My Blog List

Showing posts with label ଅନୁଵାଦ. Show all posts
Showing posts with label ଅନୁଵାଦ. Show all posts

Wednesday, August 5, 2026

ନାମକରଣ (Le Baptême)

"ଆଚ୍ଛା ଡାକ୍ତରବାବୁ, ଟିକିଏ ବ୍ରାଣ୍ଡି ନେବେ କି?"
"ନିଶ୍ଚୟ, ଢାଳନ୍ତୁ।"

ବୃଦ୍ଧ ଜାହାଜ-ସର୍ଜନ ତାଙ୍କ ଗ୍ଲାସ୍ ବଢ଼ାଇ ଦେଇ, ତାହା ଧୀରେ ଧୀରେ ସୁନେଲି ରଙ୍ଗର ତରଳ ପଦାର୍ଥରେ ପୂର୍ଣ୍ଣ ହେଉଥିଵାର ଦେଖୁଥିଲେ। ତା'ପରେ, ଗ୍ଲାସ୍‌କୁ ତାଙ୍କ ଆଖି ସାମ୍ନାରେ ଧରି, ସେ ଲ୍ୟାମ୍ପର ଆଲୋକକୁ ତା ମଧ୍ୟ ଦେଇ ଯିଵାକୁ ଦେଲେ,ତାକୁ ଆଘ୍ରାଣ କଲେ, କିଛି ବୁନ୍ଦା ଚାଖିଲେ ଏଵଂ ଆନନ୍ଦରେ ନିଜ ଓଠ ଚାଟି କହିଲେ:

"ଆଃ! କି ମନଲୋଭା ଵିଷ! କିମ୍ବା କୁହାଯାଇପାରେ, ଏକ ମୋହନୀୟ ହନ୍ତା, ମାନଵ ସମାଜର ଏକ ଆନନ୍ଦଦାୟକ ଵିନାଶକାରୀ !"
"ଆପଣମାନେ ଏହାକୁ ସେଭଳି ଜାଣିନାହାଁନ୍ତି, ଯେପରି ମୁଁ ଜାଣିଛି। ଆପଣ ହୁଏତ L'Assommoir (ଲା'ଆସୋମୋୟାର୍) ନାମକ ସେହି ପ୍ରଶଂସନୀୟ ପୁସ୍ତକଟି ପଢ଼ିଥିବେ, କିନ୍ତୁ ଆପଣ ମୋ ପରି ଦେଖିନାହାଁନ୍ତି ଯେ ମଦ୍ୟପାନ କିପରି ଗୋଟିଏ ସମ୍ପୂର୍ଣ୍ଣ ଆଦିଵାସୀ ଜନଜାତିକୁ, ନିଗ୍ରୋମାନଙ୍କର ଏକ ଛୋଟ ରାଜ୍ୟକୁ ଧ୍ୱଂସ କରିଦିଏ-- ଯେଉଁ ମଦକୁ ନାଲି ଦାଢ଼ିବାଲା ଇଂରେଜ ନାଵିକମାନେ ଶାନ୍ତିରେ ବ୍ୟାରେଲ୍ ପରେ ବ୍ୟାରେଲ୍ ଖାଲି କରିଦିଅନ୍ତି।

"ଏଇ ପାଖରେ, ପଣ୍ଟ୍-ଲ'ଆବେ ନିକଟସ୍ଥ ବ୍ରିଟାନୀର ଏକ ଛୋଟ ଗାଁରେ, ମୁଁ ଥରେ ମଦ୍ୟପାନ କାରଣରୁ ଘଟିଥିଵା ଏକ ଅଜବ ଓ ଭୟଙ୍କର ଦୁଃଖଦ ଘଟଣା ନିଜ ଆଖିରେ ଦେଖିଥିଲି। ମୁଁ ମୋ ବାପା ଛାଡ଼ି ଯାଇଥିଵା ଏକ ଛୋଟ ଗାଉଁଲି ଘରେ ମୋର ଛୁଟି କଟାଉଥିଲି। ଆପଣ ଜାଣିଥିବେ ଏହି ସମତଳ ଉପକୂଳ ଵିଷୟରେ ଯହିଁ ଦିନରାତି ପଵନ ସାଇଁ ସାଇଁ ବହେ, ଯହିଁ କେହି ଛିଡ଼ା ହୋଇଥିଵା ଵା ପଡ଼ିରହିଥିଵା ଏହି ଵିଶାଳ ପଥରଖଣ୍ଡଗୁଡ଼ିକୁ ଦେଖିପାରିଵ ଯାହା ପୁରାତନ କାଳରେ ରକ୍ଷକ ଭାବରେ ପରିଗଣିତ ହେଉଥିଲା ଏଵଂ ଯାହା ଏବେ ବି ନିଜ ସହିତ କିଛି ରାଜକୀୟ ଓ ପ୍ରଭାଵଶାଳୀ ଗୁଣ ବଜାୟ ରଖିଛି। ମୁଁ ସବୁବେଳେ ଆଶା କରେ ଯେ ସେମାନେ ହୁଏତ ଜୀଵନ୍ତ ହୋଇଉଠିବେ ଏଵଂ ଦୈତ୍ୟମାନଙ୍କ ପରି ଧୀର ଓ ଭାରି ପାଦରେ ସେହି ଅଞ୍ଚଳରେ ଚାଲିଵା ଆରମ୍ଭ କରିବେ କିମ୍ବା ଵିଶାଳ ଗ୍ରାନାଇଟ୍ ଡେଣା ମେଲାଇ ଡ୍ରୁଇଡ୍‌ମାନଙ୍କ ସ୍ୱର୍ଗ ଆଡ଼କୁ ଉଡ଼ିଯିବେ ।
"ଚାରିଆଡ଼େ କେଵଳ ସମୁଦ୍ର, ସାମାନ୍ୟ ଉତ୍ତେଜନାରେ ନିଜ କ୍ରୋଧରେ ଉଠିଵାକୁ ଏଵଂ ଯେଉଁମାନେ ଏହାର କ୍ରୋଧକୁ ସାମ୍ନା କରିଵାକୁ ସାହସ କରନ୍ତି, ସେମାନଙ୍କ ଉପରେ ନିଜର ଫେଣଯୁକ୍ତ କେଶକୁ ଝାଡ଼ିଦେଵାକୁ ସର୍ଵଦା ପ୍ରସ୍ତୁତ ରହିଥାଏ।

"ଆଉ ଯେଉଁ ଲୋକମାନେ ଏହି ଭୟଙ୍କର ସମୁଦ୍ରରେ ଯାତ୍ରା କରନ୍ତି, ଯାହା ତାର ସବୁଜ ପିଠିର ଗୋଟିଏ ଗତିରେ ସେମାନଙ୍କ ଦୁର୍ଵଳ ଡଙ୍ଗାକୁ ଓଲଟାଇ ଦେଇପାରେ ଏଵଂ ଗିଳି ଦେଇପାରେ -- ସେମାନେ ନିଜ ଛୋଟ ଡଙ୍ଗାରେ ଦିନରାତି ବାହାରି ଯାଆନ୍ତି, କଠୋର ପରିଶ୍ରମୀ, କ୍ଳାନ୍ତ ଓ ମଦ୍ୟପାନ କରି କରି। ସେମାନେ ଅନେକ ସମୟରେ ମଦ୍ୟପାନ କରିଥାଆନ୍ତି। ସେମାନଙ୍କର ଏକ ପ୍ରଵାଦ ଅଛି: ,“ଯେତେବେଳେ ବୋତଲ ଭର୍ତ୍ତି ଥାଏ, ତୁମେ ପାଣି ଭିତରେ ଥିଵା ପଥରଖଣ୍ଡ ଦେଖିପାରିଵ, କିନ୍ତୁ ଯେତେବେଳେ ଏହା ଖାଲି ହୋଇଯାଏ ତୁମେ ଏହାକୁ ଆଉ ଦେଖିପାରିଵ ନାହିଁ।”

"ସେମାନଙ୍କର କୌଣସି ଏକ କୁଡ଼ିଆ ଭିତରକୁ ଯାଆନ୍ତୁ; ଆପଣ ସେଠାରେ କେବେ ବି ପିତାଙ୍କୁ ପାଇବେ ନାହିଁ। ଯଦି ଆପଣ ସେହି ମହିଳାଙ୍କୁ ପଚାରିବେ ଯେ ତାଙ୍କ ସ୍ୱାମୀଙ୍କର କ'ଣ ହେଲା, ସେ ନିଜ ବାହୁକୁ ସେହି ଅନ୍ଧକାରମୟ ସମୁଦ୍ର ଆଡ଼କୁ ପ୍ରସାରିତ କରିବେ ଯାହା ଉପକୂଳ ଦେଇ ଗର୍ଜନ କରୁଥାଏ। ସେ ଗୋଟିଏ ରାତିରେ ସେଠାରେ ହିଁ ରହିଗଲେ, ଯେତେବେଳେ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ; ତାଙ୍କ ବଡ଼ ପୁଅ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କର ଆହୁରି ଚାରୋଟି ବଡ଼, ବଳିଷ୍ଠ, ଗୋରା ଚୁଟି ଥିଵା ପୁଅ ବି ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କର ସମୟ ବି ଆସିଵ।"

"ଯେମିତି ମୁଁ କହିଲି, ମୁଁ ପଣ୍ଟ୍-ଲ'ଆବେ ନିକଟରେ ଏକ ଛୋଟ ଘରେ ରହୁଥିଲି। ମୁଁ ସେଠାରେ ଏକାକୀ ମୋର ଚାକର, ଜଣେ ବୃଦ୍ଧ ନାଵିକ ଏଵଂ ଏକ ସ୍ଥାନୀୟ ପରିଵାର ସହିତ ରହୁଥିଲି, ଯେଉଁମାନେ ମୋ ଅନୁପସ୍ଥିତିରେ ଜମିବାଡ଼ିର ଦେଖାଶୁଣା କରୁଥିଲେ। ସେହି ପରିଵାରରେ ତିନିଜଣ ସଦସ୍ୟ ଥିଲେ, ଦୁଇ ଭଉଣୀ ଏଵଂ ଜଣେ ଵ୍ୟକ୍ତି, ଯିଏ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଵିଵାହ କରିଥିଲେ ଏଵଂ ବଗିଚାର ଦାୟିତ୍ୱ ନେଉଥିଲେ।

"ଖ୍ରୀଷ୍ଟମାସର ଠିକ୍ କିଛି ସମୟ ପୂର୍ଵରୁ ମୋ ମାଳୀର ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା। ସ୍ୱାମୀ ଜଣକ ମୋତେ ଧର୍ମ-ପିତା (god-father) ହେଵାକୁ ଅନୁରୋଧ କଲା। ମୁଁ ତାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିଲି ନାହିଁଁ ତେଣୁ ସେ କହିଵା ଅନୁସାରେ ନାମକରଣ ଖର୍ଚ୍ଚ ପାଇଁ ମୋଠାରୁ ଦଶ ଫ୍ରାଙ୍କ୍ ଧାର ନେଲା।

"ଜାନୁଆରୀର ଦ୍ୱିତୀୟ ଦିନକୁ ଉତ୍ସଵର ତାରିଖ ଭାବରେ ବଛାଗଲା। ତା'ର ଏକ ସପ୍ତାହ ପୂର୍ଵରୁ ପୃଥିଵୀ ଏକ ଵିଶାଳ ଧଳା ବରଫର ଗାଲିଚାରେ ଆଚ୍ଛାଦିତ ହୋଇରହିଥିଲା। ସେହି ବରଫର ଚାଦର ଯୋଗୁଁ ଏହି ସମତଳ ଓ ନିମ୍ନଭୂମି ଦେଶଟି ଅସୀମ ଓ ଅନନ୍ତ ଵିସ୍ତୃତ ବୋଲି ପ୍ରତୀତ ହେଉଥିଲା। ଏହି ଶୁଭ୍ର ପ୍ରାନ୍ତରର ଵିପରୀତରେ ସମୁଦ୍ରଟି କଳା ଦେଖାଯାଉଥିଲା। ତାହାର ଲହଡ଼ିଗୁଡ଼ିକ ତରଙ୍ଗାୟିତ ହୋଇ ମାଡ଼ି ଆସୁଥିଲା, ଉତ୍ତାଳ ହୋଇ ଗର୍ଜନ କରୁଥିଲା ଏଵଂ ଉନ୍ମତ୍ତ ଭାବେ ଉଛୁଳି ପଡ଼ୁଥିଲା; ମନେ ହେଉଥିଲା, ସେ ତାହାର ସେହି ଧଳା ପଡ଼ୋଶୀକୁ ସମ୍ପୂର୍ଣ୍ଣ ଲୋପ କରିଦେଵାକୁ ଚାହୁଁଛି। କିନ୍ତୁ ସେହି ବରଫାଚ୍ଛାଦିତ ଭୂମି ଏତେ ଶାନ୍ତ, ନିରଵ ଓ ହିମଶୀତଳ ଥିଲା ଯେ, ତାହାକୁ ଦେଖି ମୃତପ୍ରାୟ ବୋଲି ମନେ ହେଉଥିଲା।
 
"ସକାଳ ନଅଟାରେ ପିତା କେରାଣ୍ଡେକ୍ ନିଜ ଶାଳୀ, ବଡ଼ କେର୍ମାଗାନ୍ ଓ ଧାଇଙ୍କ ସହିତ ମୋ ଦ୍ୱାରକୁ ଆସିଥିଲା, ଯିଏ କି ନଵଜାତକକୁ କମ୍ବଳରେ ଗୁଡ଼ାଇ ଧରିଥିଲେ। ଆମେ ଗିର୍ଜାଘର ଆଡ଼କୁ ବାହାରିଲୁ। ପାଗ ଏତେ ଥଣ୍ଡା ଥିଲା ଯେ ମନେ ହେଉଥିଲା ଏହା ଚର୍ମକୁ ଶୁଖାଇ ଫଟାଇ ଦେଵ। ମୁଁ ଆମ ଆଗରେ ନିଆଯାଉଥିଵା ସେହି ଵିଚରା ଛୋଟ ଜୀଵଟି ବିଷୟରେ ଭାବୁଥିଲି, ଆଉ ନିଜକୁ ନିଜେ କହିଲି ଯେ ଏହି ବ୍ରେଟନ୍ ଜାତି ନିଶ୍ଚିତ ଭାବରେ ଲୁହାରେ ତିଆରି ହୋଇଥିଵ, ଯଦି ସେମାନଙ୍କ ପିଲାମାନେ ଜନ୍ମ ହେଵା ମାତ୍ରେ ଏଭଳି ବାହାର ପରିଵେଶକୁ ସହ୍ୟ କରିଵାକୁ ସକ୍ଷମ ଅଟନ୍ତି।

"ଆମେ ଗିର୍ଜାଘର ପାଖରେ ପହଞ୍ଚିଲୁ, କିନ୍ତୁ କବାଟ ବନ୍ଦ ଥିଲା; ପାଦ୍ରୀଙ୍କର ଆସିଵାରେ ଵିଳମ୍ବ ହେଉଥିଲା।

