My Blog List

Showing posts with label ପ୍ରବନ୍ଧ. Show all posts
Showing posts with label ପ୍ରବନ୍ଧ. Show all posts

Tuesday, February 6, 2024

ଉତ୍କଳୀୟ ସମାଜରେ ଡାକ ନାମ

କଵିଵର ରାଧାନାଥ ରାୟ ତାଙ୍କ‘ଦରବାର’ କାଵ୍ୟରେ ସାମନ୍ତ ଚନ୍ଦ୍ରଶେଖରଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇ ଗାଇଛନ୍ତି 

“ଗୋଦାଵରୀଠାରୁ ଗଙ୍ଗାଯାଏ ଵ୍ୟାପୀ
କୀର୍ତ୍ତିମାଳା ଯା’ର ଵିରାଜେ ଅଦ୍ୟାପି
ଏକାମ୍ରେ କୋଣାର୍କେ ଯା’ କୀର୍ତ୍ତି ଭାସ୍ଵର
ଯୋଗ୍ୟପୁତ୍ର ତୁମ୍ଭେ ସେହି ଉତ୍କଳର।”

ସାମନ୍ତ ଚନ୍ଦ୍ରଶେଖରଙ୍କୁ ଆମେ ପଠାଣି ସାମନ୍ତ ଭାବେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାମଟି ହେଲା ମହାମହୋପାଧ୍ଯାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ । ତେବେ ତାଙ୍କର ଡାକନାମ ପଠାଣି କାହିଁକି ହେଲା ? 

ଓଡ଼ିଶାରେ କେଵଳ ସେ ହିଁ ନୁହନ୍ତି ଅନେକ ଲୋକଙ୍କୁ ଆଗେ ପଠାଣି ନାମ ଦିଆଯାଉଥିଲା । କିନ୍ତୁ ଆଜିକାଲି ଆଉ କେହି ଏଭଳି ନାମକୁ ମରହଟିଆ ଭାବି ଦେଉନାହାନ୍ତି । ପ୍ରକୃତରେ ଆଗେ ଅପର୍ତ୍ତିଆଣିମାନଙ୍କୁ ପଠାଣି ଭଳି ଅନେକ ନାଆଁ ଦିଆଯାଉଥିଲା । ଫଳତଃ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପଠାଣି ସାମନ୍ତଙ୍କ ଵିଷୟରେ ଲେଖାଅଛି ଯେ “ସେ ଅପର୍ତ୍ତିଆଣି ଥିଵାରୁ ପିତାମାତା ଶିଶୁକୁ ପଠାଣି ନାମ ଦେଇଥିଲେ।” ଅପ୍ରତ୍ୟୟରୁ ଅପର୍ତ୍ତିଆଣୀ ଶବ୍ଦର ସୃଷ୍ଟି । ଯାହାଠାରେ ବଞ୍ଚିଵାର ପ୍ରତ୍ୟୟ ଵିଶ୍ୱାସ ନ ଥାଏ ତାକୁ ଏ ଦେଶରେ ଅପ୍ରତ୍ୟୟ କୁହାଯାଉଥିଲା । ପରେ ଏ ଶବ୍ଦ ଓଡ଼ିଆ ଭାଷାରେ ଅପର୍ତ୍ତି ଓ ଅପର୍ତ୍ତିଆଣି ହୋଇଛି । 
ଯେଉଁ ପିଲାର ଉପର ଭାଇ ଵା ଭଉଣୀ ମରିଯାଇଥାନ୍ତି ତାକୁ ମଧ୍ୟ ଯମ ଭୟରେ ଲୋକେ ଏଭଳି ଗୋଟିଏ ନାମ ଦେଉଥିଲେ । ଆଗେ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏଭଳି ନାମକରଣ ଦ୍ଵାରା ଅପର୍ତ୍ତିଆଣୀ ପିଲାକୁ ଯମ ଘୃଣା କରି ଛାଡ଼ି ଯିଵ । ତେଣୁ ଏହି ଉଦ୍ଦେଶ୍ୟରେ ପିତା ମାତା ସେମାନଙ୍କର ଗୋଟିଏ ଗୋଟିଏ ଘୃଣ୍ୟ ନାମ ଦେଉଥିଲେ । କେହି କେହି ଶିଶୁର ଜନ୍ମମାତ୍ରେ ତାହାକୁ କୌଣସି ଦେବତାଙ୍କୁ ଦାନ କରି ଦିଅନ୍ତି। ପରେ ପିଲା ନ ମରି ବଞ୍ଚି ଗଲେ ପିଲାର ଵ୍ରତ ଵା କାନ ଫୋଡ଼ା ବେଳେ କିଛି ଧନ ଦେଇ ପୁଣି ପିଲାକୁ ଦେଵତାଙ୍କଠାରୁ କିଣି ଆଣନ୍ତି। ଅପର୍ତ୍ତିଆଣୀ ପିଲାଙ୍କର ଜନ୍ମ ପରେ ନାକ ଫୋଡ଼ି ଦେଵାର ପ୍ରଥା ଓଡ଼ିଶାରେ ପ୍ରଚଳିତ ଥିଲା । କେତେକ ଜଣାଶୁଣା ଓଡ଼ିଆ ଅପର୍ତ୍ତିଆଣି ନାମଗୁଡ଼ିକ ହେଲା :

ଅକାରଣ,ଅଗାଧୁ,ଅଜୀଵ,ଅଧୁଆ,ଅରୁଚା,ତିକଡ଼ି,ଦୁଃଖା,ଅଶାନ୍ତି,ଧଡ଼ି,କାଠି,ମାଗତା,ମାଗନ୍ତା,ଭାଲୁ,ହାତୀ,ମାଗୁଣି,ଲଣ୍ଡା(ନଣ୍ଡା),ଶୁଖା,ଶୁକରା,ଶୂକୁରୀ,ଶେନ୍ତା,ଶେନ୍ତେଇ,ଶେନ୍ତେରା,ଅଜି,ଅପ,କାଙ୍ଗାଳ,ଗୁହିଆ,ଧୋବଣୀ,ଦୁଃଖୀ,ଧୋବା,ନକଡ଼ି,ଛକଡ଼ି,ନିମେଇ,ପଞ୍ଚୁ,ପଞ୍ଚୀ,ପଞ୍ଚେଇ,ପାଣୁ,ପାଲୁଣୀ,ଫକୀର,ଫକୀରୀ,ବାଉରି,ଭିକାରୀ,ମାଗୁଣିଚରଣ,ମିଛି,ମିଛୁ,ଶୁକୀ,ହଗୁରା,ହାଡ଼ି,ଗଜି,ନିଆସି,ହୀନ,ଅପର୍ତ୍ତି,ଅପର୍ତ୍ତିଆ, ହାଡ଼ିଆ, କେଳା,କଣ୍ଡୁରିଆ,ବିଲେଇ,ଭାଲୁଆ ,ପଠାଣି,ଝରା,ବଗା,କନ୍ଧ,ଗୋଵରା,ଗୁବୁରି,ପଠାଣିଆ,ଦିକଡ଼ିଆ,ହଡ଼ା,ଦୁଃଖା,ଅଲା,କଲେଇ,ବେଙ୍ଗ,ଛକଡ଼ିଆ,ଫକୀର,ଗୁହିଆ,କିଣା,ବିକା,କିଣୀ,ବିକୀ,ପାଲୁଣୀ ଓ ହାଡ଼ିଆଣୀ ଇତ୍ୟାଦି । 

ଓଡ଼ିଶାରେ ଅନେକ ପ୍ରସିଦ୍ଧ ଵ୍ୟକ୍ତିଙ୍କର ଅପର୍ତ୍ତିଆଣି ନାମଗୁଡ଼ିକ ରଖାଯାଇଥିଲା ।‌ ଉଦାହରଣ ସ୍ୱରୂପ ଫକୀରମୋହନ ସେନାପତି, ଭିକାରୀ ବଳ, ଭିକାରି ଚରଣ ପଟ୍ଟନାୟକ,ବାଉରି ବନ୍ଧୁ କର ଓ ମାଗୁଣି ଚରଣ କୁଅଁର ଇତ୍ୟାଦି । ତେଣୁ ଓଡ଼ିଶାରେ ଅପର୍ତ୍ତିଆଣୀମାନଙ୍କର ପ୍ରକୃତ ନାମକୁ ଯମଠାରୁ ଲୁଚାଇ ରଖିଵା ଆଶାରେ ସେମାନଙ୍କୁ ଏଭଳି ଡାକନାମ ଦିଆଯିଵାର ପରମ୍ପରା ପ୍ରଚଳିତ। 

କିନ୍ତୁ ଓଡ଼ିଶାରେ କେଵଳ ଯେ ଅପର୍ତ୍ତିଆଣି ପିଲାଙ୍କୁ ଏଭଳି ଡାକ ନାମ ଦିଆଯାଉଥିଲା ତାହା ନୁହେଁ ଅନେକ ପିଲାଙ୍କୁ ଲୋକେ ସ୍ନେହରେ ନାନା ଡାକନାମ ଦେଉଥିଲେ ପୁଣି କେତେକ ଡାକନାମ ପିଲାଙ୍କ ରୂପ,ରଙ୍ଗ,ସ୍ଵଭାଵ ଓ ସେମାନଙ୍କ ଆକାରକୁ ଦୃଷ୍ଟିରେ ରଖି ମଧ୍ୟ ରଖାଯାଉଥିଲା । ଏହିଭଳି କେତେକ ନିଚ୍ଛକ ଓଡ଼ିଆ ଡାକନାମ ହେଲା : ଫାପୁଲା,ଫାପୁଲି,କଇରି,ଢମା,ଟିମା,ଚେମା,ଚେମି,ଚାରିଆଖିଆ,ଖୁଜାରୀ,ଅହଲି,ନିହଲି,ଚୁଇଁ,ସାନ,ଚେଇଁଆ,କୁନି,ଟୁଆଁ,ଟୁଇଁ, ବିଲେଇ,କାଳିଆ,ଟମା,କାଲା ଓ ଛୋଟା ଇତ୍ୟାଦି । ଆଉ କେତେକ ଡାକନାମଗୁଡ଼ିକ ମୂଳ ତତ୍ସମ ନାମଗୁଡ଼ିକୁ ସଂକ୍ଷିପ୍ତ କରି ମଧ୍ୟ ଓଡ଼ିଶାରେ ରଖାଯାଇଥାଏ । ଯଥା : ଅକୁର ଓ ଅଙ୍କୁର(ଅର୍କୂର),ଅଚ୍ୟୁତ(ଅଚ୍ୟୁତାନନ୍ଦ),ଅଦେଈ(ଅଦୈତ),ଅନନ୍ତା(ଅନନ୍ତ),ଅନା,ଅନାଦି,ଅନାମ,ଅନି,ଅଭି(ଅଭିରାମ, ଅଭିମନ୍ୟୁ ଵା ଅଭୟଚରଣ),ଆର୍ତ୍ତି(ଆର୍ତ୍ତବଲ୍ଲଭ, ଆର୍ତ୍ତତ୍ରାଣ),ସନ୍ତ,ସନ୍ତୁ,ସନ୍ତଷ୍,ସନ୍ତିଆ,ସନ୍ତୁଆ(ସନ୍ତୋଷ),ଉଜି(ଉଜ୍ଜଳମଣୀ),ଏକାଦଶିଆ,ଏକେଇ(ଏକାଦଶୀ),କପିଳା(କପିଳ),କମଳି(କମଳା),କଣ୍ଠ(ନୀଳକଣ୍ଠ),କାନ୍ତ(ରାଧାକାନ୍ତ, ଶ୍ୟାମାକାନ୍ତ, ଲକ୍ଷ୍ମୀକାନ୍ତ),କୁଶା ଓ କୁଷ୍ଟଁ(କୃଷ୍ଣ),ଖତି(କ୍ଷେତ୍ରମଣି),ଖତୁଆ,ଖେତରା(କ୍ଷେତ୍ରଵାସୀ,କ୍ଷେତ୍ରମୋହନ),ତ
ଚଇତନ,ଚଇତନିଆ(ଚୈତନ୍ୟ),ଚମ୍ପାଇ ଓ ଚମ୍ପେଇ(ଚମ୍ପା),ଚିତିରା(ଚିତ୍ରା,ଚିତ୍ରାନନ୍ଦ),ଜଇ,ଜଇଆ ଵା ଜୟୀ(ଜୟକୃଷ୍ଣ),ଦନୁ(ଜନାର୍ଦ୍ଦନ),ଦାମା(ଦାମୋଦର),ଦିନ ଓ ଦିନୁ(ଦିନବନ୍ଧୁ),ଦିବା ଓ ଡିବା(ଦିଵାକର),ଦିବ,ଦୁବା ଓ ଦିରିବ(ଦିଵ୍ୟସିଂହ),ଦୁଶା ଓ ଧୁଶା(ଦୁଃଶାସନ),ଧନୀ(ଧନେଶ୍ୱର ଓ ଧନେଶ୍ୱରୀ),ନଗା ଓ ନାଗା(ନଗେନ୍ଦ୍ର),ନନ୍ଦା(ନନ୍ଦ),ନର(ନରୋତ୍ତମ),ନିରା,ନୀଳ ଵା ନୀଳା(ନୀଳମଣୀ),ନେତା,ନେତେରା ଓ ନେତ(ନେତ୍ରାନନ୍ଦ ଓ ନେତ୍ରମଣି),ପରି ଓ ପରିମି(ପରମାନନ୍ଦ),ପାର,ପାରା ଓ ପାରୀ(ପାର୍ଵତୀ),ପୀତ ଓ ପୀତୁ(ପୀତାମ୍ବର ଓ ପୀତାମ୍ବରୀ),ପୁନ , ପୁନା ଓ ପୁନି(ପୂର୍ଣ୍ଣଚନ୍ଦ୍ର,ପୂର୍ଣ୍ଣାନନ୍ଦ ଓ ଅନ୍ନପୂର୍ଣ୍ଣା),ବଇଦ(ଵୈଦ୍ୟନାଥ),ବଟ,ବଟୁଆ ଓ ବଟିଆ(ବଟକୃଷ୍ଣ),ବନି(ଵନମାଳୀ),ବଳିଆ(ବଳଭଦ୍ର),ବାଜୀ,ବାଜିଆ(ସତ୍ୟବାଦୀ, ବ୍ରଜବନ୍ଧୁ),ବାଲିଆ(ବାଳକୃଷ୍ଣ),ବୁରୁନ୍ଦା(ଵୃନ୍ଦାଵତୀ),ମଦନା(ମଦନ,ମଦନମୋହନ),ମନୁ(ଅଭିମନ୍ୟୁ),ମାଗା(ମାଗୁଣି),ରଙ୍ଗୀ ଓ ରଙ୍ଗିଆ(ରଙ୍ଗାଧର),ରତନୀ(ରତ୍ନା,ରତ୍ନମଣୀ),ରସା(ରସାନନ୍ଦ),ରାଜୁ,ରାଜା(ରାଜେଶ, ରାଜକିଶୋର),ରାଧୀ(ରାଧା),ରାମ(ରାମଚନ୍ଦ୍ର),ରାହାସ(ରାସଵିହାରୀ),ରେଵ(ରେଵତୀ),ଲାବୀ,ଲାବୁ ଓ ଲାବେନୀ(ଲାଵଣ୍ୟଵତୀ),ଲୋକନି,ଲୋକା(ଲୋକନାଥ),ଶକ୍ରା(ଶକ୍ର),ଶଚି(ଶଚୀନ୍ଦ୍ର),ଶିଵା(ଶିଵ),ଶୁକା,ଶୁକ(ଶୁକଦେଵ),ଶୁକୁରି, ଶୁକୁରୁ, ଶୁକୁରେଇ, ଶୁକ୍ରି, ଶୁକ୍ରୁ, ଶୁକ୍ରେଇ, ଶୁକୁରା; ଶୁକୁରିଆ, ଶୁକ୍ରିୟା, ଶୁକ୍ରା(ଶୁକ୍ର), ଶୁକୁରୀ. ଶୁକୁରେଈ, ଶୁକ୍ରୀ, ଶୁକ୍ରେଈ(ଶୁକ୍ରୀ),ସଇତ ଓ ସଇତୁ(ସତ୍ୟଵାଦୀ),ଶଙ୍କରା ଓ ଶଙ୍କରୁ(ଶଙ୍କର,ଶଙ୍କର୍ଷଣ),ସଦେଇ(ସଦାନନ୍ଦ,ସଦାଶିଵ),ସନା,ସନିଆ,ସନାଇ,ସନେଇ,ସନି, ସନୁ(ସନାତନ),ସବର,ସରବ(ସର୍ଵେଶ୍ଵର),ସାଦୀ(ସାଧଵୀ),ସିତୁ(ସୀତାରାମ),ସିଦା,ସିଦୁ,ସିଧୁ(ସିଦ୍ଧନାଥ, ସିଦ୍ଧେଶ୍ୱର),ସୁଦୁରା,ସୁଦୁରୀ(ସୁଦର୍ଶନ),ସୁନେଈ(ସୁନାମଣୀ),ହଟିଆ(ହଟ,ହଟକେଶ୍ବର),ହାଡି଼ଆ(ହାଡ଼ିବନ୍ଧୁ),ହାରା(ହାରାମଣୀ),ହୁରୀ(ହୃଷୀକେଶ),ହୁରୁଦା(ହୃଦାନନ୍ଦ),ହେମ ଓ ହେମା(ହେମପ୍ରଭା, ହେମଲତା, ହେମନ୍ତକୁମାରୀ, ହୈମଵତୀ) ଇତ୍ୟାଦି...

କନ୍ୟା ସନ୍ତାନର ଇଚ୍ଛା ନଥାଇ ଏକାଧିକ କନ୍ୟା ହେଲେ ସେମାନଙ୍କର ନାମ ଦିଆଯାଏ ଅଶାନ୍ତି,ନିଆସି ଓ ଅଖୁଜା ଇତ୍ୟାଦି ରଖାଯାଏ । 

ଓଡ଼ିଶାରେ ଗାଈ,ବଳଦ,ଛେଳି,ବିଲୃଇ ଓ କୁକୁର ଆଦି ଜୀଵଙ୍କୁ ମଧ୍ୟ କେତେକ ଡାକନାମ ଦିଆଯାଏ ଯଥା : ଟିପୁ,କାଳିଆ,ଅଲା,ବଉଳା,ଧୁବୁଲି,ନେପାଳି,ଗୁରୁବାରୀ,ନେତ,ମିଟୁ,ଟମି,ପୁଷି,ଗାଣ୍ଡୁ,କାଳୀ,ଲେପାକାନିଆ,ବଣ୍ଡା,ଲେଠି,ଗୁରିଆ,ବାଘ,କାଳୁ,ଭୀମା,ଶୁକୁରୀ,ଭାଲୁଆ,ଟିଟି,ବୁଧେଇ,ରୁବୁଲି,ଡେଙ୍ଗୀ,କପିଳା,କାଶିଆ,ବିଲୁ,ମିଉଁ,ଚମ୍ପେଇ,ଚାନ୍ଦ,ମେଟୁଆ,ଗୁଟନ,ମଇନ,ରେଣ୍ଠ,ହୀରା,ଛନକି,ଓଲେଇ,ମୋତି,ଝରି,ବଳିଆ,ପପଲୁ,ଝୁମୁରୀ,ରୁପୁ,ଘୁମ,ଘରମଣି,କହରା,ବଉଳା,ଖୁଦ ଓ ପାଣ୍ଡି ଇତ୍ୟାଦି...

