ରଵିଵାରକୁ ଅର୍କଵାର,ଆଦିତ୍ଯଵାର,
ସୂର୍ଯ୍ଯଵାର,ସୂର୍ଯ୍ଯାୟଣଵାର,ଭାନୁଵାର,ଗଭାସ୍ତିଵାର ଓ ଭଟ୍ଟାରକଵାର କୁହାଯାଏ ।
ସୋମବାରକୁ ଚନ୍ଦ୍ରଵାର,ଚନ୍ଦ୍ରାୟଣଵାର ଓ ଶଶିଵାର କୁହାଯାଏ । ମଙ୍ଗଳଵାରକୁ
ଅଙ୍କାରକଵାର,କୁଜଵାର,କୁଳଵାର ଓ ଭୌମଵାର କୁହାଯାଇଥାଏ । ବୁଧଵାରକୁ ପଣ୍ଡିତଵାର ତଥା ସୌମ୍ଯଵାର କହିଥାନ୍ତି ।
ଗୁରୁଵାରକୁ ବୃହସ୍ପତିଵାର,ଲକ୍ଷ୍ମୀଵାର,ମାଣବସାଵାର,ଅଙ୍ଗାରଵାର ଓ ବାକ୍ପତିଵାର ମଧ୍ୟ କୁହାଯାଇଥାଏ ।ଶୁକ୍ରଵାରର ଆଉ ଦୁଇଗୋଟି ନାମ ହେଲା ଅନୁକୁଳଵାର ଓ ଭୃଗୁଵାର । ସେହିପରି ଶନିଵାରକୁ କୃତାନ୍ତଵାର,ଶୌରିଵାର,ସୂର୍ଯ୍ଯସୂତଵାର,ଶନୈଶ୍ଚରଵାର ଓ ପଙ୍ଗୁଵାର କହିଥାନ୍ତି । ଭାରତୀୟ ଜ୍ୟୋତିଷଶାସ୍ତ୍ରାନୁସାରେ ରଵି,ମଙ୍ଗଳ,ବୃହସ୍ପତି ଓ ଶନି ପୁରୁଷଗୁଣଯୁକ୍ତ ଵାର ହୋଇଥିଵାବେଳେ ସୋମ,ବୁଧ ଓ ଶୁକ୍ର ସ୍ତ୍ରୀଗୁଣପ୍ରଧାନ ବାର ଏଵଂ ମଙ୍ଗଳ ଓ ଶୁକ୍ରକୁ କୁଳଵାର ଭାବେ ଵିଵେଚିତ କରାଯାଏ ।
ପୃଥିଵୀରେ ସୋମ,ମଙ୍ଗଳ,ବୁଧ,ଗୁରୁ,ଶୁକ୍ର,ଶନି ଓ ରଵି ଇତ୍ୟାଦି ସାତ ଦିନରେ ସାତଗୋଟି ଵାରର କଳ୍ପନା କରାଯାଇଛି। ପ୍ରାଚୀନ ଭାରତୀୟମାନେ ଖାଲି ଆଖିରେ ଦୃଶ୍ୟ ହେଉଥିଵା ପାଞ୍ଚୋଟି ଗ୍ରହ, ଗୋଟିଏ ଉପଗ୍ରହ ତଥା ଏକ ନକ୍ଷତ୍ରର ନାମକୁ ନେଇ ସାତଗୋଟି ଵାରର ନାମକରଣ କରିଥିଲେ । ୟୁରୋପୀୟମାନେ ବି ଏହି ପ୍ରଣାଳୀରେ ସାତଗୋଟି ଵାରର ନାମକରଣ କରିଛନ୍ତି ।
ସୋମଵାରକୁ ଇଂରାଜୀ ଭାଷାରେ Monday କୁହାଯାଏ ଏଵଂ ଏ ଶବ୍ଦରେ ଯେଉଁ mon ଅଛି ତାହା ଚନ୍ଦ୍ର ଅର୍ଥଜ moon ଶବ୍ଦ ସହିତ ସମୋଦ୍ଧୃତ ଅଟେ । ପ୍ରାଚୀନ ଇଂରାଜୀ ଭାଷାରେ ଏହି Monday ଶବ୍ଦଟି mōnandæġ (“ଚନ୍ଦ୍ରଙ୍କ ଦିନ”) ଏଵଂ ଇଂରାଜୀ ଯେଉଁ ପ୍ରାକ୍ ପଶ୍ଚିମ ଜର୍ମାନିକ ଭାଷାରୁ ସୃଷ୍ଟି ହୋଇଛି ତହିଁରେ ସୋମଵାରକୁ *mānini dag କୁହାଯାଉଥିଲା । ଜର୍ମାନିକ ଲୋକେ ଚନ୍ଦ୍ରର ଅଧିଷ୍ଠାତା ଦେଵଙ୍କୁ mānini,Máni ଓ Manan କହୁଥିଲେ ଏଵଂ ତାଙ୍କ ନାମରେ ସୋମଵାରର ନାମକରଣ କରିଥିଲେ । ଲାଟିନ ଭାଷାରେ ବି ଆଗେ ସୋମଵାରକୁ diēs Lūnae କୁ଼ହାଯାଉଥିଲା ଯହିଁରେ Lūnaeର ଅର୍ଥ ସୋମ ଵା ଚନ୍ଦ୍ର ଅଟଇ ।
