My Blog List

Thursday, August 13, 2026

ପରାଜୟର ଗୀତ: ଲୋକସ୍ମୃତିରେ ଅମର ଵିଦ୍ରୋହ

ଉନଵିଂଶ ଶତାବ୍ଦୀର ଶେଷ ଆଡ଼କୁ କୋରିଆର ଜୋସନ୍ ରାଜଵଂଶ ଦୁର୍ଵଳ ହୋଇପଡ଼ିଥିଲା । ସେତେବେଳେ କୋରିଆର କୃଷକମାନଙ୍କ ଅଵସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା। ସରକାରୀ ଅଧିକାରୀମାନଙ୍କର ଦୁର୍ନୀତି, ଅତ୍ୟଧିକ ଟିକସ ଆଦାୟ ଓ ଵିଦେଶୀ ଶକ୍ତି ଵିଶେଷତଃ ଜାପାନୀ ସାମ୍ରାଜ୍ୟଵାଦର ହସ୍ତକ୍ଷେପ ଯୋଗୁଁ ସାଧାରଣ ଲୋକେ ଅତିଷ୍ଠ ହୋଇପଡିଥିଲେ।
ଏହି ଅତ୍ୟାଚାର ଵିରୋଧରେ କୃଷକମାନେ ଏକାଠି ହୋଇ ଏକ ବଡ଼ ଧରଣର ସଶସ୍ତ୍ର ଆନ୍ଦୋଳନ ଆରମ୍ଭ କରିଥିଲେ, ଯାହାକୁ "ଦୋଙ୍ଗହାକ୍ କୃଷକ ଆନ୍ଦୋଳନ'' କୁହାଯାଏ।
୧୮୯୪ ମାର୍ଚ୍ଚ ମାସରେ ଦକ୍ଷିଣ କୋରିଆର ଗୋବୁ ଅଞ୍ଚଳରେ କୃଷକ ଵିଦ୍ରୋହ ଆରମ୍ଭ ହୋଇଥିଲା। ୧୮୯୪ ଏପ୍ରିଲରୁ ମେ ମଧ୍ୟରେ ଵିଦ୍ରୋହ ଦ୍ରୁତ ଭାବେ ଵ୍ୟାପି ଯାଇ ଅନେକ ସହର ଵିଦ୍ରୋହୀମାନଙ୍କ ନିୟନ୍ତ୍ରଣକୁ ଆସିଥିଲା।
ସେତେବେଳେ ଦୋଙ୍ଗହାକ୍ କୃଷକ ଆନ୍ଦୋଳନର ମୁଖ୍ୟ ନେତା ଜୋନ୍ ବୋଙ୍ଗ-ଜୁନ୍ ଥିଲେ। ସେ ଶାରୀରିକ ଗଠନରେ ଟିକେ ଛୋଟ ଥିଵାରୁ କୋରିଆର ଲୋକମାନେ ତାଙ୍କୁ ସ୍ନେହରେ ତଥା ସମ୍ମାନରେ Nokdu Janggun ଵା 'ମୁଗ ଡାଲି ଜେନେରାଲ୍' ବୋଲି ଡାକୁଥିଲେ। କାରଣ ମୁଗ ଡାଲି ଛୋଟ ହୋଇଥିଲେ ମଧ୍ୟ ଏହା ଅତି ଶକ୍ତ ହୋଇଥାଏ। ଜୋନ୍ ବୋଙ୍ଗ-ଜୁନ୍‌ଙ୍କ ନେତୃତ୍ୱରେ କୃଷକ ସେନା ଅନେକ ସଫଳତା ଲାଭ କରିଥିଲା ଏଵଂ ସରକାରଙ୍କୁ ଭୟଭୀତ କରିଦେଇଥିଲା।
କୃଷକମାନଙ୍କର ଵିଦ୍ରୋହକୁ ଦମନ କରିଵା ପାଇଁ କୋରିଆ ସରକାର ଚୀନ୍‌ର Qing ରାଜବଂଶର ସାହାଯ୍ୟ ମାଗିଥିଲେ। ଏହାକୁ ଆଳ କରି ଜାପାନ ମଧ୍ୟ ବିନା ଅନୁମତିରେ କୋରିଆରେ ନିଜର ଆଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ସେନା ପ୍ରଵେଶ କରାଇଲା।
Ugeumchi ଯୁଦ୍ଧରେ ସାଧାରଣ ଅସ୍ତ୍ର ଧରିଥିଵା କୋରିଆର କୃଷକ ସେନା ଏଵଂ ଆଧୁନିକ ବନ୍ଧୁକ ଧରିଥିଵା ଜାପାନୀ ସେନା ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ଏ ଦୃଷ୍ଟିରୁ ଏହି ଯୁଦ୍ଧ ଓଡ଼ିଶାର ଜୟୀ ରାଜଗୁରୁଙ୍କର ଇଂରେଜ ଵିପକ୍ଷ ସଶସ୍ତ୍ର ସଂଗ୍ରାମ ସହିତ ସମାନ ଥିଲା କାରଣ ଉଭୟ ଯୁଦ୍ଧରେ ଗୋଟିଏ ପକ୍ଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଵ୍ୟଵହାର କରିଥିଵା ବେଳେ ଆର ପକ୍ଷଟି ଆଧୁନିକ ଅସ୍ତ୍ରଶସ୍ତ୍ର ଵ୍ୟଵହାର କରିଥିଲେ ।‌
Ugeumchi ଯୁଦ୍ଧରେ ଜାପାନୀମାନେ କୃଷକମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ ଏଵଂ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ରୂପେ ଦମନ କଲେ। ଠିକ୍ ସେହିଭଳି ପ୍ରଥମ ପାଇକ ସଂଗ୍ରାମକୁ ମଧ୍ୟ ଇଂରେଜମାନେ ଦମନ କରିଥିଲେ ଏଵଂ ଅନେକ ପାଇକମାନଙ୍କୁ ହତ୍ୟା କରିଥିଲେ । 

