ଲକ୍ଷ ଲକ୍ଷ ବରଷ ତଳେ,ଅରଣ୍ୟ ଅନ୍ଧକାରେ,
ଆଦିମ ମାନଵ ବଞ୍ଚିଥିଲେ ଭୟଭୀତ ସଂସାରେ।
ଦାନ୍ତର ଗର୍ଭେ ଲେଖାଥିଲା କାଳର ଗୁପ୍ତ ଵାଣୀ,
ମାଟି ଜଳର ସ୍ୱାକ୍ଷର ଧରି କହିଲା କାହାଣୀ।
ପୁରୁଷ ରହିଲା ଜନ୍ମଭୂମି, ସ୍ୱଜନ ସଙ୍ଗେ ମିଶି,
ଗୋଷ୍ଠୀ ରକ୍ଷା କରିଵା ପାଇଁ ବାନ୍ଧିଲା ଵାହୁ ହସି।
ନାରୀ ଛାଡ଼ିଲା ମାତୃକୋଳ, ଭ୍ରାତା ସ୍ନେହର ଡୋର,
ଅଜଣା ଦେଶେ ଚାଲିଲା ସେ ଧରି ଜୀଵନ ଭାର।
ଘୋର ଅରଣ୍ୟ, ହିଂସ୍ର ପଶୁ, ଅନ୍ଧକାରର ରାତି,
ତଥାପି ତାର ପଦଚିହ୍ନରେ ଲେଖା ନୂଆ ଗତି।
ରକ୍ତର ସୀମା ଡେଇଁ ସେ ଯେ ମିଶାଇଲା ନୂଆ ପ୍ରାଣ,
ଵିଵିଧତାର ଅମୃତ ସ୍ରୋତେ ସବଳ ହେଲା ଵଂଶଧାନ।
ପୁରୁଷ ଦେଲା ରକ୍ଷାବଳ, ନାରୀ ଦେଲା ସେତୁ,
ଦୁହିଁଙ୍କ ମିଳନେ ଗଢ଼ି ଉଠିଲା ମାନଵତାର କେତୁ।
ଏକର ହାତେ ଭୂମିର ରକ୍ଷା, ଏକର ହାତେ ମିଳନ,
ଦୁଇ ସ୍ରୋତ ମିଶି ସୃଷ୍ଟି କଲା ମାନଵ ଜୀଵନ।
ନାରୀ ନୁହେଁ କେଵଳ ପରଵାସିନୀ,
ନୁହେଁ ସେ ଦୁର୍ଵଳା,
ତାହାର ପଦେ ପଦେ ଲେଖା
ଵିଵର୍ତ୍ତନର ଜୟମାଳା।
ଯେଦିନ ଛାଡ଼ିଲା ଜନ୍ମର ଘର,
ଚାଲିଲା ଅଜଣା ପଥ,
ସେଦିନ ଜଗାଇଲା ମାନଵ ଵଂଶେ
ଅମର ଜୀଵନ ରଥ।
ହେ ଆଦିମ ନାରୀ !
ତୁମ ଯାତ୍ରା କେବେ ନୁହେଁ ପରାଜୟ,
ତୁମରି ସାହସ ମାନଵ ଜାତିର ଚିରନ୍ତନ ଜୟ।
••••••••••••••••••••••••••••••••••
ଏହି କଵିତାରେ ମାନଵ ଵିଵର୍ତ୍ତନର ଏକ ପ୍ରାଚୀନ ଗାଥାକୁ କାଵ୍ୟରୂପ ଦିଆଯାଇଛି। ଦକ୍ଷିଣ ଆଫ୍ରିକାର ପ୍ରାଚୀନ ପ୍ରାକ୍-ମାନଵ ଜୀଵାଶ୍ମ ଉପରେ ହୋଇଥିଵା ଵୈଜ୍ଞାନିକ ଗଵେଷଣାରୁ ଏପରି ସଙ୍କେତ ମିଳେ ଯେ, କେତେକ ପ୍ରାଚୀନ ହୋମିନିନ୍ ଗୋଷ୍ଠୀରେ ନାରୀମାନଙ୍କ ସ୍ଥାନାନ୍ତରଣ ପୁରୁଷଙ୍କ ତୁଳନାରେ ଅଧିକ ଥିଲା। ଏହା ଜିନ୍ଗତ ଵିଵିଧତା ଓ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଜନନର ସମସ୍ୟା କମାଇଵା ସହ ସମ୍ବନ୍ଧିତ ହୋଇଥାଇପାରେ। କଵିତାଟି ସେହି ଅଜଣା ଆଦିମ ନାରୀର ସାହସିକ ଯାତ୍ରାକୁ ମାନଵ ଜାତିର ଵିଵର୍ତ୍ତନ ଓ ଅସ୍ତିତ୍ୱର ଏକ ପ୍ରତୀକ ଭାବରେ ଚିତ୍ରଣ କରିଛି। ସମ୍ପୂର୍ଣ୍ଣ ତଥ୍ୟ ଜାଣିଵା ପାଇଁ ମାନଵ ସମାଜରେ କାହିଁକି ନାରୀମାନେ ହିଁ ନିଜ ବାପଘର ଛାଡ଼ନ୍ତି ?
ପ୍ରବନ୍ଧଟି ପାଠ କରନ୍ତୁ ।
•••••••••••••••••••••••••••••••••
No comments:
Post a Comment