Thursday, May 4, 2023

ଭାରତଵର୍ଷ ତଥା ଆଧୁନିକ ଭାରତର ରାଣୀ ଶାସିକା

ପୃଥିଵୀର ପ୍ରଥମ ଜ୍ଞାତ ମହିଳା ଶାସିକା ହେଉଛନ୍ତି 'କୁବାବା' ଯିଏ ଖ୍ରୀଷ୍ଟପୂର୍ଵ ୨୪୦୦ ସମୟକାଳରେ sumer(ଵର୍ତ୍ତମାନ ଇରାକରେ ସ୍ଥିତ ଭୂଭାଗ)ର ଶାସିକା ଥିଲେ । ଏହି ଶାସିକାଙ୍କର ବହୁତ ପରେ ବ୍ରିଟେନରେ ପ୍ରଥମ ବ୍ରିଟିଶ ମହିଳା ଶାସିକା ”କ୍ଵିନ୍ ମ୍ୟାରୀ ପ୍ରଥମ” (୧୫୫୩ରୁ ୧୫୫୮ ) ହୋଇଥିଲେ । ତେବେ ଭାରତର ପ୍ରଥମ ରାଣୀ ଶାସିକା କିଏ ବୋଲି ପଚାରିଲେ ଭାରତର ଅଧିକାଂଶ ଲୋକେ ରାଜିଆ ସୁଲତାନା(ଶାସନକାଳ:୧୨୩୬ରୁ ୧୨୪୦ )ଙ୍କ ନାମ ନିଅନ୍ତି । କିନ୍ତୁ ତାଙ୍କର ବହୁତ ପୂର୍ଵରୁ କାଶ୍ମୀରରେ ରାଣୀ ସୁଗନ୍ଧା(୯୦୪-୯୦୬) ଓ ରାଣୀ ଦିଧ୍ଧା 
 (୯୮୦-୧୦୦୩) ଶାସିକା ହୋଇଥିଲେ ।  
ଅନେକ ଭାରତୀୟ ହୁଏତ ଜାଣିନଥିବେ ଯେ ରାଜିଆ ସୁଲ୍ତାନା ଭାରତର ପ୍ରଥମ ମହିଳା ଶାସିକା ନୁହନ୍ତି ଵରଂ ତାଙ୍କ ପୂର୍ଵରୁ ଅଖଣ୍ଡ ଭାରତଵର୍ଷରେ ସତରଜଣ ରାଣୀ ଶାସିକା ହୋଇଥିଲେ ଏଵଂ ତନ୍ମଧ୍ୟରେ ସାତଜଣ ରାଣୀ ଉତ୍କଳ ଦେଶର ଶାସିକା ଥିଲେ ।

ସାତଵାହନ ରାଜବଂଶର ଜଣେ ରାଣୀ ନୟନିକା ଖ୍ରୀଷ୍ଟପୂର୍ଵ ୧୦୦ ବେଳକୁ ସାତଵାହନ ରାଜବଂଶର ରାଣୀ ଶାସିକା ହୋଇଥିଲେ । ସେ ସାତକର୍ଣୀ ପ୍ରଥମଙ୍କୁ ଵିଵାହ କରିଥିଲେ ଏଵଂ ତାଙ୍କ ପୁତ୍ର ସାତକର୍ଣୀ ଦ୍ଵିତୀୟ ନାବାଳକ ଥିଵାବେଳେ ଶାସନଭାର ଗ୍ରହଣ କରିଥିଲେ । ସେହିପରି ପ୍ରଭାଵତୀ ଗୁପ୍ତ ଚତୁର୍ଥ ଶତାବ୍ଦୀର ଗୁପ୍ତବଂଶୀୟ ରାଣୀ ଶାସିକା ଥିଲେ ଯିଏ ତାଙ୍କ ପିତା ଚନ୍ଦ୍ରଗୁପ୍ତ ଦ୍ଵିତୀୟଙ୍କ ମୃତ୍ୟୁ ପରେ ଶାସନ ଭାର ଗ୍ରହଣ କରିଥିଲେ । 

ଆଜି ଯଦି ଶ୍ରୀଲଙ୍କା ଭାରତର ଅଂଶ ହୋଇଥାନ୍ତା ତେବେ ଅନୁରାଧାପୁରର ରାଣୀ ଅନୁଲା(୪୭ରୁ ୪୨ ଖ୍ରୀଷ୍ଟପୂର୍ଵ) ଶିଵାଳୀ(ଖ୍ରୀଷ୍ଟପୂର୍ଵ ୩୫)ଙ୍କୁ ଭାରତଵର୍ଷର ପ୍ରଥମ ରାଣୀ ଶାସିକା ଅଭିହିତ କରାଯାଉଥାନ୍ତା । ଅସ୍ତୁ ଅଖଣ୍ଡ ଭାରତଵର୍ଷର ପ୍ରଥମ ରାଣୀ ଶାସିକା ଭାବେ ସିଂହଳୀ ରାଣୀ ଅନୁଲାଙ୍କୁ ଗ୍ରହଣ କରାଯାଇପାରେ । 