ନେତା 'ଜୋନ୍ ବୋଙ୍ଗ-ଜୁନ୍'ଙ୍କୁ ଗିରଫ କରି ଫାଶୀ ଦିଆଗଲା। ଜୟୀ ରାଜଗୁରୁଙ୍କୁ ମଧ୍ୟ ଇଂରେଜମାନଙ୍କ ଦ୍ଵାରା ନିର୍ମମ ଭାବରେ ହତ୍ୟା କରାଯାଇଥିଲା। 

କୋରିଆର କୃଷକ ନେତା ଜୋନ୍ ବୋଙ୍ଗ-ଜୁନ୍‌ଙ୍କ ମୃତ୍ୟୁ ଓ ଵିଦ୍ରୋହର ଵିଫଳତା ପରେ କୋରିଆନ୍ ଲୋକମାନେ ନିଜର ଦୁଃଖ ପ୍ରକାଶ କରିଵାକୁ ଏକ କଵିତା ରଚନା କରିଥିଲେ, ଯାହା ପରଵର୍ତ୍ତୀ ସମୟରେ ଏକ ପ୍ରସିଦ୍ଧ ଲୋକଗୀତରେ ପରିଣତ ହେଲା ଯାହାର ନାମ "ସେୟା ସେୟା ପାରଙ୍ଗ୍ ସେୟା" ଅଟେ । 

ତେବେ ଏହି ଗୀତର ପ୍ରତିଟି ଧାଡ଼ିରେ ଲୁଚି ରହିଛି ଐତିହାସିକ ସଙ୍କେତ । 

"ସେୟା ସେୟା ପାରାଙ୍ଗ୍ ସେୟା,
ନୋକଦୁ ବାତେ ଆଞ୍ଜି ମାରା।
ନୋକଦୁ କୋଚି ତୋରୋଜିମ୍ୟୋନ୍, ଚୋଙ୍ଗପୋ ଜାଙ୍ଗସୁ ଉଲଗୋ ଗାନ୍ଦା।"

ଅର୍ଥାତ୍:

"ହେ ପକ୍ଷୀ, ହେ ପକ୍ଷୀ, ନୀଳ ପକ୍ଷୀ,
ମୁଗ କ୍ଷେତରେ ବସ ନାହିଁ।
ଯଦି ମୁଗ ଫୁଲ ଝଡ଼ିଯାଏ (ନଷ୍ଟ ହୋଇଯାଏ), ତେବେ ମୁଗ ବେପାରୀ କାନ୍ଦି କାନ୍ଦି ଚାଲିଯିଵ।"

ଏଠାରେ ନୀଳ ପକ୍ଷୀ ତତ୍କାଳୀନ ଜାପାନୀ ସୈନ୍ୟମାନଙ୍କୁ ସୂଚାଉଛି କାରଣ ସେହି ସମୟରେ ଜାପାନୀ ସୈନ୍ୟମାନେ ନୀଳ ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ।

