ପ୍ରାଚୀନ ଓଡ଼ିଆରେ ପୂର୍ଵେ ଆଈ ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହେଉଥିଲା ଅଧୁନା ମାତାମହୀ ତଥା ପିତାମହୀଙ୍କୁ ଆଈ ସମ୍ବୋଧନ କରାଯାଇଥାଏ ।
ତେବେ ଆସାମ ଓ ମହାରାଷ୍ଟ୍ରରେ ଆଈ ଶବ୍ଦ ଆଜି ବି ମାତା ଅର୍ଥରେ ପ୍ରୟୋଗ ହେଉଅଛି ।
ଏକ ଲୋକପ୍ରିୟ ମତାନୁସାରେ ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଅଜା ଓ ଆଈ ଶବ୍ଦ ଆସିଥିଵା ଅନେକ ବୁଦ୍ଧିଜୀଵୀ ମତ ଦିଅନ୍ତି । ସେହିପରି ଅପଭ୍ରଂଶବୋଧିନୀ ଅଭିଧାନ ଅନୁସାରେ ଆଈ ଶବ୍ଦଟି ସଂସ୍କୃତ "ଆର୍ଯ୍ୟକୀ" ଶବ୍ଦର ଓଡ଼ିଆ ରୂପ ।
ମାତ୍ର ଓଡ଼ିଶାର ଆଷ୍ଟ୍ରିକ ଓ ଦ୍ରାଵିଡ଼ ଭାଷାଗୁଡି଼କରେ ମଧ୍ୟ ଆଈ ଶବ୍ଦ ସହ ସମସାଦୃଶ୍ୟ ଅନେକ ଶବ୍ଦ ଚଳୁଅଛି
ଉଦାହରଣ ସ୍ୱରୂପ ...
🟣ଗଦଵା ଵା ଗୁତଵ ଭାଷାରେ ମାଆଙ୍କୁ ଇୟଂ କୁହାଯାଏ ।
🟣ଓରାଓଁରେ ମାଆଙ୍କୁ ଆୟାଙ୍ କୁହାଯାଏ ।
🟣କିସାନ୍ ଵା କୁଣାହାଁରେ ମାଆଙ୍କୁ ଆୟା/ଆୟାଂ ଓ ଆୟାଙ୍ଗ ସମ୍ବୋଧନ କରାଯାଏ ।
🟣କୁଈ ତଥା କୁଭି ଭାଷାରେ ମାଆଙ୍କୁ "ଆଜି" ଡାକନ୍ତି ।
🟣କୋୟା ଭାଷାରେ ମାଆଙ୍କୁ ୟାୟା ଓ ୟାୱା କୁହନ୍ତି ।
🟣ଗୋଣ୍ଡୀ ଭାଷାରେ ୟାୟା ଶବ୍ଦଦ୍ଵାରା ମାତାଙ୍କୁ ସମ୍ବୋଧନ କରାଯାଏ ।
🟣ଦେଶିଆ ଓଡ଼ିଆରେ ମାଆଙ୍କୁ ଆୟା ଡକାଯାଏ ।
🟣ବଣ୍ଡା ଭାଷାରେ ୟଂ ଓ ଇୟଂ ଆଦି ଶବ୍ଦ ମାତାଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ କରାଯାଏ ।
🟣ଭୁଂଜିଆରେ ଓୟା ଶବ୍ଦର ଅର୍ଥ ମାଆ ।
🟣ସଉରାରେ ମାଆଙ୍କୁ ୟାଙ୍ ଡକାଯାଏ ।
🟣ସାଦ୍ରୀରେ ଆୟୋ ଶବ୍ଦ ମାତା ଶବ୍ଦର ପ୍ରତିଶବ୍ଦ ।
🟣ସାନ୍ତାଳୀରେ ମାଆଙ୍କୁ ଏଙ୍ଗା ଓ ଅୟୋ କୁହାଯାଏ ।
🟣ଡିଡାୟୀରେ ଇଆଁଙ୍ଗ୍ ଶବ୍ଦ ଵ୍ୟଵହାର କରି ମାତାଙ୍କୁ ସମ୍ବୋଧନ କରାଯାଏ ।
🟣ପରଜୀ ଭାଷାରେ ମାଆଙ୍କୁ ଇୟ୍'ୟା କୁହାଯାଏ ।
🟣ଭତ୍ରୀ ଓ ହଲଵୀ ଓଡ଼ିଆରେ ମାଆଙ୍କୁ ଆୟା ଡକାଯାଏ ।
ଇତ୍ୟାଦି ଇତ୍ୟାଦି ...
