My Blog List

Showing posts with label ଶ୍ରୀମନ୍ଦିର. Show all posts
Showing posts with label ଶ୍ରୀମନ୍ଦିର. Show all posts

Monday, June 27, 2022

ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ?



"ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ?"

ଓଡ଼ିଶାଵାସୀମାନଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଦେଵା ସହଜ ନୁହେଁ । ଐତିହାସିକ ଓ ପୌରାଣିକ ମତ ଭିନ୍ନ ଭିନ୍ନ ହୋଇଥିଵାରୁ ଏହି ପ୍ରଶ୍ନଟିର ଯୁକ୍ତିଯୁକ୍ତ ଉତ୍ତର ମିଳିପାରେ ନାହିଁ । 

ପୁରାଣ ଓ କିମ୍ବଦନ୍ତୀ କହେ ମାଳଵର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ଵପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ଆଦୌ ଐତିହାସିକ ପ୍ରମାଣ ନାହିଁ । ମାଳଵରେ ଇନ୍ଦ୍ରଦ୍ୟୁମ୍ନ ନାମରେ କୌଣସି ରାଜା ଥିଲେ କି ନାହିଁ ତାହାର ଐତିହାସିକ ତଥ୍ୟ ମିଳେନାହିଁ । ଏହି ପୌରାଣିକ ମତ ସପକ୍ଷରେ ପୌରାଣିକ ମତ ଵିଶ୍ଵାସୀମାନେ କୁହନ୍ତି ଯେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା ହୋଇଥିଵାରୁ ତାଙ୍କ ସମ୍ବନ୍ଧରେ କଳିଯୁଗରେ ତଥ୍ୟ ଉଣ୍ଡିଵା ଧୃଷ୍ଟତା ମାତ୍ର । ତେବେ ଐତିହାସିକ କୁହନ୍ତି ଇନ୍ଦ୍ରଦ୍ୟୁମ୍ନ ପ୍ରକୃତରେ ରାଜଶକ୍ତିର ପ୍ରତୀକମାତ୍ର । ଐତିହାସିକଙ୍କ ମତରେ ଵିଭିନ୍ନ ସମୟକାଳରେ ନାନା ରାଜବଂଶ ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଵାରୁ ସମସ୍ତ ରାଜଶକ୍ତିଙ୍କର ପ୍ରତିନିଧିତ୍ଵ କରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ। 

ଅଦ୍ୟପି ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେଵଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ଵର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ଵିଶ୍ୱାସ କରାଯାଏ । ଏହା ସାଧାରଣ ଭାବେ ସ୍ୱୀକୃତ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେଵଙ୍କ ସମୟରେ ନିର୍ମିତ ହୋଇଥିଲା ବୋଲି ବହୁ ଵିଶିଷ୍ଟ ଐତିହାସିକ ତଥା ଗଵେଷକ ମତ ଦେଇଛନ୍ତି । 

କେତେଜଣ ଵିଦ୍ୱାନ ମତ ଦିଅନ୍ତି ଯେ ଚୋଡ଼ଗଙ୍ଗଦେଵ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ, କିନ୍ତୁ ଅନଙ୍ଗଭୀମଦେଵ(୩ୟ)ଙ୍କ ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ।

କେଉଁ ଐତିହାସିକ ପୁରୀ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧରେ କ'ଣ କ'ଣ ମତ ଦେଇଛନ୍ତି ତାହା ନିମ୍ନରେ ପ୍ରଦତ୍ତ ହେଲା...

(କ)ଷ୍ଟର୍ଲିିଙ୍ଗ୍‍ ତାଙ୍କର ଓଡ଼ିଶା ଇତିହାସରେ ଲେଖିଛନ୍ତି ଯେ, ଅନଙ୍ଗଭୀମଦେଵ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରାଇଥିଲେ । 
 
(ଖ)ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ରେ ଆରମ୍ଭ ହୋଇ ୧୧୯୮ରେ ଶେଷ ହେଲା । 

(ଗ)ଆର୍‍. ଡି. ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେଵ ମନ୍ଦିର ନିର୍ମାଣ କରାଇଥିଲେ ।

(ଘ)ମହାମହୋପାଧ୍ୟାୟ ସଦାଶିଵ କାଵ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ ୧୧୯୬ରେ ଚୋଡ଼ଗଙ୍ଗଦେଵ ମନ୍ଦିର ନିର୍ମାଣ କରାଇଥିଲେ । 

(ଙ)ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେଵ ମନ୍ଦିର ନିର୍ମାଣ କରାଇଥିଲେ । 

(ଚ)ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେଵଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇଥିଲା ଓ ସେଥିରେ ଵିଗ୍ରହମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ରେ ସ୍ଥାପନା କରାଯାଇଥିଲା ।

