ପୂର୍ଵ କି ପଶ୍ଚିମ ଓଡ଼ିଶାର ନୁହେଁ ନୂଆଖାଇ ସମସ୍ତଙ୍କର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ବ । ରଥଯାତ୍ରା ସମ୍ବନ୍ଧରେ ମଧ୍ୟ ଏହିକଥା କୁହାଯାଇପାରେ । ରଥଯାତ୍ରା କଳିଙ୍ଗୀମାନେ ପ୍ରଥମେ ପାଳିଵା ଆରମ୍ଭ କଲେ ବି ତାହା ଆଜି ସାରା ଵିଶ୍ଵରେ ପାଳିତ ହୋଇଥାଏ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସାରା ଵିଶ୍ଵରେ ପାଳିତ ହୁଏ ତାକୁ ଏବେ ଜଣେ ଓଡ଼ିଆ ଓଡ଼ିଶାର ପର୍ଵ କହିଵ ନା ଵୈଶ୍ଵିକ ପର୍ଵ କହିଲେ ଉଚିତ୍ ହେଵ ?
ପୂର୍ଵେ ଓଡ଼ିଶାରେ ନୂଆଖାଇ ସବୁଠି ଥିଲା ତାକୁ ବଞ୍ଚେଇ ରଖିଲେ ଗଡ଼ଜାତର ଲୋକ କିନ୍ତୁ ଅନ୍ୟ ଅଞ୍ଚଳର ଲୋକେ ଛାଡ଼ି ଦେଲେ ଏଵଂ କେଉଁଠି କେଉଁଠି ଭିନ୍ନ ଦିନରେ ଯଥା ଦଶହରା ସମୟରେ ଧାନ ଅମଳ ହେଵାରୁ ନୂଆଖିଆ ଓ ନଵାନ୍ନ ଆଦି ନାମରେ ପାଳନ କଲେ ।
ଉପକୂଳିଆ ଅନ୍ୟ ଅଞ୍ଚଳର ଲୋକଙ୍କ ସଂସ୍ପର୍ଶରେ ଆସି ନିଜ ସଂସ୍କୃତି ପରମ୍ପରା, ଶବ୍ଦ ଛାଡ଼ିଦେଲାବେଳେ ଗଡ଼ଜାତରେ ସେସବୁରୁ କିଛି କିଛି ବଞ୍ଚିରହିଛି କିନ୍ତୁ ତାହା ପଶ୍ଚିମ ଓଡ଼ିଶାର ଭିନ୍ନତା ନୁହେଁ ମହାନତା । ସେମାନେ ଓଡ଼ିଆ ସଂସ୍କୃତି ସହ ସମ୍ବନ୍ଧିତ ଦରଵ ପରଵ ବଞ୍ଚାଇ ରଖିଛନ୍ତି ଏହା ହିଁ ସେମାନଙ୍କର ମହାନତା । ସେଇମିତି ପ୍ରାଚୀନ ସନାତନ ସଂସ୍କୃତିର ଅନେକ ପର୍ଵ ଯଥା ରଜ,ଦୋଳ ଆଦି ଓଡ଼ିଶାର ସଂସ୍କୃତିରେ ତଥା ଲକ୍ଷ ଲକ୍ଷ ସଂସ୍କୃତ ଶବ୍ଦ ଓ ମୂଳ ଆର୍ଯ୍ୟ ଭାଷାର ଅକାରାନ୍ତ ଉଚ୍ଚାରଣ ଓଡ଼ିଆ ଭାଷାରେ ଆଜି ବି ବଞ୍ଚି ରହିଛି । ଏହି ସବୁ ନିଆରାପଣ ଯୋଗୁଁ ଭାରତଠାରୁ କଳିଙ୍ଗୋତ୍କଳ କି ମୋଗଲବନ୍ଦୀ ଓଡ଼ିଶାଠାରୁ ଗଡ଼ଜାତ ଓଡ଼ିଶା ଵିଭିନ୍ନ ନୁହେଁ ଵରଂ ଅଭିନ୍ନ ବୋଲି ହିଁ ହୃଦବୋଧ ହୋଇଥାଏ ।
“ଵସୁଧୈଵ କୁଟୁମ୍ବକମ୍”ର ଭାଵ ସମସ୍ତ ପର୍ଵ ମଧ୍ୟରେ ଥାଏ ଓ ରହିଵା ଉଚିତ୍ । ଇଂରାଜୀ ନଵଵର୍ଷ ଆଜି ଵୈଶ୍ଵିକ ପର୍ଵ । ଭାରତର ରଥଯାତ୍ରା ଓ ହୋଲୀ ମଧ୍ୟ ସମାନ ଭାଵେ ଵୈଶ୍ଵିକ ପର୍ଵ ହୋଇପାରିଛି । କିନ୍ତୁ ଯେକୌଣସି ପର୍ଵରୁ ଏହି ଵିଶ୍ଵଭାତୃତ୍ଵର ଭାଵ ନଷ୍ଟକରେ ଆଞ୍ଚଳିକତା । ଆଞ୍ଚଳିକ ବନ୍ଧନ ଦ୍ଵାରା ଗୋଟାଏ ପର୍ଵ ଅନ୍ଯତ୍ର ଲୋକପ୍ରିୟ ହୋଇନପାରି ସ୍ଥାନୀୟ ଅଞ୍ଚଳରେ ଲୁକ୍କାୟିତ ରହିଯାଏ । ଆଜି ରଥଯାତ୍ରା ଲୋକପ୍ରିୟ ହୋଇ ପାରିଛି ତ କେଵଳ ଓଡ଼ିଆ ଲୋକଙ୍କ ଵିଶ୍ଵଭାତୃତ୍ଵ ଯୋଗୁଁ । ଓଡ଼ିଆ ପର୍ଵ କହି ଓଡ଼ିଶା ଭିତରେ ବାନ୍ଧି ରଖିଥିଲେ ତାହା ଅନ୍ଯତ୍ର ଅନୁକରଣୀୟ ହୋଇନଥାନ୍ତା ।
ନୂଆଖାଇ କେଵଳ ପଶ୍ଚିମ ଓଡ଼ିଶାର ପର୍ଵ ନୁହେଁ ସାରା ଓଡ଼ିଶାର ଲୋକ ନୂଆଖାଇ ପାଳୁଥିଲେ ଏବେ ବି ଉତ୍ତର, ଦକ୍ଷିଣ ଓ ପୂର୍ଵ ଓଡ଼ିଶାରେ ଭିନ୍ନ ତିଥିରେ ଊଣା ଅଧିକେ ହେଉ ପଛେ ଏ ପର୍ଵ ପାଳିତ ହୋଇଥାଏ । ଆଗକାଳରେ ଦେଶୀୟ ରାଜାମାନେ ନିଜ ନିଜର ଇଷ୍ଟଦେଵତାଙ୍କ ନାମ ଅନୁସାରେ ନୂଆଖାଇଵାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆଖିଆ ପର୍ଵର ତିଥି ନିର୍ଣ୍ଣୟ କରାଉଥିଲେ । ରାଜଶାସନ ଉଠିଗଲାପରେ ମଧ୍ୟ ରାଜାଙ୍କ ଇଷ୍ଟଦେଵତାଙ୍କ ନାମ ଅନୁସାରେ ପଣ୍ଡିତମାନେ ଅନେକ ଵର୍ଷ ଯାଏଁ ନଵାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ ।
୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ଵ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ପଶ୍ଚିମ ଓଡ଼ିଶାରେ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ସେହିପରି ପୂର୍ଵାଞ୍ଚଳରେ ନୂଆଖିଆ ପର୍ଵ ଆଶ୍ୱିନ ମାସର ମହାଳୟା ତିଥି ଭିତରେ ସମ୍ପନ୍ନ ହେଉଥିଲା । ପୂର୍ଵାଞ୍ଚଳରେ ଏହି ନଵାନ୍ନ ପିତୃପୁରୁଷଙ୍କ ପିଣ୍ଡଦାନରେ ଵ୍ୟଵହୃତ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ
କୃଷକମାନେ ନୂଆଖିଆ ପର୍ଵ ମାସ ମଧ୍ୟରେ ଶ୍ରେଷ୍ଠ ମାର୍ଗଶିର ମାସର ଶେଷ ଓ ପୌଷର ଆରମ୍ଭ ସମୟରେ ପାଳନ କରିଥାନ୍ତି । କେତେକ ଅଞ୍ଚଳରେ ମକର ସଂକ୍ରାନ୍ତି ଵା ମାଘ ସଂକ୍ରାନ୍ତି ଦିନ ଶାଲ୍ଯୋଦନ ପର୍ଵ ପାଳନ ଅଵସରରେ ନୂଆଖିଆ ଯାଏ ଏହାକୁ ମକର ଚାଉଳ ଖିଆ ମଧ୍ୟ କୁହାଯାଏ । କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ ତିଥିରେ ମଧ୍ୟ ପୂର୍ଵେ ନଵାନ୍ନ ଭକ୍ଷଣ କରାଯାଉଥିଲା । ଵିଭିନ୍ନ ଅଞ୍ଚଳରେ ଶସ୍ୟଅମଳକୁ ନେଇ ଭିନ୍ନ ଭିନ୍ନ ସମୟରେ ନୂଆଖିଆ ଯାଉଥିଲା ।