ସେହିପରି ବଙ୍ଗଳାଦେଶର ଵର୍ମା ଲାଗିଥିଵା କେତେକ ଅଂଶ ତଥା ଵର୍ମାର ଆରାକାନ୍ ଅଞ୍ଚଳରେ ତୃତୀୟ ଶତାବ୍ଦୀରେ ସ୍ଥାପିତ ଚନ୍ଦ୍ରା ବୌଦ୍ଧ ରାଜବଂଶର ଚାରିଜଣ ରାଣୀ କୁଵେରାମୀ (୩୩୪-୩୪୧),ଉମାଵୀରା (୩୪୧-୩୬୧),ନୀତିଚନ୍ଦ୍ରା(୫୨୦-୫୭୫) ଓ ପ୍ରୀତିଚନ୍ଦ୍ରା(୫୭୮-୫୯୦) ଶାସନ କରିଥିଲେ । ଏମାନେ ମଧ୍ୟ ଅଖଣ୍ଡ ଭାରତଵର୍ଷର ପ୍ରାରମ୍ଭିକ ପ୍ରାଚୀନ ଚାରି ରାଣୀ ଅଭିହିତ ହୋଇପାରନ୍ତି କିନ୍ତୁ ଦୁଃଖର ଵିଷୟ ଅଧୁନା ପାକିସ୍ତାନ ,ଶ୍ରୀଲଙ୍କା,ବଙ୍ଗଳାଦେଶ ତଥା ଵର୍ମା ଭାରତର ଅଂଶ ହୋଇନଥିଵାରୁ ଆଧୁନିକ ଭାରତ ଦେଶର ଭୂଭାଗ ମଧ୍ୟରେ ହୋଇଥିଵା ପ୍ରଥମ ମହିଳା ଶାସିକା ଭାବେ ରାଣୀ ନୟନିକାଙ୍କୁ ଗ୍ରହଣ କରାଯାଇପାରେ । ତେବେ ଗୌରଵର ଵିଷୟ ଯେ ଉତ୍କଳରେ ଜଣେ ଦୁଜଣ ନୁହେଁ ଵରଂ ସାତଜଣ ରାଣୀ ଶାସିକା ଦଶମ ଶତାବ୍ଦୀ ପୂର୍ଵରୁ ଶାସନ କରିଥିଲେ । 

ଭୌମକର ରାଜବଂଶର ସେହି ସାତଜଣ ରାଣୀ ହେଲେ ତ୍ରିଭୁଵନ ମହାଦେଵୀ ପ୍ରଥମ (୮୪୫-୮୫୦), ତ୍ରିଭୁଵନ ମହାଦେଵୀ ଦ୍ବିତୀୟ (୮୯୦-୮୯୬), ତ୍ରିଭୁଵନ ମହାଦେଵୀ ତୃତୀୟ (୮୯୬-୯୦୫),ଗୌରୀ ମହାଦେଵୀ(୯୧୦-୯୧୬), ଦଣ୍ଡୀ ମହାଦେଵୀ(୯୧୬-୯୩୬),ଵକୁଳା ମହାଦେଵୀ(୯୩୪-୯୪୦) ଓ ଧର୍ମା ମହାଦେଵୀ (୯୪୦-୯୫୦) । 

ଭୌମକର ରାଜବଂଶର ୧୨ଜଣ ରାଜା ଓ ୭ଜଣ ରାଣୀ ୭୩୬ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ୨୧୪ ଵର୍ଷ ଧରି ଓଡ଼ିଶାରେ ଶାସନ କରିଥିଲେ । ଏହି ରାଜବଂଶର ଇତିହାସ କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟତଃ ଲୁଚି ରହିଥିଲା । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ୧୯୧୫ରେ ଢେଙ୍କାନାଳର ଏକ ଗ୍ରାମରୁ ଭୌମରାଣୀ ତ୍ରିଭୁଵନ ମହାଦେଈଙ୍କର ଗୋଟିଏ ତାମ୍ରପତ୍ର ମିଳିଲା । ତତ୍ପରେ କଟକ ଜିଲ୍ଲା ନେଉଳପୁର ଗ୍ରାମରୁ ଶୁଭକର ଦେଵଙ୍କର ତଥା ନିମାପଡ଼ା ଅଞ୍ଚଳର ଚୌରାଶି ଗ୍ରାମରୁ ଶିଵକର ଦେଵଙ୍କ ତାମ୍ରଶାସନ ପ୍ରାପ୍ତ ହୋଇଥିଲା । ଏହାପରେ ପରେ ଉଦୟଗିରିର ଗଣେଶ ଗୁମ୍ଫା ଓ ଧଉଳି ପାହାଡ଼ରୁ ଶାନ୍ତିକର ଦେଵଙ୍କ ତାମ୍ରଶାସନ ମିଳିଲା । ହିନ୍ଦୋଳରୁ ମଧ୍ୟ ଶୁଭକର ଦେଵଙ୍କର ଗୋଟିଏ ତାମ୍ରଶାସନକୁ ଗଵେଷକମାନେ ପାଇଲେ । ସେହିପରି ତାଳଚେରରୁ ଶୁଭକରଦେଵ,ଶାନ୍ତିକର ଦେଵ ଓ ଶିଵକର ଦେଵଙ୍କ ତାମ୍ରଶାସନ ସମୂହ ପ୍ରାପ୍ତ ହେଵାରୁ ଓଡ଼ିଶାର ଐତିହାସିକମାନେ ଭୌମକର ରାଜବଂଶ ଵିଷୟରେ ଅନେକ ନୂତନ ତଥ୍ୟ ଆଵିଷ୍କାର କରିପାରିଥିଲେ । ତେବେ ପ୍ରଥମେ ଐତିହାସିକ ପଣ୍ଡିତ ଵିନାୟକ ମିଶ୍ର ଏହି ସବୁ ତାମ୍ରଲେଖର ଅଧ୍ୟୟନ କରି ଭୌମକର ରାଜବଂଶ ଵିଷୟରେ ସୂଚନା ପ୍ରଦାନ କରିଥିଲେ । ତେବେ ଭୌମକର ରାଜବଂଶର ଉତ୍ପତ୍ତି ଵିଷୟରେ ତଥାପି ସଵିଶେଷ ତଥ୍ୟ ମିଳେନାହିଁ କିନ୍ତୁ ଗଵେଷକମାନେ ଅନୁମାନ କରନ୍ତି ଯେ ଭୁୟାଁ ଜମିଦାରବୃନ୍ଦ ଏହି ରାଜବଂଶର ପ୍ରତିଷ୍ଠାତା ଥିଲେ ଏଵଂ ଵର୍ତ୍ତମାନର ଭୂୟାଁମାନେ ଏହି ରାଜବଂଶର ଵର୍ତ୍ତମାନ ବଂଶଧର ହୋଇଥାଇପାରନ୍ତି ‌ । ଗଵେଷକ ଶ୍ରୀ ଵିନାୟକ ମିଶ୍ର ଓ ଶ୍ରୀ ଆର୍ ସି ମଜୁମଦାରଙ୍କ ଅନୁସାରେ ଭୌମମାନେ ପ୍ରକୃତରେ ମହେନ୍ଦ୍ରଗିରିର ମୂଳନିଵାସୀ ଭୁୟାଁ ଆର୍ଯ୍ୟ ଜନଜାତିର ଥିଲେ । ଏହି ଦୁଇଜଣ ଐତିହାସିକ ଵିଷ୍ଣୁପୁରାଣର ମହେନ୍ଦ୍ର ଭୌମଙ୍କୁ ଏହି ରାଜବଂଶର ଜନୈକ ରାଜପୁରୁଷ ଅଭିହିତ କରିଅଛନ୍ତି ।‌ ପଣ୍ଡିତ ଵିନାୟକ ମିଶ୍ରଙ୍କ ଅନୁସାରେ ଏହି ରାଜବଂଶର ଜନୈକ ରାଜାଙ୍କ ନାମ ଗୁହ ଵା ଗୁହା ଥିଲା ଯାହାଙ୍କର ନାମାନୁସାରେ ତୋଷଳର ରାଜଧାନୀର ନାମକରଣ ଗୁହଦେଵପାଟକ ଵା ଗୁହେଶ୍ଵରପାଟକ(ଆଧୁନିକ ଯାଜପୁର)ହୋଇଥିଲା । ତେବେ ଵାୟୁପୁରାଣ ଅନୁସାରେ ରାଜା ଗୁହଦେଵ ଚତୁର୍ଥ ଶତାବ୍ଦୀର ରାଜପୁରୁଷ ବୋଲି ଅନେକେ ଅନୁମାନ କରିଛନ୍ତି କିନ୍ତୁ ଭୌମକର ରାଜବଂଶ ସପ୍ତମ ଅଷ୍ଟମ ଶତାବ୍ଦୀର ହୋଇଥିଵାରୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରିନଥାନ୍ତି ‌। ପୁଣି ଵିନାୟକ ମିଶ୍ର ତାଙ୍କର ଗଵେଷଣା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଯେହେତୁ ଦ୍ଵିତୀୟ ଶିଵକର ଦେଵ ତାଙ୍କର ତାମ୍ରଲେଖରେ ନିଜ ରାଜବଂଶକୁ ଉତ୍କଳଜାତିର ପ୍ରାଚୀନ ଭୌମବଂଶ ଉଲ୍ଲେଖ କରିଛନ୍ତି ତେଣୁ ସମ୍ଭଵତଃ ଭୌମମାନେ ପୁରାଣୋକ୍ତ ଉତ୍କଳ ବଂଶର ରାଜନ୍ୟବୃନ୍ଦ ହୋଇଥିଵା ସମ୍ଭଵ । 

ଗଵେଷକ ଓ୍ଵାଲ୍ଟର ସ୍ମିଥ୍ ନିଜର ପୁସ୍ତକ "ଦି ମୁକ୍ତେଶ୍ଵର ଟେମ୍ପଲ୍ ଅଫ୍ ଭୁବନେଶ୍ୱର"ରେ ଓଡ଼ିଶାର ଵିଭିନ୍ନ ରାଜବଂଶର ଉଲ୍ଲେଖ କାଳରେ ଭୌମକରମାନଙ୍କୁ ଭୂମିଜ ଜନଜାତି ସହିତ ସମ୍ବନ୍ଧିତ ହୋଇଥିଵା ମତପୋଷଣ କରିଛନ୍ତି। ସେହିପରି ଐତିହାସିକ ନଵୀନ କୁମାର ସାହୁ ତଥା ଜଗବନ୍ଧୁ ସିଂହଙ୍କ ପରି କିଛି ଗଵେଷକ ଭୌମକରମାନଙ୍କୁ ଭୁୟାଁ ଜନଜାତି ତଥା ଆସାମର ବୋଡୋ଼ ଭୂୟାଁ ଜନଜାତି ସହିତ ସମ୍ବନ୍ଧିତ ହୋଇଥିଵା ମତପ୍ରକାଶ କରିଥିଵା ଜଣାଯାଏ ‌। ବୋଡ଼ୋ ଭୂୟାଁମାନଙ୍କର ରାଜବଂଶରେ ପରିଵାରର ବଡ଼ପୁଅର ନାମ ଜେଜବାପାଙ୍କ ନାମାନୁସାରେ ନାମିତ ହୋଇଥାଏ ଏଵଂ ସମାନ ପ୍ରଥା ଭୌମକର ରାଜବଂଶରେ ମଧ୍ୟ ପ୍ରଚଳିତ ଥିଲା କିନ୍ତୁ ଭୌମକର ରାଜବଂଶରେ ଦ୍ଵିତୀୟ ରାଜପୁତ୍ରର ନାମ ସେମାନଙ୍କର ଜେଜେବାପାଙ୍କର ବାପାଙ୍କ ନାମାନୁସାରେ ନାମିତ କରାଯାଉଥିଲା ଏଵଂ ଏହି ପ୍ରଥା ବୋଡ଼ୋ ଭୂୟାଁମାନଙ୍କର ରାଜବଂଶରେ ପ୍ରଚଳିତ ନଥିଲା । ଏହି ତଥ୍ୟ ଆଧାରରେ ଅନେକ ଗଵେଷକ ପ୍ରୋକ୍ତ ମତକୁ ଗ୍ରହଣ କରନ୍ତି ନାହିଁ । ଭୌମକରମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ଅନ୍ୟ ଏକ ଐତିହାସିକ ମତ ମଧ୍ୟ ରହିଛି ଏଵଂ ଏହିମତ ଅନୁସାରେ ବଙ୍ଗ,ଆସାମ ଓ ଓଡ଼ିଶାର ଭୌମ, ଭୁୟାଁମାନେ କାମରୂପର ପ୍ରାକଜ୍ୟୋତିଷପୁରରେ ରାଜ୍ୟ ପ୍ରତିଷ୍ଠା କରିଥିଵା ଭଉମ ଶାସକ ନରକଙ୍କ ବଂଶଧର କିନ୍ତୁ ଏହି ମତ ସମ୍ବନ୍ଧରେ ଅଧିକ ଯୁକ୍ତିଯୁକ୍ତ ତଥ୍ୟ ମିଳେନାହିଁ । ସାରଳା ଦାସ ତାଙ୍କର ସାରଳା ମହାଭାରତରେ ଵିଷ୍ଣୁକରଙ୍କୁ ଭୌମରାଜବଂଶର ପ୍ରତିଷ୍ଠାତା ବୋଲି ଉଲ୍ଲେଖ କରିଥିଵା ଵିଶ୍ଵରୂପ ଦାସ ତାଙ୍କର ଦି ଭୌମକରଜ୍ : ବୁଦ୍ଧିଷ୍ଟ୍ କିଙ୍ଗ୍‌ସ୍ ଅଫ୍ ଓଡ଼ିଶା ଆଣ୍ଡ୍ ଦେୟାର୍ ଟାଇମ୍ ପୁସ୍ତକରୁ ଜଣାଯାଏ । ଏହି ପୁସ୍ତକରେ ଭୌମମାନେ ପ୍ରଥମେ ହର୍ଷଙ୍କର ସାମନ୍ତ ଭାବରେ ଓଡ଼ିଶାରେ ଶାସନ ଆରମ୍ଭ କରି ପରେ ଏକ ସ୍ଵତନ୍ତ୍ର ରାଜବଂଶ ରୂପେ ପ୍ରତିଷ୍ଠିତ ହୋଇଥିଵା କଥା ମଧ୍ୟ କୁହାଯାଇଛି । ମାତ୍ର ରାମପ୍ରସାଦ ମିଶ୍ର ନିଜର ପୁସ୍ତକ ସହଜଯାନ : ଏ ଷ୍ଟଡି ଅଫ୍ ତାନ୍ତ୍ରିକ୍ ବୁଦ୍ଧିଜିମ୍‌ରେ ଏହି ମତକୁ ପ୍ରମାଣ ଅଭାବ ଦର୍ଶାଇ ଖଣ୍ଡନ କରିଛନ୍ତି । 