(ଛ)ଵିଶିଷ୍ଟ ଗଵେଷକ ତଥା ଶିଳାଲେଖଵିତ୍‍ ଡକ୍ଟରର ସତ୍ୟନାରାୟଣ ରାଜଗୁରୁ ତାଙ୍କର
"ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର" ପ୍ରବନ୍ଧରେ ଲେଖିଛନ୍ତି ଯେ ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ଥିଲା । କୌଣସି କାରଣରୁ ଏହି ମନ୍ଦିର ଭାଙ୍ଗିପଡ଼ିଵାରୁ ଏହାର ଦେଵତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । ଯଯାତିକେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ଵର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ଥିଵା ନୃସିଂହଦେଵଙ୍କ ମନ୍ଦିର । ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମିତ ଏହି ଵିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ଵିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ କରାଯାଇଥିବା ସମ୍ଭଵ । ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇଥିଲା । ରାଜା ଚୋଡ଼ଗଙ୍ଗଦେଵଙ୍କ ଜୀଵନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାଥମିକ ସ୍ତରରେ ଶେଷ ହୋଇସାରିଥିଲା, ବହୁକାଳ ପର୍ଯ୍ୟନ୍ତ ସେଥିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନଥିଲା । ଖ୍ରୀଷ୍ଟାବ୍ଦ ୧୨୩୦ରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ସେଥିରେ ପ୍ରତିଷ୍ଠିତ ଵିଗ୍ରହମାନଙ୍କୁ ଅନଙ୍ଗଭୀମଦେଵ (୩ୟ) ସମ୍ପନ୍ନ କରିଥିଲେ । ଯାଗଯଜ୍ଞରେ ପ୍ରଥମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା ସମ୍ପନ୍ନ କରିଵା ଵିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି । ସେହି ନୃସିଂହଙ୍କ ଵିଗ୍ରହକୁ ଯଜ୍ଞ ନୃସିଂହ ନାମରେ ପରିଚିତ କରାଯାଏ । ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇଥିଲେ; ତାଙ୍କୁ ନୃସିଂହ ମନ୍ଦିରରେ ସ୍ଥାପନ କରିଥିଵାରୁ ସେହି ମନ୍ଦିର ପରଵର୍ତ୍ତୀ ୧୩ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ ନାମରେ ପରିଚିତ ହେଲା । ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ଥାତ୍‍ ପ୍ରାୟ ଦୁଇଶହ ଵର୍ଷ ପରେ 'ନୃସିଂହ ମନ୍ଦିର'ରେ ପରିଣତ ହୋଇଥିଵା ସୁନିଶ୍ଚିତ । 

ପୁନଶ୍ଚ ଡକ୍ଟର ରାଜଗୁରୁ ତାଙ୍କର
"ଶ୍ରୀମନ୍ଦିର ଶିଳ୍ପ କଳାରେ ଵୈଷ୍ଣଵ ସଂସ୍କୃତି" ପ୍ରବନ୍ଧରେ ଲେଖିଛନ୍ତି, ଚୋଡ଼ଗଙ୍ଗ ଦେଵ ବଡ଼ ଦେଉଳ ନିର୍ମାଣ କରାଇଵା ପୂର୍ଵରୁ ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେଵୀ ସୁଭଦ୍ରାଙ୍କୁ ସ୍ଥାପନକରିଥିଲେ । କିନ୍ତୁ ପୂର୍ଵରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେଥିର ଆକାର ପ୍ରକାରରୁ ଏହା ହିଁ ଜଣାଯାଇଛି । କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ଵିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା । ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏତେ ବଡ଼ ଵ୍ୟୟବହୁଳ ମନ୍ଦିର ଚୋଡ଼ଗଙ୍ଗଦେଵଙ୍କ ଜୀବନକାଳରେ ପୂର୍ଣ୍ଣ ହୋଇ ପାରି ନଥିଵ ବୋଲି ରାଜଗୁରୁ ସେହି ପ୍ରବନ୍ଧରେ ସନ୍ଦେହ ପ୍ରକାଶ କରିଛନ୍ତି । 

(ଜ)ଅନଙ୍ଗଭୀମ ଦେଵଙ୍କ ନଗରୀ-ତାମ୍ରଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ ନୂତନ ଶ୍ରୀମନ୍ଦିର ପ୍ରତିଷ୍ଠା କର୍ମରେ ଆଚାର୍ଯ୍ୟ ରୂପେ ବରଣ କରାଯାଇଥିଲା । ଏହି ତଥ୍ୟ ଆଧାରରେ ମଧ୍ୟ କେତେକ ଗଵେଷକ ଅନଙ୍ଗଭୀମଦେଵ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି ବୋଲି ମତ ଦିଅନ୍ତି । 

(ଝ)ଵିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁ ତାଙ୍କ "ପୁରୁଷୋତ୍ତମ ଉପାସନା" ପ୍ରବନ୍ଧରେ ଲେଖିଛନ୍ତି, ଵର୍ତ୍ତମାନର ନୃସିଂହ ମନ୍ଦିର ହେଉଛି ସମ୍ଭଵତଃ ଦ୍ୱିତୀୟ ଯଯାତି ମହାଶିଵ ଗୁପ୍ତ(ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରାଯାଇଥିଵା ପୁରୁଷୋତ୍ତମ-ନୃସିଂହ ମନ୍ଦିର । ପରଵର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରାଯାଇଛି ଏଵଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ଵ୍ୟଵହାର କରାଯାଇଛି । ପୁରୁଷୋତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେଵଙ୍କ ଦ୍ୱାରା ଆଂଶିକ ଭାବେ ନିର୍ମିତ ହୋଇଥିଵା ଏଵଂ ପରେ ତାହା ଅନଙ୍ଗଭୀମ ଦେଵଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ । 

