ଶବ୍ଦ ଵ୍ୟଵହାର ହୋଇଥାଏ ଓ ହେଉଥିଲା । ଇଂରାଜୀ ତୁଳନାରେ ଓଡ଼ିଆ ଭାଷାରେ ତତ୍ସମ ଓ ଦେଶଜକୁ ମିଶାଇ କୋଡ଼ିଏରୁ ଅଧିକ ପ୍ରତିଶବ୍ଦ ଅଛି ।
ସର୍ଵଭାରତୀୟ ଶବ୍ଦ ଭାବେ kitchen ଅର୍ଥରେ ଵ୍ୟଵହୃତ ଭାରତୀୟ ଶବ୍ଦଗୁଡି଼କ ହେଲା
ପାକଶାଳା,ପାକସ୍ଥାନ,ଅନସ୍,
ମହାନସ,ସୂଦଶାଳା,ଆସାଦ,
ପଚନାଗାର,ରନ୍ଧନଶାଳା,ରନ୍ଧନଗୃହ,ପାକସ୍ଥାନ,ରସଵତୀ,
ଭକ୍ତଶାଳା,ସୂପସ୍ଥାନ,ସୂପଶାଳା ଓ
ସ୍ବେଦନିକା । ସେହିପରି ଓଡ଼ିଆ ଭାଷାରେ kitchen ପାଇଁ ରନ୍ଧାଘର,ଚୂଲୀମୁଣ୍ଡ,ହାଣ୍ଡିଶାଳ,
ଭିତରଘର,ରୋଷେଇଘର,ରାନ୍ଧଣାଘର,ରନ୍ଧାଘର,ଭାନସ୍ ଘର୍,
ମଡ଼ଫୁଲିଘର ଓ ଆନ୍ନାଘର ଆଦି ଶବ୍ଦ ରହିଛି ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୭୫ତମ ପୃଷ୍ଠାରେ ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ଥିଵା "ଆନ୍ନାଘର" ଶବ୍ଦର ଉଲ୍ଲେଖ ରହିଛି । ସାଧାରଣତଃ ରୋଷେଇଘର ଵା ରନ୍ଧାଘରକୁ ଗଞ୍ଜାମରେ ଆନ୍ନାଘର କୁହାଯାଉଥିଲା । ଆନ୍ନାଘର ଶବ୍ଦରେ ଥିଵା ଆନ୍ନା ଶବ୍ଦଟି ତତ୍ସମ ଅନ୍ନ ସହିତ ସମଦ୍ଧୃତ । ତେଣୁ ଅନ୍ନ ଯେଉଁ ଘରେ ପ୍ରସ୍ତୁତ ହୋଇଥାଏ ତାକୁ ଅନ୍ନଘର ଵା ଆନ୍ନାଘର କୁହାଯାଉଥିଲା ।
ପୁଣି ଭାଷାକୋଷ ଅନୁସାରେ ମଡ଼ଫୁଲିଘର ଓଡ଼ିଆ ଭାଷାର ଏକ ପ୍ରାଚୀନ ଶବ୍ଦ ଯାହା ପୂର୍ଵେ ରୋଷେଇଘର ଅର୍ଥରେ ଵ୍ୟଵହୃତ ହେଉଥିଲା । ସାରଳା ମହାଭାରତରେ ମଡ଼ଫୁଲି ଶବ୍ଦ ଵ୍ୟଵହାର ହୋଇଅଛି ।
“ପଣ୍ଡୁ ବୋଇଲେ ଆଜ କ୍ଷୁଧା ବଡ ଲାଗି ଦୁଗୁଣା ମଡ଼ଫୁଲି ରାନ୍ଧଣା କର ବେଗି ।
×××××××××
ଶୋଇଲା ଠାବରୁ ଗୁଳୁଗୁଞ୍ଚା ମାରି ଉଠି ରାନ୍ଧଣା ଶାଳେ ପଶି ପାକନ୍ତ କରଇ ଅଇଂଠି ।
ପଠୁ ଗୁପତ ହୋଇ ବସିଥିଲେ ପରବତେ ଧାତିକାରେ କବାଟ ଫେଡିଣ ପଶିଲେ ଗୃହଗତେ ।
ମଡ଼ଫୁଲି ଘରେ ଯେ ପଶିଲେ ଗୁପତ ହୋଇ
