ମାନଵ ଇତିହାସର ଏକ ଵିସ୍ମୟକର ଦିଗ ଆମର ଭାଷା ଏଵଂ କଳ୍ପନା ଶକ୍ତି ଅଟେ। ଅନ୍ୟ ପ୍ରାଣୀମାନଙ୍କଠାରୁ ହୋମୋ ସାପିଏନ୍ସକୁ ଯାହା ଅଲଗା କରେ, ତାହା ହେଉଛି ଆମର ଏପରି ଜିନିଷ ଉପରେ ଵିଶ୍ୱାସ କରିଵାର ଅଦ୍ଭୁତ କ୍ଷମତା, ଯାହାର କୌଣସି ଭୌତିକ ଅସ୍ତିତ୍ୱ ନାହିଁ। ନଦୀ, ପର୍ଵତ, ଗଛ ଓ ଜୀଵଜନ୍ତୁ ଵାସ୍ତଵ ଅଟନ୍ତି, କିନ୍ତୁ ଗୋଟିଏ 'ଦେଶ' ଵା ତାର 'ନାମ' କେଵଳ ଆମ ମସ୍ତିଷ୍କରେ ରହିଥିଵା ଏକ ସାମୂହିକ କଳ୍ପନା ଵା କଳ୍ପିତ ଵାସ୍ତଵତା ଅଟେ । ଲକ୍ଷ ଲକ୍ଷ ଵର୍ଷ ଧରି ଯେତେବେଳେ ପ୍ରାରମ୍ଭିକ ମଣିଷ ଶିକାରୀ ସଂଗ୍ରାହକ ଭାଵରେ ପୃଥିଵୀ ବୁଲୁଥିଲା, ସେତେବେଳେ ଭୂମିର କୌଣସି ନାମ ନଥିଲା କିମ୍ଵା ପୃଥିଵୀରେ କୌଣସି ସୀମାରେଖା ନଥିଲା। କିନ୍ତୁ କୃଷି ଵିପ୍ଳଵ ପରେ ଯେତେବେଳେ ମଣିଷ ସ୍ଥାୟୀ ଵସତି ସ୍ଥାପନ କଲା ଏଵଂ ସାମ୍ରାଜ୍ୟ ଗଠନ କରିଵା ଆରମ୍ଭ କଲା, ସେତେବେଳେ ଜନ୍ମ ନେଲା ରାଷ୍ଟ୍ରର ଧାରଣା। ଏକ ନିର୍ଦ୍ଦିଷ୍ଟ ଵିଶାଳ ଭୂଖଣ୍ଡକୁ ଗୋଟାଏ ନାମ ଦେଵା କେଵଳ ଏକ ଭୌଗୋଳିକ ପରିଚୟ ନୁହେଁ ଵରଂ ଏହା ମାନଵୀୟ ଅହଂକାର, ସାଂସ୍କୃତିକ ଗର୍ଵ ଏଵଂ ଏକ ସାମୂହିକ ପରିଚୟର ଵୃହତ୍ତମ ପ୍ରତୀକ। ଆଜି ଆମେ ଯେଉଁ ଦେଶକୁ 'ଚୀନ' ନାମରେ ଜାଣିଛୁ , ତାର ନାମକରଣର ଇତିହାସ କେଵଳ କିଛି ଶବ୍ଦର ଉତ୍ପତ୍ତି ନୁହେଁ ଵରଂ ଏହା ହେଉଛି ଵିଭିନ୍ନ ସଭ୍ୟତା ମଧ୍ୟରେ ଥିଵା ସମ୍ପର୍କ,ଵାଣିଜ୍ୟ ଏଵଂ ମାନଵୀୟ ଅଵଧାରଣାର ଏକ ଅତ୍ୟନ୍ତ ରୋମାଞ୍ଚକର କାହାଣୀ।
ଏସିଆ ମହାଦେଶର ପୂର୍ଵ ପ୍ରାନ୍ତକୁ ଦୃଷ୍ଟି ପକାଇଲେ ଆମେ ଦେଖିଵା ଯେ ପୀତ ନଦୀ ଵା Yellow River ଓ ୟାଙ୍ଗଜେ ନଦୀର ଉର୍ଵର ଉପତ୍ୟକାରେ ଏକ ଵିଶାଳ ତଥା ଜଟିଳ ସଭ୍ୟତାର ଵିକାଶ ଘଟିଥିଲା। ହଜାର ହଜାର ଵର୍ଷ ପୂର୍ଵେ ଏହି ଅଞ୍ଚଳରେ ଵାସ କରୁଥିଵା ଲୋକମାନେ ପୃଥିଵୀର ଅନ୍ୟ ଭାଗରୁ ସମ୍ପୂର୍ଣ୍ଣ ରୂପେ ଵିଚ୍ଛିନ୍ନ ଥିଲେ। ପ୍ରକୃତି ସେମାନଙ୍କ ପାଇଁ ଏକ ଅଭେଦ୍ୟ ଦୁର୍ଗ ନିର୍ମାଣ କରିଥିଲା। ସେମାନଙ୍କର ଉତ୍ତର ଦିଗରେ ରହିଥିଲା ଭୟଙ୍କର ଗୋବି ମରୁଭୂମି ଓ ଶୀତଳ ଷ୍ଟେପ୍ସ ଅଞ୍ଚଳ, ପୂର୍ଵରେ ରହିଥିଲା ଅଥଳ ପ୍ରଶାନ୍ତ ମହାସାଗର, ଦକ୍ଷିଣରେ ଘଞ୍ଚ ଓ ଭୟଙ୍କର ଜଙ୍ଗଲ ଏଵଂ ପଶ୍ଚିମ ତଥା ଦକ୍ଷିଣ-ପଶ୍ଚିମ ଦିଗରେ ଵିଶ୍ୱର ସର୍ବୋଚ୍ଚ ହିମାଳୟ ପର୍ଵତମାଳା ତଥା ତିବ୍ବତର ମାଳଭୂମି ଏକ ଵିଶାଳ ପ୍ରାଚୀର ଭଳି ଠିଆ ହୋଇଥିଲା। ଏହି ଭୌଗୋଳିକ ଏକାକୀପଣ ସେଠାକାର ଅଧିଵାସୀଙ୍କ ମନରେ ଏକ ସ୍ୱତନ୍ତ୍ର ଓ ଆତ୍ମକେନ୍ଦ୍ରିକ ମାନସିକତା ସୃଷ୍ଟି କରିଥିଲା, ଯାହା ସେମାନଙ୍କର ଵୈଶ୍ୱିକ ଦୃଷ୍ଟିକୋଣ ଓ ନାମକରଣ ପ୍ରକ୍ରିୟାକୁ ଗଭୀର ଭାଵରେ ପ୍ରଭାଵିତ କରିଥିଲା।
ପ୍ରାଚୀନ କାଳରେ ସେଠାକାର ଲୋକମାନେ ନିଜ ଦେଶକୁ କେଵେହେଲେ 'ଚୀନ' ବୋଲି ଡାକୁନଥିଲେ କିମ୍ଵା ନିଜକୁ 'ଚାଇନିଜ୍' ଭାବୁନଥିଲେ। ଵାସ୍ତଵରେ, ଏକ 'ଦେଶ' ଵା ରାଷ୍ଟ୍ରର ଆଧୁନିକ ଧାରଣା ସେମାନଙ୍କ ପାଖରେ ନଥିଲା। ସେମାନେ ମୁଖ୍ୟତଃ କ୍ଷମତାରେ ଥିଵା ରାଜଵଂଶର ନାମ ଅନୁସାରେ ନିଜ ରାଜ୍ୟକୁ ଚିହ୍ନଟ କରୁଥିଲେ, ଯେପରିକି ସିଆ ରାଜଵଂଶ, ସାଙ୍ଗ ରାଜଵଂଶ କିମ୍ଵା ଝୋଉ ରାଜଵଂଶ। ତଥାପି, ଭୌଗୋଳିକ ଓ ରାଜନୈତିକ ସ୍ତରରେ ସମଗ୍ର ଅଞ୍ଚଳକୁ ବୁଝାଇଵା ପାଇଁ ସେମାନେ ଏକ ଵୃହତ୍ତର ଶବ୍ଦ ଵ୍ୟଵହାର କରୁଥିଲେ, ତାହା ହେଉଛି 'ତିଆନକ୍ସିଆ' (Tianxia)। ଏହି ଶବ୍ଦର ଆକ୍ଷରିକ ଅର୍ଥ ହେଉଛି 'ସ୍ୱର୍ଗ ତଳେ ଥିଵା ସମସ୍ତ ଵିଷୟ' ଵା 'ଆକାଶ ତଳର ସମଗ୍ର ଦୁନିଆ'। ସେମାନଙ୍କର ଵିଶ୍ୱଵ୍ରହ୍ମାଣ୍ଡ ସମ୍ପର୍କିତ ଧାରଣା ଅନୁଯାୟୀ, ଆକାଶ ଗୋଲାକାର ଥିଲା ଏଵଂ ପୃଥିଵୀ ଵର୍ଗାକାର ଥିଲା। ଏହି ଆକାଶ ଓ ପୃଥିଵୀର ମିଳନ ସ୍ଥଳରେ ଏକ ପଵିତ୍ର ଶାସନ ଵ୍ୟଵସ୍ଥା ରହିଥିଲା, ଯାହା ସମଗ୍ର ମାନଵ ଜାତିର ସର୍ଵୋଚ୍ଚ ଓ ଏକମାତ୍ର ଵୈଧ ଵ୍ୟଵସ୍ଥା ବୋଲି ସେମାନେ ଦୃଢ଼ ଭାବରେ ଵିଶ୍ୱାସ କରୁଥିଲେ।