Nokdu ଵା ମୁଗ କ୍ଷେତ କୃଷକମାନଙ୍କ ନେତା 'ମୁଗ ଡାଲି ଜେନେରାଲ୍' - ଜୋନ୍ ବୋଙ୍ଗ-ଜୁନ୍ ଏଵଂ ତାଙ୍କର କୃଷକ ସେନାକୁ ସୂଚାଉଛି। ଜାପାନୀମାନଙ୍କୁ ସେହି କ୍ଷେତରେ ନବସିଵାକୁ ଅର୍ଥାତ୍ ସେମାନଙ୍କୁ ଆକ୍ରମଣ ନକରିଵାକୁ ଅନୁରୋଧ କରାଯାଉଛି।
ମୁଗ ବେପାରୀ ଵା Jelly Maker ଏଠି ସାଧାରଣ କୋରିଆଵାସୀଙ୍କ ପ୍ରତୀକ, ଯେଉଁମାନେ କୃଷକମାନଙ୍କ ଉପରେ ନିର୍ଭରଶୀଳ ଥିଲେ। ଯଦି ନେତା ('ମୁଗ ଫୁଲ') ଟଳିପଡ଼ନ୍ତି ଵା ହାରିଯାଆନ୍ତି, ତେବେ ସାଧାରଣ ଜନତା ସବୁଦିନ ପାଇଁ କାନ୍ଦିବେ।
ଏହିପରି ଭାବରେ, ଏହି ସରଳ ଗୀତଟି ଏକ ପରାଜିତ ସମାଜର ନିଃଶବ୍ଦ କ୍ରନ୍ଦନ ଏଵଂ ନିଜ ମାଟି ପାଇଁ ଲଢିଥିଵା ସେହି ମହାନ କୃଷକ ଯୋଦ୍ଧାମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ପାଲଟିଯାଇଥିଲା, ଯାହା ଆଜି ମଧ୍ୟ କୋରିଆନ୍ ଇତିହାସର ଏକ ଅମୂଲ୍ୟ ରତ୍ନ ହୋଇ ରହିଛି।

ତେବେ କୋରିଆର ଏହି ଦୋଙ୍ଗହାକ୍ କୃଷକ ଆନ୍ଦୋଳନ ଏଵଂ ସେମାନଙ୍କର ନିଃଶବ୍ଦ କ୍ରନ୍ଦନ 'ସେୟା ସେୟା ପାରାଙ୍ଗ୍ ସେୟା' କେଵଳ କୋରିଆ ମାଟିରେ ସୀମିତ ନଥିଲା। ଏହା ମାନଵ ଇତିହାସର ସେହି ଵିୟୋଗାନ୍ତକ ଓ ଗୌରଵମୟ ସତ୍ୟକୁ ପ୍ରତିଫଳିତ କରେ, ଯାହା ପୃଥିଵୀର ପ୍ରତିଟି କୋଣରେ ବିଭିନ୍ନ ସମୟରେ ଆତ୍ମପ୍ରକାଶ କରିଛି। ଯେତେବେଳେ ବି ସାଧାରଣ କୃଷକ, ମୂଲିଆ ଓ ଆଦିଵାସୀ ଜନତା ସାମ୍ରାଜ୍ୟଵାଦୀ, ଜମିଦାର ଓ ନିର୍ଦ୍ଦୟ ଶାସକମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଛନ୍ତି, ସେତେବେଳେ ସେମାନେ ନିଜର ଆତ୍ମସମ୍ମାନ ଓ ମାଟି ରକ୍ଷା ପାଇଁ ହାତରେ ପାରମ୍ପରିକ ଅସ୍ତ୍ର ଧରି ଠିଆ ହୋଇଛନ୍ତି। ଗୋଟିଏ ପଟେ ଶାସକ ଵର୍ଗଙ୍କ ସୁସଜ୍ଜିତ ଆଧୁନିକ ଗୁଳି-ଗୋଳା ଏଵଂ ଅପରପକ୍ଷେ ସାଧାରଣ କୃଷକଙ୍କ ଆତ୍ମଵଳିଦାନ, ଏହି ଅସମାନ ସଂଗ୍ରାମର କାହାଣୀ ଵିଶ୍ୱର ଵିଭିନ୍ନ ଦେଶରେ ଏଵଂ ଵିଶେଷ କରି ଭାରତରେ ଅନେକ ସ୍ଥାନରେ ଦେଖିବାକୁ ମିଳେ।