ଦେଖିଲେ ଭୀମସେନ ପାକନ୍ତ ସବୁ ଖାଇ ।”
××××××××
“ଯେତେକ ଯୋଗାଡ଼ ତୁମ୍ଭର ମଢ଼ଫୁଲି
ତୁମ୍ଭର ମୁଣୋହି ନ କରୁ ମୁଂ ଆଗ ତା ପାଇଲି ।”
ସାରଳା ଦାସଙ୍କ ସମୟରେ ରାଜା ଓ ଦେଵତାଙ୍କର ରନ୍ଧାଖାଦ୍ୟକୁ ମଡ଼ଫୁଲି, ମଢ଼ଫୁଲି ଓ ମେଢ଼ଫୁଲି ତଥା kitchenକୁ ଓଡ଼ିଆ ଭାଷାରେ ମଡ଼ଫୁଲିଘର, ମଢ଼ଫୁଲିଘର ଓ ମେଢ଼ଫୁଲିଘର କୁହାଯାଉଥିଲା କିନ୍ତୁ ଏହବୁ ଶବ୍ଦ ଆଉ ଚଳୁନାହିଁ । ଏହି ମଡହ,ମଢ଼ ଵା ମେଢ଼ ଶବ୍ଦଟିର ସଂସ୍କୃତ ମଣ୍ଡପ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ବୋଲି ଭାଷାକୋଷରୁ ଜଣାଯାଏ । ଆଜିକାଲି ବାଉଁଶ, କାଠ ଵା କୁଟା ଆଦିରେ ରଚିତ ଠାକୁରପ୍ରତିମାଙ୍କର ଥାଟକୁ ମେଢ଼ କୁହାଯାଉଛି । ତେବେ ଆଗେ
ଦେଵତାଙ୍କ ଆସନ,ସୀମା ନିର୍ଦ୍ଦେଶକ ରେଖା,ନଅର ଵା ରାଜପ୍ରସାଦ,ବାଳକାଟିଵାର ପ୍ରଣାଳୀ,ଉଚ୍ଚ ହିଡ଼, ଅନ୍ତଃପୁରର ସୁସଜ୍ଜିତ ପ୍ରକୋଷ୍ଠ,ଅଟ୍ଟାଳିକା ଓ ଅଟ୍ଟାଳିକା ଅନ୍ତର୍ଗତ ଆସନକୁ ମେଢ଼ କୁହାଯାଉଥିଲା । ଆଜି ବି ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ବଡ଼ ବଡ଼ ଅଟ୍ଟାଳିକା ତଥା ନଵରକୁ ମେଡ଼ଘର କୁହାଯାଉଛି । ତେବେ ସମ୍ଭଵତଃ କେଵଳ ରାଜା ଓ ଦେଵତାଙ୍କ ରୋଷେଇ ଘର ପାଇଁ ଵ୍ୟଵହୃତ ହେଉଥିଵା ହେତୁ ମଡ଼ଫୁଲିଘର,ମଢ଼ଫୁଲିଘର ଓ ମେଢ଼ଫୁଲିଘର ଇତ୍ୟାଦି ଶବ୍ଦ କ୍ରମଶଃ ଲୁପ୍ତ ହୋଇଯାଇଅଛି । ଓଡ଼ିଶାର ପୂର୍ଵାଞ୍ଚଳର ଗ୍ରାମାଞ୍ଚଳରେ ଭିତରଘର, ଚୂଲୀମୁଣ୍ଡ, ହାଣ୍ଡିଶାଳ ଆଦି ଶବ୍ଦ ଏବେବି ଚଳୁଅଛି । ଢେଙ୍କାନାଳରେ ଭିତରଘର ଓ ରୁଷେଇଘର ଶବ୍ଦର ପ୍ରଚଳନ ଥିଵା ଦେଖାଯାଏ। ଆଗେ ରାଜାରାଜୁଡ଼ା ସମୟରେ ଅନ୍ତଃପୁର ଓ ଗୃହ ଅଭ୍ୟନ୍ତରରେ ଥିଵା ଗୃହକୁ ଭିତରଘର ଓ ଭିତରପୁର କୁହାଯାଉଥିଲା ।
“ଜନନୀ ମୁଖରୁ ଶୁଣିଣ କୁମର ଭିତର ପୁରକୁ ଗଲା, ମଣୋହି ସାରିଣ ଚଉରାଶି ଫୁଲ ପଲଙ୍କରେ ପହୁଡ଼ିଲା । ”
(ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ଵିପ୍ର)
“କିନ୍ତୁ ଥରେ ଗୋଟିଏ ଵିଭ୍ରାଟ ହେଲା । ସେଦିନ ଯୁଧିଷ୍ଠିର ଓ ଦ୍ରୌପଦୀ ଭିତର ଘରେ ଥିଲେ । ଏତିକିବେଳେ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ ।”
(ପୁ—ଆମ ଦେଵାଦେଵୀ,ନଵଗୁଞ୍ଜର)
ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଓଡ଼ିଶାର ପଶ୍ଚିମାଞ୍ଚଳ ରୋଷେଇଘରକୁ ଭାନ୍ସ ଘର୍ କୁହାଯାଉଥିଲା । ଆଧୁନିକ ମାନକ ଓଡ଼ିଆ ଭାଷାରେ ରୋଷେଇଘର ଶବ୍ଦ ଵିଶେଷ ଵ୍ୟଵହୃତ ହୋଇଥାଏ । ପ୍ରାଚୀନ ସାହିତ୍ୟରେ ରୋଷେଇଶାଳ ଶବ୍ଦର ପ୍ରୟୋଗ ଥିଵା ମଧ୍ୟ ଜଣାଯାଏ ।
“ସୁଵର୍ଣ୍ଣର ଚଟୁ ଗୋଟି ହାତରେ ଧଇଲେ । ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ ।”
(ମାଣଵସା ଲକ୍ଷ୍ମୀ ପୁରାଣ)
“ଆଜ୍ଞା ପାଇ ନଳରାଜା ସନମତ କଲେ । ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ ।”
(ସୁଦଶା ଵ୍ରତ କଥା)
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସର୍ଵଭାରତୀୟ ଶବ୍ଦ ପାକଶାଳା ମଧ୍ୟ ଵ୍ୟଵହୃତ ହୋଇଅଛି
”ପଣ୍ଡୁ ବିଜେ କଲେ ଆସି ଆପଣା ଆସନେ କୋଇନ୍ତାୟେ ବିଜେ କଲେ ପାକଶାଳା ଭୁବନେ ।”
ରନ୍ଧନଶାଳା ଶବ୍ଦ ବି ଓଡ଼ିଆ ସାହିତ୍ୟରେ ଵ୍ୟଵହୃତ ହୋଇଥିଵା ଜଣାଯାଏ
“ରନ୍ଧନ ଶାଳାରେ ହାଣ୍ଡି ଭାଙ୍ଗିଲା କ ଯହୁଁ । ଉପଵାସେ ସମସ୍ତେ ଯେ ରହିଲେ କ ତହୁଁ ।”
ମାତ୍ର ଏ ଯୁଗରେ କିଛି ତଥାକଥିତ ଆଧୁନିକ ଓଡ଼ିଆମାନେ ଓଡ଼ିଆ ଭାଷାରେ ପୂର୍ଵେ ପ୍ରଚଳିତ ରୋଷେଇଘର ଅର୍ଥଜ ଏସବୁ ଶବ୍ଦ ନ ଵ୍ୟଵହାର କରି ଇଂରାଜୀ kitchen ପ୍ରେମରେ ପଡି଼ଛନ୍ତି । କିନ୍ତୁ ସେମାନେ କ'ଣ kitchen ଶବ୍ଦକୁ ଭଲ ଭାବରେ ଜାଣନ୍ତି କି ?
