My Blog List
Tuesday, July 21, 2026
ଷ୍ଟାର୍ଡଷ୍ଟ୍ରୁ ଡଷ୍ଟ୍ ମାଇଟ୍ ପର୍ଯ୍ୟନ୍ତ ଧୂଳିକଣାର ମହାଯାତ୍ରାର କାହାଣୀ
Monday, July 20, 2026
ଓଡ଼ିସି ମହାକାଵ୍ୟର ଭୌଗୋଳିକ ଵାସ୍ତଵତା ଓ ଭୂମଧ୍ୟସାଗରୀୟ ମାନଚିତ୍ର ଥିଓରୀ
ହୋମରଙ୍କ ଅମର ସୃଷ୍ଟି 'ଓଡ଼ିସି' ମହାକାଵ୍ୟରେ ଵର୍ଣ୍ଣିତ ଓଡ଼େଶିଅସ୍ଙ୍କ ଦୁଃସାହସିକ ଯାତ୍ରାକୁ ନେଇ ଅନେକ Theory ରହିଛି ତେବେ ତନ୍ମଧ୍ୟରେ ସବୁଠାରୁ ଅଧିକ ଗ୍ରହଣୀୟ ଵୈଜ୍ଞାନିକ ଭିତ୍ତିଭୂମି ଥିଵା ମତଵାଦଟି ଭୌଗୋଳିକ ଵାସ୍ତଵତା ଏଵଂ ଭୂମଧ୍ୟସାଗରୀୟ ମାନଚିତ୍ର ଥିଓରୀ ଅଟେ । ଏହି ଥିଓରୀର ମୂଳ ଦାବି ହେଉଛି ଯେ ହୋମର ନିଜ କାଵ୍ୟରେ ଯେଉଁ ସବୁ ସ୍ଥାନ, ଦ୍ୱୀପ, ପ୍ରମତ୍ତ ପାହାଡ଼ ଏଵଂ ଵିପଜ୍ଜନକ ସାମୁଦ୍ରିକ ସ୍ରୋତର ଉଲ୍ଲେଖ କରିଛନ୍ତି, ସେଗୁଡ଼ିକ କୌଣସି ମନଗଢ଼ା କଳ୍ପନା ନୁହେଁ। ଵରଂ ସେଗୁଡ଼ିକ ପ୍ରକୃତରେ ଭୂମଧ୍ୟସାଗରର ପରିସୀମା ମଧ୍ୟରେ ଅଵସ୍ଥିତ ଥିଵା ଵାସ୍ତଵ ସ୍ଥାନ। ହୋମରଙ୍କ ପୂର୍ଵରୁ ଏହି କାର୍ଯ୍ୟ ଭାରତରେ ମହାକଵି ବାଲ୍ମିକୀ 'ରାମାୟଣ' ମହାକାଵ୍ୟ ତଥା ଭଗଵାନ ଵ୍ୟାସଦେଵ ପଞ୍ଚମଵେଦ 'ମହାଭାରତ' ମହାଗ୍ରନ୍ଥ ରଚି ପୂର୍ଵରୁ ହିଁ କରି ସାରିଥିଲେ । ହୋମର କେଵଳ ତହିଁର ଅନୁକରଣରେ ଗ୍ରୀସ୍ ଓ ଏହାର ଆଖପାଖର ଦେଶର ଉଲ୍ଲେଖ ତଥା ସେସମୟର କେତେକ ଘଟଣା ସହିତ ମିଶାଇ କଳ୍ପନାର ପୁଟ ଦେଇ ଓଡ଼ିସିର ରଚନା କରିଥିଲେ।
ପ୍ରାଚୀନ କାଳର ପ୍ରସିଦ୍ଧ ଗ୍ରୀକ୍ ଐତିହାସିକ ପଲିଭିଅସ୍ ଏଵଂ ଭୂଗୋଳଵିତ୍ ଷ୍ଟ୍ରାବୋଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗର ନୌଚାଳକ ତଥା ଗଵେଷକ ଅର୍ନଲ୍ ବ୍ରାଡଫୋର୍ଡଙ୍କ ପର୍ଯ୍ୟନ୍ତ ଅନେକ ଵିଦ୍ୱାନ ଏହି "ଭୂମଧ୍ୟସାଗରୀୟ ମାନଚିତ୍ର ଥିଓରୀ" ମତକୁ ପ୍ରମାଣିତ କରିଵା ପାଇଁ ଵ୍ୟପକ ପ୍ରୟାସ କରିଛନ୍ତି। ସେମାନଙ୍କ ମତରେ, ବ୍ରୋଞ୍ଜ ଯୁଗର ଶେଷ ଭାଗରେ ଗ୍ରୀକ୍ ନାଵିକମାନେ ଭୂମଧ୍ୟସାଗରର ଅଜଣା ଅଞ୍ଚଳ ଆଡ଼କୁ ଯେଉଁ ନୂତନ ସାମୁଦ୍ରିକ ପଥ ଆଵିଷ୍କାର କରୁଥିଲେ, ଓଡ଼ିସି ହେଉଛି ସେହି ସାମୁଦ୍ରିକ ଅନୁଭୂତି ଓ ଜ୍ଞାନର ଏକ କାଵ୍ୟିକ ରୂପାନ୍ତର।ଓଡ଼େଶିଅସ୍ଙ୍କ ଯାତ୍ରାର ପ୍ରତ୍ୟେକଟି ପର୍ଯ୍ୟାୟକୁ ଯଦି ଆଧୁନିକ ନୌଚାଳନା ମାନଚିତ୍ର ସହ ମିଳାଇ ଦେଖାଯାଏ, ତେବେ ହୋମରଙ୍କ ଭୌଗୋଳିକ ଜ୍ଞାନର ଯଥାର୍ଥତା ଦେଖି ଵିସ୍ମିତ ହେଵାକୁ ପଡ଼େ।
ଓଡ଼େଶିଅସ୍ଙ୍କ ଯାତ୍ରା ପ୍ରଥମେ ଅତି ସ୍ୱାଭାଵିକ ଭାବରେ ଆରମ୍ଭ ହୋଇଥିଲା। ଟ୍ରୟ ଯୁଦ୍ଧ ଜିତିଵା ପରେ ସେ ନିଜର ବାରୋଟି ଜାହାଜ ସହ ଆଧୁନିକ ତୁର୍କୀ ଉପକୂଳରୁ ବାହାରି ଥ୍ରେସ୍ ଅଞ୍ଚଳର ଇସ୍ମାରସ୍ରେ ପହଞ୍ଚିଥିଲେ, ଯାହାକୁ ଓଡ଼ିସିରେ ସିକୋନେସ୍ ଦେଶ ବୋଲି କୁହାଯାଇଛି। ଏହି ସ୍ଥାନଟି ପ୍ରକୃତରେ ଏଜିଆନ୍ ସାଗରର ଉତ୍ତର ଉପକୂଳରେ ଅଵସ୍ଥିତ। ଏହାପରେ ଯେତେବେଳେ ସେମାନେ ଗ୍ରୀକ୍ର ଦକ୍ଷିଣ ଭାଗରେ ଥିଵା କେପ୍ ମାଲିଆ ଵା ମାଲିଆ ଅନ୍ତରୀପ ଅତିକ୍ରମ କରି ନିଜ ରାଜ୍ୟ ଇଥାକା ଆଡ଼କୁ ଯିଵାକୁ ଚେଷ୍ଟା କଲେ, ସେତେବେଳେ ପ୍ରକୃତି ସେମାନଙ୍କ ପଥ ଓଲଟାଇ ଦେଇଥିଲା।
ହୋମର ଲେଖିଛନ୍ତି ଯେ ଉତ୍ତର ଦିଗରୁ ଆସିଥିଵା ଏକ ପ୍ରବଳ ବୋରିଆସ୍ ଵା ଉତ୍ତରା ପଵନ ସେମାନଙ୍କ ଜାହାଜକୁ ମୂଳ ପଥରୁ ବହୁ ଦୂରକୁ ଭସାଇ ନେଇଥିଲା। ନୌଚାଳନା ଵିଜ୍ଞାନ ଅନୁସାରେ, ମାଲିଆ ଅନ୍ତରୀପ ନିକଟରେ ଏଭଳି ପ୍ରଵଳ ପଵନ ଓ ସାମୁଦ୍ରିକ ସ୍ରୋତ ଆସିଵା ଅତି ସ୍ୱାଭାଵିକ ଘଟଣା ଯାହା ପ୍ରାଚୀନ କାଳର ପାଲଟଣା ଜାହାଜଗୁଡ଼ିକୁ ନିୟନ୍ତ୍ରଣ ବାହାରକୁ ନେଇଯାଉଥିଲା। ଏହି ଝଡ଼ ଓଡ଼େଶିଅସ୍ଙ୍କୁ କ୍ରମାଗତ ନଅ ଦିନ ଧରି ଭୂମଧ୍ୟସାଗରର ଦକ୍ଷିଣ ଓ ପଶ୍ଚିମ ଭାଗକୁ ଠେଲି ଦେଇଥିଲା, ଯାହାଫଳରେ ସେ ଗ୍ରୀକ୍ ଦୁନିଆର ଜଣାଶୁଣା ମାନଚିତ୍ରରୁ ବାହାରି ଏକ ସମ୍ପୂର୍ଣ୍ଣ ଅଜଣା ସାମୁଦ୍ରିକ ଜଗତରେ ପ୍ରବେଶ କରିଥିଲେ।
ନଅ ଦିନର ଭୟଙ୍କର ସାମୁଦ୍ରିକ ଝଡ଼ ପରେ ଓଡ଼େଶିଅସ୍ଙ୍କ ଜାହାଜ ଯେଉଁ ଲୋଟସ୍-ଭୋଜୀମାନଙ୍କ ଦେଶରେ ପହଞ୍ଚିଥିଲା ଗଵେଷକମାନେ ତାହାକୁ ଉତ୍ତର ଆଫ୍ରିକାର ଆଧୁନିକ ଟ୍ୟୁନିସିଆ ଉପକୂଳରେ ଥିଵା Djerba ଦ୍ୱୀପ ଭାବେ ଚିହ୍ନଟ କରିଛନ୍ତି। ହୋମରଙ୍କ ଵର୍ଣ୍ଣନା ଅନୁସାରେ ଏହି ଦ୍ୱୀପର ଅଧିଵାସୀମାନେ ଏକ ପ୍ରକାର ମିଠା ଫଳ ଖାଉଥିଲେ ଯାହାକୁ ଖାଇଵା ପରେ ଓଡ଼େଶିଅସ୍ଙ୍କ ସୈନ୍ୟମାନେ ନିଜର ଘର ଓ କର୍ତ୍ତଵ୍ୟ ଭୁଲି ସେହି ଦ୍ୱୀପରେ ରହିଯିଵାକୁ ଚାହିଁଲେ।
ହୋମରଙ୍କ ମହାକାଵ୍ୟରେ ଵର୍ଣ୍ଣିତ Lotus-eaterମାନେ ଖାଉଥିଵା ସେହି ରହସ୍ୟମୟ ଗଛକୁ ନେଇ ଉଦ୍ଭିଦ ଵିଜ୍ଞାନୀ ଓ ଐତିହାସିକମାନେ ଦୀର୍ଘ ଦିନ ଧରି ଵ୍ୟାପକ ଗଵେଷଣା କରିଛନ୍ତି। ସେମାନଙ୍କ ମତରେ ହୋମର ଵର୍ଣ୍ଣନା କରିଥିଵା ସେହି ପ୍ରକୃତ ଗଛଟି ସମ୍ଭଵତଃ Ziziphus lotus ହୋଇପାରେ ଯାହାକୁ ସାଧାରଣ ଭାବରେ Lotus jujube କୁହାଯାଏ । ଏହା ଆମ ଭାରତୀୟ ବରକୋଳି ଗଛର ଏକ ଜାତିଭାଇ ଅଟେ । Ziziphus lotus ନାମରେ lotus ଶବ୍ଦ ଥିଵାର କାରଣ ପଦ୍ମ ଫୁଲ ସହ ଏହାର ସମ୍ପର୍କ ନୁହେଁ। ପ୍ରାଚୀନ ଗ୍ରୀକ ଭାଷାରେ λωτός (lōtos) ଶବ୍ଦଟି ଵିଭିନ୍ନ ଉଦ୍ଭିଦ ପାଇଁ ଵ୍ୟଵହୃତ ହେଉଥିଲା। ହୋମରଙ୍କ Odysseyରେ ଉଲ୍ଲେଖିତ ରହସ୍ୟମୟ "lotus" ଉଦ୍ଭିଦକୁ ପରଵର୍ତ୍ତୀ କାଳରେ ଯେହେତୁ ଅନେକ ଉଦ୍ଭିଦଵିଦ୍ Ziziphus lotus ବୋଲି ଚିହ୍ନଟ କରିଥିଲେ ତେଣୁ ସେହି ପ୍ରାଚୀନ ପ୍ରଚଳିତ ନାମକୁ ଅନୁସରଣ କରି ଏହି ଉଦ୍ଭିଦଜାତିର ଵୈଜ୍ଞାନିକ ନାମ Ziziphus lotus ରଖାଯାଇଥିଲା।ଏହି Ziziphus lotus ଗଛଟି ମୁଖ୍ୟତଃ ଉତ୍ତର ଆଫ୍ରିକାର ଶୁଷ୍କ ଉପକୂଳଵର୍ତ୍ତୀ ଅଞ୍ଚଳ ଏଵଂ ଵିଶେଷ କରି ଟ୍ୟୁନିସିଆର 'ଡଜେରବା' ଦ୍ୱୀପରେ ପ୍ରଚୁର ପରିମାଣରେ ଦେଖିଵାକୁ ମିଳେ। ଏହା ଆମ ବରକୋଳି ଭଳି ଏକ କଣ୍ଟାଳିଆ ଛୋଟ ଵୃକ୍ଷ, ଯହିଁରେ ଛୋଟ ଛୋଟ ହଳଦିଆ-ଲାଲ୍ ରଙ୍ଗର ମିଠା ଫଳ ହୋଇଥାଏ। ପ୍ରାଚୀନ ଗ୍ରୀକ୍ ଐତିହାସିକ ହେରୋଡୋଟସଙ୍କ ଵର୍ଣ୍ଣନା ଅନୁସାରେ, ଏହି ଫଳର ସ୍ୱାଦ ପ୍ରାୟ ଖଜୁରି ଭଳି ମିଠା ଥିଲା ଏଵଂ ସ୍ଥାନୀୟ ଲୋକେ ଏହି ଫଳକୁ ଶୁଖାଇ, ଗୁଣ୍ଡ କରି ଏଥିରୁ ଏକ ପ୍ରକାର ଶକ୍ତିଶାଳୀ ଓ ନିଶାଦାୟକ ପାନୀୟ ଵା ମଦ ପ୍ରସ୍ତୁତ କରୁଥିଲେ। ଓଡ଼େଶିଅସ୍ଙ୍କ ନାଵିକମାନେ ଵାସ୍ତଵରେ ସେହି ପାନୀୟ କିମ୍ବା ଫଳର ବହୁଳ ସେଵନ ଯୋଗୁଁ ଅତ୍ୟନ୍ତ ମାତାଲ, ଶାନ୍ତ ଓ ଆତ୍ମଵିସ୍ମୃତ ହୋଇଯାଇଥିଲେ।
ଏହା ଵ୍ୟତୀତ କେତେକ ଆଧୁନିକ ଗଵେଷକ Nymphaea caerulea ଵା ମିଶରୀୟ ନୀଳ ପଦ୍ମକୁ ମଧ୍ୟ ଏକ ଵିକଳ୍ପ ଭାବେ ଦର୍ଶାନ୍ତି। ଯଦିଓ ଏହା ଏକ ପଦ୍ମ ଫୁଲ ଏଵଂ ଜଳଜ ଉଦ୍ଭିଦ, ଗଛ ନୁହେଁ, ତଥାପି ଏଥିରେ ଥିଵା ପ୍ରାକୃତିକ ନାଲକୋଟିକ୍ସ ଵା ଜୈଵିକ ଉପାଦାନ ମଣିଷ ମନରେ ଏକ ପ୍ରକାର ମାୟାବୀ ଶାନ୍ତି ଏଵଂ ସବୁକିଛି ଭୁଲାଇ ଦେବାର ସ୍ମୃତିହୀନ ପ୍ରଵୃତ୍ତି ସୃଷ୍ଟି କରିଥାଏ। କିନ୍ତୁ ହୋମରଙ୍କ କାଵ୍ୟରେ ଥିଵା 'ଗଛରୁ ଫଳ ଛିଣ୍ଡାଇ ଖାଇଵା' ଏଵଂ ଉତ୍ତର ଆଫ୍ରିକାର ଭୌଗୋଳିକ ସ୍ଥିତିକୁ ଆଧାର କରି, ଗଵେଷକମାନେ "Ziziphus lotus"କୁ ହିଁ ଓଡ଼ିସିର ସବୁଠାରୁ ପ୍ରକୃତ ଓ ଵାସ୍ତଵ ଗଛ ବୋଲି ସ୍ୱୀକାର କରନ୍ତି।
ତେବେ Djerba ଦ୍ଵୀପରୁ ବାହାରି ଓଡ଼େଶିଅସ୍ ସାଇକ୍ଲୋପ୍ସ 'ପଲିଫେମସ୍'ର ଦ୍ୱୀପରେ ପହଞ୍ଚିଥିଲେ। ଭୌଗୋଳିକ ଥିଓରୀ ଅନୁସାରେ ଏହି ସାଇକ୍ଲୋପ୍ସ ଦ୍ୱୀପଟି ଅନ୍ୟ କିଛି ନୁହେଁ ଵରଂ ଇଟାଲୀର ଦକ୍ଷିଣରେ ଥିବା ସମୃଦ୍ଧ ଦ୍ୱୀପ Sicily ଅଟେ । ମହାକାଵ୍ୟରେ ସାଇକ୍ଲୋପ୍ସମାନଙ୍କୁ ଵିରାଟକାୟ, ପଶୁପାଳକ ଏଵଂ ଗୁମ୍ଫାରେ ରହୁଥିଵା ବର୍ବର ଜନଜାତି ଭାବେ ଦର୍ଶାଯାଇଛି। ସିସିଲିର ଉପକୂଳଵର୍ତ୍ତୀ ଅଞ୍ଚଳରେ ଥିଵା ପ୍ରାକୃତିକ ପଥର ଗୁମ୍ଫା ଏଵଂ ସେଠାକାର ପ୍ରାଚୀନ ପଶୁପାଳନ ସଂସ୍କୃତି ହୋମରଙ୍କ ଏହି ଵର୍ଣ୍ଣନା ସହ ସମ୍ପୂର୍ଣ୍ଣ ମେଳ ଖାଏ। ଏପରିକି ପଲିଫେମସ୍, ଓଡ଼େଶିଅସ୍ଙ୍କ ଜାହାଜ ଉପରକୁ ଯେଉଁ ଵିଶାଳ ପଥର ଖଣ୍ଡଗୁଡ଼ିକୁ ଫିଙ୍ଗିଥିଲା, ତାହା ଆଜି ମଧ୍ୟ ସିସିଲିର Aci Castello ଉପକୂଳ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ବଡ଼ ବଡ଼ ଆଗ୍ନେୟ ପଥର ଖଣ୍ଡକୁ ସୂଚିତ କରେ ବୋଲି ଗଵେଷକମାନେ ମତ ଦିଅନ୍ତି ।