ଏହି ଵିଶାଳ ଵର୍ଗାକାର ପୃଥିଵୀର ଠିକ୍ କେନ୍ଦ୍ରବିନ୍ଦୁରେ ଏକ ପଵିତ୍ର ଓ ଉନ୍ନତ ସ୍ଥାନ ରହିଛି ବୋଲି ସେମାନେ କଳ୍ପନା କରିଥିଲେ, ଯାହାକୁ ସେମାନେ ନାମ ଦେଇଥିଲେ 'ଝୋଙ୍ଗଗୁଓ' (Zhongguo)। ମାଣ୍ଡାରିନ୍ ଭାଷାରେ 'ଝୋଙ୍ଗ' ର ଅର୍ଥ ହେଉଛି 'ମଝି' ଵା 'କେନ୍ଦ୍ର' ଏଵଂ 'ଗୁଓ' ର ଅର୍ଥ ହେଉଛି 'ରାଜ୍ୟ' ଵା 'ରାଷ୍ଟ୍ର'। ତେଣୁ 'ଝୋଙ୍ଗଗୁଓ'ର ସମ୍ପୂର୍ଣ୍ଣ ଅର୍ଥ ହେଲା 'ମଧ୍ୟଵର୍ତ୍ତୀ ରାଷ୍ଟ୍ର' ଵା ଇଂରାଜୀରେ ଯାହାକୁ ଆମେ ମିଡିଲ୍ କିଙ୍ଗଡମ୍ (Middle Kingdom) କହୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଶବ୍ଦ କେଵଳ ରାଜଧାନୀ କିମ୍ଵା ରାଜାଙ୍କ ଵାସସ୍ଥାନକୁ ହିଁ ବୁଝାଉଥିଲା। ଖ୍ରୀଷ୍ଟପୂର୍ଵ ପ୍ରଥମ ସହସ୍ରାବ୍ଦୀ ବେଳକୁ ପଶ୍ଚିମ ଝୋଉ ରାଜଵଂଶ ସମୟରେ, ଏକ ବ୍ରୋଞ୍ଜ ପାତ୍ର ଉପରେ ଖୋଦିତ ହୋଇଥିଵା ପ୍ରାଚୀନ ଲିପିରୁ ପ୍ରଥମ ଥର ପାଇଁ ଐତିହାସିକ ସ୍ତରରେ 'ଝୋଙ୍ଗଗୁଓ' ଶବ୍ଦର ପ୍ରମାଣ ମିଳିଥାଏ। ସେହି ସମୟରେ ଏହା ଏକ ସୀମିତ ଭୌଗୋଳିକ ଶବ୍ଦ ଥିଲା ଯାହା ପୀତ ନଦୀର କେନ୍ଦ୍ରୀୟ ସମତଳ ଅଞ୍ଚଳକୁ ସୂଚାଉଥିଲା ଏଵଂ ସେହି ଅଞ୍ଚଳ ସେତେବେଳେ ଉନ୍ନତ କୃଷି ପ୍ରଣାଳୀ ଓ ରାଜନୈତିକ ସଭ୍ୟତାର କେନ୍ଦ୍ରବିନ୍ଦୁ ଥିଲା।
କ୍ରମେ ଏହି 'ଝୋଙ୍ଗଗୁଓ' ଶବ୍ଦଟି କେଵଳ ଏକ ଭୌଗୋଳିକ ପରିଚୟ ନହୋଇ ଏକ ଗଭୀର ମନସ୍ତାତ୍ୱିକ ଓ ସାଂସ୍କୃତିକ ଅର୍ଥ ଗ୍ରହଣ କଲା। Homo sapiensମାନେ ସର୍ଵଦା ନିଜକୁ ଗୋଷ୍ଠୀରେ ଵିଭକ୍ତ କରିଵାକୁ ପସନ୍ଦ କରନ୍ତି ଯେଉଁଠି ମୂଳ ମନ୍ତ୍ର ଥାଏ 'ଆମେ' ଓ 'ସେମାନେ'। ପ୍ରାଚୀନ ଚୀନର ଏହି ଅଧିଵାସୀମାନେ ଭାବୁଥିଲେ ଯେ ସେମାନେ ହେଉଛନ୍ତି ପୃଥିଵୀର ଏକମାତ୍ର ସଭ୍ୟ ମଣିଷ ଏଵଂ ସେମାନଙ୍କର ଵିଶାଳ ସାମ୍ରାଜ୍ୟ ହିଁ ସମଗ୍ର ଵିଶ୍ୱର କେନ୍ଦ୍ରବିନ୍ଦୁ। ସେମାନଙ୍କର ସମ୍ରାଟଙ୍କୁ କୁହାଯାଉଥିଲା 'ତିଆଞ୍ଜି' (Tianzi), ଯାହାର ଅର୍ଥ ହେଉଛି 'ସ୍ୱର୍ଗର ପୁତ୍ର'। ସେମାନେ ଦୃଢ଼ ଭାବରେ ଵିଶ୍ୱାସ କରୁଥିଲେ ଯେ ସ୍ୱର୍ଗର ପୁତ୍ରଙ୍କ ପାଖରେ 'Mandate of Heaven' ଵା ସ୍ୱର୍ଗୀୟ ଆଦେଶ ରହିଛି, ଯାହା ବଳରେ ସେ କେଵଳ ତାଙ୍କ ନିଜ ରାଜ୍ୟ ନୁହେଁ, ଵରଂ ସମଗ୍ର ଦୁନିଆ ଵା 'ତିଆନକ୍ସିଆ' ଉପରେ ଶାସନ କରିଵାର ନ୍ୟାୟଗତ ଅଧିକାର ରଖିଛନ୍ତି। ଯେହେତୁ ସେମାନେ ବହୁ ଶତାବ୍ଦୀ ଧରି ନିଜ ଆଖପାଖରେ କୌଣସି ସମାନ ଧରଣର ଉନ୍ନତ ସଭ୍ୟତା ସହିତ ଵିଶେଷ ସମ୍ପର୍କରେ ଆସିନଥିଲେ, ତେଣୁ ସେମାନଙ୍କର ଏହି କଳ୍ପିତ ଵାସ୍ତଵତା ଅତୁଟ ରହିଥିଲା ଯେ ମାନଵ ଜାତିର ସର୍ଵଶ୍ରେଷ୍ଠ ଓ ଏକମାତ୍ର ଉନ୍ନତ ସମାଜ କେଵଳ ତାଙ୍କରି ରାଷ୍ଟ୍ରରେ ହିଁ ଵିଦ୍ୟମାନ।
ଏହି ଶ୍ରେଷ୍ଠତ୍ୱର ମାନସିକତାରୁ ହିଁ ଜନ୍ମ ନେଇଥିଲା ଏକ ନିର୍ଦ୍ଦିଷ୍ଟ ସାଂସ୍କୃତିକ ଵିଭାଜନ, ଯାହାକୁ ଇତିହାସକାରମାନେ 'Hua-Yi' ଭେଦଭାବ ବୋଲି ଵର୍ଣ୍ଣନା କରିଥାନ୍ତି। 'ହୁଆ' ଵା 'କ୍ସିଆ' ଶବ୍ଦର ଅର୍ଥ ଥିଲା ସଭ୍ୟ ଏଵଂ ମାର୍ଜିତ ଵ୍ୟକ୍ତି— ଅର୍ଥାତ୍ ଯେଉଁମାନେ ଝୋଙ୍ଗଗୁଓରେ ଵାସ କରୁଥିଲେ, ଉନ୍ନତ ଭାଷା କହୁଥିଲେ, ସୁନ୍ଦର ରେଶମ ଵସ୍ତ୍ର ପିନ୍ଧୁଥିଲେ, ଉନ୍ନତ କୃଷି କରୁଥିଲେ ଏଵଂ ନିର୍ଦ୍ଦିଷ୍ଟ ସାମାଜିକ ରୀତିନୀତି ପାଳନ କରୁଥିଲେ। ଏହାର ଵିପରୀତରେ ଥିଲା 'ୟି' ଶବ୍ଦ, ଯାହାର ଅର୍ଥ ଥିଲା ଅସଭ୍ୟ ଵା ବର୍ବର। କେନ୍ଦ୍ରୀୟ ରାଷ୍ଟ୍ରର ଚତୁର୍ଦ୍ଦିଗରେ ଵାସ କରୁଥିଵା ଵିଭିନ୍ନ ପ୍ରାନ୍ତୀୟ ଓ ଯାଯାବର ଲୋକମାନଙ୍କୁ ସେମାନେ ନିମ୍ନ ସ୍ତରର ମଣିଷ ଭାବେ ଗଣନା କରୁଥିଲେ। ସମ୍ପୂର୍ଣ୍ଣ ଵିଶ୍ୱ ସେମାନଙ୍କ ପାଇଁ ମାତ୍ର ଦୁଇ ଭାଗରେ ଵିଭକ୍ତ ଥିଲା— ଗୋଟିଏ ହେଉଛି କେନ୍ଦ୍ରରେ ଥିଵା ଆଲୋକିତ ଓ ସଭ୍ୟ ରାଷ୍ଟ୍ର ଏଵଂ ଅନ୍ୟଟି ହେଉଛି ଏହାର ଚାରିପାଖରେ ଘେରି ରହିଥିଵା ଅସଭ୍ୟ ବର୍ବରମାନଙ୍କର ଅନ୍ଧକାରମୟ ପୃଥିଵୀ।
