My Blog List

Monday, August 10, 2026

ଭାରତ ସମ୍ବନ୍ଧୀୟ ପାଶ୍ଚାତ୍ୟ ଭଵିଷ୍ୟଵାଣୀ କେମିତି ଭାରତୀୟମାନେ ବାରମ୍ବାର ଭୁଲ୍ ପ୍ରମାଣିତ କରିଛନ୍ତି ?

ଭାରତ ସମ୍ବନ୍ଧୀୟ ପାଶ୍ଚାତ୍ୟ ଭଵିଷ୍ୟଵାଣୀ କେମିତି ଭାରତୀୟମାନେ ବାରମ୍ବାର ଭୁଲ୍ ପ୍ରମାଣିତ କରିଛନ୍ତି ?


କୌଣସି ପ୍ରତିଯୋଗିତା, ଯୁଦ୍ଧ ଵା ଜୀଵନର ଲଢ଼େଇରେ ଯେତେବେଳେ ଜଣେ ଵ୍ୟକ୍ତି କିମ୍ବା ଦଳ ପରାଜୟୀ ବା ଦୁର୍ଵଳ ବୋଲି ଵିଵେଚିତ ହୁଏ, କିନ୍ତୁ ଶେଷରେ ସମସ୍ତ ବାଧାଵିଘ୍ନକୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ସଫଳତା ଲାଭ କରେ, ତାକୁ "Underdog" ଏଵଂ ତାହାର ଏଭଳି ପ୍ରେରଣାଦାୟକ କାହାଣୀକୁ "Underdog Story" କୁହାଯାଏ । ଭାରତର କାହାଣୀ ଠିକ୍ ସେହିପରି ଏକ Underdog Story ଭଳି ଆକର୍ଷିତ କରେ ।କାରଣ ଭାରତର ଇତିହାସ ହେଉଛି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଵିଜୟୀ ହେଵାର ଏକ ଜ୍ୱଳନ୍ତ ଉଦାହରଣ। ସ୍ଵାଧୀନତା ଲାଭର ପ୍ରାରମ୍ଭିକ ଵର୍ଷଗୁଡ଼ିକରେ ଭାରତକୁ କେବେହେଲେ ସୁଯୋଗ ଦିଆଯାଉନଥିଲା, ସର୍ଵଦା ସନ୍ଦେହ କରାଯାଉଥିଲା, ବାରମ୍ବାର ଏହାର ପତନର ଆକଳନ କରାଯାଉଥିଲା—କିନ୍ତୁ ଭାରତ ପ୍ରତିଥର ନିଜର ସମାଲୋଚକ ଓ ଵିରୋଧୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲ୍ ପ୍ରମାଣିତ କରିଛି। 

ଯେତେବେଳେ ୧୯୪୭ ମସିହାରେ ଭାରତ ସ୍ୱାଧୀନତା ଲାଭ କଲା, ସେତେବେଳେ ସନ୍ଦେହ କରୁଥିଵା ଵ୍ୟକ୍ତିମାନଙ୍କର ସ୍ୱର ଅତ୍ୟନ୍ତ ତୀଵ୍ର ଥିଲା। ସେମାନେ ସବୁ ପ୍ରକାରର ଵିପତ୍ତି, ଵିପର୍ଯ୍ୟୟ ଓ ସଙ୍କଟର ଭଵିଷ୍ୟଵାଣୀ କରିଥିଲେ। ଏକ ସଫଳ, ସାର୍ଵଭୌମ ତଥା ଗଣତାନ୍ତ୍ରିକ ଭାରତର ଚିତ୍ର ସେମାନଙ୍କ କଳ୍ପନାର ବାହାରେ ଥିଲା। କିନ୍ତୁ ଭାରତର ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କ ନୈରାଶ୍ୟଵାଦଠାରୁ ଯଥେଷ୍ଟ ବଡ଼ ଥିଲା। ଭାରତୀୟମାନେ ସମାଲୋଚକମାନଙ୍କୁ କେଵଳ ଶବ୍ଦରେ ନୁହେଁ, ଵରଂ ନିଜର କର୍ମ ଏଵଂ ପରିଣାମ ମାଧ୍ୟମରେ ଉତ୍ତର ଦେଇଛନ୍ତି ।
ଇତିହାସର ସବୁଠାରୁ ବଡ଼ ଵର୍ଣ୍ଣଵୈଷମ୍ୟଵାଦୀ ନେତା ୱିନଷ୍ଟନ୍ ଚର୍ଚ୍ଚିଲ୍ ଭାରତର ସ୍ୱାଧୀନତାକୁ ଘୋର ଵିରୋଧ କରୁଥିଲେ। ତାଙ୍କ ମତରେ ଭାରତ ଆଦୌ ଏକ ଦେଶ ନଥିଲା। ସେ କହିଥିଲେ, "ଵିଷୁଵ ରେଖାର ଯେପରି କୌଣସି ରାଜନୈତିକ ଵ୍ୟକ୍ତିତ୍ୱ ନାହିଁ, ଭାରତର ମଧ୍ୟ ସେପରି କୌଣସି ପରିଚୟ ନାହିଁ।" ଏହା ଥିଲା ତାଙ୍କର ଘୋର ଅଜ୍ଞତାର ପ୍ରମାଣ । ଚର୍ଚ୍ଚିଲ୍ ଵିଶ୍ୱାସ କରୁଥିଲେ ଯେ ବ୍ରିଟିଶ୍ ଶାସନ ହିଁ ଭାରତରେ ଶୃଙ୍ଖଳା ବଜାୟ ରଖିଛି ଏଵଂ ଯଦି ସେମାନେ ଚାଲିଯାଆନ୍ତି, ତେବେ ଭାରତରେ ଅରାଜକତା ଖେଳିଯିଵ। ସ୍ୱାଧୀନତା ପୂର୍ଵରୁ ସେ ଏହା ମଧ୍ୟ କହିଥିଲେ ଯେ, "ଆମେ ଭାରତକୁ ଜବହରଲାଲ ନେହେରୁଙ୍କ ଭଳି ଦୁର୍ଵଳ ଵ୍ୟକ୍ତିମାନଙ୍କ (ଇଂରାଜୀରେ men of straw କହିଥିଲେ) ହାତରେ ଦେଇଯାଉଛୁ, ଯେଉଁମାନଙ୍କର କିଛି ଵର୍ଷ ପରେ କୌଣସି ଚିହ୍ନଵର୍ଣ୍ଣ ରହିଵ ନାହିଁ।" କିନ୍ତୁ ସେ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହେଲେ। ନେହେରୁ ପ୍ରାୟ ୧୭ ଵର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଲେ ଏଵଂ ତାଙ୍କ ପରେ ଅନେକ ସାହସୀ ନେତା ଦେଶକୁ ଆଗେଇ ନେଲେ। ଆଜି ଭାରତର ନିଜସ୍ୱ ଏକ ଦୃଢ଼ ଜାତୀୟ ଓ ରାଜନୈତିକ ପରିଚୟ ରହିଛି। ଅନ୍ୟପକ୍ଷରେ, ବ୍ରିଟେନରେ ଚର୍ଚ୍ଚିଲଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଵିରୋଧ ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା କରୁଛନ୍ତି, ଯାହା ପ୍ରମାଣ କରୁଛି ଯେ ଵାସ୍ତଵରେ ତାଙ୍କର ନିଜସ୍ୱ 'ରାଜନୈତିକ ଵ୍ୟକ୍ତିତ୍ୱ' ଏବେ ଵିପଦରେ ଅଛି।

ପାଶ୍ଚାତ୍ୟ ଗଣମାଧ୍ୟମର ଆଭିମୁଖ୍ୟ ମଧ୍ୟ ସମାନ ଥିଲା। ସେମାନେ ଏପରି ଖଵର ପ୍ରକାଶ କରୁଥିଲେ ଯେପରି ବ୍ରିଟେନ ଭାରତକୁ ସ୍ୱାଧୀନ କରି ଏକ ବଡ଼ ଉପକାର କରୁଛି।

The Observer ଲେଖିଥିଲା ଯେ ବ୍ରିଟିଶ୍ ଶାସନ ଯେଉଁ ନୈତିକ ଓ ଭୌତିକ ଲାଭ ଭାରତକୁ ଦେଇଛି, ତାହାର କୌଣସି ତୁଳନା ନାହିଁ। ଅର୍ଥାତ୍ ଭାରତୀୟମାନେ ଗୋଲାମ ହୋଇଥିଵାରୁ କୃତଜ୍ଞ ରହିଵା ଉଚିତ୍। The New York Times ଏହାକୁ ବ୍ରିଟିଶ୍ ଓ ଭାରତୀୟ ରାଜନୀତିର ଵିଜୟ ବୋଲି କହିଥିଲା। ଏହା ଠିକ୍ ସେହିପରି ଥିଲା, ଯେପରି କୌଣସି ଲୋକ ଜଣକ ଘରେ ନିଆଁ ଲଗାଇଵା ପରେ ତାକୁ ହିଁ ନିଆଁ ଲିଭାଇଵାର ଶ୍ରେୟ ଦିଆଯିଵା। Globe and Mail ଲେଖିଥିଲା ଯେ ବ୍ରିଟେନ ଭାରତ ପାଇଁ କରିଥିଵା ମହାନ ସେଵାକୁ ଭୁଲିହେଵ ନାହିଁ। ବୋଧହୁଏ ସେମାନେ ବଙ୍ଗ-ଓଡ଼ିଶାର ଦୁର୍ଭିକ୍ଷ, ଦେଶ ଵିଭାଜନ ବେଳର ରକ୍ତପାତ ଏଵଂ ଟ୍ରିଲିୟନ୍ ଡଲାରର ଲୁଣ୍ଠନକୁ 'ମହାନ ସେଵା' ବୋଲି ଭାବୁଥିଲେ।

ସ୍ବାଧୀନତା ପରେ ଵିଭାଜନ ଯୋଗୁଁ ଦଙ୍ଗା ହେଲା ଏଵଂ ହଜାର ହଜାର ଲୋକ ମଲେ । 
ଲଣ୍ଡନର The Daily Telegraph ଖବରକାଗଜ ଅଗଷ୍ଟ-ସେପ୍ଟେମ୍ବର ମାସରେ ଲଗାତାର ଶୀର୍ଷକ ଦେଉଥିଲା ଯେ କ୍ଷମତା ହସ୍ତାନ୍ତର ଏତେ ତରବରିଆ ଭାବେ କରାଗଲା ଯାହା ଭାରତୀୟମାନଙ୍କ ପାଇଁ ଏକ ଅଭିଶାପ ପାଲଟିଲା। ସେମାନଙ୍କର ସମ୍ପାଦକୀୟର ମୂଳ ସ୍ୱର ଥିଲା— "ବ୍ରିଟେନର ଉପସ୍ଥିତି ହିଁ ହିନ୍ଦୁ, ମୁସଲିମ୍ ଓ ଶିଖମାନଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରଖିଥିଲା, ବର୍ତ୍ତମାନ ଆମେ ସେମାନଙ୍କୁ ନିଜ ନିଜ ଭିତରେ ଲଢ଼ିଵାକୁ ଛାଡ଼ିଦେଇଛୁ।"

୧୯୪୭ ସେପ୍ଟେମ୍ବର ସାସରେ ପଞ୍ଜାବ ଦଙ୍ଗା ଶୀର୍ଷରେ ଥିଵାବେଳେ 'ଦ ଟାଇମ୍ସ' ଏହାର ଏକ ସମ୍ପାଦକୀୟରେ ଲେଖିଥିଲା ଯେ ବ୍ରିଟିଶ୍ ପ୍ରଶାସନର ଶିଦାୟ ସହିତ ଭାରତରେ "ଆଇନ ଓ ଶୃଙ୍ଖଳାର ଏକ ଦୁଃଖଦ ପତନ" ଘଟିଛି। ସେମାନେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ଧରି ବ୍ରିଟିଶ୍ ଶକ୍ତି ଯେଉଁ 'ଅଭୂତପୂର୍ଵ ଶାନ୍ତି' ଵା Pax Britannica ସ୍ଥାପନ କରିଥିଲା, ଭାରତୀୟ ନେତାମାନେ କ୍ଷମତା ପାଇଵାର ମାତ୍ର କିଛି ସପ୍ତାହ ମଧ୍ୟରେ ତାହା ଧ୍ୱଂସ ହୋଇଗଲା।

ଯେତେବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୮ ମସିହାରେ ହାଇଦ୍ରାବାଦର ନିଜାମର ଵିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ "Operation Polo" ଗ୍ରହଣ କଲେ, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଭାରତକୁ ତୀଵ୍ର ସମାଲୋଚନା କରିଥିଲା। ବ୍ରିଟିଶ୍ ପତ୍ରିକା The Economist ଏଵଂ କିଛି ଆମେରିକୀୟ ଖବରକାଗଜ ନଵଗଠିତ ଭାରତ ସରକାରଙ୍କୁ "ସାମ୍ରାଜ୍ୟଵାଦୀ" ଓ "ଆକ୍ରମଣକାରୀ" ବୋଲି ଆଖ୍ୟା ଦେଇଥିଲେ। ହାଇଦ୍ରାଵାଦର ସଂଖ୍ୟାଗରିଷ୍ଠ ଲୋକ ଯେ ଭାରତ ସହିତ ମିଶିଵାକୁ ଚାହୁଁଥିଲେ ଏଵଂ ରଜାକାରମାନଙ୍କ ଅତ୍ୟାଚାର ବୃଦ୍ଧି ପାଉଥିଲା, ସେହି ତଥ୍ୟକୁ ସେମାନେ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ।

୩୦ ଜାନୁଆରୀ ୧୯୪୮ରେ ଗାନ୍ଧୀଜୀଙ୍କ ମୃତ୍ୟୁ ପରେ ଅନେକ ପାଶ୍ଚାତ୍ୟ ସାମ୍ବାଦିକ ରିପୋର୍ଟ କରିଥିଲେ ଯେ ବର୍ତ୍ତମାନ ଭାରତ ଏକ ଗୃହଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି। ସେମାନେ ଵିଶ୍ୱାସ କରୁଥିଲେ ଯେ କେଵଳ ଗାନ୍ଧୀଜୀ ହିଁ ହିନ୍ଦୁ ଓ ମୁସଲମାନଙ୍କୁ ଏକାଠି ରଖିଥିଲେ ଏଵଂ ତାଙ୍କ ବିନା ଦେଶ ଖଣ୍ଡ ଵିଖଣ୍ଡିତ ହୋଇଯିଵ।

୧୯୪୭ ରୁ ୧୯୪୯ ମଧ୍ୟରେ ଯେତେବେଳେ ଭାରତର ସମ୍ବିଧାନ ପ୍ରସ୍ତୁତ ହେଉଥିଲା, ପାଶ୍ଚାତ୍ୟ ରାଜନୈତିକ ଵିଶ୍ଳେଷକମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲେ। ଗୋଟିଏ ପଟେ ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତା ଥିଵା ବେଳେ ଭାରତର ସବୁ ନାଗରିକଙ୍କୁ 'ସାର୍ଵଜନୀନ ଭୋଟଦାନ ଅଧିକାର' ଦେଵା ନିଷ୍ପତ୍ତିକୁ ପାଶ୍ଚାତ୍ୟ ପ୍ରେସ୍ ଏକ "ହାସ୍ୟାସ୍ପଦ ପରୀକ୍ଷଣ" ଵା ridiculous experiment ବୋଲି ଅଭିହିତ କରିଥିଲା। ସେମାନଙ୍କ ମତରେ ଅଶିକ୍ଷିତ ଲୋକମାନେ ଗଣତନ୍ତ୍ରର ମୂଲ୍ୟ ବୁଝିପାରିବେ ନାହିଁ। 

୧୯୪୭ରୁ ୧୯୫୦ ପର୍ଯ୍ୟନ୍ତ ପାଶ୍ଚାତ୍ୟ ଜଗତ କେଵଳ ଛିଦ୍ରାନ୍ୱେଷଣ କରୁଥିଲା ଏଵଂ ଅପେକ୍ଷା କରିଥିଲା ଯେ କେବେ ଭାରତୀୟ ସରକାର ଭୁଶୁଡ଼ି ପଡ଼ିଵ। କିନ୍ତୁ ଏହାର ଠିକ୍ ଵିପରୀତ ଘଟିଥିଲା; ଭାରତ ନିଜର ଦେଶୀୟ ରାଜ୍ୟଗୁଡ଼ିକୁ ଏକତ୍ରିତ କରି ଏକ ସଶକ୍ତ ଗଣତାନ୍ତ୍ରିକ ସମ୍ବିଧାନ ପ୍ରଣୟନ କରିଵାରେ ସଫଳ ହୋଇଥିଲା। 

ତେବେ ୧୯୬୦ ଦଶକ ପର୍ଯ୍ୟନ୍ତ ଏହିଭଳି ଭାରତର ଵିଖଣ୍ଡନ ଓ ଦେଶ ଵ୍ୟାପୀ ହିଂସା ଆଦି ଵିନାଶକାରୀ ଭଵିଷ୍ୟଵାଣୀ ଵିଦେଶୀ ଵ୍ୟକ୍ତି ଓ ସମ୍ବାଦପତ୍ର ଦ୍ଵାରା ଜାରି ରହିଥିଲା। 
ଆମେରିକୀୟ ଵିଦ୍ୱାନ ସେଲିଗ୍ ହ୍ୟାରିସନ୍ ନିଜ ବହି "The Most Dangerous Decades"ରେ ଚେତାବନୀ ଦେଇଥିଲେ ଯେ ନେହେରୁଙ୍କ ପରେ ଭାରତ ଛୋଟ ଛୋଟ ଖଣ୍ଡରେ ଵିଭାଜିତ ହୋଇଯିଵ (Balkanization) ଏଵଂ ସେନା ଶାସନ କ୍ଷମତାକୁ ନିଜ ହାତକୁ ନେଵ।

ଭାରତ ସ୍ୱାଧୀନ ହେଵା ପରେ ପାଶ୍ଚାତ୍ୟ ରାଜନୀତି ଵିଜ୍ଞାନୀମାନେ ମାନିଵାକୁ ପ୍ରସ୍ତୁତ ନଥିଲେ ଯେ ଶହ ଶହ ଭାଷା ଓ ବୋଲି କହୁଥିଵା ଲୋକମାନେ ଗୋଟିଏ ଦେଶରେ ଶାନ୍ତିରେ ରହିପାରିବେ। ଯେତେବେଳେ ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ଵିରୋଧ କରାଗଲା ଏଵଂ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଦାବି ଉଠିଲା, ସେତେବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଆକଳନ କରିଥିଲେ ଯେ ଭାରତରେ ଏବେ ୟୁରୋପ ଭଳି ଭାଷା ଆଧାରରେ ଛୋଟ ଛୋଟ ଦେଶ ଗଠନ ହେଵ। କିନ୍ତୁ ଭାରତ 'ରାଜ୍ୟ ପୁନର୍ଗଠନ ଆୟୋଗ' ଗଠନ କରି ଅତି ଶାନ୍ତିପୂର୍ଣ୍ଣ ଭାବରେ ଭାଷାଭିତ୍ତିକ ରାଜ୍ୟ ସୃଷ୍ଟି କଲା ଏଵଂ ଵିଵିଧତାକୁ ନିଜର ଶକ୍ତିରେ ପରିଣତ କଲା। ସ୍ଵାଧୀନତାର ଅଶି ଵର୍ଷ ପରେ ମଧ୍ୟ ଭାରତର ଅଖଣ୍ଡତା ଆଜି ବି ଅକ୍ଷୁର୍ଣ୍ଣ ରହିଛି। ଭାରତକୁ ଵିଭାଜିତ କରିଵାର ସମସ୍ତ ଚେଷ୍ଟାକୁ ଵିଫଳ କରି ଆମେ ପ୍ରମାଣ କରିଛୁ ଯେ ଭାରତୀୟ ଗଣତନ୍ତ୍ର କେଵଳ ରାଜନେତାମାନଙ୍କ ଦ୍ୱାରା ନୁହେଁ, ଵରଂ ଦେଶର ସାଧାରଣ ଜନତାଙ୍କ ଦ୍ୱାରା ପରିଚାଳିତ।

ଏହା ପରେ ଆସିଲା ଜନସଂଖ୍ୟା ଏଵଂ ଖାଦ୍ୟ ସଙ୍କଟର ଆଶଙ୍କା। ୧୯୬୮ ମସିହାରେ ପରିଵେଶଵିତ୍ ପଲ୍ ଏର୍ଲିଚ୍ ତାଙ୍କ ବିହି "Population Bomb"ରେ ଲେଖିଲେ ଯେ ମାନଵଜାତିକୁ ଖାଦ୍ୟ ଯୋଗାଇଵାର ସମୟ ଶେଷ ହୋଇଯାଇଛି। ସେ ଦୃଢ଼ତାର ସହ କହିଥିଲେ ଯେ ୧୯୭୦ ଦଶକରେ ଲକ୍ଷ ଲକ୍ଷ ଭାରତୀୟ ଭୋକରେ ମରିବେ। କିନ୍ତୁ ଭାରତ ପୁଣିଥରେ ତାଙ୍କୁ ଭୁଲ୍ ପ୍ରମାଣିତ କଲା। ଭାରତ ନିଜର 'ସବୁଜ ଵିପ୍ଳଵ' ଵା Green Revolution ମାଧ୍ୟମରେ ନୂତନ ଜ୍ଞାନକୌଶଳ, ଉନ୍ନତ ଵିହନ ଓ ଜଳସେଚନ ଵ୍ୟଵସ୍ଥା ଆପଣାଇଲା। ଫଳସ୍ୱରୂପ, ଦେଶ ଖାଦ୍ୟାଭାବରୁ ବାହାରି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଲା। ଆଜି ଭାରତ ଵିଶ୍ଵର ଅନେକ ଖାଦ୍ୟଶସ୍ୟ ଉତ୍ପାଦନ ତଥା ରପ୍ତାନି କ୍ଷେତ୍ରରେ ପ୍ରଥମ ତିନି କିମ୍ବା ପ୍ରଥମ ପାଞ୍ଚ ସ୍ଥାନରେ ରହିଛି । 

୧୯୬୭ ମସିହାରେ 'ଦି ଟାଇମ୍ସ'ର ସାମ୍ଵାଦିକ ନେଭିଲ୍ ମ୍ୟାକ୍ସୱେଲ୍ ଘୋଷଣା କରିଥିଲେ ଯେ ୧୯୬୭ର ସାଧାରଣ ନିର୍ଵାଚନ ହେଉଛି ଭାରତର ଶେଷ ନିର୍ଵାଚନ ଏଵଂ ଏହା ପରେ ଗଣତନ୍ତ୍ର ଧ୍ୱଂସ ପାଇଵ। କିନ୍ତୁ ଆମେ ୨୦୨୪ ମସିହାରେ ଆମର ଅଷ୍ଟାଦଶ ସାଧାରଣ ନିର୍ଵାଚନ ଶେଷ କରିଛୁ, ଯାହା ମାନଵ ଇତିହାସର ସର୍ଵଵୃହତ୍ ନିର୍ଵାଚନ ପ୍ରକ୍ରିୟା ଅଟେ। ଏହା ଵ୍ୟତୀତ ୧୯୭୫ ମସିହାରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଗଲା, ପାଶ୍ଚାତ୍ୟ ଜଗତ ଭାବିନେଲା ଯେ ଭାରତୀୟ ଗଣତନ୍ତ୍ରର ଅନ୍ତ ଘଟିଲା। କିନ୍ତୁ ୧୯୭୭ ନିର୍ଵାଚନରେ ଜନସାଧାରଣ ନିଜ ମତାଧିକାର ସାଵ୍ୟସ୍ତ କରି ସରକାର ବଦଳାଇ ଦେଲେ। ସେହିପରି ୧୯୯୦ ଦଶକର ଭୟଙ୍କର ଅର୍ଥନୈତିକ ସଙ୍କଟ ସମୟରେ ଭାରତର ଅର୍ଥଵ୍ୟଵସ୍ଥା ଭୁଶୁଡ଼ି ପଡ଼ିଵ ବୋଲି କୁହାଯାଉଥିଲା । ୧୯୯୧ ମସିହାରେ ଭାରତ ପାଖରେ ମାତ୍ର କିଛି ଦିନର ଆମଦାନୀ ପାଇଁ ଵିଦେଶୀ ମୁଦ୍ରା ଭଣ୍ଡାର ଵାକି ଥିଲା। ସେହି ସମୟରେ ଭାରତର ସବୁଠାରୁ ବଡ଼ ସାଥୀ ସୋଭିଏତ୍ ସଂଘ (USSR) ର ମଧ୍ୟ ପତନ ଘଟିଲା। ପାଶ୍ଚାତ୍ୟ ଅର୍ଥନୀତିଜ୍ଞମାନେ ସେତେବେଳେ କହିଥିଲେ ଯେ ଭାରତ ଏବେ ଅନ୍ତର୍ଜାତୀୟ ସ୍ତରରେ ଏକାକୀ ହୋଇଯାଇଛି ଏଵଂ ଆର୍ଥିକ ଦୃଷ୍ଟିରୁ ଏକ ଵିଫଳ ରାଷ୍ଟ୍ର ଵା Failed Stateରେ ପରିଣତ ହେଵ। କିନ୍ତୁ ଭାରତ ସହଜରେ ହାରିଯାଇ ନଥିଲା। ଏହି ସଙ୍କଟ ସମୟରେ ଭାରତ ଉଦାରୀକରଣ, ଘରୋଇକରଣ ଓ ଜଗତୀକରଣ ନୀତି ଆପଣାଇ ସାରା ଵିଶ୍ୱକୁ ନିଜର ଆର୍ଥିକ କ୍ଷମତା ଦେଖାଇଲା, ଯାହା ଆଜିର ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିର ମୂଳଦୁଆ ପକାଇଥିଲା। ୧୯୮୧ରେ ଆମେ ଆମର ଅର୍ଥନୀତିକୁ ଉନ୍ମୁକ୍ତ କରି ସାରା ଵିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲୁ।

ପାଶ୍ଚାତ୍ୟ ଦେଶମାନେ ନିଜେ ଶିଳ୍ପ ଵିପ୍ଳଵ ଜରିଆରେ ଵିଶ୍ୱର ଅଧିକାଂଶ ପ୍ରଦୂଷଣ କରିସାରିଵା ପରେ, ୨୦୦୦ ଦଶକରେ ସେମାନେ ଭାରତ ଉପରେ ଚାପ ପକାଇଵା ଆରମ୍ଭ କଲେ। ସେମାନେ ଯୁକ୍ତି କଲେ ଯେ ଭାରତ ନିଜର ଶିଳ୍ପ ଓ କୋଇଲା ଵ୍ୟଵହାର ବନ୍ଦ କରୁ, ନଚେତ୍ ପୃଥିଵୀ ଧ୍ୱଂସ ହୋଇଯିଵ। ସେମାନେ ଆକଳନ କରୁଥିଲେ ଯେ ଭାରତ କେବେହେଲେ ବି ସବୁଜ ଶକ୍ତି ଆପଣାଇ ପାରିଵ ନାହିଁ। କିନ୍ତୁ ଭାରତ 'ଅନ୍ତର୍ଜାତୀୟ ସୌର ମେଣ୍ଟ' ଵା International Solar Alliance (ISA) ଗଠନ କରି ଏଵଂ ସୌରଶକ୍ତି ଉତ୍ପାଦନରେ ନିଜର ଲକ୍ଷ୍ୟଠାରୁ ଆଗୁଆ ସଫଳତା ଲଭି ସେମାନଙ୍କୁ ପ୍ରମାଣ କରିଦେଲା ଯେ ପରିଵେଶ ସୁରକ୍ଷାରେ ଭାରତ ଵିଶ୍ୱକୁ ଵାଟ ଦେଖାଇପାରିଵ।

୨୦୦୮ ମସିହାରେ ଆମେରିକାରେ ଲେହମ୍ୟାନ୍ ବଦର୍ସ ବ୍ୟାଙ୍କ୍ ବୁଡ଼ିଯିଵା ପରେ ସମଗ୍ର ପାଶ୍ଚାତ୍ୟ ଦେଶଗୁଡ଼ିକର ଅର୍ଥନୀତି ଧରାଶାୟୀ ହୋଇଥିଲା। ସେତେବେଳେ ଭଵିଷ୍ୟଵାଣୀ କରାଯାଇଥିଲା ଯେ ଭାରତ ଭଳି ଵିକାଶଶୀଳ ଦେଶ ଯେହେତୁ ଆମେରିକା ଓ ୟୁରୋପ ଉପରେ ରପ୍ତାନି ପାଇଁ ନିର୍ଭରଶୀଳ, ତେଣୁ ଭାରତରେ ଲକ୍ଷ ଲକ୍ଷ ଲୋକ ଚାକିରି ହରାଇବେ ଏଵଂ ଆର୍ଥିକ ଵିପର୍ଯ୍ୟୟ ଦେଖାଦେଵ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ, ଭାରତର ପାରମ୍ପରିକ ବ୍ୟାଙ୍କିଙ୍ଗ୍ ଵ୍ୟଵସ୍ଥା ଏଵଂ ଦେଶଵାସୀଙ୍କର ଘରୋଇ ଖର୍ଚ୍ଚ ଭାରତକୁ ଏହି ଵିଶ୍ୱସ୍ତରୀୟ ସଙ୍କଟରୁ ଵଞ୍ଚାଇଦେଲା। ପାଶ୍ଚାତ୍ୟ ଦେଶଗୁଡ଼ିକ ଯେତେବେଳେ ମାନ୍ଦାଵସ୍ଥାରେ ସଢ଼ୁଥିଲେ, ଭାରତ ସେତେବେଳେ ଦ୍ରୁତ ଅଭିଵୃଦ୍ଧି ଲାଭ କରୁଥିଲା।

୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେଲା, ସେତେବେଳେ ପାଶ୍ଚାତ୍ୟ ଜଗତ, ଵିଶେଷତଃ ଆମେରିକା ଓ ୟୁରୋପର ପ୍ରମୁଖ ଗଣମାଧ୍ୟମଗୁଡ଼ିକ ଅନେକ ନକାରାତ୍ମକ ଭଵିଷ୍ୟଵାଣୀ କରିଥିଲେ। ମୋଦୀଙ୍କ ପୂର୍ଵ ଇତିହାସ ଏଵଂ ରାଜନୈତିକ ଛବିକୁ ନେଇ ସେମାନେ ଆକଳନ କରିଥିଲେ ଯେ ଭାରତରେ ଅରାଜକତା ଖେଳିଯିଵ ଏଵଂ ଵିଶ୍ୱ ସ୍ତରରେ ଭାରତ ଏକଘରକିଆ ହୋଇଯିଵ।

୨୦୧୪ ସାଧାରଣ ନିର୍ଵାଚନର ଠିକ୍ ପୂର୍ଵରୁ ଏପ୍ରିଲ୍ ମାସରେ ବ୍ରିଟେନର ପ୍ରସିଦ୍ଧ ଵିଶ୍ୱସ୍ତରୀୟ ପତ୍ରିକା 'The Economist' "Can anyone stop Narendra Modi?" (ନରେନ୍ଦ୍ର ମୋଦୀଙ୍କୁ କେହି ଅଟକାଇ ପାରିବେ କି?) ନାମକ ଏକ ସମ୍ପାଦକୀୟ ପ୍ରକାଶ କରିଥିଲା। ସେଥିରେ ସେମାନେ ଖୋଲାଖୋଲି ଭାବେ ଲେଖିଥିଲେ ଯେ ମୋଦୀ କ୍ଷମତାକୁ ଆସିଲେ ଭାରତରେ ସାମ୍ପ୍ରଦାୟିକ ହିଂସା ଵୃଦ୍ଧି ପାଇଵ। ସେମାନେ ତାଙ୍କୁ "ଵିଭାଜନକାରୀ" ଆଖ୍ୟା ଦେଇ ଘୋଷଣା କରିଥିଲେ ଯେ ସେମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସମର୍ଥନ କରିପାରିବେ ନାହିଁ ଏଵଂ "ଭାରତ ଏହାଠାରୁ ଜଣେ ଭଲ ନେତା ପାଇଵାକୁ ଯୋଗ୍ୟ"।

ଆମେରିକାର ଅଗ୍ରଣୀ ଖଵରକାଗଜ 'The New York Times'ରେ ମୋଦୀଙ୍କ ଵିଜୟ ପରେ ଏଵଂ ନିର୍ଵାଚନ ସମୟରେ ନ୍ୟୁୟର୍କ ଟାଇମ୍ସର ସମ୍ପାଦକୀୟ ପୃଷ୍ଠାରେ ବାରମ୍ଵାର ଲେଖାଯାଇଥିଲା ଯେ ମୋଦୀଙ୍କ ଵିଜୟ ଭାରତର 'ଧର୍ମନିରପେକ୍ଷତା' ପାଇଁ ସବୁଠାରୁ ବଡ଼ ଵିପଦ। ସେମାନେ ଆକଳନ କରିଥିଲେ ଯେ ଭାରତର ବହୁଳଵାଦୀ ଗଣତନ୍ତ୍ର ସଙ୍କଟରେ ପଡ଼ିଵ ଏଵଂ ଅଳ୍ପସଂଖ୍ୟକମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେଵ।

୨୦୦୫ ମସିହାରେ ଆମେରିକା ମୋଦୀଙ୍କୁ ନିଜ ଦେଶକୁ ଆସିଵା ପାଇଁ ଭିସା (Visa) ଦେଵାକୁ ମନା କରିଦେଇଥିଲା ଏଵଂ ୟୁରୋପୀୟ ୟୁନିୟନ ମଧ୍ୟ ତାଙ୍କୁ ଵର୍ଜନ କରିଥିଲା। ଏହି ତଥ୍ୟକୁ ଆଧାର କରି The Washington Post ଓ Time Magazine ଭଳି ପାଶ୍ଚାତ୍ୟ ଗଣମାଧ୍ୟମ ଭଵିଷ୍ୟଵାଣୀ କରିଥିଲେ ଯେ ଯଦି ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକ ତାଙ୍କ ସହ କାମ କରିବେ ନାହିଁ। ଭାରତ ଆନ୍ତର୍ଜାତିକ ସ୍ତରରେ ଏକଘରକିଆ ହୋଇଯିଵ ଏଵଂ ଭାରତ-ଆମେରିକା ସମ୍ପର୍କ ସବୁଦିନ ପାଇଁ ଖରାପ ହୋଇଯିଵ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥିଲେ।

ବ୍ରିଟେନର ଖଵରକାଗଜ 'The Guardian'' ୨୦୧୪ ନିର୍ଵାଚନ ପୂର୍ଵରୁ ଏହି ଖବରକାଗଜରେ ସଲମାନ ରୁସଦୀ ଏଵଂ ଅନିଶ କପୁରଙ୍କ ଭଳି ପ୍ରସିଦ୍ଧ ପାଶ୍ଚାତ୍ୟ ବୁଦ୍ଧିଜୀଵୀ ଓ କଳାକାରମାନେ ଏକ ଖୋଲା ଚିଠି ଵା Open Letter ପ୍ରକାଶ କରିଥିଲେ। ସେମାନେ ଚେତାବନୀ ଦେଇଥିଲେ ଯେ ମୋଦୀ କ୍ଷମତାକୁ ଆସିଵା ଅର୍ଥ ହେଉଛି ଭାରତରେ ଏକଛତ୍ରଵାଦ ଆଡ଼କୁ ଏକ ପାଦ, ଯାହା ଦେଶର ଵାକ୍ ସ୍ୱାଧୀନତା ଓ ଗଣତନ୍ତ୍ର ପାଇଁ ଏକ ଅନ୍ଧକାରମୟ ଭଵିଷ୍ୟତ ଆଣିଵ।

କିନ୍ତୁ ପରଵର୍ତ୍ତୀ ସମୟରେ ଵାସ୍ତଵିକ ପରିଣାମ କ'ଣ ହେଲା?

