ସ୍ପେନ ଦେଶର ଜଣେ ଜ୍ୟୋତିର୍ବିଜ୍ଞାନୀ ତଥା ଗଣିତଜ୍ଞ ଇବ୍ନ୍ ରସଦ୍ ୧୧୫୩ ମସିହାରେ ମାରାକେଶଠାରେ ଗୋଟିଏ ଅତି ଉଜ୍ଜଳ ନକ୍ଷତ୍ରକୁ ଦେଖିଥିଲେ ଏଵଂ ନିଜ ଦେଶକୁ ଫେରିଵା ପଥରେ ଏହାର ଗତି ଉପରେ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏହି ତାରକାଟି ଇବ୍ନ୍ ରସଦ୍ ନିଜ ଜନ୍ମଭୂମି ସ୍ପେନର କର୍ଡୋବା(Córdoba) ପର୍ଯ୍ଯନ୍ତ ପହଞ୍ଚିଲାବେଳକୁ ରାତ୍ରି ଆକାଶରୁ ଅଦୃଶ୍ୟ ହୋଇଯାଇଥିଲା । ଫଳତଃ ସେ ଏହି ପର୍ଯ୍ୟଵେକ୍ଷଣକୁ ଵ୍ୟଵହାର କରି ଆରିଷ୍ଟଟଲଙ୍କ ଦାବି ସପକ୍ଷରେ ଯୁକ୍ତି କରି କହିଥିଲେ ଯେ ପୃଥିଵୀ ସମତଳ ନୁହେଁ ଵରଂ ଗୋଲାକାର ଅଟେ । ଇବ୍ନ୍ ରସଦ୍ ଆଧୁନିକ ମରକ୍କୋ ଦେଶର ମାରାକେଶ ନଗରଠାରେ ଯେଉଁ ନକ୍ଷତ୍ରଟିକୁ ପ୍ରଥମେ ଦେଖିଥିଲେ ସେହି ନକ୍ଷତ୍ରଟି ଆମର ଅତି ପରିଚିତ ଦକ୍ଷିଣ ଆକାଶର ତାରକା 'ଅଗସ୍ତ୍ୟ' ଅଟେ । 'ଅଗସ୍ତ୍ୟ' ଦକ୍ଷିଣ ଗୋଲାର୍ଦ୍ଧର ତାରକା ହୋଇଥିଵାରୁ ଅତି ଉତ୍ତରରେ ଥିଵା ଦେଶଗୁଡି଼କରେ ଏହି ନକ୍ଷତ୍ର ଦୃଶ୍ୟ ହୁଏ ନାହିଁ । ଏହି କାରଣରୁ
ଜ୍ୟୋତିର୍ଵିଜ୍ଞାନୀ ଇବ୍ନ୍ ରସଦ୍ ଏହି ଅଗସ୍ତ୍ୟ ତାରକାକୁ ସ୍ପେନରେ ଦେଖିପାରିନଥିଲେ ।
ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ୫୮ଟି ସବୁଠାରୁ ଉଜ୍ଵଳ ନକ୍ଷତ୍ରଗୁଡି଼କ ମଧ୍ୟରେ ଦ୍ଵିତୀୟ ଉଜ୍ଵଳତମ ତାରକା ଅଟେ । ଫଳରେ ଏହି ନକ୍ଷତ୍ର ସମ୍ବନ୍ଧରେ ଵିଭିନ୍ନ ଦେଶରେ ନାନା ଲୋକଗାଥା କାହାଣୀ ପ୍ରଚଳିତ ଅଛି ।
ନ୍ୟୁଜିଲାଣ୍ଡର ପ୍ରାଚୀନ ମାଓରୀ ଜନଜାତି ଅଗସ୍ତ୍ୟ ନକ୍ଷତ୍ରକୁ Atutahi କହୁଥିଲେ ଏଵଂ ଏହା ସେମାନଙ୍କ ପାଇଁ ସବୁଠାରୁ 'Tapu' ଵା ପଵିତ୍ର ନକ୍ଷତ୍ର ଥିଲା । ମାଓରୀ ଜନଜାତିର ଲୋକେ ଆଦ୍ରାଵଳି ନକ୍ଷତ୍ରପୁଞ୍ଜର ଅନ୍ୟତମ ତାରକା Rigel (Puanga) ତଥା ଅଗସ୍ତ୍ୟ ନକ୍ଷତ୍ରକୁ ପୂର୍ଵ ଆକାଶରେ ଦେଖିଲେ ଶୁଭ ଵିଚାର କରୁଥିଲେ । ଏହାପରେ ସେମାନେ 'କୁମାରା' ନାମକ ମାଟିଆଳୁ ଲଗାଇ ଚାଷକାର୍ଯ୍ୟ ଆରମ୍ଭ କରୁଥିଲେ । ମାଓରୀ ପୁରାଣଗାଥାରେ Atutahi ଵା ଅଗସ୍ତ୍ୟ ନକ୍ଷତ୍ର ସମ୍ପର୍କିତ ଦୁଇଗୋଟି କାହାଣୀ ରହିଛି । ଗୋଟିଏ କାହାଣୀ ଅନୁସାରେ ଜଙ୍ଗଲ ଓ ପକ୍ଷୀମାନଙ୍କର ଦେଵତା Tane ଯେତେବେଳେ ମହାକାଶରେ ତାରାଗୁଡ଼ିକୁ ନେଇ ନିଜର ଟୋକେଇ(Milky way ଛାୟାପଥ) ବୁଣୁଥିଲେ ସେତେବେଳେ ଏହି Atutahi ଵା ଅଗସ୍ତ୍ୟ ତାରକାଟି ତହିଁରୁ ବାହାରେ ବଳକା ରହିଯାଇଥିଲା । Atutahi ଵା ଅଗସ୍ତ୍ୟ ନକ୍ଷତ୍ରକୁ ନେଇ ମାଓରୀ ଜନଜାତୀୟ ଲୋକଙ୍କର ଅନ୍ୟ ଏକ କଥା ବି ଅଛି । ମାଓରୀ ଲୋକଗାଥା ଅନୁସାରେ Rangi ଓ Papa ହେଉଛନ୍ତି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ପ୍ରଥମ ଦମ୍ପତି । ଏହି ଦୁଇଜଣ ସମସ୍ତ ଜୀଵ, ନକ୍ଷତ୍ର ସୃଷ୍ଟି କରିଛନ୍ତି । ଯେତେବେଳେ ବଡ଼ଦେଵତା Rangi ଆକାଶରେ Milky way ଛାୟାପଥ ଗଢି଼ଲେ ସେ ସେତେବେଳେ ତହିଁରେ Atutahiକୁ ରହିଵାକୁ ନିର୍ଦ୍ଦଶ ଦେଲେ କିନ୍ତୁ ସେ ତାହା ଅଗ୍ରାହ୍ୟ କରିଦେଲେ ଫଳତଃ ସେଇ ଦିନଠାରୁ ତାକୁ ପରିଵାରରୁ ବାସନ୍ଦ କରିଦିଆଗଲା ।