ଯେତେବେଳେ କୌଣସି ଏକ ସାମ୍ରାଜ୍ୟ ନିଜକୁ ସମଗ୍ର ଵିଶ୍ୱର ଏକମାତ୍ର କେନ୍ଦ୍ର ଭାବରେ ଗ୍ରହଣ କରିନିଏ, ସେତେବେଳେ ତାକୁ ନିଜର ଏକ ସ୍ୱତନ୍ତ୍ର ନାମ ରଖିଵାର ଆଵଶ୍ୟକତା ପଡ଼େନାହିଁ। ଉଦାହରଣ ସ୍ୱରୂପ, ଆଜି ପୃଥିଵୀ ଵ୍ୟତୀତ ଵ୍ରହ୍ମାଣ୍ଡରେ ଯଦି ଅନ୍ୟ କୌଣସି ଗ୍ରହରେ ଜୀଵ ନାହାନ୍ତି ବୋଲି ଆମେ ଭାବୁ, ତେବେ ମହାଜାଗତିକ ସ୍ତରରେ ନିଜକୁ ପୃଥିଵୀଵାସୀ ବୋଲି ବାରମ୍ଵାର ପରିଚୟ ଦେଵାର କୌଣସି ଆଵଶ୍ୟକତା ନଥାଏ। ଠିକ୍ ସେହିପରି ପ୍ରାଚୀନ ଚୀନର ଲୋକମାନଙ୍କ ପାଇଁ ସେମାନଙ୍କର ସାମ୍ରାଜ୍ୟ ହିଁ ଏକମାତ୍ର ସଭ୍ୟ ଦୁନିଆ ଥିଲା। ସେମାନଙ୍କୁ ଅନ୍ୟ ଦେଶମାନଙ୍କ ସହ ତୁଳନା କରିଵା ପାଇଁ ଵା ଏକ ଵିଶ୍ୱସ୍ତରୀୟ ସମାଜରେ ନିଜକୁ ଅଲଗା ପ୍ରମାଣିତ କରିଵା ପାଇଁ ଆଜିର 'ଚୀନ' ଭଳି କୌଣସି ନିର୍ଦ୍ଦିଷ୍ଟ ଜାତୀୟ ନାମର ପ୍ରୟୋଜନ ହିଁ ନଥିଲା। ଏହି ଆତ୍ମକେନ୍ଦ୍ରିକ ଵିଶ୍ୱଵିଶ୍ୱାସ ହଜାର ହଜାର ଵର୍ଷ ଧରି ସେମାନଙ୍କର ରାଜନୀତି, କଳା ଓ ସମାଜକୁ ନିୟନ୍ତ୍ରଣ କରି ରଖିଥିଲା।
ଖ୍ରୀଷ୍ଟପୂର୍ଵ ତୃତୀୟ ଶତାବ୍ଦୀ ବେଳକୁ ପୀତ ନଦୀର ଉପତ୍ୟକାରେ ଏକ ଯୁଗାନ୍ତକାରୀ ଘଟଣା ଘଟିଲା, ଯାହା ମାନଵ ଇତିହାସର ଗତିପଥକୁ ଗଭୀର ଭାଵରେ ପ୍ରଭାଵିତ କରିଥିଲା। ହୋମୋ ସାପିଏନ୍ସର ଇତିହାସରେ ସାମ୍ରାଜ୍ୟଗୁଡ଼ିକ କେଵଳ ଖଣ୍ଡା ଓ ଯୁଦ୍ଧ ଦ୍ୱାରା ନିର୍ମିତ ହୁଅନ୍ତି ନାହିଁ ଵରଂ ସେଗୁଡ଼ିକ ଏକ ସାମୂହିକ କଳ୍ପନା ଏଵଂ ପ୍ରଶାସନିକ ଶୃଙ୍ଖଳା ମାଧ୍ୟମରେ ତିଷ୍ଠି ରହନ୍ତି। ଦୀର୍ଘ ଦିନ ଧରି ପରସ୍ପର ସହ ରକ୍ତାକ୍ତ ସଂଘର୍ଷ କରୁଥିଵା ଛୋଟ ଛୋଟ ରାଜ୍ୟଗୁଡ଼ିକୁ ଏକତ୍ରିତ କରି ଜଣେ ଅତ୍ୟନ୍ତ ପରାକ୍ରମୀ ଶାସକ ସମଗ୍ର ଭୂଖଣ୍ଡକୁ ଏକ ଵିଶାଳ ସାମ୍ରାଜ୍ୟରେ ପରିଣତ କଲେ। ତାଙ୍କ ନାମ ଥିଲା କିନ୍ ସି ହୁଆଙ୍ଗ (Qin Shi Huang) ଏଵଂ ତାଙ୍କ ନଵଗଠିତ ରାଜଵଂଶର ନାମ ଥିଲା 'କିନ୍' (Qin), ଯାହାର ଉଚ୍ଚାରଣ ପ୍ରାୟତଃ 'ଚିନ୍' ଭଳି କରାଯାଉଥିଲା।
ଏହି Qin ଵା ଚିନ୍ ରାଜଵଂଶର ଶାସନ କାଳ ଇତିହାସର ପୃଷ୍ଠାରେ ଖୁବ୍ କମ୍ ସମୟ ପାଇଁ ଥିଲା— ମାତ୍ର ପନ୍ଦର ଵର୍ଷ। କିନ୍ତୁ ଏହି ସ୍ୱଳ୍ପ ସମୟ ମଧ୍ୟରେ ସେମାନେ ମାନଵ ସମାଜର ପରିଚାଳନା ପାଇଁ ଏକ ଅଦ୍ଭୁତପୂର୍ଵ ଭିତ୍ତିଭୂମି ସ୍ଥାପନ କରିଥିଲେ। ସେମାନେ ଏକ ପ୍ରଵଳ ଶକ୍ତିଶାଳୀ କେନ୍ଦ୍ରୀୟ ପ୍ରଶାସନ ଗଠନ କଲେ, ସମଗ୍ର ସାମ୍ରାଜ୍ୟ ପାଇଁ ସମାନ ମୁଦ୍ରା ପ୍ରଚଳନ କଲେ, ସମାନ ଲିପି ବାହାର କଲେ ଏଵଂ ଏକ ଵିଶାଳ ସେନାଵାହିନୀ ପ୍ରସ୍ତୁତ କଲେ। ଉତ୍ତର ଦିଗରୁ ଆକ୍ରମଣ କରୁଥିଵା ଯାଯାବରମାନଙ୍କୁ ଅଟକାଇଵା ପାଇଁ ସେମାନେ ଏକ ସୁଦୀର୍ଘ ପ୍ରାଚୀର ନିର୍ମାଣ ଆରମ୍ଭ କରିଥିଲେ, ଯାହା ପରଵର୍ତ୍ତୀ ସମୟରେ ଵିଶ୍ୱପ୍ରସିଦ୍ଧ 'Great Wall of China' ନାମରେ ପରିଚିତ ହେଲା। ଯଦିଓ ଚିନ୍ ରାଜଵଂଶ ଖୁବ୍ ଶୀଘ୍ର ପତନ ଆଡ଼କୁ ଗତି କଲା ତଥାପି ସେହି ଅଳ୍ପ କିଛି ଵର୍ଷର କ୍ଷମତା ପ୍ରଦର୍ଶନର ପ୍ରତିଧ୍ୱନି ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଖ୍ୟାତି ଏସିଆ ମହାଦେଶର ଵିଶାଳ ମରୁଭୂମି ଓ ଅଭେଦ୍ୟ ପର୍ଵତମାଳା ଅତିକ୍ରମ କରି ପଶ୍ଚିମ ଏଵଂ ଦକ୍ଷିଣ ଦିଗକୁ ଵ୍ୟାପିଵାରେ ଲାଗିଲା।