ଅର୍ଥାତ୍ ଓଡ଼ିଆ ଭାଷାରେ ପୂର୍ଵେ ମାତା ଅର୍ଥରେ ପ୍ରଚଳିତ ଥିଵା ଆଈ ଶବ୍ଦଟି ସମ୍ଭଵତଃ ଜନଜାତୀୟ ମୂଳର କିଂଵା ଓଡ଼ିଆ ପ୍ରାଚୀନ ଓଡ଼ିଆ ଭାଷାରେ ଆର୍ଯ୍ୟା ଶବ୍ଦଜ ଆଈ ଶବ୍ଦର ବହୁଳ ଵ୍ୟଵହାରରୁ ପ୍ରଭାଵିତ ହୋଇ ଵିଭିନ୍ନ କଳିଙ୍ଗୀ ଜନଜାତୀୟ ଭାଷା ମଧ୍ୟରେ ଆଈ ଶବ୍ଦ ଭିନ୍ନ ଭିନ୍ନ ରୂପରେ ପ୍ରଚଳିତ ହୋଇଅଛି ।
ମତାନ୍ତରେ ଆଈ ଶବ୍ଦ ବୋଉ,ବେଇ,ବୁଆ,ବାବା,ବବା,ଦଦା,ମାମା,ମମା,ନାନୀ,ନନା ଆଦି ଶବ୍ଦ ଭଳି child babbling ଯୋଗୁଁ ସୃଷ୍ଟି ହୋଇଥିଵା ମଧ୍ୟ ସମ୍ଭଵ ।
ପୂର୍ଵେ ଓଡ଼ିଆ ଭାଷାରେ ଆଈ ଶବ୍ଦଟି ମାତା ଅର୍ଥରେ ପ୍ରୟୋଗ ହେଉଥିଵାରୁ ଅନେକ ପ୍ରାଚୀନ ସାହିତ୍ୟିକ କୃତିରେ ଏ ଶବ୍ଦଟି ମାତା ଶବ୍ଦର ଏକ ପ୍ରତିଶବ୍ଦ ଭାବେ ଵ୍ୟଵହୃତ ହେଇଥିଲା ।
ଉଦାହରଣ ସ୍ୱରୂପ...
ସାରଳା ଦାସ ତାଙ୍କର ସାରଳା ମହାଭାରତର ଭୀଷ୍ମପର୍ଵରେ ଆଇ/ଆଈ ଶବ୍ଦ ଏମନ୍ତ ପ୍ରୟୋଗ କରିଛନ୍ତି...
"ଅନମିତ ବିଶୋଇ ଅଵରଣେ ମଧ୍ଯପାତ୍ର,
ଅଥାପନ ଛତ୍ରୀ ଅଭାଵୀ ମଇତ୍ର ।
ଅଭାଵି ଭାରିଯା ଯେ ଵିଵାଦପ୍ରିୟ ଆଇ,
ୟେତକ ଲୋକନ୍ତ ଵିଶ୍ଵାସ ନ ଯାଇ ॥"
କଵି ଵିଶ୍ଵନାଥ କୃତ ଵିଚିତ୍ରରାମାୟଣରେ ଆଈ ଶବ୍ଦକୁ ମାତା ଅର୍ଥରେ ପ୍ରୟୋଗ କରିଛନ୍ତି
“ଦଶରଥ ସୂତ, ଜଗତେ ଵିଦିତ,
କୈକେୟୀ ମୋହର ଆଈ।”
ଓଡ଼ିଆ ରାମାୟଣର “ଲକ୍ଷ୍ମଣ ଶକ୍ତିଭେଦରେ ଶ୍ରୀରାମଙ୍କ ଶୋକ” ଅଧ୍ୟାୟରେ ରାମଚନ୍ଦ୍ର ନିଜ ମାତାଙ୍କୁ ଆଈ କହୁଛନ୍ତି ।
“ଅର୍ଥଭାଗ ବାଣ୍ଟି ଯେ ନିଅନ୍ତି ଭାଇମାନେ ।
କଷ୍ଟ ପାଇବ ବୋଲି ଅଇଲା ଘୋରବନେ ।
ଆରେ ଆରେ ଲକ୍ଷ୍ମଣ ତୁ ମୋ ପ୍ରାଣ ସ୍ବରୂପ ।
କାହିଁ ବସି ବାକୁ ତୁ ଅର୍ଜିଲୁ ଏଡ଼େ ପାପ ।
ସର୍ବ ସୁଲକ୍ଷଣ ତୁହିଁ ଅଟୁ ମୋର ଭାଇ ।
ଘରକୁ ଗଲେ ଯେ ମୋତେ କି ବୋଲିବେ ଆଈ ।”
ସେଇମିତି ଜଗନ୍ନାଥ ଦାସ ତାଙ୍କ ଓଡ଼ିଆ ଭାଗଵତରେ ମଧ୍ୟ ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରିଯାଇଛନ୍ତି ...