ସାଇକ୍ଲୋପ୍ସ 'ପଲିଫେମସ୍'ର ଦ୍ଵୀପରୁ ରକ୍ଷା ପାଇଵା ପରେ ଓଡ଼େଶିଅସ୍ ପଵନର ଦେଵତା ଏଓଲସଙ୍କ ଦ୍ୱୀପ ଏଓଲିଆରେ ପହଞ୍ଚିଥିଲେ, ଯାହାକୁ ଏକ ଭାସମାନ ଦ୍ୱୀପ ବୋଲି କୁହାଯାଇଛି। ଆଧୁନିକ ଭୂଗୋଳ ଅନୁସାରେ ଏହା ହେଉଛି ସିସିଲିର ଉତ୍ତରରେ ଥିଵା Aeolian Islands ଯାହା ମଧ୍ୟରେ ଆଧୁନିକ 'ଷ୍ଟ୍ରୋମ୍ବୋଲି' ଓ 'ଉଷ୍ଟିକା' ଦ୍ୱୀପ ଅଛି। ଏହି ଦ୍ୱୀପଗୁଡ଼ିକର ଚାରିପାଖରେ ଥିଵା ଉଚ୍ଚ କଳା ପଥରର ପ୍ରାକୃତିକ ପ୍ରାଚୀରକୁ ହୋମର ବ୍ରୋଞ୍ଜର କାନ୍ଥ ବୋଲି ଵର୍ଣ୍ଣନା କରିଛନ୍ତି। ଏହି ଅଞ୍ଚଳରେ ପଵନର ଗତି ଅତି ଦ୍ରୁତ ଓ ଅପ୍ରତ୍ୟାଶିତ ଭାବେ ବଦଳିଥାଏ ଯେଉଁଥିପାଇଁ ଏହାକୁ ପଵନର ଦେଵତାଙ୍କ ଵାସସ୍ଥାନ ବୋଲି କଳ୍ପନା କରାଯାଇଥିଲା। ଏଓଲସଙ୍କ ଦ୍ୱୀପରୁ ମିଳିଥିଵା ଅନୁକୂଳ ପଵନର ବ୍ୟାଗ୍କୁ ସୈନ୍ୟମାନେ ସୁନା ଭାବି ଖୋଲିଦେଵା ଯୋଗୁଁ ସେମାନେ ପୁଣି ଥରେ ଝଡ଼ର ସମ୍ମୁଖୀନ ହୋଇ ଲେଷ୍ଟ୍ରିଗୋନିଆନ୍ମାନଙ୍କ ଦେଶରେ ପହଞ୍ଚିଲେ। ହୋମର ଏହି ସ୍ଥାନର ଏକ ଚମତ୍କାର ଭୌଗୋଳିକ ଵର୍ଣ୍ଣନା ଦେଇଛନ୍ତି । ହୋମରଙ୍କ ଵର୍ଣ୍ଣନା ଅନୁସାରେ ଦୁଇଟି ଵିଶାଳ ପାହାଡ଼ ମଝିରେ ଏକ ସଂକୀର୍ଣ୍ଣ ସମୁଦ୍ର ପଥ ଅଛି ଏଵଂ ଭିତରେ ସମୁଦ୍ର ସମ୍ପୂର୍ଣ୍ଣ ଶାନ୍ତ ରହେ। ଗଵେଷକମାନେ ଏହି ଵର୍ଣ୍ଣନାକୁ Corsica ଦ୍ୱୀପର ଦକ୍ଷିଣରେ ଥିଵା Bonifacioର ପ୍ରାକୃତିକ ବନ୍ଦର ସହ ତୁଳନା କରନ୍ତି। ବୋନିଫାସିଓର ଉଚ୍ଚ ଧଳା ଚୂନପଥର ପାହାଡ଼ ଏଵଂ ସଂକୀର୍ଣ୍ଣ ପ୍ରଵେଶ ପଥ ଵାସ୍ତଵରେ ହୋମରଙ୍କ କାଵ୍ୟର ଏକ ଜୀଵନ୍ତ ରୂପ। ହୋମରଙ୍କ ଵର୍ଣ୍ଣନା ଅନୁସାରେ ଏଠାରେ ଵାସ କରୁଥିଵା ଲେଷ୍ଟ୍ରିଗୋନିଆନ୍ମାନେ ସାଧାରଣ ମଣିଷ ନଥିଲେ ଵରଂ ଵିରାଟକାୟ ନରଭକ୍ଷୀ ରାକ୍ଷସ ଥିଲେ। ଯେତେବେଳେ ଓଡ଼େଶିଅସ୍ଙ୍କ ଜାହାଜଗୁଡ଼ିକ ସେହି ସଂକୀର୍ଣ୍ଣ ବନ୍ଦର ଭିତରକୁ ପ୍ରଵେଶ କଲା ସେତେବେଳେ କେଵଳ ଓଡ଼େଶିଅସ୍ ନିଜ ଜାହାଜଟିକୁ ବାହାରେ ସୁରକ୍ଷିତ ଭାବେ ବାନ୍ଧି ରଖିଥିଲେ। କିନ୍ତୁ ଅନ୍ୟ ଏଗାରଟି ଜାହାଜ ବନ୍ଦର ଭିତରକୁ ଚାଲିଯାଇଥିଲା। ସେଠାକାର ରାକ୍ଷସମାନେ ପାହାଡ଼ ଉପରୁ ଵିରାଟ ଵିରାଟ ପଥର ଖଣ୍ଡ ଫିଙ୍ଗି ସେହି ଜାହାଜଗୁଡ଼ିକୁ ଚୂର୍ଣ୍ଣ କରିଦେଇଥିଲେ ଏଵଂ ଭାସି ଆସୁଥିଵା ନାଵିକମାନଙ୍କୁ ମାଛ ଧରିଲା ଭଳି ଶୂଳରେ ଗ୍ରାସ କରି ନିଜର ଗୁମ୍ଫାକୁ ନେଇ ଯାଇଥିଲେ। କେଵଳ ଓଡ଼େଶିଅସ୍ଙ୍କ ନିଜ ଜାହାଜଟି ବାହାରେ ଥିଵାରୁ ଏଵଂ ସେ ସ୍ଥିତି ବୁଝିପାରି ଶୀଘ୍ର ଦୌଡ଼ି ପଳାଇଵାରୁ ସେମାନେ ଏହି ଭୟଙ୍କର ନରଭକ୍ଷୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ। ଭୂଗୋଳ ଦୃଷ୍ଟିରୁ ଏହି ଵର୍ଣ୍ଣନା ପ୍ରାଚୀନ କାଳରେ ଭୂମଧ୍ୟସାଗରର କିଛି ଅଜଣା ଦ୍ୱୀପରେ ଵାସ କରୁଥିଵା ଆଦିମ, ହିଂସ୍ର ଓ ନରଭକ୍ଷୀ ଜନଜାତିଙ୍କ ସହ ସାମୁଦ୍ରିକ ନାଵିକମାନଙ୍କ ସଂଘର୍ଷର ଏକ ଵାସ୍ତଵ ପ୍ରତିଫଳନ ବୋଲି କୁହାଯାଏ।
ୟୁରୋପ ଓ ଭୂମଧ୍ୟସାଗରୀୟ ଅଞ୍ଚଳର କେତେକ ପ୍ରାଗୈତିହାସିକ (ପାଷାଣ ଯୁଗ କିମ୍ବା ପ୍ରାଥମିକ ବ୍ରୋଞ୍ଜ ଯୁଗ) ସ୍ଥାନରୁ ମିଳିଥିଵା ମାନଵ କଙ୍କାଳରେ ହାଡ଼ କାଟିଵା, ଭାଙ୍ଗିଵା କିମ୍ବା ପୋଡ଼ିଵାର ଚିହ୍ନ ମିଳିଛି। ଏଥିରୁ ପ୍ରମାଣିତ ହୁଏ ଯେ ଅତୀତର କେତେକ ଆଦିମ ସମୁଦାୟ ମଧ୍ୟରେ ନରଭକ୍ଷଣ ଵା Cannibalismର ଘଟଣା ଘଟିଥିଲା। କିନ୍ତୁ ଏହି ପ୍ରତ୍ନତାତ୍ତ୍ୱିକ ଆଵିଷ୍କାରଗୁଡ଼ିକ ସହ ହୋମରଙ୍କ କାଵ୍ୟର 'ଲେଷ୍ଟ୍ରିଗୋନିଆନ୍' ଚରିତ୍ରର କୌଣସି ସିଧାସଳଖ ସମ୍ପର୍କ ନାହିଁ। ସିସିଲି କିମ୍ବା ସାର୍ଡିନିଆ ଦ୍ୱୀପରେ ନରଭକ୍ଷୀମାନଙ୍କର ଏକ ନିର୍ଦ୍ଦିଷ୍ଟ ଜନଜାତି ଵା ସାମ୍ରାଜ୍ୟ ଥିଲା ବୋଲି କୌଣସି ଦୃଢ଼ ପ୍ରମାଣ ମାଟି ତଳୁ ମିଳିନାହିଁ। ପ୍ରାଚୀନ ଗ୍ରୀକ୍ ଇତିହାସକାର ଥୁସିଡିଡିସ୍ ତାଙ୍କ ଲେଖାରେ ସିସିଲିର ସବୁଠାରୁ ପୁରାତନ ବାସିନ୍ଦା ଭାବେ ଚିକ୍ଲୋପେସ୍ ଓ ଲେଷ୍ଟ୍ରିଗୋନେସ୍ଙ୍କ ନାମ ଉଲ୍ଲେଖ କରିଛନ୍ତି। ତେବେ, ସେ ସେମାନଙ୍କର ପ୍ରକୃତ ଐତିହାସିକ ଅସ୍ତିତ୍ୱକୁ ସ୍ୱୀକାର ଵା ପ୍ରମାଣ କରିନାହାନ୍ତି। ସେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ଏହା କେଵଳ କାଵ୍ୟିକ ପରମ୍ପରା ଓ ପ୍ରଚଳିତ ଜନଶ୍ରୁତି ଉପରେ ଆଧାରିତ ଏଵଂ ସେମାନଙ୍କର ଉତ୍ପତ୍ତି ଵା ପରିଚୟ ଵିଷୟରେ କୌଣସି ନିର୍ଭରଯୋଗ୍ୟ ଐତିହାସିକ ତଥ୍ୟ ନାହିଁ।
ବ୍ରୋଞ୍ଜ ଯୁଗରେ ଗ୍ରୀକ୍ ନାଵିକମାନେ ଯେତେବେଳେ ଭୂମଧ୍ୟସାଗରର ଅଜଣା ପଶ୍ଚିମ ଅଞ୍ଚଳକୁ ଯାତ୍ରା କରୁଥିଲେ, ସେତେବେଳେ ସେଠାକାର ସ୍ଥାନୀୟ ଅଣ-ଗ୍ରୀକ୍ ଜନଜାତିମାନେ ନିଜ ସୀମା ରକ୍ଷା ପାଇଁ ବାହାର ଲୋକଙ୍କୁ ତୀବ୍ର ଓ ହିଂସ୍ର ପ୍ରତିରୋଧ କରୁଥିଲେ। ଗ୍ରୀକ୍ ନାଵିକମାନେ ଏହି ଅଜଣା, ଉଗ୍ର ଜନଜାତିଙ୍କ ଆକ୍ରମଣର ଭୟ ଏଵଂ ସେମାନଙ୍କର ପୃଥକ ସଂସ୍କୃତିକୁ ନିଜ ସହରରେ ଅତିରଞ୍ଜିତ କରି କହୁଥିଲେ। ଏହି ଭୟ ଓ ଲୋକକଥାର ମିଶ୍ରଣରୁ ହିଁ ସେହି ହିଂସ୍ର ସ୍ଥାନୀୟ ଲୋକମାନେ କାଳକ୍ରମେ ମହାକାଵ୍ୟରେ 'ଵିରାଟକାୟ ନରଭକ୍ଷୀ ରାକ୍ଷସ'ର ରୂପ ନେଇଛନ୍ତି ବୋଲି ଐତିହାସିକମାନେ ଅନୁମାନ କରନ୍ତି।
ଲେଷ୍ଟ୍ରିଗୋନିଆନ୍ ନରଭକ୍ଷୀମାନଙ୍କ ଆକ୍ରମଣରୁ କେଵଳ ଗୋଟିଏ ଜାହାଜ ବଞ୍ଚାଇ ଓଡ଼େଶିଅସ୍ ସର୍ସିଙ୍କ ଦ୍ୱୀପ Aeaeaରେ ପହଞ୍ଚିଥିଲେ। ଭୌଗୋଳିକ ମାନଚିତ୍ର ଅନୁସାରେ ଏହା ଇଟାଲୀର ପଶ୍ଚିମ ଉପକୂଳରେ ଥିଵା Mount Circeo ଅଟେ। ଆଜି ଏହା ଏକ ଉପଦ୍ୱୀପ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରେ ସମୁଦ୍ରର ଜଳସ୍ତର ଅଧିକ ଥିଵା ଯୋଗୁଁ ଏହା ଏକ ପୃଥକ ଦ୍ୱୀପ ଭାବେ ରହିଥିଲା ଯାହା ଦୂରରୁ ଏକ ପାହାଡ଼ ଭଳି ଦେଖାଯାଉଥିଲା। ହୋମର୍ ଲେଖିଛନ୍ତି ଯେ ଏଠାରେ ଏକ ମାୟାବିନୀ ରହୁଥିଲେ ଯାହାଙ୍କୁ ସର୍ସୀ କୁହାଯାଉଥିଲା । ଏହି ସର୍ସୀ ଖାଦ୍ୟ ଦେଇ ଓଡ଼େଶିଅସ୍ଙ୍କ ସୈନିକମାନଙ୍କୁ ପରେ ଯାଦୁକାଠି ବଳରେ ଘୁଷୁରୀରେ ପରିଣତ କରିଦେଇଥିଲେ । ସେ ଦ୍ଵୀପରେ ଅନେକ ମଣିଷ ଆସି ଵିଭିନ୍ନ ଜୀଵରେ ପରିଣତ ହୋଇ ବୁଲୁଥିଲେ ଏଵଂ ବାଘ ସିଂହ ହେଟା ପରି ହିଂସ୍ରଜନ୍ତୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଚଳପ୍ରଚଳ କରୁଥିଲେ ।
କିନ୍ତୁ ହୋମରଙ୍କ ଓଡ଼ିସି ମହାକାଵ୍ୟରେ ଵର୍ଣ୍ଣିତ ମାୟାବିନୀ ସର୍ସିଙ୍କ ଦ୍ୱାରା ମଣିଷକୁ ପଶୁରେ ପରିଣତ କରିଵା ଏଵଂ ତାଙ୍କ ଦ୍ୱୀପରେ ହିଂସ୍ର ପ୍ରାଣୀମାନଙ୍କ ଶାନ୍ତ ଭାବରେ ବୁଲିଵାର କାହାଣୀ ସମ୍ପୂର୍ଣ୍ଣ ଭାବରେ ଏକ ପୌରାଣିକ ଆଖ୍ୟାନ। ଐତିହାସିକ କିମ୍ବା ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଜାଦୁବଳରେ ମଣିଷକୁ ଘୁଷୁରିରେ ପରିଣତ କରିଵା କିମ୍ବା ସିଂହ ଓ ଗଧିଆ ପରି ହିଂସ୍ର ପ୍ରାଣୀଙ୍କୁ ଅଲୌକିକ ଉପାୟରେ ଵଶ କରି ରଖିଵାର କୌଣସି ଵାସ୍ତଵ ପ୍ରମାଣ ମିଳେନାହିଁ। ତେବେ ଏହି ପୌରାଣିକ କାହାଣୀ ପଛରେ କେତେକ ସମ୍ଭାଵ୍ୟ ଐତିହାସିକ, ଭୌଗୋଳିକ ଓ ସାଂସ୍କୃତିକ ପ୍ରେରଣା ଥାଇପାରେ ବୋଲି ଆଧୁନିକ ଗଵେଷକ ଓ ସାହିତ୍ୟ-ସମୀକ୍ଷକମାନେ ଵିଭିନ୍ନ ଵ୍ୟାଖ୍ୟା ଦେଇଛନ୍ତି। ଭୌଗୋଳିକ ଦୃଷ୍ଟିକୋଣରୁ, ସର୍ସିଙ୍କ ଦ୍ୱୀପ ‘ଏଏଆ’ (Aeaea)କୁ ଇଟାଲୀର ପଶ୍ଚିମ ଉପକୂଳରେ ଅଵସ୍ଥିତ ଆଧୁନିକ ମାଉଣ୍ଟ ସିରସିଓ (Mount Circeo) ସହ ଅନେକ ଗଵେଷକ ସମ୍ପର୍କିତ କରନ୍ତି। ପ୍ରାଚୀନ କାଳରେ ଏହି ସ୍ଥାନଟି ସମୁଦ୍ରଦ୍ୱାରା ପ୍ରାୟ ଵିଚ୍ଛିନ୍ନ ଥିଵାରୁ ଏକ ଦ୍ୱୀପ ସଦୃଶ ଦେଖାଯାଉଥିଲା। କେତେକ ଆଧୁନିକ ଗଵେଷକଙ୍କ ମତରେ, ଏହି ଅଞ୍ଚଳରେ Mandrake କିମ୍ବା Datura ପରି ଭ୍ରମ ସୃଷ୍ଟିକାରୀ ଓ ଵିଷାକ୍ତ ଉଦ୍ଭିଦ ଥିଵାରୁ ସେ ସମ୍ବନ୍ଧୀୟ ଲୋକକଥା ସର୍ସିଙ୍କ କାହାଣୀକୁ ପ୍ରେରଣା ଦେଇଥାଇପାରେ। ଏଭଳି ଉଦ୍ଭିଦ ମଣିଷର ଚେତନା, ସ୍ମୃତି ଓ ଆଚରଣ ଉପରେ ପ୍ରଭାଵ ପକାଇପାରେ। କିନ୍ତୁ ସର୍ସି ନାମକ କୌଣସି ଵାସ୍ତଵ ଵ୍ୟକ୍ତି ନାଵିକମାନଙ୍କୁ ଏହି ଔଷଧ ଖୁଆଇଥିଲେ ବୋଲି କୌଣସି ପ୍ରତ୍ୟକ୍ଷ ଐତିହାସିକ ପ୍ରମାଣ ନାହିଁ।