ଠିକ୍ ସେହି ସମୟରେ ହିମାଳୟର ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀନ ଭାରତୀୟ ସଭ୍ୟତା ବୌଦ୍ଧିକ, ଦାର୍ଶନିକ ଓ ଵାଣିଜ୍ୟିକ କ୍ଷେତ୍ରରେ ଉତ୍କର୍ଷର ଶୀର୍ଷରେ ପହଞ୍ଚିଥିଲା। ମଣିଷର କଳ୍ପନା ଶକ୍ତି କେଵଳ ଧର୍ମ, ଦେଵତା ଵା ସାମାଜିକ ନିୟମରେ ସୀମିତ ନଥାଏ, ଏହା ଵ୍ୟାପାର, ସମ୍ପଦ ଓ ଅର୍ଥନୀତିକୁ ମଧ୍ୟ ନିୟନ୍ତ୍ରଣ କରେ। ସେତେବେଳେ ପ୍ରାଚୀନ ଭାରତୀୟ ଵ୍ୟଵସାୟୀମାନେ ଉତ୍ତରପଥ ଏଵଂ ରେଶମ ମାର୍ଗ ଵା ରେଶମ ପଥ ମାଧ୍ୟମରେ ମଧ୍ୟ ଏସିଆ ଦେଇ ଯାତାୟାତ କରୁଥିଵା ଵିଦେଶୀ ଵଣିକମାନଙ୍କ ସମ୍ପର୍କରେ ଆସିଵା ଆରମ୍ଭ କରିଥିଲେ। ସେହି ଯାଯାବର ଵଣିକମାନେ ନିଜ ସାଥୀରେ ଏପରି ଏକ ଵସ୍ତ୍ର ଆଣୁଥିଲେ ଯାହାର ଚମକ, କୋମଳତା ଓ ଗୁଣଵତ୍ତା ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ତାହା ଥିଲା ରେଶମ ଵା Silk। ପ୍ରାଚୀନ କାଳରେ ରେଶମ କେଵଳ ଏକ କପଡ଼ା ନଥିଲା, ଏହା ଥିଲା କ୍ଷମତା ଏଵଂ ସାମାଜିକ ମର୍ଯ୍ୟାଦାର ଏକ ଶକ୍ତିଶାଳୀ ପ୍ରତୀକ। ଏହି ଅପୂର୍ଵ ତଥା ମୂଲ୍ୟଵାନ ଵସ୍ତ୍ର କେଉଁଠୁ ଆସୁଛି ବୋଲି ଯେତେବେଳେ କୌତୂହଳ ସୃଷ୍ଟି ହେଲା, ଵଣିକମାନେ ଉତ୍ତର ଦେଲେ ଯେ ଏହା ପୂର୍ଵ ଦିଗର ଏକ ଅତ୍ୟନ୍ତ ଵିଶାଳ ସାମ୍ରାଜ୍ୟରୁ ଆସୁଛି, ଯାହାକୁ 'ଚିନ୍' (Qin) ରାଜଵଂଶ ଶାସନ କରୁଛନ୍ତି।
ଏହିଠାରୁ ହିଁ ମାନଵ ସମାଜର ଭାଷାଗତ ଏଵଂ ମନସ୍ତାତ୍ୱିକ ଖେଳ ଆରମ୍ଭ ହୁଏ। ଭାରତୀୟ ପଣ୍ଡିତ ଓ ଵ୍ୟଵସାୟୀଙ୍କ ପାଇଁ ସେହି ସାମ୍ରାଜ୍ୟର ଆଭ୍ୟନ୍ତରୀଣ ରାଜନୀତି କିମ୍ଵା ସେମାନେ ନିଜକୁ 'ଝୋଙ୍ଗଗୁଓ' (ମଧ୍ୟଵର୍ତ୍ତୀ ରାଷ୍ଟ୍ର) ବୋଲି କହୁଛନ୍ତି କି ନାହିଁ, ତାହାର କୌଣସି ମୂଲ୍ୟ ନଥିଲା। ଏକ ଦୂରଵର୍ତ୍ତୀ ରାଷ୍ଟ୍ରକୁ ଚିହ୍ନିଵା ପାଇଁ Homo sapiens ସର୍ଵଦା ନିଜର ଜ୍ଞାତ ପରିସର ମଧ୍ୟରେ ଥିଵା ସବୁଠାରୁ ପ୍ରଭାଵଶାଳୀ ଉପାଦାନ ଉପରେ ନିର୍ଭର କରେ। ଭାରତୀୟମାନେ ତ ସେହି ଲୋକମାନଙ୍କୁ ଜାଣିଥିଲେ ଯେଉଁମାନେ ଶକ୍ତିଶାଳୀ ଥିଲେ ଏଵଂ ଯେଉଁମାନଙ୍କଠାରୁ ଏହି ମୂଲ୍ୟଵାନ ରେଶମ ଆସୁଥିଲା। ତେଣୁ ପ୍ରାଚୀନ ସଂସ୍କୃତ ଭାଷାରେ 'ଚିନ୍' ଶବ୍ଦରୁ ସ୍ୱାଭାଵିକ ଭାବରେ ଉତ୍ପନ୍ନ ହେଲା 'ଚୀନକ' (Cīnaka) ଏଵଂ 'ଚୀନ' (Cīna) ଶବ୍ଦ। ପ୍ରାରମ୍ଭିକ ପର୍ଯ୍ୟାୟରେ 'ଚୀନକ' ଶବ୍ଦଟି ମୁଖ୍ୟତଃ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସୁଥିଵା ଲୋକମାନଙ୍କୁ କିମ୍ଵା ସେଠାରେ ଉତ୍ପାଦିତ ହେଉଥିଵା ସାମଗ୍ରୀକୁ ବୁଝାଇଵା ପାଇଁ ଏକ ଵିଶେଷଣ ଭାବରେ ଵ୍ୟଵହାର କରାଯାଉଥିଲା।
ଧୀରେ ଧୀରେ, ଆମ ମସ୍ତିଷ୍କର ସେହି ଅଦ୍ଭୁତ ସାମୂହିକ କଳ୍ପନା ପ୍ରକ୍ରିୟା ମାଧ୍ୟମରେ ଯେଉଁଥିରେ ଆମେ ଏକ ସମ୍ପୂର୍ଣ୍ଣ ଅଜଣା ଭୂଖଣ୍ଡକୁ ଗୋଟିଏ ଶବ୍ଦରେ ବାନ୍ଧିଦେଉ, ସେହି ଵିଶାଳ ପୂର୍ଵଦେଶୀୟ ରାଷ୍ଟ୍ରଟି ସମଗ୍ର ଭାରତୀୟ ଉପମହାଦେଶ ପାଇଁ 'ଚୀନ' ଦେଶରେ ପରିଣତ ହେଲା। ଏହି ନାମକରଣ କେଵଳ ବଜାର କିମ୍ଵା ଲୋକମୁଖରେ ସୀମିତ ହୋଇ ରହିନଥିଲା। ଏହା ଏତେ ଵ୍ୟାପକ ଭାବରେ ଗ୍ରହଣୀୟ ହୋଇଗଲା ଯେ, ଏହା ତତ୍କାଳୀନ ଭାରତୀୟ ଶାସ୍ତ୍ର ଓ ସାହିତ୍ୟରେ ଏକ ସାମୂହିକ ସତ୍ୟ ରୂପେ ଲିପିବଦ୍ଧ ହେଲା। ପ୍ରାଚୀନ ଭାରତର ଦୁଇ ମହାନ ମହାକାଵ୍ୟ 'ମହାଭାରତ' ଓ 'ରାମାୟଣ'ରେ ଏହି ଦୂରଵର୍ତ୍ତୀ ରାଷ୍ଟ୍ର ଏଵଂ ତାହାର ଅଧିଵାସୀମାନଙ୍କର ସ୍ପଷ୍ଟ ଉଲ୍ଲେଖ ରହିଛି। ଉଦାହରଣ ସ୍ୱରୂପ, ମହାଭାରତର ଆଦି ପର୍ଵ ଓ ସଭା ପର୍ଵରେ 'ଚୀନ'ମାନଙ୍କୁ ଏକ ଵିଦେଶୀ ଯୋଦ୍ଧା ଜାତି ଭାବରେ ଵର୍ଣ୍ଣନା କରାଯାଇଛି ଯେଉଁମାନେ ଭାରତଵର୍ଷର ଉତ୍ତର-ପୂର୍ଵ ସୀମାନ୍ତରେ ଵାସ କରୁଥିଲେ ଏଵଂ ଅନେକ ସମୟରେ ଉପହାର ସ୍ୱରୂପ ମୂଲ୍ୟଵାନ ରେଶମ ଵସ୍ତ୍ର ନେଇ ଆସୁଥିଲେ।