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ପ୍ରବନ୍ଧ 'ଓଡ଼ିଶାର ନାରୀ ଶାସିକା'ରେ ଭୌମକର ରାଜବଂଶର ପ୍ରତିଷ୍ଠାତା ଲକ୍ଷ୍ମୀକର ଦେଵ ନିଜର ପରାକ୍ରମ ବଳରେ ଉତ୍କଳର ପ୍ରାଚୀନ ରାଜଧାନୀ ଯାଜପୁରରେ ନିଜର ରାଜଧାନୀ ସ୍ଥାପନ କରିଥିଲେ ଏଵଂ ଏହି ନଗରୀର ନୂତନ ନାମକରଣ ଗୁହଦେଵ ପାଟକ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ଏହି ପ୍ରବନ୍ଧରେ ଆଗକୁ ଲେଖିଛନ୍ତି ଯେ ଭୌମକର ରାଜବଂଶର ରାଜାମାନେ ପ୍ରଥମେ ତୋଷାଳୀ ରାଜ୍ୟରେ ଶାସନ କରୁଥିଲେ ଏଵଂ ପରେ ପରେ ଖିଜିଙ୍ଗ୍ ,ଯମଗର୍ତ୍ତ,କୋଦାଳକ,ଖିଞ୍ଜିଳି ଓ ଐରାଵତ ଆଦି ମଣ୍ଡଳ 
ରାଜ୍ୟର ଅଧିପତିମାନେ ସେମାନଙ୍କର ଅଧିନତା ସ୍ଵୀକାର କରି ମହାସାମନ୍ତ ରୂପେ ଶାସନ କରୁଥିଲେ । ଲକ୍ଷ୍ମୀକରଙ୍କ ପରେ ଭୌମକର ରାଜବଂଶର କ୍ଷେମଙ୍କର ଦେଵ ତୋଷାଳୀ ରାଜ୍ୟର ଶାସନଭାର ଗ୍ରହଣ କଲେ ‌। ତାଙ୍କ ପରେ ସେହି ବଂଶରେ ଶିଵକର ଦେଵ ବୋଲି ଜଣେ ପ୍ରତାପୀ ରାଜା କଙ୍ଗୋଦ ତଥା କଳିଙ୍ଗ ରାଜ୍ୟ ଜୟକରି ଉନ୍ନତ ସିଂହ ଉପାଧି ଧାରଣ କରିଥିଲେ । ଶିଵକରଙ୍କ ପରେ ଶୁଭକର ଦେଵ ତୋଷାଳୀର ଶାସକ ହେଲେ ଏଵଂ ଜଣେ ବୌଦ୍ଧସାଧକ ଭାବରେ ତାଙ୍କର ସୁଖ୍ୟାତି ରହିଥିଲା ‌। କିନ୍ତୁ ତାମ୍ରଶାସନରୁ ମିଳିଥିଵା ତଥ୍ୟ ଅନୁଯାୟୀ ଏହାଙ୍କର ରାଣୀ ମାଧଵୀ ଦେଵୀ ଶିଵ ଉପାସିକା ଥିଲେ । ଶୁଭାକର ଦେଵ ନିଜେ ମଧ୍ୟ ଦୁଇଶତ ବ୍ରାହ୍ମଣଙ୍କୁ ଭୂମିଦାନ କରିଥିଵା ତାଙ୍କର ଏକ ତାମ୍ରଶାସନରୁ ଜଣାପଡି଼ଛି । ଶୁଭାକର ଦେଵଙ୍କ ପରେ ଦ୍ଵିତୀୟ ଶିଵକର,ପ୍ରଥମ ଶାନ୍ତିକର, ଦ୍ଵିତୀୟ ଶୁଭାକର ଓ ତୃତୀୟ ଶୁଭାକର ପ୍ରମୁଖ ଚାରିଜଣ ଶାସକ ତୋଷାଳୀ ରାଜ୍ୟର ଶାସକ ହୋଇଥିଲେ ଏଵଂ ୮୪୫ ପର୍ଯ୍ଯନ୍ତ ଏହିପରି ଭାବେ ଭୌମକର ରାଜବଂଶର ରାଜ୍ୟ ଓଡ଼ିଶାରେ ସୁପ୍ରତିଷ୍ଠିତ ହୋଇଯାଇଥିଲା ।‌ ମାତ୍ର ତୃତୀୟ ଶୁଭାକର ଦେଵଙ୍କ ପୁତ୍ର ନାଵାଳକ ଥିଵା ସମୟରେ ଏକ ଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ‌ । ତୋଷଳ ରାଜ୍ୟର ଏହି ଵିପତ୍ତିକାଳରେ ଵାହ୍ୟ ଶତ୍ରୁମାନେ ସେ ରାଜ୍ୟ ଆକ୍ରମଣ କରିଵାକୁ ଷଡ଼ଯନ୍ତ୍ର କରିଵାକୁ ଲାଗିଲେ ‌। ରାଜ୍ୟ ରକ୍ଷା ପାଇଁ ରାଜମାତା ତ୍ରୀଭୁଵନ ମହାଦେଵୀ ୮୪୫ ଖ୍ରୀଷ୍ଟାବ୍ଦରେ ତୋଷଳ ସିଂହାସନ ଆରୋହଣ କରିଥିଲେ ‌। 

