My Blog List

Saturday, August 1, 2026

ସାଂସ୍କୃତିକ ପ୍ରତିରୋଧର ଦୁଇଟି ସମାନ୍ତରାଳ ପୃଷ୍ଠା: ଜୋସନ୍ ଓ ଓଡ଼ିଶା

ସପ୍ତଦଶ ଶତାବ୍ଦୀର ଆରମ୍ଭରେ କୋରିଆର ଜୋସନ୍ ରାଜଵଂଶର ଚୀନର ମିଙ୍ଗ୍ ରାଜଵଂଶ ସହ ଦୃଢ଼ ମିତ୍ରତା ଥିଲା। କୋରିଆ ନିଜକୁ ମିଙ୍ଗ ସାମ୍ରାଜ୍ୟର ସଂସ୍କୃତିକ ଓ ରାଜନୀତିକ ଉତ୍ତରାଧିକାରୀ ଭାବେ ଵିଚାର କରୁଥିଵାରୁ ମିଙ୍ଗ୍ ସାମ୍ରାଜ୍ୟ ପ୍ରତି ନିଷ୍ଠାଶୀଳ ରହିଥିଲା। ଏହା କେଵଳ ରାଜଵଂଶ ପର୍ଯ୍ୟନ୍ତ ସୀମିତ ନଥିଲା ଵରଂ ସାଧାରଣ କୋରିଆନୀୟ ଲୋକେ ମଧ୍ୟ ସମାନ ଵିଚାର ରଖିଥିଲେ । ଏହି ସମୟରେ ମାଞ୍ଚୁରିଆ ଅଞ୍ଚଳରେ Hong Taijiଙ୍କ ନେତୃତ୍ୱରେ ଜୁର୍ଚେନ୍ ଜାତି ଶକ୍ତିଶାଳୀ ହେଉଥିଲା। ସେମାନେ ପରେ କ୍ବିଙ୍ଗ୍ ରାଜଵଂଶ ଗଠନ କରି ମିଙ୍ଗ୍ ସାମ୍ରାଜ୍ୟ ସହିତ ଯୁଦ୍ଧ କଲେ। ୧୬୨୭ ମସିହାରେ ମାଞ୍ଚୁ ସେନା ପ୍ରଥମେ କୋରିଆ ଉପରେ ଆକ୍ରମଣ କଲା। ଏହାକୁ ପ୍ରଥମ ମାଞ୍ଚୁ ଆକ୍ରମଣ ଵା “First Manchu invasion” ବୋଲି କୁହାଯାଏ। ସେତେବେଳେ କୋରିଆର ରାଜା ଇନ୍‌ଜୋ ଥିଲେ। ଯୁଦ୍ଧ ଅଧିକ ଦିନ ଚାଲିନଥିଲା ଏଵଂ ଶେଷରେ ଦୁଇ ପକ୍ଷ ମଧ୍ୟରେ ଏକ ଅସ୍ଥାୟୀ ସନ୍ଧି ହେଲା। କୋରିଆ ଵାହ୍ୟତଃ ମାଞ୍ଚୁମାନଙ୍କ ସହ ଶାନ୍ତି ସ୍ଥାପନ କରିଥିଲେ, କିନ୍ତୁ ମନରେ ସେମାନେ ମିଙ୍ଗ୍ ପ୍ରତି ନିଷ୍ଠା ରଖିଥିଲେ। ପରଵର୍ତ୍ତୀ କିଛି ଵର୍ଷରେ ପରିସ୍ଥିତି ଅଧିକ ଜଟିଳ ହେଲା। କୋରିଆ ମିଙ୍ଗ୍ ସାମ୍ରାଜ୍ୟକୁ ଗୁପ୍ତ ଭାବେ ସମର୍ଥନ ଦେଉଥିଲା ଓ ମାଞ୍ଚୁମାନଙ୍କୁ “ବର୍ବର” ଵିଚାର କରୁଥିଲା। ଏହା Hong Taijiଙ୍କୁ ଅସନ୍ତୁଷ୍ଟ କଲା। ସେ ଚାହୁଁଥିଲେ ଯେ କୋରିଆ ସମ୍ପୂର୍ଣ୍ଣ ଭାବେ କ୍ୱିଙ୍ଗ୍ ସାମ୍ରାଜ୍ୟକୁ ସ୍ୱୀକାର କରୁ। 

