଇ ଦ୍ଵୀପର ଅଧିଵାସୀ ଅଗସ୍ତ୍ୟ ନକ୍ଷତ୍ରକୁ "Ke Alii-o-kona-i-ka-lewa" ନାମ ଦେଇଛନ୍ତି ଯାହାର ଆକ୍ଷରିକ ଅର୍ଥ "ଦକ୍ଷିଣାଞ୍ଚଳ(ସମୁଦ୍ର)ର ମୁଖିଆ" ଅଟେ ।‌ ହୱାଇ ଦ୍ଵୀପର ଲୋକକଥା ଅନୁସାରେ Hawai’iloa ବୋଲି ଜଣେ ସମୁଦ୍ର ଯାତ୍ରୀ ହୱାଇ ଦ୍ଵୀପରେ ବାଟବଣା ହୋଇ ପହଞ୍ଚିଥିଲେ ଏଵଂ ଏ ଦ୍ଵୀପକୁ ଵାସୋପଯୋଗୀ ଜାଣି ପୁଣି ନିଜ ଦେଶକୁ ଫରି ଯାଇ ନିଜ ପରିଵାରକୁ ଏଠାକୁ ନେଇ ଆସିଥିଲେ । ସେ ଯିଵା ଆସିଵା ସମୟରେ ଯେଉଁ ତାରକାର ସାହାଯ୍ୟ ନେଇଥିଲେ ସେଇ ତାରକାଟି ଅଗସ୍ତ୍ୟ ଥିଲା । ପରେ ହୱାଇ ଦ୍ଵୀପର ନାମକରଣ ଏହି Hawai’iloaଙ୍କ ନାମରେ ହୋଇଥିଲା । ପୋଲିନେସିଅନ୍ ଓ ଅଷ୍ଟ୍ରେଲିଆର ଆଦିମ ଅଧିଵାସୀମାନେ ମଧ୍ୟ ଅଗସ୍ତ୍ୟ ନକ୍ଷତ୍ରକୁ ସମୁଦ୍ର ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଵ୍ୟଵହାର କରୁଥିଵା ଜଣାଯାଏ । 

ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ waa ତଥା war କହୁଥିଲେ ଯାହାର ଆକ୍ଷରିକ ଅର୍ଥ କୁଆ ଵା କାଉ ଅଟେ । ୟୁରୋପୀୟମାନେ Carina, puppies ଓ vela ତାରକାପୁଞ୍ଜଗୁଡ଼ିକୁ ଏକତ୍ର କରି Argo Navis ନାମ ଦେଇଥିଲେ କାରଣ ଏମାନଙ୍କୁ ଏକତ୍ର ଦେଖିଲେ ବଡ଼ ବୋଇତ ଭଳି ପ୍ରତିଭାତ ହୋଇଥାଏ । ତେବେ ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଏହାକୁ ଏକ ବଡ଼ ପକ୍ଷୀ ବୋଲି ଅନୁମାନ କରିଥିଲେ ଏଵଂ ଏହାର ସବୁଠାରୁ ଉଜ୍ଵଳତମ ତାରକା ଅଗସ୍ତ୍ୟର ନାମ ତାଙ୍କ ଭାଷାରେ war ଵା waa ଦେଇଥିଲେ । ଅଷ୍ଟ୍ରେଲିଆର Pirt-Kopan-noot ଜନଜାତିର ଲୋକମାନଙ୍କର ଏକ ଜନସୃତି ଅନୁସାରେ waa(ଅଗସ୍ତ୍ୟ ଵା Argo Navis) ଜଣେ ରାଣୀ Gneeanggarଙ୍କୁ ଭଲ ପାଇ ବସିଲା (Sirius ଵା Canis major)କୁ ଭଲ ପାଇ ବସିଲା । ହେଲେ ସେ ରାଣୀ ଏଥିରେ ରାଜି ହେଲା ନାହିଁ ଏଵଂ ନିଜର ଛଅଜଣ ଅନୁଚର(କୃତିକାପୁଞ୍ଜ ଵା Pleides) ସହିତ ରହିଵାକୁ ଉଚିତ୍ ମଣିଲା । ଏହା ଦେଖି waa ଗୋଟିଏ ପୋକରେ ପରିଣତ ହୋଇଗଲା । ଯେତେବେଳେ ପୋକକୁ ଉତ୍ସୁକତା ଯୋଗୁଁ Gneeanggar ରାଣୀ ଦେଖିଵାକୁ ଗଲା waa ଏକ ଵିଶାଳ ପକ୍ଷୀରେ ପରିଵର୍ତ୍ତିତ ହୋଇ ତାକୁ ନିଜ ସହିତ ନେଇଗଲା । ସମ୍ଭଵତଃ ଅଷ୍ଟ୍ରେଲିଆର ଆଦିମ ଜନଜାତିମାନଙ୍କର ଏ କାହାଣୀରୁ ଅନୁମାନ କରାଯାଇପାରେ ଯେ ଆଗେ Sirius ଵା ପ୍ରଶ୍ଵା ନକ୍ଷତ୍ର କୃତ୍ତିକାପୁଞ୍ଜ ନିକଟରେ ଥିଲା କିନ୍ତୁ ପରେ ତାହା carina ନକ୍ଷତ୍ରପୁଞ୍ଜର ନିକଟତର ହୋଇଥିଲା । 

ଚୀନ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ 老人星(ବୃଦ୍ଧ ଲୋକର ତାରକା) ଵା 南極老人星(ଦକ୍ଷିଣ ଧ୍ରୁଵର ବୃଢ଼ା ଲୋକ) ଅଭିହିତ କରାଯାଏ । ଏ ଵିଷୟରେ ଚୀନ ଦେଶରେ ଏକ ଲୋକକଥା ପ୍ରଚଳିତ । ଚୀନ ଦେଶର ଉକ୍ତ ଲୋକକଥା ଅନୁସାରେ ବହୁତ ପୂର୍ଵେ Zhao Yen ନାମକ ଜଣେ କୃଶକାୟ ରୋଗିଣା କିଶୋର ଥିଲା ଯାହାର ୧୯ ଵର୍ଷ ମଧ୍ୟରେ ମୃତ୍ୟୁ ହୋଇଯିଵାର ଭଵିଷ୍ୟତଵାଣୀ ଜଣେ ସ୍ଥାନୀୟ ଜ୍ୟୋତିଷ କରିଥିଲେ ।‌ ତେଣୁ ଏଥିରୁ ରକ୍ଷା ପାଇଵା ପାଇଁ ସେହି ପତଳା ରୋଗିଣା କିଶୋର Zhao Yenକୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ଛଡ଼ା ଅନ୍ୟତ୍ର ଯିଵାକୁ ବାରଣ ହୋଇଥିଲା ।‌ ପୁଣି ତାକୁ ନିର୍ଦ୍ଦେଶ ଥିଲା ସେ ଯଦି କୁଆଡ଼େ ଯିଵ ତାହେଲେ ନିଜ ସହିତ ଏକ ମଦ୍ୟପାତ୍ର ଓ ପକ୍ଵମାଂସ ନେଇଯିଵ କାରଣ ତାହାର ଯୋଉ ଶାରୀରିକ ଅଵସ୍ଥା 
ଖାଦ୍ୟ ଵିନା ସେ ଗୋଟିଏ ଦିନ ବି ବଞ୍ଚିପାରିଵ ନାହିଁ । ସେ ଯୁଗରେ ବାଟଘାଟ ଆଜି ଭଳି ସୁରକ୍ଷିତ ନଥିଲା କି ସବୁଠିଁ ଭୋଜନାଳୟ ବି ନଥିଲା ।‌ କୌଣସି କାରଣରୁ ଦିନେ ସେ ତା ଘରଠାରୁ କିଛି ଦୂରରେ ଥିଵା ପଡି଼ଆକୁ ଯାଇଥିଲା ଏଵଂ ଗଲାବେଳେ ଜ୍ୟୋତିଷଙ୍କ ନିର୍ଦ୍ଦେଶାନୁସାରେ ଗୋଟିଏ ମଦ୍ୟପୂର୍ଣ୍ଣ ପାତ୍ର ତଥା ରନ୍ଧା ମାଂସ ନେଇ ଯାଇଥିଲା । ପଡି଼ଆରେ ପହଞ୍ଚିଵାକୁ ଖଣ୍ଡେ ଦୂର ଥିଲା କିନ୍ତୁ ଦୁର୍ଵଳ ରୋଗୀ Zhao Yen ବହୁତ ହାଲିଆ ହୋଇଯାଇଥିଲା ଏଵଂ ଖାଦ୍ୟ ଵିନା ତାହାର କୃଶକାୟ ଦୁର୍ଵଳ ଶରୀର ଧିରେ ଧିରେ ନିସ୍ତେଜ ଲାଗୁଥାଇ । ତେଣୁ ସେ ପଡି଼ଆରେ ପହଞ୍ଚି ପ୍ରଥମେ ଖାଇପିଇ ନିଜ କାର୍ଯ୍ୟ ସମ୍ପନ୍ନ କରିଵ ବୋଲି ମନରେ ଵିଚାର କରି କଷ୍ଟେମଷ୍ଟେ ଆଗେଇଗଲା । 
ପଡ଼ିଆରେ ପହଞ୍ଚି ସେ ଦେଖିଲା ଦୁଇଜଣ ଵୟସ୍କ ଲୋକ ସେଠାରେ ଏକ ଗଛ ମୂଳରେ ବସି ଚୀନ ଦେଶୀୟ checkers ଖେଳ ଖେଳୁଛନ୍ତି । ଗଛ ମୂଳରେ ବସିଥିଵା ଦୁଇଜଣ ଵୟସ୍କଙ୍କ ସମ୍ମୁଖରେ ସେ କେମିତି ଏକାକୀ ଖାଦ୍ୟ ଭକ୍ଷଣ କରିଵ ? ଏହା ତ ସେମାନଙ୍କ ପ୍ରତି ଘୋର ଅପମାନ ହେଵ ! ଏମନ୍ତ ବିଚାରି Zhao Yen ସେହି ଦୁଇଜଣ ବୃଦ୍ଧଙ୍କ ନିକଟକୁ ଗଲା ଏଵଂ ସେମାନଙ୍କୁ ମଦ୍ୟ ଓ ମାଂସ ଗ୍ରହଣ କରିଵାକୁ ଅନୁରୋଧ କଲା । ସେହି ଦୁଇଜଣ ବୃଦ୍ଧ ପ୍ରକୃତରେ ରାତ୍ରି ଆକାଶରେ ଦେଖାଯାଉଥିଵା ସପ୍ତର୍ଷିମଣ୍ଡଳର ଅଧିଷ୍ଠାତା ଦେଵ 'Beidou' ଓ ଧନୁରାଶିର ଛଅଗୋଟି ତାରକାକୁ ନେଇ କଳ୍ପିତ ଚୀନ ଦେଶୀୟ south dipper ନକ୍ଷତ୍ରପୁଞ୍ଜର ଅଧିଷ୍ଠାତା ଦେଵ 'Dǒu Xiù' ଥିଲେ । 

