My Blog List
Tuesday, February 6, 2024
ଉତ୍କଳୀୟ ସମାଜରେ ଡାକ ନାମ
Friday, August 18, 2023
ସ୍ମୃତି ଓ ବିସ୍ମୃତିର ସାରନାଥ
Sunday, May 1, 2022
ଭାଷାମୃତ୍ୟୁ : କାରଣ ଓ ନିରାକରଣ
ଏକ ଵ୍ୟକ୍ତି ଵା ପରିଵାର ମଧ୍ୟରେ କଥିତ ବୋଲୀକୁ ଵ୍ୟକ୍ତିବୋଲୀ କୁହାଯାଏ । ଗୋଟିଏ ଜାତି ମଧ୍ୟରେ କଥିତ ବୋଲୀକୁ
ଜାତିବୋଲୀ କୁହାଯାଏ । ଏକ ଅଞ୍ଚଳରେ ଅନେକ ପରିଵାର ଓ ଵିଭିନ୍ନ ଜାତିମାନଙ୍କ ଦ୍ଵାରା କଥିତ ଭାଖାକୁ ଉକ୍ତ ଅଞ୍ଚଳ ନାମରେ ନାମିତ କରି ମୁଖ୍ୟ ବୋଲୀ ଵିଚାର କରାଯାଏ । ଏକ ମଣ୍ଡଳ ଵା ଜିଲ୍ଲାରେ ପ୍ରଚଳିତ ଅନେକ ବୋଲୀର ସମାହାରରେ କଥିତ ଭାଖାକୁ ଭାଷାଶୈଳୀ କୁହାଯାଏ । ଅନେକ ଭାଷାଶୈଳୀକୁ ନେଇ ଗୋଟିଏ ମାନକ ଭାଷା ପୃଥିଵୀର ଏକ ବଡ଼ ଭୂଭାଗରେ କଥିତ ହୋଇଥାଏ ।
“ଗୋଟିଏ ଭାଷାର ଅୟମାରମ୍ଭ ଏକ ଵ୍ୟକ୍ତିଠାରୁ ହୋଇ ଦେଶ ଵିଶ୍ଵ ମହାକାଶ ପର୍ଯ୍ୟନ୍ତ ଵ୍ୟାପ୍ତ ହୋଇପାରେ ପୁଣି ସଂକୁଚିତ ଓ ସୀମିତ ହୋଇଯାଇ ଵ୍ୟକ୍ତିଠାରେ ହିଁ ସମାପ୍ତ ହୋଇଯାଇଥାଏ ।”
୨୦୦୦ ଗ୍ରେଗୋରୀୟ ଵର୍ଷରେ ଏକ ଅଧ୍ୟୟନରୁ ଜଣାପଡି଼ଥିଲା ଯେ ପୃଥିଵୀରେ ୭୦୦୦ରୁ ଅଧିକ ଭାଷା ଏବେ ମଧ୍ୟ କଥିତ ହେଉଛି ଏଵଂ ତନ୍ମଧ୍ୟରୁ ୯୦% ଭାଗ ଭାଷା ୨୦୫୦ ସୁଧା ଲୁପ୍ତ ହୋଇଯିଵାର ସମ୍ଭାଵନା ରହିଛି । ୨୦୫୦ ସୁଦ୍ଧା ହିନ୍ଦୀ ଓ ଇଂରାଜୀ ଭଳି କେତେକ ଭାଷାକୁ ଛାଡ଼ିଦେଲେ ଓଡ଼ିଆ ପରି ପାଞ୍ଚକୋଟି ଲୋକଙ୍କ ମଧ୍ୟରେ ସୀମିତ ଅନେକ ଭାଷା ଲୁପ୍ତ ହେଵାର ସମ୍ଭାଵନା ରହିଛି । ତେବେ ଭାଷା ମୃତ୍ୟୁର ଅନେକ କାରଣ ମଧ୍ୟରୁ କେତେକ ଵିଷୟରେ ଆଲୋଚନା କରି ଦେଖାଯାଉ ଯେ କ'ଣ ପ୍ରକୃତରେ ଓଡ଼ିଆ ଭାଷା ପ୍ରତି ଵିପଦ ଅଛି !
