Monday, June 27, 2022

ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ?



"ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା କିଏ ?"

ଓଡ଼ିଶାଵାସୀମାନଙ୍କ ପାଇଁ ଏହି ପ୍ରଶ୍ନର ଉତ୍ତର ଦେଵା ସହଜ ନୁହେଁ । ଐତିହାସିକ ଓ ପୌରାଣିକ ମତ ଭିନ୍ନ ଭିନ୍ନ ହୋଇଥିଵାରୁ ଏହି ପ୍ରଶ୍ନଟିର ଯୁକ୍ତିଯୁକ୍ତ ଉତ୍ତର ମିଳିପାରେ ନାହିଁ । 

ପୁରାଣ ଓ କିମ୍ବଦନ୍ତୀ କହେ ମାଳଵର ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ଵପ୍ରଥମେ ପୁରୁଷୋତ୍ତମ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସପକ୍ଷରେ ଆଦୌ ଐତିହାସିକ ପ୍ରମାଣ ନାହିଁ । ମାଳଵରେ ଇନ୍ଦ୍ରଦ୍ୟୁମ୍ନ ନାମରେ କୌଣସି ରାଜା ଥିଲେ କି ନାହିଁ ତାହାର ଐତିହାସିକ ତଥ୍ୟ ମିଳେନାହିଁ । ଏହି ପୌରାଣିକ ମତ ସପକ୍ଷରେ ପୌରାଣିକ ମତ ଵିଶ୍ଵାସୀମାନେ କୁହନ୍ତି ଯେ ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗର ରାଜା ହୋଇଥିଵାରୁ ତାଙ୍କ ସମ୍ବନ୍ଧରେ କଳିଯୁଗରେ ତଥ୍ୟ ଉଣ୍ଡିଵା ଧୃଷ୍ଟତା ମାତ୍ର । ତେବେ ଐତିହାସିକ କୁହନ୍ତି ଇନ୍ଦ୍ରଦ୍ୟୁମ୍ନ ପ୍ରକୃତରେ ରାଜଶକ୍ତିର ପ୍ରତୀକମାତ୍ର । ଐତିହାସିକଙ୍କ ମତରେ ଵିଭିନ୍ନ ସମୟକାଳରେ ନାନା ରାଜବଂଶ ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ଉତ୍ତରୋତ୍ତର ଉନ୍ନତି ସାଧିତ ହୋଇଥିଵାରୁ ସମସ୍ତ ରାଜଶକ୍ତିଙ୍କର ପ୍ରତିନିଧିତ୍ଵ କରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ। 

ଅଦ୍ୟପି ଓଡ଼ିଶାରେ ଗଙ୍ଗ ରାଜବଂଶର ପ୍ରତିଷ୍ଠାତା ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେଵଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ଵର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଛି ବୋଲି ଵିଶ୍ୱାସ କରାଯାଏ । ଏହା ସାଧାରଣ ଭାବେ ସ୍ୱୀକୃତ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର (ଶ୍ରୀମନ୍ଦିର) ଚୋଡ଼ଗଙ୍ଗ ଦେଵଙ୍କ ସମୟରେ ନିର୍ମିତ ହୋଇଥିଲା ବୋଲି ବହୁ ଵିଶିଷ୍ଟ ଐତିହାସିକ ତଥା ଗଵେଷକ ମତ ଦେଇଛନ୍ତି । 

କେତେଜଣ ଵିଦ୍ୱାନ ମତ ଦିଅନ୍ତି ଯେ ଚୋଡ଼ଗଙ୍ଗଦେଵ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇଥିଲେ, କିନ୍ତୁ ଅନଙ୍ଗଭୀମଦେଵ(୩ୟ)ଙ୍କ ସମୟରେ ତାହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ।

କେଉଁ ଐତିହାସିକ ପୁରୀ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧରେ କ'ଣ କ'ଣ ମତ ଦେଇଛନ୍ତି ତାହା ନିମ୍ନରେ ପ୍ରଦତ୍ତ ହେଲା...