(ଞ)ଗଵେଷକ ରଵି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଆଵିଷ୍କାର କରିଥିଲେ । ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେଵଙ୍କ ପୁତ୍ର କାମାର୍ଣ୍ଣବ ଦେଵଙ୍କ ଦ୍ୱାରା ପ୍ରଦତ୍ତ । ଏହାକୁ ଭିତ୍ତି କରି ଗଵେଷକ ରଵି ରାୟ ଲେଖିଛନ୍ତି ଯେ ଵର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଚୋଡ଼ଗଙ୍ଗଦେଵ ନ ହୋଇ ପାରନ୍ତି । ଚୋଡ଼ଗଙ୍ଗଦେଵଙ୍କ ଉତ୍କଳ ଵିଜୟର ବହୁ ପୂର୍ଵରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ଵିଦ୍ୟମାନ ଥିଲା । କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ ନୁହେଁ ଏଵଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ।

ଶ୍ରୀମନ୍ଦିରର ଚାରିଟି ଭାଗ ରହିଛି 
ଯଥା- ଵିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ ।

 ଵିମାନ (ଗର୍ଭଗୃହ) ଓ ମୁଖଶାଳା ହିଁ ଚୋଡ଼ଗଙ୍ଗଦେଵ ନିର୍ମାଣ କରାଇଥିଲେ ବୋଲି କେତେକ ଗଵେଷକଙ୍କ ମତ । ନାଟମନ୍ଦିର ଏବେ ସାଧାରଣତଃ ଜଗମୋହନ ନାମରେ ପରିଚିତ । ନାଟ ମନ୍ଦିର(ଜଗମୋହନ)ଓ ଭୋଗମଣ୍ଡପ ଯଥାକ୍ରମେ ରାଜା ପୁରୁଷୋତ୍ତମ ଦେଵ(ଖ୍ରୀଷ୍ଟାଦ୍ଦ ୧୪୬୮-୧୪୯୭) ଏଵଂ ରାଜା ପ୍ରତାପରୁଦ୍ର ଦେଵ (ଖ୍ରୀଷ୍ଟାଦ୍ଦ ୧୪୯୭-୧୫୩୩)ଙ୍କ ସମୟରେ ନିର୍ମାଣ କରାଯାଇଥିଵା କଥା କୁହାଯାଇଛି । କିନ୍ତୁ 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି ଯେ,ପୁରୁଷୋତ୍ତମ ଦେଵ ତାଙ୍କର ୭ମ ଅଙ୍କରେ ଭୋଗମଣ୍ଡପ ତୋଳାଇଥିଲେ । ସେ ମଧ୍ୟ ନାଟମନ୍ଦିର ନିର୍ମାଣ କରାଇଥିବେ । ଏହି ରାଜା ଶ୍ରୀମନ୍ଦିରର ଭିତର ବେଢ଼ା (କୁରୁମ ବେଢ଼ା)ଗଢ଼ାଇଥିଲେ । ରାଜା କପିଳେନ୍ଦ୍ର ଦେଵଙ୍କ ସମୟ(ଖ୍ରୀ ୧୪୩୫-୧୪୬୮)ରେ ୧୫ ଅଙ୍କରେ ବାହାର ବେଢ଼ା ଗଢ଼ାଯାଇଥିଲା ବୋଲି 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି । 

ପ୍ରୋକ୍ତ ତଥ୍ୟସବୁ ପାଠ କଲାପରେ ଅଧିକାଂଶ ହୃଦୟଙ୍ଗମ କରିବେ ଯେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ଅନେକ ରାଜାଙ୍କ ଦ୍ଵାରା ଉତ୍ତରୋତ୍ତର ହୋଇଥିଲା । କେହି ଜଣେ ରାଜା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ନିର୍ମାଣ କରିନାହାନ୍ତି । ସେଥିପାଇଁ ଏହି ଵିଵାଦର ସମାଧାନ ହେତୁକ ରାଜବଂଶର ପ୍ରତୀକ ଭାବେ ଓଡ଼ିଆ ଜାତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିର ନିର୍ମାତା ଭାବେ ଗ୍ରହଣ କରିଥିଲା । 

ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିର ନିର୍ମାତା ଭାବେ ଗ୍ରହଣ କରିଵା ପଛରେ ଅନେକ କାରଣ ଥିଲା । ଯଥା—

