ସିଂହଟିଏ ଓ ତା'ର ଭଣଜା ବିଲୁଆଟିଏ ଗୋଟିଏ ଗୁମ୍ଫାରେ ରହୁଥିଲେ । ସିଂହ ବଡ଼ ଚତୁର ସେ ନିଜର ପ୍ରଶଂସା ଅନ୍ୟଦ୍ଵାରା କରେଇଵାରେ ବଡ଼ ସୁଖପାଏ । ପ୍ରାଣୀ ମାତ୍ରକେ ଡରିମରି ତାହାର ପଦ ବନ୍ଦନା କରିଵାକୁ ବାଧ୍ୟ ହୁଅନ୍ତି । ସିଂହଟି ତା ଭଣଜା ବିଲୁଆକୁ
ସବୁଵେଳେ ହାତୀ ମାଂସ ଖୁଆଇଵାର ସ୍ଵପ୍ନ ଦେଖାଏ କିନ୍ତୁ ସେ କେଵେ ବି ତା ଜୀଵନକାଳରେ ହାତୀଟିଏ ଶିକାର କରିପାରିନାହିଁ କି ସେଭଳି ସୁଯୋଗ କେଵେ ତାକୁ ମିଳିନାହିଁ । ଛୋଟବେଳେ ଯେତେବେଳେ ସେ ବଡ଼ ପରିଵାରରେ ରହୁଥିଲା ତାକୁ ହାତୀ ମାଂସ ଖାଇଵାକୁ ମିଳିଯାଇଥିଲା ।
ତେବେ ବିଲୁଆ ଆଶା ଛାଡି଼ନଥାଏ କି ସିଂହଟି ବିଲୁଆକୁ ହାତୀ ମାଂସର ସ୍ଵପ୍ନ ଦେଖାଇଵା ବନ୍ଦ କରିନଥାଏ ।
କିନ୍ତୁ ସମୟ ସହ ସିଂହ ବୁଢ଼ା ହେଵାକୁ ଲାଗିଲା ଏଣେ ତା ଶରୀରରେ ମଧ୍ୟ ପୂର୍ଵ ପରି ଆଉ ସେତେ ବଳ ଓ ମନରେ ଉତ୍ସାହ ନଥାଏ । ସେ ଵା କିପରି ଆଉ ହାତୀ ମାରିପାରିଵ ?
କିନ୍ତୁ ତା'ର ଯେତେବେଳେ ମନେପଡ଼େ ସେ ବିଲୁଆକୁ ହାତୀ ମାଂସର କଥା ଶୁଣେଇ ଦିଏ ।
ଦିନେ ସତକୁ ସତ ସେ ଜଙ୍ଗଲକୁ ଗୋଟାଏ ହାତୀ ଦଳ
ଆସିଲା । ସିଂହ ତା ଜୀଵନରେ କେବେବି ହାତୀ ଦେଖିନଥିଲା କେଵଳ ତା ଵିଷୟରେ ତା ମାଆଠାରୁ ଶୁଣିଥିଲା ଓ ଛୋଟବେଳେ ଥରେ ଅଧେ ହାତୀ ମାଂସ ଚାଖିଥିଲା ।
ଏଇ ବୁଢ଼ା ଵୟସରେ ଵିଶାଳକାୟ ହାତୀମାନଙ୍କୁ ଦେଖି ତା ଅଵସ୍ଥା କ'ଣ ଯେ ହୋଇଥିଵ ତାହା କଳ୍ପନାତୀତ । ଏବେ ସିଂହ କ'ଣ କରିଵ ? ହାତୀର ସେ ଯୋଉ ରୂପ ରଙ୍ଗ ଆକାର ପ୍ରକାର ସବୁ ତା ଭଣଜା ବିଲୁଆ ଆଗରେ ଗପିଥିଲା ତାକୁ ଦେଖି ସେ ତ ହାତୀକୁ ଚିହ୍ନି ସାରିଵଣି !
ତା ଆଶଙ୍କା ସତ ହେଲା,ସିଂହର ଭଣଜା ବିଲୁଆ ବାଟରେ ହାତୀ ପଲ୍ଲକୁ ଦେଖି ଵୃଦ୍ଧ ସିଂହକୁ ଜଣାଇଵାକୁ ଧାଇଁଆସିଲା । ସିଂହ ନଜାଣିଲାପରି ଅଭିନୟ କରି ତାକୁ ଏଭଳି ଧଇଁସଇଁ ହୋଇ ଛୁଟିଆସିଵାର କାରଣ ପଚାରନ୍ତେ ବିଲୁଆ ତାକୁ ବାଟରେ ହାତୀପଲ୍ଲ ଦେଖିଥିଵା କଥା କହିଲା ।
ସିଂହ ମିଛଟାରେ ଉତ୍ସାହିତ ହେଵାର ଅଭିନୟ କରି ଭଣଜ ବିଲୁଆକୁ କହିଲା— ଵାଃ ଵାଃ ବହୁତ ବଢି଼ଆ ! ଆମେ ତାହେଲେ କାଲି ହାତୀ ଶିକାର କରିଵାକୁ ଯିଵା !