ଓଡ଼ିଶାର ଲେଖକମାନେ ଆପଣା ଆପଣା ନାମ ପ୍ରକାଶ ନ କରି ଲେଖାରେ ଗ୍ରହଣ କରିବା ଅନ୍ଯ ଡାକନାମ ରଖିଵାର ଉଦାହରଣ ମଧ୍ୟ ରହିଛି । ଏହି ପ୍ରକ୍ରିୟାକୁ ଵିଦେଶରେ Nom-de-plume ଓ pseudonym କୁହାଯାଏ । ସମ୍ବାଦପତ୍ର ଓ ସାମୟିକ ପତ୍ରର ଲେଖକମାନେ ଵ୍ୟଙ୍ଗ ଵିଦ୍ରୂପ ପୂର୍ଣ୍ଣ ଵା ଗୁରୁତର ଅଭିଯୋଗ ଅଥଵା ସମାଲୋଚନା ଯୁକ୍ତ ଵିଷୟ କୌଣସି ପ୍ରବନ୍ଧ ଲେଖି ସେହି କାରଣରୁ ଵା ଅନ୍ଯ କିଛି କାରଣରୁ ତହିଁରେ ନିଜର ପ୍ରକୃତ ନାମ ନ ଲେଖି ଗୋଟିଏ କାଳ୍ପନିକ ଵା ଆକ୍ଷରିକ ଅର୍ଥଵିଶିଷ୍ଟ ନାମ ଦିଅନ୍ତି। ଫକୀରମୋହନ ସେନାପତି କେତେକ ଲେଖାରେ ତାଙ୍କ ନାମ ଧୂର୍ଜଟି ରଖିଥିଲେ। ପଣ୍ଡିତ କୁଳମଣି ଦାସ ଉଦ୍ଭଟ୍ଟ ଶ୍ଲୋକମାନଙ୍କ ପଦ୍ଯାନୁଵାଦରେ ଉତ୍କଳ ସାହିତ୍ୟ ପତ୍ରିକାରେ ଆପଣାର ନାମ ବାଚସ୍ପତି ଶର୍ମା ଓ ସମ୍ମାର୍ଜନୀଶୀର୍ଷକ ପ୍ରବନ୍ଧମାନଙ୍କରେ ଵିଷ୍ଣୁଶର୍ମା ରଖିଅଛନ୍ତି। ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜ ଭାଗବତ ଟୁଙ୍ଗି ଆଦି ପ୍ରବନ୍ଧରେ ଆପଣା ନାମ ଦୁର୍ମୁଖ ଶର୍ମା ରଖିଥିଲେ। ଖ୍ୟାତନାମା ବ୍ଯକ୍ତିଙ୍କ ଲେଖା ଦେଖି ପାଠକମାନେ ଲେଖାକୁ ସ୍ୱାଧୀନ ଭାବରେ ଆଲୋଚନା ନ କରି ଲେଖକଙ୍କ ନାମ ଦେଖି ତଦ୍ଦ୍ୱାରା ଚାଳିତ ହୋଇ ନିଜର ସ୍ୱାଧୀନ ମନ୍ତଵ୍ୟ ଵା ମତ ସଂଗଠନ ବା ପ୍ରକାଶ କରିବେ ନାହିଁ, ଏହି ଆଶଙ୍କାରେ କେତେକ ଖ୍ୟାତନାମା ଲେଖକ ମଧ୍ୟ ଡାକ ନାମ ଵ୍ୟଵହାର କରୁଥିଲେ। ୟୁରୋପରେ ଆଗେ ମହିଳା ତଥା ରାଜପରିଵାରର ଲେଖକ ଲେଖିକାମାନେ ମଧ୍ୟ ଏଭଳି ଛଦ୍ମନାମ ଵ୍ୟଵହାର କରୁଥିଲେ । 

ମାତ୍ର ପୃଥିଵୀର ଅନ୍ୟ ଅଞ୍ଚଳ ଅପେକ୍ଷା ଓଡ଼ିଶାରେ ଡାକନାମ ରଖାଯିଵାର ପରମ୍ପରା ଅଧିକ ଗଭୀର । ଆଗେ ଅପର୍ତ୍ତିଆଣି ପିଲାଙ୍କୁ ଡାକନାମ ଦିଆଯାଉଥିଲା ଏଵଂ ଏବେ ବି କେହି କେହି ଏଭଳି ନାମକରଣ କରନ୍ତି। ଆମ ଓଡ଼ିଶାରେ ଜାତକରେ ରାଶିଗତ ନାମ ଗୋଟିଏ ଥାଏ, ପିତା ମାତା ସ୍ନେହରେ ଗୋଟିଏ ଡାକନାମ ଦିଅନ୍ତି। ଶାଶୂ ଘରେ ଵଧୂକୁ ଶାଶୁ ଶଶୁର ଗୋଟିଏ ନୂଆ ନାମ ଦିଅନ୍ତି। ଆଗେ ଓଡ଼ିଶାରେ ଶାଶୁଶଶୁର ଆଦି ଗୁରୁଜନଙ୍କ ନାମ ଧରିଵା ନିଷିଦ୍ଧ ଥିଲା ଏଵଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା । , ଏଥିପାଇଁ ଯେବେ କୌଣସି ଵଧୂର ଵା ଭୃତ୍ୟର ନାମ ଶଶୁର ଘରର ଵା ଖାମିନ୍ଦଙ୍କ ପରିଵାରର କୌଣସି ଗୁରୁଜନଙ୍କ ନାମ ହୋଇଥାଏ ତେବେ ଶଶୁର ଘରେ ଵା ଭୃତ୍ୟସ୍ୱାମୀମାନେ ଵଧୂକୁ ଵା ଭୃତ୍ୟକୁ ଗୋଟିଏ ନୂଆ ନାମ ଦେଉଥିଲେ। ଏବେ ବି କେଉଁଠି କେଉଁଠି ଏଭଳି ଡାକନାମ ରଖାଯାଏ । ପୋଷ୍ୟ ପୁତ୍ରମାନଙ୍କୁ ଗ୍ରହିତାମାନେ ନୂଆ ନାମ ଦିଅନ୍ତି। ଗୋଟିଏ ତତ୍ସମ ନାମରେ ବେଶି ଅକ୍ଷର ଥିଵାରୁ ଯେଉଁ ନାମ ଉଚ୍ଚାରଣ କରିଵାକୁ ଆୟାସ ପଡ଼େ ତାକୁ ଲୋକେ ଗୋଟିଏ ସଂକ୍ଷିପ୍ତ ନାମ ଦିଅନ୍ତି। ପିତାମାତା ଆଦି ପିଲାଙ୍କୁ ଗେଲବସରରେ ଗୋଟିଏ ଗେହ୍ଲା ଡାକ ନାଆଁ ଦେଇଥାନ୍ତି। ଶିଶୁମାନଙ୍କ ମଧ୍ୟ ନାମକରଣ ପରେ ପିତାମାତାଦି ଗୁରୁଜନମାନେ ନୂଆ ଡାକନାମ ଦିଅନ୍ତି। କୃପଣ ଓ ଦୁଷ୍ଟ ଵ୍ୟକ୍ତିର ନାମ ଉଚ୍ଚାରଣ କରିଵା ଅଶୁଭ, ଏଥିପାଇଁ ସେମାନଙ୍କୁ ଲୋକେ ଗୋଟିଏ ଗୋଟିଏ ଡାକ ନାମ ଦେଇ ଥାଆନ୍ତି। ସାଙ୍ଗସୁଖମାନେ ସ୍ନେହରେ ଵା ଥଟ୍ଟାପରିହାସରେ ଆପଣା ମଧ୍ୟରେ ଡାକ ନାମ ଦିଆଦେଇ ହୁଅନ୍ତି। ଏକନାମଧାରୀ ଏକାଧିକ ଵ୍ୟକ୍ତିଙ୍କୁ ବାରିଵା ପାଇଁ ମଧ୍ୟ ଓଡ଼ିଶାରେ ଡାକନାମ ଦିଆଯାଏ। କୃପଣ, ଅଦତା ଆଦି ବ୍ଯକ୍ତିଙ୍କୁ ଚିଡ଼ାଇଵା ପାଇଁ ଵା ଘୃଣା ପ୍ରକାଶ କରିଵା ପାଇଁ ଗୋଟିଏ ଗୋଟିଏ ଡାକନାମ ବି ଦିଆଯାଏ। ବେଳେବେଳେ ଓଡ଼ିଶାରେ ପ୍ରଚଳିତ ଡାକନାମଗୁଡ଼ିକ ଦେଖି କାହାକୁ କାହାକୁ ତାହା ଅପ୍ରୀତିକର ଲାଗିପାରେ ତେବେ ପୃଥିଵୀର ସବୁ ଦେଶରେ ସବୁ ସଂସ୍କୃତିରେ ଡାକନାମ ରଖିଵାର ପରମ୍ପରା ଅଳ୍ପବହୁତେ ପ୍ରଚଳିତ କିନ୍ତୁ ଏହା ସର୍ଵାଧିକ ଜଟିଳ ଓ ଗହନ ରୂପେ ଓଡ଼ିଶାର ଜନସମାଜରେ ଦୃଶ୍ୟ ହୋଇଥାଏ । 





Friday, August 18, 2023

ସ୍ମୃତି ଓ ବିସ୍ମୃତିର ସାରନାଥ


ବାରାଣସୀ ନଗରୀର ଅଦୂରରେ ବୌଦ୍ଧତୀର୍ଥ ଭାଵରେ ଯେଉଁ ସାରନାଥ ଵିଶ୍ବ ଵିଖ୍ୟାତ, ଏକଦା ତାହା ଥିଲା ଏକ ସୁଗମ ଅରଣ୍ୟ । ସୁଗମ କାରଣ ମାରାତ୍ମକ ପ୍ରାଣୀମାନଙ୍କର ନିଵାସ ନ ହୋଇ ସେ ଅରଣ୍ୟ ଥିଲା ହରିଣମାନଙ୍କର ଆଶ୍ରୟ । ଅରଣ୍ୟର ଅଦୂରରେ ଜଣେ ରାଜାଙ୍କର ପ୍ରାସାଦ। ରାଜାଙ୍କର ବୋଧହୁଏ
ଵିଶେଷ କାମଦାମ ନ ଥିଲା, ଅତଏଵ ଦୈନିକ ପୂର୍ଵାହ୍ନରେ ସେ ମୃଗୟା କରିଵାକୁ
ଅରଣ୍ୟକୁ ଆସୁଥିଲେ । ସାଥିରେ ସୈନ୍ୟସାମନ୍ତ ସମେତ ଆସୁଥିଲେ ଶହ ଶହ ପ୍ରଜା । ପ୍ରଜାମାନେ ଅରଣ୍ୟର ଏକ ଵ୍ୟାପକ ଅଂଶ ଘେରାଉ କରି ରାଜା ଓ ତାଙ୍କ ସୈନ୍ୟସାମନ୍ତ ଛକି ରହିଥିଵା ଅଞ୍ଚଳ ଆଡ଼କୁ ମୃଗମାନଙ୍କୁ ତଡ଼ିନେଇଯିବେ । ରାଜା ସ୍ଵୟଂ ଗୋଟାଏ ଯୋଡ଼ାଏ ମୃଗ ଵଧ କରିବେ । ମୃଗମାଂସ ସକାଶେ ତାଙ୍କର ଲୋଭ ଅଦମ୍ୟ । ଅରଣ୍ୟର ଦ୍ବାର ଦେଶରେ ପଡ଼ିଥିଵା ଖଣ୍ଡିଏ ମସୃଣ ଶିଳା ଉପରେ ମୃତ ମୃଗଟି କଟାହେଵା ମଧ୍ୟ ରାଜା ଦେଖିଵେ । ଦିନେ ପ୍ରଜାଵର୍ଗ-ରଚିତ-ବଳୟ ଭିତରେ ବନ୍ଦୀ ମୃଗମାନଙ୍କ ଆଡ଼େ ଅନାଇ କାହା ଉପରକୁ ତୀର ପ୍ରୟୋଗ କରିଵେ, ରାଜା ସେ କଥା ଭାବୁଛନ୍ତି, ତାଙ୍କର ଦୃଷ୍ଟି ଗୋଟିଏ ମୃଗ ଉପରେ ଯାଇ ଅଟକିଗଲା । ତାହା ମୃଗଟିଏ ନା କୌଣସି ଅସାଧାରଣ
ପ୍ରତିଭାସମ୍ପନ୍ନ ଶିଳ୍ପୀ ନିର୍ମିତ ଏକ ହିରଣ୍ମୟ ମୂର୍ତ୍ତି ? ଏଡ଼େ ଉଜ୍ଜ୍ବଳ, ଏଡ଼େ ସୁଦର୍ଶନ,
ଏଡ଼େ ପ୍ରଶାନ୍ତ କୌଣସି ଵଣ୍ୟପ୍ରାଣୀ ହେଵା ସମ୍ଭଵ ? ରାଜା ଧୀରେ ଧୀରେ ସେ ମୃଗଆଡ଼େ ଅଗ୍ରସର ହେଲେ । ମୃଗ ରହିଲା ଅଵିଚଳିତ । ଵିସ୍ମିତ ରାଜା ତାକୁ ପ୍ରଶ୍ନ କଲେ, ‘‘ତୁମେ କିଏ ??’ କହିବା ଵାହୁଲ୍ୟ, ତାକୁ ମୃଗ ବୋଲି ଜାଣୁଥିଵା ସତ୍ତ୍ଵେ ପ୍ରଶ୍ନଟି ସ୍ଵତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହେଲା ।

-‘‘ ମହାରାଜ ! ମୁଁ ଏ ମୃଗଦଳର ହତଭାଗ୍ୟ ଦଳପତି ।’’

- ‘‘ ତମେ ହତଭାଗ୍ୟ କାହିଁକି ହେଵ ? ଆଜିଠାରୁ ତୁମେ ମୋର ମିତ୍ର !’’

ପାତ୍ରମିତ୍ରଙ୍କ ଆଡ଼େ ଦୃଷ୍ଟିପାତ କରି ରାଜା ଅତଃପର କହିଲେ, ‘‘ଏ ଦଳପତିଙ୍କ
ଦେହରେ ଯେପରି କସ୍ମିନ୍‌କାଳେ ଆଞ୍ଚ ନ ଆସେ !”

-‘‘ମହାରାଜ !’’ ମୃଗ ଦଳପତି କହିଲା, ‘‘ ଆପଣଙ୍କର ଦୈନିକ ଲୋଡ଼ା
ମାତ୍ର ଗୋଟିଏ ମୃଗ । ଆପଣ ଯେତେବେଳେ ତୀର ଉଦ୍ୟତ କରନ୍ତି, ସେତେବେଳେ ଭୀତ ମୃଗମାନେ ପ୍ରାଣ ଵିକଳରେ ଏଣେତେଣେ ଦୌଡ଼ାଦୌଡ଼ି କରି କ୍ଷତବିକ୍ଷତ ହୁଅନ୍ତି । ଜଣେ ଆଉ ଜଣକ ପଛରେ ଆତ୍ମଗୋପନ କରିଵାକୁ ଉଦ୍ୟମ କରିଵା ଫଳରେ ଶୃଙ୍ଗାଘାତରେ ପ୍ରତ୍ୟହ ଏକାଧିକ ମୃଗ ଆହତ ହୁଅନ୍ତି। ମୋର ପ୍ରସ୍ତାଵ, ପ୍ରତିଦିନ ଗୋଟିଏ ଗୋଟିଏ ମୃଗ ଯାଇ ସେ ଶିଳା ଉପରେ ମୁଣ୍ଡ ରଖିଵେ । ଆପଣ ଵା ଆପଣଙ୍କ କର୍ମଚାରୀ ସିଧାସଳଖ ତାକୁ ହାଣିପକାଇଵେ । ଶିକାରଜନିତ କ୍ଳେଶରୁ ବି ଆପଣଙ୍କୁ ଛୁଟି ମିଳିଯିଵ !’’
ଶିକାର ରାଜାଙ୍କ ପାଇଁ କ୍ଳେଶ ପରିବର୍ତ୍ତେ ଆମୋଦର ହେତୁ ଥିଲା, ମଣିଷ
ମନର ଏ ଵିଚିତ୍ର ତଥ୍ୟ ଵା ନିରୀହ ମୃଗକୁ କାହିଁକି ଜ୍ଞାତ ଥିବ ! ରାଜା ହୁଏତ ଟିକିଏ
ଦ୍ଵିଧାକଲେ; କିନ୍ତୁ ସେ ମହାମତି ମୃଗ ଆଖିରେ ନିଜ ଆଖି ପଡ଼ନ୍ତେ ତାଙ୍କ ପାଟିରୁ
ବାହାରିଗଲା, ‘‘ବେଶ୍ ! ତାହାହିଁ ହେଵ ।”
ଅରଣ୍ୟର ସେ ମୁଲକରେ ରାଜକୀୟ ଶିକାର ବନ୍ଦହେଲା । ବଦଳରେ ଘଟିଲା
ପ୍ରତ୍ୟହ ଏକ ଅଭାଵନୀୟ; କିନ୍ତୁ ଅଣନାଟକୀୟ ମୃଗଵଧ । ରାଜାଙ୍କ ମଣୋହି-ସମ୍ପୃକ୍ତ ଜଣେ ଦୁଇଜଣ କର୍ମଚାରୀ ଖଡ୍ଗହସ୍ତେ ପାଷାଣ ଖଣ୍ଡିକ ପାଖରେ ଆସି ଅପେକ୍ଷା କରିଵେ । ଅଦୂରରେ ସମଵେତ ମୃଗୟୂଥଠୁଁ ଵିଦାୟ ନେଇ ଗୋଟିଏ ମୃଗ ଧୀରେ ଧୀରେ ଆସି ସଜଳ ନୟନରେ ଥରେ ଅପେକ୍ଷମାଣ ଖଡ୍‌ଧାରୀଙ୍କୁ ଅନାଇ ଶିର ଅଵନତ କରିଵ ଏଵଂ ପର ମୁହୂର୍ତ୍ତରେ ପ୍ରାଣ ଦେଵ । କେଉଁ ରୀତିରେ ମୃଗମାନେ ପ୍ରତିଦିନର ଵଳି ମନୋନୟନ କରୁଥିଲେ ଜଣାନାହିଁ । ଦିନେ ଗୋଟିଏ ମୃଗୁଣୀର ପାଳି ପଡ଼ିଲା । ସେ ଗୋଟିଏ ପରେ ଗୋଟିଏ ମୃଗକୁ ଵିନୟଭରେ କହିଲା, ‘‘ମୁଁ ଅନ୍ତଃସଜ୍ଜା । ଆଜି ମୋ ବଦଳରେ ଆଉ କେହି ପ୍ରାଣ ଦେଉ । ମୋ ଶାଵକ ଜନ୍ମ ହେଵାର ଦୁଇ ମାସ ପରେ ମୁଁ ଯାଇ ଵଳିପଡ଼ିବି ।’’ ମୃଗୁଣୀ ଯେଉଁମାନଙ୍କ ଆଗରେ ଏ ଆଵେଦନ କରୁଥିଲା, ସେ ସମସ୍ତଙ୍କର ଵଳି ତାରିଖ ସ୍ଥିରୀକୃତ ହୋଇସାରିଥାଏ। ତଥାପି ଦିନକ ଆଗରୁ ମଧ୍ୟ କେହି ପ୍ରାଣତ୍ୟାଗ କରିଵାକୁ ପ୍ରସ୍ତୁତ ନଥିଲେ। ଯୁଥପତି ହିରଣ୍ମୟ ହରିଣଙ୍କ କାନରେ ହଠାତ୍ ମୃଗୁଣୀର ଏ ଆକୁଳ ନିଵେଦନ ପଡ଼ିଲା । ସେ ବାହାରିଆସି କହିଲେ, ‘‘କନ୍ୟା ! ଚିନ୍ତା ନାହିଁ । ତୋ ସ୍ଥାନ ଆଜି ମୁଁ ନେଵାକୁ ପ୍ରସ୍ତୁତ ।’’ ଅଵିଳମ୍ବେ ସେ ଯାଇ ଶିଳା ପାଖରେ ପହଞ୍ଚିଲେ ।ରାଜକର୍ମଚାରୀମାନେ କିନ୍ତୁ ତାଙ୍କୁ ଵଧ କରିଵାକୁ ସାହସ କଲେ ନାହିଁ । କଟୁଆଳଠୁଁ ମନ୍ତ୍ରୀ, ମନ୍ତ୍ରୀଙ୍କଠୁଁ ଯାଇ ଖବର ପହଞ୍ଚିଲା ରାଜାଙ୍କ ପାଖରେ । ରାଜା ଆସି ପହଞ୍ଚିଲେ ଘଟଣାସ୍ଥଳରେ । ହିରଣ୍ମୟ ମୃଗକୁ ଆଉଁସି ସେ ପ୍ରଶ୍ନ କଲେ, ‘‘ମିତ୍ର ! ତୁମର ଜୀଵନ ନେବି, ମୁଁ କ’ଣ ଏଡ଼ିକି ଅଧମ ???
-‘‘ମହାରାଜ ! ମୁଁ କିନ୍ତୁ ନିଜକୁ ବଡ଼ ଅଧମ ମଣିବି, ଯଦି ଅନ୍ତଃସତ୍ତ୍ଵା
ମୃଗୁଣୀଟିକୁ ରକ୍ଷାକରି ନ ପାରିବି ।’’ କହିଲା ଯୁଥପତି ।
- ‘ଆଜି ମୋର ମୃଗମାଂସ ଲୋଡ଼ା ନାହିଁ। ମୃଗଣୀକୁ କେବେ ମଧ୍ୟ ଜୀଵନ
ଦେଵାକୁ ପଡ଼ିଵ ନାହିଁ ।’’ ରାଜା କହିଲେ ।
-‘‘ମହାରାଜ ! ଆପଣଙ୍କ ପ୍ରତି ମୁଁ କୃତଜ୍ଞ । କିନ୍ତୁ ତଥାପି ଅନୁରୋଧ କରୁଛି,
ମୋର ପ୍ରାଣ ନିଅନ୍ତୁ।’’ 
ଯୁଥପତି ଆଵେଦନ କଲେ ।

