ପ୍ରାୟ ସତୁରୀ ହଜାର ଵର୍ଷ ପୂର୍ଵେ, ଆଫ୍ରିକାର ଵିସ୍ତୀର୍ଣ୍ଣ ଘାସଭୂମିରେ "Homo Sapiens"ର ଏକ ଛୋଟ ଦଳ ଖାଦ୍ୟ ସନ୍ଧାନରେ ବୁଲୁଥିଲେ। ସେହି ସମୟରେ ମାନଵର ଜୀଵନ ଅତ୍ୟନ୍ତ କଠିନ ଥିଲା। ଆଜି ପରି ସେତେବେଳେ କୌଣସି ଵିଦ୍ୟାଳୟ, ଲାଇବ୍ରେରୀ କିମ୍ବା ଇଣ୍ଟରନେଟ୍ ନ ଥିଲା। ଜ୍ଞାନର ଏକମାତ୍ର ଭଣ୍ଡାର ଗୋଷ୍ଠୀର ଵୟସ୍କ ଲୋକମାନେ ହିଁ ଥିଲେ । କେଉଁ ଋତୁରେ କେଉଁ ଫଳ ଖାଇଵା ନିରାପଦ, କେଉଁ ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ଭୟ ଅଛି ଏଵଂ ନିଆଁକୁ କିପରି ଜଳାଇ ରଖିଵାକୁ ହେଵ ଇତ୍ୟାଦି ଜୀଵନରକ୍ଷକ ତଥ୍ୟ ଵୟସ୍କମାନଙ୍କ ମସ୍ତିଷ୍କରେ ହିଁ ସାଇତା ହୋଇ ରହିଥିଲା। ସେହି ପ୍ରାଚୀନ ଯୁଗରେ, ଯୁଵପିଢ଼ି ପାଇଁ ଵୟସ୍କମାନଙ୍କର ପ୍ରତ୍ୟେକଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଵା ଥିଲା ବଞ୍ଚିଵାର ଏକମାତ୍ର ଉପାୟ। ଯଦି କୌଣସି ଯୁଵକ ନିଜର ନୂଆ ବୁଦ୍ଧି ଖଟାଇ ଵୟସ୍କଙ୍କ କଥାକୁ ଅଵମାନନା କରୁଥିଲା ଏଵଂ କୌଣସି ଅଜଣା ଫଳ ଖାଇଦେଉଥିଲା, ତେବେ ତାର ମୃତ୍ୟୁ ସୁନିଶ୍ଚିତ ଥିଲା। ତେଣୁ ଵିଵର୍ତ୍ତନ ଦୃଷ୍ଟିରୁ ମାନଵ ମସ୍ତିଷ୍କ ଏପରି ଭାବେ ଗଠିତ ହେଲା ଯେ, ଵୟସ୍କମାନେ ସବୁବେଳେ ଯୁଵପିଢ଼ିଙ୍କର ନୂତନତା କିମ୍ବା ଵିଦ୍ରୋହକୁ ଵିପଦ ଭାବେ ଦେଖିଵାକୁ ଲାଗିଲେ। ପରିଵର୍ତ୍ତନର ଅର୍ଥ ଥିଲା ଵିପଦ ଏଵଂ ପରମ୍ପରାର ଅର୍ଥ ଥିଲା ସୁରକ୍ଷା। ଇତି ମଧ୍ୟରେ ହଜାର ହଜାର ଵର୍ଷ ବିତିଯାଇଛି। ଆମେ ଜଙ୍ଗଲ ଛାଡ଼ି ଆସି ମହାନଗରୀ ଗଢ଼ିଛୁ, ଚନ୍ଦ୍ରପୃଷ୍ଠରେ ପାଦ ଥାପିଛୁ ଏଵଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଉଦ୍ଭାଵନ କରିଛୁ। କିନ୍ତୁ ଆମ ଖପୁରୀ ଭିତରେ ଥିଵା ମସ୍ତିଷ୍କର ହାର୍ଡୱେର୍ ଆଜି ବି ସେହି ପ୍ରସ୍ତର ଯୁଗର ହିଁ ରହିଛି। ଆମ ଭିତରେ ଥିବା ସେହି ପ୍ରାଚୀନ ଆଶଙ୍କା ଆଜି ମଧ୍ୟ ଜୀଵିତ। ତେଣୁ ଆଜିକାଲିର ପିଲାମାନେ ଗୁରୁଜନଙ୍କୁ ସମ୍ମାନ ଦେଉନାହାନ୍ତି କି ପରିଶ୍ରମ କରିଵାକୁ ଚାହୁଁନାହାନ୍ତି ! ଆମ ସମୟରେ ଆମେ ଏମିତି ନ ଥିଲୁ... ଏହି ଧାଡ଼ିଟି ଆପଣ କେବେ ନା କେବେ ନିଜ ଘର, ଚା’ ଦୋକାନ କିମ୍ବା କୌଣସି ପାରିଵାରିକ ସଭାରେ ଵୟସ୍କମାନଙ୍କ ମୁହଁରୁ ନିଶ୍ଚୟ ଶୁଣିଥିବେ। ପ୍ରତ୍ୟେକ ପିଢ଼ି ନିଜ ପରଵର୍ତ୍ତୀ ଯୁଵପିଢ଼ିକୁ ନୈତିକତା, ଗୁଣଵତ୍ତା ଓ ପରିଶ୍ରମ ଦିଗରୁ ଦୁର୍ଵଳ ବୋଲି ଭାବିଵା ଏକ ଅତ୍ୟନ୍ତ ପୁରୁଣା ଅଭ୍ୟାସ। କିନ୍ତୁ ପ୍ରଶ୍ନ ଉଠେ— ଵାସ୍ତଵରେ ପ୍ରତ୍ୟେକ ନୂଆ ପିଢ଼ି ପୂର୍ଵ ପିଢ଼ି ତୁଳନାରେ ଖରାପ ହୋଇଯାଉଛନ୍ତି, ନା ଏହା ମାନବ ମନର ଏକ ଭ୍ରମ?