ରାଜନୀତି ଓ ଅର୍ଥନୀତିର ପ୍ରାଚୀନ ଶ୍ରେଷ୍ଠ ଗ୍ରନ୍ଥ କୌଟିଲ୍ୟଙ୍କ 'ଅର୍ଥଶାସ୍ତ୍ର'ରେ ମଧ୍ୟ ଵାଣିଜ୍ୟିକ ସାମଗ୍ରୀର ଵିଵରଣୀ ଦେଵାବେଳେ 'ଚୀନପଟ୍ଟ' ଶବ୍ଦର ଉଲ୍ଲେଖ କରାଯାଇଛି। ସଂସ୍କୃତରେ ଏହାର ସିଧାସଳଖ ଅର୍ଥ ହେଉଛି ଚୀନ ଦେଶରୁ ଉତ୍ପନ୍ନ ହୋଇଥିଵା ପଟ୍ଟଵସ୍ତ୍ର ଵା ରେଶମ କପଡ଼ା। ଏହି ଐତିହାସିକ ତଥ୍ୟରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୁଏ ଯେ, ଖ୍ରୀଷ୍ଟପୂର୍ଵ ଶତାବ୍ଦୀର ଶେଷ ଆଡ଼କୁ ଭାରତୀୟ ସମାଜରେ ରେଶମ କପଡ଼ା ଏତେ ମାତ୍ରାରେ ଲୋକପ୍ରିୟ ହୋଇସାରିଥିଲା ଯେ, ଏହାର ଉତ୍ପତ୍ତି ସ୍ଥଳର ନାମ ହିଁ ଏହାର ପରିଚୟ ପାଲଟି ଯାଇଥିଲା। ପରଵର୍ତ୍ତୀ କାଳରେ ରଚିତ ହୋଇଥିଵା ଅନେକ ସଂସ୍କୃତ କାଵ୍ୟ ଓ ନାଟକରେ 'ଚୀନାଂଶୁକ' ଶବ୍ଦର ଵ୍ୟଵହାର ଦେଖିଵାକୁ ମିଳେ, ଯାହା ଚୀନ ଦେଶରୁ ଆମଦାନୀ ହେଉଥିଵା ଉଚ୍ଚକୋଟୀର ମସୃଣ ଵସ୍ତ୍ରକୁ ବୁଝାଉଥିଲା।
ଏଠାରେ ଆମେ ଇତିହାସର ଏକ ଆଶ୍ଚର୍ଯ୍ୟଜନକ ଓ ରୋଚକ ଵିରୋଧାଭାସ ଦେଖିଵାକୁ ପାଉ। ମାନଵ ସମାଜ କିପରି ସାମୂହିକ କଳ୍ପନା ଓ ଅଜ୍ଞାନତା ଉପରେ ନିର୍ଭର କରି ଗଢ଼ି ଉଠିଛି, ତାହାର ଏହା ଏକ ଜୀଵନ୍ତ ଉଦାହରଣ। ଗୋଟିଏ ପଟେ ପୀତ ନଦୀ ଉପତ୍ୟକାର ଅଧିଵାସୀମାନେ ନିଜକୁ କ୍ରମାଗତ ଭାଵେ 'ହାନ' (Han), 'ଟାଙ୍ଗ' (Tang) ଵା 'ମିଙ୍ଗ' (Ming) ରାଜଵଂଶର ପ୍ରଜା ବୋଲି ଭାବୁଥିଲେ। ସେମାନେ ନିଜ ରାଷ୍ଟ୍ରକୁ ସମଗ୍ର ଦୁନିଆର କେନ୍ଦ୍ର 'ଝୋଙ୍ଗଗୁଓ' (ମିଡିଲ୍ କିଙ୍ଗଡମ୍) ବୋଲି ଦୃଢ଼ ଭାବରେ ଵିଶ୍ୱାସ କରୁଥିଲେ ଏଵଂ ଅଵଶିଷ୍ଟ ଵିଶ୍ୱକୁ ଅସଭ୍ୟ ବୋଲି ହେୟଜ୍ଞାନ କରୁଥିଲେ। ସେମାନେ ଆଦୌ ଜାଣିନଥିଲେ ଯେ ଵିଶାଳ ପର୍ଵତମାଳାର ସେପାରିରେ ଥିଵା ଏକ ଅତ୍ୟନ୍ତ ଉନ୍ନତ ସଭ୍ୟତା ସେମାନଙ୍କ ଅଜାଣତରେ ସେମାନଙ୍କୁ ସମ୍ପୂର୍ଣ୍ଣ ଏକ ଅଲଗା ନାମ ଦେଇସାରିଛି। ଯେଉଁ ଚିନ୍ ରାଜଵଂଶ ମାତ୍ର ପନ୍ଦର ଵର୍ଷ ଶାସନ କରି ଵିଲୋପ ହୋଇଯାଇଥିଲା, ସେହି ରାଜଵଂଶ ପତନ ହେଵାର ଶହ ଶହ ଵର୍ଷ ପରେ ମଧ୍ୟ ଭାରତୀୟମାନେ ସେହି ଵିଶାଳ ଦେଶକୁ 'ଚୀନ' ନାମରେ ହିଁ ଜାଣିଥିଲେ। କାରଣ ମଣିଷର ମସ୍ତିଷ୍କ ଥରେ ଏକ ନାମକୁ ନିଜର ଭାଷାଗତ ଓ ସାଂସ୍କୃତିକ ଢାଞ୍ଚାରେ ଵାସ୍ତଵିକତା ରୂପେ ଗ୍ରହଣ କରିନେଲେ ତାହାକୁ ସହଜରେ ପରିଵର୍ତ୍ତନ କରେ ନାହିଁ। ଆଭ୍ୟନ୍ତରୀଣ ରାଜନୈତିକ ଵାସ୍ତଵିକତା ଯାହା ହେଉନା କାହିଁକି, ଭାରତୀୟମାନଙ୍କ ପାଇଁ ପୂର୍ଵ ଦିଗର ସେହି ରହସ୍ୟମୟ ଦେଶର ଏକମାତ୍ର ସ୍ଥାୟୀ ପରିଚୟ 'ଚୀନ' ହିଁ ରହିଥିଲା।
କାଳକ୍ରମେ ଦୁଇ ମହାନ ସଭ୍ୟତା ମଧ୍ୟରେ ସମ୍ପର୍କ ଅଧିକ ଘନିଷ୍ଠ ହେଲା। ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଫଳରେ ଅନେକ ଭାରତୀୟ ଭିକ୍ଷୁ ଓ ପଣ୍ଡିତ ଦୁର୍ଗମ ପାର୍ଵତ୍ୟ ପଥ ଦେଇ ତଥା କଳିଙ୍ଗ ଦେଶରୁ ସମୁଦ୍ର ଯାତ୍ରା କରି ଏହି ଚୀନ ଦେଶକୁ ଯାତ୍ରା କଲେ ଏଵଂ ସେଠାକାର ଅନେକ ଜିଜ୍ଞାସୁ ପରିଵ୍ରାଜକ ଓ ଶ୍ରମଣ ସତ୍ୟର ସନ୍ଧାନରେ ଭାରତ ଆସିଲେ। ଏହି ନିରନ୍ତର ଧାର୍ମିକ, ଦାର୍ଶନିକ ଓ ସାଂସ୍କୃତିକ ଆଦାନପ୍ରଦାନ ଫଳରେ 'ଚୀନ' ଶବ୍ଦଟି ଭାରତୀୟ ମାନସପଟରେ ଅଧିକରୁ ଅଧିକ ସଶକ୍ତ ହୋଇଗଲା।