ଯେପରି ଭାରତ ଐତିହାସିକ ଭାବରେ ପାଶ୍ଚାତ୍ୟ ଆକଳନକୁ ଭୁଲ୍ ପ୍ରମାଣିତ କରିଆସିଛି, ୨୦୧୪ ପରେ ମଧ୍ୟ ତାହା ହିଁ ହେଲା । ଯେଉଁ ଆମେରିକା ମୋଦୀଙ୍କୁ ଭିସା ଦେଇନଥିଲା, ସେହି ଦେଶର ରାଷ୍ଟ୍ରପତିମାନେ ତାଙ୍କୁ ସମ୍ମାନର ସହ ସ୍ୱାଗତ କଲେ। ମୋଦୀ ଆମେରିକୀୟ କଂଗ୍ରେସ (ସଂସଦ)ରେ ଦୁଇଥର ଉଦ୍‌ବୋଧନ ଦେଵାର ଵିରଳ ସମ୍ମାନ ପାଇଲେ। ୟୁଏଇ, ସାଉଦି ଆରଵ, ଫ୍ରାନ୍ସ ଓ ଋଷିଆ ଭଳି ଦେଶ ତାଙ୍କୁ ନିଜର ସର୍ଵୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କଲେ। ଜି-୨୦ (G-20) ଶିଖର ସମ୍ମିଳନୀର ସଫଳ ଆୟୋଜନ ଏଵଂ ଭାରତୀୟ ଅର୍ଥନୀତି 'ଫ୍ରାଜାଇଲ୍ ଫାଇଭ୍' (ଦୁର୍ଵଳ ପାଞ୍ଚ)ରୁ ଉଠି ଦୁନିଆର ପଞ୍ଚମ ଵୃହତ୍ତମ ଅର୍ଥନୀତିରେ ପହଞ୍ଚିଵା, ପାଶ୍ଚାତ୍ୟ ଜଗତର ସମସ୍ତ ନକାରାତ୍ମକ ଆକଳନ ପାଇଁ ଏକ କଡ଼ା ଜଵାଵ ଥିଲା।
କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକର ଏହି ନକାରାତ୍ମକ ଦୃଷ୍ଟିକୋଣ କେଵଳ ରାଜନୀତି କିମ୍ଵା ଇତିହାସରେ ସୀମିତ ନଥିଲା, ଵରଂ ଆଧୁନିକ ଵିଜ୍ଞାନ, ପ୍ରଯୁକ୍ତିଵିଦ୍ୟା ଏଵଂ ଵିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସେମାନେ ଭାରତକୁ କମ୍ ଆକଳନ କରିଥିଲେ ।

ଯେତେବେଳେ ଭାରତ ନିଜର ମହାକାଶ ଗଵେଷଣା ଆରମ୍ଭ କଲା, ପାଶ୍ଚାତ୍ୟ ଦେଶମାନେ ଏହାକୁ ଉପହାସ କରିଥିଲେ। ଏପରିକି ୨୦୧୪ ମସିହାରେ ଯେତେବେଳେ ଭାରତ 'ମଙ୍ଗଳଯାନ' ପ୍ରେରଣ କଲା ସେତେବେଳେ ଆମେରିକାର ପ୍ରସିଦ୍ଧ ଖବରକାଗଜ 'ନ୍ୟୁୟର୍କ ଟାଇମ୍ସ' (NYT) ଏକ ଵ୍ୟଙ୍ଗ୍ୟଚିତ୍ର ପ୍ରକାଶ କରିଥିଲା। ସେଥିରେ ଦେଖାଯାଇଥିଲା ଯେ ପାଶ୍ଚାତ୍ୟ ଦେଶର ଧନୀ ଲୋକମାନେ ଏକ "Elite Space Club" ଭିତରେ ବସିଛନ୍ତି ଏଵଂ ଜଣେ ଭାରତୀୟ କୃଷକ ଏକ ଗାଈ ଧରି ସେହି କ୍ଲବ୍‌ର କବାଟ ବାଡ଼ଉଛି। କିନ୍ତୁ ଭାରତ ପ୍ରଥମ ପ୍ରୟାସରେ ହିଁ ମଙ୍ଗଳ ଗ୍ରହରେ ପହଞ୍ଚି ଵିଶ୍ୱ ରେକର୍ଡ ସୃଷ୍ଟି କଲା। ତା'ର କିଛି ଵର୍ଷ ପରେ, ୨୦୨୩ ମସିହାରେ 'ଚନ୍ଦ୍ରଯାନ-୩' ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅଵତରଣ କଲା—ଯାହା ଵିଶ୍ୱର କୌଣସି ଵିକଶିତ ରାଷ୍ଟ୍ର କରିପାରିନଥିଲେ। ଆଜି ସେହି ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜର ଉପଗ୍ରହ (satellites) ମହାକାଶକୁ ପଠାଇଵା ପାଇଁ ଇସ୍ରୋ (ISRO) ଉପରେ ନିର୍ଭର କରୁଛନ୍ତି।

ସେହିପରି ଯେତେବେଳେ ଭାରତ ସରକାର ଡିଜିଟାଲ୍ ପେମେଣ୍ଟ ଉପରେ ଗୁରୁତ୍ୱ ଦେଲେ, ପାଶ୍ଚାତ୍ୟ ଅର୍ଥନୀତିଜ୍ଞମାନେ କହିଲେ ଯେ ଯେଉଁ ଦେଶରେ ସାକ୍ଷରତା ହାର କମ୍, ଇଣ୍ଟରନେଟ୍ ସୁବିଧା ନାହିଁ ଏଵଂ ଅଧିକାଂଶ ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ନାହିଁ, ସେଠାରେ ଡିଜିଟାଲ୍ ଅର୍ଥନୀତି ସମ୍ପୂର୍ଣ୍ଣ ଅସମ୍ଭଵ। କିନ୍ତୁ ଆଜି ଭାରତର ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ଵା UPI ସାରା ଵିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଭାରତର ଛୋଟ ଗାଁରୁ ଆରମ୍ଭ କରି ସହରର ରାସ୍ତା କଡ଼ରେ ଚାହା ବିକୁଥିଵା ଦୋକାନୀ ମଧ୍ୟ ଆଜି QR କୋଡ୍ ସ୍କାନ୍ କରି ଟଙ୍କା ଗ୍ରହଣ କରୁଛନ୍ତି। ଆଜି ଵିଶ୍ୱର ମୋଟ୍ Real-time digital କାରବାରର ପ୍ରାୟ ୪୬% କେଵଳ ଭାରତରେ ହିଁ ହେଉଛି। ପାଶ୍ଚାତ୍ୟ Banking ଵ୍ୟଵସ୍ଥା ଆଜି ଭାରତର ଏହି ସଫଳତାକୁ ଦେଖି ନିଜ ଦେଶରେ ଏହାକୁ ଲାଗୁ କରିଵାକୁ ଚେଷ୍ଟା କରୁଛନ୍ତି।

୨୦୨୦ ମସିହାରେ କରୋନା ମହାମାରୀ ଆସିଵା ବେଳେ BBC ଓ CNN ଭଳି ପାଶ୍ଚାତ୍ୟ ଗଣମାଧ୍ୟମ ପୁଣି ଥରେ ନିଜର ପୁରୁଣା ଭାରତ ଵିରୋଧୀ ଗୀତ ଗାଇଵା ଆରମ୍ଭ କରିଦେଲେ। ସେମାନେ ଆକଳନ କଲେ ଯେ ଭାରତର ସ୍ୱାସ୍ଥ୍ୟ ଵ୍ୟଵସ୍ଥା ଭୁଶୁଡ଼ି ପଡ଼ିଵ, ରାସ୍ତାଘାଟରେ ଲକ୍ଷ ଲକ୍ଷ ଶଵ ପଡ଼ିଵ ଏଵଂ ଭାରତ ଭଳି ଵିଶାଳ ଜନସଂଖ୍ୟା ଥିଵା ଦେଶ କେବେହେଲେ ଟିକାକରଣ କରିପାରିଵ ନାହିଁ। କିନ୍ତୁ ଭାରତ କେଵଳ ନିଜ ଦେଶରେ 'Covaxin' ଭଳି ସ୍ୱଦେଶୀ ଟିକା ଵିକଶିତ କଲା ନାହିଁ, ଵରଂ 'CoWIN' ଆପ୍ ମାଧ୍ୟମରେ ଦୁଇ ଶହ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ସୁରୁଖୁରୁରେ ପ୍ରଦାନ କଲା। କେଵଳ ଏତିକି ନୁହେଁ, "Vaccine Maitri" ଯୋଜନା ଜରିଆରେ ଵିଶ୍ୱର ଶତାଧିକ ଦେଶକୁ ମାଗଣାରେ କୋଭିଡ୍ ଟିକା ଯୋଗାଇ ଵିଶ୍ୱଗୁରୁ ହେଵାର ପ୍ରମାଣ ମଧ୍ୟ ଦେଲା।

୧୯୯୦ ଦଶକରେ ପାଶ୍ଚାତ୍ୟ କମ୍ପାନୀମାନେ ଭାରତକୁ କେଵଳ ଶସ୍ତା ଶ୍ରମିକ ଓ "Call center'" ହିସାବରେ ଦେଖୁଥିଲେ। ସେମାନେ ଭାବୁଥିଲେ ଯେ ଭାରତୀୟମାନେ କେଵଳ ଆଜ୍ଞାଵହ କର୍ମଚାରୀ ହୋଇପାରିବେ, ଟେକ୍ନୋଲୋଜିରେ ନେତୃତ୍ୱ ନେଇପାରିବେ ନାହିଁ। କିନ୍ତୁ ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଗୁଗଲ୍ (ସୁନ୍ଦର ପିଚାଇ), ମାଇକ୍ରୋସଫ୍ଟ (ସତ୍ୟ ନାଦେଲା), ଆଇବିଏମ୍ (ଅରଵିନ୍ଦ କ୍ରିଷ୍ଣା)ଠାରୁ ଆରମ୍ଭ କରି ଵିଶ୍ୱର ଵୃହତ୍ତମ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଶୀର୍ଷ ପଦଵୀରେ ଆଜି ଭାରତୀୟମାନେ ହିଁ ଅଵସ୍ଥାପିତ।

ତେବେ ଭାରତ ପ୍ରତି ପାଶ୍ଚାତ୍ୟ ଦେଶମାନଙ୍କର ଏତେ ନୈରାଶ୍ୟଵାଦ ଏଵଂ ଘୃଣାଭାଵ କାହିଁକି ଥିଲା ଵା ଏବେବି ରହିଛି ?

ଏହାର ପ୍ରଥମ କାରଣ ହେଉଛି ଵର୍ଣ୍ଣଵୈଷମ୍ୟଵାଦ (Racism)। ୧୯୪୦ ଓ ୫୦ ଦଶକରେ ପାଶ୍ଚାତ୍ୟ ନେତାମାନେ ଭାରତୀୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଥିଲେ ଏଵଂ ଭାବୁଥିଲେ ଯେ ସେମାନେ ନିଜେ ନିଜର ଶାସନ କରିଵାକୁ ଅସମର୍ଥ। ଆଜି ବି ଊଣା ଅଧିକେ ସେହି ଵର୍ଣ୍ଣଵୈଷମ୍ୟଵାଦ ଯୋଗୁଁ କିଛି ଵିଦେଶୀ ଭାରତକୁ ଓ ଭାରତୀୟଙ୍କୁ ଘୃଣା କରନ୍ତି । 

ତେବେ ଭାରତ ସ୍ଵାଧୀନତା ପାଇଵା ସମୟରେ ଭାରତ ଓ ଭାରତୀୟଙ୍କ ଵିପକ୍ଷରେ ଯେଉଁ ଭଳି ଭାବରେ ନକାରାତ୍ମକ ଭଵିଷ୍ୟଵାଣୀ କରାଯାଇଥିଲା ତହିଁର ସବୁଠାରୁ ବଡ଼ କାରଣ 'ଭୟ' ହିଁ ଥିଲା । ବ୍ରିଟିଶ୍ ଏଵଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପନିଵେଶଵାଦକୁ ଯଥାର୍ଥ ପ୍ରମାଣିତ କରିଵା ପାଇଁ ଏକ ମିଥ୍ୟା କାହାଣୀ ଗଢ଼ିଥିଲେ। ସେମାନେ ଦାବି କରୁଥିଲେ ଯେ ମୂଳ ନିଵାସୀମାନେ 'ଅସଭ୍ୟ' ଏଵଂ ଶାସନ ପରିଚାଳନା ପାଇଁ ଅଯୋଗ୍ୟ। ସେମାନେ ନିଜର ଲୁଣ୍ଠନକୁ ଘୋଡ଼ାଇଵା ପାଇଁ କହୁଥିଲେ ଯେ ସେମାନେ ଭାରତୀୟମାନଙ୍କୁ 'ସଭ୍ୟ' କରିଵାକୁ ଆସିଛନ୍ତି। ଯଦି ଭାରତ ନିଜକୁ ଏକ ସଫଳ ଏଵଂ ଆଧୁନିକ ରାଷ୍ଟ୍ର ଭାବରେ ଗଢ଼ି ତୋଳିଵାରେ ସକ୍ଷମ ହୁଏ, ତେବେ ଉପନିଵେଶଵାଦର ସେହି ମିଥ୍ୟା ଆଵରଣ ଖୋଲିଯିଵ ବୋଲି ସେମାନଙ୍କର ଭୟ ଥିଲା। ଏଥିପାଇଁ ହିଁ ସେମାନେ ଭାରତର ସଫଳତାକୁ ଭୟ କରୁଥିଲେ। କାରଣ ଭାରତର ସଫଳତାର ଅର୍ଥ ଥିଲା ସାମ୍ରାଜ୍ୟଵାଦୀମାନଙ୍କର ଦୁଇଥର ପରାଜୟ—ପ୍ରଥମେ ସେମାନେ ସେମାନଙ୍କର 'ଉପନିଵେଶ' ହରାଇଲେ, ଏଵଂ ଦ୍ୱିତୀୟରେ ସେମାନେ ଗଢ଼ିଥିଵା ସେହି ମିଥ୍ୟା 'କାହାଣୀ' ମଧ୍ୟ ହାରିଗଲା। ଯେହେତୁ ଭାରତର ସ୍ବାଧୀନତା ଲାଭ ପରଠାରୁ ଅର୍ଥାତ୍ ୮୦ ଵର୍ଷ ତଳୁ ଭାରତ ପ୍ରତି ନକାରାତ୍ମକ ଭଵିଷ୍ୟଵାଣୀ କରିଵା ଵର୍ଷ ଵର୍ଷ ଧରି ଜାରି ରହିଲା ତେଣୁ କ୍ରମେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏକ କୁ-ପରମ୍ପରାରେ ପରିଣତ ହୋଇଯାଇଛି । 

କିନ୍ତୁ ଭାରତ ଓ ଭାରତୀୟଙ୍କ ଵିପକ୍ଷରେ ଯେତେ ନକାରାତ୍ମକ ଟୀକା ଟିପ୍ପଣୀ ଓ ଭୟାନକ ଭଵିଷ୍ୟଵାଣୀ କଲେ ବି ଭାରତର କିଛି କ୍ଷତି ହୋଇନାହିଁ ‌। ଭାରତ ଆଜି କେଵଳ ତିଷ୍ଠି ରହିନାହିଁ, ଵରଂ ଵିଶ୍ୱ ଦରବାରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଉଭା ହୋଇଛି। ଯେଉଁ ଦେଶ ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା, ସେ ଆଜି ଵିଶ୍ୱକୁ ଖାଦ୍ୟ ଯୋଗାଉଛି। ଯେଉଁ ଦେଶରେ ଗଣତନ୍ତ୍ର ବଞ୍ଚିଵ ନାହିଁ ବୋଲି ଭଵିଷ୍ୟଵାଣୀ କରାଯାଇଥିଲା, ସେ ଦେଶ ଆଜି "Mother of Democracy" ଭାବେ ସମଗ୍ର ଵିଶ୍ୱକୁ ପଥ ପ୍ରଦର୍ଶନ କରୁଛି।

ପାଶ୍ଚାତ୍ୟ ଜଗତ ଯେତେଥର ଭାରତର ପତନର ଆକଳନ କରିଛି, ଭାରତ ପ୍ରତିଥର ନିଜର କର୍ମ, ସଂକଳ୍ପ ଓ ଏକତା ବଳରେ ତାହାକୁ ଭୁଲ୍ ପ୍ରମାଣିତ କରିଛି। ଏହା ହିଁ ହେଉଛି ଭାରତର ପ୍ରକୃତ କାହାଣୀ—ଏକ Underdogର କାହାଣୀ, ଯିଏ କଦାପି ପରାଜୟ ଵରଣ କରେନାହିଁ। ଆଜିର ସମୃଦ୍ଧ, ଆତ୍ମନିର୍ଭର ଓ ଡିଜିଟାଲ୍ ଭାରତ ହେଉଛି ସେହି ସମସ୍ତ ନକାରାତ୍ମକ ଭଵିଷ୍ୟଵାଣୀ ପ୍ରତି ସବୁଠାରୁ କଡ଼ା ତଥା ଯୋଗ୍ୟ ଜବାବ ।


Sunday, August 9, 2026

•ଭାରତର ପ୍ରକୃତ ମୂଳନିଵାସୀ କିଏ ?•

ଆଜିକାଲି ଭାରତର କିଛି ନିର୍ଦ୍ଧିଷ୍ଟ ଵର୍ଗର ଲୋକମାନେ ନିଜକୁ ମୂଳ ନିଵାସୀ କହି ବୁଲୁଛନ୍ତି। କିନ୍ତୁ ପ୍ରକୃତରେ କ'ଣ ସେମାନେ ମୂଳନିଵାସୀ ଏଵଂ ଅନ୍ୟମାନେ ଵିଦେଶୀ ? ଏହି ପ୍ରଶ୍ନଟି ଆଜିର ସମାଜରେ ଏକ ବଡ଼ ଵିତର୍କର ଵିଷୟ ହୋଇଛି। ଯଦି ଆମେ ଏହାର ଇତିହାସକୁ ଖୋଜିଵା ତେବେ ଜାଣିଵାକୁ ପାଇଵା ଯେ ଏହି 'ମୂଳନିଵାସୀ ବନାମ ଵିଦେଶୀ'ର ତତ୍ତ୍ୱ କୌଣସି ମୌଳିକ ସାମାଜିକ ଚିନ୍ତାଧାରାରୁ ଜନ୍ମ ନେଇ ନାହିଁ ଵରଂ ଏହା ଔପନେଵେଶିକ ଶାସନ ଓ ରାଜନୈତିକ ସ୍ୱାର୍ଥର ଏକ ସୁଚିନ୍ତିତ ଉତ୍ପାଦ ଅଟେ। ପାଶ୍ଚାତ୍ୟ ଦେଶର ତଥାକଥିତ ଭାଷାଵିଦ ଓ ଐତିହାସିକମାନେ ଵିଗତ ୨୫୦ ଵର୍ଷ ଧରି ଭାରତୀୟ ଲୋକଙ୍କୁ ଏହି ଅର୍ଦ୍ଧସତ୍ୟ ହିଁ ପଢ଼ାଇ ଆସିଛନ୍ତି । ସେମାନେ ଭାରତର ସବୁ ଲୋକଙ୍କୁ ଵିଦେଶୀ ପ୍ରମାଣ କରିଛନ୍ତି ଏଵଂ ଏପରି କରିଵାର ସେତେବେଳେ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ଜାତ ହେଉଥିଵା ସ୍ଵଦେଶୀ ଭାଵନାକୁ ଦବେଇ ଦେଵା । ଗୋଟିଏ ଦେଶରେ ରହୁଥିଵା ସବୁ ଲୋକ ଯଦି ଵିଦେଶୀ ପ୍ରମାଣିତ ହୁଅନ୍ତି ତେବେ ସେ ଦେଶରେ ସ୍ଵଦେଶୀ ଭାଵନା କେବେହେଲେ ବି ସଶକ୍ତ ହେଵ ନାହିଁ ଏଵଂ ସେହି ଦେଶର ଲୋକମାନେ ଏକ ଵିଦେଶୀ ଶକ୍ତିର ଵଶତା ସ୍ଵୀକାର କରିଵାକୁ ସେତେଟା ନିନ୍ଦନୀୟ ଭାବିବେ ନାହିଁ । ଯାହାର ବାପ ଜେଜେବାପ ୧୪ ପୁରୁଷ ଭୃତ୍ୟ କାର୍ଯ୍ୟ କରିଛନ୍ତି ସେ କିବା ସେହି କୌଳିକ ଵୃତ୍ତିକୁ ହୀନ ମନେ କରେ କି ? ଏହା ଵିଚାର କରି ଏକ ସୁଚିନ୍ତିତ ରଣନୀତି ଅଵଲମ୍ବନ କରି ଭାରତର ତତ୍କାଳୀନ ଇତିହାସ ଲେଖା ଯାଇଥିଲା ‌। ତତ୍କାଳୀନ ପାଶ୍ଚାତ୍ୟ ଵିଦ୍ଵାନମାନେ ଭାଷା' ଓ 'ମଣିଷର ଵଂଶାନୁକ୍ରମ ଵା Geneticsକୁ ଏକା ବୋଲି ଭାବି ନେଇଥିଲେ । ସେତେବେଳେ ଵିଚାର କରାଯାଉଥିଲା ଯେ ପ୍ରତ୍ୟେକ ଭାଷାଭାଷୀଙ୍କ ଜାତି ଭିନ୍ନ ଭିନ୍ନ ଅଟେ । ତେଣୁ ଵିଭିନ୍ନ ତତ୍ତ୍ଵ ଆଧାରରେ ସମସ୍ତ ଭାରତୀୟଙ୍କୁ ଵିଦେଶୀ ବୋଲି ପ୍ରମାଣ କରିଵାକୁ ଚେଷ୍ଟା କରାଗଲା । 
ଆମେ ଜାଣନ୍ତି ଯେ ଭାରତର ସର୍ଵାଧିକ ଲୋକ ଅର୍ଥାତ୍ "ପ୍ରାୟ ୭୮%" ଲୋକ ଇଣ୍ଡୋ-ଆର୍ଯ୍ୟ ଭାଷାଗୁଡ଼ିକରେ କଥାଭାଷା ହୁଅନ୍ତି। ଭାରତର ପ୍ରାୟ ୨୦% ଲୋକ ଦ୍ରାଵିଡ଼ ଭାଷାପରିଵାରର ଭାଷା କହନ୍ତି। ଅଵଶିଷ୍ଟ ପ୍ରାୟ ୨% ଲୋକ ମୁଖ୍ୟତଃ ଅଷ୍ଟ୍ରୋ-ଏସିଆଟିକ୍ (ମୁଣ୍ଡା), ତିବ୍ବତୀ-ଵର୍ମୀ (ସିନୋ-ତିବ୍ବତୀୟ) ଓ ଅନ୍ୟାନ୍ୟ କ୍ଷୁଦ୍ର ଭାଷାପରିଵାରର ଭାଷା କହନ୍ତି। 

ପାଶ୍ଚାତ୍ୟ ଵିଦ୍ଵାନମାନେ ଇଣ୍ଡୋ-ଆର୍ଯ୍ୟ ଭାଷାଗୁଡ଼ିକରେ କଥାଭାଷା ହେଉଥିଵା ଲୋକମାନେ ୩୫୦୦ ଵର୍ଷ ତଳେ ମଧ୍ୟ ଏସିଆରୁ ଆସିଥିଲେ ବୋଲି ମତପୋଷଣ କଲେ । କିନ୍ତୁ ପରେ ଜଣାଗଲା ଯେ ଦ୍ରାଵିଡ଼ମାନଙ୍କର ପୂର୍ଵଜମାନେ ମଧ୍ୟ ପ୍ରାୟ ୧୦,୦୦୦ ରୁ ୮,୦୦୦ ଵର୍ଷ ପୂର୍ଵେ ପଶ୍ଚିମ ଏସିଆର ଜାଗ୍ରୋସ୍ ପର୍ଵତମାଳାରୁ (ଆଧୁନିକ ଇରାନ୍) ଆସି ଭାରତର ମୂଳ ସ୍ଥାନୀୟ ଅଧିଵାସୀମାନଙ୍କ ସହ ମିଶିଥିଲେ। ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିଵାର ବୋଲୁଥିଵା ମୁଣ୍ଡା ଭାଷା ଗୋଷ୍ଠୀର ଲୋକମାନଙ୍କର ପୂର୍ଵଜ ବି ଦକ୍ଷିଣ-ପୂର୍ଵ ଏସିଆ ଅର୍ଥାତ୍ ଵର୍ତ୍ତମାନର ଇଣ୍ଡୋଚୀନ୍ ଓ ଦକ୍ଷିଣ ଚୀନ୍ ଅଞ୍ଚଳରୁ ପ୍ରାୟ ୪,୦୦୦ରୁ ୩,୫୦୦ ଵର୍ଷ ପୂର୍ଵ ଦିଗରୁ ପ୍ରେଵେଶ କରିଥିଲେ । ସେହିପରି ସିନୋ-ତିବ୍ବତୀୟ ଭାଷା ପରିଵାରର ମୂଳ ସ୍ଥାନ ହେଉଛି ପୂର୍ଵ ଏସିଆର ୟେଲୋ ନଦୀ ଅଵଵାହିକା ଵା ଉତ୍ତର ଚୀନ୍ ଅଞ୍ଚଳ । ସେଠାରୁ ସେମାନେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଅଗ୍ରସର ହୋଇ ତିବ୍ବତ ଓ ମିଆଁମାର ଦେଇ ଉତ୍ତର-ପୂର୍ଵ ଭାରତ ତଥା ହିମାଳୟ ଅଞ୍ଚଳରେ ପ୍ରଵେଶ କରିଥିଲେ। ଏମାନଙ୍କର ଆଗମନ ଏକାଥରକେ ହୋଇନଥିଲା। ପ୍ରାୟ ୪,୦୦୦ ରୁ ୩,୦୦୦ ଵର୍ଷ ପୂର୍ଵେ ସିନୋ ତିବ୍ବତୀ ଭାଷାଭାଷୀମାନେ ଛୋଟ ଛୋଟ ଗୋଷ୍ଠୀ ହୋଇ ଭାରତରେ ପ୍ରଵେଶ କରିଵା ଆରମ୍ଭ କରିଥିଲେ ଏଵଂ ଏହି ପ୍ରକ୍ରିୟା ଶହ ଶହ ଵର୍ଷ ଧରି ଚାଲିଥିଲା। ତାଇ-କଦାଇ ଭାଷା ପରିଵାରର ଭାଷା ବୋଲୁଥିଵା ଲୋକମାନେ ଦକ୍ଷିଣ ଚୀନ୍ ଓ ଦକ୍ଷିଣ-ପୂର୍ଵ ଏସିଆରୁ (ମୁଖ୍ୟତଃ ମିଆଁମାର ଵା ବର୍ମାରୁ) ଆସିଥିଲେ। 
ଭାରତକୁ ଏମାନଙ୍କର ଆଗମନ ଐତିହାସିକ ଦୃଷ୍ଟିକୋଣରୁ ଅପେକ୍ଷାକୃତ ନୂତନ। ଉଦାହରଣସ୍ୱରୂପ, ତାଇ ଗୋଷ୍ଠୀର 'ଆହୋମ' ସମ୍ପ୍ରଦାୟ ତ୍ରୟୋଦଶ ଶତାବ୍ଦୀରେ (ଖ୍ରୀ.ଅ. ୧୨୨୮) ଆସାମରେ ପ୍ରଵେଶ କରିଥିଲେ। ସେହିପରି ଖାମ୍‌ତି ଓ ଫାକେ ଭଳି ସମ୍ପ୍ରଦାୟ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ (ପ୍ରାୟ ୧୭୭୫ ମସିହାରେ) ମିଆଁମାରରୁ ଭାରତର ଅରୁଣାଚଳ ପ୍ରଦେଶ ଓ ଆସାମକୁ ଆସିଥିଲେ। 

ଯଦି ମୂଳ ଭାରତଭୂଖଣ୍ଡରେ ବୋଲା ଯାଉଥିଵା ପାଞ୍ଚୋଟି ଭାଷାପରିଵାରର ସମସ୍ତ ଭାଷାଭାଷୀ ଵିଦେଶରୁ ଆସିଥିଲେ ତାହେଲେ ତା ପୂର୍ଵରୁ ଭାରତରେ କେଉଁମାନେ ରହୁଥିଲେ ? କ'ଣ ୧୦୦୦୦ ଵର୍ଷ ପୂର୍ଵେ ଭାରତରେ କେଵଳ ବାଘ, ଭାଲୁ,ହାତୀ ଓ ହନୁମାଙ୍କଡ଼ ରହୁଥିଲେ କିନ୍ତୁ ମଣିଷ ରହୁନଥିଲେ ? 

ଆଜି ଆମେ ଵିଭିନ୍ନ ପ୍ରମାଣ ବଳରେ ଜାଣିଛନ୍ତି ଯେ ଭାରତୀୟ ଉପମହାଦେଶରେ ଲକ୍ଷାଧିକ ଵର୍ଷ ଧରି Homo ଵଂଶର ଏକାଧିକ ମାନଵଜାତି ବାସ କରିଥିଲେ। ଏମାନଙ୍କ ମଧ୍ୟରେ Homo erectus, Homo heidelbergensis (କିମ୍ବା ନର୍ମଦା ମାନଵ), Homo Denisovans ଓ Homo Neanderthals ଏଵଂ ଶେଷରେ Homo sapiens ଅନ୍ତର୍ଭୁକ୍ତ। ଏହାର ପ୍ରମାଣ ଜୀଵାଶ୍ମ, ପ୍ରସ୍ତର ଉପକରଣ ଓ ଆଧୁନିକ ମଣିଷଙ୍କ DNAରୁ ମିଳିଛି। ଏଥିରୁ ସ୍ପଷ୍ଟ ହୁଏ ଯେ ଭାରତ ମାନଵ ଵିଵର୍ତ୍ତନର ଏକ ପ୍ରାଚୀନ ଓ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା। 

ତେବେ ଆମ୍ଭମାନଙ୍କର ପୂର୍ଵଜ ଆଧୁନିକ ମାନଵଜାତି Homo sapiensମାନେ ଆଫ୍ରିକାରୁ ବାହାରି ଏସିଆ ଦେଇ ପ୍ରାୟ ୬୫,୦୦୦ରୁ ୫୦,୦୦୦ ଵର୍ଷ ପୂର୍ଵେ ଭାରତୀୟ ଉପମହାଦେଶରେ ପହଞ୍ଚିଥିଲେ । ଵିଜ୍ଞାନ ଭାଷାରେ ସେଇ ପ୍ରାଚୀନ ଭାରତୀୟମାନଙ୍କୁ Ancient Ancestral South Indians(AASI) ଵା 'ପ୍ରଥମ ଭାରତୀୟ' କୁହାଯାଏ।
ଆଧୁନିକ DNA ଗଵେଷଣାରୁ ପ୍ରମାଣିତ ହୋଇଛି ଯେ, ଆଜିର ତାରିଖରେ ଭାରତର ପ୍ରତ୍ୟେକ ଵ୍ୟକ୍ତିଙ୍କ ଦେହରେ (ସେ କାଶ୍ମୀରର ବ୍ରାହ୍ମଣ ହୁଅନ୍ତୁ, ଓଡ଼ିଶାର କୃଷକ ହୁଅନ୍ତୁ କିମ୍ବା ଆଣ୍ଡାମାନର ଆଦିଵାସୀ ହୁଅନ୍ତୁ) ଏହି ପ୍ରଥମ ଭାରତୀୟ 'AASI'ମାନଙ୍କର DNA ରହିଛି। ଭାରତୀୟଙ୍କ ଶରୀରରେ ସର୍ଵାଧିକ ପ୍ରାୟ ୫୦% ରୁ ୬୫% ଜିନ୍ ଏହି ମୂଳ AASI ଅଧିଵାସୀଙ୍କର ହିଁ ଅଟେ। ଏହି AASI ଜିନ୍ ହିଁ ଜଣାଇ ଦିଏ ଯେ ଭାରତରେ ସମସ୍ତେ ମୂଳ ନିଵାସୀ କେହି ଵିଦେଶୀ ନୁହେଁ ଵରଂ ସମସ୍ତଙ୍କ ଶରୀରର ଡିଏନଏ ମଧ୍ୟରେ ପ୍ରଥମ ଭାରତୀୟ 'AASI' ଜିନ୍ ଛଡ଼ା ଏକ ଵା ଏକାଧିକ ଵିଦେଶୀ ଜିନ୍ ଅପେକ୍ଷାକୃତ କମ୍ ପରିମାଣରେ ରହିଛି । 

ଡେଭିଡ୍ ରାଇକ୍,ନୀରଜ ରାୟ ଓ ବସନ୍ତ ସିନ୍ଦେଙ୍କ ଭଳି ପ୍ରସିଦ୍ଧ ଜିନ୍ ଵିଜ୍ଞାନୀମାନଙ୍କ ଗଵେଷଣା ଅନୁଯାୟୀ, ଆଧୁନିକ ଇଣ୍ଡିକ୍ ଭାଷାଭାଷୀଙ୍କ ମଧ୍ୟରେ ତିନୋଟି ମୂଳ ବଂଶାନୁକ୍ରମ ରହିଛି ।‌ ପ୍ରଥମ ଭାରତୀୟ 'AASI' ଜିନ୍ ଅଞ୍ଚଳ ଭେଦରେ ୩୦% ରୁ ୬୫% ରହିଛି । ଓଡ଼ିଆ,ମରାଠୀ, ବଙ୍ଗାଳୀ ଓ ହିନ୍ଦୀ ଆଦି ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଭାଷା ବୋଲୁଥିଵା ପୂର୍ଵ ଭାରତ (ଓଡ଼ିଶା, ବଙ୍ଗଳା), ମଧ୍ୟ ଭାରତ ଏଵଂ ଵିଭିନ୍ନ ଆର୍ଯ୍ୟ ଜନଜାତି ଓ ପଛୁଆ ଵର୍ଗଙ୍କ ମଧ୍ୟରେ ଏହି ମାତ୍ରା ସର୍ଵାଧିକ (୫୦-୬୫%ରୁ ଅଧିକ) ମିଳେ । ଉତ୍ତର-ପଶ୍ଚିମ ଭାରତରେ ଏହା ଅପେକ୍ଷାକୃତ କମ୍ (୨୦-୩୦%) ଦେଖାଯାଏ। 

ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଲୋକଙ୍କ ମଧ୍ୟରେ "ପ୍ରାଚୀନ ଇରାନୀୟ କୃଷକଗୋଷ୍ଠୀ"ର ଲୋକଙ୍କ ଜିନ୍ ଅଞ୍ଚଳ ଭେଦରେ ପ୍ରାୟ ୩୦% ରୁ ୬୦% ରହିଥିଵା ଜଣାଯାଏ । ଏହି ଗୋଷ୍ଠୀ ପ୍ରାୟ ୧୦,୦୦୦ ଵର୍ଷ ପୂର୍ଵେ ଆସି 'ପ୍ରଥମ ଭାରତୀୟ'ଙ୍କ ସହ ମିଶି "ସିନ୍ଧୁ-ସରସ୍ଵତୀ ସଭ୍ୟତା" ଗଢ଼ିଥିଲେ। ସମଗ୍ର ଭାରତୀୟଙ୍କ ଶରୀରରେ ଏହି ଜିନ୍ ଏକ ବଡ଼ ଅଂଶ ଗ୍ରହଣ କରିଥାଏ। ପଶ୍ଚିମ ଓ ଉତ୍ତର ଭାରତରେ ଏହାର ମାତ୍ରା ୫୦%ରୁ ଅଧିକ ମିଳିଥାଏ। ଏକ କ୍ଷୁଦ୍ର ସଂଖ୍ୟାରେ ଆସିଥିଵା ଷ୍ଟେପ୍ ଗୋଷ୍ଠୀର ମାନଵଙ୍କ ଜିନ୍ ଇଣ୍ଡୋ ଆର୍ଯ୍ୟ ଭାଷାଗୋଷ୍ଠୀର ଲୋକଙ୍କ ମଧ୍ୟରେ ପ୍ରାୟ ୫% ରୁ ୩୦% ଦେଖାଯାଏ । ପଶ୍ଚିମ ଓ ଉତ୍ତର ଭାରତରେ ଏହି ଜିନ୍ ଅଧିକ ଦେଖାଯାଏ । ଦକ୍ଷିଣ ଓ ପୂର୍ଵ ଭାରତକୁ ଗଲେ ଏହାର ମାତ୍ରା କମି କମି ଯାଏ (୫-୧୦%)।

ସେହିପରି ଦ୍ରାଵିଡ଼ ଭାଷାପରିଵାରର ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ପ୍ରଥମ ଭାରତୀୟ "AASI" ଜିନ୍ ୪୦% ରୁ ୭୦% ପର୍ଯ୍ୟନ୍ତ ରହିଛି । ଦକ୍ଷିଣ ଭାରତରେ ଏଵଂ ଵିଶେଷକରି ଦ୍ରାଵିଡ଼ ଆଦିଵାସୀ ଓ ନିମ୍ନ ଵର୍ଗଙ୍କ ମଧ୍ୟରେ ଏହି ପ୍ରତିଶତ ସର୍ଵାଧିକ।
ଏହାଛଡ଼ା ଦ୍ରାଵିଡ଼ ଲୋକଙ୍କ ମଧ୍ୟରେ ପ୍ରାଚୀନ ଇରାନୀୟ କୃଷକଗୋଷ୍ଠୀ ୨୦% ରୁ ୪୦% ମିଳେ । ଏହା ସେମାନଙ୍କର ଦ୍ୱିତୀୟ ମୁଖ୍ୟ ଜିନ୍। ପୁଣି ଷ୍ଟେପ୍ ଗୋଷ୍ଠୀର ଖୁବ୍ କମ୍ ୦% ରୁ ୧୦% ପର୍ଯ୍ୟନ୍ତ ଜିନ୍ ମଧ୍ୟ ଦ୍ରାଵିଡ଼ ଲୋକଙ୍କ ମଧ୍ୟରେ ମିଳେ । 