ଆମେରିକାର ପଶ୍ଚିମରେ ଅଵସ୍ଥିତ ହୱାଇ ଦ୍ଵୀପର ଅଧିଵାସୀ ଅଗସ୍ତ୍ୟ ନକ୍ଷତ୍ରକୁ "Ke Alii-o-kona-i-ka-lewa" ନାମ ଦେଇଛନ୍ତି ଯାହାର ଆକ୍ଷରିକ ଅର୍ଥ "ଦକ୍ଷିଣାଞ୍ଚଳ(ସମୁଦ୍ର)ର ମୁଖିଆ" ଅଟେ । ହୱାଇ ଦ୍ଵୀପର ଲୋକକଥା ଅନୁସାରେ Hawai’iloa ବୋଲି ଜଣେ ସମୁଦ୍ର ଯାତ୍ରୀ ହୱାଇ ଦ୍ଵୀପରେ ବାଟବଣା ହୋଇ ପହଞ୍ଚିଥିଲେ ଏଵଂ ଏ ଦ୍ଵୀପକୁ ଵାସୋପଯୋଗୀ ଜାଣି ପୁଣି ନିଜ ଦେଶକୁ ଫରି ଯାଇ ନିଜ ପରିଵାରକୁ ଏଠାକୁ ନେଇ ଆସିଥିଲେ । ସେ ଯିଵା ଆସିଵା ସମୟରେ ଯେଉଁ ତାରକାର ସାହାଯ୍ୟ ନେଇଥିଲେ ସେଇ ତାରକାଟି ଅଗସ୍ତ୍ୟ ଥିଲା । ପରେ ହୱାଇ ଦ୍ଵୀପର ନାମକରଣ ଏହି Hawai’iloaଙ୍କ ନାମରେ ହୋଇଥିଲା । ପୋଲିନେସିଅନ୍ ଓ ଅଷ୍ଟ୍ରେଲିଆର ଆଦିମ ଅଧିଵାସୀମାନେ ମଧ୍ୟ ଅଗସ୍ତ୍ୟ ନକ୍ଷତ୍ରକୁ ସମୁଦ୍ର ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଵ୍ୟଵହାର କରୁଥିଵା ଜଣାଯାଏ ।
ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ waa ତଥା war କହୁଥିଲେ ଯାହାର ଆକ୍ଷରିକ ଅର୍ଥ କୁଆ ଵା କାଉ ଅଟେ । ୟୁରୋପୀୟମାନେ Carina, puppies ଓ vela ତାରକାପୁଞ୍ଜଗୁଡ଼ିକୁ ଏକତ୍ର କରି Argo Navis ନାମ ଦେଇଥିଲେ କାରଣ ଏମାନଙ୍କୁ ଏକତ୍ର ଦେଖିଲେ ବଡ଼ ବୋଇତ ଭଳି ପ୍ରତିଭାତ ହୋଇଥାଏ । ତେବେ ଅଷ୍ଟ୍ରେଲିଆର ପ୍ରାଚୀନ ଜନଜାତୀୟ ଲୋକେ ଏହାକୁ ଏକ ବଡ଼ ପକ୍ଷୀ ବୋଲି ଅନୁମାନ କରିଥିଲେ ଏଵଂ ଏହାର ସବୁଠାରୁ ଉଜ୍ଵଳତମ ତାରକା ଅଗସ୍ତ୍ୟର ନାମ ତାଙ୍କ ଭାଷାରେ war ଵା waa ଦେଇଥିଲେ । ଅଷ୍ଟ୍ରେଲିଆର Pirt-Kopan-noot ଜନଜାତିର ଲୋକମାନଙ୍କର ଏକ ଜନସୃତି ଅନୁସାରେ waa(ଅଗସ୍ତ୍ୟ ଵା Argo Navis) ଜଣେ ରାଣୀ Gneeanggarଙ୍କୁ ଭଲ ପାଇ ବସିଲା (Sirius ଵା Canis major)କୁ ଭଲ ପାଇ ବସିଲା । ହେଲେ ସେ ରାଣୀ ଏଥିରେ ରାଜି ହେଲା ନାହିଁ ଏଵଂ ନିଜର ଛଅଜଣ ଅନୁଚର(କୃତିକାପୁଞ୍ଜ ଵା Pleides) ସହିତ ରହିଵାକୁ ଉଚିତ୍ ମଣିଲା । ଏହା ଦେଖି waa ଗୋଟିଏ ପୋକରେ ପରିଣତ ହୋଇଗଲା । ଯେତେବେଳେ ପୋକକୁ ଉତ୍ସୁକତା ଯୋଗୁଁ Gneeanggar ରାଣୀ ଦେଖିଵାକୁ ଗଲା waa ଏକ ଵିଶାଳ ପକ୍ଷୀରେ ପରିଵର୍ତ୍ତିତ ହୋଇ ତାକୁ ନିଜ ସହିତ ନେଇଗଲା । ସମ୍ଭଵତଃ ଅଷ୍ଟ୍ରେଲିଆର ଆଦିମ ଜନଜାତିମାନଙ୍କର ଏ କାହାଣୀରୁ ଅନୁମାନ କରାଯାଇପାରେ ଯେ ଆଗେ Sirius ଵା ପ୍ରଶ୍ଵା ନକ୍ଷତ୍ର କୃତ୍ତିକାପୁଞ୍ଜ ନିକଟରେ ଥିଲା କିନ୍ତୁ ପରେ ତାହା carina ନକ୍ଷତ୍ରପୁଞ୍ଜର ନିକଟତର ହୋଇଥିଲା ।