ସର୍ସିଙ୍କ ଆଗରେ ହିଂସ୍ର ପ୍ରାଣୀମାନଙ୍କ ଶାନ୍ତ ଭାବରେ ଵ୍ୟଵହାର କରିଵା ପଛରେ ମଧ୍ୟ ପ୍ରାଚୀନ ଗ୍ରୀକ୍ ଧାର୍ମିକ ଓ ସାଂସ୍କୃତିକ ଧାରଣାର ପ୍ରଭାଵ ଥିଵାର ସମ୍ଭାଵନା ରହିଛି। ଗ୍ରୀକ୍ ପରମ୍ପରାରେ ‘ପଟ୍ନିଆ ଥେରନ୍’ (Potnia Theron, “Mistress of Animals”) ନାମରେ ଵନ୍ୟପ୍ରାଣୀଙ୍କ ଅଧିଷ୍ଠାତ୍ରୀ ଏକ ପୁରାତନ ଦେଵୀ ସଂକଳ୍ପନା ପ୍ରଚଳିତ ଥିଲା। ଅନେକ ସାହିତ୍ୟ-ଗଵେଷକଙ୍କ ମତରେ, ସର୍ସିଙ୍କ ଚରିତ୍ର ଗଠନରେ ଏହି ପରମ୍ପରାର ପ୍ରଭାଵ ରହିଥାଇପାରେ। କିନ୍ତୁ ମାଉଣ୍ଟ ସିରସିଓ ଅଞ୍ଚଳରେ ହିଂସ୍ର ପ୍ରାଣୀଙ୍କୁ ଵଶ କରି ରଖିଵାର କୌଣସି ଵିଶେଷ ସ୍ଥାନୀୟ ପ୍ରଥା କିମ୍ବା କୌଶଳ ଥିଲା ବୋଲି ଇତିହାସରେ ନିର୍ଭରଯୋଗ୍ୟ ପ୍ରମାଣ ମିଳେନାହିଁ।ଅନେକ ଆଧୁନିକ ସାହିତ୍ୟ-ସମୀକ୍ଷକ ଏହି କାହାଣୀକୁ ଏକ ସାହିତ୍ୟିକ ରୂପକ ଵା allegory ଭାବେ ମଧ୍ୟ ଵ୍ୟାଖ୍ୟା କରନ୍ତି। ସେମାନଙ୍କ ମତରେ, ଦୀର୍ଘ ସମୁଦ୍ରଯାତ୍ରା ପରେ ଯେତେବେଳେ ନାଵିକମାନେ ଭୋଗଵିଳାସ, ମଦ ଓ ପ୍ରଲୋଭନର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ସଂଯମ ଓ ଵିଵେକ ହରାଇ ପଶୁସଦୃଶ ଆଚରଣ କରନ୍ତି। ସର୍ସିଙ୍କ ଦ୍ୱାରା ମଣିଷଙ୍କୁ ଘୁଷୁରିରେ ପରିଣତ କରିଵା ଏହି ନୈତିକ ଓ ମାନସିକ ଅଵନତିର ଏକ କାଵ୍ୟିକ ପ୍ରତୀକ ବୋଲି ଅନେକ ଗଵେଷକ ଵ୍ୟାଖ୍ୟା କରନ୍ତି। ତେବେ ଏହା ହୋମରଙ୍କ ନିଜସ୍ୱ ସ୍ପଷ୍ଟ ଵ୍ୟାଖ୍ୟା ନୁହେଁ ଵରଂ ଆଧୁନିକ ସାହିତ୍ୟିକ ଵିଶ୍ଳେଷଣ ଅଟେ । ତେଣୁ ସର୍ସିଙ୍କ କାହାଣୀ ପଛରେ ପ୍ରାଚୀନ ସାମୁଦ୍ରିକ ଲୋକକଥା, ଭୌଗୋଳିକ ପରିଵେଶ ଓ ସାଂସ୍କୃତିକ ପରମ୍ପରାର ପ୍ରଭାଵ ଥାଇପାରେ। କିନ୍ତୁ ଏହାର ଜାଦୁକରୀ ଉପାଦାନଗୁଡ଼ିକୁ ସମର୍ଥନ କରୁଥିଵା କୌଣସି ପ୍ରମାଣିତ ଐତିହାସିକ ସାକ୍ଷ୍ୟ ନାହିଁ। ତେଣୁ ଏଠାରେ ସର୍ସିଙ୍କ କାହାଣୀକୁ ଏକ ପୌରାଣିକ ଓ ସାହିତ୍ୟିକ ଆଖ୍ୟାନ ଭାବରେ ଦେଖିଵା ଅଧିକ ଯୁକ୍ତିସଙ୍ଗତ ହେଵ ।
ସର୍ସିଙ୍କ ପରାମର୍ଶରେ ସେଠାରୁ ଓଡ଼େଶିଅସ୍ ମୃତମାନଙ୍କ ଦେଶ (Hades) ସହ ଯୋଗାଯୋଗ କରିଵା ପାଇଁ ଯାତ୍ରା କରିଥିଲେ। ହୋମରଙ୍କ ଓଡ଼ିସିରେ ଏହି ସ୍ଥାନକୁ କିମେରିୟମାନଙ୍କ ଦେଶ ବୋଲି ଵର୍ଣ୍ଣନା କରାଯାଇଛି; କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନର ନାମ ଦିଆଯାଇନାହିଁ। ତେବେ ପରଵର୍ତ୍ତୀ ଗ୍ରୀକ୍ ଓ ରୋମାନ୍ ପରମ୍ପରାରେ ଏହାକୁ ଆଧୁନିକ ନେପଲ୍ସ ନିକଟରେ ଥିଵା Phlegraean Fields ଓ Lake Avernus ସହ ଯୋଡ଼ାଯାଇଛି। ସେଠାରେ ଆଗ୍ନେୟଗିରିଜନିତ ଗନ୍ଧକଯୁକ୍ତ ଗ୍ୟାସ ଓ ଧୂଆଁ ନିର୍ଗତ ହେଉଥିଵାରୁ ପ୍ରାଚୀନ ଲୋକମାନେ ଏହାକୁ ପାତାଳଲୋକର ପ୍ରଵେଶଦ୍ୱାର ବୋଲି ଵିଶ୍ୱାସ କରୁଥିଲେ।
ସେଠାରୁ ଫେରିଵା ପଥରେ ଓଡ଼ିସିଅସ୍ଙ୍କୁ ସାଇରେନ୍ମାନଙ୍କ ସମ୍ମୁଖୀନ ହେଵାକୁ ପଡ଼ିଥିଲା। ସେମାନେ ନିଜର ମଧୁର ସଙ୍ଗୀତରେ ନାଵିକମାନଙ୍କୁ ଆକର୍ଷିତ କରି ଜାହାଜକୁ ଵିପଜ୍ଜନକ ପଥର ଉପରେ ଧକ୍କା ଖୁଆଇ ଧ୍ୱଂସ କରୁଥିଲେ। ପରଵର୍ତ୍ତୀ ଗ୍ରୀକ୍ ଓ ରୋମାନ୍ ପରମ୍ପରାରେ ସାଇରେନ୍ମାନଙ୍କ ଵାସସ୍ଥାନକୁ ଇଟାଲୀର ସୋରେଣ୍ଟୋ ଉପକୂଳ ନିକଟର Li Galli (Sirenuse) ଦ୍ୱୀପପୁଞ୍ଜ ସହ ଯୋଡ଼ାଯାଇଛି। କେତେକ ଆଧୁନିକ ଗଵେଷକଙ୍କ ମତରେ, ଏହି ଅଞ୍ଚଳର ଵିପଜ୍ଜନକ ପଥର, ସମୁଦ୍ର ସ୍ରୋତ ଓ ଢେଉର ଅସାମାନ୍ୟ ଶବ୍ଦ ସାଇରେନ୍ମାନଙ୍କ କିମ୍ବଦନ୍ତୀ ସୃଷ୍ଟିରେ ପ୍ରେରଣା ଦେଇଥାଇପାରେ। ତେବେ ଏହି ଵ୍ୟାଖ୍ୟାର ପ୍ରତ୍ୟକ୍ଷ ଐତିହାସିକ ପ୍ରମାଣ ନାହିଁ।
ହୋମରଙ୍କ ମହାକାଵ୍ୟ 'ଓଡ଼ିସି'ର ଶେଷ ପର୍ଯ୍ୟାୟଟି ଓଡ଼େଶିଅସ୍ଙ୍କ ଚରମ ଧୈର୍ଯ୍ୟ, ସର୍ଵସ୍ୱ ହରାଇବାର ଗଭୀର ଦୁଃଖ ଏଵଂ ଶେଷରେ ନିଜ ଜନ୍ମଭୂମିକୁ ଫେରିଵାର ଏକ ଆଵେଗପୂର୍ଣ୍ଣ ଆଖ୍ୟାନ ଅଟେ। ଏହି ସମ୍ପୂର୍ଣ୍ଣ ଯାତ୍ରା ମଧ୍ୟରେ ପୌରାଣିକ ରୂପକ, ସାମୁଦ୍ରିକ ଭୂଗୋଳ ଏଵଂ ମାନବୀୟ ମନସ୍ତତ୍ତ୍ୱର ଏକ ଆକର୍ଷଣୀୟ ସମନ୍ୱୟ ଦେଖିଵାକୁ ମିଳେ। ଓଡ଼େଶିଅସ୍ଙ୍କ ସବୁଠାରୁ ବଡ଼ ପରୀକ୍ଷା ଥିଲା ଛଅ ମୁଣ୍ଡିଆ ରାକ୍ଷସ ସ୍କିଲା ଏଵଂ ଭୟଙ୍କର ସାମୁଦ୍ରିକ ଜଳଘୂର୍ଣ୍ଣି କ୍ୟାରିବଡିସ୍ ମଧ୍ୟ ଦେଇ ନିଜ ଜାହାଜକୁ ସୁରକ୍ଷିତ ନେଇଯିଵା ମଧ୍ୟରେ ଗୋଟିଏ ବାଟକୁ ଚୟନ କରିଵା । ପୌରାଣିକ କାହାଣୀରେ ଏମାନଙ୍କୁ ଦୁଇଟି ଭୟଙ୍କର ଜୀଵ ଭାବେ ଚିତ୍ରିତ କରାଯାଇଥିଵା ବେଳେ, ଅଧିକାଂଶ ଗଵେଷକ ଏହାକୁ ଇଟାଲୀର ମୂଳ ଭୂଖଣ୍ଡ ଏଵଂ ସିସିଲି ଦ୍ୱୀପ ମଧ୍ୟରେ ଥିଵା ସଂକୀର୍ଣ୍ଣ 'ଷ୍ଟ୍ରେଟ୍ ଅଫ୍ ମେସିନା' ସହ ସମ୍ପର୍କ କରନ୍ତି ଯଦିଓ ହୋମର ନିଜେ ଏହି ନାମର ଉଲ୍ଲେଖ କରିନାହାନ୍ତି। ପ୍ରାଚୀନ କାଳର ନାଵିକମାନଙ୍କ ପାଇଁ ଏହି ସଂକୀର୍ଣ୍ଣ ପ୍ରଣାଳୀ ପାର ହେବା ଅତ୍ୟନ୍ତ ଵିପଜ୍ଜନକ ଥିଲା, କାରଣ ଏହାର ଗୋଟିଏ ପଟେ ଉଚ୍ଚ ପଥରର ପ୍ରାଚୀର ଏଵଂ ଅନ୍ୟ ପଟେ ସମୁଦ୍ରର ପ୍ରଵଳ ଜଳାଵର୍ତ୍ତ ରହିଥିଲା। ଜୀଵନର ଦୁଇଟି ଯାକ ସମାନ ଭୟଙ୍କର ଵିପଦ ମଧ୍ୟରେ ଓଡ଼େଶିଅସ୍ କ୍ୟାରିବଡିସ୍ଠାରୁ ଦୂରେଇ ରହି ସ୍କିଲା ପାଖ ଦେଇ ଯାଇଥିଲେ ଏଵଂ ନିଜର ଛଅ ଜଣ ଶ୍ରେଷ୍ଠ ସୈନ୍ୟଙ୍କୁ ହରାଇଵାକୁ ବାଧ୍ୟ ହୋଇଥିଲେ।
ଏହି ଵିପଦରୁ ବର୍ତ୍ତିଵା ପରେ ଓଡ଼େଶିଅସ୍ ସୂର୍ଯ୍ୟଦେଵ Heliosଙ୍କ ଦ୍ୱୀପ ଥ୍ରିନାସିଆରେ ପହଞ୍ଚିଥିଲେ, ଯାହାକୁ ଅନେକ ଆଧୁନିକ ଗଵେଷକ ସିସିଲି ଦ୍ୱୀପ ସହ ସମ୍ପର୍କିତ କରନ୍ତି। ସେଠାରେ ଓଡ଼େଶିଅସ୍ଙ୍କ ସୈନ୍ୟମାନେ ଭୋକ ଵିକଳରେ ସୂର୍ଯ୍ୟଦେଵଙ୍କ ପଵିତ୍ର ଗାଈମାନଙ୍କୁ ମାରି ଖାଇଦେଇଥିଲେ ଯାହା ଏକ ପ୍ରକାର ନୈତିକ ସ୍ଖଳନ ଓ ଲୋଭର ପରିଣାମ ଥିଲା। ହୋମରଙ୍କ ଓଡ଼ିସି ମହାକାଵ୍ୟରେ ସୂର୍ଯ୍ୟଦେଵ ହେଲିଓସ୍ଙ୍କ ପଵିତ୍ର ଗାଈମାନଙ୍କୁ ଓଡ଼ିସିଅସ୍ଙ୍କ ସୈନ୍ୟମାନେ ହତ୍ୟା କରି ଖାଇଵା ଏଵଂ ଏହାର ପରିଣାମସ୍ୱରୂପ ଵିନାଶର ସମ୍ମୁଖୀନ ହେଵାର କାହାଣୀ ପଛରେ କେତେକ ସାଂସ୍କୃତିକ, ଧାର୍ମିକ ଓ ସାହିତ୍ୟିକ ଵ୍ୟାଖ୍ୟା ରହିଛି। ଏଗୁଡ଼ିକ କୌଣସି ପ୍ରମାଣିତ ଐତିହାସିକ ଘଟଣା ନୁହେଁ ଵରଂ ପ୍ରାଚୀନ ଗ୍ରୀକ୍ ସମାଜ ଓ ସଂସ୍କୃତିକୁ ଆଧାର କରି ଆଧୁନିକ ଗଵେଷକମାନଙ୍କ ଦ୍ୱାରା ପ୍ରସ୍ତାଵିତ ସମ୍ଭାଵ୍ୟ ଵ୍ୟାଖ୍ୟା ଅଟେ।ପ୍ରଥମତଃ, ବ୍ରୋଞ୍ଜ ଯୁଗ ଓ ହୋମରଙ୍କ ସମୟର ଗ୍ରୀକ୍ ସମାଜରେ ଗୋଧନ ଧନ-ସମ୍ପତ୍ତି, ସାମାଜିକ ମର୍ଯ୍ୟାଦା ଓ ସମୃଦ୍ଧିର ପ୍ରତୀକ ଥିଲା। ଦେଵତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଵା ପଵିତ୍ର ପଶୁମାନଙ୍କୁ ହତ୍ୟା କରିଵା ଏକ ଗୁରୁତର ଧାର୍ମିକ ଅପରାଧ ବୋଲି ଧରାଯାଉଥିଲା। କେତେକ ଗଵେଷକଙ୍କ ମତରେ, ଏହି କାହାଣୀ ପ୍ରାଚୀନ ସମାଜରେ ପଵିତ୍ର ସମ୍ପତ୍ତି ପ୍ରତି ସମ୍ମାନ ଓ ଧାର୍ମିକ ନିଷେଧାଜ୍ଞାର ଗୁରୁତ୍ୱକୁ କାଵ୍ୟିକ ଭାବରେ ପ୍ରକାଶ କରେ। କେତେକ ଲେଖକ ଏହା ମଧ୍ୟ ଅନୁମାନ କରିଛନ୍ତି ଯେ, ସମୁଦ୍ରଯାତ୍ରା ସମୟରେ କ୍ଷୁଧାର୍ତ୍ତ ନାଵିକମାନଙ୍କ ଦ୍ୱାରା କୌଣସି ଅଞ୍ଚଳର ପଵିତ୍ର ପଶୁ ହତ୍ୟା ଏଵଂ ତାହା ପରେ ସୃଷ୍ଟି ହୋଇଥିଵା ସଂଘର୍ଷର ସ୍ମୃତି ଏହି କାହାଣୀକୁ ପ୍ରେରଣା ଦେଇଥାଇପାରେ। ତେବେ ଏହି ମତକୁ ସମର୍ଥନ କରୁଥିଵା ପ୍ରତ୍ୟକ୍ଷ ଐତିହାସିକ ପ୍ରମାଣ ନାହିଁ।
ଦ୍ୱିତୀୟତଃ, କେତେକ ସାହିତ୍ୟ-ଗଵେଷକ ଏହି କାହାଣୀରେ ଏକ ଜ୍ୟୋତିର୍ଵୈଜ୍ଞାନିକ ଵା କାଳଗଣନା-ସମ୍ବନ୍ଧୀୟ ପ୍ରତୀକ ଦେଖନ୍ତି। ଓଡ଼ିସି ଅନୁସାରେ ହେଲିଓସ୍ଙ୍କ ସାତଟି ଗୋଠରେ ପ୍ରତ୍ୟେକରେ ପଚାଶଟି ଗାଈ ଥିଲା; ସେହିପରି ସାତଟି ମେଣ୍ଢା ପଲ୍ଲରେ ମଧ୍ୟ ପ୍ରତ୍ୟେକରେ ପଚାଶଟି ମେଣ୍ଢା ଥିଲା। ଏହି ସଂଖ୍ୟାଗୁଡ଼ିକ ପ୍ରାଚୀନ ଵର୍ଷର ଦିନ-ରାତିର ପ୍ରତୀକ ହୋଇଥାଇପାରେ ବୋଲି କେତେକ ପଣ୍ଡିତ ମତ ଦେଇଛନ୍ତି। ତେବେ ଏହି ଵ୍ୟାଖ୍ୟା ସର୍ଵସ୍ୱୀକୃତ ନୁହେଁ ଏଵଂ ଏହାକୁ ଏକ ସାହିତ୍ୟିକ ଵ୍ୟାଖ୍ୟା ଭାବେ ଦେଖାଯାଏ।
ତୃତୀୟତଃ, ଅନେକ ଆଧୁନିକ ଗଵେଷକ ଥ୍ରିନାସିଆ ଦ୍ୱୀପକୁ ସିସିଲି ସହ ସମ୍ପର୍କିତ କରନ୍ତି। ସିସିଲି ପ୍ରାଚୀନ କାଳରୁ ତାହାର ଉର୍ଵର ଭୂମି, କୃଷି ଓ ପଶୁପାଳନ ପାଇଁ ପ୍ରସିଦ୍ଧ ଥିଲା। ଏହି କାରଣରୁ କେତେକ ଗଵେଷକଙ୍କ ମତରେ, ସେହି ଅଞ୍ଚଳର ପ୍ରଚୁର ଗୋଧନ ସମ୍ପର୍କରେ ପ୍ରଚଳିତ ଧାରଣା ହୋମରଙ୍କ କଳ୍ପନାକୁ ପ୍ରଭାଵିତ କରିଥାଇପାରେ। କିନ୍ତୁ ଥ୍ରିନାସିଆ ନିଶ୍ଚିତ ଭାବରେ ସିସିଲି ଥିଲା ବୋଲି କୌଣସି ପ୍ରମାଣ ନାହିଁ।