ଇଂରାଜୀ ଭାଷାରେ ମଙ୍ଗଳଵାରକୁ Tuesday କୁହାଯାଏ ଏଵଂ ଏହାର ମଧ୍ୟଯୁଗୀୟ ରୂପ Tewesday ତଥା ପ୍ରାଚୀନ ଇଂରାଜୀ ରୂପ tīwesdæġ (“ମଙ୍ଗଳଵାର”) ଥିଲା । ପ୍ରାଚୀନ ଜର୍ମାନିକ୍ ଭାଷାରେ ମଙ୍ଗଳଵାରକୁ *Tīwas dag କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ “Tiwଙ୍କ ଦିନ ଅଟେ । Tiw ହେଉଛନ୍ତି ଜର୍ମାନିକ ଓ ନୋର୍ସ୍ ପୁରାଣଗାଥାର ଜଣେ ଦେଵତା Týr ଯେକି ମଙ୍ଗଳଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି । Týrଙ୍କୁ ଯୁଦ୍ଧର ଦେଵତା ବି ଅଭିହିତ କରାଯାଏ । Týrଙ୍କୁ ପ୍ରାଚୀନ ଇଂରାଜୀରେ Tiw କୁ଼ହାଯାଉଥିଲା ଯାହା ପରେ tue ହୋଇଅଛି । ମଜାକଥା ହେଲା ଏହି Tiw,Týr ଓ tue ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଆମ ଭାରତର ଦେଵ,ଦେଓ ଶବ୍ଦ ସହିତ ରହିଛି ଅର୍ଥାତ୍ ଏ ସମସ୍ତ ଶବ୍ଦର ଗୋଟିଏ ମୂଳ ଭାରୋପୀୟ ଶବ୍ଦରୂପ ବହୁତ ପୂର୍ଵେ ପ୍ରଚଳିତ ଥିଲା । ସେହିପରି ଲାଟିନ୍ ଭାଷାରେ ବି ମଙ୍ଗଳଵାରକୁ diēs Mārtis କୁ଼ହାଯାଉଥିଲା ଯହିଁରେ Mārtis ହେଉଛି ମଙ୍ଗଳ ଅର୍ଥରେ ଵ୍ୟଵହୃତ ହେଉଥିଵା mars ଶବ୍ଦର ଏକ ରୂପ ।
ବୁଧଵାରକୁ ଇଂରାଜୀ ଭାଷାରେ Wednesday କୁହାଯାଏ ଏଵଂ ଏହି ଶବ୍ଦର ପ୍ରାଚୀନ ଇଂରାଜୀ ରୂପ wēdnesdæġ(wēdneଙ୍କ ଵାର ଵା ଦିନ) ଥିଲା । ଏହି Wednesdayରେ ଯେଉଁ wēdne ଅଛି ତାହା ପ୍ରାଚୀନ ଜର୍ମାନିକ୍ ଦେଵତା Woden ତଥା ନୋର୍ସ ଦେଵତା Odinଙ୍କର ପ୍ରାଚୀନ ଇଂରାଜୀ ନାମ ଅଟେ । ଅର୍ଥାତ୍ ଜର୍ମାନିକ ଲୋକେ ନିଜର ସର୍ଵପିତା ସର୍ଵୋଚ୍ଚ ଭଗଵାନ Woden ଵା Odin ଙ୍କ ନାମାନୁସାରେ ବୁଧଵାରର ନାମକରଣ କରିଥିଲେ । ଜର୍ମାନିକ ଦେଵତା Odin ଵା Wodenଙ୍କର ରୋମାନ୍ ଦେଵତା Mercuryଙ୍କ ସହିତ ଅନେକ ସମାନତା ରହିଛି । ଯେମିତିକି ରୋମାନମାନେ ଵିଶ୍ଵାସ କରନ୍ତି ଯେ Mercury ରୋମାନ୍ ଲିପିର ସୃଷ୍ଟିକର୍ତ୍ତା ସେହିପରି ଜର୍ମାନିକ ଲୋକେ ଵିଶ୍ଵାସ କରୁଥିଲେ ଯେ ଓଡି଼ନ୍ runic ଲିପିର ଉଦ୍ଭାଵକ । Mercury ଓ odin ଉଭୟଙ୍କୁ ଦାଢ଼ି ଦ୍ଵାରା ଚିତ୍ରିତ କରାଯାଏ । ଉଭୟ Mercury ଓ odin ନିଜ ଇଚ୍ଛା ଅନୁସାରେ ଵିଭିନ୍ନ ରୂପ ଧାରଣ କରିପାରନ୍ତି ଏଵଂ ସେମାନେ ମାୟାଵୀ ତଥା ଯାଦୁଵିଦ୍ୟାରେ ଧୁରନ୍ଧର ବୋଲି ଵିଭିନ୍ନ କାହାଣୀ ରହିଛି । Mercury ଓ odin ଉଭୟେ ଜ୍ଞାନ ଓ ବୁଦ୍ଧିର ଦେଵତା । ଦୁଇ ଦେଵତାଙ୍କ ଗୁଣ ମଧ୍ୟରେ ଏହିପରି ଆହୁରି ଅନେକ ସମାନତା ରହିଛି । ଅଵଶ୍ୟ ବୁଧ ଗ୍ରହର ନୋର୍ସ ଅଧିଷ୍ଠାତା ଦେଵ ହେଉଛନ୍ତି Loki କିନ୍ତୁ odinଙ୍କର ମରକ୍ୟୁରୀଙ୍କ ସହିତ ସାମଞ୍ଜସ୍ୟ ଥିଵାରୁ ତାଙ୍କ ନାମାନୁସାରେ ବୁଧଗ୍ରହର ଜର୍ମାନିକ ନାମକରଣ ହୋଇଥିଲା । Odin,hermes ଓ Mercuryଙ୍କ ପରି ଭାରତରେ ବୁଧଗ୍ରହର ଅଧିଷ୍ଠାତା ଦେଵତା 'ବୁଧ' ମଧ୍ୟ ଜ୍ଞାନୀ ଥିଵା ଜଣାଯାଏ । ବୁଧ ଶବ୍ଦକୁ ବୁଧ୍ ଧାତୁରୁ ଜାଣିଵା ଅର୍ଥରେ ନିଷ୍ପନ୍ନ କରାଯାଇଛି ଏଵଂ ବୁଧ ଶବ୍ଦର ଅନ୍ୟ ଏକ ଅର୍ଥ ଜ୍ଞାନୀ ଅଟେ । ତେବେ ଗ୍ରୀକ୍ ଦେଵତା ହର୍ମିସ୍ ଓ ରୋମାନ୍ ଦେଵତା ମରକ୍ୟୁରୀ
ଉଭୟେ ବୁଧଗ୍ରହର ଅଧିଷ୍ଠାତା ଦେଵ ଅଟନ୍ତି ଏଵଂ ମରକ୍ୟୁରୀଙ୍କ ନାମାନୁସାରେ ଲାଟିନରେ ବୁଧଵାରର ନାମ diēs Mercuriī (“Mercuryଙ୍କ ଵାର”) ରଖାଯାଇଥିଲା ।