ଚୀନ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ 老人星(ବୃଦ୍ଧ ଲୋକର ତାରକା) ଵା 南極老人星(ଦକ୍ଷିଣ ଧ୍ରୁଵର ବୃଢ଼ା ଲୋକ) ଅଭିହିତ କରାଯାଏ । ଏ ଵିଷୟରେ ଚୀନ ଦେଶରେ ଏକ ଲୋକକଥା ପ୍ରଚଳିତ । ଚୀନ ଦେଶର ଉକ୍ତ ଲୋକକଥା ଅନୁସାରେ ବହୁତ ପୂର୍ଵେ Zhao Yen ନାମକ ଜଣେ କୃଶକାୟ ରୋଗିଣା କିଶୋର ଥିଲା ଯାହାର ୧୯ ଵର୍ଷ ମଧ୍ୟରେ ମୃତ୍ୟୁ ହୋଇଯିଵାର ଭଵିଷ୍ୟତଵାଣୀ ଜଣେ ସ୍ଥାନୀୟ ଜ୍ୟୋତିଷ କରିଥିଲେ । ତେଣୁ ଏଥିରୁ ରକ୍ଷା ପାଇଵା ପାଇଁ ସେହି ପତଳା ରୋଗିଣା କିଶୋର Zhao Yenକୁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ଛଡ଼ା ଅନ୍ୟତ୍ର ଯିଵାକୁ ବାରଣ ହୋଇଥିଲା । ପୁଣି ତାକୁ ନିର୍ଦ୍ଦେଶ ଥିଲା ସେ ଯଦି କୁଆଡ଼େ ଯିଵ ତାହେଲେ ନିଜ ସହିତ ଏକ ମଦ୍ୟପାତ୍ର ଓ ପକ୍ଵମାଂସ ନେଇଯିଵ କାରଣ ତାହାର ଯୋଉ ଶାରୀରିକ ଅଵସ୍ଥା
ଖାଦ୍ୟ ଵିନା ସେ ଗୋଟିଏ ଦିନ ବି ବଞ୍ଚିପାରିଵ ନାହିଁ । ସେ ଯୁଗରେ ବାଟଘାଟ ଆଜି ଭଳି ସୁରକ୍ଷିତ ନଥିଲା କି ସବୁଠିଁ ଭୋଜନାଳୟ ବି ନଥିଲା । କୌଣସି କାରଣରୁ ଦିନେ ସେ ତା ଘରଠାରୁ କିଛି ଦୂରରେ ଥିଵା ପଡି଼ଆକୁ ଯାଇଥିଲା ଏଵଂ ଗଲାବେଳେ ଜ୍ୟୋତିଷଙ୍କ ନିର୍ଦ୍ଦେଶାନୁସାରେ ଗୋଟିଏ ମଦ୍ୟପୂର୍ଣ୍ଣ ପାତ୍ର ତଥା ରନ୍ଧା ମାଂସ ନେଇ ଯାଇଥିଲା । ପଡି଼ଆରେ ପହଞ୍ଚିଵାକୁ ଖଣ୍ଡେ ଦୂର ଥିଲା କିନ୍ତୁ ଦୁର୍ଵଳ ରୋଗୀ Zhao Yen ବହୁତ ହାଲିଆ ହୋଇଯାଇଥିଲା ଏଵଂ ଖାଦ୍ୟ ଵିନା ତାହାର କୃଶକାୟ ଦୁର୍ଵଳ ଶରୀର ଧିରେ ଧିରେ ନିସ୍ତେଜ ଲାଗୁଥାଇ । ତେଣୁ ସେ ପଡି଼ଆରେ ପହଞ୍ଚି ପ୍ରଥମେ ଖାଇପିଇ ନିଜ କାର୍ଯ୍ୟ ସମ୍ପନ୍ନ କରିଵ ବୋଲି ମନରେ ଵିଚାର କରି କଷ୍ଟେମଷ୍ଟେ ଆଗେଇଗଲା ।
ପଡ଼ିଆରେ ପହଞ୍ଚି ସେ ଦେଖିଲା ଦୁଇଜଣ ଵୟସ୍କ ଲୋକ ସେଠାରେ ଏକ ଗଛ ମୂଳରେ ବସି ଚୀନ ଦେଶୀୟ checkers ଖେଳ ଖେଳୁଛନ୍ତି । ଗଛ ମୂଳରେ ବସିଥିଵା ଦୁଇଜଣ ଵୟସ୍କଙ୍କ ସମ୍ମୁଖରେ ସେ କେମିତି ଏକାକୀ ଖାଦ୍ୟ ଭକ୍ଷଣ କରିଵ ? ଏହା ତ ସେମାନଙ୍କ ପ୍ରତି ଘୋର ଅପମାନ ହେଵ ! ଏମନ୍ତ ବିଚାରି Zhao Yen ସେହି ଦୁଇଜଣ ବୃଦ୍ଧଙ୍କ ନିକଟକୁ ଗଲା ଏଵଂ ସେମାନଙ୍କୁ ମଦ୍ୟ ଓ ମାଂସ ଗ୍ରହଣ କରିଵାକୁ ଅନୁରୋଧ କଲା । ସେହି ଦୁଇଜଣ ବୃଦ୍ଧ ପ୍ରକୃତରେ ରାତ୍ରି ଆକାଶରେ ଦେଖାଯାଉଥିଵା ସପ୍ତର୍ଷିମଣ୍ଡଳର ଅଧିଷ୍ଠାତା ଦେଵ 'Beidou' ଓ ଧନୁରାଶିର ଛଅଗୋଟି ତାରକାକୁ ନେଇ କଳ୍ପିତ ଚୀନ ଦେଶୀୟ south dipper ନକ୍ଷତ୍ରପୁଞ୍ଜର ଅଧିଷ୍ଠାତା ଦେଵ 'Dǒu Xiù' ଥିଲେ ।
କିଶୋର Zhao Yenର ସଵିନୟ ଵଚନ ତଥା ଆନ୍ତରିକ ଅନୁରୋଧରେ ସନ୍ତୁଷ୍ଟ ହୋଇ ସେ ମନୁଷ୍ୟରୂପୀ ଦେଵଦ୍ଵୟ ଉକ୍ତ ଖାଦ୍ୟ ଗ୍ରହଣ କଲେ । ଏଣେ Zhao Yenର ଶରୀର ଖାଦ୍ୟ ଅଭାଵରୁ ଅସୁସ୍ଥ ହୋଇଗଲା କିନ୍ତୁ ସେ ଦୁଇଜଣ ବୃଦ୍ଧ ରୂପୀ ଦେଵତାମାନଙ୍କଠାରୁ ତାହା ଲୁଚାଇ ପଡ଼ିଆରେ ଯୋଉ କାମ କରିଵାକୁ ଆସିଥିଲା ସେ କାମରେ ଲାଗିପଡି଼ଲା । ହେଲେ କିଛି କ୍ଷଣ ପରେ ସେ ଶାରୀରିକ ଦୁର୍ଵଳତା ଯୋଗୁଁ ସଂଜ୍ଞା ହରାଇ ସେଠାରେ ପଡ଼ିଗଲା । ଦୁଇଜଣ ବୃଦ୍ଧ ରୂପୀ ଦେଵତା Zhao Yenର ଏଭଳି ଅଵସ୍ଥା ଦେଖି ତାକୁ ଟେକି ଆଣି ଗଛ ମୂଳରେ ଶୁଆଇ ଦେଲେ । କିଛି ସମୟ ପରସ୍ପର ସହିତ କଥାଵାର୍ତ୍ତା ହେଲାପରେ Zhao Yenକୁ ସେହି ଦେଵତାମାନେ ଦକ୍ଷିଣ ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଅଗସ୍ତ୍ୟ କରିଦେଲେ । କିଶୋର Zhao Yen ଯିଏ ମାତ୍ର ୧୯ ଵର୍ଷରେ ମରି ଯାଇଥାନ୍ତା ସେ କୋଟି କୋଟି ଵର୍ଷ ଧରି ତାରକା ରୂପେ ପ୍ରତିଷ୍ଠିତ ହୋଇଗଲା । ଚୀନ ଦେଶର ଏହି କାହାଣୀ ଦ୍ଵାରା ପ୍ରାଚୀନ ଚୀନର ଲୋକଙ୍କୁ ଵିନୟୀ,ଦୟାଳୁ ଏଵଂ ବୃଦ୍ଧମାନଙ୍କ ପ୍ରତି ସଦୟ ହେଵାର ଶିକ୍ଷା ପ୍ରଦାନ କରାଯାଉଥିଲା ।