(କ)ଷ୍ଟର୍ଲିିଙ୍ଗ୍‍ ତାଙ୍କର ଓଡ଼ିଶା ଇତିହାସରେ ଲେଖିଛନ୍ତି ଯେ, ଅନଙ୍ଗଭୀମଦେଵ (୩ୟ) ଖ୍ରୀଷ୍ଟାବ୍ଦ ୧୧୯୬ରେ ମନ୍ଦିର ନିର୍ମାଣ କରାଇଥିଲେ । 
 
(ଖ)ହଣ୍ଟରଙ୍କ ମତରେ ମନ୍ଦିର ନିର୍ମାଣ ଖ୍ରୀଷ୍ଟାବ୍ଦ ୧୧୭୪ରେ ଆରମ୍ଭ ହୋଇ ୧୧୯୮ରେ ଶେଷ ହେଲା । 

(ଗ)ଆର୍‍. ଡି. ବାନାର୍ଜିଙ୍କ ମତରେ ଏକାଦଶ ଶତାବ୍ଦୀର ଶେଷ ଭାଗରେ ଚୋଡ଼ଗଙ୍ଗ ଦେଵ ମନ୍ଦିର ନିର୍ମାଣ କରାଇଥିଲେ ।

(ଘ)ମହାମହୋପାଧ୍ୟାୟ ସଦାଶିଵ କାଵ୍ୟକଣ୍ଠ ଲେଖିଛନ୍ତି ଯେ, ଖ୍ରୀଷ୍ଟାବ୍ଦ ୧୧୯୬ରେ ଚୋଡ଼ଗଙ୍ଗଦେଵ ମନ୍ଦିର ନିର୍ମାଣ କରାଇଥିଲେ । 

(ଙ)ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ଅନଙ୍ଗଭୀମ ଦେଵ ମନ୍ଦିର ନିର୍ମାଣ କରାଇଥିଲେ । 

(ଚ)ଇତିହାସ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ଦାସଙ୍କ ମତରେ ଚୋଡ଼ଗଙ୍ଗ ଦେଵଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଯାଇଥିଲା ଓ ସେଥିରେ ଵିଗ୍ରହମାନଙ୍କୁ ଖ୍ରୀଷ୍ଟାବ୍ଦ ୧୧୨୪-୨୫ରେ ସ୍ଥାପନା କରାଯାଇଥିଲା ।

(ଛ)ଵିଶିଷ୍ଟ ଗଵେଷକ ତଥା ଶିଳାଲେଖଵିତ୍‍ ଡକ୍ଟରର ସତ୍ୟନାରାୟଣ ରାଜଗୁରୁ ତାଙ୍କର
"ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର" ପ୍ରବନ୍ଧରେ ଲେଖିଛନ୍ତି ଯେ ଶ୍ରୀକ୍ଷେତ୍ରର ସମୁଦ୍ରତଟରେ ଏକ ପୁରୁଷୋତ୍ତମ ମନ୍ଦିର ଥିଲା । କୌଣସି କାରଣରୁ ଏହି ମନ୍ଦିର ଭାଙ୍ଗିପଡ଼ିଵାରୁ ଏହାର ଦେଵତାଙ୍କୁ ରାଜା ଯଯାତି (୨ୟ)ଙ୍କ ଦ୍ୱାରା ନିର୍ମିତ ଏକ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । ଯଯାତିକେଶରୀଙ୍କ ଉକ୍ତ ମନ୍ଦିରଟି ହେଉଛି ଵର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ଭିତରବେଢ଼ାର ଦକ୍ଷିଣ ପାର୍ଶ୍ୱରେ ଥିଵା ନୃସିଂହଦେଵଙ୍କ ମନ୍ଦିର । ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ନିର୍ମିତ ଏହି ଵିଷ୍ଣୁ ମନ୍ଦିରରେ ଚତୁର୍ଭୁଜ ଵିଶିଷ୍ଟ ଶ୍ରୀପୁରୁଷୋତ୍ତମଙ୍କର ବିଗ୍ରହ ସ୍ଥାପନ କରାଯାଇଥିବା ସମ୍ଭଵ । ଏହି ବିଗ୍ରହ ନୀଳ ପ୍ରସ୍ତରରେ ନିର୍ମିତ ହୋଇଥିଲା । ରାଜା ଚୋଡ଼ଗଙ୍ଗଦେଵଙ୍କ ଜୀଵନକାଳରେ ମନ୍ଦିର ନିର୍ମାଣ ଯଦିଓ ପ୍ରାଥମିକ ସ୍ତରରେ ଶେଷ ହୋଇସାରିଥିଲା, ବହୁକାଳ ପର୍ଯ୍ୟନ୍ତ ସେଥିରେ କାରୁକାର୍ଯ୍ୟ ଶେଷ ହୋଇ ପାରି ନଥିଲା । ଖ୍ରୀଷ୍ଟାବ୍ଦ ୧୨୩୦ରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ସେଥିରେ ପ୍ରତିଷ୍ଠିତ ଵିଗ୍ରହମାନଙ୍କୁ ଅନଙ୍ଗଭୀମଦେଵ (୩ୟ) ସମ୍ପନ୍ନ କରିଥିଲେ । ଯାଗଯଜ୍ଞରେ ପ୍ରଥମେ ନୃସିଂହଙ୍କ ପ୍ରତିମା ସ୍ଥାପନ କରି ତାଙ୍କରି ପୂଜା ସମ୍ପନ୍ନ କରିଵା ଵିଧି ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି । ସେହି ନୃସିଂହଙ୍କ ଵିଗ୍ରହକୁ ଯଜ୍ଞ ନୃସିଂହ ନାମରେ ପରିଚିତ କରାଯାଏ । ବୋଧହୁଏ ଶ୍ରୀମନ୍ଦିର ପ୍ରତିଷ୍ଠାପାଇଁ ଯଜ୍ଞ ନୃସିଂହ ପୂଜିତ ହୋଇଥିଲେ; ତାଙ୍କୁ ନୃସିଂହ ମନ୍ଦିରରେ ସ୍ଥାପନ କରିଥିଵାରୁ ସେହି ମନ୍ଦିର ପରଵର୍ତ୍ତୀ ୧୩ଶ ଶତାବ୍ଦୀ ବେଳକୁ ନୃସିଂହଙ୍କ ନାମରେ ପରିଚିତ ହେଲା । ଏଣୁ ମହାରାଜା ଯଯାତିଙ୍କ ରାଜତ୍ୱ କାଳରେ ଏକାଦଶ ଶତାବ୍ଦୀର ଶ୍ରୀପୁରୁଷୋତ୍ତମ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଅର୍ଥାତ୍‍ ପ୍ରାୟ ଦୁଇଶହ ଵର୍ଷ ପରେ 'ନୃସିଂହ ମନ୍ଦିର'ରେ ପରିଣତ ହୋଇଥିଵା ସୁନିଶ୍ଚିତ । 