ଜୋନ୍ ବୋଙ୍ଗ-ଜୁନ୍‌ଙ୍କ ଦୋଙ୍ଗହାକ୍ ଆନ୍ଦୋଳନ ପରି ପୃଥିଵୀର ଵିଭିନ୍ନ କୋଣରେ ମଧ୍ୟ ଅନେକ ସଂଗ୍ରାମ ସୃଷ୍ଟି ହୋଇଥିଲା । ପ୍ରାୟ ଅନେକ ସ୍ଥାନରେ ଶୋଷିତ ଶ୍ରେଣୀ ନିଜର ସ୍ୱାଭିମାନ ପାଇଁ ଲଢ଼ି ପ୍ରାଣଵଳି ଦେଇଥିଲେ ଏଵଂ ସେମାନଙ୍କ ଶୋକ ସ୍ଥାନୀୟ ସାହିତ୍ୟ ଓ ଲୋକଗୀତରେ ଅମର ହୋଇ ରହିଥିଲା।
ଉନଵିଂଶ ଶତାବ୍ଦୀର ଶେଷ ଆଡ଼କୁ, ଯେତେବେଳେ କୋରିଆରେ ଦୋଙ୍ଗହାକ୍ ବିଦ୍ରୋହ ଚାଲିଥିଲା, ଠିକ୍ ସେହି ସମୟରେ ଦକ୍ଷିଣ ଆମେରିକାର ବ୍ରାଜିଲ୍‌ରେ କାନୁଡୋସ୍ ଯୁଦ୍ଧ(୧୮୯୬–୧୮୯୭) ଘଟିଥିଲା। ବ୍ରାଜିଲର ଉତ୍ତର-ପୂର୍ଵାଞ୍ଚଳରେ ଦାରିଦ୍ର୍ୟ, ନିରନ୍ନତା, ଜମିଦାରୀ ଶୋଷଣ ଏଵଂ ସରକାରୀ ଆପୋଷ ଅଵହେଳାରେ ଅତିଷ୍ଠ ହୋଇ ଆଣ୍ଟୋନିଓ କୋନ୍‌ସେଲିରୋ ନାମକ ଜଣେ ଆଧ୍ୟାତ୍ମିକ ନେତାଙ୍କ ଆହ୍ୱାନରେ ହଜାର ହଜାର ଭୂମିହୀନ କୃଷକ, ଦଳିତ ଓ ଗ୍ରାମୀଣ ଶ୍ରମିକ ଏକାଠି ହୋଇ 'କାନୁଡୋସ୍' ନାମକ ଏକ ସ୍ୱାଵଲମ୍ବୀ ଓ ଶୋଷଣମୁକ୍ତ ଗ୍ରାମୀଣ ଵସତି ସ୍ଥାପନ କରିଥିଲେ। ବ୍ରାଜିଲର ନଵଗଠିତ ସରକାର ଏହି କୃଷକ ସଂଗଠନକୁ ନିଜ ଶାସନ ପ୍ରତି ଵିପଦ ମନେକରି କମାଣ ଓ ଆଧୁନିକ ରାଇଫଲ୍ ନେଇ ଆକ୍ରମଣ କଲା।
ସାଧାରଣ ଚାଷ ଜିନିଷ ଓ ପାରମ୍ପରିକ ଅସ୍ତ୍ର ଧରିଥିଵା କାନୁଡୋସର କୃଷକମାନେ ନିଜ ସାହସ ବଳରେ କିଛି ସମୟ ପ୍ରତିରୋଧ କରିଥିଲେ ହେଁ, ସେନା କାନୁଡୋସ୍ ଗାଁକୁ ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ଦେଲା। ଏହି ଯୁଦ୍ଧରେ ଅନୁମାନିକ ୧୫,୦୦୦ ରୁ ୨୫,୦୦୦ କୃଷକ ଓ ସ୍ଥାନୀୟ ବାସିନ୍ଦା ନିର୍ମମ ଭାବେ ନିହତ ହୋଇଥିଲେ, ଯାହାର ଵିୟୋଗାନ୍ତକ ପରାଜୟ ଓ ଶୋକକୁ ବ୍ରାଜିଲର ପାରମ୍ପରିକ 'କୋର୍ଡେଲ୍' ସାହିତ୍ୟ ଏଵଂ ସ୍ଥାନୀୟ ଲୋକଗୀତ ଗୁଡ଼ିକରେ କରୁଣ ଭାବେ ଵର୍ଣ୍ଣନା କରାଯାଇଛି।