(କ)Gradual language death
ଵା କ୍ରମିକ ଭାଷାମୃତ୍ୟୁ
ଭାଷାଗୁଡ଼ିକ ମରିଵାର ଏହା ସବୁଠାରୁ ସାଧାରଣ କାରଣ । ସାଧାରଣତଃ ଏହା ସେତେବେଳେ ଘଟେ ଯେତେବେଳେ ସେହି ଭାଷା କହୁଥିଵା ଲୋକମାନେ "ଉଚ୍ଚ ସମ୍ମାନର ଭାଷା" ବୋଲି କୌଣସି ଏକ ଵୈଦେଶିକ ଭାଷାକୁ ଗ୍ରହଣ କରିଥାନ୍ତି ଏଵଂ ପ୍ରାୟତଃ ଉକ୍ତ ଭାଷାରେ ହିଁ ଅନ୍ୟ ସହିତ କଥୋପକଥନ କରିଵାକୁ ଅଧିକ ମହତ୍ତ୍ଵ ଦିଅନ୍ତି | ଏହି ଧରଣର ଲୋକେ ପ୍ରଥମେ ଦ୍ୱିଭାଷୀ ହୋଇଯାଆନ୍ତି ଏଵଂ ତା’ପରେ ନୂତନ ପିଢି଼ ସହିତ ମାତୃଭାଷାରେ ଦକ୍ଷତାର ସ୍ତର ଧୀରେ ଧୀରେ କମି କମି ଯାଏ । ଶେଷରେ କୌଣସି ଵ୍ୟକ୍ତି ଦ୍ଵାରା ବୋଲା ନଯିଵା ଯୋଗୁଁ ଗୋଟିଏ ଭାଷା ଲୁପ୍ତ ହୋଇଯାଏ । ଓଡ଼ିଶାରେ ଆଜିକାଲି ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀ ତଥା ଧନୀକ ଲୋକଙ୍କ ମଧ୍ୟରେ ଇଂରାଜୀ ଭାଷା ଉଚ୍ଚ ସମ୍ମାନର ଭାଷା ପରିଗଣିତ ହେଉଅଛି । ଦେଶଭକ୍ତି ସହିତ ହିନ୍ଦୀକୁ ଯୋଡ଼ାଯାଉଛି ସତେ ଯେମିତି ଓଡ଼ିଆ ଭାଷାରେ ଦେଶଭକ୍ତି ପ୍ରକାଶ କରିଵା ଅସମ୍ଭଵ । ପୁନଶ୍ଚ ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପାଇଁ ହେଉ ଵା ଆଞ୍ଚଳିକତାଵାଦୀ ଚିନ୍ତାଧାରା ଯୋଗୁଁ କିଛି ଓଡ଼ିଶାଵାସୀ ଓଡ଼ିଆ ଜାଣି ବି ଓଡ଼ିଆ ପରିଵର୍ତ୍ତେ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଵାକୁ ଶ୍ରେୟସ୍କର ମଣୁଛନ୍ତି । ଏହି ଜାତୀୟ ଲୋକଙ୍କ ଚିନ୍ତାଧାରା ଯୋଗୁଁ କ୍ରମିକ ଭାଷାମୃତ୍ୟୁ ହୋଇଥାଏ
। ଵର୍ତ୍ତମାନ ଓଡ଼ିଶାଵାସୀଙ୍କ ହିନ୍ଦୀ ଓ ଇଂରାଜୀ ପ୍ରେମ ଯୋଗୁଁ ଭଵିଷ୍ୟତରେ ଓଡ଼ିଆ ଭାଷା ମଧ୍ୟ ମୃତ ହୋଇପାରେ ବୋଲି ଅନେକ ଓଡ଼ିଆ ବୁଦ୍ଧିଜୀଵୀ ଚିନ୍ତା ଵ୍ଯକ୍ତ କରନ୍ତି ।
(ଖ) bottom to top language death ଵା ନିମ୍ନରୁ ଶୀର୍ଷ ଭାଷା ମୃତ୍ୟୁ |