"ତା'ପରେ ଧାଇ ଜଣକ ଗୋଟିଏ ପାହାଚ ଉପରେ ବସି ପିଲାର ଲୁଗା ଖୋଲିଵାକୁ ଲାଗିଲା। ପ୍ରଥମେ ମୁଁ ଭାବିଲି ବୋଧହୁଏ କିଛି ଛୋଟ ଦୁର୍ଘଟଣା ଘଟିଯାଇଛି, କିନ୍ତୁ ମୁଁ ଦେଖିଲି ଯେ ସେମାନେ ସେହି ଵିଚରା ଛୋଟ ପିଲାଟିକୁ ବରଫ ପରି ଥଣ୍ଡା ପଵନରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଛାଡ଼ିଦେଉଛନ୍ତି। ଏପରି ନିର୍ବୋଧତା ଦେଖି ରାଗିଯାଇ, ମୁଁ ପ୍ରତିଵାଦ କଲି:
"ଆରେ, ତୁମେ ପାଗଳ ହୋଇଗଲଣି କି! ତୁମେ ପିଲାଟିକୁ ମାରିଦେଵ !'
"ମହିଳା ଜଣକ ଶାନ୍ତିରେ ଉତ୍ତର ଦେଲେ: 'ଓହୋ, ନା, ଆଜ୍ଞା; ସେ ପ୍ରଭୁଙ୍କ ସମ୍ମୁଖରେ ଉଲଗ୍ନ ହୋଇ ଅପେକ୍ଷା କରିଵା ଉଚିତ୍।'
"ପିତା ଓ ମାଉସୀ ବିନା କୌଣସି ଚିନ୍ତାରେ ଦେଖୁଥିଲେ। ଏହା ଏକ ପ୍ରଥା ଥିଲା। ଯଦି ଏହାକୁ ପାଳନ କରା ନ ଯାଏ ତେବେ ଛୋଟ ପିଲାଟି ଉପରେ ନିଶ୍ଚିତ ଦୁର୍ଭାଗ୍ୟ ଆସିଵ।
"ମୁଁ ଗାଳି ଦେଲି, ଧମକ ଦେଲି ଏଵଂ ଅନୁନୟ ଵିନୟ ହେଲି। ମୁଁ ସେହି ଦୁର୍ଵଳ ଶିଶୁକୁ ଘୋଡ଼ାଇଵା ପାଇଁ ବଳ ପ୍ରୟୋଗ କରିଵାକୁ ଚେଷ୍ଟା କଲି। ସବୁକିଛି ଵୃଥା ହେଲା। ଧାଇଜଣକ ମୋ ପାଖରୁ ବରଫ ଦେଇ ଦୂରକୁ ଦୌଡ଼ି ପଳାଇଲା, ଏଵଂ ସେହି ଛୋଟ ପିଲାଟିର ଶରୀର ବାଇଗଣୀ ରଙ୍ଗର ହୋଇଗଲା। ମୁଁ ଏହି ପଶୁମାନଙ୍କୁ ଛାଡ଼ି ଯିଵାକୁ ବସିଥିଲି କିନ୍ତୁ ସେତିକିବେଳେ ଦେଖିଲି ପାଦ୍ରୀ ଜଣକ ସେହି ଅଞ୍ଚଳ ଦେଇ ଆସୁଛନ୍ତି ଏବଂ ତାଙ୍କ ପଛେ ପଛେ ଗିର୍ଜାର ସେଵକ ଏଵଂ ଏକ ଛୋଟ ବାଳକ ଆସୁଛନ୍ତି। ମୁଁ ତାଙ୍କ ଆଡ଼କୁ ଦୌଡ଼ିଗଲି ଆଉ ମୋର କ୍ରୋଧ ପ୍ରକାଶ କଲି। କିନ୍ତୁ ସେ କୌଣସି ଆଶ୍ଚର୍ଯ୍ୟ ପ୍ରକାଶ କଲେ ନାହିଁ କିମ୍ବା ତାଙ୍କର ଚାଲିଵାର ବେଗ ଟିକିଏ ବି ବଢ଼ାଇଲେ ନାହିଁ। ଵରଂ ସେ ମୋତେ ଉତ୍ତର ଦେଲେ:
"'ଆପଣ କ'ଣ ଆଶା କରିପାରିବେ, ମହାଶୟ? ଏହା ହେଉଛି ପ୍ରଥା। ସେମାନେ ସମସ୍ତେ ଏହା କରନ୍ତି ଏଵଂ ସେମାନଙ୍କୁ ଅଟକାଇଵାକୁ ଚେଷ୍ଟା କରିଵା ଦ୍ଵାରା କୌଣସି ଲାଭ ହେଵାର ନାହିଁ।'
"'କିନ୍ତୁ ଅନ୍ତତଃ ପକ୍ଷେ ଜଲଦି କରନ୍ତୁ !' ମୁଁ ଚିତ୍କାର କଲି।

"ସେ ଉତ୍ତର ଦେଲେ: 'କିନ୍ତୁ ମୁଁ ୟାଠୁ ଜୋରରେ ଚାଲିପାରିବି ନାହିଁ।'

"ପାଦ୍ରୀ ଗିର୍ଜାଘରର ପୋଷାକ ପରିଵର୍ତ୍ତନ କକ୍ଷରେ ପ୍ରଵେଶ କଲେ ଆଉ ଆମେମାନେ ବାହାରେ ଗିର୍ଜାର ପାହାଚ ଉପରେ ରହିଲୁ। ମୋତେ ଭାରି କଷ୍ଟ ହେଉଥିଲା। କିନ୍ତୁ ସେହି ଵିଚରା ଛୋଟ ଜୀଵଟିର କ'ଣ ହେଉଥିଵ ଯିଏ ପ୍ରବଳ ଥଣ୍ଡାର ପ୍ରଭାବରେ କାନ୍ଦି ଚିତ୍କାର କରୁଥିଲା।
"ଶେଷରେ କବାଟ ଖୋଲିଲା। ସେ ଗିର୍ଜାଘର ଭିତରକୁ ଗଲେ। କିନ୍ତୁ ଵିଚରା ପିଲାଟିକୁ ସମଗ୍ର ଉତ୍ସଵରେ ଉଲଗ୍ନ ହୋଇ ରହିଵାକୁ ପଡ଼ିଲା। ଏହା ଶେଷ ହେଉନଥିଲା। ପାଦ୍ରୀ ଲାଟିନ୍ ଶବ୍ଦଗୁଡ଼ିକୁ ଖନେଇ ଖନେଇ କହୁଥିଲେ ଏଵଂ ସେଗୁଡ଼ିକର ଭୟଙ୍କର ଭୁଲ ଉଚ୍ଚାରଣ କରୁଥିଲେ। ସେ ଧୀରେ ଧୀରେ ଏଵଂ ଭାରୀ ପାଦରେ ଚାଲୁଥିଲେ। ତାଙ୍କର ଧଳା ପୋଷାକ ମୋ ହୃଦୟକୁ ଥଣ୍ଡା କରିଦେଲା। ଏପରି ମନେ ହେଉଥିଲା ଯେପରି, ଏକ ନିର୍ଦ୍ଦୟ ଓ ବର୍ବର ଦେଵତାଙ୍କ ନାମରେ, ସେ ନିଜକୁ ଆଉ ଏକ ପ୍ରକାରର ବରଫରେ ଗୁଡ଼ାଇ ଦେଇଥିଲେ ଯାହାଦ୍ୱାରା ଥଣ୍ଡାରେ କଷ୍ଟ ପାଉଥିଵା ଏହି ଛୋଟ ମଣିଷ ଛୁଆଟିକୁ ନିର୍ଯାତନା ଦିଆଯାଇପାରିଵ।
"ଶେଷରେ ଵିଧି ଅନୁଯାୟୀ ନାମକରଣ ସମାପ୍ତ ହେଲା ଏଵଂ ମୁଁ ଦେଖିଲି ଧାଇ ପୁଣି ଥରେ ସେହି ବରଫ ପାଲଟିଯାଇଥିଵା, କାନ୍ଦୁଥିଵା ପିଲାଟିକୁ ନେଇ କମ୍ବଳରେ ଗୁଡ଼ାଇ ଦେଲା।

"ପାଦ୍ରୀ ମୋତେ କହିଲେ: 'ଆପଣ ରେଜିଷ୍ଟରରେ ଦସ୍ତଖତ କରିଵାକୁ ଚାହୁଁଛନ୍ତି କି?'

"ମୋ ମାଳୀ ଆଡ଼କୁ ବୁଲି, ମୁଁ କହିଲି: 'ଜଲଦି କର ଏଵଂ ଶୀଘ୍ର ଘରକୁ ଯାଅ ଯାହାଦ୍ୱାରା ତୁମେ ସେହି ପିଲାଟିର ଶରୀରକୁ ଗରମ କରିପାରିଵ।' ଯଦି ବହୁତ ଡେରି ହୋଇନଥିଵ, ତେବେ ନିମୋନିଆର ଭୟଙ୍କର ଆକ୍ରମଣରୁ ରକ୍ଷା ପାଇଵା ପାଇଁ ମୁଁ ତାକୁ କିଛି ଉପଦେଶ ଦେଲି। ସେ ମୋର ନିର୍ଦ୍ଦେଶ ପାଳନ କରିଵାକୁ ପ୍ରତିଶ୍ରୁତି ଦେଲା ଏଵଂ ତାର ଶାଳୀ ଓ ଧାଇଙ୍କ ସହିତ ଚାଲିଗଲା। ମୁଁ ପାଦ୍ରୀଙ୍କ ପଛେ ପଛେ ପୋଷାକ କକ୍ଷକୁ ଗଲି ଏଵଂ ଯେତେବେଳେ ଦସ୍ତଖତ କଲି, ସେ ଖର୍ଚ୍ଚ ବାବଦକୁ ପାଞ୍ଚ ଫ୍ରାଙ୍କ୍ ଦାବି କଲେ।

"ଯେହେତୁ ମୁଁ ଆଗରୁ ପିତାକୁ ଦଶ ଫ୍ରାଙ୍କ୍ ଦେଇସାରିଥିଲି ତେଣୁ ଦୁଇଥର ଟଙ୍କା ଦେଵାକୁ ମନା କରିଦେଲି। ପାଦ୍ରୀ କାଗଜଟି ନଷ୍ଟ କରିଦେଵାକୁ ଏଵଂ ନାମକରଣ ବାତିଲ୍ କରିଦେଵାକୁ ଧମକ ଦେଲେ। ମୁଁ ବଦଳରେ, ତାଙ୍କୁ ଜିଲ୍ଲା ଓକିଲଙ୍କ ଦ୍ୱାରା ଦଣ୍ଡିତ କରିଵାକୁ ଧମକ ଦେଲି। ଵିଵାଦ ଲମ୍ବା ସମୟ ଧରି ଚାଲିଲା ଏଵଂ ଶେଷରେ ବାଧ୍ୟ ହୋଇ ମୁଁ ପାଦ୍ରୀଙ୍କୁ ପାଞ୍ଚ ଫ୍ରାଙ୍କ୍ ଦେଇ ଫେରିଲି।

"ଘରେ ପହଞ୍ଚିଵା ମାତ୍ରେ ସବୁକିଛି ଠିକ୍ ଅଛି କି ନାହିଁ ଜାଣିଵା ପାଇଁ ମୁଁ କେରାଣ୍ଡେକର ଘରକୁ ଗଲି। ପିତା, ଶାଳୀ କିମ୍ବା ଧାଇ କେହିବି ଏପର୍ଯ୍ୟନ୍ତ ଫେରିନଥିଲେ। ଛୁଆର ମାଆଟି ସେଠି ଏକାକୀ ରହିଥିଲା, ଥଣ୍ଡାରେ ଥରି ଥରି ଶେଯରେ ପଡ଼ିଥିଲା ଏଵଂ ଭୋକିଲା ଥିଲା, କାରଣ ସେ ପୂର୍ଵଦିନଠାରୁ କିଛି ଖାଇନଥିଲା।
"'ସେମାନେ କୁଆଡ଼େ ଯାଇଥିବେ?' ମୁଁ ପଚାରିଲି। ସେ ବିନା କୌଣସି ଆଶ୍ଚର୍ଯ୍ୟ ଵା ରାଗରେ ଉତ୍ତର ଦେଲା, 'ସେମାନେ ଉତ୍ସଵ ପାଳନ କରିଵା ପାଇଁ କିଛି ପିଇଵାକୁ ଯାଇଛନ୍ତି: ଏହା ହେଉଛି ପ୍ରଥା।' ତା'ପରେ ମୁଁ ମୋର ସେହି ଦଶ ଫ୍ରାଙ୍କ୍ କଥା ଭାବିଲି ଯାହା ଗିର୍ଜାରେ ଦେଵା ପାଇଁ ଥିଲା ଏଵଂ ଏବେ ନିଃସନ୍ଦେହରେ ମଦ ପାଇଁ ଖର୍ଚ୍ଚ ହେଵ।
"ମୁଁ ମାଆ ପାଇଁ କିଛି ସୁପ୍ ପଠାଇଲି ଏଵଂ ରୁମ୍ ଭିତରେ ଭଲଭାବରେ ନିଆଁ ଜାଳିଵାକୁ ଆଦେଶ ଦେଲି। ମୁଁ ଅଶାନ୍ତ ଓ କ୍ରୋଧିତ ଥିଲି ଏଵଂ ଏହି ପଶୁମାନଙ୍କୁ ତଡ଼ିଦେବି ବୋଲି ନିଜକୁ ପ୍ରତିଶ୍ରୁତି ଦେଲି କିନ୍ତୁ ଏହା ଭାବି ମଧ୍ୟ ଭୟଭୀତ ହେଉଥିଲି ଯେ ସେହି ଗରିବ ଶିଶୁଟିର କ'ଣ ହେଵ ।

"ସେତେବେଳକୁ ଛଅଟା ବାଜିସାରିଥିଲା, ଏଵଂ ସେମାନେ ଏପର୍ଯ୍ୟନ୍ତ ଫେରିନଥିଲେ। ମୁଁ ମୋ ଚାକରକୁ ସେମାନଙ୍କ ପାଇଁ ଅପେକ୍ଷା କରିଵାକୁ କହି ଶୋଇଵାକୁ ଗଲି। ଖୁବ୍ ଶୀଘ୍ର ମୋତେ ନିଦ ଆସିଗଲା ଏଵଂ ମୁଁ ଘୋର ନିଦ୍ରାରେ ଶୋଇଗଲି। ସକାଳେ ମୋର ଚାକର ମୋତେ ଉଠାଇଲା ଏଵଂ ସିଏ ମୋ ପାଇଁ ଗରମ ପାଣି ଆଣିଥିଲା।

"ଆଖି ଖୋଲିଵା ମାତ୍ରେ ତାକୁ ପଚାରିଲି: 'କେରାଣ୍ଡେକର ଖବର କ'ଣ?'
"ଲୋକଟି ଇତସ୍ତତଃ ହେଲା ଏଵଂ ତା'ପରେ ଖନେଇ ଖନେଇ କହିଲା: 'ଓଃ! ସେ ମଧ୍ୟରାତ୍ରି ପରେ ଠିକ୍ ଫେରିଆସିଲା, କିନ୍ତୁ ଏତେ ମଦ ପିଇଥିଲା ଯେ ଚାଲିପାରୁନଥିଲା ଏଵଂ କେର୍ମାଗାନ୍ ଆଉ ଧାଇର ମଧ୍ୟ ସମାନ ଅଵସ୍ଥା ଥିଲା। ମୋତେ ଲାଗୁଛି ସେମାନେ ନିଶ୍ଚୟ କୌଣସି ଖାଲରେ ଶୋଇଯାଇଥିଲେ, କାରଣ ଛୋଟ ପିଲାଟି ମରିଗଲା ଆଉ ସେମାନେ ଏ ଵିଷୟରେ ଆଦୌ ଜାଣିପାରିଲେ ନାହିଁ।'

"ମୁଁ ଶେଯରୁ ଡେଇଁପଡ଼ି ଚିତ୍କାର କରି ଉଠିଲି:

"'କ'ଣ! ପିଲାଟି ମରିଗଲାଣି?'