(କ) ଶ୍ରୀମନ୍ଦିର ପୁରାଣ ପ୍ରସିଦ୍ଧ ତଥା ପୁରାତନ ମନ୍ଦିର ବୋଲି ପ୍ରତିପାଦ୍ୟ କରିଵା

(ଖ)ଅନେକ ରାଜବଂଶର ରାଜା ଶ୍ରୀମନ୍ଦିର ନିର୍ମାଣ କ୍ଷେତ୍ରରେ ଯୋଗଦାନ କରିଥିଵାରୁ କୌଣସି ଗୋଟିଏ ରାଜବଂଶକୁ ମନ୍ଦିର ନିର୍ମାଣର ଶ୍ରେୟ ନଦେଇ ସମସ୍ତ ରାଜବଂଶର ସମ୍ମାନ ହେତୁକ ଇନ୍ଦ୍ରଦ୍ୟୁମ୍ନ ନାମରେ ସେମାନଙ୍କୁ ଅଭିହିତ କରାଇଵା

(ଗ) ଉତ୍ତର ଭାରତରେ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କୁ ଲୋକପ୍ରିୟ କରାଇଵା ପାଇଁ ଉତ୍ତର ଭାରତୀୟଙ୍କ ଦ୍ଵାରା ମନ୍ଦିର ନିର୍ମିତ ହୋଇଅଛି ବୋଲି ପ୍ରଚାର କରାଇଵା ।

(ଘ) ଶ୍ରୀମନ୍ଦିର ସତ୍ୟଯୁଗରୁ ଏଯାଵତ୍ ରହିଛି ବୋଲି ଲୋକଙ୍କ ମନରେ ଵିଶ୍ଵାସ ଜନ୍ମାଇଵା । 

 ଇନ୍ଦ୍ରଦ୍ଯୁମ୍ନଙ୍କ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧୀୟ ପୌରାଣିକ କଥାରେ ମଧ୍ୟ ଏହିକଥା ସୁକ୍ଷ୍ମ ଭାବେ କଥିତ ହୋଇଛି । 
 
ସେହି କଥା ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ପୁରୀ ଜଗନ୍ନାଥ ଦେଉଳ ତୋଳାଇ ତାକୁ ପ୍ରତିଷ୍ଠା କରିଵା ପାଇଁ ବ୍ରହ୍ମାଙ୍କୁ ଡ଼ାକିଵାକୁ ଯାଇଥିଲେ। ଏହି ଅଵସ୍ଥାରେ ଅନେକ କାଳ ବିତିଗଲା। ଏଣେ ବାଲି ଉଡ଼ି ଦେଉଳଟି ପୋତି ହୋଇଗଲା। 

ପରଵର୍ତ୍ତୀ ଜନୈକ ରାଜା ଗାଲମାଧଵ ଘୋଡ଼ା ଝପଟାଇ ଯାଉଥିଲାବେଳେ ଘୋଡ଼ାର ଟାପୁ ଦେଉଳର ନୀଳ ଚକ୍ରାଗ୍ରରେ ବାଜିଵାରୁ ସେ ବାଲି ଖୋଳାଇ ଦେଉଳ ରଖିଲେ ଓ ଇନ୍ଦ୍ରଦ୍ଯୁମ୍ନ ଫେରିଆସିଵାରୁ ଗାଲମାଧବ ଏ ଦେଉଳ ତୋଳାଇଥିଵା ଦାବୀ କଲେ । ତେବେ ଇନ୍ଦ୍ରଦ୍ଯୁମ୍ନ ନାମକ ପୋଖରୀରେ ଥିଵା କୂର୍ମମାନେ ଇନ୍ଦ୍ରଦ୍ଯୁମ୍ନ ଦେଉଳ ତୋଳାଇ ଥିଲେ ଏହା ପ୍ରମାଣ କରିଦେଲେ। ସେହିଦିନଠାରୁ ମିଥ୍ଯା ଦାବି କରିଵା ଵ୍ୟକ୍ତିକୁ ଓଡ଼ିଶାରେ ଗାଲମାଧଵ କୁହାଗଲା ଏଵଂ ଏଭଳି ବାରମ୍ବାର ମିଥ୍ୟା କଥା କହି ଅନ୍ୟକୁ ଠକିଵାକୁ ଚେଷ୍ଟା କଲା ତାକୁ ଗାଲୁଆ କୁହାଗଲା । 

ଏହି ପୌରାଣିକ ଆଖ୍ୟାନରେ ଇନ୍ଦ୍ରଦ୍ୟୁମ୍ନ ହେଲେ ସବୁ ରାଜବଂଶର ପ୍ରତିନିଧି ଆଉ 
ଗାଲମାଧଵ ହେଲେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ରାଜବଂଶ ଵା ରାଜପୁରୁଷ ‌। ଅର୍ଥାତ୍ ପୌରାଣିକ କଥାଦ୍ଵାରା ପରୋକ୍ଷରେ କହିଦିଆଯାଇଛି ଯେ ଶ୍ରୀମନ୍ଦିର କେହି ଜଣେ ଵ୍ୟକ୍ତି ନିର୍ମାଣ କରାଇନାହାନ୍ତି ଵରଂ ନାନା ରାଜବଂଶ ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇଅଛି । 