ମଧ୍ୟ ଯୁଗୀୟ ଇଂରାଜୀରେ kitchen ଶବ୍ଦକୁ kychyn, kytchen, kichene ଓ küchen, ତଥା ପ୍ରାଚୀନ ଇଂରାଜୀରେ cyċen ଓ cyċene କୁହାଯାଉଥିଲା । ଏହି ସବୁ ଶବ୍ଦର ପ୍ରାକ୍ ଜର୍ମାନିକ୍ ଶବ୍ଦରୂପ *kukinā ଥିଲା ଏଵଂ ତାହା ଏକ ପ୍ରାଚୀନ ଲାଟିନ୍ ଶବ୍ଦ cocīna ଵା coquīna (“kitchen; cuisine”)ରୁ ନିଆଯାଇଥିଲା ।
ପୁଣି ଲାଟିନ ଭାଷାରେ ପୂର୍ଵେ ପ୍ରଚଳିତ cocīna ଵା coquīna ଶବ୍ଦର ମୂଳ କ୍ରିୟାରୂପ coquō (“to cook”) ଥିଲା ଏଵଂ ପାଶ୍ଚାତ୍ୟ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋପୀୟ କ୍ଷୁଦ୍ରରୂପ *pekʷ- (“to cook, become ripe”) ନିର୍ଣ୍ଣୟ କରିଛନ୍ତି । ମୂଳ ଭାରୋପୀୟ ଧାତୁରୂପ *pekʷ ସହିତ ସଂସ୍କୃତ ଭାଷାରେ ଵ୍ୟଵହୃତ ପଚ୍ ଧାତୁ ତଥା ଓଡ଼ିଆ ଭାଷାର ମୂଳ ଧାତୁ ଶବ୍ଦ ପାଚ୍ ଓ ପାକ୍ ଆଦିର ସଗୋତ୍ରୀୟ ସମ୍ବନ୍ଧ ରହିଛି । ଫଳତଃ ଆମର ପାକ,ପକ୍ଵ,ପାକଲା,ପାଚିଲା ଆଦି ଶବ୍ଦର ପ୍ରୋକ୍ତ ୟୁରୋପୀୟ ଶବ୍ଦ ଗୁଡି଼କ ସହିତ ଶାବ୍ଦିକ ସମ୍ପର୍କ ରହିଛି ବୋଲି କୁହାଯାଇପାରେ। ଏଣୁ ଏ ଦୃଷ୍ଟିରୁ ଦେଖିଲେ kitchen ଶବ୍ଦର ଭାରତୀୟ 'ପାକ','ପାଚନ','ପକ୍ତି,'ପକ୍ଵ ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ଉଲ୍ଲେଖଯୋଗ୍ୟ ଯେ ପଚ୍ ଧାତୁରୁ ପାକ ଓ ପାଚନ ଆଦି ଶବ୍ଦ ନିଷ୍ପନ୍ନ ହୋଇଅଛି ।
ଯଦି kitchen ଓ ପାକଶାଳାର ପାକ ଶବ୍ଦ ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ଭିନ୍ନ ଭିନ୍ନ ଦିଗରେ ସୃଷ୍ଟି ହୋଇଛି ତାହେଲେ Kitchen ଶବ୍ଦରେ ଏମିତି ନୂଆଟା କ'ଣ ଅଛି ଯେ ତହିଁ ପ୍ରତି ଭାରତୀୟ ଜନସମାଜ ଆକୃଷ୍ଟ ହେଉଛନ୍ତି ?
No comments:
Post a Comment