ଯେତେବେଳେ ଗୋଟିଏ ଭାଷା କେଵଳ ଧାର୍ମିକ, ସାହିତ୍ୟିକ, ଆନୁଷ୍ଠାନିକ ଉଦ୍ଦେଶ୍ୟରେ ଵ୍ୟଵହୃତ ହେଵାକୁ ଲାଗେ, କିନ୍ତୁ କଥିତ ଭାଷା ରୂପରେ ପ୍ରଚଳିତ ରୁହେ ନାହିଁ ସେତେବେଳେ ସେ ଭାଷାର ମୃତ୍ୟୁ ଘଟିଥାଏ । ଭାରତର ସଂସ୍କୃତ ଏଵଂ ଇଟାଲୀର ଲାଟିନ୍ ଭାଷା ଏହାର ଉଦାହରଣ । ହିବ୍ରୁ ମଧ୍ୟ ଏହି କାରଣରୁ ଵିଲୁପ୍ତ ହେଵାକୁ ଯାଉଥିଲା କିନ୍ତୁ ଇସ୍ରାଏଲ ଦେଶ ଗଠନ ପରେ ଏ ଭାଷା ପୁର୍ନଜୀଵନ ଲାଭ କରିଛି । ମୁସଲମାନମାନଙ୍କ ଧାର୍ମିକ ଭାଷାହୋଇ ମଧ୍ୟ ଆରବୀ ଯେହେତୁ କଥିତ ଭାଷା ରୂପରେ ପ୍ରଚଳିତ ତେଣୁ ଏହାର ଏଯାଵତ୍ ମୃତ୍ୟୁ ଘଟିନାହିଁ । ଓଡ଼ିଶାରେ ଓଡ଼ିଆ ଭାଷା ଵର୍ତ୍ତମାନ ତାହାର ଉଚ୍ଚତମ ଶୀଖରରେ ପହଞ୍ଚି ସାରିଛି । କିନ୍ତୁ ଏ ଭାଷାକୁ ଯଦି କେଵଳ କାର୍ଯ୍ୟାଳୟ,ପୁସ୍ତକ ଓ ଧର୍ମଗ୍ରନ୍ଥର ଭାଷା ରୂପରେ ଵ୍ୟଵହାର କରି କଥିତ ଭାଷା ରୂପରେ ହିନ୍ଦୀ ଓ ଇଂରାଜୀ ଵ୍ୟଵହାର କରାଯାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ଆମେ କଟକ ଓ ଭୁବନେଶ୍ୱରରେ ଏଭଳି ଲୋକମାନଙ୍କର ପ୍ରାଦୁର୍ଭାଵ ବଢ଼ୁଥିଵା ଲକ୍ଷ୍ୟ କରିଥାନ୍ତି । ଯଦି ଏପରି ଲୋକଙ୍କ ପ୍ରାର୍ଦୁଭାଵ ଓଡ଼ିଶାରେ କ୍ରମାଗତ ଭାବରେ ବୃଦ୍ଧି ପାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହେଵାର ଯଥେଷ୍ଟ ସମ୍ଭାଵନା ରହିଛି ।
(ଗ)Radical language death
ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ
ଧମକ, ଚାପ, ନିର୍ଯ୍ୟାତନା କିମ୍ବା ଉପନିଵେଶକରଣ ହେତୁ କୌଣସି ଏକ ଭାଷାକୁ ବୋଲୁଥିଵା ଲୋକମାନେ ଉକ୍ତ ଭାଷା କହିଵା ବନ୍ଦ କରିଦେଲେ ସେ ଭାଷା ଲୁପ୍ତ ହୋଇଯାଏ । ଏହି ଜାତୀୟ ଭାଷା ମୃତ୍ୟୁକୁ ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ କୁହାଯାଏ । ଆଣ୍ଡାମାନ ଦ୍ଵୀପର ବୋ ଭାଷା ଭାରତର ମୂଳ ଭୂଖଣ୍ଡରୁ ଆସି ବଙ୍ଗାଳୀ ହିନ୍ଦୀଭାଷୀ ଓ ତାମିଲ ଆଦି ଲୋକଙ୍କ ଦ୍ଵାରା ସେହି ଦ୍ଵୀପରେ ଵସଵାସ କରିଵା ଯୋଗୁଁ ଏହି କାରଣରୁ ଲୁପ୍ତ ହୋଇଯାଇଅଛି ।
(ଘ)Linguicide ଵା ଭାଷାଭିତ୍ତିକ ମୃତ୍ୟୁ
ଏହାକୁ sudden death, language genocide, physical language death ଓ biological language death ମଧ୍ୟ କୁହାଯାଏ ।