ତେବେ ଇନ୍ଦ୍ରଦ୍ୟୁମ୍ନ ହୁଅନ୍ତୁ ଯଯାତି କେଶରୀ ହୁଅନ୍ତୁ ଵା ଚୋଡ଼ଗଙ୍ଗ ଦେଵ କିମ୍ବା ଅନଙ୍ଗଭୀମଦେଵ ହୁଅନ୍ତୁ କେହି ବି ପ୍ରକୃତରେ ଶ୍ରୀମନ୍ଦିର ନିର୍ମାଣ କରିନାହାନ୍ତି ସେମାନେ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି । 

ପ୍ରକୃତରେ ଵିଭିନ୍ନ ସମୟକାଳରେ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି ଏ ଦେଶର କରଦାତା ଜନତା ,ଶିଳ୍ପୀ ଓ ଶ୍ରମିକମାନେ ଏଵଂ ସେମାନଙ୍କୁ କେଵଳ ଏକଜୁଟ କରି ନିର୍ଦ୍ଦେଶ ଓ ଆଦେଶ ମାତ୍ର ଦେଇ କାମ କରାଇଛନ୍ତି ଵିଭିନ୍ନ ସମୟର ରାଜପୁରୁଷମାନେ ତେଣୁ ଶ୍ରୀମନ୍ଦିରର ପ୍ରକୃତ ନିର୍ମାତା ଆମେ କାହାକୁ କହିଵା ?

କାନ୍ଧରେ ପଥର ବୋହିଥିଵା ଶ୍ରମିକ,ପଥର କାଟି ଯୋଡି଼ଥିଵା ଶିଳ୍ପୀ ନା ସେମାନଙ୍କୁ ଆଦେଶ ଦେଇ କାର୍ଯ୍ୟ କରାଇଥିଵା ରାଜପୁରୁଷ ?

ସାମଗ୍ରିକ ଭାଵରେ କୁହାଯାଇପାରେ ଯେ ଓଡ଼ିଶାଵାସୀ ଜନତା ହିଁ ପ୍ରକୃତରେ ଶ୍ରୀମନ୍ଦିରର ନିର୍ମାତା...

•••••••••ତଥ୍ୟ ଉତ୍ସ••••••••••
•ଶ୍ରୀଜଗନ୍ନାଥ (ମହୀମୋହନ ତ୍ରିପାଠୀ )
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ 
••••••••••••••••••••••••••••

Saturday, May 21, 2022

ଷଡ଼ାଙ୍ଗ ସଂସ୍କାର କାହାକୁ କୁହାଯାଏ ?

ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟରେ ଯେଉଁ  ଵିଧି ଦ୍ବାରା ଅନ୍ନର ଅନ୍ନତ୍ଵ ଲୋପ କରାଯାଇ ବ୍ରହ୍ମତ୍ଵ ଆରୋପିତ ହୋଇ ମହାପ୍ରସାଦରେ ପରିଣତ କରାଯାଇଥାଏ ତାକୁ ଷଡ଼ାଙ୍ଗ ସଂସ୍କାର କୁହାଯାଏ  ।

ଏହି ଷଡ଼ାଙ୍ଗ ସଂସ୍କାରଗୁଡି଼କ ହେଲା

(କ). ମହାଲକ୍ଷ୍ମୀଙ୍କ ଦ୍ଵାରା ରନ୍ଧନ ହୁଏ ତଥା ଵୈଷ୍ଣଵାଗ୍ନିରେ ପାଚିତ ହୋଇଥାଏ ।

(ଖ). ଶ୍ରୀଯନ୍ତ୍ର ରୂପକ ଠାଆ ବା ମୁରୁଜରେ ନୈଵେଦ୍ୟ ନିମନ୍ତେ ସ୍ଵର୍ଣ୍ଣମୟ ପାତ୍ରରେ ପରିଵେଷିତ ହୁଏ ।

(ଗ). ମନ୍ତ୍ରରାଜ ଵା ଦ୍ୱାବିଂଶକ୍ଷରୀ ପାତାଳ ନୃସିଂହ ମନ୍ତ୍ରରେ ପ୍ରେକ୍ଷିତ ହୁଏ ।

(ଘ). ଗୋଵିନ୍ଦଙ୍କ ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ରରେ ନିଵେଦିତ ହୁଏ

(ଙ). ଭୈରଵୀ ଚକ୍ରରେ ଉଚ୍ଛିଷ୍ଟ ଭୈରଵୀ ବିମଳାଙ୍କୁ ସମର୍ପିତ କରାଯାଏ ।

(ଚ). ଅଷ୍ଟ ସାତ୍ତ୍ଵିକ ଵୈଷ୍ଣବମାନ, ଯଥା ବିଶ୍ଵକ୍‌‌ସେନ, ଶୁକ, ପ୍ରହ୍ଲାଦ, ହନୁମାନ, ନାରଦ, ଵୈନତେୟ, ଦେଵଳ ଓ ଇନ୍ଦ୍ରଦ୍ୟୁମ୍ନଙ୍କୁ ଅଵଶେଷାନ୍ନ ବଳି ପ୍ରଦାନ ପରେ ଏହା ମହାପ୍ରସାଦରେ ପରିଣତ ହୋଇଥାଏ ।