୧୬୩୬ ମସିହାରେ Hong Taiji ଵିଶାଳ ସେନା ସହ କୋରିଆ ଉପରେ ଆକ୍ରମଣ କଲେ। ଏହା ଅଧିକ ସୁଯୋଜିତ ଓ ଶକ୍ତିଶାଳୀ ଆକ୍ରମଣ ଥିଲା। କ୍ୱିଙ୍ଗ୍ ସେନା ଶୀଘ୍ର ଗତିରେ ରାଜଧାନୀ ହାନସିଂ (ଆଜିର ସିଓଲ୍) ଦିଗକୁ ବଢ଼ିଲା। ଭୟଭୀତ ହୋଇ ରାଜା ଇନ୍‌ଜୋ Namhansanseong ଦୁର୍ଗରେ ଆଶ୍ରୟ ନେଲେ। ସେଠାରେ ସେ ଏକାଧିକ ସପ୍ତାହ ଧରି ଅଵରୋଧରେ ରହିଥିଲେ। ଶୀତ ଋତୁ, ଖାଦ୍ୟ ଅଭାବ ଓ ସେନାର ଦୁର୍ଵଳତା ଯୋଗୁଁ ପରିସ୍ଥିତି ଦୟନୀୟ ହୋଇଯାଇଥିଲା।ଶେଷରେ ୧୬୩୭ ମସିହାରେ ରାଜା ଇନ୍‌ଜୋ ବାଧ୍ୟ ହୋଇ ଆତ୍ମସମର୍ପଣ କଲେ। ସେ Samjeondo ନାମକ ସ୍ଥାନରେ Hong Taijiଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ଵଶତା ସ୍ଵୀକାର କରିଥିଲେ ଏଵଂ ଏହା କୋରିଆର ଇତିହାସରେ ଅତ୍ୟନ୍ତ ଅପମାନଜନକ ଘଟଣା ଥିଲା । ଏହି ଘଟଣାକୁ ଇତିହାସରେ “Samjeondo Submission” ବୋଲି କୁହାଯାଏ । ପରେ Samjeondoରେ ଗୋଟିଏ ସ୍ମାରକ "Samjeondo Monument" ତିଆରି ହୋଇଥିଲା ଯହିଁରେ Qing ସାମ୍ରାଜ୍ୟର ଵିଜୟ ସମ୍ବନ୍ଧରେ ଲେଖା ଅଛି। ଏହି ଘଟଣା ପରେ କୋରିଆ କ୍ୱିଙ୍ଗ୍ ସାମ୍ରାଜ୍ୟର ଉପନିଵେଶୀୟ ରାଜ୍ୟ ଵା tributary state ହେଲା । ରାଜାଙ୍କ ପୁଅମାନେ ବନ୍ଦୀ ହୋଇ ଯାଇଥିଲେ ‌। ଅନେକ ସାଧାରଣ ଲୋକଙ୍କୁ ବନ୍ଦୀ କରି ଚୀନକୁ ପଠେଇ ଦିଆଯାଇଥିଲା । ହଜାର ହଜାର କୋରିଆନୀୟ ମହିଳା, କ୍ଵିଙ୍ଗ୍ ଆକ୍ରମଣ ସମୟରେ ବଳାତ୍କାର ଓ ଦାସତ୍ଵର ଶିକାର ହୋଇଥିଲେ । ଗାଆଁ ଗଣ୍ଡାରେ ଅନେକ ଦିନ ପର୍ଯ୍ୟନ୍ତ ଲୋକ ଲୁଚି ଛପି ରହୁଥିଲେ । ଅନେକେ ପାହାଡ଼ ପର୍ଵତରେ ଆତ୍ମଗୋପନ କରି ରହିଲେ । ଚାଷ ବନ୍ଦ ହୋଇଯାଇଥିଲା । ଯୁଦ୍ଧ ପରେ ଅନେକ ଵର୍ଷ ଧରି ସରଳ ଗ୍ରାମଵାସୀ ମହିଳା ଓ ଯୁଵକମାନଙ୍କୁ ବନ୍ଦୀ କରି କ୍ଵିଙ୍ଗ୍ ସାମ୍ରାଜ୍ୟକୁ ଦାସ ଭାବେ ଚାଲାଣ କରାଯାଉଥିଲା । ଵିଜୟୀ କ୍ଵିଙ୍ଗ୍ ସେନା ଅନେକ ଵର୍ଷ ପର୍ଯ୍ୟନ୍ତ କୋରିଆର ଲୁଣ୍ଠନ କରିଥିଲେ ।ମହିଳା,ଯୁଵକ,ଶିଶୁ,କିଶୋର କିଶୋରୀ ସେମାନଙ୍କ ଅତ୍ୟାଚାରର ସର୍ଵାଧିକ ଶିକାର ହୋଇଥିଲେ । ଚୀନକୁ ବନ୍ଦୀ ହୋଇ ଯାଇଥିଵା ମହିଳାମାନେ ଫେରି ଆସି ସମାଜରେ ଅସ୍ୱୀକୃତ ହେଉଥିଲେ । ଅତ୍ୟାଚାରିତା ମହିଳାଙ୍କୁ ସମାଜ ଗ୍ରହଣ କରିନଥିଲା । ଦାସ ହୋଇଥିଵା ପୁରୁଷ ପଳାତକ ହୋଇ ଧରା ପଡ଼ିଗଲେ ସେମାନଙ୍କର ଗୋଇଠି କାଟି ଛୋଟା କରି ଦିଆଯାଉଥିଲା । ଯେଉଁ କୋରିଆନୀୟ ପୁରୁଷମାନେ ଦାସ ହେଲେ ତନ୍ମଧ୍ୟରୁ ଅନେକଙ୍କୁ କ୍ଵିଙ୍ଗ୍‌ମାନେ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ ସମୟରେ ସୈନିକ ଭାବେ ଵ୍ୟଵହାର କରିଥିଲେ । କୋରିଆନୀୟ ଜାତୀୟ ସ୍ଵାଭିମାନ ଉପରେ ଆଘାତ ଲାଗିଥିଲା । ସେନା ଓ ପ୍ରଶାସନର ଦୁର୍ଵଳତା ପ୍ରକାଶ ପାଇଥିଲା । ଏହି ଆକ୍ରମଣ ପରେ କୋରିଆର ସମାଜ ଓ ରାଜନୀତିରେ ଗଭୀର ପରିଵର୍ତ୍ତନ ଆସିଲା। ଵାହ୍ୟତଃ କ୍ଵିଙ୍ଗ୍ ରାଜବଂଶକୁ ସ୍ୱୀକାର କରିଥିଲେ, କିନ୍ତୁ ମନରେ ସେମାନେ ସବୁବେଳେ ମିଙ୍ଗ୍ ରାଜଵଂଶ ପ୍ରତି ନିଷ୍ଠା ରଖିଥିଲେ। ଏହାକୁ “dual loyalty” ବୋଲି କୁହାଯାଏ।

ଜୋସନ୍ ଉପରେ କ୍ଵିଙ୍ଗ୍ ଆକ୍ରମଣ କେଵଳ ଏକ ଯୁଦ୍ଧ ନଥିଲା ଵରଂ ଏହା ପୂର୍ଵ ଏସିଆର ଶକ୍ତି ସମୀକରଣକୁ ପରିଵର୍ତ୍ତନ କରି ଦେଇଥିଲା। ଏହା ପରେ କ୍ବିଙ୍ଗ୍ ରାଜଵଂଶ ଧିରେ ଧିରେ ସମ୍ପୂର୍ଣ୍ଣ ଚୀନ ଉପରେ ନିୟନ୍ତ୍ରଣ ସ୍ଥାପନ କରିଥିଲା ଏଵଂ ମିଙ୍ଗ୍ ରାଜଵଂଶର ପତନ ହେଲା। କୋରିଆ ପାଇଁ ଏହା ଏକ ଶିକ୍ଷାଦାୟକ ଘଟଣା ହେଲା । ଵାହ୍ୟ ଶକ୍ତି ସହ ରାଜନୈତିକ ସମ୍ପର୍କରେ ସାଵଧାନତା ଓ ଵାସ୍ତଵବାଦୀ ଦୃଷ୍ଟିକୋଣ ଆଵଶ୍ୟକ ବୋଲି ସେମାନେ ବୁଝିଲେ। ଏହି ଯୁଦ୍ଧ ଦୁଃଖ, ଅତ୍ୟାଚାର,ଅପମାନ ଓ ପରିଵର୍ତ୍ତନର ଏକ ମିଶ୍ର ଅନୁଭଵ ଥିଲା। ରାଜନୈତିକ ଭାବେ ଏହା କୋରିଆକୁ ନମ୍ର କଲା କିନ୍ତୁ ସଂସ୍କୃତିକ ଭାବେ ସେମାନଙ୍କ ଆତ୍ମସମ୍ମାନ ଓ ପରିଚୟକୁ ଆହୁରି ଶକ୍ତିଶାଳୀ କରିଦେଲା। ଏହି ଘଟଣାର ପ୍ରତିଧ୍ୱନି ଆଜିବି କୋରିଆର ସାହିତ୍ୟ, ସିନେମା ଏଵଂ My Dearest ଭଳି ଡ୍ରାମା ମଧ୍ୟରେ ଦେଖାଯାଏ।
ତେବେ ମନରେ ପ୍ରଶ୍ନ ଆସେ ଯେ ଜୋସନ୍ ଉପରେ କ୍ବିଙ୍ଗ୍ ଆକ୍ରମଣ ପରେ ପୁଣି କେବେ କ୍ଵିଙ୍ଗ୍ ଵିରୋଧରେ କୋରିଆ ପ୍ରତିଶୋଧ ନେଇଥିଲା କି ?