ବିଲୁଆ ଏହା ଶୁଣି ଆନନ୍ଦରେ ନାଚି ଉଠିଲା । ଏତେ ଦିନ ଧରି ସେ ଯେଉଁ ହାତୀ ମାଂସ କଥା ଶୁଣିଥିଲା କାଲି ସେ ତାହାର ସ୍ଵାଦ ଲାଭ କରି ଆମୋଦିତ ହେଵ । ଏହା କଳ୍ପନା ମାତ୍ରକେ ତାହାର ହୃଦୟ ଖୁସିରେ ଭରିଯାଉଥିଲା ।
ସିଂହ ସିନା କହୁ କହୁ ହାତୀ ଶିକାର କଥା କହିଦେଲା କିନ୍ତୁ ସେ କାମ ଯେ କେଡ଼େ କଠିନ ତାହା ତାକୁ ଭଲ ଭାବରେ ଜଣାଥିଲା । ତେଣୁ ସେ ଗୋଟିଏ ଯୋଜନା କଲା । ରାତିରେ ବିଲୁଆ ଲୁଚି ଲୁଚି ହାତୀମାନଙ୍କ ପାଖକୁ ଯାଇ ସେମାନଙ୍କ ଗୋଡ଼ତଳେ ପଡ଼ି ସେ ଜଙ୍ଗଲରୁ ଚାଲିଯିଵାକୁ ଅନେକ ଅନୁନୟ ଵିନୟ ହେଲା । ହାତୀମାନେ ଦେଖିଲେ ସ୍ବୟଂ ଜଙ୍ଗଲର ରାଜା ଆସି ତାଙ୍କୁ ଅନୁରୋଧ କରୁଛି ତେଣୁ ସେମାନେ ସିଂହ କଥା ମାନି ରାତାରାତି ସେ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲିଗଲେ ।
ସେଇଠୁ ସିଂହ କ'ଣ କଲା ନା ଗୋଟିଏ ଛୋଟ ବିଲୁଆକୁ ମାରି କିଛି ମାଂସ ନେଇ ଗୁମ୍ଫାକୁ ଚାଲିଆସିଲା
ବିଲୁଆକୁ ଏସବୁ ଜଣାନଥାଏ ସେ ଆନନ୍ଦ ମନରେ ଶୋଇଯାଇଥିଲା । ସକାଳ ହେଲାରୁ ବିଲୁଆ ଉଠି ଦେଖିଲା ଗୁମ୍ଫାରେ ସିଂହର ଦେହହାତ ରକ୍ତାକ୍ତ କିନ୍ତୁ ତା' ପାଖରେ ମାଂସ ପଡି଼ଥିଲା ।
ସିଂହ ପାଖକୁ ଯାଇ ବିଲୁଆ ଘଟଣା କ'ଣ ପଚାରନ୍ତେ ସିଂହ କହିଲା— ବାବୁରେ ତୋତେ ସକାଳୁ ଶିକାର କରିଵାକୁ ଉଠାଇଵାରୁ ତୁ ଉଠିଲୁ ନାହିଁ ସେଇଠୁ ମୁଁ ଏକାକୀ ଶିକାର କରିଵାକୁ ବାହାରି ଗଲି । ପ୍ରାଣପଣେ ହାତୀ ପଛରେ ଦୌଡି଼ଲି କିନ୍ତୁ ସେମାନେ ଦୌଡ଼ି ପଳାଇଗଲେ । ତଥାପି ଗୋଟାଏ ହାତୀର ପିଚାକୁ କାମୁଡ଼ି ଧରିଥାଏ । ସେ ମୋତେ ତା ବଡ଼ ବଡ଼ ଗୋଡ଼ ତଳେ ଚାପିଦେଵାକୁ ଚେଷ୍ଟା କରିଵାରୁ ମୁଁ ଖଣ୍ଡିଆ ଖାବରା ହୋଇଗଲି । କିନ୍ତୁ ମୋ ମନରେ କେଵଳ ତୋ କଥା ଥିଲା ତେଣୁ କୌଣସି ମତେ ତା ଦେହରୁ ପୁଳାଏ ମାଂସ ତୋପାଇଁ ନେଇ ଆସିଛି ।
ବିଲୁଆ ତା ସିଂହମାମୁର କଥା ଶୁଣି ଗଦଗଦ ହୋଇଗଲା । ସେ ଦୌଡ଼ି ଯାଇ ହାତୀ ମାଂସ ଚାଖନ୍ତେ ବାନ୍ତି କରି ପକେଇଲା ।
ଛି ଛି ଛି !!! ହାତୀ ମାଂସ ଏତେ ବାଜେ ? ମାମୁଁ ତମେ ତ କହୁଥିଲ ହାତୀ ମାଂସ ଭାରି ସୁଆଦିଆ କିନ୍ତୁ...!
ଵିରକ୍ତ ହୋଇ ବିଲୁଆ କହିଲା ...
ସେଇଠୁ ସିଂହ ତାକୁ କହିଲା— ହଁରେ ଭଣଜା ମୁଁ ବି ଭାବୁଥିଲି ହାତୀ ମାଉଁସ ସୁଆଦିଆ କିନ୍ତୁ ଏବେ ବୁଝୁଛି ଛୋଟବେଳେ ପରିଵାର ସହିତ ମିଳିମିଶି ଖାଉଥିଵାରୁ ସେ ମାଂସ ସହ ମାଆର ସ୍ନେହ ମିଶି ସ୍ଵାଦିଷ୍ଟ ଲାଗୁଥିଲା ...
No comments:
Post a Comment