"'ହଁ ଆଜ୍ଞା। ସେମାନେ ତାକୁ "ମାଆ କେରାଣ୍ଡେକ୍" ପାଖକୁ ଫେରାଇ ଆଣିଥିଲେ। ଯେତେବେଳେ ସେ ଏହା ଦେଖିଲେ, ସେ କାନ୍ଦିଵାକୁ ଲାଗିଲେ ଏଵଂ ଏବେ ସେମାନେ ତାଙ୍କୁ ସାନ୍ତ୍ୱନା ଦେଵା ପାଇଁ ମଦ ପିଆଉଛନ୍ତି।'

"'କ'ଣ କହିଲ? ସେମାନେ ତାଙ୍କୁ ମଦ ପିଆଉଛନ୍ତି!"

"'ହଁ ଆଜ୍ଞା। ମୁଁ ଆଜି ସକାଳେ ହିଁ ଏହା ଜାଣିଵାକୁ ପାଇଲି। ଯେହେତୁ କେରାଣ୍ଡେକ୍ ପାଖରେ ଆଉ ବ୍ରାଣ୍ଡି କିମ୍ବା ଟଙ୍କା ନଥିଲା, ସେ ଲ୍ୟାମ୍ପ ପାଇଁ ବାବୁ ଦେଇଥିଵା କାଠ ଆଲକୋହଲ୍ (ସ୍ପିରିଟ୍) ନେଇଆସିଲା ଏଵଂ ଏବେ ସେମାନେ ଚାରିଜଣଯାକ ସେଇଆ ପିଉଛନ୍ତି। ମାଆ ଏବେ ବହୁତ ଅସୁସ୍ଥ ଅନୁଭଵ କରୁଛନ୍ତି।'

"ମୁଁ ତରବର ହୋଇ କିଛି ପୋଷାକ ପିନ୍ଧିଲି, ଏଵଂ ସେହି ନର-ପିଶାଚମାନଙ୍କ ପିଠିରେ ବାଡ଼େଇଵା ଉଦ୍ଦେଶ୍ୟରେ ଗୋଟିଏ ବାଡ଼ି ଧରି, ମାଳୀର ଘର ଆଡ଼କୁ ଧାଇଁଲି।

"ମାଆ ତା'ର ମୃତ ଶିଶୁର ନୀଳ ପଡ଼ିଯାଇଥିଵା ଶରୀର ପାଖରେ ଅତ୍ୟଧିକ ମଦ୍ୟପାନ କରି ପ୍ରଳାପ କରୁଥିଲା।

କେରାଣ୍ଡେକ୍, ଧାଇ ଓ କେର୍ମାଗାନ୍ ସ୍ତ୍ରୀଲୋକଟି ଚଟାଣରେ ଘୁଙ୍ଗୁଡ଼ି ମାରୁଥିଲେ। ମୋତେ ସେହି ମାଆର ଯତ୍ନ ନେଵାକୁ ପଡ଼ିଲା, ଯିଏ ଦ୍ୱିପ୍ରହର ବେଳକୁ ମୃତ୍ୟୁବରଣ କଲା।"

ବୃଦ୍ଧ ଡାକ୍ତର ଚୁପ୍ ହୋଇଗଲେ। ସେ ବ୍ରାଣ୍ଡି ବୋତଲ ଉଠାଇଲେ ଏଵଂ ଆଉ ଗୋଟିଏ ଗ୍ଲାସ୍ ଢାଳିଲେ। ସେ ଏହାକୁ ଲ୍ୟାମ୍ପ ଆଡ଼କୁ ଟେକି ଧରିଲେ ଏଵଂ ଏହା ମଧ୍ୟ ଦେଇ ଆସୁଥିଵା ଆଲୋକ ସେହି ତରଳ ପଦାର୍ଥକୁ ତରଳି ଯାଇଥିଵା ପୋଖରାଜ ମଣି ଭଳି ହଳଦିଆ ରଙ୍ଗ ପ୍ରଦାନ କରୁଥିଲା। ପରେ ସେ ଏକ ଢୋକରେ ସେହି ଵିଶ୍ୱାସଘାତକ ପାନୀୟଟିକୁ ପିଇଗଲେ।
•••••••••••••••••••••••••••••••••••••
(ଏହି Le Baptême ଗଳ୍ପଟି ଗାଏ ଡି ମୋପାସାଁ (୧୮୫୦-୧୮୯୩)ଙ୍କ ଦ୍ୱାରା ରଚିତ)
•••••••••••••••••••••••••••••••••••
ଲେଖକ ପରିଚୟ : ଗାଏ ଡି ମୋପାସାଙ୍କ ଜନ୍ମ ୫ ଅଗଷ୍ଟ ୧୮୫୦ରେ ଫ୍ରାନ୍ସ ଦେଶର ନର୍ମଣ୍ଡିରେ ହୋଇଥିଲା । ଆଧୁନିକ କ୍ଷୁଦ୍ରଗଳ୍ପର ଜନକ ଭାବେ ପରିଚିତ। ଗାଏ ଡି ମୋପାସା ଊନବିଂଶ ଶତାବ୍ଦୀର ଜଣେ ଵିଖ୍ୟାତ ଫରାସୀ ଲେଖକ ଥିଲେ। ସେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ରଗଳ୍ପ, ୬ଟି ଉପନ୍ୟାସ ଏଵଂ ବହୁ ଭ୍ରମଣ କାହାଣୀ ରଚନା କରିଛନ୍ତି। ତାଙ୍କ ଗଳ୍ପଗୁଡ଼ିକରେ ଵାସ୍ତଵଵାଦ, ମାନଵୀୟ ଦୁର୍ଵଳତା, ସାମାଜିକ କୁସଂସ୍କାର, ମଦ୍ୟପାନର ଅନ୍ଧକାର ଦିଗ ଏଵଂ ଜୀଵନର ନିଷ୍ଠୁର ସତ୍ୟ ଅତି ସହଜ ଓ ଜୀଵନ୍ତ ଭାବେ ପ୍ରକାଶ ପାଇଥାଏ। ତାଙ୍କର ପ୍ରସିଦ୍ଧ ଗଳ୍ପଗୁଡ଼ିକ ମଧ୍ୟରେ ‘ଦି ନେକଲେସ୍’, ‘ବୁଲ୍ ଡି ସୁଇଫ୍’ ଓ ‘ଦି ହୋର୍ଲା’ ଅନ୍ୟତମ।
••••••••••••••••••••••••••••••••••••
ଦ୍ରଷ୍ଟଵ୍ୟ : ଗାଏ ଡି ମୋପାସାଙ୍କର ପ୍ରୋକ୍ତ କାହାଣୀଟି ୧୯ଶ ଶତାବ୍ଦୀର ଫ୍ରାନ୍ସର ଭୌଗୋଳିକ, ସାଂସ୍କୃତିକ ଓ ଆଞ୍ଚଳିକ ପୃଷ୍ଠଭୂମି ଉପରେ ଆଧାରିତ। କାହାଣୀରେ ଵ୍ୟଵହୃତ କିଛି ଗୁରୁତ୍ୱପୂର୍ଣ୍ଣ ଓ କମ୍-ପରିଚିତ ଵିଷୟର ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦତ୍ତ ହେଲା । 

(କ)L'Assommoir

 L'Assommoir ଫରାସୀ ସାହିତ୍ୟର ଵିଶିଷ୍ଟ ଲେଖକ ଏମିଲ୍ ଜୋଲାଙ୍କ ଦ୍ୱାରା ୧୮୭୭ ମସିହାରେ ଲିଖିତ ଏକ କାଳଜୟୀ ଉପନ୍ୟାସ। ଏହି ବହିରେ ମଦ୍ୟପାନ କିପରି ଶ୍ରମିକ ଶ୍ରେଣୀର ମଣିଷ ଓ ତାଙ୍କ ପରିଵାରକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଏ, ତାହାର ଏକ ଵାସ୍ତଵ ଚିତ୍ରଣ ରହିଛି। ଗଳ୍ପର ଡାକ୍ତରଜଣକ ମଦର ଭୟାଵହତା ବୁଝାଇଵା ପାଇଁ ଏହି ବହିର ଉଦାହରଣ ଦେଇଛନ୍ତି।

(ଖ) ଲାଲ୍ ଦାଢ଼ିଆ ଇଂରେଜ ନାଵିକମାନଙ୍କର ଡ୍ରମ୍ ପରେ ଡ୍ରମ୍ ମଦ ଭରି ଆଣି ଢାଳିଵା ପ୍ରସଙ୍ଗ 

ଯେଉଁ ଲାଲ୍-ଦାଢ଼ିଆ ଇଂରେଜ ନାଵିକମାନେ ଡ୍ରମ ପରେ ଡ୍ରମ ଅଜାଡ଼ି ଦେଉଥିଲେ ବୋଲି ଗପରେ ଉଲ୍ଲେଖ ଅଛି ତାପଛରେ ଏକ ଇତିହାସ ରହିଛି ‌। ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଉପନିଵେଶଵାଦ ସମୟରେ ଇଂରେଜ ଓ ୟୁରୋପୀୟ ଵ୍ୟଵସାୟୀମାନେ ଜାହାଜରେ ଆଫ୍ରିକା ଏଵଂ ଅନ୍ୟାନ୍ୟ ଦ୍ୱୀପସମୂହକୁ ଯାଉଥିଲେ। ସେମାନେ ନିଜ ଜାହାଜରୁ କାଠ ଡ୍ରମ (Barrels) ଭରି ଭରି ଶସ୍ତା ମଦ (ଯଥା: ରମ୍, ବ୍ରାଣ୍ଡି, ଜିନ୍) ସେଠାକାର ଆଦିଵାସୀ ଓ ଶାସକମାନଙ୍କୁ ବିକ୍ରି କରୁଥିଲେ କିମ୍ବା ବଦଳରେ ସୁନା, ହାତୀଦାନ୍ତ ଓ ଦାସ ନେଉଥିଲେ। ସେହି ସରଳ ଆଦିଵାସୀ ଲୋକମାନେ କେବେ ମଦ ପିଇନଥିଲେ, ତେଣୁ ସେମାନେ ପ୍ରଚଣ୍ଡ ନିଶାସକ୍ତ ହୋଇପଡ଼ିଲେ। ଫଳରେ ସେମାନଙ୍କର ସାମାଜିକ ଵ୍ୟଵସ୍ଥା ଭାଙ୍ଗିଗଲା, ରୋଗଵ୍ୟାଧି ବଢ଼ିଲା ଏଵଂ ସମ୍ପୂର୍ଣ୍ଣ ସମ୍ପ୍ରଦାୟ ଛାରଖାର ହୋଇଗଲା।

(ଗ)ବ୍ରିଟାନି ଓ ପୋଣ୍ଟ-ଲ'ଆବେ 

ବ୍ରିଟାନି, ଫ୍ରାନ୍ସର ଉତ୍ତର-ପଶ୍ଚିମ ଭାଗରେ ଥିବା ଏକ ଉପକୂଳଵର୍ତ୍ତୀ ଅଞ୍ଚଳ। ଏହା ପ୍ରଚଣ୍ଡ ଶୀତଳ ପଵନ, ପଥୁରିଆ ସମୁଦ୍ରକୂଳ ଓ ସମୁଦ୍ର ଗାଁଗୁଡ଼ିକ ପାଇଁ ଜଣାଶୁଣା। ପୋଣ୍ଟ-ଲ'ଆବେ ସେହି ବ୍ରିଟାନି ଅଞ୍ଚଳରେ ଅଵସ୍ଥିତ ଏକ ଛୋଟ ଐତିହାସିକ ସହର।

(ଘ)ଡ୍ରୁଇଡ୍ 

ପ୍ରାଚୀନ ୟୁରୋପର କେଲ୍ଟିକ୍ ସଂସ୍କୃତିର ପୁରୋହିତ କିମ୍ବା ଧର୍ମଗୁରୁ ଥିଲେ — ଡ୍ରୁଇଡ୍ । ବ୍ରିଟାନି ଅଞ୍ଚଳରେ ପ୍ରାଚୀନ କାଳର Megaliths ନାମକ ବଡ଼ ବଡ଼ ପଥର ସ୍ଥାପିତ ହୋଇ ରହିଛି, ଯାହାକୁ 'ଡ୍ରୁଇଡ୍'ମାନଙ୍କର ପୂଜାସ୍ଥଳୀ ବୋଲି ଵିଶ୍ୱାସ କରାଯାଉଥିଲା। ଡାକ୍ତରଜଣକ ସେହି ଵିଶାଳ ପଥରଗୁଡ଼ିକୁ ଦେଖି ଡ୍ରୁଇଡ୍‌ମାନଙ୍କ କଥା ମନେ ପକାଇଛନ୍ତି।

(ଙ)Breton ଜାତି

Bretonମାନେ ବ୍ରିଟାନି ଅଞ୍ଚଳର ସ୍ଥାନୀୟ ଅଧିଵାସୀ। ସମୁଦ୍ରକୂଳର କଠିନ ଜଳଵାୟୁ ଓ ପ୍ରଚଣ୍ଡ ଶୀତ ସହି ସହି ଏହି ଲୋକମାନେ ଦେହସୁଆ ହୋଇଯାଇଥିଲେ। ସେଥିପାଇଁ ଲେଖକ ସେମାନଙ୍କୁ "ଲୁହା ପରି କଠୋର" ବୋଲି କହିଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ ଅନେକ ଅନ୍ଧଵିଶ୍ୱାସ ଓ ଆଞ୍ଚଳିକ କୁସଂସ୍କାର ରହିଥିଲା।

(ଚ)ଖ୍ରୀଷ୍ଟୀୟ ନାମକରଣ (Christening/Baptism) ଓ 'ଧର୍ମବାପା' (Godfather)

ନାମକରଣ ଵା Christening ଖ୍ରୀଷ୍ଟଧର୍ମର ଏକ ପଵିତ୍ର ରୀତି ଯହିଁରେ ନଵଜାତ ଶିଶୁକୁ ଚର୍ଚ୍ଚକୁ ନେଇ ଜଳ ସିଞ୍ଚନ କରାଯାଏ ଓ ଧର୍ମରେ ଦୀକ୍ଷିତ କରାଯାଏ। ଏହି ଉତ୍ସଵ ସମୟରେ ପରିଵାର ବାହାରର ଜଣେ ସମ୍ମାନିତ ଵ୍ୟକ୍ତିଙ୍କୁ ଶିଶୁର 'ଧର୍ମବାପା(Godfather)' ଭାବେ ବଛାଯାଏ, ଯିଏ ଆଧ୍ୟାତ୍ମିକ ଭାବେ ଶିଶୁଟିର ଦାୟିତ୍ୱ ନିଅନ୍ତି (ଏଠାରେ ଡାକ୍ତରଜଣକ ଧର୍ମବାପା ହୋଇଥିଲେ)।