ସାନ୍ତାଳ, ମୁଣ୍ଡା, ହୋ ଭଳି ଭାରତର ମୁଣ୍ଡା ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ପ୍ରଥମ ଭାରତୀୟ "AASI" ଜିନ୍ ୫୦% ରୁ ୭୫% ପର୍ଯ୍ୟନ୍ତ ମିଳିଥାଏ । ପ୍ରାୟ ୪,୦୦୦ ଵର୍ଷ ପୂର୍ଵେ ଇଣ୍ଡୋଚୀନ୍ (ଭିଏତନାମ୍/ଲାଓସ୍)ଆଡ଼ୁ ଆସିଥିଵା ଏହି ମୁଣ୍ଡା ଭାଷାଭାଷୀମାନଙ୍କର ପୂର୍ଵଜଙ୍କ ଜିନ୍ ୧୫% ରୁ ୩୦% ରହିଛି । ଏତଦଵ୍ୟତୀତ ଅଞ୍ଚଳ ଭେଦରେ କମ୍ ପରିମାଣରେ ଅର୍ଥାତ୍ ୦%ରୁ ୫% ପର୍ଯ୍ୟନ୍ତ ଥିଲେ ବି ପ୍ରାଚୀନ ଇରାନୀୟ କୃଷକ ଜିନ୍ ଓ ଷ୍ଟେପ୍ ଜିନ୍ ଏହି ମୁଣ୍ଡା ଭାଷାଭାଷୀମାନଙ୍କଠାରେ ବି ରହିଛି । ଉତ୍ତର-ପୂର୍ଵ ଭାରତ (ମଣିପୁର, ନାଗାଲାଣ୍ଡ, ମିଜୋରାମ) ଏଵଂ ହିମାଳୟ ଅଞ୍ଚଳରେ ଵସଵାସ କରୁଥିଵା ସିନୋ ତିବ୍ବତୀ ଲୋକଙ୍କ ମଧ୍ୟରେ "ପୂର୍ଵ ଏସୀୟ ଜିନ୍" ଅଞ୍ଚଳ ଭେଦରେ ୬୦%ରୁ ୯୦% ଦେଖାଯାଏ । ଏତଦଵ୍ୟତୀତ ଉତ୍ତର ପୂର୍ଵ ଭାରତରେ ରହୁଥିଵା ସିନୋ ତିବ୍ବତୀ ଲୋକଙ୍କ ମଧ୍ୟରେ ଅଞ୍ଚଳ ଭେଦରେ 
ପ୍ରଥମ ଭାରତୀୟ "AASI" ଓ ଅନ୍ୟାନ୍ୟ ଜିନ୍ ୧୦% ରୁ ୩୦% ଦେଖାଯାଏ । ମେଘାଳୟ, ଆସାମ କିମ୍ବା ତ୍ରିପୁରା ଭଳି ଅଞ୍ଚଳରେ ଯେଉଁମାନେ ସ୍ଥାନୀୟ ପ୍ରାଚୀନ AASI ଭାରତୀୟଙ୍କ ସହ ମିଶିଛନ୍ତି ସେମାନଙ୍କଠାରେ ଏହି ମାତ୍ରା ଟିକେ ଅଧିକ ଥାଏ। କିନ୍ତୁ ଅରୁଣାଚଳ ପ୍ରଦେଶ କିମ୍ବା ଲଦାଖରେ ଏହା ପ୍ରାୟ ନଥାଏ। ସେହିପରି ତାଇ କଦାଇ ଭାଷାପରିଵାରର ଭାଷା ବୋଲୁଥିଵା ଭାରତୀୟମାନଙ୍କ ଡିଏନଏରେ ଦକ୍ଷିଣ-ପୂର୍ଵ / ପୂର୍ଵ ଏସୀୟ ଜିନ୍ ପ୍ରାୟ ୭୦% ରୁ ୯୦%+ ଥିଲାବେଳେ ବାକି ପ୍ରତିଶତ AASI ଜିନ୍ ମିଳେ । 
ଉପରୋକ୍ତ ଜେନେଟିକ୍ ଵିଶ୍ଳେଷଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଏ ଯେ, ଊନଵିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଐତିହାସିକ ଓ ତଥାକଥିତ ଭାଷାଵିଦମାନେ ଉଦ୍ଦେଶ୍ୟମୂଳକ ଭାବେ 'ଭାଷା' ଓ 'ଵଂଶାନୁକ୍ରମ' (Race/Genetics)କୁ ଏକାକାର କରିଦେଇଥିଲେ। ଵିଜ୍ଞାନ ଦୃଷ୍ଟିରୁ ଏହା ଏକ ଚରମ ମୂର୍ଖତା। ଗୋଟିଏ ସମ୍ପ୍ରଦାୟ ନିଜର ଆଵଶ୍ୟକତା, ଵାଣିଜ୍ୟ କିମ୍ବା ଶାସକଵର୍ଗଙ୍କ ପ୍ରଭାବରେ ନିଜର ଭାଷା ବଦଳାଇ ପାରେ, କିନ୍ତୁ ନିଜ ଶରୀରର ଜିନ୍ କେବେ ବଦଳାଇ ପାରିଵ ନାହିଁ। ଯେପରି ଆଜି ଭାରତର କୋଟି କୋଟି ଲୋକ ଇଂରାଜୀ ଭାଷାରେ କଥା ହେଉଛନ୍ତି ବୋଲି ସେମାନେ ଇଂରେଜ (Anglo-Saxon) ହୋଇଯିବେ ନାହିଁ, ଠିକ୍ ସେହିପରି ଅତୀତରେ ତିନି ଚାରୋଟି ଛୋଟ ଵିଦେଶୀ ମାନଵଗୋଷ୍ଠୀମାନଙ୍କର ଭାଷାକୁ ସ୍ଥାନୀୟ "AASI" ବହୁଳ ସମାଜ ଗ୍ରହଣ କରିନେଲା ବୋଲି ସମ୍ପୂର୍ଣ୍ଣ ସମାଜ ଵିଦେଶୀ ହୋଇଯିଵ ନାହିଁ। ବାହାରୁ ଆସିଥିଵା ଖୁବ୍ କମ୍ ସଂଖ୍ୟକ ଲୋକଙ୍କ ଭାଷା ଵିଶାଳ ସ୍ଥାନୀୟ ଜନସଂଖ୍ୟା ଉପରେ ପ୍ରଭାବ ପକାଇଵାର ଏହି ପ୍ରକ୍ରିୟାକୁ ସମାଜଵିଜ୍ଞାନରେ Elite Dominance ଵା 'ପ୍ରଭାଵଶାଳୀ ଗୋଷ୍ଠୀର ଆଧିପତ୍ୟ' କୁହାଯାଏ। ତେଣୁ, ଭାଷା ଆଧାରରେ ଭାରତୀୟମାନଙ୍କୁ ଵିଦେଶୀ ସଜାଇଵା ଏକ ବ୍ରିଟିଶ୍ ରାଜନୈତିକ ଷଡ଼ଯନ୍ତ୍ର ଥିଲା, ଯାହା ଆଜି ଡିଏନ୍ଏ ଟେଷ୍ଟିଂ ମେସିନ୍ ସାମ୍ନାରେ ଧରାଶାୟୀ ହୋଇଛି।
ଏହି ଗଵେଷଣା ଭାରତର ସବୁଠାରୁ ବଡ଼ ରାଜନୈତିକ ଵିଭାଜନ "ଆର୍ଯ୍ୟ ବନାମ ଦ୍ରାବିଡ଼" ତତ୍ତ୍ୱକୁ ମଧ୍ୟ ଅର୍ଥହୀନ ପ୍ରମାଣିତ କରେ। ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଯେଉଁ କାଳ୍ପନିକ ପାଚେରୀ ଛିଡ଼ା କରାଯାଇଥିଲା, ତାହା ଭିତ୍ତିହୀନ। କାରଣ ଆଜିର ଜିନ୍ ଵିଜ୍ଞାନ କହୁଛି ଯେ, ଉତ୍ତର ଭାରତର ଲୋକଙ୍କ ଶରୀରରେ ଯେଉଁ AASI ଏଵଂ ପ୍ରାଚୀନ ଇରାନୀୟ ଜିନ୍ ରହିଛି, ଦକ୍ଷିଣ ଭାରତୀୟଙ୍କ ଶରୀରରେ ମଧ୍ୟ ସେହି ସମାନ AASI ଓ ପ୍ରାଚୀନ ଇରାନୀୟ ଜିନ୍ ରହିଛି—କେଵଳ ଏହାର ପ୍ରତିଶତର ଅଳ୍ପ ବହୁତ ତାରତମ୍ୟ ଅଛି।

ଆଜକୁ ପ୍ରାୟ ୫,୦୦୦ ରୁ ୨,୦୦୦ ଵର୍ଷ ପୂର୍ଵେ ଭାରତଵର୍ଷ ଏକ ଵିଶାଳ "Melting pot" ଵା 'ମହାମିଳନର କୁଣ୍ଡ' ସାଜିଥିଲା। ସେତେବେଳେ ସମାଜରେ ଜାତି ପ୍ରଥା ଵା ଵିଵାହଗତ କଟକଣା ଏତେ କଠୋର ନଥିଲା। ପ୍ରଥମ ଭାରତୀୟ (AASI), ପ୍ରାଚୀନ ଇରାନୀୟ, ଷ୍ଟେପ୍ ଗୋଷ୍ଠୀ, ତିବ୍ବତୀୟ ଓ ଦକ୍ଷିଣ-ପୂର୍ଵ ଏସୀୟ ଲୋକଙ୍କ ମଧ୍ୟରେ ଅବାଧରେ ମିଶ୍ରଣ ହୋଇଥିଲା। ଏହି ସାମୂହିକ ମିଶ୍ରଣର ଫଳସ୍ୱରୂପ ହିଁ ଆଜିର 'ଆଧୁନିକ ଭାରତୀୟ'ଙ୍କ ସୃଷ୍ଟି ହୋଇଛି। ପ୍ରତ୍ୟେକ ଭାରତୀୟ ହେଉଛନ୍ତି ଏକ ଜେନେଟିକ୍ କକ୍‌ଟେଲ୍ (Genetic Cocktail)। ତେଣୁ, ଆଜି କୌଣସି ଗୋଟିଏ ବି ଭାରତୀୟ ଛାତି ପିଟି କହିପାରିବେ ନାହିଁ ଯେ ସେ 'ଶୁଦ୍ଧ ଆର୍ଯ୍ୟ' କିମ୍ବା 'ଶୁଦ୍ଧ ଦ୍ରାଵିଡ଼' ଵା 'ଶୁଦ୍ଧ ମୂଳନିବାସୀ'।

ଏହି ଵିସ୍ତୃତ ଵୈଜ୍ଞାନିକ ଓ ଐତିହାସିକ ଆଲୋଚନାରୁ ଆମେ ଏକ ଅତ୍ୟନ୍ତ ସୁନ୍ଦର ତଥା ଗଭୀର ଦାର୍ଶନିକ ସତ୍ୟର ସମ୍ମୁଖୀନ ହେଉ। ଵିଜ୍ଞାନ ଆମକୁ ଯାହା ଶିଖାଏ, ତାହା ଭାରତୀୟ ଦର୍ଶନର ଵସୁଧୈଵ କୁଟୁମ୍ବକମ୍ ଭାବନା ସହିତ ଅଦ୍ଭୁତ ଭାବେ ମେଳ ଖାଏ।
ଏଥିରୁ ସ୍ପଷ୍ଟ ହୋଇଯାଏ ଯେ ପ୍ରାୟତଃ ଭାରତର ସମସ୍ତ ଭାଷାପରିଵାରର ଭାଷାଗୁଡ଼ିକ ବୋଲୁଥିଵା ଲୋକଙ୍କ ମଧ୍ୟରେ ସେହି ଗୋଟିଏ ପ୍ରାଚୀନ ସୂତ୍ର ବାନ୍ଧି ହୋଇ ରହିଛି। ୬୦,୦୦୦ ବର୍ଷ ତଳେ ଆଫ୍ରିକାରୁ ଆସିଥିଵା ପ୍ରାଚୀନ ହୋମୋ ସାପିଏନ୍ସ (Homo sapiens) ଵା 'ପ୍ରଥମ ଭାରତୀୟ' (AASI) ଙ୍କ ଜିନ୍, କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏଵଂ ଗୁଜୁରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ସବୁ ଭାରତୀୟଙ୍କ ଠାରେ ଊଣା ଅଧିକେ ଵିଦ୍ୟମାନ ରହିଛି। ସବୁ ଜାତି, ଧର୍ମ ଓ ବର୍ଗର ଲୋକଙ୍କ ଶିରାପ୍ରଶିରାରେ ସେହି ପ୍ରାଚୀନତମ ସ୍ଥାନୀୟ ଅଧିଵାସୀଙ୍କ ରକ୍ତ ପ୍ରଵାହିତ ହେଉଛି। ତେଣୁ ଏହି ଦୃଷ୍ଟିକୋଣରୁ ଦେଖିଲେ, ଭାରତକୁ ବାହାରୁ ଆସିଥିଵା କୌଣସି ନୂଆ ଗୋଷ୍ଠୀ ସ୍ଥାନୀୟ ଲୋକଙ୍କୁ ସମ୍ପୂର୍ଣ୍ଣ ରୂପେ ଵିନାଶ କରି ନିଜର ସାମ୍ରାଜ୍ୟ ସ୍ଥାପନ କରିନାହାଁନ୍ତି (ଯେପରି ଆମେରିକା ଵା ଅଷ୍ଟ୍ରେଲିଆରେ ୟୁରୋପୀୟମାନେ କରିଥିଲେ)। ଵରଂ ବାହାରୁ ଯିଏ ବି ଆସିଛି, ସିଏ ଏହି ମୂଳ ଜାତି ସହ ମିଶିଯାଇଛି। ଅର୍ଥାତ୍, ସବୁ ଭାରତୀୟଙ୍କ ପୂର୍ଵଜ ଏଠାକାର ମୂଳନିବାସୀ ଥିଲେ। ଏ ମାଟି ଆମ ସମସ୍ତଙ୍କର ନିଜସ୍ୱ।

କିନ୍ତୁ ସୂକ୍ଷ୍ମ ଭାବରେ ଦେଖିଲେ ଏକ ଵିପରୀତ ସତ୍ୟ ମଧ୍ୟ ଆମ ସାମ୍ନାକୁ ଆସେ। ସବୁ ଭାରତୀୟଙ୍କ ଜିନ୍‌ରେ ମୂଳନିଵାସୀ (AASI) ଙ୍କ ସହିତ ଵିଦେଶରୁ (ଇରାନ, ମଧ୍ୟ-ଏସିଆ, ଦକ୍ଷିଣ-ପୂର୍ଵ ଏସିଆ, ତିବ୍ବତ ଆଦିରୁ) ଭିନ୍ନ ଭିନ୍ନ ସମୟକାଳରେ ଆସିଥିବା ଭିନ୍ନ ଭିନ୍ନ ମାନଵଗୋଷ୍ଠୀର ଜିନ୍ ମଧ୍ୟ ମିଶି ରହିଛି। ଏପରିକି, ଯାହାଙ୍କୁ ଆମେ 'ପ୍ରଥମ ଭାରତୀୟ' ଵା ମୂଳନିଵାସୀ (AASI) ବୋଲି କହୁଛୁ, ସେମାନେ ମଧ୍ୟ ତ ଦିନେ ୬୦,୦୦୦ ଵର୍ଷ ପୂର୍ଵେ ସୁଦୂର ଆଫ୍ରିକା ଛାଡ଼ି ଭାରତକୁ ଏକାକୀ ଆସିଥିଲେ ! ତା' ପୂର୍ଵରୁ ସେମାନେ ବି ତ ଏଠାକାର ନଥିଲେ। ତେଣୁ ଏ ଦୃଷ୍ଟିରୁ ଵିଚାର କଲେ କୁହାଯାଇପାରେ ଯେ— ଭାରତରେ କେହି ବି ସମ୍ପୂର୍ଣ୍ଣ ରୂପେ 'ମୂଳନିଵାସୀ' ନୁହଁନ୍ତି।
ଆମେ ସମସ୍ତେ ପ୍ରଵାସୀ। ଏ ପୃଥିଵୀର ପ୍ରତ୍ୟେକ ମଣିଷ ହେଉଛି ନିରନ୍ତର ସ୍ଥାନାନ୍ତରଣ, ଅନ୍ୱେଷଣ ଓ ପ୍ରେମପୂର୍ଣ୍ଣ ମିଳନର ଏକ ଜୀଵନ୍ତ କାଵ୍ୟ। ଭାରତଵର୍ଷ ଏକ ନିର୍ଦ୍ଦିଷ୍ଟ ରକ୍ତ, ଜାତି କିମ୍ବା ଵର୍ଣ୍ଣର ଦେଶ ନୁହେଁ। ଏହା ହେଉଛି ମାନଵ ସଭ୍ୟତାର ଏକ ମହାସାଗର। ଏଠାକୁ ଯେଉଁ ନଦୀ ଯେଉଁ ଦିଗରୁ ଆସିଛି, ନିଜର ପରିଚୟ ହରାଇ ଏହି ଵିଶାଳ ଭାରତୀୟତାର ସାଗରରେ ଵିଲୀନ ହୋଇଯାଇଛି। ଏଠାରେ କେହି ଵିଦେଶୀ ନୁହେଁ, ପୁଣି କେହି ବି ପୂର୍ଣ୍ଣ ମୂଳନିଵାସୀ ନୁହେଁ—ଆମେ ସମସ୍ତେ କେଵଳ 'ଭାରତୀୟ'।

••••••••••••••••••••••••••••••••••••
•••••••••••••ତଥ୍ୟ ଉତ୍ସ••••••••••••••
••••••••••••••••••••••••••••••••••••
1.Who We Are and How We Got Here: Ancient DNA and the New Science of the Human Past — Reich, David (2018) 

ଏହି ପୁସ୍ତକରେ ପ୍ରାଚୀନ DNA ଗଵେଷଣା ଆଧାରରେ ଭାରତୀୟ ଜନସଂଖ୍ୟାର ପ୍ରାଚୀନ ମୂଳଦୁଆ, ଵିଶେଷକରି Ancestral North Indians (ANI), Ancestral South Indians (ASI) ଓ ପ୍ରଥମ ଭାରତୀୟ Ancient Ancestral South Indian (AASI) ଵଂଶାନୁକ୍ରମ ଵିଷୟରେ ବିସ୍ତୃତ ଵୈଜ୍ଞାନିକ ତଥ୍ୟ ଦିଆଯାଇଛି।

2.The formation of human populations in South and Central Asia. Science, 365(6457), eaat7487.—Narasimhan, V. M., Patterson, N., Moorjani, P., Rohland, N., Bernardos, R., Mallick, S., ... & Reich, D. (2019).

ଏହା ଦକ୍ଷିଣ ଓ ମଧ୍ୟ ଏସିଆର ମାନବ ଜନସଂଖ୍ୟା ଗଠନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଗଵେଷଣା ପତ୍ର। ଏଥିରେ ପ୍ରଥମ ଭାରତୀୟ (AASI), ପ୍ରାଚୀନ ଇରାନୀୟ କୃଷକ ଓ ମଧ୍ୟ ଏସିଆର ଷ୍ଟେପ୍ (Steppe) ଗୋଷ୍ଠୀର ବହୁସ୍ତରୀୟ ସ୍ଥାନାନ୍ତରଣ ଓ ସେମାନଙ୍କ ଜେନେଟିକ୍ ମିଶ୍ରଣକୁ ଦର୍ଶାଯାଇଛି।

3.An Ancient Harappan Genome Lacks Ancestry from Steppe Pastoralists or Iranian Farmers. Cell, 179(3), 729-735.—Shinde, V., Narasimhan, V. M., Rohland, N., Mallick, S., Mah, M., Lipson, M., ... & Reich, D. (2019).

ହରିୟାଣାର ରାଖୀଗଢ଼ୀରୁ ମିଳିଥିଵା ସିନ୍ଧୁ ସଭ୍ୟତାର କଙ୍କାଳର DNA ଵିଶ୍ଳେଷଣ ଉପରେ ଆଧାରିତ ଏହି ଗଵେଷଣା। ଏଥିରୁ ପ୍ରମାଣିତ ହୋଇଥିଲା ଯେ ସିନ୍ଧୁ ସଭ୍ୟତାର ଲୋକଙ୍କ ନିକଟରେ AASI ଓ ପ୍ରାଚୀନ ଇରାନୀୟ ଜିନ୍ ଥିଲା, କିନ୍ତୁ ସେତେବେଳ ପର୍ଯ୍ୟନ୍ତ ସେମାନଙ୍କ ପାଖରେ ଷ୍ଟେପ୍ (Steppe) ଗୋଷ୍ଠୀର ଜିନ୍ ନଥିଲା।

4.Early Indians: The Story of Our Ancestors and Where We Came From—Joseph, Tony (2018).

ଏହି ପୁସ୍ତକଟି ଜେନେଟିକ୍ସ, ପ୍ରତ୍ନତତ୍ତ୍ୱ ଓ ଭାଷାଵିଜ୍ଞାନକୁ ଏକତ୍ର କରି ଭାରତୀୟ ଉପମହାଦେଶକୁ ଆସିଥିବା ଚାରୋଟି ପ୍ରମୁଖ ସ୍ଥାନାନ୍ତରଣ ପ୍ରକ୍ରିୟା ଏଵଂ ଭାରତୀୟଙ୍କ ପୂର୍ଵଜଙ୍କ ଇତିହାସକୁ ସରଳ ଭାବେ ବୁଝାଇଥାଏ।

5.Genetic evidence for recent population mixture in India. The American Journal of Human Genetics, 93(3), 422-438.—Moorjani, P., Thangaraj, K., Patterson, N., Lipson, M., Loh, P. R., Govindaraj, P., ... & Reich, D. (2013).

ଏହି ଗଵେଷଣାରୁ ପ୍ରମାଣିତ ହୋଇଛି ଯେ ଆଜିରୁ ପ୍ରାୟ ୪,୨୦୦ ରୁ ୧,୯୦୦ ଵର୍ଷ ପୂର୍ଵେ (ଗୁପ୍ତ ସାମ୍ରାଜ୍ୟ ସମୟରେ ଜାତିଗତ କଟକଣା କଠୋର ହେଵା ପୂର୍ଵରୁ) ଭାରତର ଵିଭିନ୍ନ ଭାଷା, ଅଞ୍ଚଳ ଓ ସମାଜ ମଧ୍ୟରେ ଵ୍ୟାପକ ଭାବେ ଜେନେଟିକ୍ ମିଶ୍ରଣ ଘଟିଥିଲା।

6.Genomic analysis of Andamanese provides insights into ancient South Asian population history. Nature Genetics, 48(9), 1066-1010.—Mondal, M., Bergström, A., Seredych, J., Singh, P. P., Mishra, S., Javed, A., ... & Jarve, M. (2016).

ଆଣ୍ଡାମାନ ଦ୍ୱୀପପୁଞ୍ଜର ଆଦିଵାସୀଙ୍କ ଜିନୋମ୍ ଵିଶ୍ଳେଷଣ ମାଧ୍ୟମରେ ପ୍ରାଚୀନ ଭାରତୀୟ (AASI) ଵଂଶାନୁକ୍ରମ ଏଵଂ ଦକ୍ଷିଣ ଏସିଆରେ ମାନଵଜାତିର ପ୍ରାଚୀନ ଇତିହାସ ସହିତ ସେମାନଙ୍କର ଗଭୀର ସମ୍ପର୍କକୁ ଏହି ପେପର ପ୍ରକାଶ କରିଛି।

7.Population genetic structure in Indian Austroasiatic speakers: the impact of host genetics in the history of wildlife and human expansion. Molecular Biology and Evolution, 28(2), 1013-1024.—Chaubey, G., Metspalu, M., Choi, Y., Mägi, R., Romero, I. G., Soares, P., ... & Kivisild, T. (2011).

ଭାରତର ଅଷ୍ଟ୍ରୋ-ଏସିଆଟିକ୍ (ମୁଣ୍ଡା) ଭାଷାଭାଷୀ ଗୋଷ୍ଠୀ (ଯେପରି ସାନ୍ତାଳ, ମୁଣ୍ଡା, ହୋ)ଙ୍କ ଜେନେଟିକ୍ ଗଠନ, ସେମାନଙ୍କର ଦକ୍ଷିଣ-ପୂର୍ଵ ଏସିଆ ସହିତ ସମ୍ପର୍କ ଏଵଂ ସ୍ଥାନୀୟ AASI ଜନସଂଖ୍ୟା ସହ ସେମାନଙ୍କର ମିଶ୍ରଣକୁ ଏଥିରେ ଅନୁଧ୍ୟାନ କରାଯାଇଛି।

8.Languages of the Himalayas: An Ethnolinguistic Handbook of the Greater Himalayan Region.—Van Driem, George (2001).

ହିମାଳୟ ଓ ଉତ୍ତର-ପୂର୍ଵ ଭାରତୀୟ ଅଞ୍ଚଳରେ ସିନୋ-ତିବ୍ବତୀୟ ତଥା ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିଵାରର ଵିକାଶ, ସେମାନଙ୍କର ସ୍ଥାନାନ୍ତରଣ ଏଵଂ ଭାଷାଗତ ଐତିହାସିକ ପୃଷ୍ଠଭୂମି ଵିଷୟରେ ଏହି ପୁସ୍ତକରେ ପ୍ରାମାଣିକ ତଥ୍ୟ ରହିଛି।
•••••••••••••••••••••••••••••••••••••
















Thursday, August 6, 2026

କେମିତି ଵିଦେଶୀଙ୍କ ଲିଖିତ ଇତିହାସକୁ ଚ୍ୟାଲେଞ୍ଜ କରିଥିଲା ଭାରତର ଏକ ଲୁପ୍ତ ନଦୀ ?

ଉନଵିଂଶ ଶତାବ୍ଦୀରେ ଯେତେବେଳେ ୟୁରୋପୀୟ ଵିଦ୍ୱାନମାନେ ଭାରତୀୟ ଶାସ୍ତ୍ରଗୁଡ଼ିକର ଅଧ୍ୟୟନ ଆରମ୍ଭ କଲେ, ସେତେବେଳେ ସେମାନେ ଭାରତୀୟ ଇତିହାସର ଏକ ନୂତନ ରୂପରେଖ ପ୍ରସ୍ତୁତ କରିଥିଲେ। ଜର୍ମାନ ପ୍ରାଚ୍ୟଵିଦ୍ ମ୍ୟାକ୍ସ ମୁଲର୍‌ଙ୍କ ଭଳି ପଣ୍ଡିତମାନେ ଭାଷାଵିଜ୍ଞାନକୁ ଆଧାର କରି ମତ ରଖିଥିଲେ ଯେ ଋଗ୍‌ଵେଦର ରଚନା ସମ୍ଭଵତଃ ଖ୍ରୀଷ୍ଟପୂର୍ଵ ବାର ଶହରୁ ଏକ ହଜାର ମଧ୍ୟରେ ହୋଇଥିଲା। ଏହି ସମୟସୀମାକୁ ସମର୍ଥନ କରିଵା ପାଇଁ ସେମାନେ ଆର୍ଯ୍ୟ ଆକ୍ରମଣ ଵା ଆର୍ଯ୍ୟ ସ୍ଥାନାନ୍ତରଣ ତତ୍ତ୍ୱର ଅଵତାରଣା କରିଥିଲେ। ଏହି ତତ୍ତ୍ୱ ଅନୁଯାୟୀ, ଆର୍ଯ୍ୟମାନେ ଭାରତର ମୂଳ ଅଧିଵାସୀ ନଥିଲେ। ସେମାନେ ମଧ୍ୟ ଏସିଆ ଵା କାସ୍ପିଆନ୍ ସାଗର ଅଞ୍ଚଳରୁ ବାହାରି ଖ୍ରୀଷ୍ଟପୂର୍ଵ ୧୫୦୦ରୁ ଖ୍ରୀଷ୍ଟପୂର୍ଵ ୨୦୦୦ ସମୟରେ ଉତ୍ତର-ପଶ୍ଚିମ ଭାରତରେ ପ୍ରଵେଶ କରିଥିଲେ। ସେମାନେ ନିଜ ସହିତ ସଂସ୍କୃତ ଭାଷା, ଘୋଡ଼ା ଓ ଵୈଦିକ ସଂସ୍କୃତି ଆଣିଥିଲେ ଏଵଂ ଭାରତରେ ପହଞ୍ଚିଵା ପରେ ସିନ୍ଧୁ ଉପତ୍ୟକା ଓ ପଞ୍ଜାବ ଅଞ୍ଚଳରେ ଵସଵାସ କରି ଋଗ୍‌ଵେଦ ସମେତ ଅନ୍ୟାନ୍ୟ ଵେଦଗୁଡ଼ିକର ରଚନା କରିଥିଲେ। ଦୀର୍ଘ ଦଶନ୍ଧି ଧରି ଏହି ତତ୍ତ୍ୱକୁ ଭାରତୀୟ ଇତିହାସର ଏକ ନିର୍ଵିଵାଦୀୟ ସତ୍ୟ ଭାବରେ ସ୍କୁଲ କଲେଜର ପାଠ୍ୟକ୍ରମରେ ପଢ଼ାଯାଉଥିଲା। ଆଜି ବି ଅନେକେ ଏହି ତତ୍ତ୍ଵକୁ ବୁକୁଚା କରି ମୁଣ୍ଡରେ ବୋହି ଚାଲିଛନ୍ତି । ଏହି ତତ୍ତ୍ୱ ଭାରତୀୟ ସଭ୍ୟତାକୁ ଦୁଇ ଭାଗରେ ଵିଭକ୍ତ କରିଦେଇଥିଲା ।‌ ଏଥିରେ ସିନ୍ଧୁ ଘାଟି ସଭ୍ୟତାକୁ ମୂଳ ନିଵାସୀଙ୍କର ଏଵଂ ଵୈଦିକ ସଭ୍ୟତାକୁ ବାହାରୁ ଆସିଥିଵା ଆର୍ଯ୍ୟମାନଙ୍କର ବୋଲି ଦର୍ଶାଯାଇଥିଲା। Devide and ruleର ଏହା ଅନ୍ୟତମ ଉଦାହରଣ ଥିଲା । 

କିନ୍ତୁ ଯେତେବେଳେ ଏହା ଵିପକ୍ଷରେ କିଛି ସ୍ଵାଭିମାନୀ ଲୋକ ତଥ୍ୟ ଉଣ୍ଡିଵା ଆରମ୍ଭ କଲେ ସେମାନେ ଅନେକ ଵିସଙ୍ଗତି ଲକ୍ଷ କଲେ । ଯେତେବେଳେ ଋଗ୍‌ବେଦର ଶ୍ଳୋକଗୁଡ଼ିକୁ ଗଭୀର ଭାବରେ ଅଧ୍ୟୟନ କରାଗଲା ସେତେବେଳେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଲା । ଋଗ୍‌ଵେଦରେ ସରସ୍ୱତୀ ନଦୀଙ୍କର ଯେଉଁ ଵର୍ଣ୍ଣନା ରହିଛି, ତାହା କୌଣସି ସାଧାରଣ ନଦୀର ଵର୍ଣ୍ଣନା ନୁହେଁ। ଋଗ୍‌ଵେଦରେ ସରସ୍ୱତୀଙ୍କୁ 'ନଦୀତମା', 'ଅମ୍ବିତମା' ଓ 'ଦେଵୀତମା' ଭାବରେ ସମ୍ବୋଧିତ କରାଯାଇଛି । ଅର୍ଥାତ୍ ସରସ୍ବତୀ —ନଦୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ନଦୀତମା, ମାତାମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଅମ୍ବିତମା ଏଵଂ ଦେଵୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଦେଵୀତମା । ଵେଦର ଅନେକ ସୂକ୍ତରେ ସରସ୍ୱତୀଙ୍କୁ ଏକ ଅତ୍ୟନ୍ତ ଵେଗଵାନ ଓ ଵିଶାଳ ନଦୀ ଭାବରେ ଚିତ୍ରଣ କରାଯାଇଛି ଯାହା ପର୍ଵତ ଶିଖରରୁ ବାହାରି ନିଜର ପ୍ରଚଣ୍ଡ ସ୍ରୋତରେ ପାହାଡ଼କୁ ଭାଙ୍ଗି ସିଧାସଳଖ ସମୁଦ୍ରରେ ଯାଇ ମିଶୁଥିଲା। ଏହି ନଦୀ କୂଳରେ ବସି ଋଷିମାନେ ଵେଦ ମନ୍ତ୍ର ରଚନା କରିଥିଲେ ଏଵଂ ଯଜ୍ଞାଦି କର୍ମ ସମ୍ପାଦନ କରୁଥିଲେ। ଋଗ୍‌ଵେଦର ସପ୍ତସିନ୍ଧୁ ଅଞ୍ଚଳରେ ସରସ୍ୱତୀ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନଦୀ, ଏପରିକି ସିନ୍ଧୁ ନଦୀଠାରୁ ମଧ୍ୟ ଅଧିକ ମହିମାମୟ ନଦୀ ସରସ୍ଵତୀ ଥିଲା । ଯଦି ଆର୍ଯ୍ୟମାନେ ଖ୍ରୀଷ୍ଟପୂର୍ଵ ୧୫୦୦ରେ ଭାରତ ଆସିଥିଲେ, ତେବେ ସେମାନେ ନିଶ୍ଚିତ ରୂପେ ଏହି ଵିଶାଳ ସରସ୍ୱତୀ ନଦୀକୁ ଦେଖିଥିବେ ଏଵଂ ତା'ର କୂଳରେ ବସି ଏହି ମନ୍ତ୍ରଗୁଡ଼ିକ ରଚନା କରିଥିବେ, ଯାହାକି ପାଶ୍ଚାତ୍ୟ ପଣ୍ଡିତମାନଙ୍କ ମତରେ ସମ୍ଭଵ ହୋଇଥିଲା। 
କିନ୍ତୁ ଆଧୁନିକ ଵିଜ୍ଞାନ ଏହି କଥାକୁ ସମ୍ପୂର୍ଣ୍ଣ ରୂପେ ଭୁଲ ପ୍ରମାଣିତ କରିଦେଲା। ଏହା କେମିତି ହୋଇଥିଲା ଜାଣିଵାକୁ ହେଲେ ଆମକୁ ଏହା ପଛରେ ଥିଵା ନିକଟ ଅତୀତର ଇତିହାସକୁ ଜାଣିଵାକୁ ହେଵ । 

ଵିୟ୍ଯଶ ଶତାବ୍ଦୀର ସପ୍ତମ ଓ ଅଷ୍ଟମ ଦଶକ ସମୟର କଥା । ଭାରତ ତାର ଵିକାଶ ପଥରେ ଅଗ୍ରସର ହେଉଥିଵା ବେଳେ ଉତ୍ତର-ପଶ୍ଚିମ ଭାରତ ଵିଶେଷତଃ ରାଜସ୍ଥାନ, ହରିୟାଣା ଓ ଗୁଜରାଟର ଵିସ୍ତୀର୍ଣ୍ଣ ଅଞ୍ଚଳ ଏକ ଭୟଙ୍କର ପ୍ରାକୃତିକ ସମସ୍ୟାର ସମ୍ମୁଖୀନ ହେଉଥିଲା। ଥର୍ ମରୁଭୂମିର କ୍ରମାଗତ ସମ୍ପ୍ରସାରଣ ଓ ଉତ୍କଟ ଜଳ ସଙ୍କଟ ଏହି ଅଞ୍ଚଳର ଜନଜୀଵନକୁ ଦୁର୍ଵିସହ କରିପକାଇଥିଲା। ପାନୀୟ ଜଳ ଓ କୃଷି ପାଇଁ ଆଵଶ୍ୟକ ଜଳର ଘୋର ଅଭାବ ଦେଖାଦେଇଥିଲା। ଏହି ସମୟରେ ଵୈଜ୍ଞାନିକମାନେ ଅନୁଭଵ କଲେ ଯେ, ପୃଥିଵୀ ପୃଷ୍ଠରେ ଜଳ ନଥିଲେ ମଧ୍ୟ ହଜାର ହଜାର ଵର୍ଷ ତଳେ ଶୁଖିଯାଇଥିଵା ପ୍ରାଚୀନ ନଦୀଗୁଡ଼ିକର ଶେଯ ଵା ଗର୍ଭ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥାଇପାରେ। ଵର୍ଷା ଜଳ ସେହି ପୁରାତନ ନଦୀର ଖାଲୁଆ ପଥରେ ଜମା ହୋଇ ଵିଶାଳ ଭୂଗର୍ଭସ୍ଥ ମଧୁର ଜଳଭଣ୍ଡାର ସୃଷ୍ଟି କରିଵାର ସମ୍ଭାବନା ଥିଲା। ତେଣୁ ଦେଶର ଜଳ ସମସ୍ୟାର ସମାଧାନ, ଭୂଗର୍ଭସ୍ଥ ଜଳର ସନ୍ଧାନ ଓ ମରୁଭୂମିକରଣକୁ ଅଟକାଇଵା ପାଇଁ ଭାରତ ସରକାର ଏକ ବଡ଼ ଧରଣର ଵୈଜ୍ଞାନିକ ଅନୁଧ୍ୟାନ ଆରମ୍ଭ କରିଵାକୁ ନିଷ୍ପତ୍ତି ନେଲେ। ଏହି ଅଭିଯାନର ନେତୃତ୍ୱ ନେଇଥିଲା ଭାରତୀୟ ମହାକାଶ ଗଵେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ଏଵଂ ଏଥିରେ ଵିଶେଷ ସହଯୋଗ କରିଥିଲା ଆମେରିକାର ମହାକାଶ ସଂସ୍ଥା ନାସା। ୧୯୭୦ ମସିହା ପରଠାରୁ ଉପଗ୍ରହ ଜ୍ଞାନକୌଶଳର ଵ୍ୟାପକ ଉନ୍ନତି ସହିତ ରିମୋଟ୍ ସେନ୍ସିଂ ଵା ଦୂର-ସମ୍ବେଦନ ପ୍ରଣାଳୀର ଵ୍ୟଵହାର ଆରମ୍ଭ ହେଲା। ଇସ୍ରୋ ଓ ନାସାର ଉପଗ୍ରହଗୁଡ଼ିକ ଉତ୍ତର-ପଶ୍ଚିମ ଭାରତର ଆକାଶରୁ ରାଡାର୍ ଇମେଜିଂ ଓ ମଲ୍ଟିସ୍ପେକ୍ଟ୍ରାଲ୍ ଫଟୋଗ୍ରାଫି ମାଧ୍ୟମରେ ମାଟିର ଗଭୀରକୁ ଭେଦ କରିପାରୁଥିଵା ଚିତ୍ରମାନ ଉତ୍ତୋଳନ କରିଵାକୁ ଲାଗିଲେ। ଵୈଜ୍ଞାନିକମାନେ ମରୁଭୂମିର ଶୁଖିଲା ବାଲି ତଳେ ଲୁଚି ରହିଥିଵା ମାଟିର ଆର୍ଦ୍ରତା, ଖଣିଜ ସମ୍ପଦ ଏଵଂ ଵିଶେଷତଃ ଭୂଗର୍ଭସ୍ଥ ଜଳଭଣ୍ଡାରର ସନ୍ଧାନ ପାଇଁ ଏହି ଉନ୍ନତ ପ୍ରଯୁକ୍ତିଵିଦ୍ୟାର ପ୍ରୟୋଗ କରିଥିଲେ। ଆରମ୍ଭରୁ ଏହା ଏକ ନିଚ୍ଛକ ଭୂତାତ୍ତ୍ୱିକ ତଥା ପରିଵେଶଗତ ମିଶନ୍ ଥିଲା ଯାହାର ଭାରତୀୟ ଇତିହାସ କିମ୍ବା ପ୍ରତ୍ନତତ୍ତ୍ୱ ସହିତ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲା।