ଐତିହାସିକ ଦିନେଶ୍ ଚନ୍ଦ୍ର ସରକାର, ଭୌମ ସାମନ୍ତରାଜା ଶତ୍ରୁଭଞ୍ଜ ଦ୍ଵିତୀୟଙ୍କ ଦଶପଲ୍ଲା ତାମ୍ରଲେଖରେ ଥିଵା ଜ୍ୟୋତିର୍ଵିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆଧାରରେ ଭୌମକର ରାଜବଂଶର ପ୍ରତିଷ୍ଠା ସମୟକାଳ ୮୩୧ ଖ୍ରୀଷ୍ଟାବ୍ଦ ବୋଲି ଅନୁମାନ କରିଥିଲେ ତେବେ ଐତିହାସିକ ରିଜାର୍ଡ ଜି ସଲୋମନ୍ ତାଙ୍କର ପୁସ୍ତକ "ଇଣ୍ଡିଆନ୍ ଇପିଗ୍ରାଫି : ଏ ଗାଇଡ଼ ଟୁ ଦି ଷ୍ଟଡି ଅଫ୍ ଇନ୍ସକ୍ରିପସନ୍ସ୍ ଇନ୍ ସାନ୍ସକ୍ରିଟ୍,ପ୍ରାକ୍ରିତ୍ ଆଣ୍ଡ୍ ଅଦର୍ ଇଣ୍ଡୋ ଆର୍ୟାନ୍ ଲାଙ୍ଗୁଏଜ୍‌"ରେ ଏହି ମତକୁ ଆଂଶିକ ସମର୍ଥନ କରିଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ଵିଶ୍ବାସଯୋଗ୍ୟ ନିର୍ଣ୍ଣାୟକ ମତ ଭାବେ ଗ୍ରହଣ କରିନାହାନ୍ତି ‌। ତେବେ ଐତିହାସିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ନିଜର ପୁସ୍ତକ 'କ୍ରୋନୋଲଜି ଅଫ୍ ଦ ଭୌମକରଜ୍ ଆଣ୍ଡ୍ ଦ ସୋମବଂଶୀଜ୍ ଅଫ୍ ଓଡ଼ିଶା'ରେ ୭୩୬ ଖ୍ରୀଷ୍ଟାବ୍ଦରେ ଭୌମକର ରାଜବଂଶ ପ୍ରଥମେ ଗୁହଦେଵପାଟକରେ ଶାସନ ଆରମ୍ଭ କରିଥିଵା କଥା ଅନେକ ଯୁକ୍ତି ଓ ପ୍ରମାଣ ଦ୍ଵାରା ପ୍ରକାଶ କରିଛନ୍ତି । 

ଏହି ତ୍ରିଭୁଵନ ମହାଦେଵୀ ପୂର୍ଵଭାରତ ତଥା କଳିଙ୍ଗ ଦେଶର ପ୍ରଥମ ମହିଳା ଶାସିକା ଅଟନ୍ତି । ଏହା କମ୍ ଗୌରଵର ଵିଷୟ ନୁହେଁ କିନ୍ତୁ ଓଡ଼ିଶାର ଏହି ଇତିହାସ ସର୍ଵଭାରତୀୟ ସ୍ତରରେ ସୁଚାରୁରୂପେ ପ୍ରଚାର ପ୍ରସାର ହୋଇପାରିନଥିଲା ଫଳତଃ ଆଜି ବି ଅନେକେ ରାଜିଆ ସୁଲ୍ତାନାଙ୍କୁ ଭାରତର ପ୍ରଥମ ମହିଳା ଶାସିକା ଅଭିହିତ କରିଥାନ୍ତି । 