ଅନେକ ସାହିତ୍ୟ-ସମୀକ୍ଷକଙ୍କ ମତରେ, ଏହି ସମଗ୍ର କାହାଣୀର ମୂଳ ଵାର୍ତ୍ତା ହେଉଛି — ଦୈଵୀୟ ନିୟମ ଅଵମାନନା, ଲୋଭ ଓ ସଂଯମହୀନତା ଶେଷରେ ଵିନାଶ ଆଣିଥାଏ। ଓଡ଼ିସିଅସ୍ଙ୍କ ସୈନ୍ୟମାନେ ସର୍ସି ଓ ଟାୟରେସିଆସ୍ଙ୍କ ସ୍ପଷ୍ଟ ସତର୍କଵାଣୀକୁ ଅଵହେଳା କରି ପଵିତ୍ର ଗୋଧନକୁ ହତ୍ୟା କରିଥିଲେ ଏଵଂ ତାହାର ପରିଣାମରେ ସେମାନଙ୍କ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଏହି କାରଣରୁ ଅନେକ ଗଵେଷକ ଏହି ଘଟଣାକୁ କେଵଳ ଏକ ପୌରାଣିକ ଆଖ୍ୟାନ ନୁହେଁ ଵରଂ ନୈତିକ ଦାୟିତ୍ୱ, ସଂଯମ ଓ ଦୈଵୀୟ ଵ୍ୟଵସ୍ଥା ପ୍ରତି ସମ୍ମାନର ଏକ ଶକ୍ତିଶାଳୀ ସାହିତ୍ୟିକ ରୂପକ ଭାବେ ଵିଵେଚନା କରନ୍ତି।
ଥ୍ରିନାକିଆ ଦ୍ୱୀପରେ ଥିଵା ଗାଈମାନେ ହେଲିଓସଙ୍କର ଅତି ପ୍ରିୟ ପଵିତ୍ର ସମ୍ପତ୍ତି ଥିଲେ। ସୈନିକମାନେ ସେଗୁଡ଼ିକୁ ହତ୍ୟା କରିଵା ପରେ ହେଲିଓସ ଅପମାନିତ ବୋଧ କଲେ ଏଵଂ ଜିଉସ୍ଙ୍କ ନିକଟରେ ଅଭିଯୋଗ କରି ଏକ ଚରମ ଧମକ ଦେଲେ ଯେ
ଯଦି ଓଡ଼ିସିଅସ୍ଙ୍କ ସୈନିକମାନଙ୍କୁ ସେମାନଙ୍କର ଏହି ଦୁଷ୍କର୍ମ ପାଇଁ ଉଚିତ୍ ଦଣ୍ଡ ନମିଳେ, ତେବେ ହେଲିଓସ୍ ପୃଥିଵୀରେ ଆଲୋକ ଦେଵା ବନ୍ଦ କରିଦେବେ। ହେଲିଓସ୍ ତାଙ୍କ ସୂର୍ଯ୍ୟ ରଥକୁ ନେଇ 'ପାତାଳପୁର 'Hades'କୁ ଚାଲିଯିବେ ଏଵଂ କେଵଳ ମୃତ ଵ୍ୟକ୍ତିମାନଙ୍କ ପାଇଁ ହିଁ ସୂର୍ଯ୍ୟ କିରଣ ଦେବେ ।
ସୂର୍ଯ୍ୟଙ୍କ ଧମକ ପରେ ଜିଉସ୍ଙ୍କ ପାଇଁ ଦଣ୍ଡ ଦେଵା ଜରୁରୀ ହୋଇପଡ଼ିଲା। ସୈନିକମାନଙ୍କର ଏହି କାର୍ଯ୍ୟ କୌଣସି ସାଧାରଣ ଅପରାଧ ନଥିଲା ଵରଂ ଏହା ଥିଲା ଦେଵତାଙ୍କ ଆଦେଶକୁ ଅମାନ୍ୟ କରିଵା ଏଵଂ ପଵିତ୍ର ସମ୍ପତ୍ତିର ଘୋର ଅପମାନ। ଭବିଷ୍ୟଵକ୍ତା ଟାଇରେସିଆସ ଏଵଂ ମନ୍ତ୍ରଜ୍ଞା ସିର୍ସେ ପୂର୍ଵରୁ ସେହି ଗାଈମାନଙ୍କୁ ନଛୁଇଁଵା ପାଇଁ ସ୍ପଷ୍ଟ ଚେତାଵନୀ ଦେଇଥିଲେ। ତେଣୁ ହେଲିଓସଙ୍କ ଧମକର ପ୍ରତିକାର କରିଵା ଏଵଂ ଦେଵତାଙ୍କ ସମ୍ମାନ ରକ୍ଷା କରିଵା ପାଇଁ ଜିଉସ୍ ଅପରାଧୀମାନଙ୍କୁ ଦଣ୍ଡ ଦେଵାକୁ ଆଶ୍ୱାସନା ଦେଇଥିଲେ। ଓଡ଼େଶିଅସ ତାଙ୍କ ସୈନିକମାନଙ୍କ ସହିତ ଯେତେବେଳେ ପୁଣି ସମୁଦ୍ର ଯାତ୍ରା କଲେ, ସେତେବେଳେ ଦେଵରାଜ ଜିଉସ୍ଙ୍କ ଭୟଙ୍କର ଵଜ୍ରପାତ ଓ ସାମୁଦ୍ରିକ ଝଡ଼ରେ ଓଡ଼େଶିଅସ୍ଙ୍କ ଶେଷ ଜାହାଜଟି ମଧ୍ୟ ସମ୍ପୂର୍ଣ୍ଣ ଭାବେ ବୁଡ଼ିଗଲା ଏଵଂ ସମସ୍ତ ସୈନ୍ୟ ମୃତ୍ୟୁଵରଣ କଲେ।
କେତେକ ଆଧୁନିକ ଗଵେଷକଙ୍କ ମତରେ, ସିସିଲି ଅଞ୍ଚଳର ସକ୍ରିୟ ମାଉଣ୍ଟ ଏଟନା, ସମୁଦ୍ରର ହଠାତ୍ ଝଡ଼ ଓ ଵିପଜ୍ଜନକ ପାଣିପାଗ ପରିସ୍ଥିତି ହୋମରଙ୍କ କାହାଣୀକୁ ପ୍ରେରଣା ଦେଇଥାଇପାରେ। ତେବେ ଜୁସ୍ଙ୍କ ବଜ୍ରପାତକୁ ସିଧାସଳଖ ଆଗ୍ନେୟଗିରିଜନିତ ଵଜ୍ରପାତ କିମ୍ବା କୌଣସି ନିର୍ଦ୍ଦିଷ୍ଟ ପ୍ରାକୃତିକ ଵିପର୍ଯ୍ୟୟ ସହ ସମାନ କରିଵା ପାଇଁ ପ୍ରତ୍ୟକ୍ଷ ଐତିହାସିକ କିମ୍ବା ଭୂଵୈଜ୍ଞାନିକ ପ୍ରମାଣ ନାହିଁ।
ଜାହାଜ ବୁଡ଼ିଵା ପରେ କେଵଳ ଓଡ଼େଶିଅସ୍ ଗୋଟିଏ କାଠଗଣ୍ଡିକୁ ଧରି ନଅ ଦିନ ଧରି ଭାସି ଭାସି ଅପ୍ସରା କାଲିପ୍ସୋଙ୍କ ଓଗିଜିଆ ଦ୍ୱୀପରେ ପହଞ୍ଚିଥିଲେ। କେତେକ ଆଧୁନିକ ଗବେଷକ ଓଗିଜିଆକୁ ମାଲ୍ଟାର ଗୋଜୋ ଦ୍ୱୀପ ସହ ଯୋଡ଼ନ୍ତି, ଯଦିଓ ଏହାକୁ ନେଇ ଭିନ୍ନ ମତ ମଧ୍ୟ ରହିଛି।
ହୋମର ଓଗିଜିଆକୁ ସମୁଦ୍ରର ଅତି ଦୂରରେ ଥିଵା ଏକ ନିର୍ଜନ ଦ୍ୱୀପ ବୋଲି ଵର୍ଣ୍ଣନା କରିଛନ୍ତି, ଯାହା ମାଲ୍ଟାର ଭୌଗୋଳିକ ସ୍ଥିତି ସହ କିଛି ମାତ୍ରାରେ ମେଳ ଖାଏ। ଗୋଜୋ ଦ୍ୱୀପରେ ଏକ ପ୍ରାକୃତିକ ଗୁମ୍ଫା ରହିଛି ଯାହାକୁ ଆଜି 'କାଲିପ୍ସୋ ଗୁମ୍ଫା' କୁହାଯାଏ, କିନ୍ତୁ ଏହା କେଵଳ ପର୍ଯ୍ୟଟନକୁ ଆକର୍ଷିତ କରିଵା ପାଇଁ ଉଦ୍ଦିଷ୍ଟ ଏକ ଆଧୁନିକ ନାମକରଣ। ମାଟି ତଳୁ କିମ୍ବା ଲିଖିତ ଇତିହାସରୁ ଏଭଳି କୌଣସି ପ୍ରମାଣ ମିଳିନାହିଁ ଯାହା ଦର୍ଶାଏ ଯେ ସେଠାରେ ପ୍ରକୃତରେ କାଲିପ୍ସୋ ନାମକ କେହି ରହୁଥିଲେ କିମ୍ବା ଓଡ଼େଶିଅସ୍ ସେଠାରେ ସାତ ଵର୍ଷ ବନ୍ଦୀ ଥିଲେ। ପ୍ରାଚୀନ ଗ୍ରୀକ୍ ଭୂଗୋଳଵିତ୍ ଏରାଟୋସ୍ଥେନିସ୍ଙ୍କ ଭଳି ଅନେକ ପଣ୍ଡିତ ମଧ୍ୟ ଓଗିଜିଆକୁ ଏକ ସାହିତ୍ୟିକ କଳ୍ପନାର ସ୍ୱର୍ଗ ବୋଲି ଗ୍ରହଣ କରିଛନ୍ତି।
ଓଡ଼ିସିର କଥାନୁସାରେ କାଲିପ୍ସୋଙ୍କ ଦ୍ଵୀପ ଓଗିଜିଆରେ ଓଡ଼େଶିଅସ୍ ସାତ ଵର୍ଷ ବନ୍ଦୀ ହୋଇ ରହିଥିଲେ ଏଵଂ କାଲିପ୍ସୋ ତାଙ୍କୁ ସମସ୍ତ ଭୋଗଵିଳାସ ସହ ଅମରତ୍ୱର ପ୍ରଲୋଭନ ଦେଇଥିଲେ ମଧ୍ୟ ସେ ନିଜ ପତ୍ନୀ ଓ ପରିଵାର ପାଖକୁ ଫେରିଵା ପାଇଁ ପ୍ରତିଦିନ ସମୁଦ୍ର କୂଳରେ ବସି ଵିକଳ ହେଉଥିଲେ।
ଶେଷରେ ଦେବତାମାନଙ୍କ ଦୟାରୁ ଓଡ଼େଶିଅସ୍ କାଲିପ୍ସୋଙ୍କ କଵଳରୁ ମୁକ୍ତ ହୋଇ ହୋମରଙ୍କ ଵର୍ଣ୍ଣିତ କଥାନୁସାରେ ଏକ କାଠ ଭେଳା ସାହାଯ୍ୟରେ ଫିଆସିଆନ୍ମାନଙ୍କ ଦ୍ୱୀପ ଶେରିଆରେ ପହଞ୍ଚିଥିଲେ। ଅନେକ ଗଵେଷକ ଶେରିଆକୁ ଆଧୁନିକ କୋର୍ଫୁ ଦ୍ୱୀପ ସହ ସମ୍ପର୍କ କରନ୍ତି। ସେଠାକାର ଦୟାଳୁ ରାଜା ଓ ଲୋକମାନେ ତାଙ୍କୁ ଆଶ୍ରୟ ଦେଲେ ଏଵଂ ଓଡ଼େଶିଅସ୍ ତାଙ୍କ ରାଜସଭାରେ ନିଜର ଦଶ ଵର୍ଷର ଦୁଃଖଦ ଯାତ୍ରାର ସମସ୍ତ କାହାଣୀ ଶୁଣାଇଥିଲେ। କୋର୍ଫୁର ଏକ ସମୃଦ୍ଧ ପ୍ରାଚୀନ ଇତିହାସ ରହିଛି, କିନ୍ତୁ ହୋମରଙ୍କ କାହାଣୀରେ ଵର୍ଣ୍ଣିତ ଆପଣାଛାଏଁ ଚାଲୁଥିଵା ଜାଦୁକରୀ ଜାହାଜ ରଖିଥିଵା ଫିଆସିଆନ୍ମାନଙ୍କର କୌଣସି ପ୍ରତ୍ନତାତ୍ତ୍ୱିକ କିମ୍ବା ଐତିହାସିକ ଅସ୍ତିତ୍ୱ ନାହିଁ। ସାହିତ୍ୟିକ ଦୃଷ୍ଟିକୋଣରୁ ଶେରିଆକୁ ଏକ 'ଉଟୋପିଆ' ଵା ଆଦର୍ଶଵାଦୀ କାଳ୍ପନିକ ରାଜ୍ୟ ଭାବେ ଦେଖାଯାଏ ଯାହା ଓଡ଼େଶିଅସ୍ଙ୍କୁ ମାୟା ଦୁନିଆରୁ ବାହାର କରି ପ୍ରକୃତ ମାନଵ ସମାଜ ଓ ନିଜ ଜନ୍ମଭୂମି ଇଥାକା ସହ ଯୋଡ଼ିଵା ପାଇଁ ଏକ ମାଧ୍ୟମ ସାଜିଥିଲା।
ଓଡ଼ିସିର ଗାଥା ଅନୁସାରେ ପରିଶେଷରେ, ଫିଆସିଆନ୍ ନାଵିକମାନଙ୍କ ସାହାଯ୍ୟରେ ଓଡ଼େଶିଅସ୍ ନିଜର ପ୍ରକୃତ ମାତୃଭୂମି ଇଥାକା ଦ୍ୱୀପକୁ ଫେରିଵାରେ ସଫଳ ହେଲେ ଏଵଂ ନିଜ ଘରକୁ ଶତ୍ରୁମାନଙ୍କଠାରୁ ମୁକ୍ତ କରି ପୁଣି ନିଜର ସାମ୍ରାଜ୍ୟ ଫେରିପାଇଲେ। ଏହିପରି ଭାବେ ମହାକଵି ହୋମର, ପୌରାଣିକ କଳ୍ପନା, ସାମୁଦ୍ରିକ ଯାତ୍ରାର ଵାସ୍ତଵ ଵିପଦ ଏଵଂ ମାନଵୀୟ ସହନଶୀଳତାକୁ ଏକତ୍ର କରି ଵିଶ୍ୱ ସାହିତ୍ୟର ଏକ ଅମର ମହାକାବ୍ୟ ରଚନା କରିଛନ୍ତି।
ପ୍ରୋକ୍ତ ଆଲୋଚନାରୁ ଏତିକି ସ୍ପଷ୍ଟ ହୁଏ ଯେ ହୋମରଙ୍କ 'ଓଡ଼ିସି' କେଵଳ ଏକ କାଳ୍ପନିକ ଗାଥା ନୁହେଁ ଵରଂ ଏହା ଭୂମଧ୍ୟସାଗରର ଵାସ୍ତଵ ଭୌଗୋଳିକ ଚିତ୍ରପଟ ଓ ପ୍ରାଚୀନ ସାମୁଦ୍ରିକ ଅନୁଭୂତି ଉପରେ ଆଧାରିତ।
ଏହି ମହାକାଵ୍ୟ ଵାସ୍ତଵ ଭୂଗୋଳ ଏଵଂ ପୌରାଣିକ କଳ୍ପନାର ଏକ ଅପୂର୍ଵ ସମନ୍ୱୟ, ଯାହା ଏହାକୁ ଵିଶ୍ୱ ସାହିତ୍ୟରେ ଏକ ଅମର ସୃଷ୍ଟି ଭାବେ ପ୍ରତିଷ୍ଠିତ କରିଛି।
Saturday, July 18, 2026
ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା
Friday, July 17, 2026
ଓଡ଼ିଆ ଭାଷାର ଏକ ନିଆରା ଵ୍ୟଙ୍ଗୋକ୍ତି: 'ଘିନି ଉଡ଼ିଵା' ଶବ୍ଦର ତାତ୍ପର୍ଯ୍ୟ, ଵ୍ୟୁତ୍ପତ୍ତି ଓ ପ୍ରୟୋଗ
ଆମ ଓଡ଼ିଆ ଭାଷା ଅତ୍ୟନ୍ତ ସମୃଦ୍ଧ, ଭାଵପ୍ରଵଣ ଓ ଵିଵିଧତାରେ ଭରା ଏକ ପ୍ରକୃତ ଶାସ୍ତ୍ରୀୟ ଭାଷା। ପ୍ରତିଦିନର କଥାଵାର୍ତ୍ତାରେ, ଗାଁ ଗହଳିର ଖଟିରେ କିମ୍ଵା ବନ୍ଧୁମାନଙ୍କ ମେଳରେ ଵ୍ୟଵହାର ହେଉଥିଵା ଅନେକ ଢଗଢମାଳି ଓ ରୂଢ଼ି ଓଡ଼ିଆ ସାମାଜିକ ଜୀଵନର ଜୀଵନ୍ତ ଚିତ୍ର ଵହନ କରିଥାନ୍ତି। ଭାଷାରେ ଶବ୍ଦଗୁଡ଼ିକ କେଵଳ ଅଭିଧାନିକ ଅର୍ଥରେ ସୀମିତ ନ ରହି, ବେଳେବେଳେ ସମୟ, ପରିସ୍ଥିତି ଓ ମାନଵୀୟ ମନସ୍ତତ୍ତ୍ୱ ଅନୁସାରେ ନୂଆ ରୂପ ନେଇଥାନ୍ତି। ଏହି କ୍ରମରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନିତ ହୋଇଥିଵା ଏକ ଅତ୍ୟନ୍ତ ରୋଚକ, ସ୍ଥାନୀୟ ଓ ଵ୍ୟଙ୍ଗାତ୍ମକ କ୍ରିୟାଶବ୍ଦ ହେଉଛି 'ଘିନି ଉଡ଼ିଵା'। ଏହି କ୍ରିୟାଟି ମୁଖ୍ୟତଃ କୌଣସି ଵ୍ୟକ୍ତିକୁ ସାମାନ୍ୟ ଚିଡ଼ାଇଵା, ଥଟ୍ଟା କରିଵା କିମ୍ଵା ତାଙ୍କ ସାଜସଜ୍ଜାକୁ ନେଇ ରହସ୍ୟ ଵା ଗମାତ କରିଵା ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥାଏ। ଏହାର ସିଧାସଳଖ ଅର୍ଥ 'ଅତି ସୁନ୍ଦର ଓ ଚମତ୍କାର ଦେଖାଯିଵା' ହୋଇଥିଲେ ମଧ୍ୟ, ଏହା ପ୍ରଶଂସା ଅପେକ୍ଷା ଵ୍ୟଙ୍ଗ ଵା କଟାକ୍ଷ ଆକାରରେ ଅଧିକ ପ୍ରୟୋଗ ହୋଇଥାଏ।