କିନ୍ତୁ ଯେତେବେଳେ କମ୍ପ୍ୟୁଟର ମାଧ୍ୟମରେ ମହାକାଶରୁ ଆସିଥିଵା ଏହି ଅଗଣିତ ଚିତ୍ରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଯୋଡ଼ି ଵିଶ୍ଳେଷଣ କରାଗଲା, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଓ ଅଵିଶ୍ୱସନୀୟ ଦୃଶ୍ୟ ଵୈଜ୍ଞାନିକମାନଙ୍କ ସମ୍ମୁଖକୁ ଆସିଲା। ଵୈଜ୍ଞାନିକମାନେ ଦେଖିଲେ ଯେ ଭୂମି ତଳେ ଥିଵା ସେହି ଜଳଭଣ୍ଡାରଗୁଡ଼ିକ କୌଣସି ସ୍ଥାନୀୟ ଵା ବିଚ୍ଛିନ୍ନ ଖାଲ ନଥିଲା। ସେଗୁଡ଼ିକ ପ୍ରକୃତରେ ଥିଲା ଏକ ଵିଶାଳ, ସୁଦୀର୍ଘ ଓ ନିରଵଚ୍ଛିନ୍ନ ନଦୀ ପ୍ରଣାଳୀର ଅଵଶେଷ। ଏହି ଶୁଖିଲା ନଦୀର ପଥ ହିମାଳୟର ଶିଵାଲିକ୍ ପର୍ଵତମାଳାରୁ ବାହାରି ହରିୟାଣା, ପଞ୍ଜାବ ଓ ରାଜସ୍ଥାନର ଥର୍ ମରୁଭୂମି ଦେଇ ଗୁଜରାଟର କଚ୍ଛ ଉପସାଗର ପର୍ଯ୍ୟନ୍ତ ପ୍ରାୟ ପନ୍ଦର ଶହ କିଲୋମିଟର ଧରି ସିଧାସଳଖ ଵ୍ୟାପିଥିଲା। ଏହାର ପ୍ରସ୍ଥ କେତେକ ସ୍ଥାନରେ ଛଅରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଵିସ୍ତୃତ ଥିଲା। ଏତେ ଵିରାଟକାୟ ନଦୀର ଲୁକ୍କାୟିତ ଅଵଶେଷ ଦେଖି ସମଗ୍ର ଵୈଜ୍ଞାନିକ ମହଲ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ।

ଏହି ଯୁଗାନ୍ତକାରୀ ଆଵିଷ୍କାରର ଖବର ପାଇଵା ପରେ ଇତିହାସକାର ଓ ପ୍ରତ୍ନତତ୍ତ୍ୱଵିତ୍‌ମାନେ ସେହି ସାଟେଲାଇଟ୍ ଚିତ୍ରଗୁଡ଼ିକୁ ଗଭୀର ଭାବରେ ଅଧ୍ୟୟନ କଲେ। ସେମାନେ ହୃଦୟଙ୍ଗମ କଲେ ଯେ ସାଟେଲାଇଟ୍ ପ୍ରଦର୍ଶନ କରୁଥିଵା ଏହି ନଦୀର ଭୂଗୋଳ, ଋଗ୍‌ଵେଦ ତଥା ମହାଭାରତରେ ବଳରାମଙ୍କ ତୀର୍ଥ ସମୟରେ ଵର୍ଣ୍ଣିତ ମହାନ୍ 'ସରସ୍ୱତୀ ନଦୀ'ର ଗତିପଥ ଏଵଂ ଵର୍ଣ୍ଣନା ସହିତ ସ୍ପଷ୍ଟ ଭାବରେ ମିଶି ଯାଉଛି। ଯାହା କେଵଳ ପାନୀୟ ଜଳ ଖୋଜିଵାର ଏକ ସାଧାରଣ ପ୍ରକଳ୍ପ ଭାବରେ ଆରମ୍ଭ ହୋଇଥିଲା, ତାହା ଅଜାଣତରେ ଭାରତୀୟ ସଭ୍ୟତାର ଏକ ବୃହତ୍ତମ ଐତିହାସିକ ରହସ୍ୟକୁ ଉନ୍ମୋଚନ କରିଦେଲା। ଏହି ଆଵିଷ୍କାର ପରେ ହିଁ ସେହି ଶୁଖିଲା ନଦୀ ଅଵଵାହିକାରେ ପ୍ରତ୍ନତାତ୍ତ୍ୱିକ ଖନନ ଵ୍ୟାପକ ହେଲା ଏଵଂ ହରପ୍ପା ଓ ମୋହେଞ୍ଜୋଦାରୋ ସମୟର ଶତାଧିକ ପ୍ରାଚୀନ ନଗରୀ ସେହି ନଦୀ କୂଳରୁ ଲୋକଲୋଚନକୁ ଆସିଲା। ଜଳ ସଙ୍କଟ ଦୂର କରିଵା ପାଇଁ ଆରମ୍ଭ ହୋଇଥିଵା ଏକ ଆଧୁନିକ ଭୂତାତ୍ତ୍ୱିକ ମିଶନ୍ ଶେଷରେ ଇତିହାସର ଗତିପଥ ବଦଳାଇ ଦେଲା ଏଵଂ ଭାରତୀୟ ସଭ୍ୟତାର ନିରଵଚ୍ଛିନ୍ନ ତଥା ଗୌରଵମୟ ସତ୍ୟକୁ ସମଗ୍ର ଵିଶ୍ୱ ଦରବାରରେ ପ୍ରତିଷ୍ଠା କରିଵାରେ ସଫଳ ହେଲା।

ତେବେ ଯେତେବେଳେ ସେହି ପୁରାତନ ନଦୀ ସରସ୍ଵତୀର ଶେଯଗୁଡ଼ିକର ଚିତ୍ର ସାମ୍ନାକୁ ଆସିଲା ସେତେବେଳେ ଭୂତତ୍ତ୍ୱଵିତ୍‌ମାନେ ଦେଖିଲେ ଯେ ଵର୍ତ୍ତମାନର ଶୁଖିଲା ଘାଗରା ଓ ହାକ୍ରା ନଦୀର ପଥ ତଳେ ଏକ ଵିଶାଳ ନଦୀର ଅଵଵାହିକା ଲୁଚି ରହିଛି, ଯାହାର ପ୍ରସ୍ଥ କିଛି ସ୍ଥାନରେ ଛଅରୁ ଆଠ କିଲୋମିଟର ପର୍ଯ୍ୟନ୍ତ ଵିସ୍ତୃତ ଥିଲା। ଏହି ଵିଶାଳ ସରସ୍ଵତୀ ନଦୀ ଶିଵାଲିକ୍ ପର୍ଵତମାଳାରୁ ବାହାରି ହରିୟାଣା, ରାଜସ୍ଥାନ ଓ ଗୁଜରାଟ ଦେଇ ଆରବ ସାଗରରେ କଚ୍ଛର ରଣ ନିକଟରେ ମିଶୁଥିଲା। ଭୂଵିଜ୍ଞାନୀମାନେ ସ୍ପଷ୍ଟ କଲେ ଯେ ଏହି ଘାଗର-ହାକ୍ରା ନଦୀ ପ୍ରଣାଳୀ ହିଁ ପ୍ରାଚୀନ କାଳର ସେହି ଵୈଦିକ ସରସ୍ୱତୀ ନଦୀ ଥିଲା।

ଏହି ଵୈଜ୍ଞାନିକ ଆଵିଷ୍କାର ପରେ ଆରମ୍ଭ ହେଲା ସରସ୍ଵତୀ ନଦୀର ଵୟସ ନିର୍ଦ୍ଧାରଣ ପ୍ରକ୍ରିୟା। ନଦୀ କୂଳର ମାଟି, ଭୂଗର୍ଭସ୍ଥ ଜଳ ଏଵଂ ସେଠାରେ ଥିଵା ପ୍ରତ୍ନତାତ୍ତ୍ୱିକ ଅଵଶେଷଗୁଡ଼ିକର ରେଡିଓକାର୍ବନ ଡେଟିଂ କରାଗଲା। ପ୍ରାରମ୍ଭିକ ଗଵେଷଣାରୁ ଜଣାପଡ଼ିଲା ଯେ ପ୍ରାଚୀନ କାଳରେ ସତଲେଜ୍ ଵା ଶତଦ୍ରୁ ନଦୀ ଏଵଂ ଯମୁନା ନଦୀ ସରସ୍ୱତୀ ନଦୀର ଦୁଇଟି ପ୍ରମୁଖ ଶାଖା ଥିଲେ। ଏହି ଦୁଇଟି ହିମାଳୟରୁ ବାହାରୁଥିଵା ଚିରସ୍ରୋତା ଜଳପୂର୍ଣ୍ଣ ନଦୀ ସରସ୍ୱତୀକୁ ନିରନ୍ତର ଜଳ ଯୋଗାଉଥିଲେ, ଯାହା ଫଳରେ ସରସ୍ୱତୀ ଏକ ଚିରସ୍ରୋତା ଏଵଂ ଵିଶାଳ ନଦୀରେ ପରିଣତ ହୋଇଥିଲା। ଅଵଶ୍ୟ ସାମ୍ପ୍ରତିକ ଗଵେଷଣା ସୂଚାଏ ଯେ ସତଲୁଜ ବହୁ ପ୍ରାଚୀନ କାଳରେ(୮୦୦୦ରୁ ୧୦୦୦୦ ଵର୍ଷ ତଳେ) ନିଜ ପଥ ବଦଳାଇ ସିନ୍ଧୁ ନଦୀ ପ୍ରଣାଳୀରେ ମିଶିଯାଇଥିଲା।

ଆଜକୁ ପ୍ରାୟ ୫୦୦୦ ଵର୍ଷ ତଳେ ପ୍ରଵଳ ଟେକ୍ଟୋନିକ୍ ପରିଵର୍ତ୍ତନ ଵା ଭୂମିକମ୍ପ ଯୋଗୁଁ ଉତ୍ତର ଭାରତର ଭୂଗୋଳରେ ଵ୍ୟାପକ ପରିଵର୍ତ୍ତନ ଆସିଲା। ଭୂମିର ଉତ୍ଥାନ ଯୋଗୁଁ ଯମୁନା ନଦୀ ନିଜର ଗତିପଥ ବଦଳାଇ ପୂର୍ଵ ଆଡ଼କୁ ମୁହାଁଇଲା ଏଵଂ ଗଙ୍ଗା ନଦୀ ସହିତ ମିଶିଗଲା। ଅଵଶ୍ୟ କେହି କେହି ଗଵେଷକ ମତ ଦିଅନ୍ତି ଯେ ଯମୁନା ନଦୀ ଏହାର ବହୁତ ପୂର୍ଵରୁ ଗଙ୍ଗା ନଦୀ ପ୍ରଣାଳୀରେ ମିଶିଯାଇଥିଲା ତେବେ ଏ ସମ୍ବନ୍ଧରେ ଏବେ ମଧ୍ୟ ମତଭେଦ ରହିଛି ।‌

ପ୍ରମୁଖ ଜଳ ଉତ୍ସଗୁଡ଼ିକ ଅଲଗା ହୋଇଯିଵା ତଥା ହୋଲୋସିନ୍ ଯୁଗରେ ମନସୁନ୍ ଵର୍ଷା କ୍ରମଶଃ ଦୁର୍ଵଳ ହେଵାରୁ ଘଗ୍ଗର-ହକ୍ରା ଵା ସରସ୍ଵତୀ ନଦୀ ପ୍ରଣାଳୀର ଜଳପ୍ରଵାହ ମଧ୍ୟ ହ୍ରାସ ପାଇଲା।

ଫଳରେ ସରସ୍ୱତୀ ନଦୀରେ ଜଳ ପ୍ରଵାହ କମିଵାକୁ ଲାଗିଲା। ଵୈଜ୍ଞାନିକ ତଥ୍ୟ ଅନୁଯାୟୀ, ଖ୍ରୀଷ୍ଟପୂର୍ଵ ୩୦୦୦ ବେଳକୁ ସରସ୍ୱତୀ ନଦୀ କ୍ଷୀଣ ହେଵା ଆରମ୍ଭ କରିଥିଲା ଏବଂ ଖ୍ରୀଷ୍ଟପୂର୍ଵ ୨୧୦୦ ବେଳକୁ ଏହାର ଅଧିକାଂଶ ଭାଗ ଶୁଖିଵାକୁ ଲାଗିଲା। ଶେଷରେ ଖ୍ରୀଷ୍ଟପୂର୍ଵ ୧୯୦୦ ବେଳକୁ ଏହି ଵିଶାଳ ନଦୀ ସମ୍ପୂର୍ଣ୍ଣ ରୂପେ ଶୁଖିଯାଇ ଏକ ଛୋଟ ଵର୍ଷାଦିନିଆ ନାଳରେ ପରିଣତ ହୋଇଗଲା ଏଵଂ ସମୁଦ୍ର ପର୍ଯ୍ୟନ୍ତ ଏହାର ଯାତ୍ରା ସବୁଦିନ ପାଇଁ ବନ୍ଦ ହୋଇଗଲା।

ସାଟେଲାଇଟ୍ ଚିତ୍ର ଓ ଭୂତାତ୍ତ୍ୱିକ ପ୍ରମାଣ ସ୍ପଷ୍ଟ ଭାବରେ ସୂଚାଉଛି ଯେ ସରସ୍ୱତୀ ନଦୀ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ଶୁଖିଯାଇଥିଲା। ଏହି ତଥ୍ୟକୁ ଆଧାର କରି ଯଦି ଆମେ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଦ୍ୱାରା ଦିଆଯାଇଥିଵା ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ଵିଶ୍ଳେଷଣ କରିଵା ତେବେ ଏକ ଵିରାଟ ବଡ଼ ଅସଙ୍ଗତି ଵା ଵିରୋଧାଭାସ ସାମ୍ନାକୁ ଆସେ। ମ୍ୟାକ୍ସ ମୁଲର୍ ଏଵଂ ଅନ୍ୟ ଐତିହାସିକମାନଙ୍କ ମତରେ ଆର୍ଯ୍ୟମାନେ ଖ୍ରୀଷ୍ଟପୂର୍ଵ ପନ୍ଦର ଶହରେ ଭାରତକୁ ଆସିଥିଲେ। ଯଦି ଏହି କଥାକୁ ସତ୍ୟ ବୋଲି ଧରିନିଆଯାଏ, ତେବେ ଆର୍ଯ୍ୟମାନେ ଭାରତରେ ପହଞ୍ଚିଵା ବେଳକୁ ସରସ୍ୱତୀ ନଦୀ ଶୁଖିଵାର ପ୍ରାୟ ଚାରି ଶହ ଵର୍ଷ ବିତିଯାଇଥିଲା। ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ପନ୍ଦର ଶହରେ ସେଠାରେ କୌଣସି ପ୍ରଵାହମାନ ନଦୀ ନଥିଲା, କେଵଳ ଏକ ଵିସ୍ତୀର୍ଣ୍ଣ ଶୁଖିଲା ନଦୀ ଶେଯ ଏଵଂ ମରୁଭୂମିର ବାଲି ଥିଲା। ଏପରି ସ୍ଥିତିରେ ସେହି ସମୟରେ ଭାରତ ଆସିଥିଵା ତଥାକଥିତ ଆର୍ଯ୍ୟ ଲୋକମାନେ କିପରି ଏକ ଜଳପୂର୍ଣ୍ଣ, ଗର୍ଜନକାରୀ ଏଵଂ ସମୁଦ୍ରକୁ ଯାଇ ମିଶିଥିଵା ଵିଶାଳ ନଦୀକୁ ନିଜ ଆଖିରେ ଦେଖିଲେ? ସେମାନେ କିପରି ଏକ ଶୁଖିଲା ମରୁଭୂମିକୁ ଦେଖି ସରସ୍ୱତୀଙ୍କୁ 'ନଦୀତମା' ଵା ଶ୍ରେଷ୍ଠ ନଦୀ ବୋଲି ସ୍ତୁତି କଲେ? କୌଣସି ଵ୍ୟକ୍ତି ଗୋଟିଏ ଶୁଖିଯାଇଥିଵା ଖାଲ ସ୍ଥାନକୁ ଦେଖି ଏତେ ଗଭୀର ଓ ଜୀଵନ୍ତ ଵର୍ଣ୍ଣନା କଦାପି କରିପାରିଵ ନାହିଁ। ଵେଦରେ ଥିଵା ଵର୍ଣ୍ଣନା କୌଣସି ଶୁଣା କଥା ନୁହେଁ ଵରଂ ନିଜ ଆଖିରେ ଦେଖିଥିଵା ଏକ ପ୍ରାକୃତିକ ସତ୍ୟର ନିଚ୍ଛକ ଚିତ୍ରଣ ଅଟେ। ଯେଉଁ ଋଷିମାନେ ଋଗ୍‌ଵେଦର ରଚନା କରିଥିଲେ, ସେମାନେ ନିଶ୍ଚିତ ରୂପେ ସେତେବେଳେ ଜୀଵିତ ଥିଲେ ଯେତେବେଳେ ସରସ୍ୱତୀ ନଦୀ ନିଜର ପୂର୍ଣ୍ଣ ଯୌଵନରେ ଥିଲା ଏଵଂ ସମୁଦ୍ର ସହିତ ମିଶୁଥିଲା। ଯେହେତୁ ନଦୀଟି ଖ୍ରୀଷ୍ଟପୂର୍ଵ ୧୯୦୦ ବେଳକୁ ସମ୍ପୂର୍ଣ୍ଣ ଶୁଖିଯାଇଥିଲା ଏଵଂ ତା'ର ଶୁଖିଵା ପ୍ରକ୍ରିୟା ଖ୍ରୀଷ୍ଟପୂର୍ଵ ୩୦୦୦ରୁ ଆରମ୍ଭ ହୋଇଥିଲା, ତେଣୁ ଋଗ୍‌ଵେଦର ରଚନା କାଳ ନିଶ୍ଚିତ ଭାବରେ ଖ୍ରୀଷ୍ଟପୂର୍ଵ ଦୁଇ ହଜାରରୁ ଅନେକ ପୂର୍ଵରୁ ଅର୍ଥାତ୍ ଅତି କମ୍‌ରେ ଖ୍ରୀଷ୍ଟପୂର୍ଵ ତିନି ହଜାର କିମ୍ବା ତା'ଠାରୁ ମଧ୍ୟ ପୁରୁଣା ହୋଇଥିଵ। ସେହି ସମୟରେ ହିଁ ସରସ୍ୱତୀ ଏକ ଵିରାଟ ଜଳରାଶି ହୋଇ ସମୁଦ୍ରକୁ ଯାଉଥିଲା। ଏହି ଗୋଟିଏ ପ୍ରତ୍ନତାତ୍ତ୍ୱିକ ଓ ଭୂତାତ୍ତ୍ୱିକ ସତ୍ୟ ସମ୍ପୂର୍ଣ୍ଣ ଆର୍ଯ୍ୟ ଆକ୍ରମଣ ତତ୍ତ୍ୱକୁ ମୂଳରୁ ଉପାଡ଼ି ଫିଙ୍ଗିଦିଏ। ଏହା ପ୍ରମାଣ କରେ ଯେ ଖ୍ରୀଷ୍ଟପୂର୍ଵ ୧୫୦୦ ବାହାରୁ ଆସି କେହି ଵେଦ ରଚନା କରିନଥିଲେ। ଵେଦଗୁଡ଼ିକର ରଚନା ଭାରତ ଵର୍ଷର ମାଟିରେ ହିଁ ହୋଇଥିଲା ଏଵଂ ତାହା ମଧ୍ୟ ସେହି ସମୟରେ ଯେତେବେଳେ ସରସ୍ୱତୀ ନଦୀ ଉପତ୍ୟକା ଜୀଵନ୍ତ ଓ ଶସ୍ୟଶ୍ୟାମଳା ଥିଲା। ଏହା ଵ୍ୟତୀତ ପ୍ରତ୍ନତାତ୍ତ୍ୱିକ ଖନନ ମଧ୍ୟ ଏହି ନୂତନ କାଳକ୍ରମକୁ ଦୃଢ଼ ସମର୍ଥନ କରେ। ପ୍ରଥମେ ପ୍ରଥମେ ଯେତେବେଳେ ମୋହେଞ୍ଜୋଦାରୋ ଓ ହରପ୍ପା ସହର ଆଵିଷ୍କୃତ ହୋଇଥିଲା, ସେତେବେଳେ ଐତିହାସିକମାନେ ଭାବିଥିଲେ ଯେ ଏହି ସଭ୍ୟତା କେଵଳ ସିନ୍ଧୁ ନଦୀ କୂଳରେ ସୀମିତ ଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ପୁରାତତ୍ତ୍ୱ ଵିଭାଗ ଦ୍ୱାରା କରାଯାଇଥିଵା ଵ୍ୟାପକ ଖନନରୁ ଜଣାପଡ଼ିଛି ଯେ ଏହି ସଭ୍ୟତାର ଶତକଡ଼ା ଅଶୀ ଭାଗରୁ ଅଧିକ ସ୍ଥାନ ସିନ୍ଧୁ ନଦୀ କୂଳରେ ନୁହେଁ ଵରଂ ଘାଗର-ହାକ୍ରା ଅର୍ଥାତ୍ ସରସ୍ୱତୀ ନଦୀର ଶୁଖିଲା ଅଵଵାହିକାରେ ରହିଛି। ରାକ୍ଷୀଗଢ଼ୀ, ଧୋଲାବିରା, ବନାୱାଲୀ ଓ କାଲିବାଙ୍ଗା ଭଳି ପ୍ରମୁଖ ପ୍ରାଚୀନ ମହାନଗରଗୁଡ଼ିକ ସରସ୍ୱତୀ ନଦୀ ପ୍ରଣାଳୀର କୂଳରେ ହିଁ ଗଢ଼ି ଉଠିଥିଲା। ଏହି କାରଣରୁ ଏବେ ଅନେକ ଵିଦ୍ୱାନ ଏହାକୁ କେଵଳ ସିନ୍ଧୁ ସଭ୍ୟତା ନକହି 'ସିନ୍ଧୁ-ସରସ୍ୱତୀ ସଭ୍ୟତା' ବୋଲି ନାମକରଣ କରିଛନ୍ତି। ଏହି ସଭ୍ୟତାର ପରିପକ୍ୱ ସମୟ ଖ୍ରୀଷ୍ଟପୂର୍ଵ ଛବିଶ ଶହରୁ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ମଧ୍ୟରେ ବୋଲି ନିର୍ଦ୍ଧାରଣ କରାଯାଇଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ସମୟରେ ସରସ୍ୱତୀ ନଦୀ ଶୁଖିଵାକୁ ଲାଗିଲା ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ଉଣେଇଶ ଶହ ଆଖପାଖରେ, ଠିକ୍ ସେହି ସମୟରେ ହିଁ ସିନ୍ଧୁ-ସରସ୍ୱତୀ ସଭ୍ୟତାର ପତନ ମଧ୍ୟ ଆରମ୍ଭ ହୋଇଥିଲା। 

ନଦୀ ଶୁଖିଯିବା କାରଣରୁ ପାନୀୟ ଜଳ ଓ କୃଷି ପାଇଁ ଘୋର ଅଭାବ ସୃଷ୍ଟି ହେଲା। ଜୀଵନ ଧାରଣ ଅସମ୍ଭଵ ହୋଇପଡ଼ିଵାରୁ ସେହି ଅଞ୍ଚଳର ଲୋକମାନେ ନିଜର ଵିଶାଳ ନଗରୀଗୁଡ଼ିକୁ ପରିତ୍ୟାଗ କରି ପୂର୍ଵ ଦିଗରେ ଗଙ୍ଗା-ଯମୁନା ଅଵଵାହିକା ଆଡ଼କୁ ଏଵଂ ଦକ୍ଷିଣ ଦିଗରେ ଗୁଜରାଟ ଆଡ଼କୁ ସ୍ଥାନାନ୍ତରିତ ହେଵାକୁ ବାଧ୍ୟ ହେଲେ। ଏହି ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଭୂତାତ୍ତ୍ୱିକ ପ୍ରମାଣ ସହିତ ସମ୍ପୂର୍ଣ୍ଣ ରୂପେ ଖାପ ଖାଉଛି। ଏହା ପ୍ରମାଣ କରୁଛି ଯେ ଯେଉଁମାନେ ସିନ୍ଧୁ-ସରସ୍ୱତୀ ସଭ୍ୟତାର ନିର୍ମାତା ଥିଲେ, ସେମାନେ ହିଁ ସେହି ଵୈଦିକ ଆର୍ଯ୍ୟ ଥିଲେ ଯେଉଁମାନେ ସରସ୍ୱତୀ କୂଳରେ ରହି ଵେଦ ରଚନା କରିଥିଲେ। ସେମାନଙ୍କର ସଭ୍ୟତା କୌଣସି ଵିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଧ୍ୱଂସ ହୋଇନଥିଲା ଵରଂ ଏକ ଭୟଙ୍କର ପ୍ରାକୃତିକ ଓ ପରିଵେଶଗତ ପରିଵର୍ତ୍ତନ ବିଶେଷତଃ ସରସ୍ୱତୀ ନଦୀର ମୃତ୍ୟୁ କାରଣରୁ ଵିଲୟ ଘଟିଥିଲା।

ସରସ୍ୱତୀ ନଦୀର ଏହି କାଳକ୍ରମ କେଵଳ ଏକ ନଦୀର ଇତିହାସ ନୁହେଁ, ଏହା ହେଉଛି ସମଗ୍ର ଭାରତୀୟ ସଭ୍ୟତାର ସତ୍ୟତାକୁ ପ୍ରମାଣିତ କରିଵାର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ଔପନିଵେଶିକ ମାନସିକତା ରଖିଥିଵା ପାଶ୍ଚାତ୍ୟ ପଣ୍ଡିତମାନେ ଭାରତୀୟ ସଂସ୍କୃତିର ପ୍ରାଚୀନତାକୁ ନ୍ୟୁନ କରି ଦେଖାଇଵା ପାଇଁ ଵେଦର ସମୟକୁ ଖୁବ୍ ପଛକୁ ଟାଣି ଆଣିଥିଲେ ଏଵଂ ଏକ ମନଗଢ଼ା ତତ୍ତ୍ୱ ଜରିଆରେ ଆମ ସଭ୍ୟତାକୁ ଦୁଇ ଫାଳ କରିଦେଇଥିଲେ। କିନ୍ତୁ ସରସ୍ୱତୀ ନଦୀର ଶୁଖିଯିଵା ତଥ୍ୟ ସେହି ସମସ୍ତ ମିଥ୍ୟାକୁ ଖଣ୍ଡନ କରିଦେଲା। ଭୂମି ତଳେ ପୋତି ହୋଇଯାଇଥିଵା ଏକ ନଦୀ ନିଜର ଶୁଖିଲା ବାଲୁକା ଶେଯ ମାଧ୍ୟମରେ ଆଜି ସତ୍ୟର ଗୁମର ଖୋଲିଦେଇଛି। ଏହି ଯୁକ୍ତି ଅତ୍ୟନ୍ତ ସରଳ ଓ ସ୍ପଷ୍ଟ: ଏକ ଶୁଖିଲା ନଦୀକୁ ଦେଖି କେହି ତାର ଗର୍ଜନ କରୁଥିଵା ଜଳରାଶି ଉପରେ କଵିତା ଲେଖିପାରିବେ ନାହିଁ। ଋଗ୍‌ଵେଦର ଋଷିମାନେ ସରସ୍ୱତୀର ସେହି ରୂପକୁ ଦେଖିଥିଲେ ଯାହା ଖ୍ରୀଷ୍ଟପୂର୍ଵ ତିନି ହଜାର ସମୟରେ ଵିଦ୍ୟମାନ ଥିଲା। ତେଣୁ ଵେଦର ସୃଷ୍ଟି ଭାରତୀୟ ଉପମହାଦେଶରେ, ଭାରତୀୟମାନଙ୍କ ଦ୍ୱାରା ଏଵଂ ସିନ୍ଧୁ-ସରସ୍ୱତୀ ସଭ୍ୟତାର ଉତ୍କର୍ଷ ସମୟରେ ହିଁ ହୋଇଥିଲା। ଏହି ଵୈଜ୍ଞାନିକ ଓ ତାର୍କିକ ମତ ଦ୍ୱାରା ଆଜି ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ ଇତିହାସର ଏକ ଭ୍ରାନ୍ତ ପୃଷ୍ଠା ହୋଇ ରହିଯାଇଛି ଏଵଂ ସରସ୍ୱତୀ ନଦୀର ସାକ୍ଷ୍ୟ ଭାରତୀୟ ସଭ୍ୟତାର ପ୍ରାଚୀନତା ଓ ନିରଵଚ୍ଛିନ୍ନତାକୁ ସମଗ୍ର ଵିଶ୍ୱ ସମ୍ମୁଖରେ ପ୍ରମାଣିତ କରିପାରିଛି।

Wednesday, August 5, 2026

ନାମକରଣ (Le Baptême)

"ଆଚ୍ଛା ଡାକ୍ତରବାବୁ, ଟିକିଏ ବ୍ରାଣ୍ଡି ନେବେ କି?"
"ନିଶ୍ଚୟ, ଢାଳନ୍ତୁ।"

ବୃଦ୍ଧ ଜାହାଜ-ସର୍ଜନ ତାଙ୍କ ଗ୍ଲାସ୍ ବଢ଼ାଇ ଦେଇ, ତାହା ଧୀରେ ଧୀରେ ସୁନେଲି ରଙ୍ଗର ତରଳ ପଦାର୍ଥରେ ପୂର୍ଣ୍ଣ ହେଉଥିଵାର ଦେଖୁଥିଲେ। ତା'ପରେ, ଗ୍ଲାସ୍‌କୁ ତାଙ୍କ ଆଖି ସାମ୍ନାରେ ଧରି, ସେ ଲ୍ୟାମ୍ପର ଆଲୋକକୁ ତା ମଧ୍ୟ ଦେଇ ଯିଵାକୁ ଦେଲେ,ତାକୁ ଆଘ୍ରାଣ କଲେ, କିଛି ବୁନ୍ଦା ଚାଖିଲେ ଏଵଂ ଆନନ୍ଦରେ ନିଜ ଓଠ ଚାଟି କହିଲେ:

"ଆଃ! କି ମନଲୋଭା ଵିଷ! କିମ୍ବା କୁହାଯାଇପାରେ, ଏକ ମୋହନୀୟ ହନ୍ତା, ମାନଵ ସମାଜର ଏକ ଆନନ୍ଦଦାୟକ ଵିନାଶକାରୀ !"
"ଆପଣମାନେ ଏହାକୁ ସେଭଳି ଜାଣିନାହାଁନ୍ତି, ଯେପରି ମୁଁ ଜାଣିଛି। ଆପଣ ହୁଏତ L'Assommoir (ଲା'ଆସୋମୋୟାର୍) ନାମକ ସେହି ପ୍ରଶଂସନୀୟ ପୁସ୍ତକଟି ପଢ଼ିଥିବେ, କିନ୍ତୁ ଆପଣ ମୋ ପରି ଦେଖିନାହାଁନ୍ତି ଯେ ମଦ୍ୟପାନ କିପରି ଗୋଟିଏ ସମ୍ପୂର୍ଣ୍ଣ ଆଦିଵାସୀ ଜନଜାତିକୁ, ନିଗ୍ରୋମାନଙ୍କର ଏକ ଛୋଟ ରାଜ୍ୟକୁ ଧ୍ୱଂସ କରିଦିଏ-- ଯେଉଁ ମଦକୁ ନାଲି ଦାଢ଼ିବାଲା ଇଂରେଜ ନାଵିକମାନେ ଶାନ୍ତିରେ ବ୍ୟାରେଲ୍ ପରେ ବ୍ୟାରେଲ୍ ଖାଲି କରିଦିଅନ୍ତି।

"ଏଇ ପାଖରେ, ପଣ୍ଟ୍-ଲ'ଆବେ ନିକଟସ୍ଥ ବ୍ରିଟାନୀର ଏକ ଛୋଟ ଗାଁରେ, ମୁଁ ଥରେ ମଦ୍ୟପାନ କାରଣରୁ ଘଟିଥିଵା ଏକ ଅଜବ ଓ ଭୟଙ୍କର ଦୁଃଖଦ ଘଟଣା ନିଜ ଆଖିରେ ଦେଖିଥିଲି। ମୁଁ ମୋ ବାପା ଛାଡ଼ି ଯାଇଥିଵା ଏକ ଛୋଟ ଗାଉଁଲି ଘରେ ମୋର ଛୁଟି କଟାଉଥିଲି। ଆପଣ ଜାଣିଥିବେ ଏହି ସମତଳ ଉପକୂଳ ଵିଷୟରେ ଯହିଁ ଦିନରାତି ପଵନ ସାଇଁ ସାଇଁ ବହେ, ଯହିଁ କେହି ଛିଡ଼ା ହୋଇଥିଵା ଵା ପଡ଼ିରହିଥିଵା ଏହି ଵିଶାଳ ପଥରଖଣ୍ଡଗୁଡ଼ିକୁ ଦେଖିପାରିଵ ଯାହା ପୁରାତନ କାଳରେ ରକ୍ଷକ ଭାବରେ ପରିଗଣିତ ହେଉଥିଲା ଏଵଂ ଯାହା ଏବେ ବି ନିଜ ସହିତ କିଛି ରାଜକୀୟ ଓ ପ୍ରଭାଵଶାଳୀ ଗୁଣ ବଜାୟ ରଖିଛି। ମୁଁ ସବୁବେଳେ ଆଶା କରେ ଯେ ସେମାନେ ହୁଏତ ଜୀଵନ୍ତ ହୋଇଉଠିବେ ଏଵଂ ଦୈତ୍ୟମାନଙ୍କ ପରି ଧୀର ଓ ଭାରି ପାଦରେ ସେହି ଅଞ୍ଚଳରେ ଚାଲିଵା ଆରମ୍ଭ କରିବେ କିମ୍ବା ଵିଶାଳ ଗ୍ରାନାଇଟ୍ ଡେଣା ମେଲାଇ ଡ୍ରୁଇଡ୍‌ମାନଙ୍କ ସ୍ୱର୍ଗ ଆଡ଼କୁ ଉଡ଼ିଯିବେ ।
"ଚାରିଆଡ଼େ କେଵଳ ସମୁଦ୍ର, ସାମାନ୍ୟ ଉତ୍ତେଜନାରେ ନିଜ କ୍ରୋଧରେ ଉଠିଵାକୁ ଏଵଂ ଯେଉଁମାନେ ଏହାର କ୍ରୋଧକୁ ସାମ୍ନା କରିଵାକୁ ସାହସ କରନ୍ତି, ସେମାନଙ୍କ ଉପରେ ନିଜର ଫେଣଯୁକ୍ତ କେଶକୁ ଝାଡ଼ିଦେଵାକୁ ସର୍ଵଦା ପ୍ରସ୍ତୁତ ରହିଥାଏ।