କୌଣସି ଭାଷା କ୍ଷେତ୍ରରେ ଏହା ସେତେବେଳେ ଘଟିତ ହୁଏ ଯେତେବେଳେ ସେହି ଭାଷାକୁ ବୋଲୁଥିଵା ସମସ୍ତ ଵା ପ୍ରାୟ ଅଧିକାଂଶ ପ୍ରାକୃତିକ ଵିପର୍ଯ୍ୟୟ ଓ ଯୁଦ୍ଧ ଇତ୍ୟାଦି କାରଣରୁ ମରିଯାଆନ୍ତି । ଗଵେଷକମାନେ ଵିଶ୍ଵତାପନ ଯୋଗୁଁ
ସମୁଦ୍ର ଜଳସ୍ତର ବୃଦ୍ଧି ହେତୁକ ଭଵିଷ୍ୟତରେ ଭାରତ ସମେତ ପୃଥିଵୀର ଵିଭିନ୍ନ ଅଞ୍ଚଳର ସମୁଦ୍ର କୂଳଵର୍ତ୍ତୀ ଭୂଭାଗ ଜଳମଗ୍ନ ହୋଇଯିଵାର ସମ୍ଭାଵନା ଵ୍ୟକ୍ତ କରନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳ ହଠାତ୍ ଜଳମଗ୍ନ ହୋଇଗଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କର ପ୍ରାଣହାନୀ ହୋଇପାରେ । ସେହିପରି ପୂର୍ଵ ଭାରତର ସମୁଦ୍ରରେ ଭୀଷଣ ଯୁଦ୍ଧ ସଂଗଠିତ ହୋଇ ଯଦି ଚୀନ ଯୋଗୁଁ ଓଡ଼ିଶାର ଭୂଭାଗ ଉପରେ ଆକ୍ରମଣ ଫଳରେ ଓଡ଼ିଆ ଲୋକଙ୍କ ନାଶ ହୋଇଯାଏ ତାହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇପାରେ । ପୂର୍ଵ ଓ ପଶ୍ଚିମ ଓଡ଼ିଶାକୁ ଜାତୀୟ ଦ୍ୱେଷ ହିଂସା ବୃଦ୍ଧି ଯୋଗୁଁ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିଵା ଵାଦଵିଵାଦ ଉଗ୍ର ରୂପ ନେଇ ଗୃହଯୁଦ୍ଧରେ ପରିଣତ ହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ସେହିପରି ଉତ୍ତର ଭାରତୀୟଙ୍କ ଦ୍ଵାରା ଓଡ଼ିଆଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଓ ପ୍ରାଣଦାନ ପ୍ରତିବଦଳରେ ହିନ୍ଦୀକୁ ପ୍ରଥମ ଭାଷା ରୂପେ ଗ୍ରହଣ ହେତୁ ଭୀଷଣ ଉତ୍କଟ ଚାପ ଯୋଗୁଁ ମଧ୍ୟ ଓଡ଼ିଆ ଭାଷା ଵିଲୁପ୍ତ ହୋଇପାରେ ।
(ଙ)Language attrition ଵା ଭାଷା ଆକର୍ଷଣ ଜନିତ ଭାଷାମୃତ୍ୟୁ ।
ଵ୍ୟକ୍ତିଗତ ସ୍ତରରେ ଏକ ଭାଷା ତାହାର ପାରଦର୍ଶିତା ଓ ଆକର୍ଷଣ ହରାଇଵା ଯୋଗୁଁ ସେହି ଭାଷାକୁ ବୋଲୁଥିଵା ଲୋକେ ଅନ୍ୟ ଭାଷାଦ୍ଵାରା ଆକର୍ଷିତ ହୋଇ ନିଜର ମାତୃଭାଷାକୁ ସମ୍ପୂର୍ଣ୍ଣ ଵର୍ଜନ କଲେ ଏହି ଜାତୀୟ ଭାଷା ମୃତ୍ୟୁ ଘଟିତ ହୋଇଥାଏ । ଆଜିକାଲି ଯେମିତି ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଓଡ଼ିଆ ଲୋକଙ୍କ ଆକର୍ଷଣ ବୃଦ୍ଧି ଘଟିଛି ତାହା ଯଦି ଏହିପରି ଉତ୍ତରୋତ୍ତର ବଢି଼ଚାଲେ ତେବେ ଓଡ଼ିଆ ଭାଷା ମଧ୍ୟ ଏ ଆଧାରରେ ଵିଲୁପ୍ତ ହୋଇପାରେ ।