ଏହାର ସିଧା ସଳଖ ଉତ୍ତର "ନାହିଁ" ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ସପ୍ତଦଶ ଶତାବ୍ଦୀର ସେହି ଯୁଦ୍ଧ ପରେ କୋରିଆର ଅଵସ୍ଥା ବହୁତ ଦୁର୍ଵଳ ହୋଇପଡ଼ିଥିଲା। ସୈନ୍ୟ ଶକ୍ତି ନଷ୍ଟ ହୋଇଯାଇଥିଲା, ଅର୍ଥନୀତି ଧ୍ୱଂସ ହୋଇଥିଲା ଏଵଂ ସମାଜର ମନୋବଳ ମଧ୍ୟ ଭାଙ୍ଗି ଯାଇଥିଲା । ଅନ୍ୟଦିଗରେ କ୍ଵିଙ୍ଗ୍ ରାଜବଂଶ ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେଉଥିଲା। ଏହି ପରିସ୍ଥିତିରେ ଜୋସନ୍ ରାଜଵଂଶ ବାଧ୍ୟ ହୋଇ କ୍ଵିଙ୍ଗ୍ ସାମ୍ରାଜ୍ୟର ଅନୁଗତ ରାଜ୍ୟ (tributary state) ଭାବେ ରହିଵାକୁ ସ୍ୱୀକାର କଲା। ଏପରି ଦୁର୍ଵଳ ପରିସ୍ଥିତିରେ ସିଧାସଳଖ ସେନା ଆକ୍ରମଣ କରି ପ୍ରତିଶୋଧ ନେଵା ପ୍ରାୟ ଅସମ୍ଭଵ ଥିଲା ଫଳତଃ କୋରିଆ କେବେବି ସେହିପରି ପଦକ୍ଷେପ ନେଇନଥିଲା। ତଥାପି, ପ୍ରତିଶୋଧର ଭାବନା ସମ୍ପୂର୍ଣ୍ଣ ଭାବେ କୋରିଆର ଲୋକଙ୍କ ହୃଦୟରୁ ଚାଲିଯାଇନଥିଲା। ଵିଶେଷତଃ ରାଜା King Hyojong, ଯିଏ Qing ଦରବାରରେ ବନ୍ଦୀ ଜୀଵନ ଅନୁଭଵ କରିଥିଲେ, ସେ ମନରେ ପ୍ରତିଶୋଧର ଭାବନା ରଖିଥିଲେ। ସେ “Bukbeol”(“ଉତ୍ତର ଅଭିଯାନ”) ନାମରେ ଏକ ଯୋଜନା ତିଆରି କଲେ, ଯାହାର ଲକ୍ଷ୍ୟ ଥିଲା ଭଵିଷ୍ୟତରେ କ୍ଵିଙ୍ଗ୍ ସାମ୍ରାଜ୍ୟ ଵିରୋଧରେ ସୈନ୍ୟ ଅଭିଯାନ କରିଵା । ସେ ଏହି ଉଦ୍ଦେଶ୍ୟରେ ସେନାକୁ ପୁନର୍ଗଠନ କରିଵାରେ ମଧ୍ୟ ଲାଗିପଡ଼ିଥିଲେ। କିନ୍ତୁ ପରିସ୍ଥିତି ତାଙ୍କ ପକ୍ଷରେ ରହିଲା ନାହିଁ। କ୍ଵିଙ୍ଗ୍ ସାମ୍ରାଜ୍ୟ ଆହୁରି ଶକ୍ତିଶାଳୀ ହୋଇଯାଇଥିଲା ଏଵଂ କୋରିଆ ପୁଣି କେବେ ପୂର୍ଣ୍ଣ ଶକ୍ତି ଫେରି ପାଇଲା ନାହିଁ। ଫଳସ୍ୱରୂପ, ଏହି ଯୋଜନା କେଵଳ ଏକ ଵିଚାରରେ ହିଁ ସୀମିତ ହୋଇ ରହିଗଲା ଏଵଂ କେବେ ବି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ସୈନ୍ୟ ପ୍ରତିଶୋଧ ସମ୍ଭଵ ହୋଇନଥିଲେ ବି କୋରିଆର ଲୋକମାନେ ଅନ୍ୟ ଭିନ୍ନ ପଥ ଅନୁସରଣ କଲେ ଏଵଂ ତାହା ସାଂସ୍କୃତିକ ଓ ମନୋଭାବରେ ପ୍ରତିରୋଧ ଥିଲା। କୋରିଆର ଵିଦ୍ୱାନ ଓ ଶାସକମାନେ ନିଜକୁ “ପ୍ରକୃତ ଚୀନୀ ସଭ୍ୟତାର ରକ୍ଷକ” ବୋଲି ଭାବିଵା ଆରମ୍ଭ କଲେ। ଏହାର ପଛରେ ମୂଳ କାରଣ ହେଉଛି ସେମାନଙ୍କର ମିଙ୍ଗ୍ ରାଜଵଂଶ ପ୍ରତି ଗଭୀର ନିଷ୍ଠା। ମିଙ୍ଗ୍ ସାମ୍ରାଜ୍ୟକୁ ସେମାନେ ଚୀନଦେଶୀୟ ସଭ୍ୟତାର ପ୍ରକୃତ ପ୍ରତିନିଧି ଭାବେ ଵିଚାର କରୁଥିଲେ ଆଉ କ୍ଵିଙ୍ଗ୍ ଶାସକମାନଙ୍କୁ ସେମାନେ “ବର୍ବର” ବୋଲି ଭାବୁଥିଲେ। ଏହିପରି ଭାବେ କୋରିଆର ଲୋକମାନେ ବାହାରୁ କ୍ଵିଙ୍ଗ୍‌ମାନଙ୍କ ପ୍ରତି ଆଦର ଦେଖାଇଥିଲେ ମଧ୍ୟ ଭିତରେ ଘୃଣା ଓ ଅସ୍ୱୀକୃତି ରହିଥିଲା।