କିଶୋର Zhao Yenର ସଵିନୟ ଵଚନ ତଥା ଆନ୍ତରିକ ଅନୁରୋଧରେ ସନ୍ତୁଷ୍ଟ ହୋଇ ସେ ମନୁଷ୍ୟରୂପୀ ଦେଵଦ୍ଵୟ ଉକ୍ତ ଖାଦ୍ୟ ଗ୍ରହଣ କଲେ । ଏଣେ Zhao Yenର ଶରୀର ଖାଦ୍ୟ ଅଭାଵରୁ ଅସୁସ୍ଥ ହୋଇଗଲା କିନ୍ତୁ ସେ ଦୁଇଜଣ ବୃଦ୍ଧ ରୂପୀ ଦେଵତାମାନଙ୍କଠାରୁ ତାହା ଲୁଚାଇ ପଡ଼ିଆରେ ଯୋଉ କାମ କରିଵାକୁ ଆସିଥିଲା ସେ କାମରେ ଲାଗିପଡି଼ଲା । ହେଲେ କିଛି କ୍ଷଣ ପରେ ସେ ଶାରୀରିକ ଦୁର୍ଵଳତା ଯୋଗୁଁ ସଂଜ୍ଞା ହରାଇ ସେଠାରେ ପଡ଼ିଗଲା । ଦୁଇଜଣ ବୃଦ୍ଧ ରୂପୀ ଦେଵତା Zhao Yenର ଏଭଳି ଅଵସ୍ଥା ଦେଖି ତାକୁ ଟେକି ଆଣି ଗଛ ମୂଳରେ ଶୁଆଇ ଦେଲେ । କିଛି ସମୟ ପରସ୍ପର ସହିତ କଥାଵାର୍ତ୍ତା ହେଲାପରେ Zhao Yenକୁ ସେହି ଦେଵତାମାନେ ଦକ୍ଷିଣ ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଅଗସ୍ତ୍ୟ କରିଦେଲେ । କିଶୋର Zhao Yen ଯିଏ ମାତ୍ର ୧୯ ଵର୍ଷରେ ମରି ଯାଇଥାନ୍ତା ସେ କୋଟି କୋଟି ଵର୍ଷ ଧରି ତାରକା ରୂପେ ପ୍ରତିଷ୍ଠିତ ହୋଇଗଲା ‌। ଚୀନ ଦେଶର ଏହି କାହାଣୀ ଦ୍ଵାରା ପ୍ରାଚୀନ ଚୀନର ଲୋକଙ୍କୁ ଵିନୟୀ,ଦୟାଳୁ ଏଵଂ ବୃଦ୍ଧମାନଙ୍କ ପ୍ରତି ସଦୟ ହେଵାର ଶିକ୍ଷା ପ୍ରଦାନ କରାଯାଉଥିଲା । 

ଗ୍ରୀକ୍ ଦେଶର ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ Canopus କହୁଥିଲେ ଅଵଶ୍ୟ ଗଵେଷକଙ୍କ ଅନୁସାରେ ଏହି ଶବ୍ଦଟି ମଶରୀୟ କିମ୍ବା ଆରବୀୟ ଭାଷା ମୂଳର ଶବ୍ଦ ହୋଇଥିଵା ସମ୍ଭଵ ଏଵଂ ଗ୍ରୀକମାନେ ଏହି ନାମକୁ ପରେ ଗ୍ରହଣ କରିଛନ୍ତି । ପ୍ରକୃତରେ ଗ୍ରୀସରୁ ଅଗସ୍ତ୍ୟ ନକ୍ଷତ୍ର ଦୃଶ୍ୟ ହୁଏନାହିଁ କିନ୍ତୁ ଉତ୍ତର ଆଫ୍ରିକାରେ ଏହି ନକ୍ଷତ୍ର ଦୃଶ୍ୟ ହୋଇଥାଏ । ଗ୍ରୀକ୍ ପୁରାଣଗାଥା ଅନୁସାରେ 
Atreus ଓ Aeropeଙ୍କ ପୁତ୍ର ତଥା 
Agamemnonଙ୍କର ଭାଇ Menelaus ଏକ ଗ୍ରୀକ୍ ନଗରରାଜ୍ୟ Myceneanର ରାଜା ଥିଲେ । ଏହି 
 Menelausଙ୍କ ପତ୍ନୀ Helenଙ୍କୁ ଟ୍ରୟନଗରର ରାଜପୁତ୍ର Paris ହରଣ କରିନେଵାରୁ ଗ୍ରୀକ ଦେଶର ସବୁ ନଗରରାଜ୍ୟର ରାଜାମାନେ ସମ୍ମିଳିତ ହୋଇ ଟ୍ରୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ ‌। ଟ୍ରୋଜାନ୍ ଯୁଦ୍ଧ ସମୟରେ Menelausଙ୍କର 
Canopus ଵା Canobus ବୋଲି ଜଣେ ଯୁଵ ନାଵିକ ଥିଲେ । ଟ୍ରୟଯୁଦ୍ଧ ପରେ  
 ଗ୍ରୀକ୍ ନଗରରାଜ୍ୟ Myceneanର ରାଜା Menelaus ନିଜ ଦେଶକୁ ଫେରୁଥିଵା ବେଳେ ମିଶରର ଏକ ବନ୍ଦରରେ କିଛି ଦିନ ପାଇଁ ଵିଶ୍ରାମ ନେଵାକୁ ଅଟକି ଯାଇଥିଲେ ‌। ତେବେ ତାଙ୍କ ନାଵିକ 
 Canopusଙ୍କୁ ଗୋଟିଏ ସର୍ପ ଦଂଶନ କରିଦେଲା ଫଳତଃ ତାଙ୍କର ମୃତ୍ୟୁ ଘଟିଥିଲା । ଯେଉଁ ବନ୍ଦର ନିକଟରେ Canopusଙ୍କର ମୃତ୍ୟୁ ହୋଇଥିଲା ସେହି ବନ୍ଦର ତଥା ତାଙ୍କ ମୃତ୍ୟୁ ସମୟରେ ଉଦୟ ହୋଇଥିଵା ଅଗସ୍ତ୍ୟ ତାରକାର ନାମକୁ Menelaus ନିଜ ମୃତ ନାଵିକର ନାମାନୁସାରେ Canopus ରଖିଥିଲେ ।‌ ଆମ୍ଭେମାନେ ଜାଣନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ସନ୍ଧ୍ୟା ସମୟରେ ଦକ୍ଷିଣ ଆକାଶରେ ଉଦୟ ହୋଇଥାଏ ।