“ଏମନ୍ତେ ପାହିଲା ରଜନୀ
ଦେଵକୀ ମୁଖ ଚାହିଁ ଭଣି ॥
ତୋର ଉଦରେ ଜଗନ୍ନାଥ ।
ଜଗତ ରଖିଵେ ତୋ ସୁତ ॥
ଶୁଦ୍ଧ ଚୈତନ୍ୟ ରୂପ ଘେନି ।
ପ୍ରକାଶ ହୋଇଵେ ମେଦିନୀ ॥
କଂସର ଭୟ ଛାଡ଼ ଆଈ ।
ଯାହାର ନାମେ ଦୁଃଖ ନାହିଁ ॥”
ଏହି ଆଈ ଶବ୍ଦଟି ଵିଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ । ପୂର୍ଵ ତଥା ମଧ୍ୟ ଓଡ଼ିଶାରେ ମାତାମହୀଙ୍କୁ ଆଈ ସମ୍ବୋଧନ କରାଯାଏ ସେହିପରି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ପିତାମହୀଙ୍କୁ ଆଈ ସମ୍ବୋଧନ କରାଯାଉଛି । କେତେକ ଅଞ୍ଚଳରେ ଆଈମା, ଗୋସେଇଁ ଆଈ ତଥା ଆଈଶାଶୁ(ପତି ଵା ପତ୍ନୀର ମାତାମହୀ) ଆଦି ଶବ୍ଦ ମଧ୍ୟ ପ୍ରଚଳିତ ।
ଅନୁମାନ କରାଯାଇପାରେ ଯେ ଆଜକୁ ପ୍ରାୟ ପାଞ୍ଚଶହ ଵର୍ଷ ତଳେ ଓଡ଼ିଶାରେ ମାତା ଅର୍ଥରେ ମାଆ ଓ ଆଈ ଏହି ଦୁଇଟି ଶବ୍ଦ ଚଳୁଥିଲା ଏଵଂ ପରେ ଏ ଶବ୍ଦଟି ମାତାମହୀ ଵା ମାଆଙ୍କ ମାଆଙ୍କୁ ସମ୍ବୋଧନାର୍ଥ ପ୍ରୟୋଗ ହେଵାକୁ ଲାଗିଲା
ଆଜିକାଲି ଯେପରି ପିତାମହୀ ଓ ମାତାମହୀଙ୍କୁ ଆଧୁନିକ ବାଳକ ବାଳିକାମାନେ "ମାଆ" ଡାକୁଛନ୍ତି ତଥା ନିଜ ମାତାମାନଙ୍କୁ ମମି,ମାମା ଓ ବୋଉ ଡାକୁଛନ୍ତି ପୂର୍ଵେ ସେହିପରି ମାଆଙ୍କ ମାଆ ଓ ବାପାଙ୍କ ମାଆଙ୍କୁ ଆଈ ଡାକିଵା ଆରମ୍ଭ କରିଦେଇଥିଵେ ଫଳତଃ ଆଈ ଶବ୍ଦଟି ପରେ ମାତାମହୀ ତଥା ପିତାମହୀଙ୍କ ପ୍ରତି ସମ୍ବୋଧନ କରିଵା ହେତୁକ ଵ୍ୟଵହୃତ ହେଵାକୁ ଲାଗିଲା ।
.................................
ଅକିଞ୍ଚନ ଶିଶିର ସାହୁ ମନୋଜ
...........…...................
No comments:
Post a Comment