ଗୁରୁଵାରକୁ ଇଂରାଜୀ ଭାଷାରେ Thursday କୁହାଯାଏ ଏଵଂ ପ୍ରାଚୀନ ଇଂରାଜୀ ଭାଷାରେ ଏହା þurresdæġ (“Thurଙ୍କ ଦିନ") ରୂପରେ ପ୍ରଚଳିତ ଥିଲା । Thursday ଶବ୍ଦରେ ଯେଉଁ Thur ଶବ୍ଦ ଅଛି ତାହା ଜଣେ ପ୍ରାଚୀନ ଜର୍ମାନିକ୍ ଦେଵତାଙ୍କର ନାମ ଅଟେ । ପ୍ରାଚୀନ ଜର୍ମାନିକ୍ ଲୋକମାନଙ୍କର ଏହି ଦେଵତାଙ୍କର Thunor, Donar,thur ଓ thor ଆଦି ଅନେକ ନାମ ରହିଛି ଏଵଂ ସେ ଵିଜୁଳି ତଥା ବୃହସ୍ପତି ଗ୍ରହର ଅଧିଷ୍ଠାତା ଦେଵତା ଭାବରେ ଜଣାଶୁଣା । ଲାଟିନ ଭାଷାରେ ଗୁରୁଵାରକୁ diēs Jovis କୁ଼ହାଯାଉଥିଲା ଯାହାର ଆକ୍ଷରିକ ଅର୍ଥ Jovisଙ୍କ ଵାର ଵା ଦିନ ଅଟେ । ଜର୍ମାନିକ ଭଗଵାନ thorଙ୍କ ଭଳି Jovis ବି ବୃହସ୍ପତି ଗ୍ରହ ତଥା ଵିଜୁଳିର ରୋମାନ୍ ଅଧିଷ୍ଠାତା ଦେଵ ଅଟନ୍ତି । ପ୍ରକୃତରେ Jovis ନାମଟି ରୋମାନ୍ ଭଗଵାନ Jupiterଙ୍କର ଅନ୍ୟନାମ ଅଟେ ।
ଇଂରାଜୀ ଭାଷାରେ ଶୁକ୍ରଵାରକୁ Friday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ frīġedæġ(frīġeଙ୍କ ଦିନ) ଥିଲା ।
ଜର୍ମାନିକ ଲୋକେfrīġe, Frījā, Freyjaଓ Frigg ନାମରେ ଜନୈକା ଦେଵୀଙ୍କର ଆରାଧନା କରୁଥିଲେ ଏଵଂ ଏହି ଦେଵୀଙ୍କ ନାମାନୁସାରେ ଇଂରାଜୀ ଭାଷାରେ ଶୁକ୍ରଵାରର friday ନାମକରଣ କରାଯାଇଛି । ନୋର୍ସ ଦେଵୀ Freyja ଵା Frigg ପ୍ରେମ ତଥା ଶୁକ୍ର ଗ୍ରହର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ ଆମ ଭାରତୀୟ ପ୍ରିୟା(ପତ୍ନୀ) ଶବ୍ଦ ସହିତ ଜର୍ମାନିକ ଶବ୍ଦ Friggର ସଗୋତ୍ରୀୟ ସମ୍ପର୍କ ଅଛି । ତେବେ ଲାଟିନ ଭାଷାରେ ଶୁକ୍ରଵାରକୁ diēs Veneris(venusଙ୍କ ଦିନ) କୁ଼ହାଯାଉଥିଲା ଏଵଂ Veneris ହେଉଛି ରୋମାନ୍ ଦେଵୀ venusଙ୍କର ଅନ୍ୟନାମ । ନୋର୍ସ ଦେଵୀ Freyja ଵା Friggଙ୍କ ପରି ରୋମାନ୍ ଦେଵୀ Venus ମଧ୍ୟ ଶୁକ୍ରଗ୍ରହ,ସୌନ୍ଦର୍ଯ୍ୟ ଓ ପ୍ରେମର ଅଧିଷ୍ଠାତ୍ରୀ ଦେଵୀ ଅଟନ୍ତି ।