ଆରଵ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ ଆଗେ souhail କୁ଼ହାଯାଉଥିଲା ଏଵଂ ଆଜିକାଲି Wazn ଓ Haḍar ମଧ୍ୟ କୁହାଯାଉଛି ।‌ ଏକ ଆରବୀ ଲୋକକଥା ଅନୁସାରେ ବହୁତ ପୂର୍ଵେ ଆକାଶରେ ଦୁଇଜଣ ଭଉଣୀ Gomeisa (Canis minorର ତାରକା) ତଥା Sirius (Canis majorର ପ୍ରଶ୍ଵା ନକ୍ଷତ୍ର) ଓ ତାଙ୍କର ଏକ ସାନଭାଇ Canopus (ଅଗସ୍ତ୍ୟ) ତାରକା ଵିଦ୍ୟମାନ ଥିଲେ । ସେମାନେ ସବୁଦିନ ସୁଖରେ ଆକାଶରେ ମିଳିମିଶି ଵିଚରଣ କରୁଥିଲେ କିନ୍ତୁ ସାନଭାଇ souhail(Canopus/ଅଗସ୍ତ୍ୟ) ଦିନେ maiden Al Jauzah (Orion,ଆଦ୍ରାଵଳି ଵା କାଳପୁରୁଷ)କୁ ଦେଖି ସେହି ସୁନ୍ଦରୀ କନ୍ୟାର ରୂପରେ ମୋହିତ ହୋଇଗଲା । ବହୁ ଚେଷ୍ଟା ପରେ ସେହି କନ୍ୟାଟି souhailକୁ ବାହା ହେଵାକୁ ରାଜି ହେଲା କିନ୍ତୁ ବାହାଘର ପୂର୍ଵରୁ ଗୋଟିଏ ଅଘଟଣ ଘଟିଗଲା । କୌଣସି କାରଣରୁ souhail(ଅଗସ୍ତ୍ୟ ନକ୍ଷତ୍ର) ରାଗିଯାଇ maiden Al Jauzah(ଆଦ୍ରାଵଳି ଵା କାଳପୁରୁଷ) ଉପରକୁ ହାତ ଉଠାଇ ଦେଵାରୁ ତାହାର ମୃତ୍ୟୁ ହୋଇଗଲା ଫଳତଃ ଏହି ଘଟଣାରେ ମର୍ମାହତ ଓ ଦୁଃଖିତ ହୋଇ souhail ଵା ଅଗସ୍ତ୍ୟ ନକ୍ଷତ୍ର ସେ ସ୍ଥାନ ଛାଡ଼ି milkyway gallexy ରୂପ ନଦୀକୁ ପାର କରି ଦକ୍ଷିଣ ଦିଗକୁ ଚାଲିଗଲା । ସାନଭାଇକୁ ଉଣ୍ଡିଵାକୁ ତା ପଛରେ ତାହାର ବଡ଼ ଭଉଣୀ Sirius (ପ୍ରଶ୍ଵା) ବି ଦକ୍ଷିଣ ଦିଗକୁ ଗଲା ଏଵଂ ପଛରେ ରହିଗଲା ସାନ ଭଉଣୀ Gomeisa । ଦୁଇ ଭାଇଭଉଣୀଙ୍କୁ ହରାଇ Gomeisa ଆଖିରୁ ଲୁହ ଗଡ଼ାଇ ଧିରେ ଧିରେ କୃଶକାୟ ହୋଇଗଲା ଏଵଂ ଆକାଶରୁ ତାହାର ଉଜ୍ଜଳତା ହ୍ରାସ ଘଟିଲା । ଅନ୍ୟ ଏକ କଥା ଅନୁସାରେ souhail(ଅଗସ୍ତ୍ୟ ନକ୍ଷତ୍ର) ଯେତେବେଳେ ସୁନ୍ଦରୀ maiden Al Jauzah(ଆଦ୍ରାଵଳି)ର ରୂପରେ ମୋହିତ ହୋଇ ତାକୁ ଵିଵାହ ପ୍ରସ୍ତାଵ ଦେଲା ସେତେବେଳେ ସେ ସୁନ୍ଦରୀ କନ୍ୟାଟି ତାହା ଅଗ୍ରାହ୍ୟ କରିଦେଲା । souhail ତାକୁ ବାଧ୍ୟ କରିଵାରୁ ସୁନ୍ଦରୀ maiden Al Jauzah ଏଥିରେ କ୍ଷୁବ୍ଧ ହୋଇ ତାକୁ ଏମିତି ଏକ ଗୋଇଠା ମାରିଲା ଯେ ସେ ସିଧା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଗଲା । 
ହଁ ! ଯେମିତି ଦେଶ ସେମିତି ସଂସ୍କୃତି ଆଉ ସେଇ ସଂସ୍କୃତି ଆଧାରରେ ସେହିପରି କାହାଣୀ !!! ସେ ଯାହା ହେଉ ଆରବ ଦେଶର souhail ସମ୍ବନ୍ଧୀୟ କାହାଣୀରୁ Sirius(ପ୍ରଶ୍ଵା) ଓ Canopus(ଅଗସ୍ତ୍ୟ) ନକ୍ଷତ୍ର ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା କଥା ଜଣାପଡ଼େ । 

ଭାରତରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣକୁ ଵା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ ଗୋଟିଏ କାହାଣୀ ରହିଛି । ଭାରତରେ ପୂର୍ଵେ ଅଗସ୍ତି ଵା ଅଗସ୍ତ୍ୟ ବୋଲି ଜଣେ ଋଷି ଥିଲେ ଏଵଂ ଏହାଙ୍କ ସ୍ତ୍ରୀଙ୍କ ନାମ ଲୋପାମୁଦ୍ରା ଥିଲା । ଏ ବିନ୍ଧ୍ୟ ପର୍ଵତର ମନ୍ତ୍ରଗୁରୁ। ବିନ୍ଧ୍ୟ ପର୍ଵତ ଦିନକୁ ଦିନ ଉଚ୍ଚତାରେ ବଢ଼ୁଥିଵାର ଦେଖି ସୂର୍ଯ୍ୟଦେଵ ତାଙ୍କ ଗତି ରୁଦ୍ଧ ହେଵାର ଆଶଙ୍କା କରି ଅଗସ୍ତିଙ୍କ ଶରଣାଗତ ହେଲେ। ଅଗସ୍ତି ବିନ୍ଧ୍ୟ ପର୍ଵତ ନିକଟକୁ ଗଲେ। ଗୁରୁଙ୍କୁ ଦେଖି ବିନ୍ଧ୍ୟ ନମସ୍କାର କରି ମୁଣ୍ଡକୁ ତଳକୁ ନୁଆଇଁଵାରୁ ଅଗସ୍ତି ତାଙ୍କୁ କହିଲେ, "ମୁଁ ଦକ୍ଷିଣ ଦିଗକୁ ତୀର୍ଥଯାତ୍ରା କରି ଯାଉଛି, ତେଣୁ ଫେରି ଆସିଵା ପର୍ଯ୍ୟନ୍ତ ତୁମ୍ଭେ ଏହିପରି ନତମସ୍ତକ ହୋଇ ରହିଥାଅ।" ଅଗତ୍ୟା ବିନ୍ଧ୍ୟାଚଳ ଗୁରୁଙ୍କ ଆଦେଶରେ ତାଙ୍କ ଫେରିଵା ଅପେକ୍ଷାରେ ନତମସ୍ତକ ହୋଇ ରହିଲେ। ଅଗସ୍ତି ଆଉ ଦକ୍ଷିଣରୁ ଫେରି ଅଇଲେ ନାହିଁ; ଫଳତଃ ବିନ୍ଧ୍ୟ ପର୍ଵତ ଆଉ ନ ବଢ଼ି ସେହିପରି ନତମସ୍ତକ ହୋଇ ଆଜିପର୍ଯ୍ୟନ୍ତ ଅଛନ୍ତି। ଏହି ପୌରାଣିକ ଉପାଖ୍ୟାନକୁ କବି ଭକ୍ତଚରଣ ମଥୁରାମଙ୍ଗଳର ୨୯ଶ ଛାନ୍ଦରେ ଲେଖିଯାଇଛନ୍ତି । ଅନ୍ୟ ଏକ କଥା ଅନୁସାରେ ଯେତେବେଳେ ଶିଵ ପାର୍ଵତୀଙ୍କର ଵିଵାହ ହେଲା ସେତେବେଳେ ସେହି ଅଲୌକିକ ଵିଵାହକୁ ଦେଖିଵାକୁ ସାରା ଭାରତରୁ ଋଷିମୁନି ହିମାଳୟକୁ ଚାଲି ଆସିଲେ ଏଵଂ ସେଠାରେ ରହି ସାଧନା କରିଵାକୁ ଲାଗିଲେ ଫଳତଃ ଦକ୍ଷିଣ ଭାରତରେ ଜ୍ଞାନପ୍ରଦାତା ଋଷିମାନଙ୍କର ଅଭାଵ ଯୋଗୁଁ ସମାଜ କଳୁଷିତ ହେଵାକୁ ଲାଗିଲା । ଏହି ସମସ୍ୟାର ସମାଧାନ ପାଇଁ ଭଗଵାନ ଶିଵ ଅଗସ୍ତ୍ୟ ଋଷିଙ୍କୁ ଦକ୍ଷିଣ ଦିଗକୁ ଯାଇ ଲୋକଙ୍କୁ ଶିକ୍ଷିତ କରିଵାକୁ ନିର୍ଦ୍ଦେଶ ଦେଇଥିଲେ । ଅଗସ୍ତ୍ୟ ଋଷି ଦକ୍ଷିଣ ଦିଗକୁ ଯାଇ ବାତାପି ନାମକ ମେଷରୂପଧାରୀ ଦୈତ୍ୟକୁ ଖାଇ ଜୀର୍ଣ୍ଣ କରି ଦେଇଥିଲେ । କାବେରୀ ନଦୀକୁ ସେ ଦକ୍ଷିଣ ଭାରତରେ ପ୍ରଵାହିତ କରାଇଥିଲେ, ଅଗସ୍ତ୍ୟ ସଂହିତା ରଚନା କରିଥିଲେ,ଦକ୍ଷିଣ ଭାରତୀୟଙ୍କୁ ତାମିଲ ଵ୍ୟାକରଣ ଓ କାଲରିପଟ୍ଟୁ ଯୁଦ୍ଧକଳାର ଜ୍ଞାନ ପ୍ରଦାନ ଆଦି ଅନେକ ଜନହିତକର କାର୍ଯ୍ୟ କରିଥିଲେ ।
ଭାରତୀୟ ପୁରାଣଗ୍ରନ୍ଥ ଅନୁଯାୟୀ ଅଗସ୍ତି ଋଷି ଭାଦ୍ର ମାସର ପ୍ରଥମ ଦିଵସ ତିଥିରେ ଦକ୍ଷିଣ ଦିଗକୁ ଯାତ୍ରା କରି ଆଉ ଫେରି ଆସି ନଥିଲେ ତେଣୁ ଏ ଦିନ ଵା ଏହି ତିଥିରେ ଆଜି ବି ଭାରତରେ କୌଣସି ଶୁଭକାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା ନିଷିଦ୍ଧ ଏଵଂ ଏହି ଦିନଟିକୁ "ଅଗସ୍ତ୍ୟ ଯାତ୍ରା ଦିଵସ" ଅଭିହିତ କରାଯାଏ । ଲକ୍ଷଣାର୍ଥ ଯେଉଁ ଯାତ୍ରାରୁ ଯାତ୍ରାକାରୀ ବାହୁଡ଼ି ଆସନ୍ତି ନାହିଁ ତାକୁ ମଧ୍ୟ ଅଗସ୍ତ୍ୟ ଯାତ୍ରା ବୋଲାଯାଏ । 