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ତାଙ୍କର ପ୍ରବନ୍ଧ 'ଓଡ଼ିଶାର ନାରୀ ଶାସିକା'ରେ ଭୌମକର ରାଜବଂଶର ଶାସକ ଓ ଶାସିକମାନଙ୍କ ଵିଷୟରେ ସଂକ୍ଷିପ୍ତ ଆଲୋଚନା କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ତ୍ରିଭୁଵନ ମହାଦେଵୀ ଶାନ୍ତିକର ଦେଵଙ୍କ ମହାରାଣୀ ତଥା ଦାକ୍ଷିଣାତ୍ୟର ରାଜା ରାଜମଲ୍ଲଙ୍କ କନ୍ୟା ଥିଲେ । ତାଙ୍କର ଅନ୍ୟନାମ ଥିଲା ସିନ୍ଦଗୌରୀ ଓ ଗୋସ୍ଵାମିନୀ ଦେଵୀ । 
ସେ ରାଜ୍ୟର ଶାସନଭାର ଗ୍ରହଣ ପରେ 
ତ୍ରିଭୁଵନ ମହାଦେବୀ ନାମ ଧାରଣ କରିଥିଲେ ‌। ତାଙ୍କ ନାମ ସହିତ ପରେ ପରମ ଭଟ୍ଟାରିକା, ପରମେଶ୍ବରୀ ଓ ପରମ
ଵୈଷ୍ଣଵୀ ଆଦି ଉପାଧି ସଂଯୁକ୍ତ ହୋଇଥିଲା ‌। ଵାହ୍ୟଶତ୍ରୁମାନେ ନାରୀ ଶାସିକାଙ୍କୁ ରାଜ୍ୟଶାସନ କରିଵା ଦେଖି ତୋଷଳ ଉପରେ ଆକ୍ରମଣ କରିଦେଲେ କିନ୍ତୁ ଅଦମ୍ୟ ସାହସ ତଥା ଵିଚକ୍ଷଣ ବୁଦ୍ଧି ବଳରେ ତ୍ରିଭୁଵନ ମହାଦେଵୀ ଶତ୍ରୁମାନଙ୍କୁ ଦମନ କରି ସେ ଭୌମକର ବଂଶର ଯଶ ବୃଦ୍ଧି କରିଥିଲେ । ତ୍ରିଭୁଵନ ମହାଦେଵୀ ତାଙ୍କର ଜୀଵିତାଵସ୍ଥାରେ ହିଁ ସ୍ଵପୌତ୍ର ଦ୍ଵିତୀୟ ଶାନ୍ତିକର ଦେଵଙ୍କୁ ରାଜ୍ୟଶାସନ ଭାର ଦେଇ ନିଜର ଅଵଶିଷ୍ଟ ଜୀଵନ ନାରାୟଣଙ୍କ
ସେଵାରେ ନିୟୋଜିତ କରିଥିଲେ ।

ତ୍ରିଭୁଵନ ମହାଦେଵୀଙ୍କ ପରେ ଦ୍ଵିତୀୟ ଶାନ୍ତିକର ଦେଵ ୮୫୦ଖ୍ରୀଷ୍ଟାବ୍ଦ ଠାରୁ
୮୬୫ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଵାପରେ ତାଙ୍କର ଜ୍ୟେଷ୍ଠପୁତ୍ର ଚତୁର୍ଥ ଶୁଭାକର ଦେଵ ୮୬୫ ଖ୍ରୀଷ୍ଟାବ୍ଦରୁ ୮୮୫ ଖ୍ରୀଷ୍ଟାବ୍ଦ
ପର୍ଯ୍ୟନ୍ତ ତୋଷଳର ଶାସକ ହୋଇଥିଲେ । ଏହି ରାଜା ସୋମବଂଶୀ ଜନ୍ମେଜୟଙ୍କ କନ୍ୟା ପୃଥ୍ବୀ ମହାଦେଵୀଙ୍କୁ ଵିଵାହ କରିଥିଲେ । ଅଵଶ୍ୟ ଅନୁମାନ କରାଯାଏ ଯେ ଏହି ଵିଵାହ ରାଜନୈତିକ ଅଭିସନ୍ଧି ମୂଳକ ଥିଲା । ସୋମବଂଶୀମାନେ ତୋଷଳର ରାଜକାର୍ଯ୍ୟରେ ହସ୍ତକ୍ଷେପ କରିଵାରୁ ରାଜପରିଷଦଗଣ ତତ୍କାଳୀନ ଶାସିକା ଦ୍ଵିତୀୟ ତ୍ରିଭୁଵନ ମହାଦେଵୀ ଵା ପୃଥ୍ଵୀ ମହାଦେଵୀଙ୍କୁ ଗାଦିଚ୍ୟୁତ କରି ତାଙ୍କ ଯାଆ ତୃତୀୟ ଶିଵକର ଦେଵଙ୍କ ଵିଧଵା ରାଣୀ ତୃତୀୟ ତ୍ରିଭୁଵନ ଦେଵୀଙ୍କୁ ସିଂହାସନରେ ବସାଇଲେ । ସେତେବେଳେ ପୃଥ୍ବୀ ମହାଦେଵୀଙ୍କ ଭାଇ ସୋମବଂଶୀ ରାଜା ଯଯାତି ,ଶଙ୍କରଗଣଙ୍କ ସହିତ ଯୁଦ୍ଧରେ ଲିପ୍ତ ଥିଵାରୁ ତାଙ୍କ ଗାଦିଚ୍ୟୁତା ଭଉଣୀ ପୃଥ୍ଵୀ ମହାଦେଵୀଙ୍କୁ ସାହାଯ୍ୟ କରିପାରିଲେ ନାହିଁ । 