ଏହି ମନୋଭାବକୁ ଆହୁରି ସ୍ପଷ୍ଟ କରେ କୋରିଆର ଲୋକମାନଙ୍କର ମିଙ୍ଗ୍ ସାମ୍ରାଜ୍ୟ ପ୍ରତି ଅଵିଚଳ ନିଷ୍ଠା। ମିଙ୍ଗ୍‌ର ପତନ ପରେ ମଧ୍ୟ କୋରିଆର ଵିଦ୍ୱାନମାନେ ମିଙ୍ଗ୍ କ୍ୟାଲେଣ୍ଡର, ପୋଷାକ ଓ ସଂସ୍କୃତିକ ପରମ୍ପରାକୁ ଜାରି ରଖିଥିଲେ। କୋରିଆର ଲୋକମାନଙ୍କର ଏହା ଏକ ପ୍ରକାର ସାଂସ୍କୃତିକ ପ୍ରତିଶୋଧ ଥିଲା ଏଵଂ ଫଳସ୍ଵରୂପ ସେମାନେ କ୍ଵିଙ୍ଗ୍‌ର ସାଂସ୍କୃତିକ ପ୍ରଭାବକୁ ମନରୁ କେବେବି ସ୍ୱୀକାର କରିନଥିଲେ। ଏହା ସହିତ କୋରିଆ ଏକ ଵ୍ୟାଵହାରିକ ରାଜନୈତିକ ନୀତି ଅନୁସରଣ କଲା। ବାହାରୁ ସେମାନେ କ୍ଵିଙ୍ଗ୍ ରାଜବଂଶକୁ ସମ୍ମାନ ଓ ନିଷ୍ଠା ଦେଖାଇଥିଲେ, କିନ୍ତୁ ଭିତରେ ନିଜ ସ୍ୱାଭିମାନ, ସଂସ୍କୃତି ଓ ପରିଚୟକୁ ସୁରକ୍ଷିତ ରଖିଥିଲେ। ଏହି ଦ୍ଵିମୁଖୀ ନୀତିକୁ “dual policy” ବୋଲି କୁହାଯାଏ, ଯାହା କୋରିଆକୁ ସେତେବେଳେ ନିଜର ଅସ୍ତିତ୍ବ ବଞ୍ଚାଇଵାରେ ସାହାଯ୍ୟ କରିଥିଲା।ତେବେ କୋରିଆର ଲୋକଙ୍କ ଉପରେ ଶତାବ୍ଦୀ ଧରି ଳଅତ୍ୟାଚାର କଲାପରେ ସେମାନଙ୍କର ଅଭିଶାପ କ୍ଵିଙ୍ଗ୍ ସାମ୍ରାଜ୍ୟ ଉପରେ ପଡ଼ିଲା । ମାତ୍ର ଦୁଇ ଶହ ଵର୍ଷ ମଧ୍ୟରେ କ୍ଵିଙ୍ଗ୍ ସାମ୍ରାଜ୍ୟ ଦୁର୍ଵଳ ହୋଇଯାଇଥିଲା । କ୍ଵିଙ୍ଗ୍ ଆରମ୍ଭରେ ଏକ ଵିଶାଳ ଓ ଶକ୍ତିଶାଳୀ ସାମ୍ରାଜ୍ୟ ଭାବେ ପରିଚିତ ଥିଲା। ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଏହା ରାଜନୀତି, ସୈନ୍ୟଶକ୍ତି ଓ ସଂସ୍କୃତିରେ ବହୁତ ଉନ୍ନତ ଥିଲା। କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରୁ ଏହାର ଶକ୍ତି ଧୀରେ ଧୀରେ କମିଵା ଆରମ୍ଭ ହେଲା ଏଵଂ ଊନବିଂଶ ଶତାବ୍ଦୀରେ ଏହା ଗୁରୁତର ଦୁର୍ଵଳତାର ସମ୍ମୁଖୀନ ହେଲା। ଏହି ପରିଵର୍ତ୍ତନର ପ୍ରଭାବ ପୂର୍ଵ ଏସିଆର ଅନ୍ୟ ଦେଶଗୁଡ଼ିକ ଉପରେ ଵିଶେଷ କରି ଜୋସନ୍ ରାଜଵଂଶ ଉପରେ ଗଭୀର ଭାବରେ ପଡ଼ିଲା। ପ୍ରଥମେ କ୍ଵିଙ୍ଗ୍ ରାଜବଂଶର ଆଭ୍ୟନ୍ତରୀଣ ପ୍ରଶାସନ ଧୀରେ ଧୀରେ ଦୁର୍ନୀତିଗ୍ରସ୍ତ ହେଵାକୁ ଲାଗିଲା।ରାଜକର୍ମଚାରୀମାନେ ଲୋକଙ୍କୁ ଶୋଷଣ କରୁଥିଲେ, ଏଵଂ କେନ୍ଦ୍ରୀୟ ଶାସନର ନିୟନ୍ତ୍ରଣ କମିଯାଉଥିଲା। ଏହା ଫଳରେ ସାମ୍ରାଜ୍ୟର ଏକତା ଦୁର୍ଵଳ ହେଲା। ସେହି ସମୟରେ ଜନସଂଖ୍ୟା ଅତ୍ୟଧିକ ବଢ଼ିଗଲା, କିନ୍ତୁ ଜମି ଓ ସମ୍ପଦ ସେହି ହାରରେ ବଢ଼ିପାରିଲା ନାହିଁ। ଏହା ଦୁର୍ଭିକ୍ଷ, ଦରିଦ୍ରତା ଓ ଅସନ୍ତୋଷକୁ ବଢ଼ାଇଲା। ଏହି ଅସନ୍ତୋଷର ପରିଣାମ ସ୍ୱରୂପ ବଡ଼ ବଡ଼ ଵିଦ୍ରୋହ ଦେଖାଦେଲା। Taiping Rebellion ଓ Boxer Rebellion ଭଳି ଵିଦ୍ରୋହଗୁଡ଼ିକ ଯୋଗୁଁ ଚୀନର କ୍ଵିଙ୍ଗ୍ ରାଜଵଂଶ ଭିତରୁ ଦୁର୍ଵଳ ହୋଇଗଲା। ଏହା ସହିତ ବାହାରୁ ମଧ୍ୟ ଚାପ ବଢ଼ିଲା। ପଶ୍ଚିମ ଶକ୍ତି, ଵିଶେଷତଃ ବ୍ରିଟେନ୍, ପ୍ରଥମ ଅଫିମ ଯୁଦ୍ଧ ଓ ଦ୍ଵିତୀୟ ଅଫିମ୍ ଯୁଦ୍ଧ ମାଧ୍ୟମରେ ଚୀନକୁ ଅସମାନ ଚୁକ୍ତି କରିଵାକୁ ବାଧ୍ୟ କଲେ। ଫଳସ୍ଵରୂପ କ୍ଵିଙ୍ଗ୍ ରାଜଵଂଶର ସ୍ୱାଧୀନତା ଓ ଆର୍ଥିକ ଶକ୍ତି ଉଭୟ ଦୁର୍ଵଳ ହେଲା। ଏହାପରେ ଆସିଲା ସବୁଠାରୁ ବଡ଼ ଆଘାତ ଏଵଂ ତାହା ଥିଲା ପ୍ରଥମ ଚୀନା ଜାପାନୀ ମହାସମରର ଵିଭୀଷିକା। ଏହି ଯୁଦ୍ଧରେ କ୍ଵିଙ୍ଗ୍ ସାମ୍ରାଜ୍ୟ ଜାପାନୀଙ୍କ ଦ୍ବାରା ପରାଜିତ ହେଲା। ଏହା ସମଗ୍ର ଏସିଆକୁ ଦେଖାଇଦେଲା ଯେ ଏହି ପୁରୁଣା ସାମ୍ରାଜ୍ୟ ତହିଁର ପୂର୍ଵତନ ଶକ୍ତି ହରାଇ ସାରିଛି । ଏହି ସମୟରେ କୋରିଆର ଅଵସ୍ଥା ମଧ୍ୟ ଅତ୍ୟନ୍ତ ସଂକଟପୂର୍ଣ୍ଣ ଥିଲା। ଜୋସନ୍ ରାଜଵଂଶ ଦୀର୍ଘ ସମୟ ଧରି କ୍ଵିଙ୍ଗ୍ ରାଜଵଂଶର ଅନୁଗତ ରାଜ୍ୟ (tributary state) ଭାବେ ରହିଥିଲା। ଵାହ୍ୟତଃ ସେମାନେ କ୍ଵିଙ୍ଗ୍‌କୁ ସମ୍ମାନ ଦେଉଥିଲେ, କିନ୍ତୁ ଭିତରେ ସ୍ୱାଧୀନତା ରକ୍ଷା କରୁଥିଲେ। ଏହି ସମୟରେ କୋରିଆ ନିଜକୁ ବାହାର ଦେଶରୁ ବହୁତ ଅଂଶରେ ଅଲଗା ରଖିଥିଲା, ଯାହାକୁ “Hermit Kingdom” ବୋଲି କୁହାଯାଏ।