ପୁଣି ପୁରାଣ ଅନୁସାରେ ଅଗସ୍ତ୍ୟ ସମ୍ପୂର୍ଣ୍ଣ ସାଗରକୁ ପାନ କରିଦେଇଥିଲେ ଏଵଂ ଏହା ପରୋକ୍ଷରେ ଭାରତ ମହାସାଗର ପାର କରି ଦକ୍ଷିଣ ଗୋଲାର୍ଦ୍ଧକୁ ଅଗସ୍ତ୍ୟ ନକ୍ଷତ୍ର କ୍ରମଶଃ ଚାଲିଯାଇଥିଵା ଵିଷୟ କୁହାଯାଇଛି ବୋଲି କେତେକ ଗଵେଷକ ମତ ପୋଷଣ କରିଥାନ୍ତି । ଅତଃ ଅଗସ୍ତ୍ୟ ଋଷିଙ୍କ ଜୀଵନ କାହାଣୀ ସମ୍ବନ୍ଧୀୟ ଭାରତୀୟ ପୌରାଣିକ ଆଖ୍ୟାନ ମଧ୍ୟରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ କୁହାଯାଇଛି ବୋଲି ଵିଶ୍ଵାସ କରାଯାଏ । ସେ ଯାହା ହେଉ ଆଜକୁ ପ୍ରାୟ ୧୪୦୦୦ ଵର୍ଷ ତଳେ Canopus ଵା ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଥିଲା ଏଵଂ ପ୍ରାୟ ୨୧୦୦୦ ଖ୍ରୀଷ୍ଟପୂର୍ଵ ସମୟରେ ଏହା ଉତ୍ତର ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଥିଲା । ତେଣୁ ଏ ଦୃଷ୍ଟିରୁ ଦେଖିଲେ ଅଗସ୍ତ୍ୟ ଓ ବିନ୍ଧ୍ୟ ଲୋକଗାଥାର ସମୟକାଳ ପ୍ରାୟ ୨୦୦୦୦ ଵର୍ଷ ପୁରାତନ ହୋଇଥିଵା ସମ୍ଭଵ । 

ଭାରତରେ Canopus ଵା ଅଗସ୍ତ୍ୟ ରାତ୍ରୀରେ ଦକ୍ଷିଣାକାଶରେ ଦେଖାଯାଏ । ଏହା ଶରତ୍କାଳରେ ଉଦିତ ହୁଏ; ଶରତ୍କାଳରେ ନଦ୍ୟାଦିର ଜଳ ନିର୍ମଳ ହେଵାରୁ ଅଗସ୍ତି ନକ୍ଷତ୍ରର ଉଦୟକୁ ଜଳର ନିର୍ମଳତାର କାରଣ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । ଅଗସ୍ତି ନକ୍ଷତ୍ରର ଉଦୟ ସଙ୍ଗେ ଶରତ ଋତୁର ଚିହ୍ନ ପ୍ରକାଶିତ ହୁଏ, ଆକାଶରୁ ମେଘ ଛାଡ଼ିଯାଏ, ନଦୀ ପୁଷ୍କରିଣୀର ଜଳ ନିର୍ମଳ ହୁଏ, ରାସ୍ତା ଘାଟରୁ କର୍ଦ୍ଦମ ଶୁଖିଯାଏ ଓ ଜଳଚର ପକ୍ଷୀମାନେ ଜଳାଶୟମାନଙ୍କରେ ଆସି ଚରନ୍ତି। ଏଥିଯୋଗୁଁ ଅଗସ୍ତ୍ୟୋଦୟ ଏହି ଶରତ ଋତୁର ଲକ୍ଷଣମାନଙ୍କ କାରଣ ବୋଲି ପୁରାଣକାରମାନେ ଵିଶ୍ୱାସ କରୁଥିଲେ । 

କଵି ରାଧାନାଥ 'ଚିଲିକା' ଖଣ୍ଡକାଵ୍ୟରେ ଅଗସ୍ତ୍ୟୋଦୟର ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...

“କଳୁଷିତ ବାରି କଳୁଷହାରକ, କାସାରେ କୁମୁଦ ହାସପ୍ରକାଶକ, ଦକ୍ଷିଣାଶାଵଧୂ ଅଵିତଂସ ମୋତି, ମହୋଜ୍ଜ୍ୱଳ କୁମ୍ଭସମୁଦ୍ଭଵଜ୍ୟୋତି, ଉଇଁଲେ ଆକାଶେ ଆସି ଦଳେ ଦଳେ, 
ପୂରନ୍ତି ଏ ଜଳ କଳ କୋଳାହଳେ।”