(ଛ)ଉଡ୍ ଆଲକୋହଲ୍ 

 Wood Alcohol ଵା Methanol ପିଇଵା ପାଇଁ ଵ୍ୟଵହୃତ ହେଉଥିଵା ସାଧାରଣ ମଦ ଵା Ethanol ନୁହେଁ। ଏହା ଲ୍ୟାମ୍ପ୍ ଜାଳିଵା କିମ୍ବା ଶିଳ୍ପରେ ଵ୍ୟଵହୃତ ହେଉଥିଵା ଏକ ଅତ୍ୟନ୍ତ ଵିଷାକ୍ତ କେମିକାଲ୍ । ଏହାକୁ ପିଇଲେ ମଣିଷର ଆଖି କୋରଡ଼ା ହୋଇଯାଏ, ସ୍ନାୟୁ ମରିଯାଏ ଏଵଂ ଶେଷରେ ମୃତ୍ୟୁ ଘଟେ। ନିଶାସକ୍ତ କେରାଣ୍ଡେକ୍ ମଦ ନପାଇ ଏହି ଵିଷାକ୍ତ ସ୍ପିରିଟ୍ ପିଇଦେଵାରୁ ଶେଷରେ ତା’ ସ୍ୱାସ୍ଥ୍ୟ ବିଗିଡ଼ିଯାଇଥିଲା ଏଵଂ ତା’ ସ୍ତ୍ରୀର ମଧ୍ୟ ମୃତ୍ୟୁ ହୋଇଥିଲା।

(ଜ)ଫ୍ରାଙ୍କ୍ 

Euro ଆସିଵା ପୂର୍ଵରୁ 'Franc' ଥିଲା ଫ୍ରାନ୍ସର ସରକାରୀ ମୁଦ୍ରା । କାହାଣୀରେ ସେହି ତତ୍କାଳୀନ ମୁଦ୍ରା ଆଧାରରେ ଦଶ ଫ୍ରାଙ୍କ୍ ଓ ପାଞ୍ଚ ଫ୍ରାଙ୍କ୍‌ର ଉଲ୍ଲେଖ ରହିଛି। ୧୯୯୯ ଜାନୁଆରୀ ୧ରେ ୟୁରୋପୀୟ ସଂଘ (EU) ଦ୍ୱାରା ୟୁରୋକୁ ବ୍ୟାଙ୍କିଙ୍ଗ୍, ହିସାବକିତାବ ଓ ଵ୍ୟଵସାୟିକ କାରବାର ପାଇଁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଗଲା। ୨୦୦୨ ଜାନୁଆରୀ ୧ରେ ଫ୍ରାନ୍ସ ସମେତ ୟୁରୋପର ଅନ୍ୟାନ୍ୟ ଦେଶରେ ୟୁରୋର କାଗଜ ନୋଟ୍ ଓ ସିକ୍କା ବଜାରକୁ ଆସିଲା। ୨୦୦୨ ଫେବୃଆରୀ ୧୭ ତାରିଖରୁ ଫ୍ରାନ୍ସରେ ସମ୍ପୂର୍ଣ୍ଣ ଭାବେ 'ଫ୍ରାଙ୍କ୍'ର ଵ୍ୟଵହାର ବନ୍ଦ ହୋଇଗଲା ଏଵଂ ୟୁରୋ ଫ୍ରାନ୍ସର ଏକମାତ୍ର ଆଇନଗତ ମୁଦ୍ରା ପାଲଟିଲା।

(ଝ) କାହାଣୀରେ ଥିଵା ମୂଳ ଲୋକଵାଣୀ 

"Quand la bouteille est pleine, on voit le récif ; quand elle est vide, on ne le voit plus !"(ବୋତଲ ପୂର୍ଣ୍ଣ ଥିଵା ପର୍ଯ୍ୟନ୍ତ ସମୁଦ୍ରର ପାହାଡ଼ ଦିଶେ, କିନ୍ତୁ ବୋତଲ ଖାଲି ହୋଇଗଲେ ଆଉ କିଛି ଦିଶେନାହିଁ।')
•••••••••••••••••••••••••••••••••••
ଏ କାହାଣୀରୁ ଆମେ କ'ଣ ଶିଖିଲେ ? 

ଦର୍ଶନ ଶାସ୍ତ୍ରରେ ଏକ ବଡ଼ ପ୍ରଶ୍ନ ହେଉଛି—"ମଣିଷର କଷ୍ଟ ପ୍ରତି ପ୍ରକୃତି କିମ୍ବା ଈଶ୍ୱର କ'ଣ ସମ୍ବେଦନଶୀଳ?" ଏହି ଗଳ୍ପ ଦର୍ଶାଏ ଯେ ପ୍ରକୃତି (ବରଫ, ପ୍ରଚଣ୍ଡ ଶୀତଳ ପଵନ, ଗର୍ଜନରତ ସମୁଦ୍ର) ମଣିଷର ଅସହାୟତା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। ସେହିପରି, "ପ୍ରଭୁଙ୍କ ସାମ୍ନାରେ ଶିଶୁଟିକୁ ଉଲଗ୍ନ ହୋଇ ରହିଵାକୁ ପଡ଼ିଵ" ବୋଲି ଯେଉଁ ଧାର୍ମିକ ନିୟମ କୁହାଯାଉଛି, ତାହା ଈଶ୍ୱରଙ୍କ ଦୟା ପରିଵର୍ତ୍ତେ ଏକ ନିର୍ଦ୍ଦୟ ସତ୍ତାକୁ ସୂଚାଉଛି। ଲେଖକଙ୍କ ଭାଷାରେ—ପାଦ୍ରୀ ଜଣକ ଯେପରି "ଗୋଟିଏ ନିର୍ଦ୍ଦୟ ଓ ବର୍ବର ଦେଵତାଙ୍କ ନାମରେ" ବରଫର ଚାଦର ଘୋଡ଼ି ହୋଇ ଶିଶୁଟିକୁ ଯନ୍ତ୍ରଣା ଦେଉଥିଲେ। ଗଳ୍ପଟି ଦର୍ଶାଏ ଯେତେବେଳେ ସମାଜ ଅନ୍ଧପରମ୍ପରା ଓ କୁସଂସ୍କାରରେ ବାନ୍ଧିହୋଇ ଯାଏ, ସେତେବେଳେ ମଣିଷର ମୌଳିକ ଵିଵେକ ଓ ସ୍ନେହ-ମମତା ଲୋପ ପାଇଯାଏ। ଗୋଟିଏ ନଵଜାତ ଶିଶୁକୁ ପ୍ରଚଣ୍ଡ ବରଫରେ ନଗ୍ନ କରି ରଖିଵା ଯୁକ୍ତିଯୁକ୍ତ ନୁହେଁ। କିନ୍ତୁ "ଏହା ଆମର ପରମ୍ପରା" ବୋଲି କହି ମାଆ, ବାପା, ଧାତ୍ରୀ ଏଵଂ ସ୍ୱୟଂ ପାଦ୍ରୀ ନିଜ ନୈତିକ ଦାୟିତ୍ୱରୁ ଓହରି ଯାଉଛନ୍ତି। ପରମ୍ପରା ଯେତେବେଳେ ଅନ୍ଧଵିଶ୍ୱାସରେ ପରିଣତ ହୁଏ, ତାହା ମାନଵିକତାକୁ ହତ୍ୟା କରେ। ଲେଖକ କାହାଣୀ ମଧ୍ୟରେ ଚର୍ଚ୍ଚ ଓ ପାଦ୍ରୀଙ୍କ ଚରିତ୍ର ମାଧ୍ୟମରେ ସଂସ୍ଥାଗତ ଧର୍ମ ଉପରେ କଟାକ୍ଷ କରିଛନ୍ତି। ଶିଶୁଟି ଶୀତରେ ତଳେ ପଡ଼ି ନୀଳ ପଡ଼ିଯାଉଥିଵା ବେଳେ ପାଦ୍ରୀଙ୍କ ମନରେ କୌଣସି ଦୟା ଵା ଵ୍ୟଗ୍ରତା ନଥିଲା। ସେ ନିଜର ଆନୁଷ୍ଠାନିକ ନୀତିକାନ୍ତିକୁ ଧୀରେ ଧୀରେ ଶେଷ କରୁଥିଲେ। ଗଳ୍ପ ଶେଷରେ, ପାଦ୍ରୀ ଶିଶୁର ଜୀଵନ ବଞ୍ଚାଇଵା ପାଇଁ ତୁରନ୍ତ ଘରକୁ ପଠାଇଵା ପରିଵର୍ତ୍ତେ, ଆଉ ୫ ଫ୍ରାଙ୍କ୍ ଟଙ୍କା ପାଇଁ ଯୁକ୍ତିତର୍କ କରୁଛନ୍ତି ଏଵଂ ଟଙ୍କା ନଦେଲେ କାଗଜପତ୍ର ଚିରିଦେବାକୁ ଧମକ ଦେଉଛନ୍ତି। ଏହା ଦର୍ଶାଏ ଯେ ଧର୍ମ ଅନେକ ସମୟରେ ଆଧ୍ୟାତ୍ମିକତା ହରାଇ କେଵଳ ଟଙ୍କା ଓ ଶୁଷ୍କ ନିୟମର ଵ୍ୟଵସାୟ ପାଲଟିଯାଏ।

ମଦ୍ୟପାନ କିପରି ମଣିଷର ସେତେବେଳର ଚେତନାକୁ ନଷ୍ଟ କରି ତାକୁ 'ମାନଵୀୟ ପଶୁ' ଵା Human Beastରେ ପରିଣତ କରେ, ତାହା ଏହି ଗଳ୍ପର ମୁଖ୍ୟ ଦାର୍ଶନିକ ଦିଗ।
ମଦ କେଵଳ ଶରୀରକୁ ନୁହେଁ ଵରଂ ମଣିଷର ଆତ୍ମା ଓ ଅନୁଭୂତିକୁ ମାରିଦିଏ। ଶିଶୁଟିର ମୃତ୍ୟୁ ହେଵା ସତ୍ତ୍ୱେ ବାପା-ମାଆ ଓ ସମ୍ପର୍କୀୟମାନେ ଦୁଃଖ ପ୍ରକାଶ କରିଵା ବଦଳରେ ଅଧିକ ମଦ ପିଇଵାରେ ମଗ୍ନ ରହୁଛନ୍ତି। ଶେଷରେ ମଦ ନପାଇ ଵିଷାକ୍ତ ସ୍ପିରିଟ୍ "Wood Alcohol" ପିଇ ନିଜ ଜୀଵନକୁ ବି ଵିପନ୍ନ କରୁଛନ୍ତି। ନିଶା ମଣିଷକୁ ସ୍ୱାର୍ଥପର, ଦୟାହୀନ ଓ ଆତ୍ମଘାତୀ କରିଦିଏ।

ଗଳ୍ପର ସବୁଠାରୁ ବଡ଼ ଦାର୍ଶନିକ ଵିଡ଼ମ୍ବନା ସ୍ଵୟଂ କଥକ (ଡାକ୍ତର)ଙ୍କ ଚରିତ୍ର ମଧ୍ୟରେ ହିଁ ଲୁଚିରହିଛି । ଡାକ୍ତରଜଣକ ମଦକୁ "ମନଲୋଭା ଵିଷ, ମୋହନୀୟ ହନ୍ତା, ମାନଵ ସମାଜର ଵିନାଶକାରୀ" ବୋଲି ବୁଝୁଛନ୍ତି। ସେ ନିଜ ଆଖିରେ ମଦ ଯୋଗୁଁ ଗୋଟିଏ ଶିଶୁ ଓ ମାଆର ମୃତ୍ୟୁ ଦେଖିଛନ୍ତି। ହେଲେ, ସେ ନିଜେ କ’ଣ କରୁଛନ୍ତି? ସେହି ଭୟାନକ କାହାଣୀ ଶୁଣାଉ ଶୁଣାଉ ସେ ନିଜେ ଗ୍ଲାସ୍ ଭରି ଆଉ ଗୋଟିଏ ଢୋକରେ ସେହି ବ୍ରାଣ୍ଡି (ମଦ) ପିଇଦେଉଛନ୍ତି! ଏହା ମାନବ ପ୍ରକୃତିର ଗଭୀର ପଳାୟନଵାଦ ଵା Escapismକୁ ପ୍ରକାଶ କରୁଅଛି । ମଣିଷ ଜାଣିଛି ଯେ କେଉଁ ଜିନିଷ ତାକୁ ଵିନାଶ କରୁଛି, ସେ ସତ୍ୟକୁ ବୁଝୁଛି, ତଥାପି ସେ ସେହି ଦୁଃଖ ଓ ଯନ୍ତ୍ରଣାରୁ ବଞ୍ଚିଵା ପାଇଁ ପୁଣି ସେହି ଵିଷର ଆଶ୍ରୟ ନେଉଛି। ତେଣୁ ମୋପାସାଙ୍କ ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତି ନିର୍ଦ୍ଦୟ, ସମାଜ କୁସଂସ୍କାରଚ୍ଛନ୍ନ, ଧର୍ମ ଅନେକ ସମୟରେ ସଂଵେଦନହୀନ ଏଵଂ ମଣିଷ ନିଜ ଦୁର୍ଵଳତା ଓ ଵ୍ୟସନର ଦାସ। ଏହା ଜୀଵନର ଏକ କଠୋର, ନଗ୍ନ ଓ ଵାସ୍ତଵଵାଦୀ ଦାର୍ଶନିକ ସତ୍ୟ ଅଟେ ।
••••••••••••••••••••••••••••••••••••



Thursday, March 5, 2026

ବମ୍ବେରୁ ବାଙ୍ଗାଲୋର(ସୁଧା ମୂର୍ତ୍ତିଙ୍କର ପୁସ୍ତକରୁ)

ଗ୍ରୀଷ୍ମ ଋତୁର ଆରମ୍ଭ ଥିଲା। ସୁଧା ମୂର୍ତ୍ତି ଗୁଲବର୍ଗା ରେଳ ଷ୍ଟେସନରେ ଉଦୟନ ଏକ୍ସପ୍ରେସ୍ ଚଢ଼ୁଥିଲେ। ତାଙ୍କର ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ଥିଲା। ଟ୍ରେନ୍ ଚଢ଼ିଵା ସମୟରେ,ସୁଧା ମୂର୍ତ୍ତି ଦେଖିଲେ ଯେ ଦ୍ୱିତୀୟ ଶ୍ରେଣୀର ସଂରକ୍ଷିତ କମ୍ପାର୍ଟମେଣ୍ଟଟି ଲୋକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା। ସେ ବସିଲେ ଏଵଂ ତାଙ୍କୁ ବର୍ଥ୍‌ର କୋଣକୁ ଠେଲି ଦିଆଗଲା। ଯଦିଓ ଏହା ତିନି ଜଣଙ୍କ ପାଇଁ ଥିଲା, କିନ୍ତୁ ସେଠାରେ ପୂର୍ଵରୁ ଛଅ ଜଣ ବସିଥିଲେ।

ଟିକେଟ୍ ପରୀକ୍ଷକ ଆସିଲେ ଏଵଂ ଲୋକଙ୍କ ଟିକେଟ୍ ତଥା ସଂରକ୍ଷିତ ଟିକେଟ୍ ଯାଞ୍ଚ କରିଵା ଆରମ୍ଭ କଲେ। ହଠାତ୍, ସେ ସୁଧା ମୂର୍ତ୍ତିଙ୍କ ଦିଗକୁ ଚାହିଁଲେ ଏଵଂ ପଚାରିଲେ, 'ତୁମର ଟିକେଟ୍ କେଉଁଠି?' 