ଶନିଵାରକୁ ଇଂରାଜୀ ଭାଷାରେ Saturday କୁହାଯାଏ ଏଵଂ ଏହାର ପ୍ରାଚୀନ ଇଂରାଜୀ ରୂପ sæternesdæġ (“sæterneଙ୍କ ଦିନ”) ଅଟେ । sæterne ଶବ୍ଦଟି ରୋମାନ୍ ଶବ୍ଦ Sāturnusରୁ ଗୃହୀତ ହୋଇଛି । ସେହିପରି ଲାଟିନ୍ ଭାଷାରେ ଶନିଵାରକୁ dies Saturni କୁହାଯାଉଥିଲା । Saturn କୃଷି,ପ୍ରଳୟ,ସମୟ,ନଵସୃଷ୍ଟି,ଧନ,ମୁକ୍ତି ତଥା ଶନିଗ୍ରହର ରୋମାନ୍ ଅଧିଷ୍ଠାତା ଦେଵତା ଅଟନ୍ତି । ଏହି Saturnଙ୍କ ନାମାନୁସାରେ ଶନିଵାରର ଇଂରାଜୀ ନାମକରଣ କରାଯାଇଛି ।
ଇଂରାଜୀ ଭାଷାରେ ରଵିଵାରକୁ Sunday କୁହାଯାଏ ଏଵଂ ଏହା ସ୍ପଷ୍ଟ ଯେ sun ଵା ସୂର୍ଯ୍ୟଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ ହୋଇଥିଲା । ସାରା ପୃଥିଵୀର ଅନେକ ସଂସ୍କୃତିରେ ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କୁ ପୁରୁଷ ଅଭିହିତ କରାଯାଇଥିଵା ବେଳେ ଜର୍ମାନିକ ଲୋକଗାଥାରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ Máni ତଥା Sól ନାମରେ ମହିଳା ଭାବରେ ଵିଵେଚିତ କରାଯାଇଥିଲା । ଜର୍ମାନିକ ପୁରାଣଗାଥା ଅନୁସାରେ Máni ଓ Sól ଦୁଇ ଭଉଣୀ ଏଵଂ ଉଭୟେ ଏ ସଂସାରକୁ ଆଲୋକ ପ୍ରଦାନ କରୁଛନ୍ତି। ଏହି ଜର୍ମାନିକ୍ ଦେଵୀ Sólଙ୍କ ନାମାନୁସାରେ ରଵିଵାରର ଇଂରାଜୀ ନାମକରଣ Sunday ହୋଇଛି । ପୂର୍ଵେ ଇଂରାଜୀ ଭାଷାରେ ସୂର୍ଯ୍ୟର ଅଧିଷ୍ଠାତ୍ରୀ ଦେଵୀ Sólଙ୍କୁ sonne ଓ sunne କୁହାଯାଉଥିଲା ଯାହା ପରଵର୍ତ୍ତୀ କାଳରେ sun ହୋଇଅଛି । ରୋମାନମାନେ ରଵିଵାରକୁ diēs Sōlis କହୁଥିଲେ । ରୋମାନ୍ Sōlis ଵା sol କିନ୍ତୁ