ଆଫ୍ରିକା ମହାଦେଶରେ କେନିଆର କୃଷକମାନଙ୍କ Mau Mau Rebellion (୧୯୫୨–୧୯୬୦) ଦୋଙ୍ଗହାକ୍ ଆନ୍ଦୋଳନର ଅନ୍ୟ ଏକ ଆଞ୍ଚଳିକ ପ୍ରତିରୂପ ଥିଲା। ବ୍ରିଟିଶ ଉପନିଵେଶଵାଦୀ ଶାସକମାନେ କେନିଆର 'କିକୁୟୁ' ଏଵଂ ଅନ୍ୟାନ୍ୟ ଜନଜାତିର କୃଷକମାନଙ୍କ ଉର୍ଵର ଜମି ଜବରଦଖଲ କରି ସେମାନଙ୍କୁ ନିଜ ମାଟିରେ ଶ୍ରମିକ କରିଦେଵା ପରେ, ଡେଡାନ୍ କିମାଥିଙ୍କ ନେତୃତ୍ୱରେ କୃଷକମାନେ ସଂଗ୍ରାମ ଆରମ୍ଭ କଲେ। ବ୍ରିଟିଶ ସେନା ଆଧୁନିକ ସାମରିକ ଵିମାନ, ଆଗ୍ନେୟାସ୍ତ୍ର ଓ ଵ୍ୟାପକ ସେନା ବଳରେ ଵିଦ୍ରୋହକୁ ଦମନ କଲା ଏଵଂ କିମାଥିଙ୍କୁ ଫାଶୀ ଦେଲା। କିମାଥିଙ୍କ ଵଳିଦାନ ଓ ନିଜ ମାଟି ହରାଇଵାର ଦୁଃଖ କିକୁୟୁ ଭାଷାର ମୌଖିକ ପରମ୍ପରା, କଵିତା ଓ ଗୀତ ମାଧ୍ୟମରେ ପିଢ଼ି ପିଢ଼ି ଧରି ସଂରକ୍ଷିତ ହୋଇ ରହିଗଲା।
କୋରିଆର ପଡ଼ୋଶୀ ଚୀନ୍‌ରେ ମଧ୍ୟ ଵିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ଵିରୋଧରେ ବକ୍ସର ଵିଦ୍ରୋହ (୧୮୯୯–୧୯୦୧) ହୋଇଥିଲା। ଵିଦେଶୀ ସାମ୍ରାଜ୍ୟଵାଦୀ ଶକ୍ତିଙ୍କ ଆର୍ଥିକ ଶୋଷଣ, ଦୁର୍ଭିକ୍ଷ ଏଵଂ ଖିରସ୍ତାନୀ ମିଶନାରୀଙ୍କ ହସ୍ତକ୍ଷେପ ଵିରୋଧରେ 'ଯିହେତୁଆନ୍' ନାମକ ଗୁପ୍ତ ସଂଗଠନ ଆଗେଇ ଆସିଥିଲା ଯହିଁରେ କୃଷକ, ସ୍ଥାନୀୟ ଯୋଦ୍ଧା, ଗୁପ୍ତ ସଂଗଠନ ଓ କେତେକ ରାଜକୀୟ ସମର୍ଥକ ଭାଗ ନେଇଥିଲେ। ପାରମ୍ପରିକ ସାମରିକ କଳା ଏଵଂ ସାଧାରଣ କାତି-ଖଣ୍ଡା ଵ୍ୟଵହାର କରୁଥିଵା ଏହି ଵିଦ୍ରୋହୀମାନଙ୍କୁ ଆଠଟି ଵିଦେଶୀ ରାଷ୍ଟ୍ରର ମିଳିତ ଆଧୁନିକ ସେନା ଅତି ନିର୍ଦ୍ଦୟ ଭାବେ ଦମନ କରିଥିଲା।