'ମୁଁ ଆଗରୁ ତୁମକୁ ମୋର ଟିକେଟ୍ ଦେଖାଇଛି,' ସୁଧା ମୂର୍ତ୍ତି କହିଲେ।

 'ତୁମ ପାଇଁ ନୁହେଁ, ମ୍ୟାଡାମ, ତୁମ ବର୍ଥର ତଳୁ ଲୁଚୁଥିଵା ଝିଅ ପାଇଁ। ହେ, ବାହାରକୁ ଆସ, ତୁମ ପାଖରେ ଟିକେଟ୍ ନାହିଁ କି?' ସୁଧା ମୂର୍ତ୍ତି ଅନୁଭବ କଲେ ଯେ କେହି ଜଣେ ତାଙ୍କ ବର୍ଥ୍‌ର ତଳେ ବସିଛନ୍ତି। ଯେତେବେଳେ ପରୀକ୍ଷକ ତାଙ୍କୁ ଗାଳି ଦେଲେ, ଝିଅଟି ଲୁଚି ରହିଵା ସ୍ଥାନରୁ ବାହାରି ଆସିଲା।

ସେ ପତଳା ଥିଲା, କଳା ଥିଲା, ଭୟଭୀତ ଥିଲା ଏଵଂ କାନ୍ଦି କାନ୍ଦି ତା' ଆଖି ଫୁଲି ଯାଇଥିଲା। ତା'ର ଵୟସ 13 କିମ୍ବା 14 ଵର୍ଷ ହୋଇଥିଵ। ତା'ର କେଶ ଅସଜଡ଼ା ଥିଲା ଏଵଂ ସେ ଚିରା ସ୍କର୍ଟ ଓ ବ୍ଲାଉଜ୍ ପିନ୍ଧିଥିଲା। ସେ ଥରୁଥିଲା ଆଉ ଉଭୟ ହାତ ଯୋଡ଼ି ଠିଆ ହୋଇଥିଲା। ପରୀକ୍ଷକ ତାଙ୍କୁ ଜୋର୍ କରି କମ୍ପାର୍ଟମେଣ୍ଟରୁ ବାହାରକୁ ଟାଣିଵାକୁ ଲାଗିଲେ। ହଠାତ୍, ସୁଧା ମୂର୍ତ୍ତିଙ୍କ ମନରେ ଏକ ଅଜବ ଭାବ ଜାତ ହେଲା। ସେ ଠିଆ ହୋଇ ପରୀକ୍ଷକଙ୍କୁ ଡାକିଲେ ଆଉ କହିଲେ — “ସାର୍, ମୁଁ ତା'ର ଟିକେଟ୍ ଦେୟ ଦେବି”।

ଟିକେଟ୍ ପରୀକ୍ଷକ ସୁଧା ମୂର୍ତ୍ତିଙ୍କୁ ଚାହିଁ କହିଲେ, “ମ୍ୟାଡାମ, ଯଦି ଆପଣ ତାଙ୍କୁ ଦଶ ଟଙ୍କା ଦେବେ, ତେବେ ସେ ଟିକେଟ୍ ଅପେକ୍ଷା ସେହି ଟଙ୍କାରେ ବହୁତ ଖୁସି ହେଵ।”

ସୁଧା ମୂର୍ତ୍ତି ତାଙ୍କ କଥା ଶୁଣିଲେ ନାହିଁ। ସେ ଟିକେଟ୍ ପରୀକ୍ଷକଙ୍କୁ କହିଲେ ଯେ ତାଙ୍କୁ ଶେଷ ଗନ୍ତଵ୍ୟ ସ୍ଥଳ ବେଙ୍ଗାଲୁରୁ ପାଇଁ ଟିକେଟ୍ ଦିଅନ୍ତୁ, ଯେପରି ଝିଅଟି ଯେଉଁଠି ଚାହିଁଵ ସେଠି ଓହ୍ଲାଇ ପାରିଵ।
ଧୀରେ ଧୀରେ, ସେ ଝିଅଟି କଥା କହିଵା ଆରମ୍ଭ କଲା। ସେ କହିଲା ଯେ ତା'ର ନାମ ଚିତ୍ରା। ସେ ବିଦର ନିକଟସ୍ଥ ଏକ ଗାଁରେ ରହୁଥିଲା। ତା'ର ବାପା ଜଣେ ଶ୍ରମିକ ଥିଲେ ଏବଂ ସେ ଜନ୍ମରୁ ମା'କୁ ହରାଇଥିଲା। ତା'ର ବାପା ପୁଣି ବିବାହ କରିଥିଲେ ଏବଂ ସେହି ସାବତ ମା'ଙ୍କଠାରୁ ତାଙ୍କର ଦୁଇଟି ପୁଅ ଥିଲେ। କିନ୍ତୁ କିଛି ମାସ ପୂର୍ବରୁ ତା'ର ବାପାଙ୍କର ମୃତ୍ୟୁ ହୋଇଥିଲା। ତା'ର ସାବତ ମା' ତାଙ୍କୁ ପ୍ରାୟତଃ ମାଡ଼ ମାରୁଥିଲେ ଏବଂ ଖାଦ୍ୟ ଦେଉନଥିଲେ। ସେ ସେହି ଜୀବନରୁ କ୍ଳାନ୍ତ ହୋଇଯାଇଥିଲା। ତା'ର କୌଣସି ସାହାଯ୍ୟକାରୀ କି ବନ୍ଧୁବାନ୍ଧବ ନଥିବାରୁ ସେ ଭଲ କିଛି ଖୋଜିଵା ପାଇଁ ଘର ଛାଡ଼ି ଚାଲିଆସିଛି ।

ତେବେ ସେହି ସମୟରେ ଟ୍ରେନ୍ ବେଙ୍ଗାଲୁରୁ ପହଞ୍ଚି ସାରିଥିଲା। ସୁଧା ମୂର୍ତ୍ତି ତହୁଁ ଚିତ୍ରାଙ୍କୁ ବିଦାୟ କହି ଟ୍ରେନରୁ ଓହ୍ଲାଇଲେ। ତାଙ୍କର ଡ୍ରାଇଭର ଆସିଲା ଏଵଂ ବ୍ୟାଗ୍ ନେଲେ। ସୁଧା ମୂର୍ତ୍ତିଙ୍କର ଅନୁଭବ ହେଲା ଯେ ସତ ଯେମିତି କେହି ଜଣେ ତାଙ୍କୁ ଦେଖୁଛି। ସେ ପଛକୁ ଚାହିଁଲେ, ଦେଖିଲେ ଚିତ୍ରା ସେଠାରେ ଠିଆ ହୋଇ ତାଙ୍କୁ ଦୁଃଖ ମନରେ ଚାହିଁଥିଲା। କିନ୍ତୁ ସେ ଆଉ କିଛି କରିପାରିଲେ ନାହିଁ। ସୁଧା ମୂର୍ତ୍ତି ଝିଅଟିର ଟିକେଟ୍ ଦୟାଭାବରେ କିଣିଥିଲେ, କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ସେ ତାଙ୍କର ଦାୟିତ୍ୱ ହୋଇଯିଵ !

କାଳେ ସେ ନିରାଶ୍ରୟୀ ଝିଅ ଟି ଅବାଟରେ ଚାଲିଯିଵ କିମ୍ବା ତାହା ସହିତ କୌଣସି ଅଘଟଣ ଘଟିଵ ଏହି ଆଶଙ୍କା ମଧ୍ୟ ସୁଧା ମୂର୍ତ୍ତିଙ୍କ ମନରେ ଜାତ ହେଲା । ଅନ୍ୟ କୌଣସି ଉପାୟ ନପାଇ ସେ ଝିଅଟିକୁ
କାର୍ ଭିତରକୁ ଯିବାକୁ କହିଲେ। ସୁଧା ମୂର୍ତ୍ତିଙ୍କର ଡ୍ରାଇଭର ଝିଅଟିକୁ କୌତୂହଳରେ ଚାହିଁଲେ। 

ସେଇଠୁ ସୁଧା ମୂର୍ତ୍ତି ତାଙ୍କ ବନ୍ଧୁ ରାମବାବୁଙ୍କ ଘରକୁ ଚିତ୍ରାକୁ ଯିଵାକୁ କହିଲେ । ରାମ ପୁଅ ଓ ଝିଅମାନଙ୍କ ପାଇଁ ପୃଥକ ଆଶ୍ରୟସ୍ଥଳ ଚଲାଉଥିଲେ। ଉଭୟ ରାମବାବୁ ଓ ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନ୍‌ରେ ନିରାଶ୍ରୟ ଅନାଥ ପିଲାଙ୍କୁ ଆର୍ଥିକ ସହାୟତା କରୁଥିଲେ। ସୁଧା ମୂର୍ତ୍ତି ଭାବିଲେ ଚିତ୍ରା କିଛି ସମୟ ପାଇଁ ସେଠାରେ ରହିପାରିବ।

ସୁଧା ମୂର୍ତ୍ତି କିନ୍ତୁ ନିଶ୍ଚିତ ନଥିଲେ ଯେ ଚିତ୍ରା ସେଠାରେ ଥିବ କି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ, ସୁଧା ମୂର୍ତ୍ତି ଦେଖିଲେ ଯେ ଚିତ୍ରା ପୂର୍ଵ ଅପେକ୍ଷା ବହୁତ ଅଧିକ ଖୁସି ଦେଖାଯାଉଛନ୍ତି। ରାମବାବୁ ପରାମର୍ଶ ଦେଲେ ଯେ ଚିତ୍ରା ନିକଟସ୍ଥ ଏକ ହାଇସ୍କୁଲରେ ପଢ଼ିପାରିବେ। ସୁଧା ମୂର୍ତ୍ତି ତୁରନ୍ତ ରାଜି ହୋଇଗଲେ ଏବଂ କହିଲେ ଯେ ସେ ପାଠ ପଢ଼ା ଜାରି ରଖିଵା ପର୍ଯ୍ୟନ୍ତ ସେ ଚିତ୍ରାର ଖର୍ଚ୍ଚ ଵହନ କରିବେ। ଆଶ୍ରୟସ୍ଥଳରୁ ବାହାରିବା ବେଳେ ସୁଧା ମୂର୍ତ୍ତି ଜାଣିଲେ ଯେ ଚିତ୍ରା ଏକ ଘର ଏଵଂ ଜୀଵନର ଏକ ନୂଆ ଦିଗ ପାଇଲେ।

ତାପରେ ସୁଧା ମୂର୍ତ୍ତି ନିଜ କାର୍ଯ୍ୟରେ ଵ୍ୟସ୍ତ ହୋଇଗଲେ ଏଵଂ ତାଙ୍କର ସେହି ଅନାଥାଶ୍ରମକୁ ଯିଵା ବହୁତ କମ୍ ହୋଇଗଲା। କିନ୍ତୁ ସେ ଫୋନ୍ ମାଧ୍ୟମରେ ସବୁବେଳେ ଚିତ୍ରାଙ୍କ ଭଲମନ୍ଦ ଵିଷୟରେ ପଚାରି ବୁଝୁଥିଲେ। ସୁଧା ମୂର୍ତ୍ତି ଜାଣିଥିଲେ ଯେ ଚିତ୍ରା ଭଲ ପାଠ ପଢ଼ୁଛି ଏଵଂ ତା'ର‌ପ୍ରଗତି ଭଲ ହେଉଛି। ଯେତେବେଳେ ଚିତ୍ରାର କଲେଜ ପାଠପଢ଼ା ଆରମ୍ଭ ହେଲା ସେତେବେଳେ ସୁଧା ମୂର୍ତ୍ତି ପାଠପଢ଼ା ପାଇଁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲେ, କିନ୍ତୁ ଚିତ୍ରା କହିଲା, 'ନାହିଁ ଆକ୍କା। ମୁଁ ମୋର ସାଙ୍ଗମାନଙ୍କ ସହ କଥା ହୋଇଛି ଏଵଂ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଵାକୁ ଚାହୁଁଛି ଯେପରି ତିନି ବର୍ଷ ପରେ ତୁରନ୍ତ ଚାକିରି ପାଇପାରିବି।' ଚିତ୍ରା ଯଥାଶୀଘ୍ର ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେଵାକୁ ଚାହୁଁଥିଲା।

ଚିତ୍ରା ବହୁତ ଭଲ ଫଳାଫଳରେ ତାଙ୍କ ଡିପ୍ଲୋମା ସମାପ୍ତ କଲା। ସେ ଏକ ସଫ୍ଟୱେର୍ କମ୍ପାନୀରେ ଆସିଷ୍ଟାଣ୍ଟ ଟେଷ୍ଟିଂ ଇଞ୍ଜିନିୟର ଭାବରେ ଚାକିରି ପାଇଲା। ଯେତେବେଳେ ତାକୁ ପ୍ରଥମ ଦରମା ମିଳିଲା, ସେ ସୁଧା ମୂର୍ତ୍ତିଙ୍କ ପାଇଁ ଏକ ଶାଢ଼ୀ ଏଵଂ ମିଠା ବାକ୍ସ ଧରି ଅଫିସକୁ ଆସିଲା।

ଦିନେ,ସୁଧା ମୂର୍ତ୍ତି ଦିଲ୍ଲୀରେ ଥିଲାବେଳେ ତାଙ୍କ ପାଖକୁ ଏକ କଲ୍ ଆସିଲା,ସେ କଲ୍ ଚିତ୍ରା କରିଥିଲା। ସେ ବହୁତ ଖୁସି ଥିଲା। 'ଆକ୍କା, ମୋ କମ୍ପାନୀ ମୋତେ ଆମେରିକାକୁ ପଠାଇଵାକୁ ସ୍ଥିର କରିଛି! ମୁଁ ଆପଣଙ୍କୁ ଭେଟିଵାକୁ ଏଵଂ ଆପଣଙ୍କ ଆଶୀର୍ଵାଦ ନେଵାକୁ ଚାହୁଁଥିଲି କିନ୍ତୁ ଆପଣ ବେଙ୍ଗାଲୁରୁରେ ନାହାନ୍ତି।'

ବହୁ ଵର୍ଷ ଗଡ଼ିଗଲା। ସୁଧା ମୂର୍ତ୍ତି ବେଳେବେଳେ ଚିତ୍ରାଙ୍କଠାରୁ ଏକ ଇମେଲ୍ ପାଉଥିଲେ। ଚିତ୍ରା ତା କ୍ୟାରିୟରରେ ବହୁତ ଭଲ କରୁଥିଲା। ସେ ଆମେରିକାର ଅନେକ ସହରରେ ନିୟୋଜିତ ଥିଲା ଏଵଂ ଜୀଵନକୁ ଉପଭୋଗ କରୁଥିଲା। ସୁଧା ମୂର୍ତ୍ତି ସବୁବେଳେ ପ୍ରାର୍ଥନା କରୁଥିଲେ ଯେ ଚିତ୍ରା ଯେଉଁଠି ଥାଉ ସବୁବେଳେ ଖୁସି ରହୁ ।

ଏହାର କିଛି ଦିନ ପରେ ସାନ ଫ୍ରାନ୍ସିସ୍କୋର Kannada Koota of Northern California (KKNC) ସଂଗଠନର ଏକ ସଭାରେ ଭାଷଣ ଦେଵାକୁ ସୁଧା ମୂର୍ତ୍ତିଙ୍କୁ ନିମନ୍ତ୍ରଣ କରାଗଲା। ଭାଷଣଟି ଏକ ହୋଟେଲ କନଭେନସନ ହଲରେ ଥିଲା ଏଵଂ ସୁଧା ମୂର୍ତ୍ତି ସେହି ସମାନ ହୋଟେଲରେ ରହିଵାକୁ ନିଷ୍ପତ୍ତି ନେଲେ। ଭାଷଣ ପରେ, ସୁଧା ମୂର୍ତ୍ତି ବିମାନବନ୍ଦର ପାଇଁ ବାହାରୁଥିଲେ। ହୋଟେଲ ରୁମ୍ ଚେକ୍ ଆଉଟ୍ କରିଵା ପରେ, ଯେତେବେଳେ ସେ ବିଲ୍ ପୈଠ କରିଵାକୁ ରିସେପ୍ସନ କାଉଣ୍ଟର ପାଖକୁ ଗଲେ ତାଙ୍କୁ ରିସେପ୍ସନିଷ୍ଟ କହିଲେ, ”ମ୍ୟାମ୍, ଆପଣଙ୍କ ବିଲ୍ ଆଗରୁ ପୈଠ କରି ଦିଆଯାଇଛି। ଜଣେ ମହିଳା ଆପଣଙ୍କ ବିଲ୍ ପୂର୍ଵରୁ ଦେଇ ସାରିଛନ୍ତି। ସେ ବୋଧହୁଏ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଥିବେ।” ସୁଧା ମୂର୍ତ୍ତି ଚାରିପାଖକୁ ଚାହିଁଲେ ଏଵଂ ଚିତ୍ରାକୁ ଦେଖିଲେ।