ସ୍କନ୍ଦପୁରାଣ (ଉତ୍କଳଖଣ୍ଡ) ମତରେ ଅଗ୍ନିସ୍ଥାନ ବହୁ ସଂସ୍କାର ପରେ ଅନ୍ତର୍ହିତା ଲକ୍ଷ୍ମୀ ମହାପ୍ରସାଦ ପାକ କରିଥାଆନ୍ତି । ପୁନଶ୍ଚ ଯଜ୍ଞାଗ୍ନିରେ ପାକ ହୋଇ ଯନ୍ତ୍ର ରାଜ ଶ୍ରୀଯନ୍ତ୍ର ଉପରେ ନ୍ୟାସିତ ହୋଇ ମନ୍ତ୍ରରାଜ ନୃସିଂହ ମନ୍ତ୍ରଦ୍ଵାରା ପୂଜିତ ହୋଇ ଜଗନ୍ନାଥଙ୍କୁ ନିଵେଦିତ ହୋଇ ବିମଳାଙ୍କୁ ସମର୍ପଣ ହେଲା ପରେ ମହାପ୍ରସାଦରେ ପରିଣତ ହୋଇଥାଏ ।

Wednesday, December 22, 2021

ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଇତିହାସ ; ଜଣେ ହିନ୍ଦୁ ରାଜପୁତ ଲୁଣ୍ଠନ କରିଥିଲା ଶ୍ରୀମନ୍ଦିର

ରାଜପୁତ୍‌ମାନଙ୍କ କଥା ଉଠିଲେ ସାରା ଭାରତର ଲୋକ କୁହନ୍ତି ସେମାନେ ବଡ଼ ଦେଶଭକ୍ତ ଵୀର ଓ ଵିଵେକୀ କିନ୍ତୁ ଯେମିତି ଯେମିତି ମୁଗୋଲମାନେ ସାରା ଉତ୍ତରଭାରତରେ ପ୍ରଭୁତ୍ଵ ଵିସ୍ତାର କରିଵାକୁ ଲାଗିଲେ ଅନେକ ରାଜପୁତ ମଧ୍ୟ ତାଙ୍କର ଗୋଲାମ ହେଵାକୁ ଲାଗିଲେ ।

ଏହିପରି ଜଣେ ଗୋଲାମ୍ ରାଜପୁତ କେଶୋ ଦାସ ଯୋଗୁଁ  ଓଡ଼ିଶା ଓ ଶ୍ରୀମନ୍ଦିର ସବୁଠାରୁ ଅଧିକ ଲୁଣ୍ଠିତ ଓ ଅପମାନିତ ହୋଇଥିଲା ।

ମୋଗଲ ସମ୍ରାଟ ଜାହାଙ୍ଗୀର ଓଡିଶାର ପ୍ରଥମ ମୋଗଲ ସୁବାଦାର ରୂପେ ହାସିମ୍ ଖାଁ (୧୬୦୭-୧୬୧୧ ମସିହା) ନିଯୁକ୍ତି ଦେବାପରେ ମୋଗଲ ବାଦଶାହାଙ୍କ ସନ୍ତୁଷ୍ଟପାଇଁ କଟକ ଜିଲ୍ଲାର ଜାଗିରିଦାର ତଥା ମୋଗଲ ସେନାପତି କେଶୋ ଦାସ ମାରୁ ସାହାଯ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲା ।

ସେହି ଜଘନ୍ୟ ଆକ୍ରମଣ ଆଷାଢ଼ ମାସରେ ଶ୍ରୀକ୍ଷେତ୍ରରେ ଵିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ସମୟରେ ହୋଇଥିଲା ।  ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରଥଯାତ୍ରା ଯୋଗୁଁ ବିଜେ ହୋଇଥାନ୍ତି । ସେତେବେଳେ ସମସ୍ତଙ୍କର ଦୃଷ୍ଟି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିଲା । ତେଣୁ କେଶୋ ଦାସ ମାରୁ ବହୁସଂଖ୍ୟାରେ ରାଜପୁତ ସୈନ୍ୟସଜ୍ଜା କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ଛଳନାକରି ମନ୍ଦିରରେ ପ୍ରଵେଶ କରିଵା ସହ ରତ୍ନଭଣ୍ଡାର ଲୁଣ୍ଡନ କଲା ।

ଜଣେ ହିନ୍ଦୁ ରାଜପୁତ ହୋଇ ବି କୋଶୋ ଦାସ ମାରୁ ଏକ ମୁସଲମାନ ଗୋଲାମ୍ ହୋଇଥିଵାରୁ ତା ମଧ୍ୟରେ ଆଉ ହିନ୍ଦୁ ଧର୍ମପ୍ରତି ଆସ୍ଥା ନଥିଲା ।  ସେବକ ବ୍ରାହ୍ମଣମାନଙ୍କ ଉପରେ ଅକଥନୀୟ ଅତ୍ୟାନ୍ତର କରି ତା ରାଜପୁତ ବାହିନୀ ମନ୍ଦିରରୁ କୋଟି କୋଟି ଟଙ୍କାର ମୂଲ୍ୟଵାନ ଧନରତ୍ନ ଲୁଣ୍ଠନ କଲେ ।