ଗ୍ରୀକ୍ ଦେଶର ଲୋକେ ଅଗସ୍ତ୍ୟ ନକ୍ଷତ୍ରକୁ Canopus କହୁଥିଲେ ଅଵଶ୍ୟ ଗଵେଷକଙ୍କ ଅନୁସାରେ ଏହି ଶବ୍ଦଟି ମଶରୀୟ କିମ୍ବା ଆରବୀୟ ଭାଷା ମୂଳର ଶବ୍ଦ ହୋଇଥିଵା ସମ୍ଭଵ ଏଵଂ ଗ୍ରୀକମାନେ ଏହି ନାମକୁ ପରେ ଗ୍ରହଣ କରିଛନ୍ତି । ପ୍ରକୃତରେ ଗ୍ରୀସରୁ ଅଗସ୍ତ୍ୟ ନକ୍ଷତ୍ର ଦୃଶ୍ୟ ହୁଏନାହିଁ କିନ୍ତୁ ଉତ୍ତର ଆଫ୍ରିକାରେ ଏହି ନକ୍ଷତ୍ର ଦୃଶ୍ୟ ହୋଇଥାଏ । ଗ୍ରୀକ୍ ପୁରାଣଗାଥା ଅନୁସାରେ
Atreus ଓ Aeropeଙ୍କ ପୁତ୍ର ତଥା
Agamemnonଙ୍କର ଭାଇ Menelaus ଏକ ଗ୍ରୀକ୍ ନଗରରାଜ୍ୟ Myceneanର ରାଜା ଥିଲେ । ଏହି
Menelausଙ୍କ ପତ୍ନୀ Helenଙ୍କୁ ଟ୍ରୟନଗରର ରାଜପୁତ୍ର Paris ହରଣ କରିନେଵାରୁ ଗ୍ରୀକ ଦେଶର ସବୁ ନଗରରାଜ୍ୟର ରାଜାମାନେ ସମ୍ମିଳିତ ହୋଇ ଟ୍ରୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଥିଲେ । ଟ୍ରୋଜାନ୍ ଯୁଦ୍ଧ ସମୟରେ Menelausଙ୍କର
Canopus ଵା Canobus ବୋଲି ଜଣେ ଯୁଵ ନାଵିକ ଥିଲେ । ଟ୍ରୟଯୁଦ୍ଧ ପରେ
ଗ୍ରୀକ୍ ନଗରରାଜ୍ୟ Myceneanର ରାଜା Menelaus ନିଜ ଦେଶକୁ ଫେରୁଥିଵା ବେଳେ ମିଶରର ଏକ ବନ୍ଦରରେ କିଛି ଦିନ ପାଇଁ ଵିଶ୍ରାମ ନେଵାକୁ ଅଟକି ଯାଇଥିଲେ । ତେବେ ତାଙ୍କ ନାଵିକ
Canopusଙ୍କୁ ଗୋଟିଏ ସର୍ପ ଦଂଶନ କରିଦେଲା ଫଳତଃ ତାଙ୍କର ମୃତ୍ୟୁ ଘଟିଥିଲା । ଯେଉଁ ବନ୍ଦର ନିକଟରେ Canopusଙ୍କର ମୃତ୍ୟୁ ହୋଇଥିଲା ସେହି ବନ୍ଦର ତଥା ତାଙ୍କ ମୃତ୍ୟୁ ସମୟରେ ଉଦୟ ହୋଇଥିଵା ଅଗସ୍ତ୍ୟ ତାରକାର ନାମକୁ Menelaus ନିଜ ମୃତ ନାଵିକର ନାମାନୁସାରେ Canopus ରଖିଥିଲେ । ଆମ୍ଭେମାନେ ଜାଣନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ସନ୍ଧ୍ୟା ସମୟରେ ଦକ୍ଷିଣ ଆକାଶରେ ଉଦୟ ହୋଇଥାଏ ।
ଆରଵ ଦେଶରେ ଅଗସ୍ତ୍ୟ ନକ୍ଷତ୍ରକୁ ଆଗେ souhail କୁ଼ହାଯାଉଥିଲା ଏଵଂ ଆଜିକାଲି Wazn ଓ Haḍar ମଧ୍ୟ କୁହାଯାଉଛି । ଏକ ଆରବୀ ଲୋକକଥା ଅନୁସାରେ ବହୁତ ପୂର୍ଵେ ଆକାଶରେ ଦୁଇଜଣ ଭଉଣୀ Gomeisa (Canis minorର ତାରକା) ତଥା Sirius (Canis majorର ପ୍ରଶ୍ଵା ନକ୍ଷତ୍ର) ଓ ତାଙ୍କର ଏକ ସାନଭାଇ Canopus (ଅଗସ୍ତ୍ୟ) ତାରକା ଵିଦ୍ୟମାନ ଥିଲେ । ସେମାନେ ସବୁଦିନ ସୁଖରେ ଆକାଶରେ ମିଳିମିଶି ଵିଚରଣ କରୁଥିଲେ କିନ୍ତୁ ସାନଭାଇ souhail(Canopus/ଅଗସ୍ତ୍ୟ) ଦିନେ maiden Al Jauzah (Orion,ଆଦ୍ରାଵଳି ଵା କାଳପୁରୁଷ)କୁ ଦେଖି ସେହି ସୁନ୍ଦରୀ କନ୍ୟାର ରୂପରେ ମୋହିତ ହୋଇଗଲା । ବହୁ ଚେଷ୍ଟା ପରେ ସେହି କନ୍ୟାଟି souhailକୁ ବାହା ହେଵାକୁ ରାଜି ହେଲା କିନ୍ତୁ ବାହାଘର ପୂର୍ଵରୁ ଗୋଟିଏ ଅଘଟଣ ଘଟିଗଲା । କୌଣସି କାରଣରୁ souhail(ଅଗସ୍ତ୍ୟ ନକ୍ଷତ୍ର) ରାଗିଯାଇ maiden Al Jauzah(ଆଦ୍ରାଵଳି ଵା କାଳପୁରୁଷ) ଉପରକୁ ହାତ ଉଠାଇ ଦେଵାରୁ ତାହାର ମୃତ୍ୟୁ ହୋଇଗଲା ଫଳତଃ ଏହି ଘଟଣାରେ ମର୍ମାହତ ଓ ଦୁଃଖିତ ହୋଇ souhail ଵା ଅଗସ୍ତ୍ୟ ନକ୍ଷତ୍ର ସେ ସ୍ଥାନ ଛାଡ଼ି milkyway gallexy ରୂପ ନଦୀକୁ ପାର କରି ଦକ୍ଷିଣ ଦିଗକୁ ଚାଲିଗଲା । ସାନଭାଇକୁ ଉଣ୍ଡିଵାକୁ ତା ପଛରେ ତାହାର ବଡ଼ ଭଉଣୀ Sirius (ପ୍ରଶ୍ଵା) ବି ଦକ୍ଷିଣ ଦିଗକୁ ଗଲା ଏଵଂ ପଛରେ ରହିଗଲା ସାନ ଭଉଣୀ Gomeisa । ଦୁଇ ଭାଇଭଉଣୀଙ୍କୁ ହରାଇ Gomeisa ଆଖିରୁ ଲୁହ ଗଡ଼ାଇ ଧିରେ ଧିରେ କୃଶକାୟ ହୋଇଗଲା ଏଵଂ ଆକାଶରୁ ତାହାର ଉଜ୍ଜଳତା ହ୍ରାସ ଘଟିଲା । ଅନ୍ୟ ଏକ କଥା ଅନୁସାରେ souhail(ଅଗସ୍ତ୍ୟ ନକ୍ଷତ୍ର) ଯେତେବେଳେ ସୁନ୍ଦରୀ maiden Al Jauzah(ଆଦ୍ରାଵଳି)ର ରୂପରେ ମୋହିତ ହୋଇ ତାକୁ ଵିଵାହ ପ୍ରସ୍ତାଵ ଦେଲା ସେତେବେଳେ ସେ ସୁନ୍ଦରୀ କନ୍ୟାଟି ତାହା ଅଗ୍ରାହ୍ୟ କରିଦେଲା । souhail ତାକୁ ବାଧ୍ୟ କରିଵାରୁ ସୁନ୍ଦରୀ maiden Al Jauzah ଏଥିରେ କ୍ଷୁବ୍ଧ ହୋଇ ତାକୁ ଏମିତି ଏକ ଗୋଇଠା ମାରିଲା ଯେ ସେ ସିଧା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଗଲା ।
ହଁ ! ଯେମିତି ଦେଶ ସେମିତି ସଂସ୍କୃତି ଆଉ ସେଇ ସଂସ୍କୃତି ଆଧାରରେ ସେହିପରି କାହାଣୀ !!! ସେ ଯାହା ହେଉ ଆରବ ଦେଶର souhail ସମ୍ବନ୍ଧୀୟ କାହାଣୀରୁ Sirius(ପ୍ରଶ୍ଵା) ଓ Canopus(ଅଗସ୍ତ୍ୟ) ନକ୍ଷତ୍ର ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା କଥା ଜଣାପଡ଼େ ।
ଭାରତରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣକୁ ଵା ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ ଗୋଟିଏ କାହାଣୀ ରହିଛି । ଭାରତରେ ପୂର୍ଵେ ଅଗସ୍ତି ଵା ଅଗସ୍ତ୍ୟ ବୋଲି ଜଣେ ଋଷି ଥିଲେ ଏଵଂ ଏହାଙ୍କ ସ୍ତ୍ରୀଙ୍କ ନାମ ଲୋପାମୁଦ୍ରା ଥିଲା । ଏ ବିନ୍ଧ୍ୟ ପର୍ଵତର ମନ୍ତ୍ରଗୁରୁ। ବିନ୍ଧ୍ୟ ପର୍ଵତ ଦିନକୁ ଦିନ ଉଚ୍ଚତାରେ ବଢ଼ୁଥିଵାର ଦେଖି ସୂର୍ଯ୍ୟଦେଵ ତାଙ୍କ ଗତି ରୁଦ୍ଧ ହେଵାର ଆଶଙ୍କା କରି ଅଗସ୍ତିଙ୍କ ଶରଣାଗତ ହେଲେ। ଅଗସ୍ତି ବିନ୍ଧ୍ୟ ପର୍ଵତ ନିକଟକୁ ଗଲେ। ଗୁରୁଙ୍କୁ ଦେଖି ବିନ୍ଧ୍ୟ ନମସ୍କାର କରି ମୁଣ୍ଡକୁ ତଳକୁ ନୁଆଇଁଵାରୁ ଅଗସ୍ତି ତାଙ୍କୁ କହିଲେ, "ମୁଁ ଦକ୍ଷିଣ ଦିଗକୁ ତୀର୍ଥଯାତ୍ରା କରି ଯାଉଛି, ତେଣୁ ଫେରି ଆସିଵା ପର୍ଯ୍ୟନ୍ତ ତୁମ୍ଭେ ଏହିପରି ନତମସ୍ତକ ହୋଇ ରହିଥାଅ।" ଅଗତ୍ୟା ବିନ୍ଧ୍ୟାଚଳ ଗୁରୁଙ୍କ ଆଦେଶରେ ତାଙ୍କ ଫେରିଵା ଅପେକ୍ଷାରେ ନତମସ୍ତକ ହୋଇ ରହିଲେ। ଅଗସ୍ତି ଆଉ ଦକ୍ଷିଣରୁ ଫେରି ଅଇଲେ ନାହିଁ; ଫଳତଃ ବିନ୍ଧ୍ୟ ପର୍ଵତ ଆଉ ନ ବଢ଼ି ସେହିପରି ନତମସ୍ତକ ହୋଇ ଆଜିପର୍ଯ୍ୟନ୍ତ ଅଛନ୍ତି। ଏହି ପୌରାଣିକ ଉପାଖ୍ୟାନକୁ କବି ଭକ୍ତଚରଣ ମଥୁରାମଙ୍ଗଳର ୨୯ଶ ଛାନ୍ଦରେ ଲେଖିଯାଇଛନ୍ତି । ଅନ୍ୟ ଏକ କଥା ଅନୁସାରେ ଯେତେବେଳେ ଶିଵ ପାର୍ଵତୀଙ୍କର ଵିଵାହ ହେଲା ସେତେବେଳେ ସେହି ଅଲୌକିକ ଵିଵାହକୁ ଦେଖିଵାକୁ ସାରା ଭାରତରୁ ଋଷିମୁନି ହିମାଳୟକୁ ଚାଲି ଆସିଲେ ଏଵଂ ସେଠାରେ ରହି ସାଧନା କରିଵାକୁ ଲାଗିଲେ ଫଳତଃ ଦକ୍ଷିଣ ଭାରତରେ ଜ୍ଞାନପ୍ରଦାତା ଋଷିମାନଙ୍କର ଅଭାଵ ଯୋଗୁଁ ସମାଜ କଳୁଷିତ ହେଵାକୁ ଲାଗିଲା । ଏହି ସମସ୍ୟାର ସମାଧାନ ପାଇଁ ଭଗଵାନ ଶିଵ ଅଗସ୍ତ୍ୟ ଋଷିଙ୍କୁ ଦକ୍ଷିଣ ଦିଗକୁ ଯାଇ ଲୋକଙ୍କୁ ଶିକ୍ଷିତ କରିଵାକୁ ନିର୍ଦ୍ଦେଶ ଦେଇଥିଲେ । ଅଗସ୍ତ୍ୟ ଋଷି ଦକ୍ଷିଣ ଦିଗକୁ ଯାଇ ବାତାପି ନାମକ ମେଷରୂପଧାରୀ ଦୈତ୍ୟକୁ ଖାଇ ଜୀର୍ଣ୍ଣ କରି ଦେଇଥିଲେ । କାବେରୀ ନଦୀକୁ ସେ ଦକ୍ଷିଣ ଭାରତରେ ପ୍ରଵାହିତ କରାଇଥିଲେ, ଅଗସ୍ତ୍ୟ ସଂହିତା ରଚନା କରିଥିଲେ,ଦକ୍ଷିଣ ଭାରତୀୟଙ୍କୁ ତାମିଲ ଵ୍ୟାକରଣ ଓ କାଲରିପଟ୍ଟୁ ଯୁଦ୍ଧକଳାର ଜ୍ଞାନ ପ୍ରଦାନ ଆଦି ଅନେକ ଜନହିତକର କାର୍ଯ୍ୟ କରିଥିଲେ ।
ଭାରତୀୟ ପୁରାଣଗ୍ରନ୍ଥ ଅନୁଯାୟୀ ଅଗସ୍ତି ଋଷି ଭାଦ୍ର ମାସର ପ୍ରଥମ ଦିଵସ ତିଥିରେ ଦକ୍ଷିଣ ଦିଗକୁ ଯାତ୍ରା କରି ଆଉ ଫେରି ଆସି ନଥିଲେ ତେଣୁ ଏ ଦିନ ଵା ଏହି ତିଥିରେ ଆଜି ବି ଭାରତରେ କୌଣସି ଶୁଭକାର୍ଯ୍ୟ ଉଦ୍ଦେଶ୍ୟରେ ଯାତ୍ରା ନିଷିଦ୍ଧ ଏଵଂ ଏହି ଦିନଟିକୁ "ଅଗସ୍ତ୍ୟ ଯାତ୍ରା ଦିଵସ" ଅଭିହିତ କରାଯାଏ । ଲକ୍ଷଣାର୍ଥ ଯେଉଁ ଯାତ୍ରାରୁ ଯାତ୍ରାକାରୀ ବାହୁଡ଼ି ଆସନ୍ତି ନାହିଁ ତାକୁ ମଧ୍ୟ ଅଗସ୍ତ୍ୟ ଯାତ୍ରା ବୋଲାଯାଏ ।
ପୁଣି ପୁରାଣ ଅନୁସାରେ ଅଗସ୍ତ୍ୟ ସମ୍ପୂର୍ଣ୍ଣ ସାଗରକୁ ପାନ କରିଦେଇଥିଲେ ଏଵଂ ଏହା ପରୋକ୍ଷରେ ଭାରତ ମହାସାଗର ପାର କରି ଦକ୍ଷିଣ ଗୋଲାର୍ଦ୍ଧକୁ ଅଗସ୍ତ୍ୟ ନକ୍ଷତ୍ର କ୍ରମଶଃ ଚାଲିଯାଇଥିଵା ଵିଷୟ କୁହାଯାଇଛି ବୋଲି କେତେକ ଗଵେଷକ ମତ ପୋଷଣ କରିଥାନ୍ତି । ଅତଃ ଅଗସ୍ତ୍ୟ ଋଷିଙ୍କ ଜୀଵନ କାହାଣୀ ସମ୍ବନ୍ଧୀୟ ଭାରତୀୟ ପୌରାଣିକ ଆଖ୍ୟାନ ମଧ୍ୟରେ ବି ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯାଇଥିଵା ଵିଷୟରେ ପରୋକ୍ଷରେ କୁହାଯାଇଛି ବୋଲି ଵିଶ୍ଵାସ କରାଯାଏ । ସେ ଯାହା ହେଉ ଆଜକୁ ପ୍ରାୟ ୧୪୦୦୦ ଵର୍ଷ ତଳେ Canopus ଵା ଅଗସ୍ତ୍ୟ ନକ୍ଷତ୍ର ଦକ୍ଷିଣ ଗୋଲାର୍ଦ୍ଧର ଯାମ୍ୟ ଧ୍ରୁଵତାରା ଥିଲା ଏଵଂ ପ୍ରାୟ ୨୧୦୦୦ ଖ୍ରୀଷ୍ଟପୂର୍ଵ ସମୟରେ ଏହା ଉତ୍ତର ଗୋଲାର୍ଦ୍ଧର ଉଜ୍ଜ୍ୱଳ ନକ୍ଷତ୍ର ଥିଲା । ତେଣୁ ଏ ଦୃଷ୍ଟିରୁ ଦେଖିଲେ ଅଗସ୍ତ୍ୟ ଓ ବିନ୍ଧ୍ୟ ଲୋକଗାଥାର ସମୟକାଳ ପ୍ରାୟ ୨୦୦୦୦ ଵର୍ଷ ପୁରାତନ ହୋଇଥିଵା ସମ୍ଭଵ ।
ଭାରତରେ Canopus ଵା ଅଗସ୍ତ୍ୟ ରାତ୍ରୀରେ ଦକ୍ଷିଣାକାଶରେ ଦେଖାଯାଏ । ଏହା ଶରତ୍କାଳରେ ଉଦିତ ହୁଏ; ଶରତ୍କାଳରେ ନଦ୍ୟାଦିର ଜଳ ନିର୍ମଳ ହେଵାରୁ ଅଗସ୍ତି ନକ୍ଷତ୍ରର ଉଦୟକୁ ଜଳର ନିର୍ମଳତାର କାରଣ ବୋଲି ସନାତନୀମାନେ ଵିଶ୍ୱାସ କରନ୍ତି । ଅଗସ୍ତି ନକ୍ଷତ୍ରର ଉଦୟ ସଙ୍ଗେ ଶରତ ଋତୁର ଚିହ୍ନ ପ୍ରକାଶିତ ହୁଏ, ଆକାଶରୁ ମେଘ ଛାଡ଼ିଯାଏ, ନଦୀ ପୁଷ୍କରିଣୀର ଜଳ ନିର୍ମଳ ହୁଏ, ରାସ୍ତା ଘାଟରୁ କର୍ଦ୍ଦମ ଶୁଖିଯାଏ ଓ ଜଳଚର ପକ୍ଷୀମାନେ ଜଳାଶୟମାନଙ୍କରେ ଆସି ଚରନ୍ତି। ଏଥିଯୋଗୁଁ ଅଗସ୍ତ୍ୟୋଦୟ ଏହି ଶରତ ଋତୁର ଲକ୍ଷଣମାନଙ୍କ କାରଣ ବୋଲି ପୁରାଣକାରମାନେ ଵିଶ୍ୱାସ କରୁଥିଲେ ।