ଚିତ୍ରା ଜଣେ ଯୁଵ ଗୋରାଲୋକଙ୍କ ସହ ଠିଆ ହୋଇଥିଲା ଏଵଂ ଏକ ସୁନ୍ଦର ଶାଢ଼ୀ ପିନ୍ଧିଥିଲା। ସେ ଛୋଟ କେଶ ସହିତ ବହୁତ ସୁନ୍ଦର ଦେଖାଯାଉଥିଲା। ତାର କଳା ଆଖି ଆନନ୍ଦ ଓ ଗର୍ଵରେ ଚମକୁଥିଲା। ତାକୁ ଦେଖିଵା ମାତ୍ରେ, ସେ ସୁଧା ମୂର୍ତ୍ତିଙ୍କ ପାଖକୁ ଆନନ୍ଦ ମନରେ ଦୌଡ଼ି ଆସି ପ୍ରଣାମ କଲେ ଏଵଂ ପାଦ ଛୁଇଁଲେ। ସୁଧା ମୂର୍ତ୍ତି ବହୁତ ଖୁସି ହେଲେ ଏଵଂ କ'ଣ କହିବେ ବୁଝିପାରିଲେ ନାହିଁ। ଚିତ୍ରାର ଜୀଵନ ଉନ୍ନତ ହୋଇଯାଇଛି ଦେଖି ସୁଧା ମୂର୍ତ୍ତି ବହୁତ ଖୁସି ହେଲେ। କିନ୍ତୁ ସୁଧା ମୂର୍ତ୍ତି ସେଇ ପ୍ରଶ୍ନଟି ଚିତ୍ରାକୁ ପଚାରିଲେ — 

“ଚିତ୍ରା, ତୁମେ ମୋର ହୋଟେଲ ବିଲ୍ କାହିଁକି ଦେଲ? ତାହା ଠିକ୍ ନୁହେଁ।”

ହଠାତ୍, କାନ୍ଦି ପକାଇ ଚିତ୍ରା ସୁଧା ମୂର୍ତ୍ତିଙ୍କୁ ଜାବୁଡ଼ି ଧରି କହିଲେ, 'ଆକ୍କା ଆପଣ ବମ୍ବେରୁ ବେଙ୍ଗାଲୁରୁ ପାଇଁ ମୋର ଯେଉଁ ରେଳ ଟିକେଟ୍‌ଟି କରି ଦେଇଥିଲେ ତା ଆଗରେ ୟେ କିଛି ବି ନୁହେଁ !”
••••••••••••••••••••••••••••••••••••••
ସୁଧା ମୂର୍ତ୍ତିଙ୍କ ପୁସ୍ତକ :
The Day I Stopped Drinking Milkର କ୍ଷୁଦ୍ର ଗଳ୍ପ Bombay to Bangaloreର ଓଡ଼ିଆ ଭାଵାନୁଵାଦ । 
•••••••••••••••••••••••••••••••••••••••

Sunday, February 8, 2026

•ପୂର୍ଣ୍ଣିମାର ଚନ୍ଦ୍ର ଓ କୁକୁର ପଲ୍ଲଙ୍କ କଥା•

ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ଯେତେବେଳେ ନିଜର ପୂର୍ଣ୍ଣ ସୌନ୍ଦର୍ଯ୍ୟର ସହିତ ସେହି ନଗର ଉପରେ ଉଦିତ ହେଲା, ସେତେବେଳେ ନଗରର ସମସ୍ତ କୁକୁର ଜହ୍ନକୁ ଦେଖି ଭୁକିଵା ଆରମ୍ଭ କରିଦେଲେ। କେଵଳ ଗୋଟିଏ କୁକୁର ଭୁକିଲା ନାହିଁ ଏଵଂ ସେ ଗମ୍ଭୀର ସ୍ୱରରେ ଅନ୍ୟ କୁକୁରମାନଙ୍କୁ କହିଲା, "ତୁମ୍ଭମାନଙ୍କର ଏଭଳି ଭୁକିଵା ଦ୍ଵାରା ଏହି ଶାନ୍ତ ରାତ୍ରିରେ ଚନ୍ଦ୍ରର ନିଦ ଭାଙ୍ଗିଵ ନାହିଁ କି ତୁମ୍ଭେମାନେ ଭୁକି ଭୁକି ଚନ୍ଦ୍ରକୁ ପୃଥିଵୀପୃଷ୍ଠକୁ ଆଣି ପାରିଵ ନାହିଁ।" ତା'ପରେ ଅନ୍ୟ ସମସ୍ତ କୁକୁରମାନେ ଭୁକିବା ବନ୍ଦ କଲେ ଏଵଂ ସେଠାରେ କିଛି କ୍ଷଣ ପାଇଁ ଏକ ଵିରାଟ ଓ ଵିଚିତ୍ର ନୀରଵତା ଵ୍ୟାପିଗଲା। କିନ୍ତୁ ଯେଉଁ କୁକୁର ଜହ୍ନକୁ ଦେଖି ଭୁକିଵାକୁ ମନା କରିଥିଲା ସେହି କୁକୁରଟା ନୀରଵତା ଅକ୍ଷୁଣ୍ଣ ରଖିଵା ପାଇଁ ରାତିସାରା ଭୁକି ଚାଲିଲା । 

---
୧୯୩୨ରେ Kahlil Gibranଙ୍କ The Wanderer ପୁସ୍ତକ ପ୍ରକାଶ ପାଇଥିଲା । ଏହି ପୁସ୍ତକର The full moon ଗପର ଏହା ଓଡ଼ିଆ ଅନୁବାଦ ଅଟେ । 

ଖଲୀଲ ଜିବ୍ରାନଙ୍କର ଏହି ଛୋଟ କିନ୍ତୁ ଗଭୀର ଅର୍ଥ ଥିଵା ଗପରେ ମାନବ ସମାଜର ଏକ ଚିରନ୍ତନ ଵିରୋଧାଭାସକୁ ଅତି ସୁନ୍ଦର ଵ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇଛି। 

ଏହି ଗପର ମୂଳ ଵାର୍ତ୍ତା ହେଉଛି କପଟତା। ଯେଉଁ କୁକୁର ଅନ୍ୟମାନଙ୍କୁ ଶାନ୍ତି ରକ୍ଷା କରିଵାକୁ ଉପଦେଶ ଦେଉଛି, ସେ ନିଜେ ସେହି ଶାନ୍ତି ଭଙ୍ଗ କରୁଛି। ଏହି କୁକୁରଟି ସମାଜର ସେହି ଲୋକମାନଙ୍କର ପ୍ରତୀକ ଯେଉଁମାନେ ଉଚ୍ଚ ନୀତି ଓ ଆଦର୍ଶର ପ୍ରଚାର କରନ୍ତି କିନ୍ତୁ ନିଜେ ସେଗୁଡ଼ିକର ପାଳନ କରନ୍ତି ନାହିଁ।

ସମାଜରେ ଅନେକ ଧାର୍ମିକ ନେତା, ରାଜନେତା, କିମ୍ବା ବୁଦ୍ଧିଜୀଵୀ ଅନ୍ୟମାନଙ୍କୁ ଶାନ୍ତି, ସୌହାର୍ଦ୍ଦ୍ୟ,ନୀରଵତା, ସରଳତା ଶିଖାନ୍ତି, କିନ୍ତୁ ନିଜେ ସର୍ଵାଧିକ ଗୋଳ କରନ୍ତି,ପାପ କରନ୍ତି। ସେମାନେ ନିଜକୁ ଵିଶେଷ ଵ୍ୟକ୍ତି ମନେ କରି ନିଜର ହୋହାଲ୍ଲା, ପାଟିତୁଣ୍ଡ ଓ ତୁଚ୍ଛା ଵାଦଵିଵାଦ ଆଦି କାର୍ଯ୍ୟକୁ "ଜନହିତକାରୀ କାର୍ଯ୍ୟ" ଵା "ଶାନ୍ତିରକ୍ଷାର କାର୍ଯ୍ୟ" ନାମ ଦେଇ ଦିଅନ୍ତି ।

ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ଯେ ଉପଦେଷ୍ଟା କୁକୁରଟି ମନେ କରୁଛି ଯେ ସେ ଭୁକିଵା ଦ୍ୱାରା "ନୀରଵତା ଅକ୍ଷୁଣ୍ଣ ରହିଵ"। ଏହା ଏକ ସମ୍ପୂର୍ଣ୍ଣ ଵିପରୀତ ତର୍କ। ଆମ ସମାଜରେ ମଧ୍ୟ ସେହି କୁକୁରଟି ପରି ଲୋକମାନେ ଅଛନ୍ତି ଯୋଉମାନେ ନିଜର ମନ୍ଦକାର୍ଯ୍ୟଗୁଡ଼ିକୁ ଉତ୍ତମ ଉଦ୍ଦେଶ୍ୟର ଆଵରଣରେ ଲୁଚାନ୍ତି ଓ ଆତ୍ମପ୍ରତାରଣା କରନ୍ତି।

ପୁଣି ସେହି କୁକୁରଟି ନିଜକୁ ଵିଶେଷ ଭାବି ଅନ୍ୟମାନଙ୍କୁ ନୀରଵ କରାଇ ନିଜେ ଏକଚାଟିଆ ଭାବେ ଭୁକିଵାର ଅଧିକାର ରଖିଲା। ଏହା କ୍ଷମତାସୀନମାନଙ୍କର ସମାନ ମାନସିକତାର ପ୍ରତୀକ ତଥା କ୍ଷମତା ଓ ଅଧିକାରର ଦୁରୁପଯୋଗର ଏକ ଉଦାହରଣ ଅଟେ । ସେହି କୁକୁରଟି ପରି ଆମ ମାନଵ ସମାଜରେ ମଧ୍ୟ କିଛି ତଥାକଥିତ ସ୍ଵଘୋଷିତ ମୁଣ୍ଡିଆଳ ଅଛନ୍ତି ଯୋଉମାନେ ସାଧାରଣ ଲୋକଙ୍କୁ ନୀରଵ ରହିଵାକୁ କୁହନ୍ତି କିନ୍ତୁ ନିଜେ ଏକଚାଟିଆ ମନମୁଖୀ ବକ୍ତଵ୍ୟ ଦିଅନ୍ତି ।


ଗପରେ ପୁଣି ନିରର୍ଥକ କାର୍ଯ୍ୟର ଵିରୋଧ କେମିତି ସ୍ଵୟଂ ନିରର୍ଥକ ତାହା ସୂକ୍ଷ୍ମ ରୂପେ କୁହାଯାଇଛି । ପ୍ରଥମେ ସବୁ କୁକୁର ଚନ୍ଦ୍ରକୁ ଦେଖି ଭୁକୁଥିଲେ - ଯାହା ସମ୍ପୂର୍ଣ୍ଣ ନିରର୍ଥକ କାରଣ ସେମନ୍ତ ଭୁକିଵା ଦ୍ୱାରା ଚନ୍ଦ୍ର ଉପରେ ତହିଁର କିଛି ପ୍ରଭାଵ ପଡ଼ିଵ ନାହିଁ । କିନ୍ତୁ ଉପଦେଷ୍ଟା କୁକୁରର କାର୍ଯ୍ୟ ମଧ୍ୟ ସମାନ ଭାବରେ ନିରର୍ଥକ। ଆମ ମାନଵ ସମାଜରେ ମଧ୍ୟ ଏଭଳି ଲୋକଙ୍କର ଅଭାଵ ନାହିଁ । ଏଠି ଅନେକ ସମୟରେ ସମାଲୋଚକମାନେ ନିଜେ ସେହି ଦୋଷରେ ଦୋଷୀ ଯାହାକୁ ସେମାନେ ଅନ୍ୟମାନଙ୍କ ମଧ୍ୟରେ ସମାଲୋଚନା କରନ୍ତି।

ଖଲୀଲ୍ ଜୀବ୍ରାନଙ୍କର ଏହି ଗପରେ ସାମୂହିକ ମୂର୍ଖତା ଓ ଵ୍ୟକ୍ତିଗତ ଅହଂକାରର କଥା ବି କୁହାଯାଇଛି । ପ୍ରଥମେ ସବୁ କୁକୁର ଏକତ୍ର ଭୁକୁଥିଲେ ଯାହା ସାମୂହିକ ମୂର୍ଖତାର ଉଦାହରଣ । ପରେ ଗୋଟିଏ କୁକୁର ନିଜକୁ ଜ୍ଞାନୀ ମନେ କରି ଏକାକୀ ଭୁକିଲା ଏହା ଵ୍ୟକ୍ତିଗତ ଅହଂକାରର ଉଦାହରଣ। ଦୁଇଟି କ୍ଷେତ୍ରରେ ଫଳାଫଳ ସମାନ - ଅର୍ଥହୀନ ଶବ୍ଦ। ଏ ଉଭୟ ଧରଣର ଲୋକ ମାନଵ ସମାଜରେ ଅଛନ୍ତି । କିଛି ମଣିଷ ଏକତ୍ରିତ ହୋଇ ନିରର୍ଥକ ଗୋଳ କରନ୍ତି ଆଉ କିଛି ଲୋକ ଏକାକୀ ମଞ୍ଚ ଉପରେ ଡାକବାଜିର ଵିଵାଦୀୟ ଟିପ୍ପଣୀ ଦେଇ ଗୋଳ ମଞ୍ଚି ପୋତନ୍ତି । 

ମୋଟ ଉପରେ କହିଵାକୁ ଗଲେ ଖଲୀଲ୍ ଜିବ୍ରାନଙ୍କର ଏହି ଛୋପ ଗପ ମଧ୍ୟରେ ମାନଵ ସଭ୍ୟତାର ଏକ ତିକ୍ତ ସତ୍ୟକୁ ପ୍ରକାଶ କରାଯାଇଛି - ଉପଦେଶ ଦେଵା ସହଜ, କିନ୍ତୁ ନିଜେ ପାଳନ କରିଵା କଷ୍ଟକର। ଏଵଂ ଅନେକ ସମୟରେ ଯେଉଁମାନେ ସର୍ଵାଧିକ ଉଚ୍ଚସ୍ୱରରେ ସଂସ୍କାରର କଥା କୁହନ୍ତି, ସେମାନେ ହିଁ ପ୍ରକୃତରେ ସବୁଠାରୁ ବଡ଼ ବାଧକ ହୁଅନ୍ତି।

Thursday, May 22, 2025

ସ’କ୍ (ଵ୍ୟଙ୍ଗ୍ୟସମ୍ରାଟ ହରିଶଙ୍କର ପରସାଈଙ୍କ ଵ୍ୟଙ୍ଗ୍ୟ ଗଳ୍ପ शॉक[Shock]ର ଓଡ଼ିଆ ଭାଵାନୁଵାଦ)

ନଗରର ନାମ ଲେଖୁନାହିଁ । ଯାହାଙ୍କ ଵିଷୟରେ ଚର୍ଚ୍ଚା ହେଉଛି ସେ ହିନ୍ଦୀର ଜଣେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ। ଶରୀର ସମ୍ପତ୍ତି ଅତି କ୍ଷୀଣ, ରୂପ କେବେ ଆକର୍ଷକ ନଥିଲା । ଯେବେକାର କଥା ପଡି଼ଛି ସେତେବେଳେ ସେ ଵୟସର ୪୦ଗୋଟି ଵସନ୍ତ ଦେଖିସାରିଥିଲେ ମାତ୍ର ଅଵିଵାହିତ ଥାଆନ୍ତି। 

ବାବୁ ଦିନେ ନଗରର ଏକ ଉଦ୍ୟାନରେ ବଡ଼ ମନଦୁଃଖରେ ବସିଥାଆନ୍ତି ଏତିକି ବେଳେ ସେଠାକୁ ତାଙ୍କର ଜଣେ ପୁରୁଣା ମଇତ୍ର ଆସି ତାଙ୍କୁ ସେଭଳି ମନଦୁଃଖ କରି ବସିଥିଵାର କାରଣ ଜିଜ୍ଞାସା କରିଲେ - “କିହୋ ପୁଣି ଵିଵାହ ପ୍ରସ୍ତାଵ ଭାଙ୍ଗିଗଲା କି ? କାହିଁକି ଏମିତି ମନ ମାରି ବସିଛ ଯେ?" 