ଗଜପତି ପୁରୁଷୋତ୍ତମ ଦେଵ (୧୬୦୦ ୧୬୨୧ ମସିହା) ଏହି ଲୁଣ୍ଠନ ଵାର୍ତ୍ତା ପାଇ ରଥ ଓ ବହୁସଂଖ୍ୟକ ପାଇକ ଵାହିନୀ ସାହାଯ୍ୟରେ ମନ୍ଦିର ଚାରିପଟେ ରଥଗୁଡ଼ିକ ଭିଡ଼ିଦେଇ ଶ୍ରୀମନ୍ଦିର ଅଵରୋଧ କଲେ । ଖୋରଧା ଗଜପତିଙ୍କ ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ କେଶୋ ଦାସ ମାରୁ ଅନ୍ୟ ଉପାୟ ନ ପାଇ ମନ୍ଦିର ଓ ମନ୍ଦିର ବେଢ଼ାରେ ଥିଵା ଛତି, ତ୍ରାସ,ଆଢ଼େଣି, ବୈରଖ ଓ ଚାନ୍ଦୁଆ ସବୁ ଚିରି ମନ୍ଦିର ବେଢ଼ାରେ ଥିଵା ବାଉଁଶ ଅଗ୍ରଭାଗରେ କନା ଗୁଡ଼ାଇ ସେଥିରେ ତେଲ ଓ ଘିଅ ଢ଼ାଳି ନିଆଁ ଲଗାଇ ମନ୍ଦିର ବେଢ଼ାର ବାହାର ଚତୁଃପାର୍ଶ୍ବରେ ଥିଵା ରଥ ଉପରକୁ ନିଆଁହୁଳା ଫୋପାଡ଼ିଲା।

କେଶୋଦାସ ପରାଜିତ ହେଉଥିଵା ଖବର ପାଇ ବଙ୍ଗ ସୁବାଦାର ଇସଲାମ୍ ଖାଁ ଖୁଜା, ତହିର ମହମ୍ମଦ ବକ୍ତି ନାମକ ସେନାପତିକୁ ସାହାଯ୍ୟ କରିଵାପାଇଁ ଓଡ଼ିଶା ପଠାଇଲା ।  ସେ ଓଡ଼ିଶା ସୁବାଦାର ହାସିମ୍‌ ସହ ମିଶି କେଶୋ ଦାସକୁ ସାହାଯ୍ୟ କଲେ ।  ତେବେ ଗଜପତି ପରାଜୟ ହେଉଥିଵା ଦେଖି ଯୁଦ୍ଧ ବନ୍ଦକରି କେଶୋଦାସ ସହ ସନ୍ଧି କରିଵାକୁ ତାଙ୍କୁ ବକ୍ତି ପରାମର୍ଶ ଦେଲା ।

ଗଜପତି ରାଜାଙ୍କ ସମ୍ମୁଖରେ  ସନ୍ଧିର ନିମ୍ନ ସର୍ତ୍ତଗୁଡି଼କ ରଖାଗଲା ।

(କ)ଖୋରଧା ଗଜପତି ମହାରାଜା ପୁରୁଷୋତ୍ତମ ଦେଵ ନିଜ କନ୍ୟା ରାଜଜେମା କନକପ୍ରତିମା ଦେଵୀଙ୍କୁ ଜାହାଙ୍ଗୀରଙ୍କୁ ବିବାହ ଦେବେ ।

(ଖ) 9. ୩ଲକ୍ଷ ଟଙ୍କା ମୋଗଲ ବାଦଶାହାଙ୍କୁ ପେସ୍‌‌କସ୍‌ ହେବେ ।

(ଗ) ନିଜର ଭଗିନୀକୁ କେଶୋ ଦାସ ସହିତ ଵିଵାହ କରାଇବେ ।

(ଘ)ଯୁଦ୍ଧର କ୍ଷୟକ୍ଷତିପାଇଁ କେଶୋଦାସକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ।

ଶ୍ରୀମନ୍ଦିର ଓ ତତ୍କାଳୀନ ଉତ୍କଳଦେଶକୁ ବଞ୍ଚାଇଵାକୁ ଯାଇ ଗଜପତି ରାଜା ଏହି ସର୍ତ୍ତରେ ରାଜି ହେଵାକୁ ଵାଧ୍ୟ ହୋଇଥିଲେ । ଗୋଲାମ୍ ହିନ୍ଦୁ ଦ୍ରୋହୀ ରାଜପୁତ୍ କେଶୋ ଦାସ ଓଡ଼ିଶାରୁ ଗୋଟିଏ ବଳଵାନ ହାତୀ ଓ ଅନ୍ୟ ୫ଟି ମାଈ ହାତୀ ମଧ୍ୟ ନେଇଥିଲା । ପିଶାଚ ଜାହାଙ୍ଗୀରକୁ ଲୁଣ୍ଠିତ ଧନରତ୍ନ ଉପହାର ଦେଵାରୁ ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତିହୋଇ କେଶୋ ଦାସକୁ ୪ହଜାର ଅଶ୍ଵବାହିନୀ ଉପରେ ସେନାପତି କରିଵା ସହ ଏକ ପତାକା, ମୂଲ୍ୟଵାନ ପୋଷାକ, ମଣିମୁକ୍ତାଖଚିତ ଖଣ୍ଡା, କମରପଟି, ଗୋଟିଏ ଵେଗଗାମୀ ଅଶ୍ଵ ଓ ରତ୍ନଖଚିତ ଜିନ୍ ପୁରସ୍କାର ଦେଇଥିଲା।