କ୍ରମେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ହେଲା ଏଵଂ ଆମ୍ଭେମାନେ ଅଗସ୍ତ୍ୟ ନକ୍ଷତ୍ରକୁ ଆହୁରି ଭଲ ଭାବରେ ଜାଣିପାରିଲେ । ଵୈଜ୍ଞାନିକମାନେ ଅଗସ୍ତ୍ୟ ନକ୍ଷତ୍ର ଆମଠାରୁ ୩୧୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଥିଵା ଗାଣିତିକ ପଦ୍ଧତିରେ ଆକଳନ କରିଛନ୍ତି ଏଵଂ ଅଗସ୍ତ୍ୟ ନକ୍ଷତ୍ରର ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ଅନୁସନ୍ଧାନରୁ ଏହା
'A9'(spectral type A9)ପ୍ରକାରର ତାରକା ଅଟେ ବୋଲି ଜଣାପଡି଼ଛି ‌। ଅଗସ୍ତ୍ୟର ଆଧିକାରିକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ନାମ Alpha Carinae ରଖାଯାଇଛି । ପୃଥିଵୀରୁ ମହାକାଶ ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଅଗସ୍ତ୍ୟ ନକ୍ଷତ୍ର ଉପଯୋଗୀ ହୋଇଥାଏ । ଅଗସ୍ତ୍ୟ ନକ୍ଷତ୍ର ସୂର୍ଯ୍ୟଙ୍କର ଆଲୋକ ଅପେକ୍ଷା ୧୦୦୦୦ ଗୁଣ ଅଧିକ ପ୍ରକାଶ ଉତ୍ପନ୍ନ କରିଥାଏ । ଏହା ସୂର୍ଯ୍ୟଙ୍କ ବ୍ୟାସାର୍ଦ୍ଧଠାରୁ ୭୧ଗୁଣ ବଡ଼ ଏଵଂ ଆଠଗୁଣ ଅଧିକ ଓଜନିଆ ଅଟେ । ୩,୭୦୦୦୦୦ ଵର୍ଷ ତଳେ ବି ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଥିଲା ଏଵଂ ୪,୮୦୦୦୦ ଵର୍ଷ ପର୍ଯ୍ଯନ୍ତ ବି ଏହିପରି ରହିଥିଵ । ଗୋଟିଏ ଲାଲଦାନଵ ନକ୍ଷତ୍ର ଭାବରେ ଅନେକ କୋଟି ଵର୍ଷ ରହିଵା ପରେ ଏବେ ଏହି ନକ୍ଷତ୍ର ତାହାର blue loop ସ୍ଥିତିରେ ପହଞ୍ଚି ସାରିଛି । ଏହି ସ୍ଥିତିରେ ନକ୍ଷତ୍ରରେ ଥିଵା ହିଲିଅମ୍ ପରମାଣୁ ଜଳି କାର୍ବନରେ ପରିଣତ ହୋଇଥାଏ । ଅନେକ ଵୈଜ୍ଞାନିକ କୁହନ୍ତି ଅଗସ୍ତ୍ୟ ନକ୍ଷତ୍ର ଭଵିଷ୍ୟତରେ ସୁପରନୋଵାରେ ପରିଣତ ହେଵା କଷ୍ଟସାଧ୍ୟ ଯେହେତୁ ଏହି ନକ୍ଷତ୍ରର ଆକାର ଅପେକ୍ଷାକୃତ ଛୋଟ ତେବେ ଏହା ଭଵିଷ୍ୟତରେ ଏକ ନିଅନ୍-ଅମ୍ଳଜାନ ଯୁକ୍ତ ଶୁଭ୍ର ଵାମନ ତାରକା କିମ୍ବା ଏକ planetary nebulaରେ ପରିଣତ ହେଵାର ସମ୍ଭାଵନା ଅଧିକ ବୋଲି ଅନୁମାନ କରାଯାଏ । 

ରାତ୍ରି ଆକାଶରେ ଅଗସ୍ତ୍ୟ ଵା Canopus ନକ୍ଷତ୍ରକୁ ପାଇଵା ପାଇଁ ସରମା(Procyon),ଆଦ୍ରା(Betelgeuse)ଓ ପ୍ରଶ୍ଵା(Sirius)କୁ ନେଇ ଏକ ତ୍ରିଭୁଜର କଳ୍ପନା କରି ତହିଁରେ ସରମା ଓ ଆଦ୍ରାକୁ ଯୋଡ଼ୁଥିଵା କାଳ୍ପନିକ ରେଖାର ଠିକ୍ ମଧ୍ୟ ଭାଗରୁ ଗୋଟିଏ ଗାର ଟାଣିଲେ ତାହା ପ୍ରଶ୍ଵାକୁ ଛେଦ କରିଵ । ସେହି ଗାରକୁ ପ୍ରଶ୍ଵାଠାରୁ ଆହୁରି ଲମ୍ବାଇ ଦେଲେ ଦକ୍ଷିଣ ଆକାଶରେ ଯେଉଁ ଉଜ୍ଜ୍ୱଳ ନକ୍ଷତ୍ର ପ୍ରାପ୍ତ ହୋଇଥାଏ ତାହା ଅଗସ୍ତ୍ୟ ନକ୍ଷତ୍ର ଅଟେ । ଭାରତରୁ ଏହି ନକ୍ଷତ୍ରଟି ପ୍ରାୟତଃ ସବୁଦିନ ଦକ୍ଷିଣ ଆକାଶରେ ଦିଗଵଳୟ ନିକଟରେ ସନ୍ଧ୍ୟା ସମୟରେ ଦେଖାଯାଏ ତେବେ ଶରତକାଳୀନ ରାତ୍ରି ଆକାଶରେ ଏହା ଆକାଶରେ ଅଧିକ ସମୟ ପାଇଁ ରହିଥାଏ । 

ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରୁ ଦେଖାଯାଉଥିଵା ଦ୍ଵିତୀୟ ସବୁଠାରୁ ଉଜ୍ଵଳତମ ତାରକା ଅଟେ ତେଣୁ ଏହି ନକ୍ଷତ୍ରକୁ ନେଇ ପ୍ରାଚୀନ ସଭ୍ୟତାଗୁଡି଼କରେ ନାନା ଲୋକଗାଥା ରହିଥିଲା । ଆରବ,ଚୀନ ଓ ଭାରତର ଲୋକେ ଏହାର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯିଵା ସମ୍ବନ୍ଧରେ ନିଜ ଲୋକକଥାଗୁଡ଼ିକରେ ପରୋକ୍ଷରେ ଉଲ୍ଲେଖ କରିଛନ୍ତି ସେହିପରି ଗ୍ରୀକମାନେ ତାଙ୍କ ମୂଳ ଭୂଖଣ୍ଡରେ ଏହି ନକ୍ଷତ୍ରକୁ ଦେଖିପାରୁନଥିଲେ ବି ମିଶରରେ ଏହି ନକ୍ଷତ୍ରକୁ ଦେଖି ନିଜ ପ୍ରାଚୀନ ଗ୍ରନ୍ଥରେ ଏହାର ଉଲ୍ଲେଖ କରିଛନ୍ତି । ତେବେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ଯୋଗୁଁ ଆଜି ଆମେ ଜାଣିଛନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ଆମ ଗ୍ରହଠାରୁ ପ୍ରାୟ ୩୧୦ ଆଲୋକଵର୍ଷ ଦୂରରେ ଥିଲେ ବି ଏହାର ଆକାର ଓ ଆଲୋକ ପ୍ରଦାନର ପରିମାଣ ସୂର୍ଯ୍ୟଠାରୁ ବହୁଗୁଣ ଅଧିକ ହୋଇଥିଵାରୁ ଦୂରରେ ଥାଇ ମଧ୍ୟ ଏହା ରାତ୍ରି ଆକାଶରେ ଏତେ ଉଜ୍ଜ୍ୱଳ ଦେଖାଯାଇଥାଏ । ଫଳତଃ ଵିଶାଳ ନକ୍ଷତ୍ର ଅଗସ୍ତ୍ୟର ମହିମା ଆଗେ ଲୋକକଥାରେ ଵର୍ଣ୍ଣିତ ହେଉଥିଲା ଆଉ ଆଜି ଏହା ଵିଷୟରେ ଅନେକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ମିଳିଲାପରେ ମଧ୍ୟ ଏହାର ପ୍ରତିପତ୍ତି ଆହୁରି ଦ୍ଵିଗୁଣିତ ହୋଇଯାଇଛି ! 

••••••••••••••••••••••••••••••
             :ତଥ୍ୟ ଉତ୍ସ:
• "The development of Arabic science in Andalusia"(Vernet, Juan; Samsó, Julio -1996)
• Encyclopedia of the History of Arabic Science(Roshdi Rashed)
• Chinese Still Remember The Old Man Of The South Pole(rupa bhaty)
• ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)
•Star Names, their lore and meaning(Allen, Richard Hinckley)
•canopus : star-facts.com
•"Once and Future Celestial Kings". Sky and Telescope(Tomkin, Jocelyn-April 1998)
• The Morning Star Rises: an account of Polynesian astronomy(MW Makemson)
• Hawai‘iloa and the Discovery of Hawai‘i(Samuel M. Kamakau and Z. Kepelino)
•Astronomical Knowledge of the Maori Dominion Museum Monograph No. 3.(E. Best)
•••••••••••••••••••••••••••••

Thursday, March 30, 2023

କ'ଣ ମଣିଷ ଭଳି ସୂର୍ଯ୍ୟଙ୍କର ବି ଦିନେ ମୃତ୍ୟୁ ହୋଇଯିଵ କି ?