୨୦୧୯ ମସିହାରେ ପ୍ରସିଦ୍ଧ ଵୈଜ୍ଞାନିକ ପତ୍ରିକା "Science Advances"ରେ ଏକ ଯୁଗାନ୍ତକାରୀ ଗଵେଷଣାପତ୍ର ପ୍ରକାଶିତ ହୋଇଥିଲା। କାଲିଫୋର୍ନିଆ ଵିଶ୍ୱଵିଦ୍ୟାଳୟର ମନୋଵିଜ୍ଞାନୀ Dr. John Protzko) ଓ Jonathan Schooler ଦୀର୍ଘ ପରୀକ୍ଷଣ କରି ପ୍ରୋକ୍ତ ମାନସିକ ଭ୍ରମର ନାମ ଦେଇଥିଲେ— "Kids these days" effect। ମାନଵ ପ୍ରକୃତିର ଏହି ଅଦ୍ଭୁତ ଦିଗକୁ ବୁଝିଵା ପାଇଁ ସେମାନେ ହଜାର ହଜାର ଵୟସ୍କ ଵ୍ଯକ୍ତିଙ୍କ ଉପରେ ପରୀକ୍ଷା କରି ଦେଖିଥିଲେ ଯେ, ପିଲାମାନଙ୍କର ତିନୋଟି ମୁଖ୍ୟ ଗୁଣ— ଶୃଙ୍ଖଳା/ମାନ୍ୟତା, ବୁଦ୍ଧିମତ୍ତା/ସାହିତ୍ୟ ପ୍ରତି ଆଗ୍ରହ ଏଵଂ ପରିଶ୍ରମ କରିଵାର କ୍ଷମତାକୁ ନେଇ ଵୟସ୍କମାନେ ସଦାସର୍ଵଦା ନକାରାତ୍ମକ ମତାମତ ଦେଇଥାନ୍ତି। ଵୟସ୍କମାନଙ୍କୁ ଯେତେବେଳେ ପଚରାଗଲା, ସେମାନେ ନିର୍ଦ୍ୱନ୍ଦ୍ୱରେ କହିଲେ ଯେ ଵର୍ତ୍ତମାନର ଯୁଵକମାନେ ଆଦୌ ପରିଶ୍ରମୀ ନୁହଁନ୍ତି, ସେମାନଙ୍କର ବହି ପଢ଼ିଵାରେ ରୁଚି ନାହିଁ ଏଵଂ ସେମାନେ ଗୁରୁଜନଙ୍କର ସମ୍ମାନ କରୁନାହାନ୍ତି। ଏହି ଫଳାଫଳ ଆମକୁ ସେହି ଆଦିମ ମାନଵର କାହାଣୀ ମନେପକାଇଦିଏ, ଯିଏ ନିଜ ଗୋଷ୍ଠୀର ସୁରକ୍ଷା ପାଇଁ ପରମ୍ପରାକୁ ଜାବୁଡ଼ି ଧରି ରହିଥିଲା ଏଵଂ ନୂତନତାକୁ ସନ୍ଦେହ ଚକ୍ଷୁରେ ଦେଖୁଥିଲା।
ମାନଵ ମସ୍ତିଷ୍କର କାମ କରିଵାର ଶୈଳୀ ଅତ୍ୟନ୍ତ ଜଟିଳ ଏଵଂ ଏହା ନିଜର ଅହଂକାରକୁ ସୁରକ୍ଷା ଦେଵା ପାଇଁ ଅନେକ ସମୟରେ ନିଜ ସହିତ ଛଳନା କରିଥାଏ। ଡକ୍ଟର ପ୍ରୋଟଜକୋ ଓ ସ୍କୁଲରଙ୍କ ଅନୁସାରେ, ଏହି ପ୍ରଭାଵ ପଛରେ ଦୁଇଟି ମୁଖ୍ୟ ମାନସିକ ପ୍ରକ୍ରିୟା ରହିଛି। ପ୍ରଥମଟି ହେଲା ଅତୀତର ଆଦର୍ଶୀକରଣ ଓ ସ୍ମୃତି-ଭ୍ରମ ଵା Memory Illusion। ଵୟସ୍କମାନେ ନିଜର ପିଲାଦିନକୁ ମନେ ପକାଇଲା ବେଳେ ନିଜର ଭୁଲ୍, ଅଶୃଙ୍ଖଳିତ ଆଚରଣ କିମ୍ବା ଆଳସ୍ୟକୁ ସମ୍ପୂର୍ଣ୍ଣ ଭୁଲିଯାନ୍ତି। ସେମାନେ ଆଜି ବୟସ୍କ ହେଵା ପରେ ଯେଉଁ ଜ୍ଞାନ, ଶୃଙ୍ଖଳା ଓ ପରିପକ୍ୱତା ଲାଭ କରିଛନ୍ତି, ତାହାକୁ ନିଜ ପିଲାଦିନର ସ୍ୱଭାଵ ଭାବି ନିଅନ୍ତି। ଫଳରେ, ସେମାନେ ନିଜର ଆଜିର ପରିପକ୍ୱ ରୂପ ସହିତ ଆଜିର ପିଲାମାନଙ୍କର ଅପରିପକ୍ୱତାକୁ ତୁଳନା କରିଥାନ୍ତି। ଆମର ସ୍ମୃତି କୌଣସି ଵିଡିଓ ରେକର୍ଡିଂ ନୁହେଁ ଯାହାକି ଅଵିକଳ ସତ୍ୟକୁ ଧରି ରଖିଵ। ସ୍ମୃତି ହେଉଛି ଆମ ମସ୍ତିଷ୍କ ଦ୍ୱାରା ଲିଖିତ ଏକ କାହାଣୀ, ଯେଉଁଥିରେ ଆମେ ନିଜକୁ ସବୁବେଳେ ହିରୋ ଭାବେ ଉପସ୍ଥାପନ କରିଵାକୁ ଚାହୁଁ। ଯେତେବେଳେ ଜଣେ ଷାଠିଏ ଵର୍ଷର ଵ୍ୟକ୍ତି ତାଙ୍କର କୋଡ଼ିଏ ଵର୍ଷ ଵୟସକୁ ମନେ ପକାନ୍ତି, ସେ ତାଙ୍କର ସେତେବେଳର ଅପରିପକ୍ୱ ନିଷ୍ପତ୍ତିଗୁଡ଼ିକୁ ଭୁଲିଯାଇ କେଵଳ ତାଙ୍କର ସଫଳତା ଓ ଶୃଙ୍ଖଳାକୁ ହିଁ ମନେ ରଖନ୍ତି। ଏହା ଵିଵର୍ତ୍ତନର ଏକ ଉପହାର, କାରଣ ଯଦି ଆମେ ସବୁବେଳେ ନିଜର ଅତୀତର ଭୁଲ୍କୁ ମନେ ରଖି କଷ୍ଟ ପାଉଥାନ୍ତୁ, ତେବେ ଆମେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାନ୍ତୁ। କିନ୍ତୁ ନିଜ ଅତୀତକୁ ଉଜ୍ଜ୍ୱଳ କରି ଦେଖିଵାର ଏହି ପ୍ରଵୃତ୍ତି ଆମକୁ ଵର୍ତ୍ତମାନର ଯୁଵକମାନଙ୍କ ପ୍ରତି କଠୋର କରିଦିଏ।
ଦ୍ୱିତୀୟ ମୁଖ୍ୟ କାରଣଟି ହେଲା ଵିଶେଷଜ୍ଞତା ପକ୍ଷପାତିତା ଵା Specialty Bias। ମାନଵ ସମାଜ ଯେତେବେଳେ କୃଷି ବିପ୍ଳଵ ଦେଇ ଗତି କଲା ଏଵଂ ବଡ଼ ବଡ଼ ସାମ୍ରାଜ୍ୟ ଗଠନ ହେଲା, ସେତେବେଳେ ସମାଜରେ ଵିଭିନ୍ନ ଵୃତ୍ତିର ସୃଷ୍ଟି ହେଲା। କିଏ କୃଷକ ହେଲା, କିଏ ଯୋଦ୍ଧା ହେଲା ତ କିଏ ପଣ୍ଡିତ ହେଲା। ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶିତା ଲାଭ କଲା, ସେ ତାହାରି ମାନଦଣ୍ଡରେ ସାରା ଦୁନିଆକୁ ଵିଚାର କରିଵ ଆରମ୍ଭ କଲା। ଗଵେଷଣାରୁ ଜଣାପଡ଼ିଲା ଯେ, ଜଣେ ଵୟସ୍କ ଵ୍ୟକ୍ତି ଯେଉଁ ଵିଶେଷ ଗୁଣରେ ନିଜେ ଶ୍ରେଷ୍ଠ, ସେ ଅନ୍ୟମାନଙ୍କ ମଧ୍ୟରେ ସେହି ଗୁଣର ଅଭାଵକୁ ଅଧିକ ଲକ୍ଷ୍ୟ କରନ୍ତି। ଯେଉଁ ଵୟସ୍କ ବ୍ୟକ୍ତି ନିଜେ ବହି ପଢ଼ିଵାକୁ ଭଲପାଆନ୍ତି, ସେ ଭାବନ୍ତି "ଆଜିକାଲିର ପିଲାମାନେ ଆଦୌ ପଢ଼ୁନାହାନ୍ତି"। ଯେଉଁମାନେ ଅଧିକ ଶୃଙ୍ଖଳିତ, ସେମାନେ ଭାବନ୍ତି "ଆଜିର ପିଲାମାନେ ଅଵିନୟୀ"। ଏହି ପକ୍ଷପାତିତା ପ୍ରମାଣ କରେ ଯେ ଆମେ ଅନ୍ୟମାନଙ୍କୁ ଵସ୍ତୁନିଷ୍ଠ ଭାବେ ଵିଚାର କରିପାରୁନାହୁଁ ଵରଂ ନିଜର ଦକ୍ଷତାର ଚଷମା ଦ୍ବାରା ହିଁ ସମାଜକୁ ଦେଖୁ। ଜଣେ ସାହିତ୍ୟିକ ଭାବିଵ ଯେ ନୂଆ ପିଢ଼ିର ଭାଷାଜ୍ଞାନ ନଷ୍ଟ ହୋଇଯାଉଛି, କିନ୍ତୁ ସେହି ସମୟରେ ହୁଏତ ସେହି ନୂଆ ପିଢ଼ି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୁଗାନ୍ତକାରୀ ପରିଵର୍ତ୍ତନ ଆଣୁଥିବେ, ଯାହାକୁ ସେହି ସାହିତ୍ୟିକ ଜଣକ ଦେଖିପାରୁନଥିବେ ।