ସାଧାରଣତଃ ଯେତେବେଳେ କୌଣସି ଵ୍ୟକ୍ତି ନିଜ ଵୟସ, ଅଵସ୍ଥା କିମ୍ଵା ପରିଵେଶ ସହିତ ଖାପ ଖାଉନଥିଵା ଭଳି କୌଣସି ଅତି-ଆକର୍ଷଣୀୟ ଵା ରଙ୍ଗୀନ ପୋଷାକ ପିନ୍ଧିଥାନ୍ତି, ସେତେବେଳେ ତାଙ୍କୁ ଦେଖି ଲୋକମାନେ ଆମୋଦିତ ହୋଇ ଏହି ପଦଟିର ଵ୍ୟଵହାର କରନ୍ତି। ଉଦାହରଣ ସ୍ୱରୂପ, ଆଗକାଳରେ ଗାଁରେ ଯଦି କେହି ଵୟସ୍କ କିମ୍ଵା ବୁଢ଼ାଵୟସର ଵ୍ୟକ୍ତି ହଠାତ୍ ଗୋଟିଏ ଉଜ୍ଜ୍ୱଳ ରଙ୍ଗର ପାଟଖଦି ଵା ବହୁମୂଲ୍ୟ ଵସ୍ତ୍ର ପିନ୍ଧି ଦାଣ୍ଡକୁ ଵାହାରୁଥିଲେ, ତେବେ ସାହି ପଡ଼ିଶା କିମ୍ଵା ସମଵୟସ୍କ ସାଙ୍ଗମାନେ ତାଙ୍କୁ ଦେଖେଇ କରି ମଜାରେ କହୁଥିଲେ, "ଏ ବୁଢ଼ାଵୟସକୁ ରଙ୍ଗୀନ ପାଟଖଦି ଭାରି ଘିନି ଉଡ଼ୁଛି ହୋ।" ଏଠାରେ 'ଘିନି ଉଡ଼ିଵା'ର ଅର୍ଥ କେଵଳ ସୁନ୍ଦର ଦେଖାଯିଵା ନୁହେଁ, ଵରଂ ଵୟସର ଅପରାହ୍ନରେ ଏତେ ଚକମକିଆ ଵସ୍ତ୍ରର ଚୟନ ଯେ ଟିକେ ଅସ୍ୱାଭାଵିକ ଓ ଆଖିଦୃଶିଆ ହୋଇପଡ଼ିଛି, ତାହା ଦର୍ଶାଇଵା ଅଟେ। ଏହା ଏକ ପ୍ରକାରର ନିଷ୍ପାପ ଥଟ୍ଟା ଵା ଗମାତ, ଯାହା ଓଡ଼ିଆ ସମାଜର ପାରସ୍ପରିକ ସ୍ନେହ ଓ ସାମାଜିକ ଵନ୍ଧନର ଗଭୀରତାକୁ ପ୍ରମାଣିତ କରିଥାଏ।
'ଘିନି ଉଡ଼ିଵା' ଶବ୍ଦଟି ଦୁଇଟି ସ୍ୱତନ୍ତ୍ର କ୍ରିୟାପଦର ମିଶ୍ରଣରୁ ସୃଷ୍ଟି ହୋଇଛି, ଯଥା 'ଘିନିଵା' ଏଵଂ 'ଉଡ଼ିଵା'। ପ୍ରଥମେ 'ଘିନିଵା' ଵା 'ଘେନିଵା' ଶବ୍ଦର ଉତ୍ପତ୍ତି ଵିଷୟରେ ଆଲୋଚନା କଲେ ଜଣାଯାଏ ଯେ, ଏହା ସଂସ୍କୃତର 'ଗ୍ରହ' (ଗ୍ରହଣ କରିଵା) ଧାତୁରୁ ଵିଵର୍ତ୍ତିତ ହୋଇ ଆସିଛି। ପ୍ରାକୃତ ଭାଷାରେ ଏହା 'ଗେହ୍ଣ' କିମ୍ଵା 'ଗଣ୍ହ' ରୂପ ନେଇଥିଲା ଏଵଂ କାଳକ୍ରମେ ଓଡ଼ିଆ ଭାଷାରେ ଏହା 'ଘେନିଵା' କିମ୍ଵା ଗ୍ରାମ୍ୟ ପ୍ରୟୋଗରେ 'ଘିନିଵା'ରେ ପରିଣତ ହେଲା। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ, 'ଘେନିଵା'ର ଅନେକଗୁଡ଼ିଏ ଅର୍ଥ ରହିଛି। ଏହା ଧାରଣ କରିଵା, ମଞ୍ଜୁର କରିଵା, ଦେହରେ ଭରିଵା ଵା ପିନ୍ଧିଵା, ସମ୍ମାନ ଦେଵା ଠାରୁ ଆରମ୍ଭ କରି କୌଣସି କଥାକୁ ଵିଵେଚନା କରିଵା ପର୍ଯ୍ୟନ୍ତ ଵିଭିନ୍ନ ପ୍ରସଙ୍ଗରେ ଵ୍ୟଵହୃତ ହୁଏ। ଵିଶେଷ କରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଷଷ୍ଠ ଅର୍ଥଟି 'ମାନିଵା, ଶୋଭା ପାଇଵା କିମ୍ଵା ସୁନ୍ଦର ଦେଖାଯିଵା' ଉଲ୍ଲେଖ ଅଛି । ଉଦାହରଣସ୍ୱରୂପ "ନ ଘେନିଲା ପରି..." ଅର୍ଥାତ୍ ଯାହା ଶୋଭା ପାଉନାହିଁ। ସେହିପରି ଦେହରେ ଵସ୍ତ୍ର ଵା ମାଳା ଧାରଣ କରିଵା ଅର୍ଥରେ ମଧ୍ୟ "ମାଳ ଘେନିଲେ ଜଣେ ଜଣେ" ବୋଲି ପ୍ରୟୋଗ କରାଯାଏ। ତେଣୁ 'ଘିନିଵା'ର ମୂଳ ଉଦ୍ଦେଶ୍ୟ ହେଲା ନିଜ ସହିତ କିଛି ଯୋଡ଼ିଵା ଵା ଗ୍ରହଣ କରିଵା, ଯାହାଦ୍ୱାରା ଦେହର ଶୋଭା ଵର୍ଦ୍ଧନ ହୋଇଥାଏ।
ଏଠାରେ ଆଞ୍ଚଳିକ ଭାଷାଗତ ଵୈଚିତ୍ର୍ୟକୁ ମଧ୍ୟ ଧ୍ୟାନ ଦେଵା ନିତାନ୍ତ ଆଵଶ୍ୟକ। ଅଵିଭକ୍ତ ସମ୍ଵଲପୁରର ଵିଭିନ୍ନ ଅଞ୍ଚଳରେ 'ଘିନିଵା' ଶବ୍ଦଟି 'କିଣିଵା' ଵା To purchase ଅର୍ଥରେ ବହୁଳ ଭାବରେ ପ୍ରଚଳିତ। 'ଘିନି ଆନ୍ଵା' (କିଣିଆଣିଵା), 'ଘିନି ଖାଇଵା' (ଆହାରୀୟ ଦ୍ରଵ୍ୟ କିଣି ଖାଇଵା) ଏଵଂ 'ଘିନିଲା ଲୋକ' (କିଣାଦାସ ଵା ଅନୁଗତ ଵ୍ୟକ୍ତି) ଇତ୍ୟାଦି ଶବ୍ଦଗୁଡ଼ିକର ଆଜି ବି ପ୍ରଚଳନ ଅଛି । ଆଶ୍ଚର୍ଯ୍ୟର କଥା ହେଉଛି, ସମ୍ଵଲପୁରୀ ପ୍ରୟୋଗରେ ମଧ୍ୟ 'ଘିନି ଖାଇଵା' ଶବ୍ଦଟିକୁ ବେଳେବେଳେ ଵ୍ୟଙ୍ଗାର୍ଥରେ 'ସୁନ୍ଦର ଦେଖାଯିଵା' ଵା 'ଶୋଭା ପାଇଵା' ପ୍ରସଙ୍ଗରେ ଵ୍ୟଵହାର କରାଯାଏ। ଏହା ପ୍ରମାଣିତ କରେ ଯେ, ଓଡ଼ିଶାର ଵିଭିନ୍ନ ପ୍ରାନ୍ତରେ ଶବ୍ଦଗୁଡ଼ିକର ଉଚ୍ଚାରଣ ଏଵଂ ପ୍ରାଥମିକ ଅର୍ଥରେ ଭିନ୍ନତା ଥିଲେ ହେଁ, ସେଗୁଡ଼ିକର ଲାକ୍ଷଣିକ କିମ୍ଵା ଵ୍ୟଙ୍ଗାତ୍ମକ ପ୍ରୟୋଗରେ ଏକ ଅଦୃଶ୍ୟ ସାମଞ୍ଜସ୍ୟ ରହିଛି।
ଘିନି ଉଡ଼ିଵା କ୍ରିୟାରେ ଥିଵା ଦ୍ୱିତୀୟ ଶବ୍ଦଟି ହେଉଛି 'ଉଡ଼ିଵା', ଯାହା ସଂସ୍କୃତ ଶବ୍ଦ 'ଉଡ୍ଡୀନ' ସହିତ ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମତ ଏଵଂ ଏହାର ମୂଳ ଭାରୋ-ଇରାନୀୟ ରୂପ *udᶻdiHyáti ଥିଲା । ଉଡ଼ିଵା କ୍ରିୟାର ସାଧାରଣ ଅର୍ଥ ହେଉଛି ଆକାଶମାର୍ଗରେ ଗତି କରିଵା। କିନ୍ତୁ ଭାଷାକୋଷ ଅନୁସାରେ ଏହାର ଅନେକ ଲାକ୍ଷଣିକ ଅର୍ଥ ମଧ୍ୟ ରହିଛି; ଯେପରିକି ଅଦୃଶ୍ୟ ହେଵା, ଶୂନ୍ୟରେ ଚାଳିତ ହେଵା, ମନ ଵା ହୃଦୟ ଅସ୍ଥିର ହେଵା, କଥା ଚାରିଆଡ଼େ ପ୍ରଚାରିତ ହେଵା, କିମ୍ଵା ଅତି ଵେଗରେ ଗତି କରିଵା। ଯେତେବେଳେ 'ଘିନିଵା' (ଶୋଭା ପାଇଵା ଵା ଦେହରେ ଧାରଣ କରିଵା) ସହିତ 'ଉଡ଼ିଵା' (ଶୂନ୍ୟରେ ଉଡ଼ିଵା ଵା ଚାଳିତ ହେଵା) ଶବ୍ଦ ଯୋଡ଼ି ହୋଇଯାଏ, ସେତେବେଳେ ଏକ ଅଦ୍ଭୁତ ଅର୍ଥଗତ ଚମତ୍କାରିତା ସୃଷ୍ଟି ହୁଏ।
ଏହି ମିଶ୍ରଣର ମନସ୍ତାତ୍ତ୍ୱିକ ଅର୍ଥ ହେଉଛି, ଵ୍ୟକ୍ତି ଜଣକ ଯେଉଁ ଵସ୍ତ୍ର ଵା ଅଳଙ୍କାର ଧାରଣ କରିଛନ୍ତି, ତାହା ଏତେ ମାତ୍ରାରେ ଉଜ୍ଜ୍ୱଳ ଵା ଅସାଧାରଣ ଯେ, ତାହା କେଵଳ ଦେହରେ 'ଘେନି' ନାହିଁ, ଵରଂ ଦେଖଣାହାରୀଙ୍କ ଆଖିକୁ ଝଲସାଇ ଦେଇ ଶୂନ୍ୟରେ 'ଉଡ଼ୁଛି'। ଅର୍ଥାତ୍ ତାଙ୍କର ସାଜସଜ୍ଜା ଏତେ ଉତ୍କଟ ଭାବରେ ଆକର୍ଷଣୀୟ ଯେ, ତାହା ପରିଵେଶରେ ଏକପ୍ରକାର ଅସ୍ଥିରତା ଵା ଆଲୋଡ଼ନ ସୃଷ୍ଟି କରୁଛି। ଇଂରାଜୀରେ ଯାହାକୁ ଆମେ 'Over the top' କିମ୍ଵା 'Loud dressing' ବୋଲି କହୁ, 'ଘିନି ଉଡ଼ିଵା' ହେଉଛି ତାର ଏକ ଖାଣ୍ଟି ଓଡ଼ିଆ ରୂପାନ୍ତର। ଯେତେବେଳେ ସେହି ବୁଢ଼ା ଲୋକଟି ରଙ୍ଗୀନ ପାଟ ପିନ୍ଧି ଆସନ୍ତି, ତାଙ୍କର ଵୟସର ଗାମ୍ଭୀର୍ଯ୍ୟ ତୁଳନାରେ ସେହି ପାଟର ଉଜ୍ଜ୍ୱଳତା ଅଧିକ ପ୍ରତିଫଳିତ ହୁଏ, ସତେ ଯେମିତି ପୋଷାକଟି ଵ୍ୟକ୍ତିତ୍ୱକୁ ଟପି ନିଜେ ଉଡ଼ି ବୁଲୁଛି!
ଏହି ଗୋଟିଏ ଛୋଟିଆ କ୍ରିୟାପଦରୁ ଆମେ ପ୍ରାଚୀନ ଓଡ଼ିଶାର ଗ୍ରାମ୍ୟ ଜୀଵନର ସାମାଜିକ ସ୍ଥିତି ଵିଷୟରେ ଅନେକ କିଛି ଅନୁମାନ କରିପାରିଵା। ଆମ ସମାଜରେ ଵୟସ ଓ ପରିସ୍ଥିତି ଅନୁସାରେ ଆଚରଣ ତଥା ପରିଧାନର ଏକ ଅଲିଖିତ ନିୟମ ରହିଆସିଛି। ଵୟସ ବଢ଼ିଵା ସହିତ ଲୋକମାନେ ଶାନ୍ତ, ସରଳ ଓ ନିରାଡ଼ମ୍ଵର ଵସ୍ତ୍ର ପିନ୍ଧିଵାକୁ ସମାଜ ଆଶା କରିଥାଏ। ଯେତେବେଳେ କେହି ଏହି ଅଲିଖିତ ନିୟମକୁ ଭାଙ୍ଗି ଏକ ଭିନ୍ନ ସାଜରେ ବାହାରକୁ ଆସନ୍ତି, ସମାଜ ତାଙ୍କୁ ତୀଵ୍ର ସମାଲୋଚନା କରିଵା ପରିଵର୍ତ୍ତେ ଏହିଭଳି ରସାତ୍ମକ ଵ୍ୟଙ୍ଗ ମାଧ୍ୟମରେ ସଚେତନ କରିଥାଏ। 'ଘିନି ଉଡ଼ିଵା' କେଵଳ ଏକ ଶବ୍ଦ ନୁହେଁ, ଏହା ହେଉଛି ମଣିଷର ଲୁଚି ରହିଥିଵା ଯୌଵନର ଇଚ୍ଛା ଏଵଂ ସମାଜର ମୃଦୁ ଶାସନ ମଧ୍ୟରେ ଥିଵା ଏକ ମଧୁର ସଂଘର୍ଷର ପ୍ରତୀକ।
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନିତ ହୋଇଥିଵା ଏହି 'ଘିନି ଉଡ଼ିଵା' ପ୍ରୟୋଗଟି ଓଡ଼ିଆ ଭାଷାର ପ୍ରକାଶିକା ଶକ୍ତି ଏଵଂ ଵ୍ୟଞ୍ଜନା ଧର୍ମର ଏକ ପ୍ରକୃଷ୍ଟ ଉଦାହରଣ। ଗୋଟିଏ ପଟେ ଏହା ମୂଳ ସଂସ୍କୃତ ଧାତୁରୁ କ୍ରମଵିକଶିତ ହୋଇ ଓଡ଼ିଆ ଭାଷାରେ ନିଜର ଆଞ୍ଚଳିକ ପରିଚୟ ସୃଷ୍ଟି କରିପାରିଛି ଏଵଂ ଅନ୍ୟ ପଟେ ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ଆଚରଣକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରକାଶ କରିଵା ପାଇଁ ଏକ ଉପଯୁକ୍ତ ଅସ୍ତ୍ର ପାଲଟିଛି। ଆଧୁନିକତାର ପ୍ରଭାଵରେ ହୁଏତ ଆଜିକାଲିର ସହରୀ ପରିଵେଶରେ ଏହିଭଳି ଖାଣ୍ଟି ଶବ୍ଦମାନଙ୍କର ଵ୍ୟଵହାର କମି କମି ଯାଉଛି, କିନ୍ତୁ ଏହାର ଵ୍ୟୁତ୍ପତ୍ତି ଓ ପ୍ରୟୋଗ ଶୈଳୀକୁ ଅନୁଧ୍ୟାନ କଲେ ଆମେ ଆମର ମାତୃଭାଷାର ଅତୁଳନୀୟ ଗଭୀରତା ଏଵଂ ଆମ ପୂର୍ଵଜମାନଙ୍କର ସୂକ୍ଷ୍ମ ରସବୋଧକୁ ସହଜରେ ଉପଲଵ୍ଧି କରିପାରିଵା। ଵାସ୍ତଵରେ, ଏଭଳି ଶବ୍ଦଗୁଡ଼ିକ ହିଁ ଓଡ଼ିଆ ଭାଷାର ପ୍ରକୃତ ଅଳଙ୍କାର, ଯାହାକି ସର୍ଵଦା ଆମ ସାହିତ୍ୟ ଓ ସଂସ୍କୃତିର ଆକାଶରେ ଚମତ୍କାର ଭାବରେ 'ଘିନି ଉଡ଼ୁଥିଵ'।
Thursday, July 16, 2026
ଲୋଭର ପରିଣାମ
ଗୋଟିଏ ପ୍ରାଚୀନ ନଗରରେ ଜଣେ ଲୋକ ଥିଲା ଯିଏ ଅନ୍ଯକୁ ନାନା ଉପାୟରେ ଠକି ଅର୍ଥ ଲାଭ କରିଜାଣିଥିଲା । ଦିନେ ସେ ଜଙ୍ଗଲରେ ଯାଉଥିଲାବେଳେ ଗୋଟିଏ ସିନ୍ଧୁକ ପାଇଲା । ସେ ସିନ୍ଧୁକ ଉପରେ ଲେଖାଥିଲା
"ତମେ ଚାହିଁଲେ ଏ ସିନ୍ଧୁକ ଖୋଲିପାର
ହେଲେ ଯଦି ଖୋଲ ମରିଵା ହେଵ ସାର"
ଠକଲୋକଟି ଭାବିଲା ମୁଁ ଏ ସିନ୍ଧୁକ ନ ଖୋଲି ଅଉ ଜଣକ ହାତରେ ଖୋଲିବି , ମୁଁ ଖାଲିଟାରେ ଏଟାକୁ ଖୋଲି କାହିଁକି ମରିବି ?
ନଗରର ସବୁଠାରୁ ଓଲା ଲୋକକୁ ଧରି ଆଣି ସେ ସେହି ସିନ୍ଧୁକଟି ଖୋଲିଵାକୁ କହିଲା । ଉକ୍ତ ଲୋକଟି ଓଲା ଥିଲେ ବି ଅଶିକ୍ଷିତ ନଥିଲା । ସେ ଠକକୁ କହିଲା ଏଥିରେ ପରା ଲେଖା ହୋଇଛି ଯିଏ ଖୋଲିଵ ସିଏ ମରିଵ ମୁଁ ଏ ସିନ୍ଧୁକ ଖୋଲିଲେ ତ ମରିଯିବି ?
ଠକ ଲୋକଟି ବି କୋଉ ଛାଡୁଛି ? ସିଏ ଓଲାକୁ କହିଲା,
"ଆରେ ୟା ଭିତରେ ଗୋଟିଏ ସୁନ୍ଦର ରାଜକୁମାରୀ ଅଛି , ମୁଁ ପରା ନିଜେ ତା ପାଟି ଶୁଣି ତୋ ପାଖକୁ ଦୌଡ଼ିଗଲି । ମୋର ଝିଅ କ'ଣ ହେଵ ହେଲେ ତୋର ପା' ବାହାଘର ହୋଇ ନାହିଁ । ତୁ ଏଇ ସିନ୍ଧୁକ ଖୋଲି ରାଜକୁମାରୀକୁ ରଖିବୁ । ମୋତେ ରାଜକୁମାରୀ ଖୁସି ହୋଇ ହାରଟେ ଦେଲେ ବି ଚଳିଯିଵ ଯେ ..."
ଓଲା ଲୋକଟି ତା କଥାରେ ପଡ଼ି ସିନ୍ଧୁକ ଖୋଲି ଦେଲା ହେଲେ ସେଥିରେ ରାଜକୁମାରୀ ନଥିଲା !!!
ଥିଲା ଗୁଡାଏ ହୀରା ନୀଳା ମୋତି ମାଣିକ ଓ ରାଜମୁକୁଟ ...
ଓଲାଟି ରାଗିକି ଠକଲୋକଟା ସହ ଝଗଡା଼ କରିଵାକୁ ବାହାରିଲାରୁ
ଓଲା ଲୋକକୁ ଠକ କହିଲା,
"ଆରେ ଏଥିରେ ପରା କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ଗୋଟେ କାମ କରିଵା ତୋର ମୋର ଅଧା ଅଧା ବାଣ୍ଟିନେଵା ।"
ଓଲା ଲୋକଟି ରାଗିଥିଲେ ମଧ୍ୟ ସିନ୍ଧୁକ ଭିତରେ ଚକ୍ ଚକ୍ କରୁଥିଵା ହୀରା, ନୀଳା, ମୋତି ଓ ରାଜମୁକୁଟ ଦେଖି ତା' ମନ ଲୋଭେଇଗଲା। ସେ ଭାବିଲା, "ରାଜକୁମାରୀ ମିଳିଲାନି ତ ନାହିଁ, ଏତେ ସମ୍ପତ୍ତି ମିଳିଗଲେ ମୁଁ ତ ନିଜେ ଜଣେ ରାଜା ଭଳି ଚଳିପାରିବି।" ତେଣୁ ସେ ଠକର ଅଧା-ଅଧା ବାଣ୍ଟିଵା ପ୍ରସ୍ତାବରେ ରାଜି ହୋଇଗଲା।
କିନ୍ତୁ, ପ୍ରକୃତ ଖେଳ ତ ଏବେ ଆରମ୍ଭ ହେଵାକୁ ଯାଉଥିଲା...
ଅଧା ବାଣ୍ଟିବାକୁ ରାଜି ହେବା ପରେ ମଧ୍ୟ, ଦୁହିଁଙ୍କ ମନରେ ପରସ୍ପର ପ୍ରତି ଅଵିଶ୍ୱାସ ଓ ଲୋଭର ଵିଷ ମଞ୍ଜି ବୁଣି ହୋଇଗଲା।
ଠକ ମନେ ମନେ ଚିନ୍ତା କଲା : "ଏ ସିନ୍ଧୁକ ମୁଁ ପ୍ରଥମେ ଆଵିଷ୍କାର କଲି। ମୋରି ବୁଦ୍ଧି ଯୋଗୁଁ ହିଁ ଏହା ଖୋଲିଲା। ଏହି ଓଲାଟା କେଵଳ ଢାଙ୍କୁଣୀଟେ ଖୋଲିଦେଇ ଅଧା ସମ୍ପତ୍ତି ନେଇଯିଵ ? ଏହା କଦାପି ହୋଇପାରିଵ ନାହିଁ। ମୋତେ ସବୁତକ ସମ୍ପତ୍ତି ଦରକାର।"
ଓଲା ଚିନ୍ତା କଲା : "ଏହି ଠକଟା ମୋତେ ମିଛ କହି ମୃତ୍ୟୁ ମୁଖକୁ ଠେଲି ଦେଉଥିଲା। ଏହାକୁ ଵିଶ୍ୱାସ କରିଵା ମୂର୍ଖତା ହେଵ। ମୁଁ ଯଦି ଏହାକୁ ଏଇଠି ଶେଷ କରିଦିଏ, ତେବେ ସବୁ ସମ୍ପତ୍ତି ମୋର ହୋଇଯିଵ ।"
ସମ୍ପତ୍ତିକୁ ନିଜ ନଗରକୁ ନେଵା ପୂର୍ଵରୁ ଠକଟି ଏକ ଚାଲାକି କଲା। ସେ ଓଲାକୁ କହିଲା, "ଭାଇ! ଆଜି ଆମର ଭାଗ୍ୟ ବଦଳି ଯାଇଛି। ଚାଲ ଏହାକୁ ଖୁସିରେ ପାଳନ କରିଵା। ତୁ ଏଇଠି ସିନ୍ଧୁକ ଜଗିଥା, ମୁଁ ପାଖ ସହରକୁ ଯାଇ କିଛି ସୁଆଦିଆ ଖାଦ୍ୟ ଓ ମିଠା ପାଣି ନେଇ ଆସୁଛି। ଆମେ ଦୁହେଁ ମିଶି ପେଟପୂରା ଖାଇଵା ଏଵଂ ତା'ପରେ ସମ୍ପତ୍ତି ବାଣ୍ଟି ଘରକୁ ଯିଵା ।"
ଓଲା ଏଥିରେ ରାଜି ହେଲା। ଠକ ସହରକୁ ଗଲା। ସେଠାରେ ସେ ସ୍ୱାଦିଷ୍ଟ ଖାଦ୍ୟ କିଣିଵା ସହ ଜଣେ ଵୈଦ୍ୟ ପାଖରୁ ଅତି ତୀଵ୍ର ଵିଷ କିଣିଲା। ଠକ ସେହି ଵିଷକୁ ଓଲା ପାଇଁ ଆଣିଥିଵା ଖାଦ୍ୟରେ ମିଶାଇ ଦେଲା, ଯଦ୍ଦ୍ୱାରା ଓଲା ସେହି ଖାଦ୍ୟ ଖାଇ ମରିଯିଵ ଏଵଂ ସବୁ ସମ୍ପତ୍ତି ଠକ'ର ହୋଇଯିବ।
ଅପରପକ୍ଷରେ, ଜଙ୍ଗଲରେ ସିନ୍ଧୁକ ଜଗି ରହିଥିଵା ଓଲା ମଧ୍ୟ ଏକ ଭୟଙ୍କର ଯୋଜନା କରିସାରିଥିଲା। ସେ ଏକ ଶକ୍ତ କାଠ ଗଣ୍ଡି ସଂଗ୍ରହ କରି ରଖିଲା। ସେ ଭାବିଲା, "ଠକ ଫେରିଵା ମାତ୍ରେ ମୁଁ ତା' ମୁଣ୍ଡକୁ ପଛପଟୁ ଆଘାତ କରି ତାକୁ ମାରିଦେବି।"
ସନ୍ଧ୍ୟା ସମୟରେ ଠକ ହାତରେ ଖାଦ୍ୟ ପୁଟୁଳା ଧରି ଜଙ୍ଗଲକୁ ଫେରିଲା। ସେ ଓଲା ପାଖରେ ପହଞ୍ଚି ଖାଦ୍ୟ ବଢ଼ାଇଵାକୁ ଯାଉଥିଵା ସମୟରେ, ଓଲା ପଛପଟୁ ଆସି ସେହି ଭାରି କାଠ ଗଣ୍ଡିରେ ଠକର ମୁଣ୍ଡକୁ ଶକ୍ତ ପ୍ରହାର କଲା। ଠକଟି ରକ୍ତ ଜୁଡ଼ୁବୁଡ଼ୁ ଅଵସ୍ଥାରେ ସେହିଠାରେ ହିଁ ପ୍ରାଣ ହରାଇଲା।
ଓଲା ଅତ୍ୟନ୍ତ ଖୁସି ହୋଇଗଲା। ସେ ହସି ହସି କହିଲା, "ମୋତେ ଓଲା ଭାବୁଥିଲୁ? ଏବେ ଦେଖ, ସବୁ ସମ୍ପତ୍ତି କେଵଳ ମୋର!"
ଦିନସାରାର ପରିଶ୍ରମ ଓ ଉତ୍ତେଜନା ଯୋଗୁଁ ଓଲା ଅତିଶୟ କ୍ଷୁଧାର୍ତ୍ତ ଥିଲା। ସେ ବିନା ଦ୍ୱିଧାରେ ଠକ ଆଣିଥିଵା ସେହି ସ୍ୱାଦିଷ୍ଟ ଖାଦ୍ୟକୁ ଆଗ୍ରହର ସହ ଖାଇଵାକୁ ଲାଗିଲା। ସେ ଖାଦ୍ୟ ଶେଷ କରିଵାର ମାତ୍ର କିଛି ମିନିଟ୍ ମଧ୍ୟରେ ତା' ଶରୀରରେ ଵିଷ କ୍ରିୟା ଆରମ୍ଭ ହୋଇଗଲା। ତା'ର ପେଟ ଭିତର ଜଳିଵାକୁ ଲାଗିଲା ଏଵଂ ସେ ଯନ୍ତ୍ରଣାରେ ଛଟପଟ ହେଲା।
ମୃତ୍ୟୁର ଠିକ୍ ପୂର୍ଵ ମୁହୂର୍ତ୍ତରେ, ତା'ର ନଜର ସେହି ସିନ୍ଧୁକ ଉପରେ ଲେଖାଥିଵା ଧାଡ଼ି ଦୁଇଟି ଉପରେ ପଡ଼ିଲା:
"ତମେ ଚାହିଁଲେ ଏ ସିନ୍ଧୁକ ଖୋଲିପାର,
ହେଲେ ଯଦି ଖୋଲ ମରିଵା ହେଵ ସାର"
ସେ ବୁଝିପାରିଲା ଯେ ସିନ୍ଧୁକ ଭିତରେ କୌଣସି ରକ୍ତମୁଖା ଭୂତ ଵା ରାକ୍ଷସ ନଥିଲା,ଵରଂ ଏମିତି ଏକ ସମ୍ପତ୍ତି ଥିଲା ଯାହା ମଣିଷ ମନରେ ଏଭଳି ଲୋଭ ସୃଷ୍ଟି କରେ, ଯାହାର ପରିଣାମ କେଵଳ 'ମୃତ୍ୟୁ' ହିଁ ହୋଇଥାଏ।
ଶେଷରେ, ଉଭୟ ଠକ ଏବଂ ଓଲା ସେହି ସୁନା-ରୂପା ଓ ହୀରା ଗଦା ପାଖରେ ମୃତ ଅଵସ୍ଥାରେ ପଡ଼ି ରହିଲେ। ସେହି ରହସ୍ୟମୟ ସିନ୍ଧୁକଟି ପୂର୍ଵପରି ଖୋଲା ଅବସ୍ଥାରେ ସେହି ଜଙ୍ଗଲରେ ପଡ଼ି ରହିଲା, ପରଵର୍ତ୍ତୀ କୌଣସି ଲୋଭୀ ଵ୍ୟକ୍ତିର ଅପେକ୍ଷାରେ...।
ଅତ୍ୟଧିକ ଲୋଭ ହିଁ ମଣିଷର ସବୁଠାରୁ ବଡ଼ ଶତ୍ରୁ ଏଵଂ ଏହାର ପରିଣାମ ସର୍ଵଦା ଵିନାଶକାରୀ ହୋଇଥାଏ।
Wednesday, July 15, 2026
ଇଲିଆଡ଼ ୬ — ଵଳିର କଥା
ଵିଂଶ ଶତାବ୍ଦୀର ଶେଷ ସୁର ଏଵଂ ଏକଵିଂଶ ଶତାବ୍ଦୀର ପ୍ରତିଧ୍ୱନି
ମୋର ଜନ୍ମ ସମୟରେ ଵେତାର ଯୁଗ ଶେଷ ହେଉଥିଲାବେଳେ ଦୂରଦର୍ଶନର ଯୁଗ ଉଦୟ ହେଉଥାଏ । ମୋର ମନେ ଅଛି ଆମେ ଛୋଟ ଛୋଟ ପିଲା ନବେ ଦଶକର ଆରମ୍ଭରେ ବେତାର ପାଖରେ ବସି ଗୀତ ଶୁଣୁଥିଲୁ । ସେତେବେଳେ ଗାଆଁ ଗହଳିରେ ମାଇକ୍ ଵା ଡାକବାଜିର ବଡ଼ ପ୍ରଚଳନ ଥିଲା । ଲମ୍ବା ଲମ୍ବା ଫନେଲ୍ ଆକାରର ମାଇକ୍ରୁ ହିନ୍ଦୀ ଓଡ଼ିଆ ଗୀତ ବାଜୁଥିଲା। ଅଶି ନବେ ଦଶକର ଲୋକମାନେ ସେଥିରୁ ଗୀତ ନାଟକ ଶୁଣିଥିଲେ । ନବେ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଗାଆଁରେ କାହାର ଵିଵାହ ଇତ୍ୟାଦି ଶୁଭ ଅଵସର ସମୟରେ ଡାକବାଜି ଲାଗିଲେ ଦିପହରିଆ ନାଟକ, ଗୀତିନାଟ୍ୟ ବଜାଯାଉଥିଲା ଏଵଂ ବୁଢ଼ାବୁଢ଼ୀ ,ମଧ୍ୟଵୟସ୍କ ଓ ପିଲାମାନେ ଶୁଣୁଥିଲେ । ଖୁଦୁରୁକୁଣୀ ଓଷା ସମୟରେ ତଅପୋଈକଥା ମାଇକ୍ ଯୋଗେ ବାଜୁଥିଲା ଏଵଂ ସମସ୍ତେ ଧ୍ୟାନ ସହକାରେ ଶୁଣୁଥିଲେ । ଆଜି ଭଳି ସେତେବେଳେ ଏତେ ଟିଵି ନଥିଲା ତେଣୁ ଏହି ସବୁର ବଡ଼ ଆଦର ଥିଲା । ଯୁଵକମାନେ,ମଧ୍ୟଵୟସ୍କମାନେ ଖଣ୍ଡେ ଖଣ୍ଡେ ରେଡିଓ ଧରି ବୁଲୁଥିଲେ । ଗାଆଁରେ ବରଗଛ ମୂଳେ ହେଉ ଵା ମଣ୍ଡପ ଉପରେ ହେଉ ରେଡିଓଟିଏ ନିଶ୍ଚିତ ଭାବେ ରହୁଥିଲା ଏଵଂ ଲୋକେ ଚାରି ପାଖରେ ବସି ଶୁଣୁଥିଲେ । ମୁଁ ବହୁତ ଛୋଟ ଥିଵା ବେଳେ ଆମ ଘରେ ଏକ ରେଡିଓ ଥିଲା ଏଵଂ ତାହା ପ୍ରାୟ ୨୦୦୮ ପର୍ଯ୍ୟନ୍ତ ଏକରୁ ଦୁଇ ଦଶନ୍ଧି ଯାଏଁ ବଞ୍ଚି ରହିଥିଲା । ଆମେ ସେ ରେଡିଓରୁ କଟକ ଓ ଯୋରନ୍ଦା ବେତାରକେନ୍ଦ୍ରରୁ ନାଟକ,ଗୀତ ଓ ସମ୍ବାଦ ଶୁଣି ଶୁଣି ବଡ଼ ହେଉଥିଲାବେଳେ ବାପା ୧୯୯୫ରେ ଗୋଟିଏ କଳାଧଳା କୋଣାର୍କ ଟିଵି କିଣି ଆଣିଲେ । ସେଇଠୁ ଦୂରଦର୍ଶନ ଦେଖିଵାର ସୁଯୋଗ ମିଳିଲା । ମୋ ଜୀଵନରେ ପ୍ରଥମଥର ଟିଵି ମୁଁ ଆମ ଗାଆଁର ଶ୍ରୀନଵଵିଶ୍ଵାଳଙ୍କ ଘରେ ଦେଖିଥିଲି । ସେତେବେଳେ ନଵଵିଶ୍ଵାଳଙ୍କ ଘରକୁ ଟିଵି ଦେଖିଵାକୁ ଅନେକ ଲୋକେ ଆସୁଥିଲେ । ଆମ କନ୍ତିଓ ପୁଟସାହି ପଞ୍ଚାୟତର ନୂଆସାହିରେ ପ୍ରଥମେ ଟିଵି ଜଣେ ବଣିଆ ଘର ଆଣିଥିଲେ ବି ଆମ ନିଜ ସାହି ଭାଲିଆତୈଳା ସାହିରେ ପ୍ରଥମେ ଶ୍ରୀନଵଵିଶ୍ଵାଳ ହିଁ ଟିଵି ଆଣିଥିଲେ । ସେ ଟିଵିଟି ବଡ଼ ଆକାରର ଲମ୍ବା ପରଦାଯୁକ୍ତ କୋଣାର୍କ ଟିଵି ଥିଲା । ଢେଙ୍କାନାଳରେ ଆମ ମାମୁଘରେ ମଧ୍ୟ ଏହିପରି ଏକ କୋଣାର୍କ ଟିଵି ଥିଲା । ସେ ଯାହାହେଉ ଦୂରଦର୍ଶନ ସହିତ ପରିଚୟ ହେଲାରୁ ନୂଆ ନୂଆ କଥା ଜାଣିଵାକୁ ମିଳିଲା । ଗୀତ ଶୁଣୁଥିଲୁ ଏବେ ଦେଖି ବି ପାରିଲୁ । ପୂର୍ଵେ ଲୋକେ ଏକାଠି ହୋଇ ନାଚ ଦେଖୁଥିଲେ ,ଦୂରଦର୍ଶନ ଯନ୍ତ୍ର ଆଗମନ ପରେ ସେଇ ଆଦିମ ପରମ୍ପରାକୁ ପାଥେୟ କରି ଗାଆଁରେ ସାମୁହିକ ଚଳଚ୍ଚିତ୍ର ଦର୍ଶନ କଲେ । ଏହାକୁ ସେତେବେଳର ଲୋକେ ଭିଡିଓ ଵା ଭିଡ଼ୁଅ କହୁଥିଲେ । ଗାଆଁରେ କାହାର ଵିଵାହ ଇତ୍ୟାଦି ଶୁଭ କାର୍ଯ୍ୟ ଅଵସରରେ ଭିଡ଼ୁଅ କରିଵା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା । କେହି କେହି ପ୍ରତିପତ୍ତି ଦେଖାଇଵାକୁ ଦୁଇ ତିନି କିମ୍ବା ପାଞ୍ଚରାତି ପର୍ଯ୍ୟନ୍ତ ଭିଡ଼ୁଅ କରୁଥିଲେ । ସେତେବେଳେ ଟିଵି ଓ ଵିସିଆର କି ଵିସିପି ଭଡ଼ାରେ ଦିଆଯାଉଥିଲା । ନବେ ଦଶକ ଶେଷ ଆଡ଼କୁ ଏହା ଚରମ ସ୍ଥିତିରେ ପହଞ୍ଚିଥିଲା । ଲୋକମାନେ ଦୂରଦର୍ଶନର ରାମାୟଣ ଓ ମହାଭାରତ ସିରିଏଲକୁ ଟଙ୍କା ସାଦି ଆୟୋଜନ କରୁଥିଲେ । ସନ୍ଧ୍ୟା ସାତଟା ଆଠଟା ବେଳକୁ ଗାଆଁ ଯାକର ଲୋକେ ବସି ମହାଭାରତ-ରାମାୟଣ ଦେଖୁଥିଲେ । ତେବେ ଏହା ମଧ୍ୟରେ ମାତ୍ର ଗୋଟିଏରୁ ଦେଢ଼ ଦଶନ୍ଧି ଭିତରେ ଵିସିଆର୍,ଵିସିପି ଓ ଵିସିଡି ଯାଇ ସିଡି ଚାଲି ଆସିଲା । ଟେପ୍ ରେକଡ଼ର୍ କ୍ୟାସେଟର ସ୍ଥାନ ଚାହୁଁ ଚାହୁଁ ସିଡି ନେଇଗଲା ।
ଏଣେ ଟିଵି ଜଗତରେ ମଧ୍ୟ ଅଦ୍ଭୁତପୂର୍ଵ ପରିଵର୍ତ୍ତନ ଦେଖା ଦେଇଥିଲା । ନବେ ଦଶକରୁ ପ୍ରାଇଵେଟ୍ ଚ୍ୟାନେଲ୍ ଭାରତରେ ଥିଲେ ବି ଗାଆଁ ଗହଳିରେ ପ୍ରାଇଵେଟ୍ ଟିଵି ଚ୍ୟାନେଲ୍ ଦେଖିଵାର ଆରମ୍ଭ ଏକଵିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳରେ ହୋଇଥିଲା । ଧିରେ ଧିରେ ଗାଆଁ ଗଣ୍ଡାରେ ଟିଵି ସଂଖ୍ୟା ବଢ଼ିଲା । ପଇସାବାଲା ଲୋକେ ରଙ୍ଗୀନ ଟିଵି କିଣିଲେ । ପ୍ରତିପତ୍ତି ଦେଖାଇଵାକୁ ପ୍ରତିଯୋଗିତାମୂଳକ ଭାବେ ବଡ଼ ବଡ଼ ଟିଵି କିଣାଗଲା । ଆମ କନ୍ତିଓ ଗାଆଁର ନୂଆସାହିର ଜଣେ ଦିଜଣ ପଇସାବାଲା ଲୋକ ସେତେବେଳେ ଫ୍ଲାଟ୍ ଟିଵି ମଧ୍ୟ କିଣିଥିଲେ । ଟିଵି ସଂଖ୍ୟା ବଢ଼ିଲାରୁ ଜଣେ ଛତା ଆଣ୍ଟିନା କିଣି ଆଣି ମାସିକ ଶୁକ୍ଳ ବଦଳରେ ପ୍ରାଇଵେଟ୍ ଚ୍ୟାନେଲ୍ର ସର୍ଵିସ୍ ଦେଲେ । ଆମର ମଧ୍ୟ କିଛି ଦିନ ପାଇଁ ସେହି ସେଵା ନେଇ ପରେ ବନ୍ଦ କରି ଦେଇଥିଲୁ । ଆମ ଘର ସମ୍ମୁଖରେ ହୁରୁଦା ଭାଇଙ୍କର ଘରେ ତଥାପି ପ୍ରାଇଵେଟ୍ ଚ୍ୟାନେଲ୍ର ସର୍ଵିସ୍ ଅନେକ ଦିନ ଯାଏଁ ଚାଲୁ ରହିଲା । ସେତେବେଳେ ଆମ କୋଣାର୍କ ଟିଵି ସହିତ ଏକ ବୁଷ୍ଟର୍ ଲାଗିଥିଲା ଯାହା ସେଇ ଚ୍ୟାନେଲ୍ଗୁଡ଼ିକୁ ଟାଣି ଆଣୁଥିଲା । ମୁଁ ଆମ ୟାଗି ଆଣ୍ଟିନାରେ ନିଜର ବୁଦ୍ଧିମତ୍ତା ଖଟାଇ ଅନେକ ସରଞ୍ଜାମ ଲଗାଇ ସେସବୁ ଚିତ୍ରକୁ ସ୍ପଷ୍ଟ କରିଵାର ଚେଷ୍ଟାରେ ଲାଗି ରହୁଥିଲି । ସ୍କୁଲ୍ ପରେ ପିଲା ଖେଳୁଥିଵାବେଳେ ମୋର ବାଡ଼ିରେ ଗଛ ଲଗାଇଵା ପରେ ତାହା ଆଉ ଏକ କାମ ଥିଲା । ଦୂରଦର୍ଶନ ଛଡ଼ା ଡିଡି ମେଟ୍ରୋର ଚିତ୍ର ସ୍ପଷ୍ଟ ପାଇଁ ମଧ୍ୟ ଏଭଳି କରୁଥିଲି । ୨୦୦୩ରେ କିନ୍ତୁ ତତ୍କାଳୀନ ସରକାରଙ୍କ ମୁଣ୍ଡରେ କି ଦୁର୍ବୁଦ୍ଧି ପସିଲା ଯେ ସେ ଡିଡି ମେଟ୍ରୋ ଯାଗାରେ ଡିଡି ନ୍ୟୁଜ୍ ଚ୍ୟାନେଲ୍ର ପ୍ରସାରଣ ଆରମ୍ଭ କରିଦେଲେ । ସେହି ସମୟରେ ମୁଁ ହାଇସ୍କୁଲରେ ପଢ଼ୁଥିଲି । ଏହା ମୋ ଭଳି ମନୋରଞ୍ଜନ ପ୍ରେମୀ କିଶୋର ପାଇଁ ଏକ ଶକ୍ତ ଧକ୍କା ଥିଲା । ତେବେ
ସାଟେଲାଇଟ୍ ଟିଵି ଆସିଵାରୁ ସେହି କଷ୍ଟ କିଛି ଦିନ ଭିତରେ ଉଭେଇ ଗଲା । ଆମ ଗାଆଁ ଲୋକମାନେ ସେତେବେଳେ ସାଟେଲାଇଟ୍ ଟିଵିକୁ ଷ୍ଟାର୍ କହୁଥିଲେ କାରଣ ଷ୍ଟାର୍ କମ୍ପାନୀର ସାଟେଲାଇଟ୍ ଟିଵି ସର୍ଵିସ୍ ଆମ ଗାଆଁରେ ଆରମ୍ଭ ହୋଇଥିଲା । ତାପରେ କିଛି ଵର୍ଷ ମଧ୍ୟରେ ଦେଖାଗଲା ଯେ ଲୋକେ ନିଜର ଵ୍ୟକ୍ତିଗତ ସାଟେଲାଇଟ୍ ଟିଵି ଆଣ୍ଟିନା ଓ ସର୍ଵିସ୍ କିଣି ଘର ଛାତରେ ଲଗାଇଵାକୁ ଲାଗିଲେ । ୧୬ ଡିସେମ୍ବର ୨୦୦୪ ମସିହାରେ ଆନୁଷ୍ଠାନିକ ଭାବେ DD Dth ସେଵା ଆରମ୍ଭ ହୋଇଥିଲା। ଆମ ଗାଆଁର ଜଣେ ଦିଜଣ ଏହାକୁ କିଣି ଆଣି ଲଗାଇଥିଲେ । ତେବେ ସେଥିରେ କେଵଳ କିଛି ନିର୍ଦ୍ଦିଷ୍ଟ ଦୂରଦର୍ଶନ ଚ୍ୟାନେଲ୍,ଅଲ ଇଣ୍ଡିଆ ରେଡିଓ ଚ୍ୟାନେଲ୍ ଏଵଂ ଅଳ୍ପ କିଛି ବେସରକାରୀ ଟିଵି ଚ୍ୟାନେଲ୍ ଆସୁଥିଲା । ସେହି ସମୟରେ ଓଡ଼ିଶାରେ ଇଟିଵି ବଡ଼ ଲୋକପ୍ରିୟ ଥିଲା । ସେହି ଚ୍ୟାନେଲଟିକୁ ଦେଖିଵା ପାଇଁ ଲୋକମାନେ ନାନା ଉପାୟ ଅଵଲମ୍ବନ କରୁଥିଲେ । ଯାହା ଘରେ ସକାଳୁ ସଞ୍ଜଯାଏଁ ଇଟିଵି ଲାଗୁଥିଲା ତାଘରେ ସବୁବେଳେ ଭିଡ଼ ଜମୁଥିଲା । ଗାଆଁ ଲୋକମାନେ ଟିଵି ପଛରେ ଏତେ ପାଗଳ ସୋଇଯାଇଥିଲେ ଯେ ୨୦୦୫ରେ ଗାଆଁ ଟ୍ରାନ୍ସଫର୍ମର୍ ପୋଡ଼ି ପାଞ୍ଚମାସ କରେଣ୍ଟ ନରହିଵାରୁ ବଡ଼ ଵ୍ୟାକୁଳ ହୋଇ ପଡ଼ିଥିଲେ । ସେ ଦିନିଆ ଟିଵି ଦେଖିଵାକୁ ଲୋକେ ଇନଵର୍ଟର୍ କିଣି ତାକୁ ପଣ୍ଡୁଆ,ଅଁଳାବେରେଣି କିମ୍ବା ଢେଙ୍କାନାଳରେ ଚାର୍ଜକରି ଆଣି ଵ୍ୟଵହାର କରୁଥିଲେ । ଆମ ଘରେ ବି ସେତେବେଳେ ଏକ ଇନଵର୍ଟର୍ ଥିଲା । ସେଦିନିଆ କରେଣ୍ଟ ନଥିଵାବେଳେ କିଛି ମାସ ପାଇଁ ଲୋକମାନେ ପୁଣି ରେଡିଓ ଧରିଵା ଆରମ୍ଭ କରିଥିଲେ । ଗାଆଁରେ ସେଦିନିଆ ବିଜୁଳି ନଥିଵାବେଳେ ହିମେଶ୍ ରେଶମିଆଙ୍କର ଆଶିକ୍ ବନାୟା ଆପନେ ଚଳଚିତ୍ର ଗୀତ "ଏକ ବାର୍ ଆଜା ଆଜା" ଗୀତକୁ ବଜେଇ ଲୋକେ ଡରେଇ କହୁଥିଲେ ଦେଖ ଏ ଗୀତ ବଜେଇଲେ ଭୂତ ଆସିଵ । କିଛି ସରଳ ଵିଶ୍ଵାସୀ ଲୋକେ ଏହାକୁ ଵିଶ୍ଵାସ କରି ଡରି ବି ଯାଉଥିଲେ । ଚାରି ପାଞ୍ଚ ମାସ ପରେ ବହୁତ ଧାଆଁ ଦଉଡ଼ ଓ ଟଙ୍କା ସଞ୍ଚୟ କଲାରୁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତରେ ପୁଣି ଟ୍ରାନ୍ସଫର୍ମର ଲାଗିଲା । ସେତେବେଳେ ପଞ୍ଚାୟତକୁ ଗୋଟିଏ ମାତ୍ର ଟ୍ରାନ୍ସଫର୍ ଦିଆଯାଇଥିଲା ଯାହା ପୁଟସାହିର ତଳସାହି ଓ ଗୋଡ଼ିସାହି ମଝିରେ ରାସ୍ତାର ଏକ ପାଖରେ ଧାନପେଶା କଳ ପାଖରେ ଲାଗିଥିଲା । ପରେ ପଞ୍ଚାୟତରେ ଅସୁଵିଧା ହେଵାରୁ ଅନେକ ଟ୍ରାନ୍ସଫର୍ମର୍ ଲାଗିଲା । ଏହି ସବୁ ଭିତରେ ଚାହୁଁ ଚାହୁଁ ୨୦୦୭ ଚାଲି ଆସିଲା । ପ୍ରଥମ ଥର ଗାଆଁରେ ଲୋକେ ଟି20 ଵିଶ୍ଵକପ୍ର ସିଧାପ୍ରସାରଣ ଦେଖିଲେ । ମୋର ମନେ ଅଛି ଆମ ସାହି କୁନା ଛୋଟରାୟ ତାଙ୍କ ଵ୍ୟକ୍ତିଗତ ସାଟେଲାଇଟ୍ ଟିଵିକୁ ସେହି ଖେଳ ସମୟରେ ସମସ୍ତେ ଦେଖିଵା ପାଇଁ ଦାଣ୍ଡରେ ଲଗାଇ ଦେଉଥିଲେ । ଆମେ ସବୁ ଟି20 ମ୍ୟାଚ୍ ଏହିପରି ଭାବେ ଦେଖିଥିଲୁ ଏଵଂ ଫାଇନାଲ ଭାରତ ଜିତିଵା ପରେ ଗାଆଁ ଉତ୍ସଵମୁଖର ହୋଇ ଯାଇଥିଲା । ଟିଵି ଯୁଗ ନିଜର ଚରମ ସ୍ଥିତିରେ ପହଞ୍ଚିଲାବେଳକୁ ମୋବାଇଲ ଯୁଗର ଆରମ୍ଭ ହୋଇଯାଇଥିଲା ।
ଛୋଟବେଳେ ମୁଁ ଟେଲିଫୋନରେ କଥା ହେଵାକୁ ବଡ଼ ଲାଜ କରୁଥିଲି । ଆମ ଗାଆଁର ଜଣେ ଦିଜଣ ଲୋକେ ଵ୍ୟଵସାୟିକ ଟେଲିଫୋନ୍ ଆଣିଲେ । ତନ୍ମଧ୍ୟରେ ଗୋଟିଏ ଟେଲିଫୋନ୍ କନ୍ତିଓ ପୁଟସାହି ଗୋଠ ଆଗକୁ ଥିଵା ଧାନପେଶା କଳର ମାଲିକ ରଖିଥିଲେ ।
ନବେ ଦଶକରେ ଆମ ବବା(ବଡ଼ବାପା) ବାହାର ରାଜ୍ୟରୁ ଫୋନ୍ କଲାବେଳେ ମମା(ବଡ଼ମାଆ)ଙ୍କ ସହିତ କେତେଥର ଯାଇଛି । ହେଲେ ଲାଜରେ କଥା ହୋଇନାହିଁ । ପରେ ଆମ ଦୋକାନରେ ମଧ୍ୟ ଵ୍ୟଵସାୟିକ କଏନ୍ ଗଳା ଟେଲିଫୋନ ଆସିଵାରୁ ୟେ ଲଜ୍ଜାବୋଧ ଛାଡ଼ି ଯାଇଥିଲା ।