"ଆଉ ଯେଉଁ ଲୋକମାନେ ଏହି ଭୟଙ୍କର ସମୁଦ୍ରରେ ଯାତ୍ରା କରନ୍ତି, ଯାହା ତାର ସବୁଜ ପିଠିର ଗୋଟିଏ ଗତିରେ ସେମାନଙ୍କ ଦୁର୍ଵଳ ଡଙ୍ଗାକୁ ଓଲଟାଇ ଦେଇପାରେ ଏଵଂ ଗିଳି ଦେଇପାରେ -- ସେମାନେ ନିଜ ଛୋଟ ଡଙ୍ଗାରେ ଦିନରାତି ବାହାରି ଯାଆନ୍ତି, କଠୋର ପରିଶ୍ରମୀ, କ୍ଳାନ୍ତ ଓ ମଦ୍ୟପାନ କରି କରି। ସେମାନେ ଅନେକ ସମୟରେ ମଦ୍ୟପାନ କରିଥାଆନ୍ତି। ସେମାନଙ୍କର ଏକ ପ୍ରଵାଦ ଅଛି: ,“ଯେତେବେଳେ ବୋତଲ ଭର୍ତ୍ତି ଥାଏ, ତୁମେ ପାଣି ଭିତରେ ଥିଵା ପଥରଖଣ୍ଡ ଦେଖିପାରିଵ, କିନ୍ତୁ ଯେତେବେଳେ ଏହା ଖାଲି ହୋଇଯାଏ ତୁମେ ଏହାକୁ ଆଉ ଦେଖିପାରିଵ ନାହିଁ।”

"ସେମାନଙ୍କର କୌଣସି ଏକ କୁଡ଼ିଆ ଭିତରକୁ ଯାଆନ୍ତୁ; ଆପଣ ସେଠାରେ କେବେ ବି ପିତାଙ୍କୁ ପାଇବେ ନାହିଁ। ଯଦି ଆପଣ ସେହି ମହିଳାଙ୍କୁ ପଚାରିବେ ଯେ ତାଙ୍କ ସ୍ୱାମୀଙ୍କର କ'ଣ ହେଲା, ସେ ନିଜ ବାହୁକୁ ସେହି ଅନ୍ଧକାରମୟ ସମୁଦ୍ର ଆଡ଼କୁ ପ୍ରସାରିତ କରିବେ ଯାହା ଉପକୂଳ ଦେଇ ଗର୍ଜନ କରୁଥାଏ। ସେ ଗୋଟିଏ ରାତିରେ ସେଠାରେ ହିଁ ରହିଗଲେ, ଯେତେବେଳେ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ; ତାଙ୍କ ବଡ଼ ପୁଅ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କର ଆହୁରି ଚାରୋଟି ବଡ଼, ବଳିଷ୍ଠ, ଗୋରା ଚୁଟି ଥିଵା ପୁଅ ବି ଅଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କର ସମୟ ବି ଆସିଵ।"

"ଯେମିତି ମୁଁ କହିଲି, ମୁଁ ପଣ୍ଟ୍-ଲ'ଆବେ ନିକଟରେ ଏକ ଛୋଟ ଘରେ ରହୁଥିଲି। ମୁଁ ସେଠାରେ ଏକାକୀ ମୋର ଚାକର, ଜଣେ ବୃଦ୍ଧ ନାଵିକ ଏଵଂ ଏକ ସ୍ଥାନୀୟ ପରିଵାର ସହିତ ରହୁଥିଲି, ଯେଉଁମାନେ ମୋ ଅନୁପସ୍ଥିତିରେ ଜମିବାଡ଼ିର ଦେଖାଶୁଣା କରୁଥିଲେ। ସେହି ପରିଵାରରେ ତିନିଜଣ ସଦସ୍ୟ ଥିଲେ, ଦୁଇ ଭଉଣୀ ଏଵଂ ଜଣେ ଵ୍ୟକ୍ତି, ଯିଏ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଵିଵାହ କରିଥିଲେ ଏଵଂ ବଗିଚାର ଦାୟିତ୍ୱ ନେଉଥିଲେ।

"ଖ୍ରୀଷ୍ଟମାସର ଠିକ୍ କିଛି ସମୟ ପୂର୍ଵରୁ ମୋ ମାଳୀର ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲା। ସ୍ୱାମୀ ଜଣକ ମୋତେ ଧର୍ମ-ପିତା (god-father) ହେଵାକୁ ଅନୁରୋଧ କଲା। ମୁଁ ତାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିଲି ନାହିଁଁ ତେଣୁ ସେ କହିଵା ଅନୁସାରେ ନାମକରଣ ଖର୍ଚ୍ଚ ପାଇଁ ମୋଠାରୁ ଦଶ ଫ୍ରାଙ୍କ୍ ଧାର ନେଲା।

"ଜାନୁଆରୀର ଦ୍ୱିତୀୟ ଦିନକୁ ଉତ୍ସଵର ତାରିଖ ଭାବରେ ବଛାଗଲା। ତା'ର ଏକ ସପ୍ତାହ ପୂର୍ଵରୁ ପୃଥିଵୀ ଏକ ଵିଶାଳ ଧଳା ବରଫର ଗାଲିଚାରେ ଆଚ୍ଛାଦିତ ହୋଇରହିଥିଲା। ସେହି ବରଫର ଚାଦର ଯୋଗୁଁ ଏହି ସମତଳ ଓ ନିମ୍ନଭୂମି ଦେଶଟି ଅସୀମ ଓ ଅନନ୍ତ ଵିସ୍ତୃତ ବୋଲି ପ୍ରତୀତ ହେଉଥିଲା। ଏହି ଶୁଭ୍ର ପ୍ରାନ୍ତରର ଵିପରୀତରେ ସମୁଦ୍ରଟି କଳା ଦେଖାଯାଉଥିଲା। ତାହାର ଲହଡ଼ିଗୁଡ଼ିକ ତରଙ୍ଗାୟିତ ହୋଇ ମାଡ଼ି ଆସୁଥିଲା, ଉତ୍ତାଳ ହୋଇ ଗର୍ଜନ କରୁଥିଲା ଏଵଂ ଉନ୍ମତ୍ତ ଭାବେ ଉଛୁଳି ପଡ଼ୁଥିଲା; ମନେ ହେଉଥିଲା, ସେ ତାହାର ସେହି ଧଳା ପଡ଼ୋଶୀକୁ ସମ୍ପୂର୍ଣ୍ଣ ଲୋପ କରିଦେଵାକୁ ଚାହୁଁଛି। କିନ୍ତୁ ସେହି ବରଫାଚ୍ଛାଦିତ ଭୂମି ଏତେ ଶାନ୍ତ, ନିରଵ ଓ ହିମଶୀତଳ ଥିଲା ଯେ, ତାହାକୁ ଦେଖି ମୃତପ୍ରାୟ ବୋଲି ମନେ ହେଉଥିଲା।
 
"ସକାଳ ନଅଟାରେ ପିତା କେରାଣ୍ଡେକ୍ ନିଜ ଶାଳୀ, ବଡ଼ କେର୍ମାଗାନ୍ ଓ ଧାଇଙ୍କ ସହିତ ମୋ ଦ୍ୱାରକୁ ଆସିଥିଲା, ଯିଏ କି ନଵଜାତକକୁ କମ୍ବଳରେ ଗୁଡ଼ାଇ ଧରିଥିଲେ। ଆମେ ଗିର୍ଜାଘର ଆଡ଼କୁ ବାହାରିଲୁ। ପାଗ ଏତେ ଥଣ୍ଡା ଥିଲା ଯେ ମନେ ହେଉଥିଲା ଏହା ଚର୍ମକୁ ଶୁଖାଇ ଫଟାଇ ଦେଵ। ମୁଁ ଆମ ଆଗରେ ନିଆଯାଉଥିଵା ସେହି ଵିଚରା ଛୋଟ ଜୀଵଟି ବିଷୟରେ ଭାବୁଥିଲି, ଆଉ ନିଜକୁ ନିଜେ କହିଲି ଯେ ଏହି ବ୍ରେଟନ୍ ଜାତି ନିଶ୍ଚିତ ଭାବରେ ଲୁହାରେ ତିଆରି ହୋଇଥିଵ, ଯଦି ସେମାନଙ୍କ ପିଲାମାନେ ଜନ୍ମ ହେଵା ମାତ୍ରେ ଏଭଳି ବାହାର ପରିଵେଶକୁ ସହ୍ୟ କରିଵାକୁ ସକ୍ଷମ ଅଟନ୍ତି।

"ଆମେ ଗିର୍ଜାଘର ପାଖରେ ପହଞ୍ଚିଲୁ, କିନ୍ତୁ କବାଟ ବନ୍ଦ ଥିଲା; ପାଦ୍ରୀଙ୍କର ଆସିଵାରେ ଵିଳମ୍ବ ହେଉଥିଲା।

"ତା'ପରେ ଧାଇ ଜଣକ ଗୋଟିଏ ପାହାଚ ଉପରେ ବସି ପିଲାର ଲୁଗା ଖୋଲିଵାକୁ ଲାଗିଲା। ପ୍ରଥମେ ମୁଁ ଭାବିଲି ବୋଧହୁଏ କିଛି ଛୋଟ ଦୁର୍ଘଟଣା ଘଟିଯାଇଛି, କିନ୍ତୁ ମୁଁ ଦେଖିଲି ଯେ ସେମାନେ ସେହି ଵିଚରା ଛୋଟ ପିଲାଟିକୁ ବରଫ ପରି ଥଣ୍ଡା ପଵନରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଛାଡ଼ିଦେଉଛନ୍ତି। ଏପରି ନିର୍ବୋଧତା ଦେଖି ରାଗିଯାଇ, ମୁଁ ପ୍ରତିଵାଦ କଲି:
"ଆରେ, ତୁମେ ପାଗଳ ହୋଇଗଲଣି କି! ତୁମେ ପିଲାଟିକୁ ମାରିଦେଵ !'
"ମହିଳା ଜଣକ ଶାନ୍ତିରେ ଉତ୍ତର ଦେଲେ: 'ଓହୋ, ନା, ଆଜ୍ଞା; ସେ ପ୍ରଭୁଙ୍କ ସମ୍ମୁଖରେ ଉଲଗ୍ନ ହୋଇ ଅପେକ୍ଷା କରିଵା ଉଚିତ୍।'
"ପିତା ଓ ମାଉସୀ ବିନା କୌଣସି ଚିନ୍ତାରେ ଦେଖୁଥିଲେ। ଏହା ଏକ ପ୍ରଥା ଥିଲା। ଯଦି ଏହାକୁ ପାଳନ କରା ନ ଯାଏ ତେବେ ଛୋଟ ପିଲାଟି ଉପରେ ନିଶ୍ଚିତ ଦୁର୍ଭାଗ୍ୟ ଆସିଵ।
"ମୁଁ ଗାଳି ଦେଲି, ଧମକ ଦେଲି ଏଵଂ ଅନୁନୟ ଵିନୟ ହେଲି। ମୁଁ ସେହି ଦୁର୍ଵଳ ଶିଶୁକୁ ଘୋଡ଼ାଇଵା ପାଇଁ ବଳ ପ୍ରୟୋଗ କରିଵାକୁ ଚେଷ୍ଟା କଲି। ସବୁକିଛି ଵୃଥା ହେଲା। ଧାଇଜଣକ ମୋ ପାଖରୁ ବରଫ ଦେଇ ଦୂରକୁ ଦୌଡ଼ି ପଳାଇଲା, ଏଵଂ ସେହି ଛୋଟ ପିଲାଟିର ଶରୀର ବାଇଗଣୀ ରଙ୍ଗର ହୋଇଗଲା। ମୁଁ ଏହି ପଶୁମାନଙ୍କୁ ଛାଡ଼ି ଯିଵାକୁ ବସିଥିଲି କିନ୍ତୁ ସେତିକିବେଳେ ଦେଖିଲି ପାଦ୍ରୀ ଜଣକ ସେହି ଅଞ୍ଚଳ ଦେଇ ଆସୁଛନ୍ତି ଏବଂ ତାଙ୍କ ପଛେ ପଛେ ଗିର୍ଜାର ସେଵକ ଏଵଂ ଏକ ଛୋଟ ବାଳକ ଆସୁଛନ୍ତି। ମୁଁ ତାଙ୍କ ଆଡ଼କୁ ଦୌଡ଼ିଗଲି ଆଉ ମୋର କ୍ରୋଧ ପ୍ରକାଶ କଲି। କିନ୍ତୁ ସେ କୌଣସି ଆଶ୍ଚର୍ଯ୍ୟ ପ୍ରକାଶ କଲେ ନାହିଁ କିମ୍ବା ତାଙ୍କର ଚାଲିଵାର ବେଗ ଟିକିଏ ବି ବଢ଼ାଇଲେ ନାହିଁ। ଵରଂ ସେ ମୋତେ ଉତ୍ତର ଦେଲେ:
"'ଆପଣ କ'ଣ ଆଶା କରିପାରିବେ, ମହାଶୟ? ଏହା ହେଉଛି ପ୍ରଥା। ସେମାନେ ସମସ୍ତେ ଏହା କରନ୍ତି ଏଵଂ ସେମାନଙ୍କୁ ଅଟକାଇଵାକୁ ଚେଷ୍ଟା କରିଵା ଦ୍ଵାରା କୌଣସି ଲାଭ ହେଵାର ନାହିଁ।'
"'କିନ୍ତୁ ଅନ୍ତତଃ ପକ୍ଷେ ଜଲଦି କରନ୍ତୁ !' ମୁଁ ଚିତ୍କାର କଲି।

"ସେ ଉତ୍ତର ଦେଲେ: 'କିନ୍ତୁ ମୁଁ ୟାଠୁ ଜୋରରେ ଚାଲିପାରିବି ନାହିଁ।'

"ପାଦ୍ରୀ ଗିର୍ଜାଘରର ପୋଷାକ ପରିଵର୍ତ୍ତନ କକ୍ଷରେ ପ୍ରଵେଶ କଲେ ଆଉ ଆମେମାନେ ବାହାରେ ଗିର୍ଜାର ପାହାଚ ଉପରେ ରହିଲୁ। ମୋତେ ଭାରି କଷ୍ଟ ହେଉଥିଲା। କିନ୍ତୁ ସେହି ଵିଚରା ଛୋଟ ଜୀଵଟିର କ'ଣ ହେଉଥିଵ ଯିଏ ପ୍ରବଳ ଥଣ୍ଡାର ପ୍ରଭାବରେ କାନ୍ଦି ଚିତ୍କାର କରୁଥିଲା।
"ଶେଷରେ କବାଟ ଖୋଲିଲା। ସେ ଗିର୍ଜାଘର ଭିତରକୁ ଗଲେ। କିନ୍ତୁ ଵିଚରା ପିଲାଟିକୁ ସମଗ୍ର ଉତ୍ସଵରେ ଉଲଗ୍ନ ହୋଇ ରହିଵାକୁ ପଡ଼ିଲା। ଏହା ଶେଷ ହେଉନଥିଲା। ପାଦ୍ରୀ ଲାଟିନ୍ ଶବ୍ଦଗୁଡ଼ିକୁ ଖନେଇ ଖନେଇ କହୁଥିଲେ ଏଵଂ ସେଗୁଡ଼ିକର ଭୟଙ୍କର ଭୁଲ ଉଚ୍ଚାରଣ କରୁଥିଲେ। ସେ ଧୀରେ ଧୀରେ ଏଵଂ ଭାରୀ ପାଦରେ ଚାଲୁଥିଲେ। ତାଙ୍କର ଧଳା ପୋଷାକ ମୋ ହୃଦୟକୁ ଥଣ୍ଡା କରିଦେଲା। ଏପରି ମନେ ହେଉଥିଲା ଯେପରି, ଏକ ନିର୍ଦ୍ଦୟ ଓ ବର୍ବର ଦେଵତାଙ୍କ ନାମରେ, ସେ ନିଜକୁ ଆଉ ଏକ ପ୍ରକାରର ବରଫରେ ଗୁଡ଼ାଇ ଦେଇଥିଲେ ଯାହାଦ୍ୱାରା ଥଣ୍ଡାରେ କଷ୍ଟ ପାଉଥିଵା ଏହି ଛୋଟ ମଣିଷ ଛୁଆଟିକୁ ନିର୍ଯାତନା ଦିଆଯାଇପାରିଵ।
"ଶେଷରେ ଵିଧି ଅନୁଯାୟୀ ନାମକରଣ ସମାପ୍ତ ହେଲା ଏଵଂ ମୁଁ ଦେଖିଲି ଧାଇ ପୁଣି ଥରେ ସେହି ବରଫ ପାଲଟିଯାଇଥିଵା, କାନ୍ଦୁଥିଵା ପିଲାଟିକୁ ନେଇ କମ୍ବଳରେ ଗୁଡ଼ାଇ ଦେଲା।

"ପାଦ୍ରୀ ମୋତେ କହିଲେ: 'ଆପଣ ରେଜିଷ୍ଟରରେ ଦସ୍ତଖତ କରିଵାକୁ ଚାହୁଁଛନ୍ତି କି?'

"ମୋ ମାଳୀ ଆଡ଼କୁ ବୁଲି, ମୁଁ କହିଲି: 'ଜଲଦି କର ଏଵଂ ଶୀଘ୍ର ଘରକୁ ଯାଅ ଯାହାଦ୍ୱାରା ତୁମେ ସେହି ପିଲାଟିର ଶରୀରକୁ ଗରମ କରିପାରିଵ।' ଯଦି ବହୁତ ଡେରି ହୋଇନଥିଵ, ତେବେ ନିମୋନିଆର ଭୟଙ୍କର ଆକ୍ରମଣରୁ ରକ୍ଷା ପାଇଵା ପାଇଁ ମୁଁ ତାକୁ କିଛି ଉପଦେଶ ଦେଲି। ସେ ମୋର ନିର୍ଦ୍ଦେଶ ପାଳନ କରିଵାକୁ ପ୍ରତିଶ୍ରୁତି ଦେଲା ଏଵଂ ତାର ଶାଳୀ ଓ ଧାଇଙ୍କ ସହିତ ଚାଲିଗଲା। ମୁଁ ପାଦ୍ରୀଙ୍କ ପଛେ ପଛେ ପୋଷାକ କକ୍ଷକୁ ଗଲି ଏଵଂ ଯେତେବେଳେ ଦସ୍ତଖତ କଲି, ସେ ଖର୍ଚ୍ଚ ବାବଦକୁ ପାଞ୍ଚ ଫ୍ରାଙ୍କ୍ ଦାବି କଲେ।

"ଯେହେତୁ ମୁଁ ଆଗରୁ ପିତାକୁ ଦଶ ଫ୍ରାଙ୍କ୍ ଦେଇସାରିଥିଲି ତେଣୁ ଦୁଇଥର ଟଙ୍କା ଦେଵାକୁ ମନା କରିଦେଲି। ପାଦ୍ରୀ କାଗଜଟି ନଷ୍ଟ କରିଦେଵାକୁ ଏଵଂ ନାମକରଣ ବାତିଲ୍ କରିଦେଵାକୁ ଧମକ ଦେଲେ। ମୁଁ ବଦଳରେ, ତାଙ୍କୁ ଜିଲ୍ଲା ଓକିଲଙ୍କ ଦ୍ୱାରା ଦଣ୍ଡିତ କରିଵାକୁ ଧମକ ଦେଲି। ଵିଵାଦ ଲମ୍ବା ସମୟ ଧରି ଚାଲିଲା ଏଵଂ ଶେଷରେ ବାଧ୍ୟ ହୋଇ ମୁଁ ପାଦ୍ରୀଙ୍କୁ ପାଞ୍ଚ ଫ୍ରାଙ୍କ୍ ଦେଇ ଫେରିଲି।

"ଘରେ ପହଞ୍ଚିଵା ମାତ୍ରେ ସବୁକିଛି ଠିକ୍ ଅଛି କି ନାହିଁ ଜାଣିଵା ପାଇଁ ମୁଁ କେରାଣ୍ଡେକର ଘରକୁ ଗଲି। ପିତା, ଶାଳୀ କିମ୍ବା ଧାଇ କେହିବି ଏପର୍ଯ୍ୟନ୍ତ ଫେରିନଥିଲେ। ଛୁଆର ମାଆଟି ସେଠି ଏକାକୀ ରହିଥିଲା, ଥଣ୍ଡାରେ ଥରି ଥରି ଶେଯରେ ପଡ଼ିଥିଲା ଏଵଂ ଭୋକିଲା ଥିଲା, କାରଣ ସେ ପୂର୍ଵଦିନଠାରୁ କିଛି ଖାଇନଥିଲା।
"'ସେମାନେ କୁଆଡ଼େ ଯାଇଥିବେ?' ମୁଁ ପଚାରିଲି। ସେ ବିନା କୌଣସି ଆଶ୍ଚର୍ଯ୍ୟ ଵା ରାଗରେ ଉତ୍ତର ଦେଲା, 'ସେମାନେ ଉତ୍ସଵ ପାଳନ କରିଵା ପାଇଁ କିଛି ପିଇଵାକୁ ଯାଇଛନ୍ତି: ଏହା ହେଉଛି ପ୍ରଥା।' ତା'ପରେ ମୁଁ ମୋର ସେହି ଦଶ ଫ୍ରାଙ୍କ୍ କଥା ଭାବିଲି ଯାହା ଗିର୍ଜାରେ ଦେଵା ପାଇଁ ଥିଲା ଏଵଂ ଏବେ ନିଃସନ୍ଦେହରେ ମଦ ପାଇଁ ଖର୍ଚ୍ଚ ହେଵ।
"ମୁଁ ମାଆ ପାଇଁ କିଛି ସୁପ୍ ପଠାଇଲି ଏଵଂ ରୁମ୍ ଭିତରେ ଭଲଭାବରେ ନିଆଁ ଜାଳିଵାକୁ ଆଦେଶ ଦେଲି। ମୁଁ ଅଶାନ୍ତ ଓ କ୍ରୋଧିତ ଥିଲି ଏଵଂ ଏହି ପଶୁମାନଙ୍କୁ ତଡ଼ିଦେବି ବୋଲି ନିଜକୁ ପ୍ରତିଶ୍ରୁତି ଦେଲି କିନ୍ତୁ ଏହା ଭାବି ମଧ୍ୟ ଭୟଭୀତ ହେଉଥିଲି ଯେ ସେହି ଗରିବ ଶିଶୁଟିର କ'ଣ ହେଵ ।

"ସେତେବେଳକୁ ଛଅଟା ବାଜିସାରିଥିଲା, ଏଵଂ ସେମାନେ ଏପର୍ଯ୍ୟନ୍ତ ଫେରିନଥିଲେ। ମୁଁ ମୋ ଚାକରକୁ ସେମାନଙ୍କ ପାଇଁ ଅପେକ୍ଷା କରିଵାକୁ କହି ଶୋଇଵାକୁ ଗଲି। ଖୁବ୍ ଶୀଘ୍ର ମୋତେ ନିଦ ଆସିଗଲା ଏଵଂ ମୁଁ ଘୋର ନିଦ୍ରାରେ ଶୋଇଗଲି। ସକାଳେ ମୋର ଚାକର ମୋତେ ଉଠାଇଲା ଏଵଂ ସିଏ ମୋ ପାଇଁ ଗରମ ପାଣି ଆଣିଥିଲା।

"ଆଖି ଖୋଲିଵା ମାତ୍ରେ ତାକୁ ପଚାରିଲି: 'କେରାଣ୍ଡେକର ଖବର କ'ଣ?'
"ଲୋକଟି ଇତସ୍ତତଃ ହେଲା ଏଵଂ ତା'ପରେ ଖନେଇ ଖନେଇ କହିଲା: 'ଓଃ! ସେ ମଧ୍ୟରାତ୍ରି ପରେ ଠିକ୍ ଫେରିଆସିଲା, କିନ୍ତୁ ଏତେ ମଦ ପିଇଥିଲା ଯେ ଚାଲିପାରୁନଥିଲା ଏଵଂ କେର୍ମାଗାନ୍ ଆଉ ଧାଇର ମଧ୍ୟ ସମାନ ଅଵସ୍ଥା ଥିଲା। ମୋତେ ଲାଗୁଛି ସେମାନେ ନିଶ୍ଚୟ କୌଣସି ଖାଲରେ ଶୋଇଯାଇଥିଲେ, କାରଣ ଛୋଟ ପିଲାଟି ମରିଗଲା ଆଉ ସେମାନେ ଏ ଵିଷୟରେ ଆଦୌ ଜାଣିପାରିଲେ ନାହିଁ।'

"ମୁଁ ଶେଯରୁ ଡେଇଁପଡ଼ି ଚିତ୍କାର କରି ଉଠିଲି:

"'କ'ଣ! ପିଲାଟି ମରିଗଲାଣି?'

"'ହଁ ଆଜ୍ଞା। ସେମାନେ ତାକୁ "ମାଆ କେରାଣ୍ଡେକ୍" ପାଖକୁ ଫେରାଇ ଆଣିଥିଲେ। ଯେତେବେଳେ ସେ ଏହା ଦେଖିଲେ, ସେ କାନ୍ଦିଵାକୁ ଲାଗିଲେ ଏଵଂ ଏବେ ସେମାନେ ତାଙ୍କୁ ସାନ୍ତ୍ୱନା ଦେଵା ପାଇଁ ମଦ ପିଆଉଛନ୍ତି।'

"'କ'ଣ କହିଲ? ସେମାନେ ତାଙ୍କୁ ମଦ ପିଆଉଛନ୍ତି!"

"'ହଁ ଆଜ୍ଞା। ମୁଁ ଆଜି ସକାଳେ ହିଁ ଏହା ଜାଣିଵାକୁ ପାଇଲି। ଯେହେତୁ କେରାଣ୍ଡେକ୍ ପାଖରେ ଆଉ ବ୍ରାଣ୍ଡି କିମ୍ବା ଟଙ୍କା ନଥିଲା, ସେ ଲ୍ୟାମ୍ପ ପାଇଁ ବାବୁ ଦେଇଥିଵା କାଠ ଆଲକୋହଲ୍ (ସ୍ପିରିଟ୍) ନେଇଆସିଲା ଏଵଂ ଏବେ ସେମାନେ ଚାରିଜଣଯାକ ସେଇଆ ପିଉଛନ୍ତି। ମାଆ ଏବେ ବହୁତ ଅସୁସ୍ଥ ଅନୁଭଵ କରୁଛନ୍ତି।'

"ମୁଁ ତରବର ହୋଇ କିଛି ପୋଷାକ ପିନ୍ଧିଲି, ଏଵଂ ସେହି ନର-ପିଶାଚମାନଙ୍କ ପିଠିରେ ବାଡ଼େଇଵା ଉଦ୍ଦେଶ୍ୟରେ ଗୋଟିଏ ବାଡ଼ି ଧରି, ମାଳୀର ଘର ଆଡ଼କୁ ଧାଇଁଲି।

"ମାଆ ତା'ର ମୃତ ଶିଶୁର ନୀଳ ପଡ଼ିଯାଇଥିଵା ଶରୀର ପାଖରେ ଅତ୍ୟଧିକ ମଦ୍ୟପାନ କରି ପ୍ରଳାପ କରୁଥିଲା।

କେରାଣ୍ଡେକ୍, ଧାଇ ଓ କେର୍ମାଗାନ୍ ସ୍ତ୍ରୀଲୋକଟି ଚଟାଣରେ ଘୁଙ୍ଗୁଡ଼ି ମାରୁଥିଲେ। ମୋତେ ସେହି ମାଆର ଯତ୍ନ ନେଵାକୁ ପଡ଼ିଲା, ଯିଏ ଦ୍ୱିପ୍ରହର ବେଳକୁ ମୃତ୍ୟୁବରଣ କଲା।"

ବୃଦ୍ଧ ଡାକ୍ତର ଚୁପ୍ ହୋଇଗଲେ। ସେ ବ୍ରାଣ୍ଡି ବୋତଲ ଉଠାଇଲେ ଏଵଂ ଆଉ ଗୋଟିଏ ଗ୍ଲାସ୍ ଢାଳିଲେ। ସେ ଏହାକୁ ଲ୍ୟାମ୍ପ ଆଡ଼କୁ ଟେକି ଧରିଲେ ଏଵଂ ଏହା ମଧ୍ୟ ଦେଇ ଆସୁଥିଵା ଆଲୋକ ସେହି ତରଳ ପଦାର୍ଥକୁ ତରଳି ଯାଇଥିଵା ପୋଖରାଜ ମଣି ଭଳି ହଳଦିଆ ରଙ୍ଗ ପ୍ରଦାନ କରୁଥିଲା। ପରେ ସେ ଏକ ଢୋକରେ ସେହି ଵିଶ୍ୱାସଘାତକ ପାନୀୟଟିକୁ ପିଇଗଲେ।
•••••••••••••••••••••••••••••••••••••
(ଏହି Le Baptême ଗଳ୍ପଟି ଗାଏ ଡି ମୋପାସାଁ (୧୮୫୦-୧୮୯୩)ଙ୍କ ଦ୍ୱାରା ରଚିତ)
•••••••••••••••••••••••••••••••••••
ଲେଖକ ପରିଚୟ : ଗାଏ ଡି ମୋପାସାଙ୍କ ଜନ୍ମ ୫ ଅଗଷ୍ଟ ୧୮୫୦ରେ ଫ୍ରାନ୍ସ ଦେଶର ନର୍ମଣ୍ଡିରେ ହୋଇଥିଲା । ଆଧୁନିକ କ୍ଷୁଦ୍ରଗଳ୍ପର ଜନକ ଭାବେ ପରିଚିତ। ଗାଏ ଡି ମୋପାସା ଊନବିଂଶ ଶତାବ୍ଦୀର ଜଣେ ଵିଖ୍ୟାତ ଫରାସୀ ଲେଖକ ଥିଲେ। ସେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ରଗଳ୍ପ, ୬ଟି ଉପନ୍ୟାସ ଏଵଂ ବହୁ ଭ୍ରମଣ କାହାଣୀ ରଚନା କରିଛନ୍ତି। ତାଙ୍କ ଗଳ୍ପଗୁଡ଼ିକରେ ଵାସ୍ତଵଵାଦ, ମାନଵୀୟ ଦୁର୍ଵଳତା, ସାମାଜିକ କୁସଂସ୍କାର, ମଦ୍ୟପାନର ଅନ୍ଧକାର ଦିଗ ଏଵଂ ଜୀଵନର ନିଷ୍ଠୁର ସତ୍ୟ ଅତି ସହଜ ଓ ଜୀଵନ୍ତ ଭାବେ ପ୍ରକାଶ ପାଇଥାଏ। ତାଙ୍କର ପ୍ରସିଦ୍ଧ ଗଳ୍ପଗୁଡ଼ିକ ମଧ୍ୟରେ ‘ଦି ନେକଲେସ୍’, ‘ବୁଲ୍ ଡି ସୁଇଫ୍’ ଓ ‘ଦି ହୋର୍ଲା’ ଅନ୍ୟତମ।
••••••••••••••••••••••••••••••••••••
ଦ୍ରଷ୍ଟଵ୍ୟ : ଗାଏ ଡି ମୋପାସାଙ୍କର ପ୍ରୋକ୍ତ କାହାଣୀଟି ୧୯ଶ ଶତାବ୍ଦୀର ଫ୍ରାନ୍ସର ଭୌଗୋଳିକ, ସାଂସ୍କୃତିକ ଓ ଆଞ୍ଚଳିକ ପୃଷ୍ଠଭୂମି ଉପରେ ଆଧାରିତ। କାହାଣୀରେ ଵ୍ୟଵହୃତ କିଛି ଗୁରୁତ୍ୱପୂର୍ଣ୍ଣ ଓ କମ୍-ପରିଚିତ ଵିଷୟର ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦତ୍ତ ହେଲା । 

(କ)L'Assommoir

 L'Assommoir ଫରାସୀ ସାହିତ୍ୟର ଵିଶିଷ୍ଟ ଲେଖକ ଏମିଲ୍ ଜୋଲାଙ୍କ ଦ୍ୱାରା ୧୮୭୭ ମସିହାରେ ଲିଖିତ ଏକ କାଳଜୟୀ ଉପନ୍ୟାସ। ଏହି ବହିରେ ମଦ୍ୟପାନ କିପରି ଶ୍ରମିକ ଶ୍ରେଣୀର ମଣିଷ ଓ ତାଙ୍କ ପରିଵାରକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଏ, ତାହାର ଏକ ଵାସ୍ତଵ ଚିତ୍ରଣ ରହିଛି। ଗଳ୍ପର ଡାକ୍ତରଜଣକ ମଦର ଭୟାଵହତା ବୁଝାଇଵା ପାଇଁ ଏହି ବହିର ଉଦାହରଣ ଦେଇଛନ୍ତି।

(ଖ) ଲାଲ୍ ଦାଢ଼ିଆ ଇଂରେଜ ନାଵିକମାନଙ୍କର ଡ୍ରମ୍ ପରେ ଡ୍ରମ୍ ମଦ ଭରି ଆଣି ଢାଳିଵା ପ୍ରସଙ୍ଗ 

ଯେଉଁ ଲାଲ୍-ଦାଢ଼ିଆ ଇଂରେଜ ନାଵିକମାନେ ଡ୍ରମ ପରେ ଡ୍ରମ ଅଜାଡ଼ି ଦେଉଥିଲେ ବୋଲି ଗପରେ ଉଲ୍ଲେଖ ଅଛି ତାପଛରେ ଏକ ଇତିହାସ ରହିଛି ‌। ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଉପନିଵେଶଵାଦ ସମୟରେ ଇଂରେଜ ଓ ୟୁରୋପୀୟ ଵ୍ୟଵସାୟୀମାନେ ଜାହାଜରେ ଆଫ୍ରିକା ଏଵଂ ଅନ୍ୟାନ୍ୟ ଦ୍ୱୀପସମୂହକୁ ଯାଉଥିଲେ। ସେମାନେ ନିଜ ଜାହାଜରୁ କାଠ ଡ୍ରମ (Barrels) ଭରି ଭରି ଶସ୍ତା ମଦ (ଯଥା: ରମ୍, ବ୍ରାଣ୍ଡି, ଜିନ୍) ସେଠାକାର ଆଦିଵାସୀ ଓ ଶାସକମାନଙ୍କୁ ବିକ୍ରି କରୁଥିଲେ କିମ୍ବା ବଦଳରେ ସୁନା, ହାତୀଦାନ୍ତ ଓ ଦାସ ନେଉଥିଲେ। ସେହି ସରଳ ଆଦିଵାସୀ ଲୋକମାନେ କେବେ ମଦ ପିଇନଥିଲେ, ତେଣୁ ସେମାନେ ପ୍ରଚଣ୍ଡ ନିଶାସକ୍ତ ହୋଇପଡ଼ିଲେ। ଫଳରେ ସେମାନଙ୍କର ସାମାଜିକ ଵ୍ୟଵସ୍ଥା ଭାଙ୍ଗିଗଲା, ରୋଗଵ୍ୟାଧି ବଢ଼ିଲା ଏଵଂ ସମ୍ପୂର୍ଣ୍ଣ ସମ୍ପ୍ରଦାୟ ଛାରଖାର ହୋଇଗଲା।

(ଗ)ବ୍ରିଟାନି ଓ ପୋଣ୍ଟ-ଲ'ଆବେ 

ବ୍ରିଟାନି, ଫ୍ରାନ୍ସର ଉତ୍ତର-ପଶ୍ଚିମ ଭାଗରେ ଥିବା ଏକ ଉପକୂଳଵର୍ତ୍ତୀ ଅଞ୍ଚଳ। ଏହା ପ୍ରଚଣ୍ଡ ଶୀତଳ ପଵନ, ପଥୁରିଆ ସମୁଦ୍ରକୂଳ ଓ ସମୁଦ୍ର ଗାଁଗୁଡ଼ିକ ପାଇଁ ଜଣାଶୁଣା। ପୋଣ୍ଟ-ଲ'ଆବେ ସେହି ବ୍ରିଟାନି ଅଞ୍ଚଳରେ ଅଵସ୍ଥିତ ଏକ ଛୋଟ ଐତିହାସିକ ସହର।

(ଘ)ଡ୍ରୁଇଡ୍ 

ପ୍ରାଚୀନ ୟୁରୋପର କେଲ୍ଟିକ୍ ସଂସ୍କୃତିର ପୁରୋହିତ କିମ୍ବା ଧର୍ମଗୁରୁ ଥିଲେ — ଡ୍ରୁଇଡ୍ । ବ୍ରିଟାନି ଅଞ୍ଚଳରେ ପ୍ରାଚୀନ କାଳର Megaliths ନାମକ ବଡ଼ ବଡ଼ ପଥର ସ୍ଥାପିତ ହୋଇ ରହିଛି, ଯାହାକୁ 'ଡ୍ରୁଇଡ୍'ମାନଙ୍କର ପୂଜାସ୍ଥଳୀ ବୋଲି ଵିଶ୍ୱାସ କରାଯାଉଥିଲା। ଡାକ୍ତରଜଣକ ସେହି ଵିଶାଳ ପଥରଗୁଡ଼ିକୁ ଦେଖି ଡ୍ରୁଇଡ୍‌ମାନଙ୍କ କଥା ମନେ ପକାଇଛନ୍ତି।