ଅନେକେ ଅଛନ୍ତି ସୂର୍ଯ୍ୟଙ୍କୁ ଗୋଟିଏ ତାରକା ନୁହେଁ  ଵରଂ ଭଗଵାନ ଓ ଅମର ଭାବି ବସିପଡ଼ିଛନ୍ତି । ସେମାନେ ନକ୍ଷତ୍ରଗୁଡି଼କର ଜନ୍ମ ଓ ମୃତ୍ୟୁ ଵିଷୟରେ ଵିଶେଷତଃ ସୂର୍ଯ୍ୟଙ୍କ ଜୀଵନକାଳ ଵିଷୟରେ ଭଲରେ ଜାଣିନାହାନ୍ତି । ତେଣୁ ଯେତେବେଳେ ସେମାନଙ୍କୁ ସୂର୍ଯ୍ୟର ମୃତ୍ୟୁ ହୋଇନାହିଁ କିନ୍ତୁ ଭଵିଷ୍ୟତରେ ହେଵ ବୋଲି କେହି କହିଦିଏ ସେମାନେ ତାଙ୍କ ସହିତ ଯୁକ୍ତିତର୍କ କରନ୍ତି ଝଗଡ଼ା ଲାଗନ୍ତି । 

ସୂର୍ଯ୍ୟଙ୍କ ସହିତ ପୁରାଣଗାଥା ଯୋଡ଼ି ଦିଆଯାଇଛି ତେଣୁ କିଛି ଲୋକଙ୍କର ତାଙ୍କ ପ୍ରତି ଆସ୍ଥା ଜଡ଼ିତ ହେଵା ସ୍ଵାଭାଵିକ କଥା । ତେବେ କେଵଳ ଭାରତୀୟ ହିଁ ନୁହେଁ ପୃଥିଵୀରେ ସର୍ଵତ୍ର ସୂର୍ଯ୍ୟଙ୍କୁ ଈଶ୍ଵର ଵିଚାର କରି ଆରାଧନା କରାଯାଏ,କରାଯାଉଥିଲା । 

“ମର୍ତ୍ତ୍ୟମଣ୍ଡଳରେ ଦେହ ଵହି
 ଦେଵତା ହେଲେ ବି ମରଇ”

ସୂର୍ଯ୍ୟ ନକ୍ଷତ୍ର ମଧ୍ୟ ତାହାର ସମୟକାଳ ଆସିଲେ ଲୁପ୍ତ ପାଇଵ ଏମନ୍ତ କି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଦିନେ ନଷ୍ଟ ହୋଇଯିଵ ଏଵଂ ଯେହେତୁ Black matterର ଗୁଣ ଆମେ ଏପର୍ଯ୍ୟନ୍ତ ଭଲ ଭାବରେ ଜାଣନ୍ତି ନାହିଁ ତେଣୁ ଦୁଇଟି ସମ୍ଭାଵନା ଅନୁମାନ କରାଯାଏ । ପ୍ରଥମଟି ଅନୁସାରେ ବ୍ରହ୍ମାଣ୍ଡର ସମସ୍ତ ମହାଜାଗତିକ matter ଅତି ଅତି ଅତି ଭଵିଷ୍ୟତରେ dark matterରେ ପରିଵର୍ତ୍ତିତ ହୋଇ ସେମିତି ଅନନ୍ତକାଳ ଯାଏଁ ରହିଥିଵ । ଦ୍ଵିତୀୟ ମତଟି ଅନୁସାରେ ବ୍ରହ୍ମାଣ୍ଡ ଯେମିତି ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇଥିଲା ସେମିତି ଗୋଟିଏ ବିନ୍ଦୁରେ ସମାହିତ ହୋଇଯିଵ । ଭାରତୀୟ ପୁରାଣ ଶାସ୍ତ୍ରରେ ଏହିକଥା କୁହାଯାଇଛି ଏଵଂ ଏହାର ମଧ୍ୟଵର୍ତ୍ତୀକାଳୀନ ସମୟକୁ ବ୍ରହ୍ମାଙ୍କ ରାତ୍ରିକାଳ କୁହାଯାଇଛି । 

ତେବେ ଆଧୁନିକ ଵିଜ୍ଞାନ ଦୃଷ୍ଟିରୁ ସୂର୍ଯ୍ୟ ଗୋଟିଏ ଅପେକ୍ଷାକୃତ ଅଳ୍ପ ଓଜନ ଵିଶିଷ୍ଟ G ଶ୍ରେଣୀୟ ତାରକା ଅଟେ ଏଵଂ ଏ ସଂସାରରେ ସୂର୍ଯ୍ୟଠାରୁ ମଧ୍ୟ ଵିଶାଳକାୟ ତାରକା ଵିଦ୍ୟମାନ । ଆଗକାଳରେ ତାରକାଗୁଡି଼କ ଵିଷୟରେ ଅଧିକ ତଥ୍ୟ ନଥିଵାରୁ ସେମାନଙ୍କର କୌଣସି ଵିଭାଗୀକରଣ ହୋଇନଥିଲା । ଆଧୁନିକ ଯୁଗରେ Astronomy କ୍ଷେତ୍ରରେ ଦୃତ ପ୍ରଗତି ଯୋଗୁଁ ସମସ୍ତ ତାରକାଗୁଡି଼କୁ O, B, A, F, G, K ଓ Mଶ୍ରେଣୀର ତାରକା ଭାବେ ଵିଭାଜିତ କରାଯାଇଛି । 
O ପ୍ରକାରର ତାରକା ଅତି ଵିଶାଳ ନୀଳ ତାରକା । 10 Lacerta ଏହି ଧରଣର ତାରକା ଅଟେ । 
B ପ୍ରକାରର ତାରକା ଅପେକ୍ଷାକୃତ ଛୋଟ ନୀଳ ତାରକା ଏଵଂ Rigel ଏହି ଧରଣର ତାରକା ଅଟେ । A ପ୍ରକାରର ତାରକା ସବୁଠାରୁ ଛୋଟ ନୀଳ ତାରକା ଏଵଂ ପ୍ରଶ୍ବା(Sirius) ଏହି ଧରଣର ତାରକା ଅଟେ । F ପ୍ରକାରର ତାରକା ନୀଳ ଧଳା ମିଶ୍ରିତ ତାରକା ଆଉ Procyon ଏହି ଶ୍ରେଣୀୟ ତାରକା ଅଟଇ । G ପ୍ରକାରର ତାରକା ଧଳା ହଳଦିଆ ମିଶା ତାରକା ଅଟନ୍ତି ଏଵଂ ଆମ ସୂର୍ଯ୍ୟ ଏହି ଜାତୀୟ ତାରକା ଅଟେ । K ପ୍ରକାରର ତାରକା କମଳା ଲାଲ୍ ମିଶା ରଙ୍ଗର ଏଵଂ Arcturus ଏହି ଶ୍ରେଣୀର ତାରକା ଅଟେ ‌ । M ଜାତୀୟ ତାରକା ଲାଲ୍ ରଙ୍ଗର ହୋଇଥାନ୍ତି ଆଦ୍ରା (Betelgeuse)ଏହି ଶ୍ରେଣୀୟ ତାରକା ଅଟଇ । 

ମନୁଷ୍ୟ ଭଳି ପ୍ରତ୍ୟେକ ତାରକା ଗ୍ରହ ଉପଗ୍ରହ ଓ ଗ୍ରହାଣୁପିଣ୍ଡର ଆୟୁଷ ପୂର୍ଵରୁ ନିର୍ଦ୍ଧାରିତ ହୋଇ ସାରିଛି । ମନୁଷ୍ୟ ଭଳି ତାରକା ବି ଜନ୍ମ ହୁଅନ୍ତି ଓ ମୃତ୍ୟୁଵରଣ କରନ୍ତି । 

ଯେକୌଣସି ତାରକାର ଜନ୍ମ molecular cloudରୁ ଏକ Protostar ରୂପେ ହୋଇଥାଏ । ହଜାର ହଜାର ଵର୍ଷ ପରେ ଆକାର, ଦ୍ରଵ୍ୟ ଘେନି ଗୋଟିଏ Protostar ପରଵର୍ତ୍ତୀ କାଳରେ brown dwarf,low mass star ଓ massive star ଏହିପରି ତିନିପ୍ରକାରର ଅଵସ୍ଥାକୁ ପ୍ରାପ୍ତ ହୋଇଥାଏ ।

Brown dwarf ତାରକାର ଅନ୍ୟନାମ failed stars କାରଣ ଏହା ପାଖରେ Protostarରୁ ସମ୍ପୂର୍ଣ୍ଣ ତାରକା ହେଵାକୁ ସେତିକି ଶକ୍ତି ଓ ଦ୍ରଵ୍ୟ ନଥାଏ ତେଣୁ ଏହା ପୂର୍ଣ୍ଣାଙ୍ଗ ତାରକା ହୋଇପାରେ ନାହିଁ । Teide 1 (Pleiades Open Star Cluster) ହେଉଛି ମନୁଷ୍ୟମାନଙ୍କ ଦ୍ଵାରା ଆଵିଷ୍କୃତ ଏହି ଧରଣର ପ୍ରଥମ ତାରକା । କେହି କେହି ବୃହସ୍ପତିକୁ failed stars ବୋଲି ଅନୁମାନ କରନ୍ତି କିନ୍ତୁ ପ୍ରକୃତରେ ଏଥିପାଇଁ ବୃହସ୍ପତି ବହୁତ ପଛରେ ରହିଯାଇଛି କାରଣ ଗୋଟିଏ failed stars ହେଵା ପାଇଁ ଯେତିକି ଦ୍ରଵ୍ୟ ଲୋଡ଼ା ତହିଁର ମାତ୍ର କୋଡି଼ଏ ଭାଗ ହିଁ ଵୃହସ୍ପତି ପାଖରେ ଵର୍ତ୍ତମାନ ରହିଛି । ଏମନ୍ତକି ସାରା ସୌରଜଗତର ଅନ୍ୟ ସମସ୍ତ ଗ୍ରହକୁ ଭକ୍ଷଣ କରିଦେଲେ ବି ଦ୍ରଵ୍ୟମାନ ଦୃଷ୍ଟିରୁ ତଥାପି ଵୃହସ୍ପତି ଏକ ତାରକା କି Brown dwarf ତାରକା ହୋଇପାରିଵ ନାହିଁ । 
 
ସେହିପରି ଗୋଟିଏ ପ୍ରାକ୍ ନକ୍ଷତ୍ର (Protostar) ଯଦି ଦ୍ରଵ୍ୟ ଓ ଶକ୍ତି ଆଧାରରେ ଅଳ୍ପ ଭାରୀ ନକ୍ଷତ୍ର (Low mass star) ହୁଏ ତେବେ ତାହାର ଜୀଵନକାଳର ପ୍ରଥମ ଚରଣ ଆମ ସୂର୍ଯ୍ୟ ଭଳି ହେଵ ଏଵଂ ଏଭଳି ତାରକାର ଦ୍ଵିତୀୟ ଚରଣ ହେଉଛି ଲାଲ୍ ଦାନଵ(Red giant) ଅଵସ୍ଥା ।

ଆମ ସୂର୍ଯ୍ୟ ଭଳି ଅଳ୍ପ ଭାରୀ ନକ୍ଷତ୍ର (Low mass star) ଯେତେବେଳେ ଗୋଟିଏ ଲାଲ ଦାନଵ ନକ୍ଷତ୍ର (Red giant)ରେ ପରିଵର୍ତ୍ତିତ ହୋଇଥାଏ ସେ ତାହା ନିକଟରେ ବୁଲୁଥିଵା ଗ୍ରହାଦିକୁ ଭକ୍ଷଣ କରି ବଡ଼ ହେଵାକୁ ଲାଗେ । ଆମ ସୂର୍ଯ୍ୟ ମଧ୍ୟ ଆଜିଠାରୁ ୬ ଅର୍ବୁଦ(Billion) ଵର୍ଷ ପରେ ବୁଧ,ଶୁକ୍ର,ପୃଥିଵୀ,ଚନ୍ଦ୍ର ତଥା ମଙ୍ଗଳକୁ ଗିଳି ଏକ ଲାଲ୍ ଦାନଵ ତାରକା(Red giant)ରେ ପରିଣତ ହେଵାକୁ ଯାଉଛି । 

କିନ୍ତୁ ସୂର୍ଯ୍ୟ ଭଳି ତାରକା ଯେତେବେଳେ,ଆଲ୍ ଦାନଵ ତାରକାରେ ପରିଵର୍ତ୍ତିତ ହୋଇଯାଆନ୍ତି ସେମାନେ ସମୟ ସହ ଆକାରରେ ବଢି଼ ବଢି଼ ଯାଆନ୍ତି ଏଵଂ ତେତିକି ଅସନ୍ତୁଳିତ ମଧ୍ୟ ହୋଇଥାନ୍ତି । ଏମିତି ବି ସମୟ ଆସେ ଯେତେବେଳେ ଲାଲ୍ ଦାନଵ ନକ୍ଷତ୍ର(Red giant)ର ଦିନକାଳ ମଧ୍ୟ ପୂରିଯାଏ । ସେତେବେଳେ ପୂର୍ଵ ଭଳି ଆକାର,ଓଜନ,ଦ୍ରଵ୍ୟ ଅନୁସାରେ ଲାଲ୍ ଦାନଵ ତାରକା(Red gaint star) ଦୁଇଗୋଟି ଧଳା ଵାମନ ତାରକା(binary white dwarf) ନହେଲେ planetary nebulaରେ ପରିଣତ ହୁଏ । 

ଏଠାରେ binary white dwarf କ'ଣ ତାହା ବୁଝିଵାକୁ ହେଵ । ଏହି ସ୍ଥିତିରେ କୌଣସି Red gaint ତାରକା ସେତେବେଳେ ପହଞ୍ଚେ ଯେତେବେଳେ ଏହା ଆକାର ବୃଦ୍ଧି ପାଇ ଫାଟିଯାଏ ଏଵଂ ଏହାର କିଛି ଅଂଶ ଏକ white dwarfରେ ପରିଣତ ହୁଏ ବଡ଼ ଅଂଶଟି ଅପେକ୍ଷାକୃତ କ୍ଷୁଦ୍ର red gaint ରୂପେ ରହିଯାଏ । ସେତେବେଳେ ଏ ଉଭୟ ତାରକା ପରସ୍ପରକୁ ଖାଇଵାକୁ ଚେଷ୍ଟା କରନ୍ତି ଏଵଂ ଏହାର ଶେଷ ପରିଣତି ସ୍ଵରୂପ ଉକ୍ତ binary white dwarf ଦ୍ଵୟ Nova ନହେଲେ Type Ia supernova ରୂପେ ପରିଵର୍ତ୍ତିତ ହୋଇଯାଏ ।‌ 

ଆଉ ଯଦି binary white dwarf ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ସଂଘର୍ଷ ଘଟେ ତାହା Novaରେ ପରିଣତ ହୁଏ । Novaରୁ ପରେ ସେହି ତାରକା white dwarf ଓ ଶେଷରେ black dwarfରେ ପରିଣତ ହୁଏ ଓ ଏହା ହେଉଛି ସେହି ନକ୍ଷତ୍ରର ଅନ୍ତିମ ମୃତ ଅଵସ୍ଥା । ଆମ ସୂର୍ଯ୍ୟ ମଧ୍ୟ ଏହିପରି ଜୀଵନଚକ୍ରରେ ବୁଲି ବୁଲି ନିଜ ଶେଷ ଅଵସ୍ଥାରେ ପ୍ରାୟ ୭ରୁ ୧୦ ବିଲିଅନ୍ ଵର୍ଷ ମଧ୍ୟରେ ପହଞ୍ଚିଯିଵ ।

କିନ୍ତୁ ସୂର୍ଯ୍ୟଠାରୁ ଦ୍ରଵ୍ୟ ,ଓଜନ ତଥା ଆକାରରେ ବହୁତ ବଡ଼ କୌଣସି Protostar ନିଜର ଵିଶାଳକାୟ ସ୍ବରୂପ ଯୋଗୁଁ ପରେ ଏକ Massive starରେ ପରିଣତ ହୋଇଯାଏ ‌। ଏହି ଵିଶାଳ ତାରକାଗୁଡି଼କ ନିଜର ଆକାର ବଢ଼ାଇ Type II supernovaରେ ପରିଵର୍ତ୍ତିତ ହୋଇଥାଏ । ଅତି ଅସ୍ଥିରତା ଯୋଗୁଁ ଆଗକୁ ଏହି Type II supernova ମଧ୍ୟ ଦୁଇଗୋଟି ଦିଗରେ ବଦଳିଯାଏ । ଏହା ଆଗକୁ Supernova remnant ହୋଇପାରେ ଅଥଵା black hole କିମ୍ବା Neutron starରେ ବଦଳିଯାଏ । କୃଷ୍ଣଵିଵର ଵା Blackhole ପରଵର୍ତ୍ତୀ କାଳରେ ଏକ xray emissionରେ ପରିଵର୍ତ୍ତିତ ହେଉଥିଲା ବେଳେ Neutron star ଆଗକୁ pulsar,magnetar କିମ୍ବା pulsar -magnetar ତାରକା ରୂପେ ପରିଵର୍ତ୍ତିତ ହୋଇଥାଏ । 

ଏହିପରି ଭାବେ ତାରକା ଓ ତହିଁର ଜୀଵନକାଳ ଵିଷୟରେ ଗୋଟିଏ ଵିଶାଳ ପାଠ ରହିଛି ଯାହା ଵିଦ୍ୟାଳୟରେ ପଢ଼ାଯାଉନଥିଵାରୁ ଅନେକେ ଏହା ଜାଣିପାରିନାହାନ୍ତି । ଭଵିଷ୍ୟତରେ ଗୋଟି ଗୋଟି କରି ସବୁ ପ୍ରକାରର ତାରକା ଵିଷୟରେ ଏଵଂ ସେମାନଙ୍କର ଵିଭିନ୍ନ ଅଵସ୍ଥା ଵିଷୟରେ ଵିସ୍ତୃତ ଆଲୋଚନା କରିଵା । 

କିନ୍ତୁ ଗୋଟିଏ କଥା ରହିଗଲା , ସୂର୍ଯ୍ୟ ଜୀଵିତ ନା ମୃତ ? 