ରାଜଜେମା କନକପ୍ରତିମା ଦେଵୀ ସନ୍ଧି ଚାଲିଥିଵା ସମୟରେ ଘୋଡ଼ା ଯୋଗେ କୌଶଳରେ ନରସିଂହପୁର ଚାଲିଯାଇଥିଲେ ଏଵଂ ପରେ ସେ  ସମ୍ବଲପୁର ରାଜାଙ୍କ ପାଣିଗ୍ରହଣ କରିଥିଲେ ।

ଏହି ଯୁଦ୍ଧରେ ମାନସମ୍ମାନ ଧନସମ୍ପଦ ହରାଇ ରାଜା ପୁରୁଷୋତ୍ତମଦେଵ ମନ ଦୁଃଖରେ  ଖୋର୍ଦ୍ଧା ରାଜ୍ୟ ଛାଡି ରାଜମହେନ୍ଦ୍ରୀକୁ ଚାଲିଯାଇଥିଲେ ।  ହିନ୍ଦୁ ହୋଇ ହିନ୍ଦୁଵିଦ୍ବେଷ ନୀତି ଗ୍ରହଣକରି କିପରି କେଶୋ ଦାସ ମାରୁ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଡନ କରିଥିଲା ତାହା ଓଡ଼ିଶାର ମାଦଳାପାଞ୍ଜିରେ ଵିଶଦ ଭାବରେ ଵର୍ଣ୍ଣିତ ହୋଇଅଛି ।

ତେବେ ଓଡ଼ିଶା ଉପରେ ଆକ୍ରମଣରୁ ମିଳିଥିଵା ଏହି ଅହେତୁକ ଲାଭ ଦେଖି ଗୋଲାମ୍ ରାଜପୁତ ଓ ତାଙ୍କ ମାଲିକ  ମୁଲ୍ଲା ଉତ୍ତରଭାରତୀୟମାନେ ବାରମ୍ବାର ଓଡ଼ିଶା ଉପରେ ଆକ୍ରମଣ କରିଵାକୁ ପଛାଇ ନଥିଲେ ।‌

ହାସିମ ଖାଁ ପରେ ୧୬୧୧ରେ ଆଉ ଜଣେ ରାଜପୁତ  କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ହୋଇ ଆସିଥିଲା । କିନ୍ତୁ ଦାୟିତ୍ଵ ନେଵା ଦିନୁଳଠାରୁ ସେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଏହି ସମୟରେ ସେ ବିପୁଳ ସୁନା, ରୂପା ଓ ସମ୍ପରି ନେଇ ଯାଇଥିଲା । ୧୬୧୭ରେ ମକରମ ଖାଁ ମନ୍ଦିର ଭିତରେ ପଶି ମନଇଚ୍ଛା ଧନସମ୍ପତି ଲୁଟି ନେଇଥିଲା । ପୁରୀ ଆକ୍ରମଣ ଯୋଗୁଁ ଜଗନ୍ନାଥଙ୍କୁ ବାଣପୁରର ଗଜପଦାଠାରେ ଗୋପନ ରଖାଗଲା । ସେ ମଧ୍ୟ ଅନେକ ଲୁଣ୍ଠିତ ଧନ ନେଇଗଲା ।

ଆଜି ଉତ୍ତର ଭାରତରେ ବହୁତ ଲୋକ ହିନ୍ଦୁ ହିନ୍ଦୁ ଚିତ୍କାର କରୁଛନ୍ତି କିନ୍ତୁ ଏହା ଅତ୍ୟନ୍ତ କଟୁ ହଳାହଳ ଵିଷତୁଲ୍ୟ ସତ୍ୟ ଯେ ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କ ପୂର୍ଵଜ ହିଁ ମୋଗଲ ଶାସନକାଳରେ ମୁସଲମାନ ଶାସକଙ୍କ ଗୋଡ଼ଚଟା ଚାକର ହୋଇ ହିନ୍ଦୁରାଜ୍ୟ ଓଡ଼ିଶା ତଥା ହିନ୍ଦୁମାନଙ୍କର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କର ଅହେତୁକ କ୍ଷତି କରିଵାକୁ ପଛାଇ ନଥିଲେ ।

(ପ୍ରୋକ୍ତ ଐତିହାସିକ ତଥ୍ୟ ମହାଵିଦ୍ୟାଳୟରେ ପାଠ କରାଯାଉଥିଵା ଏକ ଇତିହାସ ପୁସ୍ତକରୁ ସଂଗୃହୀତ)