(ଚ) ଗୋଟିଏ ଅଞ୍ଚଳରେ ମୂଳ ଭାଷାରୁ ସୃଷ୍ଟି ହୋଇଥିଵା ଵିଭିନ୍ନ ଶୈଳୀ ଵିକଶିତ ହୋଇ ମଧ୍ୟ ମୁଖ୍ୟ ଭାଷାଟି ଲୁପ୍ତ ହୋଇଯାଇଥାଏ ଏଵଂ ଏହାକୁ ଭାଷାଵିଦ୍ language change କହିଥାନ୍ତି । ମୂଳ ଭାଷାଟି ଏ କ୍ଷେତ୍ରରେ ଵିଭିନ୍ନ ଶୈଳୀ ମଧ୍ୟରେ ବଞ୍ଚି ରୁହେ ସିନା କିନ୍ତୁ ତାହାର ମୂଳ ସ୍ଵରୂପରେ କଥିତ ଭାଷା ଭାବେ ଅପ୍ରଚଳିତ ହୋଇଯାଏ । ଯେମିତି ଲାଟିନ୍ ଭାଷା କ୍ରମଶଃ ରୋମାନ୍ସ୍ ଭାଷା,ଫ୍ରେଞ୍ଚ୍, ପର୍ତ୍ତୁଗୀଜ୍,ସ୍ପାନିଶ୍ ଆଦି ଭାଷାରେ ପରିଵର୍ତ୍ତିତ ହୋଇଅଛି ।
ଵସ୍ତୁତଃ ପୃଥିଵୀର ଅଧିକାଂଶ ଭାଷା Gradual language death ଵା କ୍ରମିକ ଭାଷାମୃତ୍ୟୁର ଶିକାର ହୋଇଥାନ୍ତି ।
ଭାଷା ମୃତ୍ୟୁର ଏହା ସବୁଠାରୁ ସାଧାରଣ ପ୍ରକ୍ରିୟା ଯେଉଁଥିରେ ଗୋଟିଏ ଭାଷା ବୋଲୁଥିଵା ଏକ ସମ୍ପ୍ରଦାୟ ଅନ୍ୟ ଭାଷା ସହିତ ଦ୍ୱିଭାଷୀ ହୋଇଯାଏ । ଧୀରେ ଧୀରେ ଗୋଟାଏ ଜାତି ନିଜର ମାତୃଭାଷାରେ ସନ୍ନିହିତ ତା'ର ଵିଶ୍ୱାସ, ଜାତୀୟତାବୋଧ ଓ ଭଲପାଇଵାକୁ ସେ ଅନ୍ୟ ଏକ ଵୈଦେଶିକ ଭାଷାକୁ ସ୍ଥାନାନ୍ତରିତ କରେ ସେତେବେଳେ ସେହି ଜାତିର ମାତୃଭାଷାର ଵ୍ୟଵହାର କମିଯାଏ । ଏହା ଏକ assimilation ଵା ଆତ୍ମସାତ୍କରଣ ପ୍ରକ୍ରିୟା ଯାହା ସ୍ବେଚ୍ଛାକୃତ ହୋଇପାରେ କିମ୍ବା କୌଣସି ଭାଷାଭାଷୀଙ୍କ ଉପରେ ମାନସିକ ସାମାଜିକ ରାଜନୈତିକ ଚାପ ପ୍ରୟୋଗ କରି ବାଧ୍ୟ କରିଵା ଯୋଗୁଁ ଘଟିତ ହୋଇଥାଏ ।
ଆନ୍ଥ୍ରୋପୋଲୋଜିଷ୍ଟ୍ Akira Yamamoto କେତେକ ଉପାୟରେ ଭଵିଷ୍ୟତରେ ମୃତ୍ୟୁ ହେଵାକୁ ଯାଉଥିଵା ଭାଷାକୁ ମରିଵାରୁ ରକ୍ଷା କରିଵାରେ ସାହାଯ୍ୟ କରିଵ ବୋଲି ମତ ଦେଇଥିଲେ ।
ତେବେ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଵୈଦେଶିକ ଭାଷାଠାରୁ ରକ୍ଷା କରିଵା ପାଇଁ ନିମ୍ନୋକ୍ତ ପଦ୍ଧତି ଅବଲମ୍ବନ କରାଯାଇପାରେ...