ଏହି ଦୃଷ୍ଟିକୋଣ ଆଜିର ନୁହେଁ । ଯଦି କେହି ଭାବୁଛି ଯେ କେଵଳ ଇଣ୍ଟରନେଟ୍ ଆସିଵା ପରେ କିମ୍ବା ଆଧୁନିକ ଯୁଗରେ ହିଁ ଵୟସ୍କମାନେ ଏଭଳି ଅଭିଯୋଗ କରୁଛନ୍ତି, ତେବେ ସେ ସମ୍ପୂର୍ଣ୍ଣ ଭୁଲ୍। ଖ୍ରୀଷ୍ଟପୂର୍ଵ ଅଷ୍ଟମ ଶତାବ୍ଦୀରେ ପ୍ରାଚୀନ ଗ୍ରୀକ୍ କଵି Hesiod ଲେଖିଥିଲେ, "ମୁଁ ଆଜିକାଲିର ଯୁବପିଢ଼ିଙ୍କୁ ଦେଖିଲେ ନିରାଶ ହୋଇପଡ଼େ। ସେମାନେ ଅଵିନୟୀ, ଦାୟିତ୍ୱହୀନ ଓ ଅସଭ୍ୟ।" ସେହିପରି ଖ୍ରୀଷ୍ଟପୂର୍ଵ ଚତୁର୍ଥ ଶତାବ୍ଦୀରେ ଦାର୍ଶନିକ ଆରିଷ୍ଟୋଟଲ୍ ମଧ୍ୟ ଯୁଵକମାନଙ୍କୁ କ୍ରୋଧୀ, ଆଵେଗପୂର୍ଣ୍ଣ ଓ ସଂଯମହୀନ ବୋଲି ସମାଲୋଚନା କରିଥିଲେ। ଅର୍ଥାତ୍, ପ୍ରତ୍ୟେକ ଯୁଗର ଵୟସ୍କମାନେ ଭାବିଛନ୍ତି ଯେ ସେମାନଙ୍କ ପରଵର୍ତ୍ତୀ ପିଢ଼ି ସବୁକିଛି ନଷ୍ଟ କରିଦେଉଛନ୍ତି। ହେସିଓଡ୍ ଓ ଆରିଷ୍ଟୋଟଲଙ୍କ ସମୟରେ ସ୍ମାର୍ଟଫୋନ୍ ନଥିଲା କି ଭିଡିଓ ଗେମ୍ସ ନଥିଲା । ତଥାପି ସେମାନଙ୍କର ଅଭିଯୋଗ ଠିକ୍ ଆଜିର କୌଣସି ଜେଜେବାପାଙ୍କ ଅଭିଯୋଗ ସହ ସମାନ ଥିଲା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଏହି ସମସ୍ୟା ଟେକ୍ନୋଲୋଜିର ନୁହେଁ ଵରଂ ଏହା ହେଉଛି ମାନଵ ମସ୍ତିଷ୍କର ସେହି ଆଦିମ ସଫ୍ଟୱେର୍, ଯାହା ପ୍ରତ୍ୟେକ ପିଢ଼ିରେ ପୁନରାବୃତ୍ତି ହୋଇଥାଏ। Homo sapiens ନିଜର ସାମାଜିକ ଗଠନକୁ ଏପରି ଭାବେ ତିଆରି କରିଛି ଯେ ଵୟସ ବଢ଼ିଵା ସହ ତାର ସ୍ଥିତାଵସ୍ଥା ଵା Status Quo ବଜାୟ ରଖିଵାର ଇଚ୍ଛା ପ୍ରଵଳ ହୋଇଯାଏ ଏଵଂ ନୂତନ ପିଢ଼ିର ଅସ୍ଥିରତା ତାକୁ ଭୟଭୀତ କରେ। ଯଦି 'Kids These Days" Effect' ଵା ପ୍ରଭାଵ ଵ୍ୟକ୍ତିଗତ ମାନସିକ ସ୍ମୃତି-ଭ୍ରମ ହୋଇଥାଏ, ତେବେ 'Juvenoia' ହେଉଛି ତାହାରି ଆଧାରରେ ଗଢ଼ିଉଠିଥିଵା ଏକ ଵ୍ୟାପକ ସାମାଜିକ ସଂଶୟ, ଅଵିଶ୍ୱାସ ଓ ଭୟ। ଵ୍ୟକ୍ତିଗତ ମାନସିକତା ଯେତେବେଳେ ଏକାଠି ହୋଇ ସମାଜର ମିଳିତ ଚିନ୍ତାଧାରାରେ ପରିଣତ ହୁଏ, ସେତେବେଳେ ତାହା ଏକ ସାଂସ୍କୃତିକ ଭୟର ରୂପ ନିଏ।
୨୦୧୧ ମସିହାରେ ଆମେରିକାର ନ୍ୟୁ ହ୍ୟାମ୍ପସାୟାର୍ ଵିଶ୍ୱଵିଦ୍ୟାଳୟର ପ୍ରସିଦ୍ଧ ସମାଜଶାସ୍ତ୍ରୀ Dr. David Finkelhor ପ୍ରଥମ କରି 'Juvenoia' ଶବ୍ଦଟିର ସଂଜ୍ଞା ଦେଇଥିଲେ। ଏହି ଶବ୍ଦଟି 'Juvenile' (ଯୁଵକ/ପିଲା) ଏଵଂ 'Paranoia' (ଅଯଥା ସଂଶୟ କିମ୍ବା ଭୟ)ର ସଂମିଶ୍ରଣରୁ ତିଆରି ହୋଇଛି। ମାନଵ ଇତିହାସରେ କାହାଣୀ ଓ ଵିଶ୍ୱାସର ଏକ ଵିରାଟ ଭୂମିକା ରହିଛି। ଆମେ କେଵଳ ଭୌତିକ ଜଗତରେ ବଞ୍ଚୁନାହୁଁ, ଆମେ ଆମ ସମାଜ ଦ୍ୱାରା ତିଆରି କରାଯାଇଥିଵା କାହାଣୀଗୁଡ଼ିକ ଭିତରେ ବଞ୍ଚୁଛୁ।