କିନ୍ତୁ ଊନବିଂଶ ଶତାବ୍ଦୀରେ ପରିସ୍ଥିତି ବଦଳିଗଲା। ପଶ୍ଚିମ ଦେଶ ଓ ଜାପାନ କୋରିଆକୁ ଵାଣିଜ୍ୟ ଓ ରାଜନୈତିକ ସମ୍ପର୍କ ପାଇଁ ପଥ ଖୋଲିଵାକୁ ଚାପ ପକାଇଲେ। କ୍ଵିଙ୍ଗ୍ ରାଜଵଂଶ ଦୁର୍ଵଳ ହେଵାରୁ କୋରିଆ ନିଜର ପୁରୁଣା ରକ୍ଷକକୁ ହରାଇଲା। ପ୍ରଥମ "ଚୀନୀ ଜାପାନୀ ମହାସମର" ପରେ କୋରିଆ ଉପରେ କ୍ଵିଙ୍ଗ୍‌ର ପ୍ରଭାବ ପ୍ରାୟ ଶେଷ ହେଲା ଏଵଂ ଜାପାନ କୋରିଆରେ ନିଜ ପ୍ରଭାବ ବଢ଼ାଇଵାକୁ ଲାଗିଲା। ଏହାର ଶେଷ ପରିଣାମ ହେଲା ଅତ୍ୟନ୍ତ ଗୁରୁତର। ୧୯୧୦ ମସିହାରେ ଜାପାନ, କୋରିଆକୁ ଅଧିକାର କରିନେଲା, ଯାହା ସହିତ ଜୋସନ୍ ରାଜଵଂଶର ଅନ୍ତ ଘଟିଲା ଏଵଂ କୋରିଆ ନିଜର ସ୍ୱାଧୀନତା ହରାଇଲା। ତେବେ ୧୯୪୫ ମସିହାରେ ଦ୍ଵିତୀୟ ଵିଶ୍ଵଯୁଦ୍ଧରେ ଜାପାନର ପରାଜୟ ସହିତ କୋରିଆ ପୁଣି ସ୍ୱାଧୀନତା ପାଇଲା କିନ୍ତୁ 38° ଅକ୍ଷାଂଶ ରେଖା ଅନୁସାରେ କୋରିଆକୁ ଦୁଇ ଭାଗରେ ଭାଗ କରାଗଲା । ଉତ୍ତର ଭାଗଟି ସୋଭିଏତ୍ ୟୁନିଅନ୍ ନିୟନ୍ତ୍ରଣ ରହିଲା ଏଵଂ ଦକ୍ଷିଣ ଭାଗକୁ ଆମେରିକା ନିଜ ନିୟନ୍ତ୍ରଣରେ ରଖିଲା । ତଥାପି ତିନିଶହ ଵର୍ଷ ବିତିଯାଇଥିଲେ ମଧ୍ୟ ଉଭୟ କୋରିଆ ଦେଶର ଲୋକମାନେ ଆଜି ବି କ୍ଵିଙ୍ଗ୍‌ମାନଙ୍କୁ ଏକ ଆକ୍ରମଣକାରୀ ଶକ୍ତି ରୂପେ ଵିଚାର କରନ୍ତି । ଵିଶେଷତଃ ଦକ୍ଷିଣ କୋରିଆର ଲୋକମାନେ ଆଧୁନିକ ସାହିତ୍ୟ ଓ ଚଳଚ୍ଚିତ୍ର ମାଧ୍ୟମରେ କ୍ଵିଙ୍ଗ୍‌ମାନଙ୍କର କୋରିଆର ଲୋକମାନଙ୍କ ଉପରେ କରିଥିଵା ଇତିହାସ ସହିତ ଵର୍ତ୍ତମାନ ପିଢ଼ିକୁ ପରିଚିତ କରାଇଛନ୍ତି ।‌ କୋରିଆର ଲୋକମାନେ ଜାପାନୀମାନଙ୍କୁ ମଧ୍ୟ ଇମ୍ଜୀନ୍ ଯୁଦ୍ଧ ଓ ୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ କୋରିଆକୁ ପରାଧୀନ କରିଥିଵାରୁ ଘୃଣା ଚକ୍ଷୁରେ ଦେଖନ୍ତି । ଏକାଧିକ ଚଳଚ୍ଚିତ୍ର ଓ ଧାରାଵାହିକରେ କୋରିଆର ଲୋକମାନେ କ୍ଵିଙ୍ଗ୍ ଓ ଜାପାନୀମାନଙ୍କୁ ଆକ୍ରମଣକାରୀ ଶକ୍ତି ରୂପେ ଚିତ୍ରଣ କରିଛନ୍ତି । ମୋଟ୍ ଉପରେ କହିଵାକୁ ଗଲେ କୋରିଆର ଲୋକମାନେ ନିଜ ଦେଶ ଉପରେ ଆକ୍ରମଣ କରିଥିଵା ଆକ୍ରମଣକାରୀମାନଙ୍କୁ କେବେ ଭୁଲି ନାହାଁନ୍ତି । 