Homo sapiensମାନେ କେବେହେଲେ ବି ଗୋଟିଏ ସ୍ଥାନରେ କିମ୍ବା ଗୋଟିଏ ସୀମାରେଖା ଭିତରେ ଆବଦ୍ଧ ହୋଇ ରହିପାରନ୍ତି ନାହିଁ। ଆମ ମସ୍ତିଷ୍କରେ ଥିଵା ଅସରନ୍ତି କୌତୂହଳ ଏଵଂ ସାମଗ୍ରୀ ପାଇଵାର ଲାଳସା ଆମକୁ ସମଗ୍ର ପୃଥିଵୀରେ ବୁଲିଵାକୁ ବାଧ୍ୟ କରିଛି। ହଜାର ହଜାର ଵର୍ଷ ଧରି ମଣିଷର ଏହି ଅନ୍ୱେଷଣ ଏକ ଵିଶ୍ୱଵ୍ୟାପୀ ନେଟୱର୍କ ସୃଷ୍ଟି କରିଥିଲା। ପ୍ରାଚୀନ କାଳର ସେହି ବିଖ୍ୟାତ ରେଶମ ମାର୍ଗ ଏଵଂ ଭାରତ ମହାସାଗରର ଦୁର୍ଗମ ସାମୁଦ୍ରିକ ପଥଗୁଡ଼ିକ କେଵଳ ପଣ୍ୟଦ୍ରଵ୍ୟ ପରିଵହନର ମାଧ୍ୟମ ନଥିଲା ଵରଂ ଏଗୁଡ଼ିକ ଆଜିର ଆଧୁନିକ ଇଣ୍ଟରନେଟ୍ ଭଳି କାମ କରୁଥିଲା। ଏହି ପଥ ଦେଇ କେଵଳ ରେଶମ, ମସଲା କିମ୍ବା ସୁନା ରୂପା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉନଥିଲା ଵରଂ ଏହା ସହିତ ଯାତ୍ରା କରୁଥିଲା ମଣିଷର ଵିଚାର, କାହାଣୀ, ଧର୍ମ ଏଵଂ ସର୍ଵୋପରି ନୂତନ ଶବ୍ଦ। ପ୍ରାଚୀନ ଭାରତୀୟମାନେ ନିଜର ସାଂସ୍କୃତିକ ଓ ଵାଣିଜ୍ୟିକ ପ୍ରୟୋଜନ ପାଇଁ ପୂର୍ଵ ଦିଗର ସେହି ଵିଶାଳ ତଥା ରହସ୍ୟମୟ ସାମ୍ରାଜ୍ୟକୁ ଯେଉଁ 'ଚୀନ' ଵା 'ଚୀନକ' ନାମ ଦେଇଥିଲେ, ତାହା ଏବେ ନିଜର ଜନ୍ମସ୍ଥାନ ଛାଡି ଏକ ସୁଦୀର୍ଘ ଵିଶ୍ୱଵ୍ୟାପୀ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା।
ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତର ବଜାରଗୁଡ଼ିକରେ ଆରବ ଓ ପାରସ୍ୟ ଦେଶର ଵଣିକମାନଙ୍କର ପ୍ରବଳ ଭିଡ଼ ଜମୁଥିଲା। ସେମାନେ ସମୁଦ୍ର ଓ ମରୁଭୂମି ପାର ହୋଇ ଭାରତରୁ ମସଲା, ସୁଗନ୍ଧିତ ଦ୍ରଵ୍ୟ ଓ ଉନ୍ନତ ସୂତାଲୁଗା ସଂଗ୍ରହ କରିଵାକୁ ଆସୁଥିଲେ। ସେହି ବଜାରଗୁଡ଼ିକରେ ସେମାନେ ପ୍ରଥମ ଥର ପାଇଁ ପୂର୍ଵ ଦିଗରୁ ଆସିଥିଵା ସେହି ଚମତ୍କାର, ମସୃଣ ଓ ବହୁମୂଲ୍ୟ ରେଶମ ଵସ୍ତ୍ର ଦେଖିଵାକୁ ପାଇଲେ। ଯେତେବେଳେ ସେହି ଵିଦେଶୀ ଵଣିକମାନେ ଏହି ଅପୂର୍ଵ ଵସ୍ତ୍ରର ଉତ୍ସ ସମ୍ପର୍କରେ ଭାରତୀୟ ଵ୍ୟଵସାୟୀମାନଙ୍କୁ ପ୍ରଶ୍ନ କଲେ, ସେତେବେଳେ ଭାରତୀୟମାନେ ସେମାନଙ୍କୁ ସେହି 'ଚୀନ' ଦେଶର କଥା କହିଲେ। ଏହିପରି ଭାବରେ ପ୍ରାଚୀନ ସଂସ୍କୃତ ଶବ୍ଦଟି ମଧ୍ୟପ୍ରାଚ୍ୟର ଭାଷାଗୁଡ଼ିକରେ ପ୍ରଵେଶ କଲା। ପାରସ୍ୟ ଭାଷାରେ ଏହା ରୂପାନ୍ତରିତ ହେଲା 'ଚୀନ୍' (Chin)ରେ ଏଵଂ ଆରବୀୟ ଭାଷାରେ ଏହା ପାଲଟିଗଲା 'ଅସ୍-ସୀନ୍' (as-Sin)। ଆରବର ନାଵିକ ଏଵଂ ମରୁଭୂମିର ଵଣିକମାନେ ଯେତେବେଳେ ନିଜର ଓଟ ପିଠିରେ ତଥା ଜାହାଜରେ ଏହି ମୂଲ୍ୟଵାନ ସାମଗ୍ରୀ ଲଦି ନିଜ ଦେଶକୁ ଫେରିଲେ, ସେମାନେ ନିଜ ସାଥୀରେ କେଵଳ ଭୌତିକ ସମ୍ପଦ ନୁହେଁ ଵରଂ ଏକ ଦୂରଵର୍ତ୍ତୀ ଭୂଖଣ୍ଡର ନୂତନ ପରିଚୟ ମଧ୍ୟ ନେଇକରି ଗଲେ। ଇସ୍ଲାମିକ୍ ସୁଵର୍ଣ୍ଣ ଯୁଗର ପ୍ରସିଦ୍ଧ ପଣ୍ଡିତ, ଭୂଗୋଳଵିତ୍ ଓ ଐତିହାସିକମାନେ ନିଜର ମାନଚିତ୍ର ତଥା ଗ୍ରନ୍ଥଗୁଡ଼ିକରେ ଏହି ଵିଶାଳ ପୂର୍ଵ ସାମ୍ରାଜ୍ୟକୁ ସେହି ନାମରେ ହିଁ ଲିପିବଦ୍ଧ କରିଵା ଆରମ୍ଭ କଲେ।
ଏହା ପରେ ଆରମ୍ଭ ହେଲା ୟୁରୋପୀୟମାନଙ୍କର ଵିଶ୍ୱ ଅନ୍ୱେଷଣ ଓ ଆଵିଷ୍କାରର ଯୁଗ। ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଯେତେବେଳେ ପର୍ତ୍ତୁଗୀଜ୍ ନାଵିକମାନେ ଆଫ୍ରିକା ମହାଦେଶକୁ ପ୍ରଦକ୍ଷିଣ କରି ଭାରତ ମହାସାଗରରେ ପ୍ରବେଶ କଲେ, ସେତେବେଳେ ସେମାନେ ଏକ ବିଶାଳ ଓ ଜଟିଳ ଵାଣିଜ୍ୟିକ ଦୁନିଆର ସମ୍ମୁଖୀନ ହେଲେ। ସେମାନେ ଦେଖିଲେ ଯେ ଭାରତୀୟ ଉପମହାଦେଶ ଓ ମାଳୟ ଉପଦ୍ୱୀପର ଲୋକମାନେ ପୂର୍ଵ ଦିଗର ସେହି ଵିଶାଳ ସାମ୍ରାଜ୍ୟ ସହିତ ବହୁଳ ଭାବରେ ଵାଣିଜ୍ୟ କରୁଛନ୍ତି ଏବଂ ସେଠାକାର ସମସ୍ତ ସ୍ଥାନୀୟ ଲୋକ ସେହି ଦେଶକୁ 'ଚୀନ' କିମ୍ବା 'ଚିନା' ନାମରେ ହିଁ ଡାକୁଛନ୍ତି। ମାର୍କୋ ପୋଲୋଙ୍କ ଭଳି ପ୍ରାରମ୍ଭିକ ୟୁରୋପୀୟ ପରିଵ୍ରାଜକମାନେ ଉତ୍ତର ସ୍ଥଳପଥ ଦେଇ ଯାଇଥିଵାରୁ ସେଠାକାର ଅଞ୍ଚଳକୁ 'Cathay' ବୋଲି ଡାକୁଥିଲେ, କିନ୍ତୁ ସାମୁଦ୍ରିକ ପଥରେ ଆସିଥିଵା ନୂତନ ୟୁରୋପୀୟ ଅନୁସନ୍ଧାନକାରୀମାନେ ଭାରତୀୟ ସାଗରୀୟ ଶବ୍ଦାଵଳୀକୁ ହିଁ ଗ୍ରହଣ କଲେ। ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ପର୍ତ୍ତୁଗୀଜ୍ ଲେଖକ ଏବଂ ଅନୁସନ୍ଧାନକାରୀ ଯେପରିକି ଦୁଆର୍ତେ ବାର୍ବୋସା ଓ ଗାର୍ସିଆ ଦେ ଓର୍ତା ନିଜର ଯାତ୍ରା ଵିଵରଣୀରେ ଏହି ଶବ୍ଦଟିକୁ ରୋମାନ୍ ଲିପିରେ 'China' ବୋଲି ଲେଖିବା ଆରମ୍ଭ କଲେ। ଛାପାଖାନାର ଆଵିଷ୍କାର ସହିତ ଏହି ଯାତ୍ରା ଵିଵରଣୀଗୁଡ଼ିକ ଏଵଂ ନୂତନ ମାନଚିତ୍ରଗୁଡ଼ିକ ସମଗ୍ର ୟୁରୋପରେ ଵିପୁଳ ମାତ୍ରାରେ ପ୍ରସାରିତ ହେଲା। ଦେଖୁ ଦେଖୁ 'China' ଶବ୍ଦଟି ଇଂରାଜୀ, ସ୍ପେନିସ୍, ଡଚ୍, ପର୍ତ୍ତୁଗୀଜ୍ ଞ ଫରାସୀ ଆଦି ପ୍ରମୁଖ ୟୁରୋପୀୟ ଭାଷାରେ ଏକ ଗ୍ରହଣୀୟ ସତ୍ୟରେ ପରିଣତ ହୋଇଗଲା।
ଏଣେ ପୀତ ନଦୀ କୂଳରେ ଅଵସ୍ଥିତ ସେହି ଵିଶାଳ ସାମ୍ରାଜ୍ୟ ନିଜର ସେହି ପୁରାତନ ଆତ୍ମକେନ୍ଦ୍ରିକ କଳ୍ପନାରେ ବଞ୍ଚି ରହିଥିଲା। ସେମାନେ ଏବେ ବି ନିଜକୁ ଵିଶ୍ୱର ଏକମାତ୍ର କେନ୍ଦ୍ର 'ଝୋଙ୍ଗଗୁଓ' (ମିଡିଲ୍ କିଙ୍ଗଡମ୍) ଏଵଂ ନିଜ ସମ୍ରାଟଙ୍କୁ 'ସ୍ୱର୍ଗର ପୁତ୍ର' ଭାବରେ ମାନୁଥିଲେ। ସେମାନଙ୍କର ଵିଶ୍ୱଵ୍ୟଵସ୍ଥାରେ ଅନ୍ୟ କୌଣସି ଦେଶ ସେମାନଙ୍କ ସହିତ ସମାନ ନଥିଲେ ଵରଂ ସମସ୍ତେ ଥିଲେ ସେମାନଙ୍କର ଅଧୀନସ୍ଥ ଅଥଵା ଅସଭ୍ୟ ବର୍ବର। କିନ୍ତୁ ଊନବିଂଶ ଶତାବ୍ଦୀ ବେଳକୁ Homo sapiensର ଇତିହାସରେ ଏକ ନୂତନ ଏଵଂ ଅତ୍ୟନ୍ତ ଆକ୍ରାମକ କଳ୍ପିତ ଵାସ୍ତଵତାର ଉଦୟ ହୋଇସାରିଥିଲା— ତାହା ହେଉଛି ଆଧୁନିକ ୟୁରୋପୀୟ 'ଜାତୀୟ ରାଷ୍ଟ୍ର' ଵା Nation-State ଵ୍ୟଵସ୍ଥା। ୟୁରୋପୀୟମାନେ ସମଗ୍ର ପୃଥିଵୀକୁ ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମାରେଖା, ନିର୍ଦ୍ଦିଷ୍ଟ ସାର୍ଵଭୌମତ୍ୱ ଏଵଂ ନିର୍ଦ୍ଦିଷ୍ଟ ନାମ ଥିଵା ଦେଶଗୁଡ଼ିକରେ ଵିଭକ୍ତ କରିଵା ଆରମ୍ଭ କରିଦେଇଥିଲେ, ଯାହାକୁ ଇତିହାସକାରମାନେ Westphalian ଵ୍ୟଵସ୍ଥା କୁହନ୍ତି। ଯେତେବେଳେ ୟୁରୋପୀୟ ଶକ୍ତିମାନେ ନିଜର ଆଧୁନିକ ବନ୍ଧୁକ, ଵାଣିଜ୍ୟିକ ଚୁକ୍ତିନାମା ଏଵଂ ଔପନିବେଶିକ ଆକାଂକ୍ଷା ଧରି ଚୀନର ଉପକୂଳରେ ପହଞ୍ଚିଲେ, ସେତେବେଳେ ଏହି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ସାମୂହିକ କଳ୍ପନା ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ହେଲା।
ପ୍ରଥମେ ପ୍ରଥମେ ଚୀନର କିଙ୍ଗ୍ (Qing) ରାଜଵଂଶର ସମ୍ରାଟମାନେ ୟୁରୋପୀୟ ପ୍ରତିନିଧିମାନଙ୍କୁ କେଵଳ ସମୁଦ୍ର ଆରପାରିରୁ ଆସିଥିଵା ଅସଭ୍ୟ ବର୍ବର ବୋଲି ଭାବି ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ଚାହୁଁଥିଲେ ଯେ ୟୁରୋପୀୟମାନେ 'ଝୋଙ୍ଗଗୁଓ'ର ସମ୍ରାଟଙ୍କୁ ଵିଶ୍ୱର ସର୍ବୋଚ୍ଚ କ୍ଷମତା ଭାବରେ ସ୍ୱୀକାର କରନ୍ତୁ। କିନ୍ତୁ ଊନଵିଂଶ ଶତାବ୍ଦୀର ମଧ୍ୟଭାଗରେ ହୋଇଥିବା ଅଫିମ ଯୁଦ୍ଧ ଵା Opium Wars ଏଵଂ ତତ୍ଜନିତ ସାମରିକ ପରାଜୟଗୁଡ଼ିକ ସେମାନଙ୍କର ସେହି ହଜାର ହଜାର ଵର୍ଷର ପୁରାତନ ଅହଂକାରକୁ ଭାଙ୍ଗି ଚୂରମାର୍ କରିଦେଲା। ଵାସ୍ତଵିକତାର କଠୋର ଆଘାତରେ ସେମାନେ ହୃଦୟଙ୍ଗମ କଲେ ଯେ ସେମାନେ ଆଉ ସମଗ୍ର ଵିଶ୍ୱର କେନ୍ଦ୍ର ନୁହଁନ୍ତି, ଵରଂ ଏକ ବିଶାଳ ପୃଥିଵୀର ଅନେକ ସାର୍ଵଭୌମ ଦେଶ ମଧ୍ୟରୁ କେଵଳ ଗୋଟିଏ ଦେଶ ମାତ୍ର। ଏହି ନୂତନ ପୁଞ୍ଜିଵାଦୀ ଓ ଔପନିଵେଶିକ ଵିଶ୍ୱ ଵ୍ୟଵସ୍ଥାରେ ତିଷ୍ଠି ରହିବାକୁ ହେଲେ ଏଵଂ ଅନ୍ୟ ଦେଶଗୁଡ଼ିକ ସହିତ ସମାନ ସ୍ତରରେ କୂଟନୈତିକ ସମ୍ପର୍କ ସ୍ଥାପନ କରିଵାକୁ ହେଲେ, ସେମାନଙ୍କୁ ନିଜର ଏକ ନିର୍ଦ୍ଦିଷ୍ଟ ଅନ୍ତର୍ଜାତୀୟ ଜାତୀୟ ପରିଚୟ ଗ୍ରହଣ କରିଵାକୁ ହିଁ ପଡ଼ିଵ।