ଜଣେ ରୋମ୍ ଦେଵ ଥିଲେ(ଗ୍ରୀକ୍ ଦେଵତା Apolo ସୂର୍ଯ୍ୟର ଅଧିଷ୍ଠାତା ଦେଵ ଅଟନ୍ତି)। ଏହି sol ଦେଵତାଙ୍କର ଏକ ପର୍ଵ ଆଜକୁ ଦି ସହସ୍ରାଧିକ ଵର୍ଷ ତଳେ ରୋମରେ ପାଳିତ ହେଉଥିଲା ଏଵଂ ପ୍ରକୃତରେ ତାହା ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସହିତ ସମ୍ବନ୍ଧିତ ପର୍ଵ ଥିଲା । ପ୍ରାୟ ୨୦୦୦ ଵର୍ଷ ତଳେ ୨୫ ଡିସେମ୍ବରରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିଲା ଏଵଂ ସେହି ସମୟରେ ଭାରତରେ ମକର ସଂକ୍ରାନ୍ତି ମଧ୍ୟ ପାଳିତ ହେଉଥିଲା । ପ୍ରତି ଅଶି ଵର୍ଷରେ ସଂକ୍ରାନ୍ତି ଗୋଟିଏ ଗୋଟିଏ ଦିନ ଘୁଞ୍ଚି ଘୁଞ୍ଚି ଯାଏ ଫଳତଃ ଆଜି ୧୪-୧୫ ଜାନୁଆରୀରେ ମକର ସଂକ୍ରାନ୍ତି ପାଳିତ ହେଉଛି । ସେ ଯାହାହେଉ ରୋମାନ ଦେଵତା solଙ୍କର ସେହି ପର୍ଵକୁ ପରେ ଖ୍ରୀଷ୍ଟିଆନମାନେ ଜିଶୁଙ୍କ ଜନ୍ମଦିନ ଭାବେ Christmas ନାମରେ ପାଳନ କରୁଅଛନ୍ତି ।
ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଯେମିତି ଆମ ଭାରତରେ ସୌରମଣ୍ଡଳର ଦୃଶ୍ୟ ଗ୍ରହ ଉପଗ୍ରହ ଓ ସୂର୍ଯ୍ୟ ତଥା ଏଗୁଡ଼ିକର ଅଧିଷ୍ଠାତା ଦେଵତାଙ୍କ ନାମାନୁସାରେ ଵାରଗୁଡି଼କର ନାମକରଣ ହୋଇଛି ଠିକ୍ ସେହିପରି ୟୁରୋପୀୟମାନେ ମଧ୍ୟ ନିଜ ଵାରଗୁଡି଼କର ନାମକରଣ କରିଥିଲେ । ତେବେ ୟୁରୋପର ମୂଳ ସଂସ୍କୃତି ଆଜି ଲୋପ ପାଇଛି ଏଵଂ ସେହି ସଂସ୍କୃତିର ଶଵ ଏହି ଵାରଗୁଡି଼କର ନାମ ଭଳି କିଛି ସାଂସ୍କୃତିକ ଶବ୍ଦ ମଧ୍ୟରେ ପଡ଼ିରହିଛି ।
ଭାରତୀୟମାନେ ଏବେ ବି ନିଜ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ତେଣୁ ସେମାନେ ଭଲ ଭାବରେ ଜାଣନ୍ତି ଯେ କେଉଁ ଗ୍ରହ , ଉପଗ୍ରହ ଓ ନକ୍ଷତ୍ରର ଅଧିଷ୍ଠାତା ଦେଵତା କିଏ କିନ୍ତୁ ଅଧିକାଂଶ ୟୁରୋପୀୟ ନିଜ ମୂଳ ସଂସ୍କୃତିକୁ ତ୍ୟାଗକରିଦେଇ ଥିଵାରୁ ସେମାନେ ନିଜ ଭାଷାରେ ପ୍ରଚଳିତ ଵାରଗୁଡି଼କର ନାମ ପଛରେ ଥିଵା ସାଂସ୍କୃତିକ ପକ୍ଷଟି ଵିଷୟରେ ଜାଣିନଥାନ୍ତି । ଏହା ହିଁ ସଂସାରର ନିୟମ ,ପରର ସଂସ୍କୃତି ଗ୍ରହଣ କଲେ ନିଜର ସଂସ୍କୃତି ଲୋପ ପାଇଯାଏ !!!
No comments:
Post a Comment