ତୃତୀୟ ତ୍ରିଭୁଵନ ମହାଦେବୀ ତୃତୀୟ ଶିଵକର ଦେଵଙ୍କ ମହାରାଣୀ ତଥା ପଶ୍ଚିମ ଗଙ୍ଗବଂଶୀୟ ରାଜା ରାଜମଲ୍ଲଙ୍କ କନ୍ୟା ଥିଲେ । ସେ ପରମ ଭଟ୍ଟାରିକା, ପରମେଶ୍ବରୀ ଓ ମହାରାଜାଧିରାଜ ଉପାଧି ଲାଭ କରିଥିଲେ । ସେ ଵିଷ୍ଣୁଙ୍କର ପରମ
ଉପାସିକା ଥିଲେ ଏଵଂ ବ୍ରାହ୍ମଣମାନଙ୍କୁ ବହୁ ଭୂମିଦାନ କରିଥିଵା ତାଙ୍କର ତାମ୍ରଶାସନରୁ ଜଣାପଡି଼ଛି । ନିଜର ତାମ୍ରପତ୍ରରେ ତାଙ୍କୁ କାତ୍ୟାୟିନୀଙ୍କ ସହିତ ତୁଳନା କରାଯାଇଛି । ତୃତୀୟ ତ୍ରିଭୁଵନ ମହାଦେଵୀଙ୍କ ରାଜତ୍ବକାଳ ୮୯୬ଖ୍ରୀଷ୍ଟାବ୍ଦରୁ ୯୦୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଥିଲା । ତାଙ୍କ ପରେ ତାଙ୍କର ଦୁଇପୁତ୍ର ତୃତୀୟ ଶାନ୍ତିକର ଦେଵ ଓ ପଞ୍ଚମ ଶୁଭାକର ଦେଵ ତୋଷଳର ରାଜା ହୋଇଥିଲେ କିନ୍ତୁ ଏ ଦୁଇଜଣଙ୍କ ରାଜତ୍ଵ
କାଳ ୯୦୫ଖ୍ରୀଷ୍ଟାବ୍ଦ ଠାରୁ ୯୦୯ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ମାତ୍ର ଚାରିଵର୍ଷ ଥିଲା । 

 ପଞ୍ଚମ ଶୁଭାକର ଦେଵଙ୍କର ଦୁଇଜଣ ରାଣୀଥିଲେ । ତନ୍ମଧ୍ୟରୁ ଜ୍ୟେଷ୍ଠାରାଣୀ ଗୌରୀ ମହାଦେଵୀ ୯୧୦ରୁ ୯୧୬ ଖ୍ରୀଷ୍ଟାବ୍ଦ
ପର୍ଯ୍ୟନ୍ତ ତୋଷଳର ଶାସିକା ହୋଇଥିଲେ । ଗୌରୀ ମହାଦେଵୀଙ୍କ ପରେ ତାଙ୍କର କନ୍ୟା ଦଣ୍ଡୀ ମହାଦେଵୀ ୯୧୪ଖ୍ରୀଷ୍ଟାବ୍ଦରୁ ୯୩୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ବ କରିଥିଲେ । ଦଣ୍ଡୀ ମହାଦେଵୀଙ୍କର ଗଞ୍ଜାମ ତାମ୍ରଶାସନ,
କୁମରାଙ୍ଗ ତାମ୍ରଶାସନ,ଶାନ୍ତିରା ତାମ୍ରଶାସନ ଓ ପାଟଲିଙ୍ଗ ତାମ୍ରଶାସନରୁ ତାଙ୍କର ପରାକ୍ରମ ଓ ଦକ୍ଷ ଶାସନର ପରିଚୟ ମିଳିଥାଏ । ତାଙ୍କର ପରମ ମାହେଶ୍ବରୀ, ପରମଭଟ୍ଟାରିକା, ମହାରାଜାଧିରାଜ ଓ
ପରମେଶ୍ବରୀ ଆଦି ଉପାଧି ରହିଥିଲା । ସେ ଅତ୍ୟନ୍ତ ପ୍ରଭାଵଶାଳୀ ଓ ଦକ୍ଷ ପ୍ରଶାସିକା ଥିଲେ । ଏମନ୍ତକି ଭୌମ ରାଜ୍ୟକୁ ସୁଦୃଢ଼ କରିଵା ପାଇଁ ଏଵଂ ଶାସନ କ୍ଷେତ୍ରରେ ସମ୍ପୂର୍ଣ୍ଣ ମନୋନିଵସ ହେତୁକ 
ସେ ଆଜୀଵନ କୁମାରୀ ରହିଥିଲେ । 