ସିଧାକଥା ,ଜଣେ ସାଧାରଣ ଲୋକ ବି ଏ କଥା ଶୁଣିଲେ ହସିଵ ! ସୂର୍ଯ୍ୟ ମୃତ ହୋଇଥିଲେ ପୃଥିଵୀରେ ଜୀଵଜଗତ ସମ୍ଭଵ କେମିତି ହେଲା ଆଉ ଏଠାରେ ଜୀଵଜଗତ କେମିତି ତିଷ୍ଠି ରହିଛନ୍ତି ? ଵର୍ତ୍ତମାନ ସୂର୍ଯ୍ୟ ନିଜର ଯୁଵାଵସ୍ଥାରେ ଅଛି ଏଵଂ ସୂର୍ଯ୍ୟର ଵୟସ ୪.୬ ଅବ୍ରୁତ ଵର୍ଷ ବୋଲି ଜଣାଯାଏ । ସୂର୍ଯ୍ୟ ଆହୁରି ଛଅ ଅବ୍ରୁତ ଵର୍ଷ ପର୍ଯ୍ଯନ୍ତ ଏହିପରି ଆଲୋକ ପ୍ରଦାନ କରିଚାଲିଵ ହଁ ଥରେ ସୂର୍ଯ୍ୟର Red giant ପରିଵର୍ତ୍ତିତ ହେଵାର ପ୍ରକ୍ରିୟା ଆରମ୍ଭ ହୋଇଗଲେ ପୃଥିଵୀରେ ଜୀଵଜଗତ ତିଷ୍ଟିଵା ଅସମ୍ଭଵ ହୋଇପଡ଼ିଵ । ତେଣୁ ହଁ ସୂର୍ଯ୍ୟ ଜୀଵିତ ଅଛନ୍ତି ଏଵଂ ନିଜର ଯୁଵାଵସ୍ଥାରେ ଅଛନ୍ତି ସେଥିପାଇଁ ତ ତୁମେ ଏ ପୃଥିଵୀରେ ଜୀଵିତ ଅଛ ।

Sunday, February 26, 2023

Aldebaran ଵା ରୋହିଣୀ ନକ୍ଷତ୍ର

 

ଵୃଷ ରାଶିର ସବୁଠାରୁ ଉଜ୍ଜ୍ୱଳତମ ତାରକା aldebaran ଅଟେ । କିନ୍ତୁ ଭାରତୀୟ ଏହି ନକ୍ଷତ୍ରକୁ ରୋହିଣୀ ନାମରେ ଜାଣନ୍ତି । ରୋହିଣୀ , ଚନ୍ଦ୍ରଙ୍କର ପତ୍ନୀ ଓ ଦକ୍ଷଙ୍କର ସତେଇଶ କନ୍ୟା ମଧ୍ୟରେ ଅନ୍ୟତମ । ଚୀନ ଦେଶରେ ଏହି ରୋହିଣୀ ଵା aldebaran ନକ୍ଷତ୍ରକୁ 畢宿五 (Bì Xiù wǔ) କୁହାଯାଏ । 

ପ୍ରାଚୀନ ଗ୍ରୀସରେ ଏହି ତାରକାକୁ 
Λαμπαδίας(Lampadias) କୁହାଯାଉଥିଲା ‌। ଯାହାର ଆକ୍ଷରିକ ଅର୍ଥ ଦିହୁଡ଼ୀ ପରି ,ପଦ ପ୍ରଦର୍ଶକ ଵା ଵାହକ । 

ଉତ୍ତର ପଶ୍ଚିମ ମେକ୍ସିକୋର Seri ଵା Comcaac ଲୋକେ ଵିଶ୍ଵାସ କରନ୍ତି ଯେ ଏହି aldebaran ଵା ରୋହିଣୀ ନକ୍ଷତ୍ର ସନ୍ତାନ ପ୍ରସଵ କରିଵାକୁ ଯାଉଥିଵା ସାତଜଣ ମହିଳାଙ୍କ ପାଇଁ ଆଲୋକ ପ୍ରଦାନ କରୁଅଛି । ସେହି ସାତଜଣ ମହିଳା ଆଉ କେହି ନୁହେଁ କୃତ୍ତିକା ନକ୍ଷତ୍ରପୁଞ୍ଜ(Pleiades)ର ସାତୋଟି ତାରକା । କାର୍ତ୍ତିକେୟ ଜନ୍ମକଥା ସହିତ ଏହି ମେକ୍ସିକୋ ଦେଶୀୟ ଲୋକଵିଶ୍ଵାସର ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ । 

ଅଷ୍ଟ୍ରେଲିଆରେ ଉତ୍ତର-ପୂର୍ଵ ନିଉ ସାଉଥ ୱେଲ୍ସର କ୍ଲେରେନ୍ସ(Clarence) ନଦୀ ଆଖପାଖରେ ଵାସ କରୁଥିଵା ଆଦିଵାସୀମାନଙ୍କ ମଧ୍ୟରେ ଏହି ତାରକାକୁ ନେଇ ଏକ ଲୋକଵିଶ୍ଵାସ ପ୍ରଚଳିତ । ସେମାନେ ଏହାଙ୍କୁ ତାଙ୍କର ପୂର୍ଵପୁରୁଷ କରମ୍ବଲ(Karambal) ବୋଲି ଵିଶ୍ଵାସ କରନ୍ତି । ସ୍ଥାନୀୟ ଜନସୃତି ଅନୁସାରେ “ଏହି କରମ୍ବଲ, ଅନ୍ୟ ଜଣେ ପୁରୁଷର ସ୍ତ୍ରୀ ଚୋରି କରିନେଇଥିଲେ । ସେହି ମହିଳାଙ୍କ ସ୍ୱାମୀ ତାହାର ସ୍ତ୍ରୀକୁ ଉଣ୍ଡି ଉଣ୍ଡି କରମ୍ବଲ ଲୁଚି ରହିଥିଵା ଗଛକୁ ଜାଣିପାରି ସେ ଗଛକୁ ପୋଡି଼ ଦେଇଥିଲେ। ଫଳରେ ସେ ନିଆଁର ଧୂଆଁ ଆକାଶକୁ ଉଠି ତାରକା aldebaran ହୋଇଯାଇଥିଲା । ”

ରୋହିଣୀ ଵା aldebaran ତାରକା ଆମଠାରୁ ୬୫ ଆଲୋକଵର୍ଷ ଦୂରରେ ଅଵସ୍ଥିତ । ତେବେ ଏହା ଏକ ଲାଲ ଦାନଵ(Red giant star) ତାରକା ଏଵଂ ଵ୍ଯାସାର୍ଦ୍ଧ ଦୃଷ୍ଟିରୁ ସୂର୍ଯ୍ୟଙ୍କଠାରୁ ୪୪ଗୁଣ ବଡ଼ ଓ ୪୦୦ଗୁଣ ଅଧିକ ଶୁଭ୍ର ମଧ୍ୟ । ଆମ ଵୃହସ୍ପତି ଗ୍ରହଠାରୁ ଅନେକ ଗୁଣ ବଡ଼ 'Aldebaran b' ନାମକ ଏକ ଵିଶାଳ ଗ୍ରହ ଏହି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵା ଆଧୁନିକ ଗଵେଷକମାନେ ଜାଣିଵାକୁ ପାଇଛନ୍ତି । 

  Aldebaran ପ୍ରକୃତରେ ଏକ ଆରବୀୟ ଭାଷା ମୂଳର ପାଶ୍ଚାତ୍ୟ ନାମ ।‌ ଆରବିକ al Dabarān ("الدبران") ନାମରୁ ଏହାର ନାମକରଣ ହୋଇଛି ଯାହାର ଆକ୍ଷରିକ ଅର୍ଥ "ପୁଷ୍ପ" ଏଵଂ କୃତ୍ତିକା ନକ୍ଷତ୍ର ନିକଟରେ ଏହା ସଦାସର୍ଵଦା ରହୁଥିଵାରୁ ଏଭଳି ନାମକରଣ କରାଯାଇଛି ।