ଯେତେବେଳେ ସମାଜର ସବୁ ଵୟସ୍କ ଲୋକ ଏକାଠି ହୋଇ ଏକ ନକାରାତ୍ମକ କାହାଣୀ ଉପରେ ଵିଶ୍ୱାସ କରିଵା ଆରମ୍ଭ କରନ୍ତି ସେତେବେଳେ ତାହା ହିଁ Juvenoiaରେ ପରିଣତ ହୁଏ। ଡକ୍ଟର ଫିଙ୍କେଲହୋରଙ୍କ ଅନୁସାରେ, ସମାଜରେ ନୂତନ ପ୍ରଯୁକ୍ତିଵିଦ୍ୟା, ମାଧ୍ୟମ କିମ୍ବା ଜୀଵନଶୈଳୀ ଆସିଵା ସମୟରେ ଵୟସ୍କମାନଙ୍କ ମଧ୍ୟରେ ଯେଉଁ ଅତିରଞ୍ଜିତ ଆଶଙ୍କା ସୃଷ୍ଟି ହୁଏ, ତାହାକୁ Juvenoia କୁହାଯାଏ।
ଵୟସ୍କମାନେ ଆଶଙ୍କା କରନ୍ତି ଯେ ଏହି ନୂଆ ପରିଵର୍ତ୍ତନଗୁଡ଼ିକ ଯୁଵପିଢ଼ିଙ୍କ ମାନସିକ, ଶାରୀରିକ କିମ୍ବା ନୈତିକ ଚରିତ୍ରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଵ। ମାନଵ ଵିଵର୍ତ୍ତନର ଏକ ଵିଡ଼ମ୍ବନା ହେଉଛି, ଆମେ ନିଜେ ହିଁ ନୂଆ ପ୍ରଯୁକ୍ତିଵିଦ୍ୟାର ଉଦ୍ଭାଵନ କରୁ କିନ୍ତୁ ସେହି ଉଦ୍ଭାଵନ ଯେତେବେଳେ ସମାଜର ସାଧାରଣ ନିୟମକୁ ବଦଳାଇଵା ଆରମ୍ଭ କରେ, ଆମେ ସେଥିରେ ଆତଙ୍କିତ ହୋଇପଡ଼ୁ। ଏହାର କାରଣ ହେଉଛି ସାଂସ୍କୃତିକ ଵିଵର୍ତ୍ତନ, ଜୈଵିକ ଵିଵର୍ତ୍ତନ ତୁଳନାରେ ବହୁତ ଦ୍ରୁତ ଗତିରେ ଘଟିଥାଏ। ଗୋଟିଏ Homo sapiensକୁ ନିଜର ଶାରୀରିକ ଗଠନ ବଦଳାଇଵାକୁ ଲକ୍ଷ ଲକ୍ଷ ଵର୍ଷ ଲାଗିଥିଵା ବେଳେ, ମାତ୍ର କିଛି ଦଶନ୍ଧି ଭିତରେ ସେ ଘୋଡ଼ାଗାଡ଼ିରୁ ଆସି ସ୍ପେସ୍-ସଟଲ୍ ତିଆରି କରିଦେଇପାରିଲା। ଏତେ ଦ୍ରୁତ ପରିଵର୍ତ୍ତନକୁ ଗ୍ରହଣ କରିଵା ପୁରୁଣା ପିଢ଼ି ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼େ, କାରଣ ସେମାନଙ୍କ ମସ୍ତିଷ୍କର ନ୍ୟୁରାଲ୍ ନେଟୱର୍କ ଗୋଟିଏ ନିର୍ଦ୍ଦିଷ୍ଟ ପରିଵେଶରେ ତିଆରି ହୋଇ ସାରିଥାଏ। ତେଣୁ ସେମାନେ ନୂଆ ପରିବେଶରେ ପରିଵର୍ଦ୍ଧିତ ହେଉଥିଵା ପିଲାମାନଙ୍କୁ ଦେଖିଲେ ଏକ ଅଜ୍ଞାତ ଭୟର ଶିକାର ହୁଅନ୍ତି।
ଇତିହାସକୁ ଅନୁଧ୍ୟାନ କଲେ ଜୁଵେନୋଇଆର ଅନେକ ହାସ୍ୟରସାତ୍ମକ ଓ ଚିତ୍ତାକର୍ଷକ ଉଦାହରଣ ମିଳେ। ମହାନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍ ଭୟ କରିଥିଲେ ଯେ ଲେଖିଵା ଶିଖିଵା ଦ୍ୱାରା ଯୁଵକମାନଙ୍କର ସ୍ମରଣ ଶକ୍ତି ନଷ୍ଟ ହୋଇଯିଵ ଏଵଂ ସେମାନେ ଜ୍ଞାନହୀନ ହୋଇଯିବେ। ତାଙ୍କ ମତରେ ଲିଖିତ ଶବ୍ଦ କେଵଳ ଏକ ମୃତ ସ୍ମୃତି ଥିଲା। ସେହିପରି ଅଷ୍ଟାଦଶ ଶତାବ୍ଦୀରେ ଉପନ୍ୟାସ ଓ ବହିକୁ ନେଇ ଭୟ ସୃଷ୍ଟି ହୋଇଥିଲା। ଯେତେବେଳେ କାହାଣୀ ବହି କିମ୍ବା ଉପନ୍ୟାସ ପଢ଼ିଵା ଲୋକପ୍ରିୟ ହେଲା, ସେତେବେଳର ଵୟସ୍କମାନେ ଚିନ୍ତା ପ୍ରକାଶ କରିଥିଲେ ଯେ ଅଧିକ ବହି ପଢ଼ିଵା ଦ୍ୱାରା ଯୁଵତୀ ଓ ଯୁଵକମାନେ କଳ୍ପନାଜଗତରେ ହଜିଯିବେ ଏଵଂ ସେମାନଙ୍କ ମାନସିକ ସନ୍ତୁଳନ ବିଗିଡ଼ିଯିଵ ! ଲୋକମାନେ ଭାବିଲେ ଯେ ବହି ପଢ଼ିଵା ଏକ ନିଶା ଏଵଂ ଏହା ସମାଜର ମୂଲ୍ୟବୋଧକୁ ଧ୍ୱଂସ କରିଦେଵ । ଆଜି ଆମକୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ଯେ ବହି ପଢ଼ିଵାକୁ ନେଇ କିପରି ସମାଜ ଆତଙ୍କିତ ହୋଇପାରେ, କିନ୍ତୁ ସେହି ସମୟର ସାମାଜିକ ଗଠନ ପାଇଁ ଏକ ନୂତନ ମାଧ୍ୟମ ପ୍ରକୃତରେ ଏକ ଭୟର କାରଣ ଥିଲା।
ଵିଂଶ ଶତାବ୍ଦୀରେ ଏହି ଜୁଵେନୋଇଆ ଏକ ନୂଆ ରୂପ ନେଲା। ଵିଂଶ ଶତାବ୍ଦୀର କାମିକ୍ସ ବୁକ୍ସକୁ ନେଇ ଆମେରିକାରେ ଵିରାଟ ହଟ୍ଟଗୋଳ ସୃଷ୍ଟି ହେଲା। ୧୯୫୦ ଦଶକରେ ଚିତ୍ରାଵଳୀ ଵା କାମିକ୍ ବୁକ୍ସ (Comic books)କୁ ନେଇ ଆମେରିକା ଓ ୟୁରୋପରେ ଏତେ ଭୟ ସୃଷ୍ଟି ହୋଇଥିଲା ଯେ ଅନେକ ସମାଜଶାସ୍ତ୍ରୀ ଦାବି କରିଥିଲେ— "କାମିକ୍ସ ପଢ଼ି ପିଲାମାନେ ଅପରାଧୀ ହୋଇଯାଉଛନ୍ତି।" ଆମେରିକାର ସିନେଟ୍ କମିଟି ଏହା ଉପରେ ଵିଚାର କରି କାମିକ୍ ବୁକ୍ ଉପରେ କଟକଣା ମଧ୍ୟ ଲଗାଇଥିଲା। ଏହା ପରେ ଆସିଲା ଟେଲିଵିଜନ୍ ଓ ଵିଡିଓ ଗେମ୍ସର ଯୁଗ। ପରବଳଵର୍ତ୍ତୀ ସମୟରେ ଟିଵି ଦେଖିଵା ଏଵଂ ଵିଡିଓ ଗେମ୍ସ୍ ଖେଳିଵାକୁ ନେଇ ସମାନ ଆଶଙ୍କା ପ୍ରକାଶ ପାଇଥିଲା ଯେ ଏହା ପିଲାଙ୍କ ମସ୍ତିଷ୍କକୁ ନିଷ୍କ୍ରିୟ କରିଦେଵ।
ପ୍ରତ୍ୟେକ ଥର ସୂଚନା ଓ ଵିନୋଦନର ନୂଆ ମାଧ୍ୟମ ଆସିଲା ବେଳେ ପୁରୁଣା ପିଢ଼ି ଭାବିଲେ ଯେ ଏହି ଥର ପ୍ରକୃତରେ ଯୁଵପିଢ଼ି ଧ୍ୱଂସ ଆଡ଼କୁ ଗତି କରୁଛନ୍ତି। ଆଜିର ସମୟରେ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆକୁ ନେଇ ଵୟସ୍କମାନଙ୍କ ମଧ୍ୟରେ ଯେଉଁ ତୀଵ୍ର ଚିନ୍ତା ଦେଖାଯାଉଛି, ତାହା 'ଜୁଵେନୋଇଆ'ର ସାମ୍ପ୍ରତିକ ରୂପ। ଆଜି ଯେଉଁମାନେ ସୋସିଆଲ୍ ମିଡିଆକୁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ତାଙ୍କ ପିତାମାତା ତାଙ୍କୁ ଟିଵି ଦେଖିଵାକୁ ନେଇ ଠିକ୍ ସେହିପରି ସମାଲୋଚନା କରୁଥିଲେ ଏଵଂ ତାଙ୍କର ଜେଜେବାପା ମଧ୍ୟ ତାଙ୍କ ବାପାଙ୍କ ଦ୍ୱାରା ରେଡିଓ ଶୁଣିଵାଵା ଉପନ୍ୟାସ ପଢ଼ିଵାକୁ ନେଇ ସମାନ ଆଶଙ୍କା ଵ୍ୟକ୍ତ କରୁଥିଲେ।