କଵି ରାଧାନାଥ 'ଚିଲିକା' ଖଣ୍ଡକାଵ୍ୟରେ ଅଗସ୍ତ୍ୟୋଦୟର ଵର୍ଣ୍ଣନା କରିଵାକୁ ଯାଇ ଲେଖିଛନ୍ତି...
“କଳୁଷିତ ବାରି କଳୁଷହାରକ, କାସାରେ କୁମୁଦ ହାସପ୍ରକାଶକ, ଦକ୍ଷିଣାଶାଵଧୂ ଅଵିତଂସ ମୋତି, ମହୋଜ୍ଜ୍ୱଳ କୁମ୍ଭସମୁଦ୍ଭଵଜ୍ୟୋତି, ଉଇଁଲେ ଆକାଶେ ଆସି ଦଳେ ଦଳେ,
ପୂରନ୍ତି ଏ ଜଳ କଳ କୋଳାହଳେ।”
କ୍ରମେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ହେଲା ଏଵଂ ଆମ୍ଭେମାନେ ଅଗସ୍ତ୍ୟ ନକ୍ଷତ୍ରକୁ ଆହୁରି ଭଲ ଭାବରେ ଜାଣିପାରିଲେ । ଵୈଜ୍ଞାନିକମାନେ ଅଗସ୍ତ୍ୟ ନକ୍ଷତ୍ର ଆମଠାରୁ ୩୧୦ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଥିଵା ଗାଣିତିକ ପଦ୍ଧତିରେ ଆକଳନ କରିଛନ୍ତି ଏଵଂ ଅଗସ୍ତ୍ୟ ନକ୍ଷତ୍ରର ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ଅନୁସନ୍ଧାନରୁ ଏହା
'A9'(spectral type A9)ପ୍ରକାରର ତାରକା ଅଟେ ବୋଲି ଜଣାପଡି଼ଛି । ଅଗସ୍ତ୍ୟର ଆଧିକାରିକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ନାମ Alpha Carinae ରଖାଯାଇଛି । ପୃଥିଵୀରୁ ମହାକାଶ ଯାତ୍ରା ସମୟରେ ଦିଗ ନିର୍ଣ୍ଣୟ ପାଇଁ ଅଗସ୍ତ୍ୟ ନକ୍ଷତ୍ର ଉପଯୋଗୀ ହୋଇଥାଏ । ଅଗସ୍ତ୍ୟ ନକ୍ଷତ୍ର ସୂର୍ଯ୍ୟଙ୍କର ଆଲୋକ ଅପେକ୍ଷା ୧୦୦୦୦ ଗୁଣ ଅଧିକ ପ୍ରକାଶ ଉତ୍ପନ୍ନ କରିଥାଏ । ଏହା ସୂର୍ଯ୍ୟଙ୍କ ବ୍ୟାସାର୍ଦ୍ଧଠାରୁ ୭୧ଗୁଣ ବଡ଼ ଏଵଂ ଆଠଗୁଣ ଅଧିକ ଓଜନିଆ ଅଟେ । ୩,୭୦୦୦୦୦ ଵର୍ଷ ତଳେ ବି ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରେ ଦୃଶ୍ୟ ହେଉଥିଵା ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଥିଲା ଏଵଂ ୪,୮୦୦୦୦ ଵର୍ଷ ପର୍ଯ୍ଯନ୍ତ ବି ଏହିପରି ରହିଥିଵ । ଗୋଟିଏ ଲାଲଦାନଵ ନକ୍ଷତ୍ର ଭାବରେ ଅନେକ କୋଟି ଵର୍ଷ ରହିଵା ପରେ ଏବେ ଏହି ନକ୍ଷତ୍ର ତାହାର blue loop ସ୍ଥିତିରେ ପହଞ୍ଚି ସାରିଛି । ଏହି ସ୍ଥିତିରେ ନକ୍ଷତ୍ରରେ ଥିଵା ହିଲିଅମ୍ ପରମାଣୁ ଜଳି କାର୍ବନରେ ପରିଣତ ହୋଇଥାଏ । ଅନେକ ଵୈଜ୍ଞାନିକ କୁହନ୍ତି ଅଗସ୍ତ୍ୟ ନକ୍ଷତ୍ର ଭଵିଷ୍ୟତରେ ସୁପରନୋଵାରେ ପରିଣତ ହେଵା କଷ୍ଟସାଧ୍ୟ ଯେହେତୁ ଏହି ନକ୍ଷତ୍ରର ଆକାର ଅପେକ୍ଷାକୃତ ଛୋଟ ତେବେ ଏହା ଭଵିଷ୍ୟତରେ ଏକ ନିଅନ୍-ଅମ୍ଳଜାନ ଯୁକ୍ତ ଶୁଭ୍ର ଵାମନ ତାରକା କିମ୍ବା ଏକ planetary nebulaରେ ପରିଣତ ହେଵାର ସମ୍ଭାଵନା ଅଧିକ ବୋଲି ଅନୁମାନ କରାଯାଏ ।