ସେତେବେଳକୁ ସମଗ୍ର ଵିଶ୍ୱ ସେମାନଙ୍କୁ 'ଚାଇନା' (China) ବୋଲି ଡାକିଵା ଆରମ୍ଭ କରିସାରିଥିଲା। ଆନ୍ତର୍ଜାତିକ ଚୁକ୍ତିନାମାଗୁଡ଼ିକରେ ଦସ୍ତଖତ କରିଵା ସମୟରେ ଏଵଂ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ପତ୍ରାଳାପ କରିଵା ସମୟରେ ତତ୍କାଳୀନ ଶାସକମାନେ ବାଧ୍ୟ ହୋଇ ବାହାର ଦୁନିଆ ପାଇଁ ନିଜର ପରିଚୟକୁ ଏହି ନାମରେ ଗ୍ରହଣ କଲେ। ପରେ, ଵିଂଶ ଶତାବ୍ଦୀର ପ୍ରାରମ୍ଭରେ (୧୯୧୨ ମସିହାରେ) ଯେତେବେଳେ ସେଠାରେ ହଜାର ହଜାର ଵର୍ଷର ସାମ୍ରାଜ୍ୟଵାଦୀ ଶାସନର ପତନ ଘଟିଲା ଏଵଂ ଏକ ଆଧୁନିକ ଗଣତନ୍ତ୍ରର ପ୍ରତିଷ୍ଠା ହେଲା, ସେତେବେଳେ ସେମାନେ ଵିଧିଵଦ୍ଧ ଭାବରେ ନିଜ ଦେଶର ଇଂରାଜୀ ନାମକୁ 'Republic of China' ରୂପେ ଗ୍ରହଣ କଲେ। ଏହା ପରେ ୧୯୪୯ ମସିହାରେ କମ୍ୟୁନିଷ୍ଟ ଵିପ୍ଳଵ ପରେ ନୂତନ ସରକାର ନିଜର ଆନ୍ତର୍ଜାତିକ ନାମ 'People's Republic of China' ରଖିଲେ।
ଆଜିର ଦୁନିଆରେ 'ଚୀନ' ଵା 'China' ଶବ୍ଦଟି ଏତେ ସ୍ୱାଭାଵିକ ଓ ସାଧାରଣ ମନେହୁଏ ଯେ ଏହା ପଛରେ କେତେ ବଡ଼ ମାନଵୀୟ ନାଟକ ଓ ଵିଵର୍ତ୍ତନ ଲୁଚି ରହିଛି ତାହା ଆମେ ଭାବି ନଥାଉ । ନିଜ ଦେଶ ଭିତରେ, ଆଜି ମଧ୍ୟ ସେଠାକାର ଅଧିଵାସୀମାନେ ମାଣ୍ଡାରିନ୍ ଭାଷାରେ ନିଜ ଦେଶକୁ 'ଝୋଙ୍ଗଗୁଓ' ବୋଲି ହିଁ କୁହନ୍ତି ଏଵଂ ନିଜକୁ 'ଝୋଙ୍ଗଗୁଓରେନ୍' କୁହନ୍ତି, କିନ୍ତୁ ବାହାର ଦୁନିଆ ପାଇଁ, ମିଳିତ ଜାତିସଂଘ ପାଇଁ ଏଵଂ ବିଶ୍ୱ ଅର୍ଥନୀତି ପାଇଁ ସେମାନେ ହେଉଛନ୍ତି 'ଚାଇନିଜ୍' ଏଵଂ ସେମାନଙ୍କର ଦେଶ ହେଉଛି 'ଚାଇନା'।
ଏହା ହିଁ ହେଉଛି Homo sapiensର କଳ୍ପନା ଶକ୍ତି ଏଵଂ ସାମୂହିକ ଵିଶ୍ୱାସର ସବୁଠାରୁ ବଡ଼ ପ୍ରମାଣ। ଗୋଟିଏ ନାମ, ଯାହା ପ୍ରଥମେ ଖ୍ରୀଷ୍ଟପୂର୍ଵ ତୃତୀୟ ଶତାବ୍ଦୀରେ ମାତ୍ର ପନ୍ଦର ଵର୍ଷ ଶାସନ କରିଥିଵା ଏକ ରାଜଵଂଶରୁ (ଚିନ୍) ସୃଷ୍ଟି ହୋଇଥିଲା, ଯାହାକୁ ପ୍ରାଚୀନ ଭାରତୀୟମାନେ ସଂସ୍କୃତ ରୂପ ଦେଇଥିଲେ, ଯାହାକୁ ଆରବୀୟ ଵଣିକମାନେ ମରୁଭୂମି ଓ ସମୁଦ୍ର ପାର କରାଇଥିଲେ ଏଵଂ ଯାହାକୁ ୟୁରୋପୀୟ ନାଵିକମାନେ ଛାପାଖାନା ମାଧ୍ୟମରେ ଏକ ଆନ୍ତର୍ଜାତିକ ସ୍ୱୀକୃତି ପ୍ରଦାନ କରିଥିଲେ— ତାହା ଶେଷରେ ଵିଶ୍ୱର ସବୁଠାରୁ ଜନବହୁଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଵିଶାଳ ଜାତିର ସ୍ଥାୟୀ ପରିଚୟରେ ପରିଣତ ହେଲା। ମାନଵ ସମାଜରେ ସତ୍ୟ ଵା ଵାସ୍ତଵିକତା କେଵଳ ତାହା ନୁହେଁ ଯାହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିଜ ଵିଷୟରେ ଦାବି କରେ ଵରଂ ପ୍ରକୃତ ଵାସ୍ତଵିକତା ହେଉଛି ତାହା ଯାହା ଉପରେ ସମଗ୍ର ଵିଶ୍ୱ ସାମୂହିକ ଭାବରେ ଵିଶ୍ୱାସ କରେ। ଯେତେବେଳେ କୋଟି କୋଟି ମଣିଷ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ 'ଚୀନ' ବୋଲି ଵିଶ୍ୱାସ କଲେ, ସେତେବେଳେ ସେହି ଵିଶାଳ ସାମ୍ରାଜ୍ୟକୁ ମଧ୍ୟ ନିଜର ପ୍ରାଚୀନ ଆତ୍ମକେନ୍ଦ୍ରିକ ଅହଂକାରକୁ ପଛରେ ପକାଇ ଏହି ଵିଶ୍ୱଵ୍ୟାପୀ କଳ୍ପିତ ସତ୍ୟକୁ ନିଜର ଆନ୍ତର୍ଜାତିକ ପରିଚୟ ବୋଲି ଗ୍ରହଣ କରିଵାକୁ ପଡ଼ିଲା। ଇତିହାସର ଏହି ଦୀର୍ଘ ତଥା ରୋମାଞ୍ଚକର ଯାତ୍ରା ପ୍ରମାଣ କରେ ଯେ ଆମେ ସମସ୍ତେ କେଵଳ ଅସ୍ତ୍ରଶସ୍ତ୍ର କିମ୍ବା ଵାଣିଜ୍ୟ ଦ୍ୱାରା ନୁହେଁ ଵରଂ ଶବ୍ଦ, କାହାଣୀ ଏଵଂ ପାରସ୍ପରିକ ଵିଶ୍ୱାସର ଏକ ଵିଶାଳ ଅଦୃଶ୍ୟ ଜାଲ ଦ୍ୱାରା ପରସ୍ପର ସହ ଗଭୀର ଭାବରେ ବନ୍ଧା ହୋଇ ରହିଛୁ।
No comments:
Post a Comment