(ଙ)Breton ଜାତି

Bretonମାନେ ବ୍ରିଟାନି ଅଞ୍ଚଳର ସ୍ଥାନୀୟ ଅଧିଵାସୀ। ସମୁଦ୍ରକୂଳର କଠିନ ଜଳଵାୟୁ ଓ ପ୍ରଚଣ୍ଡ ଶୀତ ସହି ସହି ଏହି ଲୋକମାନେ ଦେହସୁଆ ହୋଇଯାଇଥିଲେ। ସେଥିପାଇଁ ଲେଖକ ସେମାନଙ୍କୁ "ଲୁହା ପରି କଠୋର" ବୋଲି କହିଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ ଅନେକ ଅନ୍ଧଵିଶ୍ୱାସ ଓ ଆଞ୍ଚଳିକ କୁସଂସ୍କାର ରହିଥିଲା।

(ଚ)ଖ୍ରୀଷ୍ଟୀୟ ନାମକରଣ (Christening/Baptism) ଓ 'ଧର୍ମବାପା' (Godfather)

ନାମକରଣ ଵା Christening ଖ୍ରୀଷ୍ଟଧର୍ମର ଏକ ପଵିତ୍ର ରୀତି ଯହିଁରେ ନଵଜାତ ଶିଶୁକୁ ଚର୍ଚ୍ଚକୁ ନେଇ ଜଳ ସିଞ୍ଚନ କରାଯାଏ ଓ ଧର୍ମରେ ଦୀକ୍ଷିତ କରାଯାଏ। ଏହି ଉତ୍ସଵ ସମୟରେ ପରିଵାର ବାହାରର ଜଣେ ସମ୍ମାନିତ ଵ୍ୟକ୍ତିଙ୍କୁ ଶିଶୁର 'ଧର୍ମବାପା(Godfather)' ଭାବେ ବଛାଯାଏ, ଯିଏ ଆଧ୍ୟାତ୍ମିକ ଭାବେ ଶିଶୁଟିର ଦାୟିତ୍ୱ ନିଅନ୍ତି (ଏଠାରେ ଡାକ୍ତରଜଣକ ଧର୍ମବାପା ହୋଇଥିଲେ)।

(ଛ)ଉଡ୍ ଆଲକୋହଲ୍ 

 Wood Alcohol ଵା Methanol ପିଇଵା ପାଇଁ ଵ୍ୟଵହୃତ ହେଉଥିଵା ସାଧାରଣ ମଦ ଵା Ethanol ନୁହେଁ। ଏହା ଲ୍ୟାମ୍ପ୍ ଜାଳିଵା କିମ୍ବା ଶିଳ୍ପରେ ଵ୍ୟଵହୃତ ହେଉଥିଵା ଏକ ଅତ୍ୟନ୍ତ ଵିଷାକ୍ତ କେମିକାଲ୍ । ଏହାକୁ ପିଇଲେ ମଣିଷର ଆଖି କୋରଡ଼ା ହୋଇଯାଏ, ସ୍ନାୟୁ ମରିଯାଏ ଏଵଂ ଶେଷରେ ମୃତ୍ୟୁ ଘଟେ। ନିଶାସକ୍ତ କେରାଣ୍ଡେକ୍ ମଦ ନପାଇ ଏହି ଵିଷାକ୍ତ ସ୍ପିରିଟ୍ ପିଇଦେଵାରୁ ଶେଷରେ ତା’ ସ୍ୱାସ୍ଥ୍ୟ ବିଗିଡ଼ିଯାଇଥିଲା ଏଵଂ ତା’ ସ୍ତ୍ରୀର ମଧ୍ୟ ମୃତ୍ୟୁ ହୋଇଥିଲା।

(ଜ)ଫ୍ରାଙ୍କ୍ 

Euro ଆସିଵା ପୂର୍ଵରୁ 'Franc' ଥିଲା ଫ୍ରାନ୍ସର ସରକାରୀ ମୁଦ୍ରା । କାହାଣୀରେ ସେହି ତତ୍କାଳୀନ ମୁଦ୍ରା ଆଧାରରେ ଦଶ ଫ୍ରାଙ୍କ୍ ଓ ପାଞ୍ଚ ଫ୍ରାଙ୍କ୍‌ର ଉଲ୍ଲେଖ ରହିଛି। ୧୯୯୯ ଜାନୁଆରୀ ୧ରେ ୟୁରୋପୀୟ ସଂଘ (EU) ଦ୍ୱାରା ୟୁରୋକୁ ବ୍ୟାଙ୍କିଙ୍ଗ୍, ହିସାବକିତାବ ଓ ଵ୍ୟଵସାୟିକ କାରବାର ପାଇଁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଗଲା। ୨୦୦୨ ଜାନୁଆରୀ ୧ରେ ଫ୍ରାନ୍ସ ସମେତ ୟୁରୋପର ଅନ୍ୟାନ୍ୟ ଦେଶରେ ୟୁରୋର କାଗଜ ନୋଟ୍ ଓ ସିକ୍କା ବଜାରକୁ ଆସିଲା। ୨୦୦୨ ଫେବୃଆରୀ ୧୭ ତାରିଖରୁ ଫ୍ରାନ୍ସରେ ସମ୍ପୂର୍ଣ୍ଣ ଭାବେ 'ଫ୍ରାଙ୍କ୍'ର ଵ୍ୟଵହାର ବନ୍ଦ ହୋଇଗଲା ଏଵଂ ୟୁରୋ ଫ୍ରାନ୍ସର ଏକମାତ୍ର ଆଇନଗତ ମୁଦ୍ରା ପାଲଟିଲା।

(ଝ) କାହାଣୀରେ ଥିଵା ମୂଳ ଲୋକଵାଣୀ 

"Quand la bouteille est pleine, on voit le récif ; quand elle est vide, on ne le voit plus !"(ବୋତଲ ପୂର୍ଣ୍ଣ ଥିଵା ପର୍ଯ୍ୟନ୍ତ ସମୁଦ୍ରର ପାହାଡ଼ ଦିଶେ, କିନ୍ତୁ ବୋତଲ ଖାଲି ହୋଇଗଲେ ଆଉ କିଛି ଦିଶେନାହିଁ।')
•••••••••••••••••••••••••••••••••••
ଏ କାହାଣୀରୁ ଆମେ କ'ଣ ଶିଖିଲେ ? 

ଦର୍ଶନ ଶାସ୍ତ୍ରରେ ଏକ ବଡ଼ ପ୍ରଶ୍ନ ହେଉଛି—"ମଣିଷର କଷ୍ଟ ପ୍ରତି ପ୍ରକୃତି କିମ୍ବା ଈଶ୍ୱର କ'ଣ ସମ୍ବେଦନଶୀଳ?" ଏହି ଗଳ୍ପ ଦର୍ଶାଏ ଯେ ପ୍ରକୃତି (ବରଫ, ପ୍ରଚଣ୍ଡ ଶୀତଳ ପଵନ, ଗର୍ଜନରତ ସମୁଦ୍ର) ମଣିଷର ଅସହାୟତା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ। ସେହିପରି, "ପ୍ରଭୁଙ୍କ ସାମ୍ନାରେ ଶିଶୁଟିକୁ ଉଲଗ୍ନ ହୋଇ ରହିଵାକୁ ପଡ଼ିଵ" ବୋଲି ଯେଉଁ ଧାର୍ମିକ ନିୟମ କୁହାଯାଉଛି, ତାହା ଈଶ୍ୱରଙ୍କ ଦୟା ପରିଵର୍ତ୍ତେ ଏକ ନିର୍ଦ୍ଦୟ ସତ୍ତାକୁ ସୂଚାଉଛି। ଲେଖକଙ୍କ ଭାଷାରେ—ପାଦ୍ରୀ ଜଣକ ଯେପରି "ଗୋଟିଏ ନିର୍ଦ୍ଦୟ ଓ ବର୍ବର ଦେଵତାଙ୍କ ନାମରେ" ବରଫର ଚାଦର ଘୋଡ଼ି ହୋଇ ଶିଶୁଟିକୁ ଯନ୍ତ୍ରଣା ଦେଉଥିଲେ। ଗଳ୍ପଟି ଦର୍ଶାଏ ଯେତେବେଳେ ସମାଜ ଅନ୍ଧପରମ୍ପରା ଓ କୁସଂସ୍କାରରେ ବାନ୍ଧିହୋଇ ଯାଏ, ସେତେବେଳେ ମଣିଷର ମୌଳିକ ଵିଵେକ ଓ ସ୍ନେହ-ମମତା ଲୋପ ପାଇଯାଏ। ଗୋଟିଏ ନଵଜାତ ଶିଶୁକୁ ପ୍ରଚଣ୍ଡ ବରଫରେ ନଗ୍ନ କରି ରଖିଵା ଯୁକ୍ତିଯୁକ୍ତ ନୁହେଁ। କିନ୍ତୁ "ଏହା ଆମର ପରମ୍ପରା" ବୋଲି କହି ମାଆ, ବାପା, ଧାତ୍ରୀ ଏଵଂ ସ୍ୱୟଂ ପାଦ୍ରୀ ନିଜ ନୈତିକ ଦାୟିତ୍ୱରୁ ଓହରି ଯାଉଛନ୍ତି। ପରମ୍ପରା ଯେତେବେଳେ ଅନ୍ଧଵିଶ୍ୱାସରେ ପରିଣତ ହୁଏ, ତାହା ମାନଵିକତାକୁ ହତ୍ୟା କରେ। ଲେଖକ କାହାଣୀ ମଧ୍ୟରେ ଚର୍ଚ୍ଚ ଓ ପାଦ୍ରୀଙ୍କ ଚରିତ୍ର ମାଧ୍ୟମରେ ସଂସ୍ଥାଗତ ଧର୍ମ ଉପରେ କଟାକ୍ଷ କରିଛନ୍ତି। ଶିଶୁଟି ଶୀତରେ ତଳେ ପଡ଼ି ନୀଳ ପଡ଼ିଯାଉଥିଵା ବେଳେ ପାଦ୍ରୀଙ୍କ ମନରେ କୌଣସି ଦୟା ଵା ଵ୍ୟଗ୍ରତା ନଥିଲା। ସେ ନିଜର ଆନୁଷ୍ଠାନିକ ନୀତିକାନ୍ତିକୁ ଧୀରେ ଧୀରେ ଶେଷ କରୁଥିଲେ। ଗଳ୍ପ ଶେଷରେ, ପାଦ୍ରୀ ଶିଶୁର ଜୀଵନ ବଞ୍ଚାଇଵା ପାଇଁ ତୁରନ୍ତ ଘରକୁ ପଠାଇଵା ପରିଵର୍ତ୍ତେ, ଆଉ ୫ ଫ୍ରାଙ୍କ୍ ଟଙ୍କା ପାଇଁ ଯୁକ୍ତିତର୍କ କରୁଛନ୍ତି ଏଵଂ ଟଙ୍କା ନଦେଲେ କାଗଜପତ୍ର ଚିରିଦେବାକୁ ଧମକ ଦେଉଛନ୍ତି। ଏହା ଦର୍ଶାଏ ଯେ ଧର୍ମ ଅନେକ ସମୟରେ ଆଧ୍ୟାତ୍ମିକତା ହରାଇ କେଵଳ ଟଙ୍କା ଓ ଶୁଷ୍କ ନିୟମର ଵ୍ୟଵସାୟ ପାଲଟିଯାଏ।

ମଦ୍ୟପାନ କିପରି ମଣିଷର ସେତେବେଳର ଚେତନାକୁ ନଷ୍ଟ କରି ତାକୁ 'ମାନଵୀୟ ପଶୁ' ଵା Human Beastରେ ପରିଣତ କରେ, ତାହା ଏହି ଗଳ୍ପର ମୁଖ୍ୟ ଦାର୍ଶନିକ ଦିଗ।
ମଦ କେଵଳ ଶରୀରକୁ ନୁହେଁ ଵରଂ ମଣିଷର ଆତ୍ମା ଓ ଅନୁଭୂତିକୁ ମାରିଦିଏ। ଶିଶୁଟିର ମୃତ୍ୟୁ ହେଵା ସତ୍ତ୍ୱେ ବାପା-ମାଆ ଓ ସମ୍ପର୍କୀୟମାନେ ଦୁଃଖ ପ୍ରକାଶ କରିଵା ବଦଳରେ ଅଧିକ ମଦ ପିଇଵାରେ ମଗ୍ନ ରହୁଛନ୍ତି। ଶେଷରେ ମଦ ନପାଇ ଵିଷାକ୍ତ ସ୍ପିରିଟ୍ "Wood Alcohol" ପିଇ ନିଜ ଜୀଵନକୁ ବି ଵିପନ୍ନ କରୁଛନ୍ତି। ନିଶା ମଣିଷକୁ ସ୍ୱାର୍ଥପର, ଦୟାହୀନ ଓ ଆତ୍ମଘାତୀ କରିଦିଏ।

ଗଳ୍ପର ସବୁଠାରୁ ବଡ଼ ଦାର୍ଶନିକ ଵିଡ଼ମ୍ବନା ସ୍ଵୟଂ କଥକ (ଡାକ୍ତର)ଙ୍କ ଚରିତ୍ର ମଧ୍ୟରେ ହିଁ ଲୁଚିରହିଛି । ଡାକ୍ତରଜଣକ ମଦକୁ "ମନଲୋଭା ଵିଷ, ମୋହନୀୟ ହନ୍ତା, ମାନଵ ସମାଜର ଵିନାଶକାରୀ" ବୋଲି ବୁଝୁଛନ୍ତି। ସେ ନିଜ ଆଖିରେ ମଦ ଯୋଗୁଁ ଗୋଟିଏ ଶିଶୁ ଓ ମାଆର ମୃତ୍ୟୁ ଦେଖିଛନ୍ତି। ହେଲେ, ସେ ନିଜେ କ’ଣ କରୁଛନ୍ତି? ସେହି ଭୟାନକ କାହାଣୀ ଶୁଣାଉ ଶୁଣାଉ ସେ ନିଜେ ଗ୍ଲାସ୍ ଭରି ଆଉ ଗୋଟିଏ ଢୋକରେ ସେହି ବ୍ରାଣ୍ଡି (ମଦ) ପିଇଦେଉଛନ୍ତି! ଏହା ମାନବ ପ୍ରକୃତିର ଗଭୀର ପଳାୟନଵାଦ ଵା Escapismକୁ ପ୍ରକାଶ କରୁଅଛି । ମଣିଷ ଜାଣିଛି ଯେ କେଉଁ ଜିନିଷ ତାକୁ ଵିନାଶ କରୁଛି, ସେ ସତ୍ୟକୁ ବୁଝୁଛି, ତଥାପି ସେ ସେହି ଦୁଃଖ ଓ ଯନ୍ତ୍ରଣାରୁ ବଞ୍ଚିଵା ପାଇଁ ପୁଣି ସେହି ଵିଷର ଆଶ୍ରୟ ନେଉଛି। ତେଣୁ ମୋପାସାଙ୍କ ଏହି କାହାଣୀ ଆମକୁ ଶିଖାଏ ଯେ ପ୍ରକୃତି ନିର୍ଦ୍ଦୟ, ସମାଜ କୁସଂସ୍କାରଚ୍ଛନ୍ନ, ଧର୍ମ ଅନେକ ସମୟରେ ସଂଵେଦନହୀନ ଏଵଂ ମଣିଷ ନିଜ ଦୁର୍ଵଳତା ଓ ଵ୍ୟସନର ଦାସ। ଏହା ଜୀଵନର ଏକ କଠୋର, ନଗ୍ନ ଓ ଵାସ୍ତଵଵାଦୀ ଦାର୍ଶନିକ ସତ୍ୟ ଅଟେ ।
••••••••••••••••••••••••••••••••••••



Tuesday, August 4, 2026

ଜଳଛବି କାହାକୁ କୁହାଯାଏ ?

ଭାଷା ଏକ ବହୁମୁଖୀ ପ୍ରଵାହ ଏଵଂ ତହିଁରେ ଗୋଟିଏ ଶବ୍ଦର ସ୍ରୋତ ସମୟ ସହିତ ବହିଯାଇ ଭିନ୍ନ ଭିନ୍ନ ତୁଠରେ ନୂଆ ରୂପ ଓ ରଙ୍ଗ ଗ୍ରହଣ କରେ। ଓଡ଼ିଆ ଭାଷାରେ ଏମିତି ଏକ ଆକର୍ଷଣୀୟ ଓ ସ୍ମୃତି-ଓଦା କରିଦେଲା ଭଳି ଶବ୍ଦ ହେଉଛି ‘ଜଳଛବି’ ଵା ‘ପାଣିଛବି’। ପିଲାଦିନର ନିଷ୍ପାପ ସ୍ମୃତି ସହିତ ଜଡ଼ିତ ଏହି ସାଧାରଣ ଶବ୍ଦଟି ଖେଳ କାଗଜରୁ ବାହାରି କେତେବେଳେ ସାହିତ୍ୟର ଗହନ ରୂପକ ପାଲଟିଯାଏ ତ କେତେବେଳେ ପ୍ରଯୁକ୍ତିଵିଦ୍ୟାର ସୁରକ୍ଷା କଵଚ ସାଜିଯାଏ, ତାହାର ଶବ୍ଦଭେଦ ଯାତ୍ରା ଵାସ୍ତଵରେ ଅତି ରୋଚକ ଅଟେ ।

ଓଡ଼ିଆ ଭାଷାର ପ୍ରାଣବିନ୍ଦୁ କୁହାଯାଉଥିଵା ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ପୃଷ୍ଠା ଓଲଟାଇଲେ ଏହି ଜଳଛବି ଶବ୍ଦର ମୂଳ ସତ୍ତା ସମ୍ପର୍କରେ ଏକ ସୁନ୍ଦର ସୂଚନା ମିଳେ। ମହାନ ଶବ୍ଦଶିଳ୍ପୀ ଗୋପାଳ ଚନ୍ଦ୍ର ପ୍ରହରାଜ ଏହାକୁ ଏକ ଦେଶଜ ଵିଶେଷ୍ୟ ଭାବେ ଚିହ୍ନିତ କରିଛନ୍ତି। ଭାଷାକୋଷର ଵ୍ୟାଖ୍ୟା ଅନୁଯାୟୀ, ‘ପାଣିଛବି’ ଵା ‘ଜଳଛବି’ (ଜଳଛପା) ହେଉଛି ସେହି ସ୍ୱତନ୍ତ୍ର ଚିତ୍ର, ଯାହା ଜଳର ସାହାଯ୍ୟ ନେଇ ଗୋଟିଏ କାଗଜରୁ ଅନ୍ୟ ଏକ କାଗଜ ଉପରକୁ ଉଠାଇ ନିଆଯାଏ, ଯାହାକୁ ଇଂରାଜୀରେ ‘Transfer-picture’ କୁହାଯାଏ। ଏହା ଶୁଣିଵା ମାତ୍ରେ ମନରେ ସ୍ୱତଃ ପିଲାଦିନର ଚିତ୍ରଟିଏ ଆଙ୍କି ହୋଇଯାଏ କାରଣ ଆଗେ ଆମେ ଓଦା ହାତରେ ସେହି ଜଳଛପା କାଗଜଟିକୁ ଖାତା କିମ୍ବା କାନ୍ଥରେ ଚାପି ଧରୁଥିଲୁ ଏଵଂ କିଛି ସେକେଣ୍ଡର ଉତ୍କଣ୍ଠା ପରେ ମଲାଟ ଉପରେ କାର୍ଟୁନ୍ ଚିତ୍ରଟି ସ୍ପଷ୍ଟ ଭାବେ ଉଭା ହୋଇଯାଉଥିଲା। ଏହି ମୂଳ ଅଭିଧାନିକ ଅର୍ଥଟି ଆମକୁ ଭାଷାର ସେହି ପୁରୁଣା ଦିନକୁ ଫେରାଇ ନିଏ, ଯେତେବେଳେ ପାଣି ଓ ରଙ୍ଗର ଏକ ସରଳ ମିଳନରୁ କଳାର ସୃଷ୍ଟି ହେଉଥିଲା।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଉରୋପରେ, ଵିଶେଷତଃ ଇଂଲଣ୍ଡରେ, ସୁନ୍ଦର ଚିନାମାଟି ବାସନକୁସନର ପ୍ରବଳ ଚାହିଦା ଥିଲା। କିନ୍ତୁ ସେହି ସମୟରେ ବାସନ ଉପରେ ଚିତ୍ରାଙ୍କନ କେଵଳ କୁଶଳୀ କାରିଗରମାନଙ୍କ ଦ୍ୱାରା ହାତରେ କରାଯାଉଥିଲା। ଏହା ଥିଲା ଅତ୍ୟନ୍ତ ଵ୍ୟୟବହୁଳ ଓ ସମୟ ସାପେକ୍ଷ। ଦିନକୁ ଦିନ ବଢୁଥିଵା ବଜାର ଚାହିଦାକୁ ମେଣ୍ଟାଇଵା ପାଇଁ ହାତ-ଅଙ୍କା ଚିତ୍ର ପରିଵର୍ତ୍ତେ ଏକ ଦ୍ରୁତ ଵିକଳ୍ପର ସନ୍ଧାନ ଚାଲିଥିଲା। ଏହି ସମସ୍ୟା ହିଁ ଜଳଛବି ଉଦ୍ଭାଵନର ମୁଖ୍ୟ ପ୍ରେରଣା ସାଜିଥିଲା।
     (Simon Francois Ravenet)
 ପ୍ରାୟ ୧୭୫୬ ମସିହା ବେଳକୁ ଇଂଲଣ୍ଡରେ କାମ କରୁଥିବା ବେଳେ ଉତ୍କୀର୍ଣ୍ଣକ(Engraver) ସାଇମନ୍ ଫ୍ରାନ୍ସୁଆ ରାଵେନେଟ୍ ଏକ ନୂତନ ପ୍ରଣାଳୀ ଉଦ୍ଭାଵନ କଲେ ଯାହାକୁ "Transfer printing" କୁହାଗଲା। ପ୍ରଥମେ "ସାଇମନ୍ ରାଵେନେଟ୍" ତମ୍ବା ପ୍ଲେଟ୍ ଉପରେ ଚିତ୍ର ଖୋଦେଇ କରୁଥିଲେ। ତା’ପରେ ସେହି ପ୍ଲେଟରେ ସ୍ୱତନ୍ତ୍ର ରଙ୍ଗ ଲଗାଇ ଏକ ଅତି ପତଳା Tissue paper ଉପରେ ତାର ଛାପ ଉଠାଉଥିଲେ। ସେହି ରଙ୍ଗିନ ଟିସୁ ପେପରଟିକୁ ନେଇ କଞ୍ଚା ଚିନାମାଟି ବାସନ ଉପରେ ଚାପି ଦିଆଯାଉଥିଲା। ପାଣି ଓ ଉତ୍ତାପ ପ୍ରୟୋଗ କଲା ପରେ କାଗଜଟି ଧୋଇ ହୋଇଯାଉଥିଲା ଏଵଂ ଚିତ୍ରଟି ବାସନ ଉପରେ ସ୍ଥାୟୀ ହୋଇ ରହିଯାଉଥିଲା।
(Simon François Ravenet Paintings & Artworks)
ରାଵେନେଟ୍ ଏହି ପଦ୍ଧତିର ନାମ ଦେଇଥିଲେ "décalquer" ଯାହା ଏକ ଫରାସୀ ଶବ୍ଦ ଏଵଂ ଏହାର ଅର୍ଥ "ନକଲ କରିଵା ଵା ଛାପ ଉଠାଇଵା" ଅଟେ। କାରଖାନାର ସୀମା ଡେଇଁ ଏହି ଜଳଛବି ପ୍ରକ୍ରିୟା ଊନବିଂଶ ଶତାବ୍ଦୀରେ ଏକ ନୂଆ ମୋଡ଼ ନେଲା। ୧୮୬୦ ମସିହା ବେଳକୁ ଫ୍ରାନ୍ସ ଓ ଵିକ୍ଟୋରିଆନ୍ ଇଂଲଣ୍ଡରେ ଏହା ଏକ ପାଗଳାମି ଵା Crazeରେ ପରିଣତ ହେଲା। ଲୋକମାନେ ନିଜ ଘରର ଆସବାବପତ୍ର, କାଚ, ପିଆନୋ, ବାକ୍ସ ଓ କାନ୍ଥରେ ଵିଭିନ୍ନ ରଙ୍ଗିନ ଚିତ୍ରକୁ ପାଣି ସାହାଯ୍ୟରେ ସ୍ଥାନାନ୍ତର କରିଵାକୁ ଲାଗିଲେ। ଏହି ଅତ୍ୟଧିକ ଲୋକପ୍ରିୟତାକୁ ଦେଖି ଫରାସୀ ଭାଷାର 'Décalquer' (ଛାପ ଉଠାଇଵା) ଓ 'Manie' (ପାଗଳାମି ଵା Mania) ଶବ୍ଦକୁ ମିଶାଇ ଏକ ନୂଆ ଶବ୍ଦ ସୃଷ୍ଟି କରାଗଲା ଏଵଂ ଉକ୍ତ ଶବ୍ଦଟି Decalcomania ଥିଲା । ଇଂରାଜୀରେ ଆଜି ଆମେ ଯାହାକୁ ସଂକ୍ଷେପରେ Decal (ଡେକାଲ୍) କହୁଛୁ, ତାହା ଏହି ଶବ୍ଦରୁ ହିଁ ଆସିଛି।
ପ୍ରଥମେ ଏହି ଜଳଛବି କେଵଳ ଗୋଟିଏ ରଙ୍ଗରେ ହେଉଥିଲା। କିନ୍ତୁ ଜର୍ମାନୀରେ ଲିଥୋଗ୍ରାଫି ପ୍ରିଣ୍ଟିଂ କୌଶଳର ଉନ୍ନତି ହେଵା ପରେ, ଏକାଧିକ ରଙ୍ଗବେରଙ୍ଗର 'ଜଳଛବି' ଵା 'Water-slide decals' ତିଆରି ଆରମ୍ଭ ହେଲା। ଏହି ସମୟରେ ଏକ ସ୍ୱତନ୍ତ୍ର କାଗଜ ପ୍ରସ୍ତୁତ କରାଗଲା। କାଗଜ ଉପରେ ପାଣିରେ ମିଳାଇ ଯାଉଥିଵା ଏକ ପ୍ରକାର ଷ୍ଟାର୍ଚ୍ଚ ଅଠାର ପ୍ରଲେପ ଦିଆଗଲା ଏଵଂ ତା ଉପରେ ଚିତ୍ର ଛପାଗଲା। ପାଣି ଲଗାଇଵା ମାତ୍ରେ ଅଠାଟି ତରଳି ଯାଇ ଛବିଟିକୁ କାଗଜରୁ ଅଲଗା କରିଦେଉଥିଲା ଏଵଂ ଅନ୍ୟ ପୃଷ୍ଠରେ ଲାଗିଵାରେ ସାହାଯ୍ୟ କରୁଥିଲା। ଏହା ଥିଲା ଆମେ ପିଲାଦିନେ ଦେଖିଥିଵା 'ଜଳଛବି'ର ଵୈଷୟିକ ରୂପ। ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଜଳଛବି କେଵଳ ବଡ଼ମାନଙ୍କ ସାଜସଜ୍ଜାର ଵସ୍ତୁ ହୋଇ ରହିଲା ନାହିଁ। ଏହା ଶିଶୁମାନଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ପାଲଟିଗଲା।

ଆମେରିକାରେ ୧୯୦୦ ଦଶକ ଆଡ଼କୁ Cracker Jack ଭଳି ଵିଭିନ୍ନ କମ୍ପାନୀ ପିଲାମାନଙ୍କୁ ଆକୃଷ୍ଟ କରିଵା ପାଇଁ ପ୍ୟାକେଟ୍ ଭିତରେ ଉପହାର ସ୍ୱରୂପ ଛୋଟ ଛୋଟ ଜଳଛବି ଦେଵା ଆରମ୍ଭ କଲେ। ପିଲାମାନେ ଏହାକୁ କେଵଳ କାଗଜରେ ନୁହେଁ, ହାତରେ ମଧ୍ୟ ଲଗାଇଵା ଆରମ୍ଭ କଲେ, ଯାହା ପରଵର୍ତ୍ତୀ ସମୟରେ 'Temporary Tattoo' ଵା ଅସ୍ଥାୟୀ ଟାଟୁର ରୂପ ନେଲା।
୧୮୫୦ ମସିହାରେ ଇଂଲଣ୍ଡର କାରଖାନାରେ ଚିନାମାଟି ବାସନରେ ସାଜସଜ୍ଜା ପାଇଁ ଆଵିଷ୍କୃତ ହୋଇଥିବା ଏକ ପ୍ରଯୁକ୍ତି, ବିଶ୍ୱ ପରିକ୍ରମା କରି ବିଂଶ ଶତାବ୍ଦୀ ବେଳକୁ ଓଡ଼ିଶାର ନଗରାଞ୍ଚଳରେ ପହଞ୍ଚି "ପାଣିଛବି" ଵା "ଜଳଛବି" ନାମରେ ପରିଚିତ ହେଲା। ଗୋପାଳ ଚନ୍ଦ୍ର ପ୍ରହରାଜ ଯେତେବେଳେ ତାଙ୍କ ଭାଷାକୋଷରେ ଏହାକୁ ସ୍ଥାନ ଦେଲେ, ସେତେବେଳକୁ ଏହା ଓଡ଼ିଶାର ନଗରାଞ୍ଚଳରେ ପହଞ୍ଚି ସାରିଥିଲା।
(ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପୃଷ୍ଠା—୨୯୨୫)

କିନ୍ତୁ ସମୟ ସହିତ ଜଳଛବି ଶବ୍ଦର ସୀମା କେଵଳ ଏହି କାଗଜ ଖେଳ ମଧ୍ୟରେ ସୀମିତ ରହିନାହିଁ। ଭାଷାର ରସାଳ ଯାତ୍ରାରେ ଏହି ଶବ୍ଦଟି ଏକ ଗଭୀର ମାନସିକ ସ୍ତରକୁ ପ୍ରଵେଶ କରିଛି। ଯେତେବେଳେ କୌଣସି ସ୍ମୃତି, କାହାଣୀ କିମ୍ବା ଅନୁଭୂତି ସମୟର ଧୂଳି ସତ୍ତ୍ୱେ ମନରେ ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଯାଏ, ସେତେବେଳେ ଓଡ଼ିଆ କଥାଭାଷା ଓ ସାହିତ୍ୟରେ ଆମେ କହୁ, "ତାହା ମୋ ମନରେ ଜଳଛବି ପରି ସ୍ପଷ୍ଟ ଅଛି।" ପାଣି ପରି ସ୍ୱଚ୍ଛ ଏଵଂ ଆଖି ସାମ୍ନାରେ ତତ୍କାଳ ଭାସି ଉଠୁଥିଵା ଏହି ଅନୁଭୂତି ପାଇଁ ‘ଜଳଛବି’ର ଏହି ଵ୍ୟଞ୍ଜନାତ୍ମକ ପ୍ରୟୋଗ ସାହିତ୍ୟକୁ ଅଧିକ ପ୍ରାଣବନ୍ତ ଓ ଭାବପୂର୍ଣ୍ଣ କରିଥାଏ।
ଏହି ଭାବରୁ ଯଦି ଆମେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଡ଼କୁ ଚାହିଁଵା ତେବେ ‘ଜଳଛବି’ ନିଜ ଶାବ୍ଦିକ ଅର୍ଥର ଶୀର୍ଷ ସ୍ପର୍ଶ କରିଥାଏ। ସ୍ଥିର, ନିର୍ମଳ ଓ ସ୍ୱଚ୍ଛ ଜଳରାଶିରେ ଯେତେବେଳେ ପାଖରେ ଥିଵା ସବୁଜ ପାହାଡ଼, ନୀଳ ଆକାଶ କିମ୍ବା କୁହୁକ ଜହ୍ନର ପ୍ରତିବିମ୍ବ ପଡ଼େ, ସେହି ପ୍ରତିଫଳିତ ପ୍ରତିଛବିକୁ ପ୍ରକୃତିର ସ୍ୱହସ୍ତ ଲିଖିତ ‘ଜଳଛବି’ କୁହାଯାଏ।
ଏଠାରେ ପ୍ରତିବିମ୍ବଟି ପାଣି ଉପରେ ଏକ କ୍ଷଣସ୍ଥାୟୀ ଚିତ୍ର ପରି ଭାସି ରହିଥାଏ, ଯାହା ଭାଷାକୋଷର ଲିଖିତ 'Transfer-picture' ଭଳି ପ୍ରକୃତିର କ୍ୟାନଭାସରୁ ଆମ ଆଖିର କ୍ୟାନଭାସକୁ ସ୍ଥାନାନ୍ତରିତ ହୋଇଯାଏ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଭୂମିରୁ ଆରମ୍ଭ ହୋଇଥିଵା ଏହି ଦେଶଜ ଶବ୍ଦଟି ଆଜି ଇଣ୍ଟରନେଟ୍ ଓ ଆଧୁନିକ ପ୍ରଯୁକ୍ତିଵିଦ୍ୟାରେ ନିଜର ଏକ ସ୍ଥାନ ପକ୍କା କରିପାରିଛି। ଇଂରାଜୀର ‘Watermark’ ଶବ୍ଦଟିକୁ ଓଡ଼ିଆରେ ଠିକ୍ ଭାବେ ପ୍ରକାଶ କରିଵାକୁ ଯାଇ ଏହାକୁ ଆଜି ‘ଜଳଛବି’ କୁହାଯାଉଛି। ଯେତେବେଳେ କୌଣସି ଡିଜିଟାଲ୍ ଫଟୋ, ସରକାରୀ ଦସ୍ତାବିଜ୍ ଵା ଟଙ୍କା ନୋଟ୍ ଉପରେ ଏକ ଅତି ସ୍ୱଚ୍ଛ ଓ ଅଦୃଶ୍ୟ ପ୍ରାୟ ଚିହ୍ନ ଵ୍ୟଵହାର କରାଯାଏ, ଯାହା ନକଲ ରୋକିବାରେ ସାହାଯ୍ୟ କରେ ସେତେବେଳେ ତାହାକୁ ଜଳଛବି ବୋଲି କୁହାଯାଏ। ପୂର୍ଵେ ପାଣି ଲଗାଇ ଯେଉଁ ଚିତ୍ରକୁ ଉଠାଯାଉଥିଲା, ଆଜି ଡିଜିଟାଲ୍ ସ୍ୱତ୍ତ୍ଵର ସୁରକ୍ଷା ପାଇଁ ସେହି 'ଜଳଛବି' ଫଟୋ ଵା କାଗଜ ପଛରେ ସୁରକ୍ଷା କଵଚ ସାଜି ରହିଛି।
ଏହିପରି ଭାବରେ ଦେଖିଲେ, ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷରେ ଲିଖିତ ‘ପାଣିଛବି’ର ସେହି ସରଳ ସଂଜ୍ଞା, କେଵଳ ଏକ ପିଲାଦିନର ଖେଳ ସାମଗ୍ରୀ ହୋଇ ରହିନାହିଁ। ଏହା ସମୟର ପରିଵର୍ତ୍ତନ ସହିତ ନିଜ ଭିତରେ ସାହିତ୍ୟିକ ସୌନ୍ଦର୍ଯ୍ୟ, ପ୍ରାକୃତିକ ପ୍ରତିବିମ୍ବ ଏବଂ ଆଧୁନିକ ଵୈଷୟିକ ଜ୍ଞାନକୌଶଳର ଅର୍ଥକୁ ଆଦରି ନେଇଛି। ଶବ୍ଦଭେଦର ଏହି ସୁନ୍ଦର ଯାତ୍ରା ପ୍ରମାଣ କରେ ଯେ, ଓଡ଼ିଆ ଶବ୍ଦଗୁଡ଼ିକ କେତେ ପ୍ରାଣଵନ୍ତ ଓ ଯୁଗୋପଯୋଗୀ ଅଟେ ।