ଅସ୍ତୁ କୋରିଆ ଉପରେ ଜାପାନୀ ଓ କ୍ଵିଙ୍ଗ୍‌ ଆକ୍ରମଣକୁ ଆମେ ଓଡ଼ିଶା ଉପରେ ମୋଗଲ୍ ଓ ଵର୍ଗୀ ମରହଟ୍ଟା ଆକ୍ରମଣ ସହିତ ତୁଳନା କରିପାରିଵା । ଉଭୟ ଜାପାନୀ କ୍ଵିଙ୍ଗ୍ ଆକ୍ରମଣ ସମୟରେ କୋରିଆର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଥିଲା । ଝିଅଵୋହୂଙ୍କର ବଳାତ୍କାର ହୋଇଥିଲା। ଅନେକ କୋରିଆନ୍ ଲୋକେ ଦାସ ହୋଇ କ୍ଵିଙ୍ଗ୍ ସାମ୍ରାଜ୍ୟକୁ ଚାଲାଣ ହୋଇଥିଲେ । କୋରିଆର ଦାସମାନେ କ୍ଵିଙ୍ଗ୍ ସାମ୍ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ସଂଗଠିତ ଯୁଦ୍ଧରେ ଭାଗ ନେଵାକୁ ବାଧ୍ୟ ହୋଇଥିଲେ । କୋରିଆର ଗାଆଁଗଣ୍ଡା ଲୁଟ୍ ହୋଇଥିଲା । 

ଠିକ୍ ଏହିପରି ଓଡ଼ିଶାର ଇତିହାସରେ ମଧ୍ୟ ମୋଗଲ୍ ଓ ମରାଠା ଆକ୍ରମଣ ଏକ ଦୁଃଖଦ ଅଧ୍ୟାୟ ରୂପେ ପରିଚିତ। ମୋଗଲ୍ ଓ ବଙ୍ଗାଳୀ ପଠାଣମାନେ ଓଡ଼ିଶା ଉପରେ ବାରମ୍ବାର ଆକ୍ରମଣ କରି ଲୁଣ୍ଠନ କରିଥିଲେ । ଅନେକ ମନ୍ଦିର ଭାଙ୍ଗି ଦେଇଥିଲେ । ଝିଅଵୋହୂଙ୍କ ଅସ୍ମତ ଲୁଣ୍ଠନ କରିଥିଲେ । ଓଡ଼ିଶାର ଜମିବାଡ଼ି ଉପରେ କବ୍ଜା କରି ପଠାଣିଆ ଗାଆଁ ଗଣ୍ଡା ସ୍ଥାପନ କରିଥିଲେ । ଏହାପରେ ଆସିଲେ ମରହଟ୍ଟା ଶାସକ । ଏମାନେ ଗାଆଁ ଗଣ୍ଡା ଲୁଣ୍ଠନ କରିଵାକୁ ଵର୍ଗୀସେନା ଗଠନ କରିଥିଲେ । କଂସା ପିତ୍ତଳ ବି ଛାଡ଼ୁନଥିଲେ । ଭୟରେ ଓଡ଼ିଆ ଲୋକମାନେ ନିଜକୁ ଦରିଦ୍ର ଦେଖାଇ ଚାଳଘରେ ରହିଵା ଆରମ୍ଭ କଲେ । ଗ୍ରାମ୍ୟ ଅଞ୍ଚଳରେ ଲୋକମାନେ ଭୟରେ ଜଙ୍ଗଲକୁ ପଳାଇଯାଉଥିଲେ, ଚାଷବାସ ବନ୍ଦ ହୋଇଯାଉଥିଲା ଓ ଅର୍ଥନୀତି ଭାଙ୍ଗିପଡ଼ୁଥିଲା। ଶ୍ରୀମନ୍ଦିର ଯାତ୍ରୀମାନଙ୍କ ଉପରେ ଯାତ୍ରୀକର ଲଗାଯାଇଥିଲା । କରଦ ରାଜାମାନଙ୍କୁ ଦୁଇଗୁଣ ତିନିଗୁଣ ଚଉଠ ଆଦାୟ ହେଉଥିଲା । ଵିଶେଷତଃ ଗଡ଼ଜାତ ଅଞ୍ଚଳରେ ଵର୍ଗୀ ଲୁଣ୍ଠନକାରୀଙ୍କ ଅତ୍ୟାଚାର ନିର୍ଯାତନା ଅତିଶୟ ହୋଇଥିଲା । 