-‘‘କାହିଁକି ?”’ ପ୍ରଶ୍ନ କଲେ ଵିସ୍ମିତ ରାଜା।
-‘‘ମହାରାଜ ! ଆପଣ ମୋତେ ମିତ୍ର ବୋଲି ସମ୍ବୋଧନ କରି ଯେଉଁ ସମ୍ମାନ
ଦେଇଛନ୍ତି, ସେ ସମ୍ମାନଜନକ ଆସନରେ ଥାଇ ମଧ୍ୟ ମୁଁ ମୋର ଅନୁଗତ ମୃଗମାନଙ୍କୁ
ରକ୍ଷାକରି ପାରିବି ନାହିଁ । ପ୍ରତିଦିନ ଜଣ ଜଣ କରି ବଳିପଡ଼ୁଥିଵାର ଦେଖୁଥିବି, ଏହାଠାରୁ ବଳି ଅଭିଶାପ କ’ଣ ହୋଇପାରେ ? ଏଭଳି ଅଭିଶପ୍ତ ଜୀଵନର ଅଵସାନ ଘଟାଇଲେ ହିଁ ଆପଣ ମୋର ପ୍ରକୃତ ମିତ୍ର ବୋଲି ଜାଣିବି ।”’
ହିରଣ୍ମୟ ମୃଗଙ୍କର ଏ ନିଷ୍କପଟ ଵିଵୃତିରେ ରାଜା କେତେକ ମୁହୂର୍ତ୍ତ ହତବାକ୍
ରହିଲେ। ତା’ପରେ ସେ କହିଲେ, ‘‘ମିତ୍ର ମୃଗରାଜ ! ତୁମର ପ୍ରାଣ ନେଇ ତୁମର
ଯଥାର୍ଥ ମିତ୍ର ହେଵା ଅପେକ୍ଷା ମହତ୍ତର
 ଅନ୍ୟ କୌଣସି ମାର୍ଗରେ କ’ଣ ମୁଁ ତାହା
ହୋଇପାରିବି ନାହିଁ ? ଆଜିଠାରୁ ମୃଗଵଧ ବନ୍ଦ ହେଲା । ଵସ୍ତୁତଃ ମୃଗମାଂସ ପାଇଁ ମୋର ଆଉ ରୁଚି ନାହିଁ ।’?
- ‘‘ଧନ୍ୟଵାଦ ମହାରାଜ ! ତଥାପି ମୋର ହୃଦୟର ଉଦ୍‌ଵେଳନ କମୁନାହିଁ ।
କାରଣ ଆପଣଙ୍କ ପାତ୍ରମିତ୍ର ଏ ଅରଣ୍ୟରେ ଅନ୍ୟାନ୍ୟ ପଶୁପକ୍ଷୀ ଶିକାର କରୁଥିଵେ ଏଵଂ ସେ ଵିକଳ ଦୃଶ୍ୟ ମୋତେ ଦେଖିଵାକୁ ପଡୁଥିଵ ।’’

- ‘‘ହେ ମହାନ୍ ମିତ୍ର ! ଆଜିଠାରୁ ଶିକାର ନିଷିଦ୍ଧ ।’’

ଭାରତର ଅନନ୍ୟ କିମ୍ବଦନ୍ତୀ-ପରମ୍ପରାର ଏହି ଅଜ୍ଞାତ ରାଜପୁରୁଷଙ୍କ ସିଦ୍ଧାନ୍ତ
ଶୁଣି ସେଦିନର ଜନସାଧାରଣ ଵିସ୍ମିତ ହୋଇଥିବେ, କିନ୍ତୁ ଏ କାହାଣୀର ଲିପିକାରମାନଙ୍କ ପାଇଁ ରାଜାଙ୍କ ଆଚରଣରେ କୌଣସି ଆକସ୍ମିକତା ଵା ଵିସ୍ମୟ ନଥିଲା । କାରଣ,ସେ ହିରଣ୍ମୟ ମୃଗ ଥିଲେ ବୋଧିସତ୍ତ୍ଵ-ଗୌତମବୁଦ୍ଧଙ୍କ ଆତ୍ମାର ଏକ ପୂର୍ଵ ଅଵତାର । ପ୍ରଥମ ଦର୍ଶନରୁ ହିଁ ରାଜା ନିଜ ଅଜ୍ଞାତସାରରେ ତାଙ୍କ ଦ୍ବାରା ପ୍ରଭାଵିତ ହେଵାକୁ ଆରମ୍ଭ କରିଥିଲେ। ଅଵଶେଷରେ ଵର୍ଣ୍ଣିତ ଘଟଣାର ସୁଯୋଗ ନେଇ ତାଙ୍କ ଭାଵାନ୍ତରର ସ୍ଫୁରଣ ଘଟିଲା ।
ଅଵିରତ ମୃଦୁ ଵାରିପାତ ଭିତରେ ଆମେ ଯାଇ ସେଦିନର ସେ ଅରଣ୍ୟ, ଆଜିର
ସାରନାଥରେ ପହଞ୍ଚିଵାବେଳକୁ ସୂର୍ଯ୍ୟ ଦେଖା ନ ଦେଲେ ବି ସଦ୍ୟସ୍ନାତ ସକାଳର
ଆଲୋକ ଵାତାବରଣକୁ କମନୀୟ କରିଥାଏ। ଘଟଣା-ବହୁଳ ଏ ସ୍ଥାନ । ଏକଦା ଅରଣ୍ୟ ତା'ପରେ ଜନପଦ । ସାଧାରଣ ଜନପଦଟି ପୁଣି ଦିନେ ଅନନ୍ୟ ବୌଦ୍ଧତୀର୍ଥରେ ପରିଣତ ହେଲା । ଅନନ୍ୟ କାରଣ ଗୌତମ ବୁଦ୍ଧ ଏହିଠାରେ ପ୍ରଥମେ ତାଙ୍କ ବାଣୀ ପ୍ରଦାନ କରିଥିଲେ । ସେ ଆଉ ଏକ ଅଭାବନୀୟ ଦୃଶ୍ୟ ହୋଇଥିଵ ନିଶ୍ଚୟ । ନିକାଞ୍ଚନରେ, ଗୟା ନିକଟଵର୍ତ୍ତୀ ଅଶ୍ୱତ୍‌ଥ ଵୃକ୍ଷ ତଳେ ଗୌତମ ତପସ୍ୟାରତ ଥିଵାବେଳେ ତାଙ୍କ ସିଦ୍ଧି ଅଵଶ୍ୟମ୍ଭାଵୀ ଏଵଂ ସେ ସିଦ୍ଧିର ଆଲୋକରେ ସେମାନେ ବି ଆଲୋକିତ ହେଵେ, ଏହି ଆଶାରେ ପାଞ୍ଚଜଣ ସାଧୁ ତାଙ୍କୁ ଜଗିରହୁଥିଲେ ଓ ତାଙ୍କ ସେଵା ପାଇଁ ପ୍ରସ୍ତୁତ ଥିଲେ । ଗୌତମଙ୍କର ଅଵଶ୍ୟ କୌଣସି ପରିଚର୍ଯ୍ୟାର ପ୍ରୟୋଜନ ନଥିଲା । ତେବେ କୌଣ୍ଡିନ୍ୟ, ଭଦ୍ରକ, ଅଶ୍ଵଜିତ୍, ମହାନାମ ଏଵଂ ଵାସଵ ନାମଧେୟ ସେ ପଞ୍ଚସାଧୁ ଗୌତମଙ୍କ ଚିତ୍ରରେ ସ୍ନେହଭାଵର ଉଦ୍ରେକ କରିଥିଲେ ନିଶ୍ଚୟ ।
 କିନ୍ତୁ ଯେତେବେଳେ ଗୌତମ ହୃଦୟଙ୍ଗମ କଲେ ଯେ ଶରୀରକୁ କ୍ଳେଶ ନ ଦେଇ, ପ୍ରୟୋଜନୀୟ ଖାଦ୍ୟ ଗ୍ରହଣ କରି ତାକୁ ସାଧନାର ମାଧ୍ୟମ କରିଵା ଶ୍ରେୟ ଏଵଂ ଯେତେବେଳେ ଅଦୂର ପଲ୍ଲୀର ଜନୈକା ଵିଵେକୀ ମହିଳା ପରିଵେଷିତ ସୁଖାଦ୍ୟ ତପସ୍ବୀ ଗୌତମ ସାଦରେ ଗ୍ରହଣ କଲେ, ସେତେବେଳେ ସାମାନ୍ୟ ଧ୍ୟାନଧାରଣାର ତରାଜୁରେ ଅସାମାନ୍ୟକୁ ତଉଲିଵାର ଚିରାଚରିତ ଅଭ୍ୟାସ ଅନୁସାରେ ପଞ୍ଚସାଧୁ ସିଦ୍ଧାନ୍ତ କଲେ ଯେ ଗୌତମ ଯୋଗଭ୍ରଷ୍ଟ ହେଲେଣି । ସୁଖାଦ୍ୟ ଭୋଜନ କରି, ନଦୀ ସରୋଵରରେ ସ୍ନାନକରି, କେହି ସତ୍ୟର ସନ୍ଧାନ ପାଇପାରେ ? ପଞ୍ଚସାଧୁ ଅଵଶ୍ୟ ଗୌତମଙ୍କ ସହ ଯୁକ୍ତିତର୍କ କଲେ ନାହିଁ । ସେ ସଦ୍‌ବୁଦ୍ଧି ସେମାନଙ୍କର ଥିଲା । ପଥଭ୍ରଷ୍ଟ ଗୌତମଙ୍କୁ ଵିପଥରେ ଯିଵାକୁ ଛାଡ଼ିଦେଇ ସେମାନେ ବାରାଣସୀ ଉପକଣ୍ଠକୁ ପଳାଇଆସିଲେ। ଗୌତମ କିନ୍ତୁ ବୁଦ୍ଧତ୍ଵ ପ୍ରାପ୍ତ କରିବା ସଙ୍ଗେ ସଙ୍ଗେ ଯେତେବେଳେ ତାଙ୍କ ଉପଲବ୍‌ଧ ସତ୍ୟଦ୍ୱାରା ଜିଜ୍ଞାସୁମାନଙ୍କୁ ସଚେତନ କରିଵାର ପ୍ରେରଣା ଅନୁଭଵ କଲେ, ସେତେବେଳେ ସେ ପ୍ରଥମେ ଏକଦା ଅନୁଗତ ଏହି ପଞ୍ଚସାଧୁଙ୍କୁ ସ୍ମରଣ କଲେ ।
ହୁଏତ ନିଜର ଅନ୍ତର୍ବୋଧଦ୍ଵାରା ପରିଚାଳିତ ହୋଇ ସେ ଚାଲି ଚାଲି ଆସି ସାରନାଥରେ ପହଞ୍ଚିଲେ । ଏ ସ୍ଥାନ ସେତେବେଳେ ଏକ ସର୍ଵସାଧାରଣ ଉଦ୍ୟାନ ତଥା ପଥିକମାନଙ୍କର ଵିଶ୍ରାମସ୍ଥଳ। ସରୋଵର ସମେତ ସେଠାରେ ଥିଲା କେତୋଟି
ପାନ୍ଥଶାଳା । 

ପଞ୍ଚସାଧୁ ସରୋଵର କୂଳରେ ବସିଥିଲେ। ଜଣେ ଚମକିପଡ଼ି କହିଲେ, ‘‘ଦେଖ, ଦେଖ, ଆମ ଆଡ଼େ ଆସୁଛି ସେ କିଏ ?’’
ପାଞ୍ଚଜଣଯାକ ଯଥା-ସତର୍କ ଦୃଷ୍ଟିପାତକଲେ । ସନ୍ଦେହ ରହିଲା ନାହିଁ । ସନ୍ନ୍ୟାସୀ ଗୌତମ ହିଁ ଆସୁଛନ୍ତି । ତାଙ୍କୁ କିଛି ନ କହି ପଳାଇ ଆସିଥିବା ଯୋଗୁଁ ପାଞ୍ଚଜଣଯାକ ଗ୍ଳାନି-ପୀଡ଼ିତ ଥିଲେ । ଗୌତମଙ୍କ ସହ ମୁହାଁମୁହିଁ ନ ହେଵା ହିଁ ସୁଵିଧାଜନକ । ସେମାନେ ତରତରରେ ଉଠିପଡ଼ିଲେ । କିନ୍ତୁ ଚାଲିଵାକୁ ଆରମ୍ଭ କରିଵା ପୂର୍ଵରୁ ଆଉ ଥରେ, ଅସତର୍କ ଭାବରେ, ଆଗନ୍ତୁକଙ୍କ ଆଡ଼େ ଦୃଷ୍ଟିପାତ କଲେ । ଦୃଷ୍ଟି କିନ୍ତୁ ଆଉ ଫେରାଇ ଆଣିପାରିଲେ ନାହିଁ । ପାଦ ବି ଆଗକୁ ଚଳିଲା ନାହିଁ । ସ୍ମିତହସଶୋଭିତ ବୁଦ୍ଧ ନିକଟତର ହୋଇ ଆସିଲେ ।ଯନ୍ତ୍ରଚାଳିତଵତ୍ ପାଞ୍ଚଜଣଯାକ ସାଧୁ ତାଙ୍କୁ ପ୍ରଣିପାତ କଲେ । ପ୍ରଶାନ୍ତ ବୁଦ୍ଧ ସେମାନଙ୍କୁ ଆଲିଙ୍ଗନ କରି ସେଇଠି ବସିପଡ଼ିଲେ । ତାଙ୍କ ଆଗରେ ବସିଲେ ପଞ୍ଚସାଧୁ-ତାଙ୍କର ପ୍ରଥମ କିସ୍ତିର ଶିଷ୍ୟଵର୍ଗ-ପୃଥିବୀର ପ୍ରଥମ ପାଞ୍ଚଜଣ
ବୌଦ୍ଧ ।

ଏହାର କେଇଦିନ ପରେ ଭଦ୍‌ଭ୍ରାନ୍ତ-ପ୍ରାୟ ଦିଶୁଥିଵା ଜଣେ ଯୁଵକ କ୍ଷିପ୍ରଗତିରେ
ଉଦ୍ୟାନ ଅତିକ୍ରମ କରୁଥିଵାବେଳେ ବୁଦ୍ଧଙ୍କୁ ଦେଖିପକାଇ ଅଟକିଗଲେ।

-‘‘ଗତି କୁଆଡ଼େ ?’’ ବୁଦ୍ଧ ପ୍ରଶ୍ନ କଲେ।
‘ହେ ମହାମତି ? ମୁଁ ସେହି ପ୍ରଶ୍ନର ଉତ୍ତର ଲୋଡୁଛି। ମୋର ଗତି କୁଆଡ଼େ ? ଆଉ ସମସ୍ତଙ୍କର ଗତି ଵା କୁଆଡ଼େ ? ଆଜି ମଧ୍ୟରାତ୍ରିରେ ଚେଇଁ ଉଠି ମୋ ଘରର ଚାରିଆଡ଼େ ଅନାଇ ଦେଖିଲି, ସମସ୍ତେ ମୃତପ୍ରାୟ ପଡ଼ିଛନ୍ତି । ପ୍ରଭାତ ହେଲା । ସମସ୍ତେ ଉଠିପଡ଼ି କାମରେ ଲାଗିଗଲେ । ପୁଣି ଯେତେବେଳେ ରାତି ହେବ ସମସ୍ତେ ପୁନର୍ଵାର ମୃତପ୍ରାୟ ପଡ଼ିଯିଵେ ବିଛଣାରେ । ପୁଣି ପ୍ରଭାତ ହେଵ, ପୁଣି ସମସ୍ତେ କାମରେ ଲାଗିଵେ । ଏହାର ଅର୍ଥ କ’ଣ ? ? ?
‘ ଯୁବକ ! ଯାହା ମନରେ ଏ ପ୍ରଶ୍ନ ଉଠିନାହିଁ, ତା ପାଇଁ ଏସବୁର ଅର୍ଥ
ଯାହା ହେଉନା କାହିଁକି, ରହିଛି। ତମ ମନରେ ଯେତେବେଳେ ଏ ପ୍ରଶ୍ନ ଉଠିଛି,
ସେତେବେଳେ ମୋର ଉତ୍ତର ଶୁଣ- ଏସବୁର କିଛି ଅର୍ଥ ନାହିଁ । ଆଶା-ଆକାଂକ୍ଷାଚାଳିତ ମଣିଷ କର୍ମ କରେ । କର୍ମର ବନ୍ଧନରେ ତାକୁ ଵାରମ୍ଵାର ଜନ୍ମ ନେଵାକୁ ହୁଏ । ଆଶାର ଵିନାଶରେ ହିଁ ଏ ଅର୍ଥହୀନ ଜନ୍ମମୃତ୍ୟୁ ପ୍ରଵାହର ସମାପ୍ତି ।’’— କହିଲେ ବୁଦ୍ଧ ।
- ଆଶାର ଵିନାଶ ? ତାହା ସମ୍ଭଵ ?’’
-‘‘ସମ୍ଭଵ । ସେଥିପାଇଁ ଲୋଡ଼ା ସାଧନା ଓ ଶୃଙ୍ଖଳା । ତମେ ଚାହିଁଲେ ସେ ପଦ୍ଧତି ମୁଁ ତୁମକୁ ଶିଖାଇଵାକୁ ପ୍ରସ୍ତୁତ ।’’
ଯଶନାମଧାରୀ ସେ ଯୁଵକ ଶିଷ୍ୟତ୍ୱ ଗ୍ରହଣ କଲେ । ତାଙ୍କ ସନ୍ଧାନରେ ପରଦିନ
ସେଠି ଆସି ପହଞ୍ଚିଲେ ତାଙ୍କ ପିତା- ଜଣେ ଧନୀ ବଣିକ। ସେତେବେଳେ ବୁଦ୍ଧ
ଶିଷ୍ୟମାନଙ୍କୁ କିଛି ବୁଝାଉଥାନ୍ତି । ତାଙ୍କୁ ଲାଗିକରି ବସିଥାନ୍ତି ଯଶ । କିନ୍ତୁ କିମ୍ବଦନ୍ତୀ କହେ, ବଣିକ ନିଜ ପୁତ୍ରକୁ ଦେଖିପାରିଲେ ନାହିଁ । କାରଣ, ବୁଦ୍ଧଙ୍କ ଉପରେ ଆଖି ପଡ଼ିଵାମାତ୍ରେ ସେ ନିର୍ନିମେଷ ଭାଵରେ ତାଙ୍କୁ ହିଁ ଅନାଇରହିଲେ । ବୁଦ୍ଧଙ୍କର ଭାଷଣ ଶେଷ ହୁଅନ୍ତେ ବଣିକ ତାଙ୍କୁ ପ୍ରଣାମ କଲେ, ପରେ ପରେ ତାଙ୍କ ଶିଷ୍ୟତ୍ଵ ଗ୍ରହଣ କଲେ।
କେଇଦିନ ପରେ, ଦିନେ ପାର୍ଶ୍ଵଵର୍ତ୍ତୀ ଜନପଦରୁ ବୁଦ୍ଧ ଉଦ୍ୟାନ ଭିତରକୁ ଲେଉଟି
ଆସୁଛନ୍ତି, ଉଦ୍ୟାନ ଭିତରୁ ଅଣନିଃଶ୍ୱାସୀ ହୋଇ ନିର୍ଗତ ହେଉଥିଵା କେତେଜଣ ତରୁଣଙ୍କ ସହ ସେ ମୁହାଁମୁହିଁ ହୋଇଗଲେ ।
-‘‘କୁଆଡ଼େ ଦୌଡୁଛ ?’’ ବୁଦ୍ଧ ପଚାରିଲେ।
-‘‘ଆମେ ସରୋଵର କୂଳରେ ଭୋଜି କରି ଶୋଇପଡି଼ଥିଲୁ । ଆମକୁ ଆନନ୍ଦ
ଦେଵାପାଇଁ ଜଣେ ନର୍ତ୍ତକୀକୁ ଆଣିଥିଲୁ । ସେ ଆମ ସମ୍ପଦତକ ଧରି ପଳାଇଯାଇଛି ।
ତାକୁ ଧରି ହୃତସମ୍ପଦ ଉଦ୍ଧାର କରିଵାକୁ ଆମେ ଵ୍ୟଗ୍ର ।’’
-‘‘କିନ୍ତୁ ତମ ସମ୍ପଦ ତ ଚୋରି ହୋଇନାହିଁ ???
-‘‘ମାନେ ?’’
-‘‘ମାନେ, ତମ ସମ୍ପଦ ତମଠି ଥିଵାର ମୁଁ ଦେଖିପାରୁଛି ।’’
ତରୁଣମାନେ ନିଜ ନିଜ ଉପରେ ଆଖି ବୁଲାଇ ଆଣିଲେ। ବୁଦ୍ଧ ଥଟ୍ଟା କରୁଛନ୍ତି, ଏକଥା ଭାଵିଵାର ପ୍ରଶ୍ନ ନଥିଲା । ସେମାନେ ଅଵାକ୍ ଢଙ୍ଗରେ ଅନାଇଲେ ।
-‘‘ତୁମ ସମ୍ପଦ ତୁମ ନିଜ ଭିତରେ । ତାକୁ କେହି ଚୋରି କରି ନେଇଯାଇ ପାରେନା । ଶୁଣ, ତୁମ ଆଗରେ ଵର୍ତ୍ତମାନ ଦୁଇଟି ପଥ । ହୁଏତ ତୁମେ ସେ ନର୍ତ୍ତକୀକୁ ଧରିଵା ପାଇଁ ଦୌଡ଼ିଵା; କିମ୍ବା ନିଜ ଭିତରେ ଲୁକ୍‌କାୟିତ ସମ୍ପଦର ସନ୍ଧାନ ପାଇଁ ମୋତେ ଅନୁସରଣ କରିଵ।’’ ଏତକ କହି ବୁଦ୍ଧ ଉଦ୍ୟାନ ଭିତରେ ତାଙ୍କ ଡେରା ଅଭିମୁଖେ ଚାଲିଵାକୁ ଆରମ୍ଭ କଲେ । ମନ୍ତ୍ରମୁଗ୍‌ଧ ଭଳି ତରୁଣମାନେ ତାଙ୍କୁ ଅନୁସରଣ କଲେ । ଯେଉଁଠାରେ ବୁଦ୍ଧଦେଵ ତାଙ୍କ ପ୍ରଥମ ଶିଷ୍ୟଵର୍ଗଙ୍କୁ ଉପଦେଶ ଦେଇଥିଲେ,
ପରମ୍ପରା-ଚିହ୍ନିତ ସେହି ସ୍ଥାନରେ ସମ୍ରାଟ ଅଶୋକ ଏକ ଵିରାଟ ସ୍ତୂପ ନିର୍ମାଣ କରିଥିଲେ । ଆଜି ତାକୁ ‘ଧାମେକ୍ ସ୍ତୂପ’ ବୋଲି କୁହାଯାଏ । ସମ୍ଭଵତଃ ‘ଧର୍ମରାଜିକ’ରୁ ଧାମେକ୍। ଅଵଶ୍ୟ ଅଶୋକ ନିର୍ମିତ ସ୍ତୂପର ଅଵଶେଷ ଉପରେ ପରବର୍ତ୍ତୀ (ଏକାଦଶ ଶତାବ୍ଦୀ) କାଳରେ ସ୍ତୂପ ପୁନଃନିର୍ମିତ ହୋଇଛି। ପଞ୍ଚମ ଶତାବ୍ଦୀରେ ଫାହିଆନ୍ ଓ ସପ୍ତମ ଶତାବ୍ଦୀରେ ହୁଏନ୍‌ସାଂ ସାରନାଥ ଭ୍ରମଣ କରି ଯେଉଁ ଵିଵରଣୀ ରଖାଯାଇଛନ୍ତି, ଆଜିର ଭଗ୍ନାଵଶେଷ ଭିତରେ ସେସବୁ ଚିହ୍ନିବା ଵିଶେଷଜ୍ଞ ଵିନା ଆଉ କାହା ପକ୍ଷରେ ସମ୍ଭଵ ନୁହେଁ । ଵାରମ୍ଵାର ଵିଦେଶୀ ଆକ୍ରମଣକାରୀମାନେ ଏ କ୍ଷେତ୍ର ଧ୍ବଂସ କରିଛନ୍ତି ।
 ଦେଶୀ ଲୁଣ୍ଠନକାରୀମାନଙ୍କ ଅଵଦାନ ବି କମ୍ ନୁହେଁ । ବାରାଣସୀର ଜଗତ୍‌ସିଂହ ନାମକ ଧନିକ ସାରନାଥରୁ ଅମାପ ଶିଳା ନେଇଯାଇ ସାଧାରଣ କୋଠାଘରମାନ ବନାଉଥିଲା । ଜଣେ ଐତିହାସିକ ଲେଖିଛନ୍ତି, ‘‘ଜଗତ୍‌ସିଂହର କୁକର୍ମକୁ ଅମରତ୍ୱ ପ୍ରଦାନ କରିଵା ନିମନ୍ତେ ସେ ନିର୍ମୂଳ କରିଥିଵା ଗୋଟିଏ ସ୍ତୂପର ଅଵଶେଷକୁ ଜନସାଧାରଣ ‘ଜଗତ୍‌ସିଂହ ସ୍ତୂପ’ ବୋଲି କହନ୍ତି !’’ ଯେଉଁଠି ବୁଦ୍ଧ ପ୍ରଥମେ ପଞ୍ଚସାଧୁଙ୍କୁ ଭେଟିଥିଲେ, ଯେଉଁଠି ଵର୍ଷାଦିନେ ସେ ଆଶ୍ରୟ ନେଉଥିଲେ, ସେ ସମସ୍ତ ସ୍ଥାନ ଚିହ୍ନିତ ହୋଇଥିଲା ସୁନ୍ଦର ଶିଳ୍ପ-ମଣ୍ଡିତ ସ୍ମାରକୀଗୃହ ଦ୍ଵାରା । ସେସବୁର ଅଦୂରରେ ଥିଲା ଶ୍ରମଣମାନଙ୍କ ପାଇଁ ଵିରାଟ ଆଶ୍ରୟଶାଳା । ସବୁ କାଳକ୍ରମେ ନିଶ୍ଚିହ୍ନ ଅଥଵା ଚିହ୍ନସର୍ଵସ୍ଵ ମାତ୍ର। ଆମ ସାଧାରଣତନ୍ତ୍ରର ପ୍ରତୀକ ସିଂହ-ଚକ୍ର (ଅଶୋକ ଚକ୍ର) ଏଇଠାରେ ପ୍ରତିଷ୍ଠିତ ହୋଇଥିଲା । ସ୍ଥାନୀୟ ଯାଦୁଘରେ ଵିକ୍ଷତ ଅଵସ୍ଥାରେ ତାହା ସୁରକ୍ଷିତ । ଏ ଅପୂର୍ଵ ଭାସ୍କର୍ଯ୍ୟକୁ ଯେ କିଏ, କାହିଁକି ଓ କିପରି ଵିକଳାଙ୍ଗ କଲା, ସେସବୁ ବଡ଼ ବେଦନାଦାୟକ ପ୍ରଶ୍ନ । ବାରାଣସୀରୁ ଯାଉଥିଲି ଦିଲ୍ଲୀ । ମୋ ଡବାରେ ଥିଲେ ଦୁଇଜଣ ୟୁରୋପୀୟ ପର୍ଯ୍ୟଟକ ଓ ସେମାନଙ୍କର ଜଣେ ଭାରତୀୟ ବନ୍ଧୁ। ଭଙ୍ଗା ଇଂରାଜୀରେ ଦୁଇ ୟୁରୋପୀୟ ପ୍ରଶ୍ନ କରୁଥିଲେ, ‘‘ଯେଉଁ ଭାରତରେ ବୌଦ୍ଧବାଦର ଜନ୍ମ ଓ ଵିକାଶ
ସେଠାରୁ ତାହା ଲୁପ୍ତ ହେଲା କିପରି ???