ଭାରତର ଇତିହାସ କୃଷକ, ଆଦିଵାସୀ ଓ ସ୍ଥାନୀୟ ଯୋଦ୍ଧାମାନଙ୍କ ଅସମାନ ସଂଗ୍ରାମ ଏଵଂ ଆତ୍ମଵଳିଦାନର କାହାଣୀରେ ସମୃଦ୍ଧ। ଜୋନ୍ ବୋଙ୍ଗ-ଜୁନ୍‌ଙ୍କ ଭଳି ଭାରତର ଅନେକ ନେତା ନିଜ ମାଟି ପାଇଁ ପ୍ରାଣ ଦେଇଛନ୍ତି।
ଜୋନ୍ ବୋଙ୍ଗ-ଜୁନ୍‌ଙ୍କ ଦୋଙ୍ଗହାକ୍ ଆନ୍ଦୋଳନ ପୂର୍ଵରୁ ଭାରତର ସାନ୍ତାଳ ପରଗଣାରେ ଇଂରେଜ ଶାସନ, ମହାଜନ ଓ ଜମିଦାରଙ୍କ ନିର୍ଯାତନା ଵିରୋଧରେ ହୋଇଥିବା ସାନ୍ତାଳ ବିଦ୍ରୋହ ଵା ସାନ୍ତାଳ ହୁଲ୍ (୧୮୫୫–୧୮୫୬) ହେଉଛି ଭାରତୀୟ ଇତିହାସର ଅନ୍ୟତମ ଵୃହତ୍ତମ କୃଷକ ଓ ଆଦିଵାସୀ ସଂଗ୍ରାମ। ସିଧୋ, କାନ୍ହୁ, ଚାନ୍ଦ ଓ ଭୈରଵ—ଏହି ଚାରି ଭାଇଙ୍କ ନେତୃତ୍ୱରେ ହଜାର ହଜାର ସନ୍ତାଳ କୃଷକ ଏକାଠି ହୋଇଥିଲେ। 
ସାନ୍ତାଳ ସଂଗ୍ରାମୀମାନଙ୍କ ପାଖରେ କେଵଳ ତୀର-ଧନୁ, ଟାଙ୍ଗି ଓ ପାରମ୍ପରିକ ଅସ୍ତ୍ର ଥିଵା ବେଳେ ବ୍ରିଟିଶ ସେନା ଆଧୁନିକ ରାଇଫଲ୍ ଵ୍ୟଵହାର କରି ଵିଦ୍ରୋହକୁ ନିର୍ମମ ଭାବେ ଦମନ କରିଥିଲା। ଏହି ସଂଗ୍ରାମରେ ୧୦,୦୦୦ ରୁ ୨୦,୦୦୦ କିମ୍ବା ତା’ଠାରୁ ଅଧିକ ସାନ୍ତାଳ ପ୍ରାଣ ହରାଇଥିଲେ ଏଵଂ ସିଧୋ-କାନ୍ହୁଙ୍କୁ ବନ୍ଦୀ କରାଯାଇ ହତ୍ୟା କରାଯାଇଥିଲା। ସାନ୍ତାଳ ସମ୍ପ୍ରଦାୟରେ 'ଖେରୱାଲ କୁଦୁମ୍' ଭଳି ପରମ୍ପରାଗତ ଧନ୍ଦା, ଗୂଢ଼ କବିତା ଓ ସଙ୍କେତିକ ଲୋକ ସାହିତ୍ୟ ରହିଛି, ଯେଉଁଥିରେ ପ୍ରକୃତି ଓ ରୂପକ ମାଧ୍ୟମରେ ସମାଜର ଦୁଃଖ, ଜୀଵନଶୈଳୀ ଓ ସଂଗ୍ରାମର ସଙ୍କେତ ଆଜି ବି ଜୀଵନ୍ତ।
ଛୋଟାନାଗପୁର ମାଳଭୂମିରେ ବିର୍ସା ମୁଣ୍ଡାଙ୍କ 'ଉଲ୍‌ଗୁଲାନ୍' (୧୮୯୯–୧୯୦୦) ଦୋଙ୍ଗହାକ୍ ଆନ୍ଦୋଳନ ସହ ଅନେକାଂଶରେ ସମାନ। ଜୋନ୍ ବୋଙ୍ଗ-ଜୁନ୍‌ଙ୍କୁ କୋରିଆନ୍‌ମାନେ ସ୍ନେହରେ 'ମୁଗ ଡାଲି ଜେନେରାଲ୍' ଡାକୁଥିଵା ବେଳେ, ବିର୍ସା ମୁଣ୍ଡାଙ୍କୁ ମୁଣ୍ଡା ଆଦିଵାସୀ ଓ କୃଷକମାନେ 'ଧର୍ତ୍ତୀ ଆବା' (ପୃଥିଵୀର ପିତା) ବୋଲି ଆଦର ଓ ଶ୍ରଦ୍ଧାରେ ସମ୍ବୋଧନ କରୁଥିଲେ। ବ୍ରିଟିଶ ଜଙ୍ଗଲ ଆଇନ୍ ଓ ପାରମ୍ପରିକ ଜମିଜମା ଅଧିକାର ରଦ୍ଧ ହେଵା ଵିରୋଧରେ ବିର୍ସା ସାଧାରଣ ପ୍ରଜାଙ୍କୁ ଏକାଠି କରିଥିଲେ। 'ଡୋମ୍ବାରୀ ବୁରୁ' ପାହାଡ଼ ଯୁଦ୍ଧରେ ମୁଣ୍ଡା ସେନାର ତୀର-ଧନୁ ଵିରୋଧରେ ବ୍ରିଟିଶ ସେନା ଆଧୁନିକ ଗୁଳି-ବନ୍ଧୁକ ଵ୍ୟଵହାର କରି ଅନେକ ଆଦିଵାସୀଙ୍କୁ ହତ୍ୟା କଲା। ବିର୍ସାଙ୍କୁ ଗିରଫ କରାଗଲା ଏଵଂ ଜେଲ୍ ଭିତରେ ତାଙ୍କର ମୃତ୍ୟୁ ହେଲା। ମୁଣ୍ଡାରୀ ଲୋକଗୀତରେ ଡୋମ୍ବାରୀ ପାହାଡ଼ର ରକ୍ତପାତ ଏଵଂ 'ଧର୍ତ୍ତୀ ଆବା'ଙ୍କ ଅମର ଆତ୍ମାର କାହାଣୀ ଆଜି ବି ଗାଆଯାଏ।
ଆନ୍ଧ୍ରପ୍ରଦେଶର ମାନ୍ୟମ୍ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ରମ୍ପା ଵିଦ୍ରୋହ (୧୯୨୨–୧୯୨୪) ମଧ୍ୟ ଅନ୍ୟ ଏକ ଉଦାହରଣ। ବ୍ରିଟିଶ ଜଙ୍ଗଲ ଆଇନ୍ ଓ ଗିରିଜନମାନଙ୍କ ଶୋଷଣ ଵିରୋଧରେ ଅଲ୍ଲୁରୀ ସୀତାରାମ ରାଜୁ ସ୍ଥାନୀୟ ଆଦିଵାସୀ ଓ କୃଷକମାନଙ୍କୁ ଏକାଠି କରି ଗୁରିଲ୍ଲା ଯୁଦ୍ଧ ଆରମ୍ଭ କରିଥିଲେ। ରାଜୁଙ୍କୁ ବନ୍ଦୀ କରି ଗୁଳି କରି ହତ୍ୟା କରାଯିଵା ପରେ, ତେଲୁଗୁ ଲୋକସାହିତ୍ୟ ଏଵଂ ପାରମ୍ପରିକ 'ବୁର୍ରା କଥା' ନାଟ୍ୟ-ଗୀତ ମାଧ୍ୟମରେ ତାଙ୍କ ସ୍ମୃତିକୁ ଗ୍ରାମାଞ୍ଚଳରେ ଆଜି ବି ଜୀଵନ୍ତ ରଖାଯାଇଛି।