"ହେ,ମୋ ସହିତ ଲାଗନା ହୋ। "
ସାମାନ୍ୟ ଚିଡି଼ ଉଠି ଲେଖକ ଉତ୍ତର ଦେଲେ । 

ମଇତ୍ର ପୁଣି ପଚାରିଲେ : "ଏମିତି କ'ଣ ହୋଇଗଲା କି ? ଯାହା ହୋଇଛି ଖୋଲି କହୁଦେଉନା ଵା !"
 

ତହୁଁ ଲେଖକ କହିଲେ," ହଉ ହେଲା ତେବେ ଶୁଣ ! ମୁଁ ହିନ୍ଦୀ ଲେଖକ - ୨୦ ୨୨ ଵର୍ଷର ମୋ ସାହିତ୍ୟ ସାଧନା । ଛାୟାଵାଦୀ କଵିତାକୁ ଲୋକେ ସେତେଟା ବୁଝନ୍ତି ନାହିଁ- ମୁଁ ସେମାନଙ୍କୁ ଛାୟାଵାଦ କ'ଣ ବୁଝାଇଦେଇଛି । ସେ ଦୃଷ୍ଟିରୁ ଛାୟାଵାଦୀ ରଥର ସାରଥୀ ମୁଁ ହିଁ କହିଲେ ଅତ୍ୟୁକ୍ତି ହେଵନାହିଁ। ମୋର ଆଠଗୋଟି ପୁସ୍ତକ ଛପିଲାଣି । ଭାରତଵାସୀଙ୍କୁ ଟିକିଏ ଲାଜ ଶରମ ଥାଆନ୍ତା ଯଦି ମୋତେ ଏତେବେଳକୁ ଓନରେରୀ ଡୋକ୍ଟରେଟଟାଏ ଦେଇ ସାରନ୍ତେଣି ।" 

ଲେଖକ ଟିକେ ରହିଲେ। ତାପରେ ଗଭୀର ନିଃଶ୍ୱାସ ଛାଡ଼ି ବୋଇଲେ, "ଆଉ ମୋର ଏବେ ଯୋଉ ଅଵସ୍ଥା ? ମୋ ପ୍ରତି ଏହା ବଡ଼ ଅନ୍ଯାୟ ନୁହେଁ କି ? ମୋର ଏତେ ଅନାଦର କାହିଁକି ?"


ମିତ୍ର ବୁଝିଲେ ୟାଙ୍କର କୌଣସି ସାହିତ୍ୟ ସମ୍ମିଳନୀରେ ଅପମାନ ହୋଇଯାଇଛି । ତାଙ୍କୁ ବୁଝାଇଲେ, "ଆରେ ଭାଇ, ଏ ଦେଶରେ ବହୁତ ଵିଳମ୍ବରେ ଵ୍ୟକ୍ତିର ସାଧନାକୁ ମାନ୍ଯତା ଦିଆଯାଏ ।”

" ଲେଖକ ବୋଇଲେ, "ନା ନା, ମୁଁ ଏ ଦେଶଵାସୀଙ୍କୁ ଦୋଷ ଦେଉନାହିଁ । ଏହି ଲଫାପାଟା ଦେଖ। କାହା ଠିକଣା ଲେଖା ହୋଇଛି ଏଥିରେ ?"

ମଇତ୍ର କହିଲେ, "ଏଥିରେ ଵିଶ୍ଵଵିଦ୍ୟାଳୟରେ ପଢ଼ୁଥିଵା ଏକ ଛାତ୍ରର ଠିକଣା ଅଛି ।"

"ଜାଣିଛନ୍ତି ଏଥିରେ କ'ଣ ଅଛି ? ଆହିଁରେ ପ୍ରେମ ପତ୍ର ଅଛି । ଯୋଉ ଝିଅ ୟାକୁ ଲେଖିଛି ତାକୁ ମୁଁ ଵର୍ଷେ ହେଲା ହିନ୍ଦୀ ପଢ଼ାଉଛି ଆଉ ସେ ମୋତେ ଏ ପ୍ରେମପତ୍ର ଦେଇ କହୁଛି —“ସାର୍, ଏହାକୁ ଲେଟରବକ୍ସରେ ଟିକିଏ ପକେଇ ଆସିବେ କି ?”

••••••••••••••••••••••••••••••••••••••••••
ହରିଶଙ୍କର ପରସାଇଙ୍କ ବ୍ୟଙ୍ଗ "शॉक(Shock)"ର ଏହା ଓଡ଼ିଆ ଅନୁଵାଦ । ଵ୍ୟଙ୍ଗ୍ୟ ଗଳ୍ପର ମୁଖ୍ୟ ଚରିତ୍ର ଜଣେ ପ୍ରସିଦ୍ଧ ଲେଖକ, ଯିଏ ନିଜର ସାହିତ୍ୟିକ ସଫଳତା ଓ ଛାୟାଵାଦୀ କଵିତାକୁ ଲୋକଙ୍କ ମଧ୍ୟରେ ପ୍ରଚାର କରିଥିଵାରୁ ଗର୍ଵିତ। ସେ ଭାବୁଛନ୍ତି ଯେ ତାଙ୍କୁ ସମାଜରୁ ସମ୍ମାନ ଓ ମାନ୍ୟତା ମିଳିଵା ଉଚିତ୍‌, ଯେପରି ଅନରେରୀ ଡକ୍ଟରେଟ୍‌। କିନ୍ତୁ ଵାସ୍ତଵରେ ତାଙ୍କୁ ସେହି ସମ୍ମାନ ମିଳୁନାହିଁ, ଯାହା ତାଙ୍କ ଆତ୍ମଗୌରଵକୁ ଆଘାତ ଦେଇଥାଏ । ପରସାଈ ଏଠାରେ ବୌଦ୍ଧିକ ଓ ସାହିତ୍ୟିକ ଜଗତରେ ମାନ୍ୟତାର ଅଭାଵ ଏଵଂ ବାସ୍ତବତା ମଧ୍ୟରେ ଥିଵା ଵ୍ୟଵଧାନକୁ ଦର୍ଶାଇଛନ୍ତି।

 ଛାତ୍ରୀ ହାତରେ ଲଫାପା ଧରି ଯେତେବେଳେ ଲେଖକଙ୍କ ପାଖକୁ ଆସିଥିଵ ତାକୁ ଦେଖି ସେ ଭାବିଥିବେ ଯେ ତାହା ସମ୍ଭଵତଃ ସାହିତ୍ୟିକ ସମ୍ମେଳନରୁ ଆସିଅଛି କିନ୍ତୁ ସେ ଏହା ଜାଣି ପରେ କାବା ହୋଇଯାଇଛନ୍ତି ଯେ ଛାତ୍ରୀ ତାଙ୍କୁ ଏକ ପ୍ରେମପତ୍ର ଦେଇ ଅନ୍ୟ ଜଣଙ୍କୁ ପଠାଇଵାକୁ କହିଛି। ଏହା ତାଙ୍କ ଆତ୍ମସମ୍ମାନକୁ ଆଘାତ ଦେଇଛି । ମନେ ମନେ ଲେଖକ ଵିଚାରିଛନ୍ତି ଯେ ହୁଏତ ତାଙ୍କ ଵୟସ, ଅଵିଵାହିତ ଜୀଵନ ଓ ଶାରୀରିକ ଅଵସ୍ଥା ହେତୁ ସେ ରୋମାନ୍ସର ଯୋଗ୍ୟ ନୁହନ୍ତି ବୋଲି ଛାତ୍ରୀ ଭାବିଛି।

ପରସାଈ ଏହି ଵ୍ୟଙ୍ଗ ମାଧ୍ୟମରେ ସାମାଜିକ ମୂଲ୍ୟବୋଧ ଓ ପ୍ରାଥମିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଲେଖକ ଜଣେ ବୌଦ୍ଧିକ ଵ୍ୟକ୍ତି ହେଵା ସତ୍ତ୍ୱେ ସମାଜ ତାଙ୍କର ଆକଳନ ଵୟସ, ରୂପ ଓ ଵୈଵାହିକ ସ୍ଥିତି ଆଧାରରେ ଵିଚାର କରୁଛି। ତେଣୁ ଛାତ୍ରୀର ନିରୀହ ଅନୁରୋଧ (ପତ୍ରଟି ଲେଟରବକ୍ସରେ ପକାଇଵାକୁ କହିଵଖ) ଲେଖକଙ୍କ ପାଇଁ ଏକ ଅପମାନ ଭଳି ବୋଧ ହୋଇଛି । 

ଲେଖକଙ୍କ ମନଦୁଃଖ ଓ ତାଙ୍କର ଅଭିମାନ ମାନଵୀୟ ଆବେଗର ଏକ ସୁନ୍ଦର ଚିତ୍ରଣ। ଲେଖକ ନିଜର ସାହିତ୍ୟିକ ସଫଳତାରେ ଗର୍ଵ କରୁଛନ୍ତି, କିନ୍ତୁ ଵ୍ୟକ୍ତିଗତ ଜୀଵନରେ ଅନାଦୃତ ହେଵା ତାଙ୍କୁ ଝଟକା ଵା Shock ଦେଇଛି,ଆଘାତ ଦେଇଛି। ଏହା ମାନଵୀୟ ମନର ଏକ ସାଧାରଣ ଦୁର୍ଵଳତାକୁ ପ୍ରକାଶ କରୁଛି । ଆମେ ସମସ୍ତେ ସମ୍ମାନ ଓ ଗ୍ରହଣୀୟତା ଚାହୁଁ, କିନ୍ତୁ ସମାଜ ଆମକୁ ଅଲଗା ମାନଦଣ୍ଡରେ ଵିଚାର କରିଥାଏ।

ପରସାଈଙ୍କ ଵ୍ୟଙ୍ଗ ଶୈଳୀ ଅତ୍ୟନ୍ତ ଚତୁର ଓ ମଜାଳିଆ। ସେ ଗଳ୍ପର ଶେଷରେ ଏକ ଅପୂର୍ଵ ମୋଡ଼ ଆଣିଛନ୍ତି, ଯେଉଁଠାରେ ଲେଖକଙ୍କର ଅଭିମାନର କାରଣ ଏକ ଗମ୍ଭୀର ଅପମାନ ନୁହେଁ,ଵରଂ ଏକ ନିରୀହ ଘଟଣା। ଏହା ପାଠକଙ୍କୁ ହସାଇଵା ସହିତ ଗଭୀର ଭାବେ ଚିନ୍ତା କରିଵାକୁ ଵାଧ୍ୟ କରେ।

ଵ୍ୟଙ୍ଗ୍ୟ ସମ୍ରାଟ ହରିଶଙ୍କର ପରସାଈ ତାଙ୍କ शॉक ଵ୍ୟଙ୍ଗ୍ୟ ଗଳ୍ପରେ ମଜାଳିଆ ଢଙ୍ଗରେ ଦେଖାଇଛନ୍ତି ଯେ ମଣିଷ ନିଜର ସଫଳତା ଓ ଯୋଗ୍ୟତା ନେଇ ଯେତେ ଗର୍ଵ କଲେ ମଧ୍ୟ, ସମାଜରେ ଜଣେ ସାହିତ୍ୟିକର ସାମାଜିକ ମୂଲ୍ୟବୋଧ ଓ ଵାହ୍ୟ ରୂପ ମଉଡ଼ା ଆଧାରରେ ମୂଲ୍ୟାଙ୍କନ କରାଯାଇପାରେ। ଏହା ଏକ ସାମାଜିକ ପରିହାସ, ଯାହା ଆମକୁ ଆମର ମୂଲ୍ୟବୋଧ ଓ ଦୃଷ୍ଟିକୋଣ ଉପରେ ପୁନର୍ଵିଚାର କରିଵାକୁ ଆହ୍ୱାନ ଦିଏ।
•••••••••••••••••••••••••••••••••••••••••••••
ଵ୍ୟଙ୍ଗ୍ୟ ସମ୍ରାଟ ହରିଶଙ୍କର ପରସାଈଙ୍କ ମୂଳ ଵ୍ୟଙ୍ଗ୍ୟ ଗଳ୍ପ ନିମ୍ନରେ ପ୍ରଦତ୍ତ ହେଲା...

शॉक (व्यंग्य) : हरिशंकर परसाई

नगर का नाम नहीं बताता। जिनकी चर्चा कर रहा हूँ, वे हिंदी के बड़े प्रसिद्ध लेखक और समालोचक। शरीर सम्पति काफी क्षीण। रूप कभी आकर्षक न रहा होगा। जब का जिक्र है, तब वे 40 पार कर चुके थे। बिन ब्याहे थे।
एक दिन पार्क में बड़े अनमने बैठे थे। एक मित्र आये। पूछा," क्यों, कैसे अनमने बैठे हो ?"
"भई, मुझे छेड़ो मत। " तुनककर वे बोले। "आखिर कुछ बताओ भी तो। ऐसा क्या दुःख का पहाड़ टूट गया। "वे बोले," नहीं मानते तो सुनो। मैं हिंदी का लेखक - 20 -22 साल की मेरे साधना। छायावादी कविता को लोग ख़ाक नहीं समझते थे - मैंने उन्हें छायावाद समझाया। एक प्रकार से छायावादी - रथ का सारथी मैं ही हूँ। आठ पुस्तकें हैं मेरी। हिन्दुस्तान वासियों को लाज शर्म होती, तो मुझे अभी तक ऑनरेरी डॉक्टरेट दे दी होती।" वे रुके। फिर गहरी सांस छोड़कर बोले, "और मेरा यह हाल है ? मेरे प्रति ये अन्याय है। मेरी ऐसी अवहेलना ?"
मित्र समझे कि इनका कहीं किसी सम्मेलन में अपमान हो गया है। समझाते हुए बोले, "अरे भाई, हिन्दीवाले बहुत देर से आदमी की साधना को मान्यता देते हैं।" वे बोले, "नही, हिन्दीवालों से मुझे शिकायत नहीं है। यह लिफाफा देखो। किसका पता लिखा है इस पर ?"
मित्र बोले, "इस पर किसी यूनिवर्सिटी के लड़के का पता लिखा है।"
"जानते हो इसमें क्या है ? इसमें प्रेम पत्र है। जिस लड़की ने लिखा है, उसे मैं साल भर से हिंदी पढ़ा रहा हूँ। और वह प्रेम पत्र मुझे देकर कहती है - सर, इसे लेटरबॉक्स में छोड़ते आइये।"
•••••••••••••••••••••••••••••••••••••••••••••••••

Saturday, June 24, 2023

କୁମ୍ଭୀର କାନ୍ଦଣା ଓ ଢିଙ୍କିଆ ହସ

ନୀଳ ନଦୀ କୂଳରେ ଏକ କୁମ୍ଭୀର ସହିତ ଗୋଟିଏ ଢ଼ିଙ୍କିଆ ବାଘର ଭେଟ ହୋଇଗଲା । ଦୁହେଁ ପରସ୍ପରକୁ ଅଭିଵାଦନ ପରେ
ଢିଙ୍କିଆଟା କୁମ୍ଭୀରକୁ ପଚାରିଲା, "ଆଉ ଭାଇ ସବୁ ଭଲ ତ ?"