ଅନର୍ଗଳ ଇଂରାଜୀରେ ଭାରତୀୟ ବନ୍ଧୁ ଉତ୍ତର ଦେଉଥିଲେ । ସାରନାଥର ଭଗ୍ନ
ବୌଦ୍ଧକୀର୍ଭି ସବୁ ଦେଖି ମନ ଯେତିକି ଵିଷଣ୍ଣ ଲାଗିଥିଲା, ଭଦ୍ରଲୋକଙ୍କ କୈଫିୟତରେ ତାହା ଦ୍ବିଗୁଣ ହେଲା । ତାଙ୍କ ଵକ୍ତଵ୍ୟର ମର୍ମ; ‘‘ହିନ୍ଦୁମାନେ ବୌଦ୍ଧମାନଙ୍କୁ ଏମିତି କଲବଲ କଲେ ଯେ ସେମାନେ ସେମାନଙ୍କ ଧର୍ମ ଭୁଲିଗଲେ । ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଧରି ଝିଙ୍କି ଝିଙ୍କି ଗାଁଗହଳ ସହର ନଗରରୁ ନିକାଲିଦେଲେ- ପିଟିପିଟି ବେଦମ୍ କରି ।’’ ମୋ ଵିରକ୍ତି ଏକ ହସର ଅଭିଵ୍ୟକ୍ତି ନେଲା । ଭଦ୍ରଲୋକ ମନେକଲେ ମୁଁ ତାଙ୍କ ଚିତ୍ରକଳ୍ପ ପ୍ରୟୋଗରେ ଚମତ୍କୃତ । ମୋ ଆଡ଼େ ଅନାଇ ସେ ବି ମଧୁର ଭାବରେ ହସି ସମର୍ଥନ ଆଦାୟ କରିଵା ପାଇଁ କହିଲେ, ‘‘ଠିକ୍ ନୁହେଁ ?’’
ମୁଁ କହିଲି, ‘‘ଆପଣ ଏଡ଼େ ଜୀଵନ୍ତ ଭାବରେ ଆପଣଙ୍କ ଐତିହାସିକ ବ୍ୟାଖ୍ୟା
ପରିଵେଷଣ କରୁଛନ୍ତି, ମୋର ମନେହେଲା ଯେଉଁ ବ୍ରାହ୍ମଣଟି ଜଣେ ବୌଦ୍ଧର ଚୁଟିଧରି
ଭିଡ଼ିନେଇଗଲା ଆପଣ ତାହାରି ଅଵତାର । ଅନ୍ତତଃ ଏକ ପୂର୍ବଜନ୍ମରେ ଆପଣ ସେ
ଦୃଶ୍ୟର ସାକ୍ଷୀ ଥିଲେ ।’’ ସେ ଆପ୍ୟାୟିତ ଭାଵରେ କହିଲେ, ‘‘ମୁଁ ଅଵଶ୍ୟ ଇତିହାସ ଅଧ୍ୟାପକ ନୁହେଁ,ତେବେ ଇତିହାସ ପ୍ରତି ମୋର ଆକର୍ଷଣ ତୀଵ୍ର। ବହୁତ ପଢ଼ିଛି।’’
‘‘ନିଶ୍ଚୟ ପଢ଼ିଛନ୍ତି ।’’ ତା’ପରେ ଟିକିଏ ନିର୍ଭୟ ହୋଇ କହିଲି - ୟୁରୋପୀୟମାନେ ଯେମିତି ଶୁଣିନପାରିବେ ସେମିତି ନିମ୍ନ କଣ୍ଠରେ, ‘‘ତେବେ,ଵିଚରା ବ୍ରାହ୍ମଣମାନେ ବୌଦ୍ଧମାନଙ୍କ ଚୁଟି ଅଣ୍ଡାଳିଵାକୁ ଯାଇ ଵିଷମ ସମସ୍ୟାର ସମ୍ମୁଖୀନ ହୋଇଥିବେ । କାରଣ, ବୌଦ୍ଧମାନେ ମସ୍ତକ ମୁଣ୍ଡନ କରୁଥିଲେ ।’’ଭଦ୍ରଲୋକ ବଡ଼ ଉଦାର । ସେ ଏହାକୁ ଵ୍ୟଙ୍ଗ ଭାବରେ ଗ୍ରହଣ ନକରି ମୋ ସହ କରମର୍ଦ୍ଦନ କଲେ ।
ଅଧଘଣ୍ଟାଏ ପରେ କିନ୍ତୁ ୟୁରୋପୀୟଙ୍କ ଭିତରୁ କମ୍‌ଵୟସ୍କ ଜଣକ ମୋତେ
ପ୍ରଶ୍ନ କଲେ, ‘‘ମୋର ଧାରଣା ଭାରତରୁ ବୌଦ୍ଧବାଦର ଵିଲୋପ ସମ୍ପର୍କରେ
ଆପଣଙ୍କର କିଛି ମତ ଅଛି। ଆମକୁ କହିଵେ ନାହିଁ ?’’
‘‘ଏ ପ୍ରଶ୍ନ ଉପରେ ଵାସ୍ତବିକ ମୁଁ ଚର୍ଚ୍ଚା କରିନାହିଁ । ମୋର ଯାହା ମନେହୁଏ
ବୌଦ୍ଧଧର୍ମ ଭାରତରୁ ଲୁପ୍ତ ହୋଇନାହିଁ। ଯାହାକୁ ହିନ୍ଦୁଧର୍ମ ବୋଲି କୁହାଯାଏ,
ବୌଦ୍ଧଧର୍ମ ତାହାର ଅଙ୍ଗୀଭୂତ ହୋଇଗଲା । ହିନ୍ଦୁଧର୍ମର ଵ୍ୟାପକ ପରିସର ଭିତରେ ବହୁ ମତ, ବହୁ ପଥର ଅଵସ୍ଥାନ-ସହାଵସ୍ଥାନ ଘଟିଛି। ନିର୍ଵାଣ ମାର୍ଗ ହିନ୍ଦୁଧର୍ମର ଅନ୍ୟତମ ଧାରା । ଯେତେବେଳେ ଶଙ୍କରାଚାର୍ଯ୍ୟ ଅନୁରୂପ ଆଭିମୁଖ୍ୟର ପ୍ରସାର କଲେ, ସେତେବେଳେ ବୌଦ୍ଧଵାଦର ସ୍ଵାତନ୍ତ୍ର୍ୟ ବହୁ ପରିମାଣରେ ହ୍ରାସ ହେଲା । 
ହିନ୍ଦୁମାନେ ବୁଦ୍ଧଙ୍କୁ ଵିଷ୍ଣୁଙ୍କର ଅଵତାର ରୂପେ ମାନ୍ୟକରି ବୌଦ୍ଧଦର୍ଶନକୁ ସ୍ବୀକୃତି
ଦେଲେ। ଏସବୁ ଐତିହାସିକ କାରଣ। ତା’ଛଡ଼ା ଗୂଢ଼ କାରଣ ମଧ୍ୟ ରହିଛି ।’’
ହେଲା ।
-‘‘ତାହା କ’ଣ ?’’ ଦୁଇ ପର୍ଯ୍ୟଟକ ମୋର ଶେଷ ମନ୍ତଵ୍ୟକୁ ଏମିତି ସଂକ୍ଷିପ୍ତ
ରହିଵାକୁ ଦେଲେ ନାହିଁ !
-‘‘ସେ କାରଣ ଅତି ମହତ୍ । କର୍ମଜନିତ ଦୁଃଖ, ଜୀଵନ-ଯନ୍ତ୍ରଣା । ଏଥିରୁ ମୁକ୍ତି ଲୋଡ଼ି ନିର୍ଵାଣ ପାଇଁ ଵ୍ୟାକୁଳତା–ଏସବୁର ସତ୍ୟତା ଅଵିସମ୍ବାଦିତ । କିନ୍ତୁ ସମଗ୍ର ସତ୍ୟ ଏହା ନୁହେଁ । ସୃଷ୍ଟି ଯେତେ ଅସତ୍ୟ ମନେହେଲେ ବି ଏହାର ଆଧାର ସତ୍ୟ । ଜୀଵନ ଯେତେ ଯନ୍ତ୍ରଣାଜର୍ଜର ହେଲେ ବି ତା’ର ଆଧାର ଆନନ୍ଦ । ଏହି ପୂର୍ଣ୍ଣ ସତ୍ୟ ଉପରେ ଵୈଦିକ ପରମ୍ପରା ପ୍ରତିଷ୍ଠିତ। ସେ ସତ୍ୟ ଵାରମ୍ବାର ଆମ ଚେତନାକୁ ପ୍ରତ୍ୟାଵର୍ତ୍ତନ କରିଵ ହିଁ କରିଵ ।’’ ଭାରତୀୟ ସହଚର ବୁଝିଲେ କି ନାହିଁ ଜାଣେନା; ଵିଦେଶୀ ଦୁଇଜଣ ବୁଝିଵା
ଭଳି ମନେହେଲା ।

ଭାରତରୁ ବୌଦ୍ଧ ଧର୍ମର ଵିଲୁପ୍ତ କିପରି ହେଲା ବୋଲି ଯେତେ ପ୍ରଶ୍ନ ହୁଏ,
ବୌଦ୍ଧବାଦୀ ବୋଲାଉଥିଵା ଦେଶମାନଙ୍କରେ ବୁଦ୍ଧଦେଵଙ୍କ ଵାଣୀ କେଉଁ ଭାଵରେ ଵା କେତେମାତ୍ରାରେ ଅନୁସୃତ, ସେ ପ୍ରଶ୍ନ ସେତେ ଶୁଣିଵାକୁ ମିଳେ ନାହିଁ । ବୌଦ୍ଧ ଦେଶ ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍କକ୍‌ର ପୁରୁଣା ରାଜପ୍ରାସାଦ ପରିସ ରଭିତରେ ଅଵସ୍ଥିତ ପୃଥିଵୀର ସବୁଠୁଁ ମୂଲ୍ୟଵାନ୍, ଵୈଦୂର୍ଯ୍ୟ-ନିର୍ମିତ- ବୁଦ୍ଧମୂର୍ତ୍ତି-ବହୁପୂଜିତ, ବହୁଵିଖ୍ୟାତ । ସେ ପ୍ରତିମା ଆଗରେ ଭକ୍ତମାନେ ପରଷିଥିଵା ପୂଜାର୍ଘ୍ୟ ଭିତରେ ଯାହା ଦେଖିଲି, ତାହା ଵାସ୍ତଵ ବୋଲି ଵିଶ୍ଵାସ କରିଵାକୁ ସମୟ ଲାଗିଥିଲା : କୁକୁଡା ଓ ଆଉ ଗୋଟିଏ ଯୋଡ଼ିଏ ବଳି !

ସାରନାଥଠାରେ ବି ଲକ୍ଷ୍ୟ କରିଥିଲି ଆଉ ଏକ ଵିଡ଼ମ୍ବନା : ଯେଉଁ ବୁଦ୍ଧ ଜୀଵନର ନଶ୍ବରତା ଓ ଖ୍ୟାତିର ଅସାରତା ଉପରେ ଏତେ ତତ୍ତ୍ଵ ପରିଵେଷଣ କଲେ, ସେହି ବୁଦ୍ଧଙ୍କ ଦେହାବଶେଷ-ସମ୍ବଳିତ ମନ୍ଦିର (ମହାବୋଧି ସମିତି) ନିର୍ମାଣ ପାଇଁ କିଏ କେତେ ଟଙ୍କା ଦେଇଛି, ଆଖିକୁ କର୍କଶ ଦିଶୁଥିଵା ସେ ତାଲିକା ଶଙ୍ଖ ମଲମଲ
ପଥରରେ ଖୋଦାଇ ହୋଇ ମନ୍ଦିରର ଦ୍ବାରଦେଶରେ ଆପଣଙ୍କ ସମ୍ଭ୍ରମ ଉଦ୍ରେକ କରିଵା ମାନସରେ ପ୍ରଦର୍ଶିତ !

(ଏହି ପ୍ରସଙ୍ଗଟି ଶ୍ରୀମନୋଜ ଦାସଙ୍କ ଲିଖିତ ‘ଅନ୍ତରଙ୍ଗ ଭାରତ’ର ଦ୍ୱିତୀୟ ପର୍ଯ୍ୟାୟରୁ
ଆନୀତ । ଏଥିରେ ଗୌତମ ବୁଦ୍ଧଙ୍କର ଲୋକ ପ୍ରସିଦ୍ଧି, ବୌଦ୍ଧପୀଠ ଗୁଡ଼ିକର
ଐତିହାସିକ ଖ୍ୟାତି ଓ ତତ୍ସମ୍ପର୍କିତ ପରିଦୃଷ୍ଟ ସାଧାରଣ ଦୃଷ୍ଟିଭଙ୍ଗୀ ଆଦିର ଵର୍ଣ୍ଣନା କରାଯାଇଛି । ପୂର୍ଵେ ଏହା ଉଚ୍ଚ ବିଦ୍ୟାଳୟର[ଦଶମ ଶ୍ରେଣୀ-୨୦୦୧ରୁ ୨୦୦୬]ଓଡ଼ିଆ ସାହିତ୍ୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା)


Sunday, May 1, 2022

ଭାଷାମୃତ୍ୟୁ : କାରଣ ଓ ନିରାକରଣ


ଏକ ଵ୍ୟକ୍ତି ଵା ପରିଵାର ମଧ୍ୟରେ କଥିତ ବୋଲୀକୁ ଵ୍ୟକ୍ତିବୋଲୀ କୁହାଯାଏ । ଗୋଟିଏ ଜାତି ମଧ୍ୟରେ କଥିତ ବୋଲୀକୁ
ଜାତିବୋଲୀ କୁହାଯାଏ । ଏକ ଅଞ୍ଚଳରେ ଅନେକ ପରିଵାର ଓ ଵିଭିନ୍ନ ଜାତିମାନଙ୍କ ଦ୍ଵାରା କଥିତ ଭାଖାକୁ ଉକ୍ତ ଅଞ୍ଚଳ ନାମରେ ନାମିତ କରି ମୁଖ୍ୟ ବୋଲୀ ଵିଚାର କରାଯାଏ । ଏକ ମଣ୍ଡଳ ଵା ଜିଲ୍ଲାରେ ପ୍ରଚଳିତ ଅନେକ ବୋଲୀର ସମାହାରରେ କଥିତ ଭାଖାକୁ ଭାଷାଶୈଳୀ କୁହାଯାଏ । ଅନେକ ଭାଷାଶୈଳୀକୁ ନେଇ ଗୋଟିଏ ମାନକ ଭାଷା ପୃଥିଵୀର ଏକ ବଡ଼ ଭୂଭାଗରେ କଥିତ ହୋଇଥାଏ ।

“ଗୋଟିଏ ଭାଷାର ଅୟମାରମ୍ଭ ଏକ ଵ୍ୟକ୍ତିଠାରୁ ହୋଇ ଦେଶ ଵିଶ୍ଵ ମହାକାଶ ପର୍ଯ୍ୟନ୍ତ ଵ୍ୟାପ୍ତ ହୋଇପାରେ ପୁଣି ସଂକୁଚିତ ଓ ସୀମିତ ହୋଇଯାଇ ଵ୍ୟକ୍ତିଠାରେ ହିଁ ସମାପ୍ତ ହୋଇଯାଇଥାଏ ।”

୨୦୦୦ ଗ୍ରେଗୋରୀୟ ଵର୍ଷରେ ଏକ ଅଧ୍ୟୟନରୁ ଜଣାପଡି଼ଥିଲା ଯେ ପୃଥିଵୀରେ ୭୦୦୦ରୁ ଅଧିକ ଭାଷା ଏବେ ମଧ୍ୟ କଥିତ ହେଉଛି ଏଵଂ ତନ୍ମଧ୍ୟରୁ ୯୦% ଭାଗ ଭାଷା ୨୦୫୦ ସୁଧା ଲୁପ୍ତ ହୋଇଯିଵାର ସମ୍ଭାଵନା ରହିଛି । ୨୦୫୦ ସୁଦ୍ଧା ହିନ୍ଦୀ ଓ ଇଂରାଜୀ ଭଳି କେତେକ ଭାଷାକୁ ଛାଡ଼ିଦେଲେ ଓଡ଼ିଆ ପରି ପାଞ୍ଚକୋଟି ଲୋକଙ୍କ ମଧ୍ୟରେ ସୀମିତ ଅନେକ ଭାଷା ଲୁପ୍ତ ହେଵାର ସମ୍ଭାଵନା ରହିଛି । ତେବେ ଭାଷା ମୃତ୍ୟୁର ଅନେକ କାରଣ ମଧ୍ୟରୁ କେତେକ ଵିଷୟରେ ଆଲୋଚନା କରି ଦେଖାଯାଉ ଯେ କ'ଣ ପ୍ରକୃତରେ ଓଡ଼ିଆ ଭାଷା ପ୍ରତି ଵିପଦ ଅଛି !

(କ)Gradual language death
ଵା କ୍ରମିକ ଭାଷାମୃତ୍ୟୁ

ଭାଷାଗୁଡ଼ିକ ମରିଵାର ଏହା ସବୁଠାରୁ ସାଧାରଣ କାରଣ  ।  ସାଧାରଣତଃ ଏହା  ସେତେବେଳେ ଘଟେ ଯେତେବେଳେ ସେହି ଭାଷା କହୁଥିଵା ଲୋକମାନେ "ଉଚ୍ଚ ସମ୍ମାନର ଭାଷା" ବୋଲି କୌଣସି ଏକ ଵୈଦେଶିକ ଭାଷାକୁ ଗ୍ରହଣ କରିଥାନ୍ତି ଏଵଂ ପ୍ରାୟତଃ ଉକ୍ତ ଭାଷାରେ ହିଁ ଅନ୍ୟ ସହିତ କଥୋପକଥନ କରିଵାକୁ ଅଧିକ ମହତ୍ତ୍ଵ ଦିଅନ୍ତି |  ଏହି ଧରଣର ଲୋକେ ପ୍ରଥମେ ଦ୍ୱିଭାଷୀ ହୋଇଯାଆନ୍ତି ଏଵଂ ତା’ପରେ ନୂତନ ପିଢି଼ ସହିତ ମାତୃଭାଷାରେ ଦକ୍ଷତାର ସ୍ତର ଧୀରେ ଧୀରେ କମି କମି ଯାଏ ।  ଶେଷରେ କୌଣସି ଵ୍ୟକ୍ତି ଦ୍ଵାରା ବୋଲା ନଯିଵା ଯୋଗୁଁ ଗୋଟିଏ ଭାଷା ଲୁପ୍ତ ହୋଇଯାଏ । ଓଡ଼ିଶାରେ ଆଜିକାଲି ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀ ତଥା ଧନୀକ ଲୋକଙ୍କ ମଧ୍ୟରେ ଇଂରାଜୀ ଭାଷା ଉଚ୍ଚ ସମ୍ମାନର ଭାଷା ପରିଗଣିତ ହେଉଅଛି । ଦେଶଭକ୍ତି ସହିତ ହିନ୍ଦୀକୁ ଯୋଡ଼ାଯାଉଛି ସତେ ଯେମିତି ଓଡ଼ିଆ ଭାଷାରେ ଦେଶଭକ୍ତି ପ୍ରକାଶ କରିଵା ଅସମ୍ଭଵ । ପୁନଶ୍ଚ ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପାଇଁ ହେଉ ଵା ଆଞ୍ଚଳିକତାଵାଦୀ ଚିନ୍ତାଧାରା ଯୋଗୁଁ କିଛି ଓଡ଼ିଶାଵାସୀ ଓଡ଼ିଆ ଜାଣି ବି ଓଡ଼ିଆ ପରିଵର୍ତ୍ତେ ଇଂରାଜୀ ଓ ହିନ୍ଦୀ ଭାଷାରେ କଥା ହେଵାକୁ ଶ୍ରେୟସ୍କର ମଣୁଛନ୍ତି । ଏହି ଜାତୀୟ ଲୋକଙ୍କ ଚିନ୍ତାଧାରା ଯୋଗୁଁ କ୍ରମିକ ଭାଷାମୃତ୍ୟୁ ହୋଇଥାଏ
। ଵର୍ତ୍ତମାନ ଓଡ଼ିଶାଵାସୀଙ୍କ ହିନ୍ଦୀ ଓ ଇଂରାଜୀ ପ୍ରେମ ଯୋଗୁଁ ଭଵିଷ୍ୟତରେ ଓଡ଼ିଆ ଭାଷା ମଧ୍ୟ ମୃତ ହୋଇପାରେ ବୋଲି ଅନେକ ଓଡ଼ିଆ ବୁଦ୍ଧିଜୀଵୀ ଚିନ୍ତା ଵ୍ଯକ୍ତ କରନ୍ତି ।

(ଖ) bottom to top language death ଵା ନିମ୍ନରୁ ଶୀର୍ଷ ଭାଷା ମୃତ୍ୟୁ |

ଯେତେବେଳେ ଗୋଟିଏ ଭାଷା କେଵଳ ଧାର୍ମିକ, ସାହିତ୍ୟିକ, ଆନୁଷ୍ଠାନିକ ଉଦ୍ଦେଶ୍ୟରେ ଵ୍ୟଵହୃତ ହେଵାକୁ ଲାଗେ, କିନ୍ତୁ କଥିତ ଭାଷା ରୂପରେ ପ୍ରଚଳିତ ରୁହେ  ନାହିଁ ସେତେବେଳେ ସେ ଭାଷାର ମୃତ୍ୟୁ ଘଟିଥାଏ  । ଭାରତର ସଂସ୍କୃତ ଏଵଂ ଇଟାଲୀର ଲାଟିନ୍ ଭାଷା ଏହାର ଉଦାହରଣ । ହିବ୍ରୁ ମଧ୍ୟ ଏହି କାରଣରୁ ଵିଲୁପ୍ତ ହେଵାକୁ ଯାଉଥିଲା କିନ୍ତୁ ଇସ୍ରାଏଲ ଦେଶ ଗଠନ ପରେ ଏ ଭାଷା ପୁର୍ନଜୀଵନ ଲାଭ କରିଛି । ମୁସଲମାନମାନଙ୍କ ଧାର୍ମିକ ଭାଷାହୋଇ ମଧ୍ୟ ଆରବୀ ଯେହେତୁ କଥିତ ଭାଷା ରୂପରେ ପ୍ରଚଳିତ ତେଣୁ ଏହାର ଏଯାଵତ୍ ମୃତ୍ୟୁ ଘଟିନାହିଁ । ଓଡ଼ିଶାରେ ଓଡ଼ିଆ ଭାଷା ଵର୍ତ୍ତମାନ ତାହାର ଉଚ୍ଚତମ ଶୀଖରରେ ପହଞ୍ଚି ସାରିଛି । କିନ୍ତୁ ଏ ଭାଷାକୁ ଯଦି କେଵଳ କାର୍ଯ୍ୟାଳୟ,ପୁସ୍ତକ ଓ ଧର୍ମଗ୍ରନ୍ଥର ଭାଷା ରୂପରେ ଵ୍ୟଵହାର କରି କଥିତ ଭାଷା ରୂପରେ ହିନ୍ଦୀ ଓ ଇଂରାଜୀ ଵ୍ୟଵହାର କରାଯାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ଆମେ କଟକ ଓ ଭୁବନେଶ୍ୱରରେ ଏଭଳି  ଲୋକମାନଙ୍କର ପ୍ରାଦୁର୍ଭାଵ ବଢ଼ୁଥିଵା ଲକ୍ଷ୍ୟ କରିଥାନ୍ତି । ଯଦି ଏପରି ଲୋକଙ୍କ ପ୍ରାର୍ଦୁଭାଵ ଓଡ଼ିଶାରେ କ୍ରମାଗତ ଭାବରେ ବୃଦ୍ଧି ପାଏ ତେବେ ଓଡ଼ିଆ ଭାଷା ଲୁପ୍ତ ହେଵାର ଯଥେଷ୍ଟ ସମ୍ଭାଵନା ରହିଛି ।

(ଗ)Radical language death
ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ

ଧମକ, ଚାପ, ନିର୍ଯ୍ୟାତନା କିମ୍ବା ଉପନିଵେଶକରଣ ହେତୁ କୌଣସି ଏକ ଭାଷାକୁ ବୋଲୁଥିଵା ଲୋକମାନେ ଉକ୍ତ ଭାଷା କହିଵା ବନ୍ଦ କରିଦେଲେ ସେ ଭାଷା ଲୁପ୍ତ ହୋଇଯାଏ । ଏହି ଜାତୀୟ ଭାଷା ମୃତ୍ୟୁକୁ ଆମୂଳ ଭାଷା ମୃତ୍ୟୁ ଵା ପୂର୍ଣ୍ଣ ଭାଷା ମୃତ୍ୟୁ କୁହାଯାଏ । ଆଣ୍ଡାମାନ ଦ୍ଵୀପର ବୋ ଭାଷା ଭାରତର ମୂଳ ଭୂଖଣ୍ଡରୁ ଆସି ବଙ୍ଗାଳୀ ହିନ୍ଦୀଭାଷୀ ଓ ତାମିଲ ଆଦି ଲୋକଙ୍କ ଦ୍ଵାରା ସେହି ଦ୍ଵୀପରେ ଵସଵାସ କରିଵା ଯୋଗୁଁ ଏହି କାରଣରୁ ଲୁପ୍ତ ହୋଇଯାଇଅଛି ।

(ଘ)Linguicide ଵା ଭାଷାଭିତ୍ତିକ ମୃତ୍ୟୁ

ଏହାକୁ  sudden death, language genocide, physical language death ଓ biological language death ମଧ୍ୟ କୁହାଯାଏ ।

କୌଣସି ଭାଷା କ୍ଷେତ୍ରରେ ଏହା ସେତେବେଳେ ଘଟିତ ହୁଏ ଯେତେବେଳେ ସେହି ଭାଷାକୁ ବୋଲୁଥିଵା ସମସ୍ତ ଵା ପ୍ରାୟ  ଅଧିକାଂଶ  ପ୍ରାକୃତିକ ଵିପର୍ଯ୍ୟୟ ଓ ଯୁଦ୍ଧ ଇତ୍ୟାଦି କାରଣରୁ ମରିଯାଆନ୍ତି । ଗଵେଷକମାନେ ଵିଶ୍ଵତାପନ ଯୋଗୁଁ
ସମୁଦ୍ର ଜଳସ୍ତର ବୃଦ୍ଧି ହେତୁକ  ଭଵିଷ୍ୟତରେ ଭାରତ ସମେତ ପୃଥିଵୀର ଵିଭିନ୍ନ ଅଞ୍ଚଳର ସମୁଦ୍ର କୂଳଵର୍ତ୍ତୀ ଭୂଭାଗ ଜଳମଗ୍ନ ହୋଇଯିଵାର ସମ୍ଭାଵନା ଵ୍ୟକ୍ତ କରନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଉପକୂଳଵର୍ତ୍ତୀ ଅଞ୍ଚଳ ହଠାତ୍ ଜଳମଗ୍ନ ହୋଇଗଲେ ଲକ୍ଷ ଲକ୍ଷ ଓଡ଼ିଆଙ୍କର ପ୍ରାଣହାନୀ ହୋଇପାରେ । ସେହିପରି ପୂର୍ଵ ଭାରତର ସମୁଦ୍ରରେ ଭୀଷଣ ଯୁଦ୍ଧ ସଂଗଠିତ ହୋଇ ଯଦି ଚୀନ ଯୋଗୁଁ ଓଡ଼ିଶାର ଭୂଭାଗ ଉପରେ ଆକ୍ରମଣ ଫଳରେ ଓଡ଼ିଆ ଲୋକଙ୍କ ନାଶ ହୋଇଯାଏ ତାହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇପାରେ । ପୂର୍ଵ ଓ ପଶ୍ଚିମ ଓଡ଼ିଶାକୁ ଜାତୀୟ ଦ୍ୱେଷ ହିଂସା ବୃଦ୍ଧି ଯୋଗୁଁ ଉଭୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିଵା ଵାଦଵିଵାଦ ଉଗ୍ର ରୂପ ନେଇ ଗୃହଯୁଦ୍ଧରେ ପରିଣତ ହେଲେ ମଧ୍ୟ ଓଡ଼ିଆ ଭାଷା ଲୁପ୍ତ ହୋଇଯାଇପାରେ । ସେହିପରି ଉତ୍ତର ଭାରତୀୟଙ୍କ ଦ୍ଵାରା ଓଡ଼ିଆଙ୍କ ଉପରେ ସଶସ୍ତ୍ର ଆକ୍ରମଣ ଓ  ପ୍ରାଣଦାନ ପ୍ରତିବଦଳରେ ହିନ୍ଦୀକୁ ପ୍ରଥମ ଭାଷା ରୂପେ ଗ୍ରହଣ ହେତୁ ଭୀଷଣ ଉତ୍କଟ ଚାପ ଯୋଗୁଁ ମଧ୍ୟ ଓଡ଼ିଆ ଭାଷା ଵିଲୁପ୍ତ ହୋଇପାରେ ।

(ଙ)Language attrition ଵା ଭାଷା ଆକର୍ଷଣ ଜନିତ ଭାଷାମୃତ୍ୟୁ ।

ଵ୍ୟକ୍ତିଗତ ସ୍ତରରେ ଏକ ଭାଷା ତାହାର ପାରଦର୍ଶିତା ଓ ଆକର୍ଷଣ ହରାଇଵା ଯୋଗୁଁ ସେହି ଭାଷାକୁ ବୋଲୁଥିଵା ଲୋକେ ଅନ୍ୟ ଭାଷାଦ୍ଵାରା ଆକର୍ଷିତ ହୋଇ ନିଜର ମାତୃଭାଷାକୁ ସମ୍ପୂର୍ଣ୍ଣ ଵର୍ଜନ କଲେ ଏହି ଜାତୀୟ ଭାଷା ମୃତ୍ୟୁ ଘଟିତ ହୋଇଥାଏ । ଆଜିକାଲି ଯେମିତି ହିନ୍ଦୀ ଓ ଇଂରାଜୀ ଭାଷା ପ୍ରତି ଓଡ଼ିଆ ଲୋକଙ୍କ ଆକର୍ଷଣ ବୃଦ୍ଧି ଘଟିଛି ତାହା ଯଦି ଏହିପରି ଉତ୍ତରୋତ୍ତର ବଢି଼ଚାଲେ ତେବେ ଓଡ଼ିଆ ଭାଷା ମଧ୍ୟ ଏ ଆଧାରରେ ଵିଲୁପ୍ତ ହୋଇପାରେ ।

(ଚ) ଗୋଟିଏ ଅଞ୍ଚଳରେ ମୂଳ ଭାଷାରୁ ସୃଷ୍ଟି ହୋଇଥିଵା ଵିଭିନ୍ନ ଶୈଳୀ ଵିକଶିତ ହୋଇ ମଧ୍ୟ ମୁଖ୍ୟ ଭାଷାଟି ଲୁପ୍ତ ହୋଇଯାଇଥାଏ ଏଵଂ ଏହାକୁ ଭାଷାଵିଦ୍ language change କହିଥାନ୍ତି ‌ । ମୂଳ ଭାଷାଟି ଏ କ୍ଷେତ୍ରରେ ଵିଭିନ୍ନ ଶୈଳୀ ମଧ୍ୟରେ ବଞ୍ଚି ରୁହେ ସିନା କିନ୍ତୁ ତାହାର ମୂଳ ସ୍ଵରୂପରେ କଥିତ ଭାଷା ଭାବେ ଅପ୍ରଚଳିତ ହୋଇଯାଏ ‌ । ଯେମିତି ଲାଟିନ୍ ଭାଷା କ୍ରମଶଃ ରୋମାନ୍ସ୍ ଭାଷା,ଫ୍ରେଞ୍ଚ୍, ପର୍ତ୍ତୁଗୀଜ୍,ସ୍ପାନିଶ୍ ଆଦି ଭାଷାରେ ପରିଵର୍ତ୍ତିତ ହୋଇଅଛି ।

ଵସ୍ତୁତଃ ପୃଥିଵୀର ଅଧିକାଂଶ ଭାଷା Gradual language death ଵା କ୍ରମିକ ଭାଷାମୃତ୍ୟୁର ଶିକାର ହୋଇଥାନ୍ତି ।
ଭାଷା ମୃତ୍ୟୁର  ଏହା ସବୁଠାରୁ ସାଧାରଣ ପ୍ରକ୍ରିୟା  ଯେଉଁଥିରେ ଗୋଟିଏ ଭାଷା ବୋଲୁଥିଵା ଏକ ସମ୍ପ୍ରଦାୟ ଅନ୍ୟ ଭାଷା ସହିତ ଦ୍ୱିଭାଷୀ ହୋଇଯାଏ ।  ଧୀରେ ଧୀରେ ଗୋଟାଏ ଜାତି ନିଜର ମାତୃଭାଷାରେ ସନ୍ନିହିତ ତା'ର ଵିଶ୍ୱାସ, ଜାତୀୟତାବୋଧ ଓ ଭଲପାଇଵାକୁ ସେ ଅନ୍ୟ ଏକ ଵୈଦେଶିକ ଭାଷାକୁ ସ୍ଥାନାନ୍ତରିତ କରେ ସେତେବେଳେ ସେହି ଜାତିର ମାତୃଭାଷାର ଵ୍ୟଵହାର କମିଯାଏ ।   ଏହା ଏକ assimilation ଵା ଆତ୍ମସାତ୍କରଣ ପ୍ରକ୍ରିୟା ଯାହା ସ୍ବେଚ୍ଛାକୃତ ହୋଇପାରେ କିମ୍ବା କୌଣସି ଭାଷାଭାଷୀଙ୍କ ଉପରେ ମାନସିକ ସାମାଜିକ ରାଜନୈତିକ  ଚାପ ପ୍ରୟୋଗ କରି ବାଧ୍ୟ କରିଵା ଯୋଗୁଁ ଘଟିତ ହୋଇଥାଏ । 

ଆନ୍ଥ୍ରୋପୋଲୋଜିଷ୍ଟ୍ Akira Yamamoto କେତେକ ଉପାୟରେ ଭଵିଷ୍ୟତରେ ମୃତ୍ୟୁ ହେଵାକୁ ଯାଉଥିଵା ଭାଷାକୁ ମରିଵାରୁ ରକ୍ଷା କରିଵାରେ ସାହାଯ୍ୟ କରିଵ ବୋଲି ମତ ଦେଇଥିଲେ ।
ତେବେ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଵୈଦେଶିକ ଭାଷାଠାରୁ ରକ୍ଷା କରିଵା ପାଇଁ ନିମ୍ନୋକ୍ତ ପଦ୍ଧତି ଅବଲମ୍ବନ କରାଯାଇପାରେ...

୧) ଭାଷାଗତ ଵିଵିଧତାକୁ ସମର୍ଥନ !
ଗୋଟିଏ ଭାଷାର ଵିଭିନ୍ନ ଶୈଳୀର ସମ୍ମାନ ସହ ତହିଁରେ ଥିଵା ସଦଗୁଣକୁ ଅଙ୍ଗୀକାର । ଓଡ଼ିଆ ଭାଷାର ଵିଭିନ୍ନ ଶୈଳୀର ଶବ୍ଦର ସଦୁପଯୋଗ ଦ୍ଵାରା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖାଯାଇପାରିଵ । ଵୈଦେଶିକ ଶବ୍ଦ ଗ୍ରହଣ ଅପେକ୍ଷା ଦେଶଜ ଓ ତଦ୍ଭଵ ଶବ୍ଦକୁ ପ୍ରାଧାନ୍ୟ ଦେଲେ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।‌

୨)ଵିପଦ ସଙ୍କୁଳ ସମ୍ପ୍ରଦାୟର ଏକ ଜାତିଗତ ପରିଚୟ ରହିଵା ଆବଶ୍ୟକ ଯାହା ଭାଷା ସଂରକ୍ଷଣକୁ ଉତ୍ସାହିତ କରିଵା ପାଇଁ ଯଥେଷ୍ଟ ଶକ୍ତିଶାଳୀ । ଯେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାହାର ଓଡ଼ିଆତ୍ବ ବଞ୍ଚାଇ ରଖିଥିଵ ଓଡ଼ିଆ ଭାଷାର କେହି କ୍ଷତି କରିପାରିବେ ନାହିଁ ।

(୩)ଭାଷା ମୃତ୍ୟୁ ନହେଉ ସେଥିପାଇଁ
ନିଜ ଭାଷାକୁ ରକ୍ଷା ହେତୁକ ଉକ୍ତ ଭାଷାରେ ପଠନ ପାଠନ ଲିଖନ ପ୍ରତି ସର୍ଵାଧିକ ପ୍ରୋତ୍ସାହନ ବୃଦ୍ଧି କରିଵାକୁ ହେଵ ।  ଛାତ୍ରଛାତ୍ରୀମାନଙ୍କୁ ନିଜ ଭାଷା ଏଵଂ ସଂସ୍କୃତି ସମ୍ବନ୍ଧରେ ଅଧିକରୁ ଅଧିକ ଶିକ୍ଷା ଦେଵା ଦ୍ଵାରା ଓଡ଼ିଆ ଭାଷାକୁ ଭଵିଷ୍ୟତରେ ହେଵାକୁ ଵିପତ୍ତିରୁ ରକ୍ଷା କରାଯାଇପାରେ ।

(୪) ଛାତ୍ରଛାତ୍ରୀମାନଙ୍କୁ ଵୈଦେଶିକ ଭାଷା ଶିଖାଇଵା ସମୟରେ ମଧ୍ୟ ନିଜ ମାତୃଭାଷା ସମ୍ବନ୍ଧରେ ଶିକ୍ଷା ଦେଵା ଦ୍ଵାରା ମାତୃଭାଷା ପ୍ରତି ଭଲପାଇଵା ବୃଦ୍ଧି ହୋଇପାରିଵ । ଯେଉଁ ଛାତ୍ରଛାତ୍ରୀମାନେ ଇଂରାଜୀ ଓ ହିନ୍ଦୀ ଭାଷା ଶିଖିଵାକୁ ଇଚ୍ଛୁକ ସେମାନଙ୍କୁ ସେହି ଵୈଦେଶିକ ଭାଷାରେ ପ୍ରସ୍ତୁତ ପୁସ୍ତକରେ ଓଡ଼ିଆ ଭାଷା ସଂସ୍କୃତି ସମ୍ବନ୍ଧରେ ଲିଖିତ ଵ୍ୟାକରଣ,ପ୍ରବନ୍ଧ ଆଦି ପଠନ ପାଠନ କରାଇଲେ ଓଡ଼ିଆ ଭାଷା ପ୍ରତି ଆଦର ଓ ସମ୍ମାନ ହ୍ରାସ ହେଵ ନାହିଁ।

(୫) ଓଡ଼ିଆ ଭାଷାକୁ ପିଲାଙ୍କୁ ଭଲ ଭାବରେ ଶିଖାଇଵା ତଥା ଉତ୍ତମ ରୂପେ ଜଣାଇଵା  ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତ କରିଵାକୁ ହେଵ । ଏଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରଦକ୍ଷେପ ନେଇ ଶିକ୍ଷକମାନଙ୍କୁ ଵିଶେଷ ଭାବେ ତାଲିମ୍ ଦେଇ ସୁଦକ୍ଷ କରିଵାକୁ ହେଵ ।

(୬) ଓଡ଼ିଆ ଲୋକଙ୍କୁ ଓଡ଼ିଆ ଭାଷାକୁ ହିନ୍ଦୀ ଇଂରାଜୀ ଭଳି ଭାଷାଠାରୁ ରକ୍ଷାର୍ଥ ସମ୍ପୂର୍ଣ୍ଣ ଭାବରେ ଜଡି଼ତ ହୋଇ ଆପ୍ରାଣ ଉଦ୍ୟମ କରିଵାକୁ ହେଵ ‌ । ଏକମାତ୍ର ଓଡ଼ିଆ ଜାତି ହିଁ ନିଜର ଓଡ଼ିଆ ଭାଷାକୁ ବଞ୍ଚାଇ ପାରେ ।

(୭) ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ ଭାଷା ଭାବରେ ପ୍ରତିଷ୍ଠିତ କରିଵାକୁ ହେଵ । ଅଧୁନା ପ୍ରଶାସନିକ କ୍ଷେତ୍ରରେ ଓଡ଼ିଆ ଭାଷାର ଵ୍ୟଵହାର ସୀମିତ ତେଣୁ ହିନ୍ଦୀ ଓ ଇଂରାଜୀ ପରିଵର୍ତ୍ତେ
ଓଡ଼ିଶାରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ବ ଦେଵା ଦ୍ଵାରା ତାହା ରାଜନୈତିକ ଶକ୍ତି ଲାଭ କରି ବଞ୍ଚି ରହିଵ ‌।

(୮) ଓଡ଼ିଆ ଭାଷାରେ ନୂତନ, କାଳଜୟୀ ଓ ଉତ୍କୃଷ୍ଟ ସାହିତ୍ୟ ରଚନା ଏଵଂ ତହିଁର ପ୍ରଚାର ପ୍ରସାର ତଥା ଵିଶ୍ଵସ୍ତରରେ ଲୋକପ୍ରିୟ କରି ଓଡ଼ିଆ ଭାଷାର ଭଵିଷ୍ୟତ ସୁରକ୍ଷିତ କରାଯାଇପାରେ । ସେହିପରି ପୁରାତନ ଓଡ଼ିଆ ସାହିତ୍ୟର ପଠନ ପାଠନ ଓ ସଂରକ୍ଷଣ ତଥା ପ୍ରଚାର ପ୍ରସାର ହେତୁକ କାର୍ଯ୍ୟ ଓଡ଼ିଆମାନଙ୍କୁ କରିଵାକୁ ହେଵ ।

(୯) ଯେଉଁ ଭାଷା ପ୍ରତି ଓଡ଼ିଆ ଭାଷାକୁ ଵିପଦ ରହିଛି ତାକୁ ଯଥା ସମ୍ଭଵ ଓଡ଼ିଆଞ୍ଚଳରେ ଲୋକଙ୍କ ଦ୍ଵାରା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ ବନ୍ଦ କରାଇଵାକୁ  ହେଵ । ଵୈଦେଶିକ ଭାଷାଗୁଡି଼କ ପ୍ରତି ଯେମିତି ଓଡ଼ିଆଲୋକେ ଅତ୍ୟଧିକ ଆକର୍ଷଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିଵା ଵିହିତ କର୍ତ୍ତଵ୍ୟ ।

ପୃଥିଵୀର endangered languages ଵା ଲୁପ୍ତପ୍ରାୟ ଭାଷାମାନଙ୍କ ମଧ୍ୟରେ ୫୦%ରୁ ଅଧିକ ଭାଷା ଭାରତ, ବ୍ରାଜିଲ, ମେକ୍ସିକୋ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ,ନାଇଜେରିଆ,ପପୁଆ ନିଉଗିନି ଓ କାମେରୋନ୍ ଆଦି ଆଠୋଟି ଦେଶର ବୋଲି ଜଣାଯାଏ । ସର୍ଵାପେକ୍ଷା ଭାରତର ଅଧିକାଂଶ ଭାଷା ଭଵିଷ୍ୟତରେ ମୃତ ହେଵାର ଯଥେଷ୍ଟ ସମ୍ଭାଵନା ଅଛି ।
ଓଡ଼ିଆ ଭାଷାକୁ ବଞ୍ଚାଇଵାକୁ ହେଲେ ଓଡ଼ିଆ ଲୋକଙ୍କୁ ସବୁ କ୍ଷେତ୍ରରେ ଭୀଷଣ ସଂଗ୍ରାମ ଚଳାଇଵାକୁ ହିଁ ହେଵ । ସବୁ ଜଗନ୍ନାଥଙ୍କ ଇଚ୍ଛା କହି ପଖାଳ ଭାତ ଖାଇ ଶୋଇ ପଡି଼ଲେ ଓଡ଼ିଆ ଭାଷା ବଞ୍ଚିଯିଵନି ଵରଂ ନିଜ ଭାଷା ସଂସ୍କୃତିକୁ ବଞ୍ଚାଇଵା ପାଇଁ ପଖାଳ ଖାଇ ଜୟ ଜଗନ୍ନାଥ ଉଦ୍ଘୋଷ ପୂର୍ଵକ ରଣକ୍ଷେତ୍ରରେ ସିଂହ ସମ ଗର୍ଜନ କରି ଝାସ ଦେଵାକୁ ହେଵ ।

××××××××××××××××
ଶିଶିର ସାହୁ ମନୋଜ
××××××××××××××××

Sunday, September 5, 2021

ମଧୁବାବୁ ସଙ୍ଗେ ଲଢି଼ବି (କାଳନ୍ଦୀ ଚରଣ ପାଣିଗ୍ରାହୀ)

 

ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ ସେ ଚିତ୍କାର ଥରାଇ ନ ଦିଏ ! କାରଣ ଠିକ୍ ତାହା ପରେ ପରେ ସମଗ୍ର ସ୍କୁଲର ସବୁ ଛାତ୍ରଛାତ୍ରୀ ସମସ୍ବରରେ ଚିତ୍କାର କରିଉଠନ୍ତି—ଏକାବେଳେ ଏକ ହୃଦୟଵିଦାରକ ଚିତ୍କାର ! 

ସତେ ଯେମିତି ସେ ଚିତ୍କାରରେ ଗାଁର ବୁଲାକୁତୀଗୁଡ଼ା ସୁଦ୍ଧା ବୋବାଳି ଛାଡ଼ନ୍ତି; ଆଉ କୁଆ କୁମ୍ଭାଟୁଆଙ୍କ ମୁହଁରୁ ଶବ୍ଦ ବାହାରିଆସେ । ଵୋହୂ ଭୁଆଷୁଣୀମାନେ ତରବର ହୋଇ କୂଅରୁ ପାଣି ଓଟାରି ହାଣ୍ଡି ଶାଳରେ ପଶନ୍ତି । ବିଲମଝିରେ ହଳିଆର ହଳ ମଧ୍ଯ ବେଗି ବେଗି ଚାଲେ ।

 ରାମ କକେଇଙ୍କ ଜାଉଁଳିବେତ କାରଣ ଅକାରଣରେ ସାନବଡ଼ ନର୍ଵିଶେଷରେ ସ୍କୁଲଘର ଭିତରେ ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ସବୁ ପିଲାଙ୍କ ପିଠିରେ ନିଆଁ ଲଗିଲାଭଳି ଚାଲିଗଲାପରେ ଯେଉଁ ସ୍ଵରଲହରୀ ଉଠେ, ଗାଁଟାଯାକର ପଶୁପକ୍ଷୀ ମନୁଷ୍ୟ କାହାର ଯେମିତି ସେଥିରୁ ନିସ୍ତାର ନାହଁ !
 
 ତା’ ବୋଲି ପଦେହେଲେ ରାମ କକେଇଙ୍କ ଆଗରେ ପ୍ରତିଵାଦ କରି ପାଟି ଫିଟାଇଵା ସାହସ ଥିଲା କାହାର ! ସେ ଯେମିତି ଗାଁଯାକର ଧନୀ ଗରିବ, ପିଲା ବୁଢ଼ା, ସ୍ତ୍ରୀ ପୁରୁଷ ସମସ୍ତଙ୍କର ମାଷ୍ଟର । ସ୍କୁଲଘରପାଇଁ ଦ୍ଵାରଦ୍ବାର ବୁଲି ନଡ଼ା ବାଉଁଶ ସଂଗ୍ରହ କରିଵାଠାରୁ ଆରମ୍ଭ କରି ପିଲାଙ୍କୁ ଡାକି ପାଠ ପଢ଼ାଇଵା ପର୍ଯ୍ୟନ୍ତ ସବୁ କାମକୁ ସେ ତିଆର !
 
 ସେଇ ରାମ କକେଇ ଯେଉଁ ଦିନ ସ୍କୁଲ ଛାଡ଼ି କ'ଣ ସବୁ ପ୍ରଚାର କାମ କରିଵାକୁ ବାହାରିଗଲେ, ସେଦିନ କିନ୍ତୁ ସ୍କୁଲପିଲାଙ୍କ ମନ ଟିକିଏ ଉଶ୍ବାସ ହୋଇପଡ଼ିଥିଲା । ଆଉ ଯେ କେହି ମାଷ୍ଟର ଆସନ୍ତୁ ପଛେ, ତାଙ୍କଠାରୁ ସେ କଦାପି ବେଶି ଭୟାନକ ଓ କଡ଼ା ହେଵେ ନାହିଁ, ଏ ଵିଶ୍ଵାସ ଛାତ୍ରମାନଙ୍କର ଥିଲା । 
 

ଅସଲ କାରଣ ହେଲା, ସେ ନିଜ ଗାଁର ହୋଇଥିଵାରୁ ତାଙ୍କ ଆଗରୁ ଲୁଚିଵା ଅଥଵା ଲୁଚାଇଵା ଲାଗି କୌଣସି ସ୍ଥାନ ଵା ଵିଷୟ ପିଲାମାନଙ୍କର ନ ଥିଲା । 

ତେବେ ସେ ପୁଣି କ’ଣ ପ୍ରଚାର କାମ କରିଵେ ? ଏଡ଼େ ରାଗି ମଣିଷ, ତାଙ୍କ କଥା ଶୁଣିଵ କିଏ ? କିନ୍ତୁ ରାମ କକେଇ ସ୍କୁଲ ଛାଡ଼ି ଗାଁ-ଗାଁ ବୁଲି ପ୍ରଚାର କଲେ । ଚାଷୀମାନେ ଖାଲି ଧାନ ମୁଗ ଚାଷ ନ କରି ବେଶୀ ଲାଭଜନକ ଫସଲ ଆଖୁ କପା ଜନ୍ମାଇଵେ; ଅରଟ ଚଳାଇ ସୂତା କାଟିଵେ । ଏଇ ପ୍ରଚାର କାମ ପାଇଁ ରାମ କକେଇଙ୍କୁ ମାସିକ ଦରମା ମିଳିଲା ୧୫ ଟଙ୍କା । ଘଟଣାଟି ପ୍ରାୟ ଅର୍ଦ୍ଧ-ଶତାବ୍ଦୀର । ସେଇକାଳୁ ମଧୁବାବୁଙ୍କ ନାଁ’ ମୁଁ  ଆଜି ପର୍ଯ୍ୟନ୍ତ ଶୁଣିଆସୁଛି । 

କୁଶଭଦ୍ରା ନଈର ଅଠାନ୍ତର ବନ୍ଧ ଭାଙ୍ଗି ଅନେକ ଜମି ବାଲିଚର ହୋଇଯାଇଥାଏ । ମଧୁବାବୁ ନିଜେ ଆସି ଦେଖିଗଲେଣି...


ଓଡ଼ିଶାର ମଧୁବାବୁ ! 

ଲେକଙ୍କ ଅଵସ୍ଥା ନିଶ୍ଚେ ଏଣିକି ସୁଧୁରିଵ ବୋଲି ଟିକିଏ ଦମ୍ଭ ଆସିଛି । ରାମ କକେଇଙ୍କ ପ୍ରଚାର ଫଳରେ କେତେ ଗାଁଆରେ ଆଖୁ କପା ଚାଷ ସଙ୍ଗେ ଅରଟ ମଧ୍ୟ ଚାଲିଲାଣି । ସେତେବେଳକୁ ଗାନ୍ଧୀଙ୍କ ନାଁ ବେଶି ଶୁଣାଯାଇ ନ ଥାଏ । ଓଡ଼ିଶା କହିଲେ ମଧୁବାବୁଙ୍କୁ ଓ ମଧୁବାବୁ ଅର୍ଥ ଓଡ଼ିଶାକୁ ବୁଝାଉ ଥିଲା । ପୁଣି ପାଠ ପଢ଼ିଵାର ଲକ୍ଷ୍ୟସ୍ଥଳ ଥିଲା, “ମଧୁବାବୁ ସଙ୍ଗେ ଲଢ଼ିଵା” । ମଧୁବାବୁ ସଙ୍ଗେ ଵିଦ୍ୟାରେ ବୁଦ୍ଧିରେ ଲଢ଼ିଵାଠାରୁ ଆଉ ବେଶୀ କିଛି ମହତ୍ତ୍ବ ଓ ଵୀରତ୍ଵର କାମ ନ ଥିଲା । ମଧୁବାବୁ କିମିତି ଲୋକ, କାହିଁକି ଏସବୁ କାମ ସେ ହାତକୁ ନେଇଛନ୍ତି, ପିଲାଦିନୁଁ ତାଙ୍କପ୍ରତି ଏହିରୂପେ ଏକ କୌତୂହଳ, ଆଗ୍ରହ ଓ ସମ୍ଭ୍ରମ ମନ ଭିତରେ ବସା ବାନ୍ଧିଥିଲା । ଯେଉଁ ଲେକ ଯେତେ ଵିଖ୍ୟାତ, ତାଙ୍କର ନିନ୍ଦା ଓ ପ୍ରଶଂସାର ମାତ୍ରା ଯେ ଏକାବେଳେ ନିକ୍ତି-ଓଜନ ପରି ଦୁଇପାଖଯାକ ସମାନ; ଅଥଵା ତହିଁରେ କୌଣସି ପାଖର ଓଜନରେ ଅଳ୍ପ ବହୁତ କିଛି ଫରକ୍ ଅଛି, ତାହା ସ୍ଥିର କରିଵା କଠିଣ ।

ସେହିପରି ମଧୁବାବୁଙ୍କ ନାଆଁରେ ଅନେକ କଥା ଶୁଣାଯାଉଥାଏ । ମୋଟାମୋଟି ତାଙ୍କ ପ୍ରଶଂସାର ଦିଗଟି ହେଲା, ଓଡ଼ିଶାରେ ସେ ସବୁଠାରୁ ବେଶୀ ବୁଦ୍ଧିମାନ୍, ବଡ ବାରିଷ୍ଟର (ବାରିଷ୍ଟର ନ ହୋଇ ମଧ୍ୟ),ବଡ଼ ଵକ୍ତା, ବଡ଼ ନେତା, ଏକମାତ୍ର ମନ୍ତ୍ରୀ; ପୁଣି ମନ୍ତ୍ରୀପଦକୁ ତ୍ୟାଗ କରିଵାରେ ସାରା ଭାରତଵର୍ଷରେ ଏକମାତ୍ର ଵ୍ୟକ୍ତି । ତାଙ୍କ ନିନ୍ଦାର ଦିଗ ହେଲା, ପାରିଵାରିକ ଓ ସାମାଜିକ ଜୀଵନରେ ସେ ନୀତିଶୂନ୍ୟ, ଵିଧର୍ମୀ, ପୁଣି ଵ୍ୟକ୍ତିଗତ ଜୀଵନରେ କ୍ରୋଧୀ, ଲୋଭୀ, ଅହଂକାରୀ ଇତ୍ୟାଦି । କିନ୍ତୁ ଅନ୍ଧାର ରାତିରେ ହାବେଳି ବାଣପରି ତାଙ୍କର ସବୁ ଦୋଷକୁ ଆଲୁଅ କରି ଭଲ ଗୁଣଗୁଡ଼ିକ ଆକାଶଗାମୀ ହୋଇଥିଲା । 

ଯେଉଁସବୁ ଦୋଷାଵହ ଆଚରଣକୁ ପରିହାର କଲେ ମଣିଷ ମହାନ ହୁଏ ବୋଲି ଛାତ୍ର ଅଵସ୍ଥାରେ ପାଠ୍ୟ ପୁସ୍ତକରୁ ଶିକ୍ଷା କରାଯାଏ, ସେଗୁଡ଼ିକୁ ପୂରାପୂରି ଗ୍ରହଣ କରି ମଧ୍ୟ ମଣିଷ କିପରି ମଧୁବାବୁ ହୋଇପାରେ, ତାହା ଜାଣିଵା ପାଇଁ ଅଳ୍ପ ଵୟସରେ କୌତୂହଳ ଜନ୍ମିଵା ସ୍ଵାଭାଵିକ । ସେ କୌତୂହଳର କିଛି ପରିମାଣରେ ନିଵୃତ୍ତି ହେଲା ପୁରୀ ରାମଚଣ୍ଡୀ ସାହିରେ ଥିଵା ଆମ ଘରପାଖେ ଯେଉଁ ଵର୍ଷ ‘ଉତ୍କଳ ସମ୍ମିଳନୀ’ର ଅଧିଵେଶନ ହୁଏ ।

 ଗୋପବନ୍ଧୁ ପ୍ରମୁଖ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ ଆସିଥିଵା ଏକାଧିକ ନେତା ଓ ପ୍ରତିନିଧିଙ୍କ ଗହଣରେ ଶୁକ୍ଳକେଶ ଶୁକ୍ଳଶୁଶ୍ରୁ ଘେନି ବସିଥାନ୍ତି ଶୀର୍ଣ୍ଣ ମଧୁସୂଦନ । ଵିପୁଳ କରତାଳି ଧ୍ଵନୀ ମଧ୍ୟରେ ସେ ତାଙ୍କର ଭାଷଣ ଆରମ୍ଭ କଲେ, “ଓରେ ସଖି, ଆପଣା ମହତ ଅପେ ରଖି !”
 
 ନିଜର ପୁଣି ଦେଶର ମର୍ଯ୍ୟାଦା ରଖିଵା ଯେ ପ୍ରତ୍ୟେକ ଦେଶଵାସୀର ପ୍ରଥମ ଓ ଶେଷ କର୍ତ୍ତଵ୍ୟ, ଏହାହିଁ ଯେପରି ତାଙ୍କ ଜୀଵନର ଲକ୍ଷ୍ୟ ଥିଲା । ସେ ଲକ୍ଷ୍ୟକୁ ସାଧନ କରିଵାରେ ସେ କେତେଦୂର ସଫଳ କିଂଵା ଵିଫଳ ହୋଇଥିଲେ, ତାହାର ଵିଚାର ତାଙ୍କୁ ଅମର କରିନାହିଁ—ଅମର କରିରଖିଛି କେଵଳ ସେହି ଲକ୍ଷ୍ୟ, ସେହି ଅମ୍ଳାନ ଅଚ୍ୟୁତ ଅଵିଚଳିତ ଲକ୍ଷ୍ୟ । ସେ ଲକ୍ଷ୍ୟରୁ କେବେହେଲେ ସେ ଯେ ସ୍ଖଳିତ ହୋଇନାହାନ୍ତି, ଏହାହିଁ ତାଙ୍କ ଜୀଵନରୁ ଶିକ୍ଷଣୀୟ । 

ସ୍ଵଦେଶକୁ “ମାତୃଭୂମି” କହିଲେ ସେ ଵ୍ୟାଖ୍ୟା କରୁଥିଲେ, ତାହା ମା’ଠାରୁ ସୁଦ୍ଧା ଅଧିକ । କାରଣ ମା’ସିନା କେଵଳ ଜନ୍ମ ଦେଇ ସ୍ତନ୍ୟପାନ କରାଏ; ମାତ୍ର ତା’ପରେ ଆମର ସବୁ ଅଳିଝଳି ଲାଳନପାଳନର ଭାର ପଡ଼େ ମାତୃଭୂମି ଉପରେ । କେଵଳ ତ ସେତିକି ନୁହେଁ—ମୃତ୍ୟୁ ହେଲେ ମା କଦାପି ନିଜ କୋଳରେ ସ୍ଥାନ ଦେଇପାରନ୍ତି ନାହିଁ, ଅଥଚ ସ୍ଥାନ ଦିଅନ୍ତି ମାତୃଭୂମି । ପ୍ରତ୍ୟେକ କଥା ଓଜନଦାର, ଅର୍ଥପୂର୍ଣ୍ଣ । ପ୍ରତ୍ୟେକ ଵ୍ୟକ୍ତି କି ବାଳକ, କି ଯୁଵକ, ପ୍ରୌଢ଼, ଵୃଦ୍ଧ ତାଙ୍କ ପାଖରେ ଯେମିତି ଗୋଟିଏ ଗୋଟିଏ ସାଧାରଣ ସଭା । ତାଙ୍କ ସଙ୍ଗରେ କଥାଵାର୍ତ୍ତାବେଳେ ସୁଦ୍ଧା ଯେମିତି ସେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି । ଏଇଭଳି ତାଙ୍କର ଵିରାଟ ଵ୍ୟକ୍ତିତ୍ଵ ଓ ସବୁ ସତ୍ବ ହିଁ ଵ୍ୟଷ୍ଟି ଭିତରେ ମିଳେଇଯାଇଥିଲା ।

 ନିଜର ସମୁଦାୟ ସତ୍ଵକୁ ସେ ଲିଭାଇ ଦେଇପାରିଥିଲେ ଦେଶମାତୃକାର ସବୁ ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ଜଡ଼ ଉଦ୍ଭିଦ ଭିତରେ । ତାଙ୍କର ସବୁ ଚାରିତ୍ରିକ ତ୍ରୁଟିଵିଚ୍ୟୁତି ଦୋଷ ଦୁର୍ଗୁଣ କାଠିକୁଟା ଅଳିଆଅସ୍କରା ପରି ଭାସିଯାଇ ଥିଲା ଦେଶପ୍ରେମର ଓ ମାନଵପ୍ରେମର ମହାଵେଗଵାନ୍ ପ୍ରଵଳ ସ୍ରୋତରେ ଜଳିପୋଡ଼ି ଭସ୍ମସାତ୍ ହୋଇଥିଲା, ଦେଶପ୍ରେମର ଅନିର୍ଵାଣ ସ୍ବାର୍ଥମେଧ ଯଜ୍ଞର ବହ୍ନି ଦାହରେ ।।
 

 ମଧୁସୂଦନ ନିଜକୁ ଖୋଜି ପାଇନାହାନ୍ତି ନିଜର ଵିଦ୍ୟା ଵୁଦ୍ଧି ଵିଚକ୍ଷଣତାରେ, ଆଇନ-ଵ୍ୟଵସାୟଦ୍ଵାରା ଅର୍ଥୋପାର୍ଜନର ପ୍ରାଚୁର୍ଯ୍ୟରେ, ଅସାଧାରଣ ଓଡ଼ିଆ କିମ୍ବା ଇଂରାଜୀ ଭାଷାର ବାଗ୍ମିତାରେ, ନାରୀଶିକ୍ଷାର ଅଗ୍ରଣୀ ହୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଅଥଵା ଉତ୍କଳୀୟ ଶିଳ୍ପକଳାର ପ୍ରତିନିଧିତ୍ବ କରି ଶିଳ୍ପାନୁଷ୍ଠାନ ଗଠନରେ, ସମ୍ବାଦପତ୍ରର ସାର୍ଥକ ସମ୍ପାଦନାରେ କିଂଵା ମନ୍ତ୍ରୀଦପ୍ତରର ଵିଚକ୍ଷଣ ସୁପରିଚାଳନାରେ । ସେ ଆପଣାକୁ ପାଇଛନ୍ତି
  ‘‘ମାଆ ମାଆ ଭାଇ ଭାଇ ଡାକିଵାରେ ପୁଣି ଖୋଜିଵାରେ’’—
  
 “ମାଆ ମାଆ ବୋଲି କେତେ ମୁଁ ଡାକିଲି
  ମାଆକୁ ପାଇଲି ନାହିଁ, 
  ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି 
  ନ ଦେଲେ ଉତ୍ତର କେହି !”

ମାଆ ତାଙ୍କର ଗଲେ କୁଆଡ଼େ ? ଭାଇ ତାଙ୍କର କାହାନ୍ତି ? ଵନ ପର୍ଵତ, ନଦୀ ସାଗର ସର୍ଵତ୍ର ସେ ଖୋଜି ବୁଲିଛନ୍ତି । ମାଆଙ୍କର ପଦଚିହ୍ନ ଦେଖିଛନ୍ତି ଭୁବନେଶ୍ବରରେ । ସେ ଚିହ୍ନ ଉପରେ ଲେଖାଅଛି ‘ରାଜରାଣୀ’ ! ଭାଇଙ୍କର ପଦଚିହ୍ନ ଅଙ୍କାରହିଛି ସମୁଦ୍ର କୂଳ ମରୁ ଵାଲୁକାମୟ ପ୍ରାନ୍ତରରେ I ନାମ ତାହାର ‘କୋଣାର୍କ’ ! ମାତ୍ର କୁଆଡ଼େ ଗଲେ ସେମାନେ ? ଵିକଳ ଵିଭ୍ରାନ୍ତ କଵି ଶେଷରେ ସେମାନଙ୍କୁ ପାଇଛନ୍ତି ସେଇ ଏକ ଅନିର୍ଵାଣ “ସ୍ଵାର୍ଥମେଧ ଯଜ୍ଞ’ରେ । ଡାକିଛନ୍ତି ସମସ୍ତଙ୍କୁ ସେଇ ଯଜ୍ଞକୁଣ୍ଡରେ ସ୍ବାର୍ଥକୁ ଆହୁତି ଦେଇ ଚାରିଆଡ଼େ ଛାତିକୁ ଛାତି ମିଶାଇ ନାଚିଵା ପାଇଁ ।

 ପୃଥିଵୀ-ସାହିତ୍ୟରେ ଯେଉଁ ଅଳ୍ପ କେତେ ଜଣ କଵି ଗୋଟିଏ ଦିଓଟି ମାତ୍ର କଵିତା ଲେଖି ଅମର ହୋଇଛନ୍ତି, ମଧୁସୂଦନ ତାଙ୍କରି ଭିତରୁ ଜଣେ | କାରଣ ସେ କଵିତା ସ୍ବୟଂ ସେ ନିଜେ ! ତାହାର ପ୍ରତି ଅକ୍ଷରରେ ତାଙ୍କର ରକ୍ତମାଂସ ଅସ୍ଥିମଜ୍ଜା ଶିରା-ପ୍ରଶିରା ଯେପରି ନିଗିଡ଼ି ପଡ଼ିଛି । 
 
ମନେ ପଡ଼େ—ସ୍କୁଲଛାତ୍ର ଥିଵା ସମୟରେ ତାଙ୍କ ସହିତ ସାକ୍ଷାତକାରର ଏକ ଅଵିସ୍ମରଣୀୟ ଘଟଣା । ପୁରୀ ଜିଲ୍ଲା ସ୍କୁଲର କେତେ ଜଣ ସହିତ୍ୟବନ୍ଧୁ ମିଳତ ହୋଇ ଏକ ସାହିତ୍ୟ ଅଲୋଚନା ସଭା ଗଢ଼ିଥାଉଁ । ଗୋଟିଏ ହାତଲେଖା ପତ୍ରିକା ମଧ୍ୟ ପ୍ରକାଶ କରୁଥାଉଁ । ଶେଷରେ ଏହି ହାତଲେଖା ପତ୍ରିକା'ଟି ଵିପୁଳ ଆନନ୍ଦ ଉତ୍ସାହ ଭିତରେ ଛପା ଅକ୍ଷରରେ ପ୍ରକାଶ ପାଏ । ପ୍ରଥମ ପୁଣି ବୋଧହୁଏ ଶେଷ ଥର ପାଇଁ ! ମଧୁବାବୁଙ୍କୁ ଭେଟିଵାଲାଗି ଏହାହିଁ ହେଲା ପ୍ରଧାନ ଉପାୟନ । ପତ୍ରିକାର ନାମ “ଛାତ୍ର-ଦର୍ପଣ’ । ସ୍କୁଲ ନିକଟରେ ମଧୁବାବୁଙ୍କର ଘର ‘ଶୈଳ-ନିଵାସ’; ମଝିରେ ମଝିରେ କଟକରୁ ଆସି ସେଇଠି ତାଙ୍କର ରହଣି । “ଛାତ୍ର-ଦର୍ପଣ”’ ଧରି ମଧୁବାବୁଙ୍କୁ ଭେଟିଵା ପାଇଁ ବାହାରିଲୁଁ । ଝରକାପାଖେ ବସି ସେ ଖିଅର ହେଉଥାନ୍ତି । ନିଃସଙ୍କୋଚରେ ସେଇଠି ଯାଇ ଠିଆହେଲୁଁ । ‘କିଏ ତୁମେମାନେ ?” ପ୍ରଶ୍ନ କଲେ ମଧୁବାବୁ ।

“ପୁରୀ ଜିଲ୍ଲା ସ୍କୁଲର ଛାତ୍ର ।” “ଆଚ୍ଛା, ମତେ ଟିକିଏ ମାଫ୍ କରିଵ ! ସେପାଖ ଵୈଠକଖାନାରେ ଅଳ୍ପ ସମୟ ଅପେକ୍ଷା କରିଵ କି ?” 

ଚାରି ପାଞ୍ଚମିନଟ୍ ଭିତରେ ସେ ଵୈଠକଖାନାରେ ପ୍ରଵେଶ କଲେ । ତାଙ୍କର ଭଦ୍ରୋଚିତ “ମାଫ୍ କରିଵ’’ କଥା ସେହି କାଳରୁ ଆଜି ସୁଦ୍ଧା ମନେ ରହିଗଲା । ହାତକୁ ତାଙ୍କର ବଢ଼ାଇଦେଲୁଁ ଆମର ଗର୍ଵ, ଆମର କୃତିତ୍ଵର “ଛାତ୍ର-ଦର୍ପଣ’ ପତ୍ରିକା ଖଣ୍ଡି । ଓଲଟପାଲଟ କରି ତାକୁ ସେ ଦେଖିଲେ । ଆଶା କରିଥିଲୁ; ଭିତରେ ତା’ର ଛପା ଅକ୍ଷରରେ ଲେଖକମାନଙ୍କ ନାମ ପଢ଼ି, ଅନ୍ତତଃ ଆମର ପରିଚୟ ସେ ପଚାରିଵେ । ମାତ୍ର ହତାଶ ହେଲୁ, ଯେତେବେଳେ ସେ କହିଲେ— ରୋଜ କେତେ ଏମିତି ପତ୍ରପତ୍ରିକା ମୋ ପାଖକୁ ଅସେ । ସେସବୁ ପଢି଼ ଦେଖିଵାକୁ ବି ବେଳ ମିଳେ ନାହିଁ । ତେଣୁ ତାକୁ ଏଇ ଓ୍ଵେଷ୍ଟ୍ ପେପର୍ ବାସ୍କେଟରେ ପକାଇଦିଏ ।” ଏତକ କହି ତାଙ୍କ ପାଦ ପାଖରେ ଥିଵା ବାସ୍କେଟଟାକୁ ସେ ମୁଣ୍ଡ ନୁଆଇଁ ଚାହିଁଲେ !

 ଧଡ଼ଧଡ଼ ହୋଇ ଛାତି ଭିତର ଆମର ପଡ଼ିଲା । ସତେ ଯେମିତି ଆମେସବୁ ପ୍ରତ୍ୟେକେ ଜଣେ ଜଣେ ଗୋଟିଏ ଲେଖାଁ ୱେଷ୍ଟ୍ ପେପର ବାସ୍କେଟ୍ ; ଆଉ ତା’ରି ଭିତରକୁ ସେ ଆମର ଅତି ଆଦରର ବଡ଼ ଆୟାସର ସ୍ବପ୍ନ ‘ଛାତ୍ର-ଦର୍ପଣ’କୁ ଟିକି ଟିକି କରି ଚରି ଫିଙ୍ଗିଦେଵାକୁ ଯାଉଛନ୍ତି ! କିନ୍ତୁ ସେ ତାହା କଲେ ନାହିଁ । ପତ୍ରିକାର ଭିତରକୁ ନ ଚାହିଁ ଲାଲ ମଲାଟ ଲଲାଟରେ ଲିଖିତ ଖାଲି ନାମକୁ ସେ ଉଚ୍ଚାରଣ କଲେ—‘ଛାତ୍ରଦର୍ପଣ” । ତା’ପରେ ଟିକିଏ ରହିଯାଇ କହିଲେ, “ଆଚ୍ଛା ଭଲ ନାଁଟିଏ ଦେଇଛ ତୁମ ପତ୍ରିକାର; କିନ୍ତୁ ଜାଣିଛ କି ତୁମେ, ଭାରତଵର୍ଷକୁ ଯେତେବେଳେ ଦର୍ପଣ ଆସି ନ ଥାଏ, ସେତେବେଳେ ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ପୁରୁଷ ଵିଚାରୁଥିଲେ ତାଙ୍କ ମୁହଁ ସବୁଠାରୁ ବେଶି ସୁନ୍ଦର ! ତା’ ପରେ ସେତେବେଳେ ଦର୍ପଣ ଅସିଗଲା, ସେତେବେଳେ ସମସ୍ତେ ନିଜ ନିଜ ମୁହଁକୁ ସେଥିରେ ଚାହିଁ ବୁଝିପାରିଲେ । ତାଙ୍କ ମୁହଁଠାରୁ ଆହୁରି ସୁନ୍ଦର ମୁହଁ ବି ପୃଥିଵୀରେ ଅଛି ।
 
 ତୁମେମାନେ ସେମିତି ଏହା ଭିତରେ ନିଜ ମୁହଁକୁ ଦେଖିଲଣି ?”
 
 ଅଦ୍ଭୁତ ଅପ୍ରତ୍ୟାଶିତ ପ୍ରଶ୍ନ ! 
 ସ୍ତବ୍‌ଧ ଅଵାକ୍ ହୋଇ ଚାହିଁରହିଲୁଁ ମଧୁସୂଦନଙ୍କ ମୁହଁକୁ ଆମେ ସମସ୍ତେ ! ମନେ ହେଲା, ଯେମିତି ତାଙ୍କର ସେଇ ପତଳାମୁହଁ ଵାର୍ଦ୍ଧକ୍ୟରେ ଲୋଳଚର୍ମ ହୋଇ ସବୁଠୁ ସୁନ୍ଦର ଦିଶୁଛି । ତା’ପରେ ସେ ପୁଣି ଆରମ୍ଭ କଲେ— 
 
 “ତୁମେ ସବୁ ପାଠ ପଢ଼ିସାରି କଣ କରିଵ ଭବିଛ କି ?
  ମୋ ଭାଇ ଗୋପାଳ (୰ ଗୋପାଳଵଲ୍ଲଭ ଦାସ, ‘ଭୀମଭୂୟାଁ’ ଉପନ୍ୟାସର ଲେଖକ) ଯେତେବେଳେ ପାଠ ଶେଷ କରି ଚାକିରି କରିଵାକୁ ଗଲା, ତାକୁ କହିଲି, ‘ତତେ ମୁଁ ଗୁଳି କରି ମାରିଦେବି । ପାଠ ପଢ଼ି ତୁ ଗୋଲାମ ହେଲୁ ? ଏଇ କଣ ପାଠର ଅର୍ଥ ? ଜାଣୁ କି, ସରସ୍ଵତୀ ଵେଶ୍ୟା ନୁହେଁ । ମନେ ରଖ ତୁମେ, ସରସ୍ଵତୀ ଵେଶ୍ୟା ନୁହେଁ !”
 
 ଗୁଳି ବାଜିଲାଭଳି ଆମ କାନଭିତରେ ବି ତାଙ୍କ କଥା ଲାଖିରହିଲା । ପ୍ରାୟ ପଚାଶ ଵର୍ଷ ପରେ ସୁଦ୍ଧା ସେ ଗୁଳି କାଢ଼ିହେଲା ନାହିଁ । ଆଜିସରିକି ବୁଝାପଡ଼ୁଛି, ପାଠ ପଢ଼ି ଚାକିରୀ କରିଵା ଅର୍ଥ କ’ଣ ।
 
 ପୁଣି “ଛାତ୍ର-ଦର୍ପଣ”ର ଵ୍ୟାଖ୍ୟା କଲାବେଳେ Literature is the mirror of society କଥାଟିକୁ କିପରି ତିଵ୍ରଭାବରେ ସେ ଅନୁଭଵ କରୁଥିଲେ । ଲେଖକ ଆଗରେ, ପାଠକ ଆଗରେ, ସମାଜ ଆଗରେ ସାହିତ୍ୟ ଯେ ଏକ ଦର୍ପଣ, ମଧୁସୂଦନ ସେ ଦର୍ପଣକୁ ଆମ ସାମନାରେ ଧରି ଯେମିତି ସେଦିନ ତହିଁରେ ଆମ ମୁହଁକୁ ଦେଖାଇ ଦେଲେ । ଏ ତ ହେଲା ତାଙ୍କର ଶିକ୍ଷା-ସାହିତ୍ୟ ଵିଷୟକ ଧାରଣା ।
 
 ରାଜନୀତିକ୍ଷେତ୍ରରେ ମଧୁସୂଦନଙ୍କ ସ୍ୱପ୍ନର ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲାଣି; ପୁଣି ତାଙ୍କର ସ୍ଵପ୍ନାତୀତ ଭାରତ ଆଜି ସ୍ବାଧୀନ । କେଵଳ ସେତିକି ନୁହେଁ, ସମଗ୍ର ଵିଶ୍ଵଦରବାରରେ ଭାରତୀୟ ଜୀଵନାଦର୍ଶ—ସୁଵିରାଟ କୃଷି ଶିଳ୍ପର ଦେଶଵ୍ୟାପୀ ଯୋଜନା, ଧର୍ମ, ଅର୍ଥ କିଂଵା ରାଜନୀତି କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ,ସମ୍ପ୍ରଦାୟ ଵା ମେଣ୍ଟର ଅନ୍ତର୍ଭୁକ୍ତ ନହୋଇ ସକଳ ଦେଶ ସହିତ ସମାନ ସମ୍ପର୍କ ସ୍ଥାପନ; ପୁଣି ନିଜ ଦେଶ ଭିତରେ ତଥା ବାହାରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ସୁଚିନ୍ତିତ ଓ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ଆଜି ମହାଵେଗରେ ମଧୁସୂଦନଙ୍କ ସମୟକୁ ଅତିକ୍ରମ କରି ଅଗ୍ରସର ।
 
 ଓଡ଼ିଶାର ଵନ୍ୟା-ନିୟନ୍ତ୍ରଣ ପରେ ଜଳାଭାଵ ସମସ୍ୟା ଉପୁଜିଛି ଏଵଂ ତା’ର ସମାଧାନ ପାଇଁ ସୁଵିସ୍ତୃତ ପୟଃ ପ୍ରଣାଳୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଲାଣି । ଜୀଵନଧାରଣର ସର୍ଵପ୍ରଥମ ମୌଳିକ ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦେଶ ଆଜି ସଚେତନ ଓ ସକ୍ରିୟ ! ସେଥିସଙ୍ଗେ ଦେଶରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନହେଲେ ସ୍ଵାଧୀନତାର କୌଣସି ଅର୍ଥ ହୁଏ ନାହିଁ । ଅଥଚ ମନୁଷ୍ୟର ନ୍ୟୁନତମ ଅଧିକାର ଖାଦ୍ୟର ଅଭାଵ ସୁଦ୍ଧା ଯେଉଁ ଦେଶରୁ ଅଠର ଵର୍ଷର ସ୍ଵାଧୀନତା ଲାଭପରେ ମଧ୍ୟ ଘୁଞ୍ଚିପାରିଲା ନାହିଁ, ଆଉ ସେଥିପାଇଁ ଅନ୍ୟ ଦେଶ ଉପରେ ହିଁ ନିର୍ଭର କରିଵାକୁ ପଡ଼ିଲା, ଏହା ଆଜି ସବୁଠାରୁ ବଡ଼ ପ୍ରଶ୍ନଵାଚୀ ହୋଇ ଦଣ୍ଡାୟମାନ । 
 
ଅଵଶ୍ୟ ଯେଉଁ ଦେଶ ଦୀର୍ଘ ଦୁଇଶହ ଵର୍ଷ ହେଲା ଏକ ମଧ୍ୟଯୁଗୀୟ ଔପନିଵେଶିକ ଶାସନାଧୀନରେ ଶୋଷିତ ଓ ଅତ୍ୟାଚାରିତ ହୋଇ ରହିଆସିଲା, ପୁଣି ତତ୍'ପୂର୍ଵରୁ ଅନିର୍ଦ୍ଦିଷ୍ଟ କାଳଯାଵତ୍ ଖଣ୍ଡଵିଖଣ୍ଡ ହୋଇ କିଭଳି ଶାସନ ଵା ଅରାଜକତାର ଶିକାର ହୋଇପଡ଼ିଥିଲା, ତାହା ତ ଆଜି ଐତିହାସିକ ମତଭେଦର ସାମଗ୍ରୀ। 

ତାହା ତୁଳନାରେ ୧୮ ଵର୍ଷର ସ୍ଵାଧୀନତାପ୍ରାପ୍ତି ଦେଶ ଭିତରେ ଯେଉଁ ପ୍ରଵଳ ପରିଵର୍ତ୍ତନର ଵାତ୍ୟା ବୁହାଇଛି, ପୁଣି ଯେଉଁ ନୂତନ ଵାର୍ତ୍ତା ବହନ କରି ଆଣିଛି, ସେଥିପ୍ରତି ଅନଵହିତ ହେଵାର ଉପାୟ ନାହିଁ । ଏହି ଅଠର ଵର୍ଷରେ ପୁଣି ଦେଶକୁ ଯେତେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିଛି, ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ପୁନରାଵୃତ୍ତି ନିଷ୍ପପ୍ରୟୋଜନ  । 

ସ୍ଵାଧୀନତା ଆସିଵା ସଙ୍ଗେ ସଙ୍ଗେ ଵିପୁଳ ସଂଖ୍ୟାରେ ଅଶ୍ରୟପ୍ରାର୍ଥୀମାନଙ୍କର ସମସ୍ୟା, ପଞ୍ଚଵାର୍ଷିକ ଯୋଜନା ଓ ପୁନର୍ଗଠନ କାର୍ଯ୍ୟକ୍ରମରେ ନୂତନ ପଥ, ସେତୁ, ଜଳଭଣ୍ଡାର, ଶିଳ୍ପନଗରୀ ଓ ରାଜଧାନୀ ଆଦି ନିର୍ମାଣ; ପୁଣି ଭାଷାଭିତ୍ତିରେ ଆନ୍ଧ୍ର, ମହାରାଷ୍ଟ୍ରଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ନୂତନ ରାଜ୍ୟମାନ ସଂଗଠନ ହେଵା ହଠାତ୍ ମନେ ପଡ଼ୁଥିଵା କେତେ ଗୋଟି ଵ୍ୟଵସ୍ଥା । 

ତାହାଛଡ଼ା ଵୈଦେଶିକ ମତକୁ ସୁପ୍ରତିଷ୍ଠିତ କରି ପୃଥିଵୀର ଵିଭିନ୍ନ ଦେଶ ସହ ସୁସମ୍ପର୍କ ସ୍ଥାପନ ସଙ୍ଗେ ଚୀନ ଓ ପାକିସ୍ତାନ ପକ୍ଷରୁ ହୋଇଥିଵା ଆକ୍ରମଣର ପ୍ରତିରୋଧ ଲାଗି ପ୍ରତିରକ୍ଷାର ସାର୍ଥକ ଓ ସୁଵିସ୍ତୃତ ଵଳିଷ୍ଠ ଅୟୋଜନ ସଙ୍ଗେ ଦେଶ ଭିତରେ ନାଗା ଓ ମିଜୋ ଵିଦ୍ରୋହ କିଂଵା ରାଜନୈତିକ ଵା ଯେ କୌଣସି କାରଣରୁ ଆଭ୍ୟନ୍ତରୀଣ ଵିଦ୍ରୋହର ସମ୍ମୁଖୀନ ହେଵା ଏକପ୍ରକାର ସ୍ଥାୟୀ ଵ୍ୟାପାର ହୋଇପଡ଼ିଛି । ଏଇଭଳି ସାମନ୍ତଯୁଗୀୟ ଅଵସ୍ଥା ଓ ପରସ୍ଥିତିର ଶେଷାଂଶରେ ପହଞ୍ଚି ସୁଦ୍ଧା ଏକ ସର୍ଵାଧୁନିକ ଓ ପୃଥିଵୀପୃଷ୍ଠରେ ସର୍ଵଵୃହତ୍  ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିଵା ଭାରତ ପକ୍ଷରେ ସମ୍ଭଵପର ହେଲାଣି । 

ପୁଣି ଖାଦ୍ୟ ଅନାଟନ ସମସ୍ୟା ଯେ କେଵଳ ଭାରତରେ ସୀମାବଦ୍ଧ ନ ରହି ପୃଥିଵୀଵ୍ୟାପୀ ହେଵାର ଦୁର୍ଲକ୍ଷଣମାନ ଦେଖାଦେଇଛି, ସେଥିଲାଗି ପୃଥିଵୀର ଜଣେ ଶ୍ରେଷ୍ଠ ଖାଦ୍ୟଵିଶାରଦ ସବୁ ଦେଶର ସରକାରମାନଙ୍କୁ ସାଵଧାନ କରି ଦେଇଛନ୍ତି । ଵିଶ୍ଵଖାଦ୍ୟ ଯୋଜନାର ( World Food Programme) ଏକ୍ସକ୍ୟୁଟିଭ ଡାଇରେକ୍ଟର ଶ୍ରୀ ଏ. ଏଇଚ୍. ବୋୟେର୍ମା (A. H. Boerma) ଏ ଦିଗରେ ଯୁକ୍ତରାଷ୍ଟ୍ର-ଆମେରିକାର ସାହସିକ ପଦକ୍ଷେପର ଦୃଷ୍ଟାନ୍ତ ଦେଇ ଏହି ଆସନ୍ନ ସଙ୍କଟର ସମ୍ମୁଖୀନ ହେଵାଲାଗି ଅଧିକ ଖାଦ୍ୟ ଉତ୍ପନ୍ନ ନିମନ୍ତେ ଅହ୍ୱାନ ଜଣାଇଛନ୍ତି । 

ଚବିଶଗୋଟି ରାଷ୍ଟ୍ରର ପ୍ରତିନିଧି ଉକ୍ତ ସମ୍ମିଳନୀରେ ରୋମ୍'ଠାରେ ମିଳିତ ହୋଇଥିଲେ । ରୋମ୍ ପ୍ରକାଶିତ ଏପ୍ରିଲ୍ ୧୮, ୧୯୬୭ର ଏହି ସମ୍ବାଦ ସଙ୍ଗେ ଇଟାଲିରୁ ମଧ୍ୟ ୩,୭୬୨ ୪ନ୍ ଚାଉଳ ବୋଝେଇ ଏକ ମାଲଜାହାଜ କଲିକତା ଖିଦରପୁର ଡକ୍'ରେ ଆସି ପହଞ୍ଚିଥିଲା । ଭାରତର ଖାଦ୍ୟ-ସମସ୍ୟା ଏହିରୂପେ ଆଜି ପୃଥିଵୀ-ସମସ୍ୟାରେ ପରିଣତ ହେଲାଣି । 

ଯଥାର୍ଥରେ ଵିଚାର କଲେ ରାଜନୀତି, ଅର୍ଥନୀତି, ସମରନୀତି କମ୍ବା ଶାନ୍ତିନୀତି ପ୍ରଭୃତି କୌଣସି ଵିଷୟରେ ଗୋଟିଏ ଦେଶ ଆଜି ଅନ୍ୟଠାରୁ ଵିଚ୍ଛିନ୍ନ ନୁହେଁ । ଯେ କୌଣସି ଦେଶର ସମସ୍ୟା ଆଜି ସମଗ୍ର ପୃଥିଵୀର ସମସ୍ୟାରେ ରୂପାନ୍ତରିତ। ଵିଜ୍ଞାନର ଵିଶ୍ବଗ୍ରାସୀ ପ୍ରଗତି ସଙ୍ଗେ ମାତ୍ର ତିନିଚାରିଟି ଦଶନ୍ଧି ମଧ୍ୟରେ ପୃଥିଵୀ ପରିସ୍ଥିତି ସେ ଆଶାତୀତ ଭାବରେ ଦ୍ରୁତ ବଦଳିଗଲାଣି, ଏହା ଅସ୍ବୀକାର କରାଯାଇ ନ ପାରେ ।

ଭାରତୀୟ ରାଜନୀତି କିଂଵା ଅର୍ଥନୀତିର ଯେପରି ଏହି ଜାଗତିକ ପରିଵର୍ତ୍ତନରୁ ନିସ୍ତାର ନାହିଁ । ଓଡ଼ିଶାକୁ ସେଇପରି ଭାରତରୁ ସମ୍ପୂର୍ଣ୍ଣ ଵିଚ୍ଛିନ୍ନ କିଂଵା ସ୍ଵତନ୍ତ୍ର ଵିଚାରି ତାହାର କୃଷି ଶିଳ୍ପ, ଶିକ୍ଷା ଵାଣିଜ୍ୟର ଉନ୍ନତିଵିଧାନଦ୍ଵାରା ଭାରତର ଅନ୍ୟାନ୍ୟ ଅଞ୍ଚଳ ସଙ୍ଗେ ସେସବୁ ଦିଗରେ ତାକୁ ସମକକ୍ଷ କରିଵାର ପ୍ରୟାସ ଆଜି ଆଉ ସ୍ବାଧୀନତାପରେ ମଧୁସୂଦନଙ୍କ ସମୟ ପରି ହୁଏତ ସୁତୀଵ୍ର ନୁହେଁ—କାରଣ ହାରିଗୁହାରିର ଯୁଗ ଗଡ଼ିଯାଇ ହକ୍ ପ୍ରାପ୍ୟର ଯୁଗ ଆସିଛି । 

ମଧୁସୂଦନଙ୍କ ସମୟରେ ଯାହାପାଇଁ କଟୁରୀ ଲୋଡ଼ା ହୋଇଥିଲା, ଆଜି ହୁଏତ ତାହା ନଖରେ ଛିଣ୍ଡିଗଲାଣି । ଆଜି ହୁଏତ ଉତ୍କଳ ଟାନେରୀ ଥିଲେ ଏକ ଵିରାଟ ଜାତୀୟ ଶିଳ୍ପରୂପେ ଦେଖାଦିଅନ୍ତା । ସେଥିଲାଗି ମଧୁସୂଦନଙ୍କୁ ଦେଉଳିଆ ହୋଇ ଶେଷ ଜୀଵନ ମନସ୍ତାପରେ କଟାଇଵାକୁ ହୁଅନ୍ତା ନାହିଁ । 

ଶେଷ ପର୍ଯ୍ୟାୟରେ ତାଙ୍କ ସହିତ ପୁଣି ଥରେ ସାକ୍ଷାତର ସୁଯୋଗ ଘଟେ। ଅମେସବୁ କଲେଜ ଛାତ୍ରଥିଲାବେଳେ ‘ସବୁଜ ସଂସ୍ଥା’ ଗଠିତ ହୋଇ ନ ଥିଲେ ହେଁ ଆମେ ତାହାର କେତେ ଜଣ ଉଦ୍ୟୋକ୍ତା ଏକ ସନ୍ଧ୍ୟାରେ ଯାଇ ମଧୁସୂଦନଙ୍କ କଟକ ଵାସଭଵନରେ ପହଞ୍ଚିଲୁ । ଚାରି ପାଞ୍ଚଵର୍ଷ ପୂର୍ଵେ ସ୍କୁଲଛାତ୍ର ଥିଵାବେଳେ ‘‘ଛାତ୍ର-ଦର୍ପଣ” ପତ୍ରିକା ଘେନି ଯେଉଁ ଅଵସ୍ଥାରେ ତାଙ୍କୁ ଦେଖିଥିଲି, ଆଜି ଯେମିତି ସେ ଅନେକ ବୁଢ଼ା ହୋଇଗଲେଣି; ତଥାପି ରୂପର ସେ ଦୀପ୍ତି କାହିଁ ମଉଁଳି ନାହିଁ । ଜଣ ଜଣ କରି ଆମ ପରିଚୟ ପଚାରି ସେ ବୁଝିଲେ । ତା' ପରେ ଜାଣିଵାକୁ ଇଚ୍ଛା କଲେ ଆମ ଅସିଵାର ଉଦ୍ଦେଶ୍ୟ । ଶୁଣିଲେ, ଅମେ ଚାହୁଁ ଲେଖିଵାକୁ ତାଙ୍କ Reminiscences ( ସ୍ମୃତିକଥା ) । ସେ କେଵଳ ସ୍ବୀକୃତ ହେଲେ ପ୍ରତ୍ୟହ ଆମ ଭିତରୁ କେହି ଜଣେ ଆସି ତାଙ୍କ ପାଖରେ ବସି ଲେଖିନେଵେ । ଆମ ପ୍ରସ୍ତାଵଟି ଶୁଣିସାରି ଵୈଠକଖାନା ସୋଫା ଉପରେ ସିଧା ହୋଇ ବସି ମଧୁସୂଦନ ଚମକି ପଡ଼ିଲା ଭଳି କହିଉଠିଲେ— “Reminiscences ! ମଧୁସୂଦନ ଦାସର Reminiscences !"

ତା’ପରେ ଚାଲିଲା ଅନର୍ଗଳ ଭାଷଣ—

 “ତୁମେ ଚାହୁଁଚ ମଧୁସୂଦନ ଦାସର Reminiscences !
  ସେ ଆଜି ନିଃସ୍ଵ, ଦେଉଳିଆ, Insolvent ! ‘ଉତ୍କଳ ଟେନେରି’ ତା’ର ଵିକ୍ରୀ ହୋଇ ଯାଇଛି, The Oriya’ ଖବରକାଗଜ ଆଜି ନାହିଁ, ନେତୃତ୍ଵ ତା’ର ନିଃଶେଷ । କ'ଣ Reminiscences ଲେଖିଵ ତା’ର ? Reminiscences ଲେଖିଵାକୁ ଚାହଁ ତ ଯାଅ କୋଣାର୍କକୁ । ସେଇଠି ମିଳଵ ପ୍ରକୃତ Reminiscences, ଓଡ଼ିଶାର Reminiscences !'' 

ନିର୍ମମ ସତ ପରି କଥାଗୁଡ଼ିକ ସେଇ ଶୀର୍ଣ୍ଣ ପାଣ୍ଡୁର ମୁଖରୁ ବାହାରି ଆସି ମୁଖରେ ଆମର ବାଜୁଥାଏ । ମନେ ହେଉଥାଏ, ଯେମିତି ଅଵା ଆମ ଆଗରେ କଥା କହୁଛି ସ୍ବୟଂ କୋଣାର୍କ ହଠାତ୍ ଜୀଵନ୍ୟାସ ପାଇ ଓ ଏଇ ସନ୍ଧ୍ୟାରେ ଆମ ସପକ୍ଷରେ ତା’ର ପୂର୍ଣ୍ଣ ଐଶ୍ଚର୍ଯ୍ୟରେ ଆଵିର୍ଭୂତ ହୋଇ ! 

“ଭାରତବର୍ଷ ଭିତରେ ଓଡ଼ିଶାକୁ ସ୍ବତନ୍ତ୍ର କରି ରଖିଛି ଏହି କୋଣାର୍କ, ରଖିଵ ଏଇ କୋଣାର୍କ। ଭରତର ଲାଙ୍ଗୁଡ଼ ହୋଇ ପଛରେ ଘୁଷୁରି ରହଵନି ଓଡ଼ିଶା । ସେ ଭାରତର ହେଵ ଅଗ୍ରଣୀ । ଏଇ କୋଣାର୍କର ଵଂଶଧର ଦୁଇକୋଟି ଓଡ଼ିଆ ହେଵେ ଭାରତର ଅଗ୍ରଣୀ !”

 ଦେହସାରା ଆମର ଶୀତେଇ ଉଠିଲା, ରୋମ ଉଠିଲା ଟାଙ୍କୁରି । ଅଜାଣତରେ ଆଖି ଆମର ଲୁହ ଛଳଛଳ ହୋଇପଡ଼ଲା । ନିର୍ଵେଦ ନିଷ୍ପନ୍ଦ ଅପଲକ ଆଖିରେ ଚାହିଁରହଲୁଁ ଆମ ସମକ୍ଷରେ ଆସୀନ ସେଇ ଜୀଵନ୍ତ କୋଣାର୍କର ଵିଗ୍ରହକୁ । ସେଇ ଵିଗ୍ରହର 'ମୁଖରୁ ହିଁ ଶୁଣିପାରିଲୁଁ ଦୁଇ କୋଟି ଓଡିଶାଵାସୀଙ୍କ ମୁଖର ଭାଷା ! ପ୍ରାଣର ଵାଣୀ !

© ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀ
               🔴———×———🔴

Friday, September 3, 2021

ତିଗିରିଆ ଗଡ଼ (କୁମ୍ଭାରଚକ)




ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆଗଡ଼ର #ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡା ସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ...

“କେହୁ ଜାଣିବରେ ଯୁବତୀ ମନ ?
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
ନିତି ଦକଦକ ହୁଏ ମୋ ଛାତି । ”

ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତାର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ - ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି  ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?

ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।

ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା...

“ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ
ପରାଗ ମୁଞ୍ଚିଲା ପଙ୍କଜ ପରାଏ
ଦିଶୁଅଛୁ ନାହିଁ ପାଇଁ । ”

ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’
“ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” - ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।



ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି ।

ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତି ସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ । #କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି ।

କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ।

ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ-  #ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା - ‘ମଣିମା ।’
  ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’
 
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।'

ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକ ଙ୍କଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ - ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନ ବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି #ଟାକି ବସିଥିଲେ । ଆଖି ପିଛୁଳାକର #ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ - ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ
ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ? ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା ।

ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି -

“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ !
ଲବେ ଦୟା ନାହିଁକି ?”

ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ #ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ #ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ #ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ ।

ଛାମୁରୁ କହି ଆଜ୍ଞା କଲେ କି - ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାବୁତ କଣ୍ଠରେ କୃଷ୍ଣରସ - ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”

ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ”

ରାଜା ଟିକିଏ ଦୁଃଖ କଲେ, କହିଲେ - ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।' ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ #ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି - ଭଲା ଏଠି ଗାଇବି କେମିତି ?

ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’

ଓ ! ରକ୍ଷା ମିଳିଗଲା ।

ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର #ବୋଲନ୍ତେ- ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା #ମଉଡ଼ମରା ଚାଳ । #ଘୋଷରା_ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ ।  ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ #ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ #ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା - କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା ।

ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ #ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା - ଆଦେଶ ପାଇ ଗାଇଲି

“କୃପାସିନ୍ଧୁ ଵଦନ
କରି ଅଵଲୋକନ
କେଉଁ କରମହୀନ ଜନ”
...

ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତ ରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି ।





ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା - ରଜାଘରୁ ତମପାଇଁ #ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି #ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା ।

ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?”

ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି - ନିଶ୍ଚେ ଆସିଵ', ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ  ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।

ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତ କିଆରୀ, କୋଉଠି #କଜଳପାତି, କୋଉଠି #ଚଷାପୁଅ, #ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ #ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣା ଯାଉଥାଏ  ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ ।

କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” I ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ #ଫୁଲ_ସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ି ମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।

ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇ ଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକାସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ” ।

                🔴———×———🔴
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ଆତ୍ମଜୀଵନୀ #କୁମ୍ଭାରଚକ'ରୁ ପ୍ରୋକ୍ତ #ତିଗିରିଆ_ଗଡ଼ ଲେଖା ସଂଗୃହୀତ ‌ହୋଇଅଛି ।

            🔵—ଲେଖକ ପରିଚୟ —🔵
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ?  ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା ।

ସେ ଥିଲେ– ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ।

୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ(ଅଵଶ୍ୟ  ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ ।  ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି ।  ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା  ।
⚫⚫⚫⚫⚫⚫⚫⚫⚫⚫⚫⚫⚫
⚫⚫⚫⚫⚫⚫⚫⚫⚫⚫⚫⚫⚫