ଏହା କୋରିଆର ଅଵସ୍ଥା ସହିତ ଅନେକ ଦିଗରେ ସମାନ ଦେଖାଯାଏ। ଉଭୟ ଓଡ଼ିଶା ଓ କୋରିଆରେ ସାଧାରଣ ଲୋକମାନେ ସର୍ଵାଧିକ କଷ୍ଟ ଭୋଗ କରିଥିଲେ। ମହିଳା, ଶିଶୁ ଓ କୃଷକମାନେ ଲୁଟ୍, ଅତ୍ୟାଚାର ଓ ବନ୍ଦୀତ୍ୱର ଶିକାର ହୋଇଥିଲେ। ଗ୍ରାମ ଧ୍ୱଂସ ହୋଇଥିଲା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ସାମାଜିକ ଜୀବନ ସ୍ଥିର ରହିପାରିନଥିଲା। ଏହା ସହିତ ଉଭୟ ଓଡ଼ିଶା ଓ କୋରିଆରେ ଲୋକମାନଙ୍କ ମନରେ ଭୟ, ଅସନ୍ତୋଷ ଓ ଅପମାନର ଭାବନା ଗଢ଼ିଉଠିଥିଲା, ଯାହା ପରେ ସାହିତ୍ୟ ଓ ଲୋକସଂସ୍କୃତିରେ ପ୍ରତିଫଳିତ ହୋଇଛି। ତଥାପି, ଏହି ଦୁଇ ଘଟଣାରେ କିଛି ମୂଳ ପାର୍ଥକ୍ୟ ମଧ୍ୟ ରହିଛି। କୋରିଆ କ୍ୱିଙ୍ଗ୍ ସାମ୍ରାଜ୍ୟର ଅନୁଗତ ରାଜ୍ୟ ହେଲେ ମଧ୍ୟ ନିଜର ରାଜା ଓ ପ୍ରଶାସନକୁ ରଖିପାରିଥିଲା, ଯାହା ତାହାକୁ ଏକ ପରିମିତ ସ୍ୱାୟତ୍ତତା ଦେଇଥିଲା। କିନ୍ତୁ ଓଡ଼ିଶାରେ ମୋଗଲ୍ ଶାସନ ସିଧାସଳଖ ଥିଲା ଏଵଂ ପରେ ମରାଠା ଆକ୍ରମଣ ଯୋଗୁଁ ଅଵସ୍ଥା ଅଧିକ ଅସ୍ଥିର ହୋଇଯାଇଥିଲା। ଓଡ଼ିଶାରେ ରାଜା ରହିଲେ ବି ସେମାନଙ୍କର ସ୍ଵାୟତ୍ତତା ନଥିଲା ‌। ଏହି କାରଣରୁ ଓଡ଼ିଶାର ରାଜନୈତିକ ସ୍ଥିତି କୋରିଆ ତୁଳନାରେ ଅଧିକ ଅସ୍ଥିର ଥିଲା। 

କୋରିଆର ଲୋକମାନେ ଜାପାନୀ ଓ କ୍ଵିଙ୍ଗ୍‌ ଆକ୍ରମଣକୁ ଭୁଲି ନାହାନ୍ତି ଏଵଂ ଚଳଚ୍ଚିତ୍ର,ଡ୍ରାମା ସିରିଜ୍ ଏଵଂ ସାହିତ୍ୟ ମଧ୍ୟରେ ତାକୁ ଆଜି ବି ସ୍ମରଣୀୟ କରି ରଖିଛନ୍ତି ‌।‌ The Fortress,The Night Owl,The Swordsman,Monstrum,War of the Arrows ଓ Rampant ଭଳି ଚଳଚ୍ଚିତ୍ର ତଥା The Three Musketeers,My dearest,Cruel Palace: War of Flowers,Splendid Politics / Hwajung ,Iljimae, The Slave Hunters / Chuno,Captivating the King ସିରିଜରେ କ୍ଵିଙ୍ଗର ଆକ୍ରମଣ ସମୟର କାହାଣୀକୁ ନାଟ୍ୟରୂପ ଦିଆଯାଇଛି । KBS ଚ୍ୟାନେଲ୍‌ର "The History Lands" କିମ୍ବା "Historical Talk" ର 'Byeongja Horan' ସ୍ପେଶାଲ୍ ଏପିସୋଡ୍‌ଗୁଡ଼ିକରେ ସେ ସମୟର ଅତ୍ୟାଚାରକୁ ଡକ୍ୟୁମେଣ୍ଟରୀ ଶୈଳୀରେ ପ୍ରସ୍ତୁତ କରାଯାଇଛି । 