ଓଡ଼ିଶା ମଧ୍ୟ ମୋଗଲ, ମରାଠା ଓ ଇଂରେଜମାନଙ୍କ ଦ୍ୱାରା ନିର୍ମମ ଭାବରେ ଶୋଷିତ, ନିର୍ଯାତିତ ଓ ପରାଜିତ ହୋଇଥିଲା। ଓଡ଼ିଶାରେ କୋରିଆର "ସେୟା ସେୟା ପାରାଙ୍ଗ୍ ସେୟା" ପରି ସାରା ରାଜ୍ୟ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ଗୀତ ସୃଷ୍ଟି ହୋଇନଥିଲେ ବି, ଏହାର କାରଣ ଥିଲା ଓଡ଼ିଶାର ସଂଗ୍ରାମର ଵିଖଣ୍ଡିତ ଓ ବିଭିନ୍ନ ଆଞ୍ଚଳିକ ସ୍ୱରୂପ।

କୋରିଆରେ ଦୋଙ୍ଗହାକ୍ ଆନ୍ଦୋଳନ ସାରା ଦେଶର କୃଷକମାନଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଏକାଠି କରିଥିଵାରୁ ଗୋଟିଏ ଗୀତ ସାରା ଦେଶରେ ଵ୍ୟାପିପାରିଥିଲା। କିନ୍ତୁ ଓଡ଼ିଶାରେ ସଂଗ୍ରାମଗୁଡ଼ିକ ଭିନ୍ନ ଭିନ୍ନ ସମୟ ଓ ଭୂଖଣ୍ଡରେ ଘଟିଥିଲା । ୧୭୫୭ରୁ ୧୯୦୨ ପର୍ଯ୍ୟନ୍ତ ୨୫ରୁ ଅଧିକ ବଡ଼ ବଡ଼ ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଓଡ଼ିଶାର ଲୋକେ କରିଥିଲେ । ୧୭୫୭ର ଘୁମୁସର ଵିପ୍ଳଵ,୧୮୦୪ ମସିହାରେ ଖୋର୍ଦ୍ଧାରେ ଜୟୀ ରାଜଗୁରୁଙ୍କ ସଶସ୍ତ୍ର ସଂଗ୍ରାମ, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ଵିଦ୍ରୋହ, ସମ୍ବଲପୁରରେ ଵୀର ସୁରେନ୍ଦ୍ର ସାଇଙ୍କ ଦୀର୍ଘ ସଂଗ୍ରାମ, ଘୁମୁସରରେ ଚକରା ବିଷୋୟୀ ଓ ଦୋହରା ବିଷୋୟୀଙ୍କ ଵିଦ୍ରୋହ ଏଵଂ କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଵିଳିଦାନ ଇତ୍ୟାଦି ତନ୍ମଧ୍ୟରେ ଉଲ୍ଲେଖନୀୟ ।
ଏହି ସବୁ ସଂଗ୍ରାମ ଭିନ୍ନ ଆଞ୍ଚଳିକ ପରିଵେଶରେ ହୋଇଥିଵାରୁ, ଗୋଟିଏ ସାର୍ଵଜନୀନ ଗୀତ ବଦଳରେ ସ୍ଥାନୀୟ ଆଞ୍ଚଳିକ ଗାଥାଗୀତ, ପାଲା, ଦାସକାଠିଆ, କାନ୍ଦଣା ଗୀତ ଓ ଖଞ୍ଜଣୀ ଭଜନ ମାଧ୍ୟମରେ ପ୍ରଜାମାନଙ୍କ ଶୋକ ପ୍ରକାଶ ପାଇଥିଲା। ଖୋର୍ଦ୍ଧା, ତପଙ୍ଗ, ନୟାଗଡ଼ ଓ ଘୁମୁସରର ଗାଁ ଗୁଡ଼ିକରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଏବଂ ତାପଙ୍ଗର ମାଧଵ ଚନ୍ଦ୍ର ରାଉତରାୟଙ୍କ ଵିଦ୍ରୋହକୁ ନେଇ ମୌଖିକ ଗୀତ ଗୁଡ଼ିକ ସ୍ଥାନୀୟ ଗାହାକମାନେ ଦାସକାଠିଆ ଓ ପାଲା ମାଧ୍ୟମରେ ଗାଉଥିଲେ। ୧୮୬୬ର ନଅଙ୍କ ଦୁର୍ଭିକ୍ଷ ସମୟରେ ମହିଳାମାନେ କାନ୍ଦଣା ଗୀତ ମାଧ୍ୟମରେ ନିଜ ଦୁଃଖ ଓ କ୍ରୋଧ ଵ୍ୟକ୍ତ କରୁଥିଲେ। ପରଵର୍ତ୍ତୀ ସମୟରେ ସଚ୍ଚି ରାଉତରାୟଙ୍କ 'ବାଜି ରାଉତ' କିମ୍ବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 'ବନ୍ଦୀର ଆତ୍ମକଥା'ରେ ଓଡ଼ିଆ ଜାତିର ସେହି ଦୁଃଖ, ଯନ୍ତ୍ରଣା ଓ ଶୋଷଣ ଵିରୋଧୀ ସ୍ୱର ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇଥିଲା।