ପୁନଶ୍ଚ ଡକ୍ଟର ରାଜଗୁରୁ ତାଙ୍କର
"ଶ୍ରୀମନ୍ଦିର ଶିଳ୍ପ କଳାରେ ଵୈଷ୍ଣଵ ସଂସ୍କୃତି" ପ୍ରବନ୍ଧରେ ଲେଖିଛନ୍ତି, ଚୋଡ଼ଗଙ୍ଗ ଦେଵ ବଡ଼ ଦେଉଳ ନିର୍ମାଣ କରାଇଵା ପୂର୍ଵରୁ ନୃସିଂହ ମନ୍ଦିରରେ ତିନି ମୂର୍ତ୍ତିି ଶ୍ରୀ ପୁରୁଷୋତ୍ତମ, ଶ୍ରୀବଳଭଦ୍ର ଓ ଦେଵୀ ସୁଭଦ୍ରାଙ୍କୁ ସ୍ଥାପନକରିଥିଲେ । କିନ୍ତୁ ପୂର୍ଵରୁ ସେହି କ୍ଷୁଦ୍ର ମନ୍ଦିରଟି ଶ୍ରୀପୁରୁଷୋତ୍ତମଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସେଥିର ଆକାର ପ୍ରକାରରୁ ଏହା ହିଁ ଜଣାଯାଇଛି । କିନ୍ତୁ କୌଣସି ଅଜ୍ଞାତ କାରଣରୁ ସେହି ମନ୍ଦିରରେ ପ୍ରତିଷ୍ଠିତ ଶ୍ରୀପୁରୁଷୋତ୍ତମ ଵିଗ୍ରହଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ତତଃ ୧୧୩୭ ଖ୍ରୀଷ୍ଟାବ୍ଦ ଯାଏ ବଡ଼ଦେଉଳ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା । ବଡ଼ ଦେଉଳ ନିର୍ମାଣ ନିମନ୍ତେ କର୍ମକାର କୁଳପୁତ୍ର ପଲ୍ଲ ନାମକ ଉତ୍କଳର ଜଣେ ଶିଳ୍ପୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଏତେ ବଡ଼ ଵ୍ୟୟବହୁଳ ମନ୍ଦିର ଚୋଡ଼ଗଙ୍ଗଦେଵଙ୍କ ଜୀବନକାଳରେ ପୂର୍ଣ୍ଣ ହୋଇ ପାରି ନଥିଵ ବୋଲି ରାଜଗୁରୁ ସେହି ପ୍ରବନ୍ଧରେ ସନ୍ଦେହ ପ୍ରକାଶ କରିଛନ୍ତି । 