ରାତ୍ରି ଆକାଶରେ ଅଗସ୍ତ୍ୟ ଵା Canopus ନକ୍ଷତ୍ରକୁ ପାଇଵା ପାଇଁ ସରମା(Procyon),ଆଦ୍ରା(Betelgeuse)ଓ ପ୍ରଶ୍ଵା(Sirius)କୁ ନେଇ ଏକ ତ୍ରିଭୁଜର କଳ୍ପନା କରି ତହିଁରେ ସରମା ଓ ଆଦ୍ରାକୁ ଯୋଡ଼ୁଥିଵା କାଳ୍ପନିକ ରେଖାର ଠିକ୍ ମଧ୍ୟ ଭାଗରୁ ଗୋଟିଏ ଗାର ଟାଣିଲେ ତାହା ପ୍ରଶ୍ଵାକୁ ଛେଦ କରିଵ । ସେହି ଗାରକୁ ପ୍ରଶ୍ଵାଠାରୁ ଆହୁରି ଲମ୍ବାଇ ଦେଲେ ଦକ୍ଷିଣ ଆକାଶରେ ଯେଉଁ ଉଜ୍ଜ୍ୱଳ ନକ୍ଷତ୍ର ପ୍ରାପ୍ତ ହୋଇଥାଏ ତାହା ଅଗସ୍ତ୍ୟ ନକ୍ଷତ୍ର ଅଟେ । ଭାରତରୁ ଏହି ନକ୍ଷତ୍ରଟି ପ୍ରାୟତଃ ସବୁଦିନ ଦକ୍ଷିଣ ଆକାଶରେ ଦିଗଵଳୟ ନିକଟରେ ସନ୍ଧ୍ୟା ସମୟରେ ଦେଖାଯାଏ ତେବେ ଶରତକାଳୀନ ରାତ୍ରି ଆକାଶରେ ଏହା ଆକାଶରେ ଅଧିକ ସମୟ ପାଇଁ ରହିଥାଏ ।
ଅଗସ୍ତ୍ୟ ନକ୍ଷତ୍ର ପୃଥିଵୀରୁ ଦେଖାଯାଉଥିଵା ଦ୍ଵିତୀୟ ସବୁଠାରୁ ଉଜ୍ଵଳତମ ତାରକା ଅଟେ ତେଣୁ ଏହି ନକ୍ଷତ୍ରକୁ ନେଇ ପ୍ରାଚୀନ ସଭ୍ୟତାଗୁଡି଼କରେ ନାନା ଲୋକଗାଥା ରହିଥିଲା । ଆରବ,ଚୀନ ଓ ଭାରତର ଲୋକେ ଏହାର ଦକ୍ଷିଣ ଗୋଲାର୍ଦ୍ଧକୁ ଚାଲିଯିଵା ସମ୍ବନ୍ଧରେ ନିଜ ଲୋକକଥାଗୁଡ଼ିକରେ ପରୋକ୍ଷରେ ଉଲ୍ଲେଖ କରିଛନ୍ତି ସେହିପରି ଗ୍ରୀକମାନେ ତାଙ୍କ ମୂଳ ଭୂଖଣ୍ଡରେ ଏହି ନକ୍ଷତ୍ରକୁ ଦେଖିପାରୁନଥିଲେ ବି ମିଶରରେ ଏହି ନକ୍ଷତ୍ରକୁ ଦେଖି ନିଜ ପ୍ରାଚୀନ ଗ୍ରନ୍ଥରେ ଏହାର ଉଲ୍ଲେଖ କରିଛନ୍ତି । ତେବେ ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଅଦ୍ଭୁତପୂର୍ଵ ଅଗ୍ରଗତି ଯୋଗୁଁ ଆଜି ଆମେ ଜାଣିଛନ୍ତି ଯେ ଅଗସ୍ତ୍ୟ ନକ୍ଷତ୍ର ଆମ ଗ୍ରହଠାରୁ ପ୍ରାୟ ୩୧୦ ଆଲୋକଵର୍ଷ ଦୂରରେ ଥିଲେ ବି ଏହାର ଆକାର ଓ ଆଲୋକ ପ୍ରଦାନର ପରିମାଣ ସୂର୍ଯ୍ୟଠାରୁ ବହୁଗୁଣ ଅଧିକ ହୋଇଥିଵାରୁ ଦୂରରେ ଥାଇ ମଧ୍ୟ ଏହା ରାତ୍ରି ଆକାଶରେ ଏତେ ଉଜ୍ଜ୍ୱଳ ଦେଖାଯାଇଥାଏ । ଫଳତଃ ଵିଶାଳ ନକ୍ଷତ୍ର ଅଗସ୍ତ୍ୟର ମହିମା ଆଗେ ଲୋକକଥାରେ ଵର୍ଣ୍ଣିତ ହେଉଥିଲା ଆଉ ଆଜି ଏହା ଵିଷୟରେ ଅନେକ ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ମିଳିଲାପରେ ମଧ୍ୟ ଏହାର ପ୍ରତିପତ୍ତି ଆହୁରି ଦ୍ଵିଗୁଣିତ ହୋଇଯାଇଛି !
••••••••••••••••••••••••••••••
:ତଥ୍ୟ ଉତ୍ସ:
• "The development of Arabic science in Andalusia"(Vernet, Juan; Samsó, Julio -1996)
• Encyclopedia of the History of Arabic Science(Roshdi Rashed)
• Chinese Still Remember The Old Man Of The South Pole(rupa bhaty)
• ପୂର୍ଣ୍ଣଚନ୍ଦ୍ର ଭାଷାକୋଷ(ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ)
•Star Names, their lore and meaning(Allen, Richard Hinckley)
•canopus : star-facts.com
•"Once and Future Celestial Kings". Sky and Telescope(Tomkin, Jocelyn-April 1998)
• The Morning Star Rises: an account of Polynesian astronomy(MW Makemson)
• Hawai‘iloa and the Discovery of Hawai‘i(Samuel M. Kamakau and Z. Kepelino)
•Astronomical Knowledge of the Maori Dominion Museum Monograph No. 3.(E. Best)
•••••••••••••••••••••••••••••
No comments:
Post a Comment