୨୦୦୦ ମସିହା ବେଳକୁ ବୋଧହୁଏ ନୋକିଆ ମୋବାଇଲ ଫୋନ୍ ସହିତ ପରିଚିତ ହୋଇଥିଲି । ସେଦିନିଆ ଅନେକ ଲୋକେ ନୋକିଆର ସାଦା ଫୋନ୍ କିଣି ଆଣିଥିଲେ । ଆମ ଗାଆଁର କାଳିଆ ପଣ୍ଡା ସେହିପରି ଏକ ଫୋନ୍ କିଣି ଆଣି ତହିଁରେ ସାପ ଖେଳ ଖେଳୁଥିଲେ । ଆଜି ଯେମିତି ଗାଆଁରେ ପିଲାଏ ଗେମ୍ ଖେଳ ଦେଖାଦେଖି ହେଉଛନ୍ତି ସେତେବେଳେ ଆମେ ବି ସାପ ଖେଳାଳିଙ୍କ ପାଖରେ ବସି ସେ ଖେଳକୁ ଦେଖୁଥିଲୁ । ୨୦୦୫ ବେଳକୁ ଚାଇନା ସ୍ମାର୍ଟ ଫୋନ ବି ବଜାରକୁ ଆସିଗଲା । ଢେଙ୍କାନାଳରେ ୨୦୦୬ ଵା ୨୦୦୭ ବେଳକୁ ସର୍ଵପ୍ରଥମେ touch mobile ଫୋନ୍ ଜଣେ ଵ୍ୟଵହାର କରୁଥିଵାର ଦେଖିଥିଲି । ସେତେବେଳେ ମୋବାଇଲ ଚଳାଇଵା ସାତ ସପନ ଥିଲା । ୨୦୦୭ରେ ଵ୍ରଜକିଶୋର ସାହୁ ଭାଇଙ୍କର ଗୋଟିଏ ନୋକିଆ ଫୋଲ୍ଡିଂ ଫୋନ୍ ଯୋଗେ ଏୟାରଟେଲ ନେଟୱର୍କ ଦ୍ଵାରା ସର୍ଵପ୍ରଥମେ ଇଣ୍ଟରନେଟ ଚଳାଇଵାର ସୁଯୋଗ ପାଇଥିଲି । ଏହି ସମୟ ବେଳକୁ ଭାରତରେ ଇଣ୍ଟରନେଟ ଓ ମୋବାଇଲ ଫୋନ୍ର ଯୁଗ ଆରମ୍ଭ ହୋଇଯାଇଥିଲା । ପ୍ରଥମେ ମୋ ଜୀଵନରେ ଦୁଇଗୋଟି Second hand ମୋବାଇଲ କିଣିଥିଲି । ତନ୍ମଧ୍ୟରେ ଗୋଟିଏ ଚାଇନିଜ ସାଇମ୍ବିଆନ୍ ଫୋନ୍ ଥିଲା । ତାପରେ ୨୦୦୯ ମାର୍ଚ୍ଚ ମାସରେ ନୋକିଆ ୨୬୨୬ ମୋବାଇଲ କିଣିଲି । ସେଇ ୨୦୦୯ରେ ପ୍ରଥମ କରି ଫେସବୁକରେ ଆଇଡି କରିଥିଲି । ସେତେବେଳେ ଫେସବୁକରେ ଆଜି ଭଳି ୟେ ରାଜନୀତି,କଳିଝଗଡ଼ା ନଥିଲା । ଲୋକମାନେ ନୂଆ ନୂଆ ଇଣ୍ଟରନେଟ୍ ଵ୍ୟଵହାର କରୁଥିଲେ ତେଣୁ ବଡ଼ ମଜା ଲାଗୁଥିଲା । ସକାଳୁ ସକାଳୁ ଗୁଡ୍ ମର୍ନିଂ ଏଵଂ ରାତିରେ ଗୁଡ୍ ନାଇଟ୍ ଇତ୍ୟାଦି ସନ୍ଦେଶ ଓ ଉପସ୍ଥାପନା ବହୁତ ହେଉଥିଲା । ସେତେବେଳେ ଅଧିକାଂଶ ଶିକ୍ଷିତ ଓ ପଇସାବାଲା ଲୋକେ ହିଁ ଇଣ୍ଟରନେଟ ଚଳାଉଥିଲେ । ଫେସବୁକ ସାରା ଇଂରାଜୀ ଭାଷା ଓ ଲିପିର ଏକାଧିପତ୍ୟ ଥିଲା । ଵ୍ୟଵହାରକାରୀ କମ୍ ଥିଲେ କିନ୍ତୁ ଯେତିକି ଥିଲେ ଅଧିକାଂଶ ବୁଦ୍ଧିଜୀଵୀ ଥିଲେ । ୨୦୧୦ ବେଳକୁ ସ୍ଥିତି ଟିକିଏ ବଦଳିଲା । ଲୋକେ ଏଣିକି ଫେସବୁକର ଅପଵ୍ୟଵହାର କରିଵା ଆରମ୍ଭ କଲେ । କିଏ ଫେସବୁକରେ ପ୍ରେମ କଲା,କିଏ ଫେସବୁକରେ ଲୋକଙ୍କୁ ଠକିଲା ପୁଣି ଆଉ କିଏ ଫେସବୁକରେ ରାଜନୀତି କରିଵାକୁ ଲାଗିଲା । ସେହି ସମୟରେ ବୁଦ୍ଧିଜୀଵୀମାନେ ବି ନିଜର ପ୍ରତିଭା ଦେଖାଇଵାକୁ ପ୍ରଯତ୍ନ କଲେ । ଭଲ ଉପକରଣର ଅଭାଵ,ଵିଡିଓ ତିଆରି ଶୈଳୀରେ ଅଜ୍ଞାନତା ଓ ଅପଲୋଡ୍ ପାଇଁ ଡାଟା କମ୍ ଥିଲା ତେଣୁ ବହୁତ କମ୍ ଲୋକ ଵିଡିଓ ଅପଲୋଡ୍ କରିପାରୁଥିଲେ । କିନ୍ତୁ କିଛି ଲୋକ କମ୍ପ୍ୟୁଟର ତଥା ଉନ୍ନତ ମୋବାଇଲରେ ଫୋଟୋ ତିଆରି କରି ସେଥିରେ ଓଡ଼ିଆ ହିନ୍ଦୀରେ ଲେଖା ଲେଖି ପୋଷ୍ଟ କରୁଥିଲେ । ୨୦୧୦ ପର୍ଯ୍ୟନ୍ତ ଆମ ଗାଆଁର ହାତଗଣତି ଦୁଇ ତିନି ଜଣ ହିଁ ଫେସବୁକରେ ଆଇଡି କରିଥିଲେ । ସେ ସମୟରେ ଅନେକଙ୍କ ପାଖରେ ଉନ୍ନତ ମୋବାଇଲ ନଥିଲା କି ଉନ୍ନତ ଡାଟା କନେକ୍ଟିବିଟି ନଥିଲା । 2G ମୋବାଇଲ ଯୋଗେ ଅନେକେ ଇଣ୍ଟରନେଟ ଵ୍ୟଵହାର କରୁଥିଲେ । ସେ ସମୟର 2g ଫୋନ୍ରେ ଵିଶେଷ କିଛି ସୁଵିଧା ନଥିଲା । ତଥାପି ଇଣ୍ଟରନେଟ୍ ଭଲ ଚାଲୁଥିଲା । କେଵଳ ବଡ଼ ଫାଇଲ୍ ଡାଉନଲୋଡ ଓ ଅପଲୋଡ୍ କ୍ଷେତ୍ରରେ ସମୟ ଲାଗୁଥିଲା । ଅନେକ ଫୋନ୍ରେ ଓଡ଼ିଆ ଲେଖିଵାର ସୁଵିଧା ନଥିଲା । ନୋକିଆ ଭଳି କିଛି ଫୋନ୍ ଓଡ଼ିଶାରେ କିଣିଲେ ହିଁ ଓଡ଼ିଆ ଭାଷା ଲେଖିଵାର ସୁଵିଧା ମିଳୁଥିଲା । ଅନ୍ୟ ରାଜ୍ୟରେ ଫୋନ୍ କିଣୁଥିଵାରୁ ମୁଁ ଅନେକ ଵର୍ଷ ଯାଏଁ ପୂର୍ଣ୍ଣତଃ ଓଡ଼ିଆ ଲିପିରେ ଲେଖିଵାର ସୁଯୋଗ ପାଇନଥିଲି । ତଥାପି Panini keypad ଵ୍ୟଵହାର କରି ତା ବଳରେ ଆମେ ବଡ଼ କଷ୍ଟରେ ଓଡ଼ିଆ ଲେଖୁଥିଲୁ । ୨୦୦୭ରୁ ୨୦୧୫ ମଧ୍ୟରେ ଗୁଗଲ୍ ବ୍ଲଗ୍ ଓ ୱାର୍ଡ୍ପ୍ରେସ୍ ବ୍ଲଗର ବଡ଼ ପ୍ରଭାଵ ଥିଲା । ଅନେକ ଜ୍ଞାନୀ ଵିଦ୍ଵାନ ଵ୍ୟକ୍ତି ବ୍ଲଗ୍ ଜଗତରେ ସକ୍ରିୟ ଥିଲେ । ସେତେବେଳେ ହଜାର ହଜାର ହିନ୍ଦୀ, ଗୁଜରାଟୀ ଓ ଇଂରାଜୀ ବ୍ଲଗ୍ ପଢ଼ିଵାର ସୁଯୋଗ ମିଳିଥିଲା । ଧିରେ ଧିରେ ଅନେକ ହିନ୍ଦୀ ୱେବସାଇଟ୍ ଖୋଲିଵାକୁ ଲାଗିଲା । ଫଳତଃ ଅନେକ ହିନ୍ଦୀ ସାହିତ୍ୟ ପଢ଼ିଵାର ସୁଯୋଗ ମିଳିଲା । ସେହି ସମୟରେ ହାତଗଣତି ଓଡ଼ିଆ ୱେବସାଇଟ୍ ଥିଲା । କିନ୍ତୁ ୨୦୧୨ ବେଳକୁ ଓଡ଼ିଆଙ୍କ ସଂଖ୍ୟା ଫେସବୁକରେ ବଢ଼ିଵାକୁ ଲାଗିଲା । କ୍ରମେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରତିପତ୍ତି ଓ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ଵ୍ୟଵହାର କରିଵାକୁ ଲାଗିଲେ । ଏ କ୍ଷେତ୍ରରେ ବିଜେପି ସର୍ଵାଗ୍ରେ ଥିଲା । ସେହି ସମୟରେ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସପକ୍ଷରେ ଅନେକ ପୋଷ୍ଟ ହେଉଥିଲା । ମୋବାଇଲ କିପାଡ୍ରେ ଭାରତୀୟ ଲିପି ଓ ଭାଷାଗୁଡ଼ିକ ସ୍ଥାନ ପାଇଵାରୁ ଲୋକେ ନିଜ ନିଜର ଭାଷାରେ ଲେଖିଵାକୁ ଲାଗିଲେ । ୨୦୧୨ରୁ ୨୦୧୬ ମଧ୍ୟରେ 3G ସେଵା ବି ଆରମ୍ଭ ହୋଇଥିଲା ତେଣୁ ପୂର୍ଵାପେକ୍ଷା ଇଣ୍ଟରନେଟର ଵ୍ୟଵହାର ବଢ଼ିଯାଇଥିଲା । ମୋବାଇଲ ଫୋନ ମଧ୍ୟ ପୂର୍ଵାପେକ୍ଷା ସହଜରେ ଉପଲବ୍ଧ ହେଲା ଫଳତଃ ଅନେକ ନୂଆ ନୂଆ ଲୋକ ସାମାଜିକ ଗଣମାଧ୍ୟମଗୁଡି଼କରେ ସକ୍ରିୟ ହେଲେ । ୧୦୧୩ରେ ମୁଁ ଏକ ସାମସଙ୍ଗ୍ ମୋବାଇଲ୍ କିଣିଵାରୁ ଓଡ଼ିଆ ଲିପିରେ ଲେଖିଵା ଆରମ୍ଭ କଲି ଏଵଂ ସେହି ସମୟରେ "କନ୍ତିଓଟୋକା" ବ୍ଲଗ୍ ଆରମ୍ଭ କରିଥିଲି ଯାହା ପରେ "କନ୍ତିଓକଥା" ରୂପେ ନାମିତ ହୋଇଅଛି । ଏହାପରେ ସବୁକିଛି ବଦଳିଵାକୁ ଲାଗିଲା । ଶ୍ରୀମୋଦି ଦେଶର ପ୍ରଧାନମନ୍ତ୍ରୀ ହେଲେ ଏଵଂ ଚାହୁଁ ଚାହୁଁ ଦୁଇ ଵର୍ଷ ମଧ୍ୟରେ ୫ ସେପ୍ଟେମ୍ବର ୨୦୧୬ରେ Reliance Jio ମାଗଣା ଵଏସ୍ କଲ୍ ଏଵଂ ଅତି ଶସ୍ତାରେ ହାଇ-ସ୍ପିଡ୍ ଡାଟା ସହିତ ଏହାର ଵ୍ୟାଵସାୟିକ ୪ଜି ସେବା ଲଞ୍ଚ୍ କଲା, ତାହା ପରେ ସାରା ଦେଶରେ ପ୍ରକୃତ '୪ଜି ଡିଜିଟାଲ୍ କ୍ରାନ୍ତି' ଆସିଥିଲା। କିନ୍ତୁ ମୁଁ ୨୦୧୮ ପର୍ଯ୍ୟନ୍ତ ଜିଓର ସେଵା ନେଇ ନଥିଲି । ମୋ ପାଖରେ ୮୧୨ ସଂଖ୍ୟାରୁ ଆରମ୍ଭ ହେଉଥିଵା ଏକ ଏଆରଟେଲ୍ ନମ୍ବର ୨୦୦୮ରୁ ଥିଲା ତେଣୁ ମୁଁ ସେଥିରେ ହିଁ ଇଣ୍ଟରନେଟ ଚଳାଉଥିଲି । ମଝିରେ ମଝିରେ ୟୁନିନୋର୍,ଡୋକୋମୋ,ଆଇଡିଆ,ଵୋଡାଫୋନ୍,ବିଏସଏନଏଲ୍ ଓ ବିପିଏଲ୍ ଆଦି ସୀମ୍ ନେଇଥିଲି କିନ୍ତୁ ମୋ ପାଖରେ ଏଆଇରଟେଲ୍ ସୀମ୍ ସବୁବେଳେ ରହିଥିଲା । ତାପରେ ୨୦୧୮ରେ ମୋବାଇଲ ଚୋରୀ ହେଵା ପରେ ଯୋଉ ଜିଓ ସୀମ୍ ନେଲି ତାହା ଆଜି ବି ମୋ ପାଖରେ ଅଛି । ୨୦୧୩ରୁ ୨୦୨୬ ମଧ୍ୟରେ ୧୩ ଵର୍ଷ ହୋଇଗଲାଣି । ଏହି ତେର ଵର୍ଷରେ କିଏ କିଏ ଦୁଇଟା ଚାରିଟା ଲେଖାଏଁ ଛୁଆ ବେଇ ଦେଲେଣି,କାହାର କାହାର ସ୍ତ୍ରୀ ମଲାରୁ ଦ୍ଵିତୀୟ ହୋଇଗଲେଣି । ଅନେକ ଚିହ୍ନା ଜଣା ଲୋକ ମରି ହଜି ଗଲେଣି । ଅନେକ ମେଞ୍ଚଡ଼ ମେଞ୍ଚଡ଼ ଛୁଆ ବଡ଼ ହୋଇ ଆଜି ବାହା ହୋଇ ଛୁଆ ବି କରି ଦେଲେଣି । ଆଉ ମୁଁ କ'ଣ କରିଛି ? ମେଞ୍ଚେ ବହି ପଢ଼ିଵା,ଗୁଡ଼ାଏ ଲେଖା ଲେଖିଵା,ସାତ ଆଠୋଟି ବ୍ଲଗ ତିଆରି କରିଵା ଛଡ଼ା ମୋର ଯୋଗଦାନ କ'ଣ ଏ ସମାଜ ପାଇଁ ? ମୁଁ ବି ଦିନେ ମରି ହଜି ଯିବି । ଆମ ସମସ୍ତଙ୍କୁ ଦିନେ ନା ଦିନେ ମରିଵାକୁ ହିଁ ହେଵ ଏଵଂ ଏହା ହିଁ ଏକମାତ୍ର ସତ୍ୟ । ସମୟ ସ୍ରୋତରେ ବହୁତ ଦରଵ ଆସିଛି ଏଵଂ ଚାଲି ଯାଇଛି ଯେମିତି ନଦୀରେ ଜଳ ପ୍ରଵାହିତ ହୋଇଯାଏ । ଏଇ ଜୀଵନର କ୍ଷୁଦ୍ର ଜଳତରଙ୍ଗ ବି ଦିନେ ମହାକାଳର ସେହି ଅନନ୍ତ ପ୍ରଵାହରେ ନିଜକୁ ସମର୍ପି ଦେଵ। ପଛରେ ରହିଯିଵ କେଵଳ ସମୟର ବାଲୁକା ଶଯ୍ୟାରେ ଆଙ୍କି ହୋଇଥିଵା କିଛି ଶୀର୍ଣ୍ଣ ପାଦଚିହ୍ନ, ଅତୀତର ଝରକା କୋଣରେ ଝୁଲୁଥିଵା କିଛି ସୁନ୍ଦର ମୁହୂର୍ତ୍ତର ଜଳଛବି, ଆଉ ପଵନର ଶୀତଳ ସ୍ପର୍ଶରେ ଝଙ୍କୃତ ହେଉଥିଵା ଆମ ଅସ୍ତିତ୍ୱର କିଛି ଅକୁହା ଶବ୍ଦ। ମହାଶୂନ୍ୟର ଏହି ଵିଶାଳ ନୀରଵତା ଭିତରେ, ଆମେ ହସିଥିଵା ଓ ବଞ୍ଚିଥିଵା ସେହି ପ୍ରତିଟି ସ୍ପନ୍ଦନ ହିଁ ହୋଇ ରହିବ ଆମ ସ୍ମୃତିର ଏକମାତ୍ର ଧୂପଶିଖା !