୧) ଭାଷାଗତ ଵିଵିଧତାକୁ ସମର୍ଥନ !
ଗୋଟିଏ ଭାଷାର ଵିଭିନ୍ନ ଶୈଳୀର ସମ୍ମାନ ସହ ତହିଁରେ ଥିଵା ସଦଗୁଣକୁ ଅଙ୍ଗୀକାର । ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀର ଶବ୍ଦର ସଦୁପଯୋଗ ଦ୍ଵାରା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖାଯାଇପାରିଵ । ଵୈଦେଶିକ ଶବ୍ଦ ଗ୍ରହଣ ଅପେକ୍ଷା ଦେଶଜ ଓ ତଦ୍ଭଵ ଶବ୍ଦକୁ ପ୍ରାଧାନ୍ୟ ଦେଲେ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।
୨)ଵିପଦ ସଙ୍କୁଳ ସମ୍ପ୍ରଦାୟର ଏକ ଜାତିଗତ ପରିଚୟ ରହିଵା ଆବଶ୍ୟକ ଯାହା ଭାଷା ସଂରକ୍ଷଣକୁ ଉତ୍ସାହିତ କରିଵା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାହାର ଓଡ଼ିଆତ୍ବ ବଞ୍ଚାଇ ରଖିଥିଵ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।
(୩)ଭାଷା ମୃତ୍ୟୁ ନହେଉ ସେଥିପାଇଁ
ନିଜ ଭାଷାକୁ ରକ୍ଷା ହେତୁକ ଉକ୍ତ ଭାଷାରେ ପଠନ ପାଠନ ଲିଖନ ପ୍ରତି ସର୍ଵାଧିକ ପ୍ରୋତ୍ସାହନ ବୃଦ୍ଧି କରିଵାକୁ ହେଵ । ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷା ଏଵଂ ସଂସ୍କୃତି ସମ୍ବନ୍ଧରେ ଅଧିକରୁ ଅଧିକ ଶିକ୍ଷା ଦେଵା ଦ୍ଵାରା ଓଡ଼ିଆ ଭାଷାକୁ ଭଵିଷ୍ୟତରେ ହେଵାକୁ ଵିପତ୍ତିରୁ ରକ୍ଷା କରାଯାଇପାରେ ।
(୪) ଛାତ୍ରଛାତ୍ରୀମାନଙ୍କୁ ଵୈଦେଶିକ ଭାଷା ଶିଖାଇଵା ସମୟରେ ମଧ୍ୟ ନିଜ ମାତୃଭାଷା ସମ୍ବନ୍ଧରେ ଶିକ୍ଷା ଦେଵା ଦ୍ଵାରା ମାତୃଭାଷା ପ୍ରତି ଭଲପାଇଵା ବୃଦ୍ଧି ହୋଇପାରିଵ । ଯେଉଁ ଛାତ୍ରଛାତ୍ରୀମାନେ ଇଂରାଜୀ ଓ ହିନ୍ଦୀ ଭାଷା ଶିଖିଵାକୁ ଇଚ୍ଛୁକ ସେମାନଙ୍କୁ ସେହି ଵୈଦେଶିକ ଭାଷାରେ ପ୍ରସ୍ତୁତ ପୁସ୍ତକରେ ଓଡ଼ିଆ ଭାଷା ସଂସ୍କୃତି ସମ୍ବନ୍ଧରେ ଲିଖିତ ଵ୍ୟାକରଣ,ପ୍ରବନ୍ଧ ଆଦି ପଠନ ପାଠନ କରାଇଲେ ଓଡ଼ିଆ ଭାଷା ପ୍ରତି ଆଦର ଓ ସମ୍ମାନ ହ୍ରାସ ହେଵ ନାହିଁ।
(୫) ଓଡ଼ିଆ ଭାଷାକୁ ପିଲାଙ୍କୁ ଭଲ ଭାବରେ ଶିଖାଇଵା ତଥା ଉତ୍ତମ ରୂପେ ଜଣାଇଵା ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତ କରିଵାକୁ ହେଵ । ଏଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରଦକ୍ଷେପ ନେଇ ଶିକ୍ଷକମାନଙ୍କୁ ଵିଶେଷ ଭାବେ ତାଲିମ୍ ଦେଇ ସୁଦକ୍ଷ କରିଵାକୁ ହେଵ ।
(୬) ଓଡ଼ିଆ ଲୋକଙ୍କୁ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଭାଷାଠାରୁ ରକ୍ଷାର୍ଥ ସମ୍ପୂର୍ଣ୍ଣ ଭାବରେ ଜଡି଼ତ ହୋଇ ଆପ୍ରାଣ ଉଦ୍ୟମ କରିଵାକୁ ହେଵ । ଏକମାତ୍ର ଓଡ଼ିଆ ଜାତି ହିଁ ନିଜର ଓଡ଼ିଆ ଭାଷାକୁ ବଞ୍ଚାଇ ପାରେ ।
(୭) ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ ଭାଷା ଭାବରେ ପ୍ରତିଷ୍ଠିତ କରିଵାକୁ ହେଵ । ଅଧୁନା ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଵ୍ୟଵହାର ସୀମିତ ତେଣୁ ହିନ୍ଦୀ ଓ ଇଂରାଜୀ ପରିଵର୍ତ୍ତେ
ଓଡ଼ିଶାରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ବ ଦେଵା ଦ୍ଵାରା ତାହା ରାଜନୈତିକ ଶକ୍ତି ଲାଭ କରି ବଞ୍ଚି ରହିଵ ।
(୮) ଓଡ଼ିଆ ଭାଷାରେ ନୂତନ, କାଳଜୟୀ ଓ ଉତ୍କୃଷ୍ଟ ସାହିତ୍ୟ ରଚନା ଏଵଂ ତହିଁର ପ୍ରଚାର ପ୍ରସାର ତଥା ଵିଶ୍ଵସ୍ତରରେ ଲୋକପ୍ରିୟ କରି ଓଡ଼ିଆ ଭାଷାର ଭଵିଷ୍ୟତ ସୁରକ୍ଷିତ କରାଯାଇପାରେ । ସେହିପରି ପୁରାତନ ଓଡ଼ିଆ ସାହିତ୍ୟର ପଠନ ପାଠନ ଓ ସଂରକ୍ଷଣ ତଥା ପ୍ରଚାର ପ୍ରସାର ହେତୁକ କାର୍ଯ୍ୟ ଓଡ଼ିଆମାନଙ୍କୁ କରିଵାକୁ ହେଵ ।
(୯) ଯେଉଁ ଭାଷା ପ୍ରତି ଓଡ଼ିଆ ଭାଷାକୁ ଵିପଦ ରହିଛି ତାକୁ ଯଥା ସମ୍ଭଵ ଓଡ଼ିଆଞ୍ଚଳରେ ଲୋକଙ୍କ ଦ୍ଵାରା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ ବନ୍ଦ କରାଇଵାକୁ ହେଵ । ଵୈଦେଶିକ ଭାଷାଗୁଡି଼କ ପ୍ରତି ଯେମିତି ଓଡ଼ିଆଲୋକେ ଅତ୍ୟଧିକ ଆକର୍ଷଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ଵିହିତ କର୍ତ୍ତଵ୍ୟ ।