Monday, August 3, 2026

ମୁଖା

ମୁମ୍ବାଇର ଜଣେ ପ୍ରସିଦ୍ଧ ତଥା ଧନୀ ମରାଠୀ ଶିଳ୍ପପତିଙ୍କର ଏକମାତ୍ର ଝିଅ ଥିଲା ସାୟଲୀ । ସାୟଲୀ ତା’ ପିତାମାତାଙ୍କର ପ୍ରାଣଠାରୁ ଅଧିକ ପ୍ରିୟ ଥିଲା। ସବୁ ସୁଖ-ସୁଵିଧା ଓ ଆଦର-ଯତ୍ନ ମଧ୍ୟରେ ବଢ଼ିଥିଵା ସାୟଲୀ ଜୀଵନର ପ୍ରକୃତ ସତ୍ୟ ଏଵଂ ସମାଜର ଜଟିଳତା ଵିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା। କଲେଜରେ ପଢ଼ିଵା ସମୟରେ, ସେ ଜଣେ ପଠାଣ ଯୁଵକର ପ୍ରେମରେ ପଡ଼ିଗଲା। ପ୍ରେମର ସେହି ଆଵେଗ ଏତେ ଗଭୀର ଥିଲା ଯେ ସାୟଲୀ ନିଜ ପରିଵାର, ସଂସ୍କାର ଓ ନିଜ ସଂସ୍କୃତିକୁ ମଧ୍ୟ ଭୁଲିଵାକୁ ଲାଗିଲା।
ଯେତେବେଳେ ବାପା-ମା’ ଏହି ଵିଷୟରେ ଜାଣିଲେ ସେତେବେଳେ ସେମାନଙ୍କ ପାଦ ତଳୁ ମାଟି ଖସିଗଲା। ସେମାନେ ସାୟଲୀକୁ ଅନେକ ବୁଝାଇଵାକୁ ଚେଷ୍ଟା କଲେ କିନ୍ତୁ ପ୍ରେମରେ ଅନ୍ଧ ହୋଇସାରିଥିଵା ସାୟଲୀ ନିଜ ପିତାମାତାଙ୍କ କୌଣସି କଥା ଶୁଣିଵାକୁ ପ୍ରସ୍ତୁତ ନଥିଲା। ସେ ସ୍ପଷ୍ଟ ମନା କରିଦେଲା ଏଵଂ ନିଜ ପ୍ରେମ ପାଇଁ ନିଜ ଜନ୍ମଦାତାଙ୍କ ସହ ସମ୍ପର୍କ ଭାଙ୍ଗିଵାକୁ ମଧ୍ୟ ପଛଘୁଞ୍ଚା ଦେଲାନାହିଁ। ବାପା-ମା’ ନିଜକୁ ନିରୁପାୟ ଓ ଅସହାୟ ବୋଲି ମନେକଲେ। ନିଜ ଝିଅକୁ ଏହି ଭୁଲ୍ ରାସ୍ତାରୁ କିପରି ଫେରାଇ ଆଣିବେ, ସେମାନଙ୍କୁ କିଛି ବାଟ ଦିଶୁନଥିଲା।
ଶେଷରେ, ନିଜର ଆକୁଳତା ନିୟନ୍ତ୍ରଣ ନକରିପାରି, ବାପା ନିଜର ଜଣେ ପୁରୁଣା ଓ ଵିଶ୍ୱାସପ୍ରଦ ପରିଵାର ବନ୍ଧୁଙ୍କ ସହ ଏହି ଵିଷୟରେ ଆଲୋଚନା କଲେ। ସେହି ବନ୍ଧୁ ଜଣକ ଜଣେ ବୁଦ୍ଧିମତୀ, ଶିକ୍ଷିତା ଓ ଅନୁଭଵୀ ମହିଳା ଥିଲେ। ସେ ସମସ୍ତ କଥା ଶାନ୍ତ ଭାବେ ଶୁଣିଲେ ଏଵଂ କହିଲେ, "ଜୋର-ଜବରଦସ୍ତି କିମ୍ବା ରାଗ ଦ୍ୱାରା ପ୍ରେମର ନିଶା ଅଟକାଯାଇପାରିଵ ନାହିଁ। ଏଥିପାଇଁ ଧୈର୍ଯ୍ୟ, ବୁଦ୍ଧି ଓ ଯଥାର୍ଥ କୌଶଳର ଆଵଶ୍ୟକତା ଅଛି।"

କିଛି ଦିନ ପରେ, ସେହି ବନ୍ଧୁ ଜଣକ ଦୁଇଟି ପରିଵାର ମିଶି ଏକାଠି ବଣଭୋଜି କରି ଯିଵାର ଯୋଜନା କଲେ। ସମସ୍ତେ ସହର ବାହାରେ ଥିଵା ଏକ ସୁନ୍ଦର ପ୍ରାକୃତିକ ପରିଵେଶକୁ ଗଲେ। ବଣଭୋଜି ଚାଲିଥିଵା ଭିତରେ, ବନ୍ଧୁ ଜଣକ ସମସ୍ତଙ୍କ ସାମ୍ନାରେ ଜାଣିଶୁଣି ସାୟଲୀର ସମର୍ଥନ କଲେ। ସେ କହିଲେ, "ସବୁ ରିଲିଜନ୍-ମଜହବ୍-ଧର୍ମର ମୂଳ ଵିଚାର ସମାନ। ଯଦି ଦୁଇଜଣ ପରସ୍ପରକୁ ପ୍ରକୃତ ପ୍ରେମ କରୁଛନ୍ତି, ତେବେ ଧର୍ମ-ମଜହବ୍-ରିଲିଜନ୍ ସେମାନଙ୍କ ମାଧ୍ୟମରେ ପ୍ରତିବନ୍ଧକ ହେଵା ଉଚିତ୍ ନୁହେଁ। ପିତାମାତାମାନେ ନିଜ ଝିଅର ଖୁସି ପାଇଁ ଏହି ଵିଵାହରେ ସମ୍ମତି ଦେଵା ଦରକାର।"

ଏହି କଥା ଶୁଣି ସାୟଲୀର ମନରେ ଆଶାର ଏକ ନୂଆ କିରଣ ଜାଗ୍ରତ ହେଲା। ପୂର୍ଵରୁ ସମସ୍ତେ ତାକୁ ଵିରୋଧ କରୁଥିଲେ କିନ୍ତୁ ଏହି ସମ୍ପର୍କୀୟା ମାଉସୀ ତା’ର ପକ୍ଷ ନେଉଥିଵାରୁ, ସାୟଲୀ ତାଙ୍କୁ ନିଜର ସବୁଠାରୁ ବଡ଼ ସମର୍ଥକ ଓ ଶୁଭଚିନ୍ତକ ବୋଲି ଭାବିଵାକୁ ଲାଗିଲା। ତା’ ଆଖିରେ ସେହି ମହିଳା ଜଣକ ଜଣେ ମାର୍ଗଦର୍ଶକ ପାଲଟିଗଲେ।

ବଣଭୋଜି ଚାଲିଥିଵା ସମୟରେ ମଧ୍ୟ ସେହି ପଠାଣ ଯୁଵକର ଫୋନ୍ ସାୟଲୀ ପାଖକୁ ବାରମ୍ବାର ଆସୁଥିଲା। ସାୟଲୀ ଲୁଚି ଲୁଚି ତା’ ସହ କଥା ହେଉଥିଲା। ଏହା ଲକ୍ଷ୍ୟ କରି, ବନ୍ଧୁ ଜଣକ ସାୟଲୀକୁ ସ୍ନେହରେ ଏକାନ୍ତକୁ ଡାକି ନେଲେ। ସେ ତା’ ହାତରେ ମରାଠୀ ଭାଷାରେ ଅନୁଵାଦିତ ଏକ ବହି Not Without My Daughter ଧରାଇଦେଲେ। 

ସେ ସାୟଲୀକୁ ମୃଦୁ ହସି କହିଲେ, "ତୁମେ ଜଣେ ପଠାଣ ଯୁଵକକୁ ଵିଵାହ କରିଵାକୁ ଯାଉଛ। ତେଣୁ,ଵିଵାହ ପୂର୍ଵରୁ ତା ସଂସ୍କୃତି, ରୀତିନୀତି ଓ ସମାଜର ଵାସ୍ତଵତା ଵିଷୟରେ ତୁମର କିଛି ଜ୍ଞାନ ଥିଵା ଉଚିତ୍। ଏହି ବହିଟି ପଢ଼, ଏହା ତୁମକୁ ଅନେକ କଥା ବୁଝିଵାରେ ସାହାଯ୍ୟ କରିଵ।"

ସାୟଲୀ ବହିଟିକୁ ନେଇ ନିଜ ରୁମ୍‌କୁ ଗଲା। ରାତି ପ୍ରାୟ ୧୧:୩୦ ହୋଇଥିଲା। ଚାରିଆଡ଼ ଶାନ୍ତ, ନିଶବ୍ଦ । ସାୟଲୀ ବହିଟିର ପ୍ରଥମ କିଛି ପୃଷ୍ଠା ଓଲଟାଇ ପଢ଼ିଵା ଆରମ୍ଭ କଲା। ବହିଟିରେ ଜଣେ ଅଣ-ପଠାଣ ମହିଳାଙ୍କର ପଠାଣ ପରିଵାରରେ ଵିଵାହ ପରର ଭୟାନକ ଅନୁଭୂତି, କଠୋର ନିୟମ, ନିର୍ଯାତନା ଓ ମାନସିକ ଯନ୍ତ୍ରଣାର ଵାସ୍ତଵ ଚିତ୍ର ଅତ୍ୟନ୍ତ ଜୀଵନ୍ତ ଭାବେ ଵର୍ଣ୍ଣନା କରାଯାଇଥିଲା।
ବହିଟିର ମାତ୍ର କିଛି ପୃଷ୍ଠା ପଢ଼ୁ ପଢ଼ୁ ସାୟଲୀର ଦେହ ଶିହରି ଉଠିଲା। ତା’ର ଛାତି ଭିତରଟା କମ୍ପିଵାକୁ ଲାଗିଲା। ସେ ଯେଉଁ ସ୍ୱପ୍ନର ଦୁନିଆରେ ରହୁଥିଲା, ତାହା ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୂରମାର ହୋଇଗଲା। ଭୟ ଓ ଆଶଙ୍କାରେ ତା’ ଆଖିରୁ ଲୁହ ବୋହିଵାକୁ ଲାଗିଲା।

ମାତ୍ର କିଛି ମିନିଟ୍ ମଧ୍ୟରେ, ସାୟଲୀ ଦୌଡ଼ିଯାଇ ସେହି ବନ୍ଧୁଙ୍କ ଶୋଇଵା ଘର କବାଟ ବାଡ଼େଇଲା। ବନ୍ଧୁ ଜଣକ କବାଟ ଖୋଲିଲେ। ସାୟଲୀ ଆଖିରେ ଲୁହ ନେଇ, କମ୍ପିତ ସ୍ୱରରେ କହିଲା, "ଏହା ଅତ୍ୟନ୍ତ ଭୟଙ୍କର ! ଏହା ମୋ କଳ୍ପନା ବାହାରେ। ମୁଁ ଏପରି ଜୀଵନ ବିତାଇ ପାରିବି ନାହିଁ, ମୁଁ ତାକୁ ମୋଟେ ଵିଵାହ କରିବି ନାହିଁ।"

କିନ୍ତୁ ସେହି ଚତୁର ବନ୍ଧୁ ଜଣକ ନିଜର ଆଚରଣ ବଦଳାଇଲେ ନାହିଁ। ସେ ସମ୍ପୂର୍ଣ୍ଣ ଶାନ୍ତ ରହି ସାୟଲୀକୁ ବୁଝାଇଵାକୁ ଲାଗିଲେ, "ଦେଖ ସାୟଲୀ, ଧର୍ମ-ମଜହବ-ରିଲିଜନ୍ ଇତ୍ୟାଦିର ନୀତିନିୟମ ଯାହା ବି ହୋଇଥାଉ ନା କାହିଁକି, ତୁମ ଦୁହିଁଙ୍କ ପ୍ରେମ କ’ଣ ସତ ନୁହେଁ ? ଯଦି ତୁମର ପ୍ରେମ ସତ୍ୟ, ତେବେ ଗୋଟିଏ କାମ କର। ତୁମେ ସେ ପଠାଣ ପିଲାକୁ ହିନ୍ଦୁ ଧର୍ମ ଗ୍ରହଣ କରିଵାକୁ କୁହ। ଯଦି ସେ ତୁମକୁ ସତରେ ଭଲପାଉଥାଏ ତେବେ ସେ ତୁମ ପାଇଁ ଏତିକି କରିପାରିଵ। ସେ ହିନ୍ଦୁ ହୋଇଗଲେ ମୁଁ ନିଜେ ତୁମ ବାପାଙ୍କୁ ବୁଝାଇ ତୁମର ଵିଵାହ କରାଇଦେବି।"

ଏହି ପ୍ରସ୍ତାବ ସାୟଲୀକୁ ବହୁତ ଯୁକ୍ତିଯୁକ୍ତ ଲାଗିଲା। ସେ ଭାବିଲା, "ଯଦି ମୁଁ ମୋ ପରିଵାର ଓ ଧର୍ମକୁ ଛାଡ଼ିଵାକୁ ପ୍ରସ୍ତୁତ ଥିଲି, ତେବେ ସେ ମଧ୍ୟ ମୋ ପାଇଁ ନିଜର ଧର୍ମ ବଦଳାଇ ପାରିବେ।"

ସାୟଲୀ ବିନା ଵିଳମ୍ବରେ ତୁରନ୍ତ ସେହି ଯୁଵକକୁ ଫୋନ୍ କଲା। ଫୋନ୍ ଉଠିଵା କ୍ଷଣି ସାୟଲୀ ବଡ଼ ଉତ୍ସାହର ସହ ବହିଟି ଵିଷୟରେ, ନିଜର ଭୟ ଵିଷୟରେ ଏଵଂ ଶେଷରେ ବନ୍ଧୁଙ୍କର ସେହି ପ୍ରସ୍ତାଵ ବିଷୟରେ ପଠାଣ ପିଲାକୁ ଜଣାଇଲା। ସେ କହିଲା, "ତୁମେ ହିନ୍ଦୁ ଧର୍ମ ଗ୍ରହଣ କରିନିଅ, ଆମେ ଵିଵାହ କରି ଖୁସିରେ ରହିଵା । ମୋ ବାପା ମଧ୍ୟ ରାଜି ହୋଇଯିବେ।"

ଏହା ଶୁଣୁ ଶୁଣୁ ସେପଟୁ ସେହି ଯୁବକର ସ୍ୱର ସମ୍ପୂର୍ଣ୍ଣ ବଦଳିଗଲା। ପ୍ରେମର ସମସ୍ତ ମୁଖା ଗୋଟିଏ ମୁହୂର୍ତ୍ତରେ ଖସିପଡ଼ିଲା। ସେ ଅତ୍ୟନ୍ତ କ୍ରୋଧ ଓ ଘୃଣାର ସହ ଗର୍ଜନ କରି କହିଲା, "ତୁ ଗୋଟାଏ ଵେଶ୍ୟା ଭଳି କ'ଣ କଥାଵାର୍ତ୍ତା କରୁଛୁ କିଲୋ ? ତୋ’ ପରି ଝିଅ ପାଇଁ ମୁଁ ନିଜ ଧର୍ମ ବଦଳାଇବି ବୋଲି ତୁ ଭାବିଲୁ କିପରି?"
ଏହି ଶବ୍ଦଗୁଡ଼ିକ ସାୟଲୀର କାନରେ ଶକ୍ତ ଚଟକଣା ଭଳି ବାଜୁଥାଏ ।‌ ତା’ର ସମସ୍ତ ସ୍ୱପ୍ନ, ସମସ୍ତ ଵିଶ୍ୱାସ ଗୋଟିଏ ସେକେଣ୍ଡରେ ଭାଙ୍ଗି ଚୂରମାର ହୋଇଗଲା। ଯେଉଁ ଯୁଵକ ପାଇଁ ସେ ନିଜ ଜନ୍ମଦାତା ବାପା-ମା’ଙ୍କୁ ପର କରିଵାକୁ ବାହାରିଥିଲା, ସେହି ଯୁଵକର ନଜରରେ ତା’ର ପ୍ରକୃତ ମୂଲ୍ୟ କ’ଣ ଥିଲା, ତାହା ସେ ଅତ୍ୟନ୍ତ ସ୍ପଷ୍ଟ ଭାବେ ବୁଝିପାରିଲା।
ସେହି ଗୋଟିଏ ଆଘାତ ସାୟଲୀକୁ ଵାସ୍ତଵତା ପ୍ରତି ସଚେତନ କରିଦେଲା। ତା’ ଆଖିରୁ ପ୍ରେମର ଅନ୍ଧପୁଟୁଳି ଖସିପଡ଼ିଲା। ସେ ବୁଝିପାରିଲା ଯେ ତାହାର ଆତ୍ମସମ୍ମାନକୁ ପାଦରେ ଦଳି ଦେଇପାରେ ତା'ର ପ୍ରେମ କେବେହେଲେ ବି ସତ୍ୟ ନୁହେଁ କେଵଳ ଛଳନା ଅଟେ । ସେ ସେହି ମୁହୂର୍ତ୍ତରେ ଫୋନ୍ କାଟିଦେଲା ଏଵଂ ସେହି ଯୁଵକ ସହ ସମସ୍ତ ସମ୍ପର୍କ ସଦାସର୍ଵଦା ପାଇଁ ଶେଷ କରିଦେଲା। ନିଜ ଭୁଲ୍ ବୁଝିପାରି ସେ ନିଜ ପିତାମାତାଙ୍କ ନିକଟରେ କ୍ଷମା ମାଗିଲା ଏଵଂ ସେହି ବୁଦ୍ଧିମତୀ ବନ୍ଧୁଙ୍କୁ ଅଶ୍ରୁପୂର୍ଣ୍ଣ ଆଖିରେ କୃତଜ୍ଞତା ଜଣାଇଲା।
•••••••••••••••••••••••••••••••••••••
Not Without My Daughter ବହିଟି ବେଟି ମହମୁଦି ଓ ୱିଲିୟମ୍ ହୋଫର୍‌ଙ୍କ ଦ୍ୱାରା ଲିଖିତ ଏକ ପ୍ରସିଦ୍ଧ ଆତ୍ମଜୀଵନୀମୂଳକ ପୁସ୍ତକ ଅଟେ । ଏହି ବହିଟି ୧୯୮୭ ମସିହାରେ ପ୍ରକାଶିତ ହୋଇଥିଲା। ଏହା ବେଟି ମହମୁଦିଙ୍କ ନିଜ ଜୀଵନର ସତ୍ୟ ଘଟଣା ଉପରେ ଆଧାରିତ ଯେଉଁଥିରେ ସେ ନିଜର ଆମେରିକୀୟ ନାଗରିକତା, ଜଣେ ଇରାନୀୟ ସ୍ୱାମୀଙ୍କୁ ଵିଵାହ, ଇରାନ୍ ଭ୍ରମଣ ସମୟରେ ବନ୍ଦୀ ହୋଇ ରହିବା ଏଵଂ ଶେଷରେ ନିଜ ଝିଅ (ମାହତାବ୍) ସହ ସେଠାରୁ ନିଜ ଜୀଵନ ବାଜି ଲଗାଇ ଖସି ଆସିଵାର ସଂଘର୍ଷପୂର୍ଣ୍ଣ କାହାଣୀ ଵର୍ଣ୍ଣନା କରିଛନ୍ତି।

ବେଟି ଜଣେ ଆମେରିକୀୟ ମହିଳା ଥିଲେ। ସେ ଆମେରିକାରେ ରହୁଥିଵା ଜଣେ ଇରାନୀୟ ଡାକ୍ତର ସୟେଦ ବୁଜୋର୍ଗ ମହମୁଦିଙ୍କୁ ବିବାହ କରିଥିଲେ। ସେମାନଙ୍କର ମାହତାବ୍ ନାମ୍ନୀ ଏକ ଛୋଟ ଝିଅ ଥିଲା। ସ୍ୱାମୀ ଆମେରିକାରେ ଅନେକ ଵର୍ଷ ରହିଵା ପରେ ବହୁତ ଶାନ୍ତ ଓ ଆଧୁନିକ ମନୋଭାବର ଜଣାପଡ଼ୁଥିଲେ। ୧୯୮୪ ମସିହାରେ, ବେଟିଙ୍କୁ ସୟେଦ ନିଜ ପରିଵାର ସହିତ ଭେଟ କରାଇଵା ପାଇଁ ମାତ୍ର ଦୁଇ ସପ୍ତାହ ପାଇଁ ଇରାନ୍ ଯିଵାକୁ ପ୍ରସ୍ତାଵ ଦେଲେ। ବେଟି ପ୍ରଥମେ ସନ୍ଦେହରେ ଥିଲେ ମଧ୍ୟ, ସ୍ୱାମୀ କୁରାନ୍ ଛୁଇଁ ପ୍ରତିଶ୍ରୁତି ଦେଵାରୁ ସେ ନିଜ ଝିଅକୁ ନେଇ ଇରାନ୍ ଯିଵାକୁ ରାଜି ହୋଇଗଲେ।

ଇରାନ୍‌ରେ ପହଞ୍ଚିଵା ପରେ ସ୍ୱାମୀଙ୍କର ଆଚରଣ ସମ୍ପୂର୍ଣ୍ଣ ବଦଳିଗଲା। ଦୁଇ ସପ୍ତାହ ଶେଷ ହେଵା ପରେ, ସେ ସ୍ପଷ୍ଟ ଜଣାଇଦେଲେ ଯେ ସେମାନେ ଆଉ ଆମେରିକା ଫେରିବେ ନାହିଁ ଏଵଂ ସଦାସର୍ଵଦା ପାଇଁ ଇରାନ୍‌ରେ ରହିବେ। ବେଟିଙ୍କର ପାସପୋର୍ଟ ଓ ପଇସା ଛଡ଼ାଇ ନିଆଗଲା। ଇରାନୀୟ ନିୟମ ଅନୁସାରେ, ଜଣେ ଵିଦେଶୀ ମହିଳା ଇରାନୀୟ ପୁରୁଷଙ୍କୁ ଵିଵାହ କଲେ ସ୍ଵତଃ ଇରାନ୍‌ର ନାଗରିକ ହୋଇଯାଆନ୍ତି ଏଵଂ ସ୍ୱାମୀଙ୍କ ଅନୁମତି ବିନା ଦେଶ ଛାଡ଼ିପାରିବେ ନାହିଁ। ବେଟି ନିଜ ଶାଶୂଘରେ ଜଣେ କଏଦୀ ପାଲଟିଗଲେ। ତାଙ୍କ ଉପରେ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ ହେଲା।


ବେଟିଙ୍କୁ ଆମେରିକା ଫେରିଵାର ଗୋଟିଏ ବାଟ ମିଳୁଥିଲା, କିନ୍ତୁ ସର୍ତ୍ତ ଥିଲା ଯେ ସେ ନିଜ ଝିଅ ମାହତାବ୍‌କୁ ଇରାନ୍‌ରେ ଛାଡ଼ି ଏକା ଯିବେ। କିନ୍ତୁ ଜଣେ ମା’ ହିସାବରେ ବେଟି ନିଜ ଝିଅକୁ ସେହି ଅତ୍ୟାଚାରପୂର୍ଣ୍ଣ ପରିଵେଶରେ ଛାଡ଼ିଵାକୁ ସମ୍ପୂର୍ଣ୍ଣ ମନା କରିଦେଲେ। ସେ ସଙ୍କଳ୍ପ ନେଲେ—"ମୁଁ ଯଦି ଯିବି ଯେତେବେଳେ ବି ଯିବି ମୋ ଝିଅକୁ ସାଙ୍ଗରେ ନେଇ ଯିବି, ନଚେତ୍ ଯିବିନାହିଁ"।
ଦୀର୍ଘ ୧୮ ମାସର କଠୋର ସଂଘର୍ଷ, ଗୁପ୍ତ ଯୋଜନା ଏଵଂ କିଛି ସ୍ଥାନୀୟ ସହାୟକଙ୍କ ସାହାଯ୍ୟରେ, ୧୯୮୬ରେ ବେଟି ଓ ତାଙ୍କର ୫ ଵର୍ଷର ଝିଅ ଇରାନ୍‌ର କଠିନ ବରଫାବୃତ ପାହାଡ଼ିଆ ଆର୍କଟିକ୍ ବାଟ ଦେଇ, ଗୁପ୍ତରେ ସୀମା ପାର୍ କରି ତୁର୍କୀକୁ ପଳାୟନ କଲେ। ସେଠାରୁ ସେମାନେ ନିରାପଦରେ ଆମେରିକା ଫେରିଆସିଲେ।

ଇରାନ୍‌ରେ ବନ୍ଦୀ ଥିଵା ସମୟରେ ବେଟି ଦେଖିଥିଲେ ଯେ ତାଙ୍କ ପରି ଅନେକ ଵିଦେଶୀ ମହିଳା ନିଜ ସ୍ୱାମୀଙ୍କ ପ୍ରେମରେ ପଡ଼ି ଇରାନ୍ ଆସିଥିଲେ ଏଵଂ ସେଠାରେ ଫସି ରହି ଅତ୍ୟାଚାରିତ ହେଉଥିଲେ। ଆମେରିକା ଫେରିଵା ପରେ ସେ ଅନୁଭଵ କଲେ ଯେ ଅଜ୍ଞାନତା ଯୋଗୁଁ ଅନେକ ନିରୀହ ଝିଅ ଓ ମା’ମାନେ ଏପରି ଜାଲରେ ଫସିଯାଉଛନ୍ତି। ତେଣୁ ନିଜ ସହ ଘଟିଥିଵା ସତ୍ୟ ଘଟଣା ସାରା ଦୁନିଆ ଆଗରେ ରଖି ଅନ୍ୟମାନଙ୍କୁ ସଚେତନ କରିଵା ତାଙ୍କର ସବୁଠାରୁ ବଡ଼ ଉଦ୍ଦେଶ୍ୟ ଥିଲା।

ଅନ୍ତର୍ଜାତୀୟ ଵାଲ୍ୟ ଅପହରଣ ସମ୍ପର୍କରେ ସେତେବେଳେ ଆମେରିକା କିମ୍ବା ଅନ୍ୟ ଦେଶଗୁଡ଼ିକରେ କୌଣସି କଠୋର ଆଇନ ନଥିଲା। ବେଟି ନିଜର ଦୁଃଖଦ ଅନୁଭୂତିକୁ ବହି ମାଧ୍ୟମରେ ଉପସ୍ଥାପନ କରି ଆମେରିକା ସରକାର ଓ ସାରା ଵିଶ୍ୱର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ, ଯେପରି ଅନ୍ୟ କୌଣସି ପିତା କିମ୍ବା ମା’ଙ୍କୁ ନିଜ ସନ୍ତାନଠାରୁ ଏପରି ଅଲଗା ହେଵାକୁ ନପଡ଼େ।

୧୮ ମାସର ନିର୍ଯାତନା, ଭୟ ଓ ମାନସିକ ସଂଘର୍ଷ ବେଟିଙ୍କ ମନରେ ଏକ ଗଭୀର ଆଘାତ ସୃଷ୍ଟି କରିଥିଲା। ମନୋଵିଜ୍ଞାନୀ ଏଵଂ ତାଙ୍କ ଶୁଭଚିନ୍ତକମାନେ ତାଙ୍କୁ ନିଜର ଅନୁଭୂତି ଲେଖିଵାକୁ ପରାମର୍ଶ ଦେଇଥିଲେ। 

ଏପଟେ ଆମେରିକା ଫେରିଵା ପରେ ବେଟିଙ୍କର ସାହସିକ ପଳାୟନର ଖବର ସ୍ଥାନୀୟ ଗଣମାଧ୍ୟମରେ ଆଲୋଚନାର ଵିଷୟ ପାଲଟିଥିଲା। ଏହି ସମୟରେ ପ୍ରସିଦ୍ଧ ଲେଖକ ୱିଲିୟମ୍ ହୋଫର୍ ବେଟିଙ୍କ ସହ ଯୋଗାଯୋଗ କଲେ। ବେଟି ମହମୁଦି ଜଣେ ପେସାଦାର ଲେଖିକା ନଥିଲେ। ଏକ ଭୟଙ୍କର ସତ୍ୟ ଘଟଣାକୁ ପାଠକଙ୍କ ପାଖରେ ଉପଯୁକ୍ତ ସଂବେଦନଶୀଳ ଓ ଉତ୍କଣ୍ଠାପୂର୍ଣ୍ଣ ଶୈଳୀରେ ଉପସ୍ଥାପନ କରିଵା ପାଇଁ ଜଣେ ଦକ୍ଷ ଲେଖକଙ୍କ ଆଵଶ୍ୟକତା ଥିଲା।

ସେହି ସମୟରେ ବେଟିଙ୍କୁ ଭେଟି ୱିଲିୟମ୍ ହୋଫର୍ ତାଙ୍କୁ ବୁଝାଇଥିଲେ ଯେ ତାଙ୍କର ଏହି କାହାଣୀ କେଵଳ ଏକ ସାଧାରଣ ଖବର ନୁହେଁ, ଏହା ଏକ ଶକ୍ତିଶାଳୀ ବହି ହୋଇପାରିଵ ଯାହା ଲୋକଙ୍କ ଆଖି ଖୋଲିଦେଵ । ବେଟି ମହମୁଦି ରାଜି ହେଵାରୁ ବେଟିଙ୍କ ସହ ଘଟିଥିଵା ସମସ୍ତ ଘଟଣା, ତାରିଖ ଓ ଅନୁଭୂତିଗୁଡ଼ିକୁ ଶୃଙ୍ଖଳିତ ଭାବେ ଏକାଠି କରି ଏକ ଆକର୍ଷଣୀୟ ଉପନ୍ୟାସ ଆକାରରେ ଲେଖିଵାର କାମ ୱିଲିୟମ୍ ହୋଫର୍ କରିଥିଲେ। ହୋଫର୍ ବେଟିଙ୍କ ସହ ଘଣ୍ଟା ଘଣ୍ଟା ଧରି କଥାଵାର୍ତ୍ତା କରି ତାଙ୍କ ଅନୁଭୂତିକୁ ଲିପିବଦ୍ଧ କରିଥିଲେ ଏଵଂ ତାହାକୁ ଵ୍ୟାକରଣଗତ ଓ ସାହିତ୍ୟିକ ଦୃଷ୍ଟିରୁ ସୁନ୍ଦର ଭାବେ ରଚନା କରିଥିଲେ। କାହାଣୀଟି ସମ୍ପୂର୍ଣ୍ଣ ଭାବେ ବେଟି ମହମୁଦିଙ୍କର ଥିଲା କିନ୍ତୁ ସେହି କାହାଣୀକୁ ଶବ୍ଦର ରୂପ ଦେଇ ଏକ Bestseller ବହିରେ ପରିଣତ କରିଵାର ଶ୍ରେୟ ୱିଲିୟମ୍ ହୋଫର୍‌ଙ୍କୁ ଦିଆଯାଏ । ଏହିକାରଣରୁ ବହିର ପ୍ରଚ୍ଛଦପଟରେ ୱିଲିୟମ୍ ହୋଫର୍‌ଙ୍କୁ ସହ-ଲେଖକ ଭାବେ ସମ୍ମାନ ଦିଆଯାଇଛି।

Not Without My Daughter ବହିଟି ପ୍ରକାଶିତ ହେଵା ପରେ ସାରା ଵିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଏହା ନାରୀର ସାହସ, ମାତୃତ୍ୱର ଶକ୍ତି ଓ ସ୍ୱାଧୀନତା ପାଇଁ ସଂଘର୍ଷର ଏକ ଅମର ପ୍ରତୀକ ପାଲଟିଗଲା। ୧୯୯୧ ମସିହାରେ ଏହି ବହି ଉପରେ ଆଧାରିତ ଏକ ହଲିଉଡ୍ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଥିଲା, ଯେଉଁଥିରେ ଅଭିନେତ୍ରୀ ସାଲି ଫିଲ୍ଡ୍ ବେଟିଙ୍କ ଭୂମିକାରେ ଅଭିନୟ କରିଥିଲେ।

Sunday, August 2, 2026

ଜ୍ଞାନର ଵୃକ୍ଷ (The Tree of Knowledge)

ପୂର୍ଵ ଅଧ୍ୟାୟରେ ଆମେ ଦେଖିଲେ ଯେ ଯଦିଓ Homo Sapiensମାନେ ପ୍ରାୟ ୧୫୦,୦୦୦ ଵର୍ଷ ପୂର୍ଵରୁ ହିଁ ପୂର୍ଵ ଆଫ୍ରିକାରେ ଵସଵାସ କରୁଥିଲେ, ତଥାପି ସେମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ହିଁ ସମଗ୍ର ପୃଥିଵୀରେ ନିଜର ପ୍ରଭାଵ ଵିସ୍ତାର କରିଵାକୁ ଲାଗିଲେ ଏଵଂ ମାନଵର ଅନ୍ୟାନ୍ୟ Homo ଜାତିଗୁଡ଼ିକୁ ଵିଲୁପ୍ତି ଆଡ଼କୁ ଠେଲି ଦେଲେ। ଏହି ମଧ୍ୟଵର୍ତ୍ତୀ ସହସ୍ରାବ୍ଦୀଗୁଡ଼ିକରେ, ଯଦ୍ୟପି ଏହି ପ୍ରାଚୀନ ସାପିଏନ୍ସମାନେ ଦେଖିଵାକୁ ପୂରା ଆମ ଭଳି ଥିଲେ ଏଵଂ ସେମାନଙ୍କ ମସ୍ତିଷ୍କ ମଧ୍ୟ ଆମ ମସ୍ତିଷ୍କ ଭଳି ବଡ଼ ଥିଲା, ତଥାପି ଅନ୍ୟ ମାନଵ ଵା Homo ଜାତିଗୁଡ଼ିକ ତୁଳନାରେ ସେମାନଙ୍କର କୌଣସି ଵିଶେଷ ସୁଵିଧା ଵା ଅଧିକାର ନଥିଲା, ସେମାନେ କୌଣସି ଅତ୍ୟାଧୁନିକ ହାତହତିଆର ତିଆରି କରିପାରି ନଥିଲେ କିମ୍ଵା ଅନ୍ୟ କୌଣସି ଵିଶେଷ ସଫଳତା ଲାଭ କରିପାରି ନଥିଲେ।
ପ୍ରକୃତରେ କହିଵାକୁ ଗଲେ, ସାପିଏନ୍ସ ଓ ନିଆଣ୍ଡରଥାଲ୍‌ମାନଙ୍କ ମଧ୍ୟରେ ହୋଇଥିଵା ପ୍ରଥମ ସଂଘର୍ଷରେ ନିଆଣ୍ଡରଥାଲ୍‌ମାନେ ହିଁ ଜିତିଥିଲେ। ପ୍ରାୟ ୧୦୦,୦୦୦ ଵର୍ଷ ପୂର୍ଵେ, କିଛି ସାପିଏନ୍ସ ଗୋଷ୍ଠୀ ଉତ୍ତର ଆଡ଼କୁ Levant ଅଞ୍ଚଳକୁ ପ୍ରଵ୍ରଜନ ଵା ସ୍ଥାନାନ୍ତରଣ କରିଥିଲେ । ସେତେବେଳେ ସେ ଅଞ୍ଚଳ ନିଆଣ୍ଡରଥାଲ୍‌ମାନଙ୍କର ସାମ୍ରାଜ୍ୟ ଥିଲା । ସାପିଏନ୍ସମାନେ Levant ଅଞ୍ଚଳରେ ନିଜର ସ୍ଥାନ ସୁଦୃଢ଼ କରିଵାରେ ଵିଫଳ ହେଲେ। ଏହା ସେଠାକାର ଉଗ୍ର ସ୍ଥାନୀୟ ବାସିନ୍ଦା, ପ୍ରତିକୂଳ ଜଳଵାୟୁ କିମ୍ଵା ଅପରିଚିତ ସ୍ଥାନୀୟ ପରଜୀଵୀମାନଙ୍କ ଯୋଗୁଁ ହୋଇଥାଇପାରେ। କାରଣ ଯାହା ବି ହେଉ, ଶେଷରେ ସାପିଏନ୍ସମାନେ ସେଠାରୁ ପଛକୁ ହଟିଗଲେ ଏଵଂ ମଧ୍ୟପ୍ରାଚ୍ୟ ଉପରେ ନିଆଣ୍ଡରଥାଲ୍‌ମାନଙ୍କର ଆଧିପତ୍ୟ ବଜାୟ ରହିଲା।

ସଫଳତାର ଏହି ଦୁର୍ଵଳ ରେକର୍ଡ ଗଵେଷକମାନଙ୍କୁ ଏହା ଅନୁମାନ କରିଵାକୁ ବାଧ୍ୟ କରିଛି ଯେ, ସେହି ସମୟର ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନ ବୋଧହୁଏ ଆମଠାରୁ ଭିନ୍ନ ଥିଲା। ସେମାନେ ଦେଖିଵାକୁ ଆମ ଭଳି ଥିଲେ ସତ, କିନ୍ତୁ ସେମାନଙ୍କର ଜ୍ଞାନଗତ ଦକ୍ଷତା ଯଥା :  ଶିଖିଵା, ମନେରଖିଵା ଓ ଭାଵ ଵିନିମୟ କରିଵା ଇତ୍ୟାଦି ବହୁତ ସୀମିତ ଥିଲା। ସେହିଭଳି ଜଣେ ପ୍ରାଚୀନ ସାପିଏନ୍ସକୁ ଇଂରାଜୀ ଶିଖାଇଵା, ଖ୍ରୀଷ୍ଟିଆନ ଧର୍ମର ନୀତି ଵିଷୟରେ ବୁଝାଇଵା କିମ୍ଵା ଵିଵର୍ତ୍ତନଵାଦର ସିଦ୍ଧାନ୍ତ ବୁଝାଇଵା ସମ୍ପୂର୍ଣ୍ଣ ନିରର୍ଥକ ପ୍ରୟାସ ହୋଇଥାନ୍ତା। ଅନୁରୂପ ଭାବରେ, ଆମ ପାଇଁ ମଧ୍ୟ ତାଙ୍କ ଭାଷା ଶିଖିଵା ଏଵଂ ତାଙ୍କର ଚିନ୍ତାଧାରାକୁ ବୁଝିଵା ଅତ୍ୟନ୍ତ କଷ୍ଟକର ହୋଇଥାନ୍ତା।