ଓଡ଼ିଶାର ପୂର୍ଵତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗୋଟିଏ ଦିନରେ ନୂଆଖାଇ ପର୍ଵ ପାଳନ କରାଯିଵା ପାଇଁ ୧୯୯୧ରେ ଆହ୍ଵାନ ଦେଲେ ତଥା ସାରା ଓଡ଼ିଶାରେ ନୂଆଖାଇ ଦିନକୁ ସରକାରୀ ଛୁଟି କରିଵା ପାଇଁ ମଧ୍ୟ ଘୋଷଣା କରିଥିଲେ । ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଏ ଵିଷୟରେ ଅନେକ ଆଲୋଚନା ହେଲାପରେ ସର୍ଵସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନଟି ନୂଆଖାଇ ପାଇଁ ସ୍ଥିର କରାଗଲା । ସେହି ଵର୍ଷ ଅର୍ଥାତ୍ ୧୯୯୧ ପରଵର୍ଷଠାରୁ ପ୍ରତ୍ୟେକ ଵର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ଵ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ତେବେ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଭାଦ୍ରଵ ଶୁକ୍ଳ ଦଶମୀ ତିଥିରେ ନୂଆଖାଇ ପାଳନ କରାଯାଇଥାଏ ।
ଏହି ଭାଦ୍ରଵ ମାସର ଏକାଦଶୀ ତିଥିରେ ଆଉ ଏକ ପର୍ଵ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଆଦି ଅଞ୍ଚଳରେ ପାଳିତ ହୋଇଥାଏ ତାକୁ କରମା ପର୍ଵ କହିଥାନ୍ତି । କରମା ପର୍ଵ ସହ ନୂଆଖାଇର କେତେକ ସାମଞ୍ଜସ୍ୟ ରହିଛି । ଏ ଉଭୟ ପର୍ଵ ଭାଦ୍ରଵମାସ ଶୁକ୍ଳପକ୍ଷରେ ଆୟୋଜିତ ହୁଏ । ଉଭୟ ପର୍ଵ ପଶ୍ଚିମାଞ୍ଚଳ ତଥା ଵିଚ୍ଛିନ୍ନାଞ୍ଚଳ ଓଡ଼ିଶାରେ ପାଳିତ ହୁଏ । ଏ ଉଭୟ ପର୍ଵରେ ଭଗଵାନଙ୍କୁ ନଵାନ୍ନ ଲାଗି ଦିଆଯାଏ । କେଵଳ କରମା ପରଵ ହିଁ ନୁହେଁ ଛାଡ଼ଖାଇ ସହିତ ମଧ୍ୟ ନୂଆଖାଇର ଗୋଟିଏ ସମାନତା ରହିଛି । ପୂର୍ଵକାଳରେ ସକାଳେ ନୂଆଖାଇ ପାଳନପରେ ସନ୍ଧ୍ଯାବେଳେ ସମସ୍ତେ ଆମିଷ ଭୋଜନ କରି ଶୋଇଵାର ଵିଧାନ ଥିଲା । ସେତେବେଳେ ଗଡ଼ଜାତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଏହିଦିନ ଆମିଷ ଖାଇ ନ ଥିଵା ବ୍ୟକ୍ତି ପର ଜନ୍ମରେ ବକ ଯୋନିରେ ଜନ୍ମ ହୁଏ । ଶହେ ଵର୍ଷ ତଳେ ସଂକଳିତ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହିକଥା ଉଲ୍ଲେଖ ରହିଛି କିନ୍ତୁ ଶହେ ଵର୍ଷ ମଧ୍ୟରେ ଅନେକ ରୀତିନୀତି ବଦଳି ସାରିଛି ଆଜି ନୂଆଖାଇ ବାସିରେ ଆମିଷ ଭକ୍ଷଣର ପରମ୍ପରା ପ୍ରଚଳିତ ।