(ଜ)ଅନଙ୍ଗଭୀମ ଦେଵଙ୍କ ନଗରୀ-ତାମ୍ରଶାସନରୁ ଜଣାଯାଏ ଯେ, କାଶ୍ୟପ ଗୋତ୍ରୀୟ ବ୍ରାହ୍ମଣ ଚନ୍ଦ୍ରକର ଶର୍ମାଙ୍କୁ ନୂତନ ଶ୍ରୀମନ୍ଦିର ପ୍ରତିଷ୍ଠା କର୍ମରେ ଆଚାର୍ଯ୍ୟ ରୂପେ ବରଣ କରାଯାଇଥିଲା । ଏହି ତଥ୍ୟ ଆଧାରରେ ମଧ୍ୟ କେତେକ ଗଵେଷକ ଅନଙ୍ଗଭୀମଦେଵ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି ବୋଲି ମତ ଦିଅନ୍ତି । 

(ଝ)ଵିଶିଷ୍ଟ ଐତିହାସିକ ପ୍ରଫେସର ନବୀନ କୁମାର ସାହୁ ତାଙ୍କ "ପୁରୁଷୋତ୍ତମ ଉପାସନା" ପ୍ରବନ୍ଧରେ ଲେଖିଛନ୍ତି, ଵର୍ତ୍ତମାନର ନୃସିଂହ ମନ୍ଦିର ହେଉଛି ସମ୍ଭଵତଃ ଦ୍ୱିତୀୟ ଯଯାତି ମହାଶିଵ ଗୁପ୍ତ(ଖ୍ରୀ. ୧୦୨୩-୧୦୪୦) ନିର୍ମାଣ କରାଯାଇଥିଵା ପୁରୁଷୋତ୍ତମ-ନୃସିଂହ ମନ୍ଦିର । ପରଵର୍ତ୍ତୀ କାଳରେ ନୃସିଂହ ମନ୍ଦିରର ସଂସ୍କାର ସାଧନ କରାଯାଇଛି ଏଵଂ ତାହାର କେତେକ ଭଗ୍ନାଂଶ ମାର୍କଣ୍ଡେଶ୍ୱର ମନ୍ଦିରର ସଂସ୍କାର ସମୟରେ ଵ୍ୟଵହାର କରାଯାଇଛି । ପୁରୁଷୋତ୍ତମଙ୍କ ମନ୍ଦିର (ବଡ଼ଦେଉଳ) ଚୋଡ଼ଗଙ୍ଗ ଦେଵଙ୍କ ଦ୍ୱାରା ଆଂଶିକ ଭାବେ ନିର୍ମିତ ହୋଇଥିଵା ଏଵଂ ପରେ ତାହା ଅନଙ୍ଗଭୀମ ଦେଵଙ୍କ ଦ୍ୱାରା ପରିସମାପ୍ତ ହେଲା ବୋଲି ଯେଉଁ ଅଭିମତ ପ୍ରକାଶ ପାଏ ତାହା ନିଶ୍ଚିତ ରୂପେ ଭ୍ରମାତ୍ମକ । 