କୁମ୍ଭୀର ମୁହଁ ଶୁଖେଇ ଉତ୍ତର ଦେଲା, “କ’ଣ ଆଉ କହିବି ଭାଇ ମୋର ମନ ମୁଟେ ଭଲ ନାହିଁ । ଯେତେବେଳେ ବି ମୁଁ ଯନ୍ତ୍ରଣା ଓ ଦୁଃଖ ଭୋଗି କାନ୍ଦେ ‌ ମୋ ଆଖିର ଲୁହଧାର ଦେଖି ସମସ୍ତ ଜୀଵ କହନ୍ତି... ଓହଃ, ଇଏ ତ କୁମ୍ଭୀର କାନ୍ଦଣା ! ସେମାନଙ୍କର ଏଇ କଥା ମୋ ହୃଦୟକୁ କେତେ ଆଘାତ ଦେଉଛି ତାହା କହିବା କଷ୍ଟକର ‌!”

ତାହା ଶୁଣି ଢିଙ୍କିଆ କହିଲା, "ତୁମେ ନିଜ ଦୁଃଖ କଥା କହୁଛ ସତ କିନ୍ତୁ ମୋ ଦୁର୍ଦଶା ଵିଷୟରେ କିଛି କ୍ଷଣ ପାଇଁ ବି ଚିନ୍ତା କରିଛ କି?"

 ପ୍ରକୃତିର ସୌନ୍ଦର୍ଯ୍ୟ ଓ ଵିଚିତ୍ରତାକୁ ଦେଖି ମୁଁ ଉଷତ ହୋଇ ହସିଦିଏ । କିନ୍ତୁ ଲୋକେ ତାକୁ ଦେଖି କହନ୍ତି, ହେ... କିଛି ନାହିଁ ମ ! ଏହା ତ ଢିଙ୍କିଆ ହସ !

•••

 •ଖ଼ଲୀଲ୍ ଜ଼ିବ୍ରାନଙ୍କର ଏକ କାହାଣୀର ଏହା ଓଡ଼ିଆ ଭାଵାନୁଵାଦ•

 • -ତେବେ ପ୍ରଶ୍ନ ଉଠୁଛି କୁମ୍ଭୀର କ'ଣ ସତରେ କାନ୍ଦେ ନା ଢିଙ୍କିଆ ବାଘ ହସେ ? 

•ପ୍ରକୃତରେ କୁମ୍ଭୀରମାନେ ଦୁଃଖ କିମ୍ବା ଯନ୍ତ୍ରଣା ଯୋଗୁଁ କାନ୍ଦିନଥାନ୍ତି । କୁମ୍ଭୀରମାନଙ୍କ ଆଖିରେ ଲୁହ ଦେଖି ମଣିଷମାନେ ଭାବନ୍ତି କୁମ୍ଭୀର କାନ୍ଦୁଛି ।  

କୁମ୍ଭୀର ଚୋବାଇ ଖାଇଲାବେଳେ ତା ଆଖିର ଲୁହ ନଳୀ ଉପରେ ଚାପ ପଡ଼େ ଫଳତଃ ତା ଆଖି ଓ ନାକରୁ ଲୁହ ବାହାରିଥାଏ ।‌ ଏହି ଲୁହ କୁମ୍ଭୀର ଆଖିକୁ ଆର୍ଦ୍ର ଓ ସ୍ଵଚ୍ଛ ରଖିଵାରେ ସାହାଯ୍ୟ କରିଥାଏ ଏଵଂ ଖାଇଵା ସମୟରେ ଆଖି କିମ୍ବା ନାକ ଭିତରକୁ ଯାଇଥିଵା କୌଣସି ଆଵର୍ଜନାକୁ ମଧ୍ୟ ବାହାର କରିଦିଏ ।

ତେଣୁ,କୁମ୍ଭୀର ପ୍ରକୃତରେ କାନ୍ଦୁନଥାଏ ଵରଂ ଏହା ପ୍ରକୃତରେ ତାହାଉ ଖାଇଵା ସମୟର ଵା ତତ୍ ପରଵର୍ତ୍ତୀ ପ୍ରାକୃତିକ ଶାରୀରିକ ପ୍ରତିକ୍ରିୟା ଅଟେ ।  

ସେହିପରି ଢିଙ୍କିଆ ବାଘ ଵା Hyena ମାନେ ପ୍ରକୃତରେ ହସନ୍ତି ନାହିଁ ଵରଂ ସେମାନେ ପରସ୍ପର ସହ ଯୋଗାଯୋଗ କରିଵାର ତାହା ଏକ ପ୍ରକାରର ପ୍ରକ୍ରିୟା ଅଟେ । ପରସ୍ପର ସହ ଯୋଗାଯୋଗ କରିଵା ପାଇଁ ଢିଙ୍କିଆ ବାଘମାନେ ହସିଵା ଛଡ଼ା ଆହୁରି ଅନେକ ପ୍ରକାରର ସ୍ୱର ଉତ୍ପନ୍ନ କରିଥାନ୍ତି । ସେମାନଙ୍କ ଦ୍ଵାରା ସୃଷ୍ଟି କରାଯାଉଥିଵା ପ୍ରତ୍ୟେକ ସ୍ବର ଗୋଟିଏ ଗୋଟିଏ ଭାଵକୁ ପ୍ରକାଶ କରିଵା ଉଦ୍ଦେଶ୍ୟରେ ଜାତ ହୋଇଥାଏ । ଓଡ଼ିଆ ଭାଷାରେ Hyenaକୁ ଢିଙ୍କିଆ ବାଘ କୁହାଯିଵାର କାରଣ ଏମାନଙ୍କର ପଛଭାଗ ଢିଙ୍କି ପରି ତଳକୁ ରହିଥାଏ ଏଵଂ ଏମାନେ ବାଘ ଭଳି ଅତି ଦୁର୍ଦ୍ଦାନ୍ତ ତଥା ଏମାନଙ୍କ ଶରୀରରେ ବାଘଙ୍କ ପରି ଚିହ୍ନ ଥାଏ । 

Friday, June 23, 2023

ପୂର୍ଣ୍ଣିମା(ଖ଼ଲୀଲ୍ ଜ଼ିବ୍ରାନ)

ସେହି ନଗରରେ ପୂର୍ଣ୍ଣିମାର ଚନ୍ଦ୍ରମା ତା'ର ଅପରୂପ ସୌନ୍ଦର୍ଯ୍ୟ ସହିତ ଉଦୟ ହେଵା ମାତ୍ରେ ସମସ୍ତ କୁକୁରମାନେ ତାକୁ ଦେଖି ଭୁକିଵାକୁ ଲାଗିଲେ ।
କେଵଳ ଗୋଟିଏ କୁକୁର ନ ଭୁକି ଅନ୍ୟ କୁକୁରମାନଙ୍କୁ ଗମ୍ଭୀର ସ୍ୱରରେ କହିଲା, "ଚନ୍ଦ୍ରମାର ନିଦ୍ରା ଭାଙ୍ଗିଵ ନାହିଁ କି ତୁମ୍ଭେମାନେ ତାକୁ ଭୁକି ସ୍ଵର୍ଗରୁ ମର୍ତ୍ତ୍ୟକୁ ଆଣିପାରିଵ ନାହିଁ । "

ସେହି ସମୟରେ ସମସ୍ତ କୁକୁର ଭୁକିବା ବନ୍ଦ କରିଦେଲେ ଏଵଂ ହଠାତ୍ ଏକ ଅଦ୍ଭୁତ ନୀରଵତା ଦେଖାଦେଲା । ମାତ୍ର ଯୋଉ କୁକୁରଟି ଅନ୍ୟ କୁକୁରମାନଙ୍କୁ ଚୁପ୍ ରହିଵାକୁ କହିଥିଲା ସେହି କୁକୁରଟି ସାରା ରାତି ଭୁକି ଚାଲିଥିଲା ଏଵଂ ଅନ୍ୟ କୁକୁରମାନଙ୍କୁ ଚୁପ୍ ରହିଵାକୁ ଉପଦେଶ ଦେଉଥିଲା ।

(ଖ଼ଲୀଲ୍ ଜ଼ିବ୍ରାନଙ୍କ କାହାଣୀ the full moonର ଓଡ଼ିଆ ଭାଵାନୁଵାଦ ; ମୂଳ କାହାଣୀ ନିମ୍ନରେ ପ୍ରଦତ୍ତ ହୋଇଛି) 

The Full Moon

The full moon rose in glory upon the town, and all the dogs of that town began to bark at the moon.

Only one dog did not bark, and he said to them in a grave voice, "Awake not stillness from her sleep, nor bring you the moon to the earth with your barking."

Then all the dogs ceased barking, in awful silence. But the dog who had spoken to them continued barking for silence, the rest of the night.

© ଖ଼ଲୀଲ୍ ଜ଼ିବ୍ରାନ


Monday, May 15, 2023

ଶାନ୍ତି ଓ ଯୁଦ୍ଧ

ତିନୋଟି କୁକୁର ଶୀତ ସକାଳରେ ଖରା ପୋଇଁ ହୋଇ ପରସ୍ପର ସହିତ ଗପୁଥାଆନ୍ତି । 



ପ୍ରଥମ କୁକୁରଟି କହୁଥାଏ , "ଏହି ଶ୍ଵାନରାଜରେ ଜନ୍ମ ନେଵା ସତରେ ବଡ଼ ସୁଖମୟ ଅଟେ । ହେଇ ଯୁଗ ଥିଲା ଆମ ପୂର୍ଵଜ ଜଙ୍ଗଲରେ ରହୁଥିଲେ ଆଉ ଖାଇଵା ପିଇଵା ପାଇଁ ଜୀଵନ ଵିପନ୍ନ କରି ଦିନଯାକ ଦୌଡ଼ୁଥିଲେ । ଏବେ ଦେଖ ଆମେ ମୋଟରଗାଡି଼,ଉଡ଼ାଜାହାଜ ଓ ବୁଡ଼ାଜାହାଜରେ ବସି କେଡ଼େ ଆରାମରେ ଜଳ,ସ୍ଥଳ ଓ ଆକାଶରେ ଯାତ୍ରା କରୁଛେ । ଆମକୁ ସୁଖ ଶାନ୍ତି ଦେଵା ପାଇଁ କେତେ ଯେ ନୂଆ ନୂଆ ଆଵିଷ୍କାର ହେଉନାହିଁ ସତେ ! 

ଦ୍ଵିତୀୟ କୁକୁର ତା କଥା ଶୁଣି କହିଲା,
ଏବେ ଆମେ ଲୋକମାନଙ୍କର ପ୍ରକୃତିକୁ ଭଲ ଭାବରେ ବୁଝି ତାଙ୍କଠାରୁ ନିଜ ସ୍ଵାର୍ଥ ଲାଭର ସବୁ ଉପାୟ ଜାଣିସାରିଛନ୍ତି । ଜହ୍ନକୁ ଦେଖି ଆମ ପୂର୍ଵଜଙ୍କ ଅପେକ୍ଷା ଆମେମାନେ ଅଧିକ ଲୟବଦ୍ଧ ରୂପେ ଭୋକିପାରୁଛନ୍ତି ।‌ ଆମେ ପାଣିରେ ନିଜ ମୁହଁକୁ ଦେଖି ଜାଣିପାରନ୍ତି ଯେ ଆମ ପୂର୍ଵଜଙ୍କ ତୁଳନାରେ ଆଜି ଆମେ ଅଧିକ ପରିଷ୍କାର ଓ ସୁନ୍ଦର ଦେଖାଯାଉଛନ୍ତି ।‌ ଆହା ! ସତରେ ଆମେମାନେ ବଡ଼ ଭାଗ୍ୟଵାନ ଏହି ଯୁଗରେ ଜନମିଛନ୍ତି । 

ତହୁଁ ତୃତୀୟ କୁକୁରଟି କହିଲା
ମୁଁ ତ ଏ ଶ୍ଵାନରାଜରେ ଆମମାନଙ୍କ ମଧ୍ୟରେ ତାଳମେଳ ଦେଖି ଆଶ୍ଚର୍ଯ୍ୟ ହେଉଛି ! ଆମେ ଟିକେ ଟିକେ କଥାରେ କାମୁଡ଼ି କାମୁଡ଼ି ହେଵା ଜାତି କିନ୍ତୁ ଏ ଯୁଗରେ ସଭ୍ୟ ହୋଇ ଯାଇଛନ୍ତି । ସତରେ ଏହା ବଡ଼ ଅଦ୍ଭୁତ କଥା ନୁହେଁ କି ? 
 
ଠିକ୍ ସେହି ସମୟରେ କୁକୁର ଧରିଵାଵାଲା ଲୋକ ତାଙ୍କ ଆଡ଼କୁ ଚାଲି ଆସୁଥିଵାର କୁକୁରମାନେ ଦେଖିଦେଲେ । 

ତିନୋଟି ଯାକ କୁକୁର ଶୋଇଵା ଥାନରୁ ଡେଇଁ ଡରି ମରି ଗୋଟାଏ ଗଳି ବାଟ ଦେଇ ଦୌଡ଼ିଵାକୁ ଲାଗିଲେ ।‌ ଧାଉଁ ଧାଉଁ ତୃତୀୟ କୁକୁରଟି କହୁଥାଏ ଦଉଡ଼ ଦଉଡ଼ ଆହୁରି ଯୋର୍ ରେ ଧାଅଁ ନିଜ ଜୀଵନ ବଞ୍ଚାଅ ସଭ୍ୟତା ଆମକୁ ଗୋଡ଼ାଇଛି !!!

•ଖଲୀଲ ଜ଼ିବ୍ରାନଙ୍କ ଦ୍ଵାରା ଲିଖିତ ଏକ କାହାଣୀର ଭାଵାନୁଵାଦ•

ମୂଳ ଲେଖାର ନାମ Peace And War ଥିଲା । ଲେଖକଙ୍କର ମୂଳ କାହାଣୀଟି ନିମ୍ନରେ ପ୍ରଦତ୍ତ ହେଲା ...

        ●Peace And War●
Three dogs were basking in the sun and conversing. The first dog said dreamily, "It is indeed wondrous to be living in this day of dogdom. Consider the ease with which we travel under the sea, upon the earth and even in the sky. And meditate for a moment upon the inventions brought forth for the comfort of dogs, even for our eyes and ears and noses."

And the second dog spoke and he said, "We are more heedful of the arts. We bark at the moon more rhythmically than did our forefathers. And when we gaze at ourselves in the water we see that our features are clearer than the features of yesterday."

Then the third dog spoke and said, "But what interests me most and beguiles my mind is the tranquil understanding existing between dogdoms."

At that very moment they looked, and lo, the dog-catcher was approaching.

The three dogs sprang up and scampered down the street; and as they ran the third dog said, "For God's sake, run for your lives. Civilization is after us."

              - --oOo-- -