ନୂଆଖାଇ ପରି ଆହୁରି ଅନେକ ପର୍ଵ ଓଡ଼ିଶାରେ ପ୍ରଚଳିତ ଥିଲା କିନ୍ତୁ ଲୋକପ୍ରିୟ ନହେଵା ଯୋଗୁଁ ସେଗୁଡ଼ିକ ଜନାଦୃତ ଓ ପ୍ରସିଦ୍ଧ ହୋଇପାରିନାହିଁ । ସେହିପରି ଗୋଟିଏ ପର୍ଵ ହେଉଛି ଗୁଣ୍ଡିଖିଆ । ଦୋଳପୂର୍ଣ୍ଣିମା ଦିନ ଗଡ଼ଜାତର କେତେକ ଜାତିଙ୍କ ମଧ୍ୟରେ ଏହି ନୂଆଖିଆ ନଵାନ୍ନ ପରି ଉତ୍ସବ ଵିଶେଷର ପ୍ରଚଳନ ଥିଲା । ଏ ଦିନ ଲୋକେ ଵର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଉଥିଲେ । ସିମଖାଇ ଵା ଝଣ୍ଟାନୂଆଁ ପର୍ଵ ଏହିଧରଣର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ପର୍ଵ । ଏ ପର୍ଵରେ ଗ୍ରାମର ଉପକଣ୍ଠରେ ଥିଵା ଗ୍ରାମଦେବତାଙ୍କ ଆସ୍ଥାନରେ ନୂଆ ଧାନର ଅନ୍ନ ଖେଚୁଡ଼ି ଖିରି ଚୂଡ଼ା ସହ ଝୁଣ୍ଟା ଵା ସିମ୍ବ ଆଦି ଭୋଗ ଦିଆଯାଉଥିଲା । ଗ୍ରାମଵାସୀଙ୍କ ଘରେ ନୈବେଦ୍ଯ ଓ ନୂଆଖିଆ ଉତ୍ସଵ କରୁଥିଲେ ଵିଶେଷତଃ ଏହି ଦିନଠାରୁ ନୂଆ ଝଣ୍ଟା ଵା ସିମ୍ବ ଖାଇଵାର ଵିଧି ରହିଥିଲା । ଓଡ଼ିଶାର ପରଜା ଓ ଦୁରଵା ଜନଜାତିଙ୍କ ମଧ୍ୟରେ ଏହିପରି ଆଉ ଗୋଟିଏ ପର୍ଵ ପାଳିତ ହୋଇଥାଏ ଆମାଖାୟୀ । ଏହି ପର୍ଵ ଆମ୍ବ ଫଳିଵା ସମୟରେ ପାଳିତ ହୋଇଥାଏ । ସାଧାରଣତଃ ଓଡ଼ିଶାରେ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଦେଵତାଙ୍କୁ ନୂଆ ଆମ୍ଵ ମିଶା ପଣା ଦେଲାପରେ ହିଁ ଆମ୍ବ ଖାଇଵାର ରୀତି ରହିଛି । ଏହା ସେହି ଧରଣର ପର୍ଵ । ମୁଣ୍ଡା ଜନଜାତିର ଜମଲମା ପରଵ ମଧ୍ୟ ନୂଆଖାଇ ପର୍ଵ ପରି ଏକ ପର୍ଵ । ଏହିପର୍ଵ ଅଵସରରେ ମୁଣ୍ଡା ଜନଜାତିର ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି ।
ପୂର୍ଵାଞ୍ଚଳରେ ଏକ ସମୟରେ ନୂଆଖାଇ ହୋଇପାରେନି । ପଶ୍ଚିମ ଓଡିଶାର ଭୌଗଳିକ ପରିସ୍ଥିତି ଯୋଗୁଁ ଏଠାରେ ସ୍ୱଳ୍ପ ସମୟରେ ଫଳ ଧରୁଥିବା ଧାନ ଚାଷ ହୁଏ ପୁଣି ଖରିଫ୍ ଓ ରଵି ଭେଦରେ ଵାର୍ଷିକ ଦୁଇଥର ଧାନ ଚାଷ ହୋଇଥାଏ । ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଚାଷକ୍ଷେତ୍ର ପାହାଡି଼ଆ ଏଠିକା ଭୂଇଁ ପାଇଁ ଅଳ୍ପ ଜଳରେ ଶିଘ୍ର ଅମଳ ହୋଇପାରୁଥିଵା ଧନ୍ୟ ଜାତିକୁ ଵିକଶିତ କରାଯାଇଥିଲା । ଅର୍ଥାତ୍ ପାହାଡ଼ିଆ ଅଞ୍ଚଳରେ ବଞ୍ଚିପାରୁଥିଵା ଭଳି ଧାନଗଛକୁ ହିଁ ଗଡ଼ଜାତରେ ଚାଷ କରିଵାକୁ ପ୍ରାଚୀନ କଳିଙ୍ଗୀମାନେ ଚୟନ କରିଥିଲେ ।
ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ମାତ୍ର ଥରେ ସମତଳ ବିଲରେ ଧାନଚାଷ ହୋଇଥାଏ । ଫଳତଃ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଭାଦ୍ରଵ ଶୁକ୍ଳପକ୍ଷରେ ମୁଖ୍ୟ ଖାଦ୍ୟଶସ୍ୟ ଧାନ ଅମଳ ହେଉନଥିଵାରୁ ଏହି ସମୟରେ ନୂଆଖାଇ ପାଳିତ ନହୋଇ ଭିନ୍ନ ସମୟରେ ହେଉଥିଲା ।
କିଛି ଵର୍ଷ ହେଲା ପଶ୍ଚିମ ଓଡ଼ିଶାର କେତେକ ଅସାମାଜିକ ଲୋକ ନୂଆଖାଇ ପର୍ଵକୁ ଧରି ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର ଲୋକଙ୍କ ମନରେ ପୂର୍ଵାଞ୍ଚଳ,ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳର ଲୋକଙ୍କ ପ୍ରତି ଘୃଣା ରୂପ ଵିଷ ଜନ୍ମାଇଵାକୁ ଚେଷ୍ଟା କରୁଅଛନ୍ତି ।
ଏଭଳି ଲୋକେ କୁହନ୍ତି “ଆମ ନୂଆଖାଇ ପର୍ଵ ଉପକୂଳିଏ ପାଳନ୍ତି ନାହିଁ ଆମର ହତାଦର କରନ୍ତି ସେମାନେ ଆମ ଭାଇ ନୁହନ୍ତି” ଇତ୍ୟାଦି ।
ତେବେ ପୂର୍ଵୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଛି ଯେ ଓଡ଼ିଶାର ସବୁ ଲୋକେ ଭିନ୍ନ ଭିନ୍ନ ସମୟରେ ନୂଆଖାଇ ପାଳନ୍ତି ଏଵଂ ନଵାନ୍ନ ଭକ୍ଷଣ ପର୍ଵ ସମସ୍ତ କୃଷକ ଘରେ ପାଳନ କରାଯାଏ । ତେବେ ସରକାରୀ ଛୁଟି ଘୋଷଣା ହୋଇଥିବା ଭାଦ୍ରଵ ଶୁକ୍ଳ ପଞ୍ଚମୀ ସୁଦ୍ଧା ଓଡ଼ିଶାର ପୂର୍ଵାଞ୍ଚଳ, ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଅନେକ ଅଞ୍ଚଳରେ ଧାନ କେଣ୍ଡା ଧରିନଥାଏ । ଯେବେ ନୂଆ ଧାନ ହିଁ ହୋଇନଥାଏ ତେବେ ଏହି ଅଞ୍ଚଳର କୃଷକମାନେ ଏହିଦିନ ନୂଆଖାଇ କେମିତି ପାଳନ୍ତେ ?