(ଞ)ଗଵେଷକ ରଵି ରାୟ ୧୯୯୩ ଖ୍ରୀଷ୍ଟାବ୍ଦରେ ଚୌଦ୍ୱାର ଅଞ୍ଚଳରୁ ଏକ ତାମ୍ରଲେଖ ଆଵିଷ୍କାର କରିଥିଲେ । ଏହି ତାମ୍ରଲେଖ ଚୋଡ଼ଗଙ୍ଗ ଦେଵଙ୍କ ପୁତ୍ର କାମାର୍ଣ୍ଣବ ଦେଵଙ୍କ ଦ୍ୱାରା ପ୍ରଦତ୍ତ । ଏହାକୁ ଭିତ୍ତି କରି ଗଵେଷକ ରଵି ରାୟ ଲେଖିଛନ୍ତି ଯେ ଵର୍ତ୍ତମାନର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାତା ଚୋଡ଼ଗଙ୍ଗଦେଵ ନ ହୋଇ ପାରନ୍ତି । ଚୋଡ଼ଗଙ୍ଗଦେଵଙ୍କ ଉତ୍କଳ ଵିଜୟର ବହୁ ପୂର୍ଵରୁ ଏହି ଶ୍ରୀଜଗନ୍ନାଥ ମନ୍ଦିର ଵିଦ୍ୟମାନ ଥିଲା । କିନ୍ତୁ ଐତିହାସିକ କୈଳାସ ଚନ୍ଦ୍ର ଦାଶ ତାମ୍ରଲେଖରେ ପ୍ରଦତ୍ତ ତଥ୍ୟ ଯଥେଷ୍ଟ ନୁହେଁ ଏଵଂ ଗ୍ରହଣୀୟ ନୁହେଁ ବୋଲି ଲେଖିଛନ୍ତି ।

ଶ୍ରୀମନ୍ଦିରର ଚାରିଟି ଭାଗ ରହିଛି 
ଯଥା- ଵିମାନ, ମୁଖଶାଳା, ନାଟମନ୍ଦିର ଓ ଭୋଗମଣ୍ଡପ ।

 ଵିମାନ (ଗର୍ଭଗୃହ) ଓ ମୁଖଶାଳା ହିଁ ଚୋଡ଼ଗଙ୍ଗଦେଵ ନିର୍ମାଣ କରାଇଥିଲେ ବୋଲି କେତେକ ଗଵେଷକଙ୍କ ମତ । ନାଟମନ୍ଦିର ଏବେ ସାଧାରଣତଃ ଜଗମୋହନ ନାମରେ ପରିଚିତ । ନାଟ ମନ୍ଦିର(ଜଗମୋହନ)ଓ ଭୋଗମଣ୍ଡପ ଯଥାକ୍ରମେ ରାଜା ପୁରୁଷୋତ୍ତମ ଦେଵ(ଖ୍ରୀଷ୍ଟାଦ୍ଦ ୧୪୬୮-୧୪୯୭) ଏଵଂ ରାଜା ପ୍ରତାପରୁଦ୍ର ଦେଵ (ଖ୍ରୀଷ୍ଟାଦ୍ଦ ୧୪୯୭-୧୫୩୩)ଙ୍କ ସମୟରେ ନିର୍ମାଣ କରାଯାଇଥିଵା କଥା କୁହାଯାଇଛି । କିନ୍ତୁ 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି ଯେ,ପୁରୁଷୋତ୍ତମ ଦେଵ ତାଙ୍କର ୭ମ ଅଙ୍କରେ ଭୋଗମଣ୍ଡପ ତୋଳାଇଥିଲେ । ସେ ମଧ୍ୟ ନାଟମନ୍ଦିର ନିର୍ମାଣ କରାଇଥିବେ । ଏହି ରାଜା ଶ୍ରୀମନ୍ଦିରର ଭିତର ବେଢ଼ା (କୁରୁମ ବେଢ଼ା)ଗଢ଼ାଇଥିଲେ । ରାଜା କପିଳେନ୍ଦ୍ର ଦେଵଙ୍କ ସମୟ(ଖ୍ରୀ ୧୪୩୫-୧୪୬୮)ରେ ୧୫ ଅଙ୍କରେ ବାହାର ବେଢ଼ା ଗଢ଼ାଯାଇଥିଲା ବୋଲି 'ମାଦଳା ପାଞ୍ଜି'ରେ ଉଲ୍ଲେଖ ଅଛି । 

ପ୍ରୋକ୍ତ ତଥ୍ୟସବୁ ପାଠ କଲାପରେ ଅଧିକାଂଶ ହୃଦୟଙ୍ଗମ କରିବେ ଯେ ଶ୍ରୀମନ୍ଦିର ନିର୍ମାଣ କାର୍ଯ୍ୟ ଅନେକ ରାଜାଙ୍କ ଦ୍ଵାରା ଉତ୍ତରୋତ୍ତର ହୋଇଥିଲା । କେହି ଜଣେ ରାଜା ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ନିର୍ମାଣ କରିନାହାନ୍ତି । ସେଥିପାଇଁ ଏହି ଵିଵାଦର ସମାଧାନ ହେତୁକ ରାଜବଂଶର ପ୍ରତୀକ ଭାବେ ଓଡ଼ିଆ ଜାତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିର ନିର୍ମାତା ଭାବେ ଗ୍ରହଣ କରିଥିଲା । 

ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀମନ୍ଦିର ନିର୍ମାତା ଭାବେ ଗ୍ରହଣ କରିଵା ପଛରେ ଅନେକ କାରଣ ଥିଲା । ଯଥା—

(କ) ଶ୍ରୀମନ୍ଦିର ପୁରାଣ ପ୍ରସିଦ୍ଧ ତଥା ପୁରାତନ ମନ୍ଦିର ବୋଲି ପ୍ରତିପାଦ୍ୟ କରିଵା

(ଖ)ଅନେକ ରାଜବଂଶର ରାଜା ଶ୍ରୀମନ୍ଦିର ନିର୍ମାଣ କ୍ଷେତ୍ରରେ ଯୋଗଦାନ କରିଥିଵାରୁ କୌଣସି ଗୋଟିଏ ରାଜବଂଶକୁ ମନ୍ଦିର ନିର୍ମାଣର ଶ୍ରେୟ ନଦେଇ ସମସ୍ତ ରାଜବଂଶର ସମ୍ମାନ ହେତୁକ ଇନ୍ଦ୍ରଦ୍ୟୁମ୍ନ ନାମରେ ସେମାନଙ୍କୁ ଅଭିହିତ କରାଇଵା

(ଗ) ଉତ୍ତର ଭାରତରେ ଶ୍ରୀମନ୍ଦିର ତଥା ଶ୍ରୀଜଗନ୍ନାଥଙ୍କୁ ଲୋକପ୍ରିୟ କରାଇଵା ପାଇଁ ଉତ୍ତର ଭାରତୀୟଙ୍କ ଦ୍ଵାରା ମନ୍ଦିର ନିର୍ମିତ ହୋଇଅଛି ବୋଲି ପ୍ରଚାର କରାଇଵା ।

(ଘ) ଶ୍ରୀମନ୍ଦିର ସତ୍ୟଯୁଗରୁ ଏଯାଵତ୍ ରହିଛି ବୋଲି ଲୋକଙ୍କ ମନରେ ଵିଶ୍ଵାସ ଜନ୍ମାଇଵା । 

 ଇନ୍ଦ୍ରଦ୍ଯୁମ୍ନଙ୍କ ଶ୍ରୀମନ୍ଦିର ନିର୍ମାଣ ସମ୍ବନ୍ଧୀୟ ପୌରାଣିକ କଥାରେ ମଧ୍ୟ ଏହିକଥା ସୁକ୍ଷ୍ମ ଭାବେ କଥିତ ହୋଇଛି । 
 
ସେହି କଥା ଅନୁସାରେ ଇନ୍ଦ୍ରଦ୍ୟୁମ୍ନ ପୁରୀ ଜଗନ୍ନାଥ ଦେଉଳ ତୋଳାଇ ତାକୁ ପ୍ରତିଷ୍ଠା କରିଵା ପାଇଁ ବ୍ରହ୍ମାଙ୍କୁ ଡ଼ାକିଵାକୁ ଯାଇଥିଲେ। ଏହି ଅଵସ୍ଥାରେ ଅନେକ କାଳ ବିତିଗଲା। ଏଣେ ବାଲି ଉଡ଼ି ଦେଉଳଟି ପୋତି ହୋଇଗଲା। 