ଏହି ସମସ୍ତ ତଥ୍ୟରୁ ଏହା ସ୍ପଷ୍ଟ ଯେ, Kids These Days' ପ୍ରଭାଵ ଏଵଂ 'Juvenoia' ପରସ୍ପରର ହାତ ଧରାଧରି ହୋଇ ଚାଲନ୍ତି। ଏହି ଦୁଇଟି ଧାରଣା ମାନଵ ମନର ଵ୍ୟକ୍ତିଗତ ଓ ସାମୂହିକ ଦିଗକୁ ଦର୍ଶାଏ। କାରଣ ଓ ପରିଣାମ ଦୃଷ୍ଟିରୁ ଦେଖିଲେ, 'Kids These Days' ପ୍ରଭାଵ ଵ୍ୟକ୍ତିଗତ ମନସ୍ତତ୍ତ୍ୱରେ "ପିଲାମାନେ ଅଯୋଗ୍ୟ ହୋଇଗଲେଣି" ବୋଲି ଏକ ଭ୍ରମ ଜନ୍ମ ଦିଏ। ଏହି ଭ୍ରମ ଯେତେବେଳେ ସମାଜରେ ନୂଆ ଟେକ୍ନୋଲୋଜି କିମ୍ବା ବଦଳୁଥିଵା ସଂସ୍କୃତି ସହ ମିଶିଯାଏ, ତାହା 'ଜୁଵେନୋଇଆ' ରୂପକ ଵ୍ୟାପକ ସାମାଜିକ ଭୟ ଜନ୍ମ ଦିଏ। ହୋମୋ ସାପିଏନ୍ସ ସବୁବେଳେ କାହାଣୀ ଶୁଣିଵକୁ ଓ ଵିଶ୍ୱାସ କରିଵାକୁ ଭଲପାଏ। ଯେତେବେଳେ ଏକାଧିକ ଵୟସ୍କ ଲୋକ ନିଜର ଵ୍ୟକ୍ତିଗତ ଭ୍ରମକୁ ଏକାଠି କରି ଏକ ଵିରାଟ ସାମାଜିକ ସମସ୍ୟାର ରୂପ ଦିଅନ୍ତି, ସେତେବେଳେ ଗୋଟିଏ ପୂରା ପିଢ଼ିକୁ ଅପରାଧୀ କିମ୍ବା ଅଯୋଗ୍ୟ ବୋଲି ଘୋଷଣା କରିଦିଆଯାଏ। ଏହା ମାନଵ ସମାଜର ଏକ ଅଦ୍ଭୁତ ଵିରୋଧାଭାସ ଯେ ଯେଉଁ ଜୀଵଜାତି ନିଜର ବୁଦ୍ଧି ଓ ପରିଵର୍ତ୍ତନଶୀଳତା ବଳରେ ପୃଥିଵୀରେ ରାଜତ୍ବ କରୁଛି, ସେହି ଜୀଵଜାତିର ଲୋକେ ହିଁ ପରିଵର୍ତ୍ତନକୁ ସବୁଠାରୁ ଅଧିକ ଭୟ କରୁଛନ୍ତି।
ଏହି ସମଗ୍ର ପ୍ରକ୍ରିୟାରେ ଵୟସ୍କମାନେ ଏକ ବହୁତ ବଡ଼ ଭୁଲ୍ କରନ୍ତି ଏଵଂ ତାହା ଅନୁକୂଳନ କ୍ଷମତାକୁ କମ୍ ଆକଳନ କରିଵା ଅଟେ । ଗଵେଷକ ଫିଙ୍କେଲହୋର୍ ଦର୍ଶାଇଛନ୍ତି ଯେ ଵୟସ୍କମାନେ ନୂଆ ପିଢ଼ିର ଅନୁକୂଳନ କ୍ଷମତା ଵା adaptabilityକୁ କମ୍ ଆକଳନ କରନ୍ତି। ଯୁଵପିଢ଼ି ନୂଆ ପରିଵେଶ ଓ ନୂଆ ପ୍ରଯୁକ୍ତି ସହ ନିଜକୁ ଖାପଖୁଆଇ ନୂଆ କୌଶଳ ଶିଖିଵାରେ ସମର୍ଥ ହୁଅନ୍ତି, ଯାହା ପୁରୁଣା ପିଢ଼ି ସହଜରେ ବୁଝିପାରନ୍ତି ନାହିଁ। ହୋମୋ ସାପିଏନ୍ସର ସବୁଠାରୁ ବଡ଼ ଶକ୍ତି ହେଉଛି ତା'ର ତୀଵ୍ର ବେଗରେ ଅନୁକୂଳନ ହେଵାର କ୍ଷମତା। ନିଆଁର ଵ୍ୟଵହାରଠାରୁ ଆରମ୍ଭ କରି କୃଷି, ଚକ, ଷ୍ଟିମ୍ ଇଞ୍ଜିନ୍ ଏଵଂ ଆଜିର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ— ପ୍ରତ୍ୟେକ ଥର ଯେତେବେଳେ ନୂଆ ଟେକ୍ନୋଲୋଜି ଆସିଛି, ନୂଆ ପିଢ଼ି ତାହାକୁ ଅତି ସହଜରେ ଆପଣେଇ ନେଇଛି ଏଵଂ ସେହି ଅନୁଯାୟୀ ନିଜ ମସ୍ତିଷ୍କକୁ ପ୍ରସ୍ତୁତ କରିନେଇଛି। ପୁରୁଣା ପିଢ଼ିର ଲୋକମାନେ ନିଜର ଅତୀତର ମାନଦଣ୍ଡରେ ନୂଆ ପିଢ଼ିକୁ ଵିଚାର କରି ଭାବନ୍ତି ଯେ ସେମାନେ ତଳକୁ ଖସିଯାଉଛନ୍ତି, କିନ୍ତୁ ଵାସ୍ତଵରେ ନୂଆ ପିଢ଼ି ସେହି ଆଦିମ ଅନୁକୂଳନ କ୍ଷମତାର ଵ୍ୟଵହାର କରି ଏକ ନୂଆ ଦୁନିଆ ପାଇଁ ନିଜକୁ ପ୍ରସ୍ତୁତ କରୁଥାନ୍ତି।