ପୃଥିଵୀର endangered languages ଵା ଲୁପ୍ତପ୍ରାୟ ଭାଷାମାନଙ୍କ ମଧ୍ୟରେ ୫୦%ରୁ ଅଧିକ ଭାଷା ଭାରତ, ବ୍ରାଜିଲ, ମେକ୍ସିକୋ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ,ନାଇଜେରିଆ,ପପୁଆ ନିଉଗିନି ଓ କାମେରୋନ୍ ଆଦି ଆଠୋଟି ଦେଶର ବୋଲି ଜଣାଯାଏ । ସର୍ଵାପେକ୍ଷା ଭାରତର ଅଧିକାଂଶ ଭାଷା ଭଵିଷ୍ୟତରେ ମୃତ ହେଵାର ଯଥେଷ୍ଟ ସମ୍ଭାଵନା ଅଛି ।
ଓଡ଼ିଆ ଭାଷାକୁ ବଞ୍ଚାଇଵାକୁ ହେଲେ ଓଡ଼ିଆ ଲୋକଙ୍କୁ ସବୁ କ୍ଷେତ୍ରରେ ଭୀଷଣ ସଂଗ୍ରାମ ଚଳାଇଵାକୁ ହିଁ ହେଵ । ସବୁ ଜଗନ୍ନାଥଙ୍କ ଇଚ୍ଛା କହି ପଖାଳ ଭାତ ଖାଇ ଶୋଇ ପଡି଼ଲେ ଓଡ଼ିଆ ଭାଷା ବଞ୍ଚିଯିଵନି ଵରଂ ନିଜ ଭାଷା ସଂସ୍କୃତିକୁ ବଞ୍ଚାଇଵା ପାଇଁ ପଖାଳ ଖାଇ ଜୟ ଜଗନ୍ନାଥ ଉଦ୍ଘୋଷ ପୂର୍ଵକ ରଣକ୍ଷେତ୍ରରେ ସିଂହ ସମ ଗର୍ଜନ କରି ଝାସ ଦେଵାକୁ ହେଵ ।
××××××××××××××××
ଶିଶିର ସାହୁ ମନୋଜ
××××××××××××××××
Sunday, September 5, 2021
ମଧୁବାବୁ ସଙ୍ଗେ ଲଢି଼ବି (କାଳନ୍ଦୀ ଚରଣ ପାଣିଗ୍ରାହୀ)
Friday, September 3, 2021
ତିଗିରିଆ ଗଡ଼ (କୁମ୍ଭାରଚକ)
ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆଗଡ଼ର #ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ...
“କେହୁ ଜାଣିବରେ ଯୁବତୀ ମନ ?
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
ନିତି ଦକଦକ ହୁଏ ମୋ ଛାତି । ”
ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତାର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ - ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?
ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।
ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା...
“ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ
ପରାଗ ମୁଞ୍ଚିଲା ପଙ୍କଜ ପରାଏ
ଦିଶୁଅଛୁ ନାହିଁ ପାଇଁ । ”
ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’
“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” - ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।
ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି ।
ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ । #କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି ।
କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ।
ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ- #ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା - ‘ମଣିମା ।’
ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।'
ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକ ଙ୍କଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ - ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନ ବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି #ଟାକି ବସିଥିଲେ । ଆଖି ପିଛୁଳାକର #ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ - ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ
ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା ।
ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି -
“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ !
ଲବେ ଦୟା ନାହିଁକି ?”
ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ #ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ #ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ #ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ ।
ଛାମୁରୁ କହି ଆଜ୍ଞା କଲେ କି - ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାବୁତ କଣ୍ଠରେ କୃଷ୍ଣରସ - ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”
ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ”
ରାଜା ଟିକିଏ ଦୁଃଖ କଲେ, କହିଲେ - ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।' ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ #ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି - ଭଲା ଏଠି ଗାଇବି କେମିତି ?
ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’
ଓ ! ରକ୍ଷା ମିଳିଗଲା ।
ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର #ବୋଲନ୍ତେ- ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା #ମଉଡ଼ମରା ଚାଳ । #ଘୋଷରା_ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ । ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ #ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ #ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା - କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା ।
ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ #ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା - ଆଦେଶ ପାଇ ଗାଇଲି
“କୃପାସିନ୍ଧୁ ଵଦନ
କରି ଅଵଲୋକନ
କେଉଁ କରମହୀନ ଜନ”
...
ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି ।
ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା - ରଜାଘରୁ ତମପାଇଁ #ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି #ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା ।
ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?”
ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି - ନିଶ୍ଚେ ଆସିଵ', ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।
ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରୀ, କୋଉଠି #କଜଳପାତି, କୋଉଠି #ଚଷାପୁଅ, #ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ #ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣା ଯାଉଥାଏ ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ ।
କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” I ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ #ଫୁଲ_ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।
ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇ ଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକାସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ” ।
🔴———×———🔴
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ଆତ୍ମଜୀଵନୀ #କୁମ୍ଭାରଚକ'ରୁ ପ୍ରୋକ୍ତ #ତିଗିରିଆ_ଗଡ଼ ଲେଖା ସଂଗୃହୀତ ହୋଇଅଛି ।
🔵—ଲେଖକ ପରିଚୟ —🔵
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ? ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା ।
ସେ ଥିଲେ– ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ।
୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ(ଅଵଶ୍ୟ ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ । ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି । ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା ।
⚫⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫⚫