ଆମ ଗାଁ ଉପ୍ରା ସ୍କୁଲର ହେଡ଼ମାଷ୍ଟର ରାମ କକେଇ ଥିଲେ ଭୟ ଓ ଆତଙ୍କର ଏକ ପ୍ରତିମୂର୍ତ୍ତି । ସ୍କୁଲଘରେ ସେ ଚିତ୍କାର କଲାବେଳେ ଗାଁଆଟା ଯାକ ଦୁଲୁକି ଉଠେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ତାଙ୍କର ମାତାପିତା ଅଭିଭାଵକ ପର୍ଯ୍ୟନ୍ତ କାହାକୁ ସେ ଚିତ୍କାର ଥରାଇ ନ ଦିଏ ! କାରଣ ଠିକ୍ ତାହା ପରେ ପରେ ସମଗ୍ର ସ୍କୁଲର ସବୁ ଛାତ୍ରଛାତ୍ରୀ ସମସ୍ବରରେ ଚିତ୍କାର କରିଉଠନ୍ତି—ଏକାବେଳେ ଏକ ହୃଦୟଵିଦାରକ ଚିତ୍କାର !
ସତେ ଯେମିତି ସେ ଚିତ୍କାରରେ ଗାଁର ବୁଲାକୁତୀଗୁଡ଼ା ସୁଦ୍ଧା ବୋବାଳି ଛାଡ଼ନ୍ତି; ଆଉ କୁଆ କୁମ୍ଭାଟୁଆଙ୍କ ମୁହଁରୁ ଶବ୍ଦ ବାହାରିଆସେ । ଵୋହୂ ଭୁଆଷୁଣୀମାନେ ତରବର ହୋଇ କୂଅରୁ ପାଣି ଓଟାରି ହାଣ୍ଡି ଶାଳରେ ପଶନ୍ତି । ବିଲମଝିରେ ହଳିଆର ହଳ ମଧ୍ଯ ବେଗି ବେଗି ଚାଲେ ।
ରାମ କକେଇଙ୍କ ଜାଉଁଳିବେତ କାରଣ ଅକାରଣରେ ସାନବଡ଼ ନର୍ଵିଶେଷରେ ସ୍କୁଲଘର ଭିତରେ ଗୋଟିଏ ପାଖରୁ ଅନ୍ୟ ପାଖ ପର୍ଯ୍ୟନ୍ତ ସବୁ ପିଲାଙ୍କ ପିଠିରେ ନିଆଁ ଲଗିଲାଭଳି ଚାଲିଗଲାପରେ ଯେଉଁ ସ୍ଵରଲହରୀ ଉଠେ, ଗାଁଟାଯାକର ପଶୁପକ୍ଷୀ ମନୁଷ୍ୟ କାହାର ଯେମିତି ସେଥିରୁ ନିସ୍ତାର ନାହଁ !
ତା’ ବୋଲି ପଦେହେଲେ ରାମ କକେଇଙ୍କ ଆଗରେ ପ୍ରତିଵାଦ କରି ପାଟି ଫିଟାଇଵା ସାହସ ଥିଲା କାହାର ! ସେ ଯେମିତି ଗାଁଯାକର ଧନୀ ଗରିବ, ପିଲା ବୁଢ଼ା, ସ୍ତ୍ରୀ ପୁରୁଷ ସମସ୍ତଙ୍କର ମାଷ୍ଟର । ସ୍କୁଲଘରପାଇଁ ଦ୍ଵାରଦ୍ବାର ବୁଲି ନଡ଼ା ବାଉଁଶ ସଂଗ୍ରହ କରିଵାଠାରୁ ଆରମ୍ଭ କରି ପିଲାଙ୍କୁ ଡାକି ପାଠ ପଢ଼ାଇଵା ପର୍ଯ୍ୟନ୍ତ ସବୁ କାମକୁ ସେ ତିଆର !
ସେଇ ରାମ କକେଇ ଯେଉଁ ଦିନ ସ୍କୁଲ ଛାଡ଼ି କ'ଣ ସବୁ ପ୍ରଚାର କାମ କରିଵାକୁ ବାହାରିଗଲେ, ସେଦିନ କିନ୍ତୁ ସ୍କୁଲପିଲାଙ୍କ ମନ ଟିକିଏ ଉଶ୍ବାସ ହୋଇପଡ଼ିଥିଲା । ଆଉ ଯେ କେହି ମାଷ୍ଟର ଆସନ୍ତୁ ପଛେ, ତାଙ୍କଠାରୁ ସେ କଦାପି ବେଶି ଭୟାନକ ଓ କଡ଼ା ହେଵେ ନାହିଁ, ଏ ଵିଶ୍ଵାସ ଛାତ୍ରମାନଙ୍କର ଥିଲା ।
ଅସଲ କାରଣ ହେଲା, ସେ ନିଜ ଗାଁର ହୋଇଥିଵାରୁ ତାଙ୍କ ଆଗରୁ ଲୁଚିଵା ଅଥଵା ଲୁଚାଇଵା ଲାଗି କୌଣସି ସ୍ଥାନ ଵା ଵିଷୟ ପିଲାମାନଙ୍କର ନ ଥିଲା ।
ତେବେ ସେ ପୁଣି କ’ଣ ପ୍ରଚାର କାମ କରିଵେ ? ଏଡ଼େ ରାଗି ମଣିଷ, ତାଙ୍କ କଥା ଶୁଣିଵ କିଏ ? କିନ୍ତୁ ରାମ କକେଇ ସ୍କୁଲ ଛାଡ଼ି ଗାଁ-ଗାଁ ବୁଲି ପ୍ରଚାର କଲେ । ଚାଷୀମାନେ ଖାଲି ଧାନ ମୁଗ ଚାଷ ନ କରି ବେଶୀ ଲାଭଜନକ ଫସଲ ଆଖୁ କପା ଜନ୍ମାଇଵେ; ଅରଟ ଚଳାଇ ସୂତା କାଟିଵେ । ଏଇ ପ୍ରଚାର କାମ ପାଇଁ ରାମ କକେଇଙ୍କୁ ମାସିକ ଦରମା ମିଳିଲା ୧୫ ଟଙ୍କା । ଘଟଣାଟି ପ୍ରାୟ ଅର୍ଦ୍ଧ-ଶତାବ୍ଦୀର । ସେଇକାଳୁ ମଧୁବାବୁଙ୍କ ନାଁ’ ମୁଁ ଆଜି ପର୍ଯ୍ୟନ୍ତ ଶୁଣିଆସୁଛି ।
କୁଶଭଦ୍ରା ନଈର ଅଠାନ୍ତର ବନ୍ଧ ଭାଙ୍ଗି ଅନେକ ଜମି ବାଲିଚର ହୋଇଯାଇଥାଏ । ମଧୁବାବୁ ନିଜେ ଆସି ଦେଖିଗଲେଣି...
ଓଡ଼ିଶାର ମଧୁବାବୁ !
ଲେକଙ୍କ ଅଵସ୍ଥା ନିଶ୍ଚେ ଏଣିକି ସୁଧୁରିଵ ବୋଲି ଟିକିଏ ଦମ୍ଭ ଆସିଛି । ରାମ କକେଇଙ୍କ ପ୍ରଚାର ଫଳରେ କେତେ ଗାଁଆରେ ଆଖୁ କପା ଚାଷ ସଙ୍ଗେ ଅରଟ ମଧ୍ୟ ଚାଲିଲାଣି । ସେତେବେଳକୁ ଗାନ୍ଧୀଙ୍କ ନାଁ ବେଶି ଶୁଣାଯାଇ ନ ଥାଏ । ଓଡ଼ିଶା କହିଲେ ମଧୁବାବୁଙ୍କୁ ଓ ମଧୁବାବୁ ଅର୍ଥ ଓଡ଼ିଶାକୁ ବୁଝାଉ ଥିଲା । ପୁଣି ପାଠ ପଢ଼ିଵାର ଲକ୍ଷ୍ୟସ୍ଥଳ ଥିଲା, “ମଧୁବାବୁ ସଙ୍ଗେ ଲଢ଼ିଵା” । ମଧୁବାବୁ ସଙ୍ଗେ ଵିଦ୍ୟାରେ ବୁଦ୍ଧିରେ ଲଢ଼ିଵାଠାରୁ ଆଉ ବେଶୀ କିଛି ମହତ୍ତ୍ବ ଓ ଵୀରତ୍ଵର କାମ ନ ଥିଲା । ମଧୁବାବୁ କିମିତି ଲୋକ, କାହିଁକି ଏସବୁ କାମ ସେ ହାତକୁ ନେଇଛନ୍ତି, ପିଲାଦିନୁଁ ତାଙ୍କପ୍ରତି ଏହିରୂପେ ଏକ କୌତୂହଳ, ଆଗ୍ରହ ଓ ସମ୍ଭ୍ରମ ମନ ଭିତରେ ବସା ବାନ୍ଧିଥିଲା । ଯେଉଁ ଲେକ ଯେତେ ଵିଖ୍ୟାତ, ତାଙ୍କର ନିନ୍ଦା ଓ ପ୍ରଶଂସାର ମାତ୍ରା ଯେ ଏକାବେଳେ ନିକ୍ତି-ଓଜନ ପରି ଦୁଇପାଖଯାକ ସମାନ; ଅଥଵା ତହିଁରେ କୌଣସି ପାଖର ଓଜନରେ ଅଳ୍ପ ବହୁତ କିଛି ଫରକ୍ ଅଛି, ତାହା ସ୍ଥିର କରିଵା କଠିଣ ।
ସେହିପରି ମଧୁବାବୁଙ୍କ ନାଆଁରେ ଅନେକ କଥା ଶୁଣାଯାଉଥାଏ । ମୋଟାମୋଟି ତାଙ୍କ ପ୍ରଶଂସାର ଦିଗଟି ହେଲା, ଓଡ଼ିଶାରେ ସେ ସବୁଠାରୁ ବେଶୀ ବୁଦ୍ଧିମାନ୍, ବଡ ବାରିଷ୍ଟର (ବାରିଷ୍ଟର ନ ହୋଇ ମଧ୍ୟ),ବଡ଼ ଵକ୍ତା, ବଡ଼ ନେତା, ଏକମାତ୍ର ମନ୍ତ୍ରୀ; ପୁଣି ମନ୍ତ୍ରୀପଦକୁ ତ୍ୟାଗ କରିଵାରେ ସାରା ଭାରତଵର୍ଷରେ ଏକମାତ୍ର ଵ୍ୟକ୍ତି । ତାଙ୍କ ନିନ୍ଦାର ଦିଗ ହେଲା, ପାରିଵାରିକ ଓ ସାମାଜିକ ଜୀଵନରେ ସେ ନୀତିଶୂନ୍ୟ, ଵିଧର୍ମୀ, ପୁଣି ଵ୍ୟକ୍ତିଗତ ଜୀଵନରେ କ୍ରୋଧୀ, ଲୋଭୀ, ଅହଂକାରୀ ଇତ୍ୟାଦି । କିନ୍ତୁ ଅନ୍ଧାର ରାତିରେ ହାବେଳି ବାଣପରି ତାଙ୍କର ସବୁ ଦୋଷକୁ ଆଲୁଅ କରି ଭଲ ଗୁଣଗୁଡ଼ିକ ଆକାଶଗାମୀ ହୋଇଥିଲା ।
ଯେଉଁସବୁ ଦୋଷାଵହ ଆଚରଣକୁ ପରିହାର କଲେ ମଣିଷ ମହାନ ହୁଏ ବୋଲି ଛାତ୍ର ଅଵସ୍ଥାରେ ପାଠ୍ୟ ପୁସ୍ତକରୁ ଶିକ୍ଷା କରାଯାଏ, ସେଗୁଡ଼ିକୁ ପୂରାପୂରି ଗ୍ରହଣ କରି ମଧ୍ୟ ମଣିଷ କିପରି ମଧୁବାବୁ ହୋଇପାରେ, ତାହା ଜାଣିଵା ପାଇଁ ଅଳ୍ପ ଵୟସରେ କୌତୂହଳ ଜନ୍ମିଵା ସ୍ଵାଭାଵିକ । ସେ କୌତୂହଳର କିଛି ପରିମାଣରେ ନିଵୃତ୍ତି ହେଲା ପୁରୀ ରାମଚଣ୍ଡୀ ସାହିରେ ଥିଵା ଆମ ଘରପାଖେ ଯେଉଁ ଵର୍ଷ ‘ଉତ୍କଳ ସମ୍ମିଳନୀ’ର ଅଧିଵେଶନ ହୁଏ ।
ଗୋପବନ୍ଧୁ ପ୍ରମୁଖ ଓଡ଼ିଶାର ଵିଭିନ୍ନ ଅଞ୍ଚଳରୁ ଆସିଥିଵା ଏକାଧିକ ନେତା ଓ ପ୍ରତିନିଧିଙ୍କ ଗହଣରେ ଶୁକ୍ଳକେଶ ଶୁକ୍ଳଶୁଶ୍ରୁ ଘେନି ବସିଥାନ୍ତି ଶୀର୍ଣ୍ଣ ମଧୁସୂଦନ । ଵିପୁଳ କରତାଳି ଧ୍ଵନୀ ମଧ୍ୟରେ ସେ ତାଙ୍କର ଭାଷଣ ଆରମ୍ଭ କଲେ, “ଓରେ ସଖି, ଆପଣା ମହତ ଅପେ ରଖି !”
ନିଜର ପୁଣି ଦେଶର ମର୍ଯ୍ୟାଦା ରଖିଵା ଯେ ପ୍ରତ୍ୟେକ ଦେଶଵାସୀର ପ୍ରଥମ ଓ ଶେଷ କର୍ତ୍ତଵ୍ୟ, ଏହାହିଁ ଯେପରି ତାଙ୍କ ଜୀଵନର ଲକ୍ଷ୍ୟ ଥିଲା । ସେ ଲକ୍ଷ୍ୟକୁ ସାଧନ କରିଵାରେ ସେ କେତେଦୂର ସଫଳ କିଂଵା ଵିଫଳ ହୋଇଥିଲେ, ତାହାର ଵିଚାର ତାଙ୍କୁ ଅମର କରିନାହିଁ—ଅମର କରିରଖିଛି କେଵଳ ସେହି ଲକ୍ଷ୍ୟ, ସେହି ଅମ୍ଳାନ ଅଚ୍ୟୁତ ଅଵିଚଳିତ ଲକ୍ଷ୍ୟ । ସେ ଲକ୍ଷ୍ୟରୁ କେବେହେଲେ ସେ ଯେ ସ୍ଖଳିତ ହୋଇନାହାନ୍ତି, ଏହାହିଁ ତାଙ୍କ ଜୀଵନରୁ ଶିକ୍ଷଣୀୟ ।
ସ୍ଵଦେଶକୁ “ମାତୃଭୂମି” କହିଲେ ସେ ଵ୍ୟାଖ୍ୟା କରୁଥିଲେ, ତାହା ମା’ଠାରୁ ସୁଦ୍ଧା ଅଧିକ । କାରଣ ମା’ସିନା କେଵଳ ଜନ୍ମ ଦେଇ ସ୍ତନ୍ୟପାନ କରାଏ; ମାତ୍ର ତା’ପରେ ଆମର ସବୁ ଅଳିଝଳି ଲାଳନପାଳନର ଭାର ପଡ଼େ ମାତୃଭୂମି ଉପରେ । କେଵଳ ତ ସେତିକି ନୁହେଁ—ମୃତ୍ୟୁ ହେଲେ ମା କଦାପି ନିଜ କୋଳରେ ସ୍ଥାନ ଦେଇପାରନ୍ତି ନାହିଁ, ଅଥଚ ସ୍ଥାନ ଦିଅନ୍ତି ମାତୃଭୂମି । ପ୍ରତ୍ୟେକ କଥା ଓଜନଦାର, ଅର୍ଥପୂର୍ଣ୍ଣ । ପ୍ରତ୍ୟେକ ଵ୍ୟକ୍ତି କି ବାଳକ, କି ଯୁଵକ, ପ୍ରୌଢ଼, ଵୃଦ୍ଧ ତାଙ୍କ ପାଖରେ ଯେମିତି ଗୋଟିଏ ଗୋଟିଏ ସାଧାରଣ ସଭା । ତାଙ୍କ ସଙ୍ଗରେ କଥାଵାର୍ତ୍ତାବେଳେ ସୁଦ୍ଧା ଯେମିତି ସେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି । ଏଇଭଳି ତାଙ୍କର ଵିରାଟ ଵ୍ୟକ୍ତିତ୍ଵ ଓ ସବୁ ସତ୍ବ ହିଁ ଵ୍ୟଷ୍ଟି ଭିତରେ ମିଳେଇଯାଇଥିଲା ।
ନିଜର ସମୁଦାୟ ସତ୍ଵକୁ ସେ ଲିଭାଇ ଦେଇପାରିଥିଲେ ଦେଶମାତୃକାର ସବୁ ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ଜଡ଼ ଉଦ୍ଭିଦ ଭିତରେ । ତାଙ୍କର ସବୁ ଚାରିତ୍ରିକ ତ୍ରୁଟିଵିଚ୍ୟୁତି ଦୋଷ ଦୁର୍ଗୁଣ କାଠିକୁଟା ଅଳିଆଅସ୍କରା ପରି ଭାସିଯାଇ ଥିଲା ଦେଶପ୍ରେମର ଓ ମାନଵପ୍ରେମର ମହାଵେଗଵାନ୍ ପ୍ରଵଳ ସ୍ରୋତରେ ଜଳିପୋଡ଼ି ଭସ୍ମସାତ୍ ହୋଇଥିଲା, ଦେଶପ୍ରେମର ଅନିର୍ଵାଣ ସ୍ବାର୍ଥମେଧ ଯଜ୍ଞର ବହ୍ନି ଦାହରେ ।।
ମଧୁସୂଦନ ନିଜକୁ ଖୋଜି ପାଇନାହାନ୍ତି ନିଜର ଵିଦ୍ୟା ଵୁଦ୍ଧି ଵିଚକ୍ଷଣତାରେ, ଆଇନ-ଵ୍ୟଵସାୟଦ୍ଵାରା ଅର୍ଥୋପାର୍ଜନର ପ୍ରାଚୁର୍ଯ୍ୟରେ, ଅସାଧାରଣ ଓଡ଼ିଆ କିମ୍ବା ଇଂରାଜୀ ଭାଷାର ବାଗ୍ମିତାରେ, ନାରୀଶିକ୍ଷାର ଅଗ୍ରଣୀ ହୋଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ଅଥଵା ଉତ୍କଳୀୟ ଶିଳ୍ପକଳାର ପ୍ରତିନିଧିତ୍ବ କରି ଶିଳ୍ପାନୁଷ୍ଠାନ ଗଠନରେ, ସମ୍ବାଦପତ୍ରର ସାର୍ଥକ ସମ୍ପାଦନାରେ କିଂଵା ମନ୍ତ୍ରୀଦପ୍ତରର ଵିଚକ୍ଷଣ ସୁପରିଚାଳନାରେ । ସେ ଆପଣାକୁ ପାଇଛନ୍ତି
‘‘ମାଆ ମାଆ ଭାଇ ଭାଇ ଡାକିଵାରେ ପୁଣି ଖୋଜିଵାରେ’’—
“ମାଆ ମାଆ ବୋଲି କେତେ ମୁଁ ଡାକିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି
ନ ଦେଲେ ଉତ୍ତର କେହି !”
ମାଆ ତାଙ୍କର ଗଲେ କୁଆଡ଼େ ? ଭାଇ ତାଙ୍କର କାହାନ୍ତି ? ଵନ ପର୍ଵତ, ନଦୀ ସାଗର ସର୍ଵତ୍ର ସେ ଖୋଜି ବୁଲିଛନ୍ତି । ମାଆଙ୍କର ପଦଚିହ୍ନ ଦେଖିଛନ୍ତି ଭୁବନେଶ୍ବରରେ । ସେ ଚିହ୍ନ ଉପରେ ଲେଖାଅଛି ‘ରାଜରାଣୀ’ ! ଭାଇଙ୍କର ପଦଚିହ୍ନ ଅଙ୍କାରହିଛି ସମୁଦ୍ର କୂଳ ମରୁ ଵାଲୁକାମୟ ପ୍ରାନ୍ତରରେ I ନାମ ତାହାର ‘କୋଣାର୍କ’ ! ମାତ୍ର କୁଆଡ଼େ ଗଲେ ସେମାନେ ? ଵିକଳ ଵିଭ୍ରାନ୍ତ କଵି ଶେଷରେ ସେମାନଙ୍କୁ ପାଇଛନ୍ତି ସେଇ ଏକ ଅନିର୍ଵାଣ “ସ୍ଵାର୍ଥମେଧ ଯଜ୍ଞ’ରେ । ଡାକିଛନ୍ତି ସମସ୍ତଙ୍କୁ ସେଇ ଯଜ୍ଞକୁଣ୍ଡରେ ସ୍ବାର୍ଥକୁ ଆହୁତି ଦେଇ ଚାରିଆଡ଼େ ଛାତିକୁ ଛାତି ମିଶାଇ ନାଚିଵା ପାଇଁ ।
ପୃଥିଵୀ-ସାହିତ୍ୟରେ ଯେଉଁ ଅଳ୍ପ କେତେ ଜଣ କଵି ଗୋଟିଏ ଦିଓଟି ମାତ୍ର କଵିତା ଲେଖି ଅମର ହୋଇଛନ୍ତି, ମଧୁସୂଦନ ତାଙ୍କରି ଭିତରୁ ଜଣେ | କାରଣ ସେ କଵିତା ସ୍ବୟଂ ସେ ନିଜେ ! ତାହାର ପ୍ରତି ଅକ୍ଷରରେ ତାଙ୍କର ରକ୍ତମାଂସ ଅସ୍ଥିମଜ୍ଜା ଶିରା-ପ୍ରଶିରା ଯେପରି ନିଗିଡ଼ି ପଡ଼ିଛି ।
ମନେ ପଡ଼େ—ସ୍କୁଲଛାତ୍ର ଥିଵା ସମୟରେ ତାଙ୍କ ସହିତ ସାକ୍ଷାତକାରର ଏକ ଅଵିସ୍ମରଣୀୟ ଘଟଣା । ପୁରୀ ଜିଲ୍ଲା ସ୍କୁଲର କେତେ ଜଣ ସହିତ୍ୟବନ୍ଧୁ ମିଳତ ହୋଇ ଏକ ସାହିତ୍ୟ ଅଲୋଚନା ସଭା ଗଢ଼ିଥାଉଁ । ଗୋଟିଏ ହାତଲେଖା ପତ୍ରିକା ମଧ୍ୟ ପ୍ରକାଶ କରୁଥାଉଁ । ଶେଷରେ ଏହି ହାତଲେଖା ପତ୍ରିକା'ଟି ଵିପୁଳ ଆନନ୍ଦ ଉତ୍ସାହ ଭିତରେ ଛପା ଅକ୍ଷରରେ ପ୍ରକାଶ ପାଏ । ପ୍ରଥମ ପୁଣି ବୋଧହୁଏ ଶେଷ ଥର ପାଇଁ ! ମଧୁବାବୁଙ୍କୁ ଭେଟିଵାଲାଗି ଏହାହିଁ ହେଲା ପ୍ରଧାନ ଉପାୟନ । ପତ୍ରିକାର ନାମ “ଛାତ୍ର-ଦର୍ପଣ’ । ସ୍କୁଲ ନିକଟରେ ମଧୁବାବୁଙ୍କର ଘର ‘ଶୈଳ-ନିଵାସ’; ମଝିରେ ମଝିରେ କଟକରୁ ଆସି ସେଇଠି ତାଙ୍କର ରହଣି । “ଛାତ୍ର-ଦର୍ପଣ”’ ଧରି ମଧୁବାବୁଙ୍କୁ ଭେଟିଵା ପାଇଁ ବାହାରିଲୁଁ । ଝରକାପାଖେ ବସି ସେ ଖିଅର ହେଉଥାନ୍ତି । ନିଃସଙ୍କୋଚରେ ସେଇଠି ଯାଇ ଠିଆହେଲୁଁ । ‘କିଏ ତୁମେମାନେ ?” ପ୍ରଶ୍ନ କଲେ ମଧୁବାବୁ ।
“ପୁରୀ ଜିଲ୍ଲା ସ୍କୁଲର ଛାତ୍ର ।” “ଆଚ୍ଛା, ମତେ ଟିକିଏ ମାଫ୍ କରିଵ ! ସେପାଖ ଵୈଠକଖାନାରେ ଅଳ୍ପ ସମୟ ଅପେକ୍ଷା କରିଵ କି ?”
ଚାରି ପାଞ୍ଚମିନଟ୍ ଭିତରେ ସେ ଵୈଠକଖାନାରେ ପ୍ରଵେଶ କଲେ । ତାଙ୍କର ଭଦ୍ରୋଚିତ “ମାଫ୍ କରିଵ’’ କଥା ସେହି କାଳରୁ ଆଜି ସୁଦ୍ଧା ମନେ ରହିଗଲା । ହାତକୁ ତାଙ୍କର ବଢ଼ାଇଦେଲୁଁ ଆମର ଗର୍ଵ, ଆମର କୃତିତ୍ଵର “ଛାତ୍ର-ଦର୍ପଣ’ ପତ୍ରିକା ଖଣ୍ଡି । ଓଲଟପାଲଟ କରି ତାକୁ ସେ ଦେଖିଲେ । ଆଶା କରିଥିଲୁ; ଭିତରେ ତା’ର ଛପା ଅକ୍ଷରରେ ଲେଖକମାନଙ୍କ ନାମ ପଢ଼ି, ଅନ୍ତତଃ ଆମର ପରିଚୟ ସେ ପଚାରିଵେ । ମାତ୍ର ହତାଶ ହେଲୁ, ଯେତେବେଳେ ସେ କହିଲେ— ରୋଜ କେତେ ଏମିତି ପତ୍ରପତ୍ରିକା ମୋ ପାଖକୁ ଅସେ । ସେସବୁ ପଢି଼ ଦେଖିଵାକୁ ବି ବେଳ ମିଳେ ନାହିଁ । ତେଣୁ ତାକୁ ଏଇ ଓ୍ଵେଷ୍ଟ୍ ପେପର୍ ବାସ୍କେଟରେ ପକାଇଦିଏ ।” ଏତକ କହି ତାଙ୍କ ପାଦ ପାଖରେ ଥିଵା ବାସ୍କେଟଟାକୁ ସେ ମୁଣ୍ଡ ନୁଆଇଁ ଚାହିଁଲେ !
ଧଡ଼ଧଡ଼ ହୋଇ ଛାତି ଭିତର ଆମର ପଡ଼ିଲା । ସତେ ଯେମିତି ଆମେସବୁ ପ୍ରତ୍ୟେକେ ଜଣେ ଜଣେ ଗୋଟିଏ ଲେଖାଁ ୱେଷ୍ଟ୍ ପେପର ବାସ୍କେଟ୍ ; ଆଉ ତା’ରି ଭିତରକୁ ସେ ଆମର ଅତି ଆଦରର ବଡ଼ ଆୟାସର ସ୍ବପ୍ନ ‘ଛାତ୍ର-ଦର୍ପଣ’କୁ ଟିକି ଟିକି କରି ଚରି ଫିଙ୍ଗିଦେଵାକୁ ଯାଉଛନ୍ତି ! କିନ୍ତୁ ସେ ତାହା କଲେ ନାହିଁ । ପତ୍ରିକାର ଭିତରକୁ ନ ଚାହିଁ ଲାଲ ମଲାଟ ଲଲାଟରେ ଲିଖିତ ଖାଲି ନାମକୁ ସେ ଉଚ୍ଚାରଣ କଲେ—‘ଛାତ୍ରଦର୍ପଣ” । ତା’ପରେ ଟିକିଏ ରହିଯାଇ କହିଲେ, “ଆଚ୍ଛା ଭଲ ନାଁଟିଏ ଦେଇଛ ତୁମ ପତ୍ରିକାର; କିନ୍ତୁ ଜାଣିଛ କି ତୁମେ, ଭାରତଵର୍ଷକୁ ଯେତେବେଳେ ଦର୍ପଣ ଆସି ନ ଥାଏ, ସେତେବେଳେ ପ୍ରତ୍ୟେକ ସ୍ତ୍ରୀ ପ୍ରତ୍ୟେକ ପୁରୁଷ ଵିଚାରୁଥିଲେ ତାଙ୍କ ମୁହଁ ସବୁଠାରୁ ବେଶି ସୁନ୍ଦର ! ତା’ ପରେ ସେତେବେଳେ ଦର୍ପଣ ଅସିଗଲା, ସେତେବେଳେ ସମସ୍ତେ ନିଜ ନିଜ ମୁହଁକୁ ସେଥିରେ ଚାହିଁ ବୁଝିପାରିଲେ । ତାଙ୍କ ମୁହଁଠାରୁ ଆହୁରି ସୁନ୍ଦର ମୁହଁ ବି ପୃଥିଵୀରେ ଅଛି ।
ତୁମେମାନେ ସେମିତି ଏହା ଭିତରେ ନିଜ ମୁହଁକୁ ଦେଖିଲଣି ?”
ଅଦ୍ଭୁତ ଅପ୍ରତ୍ୟାଶିତ ପ୍ରଶ୍ନ !
ସ୍ତବ୍ଧ ଅଵାକ୍ ହୋଇ ଚାହିଁରହିଲୁଁ ମଧୁସୂଦନଙ୍କ ମୁହଁକୁ ଆମେ ସମସ୍ତେ ! ମନେ ହେଲା, ଯେମିତି ତାଙ୍କର ସେଇ ପତଳାମୁହଁ ଵାର୍ଦ୍ଧକ୍ୟରେ ଲୋଳଚର୍ମ ହୋଇ ସବୁଠୁ ସୁନ୍ଦର ଦିଶୁଛି । ତା’ପରେ ସେ ପୁଣି ଆରମ୍ଭ କଲେ—
“ତୁମେ ସବୁ ପାଠ ପଢ଼ିସାରି କଣ କରିଵ ଭବିଛ କି ?
ମୋ ଭାଇ ଗୋପାଳ (୰ ଗୋପାଳଵଲ୍ଲଭ ଦାସ, ‘ଭୀମଭୂୟାଁ’ ଉପନ୍ୟାସର ଲେଖକ) ଯେତେବେଳେ ପାଠ ଶେଷ କରି ଚାକିରି କରିଵାକୁ ଗଲା, ତାକୁ କହିଲି, ‘ତତେ ମୁଁ ଗୁଳି କରି ମାରିଦେବି । ପାଠ ପଢ଼ି ତୁ ଗୋଲାମ ହେଲୁ ? ଏଇ କଣ ପାଠର ଅର୍ଥ ? ଜାଣୁ କି, ସରସ୍ଵତୀ ଵେଶ୍ୟା ନୁହେଁ । ମନେ ରଖ ତୁମେ, ସରସ୍ଵତୀ ଵେଶ୍ୟା ନୁହେଁ !”
ଗୁଳି ବାଜିଲାଭଳି ଆମ କାନଭିତରେ ବି ତାଙ୍କ କଥା ଲାଖିରହିଲା । ପ୍ରାୟ ପଚାଶ ଵର୍ଷ ପରେ ସୁଦ୍ଧା ସେ ଗୁଳି କାଢ଼ିହେଲା ନାହିଁ । ଆଜିସରିକି ବୁଝାପଡ଼ୁଛି, ପାଠ ପଢ଼ି ଚାକିରୀ କରିଵା ଅର୍ଥ କ’ଣ ।
ପୁଣି “ଛାତ୍ର-ଦର୍ପଣ”ର ଵ୍ୟାଖ୍ୟା କଲାବେଳେ Literature is the mirror of society କଥାଟିକୁ କିପରି ତିଵ୍ରଭାବରେ ସେ ଅନୁଭଵ କରୁଥିଲେ । ଲେଖକ ଆଗରେ, ପାଠକ ଆଗରେ, ସମାଜ ଆଗରେ ସାହିତ୍ୟ ଯେ ଏକ ଦର୍ପଣ, ମଧୁସୂଦନ ସେ ଦର୍ପଣକୁ ଆମ ସାମନାରେ ଧରି ଯେମିତି ସେଦିନ ତହିଁରେ ଆମ ମୁହଁକୁ ଦେଖାଇ ଦେଲେ । ଏ ତ ହେଲା ତାଙ୍କର ଶିକ୍ଷା-ସାହିତ୍ୟ ଵିଷୟକ ଧାରଣା ।
ରାଜନୀତିକ୍ଷେତ୍ରରେ ମଧୁସୂଦନଙ୍କ ସ୍ୱପ୍ନର ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲାଣି; ପୁଣି ତାଙ୍କର ସ୍ଵପ୍ନାତୀତ ଭାରତ ଆଜି ସ୍ବାଧୀନ । କେଵଳ ସେତିକି ନୁହେଁ, ସମଗ୍ର ଵିଶ୍ଵଦରବାରରେ ଭାରତୀୟ ଜୀଵନାଦର୍ଶ—ସୁଵିରାଟ କୃଷି ଶିଳ୍ପର ଦେଶଵ୍ୟାପୀ ଯୋଜନା, ଧର୍ମ, ଅର୍ଥ କିଂଵା ରାଜନୀତି କ୍ଷେତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ,ସମ୍ପ୍ରଦାୟ ଵା ମେଣ୍ଟର ଅନ୍ତର୍ଭୁକ୍ତ ନହୋଇ ସକଳ ଦେଶ ସହିତ ସମାନ ସମ୍ପର୍କ ସ୍ଥାପନ; ପୁଣି ନିଜ ଦେଶ ଭିତରେ ତଥା ବାହାରେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ସୁଚିନ୍ତିତ ଓ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ଆଜି ମହାଵେଗରେ ମଧୁସୂଦନଙ୍କ ସମୟକୁ ଅତିକ୍ରମ କରି ଅଗ୍ରସର ।
ଓଡ଼ିଶାର ଵନ୍ୟା-ନିୟନ୍ତ୍ରଣ ପରେ ଜଳାଭାଵ ସମସ୍ୟା ଉପୁଜିଛି ଏଵଂ ତା’ର ସମାଧାନ ପାଇଁ ସୁଵିସ୍ତୃତ ପୟଃ ପ୍ରଣାଳୀ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଲାଣି । ଜୀଵନଧାରଣର ସର୍ଵପ୍ରଥମ ମୌଳିକ ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦେଶ ଆଜି ସଚେତନ ଓ ସକ୍ରିୟ ! ସେଥିସଙ୍ଗେ ଦେଶରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନହେଲେ ସ୍ଵାଧୀନତାର କୌଣସି ଅର୍ଥ ହୁଏ ନାହିଁ । ଅଥଚ ମନୁଷ୍ୟର ନ୍ୟୁନତମ ଅଧିକାର ଖାଦ୍ୟର ଅଭାଵ ସୁଦ୍ଧା ଯେଉଁ ଦେଶରୁ ଅଠର ଵର୍ଷର ସ୍ଵାଧୀନତା ଲାଭପରେ ମଧ୍ୟ ଘୁଞ୍ଚିପାରିଲା ନାହିଁ, ଆଉ ସେଥିପାଇଁ ଅନ୍ୟ ଦେଶ ଉପରେ ହିଁ ନିର୍ଭର କରିଵାକୁ ପଡ଼ିଲା, ଏହା ଆଜି ସବୁଠାରୁ ବଡ଼ ପ୍ରଶ୍ନଵାଚୀ ହୋଇ ଦଣ୍ଡାୟମାନ ।
ଅଵଶ୍ୟ ଯେଉଁ ଦେଶ ଦୀର୍ଘ ଦୁଇଶହ ଵର୍ଷ ହେଲା ଏକ ମଧ୍ୟଯୁଗୀୟ ଔପନିଵେଶିକ ଶାସନାଧୀନରେ ଶୋଷିତ ଓ ଅତ୍ୟାଚାରିତ ହୋଇ ରହିଆସିଲା, ପୁଣି ତତ୍'ପୂର୍ଵରୁ ଅନିର୍ଦ୍ଦିଷ୍ଟ କାଳଯାଵତ୍ ଖଣ୍ଡଵିଖଣ୍ଡ ହୋଇ କିଭଳି ଶାସନ ଵା ଅରାଜକତାର ଶିକାର ହୋଇପଡ଼ିଥିଲା, ତାହା ତ ଆଜି ଐତିହାସିକ ମତଭେଦର ସାମଗ୍ରୀ।
ତାହା ତୁଳନାରେ ୧୮ ଵର୍ଷର ସ୍ଵାଧୀନତାପ୍ରାପ୍ତି ଦେଶ ଭିତରେ ଯେଉଁ ପ୍ରଵଳ ପରିଵର୍ତ୍ତନର ଵାତ୍ୟା ବୁହାଇଛି, ପୁଣି ଯେଉଁ ନୂତନ ଵାର୍ତ୍ତା ବହନ କରି ଆଣିଛି, ସେଥିପ୍ରତି ଅନଵହିତ ହେଵାର ଉପାୟ ନାହିଁ । ଏହି ଅଠର ଵର୍ଷରେ ପୁଣି ଦେଶକୁ ଯେତେ ନୂଆ ନୂଆ ସମସ୍ୟାର ସମ୍ମୁଖୀନ ହେଵାକୁ ପଡ଼ିଛି, ସେଗୁଡ଼ିକର ପୁଙ୍ଖାନୁପୁଙ୍ଖ ପୁନରାଵୃତ୍ତି ନିଷ୍ପପ୍ରୟୋଜନ ।
ସ୍ଵାଧୀନତା ଆସିଵା ସଙ୍ଗେ ସଙ୍ଗେ ଵିପୁଳ ସଂଖ୍ୟାରେ ଅଶ୍ରୟପ୍ରାର୍ଥୀମାନଙ୍କର ସମସ୍ୟା, ପଞ୍ଚଵାର୍ଷିକ ଯୋଜନା ଓ ପୁନର୍ଗଠନ କାର୍ଯ୍ୟକ୍ରମରେ ନୂତନ ପଥ, ସେତୁ, ଜଳଭଣ୍ଡାର, ଶିଳ୍ପନଗରୀ ଓ ରାଜଧାନୀ ଆଦି ନିର୍ମାଣ; ପୁଣି ଭାଷାଭିତ୍ତିରେ ଆନ୍ଧ୍ର, ମହାରାଷ୍ଟ୍ରଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ନୂତନ ରାଜ୍ୟମାନ ସଂଗଠନ ହେଵା ହଠାତ୍ ମନେ ପଡ଼ୁଥିଵା କେତେ ଗୋଟି ଵ୍ୟଵସ୍ଥା ।
ତାହାଛଡ଼ା ଵୈଦେଶିକ ମତକୁ ସୁପ୍ରତିଷ୍ଠିତ କରି ପୃଥିଵୀର ଵିଭିନ୍ନ ଦେଶ ସହ ସୁସମ୍ପର୍କ ସ୍ଥାପନ ସଙ୍ଗେ ଚୀନ ଓ ପାକିସ୍ତାନ ପକ୍ଷରୁ ହୋଇଥିଵା ଆକ୍ରମଣର ପ୍ରତିରୋଧ ଲାଗି ପ୍ରତିରକ୍ଷାର ସାର୍ଥକ ଓ ସୁଵିସ୍ତୃତ ଵଳିଷ୍ଠ ଅୟୋଜନ ସଙ୍ଗେ ଦେଶ ଭିତରେ ନାଗା ଓ ମିଜୋ ଵିଦ୍ରୋହ କିଂଵା ରାଜନୈତିକ ଵା ଯେ କୌଣସି କାରଣରୁ ଆଭ୍ୟନ୍ତରୀଣ ଵିଦ୍ରୋହର ସମ୍ମୁଖୀନ ହେଵା ଏକପ୍ରକାର ସ୍ଥାୟୀ ଵ୍ୟାପାର ହୋଇପଡ଼ିଛି । ଏଇଭଳି ସାମନ୍ତଯୁଗୀୟ ଅଵସ୍ଥା ଓ ପରସ୍ଥିତିର ଶେଷାଂଶରେ ପହଞ୍ଚି ସୁଦ୍ଧା ଏକ ସର୍ଵାଧୁନିକ ଓ ପୃଥିଵୀପୃଷ୍ଠରେ ସର୍ଵଵୃହତ୍ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିଵା ଭାରତ ପକ୍ଷରେ ସମ୍ଭଵପର ହେଲାଣି ।
ପୁଣି ଖାଦ୍ୟ ଅନାଟନ ସମସ୍ୟା ଯେ କେଵଳ ଭାରତରେ ସୀମାବଦ୍ଧ ନ ରହି ପୃଥିଵୀଵ୍ୟାପୀ ହେଵାର ଦୁର୍ଲକ୍ଷଣମାନ ଦେଖାଦେଇଛି, ସେଥିଲାଗି ପୃଥିଵୀର ଜଣେ ଶ୍ରେଷ୍ଠ ଖାଦ୍ୟଵିଶାରଦ ସବୁ ଦେଶର ସରକାରମାନଙ୍କୁ ସାଵଧାନ କରି ଦେଇଛନ୍ତି । ଵିଶ୍ଵଖାଦ୍ୟ ଯୋଜନାର ( World Food Programme) ଏକ୍ସକ୍ୟୁଟିଭ ଡାଇରେକ୍ଟର ଶ୍ରୀ ଏ. ଏଇଚ୍. ବୋୟେର୍ମା (A. H. Boerma) ଏ ଦିଗରେ ଯୁକ୍ତରାଷ୍ଟ୍ର-ଆମେରିକାର ସାହସିକ ପଦକ୍ଷେପର ଦୃଷ୍ଟାନ୍ତ ଦେଇ ଏହି ଆସନ୍ନ ସଙ୍କଟର ସମ୍ମୁଖୀନ ହେଵାଲାଗି ଅଧିକ ଖାଦ୍ୟ ଉତ୍ପନ୍ନ ନିମନ୍ତେ ଅହ୍ୱାନ ଜଣାଇଛନ୍ତି ।
ଚବିଶଗୋଟି ରାଷ୍ଟ୍ରର ପ୍ରତିନିଧି ଉକ୍ତ ସମ୍ମିଳନୀରେ ରୋମ୍'ଠାରେ ମିଳିତ ହୋଇଥିଲେ । ରୋମ୍ ପ୍ରକାଶିତ ଏପ୍ରିଲ୍ ୧୮, ୧୯୬୭ର ଏହି ସମ୍ବାଦ ସଙ୍ଗେ ଇଟାଲିରୁ ମଧ୍ୟ ୩,୭୬୨ ୪ନ୍ ଚାଉଳ ବୋଝେଇ ଏକ ମାଲଜାହାଜ କଲିକତା ଖିଦରପୁର ଡକ୍'ରେ ଆସି ପହଞ୍ଚିଥିଲା । ଭାରତର ଖାଦ୍ୟ-ସମସ୍ୟା ଏହିରୂପେ ଆଜି ପୃଥିଵୀ-ସମସ୍ୟାରେ ପରିଣତ ହେଲାଣି ।
ଯଥାର୍ଥରେ ଵିଚାର କଲେ ରାଜନୀତି, ଅର୍ଥନୀତି, ସମରନୀତି କମ୍ବା ଶାନ୍ତିନୀତି ପ୍ରଭୃତି କୌଣସି ଵିଷୟରେ ଗୋଟିଏ ଦେଶ ଆଜି ଅନ୍ୟଠାରୁ ଵିଚ୍ଛିନ୍ନ ନୁହେଁ । ଯେ କୌଣସି ଦେଶର ସମସ୍ୟା ଆଜି ସମଗ୍ର ପୃଥିଵୀର ସମସ୍ୟାରେ ରୂପାନ୍ତରିତ। ଵିଜ୍ଞାନର ଵିଶ୍ବଗ୍ରାସୀ ପ୍ରଗତି ସଙ୍ଗେ ମାତ୍ର ତିନିଚାରିଟି ଦଶନ୍ଧି ମଧ୍ୟରେ ପୃଥିଵୀ ପରିସ୍ଥିତି ସେ ଆଶାତୀତ ଭାବରେ ଦ୍ରୁତ ବଦଳିଗଲାଣି, ଏହା ଅସ୍ବୀକାର କରାଯାଇ ନ ପାରେ ।
ଭାରତୀୟ ରାଜନୀତି କିଂଵା ଅର୍ଥନୀତିର ଯେପରି ଏହି ଜାଗତିକ ପରିଵର୍ତ୍ତନରୁ ନିସ୍ତାର ନାହିଁ । ଓଡ଼ିଶାକୁ ସେଇପରି ଭାରତରୁ ସମ୍ପୂର୍ଣ୍ଣ ଵିଚ୍ଛିନ୍ନ କିଂଵା ସ୍ଵତନ୍ତ୍ର ଵିଚାରି ତାହାର କୃଷି ଶିଳ୍ପ, ଶିକ୍ଷା ଵାଣିଜ୍ୟର ଉନ୍ନତିଵିଧାନଦ୍ଵାରା ଭାରତର ଅନ୍ୟାନ୍ୟ ଅଞ୍ଚଳ ସଙ୍ଗେ ସେସବୁ ଦିଗରେ ତାକୁ ସମକକ୍ଷ କରିଵାର ପ୍ରୟାସ ଆଜି ଆଉ ସ୍ବାଧୀନତାପରେ ମଧୁସୂଦନଙ୍କ ସମୟ ପରି ହୁଏତ ସୁତୀଵ୍ର ନୁହେଁ—କାରଣ ହାରିଗୁହାରିର ଯୁଗ ଗଡ଼ିଯାଇ ହକ୍ ପ୍ରାପ୍ୟର ଯୁଗ ଆସିଛି ।
ମଧୁସୂଦନଙ୍କ ସମୟରେ ଯାହାପାଇଁ କଟୁରୀ ଲୋଡ଼ା ହୋଇଥିଲା, ଆଜି ହୁଏତ ତାହା ନଖରେ ଛିଣ୍ଡିଗଲାଣି । ଆଜି ହୁଏତ ଉତ୍କଳ ଟାନେରୀ ଥିଲେ ଏକ ଵିରାଟ ଜାତୀୟ ଶିଳ୍ପରୂପେ ଦେଖାଦିଅନ୍ତା । ସେଥିଲାଗି ମଧୁସୂଦନଙ୍କୁ ଦେଉଳିଆ ହୋଇ ଶେଷ ଜୀଵନ ମନସ୍ତାପରେ କଟାଇଵାକୁ ହୁଅନ୍ତା ନାହିଁ ।
ଶେଷ ପର୍ଯ୍ୟାୟରେ ତାଙ୍କ ସହିତ ପୁଣି ଥରେ ସାକ୍ଷାତର ସୁଯୋଗ ଘଟେ। ଅମେସବୁ କଲେଜ ଛାତ୍ରଥିଲାବେଳେ ‘ସବୁଜ ସଂସ୍ଥା’ ଗଠିତ ହୋଇ ନ ଥିଲେ ହେଁ ଆମେ ତାହାର କେତେ ଜଣ ଉଦ୍ୟୋକ୍ତା ଏକ ସନ୍ଧ୍ୟାରେ ଯାଇ ମଧୁସୂଦନଙ୍କ କଟକ ଵାସଭଵନରେ ପହଞ୍ଚିଲୁ । ଚାରି ପାଞ୍ଚଵର୍ଷ ପୂର୍ଵେ ସ୍କୁଲଛାତ୍ର ଥିଵାବେଳେ ‘‘ଛାତ୍ର-ଦର୍ପଣ” ପତ୍ରିକା ଘେନି ଯେଉଁ ଅଵସ୍ଥାରେ ତାଙ୍କୁ ଦେଖିଥିଲି, ଆଜି ଯେମିତି ସେ ଅନେକ ବୁଢ଼ା ହୋଇଗଲେଣି; ତଥାପି ରୂପର ସେ ଦୀପ୍ତି କାହିଁ ମଉଁଳି ନାହିଁ । ଜଣ ଜଣ କରି ଆମ ପରିଚୟ ପଚାରି ସେ ବୁଝିଲେ । ତା' ପରେ ଜାଣିଵାକୁ ଇଚ୍ଛା କଲେ ଆମ ଅସିଵାର ଉଦ୍ଦେଶ୍ୟ । ଶୁଣିଲେ, ଅମେ ଚାହୁଁ ଲେଖିଵାକୁ ତାଙ୍କ Reminiscences ( ସ୍ମୃତିକଥା ) । ସେ କେଵଳ ସ୍ବୀକୃତ ହେଲେ ପ୍ରତ୍ୟହ ଆମ ଭିତରୁ କେହି ଜଣେ ଆସି ତାଙ୍କ ପାଖରେ ବସି ଲେଖିନେଵେ । ଆମ ପ୍ରସ୍ତାଵଟି ଶୁଣିସାରି ଵୈଠକଖାନା ସୋଫା ଉପରେ ସିଧା ହୋଇ ବସି ମଧୁସୂଦନ ଚମକି ପଡ଼ିଲା ଭଳି କହିଉଠିଲେ— “Reminiscences ! ମଧୁସୂଦନ ଦାସର Reminiscences !"
ତା’ପରେ ଚାଲିଲା ଅନର୍ଗଳ ଭାଷଣ—
“ତୁମେ ଚାହୁଁଚ ମଧୁସୂଦନ ଦାସର Reminiscences !
ସେ ଆଜି ନିଃସ୍ଵ, ଦେଉଳିଆ, Insolvent ! ‘ଉତ୍କଳ ଟେନେରି’ ତା’ର ଵିକ୍ରୀ ହୋଇ ଯାଇଛି, The Oriya’ ଖବରକାଗଜ ଆଜି ନାହିଁ, ନେତୃତ୍ଵ ତା’ର ନିଃଶେଷ । କ'ଣ Reminiscences ଲେଖିଵ ତା’ର ? Reminiscences ଲେଖିଵାକୁ ଚାହଁ ତ ଯାଅ କୋଣାର୍କକୁ । ସେଇଠି ମିଳଵ ପ୍ରକୃତ Reminiscences, ଓଡ଼ିଶାର Reminiscences !''
ନିର୍ମମ ସତ ପରି କଥାଗୁଡ଼ିକ ସେଇ ଶୀର୍ଣ୍ଣ ପାଣ୍ଡୁର ମୁଖରୁ ବାହାରି ଆସି ମୁଖରେ ଆମର ବାଜୁଥାଏ । ମନେ ହେଉଥାଏ, ଯେମିତି ଅଵା ଆମ ଆଗରେ କଥା କହୁଛି ସ୍ବୟଂ କୋଣାର୍କ ହଠାତ୍ ଜୀଵନ୍ୟାସ ପାଇ ଓ ଏଇ ସନ୍ଧ୍ୟାରେ ଆମ ସପକ୍ଷରେ ତା’ର ପୂର୍ଣ୍ଣ ଐଶ୍ଚର୍ଯ୍ୟରେ ଆଵିର୍ଭୂତ ହୋଇ !
“ଭାରତବର୍ଷ ଭିତରେ ଓଡ଼ିଶାକୁ ସ୍ବତନ୍ତ୍ର କରି ରଖିଛି ଏହି କୋଣାର୍କ, ରଖିଵ ଏଇ କୋଣାର୍କ। ଭରତର ଲାଙ୍ଗୁଡ଼ ହୋଇ ପଛରେ ଘୁଷୁରି ରହଵନି ଓଡ଼ିଶା । ସେ ଭାରତର ହେଵ ଅଗ୍ରଣୀ । ଏଇ କୋଣାର୍କର ଵଂଶଧର ଦୁଇକୋଟି ଓଡ଼ିଆ ହେଵେ ଭାରତର ଅଗ୍ରଣୀ !”
ଦେହସାରା ଆମର ଶୀତେଇ ଉଠିଲା, ରୋମ ଉଠିଲା ଟାଙ୍କୁରି । ଅଜାଣତରେ ଆଖି ଆମର ଲୁହ ଛଳଛଳ ହୋଇପଡ଼ଲା । ନିର୍ଵେଦ ନିଷ୍ପନ୍ଦ ଅପଲକ ଆଖିରେ ଚାହିଁରହଲୁଁ ଆମ ସମକ୍ଷରେ ଆସୀନ ସେଇ ଜୀଵନ୍ତ କୋଣାର୍କର ଵିଗ୍ରହକୁ । ସେଇ ଵିଗ୍ରହର 'ମୁଖରୁ ହିଁ ଶୁଣିପାରିଲୁଁ ଦୁଇ କୋଟି ଓଡିଶାଵାସୀଙ୍କ ମୁଖର ଭାଷା ! ପ୍ରାଣର ଵାଣୀ !
© ଶ୍ରୀ କାଳନ୍ଦୀ ଚରଣ ପାଣିଗ୍ରାହୀ
🔴———×———🔴
No comments:
Post a Comment