କିନ୍ତୁ ଓଡ଼ିଶାରେ? କିଛି ପୁରୁଣା ସାହିତ୍ୟକୁ ଛାଡ଼ି ଦେଲେ ଓଡ଼ିଶାର ଲୋକେ ମୋଗଲ ଓ ମରାଠା ଆକ୍ରମଣକାରୀ ଲୁଣ୍ଠନକାରୀଙ୍କ ଅତ୍ୟାଚାର ନିର୍ଯାତନାକୁ ଆଜି ପର୍ଯ୍ୟନ୍ତ ଭଲ ଭାବରେ ସମାଜର ସାମ୍ନାକୁ ଆଣି ପାରି ନାହାନ୍ତି । ବଡ଼ ପରଦା ହେଉ ଵା ସାନ ପରଦା ହେଉ ଓଡ଼ିଶା ଉପରେ ମରାଠୀ ଆକ୍ରମଣର କାହାଣୀକୁ ନାଟ୍ୟରୂପ ଦିଆଯାଇନାହିଁ । ଏହାର ଫଳସ୍ୱରୂପ ଆଜି ଓଡ଼ିଶାର ସାଧାରଣ ଓଡ଼ିଆଟିଏ ମରହଟ୍ଟା ଵର୍ଗୀଙ୍କୁ ହିନ୍ଦୁରକ୍ଷକ ମନେ କରୁଛି । ଵର୍ଗୀମାନେ ମରାଠୀ ସୈନିକ ନୁହେଁ ଵରଂ ପଠାଣ ଥିଲେ ବୋଲି କିଛି ଓଡ଼ିଆ ମନେ କରୁଛନ୍ତି । ମରାଠୀମାନେ ସେହି ସମୟରେ ପଠାଣଙ୍କଠାରୁ ଓଡ଼ିଶାକୁ ରକ୍ଷା କରିଥିଲେ ଏଵଂ ଅନେକ ଜନହିତକର କାର୍ଯ୍ୟ କରିଥିଲେ ବୋଲି ଓଡ଼ିଶାର କେତେକ ତଥାକଥିତ ମୂର୍ଖ ବୁଦ୍ଧିଜୀଵୀ ମତ ପୋଷଣ କରୁଛନ୍ତି । ଓଡ଼ିଶାର ଇତିହାସକୁ ନେଇ ସୃଷ୍ଟି ହୋଇଥିଵା ଏହିସବୁ ଭ୍ରମାତ୍ମକ ଧାରଣା ଏଵଂ ବୌଦ୍ଧିକ ନିଷ୍କ୍ରିୟତା ଆମ ଆତ୍ମସମ୍ମାନ ପ୍ରତି ଏକ ବଡ଼ ଆଘାତ। ଇତିହାସକୁ ଭୁଲିଯିଵାର ପରିଣାମ ସ୍ୱରୂପ, ଓଡ଼ିଶା ଆଜି ନିଜର ଵୀରତ୍ୱ ଓ ଦୁଃଖକଷ୍ଟର ପ୍ରକୃତ ଗାଥାକୁ ଆଧୁନିକ ପିଢ଼ି ପାଖରେ ପହଞ୍ଚାଇଵାରେ ବିଫଳ ହୋଇଛି।

କୋରିଆ ନିଜର ଅପମାନର ଇତିହାସକୁ ମଧ୍ୟ ନିଜ ଚଳଚ୍ଚିତ୍ର ଓ ନାଟକରେ ଦେଖାଇ ଭଵିଷ୍ୟତ ପାଇଁ ପ୍ରେରଣା ସଂଗ୍ରହ କରୁଛି ମାତ୍ର ଓଡ଼ିଆ ଜାତି ନିଜ କ୍ଷତକୁ ସ୍ମରଣ କରିଵା ତ ଦୂରର କଥା ଵରଂ ଶୋଷକମାନଙ୍କୁ ଗୌରଵାନ୍ୱିତ କରିଵାରେ ଵ୍ୟସ୍ତ। କୋରିଆ ଏବଂ ଓଡ଼ିଶାର ଏହି ଦୁଇଟି ସମାନ୍ତରାଳ ଇତିହାସ ଆମକୁ ଏକ ବଡ଼ ସତ୍ୟ ଶିଖାଏ—"ଯେଉଁ ଜାତି ନିଜ ଇତିହାସର କ୍ଷତ ଓ ଶତ୍ରୁକୁ ଚିହ୍ନିପାରେ ନାହିଁ, ସେ ନିଜର ପରିଚୟ ହରାଇ ବସେ।" 

କୋରିଆ ନିଜର ସାଂସ୍କୃତିକ ପ୍ରତିରୋଧ ଏଵଂ ସାହିତ୍ୟ ମାଧ୍ୟମରେ ନିଜକୁ ଵିଶ୍ୱ ଦରବାରରେ ଏକ ସ୍ୱାଭିମାନୀ ଜାତି ଭାବେ ଠିଆ କରିପାରିଛି। ସେମାନେ ନିଜର ଅତୀତକୁ ଭୁଲିନାହାନ୍ତି ଵରଂ ତାକୁ ନିଜ ଆତ୍ମସମ୍ମାନର ଢାଲ କରିଛନ୍ତି। ଅନ୍ୟପକ୍ଷରେ, ଓଡ଼ିଶାକୁ ଆଜି ନିଜର ସାଂସ୍କୃତିକ ନିଦ୍ରାରୁ ଜାଗିଵାକୁ ହେଵ। କେବଳ ପୁରୁଣା ପୋଥିର କିଛି ପୃଷ୍ଠାରେ ମୋଗଲ ଓ ମରାଠା ଆକ୍ରମଣକୁ ସୀମିତ ନରଖି, ଆମ ସିନେମା, ନାଟକ, ଡକ୍ୟୁମେଣ୍ଟରୀ ଏଵଂ ଆଧୁନିକ ସାହିତ୍ୟ ମାଧ୍ୟମରେ ଏହି ସତ୍ୟକୁ ସାମ୍ନାକୁ ଆଣିଵାକୁ ହେବ। ଵର୍ଗୀ ଅତ୍ୟାଚାରର କାହାଣୀ କେଵଳ କେତେକ ହାତଗଣତି ବହିରେ ସୀମିତ ନରଖି, ଓଡ଼ିଆ ସଂଗ୍ରାମର ଏକ ପ୍ରାମାଣିକ ଦଲିଲ୍ ଭାବେ ଲୋକଲୋଚନକୁ ଆଣିଵା ଉଚିତ୍।

କ୍ୱିଙ୍ଗ୍ ଓ ଜାପାନୀ ଆକ୍ରମଣ କୋରିଆକୁ ଭୌଗୋଳିକ ଭାବେ ଦୁର୍ଵଳ କରିଥିଲା ସତ, କିନ୍ତୁ ସାଂସ୍କୃତିକ ଭାବେ ଅଜେୟ କରିଦେଲା। ଓଡ଼ିଶା ମଧ୍ୟ ମୋଗଲ ଓ ମରାଠାମାନଙ୍କର ଅକଥନୀୟ ଅତ୍ୟାଚାର ସତ୍ତ୍ୱେ ନିଜର ଜଗନ୍ନାଥ ସଂସ୍କୃତି ଏଵଂ ଓଡ଼ିଆ ସ୍ଵାଭିମାନକୁ ବଞ୍ଚାଇ ରଖିପାରିଛି। ଏହି ସଂଘର୍ଷର କାହାଣୀକୁ ଯଥାର୍ଥ ରୂପେ ଉପସ୍ଥାପନ କରିଵା ହିଁ ଆମ ପୂର୍ଵପୁରୁଷଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି ହେଵ ଏଵଂ ଏହା ହିଁ ଓଡ଼ିଆ ଜାତୀୟ ସ୍ୱାଭିମାନକୁ ପୁନର୍ଜୀଵିତ କରିଵ ।


No comments:

Post a Comment