ଉପକୂଳ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ର ଭୌଗଳିକ ପରିସ୍ଥିତି ଭିନ୍ନ ଭିନ୍ନ । ଉପକୂଳ ଓଡ଼ିଶାରେ ଅଖି ତୃତୀୟା ଦିନ ଧାନ ମଞ୍ଜି ବୁଣାଯାଏ,ଗେଣ୍ଡା ନୂଆ ଧାନଗଛ କାଟି ନିଅନ୍ତୁ ସେଥିପାଇଁ ଚିତଉ ଉଆଁସ ଦିନ ନୁଆଁ ପାଣି ରେ ଗେଣ୍ଡା ଦି ପ୍ରାଣୀ ଙ୍କୁ ପିଠା ଦେଇ ସନ୍ତୁଷ୍ଟ କରାଯାଏ । ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛ ଗର୍ଭରେ ଧାନ ରହେ ।
ବିଜୟା ଦଶମୀ ଏଵଂ କୁମାର ଉତ୍ସଵ ସମୟରେ ଉପକୂଳରେ ଉଭା କେଣ୍ଡା ପୂଜା ହୋଇଥାଏ । ମାଣବସା ଶେଷ ପାଳି ଦିନ ନୂଆଧାନରେ ଲକ୍ଷ୍ମୀ ଆଵାହନ ଏଵଂ ନୂଆ ଚାଉଳ ଲକ୍ଷ୍ମୀ ପ୍ରସାଦ ଭକ୍ଷଣ ହୁଏ କିନ୍ତୁ ଏହାରଭାତ ହୁଏନାହିଁ । ପୌଷ ପ୍ରଥମ ଦିନରୁ କେଉଁଠି କେଉଁଠି ମାଘ ମାସରେ ପହିଲି ଭୋଗ ଦେଵସ୍ଥାନରେ ଲାଗି ହେଵାପରେ ସେହି ଦିନୁ ନୂଆ ଚାଉଳ ଭାତ ଖିଆଯାଏ । ଏହାପରେ ଧନୁ ସଂକ୍ରାନ୍ତି ଦିନ ନୂଆଧାନରେ ଲିଆ ହୁଏ ଏଵଂ ଦେଵୀଘରକୁ ଝିଅଘରକୁ ନୂଆମୁଆଁ ଦିଆଯାଏ । ପୂର୍ଵ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଧାନ ଅମଳ ହେଵାପରେ ହିଁ ନୂଆଖାଇ ପର୍ଵ ପାଳିତ ହୋଇଥାଏ । ଏହା ନୂଆଖାଇ ପରି ଏକ କୃଷି ପର୍ଵକୁ ହତାଦର ନୁହେଁ ଯେତେବେଳେ ଯେଉଁଠି ଶସ୍ୟ ଅମଳ ହୁଏ ଉତ୍ପାଦିତ ହୁଏ ପ୍ରଥମେ ଇଷ୍ଟଙ୍କୁ ଦିଆଗଲାପରେ ଲୋକେ ନଵାନ୍ନ ଭକ୍ଷଣ କରିଥାନ୍ତି । ସେଇ ପରମ୍ପରା ସବୁ ଚଷା ଘରେ ଭିନ୍ନ ଭିନ୍ନ ତିଥିରେ ପାଳିତ ହେଉଥିଲେ ହେଁ ବଞ୍ଚିଛି ଏଵଂ ଚାଷ ଓ ଚାଷୀ ଥିଲା ଯାଏଁ ରହିଥିଵ । ତେବେ ଉପକୂଳ ଓଡ଼ିଶାରେ ପାରମ୍ପରିକ ଭାବରେ କୃଷକପରିଵାରମାନେ ଋଷି ପଞ୍ଚମୀ ତିଥିରେ ନୂଆଖାଇ ପାଳୁନଥିଲେ ବି ଏହି ଗଣପର୍ଵର ଆୟୋଜନ ଏଠାକାର କେତେକ ଓଡ଼ିଆ ସଂଗଠନ ଆୟୋଜିତ କରିଥାନ୍ତି । ନୂଆଖାଇ ସାରା ଓଡ଼ିଶାର ପର୍ଵ ସବୁ ଓଡ଼ିଆମାନଙ୍କର ପର୍ଵ ଓଡ଼ିଆ ଜାତିର ପର୍ଵ ସେଇଥିପାଇଁ ତ ଏହି ପର୍ଵର ନାଆଁ ଓଡ଼ିଆ,ତାକୁ ପାଳନ୍ତି ମଧ୍ୟ ଓଡ଼ିଆ ଜାତିର ଲୋକ ।।
🌾🌾🌾🌾🌾🌾🌾🌾🌾🌾🌾🌾🌾
🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾🌾
No comments:
Post a Comment