ପରଵର୍ତ୍ତୀ ଜନୈକ ରାଜା ଗାଲମାଧଵ ଘୋଡ଼ା ଝପଟାଇ ଯାଉଥିଲାବେଳେ ଘୋଡ଼ାର ଟାପୁ ଦେଉଳର ନୀଳ ଚକ୍ରାଗ୍ରରେ ବାଜିଵାରୁ ସେ ବାଲି ଖୋଳାଇ ଦେଉଳ ରଖିଲେ ଓ ଇନ୍ଦ୍ରଦ୍ଯୁମ୍ନ ଫେରିଆସିଵାରୁ ଗାଲମାଧବ ଏ ଦେଉଳ ତୋଳାଇଥିଵା ଦାବୀ କଲେ । ତେବେ ଇନ୍ଦ୍ରଦ୍ଯୁମ୍ନ ନାମକ ପୋଖରୀରେ ଥିଵା କୂର୍ମମାନେ ଇନ୍ଦ୍ରଦ୍ଯୁମ୍ନ ଦେଉଳ ତୋଳାଇ ଥିଲେ ଏହା ପ୍ରମାଣ କରିଦେଲେ। ସେହିଦିନଠାରୁ ମିଥ୍ଯା ଦାବି କରିଵା ଵ୍ୟକ୍ତିକୁ ଓଡ଼ିଶାରେ ଗାଲମାଧଵ କୁହାଗଲା ଏଵଂ ଏଭଳି ବାରମ୍ବାର ମିଥ୍ୟା କଥା କହି ଅନ୍ୟକୁ ଠକିଵାକୁ ଚେଷ୍ଟା କଲା ତାକୁ ଗାଲୁଆ କୁହାଗଲା । 

ଏହି ପୌରାଣିକ ଆଖ୍ୟାନରେ ଇନ୍ଦ୍ରଦ୍ୟୁମ୍ନ ହେଲେ ସବୁ ରାଜବଂଶର ପ୍ରତିନିଧି ଆଉ 
ଗାଲମାଧଵ ହେଲେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ରାଜବଂଶ ଵା ରାଜପୁରୁଷ ‌। ଅର୍ଥାତ୍ ପୌରାଣିକ କଥାଦ୍ଵାରା ପରୋକ୍ଷରେ କହିଦିଆଯାଇଛି ଯେ ଶ୍ରୀମନ୍ଦିର କେହି ଜଣେ ଵ୍ୟକ୍ତି ନିର୍ମାଣ କରାଇନାହାନ୍ତି ଵରଂ ନାନା ରାଜବଂଶ ଦ୍ଵାରା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇଅଛି । 

ତେବେ ଇନ୍ଦ୍ରଦ୍ୟୁମ୍ନ ହୁଅନ୍ତୁ ଯଯାତି କେଶରୀ ହୁଅନ୍ତୁ ଵା ଚୋଡ଼ଗଙ୍ଗ ଦେଵ କିମ୍ବା ଅନଙ୍ଗଭୀମଦେଵ ହୁଅନ୍ତୁ କେହି ବି ପ୍ରକୃତରେ ଶ୍ରୀମନ୍ଦିର ନିର୍ମାଣ କରିନାହାନ୍ତି ସେମାନେ ଶ୍ରୀମନ୍ଦିର ନିର୍ମାଣ କରାଇଛନ୍ତି । 

ପ୍ରକୃତରେ ଵିଭିନ୍ନ ସମୟକାଳରେ ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି ଏ ଦେଶର କରଦାତା ଜନତା ,ଶିଳ୍ପୀ ଓ ଶ୍ରମିକମାନେ ଏଵଂ ସେମାନଙ୍କୁ କେଵଳ ଏକଜୁଟ କରି ନିର୍ଦ୍ଦେଶ ଓ ଆଦେଶ ମାତ୍ର ଦେଇ କାମ କରାଇଛନ୍ତି ଵିଭିନ୍ନ ସମୟର ରାଜପୁରୁଷମାନେ ତେଣୁ ଶ୍ରୀମନ୍ଦିରର ପ୍ରକୃତ ନିର୍ମାତା ଆମେ କାହାକୁ କହିଵା ?

କାନ୍ଧରେ ପଥର ବୋହିଥିଵା ଶ୍ରମିକ,ପଥର କାଟି ଯୋଡି଼ଥିଵା ଶିଳ୍ପୀ ନା ସେମାନଙ୍କୁ ଆଦେଶ ଦେଇ କାର୍ଯ୍ୟ କରାଇଥିଵା ରାଜପୁରୁଷ ?

ସାମଗ୍ରିକ ଭାଵରେ କୁହାଯାଇପାରେ ଯେ ଓଡ଼ିଶାଵାସୀ ଜନତା ହିଁ ପ୍ରକୃତରେ ଶ୍ରୀମନ୍ଦିରର ନିର୍ମାତା...

•••••••••ତଥ୍ୟ ଉତ୍ସ••••••••••
•ଶ୍ରୀଜଗନ୍ନାଥ (ମହୀମୋହନ ତ୍ରିପାଠୀ )
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ 
••••••••••••••••••••••••••••

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...