କୋରିଆର "ସେୟା ସେୟା ପାରାଙ୍ଗ୍ ସେୟା" ଗୀତଠାରୁ ଆରମ୍ଭ କରି ଭାରତର ସନ୍ତାଳୀ 'ଖେରୱାଲ କୁଦୁମ୍', ମୁଣ୍ଡାରୀ ଲୋକଗୀତ, ଆନ୍ଧ୍ରର 'ବୁର୍ରା କଥା' କିମ୍ବା ଓଡ଼ିଶାର 'ପାଇକ ଗାଥା', ଏହି ସବୁ ସୃଷ୍ଟିର ମୂଳରେ ଗୋଟିଏ ଆତ୍ମା ରହିଛି।

ସାମ୍ରାଜ୍ୟଵାଦୀ ଓ ଅତ୍ୟାଚାରୀ ଶାସକମାନେ ଆଧୁନିକ ଅସ୍ତ୍ର ବଳରେ ଯୁଦ୍ଧକ୍ଷେତ୍ରରେ କୃଷକ ଓ ଆଦିଵାସୀମାନଙ୍କୁ ପରାଜିତ କରିଦେଇପାରନ୍ତି, ସେମାନଙ୍କ ଗାଁକୁ ମାଟିରେ ମିଶାଇ ଦେଇପାରନ୍ତି ଏଵଂ ସେମାନଙ୍କ ନେତାଙ୍କୁ ଫାଶୀ ଦେଇପାରନ୍ତି। କିନ୍ତୁ ଶାସକମାନେ କେବେହେଲେ ଗୋଟିଏ ଜାତିର ମୌଖିକ ସ୍ମୃତି, ସଂସ୍କୃତି ଓ ଲୋକଗୀତକୁ ମାରିପାରନ୍ତି ନାହିଁ।

ଯେତେବେଳେ ଇତିହାସର ପୃଷ୍ଠାରେ ଵିଜେତାମାନେ ନିଜର ପ୍ରଶସ୍ତି ଲେଖନ୍ତି, ସେତେବେଳେ ସାଧାରଣ ଜନତା ନିଜର ଦୁଃଖ, ସଂଗ୍ରାମ ଓ ନିଜ ନେତାଙ୍କ ଵଳିଦାନକୁ ଗୀତ, ଗାଥା ଓ କଵିତା ମାଧ୍ୟମରେ ନିଜ ହୃଦୟରେ ସଂରକ୍ଷିତ କରି ରଖନ୍ତି। 

କୋରିଆର 'ମୁଗ ଡାଲି ଜେନେରାଲ୍' ଜୋନ୍ ବୋଙ୍ଗ-ଜୁନ୍, ଭାରତର 'ଧର୍ତ୍ତୀ ଆବା' ବିର୍ସା ମୁଣ୍ଡା, ସିଧୋ-କାନ୍ହୁ, କିମ୍ବା ଓଡ଼ିଶାର ଜୟୀ ରାଜଗୁରୁ, ଏହି ସବୁ ଵୀରମାନେ ସେମାନଙ୍କ ମୃତ୍ୟୁ ପରେ ବି ନିଜ ମାଟିର ଲୋକଗୀତ ଓ ମୌଖିକ ପରମ୍ପରାରେ ସଦାସର୍ଵଦା ଅମର ହୋଇ ରହିଛନ୍ତି।



No comments:

Post a Comment