ଏହି ଦୁଇଟି ସିଦ୍ଧାନ୍ତ ଆମକୁ ଶିଖାଏ ଯେ ପିଢ଼ିଗତ ଵ୍ୟଵଧାନ ଵା Generation Gap କୌଣସି ଅସ୍ୱାଭାବିକ କଥା ନୁହେଁ। ଏହା ମାନବ ସଭ୍ୟତାର ଏକ ନିରନ୍ତର ଚକ୍ର। ଵିଵର୍ତ୍ତନ କେଵଳ ଶରୀରର ହୁଏ ନାହିଁ, ଚିନ୍ତାଧାରାର ମଧ୍ୟ ହୁଏ। ଆମର ମସ୍ତିଷ୍କ ଏହି ଚକ୍ରାକାର ପଥରେ ଘୁରିଵା ପାଇଁ ହିଁ ପ୍ରୋଗ୍ରାମ୍ ହୋଇଛି। ପ୍ରତ୍ୟେକ ଯୁଵକ ଦିନେ ଵୃଦ୍ଧ ହେଵ ଏଵଂ ପ୍ରତ୍ୟେକ କ୍ରାନ୍ତିକାରୀ ଵିଚାରଧାରା ଦିନେ ରକ୍ଷଣଶୀଳ ପରମ୍ପରାରେ ପରିଣତ ହେବ। ଆଜି ଯେଉଁ ଯୁଵପିଢ଼ି ଅଯୋଗ୍ୟ କିମ୍ବା ପିଲାଳିଆ ବୋଲି ସମାଲୋଚିତ ହେଉଛନ୍ତି, କିଛି ଦଶନ୍ଧି ପରେ ସେମାନେ ନିଜେ ଵୟସ୍କ ହେଵା ପରେ ନିଜ ପରଵର୍ତ୍ତୀ ପିଢ଼ିକୁ ଦେଖି ପୁଣିଥରେ ସେହି ସମାନ ଧାଡ଼ି ଦୋହରାଇବେ— "ଆମ ସମୟର ପିଲାମାନେ କେତେ ଶୃଙ୍ଖଳିତ ଥିଲେ, ଆଜିକାଲିର ପିଲାମାନେ କିଛି ଶିଖୁନାହାନ୍ତି!"। ଏହା ହିଁ ମାନଵ ସଭ୍ୟତାର ଶାଶ୍ୱତ ନିୟମ। ଯେପର୍ଯ୍ୟନ୍ତ ହୋମୋ ସାପିଏନ୍ସ ପୃଥିଵୀରେ ବଞ୍ଚିଥିଵ, ତାର ସ୍ମୃତି-ଭ୍ରମ ଓ ନୂତନତା ପ୍ରତି ଥିଵା ଭୟ ଏହି ମନୋରଞ୍ଜକ ପିଢ଼ିଗତ ନାଟକକୁ ଜାରି ରଖିଥିଵ।
•••
ତଥ୍ୟ ଉତ୍ସ:
•••
1.Science Advances (ଗଵେଷଣା ପତ୍ରିକା, ୨୦୧୯) — "The kids these days effect" ଶୀର୍ଷକ ଗଵେଷଣାପତ୍ର — Dr. John Protzko ଓ Jonathan Schooler (କାଲିଫୋର୍ନିଆ ଵିଶ୍ୱଵିଦ୍ୟାଳୟ)
2."Juvenoia" ସଂଜ୍ଞା ସମ୍ଵନ୍ଧୀୟ ଗଵେଷଣା (୨୦୧୧) — Dr. David Finkelhor (ନ୍ୟୁ ହ୍ୟାମ୍ପସାୟାର୍ ଵିଶ୍ୱଵିଦ୍ୟାଳୟ)
3.Works and Days (ପ୍ରାଚୀନ ଗ୍ରୀକ୍ କାଵ୍ୟ, ଖ୍ରୀଷ୍ଟପୂର୍ଵ ଅଷ୍ଟମ ଶତାବ୍ଦୀ) — Hesiod
4.Rhetoric (ଦାର୍ଶନିକ ରଚନା, ଖ୍ରୀଷ୍ଟପୂର୍ଵ ଚତୁର୍ଥ ଶତାବ୍ଦୀ) — Aristotle
Phaedrus (ସଂଵାଦମୂଳକ ରଚନା, ଲେଖିଵା ଵିରୋଧରେ ମତ) — Socrates (ପ୍ଲାଟୋଙ୍କ ଲିଖନରେ ଉଲ୍ଲିଖିତ)
5.ଆମେରିକୀୟ ସିନେଟ୍ ଉପକମିଟି ରିପୋର୍ଟ (୧୯୫୪) — କାମିକ୍ ବୁକ୍ସ ଓ ଯୁଵ ଅପରାଧ ସମ୍ପର୍କିତ ତଦନ୍ତ (Comic Books and Juvenile Delinquency ଶୀର୍ଷକ ଆଲୋଚନା)
•••
No comments:
Post a Comment