କିନ୍ତୁ ତା’ପରେ, ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ଆରମ୍ଭ କରି Homo sapiens କିଛି ଅତି ଵିଶେଷ କାର୍ଯ୍ୟ କରିଵା ଆରମ୍ଭ କଲେ। ସେହି ସମୟ ମଧ୍ୟରେ ସାପିଏନ୍ସ ଦଳ ଦ୍ୱିତୀୟ ଥର ପାଇଁ ଆଫ୍ରିକା ଛାଡ଼ି ବାହାରକୁ ଆସିଲେ। ଏଥର ସେମାନେ ନିଆଣ୍ଡରଥାଲ୍ ଏଵଂ ଅନ୍ୟ ସମସ୍ତ ମାନଵଜାତିକୁ କେଵଳ ମଧ୍ୟପ୍ରାଚ୍ୟରୁ ନୁହେଁ, ଵରଂ ସମଗ୍ର ପୃଥିଵୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେଲେ। ପୁଣି ଆଶ୍ଚର୍ଯ୍ୟଜନକ ଭାବେ ସ୍ୱଳ୍ପ ସମୟ ମଧ୍ୟରେ, ସାପିଏନ୍ସମାନେ ୟୁରୋପ ଏଵଂ ପୂର୍ଵ ଏସିଆରେ ପହଞ୍ଚିଗଲେ। ପ୍ରାୟ ୪୫,୦୦୦ ଵର୍ଷ ପୂର୍ଵେ, Homo sapiensମାନେ କେମିତି କେଜାଣି ଖୋଲା ସମୁଦ୍ର ପାର ହୋଇ ଅଷ୍ଟ୍ରେଲିଆରେ ପାଦ ଥାପିଲେ ତାହା ଆଜି ବି ରହସ୍ୟ ହୋଇ ରହିଛି । ସେ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଏମିତି ଏକ ମହାଦେଶ ଥିଲା ଯେଉଁଠାକୁ ପୂର୍ଵରୁ କେଵେ ମଣିଷ ପହଞ୍ଚି ନଥିଲା।

ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵରୁ ୩୦,୦୦୦ ଵର୍ଷ ପୂର୍ଵ ପର୍ଯ୍ୟନ୍ତର ସମୟସୀମା ମଧ୍ୟରେ ଡଙ୍ଗା, ତେଲ ଦୀପ, ଧନୁ-ତୀର ଓ ଛୁଞ୍ଚି (ଯାହା ଶୀତଦିନେ ଗରମ ପୋଷାକ ସିଲେଇ କରିଵା ପାଇଁ ଅତ୍ୟନ୍ତ ଜରୁରୀ ଥିଲା) ଭଳି ଜିନିଷର ଉଦ୍ଭାଵନ ହୋଇଥିଲା। ଏହି ଯୁଗରୁ ହିଁ ପ୍ରଥମ ଥର ପାଇଁ କଳାତ୍ମକ ଜିନିଷର ପ୍ରମାଣ ମିଳିଥାଏ ଏଵଂ ଏହି ସମୟରେ ହିଁ ଧର୍ମ, ଵାଣିଜ୍ୟ ଏଵଂ ସାମାଜିକ ସ୍ତରୀକରଣର ପ୍ରଥମ ସ୍ପଷ୍ଟ ପ୍ରମାଣ ମିଳିଥାଏ। ଅଧିକାଂଶ ଗଵେଷକ ଵିଶ୍ୱାସ କରନ୍ତି ଯେ, ଏହି ଅଭୂତପୂର୍ଵ ସଫଳତାଗୁଡ଼ିକ ସାପିଏନ୍ସମାନଙ୍କର ଜ୍ଞାନଗତ ଦକ୍ଷତାରେ ଆସିଥିଵା ଏକ ଵିପ୍ଳଵର ପରିଣାମ ଥିଲା। ସେମାନଙ୍କ ମତରେ, ଯେଉଁମାନେ ନିଆଣ୍ଡରଥାଲ୍‌ମାନଙ୍କୁ ଵିଲୁପ୍ତ କଲେ, ଅଷ୍ଟ୍ରେଲିଆରେ ଵସତି ସ୍ଥାପନ କଲେ ଏଵଂ ଷ୍ଟାଡେଲ୍ ସିଂହ-ମାନଵର ମୂର୍ତ୍ତି ଖୋଦେଇ କଲେ, ସେମାନେ ଆଜିର ଆମ ସଦୃଶ ହିଁ ବୁଦ୍ଧିମାନ, ସୃଜନଶୀଳ ଓ ସମ୍ଵେଦନଶୀଳ ଥିଲେ। ଯଦି ଆମେ ଷ୍ଟାଡେଲ୍ ଗୁମ୍ଫାର ସେହି କଳାକାରମାନଙ୍କୁ ଭେଟିଵା, ତେବେ ଆମେ ସେମାନଙ୍କ ଭାଷା ଶିଖିପାରିଵା ଏଵଂ ସେମାନେ ଆମ ଭାଷା ଶିଖିପାରିବେ। ଆମେ ସେମାନଙ୍କୁ ଆମେ ଜାଣିଥିଵା ସବୁକିଛି ବୁଝାଇ ପାରିଵା – 'Alice in Wonderland'ର ଦୁଃସାହସିକ କାହାଣୀଠାରୁ ଆରମ୍ଭ କରି କ୍ୱାଣ୍ଟମ୍ ଫିଜିକ୍ସର ଜଟିଳତା ପର୍ଯ୍ୟନ୍ତ – ଏଵଂ ସେମାନେ ମଧ୍ୟ ସେମାନଙ୍କର ଲୋକମାନେ ଦୁନିଆକୁ କେମିତି ଦେଖନ୍ତି, ତାହା ଆମକୁ ଶିଖାଇ ପାରିଵେ।

ଆଜକୁ ପ୍ରାୟ ୭୦,୦୦୦ରୁ ୩୦,୦୦୦ ଵର୍ଷ ପୂର୍ଵେ ଚିନ୍ତା କରିଵା ଏଵଂ ଭାଵ ଵିନିମୟ କରିଵାର ଏହି ନୂତନ ଶୈଳୀର ଆଵିର୍ଭାଵକୁ ହିଁ "ଜ୍ଞାନଗତ ଵିପ୍ଳଵ" ଵା Cognitive Revolution କୁହାଯାଏ। ଏହାର କାରଣ କଣ ଥିଲା? ଆମେ ନିଶ୍ଚିତ ଭାବେ ଏହାର କାରଣ ଜାଣିପାରିନାହୁଁ। ତେବେ ଏ ସମ୍ବନ୍ଧୀୟ ସବୁଠାରୁ ଗ୍ରହଣୀୟ ସିଦ୍ଧାନ୍ତ ଅନୁଯାୟୀ, ଆକସ୍ମିକ ଜେନେଟିକ୍ ମ୍ୟୁଟେସନ୍ ଵା ଵଂଶଗତ ପରିଵର୍ତ୍ତନ ଯୋଗୁଁ ସାପିଏନ୍ସମାନଙ୍କ ମସ୍ତିଷ୍କର ଆଭ୍ୟନ୍ତରୀଣ ଗଠନକୁ ବଦଳାଇ ଦେଇଥିଲା ଯାହା ସେମାନଙ୍କୁ ଏକ ଅଭୂତପୂର୍ଵ ଢଙ୍ଗରେ ଚିନ୍ତା କରିଵାକୁ ଏଵଂ ଏକ ସମ୍ପୂର୍ଣ୍ଣ ନୂତନ ପ୍ରକାରର ଭାଷା ଵ୍ୟଵହାର କରି ଯୋଗାଯୋଗ କରିଵାକୁ ସକ୍ଷମ କଲା। ଆମେ ଏହାକୁ "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" Tree of Knowledge mutation ବୋଲି କହିପାରିଵା। ଏହା ନିଆଣ୍ଡରଥାଲ୍‌ମାନଙ୍କ ବଦଳରେ କେଵଳ ସାପିଏନ୍ସଙ୍କ ଡିଏନ୍ଏ (DNA) ରେ କାହିଁକି ଘଟିଲା? ଆମ ଜ୍ଞାତସାରରେ ଏହା କେଵଳ ସୌଭାଗ୍ୟଵଶତଃ ଘଟିଥିଲା। କିନ୍ତୁ ଏହି "ଜ୍ଞାନର ଵୃକ୍ଷ ପରିଵର୍ତ୍ତନ" ର କାରଣ ଅପେକ୍ଷା ତାର ପରିଣାମକୁ ବୁଝିଵା ଅଧିକ ଗୁରୁତ୍ୱପୂର୍ଣ୍ଣ। ସାପିଏନ୍ସଙ୍କ ଏହି ନୂତନ ଭାଷାରେ ଏମିତି କଣ ଵିଶେଷତ୍ୱ ଥିଲା, ଯାହା ଆମକୁ ସାରା ପୃଥିଵୀ ଜୟ କରିଵାରେ ସାହାଯ୍ୟ କଲା?

ଏହା ପୃଥିଵୀର ପ୍ରଥମ ଭାଷା ନଥିଲା। ପ୍ରତ୍ୟେକ ଜୀଵଙ୍କର କିଛି ନା କିଛି ଭାଷା ଥାଏ। ଏପରିକି ପିମ୍ପୁଡ଼ି ଓ ମହୁମାଛି ଭଳି କୀଟପତଙ୍ଗମାନେ ମଧ୍ୟ ପରସ୍ପର ସହ ଅତ୍ୟନ୍ତ ଜଟିଳ ଭାବେ ଯୋଗାଯୋଗ କରିପାରନ୍ତି ଏଵଂ ଖାଦ୍ୟ କେଉଁଠି ଅଛି ତାହାର ସୂଚନା ଦେଇଥାନ୍ତି। ଏହା ପ୍ରଥମ କଣ୍ଠସ୍ୱର ଭିତ୍ତିକ ଭାଷା ଵା vocal language ମଧ୍ୟ ନଥିଲା। ମାଙ୍କଡ଼ ଓ ସିମ୍ପାଞ୍ଜୀ ଜାତି ସମେତ ଅନେକ ପ୍ରାଣୀଙ୍କର କଣ୍ଠସ୍ୱର ଭିତ୍ତିକ ଭାଷା ରହିଛି। ଉଦାହରଣ ସ୍ୱରୂପ, ସବୁଜ ମାଙ୍କଡ଼ମାନେ ପରସ୍ପର ସହିତ ଯୋଗାଯୋଗ ପାଇଁ ଵିଭିନ୍ନ ପ୍ରକାରର ଶବ୍ଦ ଵ୍ୟଵହାର କରନ୍ତି। ପ୍ରାଣୀଵିଜ୍ଞାନୀମାନେ ଏମିତି ଏକ ଶବ୍ଦ ଚିହ୍ନଟ କରିଛନ୍ତି ଯାହାର ଅର୍ଥ ହେଉଛି, ‘ସାଵଧାନ! ଚିଲ/ଈଗଲ୍!’ ଏଵଂ ଅନ୍ୟ ଏକ ଭିନ୍ନ ଶବ୍ଦ ଚେତାଵନୀ ଦିଏ, ‘ସାଵଧାନ! ସିଂହ!’ ଯେତେବେଳେ ଗଵେଷକମାନେ ମାଙ୍କଡ଼ ଦଳ ସାମ୍ନାରେ ପ୍ରଥମ ଶବ୍ଦର ଏକ ରେକର୍ଡିଂ ବଜାଇଲେ, ମାଙ୍କଡ଼ମାନେ ସେମାନଙ୍କ କାମ ବନ୍ଦ କରି ଭୟରେ ଉପରକୁ ଚାହିଁଲେ। ଯେତେବେଳେ ସେହି ଦଳ ଦ୍ୱିତୀୟ ଶବ୍ଦ ଅର୍ଥାତ୍ ସିଂହର ଚେତାଵନୀ ଶୁଣିଲେ, ସେମାନେ ଶୀଘ୍ର ଦୌଡ଼ିଯାଇ ଗଛ ଉପରକୁ ଚଢ଼ିଗଲେ। ସାପିଏନ୍ସମାନେ ସବୁଜ ମାଙ୍କଡ଼ମାନଙ୍କ ଅପେକ୍ଷା ଅଧିକ ସ୍ପଷ୍ଟ ଏଵଂ ଭିନ୍ନ ଭିନ୍ନ ଶବ୍ଦ ସୃଷ୍ଟି କରିପାରନ୍ତି, କିନ୍ତୁ ତିମି ଓ ହାତୀମାନଙ୍କର ମଧ୍ୟ ସେହିଭଳି ଚମତ୍କାର ଦକ୍ଷତା ଅଛି। ଆଲବର୍ଟ ଆଇନଷ୍ଟାଇନ ଯାହା ବି କହିପାରୁଥିଲେ, ଏକ ଶୁଆ ମଧ୍ୟ ସେସବୁ କହିପାରିଵ ଏଵଂ ତା’ ସହିତ ଫୋନ୍ ରିଙ୍ଗ୍ ହେଵା, କବାଟ ବାଡ଼େଇଵା ଓ ସାଇରନ୍ ବାଜିଵାର ଶବ୍ଦକୁ ମଧ୍ୟ ନକଲ କରିପାରିଵ। ଆଇନଷ୍ଟାଇନଙ୍କର ଶୁଆ ପାଖରେ ଯାହା ବି ସୁଵିଧା ଵା ଶ୍ରେଷ୍ଠତା ଥିଲା, ତାହା କଣ୍ଠସ୍ୱର ଜନିତ ନଥିଲା। ତାହେଲେ, ଆମ ଭାଷାରେ ଏମିତି କ’ଣ ଵିଶେଷତ୍ୱ ଅଛି?

ଏହାର ସବୁଠାରୁ ସାଧାରଣ ଉତ୍ତର , ଆମ ଭାଷା ଆଶ୍ଚର୍ଯ୍ୟଜନକ ଭାବେ ନମନୀୟ ଵା ପରିଵର୍ତ୍ତନଶୀଳ ଅଟେ । ଆମେ ଏକ ସୀମିତ ସଂଖ୍ୟକ ଶବ୍ଦ ଓ ସଙ୍କେତକୁ ଯୋଡ଼ି ଅସୀମ ସଂଖ୍ୟକ ଵାକ୍ୟ ତିଆରି କରିପାରିଵା, ଯାହାର ପ୍ରତ୍ୟେକର ଏକ ଭିନ୍ନ ଓ ସ୍ପଷ୍ଟ ଅର୍ଥ ଥାଏ। ଏହାଦ୍ୱାରା ଆମେ ଆମ ଚାରିପାଖର ଦୁନିଆ ଵିଷୟରେ ବହୁତ ବଡ଼ ପରିମାଣର ସୂଚନା ଗ୍ରହଣ, ସଂରକ୍ଷଣ ଓ ଆଦାନପ୍ରଦାନ କରିପାରୁ। ଏକ ସବୁଜ ମାଙ୍କଡ଼ ତାର ସାଥୀମାନଙ୍କୁ ଚିତ୍କାର କରି କହିପାରେ, 'ସାଵଧାନ! ସିଂହ!' କିନ୍ତୁ ଜଣେ ଆଧୁନିକ ମଣିଷ ତାର ସାଙ୍ଗମାନଙ୍କୁ କହିପାରିଵ ଯେ, ଆଜି ସକାଳେ ନଦୀର ବାଙ୍କ ପାଖରେ ସେ ଏକ ସିଂହକୁ ଅରଣା ମଇଁଷି ଦଳର ପିଛା କରୁଥିଵାର ଦେଖିଛି। ସେ ଏହାପରେ ସେହି ସ୍ଥାନର ନିର୍ଭୁଲ୍ ଅଵସ୍ଥିତି ଏଵଂ ସେଠାକୁ ଯାଉଥିଵା ଵିଭିନ୍ନ ରାସ୍ତା ଵିଷୟରେ ମଧ୍ୟ ଵର୍ଣ୍ଣନା କରିପାରିଵ। ଏହି ସୂଚନା ସାହାଯ୍ୟରେ, ତାର ଦଳର ସଦସ୍ୟମାନେ ଏକାଠି ବସି ଆଲୋଚନା କରିପାରିବେ ଯେ ସେମାନେ ସିଂହକୁ ଘଉଡ଼ାଇଵା ଏଵଂ ଅରଣାମଇଁଷି ଶିକାର କରିଵା ପାଇଁ ନଦୀ ପାଖକୁ ଯିଵା ଉଚିତ୍ କି ନୁହେଁ।
ଗଵେଷକମାନଙ୍କ ଦ୍ଵାରା ପ୍ରଦତ୍ତ ଆଉ ଏକ ଦ୍ୱିତୀୟ ସିଦ୍ଧାନ୍ତ ମଧ୍ୟ ଏହା ସ୍ୱୀକାର କରେ ଯେ ଆମର ଏହି ଅଦ୍ୱିତୀୟ ଭାଷା ଦୁନିଆ ଵିଷୟରେ ସୂଚନା ବାଣ୍ଟିଵା ପାଇଁ ଵିକଶିତ ହୋଇଛି। କିନ୍ତୁ ଗଵେଷକମାନଙ୍କ ମତରେ, ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଵା ଦରକାର ଥିଲା, ତାହା ସିଂହ ଏଵଂ ମଇଁଷି ଵିଷୟରେ ନୁହେଁ, ଵରଂ ମଣିଷମାନଙ୍କ ଵିଷୟରେ ଥିଲା। ଆମ ଭାଷା ପ୍ରକୃତରେ 'ଗପସପ' କିମ୍ଵା ପରଚର୍ଚ୍ଚା କରିଵା ପାଇଁ ଵିକଶିତ ହୋଇଥିଲା ଏଵଂ ଏହାକୁ 'Gossip Theory' ଦ୍ଵାରା ଵ୍ୟାଖ୍ୟା କରାଯାଇଛି । ଏହି ସିଦ୍ଧାନ୍ତ ଅନୁଯାୟୀ, ହୋମୋ ସାପିଏନ୍ସ ମୁଖ୍ୟତଃ ଏକ ସାମାଜିକ ପ୍ରାଣୀ। ସାମାଜିକ ସହଯୋଗ ହିଁ ଆମର ବଞ୍ଚିଵା ଓ ଵଂଶଵୃଦ୍ଧିର ଚାବିକାଠି ଅଟେ। କେଵଳ ସିଂହ ଓ ମଇଁଷି କେଉଁଠି ଅଛନ୍ତି ତାହା ଜଣେ ପୁରୁଷ ଵା ମହିଳା ଜାଣିଵା ଯଥେଷ୍ଟ ନୁହେଁ। ସେମାନଙ୍କ ପାଇଁ ଏହା ଜାଣିଵା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ସେମାନଙ୍କ ଦଳରେ କିଏ କାହାକୁ ସ୍ନେହ କରେ ଵା ଘୃଣା କରେ, କିଏ କାହା ସହ ଶୋଉଛି, କିଏ ସଚ୍ଚୋଟ ଏଵଂ କିଏ ପ୍ରତାରକ ଵା ଠକ ଅଟେ । ମାତ୍ର କିଛି ଡର୍ଜନ ଲୋକଙ୍କର ସଦା-ପରିଵର୍ତ୍ତନଶୀଳ ସମ୍ପର୍କ ଉପରେ ଦୃଷ୍ଟି ରଖିଵା ପାଇଁ ଯେଉଁ ପରିମାଣର ସୂଚନା ସଂଗ୍ରହ ଓ ସଂରକ୍ଷଣ କରିଵାକୁ ପଡ଼େ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଉଦାହରଣ ସ୍ୱରୂପ ପଚାଶ ଜଣ ଵିଶିଷ୍ଟ ଏକ ଦଳରେ, ୧,୨୨୫ଟି ଵ୍ୟକ୍ତିଗତ ଵା ଦ୍ୱିପାକ୍ଷିକ ସମ୍ପର୍କ ଥାଏ, ଏଵଂ ଏହାଠାରୁ ଅଧିକ ଜଟିଳ ସାମାଜିକ ସଂଯୋଗ ମଧ୍ୟ ଥାଏ। ସମସ୍ତ ମାଙ୍କଡ଼ କିମ୍ଵା ଗରିଲା ଜାତି ଏଭଳି ସାମାଜିକ ସୂଚନା ପ୍ରତି ପ୍ରଵଳ ଆଗ୍ରହ ଦେଖାନ୍ତି, କିନ୍ତୁ ସେମାନେ ପ୍ରଭାଵଶାଳୀ ଭାବେ ଗପସପ ଵା ପରଚର୍ଚ୍ଚା କରିପାରନ୍ତି ନାହିଁ। ନିଆଣ୍ଡରଥାଲ୍ ଓ ପ୍ରାଚୀନ ହୋମୋ ସାପିଏନ୍ସମାନଙ୍କ ପାଇଁ ମଧ୍ୟ ପରସ୍ପର ପଛରେ ବସି ଚର୍ଚ୍ଚା କରିଵା ବୋଧହୁଏ କଷ୍ଟକର ଥିଲା । ପରଚର୍ଚ୍ଚା କରିଵା ଏମିତି ଦକ୍ଷତା ଯାହାକୁ ସାଧାରଣତଃ ଖରାପ ବୋଲି କୁହାଯାଏ, କିନ୍ତୁ ଵାସ୍ତଵରେ ବଡ଼ ସଂଖ୍ୟାରେ ଏକାଠି ସହଯୋଗ କରି କାମ କରିଵା ପାଇଁ ଏହା ଅତ୍ୟନ୍ତ ଜରୁରୀ।
ଏହି ନୂତନ ଭାଷାଗତ ଦକ୍ଷତା ଯାହା ଆଧୁନିକ ସାପିଏନ୍ସମାନେ ପ୍ରାୟ ୭୦,୦୦୦ ଵର୍ଷ ପୂର୍ଵେ ଲାଭ କରିଥିଲେ, ତାହା ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଗପସପ କରିଵାକୁ ସକ୍ଷମ କଲା। କାହାକୁ ଵିଶ୍ୱାସ କରାଯାଇପାରିଵ, ସେ ଵିଷୟରେ ଠିକ୍ ସୂଚନା ମିଳିଵା ଯୋଗୁଁ ଛୋଟ ଛୋଟ ଦଳଗୁଡ଼ିକ ବଡ଼ ଦଳରେ ପରିଣତ ହୋଇପାରିଲେ ଏଵଂ ସାପିଏନ୍ସମାନେ ଅଧିକ ନିଵିଡ଼ ଓ ସୁଦୃଢ଼ ସହଯୋଗ ପ୍ରତିଷ୍ଠା କରିପାରିଲେ।

ଏହି 'Gossip Theory' ଵା ଗପସପ ସିଦ୍ଧାନ୍ତ ହୁଏତ ଏକ ମଜାଳିଆ କଥା ଭଳି ମନେହୋଇପାରେ, କିନ୍ତୁ ଅନେକ ଗଵେଷଣା ଏହାକୁ ସମର୍ଥନ କରେ। ଆଜି ମଧ୍ୟ ମାନଵ ସମାଜର ଅଧିକାଂଶ ଯୋଗାଯୋଗ – ତାହା ଇମେଲ୍, ଫୋନ୍ କଲ୍ କିମ୍ଵା ଖଵରକାଗଜର ସ୍ତମ୍ଭ ଆକାରରେ ହେଉ ନା କାହିଁକି – ସେସବୁ ପ୍ରକୃତରେ ଏକ ପ୍ରକାର ଗପସପ କିମ୍ଵା ପରଚର୍ଚ୍ଚା ହିଁ ଅଟେ। ଏହା ଆମ ଭିତରେ ଏତେ ସ୍ୱାଭାଵିକ ଭାବେ ଦେଖାଯାଏ ଯେ ମନେହୁଏ ଯେମିତି ଆମ ଭାଷା କେଵଳ ଏହି ଉଦ୍ଦେଶ୍ୟ ପାଇଁ ହିଁ ଵିକଶିତ ହୋଇଛି। ଆପଣ କଣ ଭାବୁଛନ୍ତି, ଇତିହାସର ପ୍ରଫେସରମାନେ ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ଏକାଠି ହୁଅନ୍ତି, ସେତେବେଳେ ପ୍ରଥମ ଵିଶ୍ୱଯୁଦ୍ଧର କାରଣ ଵିଷୟରେ ଆଲୋଚନା କରନ୍ତି? କିମ୍ଵା ପରମାଣୁ ଵିଜ୍ଞାନୀମାନେ ଵୈଜ୍ଞାନିକ ସମ୍ମିଳନୀରେ ସେମାନଙ୍କ କଫି ବ୍ରେକ୍ ସମୟରେ କ୍ୱାର୍କ (quarks) ଵିଷୟରେ କଥା ହୁଅନ୍ତି ? ବେଳେ ବେଳେ ହୁଏତ କରନ୍ତି। କିନ୍ତୁ ଅଧିକାଂଶ ସମୟରେ, ସେମାନେ ସେହି ମହିଳା ପ୍ରଫେସରଙ୍କ ଵିଷୟରେ ଗପନ୍ତି ଯିଏ ତାଙ୍କ ସ୍ୱାମୀଙ୍କ ପ୍ରତାରଣା ଧରିଛନ୍ତି କିମ୍ଵା ଵିଭାଗୀୟ ମୁଖ୍ୟ ଓ ଡିନ୍‌ଙ୍କ ମଧ୍ୟରେ ହୋଇଥିଵା କଳି ଵିଷୟରେ, କିମ୍ଵା କୌଣସି ଜଣେ ସହକର୍ମୀ ନିଜ ଗଵେଷଣା ପାଣ୍ଠିରୁ ଏକ Lexus ଗାଡ଼ି କିଣିଥିଵା ଗୁଜବ ଵିଷୟରେ ଆଲୋଚନା କରନ୍ତି। ଗପସପ ସାଧାରଣତଃ କାହାର ଭୁଲ୍ କାମ ଉପରେ କେନ୍ଦ୍ରୀଭୂତ ହୋଇଥାଏ। ଏହି ଗୁଜବ ସୃଷ୍ଟି କରୁଥିଵା ଲୋକମାନେ ହିଁ ପ୍ରକୃତରେ ସମାଜର ମୂଳ 'ଚତୁର୍ଥ ସ୍ତମ୍ଭ' (fourth estate), ଅର୍ଥାତ୍ ସେମାନେ ସାମ୍ଵାଦିକଙ୍କ ଭଳି କାମ କରନ୍ତି ଯିଏ ସମାଜକୁ ଠକ ଓ ମାଗଣାଖୋର ମାନଙ୍କ ଵିଷୟରେ ସୂଚନା ଦେଇ ସୁରକ୍ଷିତ ରଖନ୍ତି।

କଳ୍ପନା ଏଵଂ ସାମୂହିକ ଵିଶ୍ୱାସର ଶକ୍ତି
ଖୁଵ୍ ସମ୍ଭଵ, ଉଭୟ 'Gossip Theory' ଏଵଂ 'There-is-a-lion-near-the-river Theory' (ନଦୀ କୂଳରେ ସିଂହ ଅଛି ସିଦ୍ଧାନ୍ତ) ଦୁଇଟିଯାକ ଵୈଧ ଵା ସତ ଅଟେ। ତଥାପି, ଆମ ଭାଷାର ପ୍ରକୃତ ଅଦ୍ୱିତୀୟ ଵୈଶିଷ୍ଟ୍ୟ ଏହା ନୁହେଁ ଯେ ଏହା ମଣିଷ ଓ ସିଂହ ଵିଷୟରେ ସୂଚନା ଦେଇପାରେ। ଵରଂ, ଏହାର ପ୍ରକୃତ ଵିଶେଷତ୍ୱ ହେଉଛି ଏମିତି ଜିନିଷ ଵିଷୟରେ ସୂଚନା ଦେଵା, ଯାହାର ଵାସ୍ତଵରେ କୌଣସି ଅସ୍ତିତ୍ୱ ହିଁ ନାହିଁ। ଯେଉଁ ପର୍ଯ୍ୟନ୍ତ ଆମେ ଜାଣିଛୁ, କେଵଳ ସାପିଏନ୍ସ ହିଁ ଏଭଳି ଜିନିଷ ଵା ସତ୍ତା ଵିଷୟରେ କଥା ହୋଇପାରନ୍ତି ଯାହାକୁ ସେମାନେ କେବେ ଦେଖିନାହାନ୍ତି, ଛୁଇଁନାହାନ୍ତି କିମ୍ଵା ଶୁଙ୍ଘିନାହାନ୍ତି।

ପୌରାଣିକ କାହାଣୀ, କିମ୍ଵଦନ୍ତୀ, ଭଗଵାନ ଓ ଧର୍ମ – ଏସବୁ ଜ୍ଞାନଗତ ଵିପ୍ଳଵ ଵା Cognitive Revolution ସହିତ ପ୍ରଥମ ଥର ପାଇଁ ପ୍ରକାଶ ପାଇଲା। ଅନେକ ପଶୁ ଏଵଂ ମାନଵ ଜାତି ପୂର୍ଵରୁ କହିପାରୁଥିଲେ, 'ସାଵଧାନ! ସିଂହ!' କିନ୍ତୁ ଜ୍ଞାନଗତ ଵିପ୍ଳଵ ଯୋଗୁଁ, ହୋମୋ ସାପିଏନ୍ସ ଏହା କହିଵାର କ୍ଷମତା ଲାଭ କଲେ ଯେ, 'ସିଂହ ହେଉଛି ଆମ ଜାତି ଵା ଆଦିଵାସୀ ଗୋଷ୍ଠୀର ରକ୍ଷାକାରୀ ଆତ୍ମା ଵା guardian spirit।' କାଳ୍ପନିକ କଥା ଵା fictions ଵିଷୟରେ କହିଵାର ଏହି କ୍ଷମତା ହିଁ ସାପିଏନ୍ସ ଭାଷାର ସବୁଠାରୁ ଅଦ୍ୱିତୀୟ ଵୈଶିଷ୍ଟ୍ୟ।

ଏହି କଥାରେ ସହମତ ହେଵା ସହଜ ଯେ କେଵଳ ହୋମୋ ସାପିଏନ୍ସ ହିଁ ଵାସ୍ତଵରେ ଅସ୍ତିତ୍ୱ ନଥିଵା ଜିନିଷ ଵିଷୟରେ କଥା ହୋଇପାରନ୍ତି ଏଵଂ ସକାଳ ଜଳଖିଆ ପୂର୍ଵରୁ ଛଅଟି ଅସମ୍ଭଵ କଥା ଉପରେ ଵିଶ୍ୱାସ କରିପାରନ୍ତି। ଆପଣ କେବେ ହେଲେ ଗୋଟିଏ ମାଙ୍କଡ଼କୁ ଏହା କହି ବୁଝାଇପାରିବେ ନାହିଁ ଯେ, 'ତୁ ମତେ ଏବେ ଗୋଟେ କଦଳୀ ଦେଇଦେ, ମଲା ପରେ ମାଙ୍କଡ଼ ସ୍ୱର୍ଗରେ ତତେ ଅସଂଖ୍ୟ କଦଳୀ ମିଳିଵ।' କିନ୍ତୁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? ପରିଶେଷରେ, କଳ୍ପନା ତ ଵିପଜ୍ଜନକ ଭାବେ ଵିଭ୍ରାନ୍ତିକର କିମ୍ଵା ମନକୁ ଅନ୍ୟଆଡ଼େ ନେଇଯାଉଥିଵା ଜିନିଷ ହୋଇପାରେ। ଯେଉଁ ଲୋକମାନେ ଜଙ୍ଗଲକୁ ପରୀ (fairies) ଓ ଏକଶୃଙ୍ଗୀ ଘୋଡ଼ା (unicorns) ଖୋଜିଵାକୁ ଯାଆନ୍ତି, ସେମାନଙ୍କ ବଞ୍ଚିଵାର ସମ୍ଭାଵନା ସେହି ଲୋକମାନଙ୍କ ଅପେକ୍ଷା କମ୍ ଯେଉଁମାନେ ଛତୁ ଓ ହରିଣ ଖୋଜିଵାକୁ ଯାଆନ୍ତି। ଏଵଂ ଯଦି ଆପଣ କାଳ୍ପନିକ ରକ୍ଷାକାରୀ ଆତ୍ମାମାନଙ୍କୁ ପ୍ରାର୍ଥନା କରି ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି, ତେବେ ଆପଣ ସେହି ମୂଲ୍ୟଵାନ ସମୟକୁ ନଷ୍ଟ କରୁନାହାନ୍ତି କି, ଯେଉଁ ସମୟକୁ ଖାଦ୍ୟ ସଂଗ୍ରହ କରିଵାରେ, ଯୁଦ୍ଧ କରିଵାରେ କିମ୍ଵା ଶାରୀରିକ ସମ୍ପର୍କ ରଖିଵାରେ ଵ୍ୟଵହାର କରାଯାଇପାରନ୍ତା?
କିନ୍ତୁ କଳ୍ପନା ଆମକୁ କେଵଳ ଜିନିଷଗୁଡ଼ିକୁ ଭାବିଵା ପାଇଁ ସକ୍ଷମ କରିନାହିଁ ଵରଂ ତାହା 'ସାମୂହିକ ଭାବେ' କିଛି କରିଵାକୁ ସକ୍ଷମ କରିଛି। ଆମେ ସମସ୍ତେ ମିଶି କିଛି ସାଧାରଣ ପୁରାଣ ଵା କାହାଣୀ ପ୍ରସ୍ତୁତ କରିପାରୁ, ଯେପରିକି ବାଇବେଲର ସୃଷ୍ଟି କାହାଣୀ, ଅଷ୍ଟ୍ରେଲିଆର ଆଦିଵାସୀମାନଙ୍କର ଡ୍ରିମଟାଇମ୍ ପୁରାଣ ଏଵଂ ଆଧୁନିକ ରାଷ୍ଟ୍ରଗୁଡ଼ିକର ଜାତୀୟତାଵାଦୀ କାହାଣୀ। ଏହିଭଳି କାଳ୍ପନିକ କାହାଣୀ କିମ୍ଵା ଵିଶ୍ୱାସ ସାପିଏନ୍ସମାନଙ୍କୁ ବହୁତ ବଡ଼ ସଂଖ୍ୟାରେ ଏଵଂ ଅତି ନମନୀୟ ଵା ସହଜ ଭାବରେ ଏକାଠି କାମ କରିଵାର ଅଭୂତପୂର୍ଵ କ୍ଷମତା ଦେଇଥାଏ।

ପିମ୍ପୁଡ଼ି ଓ ମହୁମାଛିମାନେ ମଧ୍ୟ ଵିଶାଳ ସଂଖ୍ୟାରେ ଏକାଠି କାମ କରିପାରନ୍ତି, କିନ୍ତୁ ସେମାନଙ୍କର କାମ କରିଵାର ଶୈଳୀ ଅତି ସୀମିତ ଵା କଠୋର ଏଵଂ ସେମାନେ କେଵଳ ନିଜର ନିକଟତର ସମ୍ପର୍କୀୟମାନଙ୍କ ସହ ହିଁ ଏକାଠି କାମ କରନ୍ତି। କୋକିଶିଆଳି, ଗଧିଆ ଓ ସିମ୍ପାଞ୍ଜୀମାନେ ପିମ୍ପୁଡ଼ିମାନଙ୍କ ଅପେକ୍ଷା ଅଧିକ ନମନୀୟ ଭାବେ ସହଯୋଗ କରନ୍ତି, କିନ୍ତୁ ସେମାନେ କେଵଳ ସେହି ଅଳ୍ପ ସଂଖ୍ୟକ ଜୀଵମାନଙ୍କ ସହ କାମ କରିପାରନ୍ତି ଯାହାଙ୍କୁ ସେମାନେ ଭଲଭାଵେ ଜାଣିଥାନ୍ତି। ଅପରପକ୍ଷରେ, ସାପିଏନ୍ସମାନେ ଅସଂଖ୍ୟ ଅପରିଚିତ ଲୋକମାନଙ୍କ ସହିତ ଅତି ନମନୀୟ ଏଵଂ ଵିଭିନ୍ନ ଉପାୟରେ ସହଯୋଗ କରିପାରନ୍ତି। ଏହି କାରଣରୁ ହିଁ ସାପିଏନ୍ସମାନେ ସାରା ପୃଥିଵୀ ଉପରେ ଶାସନ କରୁଛନ୍ତି କିନ୍ତୁ ପିମ୍ପୁଡ଼ିମାନେ ଆମର ଵଳକା ଖାଦ୍ୟ ଖାଉଛନ୍ତି ଏଵଂ ସିମ୍ପାଞ୍ଜୀମାନେ ଚିଡ଼ିଆଖାନା ଓ ଗଵେଷଣାଗାର ଭିତରେ ବନ୍ଦ ହୋଇ ରହିଛନ୍ତି।
••••••••••••••••••••••••••••••••••••••••
ୟୁଵାଲ୍ ନୋଆ ହାରାରିଙ୍କ ପୁସ୍ତକ A brief history of humankindର ଦ୍ଵିତୀୟ ଅଧ୍ୟାୟର ପ୍ରଥମ ଭାଗ The Tree of Knowledgeର ଓଡ଼ିଆ ଭାଵାନୁଵାଦ 
••••••••••••••••••••••••••••••••••••••••