ଦଣ୍ଡୀ ମହାଦେଵୀଙ୍କ ପରେ ତାଙ୍କ ଵିମାତା ଅର୍ଥାତ୍ ପଞ୍ଚମ ଶୁଭାକର ଦେଵଙ୍କ କନିଷ୍ଠା ରାଣୀ ବକୁଳ ମହାଦେଵୀ ୯୩୪ଖ୍ରୀଷ୍ଟାବ୍ଦରୁ ୯୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତୋଷଳ ରାଜ୍ୟର ଶାସିକା ହୋଇଥିଲେ ଏଵଂ ୟେ ଥିଲେ 
ଭଞ୍ଜବଂଶୀୟ ରାଜକନ୍ୟା । ବକୁଳ
ମହାଦେଵୀଙ୍କ ପରେ ତାଙ୍କ ଯାଆ ଅର୍ଥାତ୍
ତୃତୀୟ ଶାନ୍ତିକର ଦେଵଙ୍କ ରାଣୀ ଧର୍ମା
ମହାଦେଵୀ ୯୪୦ ଖ୍ରୀଷ୍ଟାବ୍ଦ ଠାରୁ ୯୫୦
ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ଵ କରିଥିଲେ ଏଵଂ ସେ ମଧ୍ୟ ବକୁଳ ମହାଦେଵୀଙ୍କ ପରୀ ଭଞ୍ଜବଂଶୀୟା ରାଜକନ୍ୟା ଥିଲେ । ଧର୍ମା ମହାଦେଵୀ ଦୁଇଟି ତାମ୍ରପତ୍ର ପ୍ରଦାନ
କରିଥିଲେ ଏଵଂ ତହିଁରୁ ଜଣାଯାଏ ଯେ ତାଙ୍କର ପରମ ଭଟ୍ଟାରିକା, ମହାରାଜାଧିରାଜ ଓ ପରମେଶ୍ବରୀ ଉପାଧି ରହିଥିଲା । ଐତିହାସିକମାନେ ଅନୁମାନ କରନ୍ତି ଯେ କ୍ରମାଗତ ଭାବରେ ଚାରିଜଣ ରାଣୀ ଶାସନ କରିଵା ପରେ କୌଣସି ଯୋଗ୍ୟ ଉତ୍ତରାଧିକାରୀ ନଥିଵାରୁ ଭୌମକର ରାଜବଂଶ ଦୁର୍ଵଳ ହୋଇପଡ଼ିଲା ଏଵଂ ଏହାର ସୁଯୋଗ ନେଇ ସୋମବଂଶୀମାନେ ତୋଷଳ ରାଜ୍ୟ ଅଧିକାର କରିନେଇଥିଲେ । ଐତିହାସିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଅନୁସାରେ ଭଞ୍ଜ ଓ ଖିଞ୍ଜିଳି ରାଜବଂଶ ନିଜର ଦୁଇଜଣ କନ୍ଯା ଵକୁଳା ମହାଦେଵୀ ଓ ଧର୍ମା ମହାଦେଵୀଙ୍କୁ ଭୌମକର ରାଜବଂଶରେ ଵିଵାହ ଦେଇ ସେମାନଙ୍କ ସାହାଯ୍ୟରେ ତୋଷଳ ରାଜ୍ୟର ଶାସନକୁ ନିୟନ୍ତ୍ରିତ କରିଵାକୁ ଚେଷ୍ଟା କରିଥିଲେ ଫଳତଃ ଭୌମ ରାଜବଂଶର ଶାସନ ଉପରୁ ତତ୍କାଳୀନ ତୋଷଳୀ ରାଜପରିଷଦଗଣଙ୍କର ଵିଶ୍ଵାସ ତୁଟିଗଲା । ଏହି ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ସୋମବଂଶୀମାନେ ତୋଷଳ ରାଜ୍ୟକୁ ଅଧିକାର କରିନେଇଥିଲେ । 

ସାତଵାହନ ରାଣୀ ଶାସିକା ନୟନିକା, ଗୁପ୍ତବଂଶୀୟ ରାଣୀ ଶାସିକା ପ୍ରଭାଵତୀ ତଥା
ସପ୍ତମ ଶତାବ୍ଦୀରୁ ନଵମ ଶତାବ୍ଦୀ ଯାଏଁ ଉତ୍କଳର ଭୌମକର ରାଜବଂଶରେ ସାତଜଣ ରାଣୀ ଶାସିକା ଶାସନ କରିଥିଲେ ବି ଏ ଇତିହାସ ବହୁଦିନ ଧରି ଲୋକ ଆଗୋଚରରେ ରହିଯାଇଥିଵାରୁ ଭାରତର ପ୍ରଥମ ଶାସିକା ଭାବେ ରାଜିଆ ସୁଲ୍ତାନାଙ୍କୁ ଅଭିହିତ କରାଯାଉଥିଲା । କିନ୍ତୁ ଏହା ମଧ୍ୟ ସତ ଯେ ପ୍ରୋକ୍ତ ନୂତନ ଇତିହାସ ଵିଷୟରେ ଜଣାପଡ଼ିଲା ପରେ ମଧ୍ୟ ଭାରତର ବୁଦ୍ଧିଜୀଵୀମାନେ ଏହାର ସୂଚାରୁରୂପେ ସର୍ଵଭାରତୀୟ ସ୍ତରରେ ପ୍ରଚାର ପ୍ରସାର କରିପାରିନାହାନ୍ତି ଫଳତଃ ଆଜି ବି "ରାଜିଆ ସୁଲ୍ତାନା ଭାରତର ପ୍ରଥମ ମହିଳା ଶାସିକା" ଏହି ଭ୍ରମାତ୍ମକ ଇତିହାସ ପଢ଼ୁଛନ୍ତି ଓ ପଢ଼ାଉଛନ୍ତି ।‌
‌•••••••••••••••••••••••••••••
          - : ତଥ୍ୟ ଉତ୍ସ :-

• Kubaba : A. Philologisch Reallexikon der Assyriologie und vorderasiatischen Archäologie(J. D. Hawkins-1983)
• A guide to anuradhapur( Central Cultural Fund, Ministry of Cultural Affairs, Sri Lanka. 1981. p. 6.)
• Vaishali and the Indianization of Arakan(Noel F. Singer)
• Kalhana's Rajatarangini: a chronicle of the kings of Kasmir, Volume 1 (Stein, Mark Aurel -1989)
•ଓଡ଼ିଶାର ନାରୀ ଶାସିକା — ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର 
•ପ୍ରାଚୀନ ଉତ୍କଳ (ଶ୍ରୀ ଜଗବନ୍ଧୁ ସିଂ)
• The Bhauma-Karas: Buddhist Kings of Orissa and Their Times(Biswarup Das -1978)
• The Mukteśvara Temple in Bhubaneswar(Walter Smith -1994)
• Sahajayāna: A Study of Tantric Buddhism(Ramprasad Mishra -1991)
• Indian Epigraphy: A Guide to the Study of Inscriptions in Sanskrit, Prakrit, and the other Indo-Aryan Languages(Richard G. Salomon -1998)
• Chronology of the Bhauma-Karas and the Somavaṁs̀īs of Orissa. Modern(K. C. Panigrahi -1981)
•••••••••••••••••••••••••••••

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...